ଶ୍ରୀବତ୍ସରାଜା ବା ଶନି-ଲକ୍ଷ୍ମୀ କଳି

ଗଣକବି ବୈଷ୍ଣବ ପାଣି

 

(ନଟୀର ପ୍ରବେଶ ଓ ଗୀତ)

(ଖାଲି ଖାଲି ଚୁଲିପଶାଟା ଏ ଘରେ...ବୃତ୍ତେ)

ଗୁଣୁଗୁଣୁ କେତେ ହେଉଛୁ କହ ରେ ଭ୍ରମରଟି କାହିଁକି ।

ସୁମନ ସଙ୍ଗରେ ଖେଳିବୁ ରଙ୍ଗରେ ତୋର ମନେ କାହିଁକି ।ପଦ।

ଚାହାଁ ସରୋବରେ, କେମନ୍ତ ରଙ୍ଗରେ, ଖେଳେ କମଳିନୀ ମନ ସରାଗରେ ।

ମଧୁପାନ କର, ଆରେ ମଧୁକର ଧାଇଁଯାଇ ତହିଁକି ।୧।

ଏଣେ ବଣ ମଲ୍ଲୀ, ପୁଣି ଝୁଲି ଝୁଲି, ତୋହରି ସ୍ନେହକୁ ନ ପାରଇ ଭୁଲି ।

ଆଜି ଗଲେ ଚାଲି, ଜାଣିଥାଅ କାଲି ଆଦରିବ ମହୀକି ।୨।

ତୋର ରୂପ କଳା, ତାର ରୂପ ଧଳା, ବସି ଏକଠାବେ ଦୁହିଁକିରେ ମିଳା ।

ବଇଷ୍ଣବ କହି ଯେବେ କରୁ ହେଳା, ନ ପାରିବି ସହିକି ।୩।

ନଟୀ- (ସ୍ୱଗତ) ଆହା, ଏ ସମୟକୁ ଏ ସ୍ଥାନଟି କେଡ଼େ ମନୋହର ହୋଇଛି ! ଏତିକିବେଳେ ଯେବେ ନଟ ଆସନ୍ତେ ତାଙ୍କୁ କହି ଗୋଟିଏ ପୌରାଣିକ ଗୀତିନାଟ୍ୟ ଏ ଦର୍ଶକଗଣଙ୍କୁ ଦେଖାନ୍ତି । ମୋର ଲେଖିବାର ଶ୍ରମ କଅଣ ବିଫଳ ହେବ ?

 

(ନଟର ପ୍ରବେଶ ଓ ନଟୀପ୍ରତି ଉକ୍ତି)

ନଟ- ପ୍ରିୟେ ! ଏଠି କାହା ସଙ୍ଗରେ କି କଥାଭାଷା ପଡ଼ିଥିଲା କି ? ଏତେ ବିସ୍ମୟ ମନ କାହିଁକି ?

ନଟୀ- ନାଥ ! କାହାକୁ କିଛି ନ କହି, ତୁମରିଠାରେ ମନ ରଖି, କେତେକ କଥା ମନକୁ ବୁଝାଉଥିଲି । ମନେକରୁଥିଲି ନଟଙ୍କୁ ଦେଖିଲେ ଝଟ୍‌ କରି ମନକଥା କହିପକାନ୍ତି । ମୋ ଭାଗ୍ୟକୁ ତୁମେ ଆସି ପହଞ୍ଚିଗଲ । ନାଥ ! ଯେଉଁ ଶନି-ଶ୍ରୀବତ୍ସଙ୍କ ବିଷୟ ନେଇ ଗୋଟିଏ ଗୀତିନାଟ୍ୟ ସେ ଦିନ ତୁମ୍ଭେ ପଢ଼ୁଥିଲ, ସେଇଟି ଆଜି ଏଠି ଦର୍ଶକଙ୍କୁ ଦେଖାଇବା । ତହିଁରେ ମହା ମହା ଶିକ୍ଷାମାନ ଜାଜ୍ଜ୍ୱଲ୍ୟରୂପେ ରହିଅଛି ।

ନଟ- ବିଦୁଷେ ! ଶିକ୍ଷା ନଥିଲେ ବିଷୟର ମୂଲ୍ୟ ରହେନାହିଁ । ଆଚ୍ଛା, ଶିକ୍ଷା କେତେ ପ୍ରକାର ଅଛି ତାହା ମୋତେ କହିଲ ?

ନଟୀ- ନାଥ ! ଆଗେ ଶୁଣ ଅଭିମାନୀ ଲୋକର ସେ ଫଳ କିପରି, ଦ୍ୱିତୀୟରେ- ଯେ ସହିଷ୍ଣୁ ମାନବ, ତାର ପରିଣାମରେ କେତେ ସୁଖ ଅଛି; ଲୋକ କେତେ କେତେ କ୍ଳେଶ ସହିପାରେ; ଯେ ପତିବ୍ରତା ନାରୀ, ତାର କେତେ ଶକ୍ତି ଲୋକରେ ଅଛି; ଲୋଭୀ ମାନବର ପରାଜୟ; ଲକ୍ଷ୍ମୀଯୁକ୍ତ ଜନଙ୍କୁ ଯେତେ କଷ୍ଟ ହେଲେ, ତା’ର ଉପବାସରେ ଲକ୍ଷ୍ମୀ କିପରି ଖାଦ୍ୟ ଯୋଗାନ୍ତି; ଏ ସମସ୍ତ ବିଷୟ ଏହି ଅଭିନୟରୁ ଲୋକେ ଦେଖି ଶିଖିବେ ।

ନଟ- ପ୍ରିୟେ ! ତେବେ ଚାଲ ଦର୍ଶକଙ୍କ ଅନୁମତି ଗ୍ରହଣ କରି ଅଭିନୟ ଆରମ୍ଭ କରିବା; ସମୟ କ୍ରମେ ଗତ ହେଉଛି ।

ନଟୀ- ହଉ ତେବେ ଚାଲ । (ନଟ ନଟୀଙ୍କର ପ୍ରସ୍ଥାନ)

(ଶନି ଓ ଲକ୍ଷ୍ମୀଙ୍କର ପ୍ରବେଶ ଓ ଲକ୍ଷ୍ମୀଙ୍କୁ ଶନି ପଛରୁ ଡାକିବା)

ଗୀତ- (ଚାଲି ନ ପାରିବି ନାଥ...ବୃତ୍ତେ)

ରହ ରହ ଲୋ ଚଞ୍ଚଳା, ଯାଉଅଛୁ କେଣିକି ।

ଅବହେଳା କରି ଶୁଣୁନାହୁଁ ମୋର ବାଣୀକି ।ପଦ।

ଜାଣିନାହୁଁ ଲୋକମାତ, ମୁଁ ଅଟେ କାହାର ସୁତ ।

ମୋର ଭ୍ରାତ ହତ କରେ ନିତ୍ୟେ କୋଟି ପ୍ରାଣୀକି ।୧।

ପଡ଼ନ୍ତେ ମୋହରି ଦୃଷ୍ଟି, ଭସ୍ମ ହେବ ଏହି ସୃଷ୍ଟି ।

ବୃଷ୍ଟି ହେବ ରକ୍ତ ଅସ୍ଥି, ନାହୁଁ କି ତା ଜାଣିକି ।୨।

ଯହିଁକି ଦିଏ ମୁଁ ଧାଡ଼ି, ଦୁର୍ଭିକ୍ଷ ମଡ଼କ ପଡ଼ି ।

ଜ୍ଞାତି ବନ୍ଧୁ କୋଡ଼ାକୋଡ଼ି; ରାଜା ତେଜେ ରାଣୀକି ।୩।

ମୋ ବାହନ ଗୃଧ୍ରକୁଳ, ନରଙ୍କ ମାଂସ କବଳ ।

କରି ଖେଳନ୍ତି ଆନନ୍ଦେ ବଇଷ୍ଣବ ଭଣିକି ।୪।

(ଶନି ପ୍ରତି ଲକ୍ଷ୍ମୀଙ୍କର ଉତ୍ତର)

ଗୀତ- (ଯମୁନାକୁ ଜଳ ଆଣି ଯିବା...ବୃତ୍ତେ)

ଡାକି ବଳେ ବଳେ କଳି କରୁ ଶନି କାହିଁ କି ରେ ।

ବିଷ୍ଣୁପାଟରାଣୀ ମୁହିଁ ତୋର ମନେ ନାହିଁକି ରେ ।ପଦ।

ଯେତେ ଯେତେ ଅମଙ୍ଗଳ ତୁହି ତାର ଅଟୁ ମୂଳ,

ରାଣୀଘାତି ବୋଲି ପରା ନାମ ଅଛୁ ବହିକି ରେ ।୧।

ନିତିପ୍ରତି ଘଡ଼ି ଘଡ଼ି ପ୍ରାଣୀଙ୍କି ମୁଁ ଦିଏଁ ପଡ଼ି;

ଛପନକୋଟି ଜୀବଙ୍କ ଜୀବନଟି ମୁହିଁକି ରେ ।୨।

ଜଳେ ସ୍ଥଳେ ସୌଧ ଚୂଳେ, ପୂରିଥାଏଁ ମୁହିଁ ହେଳେ,

ବଡ଼ ବୋଲି ବୃଥା ଗର୍ବ ବହିଲୁ କିପାଁଇ କି ରେ ।୩।

ଯାହାର ଯେବଣ ଗୁଣ, ରହିଛି ତାର ପ୍ରମାଣ,

ଆପେ ଆପେ ହେଲେ ବଡ଼ ସାଜିବ କି ବଇକି ରେ ।୪।

(ଶନି ଲକ୍ଷ୍ମୀ ଉଭୟଙ୍କର କଥୋପକଥନ)

ଗୀତ- (କାହା ଭାବେ ମଜ୍ଜି ଆଜି ହସୁଛୁ..ବୃତ୍ତେ)

ଶନି- ଆଲୋ ଟେରି, ଲୁଣିଆଣି ! କେତେ ଟାଣ କରୁଛୁ ?

ଲକ୍ଷ୍ମୀ- ନିଜର ମହତ ଶନି, ନିଜେ ନିଜେ ସାରୁଛୁ ।ପଦ।

ଶନି- ବାଙ୍କଗୋଡ଼ି ଶଙ୍କା ତିଳେ ତୋର ନାହିଁ, ମୋହଠାରୁ ବଡ଼ ପାରିବୁ କି ହୋଇ ?

ଲକ୍ଷ୍ମୀ- ପୋରଡ଼ଆକ୍ଷିଆ ମିଛେ ମୁହଁଭୋଡ଼ ମାରୁଛୁ ।୧।

ଶନି- ମୋ ପିତା ଆଦିତ୍ୟ ସଂସାରରେ ସାର, ମୁହିଁ ତାର ସୁତ ନାମ ଶନିଶ୍ଚର ।

ଲକ୍ଷ୍ମୀ- ତାହା ପୁଅ ହୋଇ ଏଡ଼େ ନୀଚ ବୁଦ୍ଧି ଧରୁଛୁ ।୨।

ଶନି- ଆମ୍ଭ ବେନି ମଧ୍ୟେ ଏକ ଅଟେ ଗରିଷ୍ଠ, କହ କହ ପଦ୍ମା ମନୁ ତେଜି ଆଣ୍ଟ ।

ଲକ୍ଷ୍ମୀ- ନିଜର କାର୍ଯ୍ୟରୁ କିପାଁ ଜାଣି ତୁ ନ ପାରୁଛୁ ।୩।

ଶନି- ତୋହଠାରୁ ବଡ଼ ମୁହିଁ ଏ ଜଗତେ, ସମାନ ହେବୁ କି ମୋହରି ସଙ୍ଗତେ ?

ଲକ୍ଷ୍ମୀ- ବଇ ବୋଲେ କିପାଁ ବୃଥା ଅହଙ୍କାରେ ଥରୁଛୁ ।୪।

(ଶନି ଓ ଲକ୍ଷ୍ମୀଙ୍କର କଥୋପକଥନ)

ଲକ୍ଷ୍ମୀ- ଶୁଣ ଆରେ ଦୁଷ୍ଟ ଶନିଶ୍ଚର ! ଗରବେ ଅନ୍ଧ ହୋଇଣ ଭାଷ ନାହିଁ ମନ୍ଦ, ଅମରର କଳି ମେଣ୍ଟାଇବା ଚାଲ ମର୍ତ୍ତ୍ୟ ନ୍ୟାୟପରାୟଣ ସତ୍ୟବାଦୀ ଯେଉଁ ନର, ସେହି ୟାର କରିବ ମୀମାଂସା । ଚାଲ ମର୍ତ୍ତ୍ୟଧାନେ ଶ୍ରୀବତ୍ସ ନୃପତି ପାଶେ, ଅତିହି ଧାର୍ମିକ ରାଜା ଧର୍ମପରାୟଣ; ଯଦି ଟଳିଯାଏ ସୁମେରୁ କୁମେରୁ ଗିରିଶୃଙ୍ଗ, ନ କହିବ କେଭେଁ ମିଥ୍ୟା ସେହି, ମାନିବା ମଧ୍ୟସ୍ଥ ଦୁଇଜଣେ, କେହୁ ବଡ଼, କେହୁ ସାନ, ନିଶ୍ଚେ କହିବ ରାଜନ ।

ଶନି- ଆଚ୍ଛା ଲୋ କମଳା ! ନାହିଁ ମୋର ଆପତ୍ତି ତହିଁରେ ।

ଏହିକ୍ଷଣି ଚାଲ ମର୍ତ୍ତ୍ୟପୁରେ, ଫେରିବାର ବେଳେ ନ ରହିବ ଏଡ଼େ ଟାଣ, ମୁହିଁ ବଡ଼ବୋଲି ନିଶ୍ଚେ ହୋଇବ ପ୍ରମାଣ । (ଉଭୟ ପ୍ରସ୍ଥାନ)

(ଶ୍ରୀବତ୍ସ ରାଜା ମନ୍ତ୍ରୀସହ ପ୍ରବେଶ ଓ ମନ୍ତ୍ରୀପ୍ରତି)

ଗୀତ- (ମନ୍ତ୍ରୀ ! ମନ କାହିଁକି ହୁଏ...ବୃତ୍ତେ)

ମନ୍ତ୍ରୀ ! ବ୍ୟସ୍ତ ହେଉଛି ମନ ମୋହର ।

ପିଣ୍ଡରୁ କି ପ୍ରାଣ ହୋଇଯିବ ବାହାର ।ପଦ।

ଆଜି ସ୍ନାନଘାଟରେ ଶନି, ଲକ୍ଷ୍ମୀ ସହ ପ୍ରବେଶି ବେନି ।

ମାନିଲେ ମଧ୍ୟସ୍ଥ ମୁହିଁ କଲି ଜୁହାର ।୧।

ପଚାରିଲେ ସେ ମୋତେ ଯାହା, ଶୁଣି ଯିବ ତରଳି ଲୁହା ।

ସେ ଦୁହିଁଙ୍କ ମଧ୍ୟେ ବଡ଼ ଶକ୍ତି କାହାର ।୨।

କାଲିକି ମୁଁ କରିଲି କଣ୍ଟ, ଫେରାଇଲି କଲି ସନ୍ତୁଷ୍ଟ ।

ସ୍ନାହାନ ସାରି ମିଳିଲି ରାଜନହର ।୩।

ଯାହାକୁ ମୁଁ ବୋଲିବି ସାନ, ସେହୁ ହେବ ଦୁଃଖିତ ମନ ।

ଲକ୍ଷ୍ମୀ କୋପକଲେ ନ ମିଳିବ ଆହାର ।୪।

ଶନି କ୍ରୋଧ କରିବ ଯେବେ, ନାନାକଷ୍ଟ ଲଭିବି ତେବେ ।

ବଇ ବୋଲେ ମରିବି ମୁଁ ଭକ୍ଷି ଜହର ।୫।

(ରାଜା ଓ ମନ୍ତ୍ରୀର କଥୋପକଥନ)

ମନ୍ତ୍ରୀ- ମହାରାଜା ! ଆପଣ ସେ ନିମନ୍ତେ ଏତେ ବ୍ୟସ୍ତ କାହିଁକି ? ଛାମୁଙ୍କର ଅଲୌକିକ ବୁଦ୍ଧି; ଛାମୁଁ ଆଜି ରାତ୍ରରେ ନିଜ ବୁଦ୍ଧିରେ ଗୋଟିଏ କିଛି ସ୍ଥିର କରନ୍ତୁ, ପରେ ଛାମୁଙ୍କର ଯେପରି କୌଣସି ଦୋଷ ନ ରହେ । ଆଜି ରାଜକାର୍ଯ୍ୟ ଏତିକିରେ ବନ୍ଦ ରଖାଯାଉ, ବର୍ତ୍ତମାନ ଉପସ୍ଥିତ ବିପଦରୁ ଉଦ୍ଧାର ଚେଷ୍ଟା କରନ୍ତୁ ।

ରାଜା- ମନ୍ତ୍ରୀ ! ମୁଁ ଯାଉଛି ରାଣୀଙ୍କ ସହ ଏହାର ପରାମର୍ଶ କରିବି । ମରିବାର ହୁଏ ତ ମରିବି ତରିବାର ହୁଏ ତ ତରିବି ।

ମନ୍ତ୍ରୀ- ଯେ ଆଜ୍ଞା ! (ପ୍ରସ୍ଥାନ)

(ରାଣୀଙ୍କର ପ୍ରବେଶ ଓ ରାଜାଙ୍କର ବିରସ ମୁଖ ଦେଖି ରାଣୀଙ୍କ ଉକ୍ତି)

ଗୀତ- (ମନାଇ ପାରିଲୁ ନାହିଁ ସେ ନନ୍ଦ...ବୃତ୍ତେ)

ସରସ ମୁଖ କିପାଇଁ ବିରସ ଦିଶୁଛି କାନ୍ତ !

ଯେସନେ ଚନ୍ଦ୍ରକରିଣେ ମଉଳିଛି ଶତପତ୍ର ।ପଦ।

କି ହେତୁ ହରଷ ରେଖା ଅଧରେ ନ ଦିଏ ଦେଖା;

ହରିନେଇଛି କି କେବା ଭଣ୍ଡାରୁ ସଞ୍ଚିତ ବିତ୍ତ ।୧।

ଭିକ୍ଷାଶୀ ଅବା ସନ୍ନ୍ୟାସୀ, କିବା ଫେରିଗଲେ ଆସି;

ଯୋଗାଇଲେ ନାହିଁ ଭୃତ୍ୟେ ତାହାଙ୍କୁ କି ଅନ୍ନ ବସ୍ତ୍ର ।୨।

କିବା ରାଜକାର୍ଯ୍ୟେ ବାଧା ଘଟିଛି ଭାଷ ବସୁଧା-ପତି ମତି

ଫେଇ ସୁଧାବାକ୍ୟେ ତୋଷ ମୋର ଚିତ୍ତ ।୩।

ମୋ ରାଣ ପରାଣଧନ, କହ ସେ କାରଣମାନ;

ଚରଣ ସେବିକା ଜନ ମୁହିଁ ବଇର ରଚିତ ।୪।

(ରାଜା ଓ ରାଣୀ ଉଭୟଙ୍କର ଉକ୍ତି-ପ୍ରତ୍ୟୁକ୍ତି)

ଗୀତ-(ଶ୍ରୀରାଧା ବାତୁଳି, ପ୍ରେମରସାତୁଳି..ବୃତ୍ତେ)

ରାଜା- ରେ ଭ୍ରମରକେଶି ! ଅମରରୁ ଆସି, ଶନି ଲକ୍ଷ୍ମୀ ଦୁହେଁ ମୋ ନିକଟେ ।

ଦୁହେଁ କଳି କରି, ନଳିନୀନୟନା, ପ୍ରବେଶିଲେ ଆସି ସ୍ନାନଘାଟେ ।

ପଚାରିଲେ ସାଧେ, କେ ବଡ଼ କେ ସାନ ଆମ୍ଭ ମଧ୍ୟେ ।

ବିଚାର କରିବ, ନ୍ୟାୟରେ ଭାଷିବ ଆସିଅଛୁଁ ତୁମ୍ଭର ସାନ୍ନିଧ୍ୟେ ।୧।

ନ କହି ମୁଁ କିଛି କଣ୍ଟ ଦେଇଅଛି, କାଲି ପ୍ରଭାତକୁ କୁମ୍ଭସ୍ତନା ।

ଦମ୍ଭ-ଦ୍ରୁମ ଟଳିଯାଉଛି ରେ ବାଳି ! କି କରିବି କହ ସମ୍ଭାବନା ।

ରମ୍ଭଜନାରେ, ଜାଣୁଛି ପଡ଼ିଲା ମୋତେ ରିଷ୍ଟ ।

ୟାକୁ ସାନ ବୋଲି ପ୍ରବୋଧି କହିବି, ସେ ତ ମୋ ପରେ ହୋଇବ ରୁଷ୍ଟ ।୨।

ରାଣୀ- ପୃଥିବୀକରତା, କର ନାହିଁ ଚିନ୍ତା, ବୁଦ୍ଧି ବଳେ କାର୍ଯ୍ୟ କର ଶେଷ ।

ସୁନା ରୁପା ବେନି ଆସନ ମଗାଇ ସଜାଇଣ ଦିଅ ସଭା ପାଶ ।

ତାର ପରେ ବାସ, ଉତ୍ତମ କରିଣ ନୃପଈଶ !

ସର୍ବତୋଭାବରେ ଅତି ଯତନରେ ଢାଙ୍କିଥିବ ନ ଦିଶିବ ଲେଶ ।୩।

ଆସି ବେନିଜନେ ବସିବେ ଆସ୍ଥାନେ ପଚାରିବେ ନିଶ୍ଚେ ସେହି କଥା ।

ବୋଲିବ ଆସନୁ ଅନୁମାନ କର, ହେ ତପନସୁତ, ସିନ୍ଧୁସୁତା ।

ଦୋଷ ନିଜଠାବେ । ନ ଲାଗିବ କହୁଅଛି ଲବେ ।

ସୀତାପତିପଦ ଚିନ୍ତିଣ ଏ ପଦ ଦୀନହୀନ ବଇଷ୍ଣବ ଭାବେ ।୪।

ରାଜା- ଧନ୍ୟ ଧନ୍ୟ ଚିତ୍ରସେନଜେମା, ଧନ୍ୟ ଧନ୍ୟ ତବ ବୁଦ୍ଧି !

ତବ ବୁଦ୍ଧିବଳେ ମୋର କାର୍ଯ୍ୟ ହେବ ସିଦ୍ଧି ।

ରାଣୀ- ମହାରାଜ ! ଦୂତକୁ ପଠାଇ ସୁନା ରୁପା ଆସନ ଅଣାନ୍ତୁ । (ପ୍ରସ୍ଥାନ)

(ଦୂତର ଗୀତ ଗାଇ ଗାଇ ପ୍ରବେଶ)

(ମନଦେଇ ଶୁଣୁଥା କହୁଛି ମୁହିଁ..ବୃତ୍ତେ)

ସରିତ ଗଲା ବାବୁ, ଓଡ଼ିଶା ଦେଶ ।

କା ଆଗେ କହିବି ମୋର କରମ ଦୋଷ ।ପଦ।

ଏବେ ମେଲେରିଆ ଜ୍ୱର, ହେଉଅଛି କାରବାର,

ଖୁଉଁ ଖୁଉଁ ହୋଇ କେତେ ଉଠୁଛି କାଶ ।୧।

ପୁରୀ କଟକ ସହର, ଭଦରଖ ବାଲେଶ୍ୱର;

ନିତି ନିତି ମରୁଛନ୍ତି କେତେ ମନୁଷ୍ୟ ।୨।

ଏବେ ତିନିମାସ ହେଲା; ବରଷା ଜମା ନୋହିଲା,

ବିଲବାଡ଼ି ଫାଟି ସବୁ ଉଠିଲା ଘାସ ।୩।

ତେଲି ଯେ ଗୁଡ଼ିଆ ଚଷା; ୟାଙ୍କର ଉଡ଼ିଲା ହଂସା,

କେମନ୍ତେ ବଞ୍ଚିବା ଭାଇ ଗୋଟା ବରଷ ।୪।

ଭଗବାନ ହେଲେ ସାହା, ବଇୟା ପାଇବ ରାହା,

ନୋହିଲେ ବିକି ଖାଇବ ଘର ବାଉଁଶ ।୫।

(ଦୂତ ସୁନା ଓ ରୁପାର ଚୌକି ଆଣି ପକାଇବା)

(ଶନି ଓ ଲକ୍ଷ୍ମୀଙ୍କର ରାଜାପାଶେ ପ୍ରବେଶ ଉକ୍ତି-ପ୍ରତ୍ୟୁକ୍ତି)

ଗୀତ- (ହେ ଅବନୀପତି ତୋର ବିଡ଼ିବାକୁ...ବୃତ୍ତେ)

ଶନି ଓ ଲକ୍ଷ୍ମୀ- କହ କହ ଦଣ୍ଡଧାରି କର ନାହିଁ ଡେରି । ଆମ୍ଭ ବେନି ମଧ୍ୟେ ବଡ଼ ସାନ, କେ ବିଚାରି । ଫେରିଯିବୁଁ ତୋଷେ ହେ । କହ ସତ ଯାହା ତୋତେ ଦିଶେ ହେ ।୧।

ରାଜା- ନିଜର ଆସନୁଁ ତୁମ୍ଭେ ବିଚାର କରିବ । ଆହେ ଶନିଶ୍ଚର ମୋର ଦୋଷ ନ ଧରିବ । ବାସ ଟେକି ଦେଖ ହେ । ବଡ଼ ସାନ ବୁଝିବ ପ୍ରତ୍ୟକ୍ଷ ।୨।

ଶନି- ଖଣ୍ଟପଣ ଆଚରିଣ କୂଟ କଲୁ ଏତେ ।

କେମନ୍ତେ କମଳା ରକ୍ଷା କରିବ ରେ ଏଥେଁ ।

ନିକଟରେ ମୋର ରେ । ଦଶାରେ ପଡ଼ିବୁ ରସାବର ।୩।

ଶୁଣ ରାଜା ତୋର ରାଜ୍ୟ ଦିନେ ଦେବି ଜାଳି ।

ଅନ୍ନ ଜଳ ଲାଗି ପ୍ରଜା ଛାଡ଼ିବେ ବୋବାଳି ।

ଶ୍ୱାନ ଶିବା ବୃନ୍ଦରେ । ଆନନ୍ଦେ ଭକ୍ଷିବେ ରକ୍ତ ମେଦ ।୪।

ଯାଉଛି ଯାଉଛି ଏଥେ ରହିଥାରେ ରାଜା ।

କିଛିଦିନ ପରେ ୟାର ପାଇବୁ ରେ ମଜା ।

ବଇଷ୍ଣବ ଭଣେ ରେ ! ରଖି ନ ପାରିବେ ଲକ୍ଷ୍ମୀ ପଣେ ରେ ।୫।

(ଶନି ପ୍ରସ୍ଥାନ)

 

 

(ଲକ୍ଷ୍ମୀଙ୍କ ନିକଟରେ ରାଜାର ଗୀତ)

(ଭାଇ ମରୁନାହାନ୍ତି ଏ ପର ଘର...ବୃତ୍ତେ)

ମୋତେ କାରଣ କର ବରୁଣଦୁଲଣି ଗୋ ।

ଜାଣିଲି ଦଇବ ବାମ ହେଲାଣି ଗୋ ।ପଦ।

ଶନିର ଦାଉରୁ କ୍ଷାନ୍ତ, ଆଉ କି ପାଇବି ମାତ !

ମୁହିଁ ଚନ୍ଦ୍ର ସେ ତ ରାହୁ ହେଲାଣି ଗୋ ।୧।

ଯେବେ ତୁ ନ କରୁ ରକ୍ଷା, ନ ପାଇବି ମୁଷ୍ଟିଭିକ୍ଷା,

ମୋର ରାଜ୍ୟେ ହିଂସା ବସା କଲାଣି ଗୋ ।୨।

ପଡ଼ନ୍ତେ ମୋହର ଦଶା, ନ ମିଳିବ ଅନ୍ନ ରସା,

ବଇ ବୋଲେ ତୁ ଜଗତ ଭୁଲାଣି ଗୋ ।୩।

(ରାଜା ପ୍ରତି ଲକ୍ଷ୍ମୀଙ୍କ ପ୍ରବୋଧନା)

ଗୀତ- (ନବଘନେ ପୁଲକ ବଦନେ ଚାହୁଁ...ବୃତ୍ତେ)

କାତର ନ ହୁଅ ବାପ ଶ୍ରୀବତ୍ସରେ ଏଥର ।

ଶନିର କଥାକୁ ତିଳେ ନ କର ତୁ ଖାତର ।ପଦ।

ତା’ର ପଡ଼ନ୍ତେ ଦଶା, ତୋର ସାଧିବ ହିଂସା,

ତେତେବେଳେ ଭରସା, ହେବି ଜାଣିଥା ରସାନାଥ,

ଛାଇପରି ରହିଥିବି ତୋର ସାଥିର ।୧।

ଜଳେ ସ୍ଥଳେ ଆହାର, ଯୋଗାଇବି ତୋହର,

ଧରିଲେ ତୁ ଜହର, ସୁଧା ହେବ ବାହାର;

ତୋର ଦଶା କଷ୍ଟ ଦେବ କେତେଦିନ ମାତର ।୨।

ପୁଣି ହେବ ସୁଦିନ, ଧନ୍ୟଧାନ୍ୟ ଗୋଧନ,

ରାଜ୍ୟେ ହେବ ରେ ପୂର୍ଣ୍ଣ, କହୁଛି ବାପଧନ,

ମେଲାଣି ହେଉଛି ବଇଷ୍ଣବ ଭଣି ଗୀତର ।୩।

(ଲକ୍ଷ୍ମୀଙ୍କର ପ୍ରସ୍ଥାନ)

ରାଜା- (ମନ୍ତ୍ରୀପ୍ରତି) ଚାଲ ସଭାଭଙ୍ଗ କର, ମନ ମୋର ବ୍ୟସ୍ତ ହୁଏ ଭାରି ।

(ଦୂତ ପ୍ରତି) ଚାଲ ରେ ଡଗର ! ଡକାଇଣ ଗଣକେ, ଗଣାଇବି ଆଜି ମୁହିଁ, କେତେ ଦିନ ଅଛି ଶନିଦଶା ପଡ଼ିବାକୁ । (ପ୍ରସ୍ଥାନ)

(ଗ୍ରାମବାସୀଙ୍କର ପ୍ରବେଶ ଓ କଥୋପକଥନ)

ଗୀତ-(ଆ ଆ ଗାତପଶାରେ...ବୃତ୍ତେ)

ପ୍ରଥମ ବ୍ୟକ୍ତି- ଦେଖ୍ ଭାଇ ରେ ! ଜଳିଗଲା ଏହି ରାଜନଅର ।

ଦ୍ୱିତୀୟ ବ୍ୟକ୍ତି- ମୋ କଥା ଭାଇ ମୋତେ ବଳାଉଛି

ନେଇଗଲେ ଚାଉଳ ଓଳିଆ ଚୋର ।ପଦ।

ପ୍ରଥମ ବ୍ୟକ୍ତି- କହୁଥିଲା ବଳିଆ ଭାଇ, ହଜିଛି ତା କାଳିଆ ଗାଈ ।

ଦ୍ୱିତୀୟ ବ୍ୟକ୍ତି- ହଜିଥିଲେ ସିନା ଖୋଜିଲେ ମିଳନ୍ତା,

କାଟି ଖାଇଗଲେ ପାଣ ଶଅର ।୧।

ପ୍ରଥମ ବ୍ୟକ୍ତି- କେତେ ଲୋକ ବାବାଜି ସାଜି, ବୁଲୁଛନ୍ତି ସନ୍ଧାନ ଖୋଜି ।

ଦ୍ୱିତୀୟ ବ୍ୟକ୍ତି- ସଞ୍ଜହେଲାଠାରୁ ଝୋଲି ମାଳି ଛାଡ଼ି,

କଂସା ଥାଳି ଘେନି ହୁଅନ୍ତି ପାର ।୨।

ପ୍ରଥମ ବ୍ୟକ୍ତି- ପେଟ ପୋଡ଼ିଗଲା ଯେୁଁଠୁ, ଚୋରି କଲେ ଯାଇଁ ସେଇଠୁଁ ।

ଦ୍ୱିତୀୟ ବ୍ୟକ୍ତି- ବାଟ ଘାଟ ପେଣ୍ଠ ଜଗିକରି ଖଣ୍ଟ,

ଛଡ଼ାଇ ନିଅନ୍ତି ଦେଇ ପାହାର ।୩।

ପ୍ରଥମ ବ୍ୟକ୍ତି- ମାଗିଗଲେ ରାଜା ଉଆସ, ଡାକି ଡାକି ଉଡ଼େ ସାହସ ।

ଦ୍ୱିତୀୟ ବ୍ୟକ୍ତି- ଘରେ ଥିଲେ ସିନା ପରକୁ ଦିଅନ୍ତେ ନିଜେ ନ ପାଆନ୍ତି ମୁଠା ଆହାର ।୪।

ପ୍ରଥମ ବ୍ୟକ୍ତି- ଘୋଡ଼ା ହାତୀ ଓଟ ମାଉଁସ, ଖାଉଛନ୍ତି ହିନ୍ଦୁ ମନୁଷ୍ୟ ।

ଦ୍ୱିତୀୟ ବ୍ୟକ୍ତି- ପେଟ ଗଲେ ଜଳି ସବୁ ଲାଗେ କଳି,

ବଇ ବୋଲେ ସେଠି କିଏ କାହାର ।୫।

ପ୍ରଥମ ବ୍ୟକ୍ତି- ଆରେ ଭାଇ ! ଇମିତି କଅଣ ହେଲା- ତିନି ବରଷ ହେଲା ଭୂମିରେ ବରଷିଲା ନାହିଁ ପାଣି ।

ଦ୍ୱିତୀୟ ବ୍ୟକ୍ତି- ମାଣେ ଜମି କାଟିଲି ପୁରିଲା ନାହିଁ ଗଉଣୀ ।

ପ୍ରଥମ ବ୍ୟକ୍ତି- ତେବେ ପିଲାପିଲି ଖାଆନ୍ତି କଅଣ ତୋହର ?

ଦ୍ୱିତୀୟ ବ୍ୟକ୍ତି- ସେମାନେ କଅଣ ଖାଇବେ, ମୁଁ ତାଙ୍କୁ କଲିଣି ଆହାର ।

ପ୍ରଥମ ବ୍ୟକ୍ତି- ଏ କଥା ଚାଆଲେ ରାଜାଙ୍କୁ କହିବା ।

ଦ୍ୱିତୀୟ ବ୍ୟକ୍ତି- ରାଜ ଯଦି ଖାଇବାକୁ ନ ଦିଅନ୍ତି ତେବେ ରାଜା ରାଣୀଙ୍କି ମାରି ଖାଇବା ।

ପ୍ରଥମ ବ୍ୟକ୍ତି- ଚାଲ, ଚାଲ, ଚାଲ । (ପ୍ରସ୍ଥାନ)

 

(ରାଜା ଓ ରାଣୀଙ୍କର ପ୍ରବେଶ, ରାଣୀ ପ୍ରତି ରାଜାଙ୍କର ଉକ୍ତି)

ଗୀତ- (ସଜ ସରସିଜ ଦୃଶାରେ ଯାହା...ବୃତ୍ତେ)

ଚାଲ ରାଜୀବନୟନାରେ, ଆଜି ତେଜି ଯିବା ରାଜଧାନୀ ।

ଶୁଣି ଶୁଣି କର୍ଣ୍ଣ ବଧିର ହେଲାଣି, ପ୍ରଜାଙ୍କ ରୋଦନ ପୁଣି ।ପଦ।

ଏତେ ଦିନେ ଶନି କାମନା ପୂରିଲା ଜାଣିଥାଅ ଆରେ ଧନି ।

ନ ଗଲେ ମୁଁ ରାଜ୍ୟ ଉଚ୍ଛନ୍ନ ହୋଇବ ପଶିବା ବିଜନେ ବେନି ।୧।

ସୀତାଂଶୁବଦନା ଯେବେ ପିତାବାସେ ଯିବୁ ମୋହ କଥା ମାନି ।

ଜଠର ଯନ୍ତ୍ରଣା କଟାଇବୁ ତୁହି ନ ଘଟିବ ମାନ ହାନି ।୨।

ଷଣପୁଷ୍ପଦେହା ମୋ ତୁଲେ କଷଣ କିମ୍ପା ଭୋଗିବୁ କହନି ।

ବଣମଲ୍ଲୀ ଦଶା ନ ଘଟିବ ବଣେ ନ ପାରିବେ କେହି ଚିହ୍ନି ।୩।

ବଞ୍ଚିଥିଲେ ପ୍ରାଣେ କୁଞ୍ଚିତଚିକୁରା ଯେ କାଳେ ତେଜିବ ଶନି ।

ମିଳନ ହୋଇବ ଭାଷେ ବଇଷ୍ଣବ କାଳେ ହେବା ଚିହ୍ନାଚିହ୍ନି ।୪।

(ରାଜା ପ୍ରତି ରାଣୀର ଉତ୍ତର)

ଗୀତ- (ନେଇ ଯାଅ ଆଈ ଏ ଫୁଲେ...ବୃତ୍ତେ)

କେସନେ ଏସନ ବଚନ ଭାଷୁଛ ଜୀବଧନ !

ଚିରସଙ୍ଗିନୀକି ସଙ୍ଗରୁ ତେଜି ଚଳିବ ବନ ।୧।

ଦୁଃଖ ସୁଖେ ସମଭାଗିନୀ ଅଟେ ଏ ଅଭାଗିନୀ ।

ଜୀବକୁ ତେଜିଣ ପରମ କାହିଁ ଅଛି କହନି ।୨।

ଥିଲେ ମୁହିଁ ସଙ୍ଗେ ବିଜନେ ବାଧିବ ନାହିଁ କଷ୍ଟ ।

ଚରଣସେବୀକି ବାରଣ ନ କର ନରରାଟ ।୩।

ଶୟନ କରିବ ନୟନ ବୁଜି ଯେ ଠାବେ ନାଥ !

ଶୋଇବି ତୁମ୍ଭରି ବାହୁରେ ଥୋଇଣ ମୋର ମାଥ ।୪।

ବନ ଜଳ ବନର ଫଳ ଭୁଞ୍ଜିବି ସଙ୍ଗେ ଥାଇ ।

ବନେ ବନପ୍ରିୟ ବଚନ ଶୁଣିବି କର୍ଣ୍ଣ ଦେଇ ।୫।

ବ୍ୟାଘ୍ର ସିଂହ ଗଜ ଗର୍ଜନ ଶୁଣି ଶ୍ରୁତିଯୁଗଳେ ।

ଭୟ ହେଲେ ବୃକ୍ଷ ମୂଳରେ ଲୁଚିବି ତୁମ୍ଭ କୋଳେ ।୬।

ବେଳ ଜାଣି ମନ ଯୋଗାଇ କରିଣ ଥିବି ସେବା ।

ବଇ ବୋଲେ ଶନି ଆମ୍ଭର କିସ କରିବ ଅବା ।୭।

(ରାଜା ଓ ରାଣୀର କଥାବାର୍ତ୍ତା)

ରାଜା- ପ୍ରିୟେ ! ଜାଣିଲି ମୁଁ ରମଣୀମଣ୍ଡଳେ ଏକା ଶିରୋମଣି ତୁମ୍ଭେ, ନାହିଁ ପତିପରାୟଣା ବଳି ତୁମ୍ଭଠାରୁ; ଏତେ ବିପଦରେ ଧୈର୍ଯ୍ୟ ତବ ନ ଟଳଇ ତିଳେ, କାନ୍ଦ ନାହିଁ ଗୋ କୁନ୍ଦରଦନେ ! କରିକନ୍ଥା ବାନ୍ଧ କିଛି ଧନ, ତାହା ମୁଣ୍ଡାଇଣ ମୁଣ୍ଡେ ତେଜି ରାଜଧାନୀ, ଏହି ରଜନୀ ଅର୍ଦ୍ଧରେ ପଶିବା କାନନେ । ହୋଇ ତବ ସହଗାମୀ, ନ ମିଳିଲାବେଳେ ଖାଦ୍ୟ, ଧନ ଲାଗିବ କାର୍ଯ୍ୟରେ । ମୁହିଁ ଗଲେ ରାଜ୍ୟ ତେଜି, ପ୍ରଜା ମୋର ରହିବେ ହରଷେ । ମୋର ଦଶା ଭୋଗୁଛନ୍ତି ସମସ୍ତ ପରଜା ।

ରାଣୀ- ଜୀବେଶ୍ୱର ! ଚାଲ, କନ୍ଥାରେ ପୂରାଇ ଧନ ଆଚରିବା ଭିକ୍ଷାଶୀର ପନ୍ଥା । ଚିନ୍ତା ସଙ୍ଗେ ଥିଲେ କେଭେଁ ନ ରହିବ ଚିନ୍ତା ।

(ଉଭୟେ ପ୍ରସ୍ଥାନ)

(ଚାକର ଓ ଚାକିରିଆଣୀଙ୍କର ପ୍ରବେଶ-ଫାର୍ଶ)

ଗୀତ- (ଆଜି ସୁନ୍ଦର ମୃଦୁ ମଧୁଯାମିନୀ...ବୃତ୍ତେ)

ପୁରୁଷ- ସକସକ କାହିଁକି ସୁମ ନାନୀ ଲୋ !

ସ୍ତ୍ରୀ- ମୋର ହଜିଛି ସୁନା କହନି ରେ ସନା ରହିବି କାହା ଘେନି ଲୋ ।ପଦ।

ପୁରୁଷ- କହିଲୁ ନାହିଁ ମୋତେ ଆଣି ଦେଇଥାନ୍ତି ଖୋଜି ।

ସ୍ତ୍ରୀ- ଚୁଲିଆ ନିଅଁଶିଆ କଥା ନ ପାରିଲୁ ବୁଝି ।

ପୁରୁଷ- ବୁଝେଇ ଦେ ଭଲା ମୋ ମନକୁ କରି ରାଜି ।

ସ୍ତ୍ରୀ- ବୁଝେଇ ଦେଲେ ତୋର ଚାତର ଯିବଟି ହଜି ।

ପୁରୁଷ- ସେ ଦିନ ଫେର୍ ଡାକି ଟାଣିବୁ ପିନ୍ଧା କାନି ଲୋ ।୧।

ସ୍ତ୍ରୀ- ନାହାନ୍ତି ରାଜା ରାଣୀ ପଡ଼ିଛି ଖାଲି ଶେଯ ।

ପୁରୁଷ- ଏଣିକି ଲାଗିବ ଲୋ ତୋର ମୋର ମଉଜ ।

ସ୍ତ୍ରୀ- ନାହାନ୍ତି କି ତୋର ଘରେ ଭଉଣୀ ଭାଉଜ ?

ପୁରୁଷ- ପିଲାପିଲି ହେଲ ଲୋ ଚଳାଇବେ ରାଇଜ ।

ସ୍ତ୍ରୀ- ଅଇଁଠାଚଟାଙ୍କର ସବୁ ଜାଗାରେ ଥାନି ।୨।

ପୁରୁଷ- ଆଗ ଭଳିଆ ମୋର ଅଛି କିଲୋ ବଣା ଟଣା

ସ୍ତ୍ରୀ- ଏଣିକି ପଢ଼ି ଶୁଣି ପଣ୍ଡିତ ହେଲାଣି କଣା ।

ପୁରୁଷ- ମନ୍ତର ପଢ଼ି ଯେବେ ଝାଡ଼ିବି ପଞ୍ଚମୁଣା

ସ୍ତ୍ରୀ- ମନ୍ତର ପଢ଼ିଲେ ତୁ, କିଏ ଟାଣିବ ଘଣା ?

ପୁରୁଷ- ପାସୋରି ଯାଇଥିଲେ ମଡ଼ାଇ ନେବା ସାନି ।୩।

ସ୍ତ୍ରୀ- ଥିଲେ ତ ରାଜା ତୋର ମଜା ବୁଝିଥାନ୍ତି ଟୋକା

ପୁରୁଷ- କେମନ୍ତେ ମନ ମାରି ରହିବୁ ତୁ ଏକା ଏକା ?

ସ୍ତ୍ରୀ- କଥାରେ କଥାରେ ମତେ କରିଦେଉଛୁ ତୁ ବୋକା

ପୁରୁଷ- ଦୁନିଆ ଗୋଟାଯାକ ସେହିପରି ଜୀବିକା

ସ୍ତ୍ରୀ- ବଇଆ ବୋଲେ ଫଳ ଫଳୁଛି ତୋ ମନ ଘେନି ।୪।

(ଚାକର ଓ ଚାକିରିଆଣୀଙ୍କର କଥାବାର୍ତ୍ତା)

ପୁରୁଷ- ନାନି ! ତୁ ଆଜିଠଉଁ ହେଲୁ ମୋର ଅବଧାନ ।

ସ୍ତ୍ରୀ- କି ପାଠ ପଢ଼ିବୁ, ଚାଟ ହେବୁ ଯେବେ ଫିଟାଇ କହନି ମନ ?

ପୁରୁଷ- ପାଠ ତ ସବୁ ପଢ଼ିଛି, ଜରିବିକରି ଶିଖେଇବୁ ମତେ ଜମି

ସ୍ତ୍ରୀ- ଆସେ ନାହିଁ ମୋତେ ଜରିବି ମଡ଼ାଣ ଠଉଁ ଜାଣେ ଜମି ।

ପୁରୁଷ- ତେବେ ମତେ ହରଣ ଖନ୍ଦାଏ ବତା

ସ୍ତ୍ରୀ- ମୁଁ ତା ଜାଣେ ନା ଖଣ୍ଡିଆଦନ୍ତା ।

ପୁରୁଷ- ତେବେ ଓଡ଼ାଙ୍କରୁ କିଛି ଦେଖା

ସ୍ତ୍ରୀ- ତା ପର ରୂପ ପଢ଼େଇବି ଯେବେ କହିବୁ ଖଣ୍ଡିଆ ଟୋକା ।

ପୁରୁଷ- ତେବେ ଜଣାଗଲା ଖାଲି ପକେଇଆସେ ଶୋଧି

ସ୍ତ୍ରୀ- ଏଇଛୁଣି ଗାତପଶା, ଚୁଲିଆ, ନିଅଁଶିଆ, ଖଣ୍ଡିଆ ତୋ ଗାଲକୁ ଦିଅନ୍ତି କୁନ୍ଦି ।

(ଉଭୟେ ପ୍ରସ୍ଥାନ)

(ରାଜା ଓ ରାଣୀ ଚିନ୍ତାଙ୍କର ପ୍ରବେଶ)

ଚିନ୍ତା- ନାଥ ! ନିକଟ ପଡ଼ିଲା ନଦୀ କେହ୍ନେ ହେବା ପାରି ?

ରାଜା- ନଦୀ ଯଦି ଏଠାରେ ନିଶ୍ଚେ ଥିବ ଯେ ନାଉରୀ ।

ଚିନ୍ତା- ଏତେ ରାତ୍ରେ ତରୀ କି ସେ ଫିଟାଇବ ନାଥ ?

ରାଜା- ନିଶ୍ଚୟ ପାରି କରିବ ଦେଲେ ବେଶି ଅର୍ଥ ।

ଚିନ୍ତା- ଅଦୂରେ କି ଶୁଣାଯାଏ ଗୀତ ?

ରାଜା- ଜଣାଯାଏ କର୍ଣ୍ଣଧାର ହୋଇ ଆନନ୍ଦିତ, ଗାଉଅଛି ଏ ସଙ୍ଗାତ ।

(ଶନି ନାଉରୀ ବେଶ ଧରି, ଘୋଡ଼ା-ଗୀତ ଗାଇ ପ୍ରବେଶ)

ବୋହି ବୋହି ପାଣି, ଅଣ୍ଟା ଲାଗିଲାଣି, ଧନ୍ୟ ମୋ ଦଦରା ଡଙ୍ଗା ।

ନାଗୁ ଯେବେ କୂଳେ, ଭାସି ଭାସି ବଳେ, ଟାଣି ଟାଣି ହାତ ନାଗୁ ।୧।

ରାତି ଗୋଟାଯାକ, ଜାଲ ଫିଙ୍ଗି ଫିଙ୍ଗି ହାଲତରେ ଗଲି ଥରି ।

ବୋହୂ ଥିଲେ କହି, ମାଛ ନେବା ପାଇଁ, ଗଲେ ଗୋଡ଼ାଇବେ ମାରି ।୨।

ନଈ ତ ଓସାର, ସତର ପଦିକା କୁମ୍ଭୀର ମାଳକୁ ମାଳ ।

ବୋହିଲାବେଳକୁ ପାହାନ୍ତି ପବନ ଡାକଦିଏ କଳକଳ ।୩।

ଡଙ୍ଗା ଭଙ୍ଗା ଖଣ୍ଡି, ଜୀବିକା ମୋହରି, ପୋଷଇ ତିନି ପରାଣୀ ।

ବଇଷ୍ଣବ କହି, ସଞ୍ଜ ହେଲେ ମାଈ ବୁଲନ୍ତି ଚାଉଳ କିଣି ।୪।

(ନାଉରୀ ପାଶେ ରାଜାର ପ୍ରବେଶ ଓ ନାଉରୀ ସହ କଥାବାର୍ତ୍ତା)

ରାଜା- ହେ ନାଉରୀ ! ମୋତେ ଶୀଘ୍ର ଦିଅ ପାରିକରି ।

ନାଉରି- ଅଛ କେତେ ଜଣ ? କିଛି ଚିଜ ନାହିଁ ତ ତୁମ୍ଭରି ?

ରାଜା- ଗଣ୍ଠିରି ଗୋଟିଏ ମାତ୍ର, ଆମ୍ଭେ ଦୁଇପ୍ରାଣୀ ।

ନାଉରି- ଜଣେ କରି ନ ନେଲେ, ଡଙ୍ଗାରେ ପଶିଯିବ ପାଣି ।

ରାଜା- କନ୍ଥା ଘେନି ଯାଆନ୍ତୁ ମୋ ରାଣୀ ଏ ଭରାରେ ।

ନାଉରି- କନ୍ଥା ଗଣ୍ଠିରିକି ତୁମ୍ଭ ନେବି ଏକାଥରେ ।

ରାଜା- ଆଗେ କନ୍ଥା ରଖି ପରେ ନିଅ ଏ ନାରୀକି ।

ନାଉରି- ଡଙ୍ଗାରେ ଥୁଅ କନ୍ଥାକୁ ବେନି ଜନେ ଟେକି ।

ରାଜା- ଥୋଇଦେଇ ୟାକୁ ଶୀଘ୍ର ଆସିବ ନାଉରି !

ନାଉରି- (ଡଙ୍ଗା ବାହି) କେମନ୍ତେ କରିବ ରକ୍ଷା କମଳା ଏଥି ଆସି କରି ।

(ପ୍ରସ୍ଥାନ)

(ଶନି ଗଣ୍ଠିରି ନେଇ ପଳାଇବାରୁ ବିକଳେ ରାଜାର ଶୋକ)

ଗୀତ- (ଆଜି ରଜନୀରେ ସ୍ତବ୍‌ଧ...ବୃତ୍ତେ)

ଆରେ ଶନିଶ୍ଚର ତୁହି ଏଡ଼ିକି ନିଷ୍ଠୁର ।

ତୋହ ଯୋଗେ ରାଜ୍ୟ ତେଜି ପଶିଲି ବନର ।

ପଥେ ମାୟାନଦୀ କରି । ଆଣିଥିବା ଧନ ଛଳେ କରିନେଲୁ ଚୋରି ।୧।

କିଛିଦିନ ବଞ୍ଚିଥାନ୍ତି ସଞ୍ଚିତ ବିତ୍ତରେ ।

ଏତେମତେ ଦୟା ତୋର ନୋହିଲା ଚିତ୍ତରେ ।

କଲୁ ସମ୍ବଳବିହୀନ । ବନ ଫଳ ମୂଳ ଭକ୍ଷି ହେବି ବଳହୀନ ।୨।

କେହ୍ନେ ହରାଇବି ପ୍ରିୟେ ଜଠର ଯାତନା ।

ମୁଁ ମଲେ ମରନ୍ତି ପଛେ ନାହିଁଟି ଶୋଚନା ।

ଚିନ୍ତା ଚିନ୍ତା-ଚିତା ଦେହ । ଶିରୀଷ ତନୁକୁ ପୋଡ଼ିଦେବ ଅହରହ ।୩।

ଶିଶିରେ ଝାଉଁଳିଗଲା ପରାଏ ନଳିନୀ ।

ତେସନ ଦିଶଇ ତୁମ୍ଭ ମୁଖ କମଳିନୀ । ବିହି ଦେଲା ଏତେ ଦୁଃଖ ।

କେମନ୍ତେ ସହିବି ସଖି ତୁମ୍ଭେ ଶୋଷ ଭୋକ ।୪।

ଗୋ ମାତ କମଳେ ଏ କାଳରେ ହୁଅ ସାହା ।

ବିଷ୍ଣୁ ପାଟରାଣୀ କଷ୍ଟୁଁ ତାର ପଦ୍ମାଳୟା ।

ବିନା ଦୋଷେ ସୂର୍ଯ୍ୟସୁତ, ଦଣ୍ଡଦେଲେ ଏତେ ବଇଷ୍ଣବ ଭାଷେ ଗୀତ ।୫।

(ରାଜା ପ୍ରତି ରାଣୀର ପ୍ରବୋଧନା)

ଗୀତ- (ଘନଜଘନାକୁ...ବୃତ୍ତେ)

ଭାବ ନା ଭାବ ନା ଜୀବଧନ ଏତେ, ଧନ ଯଉବନ ନୁହଇ ଚିର ।

ରାବ ନା ରାବ ନା କୁରରୀ ପରାୟେ ବନଜ ନୟନୁ ବୁହାଇ ନୀର ।ପଦ ।

ଦୁଃଖ ସୁଖ ଏହି ସଂସାରେ ରହିଛି ଭୁଞ୍ଜିବାକୁ ଦେହେଁ ପ୍ରାଣୀ ନିଜର ।

ସାଦରେ ତାହାଙ୍କୁ ମୁଣ୍ଡରେ ଭ୍ରମିବା କାନନେ ହେ ନରବର ।୧।

ଥିଲା ରାଜଚ୍ଛତ୍ର ହେଲା ଭିକ୍ଷାପାତ୍ର, ମିତ୍ର ହେଲେ ବ୍ୟାଘ୍ର ଭଲ୍ଲୁକ ଶୂକର ।

ଗୋତ୍ର ହେଲା ‘କିସ କରିବା’ ବଚନ ନେତ୍ର ଲୁହା କରି ଦେଖ ସଂସାର ।୨।

ଏ ଦୁର୍ଦ୍ଦିନ ସବୁଦିନେ ନ ରହିବ ଅବଶ୍ୟ ସୁଦିନ ଦେବେ ଶଙ୍କର ।

ଶନି କି କରିବ ଭାଷେ ବଇଷ୍ଣବ ସତ୍ୟ ପାଳି ବନେ ତୋଳିବା ଘର ।୩।

(ରାଜା ଓ ରାଣୀର କଥାବାର୍ତ୍ତା)

ରାଜା- ଧନ୍ୟ ଧନ୍ୟ ଚିନ୍ତା ତବ ଧୈର୍ଯ୍ୟଶୀଳତା, ନ ଥିଲେ ଏ କଥା କିଏ ଶୁଣାନ୍ତା କର୍ଣ୍ଣରେ । ରେ ସୁନ୍ଦରୀ ! ନିକଟରେ ଦେଖାଯାଏ ଏ ଚନ୍ଦ୍ରଧ୍ୱଜ ବନ, ସେହି ବନେ ଭ୍ରମିଣ ଭକ୍ଷିବା ଫଳମୂଳ । (ଯାଉଁ ଯାଉଁ ବେଟରେ ଜନରବ ଶୁଣି) ସଖି ! ନିକଟରେ ଜନରବ ଶୁଭୁଅଛି କାହୁଁ । ଯେବେ ଥାଏ ପଲ୍ଲୀଗ୍ରାମ, ମାଗି ଭିକ୍ଷା ଦେବି ତୋର ପାଶେ ।

ଚିନ୍ତା- ପ୍ରାଣପତି ! ଆସ ଶୀଘ୍ର, ଭୟ ନ କରନ୍ତୁ ଲେଶେ । (ପ୍ରସ୍ଥାନ)

(କେତେକ କେଉଟ ମାଛ ଧରିବା ନିମନ୍ତେ ହାତରେ ଜାଲ ଧରି ପ୍ରବେଶ)

ଗୀତ- (କିଏରେ ଦାସ, କିଏରେ ଦାସ...ବୃତ୍ତେ)

ପ୍ରଥମ କେଉଟ- ଗଲା ଗଲା ଗଲାରେ ଭାଇ ରୋହିମାଛଟା ପଳାଇ,

ଦ୍ୱିତୀୟ କେଉଟ- ପକା ଜାଲ ବକାଟା କିରେ ଧରିଛି ପରା ଖାଳୋଇ ।ପଦ।

ପ୍ରଥମ କେଉଟ- ଶିଙ୍ଗି ପପତା ମାଗୁର, ଶେଉଳ କଉ ଗାଗର ।

ଦ୍ୱିତୀୟ କେଉଟ- ପଡ଼ିଲେ ନାହିଁ ଜମାରୁ ଗୋଟାଏ ମାଇପେ କହିବେ ଛଳେଇ ।୧।

ପ୍ରଥମ କେଉଟ- ଆଜି ଚାଉଳ ଆସିବ କାହିଁରେ, ଜମା ନାହିଁରେ ନାହିଁରେ ନାହିଁରେ ।

ଦ୍ୱିତୀୟ କେଉଟ- ଆସିଲାବେଳେ ପଛରୁ ଡାକିଲା ଭୋବନା-ମା କଳେଈ ।୨।

ପ୍ରଥମ କେଉଟ- ଆରେ କଅଣ କରିବା କହିଲୁ ? ସେ ଝରିଟାକୁ ଯିବା ଅଇଲୁ ।

ଦ୍ୱିତୀୟ କେଉଟ- ପହିଲି କ୍ଷେପାରେ ହାରିଲୁଁ ବୋଲି ମନ ହେଉଅଛି ଶୂଳେଇ ।୩।

ପ୍ରଥମ କେଉଟ- କିଏ ମନ୍ତର ଦେଲା କି କରି, ଜମା ପଡ଼ୁନାହିଁ ଦଣ୍ଡିକିରୀ ।

ଦ୍ୱିତୀୟ କେଉଟ- ବଇଆ ତେଣେ ମାଈ ଥିବେ ସାରୁମୁଣ୍ଡାକୁ ଓଳେଇ ।୪।

(କେଉଟମାନଙ୍କ ପ୍ରତି ରାଜାର ମାଗୁଣି)

ଗୀତ- (ଆରେ ରେ ଅବୋଧ, କଲ ଏଡ଼େ..ବୃତ୍ତେ)

ହେ ଭାଇ କେଉଟ, ବହ ନାହିଁ ହଟ; ମୀନ କିଛି ଦିଅ ବହନ ।

ନିର୍ଭା ବେନି ଜନେ, ଜଠର ଯନ୍ତ୍ରଣା, କ୍ଷୁଧା କରୁଅଛି ଦହନ ।ପଦ।

ପରେ ଶୁଣିବ ମୋ କାହାଣୀ,

ଶୁଣିଲେ ଅବଶ୍ୟ ଦୟା ଉପୁଜିବ ଦଣ୍ଡଦେଲେ ଗୃଧ୍ରବାହନ ।୧।

ଯେବେ ମୋତେ ହେବ ଭରସା,

ତୁମ୍ଭ ମାଛ ଖାଇ ରହୁ ଏହି ଦେହୀ ବଇ କହି ନୋହୁ ଏ ଆନ ।୨।

(ରାଜ୍ୟପ୍ରତି କେଉଟମାନଙ୍କର ଉତ୍ତର)

ଗୀତ- (ଯାଅ ଯାଅ ପ୍ରହରୀ...ବୃତ୍ତେ)

ଭାଇ ପଡ଼ିନାହିଁ ଜମା ମାଛ ।

ଦେଖ କହୁନାହୁଁ ଆମ୍ଭେ ମିଛ ।ପଦ।

ଘର ଘରଣୀ ବେସର ବାଟିଥିବେ ଚାହିଁ,

ଯାଇଛନ୍ତି ଆଣିବେ ଆମ୍ଭର ଗୋଟା ରୋହୀ ।

ଗଲେ ଉଠିବ ଛାଞ୍ଚୁଣୀ ନାଚ ।୧।

ଚଟୁ ପହଁରା ଗୋଜଣା ଯେ ଯେଉଁଠି ଥିବେ,

ଆମ୍ଭଙ୍କୁ ଦେଖିଲେ ସବୁ ଏକାଠି ହୋଇବେ ।

ପିଠି ହୋଇଯିବ ଉଚ୍ଚ ଉଚ୍ଚ ।୨।

କାହାର ମୁହଁ ଚାହିଁ ଆମ୍ଭେ ଆସିଥିଲୁଁ ଘରୁ,

ମନ ଯେମନ୍ତ ହେଉଛି ଖାଇଥିଲେ ସାରୁ ।

ବଇ ବୋଲେ ପ୍ରାଣ ଲାଗେତୁଚ୍ଛ ।୩।

(ରାଜା ଓ କେଉଟମାନଙ୍କ କଥୋପକଥନ)

ରାଜା- ମୋହପାଇଁ ଆଉ ଥରେ ଜାଲ ପକାଇଲ ଭାଇ !

କେଉଟ- (ଜାଲ ପକାନ୍ତେ) ଏଥର କିପାଁ ଜାଲ ନ ହୁଏ ଉଠାଇ !

ରାଜା- ଭଲ କରି ଟାଣ, ମାଛ ପଡ଼ିଥିବ ଜାଲେ ।

କେଉଟ- (ଜାଲ ଦେଖି) ହୁକୁମ ଦେବାରୁ ମାଛ ପଡ଼ିଗଲେ ପଲ୍ଲେ ।

ପ୍ରଥମ କେଉଟ- ତେବେ ଆମ୍ଭେ ମାଡ଼ରୁ ପାଇଲୁ ଖଲାସ ।

ଦ୍ୱିତୀୟ କେଉଟ- (ରାଜାପ୍ରତି) ନିଅ ଆହେ ମହାତ୍ମା ! ଯେତେ ଇଚ୍ଛା ହୁଏ ମାଛ ।

ରାଜା- ତେବେ ଗାଳିଦେବ ନାହିଁ ଏ ଅଧମେ,

କେଉଟ- କି କଥା କହୁଛ ! ରାମ୍, ରାମ୍, ରାମ୍, ରାମ୍ ।

(କେଉଟମାନଙ୍କର ପ୍ରସ୍ଥାନ)

(ରାଜା ଓ ରାଣୀଙ୍କର କଥୋପକଥନ)

ରାଜା- ଅନଳ ଲଗାଇ ମାଛ ପୋଡ଼ ମହାରାଣି !

ରାଣୀ- କେମନ୍ତେ ଭୁଞ୍ଜିବ ପୋଡ଼ାମାଛ ନରମଣି ? (ପୋଡ଼ାମାଛ ଦେଖାନ୍ତେ)

ରାଜା- ଧୋଇଆଣ ଶୀଘ୍ର ଏ ନଦୀରେ ଅଛି ପାଣି ।

ରାଣୀ- ଯେ ତୁଣ୍ଡକୁ ନ ରୁଚଇ ଖଣ୍ଡ, କ୍ଷୀର, ସର, ଲବଣୀ ।

(ରାଣୀ ପୋଡ଼ାମାଛ ଧୋଇବା ସମୟରେ ମାଛ ପାଣିରେ ପହଁରି ଚାଲିଯିବା ଓ ଏହା ଦେଖି ରାଜା ପ୍ରତି କାତର ଉକ୍ତି-)

ଗୀତ- (ଆସ ଆସ ବରଜକାମିନି..ବୃତ୍ତେ)

ଏ କି ଅଲୌକିକ କଥା ନୟନେ ଦେଖିଲି ଜୀବନଧନ !

ପୋଡ଼ାମାଛମାନ ଧୋଉଁ ଧୋଉଁ ଜଳେ ପଳାଇଣ ଗଲେ ପାଇ ଜୀବନ ।ପଦ।

ଯାହା କେବେ ଶ୍ରୁତି ଶୁଣିନାହିଁ ଦିନେ ଲେଖିନାହିଁ ବେଦେ ଚତୁରାନନ ।

ଏହା ଆମ୍ଭ ଭାଗ୍ୟେ ଘଟିଲା ଏଠାରେ ଶୁଣିଲେ ହସିବେ ସଂସାରଜନ ।୧।

ଭୁଞ୍ଜିବା ଅନ୍ନରେ ବିଷ ପକାଇଲୁ ଆରେ ଶନି ତୁହି ଏଡ଼େ ଅଜ୍ଞାନ ।

ଛାୟାସୁତ ହୋଇ ଦୟା ତୋର ନାହିଁ ମାୟାରେ ହରିଲୁ ଅର୍ଜିବା ଧନ ।୨।

କ୍ଷୀର କନ୍ଦ ମଧୁ ଳବଣୀ ଯାହାକୁ ନ ରୁଚଇ ଷଡ଼ରସ ବ୍ୟଞ୍ଜନ ।

ଆଜି ମାଛପୋଡ଼ା ଲୋଡ଼ାହେଲା ତାର ଏ ରସେ ଭାଷଇ ବଇଆ ହୀନ ।୩।

(ଏ ସମୟେ ଶନିର ରଜା ନିକଟରେ ପ୍ରବେଶ)

ଗୀତ- (ପଡ଼ିଯିବ ଶ୍ୟାମଫାନ୍ଦେ ଏ ନବକିଶୋରୀ ଗୋ..ବୃତ୍ତେ)

ରହ ରହ ଆରେ ରାଜା, କିଛି ଦିନ ରହ ରେ ।

ଆହୁରି ମଜା ପାଇବୁ ଗଡ଼ାଇଣ ଲୁହ ରେ ।ପଦ।

ୟା ଠାରୁ ଭୋଗିବୁ ସଜା, ଜାଣ ତୁ ଏ ଦେହରେ ।

ପଙ୍କଜଆଳୟା କେହ୍ନେ ସାହା ହେବ ତୋହରେ ।୧।

କଟାଉଛୁ କ୍ଷୁଧା-ବାଧା ଜଡ଼ି ଯା’ର ସ୍ନେହରେ ।

ଜଳି ପୋଡ଼ି ମରିବୁ ତୁ ତାହାରି ବିରହରେ ।୨।

ରାଣୀ ସଙ୍ଗରୁ ବିଚ୍ଛେଦ କରିବି ଜାଣିଥାଅରେ ।

ସ୍ୱପନ ହେବ ତୋ ଭାଗ୍ୟେ ଦେଖିବା ତା ମୁହଁରେ ।୩।

ସେ ଦିନ ଲିଭିବ ଯାଇଁ ମୋର କ୍ରୋଧଦାହରେ ।

ବଇ ବୋଲେ ଏ ବିଜନେ ତେଜି ଯାଅ ଯାଅରେ ।୪।

(ପ୍ରସ୍ଥାନ)

(ରାଜା ଓ ରାଣୀର କଥୋପକଥନ)

ରାଜା- ଚାଲେ ପ୍ରିୟେ, ଜଣାଗଲା ଏ ସମସ୍ତ ଶନିର କୌଶଳ; ଯାଇ ପଲ୍ଲୀଗ୍ରାମେ ରହି, କ୍ଷୁଧାବାଧା ତୁଟାଇବା ତହିଁ । ରହିଲେ କାନନେ ବଡ଼ କଷ୍ଟ ଦେବ ଶନି, ସୁକୁମାର ଅଙ୍ଗ, ନ ସହିବ ପ୍ରଚୁର ତପନତେଜ ।

ରାଣୀ- ଚାଲ ତେବେ ନାଥ ! ଶନି ବାକ୍ୟ ଥରାଏ ମୋ ଚିତ୍ତ, ହୁଅ ସାବଧାନ ଯେହ୍ନେ ନ ଘଟୁ ବିଚ୍ଛେଦ, ଘଟିଲେ ବିଚ୍ଛେଦ ତାର ପୂର୍ଣ୍ଣ ହେବ ସାଧ ।

(ପ୍ରସ୍ଥାନ)

(କାଠୁରିଆ ପଲ୍ଲୀବାସୀ ଶବର ଓ ଶବରୁଣୀଙ୍କର ଫାର୍ଶ)

ଗୀତ- (ଖାଲି ଖାଲି ଚୁଲିପଶାଟା ଏ ଘରେ...ବୃତ୍ତେ)

ସ୍ତ୍ରୀ- ଯାଉନାହୁଁ କାଠ କାଟି କାହିଁପାଇଁ ବଇଚୁ ଖଣ୍ଡିଆଟା ?

ପୁରୁଷ- କାଲି ପରା ଆଣି ଦେଇଥିଲି ତୋତେ ଅସନ ମୁଣ୍ଡିଆଟା ।ପଦ।

ସ୍ତ୍ରୀ- କାଲି ଗିଳିଥିଲୁ ପରା ଭାଣ୍ଡୁଆ, ଆଣି ମାରୁନାହୁଁ ଯାଇ ଦାଣ୍ଡିଆ

ପୁରୁଷ- ଦିନେ ମୋତେ ଘରେ ବସେଇ ନ ଦଉ ଦେଖିଲୁ ଭେଣ୍ଡିଆଟା ।୧।

ସ୍ତ୍ରୀ- ଆଉ ଭେଣ୍ଡିଆ ଯେଉଁଠି ଥାଆନ୍ତି, ଖାଲି ବସି ବସି କରି ଖାଆନ୍ତି ?

ପୁରୁଷ- ଜାଣିଲିଣି ମନ, ଲାଗିଛି ତୋ ଠେଇଁ ଆଉ କା କାଣ୍ଡିଆଟା ।୨।

ସ୍ତ୍ରୀ- ଆଉ ଏମନ୍ତେ କିଏସେ ହେବ, ମୋତେ କଥାରେ ଭୁଲାଇ ଦବ

ପୁରୁଷ- ସିମିତି ସିମିତି କହନ୍ତି ସମସ୍ତେ, ମାଇପୀ ରାଣ୍ଡୁଆଟା ।୩।

ସ୍ତ୍ରୀ- ଏ ତ ସହର ଘରର ସଉଦା, ଏତେ ଖୋଜୁଛୁ କଅଣ କାଇଦା ?

ପୁରୁଷ- ବଇଆ ବୋଲଇ ଗହମ କିଏସେ କହିବ ମାଣ୍ଡିଆଟା ।୪।

(ଶବର ଓ ଶବରୁଣୀଙ୍କର କଥାବାର୍ତ୍ତା)

ସ୍ତ୍ରୀ- ଘରେ ପରା ଚାଉର ନାହିଁ, ଏତେ ଛଇ ଦେଖାଉଛୁ କଅଣ ?

ପୁରୁଷ- ଯେବେ ଚାଉର ନାହିଁ, କରୁନାହୁଁ ଟୁଙ୍ଗା ତୁଉଣ ।

ସ୍ତ୍ରୀ- ଯାଇଁ ଟୁଙ୍ଗା ଆଣୁନାହୁଁ ଖୋରି-

ପୁରୁଷ- ମଲା ମଲା, ଫେର୍ ତ ଅଇଲା ପାରି ।

ସ୍ତ୍ରୀ- ଆଜି ରାତିକି କଅଣ ଗିରିବୁ ?

ପୁରୁଷ- ତୁ ତ ସେମତେ ମୋଅରି ଉପରେ ଚିରିବୁ ।

ସ୍ତ୍ରୀ- ଅନା, ମୋ ସୁନାଟା କିଏ ସେ ଆଉଚି ଦୂରୁ ।

(ରାଜା ଓ ରାଣୀଙ୍କର ପ୍ରବେଶ; ଶବର ପ୍ରତି ରାଜାର କାତରୋକ୍ତି- ଗୀତ)

ହେ ଭାଇ ଶବର, ଶୁଣ ମୋ ଖବର,

ରଖିବ କି ମୋତେ ପାଶର ହେ ।

ତୁମ୍ଭ ସଙ୍ଗେ ରହି, ଜୀବିକା ଚଳାଇ,

କଟାକଟି ଶୋଷ ଭୋକର ହେ ।ପଦ।

କର୍ମଫଳ ଭୋଗୁଛି ମୁହିଁ, ଆଣି ଫଳମୂଳ,

କରିବି କବଳ, ଶ୍ରୁତି ଡେରି ତୁମ୍ଭ ଡାକର ହେ ।୧।

ପରେ ଶୁଣିବ ମୋ କାହାଣୀ,

ଜାଣିଲେ ଅବଶ୍ୟ ଦୟା ଉପୁଜିବ,

ସୁଧାପାନ ଦେବ ରଙ୍କର ହେ ।୨।

ନୁହେଁ ଚୋର ଖଣ୍ଟ ଲମ୍ଫଟ, କପଟ ମନ୍ତ୍ରଣା,

ଶିଖି ନାହିଁ କେବେ, ଦେଖି ନାହିଁ ଦୁଃଖ ଦୁଃଖୀର ହେ ।୩।

ମୋତେ ଯେବେ ହେବ ଭରସା,

କାଳେ ଏ ରସାରେ ପ୍ରଶଂସା ଲଭିବ,

ବଇ କହିଥିବ ଟେକର ହେ ।୪।

(ଶବରୁଣୀ ସହିତ ଶବରର ପରାମର୍ଶ ଉକ୍ତି)

ଶବର- ଆଲୋ ଧନା ମା ! ୟାକୁ ରଖିବା ?

ଶବରୁଣୀ- କେମନ୍ତେ ସୁନ୍ଦର କଅଁଳ ବଚନ ! ୟାକୁ ସଞ୍ଜ ସକାଳେ ଦେଖିବା ।

ଶବର- ଆଲୋ ଧନା ମା ! ତୁ ଦିଶିବୁ ତା ପରି ?

ଶବରୁଣୀ- ତୋଅର ତ ୟାଠଉଁ ଚେହେରା ଭାରି ।

ଶବର- ଜଣାଯାଉଚି ଏ ବଡ଼ଘର ପୁଅ ବୋହୂ ।

ଶବରୁଣୀ- କଥା-ବାରତାରୁ ଜଣାପଡ଼ିଯିବ, ବସା କରି ଆଗ ରହୁ ।

ଶବର- (ରାଜା ପ୍ରତି) ଭାଇ ! ମୋର ଏଇ କୁରିଆରେ ରହ ।

ରାଜା- (ଶବର ପ୍ରତି) ନିରାଶ୍ରୟେ ଆଶ୍ରା ହୋଇ କୀର୍ତ୍ତି-ସ୍ତମ୍ଭ ଥୁଅ ।

(ସମସ୍ତଙ୍କର ପ୍ରସ୍ଥାନ)

(ଜଣେ ସୌଦାଗର ଡଙ୍ଗା ଘେନି ପ୍ରବେଶ ଓ ମାଝୀମାନଙ୍କ ପ୍ରତି)

ଗୀତ- (ପଟିଲା ନାହିଁ ମୋ...ବୃତ୍ତେ)

କି ହେଲା ରେ ମାଝିଗଣେ କି ହେଲାରେ ଆଜି ।

କାରଣ ଏହାର କିଛି ନ ପାରଇ ବୁଝି ।ପଦ।

ଲାଗିଲା ଏଥି ତରଣୀ, ନ ଚଳଇ ଟାଣି ଟାଣି,

ବୁଣିଲା ବିଧାତା କିମ୍ପା ବିପଦର ମଞ୍ଜି ।୧।

ହୋଇବ ଯେବେ ତୋଫାନ, ନଷ୍ଟ ହେବ ବହୁ ଧନ,

ଓଲଟିବ ଯେବେ ନାବ ଚିତ୍ତୁଁ ଜ୍ଞାନ ଯାଏ ହଜି ।୨।

କେମନ୍ତେ ଚଳିବ ନାବ, ବହନ ଉପାୟ ଭାବ,

ରସ ଭାଷେ ବଇଷ୍ଣବ ବିଷ୍ଣୁପାଦ ଭଜି ।୩।

(ଜ୍ୟୋତିଷବେଶ ଧରି ଶନିର ପ୍ରବେଶ ଓ ମହାଜନ ପ୍ରତି)

ଗୀତ- (ବଡ଼ କଠିନ ପ୍ରେମର ପାଠ, ପଢ଼ି...ବୃତ୍ତେ)

କିଁପା ମହାଜନ ମନ କରିଣ ବିରସ ବସିଅଛ ନାବରେ ।

ନବଗ୍ରହ କରନ୍ତୁ, ମନକଷ୍ଟ ହରନ୍ତୁ,

ଧନ ଲାଭ ହେବ କୁଶଳ ଭାବରେ ।ପଦ।

କିଛି ଭିକ୍ଷା ଆଶାରେ, ଆସିଅଛି ଶେଷରେ ।

ଭରସା ହେଉଛୁ ପ୍ରଭୁ ସବୁରି ଠାବରେ ।୧।

ପଚାର ବାଞ୍ଛା ଯାହା, କହିବୁଁ ଆମ୍ଭେ ତାହା,

ହଟାଇଦେବା ହୃଦରୁ ଥିବ ଯା କ୍ଷୋଭରେ ।୨।

ଜ୍ୟୋତିଷ ବିଦ୍ୟାବଳ, ଭାବେ ଅଟେ ପ୍ରବଳ ।

ତ୍ରିକାଳ ବୃତ୍ତାନ୍ତ ଜଣା ବିପ୍ର ବୈଷ୍ଣବରେ ।୩।

(ମହାଜନ ଓ ଜ୍ୟୋତିଷର କଥୋପକଥନ)

ସୌଦାଗର- ହେ ଗଣକ ! କିମ୍ପା ମୋର ନ ଚଳଇ ତରୀ ?

ଜ୍ୟୋତିଷ- ଯାହା ମୁଁ କହିବି ତାହା ପାରିବୁ କି କରି ?

ସୌଦାଗର- ଧନ ଥିଲେ ଅସାଧ୍ୟ ମୋହର କିଛି ନାହିଁ

ଜ୍ୟୋତିଷ- ଏ ଗ୍ରାମରୁ ଆଣ ଡାକି ନାରୀଗଣେ ଯାଇଁ ।

ସୌଦାଗର- ସେମାନଙ୍କ ଦ୍ୱାରା କେଉଁ କାର୍ଯ୍ୟ ହେବ ଏଥେଁ ?

ଜ୍ୟୋତିଷ- ସତୀ କରସ୍ପର୍ଶେ ନୌକା ଚଳିବ ତୁରିତେ ।

ସୌଦାଗର- ଜଣାଯିବ କି ପ୍ରକାରେ କିଏ ସତୀ ନାରୀ ?

ଜ୍ୟୋତିଷ- ଜଣେ ଜଣେ ଛୁଆଁଇଣ ଦେବ ବିଦାକରି ।

ସୌଦାଗର- ଏସବୁ ତ ମୋର ପକ୍ଷେ ଲାଗେ ଅସମ୍ଭବ,

ଜ୍ୟୋତିଷ- ଏତେ ଜଣ ମଧ୍ୟେ କେହି ଜଣେ ସତୀ ଥିବ । (ପ୍ରସ୍ଥାନ)

ସୌଦାଗର- (ମାଝିମାନଙ୍କ ପ୍ରତି) ଯାଅ ମାଝୀଗଣ ଡାକି ଆଣ ଯାଇଁ ତ୍ୱରା ।

ମାଝିଗଣ- (କୂଳକୁ ଅନାଇଁ) ଆସୁଛନ୍ତି ନାରୀଗଣେ ସ୍ନାହାନକୁ ପରା ।

(ଏହି ସମୟରେ ଗ୍ରାମ ଯୁବତୀମାନଙ୍କର ଚିନ୍ତାକୁ ସ୍ନାନାର୍ଥେ ଡାକିବା)

ଗୀତ- (ଜୟ ଭାସ୍କର ଛାୟାଦେବୀ...ବୃତ୍ତେ ।)

ଆସ ଗାଧୋଇ ଯିବା ନଦୀକି ଚିନ୍ତାଦେଈ ।

ସ୍ନାହାନ ସାରି ଫେରିବା ପାଣି ନେଇ ।ପଦ।

ସ୍ୱାମୀ ସୁତ କାଠ ଆଶେ, ଯାଇଛନ୍ତି ବନଦେଶେ ।

ଉଛୁର ହେଲେ ରାଗିବେ ଗାଳି ଦେଇ ।୧।

ରାନ୍ଧିବା ନାନା ବ୍ୟଞ୍ଜନ, ଯୋଗାଇଣ ତାଙ୍କ ମନ ।

କାନ୍ଦିବା ବାଙ୍କ ନୟନେ ଧୀରେ ଚାହିଁ ।୨।

କାଖେ ଘେନି ଜଳଘଟ, ଚାଲି ଆସ ଝଟଝଟ ।

ଉଛୁର ହେବଟି ରସେ ଭାଷେ ଭାଟ ବଇ ।୩।

 

(ନାରୀମାନଙ୍କ ସହିତ ସୌଦାଗରର କଥାବାର୍ତ୍ତା)

ସୌଦାଗର- ନାରୀଗଣେ ! ଜଣେ ଜଣେ ଛୁଇଁଯାଅ ନାବ ।

ନାରୀଗଣ- ହେ ଧନୀ କୁମର ! କହ ଛୁଇଁଲେ କି ହେବ ?

ସୌଦାଗର- ଛୁଇଁଦେଲେ ନାବ ଲାଗିଅଛି ଯିବ ଚଳି ।

ନାରୀଗଣ- (ଜଣେ ଅନ୍ୟକୁ) ପର ଉପକାର ଆସ କରିବା ଛଇଳି !

(ଜଣେ ଜଣେ ନାବ ଛୁଇଁବା ଓ ନାବ ନ ଚଳିବା, ଶେଷରେ ଚିନ୍ତା ନାବ ଛୁଅଁନ୍ତେ ନାବ ଚଳିବା ଦେଖି)

ସୌଦାଗର- (ମାଝିମାନଙ୍କ ପ୍ରତି) ବସାଅ ନାବରେ ଏହି ନାରୀକି କିଙ୍କରେ !

ମାଝିଗଣ- (ସୌଦାଗର ପ୍ରତି) ଥିଲେ ନାବେ ନ ଲାଗିବ ନାବ କେଉଁଠାରେ ।

ସୌଦାଗର- (ବିଳମ୍ବ ଦେଖି) କାହିଁପାଇଁ ତୁମ୍ଭେମାନେ କରୁଅଛ ଡେରି ?

ଚିନ୍ତା- (ସଙ୍ଗିନୀମାନଙ୍କ ପ୍ରତି) ସଖିଗଣ ! ଜଣାଇବ ମୋ ବିପଦ ସ୍ୱାମୀଙ୍କ ମୋହରି ।

(ସମସ୍ତଙ୍କର ପ୍ରସ୍ଥାନ)

(ଚିନ୍ତାକୁ ନ ଦେଖି ଶ୍ରୀବତ୍ସର ଶୋକ)

ଗୀତ- (ହାତୀଗତି ମଥା ପୋତି...ବୃତ୍ତେ)

କେହୁ ଚୋରୀ କରି ନେଲା ରେ, ମୋର ପରାଣ ବାନ୍ଧବୀକି ।

ବିପଦରେ ବୁଦ୍ଧି ଦେବ କେ କା ଘେନି ଧଇର୍ଯ୍ୟ ବାନ୍ଧିବି କି ।ପଦ।

ଛନ୍ଦିବ କେ ବାହୁ ଗଳାରେ ମୋର, କାମ ପ୍ରେମ-ବାଣେ ଅଧୀର ।

କବଚ କରିଣ କାହା ନାମମାଳା କଣ୍ଠରେ ପିନ୍ଧବି କି ।୧।

ବନପ୍ରିୟ ବାକ୍ୟ ଶୁଣି ଶ୍ରୁତିରେ, ବନେ ବିହରିବି କାହା ସାଥିରେ !

ଘନଜଘନାର ବସନ ଫେଇ କା ମନକୁ ବୋଧିବି କି ।୨।

ସତେ ଏ ଜୀବନେ ତୋତେ ପାଇବି, ଜୀବବନ୍ଧୁ ବୋଲି ତୁଣ୍ଡେ ଗାଇବି ।

ମୋହିବ କି ସତେ ତମାଳ ପାଦପ ଲତିକା ମାଧବୀକି ।୩।

ଶନି ତୋ କାମନା ଏବେ ପୂରିଲା, ମୋ ସଂସାର ଖେଳାଲୀଳା ସରିଲା ।

ବଇଷ୍ଣବ ବୋଲେ ହରିନେଲା ମୋର ବାସବ ପଦବୀକି ।୪।

(ଶ୍ରୀବତ୍ସ ନିକଟରେ ଯୁବତୀମାନେ ଜଣାନ୍ତେ ଶ୍ରୀବତ୍ସର ଚିନ୍ତା)

ଗୀତ- (କହ କହ ବନଲତା ଦେଖିଛ କି ବୃତ୍ତେ)

କହ ଲୋ ତଟିନି, ପ୍ରିୟା କେଉଁଦିଗେ ଗଲା ମୋର ।

କଟକଶୋଭିନୀ କାଟି ଦେଇ ସ୍ନେହଡୋର ।ପଦ।

ପକାଇ ଖାଲି ପଞ୍ଜୁଡ଼ି; ସାରୀ କେ ମୋ ନେଲା କାଢ଼ି ।

ଘାରି ହେଉଛି ତାହାର, ବିରହେ ମୁଁ ନିରନ୍ତର ।୧।

ତୋର ତହୁଁ ଭାଗ୍ୟବତୀ, ନାହିଁ କେ ଲୋ ସ୍ରୋତସ୍ୱତୀ ।

ମୋର ଚିନ୍ତା ମୁଖକ୍ରାନ୍ତି, ଦେଖି ଚିନ୍ତା କଲୁ ଦୂର ।୨।

ହେ ପାଷାଣ ତରୁ ତୃଣ, ଗଣ୍ଡା ଗୟଳ ହରିଣ ।

ନ କଲ କେହି ବାରଣ, ନେଲା ବଳେ ସେ ପାମର ।୩।

ହେ ନକ୍ର ମଗର ମତ୍ସ୍ୟ, ଜାଣ ଯେବେ ଭାଷ ସ୍ୱଚ୍ଛ ।

ପ୍ରାଣ ରଖ ବଇଷ୍ଣବ, କର୍ମକୁ ନୁହ ବଧିର ।୪।

ହେ ତପନ ଦଶଦିଗପାଳେ ! ଦେଖୁଛ ତ ବିକଳ ମୋହରି

କେହି ଜଣେ କହୁନାହିଁ ମୋ ପ୍ରିୟା ସଙ୍କେତ !

ଶ୍ରୁତିହୀନ ହେଲ କି ସରବେ ?

ଅବଶ୍ୟ ଜାଣନ୍ତି ଚିତ୍ତ ମୋର, ଯେବେ ହୋଇଥାନ୍ତ ଅନୁଭବୀ ଦଶାରେ ମୋହରି,

କାହାକୁ ଏପରି ଦଶା ଘଟିନାହିଁ ମରେ, କିଏ ଅବା ଜାଣିବ କାହିଁକି ?

କେହୁ ମୋହ ସମ ରାଜା ହୋଇ, ପୁଣି ହୋଇ ରାଜ୍ୟଭ୍ରଷ୍ଟ, ପଶିଛି କାନନେ,

କେହୁ ଖାଉ ନାହିଁ ଅନ୍ନ ଜଳଫଳ

କାର ପଳାଉଛି ପୋଡ଼ାମାଛ ଭୁଞ୍ଜୁ ଭୁଞ୍ଜୁ ?

ସସାଗରା ଧରାଶ୍ୱର ହୋଇ ଆଉ ହୋଇଛି କେ ପଥର ଭିକାରି ?

କାର ନିଜ ନାରୀସ୍ନେହେ ଘଟିଛି ବିଚ୍ଛେଦ ?

କେ ପଡ଼ିଛି ଶନି-କୋପନେତ୍ରେ ?

ଏହି ନିକଟରେ ସୁରଭି ଆଶ୍ରମ, ଏ ବନେ କରିଣ ବାସ କଟାଇବି ଦିନ

ଚାଲି ନ ପାରିବି ଆଉ ବାଟ,

ବଞ୍ଚିଥିଲେ କାଳେ ପ୍ରିୟା ସଙ୍ଗେ ହୋଇଯିବ ଭେଟ । (ପ୍ରସ୍ଥାନ)

(ନାରୀବେଶେ ସୁରଭୀର ପ୍ରବେଶ)

ସୁରଭୀ- (ସ୍ୱଗତ) କେ କରେ ରୋଦନ ବନେ ମୋର, ଏ ତ ନିର୍ଜନ ପ୍ରାନ୍ତର, ଶୁଣାଯାଏ ନରକଣ୍ଠ କାହୁଁ, ଏହି ଯେ ଆସୁଛି ଜଣେ ଲୋକ, ନେବି ତାର ପରିଚୟ ମୁହିଁ ଛଦ୍ମବେଶେ ।

ଗୀତ- (ରାମ ପ୍ରସାଦି ସୁର୍)

କହ କହ ବାପଧନ, କିମ୍ପା କାନ୍ଦୁ ଏ ବନର ।

କାହିଁପାଇଁ ସୁଖ ତିଳେ ନାହିଁ ତୋ ମନର ।ପଦ।

କିଏ କି କରିଛି ଚୋରି, କହ କହ ନ ବିଚାରି ।

ଉଚ୍ଚାରୁଛୁ କାହା ନାମ ଉଚ୍ଚ ବଚନର ।୧।

ଚକ୍ରବର୍ତ୍ତୀର ଲକ୍ଷଣ, ଦେଖୁଅଛି ବିଲକ୍ଷଣ ।

ଏ ଦଶା ଦେଇଛି ତୋତେକ କହ କେଉଁ ନର ।୨।

ମନକଷ୍ଟମାନ କହି, ସ୍ଥାନରେ ରହ ତୁହି ।

ନିର୍ଭୟେ ବିହର ସୁଖେ କରି ପାନ କ୍ଷୀର ।୩।

କେ ଫିଙ୍ଗିଲା ଏତେ ଦଣ୍ଡେ; ଦେହ ବହି ଏ ବ୍ରହ୍ମାଣ୍ଡେ ।

କହି ନିବେଦନ ରଖ ବଇଆ ଦୀନର ।୪।

(ସୁରଭୀ ନିକଟରେ ରାଜାର ପରିଚୟ ପ୍ରଦାନ)

ଗୀତ- (ଗୋକୁଳାନନ୍ଦ ଚନ୍ଦ୍ରଙ୍କୁ ସତେ...ବୃତ୍ତେ)

ଶୁଣ ମାତଃ ମୁହିଁ ଅଟେ ପ୍ରୟାଗର ଅଧୀଶ୍ୱର ।

ସତ୍ୟ କଥା କହିବାରୁ ଏ ଦଶା ଘଟିଛି ମୋର ।ପଦ।

ଶନି କୋପେ ରାଜ୍ୟ ଧ୍ୱଂସ, ହେଲା ବନେ କଲି ବାସ ।

କେ ହରିନେଲା ନୃଶଂସ, ମୋହର ହୃଦୟହାର ।୧।

ଖୋଜୁଛି ଜୀବଧନକୁ, ହେଜୁଛି ନିଜ ମନକୁ ।

ଭଜୁଛି ଧର୍ମ ନାମକୁ, ହେବ ନାହିଁ ତା ବିସ୍ମର ।୨।

ନ ପାଇଲେ ରାଣୀ ପ୍ରାଣ, ତେଜିବି କହୁଛି ପୁଣ ।

ବଇଷ୍ଣବର ଜଣାଣ, ନାହିଁ ମିଥ୍ୟା ଏଥେଁ ମୋର ।୩।

ସୁରଭୀ- ରହ ବାପ ଆଶ୍ରମେ ମୋହରି,

ତୋତେ ନ କାଟିବ ଥିଲେ ଶନିରିଷ୍ଟ ଏଥି,

ଦୁଇ ଧାରେ ଦୁଗ୍ଧ ମୁହିଁ ଦେବି ବାପ ତୋତେ

ଭୁଞ୍ଜି ଏକଧାର ରଖ ଘଟ;

ଏକ ଧାରେ ଭିଜାଇ ମୃତ୍ତିକା, ସ୍ୱର୍ଣ୍ଣଇଟା କରିବ ପ୍ରସ୍ତୁତ;

ତାହା ବିକି, ସଞ୍ଚୟ କରିବୁ ଏଥି ଧନ,

ଅଳ୍ପଦିନେ ତୋ ମନକାମନା ହେବ ପୂର୍ଣ୍ଣ,

ରାଣୀ ସହ ମିଳନ ହୋଇବ ଏହି ବନେ;

ମୋ ଆଶ୍ରମେ ରହ ବାପଧନ ! (ପ୍ରସ୍ଥାନ)

(ଚିନ୍ତାକୁ ନେଇଥିବା ସେହି ସୌଦାଗର ସୁରଭୀ ବନେ ପ୍ରବେଶ ଓ ମାଝୀମାନଙ୍କ ପ୍ରତି-ଗୀତ)

ମାଝି ଚାହିଁ ଦେଖରେ,

ତୋଳିଛି କେ ସୁବର୍ଣ୍ଣ ପ୍ରାଚୀର ନଦୀ ପାଖ ।ପଦ।

କିଏ ଏପରି ଧନୀ, ଦେଖି ନାହିଁ ଅବନୀ,

ମାନିବ ନିଶ୍ଚୟ ତାକୁ କାଳେ ତିନିଲୋକ ।୧।

କେମନ୍ତ ସଙ୍ଗେ ମୋର, ଭେଟ ହୁଅନ୍ତା ତାର;

ବାଣିଜ୍ୟେ ବସତେ ଲକ୍ଷ୍ମୀ ଅରଜନ୍ତି ସୁଖ ।୨।

ସୁରଭୀ ବନେ ବାସ, କରି କେବା ଉଆସ,

ତୋଳୁଅଛି କଳୁଅଛ ଭାଷେ ବଇଷ୍ଣବ ରଙ୍କ ।୩।

(ନାବ ଦେଖି ଶ୍ରୀବତ୍ସ ସୌଦାଗରକୁ ଡାକିବା ଓ କଥାବାର୍ତ୍ତା)

ଶ୍ରୀବତ୍ସ- ହେ ବଣିକ ଭାଇ ! ଆଣ ବୋଇତ କୂଳକୁ ।

ସୌଦାଗର- ମିଳିଗଲା କି ସୁଯୋଗ ମୋର କପାଳକୁ ।      (କୂଳକୁ ଆସିବା)

ଶ୍ରୀବତ୍ସ- ରଖିବ କି ଗୁହାରି ମୋହରି ?

ସୌଦାଗର- କି ଗୁହାରି କହ କିମ୍ପା ଛାଡ଼ୁଥିଲ ହୁରି ?

ଶ୍ରୀବତ୍ସ- ମୋର ଏହି ସୁବର୍ଣ୍ଣ ଘେନ; ତବ ନାବେ ଚାଲ ବାଣିଜ୍ୟ କରିବା ।

ସୌଦାଗର- ଯାହା ଲାଭ ହେବ ତହୁଁ ଅଧେ ଆମ୍ଭେ ନେବା ।

ଶ୍ରୀବତ୍ସ- ନିଅ ପଛେ ଅଧେ; ନାବେ ଭର ମୋର ସୁନା ।

ସୌଦାଗର- (ମାଝିମାନଙ୍କ ପ୍ରତି) ମାଝିଗଣେ ! ଆଣ ଚଞ୍ଚଳ, ନାହିଁ ମୋର ମନା ।

(ସମସ୍ତ ସୁନା ନାବରେ ପୂରାଇ)

ସୌଦାଗର- (ଶ୍ରୀବତ୍ସକୁ ଦେଖାଇଦେଇ) ଚାକରଗଣେ ! ଏହାକୁ ଫିଙ୍ଗିଦିଅ ବେଗେ ।

ମାଝିଗଣ- କାହିଁପାଇଁ ବୃଥା ୟାକୁ ଅଧେ ଭାଗ ଦେବେ ।

ସୌଦାଗର- ହାତ ଗୋଡ଼ ବାନ୍ଧି ଫିଙ୍ଗ, ବିଳମ୍ବ ନ କର ।

ମାଝିଗଣ- ଯାହା ଆଜ୍ଞା ହେବ ତାହା ପାଳିବେ କିଙ୍କର ।

(ମାଝିମାନେ ରାଜାର ହସ୍ତ ପଦ ବନ୍ଧନକରି ଜଳରେ ଫିଙ୍ଗିଦେବାର ବିଚାରକରିବା)

ଶ୍ରୀବତ୍ସ- ହା ଚିନ୍ତା ! ତୁ ଏତେବେଳେ କେଉଁଠି ରହିଲୁ ?

(ସୌଦାଗର ପ୍ରତି) ହେ ନୃଶଂସ ବଣିକ ! ତତେ ଧର୍ମ ଦିନେ ଦଣ୍ଡ ଦେବ ।

(ମାଝୀମାନେ ଶ୍ରୀବତ୍ସକୁ ଜଳରେ ଫିଙ୍ଗିଦେବା ଓ ଜଳରେ ପଡ଼ି ଶ୍ରୀବତ୍ସର ସ୍ତବ)

ଗୀତ- (ନମସ୍ତେ ବିରଞ୍ଚି...ବୃତ୍ତେ)

ରକ୍ଷାକର ତାଳ ବେତାଳ ଏକାଳେ ।

ମରୁଅଛି ପଡ଼ି ଏ ଅଗାଧ ଜଳେ ।ପଦ।

ଗୋ ମାତ-କମଳେ ରକ୍ଷାକର ଆସି ।

ବିନା ଦୋଷେ ସିନ୍ଧୁଜଳେ ଗଲି ଭାସି ।୧।

ଏ ଲୋଭୀ ବଣିକ ଲୋଭେ ହୋଇ ବଶ ।

ଆଜି ମୋର ଘଟାଇଲା ସର୍ବନାଶ ।୨।

ବିଶ୍ୱାସରେ ବିଷ ଦେଲା ନୀଚମତି ।

ରଖ ଏ ସଂକଟୁ ସିନ୍ଧୁର ଦୁହିତୀ ।୩।

ରଖ ବାରେ ଗିରିଧାରୀ ଏ ବିପଦେ ।

ଦ୍ୱିଜ ବଇଷ୍ଣବ ନମୁଛି ତୋ ପଦେ ।୪।

(ତାଳ ଓ ବେତାଳଙ୍କର ପ୍ରବେଶ ଓ ଉକ୍ତି)

ଗୀତ- (ଧରିବ ନିଶ୍ଚେ ଶରଦ...ବୃତ୍ତେ)

ତାଳ- ଆରେ ରେ ବେତାଳ ଭାଇ !

ବେତାଳ- ତାଳ, ଡାକୁ କହ କିସ ପାଇଁ ?

ତାଳ- ଜଳରେ ପଡ଼ି, ଛାଡ଼ୁଛି ରଡ଼ି, ରଜା ବଡ଼ ଦୁଃଖୀ ହୋଇ ।ପଦ।

ବେତାଳ- କିଏ ସେ କେଉଁ ରଜା ?

ତାଳ- ଯିଏ କରଇ ଆମର ପୂଜା

ବେତାଳ- ତାକୁ କିଏ ସେ ମାଡ଼ିଲା ଜଳରେ ?

ତାଳ- ଗୋଟା ପାଜି ବଣିକ ଚଣ୍ଡାଳରେ

ବେତାଳ- ହୁକୁମ ଦେଲେ ତ ମାରିଦେଇଥାନ୍ତେ ବଉଁଶ ତାହାର ଯାଇଁ ।୧।

ତାଳ- ଆଗେ ବଞ୍ଚୁ ଏ ସଙ୍କଟୁ ରଜା

ବେତାଳ- ପରେ ଦବା ତାକୁ ୟାର ମଜା,

ତାଳ- ରାଣୀ ନେଇ ଚୋର ନାବେ ଥିଲା

ବେତାଳ- ତାକୁ ଭରସା କିମ୍ପା ନ ହେଲା ?

ତାଳ- ତକିଆ ଗୋଟାଏ ପକେଇଦବାରୁ ଭାସେ ରଜା ମୁଣ୍ଡ ଦେଇ ।୨।

ବେତାଳ- ଆମେ କଅଣ ତାହାର କରିବା ?

ତାଳ- ନିଦ ହୋଇ ତା ଆକ୍ଷିରେ ଘାରିବା

ବେତାଳ- ତେବେ ଡର ନ ମାଡ଼ିବ ପାଣିରେ

ତାଳ- ଧୀରେ ଧୀରେ କୂଳେ ନେବା ଟାଣିରେ

ବେତାଳ- ବଇଆ ବୋଲେ ଚଞ୍ଚଳ ଚାଆଲେ ଜୀବ ଗଲେ ଆମେ ଦାୟୀ ।୩।

(ଉଭୟ ପ୍ରସ୍ଥାନ)

(ମାଲୁଣୀର ଗୀତ ଗାଇ ଗାଇ ପ୍ରବେଶ)

ଗୀତ- (ବାଟ ଛାଡ଼ ହାଡ଼ିଆଣୀ ଯାଉଛି...ବୃତ୍ତେ)

ଆଜି କିମ୍ପା ଏତେ ଫୁଲ ଫୁଟିଛି ଲୋ ।

ମହମହ ହୋଇ ବାସ ଛୁଟିଛି ଲୋ ।ପଦ।

କିଆ କେତକୀ ମାଳତୀ, ଛୁରିଅନା ସେବତୀ,

ମଲ୍ଲୀ ମାଧବୀ ତ ଝଡ଼ି ଲୋଟୁଛି ଲୋ ।୧।

ଚମ୍ପା ଛୁରିଅନା, ଯାଈ ଜବା ହେନା,

ଆଜି ଏ ଘଟଣା କିମ୍ପା ଘଟୁଛି ଲୋ ।୨।

ଅବସନ୍ତ ଦିନ, ବସନ୍ତ ପବନ,

ଜଣାଯାଏ ବଇ ଦଶା ମେଣ୍ଟୁଛି ଲୋ ।୩।

(ବଗିଚା କରର କୂଳରେ ଶ୍ରୀବତ୍ସ ଲାଗିଥିବାର ମାଲୁଣୀ ଦେଖି ଶ୍ରୀବତ୍ସ ପ୍ରତି)

ମାଲୁଣୀ- ଏ କି ରେ ବାପ ! ତୋର ଘର କେଉଁଠି ? ତୋ ନା’ କଅଣ ? ତୁ ଏଠି ଓଦାଲୁଗାରେ କାହିଁକି ବସିଛୁ ? ମୋତେ ଚିହ୍ନା ଦେ । ବାରବରଷ ହେଲା ଯେଉଁ ବଗିଚାରେ ଫୁଲକଢ଼ ନାହିଁ, ଆଜି ଗାଡ଼ି ଗାଡ଼ି ଫୁଲ ଫୁଟି ଲୋଟୁଛି । ମୁଁ ଜାଣୁଛି ତୁ ଭାରି କପାଳିଆ; ତୁ ଏଠି ବସିବାରୁ ଏ ବଗିଚା ପୂରିଉଠୁଚି । କହନି ବାପ, ତୁ କିଏ ?

ଶ୍ରୀବତ୍ସ- ମାଉସି ! ମୋର ତ ହୀନକପାଳ, ସେ କଥା ତୋତେ ପରେ କହିବି; ମୋତେ ଟିକିଏ ତୋ ଘରେ ବସାଦବୁ ?

ମାଲୁଣୀ- ବାପ ! ରମ୍ଭା ମାଳୁଣୀ କାହାକୁ କେବେ ନାହିଁ କରେ ନା; ତୋତେ କଅଣ ଆଜି ନାହିଁ କରିବି ? ଚାଲ ମୋ ଘରକୁ । ଚାଲ ଶୁଖିଲା ଲୁଗା ଦେବି, ପିନ୍ଧୁବୁ । ମୋର କେହି ନାହିଁ, ରଜାଘରେ ଏଠି ଫୁଲ ଦେଇ ଜୀବିକା ପୋଷଇ । ଏଠି ବାହୁଦେବ ରାଜା ଉଆସ । (ଉଭୟର ପ୍ରସ୍ଥାନ)

(ରାଜଜେମା ସଖି ସହ ପ୍ରବେଶ)

ଗୀତ- (ଜଣାଯାଉନାହିଁ ଆଉ ସ୍ନେହ...ବୃତ୍ତେ)

ସଖି ଆନନ୍ଦ ହେଉଛି ଚିତ୍ତ ମୋହରି ଗୋ ।

ଏତେ ଦିନେ ବର ମୋତେ ଯାଚିଣ ଦେଲେ ଗଉରୀ ।ପଦ।

କେତେ କାଳୁଁ ଉପାସନା, କରି ପୂରିଲା ବାସନା ।

ମାଗିଲି ଶ୍ରୀବତ୍ସ ସ୍ୱାମୀ ହୁଅନ୍ତୁ ଜୁହାରି ।୧।

ଅସ୍ତୁ ବୋଲି ଦେଲେ କହି, ଆମ୍ଭ ରାଜ୍ୟେ ନରସାଇଁ ।

ମାଲୁଣୀ ବାସେ ଅଛନ୍ତି ସାଗର ପହଁରି ।୨।

ବର ଦେଇ ଶିବଆଳେ, ଉଭୟେ ଗଲେ ଚପଳେ ।

ରାଜ୍ୟେ ମିଳିଲି ସେଠାରୁ ଆସି ବାହାରି ।୩।

ରସେ ବଇଷ୍ଣବ କହେ, ପ୍ରେତ ଆକର୍ଷିଲା ପ୍ରାୟେ ।

ହେଉଛି ଅଙ୍ଗ ଅନଙ୍ଗ ଦମ୍ଭ ଧନେ ନିଏ ହାରି ।୪।

(ଜେମା ପ୍ରତି ସଖିର ଉତ୍ତର)

ଗୀତ- (ଦେଖ ଋତୁରାଜ ବସନ୍ତ ଆସିଣ...ବୃତ୍ତେ)

ପାସୋରି ନ ଦେବ ଆମ୍ଭଙ୍କୁ ଚିତ୍ତରୁ ଜେମା ପାଇ ନୂଆ ନାଗରେ ।

ଗଲେ ଶାଶୁଘର ବସୁଧାଶୋଭିନି ଘେନିଯିବ ତୁମ୍ଭ ସଙ୍ଗରେ ।ପଦ।

ଉଞ୍ଚିଦେବୁଁ କେଶ କୁଞ୍ଚଦେବୁଁ ବାସ ରାସରଙ୍ଗି ଅନୁରାଗରେ ।

ସାଜିଦେବୁଁ ବେଣୀ ରାଜୀବନୟନା ଘରସାର ଲିପି ଅଙ୍ଗରେ ।୧।

ବଟାରେ ବିଟିକା ସଜାଡ଼ି ଥୋଇବେ ବରବରନା ତୋ ଆଗରେ ।

ପିଲାକାଳ କଥା ଭୁଲିଟି ନ ଯିବ ମେଲିଦେବ ନାହିଁ ସାଗରେ ।୨।

ନବ ପତି ପାଶେ ଘେନି ରତିରସେ ରାତି ପୁହା ନବରଙ୍ଗରେ ।

ନବଶଯ୍ୟା ଲାଭ ହେବ ନବବାଳା ବଇ ବୋଲେ ନବ ଯୁଗରେ ।୩।

ଭଦ୍ରା- ସଖି ! ଚାଲ; ଉଛୁର ଦେଖିଲେ ମା’ ଗାଳିଦେବେ; ଦୂତ ପତ୍ର ଦେଇ ଫେରିବଣି; କାଳେ କେଉଁଠାରୁ ରାଜାମାନେ ଚାଲିଆସିବେ, ଦେଖି ବଡ଼ ଲଜ୍ଜା ଭୋଗିବାକୁ ହେବ । ମୁଁ ଆଜି ରମ୍ଭା ମାଲୁଣୀ ହାତରେ ଶ୍ରୀବତ୍ସଙ୍କ ପାଖକୁ ପତ୍ର ଦେଇଛି, ସେ କାଲି ସଙ୍କେତ ଦେଇଥିବା ସ୍ଥାନରେ ସ୍ୱୟମ୍ବର କାଳେ ଠିଆହୋଇଥିବେ; ମୁଁ ସେହିଠାରେ ତାଙ୍କ ଗଳାରେ ମାଳା ଦେବି । ଏକଥା କେଉଁଠି କହିବୁ ନାହିଁ ।

ସଖି- ଜେମାଦେଈ ! ମୁଁ କେବେ ତୁମ କଥା କା ଆଗରେ କହିଚି ? ତୁମେ କଅଣ ମତେ ନୂଆ ଦେଖିଲ କି ? ଚାଲ, ତେଣେ ମା’ ଖୋଜିବେ । (ଉଭୟ ପ୍ରସ୍ଥାନ)

(ରାଜା ଓ ମନ୍ତ୍ରୀର ପ୍ରବେଶ, ସ୍ୱୟମ୍ବର ନିମିତ୍ତ ମନ୍ତ୍ରୀପ୍ରତି ରାଜାର ଉକ୍ତି)

ଗୀତ- (ଆହା କି ଶୋଭା ହେ ମନ୍ତ୍ରୀ ଦିଶେ...ବୃତ୍ତେ)

ମନ୍ତ୍ରୀ ତ୍ରୁଟି ହେଉଅଛି କାହା ସେବାରେ ହେ ।

ତୋଷ ରାଜଗଣେ ନାନା ସମ୍ଭାରେ ହେ ।ପଦ।

ଶଯ୍ୟା ଅଶନ ବସନ, ଯୋଗାଇ ଲଭିବ ଧନ୍ୟ,

ନ ଶୁଣିବି ନିନ୍ଦା ଦେବା- ନେବାରେ ହେ ।୧।

ଯେ ଯାହାର ସାଜସଜ୍ଜା, ହୋଇଣ ସରବ ରାଜା

ବିଜେ କରିବେ ଏକ୍ଷଣି ସଭାରେ ହେ ।୨।

ଦାସୀକି ଦେଇ ଆଦେଶ, କନ୍ୟାକୁ କରାଅ ବେଶ,

କଳଙ୍କ ନ ଥିବ ଯେହ୍ନେ ଶୋଭାରେ ହେ ।୩।

ଯା’କୁ ଜେମା ଦେବ ହାର, ସେ କର ଧରିବ ତାର,

ବଇଷ୍ଣବ ଭାବେ ହୋଇ ଲୋଭାରେ ହେ ।୪।

ମନ୍ତ୍ରୀ- ମହାରାଜ ! ନାହିଁ ତ୍ରୁଟି ସେବାରେ କାହାରି,

ଛାମୁଙ୍କର ସୁଶାସନେ ବିଶୃଙ୍ଖଳ ହେବ ନାହିଁ କେବେ,

ଆସୁଛନ୍ତି ରାଜାମାନେ ସ୍ୱୟମ୍ଭର ସ୍ଥଳେ

ସାବଧାନ କରି ଦାସୀଗଣେ ଏହି କାଳେ ପଠାଇଦେବି ଯାଉଛି,

କନ୍ୟାକୁ ଆଣିବେ ବେଶକରି ।

ରାଜା- ଯାଅ ବେଗେ କରନାହିଁ ଡେରି । (ମନ୍ତ୍ରୀର ପ୍ରସ୍ଥାନ)

(ରାଜାମାନେ ସ୍ୱୟମ୍ବର ସ୍ଥଳେ ଗୋଟି ଗୋଟି ହୋଇ ବାଦ୍ୟଧ୍ୱନି କରି ପ୍ରବେଶ ଓ ଏକାଳେ ଶ୍ରୀବତ୍ସ ଏକାକୀ ବୃକ୍ଷମୂଳେ ସ୍ୱଗତଃ)

ଗୀତ- (ମନାକଲେ ଯେତେ, ଭୁଲିବି କି...ବୃତ୍ତେ)

ବସିଅଛି ବୋଲି, ରସିକାମଣି କି,

ଏ କଦମ୍ବମୂଳେ ଦିଶିବି କି ।

ସ୍ନେହେ ରାଜବାଳା ଦେବାବେଳେ ମାଳା,

ପ୍ରିୟା ପ୍ରିୟା ବୋଲି ଭାଷିବି କି ।ପଦ।

ବଧୁଲି ଅଧରୁ ମଧୁପ ହୋଇଣ,

ବିଧୁକରେ ମଧୁ ଶୋଷିବି କି ।

କନ୍ଦୁକ ଉରଜେ ମୋ କରକୁ ଥୋଇ,

ପ୍ରଣୟସିନ୍ଧୁରେ ଭାସିବି କି ।୧।

ନାସିକା ଫୁଲାଇ ଦେବାକାଳେ ଚାହିଁ,

ପଞ୍ଚଶରଜ୍ୱାଳା ନାଶିବି କି ।

ଶଶିବଦନାର, ମାର ସଦନାର,

ପାଦେ ପାଦେ ଛନ୍ଦି ବସିବି କି ।୨।

ଯେତେ ଯେତେ କଷ୍ଟ, ଭୋଗିଛି ସେ ରିଷ୍ଟ,

ୟା ଅଙ୍ଗ ସ୍ପରଶେ ଧ୍ୱଂସିବି କି ।

ବଇଷ୍ଣବ ଭାଳେ, ସ୍ମରଣର କାଳେ,

ତା ଦେହେ ଚନ୍ଦନ ଘଷିବି କି ।୩।

(ଦାସୀମାନେ କନ୍ୟାକୁ ଘନି ରାଜସଭାରେ ପ୍ରବେଶ ଓ କନ୍ୟାପ୍ରତି)

ଗୀତ- (ଧୀରେ ଘେନ ଧୀରେ ବ୍ରଜେଶ୍ୱରୀ...ବୃତ୍ତେ)

ଚାହିଁ ଦେଖ ଆଗୋ ରାଜବାଳା,

ବସିଛନ୍ତି ରାଜା ମେଳା ମେଳା,

ଚପଳାଙ୍ଗି ଯାହା ପରେ ବଳେ ଇଚ୍ଛା;

ତା ଗଳାରେ ବଳେ ଦିଅ ମାଳା । ଗୋ ଚପଳାଙ୍ଗି !

ଚିରକାଳ ହୁଅ ତାର ସଙ୍ଗୀ ।୧।

କେ ପାନ ଖାଇ ଦେଖାଏ ଦାନ୍ତ,

କେହୁ ନିଶେ ମାରୁଅଛି ହାତ ।

କେହୁ ତେରଛାଇ ଅନାଇଛି ତୋତେ,

କେହୁ ଗାଏ ଗୁଣୁ ଗୁଣୁ ଗୀତ । ଆଗୋ ଜବାଧରା !

(କେହୁ) ଅଧରେ ଦେଇଛି କରଭାର ।୨।

କେ କେତେମତେ ଦେଖାନ୍ତି ଛଇ,

ଏହା ଦେଖି ଭୁଲିଯିବୁ ନାହିଁ ।

ତୋ ମନେ ଯା ମନ; ହେବ ଗୋ ସମାନ,

ମାଳ ଦେବୁ ବଇଷ୍ଣବ କହି । ଫାନ୍ଦେ ନ ପଡ଼ିବୁ ।

ନିଜ କର୍ମପଥ ନ ହୁଡ଼ିବୁ ।୩।

ଦୈବବାଣୀ- ରାଜଜେମା ! ତୋର ପତି କଦମ୍ବ ତଳେ ବସିଛି, କିଛି ନ ବିଚାରି ତା ଗଳାରେ ବରଣମାଳା ଦିଅ ।

(ଶ୍ରୀବତ୍ସ ଗଳାରେ ଭଦ୍ରାର ମାଳାଦାନ)

(ଝିଅର ଏ ବ୍ୟବହାର ଦେଖି ମନ୍ତ୍ରୀପ୍ରତି ରାଜାର କଟୂକ୍ତି)

ଗୀତ- (ରମଣୀ ହୋଇଣ ରଣେ...ବୃତ୍ତେ)

ହୋଇ ରାଜବାଳା ମୋର କୁଳକୁ କଲା କଳଙ୍କ ।

ନୀଚଗଳେ ମାଳା ଦେଲା ହସିବେ ଏ ରାଜ୍ୟ ଲୋକ ।ପଦ।

କେତେ କେତେ ନୃପକୁଳେ, ଅଣାଇଥିଲି ମୋ ଆଳେ ।

ବୋଲିଣ ଗଲେ ସକଳେ, ‘ଛି ଛି ଛି ଛି’ ଏହି ବାକ୍ୟ ।୧।

ଗଲା କଥା ଗଲା ସରି, ଆଉକି ଆସିବ ଫେରି ।

ଏଥିପାଇଁ ପୂଜୁଥିଲା ହର ଗଉରୀ କାଳକ ।୨।

ନଅର ବାହାରେ ଘର, ତୋଳାଇଦିଅ ଏହାର ।

ରହୁ ସ୍ୱାମୀ ସଙ୍ଗେ ତାର ମନ୍ତ୍ରି ନ ହୁଅ ବିମୁଖ ।୩।

ନ ଛୁଇଁବ ତାକୁ କେହି, ଖାଦ୍ୟ ଯୋଗାଇବୁ ନେଇ ।

ବଇଷ୍ଣବ କହି ବାଙ୍କ କେବେ ନୁହଇ ସଳଖ ।୪।

(ସମସ୍ତଙ୍କର ପ୍ରସ୍ଥାନ)

(ଚାକର ଓ ଚାକିରିଆଣୀଙ୍କର ପ୍ରବେଶ-ଫାର୍ଶ)

ଗୀତ- (ଆଲୋ ଏ କେଉଁ ଗାଁ ବାହାଘର...ବୃତ୍ତେ)

ପୁରୁଷ- ତରତର କାହିଁକି ସୁର ଅପା ?

ସ୍ତ୍ରୀ- ଉଆସେ ଅଛନ୍ତି, ରାଜା ରାଣୀ ମୋର, ଲୁହ ବୋହୁଅଛି ଥୋପା ।ପଦ।

ପୁରୁଷ- କାର କଅଣ ହେଲା କି କେଉଁଠି ? ଯିଏ ଯେଉଁଠି ବଇଚି ସେଇଠି ।

ସ୍ତ୍ରୀ- ଚଉଠି ହଉଛି, ଜେମା ରଜା ଆରେ, ଦେଖିବୁ ଆକ୍ଷିକି କରି ସଫା ।୧।

ପୁରୁଷ- ମୋତେ ସେଥିରୁ କଅଣ ମିଳିବ, କିଏସେ ତୋ କଥା ଶୁଣିବ

ସ୍ତ୍ରୀ- ଖାଇବୁ ଯାଆ ତୁ ଡାଲି ଭାତ ତାର, ଜାତିରେ ବାଜିବ ଜଗଝମ୍ପା ।୨।

ପୁରୁଷ- ଏ ତ ରାଜାଘର ଡାଲି ତୁଉଣ, ସେଠି ଜାତିଏ କରିବେ କଅଣ ?

ସ୍ତ୍ରୀ- ପାଣ କି ଚମାର, ବରିଲା ଯାହାକୁ, କରିଦେଲା ରଜା ଦଫା ରଫା ।୩।

ପୁରୁଷ- ତୁ କି ତା ଠଉଁ ସରସ ଜାତି, କଥା କହୁଛୁ ଗଜରାଦାନ୍ତୀ ।

ସ୍ତ୍ରୀ- କାହିଁକିରେ ମୁହଁ ହୁଡ଼ିଲୁ ଚୁଲିଆ, ପିଠିରୁ ଛଡ଼େଇଦେବି ଚୋପା ।୪।

ପୁରୁଷ- ଖାଲି ଚୋପା ଛଡ଼େଇବୁ ଆଆ ଲୋ, ଆଉ ମଞ୍ଜି କେ କରିବ ଗୋଓଲୋ ?

ସ୍ତ୍ରୀ- ବଇଆ ବୋଲେ ତୁ ଜାଣୁ ସେ କି ଜାତି ? ମୋ ଆଗେ ମାରୁଛି ଆସି ଧପା ।୫।

ପୁରୁଷ- ଆଲୋ ! ସେ ପରା ରଜାପୁଅ,

ସ୍ତ୍ରୀ- ତୋତେ କିଏ ୟା କହିଲା କହ ।

ପୁରୁଷ- ଆଜି ଝିଅ କହୁଥିଲା ବୋପାକୁ,

ସ୍ତ୍ରୀ- କିଏ କର୍ପୂର କରିଲା କପାକୁ ?

ପୁରୁଷ- ଯେ କର୍ପୂର, ସେ ଜାଣ କର୍ପୂର ।

ସ୍ତ୍ରୀ- ଯେବେ ରାଜାଘର ପୁଅ; ତେବେ ଏମନ୍ତେ କିପାଁ ତା ଉପର ?

ପୁରୁଷ- ଇଲୋ ! ଶନିଦଶାରେ କୁଆଡ଼େ ରାଇଜ ତାଆର ଗଲା ।

ସ୍ତ୍ରୀ- ଆଚ୍ଛା ରଜାଝିଅଟିକୁ ତ ବାହାହେଲା, ଏଠୁଁ ଗଲେ କେମନ୍ତେ ଚଳିବ ଭଲା ?

ପୁରୁଷ- ସେ ପରା ରଜାଠଉଁ ନେଲା ଘାଟଯାକ ସବୁ ଇଜରା ।

ସ୍ତ୍ରୀ- ୟା ଭିତରେ ଏତେ କଥା ହେଲାଣି ? ମୁଁ କରୁଚି ସାବକ କଥାରେ ମଜୁରା ।

ପୁରୁଷ- ଆଚ୍ଛା ଅପା ! ସେ କଥା ତ ଗଲା; ତୋର ମୋର ଦିନେ ସାଙ୍ଗ ହେଲେ ନାହିଁ ।

ସ୍ତ୍ରୀ- ଆରେ ! ଯେଉଁ ଚୁଡ଼ାକୁ ଯେମନ୍ତ ଦହି ।

ପୁରୁଷ- ତୋର ମୋର କଅଣ ଫରକ ପଡ଼ିବ ଚୁଡ଼ା ?

ସ୍ତ୍ରୀ- ତୁମେ ମିଣିପେଗୁଡ଼ାକ ଏଡ଼ିକି ପରଘରବୁଡ଼ା ?

ପୁରୁଷ- ମୁଁ ତତେ ଆପଣାର କରୁଛି, ତୁ ମତେ କରୁଛୁ କିପାଁ ପର ?

ସ୍ତ୍ରୀ- ଚାଲିଲୁ ରାଜା ପାଖକୁ ରେ ଗାତୁଆ ଚୋର ! (ଉଭୟ ପ୍ରସ୍ଥାନ)

(ଦୂତ ସେ ମହାଜନକୁ ଧରିଥିବା, ରାଜାର ପ୍ରବେଶ)

ଗୀତ- (ତୁ ତ ରଥେ ବସିଥିବୁ ଯାଇଁ...ବୃତ୍ତେ)

ଚାକର ନାବରୁ ଯାଇଣ ।

ଏହି ମହା ଦୋଷୀ, ବଡ଼ ଅବିଶ୍ୱାସୀ,

ଜାଣେ ମୁଁ ୟା ଗୁଣମାନ ।ପଦ।

ନ ରଖିବ ନାବେ କିଞ୍ଚିତ, ଯାହା ଯାହା ଅଛି ସଞ୍ଚିତ ।

ଉଚିତ ବିଚାର କୁଚିତ୍ତ ଏ ମହାଜନ ।୧।

ହସ୍ତ ପଦ ବାନ୍ଧି ହରଷେ, ଘେନି ଚଳ ନୃପତି ପାଶେ ।

ଦମ୍ପତି ସମ୍ପତ୍ତି ହରିଛି ଏହି ନୀଚମତି ହୋଇ ଲୋଭ ମନ ।୨।

ନାବେ ଥିଲେ ଏକ ରମଣୀ, ଶୁଣାଇଣ କହ ମୋ ବାଣୀ ।

ବୋଲିବ ଶ୍ରୀବତ୍ସ ରାଜାଙ୍କ ହକରା କୂଳକୁ ଆସ ବହନ ।।

ରାଜଦ୍ୱାରେ ହେବ ବିଚାର, ଏ ଦୁଷ୍ଟ ମନ୍ଦ ଆଚାର ।

ନ ପଚାରି କିଛି ଚାରଗଣେ ଚଳ; ଭାଷେ ବଇଆ ଅଜ୍ଞାନ ।୪।

(ଚାରମାନେ ରାଣୀ ଚିନ୍ତାକୁ ଧରିଆଣି ରାଜା ନିକଟରେ ଦେବା ଓ ରାଣୀର ଉକ୍ତି)

ଗୀତ- (ଏତେ କାତର ନ ହୁଅ ଆଉ...ବୃତ୍ତେ)

ପାଞ୍ଚି ତ ନଥିଲି ଲବେ ହେ ନାଥ ବଞ୍ଚିଅଛ ବୋଲି ଜୀବେ ।

ଯେତେବେଳ ହସ୍ତପଦ ବାନ୍ଧି ଏ ତ ଫିଙ୍ଗିଲା ମହାଅର୍ଣ୍ଣବେ ।ପଦ।

ଶୁଣି ତୁମ୍ଭ ସ୍ୱର, ମୁଚୁଳିଟି ମୋର, ଫିଙ୍ଗିଦେଲି ସେହି ଠାବେ ।

କୁଳିଶ ପଡ଼ିଲା ମୋ ଶିରେ ସେ କାଳେ, ଯେତେ ଜଣାଇଛି ଶିବେ ହେ ।୧।

ଦେଲେ ଛାୟାମାୟା ମୋତେ ଏ ତକିଆ ସତୀତ୍ୱ ରକ୍ଷା ପ୍ରସ୍ତାବେ ।

ତବ ଦରଶନେ ତେଜିଲି ସେ ରୂପ କହ କି କରିବା ଏବେ ।୨।

ଆଉ ମନଭାବ ଅଛି ଯାହା ଯାହା କହିବି ଏକାନ୍ତଭାବେ ।

ହରାଇବା ବିତ୍ତ ପାଇଲେ ଯେମନ୍ତେ ପ୍ରାଣୀଏ ହୁଅନ୍ତି ଭବେ ।୩।

ଆଜି ପ୍ରାଣୀମନ ନାଚୁଛି ତେସନ ଯେହ୍ନେ ଶୋଷୀ ନୀର ଲୋଭେ ।

ଅନୁଭବୀ ବିନା ଆନ ନ ଜାଣିବେ ଯେହୁ ନ ଦଣ୍ଡ ବୈଷ୍ଣବେ ।୪।

ଶ୍ରୀବତ୍ସ- ପ୍ରିୟେ ! ପ୍ରିୟେ ! ଆସ, ମୋ କୋଳକୁ, ତେଜି ଜଳ ମୀନ ଭୋଗେ ଯେବଣ ଯାତନା, ମୁହିଁ ଭୋଗିଛି ସେ ଦଶା, ହେଲେ ସୁସମୟ ବସି କହିବି ଏକାନ୍ତେ, ଏକ୍ଷଣି ଘଟଣାମାନ ଦେଖିଯାଅ ନେତ୍ରେ; ଥାଅ ଏଥି, ଯାଉଛି ଏ ଦୁଷ୍ଟେ ଘେନି ରାଜ ସନ୍ନିଧାନେ; କରିଣ କାର୍ଯ୍ୟ ସଫଳ ଫେରିବି ଏକ୍ଷଣି; ମନକଷ୍ଟ ତେଜିଦିଅ ରାଣୀ !

(ମହାଜନକୁ ଘେନି ରାଜା ପାଶେ ସମସ୍ତଙ୍କର ପ୍ରବେଶ)

ଦୈତବାଣୀ- ଆଜିଠାରୁ ରାଜା ମୁହିଁ ତେଜ୍ୟାକଲି ତୋତେ,

ବେନି ରାଣୀ ଘେନି ରାଜ୍ୟେ ଚଳରେ ତୁରିତେ,

ତୋର ଦୁଃଖ ପ୍ରାଣୀଙ୍କର ହୋଇଲା ଆଦର୍ଶ,

ତୋ ନାମ ଧରନ୍ତେ ନ ବାଧିବ ଭୋକ ଶୋଷ,

ମୁହିଁ ଶନିଶ୍ଚର, ମୋତେ ନ ପାରିଲୁ ଚିହ୍ନି,

ସେ ଯୋଗେ ଏମନ୍ତ କଷ୍ଟ ସହିଲୁ ଅବନୀ;

ରଖିଗଲୁ ମହାକୀର୍ତ୍ତି ସଂସାରେ ନୃପତି !

ତୋ ପରି ପାଇନାହିଁଟି କଷ୍ଟ କେ ଏ କ୍ଷିତି;

ଶତ ପୁତ୍ର ଘେନି ଦଶ ସହସ୍ର ବରଷ,

ରାଜ୍ୟ ଭୋଗ କର, ରାଜା ! ରଖିଗଲୁ ଯଶ;

ଚଞ୍ଚଳା ଅଚଳା ହୋଇ ସଦନେ ତୋହର,

ଥାନ୍ତୁ ରାଜ୍ୟେ ଦୃଷ୍ଟି କେବେ ନ ପଡ଼ୁ ମୋହର । (ଶନିର ଅନ୍ତର୍ଦ୍ଧାନ)

(ବାହୁଦେବ ରାଜା, ଦୂତ ଓ ଶ୍ରୀବତ୍ସର କଥୋପକଥନ)

ବାହୁଦେବ ରାଜା- ଦେଖ ଦ୍ୱାରି ! ଏତେ ଲୋକ କି ହେତୁ ଆସନ୍ତି ?

ଦ୍ୱାରୀ- ତୁମ୍ଭ ଜୁଆଇଁ ପଛରେ ସର୍ବେ ଧାଇଁଛନ୍ତି ।

ବାହୁଦେବ ରାଜା- (ଶ୍ରୀବତ୍ସ ପ୍ରତି) କହ ବାବୁ ! କିପାଁ ମହାଜନେ ଅଛ ବାନ୍ଧି ?

ମହାଜନ- (ରାଜା ପ୍ରତି) ମହାରାଜ ! ବିନା ଦୋଷେ ଧନ ଲୁଟି, ଜୋଇଁ ତବ କରିଛନ୍ତି ବନ୍ଦୀ ।

ବାହୁଦେବ ରାଜା- (ଶ୍ରୀବତ୍ସ ପ୍ରତି) କିପାଁ ଏ ଅନ୍ୟାୟ କର୍ମ କଲ ବାପ ତୁମ୍ଭେ ?

ଶ୍ରୀବତ୍ସ- ଯେବେ ଏ ସୁବର୍ଣ୍ଣ ତାର, ପ୍ରମାଣ ତ ନେବେ ?

ବାହୁଦେବ ରାଜା- (ଶ୍ରୀବତ୍ସ ପ୍ରତି) କିରୂପେ ଏହାକୁ ତୁମ୍ଭେ କରିବ ପ୍ରମାଣ ?

ଶ୍ରୀବତ୍ସ- ଖୋଲିଦେଉ ଇଟା ଗୋଟା ଏହୁ ମହାଜନ ।

ବାହୁଦେବ ରାଜା- (ବଣିକ ପ୍ରତି) ଖୋଲିଣ ଦେଖାଅ ଇଟା ପ୍ରମାଣ ବଣିକ !

ମହାଜନ- (ବା ରାଜା ପ୍ରତି) ଦେଖାଇଣ ଦେବୁଁ ଆମ୍ଭେ ଦିଅ ଅସ୍ତ୍ର ଏକ ।

(ମହାଜନକୁ ବାହୁଦେବ ରାଜାର ଅସ୍ତ୍ରଦାନ, ମହାଜନ ଉକ୍ତ ଇଟା ଖୋଲି ନ ପାରି ନିରାଶ ହେବା ଓ ରାଜା ପୂର୍ବାପର ସମସ୍ତ କଥା କଥନ, ମହାଜନ ନିରାଶ ଭାବେ ଫେରିବା ଓ ଭଦ୍ରାପ୍ରତି ଶ୍ରୀବତ୍ସର ଆଦେଶ)

ଗୀତ- (ଗୋ ବ୍ରଜବାଳୀ, ପିକାଁ..ବୃତ୍ତେ)

ଗୋ ପ୍ରାଣମିତ ! ଭାଷ ଯାଇଁ ତାତକୁ ତୋର ।

ସୁଦଶା ହୋଇଲା ଯିବି ରାଜ୍ୟକୁ ମୋର ।ପଦ।

ହରଷେ କରାନ୍ତୁ ମେଲାଣି, ସରସ ହୁଅ ସଙ୍ଗାତ ସୁଖ ହେଲାଣି ।

ଚାଲ ବେନି ରାଣୀ ରଙ୍ଗେ ମୋହ ସଙ୍ଗର ।୧।

ଚାଲ ଶୁଭେ ଦେଶ ପାଳିବା, ଶନି ତ୍ୟାଗ କଲା କିପାଁ ବୃଥା ଭାଳିବା ।

ଉଡ଼ାଇଣ ଜୟଧ୍ୱଜା କ୍ଷିତି ଭିତର ।୨।

ପିତାମାତାକୁ ରେ ବୁଝାଇ, ଚିକୁରଶୋଭିନୀ ଆସ ସୁବେଶ ହୋଇ ।

ବଇ ଭାବେ ଭାବିନୀ କି ଭାବୁ ଚିତ୍ତର ।୩।

(ସ୍ୱାମୀ ଆଦେଶ ପାଇ ଭଦ୍ରା ପିତାଙ୍କୁ ଜଣାନ୍ତେ ପିତାର ଉକ୍ତି)

ଗୀତ- (ଦହିଓ୍ୱାଲି କେତେ...ବୃତ୍ତେ)

ଯାଅ ଦୂତ ସାଜିଦିଅ ଗଜ । ଜ୍ୱାଇଁ ଯିବେ ନିଜ ରାଜ୍ୟ ।ପଦ।

ଗୋ ଶକଟେ ଧନ, ଯାନ କର ପୂର୍ଣ୍ଣ,

ଧାଡ଼ି ଧାଡ଼ି ଯୋଡ଼ି ପିନ୍ଧି ପାଇକେ ଚଳନ୍ତୁ ନିଜ ସାଜ ।୧।

ଖଟ ମାଠ ପାଟ କରିଦିଅନ୍ତୁ ଜୁଟ,

ବାଟ ଘାଟ ନାଟ ଭାଟ ଗାଉଥିବେ ସଙ୍ଗୀତ ତୁଟାଇ ଲାଜ ।୨।

ଶିବିକା ପଲଙ୍କ ଦିଅ ହେ ଅସଂଖ୍ୟ,

ନାନାବର୍ଣ୍ଣ ବ୍ୟୋମଯାନ ତୁଲେ ଯୋଗାଇଥିବ ଚଉକି ମେଜ ।୩।

ପୁରନାରୀ ମିଳି ଦିଅନ୍ତୁ ହୁଳହୁଳି ଶୁଭରେ ଭାବରେ

ବିଦାକର ରସେ ଭାଷେ ବଇ ଦ୍ୱିଜ ।୪।

ମନ୍ତ୍ରୀ- ଚାଳ ଦେବ ରାଣୀହଂସପୁର; ଆୟୋଜନ କରି ବର ବିଦା କରିବା ଘରକୁ; ଶୁଭ କାର୍ଯ୍ୟ ଶୀଘ୍ର କଲେ ଭଲ । (ସମସ୍ତଙ୍କର ପ୍ରସ୍ଥାନ)

(ଚାକର ଓ ଚାକରାଣୀଙ୍କର ପ୍ରବେଶ...ଫାର୍ଶ)

ଗୀତ- (କାହିଁକି କାନ୍ଦୁଛୁ ମୋର ରସକଢ଼ି..ବୃତ୍ତେ)

ପୁରୁଷ- ନାନି ! ନହର ବାହାର ପୂରିଉଠିଲାଣି,

ସ୍ତ୍ରୀ- କେତେବେଳୁଁ ପରା ତୋପ ଫୁଟିଲାଣି ।ପଦ।

ପୁରୁଷ- କେତେ ଲୋକ ଛନ୍ତି ଧାଇଁ ରାଜାଙ୍କୁ ଦେଖିବା ପାଇଁ,

ସ୍ତ୍ରୀ- କିଏ କାହା ବେକ ଧରି ଲୁଟିଲାଣି ।୧।

ପୁରୁଷ- ତୁଉ ମୁଉଁ ଗଡ଼ାପଡ଼ା, ହବା ଲୋ ଅଇଲୁ ଥୋଡ଼ା,

ସ୍ତ୍ରୀ- ପେଟ ଭିତର ତ ମୋର ଘାଣ୍ଟିଲାଣି ।୨।

ପୁରୁଷ- ଏମନ୍ତେ ହେଲା କେମନ୍ତେ ? କହିଲୁ ନାହିଁ ତୁ ମୋତେ,

ସ୍ତ୍ରୀ- ଗାତୁଆ ତ ଆଗେ ମୁହଁ ତୁଟିଲାଣି ।୩।

ପୁରୁଷ- କେମନ୍ତେ ତୁଟିଲି ମୁହଁ, ମୁନିସି ଆସିବ ରହ,

ସ୍ତ୍ରୀ- ମନ ତୋ ଉପରେ ଆଜି ଚଟିଲାଣି ।୪।

ପୁରୁଷ- ମୋ ନାଆଁ ତୁ ଦବୁ କହି, ପାଇବି ବାଛୁରୀ ଗାଈ,

ସ୍ତ୍ରୀ- ଖଣ୍ଡିଆ କପାଳ ଆସି ଫାଟିଲାଣି ।୫।

ପୁରୁଷ- ସିଇଁ ଦେଇ ମିଳିମିଶି, ସଂସାର କରିବା ବସି,

ସ୍ତ୍ରୀ- ଫେଏରେ ସେ କଥାକୁ ତ ମାଠିଲାଣି ।୬।

ପୁରୁଷ- ସେଇ ତ ଅସଲ କଥା, ଫସଲ ପାଇବା ଚିନ୍ତା;

ସ୍ତ୍ରୀ- ବଇଆ ବୋଲେ ତା ଦାନା ଉଠିଲାଣି ।୭।

(ଚାକର ଓ ଚାକିରିଆଣୀଙ୍କ କଥାବାର୍ତ୍ତା)

ପୁରୁଷ- ନାନି ! କଅଣ ହବ ମତେ କହ କହ ?

ସ୍ତ୍ରୀ- ରଜା ନ ଥିବାରୁ ହଉଥିଲୁ କଁ କଁ ।

ପୁରୁଷ- ଏଣିକି ପଛେ ଆଉ କଁ କଁ ହେବି ନାହିଁ,

ସ୍ତ୍ରୀ- ଥା, ମୁଁ ରଜା ପାଖରୁ ଚାଲିଯିବି ତୋଅରି ପେଇଁ ।

ପୁରୁଷ- ରଜା ତ ହାତ ଗୋଡ଼ ଧୋଇ ତୋଅରି ଫେରାଦ ବୁଝିବେ ।

ସ୍ତ୍ରୀ- ଯିଏ ସେଠି ଥିବେ, ସିଏ ତ ଶୁଣିଲେ ଗଞ୍ଜିବେ ।

(ଉଭୟ ପ୍ରସ୍ଥାନ)