[ନଟୀର ଗୀତ ଗାଇ ଗାଇ ପ୍ରବେଶ]
(ପ୍ରିୟେ ଧୈର୍ଯ୍ୟ ଧର ଲୋ...ବୃତ୍ତେ)
ବସନ୍ତ ଆଗମେ ହସଇ ଧରଣୀ । ପଦ । ଚୂତ ପଲ୍ଲବେ ବକୁଳ କେଡ଼େ ଶୋଭାକର । ଯେସନେ ପ୍ରକୃତି ରାଣୀ ଧରିଣ ଚାମର । ଢାଳି ଆଗେ କରେ ବରଣୀ । ୧ । ମଲ୍ଲୀ ମାଧବୀ ନିଆଳୀ କେତକୀ ଟଗର । ଫୁଟି ପ୍ରସରନ୍ତି ବାସ ବସନ୍ତ ଡଗର, ରାବେ ପିକ ପଞ୍ଚମେ ପୁଣି । ୨ । ରମଣୀ ରମଣସୁଖେ ବଳାଇଲେ ମତି । ପୁରୁଷ ପରଶ ଅଙ୍ଗସଙ୍ଗ ଦିବା ରାତି, ମତ୍ତକରୀ ତୁଲେ କରିଣୀ । ୩ । ବିଟପୀଏ ଲୋଡ଼ି ସ୍ନେହେ ବିଟପଙ୍କ ଭାବ । ବିଟପେ ପଲ୍ଲବି ଫୁଲ ଫଳ କଲେ ଲାଭ, ବଇର ବିଭବ ତରଣୀ । ୪ ।
ନଟ- (ପ୍ରବେଶି) ନଟୀଶିରଭୂଷା ଯୋଷାମଣି !
କେଉଁଠି ଏ ଗୀତଟିମାନ ଖଞ୍ଜାଇ ରଖିଥାଅ, ବେଳକାଳ ଦେଖିଲେ ମନେ ପଡ଼ିଯାଏ; ଉପମା ଉପମେୟ ବି ତହିଁରେ ଊଣା ନୁହେଁ । ବସନ୍ତ ବର୍ଣ୍ଣନା ଯେଉଁ ସଙ୍ଗୀତଟିଏ ଗାଇଲ ତାହା ଶୁଣିଲେ କାହାର ଅନ୍ତର ନ ତରଳି ସ୍ଥିରଭାବରେ ରହିବ; ପାଷାଣ ସୁଦ୍ଧା ଦ୍ରବିଯାଇପାରେ । ଆଚ୍ଛା କହିଲ, ଆଜି କି ବିଷୟ ଏ ଦର୍ଶକଗଣଙ୍କୁ ଦେଖାଇ ତାଙ୍କର ସ୍ନେହପାତ୍ର ହେବା ?
ନଟୀ- ନଟବର ! ନିଇତି କ’ଣ ବିଷୟ ମୋ ଭାଗରେ ପଡ଼େ ?
ଆଜି ତୁମ୍ଭେ ତାହା ସ୍ଥିର କରି କହିବ; ମୋ ପାଳି କାଲିକି ଥାଉ ।
ନଟ- ଆଚ୍ଛା ବିଦୂଷୀ ପ୍ରବୀଣେ ! ତା’ଇ ହେଉ । କାଲି ଯେଉଁ ତ୍ରିପୁରମୋହିନୀହରଣ ବା ମେରୁଶୂଳ ଦୈତ୍ୟବଧ ମହାଭାରତ ବନପର୍ବରୁ ଉଦ୍ଧୃତ କରି ତାହା ନାଟକାକାରେ ଲେଖି ତୁମ୍ଭଙ୍କୁ ଶୁଣାଉଥିଲି, ସେ କ’ଣ ଏଠାରେ ଆଦରଣୀୟ ହେବ ନାହିଁ ?
ନଟୀ- ବେଶ୍ ହେବ, ତାହା ଯେପରିଭାବରେ ଲେଖିବ, ବିଷୟଟି ମଧ୍ୟ ବଡ଼ କୌତୂହଳ । ଶୀଘ୍ର ଚାଲ ଅଭିନୟ ଆରମ୍ଭ କରିବା; ବିଳମ୍ବରେ ଦର୍ଶକେ ବିରକ୍ତ ହେବେ ।
ନଟ- ମୋର କୌଣସି ଆପତ୍ତି ନାହିଁ; ଚାଲ । (ଉଭୟଙ୍କ ପ୍ରସ୍ଥାନ)
(କାମ୍ୟକବନେ ପାଣ୍ଡବ ପାଞ୍ଚଭାଇ ଓ ବଶିଷ୍ଠ, ଲୋମଶ, ବାହ୍ଳୀକ, ଅଗସ୍ତି ଆଦି ଆସୀନ)
ଯୁଧିଷ୍ଠିର- ମୁନିଗଣେ ! ତବାଶ୍ରୟେ ବହୁଦିନ ବଞ୍ଚିଲି ଏ ସ୍ଥାନେ
ଗୁପ୍ତବନବାସ ଯାଇଁ ପଡ଼ିଲା ଅଜ୍ଞାତ
ଗୋପନେ ରହିବୁ କେଉଁପରି କେଉଁଠାବେ
ନ ଜାଣିବ ରାଜା ଦୁର୍ଯ୍ୟୋଧନ
ତେରମାସ ତେରଦିନ ପରେ
ପ୍ରକାଶ ହେବୁ ବାରୁଣାବତେ
କି କରିବି କହ ମୁନି ମୋତେ ?
ଅଗସ୍ତି- ଧର୍ମବୀର ରାଜା ଯୁଧିଷ୍ଠିର !
କର ତୁମ୍ଭେମାନେ ଚିତ୍ତେ କୃଷ୍ଣଙ୍କୁ ସ୍ମରଣ
ଆସିଲେ ଗୋବିନ୍ଦ ଆମ୍ଭ ପାଶେ
ସକଳେ ବସି ଅଜ୍ଞାତବାସକୁ ତୁମ୍ଭରି
ନିର୍ଣ୍ଣୟ କରିବୁ କ୍ଷେତ୍ର ଗୋଟି
ଶୀଘ୍ର ଶ୍ରୀକୃଷ୍ଣଙ୍କୁ ଚିନ୍ତାକରରେ କିରୀଟି !
ଅର୍ଜୁନ- ଜ୍ୟେଷ୍ଠଭ୍ରାତା ! ଶୁଣିଲେ ତ କର୍ଣ୍ଣେ ମୁନି କହିଲେ ଯେ କଥା
ଆସ ପାଞ୍ଚ ଜଣ ମିଳି ଏକଚିତ୍ତେ ଡାକିବା କୃଷ୍ଣଙ୍କୁ ।
ଯୁଧିଷ୍ଠିର- ରେ ଅର୍ଜୁନ ! ସଦା କୃଷ୍ଣ ତୋର ସ୍ନେହେ ବନ୍ଧା
ଚିନ୍ତିଲା ମାତ୍ରେ ସେ ନିଶ୍ଚେ ଆସିବେ ଏଥକୁ,
କର କୃଷ୍ଣେ ଚିନ୍ତା ଧନଞ୍ଜୟ !
ଗୀତ- (ନମସ୍ତେ କରାଳରୂପୀ...ବୃତ୍ତେ)
ବଳୀ ବଳହନ୍ତା ବଳନୁଜ ବନମାଳୀ । କାଳିୟଦମନକାରୀ ଶିଖଣ୍ଡମଉଳି । ପଦ । ଲଳିତାଙ୍ଗୀ ରାଧାକାନ୍ତ କଳିବ କେ ତବ ଅନ୍ତ । ଯାମଳାଭଞ୍ଜନ ନାଥ ଯଶୋଦାସଙ୍ଖାଳି । ୧ । ପାଳିତ ପାଣ୍ଡବେ ତୋର, ଛଳିବ କି ଚକ୍ରଧର ! ଜାଳିଦିଅ ଏ ବିପଦ ବନ ଏହି ଅଳି । ୨ । କେଳିକଦମ୍ବମୂଳିଆ, ଗୋପାଳସୁତ ମେଳିଆ । ବଇଷ୍ଣବର ତୁ ଇଷ୍ଟ ଆସ ଢଳିଢଳି । ୩ । |
ଶ୍ରୀକୃଷ୍ଣ- (ପ୍ରବେଶି) କିପାଁ ଚିନ୍ତା କରୁରେ ଗାଣ୍ଡିବି ! କି କାର୍ଯ୍ୟ ସାଧିବି କହ ତୋର ?
ଅର୍ଜୁନ- ପ୍ରଣାମ ପୟରେ ଯଦୁନାଥ । ଧର୍ମ ଆଦେଶେ କରିଲି ଚିନ୍ତା- ଏହି ଦେଖ ମୁନିମେଳେ ଛନ୍ତି ଯୁଧିଷ୍ଠିର, ଆସ ତାଙ୍କ ପାଶେ ଯିବା ସଖା ! (ଯୁଧିଷ୍ଠିରପାଶେ ଶ୍ରୀକୃଷ୍ଣ ପାର୍ଥ ସହ ପ୍ରବେଶ)
ଶ୍ରୀକୃଷ୍ଣ- ନମସ୍କାର ପଦେ ହେ ଅଗ୍ରଜ ! କିପାଁ ଅର୍ଜୁନ ଚିନ୍ତିଲା ମୋତେ, ଟଳିଲା ଆସନ, ଦଣ୍ଡେ ରହି ନ ପାରିଲି ଦ୍ୱାରାବତୀପୁରେ; କହ କିସ କାର୍ଯ୍ୟ ଦାସଠାରେ ।
ଯୁଧିଷ୍ଠିର- ହେ ଛଳନାମୟ, କିମ୍ପା ଛଳ ଏ ପାଣ୍ଡବେ । ନଜାଣ କି ଅନ୍ତର୍ଯ୍ୟାମି ଆମ୍ଭରି ଅନ୍ତର... ଅଜ୍ଞାତ ଆଗତ ସ୍ଥାନ ବତାଅ ଆମ୍ଭଙ୍କୁ, କେଉଁଠାରେ ଗୋପନେ ରହିବୁ ପାଞ୍ଚଭାଇ, ଘେନି ଯାଜ୍ଞସେନୀ ସଙ୍ଗେ ?
ଶ୍ରୀକୃଷ୍ଣ- ହେ ଅଗସ୍ତି ବାହ୍ଲୀକ ବଶିଷ୍ଠ ଋଷିଗଣେ ! କହ କାହିଁ ଅଛି ସ୍ଥାନ ଗୋପନ ଏପରି ପାଣ୍ଡବେ ରହିବେ ଯାଇ ତହିଁ ?
ମାର୍କଣ୍ଡ- ଶୁଣେ ନାରାୟଣ ! ହିମାଦ୍ରିର ଉତ୍ତରକୁ ଶତଯୁଣ ବିଜନ ସେ ସ୍ଥାନ, ଅଧିଷ୍ଠାତ୍ରୀ ସେ କ୍ଷେତ୍ରରେ ଅଟନ୍ତି ହିଙ୍ଗୁଳା, ଯୋଗ୍ନୀଗଣେ ଘେନି ନିତ୍ୟ କରୁଥାନ୍ତି କ୍ରିଡ଼ା, ତାଙ୍କୁ ସେବି ନିରାପଦେ ରହନ୍ତୁ ପାଣ୍ଡବେ ।
ଅଗସ୍ତି- ହେ ବଶିଷ୍ଠେ, ମନେପଡ଼େ ମୋର ଦକ୍ଷିଣ କୋଶଳେ ଅଛି ପୁରେ ।
ବଶିଷ୍ଠ- ପ୍ରକୃତ ବୋଇଲେ ଏ ଅଗସ୍ତି ମେରୁଶୂଳଦୈତ୍ୟ ମହାବଳୀ ତହିଁ କରଇ ରାଜତ୍ୱ, ମହାଦର୍ପିଷ୍ଠ ସେ ରକ୍ଷ ସ୍ୱର୍ଗେ ଦିଏ ଧାଡ଼ି, ଗୃଧ୍ରପୃଷ୍ଠେ ଚଢ଼ିଣ ଭ୍ରମଇ ତିନିପୁରେ, ନ ଧରଇ ଅସ୍ତ୍ର ଶସ୍ତ୍ର; କୋଦାଳେକ କରେ ସଦା ଆୟୁଧ ଅଟଇ ଜାଣ ସେହି, ତାକୁ ବଧକଲେ ସ୍ୱଚ୍ଛେ ରହନ୍ତେ ପାଣ୍ଡବେ ।
ଯୁଧିଷ୍ଠିର- କହ ମୁନିଶ୍ରେଷ୍ଠ ସେହି ମେରୁଶୂଳ ରକ୍ଷ କାହାର କୁମର, କାହା ବରେ ମହାବଳୀ ?
ବଶିଷ୍ଠ- ଶୁଣ ରାଜା ତାର ପରିଚୟ ।
ଗୀତ- (ଭାଗବତ..ବୃତ୍ତେ)
ଯାହା ପୁଛିଲ ଧର୍ମସୁତ ।
ମେରୁଶୂଳର ଜନ୍ମ ତତ୍ତ୍ୱ । ୧ ।
ବହୀଶୂଳ ନାମେ ରାକ୍ଷସ ।
ତପେ ସୂର୍ଯ୍ୟଙ୍କୁ କଲା ତୋଷ । ୨ ।
ଜଗତଜିତା ପୁତ୍ର ଗୋଟି ।
ମାଗିଲା ବର ହେ ଯୁଧିଷ୍ଠି । ୩ ।
ତୋଷେ ତପନ ଦେଲେ ବର ।
ଅସ୍ତୁ ହେଉରେ ବାଣୀ ତୋର । ୪ ।
ତାହାଙ୍କ ବରେ ମେରୁଶୂଳ ।
ଜନ୍ମ ହୋଇଲା ମହିତଳ । ୫ ।
ତା ନାରୀ ନାମ କାତ୍ୟାୟିନୀ ।
କନ୍ୟା ତା ତ୍ରିପୁରମୋହିନୀ । ୬ ।
ବର ତା ନିମନ୍ତେ ନ ପାଇ ।
ମେଢ଼େ ରଖିଛି କନ୍ୟା ନେଇ । ୭ ।
ବହୁତ କରିଛି ଆକଟ ।
ମାଛି ଯିବାକୁ ନାହିଁ ବାଟ । ୮ ।
ସେ କନ୍ୟା ଯୋଗେ ଦ୍ୱନ୍ଦ ହେବ ।
ଛନ୍ଦଇ ପଦ ବଇଷ୍ଣବ ।
କୃଷ୍ଣ- ଧର୍ମରାଜ ! ପ୍ରକୃତ କହିଲେ ଯାହା ବ୍ରହ୍ମାଙ୍କ ନନ୍ଦନ, ନିକଟେ ହେବ ସେ ନାରୀ ପାଇଁ ମହାଗୋଳ, ଏହି ବନେ ଥିବା ଆମ୍ଭେମାନେ ପାଇବା ସନ୍ଧାନ ଏଥି ସବୁ, ସେକାଳେ କରିବା ଦୈତ୍ୟବଧେ କଉଶଳ । ବେଳ ହେଲା ଚାଲ ନିତ୍ୟକର୍ମେ । ଏହାପରେ ହେବ ପରାମର୍ଶ ଧର୍ମ, ତବ ଅଜ୍ଞାତବାସକୁ ।
ଯୁଧିଷ୍ଠିର- ଇଚ୍ଛାମୟ ଯେ ଇଚ୍ଛା ତୋହର । ଚାଲ ମୁନିଗଣେ ସ୍ନାନେ ନଦୀତଟେ ଯିବା । (ସମସ୍ତଙ୍କ ପ୍ରସ୍ଥାନ)
(ଦକ୍ଷିଣ କୋଶଳପୁର-ମେଢ଼େ ତ୍ରିପୁରମୋହିନୀ ସଖୀଗଣ ସହ ଉପବେଶନ)
ମୋହିନୀ- ଚାହିଁ ଦୂରେ ଦେଖ ଲୋ ସଜନୀ ! ଦୀର୍ଘଶ୍ମଶ୍ରୁଧାରୀ ଏହୁ କିଏ ? ଶିରେ ଶୋଭାପାଏ ଜଟାଭାର, ସର୍ବାଙ୍ଗରେ ବିଭୂତି ବିରାଜେ, ରୁଦ୍ରାକ୍ଷ ମାଳି ଦୋଳଇ ଆଗର୍ଭଲମ୍ବିତ କଣ୍ଠଦେଶେ, ପିନ୍ଧିଛନ୍ତି କୌଷେୟ ବସନ, କରେ ବିରାଜିତ ଅକ୍ଷମାଳା, ଯଜ୍ଞ-ଉପବୀତ କନ୍ଧେ ଶୋଭେ କିଏ ସେହି ମୁନି ଗୋ ସଙ୍ଗିନି ?
ସଖୀ- ସଖି ମେରୁଶୂଳଜେମା ! ଚିହ୍ନାଇଦେଇଚି ଦିନେ ତୁମ୍ଭଙ୍କୁ ମୁଁ ନିଜେ ଏହି ମୁନି ଦୁର୍ବାସା ତାପସ । ଜଣାଯାଏ କାର୍ଯ୍ୟ ଛଳେ ଆସନ୍ତି ତୋ ପାଶେ ଏହିକ୍ଷଣି ଜାଣିମା ସମସ୍ତ । (ମୁନିଙ୍କ ପ୍ରବେଶ)
ମୋହିନୀ- ପ୍ରଣାମ ପୟରେ ତପମଣି !
ଗୀତ – (ଦୂତୀ କର ଧରି ହରି....ବୃତ୍ତେ)
ଆସିଚ କି ହେତୁ ଋଷି ଦାସୀର ପୁରକୁ,
ଭାଷ ମନଭାବମାନ ଯୋଡ଼ୁଚି କରକୁ ।
ତୁମ୍ଭେ ସର୍ବଜ୍ଞ ସୁଜ୍ଞାତା,
ଅଜ୍ଞାତ ନାହିଁ ତୁମ୍ଭଙ୍କୁ ଅନ୍ତରର କଥା । ୧ ।
ପ୍ରୌଢ଼ା ହେଲେ କନ୍ୟାମାନେ ଲୋଡ଼ନ୍ତ କି ସୁଖ,
ତହିଁରୁ ବଞ୍ଚିତ ମୁହିଁ ସହୁଚି ଏ ଦୁଖ ।
ମୋର ଅନୁରୂପେ ବର,
ଖୋଜି ନ ପାଇଣ ତାତ ହେଲେ ହରବର । ୨ ।
ମୋ ପାଇଁ ଠାବ କରିଚ ଯେବେ କାହିଁ ପତି,
କହି ଦୂର କର ବାରେ ବିରହ ତପତି ।
ଦହ ଦହ ଦହେ ଦେହ ।
ରୋଷେ ଫୁଲବାଣ ବିନ୍ଧେ ସେ ପୋଡ଼ା ଅଦେହ । ୩ ।
ସହି ସହି ରହିଲିଣି ଅପାର କଷଣ ।
ଡର ନାହିଁ ହେଲେ ହେବ ଜଗତେ ଦୂଷଣ ।
ବଇଷ୍ଣବର ଗୁହାରି, କାନ୍ତ ଅଭାବେ ଏ ଜୀବ ଯିବଟି ବାହାରି । ୪ ।
ଦୁର୍ବାସା- ଶୁଣ ମେରୁଶୂଳବାଳା ! ଅସ୍ଥିର ନ ହୁଅ ତିଳେ ଆଉ, ତୋ ନିମନ୍ତେ ବର ଏକ କରିଅଛୁ ସ୍ଥିର । ଶିବସୁତ ଷଡ଼ାନନ ଯୋଗ୍ୟ ପତି ତବ, ଏହି ଦେଖ ତାର ଚିତ୍ରପଟ । ପିତା ହର ମାତା ଯା’ ପାର୍ବତୀ, ମହାଯୋଦ୍ଧା ଦେବ ସେନା ତାରକାନାଶନ, ବାର ଭୁଜ ଷଡ଼ଗୋଟି ମୁଖ, ମୟୂରବାହନ ତପୋବନ୍ତ ଗୁଣବନ୍ତ, ମହାଦେବଠାରୁ ଶ୍ରେଷ୍ଠ ବଳେ ତୋର କାନ୍ତ । ଯେବେ ତପେ ତୋଷିଥିବୁ ହରି, ଝାସିଥିବୁ ଯେବେ ବାଞ୍ଛାବଟେ ଜାହ୍ନବୀରେ, ରୁଦ୍ର ପତି ପାଇବୁ ରେ ସତି ! ଅମର ସେ, ମୃତ୍ୟୁ ନାହିଁ ତାର ।
ମୋହିନୀ- ହେ ତାପସ ! ତୁମ୍ଭେ ମୋ ଭରସା, ତବ ଯୋଗେ ବିରହସାଗରୁ ହେବି ପାର, ବର ମୋତେ ଦିଅ ବେଗେ ଆଣି। ଅନାଇ ବସିଚି ତୁମ୍ଭ ଆଗମନ ପଥ । ନିଅ ଏହି ପ୍ରତିମୂର୍ତ୍ତି ମୋର ଦେଇ ଶିବସୁତେ ବାକ୍ୟେ ତୋଷିବ ମନକୁ, ଶୀଘ୍ର ଯାଅ କଇଳାସପୁରେ ।
ଦୁର୍ବାସା- ଶୁଣ ସୁବଦନି ! ଯେବେ କାର୍ତ୍ତିକକୁ ଇଚ୍ଛା ବଳିଲାଣି ତୋର ସାତଦିନେ ପାଇବୁ କାନ୍ତରେ, ଘେନି ଆସି ଭେଟାଇବି ତୋର ସହିତରେ, ନେଉଚୁ ମେଲାଣି ଦୈତ୍ୟଜେମା !
ମୋହିନୀ- ସଖି ! ସତେକି ତିମିର ଭେଦି ଉଇଁବ ତପନ, ତା ଦର୍ଶନେ ବିକସିବ ଏ ଚିତ୍ତପଙ୍କଜ । ସତେ ଗିରୀଷମେ କଳାମେଘ ହେବ ବୃଷ୍ଟି, ମୋ ଅଙ୍ଗଦେଶରୁ ତାପ କରିବ ହରଣ । କେତେବେଳେ ଦେଖିବି ମୁନିଙ୍କି ପତି ସହ ।
ସଖୀ- ଜେମାଦେଈ । ସେ ତ ଏତେ ତରତରିଆ ହାଲୁକା ବର ନୁହେଁ, ତୁମେ ଲଣ୍ଡଭଣ୍ଡ ହେଲେ କ’ଣ ହବ ? ମୁଁ ଯାହା କହୁଚି ତା ମାନ ।
ଗୀତ-(ମାନକର ଦାନଧନ....ବୃତ୍ତେ)
ତାରତରଳନୟନା ନୁହ ତରତର ଗୋ ।
ଦରପଣମୁଖି ମୁଁ କହୁଚି ବାର ବାର ଗୋ । ପଦ ।
ବାରଣଗତି ସମ୍ପତ୍ତି, ରମଣୀର ଏକାପତି ।
ସେ କା’ର ଆୟତ୍ତ ନୋହେ ବିହି କାରବାର ଗୋ । ୧ ।
ଭାବିନୀ ଭାବି ତା ନିତି, ଏ ତୋର କେତକୀ-କାନ୍ତି ।
କଳା ଦିଶି ଆସିଲାଣି ହେବ ଛାରଖାର ଗୋ । ୨ ।
କଷ୍ଟେ ଅରଜିତ ବିତ୍ତ, ସହଜେ ନ ହଜେ ମିତ !
ଶିତକରଜା ଏ ବାଣୀ ପାଷାଣର ଗାର ଗୋ । ୩ ।
କୁମ୍ଭସ୍ତନୀ ଦମ୍ଭ ହୁଅ, ରସାରେ ସୁଯଶ ଥୁଅ ।
ବଇଷ୍ଣବ ବୋଲେ ସହି ଯେ ଯାର ସେ ତାର ଗୋ । ୪ ।
ମୋହିନୀ- ସଖି । ତୁମ୍ଭେ ଯା କହିଲ ତା ମିଛ ନୁହେଁ; ପତି-ସମ୍ପତ୍ତି ଏ ନାରୀର ଭାଗ୍ୟ ଘେନି ମିଳେ । ଆଉ ଗୋଟିଏ କଥା, ଖାଇବାକୁ ମିଳିବ ବୋଲି ନ ଖାଇଲେ କି କାହାର ପେଟ ପୂରିଚି ? ସଖି, ମୁଁ ଏତେ ଦିନେ ଜାଣିଲି ବିରହକଷ୍ଟଠାରୁ ରମଣୀଙ୍କର ଆଉ ବେଶି କଷ୍ଟ ଜଗତରେ କିଛି ନାହିଁ; ମୋତେ କାହିଁକି ବିଧାତା ନାରୀକୁଳରେ ଜନ୍ମ ଦେଲା ? ଯେତେବେଳେ ଦାଣ୍ଡରେ କୁମାରୀ ଅବସ୍ଥାରେ ସଙ୍ଗୀ ପିଲାଙ୍କ ସଙ୍ଗେ ଧୂଳି ଖେଳୁଥିଲି, ବାଳିକାମାନଙ୍କ ସଙ୍ଗେ ବନରୁ ଫୁଲ ତୋଳୁଥିଲି, ବାପା ମାଆଙ୍କ ଅଙ୍କରେ ବସି ଗୀତଗାଉଥିଲି, ସେକାଳ କଥା ଆଜି ମନେପଡ଼ିଲେ ପ୍ରାଣ କ’ଣ ହେଇଯାଉଚି । ଏ ପୋଡ଼ା ଯୌବନ-ପ୍ରେତ ମୋତେ ଗ୍ରାସ କରିବ, ଏହା ସ୍ୱପ୍ନରେ ଥରେ ଭଲା ଭାବିଥାନ୍ତି; ସଖି ! ଏ କୋଉଠି ଥିଲା, କାହୁଁ ଆସିଲା, ମୁଁ କିଛି ସ୍ଥିର କରିପାରୁନାହିଁ ।
ଗୀତ-(ଏ ବିପଦେ କୋଥାୟ ଆଛ ମାତୁଳ ଗୋବିନ୍ଦ...ବୃନ୍ଦେ)
ଜାଣି ନଥିଲି ମିତଣି ଏହା ଭାଲେ ଘଟିବ ଗୋ ।
ଅନୁରାଗ ଛୁରୀ ଧରି ମାର ତଣ୍ଟି କାଟିବ ଗୋ । ପଦ ।
ବଦରୀଫଳ ସଦୃଶ, ବକ୍ଷେ ଯହୁଁ ହେଲା ଦୃଶ୍ୟ ।
ତହୁଁ ଭାବିଲି ତ ଲାଜ ଧୈର୍ଯ୍ୟ ଧନ ଲୁଟିବ ଗୋ । ୧ ।
କ୍ରମେ ବଢ଼ନ୍ତେ ସେ ବେନି, ବାସ ବଢ଼ନ୍ତେ ସେ ବେନି, ବାସ ଲୋଡ଼ିଲେ ସଜନୀ ।
ସେ ଦିନୁ ବୁଝିଲି ବାସରେ ମୋ ଦିନ କଟିବ ଗୋ । ୨ ।
କି ମନ୍ତ୍ର ସେ ପଢ଼ାଇଲା; ପିତା କୋଳ ଛଡ଼ାଇଲା,
କେ କରମେ ଜୁଟିବ ଗୋ । ବଇଷ୍ଣବ ରସେ କହେ, ପ୍ରେତ ଗ୍ରାସିଲା ପରାୟେ ।
ନିରତେ ଅଙ୍ଗ ଥରାଏ ଏ ରୋଗ କି ହଟିବ ଗୋ । ୪ ।
ସଖି- ଜେମାଦେଈ ! ଯେତେବେଳେ ବନରେ ମାଧବୀ ଫୁଲ ଫୁଟିଚି ଅବଶ୍ୟ ଭ୍ରମର ଆସି ଜୁଟିବ; ସେ ଫୁଲରୁ ମଧୁ ଲୁଟିବ । ସେ ସୁବାସକୁ କେହି ବାନ୍ଧି ରଖି ପାରିବେ ନାହିଁ, ତାହା ମହମହ ହୋଇ ଚାରିଆଡ଼କୁ ଛୁଟିବ । ଚାଲ, ସବୁବେଳେ ସେଇ କଥାକୁ ମନ୍ତ୍ରପରି ଘୋଷିହୁଅନା; ସ୍ନାନ ମାଜଣା ବେଳ ପରା ଗଡ଼ିଯାଉଚି, ଜାଣିଲେ ରାଣୀ ପୁଣି ଘୋଷାହେବେ - ଆସ । (କର ଧରି ପ୍ରସ୍ଥାନ)
(ମନ୍ଦରପର୍ବତ ଶୃଙ୍ଗଦେଶ - ଦୁର୍ବାସାଙ୍କ ପ୍ରବେଶ)
ଦୁର୍ବାସା- (ସ୍ୱଗତ) ଏ ଯେ ମନ୍ଦରପର୍ବତ ଶୃଙ୍ଗ - ଏଠାରେ ସଙ୍ଗୀତଧ୍ୱନି କାହୁଁ ଆସିଲା ! ବୋଧହୁଏ କିନ୍ନର-କିନ୍ନରୀଙ୍କର ଏ ମଧୁର ସୁତାନ; ନା ତା ସହିତ ତ ବୀଣାର ଧ୍ୱନି ! ଜଣାଗଲା, ନାରଦ ମହର୍ଷି ଏଠାରେ କେଉଁଠି ବସି ନାମ ଗାୟନ କରୁଛନ୍ତି; ନା, କ୍ରମେ ସେ ସ୍ୱର ଏହି ଦିଗକୁ ଗତି କରୁଚି- ବୋଧହୁଏ ଆମ୍ଭ ସହ ଏଠାରେ ତାଙ୍କର ନିଶ୍ଚୟ ସାକ୍ଷାତ ହେବ ।
(ନାରଦ ଗୀତ ଗାଇ ବୀଣାଧ୍ୱନି କରି ପ୍ରବେଶ)
ଗୀତ-(ଆନନ୍ଦିତେ ଥେୟା ଥେୟା...ବୃତ୍ତେ)
ହରେ ରାମ କୃଷ୍ଣ ବୀଣା ବାଜରେ ବାଜରେ । ପଦ ।
ଗାଅ ତରୁ ତୃଣ ଲତା ଗୁଳ୍ମ ରାମ ରାମ ।
ଗୋବିନ୍ଦ ଗୋପାଳ ରାଧାନାଥ ଘନଶ୍ୟାମ ଯଦୁପତି ପୂର୍ଣ୍ଣକାମ ।
ଭୃଗୁପତି ପର୍ଶୁରାମ; ମଜ୍ଜ ଚରଣକଞ୍ଜରେ । ୧ ।
ଗୋବରଧନ ଧାରଣ ଭୂଷଣ ଗୋରଜ ।
ବଂଶୀବଟବିହାରୀ ବୈକୁଣ୍ଠ ଦେବରାଜ ।
ଯା’ରେ ଭଜେ ପଙ୍କଜ; ଚକ୍ରପାଣି ଚତୁର୍ଭୁଜ
ରଖ ବଇଆ ଦ୍ୱିଜରେ । ୨ ।
ଦୁର୍ବାସା- ହେ କଳହପ୍ରିୟ ଦେବଦୂତ ଆସ ଆସ ବସ ଏହି ଠାବେ । ଶୁଣି ବୀଣାନାଦ ସହ ରାମକୃଷ୍ଣ ପଦ ପାଦ ନ ଚଳିଲା ମୋର - ଦର୍ଶନ ନିମନ୍ତେ ଏଥି ଅଛି ଅନୁସରି ।
ନାରଦ- କୃତାର୍ଥ ହୋଇଲି ମୁନି ତବ ଦରଶନେ । ହେ ଦୁର୍ବାସା ଦ୍ୱିଜକୁଳୋତ୍ତମ କେଉଁ ଦିଗେ କରୁଛ ଗମନ ? କେବେ ଏ ସ୍ଥଳେ ତୁମ୍ଭଙ୍କୁ ଦେଖିନାହିଁ ମୁହିଁ ।
ଦୁର୍ବାସା- ବିଧିସୁତ ! ଯାଇଥିଲି ଦକ୍ଷିଣ କୋଶଳେ ମେରୁଶୂଳ ଦୈତ୍ୟପୁରେ । ତାର କନ୍ୟା ତ୍ରିପୁରମୋହିନୀ ସଙ୍ଗେ ମମ ହୋଇଲା ସାକ୍ଷାତ । ତହୁଁ ରାଜବାଳା ଅଳିକଲା ମୋ ଚରଣେ ନିଜ ପତି ପ୍ରାପତି ଆଶାରେ, ତାକୁ ପ୍ରବୋଧି କହିଲି ବର ଘଟାଇବି ବୋଲି । ଶିବସୁତ କାର୍ତ୍ତିକର ଚିତ୍ରପଟ ଦେଖିଲା ତରୁଣୀ, ଲୋଭା ହୋଇ ତା ଶୋଭାରେ ବାମା ମନୋନୀତ କଲା ଷଡ଼ାନନେ । ସାତଦିନେ ଦେବି ପାଶେ ଆଣି ଏହି ବାଣୀରେ ପ୍ରବୋଧି ସେ ବାଳାମଣିକି ଯାଉଚି କୈଳାସପୁରେ ଶିବସୁତ ପାଶ । ତ୍ରିପୁରମୋହିନୀ ଚିତ୍ରପଟ ସଙ୍ଗେ ଘେନି ଦେଖାଇ କାର୍ତ୍ତିକେଶ୍ୱର ଆଣିଚି ମୋ ତୁଲେ ।
ନାରଦ- ହେ ତାପସ, କଲ ତୁମ୍ଭେ ବଡ଼ ଅବିହିତ, ଶେଷେ ଭୋଗିବ ଅବଶ୍ୟ ମହା ଲଜ୍ଜା । ସହଜେ ତ ତ୍ରିପୁରମୋହିନୀ ରୂପବତୀ ପାଇଲା ମାତ୍ରକେ ତୋଷେ ରସିବ କାର୍ତ୍ତିକ । ବରଠାରେ ଅଛି ଯେଉଁ ଦୋଷ ଭସ୍ମ ଆଚ୍ଛାଦିତ ଅଗ୍ନିପରି ତାକୁ ଘୋଡ଼ାଇ ରଖିବ କେତେ ଦିନ । ପାଦେ କୁଷ୍ଠ ବ୍ୟାଧି ଅଛି ହରତନୟର, ହାଡ଼ମାଳ ଅଳଂକୃତ କଉପୀନ ବାସ, ଭସ୍ମ ବିଲେପନ ଅଙ୍ଗଦେଶେ, ପ୍ରପଞ୍ଚ ତପସ୍ୱୀବେଶେ କେଉଁପରି ରସିଲା ତରୁଣୀ ।
ଦୁର୍ବାସା- ଯାହା ହେଉ ପଛେ ନାହିଁ ଚିନ୍ତା, ମୋ ବାଣୀ ଶୁଣି ରମଣୀ ବରିଚି କାର୍ତ୍ତିକେ । ଯାଅ ମୁନି, ଯାଉଁ ଆମ୍ଭେ କଇଳାସପୁରେ । (ପ୍ରସ୍ଥାନ)
ନାରଦ- ଆଚ୍ଛା ଆଚ୍ଛା, ଯାଅ ହେ ଦୁର୍ବାସା ! ଦେଖିବା କିପରି କନ୍ୟା ନେବ ଷଡ଼ାନନ । ଯିବା ବେଗେ ମେରୁଶୂଳଦୁହିତା ପାଶକୁ, କରିବା କୌଶଳ ଯେହ୍ନେ ଦ୍ୱନ୍ଦ୍ୱ ହେବ ଜାତ । ଛଡ଼ାଇବି କନ୍ୟାମନ ଶିବସୁତଠାରୁ, ମତାଇବା ଆନଭାବେ ଭାବଦାୟିନୀକି । ବିଳମ୍ବରେ ନାହିଁ ପ୍ରୟୋଜନ । (ପ୍ରସ୍ଥାନ)
ଗୀତ- (ବନ୍ୟ ଶବର ଦୁଇଜଣ ପ୍ରବେଶି)
୧ମ- ଦିନଗୋଟା ବନେ ଘୂରି ଘୂରି ବାରା ଗୋଟାଏ ଯୁଟିଲା ନାହିଁ ରେ ।
୨ୟ- ଘରକୁ ଯିବାକୁ ଡରମାଡ଼ିଲାଣି ମାରିଗୋଡ଼େଇବ ମାଈରେ । ପଦ ।
୧ମ- କରି ଆସିଥିଲି କେତେ ବଡ଼େଇ, ଗୋଟା ନେଇ ଦେବି ତୋତେ ଚଢ଼େଇ ।
୨ୟ- ଭାଉଜ ବୋହୂର ପହିଜ ଭାଙ୍ଗିଲୁ ଖୋସା ସାଜିବ ସେ କାହିଁରେ । ୧ ।
୧ମ- ଚାଲ ସେ ଝରଣା ପାଖରେ ଛକିବା, ଗୋଟା ଝିଙ୍କ-ଫିଙ୍କ ହେଲେ ଦେଖିବା ।
୨ୟ- ଯେଉଁ ନୂଆ ତୀର ଓଳିଗୋଟା ବସି ଘଷିଥିଲ ଶାଣ ଦେଇ ରେ । ୨ ।
୧ମ- ଆସିଲାବେଳେ କି ପଛରେ, କିଏ ଡାକିଥିଲା କିରେ ମିଛେରେ ।
୨ୟ- ପଛାରି ଗଣିଆ-ମାଆ ଡାକଦେଲା ପଇସା ଅଣାଏ ପାଇଁରେ । ୩ ।
୧ମ- ପୁଅ ଟେରି କାଟି ଭାରି ଚାଲିବଚି, ମା’ ଏଓଳି ସେଓଳି ବୁଲୁଚି ।
୨ୟ- ଶିକାର ଫିକାର କଥା ପଡ଼ୁ ପଡ଼ୁ କୁଆଡ଼େ ହେଲୁଣି ଯାଇଁରେ । ୪ ।
୧ମ- (ଦେଖ୍ ଦେଖ୍) ଯେବେ ଧରାପଡ଼ନ୍ତା ଏ ମଯୂର, ଆଉ ନ ଥାଆନ୍ତା କିଛି ଓଜର ।
୨ୟ- ଆ ତୁନି ତୁନି ସୁତର କରିବା କାଣ୍ଡ ଯୋଖି ଭାଷେ ବଇରେ । ୫ ।
(ଶବରଦ୍ୱୟର ପ୍ରସ୍ଥାନ)
(ଦକ୍ଷିଣକୋଶଳପୁର- ମେଢ଼େ ସଖୀଗଣ ସହ ତ୍ରିପୁରମୋହିନୀର ଉପବେଶନ)
ସଖୀ- ଜେମାଦେଈ ! ଶୁଭେ ନିକଟେ କି ବୀଣାର ସ୍ୱନ, ଜଣାଯାଏ ବ୍ରହ୍ମାଙ୍କ ନନ୍ଦନ - ଆସନ୍ତି ତୋ ପାଶେ ଚନ୍ଦ୍ରାନନା !
ମୋହିନୀ- ସଖି ! ଆଗହୁଁ ଯେବେ ଏ ମୁନି ଆସିଥାନ୍ତେ ଏଥି କହିଥାନ୍ତି ତାଙ୍କୁ ମନକଥା, ଅଜ୍ଞାତ ନାହିଁ ତାହାଙ୍କୁ ତିନିପୁରେ କିଛି । ଆଉ ଭାବି କିସ ହେବ, ଯାଇଛି ସେ ଯୋଗ ।
ନାରଦ- (ପ୍ରବେଶି) କୁଶଳେ ତ ଅଛୁ ମେରୁଶୂଳର ଦୁଲଣୀ !
ମୋହିନୀ- କି କୁଶଳ ପୁଛ ଋଷିମଣି ? ବସନ୍ତୁ ଆସନେ, ଘେନନ୍ତୁ ପ୍ରଣାମ ଏ ଦାସୀର ।
ନାରଦ- (ବସି) କହ ମାଆ, କେଉଁ କଥା ଊଣା ଆଉ ତୋର ?
ମୋହିନୀ- କି କହିବି ମୋ ଦୁର୍ଦ୍ଦଶା ପ୍ରଭୁ ! ଥାଇ କିସ ହେବ ମୋର ରାଜସମାଜରେ, ଯା’ର ମନେ ନାହିଁ ତିଳେ ସୁଖ, ବିଷସମ ବିଭବ ତାହାକୁ, ଶୁଣ ମମ ହୃଦୟ-ବେଦନା, ମୁନିମଣି!
ଗୀତ-(ଚଉଦଅକ୍ଷରୀ)
ନାହିଁ ଅତି ଦୁଃଖିନୀ ମୋଠାରୁ ଯତି ମହୀରେ ।
ଯୁବତୀ ହୋଇଲି ସୁଖ ନ ପାଇଲି କାହିଁରେ । ପଦ ।
ମୋ ତାତ ଦୁରନ୍ତ ଦୈତ୍ୟପତି ଅବିଚାର ।
କଲା ଏମନ୍ତ ନ ଦେଲା ଖଞ୍ଜାଇଣ ବର । ୧ ।
ଅଖଣ୍ଡ ବ୍ରହ୍ମାଣ୍ଡେ ଋଷି ତୁମ୍ଭରି ଭ୍ରମଣ ।
ଦୁଃଖିନୀ ନିମନ୍ତେ ଚାଣ୍ଡେ ବର ଖୋଜି ଆଣ । ୨ ।
ଖଣ୍ଡ ଖଣ୍ଡ କରି ପିଣ୍ଡ କାଟେ ଫୁଲଧନୁ ।
ଦଣ୍ଡ-ଦଣ୍ଡକେ ଅଜ୍ଞାନ କାଳି ପଡ଼େ ତନୁ । ୩ ।
ପୁରୁଷ ପରଶମଣି ରମଣୀ ପାଷାଣ ।
କାମିନୀ କାଞ୍ଚନ ତା ପରଶେ ହୁଏ ପୁଣ । ୪ ।
ଶଶଧରେ ଦେଖି ସିନା କୁମୁଦିନୀ ହସେ ।
ଯଶ ରଖ ରସଦାନେ ବଇଷ୍ଣବ ଭାଷେ । ୫ ।
ନାରଦ- ତ୍ରିପୁରମୋହିନୀ ! ତୋ ଭକତି ଦେଖି ମୁହିଁ ହୋଇଲି ପ୍ରସନ୍ନ । ତୋ ନିମନ୍ତେ ଆଣିଦେବି ମନୋମତ ବର - ନାହିଁ ନଥିବ ନୋହିବ ଚଉଦବ୍ରହ୍ମାଣ୍ଡେ । ଦେଖିଲୁ, ଏ କାହା ଚିତ୍ରପଟ ?
ମୋହିନୀ- ଆହା, ସତେ କି ଏପରି ଜନ ଅଛି ନରଲୋକେ । ଚାହିଁଲାମାତ୍ରକେ ଅଙ୍ଗେ ପୀଡ଼େ ପଞ୍ଚଶର । ଦାହ କନକ ସମାନ ଦେହଶୋଭା ଦିଶେ । ଫୁଲ-ଧନୁ ଫୁଲ-ଶର ବେନି କରେ ଶୋଭେ । ଏ ପୁଂସ ଚରଣେ ମୋର କୋଟି ପ୍ରଣିପାତ । (ପ୍ରକାଶ୍ୟେ) ହେ ନାରଦ ! ଦିଅ ମୋତେ ଆଣି ଏହି ନାଗରମଣିକି ପାଶରେ ମୋହର ।
ନାରଦ- ଦୈତ୍ୟସୁତେ ! ଶୁଣିଚି ଯେ କଥା କାନେ ମୁହିଁ, ଏଣେ ପଠାଇଲୁ ଦୁର୍ବାସାଙ୍କୁ କାର୍ତ୍ତିକ ନିମନ୍ତେ, ପୁଣି ଏହାକୁ ବରଣ କରିବୁ କେମନ୍ତେ ?
ମୋହିନୀ- ବିଧିସୂନୁ ! ନିଶ୍ଚେ ସେ ବରକୁ ମୁହିଁ ତ୍ୟାଗ କଲି ଆଝୁଁ, ପ୍ରାଣ ମନ ସମର୍ପିଲି ଏହି ବରପାଦେ । ପରିଚୟ ଦିଅ, ଏହୁ କାହାର କୁମର, କି ନାମ, କି କୁଳେ, କେଉଁଠାରେ ୟାଙ୍କ ବାସ - କହି ଦାସୀ ସନ୍ଦେହ ବିନାଶ ।
ନାରଦ- ପରିଚୟ ଘେନ ଚାରୁକେଶି ଯେବେ ସତ୍ୟ ମଣୁ ଭାରତୀ ମୋହରି ।
ଗୀତ-(ସତେ ଛାୟାରମଣ ଦୟା...ବୃତ୍ତେ)
କ୍ଷୀଣକଟି ଘାଣ୍ଟି ନ ହୁଅ ଚିତ୍ତରେ ରେ ।
ଗଗନଚନ୍ଦ୍ର ଧରିବୁ ହାତରେ ରେ । ପଦ ।
ଅଶୀସହସ୍ର ଯୋଜନ, କ୍ଷୀଣବର୍ଣ୍ଣ ପାରେ ସ୍ଥାନ ।
ଦକ୍ଷିଣେ ଦ୍ୱାରକାପୁର ଭିତରେ ରେ । ୧ ।
ପ୍ରଦୁମ୍ନ ଏହାର ନାମ, ରୁକ୍ମିଣୀ ଗର୍ଭୁ ଜନମ ।
ଅଟନ୍ତି ଶ୍ରୀକୃଷ୍ଣ ୟାର ତାତରେ । ୨ ।
ଯଦୁବଂଶ ଅବତଂସ, ଅର୍ଜିଛି ଅକ୍ଷୟ ଯଶ ।
ବାଲ୍ୟେ ବିନାଶି ଶମ୍ବର ଦୈତ୍ୟରେ ରେ । ୩ ।
ମହେଶ ଶ୍ମଶାନବାସୀ, ଗୋ-ବଧେ ହୋଇଛି ଦୋଷୀ ।
କାର୍ତ୍ତିକ ଜନ୍ମିଛି ସେହି ଅଂଶରେ ରେ । ୪ ।
ତୁହି ଅଟୁ ରାଜବାଳା, ସେ ଯେ ସହଜେ ଲଙ୍ଗଳା ।
ଯାଉଚି ବଇ ରଚେ ଏ ଗୀତରେ ରେ । ୫ ।
ମୋହିନୀ- ମୁନିବର ! ଦେଇଯାଅ ସେହି ଚିତ୍ରପଟ ।
ନାରଦ- ଦେଖୁଥା ବସି, ଆସିବା ହେବ ନାହିଁ ମଠ । (ପ୍ରସ୍ଥାନ)
ମୋହିନୀ- ସଖିଗଣ ! ଦେଖିଲ, କି ମୋହନ ମଧୁର ମୂରତି ! ସତେ ଧାତା ଏପରି ପତିସମ୍ପତ୍ତି ମୋତେ ଦେବେ ? ଶିରଠାରୁ ପାଦଯାଏ ଗୋଟି ଗୋଟି କରି ଦେଖିଗଲ କେଉଁଠି ତ କିଛି ଦୋଷ ନାହିଁ । ଏପରି ମୂର୍ତ୍ତିକି ଗଢ଼ିବାକୁ ବିଧାତାକୁ କେତେକାଳ କେତେ ଶ୍ରମ କରିବାକୁ ପଡ଼ିଥିବ ! ଆହା, ଏ ଗୋଟିଏ ସୁଧାପିଣ୍ଡ ।
ଗୀତ-(ଆଜି ଜଣାଉଚି ଭାଇମାନଙ୍କୁ...ବୃତ୍ତେ)
ସତେ ଦେଖିବି, ଏ ପ୍ରାଣ ବିକିବି, ହେ ନାଥ ନାଥ ବୋଲି ସ୍ନେହେ ଡାକିବି । ପଦ ।
ବନ୍ଧୁ ଅଧରୁ ଅମିୟ ଚାଖିବି, ଏ ମୋହନ ଛବି ନେତ୍ରେ ଆଙ୍କିବି ।
ଭୋଳେ ପିନ୍ଧାବାସ ବଳେ ଝିଙ୍କିବି କି, କାମଶାସ୍ତ୍ର ଏହାଠାରୁ ଶିଖିବି । ୧ ।
ରସିକିନୀଗଣେ ନାମ ଲେଖିବି, ତା ମନରେ ମୋ ମନ ଯୋଖିବି ।
ଯୁଗଯୁଗକୁ ସୁଯଶ ରଖିବି କି, ଯଉବନ ଜୀବନକୁ ବିକିବି । ୨ ।
ତାଙ୍କ ପ୍ରେମସୁଧାରସ ଭକ୍ଷିବି, ସେହି ସ୍ନେହପଙ୍କେ ଥରେ ଲାଖିବି ।
କାମଜିଣା ଧ୍ୱଜା ନଭେ ଟେକିବି କି, ବଇ ବୋଲେ ପଦମାନ ଛାଙ୍କିବି । ୩ ।
ସଖି- ରାଜଜେମା ! ହଉ, ଏତିକିବେଳୁଁ ଯେବେ ଛାଇ ଦେଖି ଏତେ ପାଞ୍ଚ ସରିଲାଣି, ତାଙ୍କୁ ଦେଖିଲେ ତ କାହାକୁ ଟିକିଏ ଅନେଇବାକୁ ଦବନାହିଁ ? ଲଣ୍ଡଭଣ୍ଡ କରି ନେଇଯାଇ ଗଭାରେ ଖୋଷି ଲୁଚାଇଦେବ । ଚାଲ ବେଶ ହେବାର ବେଳ ହେଲାଣି ।
(ହାତଧରି ସଖୀଗଣ ପ୍ରସ୍ଥାନ)
(ଦ୍ୱାରକା- ପ୍ରଦ୍ୟୁମ୍ନ ଏକାକୀ ଭ୍ରମଣ କରୁକରୁ)
ପ୍ରଦ୍ୟୁମ୍ନ- (ସ୍ୱଗତ) କି ଆଶ୍ଚର୍ଯ୍ୟ, ଆଜି କିମ୍ପା ମୋର ଦକ୍ଷିଣ ନୟନ ଘନ ଘନ ନୃତ୍ୟ କରୁଚି, ଦକ୍ଷିଣ ବାହା କିମ୍ପା କମ୍ପୁଚି, ମନପ୍ରାଣ ବେଳେବେଳେ ଆନନ୍ଦରେ ଅଧୀର ହୋଇଉଠୁଚି - କି ଅପୂର୍ବ ପଦାର୍ଥ ମୋତେ ଆଜି ପ୍ରାପ୍ତ ହେବ କି? ଶମ୍ବର ବଧ ଦିନରୁ ତ ଏପରି କେବେ ଶୁଭସୂଚକ ଦେଖି ନ ଥିଲି ! ଏ କ’ଣ ବୀଣାଧ୍ୱନି ଯେ, ନିଶ୍ଚୟ ବ୍ରହ୍ମାପୁତ୍ର ନାରଦଙ୍କର ଆଗମନ ପରି ଜଣାଯାଏ । ସେହି ତ ମୋହରି ନିକଟକୁ ଆସୁଚନ୍ତି; କି ସମ୍ବାଦ ଆଣିଥିବେ ଅବଶ୍ୟ ଜଣାପଡ଼ିବ ।
ନାରଦ- (ପ୍ରବେଶ) ପ୍ରଦ୍ୟୁମ୍ନ ! ପ୍ରଦ୍ୟୁମ୍ନ ! ତୋର ଭାରି କପାଳ....
ପ୍ରଦ୍ୟୁମ୍ନ- ମୁନିବର ! ପ୍ରଣାମ ଶ୍ରୀପଦେ, ମୋ ପାଇଁ କ’ଣ ଆଣିଛନ୍ତି ଯେ ଏପରି କହିଲେ ?
ନାରଦ- କୃଷ୍ଣସୁତ ! ତୋତେ ସେ କଥା କଣ କହିବି; ଭାଗ୍ୟରେ ଥିଲେ ସେ ଦ୍ରବ୍ୟ ଲୋକକୁ ମିଳେ । ମୋ କଥା ଶୁଣ୍ ।
ଗୀତ-(ରାଗ...ତ୍ରିପଦୀ)
ମେରୁଶୂଳ ନନ୍ଦିନୀ ନାମ ତ୍ରିପୁରମୋହିନୀ ତୋତେ କରି ବସିଅଛି ଆଶା ।
ଆସ ମୋ ସଙ୍ଗରେ ଚାଣ୍ଡେ ଉଛୁର ନ କର ଦଣ୍ଡେ ପେଷିଅଛି ସେ ରସ-ଆଳସା, ରେ ପ୍ରଦ୍ୟୁମ୍ନ । ।
ଦେଖି ତୋର ଚିତ୍ରପଟ ଘଟଉରଜା ଉଚ୍ଚାଟ ହୋଇ ଭଜୁଚି ତୋ ନାମ ତୁଣ୍ଡେ ।
କାର୍ତ୍ତିକେ ଆଣିବା ପାଇଁ ଦୁର୍ବାସା ଅଛନ୍ତି ଯାଇ ପଡ଼ିଚି ବରାଙ୍ଗି ଲଣ୍ଡଭଣ୍ଡେ ।
କି ବର୍ଣ୍ଣିବି ଶୋଭା ତାର କୁଞ୍ଚିତ ଘନ ଚିକୁର ନଦୀ ଲହରୀକି ଅଛି ଜିଣି ।
ରସିକା ନାସିକା ଛଟା ଯେହ୍ନେ ତିଳଫୁଲ ଗୋଟା ଇନ୍ଦ୍ରକୋଦଣ୍ଡ ଭ୍ରୁଲତା ଠାଣି । ୩ ।
ଅଧର ଅରୁଣ ତାର କମ୍ବୁକଣ୍ଠ ଶମ୍ଭୁଉର ଡମ୍ବରୁମଝା ମୃଣାଳ ବାହା ।
ତ୍ରିବଳୀ ଉଦର ସ୍ୱଚ୍ଛ ମାର ବାନ୍ଧିଛି ପାବଛ ଗଭୀର ନାଭି କାଞ୍ଚନ ଦେହା । ୪ ।
ବାରଣଦନ୍ତେ କୁଙ୍କୁମ ଲିପିଲା ପରା ସୁସମ ବେନି ଜାନୁ ସୁତନୁର ତୋରା ।
ଚମ୍ପା କଳିକା ସମାନ ଆଙ୍ଗୁଳିର ଅଗ୍ରମାନ ନଖ ନିଆଳିରୁ ଅତି ଗୋରା । ୫ ।
ଚନ୍ଦ୍ରେ ତୁଳନ୍ତି ତା ମୁଖ ଅଛି ତା’ଠାରେ କଳଙ୍କ ଅକଳଙ୍କ ତା ବଦନଶଶୀ ।
ସାର ସାର କାନ୍ତି ଆଣି ଗଢ଼ିଛି ବିଶ୍ୱ-ବିନ୍ଧାଣୀ ବଇ ବୋଲେ କେତେ ଯୁଗ ବସି । ୬ ।
ପ୍ରଦ୍ୟୁମ୍ନ- କି କହିଲ ବିଧାତାକୁମର ! ଏପରି ରମଣୀମଣି ଜନ୍ମିଛି ଧରାରେ ? ଯେମନ୍ତେ ସେ କନ୍ୟାରତ୍ନ ଲାଭ ହେବ ମୋତେ ସେ ଉପାୟ ପାଞ୍ଚ ବେଳୁ ମୁନି ! ବିଶେଷେ କହ କାର୍ତ୍ତିକ ହେବ ପ୍ରତିଦ୍ୱନ୍ଦ୍ୱୀ, କି ଭାବେ ଭାବିନୀ ମୋର ହେବ କରଗତ ? ଚାଲ ମୁନି ସହିତେ ମୋହରି ।
ନାରଦ- ରେ ପ୍ରଦ୍ୟୁମ୍ନ ! ଏତିକି ତା ଗୁଣ ନୁହେଁ ବତ୍ସ ! ଲେଖିଲେ ଗଣେଶ ବସି ବରଷ ସହସ୍ର ଅଂଶେ ତହୁଁ କରି ନ ପାରିବେ କେଭେ ପୂର୍ଣ୍ଣ । ତୋର ତା ସଙ୍ଗତେ ମଧୁ ମାଳତୀ ମିଳନ, ତେଣୁ ଶରଣ ଗଲା ତୋହର ଚରଣଯୁଗଳେ, ସେହୁ ବାରଣଗମନା, କର ଯାଇ କାରଣ ତାହାକୁ ।
ପ୍ରଦ୍ୟୁମ୍ନ- ମୁନିଶ୍ରେଷ୍ଠ ! ପଞ୍ଚଶିଖ ଗିରିରେ ଅଛି ମୋର ତାତ ପଞ୍ଚପାଣ୍ଡବଙ୍କୁ ଘେନି ସଙ୍ଗେ । ସେହି ପଥ ଦେଇ ଯିବା ଜଣାଇ ପିଅରେ । ଯେବେ ରୁଦ୍ର ସହ ହେବ ଦ୍ୱନ୍ଦ୍ୱ ବିପଦେ କରିବେ ଘେନି ପାଣ୍ଡବଙ୍କୁ ରକ୍ଷା, ଆସନ୍ତୁ ଦେବର୍ଷେ । କୁମୁଦ ସାରଥି ସାଜି ଆଣିବ ମୋ ରଥ ବସି ତହିଁ ଯିବା ଦୈତ୍ୟପୁରେ ଚାଲ ମମ ତୁଲେ, ମୁନି ! ସାରିବା ମଣୋହି ।
ନାରଦ- ନାହିଁ ମୋର କାହିଁରେ ଆପତ୍ତି,
କିନ୍ତୁ କାର୍ତ୍ତିକ ଗଲେ ସମ୍ପତ୍ତି ହରିବ ତୋହର ।
ପ୍ରଦ୍ୟୁମ୍ନ- ଚାଣ୍ଡେ ବାହିନେବି ରହୁବର । (ଉଭୟଙ୍କ ପ୍ରସ୍ଥାନ)
(ପଞ୍ଚପାଣ୍ଡବ ଶ୍ରୀକୃଷ୍ଣସହ ପଞ୍ଚଶିଖ ଗିରିରେ ଭ୍ରମଣ)
କୃଷ୍ଣ- କହ ସହଦେବ ! ଦୂରୁ ଦିଶେ ଆସେ କାହା ରଥ ?
ସହଦେବ- ଜଗନ୍ନାଥ ! ଆସନ୍ତି ନାରଦ ଘେନି ପ୍ରଦ୍ୟୁମ୍ନକୁ ସଙ୍ଗେ, ଯାଉଛନ୍ତି ମେରୁଶୂଳ ଦୁହିତା ହରଣେ । ସେ କନ୍ୟା ନିମନ୍ତେ କଳି ହେବ । କାର୍ତ୍ତିକେ ଆଣି ଦୁର୍ବାସା ଗଲେ କଇଳାସ ଉଭୟର ଗୋଳ ହେବ ମେରୁଶୂଳ ପୁରେ । ପୂର୍ବେ କହିଅଛି ନେବ ଦୈତ୍ୟ ରୁଦ୍ରପକ୍ଷ ତୁମ୍ଭ ତୁଲେ କରିବ ସମର । ମରିବ ଅର୍ଜୁନ ହସ୍ତେ ସେ ଦାନବ ଦୁଷ୍ଟ । ଦେଖ ପ୍ରଭୁ ! ଆସୁଛନ୍ତି ଜଣାଇ ତୁମ୍ଭଙ୍କୁ । ଦୂରୁ ଦେଖି ଯୁଧିଷ୍ଠିକୁ ରୁକ୍ମିଣୀ-ଆତ୍ମଜ ରଥରୁ ଓହ୍ଳାଇ ପଥେ କରୁଅଛି ଗତି ।
(ନାରଦ ସହ ପ୍ରଦ୍ୟୁମ୍ନର ପ୍ରବେଶ । ଯଧିଷ୍ଠିଙ୍କୁ ପ୍ରଣାମ କରି ତା’ପରେ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରିବା । )
ଶ୍ରୀକୃଷ୍ଣ- ହେ ନାରଦ ! ଘେନି ପ୍ରଦ୍ୟୁମ୍ନକୁ ଗତିକର କେଉଁଠାକୁ ?
ନାରଦ- ଅର୍ନ୍ତର୍ଯ୍ୟାମୀ ! କେଉଁ କଥା ଜଣା ନାହିଁ ତୋତେ, ବଜ୍ରଗିରି ଦେଶ ରାଜା ଅଟେ ମେରୁଶୂଳ, ତା ଦୁହିତା ତ୍ରିପୁରମୋହିନୀ ପ୍ରଦ୍ୟୁମ୍ନେ କରିଚି ଆଶା କରିବ ବରଣ । ସେ ନିମନ୍ତେ ଘେନିଯାଉଅଛି ତବ ସୁତ । ତେଣେ ଦୁର୍ବାସା କାର୍ତ୍ତିକେ ଯାଇଛନ୍ତି ଆଣି । ପ୍ରଦ୍ୟୁମ୍ନ ପ୍ରତି ସମ୍ପୂର୍ଣ୍ଣ କନ୍ୟାର ମମତା, ଅଯାଚିତ, ଭାବେ ଯେବେ ନିଏ ଶିବସୁତ ତାର ପ୍ରତି ଦେବା ଦଣ୍ଡ ଅଟଇ ବିହିତ ।
ଶ୍ରୀକୃଷ୍ଣ- ପ୍ରକୃତ କହିଲେ ଋଷିପର ! ଆମ୍ଭେ ଯିବା ମଧ୍ୟ ଘେନି ପାଣ୍ଡବଙ୍କୁ ସଙ୍ଗେ, ପ୍ରଦ୍ୟୁମ୍ନେ ନେଇଣ ଆଗେ ଭେଟା କନ୍ୟା ତୁଲେ ଯେମନ୍ତେ ସେ ଏହାକୁ ନ କରେ ପରିତ୍ୟାଗ । ଅମୃତ ଯୋଗେ ଦେଖାଅ ନେଇ । ଯେବେ କାର୍ତ୍ତିକକୁ ଘେନି ଆସନ୍ତି ଶଙ୍କର କଳି କରିବ ପ୍ରଦ୍ୟୁମ୍ନ ନ ଡରି ତାହାଙ୍କୁ । ଅର୍ଜୁନଙ୍କୁ ଘେନି-ମୁହିଁ କରିବି ସମର ହର ସହ । ବେଗଗତି ଯତି ଚଳିଯାଅ ।
ନାରଦ- ବିଦାୟ ହଉଚୁ ନାରାୟଣ ! (ଉଭୟ ପ୍ରସ୍ଥାନ)
ଅର୍ଜୁନ- ଚାଲ ଆମ୍ଭେ ଯିବାପାଇଁ ହୋଇବା ପ୍ରସ୍ତୁତ । (ସମସ୍ତଙ୍କ ପ୍ରସ୍ଥାନ)
(କୈଳାସ-ଦୁର୍ବାସା ଓ କାର୍ତ୍ତିକ ଏକତ୍ର ପ୍ରବେଶ)
ଦୁର୍ବାସା- ଶୁଣିଲ ତ ତାରକାନାଶନ କନ୍ୟାଗୁଣ, ଦେଖିଲ ତ ତାର ଚିତ୍ରପଟ ନୟନରେ, ଚାଲ ଆଉ ବୃଥା ଡେରି କର କାହିଁପାଇଁ ?
କାର୍ତ୍ତିକ- ଦ୍ୱିଜଶ୍ରେଷ୍ଠ ! ଆସନ୍ତୁ ପିଅର
କହି ପଦେ ଯିବା ତାଙ୍କ ପାଶେ । (ଶିବ ପ୍ରବେଶ)
ଶିବ- କିସ ପରାମର୍ଶ କର କାର୍ତ୍ତିକ ସହିତ
କହ ମୁନି କି ହେତୁ ଗମନ କେଉଁ ଦିଗେ ।
କାର୍ତ୍ତିକ- ଜାଣନ୍ତି ସେ କଥା ଷଡ଼ାନନ ।
ଶିବ- କହରେ କାର୍ତ୍ତିକ, କି କହନ୍ତି ତପୋଧନ ?
କାର୍ତ୍ତିକ- ଶୁଣ ପିତଃ ! ନିବେଦନ ମମ
ଗୀତ- (ସହି କାହା ରମଣୀମଣି ରତନ....ବୃତ୍ତେ)
ପିତା ଆଣି ଅଛନ୍ତି ଏ ମୁନି ଖବର ।
ଆଜି ଯାଉଚି ମୁଁ ମେରୁଶୂଳ ନବର । ପଦ ।
ତ୍ରିପୁରମୋହିନୀ କନ୍ୟା, ରୂପ ଗୁଣ ଅଟେ ଧନ୍ୟା ।
ମନେ ମନେ ମୋତେ ବରିଚି ବର । ୧ ।
ଘେନି ରାଜା ଅନୁମତି, ବିଭା ହେବି ତା ଦୁହିତୀ ।
ଚୋର ପରା ନ କରିବି ବେଭାର । ୨ ।
ଯାଚିଲା ପଦାର୍ଥ କେହି, ଛାଡ଼େ କି ଶୁଣିଛ କାହିଁ ।
ଯେ ଛାଡ଼େ ସେହିଟି ଏକା ବର୍ବର । ୩ ।
କର ମୋତେ ଆଶୀର୍ବାଦ, ପୂର୍ଣ୍ଣ ହେଉ ମନସାଧ ।
ବଇ ଭଣି ତୁମ୍ଭେ ସଖା ଜୀବର । ୪ ।
ଶିବ- ଯାଅରେ କାର୍ତ୍ତିକ, କନ୍ୟା ବିଭା ହୋଇ ଆସ,
ଶୁଭକାର୍ଯ୍ୟେ କରନାରେ ହେଳା ।
ବିଜେ କର ମୟୂରବାହନେ,
ପାଦୁକା ମନ୍ତ୍ରବଳରେ ଯାନ୍ତୁ ଏ ଦୁର୍ବାସା,
ଅଚିରେ ତୋ ପୂର୍ଣ୍ଣ ହେବ ଆଶା । (ସମସ୍ତଙ୍କ ପ୍ରସ୍ଥାନ)
(ମେରୁଶୂଳ ରାଜସଭା- ମନ୍ତ୍ରୀ ସହ ମେରୁଶୂଳ ରାଜା ଆସନେ ଉପବେଶନ)
ମେରୁଶୂଳ- ଦେଖ ମନ୍ତ୍ରୀ ଆସନ୍ତି କେ ଏହି- ଦେଖିଥିଲା ପରି କେବେ ହୁଏ ଅନୁମାନ । କି ହେତୁ ଆଗତ ସଭାଗୃହେ ବୁଝିନିଅ କାରଣ ଏହାର ।
ମନ୍ତ୍ରୀ- ଦୈତ୍ୟନାଥ ! ଅଟନ୍ତି ଏ ଦୁର୍ବାସା ମହର୍ଷି, ମହାକ୍ରୋଧୀ ଅସୀମ ମହିମ । ଯାର ନାମେ ଭୀତ ଜନ୍ତୁନାଥ, ଉପଗତ ଆଜି ତୋ ସଭାରେ ସେହି ମୁନି ।
(ଦୁର୍ବାସାଙ୍କ ମେରୁଶୂଳ ପାଶେ ପ୍ରବେଶ)
ମେରୁଶୂଳ- ପ୍ରଣାମ ଶ୍ରୀପଦେ ମହାମୁନି ! ପବିତ୍ର ହେଲା ଏ ସଭା ମୋର ତବ ପଦରଜର ପରଶେ ଖୋଲି ଭାଷ ଆଗମନ କିପାଁ ମନୁ ଶଙ୍କା ଯାଉ ଦୂର ହୋଇ ।
ଦୁର୍ବାସା- ଶୁଣ ରାଜା, ତୋ ଦୁହିତା ତ୍ରିପୁରମୋହିନୀ ଶିବସୁତ କାର୍ତ୍ତିକକୁ କରିଲା ବରଣ । ଯାଇଥିଲୁ ଆମ୍ଭେ ବର ଆସିଛନ୍ତି ଷଡ଼ାନନ ତୋର ସିଂହଦ୍ୱାର ଦେଶେ କିସ ବାଞ୍ଛା କହ ମହାରାଜା, ଲୋଡ଼ାମାତ୍ର ଅନୁମତି ତୋର ।
ମେରୁଶୂଳ- ଧନ୍ୟ ଧନ୍ୟ ଦୁର୍ବାସା ତାପସ ! ଉତ୍କୃଷ୍ଟ କଥାଏ ତୁମେ କରିଅଛ ମୋର ଥିବାରୁ ମୋ ପୂର୍ବ ତପୋବଳ । ସେ ଫଳେ କାର୍ତ୍ତିକେଶ୍ୱର ଜାମାତା ମୋହରି ଭାଗ୍ୟବତୀ ତ୍ରିପୁରମୋହିନୀ ତେଣୁ ଦ୍ୱିତୀୟ ଶିବକୁ ପାଇଛି ଦେଖିଲି ପତିପଣେ ଅତିଶୀଘ୍ର କରିବ ବରଣ । ମନ୍ତ୍ରୀ ! ନିର୍ଭାକର ବିଭାର ସମ୍ଭାର ଯାଅ ମୁନି ଘେନି ଆସ ଜାମାତାଙ୍କୁ ଏଥି ।
ଦୁର୍ବାସା- ଆଣୁଚି ରାଜନ ତବ ପାଶେ । (ପ୍ରସ୍ଥାନ)
(କାର୍ତ୍ତିକସହ ପୁନଃପ୍ରବେଶ)
ମେରୁଶୂଳ- ପାଦ୍ୟ ଅର୍ଘ୍ୟ ଘେନ ଶିବସୁତ ବିରାଜ ଏ କନକ ଆସନେ । ଦ୍ୱାରୀ ! ଡାକିଆଣ ପରିବାରୀଗଣେ ଘେନି ଯିବେ ବରକୁ ଘରକୁ ।
ନେପଥ୍ୟେ- ଯେ ଆଜ୍ଞା ମହାରାଜ !
(ନାରୀଗଣଙ୍କ ପ୍ରବେଶ)
୧ମ ଦାସୀ- ହେ ରାଜନ ! ଅସମୟେ ଡାକିଲେ କିପାଇଁ ?
ମେରୁଶୂଳ- ଏହି ଷଡ଼ାନନ ମୋ ଜାମାତା, ବନ୍ଦାଇ ଏହାଙ୍କୁ ମୋର ବାସେ ଯାଅ ନେଇ, ଯାଉଛି ମୁଁ, କର ବେଶ କନ୍ୟାକୁ ମୋହରି ।
(ସମସ୍ତେ ହୁଳହୁଳି ଦେଇ ବର ଘେନି ପ୍ରସ୍ଥାନ- ରାଜା ଓ ମନ୍ତ୍ରୀ ଦୁର୍ବାସା ତତ୍ପରେ ପ୍ରସ୍ଥାନ)
(ସଖିଗଣ ସହ ମୋହିନୀ ପ୍ରବେଶ)
ଗୀତ-(କଳାମାଣିକ...ବୃତ୍ତେ)
ଯହିଁଯାଇଁ ସିତହାସୀ ନିତି କରୁ ଚିନ୍ତା ଗୋ ।
ଏତେ ଦିନେ ଆଣି ତାହା ଦେଲୋକ ବିଧାତା ।
ରସଉଦୟାରେ । ୧ ।
ହରବର ନୁହ ଆଉ ହେ ହରଉରଜା ।
ହରସୁତ ବର ପାଇ ଦୁଃଖ ମନୁ ହଜା ।
କରକଦଶନା ରେ । ୨ ।
ବାରିବାକୁ ନାହିଁ ତାକୁ ଚାରିଯୁଗେ କେହି ।
ରୂପ ଗୁଣେ ତାହାର ତୁଳନା ଏକା ସେହି ।
ଧରଣୀମଣ୍ଡନାରେ । ୩ ।
ମନମତ ପତି ପାଇକର ସୁଖେ ଘର ।
ବଇଷ୍ଣବ ବୋଲେ ଏ ସଂସାର କାରବାର ।
ବରବରନାରେ । ୪ ।
ମୋହିନୀ- ହାୟ ! ମୁଁ କି ବିପଦରେ ପଡ଼ିଲି ! କି ବର ଲୋଡ଼ିଲି ! ନାରଦେ, ତୁମ୍ଭେ ମୋତେ ଚିନ୍ତାସମୁଦ୍ରରେ ବୁଡ଼ାଇ ମାରିବାକୁ ମସିଥିଲ, ଯାହା ତ୍ୟାଗକରି ତୁମ୍ଭ କଥାରେ ପ୍ରଦ୍ୟୁମ୍ନ ପରା ପତିକି ମନପ୍ରାଣ ସମର୍ପଣ କରିଚି, ଏବେ କଣ ସେହି ମୋ ପାଣିଗ୍ରହଣ କରିବ । ମା ହିଙ୍ଗୁଳା ! ମା କାମସେଣା, କାହିଁ ମୋ ପତି-ସମ୍ପତ୍ତିକି ଆଣିଦିଅ ମା, ତା ନହେଲେ ତୋ ଦୁହିତାର ରକ୍ତପାନକରି ତୋର ଲୋଳିତରସନା ତୃପ୍ତ ହେଉ । ପ୍ରଦ୍ୟୁମ୍ନ ଭିନ୍ନ ମୋ ମନ ଆଉ କାହିଁରେ ନାହିଁ, ଶୀଘ୍ର ମୋ ବିହିତରତ୍ନ ମୋତେ ଦେ ମା’, ଦେ ମା’ ! (ପ୍ରକାଶ୍ୟେ) ସଖିଗଣେ ! ମୋତେ ଆଉ ଉପହାସ କରନା, ଚାଲ, ମୋ ମୁଣ୍ଡ କାହିଁକି ବୁଲାଇ ଦେଉଚି ।
୧ମ ଦାସୀ- ମଲା, ବାହାଘର ହେବ କାଆଲି, ଆଜି କଣ ଓପାସିଆ ଅଛ ଯେ ମୁଣ୍ଡ ବୁଲଉଚି ହଉ ଚାଲ । (ସମସ୍ତଙ୍କର ପ୍ରସ୍ଥାନ)
(ଜଣେ ସ୍ତ୍ରୀ ଓ ଜଣେ ପୁରୁଷର ପ୍ରବେଶ । )
ଗୀତ- (ଶୁଣ ମୋ ଭାଉଜ ବୋହୂ..ବୃତ୍ତେ)
ପୁରୁଷ- ରଜାଘର ବାହାଘର ବନାମାଆ !
ସ୍ତ୍ରୀ- ଶୁଣିଚିରେ ବରଗୋଟା ଆସିଅଛି ଛ’ମୁଣ୍ଡିଆ ।
ପୁରୁଷ- ସବୁ କଣ ଛଅ ଛଅ- ଜାଣିଥିଲେ ସତ କୁହ ।
ସ୍ତ୍ରୀ- ବାରଟା ହାତ ତାହାକୁ ତ ଲାଗୁଥିବ ଅଡ଼ୁଆ । ୧ ।
ପୁରୁଷ- ଏମନ୍ତିକା ଜୋଇଁ ପାଇ ବୁଢ଼ାଟା ସେଥିରେ ବାଇ ।
ସ୍ତ୍ରୀ- କହୁଛନ୍ତି ସାଇ ସାଇ ଲଙ୍ଗଳା ତା ବାପ ମାଆ । ୨ ।
ପୁରୁଷ- କାହିଁକି କଲା ଏ କଥା ବର କି ଯୁଟି ନ ଥାନ୍ତା
ସ୍ତ୍ରୀ- ବଡ଼ବଡ଼ଘରେ ପରା ଯେତେକ ସବୁ ଅଡ଼ୁଆ । ୩ ।
ପୁରୁଷ- ବେଦିରେ ତ ବସିଥିବ ଛଅ ମୁହେଁ ହସୁଥିବ ।
ସ୍ତ୍ରୀ- ଝିଅ ମନ ରସୁଥିବ, ଦେଖିକି ରେ ସାରୁପୁଆ । ୪ ।
ପୁରୁଷ- ଶୁଭିଲାଣି ହୁଳହୁଳି, ଯିବେ କି ଦେବୀ ମଙ୍ଗୁଳି ।
ସ୍ତ୍ର- ବଇଆ ବୋଲେ ଜାଣୁଚି ଶେଷେ ହେବେ କୁଆବୁଆ । ୫ ।
ପୁରୁଷ- ସେ ଯାହା ହଉନ୍ତୁ ବନାମା, ଆମ ଖିରିପିଠାରେ କିଛି ଗୋଳମାଳ ନାହିଁ ।
ସ୍ତ୍ରୀ- ତିନିଦିନ ଆଗରୁ ତ କିଏ କେତେ ଗଲେଣି ଖାଇ ।
ପୁରୁଷ- ଆଲୋ ପୁରି ମିଠେଇ ସବୁ କୁଆଡ଼େ ଘଷିମୁଣ୍ଡାପରି ଗଡ଼ୁଚି ?
ସ୍ତ୍ରୀ- ତୁ ଚୁଲିଆ, ଅଣ୍ଟି ଦେଖା ମ ଉପରୁ ଭୁଉସୁଭାଆସ ପଡ଼ୁଚି ।
ପୁରୁଷ- ବନାମା, ତୁ ମତେ ଏଇଠି କଲୁ ଥଟ୍ଟା ?
ସ୍ତ୍ରୀ- ଆରେ ପୁରି ମିଠେଇକି ଖାଉଚି କିଏ ଜଇଁ ଦେଖି ଝୁଅ ମୁହଁ କରୁଅଛି ଖଟା ।
ପୁରୁଷ- ତେବେ ସେ କଣ ଆଉ କାହାକୁ ଦେଇଚି କଷ୍ଟ !
ସ୍ତ୍ରୀ- ଆମେ ଛୋଟଲୋକ, ସେଘର କଥା କଣ ବୁଝିବା । ଆ’ ମ, ଦିଅ ମଙ୍ଗୁଳି ଦେଖିବା, ତାଙ୍କର ସବୁ ଓଲଟା ପାଠ । (ଉଭୟଙ୍କ ପ୍ରସ୍ଥାନ)
ମୋହିନୀ- ମା’ କାମେଶ୍ୱରୀ, ପାସୋରି ଦେଲୁ କି ଦାସୀ କଥା ହୃଦୟରୁ ଜଣାଉଚି ଅରୁଣ, କଷନା କଷନା ମନ ଆଉ କାତ୍ୟାୟନୀ !
ଗୀତ-(ଦୟାମୟୀ ଦୟାମୟୀକି...ବୃତ୍ତେ)
ଚାହାଁ ମାତ କୃପାନୟେନେ ଗୋ ।
ଡାକୁଚି ସ୍ୱପନେ ନୟନେ ଗୋ ଦେବାକୁ କିଞ୍ଚିତେ
ବାଞ୍ଛିତ ଫଳ । ବଞ୍ଚିଛି ତୋ ମୁଖ ଚାହିଁ କେବଳ । ପଦ ।
ଉଚିତ କି ଏହା ବିଚାର ସୁଚିତ୍ତେ
ଅନାଇ ବସିଛି ଅୟନେ ଗୋ । ୧ ।
ଦିଅ କୃଷ୍ଣସୁତେ ମୋ ପାଶେ ଆଣି ।
ଇଷ୍ଟାନିଷ୍ଟଦାତ୍ରୀ ଶିବା ସର୍ବାଣୀ ।
ତୋ ଦୟା ତରଣୀ ଦେଇ ପାରିକର
କାମସାଗରରୁ ବହନେ ଗୋ । ୨ ।
ଅଦେହ ଦହଇ ନିରତେ ଦେହ ।
ବରତିବି କେହ୍ନେ ତା ମୁଖୁଁ କହ ।
ମୋ ସମ ଆରତୀ ଧରତୀରେ ନାହିଁ,
ସାହା ହେଉ ଘନ ଗହନେ ଗୋ । ୩ ।
ମହୀଧରସୁତା ଉଦ୍ଧରି ଧର,
ଜଣାଇଲି ଦାସୀ ଦୋଷ ନ ଧର ।
ସିଦ୍ଧେଶ୍ୱରୀ କାର୍ଯ୍ୟ ସିଦ୍ଧିକର ଆଜ ।
ବଇ ଭାଷେ ନାମ ଗାୟନେ ଗୋ । ୪ ।
ନେପଥ୍ୟେ- ଭାବନାହିଁ ମେରୁଶୂଳସୁତା ! ପୂରିବ କାମନା ତୋର ଅଚିରେ ଏକ୍ଷଣେ ।
ମୋହିନୀ- ଏ କଣ ଦୈବବାଣୀ ହେଲା ! କାହାନ୍ତି ମୋ କାନ୍ତ ! ଏହି ଯେ ନାରଦ ମୁନିଙ୍କୁ ଦେଖୁଚି । ଯେଉଁ ଚିତ୍ରପଟ ଦେଇଥିଲେ ମୁନି, ସେ ପୁରୁଷରତ୍ନ ଏହି ହେବେ କି ସତେ କି ମାତାଙ୍କ ଆଜ୍ଞା ଫଳବତୀ ହେଲା ।
ନାରଦ- (ପ୍ରବେଶି ଚାହିଁ ଦେଖ ରାଜଜେମା ସମ୍ମୁଖେ ତୋହର,
ଛିଡ଼ା ହୋଇଅଛି କାମଦେବ
ବନମାଳା ଦେଇ ଶୀଘ୍ରକର ଗୋ ବରଣ
ଘେନି ରଥେ ତୋତେ ଯିବେ ଦ୍ୱାରକାକୁ ସେହି
ବିଳମ୍ବ ନ କର ଚାନ୍ଦମୁହିଁ !
(କନ୍ୟାର କାମଦେବ ଗଳେ ମାଳାଦାନ; ରଥାରୋହଣେ ଉଭୟଙ୍କ ପ୍ରସ୍ଥାନ)
ସମସ୍ତେ- ହାୟ, ହାୟ; ଏ କଣ ହେଲା, ଦେଖୁ ଦେଖୁ କନ୍ୟାକୁ କିଏ ଘେନିଗଲା ! ରାଜା ଶୁଣି କଣ କହିବେ- ଦେବୀମନ୍ଦିରଠାରୁ କନ୍ୟା ହରଣ ?
୧ମ ସଖୀ- ଆଉ ଏଠି ବସି କାନ୍ଦିଲେ କଣ ହେବ, ଚାଲ ଏ କଥା ରାଜାଙ୍କୁ କହିବା, ଜୋଇଁ ତେଣେ ବରବେଶ ହୋଇ ବେଦିରେ ବସିଚି । ସେ କି ଲାଜରେ ମୁହଁ ଟେକି ବାଟ ଚାଲିବ ! (ସମସ୍ତଙ୍କ ପ୍ରସ୍ଥାନ)
ନେପଥ୍ୟେ- କାହିଁ କାହିଁ, କେଉଁଆଡ଼େ ଗଲା ସେହି ଚୋର ?
ସମସ୍ତେ- କେହି ଦେଖିନାହୁଁ ଦୈତ୍ୟନାଥ, କେତେବେଳେ କିଏ ଗଲା ଘେନି ।
କାର୍ତ୍ତିକ- (ବରବେଶେ ପ୍ରବେଶି) କଣ ଶୁଣିଲି ! କଣ ଶୁଣିଲି ! ଅହିଜ୍ଞସ୍ଥାନରୁ କନ୍ୟା ଚୋରି ! ଆଉ ଏ ମୁକୁଟ ବାନ୍ଧିବି କାହିଁକି ? ଦୂର ହୋ ରେ ବିବାହ ମୁକୁଟ- ମୋତେ କେତେ ଲଜ୍ଜା ଦେଲା ! ଓଃ ଫାଟିଗଲା ଛାତି ।
ଦୁର୍ବାସା- (ପ୍ରବେଶି)-କି ଆଶ୍ଚର୍ଯ୍ୟ ! କି ଆଶ୍ଚର୍ଯ୍ୟ ! ଏତେଗୁଡ଼ାଏ ଶ୍ରମ ବିଫଳ ହେଲା ? (ନାରଦଙ୍କ ପ୍ରବେଶ)
ନାରଦ- କି ଘଟଣା ହେ ଦୁର୍ବାସା ! ଏତେ ବ୍ୟସ୍ତ କାହିଁକି ?
ଦୁର୍ବାସା- ମହର୍ଷେ ! ମନ୍ଦରଶୈଳପରେ ଯେ କଥାଭାଷା ହୋଇଥିଲେ ଆଜି ତୋର ବିଷମ ଫଳ ଫଳିଛି ।
ନାରଦ- ମୁନିଶ୍ରେଷ୍ଠ ! ମୁଁ ତୁମ୍ଭଙ୍କୁ ମନାକରିଥିଲି, ତୁମ୍ଭେ ବୃଥାରେ କାର୍ତ୍ତିକକୁ ଅପମାନ ଦେଲ ଓ ନିଜେ ମଧ୍ୟ ଅପମାନ ଭୋଗିଲ । ଏ ଘଟଣା କାହିଁକି ହେଲା, ତାର କାରଣ ମୋଠାରୁ ଶୁଣ ।
ଗୀତ-(କୀର୍ତ୍ତନ ସୁର)
ଯୋଗ ଲଗ୍ନ ରାଶି ନ ବୁଝିଣ ଦୁହିଁଙ୍କର । ବିନା ଅନୁକୂଳେ ଆରମ୍ଭିଲ ବିଭାଘର ।
ପଦ । କୃତ୍ତିକା ବୃଷରାଷିଟି କାର୍ତ୍ତିକର ଦେଖ । ଧନୁରାଶିକି ଅଷ୍ଟମ ବୃହସ୍ପତି ଲେଖ । ୧ ।
ତେଣୁ ନୋହିଲା ଯୋଗ, ତା ପକ୍ଷେ ଏ ବିଭା ହେ ରୋଗ, କିମ୍ପା ମଥାରେ ବାନ୍ଧିଲା ବର
ପାଗ, ତେଣୁ କାମାକ୍ଷୀ କଲେ ତା ସଙ୍ଗ ଭଙ୍ଗ । କୃଷ୍ଣନନ୍ଦନ କୃଷ୍ଣନନ୍ଦନ, ଦିଗ ଭ୍ରମି ଆସିଥିଲା
ପଦ୍ମନ । ଗୁପ୍ତେ ରହିଥିଲା ଦେବୀ ସଦନ, କନ୍ୟା ନିରଖନ୍ତେ ତାର ବଦନ । ମାଳ ଦେଇ
କଲା ପାଦବନ୍ଦନ, ତହୁଁ ଆରୋହିଲେ ଦୁହେଁ ସ୍ୟନ୍ଦନ, ବଇଷ୍ଣବ ଭାଷେ ଗଲେ ଦ୍ୱାରକା ନବର । ୨ ।
ଦୁର୍ବାସା- ମଙ୍ଗୁଳା କନ୍ୟା ହରି କି ନ କଲା ଅନୀତି !
ନାରଦ- ପୂର୍ବରୁ ମୁଁ ଜାଣେ ଥିଲା ଦୁହିଁଙ୍କର ପ୍ରୀତି ।
କାର୍ତ୍ତିକ- ବୁଝିଲି ବୁଝିଲି ଯାହା ଏଥିର କାରଣ । କଲା ଏହା କପଟୀ କୌଶଳୀ ଚୋର ଶ୍ରୀକୃଷ୍ଣନନ୍ଦନ ଏତେ କାଣ୍ଡ । ଚୋର ପୁତ୍ର ଜାଣେ ଚୋରିବୃତ୍ତି, କେତେ ଲଜ୍ଜା ଦେଲା ଶମ୍ବରାରି, ଆଜି ନିଶ୍ଚେ ନାଶିବି ଦ୍ୱାରକା, ସାକ୍ଷୀ ଥାଅ ହେ ନାରଦ ମୁନି, ଶୁଣିଥାନ୍ତୁ ଦିଗପାଳଗଣ, ରଣେ ପ୍ରାଣ ନେବି ସେ ଖଣ୍ଟର, ତାର ରକ୍ତେ କରିବି ତର୍ପଣ, ବିଭାର ମୁକୁଟକୁ କେ ଲୁଟାଇଲା ତଳେ ଏହି ଶୂଳେ ନେବି ତା ଜୀବନ ।
ନାରଦ- କହିବାର କଥା ନୁହେ ଏହା, ଣୁଣିଲେ ମାଡ଼ଇ ଲାଜ ମୋତେ, ତୋହ ପରାବୀର ଏହା କେମନ୍ତେ ସହିବ, ବିଭାଠାରୁ ନେଲା ନିଜ ଭାରିଯାକୁ ହରି, ତିନିପୁରେ କେଡ଼େ ଲାଜ ଦିଆଇଲା ତୋତେ । ଏଡ଼ିକି କୁଳଟା ମେରୁଶୂଳ ଦୈତ୍ୟସୁତା ତେଜି ନିଜ ପତି ଉପପତିକି ଭଜିଲା- ଶୁଣି କିସ କହିବେ ଅମରେ ।
କାର୍ତ୍ତିକ- ଆଉ କିଛି କହ ନାହିଁ ମୁନି ! ଚାଲିଲି ଏକାକୀ ମୁହିଁ ଦ୍ୱାରାବତୀପୁରେ ବଧି ପ୍ରଦ୍ୟୁମ୍ନକୁ ଏହି ଶୂଳେ ବଳେ କନ୍ୟା ତାହାଠାରୁ ଆଣିବି ଛଡ଼ାଇ...ବଳରାମ କୃଷ୍ଣ ଯେବେ ହେବେ ମୋ ବିପକ୍ଷ ରକ୍ଷା ନାହିଁ ତାହାଙ୍କର ଏ ଶୂଳ ମୁଖରୁ । ଇଚ୍ଛା ଥିଲେ ମମ ତୁଲେ ଆସ ଦୈତ୍ୟରାଜ !
ମେରୁଶୂଳ- ଚାଲ ଶିବସୁତ ! ଦୁହେଁ ଯିବା ଦ୍ୱାରାବତୀ ।
ମୋର ଗୃଧ୍ରଯାନ, ତବ ମୟୂରବାହନ
ବେନି ପକ୍ଷି ଉଡ଼ନ୍ତୁ ଗଗନେ ।
ସଘନେ ଯାଇ ଚୋରକୁ ଓଗାଳିବା ପଥ
ଆଜି ତାକୁ ଡାକିଲା କୃତାନ୍ତ । (ଉଭୟଙ୍କ ପ୍ରସ୍ଥାନ)
ନାରଦ- ଚାଲି ରାଜା ! ଆମ୍ଭେ ଯାଉଅଛୁ ସଙ୍ଗେ ତୋର
ନୟନେ ଦେଖିବା ଜେହ୍ନେ କରିବ ସମର
ଆସ ଆସ ଆସ ହେ ଦୁର୍ବାସା !
ଆଶାଭଙ୍ଗ ପାପ ଏକା ଲାଗିବ ତୁମ୍ଭରେ । (ଉଭୟଙ୍କ ପ୍ରସ୍ଥାନ)
ଅଦୃଷ୍ଟକୁମାରୀ ଗୀତ- (ପରଦେଶୀ ସମୀରଣ...ବୃତ୍ତେ)
ଯାହାକୁ ଯାହା ଦଇବ ବାଣ୍ଟି ଦେଇଚି । ନ ବୁଝି ତାହା ମାନବ ଘାଣ୍ଟିହେଉଚି । ପଦ ।
ନଳିନ ମିହିର ତୁଲେ, ଖଞ୍ଜିଚି ଆହା କି ଭଲେ । ଭ୍ରମର ସଦା ସୁମନେ ଭୁଲି ରହିଚି । ୧ ।
ଦେବତା ଭୋଗ ଅମୃତ, ଦାନବେ କି ପରାପତ । ଫଣିଶିରେ ମଣି ସିନା ଶୋଭା ପାଉଚି । ୨ ।
ବସନ୍ତରେ ବସି ପିକ, ବରଷା ଲୋଡ଼େ ଶାମୁକ । ଅହିରାଜ ମୁଣ୍ଡେ ମହୀଭାର ଥୋଇଚି । ୩ ।
ପ୍ରଦ୍ୟୁମ୍ନ ସଂଚିତ ବିତ୍ତ, କାହୁଁ ନେବ ଶିବସୁତ । ଶେଷେ ଯେ ଯା’ର ସେ ତା’ର ବଇଗାଉଚି । । (ପ୍ରସ୍ଥାନ)
ଶ୍ରୀକୃଷ୍ଣ- ଦୂରେ ଚାହିଁ ଦେଖରେ କିରୀଟି, ଏ ଯେ ମେରୁଶୂଳ ଘେନି କାର୍ତ୍ତିକେଶ୍ୱରକୁ ଧାଇଁଅଛି ମହାରୋଷେ ପବନହୁଁ ଖରେ । ମୟୂର ସମ୍ପାତି ବେନି ପକ୍ଷୀପରେ ବସି, ଧରିଛନ୍ତି ଦୁହେଁ କୋଦ୍ଦ୍ୱାଳ ଆୟୁଧ । ଦେଇ ଏହି ପଥ କନ୍ୟା ଘେନି ଶମ୍ବରାରି ଗଲା ଦ୍ୱାରକାକୁ ମୋର ତା ବିନା ସେ ଛୁଟିଛନ୍ତି ରୋଷ ବିନ୍ଧ୍ୟପର୍ବତ ମନ୍ଦର ଉଡ଼ନ୍ତି କି ନଭେ ବେନି ଜନେ ଦିଶନ୍ତି ତାଦୃଶ, ଚଢ଼ି ଆମ୍ଭେ ଗରୁଡ଼ପୃଷ୍ଠରେ ତାଙ୍କ ଆଗ ଉଗାଳିବା ଆସ ।
ଅର୍ଜୁନ- ସଖା କୃଷ୍ଣ ! ଯେବେ ଦୟା ଥିବ ତୋର ଏ ଅର୍ଜୁନ ପରେ ସହସ୍ରେକ ମେରୁଶୂଳ ଦ୍ୱିସହସ୍ର କାର୍ତ୍ତିକ ମୁର୍ହୂତ୍ତ ମାତ୍ରକେ ପଠାଇବି ଯମାଳୟେ ଧରି ଏହି ଅଗ୍ନିବତ ଗାଣ୍ଡିବ କାର୍ମୁକ । ଚାଲ ଚକ୍ରୀ ଚାଣ୍ଡେ ଆଗେ ଓଗାଳି ଯୁଝିବା ନାରଦ ମୁନି ଅଛନ୍ତି ଦୈତ୍ୟ ତୁଲେ ଆସି ମିଳିଅଛି ଉତ୍ତମ ସୁଯୋଗ । (ଉଭୟର ପ୍ରସ୍ଥାନ)
(ନାରଦ, ମେରୁଶୂଳ ଓ କାର୍ତ୍ତିକର ପ୍ରବେଶ)
ନାରଦ- ଦେଖ ଦେଖ ରାଜା ମେରୁଶୂଳ, ଗରୁଡ଼ ଉପରେ ବସି ଧରିଚି ଯେ ଚକ୍ର, ତାର ପୁତ୍ର ହରିଅଛି ଦୁହିତାକୁ ତୋର ।
ମେରୁଶୂଳ- ରେ ରେ ରେ ଗୋପାଳ, ତୋର କାଳ ପୂର୍ଣ୍ଣ ଆଜି । ଏହି ପର୍ବତରେ ନେବି ଜୀବନ ଏକ୍ଷଣି (ପର୍ବତ ନିକ୍ଷେପ) । ଓହୋ, କେଡ଼େ ଗିରିବର ମୋର ଧୂଳି ଗଲା ହୋଇ ବାଜିଲା ମାତ୍ରେ ଗରୁଡ଼ ଦେହେଁ
ନେପଥ୍ୟେ- ସଖା ! ତୁମ୍ଭେ କାର୍ତ୍ତିକର ସହ କର ଋଣ, ମୁଁ ଋଣ କରୁଚି ଦୁଷ୍ଟ ମେରୁଶୂଳ ତୁଲେ ।
ମେରୁଶୂଳ- ହେ କାର୍ତ୍ତିକ ! କିମ୍ପା ରଣେ ବିମୁଖ ତୋହର, ପାର୍ଥ କୃଷ୍ଣ ସମ ଯୋଦ୍ଧା ତୁହି ଶିବସୁତ, ନିସତ କି ହେତୁ କାର୍ଯ୍ୟକାଳେ କୃଷ୍ଣାର୍ଜ୍ଜୁନେ ଦେଖି ମୋର କମ୍ପଇ ସର୍ବାଙ୍ଗ ।
କାର୍ତ୍ତିକ- ନିସତ ନ ହୁଅ ଦୈତ୍ୟନାଥ ! କୃଷ୍ଣ ସହ ରଣ ମୋର ଦେଖ ରହି ନେତ୍ରେ ।
ଅର୍ଜୁନ- (ପ୍ରବେଶି) ରେ ରେ ଦୁଷ୍ଟ ମେରୁଶୂଳ, ସମ୍ଭାଳ ମୋ ବାଣ ।
ମେରୁଶୂଳ- ରେ ଗୋଳକୁଣ୍ଡା ତୃତୀୟ ପାଣ୍ଡବ ଏ କୋଦ୍ଦାଳେ ଭାଙ୍ଗିବି ତୋ ଟାଣ ।
(ରଣବାଦ୍ୟ- ଯୁଦ୍ଧ କରୁ କରୁ ଉଭୟର ପ୍ରସ୍ଥାନ)
କାର୍ତ୍ତିକ- ଆସ କୃଷ୍ଣ, ଯୁଝ ମୋର ତୁଲେ ।
ଶ୍ରୀକୃଷ୍ଣ- (ପ୍ରବେଶି) ଭୟ ନାହିଁ ଷଡ଼ାନନ ମୋ ସଙ୍ଗେ ଲଢ଼ୁଛୁ କାହା ବୋଲେ ?
କାର୍ତ୍ତିକ- ଶୁଣ ହରି, କି ଅନ୍ୟାୟ କଲା ତୋର ପୁତ୍ର ।
ଗୀତ-(କୀର୍ତ୍ତନ...ବୃତ୍ତେ)
ଏ କି ଭଲଗୁଣ ତୁମ୍ଭ ଆହେ ନାରାୟଣ । ଦୁର୍ବାସା ବୋଲେ ଆଗରୁ କରିଲା ବରଣ,
ମୋତେ ଦୈତ୍ୟସୁତା ହେ । ନ ଭାବିଲ ପାପ ପୁଣ୍ୟ କଥା ହେ । ୧ । ଅହିଜ୍ଞ୍ୟ ସ୍ଥାନରୁ
କନ୍ୟା ସୁତ କଲା ଚୋରି । ଶିଶୁପାଳ ବିଭାବେଳେ କଲ ଯାହା ହରି, ସେ ଚୋରି ବୁଦ୍ଧି
ହେ । ତୁମ୍ଭର କୁମର ଥିଲା ସାଧି ହେ । ୨ । ବାହୁବଳେ ତୁମ୍ଭେମାନେ ଦସ୍ୟୁବୃତ୍ତି କର ।
ଗୋଳକୁଣ୍ଡା ପାଣ୍ଡବଙ୍କୁ ଘେନି ସଙ୍ଗତର । ଆଜି ତୋ ଦ୍ୱାରକାରେ, ଦେଖିବି ମୁଁ କରିବ କେ
ରକ୍ଷା ରେ । ୩ । ଯେବେ ଜୀବନେ ମମତା ଅଛି ବନମାଳି । କନ୍ୟାକୁ ଆଣି ମୋ ପାଶେ
ଦିଅ ମେଣ୍ଟୁ କଳି । ବଇଷ୍ଣବ କହି ରେ । ତା ନ ହେଲେ ତ୍ରାଣ ଆଉ ନାହିଁରେ । ୪ ।
ଶ୍ରୀକୃଷ୍ଣ- ରେ କାର୍ତ୍ତିକ ! କି ଗରବେ କହୁ ଏ କୁଭାଷୀ, ନାହିଁ ଆଗ ପଛକୁ ତୋ ତିଳେ ରେ ବିଚାର । ଯୁବତୀଉନ୍ମତ୍ତ ନାହିଁ ଭଲ ମନ୍ଦ ଜ୍ଞାନ ପରାପର ପାପ ପୁଣ୍ୟ ନ ଭାବିଲ କିଛି । ସହଜେ ତପସ୍ୱୀ ତୁ ଯେ ବ୍ରହ୍ମଦର୍ଶୀ ଅଟୁ ନାରୀଭୋଗେ ମତି ତୋର ବଳିଲା କିପରି ? ପାଞ୍ଚଦ୍ୱାରୁ ଭିକ୍ଷା ମାଗି ଯୋଗ ତୁହି ସାଧୁ ଯୋଗେ ତୁହି ସାଧୁ, ବଧୂମୁଖ- ମଧୁପାନେ କି କାର୍ଯ୍ୟ ବା ତୋର, ଫେରିଯାଅ କପିଳାସେ ନିଜ ମାନ ରକି ।
କାର୍ତ୍ତିକ- କିମ୍ପା ଦ୍ୱନ୍ଦ୍ୱୀ ହେଉ ନାରାୟଣ, ପାରିବୁ ନାହିଁ ନିଶ୍ଚୟ ହାରିବୁ ଶେଷରେ । ଯାଅ ହେ ଦୁର୍ବାସା, ଦିଅ ଶିବେ ସମାଚାର, ନନ୍ଦି ମଦି ରୁଦ୍ରବଳ ଘେନିଣ ସଙ୍ଗରେ ଆସିବେ ଶିବ ତୁମ୍ଭର ତୁଲେ । ରେ ଗୋବିନ୍ଦ, ସମ୍ଭାଳ ମୋ ବାଣ ।
ଶ୍ରୀକୃଷ୍ଣ- ରେ ଗରୁଡ଼ ! ଏ କି ଉଲ୍କାପାତ, ବୁଜି ହୋଇଯାଏ ମୋ ନୟନ, ପକ୍ଷେ ଆଡ଼ି ରକ୍ଷାକର ମୋତେ, କାର୍ତ୍ତିକ ନାରାଜ କାଟି କର ଖଣ୍ଡ ଖଣ୍ଡ ।
(କାର୍ତ୍ତିକ ଓ କୃଷ୍ଣ ରଣ କରୁ କରୁ ପ୍ରସ୍ଥାନ- ମେରୁଶୂଳ ଅନୁସରଣ କରୁ କରୁ ପ୍ରବେଶ)
ମେରୁଶୂଳ- ଅଟଳ ଅଚଳ ରଣେ ପାର୍ଥ, କୋଦ୍ଦାଳ ଆୟୁଧ ବ୍ୟର୍ଥ ହେଲା ତିନିବାର । କିନ୍ତୁ ପ୍ରାଣ ଥିବାଯାଏ ପଣ ନ ଛାଡ଼ିବି କେଭେ (ପ୍ରକାଶ୍ୟେ) ରେ ଗାଣ୍ଡୀବି, ଭଣ୍ଡ ଆଖଣ୍ଡଳସୁତ ଶୁଣ, ବର୍ତ୍ତମାନ ଆଗତ ରଜନୀ, ଉଭୟ ବାରଣ କ୍ରୀଡ଼ା ରହୁ ଏହିଠାରୁ । କାଲି ପ୍ରାତେ ପୁଣି ହେବ ଶକ୍ତିର ପରୀକ୍ଷା ।
ଅର୍ଜ୍ଜୁନ- ଯାହାହେଉ, ପାର୍ଥ ହସ୍ତୁ ନାହିଁ ତୋର ରକ୍ଷା, ଅଦ୍ୟ ବଞ୍ଚି ରହ ମେରୁଶୂଳ, କାଲି ଏହି ସ୍ଥାନେ ତୋର ପୂରାଇବି କାଳ । (ଉଭୟ ପ୍ରସ୍ଥାନ)
ଶିବ- ଶୁଣ ନନ୍ଦୀ ! ଷଡ଼ାନନ ଯାଇଥିଲା ଦକ୍ଷିଣ କୋଶଳେ, ଦୁର୍ବାସା ବଚନେ ମେରୁଶୂଳ- କନ୍ୟା ଆଶେ, ନ ଫେରିଲା କିପାଁ ତାର ନ ମିଳେ ସମ୍ବାଦ ?
ନନ୍ଦୀ- ଦେବଦେବ ! ଏହି ଦେଖ ଯେ ଦୁର୍ବାସା ଯାଇଥିଲେ ନେଇ କାର୍ତ୍ତିକଙ୍କୁ ସେ ଏବେ ଆସନ୍ତି ଫେରି ଏକା ତବ ପାଶେ, ତାଙ୍କଠାରୁ ଜଣାଯିବ ସମସ୍ତ ଖବର । (ଦୁର୍ବାସାଙ୍କ ପ୍ରବେଶ)
ଶିବ- ତୁମ୍ଭେ ଅଇଲ, କାହିଁ ଷଡ଼ାନନ ମୋର ?
ଦୁର୍ବାସା- ଶୁଣ ଶିବ ତାଙ୍କ ସମାଚାର...
ଗୀତ-(ମୋତେ ମାଆରେ ମଦନ ବାରେ...ବୃତ୍ତେ)
ମହାକାଳ ହେ,
ଏତେ ଗୋଳ ଉପୁଜିବ ନ ଥିଲୁ ଜାଣି ।
କାର୍ତ୍ତିକର ଚିତ୍ର ଦେଖି ଲୋଭେ ପଡ଼ି ବରିଲା ପ୍ରଥମେ ଦୈତ୍ୟଦୁଲଣୀ । ପଦ ।
ତା ଉତ୍ତାରୁ ପଦ୍ମନ ପଟ, ଦେଖାଇଣ ନାରଦ ହଟ,
ସାଧିଲେ ବାନ୍ଧିଲେ କନ୍ୟାର ମନକୁ ଦେଖି ଭୁଲିଗଲା ରମଣୀମଣି । ୧ ।
ବରବେଶ କାର୍ତ୍ତିକ ହୋଇ, ବେଦୀପରେ ବସିଛି ଚାହିଁ,
ଏଣେ ଦେବୀ ଆଳେ ମାଳା ଦେଲା ବାଳା ରୁକ୍ମିଣୀକୁମରେ କରି ବରଣୀ । ୨ ।
ରଥେ ଘେନି ଗଲା ଦ୍ୱାରକା, ରାଜପୁରେ ପଡ଼ିଲା ଡକା,
ଶୁଣି ମେରୁଶୂଳ ଷଡ଼ାନନ ତୁଲେ ଯାନ ଚଢ଼ି ଗଲେ ତକ୍ଷଣି । ୩ ।
ବକାଳୀର ନଦୀତଟରେ, ପଡ଼ିଲେ ଶ୍ରୀହରି ଭେଟରେ,
ପାଣ୍ଡବଙ୍କୁ ଘେନି ମାତିଛନ୍ତି ରଣେ ଜଣାଇଲି ଆସି ବଇଆ ଭଣି । ୪ ।
ଶିବ- କହ ସତ ମୁନି ! ସେହି ରଣ ସମାଚାର ମୋତେ, ନିହତ କେ ହୋଇଛନ୍ତି ଚକ୍ରୀ ଚକ୍ରଦାଢ଼େ ?
ଦୁର୍ବାସା- ଶୁଣ ! ସୁଢ଼ଳାଙ୍ଗ ଗରୁଡ଼ର ପକ୍ଷବାତେ ଶିଖୀ ଉଡ଼ିଯାଇ ପଡ଼ିଲା ସପତ ଯୋଜନରେ ତବ ପୁତ୍ର ତିନିବାର ହେଲେ ପରାଜୟ ହରି ସହିତ ସମରେ । ମେରୁଶୂଳ ତୁଲେ ଯୁଦ୍ଧ କରଇ କିରୀଟି, ପାଦଘାତେ ଗିରିବର ଚୂର୍ଣ୍ଣ ହୋଇ ଉଡ଼େ । ମୁଁ ଆସିଲି ତବ ପାଶେ କାର୍ତ୍ତିକ ଆଦେଶେ । ତେଣେ ନାରଦ ଗଲେଣି ବଳରାମେ ଦେବାକୁ ବାରତା- ଆସ ସଦାନନ୍ଦ ସାଜି ଶିବବଳ ସଙ୍ଗେ, ମହା ରଣଗୋଳ ହେବ ମଳୟ ପର୍ବତେ ।
ଶିବ- ନନ୍ଦୀଶ୍ୱର ! ସଜକର ରୁଦ୍ରଗଣେ । ଚଣ୍ଡ ବିନାୟକ ଯେ ପ୍ରଚଣ୍ଡ କ୍ଷେତ୍ରପାଳ, ଭ୍ରୁକୁଟୀ ବୀରଭଦ୍ର ଆବର କୀର୍ତ୍ତିମୁଖ, ଏମାନେ ତ୍ରିଶୂଳ ଶୂଳ ପିନାକକୁ ଧରି ବୀରନାଦେ କର ଅନୁକୂଳ ।
ନନ୍ଦୀ- ଯଥା ଆଜ୍ଞା. ରୁଦ୍ରସେନା ସାଜି ମୁହିଁ ଯାଉଛି ମହେଶ, ବୃଷଭେ ଆରୋହି ଆଗେ କରନ୍ତୁ ଗମନ, ପଥ ଦେଖାନ୍ତୁ ଦୁର୍ବାସା ମୁନି ।
(ଶିବଗଣ ସାଜି ନନ୍ଦିର ପ୍ରବେଶ । ବୃଷଭ ଆରୋହଣେ ଶିବ ଦୁର୍ବାସାସହ ପ୍ରସ୍ଥାନ)
(କୃଷ୍ଣାର୍ଜ୍ଜୁନଙ୍କ ପ୍ରବେଶ)
ଅର୍ଜୁନ- ଦେଖ ବନମାଳି ! ଆସୁଛନ୍ତି ମହାକାଳ ରୁଦ୍ରବଳେ ହୋଇଣ ବେଷ୍ଟିତ । ବିରାଜିତ ବୃଷଭ ପୃଷ୍ଠରେ, ସଙ୍ଗେ ତାଙ୍କ ଦୁର୍ବାସା ମହର୍ଷି । ଧାତୁରା ପାନେ ଉନ୍ମତ୍ତ କାଶୀ ।
ଶ୍ରୀକୃଷ୍ଣ- ଆସନ୍ତୁ ନିକଟେ ଆଶୁତୋଷ, ମିଳି ତାଙ୍କ ପାଶେ ତୋଷିବି ମୁଁ ସୁମଧୁର ବାକ୍ୟେ, ଥାଇ ଏଥି ଦେଖ ଧନଞ୍ଜୟ !
(ଶିବଗଣଙ୍କର ପ୍ରବେଶ । )
ଗୀତ-(ଆନନ୍ଦିତେ ଥେୟା ଥେୟା...ବୃତ୍ତେ)
ଭୁଉଁ ଭୁଉଁ ଭୁଉଁ ଭୁଉଁ ସିଂହା ଡିବ୍ ଡିବ୍ ଡମରୁ ବାଜରେ ।
ହର ହର ହର ହର ବଂ ବଂ ବଂ ବଂ ବୋଲତ ତେଜରେ । ପଦ ।
କଡ଼ ଖଡ଼ ହାଡ଼ମାଳ ଗଳେ ଦୋଳେ, ଲମ୍ବିତ ଜଟା ଶଶାଙ୍କ-ମଉଳେ,
ପ୍ରେତଗଣ ମଧ୍ୟେ ଶିବ ବିରାଜେ ସଜରେ । ୧ ।
ଭାଙ୍ଗ ଭୋଜନେ ରଙ୍ଗ ନେତ୍ର, ଅହି ଆଭରଣ ଗୋକ୍ଷୀର ଗାତ୍ର,
ଅଙ୍ଗଭଙ୍ଗି କରି ଚଳେ ବୃଷଭରାଜରେ । ୨ ।
ପରିହିତ ବ୍ୟାଘ୍ର ଚର୍ମ କଟୀରେ, ରାଜେ ତ ଶୂଳୀ ଗୋପତି ପିଠିରେ ।
ତାରିବ କି ମାରିବ ଏ ବଇଆ ଦ୍ୱିଜରେ । ୩ ।
ଶିବ- କାହିଁ କେଉଁଠାରେ କୃଷ୍ଣ ଅରଜୁନ ?
ଶ୍ରୀକୃଷ୍ଣ- ଏହି ତବ ପଦେ ପ୍ରଣିପାତ ପଞ୍ଚାନନ !
ଶିବ- କି ନିମନ୍ତେ ନିଜ ମଧ୍ୟେ ଲଗାଇଛ ଗୋଳ ?
ଶ୍ରୀକୃଷ୍ଣ- ଆସନ୍ତୁ ଏକାନ୍ତେ ତାହା ଶୁଣିବ ସୁଢ଼ଳ ! (ସମସ୍ତଙ୍କ ପ୍ରସ୍ଥାନ)
ରାମ- ଦେବର୍ଷେ ! ଆଜି ଦ୍ୱାରକାରେ ଲାଗିଛି ଉତ୍ସବ, ଏତେ ଆନନ୍ଦ ସମୟେ କାହିଁ ବନମାଳୀ ପୁତ୍ରବଧୂ ଦେଖିବାକୁ ନାହିଁ କି ତା ଇଚ୍ଛା, କେଉଁଠାରେ ଅଛି କୃଷ୍ଣ ଜାଣ ଯେବେ କହ, ଦୂତ ପଠାଇ ଆଣିବି ଡାକି ।
ନାରଦ- ଶୁଣ ସଙ୍କର୍ଷଣ ! ବକାଳୀ ତଟିନୀତଟେ ମଳୟେ ପର୍ବତ, ସେହିଠାରେ ପର୍ବତ, ସେହିଠାରେ ମେରୁଶୂଳ ତୁଲେ ଦେବହରି କରୁଅଛି ରଣ ଘେନି ପାଣ୍ଡବଙ୍କୁ ସଙ୍ଗେ । କାର୍ତ୍ତିକର ଅପମାନେ ସ୍ୱୟଂ ମହାକାଳ ଚୌଦକୋଟି ରୁଦ୍ରବଳ ଘେନି ଆସିଲେଣି ସମର ଉଦ୍ଦେଶ୍ୟ । କୃଷ୍ଣ ଫାଲ୍ଗୁନି ବେନି କି କରିବେ ତାଙ୍କ ।
ରାମ- କି କହୁଛ କଳିପ୍ରିୟ ମୁନି ! ପ୍ରକୃତ କି ଭାଇ ମୋର ପଡ଼ିଛି ବିପଦେ ? ଆରେ ଆରେ ଯଦୁବଳେ, ଆସ ମୋ ସହିତେ । କାହିଁ ମୋର ହଳ ମୂଷଳ ଆୟୁଧ ଆଣ ତାଳଧ୍ୱଜ ରତ ଶୀଘ୍ର ସାଜିଣ ସାରଥି ଭେଟକରୁ ମୋ ସହିତ ଦକ୍ଷିଣ ଦୁଆରେ, କାଳ ସହ ହେବ ଆଜି ବଳର ପରୀକ୍ଷା, ରକ୍ଷା ନାହିଁ ଆଜି ରୁଦ୍ରଙ୍କର, ତାଡ଼ିବି କୈଳାସ ଏହି ଲଙ୍ଗ ମୂଷଳେ । ଶୀଘ୍ର ମୁନି, କଢ଼ା ପଥ ଆଗେ । (ବେଗେ ରାମ ଯଦୁବଳ ସାଜି ପ୍ରସ୍ଥାନ- କୃଷ୍ଣାର୍ଜୁନଙ୍କ ପ୍ରବେଶ)
କୃଷ୍ଣ- କର ରଣ ପାର୍ଥେ, ମେରୁଶୂଳ ସହିତରେ ସଙ୍ଗେ ଘେନି ଭାଇଗଣେ । ଏହି ଦେଖ କୋପେ ଧାଇଁଅଚନ୍ତି ମୂଷଳୀ, ଯାଦବ ଚପନ କୋଟି ଅଛନ୍ତି ସଙ୍ଗରେ, ପୁଣି କାଦମ୍ବରୀପାନେ ନୟନଯୁଗଳ, ଏହି ଦେଖ ଦେଖ ପାର୍ଥ !
ଗୀତ-(ଚୋଖି...ବୃତ୍ତେ)
ଚାହାଁରେ ବୀର ବିଜୟୀ, ଧାଇଁଛନ୍ତି ଜ୍ୟେଷ୍ଠଭାଇ,
ଦନ୍ତେ ଓଷ୍ଠ ଚାପି ରୁଷ୍ଟ ପ୍ରକୃତି ଧରି ।
ସୃଷ୍ଟି କି ପ୍ରଳୟ ହେବ ଅରିଷ୍ଟ ଏଥି ଘଟିବ
ବୁଲାନ୍ତି ହଳ ମୂଷକ ରାଗେ ଉଭାରି ।
ଏଦୁର୍ଜୟ ଯାଦବସୈନ୍ୟ, ଆସନ୍ତି ବନ ପର୍ବତ କରିଣ ଚୂର୍ଣ୍ଣ । ୧ ।
ଉଡ଼ି ତାଙ୍କ ପାଦଧୂଳି, ନ ଦିଶନ୍ତି ଅଶୁଂମାଳୀ,
ଅନ୍ଧକାର ଭଳି ଦିଶେ ଦିଗ ସକଳ ।
ତାଳଧ୍ୱଜ ରଥ-ସ୍ୱନ ଶୁଭୁଅଛି ଘନ ଘନ,
ଯୋଚା ସେ ସ୍ୟନ୍ଦନେ ମହାମତ୍ତ ଶାର୍ଦ୍ଦୁଳ ।
ମାର ମାର ଛାଡ଼ନ୍ତି ରଡ଼ି, ସତେ କି ସୁମେରୁ ଶୃଙ୍ଗ ପଡ଼ିବ ଛିଡ଼ି । ୨ ।
ତାହାଙ୍କୁ ପ୍ରବୋଧ କରି, ଆୟୁଧ ପଥୁ ସଂହରି,
ଧର୍ମକୁ ଘେନି ସେ କ୍ରୋଧ କରିଣ ଶାନ୍ତି ।
ବିନୟେ ତୋଷି ମାନସ ନେଇଯିବି ଶିବ ପାଶ,
ଏହା ନୋହିଲେ ଘଟିବ ବିଷମ କ୍ଷତି ।
ବଇଷ୍ଣବ ରଚେ ଏ ପଦ ।
ଯାଅ ମୋରୁଶୂଳ ତୁଲେ କର ତୁ ଯୁଦ୍ଧ । ୩ ।
(ରାମଙ୍କ ପ୍ରବେଶ-ଅର୍ଜ୍ଜୁନଙ୍କ ପ୍ରସ୍ଥାନ)
ରାମ- ଆରେ ଆରେ ରୁଦ୍ରଗଣେ କେଣେ ଅଛ ଆସ ।
କୃଷ୍ଣ- ଦେବ ! କାହାପରେ ଏତେ କର ରୋଷ ? ଶାନ୍ତ ଭଜିଲେ ହରିହର ରଣସ୍ଥଳେ, କା ସଙ୍ଗେ କଳି କରିବ ହଳୀ, ଚାଲ ଯହିଁ ଅଛନ୍ତି କପାଳି ।
(ଶିବ, ବଳରାମ, ଶ୍ରୀକୃଷ୍ଣ ଏକତ୍ର ଉପବେଶନ)
ଶିବ- ଶୁଣ ଚକ୍ରହସ୍ତ ! ଆଗେ କନ୍ୟା କାର୍ତ୍ତିକକୁ ବରିଥିଲା ମୋର ।
କୃଷ୍ଣ- ଶୁଣ ଭ୍ରାତ, ନ ଜାଣେ ମୁଁ ସେ ସମସ୍ତ କିଛି, ଜାଣିଥିଲେ ଘଟି ନ ଥାନ୍ତା ଏ କାଣ୍ଡମାନ, ଏହିକ୍ଷଣି ମଧ୍ୟ କନ୍ୟା ଦିଅନ୍ତି ଫେରାଇ । କିନ୍ତୁ ବରମାଳା ଦେଇ ରାମା ବରିଛି ପ୍ରଦ୍ୟୁମ୍ନେ । କାର୍ତ୍ତିକ ଅଟଇ ଜ୍ୟେଷ୍ଠ କନିଷ୍ଠ ମନ୍ମଥ, ଭ୍ରାତବଧୂ ହେବ କନ୍ୟା ତୁମ୍ଭରି ପୁତ୍ରର, ଏ ବିଚାର ତୁମ୍ଭେ କର ନିଜେ ।
ଶିବ- ରେ କାର୍ତ୍ତିକେଶ୍ୱର ! ବଡ଼ ଅବିଚାର କଲା ମେରୁଶୂଳଜେମା । ଛାର ସ୍ତିରୀପାଇଁ ଆମ୍ଭ ମଧ୍ୟେ ଦ୍ୱନ୍ଦ୍ୱ ନୋହୁ ଚାଲ ସର୍ବେ ଯିବା କଇଳାସେ । ଯେ ଯାହାର ଯାନେ କର ବିଜେ, ମେରୁଶୂଳ ଭୋଗୁ କର୍ମଫଳ ଯାଉଁ ଆମ୍ଭେ ରାମ ବନମାଳୀ !
କୃଷ୍ଣ ରାମ- ଆସନ୍ତୁ-ପ୍ରଣାମ ପଦେ ଶିବ । (ଶିବଗଣ ପ୍ରସ୍ଥାନ)
(ଯୁଦ୍ଧ କରୁ କରୁ ମେରୁଶୂଳ ଅର୍ଜୁନ ସହ ପ୍ରବେଶ)
ରାମ- ରହ ଦୁଷ୍ଟ କେଉଁଆଡ଼େ ଯାଉ ସମ୍ଭାଳ ଏ ମୂଷଳ ପ୍ରହାର ।
ମେରୁଶୂଳ- କି ଛାର ମୂଷଳ ଦେଖାଉରେ ହଳଧର ! ସମ୍ଭାଳ ଏ କୋଦ୍ଦାଳ ଆଘାତ ।
(ଯୁଦ୍ଧ କରୁ କରୁ କୋଦ୍ଦାଳଘାତେ ରାମ ଘୁଞ୍ଚିଯାନ୍ତେ)
କୃଷ୍ଣ- ରହ ରହ ପାପାତ୍ମା ରାକ୍ଷସ ! ଏହି ଚକ୍ରେ ଛେଚିବି ତୋ ମୁଣ୍ଡ ।
ମେରୁଶୂଳ- ମାର ମାର ମାରରେ ଗୋପାଳ, ପାତୁଛି ମୁଁ ବକ୍ଷ, ଚକ୍ରଦାଢ଼ ଦୃଢ଼ କେତେ (ଯୁଦ୍ଧ- ଚକ୍ରନିକ୍ଷେପ) ତୋ ଚକ୍ରୁ ବଞ୍ଚିଲି ଚକ୍ରପାଣି ! ସମ୍ଭାଳ ମୋ ପ୍ରଚଣ୍ଡ କୋଦ୍ଦାଳ ।
(ଯୁଦ୍ଧ, କୋଦ୍ଦାଳ ନିକ୍ଷେପେ କୃଷ୍ଣ ହଟିଯାନ୍ତେ)
ଅର୍ଜୁନ- (ଆଗଘେରି) ଏହି ବାଣେ ତୋର ପ୍ରାଣ ଯିବରେ ଦାନବ !
ମେରୁଶୂଳ- ତେଜି ଗଲାରୁ ବୋଲି ମୋତେ ମନେରଖିଛୁ ଗାଣ୍ଡିବୀ ଜିଣିବୁ ସମରେ ? ଡରିବି କି ଲୋମେ ଲୋମେ ରକ୍ତଧାର ଦେଖି, ତାହା କେଭେ ନୁହେଁ ନୁହେଁ, କେଉଣସି ଅସ୍ତ୍ରଶସ୍ତ୍ରେ ନାହିଁ ମୋ ମୃତ୍ୟୁ ଏହା ତୁହି ରଖିଥିବୁ ହେତୁ ।
ଅର୍ଜୁନ- ମର୍ତ୍ତ୍ୟ ଜନ୍ମ ହେଲା ଯେହୁ ମରଣ ତା ସତ୍ୟ,
ତୁହି ଦୈତ୍ୟ ନ କହ ସେ କଥା ।
ରଣ କର ପଣ ରକ୍ଷା ହେଉ (ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
(କୃଷ୍ଣ ସହଦେବଙ୍କ ପ୍ରବେଶ)
କୃଷ୍ଣ- ଜାଣିଥିଲେ କହ ସହଦେବ
ଏ ଦାନବ ମରିବ କିପରି ?
ସହଦେବ- ଭୀତ ନୁହଁ କେଭେ ହେ କେଶବ
ଶୁଣ ତା ମରଣ ବାଟ ଜାଣେ ଯାହା ମୁହିଁ ।
ଗୀତ-(ରାମକେରୀ...ବୃତ୍ତେ)
ହେ ନନ୍ଦନନ୍ଦନ ଦୈତ୍ୟର ନିଧନ ଭେଦ ଶୁଣ ।
ବଧ ହେବ ଯେ ଭାବେ ଏହି ଅଛି ଅନେକ ଗୁଣ । ୧ ।
କେଉଣସି ଅସ୍ତ୍ର ଭେଦିବ ନାହିଁ ଏହା ଅଙ୍ଗରେ ।
ବ୍ରହ୍ମାଙ୍କୁ ତପରେ ତୋଷିଲା ରକ୍ଷ ଭକ୍ତିଯୋଗରେ । ୨ ।
ଏହି ବର ମାଗି ଘେନିଛି ଯେ ଦିଗପାଳ ହେବ ।
ମରଭୂମେ ନର ଶରୀରେ ଜନମ ଳଭିଥିବ । ୩ ।
ସେ ମାନବ ତିନିପୁରକୁ କରିଣ ଥିବ ଜୟ ।
ନୀଳବାଣ ଭୂଜବାଣରେ ସେହି କରିବ କ୍ଷୟ । ୪ ।
ଏହା ବିନା ଆନ ମରଣ ନୋହିବ ଅସୁରର ।
ବଇଷ୍ଣବ ଭାଷେ ସେ ଭାବେ ବିନାଶ ୟାକୁ କର । ୫ ।
ଯୁଧିଷ୍ଠିର- କି କହିଲୁ ମନ୍ତ୍ରୀ ସହଦେବ ! କେ ଅଛି ଏମନ୍ତ ହୋଇ ଧରଣୀ ଉପରେ ତାର କରେ ଦୈତ୍ୟ ନାଶ ହେବ ଅସମ୍ଭବ ଅସମ୍ଭବ ଏହା ଅସମ୍ଭବ, ଯାଅ ଭୀମ ସମରୁ ଫେରାଇ ଆଣ ପାର୍ଥେ ।
ସହଦେବ- କିପାଁ ଧର୍ମ ହେଉଛ ଚିନ୍ତିତ, ସେହି ଅର୍ଜୁନ ଅଟନ୍ତି ସ୍ୱୟଂ ଦିଗପାଳ, ଜନ୍ମ ତାଙ୍କ ନର କଳେପରେ, ପୁଣି ତ୍ରିପୁରବିଜୟୀ ନାମ ଛନ୍ତି ବହି, ନୀଳବାଣ ଭୁଜବାଣ ଅଛି ତାଙ୍କ କରେ ତାଙ୍କରି ହସ୍ତେ ନିଧନ ଯାତୁଧାନ । ଏହି ଦେଖ ଆସନ୍ତି ଦୁହେଁ ସମର କରି ଦିଗେ ଛିଡ଼ା ହୋଇ ଦେଖ ରଣକ୍ରୀଡ଼ା ।
(ଯୁଦ୍ଧ କରୁ କରୁ ମେରୁଶୂଳ ଓ ଅର୍ଜ୍ଜୁନର ପ୍ରବେଶ)
ମେରୁଶୂଳ- ରେ ଜାରଜାତକ ପଣ୍ଡୁସୁତ ! କିପାଁ ବୃଥା ଯୁଝୁ ମମ ସଙ୍ଗେ ଶୁଣିଥାଅ ବେଳହୁଁ ମୋ କଥା ।
ଗୀତ-(ଜୟ ରଘୁନାଥ...ବୃତ୍ତେ)
ଆରେ ଖଳବୃଦ୍ଧି ବଳ ଥାନ୍ତା ଯଦି କରନ୍ତ କି ଚୋରି ବୃତ୍ତି । ବାଳକାଳୁ ଚୋରି
ଜୀବିକା ଯାହାରି ତାହାକୁ ଘେନିଣ ବୁଲ ସାଥି ।
ଜାତିର ଠିକଣା, ନାହିଁରେ ତୁମ୍ଭର ଦିନକଣା । ୧ ।
ମାଉସୀର ଝିଅ ଭଉଣୀକି କାହିଁ ବିଭା କେ ହୋଇଛି କହ ।
ସୁଭଦ୍ରାକୁ ତୁହି କେମନ୍ତେ ହରିଲୁ ଜଗତେ ଦେଖାଉ ଧିଟ ମୁହଁ ।
ତୁମ୍ଭ ଗୁଣ ଜାଣି, ସଜା ଦିଏ ରାଜା କୁରୁମଣି । ୨ ।
ଦେବୀ ଘରୁ ହରି ଆଣିଲା ମୋ କନ୍ୟା ପଡ଼ିଥାନ୍ତା ଯେବେ ଆଗେ ।
ତାର ପ୍ରତିଫଳ ପାଇଥାନ୍ତା ନଷ୍ଟ କୃଷ୍ଣବଳା ଜାଣ ସଙ୍ଗେ ସଙ୍ଗେ ।
ଯାଇଛି ସେକଥା, ଏବେଳେ କହିବା ଅଟେ ବୃଥା । ୩ ।
ଗୁରୁଦତ୍ତ ଅସ୍ତ୍ର ଶିଖିଥିଲୁ ଯାହା ତାହା କି ହେଲାଣି, ଶେଷ ।
ସରିଲାଣି ଯେବେ ହରିକି ପଚାର ପ୍ରାଣଭୟେ ନ ହୁଅ ନିରାଶ ।
ବଇଷ୍ଣବ ଭାଷି, ବେଳ ନାହିଁ ଜଳଜଳା ଦୋଷୀ । ୪ ।
ଅର୍ଜୁନ- କର ନାହିଁ ବୃଥା ଆସ୍ଫାଳନ, ନିବାତକବଚଠାରୁ ଶ୍ରେଷ୍ଠ ନୋହୁ ତୁହି, ଯା’ର ଡରେ ଇନ୍ଦ୍ରାୟଣୀ ଭୃଗୁଋଷି ବାସେ ଦାସୀ କାର୍ଯ୍ୟ ଅହରତ ପୋଷୁଥିଲା ପେଟ, ସେ ରାକ୍ଷସେ ବଧିଛି ଏ କରେ ଏହି ଅଗ୍ନିଦତ୍ତ ଗାଣ୍ଡିବ ସାହାଯ୍ୟେ । ଶିବେ ଜିଣି ନେଲି ପାଶୁପତ, ପୁଣି ଦୁର୍ଗା ହୋଇ ସୁପ୍ରସନ୍ନା ତୋଷେ ଦାନ କରିଛନ୍ତି ଅକ୍ଷୟ ତୂଣୀର, ପୁଣି ନୀଳବାଣ ଭୁଜବାଣ ଦେଲେକ ଜାହ୍ନବୀ । ଏହି ବାଣେ ଘେନିବି ତୋ ପ୍ରାଣ, ଏ ନାରାଚ ତୋର ପଥ ପ୍ରଦର୍ଶକ ଦେଖ ରକ୍ଷ ! (ଧନୁରେ ଶରସନ୍ଧାନ)
ମେରୁ- ଓଃ ହୋ ! କି ଭୟଙ୍କର ତେଜ ଅଟେ ଏ ବାଣର, ସହସ୍ରେ ଆଦିତ୍ୟ ଜିଣି ପ୍ରଭା । କିରଣଜାଳେ ଜଳଇ ସର୍ବାଙ୍ଗ ମୋହରି । କାହିଁ ରଖିଥିଲୁ ଏ ନାରାଚ ? ଯେବେ ହୋଇଥିବୁ ଦିଗପାଳ ଆସ ତୁହି ନାଦେହେ ଲଭିଣ ଜନମ, ତ୍ରିଭୁବନ କରିଥିବୁ ଜୟ, ତେବେ ମେରୁଶୂଳ କ୍ଷୟ ଯିବ ତୋ ହସ୍ତରେ ।
(ଗୀତ)
ଏବେ ଚିହ୍ନିଲି ଏବେ ଚିହ୍ନିଲି,
ତୋତେ ରେ ବିଜୟୀ ଶମନ ତୁ ଅଟୁ ମୋହରି ।
ବଧିବାକୁ ଧାତା ମୋତେ ଜାତ କରିଥିଲା
ତୋତେ ସେ ଆୟତ୍ତ ନୋହେ କାହାରି । ପଦ ।
ଏତେକାଳ ବିରଞ୍ଚିବର ସଫଳ ହୋଇଛି ରେ ବୀରବର ।
ନିରେଖିଲା ବେଳୁଁ ବାଣ ହଜିଲାଣି ହୃଦ ଟାଣ ପାରିବୁ କି ବାରେ ସଂହରି । ୧ ।
ପୃଷ୍ଠଭଙ୍ଗ ନ ଦେବି ରଣେ ହସିବେ ଦୋଷିବେ କ୍ଷତ୍ରିୟଗଣେ ।
କଳଙ୍କକାଳି କୁଳରେ ନ ଦେବି ଯିବା ବେଳରେ ପଡ଼ିଯିବ ଅଖ୍ୟାତି ହୁରି । ୨ ।
ଅଚିର ଏ ମାଟି ଶରୀର, ଏକା ଚାରି ଯୁଗରେ ଚିର ।
ମରଣ ଡରେ ଶରଣ, ନ ପଶିବି ଦୈତ୍ୟରାଣ ନ ଟଳିବ ବଇର ଗୁହାରି । ୩ ।
ଅର୍ଜୁନ- ରେ ବର୍ବର ! ନୀଚମନା ଦୈତ୍ୟ, ଏତେବେଳଯାଏ ଜ୍ଞାନ କେଣେ ଥିଲା ତୋର ଆଗହୁଁ ଯେବେ ଏ ଭାଷା ଶୁଣିଥାନ୍ତା ପାର୍ଥ ନୀଳବାଣ ଭୁଜବାଣ ଦୁଇ ଗାଣ୍ଡିବ କରେ ନ ଥାନ୍ତା ବସାଇ । ଅବାହୁଡ଼ା ଅଟନ୍ତି ସେ ଶର, ଉଞ୍ଝାଇ ଯେ ନ ପେଷିବ ଶତ୍ରୁ ଉପରକୁ ତାର ପ୍ରାଣ କରିବେ ହରଣ । ଯୁଦ୍ଧେ ରକ୍ଷ ହୁଅ ଅଗ୍ରସର ।
ମେରୁଶୂଳ- ଛାଡ଼ିଛି ରାଜ୍ୟ ମମତା ପୁତ୍ର ଦାରା ଆଶ, ଆଉ କାହା ପାଇଁ ତୋତେ ଡରିବ ରାକ୍ଷସ । ହା ତ୍ରିପୁରମୋହିନୀ ! ରହିଲା ବାସନା ତୋତେ ଜୀବ ଅନ୍ତକାଳେ ଡୋଳେ ଥରେ ନ ପାରିଲି ଦେଖି, ତୁହି ହେଲୁ ମୋର ପ୍ରାଣବଧର କାରଣ । ରେ ଅର୍ଜ୍ଜୁନ, କର ଶୀଘ୍ର ଶୀଘ୍ର ରଣ ।
(ଉଭୟେ ଯୁଦ୍ଧରତ- ନୀଳବାଣ ଦୈତ୍ୟ କଣ୍ଠରେ ଓ ଭୁଜବାଣ କଟୀରେ ପତନ- ତିନିଖଣ୍ଡ ହୋଇ ଦାନବର ପ୍ରାଣତ୍ୟାଗ)
ଦୈବବାଣୀ- ଜୟ ତ୍ରିପୁରବିଜୟୀ ଧନଞ୍ଜୟର ଜୟ ! (ପୁଷ୍ପବୃଷ୍ଟି)
ଶ୍ରୀକୃଷ୍ଣ- ଧନ୍ୟ ଧନ୍ୟ ଧନ୍ୟରେ କିରୀଟି ।
ଆମ୍ଭମାନଙ୍କୁ ବଞ୍ଚାଇ ନାଶି ମେରୁଶୂଳେ ।
ଦେବେ ଶୂନ୍ୟେ ଥାଇ ତୋର କରନ୍ତି ପ୍ରଶଂସା
ଏହି ଶୁଣ କିନ୍ନରୀଙ୍କ ବିଜୟ ସଙ୍ଗୀତ
(ଉର୍ଦ୍ଧ୍ୱେ ଅପ୍ସରାଗଣଙ୍କ ନୃତ୍ୟ)
ଗୀତ- (ଅମରାବତୀରୁ ଖସିପଡ଼ୁଛି କି....ବୃତ୍ତେ)
ଜୟ ଜୟ ଜୟ ଜୟ ରେ ବିଜୟ ମହିମା ତୋହର ।
ଅଭୟ ଦେଇଚ ଅମରେ ସମରେ ଲଭ ଯଶ ଚିର । ପଦ ।
ଏହି ମେରୁଶୂଳ ସ୍ୱର୍ଗେ ଦେଇ ଧାଡ଼ି,
ଆମର ବିଭବ ନେଉଥିଲା କାଢ଼ି ।
ଯା ନାମେ ଦେବଙ୍କ ପ୍ରାଣ ଯାଏ ଛାଡ଼ି ସେ ହେଲା ସଂହାର । ୧ ।
ଧରାଭାରା ବୀର କରିଲୁ ଉଶ୍ୱାସ,
ସାଧୁଙ୍କ ଜୀବନେ ଦେଇଛୁ ଆଶ୍ୱାସ ।
ନ ଥିଲା ବିଶ୍ୱାସ ହେବ ବୋଲି ଏହା, ଆନନ୍ଦେ ବିହର । ୨ ।
ଚିର ହେଉ ତୋର ଗାଣ୍ଡିବ କାର୍ମୁକ,
ଚିରଦିନ ଧରା ଘୋଷୁ ତୋର ଟେକ ।
ଚିର ଅସ୍ତ୍ର ଶସ୍ତ୍ର ଶାସ୍ତ୍ର ହେଉ, ବଇଷ୍ଣବର ଜୁହାର । (ପ୍ରସ୍ଥାନ)
ଯୁଧିଷ୍ଠିର- ସାଧୁ ସାଧୁ ସାଧୁରେ ବିବତ୍ସ, ଏ ଯଶ କେ ଅର୍ଜିନାହିଁ ଅବନୀମଣ୍ଡଳେ । କହ କୃଷ୍ଣ ମେରୁଶୂଳ ହେଲା ରଣେ ନାଶ, ଅରାଜକ ହୋଇଥିବ ଦକ୍ଷିଣ କୋଶଳ, ରାଜା ବିହୀନେ ପ୍ରଜାଏ ହେବେ ମହାକଷ୍ଟୀ କେସନ ରକ୍ଷାହେବ ଦାନବ ରାଜଧାନୀ ତା ପ୍ରତିକାର କର ହରି !
କୃଷ୍ଣ- ଧର୍ମରାଜ ! ବର୍ତ୍ତମାନ କର୍ତ୍ତବ୍ୟ ଆମ୍ଭର ଚାଲ ମେଳହୋଇ ସର୍ବେ ଦକ୍ଷିଣ କୋଶଳେ ତହିଁ କଟାଇବା ମାସ ତିନି, ବ୍ୟାସ ଥିବେ ଆମ୍ଭ ତୁଲେ, ଅଧିକାର କରି ସେହି ବଜ୍ର ଗିରିଦେଶ, ତା’ପରେ ଅଜ୍ଞାତ ସ୍ଥାନ ବୁଝିବା ପଚାରି ପିତାମହ ବ୍ୟାସଙ୍କ ମୁଖରୁ । ଜ୍ୟେଷ୍ଠଭ୍ରାତ ହଳହସ୍ତ ଶୁଣ ଭୃତ୍ୟ ବାଣୀ-
ଗୀତ-(ଭାଲବାସେ ଯଦି ଦୁଃଖ ପାଓ, ସଖା...ବୃତ୍ତେ)
ଚଳ ଯଦୁବଳ ଘେନି କାମପାଳ, ବେଳ ହେଉଅଛି ଉଛୁର ।
ମେରୁଶୂଳ ଖେଳ ଗଲା କାଳଆଳ ଦ୍ୱାରକାରେ ଏହା ପ୍ରଚାର । ପଦ ।
ମଳୟ ଅଚଳ ଛାଡ଼ି ଯାଉଅଛି ଋଷିକୁଳେ କରି ଗୋବର ।
ବଜ୍ରଗିରି ଦେଶେ ଘେନି ପଣ୍ଡୁଶିଷ୍ୟେ କରିବି ଅଜ୍ଞାତ ବିଚାର । ୧ ।
ନିଜେ ବିଭାକାର୍ଯ୍ୟ ବୁଝିଯାଅ ଆର୍ଯ୍ୟ ଦୈତ୍ୟସୁତ ସହ ବତ୍ସର ।
ବାଞ୍ଛିବେ କଲ୍ୟାଣ ତହିଁ ଦ୍ୱିଜଗଣ ଦିଅ ଧନରତ୍ନ ପ୍ରଚୁର । ୨ ।
କ୍ରମେ ଧରାଭାର ଉଶ୍ୱାସ ହୋଇଲା । ମଲେ ବହୁତ ନିଶାଚର ।
ହିଡ଼ିମ୍ବ କିନ୍ନରୀ ବକ ଆଦି କରି ବୋଲେ କେତେ ଖେଚର । ୩ ।
ରାମ- ଯାଅରେ ଶ୍ରୀହରି ଘେନି ରାଣ୍ଡପୁଅ ପାଣ୍ଡୁସୁତେ ନେଇ ଆୟତ୍ତ କରିଣ ଆସ ବଜ୍ରଗିରି ଦେଶ । ଏହି ବନେ ଛନ୍ତି ଯେତେ ଋଷି ତାଙ୍କୁ ତୋଷି ଜଣେ ଜଣେ ନିଅରେ ବିଦାୟ । ସେମାନେ ସହାୟ ତିଲେ ପାଣ୍ଡୁସୁତେ ବନେ, ଯେମନ୍ତେ କଷ୍ଟ ନ ରହେ ମୁନିଙ୍କର ମନେ । ଯାଉଛି ମୁଁ ଦ୍ୱାରାବତୀ ସହ, ତ୍ରିପୁରମୋହିନୀ ତୁଲେ ପଦ୍ମନର ବିଭା କରାଇବି ବିହିତ ବିଧାନେ ।
ସମସ୍ତେ- ପ୍ରଣାମ ପୟରେ ହଳାୟୁଧ ! ଏହି କୃପା ଥାଉ ସଦା ପାଣ୍ଡବଙ୍କ ପରେ ।
ରାମ- ମନସ୍କାମ ପୂର୍ଣ୍ଣ ହେଉ ତୁମ୍ଭମାନଙ୍କର । (ରାମଙ୍କର ପ୍ରସ୍ଥାନ)
କୃଷ୍ଣ- ଦେଖରେ ଅର୍ଜ୍ଜୁନ ! ଆସୁଛନ୍ତି ଋଷିମାନେ ଏଥି, ଜଣାଯାଏ ଶୁଣି ତୁମ୍ଭ ଯିବାର ପ୍ରସ୍ତାବ ମାର୍କଣ୍ଡ, ବଶିଷ୍ଠ, ଲୋମଶ, ଅଗସ୍ତି, ତାଙ୍କ ସଙ୍ଗେ ଛନ୍ତି ବହୁ ଯତି ।
ମାର୍କଣ୍ଡ- ଧନ୍ୟ ଧନ୍ୟ ଧନ୍ୟରେ ବିଜୟି,
ବାଞ୍ଚୁଛୁ କଲ୍ୟାଣ ତୋର ନିତ୍ୟ ଆମ୍ଭେମାନେ ।
(ଗୀତ)
ଆମ୍ଭମାନଙ୍କର କଷ୍ଟ ନାଶିଛୁ ଅର୍ଜୁନ, ଧନ୍ୟ ବିଜୟୀରେ ।
ଦାନବ ବିନାଶି ଦତ୍ତ କଲୁ ମହାଧନ, ଧନ୍ୟ ବିଜୟୀରେ । ୧ ।
ନିର୍ଦୋଷୀ ଋଷିଙ୍କି ସଦା କରନ୍ତି ଅନିଷ୍ଟ ।
ତୋ’ କରେ ମରିଲେ କେତେ ମହା ମହା ଦୁଷ୍ଟ, ଧନ୍ୟ ବିଜୟୀରେ । ୨ ।
ବକ, ହିଡ଼ିମ୍ବକ, ଦେଖ କୁମ୍ଭାରୀ, କିନ୍ନରୀ ।
ପାଣ୍ଡବା ହିରଣ୍ୟାସୁର ରେବା ଆଦିକରି, ଧନ୍ୟ ବିଜୟୀରେ । ୩ ।
ମେଧା, ନିର୍ବାତ, ଗୋସିଂହ, କାଳଞ୍ଚ ନିକୁମ୍ଭ ।
ମତ୍ତ ଉଗ୍ରସର ରମାକ୍ଷିକା ଦୈତ୍ୟ କୁମ୍ଭ, ଧନ୍ୟ ବିଜୟୀରେ । ୪ ।
ତ୍ରିଜଟା ତୃଣା କପଚ ମେରୁଶୂଳ ଆଦି ।
ଆମ୍ଭଙ୍କୁ ଅଭୟଦେଲୁ ତୁହି ବଧୁ, ଧନ୍ୟ ବିଜୟୀରେ । ୫ ।
ଏମାନଙ୍କ ଭୟେ ତପ କରୁ ଲୁଚି ବନେ ।
ତୁମ୍ଭ ବନବାସ ହେତୁ ମଲେ ଏହିମାନେ, ଧନ୍ୟ ବିଜୟୀରେ । ୬ ।
ଆଶିଷ କରି ତୁମ୍ଭଙ୍କୁ ଯେ ଯା ସ୍ଥାନେ ଯିବୁ ।
ବଇଷ୍ଣବ ବୋଲେ ଅଜ୍ଞାତରେ ଥାଅ ବାବୁ, ଧନ୍ୟ ବିଜୟୀରେ । ୭ ।
ଯୁଧିଷ୍ଠିର- ସୁକଲ୍ୟାଣ କରି ଯାଅ ହେ ଋଷି ସକଳେ ଅଜ୍ଞାତେ ଯେହ୍ନେ ଆମ୍ଭଙ୍କୁ ମିଳୁ ଭଲ ସ୍ଥାନ !
ସମସ୍ତେ- ମନବାଞ୍ଛା ସିଦ୍ଧହେଉ ହେ ଧର୍ମରାଜନ !(ଋଷିଗଣ ପ୍ରସ୍ଥାନ)
କୃଷ୍ଣ- ଚାଲ ବ୍ୟାସ ମୁନି ଯିବା ବଜ୍ରଗିରି ଦେଶେ, ଶେଷକରି କାର୍ଯ୍ୟ ତହିଁ ତିନିମାସ ପରେ ଅଜ୍ଞାତବାସର ସ୍ଥାନ କରିବା ନିର୍ଣ୍ଣୟ ।
ବ୍ୟାସ- ଚାଲ କୃଷ୍ଣ ଯିବାପାଇଁ ନାହିଁ ମୋ ଆପତ୍ତି,
ବେନିମାସ ଶେଷେ କାମ୍ୟବନେ ବାହୁଡ଼ିବା । (ସମସ୍ତଙ୍କ ପ୍ରସ୍ଥାନ)
(ଅଦୁଷ୍ଟ କୁମାରୀଙ୍କ ପ୍ରବେଶ)
ଗୀତ- (ଦେଖ ଚନ୍ଦ୍ରଯାମିନୀ..ବୃତ୍ତେ)
ଦେଖ ନୟନେ ନାରୀ ନରେ ବିଧିର ଲୀଳା ।
ଯେ ଯା’ର ସେ ତା’ର ଖଞ୍ଜାଇ ମଜ୍ଜାଇ
ଥୋଇଚି ଶିବ ଶିରେ ଅହି କରଇ ଖେଳା । ପଦ ।
ନଳିନୀ ସଙ୍ଗେ ମିହିରେ ନଳିନୀ ସଙ୍ଗେ ।
ମଜ୍ଜାଇ ଦେଇ ମନ କେସନ ରଙ୍ଗେ ।
ଶଶି ଶଶାର ମିଳନ ଜଳେ ଭାସୁଚି ଭେଳା । ୧ ।
ବଣମଲ୍ଲିକି ସଖି ଗୋ ବଣମଲ୍ଲିକି, ଦେଇଚି ମଧୂପ ତୁଲେ କେସନେ
ଯୋଖିବ ନାଚଇ ସଖି ଗଗନେ ନିରେଖି ମେଘମାଳା । ୨ ।
ମେରୁଶୂଳ କୁମାରୀ ସେ
ମେରୁଶୂଳ କୁମାରୀ, ପ୍ରଦ୍ୟୁମ୍ନର ହେଲା ତେଣୁ ସୁମନୋହାରୀ ।
ପଦ ଚନ୍ଦେ ବଇଷ୍ଣବ ସେ ଭାବେ ହୋଇ ଭୋଳା । ୩ ।