ବକାସୁରବଧ

ଗଣକବି ବୈଷ୍ଣବ ପାଣି

 

ଗୀତ- (ମାଆ କାହାକୁ କହିବି....ବୃତ୍ତେ)

ନରେ, ମନସ୍ଥିରେ ଶୁଣ ହେ, ଏ ଯେ ମହାଭାରତ ପୁରାଣ

ଦୁରିତ ଦହିବ ତୁରିତ ଚିତ୍ତରୁ ନ ଦଣ୍ଡିବ ଜନ୍ତୁରାଣ ।ପଦ।

ଖଳ ଦୁର୍ଯ୍ୟୋଧନ ନୟନେ ନିରେଖି ପାଣ୍ଡବଙ୍କ ବୀରପଣ ।

ଭାଳେ ଛଳେ ବଳେ କଉଶଳେ କେହ୍ନେ ଦେଖିବ ଶତ୍ରୁ ମରଣ ।୧।

ମନ୍ଦମତି ଅନ୍ଧ ତାତେ ଦିନେ କହେ ଏକାନ୍ତେ ଧରି ଚରଣ ।

ଧର୍ମରାଜ କର୍ମ ଚାହିଁ ମର୍ମ ମୋର ଜଳୁଅଛି ଅନୁକ୍ଷଣ ।୨।

ବାରୁଣାବନ୍ତକୁ ପେଷ ପାଣ୍ଡବଙ୍କୁ ଯେବେ ରହିବ ମୋ ଟାଣ ।

ହରିଯିବ ଅରିଭୟ ହୃଦୟରୁ ଶୀତଳ ହେବ ପରାଣ ।୩।

ପାଶୁପତ ନାମେ ଉତ୍ସବ କରିଛି ସେହି ହେଉ ତା କାରଣ ।

ଅକଣ୍ଟକ ରାଜ୍ୟ ଭୋଗିବି କେସନେ ଭଣେ ବୈଷ୍ଣବଚରଣ ।୪।

ରାଜା ଦୁର୍ଯ୍ୟୋଧନ ସହ ପୁରୋଚନର ପ୍ରବେଶ

ଦୁର୍ଯ୍ୟୋଧନ- ପୁରୋଚନ ! ମୁଁ ତୁମ୍ଭକୁ ଯାହା କହିଲି ତାହା ତୁମ୍ଭର ମନେରହିଲାଟିକି ? ଆଜି ପିତାଙ୍କୁ ଜଣାଇ ମୁଁ ପାଶୁପତ ଉତ୍ସବ ଉଦ୍ଦେଶ୍ୟରେ ପାଣ୍ଡବମାନଙ୍କୁ ବାରୁଣାବନ୍ତକୁ ପଠାଇବାର ସ୍ଥିର କରିଛି । ସେମାନେ ନିକଟରେ ସେଠାକୁ ଗମନ କରିବେ । ତୁମ୍ଭେ ଶୀଘ୍ର ଗୋଟିଏ କାର୍ଯ୍ୟ କର ।

ଗୀତ-(ଜେନାବଳୀ ଅଧୀଶ୍ୱର....ବୃତ୍ତେ)

ଶୁଣ ମନ୍ତ୍ରୀ ପୁରୋଚନ ! ମାନି ମୋହର ବଚନ,

ଚଳ ଚଞ୍ଚଳ ବାରୁଣାବନ୍ତେ ।

ନଗର ପ୍ରାନ୍ତରେ ତୋଳ, ଏକଗୋଟି ଜତୁଶାଳ,

ଜଉ ଛଣପଟ ଗୁଆଘୃତେ ।୧।

ଆବର ମାଲପା ମାଟି, ଘୃତ ସହିତେ ଚକଟି,

ଗୃହକାନ୍ଥ କର ନିରିମାଣ ।

ଯେମନ୍ତେ ନୋହିବ ଜାଣି, ତହିଁ ଯୁକ୍ତ ଥିବ ଛଣି,

କେହି ନ ପାଇବେ ତା ପ୍ରମାଣ ।୨।

ଆୟୁଧ ରଖିବାପାଇଁ, ସ୍ଥାନ କରିଥିବ ତହିଁ,

ତା ମଧ୍ୟେ ରହିବେ ପଣ୍ଡୁସୁତେ ।

ସହିତେ କୁଇନ୍ତା ମାତା, ଶୋଇବେ ହୋଇ ଅଚିନ୍ତା,

ଅନଳ ଲଗାଇଦେବ ରାତ୍ରେ ।୩।

ମରନ୍ତେ ସେ ସର୍ବେ ପୋଡ଼ି, ଯିବ ଶତ୍ରୁ-ଶଙ୍କା ଛିଡ଼ି,

ଲୋଡ଼ି ନ ପାଇବା ଏଡ଼େ ଦାଉ ।

ସାଧିଲେ ଏ ଉପକାର, ଦେବି ନିଶ୍ଚେ ଉପହାର,

ବଇଷ୍ଣବ ବୋଲେ ଦୁଃଖ ଯାଉ ।୪।

ପୁରୋଚନ- କୁରୁମଣି ! ଏଇଥିପାଇଁ ଭୃତ୍ୟକୁ ଡକରା ହୋଇଥିଲା । କେବେ କି ଦାସ ଛାମୁଙ୍କ ଆଜ୍ଞା ଅବଜ୍ଞା କରିଛି ? ଯେପରି ଆଦେଶ ଦେଲେ ସେପରି କାର୍ଯ୍ୟ ସାଧନ କରିବି ।

ଦୁର୍ଯ୍ୟୋଧନ- ଶୁଣ ପୁରୋଚନ ! ଆଉ ଗୋଟିଏ କଥା । ଯଦି ପାଣ୍ଡବମାନେ ଗୃହ ସମ୍ବନ୍ଧରେ ତୁମ୍ଭଙ୍କୁ କିଛି ପ୍ରଶ୍ନ କରନ୍ତି, ତୁମ୍ଭେ ତାହାଙ୍କୁ ନାନାଭାବରେ ଭୁଲାଇଦେବ । ଯେପରି ସେ କିଛି ଜାଣିପାରିବେ ନାହିଁ ।

ପୁରୋଚନ- ମହାରାଜ ! ଛାମୁ କି ମୋହର କଥା ଜାଣନ୍ତି ନାହିଁ, ଶେଷରେ ସବୁ ବୁଝିପାରିବେ ।

ଗୀତ- (କନ୍ଦରପ-ଦର୍ପହରା ରେ.....ବୃତ୍ତେ)

କହୁଅଛି କୁରୁପତି ହେ,      କରି ମତିସ୍ଥିର ବସିଥା ଏଥି ।

ଯାଉଛି ମୁଁ ଆଜି ବାରୁଣାବନ୍ତକୁ

ତୋ ଶତ୍ରୁମରଣ ଉପାୟ ଚିନ୍ତି ।ପଦ।

ଗୁଆଘୃତ ଛଣପଟରେ,      ଗୋଳାଇଣ ଜଉମାଟିରେ ।

ରାତ୍ରଅର୍ଦ୍ଧେ ପୁର ତୋଳିବି ନିକର

ତୋ କିଙ୍କରଗଣେ ରଖାଇ କତି ।୧।

ଯେଉଁପରି ପଥର କୋଠା,      ନିନ୍ଦୁଥିବ ସେ ପୁରଗୋଟା ।

ଦେଖିଲା ଜନର ମନ ଅଟକିବ

ନୟନ ସହିତ ହୋଇ ଅତିଥି ।୨।

ତହିଁ କଲେ ତୋ ଅରି ବାସ,      ନିଶ୍ଚେ ଦେବେ ଅନଳେ ଝାସ ।

ବଇଷ୍ଣବ ଭାଷେ ବୁଝି ନ ପାରିବେ

ବାରୁଣୀବାସୀଏ ଏ କୂଟଗତି ।୩।

(ପ୍ରସ୍ଥାନ)

ପାଣ୍ଡବ ପାଞ୍ଚଭାଇ କୁନ୍ତୀ ସହ ପ୍ରବେଶ

ଯୁଧିଷ୍ଠିର- ଭାଇ ଭୀମ ! ଭାଇ ଅର୍ଜୁନ ! ଦେଖିଲ ତ ହସ୍ତିନାବାସୀଙ୍କର ଆମ୍ଭମାନଙ୍କ ପ୍ରତି କିପରି ସ୍ନେହଭକ୍ତି ।

ଅର୍ଜୁନ- ତେବେ ଦେବ, ଯିବା କିମ୍ପା ବାରୁଣାକୁ ତେଜି ଏ ଧରିତ୍ରୀ ?

ଯୁଧିଷ୍ଠିର- ଭାଇ ! ଜ୍ୟେଷ୍ଠତାତ ଧୃତରାଷ୍ଟ୍ରଙ୍କ ଆଜ୍ଞା କହ କେମନ୍ତେ ଲଙ୍ଘିବି ?

ଭୀମ- କୂଟ କି ପାଞ୍ଚିଛି କୁରୁମଣି ? ଥରେ ମନେ ଦେଖ ଭାବି ।

ଯୁଧିଷ୍ଠିର- ଦେଖ, ଆମ୍ଭ ଗମନର କାଳ ଜାଣି ଆସୁଛନ୍ତି ପିତୃବ୍ୟ ବିଦୁର ।

ଭୀମ- ଜାଣିଥିବେ ଅବା ସେହୁ କପଟ ଅନ୍ଧର ।

(ବିଦୁରଙ୍କ ପ୍ରବେଶ)

ବିଦୁର- ପୁତ୍ରଗଣେ ! ଯାଉଛ କି ବାରୁଣାକୁ ଆଜି ?

କୁନ୍ତୀ- ହେ ବିଦୁର ! ଏତେକାଳେ ପୁତୁରାଙ୍କୁ ପାଶୁଁ ଦେଲ ତେଜି ।

ବିଦୁର- ଶୁଣ ଦେବି ! ଶୁଣ ବତ୍ସ ଯୁଧିଷ୍ଠିର, ମୋ କଥାକୁ ମନୁ କେବେ ଭୁଲିଯିବ ନାହିଁ ।

ଗୀତ- (କି କହିବି ପୁତନା ମୋ.... ବୃତ୍ତେ)

ଯେଉଁ ଘରେ ବାସ ତୁ କରିବୁ ଧର୍ମସୁତ ରେ ।

ମନେରଖ ସେହି ଘରୁ ହେବ ଅଗ୍ନି ଜାତରେ ।୧।

ଉପାୟେ ସେହି ଅନଳ କବଳୁ ଉଦ୍ଧର ରେ ।

ଚେତାଇ ଦେଉଛି ବତ୍ସ ! ପାଣ୍ଡବସୁନ୍ଦର ରେ ।୨।

ଅବିଶ୍ୱାସୀ ପୁରୋଚନ ଭାଷାରେ ବିଶ୍ୱାସ ରେ ।

କଲେ କୁନ୍ତୀ କୁମରେ ତୋ ହେବ ସର୍ବନାଶ ରେ ।୩।

କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିବସକୁ ଟାକି ରେ ।

ରଖିଥିବୁ ବିପ୍ର ବଇଷ୍ଣବ ପଦ ଲେଖି ରେ ।୪।

(ପ୍ରସ୍ଥାନ)

ଭୀମ- ଜ୍ୟେଷ୍ଠଭ୍ରାତ ! ପାପିଷ୍ଠ ଦୁର୍ଯୋଧନ ଜାଣିବା ଭୟରେ ପିତୃବ୍ୟ ଏଠାରୁ ଚାଲିଗଲେ । ମୁଁ କହୁଛି ଶୁଣନ୍ତୁ ।

ଗୀତ-(ଏହୁ କାହା ରମଣୀମଣି ରତନ....ବୃତ୍ତେ)

ଭାଇମାନେ ଭାବନା କେହି ନ କର,

ଏହି ଗଦା ଛୁଇଁ କହୁଛି ନିକର ।ପଦ।

ଯେବେ କରିଥାଏ ପୁରୋଚନ କପଟ,

ଜାଣ ତା ମରଣବାଟ ହେଲା ନିକଟ ।

ଆଗେ ଦେବି ତାକୁ ମରଣମୁଖର ।୧।

ଯେ ଅନଳ ବାଳକାଳେ ଆସି ମୋର ଲାଗି,

ବର ଦେଇ ଦୋଷ ନେଲେ ପିତାଙ୍କୁ ମାଗି ।

ସେ କି ବିନାଶିବେ କିଣିଲା କିଙ୍କର ।୨।

ପୁଣି ଧନଞ୍ଜୟ-ମିତ୍ର ସହଜେ ସେ ତ,

ମିତ୍ରବଧ ପାପେ ଜାଣ ହେବେ ସେ ଭୀତ ।

ଯେଉଁ ପାପେ ଡରନ୍ତି ସ୍ୱୟଂ ଶଙ୍କର ।୩।

ମ୍ଳେଚ୍ଛବନ ଛାଡ଼ି ଏବେ ଚାଲ ସରବେ,

ଜୟ ଜନାର୍ଦ୍ଦନ ନାମ ଗାଇ ଗରବେ ।

ବଇଷ୍ଣବ ବୋଲେ ସେ ଦୟା-ଆକାର ।୪।

ଯୁଧିଷ୍ଠିର- ଭାଇ ଭୀମ ! ଏକ୍ଷଣି କ୍ରୋଧ ସମ୍ବରଣ କର, ଚାଲ ଦେଖିବା ପୁରୋଚନର କୌଶଳ । ଦୁର୍ବଳର ବଳ ନାରାୟଣ। (ସମସ୍ତେ ପ୍ରସ୍ଥାନ)

ପୁରୋଚନ- (ପ୍ରବେଶି) ଏହି ତ ପାଣ୍ଡବମାନେ ଆସିଲେଣି, ଯାଉଛି ଏମାନଙ୍କୁ ବିଶ୍ୱାସ ଦେଖାଇ ଜତୁଶାଳାରେ ରଖାଇବି । (ପ୍ରକାଶ୍ୟେ) ଧର୍ମରାଜ ! ଏଇଆଡ଼େ ଆସନ୍ତୁ ।

ପାଣ୍ଡବମାନଙ୍କର ପ୍ରବେଶ

ଯୁଧିଷ୍ଠିର- ପୁରୋଚନ ! ସମସ୍ତ କୁଶଳ ତ ତୁମ୍ଭର, ଯେଉଁଠାରେ ଆମ୍ଭେମାନେ ରହିବୁ ?

ପୁରୋଚନ- ଧର୍ମରାଜ ! ଏହି ଅତି ରମଣୀୟ ଗୃହ, ଏଠାରେ ଭାଇମାନଙ୍କୁ ଘେନି ବାସକରନ୍ତୁ । କିଛି ଲୋଡ଼ିବାକୁ ହେବନାହିଁ । ରୋଷଶାଳ, ଶୟନାଗାର, ଅସ୍ତ୍ରାଗାର, ସବୁ ନିର୍ଭା ହୋଇଛି । ମୁଁ ଆଗରେ ଯାଉଛି, ତୁମ୍ଭେମାନେ ମୋ ପଛେ ପଛେ ପଛେ ଆସ ।

(ପ୍ରସ୍ଥାନ)

ଖନନକାରର ପ୍ରବେଶ

ଖନନକାର- ଧର୍ମରାଜ ! ପ୍ରଣାମ ପୟରେ ।

ଯୁଧିଷ୍ଠିର- ତୁମେ କିଏ ? କି ନିମନ୍ତେ ଆସିଛ ?

ଖନନକାର- ମୁଁ ଜଣେ ଖନନକାର, ମୋତେ ମହାତ୍ମା ବିଦୁର ପଠାଇଲେ । ମୁଁ ଜତୁଶାଳାରୁ ଗଙ୍ଗାକୂଳଯାଏ ତଳେ ତଳେ ଗୋଟାଏ ବିଳ ଫୁଟେଇ ନେବି । ପୁରୋଚନ ଅଗ୍ନି ଦେଲାବେଳେ ତୁମ୍ଭେ ଭାଇମାନଙ୍କୁ ଘେନି ସେହି ବିଳଦେଇ ବାହାରିଯିବ । ମୁଁ ବିଦାୟ ହେଉଛି ।

(ପ୍ରସ୍ଥାନ)

ଯୁଧିଷ୍ଠିର- ଚାଲ, ଆଜିଠାରୁ ଦିବସରେ ମୃଗୟାକୁ ଯିବା ଓ ରାତ୍ରରେ ଗୃହରେ ସତର୍କରେ ରହିବାକୁ ହେବ ।

(ସମସ୍ତେ ପ୍ରସ୍ଥାନ)

ଏକ ଶବରୀ ପାଞ୍ଚପୁତ୍ର ଘେନି ପ୍ରବେଶ

ଶବରୀ- ଏ ମା । ଏ ଘରେ କିଏ ଅଛ, ଗଣ୍ଡେ ଭାତ ଦେବ କି ?

ଗୀତ-(ବନ୍ଧୁ ଊଣା ତ ନାହିଁ ଚାକିରି...ବୃତ୍ତେ)

ମୋତେ ଗଣ୍ଡିଏ ଦେବ କି ଭାତ, ଗୋ ରାଜମାତ !

କ୍ଷୁଧାରେ ଆତୁର ହେଉଛନ୍ତି ମୋର ଏହି ପାଞ୍ଚଗୋଟି ସୁତ ଗୋ ।ପଦ।

ତିନିଦିନ ଉପବାସେ ପଡ଼ିଛନ୍ତି ନ ଚଳଇ ଗୋଡ଼ହାତ,

ଦୁଃଖୀ ଦୁଃଖ ଦେଖି କୁହ କାହିଁ ପାଇଁ ଦୟା ନ ବସେ କା ଚିତ୍ତ ଗୋ ।୧।

ଯାଉଁ ଯାଉଁ ପଥେ ଶୁଣିଲୁଁ ତୁରିତେ ଛନ୍ତି ଏଥି ପଞ୍ଚଭ୍ରାତ,

ମନ ଜାଣି ଯୋଗାବନ୍ତି ଅନ୍ନପାଣି ଯେ ମାଗୁଅଛି ଯେମନ୍ତ ଗୋ ।୨।

କାହାରି କଣ୍ଠରେ କରୁଣା ନୋହୁଛି ଏଡ଼େ ନିଷ୍ଠୁର ଜଗତ,

ବଇଷ୍ଣବ କହି କାହିଁକି ଦଇବ କଲୁ ଦୁଃଖୀଘରେ ଜାତ ଗୋ ।୩।

କୁନ୍ତୀ- ଆଲୋ ଭଉଣି ! ଆଡ଼େ ଆ । ତୋର କ’ଣ ଏ ପାଞ୍ଚଟିଯାକ ପୁଅ? ମୋର ବି ପାଞ୍ଚଟି ପୁଅ । ଦୁହେଁଯାକ ଆଜିଠାରୁ ମିତ ହେଲେଁ । ତୁମେ ଘରେ ରୁହ, ମୁଁ ତମ ପୁଅମାନଙ୍କୁ ଉତ୍ତମରୂପେ ଖାଇବା ପିଇବାକୁ ଦେବି । ମୁଁ ଏଠି ଯେତେକାଳ ରହିବି ତୁମ୍ଭେ ତେତେକାଳ ରହିବ ।

ଶବରୀ- ହଉ ସାଆନ୍ତାଣୀ ଚାଲ ।

କୁନ୍ତୀ- ହଉ ତେବେ ଆସ ।

(ସମସ୍ତେ ପ୍ରସ୍ଥାନ)

ରାତ୍ରରେ ପୁରୋଚନ ଘର ପୋଡ଼ିବା

ନେପଥ୍ୟେ- ଓହୋ ! ଓହୋ !! କଅଣ ହେଲା !! କଅଣ ହେଲା, ଦେଖୁ ଦେଖୁ ଏଡ଼େ ବଡ଼ ଘରଟାକୁ କିଏ ପୋଡ଼ିଦେଲା !

ଦୁଇଜଣ ଗ୍ରାମବାସୀଙ୍କ ପ୍ରବେଶ

ଗୀତ-(ଆଉ ରହିବ ନାହିଁ ରେ....ବୃତ୍ତେ)

୧ମ ବ୍ୟକ୍ତି- ମୁଁ ତ ଘାବରା ହେଲିଣି ରେ ଭାଇ ଚାହିଁ କାଳରୀତିକି ।

୨ୟ ବ୍ୟକ୍ତି- କାଳର କି ଦୋଷ ଦେଉରେ ବଳିଆ, ମଣିଷଙ୍କ ଗତିକି ।ପଦ।

୧ମ- (ଶୁଣୁଛି) ପାପୀ କୁରୁମଣି ଏ କାଣ୍ଡ କଲା,

ରାଣ୍ଡ ପୁଅକୁରେ ପୋଡ଼ି ମାଇଲା

୨ୟ- ଏ ଦଣ୍ଡ ତାହାକୁ ପଡ଼ିବ ରେ ଦିନେ କାଚ ହୁଏ ମୋତିକି ! ।୧।

୧ମ- ଯେହୁ ଜଉଶାଳ ଦେଲାରେ ପୋଡ଼ି

ସେହିଟି ଗଲାରେ ସଂସାର ଛାଡ଼ି ।

୨ୟ- ବିନା ଅପରାଧେ ଦଣ୍ଡିଲେ ତଣ୍ଡିଲେ ନ ସହଇ କ୍ଷିତିକି ।୨।

୧ମ- ଆଖିରେ ଦେଖିଲୁ ଧରମ ବଳ,

ଶୁଖିଲା ବାଲିରେ ନ ମିଳେ ଥଳ ।

୨ୟ- ଦିନ ସିନା ଯାଏ କଥା ରହିଥାଏ ଯା’ର ଭୋଗ ଯେତିକି ।୩।

୧ମ- ଭାଇ କହୁଥିଲା କୁଇନ୍ତା ବୁଢ଼ୀ,

ପୁଅଙ୍କ ସାଙ୍ଗରେ ଗଲାରେ ପୋଡ଼ି ।

୨ୟ- କାହିଁକି ସେ ଆଣ୍ଠୁକୁଡ଼ୀ ହୋଇଥାନ୍ତା ବଇଆ ବିନତିକି ।୪।

(ପ୍ରସ୍ଥାନ)

ପାଣ୍ଡବଙ୍କ କୁନ୍ତୀ ସହ ବିଳ ଦେଇ ପଳାୟନ

କୁନ୍ତୀର ଗୀତ-(ଦଇବରେ ଏଡ଼େ ଦାରୁଣ...ବୃତ୍ତେ)

ମାରୁତି ରେ, ଚାଲି ନ ପାରିବି ପଥ ।

ଚାହିଁଲେ ତୁମ୍ଭଙ୍କୁ ଦହିହେଉଅଛି ଏ ଚିତ୍ତ ।ପଦ।

ପାଦେ ପାଦେ ହୁଏ ଛନ୍ଦି,                  କି କଲା ଦାରୁଣ ବିଧି

ନ ଯାଉଛି ଜୀବ କିପାଁ ତେଜି ପଞ୍ଚଭୂତ ।୧।

ନୟନେ ଘାରଇ ନିଦ,                  ଦମଦମ ପଡ଼େ ହୃଦ

ଝମଝମ ଝାଳ ଦେହୁଁ ଗଳେ ଅବିରତ ।୨।

କୁମାର ନକୁଳ ମୋର,                  ଆକୁଳ ହୁଏ ଅପାର

ନୀରେ ଢଳଢଳ ବୀର ସହଦେବ ନେତ୍ର ।୩।

ବିପଦ କି ମୋହ ପାଇଁ,                  ଏକା ସୃଷ୍ଟିକଲା ବିହି

ବଇ ଭଣି କୁରୁମଣି କଲା ଏଡ଼େ କୃତ୍ୟ ।୪।

ଭୀମ- ମା, ତୁମେ କାନ୍ଦନା, ମୋ କାନ୍ଧରେ ବସ । ନକୁଳ ସହଦେବ ଦୁହେଁ ମୋ କାଖରେ ବସନ୍ତୁ । ଜ୍ୟେଷ୍ଠଭ୍ରାତ, ଅର୍ଜୁନ-ଏ ଦୁହେଁ ମୋ ଦୁଇ ବାହା ସାହାଯ୍ୟରେ ଚାଲନ୍ତୁ । ଏହି ନିକଟରେ ଗଙ୍ଗାତଟ, ସେଠାରେ ସମସ୍ତଙ୍କୁ ନେଇ ଛାଡ଼ିବି ।

(ଭୀମ ସମସ୍ତଙ୍କୁ ନେଇ ପ୍ରସ୍ଥାନ)

ବିଦୁରର ଦୂତ ନାବ ଘେନି ପ୍ରବେଶ

ଦୂତ- (ସ୍ୱଗତ) ଜଣାଯାଏ ଏମାନେ ପାଣ୍ଡବେ ହେବେ । (ପ୍ରକାଶ୍ୟେ) ଆସ ଧର୍ମରାଜ ! ଏଥିରେ ବସନ୍ତୁ, ମୋତେ ବିଦୁର ପଠାଇଲେ ତୁମ୍ଭଙ୍କୁ ପାରକରିବାପାଇଁ, ଯେପରି କି କେହି ଜାଣିପାରିବେ ନାହିଁ । ଶୀଘ୍ର ଆସନ୍ତୁ ।

(କୁନ୍ତୀ ସହ ପାଞ୍ଚଭାଇ ନୌକାରେ ବସି ପାରହେବା)

ଦୁର୍ଯ୍ୟୋଧନ ଓ ଧୃତରାଷ୍ଟ୍ରଙ୍କର ପ୍ରବେଶ

ଧୃତରାଷ୍ଟ୍ର- ବତ୍ସ ଦୁର୍ଯ୍ୟୋଧନ ! କହ ପାଣ୍ଡବଙ୍କ ସମାଚାର ।

ଦୁର୍ଯ୍ୟୋଧନ- ପିତଃ ! ତା ମୁଁ କହୁଛି ଶୁଣ ।

ଗୀତ-(ସଜା ଦିଅନା ମୁଁ... ବୃତ୍ତେ)

ଶୁଣ ତାତ ଦୂତ ଆସି ପ୍ରଭାତେ

ଜଣାଇଲା ଯେଉଁ ଘଟଣା ମୋତେ ।ପଦ।

ଶୁଣିଲେ ସେକଥା ଉଡ଼ିଯିବ ଚେତା

ବୁଡ଼ିଯିବ ଜୀବ ଚିନ୍ତା-ସରିତେ ।୧।

ପାଞ୍ଚପୁତ୍ରେ ଘେନି କୁଇନ୍ତା ଜନନୀ

ପୋଡ଼ିମଲେ ରାତ୍ରେ ବାରୁଣାବନ୍ତେ ।୨।

ମଲା ପୁରୋଚନ ନ ସ୍ପୁରେ ବଚନ

ଲୋଡ଼ିଲେ ଆଉ କି ପାଇବା ସତେ ।୩।

ଗୋପନେ କେ ଚଣ୍ଡ କଲା ଏତେ କାଣ୍ଡ

ନ ଜାଣି ପାରିଲେ କେହି କିଞ୍ଚିତେ ।୪।

ବଇଷ୍ଣବ କହି ଦେହ ନ ସହଇ

ଭାଷ କିସ ଅଛି ଉପାୟ ଏଥେ ।୫।

ଧୃତରାଷ୍ଟ୍ର- କି କହିଲୁ ବାପ ଦୁର୍ଯ୍ୟୋଧନ !

ନାହାନ୍ତି ପଣ୍ଡୁ କୁମରେ ଇହଜଗତରେ ?

କେ ପାଷଣ୍ଡ କଲା ଏ କୁକର୍ମ

ଧର୍ମ କି ରେ ସହିବ ତାହାକୁ ?

କିପାଇଁ ପେଷିଲି ମୁହିଁ ବାରୁଣାବନ୍ତକୁ

ରାଣ୍ଡପୁଅ ପାଞ୍ଚଜଣେ-

ନିଶ୍ଚୟ ନିନ୍ଦିବେ ଭୀଷ୍ମ ଦ୍ରୋଣାଚାର୍ଯ୍ୟ ମୋତେ ।

ହାୟ ! ହାୟ ! ଆଗେ ମୁହିଁ ନ ମଲି କାହିଁକି ?

ଗୀତ- (ଆରେ ପ୍ରଚଣ୍ଡ ଚଣ୍ଡ ମୋହ....ବୃତ୍ତେ)

ଆରେ ହତଭାଗା ପଣ୍ଡୁବଳା, ସାରି ସଂସାରୁ ଲୀଳାଖେଳା

ସଙ୍ଗ ହୋଇ ମାତା ତୁଲେ ପାଞ୍ଚଭାଇ ଗଲ କାଟିଦେଇ ଅନ୍ଧଗଳା ରେ, କୁମରେ ।୧।

କେଡ଼େ ବୁଦ୍ଧିମନ୍ତ ବଳବନ୍ତ, ଗୁଣବନ୍ତ ହୋଇଥିଲ ସୁତ,

ଖଳ ବିଧି ତିଳେ ନ ପାରିଲା ସହି ଜଳମଗ୍ନ କଲା ସୁଖ-ପୋତ ରେ, କୁମରେ ।୨।

ଦେଖିବାକୁ କି ପଣ୍ଡୁ ପିତାକୁ, ଗଲ ଘେନିରେ ନିଜ ମାତାକୁ

ପିତା କି ଲାଗିଲା ଏ ରାଜବିଭବ ଭୁଲି ଚିତ୍ତୁ ବିଷୟ-ଚିନ୍ତାକୁ ରେ, କୁମରେ ।୩।

ଶୁଣିଥିଲି କୃଷ୍ଣ ତୁମ୍ଭ ସଖା, ସେ କି କରି ନ ପାରିଲେ ରକ୍ଷା,

ବଇଷ୍ଣବ ଭାଳେ ବିପଦରେ ତିଳେ କେହି ପାଖେ ନ ଦିଅନ୍ତି ଦେଖାରେ, କୁମରେ ।୪।

ଦୁର୍ଯ୍ୟୋଧନ- ପିତଃ ! ଆଉ ଦିନରାତି ବସି କାନ୍ଦିଲେ କି ପରଲୋକରୁ ପାଣ୍ଡବମାନେ ଫେରିଆସିବେ ? ଗଲାକଥା ଗଲାଣି, ଏଣିକି ଉପାୟ ଯାହା ତାହା କରନ୍ତୁ ।

ଧୃତରାଷ୍ଟ୍ର- ବାପରେ ! ସେମାନେ ତ ମୋର ପର ନୁହନ୍ତି । ଜ୍ଞାତିମାନଙ୍କୁ ବାରୁଣାବନ୍ତ ନେଇ ଅନ୍ତ୍ୟେଷ୍ଟିକ୍ରିୟା ସମାଧାନ କର; ଆଉ ବିଳମ୍ବ କରନା ।

ଦୁର୍ଯ୍ୟୋଧନ- ପିତଃ ! ତେବେ ଆପଣ ରାଜସଦନରେ ସମସ୍ତଙ୍କୁ ସାନ୍ତ୍ୱନା ଦିଅନ୍ତୁ- ମୁଁ ବାରୁଣାବନ୍ତକୁ ବାହାରିଲି । (ପ୍ରସ୍ଥାନ)

ବନ ମଧ୍ୟସ୍ଥ ଏକ ତରୁମୂଳେ କୁନ୍ତୀସହ ପାଞ୍ଚପୁତ୍ର

କୁନ୍ତୀ- ଭୀମରେ, ତୁ କେତେ କଷ୍ଟ ସହି ଦୁର୍ଗମ ପଥରେ ଆମ୍ଭମାନଙ୍କୁ ବୋହି ଘେନି ଆସିଲୁ । ଓହୋ, ଏଯେ ଭାଷଣ କାନନ ! ତୃଷାରେ ମୋର କଣ୍ଠ ଶୁଖିଗଲା, ମୋତେ ପାଣି ନ ଦେଲେ ପ୍ରାଣ ଚାଲିଯିବ ।

ଯୁଧିଷ୍ଠିର- ମାରୁତି, ଆମ୍ଭଙ୍କୁ ମଧ୍ୟ ତୃଷା ହେଲାଣି, ଯାଅ ଶୀଘ୍ର ପାଣି ଆଣ ।

ଭୀମ- ଧର୍ମରାଜ ! ସମସ୍ତେ ଏହିଠାରେ ବସିଥାଅ । ମୁଁ ଯାଉଛି ଯେଉଁଠାରେ ପକ୍ଷୀମାନେ ଉଡ଼ୁଛନ୍ତି, ପ୍ରାୟ ସେଠାରେ ପାଣି ଥିଲାପରି ଜଣାଯାଏ । (ପ୍ରସ୍ଥାନ)

ନକୁଳ- ଚାଲ ଆମ୍ଭେମାନେ ସମସ୍ତେ ତରୁତଳେ ଶୋଇପଡ଼ିବା । (ସମସ୍ତଙ୍କର ଶୟନ)

ଭୀମ- (ସ୍ୱଗତ) ଏମାନେ ତୃଷାରେ ଅସ୍ଥିର ହୋଇ ଶୋଇପଡ଼ିଲେ । ହା ନିର୍ଦ୍ଦୟ ବିହି, ତୁ କ’ଣ ନ କରିପାରୁ ।

ଗୀତ- (ଆଜି ରଜନୀରେ ସ୍ତବ୍‌ଧ ହେଲେ...ବୃତ୍ତେ)

ଅଷ୍ଟନେତ୍ର କାହିଁପାଇଁ ଏ କଷ୍ଟ କହିଲୁ

ଯେବେ ଦୁଃଖ ପାଣ୍ଡବଙ୍କ ପାଇଁ ସୃଷ୍ଟି କଲୁ ।

ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିର,

ଯାହାଙ୍କୁ ବୋଲନ୍ତି ଶ୍ରେଷ୍ଠ ସୁର ନାଗ ନର ।୧।

ସେ ଆଜି ଭଜିଲେ ନିଦ୍ରା ଧରଣୀ-ଧୂଳିରେ

ଯାହାଙ୍କୁ ନ ମାଡ଼େ ନିଦ ତଳପ ତୂଳିରେ ।

ଶତ ଶତ ଦାସଦାସୀ

ଯା ପାଦସେବାରେ ଖଟିଥାନ୍ତି ଦିବାନିଶି ।୨।

ଭୋଜରାଜସୁତା ବସୁଦେବଙ୍କ ଭଗିନୀ

ମୃତଶବ ସମ ପଡ଼ିଛନ୍ତି ସେ ଅବନୀ ।

ପଣ୍ଡୁରାଜାର ମହିଷୀ,

ବିଚିତ୍ରବୀର୍ଯ୍ୟର କୁଳବଧୂ ବିଧୁହାସୀ ।୩।

ଇନ୍ଦ୍ର ଧର୍ମ ମରୁତ ଯାହାଙ୍କ ପ୍ରାଣପତି

କି ଦୋଷେ ତାହାଙ୍କୁ ବିହି ଦେଲୁ ଏ ବିପତ୍ତି ।

ପୁଣି ଯେ ଅର୍ଜ୍ଜୁନ ଅଙ୍ଗ,

ନବ ନୀଳ ଜଳଧର ଜିଣି ଦିଶେ ରଙ୍ଗ ।୪।

ଯା’କୁ ସୁର-ବୀରପଣେ ଯୋଗ୍ୟ କେହି ନାହିଁ

ତେଣୁ ତ୍ରିପୁର-ବିଜୟୀ ନାମ ଅଛି ବହି ।

ସଖା ଯା’ର ଜଗନ୍ନାଥ,

ତାର ତୃଣଶେଯେ ଆଜି ମଜ୍ଜିଅଛି ଚିତ୍ତ ।୫।

କେଡ଼େ ସୁକୁମାର ଏ ଯେ କୁମାର ନକୁଳ

କାମଦେବ ସମ ଶୋଭା ରୂପ ଯା ଅତୁଳ ।

କାମୀ କାମିନୀରଞ୍ଜନ,

ସେ ଭୂମିଶଯ୍ୟାରେ କରେ ଯାମିନୀ ଯାପନ ।୬।

ଭୂତ ଭବିଷ ତ୍ରିକାଳଜ୍ଞାତା ଯେଉଁ ମନ୍ତ୍ରୀ

ତା ଦଶା ଦେଖି ସହସା ଫାଟିଯାଏ ଛାତି ।

ବଇଷ୍ଣବ କରେ ଶୋକ,

ଆରେ ଦୁର୍ଯ୍ୟୋଧନ ଧିକ ଧିକ ତୋ ବିବେକ ।୭।

ଭୀମ- (ଦନ୍ତରେ ଦନ୍ତ ଘର୍ଷଣ କରି) ଦୁଷ୍ଟ ଦୁର୍ଯ୍ୟୋଧନ ଏ କଷ୍ଟର କାରଣ । ଯେବେ ଜ୍ୟେଷ୍ଠ ଭାଇଙ୍କର ଅନୁମତି ଥାନ୍ତା, ତେବେ ସମୂଳେ ଧୃତରାଷ୍ଟ୍ର-ବଂଶ ଧ୍ୱଂସ କରିଦିଅନ୍ତି ।

(ଏକ ଶାଳବୃକ୍ଷରେ ଚଢ଼ି ହିଡ଼ିମ୍ବର ଚିନ୍ତା)

ହିଡ଼ିମ୍ବ- (ସ୍ୱଗତ) କି ଆଶ୍ଚର୍ଯ୍ୟ, ଏ ସ୍ଥାନକୁ ମନୁଷ୍ୟର ବାସନା କାହୁଁ ଆସିଲା ! ଦେଖେଁ (ଚାରିଦିଗେ ଚାହିଁ)- ଏହି ଯେ ବଟବୃକ୍ଷ ମୂଳେ ପାଞ୍ଚଟା ମନୁଷ୍ୟ ଶୋଇଅଛନ୍ତି, ଗୋଟାଏ ତାଙ୍କୁ ଜଗିବସିଛି । ଧନ୍ୟ ବିଧାତା, ମୋତେ ବସାରେ ଆଣି ଆହାର ଦେଲା । ଭଗ୍ନୀ ହିଡ଼ିମ୍ବୀ କାହିଁ, ଯାଇଁ ସେମାନଙ୍କର ଚୁଟି ଧରି ଗୋଟି ଗୋଟି କରି ମୋ ପାଖକୁ ଆଣୁ । ଆହା, କି ସୁନ୍ଦର ଖାଦ୍ୟ । ଲୋ ହିଡ଼ିମ୍ବୀ ! ଲୋ ହିଡ଼ିମ୍ବୀ !

ହିଡ଼ିମ୍ବୀ- (ପ୍ରବେଶି) କି ଭାଇ, କାହିଁକି ଡାକିଲ କି ?

ହିଡ଼ିମ୍ବ- ଗୀତ-(ରାଜା ଦିଅ ତୋର ଝିଅକୁ...ବୃତ୍ତେ)

ହିଡ଼ିମ୍ବୀ ତୁ, ଯା ଯା ବେଗ ହୋଇ ଲୋ !

ମୋ ପାଇଁ ଦଇବ ପାଖରେ ଆହାର ଦେଇଛି ଖଞ୍ଜାଇ ଲୋ ।ପଦ।

ପାଞ୍ଚଟା ପୁରୁଷ ଗୋଟା ରମଣୀ,            ବଟତଳେ ଛନ୍ତି ଆଲୋ ଭଉଣୀ

ଗୋଟି ଗୋଟି ଚୁଟି ଧରି ବେକ ମୋଡ଼ି ଆଣ ଟାଣି ତୁହି ଲୋ ।୧।

ନାସାରେ ବାଜିଣ ନରବାସନା,            ସରସି ଉଠିଲା ମୋର ରସନା

ଲାଳ ଭଳଭଳ ବେଳକୁ ବେଳ ତ ବୋହିପଡ଼େ ମହୀ ଲୋ ।୨।

ମାନବ ମାଂସରେ ବଳିଛି ମନ,            ସେ ହେତୁ ଶୂଳେଇ ହୁଏ ଦଶନ

ରଟମଟ ହାଡ଼ ଚୋବାଇ ବହନ ରକ୍ତ ଯିବି ପିଇ ଲୋ ।୩।

ଆମ୍ଭ ଅଧିକାରେ ଆମ୍ଭ ବଶରେ,            ବାସ କରିଛନ୍ତି ଆମ୍ଭ ଦେଶରେ

ପଳାଇଗଲେ କି ବଳାଇ ଯିବେ ଏ ବଇଷ୍ଣବ କହି ଲୋ ।୪।

ହିଡ଼ିମ୍ବୀ- ଭାଇ, ତୁମ୍ଭେ ଏହି ଗଛରେ ଥାଅ, ମୁଁ ଯାଉଛି ।

(ବେଗେ ଭୀମ ନିକଟେ ପ୍ରବେଶି)

(ସ୍ୱଗତ) ଆହା, ଏ ଯେ ଅତି ସୁନ୍ଦର ପୁରୁଷଟିଏ ବସିଛି, ୟାକୁ ମାରିବାକୁ ମୋର ସତ ବଳୁନାହିଁ । କେମନ୍ତେ ଏ ପୁରୁଷର ମନୋହାରିଣୀ ହେବି । ଭାଇ କଥାରୁ ମୋତେ କଅଣ ମିଳିବ ?

(ମାୟାବେଶେ ଭୀମପାଶେ ପ୍ରବେଶ)

ଗୀତ-(ଆଣିଛି ଏ ଫୁଲହାର...ବୃତ୍ତେ)

କହ କହ, କେଉଁଠାକୁ ଯିବ ଆହେ ସୁନ୍ଦର !

କି ନିମନ୍ତେ ଭ୍ରମୁଛ ଏ ବନଗିରି କନ୍ଦର ।ପଦ।

କେ ତୁମ୍ଭର ତାତ ମାତ,            ଏମାନେ କେ କହ ସତ

ହାରିବେ ରୂପକୁ ତବ ଇନ୍ଦ୍ର ସୂର୍ଯ୍ୟ ଚନ୍ଦର ।୧।

ନିରେଖିଲା ବେଳୁ ତନୁ,            ମୋ ଅଙ୍ଗେ ପୀଡ଼େ ଅତନୁ

ମୋ ସ୍ନେହେ ମଜ୍ଜ ଆଦରେ ଭାଷି ବାଣୀ ମଧୁର ।୨।

ମୋ ଭ୍ରାତା ହିଡ଼ିମ୍ବ ରକ୍ଷ,            ପେଷିଲା ହୋଇ ବିପକ୍ଷ

ନରମାଂସ ରକ୍ଷି ତାର ପୂରାଇବ ଉଦର ।୩।

ଭାଇଠାରୁ ଭୟ ତବ,            ଜାଣ ଯେବେ ଦୂର ହେବ

ତହିଁକି ରଖିଣ ଲୟ ମୋତେ କର ଆଦର ।୪।

ନ କର କେଭେ ନିରାଶ,            କରିଛି ମୁଁ ବଡ଼ ଆଶ

ବଇ ଭାବେ ଦାସୀଭାବେ ଖଟିବି ଏ ପଦର ।୫।

ଭୀମ- ସୁନ୍ଦରୀ, ମୋ ପରିଚୟ ଶୁଣ । ମୋର ନାମ ଭୀମ, ଏ ମୋର ବୃଦ୍ଧା ଜନନୀ, ଏମାନେ ମୋର ଭାଇ । ତୁମ୍ଭେ ମୋ ସଙ୍ଗରେ ପ୍ରେମାଳାପ କରିବାକୁ ଇଚ୍ଛାକରିଛ, ତାହା ମୁଁ ଜ୍ୟେଷ୍ଠଭ୍ରାତାଙ୍କ ବିନାନୁମତିରେ କରିପାରିବି ନାହିଁ । ରାକ୍ଷସଭୟ କଥା ଯା କହିଲ, ତା ଶୁଣ ।

ଗୀତ- (ଘନଜଘନାକୁ...ବୃତ୍ତେ)

ଡମ୍ବରୁମଧ୍ୟମା ଡର ନାହିଁ ତିଳେ କହ ତୋ ହିଡ଼ିମ୍ବ ଭାଇକି ରେ ।

ଡର ନାହିଁ ମୋର ଯକ୍ଷ ନାଗ ନର ବ୍ରହ୍ମା ହର ଜନ୍ତୁସାଇଁକି ରେ ।ପଦ।

କା’କୁ କରେନାହିଁ ଖାତର,

ତରଳନୟନା ବଳ ଥିଲେ ବଳେ ଆସୁ ସେ ମୋ ପାଶେ ଧାଇଁକି ରେ ।୧।

ପେଷିଦେବି ଯମ ସଦନେ,

ହିଡ଼ିମ୍ବଦାରଣ ନାମକୁ ବହିବି ନୟନରେ ଥାଅ ଚାହିଁକି ରେ ।୨।

(ମୋତେ) ସାନ ନ ମଣ ଘନକେଶା,

ଶତସିଂହ ବଳ ବହଇ ଏ ଦେହେ ମୁଁ ଗରୁଡ଼ ସେହି ଅହିକି ରେ ।୩।

ମାନିନୀ ତୋ ମନ ଯହିଁରେ,

କରକରଦନା କର ସେ ବିଚାର ବଇଷ୍ଣବ ପଦ ଲିହିକି ରେ ।୪।

(ନେପଥ୍ୟେ)- ହିଡ଼ିମ୍ବୀ ! ହିଡ଼ିମ୍ବା !!

ହିଡ଼ିମ୍ବୀ- ହେ ସୁନ୍ଦର, ଶୁଣୁଛ ତ ସେ ଚଣ୍ଡାଳ ରଡ଼ି ।

ଭୀମ- ରହ ସଖୀ, ଆସୁ ସେ ଏଠାକୁ, ନଖେ ତାର ଆଖି ଦେବି ତାଡ଼ି ।

ହିଡ଼ିମ୍ବର ପ୍ରବେଶ

ଗୀତ-(କୀର୍ତ୍ତନ ସୁର)

କୁଳକଳଙ୍କିନୀ କାଳି ବୋଳିଲୁ ମୋ କୁଳରେ ଲୋ ।

ବାଇହେଲୁ ମାନବକୁ ଚାହିଁ କାମଭୋଳରେ ଲୋ ।ପଦ।

ମାଜି କେଶ ସାଜି ବେଶ                  ସଜାଡ଼ି ପିନ୍ଧିଛୁ ବାସ

ଗୁନ୍ଥି ବନଫୁଲମାଳ ବାନ୍ଧିଲୁଣି ଚୂଳରେ ଲୋ ।୧।

ଯାହାଠାରେ ଢାଳି ମନ                  ଦେଲୁ ମୋତେ ଅପମାନ

ତା ତୁଲେ ତୋର ଜୀବନ ନେବି କଉଶଳରେ ଲୋ ।୨।

ଶିଳାଇ ଆସିଛି ଦାନ୍ତ                  ମୋଡ଼ି ଚୋବାଇବି ଅନ୍ତ

କେଳାଟା ଭିଣୋଇ ହେବ ଥିଲା ୟା କପାଳରେ ଲୋ ।୩।

ଭୁଞ୍ଜିବା ଅନ୍ନରେ ଧୂଳି                  ଫିଙ୍ଗିଲୁ ମୋର ଚଣ୍ଡାଳୀ

ବଇଷ୍ଣବ ଭାଳି ଖଣ୍ଡିତ କେ କର୍ମଫଳରେ ଲୋ ।୪।

ଭୀମ- ଏ ସାମାନ୍ୟ ରାକ୍ଷସଟା ମୋର କଣ କରିବ? ରେ ପାପିଷ୍ଠ ରାକ୍ଷସ !

ଗୀତ-(କୃଷ୍ଣ ନ ଭାଳ ହୃଦ....ବୃତ୍ତେ)

ରହ ରହ ରେ ଅସୁର କିଛି କହନା ବଳି,

ମୋହ ସହ ରଣ ତୋର ପଡ଼ିଛି ପାଳି ।ପଦ।

ନାରୀ-ନାଶ ପାପ କିମ୍ପା ବହିବୁ ଶିରେ,

ଅସ୍ଥି ମାଂସ ଏକାଠି ମୁଁ ଦେବଇଁ ଦଳି ।୧।

ମୋହଠାରେ ଚିତ୍ତ ଯେଣୁ ବଳିଲା ୟାର,

ବଳେ ବେଳ ବରଣକୁ କରିଲା ବାଳୀ ।୨।

ବିନା ଦୋଷେ ନବୀନାକୁ ଦଣ୍ଡୁ କାହିଁକି,

ଚଣ୍ଡୁଖିଆ ନର ପରା ଲଗାଇ କଳି ।୩।

ମୋ ଥା’ନ୍ତେ ହିଡ଼ିମ୍ବୀ ଦେହେ ଦେଲେ ତୁ କର,

ଯମପୁରେ ପଠାଇବି ବଇଆ ଭାଳି ।୪।

ହିଡ଼ିମ୍ବ- ରେ ଛାରମାନବ, ଏଡ଼େ ଅହଙ୍କାର ତୋର ? ଜାଣିନାହୁଁ ଦାନବଙ୍କ ବଳ । ଶୋଇବା ଲୋକଙ୍କୁ ଛାଡ଼ି ଆଗେ ତୋତେ ମୋଡ଼ି ଚୋବାଇଦିଅନ୍ତି ମାଂସ, ତାହାପରେ ବିନାଶିବି ସେହି ପାଞ୍ଚଜଣେ । ଦେଖା, ଦେହେ ଅଛି କେତେ ଶକ୍ତି ।

ଭୀମ- ରେ ମୂଢ଼ ଦାନବ, ଜାଣିଲି ମୋ କରେ ଧାତା ତୋର ଲେଖିଛି ମରଣ ।

ହିଡ଼ିମ୍ବ- କି କହିଲୁ ରେ ବନ୍ୟ କିରାତ, ହିଡ଼ିମ୍ବେ ନାଶିବୁ ଏଡ଼େ ଶକ୍ତି ତୋହରି ।

ଗୀତ- (କିମ୍ପା ହୋଇ ଭୀତ... ବୃତ୍ତେ)

ଦେଖାଉଛି କର ଆରେ ବନଚର ବଳ ଥିଲେ ରଣେ ପଶ ରେ ।

ଖଳ ତୋର କାଳ ପୂର୍ଣ୍ଣ ହୋଇଲାଣି ଯିବୁଟି ଶମନବାସ ରେ ।ପଦ।

ଜଳଜଳା କେଳା କଲୁଣି କବଳ ନିଜ କରେ ଗୋଳି ବିଷ ରେ ।

ଦାନବ ଭିଣୋଇ ମାନବେ ହୋଇବେ ଏଡ଼ିକି ତୋର ସାହସ ରେ ।୧।

ଟେଳା କାହିଁ ଗିରି ଟାଳିବା ଶୁଣିଛୁ ସିଂହ ସଙ୍ଗେ ଯୁଝେ ମେଷ ରେ ।

ପତଙ୍ଗଟା କାହିଁ ମାତଙ୍ଗକୁ ଜିଣି କିଣିଛି ରସାରେ ଯଶ ରେ ।୨।

ଆୟୁଷ ତୋ ଶେଷ ହେବାରୁ ମାନସ ବଳାଇଛୁ ରଣେ ଆଶ ରେ ।

ମୋ ପାଶରେ ନାଶ ହେବୁ ତୁ ଅବଶ୍ୟ ମନେ ମଣୁଅଛୁ ଖ୍ୟାସ ରେ ।୩।

ଦେଖନ୍ତୁ ସମର ତୋର ତୁଲେ ମୋର ଅମରେ ହୋଇ ହରଷ ରେ ।

ବଇଷ୍ଣବ କହି ଏତେକାଳ ବିହି ଦେଇଅଛି ପୂର୍ଣ୍ଣଗ୍ରାସ ରେ ।୪।

(ଉଭୟେ ରଣ କରୁ କରୁ ପ୍ରସ୍ଥାନ)

ଅନ୍ୟ ଭାଇ ଓ କୁନ୍ତୀଙ୍କର ନିଦ୍ରାଭଙ୍ଗ

କୁନ୍ତୀ- କିଏ ତୁ ସୁନ୍ଦରୀ, ବସିଅଛୁ ଏଥି, ନୋହୁ ଦାନବୀ ମାନବୀ କିବା ଅଟୁ ବନଦେବୀ କହ ନ କରି କପଟ, ତବ ଆସିବା କାରଣ ।

ହିଡ଼ିମ୍ବୀ- ମାତ, ଶୁଣ ଯାହା ପଚାରିଲ ମୋତେ ।

ଗୀତ- (ଗୋପବାଳେ, ଖେଳନ୍ତି ଯମୁନା କୂଳେ....ବୃତ୍ତେ)

ଦେଖ ମାତ, ଦୂରେ ଦିଶେ ଯେବଣ ବନ,

ନୀଳ ନବଘନ ପରି ତାର ବରନ ।ପଦ।

ହିଡ଼ିମ୍ବ ଦାନବ ବସା,            ମୁଁ ତାହାର ଅଟେ ସ୍ୱସା

ହିଂସା ବହି ମୋରେ ଦୁର୍ଜ୍ଜନ ।୧।

ତୁମ୍ଭମାନଙ୍କ ନିଧନେ,            ଆସିଲି ମୁଁ ଏହି ସ୍ଥାନେ

ଭୀମେ ଦେଖି ଭୁଲିଲା ମନ ।୨।

ଧରି ତୋ ସୁତ ଚରଣ,            ପତିତ୍ୱେ କଲି ବରଣ

ତା ଦେଖି ମୋ ଭାଇ ବହନ ।୩।

ଧାଇଁଣ ଅଇଲା ଏଥେ,            ବହୁତ ଝିଙ୍ଗାସି ମୋତେ

ରଣେ ମାତେ ବଇ ରଚନ ।୪।

ଦେଖ ଦେଖ ଗୋ ଜନନୀ, ତବ ସୁତ ମମ ଭ୍ରାତା କରନ୍ତି ସମର ।

ପରସ୍ପର ତର୍ଜନ ଗର୍ଜ୍ଜନ ଘାତେ ଫଟାବନ୍ତି ଗଗନମଣ୍ଡଳ ।

ଅର୍ଜ୍ଜୁନ- ହେ କନିଷ୍ଠଭ୍ରାତ, ଡର ନାହିଁ ଦାନବ ରଣକୁ ।

ଭୀମ- ରେ ଅର୍ଜ୍ଜୁନ ! କରନା ରେ ତିଳେ କେହି ଚିନ୍ତା ।

ଅର୍ଜ୍ଜୁନ- ଭାଇ ! ଶୁଣ ବାରେ ବଚନ ମୋହରି ।

ଗୀତ- (କୀର୍ତ୍ତନ ସୁର)

ଦେଖ ଭ୍ରାତ ଅସ୍ତାଚଳେ ଚଳିଲେ ମିହିର,

ଏ ସମୟେ ଦୁରାତ୍ମାକୁ ଜୀବନେ ସଂହାର ।ପଦ।

ନିଶି ଆସନ୍ତେ ଘୋଟି-

(ମରି) ନ ପାରିବ ଏ କପଟୀ, (ମାୟା) ବିସ୍ତାର କରିବ କୋଟି କୋଟି,

(ଏହା) ସୃଷ୍ଟି କରିଛନ୍ତି ପରମେଷ୍ଠୀ, ଏ ତ ନିଶାଚର, ଏ ତ ନିଶାଚର,

ରଜନୀରେ ବଳ ପ୍ରେତ ପିଶାଚର, (ତାଙ୍କୁ) ସରା ପରା ଲାଗେ ଚରାଚର,

(ଏହା) ଉଚିତରେ ଚିତ୍ତରେ ବିଚାର, ପେଷ ଶମନ ସଦନେ, କବି କରେ ଜୁହାର ।୧।

ଭୀମ ହିଡ଼ିମ୍ବକୁ ମାଡ଼ିବସି

ଗୀତ-(ଯେଉଁ ହରି ହରି ପକାଉଛୁ...ବୃତ୍ତେ)

ରେ ଦୈତ୍ୟ ଚଣ୍ଡାଳ, ଚଳ କାଳଆଳ ଉଣ୍ଡାଳ କପାଳ ତୁହି ।

ଏଇଥିପାଇଁକି ଭଣ୍ଡ ଚଣ୍ଡପଣେ ଆସିଲୁ ମୋ ପାଶେ ଧାଇଁ ।

                  ଆରେ ପାମର ।୧।

କେତେ କେତେ ଋଷି ବିପ୍ର ଗୋରୁହତ୍ୟା ପାପ ରୁଣ୍ଡ ହେଲା ଆସି,

ଫିଟୁନାହିଁ ତୁଣ୍ଡ ସେ ପାପରୁ ଆଜି ମୋ ହାତେ ମଲୁରେ ଦୋଷୀ ।୨।

ଷଣ୍ଢସମ ଏହି ଷଣ୍ଢା ଟେକି ପରା ହିଡ଼ିମ୍ବୀକି ଦେଲୁ ଗାଳି ।

ସେହି ମୁଣ୍ଡହଲା କାହିଁ ଏତେବେଳେ ଦେଖ ଥରେ ମନେ ଭାଳି ।୩।

ଭିଡ଼ି ଆଣ୍ଟେ ଆଣ୍ଠୁ ଅଣ୍ଟାଠାରୁ ତୋର କରିଦେବି ଦୁଇଖଣ୍ଡ ।

ମେଣ୍ଢା ପରି ବେକ ମୋଡ଼ି ଛିଣ୍ଡାଇବି ଭବଲୀଳା ହେବ ପଣ୍ଡ ।୪।

ଏ ବନଗହନ ଥଣ୍ଡା ହେବ ଆଜୁଁ ପାଣ୍ଡବଙ୍କ ହେତୁ ଜାଣ ।

ବଇଷ୍ଣବ ଭାବେ ତାଣ୍ଡବ କରିବେ ହରଷେ ଋଷି ବ୍ରାହ୍ମଣ ।୫।

(ହିଡ଼ିମ୍ବକୁ ବେନିଖଣ୍ଡ କରି ଫିଙ୍ଗି ଭୀମର ଦଣ୍ଡାୟମାନ)

ସମସ୍ତେ- ଧନ୍ୟ ଧନ୍ୟ ଧନ୍ୟ ଭୀମସେନ !

ଯୁଧିଷ୍ଠିର- ଆଉ ଏଠାରେ କ୍ଷଣେ ରହିବାର ପ୍ରୟୋଜନ ନାହିଁ । ଯେବେ ପାପମତି ଦୁର୍ଯ୍ୟୋଧନ ଜାଣିବ, ତେବେ ବଡ଼ ଅନିଷ୍ଟ ହେବ । ଚାଲ, ଏ ବନ ତ୍ୟାଗକରି ଅନ୍ୟତ୍ର ଯିବା ।

ଭୀମ- ଧର୍ମରାଜ ! ଏ ଚାଣ୍ଡାଳୀ ହିଡ଼ିମ୍ବ-ଭଗିନୀ, ଅନୁମତି ଦେଲେ ଶୀଘ୍ର ବିନାଶ କରିବି ।

ଯୁଧିଷ୍ଠିର- ସେ କି କଥା କହୁ ଭୀମ, ନାରୀହତ୍ୟା ମହାପାପ । ସହଜରେ ଏ ତୋର ଧର୍ମପତ୍ନୀ । ହୃଦୟରୁ ହିଂସା ପରିତ୍ୟାଗ କର।

ହିଡ଼ିମ୍ବୀର କୁନ୍ତୀଙ୍କ ପ୍ରତି

ଗୀତ- (କେଣିକି ଗଲୁରେ ନାଥ ବଇଦ... ବୃତ୍ତେ)

ଦିଅ ମାତ ଅନୁମତି ଧରୁଛି ପାଦ, ମୋର ବଳିଛି ସଧ ।

ସେଥିପାଇଁ କରାଇଲି ଭାଇକି ବଧ ।ପଦ।

ସଫଳ କର ମାନସ                  ବିଫଳ ନୋହୁ ମୋ ଆଶ

ସମରପ ମୋ କରେ ତୋ ସୁତ-ସମ୍ପଦ ।୧।

ବନ ପର୍ବତ କନ୍ଦରେ            ଭ୍ରମିବି ଘେନି ଆଦରେ

ଚିନ୍ତିବ ମୋତେ ଯେ କାଳେ ପଡ଼ୁଁ ବିପଦ ।୨।

ମିଳିବ ଆସି ସେଠାରେ            ବସାଇ ନେବି ପିଠିରେ

ଦୂର କରାଇବ ଦାସୀ ହୃଦରୁ ଖେଦ ।୩।

କାମନା ମୋର ପୂରାଇ            ତବ ପୁତ୍ରେ ଦେବି ନେଇ

ନାହିଁ ନ କରିବ ବଇ ଛନ୍ଦେ ଏ ପଦ ।୪।

ଯୁଧିଷ୍ଠିର- ତୋର ବାସନା ପୂର୍ଣ୍ଣ ହେଉ, ତହିଁରେ ଆମ୍ଭର କୌଣସି ଆପତ୍ତି ନାହିଁ । ତେବେ ଏତିକି ମନେରଖିଥା, ପ୍ରତିଦିନ ଆମ୍ଭେ ଯେପରିକି ଭାଇକୁ ଥରେ ଦେଖିପାରିବୁଁ ।

ଭୀମ- ହିଡ଼ିମ୍ବୀ, ମୁଁ ସତ୍ୟକରି କହୁଛି, ପୁତ୍ର ଜାତ ହେଲା ପରେ କ୍ଷଣେମାତ୍ର ରହିବ ନାହିଁ ।

(ଭୀମକୁ ସଙ୍ଗେ ଘେନି ହିଡ଼ିମ୍ବୀମ୍ବୀର ପ୍ରସ୍ଥାନ)

ଯୁଧିଷ୍ଠିର- ଅର୍ଜୁନ ! ଚାଲ ଆମ୍ଭେମାନେ ମାତାଙ୍କୁ ସଙ୍ଗରେ ଘେନି ଦ୍ୱିଜବେଶରେ ଦେଶ-ବିଦେଶ ଭ୍ରମଣ କରିବା ।

(ସମସ୍ତଙ୍କର ପ୍ରସ୍ଥାନ)

ଏକଚକ୍ରା ନଗରରେ ଏକାକୀ ବ୍ୟାସଦେବଙ୍କ ପ୍ରବେଶ

ଗୀତ-(ଏ ଘୋର ବରଷା ଦେଖି ରସାଲସା... ବୃତ୍ତେ)

ସତ୍ୟ ସନାତନ ସଙ୍କଟଭଞ୍ଜନ ଦୈତ୍ୟବିନାଶନ ମାଧବ ହେ ।ପଦ।

ଶାଲ୍ୱ ଶିଶୁପାଳ ଦନ୍ତବକ୍ର ହନ୍ତା,      ଶରଣପଞ୍ଜର ସଂସାରକରତା

ସଦା ସଦାଶିବଙ୍କର ସୁଖଦାତା ଦରିଦ୍ର ସୁଦାମା ବାନ୍ଧବ ହେ ।୧।

ସଜଳ ଜଳଦ ବରନ ସୁନ୍ଦର,            ଶଖିପୁଚ୍ଛଟେକା ଶ୍ରୀରଙ୍ଗ ଅଧର

ଶ୍ରୀ ବତ୍ସଲାଞ୍ଛନା ଶ୍ରୀରାଧିକା ଧନ ଭଜନ୍ତି ତୋ ଯଶ ସାଧବ ହେ ।୨।

ସୁରଶ୍ରେଷ୍ଠ ସରସରସୀଜନେତ୍ର,      ସଲିଳ-ନୃପତି-ଜେମା-ପଞ୍ଚଭୂତ

ସୁପୀତବସନ ବଇବିରଚନ ଶ୍ରେଷ୍ଠ ଭକତ ଯା ଉଦ୍ଧବ ହେ ।୩।

(ପାଣ୍ଡବମାନଙ୍କର ବ୍ୟାସଙ୍କ ପାଶେ ପ୍ରବେଶ)

ସମସ୍ତେ- ପିତାମହ ! ନମୁଛୁ ଚରଣେ, କର ଶୁଭ ଆଶୀର୍ବାଦ ।

ବ୍ୟାସ- ପୁତ୍ରଗଣେ, ଯଶଶ୍ରୀ ସହିତେ ଲଭ ହସ୍ତିନା-ସମ୍ପଦ ।

ଯୁଧିଷ୍ଠିର- ପିତାମହ ! ଜାଣିଛ ତ ଅବସ୍ଥା ଆମ୍ଭର ।

ବ୍ୟାସ- ବତ୍ସ ! ଗୋପନେ ଶୁଣିଛି ବିଦୁରଠାରୁ ସର୍ବ ସମାଚାର ।

ଯୁଧିଷ୍ଠିର- କେଉଁଠି କରିବୁଁ ବାସ ଭାଷ ତପୋଧନ !

ବ୍ୟାସ- କହ ଧର୍ମସୁତ, ଭ୍ରମିଲଣି କେଉଁ କେଉଁ ସ୍ଥାନ ?

ଯୁଧିଷ୍ଠିର- ଗୀତ-(ରାଗ ଚୋଖି)

ଶୁଣ ଶୁଣ ତପୋଧନ,            ଆମ୍ଭର କଷଣମାନ,

ଭାଷନ୍ତେ ସରିବ ନାହିଁ ବସି ବରଷେ,

ଜଉଶାଳରୁ ଉଦ୍ଧରି,            ପାରିହୋଇ ଗଙ୍ଗାବାରି,

ତହୁଁ ମିଳିଲୁଁ ହିଡ଼ିମ୍ବ କାନନ ଦେଶେ ।

ତହିଁ ଭୀମ ଦୈତ୍ୟ ସଂହାରି,

ହିଡ଼ିମ୍ବୀ ସହିତେ ହେଲା ବ୍ୟୋମବିହାରୀ ।୧।

ଅସୁରୀ ଗର୍ଭୁ ସମ୍ଭୂତ,            ଭୀମବୀର୍ଯ୍ୟେ ଏକସୁତ,

ଘଟୋତ୍କଚ ନାମ ତାର ଜାଣ ମହର୍ଷି !

ପତିପୁତ୍ର ସଙ୍ଗେ ଘେନି,            ଆସି ଦାନବ-ଭଗିନୀ,

ଛାଡ଼ିଗଲା ପାବନୀକି ଏ ବାଣୀ ଭାଷି ।

ଯେ କାଳେ ଘଟିବ ସଙ୍କଟ,

ଚିନ୍ତନ୍ତେ ମିଳିବ ଆସି ଆମ୍ଭ ନିକଟ ।୨।

ମାତାତୁଲେ ପଞ୍ଚଭ୍ରାତ,            ପଞ୍ଚାଳ ମତ୍ସ୍ୟ ତ୍ରିଗର୍ତ୍ତ

ଦେଶ-ବିଦେଶେ ଭ୍ରମିଲୁଁ ବିପ୍ରବେଶରେ,

ଯାଉଁ ଯାଉଁ ଏହିପଥେ,            ଦେଖିଲୁଁ ତୁମ୍ଭଙ୍କୁ ନେତ୍ରେ,

ବତାଅ ଥିଲେ ଉପାୟ ନିଜ ଦାସରେ ।

କାହିଁ ରହି କାଟିବୁ ଦିନ,

ଏ ରସେ ଭାଷଇ ବଇଷ୍ଣବ ଅଜ୍ଞାନ ।୩।

ବ୍ୟାସ- ବତ୍ସ ଯୁଧିଷ୍ଠିର ! ଏହି ଯେ ନିକଟରେ ଏକଚକ୍ରା ନଗ୍ର ଦିଶୁଛି, ସେହି ନଗ୍ର ପ୍ରାନ୍ତରେ ଏକ ଦ୍ୱିଜର ଭବନ । ସେହି ବ୍ରାହ୍ମଣ ଅତି ଦୀନ ଓ ଦୟାଳୁ । ତୁମ୍ଭେମାନେ ଯାଇ ତାହାର ଆଶ୍ରୟ ନିଅ । ମୁଁ ପାଞ୍ଚାଳରୁ ଫେରିବାଯାଏ ତୁମ୍ଭେମାନେ ସେଠାରେ ଥିବ ।

(ବ୍ୟାସଙ୍କର ପ୍ରସ୍ଥାନ)

ଏକଚକ୍ରା ନଗ୍ରେ ବିପ୍ରଘରେ ପାଣ୍ଡବମାନଙ୍କର ପ୍ରବେଶ

ବିପ୍ର- ଦ୍ୱିଜଗଣେ, ତୁମ୍ଭେମାନେ କେଉଁଠାକୁ ଯିବ ? ତୁମ୍ଭର ଏଠାରେ କିଛି କାର୍ଯ୍ୟ ଅଛି କି ?

ଭୀମ- ଦ୍ୱୀଜମଣି ! ତୁମ୍ଭ ନାମ ଶୁଣି ଆମ୍ଭେମାନେ ଏଠାକୁ ଆସିଲୁ । ଆମ୍ଭେମାନେ ଭିକ୍ଷୁକ ବ୍ରାହ୍ମଣ, ତୁମ୍ଭ ଘରେ ଆମ୍ଭଙ୍କୁ କିଛି ଦିନ ଆଶ୍ରୟ ଦିଅ । ପ୍ରତ୍ୟହ ଭିକ୍ଷା ମାଗି ଉଦର ପୋଷଣ କରିବୁଁ ।

ବିପ୍ର- ଦ୍ୱିଜବର, ଅତି ଆନନ୍ଦର ବିଷୟ । ତୁମ୍ଭେମାନେ ମୋର ଏହି ଦାଣ୍ଡଘରେ ବାସକର; ଆସ । (ସମସ୍ତଙ୍କର ପ୍ରସ୍ଥାନ)

ରାଜସଭା-ବକରାକ୍ଷସ ଓ ତା’ର ମନ୍ତ୍ରୀ ଏକସଙ୍ଗରେ ପ୍ରବେଶ

ବକ- କହ ମନ୍ତ୍ରୀ, ଅଦ୍ୟ ଗଲା କାହାର ଖାଦ୍ୟର ପାଳି ।

ମନ୍ତ୍ରୀ- ମହାରାଜ ! ଆଜି ଜଣେ ବଣିକର ପାଳି । କାଲି ସନାତନ ପଣ୍ଡା ବ୍ରାହ୍ମଣର ପାଳି ।

ବକ- ଦୂତ ସେମାନଙ୍କୁ ଆକଟ କରି ଆସିଛି ତ ?

ମନ୍ତ୍ରୀ- ଏହି ଯେ ମହାରାଜ ଦୂତ ଆସୁଛି, ପଚାରିଲେ ସବୁକଥା ଜଣାପଡ଼ିବ ।

ଦୂତର ପ୍ରବେଶ

ବକ- କହ ଡଗର, କାଲି ପାଳି ଅଟଇ କାହାର ?

ଦୂତ- ଏକଚକ୍ରା ସନାତନ ପଣ୍ଡା ଦ୍ୱିଜଙ୍କର ।

ବକ- ଦେବ ତ ପ୍ରଭାତୁଁ ଏକଗାଡ଼ିଭାତ, ଆଉ ଯୋଡ଼ାଏମଇଁଷି, ପୁଣି ଏକଗୋଟା ନର ।

ଦୂତ- ନ ଦେଲେ ତା ବଂଶଯାକ ଛାମୁଁ କରିବେ ଆହାର ।

ବକ- ଏହି କଥା ଆସିଛୁ ତ ବେଳୁ ତାକୁ କହି ?

ଦୂତ- ମହାରାଜ ! ମୋର ଚାକିରି ଖଣ୍ଡିକ ସେଇଥି ପାଇଁ ।

ବକ- ଚାଲ ମନ୍ତ୍ରୀ ! ରାତ୍ର ହେଲାଣି ଅଧିକ । ସୁଖେ କରିବା ଶୟନ ।

ଦୂତ- ଯେ ଆଜ୍ଞା !                                    (ପ୍ରସ୍ଥାନ)

ନେପଥ୍ୟେ- ହାୟରେ ବିଧାତା, କାହାକୁ ଦେବି ? ଯାହାକୁ ଦେବି ସେ ତ ମୋହରି ।

କୁନ୍ତୀ ସହ ଭୀମର ପ୍ରବେଶ

କୁନ୍ତୀ- ବାପ ଭୀମରେ, ଏ ପଣ୍ଡାଙ୍କ ଘରେ ତ ଆମ୍ଭେ ଏତେ ଦିନ ହେଲା ରହିଲେଣି; ଦିନେ ତ ଏ କଥା ଶୁଣାନଥିଲା । ଆଜି ଏତେ କନ୍ଦାକଟା କାହିଁକି ? ବିପ୍ରଙ୍କୁ କ’ଣ କିଛି ବିପଦ ପଡ଼ିଲା କି ?

ଭୀମ- ମା, ଶୀଘ୍ର ଯାଇ ବୁଝିଆସ । ବେଳକୁ ବେଳ ତ କ୍ରନ୍ଦନରୋଳ ବେଶି ଉଠିଲା ।

କୁନ୍ତୀ- ବାପ, ତୁ ଘର ଜଗିଥା । ଯୁଧିଷ୍ଠିର ପ୍ରଭୃତି ଭିକ ମାଗି ଯାଇଛନ୍ତି, ମୁଁ ଯାଇ ବିପ୍ରଙ୍କୁ ପଚାରିଆସେ । (ଉଭୟଙ୍କର ପ୍ରସ୍ଥାନ)

ବିପ୍ର ଓ ତା’ର ପତ୍ନୀ, କନ୍ୟା, ପୁତ୍ର ଚାରିଜଣଙ୍କର ପ୍ରବେଶ

ଗୀତ-(ଶୁଣ ଲୋ ସୁନୀତି.... ବୃତ୍ତେ)

ଶୁଣ ପ୍ରାଣନାଥ ନ ଦିଶଇ ପଥ କି କରିବା ଭାବି କହ ।

ଯେହୁ ପରାଧୀନ ଧିକ ତା ଜୀବନ ସଂସାରରେ ବହିବା ଦେହ ।

ଜୀଇଥିବାର ଦୁଃଖ, ଜୀବ ଯିବାଟା ତାହାର ସୁଖ ।୧।

ଶୁଣ ରେ ବ୍ରାହ୍ମଣୀ ମୋ ନୟନମଣି କହିଥିଲି ପରା ତୋତେ ।

ଚଳାପାଙ୍ଗୀ ଏଥୁ ପଳାଇବା ଭଲ ନ ମାନିଲୁ ତା କିଞ୍ଚିତେ ।

ନାସ୍ତି କଲୁରେ ସଖୀ, ଏ ମୋ ଜନ୍ମଭୂମି ତେଜିବି କି ।୨।

ହେ ପ୍ରାଣନାୟକ ଥାନ୍ତୁ ତବ ପାଖ ସୁତା ସୁତ ବେନି ମୋର ।

ମୋତେ ଦିଅ ନେଇ ବକର ମୁଖରେ ତୁଟୁ ଏ ବିପଦ ଘୋର ।

ଆଉ କେହି ନ କାନ୍ଦ, ହଟିଯାଉ ସକଳ ଆପଦ ।୩।

ଛାଡ଼ି ତୋତେ ପ୍ରାଣ ଧରିବି କେମନ୍ତେ କହୁ ନିଷ୍ଠୁର ବଚନ ।

ଛିଡ଼ି ନ ପଡ଼ୁଛି ଆକାଶ ଏ ଶିରେ ଉଡ଼ି ନ ଯାଏ ଜୀବନ ।

ମୋତେ ଜନନୀ ପରି, ଦେଉ ଆଧାର ଯୋଗାଇ କରି ।୪।

ତୋତେ ଝୁରି ସୁତା ସୁତ ମୋ ମରିବେ ମୁଁ ମରିବି ତାଙ୍କ ଲାଗି ।

ପରଲୋକେ ଯାଇ ଭେଟିବୁ ତୋ ପାଶେ ତିନିଜଣ ହୋଇ ସଙ୍ଗି ।

ଜାଣ ସତ୍ୟ ଏ ବାଣୀ, ପାଣି ବଇଷ୍ଣବ ଶୋକେ ଭଣି ।୫।

ବ୍ରାହ୍ମଣୀ- କିମ୍ପା ଏହା କୁହ ଜୀବେଶ୍ୱର, ସର୍ବେ କରିଥାନ୍ତି ପୁତ୍ରପତ୍ନୀ ନିଜ ହିତର ନିମିତ୍ତ । ମୁଁ ଯାଉଛି, ଥାଅ ତୁମ୍ଭେମାନେ ବିଜ୍ଞେ ନୁହଁନ୍ତି ଅଧୀର ବିପଦର ବେଳେ । ସୁତା ସୁତ ଘେନି ରହ ସୁଖେ, ଦେଇ ମୋତେ ରାକ୍ଷସର ମୁଖେ ।

ବିପ୍ର- ସଖି ! ଗଲେ ତୁହି, ଏ ଜୀବନ ନ ରଖିବି ମୁହିଁ ।

ବ୍ରାହ୍ମଣୀ- କି କଥା କୁହ ଜୀବିତେଶ, ତୁମ୍ଭେ ଯେବେ ଯିବ ବକମୁଖେ କାହାକୁ ଘେନିଣ ମୁହିଁ କରିବଇଁ ଘର ?

କନ୍ୟା- ବାପା, ବୋଉ, ଏତେ କାନ୍ଦନା,

ଏ ଅଭାଗୀର କଥାକୁ ମାନ ।

ଗୀତ- (କିମ୍ପା ଡାକ ସେନାପତି...ବୃତ୍ତେ)

ହେ ତାତ ମାତ କାନ୍ଦନା,            କରମକୁ ତିଳେ କେହି ନିନ୍ଦନା କି,

ପିଅର ହେ, କିମ୍ପା ଭୋଗ ଦାରୁଣ ବେଦନା କି ।୧।

ଦିନେ ତ ପରକୁ ଦେଇ,            ମୋତେ, କାନ୍ଦିଥାନ୍ତ ଲୁହ ଗଡ଼ାଇ କି,

ପିଅର ହେ, ବକମୁଖେ ସୁଖେ ଦିଅ ନେଇ କି ।୨।

ଆଜି ମଣ ସେହି ଦିନ,            ପିଣ୍ଡ ଦେଇଥିଲେ ମୋର ନନ୍ଦନ କି,

ପିଅର ହେ, ତୁଟିଥାନ୍ତା କୃତାନ୍ତ ବନ୍ଧନ କି ।୩।

ମୁଁ ତା ଦେଉଛି ଫିଟାଇ,            ପିଣ୍ଡ ନ ବୁଡ଼ିବ ଅଛି ମୋ ଭାଇ କି,

ପିଅର ହେ, ତୁମ୍ଭେ ଗଲେ ସେ ଜୀଇବ ନାହିଁ କି ।୪।

ଦୁହେଁଯାକ ଯିବ ଯେବେ,            ମୁଁ ମାଗିବି ଭିକ ନିଶ୍ଚୟ ତେବେ କି,

ଜନନୀ ଗୋ, ଛିଣ୍ଡା ପିନ୍ଧି ଦାଣ୍ଡେ ଦୀନ ଭାବେ କି ।୫।

ସଂସାରେ ଝିଅ ଗରିବ,            ତୁମ୍ଭେ ଯେବେ ତାହାଲାଗି ତରିବ କି,

ପିଅର ହେ, ବଇ ବୋଲେ ମୋ ଦଶା ଫେରିବ କି ।୬।

(ଶିଶୁଟି ଏକ କୁଟା ହାତରେ ଉଠାଇ)

ଶିଶୁ- ହେ, ବାପା, ବୋଉ, ନାନୀ, ତୁମ୍ଭେ କାହିଁକି କାନ୍ଦୁଛ କି ? ମୁଁ କହୁଛି ଶୁଣ ।

ଗୀତ-(ମନ୍ତ୍ରୀ ଏ କି ଦୁର୍ଘଟଣା ଘଟିଲା...ବୃତ୍ତେ)

ବାପା ବୋଉ ମନଖଟା କରନା ।

ଏ କୁଟାରେ ବକ ବେକ ଛିଡ଼ାଇବି ସେଥିପାଇଁ ତିଳେ ଡରନା ।ପଦ।

ତାର ଏଡ଼େ ସାହସ, ତୁମ୍ଭ ମାଉଁସ ଖାଇବ ଅଛି ଟାକି,

ରହିବ ନାହିଁ, ଦେଖି ସେ ମୋତେ କହିବି ଦୂରୁ ଡାକି ।

କିସ ହାନି ତାର ନାନୀ ମୋର, ତାକୁ ଗିଳିବ ସେ ଖଣ୍ଟ ପାଜି ଚୋର

ଜାଣିନାହିଁ କି ଖଳ, କେତେ ମୋ ବଳ, ଏ ଛାର କଥାରେ ଝୁରନା ।୧।

ଆସ ଯିବା ମୋ ସଙ୍ଗେ, ତା ପାଖେ ବେଗେ, ବୁଝିବି ଆଜି ମଜା,

ଶୁଣିନାହିଁ ଏକାନେ, ମୁହିଁ ୟା ଦିନେ, ମଣିଷ ଖାଏ ରଜା ।

ଆମ ପରଜାଙ୍କୁ ଯେବେ ଦେବ ଖାଇ, ଆଉ ରାଜୁତି କରିବ କା’କୁ ନେଇ,

ବଇଷ୍ଣବ ରଚନ, ଶିଶୁବଚନ, ମାନି ଥୟ ଧର ଥରନା ।୨।

(ସମସ୍ତେ ହସି ଉଠିବା)

ବ୍ରାହ୍ମଣୀ- ବାବା, ଥୟହୋ, ତୋକଥା ଶୁଣିଲେ ଯେ ହସମାଡ଼ୁଛି । ଏ କ’ଣ ହସିବାର ବେଳ ।

ବିପ୍ର- ଦେଖିଲ ପ୍ରିୟେ ! କିପରି ତୁମ୍ଭର ପୁତ୍ର ପଦେ କଥାରେ ମନ ପ୍ରଫୁଲ୍ଲ କରିଦେଲା ।

କୁନ୍ତୀ- (ପ୍ରବେଶି ସ୍ୱଗତ) ପ୍ରକୃତରେ ଦ୍ୱିଜର ଉପକାର କରିବାର ଏହି ଯଥାର୍ଥ ସମୟ । (ପ୍ରକାଶ୍ୟେ) ଦ୍ୱିଜବର ! ତୁମ୍ଭର କି ବିପଦ ପଡ଼ିଛି କି ? ଏକତ୍ରେ ବସି ସମସ୍ତେ ରୋଦନ କରୁଛ ?

ବ୍ରାହ୍ମଣ-

ଗୀତ-(ସଜ ସରସୀଜଦୃଶାରେ, ଯାହା ଦୁର୍ଦ୍ଦଶା...ବୃତ୍ତେ)

କିସ କହିବୁଁ ତୁମ୍ଭଙ୍କୁ ଗୋ, ଆମ୍ଭ ଅଦୃଷ୍ଟ ଘଟଣା ମାତ !

ଯାହାପାଇଁ ବସି ଝରାଉଛୁଁ ଲୁହ ନୁହେଁ ସେ କାହା ଆୟତ୍ତ ।ପଦ।

ବକ ନାମେ ଏକ ରାକ୍ଷସ, ଅଟଇ ଏ ନଗର ନରନାଥ ।

ନିତି ଏକ ନର କରେ ସେ ଆହାର ଶକଟେ ଅନ୍ନ ସହିତ ।୧।

ଯେତେ ବରଷରେ ପଡ଼ଇ ଯା ପାଳି ସେ ଯୋଗାଏ ସେହିମତ ।

ଯୁଟିଛି ତା ଆଜି ଆମ୍ଭ କପାଳକୁ ସେ ଘେନି ଅଥୟ ଚିତ୍ତ ।୨।

ଯେ ଜନ ଅବାଧ୍ୟ ହୁଏ ତା ଆହାରରେ ତା ବଂଶ କରେ ନିପାତ ।

ଦେଖିନାହିଁ କାହିଁ ବ୍ରାହ୍ମଣ ବିନାଶ ଲେଖିନାହିଁ ବିଶ୍ୱଜାତ ।୩।

ପୁତ୍ର କନ୍ୟା ନାରୀ ମୋତେ ଘେନି ଚାରି ଯିବ କେ ବକ ଅଗ୍ରତ ।

ଏହିମାନ ମନେ ଭାଳି କାନ୍ଦୁଅଛୁ ବଇଷ୍ଣବ ବିରଚିତ ।୪।

କୁନ୍ତୀ-

ଗୀତ- (ହେ ଦ୍ୱିଜବର...ବୃତ୍ତେ)

ହେ ବିପ୍ରମଣି, କାନ୍ଦନା ଶୁଣ ମୋ ବାଣୀ ।

ତହିଁକି ମୁଁ ସଞ୍ଚିଅଛି ଉପାୟେକ ତୁମ୍ଭ ଶୋକ କର୍ଣ୍ଣେ ଶୁଣି । ପଦ।

ପତି ପତ୍ନୀ ଦୁଇ ତନୟ ତନୟୀ ଚାରିଜଣେ ଦେଖ ଗଣି ।

ଅଛନ୍ତି ମୋହର ପାଞ୍ଚଟି କୁମର ଯାଇଛନ୍ତି ଭିକ୍ଷା ଆଣି ।୧।

ତହୁଁ ଦେବି ଏକ ସୁଖେ ଭୁଞ୍ଜୁ ବକ, ନୟନୁ ନ ବୁହା ପାଣି ।

ଅନ୍ନ ଶକଟରେ ଭରି ଆକଟରେ କରି ଦୈତ୍ୟର ଖଟଣି ।୨।

ଯା’କୁ ଦେବି ସେଟା ଅଟେ ବଡ଼ ମୋଟା ବାହୁ ଶାଳତରୁ ଜିଣି ।

ସେ ଅସୁରରାଟ ପେଟ ପୂର୍ଣ୍ଣ ହେବ ବଇଷ୍ଣବ ଗୀତେ ଭଣି ।୩।

ବିପ୍ର- ବିଦେଶିନି ! ଏ ଅନ୍ୟାୟ ଭାଷା ମୋ ସମ୍ମୁଖରେ ଭାଷ ନାହିଁ । ମୁଁ କି ଏଡ଼େ ସ୍ୱାର୍ଥପର, ମୋ ପାଇଁ ଅତିଥିକୁ ଦୈତ୍ୟମୁଖରେ ଦେଇ ମହାପାତକ ଅର୍ଜ୍ଜନ କରିବି ?

କୁନ୍ତୀ- ହେ ଦ୍ୱିଜବର ! ବିପନ୍ନକୁ ରକ୍ଷା କରିବା ଜଗତର ମହତ୍ ଧର୍ମକାର୍ଯ୍ୟ ।

ଗୀତ-(ଧୀରେ ଘେନ ଧୀରେ ବ୍ରଜେଶ୍ୱରୀ.. ବୃତ୍ତେ)

କହୁଅଛି ଶୁଣ ଦ୍ୱିଜବର, ନିଜ ଚିତ୍ତରେ ବିଚାର କର ।

ଦନୁଜରାଜକୁ ଡର ମୋର ନାହିଁ ମୋ ତନୁଜଠାରୁ ବଳିୟାର,

ବଳେ ନୋହିବଟି, ତା ତେଜ ତିଳେ ନ ସହିବଟି ।୧।

ମନ୍ତ୍ର ଯନ୍ତ୍ର ତନ୍ତ୍ର ଶସ୍ତ୍ର ଶାସ୍ତ୍ର, ବହୁତ ସାଧିଛି ସେହି ପୁତ୍ର,

ବକ ମୁଖୁଁ ତ୍ରାଣ ଲଭି ସେ ଫେରିବ ରାକ୍ଷସନିଧନ ତା ବିଚିତ୍ର,

ପାରିଛି ମୁଁ ବାରି, ପୂର୍ବେ ଦାନବଗୋତ୍ର ସେ ଅଛି ମାରି ।୨।

ଏକଥା ନ କହ ଦ୍ୱିଜ କାହିଁ, ଧାଇଁବେ ଲୋକେ ଶିଖିବା ପାଇଁ,

ଗୁରୁଙ୍କ ନିଷେଧ ଅଛି ସେହି ପଦ ମାଗିଲେ କାହାକୁ ଦେବ ନାହିଁ,

ଦେଲେ ନ କାଟିବ, ବିପଦରେ ଆଉ ବଳ ନ ଖଟିବ ।୩।

ଅନ୍ନ ପୂର୍ଣ୍ଣକର ଶକଟରେ, ମୁଁ ଯାଉଛି ସୁତ ନିକଟରେ,

ଶୁଣାଇବି ତାରେ ଏ ତୁମ୍ଭ ସଙ୍କଟ ବୁଝାଇ ବୋଲିବି ଆକଟରେ

ଅଟେ ଭାରି ଦୁଷ୍ଟ, ବଇ ବୋଲେ ଶୁଣୁ ଶୁଣୁ ହେବ ରୁଷ୍ଟ ।୪।

(ପ୍ରସ୍ଥାନ)

ବ୍ରାହ୍ମଣୀ- ନାଥ, ଏପରି ପରୋପକାରୀ ଲୋକ ଜଗତରେ ଦେଖାନାହିଁ କି କେବେ ଶୁଣାନାହିଁ । ଏମାନେ ନିଶ୍ଚୟ ଦେବତା ।

ବିପ୍ର- ଯାହା କହିଲ ପ୍ରକୃତ କଥା, ନୋହିଲେ କି ମନୁଷ୍ୟ ଏତେ ସ୍ୱାର୍ଥ ତ୍ୟାଗ କରିପାରେ ? (ପ୍ରସ୍ଥାନ)

ଯୁଧିଷ୍ଠିର ଓ କୁନ୍ତୀଙ୍କ ପ୍ରବେଶ

ଗୀତ-(କୀର୍ତ୍ତନ ସ୍ୱର)

ଯୁଧିଷ୍ଠିର- ଏ କିସ ଘଟଣା ମାତ କହ ଗୋ ବହନ।

ଆଜି ପ୍ରଭାତରୁ ଭୀମ କିମ୍ପା ସାରି ସ୍ନାନ ।

ହୁଏ ତରତର ଗୋ, ସ୍ଥିର ନାହିଁ ହସ୍ତ ପଦ ତାର ।୧।

କୁନ୍ତୀ- ଏ ରାଜ୍ୟର ରାଜା ବକ ରାକ୍ଷସ ପାଳିରେ ।

ନର ଏକ ଶକଟେ ଅନ୍ନର ସହିତରେ ।

ଦ୍ୟନ୍ତି ପ୍ରଜାଯାକରେ, ସେ ଯୋଗେ ବିପ୍ର କରନ୍ତେ ଶୋକେ ।୨।

ଚାରିଜଣରୁ କାହାକୁ ଦେବେ ବୋଲି ଜଣେ

ରୋଦନ କରୁ ଶୁଣିଲି ମୁହିଁ ଏ ଶ୍ରବଣେ ।

ଭୀମେ ଦେବି ବୋଲି ରେ, ପ୍ରବୋଧି ତାହାଙ୍କୁ ସତ୍ୟ କଲି ।୩।

ଯୁଧିଷ୍ଠିର- ଏ ନିଷ୍ଠୁର କର୍ମ କିମ୍ପା କଲୁ ଲୋ ଜନନୀ !

ଭାବି ନ ପାରିଲୁ ତିଳେ ଆମ୍ଭ ଲାଭ ହାନି ।

ଭୀମ ପରା ଭାଇ ଗୋ, ଲୋଡ଼ିଲେ ପାଇବା ଆଉ କାହିଁ ।୪।

ଜଉଶାଳୁ କନ୍ଧେ ବହି ଆଣିଲା ଆମ୍ଭଙ୍କୁ ।

ପଥେ ଆସୁ ଆସୁ ବିନାଶିଲା ହିଡ଼ିମ୍ବକୁ ।

ଯା’ର ବାହୁବଳେ ଗୋ, ରାଜ୍ୟ ଲଭିଥାନ୍ତି ଅବହେଳେ ।୫।

ଯା ବଳକୁ ଡରେ ସଦା ଖଳ ଦୁର୍ଯ୍ୟୋଧନ ।

ତାକୁ ଶମନମୁଖକୁ ଦେଲୁ ହେଲା ମନ ।

ଏ କି ବାଇ ବୁଦ୍ଧି ଗୋ, ଅର୍ଜ୍ଜିଲୁ ବର୍ଜ୍ଜିଲୁ ଅଷ୍ଟନିଧି ।୬।

କୁନ୍ତୀ- ଆରେ ଯୁଧିଷ୍ଠିର, ତୁ ଏଡ଼େ କିମ୍ପାଇଁ ବିକଳ ।

ହେଉ ଜାଣଇ ମୁହିଁଟି ମାରୁତିର ବଳ-

ଜନ୍ମକାଳେ ତାର ରେ, ପାଦ ବାଜି ଶତଶୃଙ୍ଗ ଶିର ।୭।

ଚୂର୍ଣ୍ଣ ହୋଇଗଲା ଦେଖିଛି ମୁଁ ଦୁଇ ଆଖି

ଛାର ବକ ଦୈତ୍ୟ କି ପାରିବ ତାକୁ ଭକ୍ଷି

ବଇଷ୍ଣବ ଗିର ରେ, ରକ୍ଷା ହେଉ ଦ୍ୱିଜ ଉପକାର ।୮।

ବିପ୍ର- (ପ୍ରବେଶି) ମା ! ଅନ୍ନଶକଟ ପ୍ରସ୍ତୁତ ରହିଛି ।

କୁନ୍ତୀ- ଦେଖ ବାପ, ଭୀମ କାହିଁ ଅଛି ?

ଯୁଧିଷ୍ଠିର- ହେଇ, ଧାଇଁଅଛି ଭୀମା ହୋଇ ଲଣ୍ଡଭଣ୍ଡ ।

ଭୀମ- (ପ୍ରବେଶି) କହ ମା, ଆଉ ଡେରି ଅଛି କେତେ ଦଣ୍ଡ ?

କୁନ୍ତୀ- ଡାକି ଆସିଲେଣି ବିପ୍ର ଯାଆରେ ମାରୁତି !

ଭୀମ- କାହିଁ ଅନ୍ନ ଶକଟ ଦେଖାଅ ଦ୍ୱିଜପତି ! (କୁନ୍ତୀ, ଯୁଧିଷ୍ଠିର ପ୍ରସ୍ଥାନ)

(ଭୀମ ଅନ୍ନ ଶକଟରେ ବସି)

ଗୀତ- (ସରିଗଲା ପାଇଟି....ବୃତ୍ତେ)

ଏତେକାଳେ ବିଧାତ, ଦେଇଛି ପେଟ ପୂରାଇ ଭାତ

ମୁଁ ତ ମାରୁଛି ମଜା ମରିବ ରଜା ହୋଇବ ହିତ ।ପଦ।

ଦାନ୍ତ ମୋର ହୁଏ ଶୂଳାଇ, ହାତ ମୋର ହୁଏ ଘୋଳାଇ

କହେ ମୁହିଁ ନିକର ନିଶ୍ଚେ ପାଜିର ଫାଡ଼ିବି ଅନ୍ତ ।୧।

ତାଜି କଲେ ଭାଙ୍ଗିବି ଅଣ୍ଟା, ପିଞ୍ଜିଦେବି ପଞ୍ଜରା-କଣ୍ଟା

ବୁଝିବି ବଳ ମୋଡ଼ିବି ଗଳ ପିଇ ରକତ ।୨।

କାହିଁ ଗଲା ଦାନବ ଦୋଷୀ, ସତେ ପରା ଗିଳିବ ଆସି

ତାକୁ ମିଳିବ ଯୋଗ, ହଟିବ ରୋଗ ବଇ ରଚିତ ।୩।

ଭୀମ- ରେ ରେ ବକ, ଯେବେ କରୁଅଛି ଭୋକ, ଆ ଆଁ କରି ଖାଇବୁ ଆ ।

ବକ- (ପ୍ରବେଶି) ଏ କି କାଣ୍ଡ, ଦିନେ ତ ଏପରି ମୋତେ କେହି ଖାଇବାକୁ ଡାକେ ନାହିଁ, ଆଜି କାହାର କାଳ ପୂରିଛି ?

ଭୀମ- ଆରେ ମୁଁ ଏଗୁଡ଼ାକ ଖାଏଁ, ତୁ ମୋତେ ଖାଇଲେ ଦୁହେଁଯାକ ତୋ ପେଟରେ ରହିବୁ ଯାଇ ।

ବକ- ରେ ଦୁଷ୍ଟ ମାନବା, ତୋର ଏଡ଼େ ସାହସ ?

ଗୀତ-(ଆଜି ଯିବି ଶିକାରକୁ....ବୃତ୍ତେ)

ଆରେ ରେ ଚଣ୍ଡାଳ, ତୋର ପୂରିଲାଣି କାଳ ରେ ।

ଜାଣିଲିଣି ଏହିକ୍ଷଣି ଯିବୁ ଯମଆଳ ରେ ।ପଦ।

ହେଉ କେତେ ତମତମ,            ନ ଆସିବ ବାପ ନାମ

ବକ ରାକ୍ଷସର ଭକ୍ଷ କରିଲୁ କବଳ ରେ ।୧।

ମୋ ଅଶନ ଦ୍ରବ୍ୟେ ବାଧା,            ଦେଲୁ ତୋ ଏଡ଼େ ଆସ୍ପର୍ଦ୍ଧା

ବିଧାଏ ମାରି ଚିରିବି ତୋ ଅସ୍ଥି କଙ୍କାଳ ରେ ।୨।

ତୁ ଛାର ମାନବ କୀଟ,            ଦାନବ ସଙ୍ଗରେ ଆଣ୍ଟ

ବହି ଖଣ୍ଟବୃତ୍ତି କରୁ ନ ପାଇବୁ ଥଳ ରେ ।୩।

ଯେବେ ଭଲ ଗତି ଚାହୁଁ            ନ ଭୁଞ୍ଜ ମୋ ଭୋଜ୍ୟ ଆଉ

ବଇ ବୋଲେ ଦେଖିବି ତୋ ଦେହେ କେତେ ବଳ ରେ ।୪।

(ପଛଆଡ଼ୁ ବିଧା ମାରନ୍ତେ ଭୀମ ନ ଚାହିଁ ଅନ୍ନଯାକ ଖାଇଦେଇ ପେଯରେ ହାତ ବୁଲାଇ)

(ଭୀମର ରାକ୍ଷସ ପ୍ରତି)

ଗୀତ- (ଆହା ସୁକୁମାରୀ ଅଲ୍ୟଳ କୁମାରୀ...ବୃତ୍ତେ)

କି ନିମନ୍ତେ ମୋତେ ମାରୁ ନିଶାଚର ସାରୁଛୁ ମହତ ଆସି ରେ ।

ଏକ ଚାପଡ଼ାକେ ଛାର ବାପୁଡ଼ାର ମୁଣ୍ଡଟା ପଡ଼ିବ ଖସିରେ ।ପଦ।

କେତେ ନରମାଂସ ଖାଇଲେ ନୃଶଂସ ତୋ ଶରୀର ଅଛୁ ପୋଷି ରେ ।

ଆଜି ସେ ବରାଦ ହୋଇଯିବ ରଦ ପାହିଗଲା ସୁଖ-ନିଶିରେ ।୧।

ବିଧା ଯୋଡ଼ା ତୋର ଲାଗିଲା ପିଠି ମୋ ଦେଲୁ ଯେମନ୍ତେ ଆଉଁସି ରେ ।

ଦେହୁ କଣ୍ଡୁ ଦୂର କଲୁରେ ପାମର ପିଟି ଶାଳ-ଶିଳ ରାଶି ରେ ।୨।

ଥିଲେ ପୁଂସପଣ କର ମଲ୍ଲରଣ ବାହୁ ହେବା କଷାକଷି ରେ ।

କେତେ ବା ଶକତି ପକାଇ ନିକିତି ତୁଳି ନେ ବଇଆ ଭାଷି ରେ ।୩।

(ରଣବାଦ୍ୟ ଓ ମଲ୍ଲଯୁଦ୍ଧ)

ବକ- (ସ୍ୱଗତ) ଏ ନୁହେଁ ସାମାନ୍ୟ ମାନବ, ପାଦଘାତେ ଭଗ୍ନ ହୁଏ ପାଷାଣ ପାଦପ । (ପ୍ରକାଶ୍ୟେ) ରେ ରେ ପାମର ନର ! ଭୀମ- କି ଭାବନା କରୁଛୁ ରେ ପାଜି !

ଗୀତ- (ଓଗାଳ...ବୃତ୍ତେ)

ଦୁଷ୍ଟବୁଦ୍ଧି ଇଷ୍ଟ ଚିନ୍ତା କର

ଆଜୁ ଭବକଷ୍ଟ ହେବ ଦୂର

।୧।

ତୋର ରିଷ୍ଟ ପଡ଼ିବାରୁ ଆଜି

ଦୁଷ୍ଟ ମୋ ମୁଖେ ପଡ଼ିଛୁ ପାଜି

।୨।

ଆଉ ତିଷ୍ଠିବାର ନାହିଁ ବାଟ

କୋଷ୍ଠୀ କାଟିଲାଣି ଜନ୍ତୁରାଟ

।୩।

ଯଷ୍ଟି ପ୍ରହାରେ ଯେସନେ ସର୍ପ

ତେହ୍ନେ ଚୂରିବି ଆଜି ତୋ ଦର୍ପ

।୪।

ଷଷ୍ଠାଷ୍ଟମ ହେଲେ ଜାଣ ପ୍ରାଣ

ସ୍ଥାନଭ୍ରଷ୍ଟ ବା ମରଣ ପୁଣ

।୫।

ପରମେଷ୍ଠୀ କଲା ସେ ବରାଦ

ଏବେ ଭୀମ ହାତେ ହୁଅ ବଧ

।୬।

ତୋର ଭାଇ ହିଡ଼ିମ୍ବ ଅସୁର

ମୁହିଁ ଚିହ୍ନ ଯମ ଅଯେ ତାର

।୭।

ଜଳଜଳା ଆଉ ବେଳ ନାହିଁ

ଚଳ କାଳଆଳେ ଭାଷେ ବଇ

।୮।

ବକ- ରେ ପାମର ! ସହି ନୁହେଁ ତୋର ଏହି ବିଦ୍ରୂପ ବଚନ । ତୁ ମୋର ଭ୍ରାତୃ-ବୈରୀ ଖଣ୍ଟ, କରିବଇଁ ତୋର ରକ୍ତେ ଭାଇର ତର୍ପଣ ।

ଭୀମ- ରଣ କର ଛାଡ଼ିଦେଇ ଟାଣ ।

(ଉଭୟଙ୍କର ଯୁଦ୍ଧ ଓ ବକର ମୃତ୍ୟୁ)

ଥାଉ ଏ ରାକ୍ଷସ ଶବ ଏହିଠାରେ ପଡ଼ି ।

ନେପଥ୍ୟେ- ମାଇଲା ରେ, ଅଇଲା ରେ, ପଳା ପଳା ରେ ।

ଭୀମ- ମୁଁ ତୁମ୍ଭମାନଙ୍କୁ କେଭେ ମାରିବି ନାହିଁ । ଆଜିଠାରୁ ତୁମ୍ଭେ କେହି ମନୁଷ୍ୟ ଖାଇବ ନାହିଁ ।

ନେପଥ୍ୟେ- ନାହିଁ ନାହିଁ, ଖାଇବୁ ନାହିଁ ।

ବିପ୍ର- (ପ୍ରବେଶି) ଏ କିଏ ? ଏ ତ ସେହି ବିପ୍ର ସର୍ବାଙ୍ଗଯାକ ରକ୍ତରେ ଜର୍ଜର । ହେ ବ୍ରାହ୍ମଣ ! କଅଣ ଘଟଣା ?

ଭୀମ- ଗୀତ- (ବନାମା’...ବୃତ୍ତେ)

ହେ ନନା, ଆଉ କି ଭାବନା ତୁମ୍ଭର ।

ବକର ହେଲା ମରଣ, ସୁଖରେ କାଳ ହରଣ,

      କରି ରହ ନିଜ ନବର ।ପଦ।

ମାଇଲା କେ ନ କହିବ କାହକୁ ଏ କଥା,

ହେଲେ ଏମାନ ପ୍ରକାଶ, ହେବ ଆମ୍ଭ ସର୍ବନାଶ¸

      ନ ରହିବୁ ଏହି ଠାବର ।୧।

ବଞ୍ଚାଇ ବୋଲିବ ଦ୍ୱିଜ ଲୁଚାଇ ଗୋପନେ,

ଜିଗରକଲେ କେ ବେଶୀ, ବୋଲିବ କେ ବିପ୍ର ଆସି,

      ମୋତେ ବୋଇଲା ରୋଦନ ସମ୍ବର ।୨।

ବକ ଭକ୍ଷ ହେବା ପାଇଁ ଗଲା ଶକଟରେ,

ନ ଜାଣେ ଆଉ ସମ୍ବାଦ, ଘଟିଲାଣି କି ପ୍ରମାଦ,

      ଏ ରଚନା ବଇଷ୍ଣବର ।୩।

ଦୁଇଜଣ ଗ୍ରାମବାସୀଙ୍କ ପ୍ରବେଶ

ଗୀତ-(ଧାଇଁଆ ଧାଇଁଆ ଧାଇଁଆ...ବୃତ୍ତେ)

୧ମ- ଅନାଅନାରେ ବାବନା ଭାଇ ରେ,

୨ୟ- କିଏ ପଡ଼ିଚି କେଉଁଠି କାହିଁରେ ?

୧ମ- ଅନା, କାନକୁ ଦେଇଛି ଡେରି ରେ,

୨ୟ- ଏଇ ଦିଶେ, ବକ ରାଜା ପରିରେ ।

୧ମ- ଦାନ୍ତକୁ ଏକାଠି ନିକିଟି ଦେଇଛି ସତେକି ମାରୁଛି ହାଇରେ ।୧।

୨ୟ- ପୁଣି ଫରଫର ଉଡ଼େ ବାଳ ରେ,

୧ମ- ନାକପୁଡ଼ା ଦୁଇ ପଙ୍କାନଳ ରେ ।

୨ୟ- ହେଇ ଚକ ପରି ଆଖି ଯୋଡ଼ାରେ,

୧ମ- ଯେତେ ଖାଇଛି ମଣିଷଗୁଡ଼ା ରେ ।

୨ୟ- ଏଇ ହାତରେ, ଯେତେ ଦାନ୍ତରେ ଖାଇଲା ମଣିଷ ଗାଈ ରେ ।୨।

୧ମ- ୟାକୁ ସହିଲା ନାହିଁ ରେ ଧରମ,

୨ୟ- କେହି ନ କରିବେ ପାପ କରମ ।

୧ମ- ୟା ନାଁଟି ଦଇବ ମାଡ଼,

୨ୟ- ଏଇ ହେତୁରୁ ବିଧାତା ବଡ଼ ।

୧ମ- କିଏ କେତେବେଳେ ଦୋଷିକି ମାଇଲା ଦେଖି ନ ପାରିଲେ କେହି ରେ ।୩।

୨ୟ- କଥା ଛପି ନାହିଁ ଜମା ବକଟେ,

୧ମ- କିଏ ପକାଇଲା ୟାଙ୍କୁ ସଙ୍କଟେ ।

୨ୟ- ଗୋଟା ବ୍ରାହ୍ମଣ କେଉଁଠୁ ଅଇଲା,

୧ମ- ସେଇ ଭାତ ଶଗଡ଼କ ଖାଇଲା ।

୨ୟ- ମୁଁ ଜାଣେ ଦେବତା ଦ୍ୱିଜରୂପେ ଆସି ମାରିଗଲା ଭାଷେ ବଇ ରେ ।୪।

(ପ୍ରସ୍ଥାନ)

ରାଣୀମାନଙ୍କ ପ୍ରବେଶ

ଗୀତ-(ନାରୀଜନ୍ମ ହୋଇ...ବୃତ୍ତେ)

କାହା ପାଶେ ରଖି ନାହା ଗଲ ଆମ୍ଭଙ୍କୁ ହେ, କେ ମାଇଲା ତୁମ୍ଭଙ୍କୁ !

ଛେଦି ଦେଲା ବ୍ୟାଧି ଆଜୁଁ ଧୈର୍ଯ୍ୟ-ସ୍ତମ୍ଭକୁ ହେ ।ପଦ।

ବସାଇ ପଲ୍ୟଙ୍କ ପରେ,            ନାନା ଚାଟୁପଟଳରେ

ଟଳାଇ ଦେବ କେ ଆମ୍ଭ ହୃଦୟ-ଦମ୍ଭକୁ ହେ ।୧।

ବିରହ ବେଦନାଠାରୁ,            ନାହିଁ କେ ଜଗତେ ଗରୁ

ବିରହୀ ବିନୁ କେ କରେ ଅନୁଭବକୁ ହେ ।୨।

ଆଜି ଏ ରାଜଭବନ,            ଲାଗୁଛି ଯେମନ୍ତେ ବନ

କା ବଦନ ଚାହିଁ ରଖିବୁ ଏ ଜୀବକୁ ହେ ।୩।

ତୋଳନ୍ତେ ପଡ଼ୁଛ ଢଳି,            ଧୂଳି ଏ ତ ନୁହେଁ ତୂଳି

କେମନ୍ତେ ମୂରୁଛି ଗଲ କେତେ ଲୋଭକୁ ହେ ।୪।

କରି ବସିଥିଲେ ମାନ,            ପୋଛିଦିଅ ନେତ୍ରୁ ବନ

ଖୋଲି ନ କହୁଛ ମନ ବଇଷ୍ଣବକୁ ହେ ।୫।

ମନ୍ତ୍ର- ବାମାଗଣେ, ଆଉ ବୃଥା କାନ୍ଦିଲେ କି ହେବ, ତୁନିହୋଇ ସର୍ବେ ରାଜଭବନକୁ ଯାଅ ! ଭୃତ୍ୟଗଣେ ! ଲୋକମାନଙ୍କୁ ଡକାଇ ଶବକୁ ଦହନ କରାଅ ।

ସମସ୍ତେ- ବକ ଶବ ଘେନି ପ୍ରସ୍ଥାନ ।