କଳିଲୋକ ବଡ଼ ଧନ୍ୟ

କଳିଲୋକ ବଡ଼ ଧନ୍ୟ

ଭକ୍ତ ନାରଣ

 

(ଭକ୍ତ ନାରଣଙ୍କର ଉକ୍ତ ଚଉତିଶା ପ୍ରଭୁଙ୍କ ଅପାର ମହିମା ଉପରେ ଆଧାରିତ । ଜଗତକରତା ହରିଙ୍କ ସେବା, ଧ୍ୟାନରେ ମନୋନିବେଶ କରିବାକୁ ସେ ଭକ୍ତମାନଙ୍କୁ କୋଇଲି ସମ୍ବୋଧନ ମାଧ୍ୟମରେ ଆହ୍ୱାନ ଦେଇଛନ୍ତି । ନିରାକାର ପ୍ରଭୁ ଶୂନ୍ୟ ବ୍ରହ୍ମଙ୍କ ଲୀଳାଖେଳାର ଏକ ଅନୁପମ ଚିତ୍ର ଏଥିରେ ସ୍ଥାନ ପାଇଛି । ଏହା ଏକ ଉତ୍କୃଷ୍ଟ ରଚନାସୁନ୍ଦର, ସରଳ ଭାଷା ।)

 

କୋଇଲି ଲୋ । କଳିଯୁଗ ଲୋକ ବଡ଼ ଧନ୍ୟ ।

କରତା ପୁରୁଷ ସେହୁ ଲୋ ଦେଖିଲେ ନୟନ ।୧।

କୋଇଲି ଲୋ । ଖଟିଥିଲେ ଲକ୍ଷେ ଦାସଦାସୀ ।

ଖେଳ କରୁଥିବେ ମର୍ତ୍ତେ ଲୋ ମହାଶୂନ୍ୟ ବାସୀ ।୨।

କୋଇଲି ଲୋ । ଗୁରୁ ରୂପେ ଜ୍ଞାନ ଦେଲେ କହି ।

ଜ୍ଞାନତତ୍ତ୍ୱ ଦେଇଛନ୍ତି ଲୋ ଭକତ ପାଇଁ ।୩।

କୋଇଲି ଲୋ । ଘଡ଼ିଏତ ନ ରହନ୍ତି କାହିଁ ।

ଘନେ ବିନ୍ଦୁ ପ୍ରାଣ ସ୍ୱାମୀଲୋ । ବୁଲୁଛନ୍ତି ମହୀ ।୪।

କୋଇଲି ଲୋ । ଉଦେ କଲେ ମହିମା ଧର୍ମକୁ ।

ଅଣାକାର ପରଂବ୍ରହ୍ମ ଲୋ । ବିଜୟ ଧରାକୁ ।୫।

 

ଭାବାର୍ଥ- (୧-୫) କୋଇଲିକୁ ସମ୍ବୋଧନ ମାଧ୍ୟମରେ ଭକ୍ତକବି ଜଗତବାସୀଙ୍କ ସମ୍ମୁଖରେ ପ୍ରଭୁଙ୍କ ଅପାର ଅପୂର୍ବଲୀଳା ବର୍ଣ୍ଣନା କରିଛନ୍ତି । ଲୋ କୋଇଲି, ଲୋକମାନେ ବଡ଼ ଧନ୍ୟ । ସେମାନେ ସ୍ୱଚକ୍ଷୁରେ ଜଗତ କରତାଙ୍କ ରୂପକ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ସେଇ ମହାଶୂନ୍ୟବାସୀଙ୍କ ପାଦତଳେ ଲକ୍ଷ ଲକ୍ଷ ଖଟିଥିଲେ । ଏବେ ମର୍ତ୍ତ୍ୟ ଭୂମିରେ ଲୀଳା କରୁଛନ୍ତି । କୋଇଲି ଲୋ, ସେ ଗୁରୁ ରୂପେ ଜ୍ଞାନର ପ୍ରସାର କରିଯାଇଛନ୍ତି । ଭକ୍ତର ପାଇଁ ଜ୍ଞାନତତ୍ତ୍ୱ ପ୍ରଦାନ କରିଛନ୍ତି ।

 

ଲୋ କୋଇଲି, ପରଂବ୍ରହ୍ମ ହରି ଅରୂପ, ଅସ୍ଥିର । ଘଡ଼ିଏ ପାଇଁ ମଧ୍ୟ ସେ କେଉଁଠାରେ ସ୍ଥିର ହୋଇ ରହିପାରନ୍ତି ନାହିଁ । ମେଘରେ ଜଳବିନ୍ଦୁ ହୋଇ ରହିଛନ୍ତି । ସସାଗରା ପୃଥିବୀ ସେ ଘୂରୁଛନ୍ତି । କୋଇଲି ଲୋ, ସେ ଅଣାକାର ପରଂବ୍ରହ୍ମ ରୂପେ ଧରାପୃଷ୍ଠକୁ ବିଜେ କରିଛନ୍ତି । ଧର୍ମକୁ ଜଗତ ବକ୍ଷରେ ଉଦିତ କରାଇଛନ୍ତି ।

 

କୋଇଲି ଲୋ । ଚିହ୍ନି ନ ପାରିଲେ ମୂଢ଼ ଲୋକେ ।

ଚେତା ଥାଉଁ ଥାଉଁ ସେହୁ ଲୋ । ପଡ଼ନ୍ତେ ନରକେ ।୬।

କୋଇଲି ଲୋ । ଛାଡ଼ିଯିବ ଜନ୍ମ ମୃତ୍ୟୁ ଭୟ ।

ଛୁଟିଯିବ ପ୍ରାଣଗୋଟି ଲୋ । କର ତାଙ୍କୁ ଲୟ ।୭।

କୋଇଲି ଲୋ । ଜଗତ ଜୀବନ ସେ ଅଟଇ ।

ଯୋଗୀ ବେଶେ ଭ୍ରମୁଛନ୍ତି ଲୋ । କୁମ୍ଭୀପଟ ଲାଇ ।୮।

କୋଇଲି ଲୋ । ଝଟକିତ ଶିରେ ଶୁକ୍ଳ କେଶ ।

ଝଟକ ବିଜୁଳି ପ୍ରାୟେ ଲୋ । ହେଉଥାନ୍ତି ଦୃଶ୍ୟ ।୯।

କୋଇଲି ଲୋ । ନିର୍ବିକାର ପ୍ରଭୁ ପୂର୍ଣ୍ଣାନନ୍ଦ ।

ନିତ୍ୟସ୍ଥଳେ ଖେଳ କଲେ ଲୋ । ଘେନି ଭକ୍ତବୃନ୍ଦ ।୧୦।

କୋଇଲି ଲୋ । ଟେକିଛନ୍ତି ପ୍ରଭୁ ବେନି ଭୁଜ ।

ଟମକ ବାଜୁଛି ଏବେ ଲୋ । ବୀର ବେଶ ସାଜ ।୧୧।

କୋଇଲି ଲୋ । ଠିକ୍ ଆସି ହୋଇଲା ସମ୍ପୂର୍ଣ୍ଣ ।

ଠୁଳ ହେବେ ସବୁ ଭକ୍ତ ଲୋ କହଇ ନାରଣ ।୧୨।

 

ଭାବାର୍ଥ- (୬-୧୨) କୋଇଲି ଲୋ, ଜଗତର ନାଥ ପରଂବ୍ରହ୍ମ ଠାକୁର ଚେତନାରେ ଥାଉଁ ଥାଉଁ ମୂଢ଼ ଲୋକମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ । ସେମାନେ ନରକରେ ପଡ଼ିବେ । ଲୋ କୋଇଲି, ପ୍ରଭୁଙ୍କୁ ଭଲ ଭାବରେ ଲୟ କର । ମନ ମଧ୍ୟରୁ ଜନ୍ମ ମୃତ୍ୟୁ ଭୟ ଛାଡ଼ିଯିବ, ପ୍ରାଣଟି ସହଜରେ ଛୁଟିଯିବ । ସେ ଜଗତର ଜୀବନ । ଯୋଗୀ ବେଶରେ ଜଗତରେ ଭ୍ରମୁଛନ୍ତି । ତାଙ୍କ ଶିରରେ ଶୁଳ୍କକେଶ ଝଟକୁଛି । ବିଜୁଳି ଚମକ ପରି ଦୃଶ୍ୟମାନ ହେଉଛନ୍ତି ।

 

ଲୋ କୋଇଲି, ପ୍ରଭୁ ପୂର୍ଣ୍ଣାନନ୍ଦ ନିରାକାର, ନିର୍ବିକାର । ଭକ୍ତବୃନ୍ଦଙ୍କୁ ସାଙ୍ଗରେ ଘେନି ନିତ୍ୟସ୍ଥଳରେ ଲୀଳା ଖେଳ କରୁଛନ୍ତି । ପ୍ରଭୁ ଅନ୍ତର୍ଯ୍ୟାମୀ ଦୁଇ ଭୁଜ ଟେକି ଜଗତବାସୀଙ୍କୁ କଲ୍ୟାଣ ବାଞ୍ଛୁଛନ୍ତି । ବୀର ବେଶରେ ସେ ଏବେ ସଜ୍ଜିତ ହୋଇଛନ୍ତି । ଜଗତରେ ତାଙ୍କ ନାଁ’ରେ ଯଶକୀର୍ତ୍ତିର ଟମକ ବାଜୁଛି । କୋଇଲି ଲୋ, ପ୍ରଭୁଙ୍କ ଆସିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାଣି । ସବୁ ଭକ୍ତ ଆସି ଏଠାରେ ରୁଣ୍ଡ ହେବେ ।

 

କୋଇଲି ଲୋ । ଡର ଭୟ ଛାଡ଼ି କର ଭକ୍ତି ।

ଡହ ଡହ ବିଷ ପାନ ଲୋ । କଲେ ଉମାପତି ।୧୩।

କୋଇଲି ଲୋ । ଢାଙ୍କୁଣୀ ଭିତରେ ଅଛି ଜୀବ ।

ଢାଉ ଢମାଳିରେ ପଡ଼ି ଲୋ । ନ ଜାଣିଲେ ଭାବ ।୧୪।

କୋଇଲି ଲୋ । ଅଣାକାର ବାସୀ ଶୂନ୍ୟ ବ୍ରହ୍ମ ।

ଆଉ ଫଳ ଶ୍ରୁତି ସବୁ ଲୋ । ମୂର୍ତ୍ତି ଭିନ୍ନ ଭିନ୍ନ ।୧୫।

କୋଇଲି ଲୋ । ତୋଳିଲେଟି ଆସନ୍ତି ଭୁବନ ।

ତାଙ୍କୁ ତୋଳିବାକୁ କେହି ଲୋ ନୁହନ୍ତି ଭାଜନ ।୧୬।

କୋଇଲି ଲୋ । ଥରେ ଏକା ତୋଳିଥିଲା ବଳି ।

ଥାନ ଦେଇ ବସାଇଲେ ଲୋ । ପାତାଳ ନଗରୀ ।୧୭।

କୋଇଲି ଲୋ । ଦରଶନ କଲେ ଅନ୍ତର୍ଗତେ ।

ଦୋଷ ହରଣ କରିବେ ଲୋ । ପ୍ରଭୁ ଜଗତ୍ପତେ ।୧୮।

କୋଇଲି ଲୋ । ଧର୍ମ ଧୂନି ସ୍ଥାପିଦେଲେ ଆଣି ।

ଧର୍ମ ଦେଖି ପାପ ଭାରା ଲୋ । ଉଶ୍ୱାସ ଧରଣୀ ।୧୯।

କୋଇଲି ଲୋ । ନିରାକାର ପ୍ରଭୁ ଶୂନ୍ୟବ୍ରହ୍ମ ।

ନିଷ୍କାମରେ ଖେଳ କଲେ ଲୋ । ଘେନି ଭକ୍ତଗଣ ।୨୦।

କୋଇଲି ଲୋ । ପାହିଲାଣି ଆସି କଳିଯୁଗ ।

ପାପ ପୁଣ୍ୟ ନ ବିଚାର ଲୋ । ଲୋକେ କଲେ ଗର୍ବ ।୨୧।

 

ଭାବାର୍ଥ- (୧୩-୨୧) କୋଇଲି ଲୋ, ମନରୁ ଡର ଭୟ ଛାଡ଼ି ପ୍ରଭୁଙ୍କଠାରେ ଭକ୍ତି କର । ଉମାପତି ଉତ୍କଟ ବିଷପାନ କଲେ । ସାଂସାରିକ ମୋହମାୟାରେ ଅସ୍ତବ୍ୟସ୍ତ ହୋଇ ଜୀବ ଢାଙ୍କୁଣି ଭିତରେ ରହିଛି । କୌଣସି ଭାବ ଜାଣିଲା ନାହିଁ । ଅଣାକାର ବାସୀ ଶୂନ୍ୟ ବ୍ରହ୍ମ; କିନ୍ତୁ ମୂର୍ତ୍ତି ଭିନ୍ନ ଭିନ୍ନ । ତାଙ୍କୁ ତୋଳି ନେଲେ ଘର ଛାଡ଼ି ଆସନ୍ତି ।

 

କୋଇଲି ଲୋ, ଥରେ ମାତ୍ର ବଳି ତାଙ୍କୁ ତୋଳିଥିଲା । ପ୍ରଭୁ ତାକୁ ପାତାଳପୁରୀରେ ରାଜା କରାଇଥିଲେ । ଜଗତକରତା ପ୍ରଭୁଙ୍କୁ ଅନ୍ତର ମଧ୍ୟରେ ଦର୍ଶନ କଲେ ସେ ସବୁ ଦୋଷକୁ ଦୂର କରିବେ । ଲୋ କୋଇଲି, ଧରଣୀ ବକ୍ଷରୁ ପାପଭାରାକୁ ଉଶ୍ୱାସ କରିବାକୁ ଧର୍ମ ଧୂନି ସ୍ଥାପି ଦେବେ । ନିରାକାର ପ୍ରଭୁ ଶୂନ୍ୟବ୍ରହ୍ମ ସଂସାରରେ ଭକ୍ତଗଣଙ୍କୁ ନେଇ ନିଷ୍କାମ ହୃଦୟରେ ଖେଳ କଲେ । ଲୋ କୋଇଲି, କଳିଯୁଗ ପାହି ଆସିଲାଣି । ପାପପୁଣ୍ୟ ଆଉ ବିଚାର କରନାହିଁ । ଲୋକେ ମନରେ ଗର୍ବ ବହିଛନ୍ତି ।

 

କୋଇଲି ଲୋ । ଫକିର ମୂରତି ପ୍ରଭୁ ଧରି ।

ଫେରୁଛନ୍ତି ବ୍ରହ୍ମାଣ୍ଡରେ ଲୋ । ବକଳ ପହୁରି ।୨୨।

କୋଇଲି ଲୋ । ବୁଦ୍ଧ ଯେ ପ୍ରବୁଦ୍ଧ ବେଶ ଧରି ।

ବିଜେ କଲେ ମେଦିନୀରେ ଲୋ । ରକ୍ଷାର୍ଥେ ତ୍ରିପୁରୀ ।୨୩।

କୋଇଲି ଲୋ । ଭକତ ବତ୍ସଳ ଭାବଗ୍ରାହୀ ।

ଭଣେ ନାରଣ ପାମର ଲୋ । ଗୁରୁ ପାଦ ଧ୍ୟାୟି ।୨୪।

କୋଇଲି ଲୋ । ମହିମା ପ୍ରକାଶ ହେଲା ମଞ୍ଚେ ।

ମହିମା ଶବଦ ଧ୍ୱନି ଲୋ । ଶୁଭଅଛି ଉଚ୍ଚେ ।୨୫।

କୋଇଲି ଲୋ । ଜଗତ ଜୀବନ ବନ୍ଧୁ ହୋଇ ।

ଜ୍ୟୋତି ବିହୁନ ପୁରୁଷ ଲୋ । ରୂପ ବର୍ଣ୍ଣ ନାହିଁ ।୨୬।

କୋଇଲି ଲୋ । ରବି ତଳେ ଥିଲେ ଦେହ ବହି ।

ରଖିଲେ କରତା ଦେହ ଲୋ । ଭକତଙ୍କ ପାଇଁ ।୨୭।

କୋଇଲି ଲୋ । ଲାଭ କର ମହିମା ଧର୍ମକୁ ।

ଲଭିବ ମୁକତି ପରା ଲୋ । ନୂଆ ରଚନାକୁ ।୨୮।

କୋଇଲି ଲୋ । ବଣା ହେଲେ ଜଗତର ଲୋକ ।

ବଣା ହେଲେ ବ୍ରହ୍ମାଣ୍ଡରେ ଲୋ । ଅବିବେକୀ ମୂର୍ଖ ।୨୯।

କୋଇଲି ଲୋ । ଶ୍ରୀଗୁରୁ ରୂପରେ ପରକାଶି ।

ସତ୍ୟ ଧର୍ମ ସ୍ଥାପି ଦେଲେ ଲୋ । ସର୍ବ ପାପ ନାଶି ।୩୦।

 

ଭାବାର୍ଥ- (୨୨-୩୦) ଲୋ କୋଇଲି, ବକଳ ପରିଧାନ କରି ପ୍ରଭୁ ଫକିର ମୂର୍ତ୍ତି ଧାଣ କରିଛନ୍ତି । ଏହି ବେଶରେ ସେ ବ୍ରହ୍ମାଣ୍ଡରେ ଘୂରୁଛନ୍ତି । ଭଗବାନ ବୁଦ୍ଧଦେବ ପ୍ରବୁଦ୍ଧ ବେଶ ଧାରଣ କରି ତ୍ରିପୁର ରକ୍ଷା ପାଇଁ ପଥବୀରେ ଅବତରଣ କରିଛନ୍ତି । ଗୁରୁଙ୍କ ପାଦପଦ୍ମକୁ ଧ୍ୟାନ କରି ପାମର ନାରଣ ଏହି ଗୀତ ଭଣତି କଲେ । ଭକତବତ୍ସଳ ଭାବଗ୍ରାହୀଙ୍କ ପାଦତଳେ ସେ ଶରଣ ପଶିଛନ୍ତି ।

 

କୋଇଲି ଲୋ, ମର୍ତ୍ତ୍ୟ ଭୂମିରେ ପ୍ରଭୁଙ୍କ ମହିମା ପ୍ରକାଶିତ ହେଲାଣି । ମହିମା ଶବ୍ଦ ଚାରିଆଡ଼େ ଉଚ୍ଚ ଧ୍ୱନିରେ ଶୁଭୁଛି । ଜଗତ ଜୀବନ ବନ୍ଧୁ ହୋଇ ଜ୍ୟୋତି ବିହୀନ ପୁରୁଷ ହୋଇଛନ୍ତି । ତାଙ୍କର ରୂପ ବର୍ଣ୍ଣ ନାହିଁ । ଲୋ କୋଇଲି, ପ୍ରଭୁ ଜଗତରେ ଜନ୍ମ ନେଇ ଭକ୍ତଙ୍କ ପାଇଁ ତ୍ରାଣକର୍ତ୍ତା ହୋଇଛନ୍ତି । ହେ ଭକ୍ତବୃନ୍ଦ, ମହିମା ଧର୍ମକୁ ଭଜନ କର । ନିଶ୍ଚିତଭାବେ ମୁକ୍ତି ପାଇବ । ଲୋ କୋଇଲି, ଜଗତ ଲୋକ ଠାକୁରଙ୍କୁ ନ ପାଇ ବଣା ହୋଇଛନ୍ତି । ଅବିବେକୀ, ମୂର୍ଖ ହୋଇଗଲେ । ପରମମୟ ଜଗତ କରତା, ଶ୍ରୀଗୁରୁ ରୂପରେ ଧରାପୃଷ୍ଠରେ ଆତ୍ମପ୍ରକାଶ କରି ସତ୍ୟଧର୍ମ ସ୍ଥାପନ କରିବେ, ସମସ୍ତ ପାପକୁ ନାଶ କରିବେ ।

 

କୋଇଲି ଲୋ । ସତ୍ୟ ହେଲା ନ ଜାଣିଲେ କେହି ।

ସତ୍ୟ ତତ୍ୱ ସ୍ଥାପିଦେଲେ ଲୋ । ଭକତଙ୍କ ପାଇଁ ।୩୧।

କୋଇଲି ଲୋ । ସ୍ୱାମୀ ନାମେ ଶରଣ ତ୍ରିକାଳେ ।

ସାଷ୍ଟାଙ୍ଗେ କରି ନିର୍ମଳ ଲୋ । ସ୍ୱାମୀ ପାଦ ତଳେ ।୩୨।

କୋଇଲି ଲୋ । ହୃଦ ପଦ୍ମେ କର ବ୍ରହ୍ମେ ସ୍ତୁତି ।

ହରକତ ନୁହ କେହି ଲୋ । ହୋଇବ ମୁକତି ।୩୩।

କୋଇଲି ଲୋ । କ୍ଷମାନନ୍ଦ ପାଦରେ ଶରଣ ।

କ୍ଷିତି ଭାରା ଉଶ୍ୱାସିବେ ଲୋ । କହଇ ନାରଣ ।୩୪।

 

ଭାବାର୍ଥ- (୩୧-୩୪) କୋଇଲି ଲୋ, ପ୍ରଭୁ ପରଂବ୍ରହ୍ମ ଭକ୍ତଜନଙ୍କ ପାଇଁ ସତ୍ୟତତ୍ତ୍ୱ ସ୍ଥାପିତ କଲେ । ଧରାପୃଷ୍ଠରେ ସତ୍ୟ ସ୍ଥାପନ ହୋଇଥିବା କେହି ଜାଣିଲେ ନାହିଁ । ଜଗତ କରତା ସ୍ୱାମୀଙ୍କ ପାଦ ତଳେ ସର୍ବଦା ଶରଣ ପଶ । ନିର୍ମଳ ହୃଦୟରେ ସାଷ୍ଟାଙ୍ଗ ହୁଅ । ଲୋ କୋଇଲି, ପ୍ରଭୁଙ୍କୁ ହୃଦପଦ୍ମରେ ସ୍ତୁତି କର । ହଇରାଣ ହେବାର କାରଣ ନାହିଁ । ନିଶ୍ଚୟ ମୁକ୍ତି ପାଇବ । ଭକ୍ତ ନାରଣ, ପ୍ରଭୁଙ୍କ ପାଦତଳେ ଶରଣ ପଶି ପ୍ରାର୍ଥନା କରୁଛନ୍ତି- ହେ ଜଗତ କରତା ଠାକୁର, ଏ ପୃଥିବୀର ଭାରାକୁ ଉଶ୍ୱାସ କର ।