ଜଳନ୍ଧରବଧ ସୁଆଙ୍ଗ

ଗଣକବି ବୈଷ୍ଣବ ପାଣି

 

(ପ୍ରସ୍ତାବନା)

ଗୀତ- (ସତେ ଘେନିଯିବୁ ମୋର ରେ..ବୃତ୍ତେ)

ହରଷରେ ହରି ହରି ହେ, ବୋଲ ଭକ୍ତଗଣ ସୁଖେ ।

ମନମୁଗ୍‌ଧ ପଦ ଜଳନ୍ଧରବଧ ଶୁଣି ନିସ୍ତରିବ ସୁଖେ ।ପଦ।

ଦିନେ ଶଚୀପତି ଘେନି ବୃହସ୍ପତି କଇଳାସ ଗିରିଶିଖେ ।

ଶିବ ଦରଶନେ ଚିତ୍ତ ବଳାଇଣ ପଡ଼ିଲେ ସେ ମହାଦୁଃଖ ।୧।

ଧରି ରାହୁବେଶ ଦେବ କୃତ୍ତିବାସ ବସିଛନ୍ତି ଦ୍ୱାରପାଖେ ।

ପଚାରନ୍ତେ ଇନ୍ଦ୍ର ଶିବଙ୍କ ସମ୍ବାଦ ଶୁଣିଲେ ସେ ତ୍ରିଅମ୍ବିକେ ।୨।

ବଜ୍ରଧର ବଜ୍ରାଘାତେ ଶିବମୁଖୁଁ ଅଗ୍ନି ଉଠିଲା ଯେ ବୃକ୍ଷେ ।

ଦହନ୍ତେ ତ୍ରିପୁର ତପକରି ଇନ୍ଦ୍ର ଶାନ୍ତକଲେ ପଞ୍ଚମୁଖେ ।୩।

ସେ ଅନଳ ଶିବ ସାଗରେ ପିଙ୍ଗନ୍ତେ ସୁତ ଜାତ ହୋଇ ଡାକେ ।

ରଖ ପରମେଷ୍ଠି ବଇଷ୍ଣବ ବୋଲେ ପଡ଼ିଛି ଘୋର ବିପାକେ ।୪।

(ଜଳନ୍ଧର ଜଳେ ପଡ଼ି ବ୍ରହ୍ମାଙ୍କୁ ସ୍ତବ)

ଗୀତ- (ସତେ ବୃନ୍ଦାବନେ ଏ ପାପନୟନେ...ବୃତ୍ତେ)

ଅଷ୍ଟନେତ୍ର କଷ୍ଟ ନଷ୍ଟ କର କର ଭାସୁଛି ସାଗରେ ପଡ଼ି ।

ଇଷ୍ଟ ତୁମ୍ଭେ ମୋର ହୋଇ କର୍ଣ୍ଣଧାର ନିଅ ଏଥୁଁ ମୋତେ କାଢ଼ି ।ପଦ।

ଏ ସଚରାଚର ସୃଷ୍ଟି ଅଟେ ତୋର ଦଣ୍ଡ ଲିତା ଷୋଳଘଡ଼ି ।

ବାର ତିଥି ଯୋଗ ଲଗ୍ନ କରଣାଦି ମୃତ୍ତିକା ପାଷାଣ ଗୋଡ଼ି ।୧।

ପଶୁପକ୍ଷୀ କୀଟପତଙ୍ଗ ସଲିଳ ଆବର ବର୍ଷା ଘଡ଼୍‌ଘଡ଼ି ।

ତେଣୁ ପିତାମହ ନାମ ଅଛୁ ବହି କେ ତୋତେ ପାରିବ ଛାଡ଼ି ।୨।

ଯେ ତୋତେ ଭଜଇ ଯେ ତୋତେ ପୂଜଇ ତା କଷଣ ଦେଉ ଫେଡ଼ି ।

ଡାକି ଡାକି କଣ୍ଠ ଶୁଣିଲାଣି ମୋର ନାହିଁ କି ଶ୍ରବଣ ଯୋଡ଼ି ।୩।

ହେ ପଦ୍ମ ଆସନ ଆରତନାଶନବାନାକି ପଡ଼ିଛି ଛିଡ଼ି ।

ବୈଷ୍ଣବ ଗୁହାରି ଦଣ୍ଡେ କଲେ ଡେରି ପିଣ୍ଡୁ ପ୍ରାଣ ଯିବ ଉଡ଼ି ।୩।

(ବ୍ରହ୍ମାଙ୍କର ଜଳନ୍ଧର ପାଶେ ପ୍ରବେଶ)

ଗୀତ- (ସୁନୀତିନନ୍ଦନ ଖଡ଼ି ଦେବୁନାହିଁ...ବୃତ୍ତେ)

ରେ କୁମର ମାଗ ବର ଯେ ଇଚ୍ଛା ତୋର । ହରିବି ମୁଁ ତୋହ ଦୁଃଖଭାର ।ପଦ।

ଦେଖି ତୋହର ବିକଳ, ମୋ ଚିତ୍ତ ହେଲା ଆକୁଳ । ଆସି ଜଳୁଁ କରିଲି ଉଦ୍ଧାର ।୧।

ମୁହିଁ ସର୍ବ ଲୋକଙ୍କ ପିତା, ନାମ ମୋ ଅଟେ ବିଧାତା । ସୃଷ୍ଟି ମୋର ଏ ସଚରାଚର ।୨।

ଜନ ହିତେ ଦେହ ଧରି, ଭ୍ରମଇ ଚଉଦପୁରୀ । ଧରି ଦଣ୍ଡ-କମଣ୍ଡଳ କର ।୩।

ବଇଷ୍ଣବ ରସେ କହି, ରୋଦନ ନ କର ତୁହି । ସିନ୍ଧୁଦେଶେ ହୁଅ ନୃପବର ।୪।

(ଜଳନ୍ଧର ଓ ବ୍ରହ୍ମାଙ୍କର ଉକ୍ତି-ପ୍ରତ୍ୟୁକ୍ତି)

ଜଳନ୍ଧର-

କିଏ ମୋର ପିତା ମୋତେ କହ ବେଦବର ?

ବ୍ରହ୍ମା-

ଜଳାଧିପତି ବରୁଣ ଜନକ ତୋହର ।୧।

ଜଳନ୍ଧର-

କି ନାମ ମୋହର ଶୀଘ୍ର ଭାଷ ମୋତେ ଦେବ ?

ବ୍ରହ୍ମା-

ଜଳୁ ଜାତ ଯେଣୁ ଜଳନ୍ଧର ନାମ ଭାବ ।୨।

ଜଳନ୍ଧର-

କେଉଁଠାରେ ହାଇ ରାଜା କରିବ କି ଭୋଗ ?

ବ୍ରହ୍ମା-

ସିନ୍ଧୁଦେଶ ଭୋଗକର ହୋଇଣ ନୀରୋଗ ।୩।

ଜଳନ୍ଧର-

ତୁମ୍ଭରି ସମାନ ମନ୍ତ୍ରୀ ଦିଅ ଏକ ଜଣ ।

ବ୍ରହ୍ମା-

ଦୈତ୍ୟଗୁରୁ ଶୁକ୍ର ତୋର ମନ୍ତ୍ରୀ ଆଜୁଁ ଜାଣ ।୪।

ଜଳନ୍ଧର-

ବର ଦିଅ ବଳେ ସମ ନୋହିବେ ତ୍ରିପୁରେ ।

ବ୍ରହ୍ମା-

ବଳୀ ବୋଲାଇବୁ ବତ୍ସ ସକଳ ଉପରେ ।୫।

ଜଳନ୍ଧର-

ରାଣୀହୀନ ହୋଇଲେ ନୋହିବ ରାଜ୍ୟ ଶୋଭା ।

ବ୍ରହ୍ମା-

କାଳନେମି କନ୍ୟା ବୃନ୍ଦାକୁ ଯା ହୁଅ ବିଭା ।୬।

ଜଳନ୍ଧର-

ବିଦାୟ ହେଉଛି ଏବେ ଶ୍ରୀଛାମୁରୁ ଦାସ ।

ବ୍ରହ୍ମା-

ଥାଅ ସିନ୍ଧୁରାଜ ଯାଉଁ ଆମ୍ଭେ ନିଜ ବାସ ।୭। (ବ୍ରହ୍ମାସହ ପ୍ରସ୍ଥାନ)

(ଜଳନ୍ଧରର ପ୍ରତାପ ଶୁଣି ଅସୁରମାନେ ବାହାରିବା-ଗୀତ)

(ପ୍ରୀତି ପାସୋରା ମନ୍ତ୍ର ଜାଣୁନା ଲୋ ସଜନି...ବୃତ୍ତେ)

ଆସରେ ଶୁମ୍ଭ ନିଶୁମ୍ଭ ଦମ୍ଭ କର ଛାତିକି ।

ସିନ୍ଧୁଦେଶ ରାଜା ଜଳନ୍ଧର ଦୈତ୍ୟ କତିକି ।ପଦ।

କାଳଘଣ୍ଟ ଦୁର୍ଦ୍ଦାନ୍ତ ବିକଟା ।

କାଳକେତୁ ସୁତକେତୁ ତେଜି ମନୁ ଭ୍ରାନ୍ତିକି ।୧।

ବ୍ରହ୍ମାବରେ ଜଳନ୍ଧର ବୋଲାଇଛି ମହାବୀର ।

ଦଳିବ ଦେବଙ୍କ ଦର୍ପ ନାଶି ଶଚୀପତିକି ।୨।

ରାହୁକେତୁ ଆଦିକରି ଆସ ବହନ ବାହାରି ।

ଜୟ ଜଳନ୍ଧର ଗାଇ ଫଟାଅ ଧରତୀକି ।୩।

ଆଜିଠାରୁ ରଣରଙ୍କା ଦୈତ୍ୟେ ହୋଇବେ ନିଃଶଙ୍କା ।

ବଇ କହି ନିନ୍ଦା ଦିଅ ନାହିଁ ନିଜ ଜାତିକି ।୪।

(ଜଳନ୍ଧରଠାରେ ରାକ୍ଷସଙ୍କର ନିଜ ନିଜ ପରିଚୟ ଦେବାରୁ ଜଳନ୍ଧରର ଉକ୍ତି)

ଗୀତ- (ରଥ ରଖ ପଥେ ଦେଖୁ...ବୃତ୍ତେ)

ଚାଣ୍ଡେ କହ ରାହୁ ଗଣ୍ଡିହୀନ କିଏ କଲା ରେ ।

କାହା ଭୁବନକୁ ଦଣ୍ଡଧର ଦାଣ୍ଡି ଦେଲା ରେ ।ପଦ।

କି ହେତୁ ଏ କାଣ୍ଡ, ଦନୁଜେ କେ ଦେଲା ଦଣ୍ଡ ।

ପଥର ପକାଇ କେବା ମୁଣ୍ଡ ଦେଖାଇଲା ରେ ।୧।

ଖଣ୍ଡାରେ କାଟି ତା ଷଣ୍ଢା, କରିବି ମୁଁ ବଂଶ ଲଣ୍ଡା ।

ପଣ୍ଡା ସମ ବଳିଦେବି ଜାଣିଥାଅ ଭଲା ରେ ।୨।

କରୀଶୁଣ୍ଢ କରେ ଧରି ଅଛି କେ ସାହସ କରି ।

କାହାର ମରଣଦାଣ୍ଡ ପରିଷ୍କାର ହେଲାରେ ।

ଫିଟାଇ କହ ସହସା, ମେଣ୍ଟିବ ତୋ ଦୁଃଖ ଦଶା ।

ରସାଦେବ ବଇଷ୍ଣବେ ମାରୁଅଛି ଝୋଲାରେ ।୪।

(ରାହୁର ଉତ୍ତର)

ଗୀତ- (ରାଜାଘର ପାଇକ..ବୃତ୍ତେ)

ଶୁଣ ମୋ ଦୁଃଖଦଶା । କହିଲେ ସରିବ ନାହିଁ ଏ ରସା ହୋ ।

ଗୁଣ ଗୁଣି ଉଡ଼ିଯାଉଛି ହଂସା ହୋ ।ପଦ।

ମିଳିଣ ଦେବ ଦାନବ । ମନ୍ଥିଲୁ ସାଗରଗର୍ଭ ।

ଚାରି ଦ୍ରବ୍ୟ ଜାତହେଲା ସହସା ହୋ ।୧।

ଅଶ୍ୱ ଚନ୍ଦ୍ର ପାରିଜାତ । ସହିତେ ଜାତ ଅମୃତ ।

ଘେନିଗଲା ଭଗବାନ ଦେଇ ବୃଷା ହୋ ।୨।

ଲୁଚି ଦେବଗଣ ମେଳେ । ଅମୃତ ଭୁଞ୍ଜିଲି ବଳେ ।

ତେବେ ନ ପୂରିଲା ମୋର ଆଶା ହୋ ।୩।

ଚକ୍ର ପେଶି ନକ୍ରପରି । କାଟିଲା ମୋ ଶିର ହରି ।

ବିପ୍ର ବଇଷ୍ଣବ ରଚେ ଏ ଭାଷା ହୋ ।୪।

(ରାଜା ରାହୁଠାରୁ ଶୁଣି ଦୂତକୁ ଡାକନ୍ତେ ଦୂତର ଗୀତ)

ଗୀତ- (ମନ ଭଜ ତୁ ଦୃଢ଼େ ଜଗବନ୍ଧୁଙ୍କୁ...ବୃତ୍ତେ)

ଅଜା ଡାକି କହୁଛି ଦିନେ ନାତିକି ରେ ।

ନିଶା ଅଛି ସଂସାରେ ଏତେ ଜାତିକିରେ ।ପଦ।

ଗଞ୍ଜେଇ ଅଫିମ ଗଡ଼ଜାତିପତିକି ।

ଚରସ ମାଯୁମ ଗୁଲି କଳାକାନ୍ତିକି ।

ଟାଣିଦେଇ ଦିଛିଟା । ପାଟିରେ ମାରି ମିଠା ।

ଦେଖିବୁ ପରଂବ୍ରହ୍ମଜ୍ୟୋତିକି ରେ ।୧।

ଗରମ ଗରମ ମୁଢ଼ି ତାଡ଼ି କତିକି ।

ସରମ ନ ଥିବ ନିଜ ଜାତିପତିକି ।

ଗଣ୍ଡିଭୁଲା ବରାଣ୍ଡି ପକାଇବ ଦରାଣ୍ଡି ।

କାହିଁ ଗଲା ଚାନ୍ଦିନି ରାତିକି ରେ ।୨।

ଚଣ୍ଡୁ ଖାଇ କରୁଥିବା କାଳେ ବାନ୍ତିକି ।

ଦଣ୍ଡଧର ଦଣ୍ଡକୁ ନ ଥିବ ଭୀତିକି ।

ତଣ୍ଟିଶୁଖା କୋକେନ । ଖଟିକି କଲେ ଧ୍ୟାନ ।

ଭେଟିବ ନିଶ୍ଚେ ଶିବା-ପତିକିରେ ।୩।

ଶିଖିବୁ ଚୋରି ବିକିବୁ ବାଡ଼ିବୃତ୍ତିକି ।

ବହିବୁ ଦିଗମ୍ବର ପରକୃତିକି ।

ଚଟି ଚାପୁଡ଼ାମାନ ବଢ଼ିବ ଦିନୁ ଦିନ ।

ଯେତିକି ପଢ଼ିଥିବୁ ତେତିକି ରେ ।୪।

ନିଶାଖିଆଙ୍କର ସଙ୍ଗେ କଲେ ପ୍ରୀତିକି ।

ରଖିଯିବୁ ଜଗତେ ତୁ ମହାକୀର୍ତ୍ତିକି ।

ବଇଷ୍ଣବ ଭଣଇ ଅନୁଭବୀ ଜାଣଇ ।

ଦେବୁ ତୁ କାଚମୂଲ୍ୟେ ମୋତିକି ରେ ।୫।

(ରାଜା ଦୂତ ପ୍ରତି ଗୀତ)

(ନବନୀରଦବରନା ମନମୋହନ ଛବିକି...ବୃତ୍ତେ)

ଯାଅ ଯାଅ ଡଗର ବହନ ଆଦେଶ ମୋର କହଯା ଇନ୍ଦ୍ର ଆଗରେ ।ପଦ।

ନେଇଣ ଅସୁର ବିତ୍ତ କରିଛି ଚିତ୍ତ ।

ଫେରାଇ ଦେବ ସମସ୍ତ ଆସିଣ ତୋହ ସଙ୍ଗରେ ।୧।

ଯେବେ ନ ଦେବ ଫେରି ନାଶିବି ତାର ଶିରୀ ।

ବସିବି ମୁଁ ହୋଇ ରାଜା ଅମରାବତୀ ନଗରେ ।୨।

ଜଳ ଅଗ୍ନି ସଂଯୋଗେ ବିଧାତା ବର ଯୋଗେ ।

କହ ମହାବଳୀ ବୋଲାଇଛି ଦୈତ୍ୟ ଜଳନ୍ଧର ।୩।

ଯାଅ ଘେନି ଏ ଲେଖା ଶଚୀନାଥଙ୍କୁ ଦେଖା ।

ବଇଷ୍ଣବ ବୋଲେ ବେଶି କରିବୁ ନାହିଁ ଜିଗର ।୪।

(ଇନ୍ଦ୍ର ଓ ବୃହସ୍ପତିର ପ୍ରବେଶ, ଇନ୍ଦ୍ରର ଗୀତ)

(ଭାଇ ଭୀମ କରିବା କି ବୁଦ୍ଧି...ବୃତ୍ତେ)

କହ ଗୁରୁ କି ବୁଦ୍ଧି କରିବି । ତେଜି ଏ ଅମରପୁର ବୁଡ଼ିମରିବି ।ପଦ।

ସିନ୍ଧୁଦେଶ ଅଧିପତି । ଜଳନ୍ଧର ଦୈତ୍ୟପତି । ଦେଇ ପିଣ୍ଡେ ପ୍ରାଣ କି ଧରିବି ।୧।

ପଠାଇ ଦୂତ ଦୁର୍ଦ୍ଦାନ୍ତ । ମାଗିଥିଲା ସିନ୍ଧୁଜାତ । ବର୍ତ୍ତମାନ କେହ୍ନେ ଫେରାଇବି ।୨।

ଡଗରେ ନିଷେଧ କଲି । ଆଜ୍ଞା ତାର ନ ମାନିଲି । ଏ ବିପଦୁଁ କେସନ ତରିବି ।୩।

ବଇଷ୍ଣବ ରସେ ଭାଷେ । ଶୁଣି ଦୂତ ମୁଖୁଁ ରୋଷେ । ବୋଲେ ସ୍ୱର୍ଗଶିରୀକି ତାଡ଼ିବି ।୪।

ଗୁରୁ- ସୁରରାଜ ! ନ ଦିଶଇ ମୋତେ ବୁଦ୍ଧି କିଛି, ଏହି ଶୁଣ ମୋର ରଡ଼ି- ଆସ, ରକ୍ଷେ ବେଢ଼ିଲେଣି ଅମରମଣ୍ଡଳ; ବେଳୁ ତାର ପ୍ରତିକାର ନକଲ କିପାଇଁ; ପରାଜୟ ଦେବେ, ଗିରିକ୍ରୋଟେ ଲୁଚିବା ସରବେଯାଇଁ ଜଳନ୍ଧର ଭୟେ ।

(ଜଳନ୍ଧର ସୈନ୍ୟସହ ପ୍ରବେଶ)

ଗୀତ- (କିପାଁ ହୋଇ ଭୀତ...ବୃତ୍ତେ)

କାହିଁପାଇଁ ଲୁଚି ରହିଛରେ ଦେବେ ଆସ ଆସ ଦୈତ୍ୟ ସମରେ ।

ତା ନ ହେଲେ ଛାଡ଼ି ପଳାଅ ଏଠାରୁ ରୁହ ନା ଅମରଧାମରେ ।ପଦ।

ପରଧନ ଭକ୍ଷି ହୋଇ ମହାସୁଖୀ ଅଚିନ୍ତାରେ ଅଛ ପାମରେ ।

ଉଚ୍ଚପଦ ତୁଚ୍ଛ କରିଣ ସରବେ କଲ ଯା ନୀଚ କରମରେ ।୧।

ତୋ ଅମରାବତୀ ସକଳ ବିଭୂତି ଦନୁଜେ ଭୁଞ୍ଜିବେ ପ୍ରେମରେ ।

ଏ ସୁରନଗରୀ ଅସୁରଙ୍କ ପୁରୀ ବୋଲି ବୋଲାଇବ ନାମରେ ।୨।

ମୁହିଁ ତୃଣବତ ମଣଇ ସମସ୍ତ ବ୍ରହ୍ମାବର ପରାକ୍ରମରେ ।

ନିମିଷକେ କ୍ଷୟକରି ଦେବଚୟ ନେଇ ସମର୍ପିବି ଯମରେ ।୩।

ଇଷ୍ଟଚିନ୍ତା କର ଦୁଷ୍ଟପାଜି ଚୋର ଯାତନା ଫେଡ଼ିବି ଭ୍ରମରେ ।

ଭଣେ ବଇଷ୍ଣବ ରହି ନ ପାରିବ ପାତାଳ ପୃଥିବୀ ବିଶ୍ୱରେ ।୪।

(ଇନ୍ଦ୍ରର ଗୀତ)

(ହରି ହରି ବୋଲ ହରଷେ ରସିକ...ବୃତ୍ତେ)

ଆରେ ରଣରଙ୍କା କଉଣପ ଟୋକା କେତେ କହୁ ବଢ଼ି ବଢ଼ି ରେ ।

ଦେଖାଉଛୁ ଟାଣ ଏକ ବାଣକରେ ଶିର ତୋର ଯିବ ଛିଡ଼ିରେ ।ପଦ।

ଅକାରଣ କିପାଁ ମରଣ ଲୋଡ଼ୁଛୁ ଅମରମଣ୍ଡଳ ବେଢ଼ିରେ ।

ତାଡ଼ିଖିଆ ବୁଦ୍ଧି ଛାଡ଼ିଯାଇନାହିଁ ଇନ୍ଦ୍ର ସହ ଆସୁ ଲଢ଼ିରେ ।୧।

ସଘନେ ପବନ ବହନ୍ତେ ଯେସନେ ତୁଳାରାଶି ଯାଏ ଉଡ଼ିରେ ।

ତେସନ ତୋ ସୈନ୍ୟ ରଣେ ଉଡ଼ାଇବି ବ୍ୟୟବ୍ୟାସ୍ତ୍ର ତୃଣୁ କାଢ଼ି ରେ ।୨।

ଶାର୍ଦ୍ଦୁଳ ଗଳାରୁ ଅସ୍ଥି କାଢ଼ିବାକୁ ବଢ଼ାଇଛୁ କରଯୋଡ଼ି ରେ ।

ଦେବଭୋଗ ଦ୍ରବ୍ୟ ଦାନବେ ଭୁଞ୍ଜିବେ କେ ଦେଲା ତୋତେ ଏ ଜଡ଼ିରେ ।୩।

ଗୁରୁଗୃହେ ଚାଟ ହୋଇ ଖଡ଼ିପାଠ ପଢ଼ି ଯାଇ ଦୁଇ ଘଡ଼ିରେ ।

ବଇ ଭାଷେ ଜ୍ଞାନ-ସୂର୍ଯ୍ୟ ଉଦେ ହେବ ଯିବ ଅଜ୍ଞାନ କୁହୁଡ଼ିରେ ।୪।

(ଉଭୟର ଯୁଦ୍ଧ । ଦେବଗଣଙ୍କର ପଳାୟନ । ଜଳନ୍ଧରର ଗୀତ)

(ରାଧାପାଶେ ପରବେଶ ମୋହନ...ବୃତ୍ତେ)

ରଣେ ପଳାଇଲେ ଦେବେ ହାରି ରେ । ଦୈତ୍ୟେ ହୁଅ ଏବେ ଅଧିକାରୀ ରେ ।ପଦ।

ଯାଉଅଛି ମୁହିଁ ନିଜ ବାସରେ । ଦୂତେ ଭ୍ରମ ଯାଇଁ ଦେଶ ଦେଶରେ ।୧।

ଆସି ମୋ ପାଶେ କଲେ ଖବର ରେ । ଘେରି ମାରିବା ତାଙ୍କୁ ଆବର ରେ ।୨।

ବିଷ୍ଣୁ ଶିବ ହୋଇଲେ ବି ଦ୍ରୋହୀ ରେ । ମୋର କରୁ ନ ପାଇବେ ତ୍ରାହି ରେ ।୩।

ତିନି ପୁରୁ ଦେବ ନାମ ଲୋପ ରେ । ହେଲେ ଶାନ୍ତି ହେବ ମୋର କୋପ ରେ ।୪।

ଦୁଷ୍ଟେ କରନ୍ତି କେଉଁ ବିଚାର ରେ । ବଇ ବୋଲେ ଆଣ ଯାଇ ଚାର ରେ ।୫।

(ଦେବଙ୍କର ଦେବଗିରିରେ ସ୍ତବ)

ଗୀତ- (ଆଜ୍ଞା ଦିଅ ଭୋଜରାଜ...ବୃତ୍ତେ)

କେଣେ ଅଛ ଦିଅ ଦେଖା, ହେ ଶଙ୍ଖାରି, ଆସି ଥରେ ।

ତୋ ବିନା କେ ଅଛି ବଡ଼ ନାଥ ଏହି ଜଗତରେ ।ପଦ।

ତୁହି ଆଦି ଅନ୍ତ ତୁହି, ପ୍ରକୃତି ପୁରୁଷ ଦୁଇ;

ପରାପର ତୋର ନାହିଁ ଥାଉ ତୁ ଦେବ-ହିତରେ ।୧।

ଜଳନ୍ଧର ଭୟେ କେହି, ସ୍ୱର୍ଗେ ନ ପାରିଲୁ ରହି;

ତଡ଼ି ଦେଲା ଦୈତ୍ୟସାଇଁ ପଡ଼ିଛୁ ଗିରିଗର୍ଭରେ ।୨।

ଏହି ଦେବଗିରି କ୍ରୋଟେ, ଗିରିଧାରୀ ଆସି ଝଟେ;

ଦମ୍ଭରୂପୀ ଧୈର୍ଯ୍ୟ ବୀଜ ରୋପଣ କରିଛୁ ଡରେ ।୩।

ହେ ମଧୁକୈଟଭଧ୍ୱଂସା, ତୋର ଅଦର୍ଶନେ ହଂସା ଉଡ଼ିଯିବ ରସାଦେବ,

ବୈଷ୍ଣବ ଭାଷେ ଗୀତରେ ।୪।

(ନାରାୟଣ ଲକ୍ଷ୍ମୀସହ ପ୍ରବେଶ)

ଗୀତ- (କହ୍ନାଇ କହ କହ ଭାବନା ତୋ କାହିଁକି...ବୃତ୍ତେ)

ରୋଦନ କରନାହିଁ ସରବ ଅମର ! ତୁମ୍ଭ ହିତ ପାଇଁ ନିଶ୍ଚେ କରିବି ସମର ।ପଦ।

କିମ୍ପା ଏଣେତେଣେ ଭ୍ରମ ଅକାରଣେ, ରକ୍ଷ ବିନାଶ ମନ୍ତ୍ର ହୃଦରେ ସୁମର ।୧।

ଜଳନ୍ଧର ମାରି, ଦେବି ସ୍ୱର୍ଗଶିରୀ, ହରିବି ମହୀଭରା ନିୟମ ଏ ମୋର ।୨।

ଶୁଣ ସିନ୍ଧୁସୁତା, ଛେଦିଚି ବନ୍ଧୁତା, ଟାଣ ରଖିବି ଜାଣ ଦୀନବନ୍ଧୁ ନାମର ।୩।

ରେ ଅରୁଣାଧରି, ବରୁଣ କୁମାରି, ଧରିବୁ ନାହିଁ ଦୋଷ ଦ୍ୱିଜ ବଇଷ୍ଣବର ।୪।

(ଲକ୍ଷ୍ମୀଙ୍କର ଉତ୍ତର)

ଗୀତ-(ହେ ତପୋଧନ କେଣେ କରିବୁ ଗମନ...ବୃତ୍ତେ)

ହେ ମାୟାଧର, କେ ଜାଣିବ ମାୟା ତୋର ।ପଦ।

ମାୟାର ସମଷ୍ଟି ତୋର ଏହି ସୃଷ୍ଟି, କେ କାଟିବ ତାର ଡୋର ହେ ।୧।

ଜୀବଗଣେ ବାନ୍ଧି କରିଅଛୁ ବନ୍ଦୀ, କି ଶକତି ଅଛି କାର ହେ ।୨।

ଏ ଲୀଳା ସମସ୍ତ, ତୋର ପଦ୍ମହସ୍ତ ପୂରିଛୁ ସଚରାଚର ହେ ।୩।

ବଇଷ୍ଣବ ଭାଷି, ଦୁର୍ଜନେ ବିନାଶି, ସୁଜନେ ପାଳନ କର ହେ ।୪।

(ସମସ୍ତଙ୍କର ପ୍ରସ୍ଥାନ । ଦୂତ ରାଜ୍ୟକୁ ଜଣାଇବାର ଗୀତ)

(ଆସ କିଏ ଯିବରେ କଲିକତାକୁ...ବୃତ୍ତେ)

ଶୁଣ ଦୈତ୍ୟବର ହେ, ଆଜ ଦିନ ଖବର ।

ଦେବଗିରିକ୍ରୋଟେ ଦେବେ ଲୁଚିଛନ୍ତି ଯେସନେ ବନ ଶବର ହୋ ।ପଦ।

ବିଷ୍ଣୁ ସହ ମେଳି କରିଣ, ଭାଳୁଛନ୍ତି ତୋର ମରଣ ।

କରି ରଣ ପ୍ରାଣ ନାଶିବ ବୋଲିଣ କହିଛି କମଳାବର ହେ ।୧।

ବନ୍ଧୁପଣ ଦୂର କରିବ, ଏହି ଯୁଦ୍ଧେ ତୋତେ ମାରିବ ।

ଶୁଣି ଏହି କଥା ହଜିଗଲା ଚେତା, ଆସିଲି ତୋର ନବର ହେ ।୨।

କିଛି ଦିନ ବଞ୍ଚିବା ଯେବେ, ନାଶ ବିଷ୍ଣୁ ସହିତ ଦେବେ ।

ବଇଷ୍ଣବ ଭାବେ ସ୍ଥିର ହେବ ତେବେ ଚିରହେବ ବ୍ରହ୍ମାବର ହେ ।୩।

(ରାଜାର ସୈନ୍ୟଗଣେ ଆଦେଶ)

ଗୀତ- (ଜୟ ହଂସାରୂଢ଼ ମୂଢ଼ଜନ ଡାକ...ବୃତ୍ତେ)

ଆସରେ ଅସୁରେ ଚିତ୍ତ ଉଲ୍ଲାସରେ ଅମରଙ୍କୁ ଘେରି ମାରିବା ।

ବିଷ୍ଣୁ ସଙ୍ଗେ ଦୁଷ୍ଟ କରୁଛନ୍ତି କୂଟ ସହସ୍ରାକ୍ଷ ବକ୍ଷ ଚିରିବା ।ପଦ।

ଦେବଶିରମାନ ମାଳାକରି ଗଳେ । ସେହି ରକ୍ତେ ସ୍ନାନକରିବା ସକଳେ ।

ଅସ୍ଥି ଚର୍ମ ମାଂସ କରି ପୂର୍ଣ୍ଣଗ୍ରାସ ଦେହୁଁ ପ୍ରାଶମାନ ହରିବା ।୧।

ଦେଖିବା କେମନ୍ତେ ରଖିବ ସେ ହରି । ଡାକିବି ତାହାର ନାମ ତୁଣ୍ଡେ ଧରି ।

ରାଣ୍ଡ ହେଲେ ଭଗ୍ନୀ ଦାଣ୍ଡେ ଲାଜହେବ ଚାଣ୍ଡେ କୃଷ୍ଣେ ବନ୍ଦୀ କରିବା ।୨।

ଧରିବା ଖଡ଼ଗ ଭୂଷଣ୍ଡୀ ଶାବେଳୀ । ଧନୁତୀର ବର୍ଚ୍ଛା କଟାରି ଯେ ଗୁଳି ।

ଗଣ୍ଡାଢ଼ାଲ ଖଣ୍ଡା ଦଣ୍ଡକ ଭିତରେ ଗୁଣ୍ଡାକରି ଗଣ୍ଡି ଚୂରିବା ।୩।

କଳକଳ ନୀଳଗିରି ହୃଦେ ଭେଦି । ବହଇ ରକତ ବହି ଯେହ୍ନେ ନଦୀ ।

ବଇଷ୍ଣବ କହି ପତାକା ଉଡ଼ାଇ ରଣେ ଜୟ କରି ଫେରିବା ।୪।

(ସମସ୍ତଙ୍କର ପ୍ରସ୍ଥାନ)

(ବିଷ୍ଣୁଙ୍କ ଗୀତ)

(ନିର୍ଲଜ୍ଜ ଦଇତ କେତେ ଦେଖାଉଛୁ ତେଜ...ବୃତ୍ତେ)

ହୁଅ ସାବଧାନ ସୁରେ, ହୁଅ ସାବଧାନ ।

ରଣ ଆଶେ ଆସେ ଜଳନ୍ଧର ଯାତୁଧାନ ।ପଦ।

ଧୂଳି ସଘନେ, ଉଡ଼େ ଗଗନେ, ଅଶ୍ୱହ୍ରେଷା ଗରଜନ ଶୁଭେ ଘନଘନ ।୧।

ଦନୁଜଗଣ, ପଣକୁ ପଣ, ଧାଇଁଛନ୍ତି ଦୂରୁ କରି ମାର ମାର ସ୍ୱନ ।୨।

ଆଜି ତା ସଙ୍ଗେ, ଯୁଝିବି ରଙ୍ଗେ, ବୁଝିବି କି ଅସ୍ତ୍ରଶସ୍ତ୍ର ତା ସାଧନ ।୩।

ନିକଟେ ଆସି, ଦଇତ ଶଶୀ, ବଇ ଭାଷି ଡାକେ କରି ବିକଟ ବଦନ ।୪।

(ସେନାସହ ଜଳନ୍ଧରର ପ୍ରବେଶ ।)

ଜଳନ୍ଧର- ଅମରେ ସମରେ ଆସି ଶୀଘ୍ର ହୁଅ ସଜ ।

ବିଷ୍ଣୁ- ବରୁଣନନ୍ଦନ ବାରେ ଇଷ୍ଟମନ୍ତ୍ର ଭଜି ।୧।

ଜଳନ୍ଧର- ଏତେ କଥା କହୁ ତୁଟା କିଏରେ ପାମର ?

କୃଷ୍ଣ- ଭଲକରି ଚିହ୍ନ ମୋର ନାମ ଦାମୋଦର ।୨।

ଜଳନ୍ଧର- ବନ୍ଧୁରେ ବିଗ୍ରହ କିପାଁ କରୁଛ ଶ୍ରୀହରି ?

ବିଷ୍ଣୁ- ଛାଡ଼ିଗଲେ ଦେବବୃନ୍ଦେ ମାରିବୁ ତୁ ଧରି ।୩।

ଜଳନ୍ଧର- ତୋତେ ତିଳେ ଡର ମୋର ନାହିଁ ଶିରୀପତି !

ବିଷ୍ଣୁ- ଆଜି ରଣେ ବୁଝିବି ମୁଁ କେଡ଼େ ତୋ ଶକତି ।୪।

ଜଳନ୍ଧର- କର କର ରଣ ତେବେ କିପାଁ କରୁ ହେଳା ।

ବିଷ୍ଣୁ- ଗିରିକି ଚୂରିବୁ ତୁହି ବୁଲାଇଣ ଟେଳା ।୫।

ଜଳନ୍ଧର- (ଯୁଦ୍ଧ) କିପାଇଁ ଶଙ୍ଖାରି, ରଣ ତେଜି ହେଲୁ ଛିଡ଼ା ?

ବିଷ୍ଣୁ- ତୋ ସମରେ ତୁଷ୍ଟ ହେଲି ମାଗ ଯାହା ଲୋଡ଼ା ।୬।

(ଜଳନ୍ଧରର ଉକ୍ତି)

ଗୀତ- (ସତେ ଘେନିଯିବୁ ମୋର ରେ...ବୃତ୍ତେ)

ଯେବେ ବର ଯାଚି ଦେବ ହେ, ମୋତେ ବାରେ ନରନାରାୟଣ ।

କମଳା ସହିତେ ମୋର ଆଳେ ବାସ କରି ରହ ଅନୁକ୍ଷଣ ।ପଦ।

ନିତି ପ୍ରାତଃକାଳେ, ନିରେଖିବି ଡୋଳେ ହରି ତୋ ରଙ୍ଗାଚରଣ ।

ତା ନ ହେଲେ ରଣ ନ ତେଜିବି କେଭେ ମାନିଣ ତୋର ବାରଣ ।୧।

ଦୀନବନ୍ଧୁ ବନ୍ଧୁଭାବେ ବନ୍ଦୀ ହେଲେ ନ ହେବ ମାନହରଣ ।

ଇନ୍ଦୁରଜନୀରେ ଭ୍ରମି ସିନ୍ଧୁତୀରେ ସେବି ସନ୍ଧ୍ୟା ସମୀରଣ ।୨।

ଏ ମୋହ ବଚନ କମଳଲୋଚନ ମାନି ରୋଷ ସମ୍ବରଣ ।

କରି ଆସ ଆସ ବଇଷ୍ଣବ ଭାଷ ହେଉ ମୋ ବାଞ୍ଛା ପୂରଣ ।୩।

ବିଷ୍ଣୁ- ରକ୍ଷପତି, ରକ୍ଷାକଲି ତୋହର ଭାରତୀ । ଚାଲ, ତୋର ସଙ୍ଗେ କମଳାକୁ ଘେନି ରଙ୍ଗେ ତୋର ବାସେ ରହିଥିବି କିବା ଦିବା ରାତ୍ରି । ଛାଡ଼ିଦିଅ ଅମରବୃନ୍ଦଙ୍କୁ, ତୋ ଅମରାବତୀ, ଘେନି ତୋର ଅନୁମତି ଭୁଞ୍ଜନ୍ତୁ ସେ ବିଭୂତି, ତେବେ ମୋର ଚିତ୍ତ ହେବ ଶାନ୍ତି ।

ଜଳନ୍ଧର- ଶିରୀପତି ! ତୁମ୍ଭ ତହୁଁ ନୋହେ ବଡ଼ ସ୍ୱର୍ଗର ସମ୍ପତ୍ତି । ଯେଣୁ ରଣେ ଜିଣି ପାଇଲି ତୁମ୍ଭଙ୍କୁ ଦମ୍ପତି ଭାବେ ମୋ ଘରେ ଥିବ ଦିନରାତି । କଟାଇବ ସିନ୍ଧୁପତି କାଳ । ତବ ସାଙ୍ଗେ କାଳେ କାଳେ ବନ୍ଧୁ ଭାବେ ମାତି । ଆସ, ମମ ସହ ଲକ୍ଷ୍ମୀସହ କର ନାହିଁ ବୃଥା ବେଳ କ୍ଷତି । (ବିଷ୍ଣୁସହ ପ୍ରସ୍ଥାନ)

(ଦେବଙ୍କ ପାଶେ ନାରଦ ଗୀତ ଗାଇ ପ୍ରବେଶ)

(ଆଜି ଜଣାଉଛି ଭାଇମାନଙ୍କୁ ହେ...ବୃତ୍ତେ)

ଭଜ ମନ ଗୋବିନ୍ଦ ଗଦାଧର ହେ, ବନବିହାରୀ ଶ୍ୟାମସୁନ୍ଦର ।ପଦ।

ଅରବିନ୍ଦ ନୟନ ମନୋହର, ପରଦୁଃଖ ମୋଚନ ତତପର ।

କଳା ବଳାହକ କାନ୍ତିସାର ରେ ମନ ସାଗରେ ସାର ନଟବର ।୧।

ପରଂବ୍ରହ୍ମ ଜ୍ୟୋତି ନିର୍ବିକାର, କଣ୍ଠେ ରାଜିବ କୌସ୍ତୁଭହାର ।

ଶିରୀବତ୍ସଲାଞ୍ଛନ ସୁନ୍ଦର ରେ ମନ ଯାର ନାମ ଗଦାଧର ।୨।

ସେହି ପଦସରୋଜରଜ ଧର ; ଶିରେ ମାରି ସଂସାରୁ ଉଦ୍ଧର ।

ନିରବଧି ବଇଷ୍ଣବ ଗିର ରେ ମନ ନିରାପଦରେ ବିହର ।୩।

(ଦେବଙ୍କ ପ୍ରତି ନାରଦଙ୍କ ପ୍ରଶ୍ନ)

(ମହିଷାସୁରକୁ ଆଶା ମୁଁ କରିଛି...ବୃତ୍ତେ)

ବିବୁଧେ ହେ, କୁଶଳେ ଅଛ ତ ରହି ।

ତୋଷ ଆମ୍ଭ ଚିତ୍ତ ତୁମ୍ଭ ମଙ୍ଗଳ ଜଣାଇ ।ପଦ।

ନାହିଁ ତ ମନେ ସରସ । ନିରସ ବିନା ହରଷ ।

ବରଷ ନୟନୁ ନୀର ମହୀକି ଅନାଇଁ ।

ବହି କେଉଁ ଚିନ୍ତାବାତ । ତୁମ୍ଭର ଦମ୍ଭ ମହତ ।

ସାରି କେଉଁ ବିପଦ ସାଗରେ ଅଛି ଥୋଇ ।

ଶିଶିରେ ପଙ୍କଜ ଦଶା । ପରି କି ହେତୁ ଦୁର୍ଦ୍ଦଶା ।

ମନ୍ଦାକିନୀ କୂଳେ ବସିଅଛି ମେଳହୋଇ ।

ଫେଡ଼ିକହ ମୋହ ପାଶେ । ବିପ୍ର ବଇଷ୍ଣବ ଭାଷେ ।

ସାଧ୍ୟମତେ ଚେଷ୍ଟା କରିବାଇଁ ତୁମ୍ଭପାଇଁ ।

(ଦେବଙ୍କର ଉକ୍ତି)

ଗୀତ- (ଶ୍ୟାମରେ ନୁହ ବିମନା ଚନ୍ଦ୍ର ବଦନୀ...ବୃତ୍ତେ)

ଆଉ କି କୁଶଳ ପୁଚ୍ଛ ବ୍ରହ୍ମାନନ୍ଦନ !

ସରୁନାହିଁ ଦିନ କରୁ କରୁ କ୍ରନ୍ଦନ ।ପଦ।

ଜଳନ୍ଧର ରକ୍ଷମଣି । ଶ୍ରୀହରିଙ୍କି ରଣେ ଜିଣି ।

ଲକ୍ଷ୍ମୀ ସହିତେ ରଖିଲା ତାର ସଦନ ।୧।

ବିଷ୍ଣୁଙ୍କୁ ନ ଦେଖି ଚିତ୍ତ । ହେଉଛି ସଦା ବ୍ୟଥିତ ।

ହରିଅଛି ଦୁଷ୍ଟ ଖଣ୍ଟ ଦେବଙ୍କ ଧନ ।୨।

ଅନାଥ ହୋଇ ସକଳେ । ବସି କାନ୍ଦୁଛୁ ବିକଳେ ।

ଘୋଷୁଛୁ ମୁଖେ ମାଧବ ମଧୁସୂଦନ ।୩।

ଜିଣିଲା ଯେହୁ ବିଷ୍ଣୁଙ୍କୁ । ଆଉ କେ ମାରିବ ତାକୁ,

ବଇ ଭଣି ଜାଣକି ତା ମୃତ୍ୟୁବିଧାନ ।୪।

(ଦେବଙ୍କ ପ୍ରତି ନାରଦଙ୍କର ପ୍ରବୋଧନା)

(ଆଇରେ କାଦୁଲଇ ଆଇଲ ଖାବିନାରେ...ବୃତ୍ତେ)

ଥାଅ ହେ ଅମରେ ଯାଉଛି । ଶୁଣିଥାଅ ମୁଁ ଯା କହୁଛି ।

ଶିବ ବିନା ତାକୁ କେହି ନ ମାରିବେ, ଏହା ହୃଦେ ଉଦେହେଉଛି ।ପଦ।

ଯା’ଠାରୁ ଯେ ଜାତ ହୋଇଛି । ସେ ତା ମୃତ୍ୟୁଭେଦ ପାଇଛି ।

କାଳସହ କଳି ଲଗାଇଦେବି ମୁଁ ତୁମ୍ଭ ତହୁଁ କିବା ନେଉଛି ।୧।

ସିଧା ସିଧା ମୁଁ ତ ଧାଉଁଛି । ଜଳନ୍ଧର ବାସେ ପହୁଞ୍ଚି ।

କଳିମୁଣା ଝାଡ଼ି ଆସିବି ବାହୁଡ଼ି ବଇଷ୍ଣବ ପଦ ଗାଉଛି ।୨। (ଦେବଙ୍କର ପ୍ରସ୍ଥାନ)

(ଜଳନ୍ଧରର ପ୍ରବେଶ)

ଜଳନ୍ଧର- (ବାଣୀନାଦ ଶୁଣି) କହ ଦ୍ୱାରୀ ! କିଏ ସିଂହଦ୍ୱାରେ ?

ରାମକୃଷ୍ଣ ରାମ ନାରାୟଣ ନାମ ମିଳି ଶୁଭେ ବୀଣାଧ୍ୱନି ସହ,

ଆସିଲେ କି ବିଧିସୁତ ବିଷ୍ଣୁ ଦରଶନେ?

ଦ୍ୱାରୀ- ଆସିଛନ୍ତି ଦେବର୍ଷି ନାରଦ । କହୁଛନ୍ତି ଶ୍ରୀଛାମୁରେ କରିବାକୁ ଦେଖା...

ଜଳନ୍ଧର- ଘେନି ଆସ ସଭା ସମ୍ମୁଖକୁ । ଜଣାଯିବ ତାଙ୍କଠାରୁ ସରବ କାରଣ ।

ଦ୍ୱାରୀ- ଯେ ଆଜ୍ଞା !

(ନାରଦଙ୍କର ପ୍ରବେଶ)

ଜଳନ୍ଧର- କହ ଋଷି କେଉଁ କାର୍ଯ୍ୟ ଆଗମନ ଏଥି ?

ନାରଦ- ଏହିପରି ବୁଲୁଥାଇ ସାତଦ୍ୱୀପ ପୃଥ୍ୱୀ ।

ଜଳନ୍ଧର- ଦେଖିଛ କି ଏହାଠାରୁ ବଳି କାହିଁ ପୁର ?

ନାରଦ- ତୋ ସମ ସମ୍ପଦ ନାହିଁ ଦେଖନ୍ତା ଆଖିର ।

ଜଳନ୍ଧର- ଆଉ କି ଅଭାବ ମୋର ଭାଷ ତପୋବନ !

ନାରଦ- ସୁନ୍ଦର ନ ଦିଶେ ଏକା ନ ଥିବାରୁ ରମଣୀରତନ ।

ଜଳନ୍ଧର- ତ୍ରିପୁରମୋହିନୀ ବୃନ୍ଦାବତୀ ମୋର ବାମା ।

ନାରଦ- ତାହାଠାରୁ ନାହିଁ କି ଆଉ ଶୋଭାବତୀ ରାମା ।

ଜଳନ୍ଧର- ମୋ ଭଉଣୀ କମଳା ଅଛନ୍ତି ମୋର ପୁର ।

ନାରଦ- ସୁନ୍ଦରୀଠାରୁ ଆସନ ତାର ବହୁ ଦୂର ।

ଜଳନ୍ଧର- ତାକୁ ବଳି ଅଛି କି ତ୍ରିପୁରେ କାହିଁ ଯୋଷା ?

ନାରଦ- ତାର ରୂପରାଶି ଶୁଣନ୍ତେ ତୋ ଉଡ଼ିଯିବ ହଂସା ।

ଜଳନ୍ଧର- କହ କହ ଯତି ଶୀଘ୍ର ନ କରି ବିଳମ୍ବ ?

ନାରଦ- ରହ ରହ ଶୁଣ ବୀର ଚିତ୍ତ କରି ଦମ୍ଭ ।

(ନାରଦଙ୍କର ରାଜାପ୍ରତି ଉକ୍ତି)

ଗୀତ- (ମନାକଲେ ଯେତେ ଭୁଲିବି କି ଚିତ୍ତେ...ବୃତ୍ତେ)

ଶୁଣ ବୀରମଣି ଶଙ୍କରଘରଣୀ ଉମାଠାରୁ ନାହିଁ ସୁନ୍ଦରୀ ।

ତା ସୁନ୍ଦରପଣ ବର୍ଣ୍ଣି କେ ପାରିବ କୁନ୍ଦଦନ୍ତୀ ମନ୍ଦଉଦରୀ ।ପଦ।

ପୂର୍ଣ୍ଣ ଇନ୍ଦୁ ଜିଣି ମୁଖପ୍ରଭା ପୁଣି ଶିବକୁ ଅଛି ସେ ଆଦରି ।

କେଭେ ରସରଙ୍ଗେ ନ ମଜ୍ଜେ ତା ସଙ୍ଗେ ଶୁଣିଛି ସେ ନବ ହୁନ୍ଦରୀ ।୧।

ଯୋଗୀ ଅଟେ ଶିବ ସେ କାହିଁ ତୋଷିବ ଭାଷି ପ୍ରିୟ ଭାଷା ମାଧୁରୀ ।

ବୃଥା ବେଶଭୂଷା ହୋଇଅଛି ଯୋଷା ଦେଖି ବକ୍ଷ ହୁଏ ବିଦାରି ।୨।

ଉଚ୍ଚ ବକ୍ଷଯୁଗ ଘଞ୍ଚ ଅଛି ହୋଇ ତୁଚ୍ଛ କରଇ ଏ ଗିରିଶିରୀ ।

ରମ୍ଭାତରୁ ସମ ବେନି ଜାନୁ ଶୋଭା ଭିଆଇଅଛି ବେଦଧାରୀ ।୩।

ପାଦପାଣି ଠାଣି ନିରଖନ୍ତେ ସୁରପୁର ତେଜିବେ ପୁରନ୍ଦରୀ ।

ବଇଷ୍ଣବ ବୋଲେ ଥିବ ଯା’ର ଭାଲେ ବସିବ ତାକୁ କୋଳେ ଧରି ।୪।

ନାରଦ- ଦୈତ୍ୟଚନ୍ଦ୍ର ! ଦୁର୍ଗାପରି ନାରୀ ଏକ କରିଣ ବିରଞ୍ଚି ଦେବ ବୋଲି ବସିଲା ବିଷ୍ଣୁଙ୍କୁ । ଗଢ଼ି ଭାଙ୍ଗି ସହସ୍ରେକ ବାର, ନୋହିଲା ତା ସମ ଶୋଭା ତାର । ଶେଷେ ବିରକ୍ତ ହୋଇଣ ବ୍ରହ୍ମା ଫିଙ୍ଗିଲା ସାଗରେ । ବିଧିର ନିର୍ମାଣ ତାହା ଭବେ ନ ଯାଇ ପଡ଼ି ବୁଡ଼ି ରହିଥିଲା ସମୁଦ୍ର ଉଦରେ । ଦେବାସୁରେ ମନ୍ଥିଲେ ଜଳଧି । ତହୁଁ ଜାତହେଲା ଅଷ୍ଟନିଧିସହ ସେ ରମଣୀ; ସେ ହୋଇଛି ବିଷ୍ଣୁ ପାଟରାଣୀ । ପୁଣି ତୋହର ଭଉଣୀ ଏହି ଅଟେ ତାହା ପୂର୍ବର କାହାଣୀ । ଏବେ ବିଦାୟ ହେଉଛି ବୀରମଣି, ରହିଥା ଆନନ୍ଦେ । (ନାରଦଙ୍କର ପ୍ରସ୍ଥାନ)

(ଜଳନ୍ଧରର ଉକ୍ତି)

ଗୀତ- (ପ୍ରେମ ସରସୀରେ ପ୍ରେମ ରବିକରେ...ବୃତ୍ତେ)

ଘନଜଘନାକୁ ନବନବୀନାକୁ କେମନ୍ତେ ତୁରିତେ ପାଇବି ରେ ।

ମୀନନେତ୍ରୀ ପାଶେ ବିନୟ ବଚନ ମନ ଖୋଲି ପଦେ କହିବି ରେ ।ପଦ।

ଦାହ କନକବରନାର । ଅଙ୍ଗସଙ୍ଗ ଲଭି କୃତାର୍ଥ

ହୋଇବି ତା ଅଧରୁ ମଧୁ ପିଇବି ରେ ।୧।

କଳକଣ୍ଠୀକି ଧରି କୋଳେ । କେଳି ତଳପରେ

ଚାଟୁ ଗଳପରେ ଆଗତ ଯାମିନୀ ପୋହିବି ରେ ।୨।

ବେନି ଶ୍ରୁତିରେ ଜିହ୍ୱା ଚାଳି । ହୃଦୟେ ହୃଦୟ ମିଶାଇ

ତାହାକୁ ଜଡ଼ାଇଣ ବକ୍ରେ ଚାହିଁବି ରେ ।୩।

ତୁଚ୍ଛ ମଣିବି ପ୍ରାଣ ଦେହ । ବଇଷ୍ଣବ ଭଣେ

ପ୍ରେମମନ୍ତ୍ର ଜପି ପ୍ରେମେ ବଇଷ୍ଣବ ହୋଇବି ରେ ।୪।

(ରାଜା ରାହୁକୁ ପଠାଇବା)

ଜଳନ୍ଧର- ଯାଅ ରାହୁ ହୋଇ ମୋ ଡଗର । କହ ଯାଇ ଶିବପାଶେ, ପ୍ରବଳ ପ୍ରତାପୀ ଜଳନ୍ଧର ପେଶିଛନ୍ତି ମୋତେ ଯାର ନାମେ କମ୍ପମାନ ସାତଦ୍ୱୀପ ସପତସାଗର । ମାନି ଆଜ୍ଞା ତାହାଙ୍କର ରେ ଶଙ୍କର, ତୋର ବାମା ଉମାକୁ ମୋ ସଙ୍ଗେ, କରି ବେଶ ଭୂଷା ପେଶ ପେଶ ବେଗେ । ହୋଇବ ସେ ଜଳନ୍ଧର ରାଜା ମନୋହାରୀ, କହ ବୃଥା କିପାଁ ଏମନ୍ତ ସୁନ୍ଦରୀ ଗୃହେ ରଖି ମହାକାଳ ନେଇ କାଳ ହରୁ । ସେହି ଅଟେ ରାଜଯୋଗ୍ୟ ନାରୀ । ତୁ ତ ସହଜେ ଭିକାରୀ, ଏ ଆଜ୍ଞା ଅବଜ୍ଞାକଲେ ନିଶ୍ଚେଁ ତାକୁ ପକାଇବି ମାରି । ଯାଅ ରାହୁ, ବେଗେ ଆସ ଫେରି ।

(ପ୍ରସ୍ଥାନ)

ରାହୁ- ଯେ ଆଜ୍ଞା !

(ଶିବ ଦୁର୍ଗାଙ୍କ ପ୍ରବେଶ ପରେ ନନ୍ଦୀର ପ୍ରବେଶ)

ଗୀତ- (କିପାଁ ନନ୍ଦନନ୍ଦନ ପଥେ...ବୃତ୍ତେ)

ଆସି ଟାଣ କରୁଛି ବାବା, ଦାଣ୍ଡଦ୍ୱାରେ ଗଣ୍ଡିହଣାଟା କିଏ ।

ହସି ହସି ମୁଣ୍ଡ ବଥାଇଲା ମୋର ନାହିଁ ତା ମୁହଁରେ ଲାଜ ଟିକିଏ ।ପଦ।

କହୁଅଛି ଚଣ୍ଡୀ ମାଆକୁ । ଚାଣ୍ଡେ ନେଇ ଦେବ କାହାକୁ ।

ନାହିଁ ଗଣ୍ଡି ଗୋଡ଼ ମାରୁଛି ଯେ ତୋଡ଼ ପଳାଇଆସିଲି ତା ପାଶୁଁ ଭୟେ ।୧।

ଲେଖା ଖଣ୍ଡେ ଧରିଛି ଦାନ୍ତେ । ଏକା କେହି ନାହିଁ ତା ସାଥେ ।

ଦେଖା ସେ କରିବ ତୋ ପାଶକୁ ଆସି ଦଣ୍ଡେ ଦଣ୍ଡେ ରହି ଊର୍ଦ୍ଧ୍ୱକୁ ଚାହେଁ ।୨।

ଦେବଲୋକ ମାନବ ଲୋକ । ଥିବେ ନାହିଁ ତା’ପରି ଏକ ।

ଯାଇ ତାକୁ ଦେଖ ତା ନହେଲେ ଡାକ ବଇଷ୍ଣବ ଶିବେ କରଇ ଲୟେ ।୩।

ଶିବ- ନନ୍ଦୀ, ତାକୁ ଡାକିଆଣ ।

ନନ୍ଦୀ- ଯେ ଆଜ୍ଞା ବାବା ! (ରାହୁ ଘେନି ନନ୍ଦୀର ପ୍ରବେଶ)

ଶିବ- ତୁ କିଏ ରେ ଦୁଷ୍ଟ ?

(ରାହୁର ଗୀତ)

(ମାନକର ଦାନ ଧନ ଗଲା କଥା ଗଲାଣି..ବୃତ୍ତେ)

ମୁହିଁ ଜଳନ୍ଧର ଦୂତ, ଶଙ୍କର ତୁ ଶୁଣ ରେ ।

କହିଲେ ସରିବ ନାହିଁ ତାହାଙ୍କର ଗୁଣରେ ।ପଦ।

ପାର୍ବତୀଙ୍କ ଆଶା କରିଛନ୍ତି ରକ୍ଷରାଣ ରେ ।

ଭାରିଯା ଦେଇ ରାଜାରେ ପଶ ଯା ଶରଣରେ ।୧।

ଆଜ୍ଞାକୁ ଅବଜ୍ଞା କଲେ ଆରମ୍ଭିବେ ରଣ ରେ ।

ପାଞ୍ଚମୁଣ୍ଡ ଛିଣ୍ଡାଇବେ ମାରି ଏକ ବାଣରେ ।୨।

ବନ୍ଦିକରି ରଖିଛି ଯେ ଲକ୍ଷ୍ମୀନାରାୟଣରେ ।

ସେ କି ସହଜେ ରଖିବ ତୋର ଟାଣପଣରେ ।୩।

ରାଜଯୋଗ୍ୟ ନାରୀ ଗୃହେ ରଖ କି କାରଣ ରେ ।

କଟାଉ ଦିବସ ଭାଷେ ବୈଷ୍ଣବଚରଣ ରେ ।୪।

(ଶିବଙ୍କ ଉତ୍ତର)

ଗୀତ- (ସାଧ ନା ମିଣ୍ଟିଲ ଆଶା ନା ପୂରିଲ...ବୃତ୍ତେ)

ଏଡ଼େ ବଡ଼ କଥା କହିବାକୁ ରାହୁ ସାହସ ହୋଇଲା ତୋହର ।

କାହାର ଶକତି ଅଛି ତିନି ପୁରେ ପାର୍ବତୀକି ନେବ ମୋହର ।ପଦ।

ଭୁଜଙ୍ଗକୁ ବେଙ୍ଗ ଗିଳିବରେ ଯେବେ ପଶ୍ଚିମେ ଉଇଁବ ମିହିର ।

ଗିରିଶିଖେ ପଦ୍ମ ବିକଶି ବାସିବ ଅମୃତ ହୋଇବ ଜହର ।୧।

ଶଙ୍ଖର ଗରଭ ସରଳ ହୋଇଲେ ସାଗର ତେଜିଲେ ଲହର ।

ହରହୃଦହାର ମୋ ଉମା ପ୍ରତିମା ତେବେ ଯିବ ରକ୍ଷ ନହର ।୨।

ଲକ୍ଷ ଲକ୍ଷ ଯକ୍ଷରକ୍ଷ ହେଲେ ବାଦି ସକ୍ଷ ନାହିଁ ଜଣେ କାହାର ।

ଦୁର୍ଗତିନାଶିନୀ ଦୁର୍ଗାକୁ ହରିବ କରିବ ତା ତୁଲେ ବିହାର ।୩।

ହରାଇଛୁ ଗଣ୍ଡି ଖଣ୍ଡି ଭାଣ୍ଡ ତୁହି ଲୋଭେ ସୁଧା କରୁ ଆହାର ।

ବଇ ବୋଲେ ପାଜି ମୁଣ୍ଡ ଯିବ ଆଜି ହୁଅ ତୁ ଏଠାରୁ ବାହାର ।୪।

ରାହୁ- ଭିକାରୀ ହୋଇଣ କିପାଁ କରୁ ଏଡ଼େ ଟାଣ ?

ଶିବ- ଦେଖିବୁ କେମନ୍ତ ଦୁଷ୍ଟ ଭିକାରୀର ଗୁଣ ।୧।

ରାହୁ- କି କରିବୁ କି ଶକତି ଅଛି ଶିବ ତୋର ?

ଶିବ- ଯାଅରେ ପୁରୁଷ ୟାକୁ ଗିଳ ଧାତିକାର ।୨।

(ଜଟା ଛିଣ୍ଡାନ୍ତେ ଏକ ଅଦ୍‌ଭୁତ ମୂର୍ତ୍ତି ଜାତ ଓ ରାହୁକୁ ଗୋଡ଼ାଇବା)

ରାହୁ- ରକ୍ଷାକର ଶଶାଙ୍କଶେଖର ମହାଦେବ !

ରକ୍ଷାକରି ଅଦମକୁ ପ୍ରାଣଦାନ ଦେବ ।

ଶିବ- ଆଚ୍ଛା ରକ୍ଷାକଲି, ଦୂତବଧ ନୁହଇ ଉଚିତ ।

ଜଣା ରାଜାକୁ ବେଗେ କହି ଏ ବୃତ୍ତାନ୍ତ । (ରାହୁର ପ୍ରସ୍ଥାନ)

ପୁରୁଷ- ଯେବେ ଜନ୍ମ ଦେଲ ତାତ, ସ୍ଥାନ କହିଦିଅ ।

କି ନାମ ମୋହର ଶୀଘ୍ର ଚଞ୍ଚଳ ବତାଅ ?

ଶିବ- ମୋର ଦ୍ୱାରା ଆଗେ ପୂଜା ପାଉଥାଅ ରହି ।

ଆଜଠାରୁ ବତ୍ସ, କୀର୍ତ୍ତିମୁଖ ନାମ ବହି । (ସମସ୍ତଙ୍କର ପ୍ରସ୍ଥାନ)

(ଜଳନ୍ଧର ମନ୍ତ୍ରୀ ପ୍ରତି)

ଗୀତ- (ଯମୁନାକୁ ଜଳଆଣି...ବୃତ୍ତେ)

ଚାଲ ଶୁକ୍ର ମନ୍ତ୍ରୀ ଚାଲ ସମର କରିବା ହେ ।

ଆଜି ରଣେ ଶିବକୁ ଜୀବନେ ସଂହାରିବା ହେ ।ପଦ।

ଆଜ୍ଞା ନ ମାନିଲା ମୋର । ଦୂତକୁ କଲା ଧିକ୍‌କାର ।

ଦୈତ୍ୟ ସାଜ କଇଳାସ ଗିରିକି ଚୂରିବା ହେ ।୧।

ନ ଦେଲା ତା ଭାରିଯାକୁ । ବୋଇଲା କହ ରାଜାକୁ ।

ଶିବେ ନାଶି ଶିବା ଘେନି ବାସାକୁ ଫେରିବା ହେ ।୨।

ନାରଦଙ୍କ କଥାମାନ । କରଇ ସଦା ଉଚ୍ଛନ୍ନ ।

ଦ୍ୱିରଦଗମନା ନେତ୍ରେ ଦେଖି ନିସ୍ତରିବା ହେ ।୩।

ବୃନ୍ଦାଠାରୁ ବିଦା ଘେନି । ଆସୁଛି ସାଜ ସଇନି ।

ବଇ ଭାଷେ ବେଗେ ବୀରବେଶେ ବାହାରିବା ହେ ।୪। (ପ୍ରସ୍ଥାନ)

(ବୃନ୍ଦାପାଶେ ଜଳନ୍ଧରର ପ୍ରବେଶ)

ଗୀତ- (ସାରଦେ ସିଂହବାହିନୀ ବରଦେ..ବୃତ୍ତେ)

କିପାଇଁ ଏ ବୀରବେଦ ହେ ଜୀବେଶ ।ପଦ।

ଜିଣିଛ ତ ଅମର କାହା ସଙ୍ଗେ ସମର । ଆଉ କରିବାକୁ ଆଶ ।୧।

ଗୃହେ ରଖିଛ ଆଣି ଶ୍ରୀହରି କମଳିନୀ । ଆଉ କାଠାରେ ଆଦେଶ ।୨।

କେ ବଡ଼ ଅଛି କହ ଲଢ଼ିବ ତାର ସହ । ବାସ ତାର କେଉଁ ଦେଶ ।୩।

ମନ ଫିଟାଇ ଧନ, କହ ସେ କଥାମାନ । ବିପ୍ର ବଇଷ୍ଣବ ଭାଷ ।୪।

ଜଳନ୍ଧର- ଗୀତ- (ମଦନ-ନଉକା ପରେ ବସାଇ-ବୃତ୍ତେ)

ବାନ୍ଧବୀରେ ବସିଥା ବାସେ । ଶିବସହ ଲଢ଼ିବାକୁ ଯାଉଛି ମୁଁ ଶିବା ଆଶେ ।ପଦ।

କହିଛନ୍ତି ବ୍ରହ୍ମାଙ୍କ ବଳା । ଅଛି ତାହା ପାଶେ ଏକ ନବନୀତାଙ୍ଗୀ ଅବଳା ।୧।

ରାହୁ ପେଶି ମାଗିଲି ତାହା । ନ ଦେଲା ସେ କୁବଚନ କହିଅଛି ଯାହା ଯାହା ।୨।

ରାଜଯୋଗ୍ୟ ରମଣୀ ଆଳେ, ରଖି ତା ସଙ୍ଗେ ଶଙ୍କର ବିହାର ନ କରେ ତିଳେ ।୩।

କରନାହିଁ ମାନ ମାନିନି, ବଇଷ୍ଣବ ଭାଷେ ହରେ ନାଶିଣ ଆସିବି ଘେନି ।୪।

ବୃନ୍ଦାବତୀ- ଗୀତ-(କେଣେ ଅଛୁ ଶୁଣା ତୋ ତୁଣ୍ଡ...ବୃତ୍ତେ)

ନ ବଳାଅ ନାଥ ପରଧନ ପରନାରୀ ହରଣେ ଚିତ୍ତ ହେ ।

ଯାହା ପାଇଁ ଯାହା ବିହି ଭିଆଇଛି, ବଳେ ତା ହରିବା ନୋହେ ଉଚିତ ହେବ ।ପଦ।

କେତେ ଅବା ନାହାନ୍ତି ଯୋଷା ସେ ନାରୀରେ କାହିଁକି ଆଶା ।

ତହିଁରେ ନ ମାତି ଧୀର କଲେ ଛାତି ଜାଣିଥା ନିଶ୍ଚୟ ହୋଇବ ହିତ ।୧।

କାହା ଧନ ନେଉଛି କିଏ । ଯେ ଯାହାର ସେ ତାର ହୁଏ ।

କୁମୁଦ ଚନ୍ଦ୍ରର ପଦ୍ମ ମିହିରର ଭେଟ ନୋହି ସ୍ନେହେ ହୁଅନ୍ତି ରତ ।୨।

ଆକାଶରେ ନାରଦ କେକୀ । ଦେଖି ବନେ ହୁଅଇ ସୁଖୀ ।

ସେହିପରି ଯେବେ ଶିବ ଶିବା ଭାବ ପରସ୍ପରେ ଥିବେସ୍ନେହେ ଜଡ଼ିତ ।୩।

କାମିନୀ କାଞ୍ଚନ ହରଣ । କଲେ ନିଶ୍ଚେ ଘଟେ ମରଣ ।

ମାନ ମୋ ବାରଣ ଧରୁଛି ଚରଣ ବଇଷ୍ଣବ ବୋଲେ ହୁଅ ନିଶ୍ଚିନ୍ତ ।୪।

ଜଳନ୍ଧର-

ନ ମାନିବି ବୃନ୍ଦାବତୀ ତୋର ଭାଷା ।

ସାଗର ଗର୍ଜନ ଶୁଣି ଡରିଲେ ବଣିକେ ରତନ କି ପାଇବେ ସହଜେ ?

ଯେବେ ମୁହିଁ ମୃତ୍ୟୁକୁ ଡରିବି, ନ ପାଇବି କାମିନୀରତନ ।

ରେ ଭାବିନି ! ବିଧିବର ନୋହିବ ଅନ୍ୟଥା ରଣେ, ମୋର ମରଣ ନୋହିବ ।

ଯାଉଛି ମୁଁ ଚିନ୍ତା ତେଜ ମନୁ । (ସମସ୍ତଙ୍କର ପ୍ରସ୍ଥାନ)

(ରଣବାଜା ଶୁଣି ନନ୍ଦୀ ଶିବପାଶେ ପ୍ରବେଶ)

ଗୀତ- (କାହିଁଅଛୁ ଚନ୍ଦ୍ରବତି ଲୋ...ବୃତ୍ତେ)

କାହିଁକି ବସିଛ ହୋଇ ଥିର, ହେ ବାବା ହର !

କାହିଁକି ମନରେ ନ ପଡ଼େ କାନରେ ରଡ଼ି ଧର ଧର ମାର ମାର ।୧।

କାର୍ତ୍ତିକ ଗଣେଶ ରଣେ ହାରିଲେଣି । ଜିଣୁଅଛି ଦୈତ୍ୟ ଜଳନ୍ଧର ।୨।

ଯେତେ ରକ୍ଷସେନା କଲୁ ଚୂନା । ତେବେ ନ ସରନ୍ତି ବଳ ତାର ।୩।

ଦିନେ ଯେ ମରନ୍ତି ରାତ୍ରେ ସେ ଜୀଅନ୍ତି। ବଞ୍ଚାଉଛି ଶୁକ୍ର ମନ୍ତ୍ରିବର ।୪।

ହୋଇଣ ଅମର କରନ୍ତି ସମର । ବଇ ବୋଲେ ପ୍ରତିକାର କର ।୫।

(ଶିବଙ୍କର ଯୁଦ୍ଧଯାତ୍ରା)

ଗୀତ- (କେସେ ଗଙ୍ଗାମେ ଯମୁନା ଲହରୀମାରା...ବୃତ୍ତେ)

ଚାଲ ଚାଲ ନନ୍ଦି ରଣେ ପଶିବା ।

ନିଶ୍ଚେ ଜଳନ୍ଧର ଦୈତ୍ୟ ପ୍ରାଣେ ନାଶିବା ।ପଦ।

ଜଟାରୁ ଯୋଗ୍ନୀଏ ଜନ୍ମ ହୋଇକରି ଯାଉ,

ଯେତେକ ଅସୁରମଡ଼ା ଚୋବାଇ ସେ ଖାଉ ।

ରଣଜୟକରି ବୃଷେ ଚଢ଼ି ଆସିବା ।୧।

ସେହି ଯୋଗ୍ନୀ ଶୁକ୍ରାଚାର୍ଯ୍ୟେ ଚୋରାଇଣ ନେବ,

ଗିରିକ୍ରୋଟେ ରଖି ରଣ ଶେଷେ ଛାଡ଼ିଦେବ ।

ତେବେ ଦେବତାଙ୍କ ଶୋକ-ସିନ୍ଧୁ ଶୋଷିବା ।୨।

ମାରିବି ରାକ୍ଷସେ ହରିବି ମୁଁ ଧରାଭାର,

ତେବେ ହର ନାମ ସାର୍ଥ ହୋଇବ ମୋହର ।

ବଇଷ୍ଣବ ଭାଷେ ସ୍ଥିର ହୋଇ ବସିବା ।୩।

(ନନ୍ଦୀ ସହ ଶିବଙ୍କର ପ୍ରସ୍ଥାନ)

(ଯୋଗ୍ନୀ ରାତ୍ର ଶୁକ୍ରକୁ ହରନ୍ତେ, ମନ୍ତ୍ରୀକୁ ନ ଦେଖି ପ୍ରଭାତୁ ରାଜାର ଶୋକ)

ଗୀତ- (ବ୍ରଜରାଜସୁତ ଫାନ୍ଦେ ପଡ଼ି...ବୃତ୍ତେ)

କେଣେ ଗଲୁ ମନ୍ତ୍ରୀ ଏକାକରି ମୋତେ ଗତରାତ୍ରେ କିଏ ହରିଲା ରେ (ତୋତେ) ।

ମଲାସୈନ୍ୟ କେହୁ ଜୀଆଇବ ଆଉ ଚିନ୍ତା-ବିଷ ଦେହ ଘାରିଲା ରେ (ମୋର) ।ପଦ।

ବିପଦରେ ଦେବ ସାହସ କେ ମୋତେ ସବୁ ସୁଖ ଆଝୁ ସରିଲା ।

ରଣଜୟ ନିଶ୍ଚେଁ କରିବଇଁ ପାଞ୍ଚି ମୋ ଆୟୁଷ ଜାଣ ପୂରିଲା ରେ ।୧।

ମନକଷ୍ଟ ମନେ ରହିବ ନୟନୁ ନିରବଧି ନୀର ଝରିଲା ।

ଘେନି ରୁଦ୍ରଗଣ ରୌଦ୍ରମୂର୍ତ୍ତି ଧରି ଶିବ ସମରେ ସନ୍ତରିଲାରେ ।୨।

ଯାଉ ପଛେ ପ୍ରାଣ ନ ହୁଡ଼ିବି ପଣ ବୋଲିବେ ଅସୁର ଡରିଲା ।

କରୁ କରୁ ରଣ ଗଲେ ଯିବ ପ୍ରାଣ ବଇ ଭଣି ଅଙ୍ଗ ଥରିଲା ରେ ।୩।

(ଶିବ ରୁଦ୍ରଗଣ ସହ ରଣେ ପ୍ରବେଶ)

ଶିବ- ଆଜି କର ରଣ ବୀରପଣ ଜଣାଯିବ ।

ଜଳନ୍ଧର- ବୃଥାରେ କାହିଁକି ଟାଣ କରୁଛୁରେ ଶିବ ।୧।

ଶିବ- ପ୍ରାଣେ ଆଶା ଥିଲେ ଏଥୁ ପଳାଇଣ ଯାଆ ।

ଜଳନ୍ଧର- ଜୀବ ଥାଉଁ ଥାଉଁ ଶିବ ନୋହିବ ରେ ତାହା ।୨।

ଶିବ- ଆଜି ଶିବ ଧରିବ ରେ ସଂହାର ମୂରତି ।

ଜଳନ୍ଧର- ହେଲେ ହେଉ ପଛେ ତାହା ନାହିଁ କିଛି କ୍ଷତି ।୩।

ଶିବ- ଆସ ତେବେ ବେନିଜନେ ବିହରିବା ରଣେ ।

ଜଳନ୍ଧର- ଭାରିଯାକୁ ଦେଲେ ନିଶ୍ଚେଁ ରହିବୁ ପରାଣେ ।୪।

ଶିବ- ଏହି ଦେଖ ତ୍ରିଶୂଳେ କାଟିବି ତୋର ଶିର ।

ଜଳନ୍ଧର- ଜୀଇଲେ ନେବି ପାର୍ବତୀ ଏ ମୋର ସାର ଗିର ।୫।

(ଯୁଦ୍ଧ କରୁ କରୁ ଶିବ ଓ ଜଳନ୍ଧର ପ୍ରସ୍ଥାନ, ବ୍ରହ୍ମା ଓ ଇନ୍ଦ୍ରଙ୍କ ପ୍ରବେଶ)

ଗୀତ- (ହାଇରେ ଦୁର୍ଦ୍ଦଣ୍ଡ ବିହି କି ଦଣ୍ଡ...ବୃତ୍ତେ)

ଚାଲ ଚାଲ ବେଦବର, ଜଳନ୍ଧର ବାସକୁ ।

ଗୋପନେ ଯିବା ସରବେ ଶ୍ରୀହରିଙ୍କ ପାଶକୁ ।୧।

ବାର ବାର ଦୈତ୍ୟଶିର କାଟନ୍ତେଣ ଧୂର୍ଜଟି ।

ତେବେ ବାର ବାର ଦୈତ୍ୟ ରଣ କରେ ଉଠି ।୨।

ନମରେ କି ହେତୁ ଶିବହସ୍ତେ ଯାତୁଧାନ ।

ଜାଣିଥିବେ ଅନ୍ତର୍ଯ୍ୟାମୀ ତା ମୃତ୍ୟୁବିଧାନ ।୩।

ରଣେ ଅଛି ଜଳନ୍ଧର, ତେଣେ ଆମ୍ଭେ ଯିବା ।

ନାରାୟଣଠାରୁ ସର୍ବ କାରଣ ବୁଝିବା ।୪।

ଅନେକ ଦିନ ହେଲାଣି ହୋଇନାହିଁ ଦେଖା ।

ବଇଷ୍ଣବ ବୋଲେ କି କରନ୍ତି ରହି ଏକା ।୫।

(ବ୍ରହ୍ମା ସହ ଦେବଗଣ ଜଳନ୍ଧର ବାସେ ପ୍ରବେଶ, ବିଷ୍ଣୁଙ୍କର ଗୀତ)

(ପଡ଼ିଲା କପାଳରେ ପଡ଼ିଲା କପାଳ...ବୃତ୍ତେ)

ଆଜି କି ମାନସେ ହେ, ଆଜି କି ମାନସେ ।

ଏ ଘୋର ନିଶାରେ ରଥେ ଉପଗତ ସୁମନସେ ।ପଦ।

ପାଇଛ ସ୍ୱର୍ଗ ସମ୍ପଦ । ନାହିଁ ତ କିଛି ଆପଦ ।

ତୁମ୍ଭ କୁଶଳ ନିମନ୍ତେ ବନ୍ଦୀ ମୁଁ ବାସେ ।୧।

ଜଳନ୍ଧର ଦୈତ୍ୟରାଣ । ଶିବ ସହ କରେ ରଣ ।

ମଜ୍ଜିବ ବୋଲି ହେଜିଛି ସତୀ ସଙ୍ଗେ ରଙ୍ଗରସେ ।୨।

ଜାଣ କିଏ ସେ ଖବର । ଭାଷ ଭାଷ ବେଦବର !

କେ ଜିଣଇ କେ ହାରଇ ଦୈତ୍ୟ ଶିବ-ଅଂଶେ ।୩।

ତୁମ୍ଭ ଆଗମନ ଭାବ । ଜାଣିବ ଯେବେ ଦାନବ ।

ବଇଷ୍ଣବ ଭାଷେ ସ୍ୱର୍ଗେ ପଶି ନାଶିବ ସବଂଶେ ।୪।

(ବ୍ରହ୍ମାଙ୍କର ବିଷ୍ଣୁଙ୍କ ପ୍ରତି ଗୀତ)

(କହ ମନ୍ତ୍ରୀବର ମୋତେ...ବୃତ୍ତେ)

ରହି ଅସୁରପୁରେ ଅଚିନ୍ତାରେ ଚିନ୍ତାମଣି ।

ରଙ୍ଗେ ବୁଲ ଗଙ୍ଗାଧର ସଙ୍ଗେ ଘେନି କମଳିନୀ ।ପଦ।

ନ ମରିଲେ ଜଳନ୍ଧର, ନିଶ୍ଚିନ୍ତ ନ ହେବେ ସୁର ।

ହାରିଲେ ରଣେ ଶଙ୍କର ହରିବ ହର ରମଣୀ ।୧।

ବାର ବାର ତ୍ରିଅମ୍ବକ, ତ୍ରିଶୁଳେ କାଟନ୍ତେ ବେକ ।

ନ ଛିଡ଼ି ମୁଣ୍ଡ ତାର ନ ମରଇ ରକ୍ଷମଣି ।୨।

କି କଲେ ମରିବ ସେହି, ଉପାୟ ଦିଅ ବତାଇ

ତୁହି ବ୍ରହ୍ମା ବିଷ୍ଣୁହର ମୂର୍ତ୍ତି ଭିନ୍ନ ଅଛୁ ଜାଣି ।୩।

ଏ ସରବ ତୋ ଭିଆଣ, ତୋତେ ତୋ ଭକତରାଣ ।

କି ନ ଜାଣୁ ନାରାୟଣ ‘ବିପ୍ର ବଇଷ୍ଣବ’ ଭଣି ।୪।

(ବିଷ୍ଣୁଙ୍କର ଇନ୍ଦ୍ରପତି)

ଗୀତ- (ଜୟ ରଘୁନାଥ ଆରତି...ବୃତ୍ତେ)

ଶୁଣ ସୁରପତି ରାଣୀ ବୃନ୍ଦାବତୀ ସତୀତ୍ୱ ନ ହେଲେ ନଷ୍ଟ ।

ଶତ ଶତ ଶିବଶକ୍ତି ଏକ ହେଲେ ତେବେ ନ ମରିବ ଦୁଷ୍ଟ ।

ନାରୀ ପତିବ୍ରତା, ଥିଲେ ନ ମରଇ ତାର ଭର୍ତ୍ତା ।୧।

ଅସତୀ ହୁଅଇ ରମଣୀ ଯାହାର ଅପମୃତ୍ୟୁ ଲଭେ ପତି ।

ହୁଏ ଆୟୁନାଶ ଅରଜେ ଅଯଶ ବରଜେ ଧର୍ମ-ସମ୍ପତ୍ତି ।

ଦେଖ ଦୈତ୍ୟସାଇଁ, ନାରୀ ଯୋଗେ ହୁଅ ରଣଜୟୀ ।୨।

ଦେବ ଉପକାର ପାଇଁ ଆଜ ରାତ୍ରେ ହରିବି ବୃନ୍ଦାବତୀକି ।

କହ ହର ଆଗେ କାଲି ରଣରଙ୍ଗେ ବିନାଶୁ ଦୈତ୍ୟପତିକି ।

ଦେବକାର୍ଯ୍ୟେ ନାଶ, କଲେ ଗୋ-ବ୍ରାହ୍ମଣେ ନାହିଁ ଦୋଷ ।

ଯଜ୍ଞେ ପଶୁବଧ କହିଅଛି ବେଦ ତହିଁ ଭୟ ନାହିଁ ମୋର ।

ମୁହିଁ ପାପପୁଣ୍ୟ, କର୍ମଧର୍ମ, ଏ ସଂସାର ମୋର ଖେଳଘର ।

ସର୍ବେ ଯାଅ ଫେରି, ବଇ ବୋଲେ ଗାଇ ହରି ହରି ।୪।

(ସମସ୍ତଙ୍କର ପ୍ରସ୍ଥାନ)

(ବୃନ୍ଦାବତୀ ସ୍ୱପ୍ନ ଦେଖି ଚମକିଉଠିବା)

ବୃନ୍ଦାବତୀ- ଏ କି ଭୟଙ୍କର ସ୍ୱପ୍ନ ଦେଖିଲି ଏ ନିଶି ! କେହି ନାହିଁ ପାଶରେ ମୋହର । ଓହୋ ! କି ଭୟଙ୍କର ରୂପ । କାହୁଁ ଏ ରାକ୍ଷସ ଯୋଡ଼ା ଆସିଲେ ମୋ ପୁର, ପ୍ରକାଣ୍ଡ କାଣ୍ଡ ଏହାଙ୍କ ତୁଙ୍ଗ ଗିରିଗୁହା, ନିଶ୍ଚେଁ ପ୍ରାଣ ନେବେ ଏ ମୋହର । ଯିବି ମୁଁ କେଣିକି,. ରହିଲେ ନାଶିବେ ମୋତେ ଏହି... ଏ କ’ଣ ? ପଛେ ପଛେ ଗୋଡ଼ାଇଲେ ମୋହର, ଛାଡ଼ି ଘର ପଶିଲି କାନନେ, ଏହାଙ୍କ ହାତରୁ ମୋତେ କେ କରିବ ରକ୍ଷା ? କେହି ନାହିଁ । ଏଇ ତ, ବିଜନ କାନନରେ ଏହି ଏକ ଯୋଗୀଛନ୍ତି ବସି, ମାୟା ଯୋଗୀବେଶେ ବିଷ୍ଣୁ । ରକ୍ଷାକର ତପି ! ଅନାଥିନୀ ଅବଳାକୁ ରକ୍ଷାକର ରାକ୍ଷସମୁଖରୁ ।

(ମାୟାଯୋଗୀର ପ୍ରବେଶ)

ଗୀତ- (ନାରଦ ଗୁରୁ..ବୃତ୍ତେ)

ପଳାରେ ରାକ୍ଷସେ ପଳା ପଳା । କର ନାହିଁ ହେଳା ।ପଦ।

କିପାଁ ଅବଳାକୁ ବଳେ ଗୋଡ଼ାଇଛ ନ ଗଲେ ବୁଡ଼ିବ ତୁମ୍ଭ ଭେଳା ।୧।

(ଅସୁରଙ୍କର ପ୍ରସ୍ଥାନ)

ଭାଷରେ ନାଗରି ଚିତ୍ତ ସ୍ଥିରକରି । କାହାର ତୁ ଅଟୁ ଗଳାମାଳା ।୨।

କି ନାମ ତୋହୋର । କେ ଅଟେ ପିଅର । କଳାକରମୁଖ ଦିଶେ କଳା ।୩।

କେହି ସଙ୍ଗେ ନାହିଁ । ବନଜାକ୍ଷୀ ବନେ ବଇ ବୋଲେ କରୁଅଛୁ ଖେଳା ।୪।

ବୃନ୍ଦାବତୀ- (ଗୋକୁଳାନନ୍ଦଚନ୍ଦ୍ରଙ୍କୁ...ବୃତ୍ତେ)

ଶୁଣ ଯଦି ବୃନ୍ଦାବତୀ ନାମ ଅଟଇ ମୋହରି ।

ପିତା କାଳନେମୀ ସ୍ୱାମୀ ଜଳନ୍ଧର ଦଣ୍ଡାଧାରୀ ।ପଦ।

ଅନ୍ତଃପୁରେ ଥିଲି ଶୋଇ । ସ୍ୱପନ ଦେଖିଣ ମୁହଁ ।

ଚେତି ତମକି ପଡ଼ନ୍ତେ ସର୍ବାଙ୍ଗ ଉଠିଲା ଥରି ।୧।

ଦେଖିଲି ପଲଙ୍କ ପାଶ । ଉଭା ଯୋଡ଼ାଏ ରାକ୍ଷସ ।

କଲେ ସେ ଘୋର ଚିତ୍କାର ହେଲା ପ୍ରାଣ ଗଲାପରି ।୨।

ତହୁଁ ଆସନ୍ତେ ପଳାଇ । ଗୋଡ଼ାଇଲେ ଦୁଷ୍ଟ ଦୁଇ ।

ପଶିଲି କାନନେ ରକ୍ଷାକଲ ତୁମ୍ଭେ ତପଚାରୀ ।୩।

ଈଶ୍ୱର ସଙ୍ଗେ ସମର । କରୁଛନ୍ତି ଜୀବେଶ୍ୱର ।

ବଇଷ୍ଣବ ଭାଷେ କାହା ପାଶେ କରିବି ଗୁହାରି ।୪।

(ଏହିକାଳେ ଜଳନ୍ଧରର ଶବ ଶୂନ୍ୟରୁ ପତନ ଦେଖି ବୃନ୍ଦାର ଶୋକ)

ଗୀତ- (ଭାଲବାସାତେ ପାବେନା ଯଦି...ବୃତ୍ତେ)

ଜୀବଧନ କେ ନିଧନ ତୁମ୍ଭଙ୍କୁ କଲା ।

ଘନଜଘନାରେ ବୋଲି କେ ଡାକିବ କନକଚୂଡ଼ୀ ମୋ କରରୁ ଗଲା ।ପଦ।

ଜଗାଇ ମନ ମୋହରେ ଜଗାଇ ମନ ପାଶରେ । ଆଣିକେ ଦେବ ବାଞ୍ଛତ ଧନ ।

ମନାକଲି ମନା କିପାଁ ନ ମାନି ଗଲ ଭଲା ।୧।

ଜିଣି ଦେବଙ୍କୁ ସମରେ, ଜିଣି ଦେବଙ୍କୁ । ଆଣିଥିଲେ ବାସେ ଲକ୍ଷ୍ମୀ ବାସୁଦେବଙ୍କୁ ।

ଶିବଶରେ ମରିବାକୁ ବିହି କି ଲିହିଥିଲା ।୨।

ବଳାଇ ଆଶ, ନାରୀରେ ବଳାଇ ଆଶ । ବିଷକୁ ମଣି ପୀୟୁଷ କରିଲ ଗ୍ରାସ ।

ଜୀବେଶ ଜୀବେଶବାସ ନିକଟେ ତେଣୁ ହେଲା ।୩।

ଜୀଆଇଁ ଦିଅ ହେ ଯୋଗୀ, ଜୀଆଇଁ ଦିଅ ! ଦଣ୍ଡକେ ଭିଆଇ ପାର ସହସ୍ର ଦେହ ।

ଏ ନୁହେଁ ବିଚିତ୍ର ବଇ ଭାଷେ ନ କର ହେଳା ।୪।

ମାୟାଯୋଗୀ- ରେ ରମଣୀ ! ଜୀଅଇଁ କି ମରିଥିବା ପ୍ରାଣୀ ?

ବୃନ୍ଦାବତୀ- ତୁମ୍ଭଙ୍କୁ ଆଶ୍ଚର୍ଯ୍ୟ ଏହା ନୋହେ ତପିମଣି !

ମାୟାଯୋଗୀ- ଏ ବଡ଼ ଅଦ୍ଭୁତ କଥା କହୁରେ ଯୁବତି !

ବୃନ୍ଦାବତୀ- ନାରୀହତ୍ୟା ଦୋଷ ନେବ ନ ଜୀଇଲେ ପତି !

ମାୟାଯୋଗୀ- ଆଚ୍ଛା ତେବେ ବୁଜ ବେନି ଆଖି ।

ବୃନ୍ଦାବତୀ- ଯତି ନିସ୍ତରିବି ପତି ମୁଖ ଦେଖି ।

(ଯୋଗୀର ଅନ୍ତର୍ଦ୍ଧାନ, ମାୟା ଜଳନ୍ଧର ବେଶେ ପ୍ରବେଶ)

ଜଳନ୍ଧର- ପ୍ରାଣବନ୍ଧୁ ରେ ! ମୋର ଦୁଃଖ-ହର ସୁଖସିନ୍ଧୁରେ ।ପଦ।

ରଣେ ଜୟକରି ଆସିଲି ଶିବକୁ ବୃଥାରେ କାହିଁକି କାନ୍ଦୁରେ ।୧।

ଯାଉଁ ରଥ ପଥେ ଦେଖିଲି ମୁଁ ତୋତେ କୁମୁଦେ ଯେସନେ ଇନ୍ଦୁରେ ।୨।

ଏ କାନନ ସୀମା ସୁଷମା ନିରେଖି ହୃଦେ ଉଦେ କାମବିଧୁରେ ।୩।

ବଇଷ୍ଣବ ଚିନ୍ତି ଏଥି ରସେ ମାତି ପିଆଅ ଅଧରୁ ମଧୁରେ ।୪।

(ମାୟା ଜଳନ୍ଧର ସହ ବୃନ୍ଦା ରସେ ମଗ୍ନ ପରେ)

ଗୀତ- (ଦଇବରେ ଏଡ଼େ ଦାରୁଣ ତୋ ଛାତି...ବୃତ୍ତେ)

ଆରେ ଖଣ୍ଟ, କହ କିଏ ତୁ ଲମ୍ଫଟ ରେ ।

କପଟ କରି ମୋ ସତୀବ୍ରତ କଲୁ ନଷ୍ଟ ରେ ।ପଦ।

ମୋ ସ୍ୱାମୀ ରମଣ ପରି, ନୁହେଁ ରମଣ ତୋହରି ।

ଅକାରଣେ କିପାଇଁ ମୋ ସଙ୍ଗେ କଲୁ ହଟରେ ।୧।

ସତୀଧନ ଗଲେ ଚୋରି, କେଭେ ନ ଆସଇ ଫେରି ।

ଭୋଗିବୁ ଏହାର ଫଳ ଅବଶ୍ୟ ତୁ ଦୁଷ୍ଟରେ ।୨।

କରି ପରିଚୟ ଦାନ, ହର ମୋ ସନ୍ଦେହମାନ ।

ବଇଷ୍ଣବର ତୁ ହରି କାଳେ କାଳେ ଇଷ୍ଟରେ ।୩।

ମାୟାଯୋଗୀ- ଶୁଣ ବୃନ୍ଦାବତୀ, ମୋର ନାମ ଶିରୀପତି ।

ବୃନ୍ଦା- ଯେବେ ତୁହି ଲକ୍ଷ୍ମୀପତି ଦେଖା ତୋର ଚତୁର୍ଦ୍ଧାମୂରତି ।

ମାୟାଯୋଗୀ- ଦେଖରେ ସୁନ୍ଦରୀ, ଶଙ୍ଖ, ଚକ୍ର, ଗଦା, ପଦ୍ମ ଚାରି ଭୂଜେ ସ୍ଥିତି ।

ବୃନ୍ଦା- କରି ଖଣ୍ଟବୃତ୍ତି ନଷ୍ଟକଲୁ ମୋର ବିଷ୍ଣୁ ଦମ୍ପତି ସମ୍ପତ୍ତି ?

ଗୀତ-(ଜୟ ଜୟ ମେଘ ମତ୍ସ୍ୟ ନରେଶ...ବୃତ୍ତେ)

ଘେନ ଅଭିଶାପ ମୋର ଶ୍ରୀପତି । ଯେଣୁ ହରିଲୁ ସତୀ-ସମ୍ପତ୍ତି ।୧।

କପଟରେ ଯୋଗୀରୂପ ଧରିବ । ନିଶ୍ଚେ ରକ୍ଷ ତୋ ନାରୀକି ହରିବ ।୨।

ତୋହ ମାୟା-ଶବ ଦେଖି ତୋ ନାରୀ । ନିଶ୍ଚେ କାନ୍ଦିବ କର୍ମକୁ ଆଦରି ।୩।

ତୋ ନାରୀକି ଅସୁରେ ଡରାଇବେ । ନେଇ ବନ ମଧ୍ୟରେ ପୂରାଇବେ ।୪।

ମୋର ସ୍ୱାମୀ ଶବ ଯେଉଁ ମର୍କଟେ । ଆଣି ପକାଇ ଗଲେ ମୋ ନିକଟେ ।୫।

ତୋର ସୈନ୍ୟମାନେ ହେବେ ବାନରେ । ଯତିବେଶେ ତୁ ବୁଲିବୁ ବନରେ ।୬।

ଦଇବର ଲିଖନ ଅଛି ଯାହା । ବଇ ବୋଲେ କେ ଆନ କରେ ତାହା ।୭।

(ଉଭୟଙ୍କର ପ୍ରସ୍ଥାନ)

(ଜଳନ୍ଧରର ଗୀତ)

(ଆସିଅଛି ନେବି ତୋର ପତିକି...ବୃତ୍ତେ)

ଦିନେ ଦେଖିତ ନଥିଲି ରଣସ୍ଥଳରେ । ବେନି ଡୋଳାରେ ।ପଦ।

ଆଜି ରଣେ ମହାଦେବ । ଆରମ୍ଭ କରେ ତାଣ୍ଡବ ।

ଜାଣୁଅଛି ପୂରିବ ମୋ କାଳରେ ।୧।

ଯାହାକୁ ଲଭିବି ଲୋଭେ । ଜୀବନ ଯାଉଛି ଏବେ ।

ତାକୁ ନ ଦେଖିଲି କଉଶଳରେ ।୨।

ଯୁଦ୍ଧେ ମାତିଅଛି ଶିବ, ଚଢ଼ିଣ ମାୟା ବୃଷଭ ।

ହରରୂପ ହେବି ମାୟାବଳରେ ।୩।

ମାୟା ଜଳନ୍ଧର ସଙ୍ଗେ । ଏଥେ ଶିବ ରଣରଙ୍ଗେ ।

ମାତିଥିବ ସେହିମତି ଭୋଳରେ ।୪।

ଏକା ଦେଖି ତାର ନାରୀ । ସମରେ ଆସିବି ଫେରି ।

ବଇ ବୋଲେ ଆଦରି କପାଳ ରେ ।୫।

(ଡମ୍ବରୁ ଗୀତ ଶୁଣି ଦୁର୍ଗାଙ୍କ ଗୀତ)

(ଆସ ସଖି ବନୁ ଫୁଲ ତୋଳିବା ଗୋ...ବୃତ୍ତେ)

ଆସ ନନ୍ଦୀ ବନ୍ଦାଇବା ହରଙ୍କୁ । ରଣ ଜିଣି ଆସୁଛନ୍ତି ପୁରକୁ ।ପଦ।

ଶୁଣ ଶୁଭୁଛି ଡମ୍ବରୁ ନାଦ । ତାତା ଦ୍ରିମିତା ଦ୍ରିମିଶବଦ ।

ମୁଖ ନିନ୍ଦେ ସେ ଇନ୍ଦୀବରକୁ ରେ, ମଣ୍ଡିଛନ୍ତି ଗଳେ ଅହି-ହାରକୁ ।୧।

ଜଟା ଫିଟି ଲମ୍ବଇ ଆପାଦ । ଶରବିଦ୍ଧେ ଜରଜର ସ୍ୱେଦ ।

ଦିଶେ ମନ୍ଦାର ନୟନ ଦୂରକୁ ରେ, ଜିଣିଅଛି ସେ ରଙ୍ଗମନ୍ଦାରକୁ ।୨।

ମିଳିଲେଣି ନିକଟରେ ଆସି । ବୃଷପୃଷ୍ଠେ ଶମଶାନବାସୀ ।

ବଇଷ୍ଣବ ଚିନ୍ତେ ରଙ୍ଗାଅଧରକୁ ରେ, କିପାଁ ଥରନ୍ତି ଥରକୁ ଥରକୁ ।୩।

(ଦୁର୍ଗାମୂର୍ତ୍ତି ଦେଖି ଜଳନ୍ଧରର ବୃଷଉପରୁ ପତନ ଓ ଦୁର୍ଗାଙ୍କର ଅନ୍ତର୍ଦ୍ଧାନ)

ଜଳନ୍ଧର- ଆହା କେଡ଼େ ରମଣୀୟ ରୂପ ରମଣୀରତନ । କେତେ ଯୁଗ ବସି ଧାତା କରିଣ ଯତନ । ଗଢ଼ିଥିଲା ୟାକୁ ଶ୍ରମ କରି, ଯାକୁ ଦେଖି ତିଳେ ଧୈର୍ଯ୍ୟ ନ ପାରିଲି ଧରି । ପଡ଼ିଲି ବୃଷ ଉପରୁ ଜ୍ଞାନହତ ହୋଇ । ଜାଣି ଚତୁରୀରତନ, ତାର ଭାବିଲା ଚିତ୍ତରେ- ଯେବେ ଏହି ହୋଇଥାନ୍ତା ଶିବ, ପଡ଼ନ୍ତା କିପାଇଁ ଏହି ତେଜିର ବୃଷଭ । ମୋତେ ଦେଖିକରି ଜାଣିଣ ମୋ ଦାନବୀୟ ମାୟା, ଲବେ ଗଲାକ ଘନକୋଳୁ ଚପଳା ପରାୟେ । ଭୟଙ୍କର ଲଜ୍ଜା ମୁଁ ଭୋଗିଲି । ଯାଉଛି ମୁଁ ଯିବ ଏଥୁଁ ଫେରି । ଜିଣିଲେ ସମର ଭୋଗ କରିବି ଏ ନାରୀ । (ପ୍ରସ୍ଥାନ)

(ରଣସ୍ଥଳେ ଶିବସହ ଯୁଦ୍ଧ କରୁ କରୁ ପ୍ରବେଶ)

ଶିବ- (କାନନେ ଖୁଜିଏ ରାଙ୍ଗା ଜବାର ଫୁଲ...ବୃତ୍ତେ)

ଆରେ ଦୁଷ୍ଟବୁଦ୍ଧି ଇଷ୍ଟ ଚିନ୍ତା କର ପରମେଷ୍ଠୀ ତୋତେ ଛାଡ଼ିଲା ।

ମସ୍ତକ ମୁକୁଟ ମହୀରେ ଲୋଟିବ ବିଷ୍ଟିଯୋଗ ଆଜି ପଡ଼ିଲା ।ପଦ।

ଲୋଡ଼ୁ ଅଛି ଯମ ଯିବୁ ତା ପୁରକୁ । ଜୀବ ଆଶା ରକ୍ଷ, ନିକ୍ଷେପ ଦୂରକୁ ।

ଶିବକରୁ ତ୍ରାହି ନ ପାଇବୁ ତୁହି ଭବମାୟା ତୋର ଛାଡ଼ିଲା ।୧।

ରଡ଼ିଛାଡ଼ି ଶ୍ୱାନ ଶୃଗାଳେ ତୋ ହାଡ଼ । ଚୋବାଇବେ ଦାନ୍ତ କରି କଡ଼ମଡ଼ ।

ଟାଣୁଥିବେ ନାଡ଼ି ଗୃଧ୍ରଗଣେ ବେଢ଼ି ଧରାଧାମୁ ନାମ ବୁଡ଼ିଲା ।୨।

ପାଞ୍ଚିଥିଲୁ ପାଜି ପାର୍ବତୀ ହରିବୁ । ସୁଖେ ଲୋକେ ଘରକରଣା କରିବୁ ।

ସରିଲା ସେ ଆଶା ପଡ଼ିଲା କୁଦଶା ନାରୀ କରୁ ଚୂଡ଼ି କାଢ଼ିଲା ।୩।

କାମସ୍ରୋତେ ପଡ଼ି ଅକ୍ଷୟ ସମ୍ପତ୍ତି । ହରାଇଲୁ ବୃଥା ଆରେ ହୀନମତି !

ଏ ଭାବ ଯେ ଭାବେ ସେ ମରେ ଏ ଭବେ ବଇଷ୍ଣବ ପଦ ଯୋଡ଼ିଲା ।୪।

ଜଳନ୍ଧର- (ତା ତା ଥେଇ ଥେଇ ଶ୍ୟାମ ମୋଦେର ନାଚିତେ ହବେ..ବୃତ୍ତେ)

ଯେତେ ଡରାଇଲେ ଶିବ ଡରିବି କି । ଛାର ଜୀବନକୁ ଭୟ କରିବି କି ।ପଦ।

କରୁ କରୁ ରଣ ପ୍ରାଣ ତେଜିବି ଶଙ୍କର ! ତେବେ ହେବ ସ୍ୱର୍ଗବାସ,

ଜିଣିଲେ ଲଭିବି ଯଶ, ପୃଷ୍ଠଭଙ୍ଗ ଦେଇ ଏଥୁଁ ଫେରିବି କି ।୧।

ଜନ୍ମିଲେ ମରଣ ନିଶ୍ଚେ ଲଭନ୍ତି ମହୀରେ । ଗଲେ ଏ ଜୀବନ ଯିବ କି କ୍ଷତି ତହିଁରେ ।

ବିଷରେ ପୀୟୁଷ ନେଇ ଭରିବି କି ।୨।

ବୀରବୃନ୍ଦରେ ମୋ ନାମ ପଡ଼ିଅଛି ହୁରି । ଇନ୍ଦ୍ରେ ଜିଣି ସୁରେନ୍ଦ୍ରକୁ ଅଛି ବନ୍ଦିକରି ।

ସେ ଲେଖନ ନିଜ କରେ ଚିରିବି କି ।୩।

ରଖିଯିବି ଭବଭବେ ଅକ୍ଷୟ କୀରତି । ଯେତେଦିନ ଥିବ ଚନ୍ଦ୍ର ସୂର୍ଯ୍ୟ ଏ ଧରତୀ ।

ବଇ ବୋଲେ ଭାବିଛୁ ନ ପାରିବି କି ।୪।

(ଭୟଙ୍କର ଯୁଦ୍ଧ- ଜଳନ୍ଧର ଶିରନ୍ଧର ଶିରଛେଦନ ଓ ତାଣ୍ଡବ ଗୀତ)

(ଗଜାନନ ତାଣ୍ଡବ ନୃତ୍ୟକାରୀ..ବୃତ୍ତେ)

ଜୟ ଜୟ ଶଙ୍କର ଗଙ୍ଗାଧର ।ପଦ।

ତାତା ଦ୍ରିମି ତାତା ଦ୍ରିମି ବାଜେ ଡମ୍ବରୁ, ଜଟାରୁ ଝରେ ଗଙ୍ଗାଧର ।୧।

ଧା ଖିଟି ଧା ଖିଟି, ବୋଲଇ ମୃଦଙ୍ଗ, ଗଳେ ଗରଳ ଫଣୀହାର ।୨।

ମଣ୍ଡିତ ଭୂତ ପ୍ରେତ, ପଣ୍ଡିତ ଉମାକାନ୍ତ, ଅଙ୍ଗେ ବିଭୂତି ଜରଜର ।୩।

ଜିଣି ରଙ୍ଗ ମନ୍ଦାର, ଦିଶେ ନେତ୍ର ପନ୍ଦର, ବଇଆ ଅଧମେ ଉଦ୍ଧର ।୪।