ପ୍ରସ୍ତାବନା
(ନଟୀର ଗୀତ ଗାଇ ପ୍ରବେଶ)
(କହ କହ ବନଲତା...ବୃତ୍ତେ)
ହର ହର ନରସିଂହ ତାର ତାର କଷ୍ଟ ଘୋର,
ହେ ପରମାନନ୍ଦ ପରା ନାହିଁ ତୋର ପରାପର ।ଘୋଷା।
ପାରାବାର-ସୁତାପତି ବିନାଶ ମହାବିପତ୍ତି
ବି-ପତିବାହନେ ଚଢ଼ି ଭ୍ରମ ଏ ସଚରାଚର ।୧।
ମୁର ଦାରୁଣ ବିନାଶ କାରଣେ ତୋ ଅବତଂସ
ଦ୍ୱିଜକୁଳେ ଭୁଜବଳେ ମାରିଚ କେତେ ଅସୁର ।୨।
କମଳା ଇଳା ବିଳାସ ହେଳେ ହେଲ ବେନି ଅଂଶ
ନାମ ଶ୍ରୀ ନୃସିଂହ ଧ୍ୱଂସ କଲ ମହୀଭାର ।୩।
ସେ ଯଶ ଘୋଷିବାପାଇଁ ସାହସ କରିଛି ମୁହିଁ
ବୈକୁଣ୍ଠବିହାରୀ ବଇଷ୍ଣବେ ମନୁ ତ ପାସୋର ।୪।
ନଟୀ- କେଣେ ଗଲେ ଏତେବେଳେ ନଟ, ହଟ କି ବା ସାଧନ୍ତି ମୋ’ଠାରେ ।
ଝଟ୍କରି ଅଇଲି ବାହାରି ରଙ୍ଗସ୍ଥଳେ,
ନଟବର ଶ୍ୟାମଳବରନତନୁ ହୃଦେ କରି ଧ୍ୟାନ,
ଦେଖାଇବି ବୋଲି ଲୀଳାବିନୋଦଙ୍କ ଲୀଳା
ସଭାସ୍ଥିତ ଭଦ୍ରମଣ୍ଡଳୀଙ୍କୁ ତାଙ୍କରି ସାହାଯ୍ୟେ,
ରଙ୍ଗ କି ଦେଖନ୍ତି କାହିଁ ଲୁଚି ଠିଆହୋଇ !
ନଟ- (ପ୍ରବେଶି) ମହୀମହିଳାମୁକୁଟହୀରା ! ତୁମ୍ଭେ ଭୁଲାଇ ପାର ଜଗତ ଅପାଙ୍ଗଛଟକେ, କେଉଁ କାର୍ଯ୍ୟ ଅଛି ନଟଠାରେ, ଭାଷ ଶୀଘ୍ର ନାଶ ମନକଷ୍ଟ ।
ନଟୀ- ପ୍ରିୟବର ! ଆଜି ଏ କି କହ ନୂଆ କଥା ? ନ ଜାଣ କି ଦାସୀର ଅନ୍ତର । ଆଜକୁ ଅନେକଦିନ ପୂର୍ବେ କହିଥିଲି ଏକାନ୍ତରେ ବସି ମୁରାସୁର ଦିଗ୍ବିଜୟ, ଲକ୍ଷ୍ମୀ ଲାଖବିନ୍ଧା, ଦୁଇଖଣ୍ଡି ଦୃଶ୍ୟ-କାବ୍ୟ ଲେଖିବାନିମନ୍ତେ, ତା’ କି ହୋଇନାହିଁ ଶେଷ ଆଜଯାଏ ?
ନଟ- ପ୍ରିୟେ ! ପୂର୍ଣ୍ଣ ହୋଇଛି ତା ନୃସିଂହଙ୍କ କୃପାବଳୁ ।
କିପାଁ ଏତେବେଳେ ତାହାପ୍ରଶ୍ନ କଲ ମୋତେ ?
ନଟୀ- ନାଥ ! ସେହି ଦୁଇଖଣ୍ଡିରୁ ଖଣ୍ଡିଏ ମହାଲକ୍ଷ୍ମୀ ଲାଖବିନ୍ଧା ଗୀତିନାଟ୍ୟଭାବେ ଦେଖାଇବା ଏହି ରଙ୍ଗମଞ୍ଚେ । ଧନ୍ୟ ଧନ୍ୟ କବିକୁଳରବି ପୀତାମ୍ବର, ଋଷିକୁଲ୍ୟାତଟେ ମଠ କରି, ସେହି ଜଳ ବାୟୁ କରି ପାନ, ରଖିଯାଇଛନ୍ତି ଉତ୍କଳଭଣ୍ଡାରେ ନୃସିଂହଗ୍ରନ୍ଥ ନାମରେ ଅମୂଲ୍ୟ ରତନ ।
ନଟ- ପ୍ରିୟେ ! ପାରିଛି ମୁଁ ଏତେଦିନେ ଚିହ୍ନି, ନୁହ ତୁମ୍ଭେ ସାମାନ୍ୟ ବିଦୂଷୀ, ଗୁଣୀ ଏକା ଚିହ୍ନଇ ଗୁଣିକେ, ନିର୍ଗୁଣ ନୀରସ ଜନ ଚିହ୍ନିବ ତା କାହୁଁ ? ପୁରାଣ-ରଚକ କବି ବିପ୍ର ପୀତାମ୍ବର ନୁହନ୍ତି ମାନବ ସେହୁ ନିଶ୍ଚେଁ ଦେବଅଂଶ, ତୁମ୍ଭେ ତାଙ୍କୁ ପାରିଅଛ ଚିହ୍ନି, ଯେ କରିଛି ପାଠ ଥରେ ତାଙ୍କ ବିରଚିତ ସପତସାଗର ନୃସିଂହ ପୁରାଣ, ଆଦ୍ୟଠାରୁ ଶେଷଯାଏ, ଗୃହେ ବସି ଅର୍ଜ୍ଜିଛି ସେ ଅମରସମ୍ପଦ ।
ନଟୀ- ନାଥ ! ସେହି ହେତୁ ପାଞ୍ଚିଛି ଚିତ୍ତରେ, ତୁମ୍ଭ ପରି ଆଧୁନିକ ଯୁଗର ଲେଖକ ଯଦ୍ୟପି ସେହି ସାଗରଗରଭ ମଧ୍ୟରୁ ଉଦ୍ଧାର କରିଣ ରତ୍ନମାନ ସାହିତ୍ୟ-ସୂତ୍ରରେ ବସି ଗୁନ୍ଥିଣ ତାହାକୁ ବାଣ୍ଟିବ ଏ ଉତ୍କଳକ୍ଷେତ୍ରରେ, ନିଶ୍ଚୟ ଦର୍ଶକେ ନେଇ ସେ ମାଳାକୁ ବଳେ ପିନ୍ଧିବେ ଗଳାରେ ହାର କରି । ଚାଲ ନଟ, କର ନାହିଁ ଡେରି, ଉଭୟ ମିଳିଣ ସେହି ନୃସିଂହ ଶେଷ ସ୍ୱରୂପ ହୃଦେ କରି ଧ୍ୟାନ, ଉପଗତ ହେବା ରଙ୍ଗମଞ୍ଚର ଉପରେ ।
(ଉଭୟେ କର ଯୋଡ଼ି ନେତ୍ର ମୁଦ୍ରିତ କରି)
ଗୀତ- (ଜଣାଯାଉନାହିଁ ଆଉ ସ୍ନେହ ଥିଲା ପରି...ବୃତ୍ତେ)
ଆସ ଆସ ହେ ନୃସିଂହ, ଶେଷ କଣ୍ଠେ ବସ ।
ନାଶ ନାଶ ଭୟ ମନ ଜ୍ୟୋତିଃରୂପେ ପରିକାଶ ।ପଦ।
ମନସୂତ୍ରେ ମନେ ଘେନ ଗୁନ୍ଥିଛୁଁ ଭକ୍ତି-ସୁମନ
ସେ ସୁମନମାଳ ପଦେ ଦେବାକୁ ବଳିଛି ଆଶ ।୧।
ରସାରେ ଭରସା ତୁମ୍ଭେ ନ ହସା ଭଗାରି ଠାବେ,
ବରଷ ବାରେ ନୀରସ ହୃଦକ୍ଷେତ୍ରେ ଘନରସ ।୨।
କୃପା ପରଶୁ ପଥରେ ପରଶ ଏ ଦେହ ଥରେ
ହରଷରେ ସରସରେ ପୂର୍ଣ୍ଣ ହେବ ଅଭିଳାଷ ।୩।
କରୀ ହରିଣୀ ବିପତ୍ତି ହରିଛ ହେ ଶିରୀପତି
ରଖ ଏ ଆପତ୍ତି ବିପ୍ର ବଇଷ୍ଣବ ତବ ଦାସ ।୪।
(ଉଭୟର ପ୍ରସ୍ଥାନ)
(ରାଜପଥ- ସଖୀଗଣ ଫୁଲଡାଲା ହସ୍ତେ ଗୀତ ଗାଇ ପ୍ରବେଶ)
(ଆସ ଗୋ ବାଳିକାମାନେ...ବୃତ୍ତେ)
ଆସ କମଳେ ଫୁଲବନେ ପୁଲକ ମନେ ।ଘୋଷା।
ହୋଇଣ ଗେଲ ତୋଳିବା ଫୁଲ ଗୋ ଗୁନ୍ଥିବା ମାନସ ଯତନେ ।୧।
ପକ୍ଷୀଙ୍କ ଗୀତ ଶୁଣିବା ମିତ ବୁଣିଦେବ ସୁଧା କାନେ ।୨।
ମୋହଇ ଚିତ୍ତ ବହି ବସନ୍ତ ସନ୍ତପ୍ତ ବିରହୀ ଜନେ ।୩।
ନୀରସ ତରୁ ପଲ୍ଲବେ ଦୂରୁଁ ଦେଖ ବଇ ଭାଷେ ଘନେ ।୪।
୧ମ ସଖୀ- ବରୁଣବାଜବାଳା, ଆଜି ଫୁଲବନକୁ ବୁଲିଯିବ ନାହିଁ କି ? ସକାଳୁଆ ସିନା ଫୁଲବଗିଚାରେ ବୁଲିବାଟା ସୁଖ, ଖରାପଡ଼ିଲେ ପରା ଫୁଲର ତୋରା ଚାଲିଯିବ, ବାସ ତୁଟିଯିବ ।
୨ୟ ସଖୀ- ଯା କହିଲ ମିତ ସେ କଥା ସତ । ପ୍ରଭାତରେ ଫୁଲସବୁ ଫୁଟି ବାସ ମହମହ ହୋଇ ଚାରିଦିଗକୁ ଛୁଟିଯାଏ । ସୂର୍ଯ୍ୟତେଜ ପଡ଼ିଲେ ସେ ବାସ ରହେନା । ଆଜି କମଳାଙ୍କର କଣ ନିଦ ଭାଙ୍ଗିନାହିଁ ?
(ହଂସିନୀ ଦାସୀସହ ଲକ୍ଷ୍ମୀ ପ୍ରବେଶି)
ଲକ୍ଷ୍ମୀ- କି ସଖୀଗଣେ ! ଏଡ଼େ ଝଟଝଟିଆରୁ କାହିଁକି ଡାକଛାଡ଼ିବ ମ ? ରାତିରେ କଣ ଶୋଇନଥିଲ?
୧ମ ସଖୀ- ଜେମାମଣି ! ତମ ନିଦ ପରି କଣ ଆମମାନଙ୍କ ନିଦ ! ବଡ଼ଘର ଝିଅ, ବଡ଼ଘର ଦିଅଁ, ବଡ଼ଗଛର ଶିଅ, ବଡ଼ଲୋକଙ୍କ ମୁହଁ- ସେ କଣ ଛୋଟଘରେ ଅଛି ? ବଡ଼ଙ୍କର ସବୁ ବଡ଼।
୨ୟ ସଖୀ- ଜେମା ଆମର ତ ଆଜିଠଉଁ ଏତେ ଶୋଇଲେଣି, ନୂଆ ବର ପାଇଲେ ତ ତେଣିକି ପ୍ରେମନିଦ ବେଶି ମାଡ଼ିବ । ଚାଲ ସେ ସବୁକଥା ପଛେ ପଡ଼ିବ, ଆଗେ ବନବିହାର କରିବା ଚାଲ ।
ଲକ୍ଷ୍ମୀ- ହଂସିନୀ ! ସଖୀମାନେ ମୋତେ ଏତେ ଛଳେଇ କହୁଚନ୍ତି । କାଲି ପରା କଥା ହୋଇଥିଲା- ପ୍ରଭାତରୁ ବନବିହାରକୁ ଯିବାକୁ ? ତୁ ଟିକିଏ ମତେ ଧଅସି ଉଠେଇଦେଲୁ ନାହିଁ ?
ହଂସିନୀ- ମଲା ମଲା, ଜେମାଦେଈ ବୁଝିପାରୁନାହଁ କି ? ମୁଁ ପରା ସବୁବେଳେ ବଡ଼ଙ୍କ ପାଖରେ ରହି ରହି ବଡ଼ହୋଇଗଲିଣି, ସେ ନିଦ କଣ ମୋର ଭାଙ୍ଗିଲା କି । କଥାରେ କହନ୍ତି ନା ମାହାନ୍ତି ଗାଁ ମାହାନ୍ତି, ମାହାନ୍ତି ପାଖରେ ଥାଇ ମାହାନ୍ତି । ଏ କଥା ସେଇୟା । ଯାହା ତ ବଣା ହବାର ହେଲାଣି, ଏବେ ଚାଲ ଫୁଲବନକୁ ଯିବା ।
ଲକ୍ଷ୍ମୀ- ହଉ ତେବେ ଚାଲ, ଆଉ ଡେରି କାହିଁକି ? (ସମସ୍ତଙ୍କର ପ୍ରସ୍ଥାନ)
(ହଠାତ୍ ଦୁଇଜଣ ବନରକ୍ଷକଙ୍କର ପ୍ରବେଶ)
୧ମ- ଆରେ ଭାଇ ! ଚାହିଁଲୁ ଏମାନେ କିଏ ଏଣେ ଆସୁଛନ୍ତି ।
୨ୟ- ଆରେ ଭାଇ, ଏ ତ ବଡ଼ଘର ଝିଅ ବୋହୂଙ୍କ ପରି ଦିଶୁଛନ୍ତି ।
୧ମ- ଆଚ୍ଛା, ବଡ଼ଘର ମାଇପେ ବୋଲି ଏତେ ଦୂରୁଁ ଜାଣିଲୁ କେମନ୍ତେ ?
୨ୟ- ତାଙ୍କର ପରା ଠାଣି-ମାଣିରୁ ଜଣାପଡ଼ିଯାଏ ଭାଇ ! ଏକା ବିଧାତା ତାଙ୍କରିଠାରେ ରଖିଛି ମୋହିନୀ ।
୧ମ- ଆରେ ଗରିବ ଧନୀରେ ଫରକ୍ କଣ ମୋତେ ଦେଖା ?
୨ୟ- ଗରିବଙ୍କର କଚା, ବଡ଼ଲୋକଙ୍କର ପରା ପକା; ଶୁଉଣୁ ଯା ଅଛି ଲେଖା ।
ଗୀତ- (ସକାଳୁଁ ଯାଇଚୁ...ବୃତ୍ତେ)
ଖାଲି ଖାଇଲେ ନାଇଲେ ବଡ଼ଘର ବୋହୂ ନ ହୁଅନ୍ତି ଭାଇ ରେ ।
ଚାଲିଚଳଣରେ ଫରକ ତରକ ନ କରିବୁ ତୁହି ରେ ।ପଦ।
ଗରିବଙ୍କ ମନ ଜାଣି ଯାଚି ଧନ ଦେଉଥାନ୍ତି ବୋହି ରେ ।
ନ ଥାଏ ଗରବ ସହନ୍ତି ସରବ ଯେଉଁପରି ମହୀ ରେ ।୧।
ଜୀବ ପ୍ରତି ଦୟା ଥାଏ ତିଳେ ମାୟା ନ ବହନ୍ତି କାହିଁ ରେ ।
ନିଜ ଆତ୍ମା ପରା ମଣନ୍ତି ଅପର ଆତ୍ମାକୁ ତ ସେହି ରେ ।୨।
ଅଳସ ବିଳାସ ଥାଏ ନାହିଁ ଲେଶ ପରହିତ ପାଇଁ ରେ ।
ଆପଣା ପ୍ରାଣକୁ ତୁଚ୍ଛ ମଣୁଥାନ୍ତି କହିଲି ହେଜାଇ ରେ ।୩।
ଏହି ହାବଭାବ ଯାହାଠାରେ ଥିବ ତାହାକୁଟି ତୁହି ରେ ।
ଚିହ୍ନିବୁ ମାନିବୁ ସବୁବେଳେ ସବୁକାଳେ ଭାଷେ ବଇ ରେ ।୪।
୧ମ- ଆରେ ହେ, ମୁଁ ତୋତେ ରାମାୟଣ କଥା ପଚାରୁଚି, ତୁ ଯାଇ ହରିବଂଶରେ ଉଠିଲୁଣି । ମତେ କହନି ଏଥିରେ ଆଗଜଣକ କିଏ ?
୨ୟ- ଆରେ, ଆଗଜଣକ ଆମ ବରୁଣ ରାଜାଙ୍କ ଝିଅ, ତାଙ୍କ ନାଁ ପରମଲକ୍ଷ୍ମୀ । ତାଙ୍କ ଗୁଣ ଶୁଣିଚୁ, ଏ ବଡ଼ହେଲେ କେମନ୍ତେ ଜାଣୁ ? ଏ ପରା ଦୁନିଆର ଛପନକୋଟି ଜୀବଙ୍କୁ ନିତି ପଡ଼ିବାଣ୍ଟନ୍ତି ।
୧ମ- ଯା କହିଲୁ ଠିକ୍ । ଏତେବେଳେ ମୋ ମନ ମାନିଲା; ଯେ ଦିଏ ସେହି ବଡ଼, ଯେ ନିଏ ସେ ଛୋଟ । ହଁ ମନେପଡ଼ିଲା, ୟାଙ୍କରି ଫଳତୋଟା ଆମେ ଜଗିଚେଁ, ଚାଆଲେ ସେ ମଣ୍ଡପଖଣ୍ଡ ଝଡ଼ାଝଡ଼ି କରିଦେଇ ଆସିବା । କାଳେ ସେଠି ବସିବାକୁ ଯିବେ । (ଉଭୟର ପ୍ରସ୍ଥାନ)
(ଦାସୀଗଣ ସହ ଲକ୍ଷ୍ମୀଙ୍କର ପ୍ରବେଶ)
ହଂସିନୀ- ଜେମାମଣି ! ଦେଖିଲ, ଏ ଉପବନରେ କେମନ୍ତ ସୁନ୍ଦର ଫୁଲଗୁଡ଼ିଏ ଫୁଟିଚି ।
ଲକ୍ଷ୍ମୀ- ହଂସିନୀ ! କହିଲୁ ଏ କି କି ଫୁଲ, ମୋତେ ଏହାର ନାମ ଗୋଟି ଗୋଟି କରି ଚିହ୍ନାଇଁ କହ ।
ହଂସିନୀ- ରାଜବାଳା ତେବେ ଶୁଣ-
(ଶ୍ରୀରାଧା ବାତୁଳି ପ୍ରେମରସାତୁଳୀ...ବୃତ୍ତେ)
କୁଞ୍ଚିତ କୁନ୍ତଳା ବୁଝ ସୁଚିତ୍ତରେ ଏ କୁନ୍ଦ ସୁମନ କୁନ୍ଦଦନ୍ତି !
ମନ୍ଦହାସି ଗନ୍ଧହୀନ ଏ ଅଟଇ ଜବାଧରା ଜବାଫୁଲ ପନ୍ତି ।
କେଡ଼େ ଶୋଭା ଦିଶେ । ସୁରଙ୍ଗେ ନୟନ ମନ ତୋଷେ ।
ଗୋ ଆଳିମଣ୍ଡନା, ନିରେଖ ନିଆଳି ବେଢ଼ିଚନ୍ତି ଅଳି ଚଉପାଶେ ।୧।
ଦେଖ ଶିରିଷାଙ୍ଗୀ ଗିରୀଶଉରଜା ଶିରିଷ କୁସୁମ ଏହି ପରା ।
ପରଶି ରବିର କିରଣ ବରଷିଗଲେ ବାରି ତୁଟିଯାଏ ତୋରା ।
ବରବରନାରେ । ଅନା ବାରେ ଏ ତ ପାରିଜାତ ।
ତୋଷ ଏ ସୁମନେ ସଦା ସୁମନସେ ସୁମନେ ବିଚାର ଲୋକମାତ ।୨।
ଦେଖ ମଲ୍ଲୀହାସି ରସି ମଲ୍ଲୀଫୁଲେ ଭ୍ରମନ୍ତି ଭ୍ରମରେ ମେଳା ମେଳା ।
ମଧୁପାୟୀ ଶଙ୍ଖ ବାଇଲା ପରାୟ ଭ୍ରମରେ ବଜାନ୍ତି କରି ଲୀଳା ।
ନାହିଁ ଜ୍ଞାନ ତାଙ୍କ, ବିପରୀତେ ଯେହ୍ନେ ଫୁଙ୍କେ ଶଙ୍ଖ ।
ଗୁଣୁଗୁଣୁ ସ୍ୱର କି ମଧୁର ସୁଧା କି ଭୁଞ୍ଜଇ ଚିର ରଙ୍କ ।୩।
ଚାହାଁ ପଦ୍ମାଳୟା ଏହି ପଦ୍ମଫୁଲ ପଦ୍ମାକରେ ଫୁଟେ ଗୋଟି ଗୋଟି,
ଚହଟି ସୁବାସ ରେଣୁ ତୁଲେ ବୁଣିଦେଉଛି ନେଉଛି ଧୈର୍ଯ୍ୟ ଲୁଟି ।
ପଦ୍ମଚରଣା ରେ ! ମନ ନିବେଶିଛି ତପନରେ,
ନୀଳ ଜଳେ ଢଳ ଢଳ ଦୋହଲେଇ ଦୃଷ୍ଟିଅଛି ପଡ଼ି ଲପନରେ ।୪।
ନିରେଖ ସେବତୀ ବତିଶଲକ୍ଷଣା ଯୁବକ ଯୁବତୀ ଗଣ୍ଠିଧନ,
ଏଟି ଜାଈ ଯୂଈ ଦେଉଛି ବୁଝାଇ ବିକଶି ଶୋଭଇ ଉପବନ ।
ଚମ୍ପାବରନାରେ ! ବହି ଅନୁକମ୍ପା ଦେଖ ଥରେ,
ବଇଷ୍ଣବ ଚିନ୍ତି କେତକୀ ପାତକୀ ଏକା ଜାଣ ଇହଜଗତରେ ।୫।
ଲକ୍ଷ୍ମୀ- ହଂସିନୀ ଗୋ ! ଦେଖ ଦେଖ ଏ ଯେ ହଂସପନ୍ତି
ଚିତ୍ତବିନୋଦରେ ପ୍ରେମେ ହୋଇ ଉନମତ୍ତ
କ୍ରୀଡ଼ନ୍ତି ଦାମ୍ପତ୍ୟସୁଖ କରି ଅନୁଭବ ।
ହେବାରୁ ବସନ୍ତକାଳ ଜାଣି ପିକକୁଳ
ବସି ଚୂତମୁକୁଳମଣ୍ଡିତ ଶାଖା ପରେ
ପଞ୍ଚମେ ସଙ୍ଗୀତ ଗାଇ କରି ମାତିଛନ୍ତି ନିଜ ପ୍ରିୟା ତୁଲେ ।
ପଞ୍ଚଶରେ କେତେ ସରସରେ ଶୁକ ସାରିକାଏ ବସି କାହିଁ ମୁକା ମୁକା
ବିସ୍ତାରିଣ ନିଜ ପକ୍ଷ ଚିରନ୍ତି ଚଞ୍ଚୁରେ
କେତେବେଳେ ଉଡ଼ି ଉଡ଼ି କାନ୍ତା କାନ୍ତ ବେନି
ବସନ୍ତି କୋମଳ ତୃଣେ କାହିଁ ବୃକ୍ଷଶିଖେ ।
ହଂସିନୀ ଗୋ ! ଏହିପରି ନାନା ପକ୍ଷୀ ପକ୍ଷିଣୀକି ଘେନି
କେତେ ରଙ୍ଗେ କରନ୍ତି ବିହାର
ହୋଇ ବିହଙ୍ଗମ, ରଙ୍ଗରସ ଜାଣନ୍ତି ଏ କେତେ
ନିରେଖିଣ ଏହା, କେଉଁ ବିରହୀ ରମଣୀ ଧରିବ ପରାଣ
ତେଜି ମନୁ ରମଣଲାଳସା, ମନକଥା ନ ରଖି ଗୋପନେ
ବଳିପଡ଼ିବାରୁ କଷ୍ଟ କଲି ପରକାଶ ଆଗେ ତୋର
ଆବର ଶୁଣ ହଂସିନୀ ଅନ୍ତରବେଦନା ।
(ଗୀତ- କୀର୍ତ୍ତନସ୍ୱର)
ଭାସିଲି ଭାସିଲି ଦାସି ବିରହସାଗରେ ଗୋ ।
ଦଂଶିଲାଣି ମାର-ଅହି ମୋହର ଅଙ୍ଗରେ ଗୋ ।ପଦ।
ଜନମିଲି ରାଜକୁଳେ କେଉଁ ଦୁର୍ଯୋଗରେ ଗୋ ।
ଭଗାରି ହେଲେ ପିଅର କିମ୍ପା ମୋ ସଙ୍ଗରେ ଗୋ ।
ବର ଖଞ୍ଜିଲେ ନାହିଁ, ତାହା ଭାବି ଭାବି କ୍ଷୀଣ ହେଲା ଦେହୀ !
ସହି ସହିବ ଏ କଷ୍ଟ ନାରୀ କେହି, ଯୁବତୀକି ଯୁବା ଘଟାଇଛି ବିହି ।
ସଜା ଭୋଗିଲି ଯା ରାଜାଝିଅ ହୋଇ ।
କିଏ ଜାଣିବ ଜାଣିବ । ଦୁଃଖୀ ସିନା ଦୁଃଖୀ ଦୁଃଖ ଶୁଣିବ ।
ବିନା ଧନେ କେ ଧନୀ କେ କିଣିବ, ସିନା ଚୁମ୍ବକ ଲୁହାକୁ ଟାଣିବ ।
ବଇ ବୋଲେ ହୃଦ ଖୋଲି କହିଲି ଆଗରେ ଗୋ ।୧।
ହଂସିନୀ- ଶୁଣ ଲୋକମାତା, ଆଉ ନ ହୁଅ ଅଧୀରା
କୋଟିଏ ସୁଗୁଣ ପୂରିଅଛି ଅଙ୍ଗେ ତବ
ହସ୍ତେ ପଦ୍ମ ପାଦେ ପଦ୍ମ ଚିହ୍ନ ଦିଶେ ଫୁଟି
ସହଜେ ପଦ୍ମିନୀ ତୁ ଗୋ ଅଟୁ ନାରାୟଣୀ
ଜାଣି ତବ ମନଭାବ ତାତ କଲେ ହେଳା
ନିର୍ଭା କରି ମହାଲାଖ ନିଶ୍ଚିନ୍ତେ ରହିଲେ ।
ଏବେ ଯେବେ ବିବାହେ ବଳିଲା ତବ ମନ
ନିଶ୍ଚେ ଯତ୍ନ ତହିଁ ପ୍ରତି କରିବେ ରାଜନ,
ଷାଠିଏ ଲକ୍ଷ ନୃପତି ବରି ସାତଦ୍ୱୀପୁଁ ରଖାଇବେ ବାରିନିଧିପୁରେ
ବିନ୍ଧିବ ଯେ ମହାଲାଖ ବିଭା ହେବ ତୋତେ, ଏ କଥା ପୂର୍ବରୁ କହିଛନ୍ତି ବୃହସ୍ପତି ।
ଲକ୍ଷ୍ମୀ- ହଂସିନୀ ଗୋ, ସତ କରି କହ ମୋ ଆଗରେ,
ଷାଠିଏ ଲକ୍ଷ ରାଜାରୁ ହେବ କେ ମୋ ପତି ?
ଶୁଣିଲାବେଳୁଁ ଏ ଧୃତି କମ୍ପିଲାଣି ମୋର ।
ହଂସିନୀ- ଶୁଣ ରାଜଜେମା ! ପୂର୍ବେ ହେଙ୍ଗୁଳା ମାତାଙ୍କୁ ମନାଇଁ ସେବାରେ । ମୁହିଁ ପାଇଅଛି ବର । ବଳେ ମନ୍ତ୍ର ସିଦ୍ଧ କରି ବର ଦେଇ କହିଗଲେ ମାତା- ବୋଇଲେ ଏ ମନ୍ତ୍ର ପଢ଼ି ପାଞ୍ଚିବୁ ଯା ଚିତ୍ତେ ଏହି ପଟ ଗୋଟି ଧରି, ସେ ଚିତ୍ରକୁ ଦେଖିବୁ ଏ ପଟେ । ମୋତେ ଯେବେ ଆଜ୍ଞା ଦେବୁ ତୁହି ଦେଖାଇବି ଏହି ପଟେ ସେ ରାଜାମାନଙ୍କୁ ।
ଲକ୍ଷ୍ମୀ- ସଖି, ସତେ ଯେବେ ବର ତୁହି କରିଅଛୁ ଲାଭ
ଦେଖା ମୋତେ ରାଜାଗଣେ ଏହି ମୁହୂର୍ତ୍ତରେ ।
ହଂସିନୀ- ଦଣ୍ଡେ ରହ ବରୁଣଦୁଲଣି,
କରିଣ ଆସନ ଶୁଦ୍ଧି ସୁମରିଲେ ମନେ ଆସିବେ ସକଳ ରାଜା, ଏହି ପଟେ ଦେଖିବୁ ନୟନେ।
(ଆସନେ ବସି ଧ୍ୟାନେ ମଗ୍ନ)
(ଚିତ୍ରପଟ ଦେଖାଇ) ଗୀତ- (ରାଗ ଚୋଖି)
ଦେଖ ବରୁଣକୁମାରି, ଏହି ଭୂପାଳକେଶରୀ,
ଶାକଲ୍ୟ ଦ୍ୱୀପରେ ଅଟେ ୟାର ବସତି ।
ପାଞ୍ଚଲକ୍ଷ ନରପତି, ୟା ପାଦେ ସେବନ୍ତି ନିତି,
ଏ ବାବନା ଜାନୁଘଣ୍ଟ ପୁଲଙ୍ଗପତି ।
ଦଶକ୍ରୋଡ଼ ଏହାର ସେନା, ବାସବବାହନଗତି ତୋ ମନକୁ ମନା ।୧।
ଏତ ସୁଭଦ୍ରା ଦେଶର, ମଣିଭଦ୍ରା ନରବର,
ଏ ଭୂମନୁ ଦେଶ ଈଶ ବିରୁରକ୍ଷଣ ।
ତାର ବାମେ କାମଚଣ୍ଡ, ପ୍ରଭାରେ ଜିଣେ ମାର୍ତ୍ତଣ୍ଡ,
କାକୁସ୍ଥ ବଂଶପତି ଏ କନ୍ଦର୍ପରାଣ ।
ଏ ଯେ ବଜ୍ରମାଳୀ ରାଜନ, ମହା ଦୁର୍ଦ୍ଦଣ୍ଡ ଡରନ୍ତି ଜଗତଜନ ।୨।
ଏହି ଗୋ ବିରାଟଚନ୍ଦ୍ର, ଦେଶର ଅଟେ ନରେନ୍ଦ୍ର,
ନଉସସ୍ର ଭେରୀ ବାଜେ ନିତି ଛାମୁରେ ।
ଏ ନୀଳମାଧବଚେତ, ନୀଳେଦେଶର ନାଥ,
ଅଠର ସୁତା ଦୁଇଶ’ସୁତ ଏହାରେ ।
ଏ କମଳଦେଶଭୂପତି, କନକ ବାଞ୍ଛାନିଧି ୟା ନାମଟି ଖ୍ୟାତି ।୩।
ଦେଖ ଇନ୍ଦନ କେଶରୀ, ପାଶେ କୁନ୍ଦନକେଶରୀ,
କୁବେର ସମ୍ପଦ ସରି ନହେବ ୟାକୁ ।
ସୁନନ୍ଦା ନାମେ ନରେଶ, ଏ ହିରଣ୍ୟଦେଶ ଈଶ,
ନିତି ନୂଆ ଯୁବତୀଏ ମିଳେ ଏହାକୁ ।
ପ୍ଳକ୍ଷଦ୍ୱୀପ ନୃପ ଏ ଚିହ୍ନ, ଏହା ପାଶେ ଉଭା ଯେ ଭଦ୍ରାଙ୍ଗ ରାଜନ ।୪।
ନିତି ପ୍ରତି ଶୁଦ୍ଧସ୍ନାନ, ରମଣୀ ଭୋଗେ ଏ ଘେନ,
କାଞ୍ଚିଦେଶପାଳ ଏ ଇନ୍ଦନକେଶରୀ ।
ଏହି ତ ବରାଳସେନ, ମୀନନେତ୍ରା ଚିହ୍ନ ଚିହ୍ନ,
ଇନ୍ଦ୍ର ହେବ ବୋଲି ତପ କରେ ଆହୁରି ।
ଏ ଯେ କୁଶଦ୍ୱୀପ ରାଜନ । ବଇଷ୍ଣବ ବୋଲେ ନାମ ତା ସୁଦର୍ଶନ ।୫।
ଦେଖ ରେ ଆବର ବରାନନା ! ଏ ନନ୍ଦିକେଶ୍ୱର ନରଈଶ, ନିତି ସେବା କରେ ରୁଦ୍ରପଦ;
ଏ ଯେ ଚକ୍ରଧ୍ୱଜ ନରମଣି, ଲକ୍ଷେ ଗାବ ତିନିବାର କରଇ ଦୋହନ ।
ଏ ସୁଜାଣସେନ ନରବର, ନୃତ୍ୟ ଗୀତେ ସଦା ଥାଏ ରସି, ଏହା ଯୋଗେ ନୃତ୍ୟ
ହେଲା ପ୍ରଚାର ଜଗତେ । ଏହିଟି କୁଣ୍ଡଳ ବ୍ରହ୍ମା ଭୂପାଳ ଅଟଇ ।
ଏବେ କ୍ରୋଞ୍ଚଦ୍ୱୀପ ରାଜା ଦେଖ, ଭୀମକେଶରୀ ଏ ରାଜା ନାମ ଗୋଟି ଖ୍ୟାତ,-
ଏ ଯେ ବିନ୍ଧ୍ୟକେଶରୀ ଭୂପତି; ଏ କୀର୍ତ୍ତିକେଶରୀ ସତ୍ୟ କେଶରୀଟି ଏହି ।
ଏ ଯେ ପ୍ରତାପକେଶରୀ ଜଳଦକେଶରୀ; ଅଧିକେ କହିଲେ ବେଳ ଯିବ ଜାଣ ସରି ।
ଏହା ପରେ ଦେଖ ପଦ୍ମଦ୍ୱୀପ ରାଜାଗଣେ, ବିଜୟଦେଶ ବେଲାଳସେନ ଚକ୍ରବର୍ତ୍ତୀ
ନିତି ତିନି ଲକ୍ଷ ଶାଳଗ୍ରାମଶିଳା ପୂଜେ, ଲକ୍ଷେ ବୀର କାହାଳୀ ବାଜଇ ବିଜେକାଳେ,
ଲକ୍ଷେ ବିପ୍ର ନିତି ଏ ଭୁଞ୍ଜାଏ ।
ଏ ଯେ ବିଭୁରକ୍ଷ ରାଜା ଦେଖ, ବାର ଲକ୍ଷ ନୃସିଂହମନ୍ତ୍ର ଏ ଜପେ ନିତି ।
ଏ ଯେ ରାଜା ଅଷ୍ଟ ଅବଧାନୀ ଏକାଥରେ ଆଠକଥା ପାରଇ ଏ ଜାଣି ।
ଏ ଅଟେ ବବୃବାହନ ରାୟେ, ଏହା ରାଜ୍ୟେ ଥାଏ ନାହିଁ ରୋଗ କ୍ଳେଶ ଘା’ ଘାଉଡ଼ମାନ;
ତିନି ଫୁଟକି ମାରନ୍ତେ ବେନି ଅଙ୍ଗୁଷ୍ଠିରେ ସେହିକ୍ଷଣି ଝଡ଼ିଯାଏ ବିଷ ।
ଏ ଯେ ଶ୍ୱେତଦ୍ୱୀପ ନରନାଥ, ଋଣ ଦେଲେ ପତ୍ରେ ନ ଲେଖଇ ।
ଏ ଯେ ଜମ୍ବୁଦ୍ୱୀପ ରାଜାଗଣ- ସୁରସେନ କାମେଶ୍ୱର ଭଦ୍ରସେନ ରାଜା
ଏ କନକାବତୀ ନଗ୍ରପତି ମୁରାସୁର ତେତିଶକୋଟି ରାଣୀରେ ମଣ୍ଡଣି ଏ ସଦା,
ସତର ଲକ୍ଷ କୁମର ନବ ଲକ୍ଷ ନାତି, ଅସୁମାର ଏ ରାଜାର ଥାଟ, ଏହାର ବିନାଶେ
ବିଷ୍ଣୁ ହୋଇଛନ୍ତି ଜାତ; ନୃସିଂହରୂପରେ ବଦରିକା ଆଶ୍ରମରେ, କୃଷ୍ଣବଲ୍ଲଭ ବୀର୍ଯ୍ୟେ
ଭଗବତୀଗର୍ଭେ, ରାଜା ହୋଇଲେଣି ରାଜସିଂହାସନେ ବସି ।
ବେଳ ଆସି ହେଲାଣି ଉଛୁର, ଚଳ ଚଞ୍ଚଳେ ଚଞ୍ଚଳା ବାସେ ।
ଲକ୍ଷ୍ମୀ- କହ ଦାସି ! ଏଥିମଧ୍ୟେ କେ ସେହି ନୃସିଂହ ?
ହଂସିନୀ- ଶୁଣ ରେ ବରୁଣଜେମା ଅରୁଣଚରଣା, ଏହିଟି ନୃସିଂହ କୃଷ୍ଣବହ୍ଳଭକୋଳରେ ବସିଛନ୍ତି ଅନୁଜଙ୍କୁ ଘେନି, ବର୍ଣ୍ଣିବ କେ ଏହାଙ୍କର ରୂପଗୁଣ ସଖି ।
ଗୀତ- (କୀର୍ତ୍ତନସୁର)
ନରମାଙ୍ଗି ତୁ ନରସିଂହତନୁ ଦେଖ,
ନିନ୍ଦା କରେ ବାଳଭାନୁ କି ସୁନ୍ଦର ମୁଖରେଖ ।ପଦ।
ରାଜେ ଚାରି ଭୁଜେ ଚକ୍ର ପଦ୍ମ ଗଦା ଶଙ୍ଖ,
ମସ୍ତକେ ରତ୍ନ ମୁକୁଟ ଗଳେ ବ୍ୟାଘ୍ର ନଖ, କମ୍ବୁକଣ୍ଠି ଅନା ରେ ।
ଭୁଜେ ଭିଡ଼ାଅଛି ଭକ୍ତନିସ୍ତାରଣ ବାନା;
ଗଣ୍ଡେ ମକରକୁଣ୍ଡଳ ଯାଉଅଛି ଚିହ୍ନା;
କନ୍ଧେ ଯଜ୍ଞ-ଉପବୀତ କୋକିଳବଚନା,
ହୃଦେ କଉସ୍ତୁଭମଣି ଝଟକଇ ସିନା;
କଟୀଦେଶେ ବିରାଜଇ ଚାହାଁ ସୁତାସୁନା;
ବଇଷ୍ଣବ ସେ ଛବିକି କରିବ ବର୍ଣ୍ଣନା ।୧।
ଲକ୍ଷ୍ମୀ- ହଂସିନୀ ଗୋ ! ଧନ୍ୟ ହେଲା ଏ ଦେହ ଜୀବନ,
ଚିତ୍ରପଟେ ଦେଖାଇଲୁ ଯେଣୁ ପତିରୂପେ ।
ଏ ଯେତେ ଭୂପତିଗଣ ଛନ୍ତି ପଟେ ବସି
ସରବେ ମୋ ସ୍ୱାମୀ ଆଜ୍ଞାବହ ।
ଦେଖି ଚତୁର୍ଭୂଜ ମୂର୍ତ୍ତି ନିସ୍ତରିଲି ଦାସି !
ନିଶ୍ଚେଁ ଲାଖ ବିନ୍ଧି ନେବେ ମୋତେ ଏ ନୃସିଂହ,
ମୋ ଅଙ୍ଗ ଛୁଇଁବାକୁ କି ଆନ ହେବ ଯୋଗ୍ୟ ?
ଗୀତ- (କହ କହ ଭବାନି ଗୋ...ବୃତ୍ତେ)
ଦଣ୍ଡେ ନ ରହି ହଂସିନୀ ଚାଣ୍ଡେ ଚାଲ ଘରକୁ ଗୋ ।
କହ କହ ମୋହ କଥା ଜନନୀ ପିଅରଙ୍କୁ ଗୋ ।ପଦ।
କରିବେ ଗୋ ଲାଖ ନିର୍ଭା, ଦିଅନ୍ତୁ ସେ ମୋତେ ବିଭା,
ହକାରି ହରଷେ କୃଷ୍ଣବଲ୍ଲଭ-କୁମରକୁ ଗୋ ।୧।
ସରବ ସମ୍ମୁଖେ ଲାଖ, ବିନ୍ଧିବେ ଏ ପଦ୍ମମୁଖ,
ଆନ ମାତ୍ର ଉପଲକ୍ଷ୍ୟ ପାଇବି ମୋ ବରକୁ ଗୋ ।୨।
ନୃସିଂହ ବିନୁ ଏ ଅଙ୍ଗ, ଛୁଇଁବାକୁ କେ ବା ଯୋଗ୍ୟ,
ଜାଣିଥା ନଳିନୀ ସିନା ଭୋଗଟି ଭ୍ରମରକୁ ଗୋ ।୩।
ଆଜି ଏ ବନବିହାର, ଲାଗେ ବିଷ ପରକାର,
ବିପ୍ର ବଇଷ୍ଣବ ଗିର ଘାରେ ମାରଶିରକୁ ଗୋ ।୪।
ହଂସିନୀ- ଲୋକମାତ ! ମତେ ଅଧୀରା ହୁଅନା, ମୁଁ ତୁମ୍ଭ ମାଆଙ୍କୁ ଆଜି ଏ କଥା କହି ଶୀଘ୍ର ଲାଖବିନ୍ଧିବାର ପ୍ରସ୍ତାବ କରିବି । ତୁମ୍ଭ ମନ ନ ଜାଣି ଏତେ ଦିନ ଗଡ଼ିଗଲା, ଆଉ ବିଳମ୍ବ ହେବନାହିଁ ।
ଲକ୍ଷ୍ମୀ- ହଂସିନୀ ! ରଜୋବତୀ କନ୍ୟା ଗୃହରେ ରଖିଲେ ପିତାମାତାଙ୍କର ଅଧୋଗତି ହୁଏ, ମୁଁ ଏହା ଜାଣି ରଜୋବତୀ ହେଉନାହିଁ- ସେ ମୋର ଇଚ୍ଛାଧୀନ । ତୁ ଯାଇ ଶୀଘ୍ର ମୋର ବିବାହର ଯୋଗାଡ଼ କର । ହଂସିନୀ ! ତୁ କାଳେ କାଳେ ମୋର ପ୍ରିୟ ସହଚରୀ, ତୋତେ ଏତିକି କହିଲି।
ହଂସିନୀ- ନାରାୟଣି ! ମୁଁ ତା ଜାଣେ, ଆସ ସଙ୍ଗ ହୋଇ ଘରକୁ ଯିବା । ସଖୀମାନେ ! ଫୁଲ ତୋଳା ତ ସରିଲା- ଚାଲ ।
୧ମ ସଖୀ- ହଉ ତେବେ ଚାଲ ।
(ସମସ୍ତଙ୍କ ପ୍ରସ୍ଥାନ)
(ଅନ୍ତଃପୁର- ନୀରବତୀ ରାଣୀ ଓ ବରୁଣରାଜା ପର୍ଯ୍ୟଙ୍କୋପରି ଉପବିଷ୍ଟ)
ବରୁଣ- ପ୍ରିୟେ ! ତୁମ୍ଭେ ଯାହା କହିଲ ମୁଁ ସେଥିର ନିଶ୍ଚୟ ଯତ୍ନ କରିବି । ମନେକର ନା, ମୁଁ ରାଜଭୋଗରେ ଏତେଦୂର ବିଭୋଳ ହୋଇ କାଳ କ୍ଷେପଣ କରୁଚି । ବୃହସ୍ପତିଙ୍କ କଥା ମୋର ମନେଅଛି- ବିଷ୍ଣୁ ବିନା ଲକ୍ଷ୍ମୀକି ମୋର ଅଙ୍କରେ ଘେନିବ ଏଡ଼େ ଶକ୍ତି କାହାର ?
ରାଣୀ- ନାଥ ! ତୁମେ ଯେ ଲାଖ ନିର୍ଭା କରିଚ, ତା ମୋତେ ମିଥ୍ୟା ପରି ଲାଗୁଚି । ମୁଁ କହୁଚି ନୃସିଂହଙ୍କୁ ବରିଆଣି ମୋର ଲକ୍ଷ୍ମୀକି ଶୀଘ୍ର ବିଭାଦିଅ; ଏତେ କନ୍ଦଳକୁ ଯିବ କାହିଁକି ?
ବରୁଣ- ପ୍ରିୟେ ! ତୁମ୍ଭେ ଯା କହିଲ ତା ପ୍ରକୃତ, ତେବେ ଏ ଲାଖର କାରଣ ଭଗବାନଙ୍କର ମହିମା ବିସ୍ତାରର ହେତୁ; ସମସ୍ତେ ଜାଣନ୍ତୁ ଯେ ବରୁଣଜେମାଙ୍କୁ ନାରାୟଣ ବିବାହ କଲେ । ବିଷ୍ଣୁ ବିନା ସେ ଲାଖଭେଦ କରିବା ଅନ୍ୟର ଅସାଧ୍ୟ । ମୋତେ ବୃହସ୍ପତି କହିଚନ୍ତି, ବିଷ୍ଣୁ ମାନବକଳେବରେ ବଦରିକାଶ୍ରମରେ ନୃସିଂହ ନାମ ବହି କୃଷ୍ଣବଲ୍ଲଭ ଘରେ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କୁ ଚିହ୍ନିବା ନିମନ୍ତେ ଏ ମହାଲାଖ ସୂତ୍ର ମୋତେ ବତାଇଗଲେ । ମହିଷି ! ମୁଁ ତୁମ୍ଭ କଥାମତେ କାର୍ଯ୍ୟ କରିବି; ତୁମ୍ଭେ ନିଶ୍ଚିନ୍ତ ହୁଅ ।
ରାଣୀ- ଜଳାଧିନାଥ ! ତୁମେ ନାରଦଙ୍କୁ ଏକ୍ଷଣେ ସ୍ମରଣ କର, ସେ ଆସିଲେ ଆମ୍ଭର ଅନେକ କାର୍ଯ୍ୟ ସାଧନ କରିବେ । ସାତଦ୍ୱୀପରାଜାଙ୍କୁ ବରଣ କରିବାକୁ ତାଙ୍କୁ ପଠାଇ ତୁମ୍ଭେ ଏଣେ ଲାଖର ବନ୍ଦୋବସ୍ତ କରିବ ।
ବରୁଣ- ପ୍ରିୟେ ! ଭଲ ମନେକରିଚି, ମୁଁ ବର୍ତ୍ତମାନ ତାହାଙ୍କୁ ସ୍ମରଣକରୁଚି ।
(ବରୁଣ ଧ୍ୟାନେ ମଗ୍ନ)
(ନାରଦ ଗୀତ ଗାଇ ବୀଣା ବଜାଇ ପ୍ରବେଶ)
ରାଗ- ପ୍ରଭାତି
ଭଜ ଭଜରେ ମନ ବ୍ରହ୍ମ ସନାତନ ବିଷ୍ଣୁ ବଇକୁଣ୍ଠବାସୀଙ୍କି ।
ଅନନ୍ତ ଅଚ୍ୟୁତ ଅଘବିନାଶନ ଭକ୍ତହୃଦାକାଶଶଶୀଙ୍କି ।ପଦ।
ରିଷ୍ଟନିବାରଣ କାରଣ ତାରଣ ହରଣ କରେ ପାପରାଶିକି ।
ଇଷ୍ଟ ମଣି ସଦା ସେବେ ସଦାଶିବ ମରଣଭୟ ବିନାଶିକି ।୧।
ଶଙ୍ଖ ଚକ୍ର ଗଦା ନଳିନ ମଣ୍ଡନ ଅଖଣ୍ଡ ବ୍ରହ୍ମାଣ୍ଡଗ୍ରାସିକି ।
ଶେଷ-ଆସନ ହରିତ ବସନ ତୁରିତ ଦୂରିତବିଧ୍ୱଂସିକି ।୨।
ଶ୍ରୀବତ୍ସଲାଞ୍ଛନ କମଳଲୋଚନ କମଳା-ଚିତ୍ତବିଳାସୀକି ।
ହେ ବିପ୍ର-ପ୍ରିୟ, ବଇଷ୍ଣବେ ତାର ତୁରିତେ ଛେଦ କାଳଫାଶିକି ।୩।
ରାଣୀ- ଜଳନାଥ ! ହେଇ ଶୁଣ ବୀଣାଧ୍ୱନି, ତୁମ୍ଭେ ଚିନ୍ତିବାମାତ୍ରେ ସେ ହରିଗୁଣ ଗାଇ ଏଠାରେ ପ୍ରବେଶ ହେଲେଣି- ଆମ୍ଭର ଆଉ କି ଚିନ୍ତା ?
(ନାରଦ ରାଜାପାଶେ ପ୍ରବେଶ)
ନାରଦ- ହେ ଜଳଧିରାଜ ! କିପାଁ ଆଜ କରିଲ ସ୍ମରଣ ଭାଷ ହେଲେ ।
ବରୁଣ- ବିଧିସୁତ ! ଯେ ନିମନ୍ତେ କଲି ଚିନ୍ତା ଶୁଣ ସେ ଚରିତ
କରିବେ ମୋ ପାଇଁ କିଛି କଷ୍ଟ ସୀଉକାର...ବୃହସ୍ପତି ଆସି ଲକ୍ଷ୍ମୀ ବାଳିକାକାଳରେ
ନାମ ଦେଇ ଗଲେ ମୋତେ କହି- ଲକ୍ଷ୍ମୀକି ଦେବୁ ନୃସିଂହେ ବିଭା ।
ସେ ବୈକୁଣ୍ଠବିହାରୀ ନାରାୟଣ, ତାଙ୍କ ପାଇଁ ସୃଷ୍ଟି ଏ ରମଣୀ ।
ତେତେବେଳେ ବୋଇଲି ମୁଁ ତାଙ୍କୁ, କେହ୍ନେ ମୁହିଁ ଚିହ୍ନିବି ବିଷ୍ଣୁଙ୍କୁ
ତେଣୁ ମୋର ପରିଚୟ ପାଇବା କାରଣେ ବତାଇଣ ଗଲେ ଲାଖ-ସୂତ୍ର
କହିଲେ ବରୁଣ ନିର୍ଭାକର ଲାଖଗୋଟି ସାତତାଳ ଉତ୍ସଙ୍ଗେ ପୋତିଣ ମଣିସ୍ତମ୍ଭ,
ପବନାବର୍ତ୍ତକ ଚକ୍ର ରଖିଣ ତା’ପରେ,
ତା’ ପରେ ଭ୍ରମିବୁଁ ଆମ୍ଭେ ଗ୍ରହଗଣ ସହ ମୃଗରୂପ କରିଣ ଧାରଣ ।
ମୃଗପୁଚ୍ଛ ଧରି ବିନ୍ଧିବ ଯେ ସେହି ଲାଖ, ଚିହ୍ନିବୁ ସେହିଟି ନାରାୟଣ ।
ଏବେ ଲକ୍ଷ୍ମୀର ବିବାହକାଳ ହେବାରୁ ହେ ଋଷି !
ତେଣୁ ତୁମ୍ଭଙ୍କୁ ମୁଁ କରିଲି ସ୍ମରଣ ସେ କାର୍ଯ୍ୟରେ ସାହାଯ୍ୟ ନିମନ୍ତେ ।
ଗୀତ- (ଭାଇ ଭୀମ...ବୃତ୍ତେ)
ଏହି ମୋ ମାଗୁଣି ଋଷିମଣି !
ସାତଦ୍ୱୀପ ନୃପଗଣେ ବରି ମୋତେ ଦେବ ଆଣି ।ପଦ।
ଯକ୍ଷ ରକ୍ଷ ଦେବ ନାଗ ତାର ବାର ତିଥି ଯୋଗ
ଏମାନେ ଆସିବେ ଥାଅ ଶୁଣି ।୧।
ଅଠାଶୀ ସହସ୍ର ଋଷି ରୁଣ୍ଡ ହେବେ ଏଥେଁ ଆସି
ବୃଥା ନୋହିବ ଏ ଶ୍ରମ ପୁଣି ।୨।
ଆଝୁଁ ପଞ୍ଚଦଶ ଦିନ ଅଛି ବିବାହ ଲଗନ
ନୁହେ ମିଥ୍ୟା ତଥ୍ୟ ଥାଅ ଜାଣି ।୩।
ବ୍ରହ୍ମା ବିଷ୍ଣୁ ତୁଲେ ଶିବେ, ସପତ ଦିନେ ଆସିବେ
ତେବେ ହେବି ତବ ପଦେ ଋଣୀ ।୪।
ଦେବତା ତେତ୍ରିଶ କୋଟି, ବିରାଜିବେ ସର୍ବେ ଏଠି
ପଦ ଛନ୍ଦେ ବଇଷ୍ଣବ ପାଣି ।୫।
ନାରଦ- ଜଳନାଥ ! ନ ହୁଅ ବିକଳ ଏତେ ଆଉ
ବିଭାର ସମ୍ଭାର କର ନିର୍ଭା ।
ଆଝୁଁ ପାଞ୍ଚଦିନେ ଦେବି ସମାଚାର ତୋତେ ଥିଲେ ଏ ମନପବନଦଣ୍ଡ
ଦ୍ୱିସପ୍ତ ବ୍ରହ୍ମାଣ୍ଡେ ନାହିଁ ଅସାଧ୍ୟ ମୋ କିଛି, ଦେବାସୁର ନାଗ ନର ଗନ୍ଧର୍ବ କିନ୍ନର,
ଦଶଦିଗପାଳେ ସହ ଯେତେ ଋଷିକୁଳ, ସାତଦ୍ୱୀପ ରାଜାଗଣେ ଆସିବି ମୁଁ ବରି,
ସାତଦିନେ ଆସି ସର୍ବେ ମିଳିବେ ତୋ ପୁରେ ।
ବରୁଣ- ଚଳ ଋଷି କରି ଆଶୀର୍ବାଦ ଯେହ୍ନେ ମନସାଧ ପୂର୍ଣ୍ଣ ହୁଏ ମୋର । (ନାରଦଙ୍କ ପ୍ରସ୍ଥାନ)
ରାଣୀ- ନାଥ ! ବେଳ ଆସି ହେଉଛି ଉଛୁର, ବେଗେ ବିଜେକର ମଣୋହିକି ।
ବରୁଣ- ପ୍ରିୟେ ! ସାବଧାନ କରି କହିଦିଅ ଦାସୀଗଣେ
କ୍ଷଣେ ଯେହ୍ନେ କମଳାଙ୍କୁ ନ ଛାଡ଼ିବେ କରୁଁ
ଏକାକୀ ନ ଯିବ ଝିଅ ପଦାକୁ କଦାପି
ଆସିଯିବେ କ୍ରମେ ଦେବ ଋଷି ରାଜାଗଣେ, ଏହି କଥା କହି
ଆକଟ କରିଣ ଦେବ ଦାସୀଗଣେ ରାଇ ।
ରାଣୀ- ନାଥ ! ସେ ଭାର ରହିଲା ମୋର ପରେ, ମଣୋହି କରିବ ଶୀଘ୍ର ଚାଲ ।
(ଉଭୟର ପ୍ରସ୍ଥାନ)
(କନକାବତୀ ରାଜସଭାରେ ସେନାପତି ଓ ମନ୍ତ୍ରୀଗଣ ସହ ମୁରାସୁର ସିଂହାସନେ ଉପବିଷ୍ଟ ।)
ମୁରାସୁର- ଶୁଣ ସେନାପତିଗଣ !
ପ୍ରଲମ୍ବା ବିରଜା ମୂଢ଼ା ମୁକୁଳା ଖଡ଼ିକା, ହେ କଣ୍ଠ ବିକଣ୍ଠ ରଣଚୂଡ଼ କୃତକେଶି,
ମହା ମହା ବଳିଷ୍ଠ ଦାନବବଳେ ! ଶୁଣ, କିପାଇଁ ଶୁଭ ସୂଚକ ଦେଖାଯାଏ ଆଜି,
ମିଳିବ ଅଛି କି ଆଉ ଦୁର୍ଲ୍ଲଭ ରତନ ।
ସପ୍ତଦ୍ୱୀପ ଦ୍ୟୁଲୋକ ଭୂଲୋକ କରି ଦିଗବିଜେ ରାଜଗଣେ କଲି ଜୟ,
ଖଟିଲେ ତେତ୍ରିଶ କୋଟି ଦେବେ ଚରଣରେ କନ୍ୟା ଦେଇ ସଦା ଭୃତ୍ୟ ପରି
ଜିଣି ରଣେ କର୍ଣ୍ଣାଟେଶ୍ୱରକୁ
ତଡ଼ିଦେଇ ମାଡ଼ିବସିଲି କନକାବତୀ ସିଂହାସନ ।
ୟା ତହୁଁ ଆଉ କି ଅଛି ଶ୍ରେଷ୍ଠ ସେ ରତନ ହେବ ମୋତେ ଲାଭ,
ହେ ସୁବିଜ୍ଞ ମନ୍ତ୍ରି-ଚୂଡ଼ାମଣି ଦିଅ ଶୀଘ୍ର ପ୍ରଶ୍ନର ଉତ୍ତର ।
ମନ୍ତ୍ରୀ- ସାର୍ବଭୌମ ରାଜଚକ୍ରବର୍ତ୍ତୀ, ହେ କନକାବତୀପତି ଅମରଦଳନ !
ଶୁଣ ଯାହା ପଚାରିଲ ଦାସେ, ଶୁଭସୂଚକେ କେବଳ ନ ମିଳଇ ଧନ,
କିବା ରାଜ୍ୟ ଗଜ ବାଜୀ ରମଣୀରତନ, ବନ୍ଧୁ-ଦରଶନ ମଧ୍ୟ ଶୁଭର ଲକ୍ଷଣ
ଶୁଣ ଶ୍ରୁତି ଡେରି ହେ ମଦନାବତୀନାଥ !
ଅଦୂରେ ଶୁଭଇ ବୀଣାଧ୍ୱନି, ଆସିଛନ୍ତି ତପୋଧନ ବିଧାତାନନ୍ଦନ,
ତବ ଭ୍ରାତା ନାରଦ ମହର୍ଷି, ଜଣାଯାଏ ଘେନି କିଛି ମଙ୍ଗଳ ବାରତା ।
(ନାରଦ ଗୀତ ଗାଇ ପ୍ରବେଶ)
ଗୀତ- (ଦଗାଦିଆ ରଙ୍ଗାଧର...ବୃତ୍ତେ)
କାହିଁ ଅଛୁ ଦୈତ୍ୟପତି !
ପାଇବୁ ଯେବେ ଧାଇଁଆ ଅମୂଲ୍ୟ ସମ୍ପତ୍ତି ।ପଦ।
କନକାବତୀନବର, ଆଣିଚି ଶୁଭ ଖବର,
ବରଣ କରିଛି ତୋତେ ବରୁଣ ନୃପତି ରେ ।୧।
ନିର୍ଭା କରି ମହାଲାଖ, ନିମନ୍ତ୍ରିଛି ତିନି ଲୋକ,
ବିନ୍ଧିବ ଯେ ବିଭା ହେବ ଲକ୍ଷ୍ମୀ ଗୁରବତୀ ରେ ।୨।
ରେ ଅସୁରକୁଳନିଧି, ଯେବେ ତା ପାରୁ ତୁ ଭେଦି,
ବାରିଧିଜେମାପ୍ରେମରେ ପୁହାଇବୁ ରାତି ରେ ।୩।
କରକରଦନା କର, କରେ ଧରିବ ତୋହର,
ସେ ବରବରନା ନାରୀକୁଳଗଳାମୋତି ରେ ।୪।
ଘେନ ଘେନ ନିମନ୍ତ୍ରଣ, ମୋ ହାତୁଁ ଦନୁଜରାଣ,
ଚଳ ବାରାନିଧିପୁରେ ବଇର ଭାରତୀ ରେ ।୫।
ମୁର- ଦିଅ ଦିଅ ନିମନ୍ତ୍ରଣ ହେ କଳହପ୍ରିୟ ! ଜାଣିଲି ମୁଁ ଧନ୍ୟ ସେ ବରୁଣ,
ଅସୁର ବୋଲି ଯା ଚିତ୍ତେ ନ କରିଣ ଭୟ ମୋତେ କରିଲା ବରଣ ।
ବୁଝିଲି ତା ମନେ ନାହିଁ କପଟତା ଲେଶ, ଆନ କେହି ନ କରନ୍ତା ଏହା ।
ହେ ନାରଦ ! ଚାଲନ୍ତୁ ମୋ ତୁଲେ ଶୀଘ୍ର ସାରିଣ ମଣୋହି,
ଶୁଣାଇବ ସେ ରମଣୀ ରୂପଗୁଣ ମୋତେ ।
ନାରଦ- କି ଶୁଣିବୁ ଭାଇ ସେ କୁମାରୀ ରୂପଛଟା,
କୋଟିଏ ଯୁଗ ବସିଣ ଧାତା ଯା’ର ଅଙ୍ଗ ନିଜ କରେ କରିଛି ନିର୍ମାଣ ।
ନାହିଁ ଜଗତେ ଏମନ୍ତ ନାରୀ, କାହା ତୁଲେ ତୁଲିବି ତାହାକୁ,
ତାହାକୁ ତୁଳନା ସେହି ଏକା...
ଗୀତ- (ମାଳିନି...ବୃତ୍ତେ)
ଗଢ଼ିଚି ସାରସବାହନ ସାରସାକ୍ଷୀକି ଜାଣି,
ସାର ସାର ସାର କାନ୍ତିକି କରି ଏକତ୍ର ପୁଣି ।୧।
ପ୍ରସାର କରିବାପାଇଁକି ବିଶ୍ୱବିନ୍ଧାଣିପଣ,
ବାର ବାର କରି ଘଷିଚି ତାର ଦେହେ ରସାଣ ।୨।
ରମ୍ଭା ରତି ଶଚୀ ସାବିତ୍ରୀ ଯେତେ ସୁରନାୟିକା,
ସେ ବାମା ବାମ ପଦକୁ ତିଳେ ନୋହିବେ ଲେଖା ।୩।
କମଳ ଲୁଚିଲା କମଳେ ବନେ ଲୁଚିଲା ଏଣୀ,
ଅନାଇଁଲାମାତ୍ରେ ତା ନେତ୍ର ମୁଖଚ୍ଛଟା ଚାହାଣି ।୪।
ଲାଜେ ପିକ ମୂକ ହୋଇବେ ଡାକ ଶୁଣି ଶ୍ରବଣେ,
କମ୍ବୁ ବୁଡ଼ିଗଲା ଅମ୍ବୁରେ କଣ୍ଠ ନିରେଖି କ୍ଷଣେ ।୫।
ସମ ନୋହି ଡରେ ଶ୍ରୀଫଳ ବୃକ୍ଷଶିଖେ ରହିଚି;
କଟି ଦେଖି ହଟି କେଶରୀ ଲୁଚି କାନନେ ଅଛି ।୬।
ପଦ ଜାନୁ ବେଶ ବର୍ଣ୍ଣିଲେ ପଦ ବହୁତ ହେବ,
ଥାଅ ମୁର ମୁହିଁ ଯାଉଛି ଭାଷଇ ବଇଷ୍ଣବ ।୭।
(ବେଗେ ପ୍ରସ୍ଥାନ)
ମୁର- ହେ ସୁବିଜ୍ଞ ମନ୍ତ୍ରି ! କାଲି ପ୍ରାତେ ସାଜ ମୋର ସେନା, କରିବି ମୁଁ ଅନୁକୂଳ ବରୁଣପୁରକୁ । ଶୁଣିଲା ବେଳୁଁ ନାରଦମୁଖୁଁ କନ୍ୟାଶୋଭା, କ୍ଷଣ କ୍ଷଣ ଶିହରି ଉଠଇ ଲୋମରାଜି । କି ଅସାଧ୍ୟ ଅଛି ମୋ ଜଗତେ ।
ମନ୍ତ୍ରୀ- ଚାଲନ୍ତୁ ଶ୍ରୀ ଛାମୁଁ ରାତ୍ରି ହେଲାଣି ଅଧିକ ବିଶ୍ରାମ କରିବେ କରି ନିତ୍ୟ କର୍ମ ଶେଷ । ବେନି ଦଣ୍ଡ ନିଶି ଥାଉଁ ସାଜିଦେବି ସେନା ।
ମୁରାସୁର- ତେବେ ସର୍ବେ କର ସଭାଭଙ୍ଗ ।
(ସମସ୍ତଙ୍କର ପ୍ରସ୍ଥାନ)
(ବଦରିକା ରାଜବାଟୀ- କୃଷ୍ଣବଲ୍ଲଭ ନୃସିଂହ, ଶେଷଦେବଙ୍କୁ କୋଳରେ ଘେନି ସିଂହାସନରେ ଉପବିଷ୍ଟ)
ନୃସିଂହ- ପିତଃ ! ନିକଟେ ଶୁଭଇ ବୀଣାଧ୍ୱନି, ଆସନ୍ତି କି ଦେବର୍ଷି ନାରଦ ବଦରିକା ଭ୍ରମଣଲାଳସେ ? ଅନେକ ଦିନରୁ ତାଙ୍କ ତୁଲେ ହୋଇନାହିଁ ସାକ୍ଷାତ ଆମ୍ଭର । ଅଦ୍ୟ ପବିତ୍ର ହୋଇବ ବଦରିକା ପଡ଼ି ଋଷିଙ୍କର ପଦରଜ ।
କୃଷ୍ଣବଲ୍ଲଭ- ବତ୍ସ ନୃସିଂହ ! ବତ୍ସ ଶେଷ ! ତୁମ୍ଭ ଯୋଗେ ଶତ ସ୍ୱର୍ଗ ସମ ଏହି ରାଜ୍ୟ । ତୁମ୍ଭ ଯୋଗେ ରୋଗ ଶୋକ ନାହିଁ ଏହି ପୁରେ, ତୁମ୍ଭ ଯୋଗେ ପ୍ରଜାବର୍ଗ ଅଛନ୍ତି ଆନନ୍ଦେ, ଜନ୍ମଅନ୍ଧ ଚକ୍ଷୁଦାନ ପାଇଲା ସମାନ ମହାନନ୍ଦେ କାଟୁଛନ୍ତି ଦିନ । ଶୁଣ ସତେ ! ଋଷିଙ୍କି ଦେଖି ନମିବ ପଦେ ବେନି ଭାଇ, ପଦଧୂଳି ଦେଇ ମୁନି କରିଲେ ଆଶିଷ, ନାଶ ହେବ ସମସ୍ତ ଦୁରିତ ।
ଶେଷଦେବ- ଶୁଣ ପିତଃ ! ଗାଉଛନ୍ତି ଋଷି ହରେ ରାମ କୃଷ୍ଣ ଗୀତ...
(ନାରଦ ଗୀତ ଗାଇ ପ୍ରବେଶ)
(କୁଞ୍ଜବନରେ...ବୃତ୍ତେ)
ବାଜରେ ବୀଣା କଞ୍ଜଚରଣ କୁଞ୍ଜବିହାରୀ ।
ଦରିଦ୍ର ଦୁଃଖଭଞ୍ଜନ ଭବପାପ-ତାପହାରି ।ପଦ।
ଖଞ୍ଜନଗଞ୍ଜନଦୃଶା କମଳାଙ୍କ ଅଙ୍କଭୂଷା ଏହି ଶ୍ରୀହରି ।
କାମିକାମିନୀରଞ୍ଜନ ଗୋବର୍ଦ୍ଧନ ଗିରିଧାରୀ ।୧।
ସରବ ଜୀବକରତା ହର ବ୍ରହ୍ମା ସୁଖଦାତା ଦାନବଅରି ।
ଭକତହିତେ ଜନମ ମାନବ-ମୂରତି ଧରି ।୨।
ଶମନ ଭୟ ଦମନ ଜୟ ଜୟ ଜନାର୍ଦ୍ଦନ ନରକେଶରି,
ରଖିବ କି ନ ରଖିବ ବଇଷ୍ଣବର ଗୁହାରି ।୩।
କୃଷ୍ଣ- ଚରଣେ ପ୍ରଣାମ ଦେବଋଷି ! ଆଶୀର୍ବାଦ କର ମୋର କୁମରେ । ଏତେବେଳେ କି ନିମନ୍ତେ ଉପଗତ ଏଥେ କହି ସତ୍ୟ ସଂଶୟ ବିନାଶ ।
ନାରଦ- ହେ କୃଷ୍ଣବଲ୍ଲଭ ଦଣ୍ଡଧର ! ଆସିଅଛି ଘେନି ନିମନ୍ତ୍ରଣ
ବରୁଣ ଅଛନ୍ତି କରି ବରଣ ତୁମ୍ଭଙ୍କୁ, ବେନି ପୁତ୍ରେ ଘେନି ଯିବ ସଙ୍ଗେ ।
କମଳାବିବାହେ କରିଛନ୍ତି ଲାଖ ନିର୍ଭା, ସେଥିଲାଗି କାଲିଠାରୁ ହେବ ସ୍ୱୟମ୍ବର,
ଆସିବେ ସେଠାକୁ ଦେବ ଋଷି ରାଜାଗଣେ
ସାତଦ୍ୱୀପେ ଜଣାଇ ଅଇଲି ସମସ୍ତଙ୍କୁ ।
ସେହି ଲାଖ ବିନ୍ଧିବେ ନୃସିଂହ, ସ୍ୱୟଂ ନାରାୟଣ ଏଥେଁ ବଇକୁଣ୍ଠପତି,
ତୋ କୋଳେ ମାନବକଳେବରେ ଜାତ ହୋଇଛନ୍ତି ଦୈତ୍ୟନାଶେ
ବିଭା ହେବେ କମଳାଙ୍କୁ ଲାଖ ବିନ୍ଧି ଶେଷେ ।
କୃଷ୍ଣ- (ସ୍ୱଗତ) ହାୟ ! ମୁଁ କେଡ଼େ ଅଧମ,
ଜାଣି ଶୁଣି ନାରାୟଣେ ପୁତ୍ର ମଣି ପାଳେଁ ହେୟ ଜ୍ଞାନେ କୋଳେ ଘେନି !
ଜାଣିଥାନ୍ତା ଯେବେ ଜଳରାଜା, ବିଷ୍ଣୁ ବୋଲି ପୁତ୍ରକୁ ମୋହରି
ବରି ନେଇ ଦେଇଥାନ୍ତା ବିଭା ଦୁହିତାକୁ, ବୃଥା ଲାଖ କି କାରଣେ କରନ୍ତା ନିର୍ମାଣ
ଏବେ ନିଜ ଭ୍ରମ ଘୁଞ୍ଚାଇବ ଦେଖି ଲକ୍ଷ୍ୟଭେଦ ।
(ପ୍ରକାଶ୍ୟେ) ହେ ଦେବର୍ଷେ !
ଯିବି ପୁତ୍ରେ ଘେନି ତୁଲେ କାଲି କି ବା ପରି ।
ନାରଦ- ଦେଖ ରାଜା, ନ କରିବ ହେଳା ଏ କାର୍ଯ୍ୟରେ,
ଯାଉଛି ମୁଁ ରହିଥାଅ ସୁଖେ । (ନାରଦଙ୍କ ପ୍ରସ୍ଥାନ)
କୃଷ୍ଣ- ଚାଲ ହେ ନୃସିଂହ, ଶେଷ, କରିବ ମଣୋହି, ଯିବାକୁ ଉଦ୍ଯୋଗ କର ବାରିନିଧିପୁରେ । ମାତାଙ୍କୁ ଜଣାଅ ଶୀଘ୍ର ସମସ୍ତ କାରଣ ।
ନୃସିଂହ- ଚାଲ ପିତା, ନ କର ଭାବନା, ଗରୁଡ଼ପୃଷ୍ଠରେ ବସି ମିଳିବା କ୍ଷଣକେ ଆମ୍ଭେ ବରୁଣଭବନେ, ଚିନ୍ତିବାମାତ୍ରେ ଆସିବ ବିନତାନନ୍ଦନ । ଆସ ଶେଷ, ଯିବା ମାତାପାଶେ । (ସମସ୍ତଙ୍କର ପ୍ରସ୍ଥାନ)
(ଅଦୃଷ୍ଟ କୁମାରୀଙ୍କ ଗୀତ)
(ଆହା କି ସୁନ୍ଦର ଦେଖ ଲୋ ସହି...ବୃତ୍ତେ)
ବାରିନିଧିପୁରୀ ଉଠୁଚି ପୂରି ।
ଉଠେ ତାଳେ ତାଳେ ପ୍ରେମ- ଲହରୀ ।ପଦ।
ଦଳ ଦଳ ନୃପକୁଳ ଦର୍ପେ କରି କୋଳାହଳ
ନିଜ ବଳ ସଙ୍ଗେ ଆସନ୍ତି ଧରି ।୧।
ଛତ୍ର ପତାକା ତରାସ ଦୁଷ୍ଟକୁ ଦିଏ ତରାସ
ଗଜଙ୍କ ଗର୍ଜ୍ଜନ ହୟଙ୍କ ହୁରି ।୨।
ବିଭା ହୋଇବେ କମଳା ଯେ ଯୋଗେ ଲାଗିଚି ଲୀଳା
ବାଦ୍ୟନାଦେ ମହୀ ଉଠଇ ଥରି ।୩।
ଯାହା ଭାଲେ ଭୋଗ ଯାହା ଦଇବ ଖଞ୍ଜିଚି ତାହା
ଜାଣ ନାରାୟଣେ ବରିବେ ଶିରୀ ।୪।
ଆସ ଗୋ ଆସ ସଜନି ଫୁଲହାର କରେ ଘେନି
ଦେବା ତାଙ୍କ ଗଳେ, ବଇ ଗୁହାରି ।୫।
(ରାଜସଭା- ଏକେ ଏକେ ସମସ୍ତ ରାଜା ଆସୀନ)
ବରୁଣ- ଶୁଣ ସର୍ବ ଦଣ୍ଡଧରସୁତେ ! ଏଥେଁ ଯେତେ ହୋଇଅଛ ରୁଣ୍ଡ,
ଯା’ର ଶକ୍ତି ଅଛି ଉଠ ବିନ୍ଧ ମହାଲାଖ ।
ଲାଖର ନିୟମ ଏବେ ଶୁଣ ମନସ୍ଥିରେ...
ସାତତାଳ ଉଚ୍ଚେ ବିଛା ଅଛି ତୁଳା ଶେଯ
ପଡ଼ିଲେ ବାଧିବ ନାହିଁ ଦେହକୁ କାହାର
ତିନିତାଳ ଉଚ୍ଚେ ପୋତା ଅଛି ମଣିସ୍ତମ୍ଭ
ତହିଁ ଉପରେ ପବନାବଳୀ ଚକ୍ର ଘୂରେ
ତା’ ଉପରେ ଅଛି ଏ ଯେ ମୃଗ ପବନହୁଁ ବୁଲେ ବ୍ୟଗ୍ରଗତି,
ଧରିଣ ଏ ମୃଗପୁଚ୍ଛ ହାତେ ବିନ୍ଧିବ ଯେ ବାଣ ମୃଗବାମପାଦ ଫୁଟି
ଭେଦିବ ବାଣର ମୁନ କୁରଙ୍ଗୀର ଦକ୍ଷିଣ ଶ୍ରବଣେ ଭେଦି ।
ବାମ ନେତ୍ରେ ଦିଶୁଥିବ ଝଳି...
ଯେ ଏହା ପାରିବ କରି ତାହାକୁ ମୋ ବରିବ କମଳା ।
ଉଠ ବୀରେ କରନାହିଁ ହେଳା ।
୧ମ ରାଜା- ଶୁଣ ବରୁଣରାଜନ ! ରତ୍ନଲୋଭେ ସିନା ସିନ୍ଧୁଗର୍ଭେ
ପଶନ୍ତି ବଣିକେ ତେଜି ଜୀବନର ଆଶା,
ମଧୁ ଲୋଭେ ସିନା ମଧୁଚକ୍ର ଭାଙ୍ଗନ୍ତି ଶବରେ ।
ସେହିପରି ନାରୀ ଲାଳସାରେ ଏହି ମହାଲକ୍ଷ୍ୟଭେଦେ ଆମ୍ଭେମାନେ ବଳାଇଚୁ ମନ ।
ଆଣ ବେଗକରି ତବ ଦୁହିତାରତନେ, ରଖାଅ ଏ ସଭା ସମ୍ମୁଖରେ
ଦେଖନ୍ତେ ତା ରୂପ ଭୂପବର୍ଗ ବିନ୍ଧିବାକୁ ମହାଲାଖ ହେବେ ଧରାପରା,
ବୃଥା ବେଳ କିପାଁ କର ଡେରି ।
ବରୁଣ- ଯଥାର୍ଥ କହିଲ ରାଜପୁତ୍ର !
ଦୂତବର ! ଯାଇଁ ଶୀଘ୍ର କହ ଦାସୀଗଣେ ବେଶକରି କମଳାଙ୍କୁ ଆଣନ୍ତୁ ମେଢ଼କୁ- ଯେ ପର୍ଯ୍ୟନ୍ତ ନ ଦେଖିବେ ଦୁହିତାକୁ ମୋର ରାଜଗଣେ ଅଗ୍ରସର ନୋହିବେ ଏ ମହାଲାଖଭେଦେ ।
ଦୂତ- ଯେ ଆଜ୍ଞା ମଣିମା, ଚାଲିଲି ଉଆସେ- ଜଣାଇଣ ଦାସୀଗଣେ ଅଣାଇବି ଜେମାଙ୍କୁ ଏଠାକୁ । (ଦୂତର ପ୍ରସ୍ଥାନ)
(ଦୂତର ପୁନଃ ପ୍ରବେଶ ଦେଖି)
ବରୁଣ- କିପାଁ ଦୂତ ଏତେ ଶୀଘ୍ର ଆସିଲୁ ବାହୁଡ଼ି ?
କିବା ପଥେ ଯାଉଁ ହୁଡ଼ିଲୁ ମୋ ଆଜ୍ଞା ।
ଦୂତ- ଶୁଣ, ନରନାଥ ! ମୋ ଯିବା ଆଗରୁ ରାଣୀ କାହାଠାରୁ ପାଇଣ ଖବର
ବେଶ କରାଇ କନ୍ୟାକୁ, ବସାଇଣ ହାନ୍ଦୋଳାରେ
ଆଣୁଛନ୍ତି ଦାସୀଗଣେ ସଭା ନିକଟକୁ ।
ହୁଳହୁଳି ଶଙ୍ଖନାଦ ପଡ଼ୁଚି ଉଛୁଳି, ଶୁଣ ଶ୍ରୁତି ଡେରି ଜଳପତି ।
(ହୁଳହୁଳ ଶଙ୍ଖଧ୍ୱନି- ଦାସୀଗଣ ସହ ଲକ୍ଷ୍ମୀଙ୍କର ମେଢ଼େ ପ୍ରବେଶ)
୨ୟ ରାଜା- (କନ୍ୟାକୁ ଦେଖି)
ଆହା ! କି ମୋହିନୀ ଛବି ଜନ୍ମିଛି ଧରାରେ !
ଆହା ! ଏ କୋମଳ ମାଳତୀଲତିକା କେଉଁ ତମାଳପାଦପ ଦେହେଁ ହୋଇବ ଜଡ଼ିତ !
ଏହି ସ୍ଥିର ସୌଦାମିନୀ ଝଟକି ରାଜିବ କେଉଁ ନୀଳ ଘନ କୋଳେ
କେଉଁ ଦେବ ଭାଗ୍ୟେ ଭୋଗ ହେବ ଏ ସୁମନା ।
ଗୀତ- (ଘନବରନ...ବୃତ୍ତେ)
ଏ ମହୀମହିଳା ଛଇଳାରତନ,
ଆହା କାହା ଗଳାମାଳା ହୋଇବ କି ରେ ।ପଦ।
ବସିବ କା କୋଳେ ରସି ପ୍ରେମଭୋଳେ ହସି ଶଶିମୁଖୀ ଭାଷିବ କି ରେ ।
କଷିବ ବାହୁ ଦିଶିବ ଭାଗ୍ୟ ତାର ଅମର ଶିରୀକି ବହିବ କି ରେ ।୧।
ରମ୍ଭା ଜାନୁ କମ୍ବୁକଣ୍ଠୀ ଅମ୍ବୁଜାକ୍ଷୀ ଜମ୍ବୁନଦଗାତ୍ରୀ ଗାଇବ କି ରେ ।
ପଞ୍ଚମ ସଙ୍ଗୀତ ଇଙ୍ଗିତରେ ଥରେ ପଞ୍ଚମନ ଧନ ନୋହିବ କି ରେ ।୨।
ଝାସିଥିବ ଯେବା କା ଶିରେ ମନାସି ଏହା ତୁଲେ ନିଶି ପୋହିବ କି ରେ ।
ଜାଗରେ ଜାଗର ଜାଳି ଉଜାଗରେ ଥିଲେ ଉରେ କର ଥୋଇବ କି ରେ ।୩।
ଜାଣୁଛି ବିମ୍ବୋଷ୍ଠୀ ଦୃଷ୍ଟି ଜିଣି ଅଣିମାଦି ନିଧି ପାଇବ କି ରେ ।
ବସୁଧାରେ ସୁଧା ବୁଣିଦେବ ପୁଣି ବଇ ସେ ପଦକୁ ଧ୍ୟାଇବ କି ରେ ।୪।
୩ୟ ରାଜା- ରତ୍ନାକର ! ଶୁଣ ଆମ୍ଭମାନଙ୍କର ଗିର, ଆଉ ଥରେ ଲାଖସୂତ୍ର ବତାଅ ଆମ୍ଭଙ୍କୁ । ଆମେ ଅଟୁ ପ୍ଳକ୍ଷଦ୍ୱୀପବାସୀ, ଶୁଣିଥିବ ଲୋକମୁଖୁଁ କ୍ଷମତା ଆମ୍ଭରି ।
ବରୁଣ- ଶୁଣ ଭୂପତିକୁମରେ, ଏ ଲାଖର ବିଧାନ ଏମନ୍ତ । ସାତଦିନକୁ କରିଚୁଁ ଆମ୍ଭେ କଳପଣା ଦିନକରେ ଦ୍ୱୀପେ ଦ୍ୱୀପେ ବିନ୍ଧିବେ ଏ ଲାଖ, ବୃହସ୍ପତିଙ୍କର ଆଜ୍ଞା ଏହା ।
ମଣିସ୍ତମ୍ଭ ପରେ ଦେଖ ବୁଲୁଅଛି ଚକ୍ର, ଚକ୍ରପରେ ମୃଗେ ଅଛି ରହି
ସେ ମୃଗର ପୁଚ୍ଛ ଧରିଣ ଯେ ବିନ୍ଧିବ ଲାଖ,
ମୃଗ ବାମପାଦ ଫୁଟି ଦକ୍ଷିଣ ଶ୍ରବଣେ
ଗଳିଣ ଯେ ଟାଣ ଝଳିଥିବ ବାମନେତ୍ରେ...
ଏ ନିୟମେ ବିନ୍ଧିବ ଯେ ରାଜା ସେହି ନେବ ମୋର କନ୍ୟା ହେଳେ ।
ଲାଖ ଚାରିପାଖେ, ପଡ଼ିଅଛି ହୀରାପଟା ଯୋଜନ ପ୍ରମାଣେ
ସେ ପଟା ଉପରେ ଚଢ଼ିବାକୁ ହୋଇଅଛି ସୁବର୍ଣ୍ଣ ପାବଚ୍ଛ
ତୁଳା ଶେଯ ବିଛା ଅଛି ତିନିତାଳ ଉଚ୍ଚେ
ତହିଁକି ନୋହିବ କ୍ଷତି ପଡ଼ନ୍ତେ କାହାରି ।
ନିର୍ଭୟ ଅନ୍ତରେ ବିନ୍ଧ ଯାଇଁ ଦ୍ୱୀପେ ଦ୍ୱୀପେ ।
ଆଜି ଗୁରୁବାର ମାଘ ଶୁକ୍ଳ ପଞ୍ଚମୀର ତିଥି, କର ଶୀଘ୍ର ଅଦ୍ୟ ଅନୁକୂଳ ।
(ଏକେ ଏକେ ସମସ୍ତେ ନେପଥ୍ୟେ ଗମନ, ଲାଖ ନ ବିନ୍ଧି ଫେରି ସଭାରେ ପହଞ୍ଚିବା)
ବରୁଣ- ପ୍ଳକ୍ଷଦ୍ୱୀପ ନରପତିଗଣେ ! କେହି ଜଣେ ନ ହେଲେ ସକ୍ଷମ ଏହି ଲାଖ ବିନ୍ଧିବାକୁ । ଦେଖି ତୁମ୍ଭର ଏ ରୀତି ଲୁଚିଲେଣି ଲୋକଚକ୍ଷୁ ତପନ ଏ କାଳେ ବାରୁଣୀ ଶିଖର ପୃଷ୍ଠଦେଶେ । ଅନ୍ଧକାର ହେବ ଏ ଅବନୀ, ଏହିଠାରୁ ଥାଉ ଆଜି କାର୍ଯ୍ୟ ।
ଗୀତ- (ଯାଅ ଯାଅ ହେ ଶ୍ୟାମବନ୍ଧୁ...ବୃତ୍ତେ)
ରଖ ରଖ ହେ ଆର୍ଯ୍ୟସୁତେ ଏହିଠାରୁ କାର୍ଯ୍ୟ ରଖ ।
ଚୁମ୍ବିଲେଣି ସୂର୍ଯ୍ୟଦେବ ବାରୁଣୀ ଶିଖରୀ ଶିଖ ।ପଦ।
ଥାଉଁ ଧୈର୍ଯ୍ୟବଳ ବୀର୍ଯ୍ୟ ନ ରଖିଲ କୁଳଟେକ ।
ଜଳପି ଲକ୍ଷଣେ ତାହା ଦେଖାଇବ କାହିଁ ମୁଖ ।୧।
କାଲି ପ୍ରାତେ କୁଶଦ୍ୱୀପ ନୃପେ ପ୍ରକାଶିବେ ଦର୍ପ ।
ସର୍ପସମ ଫଣା ଟେକି ଧରିବେ କରେ କାର୍ମୁକ ।୨।
ଶାକଲ୍ୟ କ୍ରୌଞ୍ଚ ପୁଷ୍କର ଜମ୍ବୁଦ୍ୱୀପ ନରବର ।
କ୍ରମେ ହେବେ ଅଗ୍ରସର ବଇ ଭାଷେ ତେଜି ଦୁଃଖ ।୩।
(ସମସ୍ତଙ୍କର ପ୍ରସ୍ଥାନ)
(ଜଣେ ସ୍ତ୍ରୀ ଓ ଜଣେ ଗୃହୀ ପୁରୁଷର ପ୍ରବେଶ)
ସ୍ତ୍ରୀ- ହେ ସୁନାବାପ ! ଏ ରଜାଗୁରାଙ୍କ ଘରେ ଏତେ ଅକଳିଆ କାମ । ଆମ ଗରିବ ଘର ତ ଆଚ୍ଛା, ଝିଅଟିକି ବାହାଦବାକୁ ହେଲେ ବରଟିକି ଡାକିଆଣିବ; ହାତଗଣ୍ଠି ପଇଲେ କାମ ସଇଲା । ବଡ଼ଘରେ ଏତେ ଅସଜିଆ କାମ, ଯେ ଅଠର ଖୋରି ବାଇଦ ହେଲେ ଯାଇଁ ହାତରେ କୁଶବଟୁ ଲାଗିବ ।
ପୁରୁଷ- ଆଲୋ ସୁନା- ମା, ଦେଖୁଚୁ କେମିତିକା ମଜା ଲାଗିଛି, ଆଜିକି ଛଅଦିନ ହେଲା ଛଅ ଦୀପର ରଜା ଗଲେଣି; ଆଉ ଅଛି ଗୋଟିଏ ଦୀପ, ସେଟା ଜଳି ସାଇଲେ ତେଣିକି ଅନ୍ଧାର ।
ସ୍ତ୍ରୀ- ହେ ସୁନାବାପ, ସେଗୁରା ନ ପାରି କୁଆଡ଼େ ଦୁଲୁଦାଲ ଭୁସୁଭାସ୍ ହୋଇ ପଟାରୁ ପଡ଼ୁଚନ୍ତି ? ତାଙ୍କ ଜୀବନ ଭାରି ଚେମଡ଼ା, ଆମେ ତ ହେଇଥେଲେ ଏକାଥରକେ ଶେଷ ।
ପୁରୁଷ- ଆଲୋ ସେଠି ପରା ତିନି ପୁରୁଷ ଉଞ୍ଚରେ ତୁଳା ବିଛଣା ହେଇଚି, ନରମାଯୋଗେ କାଟୁ ନାହିଁ।
ସ୍ତ୍ରୀ- ଫେର୍ ଆଜି କେଉଁ ଦୀପ ବାକି ଅଛି ମ ?
ପୁରୁଷ- ଅଛି ଜମ୍ବୁଦୀପ । ସୁନା-ମା, ତୁ କ’ଣ ଜମା ଦେଖିନଉଁ, ଆଜି କ’ଣ ଯିବାକୁ ମନ ହେଉଚି ?
ସ୍ତ୍ରୀ- ମନ ମୋର କୋଉଦିନ ନ ହୁଏ କି ? ତୁମେ କାଳେ କ’ଣ କହିବ, ସେଥିପେଇଁ ଡରେ କହେନା, ଯେବେ କହିଲ ତେବେ ଶୁଣ ।
ଗୀତ- (ନରେ ବହିବ ନାହିଁ ରୋଷ...ବୃତ୍ତେ)
ସ୍ତ୍ରୀ- ସୁନାବାପ ସାଙ୍ଗରେ ମୋତେ ନବ କି ।
ପୁରୁଷ- କାଳେ କେ ଆଖି ଠାରି ନବ ଝିଙ୍କି ଟାଣିଲେ ଛାଡ଼ିଦେବ କି ।ପଦ।
ସ୍ତ୍ରୀ- କାର ଏତେ ହଲକ ଛୁଇଁବ ମୋହର ଦିହ,
ପୁରୁଷ- ଶୁଣିଚି ମୁଲକରେ ମାଇପେ ଅସଲ ଦିଅଁ ।
ସ୍ତ୍ରୀ- ବିନା ଭୋଗରେ କେଭେ ହୁକୁମୁ ଦେବେ କି କହ,
ପୁରୁଷ- କଦଳୀ ଦେଖେଇଲେ ବଦଳି ନଯିବ କି ।୧।
ସ୍ତ୍ରୀ- କୋଉଁ କଥାକୁ ନେଇ କାହିଁରେ ମଜୁରା କର,
ପୁରୁଷ- ଲାଗିଚି ଏହିପରି ରାଇଜରେ କାରବାର ।
ସ୍ତ୍ରୀ- ମିଣିପେଯାକ ପରହାଣ୍ଡିମରା କୁକୁର,
ପୁରୁଷ- ପାଇଲେ ରସଗୋଲା ଧରି ହୁଏ ଲୋଭ କି ।୨।
ସ୍ତ୍ରୀ- ତୁମରି ଲାଗି କଣ ଦୁନିଆ ପଡ଼ିଛି ମେଲା,
ପୁରୁଷ- କହନି କାହାପାଇଁ ଭାଇ ଭାଇରେ ମାମଲା ।
ସ୍ତ୍ରୀ- ପାଠ ପଢ଼ିଣ ଘାସ କାଟିବେ କିରେ ଅମଲା ।
ପୁରୁଷ- ବଣିଜ କଲେ କଣ ବୁଡ଼ିଯାଏ ଲାଭ କି ।୩।
ସ୍ତ୍ରୀ- ଯେବେ ନ ନବ ମତେ ଘରେ ଏକା ଥିବି ବସି
ପୁରୁଷ- ପଟା ସଲାମି ଦେଇ ଜୁଟିବେ ଅନେକ ଚାଷୀ ।
ସ୍ତ୍ରୀ- ଫସଲ ମାଲିକ ତୁମରି ବେଶେ ଚଷି,
ପୁରୁଷ- ଉଠେଇ ଦେବେ ଶେଷେ ଦଖଲରୁ ଦାବୀ କି ।୪।
ସ୍ତ୍ରୀ- ନକଲ ଦେଖାଇବୁ ଅକଲ ଖରଚ କରି,
ପୁରୁଷ- ଦୁଇ କଲମେ ଯେବେ ଶେଷକୁ ହେବ ଡିଗିରି ।
ସ୍ତ୍ରୀ- ତେବେ ଠେଙ୍ଗାକୁ ଧରି ଜଗି ରହ କିଆରି,
ପୁରୁଷ- ସେଇଆ ହବ ଶେଷେ ଭାଷେ ବଇଷ୍ଣବ କି ।୫।
ସ୍ତ୍ରୀ- ସୁନାବାପ ତେବେ ଚାଲ ଘରେ ବସି ଜଗାଜଗି ହବା
ପୁରୁଷ- ନାହିଁ ଲୋ ମନ ଥଏ ହବନାହିଁ ଦିହେଁ ଲାଖ ଦେଖିବାକୁ ଯିବା ।
ସ୍ତ୍ରୀ- ହେ ! ମତେ ନ ଦିଶିଲେ ତମ କାନ୍ଧେରେ ବସେଇବ କହୁଚି ।
ପୁରୁଷ- ହଉ, ନାହାଉପରେ ଗାଡ଼ି ଗାଡ଼ିଉପରେ ନାହା ତ ଫେରେ ହଉଚି ।
(ଉଭୟଙ୍କର ପ୍ରସ୍ଥାନ)
(ରାଜସଭା- ସମସ୍ତ ରାଜଗଣେ ଯଥାସ୍ଥାନେ ଉପବେଶନ)
ମୁରାସୁର- ଦେଖ ଦେଖ ଲୁହାସୁର, ଏ ଯେ ବିଜେ ନଗ୍ରରାଜା, ଜନ୍ମରୁ ବାମନ ଏ ଯେ ଅଟଇ ତ୍ରିବାଙ୍କ, ଡେଇଁ ଡେଇଁ ଆସୁଅଛି ଲାଖ ବିନ୍ଧିବାକୁ, ଚଉକେ ଚଉକେ ଯାଏ ବଢ଼ିଅଛି ପାଦ, ଅଙ୍ଗୁଳିଗୁଡ଼ିକ ଦିଶେ ଗରଗଡ଼ ପରି, ଲାଖ ବିନ୍ଧିବାକୁ ଯାଏ ରାଗେ । ଦେଖ ଦେଖ ବଢ଼ାବନ୍ତେ କର ମୃଗଲାଞ୍ଜକୁ ନ ପାଏ, ମଣ୍ଡୁକ ପରାୟେ ପୁଣି ମାରୁଅଛି କୁଦା, ଏହି ଚାହାଁ ପଡ଼ିଲା ତଳେ ଖସି ।
ଲୁହାସୁର- (କରତାଳି ଧ୍ୱନି) ରକ୍ଷନାଥ ! ଏଡ଼ିକି ନିର୍ଲଜ୍ଜ ପୁଣି ବାଳ ଚକ୍ରବର୍ତ୍ତୀ ବୁଡ଼ିମରୁଛନ୍ତି ଯହିଁ ହାତୀ, ଘୁଷୁରି ପଚାରେ ଏଥି ପାଣି ହେବ କେତେ ? (ଉଚ୍ଚହାସ୍ୟ)
ବରୁଣ- (ପ୍ରବେଶି) ହେଲା ନାହିଁ, ହେଲା ନାହିଁ, ହେଲା ନାହିଁ ! ନ ପୂରିଲା ମନର ବାସନା । ବିଭୂତୀକ୍ଷ ରାଜା ଆଉ ଅଷ୍ଟ ଅବଧାନି, ଭୂପାଳ କେଶରୀ ଚୂଡ଼ାକର୍ଣ୍ଣ ନରରାଣ, କଣୟ ବିନ୍ଦୁକା କୁଶଦେଶ ନରପତି, ବିରାଟସେନ କନକାଞ୍ଚନ ବାଞ୍ଛାନିଧି ବୀରବାହୁ ଆଦି ରାଜାଗଣେ, ଉଠିଣ ସଦର୍ପେ କେହୁ ପୁଚ୍ଛ ଧରୁ ଧରୁ, କେ ବା କର ବଢ଼ାଉଁ ବଢ଼ାଉଁ ପଡ଼ିଲେ ଲେଉଟି ତୁଳା ତଳପ ଉପରେ ! ଜାଣିଥିଲେ ଏହା କରି ମୁଁ ନ ଥାନ୍ତି କେଭେ ଏଡ଼େବଡ଼ ପଣ ।
ମୁରାସୁର- ହେ ରାଜ-ସମାଜ, ସର୍ବେ ଶୁଣ, ଆସିଥିଲ ସଜହୋଇ ଏଥି ଶୌର୍ଯ୍ୟ ବୀର୍ଯ୍ୟ ଦେଖାଇବା ଆଶେ, ହୋଇ ନପାରିଣ କୃତକାର୍ଯ୍ୟ ହ୍ରାସକଲ ନିଜ କୁଳମାନ, ଷାଠିଏ ଲକ୍ଷରୁ ଗୋଟିଏ କେ ନୋହିଲ ସକ୍ଷମ ଏହି ଲାଖ ବିନ୍ଧିବାରେ । ଛି ଛି, ବସିଅଛ ନତଶିର ହୋଇ, ଧିକ୍ ଧିକ୍ ତୁମ୍ଭରି ଅବସ୍ଥା ଦେଖି କମ୍ପୁଛି ସର୍ବାଙ୍ଗ । ଜାଣ ସର୍ବେ ମୁରାସୁର ଶକ୍ତି, ଯେତେବେଳେ ଆସି ଆଦ୍ୟେ ବସିଲି ସଭାରେ ସେତେବେଳେ କରିଥିଲେ ଇଚ୍ଛା, ବିନ୍ଧି ଏ ଛାର ଲାଖକୁ ମେଢ଼ୁ କମଳାକୁ ବଳେ ନେଇଥାନ୍ତି ଟାଣି । କେବଳ ଦେଖିବା ପାଇଁ ତୁମ୍ଭରି କୌତୁକ ସାତଦିନ ରହିଲି ନୀରବେ । ନୃପଗଣେ ଶୁଣ ଯାହା କହୁଚି ମୁଁ ଏବେ ।
ଗୀତ- (ଠିକେ ଠକି ଦେଉ ଆଈ...ବୃତ୍ତେ)
ଛି ଛି, ଟେକ ନ ରଖିଲ ଟିକାଏ କେ ରାଗସୁତ ହୋଇ ଆଣ୍ଟେ ଆସି ରେ ।ପଦ।
ଟକାଟକି ହୋଇ ଟୋକୀ ଲୋଭରେ, ନିନ୍ଦା ଢକ୍କା ପିଟାଇଲ ଭବରେ ।
ଠକାଠକି କରି ଘେନିଯିବ ପାଞ୍ଚିଥିଲ ଚିତ୍ତେ ଏଥେ ବସିରେ ।୧।
ନୁହେଁ ଏ ଟାହିଟାପରା ଭାଷାଟା, କଂସା ପାଲଟିଛି କେବେ ସୀସାଟା ।
ଦେଖ ଚଢ଼ି ଥରେ ଲାଖ ପଟାପରେ ଧରିବି ମୃଗକୁ କଷିରେ ।୨।
ଠିକେ ଠଉରାଇ ବାଣ ଏଡ଼ିବି, ଦକ୍ଷକର୍ଣ୍ଣ ବାମନେତ୍ର ଫୋଡ଼ିବି ।
ଟୋକା ନୁହେଁ ଟୋପେ ପଡ଼ିବି ରମଣୀ ରମଣେ ହୋଇ ଲାଳସୀ ରେ ।୩।
ଟାଣେ ଟେକି ଟଙ୍କାରିବି ଧନୁକୁ, ଟାଙ୍କୁରାଇ ଦେଇ ଅପଘନକୁ ।
ଟଳଟଳ ରସା ହୋଇବ ସହସା ଟଙ୍କଧର ଯିବେ ତ୍ରାସିରେ ।୪।
ବିଷ୍ଣୁ ଡରି ମୋତେ ବଇକୁଣ୍ଠରେ, ଲୁଚି ରହିଛି ବିବୁଧ ଥାଟରେ ।
ମୋ କଣ୍ଠରେ ମାଳା ଦେବ ରାଜବାଳା ବିପ୍ର ବଇଷ୍ଣବ ଭାଷିରେ ।୫।
ହେ ବରୁଣ, ଶୀଘ୍ର ଭାଷ ଲାଖ ସନ୍ଧିକଥା ?
ଦେଖିଲାକ୍ଷଣି ମୁଁ ବଳେ କମଳାକୁ ତୋର
ଧରି ଘେନିଯାଇଥାନ୍ତି କନକାବତୀକି...
କିନ୍ତୁ ଲାଖ ନ ବିନ୍ଧିଣ ନେଲେ ହେବ ଧର୍ମ ହାନି
ସେହି ଭୟେ ଏ କଥାକୁ ମୁଁ କରିନାହିଁ କାର୍ଯ୍ୟ ପରିଣତ ।
ବରୁଣ- ଓଃ ! କି କରିବି କେମନ୍ତେ ଏ ମୂର୍ଖ ଏଥୁ ଯିବ ଲାଜ ପାଇ ।
କହିଛନ୍ତି ପୂର୍ବେ ମୋତେ ଗୁରୁ ଏ ଲାଖ ବିନ୍ଧିବେ ନାରାୟଣ ।
(ପ୍ରକାଶ୍ୟେ) ହେ କନକାବତୀ ଅଧୀଶ୍ୱର !
ଯଦି ନ ପାରିବୁ ଲାଖ ବିନ୍ଧି ଗୋଳ ନ କରିଣ ଯିବୁ ନିଜ ରାଜ୍ୟେ ଫେରି । ଏହିକଥା ସତ୍ୟକରି କହିଲେ ମୋ ଆଗେ ତେବେ ମୁହିଁ ବତାଇବି ଏ ଲାଖର ଭେଦ ।
ମୁରାସୁର- ଭାଷ ରାଜା, ସତ୍ୟକଲି ତୋ ଆଗେ ତ୍ରିବାର । ହେ ଜଳଧୀଶ୍ୱର ! ନ ଜାଣୁ କି ପ୍ରତିଜ୍ଞା ମୋହର, ତେତ୍ରିଶକୋଟି ଦେବତା ଦିଗପାଳ ମେଳେ, ନର ନାଗ ଯକ୍ଷ ରକ୍ଷ ସେବନ୍ତି ମୋ ପାଦ । ଅଗ୍ନି ବସ୍ତ୍ର କାଚେ, ଯମ କରେ ନଗର ପହରା, ତାଣ୍ଡବ କରଇ ମହାଦେବ ମୋ ସଭାରେ ଉର୍ବଶୀ ମୋହର ମାତା ପିତା ପିତାମହ, ପବନ ଚାମର ଢାଳେ ସୂର୍ଯ୍ୟ ଦଣ୍ଡୁଆସି, ନିଜେ ତୁହି ସ୍ୱର୍ଣ୍ଣଝରି ଯୋଗାଉ ପ୍ରଭାତେ, ଇନ୍ଦ୍ର ଦ୍ୱାରପାଳ, ଚାରି ମେଘେ ମୋ ଡଗର । କହିଲେ ସେମାନେ, କାଳ ବିଳମ୍ବ ହୋଇବ ହେ ବରୁଣ, କହ ଶୀଘ୍ର ଲାଖର ନିୟମ ?
ବରୁଣ- ହେ ରାଜନ ! ମନ ସ୍ଥିରେ ଶୁଣ ଲାଖ-ସନ୍ଧି ।
ଗୀତ- (ଯାଅ ଗୋ ଉର୍ବଶୀ...ବୃତ୍ତେ)
କକ୍ଷା ନ ବହିବ ହେ ରକ୍ଷନାଥ,
ବୁଝାଇବି ଲକ୍ଷଭେଦ ସିଦ୍ଧାନ୍ତ ।ପଦ।
ସପ୍ତତାଳ ଖମ୍ବ ଉଚ୍ଚେ ଦେଖ ଧ୍ରୁବ,
ଏ ଚକ୍ର ଘୂରଇ ପବନାବର୍ତ୍ତ ।୧।
ତହୁଁ ବେଗ ବେଗ ବୁଲଇ ଏ ମୃଗ,
ପୁଚ୍ଛ ତାର ଧର ଯାଇଁ ତୁରିତ ।୨।
ଏଣୀ ବାମପାଦେ ବାଣ ଫୁଟି ହାଦେ,
ଦକ୍ଷିଣ ଶ୍ରବଣେ ଭେଦିବ ସେ ତ ।୩।
ବିରାଜିବ ମୁନ ବାମନେତ୍ରେ ପୁନଃ,
ବଇ ବୋଲେ ତେବେ ପାଳିବି ସତ୍ୟ ।୪।
ମୁର- ହେ ବରୁଣ ! ଏତେକ ଅଡ଼ୁଆ ତୁହି କରିଲୁ କେସନେ ! ବିନ୍ଧିବ ଯେ ଜନ ମୃଗ ବାମପାଦେ ବାଣ ଦକ୍ଷିଣ କର୍ଣ୍ଣେ କେସନେ ପ୍ରବେଶିବ ତାହା ? ପାଦକୁ କର୍ଣ୍ଣ ଅଟଇ କେତେ ବା ଅନ୍ତର ! ତହିଁକି ଅଡ଼ୁଆ ପୁଣି ଫୁଟିବ ତ୍ରିବାଙ୍କେ ଶର ଦକ୍ଷିଣ ଶ୍ରବଣ ଛେଦି ବାମ ନୟନରେ... ଏପରି କେ ଜନମିଛି ତ୍ରିଲୋକ ଭିତରେ ଏତେ ଅକଳନା ଲାଖ ବିନ୍ଧି ନେବ କନ୍ୟା ?
ବରୁଣ- ହେ ଦୈତ୍ୟରାଜନ ! ଲକ୍ଷ୍ମୀ ଜନ୍ମକାଳେ ଆସି ଗୁରୁ ବୃହସ୍ପତି ବତାଇଣ ଗଲେ ଲାଖ-ସନ୍ଧି, ବୋଇଲେ ଏ ଲାଖ ଜାଣ ବିନ୍ଧିବ ଯେ ଜନ ସେହି ହେବ ତୋ ଦୁହିତା-ବର । ଏହା ତୋତେ ବଡ଼ ନୁହେ ରାଜା, ବିନ୍ଧି ଲାଖ ହର ମୋର ଲଜ୍ଜା ।
ମୁର- ଚିନ୍ତା କରନାହିଁ ରତ୍ନାକର ! ଲାଖ ବିନ୍ଧି ଲକ୍ଷ୍ମୀକି ମୁଁ ନେବି ଏହିକ୍ଷଣି ତେତ୍ରିଶକୋଟି ରାଣୀରେ ହେବ ଶିରୋମଣି, ଝିଅ ତୋର । ଟଳିଗଲେ ଅଚଳ ଅଟଳ ନ ଟଳିବ ମୁରାସୁର ବାକ୍ୟ । ସତରଲକ୍ଷ କୁମର, ନବଲକ୍ଷ ନାତି, ସେବିବେ ତୋ ଦୁହିତାର ପାଦ । ବାଦ୍ୟକାରେ, ସର୍ବେ ବଜାଅ ମର୍ଦ୍ଦଳ । ନାରୀଗଣେ, ଦିଅ ହୁଳହୁଳି, ବଜା ଘନ ଘନ ଶଙ୍ଖ ମହୁରୀ ଟମକ । ଦେଖ, ଚଢ଼ୁଅଛି ମୁହିଁ ଲାଖପଟରେ ।
(ନେପଥ୍ୟେ ନାନା ବାଦ୍ୟଧ୍ୱନି)
(ବେଗେ ମୁରର ଉତ୍ଥାନ)
ହଂସିନୀ- ଦେଖ ଦେଖ କମଳିନୀ ଚାହିଁ, ଯାଏ ଲାଖ ବିନ୍ଧିବାକୁ ମୁରାସୁର ରାଜା । ଏହିଟି କନକାବତୀପତି ଗୋ ଇନ୍ଦିରା, ବଡ଼ ପ୍ରତାପୀ ତ ଦେବଦଳନ ଏ ଦୈତ୍ୟ, କହିଲେ ଏହାର ଗୁଣ ନ ଅଣ୍ଟିବ ଦିନ ।
ଲକ୍ଷ୍ମୀ- ହଂସିନୀ ଗୋ ! ଦେଖି ଏ ଦୁଷ୍ଟର କଥା ହସ ମାଡ଼େ ମୋତେ ।
କେତେ କେତେ ନୃପସୁତେ ଗଲେ ଲାଜ ପାଇ,
ଧାଇଁଚି ପେଚକ ଗ୍ରାସିବାକୁ ଶଶଧରେ ।
ଗୀତ- (ଆଜି ଜଣାଉଚି ଭାଇମାନଙ୍କୁ...ବୃତ୍ତେ)
ପାଇ ଲାଜ ଏ ଦନୁଜଭାଜ ଗୋ ହଂସିନୀ ପଳାଇବ ନିଜ ଦେଶକୁ ।ପଦ।
ଏ ନିର୍ଲଜ୍ଜ ଆଉଁଷିଣ ନିଶକୁ, ଅନା ଧାଉଁଅଛି ଲାଖ ପାଶକୁ ।
ଚିତ୍ତେ ବାନ୍ଧିଛି ଏଡ଼େ ସାହସକୁ ଗୋ ଗ୍ରାସିବାକୁ କାଳକୂଟ ବିଷକୁ ।୧।
କ୍ରୋଧେ କରି ମୁକୁଳିତ କେଶକୁ, ଅଙ୍ଗେ ରଖି ନ ପାରଇ ବାସକୁ ।
ଶଚୀ ଯୋଗ ସିନା ସୁରଈଶକୁ ଗୋ, କାକ ଲୋଡ଼ଇ ସିନା ପୁରୀଷକୁ ।୨।
ଲୋକେ ଘୋଷାଏ ଆପଣା ଯଶକୁ ସଦା ନିନ୍ଦାକରି ଶ୍ରୀନିବାସକୁ,
ଧାତା ଦେଇଚି ରସିକେ ରସକୁ ଗୋ, ପ୍ରଭୁ ଲାଖ ବିନ୍ଧି ନେବେ ଶେଷକୁ ।୩।
ମନୁ ନ ଭୁଲିବୁ ଏ ମୋ ଭାଷକୁ, ଏଣେ ଅନା ନରସିଂହ ଶେଷକୁ ।
ରଙ୍ଗେ ବସିଛନ୍ତି ରଙ୍ଗସଭା ପରେ ଗୋ ନାଶିବାକୁ ବଇଷ୍ଣବ ଦୋଷକୁ ।୪।
ହଂସିନୀ- ଦେଖ ଦେଖ ମହାଲକ୍ଷ୍ମୀ ହେଲେ, ପେଶି ଦୁଷ୍ଟ କୁଝଝଟିକା ବାଣ ଅଦୃଶ୍ୟ କରିଲା ରାଜାଗଣେ ସମସ୍ତଙ୍କ ନେତ୍ରେ ଧୂଳି ଦେଇ ନେବ ତୋତେ । ଚକ୍ରତେଜେ ସେ ମାୟାକୁ ଛେଦିବେ ନୃସିଂହ । ପୁଣି ଏଣୀନେତ୍ରା ଦେଖ ଚାହିଁ, ନେଇ ଏଣୀ ବାମପାଦ ଥୋଇଦେଲା କର୍ଣ୍ଣପାଶେ ତାର । ମୃଗପୁଚ୍ଛ ଧରିବା ମାତ୍ରକେ ନ ଦିଶଇ ପଟାପରେ ପଡ଼ିଲାଣି କାହିଁ । ପୁଣି ତଳେ ପଡ଼ି ହେଳେ ଉଠି ଧାଏଁ ଦୁଷ୍ଟ, ଚାହୁଁ ଚାହୁଁ ଶୂନ୍ୟମାର୍ଗେ କେଣେ ଗଲା ଉଡ଼ି । (ମୁରାସୁର ଜ୍ଞାତେ ନିଜରାଜ୍ୟେ ପତନ)
ଲକ୍ଷ୍ମୀ- ଏବେ ଗୋ ହଂସିନୀ, ତାହା ଜାଣିଲି ମୁଁ ନିଶ୍ଚେଁ । ଦେଖ ଦେଖ ସୈନ୍ୟ ତାର ପଳାବନ୍ତି ଉଠି, ଆମ୍ଭ ରାଜସଭାର ମଧ୍ୟରୁ । କରତାଳି ଧ୍ୱନି କର୍ଣ୍ଣେ ଶୁଣ ଗୋ ସଙ୍ଗିନି । ଏଥର ନୃସିଂହ ବିନ୍ଧିବାକୁ ଯିବେ ଲାଖ, ଦେଖି ଏ ପାପନୟନ ହୋଇବ ପବିତ୍ର ।
ହଂସିନୀ- ଆସ, ଲାଖ ନିକଟେ ଦେଖିବ ଲୋକମାତ !
(ଉଭୟର ପ୍ରସ୍ଥାନ)
(ମଦନାବତୀ ରାଣୀ ଦାସୀସହ ପ୍ରବେଶ)
ରାଣୀ- କହ ଦାସି ! ଅକସ୍ମାତ ଏ କି ଶବ୍ଦ ଶୁଭିଲା କର୍ଣ୍ଣକୁ ? ବାତାଘାତେ ମହାଦ୍ରୁମ ପତନ ପରାୟେ, ସହସା ମୋ ହୁଏ ଅନୁମାନ କିବା ବିନାମେଘେ ବଜ୍ରର ପତନ ହେଲା ଏହି କନକାବତୀରେ । ସିଂହଦ୍ୱାରେ ଶୁଭିଲା ସେ ନାଦ, ଯାଅ ଶୀଘ୍ର ଦେଖିଆସ ଦାସୀ !
ଦାସୀ- ମହାରାଣି ! କାଳେ ଦୁର୍ଗ ପ୍ରାଚୀର ଶିଖର ଖସି ପଡ଼ିଥିବ ତଳେ । ଦେଖି ଆସିଲେ ବେନି ଡୋଳେ, କେଉଁପରି ସତ୍ୟାସତ୍ୟ ଜଣାଯିବ ତାର । ଥାଅ ଏଥେଁ; ଆସେ ଫେରି ମୁହିଁ । (ଦାସୀର ପ୍ରସ୍ଥାନ, ପୁନଃପ୍ରବେଶ)
ରାଣୀ- ଦାସି ! କିସ ଦେଖି ଧାଇଁଚୁ ତୁ ଏଡ଼େ ତରତରେ,
ଧରଣୀରେ ନ ଲାଗେ ଚରଣ ଅଗ୍ର ତୋର, କହି ଶୀଘ୍ର ଦୂରକର ଖେଦ ।
ଦାସୀ- ଦେବି ! ବେଗେ ମୋର ସଙ୍ଗେ ଚାଲ, ଦେଖିବ ନୟନେ,
ପଡ଼ିଛନ୍ତି ରାଜା ତଳେ ବିରସ ବଦନେ ।
ଓଷ୍ଠ ଆଣ୍ଠୁ ଗଣ୍ଠି ଛିଡ଼ି ଗଳଇ ରୁଧିର ଧାର ଧାର,
ପୁଷ୍ପିତ ପଳାଶ ଦ୍ରୁମ ସମ ଦିଶୁଅଛି ତାଙ୍କର ସର୍ବାଙ୍ଗ,
ସଂଜ୍ଞାହୀନେ ପଡ଼ିଛନ୍ତି ମହୀପରେ,
ଦୂରୁ ଚାହିଁ ଦୁର୍ଦ୍ଦଶା ତାଙ୍କରି ଧାଇଁ ମୁଁ ଅଇଲି କହିବାକୁ ।
ରାଣୀ- ଚାଲ ଦାସି ! ବୁଝି ନ ପାରଇ କଥା ତୋର- ଏ ଦଶା ଭୁଞ୍ଜନ୍ତି କିମ୍ପା ପତି ରସାନାଥ ? ଯାଇଥିଲେ ଲକ୍ଷ୍ମୀ ସ୍ୱୟମ୍ବରେ, ଆଜକୁ ହେଲା ସପତ ଦିନ, ସ୍ୱପନ ସମାନ କଥା ଲାଗେ ତୋର ମତେ ।
ଦାସୀ- ଆସ, ଦେଖିଲେ ତୁଟିବ ମନଦକା ।
(ରାଣୀ ରାଜାପାଶେ ପ୍ରବେଶି ତୋଳିଧରି)
ରାଣୀ- ଧରାନାଥ ! ଉଠ ଉଠ ଲୁଟନାହିଁ ରସାପରେ ଆଉ ।
ସହସା କେ ଦେଲା ଏତେ ଦଶା ?
ଗୀତ- (କେଣେ ଅଛୁ ଶୁଣା ତୋ...ବୃତ୍ତେ)
ଭାଷ ଭାଷ ନାଥ ହେ, ନାଶ ନାଶ ଦାସୀ ଚିତ୍ତ-ବ୍ୟଥା ବହନ ।
ରାଶି ରାଶି ଭୃତ୍ୟ ଖଟନ୍ତି ଯେ ପଦେ ବିଜେ କରି ଚଢ଼ି ଯାନବାହନ ।ପଦ।
ଗହଣରେ ଗମନକାଳେ, ବିଜିଘୋଷ ବାଜେ ଗହଳେ ।
ଆଜି ସେହି ଜନ ହୋଇ ବିବସନ ଗଡ଼ୁଛି ଦେଖିଲା ପୋଡ଼ାନୟନ ।୧।
ନାହିଁ ଶିରେ ରାଜମୁକୁଟ, କହ କିଏ ପାଞ୍ଚିଲା କୂଟ ।
ଅବା ନେଲେ ଖଣ୍ଟେ ଛଡ଼ାଇ ବଡ଼ାଇ ନ ରଖିପାରିଲ ହେଲ ମଉନ ।୨।
ଯାଇଥିଲ ବରୁଣ ବାସେ, ବଡ଼ପଣ ରଖିବା ଆଶେ ।
ତରୁଣୀରତନେ ଆଣିବ ଯତନେ ଲାଖ ବିନ୍ଧି ମନ କରି ମୋହନ ।୩।
କେଣେ ଗଲା ସେ ପଣ କଥା, ଏବେ ପୋତି ବସିଛ ମଥା ।
ରକତେ ସର୍ବାଙ୍ଗ ଦିଶେ ଜରଜର ଦେଖି ବଇ ହୃଦ କରେ ଦହନ ।୪।
ମୁର- (ବସି) କି କହିବି ସେ ଘଟଣା ପ୍ରିୟେ ! ଜାଣୁନା କି ମୋହର ପ୍ରତିଜ୍ଞା ।
ଶତେଥର ଛେଚିଲେ ମୋ ଦେହ, ତିଳେ ହେବ ନାହିଁ ଲୋମ ବାଙ୍କ ।
ଶଙ୍ଖକଣ୍ଠି ! ଜନ୍ମିଅଛି ଦଣ୍ଡିବ କେ ମୁର ଅସୁରକୁ
ଏହି ଆଖଣ୍ଡ ମଣ୍ଡଳେ, ନିଜେ ନିଜେ ଅର୍ଜିଲି ଏ ଦଣ୍ଡ ।
ବର୍ଜ୍ଜିଲି ମୁଁ ସତ୍ୟବାଟ ହେଳେ ।
ସତ୍ୟେ ଲାଖ ସରଜିଣ ଥିଲା ରତ୍ନାକର,
ସେ ଲାଖ ବିନ୍ଧିବାକାଳେ କଲି କଉଶଳ ।
ଚକ୍ରପରେ ବସି ମୃଗେ ଧରିବି ପାଞ୍ଚିଲି,
ତାର ବାମପାଦ ଥୋଇଦେବି ତାର କନ୍ଧେ ।
ଏହା ମନେକରି ଲାଞ୍ଜ ଧରନ୍ତେ ଏଣୀର
ଫିଙ୍ଗିଦେଲା ଘୂରାଇ ସେ ଅନ୍ତରୀକ୍ଷେ ମୋତେ ।
ମୋ ପୁଣ୍ୟବଳରୁ ନିଜ ରାଜ୍ୟରେ ପଡ଼ିଲି,
ଆନ ରାଜ୍ୟେ ପଡ଼ିଥିଲେ ପାଇଥାନ୍ତି ଲାଜ । ସଖି !
ଘରେ ପଡ଼ି ଦେଖିଲି ତୋ ମୁଖ, ପୂର୍ବ ଦୁଃଖ
ଘୁଞ୍ଚିଲା ମୋହରି, ପୁତ୍ର- ନାତିଗଣେ ଦେଖି ଡୋଳେ ।
ରାଣୀ- ନାଥ ! ନ ବିଚାରି ଏ କୁକର୍ମ୍ମ କରିଲ କିପାଇଁ ? ଭାରିଯା ଥାଉଁ କାହିଁକି ଗଲ ତହିଁ ଧାଇଁ; ଜଣାଗଲା ଏଥୁଁ ତୁମ୍ଭ ରସିକପଣିଆ । ଶୁଣନ୍ତେ ଏ ବାଣୀକି କହିବେ ରାଜାଗଣେ, ଦାଣ୍ଡେ ମୁଣ୍ଡ ଟେକି ବାଟ ନପାରିବ ଚାଲି । ତେତ୍ରିଶକୋଟି ରମଣୀ ଛନ୍ତି ତବ ବାସେ, ନିତି ନିତି ଶୁଦ୍ଧସ୍ନାନ- ନାରୀ କର ଭୋଗ । କିପାଁ ଏଡ଼େ ବଡ଼ପଣ ଛାଡ଼ି, ବୁଡ଼ିମରିବାକୁ ଗଲ ପାରାବାରଗର୍ଭେ ? ଯେତେ ନରପତି ଦେଖିଥିବେ ତୁମ୍ଭ ରୀତି, ପୂଜିବେ ନା ଚରଣେ ଏଣିକି ତବ ନାଥ ? ଯେବଣ କମଳା ଶ୍ରୀନୃସିଂହ ଅର୍ଦ୍ଧାଙ୍ଗିନୀ, ତାହାଙ୍କ ହରଣେ କିପାଁ ବଳାଇଲ ସାଧ ? ଏବେ ବୁଝାଇ ଦେଉଚି ଶୁଣ ତହିଁକି ଦୃଷ୍ଟାନ୍ତ ।
ଗୀତ- (କାଲି କାହିଁ ଥିଲ କହନି...ବୃତ୍ତେ)
ନାଥ ଛନ୍ତି ଯେ ଯେତେ ଯୋଷା ରସାରେ ହେ ।
ମାତ୍ର ଫରକ ବେଶଭୂଷାରେ ।ପଦ।
ଭୋଗବେଳେ ସୁଖ, ସବୁ ସମ ଦେଖ
କୁପୁରୁଷ ଭ୍ରମେ ପାପ ଆଶାରେ ହେ ।୧।
ସୁନା ରୂପା ପାତ୍ର, ରଖିଣ ଏକତ୍ର,
ଭରିବ ନୀର ବେନି ହିଂସାରେ ହେ ।୨।
ଚାଖ ପାନ କରି ସେ ବାରି ଏ ବାରି,
ବାରି ହୁଏ ଯେବେ ମିଠା-କଷାରେ ହେ ।୩।
ଲାଗେ ଯେବେ ଭିନ୍ନ, ହେ ଜୀବଜୀବନ,
ହେଜିବ ରହିଚି ଭେଲ ମିଶାରେ ହେ ।୪।
ନ ବୁଝିଲ ଏହା, ହେ ଦାନବନାହା,
ନ ମାନିଣ ବଇଷ୍ଣବ ଭାଷାରେ ହେ ।୫।
ମୁରାସୁର- ରେ ପ୍ରାଣବଲ୍ଲଭି ! ଅଧିକ ତୁ ବୁଝା ନାହିଁ ମୋତେ ।
ଯଦି ଜାଣୁ ସବୁ ନାରୀ ସମାନ ସଂସାରେ
ତଥାପି କହୁଛି ତୋତେ କନକବରନା-
ରେ ଅମରମୋହିନି ! ଭ୍ରମର ପରି ପୁରୁଷମାନଙ୍କର ରୀତି,
ଦେଖିଲେ ସୁନ୍ଦରୀ ନାରୀ ହୁଅନ୍ତି ମୋହିତ
ବକ୍ର ଈକ୍ଷଣେ ଅନାଇ କ୍ଷଣେ କ୍ଷଣେ ତାଙ୍କୁ
ସୁଯୋଗ ଦେଖିଣ କୋଳ କରନ୍ତି ପ୍ରେମରେ
ଯେମନ୍ତେ ଷଟ୍ପଦ ମଧୁଲୋଭେ ମତ୍ତ ହୋଇ
ଏ ଫୁଲେ ସେ ଫୁଲେ ବୁଲେ ସ୍ନେହେ ଉଡ଼ି ଉଡ଼ି
କରେ ପୁଷ୍ପରସପାନ, ନ ବିଚାରି ଭଲମନ୍ଦ କିଛି-
ସେହିପରି ପୁରୁଷଙ୍କ ସ୍ୱଭାବଭବରେ ।
ମୋହ ହେବେ ଦେଖିଲେ ଯାହାକୁ ନିଜେ ଧାତା,
ଜବାଧରି ! ମୁହିଁ କିବା ଛାର ତାର ଆଗେ ।
ରାଣୀ- ହେ ଜୀବେଶ ! ଶୁଣି ତୁମ୍ଭ କଥା ହସ ମୋର
ନ ହୁଏ ସମ୍ଭାଳି, ଭାଳି ଦେଖ
ଯେବେ ଲକ୍ଷ୍ମୀ ଗୁଣ ଶୁଣି ମୋହିତ ହୋଇଣ
ଯାଇଥିଲ ବିନ୍ଧିବାକୁ ଲାଖ
ଛେଚାଏ ଖାଇ ପଳାଇ ଅଇଲ କାହିଁକି ?
ପରରମଣୀକି ମଣ ମାତାର ସମାନ,
ବିଶେଷେ ସେ ମହାଲକ୍ଷ୍ମୀ ଜଗତଜନନୀ
ଜନନୀଙ୍କି ହରିବ କେ ବିନ୍ଧି ସେହି ଲାଖ ?
ଏତେ ଶାସ୍ତି ପାଇ ତାଙ୍କୁ ନ ପାରିଲ ଚିହ୍ନି
ମୂର୍ଖ ଦୁଷ୍ଟ ଦର୍ପ ଦଳନ୍ତି ଯେ କମଳିନୀ
ଯାହାଙ୍କ ପତି ଅଟନ୍ତି ବଇକୁଣ୍ଠପତି,
ତାଙ୍କୁ ଚିତ୍ତେ ନମସ୍କାର କରି ଚଳ ବାସେ ।
ଶୁଣ ଶୁଭେ ରାଜଦାଣ୍ଡେ ଦନୁଜଙ୍କ ଗତି
ନ ଦେଖି ତୁମ୍ଭଙ୍କୁ ସର୍ବେ ଆସନ୍ତି ବାହୁଡ଼ି, ଲାଖଠାରୁ ।
(ସେନାପତିଗଣ ସହ ମନ୍ତ୍ରୀର ପ୍ରବେଶ)
ସମସ୍ତେ- ରକ୍ଷନାଥ ! ରକ୍ଷନାଥ ! ପ୍ରଣାମ ଚରଣେ,
ନ ପାଇଁ ତୁମ୍ଭ ଦର୍ଶନ ଧାଇଁଛୁ ପଛରେ
କହ କିପାଇଁ ଅଇଲ ସେହି ରାଜସଭାଠାରୁ ?
ମୁରାସୁର- ହେ କାଙ୍କୋଳାସୁର, କାଳକେତୁ, ସଉଦାସ ! ଚନ୍ଦ୍ରମାଳି ରଣଚୂଡ଼ ବିକୁକ୍ଷୀ ସୁମାତ୍ର ! ହେ କଣ୍ଠ ବିକଣ୍ଠ ସରଜିତ ! ହେ ସୁବିଜ୍ଞ ମନ୍ତ୍ରୀ-ଚୂଡ଼ାମଣି ! ସକଳେ ତ ଆସିଲ ସେଠାରୁ । କାହାକୁ ରଖି ଆସିଛ ନେବାକୁ ସମ୍ବାଦ ?
ଯେ ଭାବେ ଅଇଲି ସେହିଠାରୁ ତାହା ତୁମ୍ଭ ଆଗେ ପରେ କରିବି ପ୍ରକାଶ । କି ଭାବି ଅଇଲ ବେଗେ ଭାଷ ?
ମନ୍ତ୍ରୀ- ଭୋ ଦେବ କନକାବତୀପତି ! ବାଟରୁ ପାଇ ଖବର ଧାଇଁବୁ ସକଳେ । ରଖାଇ ଅଇଲୁ ସୁରସେନ ଡଗରକୁ, ଫେରିବ ସେ ଲାଖବିନ୍ଧା ଶେଷେ ଜଣାଇବ ସରବ ବୃତ୍ତାନ୍ତ ଛାମୁ ଆଗେ।
ମୁରାସୁର- ତେବେ ଚାଲ ମନ୍ଦିରକୁ ଯିବା ଆମ୍ଭେ ।
ସମସ୍ତେ- ଯେ ଆଜ୍ଞା !
(ରାଜା କର ଧରି ରାଣୀଙ୍କ ପ୍ରସ୍ଥାନ ଓ ତତ୍ପଛେ ଧୀରେ ଧୀରେ ସମସ୍ତଙ୍କ ପ୍ରସ୍ଥାନ)
(ଜଣେ ସ୍ତ୍ରୀ ଓ ଜଣେ ପୁରୁଷର ପ୍ରବେଶ)
ଗୀତ- (ରାଜା ଦିଅ ତୋର ଝିଅକୁ...ବୃତ୍ତେ)
ପୁରୁଷ- ତତେ କିଏ ଏହା କହିଲା,
ସ୍ତ୍ରୀ- ଅଦିନେ କେମନ୍ତେ ମେଘ ନାହିଁ ଗୋଟା ଘଡ଼ଘଡ଼ି ମାଇଲା ।ପଦ।
ପୁରୁଷ- ତତେ କିଏ ଏହା କହିଲା,
ସ୍ତ୍ରୀ- ଫୁଟିଯାଇଥିଲା ତୋର କାନ କି, ଚମକିପଡ଼ିଲି ମୁହିଁ ଛନକି ।
ପୁରୁଷ- ଅସୁର ଗୋଟା ଲୋ ରଡ଼ିଟାଏ ଛାଡ଼ି କେଉଁଆଡ଼େ ପଡ଼ିଲା ।୧।
ସ୍ତ୍ରୀ- ଏଡ଼େ ପାଟି ତାର କିଏ ସେଇଟା, ଅଣ୍ଟାରେ ତ ପଶିଥିବ ଗଇଁଟା ।
ପୁରୁଷ- ମାଈଟା ଲୋଭରେ ଲୋକହସା ହୋଇ ଏତେ ଦଶା ପାଇଲା ।୨।
ସ୍ତ୍ରୀ- ଅସୁର ଯହିଁରେ ପାରିଲା ନାହିଁ, ନରଙ୍କ ଉଠିଆ ରହିବ କାହିଁ
ପୁରୁଷ- ଜାଣିଥାଆ ରାଜମାଆ ! ରଜାଝୁଅ ଅଭିଆଡ଼ୀ ରହିଲା ।୩।
ସ୍ତ୍ରୀ- ଶୁଣିନାହୁଁ ଦଇବର ମରଜି, ନାରୀକି ପୁରୁଷ ଅଛି ସରଜି ।
ପୁରୁଷ- ଗଞ୍ଜିହୋଇ ରଜା ପାଇଲାଣି ସଜା ବଇଷ୍ଣବ ବୋଇଲା ।୪।
ସ୍ତ୍ରୀ- ଯାଆମ ଦେଖିଆସି କହିବୁ କିଏସେ ବିନ୍ଧିବ ଲାଖ ।
ପୁରୁଷ- ଆଲୋ ସବୁ ସଇଲେ, ଖାଲି ଅଛନ୍ତି ବ୍ରାହ୍ମଣଯାକ ।।
ସ୍ତ୍ରୀ- ପିଣ୍ଡପକା କୁଶ- ପାତିରିଜକାଗୁରା ସେଠି କଣ କରିବେ ?
ପୁରୁଷ- ଆଲୋ ପଇତାଗଣ୍ଠିଟା ଧରି ଯେବେ ଘଡ଼ିଏ ବରବର ହେବେ ତ ସେଇ ମଜା ମାରିବେ ।।
ସ୍ତ୍ରୀ- ଏ କଥା ରାଜବାପ, ଆସୁନାହିଁ ମୋର ମନକୁ ।
ପୁରୁଷ- ଚୁଡ଼ାଦହି ଖିଆବେଳେ ଦେଖୁଚୁ ନା ନନାଙ୍କ ତାନକୁ ।।
ସ୍ତ୍ରୀ- ହଁ ମ, ଦେଖିଚି ସଅଁସାଅଁ ହଉଥାନ୍ତି ପେଲି ।
ପୁରୁଷ- ସେମିତି ଯେବେ ଘଡ଼ିଏ ଅଣ୍ଟା ଭିଡ଼ିବେ ନାଖ ଖୁଣ୍ଟ କୁଆଡ଼େ ଯିବ ଚାଲି ।।
ସ୍ତ୍ରୀ- ହେ ! ତେଣେ କଣ ପୁଣି ଶୁଭିଲାଣି ଶଙ୍ଖ ।
ପୁରୁଷ- ଦେଖିବା ଚାଆଲେ
ସେ ବଦରିଦେଶ ବ୍ରାହ୍ମଣ ରଜାପୁଅ ପରା ବିନ୍ଧିବାକୁ ଯିବ ନାଖ ।।
(ଉଭୟର ପ୍ରସ୍ଥାନ)
(ରାଜସଭା- ବ୍ରହ୍ମା, ଶିବ ଓ କୃଷ୍ଣବଲ୍ଲଭ ରାଜା ବ୍ରାହ୍ମଣଗଣ ସହ ଉପବେଶନ ଓ ବରୁଣ ରାଜା ସମ୍ମୁଖେ ଦଣ୍ଡାୟମାନ)
ବରୁଣ- ଶୁଣ ଶୁଣ ବିପ୍ରଗଣେ ହୃଦେ ବହି ଦୟା ବାରେ ମାତ୍ର ବିନତି ମୋହର
ମହା ମହା ବଳବନ୍ତ କ୍ଷତ୍ରିୟକୁମରେ ନତଶିର ହେଲେ ଲାଖ ବିନ୍ଧିଣ ନ ପାରି
ଥରେ ଚେଷ୍ଟାକରି ଦେଖ ବିପ୍ରେ ନ ହୁଅ ନିଶ୍ଚେଷ୍ଟ
ରଖ ଦ୍ୱିଜକୁଳର ଗରିମା, ଟେକ ନଭେ ଜୟ ବୈଜୟନ୍ତୀ ।
(ଏକାଳେ କ୍ଷେମମିଶ୍ରେ ଉଠି)
କ୍ଷେପ- ଶୁଣ କଶ୍ୟପନନ୍ଦ ! ଆମ୍ଭେ ଅଟୁ ବିପ୍ରଜାତି
ଗଡ଼ୁ ତମ୍ବାପାତ୍ରୀ ଆମ୍ଭ ଅଟେ ମହାଧନୁ
ଆଶୀର୍ବାଦ ଅଟେ ତୀକ୍ଷ୍ଣ ଶର ।
ଏହା ବଳେ ରବିତଳେ ପାଉ ଆମ୍ଭେ ପୂଜା
ଏହା ବଳେ ମହାବଳି ବୋଲାଉ ବ୍ରହ୍ମାଣ୍ଡେ ।
ଯଜନ ଯାଜନ ବେଦପାଠ ସନ୍ଧ୍ୟା ଦେବସେବା ଶ୍ରାଦ୍ଧ ପୋଥି
ମୂଳ ଅଟେ ଆମ୍ଭ କୁଳଧର୍ମ, ଜାଣୁନାହିଁ ଲାଖ-କର୍ମମାନ,
ଦେଖ ମିଟିମିଟି ଚାହୁଁଛନ୍ତି ବୈଶ୍ୟଜାତିମାନେ
ଅଠାଶୀସହସ୍ର ମୁନି ଛନ୍ତି ଏ ସଭାରେ
ଭରସି ଜଣେ କେ ଲାଖ ନ ପାରନ୍ତି ବିନ୍ଧି ।
ଏହୁ ଗ୍ରହକୂଟ ଲାଖ ଜାଣୁ ଆମ୍ଭେମାନେ
ଆବର କଥାଏ ତୁମ୍ଭେ ଶୁଣ ଜଳାଧିପ !
ଗୀତ- (ଆଜି ଚଣ୍ଡାଳ ଗାଳିଦେବ...ବୃତ୍ତେ)
ମନେ ଶୋଚନା ନ କର ରତ୍ନାକର ହେ ।
ବିନ୍ଧି ନ ପାରିବେ ବ୍ରହ୍ମାଦି ଶଙ୍କର ହେ ।ପଦ।
ପ୍ରତ୍ୟକ୍ଷେ ଏ ମହାଲାଖ । ବିନ୍ଧିବେ କମଳମୁଖ ।
ଧରିବେ କମଳା ତାଙ୍କ କର ହେ ।୧।
ଆନ ଚିତ୍ତେ ନ ବିଚାର, ପଞ୍ଚାନନଙ୍କୁ ପଚାର,
ସେ ସକଳ ଜ୍ଞାନର ଆକର ହେ ।୨।
ଧ୍ୟାନେ ମୁଁ ପାରିଛି ବାରି, ଏ ଯେ ନୃସିଂହ ଶ୍ରୀହରି ।
ସମ୍ପଦ ଏ ରଙ୍କି ଦୁଃଖୀଙ୍କର ହେ ।୩।
ଛୁଇଁବାକୁ ଲକ୍ଷ୍ମୀ ଅଙ୍ଗ, ଆନ କେ ନୋହିବ ଯୋଗ୍ୟ,
ବଇଷ୍ଣବ ଭୃତ୍ୟ ତାହାଙ୍କର ହେ ।୪।
ବରୁଣ- (ଶିବ ପାଶେ ମିଳି)
ହେ ମହେଶ ! ଶୁଣ ଥରେ ଗୁହାରି ମୋହରି,
ଏହି ଲକ୍ଷ୍ମୀର ବାଳିକାକାଳେ ।
ଆସି ମାଗୁଥିଲ ନେବାପାଇଁ ବିଷ୍ଣୁ ସହ
ଜାଣି ରାଣୀ ଲୁଚାଇଲେ ଭିତରେ ନେଇଣ,
ସେତେବେଳେ ତୁମ୍ଭ ଆଗେ କହିଥିଲି ମୁହିଁ
ନେବେ ହରି ବିନ୍ଧି ମହାଲାଖ ।
ପାରିଲେ ବିନ୍ଧିଣ ଲାଖ ନିଅ ଏତେବେଳେ !
ଶିବ- ଜାଣନା କିହେ ବରୁଣ ବିରୂପାକ୍ଷ ଶକ୍ତି ?
ବ୍ରହ୍ମା ବିଷ୍ଣୁ ଶିବ ଏକମୂର୍ତ୍ତି ତିନିଦେବ
କାର୍ଯ୍ୟଛଳେ ଭିନ୍ନ ତନୁ କରିଛୁ ଧାରଣ
ସତ୍ୱ, ରଜ, ତମ ତିନିଗୁଣୁ ଅବତରି ସୃଷ୍ଟି ସ୍ଥିତି ଲୟ କରୁ ଆମ୍ଭେ,
ଆନ ନାରୀ ସମ୍ଭୋଗ ନ କରୁ ଜାଣ କେହି
ବ୍ରହ୍ମାର ସାବିତ୍ରୀ, ଉମା ଅଟଇ ଆମ୍ଭରି, ରମା ଅଟେ ବିଷ୍ଣୁଙ୍କର
ଯେବେ ନାରୀଲୋଭେ ଲାଖ ବିନ୍ଧିବୁ ଏଠାବେ
କଇଳାସେ ପୂରାଇ ନ ଦେବ ଦୁର୍ଗା କେଭେ
ବ୍ରହ୍ମାଙ୍କୁ ପଚାରି ବେଗେ ବର ନରସିଂହେ ।
ବରୁଣ- (ବ୍ରହ୍ମାପାଶେ ମିଳି) ପିତଃ ! କହ ସତ୍ୟ କେ ବିନ୍ଧିବ ଲାଖ ?
ବ୍ରହ୍ମା- ବୃହସ୍ପତିଙ୍କ ବଚନ ମନେ କରି ଦେଖ ।
ବରୁଣ- ଆସ ସରବେ ଶେଷ ହେବ ଲାଖ ବିଧି
ବ୍ରହ୍ମା- ଏ ଲାଖ ବିନ୍ଧିଣ କନ୍ୟା ନେବେ ଦୟାନିଧି ।
ବରୁଣ- ସତ୍ୟ କରି ଭାଷ କୂଟ ନ ରଖିଣ ଚିତ୍ତେ
ବ୍ରହ୍ମା- ଟାକିବସିଛନ୍ତି ହରି ନୃସିଂହ ରୂପରେ ଜାଣ ଏଥେ ।
ବରୁଣ- ତେବେ ମାନି ତବ ଆଜ୍ଞା ଯାଉଚି ମୁଁ ତାହାଙ୍କ ଅଗ୍ରତେ ।
(ବରୁଣ ଅର୍ଘ୍ୟ ଘେନି ନୃସିଂହ ପାଶେ ପ୍ରବେଶ)
ଆହା ! ଏହି ନିଶ୍ଚେଁ ଅଟନ୍ତି ଶ୍ରୀପତି
ଶୋଭାପାଏ ଅଙ୍ଗଦେଶେ ଅଷ୍ଟାଦଶ ଚିହ୍ନ
ଶଙ୍ଖ, ଚକ୍ର, ଗଦା, ପଦ୍ମ, ଶ୍ରୀବତ୍ସ-ଲାଞ୍ଛନ
ପାଶ ଅଙ୍କୁଶ ଗୋଷ୍ପଦ ବେଣୁ କୋଦଣ୍ଡ କଳସଧ୍ୱଜ ସାରଙ୍ଗ ମୂଷଳ
ବଜ୍ର ଖଡ଼୍ଗ ସାୟକ ଲାଙ୍ଗଳ ଏହି ଅଷ୍ଟାଦଶ ଚିହ୍ନ ଅଙ୍ଗେ ଦିଶେ ଫୁଟି ।
ନ ଜାଣି ମୁଁ ବୃଥାକଲି ମହା ସ୍ୱୟମ୍ବର, ଗଞ୍ଜି ହେଲି ଏତେଦିନ ଯାଏ
ବରଣ କରି ହରିଙ୍କି ଦେଇଥିଲେ ବିଭା, ସଂସାରକୁ ଦିଶିଥାନ୍ତା ଶୋଭା
ମୁର-ଦର୍ପ ଗଞ୍ଜନେ ସର୍ଜିଲି ଏହି ଲାଖ ।
ହେ ବୈକୁଣ୍ଠପତି ! କମଳାକୁ ବିଭାକରି ମାର ମୁରାସୁର
ମାନବ-ବିଷ୍ଣୁ ବୋଲିଣ ନ ମାନେ ତୁମ୍ଭଙ୍କୁ ।
ନୃସିଂହ- ଜଳପତି ! ନିନ୍ଦିଲେ ସେ ନିନ୍ଦୁ ମୋତେ,
ନାହିଁ କ୍ଷତି ତହିଁରେ ମୋହର
ଛାଗ ନିନ୍ଦେ ଭାଗୀରଥୀ ବାରି,
ମକ୍ଷିକା କରଇ ନିନ୍ଦା ସୁଗନ୍ଧ ଚନ୍ଦନେ
ସୂର୍ଯ୍ୟେ ନିନ୍ଦା କରଇ ପେଚକ,
ମୂର୍ଖେ ନ ମାନନ୍ତି ହରିଭକ୍ତଙ୍କୁ କଦାପି ।
ସେହିପରି ଖଳେ ଜାଣ ନିନ୍ଦନ୍ତି ହରିଙ୍କି ।
ମୁର ଯେବେ ଭଜନ୍ତା ମୋ ନାମ,
ଅମର ହୋଇ ରହନ୍ତା ଯୁଗ-ଯୁଗାନ୍ତରେ ।
ତାହାହେଲେ କେତେ କଷ୍ଟ ପାନ୍ତେ ଦେବଗଣ,
ମରିବାକୁ କରେ ମୋତେ ହେୟ ଜ୍ଞାନ ସେହୁ ।
ଯେବେ ମୋ ଭକତ ହୁଅନ୍ତା ମୁରାସୁର,
ଭକ୍ତବିନାଶନେ ନ ଚଳନ୍ତା କର ମୋର ।
ତୁମ୍ଭେ ଯେ ବୋଇଲ ବିଭା କର କମଳାଙ୍କୁ
ଲାଖ ନ ବିନ୍ଧି ଯଦ୍ୟପି ଧରିବି ମୁଁ କର
ନିନ୍ଦା ରଖିବାକୁ ସ୍ଥାନ ନ ମିଳିବ ମୋତେ ।
କୃଷ୍ଣ- ଧନ୍ୟ ଧନ୍ୟ ଧନ୍ୟରେ ନୃସିଂହ !
ତୋ ପରା କୁମର କୋଳେ ଧରି ସାର୍ଥକ ହୋଇଚି ଦେହ ମୋର,
ଏବେ ଲାଖ ବିନ୍ଧ ପିତା ଆଦେଶରେ ଯାଇଁ,
ଶ୍ରୀ ମଧୁସୂଦନ ନାମ ହୃଦପଦ୍ମେ ଧରି
ଲାଖ ନିକଟକୁ ବତ୍ସ, କର ଅନୁକୂଳ ।
ନୃସିଂହ- (ସ୍ୱଗତ) ଯାହାହେଉ, ଧରି ତାତ ଆଜ୍ଞା ଶିରେ ଯିବି ଲାଖ କତି, ହର ବ୍ରହ୍ମା ଚରଣେ ପ୍ରଣମି ।
ଶେଷଦେବ- ଜ୍ୟେଷ୍ଠଭ୍ରାତ ! ମାନ ଥରେ ବିନତି ମୋହର ।
ଛନ୍ତି ଏ ସଭାରେ ଦୁଷ୍ଟ ଖଳ ରାଜଗଣେ କାଳେ କେହି କରିଥିବେ ଯନ୍ତ୍ର
ଲଜ୍ଜା ପାଇ ବସିଛନ୍ତି ନତମୁଖ ହୋଇ ।
କିବା ବ୍ୟାସ କରିଥିବେ କୂଟ,
ସୁର ନର ଗନ୍ଧର୍ବ ଅସୁର ରୁଣ୍ଡ ହୋଇଛନ୍ତି ଆସି ବାରାନିଧିପୁରେ ।
ଚେତାଇ ଦେଲି ଧରନ୍ତୁ ଧନୁ ସାବଧାନେ ।
ନୃସିଂହ- ଭାଇ ଶେଷ ! ବାତୁଳ ପରାୟେ କଥା କହୁଛୁ କାହିଁକି ?
ଅଜଣା ଅଛି କି ତୋତେ କ୍ଷମତା ମୋହରି ?
ଯେବେ ଯାଇଥିବୁ ଭୁଲି ମନୁ ତାହା
ଆବର ଭାଇ ମୁଁ ଥରେ ଦେଉଛି ବୁଝାଇ ।
ଗୀତ- (କୀର୍ତ୍ତନ ସୁର)
ହଟ କରି କୂଟ ପାଞ୍ଚି ମୋହଠାରେ
ଘଟ ଧରି ଭାଇ କିଏ ରହିବ ।
ମୁହିଁ ଥିବାଯାଏ ସବୁରି ତ ହାଟ,
ମୁଁ ନ ଥିଲେ ବାଟ ଚାଲି ନୋହିବ ।ପଦ।
ମୁହିଁଟି ସରବ ଯନ୍ତ୍ରର ମନ୍ତର,
ଅନ୍ତର ଜାଣଇ ହୋଇ ଦଇବ ।
ମୋର ଗୁରୁ ବ୍ୟାସ ମୋ ଅଂଶ ମହେଶ,
କଂସା କି ସହଜେ ସୀସା ହୋଇବ ।୧।
ମୁହିଁ କର୍ମ ଧର୍ମ ସୁକର୍ମ କୁକର୍ମ
ମୋ ବିନୁ କେ ମର୍ମକଥା କହିବ ।
ଉର୍ମ ଧୂର୍ମ ଜ୍ୟୋତି ମୁଁ ଏ ସୃଷ୍ଟି ସ୍ଥିତି,
ମୁହିଁ ଦେଲେ ମହୀଭାର ବହିବ ।୨।
ରେ ଅନୁଜ ତେଜ ସେ ଆଶା ସହସା,
ବିନା କାତରେ କେ ନାବ ବାହିବ ।
ଏ ସଂସାର ଖେଳଘରଟି ମୋହର,
ସତେ ବଇବିଷ୍ଣୁ ଭେଟ ପାଇବ ।୩।
ବ୍ରହ୍ମା- ହେ ଅଠାଶୀ ସହସ୍ର ଋଷିବୃନ୍ଦ,
ନାରଦ ହର ସୁରେନ୍ଦ୍ର ଆଦି ଏଥେ ଯେତେ ଅଛ ରାଜବର୍ଗ,
ଚଳ ସର୍ବେ ନୃସିଂହ ଗହଣେ ।
ଲାଖ ଚଉଦିଗେ ଘେରି ଦେଖିବା ସରବେ
ବିନ୍ଧିବେ ଯେକାଳେ ଲାଖ ଇନ୍ଦିରାରମଣ, ଚର୍ମନେତ୍ର କରିବା ପବିତ୍ର
ଜୟ ଶ୍ରୀ ନୃସିଂହ ଜୟ ଜଗତପାଳନ, ଜୟ ଜୟ ଶ୍ରୀ ନୃସିଂହ ସର୍ବଲୋକନାଥ,
ଏହା ଗାଇ ଉଚ୍ଚସ୍ୱରେ କମ୍ପାଅ ଧରଣୀ ।
ସମସ୍ତେ- ଜୟ ଶ୍ରୀ ନୃସିଂହ ବଦ୍ରିଦେଶ ଦିନମଣି, ଜୟ ଦୁର୍ଦ୍ଦଣ୍ଡ ଦାନବ-ଅରି
ଜୟ ଅଗତିର ଗତି ପତିତପାବନ ବୋଲ ଜୟ । (ସମସ୍ତଙ୍କର ପ୍ରସ୍ଥାନ)
(ଲକ୍ଷ୍ମୀସହ ହଂସିନୀର ପ୍ରବେଶ)
ହଂସିନୀ- ଦେଖ ନେତ୍ରେ ଚାହିଁ ଗୋ କମଳେ, ଅଛନ୍ତି ଏ ତବ ପ୍ରାଣପତି
ଚଢ଼ିଲେ ଲାଖର ପଟାପରେ ଧନୁ ଧରି,
ବାବଲ ନାମକ ଶର ଯୋଚିଲେଣି ଗୁଣେ
ପୁଣି ଦେଖ ଧରିଲେଣି କୁରଙ୍ଗୀର ପୁଚ୍ଛ
ନିଶ୍ଚେ ଲାଖ ବିନ୍ଧି ଏ ହରି ବିଭାହେବେ, କରିବୁ ବରଣ ଏହିକ୍ଷଣି ।
ଗୀତ- (ଛନ୍ଦାଚରଣ, ମୋତେ...ବୃତ୍ତେ)
ଚଞ୍ଚଳେ ଚଞ୍ଚଳା ଦେଖ ଚାହିଁ, ପିଛାଡ଼ି ନ ପକା ନେତ୍ର ଦୁଇ ।ପଦ।
ତୋର ପଞ୍ଚପରାଣ ଘଞ୍ଚସ୍ତନା ଏ ଜାଣ,
ମଞ୍ଚ ଶୋଚନା କାଞ୍ଚନଦେହୀ ।୧।
ପାଞ୍ଚ ନା କିଛି ଆଉ ପଞ୍ଚନାରାଜ ଦାଉ,
ଘୁଞ୍ଚାଇବେ ଏ କୋଳେ ବଳେ ନେଇ ।୨।
ବଚନ ସୁଧାବାରି ସିଞ୍ଚ କିଞ୍ଚିତେ ଗୋରି,
ବାଞ୍ଛାନିଧି କରିବେ ପରା ତ୍ରାହି ।୩।
ପଞ୍ଚାନନ ସମ୍ପଦ ସଦା ଅଟେ ଯା ପଦ,
ତା ପଦ ସେବି ଭାଷେ ବଇ ।୪।
ଲକ୍ଷ୍ମୀ- ହଂସିନୀ ଗୋ ! ସତେ ଏ ଅଗତିଗତି ପତିତପାବନ
ପ୍ରାଣପତି ହୋଇବେ ମୋହରି !
ସତେ ପ୍ରିୟା ବୋଲି ଡାକିବେ ତୁଣ୍ଡରେ !
ସତେ ଶଙ୍ଖ-ଚକ୍ର-କରେ କରିବେ ଏ କୋଳ !
କଉସ୍ତଭମଣି ଶୋଭାପାଏ ଯେଉଁ ଉରେ
ସେ ଉରେ ମୋ ଉର ସତେ ପରଶିବେ ହରି !
ଶ୍ରୀବତ୍ସର ପଦ ଯେଉଁ ହୃଦେ ବିରାଜିତ
ସତେ ସେ ହୃଦେ ଭିଡ଼ିବେ ମୋତେ,
ସତେ ଶୁଷ୍କ ମରୁଦେଶେ, ସୁଧାନଦୀ ହେବ ପ୍ରବାହିତ !
ଗୀତ- (ଆସ ଧରିବା ମିତ ନାଗରୀ ଚିତ୍ତ...ବୃତ୍ତେ)
କେତେବେଳେ ଏ ହରି ହେବେ ମୋହରି ରସେ ରସିବେ ।
ଠାରି ନୟନକୋଣେ ଅନାଇ କ୍ଷଣେ ବାଣୀ ଭାଷିବେ ।ପଦ।
ଶୁଣିବାକୁ ଶ୍ରୁତି ଆତୁର, ହୁଏ ସଖି ତରତର ।
ପୁଣି ରଙ୍ଗ ଅଧରେ ସ୍ନେହେ ମଧୁରେ ମନ୍ଦେ ହସିବେ ।୧।
କେତେବେଳେ କେଳିମନ୍ଦିର, ଦିଶିବ ଶୋଭାସୁନ୍ଦର ।
ରଙ୍କେ ପରଶି ସୁଧା ନିଶଙ୍କେ ଦାସୀ କ୍ଷୁଧା ନାଶିବେ ।୨।
ଶଶୀ ଶଶା ଦଶା ବହିବି, ଅଙ୍କେ ବସି ନିଶି ପୋହିବି ।
କେତେ ଶୋଭା ଦିଶିବ ଯିବ ଅଶିବ ଥିଲେ ନସିବେ ।୩।
ଚିତ୍ରେ ମୁହିଁ ଥିଲି ଯା ଦେଖି, ନେତ୍ରେ ଚାହିଁ ତା ହେଲି ସୁଖୀ ।
ବଇଷ୍ଣବ ରଚନ ଜଗତଜନ ଏ ଯଶ ଘୋଷିବେ ।୪।
ନେପଥ୍ୟେ- ଜୟ ଶ୍ରୀନୃସିଂହଙ୍କର ଜୟ !
(ବେଗେ ବରୁଣ ଲକ୍ଷ୍ମୀପାଶେ ମିଳି)
ବରୁଣ- ମା କମଳା, ଶୁଣ ଏବେ ତୋ ପିତା ବଚନ,
ତୋର ଅନୁରୂପ ବର ଘଟାଇଲେ ଧାତା
ବିନ୍ଧିଲେ ନୃସିଂହ ଲାଖ କରମକୁ ମୋର ।
ଚାଲ ମାତ, ବନମାଳ ଦିଅ ତାଙ୍କ ଗଳେ
ବଦ୍ରିକାଧିପତି କୃଷ୍ଣବଲ୍ଲଭ ବ୍ରାହ୍ମଣ
ତାହାଙ୍କର ଶେଷ ନରସିଂହ ବେନିପୁତ୍ରେ
ବେନି କୁମରଙ୍କୁ ଦେବି ବେନି କୁମାରୀଙ୍କି
ନିଜେ ଏହା ଆଜ୍ଞା କଲେ ବିହି ।
ଆସ କରେ ଘେନି ରତ୍ନମାଳା
ଲାଜ ତେଜ ସରୋଜବାସିନୀ ।
ଏହି ଦେଖ ଧାତା ସହ ଅଠାଶୀ ସହସ୍ର ଋଷି ତୁଲେ
ବସିଛନ୍ତି ନୃସିଂହ ସଭାସ୍ଥଳେ ।
ଲକ୍ଷ୍ମୀ- (ମାଳ ଘେନି ନୃସିଂହଙ୍କ କଣ୍ଠେ ଦେବା, ହୁଳହୁଳି ଧ୍ୱନି ।)
ଆଜିଠାରୁ ପ୍ରାଣକାନ୍ତ ତବ ପଦ୍ମପାଦେ ଦାସୀ ହୋଇ ଖଟିବି ମୁଁ ଯୁଗ-ଯୁଗାନ୍ତରେ ।
ଗୀତ- (କୀର୍ତ୍ତନ ସୁର)
ହେ କରୁଣାସିନ୍ଧୁ ଅରୁଣ ଚରଣେ ଶରଣ ପଶୁଛି ମୁହିଁ ।
ବାରଣତାରଣ ବରୁଣଜେମାକୁ ବାରେ କାରଣ କରିବା ପାଇଁ ।
କରିଲି ବରଣ, ମୁହିଁ ପିଣ୍ଡ ତୁମ୍ଭେଟି ପରାଣ ।୧।
ହରି ହରିଅଛ ହରିଣୀ-ବିପତ୍ତି ଦାରୁଣ ନ ହୋଇ ତିଳେ ।
ଏ ଭବ-ଅର୍ଣ୍ଣବେ ତୁମ୍ଭେଟି ତରଣୀ ଧରଣୀରେ ଯଶ ରଖ ହେଳେ ।
ମାରଣେ ଦାନବ, ଧାରଣ ମାନବତନୁ ତବ ।୨।
କରନ୍ତେ ସ୍ମରଣ ନାମକୁ ତୁମ୍ଭର ଖଣ୍ଡିଯାଏ ଯମଡର ।
ମାୟାଧର ମାୟା-ରଜ୍ଜୁରେ ବାନ୍ଧିଣ ନଚାଉଚ ଏ ସଚରାଚର ।
କାୟା ପରା ମୁହିଁ; କାୟା ପୂତକର ଭାଷେ ବଇ ।୩।
ବ୍ରହ୍ମା- ଚାଲ ହେ ବରୁଣ ! ଯିବା ବିବାହ ମଣ୍ଡପେ,
ବହନ ସାରିବା ବିଭାକାର୍ଯ୍ୟ ।
ମୁହିଁ ପୁରୋହିତ ପଦ କରିଲି ବହନ
ବଶିଷ୍ଠେ ଆଚାର୍ଯ୍ୟ ପଦେ ହୋଇ ପ୍ରତିଷ୍ଠିତ
ଆନ ବେଦୀପରେ ନେଇ ଶେଷଦେବେ
ଦେବେ ବିଭା ଇଳା ସଙ୍ଗତରେ ।
ପେଶ ନାରଦକୁ ଯାଉ ବଦରିକାଶ୍ରମେ ଆଣନ୍ତୁ ନୃସିଂହ-ଜନନୀଙ୍କୁ
ବସାଇ ସହସା ମନପବନଦଣ୍ଡରେ ।
ଘେନି ପ୍ରଭୁଙ୍କର ଅନୁମତି ଚାଲ ସର୍ବେ ବିବାହବେଦୀକୁ ।
ବରୁଣ- ଆସନ୍ତୁ ବୈକୁଣ୍ଠନାଥ ବିବାହ ମଣ୍ଡପେ !
ନୃସିଂହ- ନ କହି ପିତାଙ୍କୁ କେହ୍ନେ ଚାଲିଯିବୁ ଆପେ ।
ବରୁଣ- ଅନୁମତି ମାଗିଆଣେ ତୁମ୍ଭ ପିତାଠାରୁ ।
ନୃସିଂହ- ଜାଣ ଜଳପତି ସେହି ପରା ଏ ପିଣ୍ଡର ଗୁରୁ ।
ବରୁଣ- ଚାଲନ୍ତୁ ସମ୍ବନ୍ଧି, ଲକ୍ଷ୍ମୀ ନରସିଂହ ବିଭା କରାଇବା ଏବେ
କୃଷ୍ଣ- ଯା କହିଲ ସତ୍ୟ ରାଜା, କନିଷ୍ଠନନ୍ଦନ ମୋର ଛନ୍ତି ଶେଷଦେବେ ।
ବରୁଣ- ମୋ କନିଷ୍ଠ ଜେମା ଇଳା ବିଭାଦେବି ତାଙ୍କୁ
କୃଷ୍ଣ- ତେବେ ବରବେଶ କରି ନିଅନ୍ତୁ ବେଦୀକୁ ।
ସମସ୍ତେ- ଧନ୍ୟ ଧନ୍ୟ ଧନ୍ୟ ହେ ବରୁଣ, ତବ ଋଣ କେ ପାରିବ ଶୁଝି । (ସମସ୍ତଙ୍କର ପ୍ରସ୍ଥାନ)
ଗୀତ- (ଆଇରେ ଭାଇ ଓ ଭାଇ କାହ୍ନା...ବୃତ୍ତେ)
ଗାଅ ହେ ଆନନ୍ଦେ ଲକ୍ଷ୍ମୀ ନରସିଂହ ଜୟେ,
ଭୁଲିଯିବ କାମ ମୋହ ଲୋଭ ନ ରହିବ ଯମଭୟେ ।ପଦ।
ଉଭା ହୋଇ ବିଭା ଦେଖିବା ଗୋ ସଖି,
ସେ ପଙ୍କଜପଦେ ପ୍ରାଣ ଦେବା ବିକି ।
ଟେକିବା ସଙ୍ଗୀତ ଗଗନ ପରଶ କରି ସର୍ବେ ଏକଲୟେ ।୧।
ସେ କମଳାକାନ୍ତ କମଳାଙ୍କ ଗଳେ,
ଗୁନ୍ଥି ଫୁଲମାଳେ ଦେବା ବଳେ ବଳେ ।
ହରି ହରି ହରି ଉଠିବ ଲହରୀ ପୂରିବ ସଂସାର ଚୟେ ।୨।
ବାଜିବ ବାଜଣା ପଖାଉଜ ବୀଣା,
ଡମ୍ବରୁ ମୃଦଙ୍ଗ ଭେରି ଅକଳଣା ।
ବଣା ନୋହି ତାଳେ ତାଳେ ନାଚୁଥିବା ଚଳି ଚିତ୍ତ କରି ଥୟେ ।୩।
ଶେଷେ ଶେଷଦେବ ନାମ ଉଚ୍ଚାରିବା,
ଇଳା ତୁଲେ ନେଇ ହେଳେ ମିଳାଇବା ।
ବଇଷ୍ଣବ ଚିନ୍ତି ପଳାଇବ ଭୀତି ପଡ଼ନ୍ତେ ସେ ରଙ୍ଗା ପାୟେ ।୪।
(ରାଜପଥ- ଜଣେ ଅନ୍ଧ ବାଳକ ତା’ର ମାତା ସହ ପ୍ରବେଶ)
ଅନ୍ଧ- ମା’ ! କହନି କେତେଦୂରେ ସେ ହରି ଅଛନ୍ତି ? ମା’ ! ସେ ଦେଖିବାକୁ କେମନ୍ତେ ମୋତେ କହ?
ମା- ବାପରେ, ତୁ ଯେବେ ମୋ କାଖରେ ନ ଥାନ୍ତୁ; ମୁଁ ଲୋକଗହଳେ ପଶି ତାଙ୍କୁ ଦେଖିଥାନ୍ତି । ତୁ ମତେ ରହି ବଡ଼ ଅଡ଼ୁଆକଲୁ, ଦାଣ୍ଡରେ ବସେଇ ଯେବେ ଯିବି କାଳେ ଲୋକେ ତତେ ମାଡ଼ିଚକଟି ଦେବେ । ବାପରେ ! ମୁଁ ଆଗେ ମରିଯାଏ, ତୁ ପଛେ ନୃସିଂହଙ୍କୁ ଦେଖ ।
ଗୀତ- (କଳାମାଣିକ...ବୃତ୍ତେ)
ତୁହିଟି ଅନ୍ଧ ମୁହିଁଟି ଦୁର୍ବଳ ରେ ଧନ,
ମୋ ଯୋଗେ ନ ଦେଲେ ଦେଖା ଜଗତଜୀବନ ।
ମୋ ରଙ୍କପସରା ରେ ।୧।
ତୁ ନଥିଲେ ମୁହିଁ ଅବା ପଶନ୍ତି ଭିତରେ,
କଷ୍ଟ ସହି ଦେଖିଥାନ୍ତି ବୈକୁଣ୍ଠନାଥରେ ।୨।
ସମସ୍ତଙ୍କୁ ଦେଖାଦେଉଛନ୍ତି ନରହରି,
ଜାଣିଲି ସଂସାରେ କାଳେ ଅଭାଗ୍ୟ ଆମ୍ଭରି ।୩।
ତୋତେ ଯେବେ ଘରେ ଛାଡ଼ି ଆସିଥାନ୍ତି ଏକା,
ଦେଖିଥାନ୍ତି ପ୍ରଭୁ ମୁଖ ନଥାନ୍ତା ଏ ଦକା ।୪।
ତୋତେ ଥୋଇ ଆସୁ ଆସୁ ଚାଲିଯିବେ ଯେବେ,
ନୋହିବ ଦର୍ଶନ କହ କି କରିବି ଏବେ ।୫।
ଗର୍ଭୁ ଜାତ କରି ତୋତେ ନାମ ଅଛି ଦେଇ,
ଆରତତ୍ରାଣ ବୋଲିଣ ନିତି ଡାକୁଥାଇ ।୬।
କହନ୍ତି ତାହାଙ୍କ ନାମ ଅଟେ ଆର୍ତ୍ତତ୍ରାଣ,
ସବୁରି ଆରତ ଯେଣୁ କରନ୍ତି ହରଣ ।୭।
କେତେ ଅରକ୍ଷ ଜନଙ୍କ ଶୁଣନ୍ତି ଆରତ,
ମୋ ଡାକ କି ନ ଶୁଭଇ ବଇ କହେ ଗୀତ ।୮।
ଅନ୍ଧ- ମା’ ! ମୋତେ ଜନ୍ମକରି ମାରିନଦେଇ ରଖିଲୁ କାହିଁକି ?
ଅନ୍ଧ କଣ ତୋତେ ଅରଜି ପୋଷିବ ବୋଲି ବଞ୍ଚାଇଥିଲୁ ?
ନାଁ, ତୁ ବଡ଼ ମନ୍ଦକର୍ମ କରିବୁ, ତା କହୁଚି ଶୁଣ ।
ଗୀତ- (କି ନାମ ବୋଇଲୁ...ବୃତ୍ତେ)
ହୁଡ଼ିଗଲୁ ବା କି ସୁଖରେ ବୁଡ଼ି ପଡ଼ିଲୁ କାହା କଥାରେ ।
ଏଡ଼େ ବଡ଼ ନାଆଁ ଦେବାକୁ ଲୋ ମାଆ କେହ୍ନେ ଆସିଲା ଚିତ୍ତରେ ।୧।
ମୁଁ ଛାର ଅରକ୍ଷ ଜନ ଆଲୋ ମାଆ, ମୁଁ ଛାର ଅରକ୍ଷ ଜନ ।
କାଚକୁ କାଞ୍ଚନ ସହିତରେ ନେଇ କିମ୍ପାଇ କଲୁ ସମାନ ।୨।
ଆମ୍ଭର ପତ୍ରକୁଟୀର ଆଲୋ ମାଆ, ଆମ୍ଭର ପତ୍ରକୁଟୀର ।
ସମାନ କରିଲୁ କି ମନେ ପାଞ୍ଚି ତୁ ମୋର ବଇକୁଣ୍ଠପୁର ।୩।
ତୋ ଘରେ ଆଟିକା ଖଣ୍ଡେ ଲୋ ଜନନି, ତୋ ଘରେ ଆଟିକା ଖଣ୍ଡେ ।
ନ ଥିବ ଅଖଣ୍ଡ ବ୍ରହ୍ମାଣ୍ଡଭାଣ୍ଡରେ ଯା ପଦ ଧରିଚି ମୁଣ୍ଡେ ।୪।
ସେ ଘେନି ନ ଦେଲେ ଦେଖା ନାରାୟଣ, ସେ ଘେନି ନ ଦେଲେ ଦେଖା ।
ନାହାନ୍ତି ସେ ଦୂରେ ଚକ୍ଷୁଠାରୁ ହୃଦ କେତେଦୂର ଅଟେ ଲେଖା ।୫।
ଡାକିଲା ଲକ୍ଷେ ଯୋଜନେ ଗଜ ମା’ଲୋ, ଡାକିଲା ଲକ୍ଷେ ଯୋଜନେ ।
ଲକ୍ଷେ ଯୂଣ ଗିରି ଅନ୍ତରେ ସେ ଥିଲେ, ତା ଡାକ ଶୁଣିଲେ କାନେ ।୬।
ନାହାନ୍ତି ସେ ବହୁ ଦୂରେ ଆଲୋ ମାଆ, ନାହାନ୍ତି ସେ ବହୁ ଦୂରେ ।
ଦୃଷ୍ଟି ଆଗେ ଛନ୍ତି ସୃଷ୍ଟିଯାକ ପୂରି ବଇଷ୍ଣବେ ତାରିବାରେ ।୭।
ନେପଥ୍ୟେ- ରେ ଗରୁଡ଼ ! ପହଣ୍ଡେ ପହଣ୍ଡେ ଚାଲ ଅଳ୍ପ ବାଙ୍କ ହୋଇ; ଅନ୍ଧକୁ ଦେଇଣ ଦେଖା ଚାଲିଯିବି ମୁହିଁ । ମୋତେ ଦେଖିବାକୁ ଅନ୍ଧେ ଘେନି ମାତା ତାର, ଲୋଡ଼ୁଚି କାନ୍ଦୁଛି ବସି ଈଶାନ କୋଣର ।
ମା- ଦେଖିଲି ରେ ସୁତ ଆସୁଛନ୍ତି ଗରୁଡ଼ ଉପରେ ଚଢ଼ି ହରି ।
ଅନ୍ଧ- ମା ମା, ଦିଶୁନାହିଁ ସେହିରୂପେ ନେତ୍ରକୁ ମୋହରି ।
ମା- ଆଗେ ବିଜେ ହରି ଅନା କରେ ମେଲି ରେ ନୟନ,
ଅନ୍ଧ- ମା ! ମାନି ତୋ ବଚନ, କରେ ଫେଡ଼ି ଚାହୁଁଚି ଲୋଚନ ।
(ଉଭୟର ଉକ୍ତି ପ୍ରତି-ଉକ୍ତି)
(ଗୀତ- ରାମକେରୀ...ବୃତ୍ତେ)
ମା- ଦେଖିଲୁରେ ବଳା କହନି କଳାକମଳ ମୁଖ,
ପୁଅ- ଜନମୁଁ ଅନ୍ଧ ଦେଖିନାହିଁ ଦିନେ ସେ ରୂପରେଖ ।୧।
ମା- ଆଗେ ଉଭା ଶୋଭା ପାଉଚି ଶଙ୍ଖ ଚକ୍ର ଶ୍ରୀହସ୍ତେ
ପୁଅ- ଶୁଣିଥିଲି ଯାହା କାନରେ ଏବେ ଦେଖିଲି ନେତ୍ରେ ।୨।
ମା- ଚିହ୍ନିଲୁ ଆରତତ୍ରାଣଙ୍କୁ ବାପ ଆରତତ୍ରାଣ,
ପୁଅ- ମିତ୍ର ଭାବି ନେତ୍ର ଦେଲେ ଏ ମାତ୍ର ଗଲା କଷଣ ।୩।
ମା- ମୁଣ୍ଡନୋଇଁ ଦଣ୍ଡବତ ତୁ କର ଯିବେ ଚଳାଇ,
ପୁଅ- ଦିଅ ପଦଧୂଳି ଆପଦ ପ୍ରଭୁ ଯାଉ ପଳାଇ ।୪।
ମା- ସତେ ଦେଖିଲୁ କି ଅନ୍ଧରେ କହ କାହିଁ ସେ ହରି
ପୁଅ- ଅଛନ୍ତି ଗରୁଡ଼କନ୍ଧରେ ଦାଣ୍ଡେ ବିଜୟ କରି ।୫।
ମା- ଆଉ କିସ ନେତ୍ରେ ଦିଶୁଛି ଭାଷ ରଙ୍କପଶରା,
ପୁଅ- ବଇ ବୋଲେ ପ୍ରତେ ନୋହିଲେ ଶୁଣ କହଇ ତ୍ୱରା ।୬।
ଅନ୍ଧ- ଶୁଣ ମାଆ, ଯାହା ଯାହା ଦିଶେ ପ୍ରଭୁ ଦେହେଁ
ଭୁର୍ଭୁବସ୍ୱ ଜନ ତପଲୋକ ମହଲୋକ
ଭୂତଳ ସୁତଳ ମହାତଳ ରସାତଳ ଅତଳ ବିତଳ
ସପତ ପାତାଳ ଚଉଦବ୍ରହ୍ମାଣ୍ଡ ଜୀବଗଣ
ସମୁଦ୍ର ସହିତ ନଦନଦୀ କ୍ଷୁଦ୍ର ନଦୀ
ଇନ୍ଦ୍ର ବ୍ରହ୍ମା ଚନ୍ଦ୍ର ସୂର୍ଯ୍ୟ ହରି ବିରାଜନ୍ତି ତାହାଙ୍କ ଅଙ୍ଗରେ
ବ୍ରହ୍ମାଣ୍ଡ ମାଳ ମାଳ ଯେ ରୁଣ୍ଡ ଲୋମମୂଳେ
ହେ ଅନାଥବନ୍ଧୁ ପତିତପାବନ ଦୀନବନ୍ଧୁ ଗତି ମୁକ୍ତି ଦାନକର ହେଳେ
ଜନ୍ମଅନ୍ଧ ଦେଖି ମୁଁ ନ ଥିଲି ତବ ସୃଷ୍ଟି ଦୃଷ୍ଟିମାତ୍ରେ ଗଲା ସେ କଷଣ
ଏବେ ବର ଦେଇ ଯାଅ ନାରାୟଣ !
ମା- ବାପ ରେ ! ତାଙ୍କ କୃପାରୁ ଦିଶିଲା ତୋତେ
ଯେତେ ଅନ୍ଧ ହେବେ ଏ ସଂସାରେ ଆଜିଠାରୁ
ତାଙ୍କ ହୃଦେ ଦିବ୍ୟଚକ୍ଷୁ ଦେବେ ଏହି ହରି
ଅନ୍ଧକୁ ଦିଶିବ ସବୁ ହୃଦୟ ମଧ୍ୟରେ
ଘେନି ଏହି ବର ବତ୍ସ, ଚାଲ ଯିବା ଘରେ
ଏବେ କୃପାକର ଯାଅ ନାରାୟଣ !
ନେପଥ୍ୟେ- ତଥାଽସ୍ତୁ ମା ! (ଉଭୟର ପ୍ରସ୍ଥାନ)
(ଲକ୍ଷ୍ମୀ ନୃସିଂହ ଓ ଇଳା ଶେଷଙ୍କର ଯଥାବିଧି ବିବାହକରଣ, ବର କନ୍ୟା ନିଜ ବାସେ ଗମନ ଓ ହୁଳହୁଳି ଧ୍ୱନି ।)
(ଯବନିକା ପତନ)