ପ୍ରସ୍ତାବନା- ଅଦୃଷ୍ଟକୁମାରୀଙ୍କ ପ୍ରବେଶ
ଗୀତ- (ଜଣାଯାଉନାହିଁ ଆଉ ସ୍ନେହ...ବୃତ୍ତେ)
ଜୟ ନୃସିଂହ ଅଭୟଦାତା ହୃଷୀକେଶ ।
ଲେଖିବି ମୁଁ ମୁରାସୁରବଧ ଦିଅ ଏ ଆଦେଶ ।ପଦ।
ବଦ୍ରିକାକଟକବାସୀ ଛଟକେ ମୋ କଣ୍ଠେ ଆସି ।
ବସ ପଦ ଯାଉ ଦିଶି ନ ଥାଉ ତହିଁରେ ଦୋଷ ।୧।
ଦାରୁଣ ଭ୍ରାତ ନିଧନ, ଶୁଣି ଦୈତ୍ୟ ଭାବେ ମନ ।
ଅସମ୍ଭାଳ କେଶବାସ ଛାଡ଼େ ପ୍ରଖର ନିଃଶ୍ୱାସ ।୨।
ଉପଦେଶ ଶୁକ୍ରଙ୍କଠାରୁ ପାଇ ରକ୍ଷେଶ୍ୱର ।
କିଞ୍ଚିତେ ବାନ୍ଧିଲା ବିଷ୍ଣୁ ବିନାଶେ ହୃଦେ ସାହସ ।୩।
ଆନନ୍ଦବନ ଓପାଡ଼ି ସମୁଦ୍ରେ ଦେଇ ଫୋପାଡ଼ି ।
ମଲା ବୋଲି ଶତ୍ରୁ ବୁଡ଼ି ହେଉଚି ମନେ ହରଷ ।୪।
ସଭାରେ ବିଜେ ରାକ୍ଷସ, ପାତ୍ରମନ୍ତ୍ରୀ ଛନ୍ତି ପାଶ ।
ପାଞ୍ଚେ ଗତ ଦୁଃଖମାନ ବିପ୍ର ବଇଷ୍ଣବ ଭାଷ ।
(ପ୍ରସ୍ଥାନ)
(ରାଜସଭା- ମୁର ଓ ସୁବିଜ୍ଞ ମନ୍ତ୍ରୀର ପ୍ରବେଶ)
ମୁରାସୁର- କହ ହେ ସୁବିଜ୍ଞ ମନ୍ତ୍ରିବର
ନ ଦିଶେ ଉପାୟ କିଛି ମୋତେ
ହେଳାରେ ହେଳାରେ ସବୁ ବସିଲି ହରାଇ
ଯଦି ମୁହିଁ ନିଜେ କରିଥାନ୍ତି ଆଗହୁଁ ସମର
କିମ୍ପା ମରିଥାନ୍ତେ ମୋର ସତର ଲକ୍ଷ କୁମର ନାତି ନବଲକ୍ଷ ?
ଦାରୁଣ ପରାଏ ଭାଇ ଦ୍ୱିଜ ଟୋକା କରେ ଆଜି ମରିଥାନ୍ତା କିମ୍ପା ?
କାହା ଘେନି ରାଜକାର୍ଯ୍ୟ କରିବି ମୁଁ ଆଉ
ଏତେ ଲୋକେ ପୂରିଛନ୍ତି ମୋର ଚାରିକତି
ନ ଦିଶନ୍ତି କେହି ଜଣେ ମୋତେ ତାଙ୍କ ପରି, ସେହି ରାଗେ
କାଲି ଆନନ୍ଦବନ ସହିତ କୃଷ୍ଣବଲ୍ଲଭ-ସୁତଙ୍କୁ
ଫିଙ୍ଗିଛି ମୁଁ ସାଗରଗରଭେ
ବୁଡ଼ିମଲେ ବେନିଭାଇ ନିଜ ବଳ ସହ ।
ସେ ନିମନ୍ତେ ଦେଉଛି ଆଦେଶ ଶତ୍ରୁ ମଲା ବୋଲି
କନକାବତୀ ନଗରେ କରାଅ ଉତ୍ସବ ।
ମନ୍ତ୍ରୀ- ବାତୁଳ ହେଲ କି ଦୈତ୍ୟନାଥ !
କହୁ ଯେ ବଚନ ମନ ନ ମାନେ ମୋ ତିଳେ ।
ସାମାନ୍ୟ ନୁହନ୍ତି କୃଷ୍ଣବଲ୍ଲଭ-କୁମରେ
ଅଯୋନିସମ୍ଭୂତା ରାଣୀ ଭଗବତୀ ଗର୍ଭୁ
ହୋଇଛନ୍ତି ଦୁଷ୍ଟନାଶେ ଜନମ ମରତେ
ନିଶ୍ଚେ ସେହି ନରନାରାୟଣ ।
ଏହି ଶୁଣ, ନିକଟେ ଶୁଭଇ ବୀଣାନାଦ ଜଣାଯାଏ ଆସନ୍ତି ନାରଦ
ପୁଚ୍ଛନ୍ତେ ତାହାଙ୍କୁ କହିବେ ସେ ପ୍ରକୃତ କାରଣ
ଅଚନ୍ତି କି ମରିଚନ୍ତି ତୋର ଶତ୍ରୁ ଦୁଇଜଣ ।
(ଗୀତ ଗାଇ ବୀଣା ବଜାଇ ନାରଦଙ୍କର ପ୍ରବେଶ)
ଗୀତ- (ଆରେ ବାଇଆ ମନ...ବୃତ୍ତେ)
ବାଜ ବାଜରେ ବୀଣା ନଟବର ବ୍ରଜରାଜ ରେ ।
ଭଜରେ ମୁରଲୀଧାରୀ ହରି ହରି ତାରିଲେ ଯେ ଜଳୁ ଗଜରେ ।ପଦ।
ଯେବଣ ନାମକୁ ଭଜଇ ନିରତେ ସୁମନେ ପଙ୍କଜ ଅଜରେ ।
ସେହି ନାମ ଗାଇ ଭୋଳ ଉମାସାଈଁ ଭ୍ରମନ୍ତି ଭିକାରୀ ସାଜରେ ।୧।
ଯା’ର ମାୟାବଳେ ନାଚନ୍ତି ଜଗତ ଜୀବଗଣେ ଦେଖ ନଜରେ ।
ଜନକ ସନକ ସନାତନ ଶୁକ ଚିନ୍ତନ୍ତି ଯା’ ପଦକଞ୍ଜରେ ।୨।
ଅଣୁ ପରମାଣୁ ବ୍ୟାପିଛି ଯାହାର କୀଟୁଁ ବ୍ରହ୍ମଯାଏ ହେଜରେ ।
ସେହି ବଳିଆର ଭୁଜବଳେ ବଳୀ ବୋଲାଏ ବଇଆ ଦ୍ୱିଜରେ ।୩।
ମୁରାସୁର- ହେ ଦେବର୍ଷି ! ବସନ୍ତୁ ଆସନେ, ଘେନ ନମସ୍କାର ମୋର ।
ନାରଦ- ଭାଇ ମୁର ! ସକଳ ତ ମଙ୍ଗଳ ତୋହର ?
ମୁରାସୁର- ମୋ କୁଶଳ ଶୁଣି କି ନାହାନ୍ତି କିଛି ମୁନି ?
ନାରଦ- ଜାଣେ ନାହିଁ ଏହା ମଧ୍ୟେ କି ଘଟିଚି ତବ ଲାଭହାନି ।
ମୁରାସୁର- ଲାଭ ବିନା କ୍ଷତି ମୋର ନ ହେବ ଏଣିକି,
ନାରଦ- କି ବିଚାରେ କହୁଛୁ ଏ ଗର୍ବିତ ବାଣୀକି ?
ମୁରାସୁର- ଶୁଣ ତେବେ ମୁନି ମୋର ମଙ୍ଗଳବାରତା ।
ଗୀତ- (ବ୍ରଜରାଜସୁତ...ବୃତ୍ତେ)
ନାହିଁ ବିଷ୍ଣୁ ମୁନି ଏ ମରମଣ୍ଡଳେ ମାରି ମୁଁ ଆସିଛି ତାହାକୁ ।
ଲୋଡ଼ିଲେ ପାଇବ ନାହିଁ ଯେତେମତେ ଏଣିକି ସେ ଲକ୍ଷ୍ମୀନାହାକୁ ।ପଦ।
ବଦ୍ରିକା ଯାଇଣ ସେ ଆନନ୍ଦବନେ, ଦେଖିଲି ଯେ ଦୁଇ ଭାଇକି ନୟନେ ।
ଓପାଡ଼ି ସାଗରେ ଫୋପାଡ଼ିଲି ବନ ବୁଲାଇଣ ଦୁଇ ବାହାକୁ ।୧।
ବୁଡ଼ିମଲାଣି ସେ ପଡ଼ି ସିନ୍ଧୁଗର୍ଭେ, ଆଉ ହରି ନାମ ନ ଧରିବ ତୁମ୍ଭେ ।
ଭଜି ଭଜି ମରୁଥିଲ ସେପାଜିକି ବୃଥାରେ ତୁଆକୁ ତୁଆକୁ ।୨।
ହଜି ତ ଗଲା ସେ ବିଷ୍ଣୁ ନାମ ତବ, ପୋତିପକା ଝୁଲିମାଳ ଋଷିଦେବ ।
ମିଛେ ତା ସାଇତି କି ଫଳ ପାଇବ ମନେରଖି ଯାଅ ଏହାକୁ ।୩।
ତିନିପୁରେ ଯାଇଁ ଖବର ଜଣାଅ, ମୁରର ବଇରି ମଲା ବୋଲି କହ ।
ବଇଷ୍ଣବ ଗିର ନାହିଁ ଆଉ ଡର ଏ ବ୍ରହ୍ମାଣ୍ଡେ ମୋର କାହାକୁ ।୪।
ନାରଦ- ଭାଇ ମୁର, ଏଡ଼େ ମିଛକଥା ଆମେ କହିବା କିପରି ?
ସତ କହନ୍ତେ ଲାଗଇ କଳି ସବୁଠାରେ
ମିଛରେ କି କିଛି ଆଉ ରହିବ ଠିକଣା ।
ଯେଉଁ ହରି ଜଳରେ ନ ବୁଡ଼େ, ଯେଉଁ ହରି ଅନଳେ ନ ପୋଡ଼େ
ଯେଉଁ ହରି ଖଡ଼ଗେ ନ ଛିଡ଼େ, ଟେଉଁ ହରି ପବନେ ନ ଉଡ଼େ
ସେ ମଲା ବୋଲି କେମନ୍ତେ ଆସିବ ତୁଣ୍ଡରେ ?
ଘୋର ମିଥ୍ୟା କହି, ପାପ ଅର୍ଜିବା କାହିଁକି ଏ ଦେହରେ ?
ଭାଇ ମୁର, ଶୁଣ ସ୍ଥିରମନେ ଆଜି ଦିନର ଘଟଣା
ଶୁଣି କୋପ ନ ରହିବୁ ଆମ୍ଭରି ଉପରେ ।
ଗୀତ- (ସୈରନ୍ଧ୍ରୀ ମୋର ସଙ୍ଗେ ଆସ...ବୃତ୍ତେ)
ମରିନାହିଁ ସେ କମଳାକାନ୍ତରେ, ମୁର ନ ବୋଲ ଏମନ୍ତ ।
ଆଜି ବଦ୍ରିକାରେ ଦେଖି ମୁଁ ଆସିଚି ବସିଛନ୍ତି ଦୁଇ ଭ୍ରାତରେ ।ପଦ।
କରୁଥିଲେ ଗୁହାରି ଦେବେ, ତା ପାଶରେ ଆସି ସରବେ ।
ତୋ ମରିବା କଥା ପଡ଼ିଥିଲା ତହିଁ ଶୁଣି ହେଲି ଆଚମ୍ବିତ ରେ ।୧।
ଶେଷେ ଏହା ହୋଇଲା ସ୍ଥିର, ବିଷ୍ଣୁ ତାଙ୍କୁ ଦେଲା ଉତ୍ତର ।
ବୋଇଲା ନ ଡର ମାରିବି ଅସୁର କଲା ତିନିବାର ସତ୍ୟରେ ।୨।
ତୁ କେସନେ କହୁଛୁ ମୋତେ, ବିଷ୍ଣୁ ମଲା ଭାଷ ଜଗତେ ।
ତୋ ଦୁଃଖରେ ଦୁଃଖୀ ଯେଣୁ ମୁହିଁ ଭାଇ ଜଣାଇଗଲି ସମସ୍ତ ରେ ।୩।
ଦ୍ୱିଜ ବଇଷ୍ଣବ ରଚନ, ସେ ଦ୍ୱିଜକୁ ନ ମଣ ସାନ ।
ଖୋଜ ତୋ ଜୀଇବା ଉପାୟ ଏଥର ନ ବସ ହୋଇ ନିଶ୍ଚିନ୍ତରେ ।୪।
(ନାରଦଙ୍କ ପ୍ରସ୍ଥାନ)
ମୁରାସୁର- (କ୍ରୋଧ) ଆରେ ଆରେ ପାପିଷ୍ଠ ଅମରେ
ଜାଣନା କି ମୁରାସୁର ଶକ୍ତି !
ଆଗେ ଶେଷ ନୃସିଂହକୁ ମାରି ତୁମ୍ଭଙ୍କୁ ରେ ମାରିବି ତା’ପରେ
ମୂଳ ଗଲେ ଡାଳ କେତେ କାଳ ବା ଜୀଇବ ?
ହେ ନାରଦ ମୁନି, ସତ୍ୟ କରି କହ ମୋ ଆଗରେ
ଫିଙ୍ଗିଲି ବିଷ୍ଣୁକୁ ବନ ସହ ଅନ୍ତରୀକ୍ଷେ
ସମୁଦ୍ରେ ପଡ଼ିଲା ବୋଲି ମନେ ଥିଲି ଭାବି-
ଯେବେ ଜୀଇଛି କହୁଛ ବିପ୍ର ଟୋକା
ତେବେ ନିଜେ ଯାଇ ମାରିଆସିବି ଦୁଷ୍ଟକୁ ।
ମୋର ଦେହ ଛୁଇଁ କହ ଋଷି
ଦେଖି କି ଆସିଲ ତାକୁ ବଦ୍ରିକା ନବରେ ?
ମନ୍ତ୍ରୀ- ବାତୁଳ ପରାଏ କିମ୍ପା ହେଉ ଏତେ ରାଜା
କାହାନ୍ତି ଏଠାରେ ସେହି ନାରଦ ମହର୍ଷି,
କେତେବେଳୁଁ ଗଲେଣି ସେ ଚାଲି
ତୋତେ ଦେଇ ଏ ଖବର-
କାହାକୁ ତୁ ଏ କଥା ପଚାରୁ ?
ମୁନିଙ୍କ ବଚଦ ହେଜି ନ ପାରିଲୁ ହୃଦେ
ମିଥ୍ୟା କେଭେ ନ କହନ୍ତି ଦେବର୍ଷି ନାରଦ
ସତ କହିଣ ଲଗାନ୍ତି କଳି ନାନାସ୍ଥାନେ ।
ଭଲ କରି ମନାଅ ମନକୁ ଚାରିଯୁଗ ଅମର ଅଟନ୍ତି ସେହି ହରି
ସେହୁ ମଲେ ତୁ କି ଥାନ୍ତୁ ବଞ୍ଚି ?
ତୁ ମାଇଲୁ କହିଲେ ଏ କଥା କେ କି ପ୍ରତେ ଯିବେ ଭଲେ ?
ଶୁଣ କାଲି ନିଶି ସ୍ୱପ୍ନ କଥା ଯାହା ଯାହା ଦେଖିଅଛି ମୁହିଁ ଗତ ନିଶି ଶେଷ ଯାମେ-
ଗୀତ- (କୀର୍ତ୍ତନ...ବୃତ୍ତେ)
ଶୁଣ ରାଜା ସ୍ୱପନେ ଦେଖିଛି ଏହା ମୁହିଁ ହେ ।
ଗଲୁ ବଦ୍ରିକାକୁ ବିଷ୍ଣୁ ବଧିବାର ପାଇଁ ହେ ।ପଦ।
କଲୁ ତାର ତୁଲେ ରଣ ମହାମତ୍ତ ହୋଇ ହେ ।
ସୁମେରୁ ଗିରିରେ କଚାଡ଼ିଲା ତୋତେ ନେଇ ହେ ।୧।
ଛେଚି ଛେଚି ଲୋମେ ବଙ୍କା ନୋହିଲା ତୋ ତହିଁ ହେ ।
ହିମାଚଳେ ବିନ୍ଧ୍ୟାଚଳେ ପିଟିଲା ବୁଲାଇ ହେ ।୨।
ଚୁରି ହେଲା ଗିରି ଜୀବନ ଗଲା ତୋ ତହିଁ ହେ ।
ସମୁଦ୍ରେ ମାଡ଼ନ୍ତେ ତିନିଦିନେ ମଲୁ ନାହିଁ ହେ ।
ତା’ପରେ ଆକାଶେ ଫିଙ୍ଗିଦେଲା କ୍ରୋଧ ବହିହେ ।
ତଳେ ପଡ଼ୁଁ ବିଳେକ ଫୁଟିଲା ଭାଷେ ବଇ ହେ ।
ଶୁଣ ରାଜା, ସେହି ବିଳ ଦେଇ
ତ୍ରେତାଯୁଗେ ପାତାଳକୁ ଯିବ ହନୁମାନ-
ଏହି କୀର୍ତ୍ତି ତୋର ରହିଥିବ ଯୁଗେ ଯୁଗେ ।
ପାତାଳେ ପଡ଼ନ୍ତେ ଯାଇଁ ଅନନ୍ତ ବାସୁକି ତୋତେ ଦେଲେ ଉପଦେଶ
ବୋଇଲେ ନୃସିଂହ କରେ ମରି ମୁକ୍ତି ପାଅ
ସହସ୍ର ଚରଣ ବିଷ୍ଣୁ ଦେଖାନ୍ତେ ତୋହରେ
ଶେଷେ ଗଲା ତୋର ଜୀବ ।
ମୁହିଁ ନେତ୍ରେ ଆଉ ଏ ଘଟନା ନ ଦେଖିବି ରାଜା !
ନିଶ୍ଚେ ବିଷ୍ଣୁ କରେ ତୋର ମୃତ୍ୟୁ ଅନିବାର୍ଯ୍ୟ
ଯାଉଚି ମୁଁ, ଯାଉଚି ମୁଁ ନୋହିବ ଏ ଜନ୍ମେ ତୋର ତୁଲେ ମୋ ସାକ୍ଷାତ ।
(ଯୋଗାସନେ ବସି- ନାସାକର୍ଣ୍ଣ ରୁନ୍ଧି)
ହା କୃଷ୍ଣ, ହା ବୈକୁଣ୍ଠପତି, ହା ଜଗଦୀଶ୍ୱର ! (ପତନ)
ମୁରାସୁର- (ହଠାତ୍ ମନ୍ତ୍ରୀକି ତୋଳି କୋଳକରି)
କେ ଅଛରେ, ଫୁଙ୍କରେ ଫୁଙ୍କରେ ମୋର ମନ୍ତ୍ରୀ କର୍ଣ୍ଣବେନି
ଜ୍ଞାନ କହୁଁ କହୁଁ ପଡ଼ିଲା ସଭାରେ ଢଳି କେଡ଼େ ମନ୍ତ୍ରୀ ମୋର ।
ଜ୍ଞାନ ସାଧୁ ସାଧୁ ଯେବେ ପ୍ରାଣୀ ମରିବେ ଏପରି
କେ କିମ୍ପା ସାଧିବ ଜ୍ଞାନ ଆଉ ?
ଦୈତ୍ୟ- (ଫୁଙ୍କୁ ଫୁଙ୍କୁ) ନାହିଁ ଦୈତ୍ୟନାଥ ! ମନ୍ତ୍ରୀ ଆଉ ବଞ୍ଚିବନାହିଁ
ଫୁଙ୍କିଲେ କି କର୍ଣ୍ଣେ ମଳା ଲୋକ ଜୀଇ କାହିଁ ଆସିଚି ନେଉଟି ?
ମୁରାସୁର- ହାୟ ହାୟ ମନ୍ତ୍ରୀ !
କେଣେ ମୋତେ ଏକାକରି ଛାଡ଼ିଗଲୁ ତୁହି,
ମୂର୍ଚ୍ଛିଥିଲି ପୁତ୍ର ନାତି ଭ୍ରାତହତ ଶୋକ ଏକା ଚାହିଁ ତୋ ବଦନ
ଏଡ଼େ ଜ୍ଞାନୀ ହୋଇ ଅଜ୍ଞାନୀର କାର୍ଯ୍ୟ ତୁ କେମନ୍ତେ ?
ମଲୁ ନାସିକା ପବନ ରୁଦ୍ଧ କରିଦେଇ,
ଏ ବୁଦ୍ଧି କେ ବତାଇଲା ତୋତେ,
ଯେ ଦେଲା ଏ ବୁଦ୍ଧି ସେ କି ମଲା ତୋ ସହିତ ?
ଜ୍ଞାନ ସାଧି ମରନ୍ତି ଏପରି ପାପୀଜନେ
ଯେବେ ନାସା ରୁନ୍ଧି ମରି ପ୍ରାଣୀ ସ୍ୱର୍ଗେ ଯାଉଥାନ୍ତେ
କିମ୍ପା ରୋଗ ଘୋଟନ୍ତା ଦେହକୁ ।
ମୂର୍ଖପଣେ କିମ୍ପାଇ ତୁ କଲୁ ଏଡ଼େ କର୍ମ ?
ଗୀତ- (ରାଗ ରସକୁଲ୍ୟା)
ଉଠି କଥା କହ ମନ୍ତ୍ରୀ ମୋହରି, କାହାକୁ ସମର୍ପି ଗଲୁ ଏ ଶିରୀ ।
ରାଜଭୋଗକୁ ଯା ପଦେ ଦଳିଲୁ, ଆୟୁ ଥାଉ ପରଲୋକ ଚଳିଲୁରେ ।
କିବା ରଣେ ପ୍ରାଣ ଦେଇରେ,
ମରିଥିଲେ ଅବା ମନାନ୍ତି ମନକୁ ରୋଗେ ଯାଇଥିଲେ ତୁହିରେ ।୧।
ସମ୍ଭାଳିବ ରାଜ୍ୟଭାର କେ ଆଉ, ମୋ କଥାକୁ କର୍ଣ୍ଣ ଡେରିବ କେହୁ ।
ଶ୍ରୀମୁଖ ଚିଟାଉ ଲେଖିବ କିଏ, ଦୁଃଖେ କେ ବାଧିବ ଜନକ ପ୍ରାୟେ ସେ,
କେବା ଦେବ ଉପଦେଶ ରେ ।
ଏକାନ୍ତରେ ଗୃହ ଭିତରେ ବସାଇ ସାଜିବ କେ ମୋର ବେଶ ରେ ।୨।
ବୁଝିବ କେ ଶତ୍ରୁ ସମ୍ବାଦ ନିତି, ସାଜିବ କେ ସେନା ରଣକୁ ଘାନ୍ତି ।
ବିଜୟା ରଥେ କେ ନେଇଣ ମୋତେ, ଜୟ ଆସେ ବୁଲାଇବ ଜଗତେ ସେ ।
ତୋ ସମାନ ଗୁଣଶୀଳରେ,
ନାହିଁ ନ ଥିବ ନୋହିବ ତିନିଲୋକେ ବିପଦକାଳ ସମ୍ବଳରେ ।୩।
ଆଉ ନ ଜୀଇବ ମନ୍ତ୍ରୀ ମୋହରି, ଥଣ୍ଡା ଲାଗିଲାଣି ଅଙ୍ଗ ତାହାରି ।
ବହନ ଏହାକୁ ଦହନ କର, ନେଇ ଗୁଆ ଘୃତ ଚନ୍ଦନ ଭାର ସେ ।
ଶମଶାନେ ଯାଅ ଘେନି ରେ,
ବିଧିମତେ ଶେଷକର ପ୍ରେତକ୍ରିୟା ବଇଷ୍ଣବର ଦଇନିରେ ।୪।
ମୁରାସୁର- କେଣେ ଅଛୁ ଲୁହାସୁର ଡଗର ମୋହର
ଡାକ ଶୀଘ୍ର ଲୋକ ନିଅ ମୋ ମନ୍ତ୍ରୀକି
କିମ୍ପା ବୃଥା କରରେ ବିଳମ୍ବ ?
ରହିଲେ କି ବେଶି କ୍ଷଣି ପଡ଼ି ଉଠି ମୋତେ କହିବ ବଚନ ?
(ବେଗେ ଲୁହାସୁର ଡଗର ଗୀତ ଗାଇ ଗାଇ ପ୍ରବେଶ)
(କଳିଯୁଗରେ....ବୃତ୍ତେ)
ଲୁହାମହି ବୁଲିଲାଣି ଦେଶରେ ହେଲା ଶେଷରେ,
ଆସନ୍ତାସନକୁ ନ ପାଇବ ଭାଇ ଟଙ୍କାକୁ ଚାଉଳ ଦି’ ସେରେ ।ପଦ।
ବେଳକାଳ ଜାଣି ନ ବର୍ଷିବ ପାଣି ବିଲ ହେବ ନାହିଁ ଚାଷରେ,
କାନ୍ଥକୁ ଆଉଜି ଭାତ ଭାତ ଭଜି ଉଡ଼ିଯିବ ଜୀବ ଶୋଷରେ ।୧।
ପିତଳ ପଳକ ପଇସାଟା ହବ ଖାଇବେ ପତର ଘାସରେ,
କପା ସଙ୍ଗେ ମୂଲ ରୁପାସୁନା ହେବ ପେଟ ନ ପୂରିବ ପୁଷରେ ।୨।
ଭଲ ଭଲ ଲୋକେ ପଲ ପଲ ଆସି ବୁଲିବେ ବାବାଜି ବେଶରେ,
ସାଜିଣ ବାବାଜି ଖୋଜିବେ ସନ୍ଧାନ ମୁହେଁ ଛାଡ଼ି ଦାଢ଼ି ନିଶରେ ।୩।
ଥିଲାଲୋକମାନେ ନ ଥିଲା ଲୋକଙ୍କୁ ବସାଇ ନ ଦେବେ ପାଶରେ,
ଛୁଆଁଛୁଇଁ ଜାତିପତି ନ ବାରିବେ ବଇଆ ରଚେ ଏ ରସରେ ।୪।
ଲୁହାସୁର- କିସ ଆଜ୍ଞା ହେଉ ଦୈତ୍ୟରାଜ !
ମୁରାସୁର- ଲୁହାସୁର, ନେଇ ମନ୍ତ୍ରୀକି ମୋହର ଶମଶାନେ କରରେ ଦହନ ।
ଜ୍ଞାନ କହୁଁ ମୋର ମଲା ଏଥି ମନ୍ତ୍ରୀ, ଯେବେ ନ ମାରିବି ପାପିଷ୍ଠ ବିଷ୍ଣୁକୁ ଭଜି ତାକୁ ଏହିପରି ଲୋକେ ତେଜିବେ ଜୀବନ ।
ଲୁହାସୁର- ଯେ ଆଜ୍ଞା ଦୈତ୍ୟରାଜ !
(ବେଗେ ଲୁହାସୁର ଅନ୍ୟଲୋକସହ ମନ୍ତ୍ରୀ ଶବ ନେଇ ପ୍ରସ୍ଥାନ)
ମୁରାସୁର- ଦୈତ୍ୟଗଣେ, କି କରିବା କହ ହେ ବିଚାରି ।
କ୍ରମେ ବୀରଶୂନ୍ୟ ହେଲା ମୋ କନକାବତୀ;
ହାୟ ହାୟ, ଲୋକେ ପୁଣି ଏଡ଼ିକି ପାଷଣ୍ଡ
ବିଷ୍ଣୁ କହୁଚନ୍ତି କୃଷ୍ଣବଲ୍ଲଭପୁଅକୁ
ହେଲେ ହୋଇଥିବ ମାନବାବିଷ୍ଣୁ ସେ ବ୍ରାହ୍ମଣ ଟୋକଟା
ପ୍ରକୃତ ବିଷ୍ଣୁ କାହିଁକି ତେଜି ବଇକୁଣ୍ଠ ବୃଥା ଆସିବ ଏଠାକୁ ?
ଛାଡ଼, ସେ କଥାରେ କିଛି ପ୍ରୟୋଜନ ନାହିଁ,
କିପରି ମରିବେ କୃଷ୍ଣବଲ୍ଲଭର ପୁଏ
ହେବ କେହୁ ସେନାପତି ଆଗତ ରଣରେ ?
ଗୀତ- (ପଟିଲା ନାହିଁ ମୋ ଛଳବଳ...ବୃତ୍ତେ)
କଲା କି କରମ ଦ୍ୱିଜ କଲା କି କରମରେ ।
ପଡ଼ିଲେ ସେ କଥା ମନେ ମାଡ଼ଇ ସରମ ରେ ।ପଦ।
ବିଦ୍ୟାଗୁରୁ ହୋଇକରି କେତେ ପୁତ୍ର ଗଲା ମାରି,
ବକା କାଳ କେତୁ ମହିଦାସକୁ ସେ ସମରେ ।୧।
ବୀରଘଣ୍ଟ ବଜ୍ରାସୁର, ଅଲୋପି ସଲୋପି ବୀର,
ବଜ୍ରମାଳୀ ରଣକେଶୀ ନାଶିଲା ସେ ପ୍ରେମରେ ।୨।
ସୁନନ୍ଦା ତ୍ରିମୁଣ୍ଡ ଦୈତ୍ୟ, ବଟକେଶରୀ ସହିତ,
ରଣଜିତ ବୀରବାହୁ କାଳକେତୁ ଯମରେ ।୩।
ଆବର କଣ୍ଠ ବିକଣ୍ଠ, ପଞ୍ଚଶିରା ବୀରଘଣ୍ଟ,
ଏଡ଼େ ଏଡ଼େ ସେନାପତି ବିନାଶିଚ କ୍ରମରେ ।୪।
ସୈନ୍ୟ ଚଳାଇବା ପାଇଁ, କେହି ଜଣେ ନ ଦିଶଇ,
ବଇ କହି କଳଙ୍କ ଲାଗିବ କି ଏ ନାମରେ ।୫।
ପ୍ରଳମ୍ବା- ଧୈର୍ଯ୍ୟ ଧର ଦୈତ୍ୟରାଜ, ଅଧୀର ହୁଅନା !
ମହତ ଲୋକର ବଳ ସାହସ ବିପଦେ ।
କାଲି ବିପ୍ରଟୋକା ଦୁଇଟାର ପୂରାଇବୁ କାଳ
ସେଥିପାଇଁ ମନରେ ନ ଭାଳ ।
ମୂଢ଼ା- ଦାନବମୁକୁଟ, ନ ଜାଣ କି ମୂଢ଼ାସୁର କୂଟ ଯୁଦ୍ଧରୀତି
ମମତା ତେଜିଣ ଜୀବନର ରଣେ ପଶିବି ଯଦ୍ୟପି
ନିଃଶ୍ୱାସେ ଉଡ଼ାଇ ଦେବି ବଦ୍ରିକାନଗରୀ ।
ଆଜିକ ଧରିଣ ଧୃତି ନିଶି କର ଶେଷ
କାଲି ରଣେ ଜୟ ନିଶ୍ଚେ ହେବ ଛାମୁଙ୍କର ।
ମୁକୁନ୍ଦା- ହେ ଅବନୀନାଥ, ଆମ୍ଭେ ଚାରି ସେନାପତି ତବସହ ଯିବୁଁ କାଲି
କରିବୁ ଚାରୋଟି ବ୍ୟୁହ ରଚନା ସେଠାରେ
ବିଳମ୍ବରେ ପ୍ରୟୋଜନ କିସ, ଆଜିଠାରୁ ସୈନ୍ୟଗଣେ କରନ୍ତୁ ଆଦେଶ ।
(ଚାରି ସେନାପତିଙ୍କ ଗୀତ)
(ନରେ ଭଜ ରାମରାମ...ବୃତ୍ତେ)
ଆଜ୍ଞାକର ଦୈତ୍ୟମଣି, କୃଷ୍ଣବଲ୍ଲଭ-ପୁଅଙ୍କୁ ପକାଇବୁ ହାଣି ହେ ।ପଦ।
ମାତା ପିତାଙ୍କୁ ତା ଶୂଳେ, ଦେବୁ ବାନ୍ଧିଆଣି ବଳେ
କର୍ଣ୍ଣାଟେଶ୍ୱରେ ମାଡ଼ିବୁ ସିନ୍ଧୁନଦୀରେ ଟାଣି ହେ ।୧।
ସୁଜାଣ ମନ୍ତ୍ରୀର ଶିର, କାଟି ଭେଟିବୁ ଛାମୁର,
ଗରୁଡ଼େ ଚିରି କରିବୁ ବେନି ଫାଳ ପୁଣି ।୨।
ବ୍ରାହ୍ମଣ ଲୋଚାଏ ଆସି, ରଣରଙ୍ଗେ ଥିବେ ପଶି,
କ୍ଷତ୍ରିୟଙ୍କ ବିଦ୍ୟା କେବେ ନ ଥିବେ ସେ ଜାଣି ହେ ।୪।
ମୁରାସୁର- ଧନ୍ୟ ରେ ମୂଢ଼ା ମୁକୁନ୍ଦା ବିରାଜ ପ୍ରଳମ୍ବା
ତୁମ୍ଭ ଭରସାରେ ଆଜି ଶାନ୍ତ ହେଲା ମୁର ।
ଉତ୍ତପ୍ତ ଧରାରେ ବାରି ବର୍ଷନ୍ତେ ଯେହ୍ନେ ହୁଅଇ ଶୀତଳ,
ତେସନ ମୋ ଦଗ୍ଧ ହୃଦକ୍ଷେତ୍ର
ତୁମ୍ଭ ସାହସ ବାରିଦଧାରା ପାଇ ହୋଇଗଲା ଥଣ୍ଡା ।
ଆଜି ସର୍ବେ ନିଜ ବାସେ ଚଳ
କାଲି ପ୍ରାତେଃ ବଦ୍ରିକାକୁ କରି ଅନୁକୂଳ ଶୁଭଯୋଗେ ଯିବା ବଳ ସାଜି ।
ଚାଲିଲି ମୁଁ ରାଣୀହଂସପୁରେ,
ନିଶିରେ ବସିଣ ମଦନାବତୀ ସହିତ ପରାମର୍ଶ କରି,
କରିବି ସ୍ଥିର ବିପକ୍ଷ ବିନାଶ ଉପାୟ ।
ସମସ୍ତେ- ଯଥା ଆଜ୍ଞା ଦୈତ୍ୟରାଜ !
ହେଉ ସଭାଭଙ୍ଗ ତେବେ ଆଜି ।
(ସମସ୍ତଙ୍କ ପ୍ରସ୍ଥାନ)
(ରାଣୀହଂସପୁର- ଅନ୍ୟ ରାଣୀଗଣସହ ମଦନାବତୀ ରାଣୀର ଉପବେଶନ)
ମଦନାବତୀ- ସଖିଗଣେ, ଆଜି କାହିଁକି ମୋର ଅଧିକ ବେଳକୁ ବେଳ ଘାଣ୍ଟିହେଉଚି; କେତେ କେତେ କୁଲକ୍ଷଣ ଘନ ଘନ ଦେଖୁଚି । ଅନେକ ପୁଅ ନାତି ଅଣନାତି ମରିଚନ୍ତି, ଦିନେ ତ ଏପରି ମନ୍ଦସୂଚକ ଦେଖିନାହିଁ ! ଏହାର କାରଣ ତ ମୁଁ କିଛି ଜାଣିପାରି ନାହିଁ ସଖି ! ମୋର ବଞ୍ଚିବା ଏତିକି ।
୧ମ-ରାଣୀ- ପାଟମହାଦେଈ ! ଏତେ ବେସ୍ତ ହୁଅନା । ମୁଁ ଆଜି ଶୁଣୁଚି, କାଲି ପ୍ରାତରୁ ରାଜା ବଦ୍ରିକାକୁ ଯୁଦ୍ଧଯାତ୍ରା କରିବେ, କାଳେ ସେହି କଥା ଶୁଣି ମନ ଘାଣ୍ଟି ହେଉଥିବ । ମୁଁ ତୁମକୁ ବେଶି କଣ ବୁଝାଇବି-ପ୍ରାଣୀକି ବିପଦ ପଡ଼ିଲେ ମନ ଚଞ୍ଚଳ ହେତୁ ନାନାଦି କୁଲକ୍ଷଣମାନ ଘନ ଘନ ଦେଖାଯାଏ । ମହାଦେଈ, ତୁମ୍ଭେ ରାଜାଙ୍କୁ ଆଜି ମନାକର, ସେ ଯେପରି ନିଜେ ଯୁଦ୍ଧକୁ ନ ଯାନ୍ତୁ ।
ମଦନାବତୀ- ସଖି ! ସେ କି ମାନିବା ଲୋକ, କଥା ମାନିଥିଲେ ଆଜି ସତରଲକ୍ଷ ପୁଅ ନବେଲକ୍ଷ ନାତି କାହିଁକି ହରାଇ ବସିଥାନ୍ତେ ? ଏବେ କନକାବତୀ ନଗରୀ ବୀରଶୂନ୍ୟ କାହିଁକି ହୋଇଥାନ୍ତା ? ମୁଁ ସିନା ବୁଝାଇ କହିବି, କୋଡ଼ଛୁଆଙ୍କ ପରି ବାନ୍ଧି ତ ରଖି ପାରିବି ନାହିଁ।
୨ୟ-ରାଣୀ- ଦେବୀ, ଯେବେ ତୁମ୍ଭ କଥା ନ ମାନି ଯୁଦ୍ଧକୁ ଯିବେ, ତେବେ ଆମ୍ଭମାନଙ୍କ କପାଳ ।
ଗୀତ- (ନମସ୍ତେ କରାଳରୂପୀ...ବୃତ୍ତେ)
ପୋଡ଼ା କପାଳରେ ଯାହା ଲିହିଥିବ ଦଇବ ।
ସହି ତାହା କାହା ବଳେ ଆନ କରି ନୋହିବ ।ପଦ।
ଚନ୍ଦ୍ରରେ କଳଙ୍କରେଖା, ସେହି ଦଇବର ଲେଖା ।
କାକକୁ କି ଶିଖାଇଲେ ରାମକୃଷ୍ଣ କହିବ ।୧।
କେଡ଼େ ସାଗରକୁ ଲୁଣି, କଲା ନ ଛୁଇଁଲେ ପାଣି ।
ବାନର କଣ୍ଠେ କି ସ୍ୱର୍ଣ୍ଣହାର ଶୋଭା ପାଇବ ।୨।
ଅବଳା ଦୁର୍ବଳା ଜାତି, ପରାଧୀନେ ଥାନ୍ତି ନୀତି ।
ପତି କରନ୍ତେ ଅନୀତି କାହା ବଳ ପାଇବ ।୩।
ଆଜି ଏକାନ୍ତେ କାନ୍ତରେ, ବିନୟରେ ଭାଷ ଥରେ ।
ବଇ ବୋଲଇ ଗୀତରେ ସବୁ ଦେହ ସହିବ ।୪।
ମୁରାସୁର- (ପ୍ରବେଶି) ମହିଷି !
ପଡ଼ିଥିଲା କି କଥା ଏଠାରେ ? କିମ୍ପା ମୁଖ ଦିଶଇ ବିରସ ?
ମନ ଫେଇ ମୋ ଆଗରେ ତାହା ଶୀଘ୍ର ଭାଷ ?
ମଦନାବତୀ- ଜୀବଧନ, ରଖିବ କି ଦାସୀ ନିବେଦନ ?
ତେବେ ମନଭାବମାନ ଜଣାଇବି ପାଶେ
ଯଦି ଅଧୀନାରେ ନାଥ ନ ବହିବ କୋପ ।
ତେବେ ତୁମ୍ଭ ମଙ୍ଗଳ ନିମନ୍ତେ କିଛି କହିବି ଭୋ ନାଥ !
ମୁରାସୁର- କହ ପ୍ରିୟେ, ନ କରି ବିଳମ୍ବ
ଉଚିତ କଥା କହନ୍ତେ କୋପିବ କେ କିମ୍ପା,
ଯେଣୁ ଦେବଅଙ୍ଗ, ତେଣୁ କଲି ଅଙ୍ଗୀକାର, କହ ମନଭାବ ।
ମଦନାବତୀ- ଜୀବନବଲ୍ଲଭ ! ତେବେ ଶୁଣ ଏକମନେ ଦାସୀ ନିବେଦନ
ଗୀତ- (ଧୀରେ ରାଧା କର ଧରି...ବୃତ୍ତେ)
ଶୁଣିଲି କାଲି ରଣକୁ ଯିବ ଜୀବଜୀବନ ।
ପ୍ରତ୍ୟକ୍ଷେ ବିଷ୍ଣୁ ଜନମିଛନ୍ତି ବଦ୍ରୀଭୁବନ ।
ନାଥ, ତାଙ୍କ ତୁଲେ ବାଦ କରିବା ଅଶୋଭନ ।
ଅଗତି ଜନର ଗତି ସେ ପତିତପାବନ ।୧।
ଚାହୁଁ ଚାହୁଁ ମାଇଲେ ତୁମ୍ଭର ପୁତ୍ର-ନାତିଙ୍କି ।
ପୁଣି କି ସାହସେ ଲଢ଼ିଯାଅ ତାଙ୍କ କତିକି ?
ନାଥ ହେ, ଦାସୀ ଭାରତୀ ଶୁଭୁଚି ତ ଶ୍ରୁତିକି ।
ଦାରୁଣ ପରା ଭ୍ରାତର ହୋଇଲା କି ଗତିକି ।୨।
ଭଲ ଲୋଡ଼ୁ ଲୋଡ଼ୁ ମନ୍ଦ ଆସି ହୁଏ ଭେଟଣା ।
ଜାଣିଥା ଶେଷେ ନିଶ୍ଚୟ ହେବ ନିନ୍ଦା ରଟନା ।
ନାଥ ହେ, ନିଜର ମାନ ମର୍ଯ୍ୟାଦାକୁ ଲୁଟାନା ।
ଦମ୍ଭ-ଦ୍ରୁମକୁ ବିପଦ କୁଠାରରେ କାଟନା ।୩।
ତୁମ୍ଭେ ପରା ପରାଣ ଆମ୍ଭରି ଧନ-ସମ୍ପଦ ।
ଯଦି ସମରେ ପଡ଼ିବ ଅବହେଳେ ବିପଦ ।
ନାଥ ହେ, ଏ ଜନମରେ ନ ଦେଖିବୁଁ ସେ ପଦ ।
ବଇଷ୍ଣବ ବୋଲେ ସେ ସରସ ତୁମ୍ଭ ସମ୍ପଦ ।୪।
ମୁରାସୁର- ପ୍ରିୟେ ! ବୃଥା ଅମଙ୍ଗଳ କିମ୍ପା ମନେଦିଅ ସ୍ଥାନ ।
ଏଥର ପଶିଲେ ରଣରେ
ନ ଜିଇବେ କେଭେ କୃଷ୍ଣବଲ୍ଲଭର ପୋଏ
ମାନବ ବିଷ୍ଣୁ କି ମୋତେ କରିବ ନିଧନ
ନ ଭାବ ଏମାନ-ଶିବବରେ ଅମର ମୁଁ ଜାଣ ଚାରି ଯୁଗେ ।
ଯଦି ମୋ ମରଣକାଳ ହେବ ଉପସ୍ଥିତ
ତହିଁକି ସଙ୍କେତ ତୋତେ ଯାଉଚି ଜଣାଇ
ଡେରିଥିବୁ କଳଭାଷୀ ତୋ ଶ୍ରୁତିଯୁଗଳ ।
ଗୀତ- (ଆରେ କଂସାସୁର ଗଲା କି ପାଶୋର...ବୃତ୍ତେ)
ବାରଣଗତି, ମୋ ମରଣ ସମୟ ହେଲେ ଉପସ୍ଥିତରେ ।
ରଡ଼ିଏ ଛାଡ଼ିବି ପଡ଼ିବ ଉପୁଡ଼ି ସୁମେରୁ ପର୍ବତ ରେ ।ପଦ।
ଶୁଭେ ଯେସନ ଘଡ଼ଘଡ଼ି ।
ପୁଣି ଉପୁଡ଼ିବ ମହା ମହା ମହୀରୁହ ଶତ ଶତ ରେ ।୧।
ଥରି ଉଠିବ ସାତଦ୍ୱୀପ ।
ସପତ ସାଗର ନୀର ହେବ ସ୍ଥିର କମ୍ପିତ ଭାରତ ରେ ।୨।
ବୁଡ଼ିଯିବ ଜୀବଙ୍କ ଚେତା ।
ସହସ୍ରେ ଯୂଣ ବ୍ୟାପିବ ସେହି ଧ୍ୱନି ନିମିଷକ ଭିତରେ ।୩।
ତେତେବେଳେ ଜାଣିବୁ ଯେ ଗୋରି ।
ମରିଲା ମୋ ପତି ଘେରିଲା ବିପତ୍ତି ବଇ ଚିନ୍ତି ଗୀତରେ ।୪।
ରେ ବରାଙ୍ଗନା ! ସେତେବେଳେ ସ୍ଥିର ତୁ କରିବୁ
ଜାଣିବୁ ତୋ କାନ୍ତ ମରି ବିଷ୍ଣୁନାଥ କରେ ଗଲା ବଇକୁଣ୍ଠପୁର
ତହୁଁ ପ୍ରେତକ୍ରିୟା ବଢ଼ାଇବ ମିଳି ସର୍ବେ
ଅମର ହେବି ମୁଁ ତୋର ହସ୍ତେ ପିଣ୍ଡ ପାଇ ।
ଘେନ ଏହି ଅକ୍ଷମାଳା କୁଟିଳାକ୍ଷି, ତୋତେ ଦେଇଯାଉଛି ସଙ୍କେତ
ଜପିଣ ଏ ମାଳା ବାଳାମଣି ତେଜିବୁ ଜୀବନ
ତେତ୍ରିଶ କୋଟି ରାଣୀଙ୍କ ତୁଲେ ।
ବହୁତ ହେଲାଣି ରାତ୍ର ଆସି ଚାଲ ପହୁଡ଼ିବା ପଲ୍ୟଙ୍କରେ ।
ମଦନାବତୀ- କି ଦୋଷେ ଦାସୀକି ତେଜି ଯାଅ ଜୀବଧନ !
ଯେତେ ବୁଝାଇଲି କଥା ନ ନେଲ କାନକୁ
କେତେ ବଡ଼ ବଡ଼ପଣ ଦେଉଛ ହରାଇ ହୋଇ ବିଷ୍ଣୁରେ ବିବାଦୀ ?
ସେହୁ ଦୟାନିଧି, ପୂରିଛି ଦୟା ଯାହାର ଆପାଦମସ୍ତକ
ସେହି ହୁଅନ୍ତେ ନିର୍ଦ୍ଦୟା ତୁମ୍ଭ ପ୍ରତି ?
ଗୀତ- (ଭାଲ ବାସ୍ତେ ପାବେନା ଯଦି...ବୃତ୍ତେ)
ଜୀବଧନ ମୋ ବଚନ ମାନିଲା ନାହିଁ ।
ଯେତେ ଯେତେମତେ ବୁଝାଇ କହିଲି ସେ କଥାକୁ ଚିତ୍ତେ ଘେନିଲ ନାହିଁ ।ପଦ।
ଅମରବର ତୁମ୍ଭର ଅମର-ବର, ଚିର ହୋଇଥାନ୍ତା ନିଶ୍ଚେ ଧରଣୀପର,
ସମରେ ମାତିଲ ବିଷ୍ଣୁ ବୋଲି ଚିହ୍ନିଲ ନାହିଁ ।୧।
ଦେଖି ଏ କଷ୍ଟ ତୁମ୍ଭର ଦେଖି ଏ କଷ୍ଟ, ସୁବିଜ୍ଞ ପରାୟେ ମନ୍ତ୍ରୀ ତେଜିଲେ ଘଟ,
ଲୀନହେଲେ ବିଷ୍ଣୁଦେହେ ରହିଥିଲ ଅନାଇ ।୨।
ନାହିଁ ଭରସା ରସାରେ ନାହିଁ ଭରସା, ରହି ହେବି କାହିଁପାଇଁ ଭଗାରିହସା,
ତବ ଚିତାନଳେ ଦେହ ଦହିବି ଝାସ ଦେଇ ।୩।
ଗରଳ ଲାଗେ ଅଶନ ଲାଗେ ଗରଳ, ବସନ ଲାଗଇ ଭାରି ଏ ଗଳାମାଳ,
ଗିରି ପରି ଯାଏ ଜଣା ଏ ରସେ ଭାଷେ ବଇ ।୪।
ମୁରାସୁର- ରେ ବାଳୀଶ ! ବାଳିଶ ପରାଏ ଆଉ ନ ଭାଷ ବଚନ
ଘଟିବାର ଯାହା ତାହା ଅବଶ୍ୟ ଘଟିବ
ବାଧା ଦେଇ ରଖିବ କେ ତାକୁ ?
କେଭେ ନ ମରିବି ମୁହିଁ ଏ ମାନବାବିଷ୍ଣୁର ହସ୍ତରେ
ପ୍ରକୃତ ବିଷ୍ଣୁ ହେଲେ ତ ନ ପାରିବ ସହଜରେ ମାରି
ନୁହ ହରବର, ହରବର ହେବ ନାହିଁ ବୃଥା କାଳେ କାଳେ ।
ଚାଲ ପ୍ରିୟେ, ଆକର୍ଷିଲା ନିଦ୍ରା ନୟନରେ ।
(ଉଭୟ ପ୍ରସ୍ଥାନ)
(ଜଣେ ସ୍ତ୍ରୀ ଓ ଜଣେ ସୈନିକ ପୁରୁଷର ପ୍ରବେଶ)
ଗୀତ- (ସକାଳୁ ଯାଇଛୁ ଅପାଳ ପାଉଁଶ...ବୃତ୍ତେ)
ସ୍ତ୍ରୀ- କେଣିକି ଯିବ ମୋ ଗୁଣମଣି ହୁଅ ତରତର କାହିଁକି ?
ପୁରୁଷ- ରଜା ସଙ୍ଗେ ପରା ଯିବି ଲଢ଼େଇକି ଏହା ଜାଣିନାହୁଁ କି ।ପଦ।
ସ୍ତ୍ରୀ- ଯିବେ ହଜାର ହଜାର ସେନା, ତୁମ୍ଭେ ରହିଯା ନପଡ଼ି ଚିହ୍ନା ।
ପୁରୁଷ- ଉଲାଉଠାବେଳେ ଯମର ପାଞ୍ଜିରେ ଗୋଳମାଳ ଥାଇ କି ।୧।
ସ୍ତ୍ରୀ- ଯେତେ ଯେତେ ଯାଉଛନ୍ତି ସେଠିକି, କେହି ନ ଫେରନ୍ତି ଦେଇ ପିଠିକି ।
ପୁରୁଷ- କାଳର ଘଟିକି ଯିବୁ ବୋଲି ପରା ଆସିଅଛୁଁ ଧାଇଁ କି ।୨।
ସ୍ତ୍ରୀ- କିମ୍ପା ହେଲ ଏ ରଜାର ଚାକର, ନ ମିଳିଲା କିବା ଆନ ଫିକର ।
ପୁରୁଷ- ଆଖର ହେଲାଣି କାମ ପରା ଆଉ କିସ ହେବ କହି କି ।୩।
ସ୍ତ୍ରୀ- ଯେଉଁ ଦେଶରେ ନ ଥିବ କଳି, ଚାଲ ଯିବା ସେ ଦେଶକୁ ଚଳି ।
ପୁରୁଷ- ନଢ଼େଇ ବେଳରେ ଆଡ଼େଇ ହେଲେ କି ଛାଡ଼ିଦେବ ସେହି କି ।୪।
ସ୍ତ୍ରୀ- କଣ ସଂସାରୁ ବୁଡ଼େଇ ମାରିବ, କେଉଁପରି ମୋର ଦିନ ସରିବ,
ପୁରୁଷ- ପଢ଼େଇବି କଣ ସେ ପାଠ ମୁଁ ତତେ ନେଇ ରହ ବଇକି ।୫।
ସ୍ତ୍ରୀ- ମୁଁ କଣ ତମ ହାତ ଧରିଥିଲି ପରକୁ ଦବାକୁ ଦିହ ।
ପୁରୁଷ- ଆମେ ସବୁ ପରା ରଜାଘର ବୋଦା କଅଣ କରିବା କହ ?
ସ୍ତ୍ରୀ- ବୋଦା କଅଣ କହିଲ ମୁଁ ତ କିଛି ବୁଝି ପାରୁନାହିଁ ।
ପୁରୁଷ- ଆମେ ସେନାଯାକ ତାଙ୍କ ମୁଣ୍ଡକୁ ରଖିବୁ ଆମ ମୁଣ୍ଡକୁ ବଦଳ ଦେଇ ।
ସ୍ତ୍ରୀ- ସିଏ ତ ଖାଇବେ ମୁଲକ ତୁମେ କିଆଁ ମରିବ କହିଲ ?
ପୁରୁଷ- ଆମ ଦିହ ତ ଆମର ନୁହେଁ, ସେ ରଜାଙ୍କର ଖାସ୍ମାହଲ ।
ସ୍ତ୍ରୀ- ମାହାଲ ସିନା ତାଙ୍କର ଏଇକ୍ଷଣି ଦଖଲ କିଏ କରୁଛି ।
ପୁରୁଷ- ସେଠି ତୋ ଅକଲ ଖଟିବ ନାହିଁ ଲୋ ଯେବେ କିଏ କା’କୁ ମାରୁଛି, ସେ ତାକୁ କାହିଁକି ଖୋଜିକରି ଧରୁଛି ।
ସ୍ତ୍ରୀ- ସେଇଥିପେଇଁ ଏ ଦିହ କଣ ରଜାରେ ।
ପୁରୁଷ- ହଁ, କିଏ ତୋ କଥା କାହିଁକି ଟିକିଏ ଶୁଣିବ ଯେତେ କହିଲେ ହଜାରେ ।
ସ୍ତ୍ରୀ- ତେବେ କଅଣ କରିବି ମତେ କହି ଯା ଏଇଆଡ଼ୁ ।
ପୁରୁଷ- ମତେ ଫେରେ ଦେଖିଲେ ପଛକେ ନାଇବୁ, ଏଇକ୍ଷଣି ମୋ ଆଗରେ କାଆଢ଼େ ଖଡ଼ୁ ।
ସ୍ତ୍ରୀ- ୟା କିଏ କୋଉଠି କଲାଣି ?
ପୁରୁଷ- ତୁ ଜାଣ ଆଜିଠଉଁ ମୋର ଅମୁକ ମଲାଣି ।
ସ୍ତ୍ରୀ- ତୁମେ ନଢ଼େଇବେଳେ ପଛକୁ ଟିକିଏ ରହିଯିବ ଗଳିପଡ଼ି ।
ପୁରୁଷ- ଯେତେବେଳେ ତୋପ ଗୁଳି ଛୁଟିବ ତେତେବେଳେ ଦଶକୋଶଯାଏ ଗଛ ପତର ଯିବ ଉଡ଼ି ।
ସ୍ତ୍ରୀ- ମୋ କପାଳ, ଆସ ତେବେ ଗଣ୍ଡାଏ ଖାଇପିଇ କରି ଯିବ ।
ପୁରୁଷ- ଆଉ କଣ ଖାଇବି ଲୋ, ହେଇ ଶୁଉଣୁ ତେଣେ ବାଜିଲାଣି ଡବ ଡବ । (ଉଭୟଙ୍କର ବେଗେ ପ୍ରସ୍ଥାନ)
(ବେଗେ ବୀରବେଶେ ଚାରି ସେନାପତି ସହ ରାଜାର ପ୍ରବେଶ)
ମୁରାସୁର- ରେ ଡଗରା ! ଶୀଘ୍ର ଶୀଘ୍ର ଦିଆଇ ନାଗରା
ଡାକିଆଣ ସେନାଗଣେ ମୋର, ଉଷାଯାତ୍ରା କରିବି ବଦ୍ରିକା ଯିବାପାଇଁ ।
ଡଗର- ଯେ ଆଜ୍ଞା ! (ଡଗରା ନାଗରା ଦେବା)
ମୂଢ଼ାସୁର- ଭୋ ଦେବ ପ୍ରତାପୀ ମୁରାସୁର
ଶୁଣ ବୋରେ ଗୁହାରି ଆମ୍ଭରି
ତୁମ୍ଭରି ଆଦେଶମତେ ଷୋଳପଦ୍ମ ସେନା
କନକାବତୀ ନଅର ତୋରଣ ବାହାରେ
କିଲାପଡ଼ିଆରେ ତାଙ୍କୁ କରାଇବୁ ଛିଡ଼ା, କରିଛନ୍ତି ଛାମୁଙ୍କ ଅପେକ୍ଷା
କିପରି ଭାବେ ଚଳିବେ ସେହି ଥାଟ ତବ କର ଶୀଘ୍ର ତହିଁର ବିଚାର ।
ମୁରାସୁର- ହେ ମୂଢ଼ା ମୁକୁନ୍ଦାସୁର ବିରଯା ପ୍ରଳମ୍ବା
ତୁମ୍ଭେ ଚାରି ସେନାପତି ମୋର
ଚାରି ଚାରି ପଦ୍ମ ସୈନ୍ୟ ବାଣ୍ଟି ଘେନି ଚାଲ ଏବେ
ଚାରି ଭାଗ କରିନିଅ ଷୋଳପଦ୍ମ ଗଜ
ଚଢ଼ିଣ ଚାଲନ୍ତୁ ସୈନ୍ୟ ତାହାଙ୍କ ଉପରେ
ଚାରିପଦ୍ମ ଅଶ୍ୱ ଆଉ ଚାରିପଦ୍ମ ରଥ
ମୋର ବାଇଶ କ୍ଷଉଣୀ ତୁଲେ ଚଳାଅ ଏମାନ;
ମୋ ଗହଣେ ବାଜୁଥିବ ଲକ୍ଷ ଘଣ୍ଟା ଲକ୍ଷ ତୂରୀ ଲକ୍ଷେକ ମର୍ଦ୍ଦଳ
ଲକ୍ଷେ ଦମାଲୁ ଟମକ, ଲକ୍ଷେକ ପତାକା ଆଉ ଲକ୍ଷେ ପାଟଛତ୍ରୀ
ଲକ୍ଷେ ବୀର କାହାଳି ବାକିବ ଅବିରତ
ପୁଣି ଲକ୍ଷେକ ଗାଇକା ଗାନ୍ଧାର ଗୁର୍ଜର ରାଗେ ଗାଉଥିବେ ଗୀତ
ଆଉ ଏକ କଥା, ବେଳୁଁ ଶୁଣ ଚାରିସେନା ମୋର ।
ଗୀତ- (ଆଜି ଚାଣ୍ଡାଳ ଗାଳିଦେବ....ବୃତ୍ତେ)
ବାହା ବଦ୍ରିକା ଦେଶକୁ ମୋର ଥାଟ ରେ ବୀରେ ଝଟରେ ।ପଦ।
ରଜନୀ ଅର୍ଦ୍ଧରେ ଗଡ଼ ଚାରିଦ୍ୱାରେ ଯାଇଁ ବେଢ଼ ।
ସୂଚି ଯିବାକୁ ନଥିବ ବାଟରେ ।୧।
ଦରଜାରେ ଚାରିପଦ୍ମ, ସେନା ଥିବେ କରି ସଦ୍ମ ।
ନ ଜାଣିବ ଦ୍ୱିଜ ଏହି କୂଟରେ ।୨।
ପରଜା ଦରଜା ଫେଇ, ଦେଲା ମାତ୍ରକେ ଧସାଇ ।
ପଶିବ ପ୍ରଭାତ କାଳେ ଆଣ୍ଟ ରେ ।୩।
ମୁହିଁ ତୁମ୍ଭ ପଛେ ଥାଇଁ, ବାରଶ କ୍ଷଉଣୀ ନେଇ ।
କରିବି ବେଢ଼ା ମଣ୍ଡପ ଲୁଟରେ।୪।
ଯେ ପଡ଼ିବ ତୁମ୍ଭ ଆଗେ, ବେଢ଼ିଣ ମାରିବ ବେଗେ ।
ବୁଝିବା ବ୍ରାହ୍ମଣ ଟୋକା ହଟରେ।୫।
ଚାଲ ନ କରି ବିଳମ୍ବ, ରସେ ଭାଷେ ବଇଷ୍ଣବ ।
ବହନ ବିପ୍ରଗୁଡ଼ାଙ୍କୁ କାଟରେ ।୬।
ଦ୍ୱାରୀ ! କହ ଯାଇ ଡାକି ଘରେ ଘରେ,
ନାରୀ ବିନା ନରେ କେହି ଏଥି ନ ରହିବେ
ଚଳ ବେଗେ କରି ଅନୁକୂଳ
କରନ୍ତୁ ନରନାରୀଏ ହୁଳହୁଳି ଧ୍ୱନି
ବାଜୁ ବାଦ୍ୟ କମ୍ପାଇ ମେଦିନୀ ।
(ହୁଳହୁଳି, ବାଦ୍ୟନାଦ; ସେନାସହ ମୁରର ଯୁଦ୍ଧଯାତ୍ରା)
(ପ୍ରସ୍ଥାନ)
(ଅଦୃଷ୍ଟ କୁମାରୀଙ୍କ ପ୍ରବେଶ)
ଗୀତ- (ନାଚୁଚି ବସନ୍ତ ପଶି...ବୃତ୍ତେ)
ବିଧାତା ବିଧାନ ନରେ ଦେଖ ନୟନେ କେମନ୍ତ ।
ବସନ୍ତେ ବରଷା ଆଣେ ଗ୍ରୀଷ୍ମେ ଆଣଇ ଶୀତ ।ପଦ।
କନ୍ଦାଉଚି କାକୁ ବସି, ଏ ଜଗତେ ଦିବାନିଶି ।
କାହା ଦିନ ହସି ହସି ଯାଏ ସୁଖେ ହୋଇ ମତ୍ତ ।୧।
ଯାହାର ଯହିଁ ମରଣ, ଥାଏ ସ୍ଥିରମନେ ଶୁଣ ।
ବଳେ ଗଳେ ଦେଇ ହାତ କରାଏ ତହିଁ ପତିତ ।୨।
ଦେଖ ଏହି ମୁରାସୁର ମରିବା ପାଇଁ ପାମର ।
ଚଳଇ ବିଷ୍ଣୁବିନାଶେ ଅହିତକୁ ମଣି ହିତ ।୩।
ଯେ ହରି ଜଗତପତି । ଦେବ କେ ତାକୁ ବିପତ୍ତି ।
ବଇଷ୍ଣବ ଚିତ୍ତେ ଚିନ୍ତି ପୂଜେ ଯା’ରେ ଭୂତନାଥ ।୪। (ପ୍ରସ୍ଥାନ)
(ଶେଷଦେବ ଓ ନୃସିଂହଙ୍କ ପ୍ରବେଶ)
ନୃସିଂହ- ଭାଇ ଶେଷ ! ହୋଇଲା ଆଜକୁ ଚତୁର୍ଦ୍ଦଶ ଦିନ ଗତ
ନାଶିଲୁ ତୁ ଦାରୁଣାସୁରକୁ
ଯଦି କେହି ମୁର ଥାଟେ ଥାନ୍ତା ସେନାପତି ଲଢ଼ି ଆସିଥାନ୍ତା ଆମ୍ଭ ସହ
କିବା ମଲୁଁ ବୋଲି ଆମ୍ଭେ ବେନି ଭାଇ ତା ହୃଦରେ ଜନ୍ମିଛି ଏ ଭାବ
ଦେଖ ଆନନ୍ଦବନ ସହିତ ଫିଙ୍ଗିଣ ଆମ୍ଭମାନଙ୍କୁ
ରହିଛି ନିଶ୍ଚିନ୍ତେ ଦୈତ୍ୟ ନିଜର କଟକେ ଜଣାଯାଏ,
ଜାଣେ ନାହିଁ ଆମ୍ଭେ ପ୍ରାଣେ ଥିବାର କଥା ।
ଶେଷ- ହେ ଛଳନାମୟ ! କିପାଁ ଦାସେ କହୁଛ ଛଳାଇ
ତୁମ୍ଭେ ଅନ୍ତର୍ଯ୍ୟାମୀ କେଉଁ କଥା ଅଜଣା ତୁମ୍ଭଙ୍କୁ
ଦିଶଇ ଯାହାକୁ ସଦା ମୁକୁରବିମ୍ବ ପରାଏ ଜୀବଙ୍କର ଭିତର ବାହାର
ତାକୁ କି ଅଜଣା ଛାର ରାକ୍ଷସ ଅନ୍ତର ।
ଜ୍ୟେଷ୍ଠଭ୍ରାତା ! ଅକସ୍ମାତ୍ ଏ କି ଧ୍ୱନି ରଜନୀକାଳରେ
ଏ ତ ବୀଣାନାଦ,
ଜଣାଯାଏ କରନ୍ତି ନାରଦ ଆଗମନ ଶ୍ରୀଛାମୁକୁ
ଗାବନ୍ତି ଆନନ୍ଦେ ନାମ ଭଜନ ସଙ୍ଗୀତ ।
(ନାରଦ ଗୀତ ଗାଇ ପ୍ରବେଶ)
(କୀର୍ତ୍ତନ...ବୃତ୍ତେ)
ଭଜ ଭଜ ମନ କଞ୍ଜବଦନ ମଦନଗଞ୍ଜନ କାଳିଆ ।
ଦରିଦ୍ର ଦୁଃଖଭଞ୍ଜନ ଘନଶ୍ୟାମ ରୁଞ୍ଜଗୁଞ୍ଜମାଳିଆ ।ପଦ।
ଦୂରୁ ଦୂରୁଜନ ଦରପଦଳନ ଭଗବତ ସଙ୍ଗ ମେଳିଆ ।
ଭାଗବତ ଭବଭୟମୋଚନ ନଟବର କେକୀଚୂଳିଆ ।୧।
ଭଜ ଚକ୍ରଧର । ଧଣ୍ଡାମାଳମଣ୍ଡା ଶଙ୍ଖାସୁର ।
ଦଣ୍ଡାଗିରିବରମୁଣ୍ଡା ନଟବର । ଛାଡ଼ନା ଛାଡ଼ନା ।
ଜାଣି ଶୁଣି ପୁଣି ସୁଖଲୋଭେ ପଡ଼ି ଯମର ଯାତନା ଲୋଡ଼ନା ।
ଥଳ ନ ପାଇଣ ଭବଜଳଧିର ଜଳେ ତିଳେ ମନ ବୁଡ଼ାନା ।
ବଇଷ୍ଣବ ଭାଷ ଶରଣ ତୁ ପଶ ହୋଇଣ ତା ପାଦତଳିଆ ।୨।
ନାରଦ- ଜୟ ଶ୍ରୀ ନୃସିଂହଙ୍କର ଜୟ ! ଜୟ ଶ୍ରୀ ଶେଷଦେବଙ୍କର ଜୟ !
ନୃସିଂହ- କହ ମହାମୁନି, କି ନିମନ୍ତେ ଏତେରାତ୍ରେ ଉପଗତ ଏଥେଁ ?
ନାରଦ- ନାରାୟଣ ! ପଠାଇଲେ ତବଠାକୁ ଦେବତା ସମସ୍ତେ ।
ନୃସିଂହ- ଭାଷ କେଉଁ କାର୍ଯ୍ୟ ମୋହଠାରେ ଅଛି ?
ନାରଦ- ତବ ଗଡ଼ରେ ପଶିବାପାଇଁ ଅସୁର ଆସୁଛି ।
ନୃସିଂହ- କି ପ୍ରକାରେ ମୋର ଏ ବଦ୍ରିକା କଟକେ ପଶିବ ?
ନାରଦ- ତହିଁର ଉତ୍ତର ଶୁଣ କହୁଚି ଭୋ ଦେବ !
ଗୀତ- (ଦିଅ ଦିଅ ନନ୍ଦରାଣୀ ଗୋ...ବୃତ୍ତେ)
ଶୁଣ ବାରେ କମଳାକାନ୍ତ, ଯେମନ୍ତେ ପଶିବ ଗଡ଼େ ଦଇତ୍ୟ ।
ସେନା ଷୋଳ ପଦ୍ମ ସଜାଇ ଧାଇଁଚି ରଣ କରିବାକୁ ତୁମ୍ଭ ସହିତ ।ପଦ।
ଗୁପତରେ ରହିବେ ବଳ, ଚାରିଦ୍ୱାରେ ହୋଇଣ ମେଳ ।
ପ୍ରଭାତେ କବାଟ ପିଟନ୍ତେ ଧସାଇ ପଶିବେ ଭଣ୍ଡାରୁ ଲୁଟିବେ ବିତ୍ତ ।୧।
ବାଇଶ କ୍ଷଉଣୀ ଅସୁର, ତାଙ୍କୁ ନେଇ ତା ପଛେ ମୁର ।
ଜଗତ ଅଟ୍ଟାଳି ଭାଙ୍ଗିଦେବ ଦଳି ପରଜା ସହିତେ କରିବ ହତ ।୨।
ସାବଧାନ ହୋଇଣ ରହ, କେହି କେଣେ ଜଣେ ନ ଯାଅ ।
ପାଞ୍ଚି ପ୍ରତିକାର ଦନୁଜେ ସଂହାର ରଖ ଦେବଗଣଙ୍କର ମହତ ।୩।
ତୋତେ କହିବାକୁ ଏ କଥା, ମୋତେ ପଠାଇଲେ ଚତୁରମଥା ।
ଆତୁରେ କାତରେ ଭାଷେ ବଇଷ୍ଣବ ଆଉ ନାହିଁ ପ୍ରଭୁ ବେଳ ବହୁତ ।୪।
(ନାରଦଙ୍କ ପ୍ରସ୍ଥାନ)
ନୃସିଂହ- ଭାଇ ଶେଷ ! କି କରିବା କହ ଏତେବେଳେ ?
ଆସିଲାଣି ମୁରାସୁର ସାଜି ଯେବେ ଥାଟ
ନିଶ୍ଚେ ସଙ୍କଟ ପଡ଼ିବ ମୋର ବଦ୍ରିକାକୁ
ଅଛି ଆଉ ରାକ୍ଷସର ତିନିଦିନ ଆୟୁ
ନ ମରିବ କାଲି ଯୁଦ୍ଧେ ମୋହର ହସ୍ତରେ
କେବଣ ଉପାଏ ଗତହେବ ତିନିଦିନ ?
ଶେଷଦେବ- ଜ୍ୟେଷ୍ଠଭ୍ରାତ ! କର୍ଣ୍ଣାଟେଶ ରାଜା ଆଉ ସୁଜାଣ ମନ୍ତ୍ରୀକି
ଗରୁଡ଼ ସହିତ ମୁହିଁ ଏଥେ ଆଣେ ଡାକି
ତାଙ୍କ ତୁଲେ କରି ପରାମର୍ଶ, କରନ୍ତୁ ଗଡ଼ରକ୍ଷାର ଉପାୟ ବିଧାନ ।
ନୃସିଂହ- ଭଲକଥା ମନେ କଲୁ ଭାଇ,
ବେଗେ ଡାକିଆଣ ତିନିଜଣଙ୍କୁ ମୋ କତି ।
(ବେଗେ ଶେଷଦେବଙ୍କର ପ୍ରସ୍ଥାନ, କର୍ଣ୍ଣାଟେଶ୍ୱର ଓ ସୁଜାଣ ମନ୍ତ୍ରୀ ଗରୁଡ଼ସହ ପ୍ରବେଶ)
ସମସ୍ତ- ନମସ୍ତେ ନମସ୍ତେ ନରସିଂହ !
ଗରୁଡ଼- ପ୍ରଭୋ ! କି ନିମନ୍ତେ ତିନି ଜଣେ ଡାକିଲେ ଏକାଳେ
କହନ୍ତୁ କାରଣ ତାର ତୁଟୁ ଏ ସନ୍ଦେହ ।
ନୃସିଂହ- ପକ୍ଷିବର, ଯେକାରଣୁ ଡକାଇଲି ତିନି ଜଣେ ଶୁଣ ସେହି କଥା
ଆସି ଦେବର୍ଷି ନାରଦ ଦେଇଗଲେ ସମ୍ବାଦ ଏକ୍ଷଣି
ସାଜି ଷୋଳପଦ୍ମ ସେନା ଆସେ ମୁରାସୁର ଏହି ନିଶୀ ଶେଷେ
ଫିଟନ୍ତେ ଗଡ଼ କବାଟ ପଶିବ ଧସାଇ ପୁର ମଧ୍ୟେ ନିଜ ବଳସହ
ବେଳ ଥାଉ କର ତାର ଉଦ୍ଧାର ଉପାୟ ।
ମନ୍ତ୍ରୀ- କି ଉପାୟ ଦିଅନ୍ତୁ ବତାଇ ନାରାୟଣ !
ସାଧ୍ୟମତେ ଆମ୍ଭେ ତାହା କରିବୁ ପାଳନ ।
ନୃସିଂହ- ହେ ସୁଜାଣ ମନ୍ତ୍ରି ! ଶୁଣ ଏବେ ପ୍ରତିକାର ତାର ।
ଗୀତ- (ଶୁଣ ସୁନାସୀର ମୋର...ବୃତ୍ତେ)
ଗଡ଼ ଚାରିଦ୍ୱାର ଜଗି ରହ ଚାରିଜଣ ହେ।
ଶରୀରୁ କରୁଛି ଜାତ ନରସିଂହଗଣ ହେ ।ପଦ।
ତାହାଙ୍କୁ ଦେଖି ଭାଙ୍ଗିବ ଦନୁଜଙ୍କ ଟାଣ ହେ ।
ବାଟ ନ ପାଇଲେ ନିଶ୍ଚେ ରକ୍ଷା ହେବ ପଣ ହେ ।୧।
ଗଜ ଷୋଳପଦ୍ମ ଷୋଳପଦ୍ମ ସେନା ପୁଣ ହେ ।
ଏ ଥାଟ ଘେନି ବାହୁଚି ରାତ୍ରେ ରକ୍ଷରାଣ ହେ ।୨।
ବାଇଶ କ୍ଷଉଣୀ ବଳ ନିଜ ତୁଲେ ଜାଣ ହେ ।
ଆଣିଚି ଏ ରଣେ ନିଅ ତାହାଙ୍କ ପରାଣ ହେ ।୩।
କେ କେତେ ମାରିବ ମୋତେ କହ ସେ କାରଣ ହେ ।
ଶୁଣି ତୋଷ ହେଉ ଦାସ ବୈଷ୍ଣବଚରଣ ହେ ।୪।
କର୍ଣ୍ଣାଟ- ଚାରି ପଦ୍ମ ସୈନ୍ୟ ପ୍ରଭୁ ରହିଲେ ମୋ ଭାଗେ ।
ନୃସିଂହ- ସେ ସୁଜାଣ ମନ୍ତ୍ରି, ତୁମ୍ଭେ କେତେ ମାରିବ କହନି ମୋର ଆଗେ ?
ମନ୍ତ୍ରୀ- ମାରିବି ମୁଁ ଚାରି ପଦ୍ମ ଆଗରୁ କହୁଛି ।
ନୃସିଂହ- ଭାଇ ଶେଷ, ତୁ କେତେ ମାରିବୁ ତୋର ମନ ହେଉଅଛି ?
ଶେଷଦେବ- କହି ନ ପାରିବି ସ୍ଥିର କରି- ମାରୁ ମାରୁ ଯେତେ ମୁଁ ମାରିବି ।
ନୃସିଂହ- କହ ପକ୍ଷି, ଥାଉଁ ତୁ କି ମୁଁ ରାକ୍ଷସ ସମରେ ହାରିବି ?
ଗରୁଡ଼- ଅଶେଷ ବ୍ରହ୍ମାଣ୍ଡନାଥ, ତୁମ୍ଭେ ଯା’ର ଅଟ ବଳଦାତା କିସ ତାର ଅସାଧ୍ୟ ଜଗତେ ? ଶୁଣ ନାରାୟଣ ! ଜଣାଉଛି ମନଭାବ ଦାସ ଆଗରେ ତୁମ୍ଭରି ।
ଗୀତ- (କହ କରୁଣାସାଗର ହେ... ବୃତ୍ତେ)
ଶୁଣ ବଇକୁଣ୍ଠ ପତି ହେ, ଭୃତ୍ୟ ବିନତି ଶ୍ରୁତି ଡେରି ।
ଏକାକୀ ମନ୍ଥି ମୁଁ ଦାନବସେବାକୁ କ୍ଷଣକେ ପାରେ ମାରି ।ପଦ।
କେତେ ବେଳ ଅବା ଆଣିଛି ମୁର, ଲକ୍ଷେ ପଦ୍ମ ହେଲେ ନାହିଁ ମୋ ଡର ।
ଚାହୁ ଚାହୁଁ ଥଣ୍ଟେ ଖଣ୍ଡ ଖଣ୍ଡ କରି ଦଣ୍ଡକେ ଦେବି ଚିରି ।୧।
ନଗରେ କଚାଡ଼ି ଖଗରେ ଛାଟି, ଦେବି ଅସ୍ଥି ମାଂସ କରି ଏକାଠି ।
ପକ୍ଷ ପବନରେ ଲକ୍ଷ ଯୋଜନରେ ପଡ଼ିବେ ଯାଇଁକରି ।୨।
ଯା’ର ତୁମ୍ଭେ ସଦା ସାହା ଭରସା, କି ଅସାଧ୍ୟ ତାର ଅଛି ଏ ରସା ।
ନାମ ବଳେ ସାତ ସିନ୍ଧୁକୁ ଶୋଷିଲେ ଅଗସ୍ତି ତପଚାରୀ ।୩।
ଡର ନାହିଁ ଏହି ଛାର ସମରେ, ଗୋଟି ଗୋଟି ନେଇ ନେବି ଯମରେ ।
ବଇଷ୍ଣବ ଭାଷେ ମୁର ମାରି ଶେଷେ ନାମ ବହ ମୁରାରି ।୪।
ନୃସିଂହ- ଧନ୍ୟରେ ଗରୁଡ଼ ! ଧନ୍ୟ ସାହସ ତୋହର,
ଏହି ଅବତାରେ ତୁହି ଅଟୁ ମୋର ବଳ ।
ଯେତେ କ୍ଷତ୍ରୀ ଏଣିକି ଜନ୍ମିବେ ମହୀପରେ
ତୋରଠାରୁ ଅଧେ ବଳେ ଊଣା ହେବେ ସେହି ।
ଚାରିଯୁଗେ ସାହାପକ୍ଷ ମୋତେ ହୋଇଥିବୁ
ଯେତେ ଶକ୍ତି ମୋର କଳେବର,
ତେତିକି ଶକତି ତୋତେ ଦେଇଛନ୍ତି ବିହି ।
ଗରୁଡ଼- ହେ କୋଟିବ୍ରହ୍ମାଣ୍ଡର ନାଥ !
କିମ୍ପା ମୋତେ ଏତେଦୂର ଦେଉଛନ୍ତି ଟେକି,
ଜାତିରେ ମୁଁ ପକ୍ଷୀ, କାହୁଁ ହେବି ତବ ସଙ୍ଗେ ସରି ।
କେବଳ ତୁମ୍ଭରି ଆଜ୍ଞାବଳେ,
ନିମିଷକେ ଲକ୍ଷେ ପଦ୍ମ ଦୈତ୍ୟ ପାରେ ମାରି ।
ନୃସିଂହ- ହେ କର୍ଣ୍ଣାଟେଶ୍ୱର, ହେ ମନ୍ତ୍ରି ସୁଜାଣ, ହେ ଗରୁଡ଼ ଯତି,
ଶେଷଦେବ ସହ ତୁମ୍ଭେ ଏହିକ୍ଷଣି ଯାଇଁ,
ଘେନି ନୃସିଂହଗଣଙ୍କୁ, ମୋର ବଦ୍ରିକାଗଡ଼କୁ ବେଗହୋଇ ରକ୍ଷାକର ।
ଆସେ ମୁହିଁ, ପିତାମାତାଙ୍କୁ ବୁଝାଇ ରଣେ ହୋଇ ସଜ,
ନିକଟେ ହେଲାଣି ବେଳ ଗଡ଼ ଚାରିଦ୍ୱାରେ ଆସି ବେଢ଼ିବ ଦନୁଜ,
ଯାଅ ସର୍ବେ କର ନିଜ କାର୍ଯ୍ୟ ।
ସମସ୍ତେ- ଯଥା ଆଜ୍ଞା ପ୍ରଭୁ !
(ସମସ୍ତଙ୍କର ପ୍ରସ୍ଥାନ)
ବଦ୍ରିକାନିକେତନ
(ବୀରବେଶେ ନୃସିଂହ ମାତା-ପିତାଙ୍କ ପାଶେ ପ୍ରବେଶ)
ଭଗବତୀ- ବାପରେ ! କିପାଁ ଆଜି ଧରିଚୁ ଏ ବେଶ,
ଦିନେ ତ ଏମନ୍ତ ବୀରମୂର୍ତ୍ତି ଦେଖି ନାହିଁ ତୋର ?
ନାନା ଅସ୍ତ୍ର-ଶସ୍ତ୍ର ଅଙ୍ଗେ ରଖିଛୁ ସଜାଇ ।
ନୃସିଂହ- ମାତ ! ଯେ ନିମନ୍ତେ ଧରିଅଛି ବୀରବେଶ ଆଜି,
ଶୁଣ ସେ କାରଣ ମୋହଠାରୁ ।
ଦାରୁଣ ଦାନବବଧ ଦେଖିଛ ତ ଡୋଳେ,
ନ କଲା ସେ କେତେ କେତେ ମାୟା ?
କାଳ ପୂରିବାରୁ ଶେଷେ ମଲା ଶେଷ କରେ ।
ଭାଇ-କୋପେ ଆସେ ମୁରାସୁର କରିବାକୁ ଆମ୍ଭ ତୁଲେ ରଣ ।
ଘେନି ଷୋଳପଦ୍ମ ସୈନ୍ୟ ଆଉ ଷୋଳପଦ୍ମ ହସ୍ତୀ
ନିଜ ବଳ ବାଇଶ କ୍ଷଉଣୀ ତୁଲେ,
ମିଳିଲାଣି ବଦ୍ରିକା ନହର ନିକଟରେ ।
ସେ ଯୋଗେ ଦାନବବଧେ, ସଜ ହୋଇ ଯାଉଛି ଯୁଦ୍ଧକୁ,
ଅଛନ୍ତି ନୃସିଂହଗଣେ ଗଡ଼ ରକ୍ଷାକରି ।
ଭଗବତୀ- ବାପରେ ! ଅସୁର ଛାର ସମରେ ନ ବଳା ତୁ ମନ ।
ଯେବେ ବିନା ଦୋଷେ ତୋର ତୁଲେ ଦୈତ୍ୟ ହେଲା ବାଦି,
ତହିଁକି ଦଣ୍ଡ ତାହାକୁ ଦେବେ ନାରାୟଣ ।
ତୁହି ନ ଗଲେ ରଣକୁ, ନିଜ ସୁଖେ ପଳାଇବ ଘେନି ସେନା ତାର ।
ନୃସିଂହ- ଜନନୀ ! ଆଜଯାଏ ନ ଚିହ୍ନିଲ ମୋତେ,
ଯେତେବେଳେ ତବ ଗର୍ଭୁ ଜନମ ହୋଇଲି ।
ତା ପୂର୍ବରୁ ଦେଖାଇଚି ମୁଁ, ଶଙ୍ଖ ଚକ୍ର ଚିହ୍ନ ।
କହିଥିଲି ସେହିଦିନ ମୁହିଁ
ଏହି ମୁର ଦାରୁଣ ବିନାଶେ ଅବତାର ହେବୁଁ ଦୁଇଭାଇ ।
ଭଗବତୀ- ବାପରେ ! ମୁହିଁ ଜାତିରେ ରମଣୀ ।
କେମନ୍ତେ ଚିହ୍ନିପାରିବି ଗୁଣମଣି ତୋତେ ।
ଗୀତ- (ବୀରବର ହର ମୋର ଅପମାନ...ବୃତ୍ତେ)
ଆରେ ଶିରୀପତି, ତୋତେ ଚିହ୍ନିବାକୁ କାହିଁ ମୋ ଶକତି ।
ମୁଁ ତ ଅଟଇ ସହଜେ ନାରୀଜାତି ।ପଦ।
ପତି ତନୟ ସମ୍ପତ୍ତି ପାଇ, ଅଳପରେ ଯାଉଁ ଭୋଳ ହୋଇ ।
ହେଲେ ମନେ ଦୁଃଖ କୋପ ବହୁଁ ଅତି ।୧।
ପର ନିନ୍ଦା ପର ଅପବାଦ, ଶୁଣିବାକୁ ସଦା ବଳେ ସାଧ ।
ଜଡ଼ ମୂଢ଼ଠାରୁ ବଳି ଆମ୍ଭ ମତି ।୨।
ସବୁ ଜାଣି ସବୁ ଶୁଣି ହେଳେ, ବଣା ହେଉଛି ମୁଁ ବେଳେ ବେଳେ ।
ସୁତ ବୋଲି ତୁମ୍ଭଙ୍କୁ ଭାବଇ ନିତି ।
ଦେଖା ତୋ ନୃସିଂହଗଣ ମୋତେ, ଦେଖିବାକୁ ଶ୍ରଦ୍ଧା ଏ ମୋ ଚିତ୍ତେ ।
ବଇଷ୍ଣବ କହି ଥିବି ତୋହ ସାଥି ।୪।
ନୃସିଂହ- ମା ! ଯେବେ ଦେଖିବ ନୃସିହଗଣେ ବଳାଇଚ ମନ,
ଆସିଲାଣି ପକ୍ଷିବର, ବିଜେକର ପୃଷ୍ଠେ ତାର ପିତାଙ୍କ ସହିତ ।
ଚାଲ ଆକାଶପଥରେ ଥାଇଁ,
ଦେଖାଇ ହରିଗଣଙ୍କୁ ଛାଡ଼ିଯିବି ବାସେ ।
ହେ ବିନତାସୁତ ! ଦେଖାଅ ମାତା-ପିତାଙ୍କୁ ବସାଇ ତୋ ପୃଷ୍ଠେ ।
ମୋର ନରସିଂହଗଣେ ।
ଗରୁଡ଼- ପ୍ରଭୁ-ମାତ ! ବିଜେକର ମୋର ପୃଷ୍ଠେ ବିସ୍ତାରୁଛି ପକ୍ଷ ।
ପଡ଼ିଯିବା ପାଇଁ ତଳେ ତିଳେ ନ କରିବ ଭୟ ।
ଦୀର୍ଘ ପ୍ରସ୍ଥ ଯୋଜନେକ ବ୍ୟାପୀ
ରହିଛି ମୋ ବେନି ଡେଣା ଦେଖ । (ପୃଷ୍ଠେ ବସାଇ ଦେଖାନ୍ତେ)
ଭଗବତୀ- ବତ୍ସରେ ! ଧନ୍ୟ ହେଲା ଆଜ ମୋର ନୟନଯୁଗଳ ।
ଧନ୍ୟ ହେଲା ଏ ଦେହ ଜୀବନ,
ଦେଖିଲି ନୟନେ ତୋର ମହିମା ଅଶେଷ ।
ଦେଲି ଅନୁମତି, ଯାଅ ନିଃସନ୍ଦେହେ ରଣେ ମାର ମୁରାସୁରେ ।
ମୋର ଶାପେ ତୋର କରେ ନିଶ୍ଚେଁ ନାଶହେବ ଦୈତ୍ୟନାଥ
ଘେନ ଘେନ ଧନ, ଏହି ଅଯୋନିଯ ପାଟ,
ବୁଝାଇ ଦେଉଛି ତୋତେ ଏ ବାସ ମହିମା ।
ଗୀତ-(କାହିଁପାଇଁ ଭଉଣୀ ମୋତେ...ବୃତ୍ତେ)
ମୋ ହୃଦୟରତନ ଏହି ଶାଢ଼ୀ ଭିଡ଼ି ଅଙ୍ଗେ ରଣରେ ପଶରେ ।
ଯାହା ଯାହା ବାପ ପାଞ୍ଚିବୁ ମନରେ ସେମାନତ ନିଶ୍ଚେ ଲଭିବୁ ଯଶରେ ।ପଦ।
ଅନଳୁ ମୁଁ ଜାତ ମୁଁ ଜାତ ହେବକାଳେ ସୁତ ପିନ୍ଧି୍ଥିଲି ଏହି ଅମ୍ଳାନ ବାସ ।
ଚିହ୍ନିଥା ଏ ଅଟେ ବ୍ରହ୍ମଅଗ୍ନିଙ୍କର, ଦେଇଥିଲେ ତାଙ୍କୁ ସାବିତ୍ରୀଈଶରେ ।୧।
ସାଇତି ରଖିବୁ କହିଥିଲେ ମୋତେ ମୁର ବଧକାଳେ ପିନ୍ଧି ତୋ ଶିଷ ।
ସାଧନ କରିବ ନିଜ କାର୍ଯ୍ୟ ସୁଖେ ଜାଣ ଏ ବସନ ଗୁଣ ଅଶେଷ ରେ ।୨।
ସହସ୍ର ଚରଣ ଧରି ନାରାୟଣ ସେକାଳେ ଦୈତ୍ୟକୁ ହେବଟି ଦୃଶ୍ୟ ।
ସେକାଳେ ପାମର ଯିବ କାଳପୁର ବିଧିବାଣୀ ବୃଥା ନୋହିବ ଲେଶ ।
ମାତ-ବୋଲେ ମାତ ସମର ପ୍ରେମରେ ନୋହିବ ଅହିତ ସତୀର ଭାଷ ।
ଅଗତିର ଗତି ତୁହି ଶିରୀପତି ବଇଷ୍ଣବ ନୀତି ତୋ କିଣା ଦାସରେ ।୪।
ନୃସିଂହ- ଚାଲନ୍ତୁ ଜନନୀ ନିଜ ବାସେ । ତାତ ତୁଲେ ଛାଡ଼ି ତୁମ୍ଭ ଦୁହିଁଙ୍କି ଭବନେ ତେବେ ଯିବି ଯୁଝିବାକୁ ଦନୁଜ ସହିତ । (ସମସ୍ତଙ୍କ ପ୍ରସ୍ଥାନ)
(ଜଣେ ସ୍ତ୍ରୀ ଓ ଜଣେ ପୁରୁଷର ପ୍ରବେଶ)
ଗୀତ- (ଆଲୋ ଏ କେଉଁ ଗାଁ ବାହାଘର...ବୃତ୍ତେ)
ପୁରୁଷ- ଏହି ରାଇଜରେ ରହି ହବ ନାହିଁ ।
ସ୍ତ୍ରୀ- କୋଉ କଥା ତୋର ଅସଜ ହେଲା କି ଏମନ୍ତେ ହଉରେ କାହିଁପାଇଁ ।ପଦ।
ପୁରୁଷ- ଆଇଲେଣି ଯୋଉ ଯୋଉ ଅସୁର, ହେବେ ଶଏହାତ ଲମ୍ବ ଓସାର ।
ସ୍ତ୍ରୀ- ନଅମାସ ପରା ନସରପସର ଭେରା ଗଲେ ହେବି ଧଇଁସଇଁ ।୧।
ପୁରୁଷ- କ’ଣ ସେଥିପାଇଁ କାମ ଅଚଳ, ତାକୁ ଖଲାସ କଅର ଚଞ୍ଚଳ ।
ସ୍ତ୍ରୀ- ହାତର କଥା କି ହେଉଚି ମୋର ସେ ମରିଗଲି ବୋଝ ବୋହି ବୋହି ।୨।
ପୁରୁଷ- ଯେବେ ଲାଗୁଛି ସେ ତତେ ଭାଆରି ଆ, କାନ୍ଧେରେ ବସିଯା ମୋଅରି
ସ୍ତ୍ରୀ- ଦେଖି କି କହିବେ ରାଇଜର ଲୋକେ, ଅଟକ ରଖିବେ ସାଇଭାଇ ।୩।
ପୁରୁଷ- ମୁଁ ଥିଲେ ସିନା ତାଙ୍କ କତିରେ, ମତେ ଅଟକ କରିବେ ଜାତିରେ ।
ସ୍ତ୍ରୀ- ଜାଣୁ ଜାଣୁ ଏଡ଼େ ପାପ ଅରଜିବି ଗେରସ୍ତ କାନ୍ଧରେ ଗୋଡ଼ ଥୋଇ ।୪।
ପୁରୁଷ- ତୋ ରାଗବେଳେ ମୁଁ କି ଦୋଷରା, ଚାଲେ ମୁଣ୍ଡରେ ଗୋଇଠା ଘୋଷରା ।
ସ୍ତ୍ରୀ- ତୁ କଣ ଖାଲି କୁଟୁଥିବୁ ମତେ, ତିରୀ ବୋଲି ଗୀତେ ଭାଷେ ବଇ ।୫।
ପୁରୁଷ- ହଉ ତାକୁ ଯେମିତି ସୁଜେଇଛୁ ଆକୁ ସେମନ୍ତେ ସୁଜା ।
ସ୍ତ୍ରୀ- ଏଡ଼େ ବାଳୁଙ୍ଗା ଗାତୁଆ କୁଜା ।
ପୁରୁଷ- ମୁଁ ନାକରା କ’ଣ କହିଲି ସେ କଥାଟା ରହିବ କାହିଁକି ବାକୀ ।
ସ୍ତ୍ରୀ- ତତେ ଏଣିକି ଦେବଧରମ ସାକ୍ଷୀ ।
ପୁରୁଷ- ଆମେ ଏ ଦଡ଼ମଡ଼ିରୁ ବଞ୍ଚି ରହିଲେଣି ସତେ ?
ସ୍ତ୍ରୀ- ତେବେ ପୁଅ ଝୁଅ ଦିଇଁଙ୍କି ଆଣେ ସେ ପରା ଯିବେ ଆମରି ସାଥେ ।।
ପୁରୁଷ- ସେ ଦି’ଟା ଗଲେ ଆମେ ମନକଲେ ଦି’ ବରଷରେ ଫେର ଦୁଇ ।
ସ୍ତ୍ରୀ- ଚୁଲିଆ, ଆରେ ଏ ପାଚିଲା ଫସଲ ଯିବ ଧୋଇ ।
ପୁରୁଷ- ଯେବେ ସରସ ବିଲ ଥିବ ଚଷା ଫାଳେ ପକାଇଲେ ଗୋଟା ।
ସ୍ତ୍ରୀ- ମରୁନଉଁ ଏତେ ଅବସ୍ଥାରେ ଆହୁରି କରୁଛୁ ଥଟା ।
ପୁରୁଷ- ସେ ଶଳା ଛୁଆ କଣ ଏଠି ଥେବେ, ଦେଖୁଥିବେ ଯାଇ ନଢ଼େଇ ।
ସ୍ତ୍ରୀ- ଚାଆଲେ ତାଙ୍କୁ ସେ ବାଟେ ନେବା ଅଡ଼େଇ ।।
ପୁରୁଷ- ମରାମରି ଏଠୁ ସରିଗଲେ ଫେରେ ଏ ଦେଶକୁ ଫେରିବା ।
ସ୍ତ୍ରୀ- ଆଉ କ’ଣ ବଣବୁଦାରେ ଲୁଚି ଯୁଗ ରାଇଜ କରିବା ।
(ଉଭୟ ପ୍ରସ୍ଥାନ)
(ବଦ୍ରିକାଗଡ଼- ତୋରଣ ଯୁଦ୍ଧଭୂଇଁ)
(ମୁରାସୁର ଚାରି ସେନାପତି ସହ ପ୍ରବେଶ)
ମୁରାସୁର- ଶୁଣ ଶୁଣ ସେନାପତିଗଣେ,
ଦେଖୁ ଦେଖୁ ବ୍ରାହ୍ମଣ ଟୋକାଟା କରିଦେଲା ସବୁ ପାଞ୍ଚ ବ୍ୟର୍ଥ ।
ଆସିଥିଲୁ ଯେ ପ୍ରତିଜ୍ଞା କରି ଆମ୍ଭେମାନେ,
ରାତ୍ର ଥାଉ ଗଡ଼ମଧ୍ୟେ ପଶିବା ଧସା ତାହା କରିହେଲା ନାହିଁ ।
ଦେଖୁଅଛି ଆମ୍ଭଠାରୁ ଚାରିଗୁଣ ବ୍ରାହ୍ମଣର ସେନା ।
ଭାବିଥିଲି ଅଳ୍ପ ବଳ ତାର,
କାହୁଁ ଏତେଗୁଡ଼ା ଦ୍ୱିଜ ଭେଇଚି ନୃସିଂହ, ଦିଶନ୍ତି ସରବେ ଏକରୂପ
ସର୍ବେ ରହ ଏହିଠାବେ, ଯେ ଭାବେ ଜିଣିବା ଶତ୍ରୁ ଦେଉଚି ବତାଇ ।
ଗୀତ- (ମାନ କର ଦାନ ଧନ...ବୃତ୍ତେ)
ଚାରି ସେନାପତି ହାତୀଗଡ଼ ବାନ୍ଧ ଏଥିରେ ।
ମାଡ଼ିଆସୁ ସେହି ଗଡ଼ ଦଶଯୂଣ କ୍ଷିତିରେ ।ପଦ ।
ତାର ମଧ୍ୟେ ଆମ୍ଭେ ସ୍ଥିରେ ଥିବା ଦିବାରାତିରେ ।
ଲଢ଼ିବା ବିପ୍ରଙ୍କ ତୁଲେ ଦମ୍ଭ କରି ଛାତିରେ ।୧।
କରରେ ପାଚେରି ମଣ୍ଡଳ ଆକୃତିରେ ।
ନୃସିଂହ ଶେଷକୁ ବେଗେ ପେଶ ଯମ କତିରେ ।୨।
ପଇତାବିକାଙ୍କୁ କେଭେଁ ନ କରିବ ଭୀତିରେ ।
ନାହିଁ ଉପ୍ରୋଧ ତାଙ୍କର ବଡ଼ ମୂଢ଼ ଜାତିରେ ।୩।
ହରି ଭଜି ମରିଗଲା କେଡ଼େ ବଡ଼ ମନ୍ତ୍ରୀରେ ।
ସେ ହରି ନ ମଲେ ଚିତ୍ତ ନୋହିବ ମୋ ଶାନ୍ତି ରେ ।୪।
ତା ଭାଇ ମାଇଲା ମୋ ଭାଇକି ରଣେ ମାତି ରେ ।
ବଇ ଭାଷେ ମୋ ହାତୁଁ ସେ ନ ଯିବ ବରତି ରେ ।୫।
ମୂଢ଼ାସୁର- ଦୈତ୍ୟପତି ! ଏହି ମୁହୂର୍ତ୍ତରେ ଗଡ଼ କରିଣ ପ୍ରସ୍ତୁତ,
ଗଡ଼ଗର୍ଭେ ରଖାଇବୁ ଷୋଳପଦ୍ମ ବାଇଶି କ୍ଷଉଣୀ-
ଦୈତ୍ୟସେନା, ସେ ନିମନ୍ତେ ନ କର ଶୋଚନା,
ଯେତେବେଳେ ଆମ୍ଭ ଚାରି ସେନାପତି ତୋର ।
ଯାଇ କରିବୁ ସମର ମୂର୍ଖ ବ୍ରାହ୍ମଣଙ୍କ ସଙ୍ଗେ,
ତେତେବେଳେ ତୁମ୍ଭେ ଘେନି ନିଜ ବଳ ବାଇଶ କ୍ଷଉଣୀ
କରିବ ପଛରୁ ଆକ୍ରମଣ । ଚାଲନ୍ତୁ ଦେଖିବେ ନେତ୍ରେ
କରିରେ କରିରେ ଗଡ଼ କରିବୁଁ ପ୍ରସ୍ତୁତ ।
ମୁରାସୁର- ଧନ୍ୟରେ ଧନ୍ୟରେ ମୁଢ଼ ମୁକୁନ୍ଦା ବୀର ଯା ପ୍ରଳମ୍ବା,
ଯେତେ ଥିଲେ ମୋ ଆନ ସେନାପତିଗଣେ ।
ତୁମ୍ଭପରି ବୁଦ୍ଧିମାନ୍ ବଳିଷ୍ଠ ନ ଥିଲେ ଜଣେ କେହି, ଜାଣି ମୁଁ ପାରୁଚି ।
ମାରିବି ନୃସିଂହ ସହ ନୃସିଂହଗଣକୁ, ଆଜି ଯୁଦ୍ଧେ ତୁମ୍ଭରି ସାହାଯ୍ୟେ ।
ଚାଲ ମିଳି ସର୍ବେ, ହାତୀଗଡ଼ ପ୍ରସ୍ତୁତ କରିବା ଏହିକ୍ଷଣି ।
(ସମସ୍ତଙ୍କ ପ୍ରସ୍ଥାନ)
(ବେଗେ ନୃସିଂହ, ଶେଷ, କର୍ଣ୍ଣାଟେଶ୍ୱର, ସୁଜାଣ ମନ୍ତ୍ରୀ, ଗରୁଡ଼ ଏକତ୍ର ପ୍ରବେଶ)
ନୃସିଂହ- ଶେଷଦେବ ! ନ ଛାଡ଼ିବୁ ଗରୁଡ଼ର ପାଶ ତୁହି ତିଳେ,
ବଜ୍ରଅଙ୍ଗ ଅଟଇ ପକ୍ଷୀର
ଥିଲେ ତୋର ତୁଲେ ତିଳେ ନ ହେବରେ କ୍ଷତି ।
ହେ କର୍ଣ୍ଣାଟଈଶ, ତୁମ୍ଭେ ଅଟ ସୂର୍ଯ୍ୟବଂଶୀ ।
ଲେଖାରେ ଆମ୍ଭର ପୁଣି ଅଜା,
ବିଶେଷେ ଅମର ବର ଲଭିଅଛ କରି ଘୋର ତପ ।
ମରଣକୁ ଭୟ ତବ ନାହିଁ ରଣସ୍ଥଳେ ।
ଘେନି ହରିଗଣେ, ଦୈତ୍ୟବଳ କର କ୍ଷୟ ।
ହେ ସୁଜାଣ ମନ୍ତ୍ରୀ, ତୁମ୍ଭେ ଜାଣ ରଣନୀତି,
ଦେଖ ଦେଖ ହାତୀଗଡ଼ ବାନ୍ଧି ତହିଁ ଅଛି ମୁରାସୁର,
ଚାରିପଦ୍ମ ସେନା ଆଉ ଚାରିପଦ୍ମ ଅଶ୍ୱ ଘେନି ।
ଧାଏଁ ରଣେ ପ୍ରଳମ୍ବା ଅସୁର, ରଣ କରି ଏମାନଙ୍କୁ ମାର ଏହିକ୍ଷଣି ।
ଗରୁଡ଼- ନାରାୟଣ ! ତବ ଦାସ ଏକାକୀ ପଶିଣ ଦୈତ୍ୟଥାଟେ ।
ମାରିପାରେ ନିମିଷକେ ପ୍ରଳମ୍ବା ସୈନ୍ୟଙ୍କୁ ।
ହୋଇ ମୋ ପୃଷ୍ଠପୋଷକ ରହନ୍ତୁ ଏମାନେ ।
ନୃସିଂହ- ଯାଅ ପକ୍ଷିବର, କର ସ୍ୱକାର୍ଯ୍ୟ ସାଧନ ।
ମହାକ୍ରୋଧେ ଆସେ ଯାତୁଧାନ
କହ ଯାଇଁ ସ୍ୱହସ୍ତେ ନୃସିଂହେ, ସେହି ଏକା ମାରୁ ପ୍ରଳମ୍ବାକୁ ।
ଗରୁଡ଼- ଯେ ଆଜ୍ଞା ! (ସମସ୍ତଙ୍କର ପ୍ରସ୍ଥାନ)
ନେପଥ୍ୟ- ରଣବାଦ୍ୟ-ମାର ମାର ଧ୍ୱନି । (ବେଗେ ମୁରାସୁର ପ୍ରବେଶ)
ମୁରାସୁର- ଶୁଣ ଶୁଣ ଡେରି କର୍ଣ୍ଣ ତିନି ସେନାପତି,
ବିଦାରି ଗଗନ ଉଠେ ମାର ମାର ଶବ୍ଦ ।
ଦେଖ ଦେଖ ଉଲ୍କା ସମ ଖସେ ଶରମାନ,
ବାଣଜାଳେ ରୁଦ୍ଧ ବ୍ୟୋମପଥ
ନ ପଡ଼ଇ ସୂର୍ଯ୍ୟରଶ୍ମି ତିଳେ ଧରାତଳେ,
ଦୈତ୍ୟଙ୍କ କରୁଣ ନାଦ ବାଜଇ ଶ୍ରବଣେ ।
ଜଣାଯାଏ ପଡ଼ିଲା ବିପଦ ଆମ୍ଭ ଦଳେ, ମଲା ପ୍ରଳମ୍ବା ମୋହର ।
ମୂଢ଼ାସୁର- ଦାନବ ମହୀନ୍ଦ୍ର ! ଧାଇଁଅଛି ଭଗ୍ନଦୂତ ତରତର ହୋଇ,
ତା’ଠାରୁ ସବୁ ସମ୍ବାଦ ଜଣାଯିବ ହେଳେ ।
ଜୟ କିମ୍ବା କ୍ଷୟ ହେଲା ଆମ୍ଭ ସେନାଙ୍କର ।
(ଦୂତ ପ୍ରବେଶ)
ମୁରାସୁର- ବାର୍ତ୍ତାବହ, କି ଘଟଣା ଘଟିଲାରେ ବିପ୍ରଙ୍କ ସମରେ,
ଶୀଘ୍ର ଶୀଘ୍ର ମୋର ପାଶେ କହ ସେ ସରବ ।
ଦୂତ- ବୀରଶ୍ରେଷ୍ଠ କନକ କଟକ ଅଧୀଶ୍ୱର,
ଶୁଣ ଶୁଣ ରଣସ୍ଥଳ ଘଟଣା ସମସ୍ତ ।
ଚାରିପଦ୍ମ ଅଶ୍ୱାରୋହୀ ସୈନ୍ୟଗଣେ ତବ,
ମଲେ ଆଜି ଦ୍ୱିଜଙ୍କ ହସ୍ତରେ ।
ମଲେ ଶେଷେ ସେନାଗଣ ତବ,
ଗିରି ଭେଦି ରକତନଦୀ ବହଇ କଳକଳ ନାଦେ ।
ରଣଚଣ୍ଡୀଗଣେ ଯୋଗ୍ନୀ ପିଶାଚୀଙ୍କ ତୁଲେ,
ଭକ୍ଷନ୍ତି ଆନନ୍ଦେ ରକ୍ଷଙ୍କର ରକ୍ତମାଂସ ।
ପୁଣ ଶିବାବୃନ୍ଦ ପିଇ ଉଷ୍ଣ ଶୋଣିତ ସେଠାବେ
ରାବନ୍ତି ବିକଟ ନାଦେ ଉଦ୍ଗାରି ଅନଳ ।
ମୁରାସୁର- ହାୟ ହାୟ, କି ନ କଲେ ବ୍ରାହ୍ମଣଗୁଡ଼ାଏ,
ଦେଖୁ ଦେଖୁ ସେନାପତି ସହ ମୋର ଚାରିପଦ୍ମ ବଳ
ବିନାଶିଲେ କ୍ଷଣକ ଭିତରେ,
ବସି ଭାବିଲେ ଏକାଳେ କି ଫଳ ମିଳିବ ?
ଧୈର୍ଯ୍ୟ ନ ଧରିଲେ କାର୍ଯ୍ୟ ନ ପାରିବି କରି,
ଆଜି ନିଶ୍ଚେ ବିଷ୍ଣୁକୁ ମାରିଣ ମୁହିଁ ଯିବି ନିଜ ପୁରେ ।
କହିବି ମଦନାବତୀ ରାଣୀ ଆଗେ ମୋର ସକଳ ପ୍ରଶଂସା,
ରାଣୀଗଣେ ରମିଣ ଆନନ୍ଦେ, ଜନ୍ମାଇବି ସତରଲକ୍ଷ କୁମର ପୁଣ ।
ଆରେ ତିନି ସେନାପତି, ପ୍ରଳମ୍ବା ମଲା ବୋଲି କି କରୁଛ ଭାବନା ।
ଗୀତ- (ମେଲାଣି କରରେ ନନ୍ଦ...ବୃତ୍ତେ)
ଘେନି ବାରପଦ୍ମ ସୈନ୍ୟ ତିନି ସେନାପତି ଯାଅରେ ।
ଛଦ୍ମବେଶୀ ବିପ୍ରଗଣେ ଯମପୁରେ ପେଶିଦିଅ ରେ ।ପଦ।
ଡରିବନାହିଁ କାହାକୁ, ପାଇବ ଆଗେ ଯାହାକୁ,
କାଟିବ ତାହାର ଶିର ତେବେ ସୁସ୍ଥ ହେବ ଦେହରେ ।
ପାଜି ଦ୍ୱିଜଟାର ଆଜି, ଟାଣପଣ ଦିଅ ଭାଜି ।
ତେଜିବ ନାହିଁ ସମର ଜାଣ ଏ ଜୀବନଭୟରେ ।୨।
ଯୁଗେ ଯୁଗେ ମାନ ବଡ଼, ଜାଣି ତାକୁରେ ନ ଏଡ଼ ।
ଗରୁଡ଼ ମୋ ହାତୀଗଡ଼ ଜଗିଛି ଦୂରକୁ ଚାହଁରେ । ୩ ।
ଶେଷ କର୍ଣ୍ଣାଟେଶ ନୃପ, ତୁଲେ ସୁଜାଣର ଦର୍ପ ।
ବଇ ବୋଲେ ଲୋପ କରି ମହୀପରେ ଯଶ ଥୁଅରେ ।୪।
ମୁକୁନ୍ଦା- ଚାଲିଲୁ ଚାଲିଲୁ ଦୈତ୍ୟନାଥ, ଧ୍ୱଂସକରି ବ୍ରାହ୍ମଣ ସଂସାର, ଆସି ଦେବୁ ସମ୍ବାଦ ନିକଟେ । ସେନାଗଣେ ! ଚାଲ କ୍ଷଣେ କରନାହିଁ ଡେରି ।
ମୁରାସୁର- ଆଶୀର୍ବାଦ କରୁଅଛି ମୁହିଁ,
ଶୁଭେ ଫେରିଆସ ତିନିଜଣ ହୋଇ ରଣେଜୟୀ ।
(ସମସ୍ତଙ୍କ ପ୍ରସ୍ଥାନ)
(ରଣଭୂଇଁ- ନୃସିଂହ, ଶେଷ, ଗରୁଡ଼, ମନ୍ତ୍ରୀ, କର୍ଣ୍ଣାଟ ରାଜାର ପ୍ରବେଶ)
ନୃସିଂହ- ମନ୍ତ୍ରିବର ଗରୁଡ଼ କର୍ଣ୍ଣାଟ ନୃପ ଶେଷ
ଦେଖ ଦେଖ ପ୍ରଳମ୍ବା ନିଧନ କାନେ ଶୁଣି,
ପୁଣି ପଠାଇଲା ମୁର ତିନି ସେନାପତି ସହ,
ସୈନ୍ୟ ବାରପଦ୍ମ ଅଶ୍ୱାରୋହୀ !
ଘେନି ନାନା ଅସ୍ତ୍ର ଛାଡ଼ୁଛନ୍ତି ରଡ଼ି ଘନ ଘନ
ମୂଢ଼ା ତୁଲେ ମନ୍ତ୍ରୀ କରୁ ରଣ !
ଲଢ଼ନ୍ତୁ କର୍ଣ୍ଣାଟ ରାଜା ମୁକୁନ୍ଦା ସହିତେ
ଶେଷଦେବ ଲଢ଼ୁ ଯାଇ ବିରଜା ସଙ୍ଗତେ !
ପକ୍ଷିମଣି ଏକା ହାତୀଗଡ଼ ଜଗିଥାଉ
ଘେନିଣ ବତ୍ରିଶପଦ୍ମ ନୃସିଂହ ଗଣଙ୍କୁ ।
ମାର ଶୀଘ୍ର ରାକ୍ଷସ-ବାହିନୀ ।
ମନ୍ତ୍ରୀ- ସେଥିପାଇଁ ପଭୁ, ତିଳେ ନ କରନ୍ତୁ ଚିନ୍ତା
ନିମିଷେ ନାଶିବୁଁ ଆମ୍ଭେ ରାକ୍ଷସଗଣଙ୍କୁ
ମତ୍ତକରୀ ପଦ୍ମବନ ଦଲିଲା ପରାଏ
ଦଳିଦେବୁଁ ରାକ୍ଷସ-ନଳିନ-ବନ ହେଳେ ।
କର୍ଣ୍ଣାଟ- ଶୁଣ ସର୍ବେ ଏଣେ ମୁରର ମାର ମାର ନାଦ
କାନ୍ଦୁଛି ଏ ଦେହ ଜାଣ ସେ ଧ୍ୱନି ଶ୍ରବଣେ ।
ଆସ, ରାକ୍ଷସଗଣଙ୍କୁ ଘେରିବା ଆଗରୁ ।
ନେପଥ୍ୟ- ରେ ରେ ମାଗିଖିଆ ଦ୍ୱିଜଗଣେ
ମାରି ପ୍ରଳମ୍ବାକୁ ନିଶ୍ଚିନ୍ତ ହୋଇଣ କାହିଁ କରୁଛ ବିଚାର ।
ହେଳା ନ କରିଣ ମାତ ରଣେ
ଆଜି ଆଶାତରୁ ଜଳମଗ୍ନ ହେବରେ ତୁମ୍ଭର ।
ମୁରର ବଇରି ହୋଇ ତିନିପୁରେ ଲୁଚିବରେ କାହିଁ ?
ଶେଷ- ଆସରେ ରାକ୍ଷସେ, ରଣେ ମର ଆମ୍ଭ ହାତେ
ଭୁଜଙ୍ଗ ମୁଖରେ ବେଙ୍ଗ ଯଦି ଯାଏ ପଡ଼ି
କେଭେ ସେ କି ପାଇଛି ରେ ରକ୍ଷା ?
ମୁକୁନ୍ଦା- (ପ୍ରବେଶି) ହାଃ ହାଃ ହାଃ...ତୁହି ପରା ଶେଷ, ଅଟୁ ଦାରୁଣହନ୍ତକ
କିରେ, କାହିଁ ତୋର ସହସ୍ର ମସ୍ତକ
ପୂର୍ବଦେହ କେଣେ ଲୁଚାଇଛୁ ପ୍ରାଣଭୟେ ?
ଶେଷ- ଆରେ ଦୁଷ୍ଟବୁଦ୍ଧି...ସବୁକାଳେ ସମସ୍ତଙ୍କ ରୂପ
ରହେ କି ସମାନ କହ ଦେଖି ।
ଦାରୁଣ ବଧିଲାବେଳେ ଥିଲୁ ଯୁବା କଳେବର
ଆଜି ହୋଇଗଲୁ କ୍ରମେ ବୃଦ୍ଧ ।
ମୁକୁନ୍ଦା- ବୃଦ୍ଧ ଯେବେ ମରିବାକୁ କିମ୍ପା ବଳାଉଚୁ ଚିତ୍ତ ?
ଶେଷ- ରୂପ ସିନା ନାହିଁ, ଦେହେ ଶକ୍ତି ଅଛି ପୂର୍ବମତ,
ରଣ କର ଦେଖିବୁ ଏକ୍ଷଣି ।
ମୁକୁନ୍ଦା- ଜାଣିଲିଣି ରାଣ୍ଡ ନିଶ୍ଚେ ହେବ ତୋ ବ୍ରାହ୍ମଣୀ ।
(ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
ନୃସିଂହ- ପକ୍ଷିବର, ଦେଖ ଦେଖ ଶେଷ କରେ ମଲା ମୁକୁନ୍ଦା ଅସୁର ।
ଏହି ଦେଖ ତା ନିଧନେ କର୍ଣ୍ଣାଟେଶ୍ୱର ସୁଜାଣ ମନ୍ତ୍ରୀ ତୁଲେ ରଣ କରୁଛନ୍ତି ମୂଢ଼ା ଓ ବୀରାଜ । କହ ଯାଇ ମନ୍ତ୍ରୀ ଆଗେ, ମାରୁ ସୂର୍ଯ୍ୟାବର୍ତ୍ତବାଣ କାଟୁ ବେଗେ ବୀରାଜର ଶିର ।
ଗରୁଡ଼- ଯେ ଆଜ୍ଞା, ଯାଉଚି ମୁଁ ଜଣାଇବି ଏହା । (ପ୍ରସ୍ଥାନ)
(ବେଗେ ନୃସିଂହ ପ୍ରସ୍ଥାନ)
(ଯୁଦ୍ଧ କରୁ କରୁ ବୀରାଜ ଓ ମନ୍ତ୍ରୀର ପ୍ରବେଶ)
ବୀରାଜ- ମନ୍ତ୍ରି ! ମୋତେ ନ ପାରିବୁ ମାରି
ବାଣ ମାରି ମାରି ବଳ ତୁଟିଲାଣି ତୋର ।
ଏହି ଶରେ ଯିବୁ ଯମ-ସଦନକୁ ତୁହି ।
ତୋର ପରାମର୍ଶେ ରଣରଙ୍ଗ କରିଲେ ବ୍ରାହ୍ମଣେ ।
ଦିଜଙ୍କୁ ତୁ ଶିକ୍ଷା ଦେଲୁ ବାହୁଜଙ୍କ ବିଦ୍ୟା
କରାଇଲୁ ତାହାଙ୍କୁ ତୁ ବର୍ଣ୍ଣଶଙ୍କର ସମାନ ।
ତୁ ମଲେ ତୁଟିବ ହେଳେ ନୃସିଂହର ବଳ ।
ମନ୍ତ୍ରୀ- ରେ ପାଷାଣ୍ଡ, ବୃଥା କିପାଁ କରୁ ଏତେ ଟାଣ,
ଏହି ସୂର୍ଯ୍ୟାବର୍ତ୍ତ ଶର ନେବ ତୋ ପରାଣ । (ରଣ କରୁ କରୁ ପ୍ରସ୍ଥାନ)
ମୂଢ଼ା- ଓହୋ, ହୋଇଲା କି କାଣ୍ଡ, ମଲେ ଅବିଜାବିଜଙ୍କ ହାତେ ତିନି ସେନାପତି ରଣେ, ଦେଖି ଛାତି ହୁଅଇ କରତି । ଆରେ ଆରେ ବିପ୍ରେ, ଆଜି ମଲ ରେ ମୋ ହାତେ ନ ପାଇବ ତିଳେ ଆଉ ରକ୍ଷା । (ବେଗେ କର୍ଣ୍ଣାଟ ରାଜା ପ୍ରବେଶ)
କର୍ଣ୍ଣାଟେଶ୍ୱର- କି କହିଲୁ ଆରେ ମୂଢ଼ାସୁର, ମାରିବୁ ବ୍ରାହ୍ମଣଗଣେ ଏତେ ତୋର ଟାଣ ? ଦେଖୁ ଦେଖୁ ତିନିଭାଇ ମଲେଣି ଏ ଦ୍ୱିଜଙ୍କ ବାଣରେ ।
ଗୀତ- (ହରି ହରି ବୋଲ ହରଷେ ରସିକେ...ବୃତ୍ତେ)
ଆରେ ହେଡ଼ାଗିଳା ମୂଢ଼ ଦୈତ୍ୟ ତୁ ତ ଭୂତ ପରି ଆସୁ ଲଢ଼ିରେ ।
ଛାଡ଼ ମନମୋଟ ଘଡ଼ିକ ଭିତରେ ଜୀବ ତୋର ଯିବ ଉଡ଼ି ରେ ।ପଦ।
ପଢ଼ିବା କାଳରେ ଆଖଡ଼ାଶାଳରେ ଯାଇଥିଲ ପରା ବେଢ଼ିରେ ।
ଏକା ଗରୁଡ଼କୁ ନ ଅଣ୍ଟିଲ ମାରି ଫିଙ୍ଗିଦେଲା ଯୋଡ଼ି ଯୋଡ଼ି ରେ ।୧।
ଆଜି ସେ ଗରୁଡ଼ ଦେଖି ହାତୀଗଡ଼ ନନ୍ଦେ ଛାଡ଼ୁଛି ରଡ଼ିରେ ।
ତୁହି ମଲେ ମାଡ଼ିବସିଣ ମୁରକୁ ଦୂରକୁ ଦେବ ଫୋପାଡ଼ିରେ ।୨।
ରେ ଥୋବଡ଼ା, ଗାଲୁଗୁଡ଼ା କହନାହିଁ ମିଛୁଟାରେ ବଢ଼ି ବଢ଼ି ରେ ।
କୋକେଇରେ ବି ସକେଇ କାନ୍ଦିଲେ ଶମନ କି ଦିଏ ଛାଡ଼ି ରେ । ୩ ।
ପହୁଡ଼ିବ ରଣଶଯ୍ୟାରେ, ତୋ ରାଜା ରାଜ୍ୟେ ନ ଯିବ ବାହୁଡ଼ି ରେ ।
ବଇଷ୍ଣବ କହି ଯେହୁ ବିଷ୍ଣୁଦ୍ରୋହୀ ମହୀରେ ସେହି ଅଗାଡ଼ି ରେ ।୪।
ମୂଢ଼ାସୁର- କି କହୁଚୁ ବୃଥା ଅହଂକାରୀ !
ଶରଣ ପଶିଚୁ ପରା ପରାଣଭୟରେ ଆସି ଦ୍ୱିଜଟା ଚରଣେ ।
ଯେତେବେଳେ ଆଖଡ଼ାଶାଳରେ
ପୁତ୍ର ନାତି ନୃପତିର ମାଇଲା ଗରୁଡ଼,
ଆମ୍ଭେ କେହି ନ ଥିଲୁ ସେଠାରେ- ଥିଲେ କିରେ ବଞ୍ଚିଥାନ୍ତା ପକ୍ଷୀ ।
ରାଜାର ଆଦେଶେ ସେହିଦିନୁ ଗରୁଡ଼କୁ ଲୋଡ଼ୁ ଅଛୁ ଆମ୍ଭେ ।
ପାଇଲେ ପକ୍ଷୀକି ଖଡ଼୍ଗେ ହାଣି ତା ଥଣ୍ଟକୁ ବଜାଇବୁଁ ବିଜିଘୋଷ ନେଇ ।
ନୀଚ ମୁଖେ ଉଡ଼ୁକଥା ଶୋଭାପାଏ ନାହିଁ, ରଣେ କ୍ଷଣେ ମାତରେ ଭୟାଳୁ !
କର୍ଣ୍ଣ- ରେ ନିର୍ଲଜ୍ଜା ପାଜି, ଏତେ ପୌରୁଷ ବଚନ ନ ସାଜେ ତୋ ତୁଣ୍ଡେ ।
ରଣ କର, ଏହିକ୍ଷଣି ପଣ ଜଣାଯିବ । (ଯୁଦ୍ଧ କରୁ କରୁ ପ୍ରସ୍ଥାନ)
ନେପଥ୍ୟେ- ଜୟ ଶ୍ରୀ ନୃସିଂହଗଣଙ୍କର ଜୟ ! ଜୟ କର୍ଣ୍ଣାଟେଶ୍ୱର, ସୁଜାଣ ମନ୍ତ୍ରି, ଶେଷଦେବଙ୍କର ଜୟ!
(ବେଗେ ମୁରାସୁର ପ୍ରବେଶ)
ମୁରାସୁର- (ସ୍ୱଗତ) କି ଅଦ୍ଭୁତ ଘଟଣା,
ଜୟରୋଳ ଉଠେ ଘନ ଘନ ହେଳେ ଗଗନ ବିଦାରି...
ଜଣାଯାଏ ପଡ଼ିଲେ ରଣରେ ମୋର ତିନି ସେନାପତି ।
ଦେଖାଯାଉ, ବ୍ୟଗ୍ରଭାବେ ଆସଇ ଏ ଦୂତ ।
କି ସମ୍ବାଦ କହିବ ଏକ୍ଷଣି ।
ଦୂତ- (ପ୍ରବେଶି) ଦୈତ୍ୟରାଜ, ରକ୍ଷାନାହିଁ ରକ୍ଷାନାହିଁ ଆଉ !
ଦେଖୁ ଦେଖୁ ବାରପଦ୍ମ ଅଶ୍ୱାରୋହୀ ବଳ
ମଲେ ତିନି ସେନାପତି ତୁଲେ ଛାର ଦ୍ୱିଜଙ୍କ ବାଣରେ
ଓହୋ ଓହୋ, ମରିଯାଇଥାନ୍ତି ଭାଗ୍ୟେ ବଞ୍ଚି ଆସିଛି ପଳାଇ ।
ମୁରାସୁର- ହାଏ ହାଏ, କି କହିଲୁ ଦୂତ !
ମଲେ ତିନି ସେନାପତି ତୁଲେ ମୋର ବାରପଦ୍ମ ଅଶ୍ୱାରୋହୀ ଥାଟ !
(ଗୀତ)
ସବୁ ସରିଲା ଆଶା ଭରସା ସବୁ ସରିଲା ।
ଦେଖୁ ଦେଖୁ ବିପ୍ର ଟୋକା ଏତେ ସେନା ସେନାପତି ମାରିଲା ।ପଦ।
ବିଜୟା ରଥରେ ନିଜେ, କରି ଏହିକ୍ଷଣି ବିଜେ ।
ମାରିବି ନୃସିଂହଗଣ ଘେନିବି ନୃସିଂହ ପ୍ରାଣ,
କ୍ରୋଧେ ଆପାଦମସ୍ତକ ଥରିଲା ।୧।
ପୁତ୍ର ନାତି ମନ୍ତ୍ରୀ ଭାଇ, ଶୋକ ଯିବ ଦୂର ହୋଇ ।
ତା ମାତା ରାଣ୍ଡୀ ସହିତ କୃଷ୍ଣବଲ୍ଲଭକୁ ଶୂଳେ
ଚଢ଼ାଇବି ନେଇ କାଳ ପୂରିଲା ।୨।
ଦାନମଗା ଯଜ୍ଞସୁତ୍ର, ବିକାର ବିଧି ସଗୋତ୍ର,
ଉଡ଼ାଇବ ଜୟଧ୍ୱଜା ବୁଝିବ ସେ ପାଜି ମଜା
ସଞ୍ଜୀବନୀ-ନାଥ ଲେଖା ଚିରିଲା । ୩ ।
ଏହି ହାତୀଗଡ଼ ମଧ୍ୟେ, ରାତ୍ର କାଟି ନିରାପଦେ ।
ପ୍ରଭାତୁ ମାତିବି ରଣେ ବିପ୍ର ବଇଷ୍ଣବ ଭଣେ
ପୀୟୁଷରେ ବିଷ ବିହି ଭରିଲା ।୪।
(ବେଗେ ପ୍ରସ୍ଥାନ)
(ଅଦୃଷ୍ଟକୁମାରୀଙ୍କ ପ୍ରବେଶ)
ଗୀତ- (ଆହା କି ସୁନ୍ଦର ନୂଆ ବସନ୍ତ..ବୃତ୍ତେ)
ଗାଇ ହରିଗୁଣ ନାଚ ଗୋ ସହି,
ହୋଇବ ପବିତ୍ର ତେବେ ଏ ଦେହୀ ।ପଦ।
କୁନ୍ଦ ନିଆଳି ସେବତୀ, ନାନାଫୁଲେ ମାଳ ଗୁନ୍ଥି ।
ବଳେ ଦେବା ତାଙ୍କ ଗଳେ ଲମ୍ବାଇ ।୧।
ଧରଣୀଭାର ଉଶ୍ୱାସ-କରଣେ କମଳାଈଶ ।
ଜାତ ନରକଳେବରକୁ ବହି ।୨।
ହୋଇ ସେ ବିଷ୍ଣୁବଇରୀ, ଦେଖ ରକ୍ଷେ ଯା’ନ୍ତିମରି ।
ଅଛି ମୁର ଏକା ଜୀବନେ ଜୀଇ ।୩।
ଆଉ ନାହିଁ ଆୟୁବଳ, ପୂରିବ ଦୈତ୍ୟର କାଳ ।
ବଇ ବୋଲେ ଦେବେ ହେବେ ବିଜୟୀ ।୪।
(ନୃସିଂହ ପାଶେ ମାତଳି ନନ୍ଦିଘୋଷ ନେଇ ପ୍ରବେଶ)
ନୃସିଂହ- ଭାଷ ମହାତମା, ଏହି ରଥ ଅଟେ କା’ର ?
କେହୁ ପଠାଇଛି, ଶୀଘ୍ର ଭାଷ ମୋ ନିକଟେ ।
ମାତଳି- ପ୍ରଭୁ, ପଠାଇଲେ ଏହି ରଥ ଇନ୍ଦ୍ରସହ ଦେବବୃନ୍ଦେ ଏଥେ, କହିଚନ୍ତି ବିଧି ଯାହା ଯାହା, ତାହା ଶ୍ରୀଛାମୁରେ ଦାସ କରିବ ପ୍ରକାଶ ହେଲେ ପ୍ରଭୁ ଅନୁମତି ।
ଗୀତ- (କହ ନନ୍ଦୀ କାହିଁପାଇଁ ହେଉ କାନ୍ଦ କାନ୍ଦ...ବୃତ୍ତେ)
ଦେଲେ ଏହି ରଥ ଦେବଗଣ, ହେ ନାରାୟଣ ।ପଦ।
ଏଥେ ବିଜେ କରି ମୁର ସହିତ କର ସମର,
ଘେନ ବାରେ ଦାନବ ପରାଣ ହେ ।୧।
ଏ ତୁମ୍ଭର ନନ୍ଦିଘୋଷ ଯୁଗେ ଯୁଗେ ପୀତବାସ,
ଆବର କହିଲେ ଯାହା ଶୁଣ ହେ ।୨।
ମୁର ବିଜୟ ରଥରେ ଥିବାରୁ ତୁମ୍ଭ ପାଶରେ,
ନ ସହି ପାରିଲେ ଏ କଷଣ ହେ ।୩।
ଦେଇଛନ୍ତି ସୁଧାଭାଣ୍ଡ ଭକ୍ଷି ତୃପ୍ତ କର ପିଣ୍ଡ,
ନ ଯାଅ ବାସେ ତେଜି ଏ ରଣ ହେ ।୪।
ଏଥର ଦୁଷ୍ଟକୁ ଛାଡ଼ିଦେଲେ ନ ପାଇବ ଲୋଡ଼ି,
ନିବେଦୁଚି ବୈଷ୍ଣବ ଚରଣ ହେ ।୫।
ନୃସିଂହ- ଚିହ୍ନ ପକ୍ଷିମଣି, ନୁହଇ ତ ଏହି ମାୟାଯାନ ପୂର୍ବପରି ?
ଗରୁଡ଼- (ଧ୍ୟାନେ ବସି) ଧ୍ୟାନେ ମୁଁ ଜାଣିଲି ପଠାଇଲେ ଏହା ବେଦଧାରୀ ।
ନୃସିଂହ- ପୁଣି ଦେଖ ଦେଲେ ଏ ଅମୃତ,
ଗରୁଡ଼- ଦେଲେ ଏଥିପାଇଁ, ଭକ୍ଷିଲେ କ୍ଷୁଧାରୁ ରକ୍ଷା ପାଇବେ ତୁରିତ ।
ନୃସିଂହ- ଏହାକୁ ମିଳିଣ ସର୍ବେ କରିବା ଭୋଜନ ।
ମାତଳି- ଅନୁମତି ଦିଅନ୍ତୁ ମୁଁ ଯିବି ନାରାୟଣ !
ନୃସିଂହ- କେଣିକି ଯିବ ମାତଳି ବାହିବ କେ ରଥ ?
ମାତଳି- କିସ ଆଦେଶ କରନ୍ତୁ ବଇକୁଣ୍ଠନାଥ !
ନୃସିଂହ- ମୁର ମଲେ ଯିବ ସୁରପୁରେ ।
ମାତଳି- ଧନ୍ୟ ହେବି ପ୍ରଭୁ ରଥ ବାହି ମୁହିଁ ଦାନବ-ସମରେ ।
ଗରୁଡ଼- ଚିନ୍ତାମଣି, ଦେଖି ମୁଁ ଆସିଲି ଏହିକ୍ଷଣି
ଜଗାଇଣ ସୈନ୍ୟ ହାତୀଗଡ଼େ ହତ ହେବା ହେତୁ ବଳ ତାର
ଧନ୍ଦିହୋଇ ଉପାଏ ନ ଦେଖି ତାର ମଧ୍ୟେ କରିଚି ଶୟନ ମୁରାସୁର
ରାତ୍ର ଶେଷେ ସମରେ ପଶିବ ଅମରାରି ।
ବର୍ତ୍ତମାନ ଅଟେ ରାତ୍ର-ଅର୍ଦ୍ଧ, ଅଛନ୍ତି ନୃସିଂହଗଣେ ସର୍ବେ ଉଜାଗରେ
ବେଢ଼ିବା ଚାଲନ୍ତୁ ଏ ସମୟେ ତାର ଗଡ଼
ଷୋଳପଦ୍ମ ଗରୁଡ଼ ଦେହରୁ ମୁହିଁ କରୁଅଛି ଜାତ,
ରାକ୍ଷସଗୁଡ଼ାକୁ ଭାଙ୍ଗି ଫିଙ୍ଗିବେ ସାଗରେ,
କେବଳ କରିଚି ପ୍ରଭୁ ଆଜ୍ଞାକୁ ଅପେକ୍ଷା ।
ନୃସିଂହ- ଭାଙ୍ଗ ଖଗବର ବେଗେ ଦୁରାତ୍ମାର ଗଡ଼
ବତିଶ ପଦ୍ମ ନୃସିଂହ ଷୋଳପଦ୍ମ ଗରୁଡ଼ ସହିତ ।
ଏଥର ମରିବ ମୁର ନିଶ୍ଚେଁ ଆମ୍ଭ କରେ, ସରିଲାଣି ତାର ଆୟୁର୍ବଳ ।
ସମସ୍ତେ- (ଆନନ୍ଦରେ କୁଦିଉଠି) ଜୟ ଶ୍ରୀ ନୃସିଂହ ପ୍ରଭୁଙ୍କର ଜୟ !
(ବେଗେ ସମସ୍ତଙ୍କ ପ୍ରସ୍ଥାନ) (ନେପଥ୍ୟେ ମାର-ମାର ଧ୍ୱନି)
ମୁରାସୁର- (ହଠାତ୍ ମୁର ଚମକିଉଠି) ଏ କି ଭୟଙ୍କର ନାଦ !
ଏ ଯେ ଗଜଙ୍କ ଗର୍ଜନ, ସେନାଙ୍କର ଆର୍ତ୍ତଧ୍ୱନି ଉଠେ ଘନ ଘନ
ନିଶ୍ଚେ ବିପ୍ରେ ଭାଙ୍ଗିଲେ ମୋହର ହାତୀଗଡ଼ ।
ଓହୋ ! ଏତେଗୁଡ଼ା ସୈନ୍ୟ କାହୁଁ ପାଇଲା ନୃସିଂହ
ଏ ଯେ ଚାରିଦିଗେ କେବଳ ଗରୁଡ଼...
ସୃଷ୍ଟି କି ଗରୁଡ଼ମୟ ହେଲା ମୋ ଭାଗ୍ୟକୁ !
ନାହିଁ ନାହିଁ, ଭାବି ଆଉ ନାହିଁ କିଛି ଫଳ
ମରିବାକୁ ଭାବି ମନେ ଲାଭ ଅବା କିସ
ମରିଥିଲେ କେତେ ପୁତ୍ର ନାତି
ମରିଥିଲେ କେତେ କେତେ ସେନା ସେନାପତି
ଦାରୁଣ ପରାଏ ଭାଇ ଗଲା ସଙ୍ଗ ଛାଡ଼ି ।
ତା ସହିତେ ଗଲା ହାତୀଗଡ଼,
ହେ ସାରଥି, କର ବେଗେ ମୋର ଶୀଘ୍ର ଆଦେଶ ପାଳନ ।
ଗୀତ- (ଚନ୍ଦ୍ରବଦନାରେ ଜଣାଉଚି...ବୃତ୍ତେ)
ବେଗେ ସାରଥି ରେ, ଚଳା ନୃସିଂହ ସମ୍ମୁଖେ ରଥ ।
ଟେକା ପରା ତାକୁ ଚୂରିବି ଏକ୍ଷଣି ଓଟାରି ଆଣିବି ଅନ୍ତ ।ପଦ।
ମେଳା ମେଳା ହୋଇ କେଳା ପରା ବିପ୍ରେ ବୁଲୁଥାନ୍ତି ଅବିରତ ।
ଏଗୁଡ଼ାଙ୍କୁ ମାରି କି ଫଳ ଲଭିବି ନ ପୂରିବ ମନୋରଥ ।୧।
ସେ ମୋତେ ମାରୁ ବା ମୁଁ ତାହାକୁ ମାରେ ଯଶ ଘୋଷିବ ଜଗତ ।
ଜାଣିଲିଣି ବିଷ୍ଣୁ ମୋତେ ନାଶିବାକୁ ମରତେ ହୋଇଛି ଜାତ ।୨।
ଗଜ ଦ୍ୱିଜ ଶ୍ୱାନ ଏହି ତିନି ଘେନ ହିଂସନ୍ତି ନିଅଂଶ ଗୋତ୍ର ।
ମୋର କପାଳକୁ ମେଳିବାନ୍ଧି ପୁଣି ବଧିଲେ ଅନେକ ଦୈତ୍ୟ ।୩।
ବଜାଅ ବାଜଣା ପଡ଼ିଯାଉ ଜଣା ସେନାଏ ହୋନ୍ତୁ ଜାଗ୍ରତ ।
କମ୍ପିଉଠୁ ମହୀ ବଇଷ୍ଣବ କହି ଜପ ଅରି ଧ୍ୱଂସ ମନ୍ତ୍ର ।୪।
ସାରଥି- ଦୈତ୍ୟନାଥ, କର ଆରୋହଣ ଏହି ରଥେ
ଟେକିବି ବିଜୟରଥ ନୃସିଂହ ନିକଟେ ଏହିକ୍ଷଣି
ମୋହର କର୍ତ୍ତବ୍ୟ ମୁହିଁ କରୁଛି ପାଳନ, ରଣ ହାନି-ଲାଭ ତବ ପରେ ।
ମୁରାସୁର- ବାଇଶିକ୍ଷଉଣୀ ସେନା,
ଛାଡ଼ ଏକାବେଳେ ସର୍ବେ ମାର-ମାର ରଡ଼ି
ଯେମନ୍ତେ ସେ ରଡ଼ିରେ ଝଡ଼ିବ ଗିରିଶୃଙ୍ଗ ।
(ମାର-ମାର ଧ୍ୱନି ଓ ରଣବାଦ୍ୟ)
(ମୁରର ବେଗେ ପ୍ରସ୍ଥାନ)
(ମାତଳି ଓ ଗରୁଡ଼ ସହ ନୃସିଂହଙ୍କ ପ୍ରବେଶ)
ନୃସିଂହ- ଶୁଣ ସୁଚିତ୍ତରେ ହେ ମାତଳି !
ଆସେ ରଥ ବାହି ମୁର ସେନା ସାଜି ମୋହର ନିକଟେ,
ଚଢ଼ ରଖି ଅସ୍ତ୍ରଶସ୍ତ୍ରମାନ ମୋର ସଜାଇ ରଥରେ ।
ମାତଳି- ଜଗନ୍ନାଥ, ଯେ ଯେ ଅସ୍ତ୍ରଶସ୍ତ୍ରମାନ ରଖିଚି ସାଇତି, ଶୁଣ ତା କହୁଛି ମନଦେଇ ।
ଗୀତ- (ଏ ଉତ୍ତାରୁ ଶୁଣ ହେ ରସିକେ...ବୃତ୍ତେ)
ଗଦା ମୁଦ୍ଗର କୃପାଣ ଶୂଳ ଶକ୍ତି ଖଣ୍ଡା ।
ଅସି ଉସଣ୍ଡି ତୋମର କୋନ୍ତ ଗଣ୍ଡା ଗଣ୍ଡା ।
ମଣ୍ଡିଅଛି ରଣପର ମେଘା କୁବେରା ଆବର ରତ୍ନାବଳି ଶର ।୧।
କାଳଫାଶି ନାଗଫାଶି ପବନ ପର୍ବତା ।
ନୈଋତା ଗୁପତା ଯେ ମରୁତା ବ୍ରହ୍ମବେତ୍ତା ।
ମୋହନା ଯେ ମନଭେଦି ଅଗ୍ନିବାଣ ବ୍ରହ୍ମଶିରା ଥୋଇଛି ସମ୍ପାଦି ।୨।
ବ୍ରହ୍ମଶକ୍ତି ପାଶୁପତ ତ୍ରିକାଳ ଏକଘନି ।
ଜଳପାଶ ନାଗପାଶ ବାଣ ।
ବଜ୍ରଧ୍ୱନି ନୀଳବାଣ ଭୁଜବାଣ । ସୂର୍ଯ୍ୟାବଳି କାଳପାଶ ଉଡ଼ାଣ ବୁଡ଼ାଣ ।୩।
ଯେତେବେଳେ ଯେଉଁ ଅସ୍ତ୍ର ହେବ ଦରକାର ।
ସେହି ସେହି କାଳେ ତାହା ପାଇବ ନିକର ।
ଚଳ ମୁର ନିକଟକୁ ବଇ କହି ଆସେ ଦୁଷ୍ଟ ପୁଲକାଇ ବୁକୁ ।୪।
ନୃସିଂହ- ପକ୍ଷିମଣି, ଶୁଣ ମୋର ବାଣୀ,
କ୍ଷଣେ ନ ଛାଡ଼ିବୁ ତୁହି ଶେଷ କତି ତିଳେ ।
ହେବ ଆଜି ଭୟଙ୍କର ରଣ
କର୍ଣ୍ଣାଟେଶ୍ୱର ସୁଜାଣ ମନ୍ତ୍ରିକି ନେଇଣ
ତୁମ୍ଭେଁ ଦୁହେଁ ମାର ଅନ୍ୟ ଦୈତ୍ୟେ ।
ମୁର ଯୁଦ୍ଧ ହେଲା ମୋ ଭାଗର ।
ଚଳାଅ ମାତଳି, ନନ୍ଦିଘୋଷ ଦ୍ୱୈତ୍ୟ ଆଗେ
ବହୁ ମାୟା ଜାଣେ ନିଶାଚର,
ସାବଧାନ ହୋଇ ରଥ ବାହୁଥିବ ମୋର ।
ମାତଳି- ନାରାୟଣ ! ତବ କୃପାବଳେ ଜାଣେ ଦାସ ରଣ ତର୍କ ନୀତି । ଏହି ଦେଖ ମୁରାସୁର ରଥ ଛୁଟିଅଛି ଗଗନମାର୍ଗରେ । (ଉଭୟେ ବେଗେ ପ୍ରସ୍ଥାନ)
ମୁରାସୁର- (ନେପଥ୍ୟେ) କେତେ ଦୈତ୍ୟ ଥଣ୍ଟରେ ଚିରଇ ପକ୍ଷିଖଣ୍ଡ,
ଦୈତ୍ୟମଡ଼ାପୂର୍ଣ୍ଣ ଚାରିଧାରେ,
ବହେ ରକ୍ତନଦୀ ଭେଦି ପର୍ବତ କାନନ;
ମୋର ବଳ ବାଇଶକ୍ଷଉଣୀ ଚାରିଭାଗୁଁ ତିନିଭାଗ ହୋଇଲେଣି ଶେଷ ।
ହେ ସାରଥି, ନେଇ ମୋର ବିଜୟରଥକୁ ରଖ ନୃସିଂହ ଆଗର ।
ଲକ୍ଷ୍ୟକରି ଲକ୍ଷେ ବାଣ କରିବି ପ୍ରହାର ମୁହିଁ ନୃସିଂହ ଉପରେ ।
(ରଣବାଦ୍ୟ ଶର-ନିକ୍ଷେପ)
ଓହୋ, ଧନ୍ୟ ଧନ୍ୟ ପକ୍ଷୀ,
ଆକାଶପଥରୁ ଖସୁ ଖସୁ ଶର ମୋର ଧରିନେଇ ପକାଇଲା ଭାଙ୍ଗି ।
ଏହି ବଜ୍ରଶକ୍ତିରେ ନେବଇଁ ପକ୍ଷୀ ପ୍ରାଣ । (ଶକ୍ତି ପ୍ରହାର)
ଗରୁଡ଼- (ପ୍ରବେଶ) ମହାପାପୀ କୁଳବୁଡ଼ା ଦୈତ୍ୟ,
ନ ପାରିବୁ ମାରି କେଭେ ମୋତେ;
ନୃସିଂହ-କୃପାରୁ ବଜ୍ର ଅଙ୍ଗ ଅଟେ ମୋର ।
କି ଦେଖାଉ ଛାର ବଜ୍ରଶକ୍ତି,
ଏହି ଚାହାଁ, ଠେଲିଦେଉଅଛି ରଥ ତୋର ହଟିଯିବ ଯୂଣେକ ପର୍ଯ୍ୟନ୍ତ ।
(ବେଗେ ପ୍ରସ୍ଥାନ, ମୁରର ପ୍ରବେଶ)
ମୁରାସୁର- ଆହା ! କେଡ଼େ କ୍ଷତ୍ରିପଣ ନ କଲା ଏ ପକ୍ଷୀ ଛାର ଗୋଟା
ଯେବଣ ରଥେ ମୋ ଲାଗିଅଛି ଲକ୍ଷେ ଗୁଳି,
ଧାତା ଯଜ୍ଞରୁ ଯେ ରଥ ହୋଇଚି ଜନମ
ଦେବତା ତେତ୍ରିଶକୋଟି ସଦା ଯହିଁ କରନ୍ତି ବିଶ୍ରାମ
ଏମନ୍ତ ଦେବଯାନକୁ ପେଲିଦେଲା ତାହା ପକ୍ଷୀ ଛାର !
ହଟିଗଲା ଯୂଣେଯାଏ ପୁଣି
ଜାଣିଲି ଜାଣିଲି ନିଶ୍ଚେ ନାରାୟଣ କୃଷ୍ଣବଲ୍ଲଭର ପୋଏ ।
କି ହେବ ବୃଥା ବଧି ଏ ବ୍ରାହ୍ମଣଗୁଡ଼ାଙ୍କୁ
କାହିଁ ପକ୍ଷୀ, ଆଗେ ଯାଇ ବଧିବି ତାହାକୁ
ତା ଉତ୍ତାରେ ମାରିବି ନୃସିଂହ ଶେଷଦେବେ ।
ଗରୁଡ଼- (ବେଗେ ପ୍ରବେଶି) ଆରେ ଆରେ ଉର୍ବଶୀ ବେଶ୍ୟାର ପୁଅ ପାଜି !
ଶୁଣିଚି ମୁଁ ତୋର କଥାସବୁ, ମାରିଲୁ, କିପରି ତୁହି ମାରିବୁ ପକ୍ଷୀକି ।
ମୁରାସୁର- ଦେଖ୍ ଏହି ବ୍ରହ୍ମଶକ୍ତି, ମୁକ୍ତି ନାହିଁ ଏହା ମୁଖୁ ତୋର ।
ସାମାନ୍ୟ ଲୋକକୁ ମୁହିଁ ନ ମାରେ ଏ ଅସ୍ତ୍ର,
ତୋର ବଳେ ନୃସିଂହ ମାରୁଛି ମୋର ସେନା
ଜାଣେ ବିଷ୍ଣୁ ସେହି କୃଷ୍ଣବଲ୍ଲଭର ପୁଅ
ନ ମରିବ ସେହି ପୁଣି ସହଜେ ଅମର ।
ମୁହିଁ ମଧ୍ୟ ନ ମରିବି ଶୂଳପାଣି ବରେ ।
ଆଗେ ତୋତେ ମାରିଲେ ସରିବ ସବୁ ଲଟ
କ୍ଷଣେ ଆଉ ବଞ୍ଚି ରହ ଦୁଷ୍ଟ !
ଗରୁଡ଼- କିମ୍ପା ନିଶାଖିଆ ପରି ବକୁ ଏଣୁତେଣୁ
ଦେଖ ଫଳେ କେ କାହାକୁ ମାରୁଚି ରଥରେ ।
ଥିଲେ ପ୍ରଭୁଙ୍କ ଆଦେଶ କେତେବେଳୁ ମାରି ତୋତେ ମୁହିଁ
ମାଡ଼ିଥାନ୍ତି ବଡ଼ବା ଅନଳେ ।
ଆଚ୍ଛା, ଯୁଝ ଥରେ ମାତ୍ର ଆଉ । (ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
(କର୍ଣ୍ଣାଟେଶ୍ୱର ଓ ମନ୍ତ୍ରୀର ପ୍ରବେଶ)
କର୍ଣ୍ଣାଟେଶ୍ୱର- ହେ ମନ୍ତ୍ରୀ ସୁଜାଣ ! ଦେଖିନାହିଁ କେବେ ଏଡ଼େ ଅଦଭୁତ ରଣ
ଯେତେ ଯେତେ ଅସ୍ତ୍ର ମାରୁଅଛି ମୁରାସୁର
ସେ ସମସ୍ତ ନ ଆସୁଣୁ ଆଗୁଁ ଧରି ଭାଙ୍ଗି ପକାଏ ଗରୁଡ଼
ଯେଉଁ ବାଣମାନ ଥିଲା ନନ୍ଦିଘୋଷେ
ତାହାସବୁ ମାରି ମାରି ଥକିଲେଣି ପ୍ରଭୁ
ଛେଦନ୍ତେ ରାକ୍ଷସ ଶିର ପୁଣି ଲାଗିଯାଏ
ଏପରି ଅନେକବାର କାଟିଲେଣି ମୁଣ୍ଡ, ପୁଣି ଲାଗଇ କନ୍ଧରେ !
ନିରୁପାୟ ହେଲେଣି ଶ୍ରୀହରି । କି କରିବା କହ ମନ୍ତ୍ରୀମଣି ?
ମନ୍ତ୍ରୀ- ମୁହିଁ ମଧ୍ୟ ତାହା ଦେଖି ହେଲିଣି ତାଟକା !
ଗିରି ଶିଖୁଁ ବାରିଧାରା ବହଇ ଯେସନ
ତେସନ ଦାନବ ଦେହୁ ବହେ ରକ୍ତଧାର ।
ଏତେ ତାର ଟାଣ ଜୀବ ତେବେହେଁ ନ ମରେ ଦୁଷ୍ଟଦୈତ୍ୟ ।
କର୍ଣ୍ଣାଟେଶ୍ୱର- ଆସ ମନ୍ତ୍ରୀ ! ଆଉ ଭାବି ଏତେବେଳେ ନାହିଁ କିଛି ଫଳ
ଆସ ପ୍ରାଣପଣେ ନୃସିଂହଙ୍କୁ କରିବା ସାହାଯ୍ୟ ।
ଦେଖ, ଶର ଧୂମକେତୁ ସମ ଦେଖାଯାଏ ଗଗନପଥରେ
ଯେବେ ଏଥରକ ବଞ୍ଚିଯାଏ ମୁରାସୁର ବୃଥା ମୋର ରାଜ୍ୟଲାଭ ଆଶା ।
ମନ୍ତ୍ରୀ- ଆସ ରାଜା, କର ନାହିଁ, ନିଶ୍ଚେ ମରିବ ରାକ୍ଷସ ପ୍ରଭୁଙ୍କର ହାତେ; ତିନିପ୍ରହର ଆୟୁଷ ଅଛି ଆଉ ତାର ।
(ଉଭୟଙ୍କର ପ୍ରସ୍ଥାନ)
(ଯୁଦ୍ଧ କରୁ କରୁ ମୁର ଓ ନୃସିଂହଙ୍କ ପ୍ରବେଶ)
ମୁରାସୁର- ନ ପାରିବୁ ମାରି ଦ୍ୱିଜ ଟୋକା !
ଏପରି ଯଦ୍ୟପି ମୃତ୍ୟୁ ହୁଅନ୍ତା ମୋହର କେତେଦିନୁ ସାରନ୍ତୁଣି ମାରି;
ମୋର ମରଣ କାରଣ ଶୁଣରେ ମାନବା ନାରାୟଣ !
ଗୀତ- (କାହିଁ ଅଛୁ ହାତୀଚଢ଼ା...ବୃତ୍ତେ)
ମୋତେ ନାରାଚରେ ଦ୍ୱିଜ ନ ପାରିବୁ ମାରି,
ଏହା ହେଲେ ଆଜଯାଏ ଥାଆନ୍ତି କିପରି ।
ଲାଜ ନାହିଁ ତୋତେ ରେ, ଦମ୍ଭ ତେଜ ହେଜ କଥା ଚିତ୍ତରେ ।୧।
ଚଉଦବ୍ରହ୍ମାଣ୍ଡେ ଜାଣ ମୁହିଁ ଚକ୍ରବର୍ତ୍ତୀ,
ହୋଇ ମୁଣ୍ଡେ ମଣ୍ଡିଚି ଦେଖରେ ରାଜଛତ୍ରୀ ।
ସେବନ୍ତି ମୋ ପଦରେ ତେତ୍ରିଶକୋଟି ବିବୁଧବୃନ୍ଦରେ ।୨।
ହର ବରେ ଅମର ଅଟଇ ଜାଣ ମୁହିଁ ।
ବ୍ରହ୍ମ ପ୍ରଳୟ ପର୍ଯ୍ୟନ୍ତ ରହିବଇଁ ଜୀଇଁ ।
ତୋ ସହିତେ ରଣରେ, କରି ପୂତ ହେଲି ନାରାୟଣ ରେ ।୩।
ସତରଲକ୍ଷ କୁମର ଭାଇକି ଯେମନ୍ତେ ।
ମାରିଚୁ ତେମନ୍ତ ପ୍ରାୟେ ନ ମଣ ରେ ମୋତେ ।
ତୁ ମାନବା ହରି ରେ । ବୋଲି ବାଦୀ ହୋଇଛୁ ଶ୍ରୀହରି ରେ ।୪।
ସହସ୍ରପଦ ବିଷ୍ଣୁର ଯେଦିନ ଦେଖିବି,
ସେହି ଦିନ ଜାଣ ଏ ପିଣ୍ଡକୁ ଉପେକ୍ଷିବି ।
ନୁହେ ତା ସହଜରେ, ରସେ ଭାଷେ ବଇଷ୍ଣବ ଦ୍ୱିଜରେ ।୫।
ନୃସିଂହ- ରେ ଦୁଷ୍ଟ ଦାନବ, ରଖ ରଖ ତୋ ବଡ଼ାଇ,
ନାହିଁ ବେଶି କ୍ଷଣ ଆଉ ଆୟୁଷ ତୋହରି ।
ଏବେ ମରିବାକୁ ସଜ ହୁଅରେ ଦନୁଜ !
ମୁରାସୁର- ରେ ମାନବାବିଷ୍ଣୁ !
ପ୍ରକୃତ ବିଷ୍ଣୁକୁ ଯେବେ ଦେଖିଥାନ୍ତି ଡୋଳେ
ନ ଥାନ୍ତା ଏ ଘଟେ ପ୍ରାଣ ମୋର
ଜାଣେ ମୋ ଡରେ ସେ କ୍ଷୀରସିନ୍ଧୁ ଗର୍ଭେ ଅଛି ଲୁଚି
ଧରି ତୁହି ବିଶ୍ୱରୂପ ମୋ ହୃଦୟେ ମାଇଲୁ ବିଧାଏ
କେତେ କେତେ ପରବତେ ନେଇ କଚାଡ଼ିଲୁ
ଛେଚି ଛେଚି ବଙ୍କା କରି ନ ପାରିଲୁ ଏକ ଲୋମ ମୋର ।
ନଷ୍ଟ ହେଲା ଦେହକଣ୍ଡୁ ମାତ୍ର;
କାହିଁପାଇଁ ବିଷ୍ଣୁ ବୋଲି ଭଣ୍ଡୁ ମୋର ଆଗେ ?
ଫିଙ୍କିଦେଲୁ ଅନ୍ତରୀକ୍ଷେ ତଳେ ମୁହିଁ ପଡ଼ିବାର କାଳେ ପାତାଳକୁ ଫୁଟିଲା ବିଳେକ;
ନ ମରି ତହିଁରେ ମୁହିଁ ଆସିଅଛି ଉଠି ।
କେତେ କେତେ କଥାରେ ତୁ ହେଲୁ ପରାଜିତ
ତଥାପି ନ ମେଣ୍ଟେ ଦୁଷ୍ଟ, ରଣତୃଷ୍ଣା ତୋର ?
ଇଚ୍ଛା ଥିଲେ କର ରେ ସମର ।
ନୃସିଂହ- ରେ ରାକ୍ଷସ ! ଏ ବାଣମୁଖରୁ ତ୍ରାଣ ନାହିଁ ତୋର ଆଉ । ଆରେ ଆରେ ମହାକାଳବାଣ, ଯାଇ ଶୀଘ୍ର ରାକ୍ଷସର କାଟିପକା ମୁଣ୍ଡ ।
(ରଣବାଦ୍ୟ, ମୁରର ଶିରଚ୍ଛେଦନ)
ମୁରାସୁର- (ପୁଣି ଶିର ଲାଗନ୍ତେ) ହାଃ ହାଃ ହାଃ,
ମଧୁଫଣାମଧ୍ୟୁ ମଧୁମକ୍ଷିକା ପରାୟେ
ଯେତେ ଶର ମାରୁ ମୋ ଦେହକୁ କରି ଲକ୍ଷ୍ୟ
ସେ ସମସ୍ତ ପୋଛିଦେଉଚି ମୁଁ ଚାହୁଁ ଚାହୁଁ ।
ମୋତେ ମାରିବାର ଆଶା ପୋଷିଅଛୁ କିମ୍ପା ?
ମାନି କଥା ଫେରି ଯା ଘରକୁ ।
ନୃସିଂହ- ହେ ମାତଳି ! କି ଉପାୟ କରିବି ଏଥର ? ଶତେବାର କାଟିଲି ମୁଁ ମୁରାସୁର ଶିର, ନ ଫେରୁ ନିଶ୍ୱାସ ଫେରି ଲାଗେ କନ୍ଧେ ମୁଣ୍ଡ, କ୍ରମେ କ୍ରମେ ତୁଟିଲାଣି ବଳ ।
ଗୀତ- (ଧୀରେ ଘେନ ଧୀରେ ବ୍ରଜେଶ୍ୱରୀ....ବୃତ୍ତେ)
ହେ ସାଥି ମୋ ଭାରତୀ ଶୁଣ, ନ କରିବି ରକ୍ଷ ତୁଲେ ରଣ ।
ବାର ବାର ବାରତିଲା ବାଣ ମୁଖୁ, କରତି ହୁଏ ଏ ଚିତ୍ତ ଜାଣ ।
ଛାଡ଼ିଦେବି ଯାଉ, ଧରତୀରେ ଏ ଅମର ହୋଇ ଥାଉ ।୧।
ଦେବଙ୍କ ସଞ୍ଚିତ ବାଣ ଯେତେ, ମାଇଲି ନ ମଲା ଏ କିଞ୍ଚିତେ ।
ବଞ୍ଚିତ ହେଲିଣି ସବୁ ଭରସାରୁ, ଅଛି ଯେବେ କିଛି କହ ମୋତେ ।
ସୁଚିତ୍ତରେ ଥରେ । ଅସୁରକୁ ସଂହାରିବି ଉଚିତରେ ।୨।
ଚାଳିଶ ଲିତା ପ୍ରହର, ମାରୁ ମାରୁ ହୋଇଗଲେ ପାର ।
ମୋହର ପ୍ରତିଜ୍ଞା ହେବ ନିଶ୍ଚେ ବୃଥା, କହିଚି ଦେବଙ୍କୁ ସତ୍ୟ ଗିର ।
ଦୈତ୍ୟନାଥେ ନାଶି, ମେଣ୍ଟାଇବି ଦେବତାଙ୍କ ଦୁଃଖରାଶି ।୩।
ଦେଖୁ ଦେଖୁ ହେଲା ତିନିଦିନ, ଯୁଝଇ ମୋ ତୁଲେ ଯାତୁଧାନ ।
ଏକାକୀ ସେ ଥକା କଲାଣି ଜୀବକୁ, ଏ ରସେ ଭାଷେ ବଇଆ ଦୀନ ।
ମାରି ମୁରାସୁରେ, ପ୍ରଭୁ ମୁରାରି ନାମକୁ ରଖ ମରେ ।୪।
ମାତଳି- କି ନ ଜାଣ ନାରାୟଣ, ପଚାର ଭୃତ୍ୟକୁ,
ପାଳୁଅଛ ସତ୍ୟେ ତ୍ରିଜଗତ ନିଜେ ନିଜ ସତ୍ୟ ପାଳି
ମାରନ୍ତୁ ଦୁଷ୍ଟେ ସହସ୍ର ପରକାଶି ।
ସେ ପାଦ ଦେଖନ୍ତେ ରଡ଼ି ଛାଡ଼ିବ ଦାନବ;
ବିଧିବାକ୍ୟ ହେବ ନାହିଁ ଆନ ।
ନୃସିଂହ- ଯାହା ବୋଇଲ ମାତଳି, ଅଟେ ତାହା ସତ୍ୟ ।
ମୁହିଁ ଯଦି ମୋର ସତ୍ୟ ରହିବି ନ ପାଳି ନ ରହିବ ସତ୍ୟର ମାହାତ୍ମ୍ୟ;
କେହି ତିଳେ ତ୍ରିଜଗତେ ନ ପାଳିବେ ସତ୍ୟ ।
ହେବି ଯେଉଁ ସହସ୍ରଚରଣ, ବଡ଼ ଅଗମ୍ୟ କଥା ସେ ଅଟେ ସଂସାରକୁ ।
କିନ୍ତୁ ଦେବତାଙ୍କ ହିତେ ଧରିବି ସେ ରୂପ
ସମସ୍ତଙ୍କୁ ଦେଖାଦେବି ବିଷ୍ଣୁ ସ୍ୱରୂପରେ;
ମୁରକୁ ଦିଶିବ କିନ୍ତୁ ପ୍ରତ୍ୟକ୍ଷରେ କାଳ ।
(ସହସ୍ରଚରଣ ଧାରଣ)
ମୁରାସୁର- ହାୟ, ହାୟ, ଏ କି ବିଶ୍ୱରୂପ ଆଜି ଧଇଲା ନୃସିଂହ,
ଗୋଟି ଗୋଟି ଗଣି ଦେଖେ ମୁହିଁ;
ଓହୋ, ଏ ଯେ ସହସ୍ର ଚରଣ, ନାହିଁ ଏକ ଗୋଟି ଊଣା
(ରଡ଼ି ଛାଡ଼ି) ହେଲା ରେ ହେଲା ରେ ମୃତ୍ୟୁକାଳ ଉପସ୍ଥିତ
ମୋର ନାହିଁ ଆଉ ଆଶା;
ପ୍ରକୃତରେ ଏହି ବିଷ୍ଣୁ ବଇକୁଣ୍ଠପତି,
ହେ ନାରାୟଣ ! ରଖିବ କି ଦାସ ନିବେଦନ
ଗୀତ- (ଆସ ଆସ ମୋ କୋଳକୁ ବାରେ....ବୃତ୍ତେ)
ପଦ୍ମଚରଣ ଦେଖା ତୋ ପଦ୍ମଚରଣ ହେ
ତେବେ ମରି ହେବି ଏ ସଂସାରୁ କାରଣ ହେ ।ପଦ।
ଯେବଣ ଚରଣ-ଚିହ୍ନ, ଯୋଗିଜନଙ୍କର ଧନ ।
ଯା’କୁ ଚିତ୍ତେ ଚିନ୍ତି ତରିଥିଲା ବାରଣ ହେ ।୧।
ଯେ ଚରଣୁ ଗଙ୍ଗାନଦୀ, ବହେ ହିମାଚଳ ଭେଦି ।
କରେ ପାପୀ ପାପତାପ ହେଳେ ହରଣ ହେ ।୨।
ଯେ ପଦ ଧ୍ୟାୟି ଶଙ୍କର, ଆପଦ, କରିଲେ ଦୂର ।
ଦେଖି ଡରିଲା ତାହାଙ୍କୁ ସଦା ମରଣ ହେ ।୩।
ମୋତେ ସେ ପଚୟର ଦେଖା, ଛତ୍ର ପ୍ରାୟେ ଗୋତ୍ରସଖା ।
ବଇଷ୍ଣବ ବୋଲେ ଯାଉ ଏହି ପରାଣ ହେ ।୪।
ନୃସିଂହ- ଆରେ ମୁରାସୁର ! ଦେଖିବୁ ଯଦ୍ୟପି ଇଚ୍ଛା ସେହି ପଦ ମୋର-ଛତ୍ରାକାରେ ଦେଲି ତୋ ମସ୍ତକେ; ଚାହାଁ ଚାହାଁ ବେନି ନେତ୍ର ଫେଡ଼ି ।
(ପାଦ ମୁର ମସ୍ତକେ ଟେକନ୍ତେ ଦୈତ୍ୟର ବିଶ୍ୱରୂପ ପ୍ରକାଶ)
ମୁରାସୁର- ଶ୍ରୀପତି, ଦେଖ ଦେଖ ବିଶ୍ୱମୂର୍ତ୍ତି ମୋର
ଦେଖିବି କେସନେ ମୋତେ ବଧିବୁ ଗୋବିନ୍ଦ !
ଚଉକେ ଚଉକେ ଯେଣୁ ବଢ଼ାଇବୁ ପାଦ
ଏ ପାଦରେ ମୋତେ ତେଣୁ ନ ପାରିବୁ ମାରି;
ଛତୁ ପ୍ରାୟେ ଓପାଡ଼ି ଫିଙ୍ଗିବି ପାଦଯାକ ।
ଦେଖିବି କେମନ୍ତେ ଦେବେ ହୋଇବେ ଭରସା ।
(ଚରଣ ଓପାଡ଼ିବାକୁ ଉଦ୍ୟତ)
ଦୈବବାଣୀ- ମାର ମାର ଅସୁରକୁ ଦେବ ନରହରି !
ଏଥର ବଞ୍ଚିଲେ ନ ରଖିବ ତିନିପୁରୀ ।
ଗତ ହୋଇଲାଣି ତିନି ପ୍ରହର ସମୟ
ଏହି କାଳେ ଦନୁଜକୁ ମାର ଦୟାମୟ !
ସହସ୍ର ପୟର ଟେକି ଦିଅନ୍ତୁ କଚାଡ଼ି
ଧୂଳି ସମ ଦୁଷ୍ଟ ଦୈତ୍ୟ ଶୂନ୍ୟେ ଯାଉ ଉଡ଼ି ।
ମୁରକୁ ବିନାଶି ନାମ ବୋଲାଅ ମୁରାରି
ରକ୍ଷାକର ରକ୍ଷାକର ବିବୁଧଙ୍କୁ ବିଶ୍ୱମୂର୍ତ୍ତି ଧରି ।
(ନୃସିଂହ ପାଦ ବୁଲାଇ ଦୈତ୍ୟକୁ ପିଟିବା । ଦୈତ୍ୟର ମୃତ୍ୟୁ । ବୀରବାଦ୍ୟ ଓ ପୁଷ୍ପବୃଷ୍ଟି)
(ବ୍ରହ୍ମାଦି ଦେବଙ୍କ ସ୍ତବ)
(ରାଗ-ବରାଡ଼ି)
ନମୋ ନମସ୍ତେ ଗୋବିନ୍ଦ, ଦେଖିଲୁ ସହସ୍ରପଦ
ମୁରଲାଗି ତରିଲୁଁ ସକଳେ ।
ଶୁଣିଥିଲୁଁ ବେଦେ ମାତ୍ର ପ୍ରତ୍ୟକ୍ଷେ ଦେଖିଲାନେତ୍ର,
ସଫଳ ହୋଇଲା ଜନ୍ମ ହେଳେ ହେ ।
ଆହେ ଚକ୍ରପାଣି ! ନକ୍ର ବିନାଶନ ନୀଳମଣି !
ଧନ୍ୟ ଧନ୍ୟ ମୁରାସୁର ଧନ୍ୟ ଜୀବନ ତୋହର
ତୋ ଭାଗ୍ୟ କେ ନ ପାରେ ବଖାଣି ହେ ।୧।
ଜାଣିଲୁ ଏ ପାଦ ବଳେ, ନ ଗଣୁ ତୁ କା’କୁ ତିଳେ
ଆମ୍ଭଙ୍କୁ ଚରଣେ ଖଟାଇଲୁ ।
ସହସ୍ର ବଦନ ବେଳେ ସହସ୍ର ନୟନ ଚିହ୍ନି
ଏବେ ବଇକୁଣ୍ଠେ ବିଜେ କଲୁ ରେ ।
ପାପୀ ବଇଷ୍ଣବ, ସତେ କି ସେ ପଦକୁ ପାଇବ ।
ଯେ ପଦକୁ ପାଇନାହିଁ ବିଧାତା ଧୋଇବାପାଇଁ
ତା ମହିମା କେ ତୁଣ୍ଡେ ଗାଇବ ସେ ।୨।
(ସମସ୍ତଙ୍କର ପ୍ରସ୍ଥାନ)