ପ୍ରସ୍ତାବନା
(ନଟୀର ଗୀତ ଗାଇ ପ୍ରବେଶ)
ଗୀତ- (ଆହା, କି କର କି କର ରଘୁନନ୍ଦନ...ବୃତ୍ତେ)
ନମୋ ନମସ୍ତେ ନୃସିଂହ ରମାବଲ୍ଲଭ ହେ ।
ଯେ ନାମ ଜଗତଜନେ ଦୁର୍ଲଭ ହେ ।ପଦ।
ନରଙ୍କ ନରକତ୍ରାଣ, ନୀଳନୀରଦ ବରନ ।
ଦିଅ ମୋ ଶିରେ ତା ପଦପଲ୍ଲବ ହେ ।୧।
ଯୋଗୀ ଯୋଗ ଜାଗି ଯାର, ନ ପାନ୍ତି ଅନ୍ତ ମାୟାର ।
ହୋଇ ନିରତେ ନିଷ୍କାମ ନିର୍ଲ୍ଲୋଭ ହେ ।୨।
ଦୁର୍ଜନ ଦଳନ ଆଶେ, ଜନମ ତୋ ଦ୍ୱିଜବଂଶେ ।
ସେ ଅଂଶେ ବଇର ଜାତ ସୁଲଭ ହେ ।୩।
ନଟ- (ପ୍ରବେଶି) ପ୍ରିୟମ୍ବଦେ ! ତୁମ୍ଭର ଜୀବନ ଏକା ଧନ୍ୟ, ତୁମ୍ଭେ ଏକା ଧନ୍ୟ ଏ ଜଗତେ । ସେହି ଅଚିନ୍ତ୍ୟଚିନ୍ତାମଣି ଚରଣକମଳରୁ ତୁମ୍ଭ ମତ୍ତମନଭୃଙ୍ଗ ମଧୁ ପାନକରି ସଦା ନିଶ୍ଚିନ୍ତଚିତ୍ତରେ ନିର୍ଭୀକ ଅନ୍ତରେ ଏ ଜଗତଜନଙ୍କ ମନକୁ ବିଶ୍ୱମୋହିନୀ କବିତାମନ୍ତ୍ରରେ ଅନବରତ ନଚାଉଅଛି । ଆଜି ଯେ ଭକ୍ତିରସ ଗୀତଟିଏ ଗାଇଲ, ସେ ଗୋଟିଏ ନୂଆ ରଚନା ହେବ ପରା ?
ନଟୀ- କଥାରେ କହନ୍ତି- ନଟଯାକ ଅଟ ପରିପରା । ମୋତେ ପରା କାଲି ସନ୍ଧ୍ୟାବେଳେ ସେହି ସଙ୍ଗୀତଟି ରଚନା କରି ଶିଖି-ଗାଇବାକୁ ଦେଇଥିଲ ? ଏତେଶୀଘ୍ର ଭୁଲିଗଲ କିପରି ? ଯା ହଉ ଜଣାଗଲା, ଭାବୁକମାତ୍ରେ ପାଗଳ । ଥାଉ ସେ ରହସ୍ୟ ଆଜି କେଉଁ ବିଷୟଟି ଏ ରଙ୍ଗଭୂମିରେ ଦର୍ଶକପୁଞ୍ଜଙ୍କୁ ଗୀତିନାଟ୍ୟ ଭାବେ ଦେଖାଇ ସେମାନଙ୍କର ସ୍ନେହଭାଜନ ହେବା ?
ନଟ- ନଟିଶିରୋମଣି ! ତୁମ୍ଭେ ଯେଉଁ ନୃସିଂହ ମହାପ୍ରଭୁଙ୍କ ସ୍ତବଟିଏ ଗାଉଥିଲ; ତାଙ୍କରି ଲୀଳା । ମହାକବି ପୀତାମ୍ବର ଦାସଙ୍କ କୃତ ଚତୁର୍ଥ ରତ୍ନାକରରୁ ଯେଉଁ ମହୀକର୍ଣ୍ଣବଧଟି କିଛିଦିନ ପୂର୍ବେ ଲେଖିଥିଲି, ସେ କଣ ଏ ସ୍ଥଳରେ ସବୁରି ଆଦର ହେବ ନାହିଁ ?
ନଟୀ- ନିଶ୍ଚୟ ହେବ ! କବିକୁଳତିଳକ ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି ମଙ୍ଗଳାଚରଣ ଛାନ୍ଦରେ ଲେଖିଯାଇଛନ୍ତି, ‘‘ଢମପଣେ ବର୍ଣ୍ଣୁଚି ମୁଁ ଗୋବିନ୍ଦଚରିତ; ଢଗଢମାଳି ହେଲେହେଁ ସାକ୍ଷାତେ ଅମୃତ ।’’ ତେବେ ବିଷୟରେ ପୂର୍ବ ଘଟଣାଗୁଡ଼ିକ ଦର୍ଶକେ ଜାଣିବା ଦରକାର । ତା’ନହେଲେ ମୁଣ୍ଡହୀନ ମାନବର ଗଣ୍ଡି ଚିହ୍ନିବା ସହଜ ନୁହେଁ ।
ନଟ- ଯା’ କହିଲ ତା’ ଠିକ୍ କଥା । ଯେଉଁଠାରୁ ନୃସିଂହ ଶେଷ ଦୁଇଭାଇଙ୍କି ଛଳରେ ମୁରାସୁର ଦୂତଦ୍ୱାରା ପୁତ୍ରମାନଙ୍କୁ ବିଦ୍ୟାଶିକ୍ଷା ଦେବାକୁ ଡକାଇଆଣିଲା, ସେହିଠାରୁ ଆରମ୍ଭ କରିବା । ମହୀକର୍ଣ୍ଣ ମଦନାବତୀର ପ୍ରଥମ ପୁତ୍ର, ସେ ଅତୀତ ମହାବୀରତାର ଘଟଣାଟି ବଡ଼ ଅଭୁତଜନକ ! ସେ ଆଖଡ଼ାଶାଳରେ ପ୍ରଭୁଙ୍କୁ ବଧ କରିବାକୁ ଯାଇ କିପରି ନିଜେ ବଧ ହେଲା, ଏହାର ସମସ୍ତ ବିବରଣ ରାତ୍ର ଶେଷ ଯାଏ ଦର୍ଶକେ ଦେଖନ୍ତୁ । ଚାଲ, ସଭାର ଅନୁମତି ନେଇ ନାଟକର ଉପକରଣ ସଂଗ୍ରହ କରିବା ।
ନଟୀ- ହଉ ତେବେ ।
ଉଭୟର ଗୀତ- (ରାମପ୍ରସାଦି ସୁର)
ଆଜ ଦିଅ ଅନୁମତି, ଥରେ ଶିକ୍ଷିତ ସମାଜ ।
ଖର୍ବ କରେ ସତେ ଧରାଦେବେ ଦିଜରାଜ ।ପଦ।
ହସ୍ତପଦହୀନ ନର, ସେ କି ପାରାବାର ପାର,
ହୋଇଛି ତେସନ ମୋର ଆଶା ମନ ହେଜ ।୧।
ସାଧିଛ ଅଗାଧ ବିଦ୍ୟା, ସର୍ବେ ନୀତିଶାସ୍ତ୍ରେ ଯୋଦ୍ଧା ।
ବସିଛ ବହି ଶରୀରେ ଶତସୂର୍ଯ୍ୟ ତେଜ ।୨।
ତବ ନୟନରେ ଧୂଳି, ଫିଙ୍ଗି କେହୁ ଯିବ ଚଳି ।
କେବଳ ଭରସା ତୁମ୍ଭ ଚରଣସରୋଜ ।୩।
ଏ କ୍ଷୁଦ୍ର କବିତା ମୋର, ନୋହିଲେ ଶ୍ରୁତିମଧୁର ।
କ୍ଷମା ଦେବ ମାଗେ ଭିକ୍ଷା ବଇଷ୍ଣବ ଦ୍ୱିଜ ।୪।
(ଉଭୟର ପ୍ରସ୍ଥାନ)
(କନକାବତୀ ରାଜସଭା)
(ମୁରାସୁର ଓ କାଙ୍କୋଳାସୁର, ଶୁକ୍ରମନ୍ତ୍ରୀ, ସୁବିଜ୍ଞମନ୍ତ୍ରୀ ଆଦି ଆସୀନ)
ମୁରାସୁର- ହେ ଆଚାର୍ଯ୍ୟ ! ହେ ମନ୍ତ୍ରୀ ସୁବିଜ୍ଞ !
ଅଶୀଳ ଦୂତ ହସ୍ତରେ ଦେଇ ଆଜ୍ଞାପତ୍ର
ପେଷିଲି ବଦ୍ରିକା କୃଷ୍ଣବଲ୍ଲଭ ନିକଟ,
ଆଜକୁ ହୋଇଲା ତିନିଦିନ ଗଲା ଚାର; ନଇଲା କିପାଇଁ ।
ଶେଷ ନୃସିଂହ ମୋହର ଅରି
ତାଙ୍କରି ହାତେ ମରିବି କହିଲେ ନାରଦେ ।
ସେହି ଆଶଙ୍କାରେ,
ପୁତ୍ରେ ବିଦ୍ୟାଶିକ୍ଷା ଦେବା ଚଳନାରେ ଆଣି
ମାରିବି ତାହାଙ୍କୁ କେହି ଜାଣି ନ ପାରିବେ ।
ଶୁଣୁଅଛି, ଜନମିଛି ବିଷ୍ଣୁ ଧରି ମାନବ ଶରୀର
ସେ ଦୁହେଁ ନ ମଲେ କେଭେଁ ନୋହିବି ନିଶ୍ଚିନ୍ତ ।
ଦୂତ ନ ଫେରିଯାଏ ସୁସ୍ଥ ନାହିଁ ମନ ।
କିଏ ତାର କହିବ ସନ୍ଧାନ?
କାଙ୍କୋଳା- ଭୋ ଦାନବକୁଳକଳାକର !
ଆସି ଦୂତ ଜଣାଇଲା ଗଲା ମୋର ଆଗେ ।
ସିଂହଦ୍ୱାରେ ଛନ୍ତି କୃଷ୍ଣବଲ୍ଲଭ କୁମରେ
ହେଲେ ତବ ଅନୁମତି ଆସିବେ ସଭାକୁ ।
ମୁରାସୁର- ଯାଅରେ କାଙ୍କୋଳାସୁର, ଆଣ ଦ୍ୱିଜପୁତ୍ରେ,
କହ ଦୂତେ, ସାବଧାନେ ଆଣିବେ ଆଗକୁ ।
କାଙ୍କୋଳା- ଯେ ଆଜ୍ଞା ଶ୍ରୀଛାମୁ ! (ପ୍ରସ୍ଥାନ)
(ନୃସିଂହ ଶେଷ ସହ କାଙ୍କୋଳାର ପ୍ରବେଶ)
ନୃସିଂହ- (ସ୍ୱଗତ) ଧନ୍ୟ ଧନ୍ୟ ମୁର, ତୋର ଜୀବନରେ ଧନ୍ୟ,
ଏତେକାଳ ସୁଖେ ମହୀ କରିଲୁରେ ଭୋଗ
ଏବେ ରୋଗ ଗ୍ରାସିଲା ତୋ ଅଙ୍ଗ
ଦେବଗଣେ ଖଟାଇ ରଖିଲୁ ପାଦତଳେ
ନାଗଲୋକେ ନରଲୋକେ କଲେ ତୋର ସେବା
ତିନିପୁରେ ହୋଇଲୁ ମଘବା
ଏବେ ଏମାନଙ୍କ ଦଶା ହୋଇଲା ମୋଚନ ।
ଆହା ମୁର ! କେମନ୍ତେ ତୋ ହରାଇବୁ ଏଡ଼େବଡ଼ ଭୋଗ ?
ମୁର- (ସ୍ୱଗତ) ହାୟ, କିମ୍ପା ଶତ୍ରୁ ଆଣି ପୂରାଇଲି ଘରେ ମୋର,
ଯାହାହେଉ ପୋଷିଲାର ମାଛପରି ଥାନ୍ତୁ ଏଥି ରହି;
ସମୟରେ ମାରିବି କୌଶଳେ ଏ ମଲେ ଅମର ହେବି ମୁହିଁ ।
ନିଶ୍ଚେ ନିଶ୍ଚେ ଚକ୍ରପାଣି ଏହି
(ପ୍ରକାଶ୍ୟେ) ତୁମ୍ଭେ ପରା ଅଟ କୃଷ୍ଣବଲ୍ଲଭ ରାଜନ ?
ତୁମ୍ଭର ପୁତ୍ର ଏ ଦୁଇଭାଇ !
ଗୀତ-(କୀର୍ତ୍ତନ ସୁର)
କହ କହ ଦ୍ୱିଜଶ୍ରେଷ୍ଠ କେହ୍ନେ ଏତେ ପାଠ ପଢ଼ିଲେ ତୋ ବେନି ସୁତ ।
ତୁମ୍ଭ କୁଳବିଦ୍ୟା ଅଟେ ଦେବପୂଜା ବନ୍ଦାପନା ବିଭାବ୍ରତ ।
ହୋଇ ବିପ୍ର ଜାତି, ଜାଣିଲେ କିପରି କ୍ଷତ୍ରିବୃତ୍ତି ।୧।
କାହୁଁ ଅସ୍ତ୍ର ଶସ୍ତ୍ର ଶାସ୍ତ୍ର ଶିକ୍ଷାକଲେ ମାଲରଣ ଭାଇ ବେନି ।
ତୁମ୍ଭ ସୁତ ଏହି ଆଜିଯାଏ ମୁହିଁ ନ ଥିଲି ଏହାଙ୍କୁ ଚିହ୍ନି ।
ନାରଦଙ୍କଠାରୁ ଶୁଣି ଆଣିଲି କରିବି ଗୁରୁ ।୨।
ବ୍ରାହ୍ମଣର ମୁଖୁଁ ଯେ ଶୁଣେ ପୁରାଣ ତା ବଂଶ ହୁଏ ଉଜ୍ଜ୍ୱଳ ।
ମୋ ପୁତ୍ରଙ୍କ ବିଦ୍ୟାଗୁରୁ ହୋଇ ବିଦ୍ୟା ଶିଖାନ୍ତୁ ତୋ ବେନି ବାଳ ।
ଇଚ୍ଛା ହେଲେ ରହ, ନୋହିଲେ ଏହାଙ୍କୁ ନେଇ ଯାଅ ।୩।
ମାସକରେ ସର୍ବବିଦ୍ୟା ଶିକ୍ଷା ଦେଇ ଯିବେ ଏ ଦକ୍ଷିଣା ଘେନି ।
ହେ ବଲ୍ଲଭ ଭାବ ପଛରେ ଜାଣିବ କେତେ ଲାଭ କେତେ ହାନି ।
ବଇଷ୍ଣବ ଗିର, ଯଶ ଘୋଷିବ ତୋ ଚରାଚର ।୪।
ବଲ୍ଲଭ- ହେ ରାଜନ, ଶୁଣିଥାଅ ପଦେ ?
କୋପ ନ କରିବ କେଭେ ଉପରେ ମୋହରି
ଏ ମୋ ପୁତ୍ରେ ଅଟନ୍ତି ଅଲ୍ୟଳ
ଯେ ଭାବେ ଭଜେ ଲାଗନ୍ତି ନିତି ତାର ମୂଲ
ଯେ ଯାହା ମାଗେ ଦିଅନ୍ତି ତା’ ଆଣି
ଦିନେ ବିଦ୍ୟା କାହାକୁ ଏ ନାହାନ୍ତି ପଢ଼ାଇ
ଭୁଞ୍ଜି ନ ଜାଣନ୍ତି ଅନ୍ନ ତୁଣ୍ଡେ
ଭୁଞ୍ଜାଇ ଦେଲେ ଭୁଞ୍ଜନ୍ତି ସୁଖେ ।
ଓଁକାର ମନ୍ତ୍ରେ ନୈବେଦ୍ୟ କଲେ
ମହାସମାଦରେ ତାହା କରନ୍ତି ଗ୍ରହଣ ।
ନିତି ବଡ଼ସିଂହାର ଦେଶରେ- ଭୂଷିତ ହୁଅନ୍ତି ଦୁଇଭାଇ,
ଏହି ତାହାଙ୍କର ରାଜନୀତି,
ତୁମ୍ଭେ ଲୋଡ଼ିବାରୁ ଆଣିଅଛି ସଙ୍ଗେ ମୁହିଁ
ଆଜ୍ଞା ଦେଲେ ନିଅନ୍ତି ଫେରାଇ ।
ମୁର- ପାଗଳ ହେଲୁ କି ଦ୍ୱିଜମଣି !
ଯାହାକୁ ଲୋଡ଼ି ଆଣିଛି ଅତି ହିଁ ଆଦରେ
ତାହାକୁ ବୋଲିବି ଯାଅ ବୋଲି,
ଆସିଲେ କାହିଁକି; ପୁଣି ଯିବେ ସେ କାହିଁକି,
ଏକଥା ବିଚାର ତୋର ନୋହୁଛି ବ୍ରାହ୍ମଣ !
ମୋ କଥା ମାନିଣ ଯାଅ ତୁହି ମାସ ଶେଷେ ବିଦ୍ୟାଶିକ୍ଷା ଦେଇ,
ଯିବେ ବଦ୍ରିକାକୁ ପୁତ୍ରେ ତୋର ।
ଯେବେ ନ ଯିବୁ, କରିବୁ ଦ୍ୱନ୍ଦ୍ୱ ମାନହାନି ଘଟିବ ଏଠାରେ ।
ପୁତ୍ରସମ ପାଳିବି ତୋ ବାଳେ ଆନନ୍ଦରେ ।
ନୃସିଂହ- (ସ୍ୱଗତ) ଜାଣିଲିଣି ଦୁଷ୍ଟ କେଭେ ନ ଛାଡ଼ିବ ଏଥୁ
ହାତେ ପଡ଼ିଲା ପଦାର୍ଥ ତେଜେ କି ଚଣ୍ଡାଳ ?
ଛନ୍ଦମାର୍ଗେ କହିବା କଥାଏ,
(ପ୍ରକାଶ୍ୟେ) ଶୁଣ ରାଜା ଆମ୍ଭର ବଚନ ।
ଗୀତ- (କାହାଭାବେ ମଜ୍ଜି ଆଜି...ବୃତ୍ତେ)
ଶୁଣିବାକୁ ହେଉ ଦୈତ୍ୟରାଜ ସାବଧାନ ।
ଯେ ପ୍ରକାର ଅଟେ ବିପ୍ରକୁଳର ବିଧାନ ।ପଦ।
ନିତି ତ୍ରିସନ୍ଧ୍ୟାରେ ବେଦ ମନ୍ତ୍ର ପଢ଼ୁ ।
ଜପକରୁ କରେ ଧରି ତମ୍ବା ଗଡ଼ୁ ।
କଉତୁକେ କ୍ଷତ୍ରି ବିଦ୍ୟା କରିଚୁ ସାଧନ ।୧।
ଧନୁର୍ବିଦ୍ୟା ବାହାସ୍ଫୋଟ ଚଉଦୋଳ,
ଜାରଣ ମାରଣ ଧାରଣ କେବଳ ।
ଚକାବଇଠକ ଖମ୍ବଦଣ୍ଡ ଭେଦମାନ ।୨।
ଏ ବିଦ୍ୟାକୁ ଶିକ୍ଷା ଦେଲେ ତୋ ବାଳକୁ ।
ଆମ୍ଭପରେ କୋପ କହିବୁ କାଳକୁ ।
ଦକ୍ଷିଣା ବୁଡ଼ିବ ବଇଷ୍ଣବ ନିବେଦନ ।୩।
ମୁର- ନ କହ ଏ କଥା ଦ୍ୱିଜମଣି ! ଭାଗ୍ୟେ ଥିଲେ ମିଳେ ମାତ୍ର ତବସମ ଗୁରୁ । ମଲ୍ଲରଙ୍ଗ ଶିକ୍ଷାଦିଅ ପୁତ୍ରଗଣେ ମମ । କହ କି ଲୋଡ଼ା ବିଦ୍ୟା ଶିକ୍ଷାର ନିମନ୍ତେ ?
ନୃସିଂହ- ଶୁଣ ରାଜା ଦରକାର ହେବ ଯାହା ଯାହା-
ଆଗେ ଯୋଜନେ ଅନ୍ତରେ ତୋଳ ଏକ ବିଦ୍ୟାଗାର,
ଶରଣଭଦ୍ରା ତଟିନୀ ତଟେ- ଗଣେଶ ଶାରଦା ମୂର୍ତ୍ତି କରିବି ସ୍ଥାପନ ।
ତୀର୍ଥରାଜ ପାଶେ ଏହି ମୂର୍ତ୍ତି ରଖିକରି ପୂଜାଦେଇ ବିଦ୍ୟାକୁ ସାଧିଲେ
ଶୀଘ୍ର ମନୋରଥ ହେବ ପୂର୍ଣ୍ଣ,
ଆମ୍ଭେ ମଧ୍ୟ ସେଠାରେ ରହିବୁଁ ବସାକରି,
ଯଦ୍ୟପି ତୁମ୍ଭର ଶ୍ରଦ୍ଧା ବଳିଲା ଆମ୍ଭରେ
ଶିକ୍ଷା ଦେବୁଁ ବିଦ୍ୟାଗୁରୁ ହୋଇ ଧନୁର୍ବିଦ୍ୟା ।
ମୁର- ତେବେ ଯାଅ ହେ ବଲ୍ଲଭରାଜା, ବଦ୍ରିକା ଭବନେ
ତବ ପୁତ୍ରଙ୍କର ଚିନ୍ତା ଲାଗିଲା ଆମ୍ଭଙ୍କୁ ଆଜିଠାରୁ ।
ଯାଅରେ କାଙ୍କୋଳାସୁର, ତୋଳା ବିଦ୍ୟାବାସ
କ୍ଷଣକ ମଧ୍ୟରେ ଶେଷ କରି କାର୍ଯ୍ୟମାନ
ସମ୍ବାଦ କହିବ ଆସି ମୋତେ,
ନେଇ ଯାଅ ଶେଷ ନରସିଂହ ବେନି ଜନେ
ତହିଁ ବସା ଦେବ ଖଞ୍ଜାଇଣ ତାହାଙ୍କର ଲୋଡ଼ା ହେବ ଯାହା ।
କାଙ୍କୋଳା- ଯଥା ଆଜ୍ଞା ଦେବ ! ଆସ ବିପ୍ରସୁତ ବେନିଜଣ ।
ଶେଷ- ଆସୁ ଆମ୍ଭେ କନକକଟକ ଅଧୀଶ୍ୱର । (ପ୍ରସ୍ଥାନ)
ମୁର- ଜଗିବ ପ୍ରହରୀମାନେ ସତର୍କରେ ତହିଁ, ଯେହ୍ନେ ପଳାଇ ନ ଯାନ୍ତି ବେନି ଦ୍ୱିଜ । ଗଲେ ଶିର କରିବି ଛେଦନ ସମସ୍ତଙ୍କ । ଗୁରୁଦେବ ! କର ସଭା ଭଙ୍ଗ ।
ଶୁକ୍ର- ହେଉ, ମନାବାଞ୍ଛା ହୋଇଛି ସଫଳ ରାଜା ତୋର ।
(ସମସ୍ତଙ୍କ ପ୍ରସ୍ଥାନ)
(ଶେଷ ନୃସିଂହ ଗରୁଡ଼ ସହ ପ୍ରବେଶ)
ଶେଷ- ଜ୍ୟେଷ୍ଠଭ୍ରାତା ! ଦେଖୁଛ ତ ଦାନବଙ୍କ କୌଶଳ; ବନ୍ଦିଭାବେ ଏହିଠାରେ ରଖିଲା ଆମ୍ଭଙ୍କୁ ।
ନୃସିଂହ- ଭାଇ ଶେଷ !
ଯେ ଯାହାକୁ କରେ ମନ୍ଦଚିନ୍ତା
ସେ ମନ୍ଦରେ ପଡ଼ଇ ସେ ନିଜେ,
ଗରୁଡ଼ ପରାୟ ଯତି ସହାୟ ଯାହାର
ଶତ ମୁରାସୁର ହେଲେ କି କରିବ ତାର ।
ଆସୁଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା ଏଥି
ଜଣାଯାଏ ପଠାଇ ଅଛନ୍ତି ପିତାମହ ଜଣାଯାଏ ସମସ୍ତ ଖବର ।
କହ ଶିଳ୍ପୀବର ! କି ହେତୁ ଆଗତ ତବ ଦାନବ ଆବାସେ ?
ବିଶ୍ୱକର୍ମା- (ପ୍ରବେଶି) ଶୁଣ ଦେବ ଆସିବା କାରଣ-
ଗୀତ- (ପଡ଼ିଲା କପାଳରେ...ବୃତ୍ତେ)
ଶୁଣ ନାରାୟଣ ହେ ଶୁଣ ନାରାୟଣ ।
ପଠାଇଲେ ଧାତା କହି ମୋତେ ଏମନ୍ତ କାରଣ ହେ ।ପଦ।
ଅଷ୍ଟରତନରେ ମଞ୍ଚ, କରିବି ବୋଲି ସୁସଞ୍ଚ,
ବିଜେ କରିବ ତା’ପରେ ଭାଇ ଦୁଇଜଣ ହେ ।୧।
ତବ ମଣୋହି ନିମନ୍ତେ, ଦେଇଛନ୍ତି ଦ୍ରବ୍ୟ କେତେ,
ଘେନ ତାହା ଶ୍ରୀପୟରେ କଲି ସମର୍ପଣ ହେ ।୨।
ମୋ ଆସିବା ଦୈତ୍ୟମଣି, ଯେମନ୍ତେ ନ ପାରେ ଜାଣି,
ସେ ଯୋଗେ ଆସିଲି ଗୁପ୍ତେ ବଇକୁଣ୍ଠରାଣ ହେ ।୩।
ଥିବାଯାଏ ତୁମ୍ଭେ ଏଥି ଆସୁଥିବି ନିତି ନିତି,
ବଇଷ୍ଣବ ଭାଷେ କହିଛନ୍ତି ଦେବଗଣ ହେ ।୪।
ନୃସିଂହ- ଦେବଶିଳ୍ପୀ ! କାର୍ଯ୍ୟ ଶେଷକରି ଶୀଘ୍ର ଯାଅ ସୁରଆଳେ
ଚିନ୍ତିଲା ମାତ୍ରେ ଚିତ୍ତରେ ଆମ୍ଭେ...
ଦେଖାଦେଉଥିବ, ରଖ ମନେ;
ଆମ୍ଭ ଚିନ୍ତା ଯେଉଁପରି ଲାଗଇ ତୁମ୍ଭଙ୍କୁ ।
ବିଶ୍ୱ- ତେବେ କାର୍ଯ୍ୟ ଶେଷକରି ହେଉଛି ମେଲାଣି,
ପଦ୍ମନାଭ ତବ ପଦରଜ ମଣ୍ଡି ଶିରେ । (ପ୍ରସ୍ଥାନ)
ନୃସିଂହ- ଦେଖିଲୁ ଗରୁଡ଼, କିସ ଅଛି ଭାଣ୍ଡେ ପୂରି ।
ଗରୁଡ଼- ରହିଚି ଅମୃତସହ ଖଣ୍ଡକ୍ଷୀରି ପୁରି
ଶେଷ- ନାହାନ୍ତି ମାତ କମଳେ, କେହୁ ପରଷିବ ?
ନୃସିଂହ- ନିତ୍ୟାଚାର ଏକା ମୋର ଜାଣେ ପକ୍ଷିଧବ,
ଆସ ଆଗେ କରିବା ଭୋଜନ ସର୍ବେ ମିଳି ।
ନୀବନ କୁସୁମବତୀ ନାରୀ, ନବଫଳ ରସ, ନବଶଯ୍ୟା
ନବବସ୍ତ୍ର ନବ ଅଳଂକାର ଏମାନ ଯେବଣ ଜନ ରଖଇ ପଛକୁ,
ତାରଠାରୁ ନୀଚ ବୁଦ୍ଧି ନାହିଁ ଜଗତରେ, ପ୍ରାପ୍ତିମାତ୍ରେ ନବଦ୍ରବ୍ୟ ଯିବ ଭୋଗକରି ।
ଗରୁଡ଼- ଏ ଭାବ ନ ଭାବ ଭାବଗ୍ରାହୀ !
ଅମୃତହସ୍ତା ମାନବ ଅନ୍ନ ପରଷନ୍ତେ
କୋଟି ପ୍ରାଣୀ ଅଳପ ଭୋଜନେ ତୃପ୍ତ ହୋନ୍ତି;
ନୀଚ ଜନ ଦେଲେ ପତ୍ରେ ତାହା ଜଣକର ନ ପୂରେ ଉଦର ।
କମଳା ବିନୁ ଏ ସୁଧା ପରଷିଲେ ଆନ
ଭୋଜନେ ଜଣକ ସୁଦ୍ଧା ନ ପୂରିବ ପେଟ ।
ଚିନ୍ତାକର ଚିନ୍ତାମଣି ମାତ କମଳାଙ୍କୁ ?
ସେହି ନିଶ୍ଚେ ଆସି ଦେବେ ବାଣ୍ଟି ;
ନୋହିଲେ ଶ୍ରୀକରେ ପ୍ରଭୁ ଦିଅ ସର୍ବଜନେ ।
ନୃସିଂହ- ଧନ୍ୟ ଧନ୍ୟ ଧନ୍ୟରେ ଗରୁଡ଼, ତୋତେ ଏକା ଜଣା ମୋର ମନ ? ଦେଖ, ଲକ୍ଷ୍ମୀ ଉଭା ସର୍ବଆଗେ ।
ସମସ୍ତେ- (ଲକ୍ଷ୍ମୀକି ଦେଖି) ଜୟ ଶ୍ରୀଲକ୍ଷ୍ମୀ-ନରସିଂହଙ୍କ ଜୟ ।
(ତ୍ରିପଦୀ ସୁର)
ତରିଯାରେ ପାପୀ ଆଖି, ଏ ଯୁଗଳରୂପ ଦେଖି ସରି ଯା’କୁ ନୁହେଁ ସ୍ୱର୍ଗସୁଖ ।
ହରିଯିବ ତୃଷ୍ଣା କ୍ଷୁଧାପାନକଲେ ନାମସୁଧା ଡରି ଯମ ନ ପଶିବ ପାଖ ।୧।
ପରମଲକ୍ଷ୍ମୀଟି ଜାଣ ଜୀବ ନର ନାରାୟଣ ବେନି ଅଙ୍ଗ ଏକଅଙ୍ଗ ସିନା ।
ଭିନ୍ନାଭିନ୍ନ ଯେହୁ କରେ ସେ ପଡ଼ଇ ନରକରେ, ଜାଗିଲେ ଯୋଗେ ସେ ଦେବେ ଚିହ୍ନା ।୨।
ଯୁଗକୁ ଯୁଗ ଏପରି ଜନମନ୍ତି ତନୁ ଧରି, ଅବନୀର ଭାର ନିବାରଣେ ।
କର୍ମଫଳ ଘେନି ପଡ଼ି ଦିଅନ୍ତି ଜୀବକୁ ଲୋଟି ପଡ଼ସେହି ଅଭୟ ଚରଣେ ।୩।
କମଳାନନ କମଳେ ନଟାଳ କଟାଳ ବଳେ ମାଗୁଚି ଏତିକି ବେଳ ଜାଣି ।
ବଇଷ୍ଣବ ଭାବ କରି ବିନାଶିବ ଚକ୍ରଧାରୀ; ହେ ଦେବାଧିଦେବ ଶିରୋମଣି ।୪।
ଲକ୍ଷ୍ମୀ- ଖଗେଶ୍ୱର ! ତୋର ମନୋବାଞ୍ଛା ହେଉ ସିଦ୍ଧି ।
ନୃସିଂହ ବରେ ସଂସାରେ ହୁଅ ତୁ ବିଜୟୀ ।
ନୃସିଂହ- ଗୋ କମଳେ ! ଭାବ କିସ ଚିତ୍ତେ ?
ପଠାଇଛନ୍ତି ଅମରୁ ଅମୃତ ବିଧାତା
ତୁମ୍ଭେ ତାହା ଦେବ ପତ୍ରେ ପରଷି ଆମ୍ଭଙ୍କୁ;
ଶୁଚିମନ୍ତ ନାରୀ ଅନ୍ନ ପରଷି ବସିଲେ
ତିନିଜଣ ଗ୍ରାସ ପାଞ୍ଚଜଣକୁ ବଳଇ,
ତୁମ୍ଭଙ୍କୁ ନେଇ ଏଠାବେ ଆମ୍ଭେ ଚାରିମୂର୍ତ୍ତି
ଯେମନ୍ତେ ତୃପ୍ତ ହୋଇବା ଭୁଞ୍ଜି ସର୍ବେ ଏହା ।
ଲକ୍ଷ୍ମୀ- ହେ ଛଳନାମୟ ! କିପାଁ ଛଳ ଏତେ ଲଳନାରେ ?
ସୁଧାରୁ ଅଧିକ ନାମ ଯା’ର
ଯା ନାମ ସୁଧାପାନରେ ଦୂର ହୁଏ ଚିର କ୍ଷୁଧାତୃଷ୍ଣା
ସେ ପୁଣି କହନ୍ତି ଏତେ କଥା...
ଯେହୁ ଭୁଞ୍ଜେ ତବ ନାମାମୃତ ସରେ ନାହିଁ ଯୁଗଯୁଗାନ୍ତରେ,
ସରିଯାଏ ଶତରସ ଅମୃତ ଭକ୍ଷିଲେ
ସେହି ଶତରସ ପାନକରିଲେ ଅଧିକେ
ବ୍ୟାଧି ଜାତ ହୋଇଣ ମରନ୍ତି ପ୍ରାଣୀମାନେ
ନାମରସେ ଭୋଜନେ ନ ଘୋଟେ ଜରାମୃତ୍ୟୁ ।
ନରସସିଂହ- ନାରାୟଣୀ ! କଥାରେ କେ ପାରିବ ତୁମ୍ଭଙ୍କୁ, ଚାଲ ଯିବା ମଣୋହି-ବାସରେ । ଆସ ଶେଷ; ଆସରେ ଗରୁଡ଼, ମାତାଙ୍କୁ ଘେନିଣ ସଙ୍ଗେ ଆସ, ସୁଧାଗ୍ରାସେ କ୍ଷୁଧାବାଧା ତୁଟାଇବା ମିଳି ।
ଶେଷ- ଚାଲ ମାତ ! ଭୋଜନ-ବାସରେ, କ୍ଷୁଧାନଳେ ଜଳଇ ଜଠର...ତୋର ଅଧମ ସୁତର ।
(ସମସ୍ତଙ୍କ ପ୍ରସ୍ଥାନ)
ଅନ୍ତଃପୁର
(ମୁର ପଲଙ୍କେ ଉପବେଶନ, ପାର୍ଶ୍ୱେ ମଦନାବତୀ ରାଣୀର ଦଣ୍ଡାୟମାନ)
ମୁର- ଶୁଣରେ ପ୍ରେୟସୀ, ନିଶି ଯୋଗେ
ନିଦ୍ରା ନେତ୍ରେ ନ ଆସଇ ମୋର,
କହୁଚି ବହୁଦିନର କଥା ଶୁଣ ରାଣୀ ।
ଯେକାଳେ ମୁଁ କଲି ଦିଗ ବିଜେ
ସାକଲ୍ୟ ଦ୍ୱୀପେ ପଶିଣ ପୋଡ଼ିଲି ବିଷ୍ଣୁଙ୍କୁ
ସେ ଦିନ ନିଶ୍ଚିନ୍ତେ ଥିଲି ବସି,
ଏବେ ଶୁଣିଲି ସେ ବିଷ୍ଣୁ ଜନ୍ମିଲା ବଦ୍ରିକା ନବରେ
ନାରଦେ ଆସିଣ ମୋତେ ଗୁପ୍ତେ କହିଗଲେ,
ଏ ଗୁଢ଼ ରହସ୍ୟ ଜାଣିପାରି
ଆଣିଲି ସର୍ବଦା ଗୁରୁ କରି ସେ ହରିକି ।
ବନ୍ଦିକରି ରଖିଲି ମନ୍ଦିରେ,
କୂଟ- ଛନ୍ଦେ ପୁତ୍ରଙ୍କର କରେ ମରାଇବି
ନୋହିଲେ ମୁଁ ନିଜ କାର୍ଯ୍ୟ କରିବି ସାଧନ ;
ତେବେ ଅମର ହୋଇବି ସୃଷ୍ଟି ଥିବାଯାଏ,
ଏ ଗୂଢ଼ ରହସ୍ୟ ନ କହିବୁ ସଖି କାହିଁ ?
ମଦନାବତୀ- ପ୍ରାଣେଶ୍ୱର ! ଜାଣୁ ଜାଣୁ ନାଶ କଲ କେମନ୍ତ ସଂସାର, ବିଷ୍ଣୁରେ ବିବାଦୀ ହୋଇ ରହିଛି କେ ନାହିଁ ? ଜାଣି ନ ପାରିଲ ଛନ୍ଦ ତର୍କ ଅନ୍ଧ ହେଲ ଆଖି ଥାଉଁ ଥାଉଁ, ଶୁଣ ଯାହା, ଉଦେ ହୁଏ ମନେ....
(ଗୀତ)
ହେ ଦୈତ୍ୟନାଥ, ନାରଦ ପରା ତୁମ୍ଭର ଭ୍ରାତ ହେ ।ପଦ।
କହିଲେ ମରଣବାଟ, କପଟେ ସେ ବିଧିଚାଟ ।
ମଣିଲ ତାହାଙ୍କ ବାଣୀ ହିତ ହେ ।୧।
ଆନ ଗୁରୁ ଏ ଜଗତେ, ନ ଥିଲେ କି କହ ମୋତେ ।
ବିଷ୍ଣୁକୁ ଆଣିଲ ପେଶି ଦୂତ ହେ ।୨।
ଯେ ପ୍ରଭୁର ଲୋମକୂପେ କୋଟି କୋଟି ସୃଷ୍ଟି ଗୋପ୍ୟେ ।
ରହିଛନ୍ତି ରେଣୁକଣା ମତ ହେ ।୩।
ତାଙ୍କୁ ରଖିବ ବନ୍ଦୀରେ, ଅଛି କେ ସୃଷ୍ଟି ମଧ୍ୟରେ ।
ଏ ଜଗତ ତାହାର ଆୟତ୍ତ ହେ ।୪।
ହୋଇ ସହଜେ ବାମନ, ଚନ୍ଦ୍ର ଧରି କଲ ମନ ।
ବଳାଇଲ ବଇ ବିରଚିତ ହେ ।୫।
ଆବର ଶୁଣିଛି ନାଥ ବଶିଷ୍ଠଙ୍କ ମୁଖୁଁ
ବାଲ୍ୟକାଳେ ନୃସିଂହଙ୍କୁ ରାଣୀ ଭଗବତୀ
ବିଷୟେ ପଡ଼ି କଟାଳ ନ ପାରିଣ ସହି
କୁଞ୍ଚି ଦେଇ ପୂରାଇଲେ ଗମ୍ଭୀରି ମଧ୍ୟରେ,
ଲାଗନ୍ତେ କବାଟେ ସେହି ନୃସିଂହଙ୍କ କର
ଫିଟିଲା କୁଞ୍ଚି ମୁକୁଳା ହୋଇଲା ଦରଜା,
ଏହିପରି ବାର ବାର କରି ଭଗବତୀ
ଶେଷେ ବ୍ୟସ୍ତ ହୋଇ ରହିଲେ ମଉନେ ।
ସେ ପ୍ରଭୁଙ୍କୁ ବନ୍ଦିକଲ ବୋଲୁଛ ତୁଣ୍ଡରେ
ଲୋକେ ଶୁଣି ବୋଲିବେ ପାଗଳ,
ଅମର ହେବାକୁ ଯେବେ ବଳିଅଛି ମନ
ଛାଡ଼ି ଦିଅ ସେ ବିଷ୍ଣୁଙ୍କୁ, କ୍ଷମା ମାଗି ପଦେ ।
ମୁର- ରାଣି ! ଶୁଣି ତୋର କଥା ହସ ମାଡ଼ୁଅଛି ମୋତେ ?
ନ ଜାଣୁ କି ଶକ୍ତି ମୋର ତୁହି,
କୋଟି ସିଂହର ବଳ ବହଇ ମୁଁ ଦେହେଁ
ଦଶଦିଗପାଳେ ଖଟାଇଚି ପାଦତଳେ-
ବଳେ ବଳେ ଆଣି ଧରି !
ଶତବିଂଶ ଯୋଜନ ବିସ୍ତାର ରାଜ୍ୟ ମୋର
ଅଶେଷ ରତନ ପୂରିଅଛି ମୋ ଭଣ୍ଡାରେ,
ତେତ୍ରିଶକୋଟି ରାଣୀରେ ଭୂଷିତ ମୁଁ ନିତି
ବିଧାତାର ପୁତ୍ର ମୁହିଁ ଖ୍ୟାତ ତିନିଲୋକେ,
ସତର-ଲକ୍ଷ କୁମର, ନାତି ନବଲକ୍ଷ;
ଦାରୁଣ ଭାଇର ରହିଛନ୍ତି ଯେତେ....
ଶୋଷିବେ ସାଗର, ଟାଳିପାରିବେ ହିମାଦ୍ରି
ଯଦି କହୁଅଛୁ ଦ୍ୱିଜପୁତ୍ରେ ନାରାୟଣ, ଶୁଣ ତାର କହଇ କାରଣ ।
ଗୀତ- (ଚନ୍ଦ୍ରବଦନା ରେ...ବୃତ୍ତେ)
ଘନଜଘନାରେ, ମୋତେ ମନା ନ କର ତୁ ଆଉ ।
ରେ ନବୀନା ତୋତେ ଚିହ୍ନାଇ ଦେଉଛି ଏ ଜୀବନ ପଛେ ଯାଉ ।ପଦ।
କରି କୂଟ ରଣ, ଘେନିବି ପରାଣ, ବିପ୍ରସୁତ ବେନିଙ୍କର ।
ବାରଣଗମନା ବରଣ କରିଣ ଆଣିଲି ବରଗି ଚାର ।୧।
ମରଣ ଡରେ ମୁଁ ଶରଣ ପଶିବି ଚରଣରେ ତାର ଯାଇଁ ।
ଦେଉଛି ତୋ ରାଣ ପୁରାଣପଢ଼ାଙ୍କୁ ତିଳେ ଡର ମୋର ନାହିଁ ।୨।
ବିଜୟପଥରେ ଦାରୁଣ ଭାଇକି ଘେନି ଯେବେ ଥିବି ବସି ।
ହାରିଯିବେ କୋଟି କୋଟି ଇନ୍ଦ୍ର ଚନ୍ଦ୍ର ବ୍ରହ୍ମା ବିଷ୍ଣୁ ହର ଆସି ।୩।
ଜାଣ ଯଦି ବଇକୁଣ୍ଠ ନିବାସୀ ସେ କୃଷ୍ଣବଲ୍ଲଭର ପୁଅ ।
ତା କରେ ମରିଲେ ତରିବି ସଂସାରୁ ତେଜି ଏ ଦାନବ ଦେହ ।୪।
ଯେବେ ଜୀବେ ତାକୁ ବିନାଶିବି ଲୋକେ ହୋଇବି ଅମର ।
ରହିବି ମୁଁ ବ୍ରହ୍ମପ୍ରଳୟ ପର୍ଯ୍ୟନ୍ତ ବଇଷ୍ଣବର ଏ ଗିର ।୫।
ମଦନାବତୀ- ଜୀବେଶ୍ୱର !
ନୁହେଁ ପାଗଳିନୀ, ମୋତେ ଭଣ୍ଡିବ କଥାରେ ।
ତେଜି ଏହି ଅସାର ଲାଳସା ଭାବି ଦେଖ ଚିତ୍ତେ
ଏ ସଚରାଚର ଜୀବଜନ୍ତୁ, ଖେଳୁଛନ୍ତି ମାୟାଯନ୍ତ୍ରେ କା’ର?
ଏଇକୋଟି ଆତ୍ମା ସେହି ଆତ୍ମାରାମ ହରି
ଭିନ୍ନ ଭିନ୍ନ ଅଂଶେ ଅବତରି
ଲୀଳା ଲଗାଇଚି ବସି ସବୁରି ଘଟରେ ।
ଶେଷେ ସମସ୍ତ ସଂହରି ଅଙ୍ଗେ କରେ ଲୀନ
ସମସ୍ତ ଅଚିର, ଏକା ଚିର ସେହି ବିଷ୍ଣୁ
ଚୋର-ରୂପେ ଚୋରି କରି ଧରେ ସାଧୁ-ରୂପ,
ଯାର ନାହିଁ ଉତ୍ପତ୍ତି ବିନାଶ;
ତାକୁ ବିନାଶିବ ପୁଣି କରୁଛ ସାହସ;
ନିଶ୍ଚେଁ ବିଷ୍ଣୁକରେ ଦିନେ ହୋଇବ ନିଧନ ।
ମୁର- ଶୁଣ ରାଣି ! ଆବର କଥାଏ ।
ସହସ୍ରପାଦରେ ବିଷ୍ଣୁ ଜନମିଲେ ସିନା- ମୋର ପ୍ରାଣ କରିବ ହରଣ ।
ଏଡ଼େକ ଉଦର ଅଛି କା’ ର, ଦ୍ୱାଦଶ ଅଙ୍ଗୁଳ ଅଟେ ଗରଭ ସବୁରି
ଯଦି କେହି ପ୍ରସବେ ସେପରି
ଗର୍ଭ ଫାଟି ମାତା ପୁତ୍ର ହୋଇବେ ବିନାଶ
ସହସ୍ରପାଦ ବିଷ୍ଣୁକୁ ଦେଖନ୍ତେ ମରିବି
ହର-ବର ନୋହିବ ଅଚିର,
ପାହିଲାଣି ନିଶି ଯିବି ରାଜସଭା ସ୍ଥଳେ
ତହିଁ ପୁତ୍ର ନାତି ପାଶେ ମିଳିବେ ସକଳେ ।
ମଦନାବତୀ- ଜୀବଧନ ! ନ ମାନିଲେ ଦାସୀର ବଚନ ।
ଗୀତ- (ଯାଅ ଯାଅ ହେ ଶ୍ୟାମବନ୍ଧୁ...ବୃତ୍ତେ)
ଚାଲିଯାଉଛ ପ୍ରାଣନାଥ ! ଭୁଲି ନ ଯିବ ଦାସୀ କଥା ।
ଦେଲି ଯେଉଁ ଉପଦେଶ କାଳେ ହେବ ନାହିଁ ବୃଥା ।ପଦ।
ନଦୀବାଲି ଗଣିବାକୁ କହ କାହାର କ୍ଷମତା ।
ସେ ନାଲି ଚରଣ ଗୁଣ ଗୁଣି ନ ପାରିଲେ ଧାତା ।୧।
ଆଜିର ଭାବ କାଲିକି ନଥିବ ପୃଥ୍ୱୀକରତା ।
କି କଲି କି କଲି ବୋଲି ହଜିବ ହୃଦରୁ ଚେତା ।୨।
ବୁଲି ପଚାର ତ୍ରିପୁରେ କେ ଅଟେ ଜଗତଜିତା ।
ପଲ୍ଲୀବାସୀ ବଇଷ୍ଣବ ଲେଖଇ ବିଷ୍ଣୁ କବିତା ।୩।
(ଉଭୟର ପ୍ରସ୍ଥାନ)
(ରାଜସଭା)
(ମୁରର ପୁତ୍ର ନାତି କ୍ରମେ କ୍ରମେ ଆସୀନ- ତତ୍ପରେ ମୁର ମନ୍ତ୍ରୀ ସହ ପ୍ରବେଶ)
ମୁର- ଶୁଣ ଶୁଣ ପୁତ୍ରନାତିଗଣେ ! ଅବହେଳା ନ କରିବ ବଚନ ମୋହରି, ତୁମ୍ଭଙ୍କୁ ମୁଁ ଯୁଦ୍ଧବିଦ୍ୟା ଶିକ୍ଷା ଦେବା ଆଶେ- ଡକାଇ ଆଣିଲି ଦୂତ ପେଶି ବଦ୍ରିକାରୁ ଶେଷ ନୃସିଂହ ନାମରେ ବିପ୍ର ବେନିଜଣେ । ତାଙ୍କଠାରୁ ଶିକ୍ଷାକର ଯାଇଁ ବିଦ୍ୟାମାନ ।
ମହୀକର୍ଣ୍ଣ- ପିତଃ ! ପାଳିବୁଁ ତୁମ୍ଭରି ଆଜ୍ଞା ଶିରେ । ଶୀଘ୍ର ନେଇଁ ଗୁରୁଙ୍କର ପାଶେ- ଭେଟାଅ ଆମ୍ଭଙ୍କୁ କୃପା କରି ।
ମୁର- ଯାଅରେ ଡଗର, ଶୁକ୍ରାଚାର୍ଯ୍ୟେ ଆଣ ଶୀଘ୍ର ତାଙ୍କଠାରୁ ବେଳା ବୁଝି ପଠାଇବା ବିଦ୍ୟାଗାରେ ପୁତ୍ରେ ।
ଡଗର- ଯେ ଆଜ୍ଞା ଶ୍ରୀଛାମୁ ! (ପ୍ରସ୍ଥାନ)
(ଶୁକ୍ର ସହ ପୁଣି ପ୍ରବେଶ)
ଶୁକ୍ର- ଦୈତ୍ୟରାଜ !
କି ଉଦ୍ଦେଶ୍ୟ ଡକାଇଲ ଏଥେଁ ?
ମୁର- ବେଳ ସ୍ଥିର କର, ଶାସ୍ତ୍ର ପଢ଼ିବେ ମୋ ସୁତେ ।
ଶୁକ୍ର- (ସ୍ୱଗତ) ବଡ଼ ମନ୍ଦବୁଦ୍ଧି କଲା ଦୁଷ୍ଟ
କେଡ଼େ ବଡ଼ ବିଭବ ଏ କରାଉଛି ଧ୍ୱଂସ ?
ଉଚିତ କହିଲେ ନିଶ୍ଚେ କୋପିବ ନୃଶଂସ
କୂଟେ ବିଷ୍ଣୁଙ୍କୁ ଆଣିଚି ବିନାଶିବା ପାଇଁ
ବିଧି ଲେଖା କେ କରିବ ଆନ !
(ପ୍ରକାଶ୍ୟେ) ହେ ରାଜନ ! ପଚାରିଲୁ ଯାହା-
ତାହା ଏବେ ଶୁଣ ଦେବା କହି ।
ଅଦ୍ୟ ବୈଶାଖ ଶୁକ୍ଳ ପଞ୍ଚମୀର ତିଥି
ବୃହସ୍ପତି ବାର ଯୋଗ ଲଗ୍ନ ଅତି ଭଲ
ଆଝୁଁ ବିଦ୍ୟା ପୁତ୍ରେ ତବ କରନ୍ତୁ ଅଭ୍ୟାସ ।
ମୁର- ଶୁଣିଲ ତ ପୁତ୍ରେ ! ଆଚାର୍ଯ୍ୟଙ୍କ କଥା କର୍ଣ୍ଣେ, ଯାଅ ୟାଙ୍କ ତୁଲେ, କରାଇବେ ଭେଟ ନେଇଁ ଶରଣଭଦ୍ରା ନଦୀର ତୀରେ ଗୁରୁପାଶେ, ଆମ୍ଭ କୂଳବିଦ୍ୟାମାନ ଆଗେ ଶିକ୍ଷା କର ।
ଗୀତ- (କି କହିବି ପୂତନା ମୋ...ବୃତ୍ତେ)
ଯା ଯା କୁମରେ ସମରବିଦ୍ୟା ଆଗେ ଶିଖରେ ।
ଜାରଣ ମାରଣ ଧନୁ ତୀର ଗୁଳି ଲାଖରେ (ପୁତ୍ରେ) ।୧।
ଖଡ଼ଗ ଶାବେଳି ଗଦା ଭୁଷଣ୍ଡି ତୋମର ରେ ।
ବାଙ୍କିଆ ଗୁରୁଜପଟା ଶୂଳ ଶକ୍ତି ମାର ରେ (ପୁତ୍ରେ) ।୨।
ଏମାନ ସାଧି ରଣରେ ଶତ୍ରୁ ଶିର ହାଣ ରେ ।
ଯେମନ୍ତେ ରହଇ ବତ୍ସ ଦୈତ୍ୟକୁଳ ଟାଣରେ ।୩।
ମୋର ତୁଲ୍ୟ ଯୋଦ୍ଧା ହୁଅ ଶୁକ୍ରଙ୍କ କଲ୍ୟାଣରେ ।
ବହ ଦ୍ୱିଜରାଜ ତେଜ ଦ୍ୱିଜ ବଇ ଭଣେ ରେ ।୪।
ପୁତ୍ରଗଣ- ଆଶୀର୍ବାଦ କର ତାତ ! ହେଉଛୁଁ ମେଲାଣି ।
ମୁର- ବିଦ୍ୟା ପଢ଼ି, ରଖ ଯଶ ଆରେ ପୁତ୍ରମଣି ! (ମୁର ପ୍ରସ୍ଥାନ)
ଶୁକ୍ର- ମମ ତୁଲେ ଆସ ରାଜପୁତ୍ରେ ବିଦ୍ୟାଗାର ପାଶେ
(ସ୍ୱଗତ) ଧନ୍ୟ ମୋ ଜୀବନ, ଧନ୍ୟ ପିତାମାତା ମୋର;
ମୁର ଯୋଗେ ଆଜି ମୋର ଉଦେ ଭାଗ୍ୟଭାନୁ
ଅମଳକମଳ ମୁଖ କରିବି ଦର୍ଶନ,
କୋଟି ଜନ୍ମଜନ୍ମାନ୍ତର ପାପ ଯିବ ଜଳି
ନାହିଁ କେଭେ ଦୈତ୍ୟଙ୍କ କରମେ ଭଲ ଯୋଗ ।
ମହା ମହା ଅମଙ୍ଗଳ ଦେଖେ ଚାରିଧାରେ
ଗୃଧ୍ରଯୋଗ ଉଲ୍ଲୁକ ଭୁଜଙ୍ଗ ଶ୍ୱାନ କାକ-
ରାବୁଛନ୍ତି ଦାନବଙ୍କୁ ଚାହିଁ,
ତଥାପି ଯାଆନ୍ତି ଦୁଷ୍ଟେ, ପାଳି ପିତ୍ରାଦେଶ ।
ନିକଟେ ଶରଭଦ୍ରାତଟେ ବିଜେ ହରି
ବସିଛନ୍ତି ମଣ୍ଡପରେ ଅନୁଜଙ୍କୁ ଘେନି ।
ଏହିକାଳେ କରିବି ଦର୍ଶନ,
(ପ୍ରକାଶ୍ୟେ) ଆସ ଶୀଘ୍ର ଶୀଘ୍ର ରାଜସୁତେ !
(ସମସ୍ତଙ୍କ ପ୍ରସ୍ଥାନ)
(ବିଦ୍ୟାଗାର- ନୃସିଂହ ଶେଷଦେବ ବିଜୟ)
ନୃସିଂହ- ଭାଇ ଶେଷ ! ଚାହିଁ ଦେଖ ଦୂରେ, ଶୁକ୍ର ଗୁରୁ ଘେନି ଦୈତ୍ୟବାଳେ- ଆସନ୍ତି ଆମ୍ଭରି ନିକଟକୁ, ଜାଣନ୍ତି ଆମ୍ଭ ପୂର୍ବାପର ଏ ସମସ୍ତ ତ୍ରିକାଳଜ୍ଞ ଅଟନ୍ତି ଏ ମୁନି ଦେବ ହିତେ ଛନ୍ତି ମୁର ପାଶେ।
ଶେଷ- ହେ ଅଗ୍ରଜ ! ତେବେ ଦାନବଙ୍କ କୂଟତର୍କ ଜାଣନ୍ତି ଏ ସବୁ ! ଯାହା ହେଉ ମିଳେ ଭାଗ୍ୟେ ଥିଲେ ମୁନିମାନଙ୍କ ଦର୍ଶନ ।
ନୃସିଂହ- ରହ ଶେଷ ! ନିକଟେ ହେଲେଣି ଯାତୁଧାନ ।
(ପୁତ୍ରଗଣ ସହ ଶୁକ୍ର ପ୍ରବେଶ)
ଶୁକ୍ର- ନମୋ ନାରାୟଣ, ନମୋ ଅନାଦି ଅନନ୍ତ,
ନମୋ ଲକ୍ଷ୍ମୀକାନ୍ତ ଚକ୍ରପାଣି,
ବହୁଭାଗ୍ୟ ଆଜି, ନେତ୍ରେ ଦେଖିଲି ଶ୍ରୀମୁଖ ।
ଗୀତ- (କୀର୍ତ୍ତନ)
ସବୁରି ଅନ୍ତର ଜାଣ ଅନ୍ତର୍ଯ୍ୟାମୀ ଅଧିକ କହିବି କିସ !
ଯେହୁ କୂଟ ବୁଦ୍ଧି କପଟୀ ଜଗତେ ଅଳପେ ହୁଅଇ ନାଶ ।ପଦ।
ଯେ ସରଳ ଜନ । ତାର ବଂଶ ଯଶ ବଢ଼େ ଦିନୁଦିନ ।
ଏହା ବିଧିର ବିଧାନ ମନେ ଘେନ । ପାପୀ ପାପେ ମଜ୍ଜି ହୁଏ ହତଜ୍ଞାନ ।
ବଦ୍ରି-ଦେଶରେ ବେଶରେ । ଜନ୍ମ ହୋଇଅଛ ବେନି ଅଂଶରେ ।
କୃଷ୍ଣବଲ୍ଲଭ ଦ୍ୱିଜ ଔରସରେ । ଦୁଷ୍ଟ ଦାନବଂଶ ବିନାଶରେ ।
ବଇକୁଣ୍ଠେ ଯିବ କାର୍ଯ୍ୟ ଶେଷରେ ।
ବଇଷ୍ଣବ ବୋଲେ ମହୀପରେ ଥୋଇ ମା’ କମଳାବିଳାସ ।୧।
ନୃସିଂହ- ମହାମୁନି ! ପ୍ରଘଟ ନ କର ଏ ଘଟନା
ମାରି ଏଥି ଥୋକେ ଦୈତ୍ୟ ଯିବୁଁ ବଦ୍ରିକାକୁ
ତାର ପରେ ମୁର ତୁଲେ ହେବ ତହିଁ ଭେଟ ।
ଆମ୍ଭଙ୍କୁ ମାରିବ ଦୁଷ୍ଟ ଆଣିଅଛି ଏଥି
ଚାରି ଲକ୍ଷ ପ୍ରହରିଙ୍କି ରଖିଛି ଜଗାଇ
ଦ୍ୱାରେ ବାନ୍ଧିଛି ସହସ୍ରେ ମତ୍ତ କରିବର
ଏହା କଲେ ନ ମାରିବ ମୋତେ-
ଯେ ଚିନ୍ତେ ପର ପ୍ରମାଦ, ମରଇ ସେ ଶେଷେ ।
ବିଜେ କର ମୁର ନିକଟକୁ, ଏହାଙ୍କ ମରଣ ମନ୍ତ୍ର କରୁଛି ମୁଁ ଜପ ।
ଶୁକ୍ର- ବିଦାୟ ହେଉଚି ଶ୍ରୀ ଚରଣୁ ପଦ୍ମନାଭ !
ସମୟରେ ପୁଣି ଭେଟ ହେବ । (ପ୍ରସ୍ଥାନ)
ନୃସିଂହ- ବସ ବସ ରାଜପୁତ୍ରଗଣେ ! ଆଦ୍ୟେ ଦେବୀ ଶାରଦାଙ୍କୁ ପୂଜ- ଗଣନାଥଙ୍କ ସହିତେ, ଏକ ଆତ୍ମା ଚିନ୍ତ ସବୁ ଘଟେ । ଆଗେ ଯାହା ସାଧିବ, ତା କହଇଁ ବୁଝାଇ ।
(ଗୀତ)
ସାଧ୍ୟମତେ ଏହି ବିଦ୍ୟା ସାଧରେ ।
ଦୈତ୍ୟଗଣେ ! କାମ କ୍ରୋଧ ଲୋଭ ମୋହ
ଆଦି ଷଡ଼ରିପୁ ସହ କରି ଯୁଦ୍ଧରେ ।ପଦ।
ବିବେକ ଆୟୁଧ ଧରି ଆଣ୍ଟେ ପୁତ୍ର ପ୍ରକୃତି ଗଣଙ୍କୁ ଛେଦ ।
ଇନ୍ଦିୟଦମନ ନ କରିଲା ଜନ ଭୋଗେ ମହା ପରମାଦ ରେ ।୧।
ଉଚିତ ପଥରୁ ବଞ୍ଚିତ ହେଲେଟି ଅଳପେ ହୋଇବ ଅନ୍ଧ ।
ଶରୀର ଆୟତ୍ତ କରି ଯେ ନପାରେ ତାର ପାପ ପ୍ରାଣବଧ ରେ ।୨।
ଏହାଠାରୁ ବଳି ନାହିଁ କ୍ଷତ୍ରୀବିଦ୍ୟା ପୁରାଣେ କହନ୍ତି ବୁଧ ।
ମରଣ କାଳକୁ କାରଣଟି ଜାଣ ବଇଷ୍ଣବ ଛନ୍ଦେ ପଦରେ ।୩।
୧ମ ବାଳକ- ହେ ଗୁରୁ ! ବୋଇଲ ଯାହା ତୁମ୍ଭେ
ବାପ ଅଜା କାଳୁଁ ଆମ୍ଭେ ନ ଜାଣୁ ସେମାନ ।
ପଶୁନାହିଁ କର୍ଣ୍ଣେ, ଦିଶୁନାହିଁ ନୟନକୁ,
ବଧିର ଆଗରେ ବେଦ ପଢ଼ିଲା ପରାୟେ ।
ଏହାଛଡ଼ା ଶିକ୍ଷାଦିଅ ଆନ ବିଦ୍ୟାମାନ ।
ନୃସିଂହ- (ସ୍ୱଗତ) ଉଚିତ କହିଲେ ଯାହା ଦୈତ୍ୟେ ।
ନୀଚଲୋକ ହାତେ କାହିଁ ଶାଳଗ୍ରାମ ସେବା ?
ହାତ ଘେନି ପିଟି କରେ ଗୁଣ୍ଡା
ଚଣ୍ଡାଳେ କି ଶିଖାଇବା ଜ୍ଞାନ
ବ୍ରହ୍ମବିଦ୍ୟା କହିବାରୁ ବୋଲନ୍ତି ଏ କିସ,
ଉଲ୍ଲୁକ ପରାୟେ ଚାହୁଁଛନ୍ତି ବଲ ବଲ
କେବଳ ମରଣ ବିଦ୍ୟା ପାଞ୍ଚନ୍ତି ଏ ମନେ
(ପ୍ରକାଶ୍ୟେ) ହେ ଦୈତ୍ୟ ବାଳକେ !
ମନେ ଯାହା କରିବ ସେ ବିଦ୍ୟା ହେବ ସିଦ୍ଧି ।
ଗୀତ- (ଓଗାଳ...ବୃତ୍ତେ)
ଧର ଧର ଏହି ଲକ୍ଷପତ୍ର । ୟାକୁ ସାଧନା କର ତୁରିତ ।୧। (ଦୈତ୍ୟସୁତେ)
ଗଦା କୁନ୍ତ ଖଡ଼୍ଗ ଖଣ୍ଡା ଫରି । ସାଧ ଶାବେଳୀକୁ ଶୀଘ୍ର କରି ।୨।
ମାଲବନ୍ଧ ଚକା ବଇଠକ । ଅସିପତ୍ର ଶିଖ ପୁତ୍ରଯାକ ।୩।
ଛୁରୀ କାତି ପରିଘ ସୁଦୂର । ଲାଠି ଯମଦାଢ଼ ଧନୁତୀର ।୪।
ବିଷ୍ଣୁଶର ପବନା ନୈଋତା । ମେଘବରୁଣା ବହ୍ନି ପର୍ବତା ।୫।
ଏହିପରି ଅଛି ଯେତେ ବାଣ । କ୍ରମେ ସାଧ ବଇର ଜଣାଣ ।୬।
ମିତ୍ରଲାଭ- ଭାଇ ମହୀକର୍ଣ୍ଣ ! ଲାଗିଲାଣି କ୍ଷୁଧାବାଧା ଆସି । ମହୀଧର, ଭାଇ ମହିସୁର, କହି ଚାଲ ଗୁରୁଙ୍କୁ ବହନ, ଭୋଜନକୁ ବଳିଲାଣି ମନ ।
ମହୀକର୍ଣ୍ଣ- ଆଜି ଗୁରୁ ଦିଅନ୍ତୁ ମେଲାଣି ପ୍ରାତେ ଆସି କରିବୁ ଦର୍ଶନ । ଭାଇମାନେ ମୋର ଜଠର ଯନ୍ତ୍ରଣା, ଗୁରୁ ! ନ ପାରନ୍ତି ସହି ।
ନୃସିଂହ- ଆଚ୍ଛା, ତେବେ ଯାଅ ସଙ୍ଗହୋଇ । (ସମସ୍ତଙ୍କର ପ୍ରସ୍ଥାନ)
ଶେଷ- ହେ ଅଗ୍ରଜ ! ଚାଲ ଆମ୍ଭେ ଯିବା ତର୍ପଣକୁ, ଶରଣଭଦ୍ରା-ନଦୀରେ ପଶି ସନ୍ଧ୍ୟାସାରି- ଆସିଲେ ବଡ଼ସିଂହାର ବେଶ ହେବା ଲାଗି ।
ନୃସିଂହ- ଚାଲ ଶେଷ ! ଦିନ ଶେଷ ପ୍ରାୟ ।
(ଉଭୟ ପ୍ରସ୍ଥାନ)
(ମୁର ସିଂହାସନେ ଉପବେଶନ- ପାର୍ଶ୍ୱେ ଦୈତ୍ୟଦଳ ଦଣ୍ଡାୟମାନ)
ମୁରାସୁର- ଦେଖିଛକି ପ୍ରଜାଗଣେ କେହି- କେସନେ ଦିଅନ୍ତି ଶିକ୍ଷା ପୁତ୍ରଙ୍କୁ ମୋହରି ସେହି ବିପ୍ର ଦୁଇ ଭାଇ ? କେ ଦେଖିଛ କହ ଆଗେ ମୋର ।
୧ମ ରାକ୍ଷସ- ଭୋ ଦାନବ ଶ୍ରେଷ୍ଠ ! ଯାହା ଦେଖିଲୁଁ ନୟନେ, ତାହା ତୁଣ୍ଡେ ନୋହେ କହି । କାହୁଁ ଏମନ୍ତ ଗୁରୁଙ୍କୁ ଆଣିଅଛ ରାଜା ନୁହନ୍ତି ବ୍ରାହ୍ମଣ, ସ୍ୱୟଂ ‘‘ନାରାୟଣ’’ ସେହି, ଅନୁମାନେ ପାରିଅଛୁ ଜାଣି ।
୨ୟ ରାକ୍ଷସ- ମୁଁ ଯାହା କହଇ ଦେବ ଶୁଣ, ଗୁଣ ତାଙ୍କ କେ ପାରିବ ଲେଖି, ଶୁଣ ନେତ୍ରେ ଅଇଲି ଯା ଦେଖି ।
ଗୀତ- (ଆସ ଆସ ମୋ କୋଳକୁ....ବୃତ୍ତେ)
ବାରେ ମଣିମା ଶୁଣିମା ମୋର ଭାରତୀ ହେ ।
ମନୁ ନ ଯାଏ ପାସୋର ସେହି ମୂରତି ହେ ।ପଦ।
ଧରି ନର କଳେବର, ଜାଣୁଅଛି ହରି ହର
ଜନ୍ମି ପବିତ୍ର କଲେ ଏ ଧରତୀ ହେ ।୧।
ଅଗାଧଶାସ୍ତ୍ରେ ନିପୁଣ, ଅଟନ୍ତି ସେ ବେନିଜଣ ।
ଯିବ କେ ତାଙ୍କ ଆଗରୁ ବରତି ହେ ।୨।
ଚାହୁଁ ଚାହୁଁ ପଲକରେ, ଅସ୍ତ୍ରଙ୍କର ଝଲକରେ ।
ପଳାଇବେ ରଥୀ ହୋଇ ବିରଥୀ ହେ ।୩।
ଛାମୁରେ କହିବାପାଇଁ, ଆସିଲୁ ସକଳେ ଧାଇଁ ।
ବଇ ବୋଲେ ରଖାଇବେ କୀରତି ହେ ।୪।
ମୁରାସୁର- (ସ୍ୱଗତ) କି କଥା କହନ୍ତି ଦୈତ୍ୟଗଣେ !
ଶୁଣି ଭୟେ କମ୍ପେ ମମ ଗାତ୍ର ।
ଅଙ୍ଗ ରକ୍ତ ପାଲଟିଲା ଜଳ ।
ନା, ଭୟ କିମ୍ପା କରୁଚି ମୁଁ ଏତେ,
ବନ୍ଦିରେ ରଖିଚି ଯା’କୁ ଆଣି
ତାକୁ କି ଡରିବ ମୁରାସୁର,
କ୍ଷତ୍ରି ହୋଇ ରହିଲା ଯେ ବନ୍ଦିଶାଳେ ପଡ଼ି ।
ବୈଦ୍ୟ ହୋଇ ନ ଚିହ୍ନେ ଯେ ନାଡ଼ୀ,
ଭଲ ଦ୍ରବ୍ୟ ଭୁଞ୍ଜି ଯେହୁ କଲା ପୁଣି ବାନ୍ତି,
ବିଦ୍ୟାବନ୍ତ ହୋଇ କଷ୍ଟେ କାଟିଲା ଯେ ଦିନ,
ଏ ଲୋକମାନେ ଜୀବନ୍ତେ ମୃତ ସଙ୍ଗେ ସରି ।
ଯେବେ ତାଙ୍କୁ ଏକ୍ଷଣେ ମାରିବି
ନିନ୍ଦିବେ ଜନେ ସଂସାରେ ମୋତେ,
ବୋଲିବେ ଗୁରୁ ବିପ୍ରଙ୍କୁ ହତ୍ୟା କଲା ରାଜା
ଗୁପ୍ତେ ମରାଇବି, କେହି ନ ପାରିବେ ଜାଣି ।
(ପ୍ରକାଶ୍ୟେ) ଦୈତ୍ୟଗଣେ ! ଭୟ କରନାହିଁ ତୁମ୍ଭେ କେହି
ନୁହେଁ ହରି ହର କେଭେ ବିପ୍ର ବେନି ପୁତ୍ରେ
ପରୀକ୍ଷା କରିଣ ଗୁରୁ ଆଣିଅଛି ଖୋଜି
ନିତିପ୍ରତି ଦେଖ ଯାଇ ଆଖଡ଼ା ଗୃହରେ
କେହ୍ନେ ବିଦ୍ୟା ଶିଖାନ୍ତି ବ୍ରାହ୍ମଣେ;
ଯାଅ ସର୍ବେ ରହନାହିଁ ଏଥି ।
ସମସ୍ତେ- ଯାଉଅଛୁଁ ଛାମୁଁ ଆମ୍ଭେମାନେ । (ପ୍ରସ୍ଥାନ)
ମୁର- ରେ ଅଶୀଳ, ଥାଅ ତୁହି ଏକା ଶୁଣ ଯାହା କହୁଛି ତୋ ଆଗେ
ଗୀତ- (ଛାନ୍ଦ...ବୃତ୍ତେ)
ଆରେ ଅଶୀଳ ଏକା ଜାଣୁ ମୋ ମନ,
ସେ ଦ୍ୱିଜ ଟୋକା ବଧେ ବଳାଇ ମନରେ ଦେଇଣ ଲେଖା ।
ଡାକିଆଣିଲି ତୋତେ ପେଷି ବଦ୍ରିକାରେ ।୧।
ରଖାଇଲି ବନ୍ଦୀରେ ସଖାଭାବରେ,
ଭିକ୍ଷାଶୀ ବିପ୍ରେ ଛନ୍ତି ମୋର ନବରେ ରେ ।
ବେଦବିକାଙ୍କୁ । ବାର ବରଷ ଆସ ହେଲାଣି ତାଙ୍କୁ ରେ ।୨।
ଠେକାବନ୍ଧା କେସନେ ଠିକିବେ କହ,
ଠାକିଲେ ଡାକିବଟି ଯମ ନିଶ୍ଚୟ ରେ ।
ଠାରିବ ଆଖି । ବଇ ବୋଲେ ସେ ମଲେ ହେବାଟି ସୁଖୀ ରେ ।୩।
ଅଶୀଳ- ଶୁଣ ରାଜା ! ତୁହି ଶ୍ରେଷ୍ଠ ଅଟୁ ତ୍ରିଜଗତେ
ବ୍ରାହ୍ମଣେ କି ବଳାଇବେ ତୋତେ,
କୋଟି କୋଟି ଯୋଦ୍ଧା ଯା’ର ସେବିଛନ୍ତି ପଦେ
ତାର କି ଆପଦ ଅଛି କେବେ,
ଇଚ୍ଛାକଲେ ଜଣେ ଜଣେ ଶୋଷିବେ ସାଗରେ ।
ମୋତେ ଯେବେ ଆଜ୍ଞା ଦେବୁ ରାଜା-
କଉଶଳେ ତାହାଙ୍କର ନେବି ମୁଁ ଜୀବନ ।
ମତ୍ତ କରିବର ଦନ୍ତା ଅଛନ୍ତି ସହସ୍ରେ,
ତାଙ୍କ ଦନ୍ତେ ଚିରାଇବି କହ ଆଜ ନିଶି ।
ନୋହିଲେ ସତରଲକ୍ଷ ଅଛନ୍ତି ତୋ ପୁତ୍ର
ତାଙ୍କ କରେ ମରାଅ ନିଶ୍ଚିନ୍ତେ ।
ମୁର- ରେ ଅଶୀଳ ! ଯଥାର୍ଥ କହିଲୁ,
ତୁହି ମୋର ବିଶ୍ୱାସି କିଙ୍କର
ଆଣ ଯାଇଁ କୁମରଙ୍କୁ ମୋର
ଗୋପନେ କହିବି ତାଙ୍କୁ ପାଶରେ ବସାଇ
ହେବ ଯେଉଁପରି କାର୍ଯ୍ୟ ସିଦ୍ଧି ।
ବାନ୍ଧିଲି ତୋ ଶିରେ ଶାଢ଼ି, ଯାଅ ବିଦ୍ୟାଶାଳେ,
ଏହିକ୍ଷଣି ସଙ୍ଗେ ଘେନି ଆସ ତୁ ଚଞ୍ଚଳେ ।
ଅଶୀଳ- ଯାଉଛି; ଏକାକୀ ଏଥି ବସିଥିବୁ ରାଜା
ସଭା ତେଜି ନ ଯିବୁ କେଣିକି । (ପ୍ରସ୍ଥାନ)
ମୁର- ହାୟ ହାୟ, କାହିଁକି ମୁଁ କ୍ଷୀର ଦେଇ ପୋଷିଲି ଅହିକୁ
ସତେ କି କୃଷ୍ଣବଲ୍ଲଭକୁମରଙ୍କ ହାତେ
ମୋର ମୃତ୍ୟୁ ହେବ ବିଧି-ଲେଖା !
ଥାଉଁ ଥାଉଁ ଏତେ ଲୋକେ ସହାୟ ମୋହରି,
ହତ ହେବି ଦ୍ୱିଜଟା ହାତରେ !
ଉର୍ବଶୀ ଜନନୀ, ଧାତା ପିତା ଅଟେ ମୋର
ନାରଦ ମୋ ଭ୍ରାତା, ଇନ୍ଦ୍ର ଅଟେ ଆଜ୍ଞାକାରୀ,
ସୂର୍ଯ୍ୟ ଦଣ୍ଡୁଆସି, ଯମ ଖଟେ ବୈଦ୍ୟପଣେ,
ଅଗ୍ନି ବସ୍ତ୍ର କାଚେ, ଜଳ ଯୋଗାଏ ବରୁଣ,
ଏତେ ଲୋକ ଥାଉଁ ମୋର ହେବ ଅକାରଣ ।
ଆସୁଛନ୍ତି ପୁତ୍ରଗଣେ ମମ- ସଙ୍ଗେ ଅଛି ଅଶୀଳ ଡଗର ।
ଦୈତ୍ୟପୁତ୍ର- (ପ୍ରବେଶି) ନମସ୍କାର ଶ୍ରୀଚରଣେ ପିତା ! କି କାର୍ଯ୍ୟେ ଡାକିଲ ପୁତ୍ରଗଣେ ? ଜଣାଯାଏ ମନକଷ୍ଟ ଘଟିଅଛି ତବ ।
ଗୀତ- (ଜାଗ ଗଜବଦନ ଯେ...ବୃତ୍ତେ)
କି ହେତୁ ମାନସେ ଦୁଃଖ ହେ ଜନକ ।ପଦ।
କିଅବା ଭଣ୍ଡାରୁ ଧନ, ହରିନେଲେ ଦସ୍ୟୁଜନ, ମଣି ମୁକୁତା କନକ ।୧।
ଅମରେ ସମରେ ମତି କି ସେ ବଳାଇ ଅଛନ୍ତି, ବଞ୍ଚନ୍ତୁ ଆଜ ଦିନକ ।୨।
ଆଜ୍ଞା ଦିଅ ତିନିଲୋକେ ପଶି ବିନାଶିବୁ ସୁଖେ, ଅରି କେ ଦୈତ୍ୟମାନଙ୍କ ।୩।
ବଇଷ୍ଣବ ରସେ ଭଣି, ଭାଷ ଭାଷ ରକ୍ଷମଣି, ବାଜୁ ବିଜୟଟମକ ।୪।
ମୁର- ଶୁଣ ପୁତ୍ରଗଣେ ! ଯେତେବେଳେ କରିଥିଲି ମୁହିଁ ଦିଗ୍ବିଜେ
ଜୟ କରି ଛଅ ଦ୍ୱୀପ ହେଳେ ପ୍ରବେଶିଲି ଶାକଲ୍ୟ ଦ୍ୱୀପରେ,
ତହିଁ ଘଟିଲା ଯେବଣ ଘଟଣା ସେ ବେଳେ,
କହିଲେ ଅଣ୍ଟିବ ନାହିଁ କାଳ ।
ବିଷ୍ଣୁକୁ ପୋଡ଼ିଲି ନଗ୍ରେ ଲଗାଇ ଅନଳ
ପୋଡ଼ିମଲା ହରି ବୋଲି ଫେରିଲି ସେଠାରୁ ।
ପାଞ୍ଚିଲି ଏଣିକି ମୁହିଁ ହୋଇବି ଅମର ଶତ୍ରୁମଲା ମୋର-
ଏବେ ଶୁଣିଲି ନାରଦ କହିଗଲେ ମୋତେ
ଜନ୍ମିଲା ସେ ହରି ବଦ୍ରିକାରେ
ଜାଣି ତାହା, ଆଣିଲି ଡକାଇ ସେ ହରିକି,
ରଖିଲି ବନ୍ଦିରେ କଉଶଳେ ଗୁରୁ କରି ।
ଆରେ ବତ୍ସ ! ମାନ ଥରେ ପିତାର ବଚନ ।
ଗୀତ-(ରାଗ...ଚୋଖି)
ବିଦ୍ୟା ସାଧିବାର ବେଳେ, ବଧିବ ବଇରି ବଳେ,
ତେବେ ଅଷ୍ଟନିଧି ସୁତେ ଭୁଞ୍ଜିବି ସୁଖେ ।
ବିଧି-ଲେଖା ମେଣ୍ଟିଯିବ, ଯେବେ କାର୍ଯ୍ୟ ସିଦ୍ଧି ହେବ,
ଏ ଆଧି ରହିବ ଜାଣ ବିବୁଧ ଲୋକେ ।
ବନ୍ଦୁଥିବେ ପାଦରେ ନିତି ।
କନ୍ଧୁ ନ ଛାଡ଼ିବେ ଶିରୀ ନ ଥିବ ଭୀତି ।୧।
ସରୁନାହିଁ ମୋର ଦିନ, ଭାବନ୍ତେ ଚିତ୍ତେ ଏ ମାନ,
ବେଳ ବୁଡ଼ୁନାହିଁ ପାହୁ ନାହିଁଟି ରାତି ।
ଗଡ଼ୁ-ତମ୍ବା-ପାତ୍ରୀବୁହା, ଭିକମଗା ଘୋଡ଼ାମୁହାଁ,
ପୀଡ଼ା ଦେଲେ ସଦା ଚୁଡ଼ାଚକଟାଜାତି ।
ଜଗତକୁ କାଟି ସେ ଚିତା ।
ତଣ୍ଡୁଥାନ୍ତି ଲୋକେ କନ୍ଧେ ପିନ୍ଧି ପଇତା ।୨।
ହୋଇଲା ବେନି ବରଷେ, କଲେ ମୋ ବାସରେ ବାସ,
ଅଡ଼ାଇ ଆଣିଲି ପାଠ ପଢ଼ାଇବାକୁ ।
ବଢ଼ାଇଲି ଶତ୍ରୁ ଖୋଇ, ଆଉ ସେ ସମୟ ନାହିଁ,
ନ ମାରିଲେ ରାତ୍ରୁଁ ପଳାଇବେ ଦେଶକୁ ।
କୂଟେ ତାଙ୍କ ଘେନ ପରାଣ ।
ବଇଷ୍ଣବ ବୋଲେ ବାପ ଦେଲି ମୋ ରାଣ ।୩।
ମିତ୍ରଲାଭ- ପିତା ! ଆଗୁଁ ଏହା ନ କହିଲ କିପାଁ ?
ଯେବେ ଏତେ ସରି ଅରି ସେ ତୁମ୍ଭରି
ଜାଣିଥିଲେ ଥାନ୍ତେ କି ସେ ଆଜଯାଏ ଜୀବେ ।
ରୋଗ ଋଣ ଶତ୍ରୁ ଶେଷ ରଖିବା ନୁହଇ
ବଢ଼ି ଶେଷେ ନାଶେ ଆପଣାକୁ ।
ଗୁରୁ ବୋଲି ଜାଣିଲେ ସକଳେ,
ପ୍ରକାଶ୍ୟେ ବଧିଲେ ନିନ୍ଦା ହୋଇବ ରଟନା,
ନ ମାରିଲେ ନିଜେ ହେବେ ହତ ।
ଶେଧକ ବାଧକ ଅଛି ଏପରି କଥାରେ ।
ପୂର୍ବରୁ ଏମାନ ଜଣାଥିଲେ
ମଲ୍ଲଖମ୍ବେ ପିଟି, ମୁଣ୍ଡ କରିଥାନ୍ତୁ ଚୂନା ।
ମହୀକର୍ଣ୍ଣ- ଯାହାହେଉ, ସେକଥାରେ ପ୍ରୟୋଜନ କିସ
କାଲି ଦେଖ ପିତା, ତବ ଅରାତି ମସ୍ତକ
ପଦେ ଦେବୁଁ ଉପହାର ଆଣି
ପିତା-ଶତ୍ରୁ ମାତା-ଶତ୍ରୁ ରଖେ ଯେ କୁମର
ଧିକ ତା ଜୀବନ ନରଲୋକେ,
କାଲି ରାତ୍ର-ଅର୍ଦ୍ଧକାଳେ ସର୍ବେ ଯାଇଁ ତହି
ମାରିବୁଁ ବ୍ରାହ୍ମଣ ବେନି ବାଳେ ।
ରତନଖଟେ ଶୋଇଥିବେ ନିଦ୍ରାଭୋଳେ ଦୁହେଁ
ନ ଥିବ ନିକଟେ ଅସ୍ତ୍ରଶସ୍ତ୍ର
ଗଦାରେ ପିଟିଣ ଅସ୍ଥିଚର୍ମ କରିଦେବୁଁ ଗୁଣ୍ଡା ।
ମିତ୍ର- ନ କର ଏ କଥାକୁ ପ୍ରଘଟ
ଜାଣିଲେ ସତର୍କ ହେବେ ଦୁହେଁ
ଭାଳନାହିଁ ପିତା ଆଉ ବସି ।
ରେ ଅଶୀଳ, ତୁହି ଥିବୁ ସହିତେ ଆମ୍ଭର
ମଲେ ଶତ୍ରୁ ଜଣାଇବୁ ପିତାଙ୍କୁ ଖବର ।
ପିତଃ ! ଦିଅନ୍ତୁ ମେଲାଣି ମନସୁଖେ ।
ଗୀତ- (ନରେ ଭଜ ରାମରାମ...ବୃତ୍ତେ)
ତାତ କର ଆଶୀର୍ବାଦ, ପୂର୍ଣ୍ଣ ହେଉ ମନସାଧ, ନ ଘଟୁ ବିପଦ ହେ ।ପଦ।
ହରିର ପୂରିଲା କାଳ, ଯିବ ସଞ୍ଜିବନୀ ଆଳ,
ବତାଇଲାଣି ବଇବ ତା ମରଣ ଭେଦ ହେ ।୧।
ଗଦା ଅସିପତ୍ର ଶୂଳେ, ପିଟିବୁ ଧରି କାଳେ,
ନ ରହିବ କଣାମାତ୍ର ରକ୍ତ ଅସ୍ଥିମେଦ ହେ ।୨।
ମନକଥା ମନେ ଥାଉ, ଆନେ ଗୋଚର ନ ହେଉ,
ଆସରେ ଅଶୀଳ ବଇଷ୍ଣବ ଛନ୍ଦେ ପଦ ହେ ।୩।
(ପୁତ୍ରଗଣ ଅଶୀଳ ସହ ପ୍ରସ୍ଥାନ)
ମୁର- ଯାଉଚି ମୁଁ ରାଣିହଂସପୁରେ । ହୋଇଲାଣି ନିଶି ଆଠଦଣ୍ଡ, ସାରି ନିତ୍ୟକର୍ମ ସୁଖେ ନିଦ୍ରାଯିବି ଖଟେ । ଗଲା ଆଝୁ ଅରାତିର ଭୟ ନିର୍ଭୟେ କନକାବତୀ କରିବଇଁ ଭୋଗ, ଚିନ୍ତାରୋଗ ଗଲା ଦୂରହୋଇ ।
(ବେଗେ ପ୍ରସ୍ଥାନ)
(ଆଖଡ଼ାଶାଳ- ଶେଷ ନୃସିଂହ ଓ ଗରୁଡ଼ର ପ୍ରବେଶ)
ନୃସିଂହ- ଶୁଣ ଶେଷ ! ଶୁଣ ରେ ଗରୁଡ଼ !
ସତର୍କେ ରହିବା ଆମ୍ଭେମାନେ ଆଜ ନିଶି
ମୁର-ପୁତ୍ରଙ୍କ ମରଣ ହୋଇଲା ନିକଟ,
କୂଟ କରିଛନ୍ତି ଦୁଷ୍ଟେ- ଆଜ ରାତ୍ରେ ମାରିବେ ଆମ୍ଭଙ୍କୁ ।
ଶୁଣ ଖଗବର ! ଯା’ର ପୋଡ଼ଇ କରମ
ନାତିଆଡ଼ୁ ତାର ବଂଶ ଛିଡ଼ନ୍ତି ନିଶ୍ଚୟ ।
ଶେଷ- ଜ୍ୟେଷ୍ଠ ନନା !
ବିନା ଅପରାଧେ ଯଦି ମାରିବାକୁ ପାଞ୍ଚ ନିର୍ଦ୍ଦୋଷୀ ଜନଙ୍କୁ;
ନିଶ୍ଚେ ତାର ବିନିମୟେ ଭୋଗିବେ ସେ ଦଣ୍ଡ,
ମେଘମୁକ୍ତ ଚନ୍ଦ୍ରପରି ବିରାଜିବ ଯଶ ତବ ଇହଜଗତରେ-
ଯେ ଯେତେ କରଇ ପାପ ଅବା ପୁଣ୍ୟକର୍ମ
ତିନିବର୍ଷେ ଫଳ ତାକୁ ଦିଅଇ ଦଇବ ।
ବେନିବର୍ଷ ଯାଇ ତିନି ବର୍ଷ ପରବେଶ ହେଲା,
ରକ୍ଷ ରଖିଛି ଆମ୍ଭଙ୍କୁ ମାରିବାକୁ ବନ୍ଦିଭାବେ ଏଥି,
ନିକଟେ ତା ଫଳାଫଳ ପଡ଼ିଯିବ ଜଣା ।
ଗରୁଡ଼- କି କରିବା କହ ଦେବ ସ୍ୱାମୀ ! ଆଜ୍ଞାଦିଅ ଆଜି ରାତ୍ରେ ମାରିବି ଦାନବେ, ଜାଣି ନ ପାରିବେ ଜଣେ କେହି ।
ନୃସିଂହ- ଶୁଣ ପକ୍ଷୀ ! ବସା ପୃଷ୍ଠେ ଆମ୍ଭ ତିନିଜଣେ
କମଳା ସହିତେ ରହିଥିବା ଶୂନ୍ୟମାର୍ଗେ,
ମାୟା ନୃସିଂହ ସ୍ୱରୂପ ଦେଖାଇବା ଦୁଷ୍ଟେ
ସେହି ତାଙ୍କୁ ବିନାଶିଣ ଯିବେ ରତ୍ନଖଟେ,
ଆଗେ ଧର୍ମ ଛାଡ଼ୁ ଦାନବଙ୍କୁ ।
ଗରୁଡ଼- ଯଥାର୍ଥ କହିଲେ ନାରାୟଣ !
ବିଜେକର ମୋରପରେ ଲକ୍ଷ୍ମୀଙ୍କି ଘେନିଣ ।
(ସମସ୍ତେ ଗରୁଡ଼ଉପରେ ବସି ପ୍ରସ୍ଥାନ)
(ମୁର-ପୁତ୍ରଗଣେ ପ୍ରବେଶ; ଦ୍ୱାର ବନ୍ଦ ଦେଖି)
୧ମ ପୁତ୍ର- ଆରେ ଭାଇ ! ଏ ତ ଦରଜା ହୋଇଛି ଦିଆ ?
୨ୟ ପୁତ୍ର- ବୁଦ୍ଧି ଦିଶୁନାହିଁ ଘୋଡ଼ାମୁହାଁ !
ଗୀତ- (ଧର ହାଲ ମାର ପାଲ....ବୃତ୍ତେ)
ଆଣ ରେ ଶାବଳ ବଳେ ତାଡ଼ କବାଟ । ତେବେ ଫିଟିବ ବାଟ ।ପଦ।
ଦେଇଚି କିଳିଣି ଭିତର ପାଖ । ତରକି ଯିବଟି ଶୁଣିଲେ ଡାକ ।
ଶୁଭେ ଠକଠକ ମନ ଦକଦକ କରନା ମଠ ।୧।
ଘୁଙ୍ଗୁଡ଼ି ମାରନ୍ତି କେତେ ତୋଡ଼ରେ । ଶୁଣ କାନଡେରି ଏଇ ମୋଡ଼ରେ ।
କେଡ଼େ କେଡ଼େ ଧୁଣ୍ଡା ଧୁଣ୍ଡା ହୋଇଛନ୍ତି ବ୍ରାହ୍ମଣ-ଚାଟ ।୨।
ଫିଟିଲା ଦରଜା ଦେଏଖେ ନନା । ପିଟି ହାଡ଼ ଗୋଡ଼ କରିଦେ ଚୂନା ।
ଭାଙ୍ଗିଗଲେ ନିଦ ପଡ଼ିବ ବିପଦ ଲାଗିବ ଲଟ ।୩।
ମୁଣ୍ଡତଳେ ଅଛି ପାଟ ମୁଚୁଳି । ଝଟଝଟ ପରା ଉଠୁଚି ଜଳି,
ବଇଷ୍ଣବ ଭଣି ଆଣ୍ଟେ ଧର ଗଦା କାମୋଡ଼ି ଓଠ ।୪।
(ସମସ୍ତେ ଏକାବେଳେ ଗଦା ମୁଦ୍ଗର ପିଟିବା)
୨ୟ ଦୈତ୍ୟ- ଗଲା ରେ ଭାଇ ! ଆମର ପିତୃଶତ୍ରୁ ଶେଷ ।
ସମସ୍ତେ- ବାଃ ବାଃ ବାଃ, ବେଶ୍ ବେଶ୍ ବେଶ୍ ବେଶ୍ ।
ଅଶୀଳ- ରାଜପୁତ୍ରେ ! ଚାଲ ଏ କଥା ପିତାଙ୍କୁ କହିବା । ସେ ଆସି ଦେଖନ୍ତୁ ତାଙ୍କ ଶତୃର ମରଣ । ନିଜେ ଆଖିରେ ଦେଖିଲେ ତାଙ୍କର ଭୟ ଛାଡ଼ିବ ।
ମହୀକର୍ଣ୍ଣ- ଚାଲ ଭାଇମାନେ ! ଏ ସୁଲଭ ସମାଚାର ଜଣାଇବା ତାତେ, ଜୟକଲା କ୍ଷେତ୍ର ତେଜି ଚାଲ ଆଜ ରାତ୍ରେ । ପ୍ରହରିଏ ! ଶୁଣିଥାଅ କହୁଅଛି ଯାହା- ରହିଥିବ ଜଗି ଦ୍ୱାରେ ନ ଯାଇ କେଣିକି, ଅନ୍ୟ ଆଦେଶ ପିତାଙ୍କ ନ ହେବା ପର୍ଯ୍ୟନ୍ତ ନ ଛାଡ଼ିବ ଏ ପଥେ କାହାକୁ । ଆସ ଭାଇମାନେ !
(ସମସ୍ତଙ୍କ ପ୍ରସ୍ଥାନ)
(ରାଜନବର- ରାଜା ରାଣୀ ଏକତ୍ର ପଲ୍ୟଙ୍କ ଉପରେ ଆସୀନ)
ମୁର- ଶୁଣ ରାଣୀ ! ଶୁଭ ସମାଚାର ।
ଆଜି ନିଶିଯୋଗେ ଘଟିଅଛି ଯାହା ଯାହା,
ଆଖଡ଼ାଶାଳେ ନୃସିଂହ ଶେଷ ହେଲେ ନାଶ ।
ରାଣୀ- ଏ କି ଅଲୋକିତ କଥା କହ ହେ ଜୀବେଶ !
କେ ବଧିଲା ନୃସିଂହ ଶେଷଙ୍କୁ,
ନ କହ ବଚନ ମୋତେ ପାଗଳ ପରାଏ ।
ମୁର- ଏ ଅସାଧ୍ୟ କାର୍ଯ୍ୟ ସାଧ୍ୟକଲେ ତୋର ପୋଏ
ମହୀକର୍ଣ୍ଣ ମିତ୍ରଲାଭ ମହୀଶୂଳ ତୁଲେ
ମହାକାଳ, ମହାବଳ, ମହାଶୀଳ ବୀର
ମହାନ ମକରାକ୍ଷ, ମହୀନ୍ଦ୍ର, ମନପଥ,
ମହେନ୍ଦ୍ରାଦି ପୁତ୍ରେ ଯାଇଁ କଲେ ଶତ୍ରୁ ସାଧ୍ୟ ।
ଜାଣିଲଇଁ ବିଷ୍ଣୁଠାରୁ ଶ୍ରଷ୍ଠ ସୁତେ ତୋର
ଏଣିକି ନିର୍ଭୟେ ମୁହିଁ ଭ୍ରମିବି ଜଗତେ
ପ୍ରଳୟ ଯାଏ ମୋହର ମୃତ୍ୟୁ ନାହିଁ ଆଉ ।
ରାଣୀ- ମନକୁ ନ ଆସେ ଦନ ! ଏସନ ବଚନ ସ୍ୱପନ ସମାନ ଅନୁମାନ- ହୁଏ ମୋତେ ବିଷ୍ଣୁର ବିନାଶ । ଶୁଣ ବାରେ କହଇ ପ୍ରାଣେଶ-
ଗୀତ-(ରାମକେରୀ...ବୃତ୍ତେ)
ଯେବେ ଲାଜ ଥାନ୍ତା ରାଜନ ନ କହନ୍ତ ଏ ଭାଷା ।
ସଜୀବ ବିଷ୍ଣୁଙ୍କୁ ଅଜୀବ କେ କରିବ ସହସା ।୧।
ନଯିବ ଏ ନିନ୍ଦା କାଳକୁ ବାଜିବ ରାଜ୍ୟେ ଢକା ।
ଭାଜିବ ଗରିମା ରାଜିବପଦ ସବୁରି ସଖା ।୨।
ମଧୁକଇଟଭଠାରୁ କି ଅଛନ୍ତି ଶ୍ରେଷ୍ଠ ପୁଣି ।
ପ୍ରଳୟ ସଲିଳ ଯାହାକୁ ହୋଇଛି ଆଣ୍ଠୁଆଣି ।୩।
ତାକୁ ବଧ କରି ସ୍ଥାପିଲେ ଯେହୁ ଏ ବସୁନ୍ଧରୀ ।
ସେହୁ ମଲେ ବୋଲି ବଦନେ ଭାଷୁଚ କେଉଁପରି ।୪।
ମୁଠାକରି ଧରନ୍ତେ ଯା’କୁ କରୁ ଯାଏ ଉଭେଇ ।
ଭକ୍ତିରେ ଚିନ୍ତିବା ମାତ୍ରକେ ଉଭା ହୁଅନ୍ତି ସେହି ।୫।
ସୃଷ୍ଟିଯାକ ଦୃଷ୍ଟିରେ ଥାଇ ଦେଖା ଯେ ନ ଦିଅଇ ।
ମିତ୍ର ଅରି ବିଚାର ପୁଣି ତା’ ଠାରେ ଭେଦ କାହିଁ ।୬।
ଲୟକାଳେ ସକଳ କ୍ଷୟ ଅକ୍ଷୟ ସେହି ହରି ।
ବଇ ବୋଲେ ଦୁଷ୍ଟଦଳନେ ଜନ୍ମନ୍ତି ଦେହ ଧରି ।୭।
ମୁର- ଏ କଥା ନ କହ ପାଟରାଣୀ !
ଶରୀରୀ କି ଅଶରୀରୀ ହୋଇଅଛି କାହିଁ ?
ସାକ୍ଷାତେ ବଧିଲେ ପୁତ୍ରେ ଯା’କୁ ଦେଖି ନେତ୍ରେ
ସେ କି ବଞ୍ଚି ଆଗେ ହେବ ଛିଡ଼ା ।
ଭସ୍ମ ହେବା ଜୀବ କାହିଁ କହଇ ବଚନ ?
ଭଣ୍ଡ ନାହିଁ ରେ ଖଣ୍ଡବଚନା !
ରାଣୀ- ନାଥ ! ଶୁଣ ସେହି ବିଷ୍ଣୁର ମହିମା ?
ପବନରେ ନ ଉଡ଼ଇ ଖଡ଼୍ଗେ ଯେ ନ ଛିଡ଼େ
ଅଗ୍ନିରେ ନ ପୋଡ଼େ ଯେହୁ ଜଳରେ ନ ବୁଡ଼େ
ଛେଚିଲେ କୁଟିଲେ ନ ଟଳଇ ଲୋମେ ଯା’ର
ଅଣୁ-ପରମାଣୁ ରୂପେ ପୂରିଛି ଯେ ବିଶ୍ୱେ
ତାକୁ ବିନାଶିଲ ବୋଲୁଅଛ କେଉଁରୂପେ?
ଚାଲ କାନ୍ତ ! ପୁତ୍ରେ ସଙ୍ଗେ ଘେନି-
ଶରଣ ପଶିବା ସେହି ଚରଣଯୁଗଳେ,
କ୍ଷମାନିଧି ନାରାୟଣ ନିଶ୍ଚେଁ ଦେବେ କ୍ଷମା ।
ଯାଉଛି ଆଗରେ, ତୁମ୍ଭେ ଆସ ମମ ପଛେ ।
ଜଗତର ଗୁରୁ ଭଗବାନ;
ତା ଦର୍ଶନେ ପାପ ତାପ କରିବା ଦହନ ।
ମୁର- ବାତୁଳୀ ହେଲୁ କି ରାଣୀ ତୁହି
ମଲାଲୋକେ ସେବିବୁ କାହିଁକି ?
ତୁ ଦର୍ଶନେ କଲେ, ସେ କି ବଞ୍ଚିଣ ଉଠିବେ ।
ବିଶାଶଏ ଯୋଜନ ମୋହର ରୀତି ସଖି
ତାର ତୁହି ଅର୍ଦ୍ଧ ଅଧିକାରିଣୀ ହେବାରୁ-
ତେଣୁ ମୋତେ ଭାଷିଲୁ ଏ ବାଣୀ ।
ଆନ କେହି ହୋଇଥିଲେ-
ଖଡ଼୍ଗେ ଶିର ଦେଇଥାନ୍ତି ହାଣି ।
ପାହିଲାଣି ନିଶି ଯାଉଅଛି ନିତ୍ୟ କର୍ମେ,
ନିଜ କାର୍ଯ୍ୟ ବୁଝ ତୁହି ଯାଇଁ ।
ରାଣୀ- ହେଉ, ଯାହା କହିଲ ଜୀବେଶ !
ଶେଷେ ଦିନେ ଏ ଯୁକ୍ତିର ହୋଇବ ମୀମାଂସା । (ଉଭୟର ପ୍ରସ୍ଥାନ)
ଅଦୃଷ୍ଟକୁମାରୀଙ୍କ ଗୀତ- (ଆହା କିବା ଶୋଭା...ବୃତ୍ତେ)
ହସି ଆସେ ଉଷା ସୁନ୍ଦରୀ ଧୀରେ,
ଯୋଷାଗଣେ ଆସ ଆସ ସଧୀରେ ।ପଦ।
କାକ କୋକିଳ କାକଳି, ଶୁଭେ କି ମଧୁରେ ଆଳୀ ।
ତୁଚ୍ଛ କରିଦିଏ ଅଷ୍ଟନିଧିରେ ।୧।
ଆରକ୍ତ ବରନ ଛବି, ଧରି ପ୍ରାଚୀ ନଭେ ରବି ।
ଉଇଁଆସେ କି ସେ ସୁଧା ନଦୀରେ ।୨।
ଉପବନେ ଫୁଲ ଫୁଟି, ସୁବାସ ପଡ଼େ ଚହଟି ।
ତୋଳି ମାଳ ଗୁନ୍ଥି ଦେବା ବିଧୁରେ ।୩।
ବନ୍ଦିବା ରାଜିବ ପଦ; ପଳାଇଯିବ ବିପଦ ।
ବଇଷ୍ଣବ ପଦ ଲେଖେ ଛନ୍ଦରେ ।୪।
(ପ୍ରସ୍ଥାନ)
(ଚାଟଘର- ଶେଷନୃସିଂହ ଓ ଗରୁଡ଼ ଆଖଡ଼ାଶାଳେ ପ୍ରବେଶ)
ନୃସିଂହ- ହେ ଗରୁଡ଼ ! ଗତି ଦେଖ ନୟନେ ତୋହରି
ଭଗ୍ନ ହୋଇଛି ମୋ ରତ୍ନଖଟ ।
ଚିନ୍ତିଲେ ବିଶ୍ୱକର୍ମାକୁ, ନିର୍ମାଣିବି ଶଯ୍ୟା ।
ଏ ଶଯ୍ୟାରେ ସୁଖେ ଆମ୍ଭେ କରୁଛୁଁ ଶୟନ,
ଜଗିଥା ଗୋପନେ ତୁହି ପ୍ରହରୀ ରୂପରେ ।
ଗରୁଡ଼- ଯଥା ଆଜ୍ଞା, ଜଗତଜୀବନ !
ମାୟା ପଟଳ ଢାଙ୍କିବ ଦାନବଙ୍କ ନେତ୍ରେ
ସେହି ମୋତେ ନ ପାରିବ ଦେଖି ।
ଅଦୂରେ ଶୁଭଇ ପାପିଷ୍ଠଙ୍କ ତୁଣ୍ଡରାବ
କପଟ ନିଦ୍ରା ଯାଅ ହେ କମଳାବଲ୍ଲଭ ! (ପରୁଡ଼ ଗୋପନେ ରହିବା)
(ଶେଷ ସହ ନୃସିଂହଙ୍କ କପଟ ନିଦ୍ରା)
(ମୁର-ପୁତ୍ରଗଣଙ୍କ ପ୍ରବେଶ; ନୃସିଂହଙ୍କୁ ଦେଖି ଚମକିପଡ଼ି)
ମିତ୍ରଲାଭ- ଭାଇ ମହୀକର୍ଣ୍ଣ ! ଏ କିସ ଘଟଣା ?
କାହୁଁ ଏ ଅଇଲେ ବେନି ଭାଇ ବଡ଼ ମାୟାବୀ ଏ ବିପ୍ର ଦୁଇ;
ଏଡ଼େ ପ୍ରଭାତ କାଳରେ ଯାଇଛନ୍ତି ନିଦ୍ରା ।
ମହୀକର୍ଣ୍ଣ- ମିତ୍ର ! ଜାଣିଥିଲେ ଆମ୍ଭେ, ଏହି ମରିଅଛି ବୋଲି
କିନ୍ତୁ, ରାତ୍ରେ ମାଡ଼ ଖାଇ, ପ୍ରାତେଃ ଶୋଉଛନ୍ତି ନିଦେ ।
ଯଦି ପଚାରିବେ, ଆମ୍ଭେ କି ବୋଲି କହିବା ?
ମହିଶୀଳ- ଭାଇ ! ନାନାକଥାରେ ଭଣ୍ଡାଇ ଦେବା ବ୍ରାହ୍ମଣଙ୍କୁ ।
ଅପାଣ୍ଡୁକ ଉଦାର ପ୍ରକୃତି ଲୋକ ଏହୁ ।
ହୋଇଥାନ୍ତା ଯେବେ ଏ ଚତୁର,
ନ ଥାନ୍ତା ଏଠାବେ କେଭେଁ, ଯାଆନ୍ତାଣି ପଳାଇ ।
ବଡ଼ ଅଳସୁଆ ଜାତି ଅଟନ୍ତି ବ୍ରାହ୍ମଣେ
ଭୋଜନ ପାଇଲେ କେଭେ ନ ଯାନ୍ତି ଏ କାହିଁ ।
ନିକଟକୁ ଚାଲ ଯିବା ଭାଇ ।
ନୃସିଂହ- (ଖଣ୍ଡିକାଶ ମାରିବା)
ରେ ଅସୁରେ ! ଶୁଣ ଆମ୍ଭ କଥା । ଜାଣୁଁ ଆମ୍ଭେ ତୁମ୍ଭ ଛନ୍ଦ ତର୍କ ।
ଗୀତ- (ଦୂତ ଯାଅ ରେ...ବୃତ୍ତେ)
ଧରାପଡ଼ିଗଲା ତୁମ୍ଭ କୂଟରେ, ଦୈତ୍ୟ ଖଣ୍ଟ ରେ ।
ଆରେ, ହୁଡ଼ିଅଛ ଧର୍ମ ବାଟ ରେ ।ପଦ।
ତୁମ୍ଭପରି ଅତ୍ୟାଚାରୀ, ନ ଥିବେ ଏ ତିନିପୁରୀ ।
ସ୍ନାନ କରି ଗଲୁଁ ନଦୀଘାଟରେ ।୧।
ମାର ମାର ବୋଲି ରଡ଼ି, ତହିଁ କର୍ଣ୍ଣେ ଗଲା ପଡ଼ି ।
ତହୁଁ ପ୍ରବେଶିଲୁଁ ଏଥି ଝଟରେ ।୨।
ହୋଇଛି ଚୂର୍ଣ୍ଣ-ବିଚୂର୍ଣ୍ଣ, ଆମ୍ଭ ଶଯ୍ୟା ସ୍ଥାନମାନ ।
ଏହା କହିଛି କି ମୁର ରାଟ ରେ ।୩।
ଯାଅ ବୋଇଲେ ଆମ୍ଭଙ୍କୁ, ଯାଇଥାନ୍ତୁ ବଦ୍ରିକାକୁ ।
ରହି ନ କରାନ୍ତୁ ମାନ ଲୁଟରେ ।୪।
ବଇଷ୍ଣବ ରସେ ଭାଷି, ଅଟୁ ଜାତିରେ ଭିକ୍ଷାଶୀ ।
ସେହି ଅନ୍ନେ ପୂରନ୍ତା ଏ ପେଟ ରେ ।୫।
ମିତ୍ରଲାଭ- ଶୁଣ ଗୁରୁ ! କହିଲ ଯେ କଥା;
ଭୟ ହୁଏ ଦେବାକୁ ଉତ୍ତର ।
ନ କହିଲେ ନ ଯିବ କାହାରି ମନକଷ୍ଟ ।
ଗୁରୁଦେବ ! ଗତରାତ୍ରେ ଭାଇମାନେ ମିଳି
କରି ଅନ୍ଧାରି ବିଜୟେ ଆସିଥିଲୁଁ ଏଥେଁ ।
ଦ୍ୱାରେ ଦେଖିଲୁଁ ପଡ଼ିଛି ମହା ‘ସର୍ପ’ ଗୋଟା-
ଶବ୍ଦ ଜାଣି, ପଳାଇ ପଶିଲା ତବ ଖଟେ ।
ତହୁଁ ଅସ୍ତ୍ର ଧରି, ଆଣ୍ଟେ ପିଟିଲୁଁ ଅହୀକି,
ନ ମଲା ସେ ଭୁଜଙ୍ଗମ, ପଶିଗଲା ବିଳେ ।
ତହୁଁ ଆମ୍ଭେ ଚାଲିଗଲୁଁ ବାସେ,
ପ୍ରଭାତୁଁ ଦେଖିବୁଁ ବୋଲି ଆସିଲୁ ଛାମୁକୁ ।
ନୃସିଂହ- ଯା କହିଲ, ସେ ଅଟେ ଯଥାର୍ଥ ।
ଗୋତ୍ର ହେଲେ ସୁଦ୍ଧା ସର୍ପେ କରିବ ବିନାଶ
ଜାଣେ ତୁମ୍ଭ ହୃଦଭାବ ମୁହିଁ ।
ଯୋଗ ଯାହା ଖଣ୍ଡିବ କେ କହ ।
ଜଣାଯାଏ ଆଜି ମଧ୍ୟ ଆସିବ ସେ ସର୍ପ ।
ନିତିନ ନିତି ନିଶାକାଳେ ଧାଡ଼ିଦେଉଛି ସେ ବିଷଧର
ଏତେଦିନେ ପଡ଼ିଗଲା ଧରା
ମହାକ୍ଷତ୍ରୀ ହୋଇ କିମ୍ପା ଡରିବ କେ କହ
ଯା ଦେହେଁ ଯା ବଳ ଅଛି ମାରିବା ସର୍ପରେ ।
ମହୀକର୍ଣ୍ଣ- ଆଜ୍ଞା କର, ଯିବୁଁ ଗୁରୁ ସଦନକୁ ଆମ୍ଭେ ।
ନୃସିଂହ- ଯାଅ, ସର୍ପ ବିନାଶିବ ଦମ୍ଭେ !
(ଦୈତ୍ୟ ବାଳକଗଣଙ୍କ ପ୍ରସ୍ଥାନ)
ଗରୁଡ଼- (ପ୍ରବେଶି) ପ୍ରଭୋ ! କିସ ଆଜ୍ଞା ହେଉ ଦାସେ ?
ନୃସିଂହ- ରେ ଗରୁଡ଼ ! ଆଜି ଅଟେ ସଙ୍କଟର ଦିନ,
ଏ ନିଶିରେ ସବୁ କାର୍ଯ୍ୟ ହୋଇବ ସାଧନ ।
ଶେଷ- ହେ ଅଗ୍ରଜ ! ଚାଲ ଯିବା ସ୍ୱାହାନକୁ ଆମ୍ଭେ ।
ତର୍ପଣ ବେଳ ହେଉଛି ଗତ ।
(ସମସ୍ତଙ୍କ ପ୍ରସ୍ଥାନ)
(ରାଜସଭା- ମୁର ମନ୍ତ୍ରୀସହ ଆସନେ ବସି)
ମୁରାସୁର- ଦେଖ ମନ୍ତ୍ରୀ ! ଆସନ୍ତି କି ପୁତ୍ରଗଣେ ମମ ?
ଯାଇଥିଲେ ଆଖଡ଼ାଶାଳାକୁ, ଆଣିଥିବେ ଶୁଭ ସମାଚାର ।
ମନ୍ତ୍ରୀ- ଦୈତ୍ୟମଣି ! ମହୀକର୍ଣ୍ଣ ତୁଲେ ଛନ୍ତି ଆନ ପୁତ୍ରଗଣେ, ବିଷର୍ଣ୍ଣ ବଦନେ ଏଣେ ଆସନ୍ତି କିମ୍ପାଇ !
(ପିତାପାଶେ ପୁତ୍ରମାନେ ପ୍ରବେଶ)
ମୁରାସୁର- କହ ମିତ୍ରଲାଭ, ମହୀସୁର, କି ଘଟଣା ଦେଖିଲରେ ପଶି ବିଦ୍ୟାଗାରେ- ବଞ୍ଚିଛିକି ମରିଅଛି ଅରି ?
ସମସ୍ତେ- ଶୁଣ ତାତ, ସେ ଘଟଣାମାନ ଶ୍ରୁତି ଡେରି ।
ଗୀତ- (କିମ୍ପା ଡାକ ସେନାପତି... ବୃତ୍ତେ)
ଶୁଣ ତାତ ସେ କାହାଣୀ,
ମନେ ପଡ଼ି ହୃଦ ହେଉଛି ହାଣି ହେ । ନରନାଥ !
ମାୟାଧର ମାୟା ନୋହେ ଜାଣି ହେ ।୧।
କାଲି ଯାଙ୍କୁ ଥିଲୁ ମାରି, ଆଜି ଜୀଇ କେହ୍ନେ ଅଇଲେ ଫେରି ହେ ।
ଦୈତ୍ୟନାଥ ! ଏଡ଼େ ଟାଣ ଜୀବନ ତାଙ୍କରି ହେ ।୨।
ମିଛ କିବା ଏହା ସ୍ୱଚ୍ଛ, ଅଶୀଳକୁ ଡାକି ଏ କଥା ପୁଚ୍ଛ ହେ ।
ଦୈତ୍ୟନାଥ ! ବୃଥା ହେଲା କେଡ଼େ ବଡ଼ ପାଞ୍ଚ ହେ ।୩।
କେସନେ ସହିଲେ ମାଡ଼, କେତେ ଶକ୍ତି ତାଙ୍କ ପଞ୍ଜରା ହାଡ଼ ହେ ।
ଦୈତ୍ୟନାଥ ! ବଇ ବୋଲେ ଏ କଷଣ ଫେଡ଼ ହେ ।୪।
ମୁରାସୁର- ଶୁଣ ପୁତ୍ରେ, ଜାଣିଛି ମୁଁ ତାହା,
ବିଷ୍ଣୁକୁ ବଧିବା କଥା ନୁହଇ ସହଜ ।
ଦିଗ୍ବିଜୟ କାଳେ ମୁହିଁ ପୋଡ଼ିଥିଲି ନିଜେ
ପୁଣି ସେ କିପରି ଆସି ଜନ୍ମିଲା ବଦ୍ରିକା ।
ସେହି ବିଷ୍ଣୁ ବୋଲି ଆଣି ରଖିଲି ବନ୍ଦିରେ
ପୋଷିଲା ମାଛ ପରାୟେ ଆୟତ୍ତେ ଥାଇଣ
ଜାଲେ ଯାହା ନ ପଡ଼ିଲେ ମୋର
ଦିନକୁଦିନ ଚତୁର ହେଲେ ଟୋକା ଯୋଡ଼ା
କେମନ୍ତେ ମରିବେ ତାହା ଭାଷରେ ଅଶୀଳ !
ଅଶୀଳ- ମହାରାଜ ! ଶିର ନ ଥାଇଣ ଶିରବ୍ୟଥା ହୁଏ କାହିଁ ?
ଥିଲେ ସିନା ମରିଥାନ୍ତେ ପ୍ରାଣେ
ପ୍ରକୃତି ତ୍ୟାଗ ନିମନ୍ତେ ଗଲେ ଦୁଇଜଣେ
ଶରଣଭଦ୍ରା ତଟିନୀ ତଟ ନିକଟକୁ
ଶୁଣ ଯାହା ଆଜି ହେବ ରାଜା !
ଗୀତ- (ପୋଡ଼ିଯାଉ ରେ ପୋଡ଼ା ଚାକିରି....ବୃତ୍ତେ)
ମଣିମା ହେ ଘର ପୋଡ଼ିବୁ ଆଜି,
ଲୋଡ଼ି ନ ପାଇବେ ଉପାୟ ଚାଣ୍ଡାଳ ଛଟପଟେ ପଡ଼ି ମରିବେ ପାଜି ।ପଦ।
ଚାରିଦିଗେ ଲଗାଇ ନିଆଁ, ପ୍ରହରୀଙ୍କି କରାଇ ଠିଆ ।
ଘେରିଥିବେ ପଥ ପଇତାବିକାଙ୍କୁ କେଣେ ଯିବ ବୁଦ୍ଧି ବିବେକ ହଜି ।୧।
ତା ନୋହିଲେ କିଳି କବାଟ, ଦେଖିବୁଁ ସେ ଦ୍ୱିଜଙ୍କ ନାଟ ।
ପାଠପଢ଼ା ବୁଦ୍ଧି ବାଟପଡ଼ା ବୁଦ୍ଧି ଚାହୁଁ ଚାହୁଁ ସରିଯିବଟି ପୁଞ୍ଜି ।୨।
ଯେବେ ଜୀବେ ଜୀଇବେ ଚୋର, ଶସ୍ତ୍ରାଘାତେ ହେବେ ସେ ଚୂର ।
ଗଦା ମୁଦୁଗର ଶାବେଳୀ ତୋମର ରଖିଥିବୁଁ ତାହା ନିକଟେ ସାଜି ।୩।
ଗଜ ଅଶ୍ୱ ରଥି ପଦାତି, ରହିଥିବେ ଏମାନେ କତି ।
ପୁତ୍ରନାତିଗଣେ ମାତିଯିବେ କ୍ଷଣେ ବଇଷ୍ଣବ ରଚେ ଏ ପଦ ଖୋଜି ।୪।
ମୁରାସୁର- ରେ ଅଶୀଳ !
ତୋ କଥାରେ ଦମ୍ଭ ହେଲା ଚିତ୍ତ
କିସ ଦଣ୍ଡ ଦେବେ ମୋତେ ବିପ୍ରେ
କେବଳ ନିନ୍ଦାକୁ ମୋର ସିନା ହୃଦେ ଡର ।
ଗୁପ୍ତେ ମରାଉଚି ଏହା ନ ଜାଣନ୍ତୁ କେହି
ତା ନୋହିଲେ ବେନିବର୍ଷ ଗତ ହେଲା ଆସି
ପୋଷି ରଖିଥାନ୍ତି କି ଜୀବନେ ବେନିଜନେ ?
ଯାଆରେ ଅଶୀଳ ଘେନି ପୁତ୍ରଙ୍କୁ ମୋହରି
କରି ଆସ ସ୍ୱକାର୍ଯ୍ୟ ସାଧନ;
କାଲି ବସି ଆନନ୍ଦରେ କରିବା ବିଚାର ।
ମହାକର୍ଣ୍ଣ- ଯାଉଚୁ ଜନକ ଶୁଭେ କର ଆଶୀର୍ବାଦ ।
ମୁରାସୁର- ପୂର୍ଣ୍ଣହେଉ ପୁତ୍ରେ ମନସାଧ । (ପୁତ୍ରଗଣ ଅଶୀଳ ସହ ପ୍ରସ୍ଥାନ)
ମନ୍ତ୍ରୀ- ଚାଲନ୍ତୁ ଶ୍ରୀଛାମୁ ଅସ୍ତହେଲେ ଦିନମଣି
କ୍ରମେ କ୍ରମେ ଅନ୍ଧକାର ଆସିଲାଣି ଘୋଟି
ନିତ୍ୟାଚାର ସମୟ ହେଲାଣି ।
ମୁରାସୁର- ହେଉ ତେବେ ଅଦ୍ୟ ସଭା ଭଙ୍ଗ ।
(ସମସ୍ତଙ୍କ ପ୍ରସ୍ଥାନ)
(ଆଖଡ଼ାଶାଳ- ଶେଷ ନୃସିଂହ ପର୍ଯ୍ୟଙ୍କୋପରି ଶୟନ; ପାର୍ଶ୍ୱେ ଗରୁଡ଼ର ଉପବେଶନ)
ନୃସିଂହ- (ଚକ୍ଷୁ ମଳି ଉଠି) ଭାଇ ଶେଷ, ଉଠ ଶୀଘ୍ର କରି
ଆସିଲେ ରାକ୍ଷସେ ଦଗ୍ଧ କରିବେ ଏ ପୁର
କାର୍ଯ୍ୟ ନାହିଁ ରହିବାର ଏଥି ।
ଶେଷ- ତେବେ ବାହାରକୁ ଚାଲନ୍ତୁ ଅଗ୍ରଜ
ଆସ ହେ ଗରୁଡ଼ ଯିବ ପଦାକୁ ବାହାରି ।
ଗରୁଡ଼- ଚାଲନ୍ତୁ ଅନନ୍ତ ପ୍ରଭୁ ପପ୍ତଫଣା ଧରି । (ସମସ୍ତେ ପଦାକୁ ଆସିବା)
ନୃସିଂହ- ଶୁଣ ମୋ ଆଦେଶ ପକ୍ଷୀମଣି !
ଗୀତ- (ବେଗେ ଯାଅ ଯାଅ ଲଙ୍କା...ବୃତ୍ତେ)
ଦୈତ୍ୟହାତୁ ତ୍ରାହିକର ତୁହି ରେ ପକ୍ଷୀ ।
ଯେତେ ଯେତେ ତୋର ମହିମା ସଂସାରେ କେ ପାରିବ ତାହା ଲେଖି ରେ ।ପଦ।
ଆଖଡ଼ାଶାଳକୁ ମାଡ଼ିଆସିଲେଣି ଦୁଷ୍ଟେ ହୋଇ ତକାତକି ।
ଯେମନ୍ତେ ମରିବେ ଏ ସ୍ଥାନେ ସରବେ ଗୋଟିଏ ନ ଥିବେ ବାକୀ ରେ ।୧।
ବଡ଼ବାଅନକେ ପକାଇବୁ ବଳେ ଗୃହ ସହିତେ ତୁ ଟେକି ।
ଆଣ୍ଠକୁଡ଼ା ହୋଇ କରିବ ରୋଦନ ମୁର କରମକୁ ଠୁଙ୍କି ରେ ।୨।
ଖବର ଦେବାକୁ ନବରକୁ କେହି ନ ଯିବେ ବୋଇଲି ଡାକି ।
ଆମ୍ଭେ ନଦୀତୀରେ ରହି ଦେଖୁଥିବୁ ମନେ ହୋଇ ମହାସୁଖୀ ରେ ।୩।
କାର୍ଯ୍ୟ ଶେଷେ ନିଜ ରାଜ୍ୟକୁ ଚଳିବା ରାଜା ହେବ ନିରିମାଖି ।
ପଡ଼ିଛି ସୁଯୋଗ ଏତେକାଳେ ବୀର ବଇଷ୍ଣବ ପଦ ଯୋଖି ରେ ।୪।
ଗରୁଡ଼- ବଇକୁଣ୍ଠନାଥ !
ତବ ଆଜ୍ଞା ଥିଲେ ମୁରପୁତ୍ର ଆଜିଯାଏ
ନଥାନ୍ତେ ଜୀବନେ ନରହରି !
ଟାଳିପାରେ ତବ ଦୟାବଳେ ହେଳେ ହୀମାଦ୍ରିଶିଖର
ଶୋଷିପାରେ ଏହି ବା ସପତ ସମୁଦ୍ର ।
କିମ୍ପା ବେଠିଆ ପରାଏ ପଢ଼ାଇଲ ପାଠ
ଏହି ଝିଟ ଅସୁରଙ୍କୁ
ପୁଣି ଖଣ୍ଟ ଆଜ୍ଞାପାଳି ନଳିନାକ୍ଷ
ମୂର୍ଖଗୋଷ୍ଠୀରେ କାଟିଲ ବେନିଗୋଟି ବର୍ଷ ?
ତିନିବର୍ଷେ ମରେ ବିଷ୍ଣୁଦ୍ରୋହୀ ।
ରହିଲି ମୁଁ ଲୁଚି ଏହି ଘରେ ।
ଅଗ୍ନି ଲଗାନ୍ତେ ଛାଡ଼ିବି ମୂରତି
ଗୋଟି ଗୋଟି ତୋଳିଦେବି ତାଙ୍କୁ ଅଗ୍ନିକି ଫୋପାଡ଼ି ।
ନଦୀତୀରେ ଯାଅ ବେନିଭାଇ !
ଶେଷ- ଆସନ୍ତୁ ଅଗ୍ରଜ, ତେଣେ ଆସିଲେ ରାକ୍ଷସେ
ଜାଣିଲେ ସେ ହେବେ ସାବଧାନ । (ଗରୁଡ଼ ବିନା ଶେଷ ନୃସିଂହ ପ୍ରସ୍ଥାନ)
(ଦାନବଗଣ ପ୍ରବେଶି)
ମହୀକର୍ଣ୍ଣ- ଲଗାଅ ଅନଳ ଭାଇମାନେ, ସବୁଘରେ ରହିଥାଅ ଜଗି ।
(ଅଗ୍ନି ଲଗାନ୍ତେ ଗରୁଡ଼ ରଡ଼ିଛାଡ଼ିବା)
ଗରୁଡ଼- ଓହୋ ଓହୋ ! ପୋଡ଼ିମଲୁ ପୋଡ଼ିମଲୁ ଆମ୍ଭେ
ହାୟ ହାୟ ନିର୍ଦ୍ଦୟ ଦାନବେ ।
ମିତ୍ର- ଏ କି ରଡ଼ି ଶୁଭେ କହ ଭାଇ ?
ମହୀକର୍ଣ୍ଣ- ପୋଡ଼ି ମରୁଛନ୍ତି ବିପ୍ରେ ଛଟପଟ ହୋଇ ।
ଗରୁଡ଼- ରେ ଚଣ୍ଡାଳେ !
ପୋଡ଼ିଲେ କି ଦେହ ମୋର ଭକ୍ଷିବ ଅନଳ
ଆଜିରେ ଦୁଷ୍ଟେ ତୁମ୍ଭର ପୂରିଲାଣି କାଳ ।
ଆରେ ଆରେ ମୂର୍ଖ ବିଷ୍ଣୁଦ୍ରୋହୀ ନିଶାଚରେ
କି ବିଚାରେ କଲ ଏ କୁକର୍ମ ?
ଧର୍ମ କି ରେ ସହିବ ତୁମ୍ଭଙ୍କୁ
ପାପେ କ୍ଷୟହୁଏ ଆୟୁ ଜାଣ
ତୁମ୍ଭର ପାପରେ ତୁମ୍ଭେ ଯିବ ଯମାଳୟେ
ଏହି ପକ୍ଷିବର କରେ ।
ମୁଁ ତୁମ୍ଭ କୃତାନ୍ତ ଗୁପ୍ତେ ରହିଛି ରେ ଏଥି
କାହୁଁ ମୋତେ ଚିହ୍ନିବ ଚଣ୍ଡାଳେ !
ସିନ୍ଧୁନୀରେ ତୁମ୍ଭ ଚିରବାସ
ମହାନିଦ୍ରା ଯାଅ ସେହିସ୍ଥଳେ
ଏହି ମୋର ପକ୍ଷିକାଦଣ୍ଡ ପ୍ରହାରରେ
ଗୋଟି ଗୋଟି କୋଟି କୋଟି ମର ନୀରେ ବୁଡ଼ି ।
ମାତା ଆଣ୍ଠକୁଡ଼ି ହୋଇ କୋଡ଼ୁ ମୁଣ୍ଡ ତେଣେ
ତୀରେ କେହି ରହନା ରେ ଜଣେ । (ପକ୍ଷଘାତେ ସମସ୍ତଙ୍କୁ ଉଡ଼ାଇ ସମୁଦ୍ରେ ଫିଙ୍ଗିବା)
ସମସ୍ତେ- ମାରରେ ମାରରେ ଏଟା କିଏ ଆସେ ଘୋଟି
ଅଣଚାଶ ପବନ ପ୍ରକାଶ ।
ନେପଥ୍ୟେ- ଗଲା ପ୍ରାଣ ଗଲା ପ୍ରାଣ ପରିତ୍ରାଣ ନାହିଁ । (ତ୍ରିବାର କହିବା)
ଗରୁଡ଼- (ପ୍ରବେଶି) ସମସ୍ତ ଦୈତ୍ୟ ସହିତେ ଜାଗ ଅଶ୍ୱଗଣେ ।
ମୁହିଁ ପକ୍ଷୀ ପକ୍ଷାଘାତେ ଫିଙ୍ଗିଲି ସାଗରେ
କିଏ ସେ ସିନ୍ଧୁ ଗର୍ଭରୁ ଉଠିଣ ଛୁଟଇ
ଏ ତ ଏକ ଦୈତ୍ୟ ହେବ ପରା ?
(ମହୀକର୍ଣ୍ଣ ପ୍ରବେଶ)
ମହୀକର୍ଣ୍ଣ- ଆରେ ଆରେ ଦୁଷ୍ଟ ପକ୍ଷୀ, ଇଷ୍ଟ ଚିନ୍ତାକର ।
ଗୀତ- (କୀର୍ତ୍ତନ....ବୃତ୍ତେ)
ଠାକିବୁ କି ଆରେ ପକ୍ଷୀ ମୋ ଆଗରୁ ଆଜି ।
ହାବୁଡ଼େ ପଡ଼ିଚୁ ଡାକି କହୁଚି ରେ ପାଜି ।
କେ ରଖିବ ରଖୁରେ । କେଡ଼େ କର୍ମ କଲୁ ଦେଖୁ ଦେଖୁ ରେ ।୧।
ସାକ୍ଷୀ ମୋର ପୃଥିବୀ ଆକାଶ ଦିଗପାଳେ ।
ଡାକି କହୁଚି ଠିକିବୁ ଯିବୁ କାଳଆଳେ ।
ଚିରି ଥଣ୍ଟ ଗୋଟିରେ । ବଜାଇବି ବିଜିଘୋଷ ପିଟିରେ ।୨।
ସତରଲକ୍ଷ ଭାଇକି ଆଖିପଲକରେ ।
ଉଡ଼ାଇଲୁ ପକ୍ଷବାତେ ଏତେ ହଲକରେ ।
ପୁଣି ନବ ଲକ୍ଷ ରେ । ପୁତୁରାଙ୍କୁ ଦେଲୁ ଯମପାଖ ରେ ।୩।
ଏମାନଙ୍କ କରେ ଯେବେ ଥାନ୍ତା ଧନୁଶର ।
ତୋ ବାପ କରନ୍ତା ଦଶକ୍ରିୟା ଆଜି ତୋର ।
ଅଜ୍ଞାନୀ ବାଳକେ ରେ । ବଧି ବୀର ବୋଲାଇବୁ ଲୋକେ ରେ ।୪।
ସୁମେରୁ କୁମେରୁ ଗିରି ଟାଳିବାକୁ ଶକ୍ତି ।
ଅଟେ ମୋର ହାତୁ ଯେବେ ପାଇପାରୁ ମୁକ୍ତି ।
ବଇଷ୍ଣବ ଭଣି ରେ । ମର ଅବା ମାର ଏହିକ୍ଷଣି ରେ ।୫।
ଗରୁଡ଼- ଆରେ ଆତତାୟୀ ଦୈତ୍ୟ ଖଣ୍ଟ
ଏଡ଼େ ଆଣ୍ଟ କର ନା ମୋ ଆଗେ,
ଜାଣୁନାହିଁ କିରେ ଦୁଷ୍ଟ ବିଷ୍ଣୁରଥ ବଳ
ଛଳେ ବଳେ କଉଶଳେ କରିବି ବିନାଶ ଏହି କ୍ଷଣକ ମଧ୍ୟରେ
ଆଣ୍ଠକୁଡ଼ି ହେବ ତୋର ମାଆ ।
ତୁଣ୍ଡକୁ ଆସୁଛି ଯାହା ଯାହା କହିଯାଆ ।
ମହୀକର୍ଣ୍ଣ- ଏହି ନାଗଫାଶ ଅସ୍ତ୍ର ପକ୍ଷୀ ତୋର କାଳ ।
ଗରୁଡ଼- କି ଦେଖାଉ ସେ ବାଣ ମୋ ଆଗେ
କୋଟି କୋଟି ନାଗ ନିତି କରେ ମୁଁ କବଳ ।
(ଯୁଦ୍ଧ, ନାଗଫାଶ ବାଣ ତ୍ୟାଗ)
ମହୀକର୍ଣ୍ଣ- (ସ୍ୱଗତ) ଓହୋ ! ଭୟେ ପଳାଇଲେ ନାଗମାନେ
ଯାହା ହେଉ ମୋର ମୃତ୍ୟ ଭେଦାଭେଦ ଜାଣେନାହିଁ ଏହି
(ପ୍ରକାଶ୍ୟେ) ରେ ଅଣ୍ଡଜ,
ଏହି ପର୍ବତାସ୍ତ୍ର ଗଲା ସମ୍ଭାଳ ସମ୍ଭାଳ ।
ଗରୁଡ଼- ଜାଣୁନାହୁଁ ବଜ୍ରଅଙ୍ଗ ମୋର
ବାଜିଲେ ଭାଜିବ ଗିରି ଚୂରି ହେବ ଧୂଳି ।
(ଉଭୟେ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
ମହୀକର୍ଣ୍ଣ- (ପ୍ରବେଶି) କେଡ଼େବଡ଼ ବାଣ ମୋର ବ୍ୟର୍ଥ ଗଲା ହୋଇ ?
ଗରୁଡ଼- (ହଠାତ୍ ଆଗକୁ ଆସି)
ରେ ବାଳୁଙ୍ଗା ନିଶାଚର, ଶୁଣ ଯାହା କହୁଚି ବୁଝାଇ-
ଗୀତ- (ମନାକଲେ ଯେତେ....ବୃତ୍ତେ)
ଭାଇ ମଲେ ବୋଲି ଖବର କରିବୁ ରାଜନବରକୁ ଯାଆରେ ।
ଭାଇବୋହୂମାନେ ବାଟ ଚାହିଁଥିବେ ଉଡ଼ିଯିବ ଶୁଣି ସାହାରେ ।ପଦ।
ମାଆ ବୁଢ଼ୀ ମୁଣ୍ଡ କୋଡ଼ିହେବ କେତେ ସୁମରି ଦଇବ କିଆରେ ।
ନାତିଆଡ଼ୁ ବୁଢ଼ା ବୁଡ଼ାଇଲା ବଂଶ ଏଡ଼ିକି ସେ ଘୋଡ଼ାମୁହାଁରେ ।୧।
ଯେବେ ପିଣ୍ଡମୁଠା ପାଇବ ନିଲଠା ଭଲା ତୁ ଜୀବନେ ଥାଆରେ ।
କାହିଁରେ କାରେଣି ନୋହିଲା ସେ ମୁର ଜନ୍ମକରି ଏତେ ଛୁଆରେ ।୨।
ପଲ ପଲ ରାଣ୍ଡୀ ଦରାଣ୍ଡିବେ ଧୂଳି ରାବ ଛାଡ଼ି ନାହା ନାହା ରେ ।
ଅଲଗାରେ ଲୋଟୁଥିବ ପଡ଼ି ସମ୍ଭାଳ ଭଣେ ବଇଆରେ ।୩।
ମହୀକର୍ଣ୍ଣ- ଅସହ୍ୟ ହେଉଚି ପକ୍ଷି ତୋ ବିଦ୍ରୂପ ବାଣୀ
ତାର ପୁରସ୍କାର ଚାହାଁ ଏହି ବ୍ରହ୍ମଶକ୍ତି
ମୁକ୍ତି ନାହିଁ ଏହା ମୁଖୁଁ ତୋର ।
ଗରୁଡ଼- ରେ ବର୍ବର ! ଶୁଣ ମୋର ଜନ୍ମକାଳ କଥା
ଅଢ଼ାଇ ଅକ୍ଷର ଧାତା କପାଳେ ଯେକାଳେ
ଲେଖିଲା ମୋହର ସେହିକାଳେ କହିଲି ତାହାକୁ
ମହାବଜ୍ର କରି ରଖ ମୋର ଏ ଦେହକୁ
ଏକଘ୍ନୀ ବ୍ରହ୍ମଶକ୍ତି ବଜ୍ରଶକ୍ତିମାନ
ପଡ଼ନ୍ତେ ଚୂନାହୋଇବେ ଶରୀରେ ମୋହରି ।
ତୁହି ମାରନ୍ତେ ମୋ ଅଙ୍ଗ କୁଣ୍ଡେଇ ହେଉଛି
ଯେତେ ବାଣ ଅଛି ମାର ତୂଣୀରେ ତୋହରି ।
ମାରି ମାରି ହସ୍ତ ତୋର ଅବଶ ହୁଅନ୍ତେ
ତାର ପରେ ମାରିବି ମୁଁ ତୋତେ ।
ମହୀକର୍ଣ୍ଣେ- ରେ ପାପୀ ନାରକି,
ଅଦୋଷେ ଭାଇଙ୍କି ମୋର କରିଲୁ ବିନାଶ ।
ଆମ୍ଭେ କିରେ ଥିଲୁ ତୋ ବଇରୀ ?
ଗରୁଡ଼- ବଡ଼ ତୁମ୍ଭେ ଧାର୍ମିକ ଅସୁରେ !
ଯା’କୁ ଗୁରୁକରି ବିଦ୍ୟା କରୁଥିଲେ ଶିକ୍ଷା
ସେ କି ତୁମ୍ଭ ଶତ୍ରୁ ଥିଲେ କହ ?
କି ଦୋଷେ ତାହାଙ୍କୁ ଅଗ୍ନି ଲଗାଇ ପୋଡ଼ିଲ ?
ତୁମ୍ଭେ ନ ମରି ମରନ୍ତା କିଏ କିସ ପାଇଁ
ଏହିପରି ଧର୍ମ ଜଗେ ନିଷ୍କପଟୀ ଜନେ ।
ତୁହି ମଲେ ପ୍ରେତ ହୋଇ ବୁଲିବ ତୋ ବାପ
ଏହି ଦେଖ୍ ମହୀକର୍ଣ୍ଣ ଘେନିଲି ତୋ ଜୀବ ।
(ଥଣ୍ଟେ ଜାକି ବେଗେ ପ୍ରସ୍ଥାନ)
(ଶେଷ ନୃସିଂହ ପ୍ରବେଶ)
ନୃସିଂହ- ଭାଇ ଶେଷ ! ଚାହିଁ ଦେଖ ଗଗନମାର୍ଗକୁ
ମହୀକର୍ଣ୍ଣକୁ ଜାକିଣ ଥଣ୍ଟେ ପକ୍ଷିମଣି
ମେରୁ ପର୍ବତେ ଛେଚିଲା ନେଇ
ତହିଁ ନାଶ ନୋହିଲା, ପର୍ବତ ହେଲା ଚୁନା
ପୁଣି ଚାହାଁ ଉଦୟଗିରିରେ ନେଇ ଦେଲାକ କଚାଡ଼ି;
ଟହଟହ ହସନ୍ତେ ଦଇତ ବିନ୍ଧ୍ୟକୂଟେ ଥଣ୍ଟେ ନେଇ ପିଟେ
କୁଣ୍ଡଳଗିରି ଯେ ପୁଣି ହିମାଚଳ ଶିଖ
ଗନ୍ଧମାଦନ ମହୀନ୍ଦ୍ର ଭ୍ରମିଲା ଅନେକ
ଲୋକାଲୋକ ପର୍ବତେ ବସିଛି ତାକୁ ମାଡ଼ି ।
ଗୀତ- (ଏ ଉତ୍ତାରୁ ଶୁଣ ହେ ରସିକେ...ବୃତ୍ତେ)
ଶୁଣ ଶେଷଦେବ ମୋତେ ଜଣାଯାଏ ଏହା ।
ଅନେକ ମାଡ଼ ମାରଇ ଦୈତ୍ୟେ ପକ୍ଷିନାହା ।
ବିଧା ଚାପୋଡ଼ା ଗୋଇଠା ।
ଖୁନ୍ଦା କହୁଣୀ ଗଳଥା ପୁଣି ବାହୁଗୋଟା ।୧।
ଫିଙ୍ଗିଦେଲା ଲକ୍ଷେଯୂଣ ଗଗନକୁ ଟେକି ।
ମହୀରେ ପଡ଼ି ଅସୁର ହସି କହେ ଡାକି ।
ମୋତେ ନ ପାରିବୁ ମାରି ।
ମାଡ଼ିବସି ପାଞ୍ଚେ ଚିତ୍ତେ ନାଗଙ୍କ ବଇରି ।୨।
ଛାଡ଼ିଦେବ ବୋଲି ମନେ କଲା ଶେଷେ ସ୍ଥିର ।
ବୋଇଲା ଏ ଥାଉ ନିଶ୍ଚେ ହୋଇଣ ଅମର ।
ମୁହିଁ ନିନ୍ଦିବା ଭୟରେ ।
କେତେ ଅସାର ଭାବନା ଭାବେ ହୃଦୟରେ ।୩।
ଚିରଇ ନଖରେ ବୁକୁ ଥଣ୍ଟେ ଚାପିଧରି ।
ଡେଣା ବିସ୍ତାରି ଗର୍ଜ୍ଜଇ ସିନ୍ଧୁ ଘୋଷ ପରି ।
ବଇଷ୍ଣବ ରସେ କହେ ।
ଗରୁଡ଼ ଗତି ଚିନ୍ତିଣ ଦେବେ କଲେ ଭୟେ ।୪।
ଶେଷ- ହେ ଅଗ୍ରଜ ! ଜୟ ପରାଜୟ ଶେଷେ ହୋଇବ କାହାର ?
ନୃସିଂହ- ମରିବ ଅସୁର ନିଶ୍ଚେଁ
ଦେବତାଏ ବତାଇବେ ମୃତ୍ୟୁଭେଦ ତାର । (ଉଭୟର ପ୍ରସ୍ଥାନ)
(ମହୀକର୍ଣ୍ଣକୁ ଡାକି ଗରୁଡ଼ ପ୍ରବେଶ)
ମହୀକର୍ଣ୍ଣ- ରେ ନିର୍ବୋଧ ପକ୍ଷୀ, ମୋତେ ନ ପାରିବୁ ମାରି
ଯେତେ ଛେଚିଲ ମୋତେ ରେ ନ ଟାଳିଲୁ ଲୋମେ ।
ଗରୁଡ଼- ଦଣ୍ଡେ ରହ ଯିବୁ କାଳଧାମେ
(ସ୍ୱଗତ) ନ ପାରିବି ଛାଡ଼ିଦେବି ଏ ଦୁଷ୍ଟ ଦୈତ୍ୟକୁ
ଅମର ହୋଇ ଏ ଥାଉ ସୃଷ୍ଟି ଥିଲା ଯାଏ ।
ଦୈବବାଣୀ- ଗୀତ- (କୀର୍ତ୍ତନସୁର)
ରେ ବିଷ୍ଣୁରଥ ନିସତ ନୁହ ତିଳେ ।ପଦ।
ଆଜ୍ଞା ପାଳି ବିନାଶି ମୁର-ପୁତ୍ରଗଣେ;
ଏହାକୁ ଛାଡ଼ିବୁ ଯେବେ ବାବୁ ଅକାରଣେ ।
ଶୁଣ ମୃତ୍ୟୁଭେଦରେ, ଶିବବରେ ମହାବଳୀ ଅଟଇ କ୍ରବ୍ୟାଦ ।
କପାଳେ ମାର ତୋ ଥଣ୍ଟ ହେବ ପ୍ରାଣେ ବଧ,
ଆନ ଜନ୍ମେ ବୈଲୋଚନ ପରେ ମେଘନାଦ ।
ମରିବ ଲକ୍ଷ୍ମଣ ହସ୍ତେ କର ନାହିଁ ଖେଦ,
ସଂହାର ସଂହାର ବଇଷ୍ଣବ ଛନ୍ଦେ ପଦ ।୧।
ଗରୁଡ଼- ଧନ୍ୟ ଧନ୍ୟ ରେ ରାକ୍ଷସ, ଜୀବନ ତୋ ଧନ୍ୟ,
ନୋହିଲେ କି ଏତେ ବର କରିଥାନ୍ତୁ ଲାଭ ।
ଏହି ଦେଖ୍ ଘେନିବି ତୋ ଜୀବ, ଫିଙ୍ଗି ସିନ୍ଧୁଜଳେ
ଯାଇଁ ଚିନ୍ତାକର ନଷ୍ଟ-ବୁଦ୍ଧି !
ମହୀକର୍ଣ୍ଣ- ଏତେ ଦିନେ ତୋ ଅଭୀଷ୍ଟ ପୂର୍ଣ୍ଣହେଲା ପକ୍ଷି ।
ଅନାୟରେ ରଖିଚୁ ତୁ ମୋତେ । ଇଚ୍ଛା ଯାହା, ତାହା କର ଏବେ ।
(ଗରୁଡ଼ ଥଣ୍ଟ ମହୀକର୍ଣ୍ଣ ଶିରେ ପ୍ରହାର, ଦୈତ୍ୟର ପ୍ରାଣତ୍ୟାଗ)
(ଦାନବପିଣ୍ଡ ଘେନି ଗରୁଡ଼ ପ୍ରସ୍ଥାନ)
(ପୁଷ୍ପବୃଷ୍ଟି)
(ଶରଣଭଦ୍ରାତୀର-ଶେଷ ନୃସିଂହ ପ୍ରବେଶ)
ଶେଷ- ଦେଖ ନନା ! ଉତ୍ତର ଦିଗରୁ
ଆସେ ବିନତାନନ୍ଦନ ଆନନ୍ଦ ଅନ୍ତରେ
ଜଣାଯାଏ ଦାନବକୁ କରିଛି ବିନାଶ ।
ନୃସିଂହ- ଭାଇ ଶେଷ ! କାର୍ଯ୍ୟ ଶେଷ, ମଲେ ମୁର-ପୁତ୍ରେ ।
ସବୁ କଥା ଶୁଣ ତାଙ୍କଠାରୁ ।
ଗରୁଡ଼- (ପ୍ରବେଶି)
ଗୀତ- (ଏହି କି ବିଧିର ବିଚାର....ବୃତ୍ତେ)
ନାଥ ଚଞ୍ଚଳ ବଦ୍ରିକା ଚଳ, ମଲେ ସମୂଳେ ଦାନବବଳ ।ପଦ।
ହୃଷ୍ଟଚିତ୍ତେ ପୃଷ୍ଠେବସ ମୋର ଦେବ, ଲକ୍ଷ୍ମୀ ସହିତରେ ଘେନି ଶେଷଦେବ ।
ହୋଇଚି ଅଭୀଷ୍ଟ ସିଦ୍ଧି ନଷ୍ଟ ହେଲେ ଖଳ ।୧।
ରାଣୀକି ଏଣିକି ପାଶରେ ବସାଇ, ବାସରେ ଅସୁର ଭାଳୁଥାଉ ଥାଇଁ ।
ଜାଣି ନାହିଁ ପାପବୃକ୍ଷେ ଫଳଇ କୁଫଳ ।୨।
ଭଲ ପଥ ଯେବେ ଦିଶିଯିବ ତାକୁ, ପଶିବ ଶରଣ ତେଜିଣ ରଣକୁ ।
କାରଣ ଲଭିବ ତେବେ ଉର୍ବଶୀର ବାଳ ।୩।
ତା ନୋହିଲେ ପୁତ୍ର ବିନାଶକୁ ଶୁଣି, ସାଜି ଥାଟ ଯୁଝିବାକୁ ଯିବ ପୁଣି ।
ବଇ ବୋଲେ ତହୁଁ ଫାଟିବ କପାଳ ।୪।
ନୃସିଂହ- ଧନ୍ୟ ପକ୍ଷି ! ଧନ୍ୟ ତୋ ମହିମା, ତୁହିଁ ଜନ୍ମେ ଜନ୍ମେ ଏକା ଅଟୁ ମୋ ସହାୟ । ଦେଉଅଛି ଏହି ବର ତୋତେ ମୋରଠାରୁ ଶତେଗୁଣ ବଳ ବହ ଅଙ୍ଗେ । ଆସ ଯିବା ବଦ୍ରିକାକୁ ବେଗେ । ବସ ଶେଷ ଗରୁଡ଼ର କନ୍ଧେ ।
ଗରୁଡ଼- ଏ ସ୍ନେହର ପୁରସ୍କାର ଶୁଝିବି କି ମୁହିଁ, ପୃଷ୍ଠେ ବସ କମଳାଙ୍କୁ ନେଇ ।
(ଗରୁଡ଼ କନ୍ଧେ ବସି ସମସ୍ତଙ୍କ ପ୍ରସ୍ଥାନ)
ଗୀତ- (ରାମପ୍ରସାଦ...ବୃତ୍ତେ)
ନରେ ଦେଖ ବିଷ୍ଣୁଲୀଳା ।
କାହାର କି ଭାବେ ଧରି ଚଳାଇଛ ଗଳା ।ପଦ।
ଗର୍ବ ଦମ୍ଭ ଅଭିମାନ, କ୍ଷଣକେ କରାଏ ଲୀନ ।
ସାଧୁକୁ ତାରଇ ମୂର୍ଖ ମୁଖେ ଦେଇ କଳା ।୧।
ଆଶାଗିରି ଚୂଳେ ନେଇ, ଜଳେ ଦିଅଇ ଭସାଇ ।
ଖସାଇ ଫିଙ୍ଗଇ ବାତଘାତେ ଯେହ୍ନେ ତୁଳା ।୨।
ନ ଜାଣେ ମାନବ ଅନ୍ଧ; ତା ମାୟାର ଛନ୍ଦ ମନ୍ଦ ।
ଭାବେ ମୁଁ ସଂସାରେ ଏକା ଅଟେ ବୀରବଳା ।୩।
ମୁର-ପୁତ୍ରଙ୍କ ବେଭାର, ପ୍ରତ୍ୟକ୍ଷ ପ୍ରମାଣ ତାର ।
ବଇଷ୍ଣବ ଗିରି ପ୍ରାଣେ ମଲେ ମେଳା ମେଳା ।୪।
(ଯବନିକା ପତନ)