[କାଞ୍ଚି ରାଜନଅର । ରାଣୀଙ୍କ କକ୍ଷ । ରାଣୀ ସମାସୀନା । ପ୍ରବେଶ କଲା କାଞ୍ଚି ରାଜକନ୍ୟାଙ୍କର ସହଚରୀ ଚଞ୍ଚଳ ।]
ରାଣୀ : କିଏ ? ଚଞ୍ଚଳା ! ଏ ଫୁଲସଞ୍ଜବେଳେ କୁଆଡ଼େ ଆସିଲୁ ତୁ ? ଜେମାଙ୍କର ସବୁ କୁଶଳ ତ ?
ଚଞ୍ଚଳା : (ଜୁହାର କରି)
ଗୀତ-
ଜୁହାର ଚରଣେ ମୋର
ଅସମୟେ ଆସିଛି ମୁଁ ମହାଦେଈ !
ଦେବାକୁ ଏକ ଖବର ।
ରାଣୀ : ଜେମାଦେଈଙ୍କୁ ଏକୁଟିଆରେ ଛାଡ଼ି, କି ଖବର କହିବାକୁ ଆସିଛୁ, କହ ।
ଚଞ୍ଚଳା :
ଗୀତ-
କାଲି ଜେମାଦେଈ, ଥିଲେ ବିଜେ ହୋଇ
ବେହରଣ ମେଲା ଘରେ,
ରବି ବୁଡ଼ୁଥଲେ-କାବେରୀ ପାଣିରେ
ଡାହାଣୀଆଁ ଖରାବେଳେ ।
ଗବାକ୍ଷ କଡ଼ରେ ଜେମା ବସିଥିଲେ
କାବେରୀ ବାଲିକୁ ଚାହିଁ,
ଯାଉଥିଲା ବହି ଚଉଦିଗ ଛୁଇଁ
ବାଆ ସୁଲୁ ସୁଲୁ ହୋଇ ।
ବେହରଣ ମେଲା ଭରିଉଠୁଥିଲା
ଫୁଲର ସୁବାସ ପାଇ,
ବରଗିଲେ ଦେଈ ବଗିଚାକୁ ଯାଇ
ଫୁଟିଲା ଗୋଲାପ ପାଇଁ ।
ରାଣୀ : ଜେମାକୁ ଏକୁଟିଆ ଛାଡ଼ି ତୁ କଅଣ ଫୁଲ ପାଇଁ ବଗିଚାକୁ ଗଲୁ ?
ଚଞ୍ଚଳା : ମଣିମା ! ସେତିକିବେଳର ଘଟଣା କହୁଛି ।
କାବେରୀ ନଈ ସେପାରି-
ଚରାବାଲି ପରେ,
ଗବାକ୍ଷରେ ନିରେଖିଲେ ଜେମା
ଦେବତା ସମାନ ରୂପ
ସୁଠାମ-ସୁନ୍ଦର ଜଣେ,
ଅଶ୍ୱାରୋହୀ ଯୁବା-
ହୋଇଥିଲେ ଉଭା ।
ହେରି ତାଙ୍କୁ-
ଜେମାଦେଈଙ୍କର ଚିତ୍ତ,
ହୋଇଲା ଚଞ୍ଚଳ ।
ଫୁଲ ଘେନି
ବାହୁଡ଼ିଲି ଯେବେ,
ଜେମାଦେଈ ମନକଥା
କହିଲେ ଫିଟାଇ ।
ରାଣୀ : କିଏ ସେ ଯୁବକ ?
କିପରି ଜାଣିବା କହ
ତାଙ୍କ ପରିଚୟ ।
ଚଞ୍ଚଳା : ଆଜି ଯାଇ
କାବେରୀ ସେପାରି
ନେଲି ମୁଁ ଖବର
ପୁରୀର ରାଜକୁମାର
ଶ୍ରୀ ପୁରୁଷୋତ୍ତମ ।
-ରୂପବନ୍ତ, ଗୁଣବନ୍ତ ଅତି ।
ଫେରୁଥିଲେ କର୍ଣ୍ଣାଟରୁ
କପିଳେନ୍ଦ୍ର ଦେବଙ୍କର
ଗୋଲକୁଣ୍ଡା ବିଜୟ ପଥରେ,
ସେନା-ସେନାପତି ତୁଲେ
ରାଣୀ : ତା’ପରେ ?
ଚଞ୍ଚଳା : ବାହୁଡ଼ି ମୁଁ ଜଣାଇଲି
ଜେମାଙ୍କୁ ସକଳ ।
ରାଣୀ : ଜେମାଙ୍କର ଇଚ୍ଛା କଅଣ ?
ଚଞ୍ଚଳା : ମନେମନେ ବରିଛନ୍ତି
ତାଙ୍କୁ ଜେମାଦେଈ ।
ଏବେ ରାଜାଙ୍କୁ ଜଣାଇଁ-
ଯଥାବିଧି,
ବ୍ୟବସ୍ଥା କରନ୍ତୁ ମହାଦେଈ ।
ରାଣୀ : ମନେହୁଏ ଯୋଗ୍ୟପାତ୍ର
ବାଛିଅଛି ଜେମା ।
ଯାଅ ତୁହି, ଯାଉଛି ମୁଁ
ରାଜାଙ୍କ ଛାମୁରେ
ଦେବି ଏ ବାରତା ।
ବୋଧି ଜେମାମଣି ମନ
ରହ ତାଙ୍କ ପାଶେ ।
ଚଞ୍ଚଳା : ଯଥା ଆଜ୍ଞା ମହାଦେଈ !
ଘେନନ୍ତୁ ପ୍ରଣାମ ମୋର, ଶ୍ରୀଚରଣେ ତବ ।
(ପ୍ରଣାମକଲା ରାଣୀଙ୍କୁ, ଉଭୟେ ବିପରୀତ ଦିଗେ ଗଲେ)
[କାଞ୍ଚି ରାଜଦରବାର । ଉପବିଷ୍ଟ ରାଜା ଶାଲ୍ୱ ନରସିଂହ ସିଂହାସନ ପରେ । ପ୍ରବେଶ କଲେ ମନ୍ତ୍ରୀ ।]
ମନ୍ତ୍ରୀ : (ପ୍ରଣାମ କରି) ପ୍ରଣାମ ମହାରାଜ !
ରାଜା : ମହାମନ୍ତ୍ରୀ, ଗୋଟିଏ ବିଶେଷ ବିଷୟରେ ପରାମର୍ଶ କରିବାକୁ ଡକାଇଛି ।
ମନ୍ତ୍ରୀ : ଆଜ୍ଞା ହେଉ ।
ରାଜା : ମହାରାଣୀ ମୋତେ କହିଛନ୍ତି, ଜେମାଦେଈ ପଦ୍ମାବତୀଙ୍କର ମଙ୍ଗଳକୃତ୍ୟ କଥା ।
ମନ୍ତ୍ରୀ : ଏ ତ ଅତି ସୁସମ୍ବାଦ ।
ରାଜା : କିନ୍ତୁ ବଡ଼ ସହଜ ନୁହେଁ କଥାଟା ।
ମନ୍ତ୍ରୀ : କାହିଁକି ?
ରାଜା : ପଅରଦିନ ଫୁଲସଞ୍ଜବେଳେ ବେହରଣ ମଣ୍ଡପରେ ଜେମା ଗବାକ୍ଷକୁ ଅନାଇଁ କାବେରୀର ଶୋଭା ଦେଖୁଥିଲେ । ନିକଟରେ ଚଞ୍ଚଳା ନ ଥିଲା । କାବେରୀ ଆରପାରି ବାଲି ଉପରେ ଜେମାଦେଈ ଗୋଟିଏ ଘୋଡ଼ାରେ ଜଣେ ସୁପୁରୁଷ ଯୁବକଙ୍କୁ ଦେଖିଲେ । ସେ ମଧ୍ୟ ଜେମାଦେଈଙ୍କୁ ଚାହିଁଥିଲେ । ଉଭୟଙ୍କର ଚାରିଚକ୍ଷୁ ମିଳନ ଘଟିଲା । ଜେମାଦେଈ ସେ ଯୁବକଙ୍କୁ ଦେଖି, ମନେମନେ ପତି ରୂପେ ବରଣ କରିଛନ୍ତି ।
ମନ୍ତ୍ରୀ : କିନ୍ତୁ ଛାମୁ ! ସେ ଯୁବକଙ୍କ ପରିଚୟ ଯେ ଜଣାନାହିଁ ।
ରାଜା : ଚତୁରୀ ଚଞ୍ଚଳା କାବେରୀ ପାରକୁ ଯାଇ ତାଙ୍କ ପରିଚୟ ପାଇଛନ୍ତି ।
ମନ୍ତ୍ରୀ : କିଏ ସେ ଛାମୁ !
ରାଜା : ସେ ପୁରୀର ନରପତି ପୁରୁଷୋତ୍ତମ ଦେବ ।
ମନ୍ତ୍ରୀ : ଜେମାଦେଈ ଉପଯୁକ୍ତ ପାତ୍ରରେ ମନ ସମର୍ପଣ କରିଛନ୍ତି ।
ରାଜା : କିନ୍ତୁ ମହାମନ୍ତ୍ରୀ ! ଅପର ପକ୍ଷର ସ୍ୱୀକୃତି ତ ଆବଶ୍ୟକ ।
ମନ୍ତ୍ରୀ : ନିଶ୍ଚୟ, ନିଶ୍ଚୟ ।
ରାଜା : କାଞ୍ଚିରୁ ସେହିପରି ଉପଯୁକ୍ତ ବ୍ୟକ୍ତି ଯାଇ ପୁରୁଷୋତ୍ତମ ଦେବଙ୍କ ମତାମତ ବାରିବା ଉଚିତ ହେବ । ସେପରି ବ୍ୟକ୍ତି ବାଛନ୍ତୁ ।
ମନ୍ତ୍ରୀ : ମୋ ବିଚାରରେ ଆମ ଇଷ୍ଟଦେବ ଶ୍ରୀଗଣେଙ୍କ ଭକ୍ତ ପୂଜକ ପଣ୍ଡିତ ଭେଙ୍କଟାଚାରୀ ହିଁ ଉପଯୁକ୍ତ ବ୍ୟକ୍ତି ହେବେ ।
ରାଜା : ତା ହେଲେ କାଳ ବିଳମ୍ବ ନକରି ପଣ୍ଡିତଙ୍କ ପୁରୀ ଯାତ୍ରାର ବ୍ୟବସ୍ଥା କରିଦିଅନ୍ତୁ ।
ମନ୍ତ୍ରୀ : ଯଥା ଆଜ୍ଞା ମଣିମା ! ମୁଁ ଛାମୁରୁ ବିଦାୟ ନେଇ ବର୍ତ୍ତମାନ ଯାଇ ପଣ୍ଡିତ ଭେଙ୍କଟାଚାରୀଙ୍କର ପୁରୀ ଯାତ୍ରାର ସମସ୍ତ ବ୍ୟବସ୍ଥା କରିଦେଉଛି ।
ରାଜା : ଆଜି ଯେପରି ପଣ୍ଡିତ ମହାଶୟ କାଞ୍ଚିରୁ ବାହାରି ପଡ଼ିବେ, ସେହିପରି ବ୍ୟବସ୍ଥା କରିଦିଅନ୍ତୁ ।
ମନ୍ତ୍ରୀ : ଆଜ୍ଞା ମଣିମା, ମୁଁ ବର୍ତ୍ତମାନ ବାହାରିଲି । ଛାମୁଁ ଭିତରକୁ ବିଜେ ହେଉନ୍ତୁ । ପ୍ରଣାମ ହେଉଛି ।
(ପ୍ରସ୍ଥାନ)
ରାଜା : ହଉ ! ସବୁ ବୁଝି ବେଗେ ଆସିବ ।
(ଚାଲିଗଲେ)
[କାଞ୍ଚି ରାଜଭବନ । ପଦ୍ମାବତୀ ବସିଥିଲେ । ଚଞ୍ଚଳା ଆସି ତାଙ୍କ ପାଖରେ ଠିଆ ହେଲା ଓ ଜେମାଙ୍କ ମୁଖଟେକି ଆଦରରେ ଗାଇଲା- ।]
ଚଞ୍ଚଳା :
(ଗୀତ)
ଜେମାଦେଈ !
ଆଉ ନବସ ମୁହିଁ ଶୁଖାଇ ।।
ମହାଦେଈଙ୍କି ମୁଁ ଯାଇ
କହିଲି ସବୁ ବୁଝାଇ
ହସିଲେ ମୁଖ ମୋର ଚାହିଁ ।।
ମହାରାଜାଙ୍କୁ ସେ କହି
କଥାଟା ଦେବେ ବୁଝାଇ
ଆଉ ବିଳମ୍ବ ହେବ ନାହିଁ ।।
ପଦ୍ମାବତୀ : ହଁ, ମାମାଙ୍କଠାରୁ ମୁଁ ସବୁ ଶୁଣିଲିଣି । ସେ ମହାରାଜାଙ୍କୁ ଏ ଘଟଣା ଜଣାଇଲେ ।
ଚଞ୍ଚଳା : ଜଣାଇ ସାରିଲେଣି ତେବେ ? ସେଇଠୁ ମହାରାଜ କଅଣ କହିଲେ ?
ପଦ୍ମାବତୀ : ମାମା ଆସି ସବୁ ମୋତେ କହି ଗଲେଣି । ମହାରାଜା କଥାଟା ପସନ୍ଦ କଲେ ।
ଚଞ୍ଚଳା : (ହାତଯୋଡ଼ି ପ୍ରଣାମ କରି) ଗଣେଶଙ୍କ ଅନୁଗ୍ରହ ।
ପଦ୍ମାବତୀ : ସବୁ ତାଙ୍କ ଇଚ୍ଛା । (ପ୍ରଣାମ କଲେ) ମହାରାଜା ମନ୍ତ୍ରୀଙ୍କୁ ଡକାଇ ପୁରୀକୁ ଲୋକ ପଠାଇ ଗଜପତିଙ୍କଠାରୁ ସମ୍ମତି ନେବାକୁ କହିଲେ ।
ଚଞ୍ଚଳା : ଏତେ କଥା ଘଟିଗଲାଣି ? ତା ପରେ ?
ପଦ୍ମାବତୀ : ପଣ୍ଡିତ ଭେଙ୍କଟାଚାରୀ ଯାଉଛନ୍ତି । ତୁ ତାଙ୍କ ଘରକୁ ଯାଇ ସବୁ ବୁଝିଆ । ଯା-
ଚଞ୍ଚଳା : ସାଙ୍ଗେ ସାଙ୍ଗେ ଯାଉଛି ଜେମାଦେଈ । ସବୁ ବାରି ଆସିବି ।
(ଉଭୟେ ପ୍ରସ୍ଥାନ)
[ପୁରୀ ବଡ଼ଦାଣ୍ଡ । ରଥଯାତ୍ରା । ଯାତ୍ରୀ ସମାଗମ । ଜଣେ ଭିକ୍ଷୁକ ରଥ ଆଗରେ ତାଳିମାରି ଗୀତ ଗାଉଥିଲେ ।]
-ଗୀତ-
ତିନି ରଥରେ ବିଜେ ତିନି ଠାକୁର
ଘେନ ଚରଣ ତଳେ କୋଟୀ ଜୁହାର ।୦।
ଅଧମ ଜନ ମୁହିଁ-ଭକତି ଜାଣେ ନାହିଁ
ଦୟା ବହି, ଦେଲେ ଦର୍ଶନ ରଥ ଉପର,
ଠାକୁରେ ହେ ! କି ଭାଗ୍ୟ ସତେ ଆଜି ମୋହର ।୧।
ଯେତେ ଦଇତାପତି-ଖଟଣି ଖଟୁଛନ୍ତି
ରଥେ ପରା, ସେବା ଖଟିବା ବିଧି ତାଙ୍କର
ଯାତ୍ରୀ ଭିଡ଼, ଭକତେ ଭେଟ ବଡ଼ ଦାଣ୍ଡର ।୨।
ଦଉଡ଼ି ଲାଗିଲାଣି ଲୋକେ ସଜ ହେଲେଣି
ତିନିରଥ, ଟାଣି ନେବାକୁ ସବୁ ତିଆର
ଟାଣିନେବେ, ଗୁଣ୍ଡିଚାଘରେ ରଥ ଏଥର
(କାହାଳୀ ବାଜିଲା)
ଜଣେଯାତ୍ରୀ : ଏ ଭକତ ! ତୁନିହୁଅ । କାହାଳୀ ଶୁଭୁନାଇଁ ? ଠାକୁର ରାଜା ବିଜେ ହେଉଛନ୍ତି ପରା ?
ଭେଙ୍କଟାଚାରୀ : (ପ୍ରବେଶ ହୋଇ ଜଣେ ସେବକଙ୍କୁ) ଆପଣ କ’ଣ ଏଇ ପୁରୀର ଲୋକ ?
ପଣ୍ଡା : ହଁ, ମୁଁ ଜଗନ୍ନାଥଙ୍କର ଜଣେ ସେବକ । ଢୋଉ କରଣ ମୁଁ ।
ଭେଙ୍କଟାଚାରୀ : ଯାତ୍ରୀ କାହିଁକି ସବୁ ରଥ ଆଗରୁ ପାଖେଇ ଯାଉଛନ୍ତି ? କାହାଳୀ ବାଜା ଶୁଭାଯାଉଛି ?
ଢୋଉ : ଆପଣ କୋଉଠୁ ଆସିଛନ୍ତି ?
ଭେଙ୍କଟାଚାରୀ : ମୋ ଘର କାଞ୍ଚି ।
ଢୋଉ : ସେଇଥିକି ଜାଣିନାହାନ୍ତି । ମହାରାଜା ରଥରେ ଛେରାପହଁରା କରିବାକୁ ବିଜେ ହେଉଛନ୍ତି ।
ଭେଙ୍କଟାଚାରୀ : ଛେରାପହଁରା କଅଣ ?
ଢୋଉ : ଛାମୁଁ ପହଁରା ଧରି ରଥ ଚାରିପାଖ ଓଳାଇବେ । ୟାକୁ ଛେରାପହଁରା ସେବା କହନ୍ତି ।
ଭେଙ୍କଟାଚାରୀ : ରାଜା ନିଜେ ପହଁରା ଧରି ଓଳେଇବେ ?
ଢୋଉ : ହଁ, ରାଜବେଶ ଛାଡ଼ି ସେବକ ବେଶରେ ରାଜା ଛେରାପହଁରା କରିବେ । ଏ ସେବା ସରିଲେ ରଥ ଟଣା ହେବ । ରଜା ପରା ଜଗନ୍ନାଥଙ୍କର ପାଟସେବକ । ବର୍ଷକେ ଥରେ ରଥ ଉପରେ ଏ ସେବା ସେ କରନ୍ତି । ଆପଣ କଣ ନୂଆ ହୋଇ ପୁରୀ ଆସିଛନ୍ତି ?
ଭେଙ୍କଟାଚାରୀ : ହଁ, ପୁରୀ ଆସିଥିଲି ଗୋଟେ ବିଶେଷ କାର୍ଯ୍ୟରେ ଯେ- ଯୋଗକୁ ତ ରଥଯାତ୍ରା । ଦୁଇକାମ ଯାକ ହୋଇଯିବ ।
ଢୋଉ : ହଉ, ଦେଖନ୍ତୁ ଦେଖନ୍ତୁ । ଛାମୁଁ ରଥ ଉପରେ ବିଜେ କଲେଣି । ଛେରା ପହଁରା ସାରିବେ । ଏହା ପରେ ରଥ ଟଣା ହେବ l ଚାଲନ୍ତୁ, ଏ ଗହଳିରେ କଅଣ କଥାବାର୍ତ୍ତା ହେବା ?
ଭେଙ୍କଟାଚାରୀ : ଚାଲନ୍ତୁ । (ଦୁହେଁ ଚାଲିଗଲେ)
[ଗଜପତି ସମାସୀନ । ପ୍ରବେଶ କଲେ ସେନାପତି ଗୋଦାବରୀ]
ସେନାପତି : ପ୍ରଣାମ ଶ୍ରୀପଦେ ।
ରାଜା : ସେନାପତି !
ଅସମୟେ ଆସିଛ ନବରେ ?
ଘଟିଛି କି ଗୋଳ ଯୋଗ କିଛି-
ଦିଅଁଙ୍କ ନିକଟେ;
ଗୁଣ୍ଡିଚା ମନ୍ଦିରେ ?
ସେନାପତି : ନାହିଁ ଛାମୁଁ-
ଆସିଛି ମୁଁ,
ଏକ ବିଶେଷ ସମ୍ବାଦ ଘେନି ।
ରାଜା : କି ସମ୍ବାଦ, କହ ।
ସେନାପତି : କର୍ଣ୍ଣାଟ ଯୁଦ୍ଧ ବାହୁଡ଼ା
ବିଡ଼ାନାସୀଠାରେ
ଗୋପୀନାଥ ବୁଢ଼ାଲେଙ୍କା-
ମନ୍ତ୍ରୀଙ୍କୁ ଶ୍ରୀଛାମୁଁ
କହୁଥିଲେ ଯାହା
କାବେରୀ ବାଲି ଘଟଣା,
ଶୁଣିଛି ସକଳ ।
ଚତୁରାକ୍ଷ ମିଳନ ଘଟିଛି
ଛାମୁଙ୍କ ତୁଲରେ
କାଞ୍ଚିଜେମା ପଦ୍ମାବତୀଙ୍କର ।
ଦୁହେଁ ମିଳନ ପ୍ରୟାସୀ
କାଞ୍ଚିରାଜା-
ଶାଲ୍ୱ ନରସିଂହ
ପାଇଛନ୍ତି ନିଶ୍ଚୟ ସମ୍ବାଦ ।
ତେଣୁ;
ଛାମୁଙ୍କ ସମ୍ମତି ବାର୍ତ୍ତା
ଲଭିବାର ଆଶେ,
ପେଶିଥିଲେ
ପୁରୀ କ୍ଷେତ୍ରେ
ତାଙ୍କ ରାଜପୁରୋହିତ
ଭେଙ୍କଟାଚାରୀଙ୍କୁ
ଛାମୁଙ୍କୁ ସାକ୍ଷାତ କରି
ସମ୍ମତି ବାର୍ତ୍ତା ଘେନି ସେ
ବାହୁଡ଼ିବେ ବୋଲି ।
ରାଜା : କାହିଁ ?
କେହି ତ ଆସିନାହାନ୍ତି ।
ସେନାପତି : ଶୁଣି ସେହି ଦୁଃସମ୍ବାଦ
ଗୁଣ୍ଡିଚା ମନ୍ଦିର ପାଶେ,
ସେହିଠାରୁ
ଆସିଛି ମୁଁ ସଙ୍ଗେ ସଙ୍ଗେ
ଜଣାଇବା ପାଇଁ ।
ରାଜା : ନିର୍ଭୟରେ କର ହେ ପ୍ରକାଶ ।
ଜଗନ୍ନାଥ ପଦେ ଯେ ଶରଣ
ତାର ପୁଣି ଦୁଃସମ୍ବାଦ ଭୟ ?
ସେନାପତି : ଶୁଣିଲି ମୁଁ-
କାଞ୍ଚିରାଜ ପୁରୋହିତ
ଦୈବ ଯୋଗେ
ଆସି ରଥଦିନ,
ଦେଖି ସେ ଛାମୁଙ୍କୁ
ସେବକର ବେଶେ-
ଛେରା ପହଁରାର ସେବା;
କହିଲେ ସେ-
ତଢ଼ାଉଙ୍କୁ-
ପହଁରା ଧାରଣ ଏକା
ଚଣ୍ଡାଳର କର୍ମ ।
ନୁହେଁ ଏହା ରାଜକୁଳ ଧର୍ମ ।
ସ୍ମୃତି ଶାସ୍ତ୍ରେ ପରା
ଲେଖାଅଛି ଏହି କଥା ।
ତେଣୁ ନ ଭେଟି ଛାମୁଙ୍କୁ ଆଉ
ବାହୁଡ଼ି ଗଲେ ସେ କାଞ୍ଚି ।
ବିଚାରୁଛି ମୁହିଁ
କାଞ୍ଚି ନୃପେ କହି ନାନା କଥା
ସମ୍ଭବତଃ ସେହୁ
ତାଙ୍କ ମନ କରିବେ ବିଭ୍ରାନ୍ତ ।
ଭାଙ୍ଗିଦେବେ ବିବାହ ପ୍ରସଙ୍ଗ
ରାଜା : ଭଗ୍ନ ହେବ ମିଳନ ପ୍ରସ୍ତାବ ?
ଏ ଆଘାତ-
ଅସହ୍ୟ ମୋହର ସେନାପତି !
ସେନାପତି : ବାସ୍ତବରେ-
ଯଦି ଭଗ୍ନହୁଏ, ଏ ପ୍ରସ୍ତାବ,
ଦେଲେ ଅନୁମତି
ସେନା ସୈନ୍ୟ ଘେନି
କରି ଯୁଦ୍ଧଯାତ୍ରା ମୁହିଁ,
ହରାଇ କାଞ୍ଚିରେ,
ଆଣି ମୁଁ ଭେଟିବି ପଦେ-
କାଞ୍ଚି ରାଜଜେମା ।
ଏଥକୁ ଛାମୁଙ୍କ ଆଜ୍ଞା
ଶିରୋଧାର୍ଯ୍ୟ ମୋର ।
ରାଜା : ସାଧୁ ସାଧୁ ! ବୀର ସେନାପତି ।
ସେନାପତି : ନେଉଛି ବିଦାୟ ଛାମୁ !
ଜଗନ୍ନାଥ ଚରଣ ଦର୍ଶନ କରି
ବାହାରିବି ସମର ସଜ୍ଜାରେ ।
ଯଥାଶୀଘ୍ର କରିବି ମୁଁ-
ଅନକୂଳ, କାଞ୍ଚି ଅଭିଯାନେ ।
ରହନ୍ତୁ ନିଶ୍ଚିନ୍ତ ଛାମୁ
ଜଗନ୍ନାଥ ଆଶୀର୍ବାଦେ
ଶ୍ରୀଛାମୁଙ୍କ ସମବାଞ୍ଛା
ହୋଇବ ସଫଳ ।
ପ୍ରଣାମ ଶ୍ରୀପଦେ ।
(ପ୍ରଣାମ ଓ ପ୍ରସ୍ଥାନ)
[କାଞ୍ଚି ରାଜନବର । ପଦ୍ମାବତୀଙ୍କ କକ୍ଷ । ପଦ୍ମାବତୀ ବସିଥିଲେ । ଚଞ୍ଚଳା ଦୁଃଖ ମନରେ ପ୍ରବେଶ କଲା]
ଜେମା : ଖବର କ’ଣ ଚଞ୍ଚଳା ?
ଚଞ୍ଚଳା :
-ଗୀତ-
କି ଖବର ଦେବି, ତୁଣ୍ଡ ଫିଟୁନାହିଁ
ଶୁଣି ଆସିଲି ମୁଁ ଯାହା,
ନିଜେ ମହାଦେଈ ଠାଆ ଛାଡ଼ି ଉଠି
ଦୁଃଖେ କଲେ ଆହା । ଆହା !
ଜେମା : କଅଣ ଏମିତି ଶୁଣିଆସିଲୁ- କହ ଚଞ୍ଚଳା ! ଯାହା ଶୁଣି ମା’ ଆହା ଆହା କହି ଠାଆରୁ ଉଠିଗଲେ ।
ଚଞ୍ଚଳା :
-ଗୀତ-
ଆମ ପୁରୋହିତେ ବିବାହ ପ୍ରସ୍ତାବ,
ଘେନି ଯାଇଥିଲେ ପୁରୀ,
ଥାଉ ଆଉ କଥା ପୁରୀ ରାଜାଙ୍କୁ ସେ
ନଭେଟି ଆସିଲେ ଫେରି ।
ଜେମା : ଗଜପତି କଅଣ ପୁରୋହିତଙ୍କୁ ସାକ୍ଷାତ କଲେ ?
ଚଞ୍ଚଳା : କଲେ ନାହିଁ । ପୁରୋହିତେ ତାଙ୍କୁ ସାକ୍ଷାତ କରିବାକୁ ଖବର ମଧ୍ୟ ଦେଲେ ନାହିଁ- ଫେରି ଆସିଲେ ।
ଜେମା : କାହିଁକି ?
ଚଞ୍ଚଳା : ପୁରୋହିତେ ଜଗନ୍ନାଥଙ୍କ ରଥଯାତ୍ରାବେଳେ ପୁରୀ ଗଲେ । ଯୋଗକୁ ସେଦିନ ରଥଯାତ୍ରା । ଠାକୁରମାନେ ରଥରେ ବିଜେ କରିଛନ୍ତି । ଗଜପତି ରଥରେ ଛେରାପହଁରା ସାରିଲେ ରଥ ଟଣା ହେବାର ବିଧି ଅଛି ।
ଜେମା : ଛେରାପହଁରା କଅଣ ?
ଚଞ୍ଚଳା : ସେଇଠିତ କଥା ରହିଛି । ଛେରାପହଁରା କହିଲେ- ରାଜା ନିଜେ ହାତରେ ପହଁରା ଧରି ରଥ ଚାରିପାଖ ଓଳାଇବେ ।
ଜେମା : ୟେତ କିଛି ମନ୍ଦ କଥା ନୁହେଁ । ରାଜା ଯେ ଦିଅଁଙ୍କର ସେବକ ।
ଚଞ୍ଚଳା : ପୁରୋହିତେ ଛେରାପହଁରା ଦେଖି ବିଚାରିଲେ, ରଜାତ ପହଁରା ଧରିଛନ୍ତି- ଚଣ୍ଡାଳର କାମ କରୁଛନ୍ତି । ଜଣେ ଚଣ୍ଡାଳକୁ କାଞ୍ଚି ରାଜଜେମା ବିଭା ହେବେ ? ଶାସ୍ତ୍ରରେ କୁଆଡ଼େ ଅଛି, ଯେ ପହଁରା ଧରେ- ସେ ଛୋଟ ଜାତି । ଏହି କଥା ଭାବି, ପୁରୋହିତେ ପୁରୀ ରାଜାଙ୍କୁ ଆଉ ନଭେଟି ଫେରି ଆସିଛନ୍ତି ।
ଜେମା : ଏକଥା ସେ ପଣ୍ଡିତ ହୋଇ ବିଚାରି ପାରିଲେ ?
ଚଞ୍ଚଳା : ବିଚାରି ପାରିଲେ କଅଣ ? ଫେରିଆସି ଆମ ରାଜାଙ୍କ ଛାମୁରେ ଜଣାଇଲେ । ବାହାଘର ପ୍ରସ୍ତାବ ବନ୍ଦ ହେଲା । ମହାରାଣୀ ଶୁଣି ଭାରି ଦୁଃଖ କରୁଛନ୍ତି ।
ଜେମା : ତେବେ ବର୍ତ୍ତମାନ ଉପାୟ କଅଣ ? ମୁଁ ଯେ ମନେ ମନେ ତାଙ୍କୁ ବରଣମାଳା ଦେଇସାରିଛି । ସେ ମୋର ପତି- ତାଙ୍କ ବିନା ମୋର ଗତି ନାହିଁ ।
ଚଞ୍ଚଳା : କିଏ ଜାଣେ- ଏମିତି ଗୋଟାଏ ଖରାପ ଖବର ଓଡ଼ିଶା ରାଜାଙ୍କ କାନ ହେଲାଣି କି ନାହିଁ ? ଏକଥା ଶୁଣି ସେ କଅଣ ଭାବୁଥିବେ ? କଅଣ କରିବେ କେଜାଣି ।
ଜେମା : ରାଜକୁଳରେ ଜନ୍ମ ହେଲେ କଅଣ ହେବ, ମୁଁ ସତରେ ବଡ଼ ହୀନକପାଳୀ । ଏ ଦୁଃଖ କାହାକୁ କହିବି ? ଚାଲ ଯିବା- ଇଷ୍ଟ ଦେବତା ଗଣେଶଙ୍କୁ ମୋ ଦୁଃଖ ଜଣା କରିବି । ସେ ଏକା ମୋର ଭରସା । ଚାଲ, ଗଣେଶ ମନ୍ଦିରକୁ ଚାଲ । ଆ । (ଦୁହେଁ ଚାଲିଗଲେ)
[କାଞ୍ଚି ଗଡ଼ ଦାଣ୍ଡ, ନାଗରୀ ଶବ୍ଦ ଶୁଭିଲା, ପ୍ରବେଶ କଲା ଡଗର]
-ଗୀତ-
ଡଗର : ଆଜ୍ଞା ଦେଇଛନ୍ତି ରାଜା ହେ
ଶୁଣ ସକଳ ପରଜା
କାଞ୍ଚି ଜିଣିବାକୁ ସେନା ପେଶିଥିଲେ
ଓଡ଼ିଶାର ମହାରାଜା ।୧।
ଓଡ଼ିଶାର ସେନାପତି ହେ
ଭାରି ଟାଣ କରି ଛାତି
ଆସିଥିଲେ ସିନା ହାରିପଳାଇଲେ
ମଥାକୁ ତଳକୁ ପୋତି ହେ
ମଥାକୁ ତଳକୁ ପୋତି ।୨।
ସଭିଏଁ ପ୍ରଦୀପ ଜାଳି ହେ
ଦିଅ ଶୁଭ ହୁଳହୁଳି
ଦୁଆରେ ଦୁଆରେ ପୂର୍ଣ୍ଣକୁମ୍ଭ ଥାପି
ନାଚ ଗାଅ ବାନ୍ଧି ମେଳ ହେ
ନାଚ, ଗାଅ ବାନ୍ଧି ମେଳି ।୪।
ବିଜୟ ଉତ୍ସବ ପାଳି ହେ
ଶଙ୍ଖ ଫୁଙ୍କି ମାର ତାଳି
ଈଷ୍ଟ ଗଣେଶଙ୍କୁ ଦରଶନ କର
ଶ୍ରୀଚରଣେ ପାଣି ଢାଳି ହେ
ଶ୍ରୀଚରଣେ ପାଣି ଢାଳି ।୫।
(ଗାଇ ଗାଇ ଚାଲିଗଲେ)
[ପୁରୀର ଗୋଟିଏ ଗଳିରାସ୍ତା । କଥାବାର୍ତ୍ତା ହୋଇ ଆସୁଥିଲେ ମନ୍ତ୍ରୀ ଓ ସେନାପତି]
ସେନାପତି : ଏ ଯୁଦ୍ଧ ସତେ ଯେପରି ଦେବ-ମାନବଙ୍କର ମଧ୍ୟରେ ଘଟିଲା । ଆମର ପାଇକେ ପ୍ରାଣମୁର୍ଚ୍ଛା ଲଢ଼ୁଥିଲେ । କାଞ୍ଚି ସେନାଙ୍କୁ ସେମାନେ ଥରକୁ ଥର ପରାସ୍ତ କରି ତଡ଼ି ଦେଉଥାନ୍ତି । ଶେଷରେ ହଠାତ୍ କୁଆଡ଼ୁ ଗୋଟାଏ ଝଞ୍ଜା ପ୍ରଳୟ ମାଡ଼ି ଆସିଲା । ଆମର ପାଇକେ ଅସମ୍ଭାଳ ହୋଇ କେତେ ଯେ କୁଆଡ଼େ ମଲେ ଗଲେ ତା’ର ସୁମାରି ନାହିଁ l ଏସବୁ ଆଖି ପିଛୁଳାକର କଥା । ଶେଷରେ ମୁଁ ହାରି ପଳାଇ ଆସିବାକୁ ବାଧ୍ୟ ହେଲି ମନ୍ତ୍ରୀ ମହାଶୟ ! ଏସବୁ ସତେ ଯେପରି ଦୈବୀମାୟା !
ମନ୍ତ୍ରୀ : ତୁମର ଏ ପରାଜୟ ସମ୍ବାଦରେ ମହାରାଜା ଦୁଃଖରେ ଏକାବେଳେ ଝାଉଁଳି ପଡ଼ିଛନ୍ତି ।
ସେନା : ପଡ଼ିବାର କଥା । ଏଥିରେ ଆଉ ସନ୍ଦେହ କ’ଣ ? ବଡ଼ ବିଚିତ୍ର ଏ ପରାଜୟ ।
ମନ୍ତ୍ରୀ : ପରାଜୟ ସମ୍ବାଦ ପାଇ ମହାରାଜା ନଅରର ରାଜଭୋଗ ଛାଡ଼ି ବର୍ତ୍ତମାନ ବାଲି ନଅରରେ । ସେ ପଲଙ୍କ ନାହିଁ କି ସେ ତୁଳି ଶଯ୍ୟା ବି ନାହିଁ । ମହାରାଜା ଭୂମିରେ ଶୟନ କରୁଛନ୍ତି ।
ସେନା : ଭୂମିରେ ?
ମନ୍ତ୍ରୀ : ଖାଲି ଭୂମିରେ ପଡ଼ି ରହିନାହାନ୍ତି । ଦେହପାଣି, ଠାଆ, ପହୁଡ଼ି କିଛିନାହିଁ । ସେ ଇଷ୍ଟଦେବ ଜଗନ୍ନାଥଙ୍କ କୃପା ଭିକ୍ଷା କରି ବାଲି ନଅରରେ କାଳ କଟାଉଛନ୍ତି ।
ସେନା : ଚାଲନ୍ତୁ ବାଲିନଅରକୁ ଯାଇ ମହାରାଜାଙ୍କୁ ଦର୍ଶନ କରି ଆସିବା ।
ମନ୍ତ୍ରୀ : ଦର୍ଶନ ମନାହୋଇଛି କି ନାହିଁ କେଜାଣି ? ଆସ ଦେଖି ଆସିବା । ସେତ କାଞ୍ଚି ବିଜୟ ପାଇଁ ଦିଅଁଙ୍କ ଚରଣରେ ଅଖିଆ ଅପିଆରେ ଧାରଣା ଦେଇ ପଡ଼ିଛନ୍ତି ।
ସେନା : କାହାକୁ କହିବି ? ସବୁ ମୋର ଦୁର୍ଭାଗ୍ୟ । କାଞ୍ଚିର ଏ ଲଢ଼େଇ ନିଶ୍ଚୟ ଦେବକୂଟ ।
ମନ୍ତ୍ରୀ : ମହାରାଜା ଏ କଥାକୁ ବୋଧହୁଏ ବିଶ୍ୱାସ କରିଛନ୍ତି । ଦୈବୀମାୟା ନୋହିଲେ ତମପରି ସେନାପତି ଯୁଦ୍ଧରେ କ’ଣ ହାରି ପଳାଇ ଆସିଥାନ୍ତେ ?
ସେନା : କହିଲି ପରା, ସେ ମୋର ଦୁର୍ଭାଗ୍ୟ ।
ମନ୍ତ୍ରୀ : ଏ କଥାକୁ ବିଶ୍ୱାସ କରି ମହାରାଜା ଶ୍ରୀ ଜଗନ୍ନାଥଙ୍କ ଆଶ୍ରା ନେଇଛନ୍ତି । ଆସ, ଦେଖି ଆସିବା ।
ସେନା : ଚାଲନ୍ତୁ । (ଉଭୟେ ଚାଲିଗଲେ)
ପୁରୀ ସିଂହଦ୍ୱାର ସମ୍ମୁଖ ପଥ
[ହାତରେ ଗୋଟିଏ କଦଳୀପତ୍ର ବନ୍ଧା ପୁଡ଼ା ଧରି ପୂଜା ପଣ୍ଡା ମନ୍ଦିରରୁ ବାହାରି ଆସୁଛନ୍ତି ଗୀତ ଗାଇ ଗାଇ]
-ଗୀତ-
କଳାଠାକୁର ! ପାଇବ କିଏ ସେ ଅନ୍ତ ତୋହର ?
ଧୂପ ଦୀପ ଭୋଗ ବାଢ଼ୁଁ ସିନା ଆମେ
ମନ ବୁଝିବାକୁ ଖାଲି ଆମର,
ଖାଉନାହୁଁ କିଛି, ନେଉନାହୁଁ କିଛି
ମନଟି ମାତର ଲୋଡ଼ା ତୋହର ।
କାହାକୁ ତାରୁଛୁ, କାହାକୁ ମାରୁଛୁ
ଭୋଗେ ଲୋକ ନିଜ କରମଫଳ,
ମିଛେ ଫଳନାହିଁ, ତୋତେ ଦୋଷ ଦେଇ
ଚକା ଆଖି, ନାହିଁ ପଲକ ତାର ।
(ଜଣେ ସେବକ ପଛପଟୁ ଆସି ଡାକିଲା)
ସେବକ : କିଓ ପୂଜାପଣ୍ଡାଏ ! ଗୀତ ଗାଇ ଗାଇ ବାଇଶି ପାହାଚରୁ ଗଡ଼ି କୁଆଡ଼େ ବାହାରିଚ ଏ ସଞ୍ଜବେଳେ ? ମନଟା ଭାରି ଖୁସି ଥିବାପରି ଜଣାପଡ଼ୁଛି ।
ପୂଜାପଣ୍ଡା : ଆରେ ରଘୁନି, ମୋ ଖୁସିକଥା କାହିଁକି ଆଉ ପଚାରୁଛୁ ? ଏଇନେ ସଞ୍ଜ-ଆଳତି ବଢ଼ାଇବା ବେଳକୁ ଜଗନ୍ନାଥଙ୍କ ଗଳାରୁ ଧଣ୍ଡାମାଳ ଖସିଲା ।
ସେବକ : କି ଧଣ୍ଡାମାଳ ହେ ?
ପୂଜାପଣ୍ଡା : ଠାକୁର ରଜାଙ୍କ ମାନସିକ ପଦ୍ମମାଳ ।
ସେବକ : ଠାକୁର-ରଜା ତ ବାଲି ନଅରରେ ଅଧିଆ ପଡ଼ିଛନ୍ତି ଆଜିକି ସାତଦିନ ହେଲା, ଅଖିଆ ଅପିଆରେ ।
ପୂଜାପଣ୍ଡା : ଆଜି ଜଗନ୍ନାଥେ ଶୁଣିଲେ ତାଙ୍କ ଗୁହାରି । ମନକାମନା ପୂରିଲା ତାଙ୍କର । ଯାଉଛି ବାଲି ନଅରକୁ ଆଜ୍ଞାମାଳ ନେଇ ।
ସେବକ : ତମ କପାଳ ଫିଟିଲା ପୂଜାପଣ୍ଡାଏ ! ମହାରାଜାଙ୍କଠାରୁ ନିଶ୍ଚେ ପୁରସ୍କାର ମିଳିବ । କାଞ୍ଚି ଯୁଦ୍ଧରେ ସେନାପତି ତ ହାରିଗଲେ। ଗଜପତି ମନଦୁଃଖରେ ମାନସିକ କରି ଧାରଣା ଦେଇଥିଲେ ଦିଅଁଙ୍କ ପାଖରେ, ସେଇ ଖବର ପାଇ ।
ପୂଜାପଣ୍ଡା : ତାଙ୍କ ନିଷ୍ଠା ବଳରୁ ତାଙ୍କର ମନବାଞ୍ଛା ପୂରଣ ହୋଇଛି ।
ସେବକ : ଚାଲ ଯିବା । (ଦୁହେଁ ଚାଲିଗଲେ)
[ପୁରୀ ରାଜଭବନ- ପୁରୁଷୋତ୍ତମ ଦେବ ଆସୀନ । ମନ୍ତ୍ରୀ ଆସି ପ୍ରଣାମ କଲେ । ତାଙ୍କ ସହିତ ଆସିଥିଲେ ଜ୍ୟୋତିଷରତ୍ନ]
ଜ୍ୟୋତିଷରତ୍ନ : ‘‘ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ମଧୁସୂଦନ’’ ମଙ୍ଗଳଂ ପୁଣ୍ଡରୀକାକ୍ଷଂ ମଙ୍ଗଳ ଗରୁଡ଼ଧ୍ୱଜ
ଜଗନ୍ନାଥ ମଙ୍ଗଳ କରନ୍ତୁ । ରାଶି ନକ୍ଷତ୍ର ଗଣାପୋଛା କରିଦେଖିଲି ଛାମୁ ଆଜି ଅତି ଶୁଭଦିନ । ଆଉ ଚାରିଦଣ୍ଡ ପରେ ଛାମୁ କାଞ୍ଚି ଯୁଦ୍ଧକୁ ବିଜେ କରିବେ ।
ମନ୍ତ୍ରୀ : ସିଂହଦ୍ୱାରରେ ସେନାପତି ଛାମୁଙ୍କ ବିଜେହେବାକୁ ପାଇକମାନଙ୍କୁ ଘେନି ଅପେକ୍ଷାକରି ରହିଛନ୍ତି । ପାଟହାତୀ ସଜହୋଇ ଛିଡ଼ା ହୋଇଛି । ଜ୍ୟୋତିଷରତ୍ନଙ୍କ ଠାରୁ ତ ସବୁ ଶୁଣିଲେ ।
(ବାହାରେ ଯୁଦ୍ଧ ବାଦ୍ୟ)
ହେଇଟି ପାଇକମାନେ ପ୍ରସ୍ତୁତ ହୋଇଗଲେଣି । ଏଣେ ନଅରର ପୁରନାରୀମାନେ ଆସି ପହୁଞ୍ଚିଲେଣି ଛାମୁଙ୍କ ବନ୍ଦାପନା ଲାଗି ।
(କେତେଜଣ ପୁରନାରୀଙ୍କର ଦୀପ ହସ୍ତରେ ହୁଳହୁଳିଦେଇ ପ୍ରବେଶ)
(ସମବେତ କଣ୍ଠ ସଙ୍ଗୀତ)
ଜୟ ଜଗନ୍ନାଥ ଜୟ ମଙ୍ଗଳ-କାରଣ
ଜୟ ଜୟ ମହାରାଜ ଶ୍ରୀ ପୁରୁଷୋତ୍ତମ,
ସର୍ବ ଶୁଭେ ବିଜେକର
ଯୁଦ୍ଧେ ଜିଣି, ନାମରଖ ଓଡ଼ିଶା ରାଜ୍ୟର ।
ବିଜୟ ବାହୁଡ଼ା-ପଥ ରହିଥିବୁଁ ଚାହିଁ
ସରବ ଶୁଭ କରନ୍ତୁ ବ୍ରହ୍ମାଣ୍ଡ ଗୋସାଇଁ
ତାଙ୍କ ଶ୍ରୀଚରଣ ତଳେ
ମଥା ନୁଆଇଁ ବିଦାୟ ମାଗୁଛୁଁ ସକଳେ ।
(ଶଙ୍ଖ ଓ ହୁଳହୁଳି ଧ୍ୱନି)
ଜ୍ୟୋତିଷ : (ନାକରେ ନିଃଶ୍ୱାସ ବାରି)
ଆଉ ବିଳମ୍ବ କାହିଁକି ଛାମୁ ! ବିଜେ କରନ୍ତୁ ଏଥର ।
ଶୁଭବେଳା ଗଡ଼ି ନ ଯାଉ ।
(ବାହାରେ ବାଦ୍ୟ ଓ ଶଙ୍ଖଧ୍ୱନି)
ସମସ୍ତେ : ଜୟ ଗଜପତି ପୁରୁଷୋତ୍ତମ ଦେବଙ୍କର ଜୟ ।
ଜୟ ଜଗନ୍ନାଥ; ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।
ମହାରାଜା ଆସନ ତ୍ୟାଗକଲେ, ପୁରନାରୀମାନେ ଶଙ୍ଖ ଧ୍ୱନିସହ ହୁଳହୁଳି ଦେଲେ)
(ରାଜପଥ-ଗୁଡ଼ିଆଟିଏ ଖାଲି ପସରା ଧରି ସଜାଡ଼ୁଥିଲା । ଗୁଡ଼ିଆଣୀ ଆସିଲା । ପସରାକୁ ଚାହିଁ ବିରକ୍ତ ହେଲା ।)
ଗୁଡ଼ିଆଣୀ :
-ଗୀତ-
ଦିନେକାଳେ ଦେଖା ନାହିଁ
ଖାଲି ପସରାଟା ଧରି ତୁ ବସିଛୁ ଖଜାମୁଆଁ ଗଲା କାହିଁ ?
ସବୁ ତକ ବିକିଦେଲୁ- କଉଡ଼ି କାହିଁ ରଖିଲୁ ?
ଦେ’ ଦେ’ ମୋତେ ସଉଦା କିଣିବି
ହାଟକୁ ମୁଁ ବେଗେଯାଇ ।
ଘରେ ତେଲ ଲୁଣ ନାହିଁ- ଛୁଆଏ ଭୋକିଲା ଥାଇ
ଖାଇବା ପାଇଁକି ଅଳିକରି ମୋର
ବାଟକୁ ଅଛନ୍ତି ଚାହିଁ ।
ଗୁଡ଼ିଆ : (ପସରାକୁ ଲେଉଟାଇ)
ଆଲୋ, କଅଣ ତତେ କହିବି ଲୋ ସାଧୁଆ ମାଆ ! କଳା ଗୋରା ହେଇ ଦି’ଜଣ କିଏ ଘୋଡ଼ାଚଢ଼ି ଆସିଲେ । ରଜାପୁଅପରି ଦିଶୁଥାନ୍ତି । ମତେ କହିଲେ ସାଉ, କଅଣ ରଖିଛୁ ପସରାରେ ଦେ । ଭାରି ଭୋଖ ହେଉଛି । ମୁଁ ଖଜାମୁଆଁ ଦଉଦଉ ସବୁତକ ଖାଇଗଲେ, ପିଇବାକୁ ପାଣି ମାଗିଲେ । ମୁଁ କହିଲି ଆମେ ଜାତିରେ ଗୁଡ଼ିଆ । ଆମହାତରୁ କେମିତି ପାଣି ପିଇବ ?
ଗୁଡ଼ିଆଣୀ : ସତ କଥା ତ । ଗୁଡ଼ିଆ ହାତରୁ ପାଣି ପିଇବାକୁ ମାଗିଲେ ସେମାନେ ?
ଗୁଡ଼ିଆ : କହିଲେ, ତୁ ଆମକୁ ପାଣି ଦେ । ଆଜିଠାରୁ ସଭିଏଁ ଗୁଡ଼ିଆ ହାତରୁ ପାଣି ପିଇବେ ।
ଗୁଡ଼ିଆଣୀ : ତୁ କ’ଣ ପାଣି ଆଣି ଦେଲୁ ? ସେମାନେ ପିଇଲେ ?
ଗୁଡ଼ିଆ : ଦେଲି ଢକଢକ କରି ଦି’ଲୋଟା ପାଣି ପିଇଦେଲେ । କଉଡ଼ି ମାଗିଲାରୁ କହିଲେ, ପଛରେ ଲୋକ ଆମର ଆସୁଛନ୍ତି । ଏ ଘୋଡ଼ା କୋରଡ଼ାଟି ବନ୍ଧା ରଖିଥା । ତାଙ୍କୁ ଦେଖାଇ କଉଡ଼ି ନବ । ଏତିକି କହି ଘୋଡ଼ା ଝପଟାଇ ଆଖି ପିଛୁଳାକେ କୁଆଡ଼େ ଚାଲିଗଲେ।
(ଗୁଡ଼ିଆଣୀକୁ ଘୋଡ଼ା କୋରଡ଼ା ଦେଖାଇଲା)
ଗୁଡ଼ିଆଣୀ : ମଲୁନାହିଁ ବାଡ଼ିପୋଡ଼ା ! ଘୋଡ଼ା କୋରଡ଼ାକୁ ଚାଟୁଥା । କଉଡ଼ି ନରଖି ତୁ ଖଜା ମୁଆଁ ଦଉଥିଲୁ କାହିଁକି ? ହଉ ଘରକୁଚାଲ, ଚୁଲୀନିଆଁ ଅଛି । ବାଢ଼ିଦେବି ଖାଇବୁ ।
(ଖାଲି ପସରା ଧରି ଗୁଡ଼ିଆଣୀ ଚାଲିଗଲା । ଗୁଡ଼ିଆ ତା ପଛେ ପଛେ ଗଲା)
(ଗ୍ରାମ ନିକଟସ୍ଥ ସଡ଼କ)
[ଜଣେ ଗ୍ରାମବାସୀ ରଙ୍କପ୍ରଧାନ ଆସୁ ଆସୁ ଠିଆ ହୋଇ ଡାକିଲା]
ରଙ୍କ : ରତନା ଏ ରତନା, ବିଲରେ ଅଛୁକିରେ ?
ରତନା : (ନେପଥ୍ୟରୁ) କିଏ ଡାକୁଚ ? ପଧାନେ ?
ରଙ୍କ : ହଁ, ହଁ, କିରେ ବେଳ ବୁଡ଼ି ଗଲାଣି ! ତୋର କ’ଣ ଆଜି କିଆରୀରୁ ଉଠିବାକୁ ମନ ହଉନାଇଁ କିରେ ?
ରତନା : ଗଲି, ଗଲି ପଧାନେ !
(ଦେହ ଝାଡ଼ିହୋଇ ଅଣ୍ଟାରୁ ଲୁଗା ଫିଟାଇ ରତନା ଆସିଲା ।)
ରଙ୍କ : ଆଜି ତ କଅଣ କିଆରୀରୁ ଉଠିବାକୁ ନାଇଁ ? କଅଣ ଏତେବେଳ ଯାଏ କରୁଥିଲୁ କି ?
ରତନା : ପଧାନେ ! ମୁଗ ଗଣ୍ଡାକ ସମ୍ଭାଳି ଦେଇ ଆସୁଥିଲି । ଆଜି ଉପରଓଳି କାମକୁ ମଠ ହୋଇଗଲା ।
ରଙ୍କ : କାହିଁକି ରେ ?
ରତନା : ଆଜି ଛାଇନେଉଟା ବେଳକୁ ଭାରି ଶୋଷ ନାଗିଲା । ଯୋଗକୁ ଦାଣ୍ଡରେ ମାଣିକୀର ତୁଣ୍ଡ ଶୁଭିଲା ।
ରଙ୍କ : ମାଣିକୀ ? କୋଉ ମାଣିକୀ ରେ ?
ରତନା : ଆମ ସାଇର ବେହେରାଘର ମାଣିକୀ ଗଉଡ଼ୁଣୀ ହେ । ଦହି ନବ, ଦହି ନବ ବୋଲି ତା ଡାକ ଶୁଭିଲା । ସେତେବେଳକୁ ମୁଁ ମୁଗଗୁରା ଏକାଠି କରୁଥାଏଁ । ଶୋଷ ତ ହଉଥିଲା । ମନହେଲା ଦହି ପିଇବାକୁ । ମାଣେ ମୁଗ ଧରି ଆସୁ ଆସୁ ମୋର ଟିକିଏ ମଠ ହୋଇଗଲା । ଆସି ଦହି ମାଗିବାବେଳକୁ ଦେଖେଁତ ମାଣିକୀ ମୁଣ୍ଡଉପରୁ ଦହି ପସରା ତଳେ ଥୋଇ ଶକ ଶକ ହଉଚି ।
ରଙ୍କ : କିରେ କାହିଁକି ରେ ?
ରତନା : ଅଦଭୁତ କଥା ପଧାନେ ! ମାଣିକୀ କହିଲା କଳାଘୋଡ଼ା ଧଳାଘୋଡ଼ା ଦି’ଟାରେ ଚଢ଼ି ରଜାପୁଅ ପରି ଦି’ଜଣ ତାକୁ ଦହି ପିଇବାକୁ ମାଗିଲେ । ପିଉପିଉ ପୂରା ଆଟିକାକର ଦହି ପିଇଗଲେ । କଉଡ଼ି- ମାଗିଲାଠୁ କହିଲେ- କଉଡ଼ି ନାଇଁ । ନେ, ଏ ମୁଦୀ ବନ୍ଧା ରଖିଥା । ପଛରେ ଆମ ରଜା ଆସୁଛନ୍ତି । ତାଙ୍କୁ ଏ ମୁଦୀ ଦେଇ ତୋ କଉଡ଼ି ନବୁ । ୟା କହି ଘୋଡ଼ା ଝପଟାଇ ଆଖି ପିଛୁଳାକେ ଚମ୍ପଟ । ମାଣିକୀ ମୁଦୀ ଧରି ତ ଶକ ଶକ ହଉଚି ।
ରଙ୍କ : ଆରେ କୋଉ ରଜା ? କିଏ ସେ ? ମୁଦୀ ଦେଖିଛୁ ତୁ ?
ରତନା : ହଁ ରତନ ବସା ମୁଦୀ । କେତେ ନାଇଁ କେତେ ଦାମ୍ ହବ । ମୁଁ ମାଣିକୀକି ବୋଧ ଦେଇ, ମୁଦୀକି କାନିରେ ବାନ୍ଧି ରଖିବାକୁ କହିଲି ।
ରଙ୍କ : କୁଆଡ଼େ ଗଲା ସେ ?
ରତନା : ରଜା କିଏ ? କାହିଁ ସେ ? ଖୋଜିବାକୁ ଦାଣ୍ଡେ ଦାଣ୍ଡେ ଗଲା ।
ରଙ୍କ : ମୁଁ ଗାଆଁରୁ ଆସିଲା ବେଳକୁ ଚିଲିକା କୂଳେ ଭାରି ପାଟିତୁଣ୍ଡ ଶୁଭୁଥିଲା । ମୁଁ ବିଚାରିଲି କିଏ ସବୁ କାଳିଜାଈକି ଭୋଜିଭାତ କରିବାକୁ ଆସିଥିବେ ବୋଲି । ରଜା ଆସିବାର କିଛି ଶୁଣାଶୁଣି ନାହିଁ ।
ରତନା : ଶୁଣିଥିଲି ଆମ ଠାକୁର ରଜା କୁଆଡ଼େ ଲଢ଼େଇ କରିବାକୁ ବାହାରିଛନ୍ତି ।
ରଙ୍କ : ଚାଲ ଚାଲ, ଦେଖିବା ଚିଲିକା- କୂଳ । କାଳେ ଆମ ରଜା ହୋଇଥିବେ । କିଛି ନହେଲେ ଠାକୁର ରଜାଙ୍କୁ ତ ଦର୍ଶନ କରି ଆସିବା।
ରତନା : ହଁ ମ, କାହାକୁ ସହଜେ ଦର୍ଶନ ମିଳୁଛି ? ଆମେ ପୁରସ୍ତମ ଯିବା ନା ଦରଶନ ପାଇବା ?
ରଙ୍କ : ହଁ ସେଇକଥା । ଆସ ଯିବା । ଚିଲିକା କୂଳ କେତେ ବାଟ କି ? ଜହ୍ନ ଉଇଁଲାଣି, ଡର କଅଣ ?
ରତନା : ଏଇମିତି ଯିବି ? ଧୂଳି ଧୂଷର ହେଇଛି । ଘରୁ ଖଣ୍ଡେ ଦୋସଡ଼ା ନେଇ ଆସନ୍ତି ।
ରଙ୍କ : ଆରେ ଚାଲ ମ । ଏଇମିତି ଗଲେ କ’ଣ ହବନାଇଁ ? ମଠ କରନାଇଁ । ଆସ । ସାଙ୍ଗ ହେଇ ଯିବା । ହେଇଟି ଶୁଣୁଛ (ନାଉରୀ କେମିତି ମନ ମଉଜରେ ଗୀତ ଗାଇ ଗାଇ ନାଆ ମେଲିଛନ୍ତି । ଏଇ ପାଖଟା ତ ।
(ନେପଥ୍ୟରୁ ନାଉରୀଆ ଗୀତ ଶୁଭୁଥାଏ)
-ଗୀତ-
ଥିରି ଥିରି ନାଆ ବୁହା ଆରେ ଭାଇ !
ଉତ୍ତରା ପିଟୁଛି ବାଆ ।
ଚିଲିକାର ଢେଉ ନାଚି ନାଚି ଯାଏ
ଜହ୍ନ ଖେଳିଯାଏ ଚାହାଁ ।
ଆଉ କାହାକୁ ଡର
କାଳୀଜାଈ ମାଆ ନାଆଁ ଧର ।
(ରଙ୍କ ଓ ରତନା ଗୀତ ଶୁଣୁ ଶୁଣୁ ଚାଲିଗଲେ)
[ଚିଲିକା କୂଳ । ରଜା ପୁରୁଷୋତ୍ତମ ବସିଛନ୍ତି । ପାଖରେ ଛିଡ଼ା ହୋଇଛନ୍ତି ସେନାପତି । ଦୂରରୁ ନାଉରୀଆର ଗୀତ ଭାସି ଆସୁଛି ।]
ରାଜା : ଶୁଣୁଛ ସେନାପତି !
ସେନା : ମଣିମା ! ଚିଲିକାରେ ନାଉରୀଆମାନେ ମନଖୁସିରେ ଗୀତ ଗାଇ ନାଆ ବାହୁଛନ୍ତି ।
ରାଜା : ପୂର୍ଣ୍ଣମୀ ଜହ୍ନ ଉଇଁ ଆସୁଛି । ଚିନ୍ତା ନାଇଁ, ଦକ ନାଇଁ, ନାଉରୀଆମାନେ ମନଖୁସିରେ ଗୀତ ଗାଇ ନାଆମେଲି ଚାଲିଛନ୍ତି । ବାସ୍ତବରେ ସୁଖୀ ଏଇମାନେ । ନୁହେଁ ?
ସେନା : ସତ ମଣିମା । କଅଣ ଚିନ୍ତା ତାଙ୍କର ? ନାଆ ବାହି ଯାହା ଅର୍ଜନ କଲେ, ପିଲାଛୁଆଙ୍କୁ ଖୁଆଇ ସୁଖେ ଦୁଃଖେ ଦିନ କାଟି ନେଲେ ।
(ଜଣେ ପ୍ରହରୀ ଆସି ରାଜାଙ୍କୁ ପ୍ରଣାମ କଲା)
ପ୍ରହରୀ : ମଣିମା ! ଜଣେ ଗଉଡ଼ୁଣୀ ଛାମୁଙ୍କ ଦର୍ଶନକୁ ଆସିଛି ।
ରାଜା : ଗଉଡ଼ୁଣୀ ?
ପ୍ରହରୀ : କହିଲା ତ ସେ । ଛାମୁଁରେ ଭେଟିବାକୁ ଜଣା କରୁଛି ।
ରାଜା : କିଏ ସେ ଗଉଡ଼ୁଣୀ ? କାହିଁକି ଆସିଛି ? ଆଚ୍ଛା ଆସୁ ଡାକ ତାକୁ ।
ପ୍ରହରୀ : ଆଜ୍ଞା ମଣିମା । (ଚାଲିଗଲା ପ୍ରଣାମ କରି)
(ମାଣିକୀ ସହିତ ପୁଣି ପ୍ରହରୀର ପ୍ରବେଶ)
(ଗଉଡ଼ୁଣୀ ମାଣିକୀ ଆସି ରାଜାଙ୍କୁ ମୁଣ୍ଡିଆ ମାରିଲା)
ରାଜା : ତୁମେ ମୋ ସାଙ୍ଗରେ ଦେଖା କରିବାକୁ ଆସିଛ ? କି କାମ ମୋ ପାଖରେ ତମର ? କହ ।
(ମାଣିକୀ କାନିରୁ ମୁଦୀ କାଢ଼ି ରଜାଙ୍କୁ ଦେଖାଇଲା)
ମାଣିକୀ : ମଣିମା, ମୁଁ ଛାର ଗଉଡ଼ୁଣୀ । ପାଖ ଗାଁରେ ମୋର ଘର । ଦହି ବିକି କୁଟୁମ୍ବ ପୋଷେ । ଆଜି ପସରାରେ ଦହି ମୁଣ୍ଡାଇ ଡାକି ଡାକି ବିକିବାକୁ ଗଲାବେଳକୁ ପଛପଟୁ କଳାଘୋଡ଼ା, ଧଳାଘୋଡ଼ାରେ ଚଢ଼ି ଦି’ଜଣ ଭେଣ୍ଡିଆ ମୋ ଆଗକୁ ଆସି ଦହି ପିଇବାକୁ ମାଗିଲେ ।
ରାଜା : କଳାଘୋଡ଼ା ଧଳାଘୋଡ଼ାରେ ଦି ଜଣ ?
ମାଣିକୀ : ମଣିମା, ରଜାପୁଅ ପରି ଦିଶୁଥିଲେ ।
ରାଜା : ସେ ଦିହେଁ ତମକୁ ଦହି ପିଇବାକୁ ମାଗିଲେ ?
ମାଣିକୀ : ଆଜ୍ଞା, ମଣିମା ! ପିଉପିଉ ଆଟିକାକ ଦହି ପିଇଦେଲେ । ମୁଁ କଉଡ଼ି ମାଗିଲାରୁ କହିଲେ- ପଛରେ ରଜା ଆସୁଛନ୍ତି । ଏ ମୁଦୀଟି ରଖିଥା । ତାଙ୍କୁ ଦେଖାଇବୁ । ତୋ ଦହି କଉଡ଼ି ସେ ଦେବେ । ୟା କହି ଘୋଡ଼ା ଝପଟାଇ ଚାଲିଗଲେ । ମୁଁ ତାଙ୍କ ଯିବାବାଟରେ ଆସୁଛି । ଶୁଣିଲି, ଏଇଠି ମଣିମା ବିଜେ ହେଇଛନ୍ତି । ଟିକିଏ ଆଗରେ ଲୋକ ଗହଳି ଚହଳି ଶୁଣି ଛାମୁକୁ ଆସିଛି । ହେଇଟି ମୁଦୀ । (ମୁଦୀଟି ରାଜାଙ୍କୁ ବଢ଼ାଇଦେଲା)
ରାଜା : (ମୁଦୀ ନେଇ; ଦେଖି, ମଥାରେ ଲଗାଇ) ହେ ପ୍ରଭୁ ଜଗନ୍ନାଥ ! ଅଧମ ଚରଣ ସେବକକୁ ଅପାର କରୁଣା ତମର । ଗଉଡ଼ୁଣୀ ! ତୁମ ନା କଅଣ ? ବଡ଼ ଭାଗ୍ୟବତୀ ତୁମେ । ଠାକୁରେ ତୁମ ପସରାରୁ ଦହି ଖାଇଲେ ।
ସେନା : ତମ ନାଆଁ କଅଣ ?
ମାଣିକୀ : ମୋତେ ମାଣିକୀ ବୋଲି ସଭିଏଁ ଡାକନ୍ତି ।
ରାଜା : ସତରେ ତୁମେ ମାଣିକ୍ୟ । ଦହି କଉଡ଼ି ତୁମକୁ କଅଣ ବା ଦେବି ମୁଁ ? ଏ ମୁଦୀଟି ପ୍ରଭୁଙ୍କ ଶ୍ରୀକରର । ୟା ମୂଲ୍ୟ କଣ ମୁଁ ଦେଇପାରିବି ? ସେନାପତି ! ତୁମେ ମାଣିକୀକି ସାଙ୍ଗରେ ନେଇଯାଅ । ସେ ଯେତେବାଟ ବୁଲି ଆସିବ, ଆଜିଠୁଁ ସବୁତକ ଜାଗା ତାହାର । ତା ନାଆଁରେ ସେ ଜାଗାର ନାଆଁ ହବ ମାଣିକୀ ପାଟଣା । ମାଣିକୀର ପୁଅନାତି ସମସ୍ତେ ମାଣିକୀପାଟଣାକୁ ନିସ୍କର ଭୋଗ କରୁଥିବେ । ସେନାପତି ! ଆଉ ବିଳମ୍ବ କରନାହିଁ; ଯାଅ ।
ରାଜା : (ହାତଯୋଡ଼ି ନମସ୍କାର କରି) ଜଗନ୍ନାଥ ! ଧନ୍ୟ, ଧନ୍ୟ ତୁମର କରୁଣା । (ସେନାପତିଙ୍କୁ) ତୁମେ ଯାଅ । ମୁଁ ମନ୍ତ୍ରୀଙ୍କ ସହ ଯୁଦ୍ଧ ପରାମର୍ଶ କରିବା ପାଇଁ ଛାଉଣିକି ବାହାରିଲି । ଯାଅ ମାଣିକୀ !
ସେନା : ଯେ ଆଜ୍ଞା ମଣିମା । (ପ୍ରଣାମ କଲେ)
(ମାଣିକୀ ମୁଣ୍ଡିଆ ମାରିଲା, ସମସ୍ତେ ଚାଲିଗଲେ)
କାଞ୍ଚି-ଯୁଦ୍ଧକ୍ଷେତ୍ରର ଶିବିର
[ପୁରୀର ମନ୍ତ୍ରୀ ବସିଥିଲେ । ଜଣେ ଦୂତ ଧଇଁ ସଇଁ ହୋଇ ଆସି ପ୍ରବେଶ କଲା ।]
ମନ୍ତ୍ରୀ : ଦୂତ; ଯୁଦ୍ଧ କ୍ଷେତ୍ରରୁ ଆସୁଛ ? ଧଇଁ ସଇଁ ହେବାପରି ଆସିଛ ! ଖବର ନିଶ୍ଚୟ ଗୁରୁତର ।
ଦୂତ : (ପ୍ରଣାମ କଲା)
-ଗୀତ-
କିସ ଜଣାଇବି ଆହେ ମନ୍ତ୍ରୀବର !
ଏ ଆଖି ଦେଖିଲା ଯାହା,
ନ ଦେଖିବା ଲୋକ ତିନିକାଳେ କେବେ
ପରତେ ନଯିବ ତାହା ।
ଫୁଙ୍କି ବୀର ତୁରୀ କାଞ୍ଚି ରଜାଙ୍କର
ଘୋଡ଼ା ହାତୀ ସେନାଦଳ
ସମୁଦ୍ର ପ୍ରମାଣେ ମାଡ଼ି ଆସୁଥିଲେ
କରି ଘୋର ରେରେକାର ।
ତାଙ୍କୁ ଦେଖି ଆମ ସେନା ତାଟକାରେ
ଘଡ଼ିଏ ରହିଲେ ଚାହିଁ
ଏତିକି ବେଳରେ ଘଟିଲା ଯା’ ତାହା
ବର୍ଣ୍ଣିବାକୁ ଭାଷା ନାହିଁ ।
ଆଚମ୍ବିତେ କାହୁଁ ଆମପଟୁ ଦୁଇ-
ବୀର ପଡ଼ିଲେ ବାହାରି
କଳା ଘୋଡ଼ା, ଧଳା ଘୋଡ଼ାଚଢ଼ି ଦିଶୁ-
ଥିଲେ ରଜା ପୁଅ ପରି ।
ଘୋଡ଼ାର ଟାପୁରେ ଧୂଳି ଉଡ଼ିଗଲା
ଗଗନ ମଣ୍ଡଳ ଛାଇ,
ସତେ ଅବା କାହୁଁ ଅଣଚାଶ ବାଆ
ଦଣ୍ଡକରେ ଗଲା ବହି ।
ଅନ୍ଧାର ଘୋଟିଲା ଚଉଦିଗ ବେଗେ
ଉଆଁସ ରାତିକୁ ବଳି
କାଞ୍ଚିର ପାଇକେ କେତେ ଗଲେ, ମଲେ
କିଏ ତା ପାରିବ କଳି ?
ଆମ ସେନାପତି ବୀରତୁରୀ ଫୁଙ୍କି
ଜୟ ବାନା ଉଡ଼ାଇଲେ
ଏକଥାକୁ ମୋର ସତ ମଣିବେକି
ଆଖିରେ କେ ନଦେଖିଲେ ?
ଧଳା କଳା ଘୋଡ଼ା ଚଢ଼ା ଦୁଇବୀର
ପଲକେ ଗଲେ ଉଭାଇ
ଧଇଁ ସଇଁ ହୋଇ ଧାଇଁ ଆସିଛି ମୁଁ
ଏ ଖବର ଦେବାପାଇଁ ।
ଆସନ୍ତୁ ଆପଣ ଆଖିରେ ଦେଖିଲେ
ମୋକଥା ପାରିବେ ବାରି
ଉଛୁର ନକରି ସଙ୍ଗରେ ମୋହର
ବେଗେ ଆସନ୍ତୁ ବାହାରି ।
ମନ୍ତ୍ରୀ : ୟେତ ଅତି ଅଦ୍ଭୁତ କଥା କହୁଚ ତୁମେ । ମୁଁ ଆଗେ ଯାଇ ମହାରାଜାଙ୍କୁ ଜଣାକରେଁ ଏ ଖବର ।
ଦୂତ : ତା ଆଗରୁ ନିଜେ ଥରେ ଯୁଦ୍ଧକ୍ଷେତ୍ରକୁ ଯାଇ, ସବୁ ଦେଖି ଶୁଣି ଆସନ୍ତୁ । ଉଠନ୍ତୁ । ଆସନ୍ତୁ । ଆଉ ବିଳମ୍ବ କରନ୍ତୁ ନାହିଁ ।
(ଦୂତ ଓ ମନ୍ତ୍ରୀ ବେଗେ ପ୍ରସ୍ଥାନ କଲେ)
ପୁରୀ-ବଡ଼ଦାଣ୍ଡ
[ତଢ଼ାଉ ତରତର ହୋଇ ଚାଲି ଯାଉଥିଲେ ସିଂହଦ୍ୱାରକୁ ଚାହିଁ ଚାହିଁ । ପଛରୁ ଦେଉଳ କରଣ ଆସି ଡାକିଲେ ।]
ଦେଉଳକରଣ : ନମସ୍କାର ଆଜ୍ଞା ! କୁଆଡ଼େ ବଡ଼ ତରତର ହୋଇ ଯିବାପରି ଲାଗୁଛି ।
ତଢ଼ାଉ : ଓଃ, ଦେଉଳ କରଣ କିଓ ! ନମସ୍କାର, ନମସ୍କାର । ସିଂହଦ୍ୱାର ଆଡ଼ୁ ପଲାସିଛ, କଥା କଅଣ ?
ଦେଉଳକରଣ : ଆଉ ପରା ଦିନ ଗୋଟିଏ ମଝିରେ । ରଥରେ କନା ଲାଗି ଦେଖୁଥିଲି । କାଲି ତ ରଥ ସିଂହଦ୍ୱାରରେ ଲାଗିବ ।
ତଢ଼ାଉ : ହଁ, ହଁ, ଏଇନେ ନଅରରୁ ଆସୁଛି । ମହାରାଜାଙ୍କୁ ଭେଟି ରଥଯାତ୍ରା କଥା କହିଲି ଯେ ଛାମୁକରଣେ- ବର୍ଷେ ହୋଇଗଲା । ଏଇ ରଥଦିନ କାଞ୍ଚି ରାଜଗୁରୁ ଆମ ଠାକୁରରଜାଙ୍କ ଛେରାପହଁରା ଦେଖି, ମୋତେ ନାନା କଥା ପଚାରି ଥିଲେ । ତା ପରେ ତ ଲାଗିଗଲା ଲଢ଼େଇ ।
ଦେଉଳକରଣ : ସେ ପରା ଆମ ମହାରାଜାଙ୍କୁ ଚଣ୍ଡାଳ ବୋଲି କହିଲା ହେ । ଲଢ଼େଇର ମୂଳ ସେଇଠି ।
ତଢ଼ାଉ : ଫଳ କଅଣ ହେଲା ? ଶେଷରେ ତ କାଞ୍ଚି ବିଜୟ ।
ଦେଉଳକରଣ : ଏ ବିଜୟ ମୂଳରେ ଦିଅଁଙ୍କ କରୁଣା । ଯିବା ବାଟରେ ତ କେତେ ଅଦ୍ଭୁତ ଘଟଣା ଘଟିଛି । ଆଖି ଦେଖିନାହିଁ ସିନା କାନ ସବୁ ଶୁଣିଛି ।
ତଢ଼ାଉ : ସବୁ ହେଲା । କାଞ୍ଚି ବିଜୟ କଲେ ଆମ ମହାର୍ଜା । ବାକି ମୋର ମନରେ ଦୁଃଖ ରହିଛି ।
ଦେଉଳକରଣ : ଦୁଃଖ ? ଆପଣଙ୍କ ମନରେ ?
ତଢ଼ାଉ : କଅଣ କି ? ଲଢ଼େଇର ମୂଳରେ ତ କାଞ୍ଚି ରାଜଜେମା ।
ଦେଉଳକରଣ : ହଁ, ତାହାନୁହେଁ ଆଉ କଅଣ ? ସେଇ ଜେମାତ ମୂଳ କାରଣ ।
ତଢ଼ାଉ : ଜଣେ ରାଜଗୁରୁ ଠାକୁରରଜାଙ୍କୁ ଚଣ୍ଡାଳ ବୋଲି କହି ବିବାହରେ ବିଘ୍ନ ଘଟାଇଲେ । ସେଇଠୁ ସବୁ ଅନିଷ୍ଟ
ଆରମ୍ଭ । ହେଲେ, ଶେଷରେ ଆମ ମହାର୍ଜା ଜିଣିଲେ- ଅବଶ୍ୟ ପ୍ରଭୁଙ୍କ ଅନୁଗ୍ରହରୁ । ପ୍ରଭୁଙ୍କଠାରେ ତାଙ୍କର ସେତିକି ଭକ୍ତି ବୋଲି । ସବୁହେଲା । କାଞ୍ଚି ରାଜଜେମାଙ୍କୁ ଅଣାହେଲା । ବାକି ମୋର ଆମ ରଜାଙ୍କ ବିଚାରକୁ ପସନ୍ଦ ଆସୁନାହିଁ ।
ଦେଉଳକରଣ : କାହିଁକି, କାହିଁକି ?
ତଢ଼ାଉ : ମହାରାଜା ଯଦି ଧରି ବସିଛନ୍ତି କାଞ୍ଚି ଜେମାଙ୍କୁ ଚଣ୍ଡାଳକୁ ବିଭାଦେବେ । ଭଲା; ତାଙ୍କର ଦୋଷ କଅଣ ?
ଦେଉଳକରଣ : ହଁ, ମୁଁ ଶୁଣିକରି ମୋତେ ମହାରାଜାଙ୍କର ଏ ବିଚାର ମଧ୍ୟ- ପସନ୍ଦକୁ ଆସିଲା ନାହିଁ ।
ତଢ଼ାଉ: ଏବେ ଜେମାଙ୍କପାଇଁ ଚଣ୍ଡାଳ ବର ବାଛି ବିଭା ଦେବାକୁ ମହାମନ୍ତ୍ରୀଙ୍କ ଉପରେ ଭାର ଦେଇଛନ୍ତି ମହାର୍ଜା ।
ଦେଉଳକରଣ : ଯେ ଶୁଣୁଛି ସେ ଏ କଥାରେ ମହାରାଜାଙ୍କ ବିଚାରକୁ ନିନ୍ଦା କରୁଛି ।
ତଢ଼ାଉ : ମୁଁ ମନ୍ତ୍ରୀଙ୍କ ଘରଠିକି ବାହାରିଛି । ପଚାରେ ଦେଖି ସେ କି ବିଚାର ପାଞ୍ଚୁଛନ୍ତି ।
ଦେଉଳକରଣ : ମହାବୁଦ୍ଧିମାନ ସେ । ଦେଖାଯାଉ । ଚାଲନ୍ତୁ ମୁଁ ସାଙ୍ଗରେ ଯିବି । ବଡ଼ଦାଣ୍ଡରେ ତ ଆଜିଠୁଁ ଯାତ୍ରୀ ଭିଡ଼ ହୋଇଗଲେଣି । ହେଇଟି ଶୁଣନ୍ତୁ । କିଏ ପଞ୍ଝାଏ ଗାଇ ଗାଇ ଆସୁଛନ୍ତି ଗୁଣ୍ଡିଚାବାଡ଼ି ଆଡ଼ରୁ ।
ତଢ଼ାଉ : ଚାଲ ଆମ କାମରେ । ଗୀତ କଅଣ ଶୁଣିବା ନାଇଁ ଏଇନେ ତ ବଡ଼ଦାଣ୍ଡ ଗୀତ ଭଜନରେ ଉଛୁଳି ପଡ଼ିବ । ଚାଲ ମନ୍ତ୍ରୀଙ୍କ ଘରକୁ । କଅଣ ହଉଛି ଦେଖାଯାଉ ।
ଦେଉଳକରଣ : କଅଣ ଆଉ ହେବ ? ଯାହାହବ ସବୁ ସେଇ ଜଗବନ୍ଧୁଙ୍କ ଇଚ୍ଛା । ଚାଲ ।
(ଦୁହେଁ ପ୍ରସ୍ଥାନ)
[ପୁରୀ - ଗୁଣ୍ଡିଚା ମନ୍ଦିର ନିକଟ । ଖଞ୍ଜଣି ବଜାଇ ଯାତ୍ରୀ କେତେଜଣ ଗାଇ ଗାଇ ଆସୁଛନ୍ତି ।]
-ଗୀତ-
ଯାତ୍ରୀମାନେ :
ଜଗାଦିଅଁ ବଡ଼ ରଙ୍ଗିଆ
ଦରିଆ ମଝିରେ ଲଗାଏ ନିଆଁ ।
କିଏ ଖାଏ ପୁରୀ କାକରା,
ଚାଟୁଛି କେ ଭଙ୍ଗା ଖପରା,
ପାଟ ପିତାମ୍ବରୀ ପିନ୍ଧୁଛି କିଏସେ
କିଏ ହୁଏ ବାର ଦୁଆରେ ଠିଆ ।।
ଗନ୍ତାଘର ଉଛୁଳେ କାର
ଉପାସ କା ଜୀବନେ ସାର
ହାତୀ ପରେ ଛତି ଝୁଲୁଛି କାହାର
ଭିଖ ଝୁଲି କାର କରମେ ଥୁଆ ।।
ଦିଏ ସେଇ, ନିଏତ ସେଇ
ଆନ ଗତି ତାବିନା ନାହିଁ
ସାରା ଦୁନିଆର ଭଲ ଭେଲ ସବୁ
ଚକା ଆଖି ତାର ନଜର ଦିଆ ।।
ତାକୁ ଡାକି ଜାଣିଲା ଯିଏ
ଜଞ୍ଜାଳରୁ ତରିଲା ସିଏ
ଭକତି ନଥାଇ ତୁଚ୍ଛା ମାଳିଗଡ଼ା
କୋଉ ସାଧୁ ପଣ କହିଲେ ତାହା ।।
(ଗାଇ ଗାଇ ଚାଲିଗଲେ)
[ପୁରୀ ସିଂହଦ୍ୱାର ସାମନା । ଠିଆ ହୋଇଥିଲେ ରଘୁନାଥ ଦଇତାପତି ଏକଦୃଷ୍ଟିରେ ବଡ଼ଦାଣ୍ଡ ଆଡ଼େ ଚାହିଁ, ଦେଉଳକୁ ପିଠିକରି । ସେ ଝାଳ ପୋଛୁଥିଲେ । ପଛରୁ ଦାମ ପଶୁପାଳକ ଆସି ତାଙ୍କ ବେକ ପାଖରେ ଧକ୍କା ଦେଲାପରି ଝୁଙ୍କାଇଦେଲେ]
ରଘୁ : (ଚମକିଲାପରି) ଆରେ ପଶୁପାଳକେ ! ମୁଁ ବୋଇଲି କିଏ ପଛରୁ ଏମିତି ଧକ୍କା ମାଇଲା ?
ଦାମ : ଆସି କେତେବେଳୁ ଚାହିଁଲିଣି ଯେ, ତୁମେ ଏମିତି ଏକ ଆଖିରେ କୁଆଡ଼େ କାହାକୁ ତକାଇ ରହିଥିଲ ? ପହଣ୍ଡିତ କେତେ ଆଗରୁ ସରିଲାଣି । କଅଣ ଗାମୁଛାରେ ଝାଳ ପୋଛି ଥକ୍କା ମେଣ୍ଟାଉଥିଲ ?
ରଘୁ : ନାଇଁ ହେ, ଦିଅଁଙ୍କ ପହଣ୍ଡି କୋଉବେଳୁ ସଇଲାଣି । ମହାର୍ଜା ଛେରାପହଁରାକୁ ବିଜେ ହେଇଥିଲେ । ଦିନେ ନାଇଁ, କାଳେ ନାଇଁ, ମନ୍ତ୍ରୀ ଗୋଟିଏ ଅତି ସୁନ୍ଦରୀ ଝିଅଟିକି ସାଥିରେ ନେଇ ଛେରାପହଁରା ବେଳେ ମହର୍ଜାଙ୍କ ପାଖକୁ ରଥ ଆଡ଼କୁ ଗଲେ । ଝିଅଟି କିଏ; କାହିଁକି ଗଲେ, ସେଇକଥା ଦେଖୁଥିଲି ।
ଦାମ : ମହାରାଜାତ ଓହ୍ଲାଇ ଆସୁଛନ୍ତି, ଏଇଠୁ ଦିଶୁଛି, ମନ୍ତ୍ରୀ ତାଙ୍କ ପଛେପଛେ ।
ରଘୁ : କଅଣ କଥା ହେଉଛନ୍ତି, କାନ ଡେରିଥିଲି ତାଙ୍କ ଆଡ଼େ ।
ଦାମ : ଏ ଲୋକ ଗହଳି; ବାଜା ବାଜଣା, ହୋହୋରେ ଏତେ ବାଟରୁ କଅଣ ଶୁଭିବ ? ଯିବା । କଥାଟା କଅଣ ଶୁଣିବା ଆସ ।
ରଘୁ : ହଉ ଚାଲ । (ଦୁହେଁ ଚାଲିଗଲେ)
[ରଥ ତଳପାଖ । ମହାରାଜା ପୁରୁଷୋତ୍ତମ ପାଲିଙ୍କି ଆଡ଼କୁ ଯାଉଥିଲେ । ମନ୍ତ୍ରୀ ପଦ୍ମାବତୀଙ୍କ ସହିତ ତାଙ୍କ ପଥ ଓଗାଳିଲେ । ମହାରାଜା ଛେରା ପହଁରା ବେଶ ପିନ୍ଧିଛନ୍ତି ।]
ମହାରାଜା : ମହାମନ୍ତ୍ରୀ, କଥା କଅଣ ? ଏତେବେଳେ ଏଠି ? ସାଙ୍ଗରେ ଏ କିଏ ?
ମହାମନ୍ତ୍ରୀ : ମହାରାଜ ! ମୋର ଅପରାଧ କ୍ଷମା କରିବେ । ମୋତେ ଛାମୁରୁ ଆଜ୍ଞା ହୋଇଥିଲା, କାଞ୍ଚି ରାଜଜେମା ପଦ୍ମାବତୀଙ୍କି ଚଣ୍ଡାଳକୁ ବିଭା ଦେବାପାଇଁ । ମୁଁ ତାଙ୍କୁ ମୋ ଘରେ ରଖିଥିଲି । ଖୋଜି ଖୋଜି ଯୋଗ୍ୟ ବର ପାଉନଥିଲି । ଯୋଗକୁ ଆଜି ସେ ଶୁଭଦିନ ଆସିଛି । ଛାମୁତ ଆଜି ଆଉ ଗଜପତି ମହାରାଜା ନୁହନ୍ତି । ଚଣ୍ଡାଳର ବେଶ ପିନ୍ଧି ଶ୍ରୀ ମହାପ୍ରଭୁଙ୍କ ରଥ ଓଳାଉଛନ୍ତି ହାତରେ ପହଁରା ଧରି । ଆଜି ଛାମୁ ଚଣ୍ଡାଳ । ମୁଁ ଏଇ ଶୁଭ ଅବସରରେ କାଞ୍ଚି- ଜେମାଙ୍କୁ ଚଣ୍ଡାଳ ହାତରେ ସମର୍ପଣ କରୁଛି । ସାକ୍ଷୀ ଶ୍ରୀ ଜଗନ୍ନାଥ । (ପୁରୁଷୋତ୍ତମ ଦେବଙ୍କ ଡାହାଣ ହାତ ଟାଣି ପଦ୍ମାବତୀଙ୍କ ହାତ ସହିତ ମିଳାଇ ଦେଲେ । ମୁଣ୍ଡରେ ଯୋଡ଼ ହାତ ଲଗାଇ) ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।
ଜନତା : (ସମୂହ କଣ୍ଠରେ) ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।
(କାହାଳୀ ଓ ଶଙ୍ଖ ମହୁରୀ ବାଜି ଉଠିଲା ଘନଘନ ହୋଇ)