ଗୀତ- (ମଧୁର ବସନ୍ତକାଳ ମଧୁର ମଳୟାନିଳ...ବୃତ୍ତେ)
ହେ ଦର୍ଶକଗଣ ଶୁଣ ଦକ୍ଷଯଜ୍ଞର କାରଣ
ଧାରଣ କରି ଏ ଗୀତ ଚିତ୍ତହରଷେ ।
ବରଷିବ ସୁଧାବାରି ଶ୍ରାବଣ ବରଷା ପରି
ଶ୍ରୁତିଚାତକେ ତୋଷିବ ତାର ସରଶେ ।ପଦ।
ଭୃଗୁଯଜ୍ଞେ ଅପମାନ ପାଇଣ ତ୍ରୟଲୋଚନ,
ପ୍ରବେଶିଲେ କଇଳାସେ ମନ ବିରସେ ।
ଯେ ପ୍ରକାରେ ପ୍ରଜାପତି ଯାଗ ନାଶେ ଦେଲେ ମତି,
ଶାନ୍ତିସୁଧା ପୂରିଛି ଯା କୀରତି ରସେ ।୧।
ନ ସହି ପିଅର ଗିର କଟୁବଚନ ସତ୍ୱର
ଯଜ୍ଞାନଳେ ସତୀ ପ୍ରାଣ ହାରିଲେ ଶେଷେ ।
ଦକ୍ଷମୁଣ୍ଡ କରି ଖଣ୍ଡ ଯୋଡ଼ିଲେ ଛାଗଳ ମୁଣ୍ଡ
ସତୀପୃଷ୍ଠେ କଲେ ତପ କୋଟି ବରଷେ ।୨।
ସେହି ଗୁଣଗଣମାନ କରିବି ଏ ସ୍ଥାନେ ଗାନ
ଦେଖ ସୁଖେ ହେ କୋବିଦେ ସେ ଆଦରଶେ ।
ବିପ୍ର ବଇଷ୍ଣବ ଆଶ କରିଛି ହେବାକୁ ଦାସ
କେମନ୍ତେ ସଂସାର ହୋଇଯିବ ପାର ସେ ।୩।
(ଭୃଗୁଋଷି ଶିଷ୍ୟ ସହ ପ୍ରବେଶ ଓ ଗୀତ)
(ମେଲାଣି କର ରେ ନନ୍ଦ ଆନନ୍ଦରେ ରାମ ହରି..ବୃତ୍ତେ)
ହେ ଋଷିମଣ୍ଡଳ ଆସିଗଲେ ଦେବତାଏ ସର୍ବ ।
ବ୍ରହ୍ମା ଇନ୍ଦ୍ର ନଇଋତେ ବରୁଣ ଯକ୍ଷ ଗନ୍ଧର୍ବ ।ପଦ।
ନାଗ ନରକୁଳ ମେଳ ହୋଇଛନ୍ତି ଏଥେଁ ଠୁଳ ।
ଏକା ମହାକାଳ କିପାଁ କରିଲେ କାଳବିଳମ୍ବ ।୧।
ଆସୁଥିବେ ପ୍ରଜାପତି ସଙ୍ଗେ ବ୍ରହ୍ମାଙ୍କ ସନ୍ତତି ।
ଯତିପତି ଭାଷ କେହ୍ନେ ଯଜ୍ଞ ହୋଇବ ଆରମ୍ଭ ।୨।
ଚାରିକ୍ରୋଶ ଯଜ୍ଞଶାଳ ଲାଗିଅଛି କୋଳାହଳ,
ବାଜେ ବିବିଧ ବାଜଣା ଶୂନ୍ୟ ନାହିଁ ଏକ ଲବ ।୩।
ଠାବେ ଠାବେ ଦୀପାବଳୀ ଜଳି ରଙ୍ଗେ ଦିଶେ ଝଳି ।
ମଳିନ କି ହେତୁ ସଭା ଶୋଭା ଭାଷେ ବଇଷ୍ଣବ ।୪।
(ଶିବାଗଣ ସହ ବୃଷଭପୃଷ୍ଠେ ଶିବଙ୍କ ପ୍ରବେଶ)
ଗୀତ- (କହ କହ ଦୂତ ମୋତେ ରାଜ୍ୟ ବାରତା...ବୃତ୍ତେ)
ତାଦ୍ରିମି ତାଦ୍ରିମିଦ୍ରିମି ଡମ୍ବରୁ ବାଜେ ।
ନନ୍ଦୀ ଭୃଙ୍ଗୀ ସହ ଶିବ ବୃଷଭେ ସାଜେ ।ପଦ।
ଶିରେ ସର୍ପ ଆଭରଣ କରେ ଭୁଜଙ୍ଗ କଙ୍କଣ
ମଉଳିର ପରେ ଅର୍ଦ୍ଧଚନ୍ଦ୍ର ବିରାଜେ ।୧।
ବାଜଇ ତାଳ ମୃଦଙ୍ଗ ଭକ୍ଷଣ ଧୁତୁରା ଭାଙ୍ଗ ।
ଭସ୍ମ ବିଲେପନ ଅଙ୍ଗ ଗୋକ୍ଷୀର ଗଞ୍ଜେ ।୨।
ପିନାକ ତ୍ରିଶୂଳ ହାତେ ରଙ୍ଗଭରା ବେନି ନେତ୍ରେ ।
ଧାମନ୍ତେ ଉଡ଼ନ୍ତି ଯାଇ ଆକାଶେ ରଞ୍ଜେ ।୩।
ବ୍ୟାଘ୍ରାମ୍ବର ପରିହିତ ଶିବାଗଣ ସଙ୍ଗେ ସ୍ଥିତ ।
ଦ୍ୱିଜ ବଇଷ୍ଣବ ସେହି ପୟରେ ପୂଜେ ।୪।
ଭୃଗୁ- ତ୍ରିଅମ୍ବକ ବିଳମ୍ବ କିପାଇଁ କହ ଏତେ ?
ଶିବ- ଯାଇଥିଲା ବୃଷଭ ଚରିବା ନମନ୍ତେ ।
ଭୃଗୁ- ନ ଥିଲା କି ଅଧୀନର କଥା ତବ ଚିତ୍ତେ ?
ଶିବ- ଆସିଲି ବୃଷଭେ ନନ୍ଦୀ ଆଣିଲା ଯେମନ୍ତେ ।
ଭୃଗୁ- ଅଛନ୍ତି ଶ୍ୱଶୁର ତାଙ୍କୁ କର ନମସ୍କାର,
ଶିବ- ନ କରିବୁଁ ତାହା, ଆମ୍ଭେ ତ୍ରିଭୁବନେଶ୍ୱର ।
ଭୃଗୁ- ଅଟନ୍ତି ସେ ଇଷ୍ଟ, କଷ୍ଟ ହେବ ତାଙ୍କ ମନେ
ଶିବ- ଅଦ୍ୟାବଧି ଆମ୍ଭେ ଏହା କରିନାହୁଁ ଦିନେ ।
ଭୃଗୁ- ଅଣଷଠି ଜୋଇଁ କେହ୍ନେ କଲେ ତାଙ୍କୁ ମାନ୍ୟ ?
ଶିବ- ସେ କଲେ କରନ୍ତୁ ଆମ୍ଭ ହେଉନାହିଁ ମନ ।
ଭୃଗୁ- ବସନ୍ତୁ ଦକ୍ଷିଣେ ଏହି ଆସ୍ଥାନ ତୁମ୍ଭର ।
ଶିବ- ଆସ ନନ୍ଦୀ, ବସ ଏହି ଆସ୍ଥାନ ଆମ୍ଭର ।।
(ଦକ୍ଷର ଶିବଙ୍କ ପ୍ରତି-ଗୀତ)
(ଏତେ ହଟହଟା ମୋତେ କରାଉଛି ପେଟଛୁଆଖଣ୍ଡକ...ବୃତ୍ତେ)
ଅଟୁ ଜଳଜଳା ଝୀଟ କପଟୀ ଲମ୍ଫଟୀ ହଡ଼ାଚଢ଼ା ରେ ।
ମଡ଼ାଭୂଇଁବୁଲା ଲାଉଥାଳ ଝୁଲା ଥାଉ ଭୂତମେଳେ ଧର୍ମଛଡ଼ାଟା ରେ । ପଦ।
ଠପ ଠପ ଗଡ଼ାଉ ମାଳେ, ଜପ ତପ ନାହିଁ ତ ତିଳେ ।
ସାପଗୁଡ଼ା ଦେହେ ଗୁଡ଼ାଇଣ ଚାଲୁ ଫୁଲାଉ କି ରଙ୍ଗେ ନାସା-ପୁଡ଼ାଟାରେ ।୧।
ଅଭିଶାପ ଘେନ ଏଥର ଛିଡ଼ି ଖଣ୍ଡେ ହୁଅ ପଥର ।
ଅଙ୍ଗ କରି ତେଜ୍ୟା ଲିଙ୍ଗରୁ ଯେ ପୂଜା ପାଅ ଯୁଗେ ଯୁଗେ ଧର୍ମଛଡ଼ାଟା ରେ ।୨।
ଭିକ୍ଷା ମାଗି ଖାଅ ସଂସାରେ, ନିତି ବଇରାଗୀ ବେଶରେ ।
ତିରେ ଦରିଦ୍ର ହୁଅ ଆରେ ରୁଦ୍ର କାହାକୁ ନୋହୁ ତୋ ଅନ୍ନ ଲୋଡ଼ାଟା ରେ ।୩।
ଭୂତ ପ୍ରେତ ସହିତ ବାସ, ଶମଶାନେ କର ମହେଶ ।
ବଇଷ୍ଣବ ଭାଷ ଜଳେ ବଳେ ଝାସ ନ ଦେଇ ହେଉଛୁ କିପାଁ ଛିଡ଼ାଟା ରେ ।୪।
ନନ୍ଦୀ- ରକ୍ଷା ନାହିଁ ତୋର ଆରେ ଦକ୍ଷପ୍ରଜାପତି ।
ଦକ୍ଷ- ଏଡ଼ିକି ଥୋବରା ଯାଇଁ କର ଭିକ୍ଷା ବୃତ୍ତି ।।
ନନ୍ଦୀ- ନିନ୍ଦୁ ପଶୁପତି ଦୁଷ୍ଟ କେଉଁ ସାହସରେ ?
ଦକ୍ଷ- କି ଫଳ ମିଳିବ ତାହା ଜାଣିବୁ ଶେଷରେ ।।
ନନ୍ଦୀ- ଶେଷ ଫଳ ବସିବ ତୋ ଶିରେ ଛେଳିମୁଣ୍ଡ ।
ଦକ୍ଷ- ନ ମରିଣ, ମୁହଁ ପୁଣି ଦେଖାଉଛ ଭାଣ୍ଡ ।।
ନନ୍ଦୀ- ଚାଲ ବାବା ଫେରିଯିବା ଆମ୍ଭ କଇଳାସେ ।
ଦକ୍ଷ- ପଳା ପଳା କଳା ପୋଡ଼ା ରହନାହିଁ ଲେଶେ ।।
ନନ୍ଦୀ- କେମନ୍ତେ ଆମ୍ଭ କଥାରେ କହୁଛୁ ତୁ କଥା ।
ଦକ୍ଷ- କି କର୍ମ କଲି ଦୋଷୀକି ଦେଇଣ ଦୁହିତା ।।
ନନ୍ଦୀ- ଦେଇଅଛୁ ଆଜି କି ଫେରାଇ ଯିବୁ ନେଇ ?
ଦକ୍ଷ- ବାନର ଗଳାକୁ ରତ୍ନହାର କି ସାଜଇ ।।
ଶିବ- ଯାଉଅଛୁଁ ଭୃଗୁ ଆମ୍ଭେ ଏଥି ନ ରହିବୁଁ ।
ଭୃଗୁ- ଲଙ୍ଗଳାଙ୍କ ଯୋଗେ ମୋର ମାରା ହେଲା ସବୁ ।।
ଦକ୍ଷ- ଯାଆନ୍ତୁ ସେ ଯାଗ ଆମ୍ଭେ ଯିବୁ ବଢ଼ାଇଣ ।
ଭୃଗୁ- ଆସ ତେବେ ଯାଗ ସର୍ବେ କରିବା ପୂରଣ ।। (ସମସ୍ତଙ୍କର ପ୍ରସ୍ଥାନ)
(ଶିବଙ୍କର ନନ୍ଦୀପ୍ରତି-ଗୀତ)
(ରଖ ରଖ ପଥେ ଦେଖୁଁ...ବୃତ୍ତେ)
ନ କହିବୁ ନନ୍ଦୀ ମଠେ ହଟହଟା କଥାରେ ।
ଦ୍ୱନ୍ଦ୍ୱ ଆରମ୍ଭିବେ ଶୁଣିଲେ ତୋ ବେନି ମାତା ରେ ।ପଦ।
ଶାପଦେବା ପ୍ରଜାପତି । ଶୁଣେ ଯେବେ ଭଗବତୀ ।
ଦଣ୍ଡିବ ଚଣ୍ଡୀକି କହି ସେ କଟୁବାରତା ରେ ।୧।
ହୋଇ ଏଥି ଉପବାସୀ । ଯୋଗେ ମୁଁ ରହିଲି ବସି ।
ପୁଚ୍ଛିଲେ ବୋଲିବୁ ଧ୍ୟାନେ ରହିଛନ୍ତି ପିତାରେ ।୨।
ଦକ୍ଷ କଥା ମନେକରି । ଶରୀର ଉଠଇ ଥରି ।
ନାରୀହୃଦ ସହିବ କି ଏସନ ଅବସ୍ଥାରେ ।୩।
ବହନେ ବାହନେ ନେଇ । ଆଣ ଯା ତୃଣ ଚରାଇ ।
ବଇ ବୋଲେ ହଜିଯାଉଥିବ ତାର ଚେତା ରେ ।୪।
(ଗଙ୍ଗାଙ୍କର ନନ୍ଦୀପ୍ରତି-ଗୀତ)
(ଆଜ ତୋର ଜପ ହେଲା ପୂର୍ଣ୍ଣରେ..ବୃତ୍ତେ)
କାହିଁପାଇଁ ହେଉ କାନ୍ଦକାନ୍ଦରେ, କହ ନନ୍ଦୀ ।ପଦ।
ଭୃଗୁଯଜ୍ଞକୁ ତୋହର, ଯାଇଥିଲେ ବାବା ହର ।
ତହିଁ କି ହୋଇଲା କଳି ଦ୍ୱନ୍ଦରେ ।୧।
ପାଇଲ କି ଅପମାନ, ଫେଇ ମୋତେ କହ ଧନ !
ନାହିଁ ତୋର ମନରେ ଆନନ୍ଦରେ ।୨।
କେଉଁଠାରେ ଛନ୍ତି ଶିବ, ଭାବନ୍ତି କେବଣ ଭାବ ।
ଶୁଖିଯାଇଛି ତୋ ମୁଖଚାନ୍ଦରେ ।୩।
ପକାଉଛି ମୋହ ରାଣ, କହ ଏଥିର କାରଣ ।
ବିପ୍ର ବଇଷ୍ଣବ ଯୋଡ଼େ ପଦରେ ।୪।
(ନନ୍ଦୀର ଗଙ୍ଗାଙ୍କ ପ୍ରତି- ଗୀତ)
(ଶୁଣ କଶ୍ୟପ ତନୁଜରେ...ବୃତ୍ତେ)
ମାଆ କାହାକୁ କହିବି ଲୋ, ଯାହା କରିଛି ସେ ଦକ୍ଷ ଅଜା ।ପଦ।
ଶୁଣିଲେ ତୋ ଛାତି ହେବଟି କରତି ମରଣୁ ବଳିଛି ସଜା ।୧।
ଆସିଥିଲେ ତହିଁ ତାର ଷାଠି ଜୋଇଁ ପିନ୍ଧି ଜାମା ଜୋତା ମୋଜୋ ।
ଆମ୍ଭଙ୍କୁ ଲଙ୍ଗଳା ଦେଖି କରି ତିଳେ କଲେ ନାହିଁ ପାଦପୂଜା ।୨।
ଦକ୍ଷକରି କୋପ ଦେଲା ଅଭିଶାପ ବୋଇଲା ଏଠାରୁ ଯା ଯା ।
ନ କରି ମହତ ଜପି ଦଣ୍ଡବତ ମାଡ଼ିବାରୁ ବଡ଼ ଲଜ୍ଜା ।୩।
କରି ଯାଗ ଶେଷ ଗଲେ ନିଜ ବାସ ଖାଇ ଡାଲି ଭଜା ।
ଆମ୍ଭ ଭାଲେ କଳିମୁଣି ଦେଲେ ଢାଳି ବାଜିଗଲା ନିନ୍ଦାବାଜା ।୪।
ଷଣ୍ଢ ଚଢ଼ି ଦାଣ୍ଡେ ଆସିଲୁଁ ପଳାଇ ହୋଇନାହିଁ ବୁଝାସୁଝା ।
ଏକା ପ୍ରଜାପତି ଦେଲା ଏ ବିପତ୍ତି ଭାଷେ ବଇ ଜ୍ଞାନ ହଜା ।୫।
(ଗଙ୍ଗାଙ୍କ ଗୀତ)
(ଦାନ କର ମାନ ଧନ..ବୃତ୍ତେ)
ସବାଖାଈ ବାପ ଅପମାନ ଦେଲା ଶିବକୁ ।
ଆହା ନନ୍ଦୀ ଶୁଣି କାଟୁଛି ମୋ ଜୀବନକୁ ।ପଦ।
ଏ ଘରେ ଦଣ୍ଡେ ଚଣ୍ଡିକା ନ ପାଇବ ଠାବକୁ ।
ରଖିନାହିଁ କେ ମହୀରେ ଜୋଇଁଠାରେ ଲୋଭକୁ ।୧।
ପତି ଛାତିରେ ଚଢ଼ିଣ ଓପାଡ଼ିଲା ଜିଭକୁ ।
ଭାରିଯା ହୋଇ କେ ଏହା କରୁଅଛି ଧବକୁ ।୨।
ଦେଖାଇ ମାଇଲା ଦାନବକୁ ପରା ଭଗକୁ ।
ପାଇବ ମୋ ହାତେ ସେ ପାପର ପରାଭବକୁ ।୩।
ନିଅଁଶୀ ଯୋଗୁଁ ଏ ଦଣ୍ଡ ହେଲା ଦେବଦେବଙ୍କୁ ।
ସେ ସଙ୍ଗରେ ସଙ୍ଗ କରେ କବି ବଇଷ୍ଣବକୁ ।୪।
ନନ୍ଦୀ- ବଡ଼ ମା ଶୁଣିବ, ବାଟୁଛି ପରା ସିଦ୍ଧି ।
ଗଙ୍ଗା- ଏତେ ଡର ତୋର ତାକୁ କାହିଁ ପାଇଁ ନନ୍ଦି ?
ନନ୍ଦୀ- ଶୁଣିଲା କି ଧାଇଁ ଅଛି ଖରତର ହୋଇ
ଗଙ୍ଗା- କ’ଣ କରିବ ଆସୁ ଆସୁ ସବାଖାଈ ।
(ଦୁର୍ଗାଙ୍କ ପ୍ରବେଶ)
ଦୁର୍ଗା- କହ କହ ଆଉ ଥରେ କହୁଥିଲୁ କିସ ?
ଗଙ୍ଗା- ଉଦ୍ଦଣ୍ଡୀର ପୁଣି ଦେଖ ଏଡ଼ିକି ସାହସ !
ଦୁର୍ଗା- କେଉଁ ଦିନ ହେଲୁ ଏଡ଼େ ଗେରସ୍ତ-ସୁଆଗୀ,
ଗଙ୍ଗା- ଦଉଡ଼ି ଆସିଛୁ କଳି କରିବାର ଲାଗି ।
(ଗଙ୍ଗା ଓ ଦୁର୍ଗାଙ୍କ କଳି)
ଗୀତ- (ହାଇ ରେ ଦୁର୍ଦ୍ଦଣ୍ଡ ବିହି...ବୃତ୍ତେ)
ଗଙ୍ଗା- ଛି ଲୋ କାଳିକାନି କଳିହୁଡ଼ି ଜଳଜଳି ଲୋ !
ପରାଭବ ଦେବି ମୋ ଆଗରୁ ଯାଅ ଚଳି, ଚଣ୍ଡିକା ।୧।
ଚଣ୍ଡୀ- ଜୁଆରବାରିଣୀ କଳକଳନିନାଦିନୀ ଲୋ !
ଭେଳା ବୁଡ଼ାଇ ପାଟଳି ଋଷିର ନନ୍ଦିନୀ, ଜାହ୍ନବି ।୨।
ଗଙ୍ଗା- ପୁରୁଷ ଭଣ୍ଡାଇ ଗୁରୁଜନେ ନାହିଁ ଡର ଲୋ !
ଭଗ ଦେଖାଇ ଭାବିନୀ ମାଇଲୁ ଅସୁର, ଚଣ୍ଡିକା ।୩।
ଦୁର୍ଗା- ତୋହ ପରି ବୁଡ଼ାଇ ନାହିଁ ମୁଁ ତିନି ଘର ଲୋ !
ଶାନ୍ତନୁରାଜା, ବରୁଣ ପୁଣ ମହେଶ୍ୱର, ଜାହ୍ନବୀ ।୪।
ଗଙ୍ଗା- ପିଙ୍ଗଳାକ୍ଷୀ ଲଙ୍ଗଳା ହୋଇଲୁ ଯେଉଁ ଦିନୁ ଲୋ !
ସେହି ଦିନୁ ପଥର ହୋଇଲା ଶିବତନୁ, ଚଣ୍ଡିକା ।୫।
ଦୁର୍ଗା- ଖାଇଲୁ ସାତ ସନ୍ତାନ ଶାନ୍ତନୁର ତୁହି ଲୋ !
କାଢ଼ି ଦେଲା ରହିଲୁ ମୋ ସଉତୁଣୀ ହୋଇ, ଜାହ୍ନବି ।୬।
ଗଙ୍ଗା- ଗୋଟାପୁଅ ବେଇଛୁ ଛଅଟା ତାର ମୁଣ୍ଡ ଲୋ !
କୋଡ଼ପୋଛା ପୁଅର ଝୁଲୁଛି ହାତୀଶୁଣ୍ଢ, ଚଣ୍ଡିକା ।୭।
ଦୁର୍ଗା- ରସିଥିଲା ମାଇପ କରିବା ପାଇଁ ହାତୀ ଲୋ !
ତିନି ଢେଉ ମାରି ଭସାଇଲୁ ଭଗବତୀ, ଜାହ୍ନବି ।୮।
ଗଙ୍ଗା- ଅଣ୍ଡିରାଚଣ୍ଡୀ ସ୍ୱଭାବ ଦେଖି ତୋର ବାପ ଲୋ !
ଗଉରୀ ନାମ ବଦଳେ ଦେଲା କାଳୀରୂପ, ଚଣ୍ଡିକା ।୯।
ଦୁର୍ଗା- ଜହ୍ନୁ ଋଷି ଚଳୁ କରିଦେଲେ ତୋର ଜଳ ଲୋ !
ବାହାରିଲୁ କର୍ଣ୍ଣବାଟେ ହୋଇ କର୍ଣ୍ଣମଳ, ଜାହ୍ନବି ।୧୦।
ଗଙ୍ଗା- ସିଂହପରେ ଚଢ଼ି ଲହଲହ କରୁ ଜିଭ ଲୋ !
ସବୁ ପଛେ ଖାଆ ଏକା ଜୀଇଥାନ୍ତୁ ଶିବ, ଚଣ୍ଡିକା ।୧୧।
ଦୁର୍ଗା- ତୋର କି ହୋଇବ ଶିବ ମଲେ ସୁରଧୁନି ଲୋ !
ଚାରିଟା ହୋଇବ ଜମା ହୋଇଅଛି ତିନି, ଜାହ୍ନବି ।୧୨।
ଗଙ୍ଗା- କିପାଁ ମୋ ସ୍ୱାମୀକି ଗାଳିଦେଲେ ତୋର ବାପ ଲୋ !
ସେହି ଅପମାନେ ମନେବହିଛନ୍ତି କୋପ, ଚଣ୍ଡିକା ।୧୩।
ଦୁର୍ଗା- ପାରିବି ନାହିଁ ମୁଁ ତୋର ସଙ୍ଗେ କଳି କରି ଲୋ !
ବଇଷ୍ଣବ ବୋଲେ ପଛେ ଯାଉଛି ବାହାରି, ଜାହ୍ନବି ।୧୪।
(ଦୁର୍ଗାଙ୍କର ଶିବପାଶେ ପ୍ରବେଶ)
ଗୀତ- (କିପାଁ ନନ୍ଦନନ୍ଦନ ପଥେ...ବୃତ୍ତେ)
ଯାଉଛି ଯାଉଛି ହର ଥାଉ ଥାଉ ତୁମ୍ଭ ଘରକରଣା ହେ ।
ଗଙ୍ଗାବଙ୍ଗାଳୁଣୀ ଗାଳି ନ ସହିବି ପ୍ରାଣ ହରାଇବି ଅଛି ଧାରଣା ହେ ।ପଦ।
ଠାଇଁଆଣୀଟାର ଟାଣ ପୁଣି କେଡ଼େ କରୁଅଛି କେତେ ଅବତାରଣା ।
ମାଉଁସ ଡାଆଣୀ ବୋଲି କହେ ବାଣୀ ଶୁଣି ମୋର ବୁଦ୍ଧି ହୋଇଲା ବଣା ହେ ।୧।
କେଉଁ ସୁଖ ଦେଖି ରଖିବି ଜୀବନ, ଭକ୍ଷିବି ମୁଁ ବିଷ କରିଣ ପଣା ।
କାଆଲି ଆସିଣ ଜାଲିଆଣୀ ତେଜେ ମୋ ଉପରେ ଦେଖାଉଛି ବାରଣା ହେ ।୨।
ଅନ୍ନ ବିନା ପେଟ ଶୂନ୍ୟ ପ୍ରତିଦିନ ନ ମିଳଇ ଦିନେ ପୂର୍ଣ୍ଣ ପାରଣା ।
ନାହିଁ ଖଣ୍ଡେ ବାସ ଦାଣ୍ଡେ ଚାଲିବାକୁ ଜଣାପଡ଼ିଲାଣି ସବୁ ବୋଲଣା ହେ ।୩।
ତଇଳ ବିହୁନେ ବାଳ ହୁଏ ଜଟ କାହିଁରେ ହୋଇବ ମନ ଫୁରୁଣା ।
ମାଗିଲେ ଲାଗିବ ନିତି ଭଟଭଟ ବଇ କହି ଅଟ ନାରୀମାରଣା ହେ ।୪।
(ଶିବଙ୍କ-ଗୀତ)
(କହ କହ ମହାସତୀ କିପାଁ...ବୃତ୍ତେ)
ଶିବ- ରୁଷ ନା ରୁଷ ନା ଋଷିମୋହିନୀରେ ଆଉ ।
ଶଶିହାସୀ ଦାସଠାରେ ସାଧ ନାରେ ଦାଉ ।ପଦ।
ଦୁର୍ଗା- ଥାଉ ସେ କଥା ହେ ପଞ୍ଚକଥା ।
ଶିବ- ତୁଚ୍ଛ କରି ମିଛରେ ସଙ୍ଗାତ କେତେ କହୁ ।୧।
ଦୁର୍ଗା- ଘର ବିହୁନେ ବାସ ଶ୍ମଶାନେ
ଶିବ- ଆଉ କି ଅଭାବ ଭାବଦାୟିନୀ ନ କହୁ ।୨।
ଦୁର୍ଗା- ନଥାଏ ଶଙ୍ଖା ହାତରେ ଦେଖା
ଶିବ- ମୀନନୟନା ତୁ ଏହା ଭାଷୁ ଚାହୁଁ ଚାହୁଁ ।୩।
ଦୁର୍ଗା- ହାଡ଼ ଭୂଷଣ ହେଲ ଈଶାନ
ଶିବ- ଛାଡ଼ ଆଡ଼ରୁଷା ବଇ ଭାଷେ ମୋହ ଥାଉଁ ।୪।
(ଗଙ୍ଗାଙ୍କର ପ୍ରବେଶ-ଗୀତ)
(ବୁଡ଼ି ନ ମଲ ରେ କୁନ୍ତୀନନ୍ଦନ...ବୃତ୍ତେ)
ହର, ଘର ତେଜି ତୋର ଯାଉଛି ।
ଚଣ୍ଡୀ କଟୁବାଣୀ ହୃଦ ଦିଏ ହାଣି ଜାଣିଥା ଶୁଣିଥା କହୁଛି ।ପଦ।
ବଡ଼ ବଡ଼ ଆଖି ଦାନ୍ତ ଦେଖାଇ, କଡ଼ମଡ଼ କରି ଆସିଲା ଧାଇଁ ।
ପୁରୁଷ ଭଣ୍ଡାଇ ଖଣ୍ଡା ଖଣ୍ଡେ ନେଇ ଚିତ୍ତ ଥଣ୍ଡା କରି ଦେଇଛି ।୧।
ଚଣ୍ଡପଣ ଦେଖି କରି ତାହାର, ଗଣ୍ଡ ଲୋତକେ ପୂରିଲା ମୋହର ।
ମଣ୍ଡିଲ କନ୍ଧରେ କେଉଁ ପସନ୍ଦରେ ଦେଖି ଛାତି ଦହି ହେଉଛି ।୨।
ତାହା ଯୋଗେ ତ ପଥର ହୋଇଛ, ହାର କରିଣ ହୃଦରେ ବହିଛ ।
ସେ ହେଲା ତୁମ୍ଭର ତୁମ୍ଭେ ହେଲ ତାର ଯେତେ ଅପମାନ ପାଇଛି ।୩।
ଦରକାର ନାହିଁ ଶଠ ପ୍ରୀତିରେ, ଭରମରେ ପଡ଼ିଥିଲି କ୍ଷିତିରେ ।
ବଇଷ୍ଣବ କହି ନାରୀଜାତି ହୋଇ ଯାହା ସହିବାର ସହୁଛି ।୪।
(ଶିବଙ୍କର ଗୀତ)
(ଦିଅ ଦିଅ ନନ୍ଦରାଣି ଗୋ ଆଣି ତୋର ପୁଅ...ବୃତ୍ତେ)
କନ୍ଦରପଦର୍ପହରା ରେ ମୋ ଶିରେ ପନ୍ଦର ପକାଇ ନ ଯା ।
ମନ୍ଦରଉରଜା ଫାନ୍ଦରେ ପକାଇ ଚନ୍ଦରଆନନନ ନକର ତେଜ୍ୟା ।ପଦ।
ମନ୍ଦକଥା ପଦେ ନ ଭାଷ, ସବୁ ସିନା ମୋହରି ଦୋଷ ।
ଆରେ ହେମଗୋରି ଆସ ଆସ ଫେରି ଦାଣ୍ଡେ ମୋତେ ଆଉ ନ ଦିଅ ଲଜ୍ଜା ।୧।
କନ୍ଦକ୍ଷୀରମିଶା ଭାଷାରେ, ଆଜି କିପାଁ ଲାଗେ କଷାରେ ।
କନ୍ଦାଇବୁ ସତେ ପାଞ୍ଚିଅଛି ଚିତ୍ତେ ମନ୍ଦାରଅଧରା କୁନ୍ଦକରଜା ।୨।
ନନ୍ଦୀ କଲା ଏତେ ହୁନ୍ଦର, ଦାଣ୍ଡେ ଏ କି ହେବ ସୁନ୍ଦର ।
ବିନ୍ଦୁ ବିନ୍ଦୁ ନୀର ନୟନୁ ଗଡ଼ାଇ ପ୍ରାଣବନ୍ଧୁ ଆଉ ନ ଦିଅ ସଜା ।୩।
ଇନ୍ଦୀବରଦୃଶା ନ ରୁଷ, ବାନ୍ଧ ଗଳେ ତୋ ବାହୁଫାଶ ।
ବଇଷ୍ଣବ କହି ଅନ୍ଧ ଯିବି ହୋଇ ଥରେ ତୋର ପାଦପାହୁଡ଼ ବଜା ।୪।
(ଗଙ୍ଗାଙ୍କ ଗୀତ)
(ଆଜ ହେ ଲଙ୍କପତି ଶିଖାଅ ରାଜନୀତି ତେଜିଣ ଭାଷ...ବୃତ୍ତେ)
ଶିବ ତୁମ୍ଭ ସେବା କରି ଏତେ ଦିନ ଗଲା ସରି କରୁଛ ପର ।ପଦ।
ମାନିବ ଯେବେ କଥା, ଜାଣି ଥା ପଞ୍ଚମଥା ।
ପାଞ୍ଚିଛି ଚିତ୍ତରେ ମୁହଁ ରହିବି ତୁମ୍ଭରି ଘର ।୧।
ତାକୁ ଯେବେ କନ୍ଧରେ, ବହିଲ ଆନନ୍ଦରେ, କହୁଅଛି ଜୀବଧନ;
ଘେନି ଦାସୀ ବୋଲମାନ ବସାଅ ଶିର ।୨।
ଅଙ୍ଗୀକାର କରୁଛି, ତୋର କର ଧରୁଛି ।
ବଇଷ୍ଣବ ବୋଲେ ମୋର ନାମ ଆଜୁଁ ଗଙ୍ଗାଧର ।୩।
(ଦକ୍ଷର ଯଜ୍ଞ ଆରମ୍ଭ)
ଗୀତ- (ତେଜ ତେଜ ଚିନ୍ତା ଚିତ୍ତୁଁ ଭୋଜବଂଶଧର...ବୃତ୍ତେ)
ଜାଣିଥାଅ ମନ୍ତ୍ରୀ ମୁହିଁ କରୁଅଛି ପଣ ।
ଶିବ ଅପମାନେ ଯାଗ କରିବି ଭିଆଣ ।ପଦ।
ଭୃଗୁଯଜ୍ଞେ ଅପମାନ । ଦେଲା ମୋତେ ତ୍ରିଲୋଚନ ।
କମ୍ପୁଛି ହୃଦୟ ତାହା କରନ୍ତେ ସ୍ମରଣ ।୧।
ବରିବି ଜୋଇଁଙ୍କି ସର୍ବ, କରିବି ଯଜ୍ଞ ଆରମ୍ଭ ।
ଦୋଷୀ ମହେଶକୁ କେଭେଁ ନ ଦେବି ବରଣ ।୨।
ଅଦ୍ୟ ଯଜ୍ଞ ଅଧିବାସ, ଜାଣିଥା ହେବ ଅବଶ୍ୟ ।
ଚାରିକୋଶ ଯଜ୍ଞଶାଳ ହୋଇଛି ନିର୍ମାଣ ।୩।
ଚଉପାଶେ ସୁବର୍ଣ୍ଣର, ପ୍ରାଚୀର ଦିଶେ ସୁନ୍ଦର ।
ହୋତାରକ ହେବେ ଆସଛନ୍ତି ଋଷିଗଣ ।୪।
ନାରଦେ ବରାଦ ଦେଇ । ଦେଇଛି ଆଜି ପଠାଇ ।
ବଇଷ୍ଣବ ଭାଷେ ଦେବେ ଦେବ ନିମନ୍ତ୍ରଣ ।୫।
(ଦକ୍ଷରାଣୀ ପ୍ରସୂତି ପ୍ରସୂତି ପ୍ରବେଶ)
ଗୀତ- (ମହିଷାସୁରକୁ ଆଶ...ବୃତ୍ତେ)
କହ କହ ପ୍ରାଣନାଥ କି କରିଛ ।
ବରଣ ପଠାଇ ନାହା କାହାକୁ ବରିଛ ।ପଦ।
କେଉଁ କେଉଁ ଜୋଇଁମାନେ, ଆସିଛନ୍ତି ଏ ସ୍ଥାନେ ।
ଉତ୍ତର ନ ଦେଇ କିସ ମନେ ବିଚାରୁଛ ।୧।
କିପାଁ ଯଜ୍ଞ ଅସୁନ୍ଦର । ଦିଶୁଅଛି ପ୍ରାଣେଶ୍ୱର ।
ଜାଣୁଅଛି ରୋଷ କାହା ଉପରେ ବହିଛ ।୨।
ଏତେ ଉତ୍ସବରେ ଲେଶ । ନାହିଁ ଶ୍ରୀମୁଖେ ହରଷ ।
ମିଛ ନ କହିଣ ଥରେ ବାଣୀ ଭାଷ ସ୍ୱଚ୍ଛ ।୩।
ପକାଉଛି ମୋହ ରାଣ । ଧରୁଛି ତବ ଚରଣ ।
ବଇଷ୍ଣବ ଭଣେ କିସ ଚିତ୍ତେ ବିଚାରୁଛ ।୪।
(ଦକ୍ଷର ପ୍ରତିଉକ୍ତି)
(କେଣେ ଗଲ ଚଣ୍ଡମୁଣ୍ଡ ମୋର ରେ...ବୃତ୍ତେ)
ପରା ବରିଛି ଚଉଦପୁରୀ ରେ ଜୀବେଶ୍ୱରି ।ପଦ।
ବାରିଜାକ୍ଷି ଏକା ହରକୁ ଛାଡ଼ିଣ, ସେ ମୋହର ଶତ୍ରୁ ପରି ।୧।
ତାକୁ କରିଲେ ବରଣ ହେବ ଅକାରଣ । ଜାଣୁଛି ହୃଦ ମୋହରି ରେ ।୨।
ମହାଦୋଷୀ ଦୁଷ୍ଟ ଅଘୋରୀ ପାପିଷ୍ଠ । ହରଅଟେ ଅତ୍ୟାଚାରୀରେ ।୩।
ପୂର୍ବେ ତ୍ରିଲୋଚନ ଦେଲା ଅପମାନ । ଭୃଗୁଯଜ୍ଞେ ଯାଇ କରିରେ ।୪।
ବଇଷ୍ଣବ ବୋଲେ ପିଣ୍ଡେ ପ୍ରାଣ ଥିଲେ । ନ ଦେଖିବି ତାର ଶିରୀରେ ।୫।
(ରାଣୀର ପ୍ରତ୍ୟୁକ୍ତି)
(କେଣେ ଗଲୁ ଶ୍ରୀରାମ ଏ ଅଯୋଧ୍ୟା ଭୁବନ...ବୃତ୍ତେ)
ନାଥ ଏହା ଜାଣିଲେ । ଉମା କି ଜୀବନ ଆଉ ରଖିବ ଭଲେ ହେ ।
ଝିଅ ହୋଇ ଯେବେ ଲୁହ ଗଡ଼ାଇବ କି ହେବ ଏ ପିଣ୍ଡେ ପରାଣ ଥିଲେ ହେ ।ପଦ।
କମଠ ପୃଷ୍ଠରୁ ହୃଦୟ କଠୋର ତା’ଠାରେ କି ହେତୁ ହେଲେ ।
କନିଷ୍ଠା ଏ ଚେଷ୍ଟା ଇଷ୍ଟ ହୋଇ ତାରେ ତୁଷ୍ଟ ନୋହି ରୁଷ୍ଟଭାବ ବହିଲେ ।୧।
ଯଜ୍ଞ ଉତ୍ସବ ହେଉଛି ବାପ ବସା ନ ଦେଖିବ ଅଛି ଭାଲେ ।
ହୋଇ ଜନ୍ମଦାତା କରୁଛ ଏ କଥା ଆହା ନାହା ଏହା କାହାର ବୋଲେ ହେ ।୨।
ଶିବ ବିନା ଯଜ୍ଞ ଦିଶେ ଅସୁନ୍ଦର, ଶିବା ଥିଲେ ତାର ତୁଲେ ।
ଦାଉ ଦାଉ ହୋଇ ଦିଶୁଥାନ୍ତା ଦିଗ ହସି ଭାଷୁଥାନ୍ତା କେମନ୍ତେ ଗେଲେ ।୩।
ପୂରୁବ କଥାକୁ ସରବ ପାସୋରି ବରଣ ପଠାଇଦେଲେ ।
ବଇଷ୍ଣବ ବୋଲେ ଯାନ୍ତା ସବୁ ମେଣ୍ଟି ଧୂର୍ଜଟି ଦୁର୍ଗାଙ୍କୁ ଏଥେ ଆଣିଲେ ।୪।
ଦକ୍ଷ- ମହିଷିଜଳା ନା, ତୁ ଛଳ କଥା କହି ।
ଗଞ୍ଜେୟା ବାଳୁଙ୍ଗା ହର ଲଙ୍ଗଳାପାଗଳା ;
ହାଡ଼ବୁଡ଼ା ହଡ଼ାଚଢ଼ା ଅତ୍ରିୟଭାଣ୍ଡକୁ, ନ ଆଣିବି କେବେ ମୋର ଯଜ୍ଞେ ।
ପୂର୍ବର ମାର୍ତ୍ତଣ୍ଡ ଯେବେ ଉଇଁବ ପଶ୍ଚିମେ ;
ସାନୁମାନେ ବିନା ନୀରେ ଫୁଟିବ ନଳିନୀ,
କାଳକୁଟ ବିଷ ଯେବେ ପୀୟୁଷ ହୋଇ,
ଆଷାଢ଼ ଶ୍ରାବଣେ ଯେବେ ବସନ୍ତ ବହିବ,
ଉଡ଼ିବ ପର୍ବତ, ଯେବେ ଅଗ୍ନି ହେବ ହିମ,
ଅମର ହୋଇବେ ଯେବେ ମର୍ତ୍ତ୍ୟପୁର ଲୋକେ,
ବିନା ମେଘେ ବୃଷ୍ଟି ଯେବେ ହୋଇବ କରକା-
ନ କରିବି କେବେ ମୁହିଁ ବରଣ ହରକୁ ।
ଆଉ ଦେଖ ପ୍ରିୟେ ! ଜନମ କରିଛୁ ବୋଲି ଦୁହିତାକୁ ମୁହିଁ, କର୍ମ କି ମୁଁ ଦେଇଅଛି ତାକୁ ?
ନ ଧର ସେ ଦୋଷୀ ନାମ ଆଉ ତୁଣ୍ଡେ । ଚାଣ୍ଡେ ଫେରିଯାଅ ଅନ୍ତଃପୁରେ ।
ରାଣୀ- ନାଥ, ଯାଉଅଛି ମୁହିଁ । ନ ରଖିଲ ଦାସୀ ନିବେଦନ । ଯେବେ ଜାଣିଥିଲ ଏହା, ଜାଣୁ ଜାଣୁ ଦେଲ କିପାଁ ଦୁହିତା ଭସାଇ ।
(ନାରଦ ଦୁର୍ଗାସ୍ନାନଘାଟେ ପ୍ରବେଶ)
(ଭଜ ମନମୋହନ ଶ୍ୟାମସୁନ୍ଦର ଯେ...ବୃତ୍ତେ)
କଞ୍ଜ-ଖଞ୍ଜନଦୃଶା ରସାଭୁଷାମଣି ।
ଉଷାକାଳୁଁ ଖୋଜୁଛି ତୋତେ ରୁଦ୍ରାୟଣି ।ପଦ।
ମୀନନୟନା ତୋର ସ୍ନାନଘାଟରେ ।
ଝୀନବସନା ହୋଇଗଲା ଭେଟରେ ।
ଶଶିହାସୀ ଆସିଛି ତୋର ଗୁଣ ଗୁଣି ।
ଯାହା ଯଜ୍ଞ ଆରମ୍ଭ କରିଛି ଦକ୍ଷ,
ନିମନ୍ତ୍ରି ଆଣିଅଛି ତ୍ରିପୁରଲୋକ,
ତୋତେ ନବରିଲା ଦକ୍ଷ ଦୁଃଖୀ ଜାଣି ।୨।
ଗଞ୍ଜେୟା ବାଳୁଙ୍ଗା ହଡ଼ାଚଢ଼ା ମହେଶ ।
କହୁଥିଲେ ଗାଳିମାନ ନୋହିବ ଶେଷ ।
ଯେତେ ଯେତେ ବୁଝାଇଲା ତୋ ମାତା ରାଣୀ ।୩।
ମାନିନୀ ମୋ କଥା ତିଳେ ମାନିଲା ନାହଁ ।
ଆସିଅଛି ତୋତେ ଏହା କହିବା ପାଇଁ ।
ମୋର ଦୋଷ ନ ଧରିବୁ ବଇ ଭଣି ।୪।
(ଦୁର୍ଗା-ନାରଦ କଥା)
ଦୁର୍ଗା- ସତ କହୁଅଛ ଯାଗ ହେଉଛି କକେଇ !
ନାରଦ- ମିଛ କଥାରେ କି ତୋତେ ଦେଉଛି ଠକାଇ ?
ଦୁର୍ଗା- କେଉଁ ଦୋଷ କରିଥିଲି ରୋଷ କଲେ ଏତେ ।
ନାରଦ- ଅପମାନ ପୂର୍ବେ ହର ଦେଇଅଛି କେତେ ।
ଦୁର୍ଗା- ସେ ସିନା କରିଲେ ଦୋଷ ମୁଁ ପରା ତା ଝିଅ ।
ନାରଦ- କାହିଁକି ମା’ ଅକାରଣେ ଗୁଡ଼ାଇଛୁ ଲୁହ ?
ଦୁର୍ଗା- ପୋଡ଼ିଯାଏ ମନ ମୋର ସେହି କଥା ଭାଳି ।
ନାରଦ- ସହୋଦର ଝିଅ ଜୋଇଁ ତାକୁ ଦେଲା ଗାଳି ।
ଦୁର୍ଗା- ଆସ ମୁନି ଯିବ ସଙ୍ଗେ ଶିବଙ୍କର କତି ।
ନାରଦ- (ଲୁଚିଆସିଅଛି) ଜାଣିଲେ ଅନେକ ଦଣ୍ଡଦେବ ପ୍ରଜାପତି ।
(ଦୁର୍ଗାଙ୍କ ଗୀତ)
(ବ୍ରଜରାଜ ସୁତ ଫାନ୍ଦେ ପଡ଼ି ମିତ...ବୃତ୍ତେ)
ଯାଉନାହୁଁ ଆରେ ନିର୍ଲଜ୍ଜ ଜୀବନ ଆଉ କେଉଁ ସୁଖ ଦେଖିବୁ ।
ଥାଉଁ ଥାଉଁ ପତି ଭୋଗୁ ଏ ବିପତ୍ତି କି ଖ୍ୟାତି କ୍ଷିତିରେ ରଖିବୁ ।ପଦ।
ପିତା ଜାତ କରି କଲେ ପର ପରି ସିନା ଭାବି ପିତା ଚାଖିବୁ ।
ସେ ଯେବେ ବହିଲେ ଏସନ ଦୁର୍ଗତି ଆଗ କାହା ଦୋଷ ଲେଖିବୁ ।୧।
ରଙ୍କୀ ଦୁଃଖୀ ଦେଖି ତୋତେ ନ ଡାକିଲେ କେତେ ମହୀ ନଖେ ଠୁକିବୁ ।
ଦୁଃଖତପନକୁ ସୁଖ ନୀରଦରେ ଆଉ କେତେକାଳ ଢାଙ୍କିବୁ ।୨।
ଏ ପିଣ୍ଡକୁ ତେଜି ଗଲାବେଳେ ଚାଣ୍ଡେ କାନ୍ତ ଚିତ୍ର ଚିତ୍ତେ ଆଙ୍କିବୁ ।
ବଇଷ୍ଣବ କହି ଭାଳି ଭାଳି କାଳି ପଡ଼ି ଦିନୁ ଦିନ ଶିଖିବୁ ।୩।
(ଚନ୍ଦ୍ରକାମିନୀଙ୍କ ପ୍ରବେଶ)
ଗୀତ- (ସତେ ବୃନ୍ଦାବନେ...ବୃତ୍ତେ)
ଆସ ଭଉଣୀ କୃତିକା ରୋହିଣୀ ଯିବା ପିତା ଯାଗ ଦେଖି ।
ମୃଗଶିରା ତୁଲେ ହସ୍ତା ଚିତ୍ରା ଚଳ ଅଶ୍ଳେଷା ସୁମୁଖୀ ।ପଦ।
ପିନ୍ଧି ବେଶଭୂଷା ବାନ୍ଧି ଚାରୁ ଖୋସା ଇନ୍ଦୀବରଦୃଶାଳସୀ ।
କୁନ୍ଦଦଶନା ପୂରିବ ବାସନା (ଚାଲ) ଅଙ୍ଗେ ଘନସାର ମାଖି ।୧।
ବାଜୁଥିବ କେତେ ରଙ୍ଗେ ରଙ୍ଗେ ବାଜା ଭୁଞ୍ଜୁଥିବେ ଶୋଷୀ ଭୋକୀ ।
ସାଜୁଥିବ ନାନା ଆଲୋକମାଳରେ (ଦେଖି) ପବିତ୍ର କରିବା ଆଖି ।
ଅବିରତ ଲାଗିଥିବ ନୃତ୍ୟ ଗୀତ ବନ୍ଧାଥିବେ ପଶୁପକ୍ଷୀ ।
ହସୁଥିବ ପରା ବସୁନ୍ଧରା ମାତା ସେ ସରଗ-ସୁଧା ଚାଖି ।
ଶିବ ଦରଶନ କରି କଇଳାସେ ନେବା ଉମା ସଙ୍ଗେ ଡାକି ।
ରଖ ରହୁବର ଦେଖି ହରପୁର ଭାଷେ ବଇଷ୍ଣବ ଦୁଃଖୀ ।୪।
ଗୀତ- (ଯମୁନାକୁ ଜଳଆଣି...ବୃତ୍ତେ)
ସରୋବର କୂଳେ ଏତେବେଳେ କିଏ କାନ୍ଦୁଛି ଗୋ ।
ପିକକଳ କିଣି ବାଣୀ ତାର ପୁଣି ନିନ୍ଦୁଛି ଗୋ ।ପଦ।
ବେଳୁଁ ବେଳ ଉଠେ ଭାରି ଶୋକସାଗର ଲହରୀ ।
ସେ ଚିନ୍ତାବିକଳେ ଆମ୍ଭ ଚିତ୍ତ ଗଞ୍ଜେ ଛନ୍ଦୁଛି ଗୋ ।୧।
ସର୍ବେ ଶ୍ରୁତି ଡେରି ଶୁଣ, ବାହୁନୁଛି କାହା ଗୁଣ ।
ଭ୍ରୁଧନୁରେ ଦେଇ ଗୁଣ ନେତ୍ରଶର ବିନ୍ଧୁଛି ଗୋ ।୨।
ଉମାକଣ୍ଠ ପରି ଜଣାଯାଉଛି ସେହି ଲକ୍ଷଣା ।
ବୁଦ୍ଧି ହୋଇଯାଏ ବଣା ବିଧି ଫାନ୍ଦ ଫାନ୍ଦୁଛି ଗୋ ।୩।
ଆସ ତା ପାଶକୁ ଯିବା କାରଣମାନ ବୁଝିବା ।
ବଇଷ୍ଣବ କବି ବହୁ କଷ୍ଟେ ପଦ ଛନ୍ଦୁଛି ଗୋ ।୪।
(ଦୁର୍ଗାଙ୍କୁ ପଚାରିବା ଗୀତ)
(ବିହି କି ଦଣ୍ଡ ବିହିଲୁ ଆଣି...ବୃତ୍ତେ)
କହ ସୁନ୍ଦରୀ କାନ୍ଦୁ କାହିଁକି ? ଯାଗ ଦେଖିଯିବୁ ପରା ମନେ ନାହିଁ କି ।ପଦ।
କିବା ଶିବ ଦେଲେ ଗାଳି । ସେ ଯୋଗୁଁ କାନ୍ଦୁ ଛଇଳି !
ଆସ ରୋଷ ତେଜି ଉମା ଯିବୁ ତହିଁକି ।୧।
ଯାଉଥିଲୁ ଶୂନ୍ୟପଥେ । ଆରୋହଣ କରି ରଥେ ।
ବ୍ୟସ୍ତ ହେଉଥିବେ ତାତ ପଥ ଚାହିଁକି ।୨।
ନୟନୁ ଗଡ଼ାଇ ଲୁହ । କାହିଁକି ଭଉଣୀ କହ ।
ବିଳମ୍ବ ନ କର ବେଳ ଯାଏ ବହିକି ।୩।
ତୋହଲାଗି ଅଛୁଁ ଆସ । ଆସ ଆସ ଶଶିହାସୀ ।
ତୋ ପାଦ ସେବକ କରି ରଖ ବଇକି ।୪।
(ଦୁର୍ଗାଙ୍କ ଗୀତ)
(କେଣେ ଅଛୁ ଶୁଣା ତୋ ତୁଣ୍ଡ...ବୃତ୍ତେ)
କାହିଁପାଇଁ ଭଉଣୀ ! ମୋତେ ଡାକୁଅଛ ପିତାସୁର ଯିବାକୁ ଗୋ ।ପଦ।
କେଉଁ ଦୋଷ କରିଥିଲି ମୁଁ ତାଙ୍କରି ବରଣ ନକଲେ ଶିବଶିବାଙ୍କୁ ଗୋ ।୧।
ଗଞ୍ଜେୟା ବାଳୁଙ୍ଗା ବୋଲି ଦେଲେ ଗାଳି ଯେତେ, କେତେ ମୁଁ କହିବି ତୁମ୍ଭଙ୍କୁ ।
ଝିଅ ହୋଇ ଦେହ ଧରି କେ, ରହିବ ସାରିଦେଲେ ମୋର ହୃଦଦମ୍ଭକୁ ଗୋ ।୨।
ଧନବନ୍ତ ଦେଖି ନେଉଛନ୍ତି ଡାକି ନ ଡାକିଲେ ଦୁଃଖୀ ଦେଖି ଆମ୍ଭଙ୍କୁ ।
ଜନ୍ମ କରି ଗୋଡ଼ ନ ଦେଇ ଗଳାରେ ଏବେ ପେଲିଦେଲେ ଦୁଃଖାନଳକୁ ଗୋ ।୩।
ପିତାପୁରେ ଏଡ଼େ ଉତ୍ସବ ଶୁଣିଲେ କାହା ମନ ହେବ ଘରେ ଥିବାକୁ ।
ମନଦୁଃଖ ମାନ କହିବି କା ଆଗେ ଏଡ଼େ ହୀନିମାନ ଥିଲା ହେବାକୁ ଗୋ ।୪।
ଯାଅ ଭଗ୍ନୀଗଣେ ସେ କଥା ନ କହ, ନାହିଁ ଖଣ୍ଡେ ବାସ ଅଙ୍ଗେ ଦେବାକୁ ।
ସାଜିବ କି ପଥ କାଙ୍ଗାଳୁଣୀ ସଙ୍ଗେ ସଙ୍ଗ ହେବା ପାଇଁ ବଇଷ୍ଣବକୁ ଗୋ ।୫।
(ଅଶ୍ୱିନୀ ଦୁର୍ଗାଙ୍କ କଥୋପକଥନ)
ଅଶ୍ୱିନୀ- କାର୍ଯ୍ୟେ ବୁଲୁଥିବେ ଦୂତେ ପଛେ ନେବେ ତୋତେ ।
ଦୁର୍ଗା- କାହିଁକି ଭୁଲାଅ ଏତେ ଭଗ୍ନୀଗଣେ ମୋତେ ।
ଅଶ୍ୱିନୀ- ନିଅ ଅଳଙ୍କାର ପିନ୍ଧି ଆସ ଆମ୍ଭ ତୁଲେ ।
ଦୁର୍ଗା- ହେବି କେତେକାଳ ସୁଖୀ ତୁମ୍ଭଠାରୁ ନେଲେ ?
ଅଶ୍ୱିନୀ- କାନ୍ଦୁଥିବେ ମାତା ତୋତେ ନ ଦେଖିଣ ଉମା !
ଦୁର୍ଗା- ମୁଁ ନୁହେଁ ତା ଝିଅ ତୁମ୍ଭେ ଅଟ ରାଜଜେମା ।
ଅଶ୍ୱିନୀ- କାହିଁପାଇଁ ଏ କଥା କହୁଛୁଁ ରୁଦ୍ରାୟଣୀ ।
ଦୁର୍ଗା- ରୁଦ୍ର ଅଟନ୍ତି ଦରିଦ୍ର ମୁଁ ହିଁ ଦରିଦ୍ରାଣୀ ।
ଅଶ୍ୱିନୀ- ଯିବାକୁ କି ଆମ୍ଭ ସଙ୍ଗେ ହେଉନାହିଁ ମନ ।
ଦୁର୍ଗା- ଯିବି ନାହିଁ ଆସ ଶିବେ କରିବ ଦର୍ଶନ ।
ଅଶ୍ୱିନୀ- ହୋଇବେ ଭଉଣୀ ଜୋଇଁ ଦେଖିବୁ କେମନ୍ତେ ।
ଦୁର୍ଗା- ଉହାଡ଼େ ରହି ଭଉଣୀ ଅନାଇଁବ ନେତ୍ରେ ।।
ଗୀତ- (ଶୁଣ ଆରେ ବାପଧନ...ବୃତ୍ତେ)
ଆସ ମାଉସୀ ସରବ, ବାବାଙ୍କୁ ମୋ ଦରଶନ କରିବ କି ।
ମାଉସି ଲୋ ! ଦେଖୁ ଦେଖୁ ତୋ ପେଟ ପୂରିବ କି ।ପଦ।
ଦେବି ବେଲପତ୍ରୀ ଧଣ୍ଡା, ତା ସଙ୍ଗେ ଅରୁଆ ଚାଉଳ ଗଣ୍ଡା କି ।
ମାଉସି ଲୋ ! ଚୋବାଇଲେ ଚିତ୍ତ ହେବ ଥଣ୍ଡା କି ।୧।
ଅଜା ତ ଦେଇଛି ଶାପ, ବାବା ତ ହୋଇବ ପଥର ରୂପ କି ।
ମାଉସି ଲୋ ! ଖାଲି ଗୁଡ଼ାଇ ହୋଇଛି ସାପ କି ।୨।
ବସିଛି ଲଙ୍ଗଳା ହୋଇ, ହୋଇବ ସେ ତୁମ୍ଭ ଭଉଣୀ ଜୋଇଁ କି
ମାଉସି ଲୋ ! ତାକୁ ଦେଖିବ କେମନ୍ତେ ଯାଇଁ କି ।୩।
ହୁସିଆରି ଆସ କରି, ଉହାଡ଼େ ଦେଖିଣ ଆସିବ ଫେରି କି ।
ମାଉସି ଲୋ ! ବାବା ନ ଜାଣିବେ ଯେଉଁପରି କି ।୪।
ଏହିଠାରେ ଥାଅ ବସି, ଠାରିଦେଲେ ଯିବ ଦେଉଳେ ପଶି କି ।
ମାଉସି ଲୋ ! ବିପ୍ର ବଇଷ୍ଣବ ରସେ ଭାଷି କି ।୫।
(ସଖୀମାନଙ୍କର ଗୀତ)
(ଡେମ୍ଫ ବିନା କି ଫୁଲ ସମ୍ଭାଳି ରହେ...ବୃତ୍ତେ)
ଭଉଣୀ ଗୋ ଉମାର କରମ ପୋଡ଼ା,
ଅଙ୍ଗେ ଗୁଡ଼ାଇ ଅଛି ଭୁଜଙ୍ଗଗୁଡ଼ା ।ପଦ।
ପାଉଁଶ କାଳୀ, ହୋଇଛି ବୋଳି
ଗୁଡ଼ାଇଛି ମୁଣ୍ଡରେ ଜଟାରୁ ଚିଡ଼ା ।୧।
ପାଞ୍ଚବଦନ, ପଞ୍ଚଦଶ ଲୋଚନ,
ବେଢ଼ାଇଛି କଟିରେ ବ୍ୟାଘ୍ରଚମଡ଼ା।୨।
ହାଡ଼ର ମାଳା, ଦୋଳଇ ଗଳା,
ରାଜି ନୋହିଲା ଗୋ ଏ ହେବାକୁ ଛିଡ଼ା ।୩।
ସୁରତି ରସେ, ଉମା କେମନ୍ତେ ରସେ
ବଇ ବୋଲେ ସେ ନିତି ଚଢ଼ୁଛି ହଡ଼ା ।୪।
ଦୁର୍ଗା- ହେ ଧୂର୍ଜଟି ! ଆଜି ଆକାଶପଥରେ ଚନ୍ଦ୍ରକାମିନୀମାନେ ଯାନ୍ତେ ସ୍ନାନଘାଟରେ ମୋର ଦେଖାହେଲା । ମୋତେ ଡାକିବାରୁ ମୁଁ ତାଙ୍କୁ ନିଷେଧକଲି-ନାଥ ! ମୋର ମନ ବଡ଼ ବ୍ୟସ୍ତ ହେଉଛି । ମୋତେ ଅନୁମତି ଦେଲେ ମୁଁ ଯଜ୍ଞ ଦେଖିବାକୁ ପିତାଗୃହକୁ ଯିବି ।
ଶିବ- ପ୍ରାଣାଧିକେ ଚନ୍ଦ୍ରାନନେ ! କିଏ ସେ କହିଲା ତୋତେ ଦକ୍ଷ ଯଜ୍ଞ କରୁଛି ବୋଲି ? ତୁ ଯିବାକୁ ଆଶା କର ନା । ମୋର କଥାକୁ ଶୁଣ ।
ଗୀତ-(ଭାଇ ଭୀମ କରିବା କି ବୁଦ୍ଧି..ବୃତ୍ତେ)
ଜୀବେଶ୍ୱରି ଯିବା କଥା ଛାଡ଼ । ଦକ୍ଷ କଥା ପଡ଼ି ମନେ ମାନିନୀ ଜଳେ ମୋ ହାଡ଼ ।ପଦ।
ଅବରଣେ ଯିବୁ ଯେବେ, ଅପମାନ ହେବ ତେବେ, ଏ ସଂସାରେ ଆମ୍ଭେ ଅଟୁଁ ବଡ଼ ।୧।
ଭୃଗୁ ଯଜ୍ଞେ ପ୍ରଜାପତି, ଦେଲା ଅଶେଷ ବିପତ୍ତି, ତହୁ କରିଛି ପ୍ରତିଜ୍ଞା ଦୃଢ଼ ।୨।
ଗଲେ ଘଟିବ ଅନିଷ୍ଟ, କୁବାକ୍ୟ କହିବ ଦୁଷ୍ଟ, କର ସେବା ବଚନ ନ ଏଡ଼ ।୩।
ବାମା, ବାମନେତ୍ର ମୋର, ସ୍ଫୁରୁଅଛି ନିରନ୍ତର, ବଇ କହି ନ ତେଜ ମୋ କୋଡ଼ ।୪।
(ଦୁର୍ଗାଙ୍କ ଭକ୍ତି)
ଗୀତ- (କାହିଁ ଗଲା ସଖି ଯମୁନାକୂଳିଆ..ବୃତ୍ତେ)
ଧରୁଛି ଚରଣ ନ କର ବାରଣ ଯିବା ପାଇଁ ପିତା ଆଳକୁ ।
ଗଲେ ଅବରଣେ ଝିଅ ହୋଇ କରି ହେବ ନାହିଁ ନିନ୍ଦା କୁଳକୁ ।ପଦ।
ମହାଯଜ୍ଞ କରୁଛନ୍ତି ଜନକ ମୋହରି,
ଅନେକ ଭଉଣୀ ଯାଇଛନ୍ତି ପୁଣି ପବିତ୍ର କରିବେ ଡୋଳାକୁ ।୧।
କେମନ୍ତେ ଧରିବି ଦେହ କହ ହେ ମହେଶ,
ଘନ ଘନ ମନ ହୁଏ ଛନଛନ (କେତେ) ନିବାରିବି ନେତ୍ର ଜଳକୁ ।୨।
ବେଳକୁ ବେଳକୁ ଶୋକ ବଢ଼ଇ ଅଧିକ,
ଥରେ ଅନୁମତି ଦିଅ ପଶୁପତି, କି ହେତୁ ଅନାଅ ତଳକୁ ।
ଭାଳି ଭାଳି ମାତା ଭଜୁଥିବେ ଆକୁଳକୁ,
ବଇ କହି ଖେଦେ କହ କଥା ପଦେ ଯଶ ଥିବ କାଳ କାଳକୁ ।୪।
ଶିବ- ପ୍ରାଣପ୍ରିୟେ ! ବଡ଼ ଦୁରାଚାରୀ ଅଟେ ସେହି ପ୍ରଜାପତି, ହେବ ଅପମାନ ନିଶ୍ଚେଁ ଜାଣୁଅଛି ମୁହିଁ-କେମନ୍ତେ କହିବି ତୋତେ ଯିବାକୁ ସେଠାକୁ । ଇଚ୍ଛା ତୋ ଭବାନି ! ଆସୁନାହିଁ ତୁଣ୍ଡକୁ ମୋହରି । (ମଉନ)
ଦୁର୍ଗା- ନାଥ, ଯାଉଛି କିଙ୍କରୀ ତବ, ଭୁଲିଯିବ ନାହିଁ ଏ ଦାସୀକୁ । (ପ୍ରସ୍ଥାନ)
(ଶିବ ନନ୍ଦୀପ୍ରତି)
ଗୀତ- (ସୈନ୍ୟଦଳ ସଜ କରି ରକ୍ତବୀର୍ଯ୍ୟ ବିନ୍ଧ୍ୟଗିରି ଯା ଯା ରେ...ବୃତ୍ତେ)
ଯାଆ ଯାଆ ଯାଆ ଯାଆ ଯାଆ ନନ୍ଦି ବୃଷ ସଙ୍ଗେ ଘେନି ଯାଅରେ ।
ନ ମାନି ମୋ ମନା ଗଲା ସେ ମାନିନୀରତନ ତୋ ବଡ଼ ମାଆରେ ।ପଦ।
ଯାଇ ନାହିଁ ଖାଲି ଦିନେ କାହିଁ ଚାଲି ଦଣ୍ଡେ ତୁ ଏଥି ନ ରହ ରେ ।
ବୃଷରେ ବସାଇ ଶୁଭେ ଯିବୁ ନେଇ ନାହିଁ ତହିଁ କେହି ସାହା ରେ ।୧।
ବଡ଼ ଦୁରାଚାର ଦକ୍ଷର ନବର ନ ମିଳିବ ତିଳେ ରାହା ରେ ।
ହେଲେ କଳି ତହିଁ ଆଣିବୁ ଫେରାଇ କହିଲି ମୁଁ ଯାହା ଯାହାରେ ।୨।
ଉମା କାନ୍ଦି କାନ୍ଦି ଯାଉଅଛି ନନ୍ଦି ସହୁନାହିଁ ଦେହ ତାହା ରେ ।
ବଇଷ୍ଣବ ଭଣେ ନାହିଁ କ୍ଷଣେ ଭୟ କରିବ ଅଭୟାରେ ।
(କୁବେର ଦୁର୍ଗାଙ୍କୁ ଦେଖି)
ଗୀତ- (ଆଜ୍ଞା ଦିଅ ଭୋଜରାଜ ଯିବି ବ୍ରଜପୁରକୁ...ବୃତ୍ତେ)
କହ କହ ଭବାନି ଗୋ ଭାବନା କିମ୍ପା ତୋ ଏତେ ।
ଅପମାନେ ଗଲାପରି ମାନିନି ଲାଗଇ ।ପଦ।
କିବା ହର କଲେ ପର, ସେ ଯୋଗୁଁ ଗଡ଼ାଉ ନୀର ।
ଝରଝର ପଡ଼ି କୁଚପରୁ ବାସ ତିନ୍ତେ ।୧।
ପଥଭିକାରିଣୀ ପରି କେଣିକି ଯାଉ ଗଉରି !
ଅଙ୍ଗନା ଅଙ୍ଗଭୂଷଣ ନ ଦେଖଇ ଖଣ୍ଡେ ଗାତ୍ରେ ।୨।
ଅମଳିନ ପଦ୍ମାନନ, ହୋଇଯାଇଛି ମଳିନ ।
ଦୁଃଖ ହିମ ଆଗମ ପରାୟ ଲାଗେ ପରତେ ।୩।
ଏଥିର କାରଣ କହ ଚିତ୍ତରୁ ସନ୍ଦେହ ଦହ ।
ପକାଉଛି ମୋହ ରାଣ ବଇଷ୍ଣବ ଭାଷେ ଗୀତେ ।୪।
(ଦୁର୍ଗାଙ୍କର କୁବେର ପ୍ରତି ଉକ୍ତି)
ଗୀତ- (ତୋଳ ତୋଳ ଫୁଲ ଭାଇ ଫୁଟିଛି କି ରଙ୍ଗେ ଡାଳେ...ବୃତ୍ତେ)
ଶୁଣ ଶୁଣ ଧନପତି ଦୁଃଖର କାରଣ ମୋର ।
ମହାଯଜ୍ଞ ଦେଖିବାକୁ ଯାଉଅଛି ପିତାପୁର ।ପଦ।
ବରଣ ନ କଲେ ପିତା, ମରଣୁ ବଳି ସେ ଚିନ୍ତା,
ମାନିଲି ନାହିଁ ବାରଣ କଲେ ଯେତେମତେ ହର ।୧।
ଯାଉଅଛି ଅଭିମାନେ, କୁବେର ! ତାତଭୁବନେ,
ବାକ୍ୟବାଣାଘାତେ ପ୍ରାଣ ବିସର୍ଜିବି ସେହିଠାର ।୨।
ଯାଅ ତୁମ୍ଭେ କଇଳାସ, କହିବ ମହେଶପାଶ,
ଏ ଜନମେ ଦେଖା ଆଉ ନ ହେବ ତାଙ୍କ ସଙ୍ଗର ।୩।
କଳ୍ପାନ୍ତରେ ହିମବନ୍ତ, ଘରେ ମୁଁ ହୋଇବି ଜାତ,
ମୁଁ ହେବି ତାଙ୍କ ବନିତା ସେ ହେବେ ମୋହର ବର ।୪।
ଦଣ୍ଡେ ନ ଦେଖିଲେ ପାଶେ, ମଣନ୍ତି ମୋତେ ବରଷେ,
କେମନ୍ତେ ରହିବ ଏକା ବଇଷ୍ଣବ ଯୋଡ଼େ କର ।୫।
କୁବେର- ମାତଃ ପିନ୍ଧି ଏହି ଅଳଙ୍କାର, ଭିକାରିଣୀ ପରା ଗଲେ ଯଜ୍ଞ ଦେଖିବାକୁ ଅପମାନ ହେବ ମହେଶଙ୍କୁ । ପିନ୍ଧାଇବି ମୋର ହସ୍ତେ ଦେବି, ନିଷେଧ ନ କର ଆଉ ମୋତେ, ଯେଉଁ ସ୍ଥାନେ ଯେ ପାଇବ ଶୋଭା । ଆସିଲାଣି ନନ୍ଦୀ ଘେନି ବୃଷେ, ବସି ବୃଷପୃଷ୍ଠେ ମାତ କରିବ ମାତ କରିବ ଗମନ । ମନକଷ୍ଟ ଦିଅ ଦୂର କରି ।
(ନନ୍ଦୀ ଦୁର୍ଗାଙ୍କୁ କହିବା ଗୀତ)
(ଧନୁ ଦେଖି ବିଚାରନ୍ତି ହରି ଯେ...ବୃତ୍ତେ)
ମାତା ବସ ବୃଷଭ ଉପରେ ଗୋ, ମୋତେ ପଠାଇଲେ ବାବା ହର ଗୋ ।୧।
ଚାଲି ନ ପାରିବୁ ବୋଲି ବାଟ ଗୋ, କେତେ କହିଛି କରି ଆକଟ ଗୋ ।୨।
କଳି ଗୋଳ ହେଲେ ଅଜା ବାସେ ଗୋ । ନେଇ ଚଳିଯିବି କଇଳାସେ ଗୋ ।୩।
ବାବା କାନ୍ଦୁଛି ବସି ଦେଉଳେ ଗୋ । ବିନ୍ଦୁ ବିନ୍ଦୁ ନୀର ପଡ଼େ ତଳେ ଗୋ ।୪।
ବଞ୍ଚିବ କି ତୋହ ଯିବାଯାଏ ଗୋ । ଶିବାଶିବା ବୋଲି ମୁଖେ କହେ ଗୋ ।୫।
ବେଗେ ବାସୁଆ ଉପରେ ଚଢ଼ ଗୋ, ବଇ ବୋଲେ ଯିବା ଅଜା ଗଡ଼ ଗୋ ।୬।
(ଦକ୍ଷରାଣୀ ପ୍ରବେଶ)
ଗୀତ- (ହେ ଅବନୀପତି ତୋର ବିଡ଼ିବାକୁ ମନ..ବୃତ୍ତେ)
ରାଣୀ- ଆସ ଆସ ଉମା ମୋର ନୟନପିତୁଳା । ଭାଷଭାଷ କିମ୍ପା ନୀରେ ପୂର୍ଣ୍ଣ କରୁ ଡୋଳା ?
ଥିର କର ମନ ଲୋ, ଯିବା ଚାଲ ଚାଲ ମୋ ସଦନ ଲୋ ।୧।
ଦୁର୍ଗା- ଜନ୍ମ କରି ଜହର ନ ଦେଲୁ ମୋର ତୁଣ୍ଡେ । ନ ଯାଇ ନିର୍ଲ୍ଲଜ୍ଜ ଜୀବନ ରହିଛି ଯା ପିଣ୍ଡେ ।
ଅପମାନ ସହି ଲୋ ! ଝିଅ ହୋଇ ରହିଅଛି କାହିଁ ଲୋ ।୨।
ରାଣୀ- ମୋର ଦୋଷ ନାହିଁ ଦୋଷ କରିଛି ତୋ ପିତା । ଯେତେ ବୁଝାଇଲି ନ ଶୁଣିଲା ମୋର କଥା ।
ପୂର୍ବ ଅପମାନ ଲୋ ! ହେତୁ ନ ବରିଲା ତ୍ରିଲୋଚନ ଲୋ ।୩।
ଦୁର୍ଗା- ସେ ଯେବେ କରିଲେ ଦୋଷ ମୁଁ ପରା ତୋ ଝିଅ । ଜନ୍ମଦାତା ଯେବେ ଆଚରିବେ ଏଡ଼େ ରିହ।
ମୁଁ କାହାର ହେବି ଲୋ । ମୁଣ୍ଡେ କିପାଁ ନ ପଡ଼ୁଛି ପବି ଲୋ ।୪।
ରାଣୀ- ସବୁ ଦୋଷ ମୋହର ଜାଣ ଗୋ ଉମାମଣି ! ଆସ ମନ୍ଦିରକୁ ମୋର ସଙ୍ଗେ ଏହିକ୍ଷଣି ।
ଭୁଞ୍ଜି ସାରି ଆସି ଲୋ ! ଯଜ୍ଞ ଦେଖିବୁ ତୁ ଶଶିହାସୀ ଲୋ ।୫।
ଦୁର୍ଗା- ଆଗେ ଯଜ୍ଞ ଦେଖି ଶେଷେ କରିବି ଆହାର । ମେଲାଣି ଦେଇ ଜନନୀ ଯାଅ ନିଜ ପୁର ।
ଦ୍ୱିଜ ବଇଷ୍ଣବ ଲୋ । ନିତି ଚିତ୍ତେ ଭଜେ ଶିବ ଶିବ ଲୋ ।୬।
(ଦୁର୍ଗା ନନ୍ଦୀକି ଆସ୍ଥାନ ଚିହ୍ନାଇବା)
ଗୀତ- (ଶ୍ୟାମବନ୍ଧୁ ପରି ଜଣେ ଦିଶୁନାହିଁ..ବୃତ୍ତେ)
ନନ୍ଦି ଦେଖ ଦେଖ । ଯଜ୍ଞ ପୂରିଛନ୍ତି ଦେବଲୋକ ।ପଦ।
ପୂର୍ବେ ବିଷ୍ଣୁ ଇନ୍ଦ୍ର ସଭା ସାଜେ । ଅଗ୍ନିକୋଣେ ଅଗ୍ନି ତେଜ ରାଜେ ।
ପଶ୍ଚିମେ ବରୁଣ ବିରାଜନ୍ତି ପୁଣ, ନୈଋତେ ଦେବ ବିଜେ ।
ଉତ୍ତରରେ କୁବେର । ପୁଣି ଦକ୍ଷିଣେ ବସିଛି ଜନ୍ତୁବର ।୧।
ଐଶାନ୍ୟକୋଣରେ ନାହିଁ କେହି, ଶିବ ବିନା ଶୂନ୍ୟ ଅଛି ହୋଇ ।
ଲେଖିଥିଲା ବିହି ଦେଖିବାକୁ ଏହା, ଆଖି କିମ୍ପା ଫୁଟିଯାଉନାହିଁ ।
ହୃଦେ ଦହେ ମୋର । ଯେହ୍ନେ ସାଗର ମନ୍ଥିଲେ ଦେବାସୁର ।୨।
ନାଲି ନୀଳ ଶ୍ୱେତ ଛତ୍ରମାଳ, ପରେ ସାଜେ ଚନ୍ଦ୍ରାତପଚେଳ ।
ଧାଡ଼ି ଧାଡ଼ି ପୋତା ତରାସ ଆଢ଼େଣି ତା ପାଶେ ଲମ୍ବଇ ଚୂତଦଳ ।
ସ୍ୱର୍ଣ୍ଣଘଟମାନ । ଜଳପୂର୍ଣ୍ଣ ହୋଇ ଦିଶେ କି ଶୋଭନ ।୩।
ଯଜ୍ଞରେ ଯାଜ୍ଞିକ ଭୃଗୁଋଷି, ହୋତାରକ ଆଦି ଛନ୍ତି ବସି ।
ଦେଖି ଏ ସମସ୍ତ ମନ ହୁଏ ବ୍ୟସ୍ତ ଶିବରୂପ ନେତ୍ରେ ଯାଏ ଦିଶି ।
ଭାଷେ ବଇଷ୍ଣବ, ସେହି ନାମ ଭାବି ଭାବି ଯାଉ ଜୀବ ।
ଦକ୍ଷ- (କୀର୍ତ୍ତନ ସୁର)
ଲୋ ନିର୍ଲଜ୍ଜି ଉମା ପାଜି ଶିବ ସାଜି ପଠାଇଛି ତୋତେ ଯାଗ ଦେଖି ।
ହେଜିଲା ନାହିଁ ସେ ପୂରୁବ କଜିଆ ନ ଖୋଜିଲି କେଉଁ ଦୋଷ ଦେଖି ।
ଦୋଷୀ ହଡ଼ା ଚଢ଼ା ଭୂଷି ହୋଇଥାଏ ସର୍ପଗୁଡ଼ା ।୧।
କାଳକ ବୁଲଇ ମାଳ ଘେନି କରେ ମିଛେ ମିଛେ କରେ ଠପ ଠପ ।
କଳଙ୍କ କରିଲା କୁଳକୁ ମୋହର ଦିନେ ଦେଖିନାହିଁ ଜପ ତପ ।
ଲାଉଥାଳ ଖଣ୍ଡେ । ଘେନି ବୁଲେ ଜଟା ବାନ୍ଧି ମୁଣ୍ଡେ ।୨।
ଜାଣେ ନାହିଁ କ୍ରିୟା କର୍ମ ଧର୍ମ ମର୍ମ, ବ୍ୟାଘ୍ର ଚର୍ମବାସ କଟିତଟେ ।
କପଟୀ ଲମ୍ଫଟୀ ପାଷଣ୍ଡ ଧୂର୍ଜଟି ଭଣ୍ଡିବାକୁ ମୁଖେ ରାମ ରଟେ ।
ପାପିଶିରୋମଣି, ଲଙ୍ଗଳା ପାଗଳା ସେଟା ପୁଣି ।୩।
କାଟିଦେଲି ଗୁଆ ଜାଣିକରି ଏହା ଝିଟୁଆ ପଠାଇଦେଲା ତୋତେ ।
ଏତେ ସଟାବଟା କଲା ଭାଇଗୋଟା ନାରଦ ଯୋଗେ ସହିଲି କେତେ ।
ବଇଷ୍ଣବ କହି । ତାହାରି ଭାରିଯା ଅଟୁ ତୁହି ।୪।
(ଦୁର୍ଗାଙ୍କର ଦକ୍ଷପ୍ରତି ଉତ୍ତର)
ଗୀତ- (ଦାନକର ମାନଧନ ଗଲା କଥା ଗଲାଣି...ବୃତ୍ତେ)
ଜନ୍ମଜର୍ତ୍ତା ହୋଇ କେହ୍ନେ ଆସୁଛି ୟା ତୁଣ୍ଡରେ ।
ଝିଅ ହୋଇ ସହି କେ ରହିବ ଏ ବ୍ରହ୍ମାଣ୍ଡରେ ।ପଦ।
ଯେବେ ଆଶୁତୋଷ ଦୋଷ କରିଥିଲେ ଦାଣ୍ଡରେ ।
ତାଙ୍କୁ ଗାଳିଦେଲେ ସିନା ବହନ୍ତେ ସେ ମୁଣ୍ଡରେ ।୧।
ନ ସହିବି ଶିବନିନ୍ଦା କର୍ତ୍ତା ସେ ମୋ ପିଣ୍ଡରେ ।
ତେଜିବି ଜୀବନ ନ ଦେଖିବି ଏଡ଼େ କାଣ୍ଡ ରେ ।୨।
ଅଖିଳ ଈଶ୍ୱର ହର ଯା ଶକ୍ତି ଅଖଣ୍ଡରେ ।
ଜନ୍ମେ ଜନ୍ମେ ପତିପଣେ ମିଳନ୍ତୁ ସେ ଚାଣ୍ଡେ ରେ ।
ତୁମ୍ଭ ପରି ପିତା ଆଉ ନ ମିଳୁ ଭୂଖଣ୍ଡରେ ।
ବଇ ବୋଲେ ଖାର ମିଶାଇଲା ବିଧି ଖଣ୍ଡ ରେ ।୪।
(ଐଶାନ୍ୟକୋଣେ ସତୀ ଯୋଗାସନେ ବସିବା)
ଦୁର୍ଗା- ହେ ଭୂତଭାବନ, ହେ ଚନ୍ଦ୍ରମୌଳି, ଦାସୀକି ବିଦାୟ ଦିଅ,
ଶ୍ରୀଚରଣ ତଳରୁ ଦାସୀକି ବିଦାୟ ଦିଅ ।
ଶିବ ହେ, ଶିବ ହେ, ଶିବ ହେ, ଶିବ ହେ । (ପତନ)
(ନନ୍ଦୀର ଗୀତ)
(ଭାଇ ଯିବୁ କେଣିକି ମୋ ହୃଦମଣିକି...ବୃତ୍ତେ)
ହର- ହୃଦୟହାର କରି ଅନ୍ତର ମୋତେ ଗଲୁ କାହିଁ ।
କର ଚରଣ ତୋର ତୋଳିଲେ ତଳୁ ତିଳେ ରହୁନାହିଁ ।ପଦ।
ଦଳାକେତକୀକାନ୍ତି କଳା ଦିଶଇ ଅତି,
ଆଜି ଧୂଳିରେ ପଡ଼ିଯାଇଛି ଜଡ଼ି କେଉଁ କଥା ପାଇଁ ।
ନ ମାନି ଶିବ ଭାଷା, ଆସିଲୁ କରି ଆଶା,
ପାଇବୁ ବୋଲି ମାନ ନାରୀରତନ ଶେଷେ ହେଲା ଏହି ।୨।
ଗଲେ କଇଳାସକୁ ମହେଶ୍ୱର ପାଶକୁ ମୋତେ
ପୁଚ୍ଛିବେ ସତୀ କେଣେ ଅଛନ୍ତି ବୋଲିବି ମୁହିଁ ।୩।
ଗଲୁ ମାଗୋ ଯହିଁକି, ମୋତେ ନିଅ ତହିଁକି,
ବଇଷ୍ଣବ ବଚନ କରିବି ବିନା କାହା ଗୁଣ ଗାଇ ।୪।
(ଶିବ ପାଶେ ନାରଦର ପ୍ରବେଶ ଓ ନନ୍ଦିର ଗାନ)
(ଚାଲ ଦେଖିବା ହୋ ଶୂନ୍ୟ ବେଦୀ ତିନିକୋଣି..ବୃତ୍ତେ)
ଆହେ ଗରଳଗିଳା, ତୋ ସରିଲାଣି ସବୁ ଲୀଳା ହେ ।
ଗଲା ସେ ମଙ୍ଗଳା ପିତା ଆଳୟକୁ ବୁଡ଼ାଇଲା ତହିଁ ଭେଳା ହେ ।ଘୋଷା।
ସେ ସରଳା ବାଳା । ନନ୍ଦୀ ସଙ୍ଗେ ଘେନି ଦେଖୁଥିଲା ଯଜ୍ଞଶାଳା ହେ ।
ଦକ୍ଷ କଟୁବାଣୀ ତବ ନାମ ଗୁଣି ପରାଣ ହାରିଲା ଭୋଳା ହେ ।୧।
ଯେଉଁ ପରକାରେ ବାଜନ୍ତେ ଗିରିରେ ଚୂରି ହୋଇଯାଏ ଟେଳା ହେ ।
ସେହିପରି ଦଶା ଘଟିଲା ସହସା ପଡ଼ିଗଲା ଦେହ କଳା ହେ ।୨।
ନନ୍ଦୀ କାନ୍ଦି କାନ୍ଦି ଧାଇଁଛି ପଛରେ ଲୋତକ ଭସାଇ ଡୋଳା ହେ ।
କରି ଘୋର ରବ କାନ୍ଦୁଛି ବୃଷଭ ପଡ଼ିଯିବଣି ତା ଗଳା ହେ ।୩।
ବସିଥିଲା ଭୃଗୁ ଇନ୍ଦ୍ର ଚନ୍ଦ୍ର ସହ ଦେଖୁଥିଲେ ସେହି ବେଳା ହେ ।
ଯାଇଅଛି ହର କର ୟା ଉତ୍ତାର ଭାଷେ ବଇଆ ବାତୁଳା ହେ ।୪।
(ଦୁର୍ଗା ମରିବା ଶିବ ନାରଦଙ୍କ ମୁଖୁଁ ଶୁଣି ଶୋକ)
(ଆହାରେ ନବନବୀନା ତୋ କରମେ ଥିଲା ଏହା..ବୃତ୍ତେ)
ବିନା ଦୋଷେ ଏତେ ଦଶା ଲଭିଲୁ ନବନବୀନା ।
ମନା କଲି ତୋତେ ଯେତେ ନ ମାନିଲୁ ମୋର ମନା ।ପଦ।
ନ ସହି ମୋ ନିନ୍ଦା ତୁହି ପ୍ରାଣ ହରାଇଲୁ ସହି
କୋପ ନ ସହିବୁ ଏହା ଜାଣିଥିଲି ରେ କୋପନା ।୧।
ହରେ ଘର ଦେଇକରି ତେଣେ ରହିଲୁ ପାସୋରି
ଶୂନ୍ୟ ଦିଶେ ଦିଗ ଚାରି ତୋର ଅଦର୍ଶନେ ସିନା ।୨।
ଆରେ ଦକ୍ଷ ପ୍ରଜାପତି କିପାଁ ଦେଲୁ ଏ ବିପତ୍ତି
ତୋ ବଂଶ ନ କଲେ ଧ୍ୱଂସ ପୂରିବ ନାହିଁ କାମନା ।୩।
ସତୀ ଚିନ୍ତା ଅଗ୍ନି ଚିତ୍ତେ ଜଳେ ପୂର୍ଣ୍ଣାହୁତି ତୋତେ
ଦେବି ବଇ କହି ଗୀତେ ସୃଷ୍ଟି ପଛେ ହେଉ ଚୂନା ।୪।
ଶିବ- ରେ ପାମର ଦକ୍ଷ ପ୍ରଜାପତି ! ଜଟାରୁ ଜନ୍ମିଲା ଯେଉଁ ମୂର୍ତ୍ତି, ଏହୁ ତୋର ଅଟଇ ଅରାତି । (ଜଟା ଛିନ୍ନ, ବୀରଭଦ୍ର ଜନ୍ମ)
ବୀର- କିପାଁ ମୋତେ ଜାତ କଲ କହ ମହାକାଳ !
ଆଜ୍ଞା ହେଲେ ଗିଳିବି ମୁଁ ଅମରମଣ୍ଡଳ ।
ଆଦେଶ ହେଲେ ଶୋଷିବି ସାତସିନ୍ଧୁ ପାଣି
ନିଃଶ୍ୱାସେ ଉଡ଼ାଇ ଦେବି ଚନ୍ଦ୍ର ଦିନମଣି ।
ଦୃଷ୍ଟିମାତ୍ରେ ସୃଷ୍ଟିଗୋଟି କରି ଛାରଖାର
ସୁମେରୁ କୁମେରୁ ତାଡ଼ି ମିଳିବ ଛାମୁର ।
ଆଜ୍ଞାକୁ ଅବଜ୍ଞା କେବେ ନ କରିବ ଦାସ
କିପାଁ ଜାତ କଲ ବହି କାହାପରେ ରୋଷ ।
ଶିବ- ଯାଅ ବୀରଭଦ୍ର, ନାଶ କର ଦକ୍ଷଯାଗ,
ଭୃଗୁ ସହିତରେ ଯେତେ ହୋଇଛନ୍ତି ଯୋଗ ।
ଦକ୍ଷମୁଣ୍ଡ ମୋଡ଼ି ଲୁଟ ସମ୍ପଦ ସକଳ
ଭୂତପ୍ରେତଗଣେ ନେଇ ନନ୍ଦୀ ସହ ଚଳ ।
ବୀର- ଯେ ଆଜ୍ଞା ! (ଭୂତ ପ୍ରେତ ସହ ପ୍ରସ୍ଥାନ)
(ସ୍ତ୍ରୀ ପୁରୁଷ ଦୁଇଜଣ ଦୌଡ଼ି ପ୍ରବେଶ)
(ଦେଖି ଆଲୋ ଚାନ୍ଦିଆ ମାଆ ଏ....ବୃତ୍ତେ)
ପୁରୁଷ- ପଳେଇ ଆଲୋ କନିଆଁ ମା’ ତୁ ଧନିଆଁକୁ କାଖେ ଧଅ ।
ସ୍ତ୍ରୀ- କୁଆଡ଼େ ଯିବାରେ କାହିଁକି ଚୁଲିଆ କେଉଁ କଥା ମୋତେ କହ ।ପଦ।
ପୁରୁଷ- କାହୁଁ ଆଇଛନ୍ତି ଗୁରାଏ ଭୂତ, ତାଙ୍କର ଏଡ଼ିକି ଏଡ଼ିକି ଦାନ୍ତ ।
ସ୍ତ୍ରୀ- ଅଛନ୍ତି କେଉଁଠି ହେବେ ସେ କେଇଟି କେତେ ହେଉ ସଅଁ ସଅଁ ।୧।
ପୁରୁଷ- ଶାଳି ଯାଗଶାଳେ ପରା ପଶି, ତେଣେ ମାଇଲେଣି କେତେ ଋଷି ।
ସ୍ତ୍ରୀ- ସତେ ଅଣ୍ଡାଳି ଅଣ୍ଡାଳି ପଳେଇଛି ଗୋଟା ହୋଇ ପରା ଗଅଁ ଗଅଁ ।୨।
ପୁରୁଷ- ତିନିଗୋଡ଼ିଆ ତା ଆଖି ତାଡ଼ିଲା । ରାଜା ମୁଣ୍ଡ ମୋଡ଼ି ଜଣେ ପୋଡ଼ିଲା ।
ସ୍ତ୍ରୀ- ଯାଗ କରୁଥିଲା ଝିଅ ମଲା ବୋଲି ମାତିଲେ ସରବ ଦିଅଁ ।୩।
ପୁରୁଷ- ଏ ତ ଲଙ୍ଗଳା ଜୋଇଁର ଫିକର । ପରା ଭୂତଯାକ ତାଙ୍କ ଚାକର ।
ସ୍ତ୍ରୀ- ବଇଆ ବୋଲଇ ପଳା ରେ ରକତ ପିଇଯିବେ ଚଅଁ ଚଅଁ ।୪।
(ଦେବଗଣ ଶିବଙ୍କ ପାଶେ ପ୍ରବେଶ)
(କି କହିବି ପୂତନା ମୋ ଚେତନା ହଜିଛି ଲୋ..ବୃତ୍ତେ)
ନମସ୍ତେ ଧୂର୍ଜଟି ସୃଷ୍ଟି ରକ୍ଷାକର ଏବେ ।
ଏହି ଭିକ୍ଷା କରୁଅଛୁ ମିଳି ସର୍ବ ଦେବେ ।୧।
ନଷ୍ଟ ହେଲା ପ୍ରଜାପତି ଦୁଷ୍ଟପଣ କରି ।
ସେ ଦୋଷେ ପାଇଲା ଦଣ୍ଡ ଚାଲ ତାର ପୁରୀ ।୨।
ତାହାଙ୍କୁ ବଞ୍ଚାଇ ଏବେ ଯାଗ କର ଶେଷ ।
ଋଷିଗଣେ ହେ ମହେଶ ଦିଅ ଜୀବନ୍ୟାସ ।୩।
ଦଣ୍ଡିବା ଶକତି ଯାର କ୍ଷମା ତାର ପାଶେ ।
କୋପ ଶାନ୍ତ କର ବିପ୍ର ବଇଷ୍ଣବ ଭାଷେ ।୪।
ଶିବଙ୍କ ଉକ୍ତି
ଗୀତ- (ଯାଅ ଯାଅ ଦେବଗଣ..ବୃତ୍ତେ)
ଚଳ ଚଳ ଚଳ ଦେବଯୂଥେ,
ଏତେବେଳେ ଡାକୁଅଛ ମୋତେ ।ପଦ।
ଯେକାଳେ ପ୍ରିୟାକୁ ମୋର କଟୁକଥା ଦକ୍ଷ
କହୁଥିଲା, ଶୁଣୁଥିଲ ହୋଇ ତାର ପକ୍ଷ ।
ପଦେ ନ କହିଲ କେହି ମମ ହିତେ ।୧।
ଯେବେ ଜଣାଉଛ ଭାଷା ମାନିବି ତୁମ୍ଭର ।
ଦକ୍ଷ କନ୍ଧେ ଲଗାଇବି ଯାଗ ଛାଗ ଶିର ।
ନନ୍ଦୀ ଶାପ ଫଳିବ ଯେମନ୍ତେ ।୨।
ଯେତେ ମରିଛନ୍ତି ତାଙ୍କୁ ଦେବି ଜୀବଦାନ ।
ସତୀ ଚକ୍ରପୃଷ୍ଠେ ତପ କରିବି ସାଧନ ।
କ୍ରୋଧ ଶାନ୍ତ ହେବାର ନିମନ୍ତେ ।୩।
ସରବେ ମିଳିଣ ମୋତେ କଲ ଏତେ ସରି ।
ନାରୀହୀନ ହେଲା ଶିବ ବୋଲ ହରି ହରି ।
ବିପ୍ର ବଇଷ୍ଣବ ଭାଷେ ଗୀତେ ।୪।
(ପ୍ରସ୍ଥାନ)