ସମୁଦ୍ରମନ୍ଥନ ବା ଦେବାସୁର ଯୁଦ୍ଧ

ଗଣକବି ବୈଷ୍ଣବ ପାଣି

 

(ନଟ ଓ ନଟୀ ଏକତ୍ର ପ୍ରବେଶ)

ଗୀତ- (ବାଉଲ୍ ସୁର)

ଜୟ ହେ ନଟନାଗର ରସସାଗର ମୁରଲୀଧର ମଧୁସୂଦନ ।

ବୈକୁଣ୍ଠଭୁବନନାଥ ଅନାଥ ନାଥ ଅନା ଅନା ଥରେ କଳାବଦନ ।ପଦ।

ଅରୁଣ ଚରଣତଳ ଶରଣସ୍ଥଳ, ବରୁଣଜେମାଙ୍ଗ ଜୀବନଧନ ।

ନୋହିଲେ କରୁଣା ତୋର କରୁଣାକର, କି ଗୁଣେ ତୋଷିବି ଜନଙ୍କ ମନ ।୧।

ସମୁଦ୍ରମନ୍ଥନ ଗୀତ ଲେଖନେ ଚିତ୍ତ ବଳିଛି ହେ ବଳୀ-ଦର୍ପ ମର୍ଦ୍ଦନ ।

ବସ ଏ ହୃଦକନ୍ଦରେ ଅତି ଆଦରେ ଡାକୁଛି ଖେଦରେ ଭକ୍ତ ବନ୍ଦନ ।୨।

କରନା କରନା ହେଳା କମଳା-ଗଳାମାଳା ବିଳାସ ହେ ମୋଦବର୍ଦ୍ଧନ ।

କବି ବଇଷ୍ଣବ ଗୁହାରି, ନ ଟାଳ ହରି ନକର କଟାଳ ଦ୍ରୁମଛେଦନ ।୩।

ନଟ- ବିଦୂଷୀପ୍ରବୀଣେ ! ଦୋଷୀ ନୋହୁ କେହି ଆମ୍ଭେ ବିଷ୍ଣୁ ଚରଣରେ, ଅସୀମ ସାଗରେ ସମ ଯାହଙ୍କ ମହିମା-ସେ କି ସାଗରମନ୍ଥନ ଅଭିନୟ କାର୍ଯ୍ୟେ ସାହାଯ୍ୟ ନୋହିବେ ଏହି ସ୍ଥଳେ ?

ନଟୀ- ନଟଶ୍ରେଷ୍ଠ ! ହେଲେ ସେହି ହରିଙ୍କ କରୁଣା, ଲଙ୍ଘିପାରେ ପଙ୍ଗୁ ନିଶ୍ଚେ ହିମାଚଳ ଚୂଡ଼ା । କବିକୁଳ ଗୁଣ ତାଙ୍କ ଲେଖିବାର କାଳେ ଅଦୃଶ୍ୟେ ତାଙ୍କରି ହୃଦକମଳରେ ରହି କହିଦେଉଥାନ୍ତି ପଦମାନ-ଉପଲକ୍ଷ ମାତ୍ର ସିନା କବି । ଏ ତ ସେହି ବିଷ୍ଣୁଙ୍କ ମହିମା, ନୋହିବେ ଭରସା କିପାଁ ଆମ୍ଭଙ୍କୁ ସେ ଏଥି ? ଚାଲ ନାଥ ! ଯେ ପ୍ରକାରେ ଦେବାସୁରେ ମନ୍ଥିଲେ ଜଳଧି, ଯେ ପ୍ରକାରେ ତହୁଁ ଜାତ ହେଲା ଅଷ୍ଟନିଧି, ଯେ ପ୍ରକାରେ ହଳାହଳ ଭକ୍ଷିଲେ ସୁଢ଼ଳ, ଯେ ପ୍ରକାର ରାହୁ ଶିର ହୋଇଲା ଛେଦନ, ଯେଉଁପରି ମୋହିନୀ ମୂରତି ଧରି ହରି ପରଷିଲେ ଅମୃତ ଦେବଙ୍କୁ, ଯେଉଁପରି ଇନ୍ଦ୍ର ନେଲା ଶତଗୋଟି ଦ୍ରବ୍ୟ, ଯେଉଁପରି ଦୈତ୍ୟଗଣ ହୋଇଲେ ନିରାଶ ଦେଖାଇବା ତାହା ସବୁ ଦୃଶ୍ୟ-କାବ୍ୟରୂପେ ଏହି ଦରଶକଗଣେ ।

ନଟ- ଚାଲ ସଖି ! ନକର ବୃଥାରେ ଆଉ ସମୟ ବିଳମ୍ବ । ସଜାଇଣ ସଙ୍ଗୀତ ବର୍ଗଙ୍କୁ ଉଭାହେବା ସଭା ସମ୍ମୁଖରେ ।

(ଉଭୟର ପ୍ରସ୍ଥାନ)

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

(ବୈକୁଣ୍ଠଧାମ- ଏକାସନେ ଭାରତୀ ଓ ବିଷ୍ଣୁଙ୍କ ଉପବେଶନ)

ନାୟିକାଗଣଙ୍କ ଗୀତ- (କାନ୍ଦନା କାନ୍ଦନା ରେ ଇନ୍ଦୁବଦନା...ବୃତ୍ତେ)

ସଖି ଗୋ, ଏ ପରା ଭକତପସରା ! ଚାହାଁ ବଇକୁଣ୍ଠଧାମେ,

ନାରାୟଣୀ ଘେନି ବାମେ ନାରାୟଣ ବିଜୟ ତ୍ୱରା ।ପଦ।

ଅନନ୍ତଅଙ୍କବିହାରୀ ଏ ଅନନ୍ତ । ବେଦରେ ବିଧି ଯା’ର ନ ପାଏ ଅନ୍ତ ।

ହେମ ମକରକୁଣ୍ଡଳ, ଦୋଳଇ ଗଣ୍ଡମଣ୍ଡଳ, ନୀଳନଭେ ଉଦେ କି ତାରା ।୧।

ହୃଦରେ ଶ୍ରୀବତ୍ସର ପଦ ବିରାଜେ, ତା ପରେ କଉସ୍ତୁଭ ପଦକ ସାଜେ ।

କଳା ଜଳଦପଟଳେ, ସତେ କି ଚପଳା ଖେଳେ, ଦୋଳେ ଗଳେ କାଞ୍ଚନ ହାରା ।୨।

ଧୀରେ ବୀଣା କରେ ଧରି ଭାରତୀ, ବଜାନ୍ତି ସୁମଧୁରେ କରି କି ଗତି ।

ଶ୍ରୀହରିଙ୍କ ମତି ହରି ଜଣାଯାଏ ନେଲାପରି, ବଇଷ୍ଣବ ଦୁଃଖ-ପାସୋରା ।୩।

(ବ୍ରହ୍ମା, ଇନ୍ଦ୍ର, ଶିବ ସହ ଦେବଗଣ ଦୂରେ ପ୍ରବେଶି)

ସ୍ତବ- (ଶ୍ରୀରାଧା ବାତୁଳୀ...ବୃତ୍ତେ)

ହେ ବୈକୁଣ୍ଠନାଥ ହୋଇଲୁ ଅନାଥ ନିଶ୍ଚେ ତୋ ସଞ୍ଚିତ ଦେବକୁଳ ।

ଅସୁରଙ୍କ ରଣେ ମଲେ ସୁରଗଣେ ହୁଏ ପ୍ରାଣତରୀ ଟଳମଳ ।

ସଙ୍କଟ-ବାରୀଧି । ପାରିକରି ନିଅ କୃପାନିଧି ।

ଲଗାଅ କୂଳକୁ ଆମ୍ଭ ଆକୁଳକୁ ଦେଖି ନ ଘୁଞ୍ଚ ବତାଅ ବୁଦ୍ଧି ।୧।

ଦୁର୍ଗାସାର ଶାପ ଇନ୍ଦ୍ରଭୂତି ଲୋପ କଲା ହେଲୁ ଦେବେ ହୀନବଳ ।

ମୀନତନୁଧରୀ ଦୀନ ଦୁଖହାରୀ ଶୂନ୍ୟ ପଡ଼ିଅଛି ସୁରଆଳ ।

ହେଲୁ ବନବାସୀ, ଲକ୍ଷ୍ମୀଙ୍କ ବିହୁନେ ବ୍ରହ୍ମରାଶି !

ତ୍ରୈଲୋକ୍ୟ ଅନ୍ଧାର ଦିଶେ ଦାମୋଦର, ଭୂମି କମ୍ପୁଅଛି ଦିବାନିଶି ।୨।

ହେ ନୀଳ-ନଳିନ-ନୟନ ମୋହନ ସୁମନସକର ରଖ ମାନ ।

ଦାନବାରି ବାରେ କରୁଣା ନ କଲେ ଆନ କେ ଜାଣିବ ଦୁଃଖମାନ ।

ସନକାଦି ମୁନି, ଯେବଣ ପଦକୁ ଛନ୍ତି ମାନି ।

ବିପଦେ ସେ ପଦ ସମ୍ପଦ ବଇର ଯେ ପଦରୁ ଜାତ ସୁରଧୁନୀ ।୩।

ବିଷ୍ଣୁ- ଶୁଣ ଶୁଣ ପିତାମହ ! ହିତାହିତ ଜ୍ଞାନଶୂନ୍ୟ ନୁହ ବିପଦରେ

ଯେଉଁଭାବେ ଶ୍ରେୟ ହେବ ତୁମ୍ଭମାନଙ୍କର

ଯେମନ୍ତେ ଲଭିବ ଦେବେ ଅତୁଳ ବିଭବ,

ଆହେ ପଦ୍ମୋଦ୍ଭବ, ଭବ ଭବାଙ୍କ ସହିତେ

ଶୁଣିଥାଅ ତୁମ୍ଭେ ଏକଚିତ୍ତେ ।

ଅସୁରଙ୍କ ସହ ସନ୍ଧିକର ସୁରେ ଯାଇ

ଲୋଭ ଦେଖାଇଣ ନାନାଭାବେ-

ଯେ ପର୍ଯ୍ୟନ୍ତ ହୋଇନାହିଁ ମଙ୍ଗଳ ତୁମ୍ଭର

ସେ ପର୍ଯ୍ୟନ୍ତ କରି ରହ କପଟ ମିତ୍ରତା ।

କାର୍ଯ୍ୟ ଶେଷେ ବର୍ଜନ କରିବା ତାଙ୍କ ସଙ୍ଗ ଅଛି ଏହା ପୁରାତନ ପ୍ରଥା

ଶତ୍ରୁଙ୍କୁ ଶତ୍ରୁ ସୂତ୍ରରେ ଜିଣିବା କଠିନ, ମିତ୍ରଭାବେ ସ୍ୱକାର୍ଯ୍ୟ ସାଧିବ ତାଙ୍କଠାରୁ ।

ଶିବ- ନାରାୟଣ ! କି ଉପାୟ କରିଲେ ଧାରଣ ଦେଖାଇବୁ ଦାନବଙ୍କୁ ଲୋଭ, ସେ ଉପାୟ ବତାଅ ମାଧବ !

ବିଷ୍ଣୁ- ଶୁଣ ରୁଦ୍ର ଆଦି ଦେବେ ତାହା-

ଗୀତ- (ନଳର ବିଭବ ଦେଖି କିଏ ଯିବ...ବୃତ୍ତେ)

ଚଳିଯାଅ ବଳିଦାସେ ବଳାରାତି ମିଳିଯାଅ ତାଙ୍କ ସଙ୍ଗରେ ।

ଛଳେ ବଳେ କଳେ କଉଶଳେ ହେଳେ ପକାଅ ଦୈତ୍ୟଙ୍କୁ ବାଗରେ ।ପଦ।

ଏହି ଭାଷ ଗୋଟି ଭାଷ ତାଙ୍କ ପାଶ ଚାଲ ହେ ମନ୍ଥିବା ସାଗରେ ।

କାନନରୁ ବୃକ୍ଷ ଗୁଳ୍ମଳତା ଆଣି କରିବା ତା ତୁଲେ ଯୋଗରେ ।୨।

ଛେଦି ପାଷାଣରେ ଫିଙ୍ଗିଣ ପାଣିରେ ଦେବାସୁରେ ଅନୁରାଗରେ ।

ଅମ୍ଳ ହେତୁ କ୍ଷୀରସାଗରର ନୀର ଦଧି ପାଲଟିବ ବେଗରେ ।୩।

ମନ୍ଦରକୁ କର ଦଣ୍ଡ ମନ୍ଥନର ତା’ରସି ବାସୁକି ନାଗରେ ।

ଦେବ ଦୈତ୍ୟେ ମିଳି ମନ୍ଥନ କରିବା ଯତନେ ଚିତ୍ତ ସରସରେ ।୪।

ତହୁଁ ହେବ ଜାତ ଅମୃତାଦି ଦ୍ରବ୍ୟ ଇନ୍ଦ୍ର ନେଇ ବସୁ ସ୍ୱର୍ଗରେ ।

ସୁଧା ଭକ୍ଷି ଦେବ ଅମର ହୋଇବ ସେ ପଡ଼ିବ ତୁମ୍ଭ ଭାଗରେ ।୫।

ଯେତେକ ଉତ୍ତମ ଦେବେ ଅନୁପମ ନେଇଯିବା ଆମେ ଆଗରେ ।

ରାକ୍ଷସେ ନିରାଶେ ଫେରିଯିବେ ବାସେ ବଇ ଭାଷେ ଏହି ଯୁଗରେ ।୬।

ଇନ୍ଦ୍ର- ହେ ଦେବେନ୍ଦ୍ର ! ଦେବ କି ସତେ ସାଗର ଅଚଳ ବିଭବ ?

ବିଷ୍ଣୁ- ଦେଖ ଇନ୍ଦ୍ର, ତାହା ଯୋଗେ ହେବ ଜାଣ ସର୍ବସିଦ୍ଧି

ମନ୍ଥନକାଳେ ବାସୁକି ସହସ୍ର ବଦନୁ

ଛାଡ଼ିବ ଗରଳଧାର ଅଗ୍ନିଶିଖା ସମ-

ତା ଦର୍ଶନେ ନ କରିବ ଭୟ,

ଉପାୟ କରିବି ମୁହିଁ ତାହା ନିବାରଣେ ।

ଯାଅ ଦେବେ, ରହନାହିଁ ଏଥେ ।

ସମସ୍ତେ- ନମୋ ନମଃ ତ୍ରିଦଶଈଶ୍ୱର ! ଆଶିଷ କରନ୍ତୁ ଦେବେ ଆନନ୍ଦ ଅନ୍ତରେ, ବିଦାୟ ହେଉଛୁ ତବ ଚରଣକମଳୁ ।

(ସମସ୍ତଙ୍କ ପ୍ରସ୍ଥାନ)

 

 

ଦ୍ୱିତୀୟ ଦୃଶ୍ୟ

(ବଳି ରାଜସଭା- ଦୈତ୍ୟଦଳେ ବେଷ୍ଟିତ ହୋଇ ବଳି ଆସନେ ଉପବେଶନେ; ନିକଟେ ଶୁକ୍ରମନ୍ତ୍ରୀ ସମାସୀନ)

ବଳି- ଶୁକ୍ରାଚାର୍ଯ୍ୟେ ! କାଳେ କାଳେ ହେଲେ ଦେବେ ଭଗାରି ଆମ୍ଭରି । ଆମ୍ଭେ ମାତୃଅଂଶ ଜ୍ୟେଷ୍ଠ କନିଷ୍ଠ ବିରୁଦ୍ଧେ ରଣେ ସେ କି ଜିଣିବେ ଦୈତ୍ୟଙ୍କୁ ?

ଶୁକ୍ର- ପ୍ରବଳ ପ୍ରତାପୀ ବଳିରାଜ !

ଚିନ୍ତା ନାହିଁ ଦେବତାଙ୍କ ପାଇଁ ।

ଦୁର୍ବାସା ଶାପେ ବାସବ ହେଲେ ହୀନବଳ,

ଲକ୍ଷ୍ମୀହରା ଧନହୀନ ଜୀବନ ଇନ୍ଦ୍ରର,

ଋଷି- କ୍ରୋଧାଗ୍ନିରେ ଭସ୍ମ ବାସବ-ସମ୍ପଦ

ବନେ ବୁଲୁଛନ୍ତି ସୁରେ ତାହାଙ୍କୁ ଘେନିଣ,

ସେ କି ରଣେ ଜିଣିବେ ତୋ ତୁଲେ ?

(ଦ୍ୱାରପାଳର ପ୍ରବେଶ)

ବଳି- ଦ୍ୱାରାଧ୍ୟକ୍ଷ ! କି ହେତୁ ଆଗତ ତବ ଏଥି ?

ଦ୍ୱାରୀ- ବଳିରାଜ ! ଯହିଁପାଇଁ ଆସିଲି ତା ମୋଠାରୁ ଶୁଣନ୍ତୁ ।

ଗୀତ- (କି ଭାବନା କର ପାଞ୍ଚଜଣ...ବୃତ୍ତେ)

ଦ୍ୱାରେ ଆସି ଦେବଗଣ, ଦୈତ୍ୟନାଥ ଶୁଣ ।ପଦ।

କରିଲୁ ନିଷେଧ ଯେତେ ମାନନ୍ତି ନାହିଁ କିଞ୍ଚିତେ ।

ବ୍ରହ୍ମା ରୁଦ୍ର ବାସବ ବରୁଣ ।୧।

କହୁଅଛନ୍ତି ଅମରେ, ଦେଖା କରିବେ ଛାମୁରେ,

ନ କହନ୍ତି ତହିଁର କାରଣ ।୨।

ଆଜ୍ଞା ହେଲେ ଦୈତ୍ୟପତି, ଛାଡ଼ିବି ପଥ ଝଟତି ।

ଲେଖେ ବଇଷ୍ଣବ ବିଷ୍ଣୁ ଗୁଣ ।୪।

ବଳି- ଯାଅ ଦ୍ୱାରୀ ! ଛାଡ଼ ଶୀଘ୍ର ଦେବେ ଦ୍ୱାର ତୁହି, ଆସନ୍ତୁ ସେ ପାଶକୁ ମୋହରି । କି ଉଦ୍ଦେଶ୍ୟ ଏହିକ୍ଷଣି ପଡ଼ିଯିବ ଧରା ।

ଦ୍ୱାରୀ- ଯେ ଆଜ୍ଞା ମହାରାଜ !

(ପ୍ରସ୍ଥାନ)

(ଦେବତାଙ୍କ ପ୍ରବେଶ)

ଇନ୍ଦ୍ର- ଜୟ ହେଉ ବଳି ରକ୍ଷନାଥ !

ବଳି- କି ନିମନ୍ତେ ବ୍ରହ୍ମା, ଇନ୍ଦ୍ର, ଶିବ ମମ ପୁରେ ହେଲ ଉପଗତ ? ଭାଷ ମୋତେ ତହିଁର ଚରିତ ।

ଇନ୍ଦ୍ର- ଶୁଣ ସେ କାରଣ ଦୈତ୍ୟପତି ! ଯେ କାରଣେ ଆସିଲଁ ତୋ କତି ।

ଗୀତ- (ନାହିଁକି ତୋ ପୂର୍ବସ୍ନେହ...ବୃତ୍ତେ)

ଚାହଁ ଯେବେ ତ୍ରୈଲୋକ୍ୟ ମଙ୍ଗଳ, ଦୈତ୍ୟପାଳ ହେ ।

ଟାଳିଦେବ ନାହିଁ ବଳି ଆମ୍ଭର କଟାଳ ହେ ।ପଦ।

ଦୁର୍ବାସାର ଅଭିଶାପ, କଲା ମୋ ବିଭବ ଲୋପ ।

ତେଜହୀନ ହେଲେ ସୋମ ସବିତା ଅନଳ ହେ ।୧।

ତହୁଁ ଯାଇ ଆମ୍ଭେମାନେ, ଜଣାଇଲୁଁ ଭଗବାନେ ।

କହୁଁ ଏ ଦୁଃଖ ଲଭିଲୁ ମଦନଗୋପାଳ ହେ ।୨।

ତହୁଁ କମଳଲୋଚନ, କହିଦେଲେ ଏ ବଚନ ।

କର ସକଳେ ମନ୍ଥନ କ୍ଷୀରନିଧି ଜଳ ହେ ।୩।

ବନୁ ଲତାପତ୍ର ଆଣି ଛେଚି ଫିଙ୍ଗନ୍ତେ ସେ ପାଣି ।

ଦଧି ପାଲଟିବ ନିଶ୍ଚେ ହୋଇଲେ ଆମ୍ବିଳ ହେ ।୪।

ବାସୁକିକି ରସି କର, ଖୁଆ କରିଣ ମନ୍ଦର,

ମନ୍ଥିଲେ ମିଳିବ ତହୁଁ ଅଶେଷ ସମ୍ବଳ ହେ ।୫।

ଦୁହେଁ ନିଅ ଭାଗକରି, ଏହା ବୋଇଲେ ଶ୍ରୀହରି ।

ବଇଷ୍ଣବ ବୋଲେ ଚାଲ କରନାହିଁ ହେଳ ହେ ।୬।

ସମସ୍ତେ- ମହାରାଜ ! ଭଲକଥା କହିଲେ ଦେବତାଏ,

ଚାଲ ତେବେ ମିଳି ସର୍ବେ ମନ୍ଥିବା ସାଗର ।

ବଳି- ହେ ସମ୍ବର କାଳନେମୀ ରାହୁ ଆଦି ବୀରେ ଏ କଥା ତ ଯୋଗାଇଲା ମନକୁ ତୁମ୍ଭରି ? ଧରି ଚାଲ ହାତହତିଆର । କୁଠାରେ କାଟିଣ ବନୁ ଗୁଳ୍ମଲତାରାଶି ପାଷାଣେ ଛେଚିଣ ତାକୁ ନିକ୍ଷେପ ସାଗରେ, ପଡ଼ନ୍ତେ ସେ ହୋଇବ ଆମ୍ବିଳ, କ୍ଷୀରସିନ୍ଧୁ ହୋଇବ ଦଧିରେ ପରିଣତ । ହରିର ଆଦେଶେ ତାକୁ ମନ୍ଥ, ମନ୍ଦରାଦ୍ରି ଖୁଆଦଣ୍ଡ ବାସୁକିକି ରଜ୍ଜୁ କରି କର ଦୁର୍ଲଭ ରତନ ସିନ୍ଧୁଗର୍ଭୁ ଲାଭ ।

ବ୍ରହ୍ମା- ଶୁଭ କାର୍ଯ୍ୟେ ନ କର ବିଳମ୍ବ ରକ୍ଷବୃନ୍ଦ ! ଆସ ସର୍ବେ ଏକ୍ଷଣେ ବାହାରି ।

ସମସ୍ତେ- ଚାଲିଲୁ ସକଳେ, ନାହିଁ ଡେରି ।

(ଉଭୟଦଳ ପ୍ରସ୍ଥାନ)

ତୃତୀୟ ଦୃଶ୍ୟ

(ସିନ୍ଧୁତୀର- ବିଷ୍ଣୁ ଓ ବାସୁକୀ ସହ ଦେବାସୁରଙ୍କ ପ୍ରବେଶ)

ବଳି- ଦେଖ ନାରାୟଣ ! ବାଟେ ମନ୍ଦରଗିରିକି ଆଣିବା କାଳରେ ଦେବାସୁରେ ଶିରେ ମୁଣ୍ଡାଇଣ, ଗିରି ଗୁରୁଭାର ସେ ନ ସହି ପଥେ ପଡ଼ି ହେଲେ ହତପ୍ରାଣ । ତୁହି ଦେବ ଆରୋହି ଗୁରୁଡ଼େ ଗିରି ତୋଳି ଗିରିଧାରୀ ଆଣିଲୁ ଏ ସ୍ଥଳେ, ଦେବଦୈତ୍ୟ ଲଭିଲେ ଚେତନ । ଧନ୍ୟ ତୋ କରୁଣା ଜଗନ୍ନାଥ ! ସେ କରୁଣାବଳେ ହେଳେ ମନ୍ଥିବୁଁ ଜଳଧି ବେଗେ ଆଜ୍ଞାକର ଦୟାନିଧି !

ବିଷ୍ଣୁ- ହେ ଦାନବଶ୍ରେଷ୍ଠ ! ଆଜ୍ଞାକର ଧରନ୍ତୁ ରାକ୍ଷସେ ବାସୁକିର ପୁଚ୍ଛଗୋଟି । ଦେବେ ଧରନ୍ତୁ ନାଗର ଫଣା । ବେଗେ କର ସାଗରମନ୍ଥନ ।

ଦୈତ୍ୟଗଣେ- ହେବନାହିଁ ହେବନାହିଁ ତାହା ଶୁଣ ହରି ଆପତ୍ତି ଆମ୍ଭରି ।

ଗୀତ- (ଶ୍ରୀପତି ବୋଲନ୍ତି ଶୁଣ ଗୋ ଶ୍ରୀମତୀ...ବୃତ୍ତେ)

ନାଗର ଲାଙ୍ଗୁଳ ନୁହଇ ମଙ୍ଗଳ ନ ଧରିବୁ ଆମ୍ଭେ ତାକୁ ହେ ।

ଶୁଣ ବିଷ୍ଣୁଶ୍ରେଷ୍ଠ ଜ୍ୟେଷ୍ଠ ଅଂଶେ ଦୈତ୍ୟ ଦିଅ ତାକୁ ଦେବତାଙ୍କୁ ହେ ।୧।

ଆମ୍ଭ କୁଳଗୋତ୍ର ଜଗତେ ବିଦିତ ବିବୁଧଙ୍କ ଆଗେ ଜାତ ହେ ।

ପବିତ୍ର କଶ୍ୟପ ଋଷିଙ୍କ ଔରସୁ ଜାଣ ଆମ୍ଭରି ସମ୍ଭୂତ ହେ ।୨।

ଧର୍ମାଧର୍ମ କର୍ମ ମର୍ମ ନ ବୁଝି ୟା ଭାଷ କେହ୍ନେ ହୃଷୀକେଶ ହେ ।

ଅହି ଶିର ଭାଗ ଆମ୍ଭରି ଭାଗରେ ଭ୍ରମ ନାହିଁ ଏଥି ଲେଶ ହେ ।୩।

ନ ହେଉ ପଛେ ସାଗର ମନ୍ଥିବାର ନଗରେ ଯାଉଛୁ ଫେରି ହେ ।

ରଖ ଏ ଜିଗର ନଗଟେକା ଟୋକା ବଇଷ୍ଣବର ଗୁହାରି ହେ ।୪।

ବିଷ୍ଣୁ- କିପାଁ ହଟ ପଛକୁ ଅସୁରେ, ହେଉ ପଛେ ତୁମ୍ଭରି ଆପତ୍ତି ଏଥି ସାର, ପ୍ରକୃତରେ ଦେବେ ସାନ, ଦୈତ୍ୟେ ବଡ଼ଅଂଶ, ଧରଯାଇ ନାଗ ଶିରଦିଗ । ଆସ ହେ ବିବୁଧେ, ଧର ବାସୁକିର ଲାଞ୍ଜ, ଉଠାଇ ମନ୍ଦର ସ୍ଥାପ କ୍ଷୀରସିନ୍ଧୁ ମଧ୍ୟେ ।

ଦୈତ୍ୟଗଣ- ଉଠାଅ ଉଠାଅ...ହୁଁ ମେରା ଯୁଆନ୍ ।

ଦେବଗଣ- ହୁଁ ମେରା ଯୁଆନ୍ ।

(ବ୍ରହ୍ମା ଓ ବିଷ୍ଣୁଙ୍କ ବ୍ୟତୀତ ଅନ୍ୟମାନେ ଗିରି ଉଠାଇ ପ୍ରସ୍ଥାନ)

ବ୍ରହ୍ମା- ଦେଖ ନାରାୟଣ ! ଜଳେ ବୁଡ଼ିଲା ମନ୍ଦର, ଦିଶୁନାହିଁ ଗିରି ଚିହ୍ନ-ବର୍ଣ୍ଣ, କେଉଁପରି କରିବ ଏ ସାଗରମନ୍ଥନ ?

ବିଷ୍ଣୁ- ଚିନ୍ତା କରନାହିଁ ସେ ନିମନ୍ତେ ପିତାମହ !

ଏହିକ୍ଷଣି ଦେବହିତେ ଧରି କୂର୍ମଦେହ

ପାତାଳେ ପ୍ରବେଶି ତୋଳିବଇଁ ମହାଗିରି,

ମୋ ଚରମଦେଶ ଭାର ରହିବ ତାହାରି ।

ମିଳି ସର୍ବେ ମହୋଦଧି କରନ୍ତୁ ମନ୍ଥନ ।

ମୁହିଁ ମଧ୍ୟ ଆସି ନିଜ ଦେହେ ସାହାଯ୍ୟ କରିବି ତାଙ୍କ ତୁଲେ ।

ଦୃଢ଼ସଂକଳ୍ପ କରିଣ ଧର ନାଗପୁଚ୍ଛ

ପଞ୍ଚଦଶ ଯୋଜନ ପର୍ବତ ବୁଡ଼ି ରହିଥାଉ ସିନ୍ଧୁଗର୍ଭେ ।

ବ୍ରହ୍ମା- ଯାଅ ହରି, ଯେଉଁପରି ହେବ କାର୍ଯ୍ୟସିଦ୍ଧି

ସେହିପରି କର ବାଞ୍ଛାନିଧି !

(ଉଭୟ ପ୍ରସ୍ଥାନ)

ନେପଥ୍ୟେ- ରକ୍ଷାକର, ବୈକୁଣ୍ଠବିହାରୀ ହରି,

ବାସୁକିର ସହସ୍ରବଦନୁ ଛୁଟଇ ଗରଳଧାର ଅନଳ ସମାନ; ସହି ନ ପାରିବୁଁ ତାର ତେଜ।

ଦୈବବାଣୀ- ହେ ଦାନବେ, ଛାଡ଼ନାହିଁ ବାସୁକି ବଦନ,

ଏହିକ୍ଷଣି ଚାରିମେଘ କରିବେ ବରଷା

ସେହି ଜଳେ ଶୀତଳ ହୋଇବ ତୁମ୍ଭ ଦେହ ।

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ଶିବ ଦୁର୍ଗା ଏକାସନେ ଉପବେଶନ)

ଦୁର୍ଗା- କହ ଶୂଳହସ୍ତ ! ଶୁଭେ ଏ କିସ ଚହଳ ? ମହାପ୍ରଳୟ ସମାନ ହୁଏ ଅନୁମାନ । ଅକସ୍ମାତ୍ କି ଘଟଣା ଘଟିଲା ଏପରି ?

ଶିବ- ଗୋ ଶୂଳିନି ! ଶୁଣ ସେ କାରଣ ମୋହଠାରୁ ।

ଗୀତ- (ଚଉଦଅକ୍ଷରୀ କୀର୍ତ୍ତନ...ବୃତ୍ତେ)

ହର୍ଯ୍ୟକ୍ଷବାହିନୀ ହରିଣାକ୍ଷି ବାରେ ଶୁଣ ଗୋ ।

ମନ୍ଥନ୍ତି କ୍ଷୀରସାଗର ଦେବାସୁରଗୁଣ ଗୋ ।ପଦ।

ମନ୍ଦଉଦରୀ ମନ୍ଦରଗିରି ଖୁଆଦଣ୍ଡରେ ।

ମହୀଧର ବାସୁକି ତହିଁକି ରଜ୍ଜୁ ଖଣ୍ଡରେ ।୧।

ଗିରିଧାରୀ ମହାଗିରି ପୃଷ୍ଠେ ଛନ୍ତି ତୋଳି ଗୋ ।

କୂର୍ମରୂପେ ପ୍ରବେଶି ପାତାଳେ ବନମାଳୀ ଗୋ ।୨।

ତେଣେ କମଠପୃଷ୍ଠରେ ଗିରି ଘରଷଣେ ଗୋ ।

ଉଠଇ ଅନଳ ତେଜ ପୁଣ ବେନି ଗୁଣେ ଗୋ ।୩।

ଜଳଜନ୍ତୁ ବିଷଜାଳେ ହୋନ୍ତି ଛଟପଟ ଗୋ ।

ବିକଟ ଚିତ୍କାର ଛାଡ଼ନ୍ତି ଆଶ୍ରିଲେଣି ତଟ ଗୋ ।୪।

ହୁରି ଛାଡ଼ି ହେ ହରି ରଖ ଆମ୍ଭ ପ୍ରାଣ ଗୋ ।

ବଇଷ୍ଣବ ଭାଷେ ଚଣ୍ଡୀ ଏହି ତା କାରଣ ଗୋ ।୫।

ଦୁର୍ଗା- ହେ ଶଙ୍କର ! କିପାଁ କଷ୍ଟେ ମନ୍ଥନ୍ତି ସାଗର ଦେବାସୁରେ ?

ଶିବ- ଲଭିବେ ଦୁର୍ଲ୍ଲଭ ରତ୍ନ ଅଛି ତା ଗର୍ଭରେ ।

ଦୁର୍ଗା- ଶୁଣ ହର, ନିକଟରେ ଶୁଭେ କିସ ଗୋଳ ?

ଶିବ- ଜଣାଯାଏ ଆସନ୍ତି ପାଶକୁ ମୋର ଦେବ-ଋଷିକୁଳ ।

ଦୁର୍ଗା- ତୁମ୍ଭଠାରେ କି କାର୍ଯ୍ୟ ତାଙ୍କର ?

ଶିବ- ଯାହା ଥିବ ଶୁଣିବ ସକଳ, ହୁଅ ସ୍ଥିର ।

(ଦେବର୍ଷିଗଣଙ୍କ ପ୍ରବେଶ)

ଗୀତ- (ଏହୁ କାହା ରମଣିମଣି ରତନ...ବୃତ୍ତେ)

ବିରୂପାକ୍ଷ କର ରକ୍ଷା ଏ ବିପଦେ ।

ସଦା ସେବନ୍ତି ଯକ୍ଷରକ୍ଷ ତୋ ପଦେ ।ପଦ।

ନକ୍ଷତ୍ରେଶଶିଖର ହେ କକ୍ଷା ନ ବହ ।

କ୍ଷିତିରେ ଅଖ୍ୟାତି ନାଥ କାଳେ ନ ଥୁଅ ।

ନୁହ ବିପକ୍ଷ ମୋକ୍ଷକୁ ଦାତା ଆପଦେ ।୧।

ବିଷର ବିଷମ ତ୍ରାସ ନାଶ ତ୍ରିଶୁଳୀ ।

ଦଶଦିଶ ଗ୍ରାସ କରି ଦେବଟି ଜାଳି ।

ତୋଷୁ ଦରିଦ୍ରେ ଦେଇ ମହାସମ୍ପଦେ ।୨।

କରୁ ଯେଣୁ ଉପକାର ସମସ୍ତଙ୍କର ।

ହୋଇବ ତୋ ନାମ ଭବେ ତେଣୁ ଶଙ୍କର ।

ପଦ ଛନ୍ଦଇ ବଇଷ୍ଣବ ତ୍ରିପଦେ ।୩।

ସମସ୍ତେ- (ପ୍ରବେଶି) ରକ୍ଷାକର ଉମେଶ ଶଙ୍କର ଶୂଳପାଣି, ରକ୍ଷାକର ତ୍ରିନେତ୍ର ତ୍ରିଶୂଳୀ ପଶୁପତି, ରକ୍ଷାକର ନଗଜାର୍ତ୍ତହାରି, ରକ୍ଷାକର ଗଜାନନତାତ ଚନ୍ଦ୍ରମୌଳି, ନାଶି ବିଷତ୍ରାସ ଯଶ ରଖ ତ୍ରିଜଗତେ ସଂହାରକରତା ସଦାନନ୍ଦ !

ଦୁର୍ଗା- ହେ ଧୂର୍ଜଟି ! ବଧିର ପରାୟେ ବସ କିପାଁ ଏତେବେଳେ ?

ଶୁଭଇ ନାହିଁ କି ମୁନିମାନଙ୍କ ବଚନ, ଶୁଣ ଥରେ ଦାସୀ ନିବେଦନ ।

ଗୀତ- (ଏଥୁତ୍ତାରେ ଶୁଣ ହେ ରସିକ...ବୃତ୍ତେ)

ବାରଣ-ଅରାତିପତିପତି ଏ ବିପତ୍ତି, ହରଣ କାରଣେ ତୋ ଚରଣେ ଜଣାବନ୍ତି ।

ଏଥି ଯତିଗଣେ ଆସି, କର ଦେବଙ୍କର ଉପକାର ବିଷ ନାଶି ।୧।

ହେଳା ନ କରିଣ, ଯାଇଁ ହଳାହଳେ ଗିଳ ନୀଳକଣ୍ଠ ବୋଲି ନାମ ଧରି ଚିରକାଳ ।

କର୍ମ ଫଳାଫଳଦାତା, ନ ଟାଳ କଟାଳ ପ୍ରଜାପତି-ଯାଗହନ୍ତା ।୨।

ନୋହିଲେ ବାସୁକି ବିଷ ବ୍ରହ୍ମାଣ୍ଡ ଦହିବ, କିପାଁ ପ୍ରଳୟକରତା ନାମକୁ ବହିବ ।

ତୁମ୍ଭ ପଣ ହେବ ଊଣା, ଶୁଭିବ ସଂସାରେ ନିନ୍ଦା ଡିଣ୍ଡିମ ବାଜଣା ।୩।

ପର ଉପକାରଠାରୁ ଶ୍ରେଷ୍ଠ ଧର୍ମ ନାହିଁ, ସେହି କର୍ମେ

ଯେଉଁ ପ୍ରାଣୀ ପ୍ରାଣ ପାରେ ଦେଇ, ତାକୁ ରଖେ ଚକ୍ରଧର !

ବଇ ବୋଲେ କହିଅଛ ପଞ୍ଚମୁଖେ ହର ।୪।

ଶିବ- ଶୁଣ ପ୍ରିୟେ ପର୍ବତନନ୍ଦିନି ! ଜାଣେ ମୁହିଁ ସର୍ବ ଧର୍ମାଧର୍ମ ମର୍ମମାନ, ଯାଉଅଛି ମାନି ତୁମ୍ଭ କଥା ମୁହିଁ ଏହାଙ୍କର ତୁଲେ- ପ୍ରଜାଙ୍କ ମଙ୍ଗଳେ ବିଷ କରିବଇଁ ଗ୍ରାସ । ଥାଅ କଇଳାସେ କଳକଣ୍ଠି ! (ସମସ୍ତଙ୍କର ପ୍ରସ୍ଥାନ)

ନେପଥ୍ୟେ- ଧନ୍ୟ ହର, ଧନ୍ୟ ତବ ଅପାର ମହିମା, ଭକ୍ଷି କାଳକୂଟ ହେଳେ ରଖିଲ ସଂସାର ।

 

ଦ୍ୱିତୀୟ ଦୃଶ୍ୟ

(ସିନ୍ଧୁତଟ)

ବିଷ୍ଣୁ- (ପ୍ରବେଶ) ହେ ଦାନବବୀରେ, ବ୍ରହ୍ମା ଇନ୍ଦ୍ରଙ୍କର ସଙ୍ଗେ ମନ୍ଥନରୁ ନିଧି ଯାହା ଯାହା ଜନ୍ମିବ ତହିଁରୁ ଆଣି ସର୍ବେ ଥୁଅ ଏହି ସ୍ଥାନେ ।

(କାମଧେନୁର ଉତ୍ପତ୍ତି, ତାକୁ ଆଣି ବିଷ୍ଣୁଙ୍କ ପାଶେ ଦେବା)

ନିଅ ବିପ୍ରେ, ଏ ଧେନୁକୁ ତୁମ୍ଭେ ।

(ବ୍ରାହ୍ମଣେ ଧେନୁ ଘେନି ପ୍ରସ୍ଥାନ)

ନେପଥ୍ୟେ- ନିଅ ଉଚ୍ଚୈଃଶ୍ରବା ଅଶ୍ୱ ହରି ! (ଏକ ଅଶ୍ୱର ପ୍ରବେଶ)

(ବଳିରାଜା ଓ ଶିବଙ୍କର ପ୍ରବେଶ)

ବିଷ୍ଣୁ- ଶୁଣ ବଳି ହେ ଦାନବରାଟ ! ନେଉ ଇନ୍ଦ୍ର ଏ ଅଶ୍ୱକୁ ସ୍ୱର୍ଗେ ।

ବଳି- ହେ ଶ୍ରୀପତି ! ନାହିଁ ମମ ତହିଁକି ଆପତ୍ତି ।

ବିଷ୍ଣୁ- ଦେଖ ହର, ଜନମିଲା ସିନ୍ଧୁଗର୍ଭୁ ଐରାବତ ଗଜ ।

ଶିବ- ସେହି ଗଜ ନେଉ ସୁରରାଜ ।

ବିଷ୍ଣୁ- ପୁଣି ଦେଖ ଜାତହୋଇ ପାରିଜାତ ତରୁ ଗଲା ଇନ୍ଦ୍ର ଉପବନେ । ଏଇ ଦେଖ ଜନମିଲେ ଅଷ୍ଟ ଅପସରୀ, ଆସନ୍ତି ସେ କରି ଗୀତନାଦ ।

(ଅପସରୀଗଣଙ୍କ ପ୍ରବେଶ)

ଗୀତ- (ଆଇରେ କାହ୍ନାଇ ଆଇ...ବୃତ୍ତେ)

ଦେଖ ସଙ୍ଗିନି ରାଜେ, ନୀଳ ଗଗନ ମାଝେ ।

ବିହଙ୍ଗମକୁଳକଳନିନାଦ ନୀରସ ଚିତ୍ତ ରଞ୍ଜେ ।ପଦ।

ଫୁଲେ ଫୁଲେ ଅଳିରାଜି, ମଧୁପାନେ ଛନ୍ତି ମଜ୍ଜି;

ଗୁଞ୍ଜନସ୍ୱର ଆହା କି ବାହାର ପ୍ରକୃତି ବୀଣାକି ବାଜେ ।୧।

ଘନ ଘନ ପ୍ରଭଞ୍ଜନ, କରେ ସନସନ ସ୍ୱନ;

ନୀରସ ତରୁକୁ ପରଶେ ସରସ କରାଏ କେସନ ସଜେ ।୨।

ବିକଚ କମଳ ବାସ, ରେଣୁ ମଣ୍ଡେ ଅଙ୍ଗଦେଶ;

ଦଣ୍ଡକେ ଖଣ୍ଡଇ ଅନ୍ତରର ତାପ ବଇଷ୍ଣବ ପଦ ଖଞ୍ଜେ ।୩। (ପ୍ରସ୍ଥାନ)

ବିଷ୍ଣୁ- ଦେଖ ଶିବ ! ପରୀଗଣେ ଉଡ଼ି ଶୂନ୍ୟମାର୍ଗେ ମିଳିଲେଣି ଇନ୍ଦ୍ରପୁରେ ହେଳେ । ପୁଣି ଜନ୍ମହେଲେଣି ଯେ ଦେବୀ କମଳିନୀ, ସେହି ଅଷ୍ଟ ଅପସରୀ ଏହାଙ୍କ ସଙ୍ଗିନୀ । (ବ୍ରହ୍ମା, ଇନ୍ଦ୍ର ଲକ୍ଷ୍ମୀକି ଘେନି ପ୍ରବେଶ; ଲକ୍ଷ୍ମୀ ବିଷ୍ଣୁଙ୍କ କଣ୍ଠଦେଶେ ମାଳାଦାନ)

ବ୍ରହ୍ମା- ଦେଖ ସର୍ବେ ଅପୂର୍ବ ମିଳନ

ଲକ୍ଷ୍ମୀ ନାରାୟଣ ବେନି ଯୁଗଳମୂରତି,

ପ୍ରକୃତରେ ପ୍ରକୃତିର ଅଳଙ୍କାର ଏହି ।

ଶୁଣ ପ୍ରଭୁ, ଲକ୍ଷ୍ମୀକି ଦେଖିଣ ଲୋଭି ଦୈତ୍ୟେ

କାମଭୋଗେ କରୁଥିଲେ ବାଞ୍ଛା;

କିନ୍ତୁ ସେ ଦେବାରୁ ତବ ଗଳେ ବନମାଳ

କ୍ରୋଧେ ରକ୍ଷେ ମନ୍ଥନ୍ତି ଆବର ।

ବିଷ୍ଣୁ- ସ୍ଥିରହୁଅ କୁଶପାଣି ? ଏହି ଦେଖ ଜନ୍ମିଲେ ବାରୁଣୀ । କହ, ତାହା ନିଅନ୍ତୁ ଅସୁରେ ।

ବ୍ରହ୍ମା- ନିଅ ଦୈତ୍ୟ ଏ ବାରୁଣୀ କନ୍ୟାକୁ ତୁମ୍ଭର ।

ଏହି ଚାହାଁ ଧନ୍ୱନ୍ତରୀ ଘେନିଛନ୍ତି ସୁଧାଭାଣ୍ଡ କନ୍ଧେ ।

ବିଷ୍ଣୁ- ହେ ବିରଞ୍ଚି ! ଅଟନ୍ତି ଏ ଆୟୁର୍ବେଦ-ଗୁରୁ

ହେଇ ଦେଖ, ତାଙ୍କ କନ୍ଧୁ ଅମୃତର ଘଟ

ଛଡ଼ାଇ ଘେନିଣ ପଳାବନ୍ତି ଦୈତ୍ୟଗଣ ।

ଦେବେ ହୋଇ ନିରାଶ ଆସନ୍ତି ମୋର ପାଶେ,

କହିବାକୁ ଦୁଃଖ ତାହାଙ୍କର ।

(ଦେବଗଣଙ୍କ ପ୍ରବେଶ)

ଗୀତ- (ପୁରୁଣା ଭଜନ...ବୃତ୍ତେ)

ଗଦାଧର ହୋ, ସୁଧା ନେଲେ କଉଣପେ ହରି ।

ହେ ବୈକୁଣ୍ଠନାଥ ହୋଇଲୁଁ ଅନାଥ ତବ ପଦ ଆଶ୍ରେକରି ।ପଦ।

ହେ ରକ୍ଷଦାରଣ ନକଲେ ତୁ ରକ୍ଷା ଥିବୁ କିପାଁ ସୁରପୁରୀ ।

ଦୈତ୍ୟେ ସୁଧା ଭକ୍ଷି ଅମର ହୋଇବେ ଦେଖିବ ନେତ୍ର ଆମ୍ଭରି ।୧।

ଲୁଟିଣ ପୀୟୂଷ ଉଠନ୍ତି ପର୍ବତେ ସର୍ବେ ହୋଇ ଧରାଧରି ।

କରି ଘୋରନାଦ ଦୁଷ୍ଟେ ଗୋଷ୍ଠୀ ବାନ୍ଧି ଆନନ୍ଦେ ଛାଡ଼ନ୍ତି ହୁରି ।୨।

ବାରଣ-ତାରଣ ଶରଣବତ୍ସଳ ସ୍ମରଣମାତ୍ରେ ତୋହରି ।

ତ୍ରାଣ ଲଭେ ପ୍ରାଣୀ ମରଣମୁଖରୁ ବଇଷ୍ଣବର ଗୁହାରି ।୩।

ବିଷ୍ଣୁ- ଚିନ୍ତା କରନାହିଁ ଦେବେ କେହି, ଥାଇ ଦେଖୁଥାଅ ଅନ୍ତରାଳେ

ପଶିଣ ମୁଁ ଦୈତ୍ୟଙ୍କ ଅନ୍ତରେ କରିବି ବିବାଦ ସୂତ୍ରପାତ,

ପୁଣି ଧରି ମୋହିନୀ ମୂରତି ସେହି ସୁଧା ଭୁଞ୍ଜାଇବି ତୁମ୍ଭଙ୍କୁ ଏଠାରେ । (ପ୍ରସ୍ଥାନ)

ସମସ୍ତେ- ଧନ୍ୟ ହରି, ଧନ୍ୟ ତୋ ମହିମା, ରକ୍ଷାକର ଦେବେ ଦେଇ ସୁଧା ରାଧାନାଥ !

(ସମସ୍ତଙ୍କ ପ୍ରସ୍ଥାନ)

 

 

 

 

ତୃତୀୟ ଦୃଶ୍ୟ

(ଦେବଗିରି ଶୃଙ୍ଗଦେଶ, ସୁଧାକୁମ୍ଭ ମଧ୍ୟେ ରଖି ଚାରିପାଖେ ଦୈତ୍ୟଗଣ ବସି)

୧ମ ଦୈତ୍ୟ- ରହରହମ, ଆଗେ ମୁଁ ଥୋଡ଼ା ଖାଏ ।

୨ୟ ଦୈତ୍ୟ- ତୁ ତ ଖାଇବୁ, କହନି ଆଣିଲା ସେଠୁ କିଏ ?

୩ୟ ଦୈତ୍ୟ- ଆରେ ଯା, ଏଇ ପରା ଆଣିଥିଲା ଭାଣ୍ଡ ।

୨ୟ ଦୈତ୍ୟ- ତୁ ତ ଆଗ ଗିଳିଯିବୁ ସଜାଡ଼ୁଚୁ ତୁଣ୍ଡ ।

୪ର୍ଥ ଦୈତ୍ୟ- ଚୁପ୍‌କର ଆଗେ ମୁହିଁ ଖାଇଯାଏଁ ଥୋଡ଼ା ।

୨ୟ ଦୈତ୍ୟ- ଖାଇଲେ ସାଥେ ସାଥେ ପାଇବୁ ବେକମୋଡ଼ା ।

୪ର୍ଥ ଦୈତ୍ୟ- ମୁଁ ଖାଇଲେ ଆଉ ନ ମରେ ଥୋବଡ଼ା ।

୩ୟ ଦୈତ୍ୟ- ହେ ମୋ କଥା ମାନ; ରଖିଦିଅ ଦେବତାଙ୍କ ଭାଗ ।

୪ର୍ଥ ଦୈତ୍ୟ- ହାତେଦେବା ତାଙ୍କୁ, କି କହୁ ଆସରେ ଆମେ ଖାଇଯିବା ଆଗ ।

୧ମ ଦୈତ୍ୟ- ଥାଉରେ ସେ ଅମୃତ, ଚାହାଁନି ଏଣେ ଆସୁଚି ଏ କିଏ ?

୪ର୍ଥ ଦୈତ୍ୟ- କାହିଁ ଥିଲାରେ ଏ ମନମୋହିନୀ କଳାସାରୀଟିଏ ?

୧ମ ଦୈତ୍ୟ- ପଛେ ଅମୃତ ଖାଇବା, ଆଗେ ଆସ ପରିଚୟ ନେବା ।

(ମୋହିନୀ ପ୍ରବେଶ ଦେଖି ଦୈତ୍ୟଙ୍କ ଗୀତ)

(ଦୁଃଖନାଶନ ଗରୁଡ଼ାସନ...ବୃତ୍ତେ)

ପଦ୍ମଲୋଚନା ପିକବଚନା ପ୍ରେମ ପରଶମଣି ।

ପଦେ କହରେ ଚାହିଁ ସ୍ନେହରେ ତୁରେ କାହା ରମଣୀ ।ପଦ।

ଆମ୍ଭ ହୃଦୟ ଜ୍ଞାନକୁ ହରି, କୁଚକୁମ୍ଭରେ ତୁ ଥୋଇଲୁ ଭରି,

ଆରେ ହରିମଝା ହଟି ନଯା ନଯା ବଜା କିଙ୍କିଣି ।୧।

ନଗରମଣ୍ଡନା ନାଗରୀରଜା, ବାଗରେ ଫିଙ୍ଗିଣ ନଦିଅ ସଜା,

ଭାଗ୍ୟ ଯା’ର ଥିବ ସେ ତୋତେ ଲଭିବ ପାରୁଛୁ ଜାଣି ।୨।

ମରାମରେ ତୋର ପରାଏ ଯୋଷା, ଆଖି ଦେଖିନାହିଁ ରସ-ଆଳସା ।

ରସି କୁଶକେତୁ, ବସି କେତେ ଯୁଗ ଅଛି ନିର୍ମାଣି ।୩।

ଦେବ ଅସୁରଙ୍କ ସମାନ ଭାଗେ, ଏ ପୀୟୂଷ ବାଣ୍ଟି ଭୁଞ୍ଜାରେ ବେଗେ ।

ବଡ଼ସାନ ଭାବ ମାନସେ ନ ଆଣ ବଇ ମାଗୁଣି ।୪।

ମୋହିନୀ- ହେ କଶ୍ୟପସୁତେ, ଯାହା ପଚାରିଲ ମୋତେ ଶୁଣ ତାହା ଚିତ୍ତ ସ୍ଥିରକରି । ନାହିଁ ମୋର ପତି ଅଙ୍ଗସଙ୍ଗ ଅଟଇ ମୁଁ ଅସତୀ ଯୁବତୀ, କୁଳଟା ଭାବରେ ହରେ କାଳ, ଅସତୀ ନାରୀକି କେ କି କରନ୍ତି ବିଶ୍ୱାସ ? ଯେବେ ମୋ କରେ ଭକ୍ଷିବ ସୁଧା ଦେବାସୁରେ ତେବେ ବେଳୁ ଶୁଣିଥାଅ ବାଣୀ ମୋର ।

ଗୀତ- (ଧୀରେ ଘେନ ଧୀରେ ବ୍ରଜେଶ୍ୱରୀ...ବୃତ୍ତେ)

ନାହିଁ ସୁରାସୁର ଭେଦାଭେଦ । ମୋ ଦୃଷ୍ଟିରେ ସମ ସିଦ୍ଧାସିଦ୍ଧ ।

ଦେବି ସୁଧାରସ ସମାନ ଭାବରେ ବସ ନିଜାସନେ ହୋଇ ଶୁଦ୍ଧ ।

ବେନିପକ୍ଷ ପୂର୍ବଦିଗକୁ କରିଣ ସର୍ବେ ମୁଖ ।୧।

ନବଚୀର ପରିଧାନ କର । କୁଶାସନେ ବସ ହୋଇ ସ୍ଥିର ।

ବେନିଭାଗ ହୋଇ ମୋ ବାମ ଦକ୍ଷିଣେ ନିଜେ ନିଜ ପାନପାତ୍ର ଧର ।

ଦୈତ୍ୟଗଣେ, କାଳ ନ କର ବିଳମ୍ବ ଅକାରଣେ ।୨।

କକ୍ଷେ ସୁଧାଘଟ ରଖି ବଳେ । ପରଷି ଦେଉଛି ଦୁଇଦଳେ ।

ସରସ ଚିତ୍ତରେ ଖାଇ ତୋଷେ ତୁମ୍ଭେ ଚଳି ଯା ଯା ନିଜ ନିଜ ଆଳେ ।

ବଇଷ୍ଣବ, ବିଷ୍ଣୁ ମୋହିନୀବେଶ କି ନିରେଖିବ ।୪।

୧ମ ଦୈତ୍ୟ- ମାଈ ଠିକ୍ କହିଚି, ଭାଇ ବସରେ ?

(ସମସ୍ତେ ବେନିଭାଗ ହୋଇ ବସିବା- ମୋହିନୀ ଦେବଙ୍କ ପାତ୍ରେ ସୁଧା ଦେବା)

୨ୟ ଦୈତ୍ୟ- ତେଣେ କଣ ଦେବେ ଖାଇଲେଣି ! ଆମେ କି ପାଇବା ଶେଷରେ ?

୧ମ ଦୈତ୍ୟ- ଗୋଟାଏ ତ ମାଇକିନିଆ, ସେଇଆଡ଼ୁ ତ ଦେଇ ଦେଇ ଫେର୍ ଆସିବ ।

୩ୟ ଦୈତ୍ୟ- ଚୁପ୍‌କର, କଣ ହଉଚି ଦେଖ ।

ଏ ନାରୀକି ଦେଖିଲେ ବୃଦ୍ଧ ହେଲେ ମଧ୍ୟ ରସିବ ।

(ଦେବମେଳେ ବସି ରାହୁ ସୁଧାପାନ କାଳରେ ଚନ୍ଦ୍ର ସୂର୍ଯ୍ୟ ବିଷ୍ଣୁଙ୍କୁ ସଙ୍କେତ ଦେଖାଇଦେବା)

ରବି- ଦେଖ ନାରାୟଣ ! ରାହୁ ଦେବତାଙ୍କ ସହ ସୁଧା କରେ ଗ୍ରାସ ।

ମୋହିନୀ- (ଶୂନ୍ୟକୁ ଚାହିଁ) ଚକ୍ର କାହିଁ ଅଛ, ଶୀଘ୍ର ଛେଦ ଦୈତ୍ୟ କନ୍ଧଦେଶ ।

ରାହୁ- (ପଡ଼ିଯାଇ) ଦେବ ! ଦେଖୁ ଦେଖୁ କଲ ଦୁଇଖଣ୍ଡ ।

ମୋହିନୀ- ଗ୍ରହମଣ୍ଡଳେ ତୁ ରହ ଯାଇଁ,

ଯେଣୁ ଭକ୍ଷିଲୁ ପୀୟୁଷ ମୃତ୍ୟୁଭୟ ନାହିଁ ତୋର; ଶୁଣ ଦୈତ୍ୟ ଚଣ୍ଡ !

ରାହୁ- ଦେଖ ପ୍ରଭୁ, ରବି ଚନ୍ଦ୍ର ହେତୁ ଏହି ଦଶା ଆଜି ମୋର,

ଏ ଦୁଇଜଣଙ୍କୁ କାଳେ କାଳେ ଦେବି ଦଣ୍ଡ ।      (ବିଷ୍ଣୁ ପ୍ରସ୍ଥାନ)

୧ମ ଦୈତ୍ୟ- ଆରେ ଭାଇ, ଏ କି କୁହୁକ ହେଲା,

ସେ ମାଇପିଟା କେଣେ ଗଲା ?

୨ୟ ଦୈତ୍ୟ- ସେଇଠେଇଁ ତ ଥିଲା- ତୁ ଡାକିଲୁ ନାହିଁରେ ଭଲା ?

୧ମ ଦୈତ୍ୟ- ମୋର ତ ଜମାରୁ ତୁଣ୍ଡ ଖୋଲିଲା ନାହିଁରେ ।

୩ୟ ଦୈତ୍ୟ- ଦେବେ ତ ଅମୃତ ଖାଇଲେ

ଆମେ ଏଠି ବସି ମିଛେ ହେଲେ ହାଇଁପାଇଁ ରେ । (ଦେବଗଣଙ୍କ ପ୍ରସ୍ଥାନ)

(ବଳି ସହ ଦନୁଜଗଣଙ୍କର ଦେବତାଙ୍କୁ ମାରିବାକୁ ଯୁଦ୍ଧାର୍ଥେ ମନ୍ତ୍ରଣା)

ବଳି- ଦୈତ୍ୟବୀରେ ! କିମ୍ପା ତୁମ୍ଭେ ଦୁଃଖମନ ଅତି ?

ସମସ୍ତେ- ଶୁଣନ୍ତୁ କାରଣ ତାର ଦାନବଭୂପତି !

ଗୀତ- (କହ କୃପାନିଧି...ବୃତ୍ତେ)

ଭଣ୍ଡ ଦେବେ ମିଳି କଲେ ଯେଉଁ କାଣ୍ଡ ଭଣ୍ଡିଣ ଆମ୍ଭଙ୍କୁ କଥାରେ ।

ଦଣ୍ଡଧର, ଆମ୍ଭେ ଆଣି ସୁଧାଭାଣ୍ଡ ପଣ୍ଡଶ୍ରମେ ମଲୁଁ ବୃଥାରେ ।ପଦ।

ରୁଣ୍ଡହୋଇ ବସି କରନ୍ତେ ବିଚାର, ମିଳିଲା ସେଠାବେ ଏକ ଯୋଷାବର ।

ତୁଣ୍ଡ ନ ଫିଟିଲା ଦେଖି ତାର ଶୋଭା ପଡ଼ିଲୁ ତା ବାକ୍ୟଯନ୍ତାରେ ।୧।

ବସୁଧାମୋହିନୀ ସୁଧା ଭୁଞ୍ଜାଇଲା କଉଶଳେ ସୁର ପନ୍ଥାରେ ।

ରାଗଲତା ଆମ୍ଭ ଭାଗ ବୁଡ଼ାଇଲା ହେଳେ ଫିଙ୍ଗି ଘୋର ଚିନ୍ତାରେ ।୨।

ସେହି ହୋଇ ତୋଷ ଗଲେ ଯେଝା ବାସ ଧନ ପାଇ ଉନମତ୍ତାରେ ।

ବଇଷ୍ଣବ କହି ଶେଷେ ଫଳ ଶ୍ରମ ହେଲା ମମ ସିନ୍ଧୁମନ୍ଥାରେ ।୩।

ବଳି- କି କହୁଛ ଦୈତ୍ୟଗଣେ, ଏତେ କାଣ୍ଡ କଲା ଏଥି ଭଣ୍ଡ ଆଖଣ୍ଡଳ ? ରେ ସାରଥି, ଶୀଘ୍ର ସାଜ ରଥ, ପଶିବି ମୁଁ ଦେବଙ୍କ ସମରେ, ଦେଖିବି କେତେ ଶକତି ବହେ ବଳାରାତି । ବଳିମୁଖୁଁ ବଳିକି ସେ ଯିବ ଅଦ୍ୟ ରଣେ । ହେ ନମୁଚି, ବାଣ, ବିପ୍ରଚିତି, ବିରୋଚନ ! ବଜ୍ରଦଂଷ୍ଟ୍ର, ସମ୍ବର, ଶକୁନି, ଅୟୋମୁଖ ! ତାରକ, ହେତି ପ୍ରହେତି, ଦ୍ୱୈମୂର୍ଦ୍ଧା, ନିଶୁମ୍ଭ ! କାଳନାଭ, କୁମ୍ଭ, ଜମ୍ଭ, ଇଲ୍ଲୋଳ, ଅରିଷ୍ଟ ! ଶଙ୍କୁଶିର, ନିର୍ବାତକବଚ ! କଂକାଳ, ଜିମ୍ଭୁତ ହେ ଦୁନ୍ଦୁଭି ହୟଗ୍ରୀବ ! ହେ ଅରିଷ୍ଟନେମୀ ଶ୍ରେଷ୍ଠ ଦୈତ୍ୟବୀରେ ! ଧର କରେ ଅସି ଶୂଳ ଶକତି ଗଦାବର । ଚଢ଼ ଉଷ୍ଟ୍ର, ଗର୍ଦ୍ଦଭ, ମହିଷ ପୃଷ୍ଠଦେଶେ, ବେଢ଼ିଣ ମାରିବା ଚୋର ବିବୁଧବୃନ୍ଦଙ୍କୁ- କେସନେ ରଖିବ ଆମ୍ଭ ମୁଖୁଁ ବିଷ୍ଣୁ ତାଙ୍କୁ ।

ଦୈତ୍ୟଗଣ- ଯେ ଆଜ୍ଞା ମହାରାଜ ? ରେ ରେ ପାମର ଅମରେ ! କେଣେ ଅଛ ରଣକୁରେ ହୁଅ ଅଗ୍ରସର ।

(ସମସ୍ତଙ୍କ ପ୍ରସ୍ଥାନ)

ଚତୁର୍ଥ ଦୃଶ୍ୟ

(ଅମରାଦ୍ରି ଶିଖ- ଦେବଗଣସହ ବିଷ୍ଣୁଙ୍କ ପ୍ରବେଶ)

ବିଷ୍ଣୁ- ଭୟ କରନାହିଁ ଦେବେ କେହି,

ଦେଖ ଆଜି ରଣେ ମୋର କରେ

ମଲେ କାଳନେମି ଆଦି ଦୈତ୍ୟେ ।

ଦେଖ ମାଳି ସୁମାଳି ମସ୍ତକ ଲୋଟେ ରଣେ,

ଧାଏଁ ରୋଷେ ବଳି ରଥେ ବସି

କର ଯୁଦ୍ଧ ତାର ତୁଲେ ବିବୁଧ ଈଶ୍ୱର,

ରଣେ ବୈଲୋଚନପୁତ୍ରେ ମାର ।

ବଳି- (ପ୍ରବେଶି) କୂଟ କିସ ପାଞ୍ଚ ଧିଟ ଦେବେ ।

ବଳି ତୁଲେ କର ଶୀଘ୍ର ବଳର ପରୀକ୍ଷା ।

ଇନ୍ଦ୍ର- ରେ ମୂଢ଼ ଦାନବ ! ଅଦ୍ୟ ରଣେ କାଟିବି ତୋ ମୁଣ୍ଡ, ଦେଖ ବଜ୍ର ଝଲକେ ମୋ କରେ ।

ଗୀତ- (ଚୋଖି...ବୃତ୍ତ)

ରେ ଖଣ୍ଟ ଅସୁରରାଟ, ବୁଝିବି ଆଜ ତୋ ଆଣ୍ଟ,

ଏହି ବଜ୍ର ଶକତି ତୋ ଘେନିବ ଜୀବ ।

ଜିଣିବା ବାସନାଛାଡ଼, ଜାଣିଛି ତୋ ମାୟା ମୂଢ଼ !

ନଟବୃତ୍ତି ହଟକରି ଆଚରି ମୂଢ଼ ।

ମୋ ଆଗୁ ନ ଯିବୁ ବରତି,

ବସି ଅମରମଣ୍ଡଳେ ଟେକିବୁ ଛତି ।୧।

ଛଳେ ଯେ ପ୍ରାଣ ଜୀବନ, ଧନ ଲୁଟେ ରେ ଅଜ୍ଞାନ,

ସେହି ଜନ ନିକଟରେ ଭଜେ ନାଶକୁ ।

ଏ ତ ବିଧାତା ଲେଖନ, କହ କେ କରିବ ଆନ,

ନିଜ ମାନ ଘେନି ଫେରି ଯା’ରେ ବାସକୁ ।

ବିଷକୁ ରେ ପୀୟୂଷ ମଣି,

ଗ୍ରାସ ନ କର କହିଲି ଦାନବମଣି ।୨।

ନିରେଖ ରେ ଭୟଙ୍କର, ଏ କୁଳିଶ ତେଜ ମୋର,

ବଳି ତୋର ଦରପ ଦଳିବା କାରଣେ ।

ଯେଉଁ ପଥେ ଜ୍ଞାତିଗଣ, ଗଲେ ଶମନ ସଦନ,

ସେହି ପଥେ ତୋତେ ପଠାଇବି ଏକ୍ଷଣେ ।

ତାଙ୍କ ତୁଲେ ହୁଅ ଯା ରୁଣ୍ଡ,

ବଇଷ୍ଣବ ବୋଲେ ଆରେ ଅସୁର ଭଣ୍ଡ ।୩।

ବଳି- ରେ ପାଷଣ୍ଡ ମେଷାଣ୍ଡବହନକାରୀ ଇନ୍ଦ୍ର, ଶୁଣ ବୀରଧର୍ମ ବଳିଠାରୁ । ରଣେ କ୍ଷତ୍ରି ହେଲେ ଅଗ୍ରସର ଜୟ ପରାଜୟ ଭାଲେ ତାର ସୁନିଶ୍ଚିତ । ଯେବେ ପ୍ରାଣ ଦିଅଇ ରେ ସମ୍ମୁଖ, ଅକ୍ଷୟ ସ୍ୱର୍ଗଭୋଗରେ ହୁଏ ଅଧିକାରୀ, ଜାଣ ସେହି ବୀରଚୂଡ଼ାମଣି । ଲେଖିଛନ୍ତି ଶାସ୍ତ୍ରେ ମୁନିଗଣ, ସମ୍ପଦେ ବିପଦେ ନୁହେ କେଭେ ବୀରର ହୃଦୟ ବିଗଳିତ । ଛାଡ଼ି ଆତ୍ମପରିଚୟ ଆଉ ବେଶି ସମ୍ଭାଳ ଏ ମୋର ଦଶବାଣ ।

(ବାଣନିକ୍ଷେପ ଓ ଯୁଦ୍ଧ- ଇନ୍ଦ୍ର ବଜ୍ରାଘାତେ ବଳିର ପତନ)

ନେପଥ୍ୟେ- ରେ ରେ ପାପାତ୍ମା ବାସବ !

ଦେଖୁ ଦେ୍ଖୁ ନାଶିଲୁରେ ମୋହରି ସଖାକୁ

ନ ଜାଣୁ କି ଜମ୍ଭଦୈତ୍ୟ ଅଛି ଜୀବନରେ

ଶୀଘ୍ର ଶୀଘ୍ର ଯୁଝରେ ମୋ ତୁଲେ, ସମ୍ଭାଳ ସମ୍ଭାଳ ଗଦାଘାତ ।

ଇନ୍ଦ୍ର- ରେ ଅସୁର ଜମ୍ଭ ! ତୋତେ ଆଜି ମାରି ନେବି ଜମ୍ଭଭେଦୀ ଆଖ୍ୟା । ରଣ ଶୀଘ୍ର କର କଉଣପ !

(ରଣବାଦ୍ୟ, ଉଭୟର ଯୁଦ୍ଧ କରୁ କରୁ ପ୍ରସ୍ଥାନ)

ନେପଥ୍ୟେ- ଜୟ ଇନ୍ଦ୍ର ଦେବଙ୍କର ଜୟ !

(ନାରଦ ଓ ଶିବଙ୍କ ପ୍ରବେଶ)

ନାରଦ- ସ୍ଥିରହୁଅ, ସ୍ଥିରହୁଅ, ଦେବରାଜ ଇନ୍ଦ୍ର !

ରଣେ ଅକାରଣେ ମାତ ନାହିଁ; ଶୁଣ ଥରେ ନାରଦ ବଚନ ।

 

ଗୀତ- (କିସ କହିବି ମୋ ଦୁଃଖ କଥା...ବୃତ୍ତେ)

ଆଉ କାହିଁପାଇଁ ରଣେ ମାତ, ଶଚୀନାଥ ହେ !

ପଳାଇଲେ କଉଣପେ ଦେଖି ନମୁଚି ନିହତ ।ପଦ।

ସମୁଦ୍ରମନ୍ଥନେ ପ୍ରାସ, ପାଇଲେ ଯେତେ ରାକ୍ଷସ ।

ପୀୟୂଷ ଭୁଞ୍ଜିଲେ ଦେବେ, ମଲେ ସେ ହୋଇ ଅନାଥ ।୧।

ତୁମ୍ଭ ଭାଗ୍ୟରେ ସମ୍ପଦ, ତାଙ୍କ ଭାଗ୍ୟରେ ବିପଦ,

ଯୁଦ୍ଧ ତେଜି ବୋଧଭଜ ପୁରୋଚନ ପୁରୁହତ ।୨।

ଜୟ ଡିଣ୍ଡିମ ବଜାଇ, ସୁର ପରୀଗଣେ ନେଇ,

ଅମରମଣ୍ଡଳେ ବସି ରସି କର ନୃତ୍ୟ ଗୀତ ।୩।

କେ ପାରିବ ବିଷ୍ଣୁକୂଟ ମାୟାକୁ ତା ସୁରରାଟ,

ଏ ସବୁ ତାହାରି ନାଟ, ବଇଷ୍ଣବ ବିରଚିତ ।୪।

ସମସ୍ତେ- ଜୟ ସୁରପତିଙ୍କର ଜୟ ! (ଦେବଗଣ ଇନ୍ଦ୍ରସହ ପ୍ରସ୍ଥାନ)

ନାରଦ- କେଣେ ଗଲ କେ ଅଛ ହେ ଆସ ଦୈତ୍ୟଗଣେ !

ଅମରେ ଗଲେଣି ନିଜ ପୁରେ, ତୁମ୍ଭେ ତୁମ୍ଭ କାର୍ଯ୍ୟ କର ଏବେ ।

(ଶୁକ୍ରସହ ଅସୁରଙ୍କ ପ୍ରବେଶ)

ଶୁକ୍ର- କି ନିମନ୍ତେ ଡାକିଲେ ଅସୁରେ ! ବଳିନାଶେ ଅନାଥ ଅସୁରେ, କିସ ହେବ ରଖି ନ ଜୀବନ ?

ନାରଦ- ଶୁଣ ଶୁକ୍ର, ଶୁଣ ହେ ଦାନବେ ! ଘେନି ଚଳ ବଳିମୁଣ୍ଡ ପିଣ୍ଡ, ଆବର ଯେମାନେ ଶିର ଛିଡ଼ି ପଡ଼ିଛନ୍ତି ଅମର ସମରେ, ସମସ୍ତଙ୍କୁ ବହି ନେଇଯାଅ ଅସ୍ତଗିରି ଶିଖର ପ୍ରଦେଶେ । ତହିଁ ଯୋଡ଼ି ଯେ ଯାହାର ଅଙ୍ଗ ପ୍ରତିଅଙ୍ଗ, ମୃତସଞ୍ଜୀବନୀ ମନ୍ତ୍ରେ ଶୁକ୍ର ଦିଅ ଜୀବଦାନ; ତିଳେ ଏଥି ବିଳମ୍ବ ନ କର ।

ଶୁକ୍ର- ଦୈତ୍ୟବଳ ଚଳ ଘେନି ରାଜା ଶିର ଦେହ ! ଆବର ଯେତେକ ମୃତଘଟ ଘେନିଚାଲ ଅସ୍ତାଚଳ ଚୂଳେ, ମୃତସଞ୍ଜୀବନୀ ମନ୍ତ୍ରବଳେ ସମସ୍ତଙ୍କୁ ଦେବି ପ୍ରାଣଦାନ ।

ସମସ୍ତେ- ଯେ ଆଜ୍ଞା ଗୁରୁ ! (ସମସ୍ତେ ଶବମାନ ଗୋଟାଇ ପ୍ରସ୍ଥାନ)

ଶିବ- ଶୁଣ ଦେବର୍ଷେ ! ଶୁଣିଥିଲି ମୋହିନୀରୂପକୁ ଧରି ବିଷ୍ଣୁ ଦେବତାଙ୍କୁ ଦେଲେ ସୁଧାପାନ, ପଦ୍ମକରେ ଆପେ ପରଷିଣ । ଆସ ବେଗେ, ସେହି ରୂପ ଦେଖିବାକୁ ମୋର ବଳିଛି ମାନସ, ଘେନି ଦୁର୍ଗାଙ୍କୁ ସଙ୍ଗରେ ତିନିଜଣ ଯାଇ ତାଙ୍କ ପାଶେ ଜଣାଇବା ମନୋବାଞ୍ଛା ।

ନାରଦ- ନାହିଁ ପଶୁପତି ମୋ ଆପତ୍ତି !

(ଉଭୟଙ୍କ ପ୍ରସ୍ଥାନ)

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ବୈକୁଣ୍ଠଧାମ- ବିଷ୍ଣୁ ଏକାକୀ ଅନନ୍ତଶଯ୍ୟାରେ ଉପବେଶନ)

ବିଷ୍ଣୁ- (ସ୍ୱଗତ) ଏଇ ଯେ ଆସନ୍ତି ଉମା ହର ବ୍ରହ୍ମାସୁତ ନାରଦଙ୍କ ସଙ୍ଗେ, ଗଞ୍ଜିବି ଶିବର ଗର୍ବ ଆଜି, ମନେ ପାଞ୍ଚିଛି ମୋହିନୀମୂର୍ତ୍ତି ମୋ ଦେଖିବ । ଦେଖିବି କିପରି ବହେ ଊର୍ଦ୍ଧ୍ୱରେତା ନାମ, ପୁଣି ମାରପର ନାମ କରିଛି ଧାରଣ, ଆଜି ହେବ ପରୀକ୍ଷା ତହିଁର ।

(ଶିବ, ଦୁର୍ଗା, ନାରଦଙ୍କ ପ୍ରବେଶ- ସକଳେ ସ୍ତବଗାନ)

ଗୀତ- (ଜୟ ରଘୁନାଥ...ବୃତ୍ତେ)

ହେ ଜଗଦ୍‌ବ୍ୟାପକ ତୁହି ବିଶ୍ୱରୂପ କରୁ ସର୍ବଘଟେ ବାସ ।

ତୁହିଟି ସାକାର ତୁହି ନିରାକାର, ତୁ ଯେ ସୃଷ୍ଟି, ସ୍ଥିତି, ନାଶ ।

କରୁ ତ୍ରିଗୁଣ ଧରି, ହିରଣାକ୍ଷ୍ୟ ବକ୍ଷଚିରା ହରି ।୧।

ଅବ୍ୟକ୍ତ ଅନନ୍ତ ଭୂତ ବର୍ତ୍ତମାନ ଭବିଷ୍ୟତ ସୁଖସ୍ଥଳ ।

ବ୍ରହ୍ମ ସନାତନ ଚିନ୍‌ମୟ ଅନାଦି ତୁ ଯେ ଆଦି ଆଦିମୂଳ ।

ବଦ୍ଧ ମୋକ୍ଷଣଦାତା, ମାୟାମୟ ଅଭୟକରତା ।୨।

ସାଧୁଙ୍କ ହୃଦୟ ଆକାଶେ ଉଦୟ ହେଉ ବିଧୁରୂପ ବହି ।

ଦଣ୍ଡିବା କାରଣ ନିନ୍ଦୁକ ପାଷଣ୍ଡେ ଧରି ଜନ୍ମୁ ନରଦେହୀ ।

ସିନ୍ଧୁ ମନ୍ଥନୁ ଜାତ, ହେଲା ଯେବଣ ଅମୃତ ନାଥ ।୩।

ଦୈତ୍ୟଙ୍କୁ ନିରାଶ କରି ପୀତବାସ ଦେବେ ଭୁଞ୍ଜାଇଲୁ ଆପେ ।

ଯେବଣ ମୋହିନୀ ମୂରତିକି ଚାହିଁ ଭୋଳ ହେଲେ କଉଣପେ,

ମୋତେ ଦେଖା ତା ହରି, ବଇ ଆସିଅଛି ଆଶାକରି ।୪।

ବିଷ୍ଣୁ- ଶୁଣ ବିଶ୍ୱନାଥ ସେ ଚରିତ, ଦୈତ୍ୟେ ସୁଧା ହରିବାରୁ ଦେବେ ହେଲେ ଦୁଃଖୀ ନ ସହି ମୁଁ ତାହାଙ୍କ ବିକଳ, ମାୟା ମୋହିନୀ ମୂରତି ଧରି, ମୋହି ହେଳେ ଅସୁରଙ୍କ ମନ ପରଷିଲି ସୁଧା ବିବୁଧଙ୍କୁ । ଯେବେ ସେ ମୋହିନୀରୂପ ଦେଖିବା ଆଶାରେ ଆସିଅଛ ନଗଜେମା ତୁଲେ, ଚେତାଇଦେଉଛି ବେଳ ଥାଉଁ ଥାଉଁ କାଳ ।

ଗୀତ- (କହ କହ ଭବାନୀ ଗୋ ଭାବନା କିମ୍ପା...ବୃତ୍ତେ)

ମୋହିନୀ ମୂରତି ମୋର, ଦେଖିବ ଯେବେ ହେ ହର ।

ସମ୍ଭାଳି ପାରିବଟିକି ଭୋଳେ ନୋହି ହରବର ।ପଦ।

କାମିନୀ ମଧ୍ୟ ହୋଇଲେ ଭୁଲିଯିବେ ଜାଣ ଭଲେ ।

ପୁରୁଷ ମାତ୍ରକେ ଦେହ ସହିବ କହ କାହାର ।୧।

ହରପରେ ହୋଇ ବଶ ପରେ ନ ଦେବଟି ଦୋଷ ।

ମୋହି ନ ହେବ ମୋହିନୀ ପଛେ ଥାଇ ବାର ବାର ।୨।

ଚାହିଁ ଉଚ୍ଚ ଘଞ୍ଚ କୁଚ ଡୋଳା ଖେଳା ଭୂରୁନାଚ,

ଦେହ ଜୀବନକୁ ତୁଚ୍ଛ ନ ମଣିବ ଶୂଳଧର ।୩।

ଚାହାଁ ଏ କୁସୁମ ବନ, ଅତି ରମଣୀୟ ସ୍ଥାନ ।

ତହିଁ ଦେଖ ତନୁ ମମ ବଇଷ୍ଣବର ଏ ଗିର ।୪।

(ନେପଥ୍ୟେ ମୋହିନୀରୂପେ ବିଷ୍ଣୁ ଦଣ୍ଡାୟମାନ)

ଶିବ- ଆହା ! କି ଅଦ୍ଭୁତ ମୋହିନୀ ମୁରତି, ଧୃତି ଧରି ନ ହୁଏ ଚାହାନ୍ତେ । ଯେକାଳେ କନ୍ଦୁକ ଫିଙ୍ଗି ବନ୍ଧୁକଅଧରା ଚାହିଁଦେଲା ଚାରୁ ଭୂରୁ ନ ଚାହିଁ ଊର୍ଦ୍ଧ୍ୱକୁ କନ୍ଦୁକ ଗତି କଳିବା ଆଶେ- ଆହା, ବରଷି କି ଗଲା ସତେ ମର୍ତ୍ତ୍ୟେ ପୁଷ୍ପ ପାରିଜାତ । ପୁଣି ତଳେ ପଡ଼ିଯାନ୍ତେ ସେ କନ୍ଦୁକ, ବନ୍ଧୁ ତାକୁ ତୋଳିବାକୁ ଗୋଡ଼ାଇବାବେଳେ କୁଚପରୁ ବାସ ଗଲା ଖସି, ବାଳୀଶ ତା ନ ପାରି ସମ୍ଭାଳି ବାମ ବାହା ଟେକି ବାସ ଥୋଇଦେଲା କନ୍ଧେ, ଜଣାଗଲା- ଘେନିଗଲା ପରି ବାନ୍ଧି ମୋର ମନ-ମାତଙ୍ଗକୁ । ପୁଣି ବନ୍ଦୀକଲା ଜାନୁଯୁଗଳ ସ୍ତମ୍ଭରେ, ଆଉ ସ୍ଥିରେ ନ ପାରିବି ରହି । (ମୋହିନୀ ପଛେ ପଛେ ଶିବ ଗୋଡ଼ାଇ)

ଗୀତ- (ଖାଲି ଖାଲି ଚୁଲିପଶାଟା ଏ ଘରେ...ବୃତ୍ତେ)

ଛଳନା କରିଣ ଲଳନାମଣି ତୁ ପଳାନା ପଳାନା ରେ ।

କଳାକରହାସୀ ବଳାହକକେଶୀ ନେଲୁଣି ମୋ ଚିତ୍ତକୁ କଳନାରେ ।ପଦ।

ଦଳା କେତକୀ କାନ୍ତି ତୁ ସ୍ନେହରେ ଭୋଳେ କୋଳେ ବସି ମିଶା ଦେହରେ ।

ଗଳାରେ ବେଢ଼ାଇ କଶକର ଦୁଇ ଚଳାପାଙ୍ଗି ବାସେ ଚଳାନା ।୧।

ହେଳା କଲେ ହରିମଝା ତିଳେରେ । ଭେଳା ବୁଡ଼ିବ ମୋ ଦୁଃଖ ଜଳରେ ।

ଅବଳାରତନ ବଳାକୁ ବଜାଇ ଦୂରୁ ଭୂରୁ ବେନି ଖେଳନାରେ ଖେଳନା ।୨।

ଯେତେବାର ଧରୁଛି ମୁଁ ବଳେ । ତେତେ ଗଳିଯାଉ ବାହୁ ତଳେ ।

ତ୍ରିବଳିଶୋଭିନ ଏ ଦେହକୁ ମୋର ଅଦେହ-ଅନଳେ ଜଳାନା ଜଳାନା ।୩।

ଧାଇଁବାର କାଳେ ଅସମ୍ଭାଳରେ, ଫୁଲମାଳ ଫିଟି ଲୋଟେ ତଳରେ ।

ମୁକୁଳିତ ବେଣୀ ଠାଣି କି ମିତଣୀ ପାଣି ଦେବ କାହା ସହିତ ତୁଳନା ।୪।

(ଶିବ ମୋହିନୀକି ବାର ବାର ଗୋଡ଼ାଇ ଧରନ୍ତେ ମୋହିନୀ କୌଶଳେ କରୁ ଖସି ପଳାୟନ)

ମୋହିନୀ- (ପଳାଉଁ ପଳାଉଁ) ଏ କିସ ଭବିଷ ବିଷକଣ୍ଠ !

ଛି ଛି, ଏହି କି ତୁମ୍ଭର ଊର୍ଦ୍ଧ୍ୱରେତା ନାମଧରା ?

ଏହି ତୁମ୍ଭର ମାରପର ପରିଚୟ ?

ଥାଉଁ ବାମଦେବ ବାମା ସହିତରେ ପରନାରୀଠାରେ ହୁଅରତ ।

ଗୀତ- (କାହା ଭାବେ ମଜ୍ଜି...ବୃତ୍ତେ)

ସମ୍ଭାଳ ସମ୍ଭାଳ କାଳକଟିର ଲେଙ୍ଗୁଟି ।

ହୋଇ ଅସମ୍ଭାଳ ତଳେ ଲୋଟିଲାଣି ଫିଟି ।ପଦ।

ଦେଖି କରିଣୀକି କରୀ ଉନମତ୍ତ ଯେହ୍ନେ ଯହିଁ ତହିଁ ବହିପଡ଼େ ରେତ ।

ତେହ୍ନେ ତୁମ୍ଭ ଦଶା ମୋର ନ ଛାଡ଼ ସଙ୍ଗୁଟି ।୧।

ତବ ରେତ ନଦୀ ସିନ୍ଧୁ ସରୋବରେ, ଧାର ଧାର ଗଳି ପଡ଼ଇ ବେଗରେ ।

ରଜତ ହୋଇଲା ଜାତ ତେଜ ଏ ଢଙ୍ଗୁଟି ।୨।

ଚିତ୍ତ ଛନଛନ ବହେ ଶ୍ରମଝାଳ, ଘନ ଘନ ଶ୍ୱାସ ଛୁଟେ ଅବିରଳ ।

ହଟାଇଦିଅ ବଇର ଚିତ୍ତୁଁ ଏ ରୋଗଟି ।୩।

(ହଠାତ୍ ମୋହିନୀ ଅନ୍ତର୍ଦ୍ଧାନ- ନିଜ ଦେହେ ବିଷ୍ଣୁ ଶିବ ଅଗ୍ରତେ ଦଣ୍ଡାୟମାନ)

ଶିବ- (ଲଜ୍ଜିତଭାବେ) ହେ ପରମାନନ୍ଦ ! ହୋଇ ତୋର ମାୟାରେ ଜଡ଼ିତ ଚିତ୍ତ ଭ୍ରମ ଘଟିଲା ମୋହରି, ତେଣୁ ଜ୍ଞାନଶୂନ୍ୟ ହେଲି ହରି !

ଦୁର୍ଗା- ଶୂଳହସ୍ତ ! ଦେଖିଲ ତ ବିଷ୍ଣୁର ମହିମା; ଯା’ର ରୂପ ଦେଖି ଜିତେନ୍ଦ୍ରିୟ ତୁମ୍ଭେ ସ୍ୱୟଂ ହେଲ ଜ୍ଞାନହତ, ତାର ପାଶେ କି ଛାର ଦଇତ୍ୟ ? କେତେ ଲଜ୍ଜା ଦେଲେନାହିଁ ଲଜ୍ଜାନିବାରଣ, କେଉଁ ଗୁଣ ନାହିଁ ଗୁଣ ନାହିଁ ସେହି ନିର୍ଗୁଣ ଦେହରେ ।

ଗୀତ- (ହରି ତୁମ୍ଭଲାଗି ଏତେ ସରି...ବୃତ୍ତେ)

ଏ ହଟିଆ ହରି, ହର ! ବାରିବ କେ ୟାର ଛଳ ଚାତୁରି ।

କୂଟକପଟରେ ଭୁଲାଇଛି ସବୁ ନଚାଏ ଲଗାଇ କୁହୁକ ଡୋରି ।ପଦ।

ସର୍ବଘଟେ ପୂରି ରହିଛି, ଲାଗିନାହିଁ କାହିଁ ତା କିଛି ।

ଜାଗି ଯୋଗୀ ଜୀବେ ଯୋଗେ ଯା’ର ଦେଖା ନ ପାଇଏେ ଥରେ ଦେଖ ବିଚାର ।୧।

ପବନକୁ ମୁଠାରେ ରଖି, ପାରିଛି କେ ଦେଖିଛଟିକି ।

ଯା’ ନାଭିକମଳୁ ଜନ୍ମି ଅଷ୍ଟଆଖି ତିଳେ ନ ପାଇଲା ଅନ୍ତ ତାହାରି ।୨।

ଭବ ଲାଭ ଏତିକି କଲ, ଆସି ଯାହା ଲାଜ ଭୋଗିଲ ।

ହଜାଇଲ ନିଜ ଧୈର୍ଯ୍ୟ ଜ୍ଞାନମାନ ବିଷ୍ଣୁପଦେ ବଇଷ୍ଣବ ଗୁହାରି ।୩।

ବିଷ୍ଣୁ- ପଞ୍ଚମୁଖ, ମନଦୁଃଖ କରନାହିଁ ଆଉ । ବ୍ରହ୍ମା ବିଷ୍ଣୁ ମହେଶ ଏ ତିନି ଏକ ବିନୁ ଭିନ୍ନାଭିନ୍ନ ନାହିଁ ଏହାଙ୍କର । ଯେଉଁପରି ଏକ ବୃକ୍ଷ ଗଣ୍ଡିର ଦେହରୁ ଜାତହୁଏ ତିନିଗୋଟି ଶାଖା, ସେହିପରି ଆମ୍ଭରି ଉତ୍‌ପତ୍ତି । କିଏ ଦେଲା କି ଲଜ୍ଜା କାହାକୁ ? ଭବାନୀ ବଚନେ ଭବ ! ନୁହ ବିଚଳିତ । ଶୁଣ ଶିବ, ଭାବ ତାର ଦେଉଛି ବୁଝାଇ ।

ଗୀତ- (ଜୟ ଶ୍ରୀରାଧେ ବୋଲି...ବୃତ୍ତେ)

ଇଚ୍ଛାଏ ହେଲ ମୋହିତ ହେ ଭୂତନାଥ ।ପଦ।

ଦେଖ ଜଗତଜନ, ମାୟାଡୋରେ ବନ୍ଧନ;

ଛେଦିବ ତା କାହା ଆୟତ୍ତ ହେ ।୧।

କାମିନୀ କାଞ୍ଚନ, ଏ ଦୁଇ ସମାନ,

ଭୁଲାଇଦିଏ ପ୍ରାଣୀଚିତ୍ତ ହେ ।୨।

ତୁମ୍ଭରି ମହିମା ନ ଜାଣନ୍ତି ବ୍ରହ୍ମା ।

ଅନ୍ତିମେ ସଂହାର ସମସ୍ତହେ ।୩।

କାହୁଁ ବା ବିଷ୍ଣୁମାୟା, ଗ୍ରାସିବ ତବ କାୟା,

ବଇଷ୍ଣବର ବିରଚିତ ହେ ।୪।

ଶିବ- ଜଗନ୍ନାଥ ! ଯେତେ ବୁଝାଇଲେ ଭୁଲିବ କି ହରହୃଦ, ସର୍ବଜୀବେ ଅଧିକାରୀ ତୁହି । ପୁଣି ଗର୍ବୀ ଗର୍ବ ଖର୍ବର କାରଣେ ଗରବଗଞ୍ଜନବାନା ଉଡ଼ଇ ତୋ ନଭେ । ସେ ଯୋଗେ ମୋ ଗର୍ବ-ଦମ୍ଭ କରିଅଛୁ ଚୂନା, ରଖି ପୂର୍ବ ନାମର ମାହାତ୍ମ୍ୟ ।

ବିଷ୍ଣୁ- ଥାଉ, ସେ କଥାରେ ଆଉ ପ୍ରୟୋଜନ କିସ ବିଷୟକୁ ଭାବୁଥିଲେ ବସି, ବେଷ୍ଟିତ ହୁଅଇ ଦେହେଁ ଚିନ୍ତାର ଲତିକା । ସୁଖେ ରହ ଭବାନୀ ସହିତ, ଯାଅ ନିଜ ଭବନେ ଆନନ୍ଦେ, ଯାଉଛି ମୁଁ ସ୍ୱକାର୍ଯ୍ୟ ସାଧନେ ।      (ପ୍ରସ୍ଥାନ)

ଶିବ- ଧନ୍ୟ ଲୀଳାମୟ ହରି ! ମାୟାଧର, ଧନ୍ୟ ତୋର ମାୟା । ମାୟାମୟି ! ଦେଖିଲ ତ ବିଷ୍ଣୁମାୟା ନେତ୍ରେ, କେଡ଼େ ଲଜ୍ଜା ନ ଦେଲେ ଏ ହରେ ।

ଗୀତ- (କୀର୍ତ୍ତନ...ବୃତ୍ତେ)

(ଶୁଣ)ରେ ଦକ୍ଷତନୟା ମାୟାଧର ଦେଖି କେ ବାୟା ନୋହିବ ।

କାୟା ବହି ଏହି ଦ୍ୱିସପ୍ତ ବ୍ରହ୍ମାଣ୍ଡେ କାହା ହୃଦୟ ସହିବ ।ପଦ।

ମୁହିଁ ମାୟାଧାରୀ ହୋଇ ତାହାଠାରୁ ଗଲି ହାରି ।

ଆନମାନେ କି ତା ତହୁଁ ଯିବେ ତରି ।

ଯହିଁ ବ୍ରହ୍ମା ଇନ୍ଦ୍ର ହୋଇଯାନ୍ତି ଘାରି ।

ସେ ଯେ ଛାୟାପତି ସୁତଭୟହାରି ।

ଗୁଣ ଗାଇଲେ ନ ସରେ ଯୁଗଚାରି ।

ଏଡ଼େ ଜଟିଆ ହଟିଆ । ହଟ ନାଗର ପୁରୁଷ ଗଣ୍ଠିଆ ।

ଶିରେ ସଦା ରାଜେ ଗୁଞ୍ଜପଟିଆ । ଲୋକହିତକାରୀ ପୀତପଟିଆ,

ସେହି ମୋର ଇଷ୍ଟ ବଇଷ୍ଣବ ମାଗେ କଷ୍ଟର ଭାର ଦହିବ ।୧।

ଦୁର୍ଗା- ଯୋଗେଶ୍ୱର ! ଯା’ର ଗୁଣ ସହସ୍ର ବଦନେ ଗାଇ ନ ପାରେ ବାସୁକି ! ଯା’ର ଶୋଭାରାଶି ସହସ୍ରନୟନେ କଳି ନ ପାରେ ବାସବ, ଯା’ର ଗୁଣ ଅଶୀସସ୍ର ବାଳଖିଲ୍ୟ ଗାୟନେ ନୁହନ୍ତି ତିଳେ କ୍ଷମ, ଯା’ର କୀର୍ତ୍ତି ଚାରିମୁଖ ବେଦେ ବର୍ଣ୍ଣି କରିଲା ଶେଷ, ତାର ଯଶ ତୁମ୍ଭେ ଆମ୍ଭେ ପାରବା କି ଗାଇ ? ଚାଲ ନାଥ, କୈଳାସ ପର୍ବତେ ବସି ତହିଁ ଦିବାନିଶି ଘୋଷିବା ସେ ନାମ ।

ଶିବ- ଚାଲ ପ୍ରିୟେ ରୁଦ୍ରଗଣ ତୁଲେ ନିରାପଦେ ।

ଆସ ଦେବର୍ଷି ନାରଦେ !

ନାରଦ- ଏ ସବୁ ବରାଦ ଦେଖି ଦେଖି ନାରଦକୁ ହେଲାଣି ଶରଦ ।

ଚାଲ ଶିବ, ବିଷ୍ଣୁମାୟା କରିବ କେ ରଦ,

ଏକା ସେହି ସିଂହ, ଆଉ ସକଳେ ଦ୍ୱିରଦ ।

(ସମସ୍ତଙ୍କର ପ୍ରସ୍ଥାନ)

ଦ୍ୱିତୀୟ ଦୃଶ୍ୟ

[ରାଜସଭା-ଦୈତ୍ୟବଳବେଷ୍ଟିତ ହୋଇ ବଳି ସିଂହାସନେ ଉପବେଶନ, ସମ୍ମୁଖେ ଶୁକ୍ର ଉପବିଷ୍ଟ]

ବଳି- ଦୈତ୍ୟଗୁରୋ !

ଭୋଗିଲି ମୁଁ ବାସବ ସମରେ ପରାଭବ

ଦେବେ ନେଲେ ସିନ୍ଧୁଜାତ ସରବ ବିଭବ

ଲାଭ ମାତ୍ର ହେଲା ଆମ୍ଭ ପ୍ରାଣ ହରାଇବା ।

କହ କି ଉପାୟ କଲେ ଗୁରୁ !

ନେବି ସୁରେ ପୁରୁହୁତ ପଦ, ସେ ଉପାୟ ବତାଅ ବହନ ?

ଶୁକ୍ର- ଶୁଣ ବଳି ଦାନବଈଶ୍ୱର, ବଡ଼ ଗହନ ଅଟେ ସେ ପଥ ।

ଯେବେ ସହିପାର କଷ୍ଟମାନ ଦେହେଁ, ବତାଉଛି ସେ ଉପାୟ ମୁହିଁ ।

(ଗୀତ)

ଦନୁଜେନ୍ଦ୍ରଚନ୍ଦ୍ର ଯେବେ ଇନ୍ଦ୍ରପଦେ ଆଶ ।

ଅଟଳ ଅଚଳ ହୃଦେ ପାଳିବ ଆଜୁ ମୋର ଉପଦେଶ ।୧।

ଯଜ୍ଞେ ତୋଷକରି ବୈଶ୍ୱାନରେ ହବିଦାନେ ।

ସ୍ୱାହା ସ୍ୱଧା ମନ୍ତ୍ର ଗାଇ ବ୍ରାହ୍ମଣେ ଦେବେ ଆହୁତି ବିଧାନେ ।୨।

ଦାନ ଦିଅ ନିତି ନିତି ଗୋ ଭୂମି କାଞ୍ଚନ ।

ବ୍ରତେ ବ୍ରତୀ ହୋଇ ତେଜ୍ୟା କରିବ ରାଜା ଆମିଷ ମୈଥୁନ ।୩।

ଘୋର ଦାନେ ହେବ ନିଶ୍ଚେ ସ୍ୱର୍ଗେ ଅଧିକାରୀ ।

ଏଡ଼ ନାହିଁ ମୂଢ଼ ବଇଷ୍ଣବର ଦୃଢ଼ ଜାଣ ଏ ଗୁହାରି ।୪।

ବଳି- ଏହା କି ହେ ସତ୍ୟ ଦୈତ୍ୟଗୁରୋ !

ଆଝୁଁ ମାନି ତବ ଉପଦେଶ, କାଲି ପ୍ରଭାତୁ କରିବି ଯଜ୍ଞ ଆୟୋଜନ

କଲ୍ୟ ବୃହସ୍ପତି ବାର, ପୁଣି ଧନିଷ୍ଠା ନକ୍ଷତ୍ର, ଶୁଭଦିନ ନାହିଁ ଏହାଠାରୁ ।

ଆସନ୍ତୁ ଋଷି ବ୍ରାହ୍ମଣେ ଏଥି ରାଶି ରାଶି ତୋଷିବି ତାହାଙ୍କୁ ଯଥାଦାନେ ।

ଯେ ଘେନିବ ମୋର କରୁ ଦାନ ଯୁଗେ ଯୁଗେ ନ ଥିବ ତାହାର ଦରିଦ୍ରତା ।

ଚାରକୁ ହକାରି ଶୀଘ୍ର ଦିଅନ୍ତୁ ଆଦେଶ ।

ଶୁକ୍ର- ମହାରାଜ ! ଆସେ ଚାର ଏଥି ଗାଇ ତୁଣ୍ଡେ ରାଜାଙ୍କର ଯଶ; ଏହିକ୍ଷଣି ଶ୍ରୀଛାମୁରେ ହୋଇବ ପ୍ରବେଶ ।

 

 

(ଚାର ଗୀତ ଗାଇ ପ୍ରବେଶ)

ଗୀତ- (ରଜାଘର ପାଇକ...ବୃତ୍ତେ)

ଏ ରାଜାଙ୍କୁ ମୋର ଉପମା ନାହିଁରେ ।

କଳି ନ କର ଭାଇ, ମଳି ଛଡ଼ାଇଲ ଏହାଙ୍କୁ ପାଇରେ ।ପଦ।

କିମ୍ପାଇ ମିଛେ ମତାଇ, ଦୂରରୁ ହୁଅ ଖତାଇ।

ନ ପତାଅ ଶିର । ନିଆଁରେ ନେଇରେ ।୧।

ଆଜି ସଢ଼ି ଯାଉଥାନ୍ତେ ଗନ୍ଧେ, ସାଜନାଇ ଛୁଟେ ବନ୍ଧେ ।

ସତର ଅତର ବାସନା ଛାଇରେ ।୨।

ଆମ ବୋପା ଅଜା ଆଖି, ଯାହା ତ ନ ଥିଲା ଦେଖି ।

ଏ ଆଜି ସେମାନେ ଦେଲେ ଦେଖାଇ ରେ ।୩।

ଯେବେ ଦିଶେ ଭଲବୁଦ୍ଧି, ଅଳି କର ମେଳି ବାନ୍ଧି ।

ବାପ ପାଖେ ଯେହ୍ନେ ପୁଅ ମାଗଇ ରେ ।୪।

ଦେଖି ସେ ଆମ୍ଭ ବିକଳ, ଦେଇପାରନ୍ତି ସକଳ,

ନିର୍ଦ୍ଦୟ ନିଷ୍ଠୁର ନୁହନ୍ତି ସେହି ରେ ।୫।

ତାହା ନ କରି କାହିଁକି ହେଉଅଛ ଝିଙ୍କାଝିଙ୍କି,

ଫାଙ୍କି ପାରିବକି ବଇଆ କହିରେ ।।

ବଳି- ରେ ବାର୍ତ୍ତାବହ ! ଯାହା ଆଜି ଶୁଣିଲୁ ତୋ ମୁଖୁ

ସେ ଗୁଣର ପୁରସ୍କାର ନାହିଁ କିଛି ଇହଜଗତରେ

କେବଳ ଈଶ୍ୱରେ କରେ ଏତିକି ପ୍ରାର୍ଥନା

କାଳେ କାଳେ ହୁଅ ଏହିପରି ପ୍ରଭୁ ଅନୁରାଗୀ

ଏହିପରି ଭଲ ଉପଦେଶ ରାଜ୍ୟେ ରାଜ୍ୟେ ଭ୍ରମି ଦିଅ ପ୍ରଜାଙ୍କୁ ମୋହରି ।

ଆଉ ଏକ କଥା ଥାଅ ଶୁଣି, ଘେନି ଯାଅ ନାଗର୍ଚ୍ଚି ସଙ୍ଗରେ

ଦେଶେ ଦେଶେ ଦିଆଅ ଘୋଷଣା, କହ ସମସ୍ତଙ୍କୁ ଏହି କଥା-

ସସାଗରା ଧରାପତି ବଳି ଦେବେ ନିତିପ୍ରତି ଋକ୍‌ଥ ବିପ୍ରେ

ଇଚ୍ଛାମତ ଯାହା ଯାହା ଦାନ, ବିଭୁକ୍ଷିତ ନିରାଶ୍ରୟଗଣେ

ଦେବେ ଅନ୍ନ ବସ୍ତ୍ର ସହିତରେ, ପାଇ ଏମାନ ଫେରିଆସ ଯା ସତ୍ୱରେ ।

ଚାର- ହେ ରକ୍ଷକେଶରୀ ! ମୁଁ ଆଜ୍ଞା ଶିରେ ଧରି ବାହାରିଲି, ଦେଖିବେ କାଲି ଏତିକି ବେଳକୁ କେତେ ଯାଚକଗଣ ଛାମୁଁଙ୍କ ନଗର ତୋରଣଠାରେ ରୁଣ୍ଡହୋଇଥିବେ । ଆଶୀର୍ବାଦ କରନ୍ତୁ, ମୁଁ ଏକ୍ଷଣେ ଚାଲିଲି । (ପ୍ରସ୍ଥାନ)

ଶୁକ୍ର- ଚାଲନ୍ତୁ ରାଜନ, ଦେହ ହେବଣି ଅଳସ

ବିଶ୍ରାମ କରିବ ମେଢ଼େ ବୁଲି କର୍ମ ସାରି,

ଦିଅ ଅନୁମତି ଶୀଘ୍ର ହେଉ ସଭାଭଙ୍ଗ ।

ବଳି- କର ସଭାଭଙ୍ଗ ଏତିକିରେ, କାଲି ପ୍ରାତୁ କର ଯଜ୍ଞ-ଦାନ ଆୟୋଜନ, ଡାକି କୋଷାଧ୍ୟକ୍ଷେ ଖୋଲିଦିଅ ସକଳ ଭଣ୍ଡାର ।

(ସମସ୍ତଙ୍କ ପ୍ରସ୍ଥାନ)

 

 

ତୃତୀୟ ଦୃଶ୍ୟ

(ରାଜପଥ- ନାଗର୍ଚ୍ଚି ନାଗ୍ରା ଦେବା ଶୁଣି ଦୁଇଜଣ ବ୍ରାହ୍ମଣଙ୍କ ପ୍ରବେଶ)

୧ମ ବ୍ରାହ୍ମଣ- ହୋଇ ହୋ ଭାଇ, ଏଟା କି ନାଗ୍ରା ଦିଆଯାଉଚି !

୨ୟ ବ୍ରାହ୍ମଣ- ରହ ତୁନି ହୋ, ଶୁଣୁ ନାହୁଁ ସେ କଣ କହୁଚି ?

ନାଗର୍ଚ୍ଚି- ହୋ ହୋ ଗ୍ରାମବାସୀମାନେ ! ଶୁଣ ରାଜାଙ୍କ ଆଦେଶ ଅଛି ଯାହା ।

ଗୀତ- (ସତେ ଛାୟାରମଣ ଦୟା କରିବ ହେ...ବୃତ୍ତେ)

ମୋର ନାଗରା ଦେବା କାରଣ ଜନେ ଶୁଣ ।

କାଲି ଦାନ ଦେବେ ବଳି ନୃପରାଣ ।ପଦ।

ସୁନା ରୂପା ଗୋରୁ ଗାଈ ଯେ ଯାହା ମାଗିବ ଯାଇ ।

ପାଇବ ଜୀବେ ନ ହେବ ହଇରାଣ ।୧।

ବସି ସାତଜନ୍ମଯାଏ, ଖାଇଲେ ନୋହିବ କ୍ଷୟେ ।

ଦେବେ ମାଟି ବାଟି ବାଟି ମାଣ ମାଣ ।୨।

ଦେବ ଋଷି ଦ୍ୱିଜେ ତୋଷି, ଇନ୍ଦ୍ର ହେବେ ସ୍ୱର୍ଗେ ବସି ।

ବଇ ଭାଷି କରିଛନ୍ତି ଏହି ପଣ ।୩।      (ପ୍ରସ୍ଥାନ)

୧ମ- ହେ ଭାଇନା, ମୋର ଆଜିଠାରୁ ଜାଣ ହାଣ୍ଡି ଛାଡ଼ ।

୨ୟ- କଣ ଗ୍ରହଣ ନା ପରାଗରେ ଏକାଦଶୀ ?

୧ମ- ସେଇଆ ନୁହେଁ କି, ଚନ୍ଦ୍ରକୁ ରାହୁ ଗ୍ରାସକଲେ ଗ୍ରହଣ,

ଏକାଦଶୀ ମିଶ୍ରେ ପରା ଚୁଡ଼ା ଚନ୍ଦ୍ରାକୁ କାଲି କରିବେ ।

୨ୟ- ଆରେ ତୁ ତ ଶକତ ଏକ ପେଟୁରାମରେ ।

୧ମ- ମୁଁ କଣ ଆଉ କିଛି କରେ, ମୋର ବରାବର ସେଇ କାମରେ ।

ଗୀତ- (ବାହାଘର କିଲୋ ବାହାଘର...ବୃତ୍ତେ)

୧ମ- ନନା ଚାଲ ଚାଲ ନନା ଚାଲ ଚାଲ, କାଲି ମିଳିବ ରେ ପରା ମାଲ,

୨ୟ- ତୁ’ତ ଅଟକ ରହିଚୁ ଜାତିରେ, କେଉଁପରି ନବୁ ଆମ୍ଭେ ସାଥିରେ ?

୧ମ- ମୁଲକରେ ଏଡ଼େ ହଲକ କାହାର ରୋକିଦବ ମତେ ଫାନ୍ଦି ଜାଲ ।୧।

୨ୟ- ଯାଉ ଅରଜନ କରି ଯହିଁକି ବନ୍ଧୁ ଗିଳିଲା ପତରୁ କାହିଁକି ।

୧ମ- ଖାଲି କାନି ଯେବେ ଦେଖିବେ ପିଲାଏ ରଖିବେ ନା ଆଉ ମୋର ହାଲ ।୨।

୨ୟ- ଆମ୍ଭ ଶାସନରେ ସେହି ଯୋଗେ ତୋତେ ନ ନିଅନ୍ତି କେହି ସଙ୍ଗେ ।

୧ମ- ଏକା ଗଲେ ମୋତେ ଶଙ୍କାଲାଗୁଛି କି ଏଥିପାଇଁ ଏତେ ନାଲ ନାଲ ।୩।

୨ୟ- ଯେବେ ଛାଡ଼ିବୁ ଆଜୁ ସେ ଖୋଇକି, ତେବେ ମଙ୍ଗେଇଦେବି ମୁଁ ଭାଇକି,

୧ମ- ପୋଷେ ବାନ୍ଧି ଯେବେ ନପଶିବି ଘରେ ପିଠିରେ ବସିବ ଦୁଲ୍‌ଦାଲ ।୪।

୨ୟ- ସେ ତ ଦହି ଚୁଡ଼ା ନୁହେଁ ଦାନ, ସେଠି ପଣ୍ଡିତେ ପାଇବେ ମାନ,

୧ମ- ରାତାରାତି ଗଣ୍ଡା ଶ୍ଲୋକ ଦେଲେ ଘୋଷି ସବୁ ସାରା ହେବ ବଇ ବୋଲେ ।

୨ୟ- ହେଇ ରେ, ତୋ ଗୁଣ କଣ ଶୁଣି ତୋର ଗୃହିଣୀ ଏଠିକି ଛୁଟିଛି,

୧ମ- ମୁଁ ଯାଇନାହିଁ ବୋଲି ଶୁଣି ପାରି ଧାଇଁଛି ପରା,

ବ୍ରାହ୍ମଣୀ- (ପ୍ରବେଶୀ) ଚାଲିବଟି, ଘରକୁ ଚାଲ । ମୁଁ ସବୁ ଶୁଣିଛି- ଏଥିପେଇଁ ଏତେ ନେହୁରା ? ସେଇମାନେ ପଛକେ ଚୁଡ଼ାଦହି ଖାଇ ସ୍ୱର୍ଗକୁଯାଆନ୍ତୁ ତମେ ନରକରେ ଥା ।

୧ମ- କଣ ତୁ ମୋତେ ତେଣିକି ଟାଣୁଛୁ ନା ଏଣିକି ଯିବି କହୁଚୁ ।

ସ୍ତ୍ରୀ- ଛାରଛିକର ଚୁଡ଼ା ଦହି ଗଣ୍ଡାକ ପାଇଁ ଏତେ କଥା ତାହାଠାରୁ ସହୁଚୁ ।

ଗୀତ- (ଆଜ କେନ ବନ୍ଧୁ...ବୃତ୍ତେ)

ବ୍ରାହ୍ମଣୀ- ଡାଲିଭାତ ସାତ ଭଜା କରି ଦେବି ମଜା କରି ଖାଇ ବସମ,

ବ୍ରାହ୍ମଣ- ସେ ଯେ ଗଜାମୁଗ ଗଣ୍ଡା ରଜା ନପାଇବେ ଭିଜା ଶୋଲାର ଯେ ବାସ ମ ।ପଦ।

ସ୍ତ୍ରୀ- ସେ ଯେଉଁ ପାଣିମିଶା ପଚାଦହି, ସେଥିରେ ଏତେ ରସ କାହିଁ ପାଇଁ ।

ବ୍ରା- ତା ଦିହକୁ ଗୁଡ଼ ହୁଏ ଯେଉଁ ଯୋଡ଼ ହୁଡ଼ୁମ୍ବର ମଗମ ସମ ।୧।

ସ୍ତ୍ରୀ- ଏତେ ମୁହଁ ପକାନାହିଁ ଛିଞ୍ଚାଡ଼ି, ଆସ କରିଦେବି ଘିଅ ଖେଚେଡ଼ି,

ବ୍ରା- ଇଲୋ ସେ ଯେଉଁ ଖଟେଇରାଈଟା ଜିଭ କାଢ଼ି ଚାଟିଦେଲାବେଳେ ଯେଉଁପରି ଚଷାଙ୍କର ପୁଷମାସ ମ ।୨।

ସ୍ତ୍ରୀ- ସେଠି ଖାଉଥିଲା ବେଳେ ଚକଟି, ମୁହଁକୁ ଚାହିଁଥିବେ କେତେ ଲୋକଟି,

ବ୍ରା- ଦେଖିବାକୁ ତାଙ୍କୁ ଫୁରୁସତ କାହିଁ ବେସ୍ତ କରୁଥାଏ ଶୋଷ ମ ।୩।

ସ୍ତ୍ରୀ- ଯେଉଁପରି ବାବୁଙ୍କର ଖଟଣି, ଚାଲ କରିଦେବି ଚାରୁଚଟଣି ।

ବ୍ରା- ବିଦାବିଦି ବେଳେ ଯେଉଁ ଶୋଧାଶୋଧି ମଜା ତା ଆଗରେ ଏ ଯେ ବିଷ ମ ।

ସ୍ତ୍ରୀ- ଆସ ସବୁକଥା ଦେବି କରି,

ବ୍ରା- ନାହିଁ ଲୋ କାହୁଁ ପାଇବୁ ପତଳା ଗହମ ଖିରି,

ସ୍ତ୍ରୀ- ପୋଡ଼ିଯାଉ ତୁମ ବ୍ରାହ୍ମଣପଣିଆ ବିପ୍ର ବଇଷ୍ଣବ ଭାଷ ମ ।

ବ୍ରା- ହେଇଲା ଦିଶିଯାଉଛି ସେ ଚୁଡ଼ାଘଷା କଦଳୀଚକଟା,

ସ୍ତ୍ରୀ- ସେଇଆ ଦିନେ ଖାଇଦେଲେ କଣ କାଳକ ଚାଲିଯିବ ତୁମ ଦୁଃଖଟା ?

ବ୍ରା- କିଲୋ ଆଉ କଣ କେହି ମରିବେ ନାହିଁନା ଖୁସିରେ କେହି ଡାକିବେ ନାହିଁ !

ସ୍ତ୍ରୀ- ଯେ ଡାକିବ ଆଦର କରି ସେଠିକି ଯିବ ଜାତିର ଖାତିରି ଆସିବାପାଇଁ

ବ୍ରା- ସେଇଠି ତ ବଡ଼ ଭଲ,

ସ୍ତ୍ରୀ- ଏଣିକି ବିନା ବରଣରେ ଯେଉଁଠିକି ଯିବି ସେମିତି ଖାଉଥିବ ଦୁଲ୍ ଦୁଲ୍,

ବ୍ରା- ଭାଇନା, ଏ ପରା ବରଣ ଯାଇଚି ଦେଇ,

୨ୟ- ହଉ ବଡ଼ ବୋହୂ, ଆଜି ତାଙ୍କୁ ଛାଡ଼କଲି ସେଠାକୁ ଗଲେ ସେ ଆଉ କାନ୍ଧରେ ବାନ୍ଧିବେ ନାହିଁ ।

(ସମସ୍ତଙ୍କର ପ୍ରସ୍ଥାନ)