Unknown

କଳାନିଧି ଚଉତିଶା

(ଆରତତ୍ରାଣ ଚଉତିଶା ବୃତ୍ତେ)

ସିଂହ ଭ୍ରମରବର ରାୟ

 

(ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର କବି । ସେ ଛ’ ପୋଇ, ସାତପୋଇ, ଦଶପୋଇ ଭଳି କେତେକ ପୋଇ, ଚଉତିଶା ଓ ଗୀତିକା ରଚନା କରିଥିବା ଜଣାଯାଏ । ଭ୍ରମରବର ନରେନ୍ଦ୍ର ଭଣିତାରେ କେତେକ ଗୀତ ରହିଛି । ‘ଉଦ୍ଧବ ଚଉତିଶା’ରେ ଗୋପୀଙ୍କର ଖେଦ ବର୍ଣ୍ଣିତ ହୋଇଥିବା ବେଳେ ‘କଳାନିଧି ଚଉତିଶା’ରେ ରାଧାଙ୍କ । ପ୍ରତି କୃଷ୍ଣଙ୍କର ଅନୁରାଗ, ତାଙ୍କ ବିରହରେ କୃଷ୍ଣଙ୍କ ମନରେ ଯେଉଁ ବେଦନା ଫୁଟିଉଠିଛି, ତାହା ଏଥିରେ ଆମେ ଦେଖୁ ।)

 

କୃଷ୍ଣ ମଥୁରାପୁରେ କନକଜଗତୀରେ କୁସୁମଶରେ ହୋଇ ଦୁଃଖୀ ।

କ୍ଷୀଣ ଉଦରୀ ରାଧାଗୁଣ ମନରେଗୁଣି ଖେଦଚନ୍ଦ୍ରମା ଉଦେ ଦେଖି ରେ

କଳାନିଧି । କି କରୁଥିବ ସଖୀ ମୋର ।

ଖଟିଯେ ଥାଇ ନିରନ୍ତର, କେଉଁ ଦଇବ ଦୂର ସଙ୍ଗ କଲା ତାହାର ।

କି ପାଞ୍ଚୁ ଥିବ ମନେ ତାର ରେ । କଳାନିଧି ।୧।

 

ଶୁଣି ରତନମଣି, ଗଜରାଜଗମନୀ ଗଞ୍ଜି ହୋଇବ ଘୋର ତାପେ ।

ଘର ଘୋରଅନ୍ଧାର ପ୍ରାୟକ ମଣୁଥିବ ଘନକୁମ୍ଭମକାଣ୍ଡ ଶରେ ରେ ।

କଳାନିଧି । ଗିରିଜାପତି ରିପୁ ତାକୁ ।

ଘେନି କୁସୁମଶାୟକକୁ, ଗୁଣେ ବସାଇ ସର ଗୁପତେ ବିନ୍ଧୁଥିବ

ଘନଜଘନୀ ହୃଦୟକୁ ରେ । କଳାନିଧି ।୨।

 

ନୀଳକୁଟିଳ କେଶୀ ଦିନେକ ଅର୍ଦ୍ଧନିଶି ନିକୁଞ୍ଜ ବନରେ ମିଳିଲା ।

ଚମ୍ପା ଚଉଁରୀକରେ ଖଞ୍ଜିଦେଲି ତାହାରେ ଚିକୁରେ କବରୀ ସାରିଲାରେ ।

କଳାନିଧି । ନୟନେ ବକ୍ରେ ଅନାଇଲା

ଚିତ୍ତ ମୋ ଚମକି ଉଠିଲା ନିର୍ଦ୍ଦୟ କାମଶର ଘାତେ ଚନ୍ଦ୍ରବଦନୀ

ଚାଣ୍ଡେ ସେ ମୋତେ କୋଳ କଲା ରେ କଳାନିଧି ।୩।

 

ଛଇଳୀ ରାମାବର ଛଟକ କରି କହେ ଛାଡ଼ି ଛିଡ଼ିବ ମୋତିହାର ।

ଯତନେ ମୁଁ ବୋଇଲି ଜୀବନ ଯାଉପଛେ ଟେକି ଯେ ଥିଲା ମନ ମୋରରେ ।

କଳାନିଧି । ଛାଡ଼ି ଯେତେକ କଲା ଛବି ।

ଜୀବନଥିଲେ କି ମୂର୍ଚ୍ଛିବି, ଛଇଳୀବୀରମଣି ଯାହା ଯାହା ବୋଇଲା ।

ଯୁଗେ କି ସେ ସୁଖ ପାଇବିରେ । କଳାନିଧି ।୪।

 

ଝାଡ଼ମଲ୍ଲୀ ମାଳାଏ ମୋର କଣ୍ଠରେ ଦେଇ ଝଟକ କରି ଅନାଇଲା

ନିର୍ମଳ କାଳିନ୍ଦୀରେ ହଂସପନ୍ତିଗମନ୍ତି ପ୍ରାୟେକଦିଶିଲା ବୋଇଲାରେ ।

କଳାନିଧି । ଝାଡ଼କୁସୁମ ପ୍ରହାରିଲା

ନୟନେ ବସନ ଢାଙ୍କିଲା, ନିମିଷେ ଆହା ସେହି ଦୁଃଖ ନ ସହି ସହି

ନିଶ୍ଚେ ମାଳତୀ ପ୍ରାୟେ ହେ । କଳାନିଧି ।୫।

 

ଭାବାର୍ଥ- (୧-୫) ରାଧାକୃଷ୍ଣ- ଏକ ମନ, ଏକ ପ୍ରାଣ । ଧନୁଯାତ୍ରା ଦେଖିବା ପାଇଁ କୃଷ୍ଣ ମଥୁରାପୁର ଯାଇଛନ୍ତି । ସୁବର୍ଣ୍ଣ ଅଟ୍ଟାଳିକାରେ ବାସ କରୁଛନ୍ତି । ତଥାପି ତାଙ୍କୁ ଭୋକ ହେଉନି କି ଆଖିକୁ ନିଦ ଆସୁନି । ଅହରହ ସେ ବିରହ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି । କନ୍ଦର୍ପର ଫୁଲଶର ତାଙ୍କୁ ବାରମ୍ବାର ଆଘାତ କରୁଛି । ସେ ଦୁଃଖିତ ମନରେ କ୍ଷୀଣୋଦରୀ ରାଧାଙ୍କ ଗୁଣକୁ ଗୁଣିଲେ ଓ ଖେଦ-ଚନ୍ଦ୍ରମା ଉଦୟ ହେବା ଦେଖିଲେ । ସେ ନିଜର ବେଦନା ଭାବକୁ କଳାନିଧି ଆଗରେ କହୁଛନ୍ତି- ରେ କଳାନିଧି, ମୋର ସଖୀ ଏବେ କ’ଣ କରୁଥିବ ? ତା’ର ପାଦତଳେ ତ ସମସ୍ତେ ନିରନ୍ତର ଖଟୁଥିବେ, ଦଇବ କ’ଣ କଲା ଯେ, ତା’ ଠାରୁ ମୁଁ ଦୂରେଇ ଯାଇଛି । ଏବେ ମନରେ ସେ କ’ଣ ପାଞ୍ଚୁଥିବ ?

 

ଏହି କଥା ସବୁ ଶୁଣି ସେ ରତନମଣି, ଗଜରାଜଗମନୀ ଘୋର ମନସ୍ତାପ କରିବ । କନ୍ଦର୍ପ ଶରରେ ଜର୍ଜରିତା ହୋଇ ଘରକୁ ଘୋର ଅନ୍ଧକାର ପ୍ରାୟ ମଣୁଥିବ । ରେ କଳାନିଧି, କନ୍ଦର୍ପ ଘନଜଘନୀର ହୃଦୟକୁ କୁସୁମ ଶରରେ ଗୁପ୍ତରେ ବିନ୍ଧୁଥିବ ।

 

ରେ କଳାନିଧି, ଦିନେ ଅର୍ଦ୍ଧରାତିରେ ସେଇ ନୀଳକୁଟିଳ କେଶୀ ନିକୁଞ୍ଜ ବନରେ ମୋତେ ଭେଟିଲା । ତା’ର ଚିକୁରରେ ମୁଁ ଚମ୍ପା ଚଉଁରୀ ଖଞ୍ଜିଦେଲି । ସେ ମୋତେ ବଙ୍କା ଚାହାଁଣିରେ ଚାହିଁଲା । ମୋ ମନ ଚମକି ଉଠିଲା ନିର୍ଭୟ କାମଶରର ଘାତରେ ଚନ୍ଦ୍ରବଦନୀ ମୋତେ ତତ୍‌କ୍ଷଣାତ୍ କୋଳେଇ ନେଲା ।

 

ଛଇଲୀ ରାମାବର ଛଟକ କରି ମୋତେ କହିଲା- ନିବିଡ଼ଭାବେ ମୋତେ ଭିଡ଼ିନିଅ ନାହିଁ, ଗଳାର ମୋତିହାର ଛିଣ୍ଡିଯିବ । ମୁଁ କହିଲି, ଜୀବନ ଯାଉ ପଛେ ତୋତେ ଛାଡ଼ିବି ନାହିଁ । ସେ ମୋ ଛାତି ପାଖରୁ ଛାଡ଼ିଗଲା । ଛଉଳ ବୀରମଣି ଯାହା ଯାହା କହିଲା, ଜୀବନ ଥିଲାଯାକ ମୂର୍ଚ୍ଛି ପାରିବି ନାହିଁ । ରେ କଳାନିଧି, ପ୍ରିୟା ସହତ । ଯେଉଁ ଆଶ୍ଳେଷଜନିତ ସୁଖ ପାଇଛି, ଯୁଗକରେ ମଧ୍ୟ ତାହାକୁ ପାଇବି ନାହିଁ ।

 

ଝାଡ଼ମଲ୍ଲୀ ମାଳାଟିଏ ମୋର କଣ୍ଠରେ ଲମ୍ବାଇ ଦେଇ ମୋତେ ଝଟକ କରି ଚାହିଁଲା । ଯମୁନାର ନୀଳଜଳରାଶିରେ ହଂସପନ୍ତି ଗମନ କଲାପ୍ରାୟ ତୁମେ ଦିଶୁଛ ବୋଲି କହିଲା । ରେ କଳାନିଧି, ଆଖି ଆଗରେ ବସ୍ତ୍ରକୁ ନିମିଷକ ମଧ୍ୟରେ ଢାଙ୍କିଲା । ଦୁଃଖ ସହି ନ ପାରି, ଝଡ଼ା ମାଳତୀ ଫୁଲ ପ୍ରାୟ ଦିଶିଲା ।

 

ଟାକି ଦଇବ ଦୂର ସଙ୍ଗ କଲା ତାହାର ଟାଣ କଟାକ୍ଷ ସହିବାକୁ ।

ଠ ଠିକେ ବସି ଭାବଠୁଳେ ଚନ୍ଦ୍ରବଦନୀଠିକେ କି ମୂର୍ଚ୍ଛିବ ଆମ୍ଭଙ୍କୁରେ

କଳାନିଧି । ଟେକି ଯେ ଥିଲା ଉଚ୍ଚ ମନ ।

ଟାକି ଦଇବ କଲା ଭିନ୍ନ, ଠିକେ ନୃପତି ସିଂହ ଭ୍ରମରବର ରାୟ

ରାଧାକୃଷ୍ଣ ଚରଣେ ଧ୍ୟାନରେ । କଳାନିଧି ।୬।

 

ଡାଳିମ୍ବବୀଜ ଦନ୍ତୀ ଗୋଧନ ବାହୁଡ଼ାକୁ ଡେରିଆଇ ଶ୍ରବଣ ବେନି ।

ଢଗଢ଼ମାଳି ହାସ୍ୟ ଯେତେ ଯେତେ କହଇ ସଖୀମାନଙ୍କୁ ସଙ୍ଗେ ଘେନିରେ

କଳାନିଧି । ଡକାଇ କେଳାକାହ୍ନୁ ବୋଲି ।

ଡାକ ନ ଶୁଣି ଲୁଚିଥିଲି, ଢଳିଢଳି ମୋ ବାଳା ଖୋଜେ ନେତ୍ରପିତୁଳି

ନିକୁଞ୍ଜଗୃହମାନ ଖୋଲି ରେ । କଳାନିଧି ।୭।

 

ଆଉ ପାଇବି କାହୁଁ ସଖୀ ଅଙ୍ଗ ପୀରତି ପ୍ରୀତିକି ନାହିଁ ମୋ ମନକୁ

ତ୍ରିପୁର ରାମାବର ତୀକ୍ଷ୍‌ଣମୁନେ ବସାଇ ତୁହାଇ ବିନ୍ଧୁଥିବ ତାକୁରେ

କଳାନିଧି । ଅନାଇଥିବ ମୋ ଆଶାରେ ।

ତରୁଣୀମଣି ଚକିତରେ, ଅନଙ୍ଗ ଅବଶରେ ଦଗ୍‌ଧ ହେଉଥିବ ତା ଚିତ୍ତ

ଥିବ ମୋହଠାରେ ରେ । କଳାନିଧି ।୮।

 

ସ୍ଥାଣୁ ଶିରରେ ଲକ୍ଷେ ସୁବର୍ଣ୍ଣ ଚମ୍ପା ଦେବି କି କୁଶଳରେ ସଖୀ

ଦ୍ୱିଜରାଜ ବରିବି ଶିବମନ୍ତ୍ର ଜପିବି ଏ ଦଶା ଛାଡ଼ି ହେବି ସୁଖୀରେ

କଳାନିଧି । ଥିବ କି ମୋ ଭାଗ୍ୟ ଦିଶିବ ।

ଦଇବ ଏଡ଼େ ଯଶଦେବ, ଥିଲେ କର୍ମେ ମୋହର ଅପ୍ରାଧ କରିଦୂର

ଦୟାମଣିକି ଦୂର ହେବ ରେ । କଳାନିଧି ।୯।

 

ଧୀରେ କରିଣ ଦିନେ ମୁରଲୀ ସ୍ୱନ ଦେଉଁ, ଧାଇଁ ମିଳିଲାପାଶେ ମୋର

ନୀଳକବରୀ ଫିଟି ଦିଶିଲା ଅସୁନ୍ଦର ଥକି ରହିଲା ରାମାବର ରେ ।

କଳାନିଧି । ଧରି ମୁଁ କୋଳେ ବସାଇଲି ।

ନବୀନ କବରୀ ସାଜିଲି ଧରି ପଲ୍ଲବକାଳେ ଚାମର ପ୍ରାୟେ କରି

ନିର୍ଲଜ ମୁଖକୁ ବିଞ୍ଚିଲିରେ । କଳାନିଧି ।୧୦।

 

ଭାବାର୍ଥ- (୬-୧୦) ରେ କଳାନିଧି, ତା’ର ଟାଣ କଟାକ୍ଷ ସହିବାକୁ ଦଇବ ତା’ଠାରୁ ମୋତେ ଦୂର କଲା । ଚନ୍ଦବଦନୀ ଆମ୍ଭଙ୍କୁ କିପରି ମୂର୍ଚ୍ଛିବ ? ତା’ଠାରୁ ମୋତେ ଦଇବ ଭିନ୍ନ କଲା । ନରପତି ସିଂହ ଭ୍ରମରବର ରାୟ ରାଧାକୃଷ୍ଣଙ୍କ ଚରଣ ଧ୍ୟାନ କଲେ ।

 

ରେ କଳାନିଧି, ଡାଳିମ୍ବବୀଜଦନ୍ତୀ ରାଧା ଗୋଧନ ବାହୁଡ଼ାକୁ ଚାହିଁ ବସିଥିବ, ସେ ସମୟରେ ବଂଶୀ ସ୍ଵନକୁ ଦୁଇ କାନ ଡେରି ରହିଥିବ । ଢଗଢମାଳି ହାସ୍ୟରସ କଥା ସଖୀମାନଙ୍କୁ ନେଇ କହିବ । କଳାକାହ୍ନୁ ବୋଲି ଡାକିବ । ତାକୁ ମୁଁ ଶୁଣିବି ନାହିଁ । ମୋ ବାଳା ମୋତେ ନିକୁଞ୍ଜଗୃହମାନ ଖୋଲି ଖୋଜିବ ।

 

ରେ କଳାନିଧି, ମୋ ପ୍ରିୟାର ସେଇ ସଙ୍ଗ, ପ୍ରୀତି ଆଉ କୁଆଡ଼ୁ ପାଇବି ? ରାମାବରକୁ ତୀକ୍ଷ୍‌ଣ ମୁନରେ ବସାଇ ତୁହାଇ ତୁହାଇ କାମ ବିନ୍ଧୁଥିବ । ମୋତେ ଆଶା କରି ଚାହିଁ ବସିଥିବ । ତରୁଣୀ ମଣିର ମନ ଚକିତ ହୋଇ ଶରୀର ଅବଶ ଯୋଗୁଁ ଦଗଧୀଭୂତ ହେଉଥିବ । ତା’ ମନ ମୋ ପାଖରେ ଥିବ ।

 

ଶିବ (ସ୍ଥାଣୁ)ଙ୍କ ଶିରରେ ଲକ୍ଷେ ସୁବର୍ଣ୍ଣ ଚମ୍ପା ଦେବି, ଶିବମନ୍ତ୍ର ଜପିବି, ଦ୍ୱିଜରାଜଙ୍କୁ ବରିବି । ଯାହା ଫଳରେ ଏ ଦଶା ଛାଡ଼ି ସୁଖରେ ରହିବି । ରେ କଳାନିଧି, ମୋ ଭାଗ୍ୟରେ କ’ଣ ଏହା ମିଳିବ । ବିଧାତା କ’ଣ ଏତେ ଯଶ ଦେବ ? ମୋର କର୍ମରେ ଥିଲେ ମୋର ଦୋଷକୁ ଦୂରକର ।

 

ରେ କଳାନିଧି, ଦିନେ ଧୀର ଭାବରେ ମୁରଲୀ ବଜାଉଥିଲି, ସେ ଧାଇଁ ଆସି ମୋ ପାଖରେ ମିଳିଲା । ନୀଳକବରୀ ତା’ର ଫୁଟି ଦିଶିଲା । ତାକୁ ଧରି ମୁଁ କୋଳରେ ବସାଇଲି । ନୂଆପତ୍ରକୁ ଚାମର ପ୍ରାୟ କରି ନବୀନ କବରୀ ସଜାଇଲି ଓ ତା’ର ମୁଖକୁ ବିଞ୍ଚିଲି ।

 

ପଲ୍ଲବଶଯ୍ୟା ଜାନୁ ସୀମସ୍ଥାନ କରିଣ ପାଶେ ମୁଁ ବସାଇଲି ତାକୁ

ଫେଡ଼ିକହିଲି ଧନ ନଖେ ଆଘାତକରି ଫେଡ଼ି ଚାହିଁଲା ମୋ ମୁଖକୁରେ

କଳାନିଧି । ପ୍ରାପତ ନିଧି କୋଟି ଗଲା ।

ଫାନ୍ଦି ନୟନ ବନ୍ଦୀ କଲା, ପାଇ ମହା ଆନନ୍ଦ ହୃଦେ ଲଗାଇ ପାଣି

ଫୁରୁଦା ହୋଇ କୋଳ କଲାରେ । କଳାନିଧି ।୧୧।

 

ବହୁତ ସୁଖ ପ୍ରୀତି କରିଣ କହି ବାମା ଗମନ କରି ବେଗେ ଗଲା

ଭଡ଼ା କେତେ ଯାଇଣ ଲେଉଟି ପ୍ରାଣଧନ ଭଙ୍ଗିମା କରି ଅନାଇଲାରେ

କଳାନିଧି । ବୋଇଲା ଦୟା ଥିବେ ମୋତେ ।

ଭରସା ଲାଗିଲା ମୋ ଚିତ୍ତେ, ବୋଲେ ନୃପତିସିଂହ ଭ୍ରମରବର ରାୟ

ରାଧା କୃଷ୍ଣ ଭଜନ ନିତ୍ୟେ ରେ । କଳାନିଧି ।୧୨।

 

ମୋହ ମନ ମଧ୍ୟରେ ସଖୀ ମନମୋହିନୀ ବିନୁ କେହି ଯେ ଆନ ନାହିଁ

ଜାତି ପଦ୍ମିନୀ ବାମା ଛାଡ଼ିଲାଦିନୁ ପ୍ରାଣ ସେ କିମ୍ପା ରହିଛି ନ ଯାଇରେ

କଳାନିଧି । ମନରେ ଥିବ କି ତାହାର ।

ଯମୁନା ଜଳର ବିହାର, ମହା ମନ୍ତ୍ର ପ୍ରାୟକ କରିଣ ଜପୁଅଛି

ମୋର ହୃଦ କମଳରେ । କଳାନିଧି ।୧୩।

 

ରମଣୀ ରସମଣି ରାସକ୍ରୀଡ଼ା ସୁଖକୁ ରସକୂପ ପ୍ରାୟେକ କଲା

ଲୋଭେଲଭି ବରତ ଲାଭ ପାଇବ ବୋଲି ଲୋଭେ ଦଇବ ନରଖିଲାରେ

କଳାନିଧି । ରଙ୍କକୁ ରତ୍ନଭୋଗ ନାହିଁ ।

ଲାଗି ଅନ୍ତର କଲା ବିହି, ରହିଲା କାଳଚକ୍ର ଗୁପତେ ରତ ହୋଇ

ଲୋଡ଼ିଲେ ତା ପାଇବି କାହିଁରେ । କଳାନିଧି ।୧୪।

 

ବନ୍ଧୁ ଗୋପକୁ ବେଗେ ଗମନ କର ତୁହି ବିମ୍ବାଧରୀକି କହ ଯାଇ

ସରୋବର କୁମୁଦଶଶୀର ଉଦେ ହେଲେ ସେ ଯେହ୍ନେ ମୁଖ ନ ଛାଡ଼ଇରେ

କଳାନିଧି । ବହୁତ ପ୍ରବୋଧି କହିବୁ ।

ଶପଥ କେବେ ନ ଛାଡ଼ିବୁ, ବୋଲିବୁ ବନମାଳୀ ବହୁତ କହିଛନ୍ତି

ଶ୍ରୀ ବୃନ୍ଦାବନରେ ମିଳିବୁରେ । କଳାନିଧି ।୧୫।

 

ଭାବାର୍ଥ- ପଲ୍ଲବଶଯ୍ୟାକୁ ଜାନୁ କରି ମୁଁ ତାକୁ ଆଣି ବସାଇଲି । ତାକୁ ସବୁ କଥା ଫେଡ଼ି କହିଲି । ସେ ନଖରେ ଆଘାତ କରି ମୋ ମୁଖକୁ ଚାହିଁଲା । ସେଥିରେ ପହାଆନନ୍ଦ ପାଇ ହୃଦୟରେ ଲଗାଇଲା ଓ ମୋତେ କୋଳ କଲା ।

 

ରେ କଳାନିଧି- ବହୁତ ସୁଖ ପ୍ରୀତି କରି ଶୀଘ୍ର ସେଠାରୁ ଚାଲିଗଲା । କିଛି ଦୂର ଗଲା ପରେ ପୁଣି ଲେଉଟି ଭଙ୍ଗିମା କରି ଚାହିଁଲା । କହିଲା- ମୋ ପ୍ରତି ଦୟା ଥାଉ । ମୋ ମନରେ ଭରସା ଲାଗିଲା- ନରପତି ସିଂହ ଭ୍ରମରବର ରାୟ ଏହି କଥା କହିଲେ । ରାଧାକୃଷ୍ଣ ଭଜନରେ ନିତି ସେ ମନ ଦେଲେ ।

 

ରେ କଳାନିଧି, ମୋ ମନ ସର୍ବଦା ସଖୀ ମନମୋହିନୀ ପାଖରେ ରହିଛି । ତା’ ବିନା ମୋର ଅନ୍ୟ କେହି ନାହିଁ । ସେ ମୋ ଠାରୁ ଦୂରେଇ ଗଲା ଦିନଠୁଁ ପ୍ରାଣ ନ ଯାଇ କାହିଁକି ରହିଛି ? ଯମୁନା ଜଳରେ ବିହାର କଥା ମହାମନ୍ତ୍ର ପ୍ରାୟ ମୋର ହୃଦ-କମଳରେ ଜପୁଛି । ଏ ସବୁ କ’ଣ ତା’ ମନରେ ଥିବ ?

 

ରମଣୀଶ୍ରେଷ୍ଠା, ରସକ୍ରୀଡ଼ା ସୁଖକୁ ରସକୂପ ପ୍ରାୟ ମନେ କଲା । ବ୍ରତ ଲାଭ ପାଇବ ବୋଲି ମନେ କଲା । ଦଇବ କିନ୍ତୁ ରଖିଲା ନାହିଁ । ରେ କଳାନିଧି, ରଙ୍କକୁ ରତ୍ନ ଭୋଗ ନାହିଁ । ମୋର ଭାଗ୍ୟ ସେମିତି । ବିଧାତା ଗୁପ୍ତରେ କାଳଚକ୍ର ହୋଇ ମୋତେ ତା’ଠାରୁ ଅନ୍ତର କଲା । ରେ କଳାନିଧି, ତାକୁ ଲୋଡ଼ିଲେ ମଧ୍ୟ ମୁଁ କୁଆଡ଼ୁପାଇବି ?

 

ରେ ବନ୍ଧୁ, ଗୋପକୁ ତୁରନ୍ତ ଗମନ କରି ମୋ ବିମ୍ବାଧରୀକୁ କହିବ, ଚନ୍ଦ୍ର ଉଦୟ ହେଲେ ସରୋବରରେ କୁମୁଦ ଯେପରି ଉଲ୍ଲସିତ ହୋଇଥାଏ, ସେମିତି ଉଲ୍ଲସିତ ଚିତ୍ତରେ ତାକୁ ବହୁତ ପ୍ରବୋଧନା ଦେବ । କହିବ, ଶପଥକୁ କେବେ ହେଲେ ଛାଡ଼ିବ ନାହିଁ । ପୁଣି କହିବ, ଶ୍ରୀକୃଷ୍ଣ ବହୁତ କରି କହିଛନ୍ତି, ବୃନ୍ଦାବନରେ ଯାଇ ତାକୁ ମିଳିବ ।

 

ସଙ୍ଗ ଛାଡ଼ିଲା ଦିନୁ ସଙ୍ଗ ଛଡ଼ା ହରିଣ ପ୍ରାୟେକ ହୋଇଅଛି ମୁହିଁ

ସେ ସଖୀ ଶଶୀମୁଖୁ ସୁଧାରସପାନକୁ ଅଛି ଚାତକ ମୁଖ ହୋଇରେ

କଳାନିଧି । ସେ ମୋର ନୟନ ପ୍ରତିମା ।

ସକଳ ସୁଖ ସରିସୀମା ସହିବ କି ପ୍ରକାରେ ତେଣେ ବିଚ୍ଛେଦ ଦୁଃଖ

ସେ ସୁକୁମାରୀ ପ୍ରିୟତମା ରେ । କଳାନିଧି ।୧୬।

 

ହରି ସନ୍ଦେଶ ଘେନି ହରଷେ କଳାନିଧି ହୋଇଲା ଗୋପରେ ପ୍ରବେଶ

କ୍ଷୀଣଉଦରୀ ପାଶେ ସବୁ ବିଷୟ କହି ଛାଡ଼ିଲା କୋଟିଜନ୍ମ ଦୁଃଖରେ

କଳାନିଧି । ହରିଣୀ ନେତ୍ରୀକି ବୋଇଲା ।

କ୍ଷୋଭ ତାହାର ଛଡ଼ାଇଲା, କ୍ଷମେ ନୃପତି ସିଂହ ଭ୍ରମରବର ରାୟ

କ୍ଷମାନିଧି ପ୍ରସନ୍ନ ହେଲା କଳାନିଧି ।୧୭।

 

ଭାବାର୍ଥ- (୧୬-୧୭) ରେ କଳାନିଧ, ପ୍ରିୟାର ସଙ୍ଗ ଛାଡ଼ିଲା ଦିନରୁ ସଙ୍ଗଛଡ଼ା ହରିଣ ପ୍ରାୟ ମୁଁ ଦିନ କାଟୁଛି । ସେ ସଖୀ-ଶଶୀ ମୁଖରୁ ସୁଧା ରସପାନ ପାଇଁ ଚାତକ ମୁଖ ହୋଇ ଚାହିଁ ରହିଛି । ସେ ମୋର ନୟନ ପ୍ରତିମା । ସେ ସୁକୁମାରୀ ପ୍ରିୟତମା । ସକଳ ସୁଖ ମଧ୍ୟରେ ରହିଛି । ଏ ବିଚ୍ଛେଦ ଦୁଃଖକୁ କିପରି ସେ ସହିବ ?

 

ଶ୍ରୀକୃଷ୍ଣଙ୍କଠାରୁ ସମସ୍ତ ସଦେଶ ପାଇ ଆନନ୍ଦ ମନରେ କଳାନିଧି ଯାଇ ଗୋପରେ ପହଞ୍ଚିଲା । କ୍ଷୀଣୋଦରୀ ରାଧାଙ୍କ ପାଖରେ ସମସ୍ତ ବିଷୟ କହିଲା । ଫଳରେ ତା’ର କୋଟି ଜନ୍ମର ଦୁଃଖ ଦୂର ହେଲା । କଳାନିଧି, ହରିଣନେତ୍ରୀ ରାଧାଙ୍କୁ କହି ତା’ ମନର କ୍ଷୋଭକୁ ଛଡ଼ାଇଲା । ରାଜା ଭ୍ରମରବର ରାୟ କ୍ଷମାନିଧିଙ୍କ ପାଖରେ ଶରଣ ପଶିଲେ ।