ଝିଅଙ୍କ ଗୀତିକା-୧
ପହିଲି ପାଳି ବୋଉ ! ଦେଲୁ ପଠେଇ ସାଙ୍ଗରେ ଯାଇଥିଲେ ସାନ କକେଇ ଲୋ ।୧। ଅଧା ବାଟକୁ ବୋଲି ମୋ ନନା ଗଲେ ‘ଝିଅ ! ଯାଉଛି’-ବୋଲି ମେଲାଣି ଦେଲେ ଲୋ ।୨। ନନାଙ୍କ ମୁହଁକୁ ଯେ ଚାହିଁଲି ମୁହିଁ ନନା ଧଇର୍ଯ୍ୟ ଧରି ପାରନ୍ତି ନାହିଁ ଲୋ ।୩। ଗତୀଶ୍ୱରଙ୍କ ମାଳୀ ସେଠାରେ ଥିଲା ନନାଙ୍କ ଆଖି ଲୁହ ପୋଛିଣ ଦେଲା ଲୋ ।୪। କାହିଁକି କାନ୍ଦ ମିଶ୍ରେ ! ଯାଅ ଘରକୁ ଝିଅ ଜନମ ସିନା ପରଘରକୁ ହେ ।୫। ଚଉତା ଉପରେ ନାହିଁ ନଣନ୍ଦଶାଢ଼ୀ ତା’ ଦେଖି ବୋଉ ! ମୋତେ ପକାନ୍ତି ଝାଡ଼ି ଲୋ ।୬। ପେଡ଼ିରେ ରଙ୍ଗ ଲୁଗା ଖଣ୍ତିଏ ନାହିଁ ପିନ୍ଧିଲା ଲୁଗା ଖଣ୍ଡି ନେଲେ ଛଡ଼ାଇ ଲୋ ।୭।
ଶାଶୁ କହିଲେଓତଲ କନା ପିନ୍ଧି ପଶିଲୁ ଘରେ ତୋର କିପାଇଁ ସତେ ଗାରିମା ଏଡ଼େ ଲୋ ।୮। ବୁଢ଼ୀକାଳେ ଲୋ ମୋର ଆସୁଛି ଭାର ବୁଡ଼ି ନ ମଲୁ ତୁ ଲୋ ବାଡ଼ରେ ଯୋଡ଼ ଲୋ ।୯। ତା’ ଶୁଣି ଦେଢ଼ଶୁରେ ଦିଅନ୍ତି ଗାଳି ତା’ ଶୁଣି ଖୁଡ଼ିଶାଶୁ ଲଗାନ୍ତି କଳି ଲୋ ।୧୦। ଅନ୍ୟ ଗାଳି ଲୋ ତୋର ତୁଣ୍ଡରେ ନାହିଁ ଆଣ୍ଠୁକୁଡ଼ି ଝିଅ ତୁ ବୋଲୁ କିପାଇଁ ଲୋ ।୧୧। ଶାଗ କାଟିବି ବୋଲି ପନିକି ଥୋଇ ମନ ବିକଳ ହେଲା ପଡ଼ିଲି ଶୋଇ ଲୋ ।୧୨। ହାଟରୁ ଖଜା ମୁଆଁ ଆଣନ୍ତି କିଣି ବୋଲନ୍ତି ତୋର ଭାଇ ଆସିଛି ଆଣି ଲୋ ।୧୩। (ପ୍ରଥମ ରଚନା- ବାଣପୁର, ପୁରୀ) |
ଝିଅଙ୍କ ଗୀତିକା-୨
ଜାଗର ଦୁତୀଆ ଦିନ
ଚଉଧୁରୀ ପୁଅ ବୁଝାଇ ଦିନ ଲୋ ମୋ ଜୀବନ
ବୋଇଲା ବୋହୂକୁ ଆଣ, ମୋ ଜୀବନ ।୧।
ଭଲା ଚଉଧୁରୀ ଭଲା
କଟକ ଦାଣ୍ଡରୁ ମାଇଲା ଘୋଡ଼ା ଲୋ ମୋ ଜୀବନ
ଗାଁରେ ପ୍ରବେଶ ହେଲା, ମୋ ଜୀବନ ।୨।
କକେଇ ତୋହର ଥିଲେ
ସମଧି ଅଇଲା ଚହଳ କଲେ ଲୋ, ମୋ ଜୀବନ
ପାଣି ପିଢ଼ା ନେଇ ଦେଲେ, ମୋ ଜୀବନ ।୩।
ଜେଜ ବାପା ତୋର ଥିଲେ
ହାଟୁଆ ସାହିରୁ ନାହାକ ଡକେଇଲେ ଲୋ ମୋ ଜୀବନ
ଦିନ ବାର ବୁଝାଇଲେ, ମୋ ଜୀବନ ।୪।
ଦଦେଇ ତୋହର ଥିଲେ
ବଣିଆ ସାହିରୁ ବଣିଆ ଡକାଇଲେ ଲୋ ମୋ ଜୀବନ
ଅଳଂକାର ଗଢ଼ାଇଲେ, ମୋ ଜୀବନ ।୫।
ଦେଠେଇ ତୋହର ଥିଲେ
ତୋରାଣି ପିଇବାକୁ ଡକାଇ ନେଲେ ଲୋ ମୋ ଜୀବନ
ହାତକୁ ଚନ୍ଧେଇ ଦେଲେ, ମୋ ଜୀବନ ।୬।
ଖୁଡ଼ି ଯେ ତୋହର ଥିଲା
ଅତି ଶରଧାରେ କୋଳକୁ ନେଲା ଲୋ ମୋ ଜୀବନ
ବେକୁ ଚିନାମାଳି ଦେଲା, ମୋ ଜୀବନ ।୭।
ଗାଆଁରେ ପିଉସୀ ଘର
ତତେ ଦେଖିବାକୁ ଶରଧା ତାର ଲୋ ମୋ ଜୀବନ
ନୟନୁଁ ବହଇ ନୀର, ମୋ ଜୀବନ ।୮।
ମଉଳା ତୋହର ଥିଲା
ତୋରାଣୀ ପିଇବାକୁ ଡକାଇନେଲା ଲୋ ମୋ ଜୀବନ
କଳା କୁମ୍ଭଶାଢ଼ୀ ଦେଲା, ମୋ ଜୀବନ ।୯।
ସାଇ ପଡ଼ିଶାଏ ଥିଲେ
ତୋରାଣି ପିଇବାକୁ ଡକେଇ ନେଲେ ଲୋ ମୋ ଜୀବନ
ଫରୁଆ ପାନିଆ ଦେଲେ, ମୋ ଜୀବନ ।୧୦।
ନୟନେ କଜଳ ଦେଇ
ଅଷ୍ଟ ଅଳଙ୍କାର ଖଞ୍ଜିଲି ନେଇ ଲୋ ମୋ ଜୀବନ
ତୋହର ତ ବାବୁ ନାହିଁ, ମୋ ଜୀବନ ।୧୧।
ପୟରେ ଅଳତା ଦେଇ
ଲେଉଟି ମୁହଁକୁ ଚାହିଁଲି ମୁହିଁ ଲୋ ମୋ ଜୀବନ
ଯାଉଛି ଲୋତକ ବହି, ମୋ ଜୀବନ ।୧୨।
ଦକ୍ଷିଣି ପିନ୍ଧା, ପାଛୋଡ଼
ଢେଙ୍କାନାଳ ଛତା କାନ୍ଧରେ ପଡ଼ି ଲୋ ମୋ ଜୀବନ
ଭାଇ ନନା ଯିବ ଛାଡ଼ି, ମୋ ଜୀବନ ।୧୩।
ଯେତେବେଳେ ଅନୁକୂଳ
ଠାକୁର ପ୍ରସାଦ ଧଇଲୁ କର ଲୋ ମୋ ଜୀବନ
ବୋଇଲି ହେଲୁ ଅନ୍ତର, ମୋ ଜୀବନ ।୧୪।
ଗଉଡ଼ ଯେ ଥିଲେ ତହିଁ
ଚିଲ ପରା କରି ନେଲେ ଉଡ଼ାଇ ଲୋ ମୋ ଜୀବନ
ଆଉ ତ ଦେଖିଲି ନାହିଁ , ମୋ ଜୀବନ ।୧୫।
ମାସ ତିନି ଦିନ ବାଟ
କିମିତି ଖାଇବୁ ପ୍ରବାସ ଭାତ ଲୋ ମୋ ଜୀବନ
ତୋ କର୍ମେ ଥିଲା ଏ କଷ୍ଟ, ମୋ ଜୀବନ ।୧୬।
ପଞ୍ଜର ତଳେ ମୁଁ ଥାଇ
ନିତି ଭଗବତୀ ଜଣାଉଥାଇ ଲୋ ମୋ ଜୀବନ
ମୋ ବନ୍ଧୁ ଆସିବ କାହିଁ ? ମୋ ଜୀବନ ।୧୭।
(ପ୍ରଥମ ରଚନା- ବାଣପୁର, ପୁରୀ)
ଝିଅଙ୍କ ଗୀତିକା-୩
ଆମ୍ବ ଲଟିକାକୁ ଶିମ୍ବ ଲଟିକା ଲୋ
ନଡ଼ିଆ ଲଟିକା ମଲା
ବାବୁ ଚଣ୍ଡାଳ ସେ ଏଡ଼େ ଚଣ୍ଡାଳ ଯେ
ଦୂର ଦେଶେ ମେଲି ଦେଲା ।୧।
ମାଆ ଚଣ୍ଡାଳୁଣୀ ଏଡ଼େ ଚଣ୍ଡାଳୁଣୀ
କୋଠା ତୁଚ୍ଛା କରିଦେଲା
ଭାଇ ଚଣ୍ଡାଳ ସେ ଏଡ଼େ ଚଣ୍ଡାଳ ଯେ
ଅଧା ବାଟେ ଛାଡ଼ି ଗଲା ।୨।
ଦେଢ଼ଶୁରେ ଥିଲେ ତୁଳସୀ ବୃକ୍ଷ ସେ
ଖଣ୍ଡେ ଦୂରୁଁ ଆଡ଼ ହେଲେ
ଦିଅର ଥିଲେ ଯେ ପରିହାସି ଲୋକ
ଖଣ୍ଡେ ଦୂରୁଁ ହସି ଦେଲେ ।୩।
ଶଶୁରେ ଯେ ଥିଲେ ଘର ସାଆନ୍ତ ସେ
ଚଉତା ଚଢ଼ାଇ ନେଲେ,
ଶାଶୁଏ ଥିଲେ ଯେ ଘର ସାଆନ୍ତାଣୀ
ଚାଉଳ ବୃଷ୍ଟି କଲେ ।୪।
ଯାଆ ଯେ ଥିଲେ ସାଙ୍ଗ ସରିସା ସେ
ହାତ ଧରି ଘରକୁ ନେଲେ
ନଣନ୍ଦ ଥିଲେ ଯେ ପର ଭୁଆଷୁଣୀ
ଦୁଆର ଜଗି ବସିଲେ ।୫।
ବାପା ଦେଇଥିଲେ ଶାଢ଼ୀ ଚାରିଖଣ୍ଡି
ଭଲ ଶାଢ଼ୀ ଖଣ୍ଡି ନେଲେ
ପୋଷିଲା ଖାଉଁଦ ମଉଡ଼ମଣି ଯେ
ମୁହଁମାଡ଼ି ଶୋଇଥିଲେ ।୬।
(ମୂଳ ରଚନା – ନୀଳାଦ୍ରିପୁର, ନୟାଗଡ, ପୁରୀ)
ଝିଅଙ୍କ ଗୀତିକା-୪
ଏଥୁ ଅନ୍ତେ ବହନ ବର କନ୍ୟା ଗମନ
ଅତି କ୍ରୋଧଭରେ ଜେମା
କଲେ ରୋଦନ ।୧।
ସାଇ ପଡ଼ିଶା ଭାରି ତାଙ୍କୁ ପ୍ରବୋଧ କରି
ନ କାନ୍ଦ ନ କାନ୍ଦ ଜେମା
ରୋଦନ କରି ।୨।
ଶୁଣି ଜନନୀ ଧାଇଁ ଝିଅ କୋଡ଼େ ବସାଇ
ଆହା ମୋ ଦୁଲଣୀ ତୋତେ
ମୁର୍ଚ୍ଛିବି କାହିଁ ?୩।
ଜେମା ବୋଲନ୍ତି- ‘‘ମାତ, ପାଳିଥିଲ ବହୁତ
ଜାଣି ଜାଣି ଦୁର ଦେଶେ
ମେଲି ଦେଉଚ’’ ।୪।
ମାଆ ମାଉସୀ ଖୁଡ଼ି
କ୍ରୋଧେ ବୋଲନ୍ତି ବାଣୀ
ଯିବା ଖଣ୍ଡି ସତ ଝିଅ ! ନ ଭାଳ ପୁଣି ।୫।
କ୍ରୋଧେ ବୋଲଇ ପିତା
ଆଲୋ ଶୁଣ ଦୁହିତା
ଯାହା ତୋ କରମେ ଲେଖିଅଛି ବିଧାତା ।୬।
ଖୁଡ଼ି ବୋଲେ ଝିଆରୀ
କର୍ମେ ଅଛି ତୋହରି
କର୍ମେ ଥିଲେ ଝିଆରୀ ଲୋ ଆସିବୁ ଫେରି ।୭।
ଖୁଡ଼ୁତାଙ୍କ ଅଗ୍ରତେ
ଜେମା କହିଲେ ଯେତେ
ଖବର ଅନ୍ତର ଦେବ ବାରିକ ହସ୍ତେ ।୮।
ଜେଠା ଜେଠାଇ ଶୁଣ
ତୁମ୍ଭେ କେଡ଼େ ଦାରୁଣ
ଜାଣୁ ଜାଣୁ ଦୂର ଦେଶେ ଦେଲ ଆପଣ ।୯।
ମାମୁଁ, ମଉଳା, ମାଇଁ
ମୋତେ ଦେଲ ଭସାଇ
ମେଲିଦେଲ ସିନ୍ଧୁକୂଳ ସାଗରେ ନେଇ ।୧୦।
ଜ୍ୟେଷ୍ଠ ଭାଇଙ୍କ ହସ୍ତ
ଜେମା ଧରି ତୁରିତ
ଆହା, ଆହା ଭାଇ ନ କରିବ ଅନାସ୍ତ ।୧୧।
ତୁମ୍ଭେ ଭାଇ ସୋଦର
ବାଣୀ ଶୁଣ ମୋହର
କରିବ ନା ମତେ ଏବେ ଗେଲବସର ।୧୨।
ଭାଇ ବୋଲେ-‘‘ଭଉଣି !
ତତେ ଯିବି ଲୋ ଆଣି
କାହିଁକି ମନରେ କରୁ ଏତେ ଭାଳେଣି ।୧୩।
ତତେ ଡୋଲା ଚଢ଼ାଇ
ଘେନି ଆସିବ ଯାଇ
ଶାଶୁ ଘରେ ଥିବୁ ଦୁଃଖ ସନ୍ତାପ ସହି’’ ।୧୪।
ତେଣୁ ଜେମା ଚଳିଗଲେ
ବୋହୂ ପାଶେ ମିଳିଲେ
ମୁଖେ ମୁଖ ଦେଇ ଜେମା ରୋଦନ କଲେ ।୧୫।
ବୋହୂ ବୋଲେ - ‘ନଣନ୍ଦେ !
‘ମୁଁ ଯେ କହିବି ପଦେ
‘ଟହ ଟହ ନ ହସିବ ଗୁରସ୍ତ ଆଗେ ।୧୬।
‘ସେ ଯେ ଶାଶୁ ଶଶୁର
‘ତାଙ୍କୁ କରିବ ମୋର
‘ତାଙ୍କୁ ମୋର କଲେ ଜେମା କରିବ ଘର ।୧୭।
‘ନିଜ ଗୁରସ୍ତ ଠାଇଁ
‘ଆଶା ଥିବ ଲଗାଇ
‘କଥା ନ କହିବ ଜେମା ମୁହଁକୁ ଚାହିଁ ।୧୮।
‘ସେ ଯେ ଦିଅର ଭାବ
‘ଗେଲ ହାତେ ମାରିବ
‘ସେ କଥାକୁ ଜେମା ଆଉ ରୋଷ ନୋହିବ ।୧୯।
‘ଟାହି ଟାପରା ଲୋକେ
‘ସେ ଯେ କହନ୍ତି ଥୋକେ
‘ସବୁ ସହି ନେବ ଜେମା ଗଜପଲଙ୍କେ’ ।୨୦।
‘‘ତୁମ୍ଭେ ଥାଅ ଏଠାଇ
ଏବେ ଯାଉଚି ମୁହିଁ
କାହାକୁ ଡାକିବି ଆସ ଯିବା ଗାଧୋଇ ।୨୧।
‘‘ଆହା ସଙ୍ଗାତ ସଖି
ଦୟା ଥିବଟି ରଖି
ନୟନୁଁ ନ ରହେ ନୀର ତୁମ୍ଭଙ୍କୁ ଦେଖି ।୨୨।
‘‘ଆହା ଚମ୍ପା ବଉଳ
ତୁମେ ଆମରି ମେଳ
ଆଜିଠାରୁ ଛିଡ଼ିଗଲା ବେନିଙ୍କ ଖେଳ ।୨୩।
‘‘ଆହା କଷି କାକୁଡ଼ି
ମୁଁ ତ ଯାଉଛି ଛାଡ଼ି
ମନରେ ପକାଉ ଥିବ ଘଡ଼ିକି ଘଡ଼ି’’ ।୨୪।
ମିଶି ଯେ ସର୍ବବାଳୀ
ଦେଲେ ଯେ ହୁଳହୁଳି
ଆଜିଠାରୁ ଛିଡ଼ିଗଲା ଜେମାଙ୍କ ଅଳି ।୨୫।
ଥୋକେ ‘କୋକିଳ’ କହି
ବୁଦ୍ଧିତ ଦିଶୁ ନାହିଁ
ଶ୍ରୀପାଦପଦ୍ମରେ ଚିତ୍ତ ରହିଲା ଯାଇ ।୨୬।
(ରଚନା-କଟକ)
ବୋହୂଙ୍କ ଗୀତିକା-୧
ଯେଉଁ ଦିନୁ ଦୁର୍ଗାଦେବୀ ! ଅଇଲି ଯେ ମୁହିଁ
କେତେ ଦୁଃଖ ସହିଲିଣି ଏହି ଘରେ ରହି ଗୋ ।୧।
ସାବତ ତ ନୁହନ୍ତି ସେ ଜନମ କଲା
ମୋହ କଥା ତ ଶାଶୁଙ୍କୁ ନ ଯୋଗାଇଲା ଗୋ ।୨।
ଘଷି ଦେବାକୁ ଗଲେ ସେ ଲଗାନ୍ତି ଗୋଳ
ଅରକ୍ଷିତ ଟୋକୀ ମୋର ଛୁଅନ୍ତା ଗୋଡ଼ ଯେ ।୩।
ଫିଙ୍ଗି ଯେ ଫୋପାଡ଼ି ଦ୍ୟନ୍ତି ପହୁଣ୍ଡ ତଳ
କବାଟ ଯେ କିଳି ଦ୍ୟନ୍ତି ଅନ୍ଧାର ଘର ଯେ ।୪।
ପହୁଣ୍ଡରେ ଠିଆ ହୋଇ ବୁହାଏ ଲୁହ
ବୋଉ ନନା କଲେ ଇୟା ସହିଲା ଦିହ ଗୋ ।୫।
କହନ୍ତି ଲୋ- ‘ମାଇଲାର ମାଡ଼ ତାକୁ ନାହିଁ ଆକଟ
ନରସିଂହପୁର ଝିଅ ହୋଇଛି ଦୁଷ୍ଟ ଗୋ ।୬।
ବହୁତ ଯେ ଗାଳି ଦ୍ୟନ୍ତି ଅପକରଷ
ଘର ମିଣିପଙ୍କ ଠେଇଁ ହୁଅନ୍ତି ରସ ଗୋ ।୭।
ଜାତିରେ ସୁଜନ ସେ ଯେ ମଉନେ ଥାଇ
କାହାରି ଆଗରେ କିଛି କହନ୍ତି ନାହିଁ ଗୋ ।୮।
କହନ୍ତି ସେ-‘ବୁଝାଇ କହିଲେ କଥା ବୁଝିଲୁ ନାହିଁ
‘‘ଆକଟି କହିଲେ ମୁହଁ ଦେଲୁ ଶୁଖାଇ ଗୋ ।୯।
ବୋଲନ୍ତି- ଲୋ ! ଛୁଇଁ ଯେବେ ଦେବି ମୁଁ ମାରି
ଜଗତରେ ହସୁଥିବେ ଭାଇ ଭଗାରି ଲୋ ।୧୦।
ତୋର ଦୁଷ୍ଟ ସାନ ଯାଆ ଉଭାଉ ଥିବ
ତାହା ଶୁଣି ତୋର ଦିହ କେତେ ସହିବ ଲୋ ।୧୧।
ଖଟୁଲିରେ ବସିଛନ୍ତି ଦୁରୁଗା ଦେବୀ
ତାଙ୍କ ପାଦ ତଳେ ନିତି ଥିବୁ ତୁ ସେବି ଲୋ ।୧୨।
ଦେଏବୀ ନନ୍ଦିନୀ ଅବା ଫେଡ଼ିବେ ଚିନ୍ତା
ବୋଉ କୋଳେ ଥିଲେ ଅଭିମାନ ଫିଟନ୍ତା ଗୋ ।୧୩।
ଜନମ କଲା ଜନନୀ ନାହିଁ ତୋହର
ଅଭିମାନ ଫିଟାଇବେ ଦୟାସାଗର ଗୋ ।୧୪।
(ମୂଳ ରଚନା-ପୁରୀ)
ବୋହୂଙ୍କ ଗୀତିକା-୨
କାନ୍ଦି କହେ ନାରୀବର
ମୋତେ ଛାଡ଼ିଗଲ ଭଗାରିପୁରରେ
ଜନନୀ କଲା ଅନ୍ତର, ସଜନୀ ରେ ।୧।
ଗର୍ଭେ ଦଶମାସ ଧରି,
କେତେ ଦୁଃଖେ ପାଇଥିଲା ବିଚାରି ରେ,
ଏବେ ଦେଲେ ପର କରି, ସଜନୀ ରେ ।୨।
ହୁଅନ୍ତି ମୁଁ କାକ ପକ୍ଷୀ
ଜନନୀ କି ଥରେ ଆସନ୍ତି ଦେଖି ରେ
ସଫଳ ହୁଅନ୍ତା ଆଖି, ସଜନୀ ରେ ।୩।
ମନ ମୋ ଯାହା ହେଉଛି
ଯେଣିକି ଚାହିଁଲେ ମୁହଁ ଦିଶୁଛି ରେ
ତା ଗୁଣ ମନେ ପଡ଼ୁଛି, ସଜନୀ ରେ ।୪।
ଭୁଞ୍ଜି ବସିଲେ ଆହାର
ମନେ ପଡ଼ୁଥିବି ମୁହିଁ ତାହାର ରେ
ନେତ୍ରୁ ଗଡ଼ୁଥିବ ନୀର, ସଜନୀ ରେ ।୫।
ତାହାର ଆୟିତ ନାହିଁ
ଅଣ ଆୟିତରେ ରହିଛି ସେହି ରେ
ପୁଅରେ ତ ପଣ ନାହିଁ, ସଜନୀ ରେ ।୬।
ନନାଙ୍କ ଦାରୁଣ ପଣ
ନାହିଁ ନ ଥିବ ତ ସଂସାରେ ଜାଣ ଯେ
ମୋଠାରେ ବଡ଼ କୃପଣ, ସଜନୀ ରେ ।୭।
ବୋଇଲେ ଦୁଖ କିପାଇଁ
ବରଷ ନ ପୁରୁଁ ଆଣିବି ମୁହିଁ ଲୋ
ଏତେ କୋହ କାହିଁପାଇଁ, ସଜନୀ ରେ ।୮।
ସତେ ‘ବିଦ୍ୟାଧର’ ମୋର
ଆସିବ ପାଶ ବସିବ କୋଡ଼ର ଯେ
ବୋଲିବ-‘ନାନୀ’ ବାହାର, ସଜନୀ ରେ ।୯।
ପଖା ଧରିଥିବି ହାତେ
ଢାଥିଳୁବି ବସି ତାହାରି ପାଖେ ରେ
ପିଞ୍ଛ ନ ପଡ଼ିବ ବାତେ, ସଜନୀ ରେ ।୧୦।
ତୁଣ୍ଡେ ପଛେ ନ ପଚାର
ଜଗତରେ କର ଘର ଦୁଆର ରେ
ଯେଣେ ଥିଲେ ତ ମୋହର, ସଜନୀ ରେ ।୧୧।
(ମୂଳ ରଚନା-ତିଗିରିଆ)
ବୋହୂଙ୍କ ଗୀତିକା-୩
କୋଇଲି ଲୋ
ମୋହ ପାଇଁ ଉଡ଼ି ଉଡ଼ି ଯିବୁ,
ମୋ ବୋଉ ନନାକୁ କହି
ମାନ ଉଦ୍ଧରିବୁ ଲୋ କୋଇଲି ।୧।
କୋଇଲି ଲୋ
ବୋଉ ଯେବେ ଜନ୍ମ କରିଥାନ୍ତା
ସତେ ନ ଦେଖିଲେ ମୋରେ
ସପନେ ଦେଖନ୍ତା ଲୋ କୋଇଲି ।୨।
କୋଇଲି ଲୋ
ସପନରେ କହନ୍ତା ନନାକୁ
ବିକଳ ହେଉଚି ମନ
ଆଣନ୍ତ ଝିଅକୁ ଲୋ କୋଇଲି ।୩।
କୋଇଲି ଲୋ
ନନା ଯେବେ ଜନ୍ମ କରିଥାନ୍ତେ
କାନ୍ଧେ ଛତା, ହାତେ ବାଡ଼ି
ସଙ୍ଖୋଳି ଆସନ୍ତେ ଲୋ କୋଇଲି ।୪।
କୋଇଲି ଲୋ
ଭାଇନା ମୋ ରାଢ଼ପଣ କଲା
ଛ ମାସକୁ କଣ୍ଟ କରି
ବରଷେ ରହିଲା ଲୋ କୋଇଲି ।୫।
କୋଇଲି ଲୋ
ଭାଉଜ ଭଉଣୀଏ ତ ରାଢ଼ପଣ କଲେ
ଭାଇ ସଙ୍ଗେ ପଡ଼ି ସେ ତ
ଜଣେ ଜଣେ ହେଲେ ଲୋ କୋଇଲି ।୬।
କୋଇଲି ଲୋ
ପୋଡ଼ପାଡ଼ ପ୍ରାଣ ବୋଉ ଜନ୍ମ କରି ନାହିଁ,
ଜହର ନ ଦେଇ ସତେ
ରଖିଲା କିପାଇଁ ଲୋ କୋଇଲି ।୭।
କୋଇଲି ଲୋ
ଗାଁ ଝିଅ ବେଳେ ବେଳେ ବୁଲି ଆସୁଥିବ
ସାନ ଝିଅ କୋଡ଼େ ପଶି
ଦୁଃଖ ପାଶୋରିବ ଲୋ କୋଇଲି ।୮।
(ମୂଳ ରଚନା-ନରସିଂପୁର)
ଅନ୍ୟତ୍ର—
କୋଇଲି ଲୋ
ତାହା ଶୁଣି ବାପା ଆସୁଥିଲେ
ନଈବଢ଼ି ପାଣି ଦେଖି
ଲେଉଟି ତ ଗଲେ ଲୋ କୋଇଲି ।
କୋଇଲି ଲୋ
ତାହା ଶୁଣି ଶାଶୁଏ ବୋଲନ୍ତି
ତୋର ପରା ବାପ ଭାଇ
ଜୀଇ ବସିଛନ୍ତି ଲୋ କୋଇଲି ।
(ମୂଳ ରଚନା-ନୟାଗଡ଼)
ବୋହୂଙ୍କ ଗୀତିକା-୪
ଯେଉଁ ଦିନ ଭାଇନନା ଆଣିଗଲୁ ମୋତେ
ହାଣ୍ଡିଶାଳେ ବସି ମୁଁ ଯେ କାନ୍ଦୁଥିଲି କେତେ ।୧।
ଦାଣ୍ଡ ଦୁଆରୁ ତୋ ତୁଣ୍ଡ ଶୁଭିଗଲା ମୋତେ
ଲୁହ ପୋଛି ଭାଇନନା ଚାହିଁଦେଲି ତୋତେ ।୨।
ହସ ହସ ହୋଇଣ ଯେ ଆସୁଥିଲୁ ତୁହି
ଲକ୍ଷେ ଟଙ୍କା ହଜିଥିଲା ପାଇଲି କି ମୁହିଁ ।୩।
ଅଡ଼ଙ୍ଗ ଉପରେ ଯେବେ ବସିଲୁ ତୁ ଯାଇ
ପିଢ଼ା ପାଣି ମୁହିଁ ନେଇ ଥୋଇ ଦେଲି ତହିଁ ।୪।
ଗୋଡ଼ ଧୋଇ ସାରି ତୁହି ଗାମୁଛା ଧୋଇଲୁ
ଶୋଷ କରୁଛି ବୋଲିଣ ପାଣି ତ ମାଗିଲୁ ।୫।
ବଡ଼ ଶୋଷ କରୁଅଛି ବେଗେ ଦିଅ ପାଣି
ଧଡ଼ପଡ଼ ହୋଇ ମୁଁ ଯେ ବାଢ଼ିଲି ତୋଡ଼ାଣି ।୬।
ଦରଖିଆ ହୋଇ ସିନା କହିଦେଲୁ ମୋତେ
କାହିଁକି କାନ୍ଦୁଛୁ ଆସିଅଛି ନେବି ତୋତେ ।୭।
ଘଡ଼ିକ ବାଦରେ ମୁହିଁ ଦେଲିଟି ଉତ୍ତର-
ଦଶ ମାସ ହେଲା ମୋତେ କରି ଦେଲ ପର ।୮।
ସାତ କୋଶ ଦୂର ବାଟେ ଦେଇଛୁ ରେ ମୋତେ
ଚାରି ମାସେ ଥରେ ମୁଁ ଯେ ଦେଖୁଥାନ୍ତି ତୋତେ ।୯।
ତୁହି ପରା ଭାଇ ନନା ଛାଡ଼ି ଦେଇଗଲୁ
ଲେଉଟି ଥରେ ତ ଆଉ ସଙ୍ଖୋଳି ନଇଲୁ ।୧୦।
କହିଲୁ ସର୍ବଦା ବୋଉ ତଡ଼ୁଥାଏ ମୋତେ
ଆଡ଼ତିତ ଲାଗୁଥାଏ ଆସନ୍ତି କେମନ୍ତେ ।୧୧।
ନଣନ୍ଦ ହାତରେ ମୁଁ ଯେ କହି ପଠାଇଲି
ଭାଇନା ଆସିଚି ମୋର ଯିବି ତ ବୋଇଲି ।୧୨।
ତା’ ଶୁଣି ଯେ ଦେଢ଼ଶୁରେ ନାହିଁ କରି ଦେଲେ
ପଛନ୍ତରେ ଶାଶୁ ମୋରେ କେତେ ଚଳି ହେଲେ ।୧୩।
ପୁନିଅଁ ବାହାର କଣ୍ଟ କେଣିକି ରେ ଗଲା
ଉଆଁସ ବାହାର କଣ୍ଟ ନିକଟ ହୋଇଲା ।୧୪।
ଦାଣ୍ଡ ଲୋକେ ଭାଇନନା କହନ୍ତି ରେ ସବୁ
ଜନ୍ମ କଲା ମାଆ ତାର ଅଛି ଟିକି ବାବୁ ।୧୫।
ସବୁବେଳେ ତଳକୁ ତ ମୁଣ୍ଡ ପୋତି ଥାଇ
ଯେ ଯାହା ବୋଇଲେ ତାହା ଦିଏ ଫୋପଡ଼ାଇ ।୧୬।
(ମୂଳ ରଚନା-ବାଙ୍କି)
ବୋହୂଙ୍କ ଗୀତିକା-୫
ଅଟନ୍ତି ସିଦ୍ଧେଶ୍ୱରୀ ତୋର ଜନନୀ
ତାଙ୍କୁ ଦର୍ଶନ କରି ହେଲୁ ମେଲାଣି ।୧।
ଅତି ଦୁର୍ଗମ ପଥ ଲଂଘି ଅଇଲୁ
ରଜନୀ କାଳେ ଆସି ପ୍ରବେଶ ହେଲୁ ।୨।
ହେଲୁ ତୁ ନମସ୍କାର ସଭିଙ୍କୁ ଚାହିଁ
କଲେ କଲ୍ୟାଣ ତୋରେ ସମସ୍ତେ ହୋଇ ।୩।
ତୋରେ ଦେଖିଣ ସବୁ ଆନନ୍ଦ ହେଲେ
ଭାଇ ଆସିଛି ବୋଲି ମୋରେ କହିଲେ ।୪।
ଜାଣିଲି ଭାଇନନା ଆସିଛି ମୋର
ଘୋର ଦାରୁଣ ଦୁଃଖ ଯିବ ପାସୋର ।୫।
ଚରଣ ଧୋଇ ଘରେ ଗଲୁ ତୁ ପଶି
ଆକାଶ ଚନ୍ଦ୍ରମା କି ଉଇଁଲା ଆସି ।୬।
କୋଇଲି କଣ୍ଠ ସ୍ୱରେ କହୁ ତୁ କଥା
ଛାଡ଼ିଲି ଘୋର ଦୁଃଖ ସକଳ ଚିନ୍ତା ।୭।
ସେଠାରୁ ଭାଇନନା ପାଖକୁ ଗଲୁ
ଟିକିଏ ଦୂରେ ଛିଡ଼ା ହୋଇ ରହିଲୁ ।୮।
କାନ୍ଦିଲି ଭାଇନନା ତୋ ମୁଖ ଚାହିଁ
ବୋଇଲି– ‘ବୋଉ ଛାଡ଼ି ରହିଛି କାହିଁ ।୯।
‘ଦୁଃଖ ପାଇବି ବୋଲି ଜାଣି ନ ଥିଲି
‘ନିରାଶ ହୋଇ ୟାଙ୍କ ଘରେ ରହିଲି’ ।୧୦।
ସେଠାରୁ ଭାଇନନା ଦେଲୁ ଉତ୍ତର
ବୋଇଲୁ- ‘କେଉଁ ଦୁଃଖ ହୋଇଛି ତୋର ?୧୧।
ପନ୍ଦର ଦିନ କାଳ ରଖାଇ ତୋତେ
ନିଶ୍ଚେ ଛାଡ଼ିବୁ ବୋଲି କହିଲେ କେତେ ।୧୨।
ସମସ୍ତେ ଏକଠାବେ ବିଚାର ହେଲେ
ନିଠୁର ବଚନରେ ତୋରେ କହିଲେ ।୧୩।
କହନ୍ତି ଦେଢ଼ଶୁରେ ନିଠୁର ବାଣୀ
ଦେଖା ନ ଦେଇ ତାରେ ହୁଅ ମେଲାଣି ।୧୪।
ସେଠାରୁ ଭାଇନନା ପାଖକୁ ଗଲୁ
‘ଚାରି ମାସ ଗଲେ ତୁ ଯିବୁ’ - ବୋଇଲୁ ।୧୫।
କାନ୍ଦିଲି ଭାଇନନା, ମୁଖକୁ ଚାହିଁ -
‘ଆହୁରି କହ ଅବା ଦେବେ ପଠାଇ’ ।୧୬।
ସେଠାରୁ ଭାଇନନା ହେଲୁ ବାହାର
ସଙ୍ଗରେ ଦେଢ଼ଶୁରେ ଥିଲେ ତୋହର ।୧୭।
ବସି ଯେ ଥିଲେ ସବୁ ବସିଲୁ ଯାଇ
ବାଟ ଖରଚ ଲୁଗା ଦେଲୁ ପଠାଇ ।୧୮।
କହନ୍ତି ଦେଢ଼ଶୁରେ ନାସ୍ତିକ ଲୋକ -
‘କାଲି ସକାଳୁ ନିଅ ତୁମ୍ଭ ସଙ୍ଗତ’ ।୧୯।
‘‘ଦେବ ଜନନୀ ଗାଳି
ନୋହିଲି କାହିଁ
‘‘କେତେ ମୁଁ କାମ ଛାଡ଼ି
ରହି ଅଛଇଁ ।୨୦।
‘‘ଝିଅକୁ ନେଲେ ସିନା
କହନ୍ତି ଯାଇ
‘‘ରହି ଯେ ଥିଲି ୟାକୁ
ଆଣିବା ପାଇଁ’’ ।୨୧।
ସେଦିନ ଭାଇନନା ଦାଣ୍ଡେ ରହିଲୁ
ରାତ୍ର ପାହିଲା କ୍ଷଣେ ଘରକୁ ଗଲୁ ।୨୨।
ଗାଧୋଇ ଆସି ମୁଁ ଯେ ଖୋଜଇ ଘର
ଘର ବାହାର ଖୋଜେ ମେଲା ଉପର ।୨୩।
ତହୁଁ ଖୋଜିଲି ଯାଇ ମଣ୍ଡପ ପର
ଦେଖିଲି ଭାଇ ନାହିଁ ଠାବ ଭିତର ।୨୪।
ଓଦା ଲୁଗା ଯେ ମୁହିଁ ପାଲଟି ନାହିଁ
ଓଦା ଲୁଗାରେ କାନ୍ଦେ ମୁଁ ଠିଆ ହୋଇ ।୨୫।
ଏକୁ ଆରେକ ଚାହିଁ କହନ୍ତି ମୋତେ
‘ତୋହର ଭାଇ ଅଛି କାନ୍ଦୁଛୁ କେତେ ।୨୬।
ତେଣୁ ଶାଶୁଏ ଆସି କହନ୍ତି ବାଣୀ-
‘ତୋହର ଭାଇ ଅଛି, କାନ୍ଦୁଛୁ ପୁଣି ।୨୭।
‘ଅନୁକୂଳ ଯେ କରିଅଛନ୍ତି ଦାଣ୍ଡେ
‘ଭୁଞ୍ଜି ସାରିଲେ ଯିବୁ ତାଙ୍କରି ସଙ୍ଗେ’ ।୨୮।
ହରଷ ମନେ ଲୁଗା ପାଲଟି ଦେଲି
ଚର୍ଚ୍ଚିକା ଠାକୁରାଣୀ ରଖ ବୋଇଲି ।୨୯।
କ୍ଷଣିକ ପରେ ଜାଣି ହେଲି କାତର
ଅଭିମାନେ ଫେରିଛି ଭାଇନା ମୋର ।୩୦।
(ମୂଳ ରଚନା-ବାଙ୍କି)
ବୋହୂଙ୍କ ଗୀତିକା-୬
ବାପା ହେ ମୋତେ ନିରାଶ କଲ
ଏ ପରା ଝିଅକୁ ଭସାଇ ଦେଲ ।୧।
ଆଗେ ମାରି ପଛେ ନିୟମ କଲ
ଭଗାରି ଛାମୁରେ ମୁଣ୍ଡ କାଟିଲ ।୨।
କହିଲ- ବୈଶାଖ ମାସରେ ଯିବି ଲୋ ଆଣି
କଳା କୁମ୍ଭ ଶାଢ଼ୀ ଦେବି ଲୋ କିଣି ।୩।
କଳା କୁମ୍ଭ ଶାଢ଼ୀ କଅଣ ହେବ
ଅହ୍ୟ ଡେଙ୍ଗୁରାରେ ମୋ ଜୀବ ଯିବ ।୪।
ଆଗରେ ଯିବ ମୋ ଲିଆ କଉଡ଼ି
ପଛରେ ବାଜିବ ଶଙ୍ଖ ମହୁରୀ ।୫।
ଦିଇପଟେ ଯିବେ ଦି ଦିଅର
ମଝିରେ ଚାଲିବେ ଆମରି ବର ।୬।
ସାତ ଘେରା କରି ବୁଲେଇ ନେବେ
ଅଗିନି କୁଣ୍ଡକୁ ଧରାଇ ଦେବେ ।୭।
ଏହା ଶୁଣି ବାପା ଧାଇଁ ଆସିବେ
ମାଆ ଶୁଣି କରି କାନ୍ଦି ବସିବେ ।୮।
ଭାଉଜ ଆମର ପରର ଝିଅ
ଟିକେ କାନ୍ଦି ଟିକେ ପୋଛିବେ ଲୁହ ।୯।
(ମୂଳ ରଚନା-ବଡ଼ାମ୍ୱା)
ବୋହୂଙ୍କ ଗୀତିକା-୭
ଏଥୁ ଅନନ୍ତରେ କଥା ଶୁଣିବୁ ଟିକି
କାନ୍ତ ଅନୁରାଗେ ବଡ଼ ହୋଇଲି ଦୁଃଖୀ ।୧।
ପିନ୍ଧି ଦି’କାହାଣେ କନା ବୋହିବି ପାଣି
ନ ପାଇବୁ ଝିଅ ଖୁଡ଼ି ରଖିଥା ଜାଣି ।୨।
ହସିଲେ ବୋଲନ୍ତି ଖୁଡ଼ି ଦାରୀ ହେଲାଣି
କାନ୍ଦିଲେ ବୋଲନ୍ତି ଖୁଡ଼ି କିଏ ମଲାଣି ।୩।
ଉଠିଲେ ବୋଲନ୍ତି ଖୁମ୍ବ ଡେରା ହୋଇଛି
ଶୋଇଲେ ବୋଲନ୍ତି ଖୁଡ଼ି ଢିଙ୍କି ପଡ଼ିଛି ।୪।
ଲଇଁଲେ ବୋଲନ୍ତି ଖୁଡ଼ି ଲାଠି ଗୋଡ଼ଟା
ବସିଲେ ବୋଲନ୍ତି ଚକା ପଥର ଏଟା ।୫।
ପେଜ କଂସାଏ ଲୋ ଖୁଡ଼ି ଦିଅନ୍ତି ବାଢ଼ି
ବୋଲନ୍ତି ଦେଉଳ ପ୍ରାୟେ ବସିଲା ମାଡ଼ି ।୬।
ପେଜ କଂସାକ ଲୋ ଖୁଡ଼ ଦିଶେ ଅଧିକ
ହଳଦି ମାଲପା ଖୁଡ଼ି ତେଣିକି ରଖ ।୭।
ଜାଣି ତ ନ ଥିଲା ପିତା ଏତେ ଆଚାର
ଭଲ ହେବ ବୋଲି ଏଥେ ଦେଲା ପିଅର ।୮।
ଭାଇ ନନାକୁ କହନ୍ତି ନାହିଁ ଯୋଗ୍ୟତା
କହିଲେ ବୋଲିବେ ବିଭା କଲେ ତୋ ପିତା ।୯।
(ମୂଳ ରଚନା-ପଟାମୁଣ୍ଡାଇ)
ବୋହୂଙ୍କ ଗୀତିକା-୮
ତୁନିକା ରୂପରେ ନାରୀ ଥିଲାଟି ମନ୍ଦିର
ସବୁ ସିନା ଆରଦୋଳି କରୁଥିଲା ତାର ।୧।
ଠକ ଆର ପ୍ରାୟ ନାରୀ ଦାଣ୍ଡକୁ ଦିଶଇ
ଖଞ୍ଜି ଥିଲା ବିହି ତାକୁ ଏକ ଆତ୍ମା ଦେଇ ।୨।
ହୃଦୟ ଭିତରେ ନାରୀ କରିଥାଇ ଚିନ୍ତା
ରାଆତ୍ର ଦିବସ ନାରୀ ପୋତିଥାଇ ମଥା ।୩।
ହୃଦୟ ଭିତରେ ନାରୀ କରୁଥାଇ ଶୋକ
ପଚାରିଲେ ଦେଉଥାଇ ଝିଅ ଉପଲେଖ ।୪।
ହୃଦୟ ଭିତରେ ନାରୀ ଚିନ୍ତା କରିଥାଇ
ବିଚ୍ଛେଦ ପଡ଼ିଲା ବୋଲି ମନେ ବିଚାରଇ ।୫।
ସଂକଟ ପଡ଼ିଲା ନାରୀ ବିଚାରିଲା ମନ
ସନ୍ନିପାତ ଦେଲା ନାରୀ ହେଲା ଛନ ଛନ ।୬।
ମନେ ବିଚାରିଲା ନାରୀ ପଡ଼ିଲା ସଂକଟ
ମୃତ୍ୟୁ ହେଲା ତାଙ୍କରି ଯେ ତୁଟିଗଲା ଘଟ ।୭।
ଉଜାଗରେ ଥିଲା ନିଶି ସ୍ନାହାନକୁ ଗଲା
ବସନ ପାଲଟି ଗୋଡ଼ ତଳରେ ବସିଲା ।୮।
ଏଥିରୁ ଉଦ୍ଧାର କର ପତିତପାବିନୀ
ତିନିକୁଳ ଉଦ୍ଧରିବି ତରିବି କାମିନୀ ।୯।
ଏଥିରୁ ଉଦ୍ଧାର କର ପତିତପାବନ
ସଙ୍ଗରେ କୁମର ଥିବ ଅଗ୍ନିରେ ଦହନ ।୧୦।
ମୁଖେ ଅଗ୍ନି ଦେଇ ବଳା ଲେଉଟି ଆସିବ
ସପତ ପୁରୁଷ ଭାଗ୍ୟ ସେଠାରେ ଦିଶିବ ।୧୧।
ସାନପୁଅ ପାଖେ ବସି ହୋଇଲା ବିକଳ
ଜନ୍ମ କରିଥିଲୁ ବୋଉ, କରିଗଲୁ ପର ।୧୨।
ମୁହଁକୁ ଚାହିଁଲା ଝିଅ ବିକଳ ହୋଇଲା
କେଡ଼େକ ସେନେହ ବୋଉ ଛାଡ଼ିଲୁ ବୋଇଲା ।୧୩।
ଯାଆମାନେ ଆସି ତାକୁ କହିଲେ ହାତଧରି
ବୋହୂ ଆସି ଗୋଡ଼ତଳେ ପଡ଼ିଲା ତାହାରି ।୧୪।
ଗାଆଁ ଲୋକେ ଆସି ତାକୁ କହିଲେ ହାତ ଧରି
‘ପୁଅ’ ଆସି ଗୋଡ଼ତଳେ ପଡ଼ିଲା ତାହାରି ।୧୫।
‘‘ଆଶୀର୍ବାଦ କରୁଅଛି ଶୁଣରେ କୁମର
‘‘ଉତ୍ତମ ପୁତ୍ରଟି ବାବୁ ହୋଇବ ତୁମ୍ଭର ।୧୬।
‘‘ଆଶୀର୍ବାଦ କରୁଅଛି ଶୁଣରେ କୁମର
‘‘ ‘ଚାନ୍ଦ’କୁ ତ ନିଠୁର ନ କରିବ ମୋହର ।୧୭।
‘‘କେତେ ମାୟା କରିଥିଲି ଏକା ଚାନ୍ଦ ପାଇଁ
‘‘ଦିଓଟି ବରଷ, କାଳ ସହିଲାତ ନାହିଁ’’ ।୧୮।
ଦେଢ଼ଶୁରେ ଆସି ତାଙ୍କୁ ପ୍ରବୋଧି କହିଲେ
କାହା କଥା ମହା ସତୀ ମନେ ନ ଧଇଲେ ।୧୯।
ବାଜିଲା ତେଲଙ୍ଗି ବାଜା କଂସାଳ ମହୁରୀ
ସେହି ତାନେ ନରନାରୀ ଦେଲେ ହୁଳହୁଳି ।୨୦।
ଅଗ୍ନିକୁଣ୍ଡ ପାଖେ ନାରୀ ଉଭା ହେଲା ଯାଇ
କୁଳଦୀପ କାଢ଼ି ତାର ପୁତ୍ର ହସ୍ତେ ଦେଇ ।୨୧।
ସେଠାରେ ଯେ ନରନାରୀ ଥାଇ ଦେଖୁଥିଲେ
ସପତ ପୁରୁଷ ଭାଗ୍ୟ ଦିଶିଲା ବୋଇଲେ ।୨୨।
ଗିଆଁତି କୁଟୁମ୍ବ ନୁହେଁ ସାଇ ଲୋ ପଡ଼ିଶା
ଭଣତି କରିଛି ଏହା ସାଙ୍ଗ ଲୋ ସରିସା ।୨୩।
(ମୂଳ ରଚନା-ନରସିଂହପୁର)
ବୋହୂଙ୍କ ଗୀତିକା-୯
ରଜନୀ ଶେଷେଣ
ନିଦ୍ରା ଉଚ୍ଚେବନ ପଲଙ୍କେ ରାଧା ପହୁଡ଼ି
ନିଶି ପାଇ ବେଳ
ଘଡ଼ିଏ ହୋଇଲା ଝିଅକୁ ତୋଳଇ ବୁଢ଼ୀ ।୧।
ଉଠୁ ଲୋ ଝିଅ
ରାଧାକୁ ତୋଳି ଦିଅ କେତେ ଲୋ ଯାଇଛି ନିଦ
ଗିରସ୍ତ ଚେଡ଼ିପ
ଏହା ନ ଜାଣଇ, ବାହେ ବାନ୍ଧିଥାଏ ବିଦ ।୨।
ଏହି ଗୋପପୁରେ
ଯେତେ ଗୋପୀ ଥିଲେ, ନିତ୍ୟକର୍ମମାନ କଲେ
ଯେଝା ସୁଖେ ଯେଝା
ନିତ୍ୟକର୍ମ ସାରି, ଦଧି ବିକିବାକୁ ଗଲେ ।୩।
ଆମ ଘର ବୋହୂ
ନିଦ୍ରାଯାଇ ଅଛି, ଖଟ ଶେଯ ମାନ ପାଡ଼ି
କଥାଏ କହିଲେ
କଳି କି ଧାଇଁବ ଉପରକୁ ପଡ଼ିବ ମାଡ଼ି ।୪।
ତୁଣ୍ଡୁ ତୁଣ୍ଡୁ ଶୁଣି ରାଧା ଠାକୁରାଣୀ
ପଲଙ୍କ ଉପରେ ବସି
ରାମ ନାମ ପଦ ଗୋବିନ୍ଦ ସୁମରି
ଅଳପ ଅଳପ ହସି ।୫।
ରାଧିକା ବୋଇଲେ- ‘ଧର୍ମ ! ପାରି କର
ସଖାଳୁ କଳିକି ସଜ
‘ଏଡ଼େ ସଖାଳୁ ଯେ କଳି ଭିଆଇଛ
କି ଯୋଗ ପଡ଼ିବ ଆଜ’ ? ।୬।
ବୁଢ଼ୀ ବୋଲେ - ‘ଝିଅ ! ବୋହୂକୁ ଡରିଣ
କେତେ ଲୋ କରିବା ଘର
ଚ୍ୟାଇଁ କରି ଯେବେ କଳିକି ଧାଇଁଲା
ବିଧା ଗୋଟା ଚାରି ମାର ।୭।
ଝିଅ ବୋଇଲା- ‘ମାଆ ! ଉଞ୍ଚରେ ସେ ବଡ଼
ବଇଷ ରେ ସାନ
କେମନ୍ତେ ମାରିବି ତାକୁ
‘ଆର ଥର ରାଧା ବିଧାଏ ମାରିଛି
ବଥାଉ ଅଛି ମା ବୁକୁ’ ।୮।
ରାଧିକା ବୋଇଲେ- ‘ମାରିବ ବୋଲୁଚ
କେଉଁ ଅପରାଧ କଲି,
ବଡ଼ ଘର ବୋଲି
ଟଙ୍କା ସୁନା ଯାକ
ସାଇ ପଡ଼ିଶାରେ ଦେଲି’ ?୯।
‘‘ଗଉଡ଼ ବାଉଡ଼ ଘର ଲୋ ମୋହର
ମୁଁ କାହୁଁ ଆଣିବି ଧନ
‘‘ବଡ଼ଘର ବୋଲି ଗଣିତ ଲୋଡ଼ୁଛୁ
ତହିଁ ନ ସରିବ ଦିନ ।୧୦।
ବୁଢ଼ୀ ବୋଇଲା- ‘‘ଆଲୋ ରାଣ୍ଡର ଝିଅ ତୁ
ଚେଇଁ ଶୁଣୁଥିଲୁ ସବୁ
‘‘ଏ ବୋହୁ ଘେନି ମୁଁ କି ଘର କରିବି
ଭିନେ ହୋଇ ଯିବି ବାବୁ’’ ।୧୧।
ରାଧିକା ବୋଇଲେ- ‘‘ଭିନେ ନୁହଁ ଯେବେ
ପୁଅଙ୍କ ଶପଥ ତୋତେ,
ତୁ ନ ଯୋଗାଉ ମୋ ମନକୁ ଲୋ
ମୁଁ ନ ଯୋଗାଏ ତୋତେ ।୧୨।
ଏମନ୍ତ ମାନ ବୋଲାବୋଲି ହୁଅନ୍ତେ
ଗଉଡ଼ ଗୋଗୋଷ୍ଠୁଁ ଆସି
ମାଆ ମାଆ ବୋଲି ଡାକ ପକେଇଲା
କବାଟ ଫିଅ ଲୋ ଆସି ।୧୩।
କବାଟ ଫେଇ ଲୋ ଦିଅ
ଦୁଧ ଭାର ମାନ-ଫୁଟି ପଡ଼ୁଅଛି
ଘର ଭିତରକୁ ନିଅ ।୧୪।
ପୁଅ ତୁଣ୍ଡ ଶୁଣି ମାଆ ଧାଇଁଗଲା
କବାଟ ଯେ ଫେଇ ଦେଲା
ଦୁଧଭାରମାନ ଫୁଟି ପଡ଼ୁଥିଲା
ଘର ଭିତରକୁ ନେଲା ।୧୫।
ମାଆ ଝିଅ ପୁଅ ତିନିହେଁ ମଉନ
କ୍ରୋଧଭର ହୋଇ ବସି
ଭିତରେ ଥିଲେ ଯେ ରାଧା ଠାକୁରାଣୀ
ତୁଣ୍ଡ ଶୁଣାଇଲେ ହସି ।୧୬।
ଗଉଡ଼ ବୋଲେ ଖର
ଏ ମାଆ ମଲେ ମୁଁ ଭଲ ହୁଅନ୍ତି
ଏହି ଭାଙ୍ଗୁଛି ମୋ ଘର ।୧୭।
ଗଉଡ଼ ବୋଲେ ଖଙ୍ଗ
ନିରନ୍ତର ଘରେ କଳି ଭିଆଇଛ
ଲୋକେ ଦେଖୁଛନ୍ତି ରଙ୍ଗ ।୧୮।
ଝିଅ ଗୋଟିଏ ଲୋ ଜାତ କରିଅଛୁ
ନ କରଇ ମୋର ବୋଲ
ତାହା କଥା ମୋତେ ଅତି ଅଗୋଚର
ସେ ମୋତେ ହୋଇଲା ସଲ ।୧୯।
ସେ ଯେବେ ବାବୁ ରେ ତୋତେ ସଲ ହେଲା
ଏଇ ମାସେ ବିଭା କର
ସେ ଯାଉ ଘରୁ ମୁଁ ଯାଏ ଘରୁ
ତୁମେ ଦୁହେଁ କର ଘର ।୨୦।
ନନ୍ଦ ମୋର ଜ୍ୱାଇଁ ଯଶୋଦା ମୋ ଝିଅ
ତା ପୁଅ ମୋର ନାତି
ତୋର ଭଣଞ୍ଜା ପୁଅର ଭଣଞ୍ଜା
ତା ସଙ୍ଗେ କଲୁ ପୀରତି ।୨୧।
ଯୁବା ତିରୀ ହୋଇ କେମନ୍ତେ ରସିଲୁ
କାଲି କଅଁଳା ପୁଅକୁ
ସେ ପୁଣି ତୋତେ କେମନ୍ତେ ରସିଲା
ଭଲା ଭୁଲାଇଲୁ ତାକୁ ।୨୨।
ଏମନ୍ତ ମାନ ବୋଲାବୋଲି ହୁଅନ୍ତେ
ଶ୍ରୀକୃଷ୍ଣ ଗୋଗୋଷ୍ଠୁଁ ଆସି
ମାମୁଁ ମାମୁଁ ବୋଲି ଡାକ ପକେଇଲେ
କବାଟ ଫିଅ ହେ ଆସି ।୨୩।
କବାଟ ଫେଇ ହେ ଦିଅ
ଦୁଧଭାର ମାନ ଫୁଟି ପଡ଼ୁଅଛି
ଘର ଭିତରକୁ ନିଅ ।୨୪।
ରାଧିକା ବୋଇଲେ-‘ଗୁରସ୍ତ ?? ଅଇଲେ
ତୁମ୍ଭେମାନେ ନୁହଁ କିଛି
‘ମାଇଁ ଭଣଞ୍ଜାରେ ଅଘଟ ଘଟେଇ
ଏତ ତୁମ ଘରେ ଅଛି ।୨୫।
ଏମନ୍ତ ଚାଟୁ ଶୁଣନ୍ତେ ଚନ୍ଦ୍ରଶେଣା
ଧଇଲା ରାଧାର ହାତ
ବୋଇଲା- ‘ରାଧା ଲୋ ! ଗାଧୋଇ ଯାଉଛି
ବେଗେ ତୁ ରାନ୍ଧ ଯା ଭାତ’ ।୨୬।
ମୁଣ୍ଡେ ହାତ ଦେଇ ବୋଲେ ବୁଢ଼ୀ
ମୋତେ ତ ମରଣ ନାହିଁ,
ବନ୍ଧୁ କୁଟୁମ୍ବ ମୋ ଜୀଉଁ ଜୀଉଁ ମଲେ
ପଳେଇ ପଶିବି କାହିଁ ।୨୭।
(ମୂଳ ରଚନା - ତାଳଚେର)
୧- ଶ୍ରୀରାମ ଅଭିଷେକ
ରାମର ଶ୍ରୀବନ୍ତ ପଣ
ଦେଖି ଦଶରଥ ରାଜନ
ହକାରି ସମସ୍ତ ଗଣ, ବୋଲନ୍ତି ବଚନ ।୧।
ବିବେକୀ ହେଲେ ମୋ ଶିଷ୍ୟ
ମୋ କାଳ ହେଲାଣି ଶେଷ
ବଶିଷ୍ଠ ୠଷିଏ ବସ, ମୋ ରାମ ହୋନ୍ତୁ ଅଭିଷେକ ।୨।
ମୋ ପୁତ୍ର ଟେକାଉ ଛତ୍ର
ମୋ ନେତ୍ର କରିବି ପବିତ୍ର
ସବୁ କଥା ସନମତ, ଏକଥା ହୋଇବ ସତ୍ୟ ।୩।
ଆଜ ମୋ କୋଦଣ୍ଡପାଣି
ନୃପତି ବୋଲନ୍ତି ବାଣୀ
ଉଠ ହେ କୁମରମଣି, ଆନନ୍ଦେ ପାଳ ଧରଣୀ ।୪।
କୋଡ଼ରେ ବସାଇ ପୁଅ
ମୁଖକୁ ଚୁମ୍ବନ ଦିଅ
ଆଜିଠାରୁ ଶାଢ଼ୀ ନିଅ, କାଲି ଅଭିଷେକ ହୁଅ ।୫।
ସେ ଯେ ଅଭିଷେକ ସ୍ଥାନ
ମଣ୍ଡିଲେ ସୁବର୍ଣ୍ଣମାନ
ବଇକୁଣ୍ଠପୁର ଉପାମ, ବିଜୟେ କରିବେ ରାମ ।୬।
ବିଚିତ୍ର ଚାନ୍ଦୁଆ ଟାଣି
କୁମ୍ଭେ ରତ୍ନ ଖଞ୍ଜଣି
ସହସ୍ର କୁମ୍ଭେ ଗଙ୍ଗାପାଣି, ଶ୍ରୀଫଳେ କନକ ଛାଏଣି ।୭।
ଲଗାଇଲେ ଚିତ୍ରକାର
ଏ ପୁର ମଣ୍ଡଣି କର
ଯେତେକ ବିଧି ବେଭାର, ଥୋଇଲେ ବଶିଷ୍ଠବର ।୮।
ନେତ ଉଡ଼େ ଫର ଫର
ବାଦ୍ୟ ବଡ଼କାଠ ଘୋର
ବେଦବିଦ୍ୟ ମୁନିବର, କମ୍ପଇ ଚଉଦ ପୁର ।୯।
ବିଜୟେ କୋଦଣ୍ଡଧର
ମିଳିଲେ ସୀତୟା ପୁର
ଶୁଣ ଗୋ ଯୁବତୀବର, କାଲି ଗୋ ହେବା ଠାକୁର ।୧୦।
ତୁମ୍ଭେ ହେବ ଠାକୁରାଣୀ
ଅଯୋଧ୍ୟାପୁର ମଣ୍ଡନୀ
ଖଟିବେ ସମସ୍ତ ଜାଣି, ଈଶ୍ୱର କଲେ ଗୋ ଆଣି ।୧୧।
ଆଜ୍ଞା ଦେଲେ ରାମ ମାତା
ସୁବେଶ ହୁଅ ଗୋ ସୀତା
ସେ ମୋର କୁଳ ଉଦ୍ଧାରନ୍ତା, ତୁ ମୋର ଜନକଦୁହିତା ।୧୨।
ଏମନ୍ତେ ଦିବସ ଶେଷ
ରଜନୀ ହେଲା ପ୍ରବେଶ
ମନ୍ଥଡ଼ା ପାଞ୍ଚିଲା ନାଶ, ମିଳିଲା କକୟା ପାଶ ।୧୩।
ପଲଙ୍କେ ପହୁଡ଼େ ସତୀ
ମନ୍ଥଡ଼ି କହେ ବିନତି
କାଲି ରାମ ହେବେ ନୃପତି, ତୁମେ ଗୋ ଜାଣିନାହଁ କି ? ୧୪।
ପଲଙ୍କୁ ଉଠି ତରୁଣୀ
ଆନନ୍ଦେ ବୋଲଇ ବାଣୀ
ବଧାଇ କହିଲୁ ଆଣି, ନେଏ ଲୋ ସୁବର୍ଣ୍ଣ ମଣି ।୧୫।
ମନ୍ଥଡ଼ି ହସିଦେଲା-
‘କିଛି ଲୋ ନ ଜାଣୁ ବୋଇଲା
କଉଶଲ୍ୟା ହେବ ସବୁ, ଏବେ ତୋର ଲୋ କି ଗଲା ।୧୬।
ସେ ହେବ ରାମର ମାତା
ଖଟିବେ ସର୍ବ ବନିତା
ମହାଦେଈ ହେବ ସୀତା, କିଙ୍କର ପଣେ ତୋ’ ପୁତା ।୧୭।
‘‘କି ବୁଦ୍ଧି କରିବି ମୁହିଁ
ବୁଦ୍ଧିବାଟ ମୋତେ ଦିଶୁନାହିଁ’’
‘‘ବିଭା ହୋଇଚୁ ସତ୍ୟ କରାଇ, ତାହା ଲୋ ମାଗ ଯା ଯାଇଁ’’ ।୧୮।
‘‘ପାଳ ମୋ ସତ୍ୟ ବଚନ
ମୋ ଭ୍ରଥେ ହୋନ୍ତୁ ରାଜନ
ଚଉଦ ବରଷ ବଣକୁ, ଯାଉ ତୋ ରଘୁନନ୍ଦନ’’ ।୧୯।
କକୟା ଦେବୀ ଗଲେ
ଭୂମିରେ ପହୁଡ଼ିଲେ
ଯୋଗେ ଦଶରଥ ମିଳିଲେ, ରାଣୀକି ତୋଳି ଧଇଲେ ।୨୦।
‘ପାଳ ମୋ ସତ୍ୟ ବଚନ
ମୋ ଭ୍ରଥେ ହୋନ୍ତୁ ରାଜନ
ଚଉଦ ବରଷ ବଣକୁ, ଯାଉ ତୋ ରଘୁନନ୍ଦନ’ ।୨୧।
ଢାଳେ ମୂର୍ଚ୍ଛାଗତ ଗଲେ
‘କି ଦେଲୁ ଦଣ୍ଡ ବୋଇଲେ
ପିଣ୍ଡରେ କି ପ୍ରାଣ ରହିବ, ଦାଶରଥି ମୋ ଗଲେ ।୨୨।
‘ଅତି ସୁକୁମାର ବଳା
ତେଜ ତ ନିଳେନ୍ଦି କଳା
ସକଳ ଜନ୍ତୁଙ୍କ ମେଳା, ଆହା ମୋ ପଙ୍କଜଡୋଳା ।୨୩।
‘କି ବୋଲି ବୋଇଲୁ ତୁଣ୍ଡ
ମେରୁ ଭାଜିପଡ଼ୁ ତୋର ମୁଣ୍ଡ
ହୃଦ ହେଉ ଖଣ୍ଡ ଖଣ୍ଡ, ମୋତେ କି ଦେଲୁ ଦଣ୍ଡ’ ।୨୪।
ବଶିଷ୍ଠ ଋଷି ବସିଲେ
ସମସ୍ତ କଥା ବୁଝିଲେ
ନଗ୍ରଲୋକେ ଆକୁଳ ହେଲେ, ରାମ ବାରତା ପାଇଲେ ।୨୫।
ଦୁଃଖିତ ରଘୁସୋଦର
କପାଳେ ମାଇଲେ କର
‘‘ଧନ୍ୟ ରେ ଦଇବ ତୋର, ସୁଖ ନ ଦେଖିଲୁ ମୋର ।୨୬।
‘‘ଦଣ୍ଡେ ଗଲେ ହୋନ୍ତି ରାଜା
ପାଳନ୍ତି ଜନ ପରଜା
ସକଳ ଋଷିଗଣ ସନ୍ନିଧେ, ମୋତେ କରାଇଲୁ ଲଜ୍ଜା’’ ।୨୭।
‘‘ବନକୁ ଯିବେ ମୋ ଧନ
କୋଟି ଚନ୍ଦ୍ରମା ବଦନ
ମୂର୍ଚ୍ଛି ନ ପାରଇ ମନ, ନିଶ୍ଚୟେ ଯିବ ଜୀବନ’’ ।୨୮।
ଦଶରଥ ରାଜା କହି
ରାମଙ୍କୁ କୋଳେ ବସାଇ
ମୁଖରେ ଚୁମ୍ବନ ଦେଇ, ନୟନୁ ଲୋତକ ବ୍ୟାହି ।୨୯।
ତୁମ୍ଭେ ଯିବ ଚକ୍ରଧର
ଆମ୍ଭେ ତେଜିବୁ ଶରୀର
ନାରଖାର ଦିବ୍ୟପୁର, ଅଗତି ହେବ ଆମ୍ଭର ।୩୦।
ପୂର୍ବ ଶାପ୍ୟ ଆସି ହେଲା
ଦଇବ ଆଣି ଗୋ କଲା
ଲେଉଟି ଆସି ରାଜା ହେବ, ବାବୁ ତୁମର କି ଗଲା ? ୩୧।
ପ୍ରଳମ୍ବ କରନ୍ତି ବୀର
କଲ୍ୟାଣ-ବଶିଷ୍ଠ ବର
ଶ୍ରୀରାମ ନ୍ୱାଇଁଲେ ଶିର ଯେ ଆଜ୍ଞା ହେଉ ପିଅର ।୩୨।
ଚଳିଗଲେ ହୃଷୀକେଶ
ମିଳିଲେ କକୟା ପାଶ
ଚରଣେ ଚରଣ ଭାଗବତ, ‘‘କି ଆଜ୍ଞା ହେଉ ଗୋ ମାତ’’ ।୩୩।
‘‘ରାମ ! ଅଙ୍ଗୁ ଅଳଙ୍କାର କାଢ଼
ବ୍ରହ୍ମଚାରୀ ବେଶ ଲୋଡ଼
ସହିବ ବରଷା ଜାଡ଼, ନୃପତି ପଣ ନ ଲୋଡ଼ ।୩୪।
‘‘ଚଉଦ ବରଷ ଯାଏ
ମୋ ପୁତ୍ର ହୁଅନ୍ତୁ ରାୟେ
ବନକୁ ଯାଅ ତନୟେ, ଆସି କରିବ ଉପାୟେ’’ ।୩୫।
ମଣିମା ମଣି ଅନନ୍ତ
ଆନନ୍ଦ ହୃଦୟ ଗତ
କପଟେ ଭ୍ୟାଇଲେ ଶୋକ, ଧନୁର୍ଯ୍ୟ କରିବେ ହସ୍ତ ।୩୬।
ନିଜ ଜନନୀ ଭୁବନ
ପ୍ରବେଶ ରଘୁନନ୍ଦନ
‘‘ମାୟେ ମୋତେ କୋଡ଼ରେ ଘେନ, କହିବି ଦିବ୍ୟ ବଚନ ।୩୭।
‘‘ଭାଜିଲା ଆମ୍ଭ ଅଭିଷେକ
ଅରଣ୍ୟେ କରିବୁଁ ବାସ
ଆଜ୍ଞା ଦେଲେ ସାନମାତ, ପାଳିବୁଁ ପିତାଙ୍କ ସତ୍ୟ ।୩୮।
‘‘ଚଉଦ ବରଷ ଯିବୁଁ
ଆସି ଛତ୍ର ଟେକାଇବୁଁ
ସଂସାରେ କୀର୍ତ୍ତି ରଖିବୁଁ, ପିତାଙ୍କ ସୁପୁତ୍ର ହେବୁଁ’’ ।୩୯।
ମାୟେ ଗଲେ ମୂର୍ଚ୍ଛାଗତ
ଭୂମିରେ ପଡ଼ିଲେ ଲୋଥ
‘‘ଗୁଣମଣି ରଘୁନାଥ, କି କର୍ମ କଲେ ତୋ ପିତ ।୪୦।
‘‘ତୁ ମୋର ଜୀବଜୀବନ
ଆଉ ନାହିଁ ରେ ନନ୍ଦନ
‘ଜନକ ନନ୍ଦିନୀ’ ‘ରାମ’, କରିଛି ବେନି ନୟନ ।୪୧।
‘‘ରାଜ୍ୟ ନ୍ୟନ୍ତୁ ବେନି ଭାଇ
ପରଦେଶେ ଯିବି ପଳାଇ
ଖୁଆଇବି ଭିକ୍ଷା ମଗାଇ, ବନକୁ ନ ଯା ରେ ତୁହି’’ ।୪୨।
ଲକ୍ଷ୍ମଣ ଜନନୀ ହକାରି
ରାମ କହନ୍ତି ବିନୟ କରି
‘‘ ‘ମାଉଁ’ ! ରଖିବଟି ବୋଧ କରି, ସେ ଆମ ଅଟନ୍ତି ଟି ଗର୍ଭଧାରୀ’’ ।।
ଲକ୍ଷ୍ମଣ ଜନନୀ ଭାଷ-
‘‘ଶୁଣ ହେ ସୂର୍ଯ୍ୟବଂଶ ।
ଯେତେକାଳେ ଦୁଃଖ ଶେଷ, ଶ୍ରୀ ପଦ୍ମଚରଣେ ଆଶ ।୪୪।
ଯାଅ ବାବୁ ବେଗ ହୋଇ
ନ ଜାଣୁ ଚନ୍ଦ୍ରମାମୁହିଁ
ଶୁଭେ ଯାଇ ଲେଉଟି ଆସ, ଦୁଇଗୋଟି ଭାଇ’’ ।୪୫।
ଧରି ରାମଚନ୍ଦ୍ର କର
ବୋଲନ୍ତି ଲକ୍ଷ୍ମଣ ବୀର
‘ଭୋଦେବ ! ଯିବି ସଙ୍ଗର, ଧନୁର୍ଯ୍ୟ ଦାସ ତୁମ୍ଭର ।୪୬।
‘କହୁଅଛି ଏବେ ସତେ
ତୁ ଯେବେ ମୂର୍ଚ୍ଛିବୁ ମୋତେ
ମରିବି ଆତ୍ମାଘାତକେ, ନୋହିଲେ ନିଅ ସଂଗତେ’ ।୪୭।
ରାମ ସୀତାପୁରେ ମିଳି
ନୟନୁ ଲୋତକ ଗାଳି
ସଜାଡ଼ି ହୋଇ ବସିଛନ୍ତି, ଜନକରାଜ ଦୁଲାଳୀ ।୪୮।
‘ଚନ୍ଦ୍ରମାମୁଖି ଗୋ ଆସ
ମୋହର ସନ୍ନିଧେ ବସ
ଅଦିନେ ଭାଜିଲା ବାସ, ମୁଖ ଗୋ ନୋହୁ ବିରସ ।୪୯।
‘ଶାଶୁଙ୍କ ସନ୍ନିଧେ ଥାଅ
ଆକୁଳ ନ କର ଦିହ
ବିପତ୍ତିରେ ଦମ୍ଭ ହୁଅ, ସୁଲେଖି ନ କାଢ଼ ଲୁହ’ ।୫୦।
‘‘ତୁମ୍ଭେ ହେ ରାଜ ଠାକୁର
କଷ୍ଟ ସହିବ ଶରୀର
ତିରୀ ଛାର ଦୁଃଖ ଲୋଡ଼, ମୋ ପ୍ରଭୁ ବିବେକ କର’’ ।୫୧।
‘‘ତୁମ୍ଭେ ହେ ଜନକ ଯେମା
ସକଳ ଗୁଣେ ଉପମା
କେମନ୍ତେ ସହିବ ବାମା, ତହିଁକି ଦେଲ ଉପମା ?୫୨।
ରାମ ହାତେ ଖଡ୍ଗ ବର
ସୀତୟା ବୋଲେ ଉତ୍ତର-
‘ଗଳା ମୋ ଛେଦନ କର, ବନକୁ ଯାଅ ହେ ବୀର’ ।୫୩।
ରାମ ହାତେ ଖଡ଼୍ଗ ଧରି
ଆଗରେ ଚଲାଇ ନାରୀ
ଆପେ ଲକ୍ଷ୍ମଣ ଅନୁସରି, ଗଲେଟି ବିଜୟ କରି ।୫୪।
ଘର ଗ୍ରାମ ଛାଡ଼ି ଲୋକେ
ଗୋଡ଼ାନ୍ତି ବୃଦ୍ଧ ବାଳକେ
ବଶିଷ୍ଠ ବଶିଷ୍ଠ ରଥେ, ଗୋଡ଼ାନ୍ତି ରାମ ସଂଗତେ ।୫୫।
ଗ୍ରାମ ଲୋକେ ବାହୁଡ଼ି ଅଇଲେ
ଯେ ଯାହା ପୁରେ ରହିଲେ
କଉଶଲ୍ୟା ଆକୁଳ ହେଲେ, ଦଶରଥ ଦେହ ଛାଡ଼ିଲେ ।୫୬।
ଭ୍ରଥ ଶତ୍ରୁଘନ ବୀର
ସେ ଥିଲେ ମଉଳା ଘର
ବାଟରେ ଆସି ଭେଟିଲେ, ଶ୍ରୀରାମ ଠାକୁର ।୫୭।
‘‘ନାଥ ହେ ! ଘେନ ଘେନ ବିନତି ମୋର
ଧିକ ଧିକ ଜନନୀ ଆମ୍ଭର ମୁଖ ନ ଚାହିଁବୁ ତାର’’ ।୫୮।
ରାମ ହେଲେ ହସ ହସ-
‘‘ଭ୍ରଥ ତୁ ରାଜ୍ୟରେ ବସ
ତୋ ଜନନୀ ମୁଖ ହରଷ, କେବେହେଁ ନୋହୁ ବିରସ’’ ।୫୯।
‘‘ଭ୍ରଥ ଶତ୍ରୁଘନ ଭାଇ
ଆମେ ଯିବୁଁ ତପସ୍ୟା ବାହି
ଅରାଜକ ହେବ ମହୀ, କି ଆଜ୍ଞା ହେଉ ଗୋସାଇଁ’’ ? ୬୦।
‘‘ଆମ୍ଭର ପାଦୁକା ନିଅ
ଥାପନା କରିଣ ଥୁଅ
ବିପତ୍ତିରେ ଦମ୍ଭ ହୁଅ, ଆକୁଳ ନ କର ଦିହ’’ ।୬୧।
ରାମ ଲକ୍ଷ୍ମଣ ଚଳିଗଲେ
ଦେବତା ମାନ ଦେଖିଲେ
ଜୟ ଶଙ୍ଖଧ୍ୱନି ଦେଲେ, ଇନ୍ଦ୍ରହିଁ ପୁଷ୍ପ ବୃଷ୍ଟି କଲେ ।୬୨।
ଲକ୍ଷ୍ମୀ ଘେନି ନାରାୟଣ
ସଙ୍ଗରେ ଭାଇ ଲକ୍ଷ୍ମଣ
ପତ୍ର କୁଡ଼ିଆ ଦିଶେ ତତକ୍ଷଣ, ବିଜୟେ କଲେ ତିନିଜଣ ।୬୩।
ମୃଗୟା କରନ୍ତି ଭାଇ
ଫଳମୂଳ ଆଣନ୍ତି ଭ୍ୟାଇ
ରାମ ସୀତା କଲେ ମଣୋହିଁ, ରହିଲେ ନିଶ୍ଚିନ୍ତ ହୋଇ ।୬୪।
ଆହୁରି ରୂପେ ସାଧିବି
ଯିବିଟି ବଲ୍ଲଭି ଘର
ଯିବିଟି ବନ୍ଧ ପକାଇ, ଛେଦି ଆଣିବି ଦଶଶିର ।୬୫।
ଦଶଶିର ଛେଦି ଆଣିବି
ବନରୁ ବାହାର ହେବି
ବନରୁ ବାହାର ହେଲେ, ରାଜ୍ୟେ ଅଭିଷେକ ହେବି ।୬୬।
(ନରସିଂହପୁର)
ପାହିଲା ରଜନୀ ମାଗୋ ଅସ୍ତ ଗଲେ ଶଶୀ
ଦଶରଥେ ଡାକୁଛନ୍ତି ଉଠ ରଘୁବଂଶୀ ।୧।
ଉଠ ଉଠ ସୀତା ମାଗୋ ଜନକର ଝିଅ
ଅଯୋଧ୍ୟାକୁ ଯିବା ମାଗୋ ବେଗେ ସଜ ହୁଅ ।୨।
ମଥା ପାଗ ଭିଡ଼ି ରାମ ମୁକୁଟ ଖଞ୍ଜନ୍ତି
ଅର୍ଘ୍ୟଥାଳି ଧରି ମାୟେ ଘରୁ ବାହାରନ୍ତି ।୩।
ଅର୍ଘ୍ୟ ଥାଳି ଘେନି ମାୟେ ଘରୁ ଯେ ବାହାର
ମୁକୁତା ତରୁଣୀ ଲୁହ ବୁହେ ଝର ଝର ।୪।
ମୁହିଁ ତ କାନ୍ଦିଲେ ମୋର ସୀତୟା କାନ୍ଦିବ
ଚନ୍ଦ୍ରମାବଦନୀ ମୁଖ ମଳିନ ଦିଶିବ ।୫।
ଶୋକ କରି ଜନନୀ ଯେ ତିଆରନ୍ତି ବାଣୀ
ପାଞ୍ଚବରଷ କଲି ପ୍ରାଣର ଦୁଲଣୀ ।୬।
ସାତ ବରଷ ଦିନୁଁ କରିଥିଲି ଚିନ୍ତା
ରାତ୍ର ମୋତେ ନିଦ ନାହିଁ ଅନ୍ନ ବିଷିପିତା ।୭।
ବାର ବରଷ କରି ନୋହିଲି ଲୋ କିଛି
କୁଶରେ ବିଟାଳି ରାମ ଘେନି ଯାଉଅଛି ।୮।
ମାତାଦେବୀ କହୁଛନ୍ତି ସୀତା ମୁଖ ଚାହିଁ
ଥିବୁଟି ଲୋ ସୀତା ମୋର ଅଯୋଧ୍ୟାରେ ଯାଇ ।୯।
ବେଦୀ ଚାରିପାଖ ବାପା ଢାଳି ଦେଲେ ଘିଅ
ଚାରିଶଙ୍ଖ ଦେଇ ମାଏ ସମର୍ପିଲେ ଝିଅ ।୧୦।
ହାତୀ ଦେଲି ଛତି ଦେଲି ଝିଅ ଦେଲି ଯେମା
ରାଇଜରୁ ଅଧେ ଦେଲି ଦୋଷ କର କ୍ଷମା ।୧୧।
ହତୀ ଦେଲି ଛତି ଦେଲି ଝିଅ ଦେଲି ଯେମା
କିଛି ଦେଇନାହିଁ ବାବୁ ଦୋଷ କର କ୍ଷମା ।୧୨।
ତୁମେ ଆମେ ସୀତା ମାଗୋ ଅଯୋଧ୍ୟାକୁ ଯିବା
ଏକା କାଠି ମାଢ଼େ ବସି ଶକଟା ଖେଳିବା ।୧୩।
ତ୍ରିବନ୍ଦି ବନ୍ଦେଇ ରାମ ଶକଟା କାଟନ୍ତି
କୋଟି ନେତ୍ର ପାଟ ମାଗୋ ଅବଶ୍ୟ ପିନ୍ଧନ୍ତି ।୧୪।
ବାଜିଲା ଟମକ ଢୋଲ ବାଇଦ ନିଶାଣ
ଅଯୋଧ୍ୟାକୁ ବିଜେ କଲେ ଲକ୍ଷ୍ମୀନାରାୟଣ ।୧୫।
ଅଯୋଧ୍ୟା କଟକେ ଯାଇ ହୋଇଲେ ପ୍ରବେଶ
ଗୀତରେ ଭଣିଲେ ଏହା ବଳରାମ ଦାସ ।୧୬।
ଭଜୁ କିନା ରାମ ନାମରେ କୁମର ଭଜୁ କିନା ରାମ ନାମ
ଭଜି ନ ପାରିଲେ ଗୋବିନ୍ଦଚନ୍ଦ୍ରରେ ବାନ୍ଧିନେବ କାଳଯମ ।୧।
ଏକାଳର ଯମ ବଡ଼ ନିଦାରୁଣ ନ ଜାଣଇ ଦୁଃଖ ସୁଖ
ବାଛିନେବ କଞ୍ଚା ରଖିବ ପାଚଲା ଦେବଟି ଦାରୁଣ ଦୁଃଖ ।୨।
‘ସଂସାର ସୁଲଭ ଦେଖ ଲୋ ଜନନୀ ପୁତ୍ର ଅଟେ ବଡ଼ ଧନ
‘ଯୋଉ ନାରୀ କୋଡ଼େ ପୁତ୍ର ନାହିଁ ମାତ ବିଅର୍ଥ ତାର ଜୀବନ ।୩।
‘ଯୋଉ ନାରୀ କୋଡ଼େ ପୁତ୍ରଇ ନାହିଁ ସେ ତା ଠାରୁ ପାତକୀ ନାହିଁ ।’
ପୁତ୍ର ନ ହେଲାକୁ ଗୋବିନ୍ଦଚନ୍ଦ୍ରରେ ମୋତେ କଲେ ନିମଦୋହି ।୪।
ମତେ ଘର ଖଣ୍ଡେ ତୋଳାଇ ଦେଲେ ରେ ଘୋଡ଼ା ପାଇକାରେ ନେଇ
ଚାଉଳ ମାଣକ କଉଡ଼ି ପଣକ ଖଞ୍ଜା କରିଦେଲେ ତହିଁ ।୫।
ଚାଉଳ ମାଣକ କଉଡ଼ି ପଣକ ଚାରିଭାଗ ମୁଁ କରଇ
ପ୍ରଭାତ କାଳରେ ଈଶ୍ୱର ଥାଳରେ ଦାନ ପୁଣ୍ୟ ମୁଁ ଦିଅଇ ।୬।
ତହିଁରୁ ଭାଗକ ଗୋବିନ୍ଦଚନ୍ଦ୍ରରେ ବ୍ରାହ୍ମଣ ବୈଷ୍ଣବ ଦେଇ
ତହିଁରୁ ଭାଗକ ଗୋବିନ୍ଦଚନ୍ଦ୍ରରେ ସାଙ୍ଗପୋଇଲିକୁ ଦେଇ ।୭।
ଜ୍ୟେଷ୍ଠଭାଗ ବଳା ଯେତେକ ହୁଅଇ ଗର୍ଭକୁ ମୁହିଁ କ୍ଷେପଇ ।୮।
ଏହିମତି ବଳା ଗୋବିନ୍ଦଚନ୍ଦ୍ରରେ ଏଗାର ବରଷ ଦେଲେ
ବାର ବରଷଇ ପଶନ୍ତେ ରାଜନ ସେରକଇ କୋଠ କଲେ ।୯।
ଅନ୍ନର ବିହୁନେ ଗୋବିନ୍ଦଚନ୍ଦ୍ରରେ ଉଠିବସି ନ ପାରଇ
ବସ୍ତ୍ରର ବିହୁନେ ଗୋବିନ୍ଦଚନ୍ଦ୍ରରେ ଘରୁ ବାହାର ନୁହଇ ।୧୦।
କୁଙ୍କୁମ ବିହୁନେ ଗୋବିନ୍ଦଚନ୍ଦ୍ରରେ ଦିହରୁ ଉଡ଼ଇ ଧୂଳି
ତଇଳ ବିହୁନେ ଗୋବିନ୍ଦଚନ୍ଦ୍ରରେ କେଶ ଉଡ଼େ ଫିରି ଫିରି ।୧୧।
ଅତି ସୁକୁମାରୀ ରାଜାର କୁମାରୀ ଦୁଃଖ ସହି ନ ପାରିଲି
ମାତା ପିତାଙ୍କର ରାଜ୍ୟକୁ ବୋଲି ମୁଁ ଡଗରକୁ ପେଶି ଦେଲି ।୧୨।
ବୋଇଲି ଡଗର, ବୋଇଲି ସୁବୁଦ୍ଧି, ଆଜ୍ଞା ପ୍ରମାଣରେ ଯିବୁ
ପିତା ବସିଥିବେ ଲାଉଚନ୍ଦ୍ର ରାଜା ଶୁଭ ବାରତା କହିବୁ ।୧୩।
ମାତା ବସିଥିବେ ମଉନା ସୁନ୍ଦରୀ ଦୁଃଖଯାକ ଜଣାଇବୁ ।୧୪।
ତାହା ଶୁଣି କରି ସୁବୁଦ୍ଧି ଡଗର ଆଜ୍ଞା ପ୍ରାମଣରେ ଗଲା
ପିତା ବସିଥିଲେ ଲାଉଚନ୍ଦ୍ର ରାଜା ଶୁଭ ବାରତା କହିଲା ।୧୫।
ମାତା ବସିଥିଲେ ମଉନା ସୁନ୍ଦରୀ ଦୁଃଖଯାକ ଜଣାଇଲା ।୧୬।
ତାହା ଶୁଣିକରି ଗର୍ଭଧାରୀ ମାତା ବଚନ ହିଁ ପଚାରଇ
ରଜାର ଘରକୁ କିସ ନ ମିଳଇ ଝିଅ କିପାଁ ଦୁଃଖ ପାଇ ।୧୭।
ଯୋଉ ଝିଅ ତୁମେ ବିଭା କରିଥିଲ ବଙ୍ଗ ବଜାରରେ ନେଇ
ସେହି ଝିଅ ଏବେ ଦୁଃଖ ପାଉଛନ୍ତି ଘୋଡ଼ା ପାଇକାରେ ଥାଇ ।୧୮।
ତୁମ୍ଭର ନନ୍ଦିନୀ ଗୋଟି ଗୋଟି କରି ସାତ ପୁତ୍ର ଜାତ କଲେ
କର୍ମ ଅବଳକୁ ଗୋଟି ଗୋଟି ହୋଇ ସାତ ପୁତ୍ରଯାକ ମଲେ ।୧୯।
ଅପୁତ୍ରିକା ମୁଖ ନ ଚାହିଁବେ ବୋଲି ରଜା ନିମଦୋହି କଲେ ।୨୦।
ତାହା ଶୁଣି କରି ଗର୍ଭଧାରୀ ମାତା ବହୁତ ରୋଦନ କଲେ
ଲକ୍ଷେମାଢ଼ ଥିଲା ସୁବର୍ଣ୍ଣ ଖଣ୍ଡିଏ ଡଗର ହସ୍ତକୁ ଦେଲେ ।୨୧।
ସେହି ସୁବର୍ଣ୍ଣକୁ ଧରିଣ ବଳାରେ ବଙ୍ଗ ବଜାରକୁ ଗଲି
ଅନେଶ୍ୱତ ଧାନ ଭରଣ ବଳା ରେ ତହୁଁ ଭଙ୍ଗେଇ ଆଣିଲି ।୨୨।
ତୋହରି ପିତା ନଗରକୁ ଚାହିଁ ବେନି ନଗର ତୋଳିଲି
ଅଠର ଗଣ୍ଡା ଦିଓଟି ଗୋବିନ୍ଦଚନ୍ଦ୍ର ରେ ପାଇକ ମୁଁ ଜଗେଇଲି ।୨୩।
ଅନେଶ୍ୱତ ଗଣ୍ଡା ଗୋବିନ୍ଦଚନ୍ଦ୍ର ରେ ପୋଇଲି ପରିବାରି ରଖାଇଲି
ଅନ୍ନଜଳ ପାଣି ଖାଇଣ ବଳାରେ ନିଶ୍ଚିନ୍ତ ହୋଇ ରହିଲି ।୨୪।
ଏକ ଦିନକର ତୋହରି ପିତାରେ ଦାନ୍ତୁଆଣି କଲାବେଳେ
ଶୁକସାରୀ ରବ ଶୁଣିକରି ରାଜା ଡଗରକୁ ପଚାରିଲେ ।୨୫।
ବୋଇଲେ ଡଗର ବୋଇଲେ ସୁବୁଦ୍ଧି ଆଜ୍ଞା ପ୍ରମାଣରେ ଯିବୁ
ମୋହ ସମାନେ କେ ନଗର ତୋଳିଲା ତା’ ବାଳ ଧରି ଆଣିବୁ ।୨୬।
ତାହା ଶୁଣିକରି ସୁବୁଦ୍ଧି ଡଗର କରପତ୍ର ଯୋଡ଼ି କହି
ଯୋଉ ରାଣୀ ତୁମେ ନିମଦୋହି କଲ ନଗ୍ର ତୋଳିଛନ୍ତି ସେହି ।୨୭।
ତାହା ଶୁଣିକରି ତୋହରି ପିତା ରେ ବେଗେ ଦାନ୍ତୁଆଣି କଲେ
ସୁବର୍ଣ୍ଣ କଠୋଉ ପାଦେ ମାଡ଼ିକରି ମୋହ ପୁରେ ବିଜେ କଲେ ।୨୮।
ମୋହ ପୁରେ ବିଜେ କରନ୍ତେ ରାଜନ ଯୋଗଧ୍ୟାନରେ ଜାଣିଲି
ସୁବର୍ଣ୍ଣ ଝରିରେ ନୀର ଘେନିକରି ସିଂହଦ୍ୱାର ଯାଏ ଗଲି ।୨୯।
ଡାହାଣ ଗୋଡ଼କୁ ଧୋଇଣ ବଳାରେ ଶିରରେ ନିଉତି ହେଲି
ବାମ ଗୋଡ଼କୁ ଧୋଇଣ ବଳା ରେ ଗର୍ଭକୁ ମୁହିଁ କ୍ଷେପିଲି ।୩୦।
ଆହା ସ୍ୱାମୀ ବୋଲି ଆହା ସ୍ୱାମୀ ବୋଲି ବହୁତ ରୋଦନ କଲି ।୩୧।
ସେତେବେଳେ ଏକା ଗୋବିନ୍ଦଚନ୍ଦ୍ରରେ ତୋ ପିତା ପଚାରିଲେ ମୋତେ
କେମନ୍ତେ ଗୋ ରାଣୀ ନଗର ତୋଳିଲ ତୁରିତେ ତା କହ ମୋତେ ।୩୨।
ଅତି ସୁକୁମାରୀ ରାଜାର କୁମାରୀ ଦୁଃଖ ସହି ନ ପାରିଲି
ମାତାପିତାଙ୍କର ରାଜ୍ୟକୁ ବୋଲି ମୁଁ ଡଗରକୁ ପେଷିଦେଲି ।୩୩।
ମାତାପିତା ଦେଲେ ସୁବର୍ଣ୍ଣ ଖଣ୍ଡିଏ ତହିଁ ନଗର ତୋଳିଲି ।୩୪।
ତାହା ଶୁଣିକରି ତୋହରି ପିତା ରେ ହରଷଇ ମନ କଲେ
ସବୁ ରାଣୀ ରଜା ପଛ କରିଦେଇ ମୋତେ ପାଟରାଣୀ କଲେ ।୩୫।
(ମୂଳ ରଚନା-ଖଣ୍ଡପଡ଼ା)
କାଠିଆ କଦଳୀ ଫେଣିକି ପାଚେ, |
ହେ ନୂଆବୋହୂ |
ବଡ଼ନନା ଡାକ ଶିରରେ ନାଚେ, |
ହେ ନୂଆବୋହୂ ।୧। |
ଆଳୁ ପତରିଆ ମହତାପାନ, |
ହେ ନୂଆବୋହୂ |
ଆଉ କି ଦେଖିବି ଜନମଥାନ, |
ହେ ନୂଆବୋହୂ ।୨। |
ନୂଆ ଖଡ଼ଖଡ଼ି ଛଅ ଗଉଡ଼, |
ହେ ନୂଆବୋହୂ |
ନନା ବିଜେ କଲେ କନକା ଗଡ଼, |
ହେ ନୂଆବୋହୂ ।୩। |
ଚକୁଳି ପିଠା ତ ଅଣ ଲେଉଟା, |
ହେ ନୂଆବୋହୂ |
ଆଉ କି ଦେଖିବି ଜନମ କୋଠା, |
ହେ ନୂଆବୋହୂ ।୪। |
ଆକାଶ କଇଁଆ ଚିଲିକା ମାଛ, |
ହେ ନୂଆବୋହୂ |
କାହିଁକି ପାଞ୍ଚିବି ଅପାଞ୍ଚ ପାଞ୍ଚ, |
ହେ ନୂଆବୋହୂ ।୫। |
ରାବଣ ଭଗାରି ସୀତାଙ୍କ ପାଇଁ, |
ହେ ନୂଆବୋହୂ |
ଶାଶୁଘର ହେଲା ମୋହରି ପାଇଁ, |
ହେ ନୂଆବୋହୂ ।୬। |
ବେକ ଚିନାମାଳୀ ହୋଇଲା ସଲ, |
ହେ ନୂଆବୋହୂ |
ସାନ ନନା ହେଲେ କେଡ଼େ ଅଭଲ, |
ହେ ନୂଆବୋହୂ ।୭। |
ପର୍ବତ ଶିଖରେ ପୋତିଲେ ମଞ୍ଜି, |
ହେ ନୂଆବୋହୂ |
ପଦ୍ମ ପାଖୁଡ଼ାରେ ଦିହକ ଗଞ୍ଜି, |
ହେ ନୂଆବୋହୂ ।୮। |
ଗୋଖର ସାପର ବିଷ ଝଡ଼ିଛି, |
ହେ ନୂଆବୋହୂ |
ମନେ ପଡ଼ିଗଲେ ଛାତି ଫାଟୁଛି, |
ହେ ନୂଆବୋହୂ ।୯। |
କୋଇଲି ବୋବାଏ ଶାରଙ୍ଗ ବଣେ, |
ହେ ନୂଆବୋହୂ |
ସୀତା ବନ୍ଦି ହେଲେ ଅଶୋକ ବନେ, |
ହେ ନୂଆବୋହୂ ।୧୦। |
ଅଯୋଧ୍ୟା ଫେରିବାକୁ ହୋଇଛି ମନା, |
ହେ ନୂଆବୋହୂ |
ଲଙ୍କାଗଡ଼େ ବନ୍ଦି ଜନକଯେମା, |
ହେ ନୂଆବୋହୂ ।୧୧। |
(କଟକ-କନିକା) |
|
ବାପା ବସିଥିଲେ ଗମ୍ଭୀରୀ ଘରେ, |
ବୋଉ କିଲୋ |
ଟଙ୍କା ପହଞ୍ଚିଲା ଦି’ପହରେ, |
ବୋଉ କିଲୋ ।୧। |
ମୋହର ଯେମନ୍ତ ନିଶ୍ୱାସ ଥିବ, |
ବୋଉ କିଲୋ |
ଟଙ୍କା ବାରବୋଡ଼ ଅଙ୍ଗାର ହେବ, |
ବୋଉ କିଲୋ ।୨। |
ଢିଙ୍କି ପେଟତଳେ କାଣ୍ଡିଆ କୁଣ୍ଡା, |
ବୋଉ କିଲୋ |
ବେଦୀରେ ବସିଚି ଚଟୁଆ ମୁଣ୍ଡା, |
ବୋଉ କିଲୋ ।୩। |
ଦୋଳ ମୁକୁଟ ହୋଇ ଅଇଲା ବେଳେ, |
ବୋଉ କିଲୋ |
ଆଣ୍ଠୁମାଡ଼ି ବୁଢ଼ା ପଡ଼ିଲା ତଳେ, |
ବୋଉ କିଲୋ ।୪। |
ବାପା ବସିଥିଲେ ବେଦୀ ଉପରେ, |
ବୋଉ କିଲୋ |
ଜଡ଼ା ଡାଙ୍ଗେ କାନ ଫୁଙ୍କିଲେ ଖରେ, |
ବୋଉ କିଲୋ ।୫। |
ଦାନ୍ତ ନାହିଁ ବୁଢ଼ା ପାକୁଆ ପାଟି, |
ବୋଉ କିଲୋ |
ବେଦିରେ ବସିଛି ଆଖି ତରାଟି, |
ବୋଉ କିଲୋ ।୬। |
ପର୍ବତ ଶିଖରେ ପାଚିଚି ବେଲ, |
ବୋଉ କିଲୋ |
ତୋତେ ଲାଜ ନାହିଁ |
|
ଯାହା ବୁଢ଼ା ମୁଣ୍ଡେ ନେଇ ଖଞ୍ଜିଲୁ ଫୁଲ, |
ବୋଉ କିଲୋ ।୭। |
ତିଳେ ଲାଜ ନାହିଁ ସେ ବୁଢ଼ା ମୁଖେ, |
ବୋଉ କିଲୋ |
ବିଭା ହେବ ବୋଲି ବେଦିରେ ବସିଛି |
|
କେମନ୍ତେ ବଳଦ ବାନ୍ଧିଛି ପାଖେ, |
ବୋଉ କିଲୋ ।୮। |
(ନରସିଂହପୁର) |
|
ପକ୍ୱରମ୍ଭା ଘୃଷ୍ଟି ମୁଖେ ଥୋଇଲ, |
ହେ ବାପା |
କର୍ପୂର କନାକୁ ପଙ୍କେ ମାଡ଼ିଲ, |
ହେ ବାପା ।୧। |
କାବତା ଯେମନ୍ତ ବନେ ଝୁରଇ, |
ହେ ବାପା |
ମୁଁ ତୁମକୁ ତେହ୍ନେ ଝୁରି ମରିବି, |
ହେ ବାପା ।୨। |
ଶାଳଗ୍ରାମ କୀଟ କାଟିଲା ପରି, |
ହେ ବାପା |
ମତେ ତ କାଟିବେ ସେହି ସେପରି, |
ହେ ବାପା ।୩। |
(ଆଠଗଡ଼) |
|
ମୋର ଧୂଳିଘର ଖେଳ ସରି ନ ଥିଲା, ଲୋ |
ମୋ ବୋଉ |
ମୋହଲାଗି ଯମ ଜଉଶାଳ କିଏ ଖଞ୍ଜିଲା, ଲୋ |
ମୋ ବୋଉ ।୧। |
ଲୁହା ଜନ୍ମ ଛୁଞ୍ଚିମୁନେ ସରିଛି, ଲୋ |
ମୋ ଖୁଡ଼ି |
ମୋର ଝିଅ ଜନ୍ମ ଏବେ ସରି ଯାଉଛି, ଲୋ |
ମୋ ଖୁଡ଼ି ।୨। |
ମେଘ ଟାଣପଣ ପବନ ଭାଙ୍ଗଇ ଲୋ, |
ମୋ ମାଆମାନେ |
ମୋ ଟାଣ ଭାଙ୍ଗିଲେ ମୋ ବାପ ଭାଇ, ଲୋ |
ମୋ ମାଆମାନେ ।୩। |
ମୋର ଶାନ୍ତିର ଦିନତ ସରି ଯାଉଛି, ଗୋ |
ମୋ ଅପା |
ଏବେ ଅଶାନ୍ତିର ଦିନ ମାଡ଼ି ଆସୁଛି, ଗୋ |
ମୋ ଅପା ।୪। |
ମୁଁ ତ ନନ୍ଦନ କାନନେ ପାରିଜାତ ଥିଲି, ଗୋ |
ମୋ ଅପା |
ହସି ଖେଳି ଦିନ କଟାଉଥିଲି, ଗୋ |
ମୋ ଅପା ।୫। |
ଏବେ ପିଞ୍ଜରା ଭିତରେ ଶୁଖି ମରିବି, ଲୋ |
ମୋ ବୋଉ, |
ଚିରଦିନ ଲାଗି ଆବଦ୍ଧ ହେବି, ଲୋ |
ମୋ ବୋଉ ।୬। |
ଋଷି ତପସ୍ୟା କରି ଉଇହୁଙ୍କା ହେଲେ, ଲୋ |
ମୋ ଖୁଡ଼ି |
ସେ ତ ହରିଙ୍କ ଦର୍ଶନ ନ ପାଇଲେ, ଲୋ |
ମୋ ଖୁଡ଼ି ।୭। |
ମୁଁ ତ ସେହିପରି ମାଟିରେ ମିଶିବି, ଲୋ |
ମୋ ଖୁଡ଼ି |
ତୁମ ସବୁଙ୍କ ଚରଣ ଦର୍ଶନ ନ ପାଇବି, ଲୋ |
ମୋ ଖୁଡ଼ି ।୮। |
ମଲେ ତ ରହିବି ବସୁଧା ତଳେ, ଲୋ |
ମୋ ଖୁଡ଼ି |
ଥିଲେ ତ ରହିବି ସେ ଯମପୁରେ, ଲୋ |
ମୋ ଖୁଡ଼ି ।୯। |
କୃଷ୍ଣ ମାୟା କଲେ ଗୋପୀଙ୍କ ପାଇଁ, ଲୋ |
ମୋ ବୋଉ |
ବାପା ମାୟା କଲେ ମୋହରି ପାଇଁ, ଲୋ |
ମୋ ବୋଉ ।୧୦। |
ମୋ ଲାଗି ରାତିରେ ନିଦ ନ ଥିଲା, ଲୋ |
ମୋ ବୋଉ |
ଦିନରେ ତ ଭୋକ ହେଉ ନ ଥିଲା, ଲୋ |
ମୋ ବୋଉ ।୧୧। |
କେଉଁ ଦୂର ରାଜ୍ୟେ ମୋତେ ପେଷିବୁ, ଲୋ |
ମୋ ବୋଉ |
ଏବେ ଅଚିନ୍ତାରେ ଦିନ କାଟିବୁ, ଲୋ |
ମୋ ବୋଉ ।୧୨। |
ଫୁଲ ଶୁଖିଗଲେ ମାଳିକି ଚିନ୍ତା ଲୋ |
ମୋ ବୋଉ |
ମୋ ମୁହଁ ଶୁଖିଲେ ତୋହର ଚିନ୍ତା, ଲୋ |
ମୋ ବୋଉ ।୧୩। |
ଭୋକିଲା ପେଟ ମୋ ଦେଖୁ ନ ଥିଲୁ, ଲୋ |
ମୋ ବୋଉ |
ଶୁଖିଲା ମୁହଁ ମୋ ଚାହୁଁ ନ ଥିଲୁ, ଲୋ |
ମୋ ବୋଉ ।୧୪। |
ଦିବସ ରଜନୀ ମୋ ଲାଗି କରୁଥିଲୁ ଚିନ୍ତା, ଲୋ |
ମୋ ବୋଉ |
ଏବେ ସବୁ ଦିନ ଲାଗି ହେବୁ ଅଚିନ୍ତା, ଲୋ |
ମୋ ବୋଉ ।୧୫। |
ଦାରୁ ସିନା ସହେ କରତ ଧାର, ଲୋ |
ମୋ ବୋଉ |
ଦୂବ କି ସହିବ କରତ ଭାର, ଲୋ |
ମୋ ବୋଉ ।୧୬। |
ପାଳଧୁଆ କାଠେ କରତ ଘାଆ, ଲୋ |
ମୋ ବୋଉ |
ଝର ଝର ଝରି ପଡ଼ଇ ତାହା, ଲୋ |
ମୋ ବୋଉ ।୧୭। |
ତୋର କଅଁଳ ବଚନେ ମୁଁ ବଢ଼ିଥିଲି, ଲୋ |
ମୋ ବୋଉ |
ପରଙ୍କ ନିଠୁର ବଚନେ ପଡ଼ିବି ଝରି, ଲୋ |
ମୋ ବୋଉ ।୧୮। |
ମାଛ ସିନା ଜାଣେ ଜଳ ଗହୀର, ଲୋ |
ମୋ ବୋଉ |
ତୁହି ସିନା ଜାଣୁ ମନ ମୋହର, ଲୋ |
ମୋ ବୋଉ ।୧୯। |
ତୁ ତ ପିଠି ଆଉଁସିଲେ ପେଟ ପୂରଇ, ଲୋ |
ମୋ ବୋଉ |
ପର ପିଠି ଆଉଁସିଲେ ଛାତି ଫାଟଇ, ଲୋ |
ମୋ ବୋଉ ।୨୦। |
(କନିଆଁ ହେବାଦିନ ପହିଲି କାନ୍ଦଣା, ପୁରୀ-ଖୁର୍ଦ୍ଧା) |
|
ମରିଗଲେ ନୂଆ ହାଣ୍ଡି ହୁଅଇ, ଲୋ |
ମୋ ବୋଉ |
ନୂଆ ଲୁଗା କିଣା ହୋଇ ଆସଇ, ଲୋ |
ମୋ ବୋଉ ।୧। |
ମୁହିଁ ତ ଜୀଇଛି ନେତ୍ରେ ଦେଖୁଚୁ, ଲୋ |
ମୋ ବୋଉ |
ନୂଆ ହାଣ୍ଡି ନୂଆ ଲୁଗା କରୁଚୁ, ଲୋ |
ମୋ ବୋଉ ।୨। |
ମଙ୍ଗଳ ବେଳରେ ମଙ୍ଗଳ କଥା, ଲୋ |
ମୋ ବୋଉ |
କିପାଁ କରୁ ଏଇ ଅମଙ୍ଗଳ କଥା, ଲୋ |
ମୋ ବୋଉ ।୩। |
ଜୀଇଲା ଗଛକୁ କାଟି ଦେଉଚୁ, ଲୋ |
ମୋ ବୋଉ |
ବଞ୍ଚିଥିଲା ଜୀବ ମାରି ଦେଉଚୁ, ଲୋ |
ମୋ ବୋଉ ।୪। |
ଜନମ ବେଳେ ଅନ୍ତୁଡ଼ି ଶାଳରୁ, ଲୋ |
ମୋ ବୋଉ |
ତଣ୍ଟି କାଟି ଯାହା ମାରି ନ ଦେଲୁ, ଲୋ |
ମୋ ବୋଉ ।୫। |
(ପୁରୀ-ଖୁର୍ଦ୍ଧା) |
|
ଯାହା ଅବାଟକୁ ବାଟ କରି ଚାଲିବ, ହେ |
ମୋ ଭାଇ |
ଅଦେଶକୁ ଦେଶ ମଣି ଆସିବ, ହେ |
ମୋ ଭାଇ ।୧। |
ତୁମ ପଦ୍ମପାଦ ଅତି ପବିତ୍ର, ହେ |
ମୋ ଭାଇ |
ଅପବିତ୍ର ରାଜ୍ୟ ହେବ ପବିତ୍ର, ହେ |
ମୋ ଭାଇ ।୨। |
ମରୁ ଭୂଇଁରେ ବୃକ୍ଷ ଥାପି ଆସିଲ, ହେ |
ମୋ ଭାଇ |
ପାଷାଣରେ ପଦ୍ମ ଚାରା ଥୋଇଲ, ହେ |
ମୋ ଭାଇ ।୩। |
(ପୁରୀ-ଖୁର୍ଦ୍ଧା) |
|
ଅଦେଶକୁ ଦେଶ କରି ଆସିଲ, ହେ |
ମୋ ଭାଇ |
ଅବାଟକୁ ବାଟ କରି ଫେରିଲ, ହେ |
ମୋ ଭାଇ ।୧। |
ଅପବିତ୍ର ରାଜ୍ୟ ହେଲା ପବିତ୍ର, ହେ |
ମୋ ଭାଇ |
ଅପାତ୍ରକୁ କଲ ତୁମେ ସୁପାତ୍ର, ହେ |
ମୋ ଭାଇ ।୨। |
ଅରଣ୍ୟରେ ଅଗ୍ନିକୁଣ୍ଡ ଖୋଳିଲ, ହେ |
ମୋ ଭାଇ |
ତା ଭିତରେ ମତେ ଆହୁତି ଦେଲ, ହେ |
ମୋ ଭାଇ ।୩। |
(ପୁରୀ-ଖୁର୍ଦ୍ଧା) |
|
ଯମଗଣମାନେ ମାଡ଼ି ଆସିଲେ, |
ହେ ନୂଆବୋହୂ |
ବିଷ୍ଣୁଗଣମାନେ ଆଡ଼େଇ ଗଲେ, |
ହେ ନୂଆବୋହୂ ।୧। |
କେତେ ପ୍ରକାରେ ତ ବାଜେ ବାଜଣା, |
ହେ ନୂଆବୋହୂ |
ଶୁଣି ଫାଟିଯାଏ ମୋ ଛାତି ସିନା, |
ହେ ନୂଆବୋହୂ ।୨। |
ଦ୍ରୌପଦୀଙ୍କ ଲାଗି ଦ୍ରୁପଦ ରାଜା, |
ହେ ନୂଆବୋହୂ |
ବରଣ କରାଇଲେ ଲକ୍ଷେକ ରାଜା, |
ହେ ନୂଆବୋହୂ ।୩। |
ଏବେ ମୋହଲାଗି ବାପ ଭାଇ ମୋର, |
ହେ ନୂଆବୋହୂ |
ବରି ଆଣିଛନ୍ତି ଲକ୍ଷେ ଅସୂର, |
ହେ ନୂଆବୋହୂ ।୪। |
ସପ୍ତୠଷି ଯେବେ ବରି ଥାଆନ୍ତେ, |
ହେ ନୂଆବୋହୂ |
ଶଙ୍ଖଚକ୍ର ଚିହ୍ନ ସିନା ପାଇ ଥାଆନ୍ତେ, |
ହେ ନୂଆବୋହୂ ।୫। |
ଜାରା ଶବରକୁ ଧରି ଆଣିଲେ, |
ହେ ନୂଆବୋହୂ |
ତାକୁ ଝାଡ଼ ଜଙ୍ଗଲରୁ ଆଣି କି ସୁଖ ପାଇଲେ, |
ହେ ନୂଆବୋହୂ ।୬। |
(ପୁରୀ-ଖୁର୍ଦ୍ଧା) |
|
ଭିକ୍ଷା ନେଉଅଛୁ ହାତ ପତାଇ ଲୋ, |
ମୋ ବୋଉ |
ଭିକ୍ଷା ଦେଉଛି ମୁଁ ତୋରେ କିପାଇଁ ଲୋ, |
ମୋ ବୋଉ ।୧। |
ସବୁ ସ୍ନେହ ଯାକ ଦେଲୁ ପାସୋରି ଲୋ, |
ମୋ ବୋଉ |
ଏଡ଼ିକି ପାଷାଣ ଦେହ ତୋହରି ଲୋ, |
ମୋ ବୋଉ ।୨। |
ଜନ୍ମ କରିଥିଲୁ ଝିଅ କାହିଁକି ଲୋ, |
ମୋ ବୋଉ |
ଦୟା ମାୟା ଟିକେ ତୋର ନାହିଁ କି ଲୋ, |
ମୋ ବୋଉ ।୩। |
ଏତେ କଲବଲ କରୁ କିପାଇଁ ଲୋ, |
ମୋ ବୋଉ |
ଶତ୍ରୁ ବୋଳି ଅବା ଦେଲୁ ଭସାଇ ଲୋ, |
ମୋ ବୋଉ ।୪। |
ଏବେ ମାଆ ହୃଦ ତୋର କେହ୍ନେ ସତ ବଳୁଛି ଲୋ, |
ମୋ ବୋଉ |
ଆଜିଠାରୁ ମୋର ଅଳି ସରୁଛି ଲୋ, |
ମୋ ବୋଉ ।୫। |
ଆଜିଠାରୁ ସ୍ନେହ ସବୁ ସରିଲା ଲୋ, |
ମୋ ବୋଉ |
ତୋ ମୁଣ୍ଡରୁ ସବୁ ଜଞ୍ଜାଳ ଗଲା ଲୋ, |
ମୋ ବୋଉ ।୬। |
(ପୁରୀ-ଖୁର୍ଦ୍ଧା) |
|
ତୁମ ଝିଅ ହୋଇ ଥାଆନ୍ତି ଯେବେ |
ହେ ମାମୁଁ |
ଏପରି କଲବଲ କରି ନ ଥାନ୍ତ ତେବେ |
ହେ ମାମୁଁ ।୧। |
ମାଇପି ଧରମ ରଖିବ ବୋଲି |
ହେ ମାମୁଁ |
ମୋର ଅମୂଲ୍ୟ ଜୀବକୁ ଦେଉଚ ଜାଳି, |
ହେ ମାମୁଁ ।୨। |
(ପୁରୀ-ଖୁର୍ଦ୍ଧା) |
|
ମୋର ସୁଖର ଦିନ ସବୁ ସରି ଆସିଲାଣି |
ଲୋ ମାଆମାନେ |
ଏବେ ଅଶାନ୍ତିର ଦିନ ଦେଖା ଗଲାଣି |
ଲୋ ମାଆମାନେ ।୧। |
ମନ୍ତ୍ର ପଢ଼ିଲେ ମୁଁ ଗୁରୁସେବିବି |
ଲୋ ମାଆମାନେ |
ତୁମମାନଙ୍କ ଚରଣ ଦର୍ଶନ ଆଉ ନ ପାଇବି, |
ଲୋ ମାଆମାନେ ।୨। |
(ପୁରୀ) |
|
ମୋ ଦେହରେ କଅଁଳ କିରଣ ପଡ଼ିଲେ ସହୁ ନ ଥିଲୁ
ଲୋ ମୋ ବୋଉ
ଏବେ ଅଗ୍ନି ତେଜକୁ କେମନ୍ତେ ଛାଡ଼ି ତୁ ଦେଲୁ
ଲୋ ମୋ ବୋଉ ।୧।
ମୋତେ ତ ଦାଣ୍ଡ ପହୁଣ୍ଡକୁ ଛାଡ଼ୁ ନ ଥିଲୁ
ଲୋ ମୋ ବୋଉ
ଏବେ ଶତ୍ରୁ ପାଶେ ଛାଡ଼ି ଅଚିନ୍ତା ହେଲୁ
ଲୋ ମୋ ବୋଉ ।୨।
ମୋ ଚିନ୍ତା ତୋହଠୁ ସରି ଯାଉଚି
ଲୋ ମୋ ବୋଉ
ଏବେ ମୃଗୁଣୀ ସଙ୍କଟ ମାଡ଼ି ଆସୁଛି
ଲୋ ମୋ ବୋଉ ।୩।
(ପୁରୀ-ଖୁର୍ଦ୍ଧା)
ଶଙ୍ଖେ ପାଣି ଟେକି ଦେଇ ହେଲ ଅଚିନ୍ତା, |
ହେ ବାପା |
ତମ କନ୍ୟାକୁ ଯାହା ଯୋଗୀ ହାତରେ ଦେଲ ଭିକ୍ଷା, |
ହେ ବାପା ।୧। |
ଯୋଗୀ କପଟ କେଭେ ଜାଣି ନ ପାରିଲ, |
ହେ ବାପା |
ଲାଉ ତୁମ୍ବାରେ ରତ୍ନଗୁଣ୍ଡି ଯାଚି ଭରିଲ, |
ହେ ବାପା ।୨। |
ସମୁଦ୍ର ମନ୍ଥିଲେ ସିନା ମିଳେ ଅମୃତ, |
ହେ ବାପା |
ମନ୍ଥନରୁ ସଙ୍ଗ ପାଇ ଥାଆନ୍ତ, |
ହେ ବାପା ।୩। |
ଏବେ ଗଡ଼ିଆ କାହିଁକି ଖୋଜି ବସିଲ, |
ହେ ବାପା |
କୁଜି ଗେଣ୍ଡାଟିଏ ସିନା ପାଇଲ, |
ହେ ବାପା ।୪। |
ଲକ୍ଷେ ଶାଳଗ୍ରାମ ମଣିଲ ତାକୁ |
ହେ ବାପା |
ଏତେ ସମ୍ଭର୍ବ କୁଜି ଗେଣ୍ଡାଟାକୁ |
ହେ ବାପା ।୫। |
ମୋ ଲାଗି ଥିଲା ତୁମର ଜଞ୍ଜାଳ |
ହେ ବାପା |
ଏବେ ଜଞ୍ଜାଳରୁ ମୁକ୍ତ ହୋଇଲ |
ହେ ବାପା ।୬। |
ଭାରତ ମଣ୍ଡଳ ତୁମକୁ ଜଣା |
ହେ ବାପା |
ମୋହ ଲାଗି ସବୁ ହେଲା ଅଜଣା, |
ହେ ବାପା ।୭। |
ଚଉଦିଗଯାକ ବୁଲି ଆସିଲ |
ହେ ବାପା |
ମତେ ପତ୍ରକୁଡ଼ିଆରେ ଆଶରା ଦେଲ, |
ହେ ବାପା ।୮। |
ଗଜ ହୋଇ ଗଧ ପାଦ ଧଇଲ |
ହେ ବାପା |
ସିଂହ ହୋଇ ଶୃଗାଳ ସଙ୍ଗତେ କୀର୍ତ୍ତି ଅର୍ଜିଲ, |
ହେ ବାପା ।୯। |
ରାଜ ମୁକୁଟକୁ ଗୋଡ଼େ ଦଳୁଚ |
ହେ ବାପା |
ପାଳ ପାଣ୍ଢୋଇକୁ ଶିରେ ଲଦୁଚ |
ହେ ବାପା ।୧୦। |
(ପୁରୀ-ଖୁର୍ଦ୍ଧା) |
|
ଯେ ସରି ନୁହନ୍ତି ପାଦ ତଳକୁ |
ହେ ଭାଇ |
ତାଙ୍କୁ ଯୋଗ୍ୟ କଲ ସିଂହାସନକୁ |
ହେ ଭାଇ ।୧। |
କିଞ୍ଚକ ବଳରେ ବିରାଟ ରାଜା |
ହେ ଭାଇ |
ତୁମ ବଳରେ ମୁଁ ସିନା ଥିଲି ରାଜା |
ହେ ଭାଇ ।୨। |
ନୀଚ ଲୋକ ସଙ୍ଗତେ ସମାନ କଲ |
ହେ ଭାଇ |
ଛାର ନୀଚ ଲୋକକୁ ସମର୍ପି ଦେଲ |
ହେ ଭାଇ ।୩। |
ନୃପତିପଣରେ ସିଂହ ସମାନ, |
ହେ ଭାଇ |
ଶୃଗାଳ କେବେ କି ହେବ ଭାର୍ଜନ, |
ହେ ଭାଇ ।୪। |
ତୁମ ଶ୍ରୀ ଚରଣ ଧୂଳି ସମାନ |
ହେ ଭାଇ |
ଆଉ କେହି କେବେ ହେବ ଭାର୍ଜନ, |
ହେ ଭାଇ ।୫। |
ମନ କରିଥିଲେ ସ୍ୱର୍ଗରୁ ପାରିଜାତ |
ହେ ଭାଇ |
ଆକାଶୁ ନକ୍ଷତ୍ର ତୋଳି ଆଣିଥାନ୍ତ |
ହେ ଭାଇ ।୬। |
ଏବେ କେଡ଼େ ବଡ଼ ଅକାର୍ଯ୍ୟ କଲ |
ହେ ଭାଇ |
ବାରି ପୋକଶୁଙ୍ଘାକୁ ପାରିଜାତ ମଣିଲ |
ହେ ଭାଇ ।୭। |
ମଲ୍ଲି ଚମ୍ପାଫୁଲ ଗୋଡ଼େ ଦଳିଲ |
ହେ ଭାଇ |
ଚାକୁଣ୍ଡା ଫୁଲକୁ କଣ୍ଠହାର କରିଲ |
ହେ ଭାଇ ।୮। |
ଆକାଶର ତାରା କେତେ ଗଣିଚ |
ହେ ଭାଇ |
କେତେ ବରଷାର ଧାରା ସୁମାରି କରିଚ, |
ହେ ଭାଇ ।୯। |
ସମୁଦ୍ର ଲହଡ଼ା କେତେ ଗଣିଲ ହେ |
ମୋ ଭାଇ |
ମୋ ଲାଗି ସବୁ ତ ଭୁଲିଣ ଗଲ ହେ |
ମୋ ଭାଇ ।୧୦। |
ବସିଲା ଚଢ଼େଇର ପକ୍ଷୀ କିପାଇଁ ହେ |
ମୋ ଭାଇ |
କାହିଁପାଇଁ ଗଣି ପାରିଲ ନାହିଁ, ହେ |
ମୋ ଭାଇ ।୧୧। |
କହୁଥିଲେ ଲୋକେ ତୁମେ ମୋ ପାଇଁ ହେ |
ମୋ ଭାଇ |
ସାତଖଣ୍ଡ ରାମାୟଣ ପାରିବ ଗାଇ, ହେ |
ମୋ ଭାଇ ।୧୨। |
ମୋ କରମକୁ ସାତ ଅକ୍ଷର ହେ |
ମୋ ଭାଇ |
ପୂର୍ଣ୍ଣ ଯାହା ତୁମେ କରି ନ ପାରିଲ ହେ |
ମୋ ଭାଇ ।୧୩। |
ପରଙ୍କ ବୁଦ୍ଧିରେ ପ୍ରଳୟ ହେଲା ହେ |
ମୋ ଭାଇ |
ମୋ ବେଳକୁ ବୁଦ୍ଧି କିଏ ହରିଲା, ହେ |
ମୋ ଭାଇ ।୧୪। |
(ପୁରୀ-ଖୁର୍ଦ୍ଧା) |
|
ଲୁହା ଜନ୍ମ ଛୁଞ୍ଚିମୁନେ ସରିଛି ଲୋ |
ମୋ ବୋଉ |
ମୋ ସ୍ୱାଧୀନ ଦିନତ ସରି ଯାଉଛି ଲୋ |
ମୋ ବୋଉ ।୧। |
ଯେଉଁପରି ସୀତା ଅଗ୍ନି ପରୀକ୍ଷା ଦେଲେ ଲୋ |
ମୋ ବୋଉ |
ବେଦୀରେ ସେହିମତି ମୋହଠୁ ଅଗ୍ନି ପରୀକ୍ଷା ନେଲେ ଲୋ |
ମୋ ବୋଉ ।୨। |
ରାବଣ ତ ଥିଲା ରାମଙ୍କ ବଇରି ଲୋ |
ମୋ ବୋଉ |
ବଇରି ମୁଁ ତ ହୋଇଥିଲି ତୁମ ସବୁରି ଲୋ |
ମୋ ବୋଉ ।୩। |
ରାବଣକୁ ମାରି ରାମ ଅଚିନ୍ତା ଲୋ |
ମୋ ବୋଉ |
ମୋତେ ବିଦା ଦେଇ ହେବୁ ଅଚିନ୍ତା ଲୋ |
ମୋ ବୋଉ ।୪। |
ମୋ ଲାଗି ଶହେ ଯୋଡ଼ା ନାଗ ବନ୍ଧନେ ଥିଲୁ ଲୋ |
ମୋ ବୋଉ |
ଏବେ ଶହେ ଯୋଡ଼ା ମଲ୍ଲୀହାର ଲମ୍ବେଇବୁ ଲୋ |
ମୋ ବୋଉ ।୫। |
(ପୁରୀ-ଖୁର୍ଦ୍ଧା) |
|
ପର ବୋଲି ମୋତେ ଭାବିବ ନାହିଁ |
ହେ ନୂଆବୋହୂ |
ପର କଲେ ମୁଁ ତ ପର ନୁହଇ |
ହେ ନୂଆବୋହୂ ।୧। |
ଦେଲେ ନେଲେ ସିନା ହେବ ଦରିଦ୍ର |
ହେ ନୂଆବୋହୂ |
ତୁଣ୍ଡ ସ୍ନେହଟାତ ସଂସାରେ ସାର |
ହେ ନୂଆବୋହୂ ।୨। |
ସତେ ଭାଇଙ୍କ କଣ୍ଠରେ ସରସ୍ୱତୀ ବସିବେ, |
ହେ ନୂଆବୋହୂ |
ଅଜଣା ପୂରରୁ ମୋତେ ଆଣିବେ, |
ହେ ନୂଆବୋହୁ ।୩। |
ଗୋପପୁରେ ମୋର ଅଳି ସରିଲା, |
ମୋ ମାଆମାନେ |
ଏବେ ଯମପୁରକୁ ତ ଡକରା ହେଲା, |
ମୋ ମାଆମାନେ ।୪। |
ଇନ୍ଦ୍ର କୁହୁଡ଼ିରେ ଚନ୍ଦ୍ର ସୂର୍ଯ୍ୟ ଛପିଲା ପରି, |
ମୋ ମାଆମାନେ |
ମାୟା କୁହୁଡ଼ିରେ ଛପି ରହିବି ମୁଁ ସେହିପରି, |
ମୋ ମାଆମାନେ ।୫। |
ଆଜି ଏତେବେଳେ ତୁମରି କୋଳେ, |
ମୋ ମାଆମାନେ |
କାଲି ଏତେବେଳେ ଥିବି ଯମର ପୁରେ, |
ମୋ ମାଆମାନେ ।୬। |
ଆଜି ଏତେବେଳେ ରାମ ନାମ ପଦେ ନିସ୍ତରୁ ଅଛି, |
ମୋ ମାଆମାନେ |
କାଲି ଏତେବେଳେ କାଉଁଙ୍କ କର୍କଶ ସ୍ୱରରେ |
|
କାନ ବଧିରା ହେଉଥିବ |
ମୋ ମାଆମାନେ ।୭। |
ମୁଁ ତ ଆଜି ଏତେବେଳେ ଯାହାକୁ ଦେଖୁଛି |
|
ଅଷ୍ଟଦିଗପାଳ ତରୁଲତା ଆଦି ସମସ୍ତେ ମୋର |
|
କାଲି ଏତେବେଳେ ଯାହାକୁ ଦେଖିବି |
ମୋ ମାଆମାନେ |
ବସୁଧ୍ୟାତ ଆଦି ସମସ୍ତେ ପର, |
ମୋ ମାଆମାନେ ।୮। |
ଏରଣ୍ଡି ଡେଇଁଲେ ମୁହଁ ଛପିବ, |
ମୋ ମାଆମାନେ |
ଗାଆଁ ଡେଇଁଲେ ତ ନାଁ ଲୁଚିବ, |
ମୋ ମାଆମାନେ ।୯। |
ମୋତେ ବଇକୁଣ୍ଠପୁରରେ ଦେଲ ଜନମ |
ମୋ ମାଆମାନେ |
ଏବେ ଯମ ଜଉଶାଳେ ହେବ ମରଣ |
ମୋ ମାଆମାନେ ।୧୦। |
ମଲେ ତ ରହିବି ବସୁଧ୍ୟା ତଳେ |
ମୋ ମାଆମାନେ |
ସତେ କି ଫେରିବି ଅଯୋଧ୍ୟାପୁରେ |
ମୋ ମାଆମାନେ ।୧୧। |
ଯାଉ ଆସୁ ଡାକ ସରି ଯାଉଛି |
ଲୋ ଧନମାଳୀମାନେ |
ଏବେ ଯମ ଯନ୍ତ୍ରଣା ତ ମାଡ଼ି ଆସୁଛି |
ଲୋ ଧନମାଳୀମାନେ ।୧୨। |
ଆଜିଠୁ ଜାଣିବ ଅପା ମଲାଣି |
ଲୋ ଧନମାଳୀମାନେ |
ଆଜିଠୁ ମତେ ତ ଦେବ ମେଲାଣି |
ଲୋ ଧନମାଳୀମାନେ ।୧୩। |
ଗାୟାଳ ଭାଙ୍ଗଇ ଗାଈଙ୍କ ମେଳ |
ଲୋ ଧନମାଳୀମାନେ |
ବାପ ଭାଇ ଭାଙ୍ଗିଲେ ତୁମ ଆମ ମେଳ |
ଲୋ ଧନମାଳୀମାନେ ।୧୪। |
ରଜ ତିନିଦିନ ଶିବ ଜାଗର |
ଲୋ ଧନମାଳୀମାନେ |
ହସିଖେଳି ଦିନ ଯାଏ ଆମ୍ଭର |
ଲୋ ଧନମାଳୀମାନେ ।୧୫। |
ଭୋଦୁଅ ମାସରେ ଖୁଦରକୁଣି |
ଲୋ ଧନମାଳୀମାନେ |
ମନେ ପକେଇବ ଅପାକୁ ପୁଣି |
ଲୋ ଧନମାଳୀମାନେ ।୧୬। |
ଜଳେ ବୁଡ଼ି କୂଳେ ଦେବ ବାଲୁଙ୍କା |
ଲୋ ଧନମାଳୀମାନେ |
ସେତେବେଳେ ଭାବିବ ମଲାଣି ଅପା |
ଲୋ ଧନମାଳୀମାନେ ।୧୭। |
ତୋର ଗୁଲୁପି ଅଧର ନେତ୍ରେ ଲାଗିବ ଲୋ |
ମୋ ବାଇଆଣି |
ତୋ ଗୁଲୁଗୁଲୁ କଥା ପିଉସୀ କେହ୍ନେ ଭୁଲିବ ଲୋ |
ମୋ ବାଇଆଣି ।୧୮। |
ତୋ ଠକଠକ କଥା କେମନ୍ତେ ଭୁଲିବି ରେ |
ମୋ ବାଇଆ |
ତୋ ଉଁ ଉଁ କଥା କେମନ୍ତେ ମୁର୍ଚ୍ଛିବି ରେ |
ମୋ ବାଇଆ ।୧୯। |
କଳାମେଘ ଦେଖି ଯେହ୍ନେ ନାଚନ୍ତି ରେ |
ମୋ ବାଇଆ ବାଇଆଣି |
ମୟୂର ମୟୂରୀ ଭଙ୍ଗି ଦେଖନ୍ତି ରେ |
ମୋ ବାଇଆ ବାଇଆଣି ।୨୦। |
ତେମନ୍ତ ତୋ ଚିତ୍ରପଟ ନାଚିବ ରେ |
ମୋ ବାଇଆଣି |
ମୋ ଆଖି ଆଗରେ ନୃତ୍ୟ କରିବ ରେ |
ମୋ ବାଇଆଣି ।୨୧। |
କାଗଜରେ କାଳି ଛାପିଲା ପରି ରେ |
ମୋ ବାଇଆ |
ତୋ ମୁଖ କିଏସେ ଦିଅନ୍ତା ଛାପି ରେ |
ମୋ ବାଇଆ ।୨୨। |
(ଖୁର୍ଦ୍ଧା-ପୁରୀ) |
|
ମେଘ ଘଡଘଡ଼ି ଦୁଆରେ ରଡ଼ି |
ମୋହ ବାପା |
ଯମ ବସିଅଛି ଦୁଆର ମାଡ଼ି, |
ମୋହ ବାପା ।୧। |
ପର୍ବତ ଶିଖରେ ଭୁର୍ଭୁରି ଖାର, |
ମୋହ ବାପା |
ଭାର ଆଣିଅଛି ପତୁଲି ଭାର, |
ମୋହ ବାପା ।୨। |
ପତୁଲି ଭାରରେ ଲିଆ ଛଅଟା, |
ମୋହ ବାପା |
ଫୁଙ୍କି ଦେଲେ ତା’ ଉଡ଼ି ଯାଆନ୍ତା, |
ମୋହ ବାପା ।୩। |
ନୂଆ ସଡ଼କରେ ଯାଉଛି ବଗି, |
ମୋହ ବାପା |
ଶହେ ଯୋତାଖିଆ ଅଠର ଦାଗି, |
ମୋହ ବାପା ।୪। |
କପା ରୋଇଗଲେ ପଣି କାଟନ୍ତି, |
ମୋହ ବାପା |
ତାଙ୍କ ବୋହୂଝିଏ ଖଲି ଚାଟନ୍ତି, |
ମୋହ ବାପା ।୫। |
ବାରି ପଛଆଡ଼େ ଜଜାଙ୍ଗି ଲଟି, |
ମୋହ ମାମୁଁ |
ଭୁଜା ଚୁଡ଼ା ଖାଇ ମାଡ଼ିଲ ତଣ୍ଟି, |
ମୋହ ମାମୁଁ ।୬। |
ଡିବି ଡିବି ବାଜା ବାଜି ଯାଉଛି, |
ମୋହ ମାମୁଁ |
କେଳା ଖାଇ ପୁଅ ଚାଲି ଯାଉଛି, |
ମୋହ ମାମୁଁ ।୭। |
ଦୂର ଦୂର ବନ୍ଧୁ ଜମେଇ ଥିଲ, |
ମୋହ ମାମୁଁ |
ପାଖ ପାଖ ବନ୍ଧୁ ଫେରେଇ ଦେଲ, |
ମୋହ ମାମୁଁ ।୮। |
ବାରି ପଛଆଡ଼େ ଗଞ୍ଜେଇ ପୁଆ, |
ମୋହ ମାମୁଁ |
ଜ୍ୱାଇଁ କରିଅଛ ମାଙ୍କଡ଼ଛୁଆ, |
ମୋହ ମାମୁଁ ।୯। |
ଅରୁଆ ଚାଉଳ ମୁଠିକି ମୁଠି, |
ମୋହ ମାମୁଁ |
ବାର ଦ୍ୱାରିଆଙ୍କୁ ମାର ଗୋଇଠି, |
ମୋହ ମାମୁଁ ।୧୦। |
ଅରୁଆ ଚାଉଳ ମୁଠିକି ମୁଠି, |
ହେ ଭାଇ |
ଲୁଗା ଭାର ଧରି ଯାଉ ଲେଉଟି, |
ହେ ଭାଇ ।୧୧। |
ଯାହାକୁ ନ ମିଳେ କୋଚିଲା କଣି, |
ହେ ଭାଇ |
ସେ କାହୁଁ ଆଣିବ ମଥାକୁ ମଣି, |
ହେ ଭାଇ ।୧୨। |
କାନ କାନଫୁଲ ଆଣି ଥାଆନ୍ତା, |
ମୋହ ନାନୀ |
ଦାଣ୍ଡ ପଉରଷ ପାଇ ଥାଆନ୍ତା, |
ମୋହ ନାନୀ ।୧୩। |
ବାଡ଼ି ପଛପଟେ ଡେଙ୍ଗା ଗଞ୍ଜେଇ, |
ମୋହ ଖୁଡ଼ି |
ବୁଢ଼ାବର ସଙ୍ଗେ ଦେଲ ଖଞ୍ଜେଇ, |
ମୋହ ଖୁଡ଼ି ।୧୪। |
ନଈରେ ଯେମନ୍ତେ ସୋଲ୍ହ ଭାସଇ, |
ମୋହ ଖୁଡ଼ି |
ମୋତେ ସେହିପରି ଦେଲ ଭସେଇ |
ମୋହ ଖୁଡ଼ି ।୧୫। |
ବାଡ଼ି ଗେଞ୍ଜିଦେଲ ଭାଡ଼ି ତଳକୁ, |
ମୋହ ଖୁଡ଼ି |
ମୋତେ ପେଲି ଦେଲ ଯମପୁରକୁ, |
ମୋହ ଖୁଡ଼ି ।୧୬। |
ଜାଣି ଦାନ୍ତକାଠି ବଉଳ ବେଣୀ, |
ସାଙ୍ଗ ସରିସେ |
ଗାଧୁଆ ତୋଠକୁ ସମସ୍ତେ ଜାଣି, |
ସାଙ୍ଗ ସରିସେ ।୧୭। |
କଅଁଳା ବାଛୁରୀ ଲାଞ୍ଜ ହଲେଇ, |
ସାଙ୍ଗ ସରିସେ |
ତା ବଡ଼ ଝିଅ କାପ ହଲେଇ, |
ସାଙ୍ଗ ସରିସେ ।୧୮। |
ଚାଉଳ ମାଣିଏ ରନ୍ଧେଇ ଦେବେ, |
ସାଙ୍ଗ ସରିସେ |
ବଡ଼ ବଡ଼ କଂସା ମାଗି ଆଣିବେ, |
ସାଙ୍ଗ ସରିସେ ।୧୯। |
ଚଉକାନି ଆଖି ବୁଲେଇ ନେବେ, |
ସାଙ୍ଗ ସରିସେ |
ଦେଲା କି ନ ଦେଲା ମନ ବିଡ଼ିବେ, |
ସାଙ୍ଗ ସରିସେ ।୨୦। |
ଚଡ଼େଇ କାନ୍ଦିଲେ ଆହାର ଦେବ, |
ସାଙ୍ଗ ସରିସେ |
ମୋ ମାତା କାନ୍ଦିଲେ କି ବୋଧ ଦେବ, |
ସାଙ୍ଗ ସରିସେ ।୨୧। |
ଗାଈ ମୁଲେଇଲ ସଭାରେ ବସି, |
ମୋହ ଖୁଡ଼ୁତା |
ଝିଅ ମୁଲେଇଲ କୋଠାରେ ବସି, |
ମୋହ ଖୁଡ଼ୁତା ।୨୨। |
ଗାଈ ମୁଲେଇଲ ଟଙ୍କା ଧଇଲ, |
ମୋହ ଖୁଡ଼ୁତା |
ଝିଅ ମୁଲେଇଲ କି ଫଳ ପାଇଲ, |
ମୋହ ଖୁଡ଼ୁତା ।୨୩। |
ବାରି ପଛଆଡ଼େ କଦଳୀ ପୁଆ, |
ମୋହ ଖୁଡ଼ୁତା |
ଜ୍ୱାଇଁ କରିଅଛ ଢେଲା ଆଖିଆ, |
ମୋହ ଖୁଡ଼ୁତା ।୨୪। |
ଉଠିଲା ସବାରି ବସିଲା ନାହିଁ |
ମୋହ ମାଆ |
ଆଉ ବାପଘର ଦିଶିଲା ନାହିଁ, |
ମୋହ ମାଆ ।୨୫। |
ନୂଆବନ୍ଧ ପାଣି ବଡ଼ ଉଠାଣି, |
ମୋହ ମାଆ |
କେମନ୍ତେ କାଢ଼ିବି ଯୋଡ଼ାର ପାଣି, |
ମୋହ ମାଆ ।୨୬। |
କାଢ଼ି ନ ଜାଣିବି ଝୁଣ୍ଟେଇ ଦେବି, |
ମୋହ ମାଆ |
ହେଥେରେ ବୋଲଣା କେତେ ସହିବି, |
ମୋହ ମାଆ ।୨୭। |
ହାତୀ ମଙ୍ଗେ ନାହିଁ ହାତୀଶାଳକୁ, |
ମୋହ ମାଆ |
ମୁହିଁ ମଙ୍ଗେ ନାହିଁ ରନ୍ଧାଶାଳକୁ, |
ମୋହ ମାଆ ।୨୮। |
ରନ୍ଧାଶାଳ ସିନା ବଡ଼ ଦେଉଳ, |
ମୋହ ମାଆ |
ରୋହିମାଛ ଲେଖେଁ ବୋହିବ ଝାଳ, |
ମୋହ ମାଆ ।୨୯। |
ମେଘ ଢିପି ଢିପି ବାଟ ଖସରା, |
ମୋ ମଉସା |
ତମ ଛତା ବାଡ଼ି ମୋତେ ଆଶରା, |
ମୋ ମଉସା ।୩୦। |
ଆଗରେ କରିଣ ପଛେ ଚାଲିବ, |
ମୋ ମଉସା |
ସଜନା ଗଛରୁ ଡେମ୍ପେ ଆଣିବ, |
ମୋ ମଉସା ।୩୧। |
ଆଗରେ ଚଲାଇ ପଛେ ଚାଲିବ, |
ମୋ ମଉସା |
ଗୋଡ଼ ଧୂଳିଯାକ ପାଦେ ରଖିବ, |
ମୋ ମଉସା ।୩୨। |
କୁଢ଼ମାଟି ସିନା କୁଢ଼େ ଛାଟିବ, |
ମୋହ ନୂଆବୋହୂ |
ଗୋଡ଼ଧରା ବନ୍ଧୁ କିସ କରିବ, |
ମୋହ ନୂଆବୋହୂ ।୩୩। |
ନନାକୁ ପଠେଇ ମତେ ଆଣିବେ, |
ମୋହ ନୂଆବୋହୂ |
ନନା ପହଞ୍ଚିବେ ଦି’ପହରେ, |
ମୋହ ନୂଆବୋହୂ ।୩୪। |
ଗୋଡ଼ ଧୋଇଦେବି ପାଚେରୀ ତଳେ, |
ମୋହ ନୂଆବୋହୂ |
ମୋ ଅକଳ କହିବି ନିଛଳ ବେଳେ, |
ମୋହ ନୂଆବୋହୂ ।୩୫। |
ଅଣ୍ଟା ମଚ ମଚ ବାଉଁଶ କଳି, |
ମୋହ ନୂଆବୋହୂ |
ଗାଧୁଆ ତୋଠକୁ ସମସ୍ତେ ମେଳି, |
ମୋହ ନୂଆବୋହୂ ।୩୬। |
(ହିନ୍ଦୋଳ) |
|
ଆଷାଢ଼ ମାସରେ ମେଘ ଗର୍ଜ୍ଜନ, |
ବାପା ହେ |
ଭାଙ୍ଗି ଦେଲ କୋଇଲିର ଗୁମାନ, |
ବାପା ହେ ।୧। |
ଝଡ଼ ବଢ଼ି ହେଲା ଶ୍ରାବଣ ମାସ, |
ବାପା ହେ |
ଜଳ ବହଳରେ ପଦ୍ମ ନିରାଶ, |
ବାପା ହେ ।୨। |
ଟିଇଁ ଟିଇଁ ବାଜେ ଭୋଦୁଅ ଖରା, |
ବାପା ହେ |
ପେଟରାରେ ରହି ପାଟ ପୋକରା, |
ବାପା ହେ ।୩। |
ଅଶିଣ ଚାନ୍ଦନୀ କେଡ଼େ ଉଜ୍ଜ୍ୱଳ, |
ବାପା ହେ |
ତମ ଚାନ୍ଦ ବନ୍ଦି ହବ ଅନ୍ଧାର ଘର, |
ବାପା ହେ ।୪। |
କାର୍ତ୍ତିକର ନଈ ପୋଖରୀ ପାଣି, |
ବାପା ହେ |
ଭୁଲିବ କେମନ୍ତେ ରାଧିକାରାଣୀ, |
ବାପା ହେ ।୫। |
ମଗୁଶିର ଧାନ କିଆରୀ ବାସ, |
ବାପା ହେ |
ତୁମ ଲକ୍ଷ୍ମୀ ଗଲା ଦୂର ବିଦେଶ, |
ବାପା ହେ ।୬। |
ପଉଷ ମାସର ଶୀତ କାକର, |
ବାପା ହେ |
କାହା ବେକେ ଦେବ ମୁକୁତା ହାର, |
ବାପା ହେ ।୭। |
ଏଡ଼େ ବଡ଼ ଜାଡ଼ ମାଘ ମକର, |
ବାପା ହେ |
ଗେହ୍ଲା ଜେମାଟିକୁ କରିଲ ପର, |
ବାପା ହେ ।୮। |
ଫଗୁଣେ ଫଗୁଆ ଦୋଳଗୋବିନ୍ଦ, |
ବାପା ହେ |
ଜଣକ ପାଇଁକି ହୋଇଲ ମନ୍ଦ, |
ବାପା ହେ ।୯। |
ଚଇତ ମଳୟ ନିମ୍ବଇ ପିତା, |
ବାପା ହେ |
ବଣକୁ ପେଲିଲ ଦୁଲାଳି ସୀତା, |
ବାପା ହେ ।୧୦। |
ବଇଶାଖ ମାସେ ଲୋଡ଼ା ଚନ୍ଦନ, |
ବାପା ହେ |
ଚନ୍ଦନ ବୃଚ୍ଛରେ ସର୍ପ ଆସ୍ଥାନ, |
ବାପା ହେ ।୧୧। |
ଜ୍ୟେଷ୍ଠ ମାସ ଖରା ପ୍ରଚଣ୍ଡ ଅତି, |
ବାପା ହେ |
ଦୂରେ ମେଲି ଦେଲ ତୁମ ସାବିତ୍ରୀ, |
ବାପା ହେ ।୧୨। |
(କାନ୍ଦଣା ବାରମାସୀ, ତିଗିରିଆ) |
|
ଜାଗର ଦୁତୀୟା ଗଡ଼ିଣ ଗଲା, ବାପା ହେ
ଅଖିତୃତୀୟାକୁ ଯୋଗ ନ ହେଲା, ବାପା ହେ ।୧।
ରୁକୁଣୀ ବିଭା ତ ଶୁଝିଲା ନାହିଁ, ବାପା ହେ
ହେରା ପଞ୍ଚମୀକୁ ଦିନ ନ ଅଣ୍ଟଇ, ବାପା ହେ ।୨।
ହରିଶୟନରେ ଯାତ୍ରା ନିଷେଧ, ବାପା ହେ
ପ୍ରଥମାଷ୍ଟମୀକୁ ନ ଥିଲା ଯୋଗ, ବାପା ହେ ।୩।
ମାଘ ଶ୍ରୀପଞ୍ଚମୀ ଜନମ ମାସ, ବାପା ହେ
ତ୍ରୟୋଦଶୀ ତିଥି ଫଗୁଣ ଶେଷ, ବାପା ହେ ।୪।
ଶଙ୍ଖ ହୁଳହୁଳି ଶବଦ ଭାରି, ବାପା ହେ
ଗଉଡ଼େ ସଜିଲ ହେଲେ ଧରି ସବାରି, ବାପା ହେ ।୫।
ମତେ ଛାଡ଼ି ଦେଲେ ହେବ ନିଶ୍ଚିନ୍ତ, ବାପା ହେ
ବନସ୍ତ ମଝିରେ ବର ଅଶ୍ୱତ୍ଥ, ବାପା ହେ ।୬।
ମୋ ଚିନ୍ତାରେ ତୁମେ ଶୋଉ ନ ଥିଲ, ବାପା ହେ
ଏବେ ଅଚିନ୍ତାରେ ବେଳ କାଟିବ, ବାପା ହେ ।୭।
ନିମ୍ବ ଫଳ ସିନା ଗଛକୁ ପିତା, ବାପା ହେ
ମୁଁ କିମ୍ପା ହୋଇଲି ତୁମ୍ଭଙ୍କୁ ପିତା, ବାପା ହେ ।୮।
ପିଅର ବଚନେ ବନ ଗମନ, ବାପା ହେ
ମତେ ପେଲି ଦେଲ ଯମଭୁବନ, ବାପା ହେ ।୯।
ଏତେ ଗେହ୍ଲାକରି ବଢ଼େଇ ଥିଲ, ବାପା ହେ
ଦୂରନ୍ତ ଦେଶନ୍ତେ ମେଲାଣି ଦେଲ, ବାପା ହେ ।୧୦।
ପୁଞ୍ଜି ପୁଞ୍ଜି ତରା ମେଘକୁ ସୁନ୍ଦର, ବାପା ହେ
ଖେଳୁଥିଲି ସହି ସଙ୍ଗାତ ମେଳ, ବାପା ହେ ।୧୧।
ଆମ ଖେଳ ଭାଙ୍ଗି କିବା ଯଶ ଅର୍ଜିଲ, ବାପା ହେ
କଂସେଇକି ଛଡ଼ା ବଉଳି ଦେଲ, ବାପା ହେ ।୧୨।
(ଖଣ୍ଡପଡ଼ା)
ହିଡ଼ ତଳେ ବେଙ୍ଗ ବେଙ୍ଗୁଲି ବସା, ମୋ ମାଆରାଣୀ
ଭାତ ନ ବାଢ଼ିବେ ପୂରେଇ କଂସା, ମୋ ମାଆରାଣୀ ।୧।
କଥା ନ କହିବେ ମୁହଁକୁ ଚାହିଁ, ମୋ ମାଆରାଣୀ
ବଚନ କହିବେ ମୁହଁ ଫୁଲେଇ, ମୋ ମାଆରାଣୀ ।୨।
ପାହାନ୍ତି ପଖାଳ ସପନ ହେବ, ମୋ ମାଆରାଣୀ
ବାଳ ବାନ୍ଧିବାକୁ ତେଲ ନ ଥିବ, ମୋ ମାଆରାଣୀ ।୩।
କାଖରେ ମାଠିଆ ମୁଣ୍ଡରେ ହାଣ୍ଡି, ମୋ ମାଆରାଣୀ
ଯୋଡ଼ି ଯୋଡ଼ି ପାଣି କେ ଦେବ ଆଣି, ମୋ ମାଆରାଣୀ ।୪।
ବାଡ଼ିରେ କଇଁଆ ସରୁ ପତର, ମୋ ମାଆରାଣୀ
ନ ଥିଲା ଝିଅର କେଉଁ ଚାତର, ମୋ ମାଆରାଣୀ ।୫।
ହାତରେ ପାଞ୍ଚଣ ଲଙ୍ଗଳ କଣ୍ଟି, ଗୋ ମୋ ମାଆରାଣୀ
ଧାନ କୁଟି ଗୋଡ଼ ହୋଇବ ବିଣ୍ଡି, ଗୋ ମୋ ମାଆରାଣୀ ।୬।
ବୁଢ଼ା ଜୋଇଁଠାରେ ଶରଧା କଲୁ, ଗୋ ମୋ ମାଆରାଣୀ
ଧନ ଦେଖି ମତେ ଭସେଇ ଦେଲୁ, ଗୋ ମୋ ମାଆରାଣୀ ।୭।
କୁଆଁର ପୁନିଅଁ ଉଜଳଚାନ୍ଦ, ଗୋ ମୋ ମାଆରାଣୀ
ମୋ ପେଇଁ ବାଆ ପାଞ୍ଚିଲେ ମନ୍ଦ, ଗୋ ମୋ ମାଆରାଣୀ ।୮।
ସୁନ୍ଦର କଣିଆଁ ବାଉଁଶ ଗଛ, ଗୋ ମୋ ମାଆରାଣୀ
ଠାକରା ଗାଲରେ ପାଚଲା ନିଶ, ଗୋ ମୋ ମାଆରାଣୀ ।୯।
ମାଣେ ନାହିଁ ଜମି ବାଟିଏ ଚାଷ, ଗୋ ମୋ ମାଆରାଣୀ
ଜଣେ ନାହିଁ ଡିହ ଡେଙ୍ଗା ଉଆସ, ଗୋ ମୋ ମାଆରାଣୀ ।୧୦।
ମାଣିକିଆ ମୁଣ୍ଡର ବଡ଼ ଚାତର, ଗୋ ମୋ ମାଆରାଣୀ
କଥା ଶୁଣି ଛାତି ହେବ ପଥର, ଗୋ ମୋ ମାଆରାଣୀ ।୧୧।
ଟିକି ଟିକି କୋଲା ପଣସ କୋଷା, ଗୋ ମୋ ମାଆରାଣୀ
ହଳ ଲଙ୍ଗଳରେ ତାର ବେଉଷା, ଗୋ ମୋ ମାଆରାଣୀ ।୧୨।
ମୟୂର ସାପର ଭେଟ ଯେପରି, ଗୋ ମୋ ମାଆରାଣୀ
ମୋର ତାର ଭେଟ ହେବ ସେପରି, ଗୋ ମୋ ମାଆରାଣୀ ।୧୩।
ପାନ ପିକଦାନି ମୁଣ୍ଡଶାଳକୁ, ଗୋ ମୋ ମାଆରାଣୀ
ମୋହରି ଜନମ ଢିଙ୍କି ଶାଳକୁ, ଗୋ ମୋ ମାଆରାଣୀ ।୧୪।
ମୁହଁରେ କହିବେ କୋକିଳ ବାଣୀ, ମୋ ମାଆରାଣୀ
ପଛରେ ସିଞ୍ଚିବେ ଗୋବର ପାଣି, ମୋ ମାଆରାଣୀ ।୧୫।
ସାଇ ପଡ଼ିଶାର ବଚନ ଥଣ୍ଡା, ମୋ ମାଆରାଣୀ
ଏକା ଶାଶୁଙ୍କ ବଚନ କରିବ ଗୁଣ୍ଡା, ମୋ ମାଆରାଣୀ ।୧୬।
ମୁହଁରେ ଗରଳ ପେଟରେ ବିଷ, ମୋ ମାଆରାଣୀ
ମଉଡ଼ମଣିଙ୍କ ମୁହଁ ବିରସ, ମୋ ମାଆରାଣୀ ।୧୭।
କେଳା ଜାତିରେ ସେ ସାପୁଆ କେଳା, ମୋ ମାଆରାଣୀ
ଜୀଇ ଥାଉ ଥାଉ କାଟିବେ ଗଳା, ମୋ ମାଆରାଣୀ ।୧୮।
ଡିବି ଡିବି ବାଜେ ଯୋଡ଼ି ନାଗରା, ମୋ ମାଆରାଣୀ
ମୋ ପେଇଁ ଥୋଇବେ ନିଆଁ ଖପରା, ମୋ ମାଆରାଣୀ ।୧୯।
ରଜା ବିଜେ କଲେ ଯୋଡ଼ି କାହାଳୀ, ମୋ ମାଆରାଣୀ
ମୋ ପେଇଁ ବାଜିବ ଶଙ୍ଖ ମହୁରୀ, ମୋ ମାଆରାଣୀ ।୨୦।
ଟିକି ଟିକି ଆମ୍ବ ଗଛରେ ପାଚେ, ଗୋ ମୋ ମାଆରାଣୀ
ଟିକି ଝିଅ ଡାକ ଶିରରେ ନାଚେ,ଗୋ ମୋ ମାଆରାଣୀ ।୨୧।
ଷାଠିଏ ହାତରେ ଗଭୀର କୂଅ, ଗୋ ମୋ ମାଆରାଣୀ
ଲୁଗା ବିକା ଘରେ ବିକିଲ ଝିଅ, ଗୋ ମୋ ମାଆରାଣୀ ।୨୨।
ଥିରି ଥିରି ପାଣି ପଥର କାଟେ ଗୋ ମୋ ମାଆରାଣୀ
ବାଆ ପାଣି ସିନା ମୁହଁକୁ ଛାଟେ ଗୋ ମୋ ମାଆରାଣୀ ।୨୩।
(ଢେଙ୍କାନାଳ)
କରିଥିଲ ଝିଅ ଗେଲବସର, ବାପା ହେ
ଦିନେ ମଅ ବୋଲି କରି ନ ପର, ବାପା ହେ ।୧।
କେମନ୍ତେ ପରଠି ମୁରୁଛି ଦେଲ, ବାପା ହେ
ଅମଣିଆ ବେକେ ଜୁଆଳି ଦେଲ, ବାପା ହେ । ୨।
କି ମନ୍ତର ଜାଣେ କେଳା କୁହୁକ, ବାପା ହେ
ଦଣ୍ଡକେ ଭୁଲିଗଲ କୋଇଲି ଡାକ, ବାପା ହେ ।୩।
ବାଘ ମହୁରିଆ ଛାଡ଼ିଲେ ରଡ଼ି, ବାପା ହେ
ଡରରେ ପ୍ରାଣ ଯାଏ ପିଣ୍ଡୁ ବାହାରି, ବାପା ହେ ।୪।
ତମେ ଘରେ ଥିଲେ କେଡ଼େ ନିଡର, ବାପା ହେ
ଏଡ଼େ ଡରକୁଳିକୁ କଲ ଅନ୍ତର, ବାପା ହେ ।୫।
କେମନ୍ତେ ବଞ୍ଚିବ ସେହି ପରାଣୀ, ବାପା ହେ
ବାପା ମାଆଙ୍କର ଗେହ୍ଲା ଦୁଲଣି, ବାପା ହେ ।୬।
ଆଙ୍ଗୁଠି ଗେଞ୍ଜିଲ ସାପ ଗାତରେ, ବାପା ହେ
ଚୋଟ ବାଜିଗଲା ଅଜାଣତରେ, ବାପା ହେ ।୭।
ଝଡ଼ିଲା କୁଣ୍ଡଳୁ ମୁକୁତା ଫୁଲ, ବାପା ହେ
ମଣି ସଙ୍ଗେ କାଚ ଜଡ଼ଉ କଲ, ବାପା ହେ ।୮।
ଆଡ଼ ରଙ୍ଗା ଚୁଡ଼ି ମାଣିକ ଯୋଡ଼ି, ବାପା ହେ
ବାପ ସଙ୍ଗୁ ଝିଅର କଣ ଛଡ଼ା ଛଡ଼ି, ବାପା ହେ ।୯।
ଲାଉଡଙ୍କ ପିଢ଼ା ଉପରେ ବଢ଼ି, ବାପା ହେ
କେଡ଼େ ନିର୍ଭୟରେ ଯାଉଛି ମାଡ଼ି, ବାପା ହେ ।୧୦।
ଲାଉଡଙ୍କ ଠାରୁ ହୋଇଲି ହୀନ, ବାପା ହେ
ପର ପିଢ଼ାରେ ମୋ ଯିବ ଜୀବନ, ବାପା ହେ ।୧୧।
ଭଇଁଚ କଣ୍ଟାରେ ମାଳତୀ ଫୁଲ, ବାପା ହେ
ଶଅର କରିବ ମାଣିକ ମୁଲ, ବାପା ହେ ।୧୨।
ଗୋବର ଗାଡ଼ରେ ପଦ୍ମ ଫୁଟିବ, ବାପା ହେ
ଘୁଷୁରି ପାଚଲା ରମ୍ଭା ଖାଇବ, ବାପା ହେ ।୧୩।
ଅନ୍ଧ ହସ୍ତେ ରତ୍ନ ମୁଦିର ଶୋଭା, ବାପା ହେ
କୁଜି ଜାଣି ମୁଣ୍ଡେ ମାଳତୀ ଗଭା, ବାପା ହେ ।୧୪।
ବେଗୁନିଆ ତାଟିକି ରତ୍ନ ପାଚେରି, ବାପା ହେ
ପେଚା ଚଢ଼େଇ କି ରତ୍ନ ପଞ୍ଜୁରୀ, ବାପା ହେ ।୧୫।
କନକ ପଦ୍ମକୁ ପଣ୍ଡା ଗୁହାଳ, ବାପା ହେ
ଲଙ୍କା ଛେଳି ବେକେ ସେବତୀ ମାଳ, ବାପା ହେ ।୧୬।
ମୁରାଡ଼ ଚଖେଇଲ ବୁଢ଼ା ବଗକୁ, ବାପା ହେ
ଅମୃତକୁଣ୍ଡରେ ରଖିଲ ସାପକୁ, ବାପା ହେ ।୧୭।
କଲିକତରାର ମୁହଁ ଚାହିଁଲି, ବାପା ହେ
କଳିହୁଡ଼ି ଶାଶୁ ଫାନ୍ଦେ ପଡ଼ିବି, ବାପା ହେ ।୧୮।
କାଳିକାନି ଭାବି କଲ କି ଏହା, ବାପା ହେ
କେବେ ତ ତୁମ ପାଦପଦ୍ମରେ ନ ହେଲେ ଦ୍ରୋହା, ବାପା ହେ ।୧୯।
ତେବେ ମୋତେ କିପାଇଁ କଲ ଏମନ୍ତ, ବାପା ହେ
ଦୂରେ ଠେଲି ଦେଲ ଶତ୍ରୁ ଯେମନ୍ତ, ବାପା ହେ ।୨୦।
ଭଗାରି କି ତମେ ହୋଇଚ ଭଲ, ବାପା ହେ
ଅଣ ଭଗାରିରେ ହୋଇଲି ସଲ, ବାପା ହେ ।୨୧।
ମାସକରେ ଦିନେ ଚାହିଁ ବସିବି, ବାପା ହେ
ନ ହେଲେ ଜହର ମହୁରା ନିଶ୍ଚେ ଖାଇବି, ବାପା ହେ ।୨୨।
(ନୂଆଗଡ଼)