Unknown

କରଯୋଡ଼ି ଭକତଙ୍କୁ

ଭକ୍ତ ନାରଣ

 

(ଉକ୍ତ ଚଉତିଶାର ରଚୟିତା ଭକ୍ତ ନାରଣଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟଭାବେ କିଛି ସୂଚନା ମିଳିନାହିଁ । ସପ୍ତଦଶ ଶତାବ୍ଦୀରେ ନାରାୟଣ ନାମରେ ଜଣେ କବି ‘କାମଦୁହା ଚଉତିଶା’ ରଚନା କରିଥିବା ଜଣାଯାଏ । ସେମିତି ଅଷ୍ଟାଦଶ ଶତାବ୍ଦୀରେ ନାରାୟଣ ଦାସ ନାମରେ ଦୁଇଜଣ କବି ଥିବା ସୂଚନା ମିଳିଛି । ଏହି ଦୁଇ କବିଙ୍କର ‘ପ୍ରେମ ପଞ୍ଚାମୃତ ସିନ୍ଧୁ’, ‘ପଞ୍ଚଶାୟକ’ ଗ୍ରନ୍ଥ ସମେତ କେତେକ ଚଉତିଶା ରହିଛି । ସେଇ ଅଷ୍ଟାଦଶ ଶତାବ୍ଦୀର ଅନ୍ୟଜଣେ କବି ନାରାୟଣ ଦ୍ୱିଜ । ତାଙ୍କର କେତେକ ଗୀତ, ଚଉତିଶା ବି ରହିଛି । ଏହି ସମୟର ନାରଣ ମିଶ୍ର ନାମକ ଜଣେ କବି କେତେକ । ପ୍ରେମ କବିତା ସୃଷ୍ଟି କରି ଯାଇଛନ୍ତି । ଯାହା ଜଣାପଡ଼ୁଛି, ଉପରୋକ୍ତ କୌଣସି ‘ନାରାୟଣ’ ବା ‘ନାରଣ’ ଉକ୍ତ ଚଉତିଶାର ରଚୟିତା ନୁହଁନ୍ତି । ସମ୍ଭବତଃ ଭକ୍ତ ନାରଣ ଅଲେଖ ଧର୍ମାବଲମ୍ବୀ, ସନ୍ଥ ଭୀମଭୋଇଙ୍କର ସମସାମୟିକ । ସେ ମହିମାଧର୍ମ, ଅଲେଖଙ୍କ ମହିମା ସମ୍ପର୍କିତ ଚିତ୍ର ଏଥିରେ ବର୍ଣ୍ଣନା କରିଛନ୍ତି । ଭଜନଟି ସୁନ୍ଦର, ସରଳ ଭାଷାରେ ଲିଖିତ ।)

 

କରଯୋଡ଼ି ଭକତଙ୍କୁ । କହୁଛି ନ ଛାଡ଼ ସତ୍ୟ ଧର୍ମକୁ ।

ସୁଜନେ ହେ । ଥାଅ କଳକି ବେଳକୁ ।୧।

କ୍ଷିତିନାଥ ଦଇତାରୀ । ପ୍ରାଚୀ ତଟରେ ହେବେ ଅଧିକାରୀ ।

ସୁଜନେ ହେ । ଅଛି ଶତେକ ଶର୍ବରୀ ।୨।

ଗୁରୁଆଜ୍ଞା ଥାଅ ପାଳି । ଗଣ୍ଠିଧନ ପ୍ରାୟେ ଥାଅ ସମ୍ଭାଳି ।

ସୁଜନେ ହେ । ଶେଷ ହୋଇଲାଣି କଳି ।୩।

ଘୁମା ରୋଗ ଘରେ ଘରେ । ଘରୁନା ଲାଗିବ ଅମନ ପୁରେ ।

ସୁଜନେ ହେ । ଭେଦ ନାହିଁ କାହାଠାରେ ।୪।

ଅନନ୍ତ ଶୂନ୍ୟ ପୁରୁଷ । ଅମ୍ରାବତୀ ପୁରେ ହେବେ ପ୍ରବେଶ ।

ସୁଜନେ ହେ । ଜଣା ନ ଥିବ ସନ୍ଦେଶ ।୫।

ଚିହ ଗଡ଼ରେ ଯୁଧିଷ୍ଠି । ସହଦେବ ଥିବ ଛାମୁରେ ଖଟି ।

ସୁଜନେ ହେ । ପଞ୍ଚଭ୍ରାତା ତୁଲେ ଗୋଷ୍ଠୀ ।୬।

ଛାଏଣି ଯୋରନ୍ଦା ଧାମ । ସେହି ମହା ପ୍ରଭୁଙ୍କର ଆସ୍ଥାନ ।

ସୁଜନେ ହେ । ଜ୍ୟୋତି ଜ୍ୱାଳା ଊର୍ମ ଧୂର୍ମ ।୭।

ଯୋଗ-ମାୟାକୁ ଶ୍ରୀହରି । ଆଜ୍ଞାଦେବେ ଯାଅ ଜଗତେ ଫେରି ।

ସୁଜନେ ହେ । ବିସୂଚା ରୂପକୁ ଧରି ।୮।

 

ଭାବାର୍ଥ- (୧-୮) ଜଗତରେ ସତ୍ୟ, ଧର୍ମକୁ ପ୍ରତିଷ୍ଠା କରିବାକୁ, ପ୍ରଭୁଙ୍କ ମହିମାକୁ ବଜାୟ ରଖିବା ପାଇଁ କବି ଭକ୍ତମାନଙ୍କୁ ବିନମ୍ର ନିବେଦନ ଜଣାଇଛନ୍ତି । ହେ ସୁଜନେ, ତୁମମାନଙ୍କୁ କରଯୋଡ଼ି ଜଣାଉଛି, ସତ୍ୟ ଧର୍ମ ପଥକୁ ଛାଡ଼ନାହିଁ । କଳ୍‌କୀ ଅବତାର ଆସିବା ବେଳକୁ ଚାହିଁଥାଅ । ଜଗତର ନାଥ ଦଇତାରୀ, ପ୍ରାଚୀ ନଦୀ କୂଳରେ ଅବସ୍ଥାନ କରିବେ । ଶହେ ରଜନୀ ବାକି ଅଛି, ଅଧୈର୍ଯ୍ୟ ହୁଅ ନାହିଁ । ହେ ସୁଜନେ, ସର୍ବଦା ଗୁରୁଙ୍କ ଆଜ୍ଞାକୁ ପାଳନ କର । ଗଣ୍ଠିଧନ ପ୍ରାୟ ତାଙ୍କୁ ସମ୍ଭାଳି ଥାଅ । କଳିଯୁଗ ଶେଷ ହେବାକୁ ବସିଲାଣି । ଘରେ ଘରେ ଘୁମା ରୋଗ ବ୍ୟାପିଛି । କାହା ଠାରେ ଭେଦ ଭାବ ରଖ ନାହିଁ ।

 

ହେ ସୁଜନେ, ଅନନ୍ତ ଶୂନ୍ୟ ପୁରୁଷ ଅମରାବତୀପୁରରେ ପ୍ରବେଶ କରିବେ । କାହାକୁ ହେଲେ ଏ ସନ୍ଦେଶ ଜଣାପଡ଼ିବ ନାହିଁ । ପ୍ରଭୁଙ୍କ ପାଦ ତଳେ ଯୁଧିଷ୍ଠିର, ସହଦେବ ଖଟିବେ । ପଞ୍ଚଭ୍ରାତ ଯୋରନ୍ଦା ଧାମରେ ବିଜେ କରିବେ । ତାହା ହେବ ମହାପ୍ରଭୁଙ୍କ ଆସ୍ଥାନ । ହେ ସୁଜନେ, ଯୋଗମାୟାଙ୍କୁ ପ୍ରଭୁ ଜଗତ କରତା, ଜଗତକୁ ବିସୂଚିକା ରୋଗ ରୂପ ଧରି ଫେରିଯିବା ପାଇଁ ଆଜ୍ଞା ଦେବେ ।

 

ଝାବଡ଼ା ଦେଖି ସଂସାର । ଅପରାଧୀ ଦେଖି କର ଆହାର ।

ସୁଜନେ ହେ । ବାଛି ବାଛି ରଖ ସାର ।୯।

ନିଗମ ବଚନ ସତ୍ୟ । ନେଉଟ ଯୁଗ କରିବେ ଅନନ୍ତ ।

ସୁଜନେ ହେ । ନିଶ୍ଚେ ହେବ ସାରସ୍ୱତ ।୧୦।

ଟମକ ବାଜୁଛି ଏବେ । ଟାଣ ଲୋକମାନେ ସବୁ ହଜିବେ ।

ସୁଜନେ ହେ । ଟୁରା ଛେଉଣ୍ଡିଆ ଥିବେ ।୧୧।

ଠିକ ହେଲାଣି ସମ୍ପୂର୍ଣ୍ଣ । ଠୁଳ ହେବେ ସବୁ ଭକତଗଣ ।

ସୁଜନେ ହେ । ଠାରି କହଇ ନାରଣ ।୧୨।

ଡରୁଥିବେ ଲୋକେ ଶୁଣି । ଡାଳପତ୍ରେ ଲୁଚିଥିବେ ଡାଏଣୀ ।

ସୁଜନେ ହେ । ଡାକ ଦେବେ ବେଳ ଜାଣି ।୧୩।

ଢମ ନଗର ଢାଙ୍କୁଣୀ । ଫିଟାଇବେ ସ୍ୱାମୀ ସମୟ ଜାଣି ।

ସୁଜନେ ହେ । ଶେଷ ହେବ ମୀନ ଶନି ।୧୪।

ଅନ୍ଧ ଧୃତରାଷ୍ଟ୍ର ଏଣେ । ଜନମ ହୋଇଛି ଐଶାନ୍ୟ କୋଣେ ।

ସୁଜନେ ହେ । ସେ ଥିବ ଦମନ ରଣେ ।୧୫।

 

ଭାବାର୍ଥ- (୯-୧୫) ହେ ସୁଜନେ, ଝାବଡ଼ା (ଅଗାଡ଼ି) ବା ଶସ୍ୟହୀନ ସଂସାର ଦେଖୁ ବାଛି ବାଛି ସାର ରଖ । ବେଦର କଥା ସର୍ବଦା ସତ୍ୟ । ପ୍ରଭୁ ଅନନ୍ତ ପୁଣି ସତ୍ୟଯୁଗକୁ ଲେଉଟାଇ ଆଣିବେ । ନିଶ୍ଚୟ ଏହା ସତ୍ୟ ହେବ । ହେ ସୁଜନେ, ଜଗତରେ ଏବେ ଡାକ ପଡ଼ିଛି, ନିଷ୍ଠୁର ଲୋକମାନେ ସବୁ ଜଗତରୁ ହଜିଯିବେ । ଟୁରା (ଛେଉଣ୍ଡ) ଛେଉଣ୍ଡିଆ ହେବେ । ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାଣି । ଭକ୍ତଗଣ ଏବେ ରୁଣ୍ଡ ହେବେ ।

 

ହେ ସୁଜନେ, ଏହି କଥା ଶୁଣି ଲୋକମାନେ ଡରୁଥବେ । ଡାହାଣୀ ଚିରୁଗୁଣି ସବୁ ଡାଳପତ୍ରରେ ଲୁଚିଥିବେ । ବେଳ ଜାଣି ଡାକ ଛାଡ଼ିବେ । ଏଣିକି ଦୁଷ୍ଟ ଗ୍ରହର ପ୍ରାଦୁର୍ଭାବ ଦୂର ହେବ । ସମୟ ଜାଣି ପ୍ରଭୁ ଧରାପୃଷ୍ଠରେ ଅବତୀର୍ଣ୍ଣ ହେବେ । ଦୁଷ୍ଟ ଦୁର୍ଜ୍ଜନଙ୍କୁ ବିନାଶ କରିବେ । ଅନ୍ଧ ଧୃତରାଷ୍ଟ୍ର ଐଶାନ୍ୟ କୋଣରେ ଜନ୍ମ ନେଇଛି ସୁଜନେ, ଭୟଙ୍କର ବିପତ୍ତିରୁ ପ୍ରଭୁ ଉଦ୍ଧାର କରିବେ । ତାଙ୍କୁ ସର୍ବଦା ପ୍ରାର୍ଥନା କର ।

 

ତରସ୍ତ ହୋଇବେ ଜନ । ଉତ୍ତର ଦିଗରୁ ସାଜିବେ ସୈନ୍ୟ ।

ସୁଜନେ ହେ । ହେବ ମହାଘୋର ରଣ ।୧୬।

ଥୟ ନୋହିବ ବ୍ରହ୍ମାଣ୍ଡ । କମ୍ପୁଥିବ ମହୀ ସପତଖଣ୍ଡ ।

ସୁଜନେ ହେ । କମ୍ପୁଥିବ ରାଜଦଣ୍ଡ ।୧୭।

ଦାଉଁ ଦାଉଁ ହେବ ଛାତି । ଦିନେ ଭକ୍ତ ମେଳେ ହୋଇବ କ୍ଷିତି ।

ସୁଜନେ ହେ । ଅଶ୍ରୁତ କରିବେ ଶ୍ରୁତି ।୧୮।

ଧର୍ମ ଉଦେ ହେବ ସିନା । ଧ୍ୱଜା ଉଡ଼ୁଥିବ ନୂଆ ରଚନା ।

ସୁଜନେ ହେ । ଧୂତି କ୍ଷିତି ଧୈର୍ଯ୍ୟ ବାନା ।୧୯।

ନରଲୋକ ଜଣେ ଜଣେ । ବୋଲୁଥିବେ ପ୍ରଭୁ ଆମ୍ଭେ ଆପଣେ ।

ସୁଜନେ ହେ । ଅଖିଳ ନିସ୍ତାର ଜଣେ ।୨୦।

ପାହିଗଲା କଳିଯୁଗ । ପନ୍ଦର ଶତ ପଚସ୍ତରୀ ଭୋଗ ।

ସୁଜନେ ହେ । ଠିକ ହେଲାଣି ନିଯୋଗ ।୨୧।

ଫନ୍ଦା ବୃତ୍ତି ଯିବ ନାଶ । ଫାଟିବ ଧରଣୀ ଦେଶ ।

ସୁଜନେ ହେ । ହର ଗିରି କଇଳାସ ।୨୨।

ବେଦ ବିଦ୍ୟା ବିକା କିଣା । ବାଜିବ ଟମକ ନିତି ବାଜଣା ।

ସୁଜନେ ହେ । ସବୁ ହେବ ଭେଦ ମାର୍ଗ ବଣା ।୨୩।

ଭୟେ ନୁହ ଛନ୍ନ ଛନ୍ନ । ଭବିଷାନ୍ତ ବାଣୀ ଶୁଣ ଶ୍ରବଣ ।

ସୁଜନେ ହେ । ଭାବି କହଇ ନାରଣ ।୨୪।

 

ଭାବାର୍ଥ- (୧୬-୨୪) ହେ ସୁଜନେ, ପ୍ରଭୁଙ୍କ ଏ ଅପାର ମହିମା ଦେଖି ଲୋକମାନେ ତଟସ୍ଥ ହୋଇଯିବେ । ଉତ୍ତର ଦିଗରେ ସୈନ୍ୟସଜ୍ଜା ହେବ । ଘୋର ଯୁଦ୍ଧ ହେବ । ପୃଥିବୀ ଥରହର ହେବ । ମହୀମଣ୍ଡଳ କମ୍ପିଉଠିବ । ରାଜଦାଣ୍ଡ ଗହଳ ଚହଳରେ ପ୍ରକମ୍ପିତ ହେବ । ଭୟଙ୍କର ଗର୍ଜନ ତର୍ଜନରେ ଛାତି ଦାଉଁ ଦାଉଁ ହେବ । ପୃଥିବୀରେ ଭକ୍ତ ଜନଙ୍କର ଗହଳ ଚହଳ ହେବ । ବେଦପାଠ, ଧର୍ମଭାବନା, ଧ୍ଵଜା ଉଡ଼ାଣରେ ଜଗତ କମ୍ପିଉଠିବ । ସଂସାରବାସୀ ପ୍ରଭୁଙ୍କ ପଦାରବିନ୍ଦରେ ନିଜକୁ ଢାଳି ଦେବେ । ସେ ପାପୀମାନଙ୍କୁ ନିସ୍ତାର କରିବେ । ହେ ସୁଜନେ, କଳିଯୁଗ ପାହିଗଲା । ପନ୍ଦରଶହ ପଞ୍ଚସ୍ତରୀ ଭାଗ ଭୋଗ ହୋଇଲାଣି । ଲୋକଙ୍କ ଫନ୍ଦାବୃତ୍ତି ନଷ୍ଟ ହେବ । ପୃଥିବୀ ମାତା, କଇଳାସଗିରି ଫାଟିଯିବ ।

 

ହେ ସୁଜନେ, ଏବେ ଜଗତରେ ଅନିଷ୍ଟ ଦେଖାଦେବ । ବେଦ ବିଦ୍ୟା ସବୁ ବିକାକିଣାର ସାମଗ୍ରୀ ହୋଇପଡ଼ିବ । ପ୍ରତ୍ୟହ ଟମକ ବାଜଣା ବାଜିବ । ସମସ୍ତେ ବାଟବଣା ହେବେ । ପରସ୍ପର ମଧ୍ୟରେ ଭେଦାଭେଦ ସୃଷ୍ଟି ହେବ । ହେ ସୁଜନେ, ଭବିଷ୍ୟତ ବାଣୀ ଶୁଣି ଅଧୈର୍ଯ୍ୟ ହୁଅ ନାହିଁ କିମ୍ବା ଭୟରେ ଛନ୍ନ ଛନ୍ନ ହୁଅ ନାହିଁ । ଭବିଷାନ୍ତ କଥାର ଶ୍ରବଣ କର ।

 

ମହୀରେ ମହିମା ନାମ । ତିରିଶ ଅଙ୍କରେ ଉଠିବ ଧାମ ।

ସୁଜନେ ହେ । ନଷ୍ଟ ହେବ ଗଡ଼ ଗ୍ରାମ ।୨୫।

ଜୁଆର ଉଠିବ ଜଳ । ଉତ୍ତରୁ ଦିଗରୁ ଆସିବେ ବଳ ।

ସୁଜନେ ହେ । ହେବ ମହା ଖଳବଳ ।୨୬।

ରାଜା କୁଳ ନୃପନିଧି । ବାଳୁତ କୁମର ରଖିବେ ଗାଦି ।

ସୁଜନେ ହେ । ଦିବ୍ୟସିଂହ ଥିବେ ବନ୍ଦୀ ।୨୭।

ଲଏ ଲହଙ୍ଗା ପାଟଣା । ସେହିଠାରେ ହେବେ ରାତ୍ରରେ ହଣା ।

ସୁଜନେ ହେ । ନ ଚିହ୍ନି ପର ଆପଣା ।୨୮।

ବାଳୁତ ରାଜା ହୋଇବେ । ବାବୁ ରାଜା ଖଣ୍ଡଗିରିରେ ଥିବେ ।

ସୁଜନେ ହେ । ବେଲାଳସେନ ସେ ପୂର୍ବେ ।୨୯।

ଶ୍ରୀରାମ ଶୂଦ୍ରଙ୍କ ଘରେ । ଜନମ ହୋଇବେ କିଙ୍କର ନଗ୍ରେ ।

ସୁଜନେ ହେ । ଅନନ୍ତ ସିନ୍ଧୁ ଠାକୁରେ ।୩୦।

ସ୍ୱୟଂ ପରଂବ୍ରହ୍ମ ହରି । ମୁକ୍ତି ପସରାକୁ ଗୁପତ କରି ।

ସୁଜନେ ହେ । ଫେରିବ ଯମ କତୁରି ।୩୧।

 

ଭାବାର୍ଥ- (୨୫-୩୧) ଭବିଷ୍ୟତବାଣୀ ଶୁଣେଇ କବି କହୁଛନ୍ତି- ହେ ସୁଜନେ, ପୃଥିବୀରେ ମହିମା ନାମର ପ୍ରସାର ଘଟି ତିରିଶି ଅଙ୍କରେ ପୂର୍ଣ୍ଣ ହେବ । ଗଡ଼ ଗ୍ରାମ ସବୁ ନଷ୍ଟ ହେବ । ସମୁଦ୍ରରେ ଜୁଆର ଉଠି ଜଳ ମାଡ଼ି ଆସିବ । ଉତ୍ତର ଦିଗରୁ ସୈନ୍ୟବଳ ମାଡ଼ି ଆସିବେ । ଦେଶରେ ମହାଗୋଳ ଲାଗି ରହିବ । ରାଜା ଦିବ୍ୟସିଂହ ବନ୍ଦୀ ହେବେ । ତାଙ୍କ ପୁତ୍ର ଯୁବରାଜ ଗାଦିରେ ବସିବେ । ଲହଙ୍ଗାପାଟଣାରେ ଯୁଦ୍ଧଲାଗି ବହୁ ଲୋକ ହଣା ଖାଇବେ । ପର କିଏ ଆପଣା କିଏ । ଚିହ୍ନି ନ ପାରି ପରସ୍ପର ମଧ୍ୟରେ ହଣାହଣି ହେବେ ।

 

ହେ ସୁଜନେ, ରାଜ୍ୟରେ ବାଳୁତ ରାଜା ଶାସନ ଭାର ନେବେ, ତେଣେ ବୃଦ୍ଧ ରାଜା ଖଣ୍ଡଗିରିରେ ରହିବେ । ପୂର୍ବ ଜନ୍ମରେ ସେ ବେଲାଳସେନଭାବେ ଜନ୍ମ ନେଇଥିଲେ । ଜଗତର ନାଥ ଅନନ୍ତସିନ୍ଧୁ ଠାକୁର ପ୍ରଭୁ ଶ୍ରୀରାମଚନ୍ଦ୍ର କିଙ୍କର ବାସ କରୁଥିବା ନଗରରେ ଶୂଦ୍ର ଘରେ ଜନ୍ମ ନେବେ । ସ୍ଵୟଂ ପରଂବ୍ରହ୍ମ ହରି ମୁକ୍ତି ପସରାକୁ ଗୁପ୍ତ କରି ରହିବେ । ଯମ କତୁରି ଫେରିଯିବ ।

 

ଶୁଣ ଜନେ ସାରସ୍ୱତ । ବାର ରାଶି ଗୁରୁ ପୁଷ୍ୟା ନକ୍ଷତ୍ର ।

ସୁଜନେ ହେ । ସେହିଦିନ ହେବ ସତ୍ୟ ।୩୨।

ହରିନାମ ଆଶ୍ରେ କର । ଭବସିନ୍ଧୁ ଯେବେ ହେବ ଉଦ୍ଧାର ।

ସୁଜନେ ହେ । ଶ୍ରୀଗୁରୁ କରିବେ ପାର ।୩୩।

କ୍ଷମାନନ୍ଦ ଶ୍ରୀଚରଣେ । ଭବିଷାନ୍ତ ବାଣୀ ନାରଣ ଭଣେ ।

ସୁଜନେ ହେ । ଶ୍ରୀଗୁରୁ ଅନୁସରଣେ ।୩୪।

 

ଭାବାର୍ଥ- (୩୨ -୩୪) ହେ ସୁଜନେ, ସାଧକ ବୃନ୍ଦ, ବାର ରାଶି ଗୁରୁବାର ପୁଷ୍ୟାନକ୍ଷତ୍ର ଦିନ ସତ୍ୟଯୁଗ ଆସିବ । ହେ ଭକ୍ତବୃନ୍ଦ, ସର୍ବଦା ହରିନାମକୁ ଆଶ୍ରା କର । ସଂସାର ସାଗରରୁ ପାର ହେବା ପାଇଁ ଯେବେ ଚାହୁଁଛ, ତେବେ ଶ୍ରୀଗୁରୁଙ୍କ ପାଦପଦ୍ମରେ ଶରଣ ପଶ । ସେ ଏଥିରୁ ପାର କରିବେ । ଶ୍ରୀଗୁରୁଙ୍କ ପଦାରବିନ୍ଦରେ ଶରଣ ପଶି ଭକ୍ତ ନାରଣ ଭବିଷାନ୍ତ ବାଣୀ ରଚନା କରିଛନ୍ତି ।