ପ୍ରବୀର-ପତନ

ଗଣକବି ବୈଷ୍ଣବ ପାଣି

 

(ନଟୀର ପ୍ରବେଶ)

ଗୀତ-(ଗୁଣୁଗୁଣୁ ଏତେ ହେଉଛୁ କାହିଁକି...ବୃତ୍ତେ)

କାହିଁକି ଚପଳା ଛନଛନ ଏତେ ଖେଳୁ ଘନକୋଳରେ ।

ପାଞ୍ଚିକି ମନରେ ନାଚି ଉଠୁଥାଉ କେଉଁ ମତ୍ତଭୋଳରେ ।ପଦ ।

କ୍ଷଣପ୍ରଭା ନାମ ଜଗତେ ବୋଲାଉ ।

କ୍ଷଣେ କ୍ଷଣେ ଦେଖାଦେଇ ଲୁଚିଯାଉ ।

ଅନ୍ଧାରେ ଆଲୋକ ଲଭୁଥାନ୍ତି ଲୋକ ଏହି ଧରାତଳରେ । ୧ ।

କେତେ ଦିନ ପାଇଁ ଏଡ଼େ ତୋ ଗରବ ।

ଗଲେ ଏହି ଋତୁ ସରିବ ସରବ ।

ନ ଥିବ ସେକାଳେ ଏକାଳ ପରବ ଛଳ-ବଳ-କଳ ରେ । ୨ ।

ଏହିମତି ସର୍ବନିହନ୍ତର ଗତି ।

ସମାନ ନ ଥାଏ ସଦା ଦିନ ରାତି ।

ବଇଷ୍ଣବ ଭାଷ ସରିଲେ ବୟସ ସବୁ ଭାସେ ଜଳରେ । ୩ ।

ନଟ-      (ପ୍ରବେଶି) ପ୍ରିୟେ ! ଆଜି ହୃଦ-ଉଲ୍ଲାସେ ମିଳି ଏହି ରଙ୍ଗସ୍ଥଳେ

କର ସୁମଧୁର କଣ୍ଠେ, ପ୍ରକୃତିରହସ୍ୟ ଗୀତ ଗାନ ।

ମନେ କି କରିଛ ସ୍ଥିର ଏହି ଦରଶକଗଣେ ଦେବ କିଛି ମାନସ-ମୋହନ ଦ୍ରବ୍ୟ

ଏ ରଙ୍ଗଭୂମିରେ ଉପହାର ।

ନଟୀ-      ନଟବର ! ସବୁ ଜାଣି ଅଜଣା ପରାୟେ

ମୋତେ ପଚାର କି ହେତୁ ବୀରବର ?

ଜାଣିଲି ବିଡ଼ୁଛ ଚିତ୍ତ ନିଶ୍ଚେ ଦାସୀର ।

କିଛିକ୍ଷଣ ପରେ ପରା ଥିଲ ମୋତେ କହି

ନବଭାବେ ନବୀନ ଛଟାରେ, ନବ ରାଗେ ନବ ସରାଗରେ

ଲେଖି ଶିଖାଇଛ ଯେଉଁ ପ୍ରବୀର-ପତନ ଗୀତିନାଟ୍ୟ ଖଣ୍ଡି ଅଭିନେତାଗଣେ

ଅଦ୍ୟ ଦେଖାଇବ ଏ କ୍ଷେତ୍ରରେ ଦର୍ଶକଗଣଙ୍କୁ ।

ଉଦ୍ଧୃତ କରିଛ ତାକୁ ଜୈମିନୀଭାରତ ଅଶ୍ୱମେଧୁଁ ।

ନଟ-      ରସିକାମୁକୁଟମଣି ! ଏ ସଂସାରେ ତୁମେ ଏକା ଚିହ୍ନିପାର କ୍ଷେତ୍ର । ଯେ କ୍ଷେତ୍ରରେ ଯେ ବୀଜ ବପନ କଲେ ବୃକ୍ଷ ଅଙ୍ଗୁ ଫଳିବ ଶେଷେ ଭଲ ଫଳ, ତାହା ବୁଝି କହ କାଳ ବେଳ । ଚାଲ ସଖି, ସଜାଇବା ଅଭିନେତୃଦଳେ, ରଙ୍ଗଭୂମେ କରାଇବା ଉଭା । ଏଣେ କରନ୍ତୁ ଆଳାପ ସଙ୍ଗୀବର୍ଗ, ଆସ ବେଳ ହେଲାଣି ବିଳମ୍ବ ।

ଗୀତ- (ସାଙ୍ଗେଲି...ବୃତ୍ତେ)

ଭଜ ନନ୍ଦ ନନ୍ଦ ପଦଦ୍ୱନ୍ଦ ।

ପନ୍ଦର ନେତ୍ର ମନ ଆନନ୍ଦ ବରଧନ ଅନ୍ଧର ନୟନ ସମ୍ପଦ । ପଦ ।

ଇନ୍ଦର-ଦରପହାରୀ, ମନ୍ଦରଗିରିଧାରୀ, କନ୍ଦରପ ତାତ ଆଦିକନ୍ଦ । ସୁନ୍ଦର

ଶିଖିଚୂଳ, ଛନ୍ଦାଗୁଞ୍ଜରମାଳ, ପରମପୁରୁଷ ପୂର୍ଣ୍ଣାନନ୍ଦ । ୧ ।

କୁନ୍ଦ କୁସୁମ ହାର, ହୃଦଦେଶେ ସୁନ୍ଦର, ମନ୍ଦ ମନ୍ଦ ବାସେ ତା ସୁଗନ୍ଧ ।

ବନ୍ଧନ ଭାବେ ସଦା ଭକ୍ତବୃନ୍ଦ ନିକଟେ ଫନ୍ଦା ଯା ପଦ ଅରବିନ୍ଦ । ୨ ।

ହେ ଦୀନବନ୍ଧୁ ଦାସ, ହୃଦୟେ ଆସ ବସ, ବତାଇଦିଅ ପଦ ଛନ୍ଦ ।

ବଇଷ୍ଣବ ଭାଷ ପ୍ରବନ୍ଧ ହେଉ ଶେଷ, ଶୁଣି ତୋଷ ଲଭନ୍ତୁ କୋବିଦ । ୩ । (ଉଭୟଙ୍କର ପ୍ରସ୍ଥାନ)

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ- କାନନ

(ନାରୀଗଣ ସହ ପ୍ରବୀରର ବନ ଭ୍ରମଣ)

୧ମ ସ୍ତ୍ରୀ-      ସଖି ! ଦେଖିଲ, ଏ କୁଞ୍ଜଲତାଟି କେମନ୍ତ ସୁନ୍ଦର ତମାଳ ତରୁଦେହରେ ଜଡ଼ି ମନଗରବରେ ଶିର ହଲାଉଚି ।

୨ୟ ସ୍ତ୍ରୀ-      ଏକା କଣ କୁଞ୍ଜଲତାକୁ ଦେଖୁଚ; ଏ ମାଳତୀ ଲତାକୁ ଦେଖୁନାହଁ, ଗଙ୍ଗଶିଉଳୀ ଅଙ୍ଗରେ ରଙ୍ଗରେ ଛନ୍ଦିହୋଇ କି ମଧୁରେ ଫୁଲର ସୁଗନ୍ଧ ପନବଯୋଗେ ଜଗତକୁ ବାଣ୍ଟିଦେଉଚି ।

୩ୟ ସ୍ତ୍ରୀ-      ସଖି ! ସେ କଣ ଏକା ଏ କଥା କଲା, ଏ ସଂସାରଟା ପରା କେବଳ ଛନ୍ଦାଛନ୍ଦିରେ ରହିଚି । ପିତା ପୁତ୍ରଠାରେ ଛନ୍ଦା; ପୁତ୍ର ପିତାଠାରେ ଛନ୍ଦା; ମାତା ଦୁହିତାଠାରେ ଛନ୍ଦା; ଦୁହିତା ମାତାସ୍ନେହରେ ଛନ୍ଦା; ବନ୍ଧୁ ବନ୍ଧୁରେ ଛନ୍ଦା; ଭାଇ ଭାଇରେ ଛନ୍ଦା, ପତି ପତ୍ନୀଠାରେ ଛନ୍ଦା; ପତ୍ନୀ ପତିଠାରେ ଛନ୍ଦା; ସେ ତ ବିଶ୍ୱ-ନିହନ୍ତାଙ୍କ ଖେଳା, ତାକୁ କାଟିବା ଶକ୍ତି କାହାର ?

୪ର୍ଥ ସ୍ତ୍ରୀ-      ସଜନି ଗୋ ! ଚାହାନି, ଏ ଅଳିଟି ଟିକିଏ ମଧୁ ପିଇବା ପାଇଁ ସେ ବଣମଲ୍ଲୀ ପାଖରେ କେତେ କଣ ଗୁଣୁଗୁଣୁ ସ୍ୱରେ ଅଳି କରି, ପୁଣି ସେ ଅଭିମାନରେ କଣ କହିବାରୁ ଥରେ ଥରେ ମଧ୍ୟ ତା ପାଦତଳେ ଲୋଟି ପୁଣି ତା କତିକି ଛୁଟିଯାଉଚି ।

୧ମ ସ୍ତ୍ରୀ-      ସଖି ! ଏ ଭ୍ରମର ଠିକ୍ ପ୍ରେମିକ, ତା’ ନ ହେଲେ ସୁମନାଠାରୁ ଅପମାନ ପାଇ ତାକୁ ମନରେ ସ୍ଥାନ ନ ଦେଇ ତାର ମାନ ତୁଲାଇବାକୁ ଏତେ ନେହୁରା କରନ୍ତା କି ? ଶୁଣ, ମୁଁ ତାର କେତେକ ଚିହ୍ନ ବତାଇଦଉଚି ।

ଗୀତ- (ଜେମାଦେଈ..ବୃତ୍ତେ)

ରତିଶାସ୍ତ୍ରକୁ ଦେଖି, ଯେହୁ ଥିବ ଗୋ ଶିଖି ।

ସଖି ତା ନାମ ରସିକସଂସାରେ ଲେଖି । ୧ ।

ନାରୀ ଅଧରସୁଧା, ପାନେ ସଦା ଶରଧା ।

ବଳାଇ ନ ମାନେ ତିଳେ କାହାରି ବାଧା । ୨ ।

ବାଳା ଚରଣଧୂଳି, ତୋଳି ହୁଅଇ ବୋଳି,

ତା ନାମକୁ ଜପେ କରି କଣ୍ଠର ମାଳି । ୩ ।

ବାମା ବଚନ କଟୁ, ଶୁଣି ମଣଇ ଚାଟୁ,

ପୁଣି କହେ ତୁ ମୋ ଜୀବ-ଜୀବନ ଅଟୁ । ୪ ।

ଠେଲିଦେଲେ ପଦରେ, କେଭେ ଦୋଷ ନ ଧରେ,

ବିଷଧର ବଶ ଯେହ୍ନେ ଗଦ-ପଦରେ । ୫ ।

ବେଶ କରେ ଯୋଷାରେ, ତୋଷେ ଚାନ୍ଦନିଶାରେ,

କେଶ କୁଣ୍ଡାଇ ବସାଇ କେଳିବାସରେ । ୬ ।

ପିଠି ନ ଦେଇ ସେ ଯେ, ଭ୍ରମେ ନ ଶୁଏ ଶେଯେ,

ଉରଜ ସ୍ତମ୍ଭରୁ ଜାଣି ପାଣି ନ ତେଜେ । ୭ ।

ଅଛି ଲକ୍ଷଣ ଯେତେ, ତାହା କହିବି କେତେ,

ବଇ ବୋଲେ ବହୁ ପଦ ହୋଇବ ଗୀତେ ।୮ ।

ସମସ୍ତେ-      ସଖି, ତୁମ୍ଭେ ଯାହା କହିଲ ତା କେଭେ ମିଛ ନୁହେଁ । କି ରସିକ ସେ; ବିରସ ଯାହାର ମୁଖୁ ନ ଖସେ ନୁହେଁ ।

ମଦନ-      ସଖିଗଣେ ! ତୁମ୍ଭେ ମୋତେ ଏତେ ଦେଖେଇ ଶିଖେଇ କୁହନା । ଯେଉଁ ରସିକଙ୍କ କଥାଛଳରେ ବର୍ଣ୍ଣନା କଲ, ସେ କଣ ଏକା ମୋର, ସେ ନାରୀଯାକଙ୍କର ନୁହନ୍ତି ?

୧ମ ସଖୀ-      ପାଟରାଣୀ, ଏହି ରାଣୀ କାହାର ହାତ ଧରିଛନ୍ତି ମନେକଲ !

ମଦନ-      ମଲା, ଏ ଗୋଟା କଥାରେ କଥା । ହଉ, ତୁମମାନଙ୍କ ହାତ ଏବେ ଥରେ ଥରେ ଧରନ୍ତୁ

ପ୍ରବୀର-      ହଉ, ମୋର ସେତିକିରେ କସୁର । ତୁମେମାନେ କଳି ଲଗାନା; ଆସ ସମସ୍ତେ ହାତ ଧରାଧରି ହୋଇ ବନବିହାର କରିବା । ସଖି ମଦନମଞ୍ଜରୀ, ତୁମ୍ଭେମାନେ ସମସ୍ତେ ଫୁଲ ତୋଳିବ ନାହିଁ କି ?

ଗୀତ- (ଶ୍ରୀରାଧା ବାତୁଳୀ..ବୃତ୍ତେ)

ଅନା ଗୋ ସୁମନେ ସୁମନା ସକଳେ ଫୁଟିଚି ସୁମନ ଗୋଟିଗୋଟି । ସୁମନସେ

ବଶ ଏଥେ ସୁମାନସେ ଭ୍ରମନ୍ତି ଭ୍ରମରେ କୋଟିକୋଟି । ମଲ୍ଲିହାସିନୀ ରେ, ତୋଳ ମଲ୍ଲି

ଭୁଲି ସବୁ ଚିନ୍ତା । ବଳୟଶୋଭିନୀ ମାଳ ଗୁନ୍ଥି ବଳେ ଗଳେ ପିନ୍ଧି ହେବା ରସେ ମତ୍ତା । ୧ ।

ରେ କୁନ୍ଦଦଶନା କୁନ୍ଦ ଫୁଲ ତୋଳ ନିଆଳି କରଜା ଆଳି ତୁଲେ । ଏ ବଧୁରି ଦେଖ

ବଧୁଲୀଅଧର ବିଧୁ ନିଶିରେ ବୁଲିବା ଗେଲେ । ବିଧୁବଦନା ଗୋ, ପିନ୍ଧି ରଙ୍ଗେ ଏ

ରଙ୍ଗଣୀ ମାଳ, ଅନଙ୍ଗ ତ୍ରାସ ହରସେ ହଟିଯିବ ତୁଟିଯିବ ତାହା ଅଙ୍ଗୁ ବଳ । ୨ ।

କେତକୀଗୋରୀ ଏତିକି ଜଣାଉଚି ଫୁଟିଚି କିଆ କେତନୀ ଅନା । ପାତକୀ ଭ୍ରମର କତିକି

ନ ଯାଏ ଦେଖ ଦେଖ ଏ ଯେ ଛୁରିଅନା । ପଦ୍ମଚରଣା ଗୋ, ପଦ୍ମଫୁଲେ ହର ଉରେ

ଚଢ଼ା । ବଇଷ୍ଣବ କହି ଇଷ୍ଟ ହେବ ନ ରହିବ ମାରଶର-ପୀଡ଼ା । ୩ ।

ସମସ୍ତେ-      ନାଥ ! ଆମ୍ଭେମାନେ ଫୁଲ ତୋଳୁଛୁ, ତୁମ୍ଭେ ଆମ୍ଭ ସଙ୍ଗେ ସଙ୍ଗେ ରହ ।

ପ୍ରବୀର- ରାଣି ମଦନମଞ୍ଜରୀ, ମୁଁ ଯାଉଛି ଏ ଚମ୍ପାତରୁ ତଳେ ଟିକିଏ ବସିବି । ତୁମ୍ଭେ ଏମାନଙ୍କ ସଙ୍ଗେ ଥାଅ ।

(ପ୍ରବୀରର ପ୍ରସ୍ଥାନ)

୧ମ ସଖୀ-      ପାଟରାଣୀ, ଏ କି ଅଦ୍ଭୁତ ଘଟଣା,

ଏପରି ଅଶ୍ୱ ତ ଦିନେ ଦେଖି ନାହିଁ ଆଖି !

ଆହା... କି ସୁନ୍ଦର ପୁଚ୍ଛ, ପୁଣି ପାଦ ଚାରି,

ଗଳେ ଲମ୍ବେ ଅଷ୍ଟରତ୍ନମାଳ,

ପାଟ ଜରୀ ଚେଳରେ ମଣ୍ଡି ସରବାଙ୍ଗ

ଦେଖନ୍ତେ ନୟନ ତହୁଁ ନ ଆସଇ ଫେରି ।

ଚାଲ ଜଣାଇବା ଆମ୍ଭେମାନେ ପତି ପାଶେ

ଅତିବେଗେ ଏ ଘୋଟକେ ଦିଅନ୍ତୁ ସେ ଧରି

ନିଶ୍ଚୟ ଏ ପୋଷା ଅଶ୍ୱ କା’ର ।

ମଦନ-      ସଖିଗଣେ ! ଆସ ମୋ ସହିତ, ଅଶ୍ୱରୂପ ଚାହିଁ ଦ୍ରବିଯାଏ ମୋର ଚିତ୍ତ । କହିବା ସରବେ ମିଳି ସ୍ୱାମୀଙ୍କ ନିକଟ, ଝଟତିରେ ଧରନ୍ତୁ ସେ ଘୋଟକଟି ଆସି । (ସମସ୍ତ ନାରୀଗଣସହ ରାଣୀର ପ୍ରବୀର ପାଶେ ପ୍ରବେଶ)

ପ୍ରବୀର-      ପ୍ରିୟାଗଣେ ! ସରିଲା ତ କୁସୁମ ଚୟନ ?

ତପନ ତେଜ ଲାଗନ୍ତେ ଲପନ ତୁମ୍ଭରି ରାତ୍ରଦିନ ଦିଶିବ ଏକ୍ଷଣି ଶିଶିରେ ପଙ୍କଜ ଦଶା ଘଟଇ ଯେସନ ।

ରାଣୀ ମଦନ-      ପ୍ରାଣେଶ୍ୱର ! ଧରୁଅଛି କର, ରଖ ଅଳି ଅବଳାଗଣର...

ଗୀତ- (କହ୍ନାଇ କହ କହ ଭାବନା...ବୃତ୍ତେ)

ଚାହାଁ ନାହା ଏ ବାଜି କାହାର, ପଶିଲା ବନେ ଘନେ କାହୁଁ ଆସି ତୋହର ।ପଦ ।

ପୂର୍ଣ୍ଣଚନ୍ଦ୍ର ଆଭା, ସମ ଅଙ୍ଗ ଶୋଭା, କୃଷ୍ଣ ପୀତ ଶୁକ୍ଳ କ୍ଳାନ୍ତି ପୁଚ୍ଛ କେଡ଼େ ବାହାର । ୧ ।

ଆକୃତିରୁ ଧରା ପ୍ରକୃତରେ ପରା । ପଡ଼ୁଅଛି ପୋଷାଅଶ୍ୱ ଅଟଇଟି କାହାର । ୨ ।

ମୋତି ନୀଳା ହୀରା, ବୈଡୂର୍ଯ୍ୟର ହୀରା । କେରା କେରା ଲମ୍ବି ଝଟକଇ କଣ୍ଠେ ତାହାର । ୩ ।

ବଇଷ୍ଣବ ଭଣି, ଦେବ ଧରି ଆଣି । ନୋହିଲେ ଭକ୍ଷିବୁ ଏହିକ୍ଷଣି ଆମ୍ଭେ ଜହର । ୪ ।

ପ୍ରବୀର-      ପ୍ରିୟେ ! ଏହି ଛାର କଥା ଲାଗି ବିସର୍ଜିବ ଜୀବ ? ରେ ରାଜୀବନୟନା ! ତେଜି ଦିଅ ମାନସରୁ ଚିନ୍ତା ଦେଖ ତବ ଆଗେ ଧରିଆଣୁଛି ଅଶ୍ୱକୁ ଚକ୍ଷୁ ପଲକରେ ପାଟରାଣୀ ! (ନେପଥ୍ୟ ଗମନ)

(ଅଶ୍ୱ ଘେନି ପ୍ରବେଶ)

ନିଅ ଚପଳାଙ୍ଗି ଚପଳେ ଏ ବାଜି ଗୋଟି

ଅଞ୍ଚଳେ ବାନ୍ଧି ଚଞ୍ଚଳେ ଚଳ ନିଜ ବାସେ ।

ମଦନ-      ନାଥ ! କିସ ବନ୍ଧା ଅଛି ଅଶ୍ୱଶିରେ ଫେଇ ଦେଖ ବଟ ବସନରେ । (ପ୍ରବୀର ପତ୍ର ଖୋଲି)

ପ୍ରବୀର-      ମହାରାଣି ! ଏ ଯେ ବୀରପତ୍ର ବନ୍ଧାଥିଲା ଅଶ୍ୱର ମସ୍ତକେ

ଯୁଧିଷ୍ଠିର ଯଜ୍ଞ-ବାଜୀ ଏହି ।

୧ମ ସଖୀ-      ନାଥ ! କିସ ଲେଖାଅଛି ପଢ଼ି ଶୁଣାଅ ଆମ୍ଭଙ୍କୁ ।

ପ୍ରବୀର-      ବୀରଲିପି ପଢ଼ୁଛି ପ୍ରବୀର, ଶୁଣ ଶ୍ରୁତି ଡେରି ନାରୀଗଣେ । (ପତ୍ର ପଠନ)

ଗୀତ- (ଚକ୍ରକେଳି ସୁର)

ଶ୍ରୀ ଶ୍ରୀ ଜଇନ୍ତା ବାରୁଣା ହସ୍ତିନା । କୁରୁକ୍ଷେତ୍ର ଇନ୍ଦ୍ରପ୍ରସ୍ଥରେ ଚିହ୍ନା ।

କୁଞ୍ଜଗଳ ପଞ୍ଚକଟକ ରାଟ । ଦାନେ ମାନେ ବୀରଗଣେ ବଳିଷ୍ଠ । ୨ ।

ଯେହୁ କରିଥିଲେ ରାଜସି କ୍ରତୁ । ଜରାସନ୍ଧ ମରଣ ଯା’ର ହେତୁ । ୩ ।

ଯା’ର ନାମେ ଥରଇ ତିନିପୁର । ସଖା ଶ୍ରୀକୃଷ୍ଣଚନ୍ଦ୍ର ଯାହାଙ୍କର । ୪ ।

ବକ ହିଡ଼ିମ୍ବ କୁମ୍ଭିରୀ କିନ୍ନରୀ । ବଳେ ଧ୍ୱଂସିଲା ଯେହୁ ଗଦା ଧରି । ୫ ।

ଶତେ ସିଂହବଳ କୀଚକ ବହେ । ତାକୁ ଈଷିତ ମାତ୍ରେ କଲା କ୍ଷୟେ । ୬ ।

ସେହି ବୃକୋଦର ଯାହାର ଭ୍ରାତ । ଜଗତ୍‌ବିଜୟୀ ବିଜୟୀ ଯା ଭୃତ୍ୟ । ୭ ।

ଯା ସାନୁଜ ନକୁଳ ସହଦେବ । ନାମ ବହିଚନ୍ତି ଯୁଧିଷ୍ଠିଦେବ । ୮ ।

ତାହାଙ୍କର ଜାଣ ଏ ଯଜ୍ଞ-ହୟ । ଯେ ଧରିବ ଘଟିବ ତାର ଲୟ । ୯ ।

ଅଶ୍ୱମେଧ କରିବେ ବୋଲିକରି । ତେଣୁ ଭ୍ରମିବ ଅଶ୍ୱ ଦିଗଚାରି । ୧୦ ।

ଅକଣ୍ଟକ କରିଣ ଏହି କ୍ଷିତି । ବୋଲାଇବେ ତ୍ରିପୁରେ ଚକ୍ରବର୍ତ୍ତୀ । ୧୧ ।

ହେଳେ ତୁଟିବ ଜ୍ଞାତିବଧ-ପାପ । ନଧରିବେ ଶ୍ରୀଭୁଜେ ଆଉ ଚାପ । ୧୨ ।

ଅଶ୍ୱରକ୍ଷକ ସହସ୍ରାକ୍ଷ-ସୁତ । ବିପ୍ର ବଇଷ୍ଣବର ବିରଚିତ । ୧୩ ।

ମଦନ-      ପ୍ରାଣେଶ୍ୱର ! କି ହେତୁ ଧରିଲ ଏହି ଅଶ୍ୱ ?

ପ୍ରବୀର-      ଜିବେଶ୍ୱରୀ ! ଡରି କି ଯାଅ ଶୁଣିଣ ଏମନ୍ତ ଭବିଷ୍ୟ ?

ମଦନ-      ଏପରି ଲୋକକୁ କେ ଜିଣିବ କି ରଣରେ ?

ପ୍ରବୀର-      ଜିଣିବା ହାରିବା ସେ ତ ପର କଥା,

କ୍ଷତ୍ରିୟର ଶଙ୍କା କି କଦାପି ମରଣରେ ?

ମଦନ-      ମାନି ମୋ ମନା ବହନ ଛାଡ଼ ତା ବାଜିକି,

ପ୍ରବୀର-      ହେବ ନାହିଁ ହେବ ନାହିଁ ତାହା କେଭେ ପ୍ରିୟେ !

ରଣଗୋଳେ ଆଗେ ନାଶିବି ମୁଁ ଏଥି ଅର୍ଜୁନ ପାଜିକି !

ମଦନ-      ବୁଝିଶୁଝି ମଜ୍ଜ ବିବାଦରେ;

ପ୍ରବୀର-      ପ୍ରବୀରକୁ ପରାସ୍ତ କରିବ ନାହିଁ କେହି ତ୍ରୈଲୋକ୍ୟ ମଧ୍ୟରେ ।

ଗୀତ- (କୀର୍ତ୍ତନ ସୁର୍)

ଜାଣିଥାଅ ରାଣୀ ଏ ବାଣୀ ସତ୍ୟ ସତ୍ୟ ମୋହରି ।

ଜିଣିବ ପ୍ରବୀରେ ରଣେ ଶକ୍ତି ନାହିଁ କାହାରି । ପଦ ।

ଶାଣିତ ନାରାଜ ଟାଣି ଅରିବକ୍ଷେ ପ୍ରହାରି ।

ହାଣିବି ନିଶ୍ଚେ ତା ମୁଣ୍ଡ ନ ଶୁଣିବି ଗୁହାରି ।

ପୁଣି ଶୋଣିତେ ଧରା, କ୍ଷଣେ ଭସାଇବି ଜବାଧରା !

ଖେଳେ ବୀରରକ୍ତ ଶିରା ଶିରା ।

ରଟିବ ଜୟ ଜଗତ ସାରା ।

ଲୋଟିବ କବନ୍ଧ ଦେଖ ତ୍ୱରା ।

ତୁଟିବ ଧରଣୀରାଣୀ ଭାରା ।

ବ୍ରହ୍ମା ବାସବ, ବ୍ରହ୍ମା ବାସବ, ଶିବ ବିଷ୍ଣୁ ଯେବେ ଏଥି ଆସିବ ।

ମୋ ବିପକ୍ଷ ପକ୍ଷରେ ମିଶିବ ।

ନିଶ୍ଚେ ବାଣଟି ପରାଣ ଶୋଷିବ ।

ଯା’ର ଘଟିଥିବ ଭାଲେ ଅଶିବ ।

ତାତେ ଜଣାଇବି, ବଇ ବୋଲେ ଯିବା ବାହାରି । ୧ ।

୧ମ ସ୍ତ୍ରୀ-      ଚାଲ ନାଥ, ଅଶ୍ୱ ଘେନି ରାଜଉଆସକୁ

ସେନା ସୁସଜ୍ଜିତ କରି ରହ ସତର୍କରେ ।

ପ୍ରବୀର-      ରେ ପ୍ରେୟସି ! ସେ ନିମନ୍ତେ ନାହିଁ ମୋ ଶୋଚନା,

ଗରୁଡ଼ ଆଗରେ ରହଇ କି ସର୍ପଟାଣ । (ସମସ୍ତଙ୍କର ଅଶ୍ୱସହ ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ

(ଅର୍ଜ୍ଜୁନ, ବୃଷକେତୁ, ଅନୁଶାଳାଦି ବୀରଗଣଙ୍କ ପ୍ରବେଶ)

ଅର୍ଜ୍ଜୁନ-      ଦେଖ ଦେଖ କର୍ଣ୍ଣର ନନ୍ଦନ ? ତରତରେ ଧାଇଁଚି କେ ଦୂରୁ, ଅଶ୍ୱରକ୍ଷୀ ଦୂତ ପରା ଯାଉଅଛି ଜଣା, ଘଟିଛି କି କାହିଁ ଦୁର୍ଘଟଣା ?

ବୃଷ-      ଅନୁମାନେ କରୁଅଛି ସ୍ଥିର ଅଛି କିଛି ବାରତା...ଅଚିରେ ପଡ଼ିବ ଜଣା ସବୁ । (ଦୂତର ପ୍ରବେଶ)

ଅର୍ଜ୍ଜୁନ-      କି ରେ ଦୂତବର ! କିପାଁ ଧାଇଁଅଛୁ ଖରତରେ,

ଉର୍ଦ୍ଧ୍ୱଶ୍ୱାସ ଉଠେ ଘନ ଘନ, କି ବାରତା ଅଛଇ ପ୍ରକାଶ ମୋ ଆଗେ ।

ଦୂତ-      ଶୁଣ ତୃତୀୟପାଣ୍ଡବ ଚୂଡ଼ାମଣି, ବଡ଼ ଅଦଭୂତ ସେ କାହାଣୀ ।

ଗୀତ- (ଦଗାଦିଆ ରଙ୍ଗାଧର...ବୃତ୍ତେ)

ବୀର ଶୁଣ ଧୀରଚିତ୍ତେ ।

ଯାଉଥିଲୁ ଦୂତଗଣେ ଅଶ୍ୱର ସହିତେ ହେ ।ପଦ ।

ମାହିସ୍ୱତୀପୁରବନେ । ପଶନ୍ତେ ବାଜି ସଘନେ ।

ନୀଳଧ୍ୱଜ-ସୁତ ଦେଖି ବାନ୍ଧିଲା ତୁରିତେ । ୧ ।

ପାଠକରି ବୀରପତ୍ର । ପଣ କରିଲା ବହୁତ ।

ଥିଲେ ତା ସଙ୍ଗରେ ନାରୀଗଣ ଜଣ ଶତେ । ୨ ।

ଶତେ ରବିର ସମାନ । ତେଜ ହୁଏ ଅନୁମାନ ।

ପ୍ରବୀର ନାମ ତା ଖ୍ୟାତ ଏହି ତ୍ରିଜଗତେ । ୩ ।

ସାଜିବାକୁ ସେନା ତାର । ଚଳିଲା ନୃପକୁମର ।

କର ପ୍ରତିକାର ବଇଷ୍ଣବ ଭାଷେ ଗୀତେ ହେ । ୪ ।

ଅର୍ଜ୍ଜୁନ-      ଯାଅ ବୃଷକେତୁ, କହ ନୀଳଧ୍ୱଜ-ସୁତେ,

ଦେବ କି ନ ଦେବ ଅଶ୍ୱ କରିବ ସମର ?

ଯେବେ ତାର ବଞ୍ଚିବାକୁ ଆଶା

ଯଜ୍ଞ-ବାଜି ଦେଇ ପାଦେ ପଡ଼ୁ ମୋ ସହସା

ସେନା ସାଜି ଯାଉଚି ମୁଁ ତୋ ପଛେ ପଛେ । (ସମସ୍ତଙ୍କ ପ୍ରସ୍ଥାନ)

ବୃଷ-      ଯାଏ ମୁହିଁ ରାଜପୁତ୍ର ପାଶେ, ଦେଖା ପଥ ଆଗେ ଆଗେ ମୋତେ ।

ଦୂତ-      ଯେ ଆଜ୍ଞା ! (ସମସ୍ତଙ୍କର ପ୍ରସ୍ଥାନ)

(ପ୍ରବୀର ବୀରବେଶେ ଦଣ୍ଡାୟମାନ, ନିକଟରେ ସେନାଗଣ

ରଣସାଜେ ସଜ୍ଜିତ-ରଣବାଦ୍ୟ

ପ୍ରବୀର-      ସୈନ୍ୟଗଣ ! ଚଉଦିଗ କର ନିରୀକ୍ଷଣ

କେଉଁ ଦିଗ ଦେଇ ଶତ୍ରୁ ଆସିବ ଏଥକୁ ।

କିଏ ଏ ଆସଇ ଦୂରୁ ପିନ୍ଧି ବୀରଭୂଷା

ସଙ୍ଗେ ଅଛି ଦୂତ ଏକଗୋଟା

ଜଣାଯାଏ ହେବ କେହି ବିପକ୍ଷ ପକ୍ଷର ।

ବୃଷ-      (ପ୍ରବେଶି) ରାଜପୁତ୍ର ! କିହେତୁ ଅନିଷ୍ଟ କର ଧରି ଯଜ୍ଞ-ହୟ, ମାନି ପାର୍ଥ ଆଜ୍ଞା ଶୀଘ୍ର ଆଣି ମୋତେ ଦିଅ । ଚିହ୍ନ ମୁହିଁ କର୍ଣ୍ଣର ନନ୍ଦନ ବୃଷକେତୁ ।

ପ୍ରବୀର-      କିପାଁ ଗର୍ବ କରୁ ରେ ବର୍ବର

କେ ଜାଣେ ପାର୍ଥ କେ ଜାଣେ ତୋ ତାତ କର୍ଣ୍ଣକୁ ?

ଏ କ୍ଷେତ୍ରେ ଯା ଲୋଡ଼ା କର ତାହା

ଶୁଣ ରେ ନିର୍ଲ୍ଲଜ ପଣ ମୋର ।

ଗୀତ- (କେଉଁପରି ଯାଇଁ ସେ ରାଜବାଳାକୁ...ବୃତ୍ତେ)

ଘେନିଣ ପ୍ରବୀର ବଚନ ରବିର ନାତି ଅତି ବେଗେ ଯା ଯା ରେ ।

ଦେବୀର ଭକ୍ଷଣ ହେବୁ ତୁ ଅବୀର ସମାନ ଭୋଗିବୁ ସଜା ରେ ।ପଦ ।

କେଡ଼େ ବଡ଼ ବୀର ତୃତୀୟ ପାଣ୍ଡବ, ନିର୍ବୀର କରିଲା ଧରିଣ ଗାଣ୍ଡିବ ।

ନେଇ ଅଶ୍ୱ ତାର ରଣେ ହାଣି ଶିର ଜାଣିବ ତେବେ ତା ମଜାରେ । ୧ ।

ଆଭୀର-କୁଳ-କଳଙ୍କ ନନ୍ଦବଳା, ଶୁଣିଚି ମାଇଲା କପଟେ ମଉଳା ।

ମାଉସୀଝିଅ ଭଉଣୀ ବିଭାହୋଇ ଶଳା କଲାକ ନିର୍ଲଜ୍ଜାରେ । ୨ ।

ଧରିଅଛି ବାଜି କରିବି ସମର, ନାରୀ ନୁହେଁ ଡରି ଦେବି ତା ଛାମୁର ।

ହାରିଲେ ହାରିବି ତାହା ନ କରିବି ମରଣୁ ବଳିବ ଲଜ୍ଜାରେ । ୩ ।

କହ ନୀଳଧ୍ୱଜ-ସୁତ ବଳ ସାଜି, ତୋର ପଥ ଚାହିଁ ବସିଛି ରେ ପାଜି ।

ରାଜିରେ ନ ଦେଲା ବାଜି ତାଜି କଲା ଭାଷେ ରସେ ବଇ ଦ୍ୱିଜ ରେ । ୪ ।

ବୃଷ-      ରହ ଦଣ୍ଡେ ରେ ପାମର ଦସ୍ୟୁ !

ପଶୁସମ ପ୍ରକୃତି ତୋହର ଜାଣିଲିଣି ମୁଖ ଭାଷଣରୁ

କଳିରେ ବଳିଛି ଯେବେ ଚିତ୍ତ

ଯାଉଛି ଅର୍ଜ୍ଜୁନ ପାଶେ କହି ଏ ସମସ୍ତ

ଦେବି ଏ କର୍ମର ପୁରସ୍କାର, ପ୍ରାଣଦାନ

ତୋର ଅଦ୍ୟ ଘୋର ରଣଗୋଳେ ।

(ବେଗେ ବୃଷକେତୁର ପ୍ରସ୍ଥାନ ଓ ଅର୍ଜ୍ଜୁନ ସହ ପୁନଃ ପ୍ରବେଶ)

ପ୍ରବୀର-      ରେ ବର୍ବର ! କାହିଁ ତୋ ଅର୍ଜ୍ଜୁନ, ଡରି କି ନ ଆସେ ଆଗେ ମୋର, କ୍ଷତ୍ରି ହୋଇ ଜୀବନେ ମମତା ପୁଣି ଏଡ଼େ ।

ବୃଷ-      ଆରେ ରେ ନିର୍ଲଜ୍ଜ ନୀଳଧ୍ୱଜର ନନ୍ଦନ ! ଆଗେ ମୋତେ ସମରେ ପରାସ୍ତ କଲେ ଯିବୁ ପାର୍ଥ ନିକଟକୁ ।

ବୃଷ-      ତେବେ ହେଉ ରଣ ଦେଖିବି ମୁଁ ତୋହରି ଆଣ୍ଟକୁ ।

(ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)

(ଅନୁଶାଳାସହ ଯୁଦ୍ଧକରି ପ୍ରବୀର ପ୍ରବେଶ)

ଅନୁ-      ରେ ପାମର ! କେତେ ଶର ଅଛି ତୋ ତୁଣୀରେ

ମାର ବାହୁ ଦେଖାଇଲି ଏଥି,

ନୁହେ ଅନୁଶାଳା ବୃଷକେତୁ ପରି ସାନ

ମୋହେ ପକାଇବୁ ରଥେ ପ୍ରହାରି ନାରାଚ

କେ ରଖିବ ରଖୁ ତୋତେ ଆଜ ।

ପ୍ରବୀର-      ଏହି ଦେଖ ଏହି ବାଣ ପ୍ରାଣ ନେବ ତୋର,

ମରଣକୁ ହୁଅ ଅଗ୍ରସର । (ଯୁଦ୍ଧ କରୁ କରୁ ବେଗେ ଉଭୟ ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

(ଅନଳ ଓ ନୀଳଧ୍ୱଜର ପ୍ରବେଶ)

ନୀଳ-      ହେ ଅନଳ ! ପୂର୍ବେ ତୁମେ କରିଥିଲ ସତ୍ୟ

ଯେହୁ ଶତ୍ରୁ ହେବ ମୋର ତୁଲେ ତାକୁ ତୁମ୍ଭେ କରିଦେବ ଭସ୍ମ ।

ସେ ଘେନି ଜାମାତା କରି ରଖିଲି ମୋ ବାସ,

ଏବେ କର ପ୍ରତିଜ୍ଞା ପାଳନ ବୈଶ୍ୱାନର !

ଗୀତ- (ପଟିଲା ନାହିଁ ମୋ...ବୃତ୍ତେ)

ଚଳ ହେ ଅନଳ ନାଶ ଶତ୍ରୁ ଦଳେ ମୋହର ।

କାଳ-ଆଳ ଗଲେ ପୁତ୍ରଗଣେ ଉଠେ ରକ୍ତ ଜୁଆର ।

ମୁଁ ରଣେ ହେଲି ପରାସ୍ତ, ଭାଗ୍ୟରବି ହେଲେ ଅସ୍ତ,

ଏ ଦୁର୍ଦ୍ଦଶା ରସାପରେ ଘଟିନାହିଁ କାହାର । ୧ ।

ସର୍ବଭକ୍ଷ କର ରକ୍ଷା, ଏବେଳେ ନ ବହ କକ୍ଷା,

ସୁଖ୍ୟାତି ରଟୁ ଜଗତେ ସର୍ବ କର ଆହାର । ୨ ।

ଅରିଗର୍ବ ଖର୍ବ ହେଉ, ମୋ ଦୁଃଖ-ଶର୍ବରୀ ପାହୁ ।

ତମନାଶ ତମ ନାଶ କବି ଜୁହାର । ୩ ।

ଅନଳ-      ଯାଅ ରାଜା, ରହ ସୁଖେ ନିଜର ସଦନେ

ଏକ୍ଷଣି ଯାଇଣ ତୋର ଶତ୍ରୁ ଗଣେ ହେଳେ

ପୋଡ଼ିବି ରଥ ଅଶ୍ୱାଦି ଅସ୍ତ୍ରଶସ୍ତ୍ର ସହ

ତୋ ଦୁଃଖ ନିରେଖି କମ୍ପୁଅଛି ଦେହ ମମ ବାତଘାତେ ରମ୍ଭାପତ୍ର ପରା ।

ଶାଳକକୁ ନାଶିଲେ ସେ ଯେଣୁ କାଳକୁ ସେ କଲେ ବଳେ କୋଳ,

ଉଠିବ ଅନଳଶିଖା ପରଶି ଗଗନ ପଞ୍ଚଦଶ ଜିହ୍ୱା ମୋର ରକ୍ତ ଅସ୍ଥି ମାଂସ

ପଞ୍ଚଦଶ ବଦନରେ କରିବ ଆହାର ତୃପ୍ତ ହେବ ମନ ପ୍ରାଣ ଯାଇଁ ତେତେବେଳେ ।

ଚଳ ରାଜା ବେଗେ ଉଆସକୁ ।

ନୀଳ-      ଯାଉଛି ମୁଁ ଯଶ ଯେହ୍ନେ ରହିବ କାଳକ ।

(ଅର୍ଜ୍ଜୁନ ଦୂତ ସହ ପ୍ରବେଶ)

ଅର୍ଜ୍ଜୁନ-      ଏ କି ଆଶ୍ଚର୍ଯ୍ୟ, ଘଟଣା କହ ଦୂତବର !

ପ୍ରକାଣ୍ଡ ଅନଳ ଗ୍ରାସି ଆସେ ରଣଭୂମି

କବନ୍ଧ ସହିତେ ଭସ୍ମ କରେ ସୈନ୍ୟଗଣେ

ରଥ ଗଜ ବାଜି ଅସ୍ତ୍ରଶସ୍ତ୍ର ଆଦିକରି

ଶୁଉ ଶୁଉ ଶବଦେ କମ୍ପାଏ ଦିଗ ଚାରି

ନିରେଖି ମୋ ଘୁରଇ ମସ୍ତକ

ବରୁଣାସ୍ତ୍ର ପେଶି ଯଦି ନାଶିପାରେ ୟାକୁ

ତେବେ ଯଶ ରହିବ ମୋହରି ।

ଏହା ବିନୁ ଦିଶୁନାହିଁ ଆନ ପ୍ରତିକାର (ବରୁଣାସ୍ତ୍ର ପ୍ରୟୋଗ)

ନା, ହେଲା ନାହିଁ ମନ ଆଶା ପୂର୍ଣ୍ଣ

ଅଧିକେ ଜଳିଲା ବୈଶ୍ୱାନର

ସ୍ତବେ ତୁଷ୍ଟ କରିପାରେ ଅବା ?

ହେ ପାବକ ଶୁଣ ଥରେ ଗୁହାରି ଭୃତ୍ୟର ।

ଗୀତ- (ଜୟ ମତ୍ସ୍ୟେଶ୍ୱର...ବୃତ୍ତେ)

ନମସ୍ତେ ହେ ବୈଶ୍ୱାନର ବୀତିହୋତ୍ର ପାବକ ଦେବ ଅନଳ । ରଖ ଗୁହାରି ।

ନମସ୍ତେ କୃପିଟ ବିକଟ ବଦନ ଭକ୍ଷଣ କରୁ ସକଳ । ରଖ ଗୁହାରି । ୧ ।

ଏ କି ମିତ୍ରତାର ପରିଚୟ ପ୍ରଭୁ ଧନଞ୍ଜୟ ନାମ ବହ ।

ଧନଞ୍ଜୟ ପକ୍ଷେ ବିପକ୍ଷ ହେଉଚ ସୃଷ୍ଟି କି କରିବ ଲୟ । ରଖ ଗୁହାରି । ୨ ।

ବାରେ ବୃହତ୍‌ଭାନୁ କୃଷାନୁ ବିଚାର କରି ଦେଖ ହୃଦେ ତବ ।

ଖାଣ୍ଡବଦହନ କାଳେ ଏ ଗାଣ୍ଡିବ ତୋଷେ ଦତ୍ତ କଲୁ ଦେବ । ୩ ।

ଶ୍ୱେତଯଜ୍ଞେ ଘୃତ ଭକ୍ଷି ବ୍ୟାଧିଗ୍ରସ୍ତ ହୋଇ ପାଉଥିଏ କଷ୍ଟ ।

ଖାଣ୍ଡବ ଦହିଲି ରୋଗ ନଷ୍ଟ କଲି ତେଣୁ ଅଙ୍ଗ ହେଲା ପୁଷ୍ଟ । ୪ ।

ଯୁଧିଷ୍ଠିର ଅଶ୍ୱମେଧ ଯାଗେ ବାଧା ନ ଦିଅ କରୁଛି ଅଳି ।

ନିଜର ଅଭୀଷ୍ଟ ପୂରାଇବେ ପରା ତବ ତୁଣ୍ଡେ ଘୃତ ଢାଳି । ୫ ।

ସେହି ଯାଗ-ବାଜି ହରି ନୀଳଧ୍ୱଜ ବାନ୍ଧିଅଛି ନିଜ ଆଳେ ।

କେସନେ ଲଭିବି ଭାଷ ମୋତେ ଭାବି ବିପ୍ର ବଇଷ୍ଣବ ଭାଳେ । ୬ ।

(ବିପ୍ରବେଶେ ଅଗ୍ନିଙ୍କ ଆର୍ବିଭାବ)

ଅଗ୍ନି-      ଏ କି ଅଲୌକିକ କଥା କହୁ ଇନ୍ଦ୍ରସୁତ !

ତୋର ସ୍ତବେ ତୁଷ୍ଟ ହୋଇ ପଚାରୁଛି ଯାହା

ଦେବୁ ସେହି ପ୍ରଶ୍ନର ଉତ୍ତର ।

ରେ ଅର୍ଜ୍ଜୁନ ! ପାଗଳ କି ହୋଇଲ ପାଣ୍ଡବେ

ଯେଉଁ ହରି ସକଳ କର୍ମର ହର୍ତ୍ତାକର୍ତ୍ତା ଯାଗ ଯଜ୍ଞ ତପ ଜପମାନ

ଅଷ୍ଟାଙ୍ଗ ଯୋଗ ସାଧନା କରି ତପିଗଣେ ଯା ଦର୍ଶନ ପାଇବାକୁ ଇଚ୍ଛୁକ

ଅସ୍ଥି ଚର୍ମ ମାଟିରେ ମିଳାଇ ଡାକି ଡାକି ଯା’ର କରୁଣାରୁ କଣା ମାତ୍ର ପାଇ ନ ପାରନ୍ତି,

ସେ ହରି ପ୍ରସନ୍ନ ସଦା ଯାହାଙ୍କ ଉପରେ ଆଜ୍ଞାକାରୀ ପରି,

ପାଶେ ଥାନ୍ତି ନିଶିଦିନ ସେ କିପାଇଁ ଅଶ୍ୱମେଧେ ବଳାବନ୍ତି ମନ ?

ଯା’ର ପାଶେ ପତିତପାବନୀ ସୁରଧୁନି ତାର ଆଶା କାସାର ସଲିଳେ ?

ସସାଗରା-ଧରା-ଅଧିଶ୍ୱର, କାହିଁ ଇଚ୍ଛେ ଭୂମ୍ୟାଧିକାରୀ ସାମାନ୍ୟ ଜମିଦାର ପଦ ?

କ୍ଷୀରସିନ୍ଧୁ ତେଜି କେ ଭୁଞ୍ଜଇ ଛାଗ-ଦୁଗ୍ଧ ?

ଯଦି ଯଜ୍ଞ-ହୟ ଜୟ କରିଯିବୁ ଘେନି

କହିଦେଉଛି କର ସେ କର୍ମ କୃଷ୍ଣସଖା ।

 

ଗୀତ- (ଦେବେ ତୁମରି କଥା...ବୃତ୍ତେ)

ଏଡ଼େ ନାରାୟଣ ବାଣ ପାର୍ଥରେ !

ହେବ ନାହିଁ ତୋ କାମନା ବ୍ୟର୍ଥରେ ।ପଦ ।

ଆନ ଯେତେ ଶର ବୀର ମାରିବୁ ତୁ ମୋତେ ।

ତହିଁକି ଶଙ୍କା ନୋହିବ ମୋର କଦାଚିତେ ।

ସଦାଶିବଦତ୍ତ ପାଶୁପତରେ । ୧ ।

ନୀଳଧ୍ୱଜ ରାଜା ସତ୍ୟପାଶେ ବଦ୍ଧ ହୋଇ ।

ଆସିଲି ତୋ ସୈନ୍ୟବଳ ଧ୍ୱଂସିବି ବିଜୟି ।

ସ୍ତବ କରି ତୋଷିଲୁ ମୋ ଚିତ୍ତରେ । ୨ ।

ବାଳକକାଳେ ଭୀମକୁ ଯାଚି ଦେଲି ବର ।

ସେହି ବରେ ବିରାଟେ ଅଜ୍ଞାତ ଗଲା ତାର ।

ଯାଜ୍ଞସେନୀ ମୋ ଗର୍ଭରୁ ଜାତରେ । ୩ ।

କାଳେ କାଳେ ପାଣ୍ଡବେ ମୋହର ସ୍ନେହୀ ଅଟ ।

ନୟନେ ଦେଖିବି ନାହିଁ ତିଳେ ତୁମ୍ଭ କଷ୍ଟ ।

ଯାଉଅଛି ବଇ କହି ଗୀତରେ । ୪ ।

ଅର୍ଜ୍ଜୁନ-      ହେ ଅନଳ ! ପେଶୁଅଛି ନାରାୟଣ ଅସ୍ତ୍ର, ତେଜ ନାଶି ଯାଅ ପାବକ, କୃପା ବହି ରାଣ୍ଡସୁତ ପାଣ୍ଡବଙ୍କ ପରେ ।

(ନାରାୟଣାସ୍ତ୍ର ତ୍ୟାଗ- ଅନଳର ଅନ୍ତର୍ଦ୍ଧାନ)

ସମସ୍ତେ-      ଜୟ ମହାମହିମାବର ଧର୍ମବୀର- ଯୁଧିଷ୍ଠିଦେବ ଅନୁଜ ଅର୍ଜ୍ଜୁନଙ୍କର ଜୟ ।

ଅର୍ଜ୍ଜୁନ-      ବୀରଗଣେ ଚାଲ ବଢ଼ାଇବା ନିତ୍ୟକର୍ମ, ଗଲେଣି ଅନଳ ।

ଜଣାଇବେ ନୀଳଧ୍ୱଜ ରାଜାଙ୍କୁ ଏମାନ

ଜଣାଯିବ ଦଣ୍ଡକରେ ଫଳାଫଳ ସବୁ । (ସମସ୍ତଙ୍କର ପ୍ରସ୍ଥାନ)

 

 

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ନୀଳଧ୍ୱଜ ରାଜା ଏକାକୀ ଭ୍ରମଣ)

ନୀଳ-      (ସ୍ୱଗତ) କି ଘଟଣା ଘଟିଲା ରଣରେ ନ ମିଳିଲା ତାର ସମାଚାର,

ହା ବତ୍ସ ପ୍ରବୀର...

ତୋତେ ହରାନ୍ତେ ଅନ୍ତର ଯାଉଛି ମୋ ଜଳି ।

ପୁତ୍ର-ଅରିନାଶେ ପେଶିଲି ମୋ ଜାମାତା ଅନଳେ

ଦହିବାକୁ ଅର୍ଜ୍ଜୁନର ଥାଟ

ତାକୁ କିବା ପଡ଼ିଲା ସଙ୍କଟ ରଣକ୍ଷେତ୍ରେ ?

କେ ଆସଇ ଦୂରୁ ଏହି ଦିଗେ, ତେଜେ ଦିଗ କରିଣ ଆଲୋକ

ଏ ଯେ ମୋର ଜ୍ୱାଇଁ ବୈଶ୍ୱାନର, ଜଣାଯାଏ ଶତ୍ରୁ ନାଶି ଆସିଲେ ମୋ ପୁର ।

ଅନଳ-      କିସ ଚିନ୍ତାକର ମାହିଷ୍ମତୀ ଅଧିପତି !

ନୀଳ-      ହେ ପାବକ ! ଆସିଛ ତ ବିନାଶି ମୋ କୁମର-ଅରାତି ?

ଅନଳ-      ହେ ଭୂପାଳ ! ପାଳି ମୁଁ ଆଦେଶ ତବ ଗଲି ରଣକ୍ଷେତ୍ରେ

ପ୍ରବେଶି ଦହିଲି ନିଜ ତେଜେ ପାର୍ଥସେନା ?

ବହୁ ଅସ୍ତ୍ରଶସ୍ତଅ ମୋତେ ମାଇଲା ଅର୍ଜ୍ଜୁନ

ସକଳେ ମୋ ଦେହେ ପଡ଼ି ପୋଡ଼ିଗଲେ ହେଳେ

ଶେଷେ ନାରାୟଣ ଅସ୍ତ୍ର ମାରି ଦେଲା ମୋର ତେଜକୁ ନିବାରି,

ଘେନ ମୋର ଉପଦେଶ ଏବେ, ହେ ନରେଶ ! ଯୁଦ୍ଧେ ବଳାନାହିଁ ମନ ଆଉ ?

ଗୀତ- (ଶୁଣ ମଣିମା ମୋର...ବୃତ୍ତେ)

ବୁଝା ମନକୁ ହେ ରାଜା ତେଜିଣ ରୋଷ, ଅରଜ ନାହିଁ ଅଯଶ ।ପଦ ।

ଅଶ୍ୱମେଧ ଯାଗ ଗୋଟି, କରିବେ ଧର୍ମ ଯୁଧିଷ୍ଠି ।

ଅରଜୁନେ ପେଷି ରାଜ୍ୟେ ଫେରାନ୍ତି ଅଶ୍ୱ । ୧ ।

ସେହି ଯଜ୍ଞେ ପୁଣି ହରି, ହୋଇଛନ୍ତି ଅଧିକାରୀ ।

ଯେ ହରି ସେହି ଅର୍ଜ୍ଜୁନ ଏକଇ ଅଂଶ । ୨ ।

ତାଙ୍କ ତୁଲେ ହେଲେ ଦ୍ରୋହୀ, ନରକେ ପଡ଼ିବ ଯାଇଁ ।

ସେହି ପାପେ ଅଳପକେ ଛିଡ଼ିବେ ବଂଶ । ୩ ।

ତୁରିତେ ତୁରଙ୍ଗେ ଧରି, ଦେଇ ବାସେ ଆସ ଫେରି ।

କ୍ଷମା ମାଗ ଛାଡ଼ି ରାଗ ବୈଷ୍ଣବ ଭାଷ । ୪ ।

ଆହୁରି କହୁଛି ଶୁଣ ନୃପ ! ଶୁଣିଚ ସେହି ଅର୍ଜ୍ଜୁନ ପୂର୍ବେ,

ଜିଣିଛି ତା ପିତା ବାସବକୁ, ନିବାତକବଚ ବଧି ରଖିଲା ଅମରେ,

ଗୋସିଂହ ବଧିଲା ରୈବତକେ, ହର ହାରି ଦେଲେ ପାଶପତ ।

ପଞ୍ଚାଳେ ବିନ୍ଧିଣ ମହାଲାଖ

ଲକ୍ଷେ ରାଜା ମୁଖେ କାଳି ବୋଳି ନେଲା ଯାଜ୍ଞସେନୀକି ଅବିଘ୍ନେ ।

ଗାଇଲେ ତାହାର ଗୁଣ ନ ସରିବ ତିଳେ ।

ରଣ ତେଜି ଆସ ଅଶ୍ୱ ଦେଇ, କ୍ଷମା ମାଗ ତା ଚରଣ ତଳେ,

ନୁହ ବିଷ୍ଣୁଦ୍ରୋହୀ ମହୀତଳେ । ଯାଉଛି ମୁଁ ନିଜ ସଦନକୁ ।

ନୀଳ-      ଯାଏ ରାଣୀହଂସ ପୁରେ କହିବି ସମସ୍ତ କଥା ଜ୍ୱାଳାବତୀ ଆଗେ । କି ଭଣିବ ଶୁଣି ସେ ଏମାନ । (ଶୀଘ୍ରେ ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ

(ଅନ୍ତଃପୁର- ଦାସୀଗଣ ସହ ଜ୍ୱାଳାବତୀ ରାଣୀର ପ୍ରବେଶ ।)

ରାଣୀ-      ଦାସୀଗଣେ ! ତୁମ୍ଭେମାନେ କିଛି ରଣ ସମାଚାର ଶୁଣିଛ ? ମୋର ପୁତ୍ର ପ୍ରବୀର ଗୋଟିଏ ଯାଗ ଅଶ୍ୱ ଧରିଆଣି ଘରେ ରଖିଅଛି, ସେ ଯୋଗେ ତେଣେ ଯୁଦ୍ଧ ଲାଗିଛି । ଆହା, କି ସୁନ୍ଦର ଘୋଟକଟି, ମୁଁ ତ ଏପରି ଘୋଟକ ଦିନେ ଦେଖି ନାହିଁ; ଦାସୀ, କଣ ଜାଣ ଯୁଦ୍ଧର ଖବର ମୋତେ କୁହ ?

ଦାସୀ-      ମହାଦେଈ ! ତୁମ୍ଭେ କଣ ଶୁଣିନାହଁ, ତୁମ୍ଭ ପୁତ୍ର ପ୍ରବୀର ଯୁଦ୍ଧରେ ହାରି ରାଜାଙ୍କୁ କହିବାରୁ ରାଜା ନିଜେ ରଣକୁ ଯାଇଥିଲେ । ତାପରେ ସେ ନିଜେ ନ ପାରି ତୁମ୍ଭ ଜୋଇଁ ଅଗ୍ନିକି ପଠାଇଛନ୍ତି, ତାପରେ କଣ ଘଟିଲା ଆମ୍ଭେମାନେ କିଛି ଶୁଣିନାହୁଁ କି ଜାଣିନାହୁଁ ।

ରାଣୀ-      ଦାସୀମାନେ ! ଏଣେ ଦେଖ ରାଜା କାହିଁକି ତରତର ହୋଇ ଏଠାକୁ ଧାଇଁଛନ୍ତି । ରଣରେ ପୁଣି କି କାଣ୍ଡ ଘଟିଲା କି ? ମୁହଁ କାହିଁକି ଶୁଖିଲା ଦିଶୁଛି, ତୁମ୍ଭେମାନେ ଟିକିଏ ଉହାଡ଼କୁ ଯାଅ, ନିକଟରେ ହେଲେଣି । (ଦାସୀମାନଙ୍କର ପ୍ରସ୍ଥାନ)

(ରାଜାର ପ୍ରବେଶ)

ନାଥ ! କି କଥା ରଣରେ ଘଟିଲା କିଏ ତୁମ୍ଭ ମନ କାହିଁକି ଶୁଖିଯାଇଛି, ମୋତେ କପଟ ନ କରି ସତ୍ୟ ସତ୍ୟ କହିବ ।

ରାଜା-       ରାଣୀ ଜ୍ୱାଳାବତୀ, ମୁଁ ତାହା କହୁଛି ଶୁଣି ?

 

ଗୀତ- (କାହିଁକି ରୋଦନ ମାଆ...ବୃତ୍ତେ)

ମାନିନୀ ମୋ ମାନ ଆଜୁଁ ହଜିଲା ହଜିଲା ରେ ।

ଗୌରବ-ରବି ବାରୁଣୀ ଭଜିଲା ଭଜିଲା ରେ । ପଦ ।

ଯୁଧିଷ୍ଠିର ଯଜ୍ଞବାଜି, ପ୍ରବୀର ଧରନ୍ତେ ଆଜି,

ବୀର ପାର୍ଥ ତାର ଦର୍ପ ଗଞ୍ଜିଲା ଗଞ୍ଜିଲା ରେ । ୧ ।

ପରାସ୍ତ ହେବାରୁ ସେହି, ଶୁଣି ମୁଁ ଯୁଝିଲି ଯାଇଁ,

ପୁଣି ମୋ ଦମ୍ଭ-ଦ୍ରୁମକୁ ଭାଜିଲା ଭାଜିଲା ରେ । ୨ ।

ଅପମାନେ ଆସି ଫେରି ପେଶିଲି ଅନଳେ ବରି,

ହରିଭକ୍ତ ବାରି ସେ ତ ତେଜିଲା ତେଜିଲା ରେ । ୩ ।

କିପାଁ ରାଣୀରେ ମୋହରି, ହେବା ବିଷ୍ଣୁର ବଇରୀ,

ଦେବୀ ହୟ ଯାଚି ବଇ ଏ ପଦ ଖଞ୍ଜିଲା ରେ । ୪ ।

 

ରାଣୀ-      ହେ ରାଜନ ! ଶୁଣି ତବ କଥା ମୋତେ ଲାଗେ ବିଷ ସମ,

ବୀର ତୁଣ୍ଡେ ଭୀରୁ ଉକ୍ତି ଶୋଭାପାଏ ନାହିଁ ।

ଡାଙ୍କିଲେ ବାରିଦପଟଳ- ପ୍ରଭାହୀନ ପ୍ରଭାକର ହୁଅଇ କି କେଭେ ? ଗରୁଡ଼ କି

ଡରେ ନାଗଗଣେ ?

ପ୍ରଳାପ ସଦୃଶ ମୋତେ ଲାଗେ ଏ ବାରତା

କିପାଁ ଦେବ ଅଶ୍ୱକୁ ତା ପାଶେ, ପୁଣି କ୍ଷମା ମାଗି ପଡ଼ିବ ଚରଣେ

କ୍ଷତ୍ରୀୟ ଉଚିତ ଧର୍ମ ଅଟେ ଏକି ନାଥ ?

ମରଣୁ ବଳିବ ଲାଗ ଅଧିକ ଲୋକରେ

ଧିକ ଧିକ ବୋଲିବେ ସକଳ ରଜାଗଣେ

ଏହା ଅପେକ୍ଷା ମରଣ ଶ୍ରେୟ ଅଟେ ରଣେ ।

ମୋ ବୋଲେ ସମର କର ଯାଇଁ

ଯେମନ୍ତେ ମରେ ଅରାତି ପାଞ୍ଚ ସେ ଉପାୟ ।

ତେଜି ଜୀବନର ଭୟ, ପଶ ବଳେ ବଳ ସାଜି ରଣ-ପାରାବାରେ

ପ୍ରବୀର ତୁଲେ ଆବର ସୁତ ଜ୍ଞାତି ସହ, କ୍ଷଣେ ଆଉ ଏଠାରେ ନ ରହ ।

 

ଗୀତ- (ନବ ନାଗରୀ ତୁ ମହିମହିଳା...ବୃତ୍ତେ)

ନାଥ ପ୍ରେମରେ ସମରେ ପଶ ଯା ।

ବୀର ନାଦେ ଡାକି ଅମରଙ୍କୁ ସାକ୍ଷୀ ରଖି ଅରିବୃନ୍ଦେ ନାଶ ଯା । ପଦ ।

ବାଜିଉଠୁ ଟମକ ପଡ଼ୁ ଚମକ ନର ନାଗ ଲୋକରେ ।

ଛୁଟୁ କମାଣ ଗୁଳି ଭଳିକି ଭଳି ଲକ୍ଷଲକ୍ଷରେ ।

ଜଳିଉଠୁ ଅନଳ ଗରଜି ତେଜେ ଅରିଜିତ ଧ୍ୱଜା ।

ଉଡ଼ୁ ରଥଧ୍ୱଜେ ।

ବହୁ ଶୋଣିତ ନଦୀ ଶିଖର ଭଳି ମତ୍ତ କରୀ ପରେ ବାସ ଯା । ୧ ।

ଗାଇ ବୀର ସଙ୍ଗୀତ ଉଲ୍ଲାସେ ଚିତ୍ତ ଫୁଲାଇ ପଡ଼ ମାତି,

ଅସ୍ତ୍ର ଶସ୍ତ୍ର ଝଙ୍କାର ଯୋଦ୍ଧା ହୁଙ୍କାରେ ଆକାଶ ପଡ଼ୁ ଝଡ଼ି ।

କମ୍ପିଉଠୁ ଥର ଥର ହୋଇ ଧରା, ଡ଼େଇଁ କବନ୍ଧ ମାରନ୍ତୁ ଶୂନ୍ୟଚିରା ।

ବଇଷ୍ଣବ ଭାରତୀ ରଖ ଆରତି ଧରତୀରେ ବୀର ଯଶ ଯା । ୨ ।

 

ରାଜା-      ଜ୍ୱାଳାବତୀ ! ମାନି ତୋ ଭାରତୀ ଯାଇ କରିବି ମୁଁ ରଣ

ନ ମାନିବି ବାରଣ କାହାରି

ଯେତେବେଳେ ଅନୁଶାଳା ଦୈତ୍ୟ

ଶର ବାହିକରି ଆଚ୍ଛାଦିଲା ପ୍ରବୀରକୁ,

ନ ଦେଖିଣ ସେନାଗଣେ ରଣେ ତା ଶରୀର

ଜଣାଇଲେ ନିକଟେ ମୋହରି,

ମରିଲା ପ୍ରବୀର ବୃଷକେତୁ ଅର୍ଜ୍ଜୁନର ବାଣେ

ପରେ ଶୁଣିଲି ସେ ଘଟଣା ମିଥ୍ୟା ବୋଲି ।

କେ ଅଛି ଏମନ୍ତ ବୀର ପ୍ରବୀରକୁ ମୋର

ପରାସ୍ତ କରିବ ପୁଣି ସମ୍ମୁଖ ସମରେ

ଯାହାକୁ ଘେନି ତାହାକୁ ପଶିବି ରଣରେ,

ଅନ୍ତଃପୁରେ ଥାଅ ସୁଖେ ବସି ।

ଏହିକ୍ଷଣି ଜୟବାର୍ତ୍ତା ଦେବ ଦୂତ ଆସି । (ବେଗେ ପ୍ରସ୍ଥାନ)

ଦାସୀ-      (ପ୍ରବେଶୀ) ରାଣୀ ! ଶୁଣିଚି ମୁଁ ସବୁ ରହି ଅନ୍ତରାଳେ ପରା ? ନାହିଁ ପୁରୁଷଙ୍କଠାରେ ନାରୀଙ୍କ ଧଇର୍ଯ୍ୟ, ବିପଦେ ଅଟନ୍ତି ବୁଦ୍ଧିଦାତା ସ୍ତିରୀଜାତି । ଲେଖିଯାଇଛନ୍ତି ମୁନି ଯତି, ଶୁଣିଥିଲି ବେଦ ପୁରାଣରେ, ଫଳେ ଦେଖି ଆଜି ତାହା ତୁଟିଲା ସନ୍ଦେହ ।

ରାଣୀ-      ଚାଲ ଦାସୀ ! ସ୍ନାହାନ ବେଳ ହେଲାଣି ଆସି,

ଅଙ୍ଗପାଣି ଲାଗିହୋଇ କରିବା ଭୋଜନ

ରଣେ ତେଣେ ଗଲେଣି ରାଜନ । (ଉଭୟର ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

(ଅର୍ଜ୍ଜୁନ ବୃଷକେତୁ ଅନୁଶାଳାଦି ବୀରଗଣେ ଦଣ୍ଡାୟମାନ)

ଅର୍ଜ୍ଜୁନ-      କେଣେ ଗଲା ଦୂତବର, ନ ଫେରିଲା ଘେନି ସମାଚାର,

କିପାଁ ଅଶ୍ୱ ନ ଦେଲା ପ୍ରବୀର, ପୁଣି କି ସେ ମାତିବ ବିବାଦେ ?

ବୃଷକେତୁ-      ଶେଷେ ହେବ ପରା ତାହା

ଶୁଣ ଶ୍ରୁତି ଡେରି, ବୀରନାଦ ଶୁଭେ ଏହି ଦିଗେ

ଅଶ୍ୱଙ୍କର ହ୍ରେଷାରବ ଗଜଙ୍କ ଗର୍ଜନ

ତୁଲେ ମିଳି ଶୁଭେ ବୀରଗଣଙ୍କ କୁହାଟ ।

ଅସ୍ତ୍ରଶସ୍ତ୍ର ଧରି ସର୍ବେ ଅଗ୍ରସର

ରଣ ଆଶେ ଆସେ ନୀଳଧ୍ୱଜର କୁମର ।

ନେପଥ୍ୟେ-      ରେରେ ପରରାଷ୍ଟ୍ର ଅପହାରୀ, ଶୀଘ୍ର ସମରକୁ ହୁଅ ସଜ, ଶମନ ନବର ଦରଶନ କର ଆଜ ।

(ବେଗେ ପ୍ରବୀର ସେନାସହ ପ୍ରବେଶ)

ବୃଷକେତୁ-      କେ ନିର୍ଲଜ୍ଜ, ବାର ବାର ହାରି ପୁଣି ଆସ ସମରକୁ ?

ପ୍ରବୀର-      ଶୁଖୁଛି କି ରକ୍ତ କର୍ଣ୍ଣେ ଶୁଣି ମୋ ଡାକକୁ

ଆରେ ବୃଷକେତୁ, ମୋର ଛନ୍ତି ତିନିଭ୍ରାତ

ତାଙ୍କ ସଙ୍ଗେ ଯୁଦ୍ଧ କରୁ ପ୍ରଦ୍ୟୁମ୍ନ ଆବର ଅନୁଶାଳା

ଶିଶୁବୀର ସଙ୍ଗେ ଲାଗୁ ଯୁବନାଶ୍ୱ ଆସି,

ମୋ ସଙ୍ଗେ ଅର୍ଜ୍ଜୁନ କରୁ ଯୁଦ୍ଧ ।

କ୍ଷତ୍ରିୟ ଧର୍ମାନୁଯାୟୀ ଦେଲି ମୁହିଁ ବାଣ୍ଟି

ଧରାପଡ଼ିଯିବ କିଏ ଭଲ କିଏ ଖାଣ୍ଟି ।

ଅର୍ଜ୍ଜୁନ-      କି ହେତୁ ଗର୍ଜନ ଆସି କର ଭେକପଲ,

ନାହିଁ ଭଲ ତୁମ୍ଭରି କପାଳେ

 

ଗୀତ- (କିପାଁ ହୋଇ ଭୀତ...ବୃତ୍ତେ)

ବାର ବାର ହାରି ଧାଇଁଚୁ ଆହୁରି ପାରିବୁ କି ମୋର ରଣକୁ ରେ ।

ନାରୀକୁ ପଣନ୍ତ ତଳେ ଲୁଚ ଯାଇଁ ତହିଁ ଦେଖା ବୀରପଣକୁ ରେ ।ପଦ ।

ଚୂରିଦେବି ଦର୍ପ ମରିବୁ ଏଥର ଅନା ମୋ ଶାଣିତ ବାଣକୁ ରେ ।

ତରିବାକୁ ଆଶ ଥିଲେ ଦିଅ ଅଶ୍ୱ ନ ଜାଣୁ ଅର୍ଜ୍ଜୁନ ଗୁଣକୁ ରେ । ୧ ।

ଇନ୍ଦ୍ର ଅଗ୍ନି ଯମ କୁବେର ଡର ନାହିଁ ଦେବ ରଣକୁ ରେ ।

ଭବ ବ୍ରହ୍ମା ଯେବେ ବିପକ୍ଷେ ରହିବେ ଅଣ୍ଟିବେ ତ ନାହିଁ କ୍ଷଣକୁ ରେ । ୨ ।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ପରା ରଥୀ ରଖି ନ ପାରିଲେ ଟାଣକୁ ରେ ।

ଏକାଦଶ ଅକ୍ଷୌହିଣୀ ତୁଲେ ମଲେ ସମାନ ନୋହିବୁ ଜଣକୁ ରେ । ୩ ।

ପଳା ପଳା ବଳା ନକର ରେ ହଳା ଆଶ୍ରାକର ଘରକୋଣକୁ ରେ ।

ବଇଷ୍ଣବ କହି ବେଗେ ଦେଖ ଚାହିଁ ଟେକିଅଛି ଅହୀ ଫେଣକୁ ରେ । ୪ ।

 

ପ୍ରବୀର-      ଫଳେ ପରିଚୟ ଜଣାଯିବ... ଏବାର ରଣେ ପରାଣ ଦେବୁ ରେ ଗାଣ୍ଡିବୀ । ବୃଥା ଆସ୍ପର୍ଦ୍ଧା କରୁ କିପାଁ...ଏହି ଦେଖ, ନେଲି ତୋ ଜୀବନ ଶରାଘାତେ ।

ଯୁବନାଶ୍ୱ-      ରେ ପାମର ଦସ୍ୟୁ !

ପଶୁବୃତ୍ତିରେ ଚାଳିତ ଜୀବନ ତୋହରି

ନୋହିଲେ କି ବିଷ୍ଣୁଦ୍ରୋହୀ ହୋଇ କରୁ ବଞ୍ଚିବାକୁ ଆଶା;

ସହସା ମୋ ହାତେ ଦେବୁ ପ୍ରାଣ

ଦେଖ, ରଥସହ ତୋତେ ଉଡାଇବି ଶୂନ୍ୟେ

ପ୍ରାଣ ହାରି ପଡ଼ିବୁ ଭୂତଳେ ।

ପ୍ରବୀର-      ରଣ କର, ବୀରପଣ ଦେଖାଯିବ ଡୋଳେ ।

(ଉଭୟର ଯୁଦ୍ଧ- ରଣବାଦ୍ୟ)

(ରଥସହ ଆକାଶେ ଉଠି ପଡ଼ି ପ୍ରାଣତ୍ୟାଗ)

ସମସ୍ତେ-      ଧନ୍ୟ ଧନ୍ୟ, ଯୁବନାଶ୍ୱ ରାଜାଙ୍କର ଜୟ !

ହସ୍ତିନା ସମ୍ରାଟ ଯୁଧିଷ୍ଠିରଙ୍କର ଜୟ ।

ନୀଳଧ୍ୱଜ-      ରେ ପାମର ସବ୍ୟସାଚୀ ! ପୁତ୍ରହନ୍ତିା ତୁହି ଅୁ ମୋର ।

ତୋ ଘେନି ଏ ନୀଳଧ୍ୱଜ ହେଲା ଆଣ୍ଠୁକୁଡ଼ା

ଘେନିଲେ ତେଜିବ ଯିବ ପୁତ୍ରଶୋକ- ଦୁଃଖ

ଏବେ ପଳାଇ ତୁ ନିଜ ପ୍ରାଣ ରଖ !

ଅର୍ଜ୍ଜୁନ-      ବ୍ୟାଘ୍ର ଆଗେ ରହଇ କି ଛାଗଳର ଟେକ

ଏ ବାଣମୁଖରୁ ଆଗେ ପାଅ ପରିତ୍ରାଣ

ତେବେ ପୁତ୍ରହନ୍ତାର ଶୋଣିତେ କରିବୁ ତର୍ପଣ । (ରଣବାଦ୍ୟ- ଉଭୟର ଯୁଦ୍ଧ)

(ନୀଳଧ୍ୱଜର ପରାସ୍ତ ଓ ପଳାୟନ)

ନେପଥ୍ୟେ-      ଜୟ ଧର୍ମରାଜ ଯୁଧିଷ୍ଠିରଙ୍କର ଜୟ-

ଜୟ ତ୍ରିଭୁବନବିଜୟୀ ମହାବୀର ଅର୍ଜ୍ଜୁନଙ୍କର ଜୟ ?

ଅର୍ଜ୍ଜୁନ-      ଚାଲ ଯୁବନାଶ୍ୱ, ଚାଲ ହେ କୃଷ୍ଣନନ୍ଦନ, ଚାଲ ବୃଷକେତୁ ଅନୁଶାଳା । ରେଣୁ ହାରି ନୀଳଧ୍ୱଜ ପଳାଇଚି ଜୀବନବିକଳେ । ଜଣାଯାଏ ଅଶ୍ୱ ଦେଇ ମାଗିବ ଶରଣ । ନୋହିଲେ କରିବି ରାଜ୍ୟ ଧ୍ୱସଂ ଏଡ଼ି ପାଶୁପତ ବାଣ, ଚାଲ ଆମ୍ଭେ ରଣକ୍ଳାନ୍ତି କରିବାକ ଦୂର ।

ସମସ୍ତେ-      ଯଥା ଆଜ୍ଞା ଦେବ ! (ସମସ୍ତଙ୍କର ଜୟଧ୍ୱନି କରି ପ୍ରସ୍ଥାନ)

(ବାମୁଣ୍ଡାଗଣଙ୍କର ନୃତ୍ୟ ସହ ପ୍ରବେଶ)

 

ଗୀତ- (ଦେଖିବୁ ଆଲୋ ଚାନ୍ଦିଆମାଆ...ବୃତ୍ତେ)

କରି ଗୋ ମଜା ଚୋବାଇ ଖଜା ପରା ନରମୁଣ୍ଡକୁ ।

ତଟକା ଗଜା ଆଙ୍ଗୁଠି ପବ ଓଟାରି ଖଣ୍ଡ ଖଣ୍ଡକୁ । ପଦ ।

କାନମାନ ପାନତୁଆ ଜାଣ, କନ୍ଦମୁଆଁ ଆଣ୍ଠୁ ଗଣ୍ଠି ଗୁଣ,

ନାଡ଼ଯାକସବୁ ନିମିକି, ପାମ୍ପଡ଼ ହାଡ଼ ଚମ ହବ ତୁଣ୍ଡକୁ । ୧ ।

ବାଛି ବାଛି ଉଞ୍ଚ ଉଞ୍ଚ ପିଚା, କରି ଖାଆ ଗୋ ହାଲୁଆ ମେଞ୍ଚା ମେଞ୍ଚା ।

କାଳିଆ କଲିଜା ଗିଳିବା ଅଳିକା ମିଳାଇଣ ଜିରା ଗୁଣ୍ଡକୁ । ୨ ।

ରସଗୋଲା ଯେତେ ଆଖିଡୋଳା, ଓଲଟାଇ ଦେଲେ ଦିଶେ ଧଳା ।

ଶିରା ନାଳ ସବୁ ଭରାହୋଇଅଛି ନ ଅଣ୍ଟି ସଖି ଦଣ୍ଡକୁ । ୩ ।

ସରବତ ସବୁ ରକତ, ତାକୁ ପିଇଲେ ବଢ଼ିବ ତାକତ ।

ବଇଆ ବୋଲଇ ଦେଖ ତ ଦଇବ ଲଗେଇଚି କେତେ କାଣ୍ଡକୁ । ୪ ।

(ସମସ୍ତେ ବିକଟାଳ ମୂର୍ତ୍ତିରେ କିଳିକିଳାରବ କରି ଖଣ୍ଡେ ଖଣ୍ଡେ ଶବ ଘେନି ପଳାୟନ)

 

ଚତୁର୍ଥ ଦୃଶ୍ୟ

(ନୀଳଧ୍ୱଜ ରାଜା ଓ ରାଣୀ ଜ୍ୱାଳାବତୀର ପ୍ରବେଶ)

ନୀଳଧ୍ୱଜ-      ଲୋ ପାମରୀ !

ମରିଲେ ତୋ ଯୋଗେ ରଣେ ପୁତ୍ରଗଣେ ମୋର

ଭାଇ ମୋର ନାହିଁ ଜଣେ କେହି

ତଥାପି ତୋ ଗଲାନାହିଁ ନିଷ୍ଠୁରତା ତିଳେ

ନ ଚାହିଁବ ବଦନ ତୋହର ଦୁଷ୍ଟା ଆଉ

ତୋ ବୁଦ୍ଧି ଯୋଗେ ଘଟିଲା ଆଜି ସର୍ବନାଶ

ଯାଅ ଲୋ ଚାଣ୍ଡାଳୀ ତୋର ନ ଚାହିଁବି ମୁଖ ।

 

ଗୀତ- (ଜୟ ପ୍ରତାପୀ ମତ୍ସ୍ୟ-ନରେଶ...ବୃତ୍ତେ)

ଦୁଷ୍ଟା ବୁଡ଼ାଇଲୁ କେଡ଼େ ମୋର ଆଧିକି ଲୋ !

କଲୁ ପାର୍ଥ ତୁଲେ ମୋତେ ପ୍ରତିବାଦୀକି ଲୋ ।ପଦ ।

ଆହା କି ଅଷ୍ଟନିଧିକି, ପାଦେ ଦେଲୁ ମରଦିକି ।

କି ବୁଦ୍ଧିରେ ପାଞ୍ଚି ଏ ଦୁର୍ବୁଦ୍ଧିକି ଲୋ । ୧ ।

ବଧନ୍ତା ପୁତ୍ର ଭାଇକି, ଦ୍ୱନ୍ଦ୍ୱଯୁଦ୍ଧେ ସେ କାହିଁକି ।

ଯା’ର ସଖା ଅଟେ କୃପାନିଧିକି ଲୋ । ୨ ।

ଅଧିକେ ବଳିବ କ୍ରୋଧ, ଶୁଣେ ଯେବେ ଚକ୍ରାୟୁଧ ।

ଭିଆଇଚି ସେଟି ଅଶ୍ୱମେଧିକି ଲୋ । ୩ ।

ଅଶ୍ୱ ସହିତେ ଶରଣ, ଗଲେ ରହିବ ପରାଣ ।

ବଇ କହି ନୋହିବି ମୁଁ ଧନ୍ଦିକି ଲୋ । ୪ ।

 

ରାଣୀ-      ଧିକ୍‌କାର ନ କର ଏତେ ରାଜା !

ଯାହା ଇଚ୍ଛା ହୁଏ ତାହା କର ।

ଯାଉଛି ମୁଁ ପଟ୍ଟହଦେଶ ନରେଶ ପାଶ ।

ସେ ମୋହର ସହୋଦର ଭାଇ, କହିବି ଏ ଦୁଃଖ ତାର କତି,

ନିଶ୍ଚେ ମାନ ରଖିବ ସେ ମୋର, ଅଶ୍ୱକୁ ବାନ୍ଧି ଅର୍ଜ୍ଜୁନେ କରିବ ବିନାଶ ।

ତୋ ସମାନ ଭୀରୁ ନୁହେ ସେହୁ, ଭଲୁକ ନାମେ ଚମକି ପଡ଼ଇ ଧରଣୀ

ଥାଅ, ମୁଁ ଯାଉଛି ଏହିକ୍ଷଣି । (ବେଗେ ରାଣୀର ପ୍ରସ୍ଥାନ)

ରାଜା-      ଯାଉଛି ଅଶ୍ୱକୁ ଘେନି ସହିତେ ମୋହରି

ଦେଇ ଅର୍ଜ୍ଜୁନ ଶ୍ରୀପଦେ, ମାଗିଚି ଶରଣ

ତେବେ ସୁସ୍ଥ ହେବ ମୋ ପରାଣ ।

ମନସ୍ଥିରେ ନ ରହଇ ଏଥି, ପଳାଇଛି ଜ୍ୱାଳା ଭାଇ ପାଶେ

ଉଲୁକ ଆଗେ କହିବ ଅବିଗୁଣ ମୋର ସତ ମିଛ ଲଗାଇ ତହିଁରେ

ଯାଉ, ମୋର କ୍ଷତି ନାହିଁ ତିଳେ । (ବେଗେ ପ୍ରସ୍ଥାନ)

(ଅର୍ଜ୍ଜୁନ ସେନାଗଣସହ ପ୍ରବେଶ)

ଅର୍ଜ୍ଜୁନ-      ଦେଖ ବୃଷକେତୁ ! ଗଳା ନୀଳଧ୍ୱଜ ରଣୁଁ ହାରି

ଅଶ୍ୱ କିମ୍ପା ନ ଦେଲା ଫେରାଇ, ପୁଣି କି କରଇ ରଣସଜ୍ଜା ?

ବୃଷକେତୁ-      ଖୁଲ୍ଲତାତ ! ଚାହିଁ ଦେଖ ଦୂରେ

ଆସେ ଯଜ୍ଞ-ଅଶ୍ୱ ଘେନି ରାଜା

ଲୋକବାକ ଭେଟିଦ୍ରବ୍ୟ ଘେନିଣ ସଙ୍ଗତେ

ଧାଇଁଛନ୍ତି ତବ ପଦେ ଭେଟିବା ଉଦ୍ଦେଶ୍ୟେ ।

ନାହିଁ ଆଉ ସମର ଉଦ୍‌ଯୋଗ, ଦେଖାଯାଉଅଛି ଭଲଯୋଗ ।

(ନୀଳଧ୍ୱଜର ଅଶ୍ୱ ଘେନି ସ୍ତବ କରି କରି ଅର୍ଜ୍ଜୁନପାଶେ ପ୍ରବେଶ)

 

ଗୀତ- (ରାମକେରୀ...ବୃତ୍ତେ)

ନମସ୍ତେ ତୃତୀୟ ପାଣ୍ଡବ ନମୋ ଗାଣ୍ଡିବଧାରୀ ।

ନମୋ ନମସ୍ତେ ସବ୍ୟସାଚୀ ନମୋ କାନନଚାରୀ । ୧ ।

ପର ହିତେ ପାର୍ଥ ବୋଲାଅ ପରମାନନ୍ଦସଖା ।

ପାବକମିତ୍ର ପଶୁପତି ଯା ନାମେ କରେ ଶଙ୍କା । ୨ ।

ପଶୁପତି ଅସ୍ତ୍ରକୁ ପରା କରିଣ ଦେଲେ ଦାନ ।

ପାର୍ବତୀ ଅକ୍ଷୟତୂଣୀର ଦେଇ ରଖିଲେ ମାନ ।

ନୀଳବାଣ ଭୁଜବାଣକୁ ଜାହ୍ନବୀ କଲେ ଦତ୍ତ ।

ଫାଲ୍‌ଗୁନୀ ନକ୍ଷତ୍ରେ ଜନମି ଫାଲ୍‌ଗୁନି ନାମ ଖ୍ୟାତ । ୪ ।

ଭାରତ ସମରେ ଯା ରଥେ ନନ୍ଦସୁତ ସାରଥି ।

ଯେ ଗାଣ୍ଡିବ ହୁଳେ ବହିଲେ ସାତଦିନ ଧରିତ୍ରୀ । ୫ ।

ତା ପାଦେ ପଶୁଚି ଶରଣ କାରଣ କର ବାରେ ।

ବାଜୀ ନେଇ ରଖ ପରାଣ ଖଟିଥିବି ସେବାରେ । ୬ ।

ସଙ୍ଗେ ସଙ୍ଗେ ରହି ସେବିବି ସେ ଚରଣଯୁଗଳ ।

ବଇଷ୍ଣବ ବୋଲଇ ସୁଖେ ଭୁଞ୍ଜନ୍ତୁ କୁଞ୍ଜଗଳ । ୭ ।

 

ଅର୍ଜ୍ଜୁନ-      ଦୋଷ କ୍ଷମା ଦେଲୁଁ ରାଜା, ଚଳ ନିଜ ବାସେ ।

ନୀଳ-      ଥିବି ସଙ୍ଗେ ଅଶ୍ୱପାଳ, କୃଷ୍ଣପଦ ଦେଖିବାଇଁ ଶେଷେ ।

ଅର୍ଜ୍ଜୁନ-      ଚାଲ ତେବେ ସୈନ୍ୟ ଘେନି ମମତୁଲେ ରାଜା

ନୀଳ-      ଶରଣାଗତପାଳନ ନାମେ ବାଜୁ ବାଜା । (ସମସ୍ତଙ୍କର ପ୍ରସ୍ଥାନ)

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ଉତ୍କଳ ରାଜସଭା । ଉଲୁକରାଜ ମନ୍ତ୍ରୀସହ ଆସନେ ଉପବେଶନ)

ଉଲୁକ-      ମନ୍ତ୍ରୀ ! ଶୁଣିଛ କି ମାହେଷ୍ମତୀପୁର ସମାଚାର

କୃଷ୍ଣସଖା ଅର୍ଜ୍ଜୁନର ତୁଲେ ନୀଳଧ୍ୱଜ ପ୍ରବୀର ସମର-

ଜୟ ପରାଜୟ କିଛି ଗଲା ନାହିଁ ଜଣା ।

ହେଲାଣି ଆଜକୁ ତିନିଦିନ, ଆସି କହୁଥିଲା ଦୂତ

ହୋଇଥିଲେ ପିତା ପୁତ୍ର ସକଳେ ପରାସ୍ତ ।

ପୁଣି କିବା କଲେ ରଣ ଆୟୋଜନ ବଳେ

କେସନେ ସନ୍ଧାନ ଆଣ- ପେଶି ଚାର ନୀଳଧ୍ୱଜ ଆଳେ ।

ମନ୍ତ୍ରୀ-      ମହାରାଜ ! ଶୁଣିଛି ଭଗିନୀ ବୋଲେ ତବ

ନୀଳଧ୍ୱଜ କଲେ ଘୋର ରଣ

ଅନୁମାନ ହୁଏ ଫଳିଥିବ ନିଶ୍ଚେ ବିଷଫଳ ।

ଅର୍ଜ୍ଜୁନେ ଜିଣିବ ଏଡ଼େ ଅଛି କା’ର ବଳ

ଆଖଣ୍ଡଳ ଡରନ୍ତି ଯା ନାମେ ।

ଏହି ଶୁଣ ଉଲୁକ ନରେଶ ଆସେ କେହୁ ରୋଦନ ଘନ ଘନ

ଶୁଣାଯାଏ ଭଗ୍ନୀକଣ୍ଠ-ସ୍ୱର ପରି ତବ, ଏକ୍ଷଣି ସକଳ ଜଣାଯିବ ।

(ଜ୍ୱାଳା ରୋଦନ କରି ପ୍ରବେଶ)

 

ଗୀତ- (କହ କେଣେ ଅଛୁ...ବୃତ୍ତେ)

ଭାଇ ମୋର ଗୁହାରି ଶ୍ରୁତି ଡେରି ସତେ ଶୁଣିବ କି ହେ ।

କରତି ଦେଉଛି ଧୃତିକି କରତେ ମନ ପୋଡ଼ିଲେ କେ ଜାଣିବ କି ହେ ।ପଦ ।

ଧରତିରେ ଏପରି ଦୁଃଖୀ, ଥିବ ନାହିଁ ଆଖିରେ ଦେଖି ।

କଲା ପୁତ୍ରହୀନ କ୍ଷତ୍ରିୟ ଅର୍ଜ୍ଜୁନ ଶିର ତାର ଅସ୍ତ୍ରେ ହାଣିବ କି ହେ । ୧ ।

ରଣ ତେଜି ଶରଣ ପତି, ଗଲେ ନ ରଖି ମୋ ଆପତ୍ତି ।

ଦେଲେ ଯାଗ-ଜୟ ହୃଦେ ପାଞ୍ଚି ଭୟ କହିଲେ କେ ତାକୁ ଜିଣିବ କି ହେ । ୨ ।

ଶତ୍ରୁତୁଲେ କଲେ ପୀରତି, କେସନେ ସହିଲା ଧରିତୀ ।

ତଡ଼ିଦେଲେ ମୋତେ ବଇ କହି ଗୀତେ ପୁଣି ସେ ଅଶ୍ୱକୁ ଆଣିମ କି ହେ । ୩ ।

 

ଉଲୁକ-      ଜ୍ୱାଳାବତି ! ଶୁଣିଚି ମୁଁ ସବୁ ସମାଚାର- କହ ନାହିଁ ବଳାଇ ତୁ ଆଉ କୃଷ୍ଣସଖା ଅର୍ଜ୍ଜୁନେ ଜିଣିମ ନାହିଁ ତିନିଲୋକେ ଏଡ଼େ ବୀର

ତୋ ପୁତ୍ର ପ୍ରବୀର କିପାଁ ଧରିଲା ତା ଅଶ୍ୱ ? ସେହି ଦୋଷେ ହେଲା ସର୍ବନାଶ । ତୋ ବିଦ୍ଧିରେ ମରାଇଲୁ ପୁତ୍ର ଦେବରକୁ

ରାଜା ବୁଦ୍ଧି ବଳେ ବଂଶ କରିବେ ସେ ରକ୍ଷା

ଯା ହେବାର ହେଲାଣି ସେ କଥା

ମନକଷ୍ଟ ତେଜି ଭଗ୍ନି, ରହ ମୋର ପୁରେ

ପୁରେ ମାନ ପାଇବୁ ଏହାର ।

ଜ୍ୱାଳାବତୀ-      ଓଃ, ଜ୍ୱଳନ୍ତ ଅନଳେ ଘୃତ ଢାଳିଦେଲୁ ଭାଇ !

ଯେବେ ଅଶ୍ୱ ଆଣି ନ ମାରିବୁ ଅରଜୁନେ

ଛାଡ଼ିବି ମୁଁ ପତିକୁଳ ପିତାକୁଳ ତେଜି

ଆଜି ନିଶ୍ଚେ ବନେ ପଶି ତେଜିବି ଜୀବନ

ଅର୍ଜ୍ଜୁନ ମୃତ୍ୟୁ ଶୁଣନ୍ତେ ଘୁଞ୍ଚିବ ମୋ ଶୋକ

ଏହା ନୋହିଲେ କାହିଁକି ଦେଖାଇବି ମୁଖ ଜଗତରେ ।

ଉଲୁକ-      ଲୋ ନିର୍ଲଜ୍ଜି ! ବୁଝିବୁ କାହୁଁ ତୁ ମୋର ହିତ ଉପଦେଶ-

ବେନିକୁଳ ବୁଡ଼ାଇବୁ ପାରିଅଛି ଜାଣି

ଇନ୍ଦ୍ରନୀଳମଣି କାହିଁ ଚିହ୍ନେ ଶବରଣୀ

ଯା’ର ଗୁଞ୍ଜଫଳେ କାରବାର

ଏବେ ଦୁଷ୍ଟା ଶୁଣ ମୋର ଗିର ।

 

ଗୀତ- (ଆହା ହିରଣାକ୍ଷ ଭାଇ...ବୃତ୍ତେ)

ଜଳାଜଳା ମୁଖ ଜ୍ୱାଳା ଦେଖାଉଚୁ କାହିଁକି ଲୋ ।

ହେଳା ନ କରି ତୁ ପଳା ପଳା ଇଚ୍ଛା ଯହିଁକି ଲୋ ।ପଦ ।

କୁଳ ବୁଡ଼ାଇ ଚାଣ୍ଡାଳି, ଏବେ ହେଉ ଲୋ ଉଣ୍ଡାଳି ।

ମାରିଲୁ ପୁତ୍ର ଦେବରେ ବାକି ଅଛି ମୁହଁ କି ଲୋ । ୧ ।

ପୋଡ଼ାମୁହିଁ ଲୋଡ଼ା ତୋର, ମୋତେ କରିବୁ ଆହାର ।

ତେବେ ପୂରିବ ଉଦର ଆସିଅଛୁ ଧାଇଁକି ଲୋ । ୨ ।

ଅର୍ଜ୍ଜୁନେ ବଇରୀ ହୋଇ, କେ ରହିଚି କହ କାହିଁ ।

କୁରୁବଳଠାରୁ ବଳ କିଏ ଅଛି ବହିକି ଲୋ । ୩ ।

ବଜ୍ର କବଚ ରାକ୍ଷସ, ଯାର ବାଣେ ହେଲାଭସ୍ମ ।

ତାକୁଳେ ନାଶିବ ପ୍ରାଣେ ବଇଷ୍ଣବ ଧ୍ୟାୟିକି ଲୋ ।

 

ଜ୍ୱାଳାବତୀ-      ନ ଶୁଣିଲୁ ମୋ ଭାରତୀ ଭାଇ ! ଜୀବନେ ତୋ ମୁଖ ନ ଚାହିଁବ, ଯାଉଚି ମୁଁ, ସୁଖେ କର ଘର । (ବେଗେ ପ୍ରସ୍ଥାନ)

ଉଲୁକ-      ମନ୍ତ୍ରୀ ! ଦେଖିଲ ତ ଭଗ୍ନୀର ମୋ ରୀତି ?

ଥାଇ ମମ ଆଳେ ଏ ଚାଣ୍ଡଳୀ

ଯୁବତୀ ହୋଇବା ମାତ୍ରେ ହେଲା ଗର୍ଭବତୀ

ସେ ଗରଭେ ସ୍ନାହା ନାମେ ଜାତ ଏକ କନ୍ୟା

ଅସୀମ ରୂପଲାବଣ୍ୟ ନିରେଖି କନ୍ୟାର

ବହୁ ଦେଶୁ ବହୁ ରାଜପୁତ୍ରେ ହେଲେ ପ୍ରାର୍ଥୀ

କରିବାକୁ ତା ପାଣିଗ୍ରହଣ...

କାହାଠାରେ ନୋହି ସେ ଆକୃଷ୍ଟ

ବୋଇଲା ଶେଷେ ମାନବେ ନ କରିବି ବିଭା

ଅଗ୍ନିଦେବେ କରିବି ବରଣ ପତିପଣେ

ଏତେ କହି ତପ କଲା ଅନଳ ନିମନ୍ତେ ।

ଶେଷେ ଅଗ୍ନି ପ୍ରସନ୍ନ ହୋଇଣ ବିଭା କଲେ ଦୁହିତାକୁ ୟାର ।

ସେ ଯୋଗେ ଦିଅନ୍ତି ‘ସ୍ୱାହା’ କହି ବିପ୍ରଗଣେ- ହୋମକାଳେ ଅଗ୍ନିରେ ଆହୁତି ।

ଏ ତ ସେ କନ୍ୟାର ମାତା,

କାହୁଁ ଭଲ ହେବ ଏହା ଗତି ?

ମନ୍ତ୍ରୀ-      ଉଲୁକ ରାଜନ ! ଗଲା ଜ୍ୱାଳା ଭଗ୍ନୀ ତବ କୁପିତା ଅନ୍ତରେ

କି ଘଟଣା ଘଟାଇବ ପରେ ଯିବ ଜଣା

ମନକୁ ନ ଆଣ କୁଧାରଣା ।

ଜ୍ୱାଳାର ଜ୍ୱାଳାନିବୃତ୍ତି ଆପେ ଆପେ ହେବ

ବର୍ତ୍ତମାନ କର ସଭାଭଙ୍ଗ, ଗଡ଼ିଯାଏ ନିତ୍ୟକର୍ମ ବେଳ ।

 

(ଜ୍ୱାଳାବତୀ ଗୀତ ଗାଇ ପ୍ରବେଶ)

(ରାଗ-ଶଙ୍କରାଭରଣ)

କି ସୁଖ ଭୋଗିବୁ ପୋଡ଼ା ଯିବ ଏ ଜୀବନେ ।

ଶିବ ଶିବ ଭଜି ଯା ଯା ଶମନ ଭବନେ ।

ବନପୂର୍ଣ୍ଣ ବେନିନେତ୍ର ।

ଘନ ଘନ ଝରି ନିତି ତିନ୍ତିବ ଏ ଗାତ୍ର । ୧ ।

ମୋ ସମାନ ହୀନଦଶା ଏ ରସା ଭିତରେ ।

କେ ଯୋଷା ଲଭିଛି ପଡ଼ି ଅରାତି ହାତରେ ।

ହୃଦ ହେଉଛି କରତି ।

ଘୋଷିବ କୁଖ୍ୟାତି ମୋର ସସାଗରା କ୍ଷିତି । ୨ ।

ରାଜାର ଦୁହିତା ମୁଁ ଯେ ରାଜାର ଘରଣୀ ।

ପ୍ରବୀର ପରାୟେ ବୀର ଜାତ କରି ପୁଣୀ ।

ପଥ ଭିକାରିଣୀ ପରି ।

ତଡ଼ିଦେଲେ ସ୍ୱାମୀ ଶେଷେ ନ ଶୁଣି ଗୁହାରି । ୩ ।

ଭାଇ ପାଶେ ଯାଇ ପାଇଲଇଁ କେତେ ଲାଜ ।

କାହିଁକି ମୋ ଶିରେ ପଡ଼ୁନାହିଁ ଇନ୍ଦ୍ରବଜ୍ର ।

ଜୀଇ ରହିଛି କେ ନାରୀ ।

କାନ୍ତକୁଳ ତାତକୁଳ ଦୁଇ ତେଜ୍ୟାକରି । ୪ ।

ଯେତେ ବୁଝାଇଲେ ମନ ନ ବୁଝଇ ତିଳେ ।

ଏ ସଜା କି ବିହି ଲିହିଥିଲୁ ମୋ କପାଳେ ।

ବିପ୍ର ବଇଷ୍ଣବ କହି, ଏହି ବିଷ୍ଣୁପଦୀ ତୀରେ ବିଶ୍ରାମିବି ଯାଇଁ । ୫ ।

 

ଏ ଯେ ଜାହ୍ନବୀର ତଟ, ଏଥି ଦଣ୍ଡେ ବସି ଶ୍ରମ ସାରି

ପାରି ହୋଇ ଯିବି ଆନ ପାରେ, ନିଜ ରାଜ୍ୟେ;

ପିତୃରାଜ୍ୟ ନରେ ନ ଦେଖନ୍ତୁ ମୋର ଏ ଦୁର୍ଦ୍ଦଶା ନୟନରେ ।

ଜଣାଯାଏ, ଅପରପାରେ ରହିଛି ତରୀ,

ଉଭେ ଦୂରେ ନାବିକଙ୍କ ଗୀତ ।

ଏ ବାଲୁକା ବେନି ଭୂମି ଲାଗେ କି ସୁନ୍ଦର ।

(ଦୁଇଜଣ ନାହୁରୀଙ୍କର ଗୀତ ଗାଇ ପ୍ରବେଶ)

 

କଳ କଳ ପାଣି ଉଠଇ ଉଜାଣି ଜୁଆର ଆସୁଚି ମାଡ଼ି ।

ମାଳ ମାଳ ହୋଇ କିମ୍ଭୀର ମଗର ଭାସୁଛନ୍ତି ଧାଡ଼ି ଧାଡ଼ି । ୧ ।

ଗଲା ରାତିଗୋଟା ଯୋଉ ହରକତ ତୋଫାନ ବରଷା ଖାଇ ।

ଶୀତରେ କାତରେ ହାତ ନ ଠାକିଲା ଦାନ୍ତ ବାଜେ ଠାଇଁ ଠାଇଁ । ୨ ।

ଭାଇ ବୋହୂ ମୋର ଚାଉଳ ନ ପାଇ ଚାହିଁ ବସିଥାଇ ବାଟ ।

ଆମ୍ବୁଲ ପକେଇ ଝୋଳ କରିଥିଲା ଯୋଉ ରୋହିମାଛ ପେଟ । ୩ ।

ଟଙ୍କାଠାରୁ ମୁଁ ତ ବାରଣା ଭଙ୍ଗେଇ ବାରଣା ତାହାକୁ ଦେଲି ।

ବାରଟା ରାତିକି ମୋଟ ଚାଉଳ ତ ଦେଇଗଲା ଛୋଟା ତେଲି । ୪ ।

ନାହୁରୀ କାମରେ ନେହୁରୀ ଯେବେ କି ନ କହିବ ଦୁଇକଥା ।

ତେଣେ ମାଇପଙ୍କ ଝାଡ଼ୁ ପାହୁରାଣୀ ଏଣେ ତ ବାବୁଙ୍କ ଯୋତା । ୫ ।

ଡାକ ଡେରି ହେଲେ କାନ ନାକ ଘଷା ପଇସା ପଚାରେ କିଏ ।

ମନ ଯୋଗାଇଲେ ମାନ ରହିଥାଏ ବଇଆ କରିଚି ଲୟେ । ୭ ।

 

୧ମ ନାବିକ-      କିଏ ସେ ସେପାରି ଯିବ ଚଞ୍ଚଳ ଡଙ୍ଗାରେ ବସ ।

୨ୟ ନାବିକ-      ପଇସା ଅସୁଲୁ କରିଲୁଣି ନା, ଖାଲି ମୋର ବାରିବୁ ଦୋଷ ।

୧ମ ନାବିକ-      ଆମର କଣ କାଠେଇଁ ଜୋର ଅଛି, ଇଜିରାଦାର ତ ନେବେ ମାହାସୁଲ,

(ପଇସାଏ), ଆମର ଖାଲି ଖୁସିବାସିଆ ବକ୍ସିସ୍ ଯାହା ଦେବେ ।

୨ୟ ନାବିକ-      ସେ ଜମା ନ ନେଇ ସେମିତି ଛାଡ଼ିଦେଲେ, ତୋର ମୋର ଅଣାକରୁ ଊଣା ହୋଇଥିଲା କେବେ ।

୧ମ ନାବିକ-      ଠିକ୍ କହିଲୁ ଭାଇ, ଏ ମାଇକିନିଆ ଗୋଟାଏ ବଡ଼ଘର ବୋହୂପରି ଦୁଶୁଚି, ଆଠଅଣା ପଇସା ଦବ ।

୨ୟ ନାବିକ-      ତାକୁ ପଚାରିଲୁ ସେ କୋଉ ଗାଆଁକୁ ତେଣେ ଯିବ ।

୧ମ ନାବିକ-      ସାଆନ୍ତାଣି ! ତେମେ ସେପାରିକି ଯିବ କି ?

ଜ୍ୱାଳା-      ହଁ, ଚଞ୍ଚଳ ମତେ ଟିକିଏ ପାରିକରି ଭାଇ ଦବ କି ?

୨ୟ ନାବିକ-      (ଆଉ ଗୋଟିଏ ସ୍ତ୍ରୀ ପ୍ରତି)- ଆଲୋ, ତୁ କଣ ଆଙ୍କରି ସାଙ୍ଗର ଲୋକ ?

ଅନ୍ୟ ସ୍ତ୍ରୀ-      ନାହିଁ ନାହିଁ, ମୁଁ ଆରପାରି ଯିବି ମାଗିବାକୁ ଭିକ ।

୧ମ ନାବିକ-      ଆସ ତେବେ ଦିହେଁଯାକ ବସ ନାଆ ମଧ୍ୟରେ ।

ଜ୍ୱାଳା-      ଆହା, କଣ ହେଲା, ଏଠି ମୋର କେତେ ପାପ ହେଲା ? ଗଙ୍ଗାଜଳ ଲାଗିଗଲା ମୋର ପଦରେ ।

ଅନ୍ୟ ସ୍ତ୍ରୀ-      ଭଉଣୀ ! ତୁ ଏ କଥା କହିଲୁ, ତୋର ସତ ବଳିଲା ? ଯେଉଁ ଗଙ୍ଗାଦେବୀର ନୀର ଦେହରେ ବାଜିଲେ କୋଟି କୋଟି ପାପୀ ମୁକ୍ତହେଉଛନ୍ତି; ତା’ ତୋ ପାଦରେ ବାଜିବାରୁ ତୋର ପାପ ହେଲା- କେବେ ଏ କଥା ଆଉ କାହାକୁ କହିବୁ ନାହିଁ, ଶୁଣ ମୁଁ ଯାହା କହୁଚି ?

 

ଗୀତ- (ରସିକା ଜଣେ ଏଇ, ଏହି...ବୃତ୍ତେ)

ଜଳିଜଳି ଏ ଜଳର ଗୁଣ ଲୋ ଥରେ ମୋହଠାରୁ ଶୁଣ ।

ଶିରେ ଧରି ଗଙ୍ଗାଧର ନାମଗୋଟି ବହିଅଛନ୍ତି ଈଶାନ ଲୋ । ପଦ ।

କପିଳର ନୟନାଳେ, ସଗରସନ୍ତାନ ସକଳେ ।

ଜଳିଯାଉଥିଲେ, ଉଦ୍ଧାର ପାଇଲେ ଏହି ବାରି ଲାଗି ପୁଣ । ୧ ।

ମନାସିଣ ଚିତ୍ତ ଭିତରେ, ଯେ ଜୀବନ ତେଜେ ଏଥିରେ ।

ଜନ୍ମାନ୍ତରେ ତାହା ଲଭଇ ତୁରିତେ, ନୁହେଁ ଫଳ ଅକାରଣ । ୨ ।

ବିଷ୍ଣୁପଦୁ ଏହାର ଜାତ, ବିଷ୍ଣୁପଦୁ ଏହାର ଜାତ, ବିଷ୍ଣୁପଦୀ ନାମଟି ଖ୍ୟାତ ।

ବିବୁଧବୃନ୍ଦଙ୍କ ଆଦରର ଧନ ଯାହା ନିରତେ ଜାଣ । ୩ ।

ଯେଣୁ ନିନ୍ଦା କଲୁ ଏ ବାରି, ନର୍କଗତି ହେବ ତୋହରି ।

ନ ଚାହିଁବେ ମୁଖ କେହି ମନେରଖ ବଇଷ୍ଣବର ଜଣାଣ । ୪ ।

 

ଜ୍ୱାଳାବତୀ-      କି କହିଲୁ ଆଲୋ ଭିକାରିଣୀ ! ମୁଁ ପାପିନୀ, ତୁ ଏଡ଼େ ଧାର୍ମିକା ? ତାର ପ୍ରତିଫଳ ନିଶ୍ଚେ ଭୋଗନ୍ତୁ ଅଚିରେ, ନାହିଁ ସେହି ବେଳ ଏହିକ୍ଷଣି ତେଣୁ ତୋ ଟୁଭାରତୀ ସହିଲା ଏ ଛାତି । ଯାଆ ତୁଣ୍ଡ ସମ୍ଭାଳି ମୋ ଆଗୁଁ ।

ଅନ୍ୟ ସ୍ତ୍ରୀ-      ରାଗ ବହନାହିଁ ମୋତେ ଦରିଦ୍ରାଣୀ ଦେଖି ?

ପଚାର ତୁ ଏ ନାବେ ଅଚନ୍ତି ଯେତେ ଜନ, କରିବେ କା ପକ୍ଷ ସମର୍ଥନ ।

(ହଠାତ୍ ନିନ୍ଦା ଶୁଣି ଗଙ୍ଗା ମଙ୍ଗଳାରୂପେ ମଙ୍ଗେ ଆବିର୍ଭାବ)

ଗଙ୍ଗା-      କେ ତୁହି ନିନ୍ଦୁ ପତିତତାରିଣୀ ସେହି ଶଙ୍କର-ରାଣୀକି !

ଶୁଣିଛି ମୁଁ ତୋର ଯେତେ କଥା ।

ଖଳ ସିନା ହିଂସନ୍ତି ଧାର୍ମିକେ

ରାକ୍ଷସେ ହିଂସନ୍ତି ଯେହ୍ନେ ଦେବତା ଋଷିଙ୍କୁ,

ତେହ୍ନେ ତ ଲୋ ନିନ୍ଦୁ ଜାହ୍ନବୀରେ ।

ଶୁଣ ମୋର କଥା ବୃଥା ଲଗାନାହିଁ କଳି ।

 

ଗୀତ- (କୀର୍ତ୍ତନସୁର)

ଗୁଣୀଜନ ହେଲେ ସିନା ଚିହ୍ନିବ ସେ ଗୁଣୀକି ।

ବଣିକ ଚିହ୍ନଇ ଏକା କାଞ୍ଚନର ଖଣିକି । ପଦ ।

ବିଷ ବୈଦ୍ୟ ବାଛିଦିଏ ଦେଖି ନେତ୍ରେ ଫଣିକି ।

ଉଲ୍ଲୁକ ଚିହ୍ନେ କି କେବେ ସୂର୍ଯ୍ୟକାନ୍ତ ମଣିକି । ୧ ।

ସୁସାଧୁ ହେଲେ ଜାଣିବେ ବିଷ୍ଣୁଭକ୍ତ ପ୍ରାଣୀକି ।

ଅସାଧୁ କହେ ମରୁଛି ମିଛେ ମାଳା ଗଣିକି । ୨ ।

ନୀଚ ସ୍ୱଭାବଟି ତୋର ଆଲୋ ଅଲକ୍ଷଣୀ କି ।

ସେହେତୁ ଛାଗଳ ପରି ବାରୁ ଗଙ୍ଗାପାଣିକି । ୩ ।

ନୋହିଲେ କି ସୁଧା ପାଇ ପାଦେ ଦେଲୁ ବୁଣିକି ।

ଲାଜ ନମାଡ଼ୁଚି ଦ୍ୱିଜ ବଇ ପଦ ଭଣିକି । ୪ ।

 

ଜ୍ୱାଳାବତୀ-      କିଏ ତୁହି ନାରୀ ! ବାରି ମଧ୍ୟୁ ଅବତରି-

କଳି କରୁ ଆଗ ବଳି ମୋହରି ସହିତ ।

ଏ ବିହିତ କର୍ମ କି ତୋହରି

ଦୁହିଙ୍କର ଦ୍ୱନ୍ଦସ୍ଥାନେ ଆରେକ ମିଳିଲେ

ମଧ୍ୟ-ପାତ୍ରପଣେ କରେ ଉଭୟର ବିବାଦଭଞ୍ଜନ ।

ଅହଂକାରେ ଜର୍ଜରିତ ହୋଇ

ଯେତେ କର୍କଶ ଭାରତୀ ଭାଷିଗଲୁ ମୋତେ,

ରକ୍ତ-ମାଂସେ ଗଠିତ ଯା ଦେହ,

କେଭେ ସେହି ନ ସହିବ ତାହା ।

ଆଲୋ ଦୁଷ୍ଟା, ତୋ କଟୁ ବଚନ ବଜ୍ରସମ ବକ୍ଷେ ବାଜିକରି

ଥରାଇଲା ଅଙ୍ଗକୁ ମୋହରି ଡରିବାର ଜନକୁ ହେଜନା

ଯେବେ ଚାହୁଁ ଭଲଗତି ସ୍ୱ-ସ୍ଥାନେ ପ୍ରସ୍ଥାନେ କର ବେଗେ ।

ଲୋ କଟୁଭାଷିଣି, ମୁଖ ଦେଖାନା ମୋ ଆଗେ ?

 

ଗୀତ- (କି ନାମ ବୋଇଲୁ...ବୃତ୍ତେ)

କହନାହିଁ ଆଗ ବଳି ଲୋ ଜଞ୍ଜାଳି, କହନାହିଁ ଆଗ ବଳି ।

ଏ ଗଙ୍ଗାର ଗୁଣ ଜାଣିଚି ଶୁଣିଚି ଏଡ଼େ ଏଟା ବାରୁଆଳି । ୧ ।

ତିନି ଗିରସ୍ତ ଏହାର ଲୋ ଜଞ୍ଜାଳି, ତିନି ଗିରସ୍ତ ଏହାର ।

ଆଗେ ସାୟନ୍ତୁନ ତା ପଛେ ବରୁଣ, ତାର ପଛେ ହେଲା ହର । ୨ ।

ସାନ୍ତନୁର ଛଅ ପୁଅ ଏ ଖାଇଲା, ସାନ୍ତନୁର ଛଅ ପୁଅ ।

ସାତକୁ ଯେମନ୍ତେ ହାତ ବଢ଼ାଇଲା ଦେଖି ରାଜା କଲେ କୋହ । ୩ ।

ଗାଙ୍ଗୀ ବୋଲି ଦେଲେ ଡାକ ଯହୁଁ ରାଜା, ଗାଙ୍ଗୀ ବୋଲି ଦେଲେ ଡାକ ।

ସେ ପୁଅକୁ ଛାଡ଼ି ରୁଷି ଏ ଆସିଲା ଆଉ ନ ଚାହିଁଲେ ମୁଖ । ୪ ।

ଭୀଷ୍ମନାମ ବହିଥିଲା ସେ ବାଳକ, ଭୀଷ୍ମ ନାମ ବହିଥିଲା ।

ମହାଭାରତରେ ପାର୍ଥର ହାତରେ ବାଣମୁଖେ ପ୍ରାଣଦେଲା । ୫ ।

ପୁଅଖାଈ ବେଶ୍ୟା ଯିଏ ଜଗତରେ, ପୁଅଖାଈ ବେଶ୍ୟା ଯିଏ ।

ବଇଷ୍ଣବ ବୋଲେ ତାହାକୁ ଛୁଇଁଲେ ପାପୀ ହେବନାହିଁ କିଏ । ୬ ।

 

ମହାବଳିଷ୍ଠ ହୋଇଣ ଏହାର କୁମର-

କାମେ ଜିଣି ଜିଣିଲା ଜଗତ; ମହାଭାରତ ରଣେ,

ଶିଖଣ୍ଡୀକି ଆଗକରି ବସାଇଣ ରଣେ

ଅର୍ଜ୍ଜୁନ ଘେନିଲା ତାର ଜୀବ,

ଆଣ୍ଠୁକୁଡ଼ୀ ଏଡ଼ୁ ଜାଣ ହେଲା ସେହି ଦିନୁ

ତେଣୁ ଏହାର ନୀରକୁ ଛୁଇଁଲେ ନିଶ୍ଚୟ

ପାପୀ ହେବେ ତ୍ରିଜଗତ ନରେ ।

ସେ ଯୋଗେ କହିଲି, ଗଙ୍ଗାବରି ଲାଗି ପାଦେ-

ଅପବିତ୍ର ହେଲା ମୋ ଶରୀର ?       

ଗଙ୍ଗା-      ଏକଥା କି ସତ୍ୟ ଆଲୋ ନୀଳଧ୍ୱଜ-ନାରୀ

ମରିଚି ମୋ ପୁତ୍ର ଭୀଷ୍ମ; ନାହିଁ ଇହଜଗତରେ ?

ହାୟ ପୁତ୍ରମଣି ! କି ଶୁଣିଲି ଆଜି ଏ ଘଟଣା

ଆଣ୍ଠୁକୁଡ଼ୀ କରାଇଲୁ ମୋତେ ଏତେ ଦିନେ

ସୁତହୀନା ସୁରଧୁନି ହେଲା ଏତେକାଳେ ।

ଜ୍ୱାଳାବତୀ ! ପ୍ରକୃତ କି ମାରିଚି ଅର୍ଜ୍ଜୁନ ମୋ କୁମରେ ?

ମୁହିଁ ସେହି ଗଙ୍ଗାଦେବୀ ଚିହ୍ନ ଭଲକରି

କପଟ ନ କରି ସତ୍ୟବାଣୀ କହିଥାଅ

ଆଉ କି ଇହଧାମରେ ନାହିଁ ମୋର ପୁଅ ?

ଜ୍ୱାଳାବତୀ-      ମିଥ୍ୟା ନ କହିବି ତିଳେ ଧର୍ମନାବେ ବସି

ଯେବେ ତୁ ଶଙ୍କର-ଶିର-ବିଳାସିନୀ ଅଟୁ

ତେବେ ଧ୍ୟାନେ ଦେଖ ଚିନ୍ତା କରି

ମରିଚି କି ବଞ୍ଚିଅଛି କୁମର ତୋହରି ?

ଗଙ୍ଗା-      ଗଲା ଗଲା ସକଳ ଆଶା ଭରସା ବୁଡ଼ିଲା ମୋହରି ।

ରେ ଗାଣ୍ଡିବି !

ଏହିକି ମୋ ନୀଳବାଣ, ଭୁଜବାଣ ଦାନ ପୁରସ୍କାର

ଏହିକିରେ ବିଜୟା ନାମର ପରିଚୟ

ପିତାମହେ ବଧିଲୁ କି ସାଧେ ରେ କିରୀଟି !

ପୁତ୍ରଶୋକେ ଜ୍ୱଳଇ ଅନ୍ତର ଅଭିଶାପ ଘେନ ଶୀଘ୍ର ତୁହି ?

 

ଗୀତ- (ବରାଡ଼ି...ବୃତ୍ତେ)

ଜଣାଗଲା ରେ ଅର୍ଜ୍ଜୁନ ଏତେକାଳେ ତୋର ଗୁଣ, କରାଇଲୁ ସୁତହୀନା ମୋତେ ।

ଫଳୁ ଗଙ୍ଗା ଅଭିଶାପ କରିଲୁ ଯେବଣ ପାପ, ସେହି ଫଳ ଫଳିବ ତୁରିତେ ରେ ।

ଆରେ ବୀରବର, ଛେଦ ହେବ ଶିର ତୋର ।

ମଣିପୁରେ, ବବୃବାହନ ହାତରେ, ଅନ୍ୟଥା ନ ହେବ ଗଙ୍ଗା ଗିର ରେ । ୧ ।

ତୁ ମୋ ସୁତେ ଯେଣୁ ହତ କଲୁ, ତେଣୁ ତୋର ସୁତ, ତୋ ଜୀବନ ନେବ ଏକବାଣେ ।

ବ୍ରହ୍ମା ରୁଦ୍ର ଚନ୍ଦ୍ର ହରି ଆଦି କରି ଦେବ ରଖି ନ ପରିବେ କେହି ଜଣେ ରେ ।

ଆରେ ଶଚୀବଳା, ଅଚିରେ ଛିଡ଼ିବ ତୋହ ଗଳା ।

ଘାରିଲା ସମାନ ବିଷ, ଲାଗଇ ଏ ଅଙ୍ଗଦେଶ, ଶୋକସ୍ରୋତେ ବୁଡ଼ାଇଲୁ ଭେଳା ରେ । ୨ ।

ଦିଗପାଳଗଣେ ସାଖୀ ରଖିଣ କହୁଛି ଡାକି, ବେନି ଆଖି ନେଲୁ ପାର୍ଥ ଖୋଳି ।

ଝାଙ୍କି ଦେଉଛି ଏ ଶିର ଦଣ୍ଡ କି ନାହିଁ ଦୋଷୀର, ପିଣ୍ଡଖିନ୍ନ ହେବ ଭାଳି ଭାଳି ରେ ।

ବିପ୍ର ବଇଷ୍ଣବ, କି ପ୍ରକାରେ ବିଷ୍ଣୁଙ୍କୁ ଲଭିବ ।

ଅଭୀଷ୍ଟ ହୋଇବ ସିଦ୍ଧି, ସେ ଅକ୍ଷୟ ଅଷ୍ଟନିଧି ବିନା କଷ୍ଟେ ବିହି କର ଦେବ । ୩ ।

 

(ଗଙ୍ଗାଙ୍କ ଅନ୍ତର୍ଦ୍ଧାନ)

ଜ୍ୱାଳାବତୀ-      ଯାହା ହେଉ, ବିଷେ ଫଳିଲା ଅମୃତ ଫଳ ?

କହିଚି ପୁରାଣେ- ସାମ, ଦାନ, ଦଣ୍ଡ, ଭେଦ, ଏ ଚାରି ଭାବରେ ଶତ୍ରୁଗଣେ କରିବ ଦମନ । କିନ୍ତୁ, ଅଭିଶାପେ ବରଲାଭ ହେଲାପରି ଅସମୟେ ମିଳିଚି ସୁଯୋଗ ।

ଯା ଶତୃ ପରେ ପରେ ହୋଇଚି ନିପାତ

ରେ ଅର୍ଜ୍ଜୁନ ! ସ୍ୱକର୍ମ-ଅର୍ଜିତ ଫଳ ଲଭିବୁ ନିକଟେ

ଜାହ୍ନବୀର ଅଭିଶାପ ହେବନାହିଁ ଆନ

ନିଶ୍ଚେଁ ମଣିପୁରେ ଚିତ୍ରାଙ୍ଗଦା-ସୁତହସ୍ତେ ହେବୁ ତୁ ନିଧନ ।

ଯୋଗ ଯାହା ଥିଲା ତାହା ହେଲା

ଆଉ ଏ ନିର୍ଲଜ୍ଜ ଜୀବ ରଖିବି କିପାଇଁ

ନାବରୁ ଉତୁରି ଏହି ସୁରଧୁନୀ ତୀରେ

ସ୍ୱହସ୍ତେ ପ୍ରସ୍ତୁତ କରି ଚିତା ତହିଁ ପଶି ଝାସିବି ଏ ଦେହ । (ନାବରୁ ଉତୁରି)

ନିଅ ହେ ନାବିକ, ଏହି ମଣିମୟ ହାର,

ନାହିଁ ମୋ ସମ୍ବଳ ଏହା ବିନୁ । (ଜ୍ୱାଳାର ପ୍ରସ୍ଥାନ)

୧ମ ନାବିକ-      ଆରେ ହେ, ଏ ତ ବଡ଼ ମଜାର ହାର ? କେତେ ଦାମ୍ ହବ ?

୨ୟ ନାବିକ-      ଆମ ସାତପୁରୁଷରେ କେହି କିଣିଚି ଯେ ଆମେ ଜାଣିବା ।

୧ମ ନାବିକ-      ଆକୁ କଣ କରିବା କହନି ? ହାର ତ ଗୋଟାଏ, ଆମେ ତ ଦିଇଜଣ, ମୋର ଘରବାଲୀ ନାଇଲେ ତୋର ଘରବାଲୀ ଦେଖି ତୋର ତ ଜୀବନ ରଖିବ ନାହିଁ ?

୨ୟ ନାବିକ-      ଆରେ ମୋ ଭାଗ କି ଉଡ଼ିଯିବ ? ଦିନେ ତୋର ନାଭ, ଦିନେ ମୋର ନାଭ, ତେବେ ତ କଳି ଲାଗିବ ନାହିଁ ଆଉ । ଆରେ ଭୀମା ! ନୁଚା ନୁଚା, ହେଇ ତ ତୋର ମାଗିଟା କିଆଁ ତରତର ହୋଇ ଏଣେ ଧାଇଁଚି ?

୧ମ ନାବିକ-      ଆରେ, ସେ ୟାକୁ ଦେଖିଲାଣି ପରା ।

(କେଉଟୁଣୀର ପ୍ରବେଶ)

ସ୍ତ୍ରୀ-      ଆରେ ହେ, ସେ କାନିରେ କଣ ଘୋଡ଼େଇଦେଲୁ ? (ଛଡ଼େଇଆଣି)

୧ମ ନାବିକ-      ମାଛ ମାଛ,

ସ୍ତ୍ରୀ-      ଆରେ ଚୁଲିମୁହାଁ, ମାଛ କେମନ୍ତେ କହୁଚୁ, ଏ ତ କଣ ଏଡ଼େ ସୁନ୍ଦର କାଚ !

୧ମ ନାବିକ-      ମୁଁ ପରା ସେଇୟା କହୁଚି, ଏ କାଚହାର ତୁ ନାଇଚୁ । ଦେଖିଲୁ ତୋ ବେକକୁ ମାନୁଚି କେମନ୍ତେ-ବାଃ ବାଃ...

(ଗୀତ)

ପୁରୁଷ-      ସାରିବୋଉ ଏ ତ ମାରିନେଉଅଛି ଛାତକ ତୋହର ।

ସ୍ତ୍ରୀ-      କିଏସେ ଦେଇଚି, ତୋତେ ଆକୁ ଯାଚି, ଥିଲା ଏ କାହାରି । ପଦ ।

ପୁରୁଷ-      ତୁ ତ ସେଥିରୁ କଣ ପାଇବୁ, ନିତି ଗୁନ୍ଥି ବଳେ ଗଳେ ନାଇବୁ

ସ୍ତ୍ରୀ-      ୟା ସାଙ୍ଗକୁ ଚୁଡ଼ି ଶାଢ଼ି ଦେଲେ ସିନା ଦିଶିବ ବାହାରି । ୧ ।

ପୁରୁଷ-      ଖାଲି ସହରୀ ଯେବେ ଲୋ ଦେଖିବେ, କେତେ ହାତଠାରି ପଥେ ଡାକିବେ

ସ୍ତ୍ରୀ-      ଚାଖିଦେବେ ପରା ଅନାଉଁ ଅନାଉଁ ମୁଁ ମାହାରୀ । ୨ ।

ପୁରୁଷ-      ଆଲୋ ପହଁରି ପଡ଼ିବେ ନଈକି, ମତେ ନୁଚଉଚୁ ଏତେ କାହିଁକି

ସ୍ତ୍ରୀ-      ମାଛବିକି କଣ ଯିବିନାହିଁ ଆଉ ନାଣ୍ଡିଆ ଗୋହିରୀକି । ୩ ।

ପୁରୁଷ-      ମିଛେ ଖଣ୍ଡିଆ କରବେ ଖଣ୍ଡିଆ, ସେ ଯେ ଜନମରୁ ଷେଣ୍ଡଅଣ୍ଡିଆ

ସ୍ତ୍ରୀ-      ରାଣ୍ଡ ଯେତେକ ଭାଣ୍ଡୁଆ ତେତିକି ବଇଆ ଗୁହାରି କି । ୪ ।

୨ୟ ନାବିକ-      ଆରେ ଭାଇ, ତମ ଦିହେନ୍ତେ କଣ କରିସାରିଲଣି ପୋସ୍ତାନୀ ବନ୍ଦବସ୍ତ ।

୧ମ ନାବିକ-      ତୋର ଭାଗ ବୁଡ଼ୁନାହିଁ ହୋଅନା ଏତେ ବେସ୍ତ ।

୨ୟ ନାବିକ-      ଯେତେବେଳେ ମାଈ ବେକକୁ ଗଲା, ସେତେରେ ଦାବି ଖଟିବ କି ରଜାର ।

୧ମ ନାବିକ-      ଆ ଆ, ଆଗେ ଟିକି ନାଇଦେ, ଦୋ ସଉକ ତୁଟିଯାଉ, ମୁଁ ମଙ୍ଗେଇଦେବି, ତୁ ହୋଓନା ଏତେ ବେଜାର । (ସମସ୍ତଙ୍କ ପ୍ରସ୍ଥାନ)

ଅନ୍ୟ ଦୃଶ୍ୟ

(ଗଙ୍ଗାତୀରସ୍ଥ କାନନ, ଅଗ୍ରେ ଚିତା ପ୍ରଜ୍ୱଳିତ, ଜ୍ୱାଳାବତୀର ଚିତା ନିକଟେ ଜାନୁପାତପୂର୍ବକ ସ୍ତବ)

(ଶ୍ରୀରାଧାବାତୁଳ...ବୃତ୍ତେ)

ଜୟ ହେ ପାବକ ଜୟ ସର୍ବଭକ୍ଷ ରକ୍ଷାକର ଦାସୀ ଭିକ୍ଷା ଥରେ ।

ତବ ଗର୍ଭେ ସ୍ଥଳ ଦିଅ ହେ ଅନଳ, ଇଳନାକୁ ଛଳନା ଆତୁରେ ।

ମହାବଲ୍ଲଭ ହେ, ରାହା ନାହିଁ ମୋର ଧରଣୀରେ ।

ଦୁଃଖ-ତରଣୀରେ ଭସାଇ ଜୀବନ ବସାଇଚ ଶୋକ-ସରଣୀରେ । ୧ ।

ପତିଗତି ଏକ ପତ୍ନୀର ରସାରେ ଯଦି ସେ ଅସାର ମଣିକରି ।

ତଡ଼ିଦେଲେ ସାର ବାଣୀ ମୋ ନ ଶୁଣି ଶତ୍ରୁର ଶରଣ ନେଲେ ବରି ।

ସ୍ୱାହାବଲ୍ଲଭ ହେ, ମୁଁ ଆଉ କାହାର ହେବି,

ବାହାର ଭିତର ତୁମ୍ଭେ ସର୍ବ ଜାଣ ସେକାଳୁ ପଦେ ଥିଲି ସେବି । ୨ ।

ପ୍ରବୀର ସମାନ ରତନ ପତନ ହୋଇଛି ଯେ ଦିନୁ ପାର୍ଥ ରଣେ ।

ସେହିଦିନୁ ବ୍ୟର୍ଥେ ଏ ଦେହ ପରାଣ ବହନ କରୁଚି ଅକାରଣେ ।

ସ୍ୱାହାବଲ୍ଲଭ ହେ, ଆଉ କଷ୍ଟ ନ ପାରିବି ସହି ।

ଯାଉଚି ଜଗତ ତେଜି ଆଜି, ନାଥ ଦୀନହୀନ ବଇଷ୍ଣବ କହି । ୩ ।

 

ହେ ପୃଥିବୀ ଆକାଶ ତପନ- ହେ ବାସବ ଚନ୍ଦ ନଇଋତ,

ହେ ମରୁତ ନବଗ୍ରହ ଅଷ୍ଟବସୁ ଆଦି, ହେ ପର୍ବତ ଗୁଳ୍ମଲତା ଦ୍ରୁମ

ହେ କାନନବାସୀ ଜୀବଗଣ, ପଶୁ ପକ୍ଷୀ କୀଟ ପତଙ୍ଗାଦି

ଭୂତ ପ୍ରେତ ପିଶାଚ ଡାକିନୀ, ସାକ୍ଷୀ ରଖି ତୁମ୍ଭଙ୍କୁ ଯାଉଚି ଜ୍ୱାଳାବତୀ

ପଶିବାକୁ ଅନଳ ଗରଭେ ।

ଉଠ ହୁତାସନ ଜ୍ୱଳି ଭୀଷଣ ତେଜରେ

ଶେଷେ ତୁମ୍ଭେ ହୁଅ ମୋର ଆଶ୍ରୟର ସ୍ଥଳ ।

ଓଁ ସର୍ବେଭ୍ୟୋ ଦେବେଭ୍ୟୋ ନମଃ (ଅନଳରେ ପ୍ରବେଶ)

 

ଅଦୃଷ୍ଟକୁମାରୀଙ୍କ ଗୀତ

(ଝୁରି ଝୁରି ମରିବୁ ନାଗରୀ...ବୃତ୍ତେ)

ନରେ ଦେଖ କାଳଚକ୍ର ଗତି ।

ନ ରହଇ ସମଭାବେ ବୁଲେ ଦିନ ରାତି ।ପଦ ।

ଆଜି ଯେ ପଥ ଭିକାରି ।

କାଲି ଏକ ଛତ୍ରଧାରୀ ।

ଅରଜେ ଅକ୍ଷୟ କୀର୍ତ୍ତି ଅଚଳ ବିଭୂତି ! । ୧ ।

ରାଜା ବୁଲେ ଦ୍ୱିଜବେଶେ ।

ବନେ ଘନେ ନାନା ଦେଣେ ।

କି ଲାଞ୍ଛନା ଭୋଗେ ଶେଷେ

ତେଜି ନିଜ ଜାତି ।

ଏ ଧରାରେ ଧର୍ମ ସାର ।

ଆନ ସରବ ଅଚିର ।

ନାହିଁ ତା ପରିବର୍ତ୍ତନ

ଦେଖ ଚିତ୍ତେ ଥିବ ଚେତି । ୩ ।

ଖଳ ପାପୀ ଦେବଦ୍ରୋହୀ, ବଇଷ୍ଣବ ଦ୍ୱିଜ କହି ।

ତାହାର ଆଦର୍ଶ ଏହି ରାଣୀ ଜ୍ୱାଳାବତୀ । ୪ ।

(ପ୍ରବୀରପତନ ସମାପ୍ତ)