(ତେଜ ତେଜ ଚିନ୍ତା ଚିତ୍ତୁ ଭୋଜବଂଶଧର..ବୃତ୍ତେ)
ଶ୍ରୀମହାଭାରତ ପଦ ଶୁଣ ହେ କୋବିଦେ!
ଅଜ୍ଞାନ ଅନ୍ଧାର ଦୂର ହୋଇଯିବ ହାଦେ ।ପଦ।
କପଟପାଶା ବୃତ୍ତାନ୍ତ ଶୁଣନ୍ତେ ଭୟେ କୃତାନ୍ତ
ଦୂତେ ପଳାଇବେ ଚର୍ମ-ରଜ୍ଜୁ ଘେନି ଖେଦେ।୧।
ଫୁଟିବ ହୃଦ-ପଙ୍କଜ ଛୁଟିବ ସୁଗନ୍ଧ ରାଜ
ହୋଇବ ପୂର୍ବ ଗଗନେ ଭାଗ୍ୟ ଭାନୁ ଉଦେ ।୨।
ଯେଉଁପରି ଦୁର୍ଯ୍ୟୋଧନ ଧର୍ମେ କରି ସମ୍ବୋଧନ
ହରିଲା ରାଜସମ୍ପଦମାନ ବହି କ୍ରୋଧେ ।୩।
ପୁଣି ଯେ ପ୍ରକାରେ ମୁକ୍ତ ହେଲେ ତହୁଁ ଧର୍ମସୁତ
ରଚିବ ସେ ଭାବ ବଇଷ୍ଣବ ଏ ପ୍ରବନ୍ଧେ ।୪।
(ଦୁର୍ଯ୍ୟୋଧନ, ଶକୁନି ଓ କର୍ଣ୍ଣର ମନ୍ତ୍ରଣାଗୃହେ ପ୍ରବେଶ । ଶକୁନିର ଦୁର୍ଯ୍ୟୋଧନ ପ୍ରତି)
ଗୀତ- (ପଡ଼ିଗଲା ଶ୍ୟାମଫାନ୍ଦେ..ବୃତ୍ତେ)
ଜଣାଯାଉଛି ଭଣଜା ତୋର ମନ ଋଣା ରେ ।
ଅଣାୟତ୍ତ ହେଲୁ କିବା ହୋଇ ପଥବଣାରେ ।ପଦ।
ମଣାଇ କହୁଛି ବାପ ହୃଦଭାବ ଶୁଣା ରେ।
ବିପଦ ବୀଜକୁ ଚିତ୍ତଖେତରେ ନ ବୁଣା ରେ ।୧।
ହୁଡ଼ିଲୁ କି ବୁଦ୍ଧିବୃତ୍ତି ପଡ଼ିଯାଇ ଖଣାରେ।
ଜଡ଼ିଖିଆ ସର୍ପ ସମ ନ ଟେକୁ ଯା’ ଫଣାରେ ।୨।
କେତେ କେତେ ମହାରଥୀ ଏଥି ତୋର କିଣା ରେ ।
ବଇ ଭାବେ ଏ ବିଭବେ କରୁ କି ଧାରଣା ରେ ।୩।
ଶକୁନି- ବାବୁ ଦୁର୍ଯ୍ୟୋଧନ! ତୋହର ମନରେ କାହିଁକି ସୁଖ ନାହିଁ, ତାହା ମୋତେ ଶୀଘ୍ର କହ।
(ଦୁର୍ଯ୍ୟୋଧନର ଉକ୍ତି)
ଗୀତ- (ଭାଇ ଭୀମ କି ବୁଦ୍ଧି କରିବି...ବୃତ୍ତେ)
କହ ମାମୁ କି ବୁଦ୍ଧି କରିବି?
ଦେଖି ପାଣ୍ଡବ ବିଭବ ଜୀବ ପିଣ୍ଡେ ନ ଧରିବି ।ପଦ।
ଦେଖିଛ ତ ଯଜ୍ଞଶାଳେ, ଅପମାନ ବେନିଡୋଳେ,
ସେ କଥା କି ତିଳେ ପାସୋରିବି ।୧।
ସ୍ପଟିକ ଭ୍ରମେ ଜଳରେ, ପଡ଼ିଗଲି ଯେ କାଳରେ,
ମରିବି ତା ମନେ ମନେ ଭାବି ।୨।
ଅଟ୍ଟହାସେ ଦୁଷ୍ଟ ଭୀମ, ଦେଇଅଛି ଯେ ସରମ,
ନେତ୍ରେ ଲାଖି ରହିଛି ସେ ଛବି ।୩।
ଜାରଜାତକାଙ୍କ ଧନ-ମାନ ଦେଖି ଦୁର୍ଯ୍ୟୋଧନ,
ମୁଣ୍ଡରେ ପଡ଼ିଛି ଆସି ପବି ।୪।
ଅନ୍ଧ ତାତ-ମାତେ ନେଇ, ସୁଖେ ମାମୁ ଥାଅ ରହି,
ଭାଷେ ରସେ ବଇଷ୍ଣବ କବି ।୫।
ହେ ମାତୁଳ! ମାନଗୋବିନ୍ଦର ମାନ ଚୂର୍ଣ୍ଣ ହେଲା ଆଜୁଁ,
ଶ୍ରେଷ୍ଠ ହେଲେ ରାଣ୍ଡସୁତ ପଣ୍ଡୁପୁତ୍ରଗଣେ,
କୁଞ୍ଜଗଳ ଅଧିପତି ହୋଇ ମୁହିଁ ଏଡ଼ିକି ନିକୃଷ୍ଟ?
ଜତୁଗୃହ ଦାହେ ଭୀମେ ବିଷଲଡ଼ୁ ଦାନେ
ନ ମଲେ ସେ ଅକୁଳା ସରବେ,
ଶୁଣିଲି ଯେ ବନବାସକାଳେ, ଘେନି ମାତା କୁଇନ୍ତାକୁ ସଙ୍ଗେ
ଏକଚକ୍ରା ନଗ୍ରରେ ରହିଣ, କଲେ ଯେଉଁ କାଣ୍ଡ,
ଅଦ୍ୟାପି ପଡ଼ିଲେ ମନେ ଭ୍ରମୁଅଛି ମୁଣ୍ଡ ମମ ଖୁଆଦଣ୍ଡ ପରି;
ଏକା ଭୀମା ବଧ କଲା କୁମ୍ଭୀରି କିନ୍ନରୀ,
ବକ, ହିଡ଼ିମ୍ବକୁ ଚାରି ସହୋଦରେ,
ଏ ସବୁ କୀର୍ତ୍ତି ଶୁଣିଲେ ନିଜ ଅରାତିର; କାହା ହୃଦ ଯିବ ନାହିଁ ଫାଟି ?
ଗୀତ- (ନରେ ଭଜ ରାମ ନାମ..ବୃତ୍ତେ)
ସଖା ତେଜ ଅଭିମାନ। ହେଜ ମନେ ପାଣ୍ଡବ ନିଧନ ହେ ।ପଦ।
ପୂଜି ପିତା ମାତା ପାଦ। ବୁଝି ଦୂରକର ଖେଦ।
ଭୁଞ୍ଜ ଶୁଭେ ହସ୍ତିନାର ରାଜସିଂହାସନ ହେ ।୧।
ସାଜିରେ କରାଇ ରାଜି। ଭାଜିବା ତାହାଙ୍କ ତାଜି ।
ଖୋଜ ଖୋଜ କୁରୁନାଥ ଏମନ୍ତ ବିଧାନ ହେ ।୨।
ଯେବେ ଜାତ ହେବ କଳି । ଛନ୍ତି ରଥୀ ମହାବଳୀ।
ବାଣ ମାରି ଆବୋରିବା ପାତାଳ ଗଗନ ହେ ।୩।
ଭୀଷ୍ମ ଅଶ୍ୱତ୍ଥାମା ଦ୍ରୋଣ, ଶଲ୍ୟ ଦୁଃଶାସନ ଜାଣ ।
ବଇ ବୋଲେ ଅଛି କେବା ଏହାଙ୍କ ସମାନ ହେ ।୪।
ଗୀତ- (ସେ ମୋତେ ବରିଛି..ବୃତ୍ତେ)
ବାପ କୁରୁନାଥ ଚିତ୍ତ କର ଶାନ୍ତ ନିଶ୍ଚୟ ତୋ ହିତ କରାଇବି ।
କପଟରେ ଦ୍ୟୂତକ୍ରିଡ଼ାରେ ଆସକ୍ତ ହେଲେ ଧର୍ମ ଧନ ହରାଇବି ।ପଦ।
କରିଣ ବରଣ ପାଞ୍ଚଜଣେ ଆଣି, ତୋ କରେ ତା କେଶ ଧରାଇବି ।
ପଣରେ ନେବି ମୁଁ ସମ୍ପଦସରବ ତୋ ବିପଦଲେଖା ଚିରାଇବି ।୧।
ପଶାଖେଳ ବିନୁ ସୁଦଶା ନୋହିବ ରସାରେ ସୁଯଶ ଫେରାଇବି।
ଅକ୍ଷକ୍ରୀଡ଼ା ଆଶା ଦେଖାଇ ଆଣିଲେ ମନର ମାନସ ପୂରାଇବି ।୨।
ସଭାଗୃହେ ଥିବେ ଭୀଷ୍ମ ଦ୍ରୋଣ କର୍ଣ୍ଣ ତାଙ୍କ ନେତ୍ରେ ଜାଲ ଘେରାଇବି
ବଇଷ୍ଣବ ଭାଷ ଦୂତେ ଡାକି ପେଷ ପୀୟୂଷରେ ବିଷ ଭରାଇବି ।୩।
(ଦୂତକୁ ଡାକିବା, ଦୂତର ପ୍ରବେଶ - ଦୁର୍ଯ୍ୟୋଧନର ଉକ୍ତି)
ଗୀତ- (ନମସ୍ତେ ଜଗତପତି..ବୃତ୍ତେ)
ଦୂତ ଯା ବାରୁଣାବନ୍ତେ ଘେନିଆସ ଧର୍ମସୁତେ ।
ସଙ୍ଗତେ ଭାଷ ମୋ ଆଦେଶ ତହିଁ ପେଷିଛନ୍ତି କୁରୁସାଇଁ
ହସ୍ତିନା ବିଜୟ କର ଇଙ୍ଗିତେ ।ପଦ।
ଆଜି ଖେଳିବାକୁ ପଶା ବଳାଇଲେ ରାଜା ଆଶା,
ଦେଇଛନ୍ତି ନିମନ୍ତ୍ରଣ ଯିବ ବୋଲି ପାଞ୍ଚଜଣ ଚାହିଁଅଛନ୍ତି ସଭାରେ ସମସ୍ତେ ।୧।
ଦ୍ୟୁତକ୍ରିଡ଼ାରେ ଚତୁର, ଅଟ ତୁମ୍ଭେ ଯୁଧିଷ୍ଠିର
ଲୋକମୁଖୁଁ ଜାଣିପାରି, ପଠାଇଲେ ତବ ପୁରୀ, କଷ୍ଟ ହେବ ତାଙ୍କ ବୋଲ ଭାଙ୍ଗନ୍ତେ ।୨।
ଏ ସବୁ କାରଣ କହି ଆଣ ଧର୍ମସୁତ ତୁହି
ବାରଣତାରଣ ଧ୍ୟାୟି ଦୂତ ଗମେ ବେଗ ହୋଇ, ବୈଷ୍ଣବ ଚରଣ କହି ଏ ଗୀତେ ।୩।
(ଦୂତର ପ୍ରସ୍ଥାନ)
ଶକୁନି- ବତ୍ସ! ଏବେ ଚାଲ ପଶାଖେଳର ଆୟୋଜନ କରିବା । ଯୁଧିଷ୍ଠିର ପଶାଖେଳ ନାମ ଶୁଣିଲେ ବସିଲା ଠାବରୁ ଉଠିଆସିବ, ଏଥିରେ ସନ୍ଦେହ ନାହିଁ। ଭୀଷ୍ମ, ଦ୍ରୋଣ, ଶଲ୍ୟ, ଅଶ୍ୱତ୍ଥାମା, କୃପାଚାର୍ଯ୍ୟ, ଜୟଦ୍ରଥ, ଭୂତିଶ୍ରବା, ଦୁଃଶାସନ ଏମାନଙ୍କୁ ସବୁ ବିଷୟ ଜଣାଇଦିଅ । କାଲି ପ୍ରଭାତରୁ ପଶାକ୍ରିଡ଼ା ଆରମ୍ଭ ହେବ । ତୁମ୍ଭେ କର୍ଣ୍ଣକୁ ଘେନି ଆଗେ ଆଗେ ଚାଲ, ମୁଁ ଟିକିଏ ପଛରେ ଯାଉଛି ।
ଦୁର୍ଯ୍ୟୋଧନ- ହଉ ତେବେ, ତୁମ୍ଭ କଥାରେ ଦୁର୍ଯ୍ୟୋଧନର ସହସ୍ର ଗୁଣେ ବଳ ଶରୀରରେ ସଞ୍ଚାରିତ ହୋଇଛି; ମୁଁ ଯାଉଛି । ତୁମ୍ଭେ ଶୀଘ୍ର ଆସ ଆମ୍ଭେ ଯିବା । (କର୍ଣ୍ଣସହ ପ୍ରସ୍ଥାନ)
ଶକୁନି-ହା ପିତା ! ତୁମ୍ଭେ ପରଲୋକରେ ଥାଇ ସମସ୍ତ ଦେଖ । ତୁମ୍ଭ ପୁତ୍ର ଶକୁନି ଆଜି ପୂର୍ବ ପ୍ରତିଜ୍ଞା ପାଳନ କରୁଅଛି ।
ଗୀତ- (ମିତ ତୁନି ହୋ ଲୋ...ବୃତ୍ତେ)
ପିତା ଦେଖି ଏହା ପରଲୋକେ ଥାଇଁ ହୁଅ ସୁଖୀ।
ମରାଇବି ବୋଲି ୟା ବଂଶ କପଟେ ଯାଇଅଛ ମୋତେ ରଖି ।ପଦ।
ଦେଇଥିଲ ଅସ୍ଥି କରି ପଶାକାଠି କପଟେ ଅଛି ମୁଁ ଜାକି ।
ତବ ଅସ୍ଥି ଯୋଗେ ଶାସ୍ତି ଏ ପାଇବେ ଜଣେ ନ ଥିବେଟି ବାକି ।୧।
ଅନ୍ନବିନେ ତବ ବଂଶ ଶୂନ୍ୟ ହେଲା ବନ୍ଦିଶାଳେ ମଲେ ଶୁଖି ।
କଂସାଏ ଭାତ ତ ନ ପଡ଼େ ମସାଏ, ମୁଁ ବଞ୍ଚିଛି ଏକା ଭକ୍ଷି ।୨।
ସେ ପୂର୍ବ ଅବସ୍ଥା ମନେପଡ଼ି ଆଜି ଲୋତକେ ପୂରଇ ଆଖି ।
ସୁବଳ ସନ୍ତାନ ସବଳ ହୋଇଲା କପଟ ମନ୍ତ୍ରଣା ଶିଖି ।୩।
ଧର୍ମସହ ବାଦୀ ନକଲେ ଏହାଙ୍କୁ ଯମ କି ପାରନ୍ତା ଝିଙ୍କି ।
ବୁଡ଼ିଛି ମୋ ଭେଳା ବୁଡ଼ିବ ୟା ଭେଳା ଭାଷେ ବଇଷ୍ଣବ ଦୁଃଖୀ ।୪।
(ପ୍ରସ୍ଥାନ)
ହେ ପିଅର! ପୂର୍ବ ଅପମାନ ଆଜି ଭୁଲିନାହିଁ ମନୁ ପୁତ୍ର ତବ, ତାର ପ୍ରତିଶୋଧ
ନିଶ୍ଚେ ସାଧିବ ଶକୁନି । ଯେ କାଣ୍ଡ କରିଲା ଦୁଷ୍ଟ ଚଣ୍ଡ ଅନ୍ଧର ନନ୍ଦନ, ଶୁଣାନାହିଁ
ଶାସ୍ତ୍ରେ ଏହି କଥା କପୋଳକଳ୍ପିତ ପରି ହୁଏ ଅନୁଭବ । ଦାସୀହସ୍ତେ କଂସାଏକ
ଅନ୍ନ, ଦେଲା ଶତେ ଭାଇଙ୍କି ମୋହର, ଜଠର ଯନ୍ତ୍ରଣା ସହିନପାରି ସକଳେ
ଗୋଟି ଗୋଟି ହେଲେ ଯମ ସଦନେ ଅତିଥି । ଶୁଷ୍କ ଅନ୍ନ ପଥର କାନ୍ଥରୁ, ଛଡ଼ାଇ
ଖାଇ ରଖିଲି ଏ ପୋଡ଼ା ଘଟକୁ, କୁରୁନାଥ-ବଂଶ ନାଶ ଆଶେ ଅଛି ତବ କର-
ଅସ୍ଥି, ଦ୍ୟୁତ କାଠିହୋଇ ଗୋପନରେ ନିକଟେ ମୋହର, ଏହି କାଠି ହେବ
ଶତଭ୍ରାତାଙ୍କ କୃତାନ୍ତ ।
(ରାଜସଭା; ଯୁଧିଷ୍ଠିରାଦି ଚାରି ଭାଇଙ୍କର ପ୍ରବେଶ)
ଗୀତ- (ଗୁଲୁରଖନା ଯୁକ୍ବଦନା..ବୃତ୍ତେ)
ରାଜର୍ଷି ଯାଗ କଥା ଆଜି ମନେପଡ଼େ ଭାଇ ।
ନ ଥିଲେ କୃଷ୍ଣ ତାହା ପାଇକିରେ ଥାନ୍ତି ମୁହିଁ ।
କୋଟି ନୃପତି ମୋତେ ମିଳିକି ରେ ଥାନ୍ତେ କାହିଁ ।
ମେଣ୍ଟିଲା ସବୁ କଷ୍ଟ ବନମାଳୀ ବଳ ପାଇ ।୧।
ମଗଧପତି ଜରାସନ୍ଧେ ମରାଇଲା ଯାଇ ।
ହରାଇଥିବା ଧନ ମୋର କରେ ଅଛି ଦେଇ ।୨।
ତହୁଁ ନୃପତିକୁଳ ନନ୍ଦବାଳ ମୁକୁଳାଇ ।
ମହାକୀରତି ବାନା କ୍ଷିତିରେ ଦେଲା ଉଡ଼ାଇ ।୩।
ବହୁଦିନୁ ଦେଖା ନ ଦେଇ ଦ୍ୱାରକା ଅଛଇ ।
ବଇ ବୋଲେ ପାଣ୍ଡବସଖା ନାମ ଅଛି ବହି ।୪।
ଦ୍ୱାରୀ- ମହାରାଜ! ହସ୍ତିନାରୁ ଦୂତ ଆସିଛି।
ଯୁଧିଷ୍ଠିର-ଦ୍ୱାରୀ! ତାକୁ ଏଠାକୁ ଘେନି ଆସ!
ଦ୍ୱାରୀ- ଯେ ଆଜ୍ଞା ମଣିମା!
ଭୀମ- କୁହ ଭ୍ରାତ କିପାଁ ପେଷିଅଛି ଦୂତ?
ଯୁଧିଷ୍ଠିର- ଜଣାଯିବ ଏହିକ୍ଷଣି ସମସ୍ତ ବୃତ୍ତାନ୍ତ।
ଭୀମ- ଖଳର କି ଖଳବୃତ୍ତି ପଡ଼ିଅଛି ମନେ?
ଯୁଧିଷ୍ଠିର- ଅନୁମାନେ ତାହା ସିଦ୍ଧ କରିବା କେସନେ?
ଭୀମ- ଚିତ୍ତେ ପଡ଼େ ଜତୁଗୃହ ଦାହନ ସମୟ
ଯୁଧିଷ୍ଠିର- ବିପଦ କି ବଳାଇବ ଯେବେ ଥିବେ ଦୟାମୟ ।
ଭୀମ- ନାହାନ୍ତି ଏଠାବେ ସେହୁ ଜାଣିବେ କି ଭାବେ?
ଯୁଧିଷ୍ଠିର- ଚିନ୍ତାକଲେ ଚିନ୍ତାମଣି ମିଳିବେ ଏଠାବେ ।
(ଭୂତକୁ ଦେଖି)
ଭୀମ- ଭାଷ ଦୂତ, କେଉଁ କାର୍ଯ୍ୟେ ଉପଗତ ଏଥି?
ଦୁତ- ମନଦେଇ ଶୁଣ ବାରେ ବାରୁଣାଧିପତି!
ଗୀତ- (କଂସ ଆଜ୍ଞାରେ ଡଗର..ବୃତ୍ତେ)
ଶୁଣ ବାରୁଣା ଗୋସାଇଁ ଆସିଛି ଯା ଆଜ୍ଞା ନେଇ ପେଷିଛନ୍ତି ମୋତେ କୁରୁପତି।
ଦେଇଛନ୍ତି ନିମନ୍ତ୍ରଣ କରିଅଛନ୍ତି ବରଣ ପଶା ଖେଳେ ବଳାଇଣ ମତି, ହେ ମଣିମା ।୧।
ଅକ୍ଷକ୍ରୀଡ଼ାରେ ନିପୁଣ ଅଟନ୍ତି ଯେଣୁ ଆପଣ ତେଣୁ ସ୍ନେହେ ପଠାଇଲେ ମୋତେ ।
ସଙ୍ଗେ ଘେନି ଚାରିଭାଇ ରଙ୍ଗେ ବିଜେ କର ତହିଁ ଧର୍ମରାଜ ଆଜ ମୋ ସଙ୍ଗତେ, ହେ ମଣିମା ।୨।
ସଜାଇଣ ସଭାଘର ରହିଛନ୍ତି ହୋଇ ସ୍ଥିର ମନେ ବାଞ୍ଛି ଛାମୁ ଆଗମନ ।
ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଭୂରିଶ୍ରବା ଦୁଃଶାସନ ସହ ବିଜେ ଗାନ୍ଧାରୀ ନନ୍ଦନ, ହେ ମଣିମା ।୩।
କାଠି ଗୋଟି ଧରି କରେ ରହିଛି ମନ୍ତ୍ରୀ ସେଠାରେ ସଞ୍ଜୟ ବିଦୁର ଘେନି ପାଶେ ।
ନ କର କାଳବିଳମ୍ବ ବେଗେ ବିଜେ କର ଦେବ ନୀରବଂଶୀ ବଇଷ୍ଣବ ଭାଷେ, ହେ ମଣିମା ।୪।
ଯୁଧିଷ୍ଠିର- ଚାଲ ଭୀମ ଅର୍ଜୁନ, ମନ୍ତ୍ରିବର ନକୁଳ ସହଦେବ ! ଦେଖିବା ଯେ ଦୁର୍ଯ୍ୟୋଧନ କିସ ପାଞ୍ଚିଅଛି ଚିତ୍ତେ ।
(ମେଲାଣି କରରେ ନନ୍ଦ..ବୃତ୍ତେ)
ବିଜେ କରନ୍ତୁ ଅଗ୍ରଜ ହରଷେ ହସ୍ତିନାପୁର ।
ଯେବେଟିକି କୁରୁମଣି ବରଗି ଅଛଇ ଚାର ।ପଦ।
ବିପଦଭଞ୍ଜନ କୃଷ୍ଣ, ଅଟନ୍ତି ଯାହାଙ୍କ ଇଷ୍ଟ;
ତାହାଙ୍କୁ କି ଡରାଇବ ଜଗତେ ବିପଦ ଛାର ।୧।
ନିଜ ନିଜ ଅସ୍ତ୍ର ଧରି, ଜୟ ମଙ୍ଗଳ ଉଚ୍ଚାରି;
ଶତ୍ରୁଜିତ ଗଦେ କରେ ଭାଇ ବୃକୋଦର ।୨।
ଯେ ଯାହାକୁ ଖୋଳେ ଗର୍ତ୍ତ, ତହିଁ ସେ ହୁଏ ପତିତ,
ବେଦରେ ଅଛି ଲିହି ତ ମତ ମୁନିମାନଙ୍କର ।୩।
ସ୍ୱଧର୍ମ ପାଳନ କରି, ଫେରିବା ନିଜ ନଗରୀ
ନ ଗଲେ ରଟିବ ନିନ୍ଦା ବିପ୍ର ବଇଷ୍ଣବ ଗିର ।୪।
(ସମସ୍ତଙ୍କର ପ୍ରସ୍ଥାନ)
(ସଭାଗୃହେ ଦୁର୍ଯ୍ୟୋଧନ, ଦୁଃଶାସନ, କର୍ଣ୍ଣ, ଭୀଷ୍ମ, ଦ୍ରୋଣ, ବିଦୁର, ସଞ୍ଜୟ, ଭୂରିଶ୍ରବା,
ଅଶ୍ୱତ୍ଥାମାଦିଙ୍କର ପ୍ରବେଶ । ନିକଟେ ଶକୁନି ପଶାକାଠି ଧରି ଚାହିଁଥିବା ଓ ଦୁର୍ଯ୍ୟୋଧନ ଉକ୍ତି)
ଗୀତ-(ତାକୁ ଯା ଯା ବୋଲି କହି ଦେ..ବୃତ୍ତେ)
ଦୂତ କି ହେତୁ ଫେରିଲା ନାହିଁ । ହାରିବା ଭୟରେ କିବା ନ ଆସିଲେ ଚାରିଭାଇ ।ପଦ।
ଡରିଲା ଧର୍ମସୁତ, ପାଞ୍ଚି ପୂର୍ବ ବୃତ୍ତାନ୍ତ । କୃତାନ୍ତପୁର ପରାୟେ ମଣି ଏ ହସ୍ତିନାଭୂଇଁ ।୧।
ଆସିଲେ ସିନା ଦୂତ, ଜାଣିବା ତା ସମସ୍ତ । ଆଣିବା ଅବଶ୍ୟ ତାଙ୍କୁ ଆନଜନ ପଠିଆଇ।୨।
ମାମୁ ତୁମ୍ଭ ସାହସେ, ନ ଯାଇ ବନବାସେ । ଜୀବନେ ରହିଛି ଭବନରେ ଜାଣ କୁରୁସାଇଁ ।୩।
ଜିଣାଇବ ଖେଳରେ, ବଳ କଳ ଛଳରେ। ଅକଣ୍ଟକ ରାଜ୍ୟ ଭୋଗକରିବି ବଇ ଭାଷଇ ।୪।
(ରସିକା ଜଣେ ଏକା ଏହି...ବୃତ୍ତେ)
ସ୍ଥିର ହୁଅ କୁରୁନାଥ! ଦୂରୁ ଜଣାଯାଉଛି ସଙ୍କେତ ।
ଆଗେ ଧର୍ମଭୀରୁ ଯୁଧିଷ୍ଠି ଚାଲଇ ତା ପଛେ ପବନସୁତ । ପଦ।
ପକାଇଛି ବାଉନଭାର, ବେନିଗୋଟି ଗଦା କନ୍ଧର ।
ମତ୍ତହସ୍ତୀ ସମ ଗତି କରି ଚାଲେ ବୀର ନିଶେ ମାରେ ହାତ ।୧।
ତାର ପଛେ ଖାଣ୍ଡବଦାହି, ଗାଣ୍ଡୀବକୁ କରରେ ନେଇ ।
ଆସନ୍ତେ ପ୍ରଚଣ୍ଡ ମାର୍ତ୍ତଣ୍ଡ ତେଜକୁ ଜିଣି ଦିଶେ ଦୁଇନେତ୍ର ।୨।
ତାର ପଛେ ମାଦ୍ରୀକୁମର, ଶୋଭା ନିନ୍ଦୁଅଛି କାମର ।
ସମରରେ ସମ ନ ହୋଇବ ଯମ କରେ ଅଛି ଦୀର୍ଘ କୁନ୍ତ ।୩।
ଆସେ ମନ୍ତ୍ରୀ ତାର ପଛରେ; ପାଞ୍ଚୁଛି କି ମନେ ପାଞ୍ଚରେ ।
ବଇଷ୍ଣବ ଭଣି ନିକଟେ ହେଲେଣି ସବା ଶେଷେ ଦିଶେ ଦୂତ ।୪।
(ପାଣ୍ଡବମାନଙ୍କ ପ୍ରବେଶ)
(ନାହିଁ ନାହିଁ ନାହିଁ ମାତ ପାଦ ମୋର ଚଳୁନାହିଁ..ବୃତ୍ତେ)
ଆସ ଆସ ଆସ ଧର୍ମ ବସ ବସ ଖେଳ ପଶା ।
ଚାହିଁଛନ୍ତି ଏତେ ଲୋକେ ବଳାଇଣ କେତେ ଆଶା ।ପଦ।
ହୋଇ ଦୁର୍ଯ୍ୟୋଧନ ପକ୍ଷ, ଖେଳିବି ମୁଁ ଏଥି ଅକ୍ଷ ।
ଭୀଷ୍ମ ଦ୍ରୋଣ ଲକ୍ଷେ ରଥୀ ସାକ୍ଷ୍ୟ ଦେବେ ହେଲେ ହିଂସା ।୧।
ଗଡ଼ାଇବା କରି ପଣ, ନ ଛାଡ଼ିବା ମନ ଟାଣ ।
କ୍ଷତ୍ରିୟଙ୍କ ଧର୍ମପଣ ଭୁଲି ନ ଯିବା ସହସା ।୨।
ବସି ଚାରି ଭ୍ରାତ ତବ, ନିରେଖନ୍ତୁ ହାନିଲାଭ ।
ପଛେ ନ କରିବେ କ୍ଷୋଭ ବୁଡ଼ାଇ ଆଶା ଭରସା ।୩।
କି ଅବା ନ ଜାଣ ବତ୍ସ, ସବୁ ଦଇବର ପାଞ୍ଚ ।
ଉଚ୍ଚକୁ କରାଏ ନୀଚ ନୀଚେ ଉଚ୍ଚ ବଇ ଭାଷା ।୪।
(କି ଭାବନା କର ପାଞ୍ଚଜଣ..ବୃତ୍ତେ)
ଖେଳ ଖେଳ ମନ୍ତ୍ରୀ ନାହିଁ ତିଳେ ଏଥି ମୋ ଆପତ୍ତି ।ପଦ। ଯା ବଳେ ପଥର
ଜଳେ ଜାଣିଛ ଭାସିଛି ହେଳେ । ସାକ୍ଷୀ ସେ ମୋ ଅଗତିର ଗତି ।୧। ଯେବେ ଧାତା
ପାଞ୍ଚେ ମନ୍ଦ, ଛେଦିବ କେ ତାର ଫାନ୍ଦ । ସତୀକି ଯେ କରାଏ ଅସତୀ ।୨। କ୍ଷତ୍ରିଧର୍ମର
ଏ ଢଙ୍ଗ, ଦେଲେ ରଣେ ପୃଷ୍ଠଭଙ୍ଗ । ନର୍କେ କଷ୍ଟ ଦିଏ ଜନ୍ତୁପତି ।୩। ପ୍ରଣମିଣ ଗୁରୁଗଣେ,
ପଶୁଛି ମୁଁ ଅକ୍ଷରଣେ, ଭଣେ ବଇଷ୍ଣବ ହୀନମତି ।୪।
(ପଶାକ୍ରୀଡ଼ାରମ୍ଭ)
(ମହର୍ଷି ଏଥର କଲି ଅଙ୍ଗୀକାର..ବୃତ୍ତେ)
ଶକୁନି- ଆଗେ କରି ପଣ ଖେଳ ଧର୍ମରାଣ ପଶା ମୂଲ୍ୟ ଜାଣ ଯେବେ
ଅମୂଲ୍ୟ ଜଗତେ ତୁଲ୍ୟ ନାହିଁ ଯାର, ଖେଳିଥିଲେ ନଳ ପୂର୍ବେ ।୧।
ଯୁଧିଷ୍ଠିର- ପଣ କଲି ମୋର ରାଜସିଂହାସନ ବାରୁଣାବନ୍ତ ସହିତେ ।
ଖେଳ ମାମୁ ବେଳ ବିଳମ୍ବ ନ କର କାଠି ଧରି ନିଜ ହାତେ ।୨।
(ପଶା ପତନ)
ଶକୁନି- ଫିଙ୍ଗି ରଙ୍ଗେ ପଶା ଜିଣିଲି ସହସା ଆଉ କିସ ରଖ ବାଜି?
ଯୁଧିଷ୍ଠିର- ରଖୁଅଛି ଏବେ ମୋହର ଭଣ୍ଡାରେ ଅଛି ଯେତେ ରତ୍ନରାଜି ।୩।
(ପଶା ପତନ)
ଶକୁନି- ଗଲା ସିଂହାସନ ପୁଣି ରାଜ୍ୟ ଧନ ମନରେ ବିଚାର କିସ ।
ଯୁଧିଷ୍ଠିର- ପଣ କଲି ଶତସିଂହପରାକ୍ରମୀ ଭାଇ ମୋ ପବନଶିଷ ।୪।
(ପଶା ପତନ)
ଶକୁନି- ହାରିଲ ଭୀମକୁ ନିଜ କରମକୁ କରିବ ଆଉ କି ପଣ?
ଯୁଧିଷ୍ଠିର- ଖାଣ୍ଡବଦାହୀ ଗାଣ୍ଡୀବଧନୁର୍ଦ୍ଧାରୀ ଅର୍ଜ୍ଜୁନ ମୋହର ପ୍ରାଣ ।୫।
(ପଶା ପତନ)
ଶକୁନି- ହାରିଲ ବିଜୟୀ କି ଅନାଥ ମହୀ କାହିଁକି ହେ କୁନ୍ତୀସୁତ!
ଯୁଧିଷ୍ଠିର- ନାହିଁ କି ମୋହର ଅତି ସୁକୁମାର କୁମାର ନକୁଳ ଭ୍ରାତ ।୬।
(ପଶା ପତନ)
ଶକୁନି- ନକୁଳକୁ ହାରି ଆକୁଳ ହୋଇଣ ତେଜିବ କି ପୂର୍ବବାଣୀ ।
ଯୁଧିଷ୍ଠିର- ସକଳ ଗୁଣରେ ପରିପୂର୍ଣ୍ଣ ଅଟେ ଅଛି ମୋର ମନ୍ତ୍ରିମଣି ।୭।
(ପଶା ପତନ)
ଶକୁନି- ଗଲା ସହଦେବ ଆଉ କିସ ଦେବ ଭାବ ଭାବ ବେଗକରି ।
ଯୁଧିଷ୍ଠିର- ରସାଭୂଷା ଶିରୀ ଯୋଗ୍ୟ ଯୋଷାମଣି ପଣ ଦ୍ରୁପଦକୁମାରୀ ।୮।
(ପଶା ପତନ)
ଶକୁନି- ବିତ୍ତଭ୍ରାତ ଜାୟା ଗଲ ନିଜ କାୟା ଅଛି ମାତ୍ର ଅବଶେଷ ।
ଯୁଧିଷ୍ଠିର- ନିଜକୁ ମୁଁ ନିଜେ ପୀଢ଼ କଲି ଗୀତେ ମୂଢ଼ ବଇଷ୍ଣବ ଭାଷ ।୯।
(ପଶା ପତନ)
ଶକୁନି- ଧର୍ମରାଜ! ଏବେ ତ ସମସ୍ତ ସ୍ଥାବରାସ୍ଥାବର ସମ୍ପତି, ଭାଇ, ବନ୍ଧୁ, ଭାର୍ଯ୍ୟା ନିଜେ ସୁଦ୍ଧା ହରାଇ ତୁନି ହୋଇ ରହିଲ ଯେ ଆଉ କି ବିଚାର?
ଦୁର୍ଯ୍ୟୋଧନ- ମାମୁ, ତାଙ୍କୁ ପଚାରିଲେ କଅଣ ହେବ- ତାଙ୍କଠାରେ ତାଙ୍କର କି ଅଧିକାର ଅଛି ଯେ ସେ କହିବେ? ସଖା କର୍ଣ୍ଣ! ଏମାନଙ୍କର ଗତି କଅଣ ହେବ ଶୀଘ୍ର ତାହାର ବରାଦ କର ।
(କାହିଁପାଇଁ ଭଉଣୀ ମୋତେ...ବୃତ୍ତେ)
ଦୁଃଶାସନ ବହନ ଯାଇ ବସା ସଭାତଳେ ପାଞ୍ଚଭାଇଙ୍କି ନେଇ । ଜାରଜାତକାଙ୍କୁ
ନ ମାଡ଼େ ସରମ ବୋକାପରି ରହିଛନ୍ତି ଅନାଇ ।ପଦ। ଦୋଷୀପରି ଏ ତ ବସି କି
ଗିଳିବେ ଶୋଷିଲେ ସାଗର ଅଣ୍ଟିବ ନାହିଁ । ଖଟିବେ ଚରଣେ ଯେ ଯେଉଁ କାରଣେ ବାଣ୍ଟି
ଦେଉଅଛି ଏହାଙ୍କୁ ମୁହିଁ ।୧। ଏହି ଯୁଧିଷ୍ଠିର ନାହିଁ ୟାର ବଳ, ତାମ୍ବୁଳ ଭାଙ୍ଗି ଏ ଦେବ
ଯୋଗାଇ। ଦିଶଇ ପୃଥୁଳ ଏ ପବନବାଳ ଜଳ ଦେଉ ରୋଷଶାଳକୁ ବୋହି ।୨। ଦୁର୍ଜନ
ଅର୍ଜୁନ କୁଞ୍ଚିଣ ବସନ ଦେଉଥିବ ନିତି ପିନ୍ଧିବା ପାଇଁ ଚଉଦୋଳ କନ୍ଧେ ବହିବେ ଆନନ୍ଦେ
ଏହି ସହଦେବ ନକୁଳ ଦୁଇ ।୩। ଦାସୀ କାର୍ଯ୍ୟ ଆସି କରୁ ସେ ଦ୍ରୌପଦୀ, ପାଲଟାବସନ
ବାସନଧୋଇ। ଭକ୍ଷିଣ ଉଚ୍ଛିଷ୍ଟ ରଖୁ ନିଜ ଘଟ ଭାଟ ବଇଷ୍ଣବ ଏ ରସେ କହି।
ଦୁର୍ଯ୍ୟୋଧନ- ଦୁଃଶାସନ, ଶୀଘ୍ର ଏମାନଙ୍କୁ ଉଠାଇନେଇ ସଭାତଳେ ବସାଇଦିଅ । ଯାଅ ଦ୍ରୌପଦୀକି ଶୀଘ୍ର ଘେନିଆସ; ଏ ମୋର ଅନ୍ତଃପୁରେ ଦାସୀକାର୍ଯ୍ୟ କରୁ।
(ଚନ୍ଦ୍ରବଦନାରେ...ବୃତ୍ତେ)
ଅନ୍ଧନନ୍ଦନରେ, ତୋର ମନ୍ଦଦଶା ପଡ଼ିଲାଣି ।
ସିନ୍ଧୁକୁ ତୁ ବିନ୍ଦୁ ପରାୟେ ମଣିଲୁ ଯମବାଟ ଘେନିଲାଣି ।ପଦ।
ବାମନ ହୋଇଣ କିସ ମନେ ପାଞ୍ଚି ଚନ୍ଦ୍ରକୁ ବଢ଼ାଉ ପାଣି ।
ସର୍ପ ବିଳେ କର ଭରିବାକୁ ତୋର ସାହସ ବଳିଲା ପୁଣି ।୧।
ପାଣ୍ଡବଘରଣୀ ଭାଣ୍ଡପଣେ ଦାସୀ କରିବୁ ଭାଷୁ ଏ ବାଣୀ ।
ଭୀଷ୍ମ ଦ୍ରୋଣ କୃପ ନ କହନ୍ତି କିଛି ବଧିର ସମାନଶୁଣି ।୨।
ଦେଖ ଯୁଧିଷ୍ଠିର ଧର୍ମ ଅବତାର ସତ୍ୟକୁ ନ ପାଇ ଜିଣି।
ହୋଇଛି ମଉନ ଏହି ଭୀମସେନ ୟା ଗୁଣ ନାହୁଁ କି ଜାଣି ।୩।
ହେଲେ ତାର କୋପ ରଖିବ କା ବାପ ସବଂଶ ତୋ ଦେବ ଝୁଣି ।
ଯେ ଗାଣ୍ଡୀବହୁଳେ ଟେକିଧରିଥିଲା ସପତଦ୍ୱୀପା ଧରଣୀ ।୪।
ଦେଖ ସେ ଅର୍ଜୁନ ହୋଇଛି ମଉନ ଯେହ୍ନେ ମଣିହରା ଫଣୀ ।
ନକୁଳର ବଳ କଳିବ କେ କହ ଅତୁଳ ଯା ଅଙ୍ଗ ଠାଣି ।୫।
କି ହେଲା କି ହେବ କି ହୋଇଛି ସର୍ବ ଜାଣଇ ଯେ ମନ୍ତ୍ରିମଣି ।
ନକହେ ସେ କିଛି ମଉନେ ରହିଛି ପାଣି ବଇଷ୍ଣବ ଭଣି ।୬।
(ହେ ଅବନୀପତି ତୋର..ବୃତ୍ତେ)
ତୁନି ହୁଅ ଦାସୀପୁତ୍ର ବିଦୁର ରେ ତୁହି । ଦର୍ଦୁର ପରାୟେ ବୃଥା ରାବୁ କାହିଁପାଇଁ ।
ଖାଇ କୁରୁଙ୍କର ରେ, ଗାଉ ଗୁଣ ପାଣ୍ଡବ ପକ୍ଷର ରେ ।୧।
କଷ୍ଟ ହେଲେ ଦୁଷ୍ଟବୁଦ୍ଧି ଉଠିଯା ରେ ଏଠୁ । ଯେବେ ଇଷ୍ଟ ଚାହୁଁ ଆଉ ଭାଷ ନାହିଁ କଟୁ,
ରଖ ଶିଷ୍ଟାଚାର ରେ, ଏ ନିଷ୍ଠା ନ ସାଜେ ତୋ ମୁଖରେ ରେ ।୨।
ଥକା ହୋଇ ଦୁଃଶାସନ କିସ ଶୁଣ ତୁହି । ଘେନିଯାଅ ବହନ ବେକରେ ଧକା ଦେଇ ।
ପକା ସଭାତଳେ ରେ, ଶଙ୍କା ଚିତ୍ତେ କର ନାହିଁ ତିଳେ ରେ ।୩।
ବେଗ ବେଗ ହୋଇ ଚଳି ଯା’ରେ ବାରୁଣାକୁ । ଅନ୍ତଃପୁରୁ କେଶ ଧରି ଆଣ ଦ୍ରୌପଦୀକୁ ।
କୁରୁସଭା ପାଶେ ରେ, ଗୁରୁଧ୍ୟାୟୀ ବଇଷ୍ଣବ ଭାଷେ ରେ ।୪।
(ଜୟ ପ୍ରତାପୀ ମତ୍ସ୍ୟ ନରେଶ...ବୃତ୍ତେ)
ଉଠ ଉଠ ରେ ପାଣ୍ଡବ ଏଠୁ ଉଠ ରେ।
ଏହା ଶୁଣୁଛ କେମନ୍ତେ ବସି ଝିଟ ରେ ।ପଦ।
ଅକୁଳା ଅଟ ତ ତୁମ୍ଭେ ଭାଇ ପାଞ୍ଚ ଗୋଟା
ସେ ଯୋଗେ ହୋଇଲ କିରେ ଏମନ୍ତ ନିଲଠା ।
ମରୁ ନାହଁ ଖାଇ କାଳକୂଟ ରେ ।୧।
ଭଲ ମନ୍ଦ ବିଚାର ତ ନାହିଁ ତୁମ୍ଭ ଘରେ
ମୁଣ୍ଡ ଟେକି ନ ପାରିବ ଲାଜ ସରମରେ ।
ପାଞ୍ଚ ଜଣଯାକ ଯେହ୍ନେ ନଟରେ ।୨।
ଗୋଟାଏ ଘରେ ରହିଛି ପାଞ୍ଚଟା ଗୋତର
ଏଥିପାଇଁ କରୁଥାଅ ଏମନ୍ତ ଚାତର
ବଇ କହି ଅଟ ଖାଣ୍ଟି ଖଣ୍ଟରେ ।୩।
(ସମସ୍ତଙ୍କୁ ସଭାତଳେ ବସାଇ ପ୍ରସ୍ଥାନ)
(କି କହିବି ପୂତନା ମୋ...ବୃତ୍ତେ)
ଧିକ ଧିକ ଧିକ ରେ ଦଇବ ତୋର କୂଟ ରେ।
ଏହା ଲେଖିଥିଲୁ ପୁଣି ୟାଙ୍କ ଭାଲପଟରେ।୧।
ଚାହିଁଛନ୍ତି ପାଞ୍ଚଭାଇ ମହୀକି ଅନାଇ ରେ।
ଝରଝର ନେତ୍ରୁ ନୀର ଯାଉଅଛି ବହିରେ ।୨।
ଆରେ ଖଳ ଦୁର୍ଯ୍ୟୋଧନ ହେବୁ ତୁ ନିର୍ମୂଳରେ ।
ନିର୍ଦ୍ଦୋଷୀ ପାଣ୍ଡବେ ଦଣ୍ଡି ପାଇବୁ କି ଫଳରେ ।୩।
ଯେ ସତୀ ଚାହିଁଲେ ଦଗ୍ଧ ହେବ ତିନି ପୁର ରେ।
ତାର କେଶ ଧରି କରେ ଅଣାଉ ପାମର ରେ ।୪।
ଏ ପାପର ପ୍ରାୟଶ୍ଚିତ୍ତ ନିକଟରେ ହେବ ରେ।
ଇଷ୍ଟ ମଣି ସେବେ ତାଙ୍କୁ ଦ୍ୱିଜ ବଇଷ୍ଣବ ରେ।୫।
ଦୁର୍ଯ୍ୟୋଧନ- ତୁନି ହୋ ଦାସୀପୁତ୍ର! ଯେବେ ନିଜର ଭଲ ଚାହୁଁ ତେବେ ଏଠୁ ଉଠିଯା ।
(ବାରୁଣାବନ୍ତେ ଦ୍ରୌପଦୀ ଓ କୁନ୍ତୀଦେବୀ ଉପସ୍ଥିତ)
ଗୀତ- (ମାନକର...ବୃତ୍ତେ)
କିମ୍ପା ମାତ କମ୍ପେ ଚିତ୍ତ ଘଡ଼ି ଘଡ଼ି ମୋହର ।
କି ଅବା ମୋ ପିଣ୍ଡୁ ପ୍ରାଣ ହୋଇଯିବ ବାହାର ।୧।
ନାଚେ ଦକ୍ଷିଣ ଈକ୍ଷଣ ପ୍ରହରକୁ ପ୍ରହର ।
ଯେସନେ ଅଙ୍ଗ ହୁଅଇ ଖାଇଥିଲେ ଜହର ।୨।
ବସନ ଲାଗଇ ଗିରି ବିଷ ଲାଗେ ଆହାର ।
ଏ କି ମନ୍ଦଗତି ଆଜି ଦେଖୁଅଛି ବିହିର ।୩।
ରାହୁ ଗ୍ରାସ କଲା କି ଉଦୟ ହେବା ମିହିର ।
ବଇଷ୍ଣବ ବୋଲେ ଯେ ଯାହାର ସେ ତ ତାହାର ।୪।
(କେତେବେଳେ ଯାଇଁ ଦେଖିବା ଗୋ ମିତ..ବୃତ୍ତେ)
ବଧୂ ମାତ ବିଧୁମୁଖ ମୋ ଆଗେ ତୁ ମଳିନ କରନା ରେ ।ପଦ ।
ଶିଶିରେ ନଳିନୀ ଜଳିଗଲା ପରି ଦିଶୁଛି ଲଳନାରେ ।
ଅନ୍ତର ଭିତର ଯାର ଯାହା ହୁଏ କରେ କେ କଳନା ରେ ।୧।
ଯଦିବା ଆପଦ ପଡ଼ିଥିବ ସୁତେ କାଞ୍ଚନବରନା ରେ ।
ସେଥିପାଇଁ ସତୀ ଅନାଇ ଧରାକୁ କରଜେ ଚିରନା ରେ।୨।
ସମ୍ପଦେ ବିପଦେ ରଖନ୍ତି ପାଣ୍ଡବେ ଯେଉଁ ନନ୍ଦକହ୍ନାରେ ।
ତାରିବେ ଅବଶ୍ୟ ସେହି ପୀତବାସ କାତରେ ଥରନା ରେ ।୩।
ତରାଟି ନୟନ ଛୁଟେ ଦୁଃଶାସନ ଲୁଚ ଯାଇଁ କିନା ରେ ।
କହୁ କି କହିବ ଭାଷେ ବଇଷ୍ଣବ ଗର୍ବ ହେବ ଚୂନା ରେ ।୪।
ଦୁଃଶାସନ- ଛାଡ଼ିଦିଅ ପଥ ମାତ ଭିତର ପୁରକୁ ।
(କୁନ୍ତୀର ଉକ୍ତି)
(ବାଜ ବାଜ ମୋ ବଂଶୀ..ବୃତ୍ତେ)
କେଣିକି ଯାଉ ଏଥି ରହ ରହ ମୋ ବାପ । କିହେତୁ କୋପ ।
କିମ୍ପାଇଁ ଏ ପ୍ରଚଣ୍ଡ ରୂପ ।ପଦ। କହ କାରଣ । ଘେନ ତାରଣ ।
ବାରଣ ନ ଘେନୁ ମୋ ବାପ ।୧।
ଝାଳେ ଜର୍ଜର ଅଙ୍ଗ ତୋହର । କାଳପରି ତୋ କଳାରୂପ ।୨।
ତରୁଣୀ ଆଳେ, ପଶୁ ଏ କାଳେ । ପଶି ନ ଘଟା ମନସ୍ତାପ ।୩।
ଶୁଣନ୍ତେ ସୁତେ । ନିନ୍ଦିବେ ମୋତେ। ବଇ କହି କେ ନେବ ପାପ ।୪।
(କାହିଁଗଲା ସଖି..ବୃତ୍ତେ)
କରି ଦ୍ୟୂତକ୍ରୀଡ଼ା ଜ୍ୟେଷ୍ଠସୁତ ତୋର ହରାଇଛି ମାତ ସରବ ।
ନାହିଁ ରାଜ୍ୟଧନ ଜନ ସିଂହାସନ କାହିଁରେ ବହିବ ଗରବ ।ପଦ।
ନାହିଁ ବୃକୋଦର ଧରି ଗଦା କର ଲଗାଇବ କେତେ ପରବ।
ନାହିଁ ଅର୍ଜ୍ଜୁନ ନକୁଳ ସହଦେବ ବଢ଼ିଛି କୌରବ ଗୌରବ ।୧।
ହରାଇ ଦ୍ରୌପଦୀ ସହିତେ ନିଜକୁ ବସିଛନ୍ତି ହୋଇ ନୀରବ।
ଆସି ଦାସପଣେ ଖଟିବେ ଗହଣେ ଯାଚିଣ ପୂରୁବ ସୌରଭ ।୨।
ଦାସୀ କର୍ମ କରି ଦ୍ରୁପଦକୁମାରୀ ଅନ୍ତଃପୁରେ କାଳ ହରିବ।
ପେଷିଛନ୍ତି ଭାଇ ଯିବି ତାକୁ ନେଇ ଭାଷେ ବଇଷ୍ଣବ ଗରିବ ।୩।
କୁନ୍ତୀ- ଲୁଚିଯାଅ ବୋହୂ ବେଗେ ଦେଖି ଗୁପ୍ତସ୍ଥାନ,
ଦୁଃଶାସନ- ଲୁଚିଲେ କି ସହଜେ ଛାଡ଼ିବ ଦୁଃଶାସନ?
କୁନ୍ତୀ- ବୋହୂ ଝିଅ ଘେନି କି ତୁ କରିନାହୁଁ ଘର?
ଦୁଃଶାସନ- ପୋଡ଼ୁ ଘର, ଫେରିଗଲେ ନ ଘେନି ରହିବ ନାହିଁ ଶିର।
କୁନ୍ତୀ- ତୋ ତୁଣ୍ଡ ସୁତୁଣ୍ଡ ହେବ ଦିନେ ଆରେ ଦୁଃଶା!
ଦୁଃଶାସନ- (କେତେବେଳେ ହେବ) ଏକ୍ଷଣି ତ ପଡ଼ିଛି ସୁଦଶା।
କାହିଁ କେଉଁଠାରେ ପାଞ୍ଚାଳୀ? ନାହିଁ ବୃକୋଦରପୁରେ। ନାହିଁ ଅର୍ଜ୍ଜୁନର
ପୁରେ, ନ ଦେଖିଲି ମାଦ୍ରୀସୁତ ପୁଣି ସହଦେବ ଆଳେ। ଦେଖେ ଯାଇଁ ଯୁଧିଷ୍ଠିର
ଚନ୍ଦ୍ରଶାଳାପୁର ଏହିକାଳେ। ଏହି ଯେ ଲୁଚି ବସିଛି ଦ୍ରୌପଦୀ ଏଠାରେ।
ଗୀତ- (ସଜ ଫୁଲଟିଏ..ବୃତ୍ତେ)
ମୋତେ ଛୁଅଁନା ଛୁଅଁନା ଛୁଅଁନା ଦୁଃଶା!
ଛୁଇଁଲେ ପଡ଼ିବ କୁଦଶା। କରନା କରନା ଭଗାରିହସା ।ପଦ।
ସ୍ତିରୀ ସ୍ୱଭାବ ସ୍ଥିରେ ତୁ ଭାବ ମୋର ହୋଇଛି କାଲିଠାରୁ।
ଗଲେ ସପତଦିନ ହୋନ୍ତି ଶୋଧନ ନାରୀଏ ଅସପର୍ଶରୁ।
ଏକ ଦିବସେ ଯେ ଛୁଏଁ ନାରୀ ଦେହ,
ସେହି ପାପରୁ ପତିତ ହୁଏ କାୟ।
ଦୁ ଦିବସେ ଛୁଇଁଲେ ଶେଷେ କୁମ୍ଭୀପାକ ନର୍କେ ହୁଅଇ ବସା।୧।
ତିନି ଦିନରେ ଘେନ ମନରେ ଘଟେ ବ୍ରହ୍ମହତ୍ୟାର ଫଳ,
ଚାରି ଦିବସେ ଛୁଅଁନ୍ତେ ନାରୀ ପିତୃ ନପାନ୍ତି ଜଳ।
ପାଞ୍ଚଦିନେ ପାଞ୍ଚ ଚିର ଦୁଃଖୀ ହୋଇ
ଛଅଦିନେ ନାନା କ୍ଳେଶ ସହେ ସେହି।
ବଇଆ ଭାଷେ ସାତଦିବସେ ପାଏ ଦେବସମାଜରେ ବସି ତା ଆଶା।୨।
(ଦୁଃଶାସନ କେଶ ଓଟାରି-ଗୀତ)
(ଚାଲ୍ ଚାଲ୍ ଚାଲ୍ ରାଣ୍ଡିଲୋ..ବୃତ୍ତେ)
ଚାଲ୍ ଚାଲ୍ ଚାଲ୍ ପାଞ୍ଚାଳୀ ଛଳାଇ କହୁଛୁ କେତେ ସେ କଥା ।
ଅକାଳେ ନିୟମ ନ ମାନିବ ବୋଲି ବେଦରେ ଲେଖିଛି ଚତୁରମଥା ।ପଦ।
ଗୋ ବ୍ରାହ୍ମଣ ନାରୀ ନାଶରେ, ଯେତେ ପାପ ଅଛି ସଂସାରେ ।
ହେଲେ ହେଉ ପଛେ ସେ ପାପ ମୋହର ହରାଇ ଆସିଛି ମାୟାମମତା ।୧।
ଅଶ୍ୱତ୍ଥାମା ଶକୁନି ଦ୍ରୋଣ, ଶଲ୍ୟ କର୍ଣ୍ଣ କୃପ ବ୍ରାହ୍ମଣ । ଭୂରିଶ୍ରବା
ଆଦି ମୋର ଯିବା ବାଟ ଚାହିଁ ରହିଥିବେ କରିଣ ଚିନ୍ତା ।୨।
ବିଳମ୍ବରେ କୁରୁ ସମ୍ରାଟ,ଚିତ୍ତେ କେତେ ବହିବେ ରୁଷ୍ଟ ।
ହୃଦୁଁ ତେଜି ରାଗ ଚଳ ବେଗ ବେଗ ପାଦଗାମୀ ହୋଇ
ଦ୍ରୁପଦସୁତା ।୩। ଚୁଟି ଗୋଟି ଅଛି ମୋ ହାତେ, ଛାଟିହେଲେ ଯିବୁ କି ସତେ । ତାହା
ନ ପଟିବ ଭାଷେ ବଇଷ୍ଣବ ରଖି ନ ପାରିବେ କୋଟି ଦେବତା ।୪।
(ଦୁଃଶାସନ ଦ୍ରୋପଦୀର କେଶ ଧରି ସଭାରେ ପ୍ରବେଶ।
(ଦୁର୍ଯ୍ୟୋଧନର ଗୀତ)
(ଆହା ସୁକୁମାରୀ..ବୃତ୍ତେ)
କଳକଣ୍ଠୀ ବଳେ ଆସ ରେ ଚପଳେ, ଆଶ୍ରୟ କର ମୋ ବାହାକୁ,
କଳାକରମୁଖ ମଳିନ ନ କର ଯେକାଳେ ଯେ ଭୋଗ ଯାହାକୁ ।ପଦ।
ହରାଇ ସମ୍ବଳ ତୋର ପତିକୁଳ, ମୋ ଦାସ ହେବାର କରିଛନ୍ତି ମୂଳ
ତୋତେ ଦାସୀଆଶେ ଆଣିଅଛି ପାଶେ କି ହେବ ଅନାଇ ତାହାଙ୍କୁ।୧।
ଚପଳବରନା କହୁଛି ମୁଁ ସତ, ଦାସୀଭାବେ ପୁରେ ରହିବୁ ନିୟତ,
ନ କର ଭାବନା ଆରେ ବରାଙ୍ଗନା ଲିଭାଅ ତୋ ଦୁଃଖ ଦାହକୁ।୨।
ପାଣ୍ଡବ ଭରସା ଖଣ୍ଡିଦେ ରେ ଯୋଷା, ଦାସୀ ହୋଇ ସଦା ପୂରା ମନ ଆଶା।
ମୋ ପୁରକୁ ମଣ୍ଡ ଭଣେ ବଇ ଗଣ୍ଡ, ଚୁମ୍ବକ ଓଟାରେ ଲୁହାକୁ।୩।
(ଭୀମର କ୍ରୋଧାନ୍ତି)
ଗୀତ- (ଜୟ ରଘୁନାଥ..ବୃତ୍ତେ)
ରେ ଅନ୍ଧକୁମର କି ପସନ୍ଦ ତୋର ମନ୍ଦବୁଦ୍ଧି ବିଧି ଦେଲା ତୋତେ।
ହୋଇଣ ବାମନ ବଳାଇଲୁ ମନ ଚାନ୍ଦ ଧରିବାକୁ ବେନି ହାତେ ।
ଏହି ବାତସୁତ, କରେ ହେବ ୟାର ପ୍ରାୟଶ୍ଚିତ୍ତ ।୧।
ଦେଖାଇ ଯେ ଜାନୁ ବୋଇଲୁ ରେ ଭାନୁମତୀ-ପତି ସତୀ ବସିବାକୁ।
ଏହି ଗଦାଘାତେ ଦିନେ ତା ଚୂରିବି ବିଦାରିବି ନଖେ ଦୁଃଶା ବୁକୁ ।
କରି ରକ୍ତ ପାନ, ତୃପ୍ତ ହେବ ମନ ସେହି ଦିନ ।୨।
ଯେଉଁ କରେ ଦୁଷ୍ଟ ଧରି କୃଷ୍ଣାକେଶ ଆଣିଅଛୁ କୁରୁସଭାତଳେ।
ସେ କର ଓପାଡ଼ି ଫୋପାଡ଼ିବି ନିଶ୍ଚେ ସାକ୍ଷୀ ଥାଅ ଦଶଦିଗପାଳେ।
ଅନେଶ୍ୱତ ଭ୍ରାତ, ଏ ଗଦା ପଦା କରିବ ସତ୍ୟ ।୩।
ଏ ଅଟଳ ପଣ ଟଳିବ ଯେବେ ମୁଁ ପଡ଼ିବଇଁ ନର୍କ କୁମ୍ଭୀପାକେ।
ମାରୁଛି ହୃଦୟ କରତି ହେଉଛି ଦେଖୁଛ ତ ନେତ୍ରେ ସର୍ବଲୋକେ।
ଭାଷେ ବଇଷ୍ଣବ, ଏ ରସା କୌରବଶୂନ୍ୟ ହେବ।୪।
(ଅର୍ଜ୍ଜୁନର ଗୀତ)
(ନିଅ ନିଅ ସୁତକୁ ତୁମ୍ଭର ହେ..ବୃତ୍ତେ)
କର ଭାଇ ଛାତିକି ପଥର ହେ, ଏତେବେଳେ ।ପଦ।
ଥିଲେ ଧର୍ମ ଅନୁମତି। ଶରେ କୁରୁ ସୈନ୍ୟ ଗୁନ୍ଥି,
ପକାଇ ଦିଅନ୍ତି ସିନ୍ଧୁ ଜଳେ ହେ।୧।
ଦେଖି ଏଡ଼େ ଅପମାନ। ଜୀବନ ଧରି ଅର୍ଜ୍ଜୁନ,
ବସି କି ଥାଆନ୍ତା ସଭାତଳେ ହେ।୨।
କେଭେ ଏଡ଼େ ପାପଭରା। ନ ସହିବ ବସୁନ୍ଧରା,
କୁରୁକୁଳେ ମରିବେ ସମୂଳେ ହେ।୩।
ଅରଜିଲେ ଜ୍ୟେଷ୍ଠ ଯାହା। ସକଳେ ଭୁଞ୍ଜିବା ତାହା,
ବିପ୍ର ବଇଷ୍ଣବ ରସେ ଭାଳେ ହେ।୪।
(ଦୁର୍ଯ୍ୟୋଧନର ଗୀତ)
(ପଟିଲା ନାହିଁ ମୋ..ବୃତ୍ତେ)
ରାଣ୍ଡଛୁଆ ଭାଣ୍ଡ କେତେ ହୁଅ ହାଉଁ ହାଉଁ ରେ।
ରୁଣ୍ଡ ହୋଇ ବସ ତୁଣ୍ଡ ଫିଟା ନାହିଁ ଆଉ ରେ।ପଦ।
ମୁଣ୍ଡ ବିକି ମୋର ଘର। ତାଣ୍ଡବ ନୃତ୍ୟ ଆଚର।
ଚଣ୍ଡପଣ ତେଜ ପଡ଼ କିପାଁ ତଣ୍ଡ ଭାଉ ରେ।୧।
ହୁଣ୍ଡା ପରାୟେ ବିଚାର। ଏଠି ଆଉ ନ ଆଚର।
ତୁମ୍ଭେ ପରା ମୋ ଖାତକ ମୁଁ ତୁମ୍ଭର ସାହୁ ରେ।୨।
କାଢ଼ି ନିଅ ଦୁଃଶାସନ। ଦ୍ରୌପଦୀ ଅଙ୍ଗୁବସନ।
ତାର ଶୋଭା ରାଶି ସଭା ମଧ୍ୟେ ଦେଖାଯାଉ ରେ।୩।
ଗଣିକାଗଣେ ଗଣନା। ଏ ନାରୀ ଅଟେ ଜାଣନା।
ବଇ ଭାଷେ ତା ପାଶେ ପଶିବ ଲଜ୍ଜା କାହୁଁ ରେ।୪।
(ଦୁଃଶାସନ ଦ୍ରୌପଦୀର ବସନ କାଢ଼ନ୍ତେ ସମସ୍ତଙ୍କୁ ଦ୍ରୌପଦୀର ଉକ୍ତି)
(ନମସ୍ତେ ହେ ଚିନ୍ତାମଣି..ବୃତ୍ତେ)
ଦେଖୁଛ ତ ପିତାମହ ଆଚାର୍ଯ୍ୟ ମୋ କଷ୍ଟ।
ତୁମ୍ଭ ଆଗେ ଏତେ ଶାସ୍ତି ଦେଉଛି ପାପିଷ୍ଠ।ପଦ।
ଦେଖ ସଞ୍ଜୟ ବିଦୁର। ହେଲି ଆସି ଏତେ ଦୂର।
ଭିଦୁର ପଡ଼ି ମୋ ଶିରେ ନ ଯାଏ ଏ ଘଟ।୧।
ଦୁହିତା ଦୁର୍ଗତି ଦେଖି। କେସନେ ହେଉଛ ସୁଖୀ।
ନ କହୁଛ ପଦେ କେହି ସାଧୁଛ କି ହଟ।୨।
ପୋଡ଼ୁ ପୋଡ଼ୁ ଧର୍ମରାଜ। ତୁମ୍ଭର ଏମନ୍ତ କାର୍ଯ୍ୟ
ପୋଡ଼ୁ ବୃକୋଦର ତୋର ବଳବୀର୍ଯ୍ୟ ଆଣ୍ଟ।୩।
ଗାଣ୍ଡିବୀ ଗାଣ୍ଡୀବ ତୁହି। ବୃଥାରେ ବହୁ କିପାଇଁ।
ହେ ନକୁଳ ସହଦେବ ହୁଡ଼ିର କି ବାଟ।୪।
ଧରି ମହା ମହା ବଳ। ଅନାଇଛ ଜଳଜଳ।
ବଇ ଭାଳେ ଏତେବେଳେ ହେଲ କିବା କାଠ ।୫।
ଗୀତ- (ସୁନ୍ଦରି ଶୁଣି ମନଦେଇ..ବୃତ୍ତେ)
ଭୀମ- କଟୁ କହ ନାହିଁ ସତି! ଯେବେ ଥାନ୍ତା ଜ୍ୟେଷ୍ଠ ଅନୁମତି।
ଏହା କରନ୍ତା କି କୁରୁପତି ।ପଦ।
ଗଦାଘାତେ ପଦା କରନ୍ତି ଏକ୍ଷଣି ଶତ ଶତ ମହାରଥୀ।
ଦୁର୍ଯ୍ୟୋଧନ ତୁଲେ, ଯେହ୍ନେ ପଦ୍ମବନ ଦଳିଦିଏ ମତ୍ତ ହସ୍ତୀ ।୧।
ଅର୍ଜ୍ଜୁନ- ଗାଣ୍ଡୀବରେ ଶର କରିଣ ସନ୍ଧାନ କର୍ଣ୍ଣ ତୁଲେ ଯେତେ ଛନ୍ତି।
ସମସ୍ତଙ୍କ ମୁଣ୍ଡ ଖଣ୍ଡ ଖଣ୍ଡ କଲେ ହୁଅନ୍ତା ଏ ଚିତ୍ତ ଶାନ୍ତି।୨।
ନକୁଳ- ତୋର ଅପମାନ ନିରେଖି ନୟନ ରହନ୍ତା କି ନିଜ ଜ୍ୟୋତି।
ଶୁଣି ନାହୁଁ କୁନ୍ତମୁନେ ଧରିଥିଲି ନବଦିନ ଏ ଧରିତ୍ରୀ ।୩।
ସହଦେବ- ଆହା କରିବାକୁ କାହା ଶକ୍ତି ନାହିଁ ସରବେ ନୀରବେ ଛନ୍ତି।
ଚିନ୍ତାମଣି ବିନୁ ପାରି କେ କରିବ ପାଣି ବଇଷ୍ଣବ ଚିନ୍ତି ।୪।
(ରାଗ-ଚୋଖି)
ରଖ ହେ ଅଗତିଗତି ମାୟା ମୋହନ ମୂରତି, କୁରୁ ସଭାତଳେ ସତୀ ଡାକେ ଆରତେ ।
ଅତି ସଙ୍କଟରେ ପଡ଼ି ମତି ମୋ ଯାଉଛି ହୁଡ଼ି, ବୁଡ଼ିମଲି ଚିନ୍ତାମଣି ଚିନ୍ତା ସରିତେ।
ନିରତେ ମୁଁ ତୁମ୍ଭରି ଦାସୀ,
ରକ୍ଷାକର ଏତେବେଳେ ମୋ ମାନ ଆସି ।୧।
ଯେତେବେଳେ ନେଇ ନକ୍ର ଜଳେ ମାଡ଼େ ଗଜବକ୍ର, ଚକ୍ରଧର ରଖ ବୋଲି ଛାଡ଼ିଲା ଡାକ।
ପଡ଼ିଥିଲା ପଶାପାଲି ବହନ ଆସିଲ ଚାଲି, ଶୂନ୍ୟେ ଥାଇ ଚକ୍ର ପେଶି ନାଶିଲ ଦୁଃଖ।
ବକ୍ରେ କାଟି କୁମ୍ଭୀର ଶିର,
ଗଜଉଦ୍ଧାରଣ ବାନା ଉଡ଼େ ସଂସାର ।୨।
ଆତଙ୍ଗେ ଡାକିଲା ଏଣୀ, ଶୁଣିଲ ତା ଚକ୍ରପାଣି, ଅନଳୁ ରଖିଛ ତାକୁ ବାଳକ ତୁଲେ ।
ନ ମାନିଲେ ପଦ୍ମଆକ୍ଷି ଲକ୍ଷ ଲକ୍ଷ ଛନ୍ତି ଦେଖି, ସାକ୍ଷୀ ଦେବେ ପଶୁ ପକ୍ଷୀ ମାନବେ ଭଲେ ।
ହିରଣ୍ୟାକ୍ଷ ବକ୍ଷ ଚିରିଲ। ।
ବିପକ୍ଷେ ବିନାଶି ପ୍ରହଲ୍ଲାଦେ ତାରିଲ ।୩।
ବିମାତାର ଅପମାନେ ପୂର୍ବେ ଧ୍ରୁବ ଘୋରବନେ ତପକରୁ ଧ୍ରୁବଲୋକେ ଦେଲ ବସାଇ ।
ଘେନି ଋକ୍ଷ କପିଗଣେ ନାଶି ରାକ୍ଷସ ରାବଣେ, ବିଭୀଷଣ ଶୋକସିନ୍ଧୁ ଦେଲ ଶୋଷାଇ ।
କୀର୍ତ୍ତି କ୍ଷିତି ଉପରେ ଘୋଷେ,
ମୋ ଶୋକ କି ହେତୁ ଶ୍ରୁତିଯୁଗେ ନ ପଶେ ।୪।
ଭେଦି କନକ ପର୍ବତ ସନକାଦି ଋଷି ସପ୍ତ, ପୂଜନ୍ତି ଯେ ପାଦପଦ୍ମ ଗଙ୍ଗା ଝରୁଛି ।
ଏ ବିପଦକାଳେ ତୋର ସେ ପଦକରିଛି ସାର, ବିପଦ ପଳାଉ ମୋତେ ବାଟ ଘେରୁଛି।
ସରସୀକି ମଣି ଗୋଷ୍ପଦ,
ତୋତେ ଧ୍ୟାଇ ବଇଷ୍ଣବ ରଚଇ ପଦ ।୫।
କର୍ଣ୍ଣ- ଦୁଃଶାସନ, ଶୀଘ୍ର ଶୀଘ୍ର ଉଲଗ୍ନକର ।
(କୃଷ୍ଣ ଶୂନ୍ୟରେ ଥାଇ ବସ୍ତ୍ର ଯୋଗାଇବାର)
ଦୁଃଶାସନ- ଏ କି ଭୟଙ୍କର କାଣ୍ଡ, ଦେଖାନାହିଁ ସପତ ବ୍ରହ୍ମାଣ୍ଡ।
ଗୀତ-(ଯାଅ ଯାଅ ନନ୍ଦି ବହନ..ବୃତ୍ତେ)
ନ ପାରିବି ଓଟାରି ଆଉ। ଯେତେ ଟାଣେ ତେତେ ଆସୁଛି କାହୁଁ।
ରସୁଣ ଦେହର ଚୋପା ପରକାର ବାହାରେ କି ମନ୍ତ୍ର ଜାରଇ ଏହୁ ।ପଦ।
ଯେତେବେଳେ ଆଣେ ଓଟାରି। ଜଣାଯାଏ ନ ଥିଲା ପରି।
ନ ପଡ଼ୁଁ ପଲକ ଦିଶେ ଏକ ଏକ ଯୋଗାଇ ଯେମନ୍ତେ ଦେଉଛିକେହୁ।୧।
ଇନ୍ଦ୍ରଜାଲ ବିଦ୍ୟା କି ଅବା। ଶିକ୍ଷା କରିଛନ୍ତି ପାଣ୍ଡବା। ୟାର ଚାରିପାଖେ
କାହାକୁ ନ ଦେଖେ ଯୋଗାଏ ଲୁଗାମାନ ଚାହୁଁ ଚାହୁଁ।୨।
ସରିଲାଣି ମୋ ବୁଦ୍ଧିବାଟ। ସାରିଲାଣି ବିଧି ମୋ ଆଣ୍ଟ। କରିବି
ମୁଁ କିସ ବଇଷ୍ଣବ ଭାଷ, ମୁଁ ହେଲି ଖାତକ ସେ ହେଲେ ସାହୁ।୩।
(କର୍ଣ୍ଣର ଗୀତ)
(ସୁବଳ ମୋ ବନମାଳୀ ଲାଗିଲା ତୋତେ..ବୃତ୍ତେ)
ଦୁଃଶାସନ, ଆଉ ଭାବୁ କାହିଁ ପାଇଁକି। ସଭାତଳୁ ଉଠା ଏହି ପାଞ୍ଚଭାଇଙ୍କିରେ ।ପଦ।
ଯେ ଯାହା କାର୍ଯ୍ୟେ ନିଯୁକ୍ତ ହେଉନ୍ତୁ ଜାୟା ସହିତ।
ନୋହିଲେ କଟାନ୍ତୁ ଦିନ ବନେ ଯାଇଁକି ରେ।୧।
ନ ରହି ବାରୁଣାବନ୍ତେ। ମରନ୍ତୁ ଘୋରବନସ୍ତେ।
ଦ୍ୱାଦଶବରଷ ନାନା କଷ୍ଟ ସହିକିରେ ।୨।
ଏହାପରେ ତେରମାସ, କରନ୍ତୁ ଅଜ୍ଞାତବାସ ।
ଦେଖା ଦେଲେ ନ ପାଇବେ ନିଜ ଭୂଇଁକି ରେ।୩।
ଯେ ଦିନ ପଡ଼ିବେ ଦେଖା । ସେ ଦିନୁ ଚିରିବା ଲେଖା,
ପୁଣି ବୁଲିବେ ଗହନେ ଭଣେ ବଇକି ରେ ।୪।
ଦ୍ରୋଣ- ଦୁର୍ଯ୍ୟୋଧନ! ବେଶି କଷ୍ଟ ଦେନା । ଦ୍ରୌପଦୀ ଯେବେ କୋପନେତ୍ରେ ଚାହିଁବ ତୋର ପୁର ସହିତେ ଜଳିଯିବ ।
(ଦ୍ରୌପଦୀ କ୍ରୋଧନେତ୍ର ପଡ଼ନ୍ତେ ପୁର ଭସ୍ମହେବାର-ଭାନୁମତି ଉଲଗ୍ନ ପ୍ରାୟ ହୋଇ ସଭାରେ ନାଚି ନାଚି ପ୍ରବେଶ)
ଗୀତ-
ସରବେ ବସିଣ କରୁଛ କିସ । ଜଳିଣ ହସ୍ତିନା ହେଲାଣି ଭସ୍ମ।ପଦ। ଯେତେ
ଯେତେ ଧନ ହୋଇଥିଲା ପୂର୍ଣ୍ଣ ଘୋଡ଼ା ହାତୀ ଓଟ ଗୋରୁମହିଷ ।୧।
ସବୁ ଗଲା ପୋଡ଼ି, ନ ପାରିଲୁ କାଢ଼ି ପିନ୍ଧିବାର ଶାଢ଼ି ନ ମିଳେ ଲେଶ ।୨।
ଅଙ୍ଗେ ଥିବା ଚେଳ ଗ୍ରାସିଲା ଅନଳ, ବାନ୍ଧି ନ ପାରିଲୁ ଫିଟିବା କେଶ ।୩।
ଗର୍ଜେ ବୈଶ୍ୱାନର ପଶି ଘର ଘର, ପ୍ରତିକାର କର ବଇର ଭାଷ ।୪।
ଭୀଷ୍ମ-ଓଃ, ଏସବୁ ପାପର ଫଳ- ଅକସ୍ମାତେ ଅଗ୍ନି କାହୁଁ କରନ୍ତା କବଳ?
ଚାଲ ପୁରୁ ସର୍ବେ ମିଳି ଲିଭାଇବା ଅନଳ, ଆଣି କୂପ ତଡ଼ାଗରୁ ଜଳ।
ଦୁର୍ଯ୍ୟୋଧନ-ଦେଖ ପିତାମହ! ଏ ଦିଗେ କି ଶୁଭେ କୋଳାହଳ?
ବିଦୁର-ରେ ଅନ୍ଧଦୁଲାଳ! ଦେଖ ଉଲଗ୍ନ ହୋଇ ଆକୁଳେ ପଳାନ୍ତି ରାଣୀକୁଳ।
(ଏହିକାଳେ ରାଜା ପାଶେ ଦୂତ ଜଣାଇବାର)
ଗୀତ-(ଆସ କିଏ ଯିବ ରେ..ବୃତ୍ତେ)
ଚାଣ୍ଡେ ଆସ ଧାଇଁ ହେ, ଦେବ ଗାନ୍ଧାରୀସାଇଁ । ରାଣ୍ଡପଲ ପରା ହୋଇ କଲବଲ
ବୋହୂପଲ ଛନ୍ତି ଧାଇଁ ହେ ।ପଦ। ନାହିଁ ଖଣ୍ଡେ କା’ ଠାରେ ବାସ । ଫିଟିଅଛି ମୁଣ୍ଡର
କେଶ। ତୁଣ୍ଡେ ହାହାକାର ସ୍ୱର କେ କରନ୍ତି ପାଟି ଫିଟୁନାହିଁ ହେ ।୧।
ଧର୍ମରାଜ ସଙ୍ଗତେ ପଶା, ଖେଳିବାରୁ ହେଲା ଏ ଦଶା ।
ଜଳିଗଲା ପୁର ହୋଇ ଫରଫର କୋପ ନେତ୍ରେ ସତୀ ଚାହିଁ ହେ ।୨।
ଚିନ୍ତୁଥିଲେ ମନ୍ଦ ପରକୁ, ହେଲା ତାହା ନିଜ ଘରକୁ।
ତାଙ୍କ ଧନମାନ ଆଣନ୍ତେ ରାଜନ ନିଜ ଧନ ଗଲା କାହିଁ ହେ ।୩।
କୁରୁ ସଭାତଳେ ପାଣ୍ଡବ, ଛନ୍ତି ଲାଗି ଅଛି ତାଣ୍ଡବ ।
ଅଚନ୍ତି ଦ୍ରୌପଦୀ କର ଯା ବିନତି ବଇଷ୍ଣବ ରସେ କହି ହେ ।୪।
(ଧୃତରାଷ୍ଟ୍ରର ଗୀତ)
(ଫେଡ଼ ହେ ସଖା..ବୃତ୍ତେ)
ଘେନି ଚାଲ ଦୂତରେ ଘେନି ଚାଲ ଦୂତ ।
ବେଗ ବେଗ କରି ଯେତେ ନାରୀଯୂଥ ।ପଦ।
କରେ ଘେନି ଅର୍ଘ୍ୟଥାଳି । ଦ୍ରୌପଦୀ ନିକଟେ ମିଳି ।
ବନ୍ଦାଇଣ କରାଇବା କୋପ ଶାନ୍ତରେ ।୧।
ଦେବା ତାଙ୍କୁ ମୁକ୍ତ କରି । ବାରୁଣାକୁ ଯିବେ ଫେରି
ଡେରି ହେଲେ ନ ପାଇବ ହାତକାତର ।୨।
କାହିଁପାଇଁ ଦୁର୍ଯ୍ୟୋଧନ କଲା ଏମନ୍ତ
ବିଧାନ। ପିଲାକାଳରୁ ପାଣ୍ଡବେ ବଳବନ୍ତରେ ।୩।
ଥିଲେ ତହିଁ ଭୀଷ୍ମ ଦ୍ରୋଣ, ନ କଲେ
ପଦେ ବାରଣ । ରଚେ ବୈଷ୍ଣବଚରଣ ଏହି ଗୀତରେ ।୪।
(ଅର୍ଘ୍ୟଥାଳି ଘେନି ସ୍ତ୍ରୀଗଣ ସହ ଧୃତରାଷ୍ଟ୍ରର ଦ୍ରୌପଦୀ ପାଶେ ପ୍ରବେଶ ହୁଳହୁଳି ଦେଇ ବନ୍ଦାପନା କରି)
ଧୃତରାଷ୍ଟ୍ର- ମାଗ ବର ପାଞ୍ଚାଳନନ୍ଦିନୀ ଇଚ୍ଛା ଯାହା,
ଦ୍ରୌପଦୀ- ଦାସତ୍ୱରୁ ମୁକ୍ତ ହୋନ୍ତୁ ମୋର ପଞ୍ଚନାହା।
ଧୃତରାଷ୍ଟ୍ର- (ଅସ୍ତୁ) ଆଉ କିସ ବାଞ୍ଛା ଅଛି ବେଗେ କହ ତୁହି
ଦ୍ରୌପଦୀ- ରାଜ୍ୟଧନ ସିଂହାସନ ଦିଅ ମୁକୁଳାଇ।
ଧୃତରାଷ୍ଟ୍ର- (ଅସ୍ତୁ) ପତି ସଙ୍ଗେ ନେଇ ବାରୁଣାକୁ ଯାଅ ଚଳି
ଦ୍ରୌପଦୀ- ଆଉ ଏକ ବରେ ପିତା ମନ ଅଛି ବଳି।
ଧୃତରାଷ୍ଟ୍ର- ତିନିବରେ ସ୍ତ୍ରୀଙ୍କର ଅଧିକାର ନାହିଁ
ଦ୍ରୌପଦୀ- ଆଉ ବାରେ ହାରିଲେ ତେଜିବୁ ନିଜ ଭୂଇଁ
(ସମସ୍ତଙ୍କର ପ୍ରସ୍ଥାନ)