ପରଶୁରାମ ମାତୃହତ୍ୟା

ଗଣକବି ବୈଷ୍ଣବ ପାଣି

 

(ଅଦୃଷ୍ଟକୁମାରୀମାନଙ୍କ ଗୀତ ଓ ନାଚ)

(କହ ଏତେବେଳେ କେଣେ ଯାଅ...ବୃତ୍ତେ)

ଦେଖ ଦେଖ ଦେଖ ଭାଇ ବସିଅଛି ଭବେ ହାଟ ।

ଧର୍ମ ଅର୍ଥ କାମମୋକ୍ଷ ସଉଦା ଲାଗିଛି ବାଣ୍ଟ ।ପଦ।

ସାବଧାନେ ନିଅ କିଣି, ଯେ ଯାହା ଇଚ୍ଛାରେ ପୁଣି

ଜାଣିଲେ ଦେବଟି ବାଧା ପ୍ରକୃତି ଖଣ୍ଟ ।୧।

ମୋହମାୟା ଜାଲେ ପଡ଼ି, କେତେ କାଳ ଥିବ ପଡ଼ି,

ଛାଡ଼ିଲେ ଏ ଦାଉ ଆଉ ନ ମିଳିବ ସେହି ବାଟ ।୨।

ଆଜି ସେହି ଧର୍ମଶିକ୍ଷା, ନେବାକୁ ବଳିଛି ଦୀକ୍ଷା,

ଦେଖ କେଡ଼େ ପିତୃଭକ୍ତ ଥିଲେ ଜମଦଗ୍ନି-ଚାଟ ।୩।

ପିତୃ ଅରି ନାଶ ପାଇଁ, ନିକ୍ଷାତ୍ର କରିଲେ ମହୀ,

ବଇଷ୍ଣବ ବୋଲେ ନେତ୍ରେ ଦେଖ ସେହି ଚିତ୍ରପଟ ।୪।

 

 

 

ପ୍ରଥମ ଦୃଶ୍ୟ

(ଲକ୍ଷ୍ମୀନାରାୟଣଙ୍କର ପ୍ରବେଶ)

ଲକ୍ଷ୍ମୀ- କହ ଚିନ୍ତାମଣି କିସ ଚିନ୍ତା କର ମନେ ?

ନାରାୟଣ- କି ଭାବ ଦେଖି ପଚାରିଲ ଚନ୍ଦ୍ରାନନେ !

ଲକ୍ଷ୍ମୀ- ଅନ୍ୟମନସ୍କ ପରାଏ ଜଣାଯାଉଅଛି ।

ନାରାୟଣ- ତଇଳଭାଣ୍ଡରେ ଆଜି ପଡ଼ିଅଛି ମାଛି ।

ଲକ୍ଷ୍ମୀ- ଚଞ୍ଚଳା ବୋଲୁଥାଅ ନାଥ ଆଜି କେ ଚଞ୍ଚଳ ?

ନାରାୟଣ- ଦଣ୍ଡେ ରହ ଦେଖିବୁ ତହିଁର ଫଳାଫଳ ।

ଲକ୍ଷ୍ମୀ- କେଉଁଠାରେ ବସି କେହି ଡାକୁଚିକି ହରି !

ନାରାୟଣ- ଗୁହାରି କରିବା ଆଶେ ଆସେ ବସୁନ୍ଧରୀ ।

ଲକ୍ଷ୍ମୀ- କି ଗୁହାରି କରିବାକୁ ଆସୁଅଛି ଧରା ?

ନାରାୟଣ- ସହି ନ ପାରେ ଧରିତ୍ରୀ କ୍ଷତ୍ରିକୁଳଭାରା ।

ଲକ୍ଷ୍ମୀ- ତୁମ୍ଭଙ୍କୁ କହନ୍ତେ କଷ୍ଟ ହୋଇବ କି ପାର ?

ନାରାୟଣ- ଧରାଇଷ୍ଟ ସାଧନେ ମୋ ଷଷ୍ଠ ଅବତାର ।

ଲକ୍ଷ୍ମୀ- କେଉଁରୂପେ କାହା କୋଳେ ଜାତ ହବ ହରି ?

ନାରାୟଣ- ରେଣୁକା ଗର୍ଭେ ଜନ୍ମିବି କ୍ଷତ୍ରି ତେଜ ଧରି ।

 

 

 

(ଧରଣୀ ଗୀତ ଗାଇ ଗାଇ ପ୍ରବେଶ)

(କହ କରୁଣା ସାଗର ହେ...ବୃତ୍ତେ)

ଜୟ ଜଗତତାରଣ ହେ, ଲଡ଼େ ହୁଅ ତୁମ୍ଭେ ଦାରୁଣ ।

ଶରଣ ପଶୁଛି ବାରଣ ତାରଣ କର ଦୀନେ କାରଣ ।ପଦ।

ବେଳୁ ବେଳ ବଢ଼ି କ୍ଷତ୍ରିୟ ଜାତି, ମୋ ପୃଷ୍ଠେ ପୀଡ଼ା ଦେଲେ ରମାପତି ।

ନଷ୍ଟକର ଦୁଷ୍ଟ ଷଷ୍ଠ ଅବତାର ମର୍ତ୍ତ୍ୟେ କରି ଧାରଣ ।୧।

ପ୍ରଚଣ୍ଡ ମାର୍ତ୍ତଣ୍ଡ ମୂରତି ଧର, କାର୍ତ୍ତବୀର୍ଯ୍ୟେ ନାଶି ମୋ ଆର୍ତ୍ତ ହର,

ଭୃତ୍ୟର ବେଦନା କେହୁ ତୋହ ବିନା କରିବ ନିବାରଣ ।୨।

ଦର୍ପେ ମୋ ପରେ କଲେ ପଦାଘାତ, ମୁଖବାଟ ଦେଇ ଝରେ ଶୋଣିତ ।

ଯେହ୍ନେ ଚଳଭେଦି କଳକଳ ନାଦେ ବହଇ ପ୍ରସ୍ରବଣ ।୩।

ନାହିଁ ଆଉ ବଳ ବହିବି ଭାର, ବସା ରସାତଳେ ଯିବ ଏଥର,

ବଇଷ୍ଣବ ଆଶା ନ ଫେଡ଼ିଲେ ଦଶା ତୋତେ ତୋ ଭକ୍ତ ରାଣ ।୪।

ଧରଣୀ- ହେ ଭାରହାରି ! ହେ ନରରୂପୀ ନାରାୟଣ !

ହେ ବୈକୁଣ୍ଠବିହାରି ! ଏ ଧରଣୀର କଷ୍ଟ ନିବାରଣ କର ।

ନାରାୟଣ- ସ୍ଥିର ହୁଅ, ଧୈର୍ଯ୍ୟ ଧର ଧରଣୀ ସୁନ୍ଦରୀ !

ଗୀତ- (ମଧୁକାଳ ହୋଇଲା ସଜନୀ...ବୃତ୍ତେ)

ଯାଅ ଯାଅ ବହନ ବସୁଧା,

ଦୂର ହେବ ତୋର ବିଘ୍ନ ବାଧା ।ପଦ।

ତୁରନ୍ତ କ୍ଷତ୍ରିୟ ଦର୍ପ ନାଶିବା ଆଶାରେ,

ଜନମିବି ଜମଦଗ୍ନି ଦ୍ୱିଜ ଔରସରେ ।

ତେଜି ଶଙ୍ଖ ଚକ୍ର ପଦ୍ମ ଗଦା ।୧।

କାର୍ତ୍ତବୀର୍ଯ୍ୟ ରକ୍ତେ ସ୍ନାନ କରାଇବି ତୋତେ,

ଶୀତଳ ହେବ ତୋ ବକ୍ଷ ଦୁଃଖୀ ନୁହ ଚିତ୍ତେ;

ଦେଖିବି ସେ ଅଟେ କେଡ଼େ ଯୋଦ୍ଧା ।୨।

ଗୈରିକ ବାସ ପିନ୍ଧିବି ଅରି ନାଶ ଅର୍ଥେ;

ପର୍ଶୁରାମ ନାମ ହେବି ପର୍ଶୁ ଧରି ହସ୍ତେ,

ବର୍ଷୁଥିବ ନିତି ଶାନ୍ତି-ସୁଧା ।୩।

କମଳାଙ୍କୁ ଘେନି କୋଳେ କରୁଛି ଶପଥ,

ଛୁଇଁଣ ସାରଙ୍ଗ କରେ କହୁଅଛି ମାତ,

ତୁ ହିଁ ବଇଷ୍ଣବ ଇଷ୍ଟ ସଦା ।୪।

(ବସୁଧାର ପ୍ରସ୍ଥାନ)

ଦ୍ୱିତୀୟ ଦୃଶ୍ୟ

(ଜମଦଗ୍ନି ପ୍ରବେଶ)

ଗୀତ- (ଭାଇ ଭୀମ, କରିବା କି ବୁଦ୍ଧି...ବୃତ୍ତେ)

ନିର୍ଦୟ କାହିଁକି ଦୟାନିଧି, ଦାସଜନେ ନାଶ କରି ଅରଜିବ କେଉଁ ସିଦ୍ଧି ।ପଦ।

ବରଜିଛି ଦୁଃଖ ଯେତେ ଅରଜିବା ପାଇଁ ତୋତେ; ସରଜିଛି ନିଜେ ସୃଷ୍ଟି ବିଧି ।୧।

ଗରଜି ଗରଜି କଣ୍ଠ ଶୁଖିଲାଣି ପୀତପଟ, ହର ମୋ ପୁତ୍ର-କାମନା ବ୍ୟାଧି ।୨।

କେବେ ସୁତରୂପେ ଭୋଳେ, ହରି ଧରି ତୋତେ କୋଳେ, ଭକ୍ତି-ରଜ୍ଜୁରେ କରିବି ବନ୍ଦୀ ।୩।

ହେ ବାଞ୍ଛାକଳପତରୁ, ଭକ୍ତବାଞ୍ଛା ପୂର୍ଣ୍ଣ କରୁ, ବଇଷ୍ଣବ କି ତୋ ପ୍ରତିଦ୍ୱନ୍ଦ୍ୱୀ ।୪।

(ଲୋଭର ପ୍ରବେଶ)

ଗୀତ- (ଡେମ୍ପ ବିନା କି ଫୁଲ...ବୃତ୍ତେ)

ଭଜ ଭଜ ଦ୍ୱିଜ ଆଜ ତୁ ମୋତେ, ତ୍ୟଜ ତ୍ୟଜ ଚିନ୍ତା କହୁଛି ତୋତେ ।ପଦ।

ମଜ୍ଜ ମୋ ବୋଲେ, ଆଜ ମୋ ତୁଲେ ଚଳ ଆଳେ ଦେବି ସମ୍ପଦ ଯେତେ ।୧।

ଅଷ୍ଟ ଐଶ୍ୱର୍ଯ୍ୟ, ଭୁଞ୍ଜିବୁ ଆଜ, ନଷ୍ଟ ହେବ କଷ୍ଟ ଜାଣିଥା ଏତେ ।୨।

ଅସଂଖ୍ୟ ଦାସ, ଦାସୀ ତୋ ପାଶ ଖଟିଥିବେ ପାଶେ ଅନୁବରତେ ।୩।

ମୁହିଁଟି ଲୋଭ ପୂରିଛି ଭବ, ମୋ ବିନୁ ନାହିଁ କେହି ବଇର ହିତେ ।୪।

ଲୋଭ- ହେ ଦ୍ୱିଜବର ! ଲୋଭ ନାମ ଖ୍ୟାତ ମୋ ଜଗତେଳ, ମୁଁ ବଢ଼ିଲେ ବଢ଼ଇ ସମ୍ପଦ । ଲୋଭହୀନ ହେଲେ ମୃତ୍ୟୁ ଭଜଇ ମାନବ। ଆସ ଲୋଭହୀନ ହେଲେ ମୃତ୍ୟୁ ଭଜଇ ମାନବ । ଆସ ଦ୍ୱିଜ, ମମ ସହିତରେ ଅଚଳ ସମ୍ପତ୍ତି ତୋତେ ଦେବି ଦ୍ୱିଜବର !

(ଜମଦଗ୍ନି ପୃଷ୍ଠ ସ୍ପର୍ଶକରି ପ୍ରସ୍ଥାନ)

ଜମଦଗ୍ନି- ଓଃ ! କିମ୍ପା ବାଧା ବିଘ୍ନ ବିନାଶନ ! ଜାଣେ ମୁହିଁ ଏ ସମସ୍ତ କୌଶଳ ତୁମ୍ଭର । ଅଟ ତୁମ୍ଭେ ଛାୟାବନ୍ତ ତରୁ; ମୁଁ ଅଟଇ ପଥର ପଥିକ । କେହ୍ନେ ମୋହଠାରୁ ହରି ଲୁଚାଇବ ଛାୟା ? କୋକିଳ କି ନ ଚିହ୍ନିବ ବସନ୍ତ ଆଗମ ? ଲୁଚିବ କି ସୂର୍ଯ୍ୟରଶ୍ମି ନଳିନ ଆଗରୁ । ଜାଣେ ମୁଁ ଛଳନାମୟ, ଏ ଛଳ ତୁମ୍ଭର । ଆଚ୍ଛା-କୋତେକାଳ କଷ୍ଟ ଦେବ ଏ ବୃଦ୍ଧ ବ୍ରାହ୍ମଣେ ?

 

(ଇନ୍ଦ୍ର ପ୍ରବେଶ)

ଗୀତ- (ମନ କର ଦାନ ଧନ...ବୃତ୍ତେ)

ଚିନ୍ତା ତ୍ୟଜ ଦ୍ୱିଜରାଜ ନାହିଁ ଆଉ କଷଣ ।

ତବ ଚିନ୍ତା-ସରିତ ମୁଁ କରିବଇଁ ଶୋଷଣ ।ପଦ।

ତପେ ତୋଷ ହେଲି ମୋର ସଙ୍ଗେ ଆସ ଏକ୍ଷଣ ।

ତବ ଯଶ ସୁମନସେ କରୁଥିବେ ଘୋଷଣ ।୧।

ନେତ୍ର ଫେଡ଼ି ଦୂରେ ଦ୍ୱିଜ କରରେ ନିରୀକ୍ଷଣ ।

ସୁରଭୋଗ ସୁରଭୀ ଗାଭୀଏ ଦେବି ଭୂଷଣ ।୨।

ଧେନୁଦାନ ଘେନ ତପୋଧନ ହୋଇ ତୋଷଣ ।

ଚିରଦିନ ଏ ତୁମ୍ଭଙ୍କୁ କରୁଥିବ ପୋଷଣ ।୩।

ମୁହିଁ ଇନ୍ଦ୍ର ଦେଖିଲି ତୁମ୍ଭର ତପ ଭୀଷଣ ।

ବଇ ଭାଷେ ନ ପାଇବ କେଭେ ଅପଦୂଷଣ ।୪।

ଇନ୍ଦ୍ର- ଦ୍ୱିଜମଣି ! ଜାଣି ତବ ପ୍ରଗାଢ଼ ତପସ୍ୟା ନ ରହି ପାରିଲି ସୁରଲୋକ । ଜ୍ଞାନଚକ୍ଷୁ କରି ଉନ୍ମୀଳନ ଚାହଁ ଦ୍ୱିଜ ଏବେ ଭଲ କରି ତବ ଉଦ୍ଦେଶ୍ୟ ସୁରଭୀ ଘେନି ଦେବଗଣ ଅଦୂରେ କରନ୍ତି ଅବସ୍ଥାନ । ନିଅ ଦ୍ୱିଜ ସେ ଧେନୁ ଗୋଟି ଆଜୁଁ କଷ୍ଟ ପାରଗଲା ତୋର । ଯେତେବେଳେ ଯେ ଖାଦ୍ୟ ମାଗିବୁ ତାହା ନିତ୍ୟ ଦେବ ସେ କପିଳା; ଯାଉଅଛି ଏବେ ସୁରଆଳେ ।

(ପ୍ରସ୍ଥାନ)

ଜମଦଗ୍ନି- ଓଃ ! ଲୋଭ ପରେ ଲୋଭ ବଢ଼ି ଜନ୍ମାଇଲା କ୍ଷୋଭ । ଜାଣେ ମୁହିଁ ଦେବତାଙ୍କ ଛଳ ବୈରଭାବ ବହି ଯେ ତପ କରଇ ତାରେ ଦେଉଥାନ୍ତି । ଲାଭ ହେଲା ସୁରଭୀ ରତନ; କିନ୍ତୁ ବିରତ ନୋହିବ କେଭେ ତପସ୍ୟାରୁ ଚିତ୍ତ । ହେ ବୈକୁଣ୍ଠବିହାରୀ ହରି ! କିମ୍ପା ଭୃତ୍ୟେ ଭୁଲାଉଛ ଏତେ ! ତୃପ୍ତହେବ ଚାତକ କି ପୁଷ୍କରିଣୀ ନୀରେ ? ଆଶା ତାର ବରଷା ସଲିଳେ । ଦେଖା ଦିଅ, ଦେଖାଦିଅ, ଦେଖାଦିଅ ଦାସେ ।

(ରେଣୁକା ପ୍ରବେଶ)

ରେଣୁକା- ଜୀବନବଲ୍ଲଭ, ଦୁର୍ଲ୍ଲଭ ଜୀବନ କିମ୍ପା କର ନାରଖାର ।

ଗୀତ- (ଫେରିଯା ଫେରିଯା ଶ୍ୟାମ ନ କର ହଟା..ବୃତ୍ତେ)

ଉଠ ହେ ଉଠ ହେ ମଠ ନ କରି ନାଥ !

ତେଜ ହଟହଟା ତପଲେଣ୍ଟା ଧରୁଛି ହାତ ।ପଦ ।

ଝଟ ଝଟ ମୁଖଇନ୍ଦୁ; କାଳିପଡ଼ିଲାଣି ବନ୍ଧୁ

ଯେହ୍ନେ ମେରୁ ଛାଇ ଢାଙ୍କିଛି କି ଆଦିତ୍ୟ ରଥ ।୧।

ଖରା ବରଷା କଷଣ, ସହି ହେଲ କି ପାଷାଣ;

ତୁମ୍ଭ ବିରହେ ନ ରୁଚେ ଗଣ୍ଡା ତୁଣ୍ଡକୁ ଭାତ ।୨।

ତେଜି ଦମ୍ପତିର ପ୍ରେମ, ପତି କରେ ଏତେ ଶ୍ରମ;

କେଉଁ ସମ୍ପତ୍ତି ଲାଭ ଲୋଭରେ ବଳିଛି ଚିତ୍ତ ।୩।

କାର୍ଯ୍ୟ ନାହିଁ ସେହି ଫଳେ, ଚଳ ଚଳ ନିଜ ଆଳେ;

ଭାଳେ ବଇଷ୍ଣବ ତୁମ୍ଭକୁ ମୋହର ଶପଥ ।୪।

ଜମଦଗ୍ନି- ରେ ଚାଣ୍ଡାଳି ! କି ସାହସେ କହୁ ଏତେ କଥା ?

ଗୀତ-(ସତେ ଛାୟାରମଣ ଦୟାକରିବ...ବୃତ୍ତେ)

ତୋତେ କହୁଛି ଚାଣ୍ଡାଳୀ ମୋତେ ବଳାନାରେ ଆଉ, ଚଳନା ।ପଦ।

ନ ବୁଝି ହଳାହଳ, କିମ୍ପା କରୁ କବଳ; କଳାକୁଣ୍ଡଳୀକି ବଳେ ଖେଳାନା ।୧।

ବାଜିଲେ ଟେଳା ଘାତ, ଭାଜିବ କି ପର୍ବତ, ଆଜି ମୋ ହୃଦେ ଅଗ୍ନି ଜଳାନା ।୨।

ପଳା ମୋ ଆଗୁ ବାଳା, ତିଳେ ନ କରି ହେଳା, ହରିଭକ୍ତିରୁ ମତି ଟଳାନା ।୩।

ବଇଷ୍ଣବ ଗୁହାରି ମୋ ବଳା ହେବେ ହରି, ନ ରହିବ ସୁଖର କଳନା ।୪।

ରେଣୁକା- କି ହେବ କୁମର ଭାବେ ଲଭି ନାରାୟଣେ ?

ଜମଦଗ୍ନି- ଜାତ ହେବେ ତୋର ଶିର ଲଭିବା କାରଣେ ।

ରେଣୁକା- ନିଜ ମୃତ୍ୟୁ ପାଇଁ ଧେନୁ କରିଛ କି ଲାଭ ?

ଜମଦଗ୍ନି- ଅଗ୍ରେ ମୃତ୍ୟୁ ତୋର ପରେ ଯାହା ହେବ ମୋର ।

ରେଣୁକା- ବିଷ୍ଣୁହସ୍ତେ ସତେ ମୋର ହୋଇବ ବିନାଶ ?

ଜମଦଗ୍ନି- ଜମଦଗ୍ନି ଅଭିଶାପ ଫଳିବ ଅବଶ୍ୟ ।

ରେଣୁକା- ଆହା କେବେ ସେ ସୁଦିନ ହେବ ଉପସ୍ଥିତ ?

ଜମଦଗ୍ନି- ନିକଟେ ଫଳିବ ତାହା ଧର୍ମ ଯେବେ ସତ୍ୟ ।

ରେଣୁକା- କରୁଥାଅ ତପ ତେବେ ଯାଉଛି ମୁଁ ବାସେ ।

ଜମଦଗ୍ନି- ତପ ପୂର୍ଣ୍ଣ ହେଲେ ମୋର ଦେଖାହେବ ଶେଷେ ।

(ରେଣୁକାର ପ୍ରସ୍ଥାନ)

ଗୀତ-(ଆଜି କେମନେ ଯାଇ ହେ...ବୃତ୍ତେ)

ଆଉ ବିଳମ୍ବ କାହିଁକି ବିଶ୍ୱତାତ । କେ ବୁଝିବ ତୋର ଆଦିଅନ୍ତ ପରାତ୍ପର ପରଂବ୍ରହ୍ମ ସନାତନ ।

ସର୍ବ ଜୀବଙ୍କର ତୁହି ନିକେତନ । ନାହିଁ ଭବ ତୋର ଉଥାନ ପତନ ।

ତୁ ବ୍ରହ୍ମା ତୁ ବିଷ୍ଣୁ ତୁହି ଭୂତନାଥ ।୧।

ଭକ୍ତିଭାବେ ବଶ ଯେଣୁ ବିଭୋ ତୁହି । ତେଣୁ ତୋର ନାମ ଅଟେ ଭାବଗ୍ରାହୀ ।

ଆଜି ମୋହଠାରେ ଅଭାବ କିମ୍ପାଇ । ଏ ପବିତ୍ର ନାମ ହେବ କଳଙ୍କିତ ।୨।

ବାମନ ହୋଇ ମୁଁ ବଢ଼ାଉଛି କର । ଧରିବାକୁ ବ୍ୟୋମପଥୁ ନିଶାକର ।

ସତେ ସେହି ଆଶା ପୂରିବ ନିକର । କିଙ୍କରର ଅଙ୍କେ କେବେ ହେବ ସୁତ ।୩।

ଅବସନ୍ତେ ସତେ ବସନ୍ତ ବହିବ । ଆଷାଢ଼େ କି ପିକ ସୁସ୍ୱରେ ଗାଇବ ।

ମରୁତ କି ହସ୍ତମୁଷ୍ଟିରେ ରହିବ । ବଇଷ୍ଣବ ବୋଲେ ସବୁ ବିପରୀତ ।୪।

ଦୈବବାଣୀ- ଜମଦଗ୍ନି ! ଫେରିଯାଅ ନିଜ ଆବାସରେ ଜନ୍ମିବି ରେଣୁକା ଗର୍ଭେ ତବ ଔରସରେ । ସହିଛ ଅଶେଷ କ୍ଳେଶ ବନେ ତପ କରି ଦୂର ହେବ ଶ୍ରମ ମୋତେ ପୁତ୍ରରୂପେ ଧରି । ଷଷ୍ଠ ଅବତାର ମୋର ଦୁଷ୍ଟ-ନିବାରଣେ, ହରିବି ବସୁଧା କଷ୍ଟ ତାରିବି ବ୍ରାହ୍ମଣେ ।

ଜମଦଗ୍ନି- ଆହା ! ପୂର୍ଣ୍ଣ ହେଲା ମନର ବାସନା, ଉତ୍ତପ୍ତ ଧରଣୀ ପୃଷ୍ଠେ ବାରି ବର୍ଷି ଯେହ୍ନେ କରଇ ଶୀତଳ ତେହ୍ନେ ହେଲା ମୋ ଅନ୍ତର । ପଲ୍ଲବିଲା ପରି ନବ ନବ ତୃଣାବଳୀ ପୁଲକିତ ହୋଇଲା ସର୍ବାଙ୍ଗ ଲୋମରାଜି । ବୃକ୍ଷପତ୍ରୁ ନୀରବିନ୍ଦୁ ଝରିଲା ପରାୟେ ଆନନ୍ଦାଶ୍ରୁ ହୋଇଲା ପତନ । ଦୀନବନ୍ଧୁ, ଦୟାନିଧି, କରୁଣାସାଗର, ଏ ତିନି ନାମ ମୋ ପକ୍ଷେ ହୋଇଲା ସାର୍ଥକ- ଯାଏଁ ଏବେ ନିଜ ମନ୍ଦିରକୁ ।

(ପ୍ରସ୍ଥାନ)

(ସ୍ତ୍ରୀ ପୁରୁଷ ଦୁଇଜଣଙ୍କ ପ୍ରବେଶ-ଗୀତ)

ଗୀତ- (ଶୁଣ ମୋ ଭାଉଜବୋହୂ ରାଇଜ... ବୃତ୍ତେ)

ସ୍ତ୍ରୀ- ଯାଆରେ ଖଣ୍ଡିଆ ଖେଣ୍ଟା ବସିଛୁ ତଣ୍ଡିଆ ପରି ।

ପୁରୁଷ- କହ କେଉଁଠାକୁ ଯିବି କହୁନାହୁଁ ଆଗକରି ।

ସ୍ତ୍ରୀ- ନୁହେଁ ଠକାଠକି କାମ, ଭଜିବାକୁ ହେବ ନାମ

ପୁରୁଷ- କଅଣ ଭଜିବି ମୋତେ ଶିଖା ଲୋ ମୋ ଚମ୍ପାଗୋରୀ ।୧।

ସ୍ତ୍ରୀ- ମରଦ ଜାଣନ୍ତି ନାହିଁ, ବରାଦ କରିବେ ମାଈ ।

ପୁରୁଷ- କେତେ ଥର ଅଛୁ କହି ଏମିତି ସେମିତି କରି ।୨।

ସ୍ତ୍ରୀ- ତପ କରିବୁରେ ଚୋର ଭଜିଣ ରାମ ମନ୍ତର ।

ପୁରୁଷ- କିସ ମିଳିବ ସେଥିରୁ ଛାଡ଼ିଯିବି ଏକାକରି ।୩।

ସ୍ତ୍ରୀ- ତପକରି ଗୋଟା ଗାଈ, ଆଣିଲା ବ୍ରାହ୍ମଣ ଯାଇଁ ।

ପୁରୁଷ- ନାହିଁକି ମୋହର ଦେହେ କ୍ଷମତା ମୋ ଦଇତାରି ।୪।

ସ୍ତ୍ରୀ- ପୁଅ ମିଳୁଛି ସେଠାରେ, ଯାଉନାହୁଁ ନିଳଠାରେ ।

ପୁରୁଷ- ଭାଗ୍ୟେ ଥିଲେ ନିଶ୍ଚେ ହେବ ଜାଣିଥା କାଆଲି ପରି ।୫।

ସ୍ତ୍ରୀ- ଏ ବୃଦ୍ଧି କିଏ ସେ ଦେଲା; କହ ମୋତେ ତୁହି ଭଲା ।

ପୁରୁଷ- କପାଳେ ଥିଲେ ଅବଶ୍ୟ ହୁଏ ବଇର ଗୁହାରି ।୬।

ସ୍ତ୍ରୀ- ଖଣ୍ଡିଆ ଯେବେ ଚଷା ବୁଣି ନ ଜାଣିବ, ଚାଷଗୁରା ଯାଏ ବିଗିଡ଼ି ।

ପୁରୁଷ- ମୁଁ ଜାଣୁଛି ମାଇପଙ୍କ ଭିତରେ ତୁ ଗୋଟାଏ ଅସଲ ଅଗାଡ଼ି ।

ସ୍ତ୍ରୀ- ତୁଟା ଏକା ଠିକ୍ ଧାନ ।

ପୁରୁଷ- ତୋର ତ ଆଉ କେହି ନାହିଁ ମୋଠେଇଁ ଉଠେ ତାନ ।

ସ୍ତ୍ରୀ- ତୁଟା ଏକା ତାନ ସହିଲା ବୁଆଲା ।

ପୁରୁଷ- ତୋର ତ ଟୀକା ସାହେବ ଅଛି ମୁଁ ତ ଆଗରୁ ଠିକିରି ନହେଲା ।

ସ୍ତ୍ରୀ- ଚୁଲିପଶା ତପ କରିବାକୁ ବାହାରେ ।

ପୁରୁଷ- ନ ଗଲି ଯେବେ ଧଡ଼କିନା ଦବୁଟି ବସେଇ ପାହାରେ ।

ସ୍ତ୍ରୀ- ତୁ ମଲେ ଗଲେ ସମାନ ।

ପୁରୁଷ- ମୁଁ ଯେବେ ତୋ କଥା ନ ମାନିଲି ମୋ କଥା ତୁ ନ ମାନ ।

ସ୍ତ୍ରୀ- ଚାଆଲେ ସେଇଆ ଏଥର କରିବି ।

ପୁରୁଷ- ମୁହଁରୁ ବାହାରିଲା ମନହେଲେ ତୋହ ହାତଗୋଡ଼ ଧରିବି ।

(ଉଭୟର ପ୍ରସ୍ଥାନ)

ତୃତୀୟ ଦୃଶ୍ୟ

(ନିୟତି ଓ ଦୁଷ୍ଟା ସରସ୍ୱତୀଙ୍କର ପ୍ରବେଶ)

ଗୀତ- (ଯାହା ହେବାର ହେଉ...ବୃତ୍ତେ)

ଆସ ଭଉଣୀ ମରତେ ଯିବା । କ୍ଷତ୍ରି ବିନାଶ ମନ୍ତ୍ର ଭଜିବା ।ପଦ।

ତୁମ୍ଭେ ନିୟତି ବସି ନିୟତ, ପରଧନେ ବଳାଇବ ଚିତ୍ତ,

ମତାଇବ କିବା ନିଶି ଦିବା ।୧।

ଦୁଷ୍ଟ କ୍ଷତ୍ରିୟ ରାଜାଙ୍କ କଣ୍ଠେ, ବସି ଦୁଷ୍ଟବୁଦ୍ଧି ଦେବି ଆଣ୍ଟେ,

ବିପ୍ର ବିଦ୍ରୋହ ପଣ ଖୋଜିବା ।୨।

ତେଜି ବଇକୁଣ୍ଠ ଗଦାଧର, ମର୍ତ୍ତ୍ୟେ ହେଲେ ଷଷ୍ଠ ଅବତାର,

ତାଙ୍କ ପଦପଙ୍କଜେ ପୂଜିବା ।୩।

ଦୁଷ୍ଟ ବିନାଶ ଆଶେ, ଜନମିଲେ ଜମଦଗ୍ନି ବାସେ,

ବଇ ଭାଶେ ସେ ରସେ ମଜ୍ଜିବା ।୪।

ନିୟତି ଭଗ୍ନି ! ମନ ମୋର ହେଉଛି ଚଞ୍ଚଳ, ତେଜ ଭଗ୍ନି ଅମର ଆଳୟ, ଦେଖିବା ମରତେ ସେହି ସଂହାର-ମୂର୍ତ୍ତି ପବିତ୍ର ହୋଇବ ନେତ୍ର ବେନି କରିବା ସାହାଯ୍ୟ ଆମ୍ଭେ ମିଳି ବେନିଜନେ ।

(ବେଗେ ରାଜଲକ୍ଷ୍ମୀର ପ୍ରବେଶ)

ଲକ୍ଷ୍ମୀ- ରହ ଦୁଷ୍ଟା ସରସ୍ୱତୀ ଯାଉ ଲୋ କେଣିକି ? ଶୁଣିଛି ମୁଁ ତୋର କୁମନ୍ତ୍ରଣା ।

ଗୀତ-(କହ୍ନାଇ, କହ କହ ଭାବନା...ବୃତ୍ତେ)

ରହ କେଣିକି ଯାଉଲୋ ବୀଣାଧାରିଣୀ ।

ମୋ କୁମରେ କିମ୍ପା ବାଦୀ ହେଉ ଦୁରାଚାରିଣୀ ।ପଦ।

ବେଦମାତା ହୋଇ, ଭେଦ ଜନମାଇ ମୋର

ସେବକ ନାଶୁ ତୁ ଏଡ଼େ ଚୋରଣୀ ।୧।

ବିଜ୍ଞାନଦାୟିନୀ, ଅଟୁ ଲୋ ଅଜ୍ଞାନୀ,

କୁଜ୍ଞାନ ଦେବାପାଇଁ ଯାଉ ଲୋ ତାରିଣୀ ।୨।

ଯେତେ ଦୁଃଖୀ ଲୋକ, ସେ ତୋର ସେବକ;

ତେଣୁ ମୋ ଭକ୍ତେ ତୋର ଏଡ଼େ ଅସହଣୀ ।୩।

ଯେବେ ଭଲଗତି, ଅଛି ଲୋ ଭାରତି,

ଆସ ବାହୁଡ଼ି ଦୁଃଖୀ ବଇଷ୍ଣବ ଭଣି ।୪।

ସରସ୍ୱତୀ- ତୁନି ହୁଅ ଲୋ କମଳା ତୁହି । ବଢ଼ି ବଢ଼ି କହ ନାହିଁ ମୋତେ ।।

ଗୀତ-(କି କହିବି ପୂତନା ମୋ ଚେତନା...ବୃତ୍ତେ)

ଟେରୀଟା ଆସିଣ ମୋର ଆଗରୁ ଘେରୁଛୁ ଲୋ ।

ଅକାରଣେ ହାରିଯିବୁ ମହତ ସାରୁଛୁ(କମଳା) ।ପଦ।

ଲୁଣିଆଣୀଟାର ପୁଣି ବାଣୀ କେଡ଼େ ଟାଣ,

ଜାଣିନାହୁଁ କିଲୋ ତୁହି ମୋ ପୁଅଙ୍କ ଗୁଣ ।୧।

ଗୁଣିଜନେ ଆସି ଯହିଁ ବୁଣିଦେବେ ବୁଦ୍ଧି,

ଧନ ଘେନି ତୋର ସୁତେ ମରୁଥିବେ କାନ୍ଦି ।୨।

ତୋ ସୁତ ପାଇବେ ପୂଜା, ନିଜ ଦେଶେ ସିନା,

ମୋ ପୁଅଙ୍କୁ ନାହିଁ କେବେ ସାତଦ୍ୱୀପମନା ।୩।

ବାଣ୍ଟି ଦେଲେ ଟଙ୍କା ସୁନା ସରିଯାଏ ଆସି,

ଯେତେ ବାଣ୍ଟୁଥିବ ବିଦ୍ୟା ତେତେ ହୁଏ ବେଶି ।୪।

ଧନବଳେ ତୋ ସେବକେ ବିପଦେ ପଡ଼ିବେ ।

ନିର୍ଦ୍ଧନ ହୋଇ ମୋ ଭକ୍ତେ ଆକାଶେ ଉଡ଼ିବେ ।୫।

ବାଙ୍କ ଗୋଡ଼ି ମୋତେ ପଛେ ଗାଳି ଦେବୁ ଯେତେ,

ମୋ ପୁଏ ନିନ୍ଦିବୁ ନାହିଁ ବଇ ଭାଷେ ଗୀତେ ।୬।

ଲକ୍ଷ୍ମୀ- ଆଲୋ ଦୁଷ୍ଟା ସରସ୍ୱତୀ, କେଉଁ ଅହଙ୍କାରେ ନିନ୍ଦିଲୁ ମୋ ଭକତବୃନ୍ଦଙ୍କୁ ? ମୋ ଭକ୍ତ ଭୁଞ୍ଜନ୍ତି ଖଣ୍ଡକ୍ଷୀର ସର ନିତି; ସୁଖେ ଯାନ୍ତି ନିଦ୍ରା ସେହୁ ଦନ୍ତୀଦନ୍ତ ଖଟେ ଦୁଗ୍‌ଧ-ଫେନନିଭ ଶଯ୍ୟାପରେ । ତୋ କୁମରେ ଭିକ୍ଷା-ଅନ୍ନ କରିଥାନ୍ତି ଆଶ; ଶୁଅନ୍ତି ଧୂଳିରେ ପୁଣି ବିଛାଇଣ ଘାସ । କିଏ ବଡ଼ କହ ଲୋ ମୁଖରା ?

ସରସ୍ୱତୀ- ଯାହା ତୁହି ବୋଇଲୁ ଚଞ୍ଚଳା ତାହା ମୁହିଁ କଲି ସୀଉକାର । ଭିକ୍ଷାନ୍ନ ଭୁଞ୍ଜିଣ ତୃଣ ବିଛାଇ ଶୋଇଲେ ସୁନିଦ୍ରା ହୁଅଇ କେଉଁଠାରେ ? ଶାନ୍ତି ଅଛି କାହା ହୃଦୟରେ ? କୁଟୀରବାସୀର କିବା ସୌଧନିବାସୀର ଧନଗର୍ବେ ହୋଇ ମତ୍ତ ଅବୋଧ ମାନବେ । ନାନା ଅତ୍ୟାଚାର ସେହୁ କରନ୍ତି ସର୍ବଦା; ପରଝିଅ ପରବୋହୂ ନିଜର ଗୃହରେ । ବଢ଼ାନ୍ତି ପାପର ମାତ୍ରା ଅଟେ ତାହା ଅଶ୍ରୁତ ଅବ୍ୟକ୍ତ । ଥିଲେ ବିଦ୍ୟା ଲେଶ ହୃଦୟରେ; ସୁବିଚାର ଦିଶନ୍ତା ଆଖିକୁ-କେ ଅଟଇ ସୁପଥ କୁପଥ ! ମୋ କୁମରେ କରିବେ କି ଏଡ଼େ ନୀଚ କର୍ମ ?

ଲକ୍ଷ୍ମୀ- ଅସହ୍ୟ ହେଉଛି ଦୁଷ୍ଟା କଟୁବାଣୀ ତୋର । ବାକ୍ୟଯୁଦ୍ଧେ ନାହିଁ କିଛି କାର୍ଯ୍ୟ ଦେବି ଫଳାଫଳ ଯୁଦ୍ଧେ ହୁଅ ଲୋ ପ୍ରବୃତ୍ତ ।

ସରସ୍ୱତୀ- ଲାଜ ନାହିଁ ତିଳେ ତୋ ମୁଖରେ, ବାପଠାରୁ ଶିଖିଛ ଗରଜି !

(ଉଭୟର ଯୁଦ୍ଧ ଓ ବ୍ରହ୍ମାଙ୍କର ପ୍ରବେଶ)

ବ୍ରହ୍ମା- ସମ୍ଭର ସମ୍ବର କ୍ରୋଧ ଆଗୋ ଲୋକମାତ !

ଗୀତ- (ଆଜି ନନ୍ଦଘରେ ଆନନ୍ଦ ଅପାର...ବୃତ୍ତେ)

ସରୋଜ-ବାସିନୀ ନାଶିବ କି ସୃଷ୍ଟି କଳିକରି ଅକାରଣେ ।

ମାନ ବିଧି କଥା, ଯାଅ ବେଦମାତା ନ ମାତ ନ ମାତ ରଣେ ।ପଦ।

ଦୁରାଚାର କ୍ଷତ୍ରିୟ ନାଶେ, ଜନମିଲେ ହରି ଉଗ୍ରମୂର୍ତ୍ତି ଧରି ଧରାକଷ୍ଟ ନିବାରଣେ ।୧।

କ୍ଷତ୍ରିଶୂନ୍ୟ କରିବେ ମହୀ, ଅଯୋଧ୍ୟାଧିପତି ରାଜା ଦଶରଥ ରଖି ଯିବେ ଏକ ଜଣେ ।୨।

ବିଷ୍ଣୁ ସପତ ଅବତାରେ, ଧରି ଚାରିଅଂଶ ହେବେ ଅବତଂଶ ରାବଣ ଦର୍ପ ହରଣେ ।୩।

ଏହା ଶୁଣିଛି କାଳଠାରୁ, ବଇଷ୍ଣବ କହି ଯୋଗବଳେ ମୁହିଁ ସକଳ ଘଟଣା ଜାଣେ ।୪।

ବ୍ରହ୍ମା- ନାରାୟଣୀ ବିଷ୍ଣୁ ପାଟରାଣୀ ! ଯାଅ ତୁମ୍ଭେ ନିଜ ନିଜ କାର୍ଯ୍ୟ । ଅସାର ଘଟଣା ଘେନି ଏଡ଼େ ଅସ୍ତବ୍ୟସ୍ତ ଲୀଳାମୟ ଲୀଳା ଏ ସମସ୍ତ । ଆସ ମାତ ଦୁହେଁ ମମ ସଙ୍ଗେ ।

(ସମସ୍ତଙ୍କର ପ୍ରସ୍ଥାନ)

 

ଚତୁର୍ଥ ଦୃଶ୍ୟ

(କୁରୁବକ ଓ ବିଭାଣ୍ଡକର ପ୍ରବେଶ)

ବିଭାଣ୍ଡକ- ଜାଣିଛୁ ନା ଆରେ କୁରୁବକ ?

କୁରୁବକ- କେଉଁ କଥା କହ ବିଭାଣ୍ଡକ ?

ବିଭାଣ୍ଡକ- ସେ ଯେଉଁ ଜମଦଗ୍ନି ପୁଅ ରାମ,

କୁରୁବକ- ସେ ତ ଦେଖିବାକୁ ଗୋଟା ଯମ ।

ବିଭାଣ୍ଡକ- ପୁଣି ବ୍ରାହ୍ମଣର ପୁଅ ହୋଇ

କୁରୁବକ- ଦିନେ ପୂଜାପୂଜି କରେନାହିଁ ।

ବିଭାଣ୍ଡକ- ତାର କର୍ମ ଧର୍ମ ଧନୁ ତୀର

କୁରୁବକ- ସେ ପୁଣି ଏମନ୍ତ କରେ ଶିକାର ?

ବିଭାଣ୍ଡକ- ଦିନେ ଦେଖିଥିଲୁ ପରା ଛକି

କୁରୁବକ- ଏକା ବାଣେ ମାରିଦେଲା ଲକ୍ଷେ ପକ୍ଷୀ ।

ବିଭାଣ୍ଡକ- ତାର ବିଷ୍ଣୁକଳା ଥିଲା ପରି ଦିଶେ

କୁରୁବକ- ସେ କାହାରି ନ ମିଶେ ।

ବିଭାଣ୍ଡକ- ସେ ଯେବେ ତରାଟି ଚାହିଁବ ତୋତେ

କୁରୁବକ- ଦିନେ ମୁଁ ଲୁଗାରେ ମୂତିଛି ଯେତେ ।

ବିଭାଣ୍ଡକ- ହେଇ ଆସୁଅଛି ପୁଣି ଏଇଆଡ଼େ

କୁରୁବକ- ଆରେ ପଲେ କାପତା ପଛରେ ଦଉଡ଼େ ।

 

(ବେଗେ ରାମର ପ୍ରବେଶ)

ରାମ- କି କରୁଛ ଦୁଇଭାଇ ଏଥି ବସିକରି ?

ଉଭୟ- ଅଛି କିଛି କହିବାକୁ ଗୁହାରି ଆମ୍ଭରି ।

ରାମ- ଆଚ୍ଛା କହ ।

ଉଭୟେ-

ଗୀତ-(କହ ମନ୍ତ୍ରିବର ମୋତେ...ବୃତ୍ତେ)

ଜଣାଯାଉଛି ତୁମ୍ଭେ ଅଟ ନିଶ୍ଚେ ଜଗଦୀଶ ।

କି ନିମନ୍ତେ ଧରି ହରି ବୁଲୁଅଛ ଛଦ୍ମବେଶ ।ପଦ।

କୋଟି ସୂର୍ଯ୍ୟ ତେଜ ଗଞ୍ଜେ ଉର୍ଦ୍ଧ୍ୱପୁଣ୍ଡ୍ର ଭାଲେ ରାଜେ ।

କୁଟିଳ ଭ୍ରୂକୁଟି ସାଜେ ତହିଁପରେ ତାମ୍ରକେଶ ।୧।

ଦେଖିଲେ ଆସଇ ଭୟ, ଭକତି ହୁଏ ଉଦୟ ।

ସଦୟ ହୃଦୟେ ଦେବ କର କର ପରକାଶ ।୨।

ଦେଖି ମନେ ହୁଏ ଭ୍ରମ, ଅଦଭୁତ ତବ କର୍ମ,

ବୁଝି ନ ପାରୁ ସେ ମର୍ମ ବିପ୍ର ବଇଷ୍ଣବ ଭାଷ ।୩।

ରାମ- ଆଚ୍ଛା ତେବେ ଶୁଣ ବେନିଭାଇ ।

ଗୀତ-(ଯାଅ ଗୋ ଉର୍ବଶୀ ବହନ ଯାଅ...ବୃତ୍ତେ)

କରୁଅଛି ମନା ତୁମ୍ଭଙ୍କୁ ମୁହିଁ, ଏହିକଥା ଗୋଟି ନ କହ କାହିଁ ।

କଲେ ପରକାଶ ହେବ ସର୍ବନାଶ, ନିକ୍ଷାତ୍ର କରିବି ସମସ୍ତ ମହୀ ।୧।

ଦୁଷ୍ଟଗଣ ଭାରା ନ ସହିଲା ଧରା, ଆସିଛି ତା କଷ୍ଟ ନାଶିବା ପାଇଁ ।୨।

ନରଲୀଳା ସାରି, ଯିବି ନିଜ ପୁରୀ, ଷଷ୍ଠ ଅବତାର ମରତେ ଏହି ।୩।

ଲୀଳା ଶେଷହେଲେ, ଯିବ ମୋର ତୁଲେ ବଇକୁଣ୍ଠେ, ଗୀତେ ଭାଷଇ ବଇ ।୪।

(ଅଦୃଷ୍ଟ କୁମାରୀଙ୍କର ପ୍ରବେଶ ଓ ନୃତ୍ୟ ଗୀତ)

(ସରିଲା ସୁଖ ସମ୍ପଦ...ବୃତ୍ତେ)

ଆସ ଆସ ଆସ ଗୋ ସଙ୍ଗାତ ।

ଆନନ୍ଦେ ନାଚିବା ଗାଇ ରାମ-ପ୍ରେମର ସଙ୍ଗୀତ ।ପଦ।

ନିଶାର ତୁଷାର ଫୁଲେ, ବରଷି କି ରଙ୍ଗେ ଝୁଲେ

ହରଷିତେ ତୋଳିକରି ତାଙ୍କ ଗଳେ ଦେବା ମିତ ।୧।

ଧରଣୀ ରାଣୀର ଦୁଃଖ, ହରଣେ ପଙ୍କଜମୁଖ,

ଧରି ହରି ନାମ ଧ୍ୱଜା, ସାଧିବେ ତାଙ୍କରି ହିତ ।୨।

ତ୍ୟଜି କମଳାଙ୍କ କୋଳ, ଭକ୍ତ ଭାବେ ହୋଇ ଭୋଳ,

ତେଜିଣ ଚକ୍ର କମ୍ବଳ ଅମ୍ବୁଜାତ କମ୍ବୁହସ୍ତ ।୩।

ସେ ପଦଯୁଗଳେ ଦେଖି, ଚଳ ସଦା ମନେରଖି,

ନ ଦେଖିବ ବଇଷ୍ଣବ ଶମନ ଆଳୟ ପଥ ।୪।

 

 

 

 

 

ପଞ୍ଚମ ଦୃଶ୍ୟ

(କୀର୍ତ୍ତବାର୍ଯ୍ୟ ଓ ମନ୍ତ୍ରୀର ପ୍ରବେଶ)

କାର୍ତ୍ତବୀର୍ଯ୍ୟ- ମନ୍ତ୍ରୀଶ୍ରେଷ୍ଠ ! ଥର ଥର ଥରଇ ମୋ ଗାତ୍ର । ଗତ ରାତ୍ର ଶେଷ ଯାମେ ଅଦଭୁତ ସ୍ୱପ୍ନ ମୁହିଁ କରିଛି ଦର୍ଶନ । ସେହି ସ୍ୱପ୍ନଦୃଷ୍ଟ ବ୍ୟକ୍ତି ଗୋଟି ଅଟଇ ବ୍ରାହ୍ମଣ- ଅଙ୍ଗେ ରାଜେ ଗୈରିକ ବସନ, ଉର୍ଦ୍ଧ୍ୱପୁଣ୍ଡ୍ର ଚନ୍ଦନର ଚିତା ଶୋଭା ପାଏ ପ୍ରଶସ୍ତ କପୋଳେ, ଦକ୍ଷକରେ କୁଠାର ବିରାଜେ, ବାମକରେ ଧନୁ ଗୋଟି କରିଛି ଧାରଣ, ଯହିଁ ତୀକ୍ଷ୍‌ଣ ତରବାରୀ ଝୁଲଇ କଟିରେ । କମ୍ପାଇଣ କୁଟିଳ ଭ୍ରୁକୁଟି ଆଗେ ମୋର ହେଲା ଆସି ଉଭା । ବୋଇଲାରେ କ୍ଷତ୍ରିୟକୁଳ-କଳଙ୍କ କାର୍ତ୍ତବୀର୍ଯ୍ୟାର୍ଜ୍ଜୁନ ! ନାଶଯିବୁ ଏ ତୀକ୍ଷ୍‌ଣ କୁଠାରେ, ଦେବ-ଦ୍ୱିଜ-ଅହଙ୍କାରୀ ନ ଛାଡ଼ିବି ତୋତେ । ଶୁଣିଣ ତା ତର୍ଜ୍ଜନ ଗର୍ଜ୍ଜନ ଚମକିପଡ଼ିଲି ମୁହିଁ, ହେଲା ନିଦ୍ରାଭଙ୍ଗ । ସେହି ବ୍ୟକ୍ତି ଗଲାକେଉଁଆଡ଼େ ? ଏହି କାଳେ କାକଳିନିସ୍ୱନ ଶୁଭିଲା କର୍ଣ୍ଣକୁ ମୋର, ପାହିଗଲା ନିଶା । ଶଯ୍ୟା ତ୍ୟାଗ କରିଣ ଆସନ୍ତେ ପେଚକ ଗୋଟା ରାବେ ସୌଧ ଚୂଳେ । ତତ୍‌କ୍ଷଣେ ଖଡ଼୍‌ଗ କରୁ ହୋଇଲା ପତନ । ତେତେବେଳୁ ଅଥୟ ମୋ ମତି । କହ ମନ୍ତ୍ରୀ, କିଏ ସେ ଅରାତି ?

ମନ୍ତ୍ରୀ- ମହାରାଜ ! ହୈହୟବଂଶୋଭୁତ ବାହୁବଳେନ୍ଦ୍ର କାର୍ତ୍ତବୀର୍ଯ୍ୟାର୍ଜୁନ, ତାର ପୁଣି ଶତ୍ରୁ ଅଛି ମର୍ତ୍ତ୍ୟେ ! ସ୍ୱପ୍ନ ଅଟେ କପୋଳକଳ୍ପିତ ବୃଥା ଚିନ୍ତା ଛାଡ଼ନ୍ତୁ ଚିତ୍ତରୁ ।

କାର୍ତ୍ତବୀର୍ଯ୍ୟ- ମିଥ୍ୟା ନୁହେ ମନ୍ତ୍ରୀ-ମିଥ୍ୟା ନୁହେଁ ।

ଗୀତ-(ଜୟ ରଘୁନାଥ ଆରତି ଆରତ...ବୃତ୍ତେ)

ଶୁଣ ମନ୍ତ୍ରିବର, ସେ ଦ୍ୱିଜକୁମର ଅଛି ଅତି ନିକଟରେ ।

ସାଜ ସେନାଗଣେ, ଯିବି ଏହିକ୍ଷଣେ ହୃଦୟ କରି ଆଣ୍ଟରେ,

ଦିଗବିଜେକରି, ଖୋଜିବି କେଣେ ଅଛି ସେ ଅରି ।୧।

ବହୁଦିନୁ ରଣସାଧ ହୃଦୟରେ ଉଦୟ ହୋଇଛି ମୋର ।

ମୋଠାରେ ସଦୟ ହୋଇ ସମ ଯୋଗ୍ୟ ଶତ୍ରୁ ଭେଟାଇଲେ ହର,

ତୁଟାଇବି ଚିନ୍ତା, ମେଣ୍ଟିଯିବ ନିଶ୍ଚେ ବାହୁବ୍ୟଥା ।୨।

ମୋର ଭାଗ୍ୟଭାନୁ ଉଦୟ ହୋଇବ କୀର୍ତ୍ତିରୂପ ଆକାଶରେ ।

ଭୀତି ଅନ୍ଧକାର ରାତିରୁ ଅନ୍ତର ହେବ ଜାଣୁଛି ଶେଷରେ ।

ରିପୁ ଅଗ୍ନିଶିଖା, ସେହି ତେଜରେ ନ ଯିବ ଦେଖା ।୩।

ହସ୍ତୀ ହୟ ଉଷ୍ଟ୍ର ମହିଷ ଶକଟ ସଜାଇ ବଜାଅ ବାଜା ।

ଖଡ଼୍‌ଗ ଧନୁ ତୀର ପଟ୍ଟିଶ ତୋମର ତହିଁପରେ କର ବୋଝା ।

ଧ୍ୱଜାଧାରିଗଣେ, ଆଗେ ଯିବେ ବଇଷ୍ଣବ ଭଣେ ।୪।

ମନ୍ତ୍ରୀ- ମହାରାଜ ! ଜଣାଇବି ଆଜ୍ଞାହେଲା ଯାହା । ଏହିକ୍ଷଣି ଯାଇ ଦୂତ ପ୍ରଚାର କରିଣ ଦେଉ ସମସ୍ତ ରାଜ୍ୟରେ ତବ ଦିଗ୍‌ବିଜୟ ବାରତା ।

(ଚାକର-ଚାକରାଣୀ ଫାର୍ଶ)

ଗୀତ-(ଖାଲି ଖାଲି ଚୁଲିପଶାଟା..ବୃତ୍ତେ)

ପୁରୁଷ- ତରତର ଏତେ ହେଉଛୁ କହନି ରଙ୍ଗ ଅପା କାହିଁକି ?

ସ୍ତ୍ରୀ- ବରବର ଆଜି ହଉଛନ୍ତି ରଜା ଯାଉଛି ପରା ବଇଦପାଇଁକି ।ପଦ।

ପୁରୁଷ- ଆଲୋ ଲାଗିଥିବ ମାରଭୂତ, ଦମେ ଝାଡ଼ିଦଉନାହୁଁ ତୁତ ?

ସ୍ତ୍ରୀ- କାଟିବ ନାହିଁ ମୋ ପଦରେ, ଗାତୁଆ ଆଗରୁ ତା’ଠେଇଁ ପରଖି ନାହିଁକି ।୧।

ପୁରୁଷ- ଆଜି ପରଖିନି ମୋର ଦିହରେ, ଗୋଟା ଡାଆଣୀ ଅଛି ମୋ ମୁହଁରେ

ସ୍ତ୍ରୀ- ଏତେବେଳେ ତୋର ଚାଲାଖି ଜାଣିଲି ଖୋଳେଇ ହଉଛୁ ନିଜର ଗୋଇକି ।୨।

ପୁରୁଷ- ମୁଁ କଅଣ ହୋଇଚି ଖୋଳେଇ, ତୁ କଥାରେ ଦେଏ ନା ଗୋଳେଇ ।

ସ୍ତ୍ରୀ- ରାଜା କଣ ମୋର ଦିହର ମଣିଷ ଦାସୀଠାରେ ରସି ହୋଇବେ ମୋହକି ।୩।

ପୁରୁଷ- ତୁଉ ଦାସୀ ହେଲେ ମୁଁ ଦାସ, ମିଶିଯିବ ଦୁହିଙ୍କର ବେଶ ।

ସ୍ତ୍ରୀ- ଆସେ ତୋ ମାମଲା ବୁଝିବିରେ ମଲା, ରାଣୀ ଆଗେ କହି ଭିତରେ ନେଇ କି ।୪।

ପୁରୁଷ- ମୋର ତ ସେଠାକୁ ଯିବାକୁ ଇଚ୍ଛା, ଏବେ ତୋ କଥା ଲାଗୁଚି ଆଚ୍ଛା ।

ସ୍ତ୍ରୀ- କହିବାକୁ ଏଡ଼େ ନାଗର ହେଲୁଣି, ଡାକି ପଚାରିବି ତୋ ସାଇଭାଇକି ।

ପୁରୁଷ- ଯେବେ ଆସିବେ ମୋ ସାଇଭାଇ, ଦୁହେଁ ହୋଇଯିବା ଥୁଆଥୋଇ ।

ସ୍ତ୍ରୀ- ବଇଆ ବୋଲେ ତୁ ଠାଇଁଆଟା ପୁଣି ନ ପାରିବୁ ମୋର ଦେହକୁ ଛୁଇଁକି ।୫।

ପୁରୁଷ- ଅପା, ତୋର କଣ କିଏ ଅଛି ନା ଏକା ?

ସ୍ତ୍ରୀ- ତୁ କଣ ପଚାରୁଛୁ ମୋତେ ଗୋଡ଼ ଘଷିବାକୁ ଟୋକା !

ପୁରୁଷ- ନାହିଁ ମୁଁ ଦିହଯାକ ତୋର ଘଷିବି ।

ସ୍ତ୍ରୀ- ଖଣ୍ଡିଆକୁ କହ ନାହିଁ କଣ ଚଷିବି ।

ପୁରୁଷ- ତୁ ଯେବେ ଚଷିବୁ ଆଜିଠଉଁ ଚଷା ଟାଙ୍ଗିଦେବେ ହଳ ଲଙ୍ଗଳ ।

ସ୍ତ୍ରୀ- ସେ ଲଙ୍ଗଳ ଥାଇ ହବ କଅଣ, ଏଇ କଥାକରି ମିଣିପଙ୍କର ତ ମାଡ଼ିଯାଉଅଛି ମଙ୍ଗଳ ।

ପୁରୁଷ- ଚାଲ ଯିବୁ ପରା ବଇଦ ଡାକି ବାଟ ଦେଇ ଆସେ ବଳେଇ ।

ସ୍ତ୍ରୀ- ମୁଁ କଣ ଦେଖି ନାହିଁ ଯେ ତୁ ଏତେ ମତେ କହୁଛୁ ବୁଲେଇ ।

(ଉଭୟଙ୍କର ପ୍ରସ୍ଥାନ)

 

(ଗୀତ ଗାଉ ଗାଉ ଦୂତର ପ୍ରବେଶ)

(ଛାଡ଼ି ଚାଲ ପରବାସକୁ..ବୃତ୍ତେ)

କଲୁ ଦୁନିଆଟା ଦୁଇଭଳିଆରେ ବାଙ୍କଚୂଲିୟା ।

ଦେଖ ପଣପଣ ବାହାର ଚିକ୍‌କଣ ଭିତର ନିପଟି କାଳିଆ ।ପଦ।

ନିଜେ ହୋଇ ଚୋର ଏ ଘର ସେ ଘର ବୁଲୁଛନ୍ତି ସଞ୍ଚବେଳିଆ ।

ପରକୁ ଦେଖିଲେ ତରକ ଦେଖାଇ ବୋଲନ୍ତି ତୁ ବଡ଼ ଗୋଳିଆ ।୧।

ନିର୍ଦ୍ଦୋଷୀ ଆକ୍ଷିରେ ଧୂଳି ଘଷିଦେଇ ରଖିଥାନ୍ତି କରତଳିଆ ।

ଭିତରେ ଅଳିଆ ମେଞ୍ଚା ମେଞ୍ଚା ଥୋଇ ଝାଡ଼ୁଥାନ୍ତି ସତ ତଳି ଆ।୨।

ଆପଣା ଦୋଷକୁ ଲୁଚାଇରଖନ୍ତି କରୁଥାନ୍ତି ଗୋଳମାଳିଆ ।

ଆନ ଦୋଷ ଯେବେ କାନରେ ପଡ଼ଇ ହୋଇଯାନ୍ତି ଏକମେଳିଆ ।୩।

ଠକୁଛନ୍ତି ତୋତେ ଠିକିଯିବେ ସତେ ରେ କଳାକାଇଞ୍ଚମାଳିଆ ।

ବଇଷ୍ଣବ ଭାଷ ମୁଁ ତୋହର ଦାସ ତୁହି ମୋର ସୁନାଥାଳିଆ ।୪।

କାର୍ତ୍ତବୀର୍ଯ୍ୟ- ବାର୍ତ୍ତାବହ ! ଥର ଥର ଥରେ ତୋର ଗାତ୍ର ବାତାହତ ରମ୍ଭାପତ୍ର ପରି, କହ କହ ନିର୍ଭୟ ଅନ୍ତରେ କି ଘଟଣା ଘଟିଛି ନହରେ ?

ଦୂତ- କି କହିବି ମହାରାଜ ! ଭୟେ କଣ୍ଠ ଯାଉଅଛି ଶୁଖି ।

ଗୀତ-(ହେଲୁ ଏଡ଼େ ଅଲାଜୁକ ରେ ପ୍ରହ୍ଳାଦ...ବୃତ୍ତେ)

ମଣିମା ହୋ, ଆଉ କଅଣ କହିବି ।

ଯାଉଅଛି ଆଉ ତୁମ୍ଭ ଘରେ ନ ରହିବି ।ପଦ।

ରାଣୀ ପୂଜୁଥିଲେ ଚଣ୍ଡୀ କାହୁଁ ଆସି ଗୋଟା ରାଣ୍ଡୀ;

ବାଇଆଣୀ ପରି ଦିଶେ ଦେବୀ କି ମାନବୀ ।୧।

ଗୋଡ଼ୁ ମୁଣ୍ଡ ଯାଏ କଳା, ବାଳ କରିଛି ମୁକୁଳା,

ଚଳାଇଲା ବେନି ଡୋଳା ଆକାଶେ କି ରବି ।୨।

ଭାଙ୍ଗିଲା ପ୍ରତିମା ପୁଣି, ଭୋଗରାଗ ଦେଲା ବୁଣି,

ଜାଣି ନ ପାରିଲି କେଣେ ଗଲା ସେହି ଛବି ।୩।

ଧାଇଁଛି ମୁଁ ତରତର, ହୋଇ ଦେବାକୁ ଖବର,

ସେହି ଭାବ ଭାବି କହେ ବଇଷ୍ଣବ କବି ।୪।

କାର୍ତ୍ତବୀର୍ଯ୍ୟ- କି କହିଲୁ ଦୂତ ! କେଣେ ଗଲା ସେହି ଉନ୍ମାଦିନୀ ? ମନ୍ତ୍ରୀ, ଦିଗ୍‌ବିଜୟ ଆୟୋଜନ କର ଶୀଘ୍ର ଯାଇ- ଆସେ ମୁହିଁ ରାଣୀହଂସପୁରୁ । (ପ୍ରସ୍ଥାନ)

ମନ୍ତ୍ରୀ- ଜାଣୁଅଛି ମାହିଷ୍ମତୀପୁରୀ ଏତେଦିନେ ହେବ ଛାରଖାର । ଅମଙ୍ଗଳେ ଅମଙ୍ଗଳ ଘଟିଲାଣି ଆସି । ନ ମାନିବ ନିଷେଧ ଏ ମୋର, ନିଶ୍ଚେ ଯିବ କରି ଦିଗବିଜେ । କହେ ଏହା ସେନାପତି ପାଶେ ।

(ପ୍ରସ୍ଥାନ)

(ଜଣେ ସୈନିକ ଓ ତାହାର ସ୍ତ୍ରୀର ପ୍ରବେଶ)

ଗୀତ-(କେଳିକୁଶଳାରେ କନକବରନା..ବୃତ୍ତେ)

ପୁରୁଷ- ଆସିଣ ଡଗରା, ଦେଲାଣି ନାଗରା, ଜବାଧରା କର ମେଲାଣି ।ପଦ।

ସ୍ତ୍ରୀ- ଆହା ମୋର-ଜୀବନ କେଣେ ଯିବ, କିପାଇଁ ନ ରହିବ,

ମୂରୁଛ ଏଡ଼େ ଭାବ, ମରୁଛି, ସରୁଛି, ଧରୁଛି ତୋ ପାଣି ।୧।

ପୁରୁଷ- ବାଳା, ତୁହି ମୋ ଗଳାମାଳା, କରିବୁ ଯେବେ ହେଳା,

ବୁଡ଼ିବ ଭେଳା, ଶୁଣିଥା, ଜାଣିଥା, ମଣିଥା ମଲିଣି ।୨।

ସ୍ତ୍ରୀ- ନିଶିତ ହୋଇବ ଯେବେ ଆସି, ମୁଁ କାହା କୋଳେ ବସି,

ଧରିବି ବଳେ କଷି, ସୁରସ ରସେ ରସି, ମୋହିବ, ରହିବା କହିବି ହେଲାଣି ।

ପୁରୁଷ- ବାଇ ବଇଷ୍ଣବ କହି, ସେ ବେଳ ଆଉ ନାହିଁ, ବଞ୍ଚାଇଥିଲେ ବିହି, ଦେଖିବି

ଚାନ୍ଦମୁହିଁ; ତୋ ମୁଖ, ମୋ ଦୁଃଖ, ଦହିବି, କହିବି ଗଲାଣି ।୪।

ସ୍ତ୍ରୀ- ଅନେକ ଦେଶ ହେବ ଲୁଟତରାଜ ।

ପୁରୁଷ- ତୋର ଅଛି କେଉଁଥିରେ ଗରଜ ?

ସ୍ତ୍ରୀ- ଗୋଟା ଆଣି ଦେବ ସୁନାହାର ।

ପୁରୁଷ- ଏକା ଜୀବନ ରହିଲେ ମୋର ।

ସ୍ତ୍ରୀ- ଯୋଡ଼ାଏ ଆଣିବ ରୂପାର ଗିଲାସ ।

ପୁରୁଷ- ହେଇ ଦେଖ, ଭାଗ୍ୟେ ଅଛି କେଉଁ କିଲାସ ।

ସ୍ତ୍ରୀ- ଏକା ମନରୁ ଭୁଲିବ ନାହିଁଟି ।

ପୁରୁଷ- ଆଲୋ ବାଜିଲା ବାଜିଲା ହେଇଟି ।

(ଉଭୟଙ୍କ ପ୍ରସ୍ଥାନ)

(କାର୍ତ୍ତବୀର୍ଯ୍ୟ ଓ ସେନାପତିର ପ୍ରବେଶ)

କାର୍ତ୍ତବୀର୍ଯ୍ୟ- ସେନାପତେ ! ଦେଖ ବଡ଼ ଅଦ୍‌ଭୁତ ଦୃଶ୍ୟ । ସାତ ଦିନ ହେଲା ଆସି ଯୁଦ୍ଧ ନିବୃତ୍ତ ନୋହିଲା କେଭେ ଏ କୌଣ୍ଡିନ୍ୟ ରାଜ୍ୟୁ ଆବାଳ ବୃଦ୍ଧ ବନିତା ସର୍ବେ ସୁଶିକ୍ଷିତ । ଅତି କ୍ଷୁଦ୍ର ରାଜ୍ୟ ଅଟେ ଏହି ଭ୍ରମ ହୁଏ ମୋର, କୋଟି କୋଟି ନରରକ୍ତେ ପ୍ଳାବିତ କୌଣ୍ଡନ୍ୟ, ତଥାପି ନ କଲା କେଭେଁ ପରାସ୍ତ ସ୍ୱୀକାର । ଅଦ୍ୟ ରାଜା ପଡ଼ିବାରୁ ରଣେ ଶୁଣୁଅଛି ପତିଶୋକେ ଅତି ଶୋକାତୁରା କୌଣ୍ଡିନ୍ୟ ରାଜମହିଷୀ ମହାଶ୍ୱେତା ପୁଣି ରଣ ଆଶେ ଆସିବ ଏକ୍ଷଣି ସାଜି ସୁଶିକ୍ଷିତା ନାରୀଗଣେ । ଦୂତ ମୁଖୁଁ ଏହିକ୍ଷଣି ପାଇଲି ବାରତା ସେନାପତେ ! ଏହି ଶୁଣ ବାଜେ ରଣଭେରୀ, ଗଗନ-ବିଦୀର୍ଣ୍ଣକରି ଉଠେ ଜୟଧ୍ୱନି, ସାବଧାନ, ସାବଧାନ, ରହ ସେନାପତି ! ନେପଥ୍ୟେ- ଜୟ ମହାଶ୍ୱେତାର ଜୟ ।

(ଗୀତ ଗାଉ ଗାଉ ମହାଶ୍ୱେତା ଓ ସଖୀମାନଙ୍କର ପ୍ରବେଶ)

ଗୀତ- (ରକ୍ଷାକର ତପୋଧନ...ବୃତ୍ତେ)

ଗାଅ ଗାଅ ସର୍ବ ସଖି ଶତ୍ରୁଗର୍ବ ଖର୍ବ ଗୀତ ।

ଭୁଲିଯାଇ ପୂର୍ବଚିନ୍ତା ବର୍ବରକୁ କର ହତ ।ପଦ।

ବୀରଧର୍ମ ମର୍ମ୍ମ ବୁଝି, ବର୍ମ ଚର୍ମ ଅଙ୍ଗେ ସାଜି,

ଦେଖାଅ କର୍ତ୍ତବ୍ୟ କର୍ମ ବିଷଦନ୍ତ ସର୍ପବତ ।୧।

ଧର ଖରଶାଣ ବାଣ, ପାମରର ଶିର ହାଣ ।

ଧାଅଁ ଧାଅଁ ରୌଦ୍ରତେଜେ ବହୁ ଭବେ ରକ୍ତସ୍ରୋତ ।୨।

ଜପ ଅରି ନାଶ ମନ୍ତ୍ର, ଟେକ ଏକ ଛତ୍ର ମାତ୍ର,

ବାଜୁ ଜୟ ଜୟ ଯନ୍ତ୍ର ସାଧ ନିଜ ରାଜ୍ୟ ହିତ ।୩।

ଖୋଲ ଅସି ବର୍ଚ୍ଛା ଢାଲ, ଦୁର୍ଗା ଦୁର୍ଗା ଦୁର୍ଗା ବୋଲ,

ବଇ ଭାଷେ ମାୟାଜାଲ ଛିଣ୍ଡାଅ ବା ହାର ଜିତ ।୪।

୧ମ ସଖୀ- ଏହି ସଖି; ଏହି ସେହି ଦୃଷ୍ଟ ଏହାଯୋଗେ ସୁନାର କୌଣ୍ଡିନ୍ୟ ହେଲା ନଷ୍ଟ ।

୨ୟ ସଖୀ- ଘେରିଯାଅ ପାପିଷ୍ଠ ପାମରେ, ନ ରଖିବା ନାମ ତାର ଏ ଭବଧାମରେ ।

ମହାଶ୍ୱେତା- ସ୍ଥିର ହୁଅ; ବୀର ନାରିଗଣେ, ଅଧୀରା ନ ହୁଅ ଏତେ, ଧୀରା ହେଲେ ବୀରା ବୋଲାଇବ।

(ରାଜାପ୍ରତି) ରେ ପାମର କୀର୍ତ୍ତବୀର୍ଯ୍ୟାର୍ଜ୍ଜୁନ କେଉଁ ଦୋଷେ ସ୍ୱାମୀଙ୍କୁ ମୋର କରିଲୁ ବିନାଶ ?

କାର୍ତ୍ତବୀର୍ଯ୍ୟ- ସ୍ଥିରହୁଅ, କହୁଛି ମୁଁ କାରଣ ଏହାର ।

ଗୀତ- (ଯମୁନାକୁ ଜଳ ଆଣି...ବୃତ୍ତେ)

ରମଣୀ ହୋଇଣ ରଣେ ଆସିଅଛୁ ଧାଇଁ ଲୋ ।

ଏ କେଳିମନ୍ଦିର ନୁହେଁ ଖେଳା ଲୀଳା ଭୂଇଁ ଲୋ ।

ଭୂରୁ ଧନୁ ନେତ୍ରଶର, ନାହିଁ ଏଥି କାରବାର,

ବିନ୍ଧିବୁ ଅନଳରୂପୀ ଗୁଣରେ ବସାଇ ଲୋ ।୧।

ଉଡ଼ାଇବୁ ଝୀନବାସ, ଜୟପତାକା ସଦୃଶ,

ପୀନ ପୟୋଧର ମଲ୍ଲ ଚକାକୁ ଦେଖାଇ ଲୋ ।୨।

ନାସିକା ବନ୍ଧୁକ ନଳୀ, ତହିଁ ନାସାମଣି ଗୁଳି;

ମାରିବୁ ଅନଳରୂପୀ ଖରଶ୍ୱାସ ଦେଇ ଲୋ ।୩।

ହୁଙ୍କାର ଶବଦ ତୋର, ଅଟେ କାର୍ମୁକ ଟଙ୍କାର;

ବୀରଘଣ୍ଟି କଟିର କିଙ୍କିଣୀ ନାଦ ନାହିଁ ଲୋ ।୪।

ଏ ନୁହେଁ ସେପରି ସ୍ଥାନ, ପୁଣି ଦୟାମାୟା ଶୂନ୍ୟ,

ବଇ ବୋଲେ ଏ ସମର ନ ପାରିବୁ ସହି ଲୋ ।୫।

କାର୍ତ୍ତବୀର୍ଯ୍ୟ- ରଣ କି ତୋ ମନର ବାସନା ? ଆଉ ଯେବେ ଥାଏ କିଛି ବାଞ୍ଛା ପରକାଶ କର ମୋର ପାଶେ, କି ଇଚ୍ଛା ତୋହରି ?

ମହାଶ୍ୱେତା- ଇଚ୍ଛା ମୋର ତୋର ଶିରଶ୍ଛେଦ- ପତି ପୁତ୍ର ପ୍ରତିହିଂସା ଆଶେ ।

ସେନାପତି- କି କହିଲୁ ଆରେ ଦୁଶ୍ଚାରିଣୀ ପ୍ରଭୁ ନିନ୍ଦା ଦାସର ସମ୍ମୁଖେ, ନୋହୁ ତୁହି କୌଣ୍ଡିନ୍ୟମହିଷୀ, ବେଶ୍ୟା ଭିନ୍ନ କେ ଆସଇ ଅନ୍ୟ ପୁରୁଷ ପାଶକୁ ? ତୋର ଯେତେ ସହଚରୀଗଣ ସକଳେ ଅଟନ୍ତି ତୋହପରି ।

ମହାଶ୍ୱେତା- ସଖି, ଅସହ୍ୟ ହେଉଛି ଦୁଷ୍ଟ କଟୁବାଣୀ ତାର । ମାର ଘେରି ପାପିଷ୍ଠକୁ ସର୍ବେ ।

ସେନାପତି- ଆସ ତେବେ ଦେବି ଫଳାଫଳ । (ଯୁଦ୍ଧ ଓ ସେନାପତିର ପତନ)

ସଖୀଗଣ- ମର ତୁହି ବେଶ୍ୟାଗଣହସ୍ତେ, ଚିରକାଳ ପଡ଼ ଯାଇ ରୌରବ ନରକେ । ଜୟ ମହାଶ୍ୱେତାର ଜୟ ।

କାର୍ତ୍ତବୀର୍ଯ୍ୟ- ଲୋ ପାପିଷ୍ଠା ! ମୁଁ ନୁହେଁ ଦୁର୍ବଳ ସେନାପତି । ବାରନାରୀ ଏବେ ଥରେ ପୂରୁ ମନସାଧ।

ମହାଶ୍ୱେତା- ରେ ନାରକୀ ! ଭଣ୍ଡ କ୍ଷତ୍ରାଧନ ! ନ ଜାଣୁ ତ ଶକ୍ତି ମୋର ତୁହି । କେ କହେ ଅବଳା ଅଟେ ଦୁର୍ବଳା ଜଗତେ ? ଅନେକ ବଳ ଥିବାରୁ ଅବଳା ବୋଲାଏ । ବୀରଧର୍ମ ବୀରପତ୍ନୀ ମୁହିଁ ବୀରଧର୍ମ କରିବି ପାଳନ, ବୀର କାର୍ଯ୍ୟ ବିସର୍ଜ୍ଜିବି ପ୍ରାଣ, ଦେଖୁ ଆଜି ସମସ୍ତ ସଂସାର କେତେ ବଳ ଅବଳା ବାହୁରେ, କେତେ ଶକ୍ତି ଅବଳା ହୃଦୟେ, ଅବଳାର ଧୈର୍ଯ୍ୟ କେଡ଼େ ଟାଣ, ସହ୍ୟ କର ଅବଳାର ବାଣ ।

କାର୍ତ୍ତବୀର୍ଯ୍ୟ- ନାରୀ ସଙ୍ଗେ ରତିରଣ ବିନା ଶକ୍ତି ଊଣା କରି ନାହିଁ କେଭେଁ । ଆଚ୍ଛା, ତେବେ ପୂରୁ ରଣସାଧ ।

(ଯୁଦ୍ଧ ଓ ମହାଶ୍ୱେତାର କେଶଧାରଣ)

ଲୋ ପାମରି, ଯିବୁ କେଉଁଆଡ଼େ ? ଘୃଣାହୁଏ ନାଶିବାକୁ ତୋତେ, ଅସି ମୋର ହେବ କଳଙ୍କିତ । (ପଦାଘାତ)

ମହାଶ୍ୱେତା- ଗୀତ-(ଗୋକୁଳାନନ୍ଦ ଚନ୍ଦ୍ରଙ୍କୁ....ବୃତ୍ତେ)

ରକ୍ଷ ରକ୍ଷ କିଙ୍କରୀରେ ରକ୍ଷକୁଳ କ୍ଷୟକରି ।

ବିରୂପାକ୍ଷ ବକ୍ଷବାସୀ ସାକ୍ଷ ହୁଅ ମା ଶଙ୍କରୀ ।

ଅକ୍ଷୟ ଅକ୍ଷର ତୋର ନାମ ମୋକ୍ଷ ପଥେ ସାର,

ହର୍ଯ୍ୟକ୍ଷପୃଷ୍ଠବାସିନୀ ଏତିକି ଭିକ୍ଷା ମୋହରି ।୧।

ଲକ୍ଷ ଲକ୍ଷ ଯକ୍ଷ ସୁରେ, ତୋ ନାମେ କମ୍ପନ୍ତି ଡରେ;

ବିପକ୍ଷ ବିନାଶ ମନ୍ତ୍ରଦୀକ୍ଷା ଶିକ୍ଷା ଅଛୁ କରି ।୨।

ଦକ୍ଷଜେମା ଈକ୍ଷମାତ, କରି ଦୁଃଖ କର ହତ;

ଲାକ୍ଷାରଞ୍ଜିତ ଚରଣେ ଶରଣ ଗଲି ତୋହରି ।୩।

ସତୀ ରଖ ସତୀପ୍ରାଣ, ତୋତେ ତୋହ ପତିରାଣ,

ଦୋଷ ହର ଦଶଭୁଜା ବଇଷ୍ଣବର ଗୁହାରି ।୪।

(ଦୁର୍ଗାଙ୍କ ପ୍ରବେଶ ଓ ମହାଶ୍ୱେତାର ମୂର୍ଚ୍ଛା ।)

ଦୁର୍ଗା- ଭୟ ନାହିଁ ଭୟ ନାହିଁ; ସତି ! ଅଭୟା ନାମ ମୋହର ସାର୍ଥକ ହୋଇବ । ରେ ପାମର କାର୍ତ୍ତବୀର୍ଯ୍ୟାର୍ଜ୍ଜୁନ ! ବିନା ଦୋଷେ ସତୀ କେଶ କରିଲୁ ଧାରଣ । ଆଉ ତୋର ନାହିଁ ପରିତ୍ରାଣ।

କାର୍ତ୍ତବୀର୍ଯ୍ୟ- (ଜାନୁପାତ ସ୍ତବ)

 

ଗୀତ-(କଂ କଂ କଂ କଂ କାଳିକେ...ବୃତ୍ତେ)

ଚଣ୍ଡ ମୁଣ୍ଡ ଖଣ୍ଡକାରୀ ଉଗ୍ରଚଣ୍ଡା ଚଣ୍ଡିକେ ।

ରକ୍ତବୀର୍ଯ୍ୟ ତେଜହରା ଭକ୍ତହୃଦମଣ୍ଡିକେ ।୧।

ମୁକ୍ତକେଶା ଯୋଗଯୁକ୍ତା ତୃପ୍ତ ଛାଗଖଣ୍ଡିକେ ।

ଭୈ ଭୈ ଭୈ ମାଭୈ ମାଭୈ ଦାନବକୁଳ ଦଣ୍ଡିକେ ।୨।

ସ୍ୱର୍ଣ୍ଣବର୍ଣ୍ଣ ଅନ୍ନପୂର୍ଣ୍ଣା ମହିଷାସୁରଭଣ୍ଡିକେ ।

ଦୁରାରାଧ୍ୟା ଆଦ୍ୟାଶକ୍ତି ଚଣ୍ଡୀଭୂତ ରୁଣ୍ଡକେ ।୩।

ଆଶୁତୋଷଦାତ୍ରୀ ଦାସଦୋଷ ଖଣ୍ଡିକେ ।

ଭୈ ଭୈ ଭୈ ମା ଭୈ ମା ଭୈ ମହିଷେସୁର ଭଣ୍ଡିକେ ।୪।

ମା ମହିଷାମର୍ଦ୍ଦିନୀ ! ଦୀନଜନେ ନିର୍ଦ୍ଦୟ କିପାଇଁ ?

(ଶୂଳହସ୍ତେ ମହାଦେବ ପ୍ରବେଶ)

ଶିବ- କ୍ଷାନ୍ତହୁଅ କ୍ଷାନ୍ତହୁଅ, ହିମାଦ୍ରିତନୟା !

ଗୀତ-(ଜୟ ଜନାର୍ଦ୍ଦନ ଜଗତଜୀବନ....ବୃତ୍ତେ)

ତେଜ ତେଜ ରୋଷ ଗିରିଶନନ୍ଦିନୀ ଶିରୀଷଅଙ୍ଗିନୀ ତାରା ।

ବରଷ ସୁଦୟା-ବାରି କର ଦୟା ମାୟା କରି ପରାତ୍‌ପରା ।ପଦ।

ରକ୍ଷ ମା ଦୟିନୀ ହର୍ଯ୍ୟକ୍ଷବାହିନୀ, ଭୃତ୍ୟ ଜନ ଆର୍ତ୍ତହରା ।

କାର୍ତ୍ତବୀର୍ଯ୍ୟାର୍ଜ୍ଜୁନ ଅଟେ ମୋ ନନ୍ଦନ, ତୋର କି ନୁହେଁ ସେ ପରା ।୧।

କ୍ଷମ ଦାସ ଦୋଷ ପରିହରି ରୋଷ ବାରେ ସାରଦା ସାକାରା ।

ତୁ କଲେ ବିନାଶ କାହାର ସାହସ ରହିବି ନ ପଡ଼ି ଧରା ।୨।

କେଉଁ ଅହଙ୍କାରେ ନାଶିବୁ କିଙ୍କରେ, ଦୋଷିବେ ସଂସାର ସାରା ।

ବଇଷ୍ଣବ କବି ଅବିରତେ ସେବି ତୋ ନାମକୁ କରି ହାରା ।୩।

ଦୁର୍ଗା- ହେ ତ୍ରିଶୂଳଧାରି ! ତବ ବାକ୍ୟେ ତେଜିଲି ଅଧମେ ।

ଗୀତ- (ହରି ହରି ବୋଲ ହରଷେ ରସିକେ...ବୃତ୍ତେ)

ତବ ବୋଲେ ନାଥ ତେଜିଲି ଏହାକୁ ଯାଉ ଘେନି ନିଜ ପରାଣ ।

କଲା ଅପମାନ ମୋତେ ଏ ଦୁର୍ଜ୍ଜନ କରି ସତୀକେଶ ଧାରଣ ।

ସେହି ଅପରାଧେ ଅପରାଧୀର ମୁଁ କଲି ଅର୍ଦ୍ଧ ଆୟୁ ହରଣ ।

କ୍ରୋଧେ ହୋଇ ଅନ୍ଧ ଏହୁ ମନ୍ଧମତି ଲୋଡ଼ିଲା ଆପଣା ମରଣ ।୧।

ପ୍ରାଚୀନରେ ଉଦେ ହୋଇଣ ବାରିଦ ଯେହ୍ନେ ଢାଙ୍କେ ରବିକିରଣ ।

ତେସନ ମୋ କ୍ରୋଧ ତପନ ଢାଙ୍କିଲା ବାରିଦ ତବ ବାରଣ ।୨।

ବ୍ରହ୍ମା ଇନ୍ଦ୍ର ଚନ୍ଦ୍ର ଅରୁଣ ବରୁଣ ସହିତେ ଗନ୍ଧର୍ବ ଚାରଣ ।

ଲକ୍ଷ ଲକ୍ଷ ଲୋକ ବିପକ୍ଷେ ଆସିଣ ଛୁଇଁଥାନ୍ତେ କି ମୋ ଚରଣ ।୩।

ଯାଉଛି ସ୍ୱସ୍ଥାନେ ଏ ସ୍ଥାନ ଉପେକ୍ଷି କିମ୍ପା ରହିବି ଅକାରଣ ।

ଭୂସୁରବଂଶର ବଇଷ୍ଣବ ବୋଲେ ଥାଅ ହେ ତ୍ରିପୁରମାରଣ ।୪।

(ଦୁର୍ଗାଙ୍କର ପ୍ରସ୍ଥାନ)

(ଦିଅର ଭାଉଜ ଫାର୍ଶ)

ଗୀତ- (ବାନ୍ଧରେ ବାନ୍ଧରେ ଏହି ବାତୁଳାକୁ...ବୃତ୍ତେ)

ଦିଅର- ବଡ଼ବୋହୂ ଧାଆଁ ଧାଆଁ ଶୁଣିଲୁଣି ଘଟଣା ।

ଭାଉଜ- କାହିଁପାଇଁ ଡାକୁଅଛୁ କି ହୋଇଛି ରଟନା ।ପଦ।

ଦିଅର- ଜାଣିଲେ ସେ ଯେଉଁ କଥା ହୋଇଯିବୁ ଭେଟଣା ।

ଭାଉଜ- କିଏ ନେଇଗଲା କିରେ କହ କାହା ପାଟଣା ।୧।

ଦିଅର- ଏତେ ବଡ଼ ମାଇଟାରେ ନାହିଁ ଜମା ସଁଠଣା ।

ଭାଉଜ- କିଏ ସେହି ମାଇପିଟା ବତା ବତା ଅଗଣା ।୨।

ଦିଅର- ଆଜି ଲୋ ଆମର ରାଣୀ-ମା ସୈନ୍ୟ ସାଜିଆଣି ।

ଭାଉଜ- ଲଢ଼ିଲା ଶୁଣିଲୁ ପରା ବଇର ଏ ରଚନା ।୩।

ଦିଅର- ନୂଆବୋହୂ ଆଜିକାଲି ମାଇପେ କଣ ଲଢ଼େଇ କଲେଣି ?

ଭାଉଜ- ଶୁଣିନାହୁଁ ରାଣୀ ଦୁର୍ଗାବତୀର କରଣି ।

ଦିଅର- ତେବେ ମିଣିପେ ଘରେ ବସି କଣ କରିବେ ?

ଭାଉଜ- ଖାଲି ତୁଳସୀମାଳା ଧରି ଦିନ ଗଣିବେ ।

ଦିଅର- ତେବେ ତୋ ଲେଖାରେ ମୁଁ ଅମଣିଷ

ଭାଉଜ- ମୁଁ କହିଲି ଖାଲିଟାରେ କହୁଛୁ ଏମନ୍ତ ଭାଷ ।

ଦିଅର- ଏ ତ ଅଡ଼ୁଆ ଲାଗୁଛି ଆମକୁ

ଭାଉଜ- ତମର ମନ କେବଳ ଲଢ଼େଇ କାମକୁ ।

ଦିଅର- ହେଉ ତେବେ ମୁଁ ଯାଉଛି

ଭାଉଜ- ତୁମ କଥା ଶୁଣି ହସ ମାଡ଼ୁଛି ।

ଦିଅର- ଚାଲିଲି ମୁଁ ନିତ୍ୟକର୍ମ କରିବା କାରଣେ

ଭାଉଜ- ନାରୀ କରାମତ ଦେଖାଗଲା ଏତେ ଦିନେ ।

 

ସପ୍ତମ ଦୃଶ୍ୟ

କାର୍ତ୍ତବୀର୍ଯ୍ୟ- ଜୟ ମହାକାଳ କାଳରୂପୀ ଚନ୍ଦ୍ରଚୂଡ଼ ! ଦୟା କରି ଦାସେ ଯେବେ ଦେଲ ଦରଶନ । ପୂରାଅ ମୋ ମନର ବାସନା, ବହୁଦିନ ରଣସାଧ ଉଦେ ହୋଇ ହୃଦେ । ବାହୁ ବ୍ୟଥା ନ ମେଣ୍ଟିଲା ମୋର ବ୍ୟଥା ନ ମେଣ୍ଟିଲା ମୋର ନ ପାଇଲି ମନଯୋଗ୍ୟ ଅରି ବହୁଦିନୁ ବହୁସ୍ଥାନ କରି ଅନ୍ୱେଷଣ, ଏହି ଆଶା କରିବି ପୂରଣ ।

ଶିବ- ତଥାସ୍ତୁ, ଅଚିରେ ପୂରିବ ମନସାଧ । (ପ୍ରସ୍ଥାନ)

କାର୍ତ୍ତବୀର୍ଯ୍ୟ- ଦୂର ହେଲା ମନର ବେଦନା ରମେଶ ଶଙ୍କର ହର ସହାୟ ଯାହାର ତାର କିସ ଅଭାବ ଏ ଭବେ...ଯାଏ ମୁହିଁ ଖୋଜିବଇଁ ତନ୍ନତନ୍ନ କରି । କାହିଁ ଅଛି ମମ ଯୋଗ୍ୟ ଅରି।

(ପ୍ରସ୍ଥାନ)

(ମହାଶ୍ୱେତାର ମୂର୍ଚ୍ଛାଭଙ୍ଗ)

ମହାଶ୍ୱେତା- ଗଲାନାହିଁ ଏ ପାପ ପରାଣ ରହିଥାଉ ଆଉ କିଛିଦିନ । ହେ ପ୍ରାଣେଶ ! ଯାଇଥାନ୍ତି ତବସଙ୍ଗେ ପରଲୋକେ ମୁହିଁ ! ସରିନାହିଁ କର୍ମକ୍ଷେତ୍ର କର୍ମ । ମର୍ମ୍ମ ମୋର ବିଦୀର୍ଣ୍ଣ ହୁଅଇ । ସ୍ୱାମୀ ! କ୍ଷମାଦିଅ କ୍ଷମାଦିଅ ମୋତେ, ସ୍ୱାମୀ-ଘାତକର ପ୍ରତିଶୋଧ ନେବି ଯେବେ, ଯେବେ କାର୍ତ୍ତବୀର୍ଯ୍ୟ-ପତ୍ନୀ ହେବ ମୋହପରି ତେବେ ମୋର ହୋଇବ ମରଣ, ଆନନ୍ଦେ ଦେଖିବି ଯାଇଁ ତବ ଶ୍ରୀଚରଣ । ପ୍ରତିଶୋଧ ! ପ୍ରତିଶୋଧ ! ପ୍ରତିଶୋଧ ! (ପ୍ରସ୍ଥାନ)

ଅଦୃଷ୍ଟକୁମାରୀଙ୍କ ପ୍ରବେଶ-ନୃତ୍ୟ ଗୀତ ।

(ଦୁଧଭାଣ୍ଡ ଥୋଇ ବ୍ରହ୍ମାଣ୍ଡଗୋସାଇଁ...ବୃତ୍ତେ)

ଦେଖ ଦେଖ ମିତ ସତୀର ସତୀତ୍ୱ ଅଟେ କି ଅମୂଲ୍ୟ ରତନ ।

ଯତନେ ସାଇତି ରଖିଥିଲେ ନିତି କ୍ଷିତିରେ ଉଡ଼ିବ କେତନ ।ପଦ।

ଯାହାର ପ୍ରଭାକୁ ସରି ନୁହେ ପ୍ରଭାକର ।

ତାହା ନିରନ୍ତରେ ରଖିଥା ଚିତ୍ତରେ ସବୁବେଳେ ସେ ତ ନୂତନ ।୧।

ପତି ଧର୍ମ ପତି କର୍ମ ପତି ଗତି ଜାଣ,

ପତିପଦ ମାଳା କରି ବର ବାଳା ନ ହେବ ନରକେ ପତନ ।

ସେହି ପଥ ଅନୁସରି ଚଳ ନାରୀଗଣ,

ବଇଷ୍ଣବ ଭାଷ ମହାଶ୍ୱେତା ଯଶ ସୁଖେ ମୁଖେ କର କୀର୍ତ୍ତନ ।୨।

 

ଅଷ୍ଟମ ଦୃଶ୍ୟ

(ଜଳପାତ୍ର ହସ୍ତେ ରେଣୁକାର ପ୍ରବେଶ)

ରେଣୁକା- ଧନ୍ୟ ଧନ୍ୟ ଜୀବନ ମୋହର । ରାମ ପରା ସୁତ-ଧନେ ପାଇଲା ଦିନରୁ ସବୁ ଚିନ୍ତା ଦୂରହୋଇଅଛି । ଆହା, କି ସୁନ୍ଦର ଭକ୍ତି ଦେଖେ ତାର । କହିଲେ ବଚନ ପଦେ ତଳେ ନ ପକାଏ, ପୁଣି ସର୍ବଶାସ୍ତ୍ର କରିଲା ଅଭ୍ୟାସ ଏହି ଦିନ କେତେଟା ଭିତରେ । ଚିରଜୀବୀ ହେଉ ବସ୍ତ୍ର ମୋର । ଓଃ, ମନେନାହିଁ ସ୍ୱାମୀଙ୍କର କଥା । ସୂର୍ଯ୍ୟାସ୍ତ ହେଲାଣି ଆସି । କେତେବେଳେ ଆଣିବି ମୁଁ ତର୍ପଣର ବାରି । ଯାଏ ମୁହିଁ ଘେନି ଜଳଘଟ ।

(ଗୀତ ଗାଉ ଗାଉ ପରୀମାନଙ୍କର ପ୍ରବେଶ)

(ଭାଲ୍‌ବାସେ ପାରବେନା ଯଦି...ବୃତ୍ତେ)

ଲୀନ ଭଜିଲେ ଈନ ବାରୁଣୀ କୋଳେ,

କେତେ ମନୋହର ରଙ୍ଗ ରବିକର ପଡ଼ି ଦୋହଲେ ନୀଳଜଳେ ।ପଦ।

ଦକ୍ଷିଣ ବାତ ଗୋ ସଖି ଦକ୍ଷିଣ ବାତ ।

ବହନ୍ତେ କଳନିନାଦେ ଗାଉଛି ଗୀତ,

ଲହରୀ ଚଳେ, ଆନନ୍ଦେ ନାଚଇ ତାଳେ ତାଳେ ।୧।

କଳାଭ୍ରମର ଗୋ ସଖି କଳାଭ୍ରମର ।

ତା ସଙ୍ଗେ ରଙ୍ଗେ ଧରିଛି ଗୁଞ୍ଜନ ସ୍ୱର ।

ସେ ପ୍ରେମଭରେ ଭ୍ରମରେ ସୁମନେ ଚୁମ୍ବେ ହେଳେ ।୨।

ମରାଳପନ୍ତି ଗୋ ପୁଣି ମରାଳପନ୍ତି ।

ଦର୍ଶକ ପରି ତଟିନୀ ତଟେ ଦେଖନ୍ତି ।

ଖାଦ୍ୟ ଅନୁସରି ବନୁ ବାହାର ପଶୁଦଳେ ।୩।

ପ୍ରକୃତି ଶୋଭା ଗୋ ଦେଖି ପ୍ରକୃତି ଶୋଭା ।

ପ୍ରକୃତରେ କାହା ମନ ନୋହିବ ଲୋଭା ।

ଭାବୁକ ବିନୁ ଏହା କେ ଜାଣିବ ବଇ ଭାଳେ ।୪।

ରେଣୁକା- ଆହା ! କି ସୁମଧୁର ସଙ୍ଗୀତ ପ୍ରବାହ ବହିଆସିଲା ଏ କେଉଁ ଗିରି ଝରଣାରୁ । ପାଦ ମୋର ହୋଇଲା ଅଚଳ । ଘଣ୍ଟନାଦ ଶ୍ରବଣେ ଯେସନେ ମୃଗଗଣ ଡେରିଥାନ୍ତି ଶ୍ରୁତି, ତେହ୍ନେ ହେଲା ମୋ ଅନ୍ତର । ସେ କୁରଙ୍ଗୀ ଦୂର୍ବାଦଳେ ନ କରି ଆଦର, ନିଜକୁ ଭୁଲନ୍ତି ନିଜେ ଶୁଣି ସେହି ବିମୋହିତ ସ୍ୱର ।

(ପରୀଗଣଙ୍କ ପ୍ରବେଶ)

ଗୀତ- (ସରସୀର ନୀର ନାଚେ...ବୃତ୍ତେ)

ନାହିଁ ପ୍ରେମଠାରୁ ବଳି ଆଉ ଭଲ ଦରବ ।

ତା ନେତ୍ରେ ନ ଥାଏ କେଭେ ଧନୀ ଗରିବ ।ପଦ।

ପ୍ରେମ ମାତା-ସୁତାରେ । ଅଛି କାନ୍ତ କାନ୍ତାରେ;

ବିନା ଡୋରେ ବାନ୍ଧିଛି ଖରବ ଖରବ ।୧।

ପ୍ରେମ ଭାଇରେ ଭାଇ, ପୁଣି ସାଇକି ସାଇ;

ବାଣ୍ଟୁଥିଲେ ବଢ଼ିବ କେଭେ ନ ସରିବ ।୨।

ପଶୁ ପକ୍ଷୀ ସକଳେ, ବନ୍ଧା ସେହି ଶିକଳେ;

ରଖିହେବନାହିଁ ଦମ୍ଭ ଗରବ ।୩।

ପ୍ରେମେ ଈଶ୍ୱର ବଶ, ତାଙ୍କ ଦାସର ଦାସ;

(କେବେ) ପ୍ରେମମନ୍ତ୍ର ଜପି ବଇଷ୍ଣବ ତରିବ ।୪।

(ପ୍ରସ୍ଥାନ)

ରେଣୁକା- ଓଃ ! ଜଣାଗଲା ଏବେ ଜଳକେଳି କରୁଛନ୍ତି ସୁରବାଳାଗଣ । ସୁଧା-ବିନିନ୍ଦିତ କଣ୍ଠସ୍ୱର ବସୁଧାରେ ଦୁର୍ଲ୍ଲଭ ଏ ସୁଧା, ଆଉ କେତେକ୍ଷଣ ଠିଆହୋଇ ଦେଖିବି ଏ ଚିତ୍ର । ଓଃ ! ମନେନାହିଁ ସ୍ୱାମୀଙ୍କର କଥା । କେତେବେଳେ ନେବି ମୁହିଁ ତର୍ପଣର ବାରି । ସନ୍ଧ୍ୟାଗତ ହେଲା ଆସି ନିଶ୍ଚେ ସ୍ୱାମୀ କୋପିବେ ମୋ ପରେ, ନୁହନ୍ତି ସେ ଜମଦଗ୍ନି-ଯମ-ଅଗ୍ନି ବେନି । ଦୁହିଙ୍କି ମିଶାଇ ଏକ କରିଛି ବିଧାତା । ଯାଏ ଏବେ ଘେନି ଜଳଘଟ । (ଘଟ ବୁଡ଼ାଇ) ଏ କ’ଣ ?

ଗୀତ- (ଅଖିଳ ଜଗତ ସଖି ପଦ୍ମାବତୀ...ବୃତ୍ତେ)

ଏକ୍ଷଣି କିମ୍ପାଇ ଦକ୍ଷିଣ ଈକ୍ଷଣ ଚାହୁଁ ଚାହୁଁ ଉଠେ ନାଚି ।

ଆହା ତାହା ସଙ୍ଗେ ମୋ ଦକ୍ଷିଣ ବାହା କମ୍ପେ କି ମନରେ ପାଞ୍ଚି ।ପଦ।

ଦମଦମ ପଡ଼େ ମୋହର ହୃଦ, କର୍ଣ୍ଣରେ ହୁଏ ନିର୍ଘାତ ଶବଦ;

ଏତେ ଅମଙ୍ଗଳ ଦିନେ ଦେଖିନାହିଁ ଶ୍ରମଝାଳ ବହୁଅଛି ।୧।

ବହିଲେ ପ୍ରଚଣ୍ଡ ପବନ ଅତି, ଯେହ୍ନେ ହୁଏ ରମ୍ଭାପତ୍ରର ଗତି;

ତେହ୍ନେ ମୋ ସର୍ବାଙ୍ଗ ଥରଥର ଥରେ, ଘଟାଇବ କି ବିରଞ୍ଚି ?୨।

ନିୟତିର ଗତି ବୁଝିବ କିଏ; କ୍ଷଣକେ ହସାଏ କ୍ଷଣେ କନ୍ଦାଏ;

ଯାହାପାଇଁ ଯାହା ରଖିଦେଇଅଛି ସମସ୍ତ ଆଗରୁ ସଞ୍ଚି ।୩।

ମୋର ପଛେ ଯାହା ହେବାର ହେଉ, ରାମ ମୋର ନିତି କୁଶଳେ ଥାଉ;

ହେ କମଳାପତି, ବଇଷ୍ଣବ ଚିନ୍ତି ତୁହି ମଧୁ ମୁହିଁ ମାଛି ।୪।

(ରେଣୁକାର ପ୍ରସ୍ଥାନ)

ନବମ ଦୃଶ୍ୟ

(ଜମଦଗ୍ନିର ପ୍ରବେଶ)

ଜମଦଗ୍ନି- ଓଃ ! କିମ୍ପା ଆଜି ଏମନ୍ତ ଘଟଣା ? ସନ୍ଧ୍ୟାକାଳ ହୋଇଲା ଉତ୍ତୀର୍ଣ୍ଣ କି ହୋଇବ ରେଣୁକାର ଦଶା । ପାପୀୟସୀ ! ଜାଣୁନା କି ଜମଦଗ୍ନି କୋପ କ୍ରୋଧାନଳ ହେଲେ ପ୍ରଜ୍ଜଳିତ ସ୍ୱୟଂ ଶୂଳପାଣି ବ୍ରହ୍ମା ବିଷ୍ଣୁ ରହି ପାରିବେ ଆପେ । ପାପିଷ୍ଠାକୁ ଦେବି ଫଳାଫଳ । ଯେ ନାରୀ ଜଗତେ ଅଟେ ଅସାଧ୍ୟ ସ୍ୱାମୀର ନିଶ୍ଚେ ନିଶ୍ଚେ ବ୍ୟଭିଚାରିଣୀ ସେହି । ବ୍ୟଭିଚାରିଣୀ ପ୍ରତି ନାହିଁ ଦୟାମାୟା ତିଳେ। ମହାଶିକ୍ଷା ଦେବି ଜଗତକୁ, ରମଣୀ-ସଂସାରେ ନୋହିବେ ଯେମନ୍ତେ କେହି ସ୍ୱାମୀର ଅବାଧ୍ୟ ।

(ରେଣୁକାର ପ୍ରବେଶ)

ରେଣୁକା- ନିଅ ନାଥ ତର୍ପଣର ବାରି ।

ଜମଦଗ୍ନି- ଲୋ ପାପିଷ୍ଠା ! କି ସାହସେ କଲୁ ଏଡ଼େ କର୍ମ ।

ଗୀତ- (ମୋତେ ଅନା ଅନା ଥରେ...ବୃତ୍ତେ)

ଦୂର ହୁଅ ଲୋ ଚାଣ୍ଡେ ମୋ ଆଗରୁ ପାଇବୁ ଗୁରୁଦଣ୍ଡ ।ପଦ।

ହୋଇଣ ମତିଭ୍ରମ, କଲୁ ଏମନ୍ତ କର୍ମ ।

ଧର୍ମ ନଷ୍ଟ କଲୁ ଇଷ୍ଟ ଚିନ୍ତା କର ଚାଣ୍ଡ ।୧।

ପ୍ରଚଣ୍ଡ ବୈଶ୍ୱାନର, ଜଳେ ଅନ୍ତରେ ମୋର,

କି ସାହସେ ଦୁଷ୍ଟା ତୁହି ପୂରାଇଲୁ ମୁଣ୍ଡ ।୨।

ଦେବକାର୍ଯ୍ୟରେ ବାଧାଦେଲୁ ଏଡ଼େ ତୋ ସ୍ପର୍ଦ୍ଧା;

ବଇଷ୍ଣବ କହି ନ ସହିବ ଏ ଭୂଖଣ୍ଡ ।୩।

ରେଣୁକା- କୋପ ପରିହର ମୁନିବର ! ଅଜ୍ଞାନୀ ଅବଳା ମୁହିଁ କରିଅଛି ଦୋଷ, ଦାସୀ ଦୋଷ ଅଟେ ମାର୍ଜ୍ଜନୀୟ ।

ଗୀତ-(ସାରଦେ ସିଂହବାହିନୀ...ବୃତ୍ତେ)

ରୋଷ ତେଜ ଋଷିମଣି ଏଥର ।ପଦ।

ଦଣ୍ଡିବା ଶକ୍ତି ଯହିଁ, ଖଣ୍ଡିବା ଥାଏ ତହିଁ,

ଏହି ମାଗୁଣି ମାତର ।୧।

ଲତିକା ତରୁ ଛାଡ଼ି, ରହିବ କାହିଁ ଜଡ଼ି,

ଝଡ଼ି ପଡ଼ିବ ପତର ।୨।

ଚପଳା ତେଜି ଘନେ, ମଜ୍ଜି କି ରହେ ଆନେ,

ମୋତେ ନ କର ଅନ୍ତର ।୩।

ବଇଷ୍ଣବ ଗୁହାରି, କହୁଛି କର ଧରି,

ନ ଭାଷ କଟୁ ଉତ୍ତର ।୪।

ଜମଦଗ୍ନି- ଲୋ ପାପିଷ୍ଠା ! ଛୁଅଁ ନାହିଁ ମୋତେ ଅପବିତ୍ର ହେବ ମୋର ଅଙ୍ଗ ତୋର କଳଙ୍କିତ କର ସ୍ପର୍ଶେ । ନ କରିଲେ ତୋ ଦଣ୍ଡବିଧାନ ନ କରିବି ଅନ୍ନଜଳ ପାନ ।

ରେଣୁକା- ହାୟ । କି ଦୁର୍ଯ୍ୟୋଗେ ପାହିଥିଲା ରାତି, କି କୁକ୍ଷଣେ ଗଲି ପାଣି ଆଣି, ଜାଣୁଛି ଏ କ୍ରୋଧ କେଭେ ଶାନ୍ତ ହେବନାହିଁ ବେଳୁ ବେଳ ବଢ଼ିଲା ଅଧିକ । ଯାଏ ମୁହିଁ, ଏହା କହେଁ ରାମ ଆଗେ, ଆସି କାଳେ କରିବ ସାନ୍ତ୍ୱନା । (ପ୍ରସ୍ଥାନ)

ଜମଦଗ୍ନି- କି ଦୁରୂହ ଅଟେ ଏ ବ୍ୟାପାର ! ଏ ପାପର ପ୍ରାୟଶ୍ଚିତ କିସ ? ପ୍ରାଣଦଣ୍ଡ- ଜଗତେ ଯେ ଦଣ୍ଡ ପତନୀ ପତିଠାରୁ ପାଇନାହିଁ କାହିଁ ? ସେହି ଦଣ୍ଡ ଯୋଗ୍ୟ ଏହା ପକ୍ଷେ । କୁରୁବକ ! ଡାକିଆଣ ରାମଙ୍କୁ ଏଠାକୁ ।

କୁରୁବକ- ଯେ ଆଜ୍ଞା ।            (ପ୍ରସ୍ଥାନ ଓ ରାମ ପ୍ରବେଶ)

ପର୍ଶୁରାମ- ପିତଃ ! ଆଜି କିପାଁ ରୁଦ୍ରମୂର୍ତ୍ତି ତବ ? କିମ୍ପା ଦାସେ ଡକାଇଲ ପାଶେ ?

ଜମଦଗ୍ନି- କହ ବତ୍ସ ! କେଉଁ ପୁତ୍ର ସୁପୁତ୍ର ଅଟଇ ?

ପର୍ଶୁରାମ- ପିତୃ ଆଦେଶ ଯେ ସଦା ଶିରେ ଧରିଥାଇ ।

ଜମଦଗ୍ନି- କହ ରାମ, ପୁତ୍ରର କର୍ତ୍ତବ୍ୟ ଅଟେ କିସ ?

ପର୍ଶୁରାମ- ଅବିଚାର୍ଯ୍ୟ ଭାବେ ପାଳେ ଯେ ପିତୃ ଆଦେଶ ।

ଜମଦଗ୍ନି- ତେବେ ପିତ୍ରାଦେଶ ପାଳିବା ଯେ କୁମରର ଦୀକ୍ଷା ।

ପର୍ଶୁରାମ- ବହୁ ଦିନୁ ତାହା କରିଅଛି ଶିକ୍ଷା ।

ଜମଦଗ୍ନି- ସତ୍ୟ କରି କହ କେଭେ ନ ମେଣ୍ଟିବୁ କଥା ।

ପର୍ଶୁରାମ- ଏଡ଼େ ଅପଦାର୍ଥ ମୋତେ ମଣୁଅଛ ପିତା !

ଜମଦଗ୍ନି- ବଡ଼ ଗୁରୁତର ବାପ ଅଟଇ ସେ କର୍ମ ।

ପର୍ଶୁରାମ- ପିତା ଆଜ୍ଞା ଯହିଁ ତହିଁ କିବା ଧର୍ମାଧର୍ମ ?

ଜମଦଗ୍ନି- ସତ୍ୟ କରି ଶୁଣି ପୁଣି ଯେବେ ଯିବୁ ଡରି ।

ପର୍ଶୁରାମ- କୁପୁତ୍ର ନୁହଇ ମୁହିଁ ପିଅର ତୁମ୍ଭରି ।

ଜମଦଗ୍ନି- ଅନ୍ୟ ତିନି ପୁତ୍ରେ କେହି ନୋହିଲେ ସାହସୀ ।

ପର୍ଶୁରାମ- ମୋର କଥା ଶୁଣ ପିତା ମୁହିଁ କହୁଅଛି ।

ଗୀତ-(ରାଣୀ ଶୁଣି ତୋହ କୀର୍ତ୍ତି...ବୃତ୍ତେ)

କରୁଛି ପ୍ରତିଜ୍ଞା ପିତା ତବ ଆଜ୍ଞା ଧରି ଶିରେ,

ତିଳେ ନୋହିବ କାତର ଝାସିବାକୁ ସିନ୍ଧୁଜଳେ ।ପଦ।

ଯେବେ ତୁମ୍ଭର ଆଦେଶ ହେବ ଖାଇବାକୁ ବିଷ,

ତହିଁକି କାତର ଦାସ, ନୋହିବ ଲେଶ ଚିତ୍ତରେ ।

କିବା ସୁରଲୋକେ ପଶି, ତୁମ୍ଭ ନାମ ମୁଖେ ଘୋଷି

ଲକ୍ଷ ଲକ୍ଷ ଯକ୍ଷ ରକ୍ଷ ନାଶିବି ଏହି ଅସିରେ ।୨।

ବାରବର୍ଷ ବନେ ରହି, ଅଶେଷ କଷଣ ସହି,

କିବା ପ୍ରଜ୍ୱଳ ଅନଳେ ଝାସିବି ଏ କଳେବର ।୩।

ଗୋ ବ୍ରାହ୍ମଣ ନାରୀ ହତ୍ୟା, କରିବାକୁ ହେଲେ ପିତା,

ନିଶ୍ଚେ କରିବି ସେ କଥା ବଇ ଭାଷେ ଏ ରସରେ ।୪।

ଜମଦଗ୍ନି- ବତ୍ସ ରାମ ! ସନ୍ତୁଷ୍ଟ ହୋଇଲି ଶୁଣି ତୋର ପ୍ରତିଜ୍ଞା ଅଟଳ । ଏବେ ସୁତ କର ଏକ କାର୍ଯ୍ୟ, ତୋର ଗର୍ଭଧାରିଣୀର ଏହି ମୁହୂର୍ତ୍ତରେ ଶିରଶ୍ଛେଦ କରିଆସ ଯାଇଁ ।

ପର୍ଶୁରାମ- ଓଃ, କି କଥା ଶୁଣିଲି ? କର୍ଣ୍ଣ ଶୀଘ୍ର ହୁଅରେ ବଧିର, ବିଦୀର୍ଣ୍ଣ ହୁଅରେ ବକ୍ଷ ତୁହି, ଛିଡ଼ି ପଡ଼ୁ ଆକାଶ ମୋ ପରେ, ସପତ ସାଗର ଗ୍ରାସୁ ସପ୍ତଦ୍ୱୀପା ପୃଥ୍ୱୀ । ଦ୍ୱିଧା ହୁଅ ବସୁଧା ଏକ୍ଷଣି ତୋର ଗର୍ଭେ ଦିଅ ଦୀନେ ସ୍ଥାନ, ଏପର୍ଯ୍ୟନ୍ତ ପାପପ୍ରାଣ ରହିଛୁ ପିଣ୍ଡରେ ନିର୍ମମ ଶରୀର ଛାଡ଼ି ଯାଉନାହୁଁ କିମ୍ପା ? ପିତା, ପିତା, ଅପରାଧ କରିନାହିଁ ପଦେ, କିମ୍ପା ମାତୃହତ୍ୟା ପାପେ ଲିପ୍ତକର ମୋତେ ? ଭୁର୍ଭୁବସ୍ୱର୍ଲୋକ ମଧ୍ୟରେ କେ କାହିଁ କରିଛି ଏଡ଼େ କର୍ମ ଧର୍ମାଧର୍ମ ନ କରି ବିଚାର ? ଥିଲେ ତୁମ୍ଭ ପିତାମାତା ଆଜି ଦେଇଥିଲେ ଏମନ୍ତ ଆଦେଶ, ପାଳନ କି କରିଥାନ୍ତେ ତୁମ୍ଭେ ? ପିତା, କ୍ଷମାଦିଅ ଅଧମ ସନ୍ତାନେ ।

ଜମଦଗ୍ନି- ଜାଣିଲି ମୁଁ, ନୋହୁ କେଭେ ସୁପୁତ୍ର ତୁ ମୋର ଯେଣୁ ତୁହି ପିତ୍ରାଦେଶ କରିଲୁ ହେଳନ । ବିଯୋଗ୍ୟ ସନ୍ତାନ ଅଟୁ ତେଣୁ । ଅଛି ଏହା ପରମ୍ପରା ଲେଖା, ନ କରିବି ତୋ ମୁଖାବଲୋକନ ।

ରାମ- ପିତଃ ! ଜାଣିଲି ମୁଁ ଅସ୍ଥି ମାଂସେ ଗଢ଼ା ନୁହେ ତବ ଦେହ । ଯାଉଅଛି ଆଦେଶ ପାଳନେ ଥାଅ ତୁମ୍ଭେ ରହି ସ୍ଥାନେ ।

 

 

 

ଦଶମ ଦୃଶ୍ୟ

(ପର୍ଶୁରାମ ଓ ରେଣୁକାର ପ୍ରବେଶ)

ରାମ- ଜନନୀ ଗୋ ! ପଦେ ତୋର କରୁଛି ପ୍ରଣାମ,

ଆଶୀର୍ବାଦ କର ଯେହ୍ନେ ହେଉ ମୋର ମୃତ୍ୟୁ ।

ରେଣୁକା- ବାପରେ ! ବୁଝି ନ ପାରଇ କଥା ତୋର ? ବଢ଼ାଇଲି ବାର ବର୍ଷ ଯାଏ, ତୋର ମୁଖୁ ଦିନେ ଏହା ଶୁଣିନାହିଁ ବାପ ! ଏ କଣ ? ଦେଖୁ ଦେଖୁ କାନ୍ଦିଲୁ କାହିଁକି ।

ଗୀତ-(ନିଅ ନିଅ ସୁତକୁ ତୁମ୍ଭର...ବୃତ୍ତେ)

କି କାରଣେ କରୁଛୁ ରୋଦନରେ, କହ ଧନ ।

ବୋଧି କହିବାର ତାତେ, ସେ କି ଗାଳିଦେଲେ ତୋତେ,

କାଳିପଡ଼ିଅଛି ତୋ ବଦନରେ ।୧।

ଶିରୀଷ ଫୁଲରେ ବାରି, ଦିଶେ ବରଷିଲା ପରି,

କି ଘଟଣା ଘଟିଛି ନନ୍ଦନରେ ।୨।

ଅନାଇ ଅଛୁ ତଳକୁ, ନେତ୍ରୁ ଗଡ଼ାଉ ଜଳକୁ,

ଦୁଃଖିନୀର ହୃଦୟଚନ୍ଦନ ରେ ।୩।

ଚାହୁଁ ନାହୁଁ ମୁଖ ଟେକି, ନ ଭାଷୁ ପଦେ କାହିଁକି;

ଦ୍ୱିଜ ବଇଷ୍ଣବ ନିବେଦନ ରେ ।୪।

ରାମ- ଆରେ ଆରେ ପାଷାଣ ହୃଦୟ ! ଏତେବେଳଯାଏ କିମ୍ପା ଯାଇନାହୁଁ ଫାଟି । ରେ ପାପୀ ରସନା ! କେମନ୍ତେ ତୁ କହିବୁ ଏ କଥା, ଛିଣ୍ଡି ପଡ଼ୁନାହୁଁ କିମ୍ପା ତୁହି । ରେ ନିଷ୍ଠୁର ହସ୍ତ, କେମନ୍ତେ କରିବୁ ଏଡ଼େ କର୍ମ ଧର୍ମାଧର୍ମ ନ କରି ବିଚାର । ଦଶମାସ ଦଶଦିନ ଗର୍ଭେ ଧରି ଯେହୁ ସହିଅଛି ଅଶେଷ ଯାତନା, ଜନ୍ମ କରି ଦେଲା କ୍ଷୀର ମୁଖେ, ତାର ଗଳେ ଦେଲୁ କ୍ଷୁର କେଉଁ ସାହସରେ ? ମା ! ସୁତ ବୋଲି ଡାକନାହିଁ ମୋତେ, ସୁତ ନୁହେଁ, କୃତାନ୍ତ ମୁଁ ତୋର ।

ରେଣୁକା- ବାପରେ ! ବୁଝି ନ ପାରଇ ତୋର କଥା ।

ରାମ- ମା ! ବାପ ବୋଲି କହ ନାହିଁ ତୁଣ୍ଡେ, ଅପବିତ୍ର ହେବ ତୋ ରସନା । ନୁହେଁ ମା ମୁଁ ତୋହର କୁମର । ବିଶେଷତଃ ଜମଦଗ୍ନି ଯମ, ମୁହିଁ ତାର ଅନୁଚର । ନିର୍ଦ୍ଦୟ ପିତାର ଆଦେଶ, ଯମର ଆଦେଶ ତୋର ଶିରଶ୍ଛେଦ । ଓଃ, ଥରଥର ଥରଥର ଥରଇ ମୋ କର, ଅସି କରୁ ହେବ କି ପତନ !

ରେଣୁକା- ବାପରେ ! ମୋତେ ମାରିବାକୁ କେହ୍ନେ ବଳୁଛି ତୋ ଚିତ୍ତ ? ଏକା କି ତୁ ପିତାର କୁମର ? ମୁହିଁ କିରେ ନୁହେଁ ତୋର ମାତା ? ମୁଁ କି ତୋତେ ଧରିନାହିଁ କୋଳେ ? ବାପ ରେ ! ମରେ ପଛେ ମୁହିଁ, ଏଥିପାଇଁ ନାହିଁ ତିଳେ ଚିନ୍ତା । କିନ୍ତୁ ମୋ ନିମନ୍ତେ କେତେ କଷ୍ଟ ପାଉଛୁ ଅନ୍ତରେ; ତାହା ମୋର କାଟୁଛି ହୃଦକୁ । ବାପ ! ଏତିକି ରହିଲା ଦୁଃଖ ମନେ ମୃତ୍ୟୁକାଳେ ନ ଦେଖିଲି ସ୍ୱାମୀ ଶ୍ରୀଚରଣ, ଏହି କଥା କହିବୁ ତୋ ତୋତେ । ଜନ୍ମେ ଜନ୍ମେ ତାଙ୍କ ପରି ପତି ମୋତେ ମିଳୁ, ମୋ ପରି ହତଭାଗିନୀ ନ ମିଳୁ ତାହାଙ୍କୁ । ବାପ ! ଭୁଲିଯିବୁନାହିଁ ତୋର ଅଭାଗିନୀ ମାଏ ।

(ରୋଦନ)

 

 

 

(ପର୍ଶୁରାମ-ଗୀତ)

(କହ କହ ମନ୍ତ୍ରୀ ମୋତେ ରାଜ୍ୟ..ବୃତ୍ତେ)

ସାକ୍ଷୀ ଥାଅ ନବଗ୍ରହ ପୃଥିବୀ ଆକାଶ ।

ବ୍ରହ୍ମା, ରୁଦ୍ର, ଇନ୍ଦ୍ର, ଚନ୍ଦ୍ର ଆହେ ଛାୟାଈଶ ।ପଦ।

ନର ଗନ୍ଧର୍ବ କିନ୍ନର, ଯକ୍ଷ ରକ୍ଷ ନିଶାଚର,

ଭୂଚର, ଖେଚର, ଜଳଚର ଦଶଦିଶ ।୧।

ବାୟୁ, ବରୁଣ ଅନିଳ, ଯେତେ ଅଛ ନାଗକୁଳ,

ସପତସାଗର ଶୈଳ ଗୋ ମୃଗ ମହିଷ ।୨।

ଗଜ, ଅଶ୍ୱ, ରକ୍ଷକୁଳ, ଶୁଣ ପ୍ରତିଜ୍ଞା ସକଳ,

ବୃକ୍ଷ ଲତା ଗୁଳ୍ମ ତୃଣ ନ ଧର ମୋ ଦୋଷ ।୩।

ଶୁଣି ଥାଅ ଶ୍ରୁତିପଥେ, ଯେ ଧରିଛି ଗର୍ଭେ ମୋତେ,

ବଇ ଭାଷେ ପିତ୍ରାଦେଶେ କରିବି ବିନାଶ ।୪।

ରାମ- ଶୁଣ ଶୁଣ ଦର୍ଶକମଣ୍ଡଳୀ, ଯାହା କେବେ ଦେଖିନାହିଁ କେହି ଶିକ୍ଷା କର ଆଜି ମୋହଠାରୁ । ପୁତ୍ର ହୋଇ ମାତୃହତ୍ୟା କେ କରିଛି କାହିଁ, କେ ପାଳିଛି ପିତାର ଆଦେଶ ? ରେ ରାମ- ନା, ରାମ ନୋହୁ ତୁହି, ପ୍ରକୃତରେ ଯମ ନାମ ତୋର, ଆତ୍ମ ପର ବିବେଚନା ନ ଥାଏ ଯମର । ପିତା ! ଦେଖ ଆସି, ତବାଦେଶ ପାଳୁଛି ଏ ରାମ । ମା ! କର ଏ କାମନା ମନେ ତୋର, ଜଗତେ କୁମର ଯେହ୍ନେ ନହେଉ କାହାରି । ଲୋଭ, ମୋହ, ମଦ ଆଦି ରିପୁ କ୍ଷଣକୁ ନିମନ୍ତେ ରହ ଦୂରେ । ପିତା ! ଦେଖ ଆସ ଦେଖ ଆସ, ଦେଖ ଆସ, ମାତୃଘାତୀ ସୁପୁତ୍ର ତୁମ୍ଭର ।

(ମାତୃ ଶିରଚ୍ଛେଦ)

(ବେଗେ ଜମଦଗ୍ନିର ପ୍ରବେଶ)

ଜମଦଗ୍ନି- ଧନ୍ୟ, ଧନ୍ୟରେ ନନ୍ଦନ !

ଜାଣିଲି ମୁଁ, ପିତୃଭକ୍ତି-କେତନ ତୁ ଉଡ଼ାଇଲୁ ଭବେ ।

(ଜମଦଗ୍ନି-ଗୀତ)

ଜଣାପଡ଼ିଗଲା ରାମ ପିତୃଭକ୍ତି ତୋର,

ସନ୍ତୁଷ୍ଟ ହେଲି କୁମର ମାଗ ବର ।ପଦ।

ମନେ ନ ଥିଲା ପରତେ ଏହା କରିବୁ ସତେ,

କ୍ରୋଧ ଅଗ୍ନି ଲିଭାଇଲୁ ଛେଦି ଶିରା ।୧।

ସ୍ୱର୍ଗେ ତୋର ଯଶୋରାଶି, ଘୋଷିବେ ଅମରବାସୀ ।

ବରଷିବେ ପାରିଜାତ ପୁଷ୍ପ ଶିର ।୨।

କୋଟି ଗୁଣେ ବଢ଼ୁ ତେଜ, ଦମ୍ଭ ହେଉ ତୋର ଧୈର୍ଯ୍ୟ,

ଶୌର୍ଯ୍ୟ ବୀର୍ଯ୍ୟେ ବୋଲାଅ ତୁ ମହାବୀର ।୩।

ପରୀକ୍ଷା କ୍ଷେତ୍ରରେ ଧନ, ଆଜି ହୋଇଲୁ ଉତ୍ତୀର୍ଣ୍ଣ,

ବଇଷ୍ଣବେ କରି ରଖ ପରିଚାର ।୪।

ରାମ- ଓହୋ ! ପିତା ! ରକ୍ଷା କର, ରକ୍ଷା କର, ଚତୁର୍ଦ୍ଦିଗେ ଜଳେ ନରକାଗ୍ନି, କୁମରକୁ ରକ୍ଷାକର ଏଥୁଁ।

ଗୀତ- (ରସ ରସିକେ...ବୃତ୍ତେ)

ପିତା ଚିତାନଳେ ଜଳେ ମୋ ଦେହ ।ପଦ।

ଚାରିଦିଗେ ଘେରିଲା ନରକ ହୁତାଶନ,

ଏ ପାପରୁ ତ୍ରାହି ମୁହିଁ ପାଇବି କେସନ;

ହେଲା ଆସି ପ୍ରାଣ-ସନ୍ଦେହ ।୧।

ପଳାଇବାପାଇଁ ପଥ ପାଉନାହିଁ ମୁହିଁ,

ଗଳ ଗଳ ଗଳ ଝାଳ ଯାଉଅଛି ବୋହି;

କି ଉପାୟ ବତାଇଦିଅ ।୨।

ବେଳକୁ ବେଳକୁ ଭୟ ବଢ଼ଇ ଅଧିକ,

ମାତୃଘାତୀ ପାପୀର ଜୀବନେ କେଉଁ ସୁଖ;

ନାହିଁ ମାତା ମମତା ମୋହ ।୩।

ନାରକୀର ନର୍କ ଭିନ୍ନ ନାହିଁ ଆଉ ସ୍ଥାନ,

ତହିଁରେ ପକାଇ ମୋତେ ଦଣ୍ଡିବ ଶମନ;

ବଇ କହି ନାହିଁ ସନ୍ଦେହ ।୪।

ଜମଦଗ୍ନି- ବତ୍ସ୍ୟ ରାମ ! ନାହିଁ ଭୟ ନରକେ ତୋହର । ଅମର ହୋଇବୁ ନିଶ୍ଚେ ତୁହି ମୋର ବରେ । ମଲେ ସିନା ପଡ଼ିବୁ ନରକେ- ତୋର ଭାଗ୍ୟେ ନାହିଁ ଯମଦଣ୍ଡ । ଅଖଣ୍ଡ କୀର୍ତ୍ତି ସ୍ଥାପିଲୁ ଭାରତଖଣ୍ଡରେ । ଏବେ ଇଚ୍ଛା-ବର ମାଗି ବେଗେ ଘେନ ମନୋବାଞ୍ଛା କରିବଇଁ ପୂର୍ଣ୍ଣ ।

ରାମ- ପିତଃ ! କିପାଇଁ ଏ ମାତୃଘାତୀ ପାତକୀକୁ ଆଜି ଦେଲ ବୃଥାରେ ଅମରବର । କେତେ କାଳ ବହିବ ଧରଣୀ ଏ ପାପୀର ଭାର । ପିତା ! ଯେବେ ଦାସେ ଦୟା ହେଲା ତବ, ଏହି ମୋର ପ୍ରାର୍ଥନା ଚରଣେ, ମୃତଜନନୀ ଯେପରି ପାଉ ଜୀବଦାନ ତାହାହେଲେ ଏ ଜୀବନ ହେବ ମୋର ଧନ୍ୟ । ଏହି ମୋର ଶେଷ ନିବେଦନ, ପୂର୍ବକଥା ଜନନୀର ସ୍ମରଣ ନହେଉ ।

ଜମଦଗ୍ନି- ଧନ୍ୟ ଧନ୍ୟ ଧନ୍ୟରେ କୁମର ! ଏ ବୁଦ୍ଧିକୁ ନାହିଁ ପଟାନ୍ତର ।

ଗୀତ- (କେଣେ ଅଛୁ ଶୁଣା ତୋ...ବୃତ୍ତେ)

ରାମ ! ନେତ୍ର ବୁଜ ତୁହି; ମନ୍ତ୍ରବଳେ ବଞ୍ଚାଇବି ମୁହିଁ ।ପଦ।

ଏହି କ୍ଷଣି ଧରିବ ବଳେ, ପୁତ୍ର ବୋଲି କରିବ କୋଳେ;

ପୂର୍ବର ଘଟଣା ପାସୋରିବ ମନୁ ଜଳେ ଯେଉଁପରି ଛାଇ ।୧।

ଗୃହକାର୍ଯ୍ୟେ ମଜ୍ଜିଣ ଚିତ୍ତ, ମାୟାଜାଲେ ହୋଇ ଜଡ଼ିତ,

ଶତଗୁଣେ ତୋତେ କରିବ ଆଦର ସାଦରେ କୁମର କହି ।୨।

ତୋର ଯଶ ଅମରବାସୀ, ଘୋଷୁଥିବେ ନିରତେ ବସି;

ବଇଷ୍ଣବ ଭାଷି ଦ୍ୱିଜକୁଳ-ଶଶୀ ଉଦୟ ହୋଇଛୁ ତୁହି ।୩।

(ଜମଦଗ୍ନିଦ୍ୱାରା ରେଣୁକାର ଜୀବଦାନ)

ରେଣୁକା- (ଉଠି ବସି) ରାମରେ ! ଶୋଇଗଲି କେତେବେଳଯାଏ । ଡାକିଦେଲୁ ନାହିଁ ତୁହି ମୋତେ ? ଆହା; ଯାଏ ମୁହିଁ ଶୀଘ୍ର ସାରେଁ ଗୃହକାର୍ଯ୍ୟ । (ପ୍ରସ୍ଥାନ)

ରାମ- ପିତା ! ଦେଖ ଏକ ଅଭୁତ ଘଟଣା କୁଠାର ନ ଖସେ କିମ୍ପା କରୁ ? ମାତୃରକ୍ତରଞ୍ଜିତ କୁଠାର ମୁଠାରୁ କି ହେତୁ ନ ଛାଡ଼ଇ, ପ୍ରତିକାର କର ଶୀଘ୍ର ପିତା ! ପାପପ୍ରଭା କେଡ଼େ ଭୟଙ୍କର କିଙ୍କରକୁ ରକ୍ଷାକର ଏବେ ।

ଜମଦଗ୍ନି- ଯାଅ ରାମ, ଏବେ ତ୍ୱରା କରି ବ୍ରହ୍ମପୁତ୍ର ତଟ ନିକଟକୁ, ସେ ଜଳେ କରନ୍ତେ ସ୍ନାନ ତୁହି ମାତୃହତ୍ୟା ପାପ ହେବ ଦୂର, କରୁ ନିଶ୍ଚେ ଖସିବ କୁଠାର ।

ରାମ- ଯେ ଆଜ୍ଞା ।

(ସମସ୍ତଙ୍କର ପ୍ରସ୍ଥାନ ଓ ଅଦୃଷ୍ଟକୁମାରୀମାନଙ୍କର ପ୍ରବେଶ ଓ ନୃତ୍ୟ ଗୀତ)

ଆହା କି ଆନନ୍ଦେ ନାଚେ ଏ ଧରଣୀ ତରଣୀ ଯେସନେ ସାଗରେ ।ପଦ।

ଘୋର ଅନ୍ଧକାର ହୋଇଗଲା ଦୂର ପୂର୍ଣ୍ଣ ପୂର୍ଣ୍ଣଚନ୍ଦ୍ରଯୋଗରେ ।

ଶରଦ ତାରକା ତେଜ ହଜିଯାନ୍ତେ ପ୍ରେମବାୟୁ ବହେ ବେଗରେ ।୧।

ଧର୍ମରତ ସାର ତୁଷାର ବରଷେ ଦେଖ କେତେ ଅନୁରାଗରେ,

ସେ ନବ ସୁନ୍ଦରୀ ପ୍ରକୃତି-ସୁନ୍ଦରୀ ଖେଳଇ କେଡ଼େ ସରାଗରେ ।୨।

ଧର୍ମେ ରଖି ମତି ଚଳ ଜନେ ନିତି, ମିଳିବ ସୁଗତି ଆଗରେ;

କର୍ତ୍ତବ୍ୟ-ତରୁରେ ଫଳିବ କାମନା ଫଳ କରିଲେ ଉଦ୍‌ଯୋଗରେ ।୩।

ଦରଶକଗଣ ଆଦରଶ ରଖ ରାମ କାର୍ଯ୍ୟ ରଙ୍ଗ ସଙ୍ଗରେ ।

ବଇଷ୍ଣବ ଭାଷ ହୋଇବି ମୁଁ ଦାସ, ନିଅ ମୋତେ ତୁମ୍ଭ ସଙ୍ଗରେ ।୪।