ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦ

ଗଣକବି ବୈଷ୍ଣବ ପାଣି

 

ନଟୀର ପ୍ରବେଶ

ଗୀତ- (ଶୁଣ ମୋ ଭାଉଜବୋହୂ...ବୃତ୍ତେ)

ଘନ ଘନ ଝୁଲୁ ଏତେ କନକଲତା କାହିଁକି

କାହା ସ୍ନେହେ ମନ ମଜ୍ଜାଇ ଦେଇଛୁ ବିକି ।ପଦ।

ହେଲା ପରି ଛନ୍ନଛନ୍ନ            ଦିଶଇ ତୋ ଅପଘନ

ତେଜିଲେ ତରୁ ତୁରିତେ କି ହେବ ମନେ ନାହିଁକି ।୧।

ତା ଦେହେ ଥିବାରୁ ଜଡ଼ି            ତୋ ଶୋଭା ଯାଇଛି ବଢ଼ି

ହଲାଇ ଫୁଲାଇ ହୋଇ ଦେଖାଉ ନିଜ ଛଇକି ।୨।

କାନ୍ତ-ବିହୀନରେ କାନ୍ତା            ଲଭେ ଯେମନ୍ତ ଅବସ୍ଥା

ତେମନ୍ତ ଭାବ ଏ କଥା ଯେ ଯୋଗ ଜାଣ ଯହିକି ।୩।

ଚରାଚର ହୋଇ ଚିର            ନାହିଁଟି କିଛି କାହାର

ଅଚିର ଧନଜୀବନ ଯୌବନ ଜଣା ବଇକି ।୪।

ନଟ- (ପ୍ରବେଶି) ପ୍ରିୟମ୍ବଦେ ! ପଦେ ପଦେ ତୁମ୍ଭ ମୁଖେ ପ୍ରକୃତିବର୍ଣ୍ଣନା କବିତାର ଛଟା ଫୁଟିପଡ଼େ । ପ୍ରକୃତରେ ସଙ୍ଗୀତପ୍ରବୀଣା ବୀଣା-ବଚନା ନାମକୁ କରିଛ ସାର୍ଥକ ଧରାତଳେ । ଭାଷ ରସବତୀ ! କି ବିଷୟ ଦେଖାଇବା ଅଦ୍ୟ ରଙ୍ଗସ୍ଥଳେ ?

ନଟୀ- ପ୍ରିୟବର ! ମନେ କି ନପଡ଼େ ଗତ କଥା ? ମହାଭାରତ ପୁରାଣୁ ଉଦ୍ଧୃତ କରିଣ ଲେଖିଛନ୍ତି ଯେଉଁ ‘‘ଜୟଦ୍ରଥବଧ’’ ଗୀତିନାଟ୍ୟ ତାହା ଆଜି ଦର୍ଶକଗଣଙ୍କ ଆଗେ ଦୃଶ୍ୟକାବ୍ୟ ରୂପେ ଦେଖାଇବା ଏଥେ । ଲେଖିଛନ୍ତି ଭୀଷ୍ମ-ଶରଶଯ୍ୟା, ତା’ପରେ ଅଭିମନ୍ୟୁବଧଠାରୁ ଜୟଦ୍ରଥ-ନିଧନ ପର୍ଯ୍ୟନ୍ତ କର ପରକାଶ ।

ନଟ- ଯଥାର୍ଥ କହିଛ ପ୍ରିୟେ ! ସେହିକଥା ଭାବିଥିଲି ମୁହିଁ ଏଥେ ଆସିବାର ବେଳେ । ଚାଲ ଶୀଘ୍ର ସଜାଇବା ଅଭିନେତୃଦଳେ ।

ନଟୀ- ଚାଲ ପ୍ରିୟ !

(ଉଭୟ ପ୍ରସ୍ଥାନ)

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

(ଡୁଏଟ୍)

ପୁରୁଷ- ଖବର ବଡ଼ ଜବର...କହିଲେ ମାଡ଼ିବ ଡର

ଦ୍ରୋଣ କରି ଚକ୍ରବ୍ୟୂହ ପୃଥ୍ୱୀ କରେ ଥରହର ।ପଦ।

ସ୍ତ୍ରୀ- କି ହେବ ଚକ୍ରବ୍ୟୂହରେ, ବୁଝାଇଣ କହ ଥରେ

ପୁରୁଷ- ତହିଁ ପାଣ୍ଡବମାନଙ୍କ ପ୍ରାଣ କରିବ ସଂହାର ।୧।

ସ୍ତ୍ରୀ- ଧାର୍ମିକ ପଞ୍ଚପାଣ୍ଡବ, ତାହାଙ୍କୁ କେବା ଦଣ୍ଡିବ

ପୁରୁଷ- ଏକା ବ୍ୟୂହ ଭେଦି ଜଣେ ଧନଞ୍ଜୟ ଧନୁର୍ଦ୍ଧର ।୨।

ସ୍ତ୍ରୀ- ବ୍ୟୂହ ଭେଦି ବୀର ପାର୍ଥ, କୌରବେ କରିବେ ହତ

ପୁରୁଷ- ନାରାୟଣୀ-ସେନା ସଙ୍ଗେ କରୁଛନ୍ତି ସେ ସମର । ୩।

ସ୍ତ୍ରୀ- ବ୍ୟୂହ କେ ଭେଦିବ କହ, ଶୁଣି ଲାଗିଲା ସଂଶୟ

ପୁରୁଷ- ପ୍ରସ୍ତୁତ ହେଲାଣି ତେଣେ ଅଭିମନ୍ୟୁ ବାଳବୀର ।୪।

ସ୍ତ୍ରୀ- ଅଟଇ ବାଳକ ସେହି, କି ରଣ କରିବ ଯାଇଁ

ପୁରୁଷ- ଆଖି ଆଗେ ଦେଖାଯିବ ସବୁ କଥା ଥୟ ଧର ।୫।

ସ୍ତ୍ରୀ- ଧାର୍ମିକକୁ ରଖୁ ଧର୍ମ, ଏତିକି ମୋ ନିବେଦନ

ପୁରୁଷ- ଦଣ୍ଡ ପାଉ ପାପୀ ବିଶ୍ୱେ ବିପ୍ର ବଇଷ୍ଣବ ଗିରି ।୬।

(ଉଭୟର ପ୍ରସ୍ଥାନ)

ଦ୍ୱିତୀୟ ଦୃଶ୍ୟ

(ଉତ୍ତରା ଓ ଚିତ୍ରାବତୀ ପ୍ରବେଶ)

ଚିତ୍ରାବତୀ- ସଖୀ ଉତ୍ତରା ! ତୁମେ ତ ଆଉ ଚଳି ପାରୁନାହିଁ ।

ଦେହଟା ଭାରି ଭାରି ଲାଗିଲାଣି ନାଁ କଣ ?

ଗୀତ- (କହ ସଜନୀରେ କି ହେଲା କାଲି ରାତ୍ରିରେ....ବୃତ୍ତେ)

କହ ଛଇଳା ଗୋ, କେତେ ମାସ ଗଡ଼ିଲାଣି,

ତେଜିଲୁଣି ସଖି ମନେହୁଏ ଦେଖି ଆଖର ମାସ ହେଲାଣି ।ପଦ।

ତେଜିଲୁଣି ଏବେ ପଲଙ୍କ ଶୟନ ଭଜିଲୁଣି ମହୀଶୁଆ

ତେଜିଲା ପରାୟ ରାଜିବ-ନୟନା ବସୁ ହୋଇ ତଳ ମୁହାଁ ।୧।

ସାଜୁ ନାହୁଁ କିବା କରଜ-ରାଜୀବ ସାଜୁ ନାହୁଁ ବେଣୀ ଶିରେ

ଉଠିଲା ବେଳକୁ ଲାଜ ଲାଜ ହୋଇ ଉଠୁଥାଉ ଧୀରେ ଧୀରେ ।୨।

ବାର ବରଷରେ ବରବରନାରେ କେ ପାଇଛି କାହିଁ ପୁଅ

ଖୋଜିଲେ ନମିଳେ କା’କୁ ବୃଦ୍ଧକାଳେ ଗଡ଼ାଉଣ ଥିଲେ ଲୁହ ।୩।

ନବ ଯୁବରାଜ ନବ ଯୁବତୀ ତୁ ନୂଆ ପୁଅ କୋଳେ ଧରି

ବଇ କହେ ନୂଆ ଆନନ୍ଦେ ମାତିବୁ ନୂଆ ଗୀତ ଗାଇକରି ।୪।

ଉତ୍ତରା- ସଖୀ ଚିତ୍ରାବତୀ ! ସବୁବେଳେ ତୁ ମୋତେ ଏଭଳି ମୋତେ ଏଭଳି ଲାଜ ଦେଉ କାହିଁକି ?

ଗୀତ- (କହ କାହିଁକି ମୋ’ଠାରେ ମାନ...ବୃତ୍ତେ)

ଏତେ କାହିଁକି ଦେଉଛୁ ଲାଜ- ସଜନୀ ଆଜ ।ପଦ।

ଯା କରମେ ବିହି, ଯାହା ଥାଏ ଲିହି, ତାହା ଭୋଗିବ ସେ ମନେ ହେଜ ।୧।

ଅନ୍ତର୍ଯ୍ୟାମୀ ବିନା, ଅନ୍ତର ବେଦନା, କହ ଜାଣିବ କିଏ ସେ ବୋଝ ।୨।

ଯହିଁ ଯେତେ ଦୁଃଖ, ତହିଁ ତେତେ ସୁଖ, ସେହି କାମନା ମନରୁ ତେଜ ।୩।

କର ଧରୁଅଛି, କହ ନାହିଁ କିଛି, ରସେ ଭାଷେ ବଇଷ୍ଣବ ଦ୍ୱିଜ ।୪।

ସଖୀ ! ବିଧାତାର ଲେଖା କେବେ ନହୁଅଇ ଆନ

ଯେ ଦେଇଛି ବୋଝ ସିନା ସେହି ଉତ୍ତାରିବ ।

ତା ବିନା ଶକତା କିଏ ଅଛି ଏ ଶୟଳେ ସଖୀ ଆନ କରିବାକୁ ?

ଚିତ୍ରାବତୀ- ଆଗୋ, ମୁଁ ଦିନରାତି ପ୍ରଭୁଙ୍କୁ ଜଣାଉଛି,

ତୁମର ଗୋଟିଏ ସର୍ବସୁଲକ୍ଷଣ ପୁତ୍ର ଜନ୍ମହେଉ ।

ଅଭିମନ୍ୟୁ- (ପ୍ରବେଶି) ପ୍ରିୟେ ! ଆସିଲି ମୁଁ ନେବାକୁ ମେଲାଣି ।

ଉତ୍ତରା- (ସଚକିତେ) ମେଲାଣି ?...କାହିଁକି ମେଲାଣି ପ୍ରିୟ,

ନ ପାରଇ ବୁଝି ? କି ନିମନ୍ତେ ପିନ୍ଧି ଅଛ ତୁମେ ରଣ-ସାଞ୍ଜୁ ?

ଯିବ କିବା ଭାରତସମରେ ?

ଅଭିମନ୍ୟୁ- ନାହାନ୍ତି ମାମୁ ଶ୍ରୀକୃଷ୍ଣ, ପିତା ଧନଞ୍ଜୟ ।

ନାରାୟଣୀ- ସେନା ସାଥେ ସମରକୁ ରଣେ ଯାଇଛନ୍ତି ସ୍ୟନ୍ଦନ ଆରୋହୀ । ଏଣେ କୌରବ ପକ୍ଷର ସେନାପତି ଦ୍ରୋଣ ନିର୍ମାଣିଲେ ଚକ୍ରବ୍ୟୂହ ଗୋଟି, ପିତାଙ୍କ ବିନା ତା କେହି ଭେଦି ନଜାଣନ୍ତି ।

ତେଣୁ ମୁହିଁ ହୋଇ ସେନାପତି ପାଣ୍ଡବ ପକ୍ଷରୁ ଯାଉଅଛି ଚକ୍ରବ୍ୟୂହ ଭେଦି ।

ତୁମେ ଆଉ ନହୋଇ ଦୁଃଖିନୀ ସାନନ୍ଦେ ମେଲାଣି ଦିଅ କରକରଦନା !

ଗୀତ-(ଡେମ୍ଫ ବିନା କି ଫୁଲ...ବୃତ୍ତେ)

କରକରଦନାରେ କର ମେଲାଣି, ମରକତବରନା ବେଳ ହେଲାଣି ।ପଦ।

ଯିବି ସମରେ, ଭାଷ ପ୍ରେମରେ, କାମକଳ୍ପଲତାରେ, ଶୁଣା ତୋ ବାଣୀ

ଅରାତି ନାଦ, କରତେ ହୃଦ, ମୀନନୟନା ମନ ଟାଣି ନେଲାଣି ।୧।

କିମ୍ପା ହରଷ ମୁଖ ସାରସ, ଦେଖିଲାବେଳୁ ମୋତେ କାଳି ପଡ଼ିଲାଣି

କରିଛି ପଣ, କରିବି ରଣ, ପାଣି ଭଣି ମୁଁ ତୋର ଧରୁଛି ପାଣି ।୨।

ଉତ୍ତରା- ଅଶନିରୁ ବଳି ଟାଣ ତବ ବାକ୍ୟଟାଣ

ବାଜିଣ ମରମେ ନାଥ ହୃଦ ଦିଏ ଦହି ।

ଯିବ ଯେବେ କାଳରଣେ,

ତେବେ ମୋ ଜୀବନ ପିଣ୍ଡୁ କାଢ଼ିନେଇ ଯାଅ ସଙ୍ଗେ ।

ଅଭିମନ୍ୟୁ- ବିମର୍ଷିତା ନହୁଅ ସୁନ୍ଦରି ! କ୍ଷତ୍ରିୟ ସନ୍ତାନ ହୋଇ

ସମର କ୍ଷେତ୍ରକୁ ଡରି ଲୁଚିବି କି ଗୃହେ ?

ଛାଡ଼ି ସେ ଭୀରୁତା ପ୍ରିୟେ ! ...ଆନନ୍ଦ ଅନ୍ତରେ ମୋତେ ପଠାଅ ରଣକୁ ।

ଉତ୍ତରା- ପ୍ରାଣନାଥ ! ଜ୍ଞାନହୀନା ନୁହେଁ ତିଳେ ବିରାଟକୁମାରୀ,

ଜାଣେ ନୀତିଶାସ୍ତ୍ର, ରଣଶାସ୍ତ୍ରେ ଅଟଇ ନିପୁଣା,

କ୍ଷତ୍ରିୟର ଯୁଦ୍ଧ ମୃତ୍ୟୁ ବିଧେୟ ଯଦ୍ୟପି,

ତଥାପି ଅନ୍ତରେ ଜାଗେ ଅତ୍ୟନ୍ତ ବିଷାଦ ।

ତେଣୁ ମନେ ହେଉନାହିଁ କେଭେ, ଛାଡ଼ିବାକୁ ସଂଗ୍ରାମେ ତୁମ୍ଭଙ୍କୁ ।

କହ ନାଥ ! ବରଜି ତୁମ୍ଭଙ୍କୁ କେହ୍ନେ ଧରିବି ଜୀବନ ?

ଅଭିମନ୍ୟୁ- କ୍ଷତ୍ରିୟତନୟା ତୁମେ ବୀରର ବନିତା, ବୀର ଗୃହେ କୂଳବଧୂ ହୋଇଛ ବୀରର, ତଥାପି ବରଜି ନାହିଁ ପ୍ରାଣରୁ ଭୀରୁତା ?

ଉତ୍ତରା- ଭୀରୁବାଳା ନୁହଁ ପ୍ରିୟ ! ବିରାଟକୁମାରୀ,

ଜାଣେ ସେହି ବୀରର ମର୍ଯ୍ୟାଦା,

ତଥାପି ପ୍ରାଣେ କାହିଁକି ଜାଗେ ଗୋ ସନ୍ତାପ

କର ପଦ ଅବଶ ଲାଗଇ, ମନ କୋଣେ ଦେଖାଦିଏ

ଶୋକ ଦୁଃଖ ଛାଇ; ତେଣୁ କହେ ନାଥ- ନଯାଅ ସମରେ ।

ଅଭିମନ୍ୟୁ- ଅତି ଅସମ୍ଭବ କଥା ନକହ ବରାଙ୍ଗି,

ହସି ହସି ପୁଲକ ଅନ୍ତରେ, ସାଜିଦିଅ ଶିରେ ଶିରସ୍ତ୍ରାଣ

ପିନ୍ଧାଇ ଦିଅ ଅଙ୍ଗରେ ବୀରବର୍ମ ଗୋଟି,

ଲଲାଟପଟରେ ରଞ୍ଜି ବିଜୟ-ସିନ୍ଦୂର ଟିକା,

ଖୋଲାପ୍ରାଣେ ପୁଲକ ଅନ୍ତରେ

ଦିଅ ଅନୁମତି ସ୍ନେହେ ରଣେ ଯିବା ପାଇଁ ।

ଉତ୍ତରା- ଜାଣିଲି ଜୀବେଶ !

ଯେତେ ମନାକଲେ ତୁମ୍ଭେ କେବେ ନ ମାନିବ ।

ଡାକେ ଯୁଦ୍ଧ ଉଚ୍ଚାଟେ ତୁମ୍ଭଙ୍କୁ; ବୀରପତ୍ନୀ ହୋଇ ମୁହିଁ କିପରି ରୋଧିବି ?

ଯାହାହେଉ ଭରସା ରଖି ଶ୍ରୀ ନାରାୟଣ ଶ୍ରୀପୟରେ

ସଜାଇବି ବୀରବେଶେ ସ୍ୱହସ୍ତରେ ଆଜି । ରଞ୍ଜିଦେବି ବିଜୟ-ଟିକା ସିନ୍ଦୂରବିନ୍ଦୁରେ ।

ଯାଅ ରଣେ, ରଖ ପଣ ପ୍ରାଣ ବିନମୟେ ।

(ମସ୍ତକେ ସିନ୍ଦୂର ଟିକା ଦେବା)

ସାରଥି- (ପ୍ରବେଶି) ଆସନ୍ତୁ କୁମାର ବେଗେ ନକରିଣ ହେଳା,

ଫୁକାରନ୍ତି କୌରବବାହିନୀ ଅତି ଅସହ୍ୟ ପ୍ରକାରେ ।

ଅଭିମନ୍ୟୁ- ହେ ସାରଥି ! ଚଳ ତ୍ୱରା ଉଲ୍‌କା ପରି ଚଳାଅ ସ୍ୟନ୍ଦନ

ଚକ୍ରବ୍ୟୂହ ଉତ୍ତର ଦୁଆରେ, ଯାଇ ଦେଖିବା ପ୍ରଥମେ

କିପରି କୌଶଳ କରିଅଛି ଦ୍ରୋଣ ଗୁରୁ ।

(ଉତ୍ତରା ପ୍ରତି) ଥାଅ ପ୍ରିୟେ ! ନେଉଛି ମେଲାଣି । (ପ୍ରସ୍ଥାନ)

ଉତ୍ତରା- ପ୍ରଭୋ ନାରାୟଣ ! ତୁମେ ଏକା ସାହା ଅଧୀନାର । (ପ୍ରସ୍ଥାନ)

ତୃତୀୟ ଦୃଶ୍ୟ

(ରଣକ୍ଷେତ୍ର-ଦ୍ରୋଣ, କର୍ଣ୍ଣ, ଜୟଦ୍ରଥ, କୃପାଚାର୍ଯ୍ୟ, ଶଲ୍ୟ, ଅଶ୍ୱତ୍‌ଥାମା ଏବଂ ଦୁର୍ଯ୍ୟୋଧନର ପ୍ରବେଶ)

ଦ୍ରୋଣ- ଦେଖ ଦେଖ ରଥିଗଣ ! ରବିରଥ ସମ ପ୍ରଭା କରିଣ ପ୍ରକାଶ । ଦକ୍ଷିଣ ଦିଗରେ ଛୁଟିଆସେ ଅଭିମନ୍ୟୁ ରଥ ତରୁଣ ସମ କାନ୍ତି ପ୍ରକଟାଇ । ହସ୍ତେ ଧରି ଗାଣ୍ଡୀବ ସମାନ ତେଜୋଦୀପ୍ତ ଧନୁ ବସିଅଛି ମହାବୀର ଦର୍ପେ । ନିଃଶଙ୍କ ତା ପ୍ରାଣ, ନିଥର ତା ଦେହ । ଅତ୍ୟନ୍ତ ଉତ୍ସାହେ ଆସେ ରଣମର ହୋଇ । ସାବଧାନେ ରହ ସର୍ବବୀରେ ।

ଗୀତ- (ଜୟ ରଘୁନାଥ ଆରତି ଆରତ....ବୃତ୍ତେ)

ଧାଇଁଅଛି ରଣେ ଅର୍ଜ୍ଜୁନନନ୍ଦନ କେଶରୀ ବିକ୍ରମ ତେଜେ

ଉଲ୍‌କା ସମ ଛୁଟେ ତେଜ ଝଟେ ଝଟେ କୋଟିଏ ଆଦିତ୍ୟ ଗଞ୍ଜେ

ସାବଧାନ ହୋଇ, ଜୟଦ୍ରଥ ଦ୍ୱାର ରଖ ତୁହି ।୧।

ଦ୍ୱିତୀୟ ଦୁଆରେ ରହୁ ଦୁଃଶାସନ, ତୃତୀୟରେ କର୍ଣ୍ଣବୀର,

ଚତୁର୍ଥରେ କୃପ, ପଞ୍ଚମରେ ଶଲ୍ୟ, ଷଷ୍ଠେ ଅଶ୍ୱତ୍‌ଥାମା ମୋର ।

ସପତମେ ମାନ-ଗୋବିନ୍ଦ ହୋଇଥା ସାବଧାନ ।୨।

ଏହିପରି ସାତଦ୍ୱାର ଜଗିଥିବ ପଳାଇ ନଯିବ କେହି

ଦେଲେ ଛତ୍ରଭଙ୍ଗ ଅଭିମନ୍ୟୁ କରୁ ପରାଣ ପାଇବ ନାହିଁ,

ଅଟେ ମହାଯୋଦ୍ଧା, ଦଣ୍ଡକେ ମାରି କରିବ ପଦା ।୩।

ବ୍ୟୂହ ମଧ୍ୟସ୍ଥଳେ ରହିଲଇ ମୁହିଁ ନିକଟେ ହେଲାଣି ଆସି

ଧର ଶରାସନ ହୁଅ ସାବଧାନ ବିପ୍ର ବଇଷ୍ଣବ ଭାଷି,

ବୀରପଣ ଦେଖା, ପଛକୁ ହୋଇଯିବଟି ବୋକା ।୪।

ସାବଧାନ ହୁଅ ଜୟଦ୍ରଥ ! ଆସିଲା ଆସିଲା ବୀର

ସିଂହ-ଶିଶୁସମ ସମର-ସମ୍ଭବେ, କରିବ ବିଷମ ରଣ ପ୍ରଚଣ୍ଡ ଆହବେ

ଘୃତ-ସିନ୍ଧୁଗର୍ଭ ଯଥା ମନ୍ଥଇ ଅନଳ,

ସେହିପରି ହେବ କୁରୁସଇନୀଙ୍କ ଦଶା ।

ରକ୍ଷାକର ଦ୍ୱାର ଅତି ସତର୍କରେ ।

ଆମ୍ଭେମାନେ ଯାଉଅଛୁ ନିଜ ନିଜ ସ୍ଥାନେ ।

(ଜୟଦ୍ରଥ ବ୍ୟତୀତ ଅନ୍ୟମାନେ ପ୍ରସ୍ଥାନ)

ଅଭିମନ୍ୟୁ- (ପ୍ରବେଶି) ସିନ୍ଧୁପତି ! ପଥଛାଡ଼ି ଆଡ଼ହୋଇଯାଅ ।

ଜୟଦ୍ରଥ- ବିନା ରଣେ ନଛାଡ଼ିବି ତୋତେ ରେ ଅର୍ଜ୍ଜୁନ ପୁଅ ।

ଅଭିମନ୍ୟୁ- ତୁମ୍ଭ ସଙ୍ଗେ ଲଢ଼ିବ କି ସବ୍ୟସାଚୀ-ସୁତ ?

ଜୟଦ୍ରଥ- ଏଡ଼େ କଥା କହୁ କେହ୍ନେ ହୋଇଣ ବାଳୁତ ?

ଅଭିମନ୍ୟୁ- ବାଳକ ନୁହେଁ ମୁଁ ତୁମ କାଳ ଆସିଅଛି ।

ଜୟଦ୍ରଥ- ତଇଳ ଭାଣ୍ଡରେ ଆସି ପଡ଼ିଅଛୁ ମାଛି ।

ଅଭିମନ୍ୟୁ- ଚିହ୍ନିନାହଁ କିଏ ମୁହିଁ କାହାର କୁମର ?

ଜୟଦ୍ରଥ- ଅର୍ଜ୍ଜୁନ ବିନୁ ମୋହର ଆନେ ନାହିଁ ଡର ।

ଅଭିମନ୍ୟୁ- ସ୍ମରଣ ନାହିଁ କି ତବ ଲବ-କୁଶ କଥା

ଜୟଦ୍ରଥ- ଜାଣେ ପିତାଠାରୁ ବେଶି ପୁତ୍ରର କ୍ଷମତା ।

ଅଭିମନ୍ୟୁ- ବୃଥା କିମ୍ପା କରୁଅଛ ବାକ୍ୟ ଆଡ଼ମ୍ବର

ଜୟଦ୍ରଥ- ଜଣାଯିବ ଦୁହେଁ ରଣେ ହେଲେ ଅଗ୍ରସର ।

ଅଭିମନ୍ୟୁ- ଧର ଅସ୍ତ୍ର କର ହେ ସମର ।

ତୁମ୍ଭେ ତ ପିଉସା ମୁହିଁ ଅଟଇ ପୁତୁରା

ଆଜି ରଣେ ଦେଖାଯିବ ବୀରତ୍ୱର ଛଟା

କରନା ବିଳମ୍ବ ଆଉ, ନ୍ୟାୟ-ଯୁଦ୍ଧେ ହୁଅ ଅଗ୍ରସର ।

ଜୟଦ୍ରଥ- ଧର ଅସ୍ତ୍ର କର ରଣ କେଶରୀ-ବିକ୍ରମେ,

ପାର ଯେବେ ପିଉସା ହସ୍ତରୁ ରକ୍ଷାକର ପ୍ରିୟ ପ୍ରାଣ ଗୋଟି ।

ଅଭିମନ୍ୟୁ- ତୁମ୍ଭପାଇଁ ଯଥେଷ୍ଟ ମାତ୍ର ଗୋଟିଏ ନାରାଚ

କେବଳ ଦୟା ଆସେ ପିଉସୀ ଦୁଃଶୀଳା ଲାଗି;

ହୁଅ ସାବଧାନ, ନିକ୍ଷେପିଲି ଅସ୍ତ୍ର ।

(ଯୁଦ୍ଧ-ପରେ ଜୟଦ୍ରଥର ପଳାୟନ)

ଦୁଃଶାସନ- (ପ୍ରବେଶି) ରହ ରହ ପାର୍ଥସୁତ, କି ଦେଖାଉ ବୀରପଣ ତୁ’ଟା ।

ହୀନବଳ ଜୟଦ୍ରଥେ କରିଣ ପରାସ୍ତ ଭାବିଛୁ କି ପଶିବୁ ବ୍ୟୂହରେ ?

ମାର୍ଜ୍ଜାର ମୁଖରେ ସି ପଡ଼ିଛୁ ମୂଷିକ, ସିଂହମୁଖେ ଶଶକ ପ୍ରକାର

ଥୟଧରି କର ରଣ ମୋ ସଙ୍ଗରେ; କନ୍ଦାଇବି ମାତା ସୁଭଦ୍ରାକୁ ।

ଉତ୍ତରା ହସ୍ତରୁ କାଢ଼ି ସୁବର୍ଣ୍ଣ କଙ୍କଣ, ମଥାରୁ ପୋଛିବ ନିଶ୍ଚେ ସୀମନ୍ତ-ସିନ୍ଦୂର ।

ଅଭିମନ୍ୟୁ- ଚୁପ୍‌କର ମନ୍ଦମତି କୌରବ – କୁଳକଳଙ୍କ ଦୁଃଶାସନ !

ଛୋଟ ମୁଖେ କହ ନାହିଁ ବଡ଼ କଥାମାନ ।

ଆଜି ରଣେ ପରୀକ୍ଷା ହୋଇବ ଶକ୍ତି,

ଜଣାପଡ଼ିବ କିଏ ମୂଷା କେ ଅଟେ ମାର୍ଜ୍ଜାର ।

ଗୀତ- (ହେ ରଘୁବୀର, ମାର ମାର ନକର ହେଳା...ବୃତ୍ତେ)

ଆରେ ଦୁଃଶା- ହୋଇବୁ ଆଜି ମୂଷାପରିକି

ମାର୍ଜ୍ଜାର ଆଗରୁ ସତେ ଯିବୁକି ଉବୁରିକି ।ପଦ।

ଏ ନୁହେଁ ଦ୍ରୌପଦୀ କେଶ            ଓଟାରି ଫେଡ଼ିବା ବାସ

କପଟପଶା ନୁହଁଇ ଦଶା ଯିବ ଫେରିକି ।୧।

ନାସା କର୍ଣ୍ଣ କାଟି ଶିରେ            ଭସାଇବି ଯମୁନାରେ

ଜୀବେ ଆଶାଥିଲେ ଯାଅ ମୋ ଆଗରୁ ବାହାରି କି ।୨।

ଧନ୍ୟ ତୋ ଗାନ୍ଧାରୀ ମାଆ            କେଡ଼େ ଅଦଭୁତ ଏହା

କେମନ୍ତେ ସେ ଶହେଛୁଆ ପେଟେଥିଲା ଭରିକି ।୩।

ନିଶାଖୋର ପରକାର            ଲେଶେ ଜ୍ଞାନ ନାହିଁ ତୋର

ଛାଡ଼ ପଥ ରଖ ବଇଷ୍ଣବର ଗୁହାରିକି ।୪।

ଆରେ ଦୁଃଶା ! ସେଟା ତୋ ମାଆର ଗର୍ଭ, ନାଁ ଶଗଡ଼ ଓଦର ?

ଦୁଃଶାସନ- ତୁନୀ ହୁଅ ଗଉଡ଼ୁଣୀ ପୁଅ । ଥିଲେ ଶକ୍ତି କର ରଣରଙ୍ଗ ।

ଦେଖିବୁ କିପରି ହେବ ଦୁର୍ଦ୍ଦଶା ତୋହର ।

ଗୀତ- (ହରିହରି ବୋଲ ହରଷେ ରସିକେ...ବୃତ୍ତେ)

କୁଆ ବୁଆ ହେବୁ ଛୁଆଖଣ୍ଡକ ତୁ କେଡ଼େ ବଢ଼ି ବଢ଼ି କହୁରେ

ଦାଣ୍ଡେ ଗଡ଼ି ମୁଣ୍ଡେ କର କଚାଡ଼ିବ ଜାଣିଥା ପୁତୁରା-ବୋହୂରେ ।ପଦ।

ସୁଭଦ୍ରାର ଆଶାଭରସା ବୁଡ଼ିବ, ଆଜି ନିଶ୍ଚେ ଚାହୁଁଚାହୁଁରେ

ଶାର୍ଦ୍ଦୂଳମେଳରେ ପଡ଼ିଅଛି ଛେଳି ଗିଳିଦେବ ଟାଉଟାଉ ରେ ।୧।

ଦୁଃଶାସନ କରେ ଶାସନ ହୋଇବୁ ଚନ୍ଦ୍ର ଯେହ୍ନେ ଗ୍ରାସେ ରାହୁରେ

ଅକାରଣେ ଦୁଷ୍ଟ ଲୋଡ଼ିଲୁ ମରଣ ପିଣ୍ଡେ ପ୍ରାଣ ଥାଉଥାଉରେ ।୨।

କର ରଣ ପୁଅପଣ ଜଣାଯିବ ଏକ୍ଷଣି ପଡ଼ିଛି ଦାଉରେ

ଆଉ ବେଳ ନାହିଁ ବଇଷ୍ଣବ କହି ପିଇଯିବି ତୋର ଲହୁରେ ।୩।

କହୁଅଛୁ ଆଣ୍ଟପଣେ ଯେତେ କଥା

ତାହା ସବୁ ଦେଖାଯିବ ଆଜିର ସମରେ ।

ଲିଭିଯିବ ଉତ୍ତରାର ସୀମନ୍ତ-ସିନ୍ଦୂରରେଖା, ସ୍ୱର୍ଣ୍ଣବାହି ଖସିବ ହାତରୁ ।

ହା ହା ପୁତ୍ର ବୋଲି କାନ୍ଦି ଗଡ଼ିବ ସୁଭଦ୍ରା,

କର କଚାଡ଼ି ଲଲାଟେ ନିନ୍ଦୁଥିବ ବିଧି ।

ଆସ ମୂର୍ଖ, ହୁଅ ସମ୍ମୁଖୀନ ! ରଣ-ଲିପ୍‌ସା ମେଣ୍ଟିବ ଅଚିରେ ।

(ଦୁହେଁ ରଣ କରୁ କରୁ ଦୁଃଶାସନ ତଳେ ପଡ଼ିଯିବା ଓ ଅଭିମନ୍ୟୁ ତା ଛାତି ଉପରେ ବସିବା)

ଅଭିମନ୍ୟୁ- କହ ମୂର୍ଖ ! କେ ରକ୍ଷା କରିବ ଆଜି ମୋ ହସ୍ତରୁ ତୋତେ ?

(ଦୁର୍ଯ୍ୟୋଧନ, ଦ୍ରୋଣ ଓ ସପ୍ତରଥୀ ପ୍ରବେଶ)

ଦୁର୍ଯୋଧନ- ରକ୍ଷାକର ଗୁରୁ ! ଦୁଃଶାସନକୁ ରକ୍ଷାକର !

ସାକ୍ଷାତରେ କାଳରୂପୀ ଅଟେ ଏ ବାଳକ ।

ମତ୍ତହସ୍ତୀ ଯେସନେ ମନ୍ଥେ ପଦ୍ମବନ, ସେହିପରି ମନ୍ଥିଦେବ ମୋର କୁରୁଥାଟ ।

ଦ୍ରୋଣ- ଛାଡ଼ିଦିଅ ଦୁଃଶାସନେ ଅର୍ଜୁନକୁମର !

ଯଦି ଶିଖିଅଛୁ ବିଦ୍ୟା କିଛି ଜାଣିଅଛୁ ଅସ୍ତ୍ରର କୌଶଳ,

ତେବେ ଆସ ଯୁଝ ମୋର ସଙ୍ଗେ ।

ବହୁଦିନ ବାହୁକଣ୍ଡୁ ନୋହେ ନିବାରଣ ।

ଆଜି ତେଣୁ ତୋ ସଙ୍ଗରେ ଲଢ଼ି ଅଜା ଟାଣ କିବା ନାତି ତାହା ମୁଁ ଜାଣିବି ।

ଅଭିମନ୍ୟୁ- ଉଚିତ କହିଛ ଗୁରୁ !

ତୁମ୍ଭେ ଅଟ ସେନାପତି କୌରବ ପକ୍ଷର ।

ସର୍ବ ଅସ୍ତ୍ର-ଶାସ୍ତ୍ରେ ବିଶାରଦ ପୁଣି ପାଣ୍ଡବଙ୍କ ଗୁରୁ ।

ଭାରତସମରେ ବୋଲାଉଛ ମହାରଥୀ ।

ଚାହେଁ ମୁଁ ତୁମ୍ଭଙ୍କୁ ତେଣୁ ।

ଜାଣିଛ କି ପାଣ୍ଡବ ପକ୍ଷର ଆଜି ସେନାପତି ମୁହିଁ ?

ଦ୍ରୋଣ- ଜାଣେରେ ବାଳକ ! ଅଟୁ ତୁହି ମୃତ୍ୟୁପଥଯାତ୍ରୀ ।

କନ୍ଦାଇ ପିତାମାତାଙ୍କୁ ପୋଛୋଇ ବିୟୋଗ-ଦୁଃଖରେ,

ପତ୍ନୀ ଶିରୁ ପୋଛାଇ ସିନ୍ଦୂର

ଆହୁତି ଦେବୁ ପ୍ରାଣକୁ ସମରଯଜ୍ଞରେ ।

ତେଣୁ ମୁହିଁ ଦେଉଛି ଆହ୍ୱାନ-

ଛାଡ଼ି ଦୁଃଶାସନେ, ଆସ ମୋହର ସମ୍ମୁଖେ ।

ଅଭିମନ୍ୟୁ- ସେନାପତି ଅଗ୍ରେ ଯେବେ ପାଏ ସେନାପତି,

ଆନଠାରେ କିବା ପ୍ରୟୋଜନ ।

(ଦୁଃଶାଉପରୁ ଉଠି) ଯା ଦୁଃଶା, ମୂଷାପରି ଦେଲି ତୋତେ ମୁକ୍ତି ।

(ଦୁଃଶାସନର ପଳାୟନ)

ଦ୍ରୋଣ- ଅସ୍ତ୍ର ଧର ଦୃଢ଼ କରି ଅର୍ଜ୍ଜୁନ-ନନ୍ଦନ ।

ଗୀତ- (ଏହୁ କାହା ରମଣୀମଣିରତନ..ବୃତ୍ତରେ)

ରହ ରହ ଗାଣ୍ଡିବୀସୁତ ରହରେ

କାହିଁକି ପଶିଲୁ ଚକ୍ରବ୍ୟୂହରେ ।ପଦ।

ଏଡ଼େକ ସାହସ ତୋର            ଏ ଅଟେ କୁରୁସାଗରେ

ଠାକି ପାରିବୁ କି ସେହି ସୁଅରେ ।୧।

ନାତୁଣୀ-ବୋହୂ ମୋ ରାଣ୍ଡ            ହୋଇ କୋଡ଼ୁଥିବ ମୁଣ୍ଡ

ପଣତେ ପୋଛିବ ଆଖିଲୁହରେ ।୨।

ଦ୍ରୋଣ-ଚକ୍ର କରି ଭେଦ            ଆସିଲୁ ଆରେ ଅବୋଧ

ନଜାଣୁ ପଡ଼ିବୁ ମୋର ମୁହଁରେ ।୩।

ଯିବା ପାଇଁ ଯମପୁର            ପଥ କଲୁ ପରିଷ୍କାର

ବଇ ବୋଲେ କି କହିବୁ କହରେ ।୪।

ତୋ ପ୍ରତି ନିୟତି କରି ଇନ୍ଦ୍ରଜାଲ ସୃଷ୍ଟି

କଢ଼ାଇ ଆଣିଲା ତୋତେ ମୃତ୍ୟୁ-ଗହ୍ୱରକୁ ।

ଅଭିମନ୍ୟୁ- ହାଃ-ହାଃ-ହାଃ...ହାସ୍ୟ ଲାଗେ ଶୁଣି ତୁମ୍ଭ କଥା ।

ପୂଜ୍ୟ ଯେଣୁ ଅଟ ତୁମ୍ଭେ ପାଣ୍ଡବକୁଳର

ତେଣୁ କରୁଅଛି ମାନ୍ୟ ପ୍ରଥମରେ ।

ଦ୍ୱିତୀୟେ ଆହ୍ୱାନ ଦେବି ଶସ୍ତ୍ରମୁଖ ଖୋଲି

ହୋଇ ବିପ୍ର ତ୍ୟାଗ କଲ ବ୍ରାହ୍ମଣ ଧରମ

ଆଚରିଲ କ୍ଷତ୍ରିବୃତ୍ତି ଧନୁର୍ବାଣ ଧରି

ଯଜନ ଯାଜନ ହୋମ ବ୍ରତ ଉପାସନା

ଗାୟତ୍ରୀ ସାବିତ୍ରୀ ଆଦି ଗଲା ରସାତଳେ-

ପରଅନ୍ନଭୋଗୀ ହୋଇ କାର୍ମୁକ ଟଙ୍କାରି

ଭଡ଼ାଟିଆ ସାଜି କରୁଅଛ ରଣଯଜ୍ଞ

ତଥାପି ଲଜ୍ଜା ନଆସେ ଶ୍ରୀମୁଖକୁ ତବ ?

ଦ୍ରୋଣ- ସଂଯତ ରସନା ଘେନି ବାକ୍ୟବ୍ୟୟ । ସାମାନ୍ୟ ବାଳକ ତୁହି, ପିତା ତୋର ଅଟେ ମୋର ଶିଷ୍ୟ । ହସ୍ତେ କଲେ କାର୍ମୁକ ଧାରଣ ସସାଗରା ଧରାବକ୍ଷ ହୁଏ ଥରହର । ତୁହି ଛାର ଅବୋଧ ବାଳକ ରଣେ ସତେ ସମର୍ଥ ହୋଇବୁ ଦ୍ରୋଣ ତୁଲେ ?

ଅଭିମନ୍ୟୁ- ଧର ଅସ୍ତ୍ର ଦ୍ରୋଣଗୁରୁ ! ସମରଅଙ୍ଗନେ ହେଉ ଶକ୍ତିର ପରୀକ୍ଷା । ଛାର ତୁମେ ଘୁଣଲଗା କାଠ, ଯୁବକ କେଶରୀ ତୁଲେ କରି ରଣରଙ୍ଗ ନପାରିବ ଜିଣି । ତେଣୁ ଧରି ଦନ୍ତରେ ତିରଣ ମାଗ କ୍ଷମା, ତା ନହେଲେ ପରାଭବ ଲଭିବ ମୋ କରେ ।

ଦ୍ରୋଣ- (ଦୁର୍ଯ୍ୟୋଧନ ପ୍ରତି ସକ୍ରୋଧ) କୁରୁପତି ! ଅସହ୍ୟ ହେଲାଣି ଏହି ବାଳକର ବାଣୀ । ନରଖି ଉପ୍ରୋଧ ତିଳେ, ସପ୍ତରଥୀ ମିଳି ଏକସଙ୍ଗେ ରଣ କର ଏହା ସଙ୍ଗତରେ । ଧର୍ମାଧର୍ମ ନ୍ୟାୟ ପ୍ରତି ନରଖିଣ ଦୃଷ୍ଟି ବେଢ଼ି ମାର ହୋଇ ନିଦାରୁଣ ।

ଦୁର୍ଯ୍ୟୋଧନ- ତବାଦେଶ ଶିରୋଧାର୍ଯ୍ୟ ଗୁରୁ ! ଯା ଘଟିବ ଘଟୁ ପଛେ ଅନ୍ୟାୟ ଅଧର୍ମ ଘୋର ରଣେ ବିନାଶିବୁ ଆଜି ବାଳକକୁ । (ଅଭିମନ୍ୟୁ ପ୍ରତି)ରେ ସୁଭଦ୍ରା-ସୁତ ! ଯମପୁର ଯିବାକୁ ତୁ ହୁଅରେ ପ୍ରସ୍ତୁତ ।

ଅଭିମନ୍ୟୁ- ଜଣାଯିବ ବୀରପଣ ଆରେ ଅନ୍ଧସୁତ ।

ଦୁର୍ଯ୍ୟୋଧନ- ଦେଖିବି ତୋ ଦେହେ ଅଛି ଦୁଷ୍ଟ କେତେ ଶକ୍ତି ।

ଅଭିମନ୍ୟୁ- ଲାଜ ମାଡ଼ୁନାହିଁ, ଏକ ବାଳକକୁ ବେଢ଼ିଗଲ ସପ୍ତରଥୀ ?

ଦୁର୍ଯ୍ୟୋଧନ- ଅନଳରେ ଆସିକରି ପଡ଼ିଲୁ ପତଙ୍ଗ,

ଅଭିମନ୍ୟୁ- ଜଣାଯିବ ପଛେ ଆଗେ କର ରଣରଙ୍ଗ ।

ଦୁର୍ଯ୍ୟୋଧନ- ପ୍ରହାର ଅସ୍ତ୍ର ସକଳେ କରନାହିଁ ଡେରି ।

ଅଭିମନ୍ୟୁ- ଅନନ୍ତ ନରକେ ଦୁଷ୍ଟ ଯାଇକରି ।

(ଯୁଦ୍ଧ ଆରମ୍ଭ, ସପ୍ତରଥୀ ପଳାୟନ ଓ ନିୟତି ପ୍ରବେଶ)

ନିୟତି- ଗୀତ- (ଦାନ୍ତ ନିକୁଟି ପଡ଼ିଛି ମୋର....ବୃତ୍ତେ)

ଛି ଛି ଏଡ଼ିକି ନିର୍ଲଜ୍ଜ ତୁମେ ସାତଟା

ଯୁଝି ଘୋଳେଇ ହେବଣି ସିନା ହାତଟା ।ପଦ।

ଆଣ୍ଟେ ମୋଡ଼ି ନିଶ ଦାଢ଼ି            ସଘନେ ଛାଡ଼ୁଛ ରଡ଼ି

ଘଡ଼ି ଘଡ଼ି ଛନ୍ନଛନ୍ନ କରୁଅଛ ମତିଟା ।୧।

ସିଂହଶାବକ ଆଗରେ            ହେଲେଣି ଛେଳି ପ୍ରକାରେ

କାଢ଼ ବଳ ଛାଡ଼ି ନାହିଁ ଖାଲି ବାତଟା ।୨।

ଛାଡ଼ି ନ୍ୟାୟ ଧରକମକୁ            ଆଶ୍ରିଲଣି ଅନ୍ୟାୟକୁ

ଅନ୍ତେ ବାସ ନରକ କରିବ ଚିନ୍ତାଟା ।୩।

ପୋଡ଼ିଯାଉ ତୁମ ଟେକ            ନୁଆଇଁ ଦିଅରେ ବେକ

ରସେ ଭାଷେ ବଇ ଧରି ସତ୍ୟବ୍ରତଟା ।୪।

(ପୁଣି ସପ୍ତରଥୀ ପ୍ରବେଶ)

କର୍ଣ୍ଣ- କି ଦେଖୁଛ ସଖା ! ସର୍ବେ ଯାଅ ଶୀଘ୍ର ବେଢ଼ି ।

ଅଭିମନ୍ୟୁ- ପୃଷ୍ଠଭଙ୍ଗ ଦେଇ ରଣୁ ପୁଣି ଆସ ଲଢ଼ି । ଏହା ନୁହେଁ କ୍ଷତ୍ରିୟର ଧର୍ମ । ରଣଶାସ୍ତ୍ରେ ଲେଖା ନାହିଁ- ଏକ ରଥୀ ସଙ୍ଗେ ସପ୍ତରଥୀ ମିଶି କରିବା ସଂଗ୍ରାମ । ବୀର ହୋଇ ଏ ଅନ୍ୟାୟ ସାଜେ କି ତୁମ୍ଭଙ୍କୁ ?

କର୍ଣ୍ଣ- ରଖ ସେ ପାଣ୍ଡିତ୍ୟ ତୋର ରେ ପାର୍ଥକୁମର ! ହେଉ ନ୍ୟାୟ ଅଥବା ଅନ୍ୟାୟ, ସମ୍ମୁଖ ବା ପୃଷ୍ଠଦେଶୁ ମଧ୍ୟ ବଳିଷ୍ଠ ଶତ୍ରୁକୁ କରି ଆକ୍ରମଣ ବିନାଶ କରିବା ଅଟେ ନିତାନ୍ତ ଉଚିତ ।

ଅଭିମନ୍ୟୁ- ସେଥିପାଇଁ ଭୀରୁ ନୁହେଁ ମୁହିଁ । କ୍ଷତ୍ରିୟର ଅଙ୍ଗ-ମଳି ଅଟେ ରଣମୃତ୍ୟୁ ତେଣୁ ମୁହିଁ ପ୍ରସ୍ତୁତ ସର୍ବଦା ମାନବର ଚିର ସହଚର ମରଣ ନିମନ୍ତେ । ଆସ ମୂର୍ଖ କର ରଣରଙ୍ଗ ! ଜୟ କିମ୍ବା ମୃତ୍ୟୁ ଦୁଇଟି କଥାରୁ ଗୋଟିଏ ମୁଁ ବାଛି ନେବି ଆଜି ।

ଦୁର୍ଯ୍ୟୋଧନ- ରେ ସୁଭଦ୍ରାସୁତ ! ଏହିଥର ପୂରିବ ଆୟୁଷ ତୋର । ସଜ ହୁଅ ବେଗେ, ଯିବା ପାଇଁ ସମନ ଆଳୟେ ।

(ଗୀତ)

ସଜହୁଅ ବୀରମଣିରେ ! ଯିବୁ ଏହିକ୍ଷଣି ଯମପୁରକୁ ।

କହି ଆହା ଆହା କାନ୍ଦୁଥିବ ମାଆ କଚାଡ଼ିଣ ତାର ମୁଣ୍ଡେ କରକୁ ।ପଦ।

ରାଣ୍ଡ ହେବ ଆଜି ବିରାଟନନ୍ଦିନୀ ନେତ୍ରୁ ଗଡ଼ାଇଣ ନୀରଧାରକୁ

କାଳି ପଡ଼ିଯିବ କନକବରନା କାଳକ ସହିବ କାମଜରକୁ ।୧।

ସୁତ ସୁତ କହି କାନ୍ଦିବ ବିଜୟୀ ଯାଇଛି ଏକ୍ଷଣି ବହୁ ଦୂରକୁ

ଅରଜିଲୁ ବଳେ ଝାସି କୁରୁବଳେ ନିଜେ ନିଜ ଗଳେ ଦେଇ ଖୁରକୁ ।୨।

ତୋର ଧନୁର୍ଗୁଣ ଛିନ୍ନ ହେଲା କାହିଁରେ ମାରିବୁ ଯୋଡ଼ି ଶରକୁ

କିମ୍ପା ଅସିଖଣ୍ଡ କରୁ ଲଣ୍ଡଭଣ୍ଡ ଫିଙ୍ଗିଦେଇ ଚିନ୍ତ ଇଷ୍ଟ ଗୁରୁଙ୍କୁ ।୩।

ବିନ୍ଧିବିରେ ବାଣ କରିଣ ନିଶାଣ ବେଗେ କାଟ ଏହି ଦୁଷ୍ଟ ଶିରକୁ

ବଇଷ୍ଣବ କହି ବେଳ ନାହିଁ ସାରୁଅଛି କାଳ ଆଖିଠାରକୁ ।୪।

ଅଭିମନ୍ୟୁ- ଭୀରୁ ନୁହଁ ଅର୍ଜ୍ଜୁନନନ୍ଦନ

ପଳାଇବ ପୃଷ୍ଠଭଙ୍ଗ ଦେଇ, କ୍ଷତ୍ରିୟ ଧର୍ମକୁ ରଖି

ଥିବାଯାଏ ଶରୀରରେ ବିନ୍ଦୁମାତ୍ର ରକ୍ତ, ରଣ ତେଜି ନଯିବି ପଳାଇ ।

ପ୍ରାଣ ହାରି ରଣଭୂମେ କରିଲେ ଶୟନ ସାର୍ଥକ ହୋଇବ ଦେହ ।

ଧନ୍ୟ ହେବେ ପିତାମାତା ଆଉ ପୁଣି ବଂଶର ମର୍ଯ୍ୟାଦା ।

ଆସ ରାଜା ! ସପ୍ତରଥୀ ଘେନି କର ରଣ ବାଳକ ସଙ୍ଗରେ ।

ପ୍ରସ୍ତୁତ ସର୍ବଦା ମାରିବା ମରିବା ପାଇଁ ସମରପ୍ରାଙ୍ଗଣେ ।

(ଯୁଦ୍ଧ ଏବଂ ଅଭିମନ୍ୟୁର ପତନ)

ଗୀତ- (ଆଜ୍ଞାଦିଅ ଭୋଜରାଜ....ବୃତ୍ତେ)

କେଣେ ଅଛ ଦେଖାଦିଅ ପିତା ଆସି ସୁତେ ତୋର

ଅନ୍ୟାୟ ରଣେ ନାଶିଲେ କୁରୁକୁଳ-କୁଳାଙ୍ଗାର ।ପଦ।

ଜ୍ୟେଷ୍ଠ ତାତ ଦେଖ ଆସି, ଆଜି ତବ ପୂର୍ଣ୍ଣଶଶୀ ।

ଗ୍ରାସିଛନ୍ତି ସପ୍ତରଥୀ ହୋଇ ରାହୁ ଅବତାର ।୧।

ଆହା ମାତା ଅଛ କାହିଁ, ଆସି ଥରେ ଯାଅ ଚାହିଁ ।

ଆଜୁ ତବ କୋଳୁ ମୁହିଁ ଯାଉଛି ହୋଇ ଅନ୍ତର ।୨।

ହେ ମଧ୍ୟମ ତାତ ଭୀମ, ନିରେଖ ଦୁର୍ଗତି ମମ ।

ରେ ପ୍ରାଣପ୍ରିୟା ଉତ୍ତରା, ନହେବୁ କେଭେଁ କାତର ।୩।

ଆସିବାର ବେଳେ କେତେ, ମନାକରିଥିଲୁ ମୋତେ ।

ଭୁଲି ରହିଲୁ କେମନ୍ତେ ମନମୋହର ମନ୍ତର ।୪।

ହା ମାତୁଳ ରାଧାକାନ୍ତ, ତୁମେ ଥାଉ ହେଲି ହତ ।

ବଇ ବୋଲେ ଗୋପୀନାଥ ଜାଣୁ ବାହାର ଭିତର ।୫।

ଦୁର୍ଯ୍ୟୋଧନ- ସାହାଯ୍ୟର ଆଶା ତେଜ ଅର୍ଜ୍ଜୁନନନ୍ଦନ !

ଆଜି ତୋର ଉପସ୍ଥିତ ହୋଇଅଛି ମରଣର ବେଳା ।

ଶିବବରେ ବଳିୟାର ହୋଇ ଜୟଦ୍ରତ ଜିଣିଅଛି ଚାରିପାଣ୍ଡବଙ୍କୁ ।

ତେଣୁ ସର୍ବେ ହୋଇକରି ଭେଳା କାନ୍ଦୁଛନ୍ତି ବ୍ୟୂହଦ୍ୱାରେ ବସି ।

ଆସି ନପାରିବେ ତୋତେ ଦେବାକୁ ସାହାଯ୍ୟ ।

ତେଣୁ ଚିନ୍ତାକର ଦୁଷ୍ଟ ଇଷ୍ଟକୁ ତୋହର, ଦେବି ମୃତ୍ୟୁଦଣ୍ଡ ।

ଅଭିମନ୍ୟୁ- ଏହି ସତେ ନୃପତିର ନ୍ୟାୟ-ଧର୍ମ ନୀତି ?

ବହି ମାନଗୋବିନ୍ଦ ନାମକୁ

ସଚରାଚରେ ଟେକିଛ ବୀରତ୍ୱ କେତନ,

ତଥାପି ଅନ୍ୟାୟେ କର ବାଳକ-ସଂହାର-ଭୁଲି ରଣନୀତି ?

ଦୁର୍ଯ୍ୟୋଧନ- ଉପଦେଶ ଦିଅନା ବାଳକ !

ରଣନୀତି, କୂଟନୀତି, ରାଜନୀତି ଆଦି ଭଲଭାବେ ଜାଣେ ଦୁର୍ଯ୍ୟୋଧନ।

ଶତ୍ରୁର ନିଧନ ପୁଣି କାର୍ଯ୍ୟ ସମାଧାନେ

ନ୍ୟାୟ ଅନ୍ୟାୟ ଧର୍ମର କିବା ପ୍ରୟୋଜନ ?

ଏକମାତ୍ର କାମନା ମୋ ଶତ୍ରୁସୁତ ନାଶ ।

ଅଭିମନ୍ୟୁ- ତୁଷ୍ଟ ମୁହିଁ ବିଚାରେ ତୁମ୍ଭର ।

ତ୍ୟାଗ କରି ନ୍ୟାୟ-ଧର୍ମ ବଂଶ-ପରମ୍ପରା

ସ୍ୱାର୍ଥ ଲାଗି କର ତୁମ୍ଭେ ଅପାର ଅନ୍ୟାୟ ।

ସେଥିପାଇଁ ଚିନ୍ତା ମୁଁ ନକରେ ।

କିନ୍ତୁ ରିକ୍ତକରେ ନିରୁପାୟପ୍ରାଣେ ମରିବାକୁ ନ ଲାଗଇ ଶାନ୍ତି

ତେଣୁ ଚାହେଁ ଖଣ୍ଡେ ଅସ୍ତ୍ର, ଦେଇକି ପାରିବ ମୋତେ ?

କର୍ଣ୍ଣ- ନିରସ୍ତ୍ର ଶତ୍ରୁ ହସ୍ତରେ ଧରାଇଣ ଅସ୍ତ୍ର

ବିପଦକୁ ବରଣ ନକର ସଖା !

ଅଭିମନ୍ୟୁ- ତୁନି ହୁଅ ସୁତପୁତ୍ର ! ନୀଚ ପାଶେ ଦିଅନାହିଁ ଉଚ୍ଚ ପରାମର୍ଶ । ପ୍ରାର୍ଥନା ମୋ ନୃପତି ନିକଟେ, ଛାର ମାତ୍ର ଅସ୍ତ୍ରଖଣ୍ଡେ ପାଇଁ ।

ଦୁର୍ଯ୍ୟୋଧନ- ଅସ୍ତ୍ର ଭିକ୍ଷା ନୋହିବ ପୂରଣ ତୋର । ମୃତ୍ୟୁ ଯେବେ ନକରୁଛୁ ବାଞ୍ଛା, ତେବେ ପ୍ରାଣଭିକ୍ଷା କର, ଦେଇପାରେ କୁରୁପତି ତାହା ଅବହେଳେ ।

ଅଭିମନ୍ୟୁ- ଛିଃ ଛିଃ ଲଜ୍ଜା କି ନଲାଗେ ରାଜା !

ଏଡ଼େ ହୀନ କଥା ମୁଖେ କର ଉଚ୍ଚାରଣ ?

ଛାର ପ୍ରାଣଭୟେ ଭୀରୁପରି ସବ୍ୟସାଚୀ-ସୁତ କରିବ ଜୀବନଭିକ୍ଷା ?

ନା ନା, ହେବନାହିଁ ହେବନାହିଁ-

ମରିବ ସେ ଯୁଦ୍ଧ କରି କରି- ଯାଏ ଦେଖେ ଖଣ୍ଡେ ଅସ୍ତ୍ର ।

(ବେଗେ ପ୍ରସ୍ଥାନ)

କର୍ଣ୍ଣ- ଏ କଣ ହେଲା ସଖା ! ଅର୍ଦ୍ଧମୃତ ସର୍ପ ଶିଶୁ ପଳାଇଲା ଆଣ୍ଟେ

ତଥାପି ଆଜ୍ଞା ନଦେଲ ବିନାଶକରଣେ ।

ଦୁର୍ଯ୍ୟୋଧନ- ଧୈର୍ଯ୍ୟ ଧର, ବ୍ୟସ୍ତ କିମ୍ପା ଏତେ,

କୁଣ୍ଡଳି ବିଳରୁ ଭେକ ଯିବ କି ଉଦ୍ଧରି ? (ଦୁହେଁ ପ୍ରସ୍ଥାନ)

 

 

ଚତୁର୍ଥ ଦୃଶ୍ୟ

(ଶବର ଶବରଣୀ ପ୍ରବେଶ)

ଗୀତ- (ଭଲାଭଲାରେ ହଟକାରୀ ନାଗର...ବୃତ୍ତେ)

ଶବରଣୀ- ଭଲା ଲାଗିଛି ପାଲା ରଣାଙ୍ଗନରେ

ବୁଲୁଛନ୍ତି ଡାଙ୍କିଣୀ ପଲ-ପଲରେ ।

ଶବର- ଶୂନ୍ୟେ ଘୂରିଛି ଚକ୍ର ଧୀରେ ହୋଇଣ ବକ୍ର

କାଟୁଛି ଲକ୍ଷ ଲକ୍ଷ କାନ୍ଧ ଉପରୁ ବେକ

ଗଜ ଅଶ୍ୱ ଅନେକ ରଡ଼ି ଛାଡ଼ି ପ୍ରତ୍ୟେକ୍ଷ ପଡ଼ନ୍ତି ତେଜି ପ୍ରିୟ ପ୍ରାଣରେ ।

ଶବରଣୀ- ଧରମକୁ ଆଖି ଠାର ମାରି ପଞ୍ଝାଏ

ସ୍ୱାର୍ଥ ଲୋଭେ ମାତିଛନ୍ତି ଘୋର ଅନ୍ୟାୟେ ।

ଶବର- ଚଉଦ ବରଷର ଅଟେ ବାଳକବୀର

ତାହାକୁ କରି ଘେର ସପ୍ତରଥୀପ୍ରବର,

ନେବାକୁ ଯମଘର କରୁଛନ୍ତି ବିଚାର, ତେଣୁ ଲାଗିଛି ମାୟା-ରଣରେ ।

ଶବରଣୀ- ନାହିଁ ନଥିବାର ନ୍ୟାୟ ଶୁଣିଲା କାନ

ମହାଜନ ବୁଡ଼ାଇଲେ ଧରମମାନ ।

ଶବର- ହେଲା ଆସି ଅକାଳ ଫଳେ ଅନ୍ୟାୟ ଫଳ

ଧରମ ରସାତଳ ହେଲା ହୋଇ ବିକଳ

ତେଣୁ ସେ ଆଦିମୂଳ ବରଜି ରଣସ୍ଥଳ ଲୁଚିଲେ ଯାଇ ଦୂର ବଣରେ ।

ଶବରଣୀ- ମରିବ ଅଭିମନ୍ୟୁ ନିରାଶ ହୋଇ

ମାୟାବୀ ପ୍ରଭୁ ଛନ୍ତି ମାୟା ଭିଆଇ ।

ଶବର- ଧନ୍ୟ ତାଙ୍କର ନାଟ ଧନ୍ୟ ସେ ପୀତପଟ

କରି କରାଏ ହଟ ଦେଖାଏ ସବୁ ବାଟ

ଦୋଷ ଦୁହେଁ ପ୍ରଘଟ ବୁଦ୍ଧି ତାର ବିରାଟ,

ସବୁ କୌଶଳ ତାର ଜାଣରେ ।      (ପ୍ରସ୍ଥାନ)

ପଞ୍ଚମ ଦୃଶ୍ୟ

(କୃଷ୍ଣ ଅର୍ଜ୍ଜୁନ ପ୍ରବେଶ)

ଅର୍ଜ୍ଜୁନ- କହ ପ୍ରଭୁ ରୁକ୍ମିଣୀରମଣ ! ମନ କିମ୍ପା ହୁଅଇ ଅସ୍ଥିର ।

ବୁଝି ତ ନପାରେ ସଖା ! କିମ୍ପା ଦିଶେ ଅଶୁଭ ଲକ୍ଷଣ ମାନ ।

ଗୀତ- (ମନେପଡ଼ୁଛି ମା...ବୃତ୍ତେ)

ଏହା ଫେଡ଼ି କହ ସଖା, ଏତେ ଅମଙ୍ଗଳ କିମ୍ପା ଯାଏ ଦେଖା ।ପଦ।

ଦିବସେ କିମ୍ପା କୁହୁଡ଼ି ଚାହୁଁ ଚାହୁଁ ଆସେ ମାଡ଼ି

ଗୃଧ୍ରବକ୍ଷୀ ଊର୍ଦ୍ଧ୍ୱଦେଶେ ଦେଉଅଛି ଚେକା ।୧।

କାଳ ଫଣୀ ଫଣା ଟେକି ଗରଜେ ପଥେ କାହିଁକି

ବେନି ପାଶେ ନାଚନ୍ତି ଶୃଗାଳ ଦେଖ ସଖା ।୨।

ପୁଣି ବାମ ନେତ୍ରକୋଣ କମ୍ପେ କିମ୍ପା ନାରାୟଣ

ନାଚି ଉଠେ କ୍ଷଣେ କ୍ଷଣେ ମୋର ବାମ ପଖା ।୩।

ଏତେ ଅମଙ୍ଗଳେ କାହିଁ ଦିନେ ମୁହିଁ ଦେଖିନାହିଁ

ବଇଷ୍ଣବ କହି ଚିତ୍ତେ ଲାଗଇ ଆଶଙ୍କା ।୪।

ଦୟାମୟ ! କଠିନ ସଂଗ୍ରାମେ ଜିଣି ନାରାୟଣୀ-ସେନା

ଉଡ଼ାଇଲି ବିଜୟ କେତନ ।

ତଥାପି ମନରେ କିଛି ନ ଆସେ ଆନନ୍ଦ

ଥର ଥର ଥରିଉଠେ ଛାତି, ଭରିଯାଏ ଆଖିକୋଣେ ଖାଲି ଅଶ୍ରୁଜଳ ।

ତୁମେ ତ ସକଳ ଜାଣ ଅନ୍ତରର ଗୋପନ କାହାଣୀ ।

ତେଣୁ ପଚାରଇ ଦୁଃଖ- ଘଟିଛି କି ଅମଙ୍ଗଳ ପାଣ୍ଡବ ଶିବିରେ ?

ଶ୍ରୀକୃଷ୍ଣ- ଧନଞ୍ଜୟ ! ବିବେକୀପ୍ରବର ତୁମେ ଅକଳଙ୍କ ଯୋଦ୍ଧା

ଜାଣନା କି ମଙ୍ଗଳ ଆଉ ଅମଙ୍ଗଳ ବେନି ସହୋଦର ।

ଖରାଛାଇ ଖେଳପରି ଖେଳନ୍ତି ଶୟଳେ ।

କେବେ ଜିଣେ ଅମଙ୍ଗଳ, କେବେ ବା ମଙ୍ଗଳ,

କେହି କହି ନପାରିବ ସେ ଦୁହିଁଙ୍କ କଥା ।

ତଥାପି ତ ଆମ୍ଭେ ଆସି ହେଲୁଣି ପ୍ରବେଶ ନଗର ନିକଟେ ।

ଆଉ କିଛି ବେଳପରେ ସବୁ ଯିବ ଜଣା ।

ଅର୍ଜ୍ଜୁନ- ଚାଲ ସଖା ! ନ କର ବିଳମ୍ବ । ମନ ମୋର ହୁଏ ଛନ୍ନଛନ୍ନ ।

ଶ୍ରୀକୃଷ୍ଣ- ଚିନ୍ତା ତେଜ ପାର୍ଥ ! ନିକଟ ହେଲାଣି ଆସି ବାରୁଣାନଗର ।

ଦଣ୍ଡକରେ ଜଣାଯିବ ସବୁ ଭଲ ମନ୍ଦ ।

ବିଳମ୍ବ ନକରି ଚାଲ ଶିବିରକୁ ତ୍ୱରା । (ଉଭୟ ପ୍ରସ୍ଥାନ)

ଷଷ୍ଠ ଦୃଶ୍ୟ

(ରକ୍ତାକ୍ତ ଅବସ୍ଥାରେ ଅଭିମନ୍ୟୁ ପ୍ରବେଶ- ହସ୍ତରେ ଭଙ୍ଗା ରଥଚକ)

ଅଭିମନ୍ୟୁ- ମୃତ୍ୟୁପଥଯାତ୍ରୀ ମୁହିଁ ନିରସ୍ତ୍ର କ୍ଷତ୍ରିୟ । ବିରଥୀ କରିଛନ୍ତି କଉରବେ ମୋତେ ।

ତଥାପି ମୁଁ ଚାହେଁ ରଣ । ମିଳିଛି ହସ୍ତରେ ଏକ ଭଗ୍ନ ରଥଚକ୍ର,

ଏହା ଘେନି କରିବି ସମର, ନମରିବି ଭୀରୁପରି ।

ଅର୍ଜୁନନନ୍ଦନ ମୁହିଁ ଯଶ ରଖି ନେବି ରଣମୃତ୍ୟୁ ।

ରେ ରେ କୌରବ-କୁଳ-କଳଙ୍କ ମାନୀ ଦୁର୍ଯ୍ୟୋଧନ,

ଆସ ଘେନି ସଙ୍ଗେ ସପ୍ତରଥୀ-ଆସୁ ଦୁଃଶା ଅଧର୍ମର ପୂର୍ଣ୍ଣ ଅବତାର ।

ଦେଖୁ ନେତ୍ରେ ମୃତ୍ୟୁପଥଯାତ୍ରୀ ବାଳକର ରଣ ।

ଦୁଃଶାସନ- (ଦ୍ରୁତ ପ୍ରବେଶି) ରହ ରହ କାଳରୂପୀ ସୁଭଦ୍ରାନନ୍ଦନ !

ଯିବୁ କାହିଁ ? ନାଶିବୁ କାହାକୁ ଅବା ଭଗ୍ନ ଚକ୍ର ଧରି ।

ଠିଆ ହୁଅ, ରଣ କର ଦୁଃଶାସନ ସଙ୍ଗେ ।

ଅଭିମନ୍ୟୁ- ଲଜ୍ଜାହୀନ କୁରୁବୀର ! ନିତାନ୍ତ ପାଷଣ୍ଡ ତୁମେ

ତୁମ ମୁଖେ ନସାଜଇ ବୀରତ୍ୱ ବଡ଼ିମା ଅସ୍ତ୍ରହୀନ ସାହାଶୂନ୍ୟ ବାଳକ ନିକଟେ ।

ବାରମ୍ବାର ଲଭି ପରାଜୟ, ବରଜିଣ ନ୍ୟାୟ ଧର୍ମ

ଏକରଥୀ ସଙ୍ଗେ ଲଢ଼ୁଅଚ ସାତଗୋଟା ରଥୀ

ତଥାପି ବୀର ବୋଲିଣ କରୁଅଛ ଗର୍ବ ?

ଦୁଃଶାସନ- ତୁନିହୁଅ ନିର୍ଲଜ୍ଜ ବାଳକ ! ଛୋଟ ମୁଖେ ବଡ଼କଥା ନକର ପ୍ରକାଶ । ଧାଇଁଆସ ଗୁରୁ ଦ୍ରୋଣ, କର୍ଣ୍ଣ, ଅଶ୍ୱତ୍‌ଥାମା, କୃପାଚାର୍ଯ୍ୟ, ଶଲ୍ୟ ଆଦି ମହାରଥିଗଣ !

ମହାଭୟଙ୍କର ଏହି ସୁଭଦ୍ରାନନ୍ଦନ

ରଥଚକ୍ର ଘେନି ନାଶେ କୌରବ ବାହିନୀ ।

ଆସ ଆସ ସର୍ବେ ନକରି ବିଳମ୍ବ

ବିନାଶ କରିବା ୟାକୁ ପଶୁ ପରକାରେ ।

ସପ୍ତରଥୀ- (ପ୍ରବେଶି ଘେରିଲେ) ମାର ମାର ମାର ।

ନ୍ୟାୟ ଧର୍ମ ତ୍ୟାଗ କରି ହତ୍ୟାକର ।

କାଳରୂପୀ ବାଳକ ଏ ନୁହେଁ ଛାଡ଼ିବାର । (ଯୁଦ୍ଧକରି ସମସ୍ତେ ପ୍ରସ୍ଥାନ)

ଅଭିମନ୍ୟୁ- (ପ୍ରବେଶି) ଓଃ ନାରାୟଣ, ପିତା !

ଥରେ ଦଖ ଆସି ସନ୍ତାନର ଶେଷଦୃଶ୍ୟ ।

ଅସ୍ତ୍ରହୀନ, ସାହାଶୂନ୍ୟ ଏକାକୀ ବାଳକ;

ତଥାପି ମୂର୍ଖ କୌରବେ ନକରନ୍ତି ଦୟା ।

ଏକ ବାଳକକୁ ବେଢ଼ି ସାତଗୋଟା ରଥୀ

ବାରମ୍ବାର ହାରି ପୁଣି କରନ୍ତି ସଂଗ୍ରାମ- ଓଃ ନାରାୟଣ, ନାରାୟଣ !

ଦୁଃଶାସନ- ନାରାୟଣର ପାର୍ଥ ସଙ୍ଗେ ଯାଇଅଛି ଦୂରେ ।

ଡାକିଲେ ଆସିବ ନାହିଁ ଦେବାକୁ ସାହାଯ୍ୟ !

ଆସ ମୂର୍ଖ ! ମୃତ୍ୟୁପାଇଁ ହୁଅରେ ପ୍ରସ୍ତୁତ ।

ଅଭିମନ୍ୟୁ- ପ୍ରସ୍ତୁତ ମୁଁ ସଦା । ନୁହେଁ ପରାଙ୍‌ମୁଖ କେବେ ମରଣଭୟରେ ।

ନିରସ୍ତ୍ର ମୁଁ, କରୁଛି ପ୍ରାର୍ଥନା ମାତ୍ର ଅସ୍ତ୍ରଖଣ୍ଡେ ପାଇଁ ।

ଦୁଃଶାସନ- ଦେବୁନାହିଁ ଅସ୍ତ୍ରରେ ପାମର !

ନିରସ୍ତ୍ରେ ବଧିବି ତୋତେ ପଶୁସମ ଆଜି । (ଗଦାରେ ପ୍ରହାର, ଅଭିମନ୍ୟୁର ପତନ)

ଅଭିମନ୍ୟୁ- (ବିକଳରେ) ମା, ମା ! ପିତା, ପିତା ! ନାରାୟଣ !

ନା...ରା...ୟ...ଣ । ପାଣି... ପାଣି । (ମୃତ୍ୟୁ)

ଶେଷ ଦୃଶ୍ୟ

(ଯୁଧିଷ୍ଠିର, ଭୀମ, ନକୁଳ ବସିଥିଲେ ଅଶ୍ରୁନେତ୍ରରେ ମ୍ରିୟମାଣ ହୋଇ । ପ୍ରବେଶ କଲେ ଅର୍ଜ୍ଜୁନ ସଙ୍ଗରେ ଶ୍ରୀକୃଷ୍ଣ)

ଅର୍ଜ୍ଜୁନ- ଧର୍ମରାଜ ! ପ୍ରଣାମ ଚରଣେ ।

ଯୁଧିଷ୍ଠିର- ଆରେ ଅର୍ଜ୍ଜୁନ ! ଭଲରେ ଫେରିଲେ ତ ଯଦୁପତି ?

ଅର୍ଜ୍ଜୁନ- ଆପଣଙ୍କ ଆଶୀର୍ବାଦରୁ ନାରୟଣୀସେନା ଧ୍ୱସଂକରି ଖୁବ୍ ଭଲରେ ଫେରିଲି ଅଗ୍ରଜ ! କିନ୍ତୁ ତୁମେମାନେ ଏପରି ବିଷାଦିତ କାହିଁକି ?

ଗୀତ- (ଆହେ ପ୍ରାଣପତି କରି ଏହି ବିନତି...ବୃତ୍ତେ)

ହେ ଅଗ୍ରଜ, ଆଜି କିମ୍ପାଇ ରହିଅଛ ସର୍ବେ ମଉନ ହୋଇ,

ନୀରଜନୟନୁ ନୀରଧାର ଯାଉଅଛି ବହି ହେ ।ପଦ।

କୁରୁରାଜ ଦୁର୍ଯ୍ୟୋଧନ ଦେଇଛି କି ଅପମାନ,

ମୋତେ କହ ବହନ ଚାହିଁଲେ

ଭାଇମାନଙ୍କୁ ହୃଦୟ ହୁଅଇ ଦହି ।୧।

କିମ୍ପା ନଅର ଭିତରେ, ଅବକାକୁଳ

କାତରେ କରୁଛନ୍ତି କ୍ରନ୍ଦନ, ଭାଇ ବୃକୋଦର,

ମୋର ଅଭିମନ୍ୟୁ ଅଛି କାହିଁ ।୨।

ଡାକି ଡାକି ବାପା ବାପା, ଧାଇଁଆସୁନାହିଁ କିପାଁ,

କିବା ଯାଇଅଛି ଖେଳତ, ଅଳିକରନ୍ତା ପାଖରେ

କାଖେ କାଖ ହେବା ପାଇଁ ।୩।

ଫିଟୁନାହିଁ କାହା ତୁଣ୍ଡ, କେଶବ ଏ କାହା କାଣ୍ଡ,

ଭ୍ରମିଯାଉଅଛି ମୁଣ୍ଡ, ବଇଷ୍ଣବ ଭାଷେ

ମୋତେ କିଛି ବୁଦ୍ଧି ନଦିଶଇ ।୩।

କହ ଭ୍ରାତାଗଣ ! କାହିଁ ଅଭିମନ୍ୟୁ ମୋର ?

ଦେଖାଯାଉନାହିଁ କିପାଁ ତା ମୁଖଲାବଣ୍ୟ ?

ଯୁଧିଷ୍ଠିର- କି ଦେବି ଉତ୍ତର ପାର୍ଥ ! ନ ସ୍ଫୁରେ ବଚନ ।

ଭାଗ୍ୟହୀନ ମୁହିଁ; ମୋର ଯୋଗେ ତୁମ୍ଭେମାନେ ଭୋଗିଲ କଷଣ ।

ନମଲି କିପାଁ ମୁଁ, କେଉଁ ରାଜଭୋଗ ଯୋଗେ ରହିଲି ଜୀବିତ । (କାନ୍ଦିବା ଆରମ୍ଭ)

ଅର୍ଜ୍ଜୁନ- ହେ ମଧ୍ୟମଭ୍ରାତଃ ! କିମ୍ପା ନଦେଇ ଉତ୍ତର

ନୀରବେ ରହି ନୟନୁ ଢାଳ ଅଶ୍ରୁବାରି ?

ଦେଖି ଦୁମ୍ଭମାନଙ୍କର ଏ ଦାରୁଣ ଦଶା

ଶତଶର ସମ ବୁକେ ବିଦ୍ଧ ହୁଏ ଚିନ୍ତା ।

ଭୀମ- କି କହିବି ପାର୍ଥ ମୁହିଁ ତୋତେ ।

ନିୟତିର ପ୍ରତିକୂଳ ହେତୁ ପାଣ୍ଡବେ ଜୀବିତ ଥାଇ ଲଭିଛନ୍ତି ମୃତ୍ୟୁ ।

ଗୀତ-(ଆଜି ଚଣ୍ଡାଳ ଗାଳିଦେବ...ବୃତ୍ତେ)

କି କହିବି ମୁହିଁ ତୋତେ ପାର୍ଥରେ, ସେ ଚରିତ ଯାହା କଲା ପାପିଷ୍ଠ ଜୟଦ୍ରଥରେ ।୧।

ପାଣ୍ଡବ ଆଶା ତରଣୀ ବୁଡ଼ାଇଲା କୁରୁମଣି ବୁହାଇଲା ନିର୍ଦ୍ଦୟ ମରୁତରେ ।୨।

ଏଡ଼େ ପାଷାଣ ତା’ ହିଆ, ତିଳେ ନାହିଁ ଦୟାମାୟା, ଅଟେ କୁରୁକୁଳର କୃତାନ୍ତରେ ।୩।

ମୂଳରୁ ହାଣିଲା ତରୁ ସର୍ବେ ମନା କରୁ କରୁ, ରକ୍ଷାକରି ଚକ୍ରବ୍ୟୂହ ପଥରେ ।୪।

ବଇଷ୍ଣବ ରସେ କହି ଗଲୁ ଆମ୍ଭେ ଚାରିଭାଇ ସମସ୍ତଙ୍କୁ କରିଲା ପରାସ୍ତରେ ।୫।

ଧନଞ୍ଜୟ ! ପାଷଣ୍ଡ ସିନ୍ଧୁନୃପତି ହୋଇଲା କଣ୍ଟକ

ରଣେ ଜିଣିନପାରିଲୁ ତାକୁ ।

ବ୍ୟୂହମଧ୍ୟେ ଏକମାତ୍ର ଥିଲା ଅଭିମନ୍ୟୁ ।

ସପ୍ତରଥୀ ମିଳି ତାକୁ ଅନ୍ୟାୟ ସମରେ ଦେଲେ ରଣ-ମୃତ୍ୟୁ ।

ଅର୍ଜ୍ଜୁନ- ରଣମୃତ୍ୟୁ !! ହା ପୁତ୍ର, ହା ପୁତ୍ର ଅଭିମନ୍ୟୁ...(କାନ୍ଦି କାନ୍ଦି ପଡ଼ିଯାଉଥିଲେ)

ଶ୍ରୀକୃଷ୍ଣ- (ଅର୍ଜ୍ଜୁନକୁ ତୋଳିଧରି) ଧୈର୍ଯ୍ୟଧର ସଖା ସବ୍ୟସାଚୀ !

ମଲା ଗଲା ସଂସାରେ ଅଚିର ସକଳ

କେବା ପିତା ? କେ ଅଟଇ ପୁତ୍ର ?

କେ ଅଟଇ ଜ୍ଞାତିବନ୍ଧୁ ଭ୍ରାତା ଭଗ୍ନୀ ପ୍ରିୟ ।

ସବୁ ମିଛ ମାୟା-ମରୀଚିକା ସମ

ଖାଲି ନାଚୁଛି ଆଖିରେ ମୋର, ମୋର, ମୋର...

ମରଣଶୀଳ ଜଗତେ ନୋହେ କେ ଅମର ।

ଗୀତ- (ଆହା କୁମୁଦିନୀ କେତେ ସୁନ୍ଦରୀ..ବୃତ୍ତେ)

ସଖା ଉଠ ଉଠ ଆଉ କାନ୍ଦନା ।

ବୀରଧର୍ମ କର ପାଳନ, ଆଉ ନିଜ କରମକୁ ନିନ୍ଦନା,

ମର୍ତ୍ତ୍ୟେ କେ ନୋହେ ଅମର ।ପଦ।

ଧର ଗାଣ୍ଡୀବ ଧନୁ, ଖାଣ୍ଡବଦାହୀ ପ୍ରଚଣ୍ଡ

ତେଜେ ବିନାଶ ମୂଢ଼େ ।

ତାକୁ କେମନ୍ତେ ଦ୍ରୋଣ କରିବ

ତ୍ରାଣ ତାର ସାହସ କେଡ଼େ ।

କରି ପ୍ରତିଜ୍ଞା କୁରୁସମରେ ପଶ

ଦୁରାଚାର ଜୟଦ୍ରଥ ପ୍ରାଣେ ନାଶ ।

ରଖ କ୍ଷିତିରେ କୀର୍ତ୍ତି

ଅଶେଷ (ଆଉ) ନଫେରିବ କୁମର ତୋର ।୧।

କେତେ ଦାରୁଣ ଶିଶୁପରାଣ ରଣେ

ନାଶିଲେ ଦୁଷ୍ଟ କୌରବବଳେ ।

ତେଜି ମମତା, ନିଜ କ୍ଷମତା ପରକାଶିଲେ ଏକାବେଳେ।

ଯେବେ କ୍ଷତ୍ରିୟ ରକତ ଥିବୁ ପାଇ,

ପୁତ୍ରହନ୍ତା ପ୍ରତିଶୋଧ ନେବୁ ତୁହି ।

ଉଠ ବେଳ ଯାଉଅଛି ବହି, ବିପ୍ର ବଇଷ୍ଣବ ଚିର ।୨।

ତ୍ୟାଗକର ଚିନ୍ତା ମନୁ ପ୍ରିୟ ସଖା ମୋର

ଆୟୁଷ ପୂରିଲେ ପ୍ରାଣୀ ଲଭଇ ମରଣ,

ତଥାପି ଦୁଷ୍ଟ କୌରବ କାରଣ ଏଥିର ।

କରିଣ କୂଟ କପଟ ଅନ୍ୟାୟ ଅଧର୍ମ, ବିନାଶିଲେ ଅଭିମନ୍ୟୁ ପ୍ରାଣ ।

ତବ ପ୍ରାଣେ ଛେଚି ଶତବଜ୍ର, ଦେଲେ ଦାରୁଣ ଅନୁଶୋଚନା ପାଞ୍ଚି ଖଳବୁଦ୍ଧି

ସେଥିପାଇଁ ନହୁଅ ଅଧୀର-ବୀର ତୁମେ ଅକଳଙ୍କ ଯୋଦ୍ଧା

ଆକର୍ଷଣ କର ଆଣ୍ଟେ କାର୍ମୁକ ଗାଣ୍ଡୀବ ହୁଅ ପଣବଦ୍ଧ ।

ଯାହା ଯୋଗେ ଆଜି ପାଣ୍ଡବଙ୍କ କୁଳ ଗଲା ବୁଡ଼ି ।

ସେହି ଆତତାୟୀ ଦଳେ ନରଖି ଦୟାମାୟା

ଧ୍ୱଂସକର, ଖାଣ୍ଡବ ଧ୍ୱଂସିଲା ପରି ବୀରତ୍ୱ ବିକ୍ରମେ ।

ଅର୍ଜ୍ଜୁନ- (ଆଶ୍ୱସ୍ତ ହୋଇ) ଦୟାମୟ !

ଭୁଲିନପାରିବି ଆଉ କାଳକୂଟ ବିଷଜ୍ୱାଳା

ଭୁଲିନପାରିବି ମନୁ ପୁତ୍ରହନ୍ତାଦଳେ ।

ସ୍ପର୍ଶୀ ତବ ଚରଣ ରାଜିବ, କଲି ପଣ

ଲେଖିରଖ ଲୌହର ଫଳକ ଘେନି

ପ୍ରସ୍ତର ବୁକୁରେ ଗାଣ୍ଡୀବ କାର୍ମୁକ ଯୋଖି ସୁତୀକ୍ଷ୍‌ଣ ମାର୍ଗଣ,

ତୁଳାକରି ଉଡ଼ାଇବି ପୁତ୍ରହନ୍ତାଦଳେ ।

(ଗୀତ)

ଆହା ଅଭିମନ୍ୟୁ, ଭୁଲିବିକି ମନୁ, ପିଣ୍ଡେ ପ୍ରାଣ ଥାଉ ତୋତେ । ଆହା ବତ୍ସରେ !

ଦୁଷ୍ଟ ଜୟଦ୍ରଥ ଦେଲୁ ଏଡ଼େ କଷ୍ଟ ଅନ୍ୟାୟେ ବିନାଶି ସୁତେ । ଆହା ବତ୍ସରେ !!

ରେ ପାଷଣ୍ଡ ତୋର ନାହିଁରେ ନିସ୍ତାର ଅର୍ଜ୍ଜୁନ ବାଣମୁଖରୁ

କାଲି କେଉଁଠାରେ ଲୁଚାଇବ ନେଇ ଦେଖିବି ସେ ଦ୍ରୋଣ ଗୁରୁ । ଦୁଷ୍ଟ ଜାଣିଥା ।

ଆହେ ପଦ୍ମଆଖି ଥାଅ ତୁମେ ସାକ୍ଷୀ ଛୁଉଁଛି ଗାଣ୍ଡୀବ ଧନୁ

କାଲି ଜୟଦ୍ରଥ ଜୀବନ ନାଶିବି ଅସ୍ତ ନ ହେଉଣୁ ଭାନୁ । ହରି ଶୁଣ ହେ ।

ବ୍ରହ୍ମା ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ନର ନାଗକୁଳ ଯେତେ

ଦେଖ ମୋର ପଣ ପଶୁପକ୍ଷୀଗଣ ବିନାଶିବି ଜୟଦ୍ରଥେ । ସର୍ବେ ଶୁଣିଥା ।

ଛୁଇଁ ତବ ପାଦ କହୁଚି ଗୋବିନ୍ଦ, ଜୟଦ୍ରଥ ପ୍ରାଣ ନେବି,

ନମାରିପାରିଲେ ସୂର୍ଯ୍ୟେସ୍ତ ପୂର୍ବରୁ ନିଜେ ଅନଳେ ପଶିବି । ହରି ଶୁଣ ହେ ।

ଛେଦିଲେ ତୋ ଶିର ପୁତ୍ରଶୋକ ମୋର ଦୂର ହୋଇଯିବ ଜାଣ

ଅଭିମନ୍ୟୁ-ବଧ ନେବି ପ୍ରତିଶୋଧ ଭଣେ ବୈଷ୍ଣବ ଚରଣ । ଜନେ ଶୁଣିମା ।

(ସମସ୍ତଙ୍କର ପ୍ରସ୍ଥାନ)

 

 

 

 

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ଦ୍ରୋଣ-ଶିବିର-ଦୁର୍ଯ୍ୟୋଧନ ସହ ଦ୍ରୋଣାଚାର୍ଯ୍ୟଙ୍କ ପାଶେ ଜୟଦ୍ରଥର ପ୍ରବେଶ)

ଜୟଦ୍ରଥ- (ଦ୍ରୋଣ ପାଦ ଧାରଣ କରି) ରକ୍ଷାକର ଗୁରୁଦେବ !

ଅଧମ ହତଭାଗ୍ୟ ଜୟଦ୍ରଥକୁ ରକ୍ଷାକର ।

ଦ୍ରୋଣ- ସିନ୍ଧୁରାଜ ! ଏତେ ଅଧୈର୍ଯ୍ୟ କାହିଁକି, ମୁଁ ତାର କାରଣ କିଛି ଜାଣିପାରୁନାହିଁ । କଅଣ ଘଟିଲା ତା ମୋ ନିକଟରେ ପ୍ରକାଶ କର, ତେବେ ଯାଇ ସିନା ରକ୍ଷାର ଉପାୟ ନିର୍ଦ୍ଧାରଣ କରିବି ।

ଜୟଦ୍ରଥ- ଆଚାର୍ଯ୍ୟେ ! ଯାହା ଯାହା ଅଦ୍ୟ ସନ୍ଧ୍ୟା ପୂର୍ବରୁ ପାଣ୍ଡବ ଶିବିରରେ ଘଟିଲା, ତାହା ମନେପଡ଼ିଲେ ଏକାବେଳକେ ମୋର ବାକ୍ୟରୁଦ୍ଧ ହୋଇଯାଇଛି। ମୋର ଆଉ ବଞ୍ଚିବାର ଆଶା ନାହିଁ ।

(ଗୀତ)

ଆଚାର୍ଯ୍ୟ ଯିବ ଏ ଜୀବନ,

ନ କରିଲେ ରକ୍ଷା, ହେଲି ମୁଁ ଅରକ୍ଷ, ଭବନ ଲାଗଇ ବନ ।ପଦ।

ନାରାୟଣୀସେନା ବିନାଶି, ନାରାୟଣ ସଙ୍ଗତେ ଆସି ।

ଶୁଣି ସୁତବଧ ମନେ ବହି କ୍ରୋଧ ପ୍ରତିଜ୍ଞା କଲା ଅର୍ଜ୍ଜୁନ ।୧।

ଅଭିମନ୍ୟୁ ମଲା ମୋ ଯୋଗେ, ଭୀମ ଏହା କହନ୍ତେ ରାଗେ ।

କାଲି ସୂର୍ଯ୍ୟ ଅସ୍ତ ନୋହୁଣୁ ମାରିବ ଛୁଇଁଅଛି ଶରାସନ ।୨।

ଧରି ଶ୍ରୀକୃଷ୍ଣଙ୍କ ଚରଣ, ହୃଷ୍ଟମନେ କରିଲା ପଣ ।

ରବି ଅସ୍ତ ହେଲେ ନ ନାଶି ପାରିଲେ ପଶିବ ସେ ହୁତାଶନ ।୩।

ସପ୍ତରଥୀ କଲେ ସମର, ସବୁ ଦୋଷ ହୋଇଛି ମୋର ।

ବଇଷ୍ଣବ ଭାଷ କରିବି ମୁଁ କିସ ଉପାୟ ବତା ବହନ ।୪।

ଦ୍ରୋଣ- ସିନ୍ଧୁରାଜ ! ମୋତେ ତୁମ୍ଭେ ଏତ ବ୍ୟସ୍ତ କରନାହିଁ । କିନ୍ତୁ ଅର୍ଜ୍ଜୁନ ସମକକ୍ଷ ଯୋଦ୍ଧା କୌରବ ପକ୍ଷରେ ଜଣେ ସୁଦ୍ଧା କେହି ନାହିଁ, ଯେ କାଲି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତୁମ୍ଭଙ୍କୁ ରକ୍ଷାକରି ନନ୍ଦିଘୋଷକୁ ବାଧାଦେବ । ତେବେ ତୁମ୍ଭ ପ୍ରାଣରକ୍ଷା ନିମନ୍ତେ ମୁଁ ଯଥେଷ୍ଟ ଯତ୍ନ କରିବି- ତେଣିକି ତୁମ୍ଭର ଅଦୃଷ୍ଟ ।

ଦୁର୍ଯ୍ୟୋଧନ- ଗୁରୁଦେବ ! ଏକଥା କହନାହିଁ । ମୋର ଭଗ୍ନୀ ଦୁଃଶୀଳା କି ଏ କାଳରେ ବୈଧବ୍ୟ ଦଶା ଭୋଗିଲେ ତୁମ୍ଭଙ୍କୁ ସୁନ୍ଦର ଦିଶିବ ? କିନ୍ତୁ ଆଜିର ମାନ ଯେପରି କାଲି ଯୁଦ୍ଧରେ ନଷ୍ଟ ନହେଉ । ଆଚାର୍ଯ୍ୟେ ! ତୁମ୍ଭ ପାଦ ଧରୁଛି, କାଲି ଯେପରି ହେଉ ଜୟଦ୍ରଥକୁ ରକ୍ଷାକର । ତୁମ୍ଭର ବାହୁ ଏକା ଦୁର୍ଯ୍ୟୋଧନର ଏ ରଣରେ ପ୍ରଧାନ ସମ୍ବଳ । ଏତେବେଳେ ନିରାଶ କଲେ ମୋର ଆଶାତରୀ ଦୁର୍ଜୟ ବିଜୟ ବାତଯୋଗରେ ସମରସାଗରରେ ଜଳମଗ୍ନ ହେବ । ଜୟଦ୍ରଥକୁ ପାର୍ଥ ହସ୍ତରୁ ଏ ଥରକ ରକ୍ଷାକର ।

ଶକୁନି- (ପ୍ରବେଶି) ଭଣଜା ! ମୁଁ ତତେ ଅନେକ ଖୋଜି ଖୋଜି ଆସିଲିଣି । ଆଚାର୍ଯ୍ୟେ କଣ କହୁଛନ୍ତି, କାଲି ଦିନକ ଜୟଦ୍ରଥକୁ ରଖିବେ ତ ? ଯେବେ କାଲି ଜୟଦ୍ରଥ ବଞ୍ଚେ, ତେବେ ଅର୍ଜ୍ଜୁନ ତ ତା’ ଛାଆଁକୁ ମରିବ । ଅର୍ଜ୍ଜୁନ ମଲେ ଯୁଧିଷ୍ଠିରର ବଳ ସରିଲା; ସେହି ଶୋକରେ ମଧ୍ୟ ସେ ମରିପାରେ । ତେଣିକି କ’ଣ ଏକା ଭୀମ ନକୁଳ ସହଦେବଙ୍କୁ ଘେନି ଆଉ ସାତଦିନ ଯୁଦ୍ଧ ପୂର୍ଣ୍ଣ କରିବ ? ତା କେବେ ହେବନାହିଁ ଭଣଜା ! ଏକା ଯେବେ ସମସ୍ତେ ଘେରି ଜୟଦ୍ରଥକୁ କାଲିକ ବଞ୍ଚେଇନିଅ, ତା ପରଦିନକୁ ତୋର ଅକଣ୍ଟକ ରାଜ୍ୟ ।

ଦୁର୍ଯ୍ୟୋଧନ- ମାମୁଁ ! ଯାହା କହିଲ ତା ସତ୍ୟ । ଅର୍ଜ୍ଜୁନ ମଲେ ଚାରିପାଣ୍ଡବେ ତା ଦୁଃଖରେ ମରିବେ । କୃଷ୍ଣ ଏହା ଦେଖି ଦ୍ୱାରକାକୁ ପଳେଇବ । ଗୁରୁଦେବ ! ଶୁଣିଲ ତ ମାମୁଁଙ୍କ କଥା । କାଲି ସିନ୍ଧୁପତି ଜୟଦ୍ରଥକୁ କିପରି ରକ୍ଷାକରିବା, ଉପାୟ କୁହନ୍ତୁ ତେବେ ଜୟ ହେବ । ତା ନହେଲେ ଏଇ ରାତ୍ରେ ଜୟଦ୍ରଥକୁ ନେଇ ମୁଁ ବନକୁ ଯାଉଛି ।

ଦ୍ରୋଣ- ଏ କି କଥା ଦୁର୍ଯ୍ୟୋଧନ ! ତୁମ୍ଭେ ବନବାସୀ ହେବ ? ନାଁ, ମୁଁ ପ୍ରତିଜ୍ଞା କରୁଛି, କାଲି ସିନ୍ଧୁପତିକି ରକ୍ଷାକରିବି । ତାର ଉପାୟ ମୋ’ ଠାରୁ ଶୁଣ-

ଗୀତ-(ରାମକେରୀ...ବୃତ୍ତେ)

କୌରବ-ମୁକୁଟ ଶକଟବ୍ୟୂହ ରଚିବି କାଲି

ଦ୍ରୋଣର ପ୍ରତିଜ୍ଞା କି କେବେ ମନରୁ ଯିବ ଭୁଲି ।୧।

ବାର ବାର ଫଳି, ମୁଁ ସୈନ୍ୟଗଣରେ ଗଢ଼ିବଇଁ

ଦଣ୍ଡା ଝୁରା ଅଖ ଚକ ଯେ, ସୈନ୍ୟ ହୋଇବେ ତହିଁ ।୨।

ସୈନ୍ୟ ସୈନ୍ୟ ଅର ମଧ୍ୟରେ ପଦ୍ମେକ ନିର୍ଭାକରି

ତହିଁରେ କେଶର କରିବି, ପୁଣି ନାଡ଼ ତାହାରି ।୩।

ସେହି ନାଡ଼ ଛିଦ୍ରେ ରଖିବି ଭିଣୋଇକି ତୋ ନେଇ

ଭଳି ଭଳି ରଥୀ ଫଳିକେ ଜଗିବେ ସଜା ହୋଇ ।୪।

ସେମାନଙ୍କୁ ହଟାଇ ସିନା, ଗମନ୍ତେ ଅରଜୁନ

କେଭେ ନ ଅଣ୍ଟିବ ସମୟ ଶେଷ ହୋଇବ ଦିନ ।୫।

ବାରୁଣୀ ଚୁମ୍ବନ୍ତେ ବିଜୟୀ ଅଗ୍ନି ଜାଳି

ତହିଁରେ ତେଜିବ ଜୀବନ ବଇ ଏ ରସେ ଭାଳି ।୬।

ଶକୁନି- ଜୟଦ୍ରଥ ! ଆଉ ତୁମର ଭାବନା କଅଣ ? ଯେତେବେଳେ ଆଚାର୍ଯ୍ୟେ ଜବାବ ଦେଲେଣି, ଜାଣ, ତୁମେ ବିଷ୍ଣୁ-ପଞ୍ଜୁରିରେ ରହିଲ । ଏଥିରୁ ଜଣାଯାଉଛି ଏଣୁତେଣୁ ଗୁଡ଼ାଏ ମରିବେ, ହେଲେ ତୁମ୍ଭ ଦେହରେ କାଣ୍ଡ ହାଓ୍ୱା ସୁଦ୍ଧା ବାଜିବ ନାହିଁ । ଶକଟ- ତା ଭିତରେ ଫଳି- ତା ଭିତରେ ଅଖ, ଅଖ ଭିତରେ ଚକ, ଚକ ମଝିରେ ଅର, ଅର ଦେହରେ ପଦ୍ମ, ପଦ୍ମ ଦେହରେ ପାଖୁଡ଼ା, ପାଖୁଡ଼ା ଦେହରେ ତା ନାଭି, ନାଭି ତଳକୁ କେଶର, କେଶର ତଳକୁ ନାଡ଼, ନାଡ଼ ଭିତରେ ଯେଉଁ କଣା, ତା ଭିତରେ ଯାଇଁ...ତମେ ସେଠି ନିଦରେ ଶୋଇଲେ କିଛି ଭାବନା ନାହିଁ । ଯେତେ ଏଥିରେ ମାଲ୍‌ମସଲା ଲାଗୁଛି, ଜଣାଯାଉଛି, ଅଣି କାଠି, ଫଣା କାଠି କାଢ଼ି ଶାଲରୁ ଗୋଟେଇବାକୁ ପଡ଼ିବ । ଏକାଦଶ ଅକ୍ଷୌହିଣୀ ବଳ ଅଣ୍ଟିବେ କି ନା ସନ୍ଦେହ । ଚାଲ, ଆଉ ଭାବନା କ’ଣ ?

ଦୁର୍ଯ୍ୟୋଧନ- ଗୁରୁଦେବ ! ତେବେ ଆଜ୍ଞାହେଲେ ଆମ୍ଭେମାନେ ଶିବିରକୁ ଯିବୁ; ରାତ୍ର କ୍ରମେ ହେଉଛି ଅଧିକ ।

ଦ୍ରୋଣ- ହଉ ତୁମ୍ଭେ ଯାଅ । ଦିବସରେ ଆଜି ବହୁତ ଶ୍ରମ କରିଛ । ଟିକିଏ ଟିକିଏ ନିଦ୍ରା ଯାଇ ସେ କ୍ଳାନ୍ତି ଦୂରକର ।

ଶକୁନି- ଆଚାର୍ଯ୍ୟେ ! ଗାଁରେ ଯେତେବେଳେ ହଇଜାଲାଗ, ସେତେବେଳେ ଫେର୍ ଯେଉଁ ନିଦ ହୁଏ ତା ଭୀଷ୍ମମାତାକୁ ଜଣା । କାଲି ଯା’ର ମରିବା ପାଳି, ତାକୁ ଆଜି ନିଦ ପରା ଭାଇବୋହୂ ଦେଢ଼ଶୁର ସମ୍ବନ୍ଧ; ଖାଲି ଗଡ଼େଇ-ପଡ଼େଇ ହେବାଟା ସାର । ହେଉ ଚାଲ ।

(ସମସ୍ତେ ପ୍ରସ୍ଥାନ)

ଦ୍ୱିତୀୟ ଦୃଶ୍ୟ

(ଅନ୍ତଃପୁର- ଦୁଃଶୀଳା ଓ ଭାନୁମତୀ ପ୍ରବେଶ)

ଭାନୁମତୀ- ନଣନ୍ଦେ ! ମୁଁ ଦେଖୁଛି ସଞ୍ଜ ବଢ଼ିଲା ବେଳୁଁ ତୁମେ ଯେଉଁଠି ବସୁଛ ଖାଲି ଆଖିରୁ ଲୁହ ଗଡ଼ାଉଛ, କାହାକୁ ତ କିଛି କହୁନା ? ତୁମକୁ କିଏ କଣ କହିଛି ଯେ ଏପରି ହେଉଛ ? ଆଜି ତମ ଭାଇ ଲଢ଼େଇରେ ଜୟ କରିଛନ୍ତି, ଏହା ଶୁଣି ତମେ ଖୁସି ନହୋଇ ଆହୁରି ବସି ଲୁହଗଡ଼ାଉଛ ? କ’ଣ ମନକଥା ମୋତେ କହୁନା ?

ଦୁଃଶୀଳା- ନୂଆବୋଉ ! ଆଜି କାନ୍ଦୁଛି ବୋଲି କହୁଚ, ନାଁ ଚିରଦିନ ଏଣିକି ମୋତେ ଲୁହ ଗଡ଼ାଇବାକୁ ପଡ଼ିବ ? ଏ କାଳଯୁଦ୍ଧ କ’ଣ ମୋହରି ମୁଣ୍ଡ-ସିନ୍ଦୂର ଯିବାଲାଗି ଥିଲା ? ହାୟ, ମୁଁ ନମଲି କାହିଁକି ?

ଭାନୁମତୀ- ନଣନ୍ଦେ ! ତୁମ କଥାର ଛଳ ତ ମୁଁ କିଛି ଜାଣିପାରୁନାହିଁ । ମୁଣ୍ଡର ସିନ୍ଦୂର ରମଣୀର ପତି; ତୁମ୍ଭ ପତି ପରା ଆଜି ଅଭିମନ୍ୟୁକୁ ମାରି ମହା ସମ୍ପତ୍ତି ଦେଇଅଛନ୍ତି । ସନ୍ଧ୍ୟା ହେବାରୁ ତ ରଣ ବନ୍ଦ ହେଲା, ତା’ପରେ ତ କିଛି ହୋଇନାହିଁ । ତୁମ୍ଭ ମୁଣ୍ଡ-ସିନ୍ଦୂର ପୋଛିଲା କିଏ ?

ଦୁଃଶୀଳା- ନୂଆବୋହୂ ! ତୁମେ କ’ଣ ସନ୍ଧ୍ୟାପରେ ଘଟଣା କିଛି ଶୁଣିନାହଁ- ସେ ଯୋଗେ ମୋତେ ପରିହାସ କରୁଛ ? ଥରେ ତୁମ୍ଭ ନଣନ୍ଦେଇ ଅବସ୍ଥା ମନଦେଇ ଶୁଣ ।

ଗୀତ(କାହିଁକି ଡାକୁଛ ମା...ବୃତ୍ତେ)

ଶୁଣ ଆଗୋ ନୂଆବୋହୂ, ମୋର ମନକଷ୍ଟ ଜାଣିବ କେହୁ ଗୋ !

ଚନ୍ଦ୍ରକୁ ଗ୍ରାସିଛି ରାହୁ, ମୋ ରାଣୀ ଗୋ ।୧।

ଶୁଣି ଅଭିମନ୍ୟୁବଧ, ପଣ କଲା ପାର୍ଥ ବହିଣ କ୍ରୋଧ ଗୋ

ଛୁଇଁ ଶ୍ରୀହରିଙ୍କ ପାଦ, ମୋ ରାଣୀ ଗୋ ।୨।

ଅସ୍ତ ନୋହୁ ଦିବାକର, ଘେନିବେ ମୋ ପତି ପ୍ରାଣ ନିକର ଗୋ

ଶୁଣି ବ୍ୟସ୍ତେ କମ୍ପେ ଚିତ୍ତ ମୋର, ମୋ ରାଣୀ ଗୋ ।୩।

କାନ୍ତେ ନପାରିଲେ ମାରି, ନିଜ ହସ୍ତେ ଚିତା ସଜାଡ଼ି କରି ଗୋ

ତହିଁ ପଶିବେ ଗାଣ୍ଡୀବଧାରୀ, ମୋ ରାଣୀ ଗୋ ।୪।

ଅର୍ଜ୍ଜୁନ ହସ୍ତରୁ ତ୍ରାହି, କରିବ କେ ଜଣେ ସଂସାରେ ନାହିଁ ଗୋ

ନିଶ୍ଚେଁ ବିଧବା ହୋଇବି ମୁହିଁ, ମୋ ରାଣୀ ଗୋ ।୫।

ରଖିବି କିମ୍ପା ଏ ଜୀବ, ଯେବେ ତେଜି ଯିବେ ଜୀବ-ବଲ୍ଲଭ ଗୋ

ରସେ ଭାଷେ ଦୀନ ବଇଷ୍ଣବ, ମୋ ରାଣୀ ଗୋ ।୬। (ଅଶ୍ରୁତ୍ୟାଗ)

 

ଭାନୁମତୀ- ଛି ନଣନ୍ଦେ ! ଏତେ ମନ୍ଦକଥା ମନକୁ ଆଣୁଛ କାହିଁକି ? ତୁମ୍ଭେ କ’ଣ ଜାଣିନାହଁ ଏ ପକ୍ଷରେ ଦ୍ରୋଣ, କର୍ଣ୍ଣ, ଅଶ୍ୱତ୍‌ଥାମା, ଶଲ୍ୟ, କୃପ, ଭୂରିଶ୍ରବା, ସୋମଦତ୍ତ ଦୁଃଶାସନ ଏପରି ମହା ମହା ରଥୀମାନେ କୃତାନ୍ତ ପରି ଭାଇଙ୍କ ପକ୍ଷ ଜଗିରହିଛନ୍ତି । ଅର୍ଜ୍ଜୁନ ପଣକଲା ବୋଲିକି ସହଜରେ ତୁମ୍ଭ ସ୍ୱାମୀଙ୍କୁ ମାରିପକାଇବ ? ଏ କଥା କାହା ମନକୁ ଯିବ ଭଲା କହିଲ ? ଭୀଷ୍ମ କିପରି ଏ ପକ୍ଷରୁ ପରାସ୍ତ ହେଲେ ଜାଣି ନାହଁ ? ସେ ପରା ଓପ୍ରୋଧ ଯୁଦ୍ଧରେ ଇଚ୍ଛା-ମୃତ୍ୟୁକୁ ବରଣ କଲେ । ଆଉ ସେ କଥା ମୁହଁରେ ଧରନା, ମୁଁ ଯାହା କହୁଛି ଶୁଣ । ତୁମକୁ ମୁଁ ଏକଥା ଆଗରୁ କହୁନଥିଲି; କିନ୍ତୁ ତୁମେ ସେ କଥା କହିବାରୁ ମୁଁ ଏକଥା କହୁଛି ।

(ଗୀତ)

ଇନ୍ଦୁମୁଖୀ ସିନ୍ଧୁ-ରାଜରାଣୀ ଗୋ, କାନ୍ଦ ନାହିଁ ।ପଦ।

ସାକ୍ଷୀ ଦିଅ ଧରମକୁ, ନିନ୍ଦ ନାହିଁ କରମକୁ,

ମନ୍ଦଭାବ ମନକୁ ନ ମଣ ଗୋ ।୧।

କୁନ୍ଦ-କରକଦଶନା, ତେଜ ସେ ଛନ୍ଦବାସନା,

କ୍ଷୀରରେ ନ ମିଶାଅ ଖାର ଆଣି ଗୋ ।୨।

ଥାଆନ୍ତେ ଗୁରୁ ଆଚାର୍ଯ୍ୟ, କେ କରିବ ଏଡ଼େ କାର୍ଯ୍ୟ,

ଯେହୁ ବୀରଙ୍କର ଶିରୋମଣି ଗୋ ।୩।

ଯେବେ କ୍ରୋଧେ ଅନ୍ଧହୋଇ, ପଣ କରିଚି ବିଜୟୀ,

କାଲି ତାର ଘଟିବ ମରଣ ଗୋ ।୪।

ଚିତ୍ତରୁ ଚିନ୍ତା ଉପେକ୍ଷି, ବାସେ ଯିବା ଆସ ସଖୀ,

ଭାଷେ ରସେ ବଇଷ୍ଣବ ପାଣି ଗୋ ।୫।

ଦୁଃଶୀଳା- ନୂଆବୋହୂ ! ତୁମେ ମୋତେ ବୁଝାଇଲେ କ’ଣ ହେବ ? ମୁଁ ଯେତେ ମନକୁ ବୁଝାଉଚି, ଅବୋଧ ମନ କେଭେ ବୋଧ ମାନୁନାହିଁ । ବେଳେବେଳେ ମୋ ଡାହାଣ ଆଖି କାହିଁକି ନାଚିଉଠୁଛି । ଡାହାଣ ବାହା ନାଚି ଉଠୁଛି । ଏ ସବୁ ତ ଅମଙ୍ଗଳର କାରଣ ।

ଭାନୁମତୀ- ନଣନ୍ଦେ ! ମନ ଯେତେ ବିପଦ ଆଡ଼କୁ ଦଉଡ଼େଇବ ସେତେ ତ ଦଉଡ଼େ । କାର୍ଯ୍ୟ କାରଣ ଘେନି ଏପରି ମନରେ ଆଶଙ୍କା ଆସେ । ଆସ, ମୋର ଘରକୁ ଆସ ! କାଲି ଶୁଣିବ ଜୟଦ୍ରଥଙ୍କ ଜୟ ହୋଇଛି; ବିଜୟୀ ଜୀବନେ ମରିଚି । ଆସ ।

(ଉଭୟ ପ୍ରସ୍ଥାନ)

ତୃତୀୟ ଦୃଶ୍ୟ

(ଅର୍ଜ୍ଜୁନ ଓ ଶ୍ରୀକୃଷ୍ଣ ପ୍ରବେଶ)

ନେପଥ୍ୟେ- ଜୟ କୁରୁପତି ଦୁର୍ଯ୍ୟୋଧନଙ୍କର ଜୟ ।

ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ଏହି ଶୁଣ ରଣକ୍ଷେତ୍ରରେ ତେଣେ କୌରବ-ସୈନ୍ୟଙ୍କ କୋଳାହଳ । ଦୂତ ଆସି କେତେବେଳୁ ସମ୍ବାଦ ଦେଲାଣି ଯେ ଆଜି ଦ୍ରୋଣାଚାର୍ଯ୍ୟ ଶକଟବ୍ୟୂହ ରଚନା କରିବାପାଇଁ ସେନାଗଣଙ୍କୁ ରଣସ୍ଥଳରେ ସଜାଉଅଛନ୍ତି । ଆଉ ବିଳମ୍ବ କରନା, ଶୀଘ୍ର ନନ୍ଦିଘୋଷ ଆରୋହଣ କର । କାଲିର ପ୍ରତିଜ୍ଞା କି ଭୁଲିଯାଇଛି ? ପ୍ରାଣପଣେ ରଣ ନ କଲେ ଆଜି ରକ୍ଷାନାହିଁ । ସୂର୍ଯ୍ୟ ଅସ୍ତହେଲେ ଯେ ନିଜ ଜୀବନ ପ୍ରତି ବାଧାଘଟିବ ।

ଅର୍ଜ୍ଜୁନ- କେଶବ ! ତୁମ୍ଭେ ମୋତେ ଏତେ ଛଳାଅ କାହିଁକି ? ଦ୍ରୋଣପରି ଯଦି ସହସ୍ର ଦ୍ରୋଣ ଜୟଦ୍ରଥକୁ ରକ୍ଷାକରିବାକୁ ଯତ୍ନ କରନ୍ତି, ତେବେ ସୁଦ୍ଧା ଅର୍ଜ୍ଜୁନ ହସ୍ତରୁ ପାପିଷ୍ଠର ନିସ୍ତାର ନାହିଁ । କାରଣ ତୁମର ଅଭୟପଦ ଯାହାର ସର୍ବଦା ସହାୟ, ତାର ଭୟ କି ହେବ ଛାର ଦ୍ରୋଣାଚାର୍ଯ୍ୟକୁ ?

 

 

(ଗୀତ)

ସୁର ବ୍ରହ୍ମାଙ୍କ ସମ୍ପଦ            ଅଟେ ଯେ ଅଭୟ ପଦ

ସଦା ସଦାଶିବ ଯା’ରେ ପୂଜେ

ଯେ ପଦ ବିପଦ ହରେ      ଚିନ୍ତିଲା ମାତ୍ରେ ଚିତ୍ତରେ

ପାଷାଣ ହେଲା ନାରୀ ଯା ଭଜେ ।୧।

ଯେ ପଦରୁ ଗଙ୍ଗାନଦୀ      ବହେ ହିମାଚଳ ଭେଦି

ଚିନ୍ତିଲେ ଯା ଧ୍ରୁବ ପ୍ରହଲାଦ

ଯେଉଁ ପଦେ ଦାନ ଦେଇ      ବଳି ତିନିପାଦ ମହୀ

ପାତାଳେ ଭୋଗୁଛି ଇନ୍ଦ୍ରପଦ ।୨।

ରସାରେ ଭରସା ଜାଣ      ମୋର ସେ ବେନି ଚରଣ

ମରଣ କି ଡରାଇବ ରଣେ

ଦୂରେ ପ୍ରାଣୀ ଧ୍ୟାୟି ତରେ      ଅଛି ସେହି ମୋ ରଥରେ

ମୁଁ ହତ ହେବି କି କାରଣେ ।୩।

ହେ ବନମାଳୀ ନ ଛଳି      ନନ୍ଦିଘୋଷ ଦିଅ ଚାଳି

କୁରୁକ୍ଷେତ୍ର ସମର-ସାଗରେ

ବଇଷ୍ଣବ ଗୀତେ କହି      ନୁହେଁ ଅଭିମନ୍ୟୁ ମୁହିଁ

ଦ୍ରୋଣ ମୋତେ ଫିଙ୍ଗିବ ବାଗରେ ।୪।

ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ମୁଁ ପୂର୍ବମୁଖ ହୋଇ ରଥ ଚଳାଉଛି । ଥରେ ଚାହିଁ ଦେଖିଲୁ କି କର୍କଟ ଭୃତିରେ ଦ୍ରୋଣ ଶକଟବ୍ୟୂହ ରଚନା କରିଛି ? ପ୍ରଥମରେ ଶକଟର ମୁଖ ଦିଗରୁ ବ୍ୟୂହ ଭଙ୍ଗ କରି କରି ଯିବାକୁ ହେବ । କାରଣ ଛଅଫଳି ଉତ୍ତାରେ ଯେଉଁ ଚକ ମଧ୍ୟରେ ଅଖ, ତହିଁ ମଧ୍ୟରେ ପଦ୍ମ କରି, ତା ନାଡ଼ରେ ଦ୍ରୋଣ ଜୟଦ୍ରଥକୁ ଲୁଚାଇଛି । ଏ ବ୍ୟୂହ ଭେଦିବାକୁ ବହୁ କଷ୍ଟ ପଡ଼ିବ ।

ଅର୍ଜ୍ଜୁନ- ଯଦୁନାଥ ! ଶୀଘ୍ର ରଥ ବାହାନ୍ତୁ। (ବେଗେ ଉଭୟଙ୍କର ପ୍ରସ୍ଥାନ)

(ବେଗେ ଦ୍ରୋଣଙ୍କର ପ୍ରବେଶ- ଦୁର୍ଯ୍ୟୋଧନ ପ୍ରତି)

ଦ୍ରୋଣ- ଦେଖ ଦେଖ ଦୁର୍ଯ୍ୟୋଧନ !

ଛୁଟିଛି ଗାଣ୍ଡିବୀ ରଥ ପୂର୍ବମୁଖ ହୋଇ

ଘନ ଘନ ରଥର ର୍ଘଘର ଧ୍ୱନି ତୁଲେ ମିଳି ଶୁଭୁଅଛି ପଞ୍ଚଜନ୍ୟ ।

ଯାଏ ରଥ ବିଦ୍ୟୁତ୍ ଆକାରେ ଗମନେ ଦିଶଇ ଧ୍ୱଜା ବକପକ୍ଷୀ ସମ ।

ସେନାଗଣେ କର ସାବଧାନ

ଶକଟ ଝୁରାରେ ଅଛି ଅଶ୍ୱତ୍‌ଥିନୀ ମୋର,

ପ୍ରଥମ ଫଳିରେ ଦୁଃଶାସନ, ଦ୍ୱିତୀୟରେ ଭୂରିଶ୍ରବା,

ତୃତୀୟେ କର୍ଣ୍ଣ ଅଛଇ ଜଗି, ରହିଅଛି କୃପବ୍ରହ୍ମା ଚତୁର୍ଥ ଫଳିରେ,

ପଞ୍ଚମରେ ମଦ୍ରପତି ଶଲ୍ୟ ।

କୋଟିଏ କୋଟିଏ ସୈନ୍ୟ ନେଇଣ ସଙ୍ଗରେ

ରହିଛନ୍ତି ସେନାପତିମାନେ;

ସାବଧାନେ କରିବ ସମର, କେହି ଯେପରି ନଯିବେ ହଟି

ଚାଲ ଆମ୍ଭେ ସତର୍କ କରିବା ସୈନ୍ୟଗଣେ ।

ଦୁର୍ଯ୍ୟୋଧନ- ଆସନ୍ତୁ ଆଚାର୍ଯ୍ୟେ !

ରଥ ମିଳିଲାଣି ଯାଇ ଝୁରାମୁଣ୍ଡିଠାରେ ତବ ଅଶ୍ୱତ୍‌ଥାମା ପାଶେ । (ବେଗେ ଉଭୟଙ୍କ ପ୍ରସ୍ଥାନ)

(ରଣବାଦ୍ୟ)

(ଯୁଦ୍ଧ କରୁ କରୁ ଅଶ୍ୱତ୍‌ଥାମା ପାଶେ ଅର୍ଜ୍ଜୁନର ପ୍ରବେଶ)

ଅଶ୍ୱତ୍‌ଥାମା- ରେ ପାମର ପାପମତି ପାର୍ଥ !

ନ ଜାଣୁ କି ଅଶ୍ୱତ୍‌ଥାମା ବଳ ?

କି ଦେଖାଉ ନନ୍ଦିଘୋଷ ମୋହରି ଆଗରେ ?

ପ୍ରତିଜ୍ଞା କରିଛୁ ପରା- ସୂର୍ଯ୍ୟାସ୍ତ ପୂର୍ବରୁ ନେବୁ ଜୟଦ୍ରଥ ପ୍ରାଣ ?

ଆଗେ ଅଶ୍ୱତ୍‌ଥାମା ସହ କରି ରଣ

ହଟାଇଲେ ଯିବୁ ତୁହି ଦୁଃଶାସନ ପାଶେ,

ଯୁଦ୍ଧ ପାଇଁ ହୁଅ ତୁ ପ୍ରସ୍ତୁତ ।

ଅର୍ଜ୍ଜୁନ- ଗୁରୁପୁତ୍ର ! ମୁଁ ନୁହେଁ ବାଳକ ଅଭିମନ୍ୟୁ ଅନ୍ୟାୟ ରଣରେ ନେବ ପ୍ରାଣ ।

ଗୀତ- (ଜୟ ଜୟ ପରମବ୍ରହ୍ମ ରଘୁରାମ...ବୃତ୍ତେ)

ହେ ଗୁରୁସୁତ ବିବାଦ କର କାହିଁକି,

ବିଜୟୀକି ଜାଣ ନାହିଁ କି ।ପଦ।

ପାଚକ ମୁଖେ ନ ସାଜେ ବୀରବାଚକ,

ବାରିପାରୁନାହଁ ମନ୍ଦସୂଚକ,

କୁରୁନାଥ ଭାତ ରାନ୍ଧ ଯାଇଁକି ।୧।

ନାରୀଏ ଖାଇ ସାରିଲେ ଖାଇବ ପଛେ,

ଆମ୍ବକୁ ଆମ୍ବଡ଼ା ବୋଲି ଦେଖାଅ ମିଛେ;

ରଣ ନୁହେଁ ଆଳୁ କଦଳୀ ଛୁଇଁକି ।୨।

ବାଟି ବେସର ପରିବା କାଟିବ ଯାଅ,

କାହିଁକି ଏଠାରେ ଘୋଡ଼ାମୁହଁ ହଲାଅ,

ଚୁଡ଼ା ସାଙ୍ଗରେ ଘାଣ୍ଟି ଦିଅ ଦହିକି ।୩।

ଅନ୍ଧପୁଅ ପେଜ ପିଇ ଚାତର ଏତେ,

ଚଟୁ ଛାଡ଼ି ପୁଣି ଧନୁ ଧଇଲ ହାତେ,

ବଇ ବୋଲେ ନଖୋଳା ନିଜ ଗୋଇକି ।୪।

ଅଶ୍ୱତ୍‌ଥାମା- ରେ ଗାଣ୍ଡିବୀ !

ନିଜ ମହତକୁ ଢାଙ୍କି ନେଉ ପରର ମହତ ।

ଗଉଡ଼ିଆ ଖୋଇ ତୋର ଯିବ ନାହିଁ ଛାଡ଼ି ।

ଗଉଡ଼ ଅଇଁଠା କଣ୍ଟା ଏମନ୍ତ ସୁଆଦ ପୁଣି ରାଜଅନ୍ନଠାରୁ ?

ସଂସର୍ଗ ଦୋଷରୁ ଜନ ହୁଏ ଏହିପରି ।

ନାହିଁ ଜାତିର ଠିକଣା ଯା’ର ତାର ତୁଲେ ଭୁଞ୍ଜି ଏକପତ୍ରେ,

ପୁଣି ରହି ଏକବାସେ

ହୋଇଲାଣି କଳୁଷିତ ସର୍ବାଙ୍ଗ ତୋହରି ।

ତେଣୁ ବ୍ରାହ୍ମଣକୁ କହୁ ତୁଚ୍ଛକରି ।

ପାପୀର ସଂସର୍ଗେ ପାପ ବଢ଼େ ଦିନୁ ଦିନ- ପଚାର କୃଷ୍ଣକୁ !

ଗୋହତ୍ୟା, ନାରୀହତ୍ୟା, ପରସ୍ତ୍ରୀହରଣ

ଏହି ପାପେ ଅଂଶୀ ତୁହି ନୋହୁ କି ବିଜୟୀ ?

ଶ୍ରୀକୃଷ୍ଣ- ପାର୍ଥ ! ବୃଥା ବାକ୍ୟେ କାଳକ୍ଷୟ କରୁ କିସ ପାଇଁ ?

ଅର୍ଜ୍ଜୁନ- ରେ ନିର୍ଲଜ୍ଜ ! ବିନାରଣେ ବେଳଯାଏ ବହି ।

(ଉଭୟ ଯୁଦ୍ଧ କରୁ କରୁ ଅଶ୍ୱତ୍‌ଥାମାର ପଳାୟନ)

ପଳାଅନା ପଳାଅନା ଗୁରୁପତ୍ର ! ଆସ ଆସ ! ଧର ଅସ୍ତ୍ର କର ରଣ ଗଉଡ଼- ଉଚ୍ଛିଷ୍ଟଭୋଗୀ ସଙ୍ଗେ। (ଅଶ୍ୱତ୍‌ଥାମା ପଛେ ଅର୍ଜ୍ଜୁନ ଓ କୃଷ୍ଣ ଧାବମାନ)

(ଅର୍ଜ୍ଜୁନ ସହ ଦୁଃଶାସନର ପ୍ରବେଶ)

ଅର୍ଜ୍ଜୁନ- ରେ ଦୁଃଶା ! ମନ୍ଦଦଶା ପଡ଼ିଛି ତୋହରି, ହେବୁ ଅଶ୍ୱତ୍‌ଥାମା ପରି ।

ଦୁଃଶାସନ- ରେ ନପୁଂସକ ! ଯାଅ ବିରାଟସଭାକୁ, ନାଚିବୁ ପିନ୍ଧିଣ ଶାଢ଼ି-ଚୁଡ଼ି ।

ଗୀତ- (ହରି ହରି ବୋଲ ହରଷେ ରସିକେ...ବୃତ୍ତେ)

ରେ ବାସବ-ସୁନୁ ଭୁଲିଲୁ କି ମନୁ କପଟପଶାର ବେଳରେ

ମୁହିଁ ଦୁଃଶାସନ ଉଠାଇ ସଭାରୁ ଉଭାକରାଇଲି ତଳରେ ।ପଦ।

ପାସୋରିଗଲା କି ସେ ଅଜ୍ଞାତବାସ, ହୋଇଥିଲ ପରା ବିରାଟର ଦାସ ।

ଥିଲା ପୁଣି କୀଚକ ସେଠାରେ ତୁମ୍ଭର ଭାରିଯାମେଳରେ ।୧।

ଗୋଟାଏ ନାରୀକି ଧରାପରା ହୋଇ, କେମନ୍ତ ରମଣ କର ପାଞ୍ଚଭାଇ,

ଅନାଉ ଅନାଉ ଯାଉଥିବ ନେଇ ଯା’ର ହେବ ବେଶୀ ବଳରେ ।୨।

ମଉଜରେ ହର ଦିବସ ରାତିକି, ଶାଶୁର ଯେତିକି ବୋହୂର ତେତିକି

ଆଉ ଯାହା ସଙ୍ଗେ ରହିଛ ମାତିକି ତାହାର ହଜାର ଷୋଳରେ ।୩।

ସବୁରି କଥା ତ ଜାଣୁଥିବ ସବୁ, କାହା ଘରେ ନାହିଁ ତୁମ୍ଭ ଘର କାବୁ

ବଇଷ୍ଣବ ଭାଳେ କିସ ଚିତ୍ତେ ଭାବୁ ଅନାଇଣ ଜଳଜଳରେ ।୪।

ଅର୍ଜ୍ଜୁନ- ରେ ଅନ୍ଧନନ୍ଦନ !

ସାହାଡ଼ା ଗଛକୁ ବିଭା ହୋଇନାହୁଁ ଆମ୍ଭେରେ ଅବୋଧ !

ଯୁଦ୍ଧସ୍ଥଳେ ଶ୍ରାଦ୍ଧକଥା ପଡ଼ିଛି କାହିଁକି ?

ଯେ କାର୍ଯ୍ୟରେ ଦୁହିଁଙ୍କର ହୋଇଅଛି ଭେଟ

ତାହା ଶୀଘ୍ର ସାରିବା ଉଚିତ ।

ଜାଣେ ମୁହିଁ ତୁମ୍ଭର ବଂଶର ଗୁଣାବଳୀ

ତୋ’ପରି ନୀଚ ପ୍ରକୃତି ଥିଲେ ମୋର ହୋଇ

ତୁଚ୍ଛ ଭାଷା ଆସନ୍ତା ତୁଣ୍ଡକୁ । ରଣ କର ।

କିସ ହେବ ବୁଝାଇ ଭାଣ୍ଡକୁ ।

ଦୁଃଶାସନ- ସେଥିପାଇଁ ଭୟକରିନାହିଁ ଦୁଃଶାସନ । (ଯୁଦ୍ଧରେ ଦୁଃଶାସନର ପରାସ୍ତ)

ଭୁରିଶ୍ରବା- (ପ୍ରବେଶହୋଇ) ରହ ରହ ! ରହରେ ବିଜୟୀ !

ଭୁରିଶ୍ରବାଠାରୁ କି ହୋଇବୁ ରଣଜୟୀ ?

ଅର୍ଜ୍ଜୁନ- ରେ ନୀଚମତି ଭୁରିଶ୍ରବା ! ଗର୍ବର କି ଅଛି ପ୍ରୟୋଜନ ?

ରଣ କର ବଳ ଥିଲେ ଗାତ୍ରରେ ତୋହରି ।

ଲିଭାଇବି ଅଭିମନ୍ୟୁ-ଶୋକାନଳ ତୁମରି ଶୋଣିତେ ।

ଭୁରିଶ୍ରବା- ରଖିଦେ ତୋ ବାକ୍ୟ ଆଡ଼ମ୍ବର ।

ଏ ମହାଭାରତେ ଅଛି କେହୁ ଭୁରିଶ୍ରବା ସମକକ୍ଷ ଯୋଦ୍ଧା ?

ଥିଲେ ତୋର ସାରଥି ସମାନ ମୋର ସାରଥି ରଥରେ

ଦେଖନ୍ତୁ କେ କାହାକୁ ଜିଣନ୍ତା ଏ ମହାଭାରତେ ।

ଅର୍ଜ୍ଜୁନ- ଦେଖାଇବି ସେ ସାରଥୀ ଅଛି ସବୁ ରଥେ ।

ନଥିଲେ ସେ ଚଳନ୍ତା କେ ରଥକୁ ତୁମ୍ଭରି ?

ଶ୍ରୀକୃଷ୍ଣ- ହେ ଅର୍ଜ୍ଜୁନ ! ବୃଥା କିମ୍ପା କରୁଅଛ ଡେରି ?

ଭୁରିଶ୍ରବା- ଆଚ୍ଛା ! କର ରଣ ପ୍ରାଣ ଆଶା ତେଜି ।

(ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)

ଚତୁର୍ଥ ଦୃଶ୍ୟ

(ଯୁଧିଷ୍ଠିର ଶିବିର)

ଯୁଧିଷ୍ଠିର- (ଭୀମ ପ୍ରତି) ଭୀମ ! ଏତେବେଳେଯାଏ କି ଯୋଗେ ପଞ୍ଚଜନ୍ୟ ଶଙ୍ଖଧ୍ୱନି ଶୁଭିଲା ନାହିଁ । ତୁମ୍ଭେ ସାତ୍ୟକି ସହ ନକୁଳ ସହଦେବଙ୍କୁ ସଙ୍ଗରେ ନେଇ ଅର୍ଜ୍ଜୁନର ଅନ୍ୱେଷଣରେ ଯାଅ । ଯେ ପର୍ଯ୍ୟନ୍ତ ଦେବଦତ୍ତ, ପଞ୍ଚଜନ୍ୟ ଶଙ୍ଖଧ୍ୱନି ମୋର କର୍ଣ୍ଣକୁ ନ ଆସେ, ସେ ପର୍ଯ୍ୟନ୍ତ ମୋର ଚିତ୍ତ କେବେ ସ୍ଥିରହେବନାହିଁ ।

ଭୀମ- ଧର୍ମରାଜ ! ମୁଁ ଯାଉଛି ସାତ୍ୟକି ନକୁଳ ସହଦେବଙ୍କୁ ସଙ୍ଗତରେ ନେଇ ଅପରାପର କୌରବସେନାଙ୍କୁ କ୍ଷୟ କରିବି । ଯେତେବେଳେ ଶ୍ରୀକୃଷ୍ଣ ଅର୍ଜ୍ଜୁନ ରଣରେ ସାରଥି, ଆପଣ ବିପଦର ଆଶଙ୍କା ମନରୁ ତ୍ୟାଗକରନ୍ତୁ । କାଲି ଏଠାରେ ଯେବେ ଶ୍ରୀକୃଷ୍ଣ ଥାନ୍ତେ, କଦାପି ଅଭିମନ୍ୟୁ ସେହି କୌରବ କୂଟଚକ୍ରରେ ପଡ଼ି ପ୍ରାଣ ହରାଇ ନଥାନ୍ତା । ମୁଁ ଚାଲିଲି । ଆଜି ନିଶ୍ଚୟ ଗାନ୍ଧାରୀ-ପୁତ୍ରରୁ କାହାରିକି ହେଲେ ସମରାନଳରେ ଆହୁତି ଦେବି । ଆପଣ ନିଶ୍ଚିନ୍ତରେ ଥାଆନ୍ତୁ । ବର୍ତ୍ତମାନ ଦିବସ ଦୁଇ ପ୍ରହର । (ଉଭୟ ପ୍ରସ୍ଥାନ)

(କୃଷ୍ଣ, ଅର୍ଜ୍ଜୁନ ପ୍ରବେଶ)

ଶ୍ରୀକୃଷ୍ଣ- (ସ୍ୱଗତ) ବର୍ତ୍ତମାନ ଅର୍ଜ୍ଜୁନକୁ ବିଷ୍ଣୁମାୟାରେ ନଭୁଲାଇ ରହିପାରୁନାହିଁ । ଏକ୍ଷଣି ସୂର୍ଯ୍ୟଦେବ ବିଷ୍ଣୁରେଖାର ମଧ୍ୟବର୍ତ୍ତୀ, ଆଉ ସୈନ୍ୟକ୍ଷୟ କରି ଯାଉଁ ଯାଉ ଅନେକ ସମୟ ଲାଗିବ । (ପ୍ରକାଶ୍ୟେ) ହେ ଅର୍ଜ୍ଜୁନ ! ଏକ୍ଷଣି ଦୁଇ ପ୍ରହର ଦିବସ । ମୁଁ ଏଠରେ ଅଶ୍ୱଗଣଙ୍କୁ ତୃଣ-ଜଳ କିଛି ପାନ କରାଇବି । ସେମାନେ ବହୁତ କ୍ଳାନ୍ତ ହୋଇପଡ଼ିଲେଣି । ତୁ ଟିକିଏ ମାତ୍ର ବିଶ୍ରାମ କର; ଅଶ୍ୱଗଣଙ୍କର କାର୍ଯ୍ୟ ସାରିଲେ ପୁଣି ରଥ ବାହି ସମରେ ପଶି ସୈନ୍ୟକ୍ଷୟ କରିବା । ଏ କାହାର ଧ୍ୱନି !!

ନେପଥ୍ୟେ- (ଅର୍ଜ୍ଜୁନ ରକ୍ଷାକର, ଅର୍ଜ୍ଜୁନ ରକ୍ଷାକର ।)

ଅର୍ଜ୍ଜୁନ- କିଏ ମୋତେ ଡାକୁଛି- ‘ଅର୍ଜ୍ଜୁନ ରକ୍ଷାକର’ ।

ଓହୋ ବାରବାର ସେହି ଧ୍ୱନି !! କେଶବ !

କହ, କିଏ ମୋତେ ରକ୍ଷା କରିବାକୁ ତ୍ରସ୍ତ ହୋଇ ଡାକେ ?

ନେପଥ୍ୟେ- (ଅର୍ଜ୍ଜୁନ ହେ, ରକ୍ଷାକର, ରକ୍ଷାକର, ରକ୍ଷାକର)

ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ଏ ଯେ ସାତ୍ୟକିର ଧ୍ୱନି । ଭୁରିଶ୍ରବା ସାତ୍ୟକିର ଶିରଚ୍ଛେଦ କରିବାକୁ ତାର କେଶ ଧରି ଖଡ଼୍‌ଗ ଉଞ୍ଚାଇଛି- ସେ ଯୋଗେ ସାତ୍ୟକି ଅର୍ଜ୍ଜୁନରକ୍ଷାକର ବୋଲି ଡାକୁଛି । ତୁ ବେଗେ ଅର୍ଦ୍ଧ-ଚନ୍ଦ୍ର ବାଣ ପେଶି ଭୁରିଶ୍ରବାର ଦୁଇବାହୁ ଛେଦନ କର- ତା ନହେଲେ ସାତ୍ୟକି ନିଶ୍ଚୟ ମଲା ।

ଅର୍ଜ୍ଜୁନ- ଯେ ଆଜ୍ଞା ଯଦୁନାଥ ! (ବାଣ ନିକ୍ଷେପ)

ନେପଥ୍ୟେ- (ରେ ପାମର ଭୁରିଶ୍ରବା ! ତୋହରି ଅସି ଏବେ ତୋହରି ଶିର ଛେଦନ କରୁ । ପାପିଷ୍ଠର ଦୁଇହାତ ଛିଡ଼ିଛି । ଏହି ଗଲା ପ୍ରାଣ ।)

ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ମୁଁ ଅଶ୍ୱଗଣଙ୍କୁ ତୃଣ-ଜଳ ଦେଇ ରଥରେ ଯୋଚିଲି । ଏବେ ଚାଲ, ଆହୁରି ଅନେକ ସମୟ ଲାଗିବ । ବୋଧହୁଏ ବେଳ ଅଣ୍ଟିଲା ପରି ଲାଗୁନାହିଁ ।

ଅର୍ଜ୍ଜୁନ- ଯାଦବେନ୍ଦ୍ର ! ଆଗ କର୍ଣ୍ଣ ନିକଟକୁ ରଥ ଚଳାଇ ଦିଅନ୍ତୁ ।

(ଉଭୟ ପ୍ରସ୍ଥାନ)

(ଦୁର୍ଯ୍ୟୋଧନ ନିକଟରେ ଅସ୍ତବ୍ୟସ୍ତ ହୋଇ ଦୂତ ପ୍ରବେଶ)

ଦୁର୍ଯ୍ୟୋଧନ- କି ଦୂତ ! ଏତେ ଅସ୍ତବ୍ୟସ୍ତ କିମ୍ପା ?

କି ଘଟିଲା ଘଟଣା ଏପରି, ତେନ୍ରୁ ବହେ ବାରି ?

କର ମୋର ଆଗେ ପରକାଶ ।

ଦୂତ- କୁରୁରାଜ ! ଶୁଣନ୍ତୁ ସେ ଅଦ୍ଭୁତ ଘଟଣା, ବୁଦ୍ଧି ହେବ ବଣା ।

ଭୀମସେନ ସଙ୍ଗେ ଘେନି ସହଦେବ ନକୁଳ ଦୁହିଙ୍କି

କୁରୁସେନାଗଣେ ପକାଉଛି ଦଳି, ଯେହ୍ନେ ଗଜ ଦଳେ ପଦ୍ମବନ ।

ଦେଖୁ ଦେଖୁ ସେହିକ୍ଷଣି ସାତ୍ୟକି ସହିତେ ଭୁରିଶ୍ରବା କରନ୍ତେ ସମର,

ଧରି ସାତ୍ୟକିର କେଶ ଖଡ଼୍‌ଗ ଉଚାବନ୍ତେ ସେହି,

ରଖ ହେ ଅର୍ଜ୍ଜୁନ ବୋଲି ଡାକିଲା ସାତ୍ୟକି ।

ତହୁଁ ଶୂନୁ ଆସି ଏକ ବାଣ ଭୁରିଶ୍ରବା ବେନିବାହୁ ପକାଇଲା କାଟି ।

ଅସ୍ତ୍ର କରୁ ପଡ଼ିଗଲା ଝଡ଼ି, ଧରି ତାର ଖଡ଼୍‌ଗ ସେ ସାତ୍ୟକି, ତତକ୍ଷଣେ ଭୁରିଶ୍ରବା ମୁଣ୍ଡକୁ କାଟିଲା ।

ଏହାପରେ ତେଣେ ଭୀମ ଏକାବେଳେ ଧରି

ତୁମ୍ଭ ଦଶଗୋଟି ଭାଇ ମାରିପକାଇଲା ପିଟି ।

ତା’ପରେ ଆମ୍ଭେ ଆମ୍ବ ତୋଳନ୍ତି ଯେମନ୍ତ,

ସେହିପରି କଲା ବାୟୁସୁତ ।

ଦୁର୍ଯ୍ୟୋଧନ- କି କହିଲୁ ଦୂତ ! ଦେଖୁ ଦେଖୁ ଦଶଗୋଟା ଭାଇଙ୍କି ମୋହରି ମାଇଲା ସେ ଭୀମ ? ଏହିକ୍ଷଣି ବଧିବି ତାହାକୁ । କେହି କିରେ ନଥିଲେ ସେଠାରେ ? ଚାଲ ଦୂତ ! ଆଉ ରକ୍ଷା ନାହିଁ; ମାରିବି ଭୀମକୁ । (ଉଭୟ ପ୍ରସ୍ଥାନ)

(କୃଷ୍ଣ ଅର୍ଜ୍ଜୁନର ପ୍ରବେଶ)

ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ନାହିଁ ବେଳ ଭେଦିବାକୁ ବ୍ୟୂହ, କି କରିବା କହ ।

ଗୀତ- (କୀର୍ତ୍ତନ ସୁର)

ବ୍ୟୂହ ଭେଦିବାକୁ ବେଳ ନଅଣ୍ଟିବ ପାର୍ଥରେ

ଦେଖୁ ଦେଖୁ ଏତେ ଶ୍ରମ ହେଉଛି ବିଅର୍ଥରେ ।ପଦ।

ରବିସୁତ ସଙ୍ଗେ ରଣ କରୁ କରୁ ତୁ’ତୁରେ

ତେଣେ ବାରୁଣୀ ଚୁମ୍ବିଲେ ସେହି ରବି ରଥରେ ।୧।

ଜାଣୁଅଛି କେବେ ନମରିବ ଜୟଦ୍ରଥରେ

କିମ୍ପାଇ କରିଲୁ ବୀର ଏଡ଼େକ ଶପଥରେ ।୨।

ଯିବାକୁ ପଡ଼ିବ ଆଉ ଚାରିକ୍ରୋଶ ପଥରେ

ଦେଖୁ ଦେଖୁ ଆସି ବାମ ହେଉଛି ବିଧାତାରେ ।୩।

କେହ୍ନେ ପଶିବୁ ବହ୍ନିରେ ବଳିବ ତୋ ସତରେ

ନ ଚଳଇ ହସ୍ତପଦ ବଇ କହେ ଗୀତରେ ।୪।

ଅର୍ଜ୍ଜୁନ- ଇଚ୍ଛାମୟ ! ଯାହା ଇଚ୍ଛା ତୋର, ନଜାଣେ ମୁଁ କିଛି ।

ତୋର ଇଚ୍ଛାବଳେ ନାଥ ଚଳେ ଏ ଜଗତ ।

ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ, ସେ ମଧ୍ୟ ତୋର ଇଚ୍ଛାବଳେ ।

ତୋର ଇଚ୍ଛାବଳେ ସହସ୍ରଶିରେ ଅନନ୍ତ ଧରିଛନ୍ତି ଧରା ।

ଇଚ୍ଛାରେ ତୋ ଇନ୍ଦ୍ର ଭବେ ବରଷଇ ବାରି;

ମୋ ଇଚ୍ଛାରେ ନହୋଇବ କିଛି ।

ଅଛି ପ୍ରହରେକ ଦିନ ଅବଶେଷ, ଶୀଘ୍ର ଶୀଘ୍ର ଚଳା ନନ୍ଦିଘୋଷ ।

ତବ କୃପା ହେଲେ କୃପାନିଧି !

ନିମିଷକେ ସହସ୍ର ଶକଟ-ବ୍ୟୂହ ମୁଁ କରିପାରେ ଧ୍ୱସଂ।

ଶ୍ରୀକୃଷ୍ଣ- ହଉ ତେବେ ଶୀଘ୍ର ଶୀଘ୍ର ଆସ। (ଉଭୟ ପ୍ରସ୍ଥାନ)

(ନିୟତି ପ୍ରବେଶ)

ଗୀତ- (ଆହା କେଡ଼େ ସୁନ୍ଦର ଦେଖ ଗୋ...ବୃତ୍ତେ)

ଦେଖ ମନ ନବଘନ ବରଜହରି

ବିଜେ ନନ୍ଦିଘୋଷପରେ ବ୍ରଜବିହାରୀ ।ପଦ।

ଭକତ ଭାବରେ ବନ୍ଦି            ହୋଇ କେଡ଼େ ଦୟାନିଧି

ବିଶ୍ୱବାସୀ ଅଶ୍ୱରଶି ଅଛନ୍ତି ଧରି ।୧।

ଭିଣୋଇର ହୋଇ ଭୃତ୍ୟ            ଚଳାନ୍ତି ଭାରତେ ରଥ

ପାପୀ ହୁଅନ୍ତି ମୁକତ ସେଯୋଗେ ମରି ।୨।

ସେ ନିମନ୍ତେ ରଣକ୍ଷେତ୍ର            ସକଳକାଳେ ପବିତ୍ର

ମର ବୀରେ ଯାଅନାହିଁ ସେଠାରୁ ଫେରି ।୩।

ଛଳରେ ଅରିଗରବ            ଗଞ୍ଜିବେ ରୁକ୍ମିଣୀ-ଧବ

ବଇ ବୋଲେ କେହି ତା ନପାରିବେ ବାରି ।୪।

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ଦୁର୍ଯ୍ୟୋଧନ ଓ ଦ୍ରୌଣାଚାର୍ଯ୍ୟ ପ୍ରବେଶ)

ଦୁର୍ଯ୍ୟୋଧନ- ଆଚାର୍ଯ୍ୟେ !

ଜାଣୁଅଛି ହେବ ଗର୍ବ ଖର୍ବ ନିଶ୍ଚେ ପାଣ୍ଡବକୁଳର ।

ଶତକୃଷ୍ଣ ହେଲେ ଅଦ୍ୟ ନପାରିବେ ରଖି ଅର୍ଜ୍ଜୁନକୁ ।

ତାହାରି ମୂର୍ଖତା ଯୋଗୁଁ ମରିବ ଏକ୍ଷଣି ।

ଅସ୍ତାଚଳ ଚୁମ୍ବିଲେଣି ସୂର୍ଯ୍ୟ

ଏହିକ୍ଷଣି ଅଛି ନନ୍ଦିଘୋଷ ବ୍ୟୂହ ଚତୁର୍ଥ ଫଳିରେ ।

ଟେକିଅଛି କୃଷ୍ଣ ଶଲ୍ୟ ପାଶେ କପିଧ୍ୱଜ ନେଇ ।

ଚାଲ ଗୁରୁ, ଦେଖିବା ନୟନେ ମିଳି ଅର୍ଜ୍ଜୁନର ଅନଳ ପ୍ରବେଶ ।

ଦ୍ରୋଣ- ଦୁର୍ଯ୍ୟୋଧନ ! କିମ୍ପା ମୋର ନ ମାନଇ ମନ,

କୃଷ୍ଣ ଥାଉଁ ଥାଉଁ ଅର୍ଜ୍ଜୁନ ମରିବ, ଏହା ହେବ ନାହିଁ ପରା ।

ଆଉ ମଧ୍ୟ ବିଜୟୀର ଅଟଳ ପ୍ରତିଜ୍ଞା-ସେ ତ ଟଳିବାର ନୁହେଁ ।

କି ଉପାୟ କରି...କି ଉପାୟ କରି ଅର୍ଜ୍ଜୁନ-ଜୀବନ ରଖିବ ଶ୍ରୀହରି

ସବୁ କ୍ଷଣକରେ ପଡ଼ିଯିବ ଜଣା ।

ସ୍ଥଗିତ ହେଲାଣି ରଥ- ଚାଲ ଦୁର୍ଯ୍ୟୋଧନ ଅର୍ଜ୍ଜୁନ ନିକଟ ।

ଦୁର୍ଯ୍ୟୋଧନ- ଗୁରୁଦେବ ! ତବଯୋଗେ ଦୁଇଦିନ ରଣରେ ରହିଲା ମୋ ମାନ ।

ମରନ୍ତେଣ ପାର୍ଥ, ସମାପତ ଭାରତସମର ।

ଅଷ୍ଟାଦଶ ଦିବସ ମଧ୍ୟରୁ ଅଦ୍ୟ ଦ୍ୱାଦଶ ଦିବସ ।

ଚାଲ ଗୁରୁ, କୃଷ୍ଣାର୍ଜ୍ଜୁନ ପାଶେ । (ଉଭୟ ପ୍ରସ୍ଥାନ)

(କୃଷ୍ଣ ପ୍ରବେଶ)

ଶ୍ରୀକୃଷ୍ଣ- (ସ୍ୱଗତ) ଏହି ଯେ ଠିକ୍ ସମୟ ହୋଇଛି । ଏକ୍ଷଣି ଦିବସ ତ ତୃତୀୟ ପ୍ରହର, କିନ୍ତୁ ସମସ୍ତେ ଜାଣୁଛନ୍ତି ସନ୍ଧ୍ୟା ହୋଇଛି ବୋଲି । ଉଭୟ ପକ୍ଷର ବୀରଗଣେ ନିଜ ନିଜ ଅସ୍ତ୍ରଶସ୍ତ୍ର ସଜାଡ଼ି ରଖିଲେଣି, ମୁଁ ଯେ ସୁଦର୍ଶନ ଚକ୍ରକୁ ପଠାଇ ସୂର୍ଯ୍ୟମଣ୍ଡଳକୁ ଘୋଡ଼ାଇରଖିଛି, ଏକଥା ଅର୍ଜ୍ଜୁନ ମଧ୍ୟ ଜାଣେ ନାହିଁ । ଅର୍ଜ୍ଜୁନ ଦିବା ଅବସାନ ଜାଣିପାରି ନୀରବ । ଏହା ତାକୁ କହିବି ନାହିଁ । ପ୍ରକୃତଭାବରେ ଦ୍ରୋଣ ନିକଟକୁ ଭେଦି ଜୟଦ୍ରଥକୁ ପାର୍ଥ ମାରିପାରିବନାହିଁ । ସେ ଯୋଗେ ମୁଁ ଏହି କୌଶଳରେ ଅର୍ଜ୍ଜୁନକୁ ରକ୍ଷାକରିବି ।

(ଅର୍ଜ୍ଜୁନ ପ୍ରବେଶ)

(ପ୍ରକାଶ୍ୟେ) ହେ ଅର୍ଜ୍ଜୁନ ! ଆଉ ବିଳମ୍ବ କାହିଁକି ?

ସୂର୍ଯ୍ୟାସ୍ତ ହେଲାଣି । ଏବେ ତୁମ୍ଭର ପ୍ରତିଜ୍ଞା ପାଳନ କର ।

ଅର୍ଜ୍ଜୁନ- ସଖା ! ସେ ନିମନ୍ତେ ଇନ୍ଦ୍ରସୁତ ଭୀତହେବନାହିଁ । ମୁଁ ଯେ ପ୍ରତିଜ୍ଞା କରିଥିଲି ସୂର୍ଯ୍ୟାସ୍ତ ପୂର୍ବରୁ ଜୟଦ୍ରଥକୁ ନମାରିଲେ ଅଗ୍ନିରେ ପଶି ନିଜ ଜୀବନକୁ ବିସର୍ଜନ କରିବି, ତାହା କେବେ ଭୁଲିନାହିଁ । ଏହି ଯେ ଦୁର୍ଯ୍ୟୋଧନାଦିଙ୍କୁ ଘେନି ଆଚାର୍ଯ୍ୟ ଦ୍ରୋଣ ଏଠାକୁ ଆସୁଛନ୍ତି । ସ୍ୱହସ୍ତରେ ଚିତା ପ୍ରସ୍ତୁତ କରି ସମସ୍ତଙ୍କ ସମ୍ମୁଖରେ ଅଗ୍ନିରେ ପଶିବି ।

(ଦ୍ରୋଣ, କର୍ଣ୍ଣ, ଦୁର୍ଯ୍ୟୋଧନ, ଦୁଃଶାସନାଦି ଭ୍ରାତାଗଣ ପ୍ରବେଶ- ପରେ ଭୀମ ସାତ୍ୟକି ନକୁଳାଦି ପ୍ରବେଶ)

କର୍ଣ୍ଣ- ଅର୍ଜ୍ଜୁନ ! ଆଉ ଏଣେତେଣେ ଅନାଇ କି ଲାଭ ?

ଗୀତ- (କହ କହ ଭବାନି ଗୋ...ବୃତ୍ତେ)

ରେ ଅଲାଜୁକ ଅର୍ଜ୍ଜୁନ, ତୋ ମୁଖରେ ଲାଜ ନାହିଁ

ନବୁଝି ନିଜର ବଳ ପ୍ରତିଜ୍ଞା କଲୁ କିମ୍ପାଇ ।ପଦ।

ଯା’କୁ ବୋଲୁ ସଖା ସଖା, କରୁ ସେ ଏକାଳେ ରକ୍ଷା

ଦେଖାକର ଅଭିମନ୍ୟୁ, ବସିଛି ତୋ ବାଟ ଚାହିଁ ।୧।

ପିତା ପୁତ୍ର ହୋଇ ସାଥୀ, କାଳଆଳେ ହର ରାତି

ସୁଖେ ଭୁଞ୍ଜୁ କୁରୁପତି ଅକଣ୍ଟକ ଭାବେ ମହୀ ।୨।

ଶାଶୁ ବୋହୂ ଦୁଇ ରାଣ୍ଡ, କାନ୍ଦିଣ କୋଡ଼ିବେ ମୁଣ୍ଡ

ନିନ୍ଦିବେ କର୍ମକୁ ସେ ତ ଦାଣ୍ଡ ଭିକାରୁଣୀ ହୋଇ ।୩।

ଛୁଇଁ ଗାଣ୍ଡୀବ କୋଦଣ୍ଡ, ପଣ କଲାବେଳେ ଭାଣ୍ଡ

ଜାଣି ନଥିଲୁ ଏ କାଣ୍ଡ ହେବ ବଇଷ୍ଣବ କହି ।୪।

ଦୁର୍ଯ୍ୟୋଧନ- ସଖା କର୍ଣ୍ଣ !

ପ୍ରାଣ ଯିବାବେଳେ ନକହିବ କଟୁକଥା ଯେଡ଼େ ଶତ୍ରୁହେଲେ ।

ସହଜେ ତ ଆମ୍ଭ ଭାଇ ପାର୍ଥ ।

ବିପଦରେ, ରଣରେ ବା ନୃପତିର ଦ୍ୱାରେ କିଅବା ଶ୍ମଶାନେ

ଯେହୁ କରନ୍ତି ସାହାଯ୍ୟ, ସେହୁ ପ୍ରକୃତ ବନ୍ଧୁ ହୁଏ ଗଣା ।

ଦୁଃଶାସନ ! ଆଣ ଚନ୍ଦନିନ୍ଧନ, ଘୃତଭାଣ୍ଡମାନ ଯାଇ ଆମ୍ଭ ସଦନରୁ ।

କରିଦିଅ ଅନଳ ପ୍ରସ୍ତୁତ । ଏତେବେଳେ କେ କାହାର ନୁହେଁ ଶତ୍ରୁ ମିତ୍ର ।

ଦୁଃଶାସନ- ଯେ ଆଜ୍ଞା ! ଯାଉଛି ଦଣ୍ଡକ ମାତ୍ରେ ଡକାଇ ଭୃତ୍ୟଙ୍କୁ କହିବି ତବ ଆଦେଶମାନ । ବୁହାଇ ଆଣିବି ଘୃତଭାଣ୍ଡ ଓ ଚନ୍ଦନ ସମିଧ । (ବେଗେ ପ୍ରସ୍ଥାନ)

ଶ୍ରୀକୃଷ୍ଣ- ବିଜୟୀ ! କି ଭାବୁଛ ଚିତ୍ତେ ? ଅକାଟ୍ୟ ଅଟଇ ବିଧିଲିପି ।

ଭାବିବା ଉଚିତ ଥିଲା ଏ ପ୍ରତିଜ୍ଞା କରିବା ପୂର୍ବରୁ ।

ଗୀତ- (କିମ୍ପା ଡାକ ସେନାପତି...ବୃତ୍ତେ)

ଦେଖିବାକୁ ତୋ ମରଣ, ବେଢ଼ିଛନ୍ତି ଚାହାଁ କୌରବଗଣ କି, ଅର୍ଜ୍ଜୁନରେ

ହରଷରେ ପାଳ ନିଜ ପଣ କି ।୧।

କର୍ଣ୍ଣ ଦୁର୍ଯ୍ୟୋଧନ ଦ୍ରୋଣ, ଅଶ୍ୱତ୍‌ଥାମା ଶଲ୍ୟ କୃପ ବ୍ରାହ୍ମଣ କି, ଅର୍ଜ୍ଜୁନରେ

ଥରେ ନମି ଏହାଙ୍କ ଚରଣ କି ।୨।

ଅନଳ ସଜାଇ ପଶ, କ୍ଷତ୍ରିୟ ପ୍ରତିଜ୍ଜୟା ନହେଉ ନାଶ କି, ଅର୍ଜ୍ଜୁନରେ

ଯୁଗେ ଯୁଗେ ରହିଥିବ ଯଶ କି ।୩।

ତୋର ଭାଇ ଦୁଃଶାସନ, ବୋହି ଆଣିଲାଣି ଘୃତଚନ୍ଦନ କି, ଅର୍ଜ୍ଜୁନରେ

କରେ ଚିତା କର ସମ୍ପାଦନ କି ।୪।

ବିପକ୍ଷ ଭାବନା ରଖି, ସାହା ହେଉଛନ୍ତି ସମୟ ଦେଖି କି, ଅର୍ଜ୍ଜୁନରେ

ଭାଇଠାରୁ ନାହିଁ କେହି ସାକ୍ଷୀ କି ।୫।

ଯେ ଯା’ର ସେ ତା’ର ସିନା, ଜୀବ ଯିବାବେଳେ ପଡ଼ଇ ଚିହ୍ନା କି, ଅର୍ଜ୍ଜୁନରେ

ବଇ ବୋଲେ ପୂରୁ ତୋ କାମନା କି ।୬।

(ଏକାଳେ ଭୃତ୍ୟକନ୍ଧେ ଚନ୍ଦନକାଷ୍ଠ ଘେନି ଦୁଃଶାସନର ପ୍ରବେଶ)

ଦୁର୍ଯ୍ୟୋଧନ- ଦୁଃଶାସନ ! ସଜାଇଦିଅ ଅନଳକୁଣ୍ଡ !

ବୃଥା କିମ୍ପା ନଷ୍ଟକର କାଳ।

ଚାହୁଁ ଚାହୁଁ ରଣସ୍ଥଳେ ଅନ୍ଧକାର ଘୋଟିବ ଏକ୍ଷଣି ।

ଚାରି ଦିଗେ ଗୃଧ୍ରଶ୍ୱାନ ଶିବାବୃନ୍ଦ ରଡ଼ି ଦେଖୁ ଦେଖୁ ପଡ଼ିବ ଉଛୁଳି ।

ଡେଉଁଛନ୍ତି ଅସୀମ କବନ୍ଧ; ଯିବାବେଳେ ଝୁଣ୍ଟିବ ଅନ୍ଧାରେ ଅର୍ଜ୍ଜୁନ !

ଆଉ ହେଳା କାହିଁପାଇଁ ଭାଇ !

ମୁହିଁ ଭିକାରୀ କେଡ଼େ ଦେଖ, ଏତେବେଳେ କାର୍ଯ୍ୟରୁ ମୋହରି

କ୍ଷତ୍ରୀ ଧର୍ମ ଯେବେ ନ ପାଳିବ ତୋ ସମାନ ବୀର

ଏ ସଂସାରେ ନରହିବ କା’ର ଧର୍ମର ଠିକଣା ।

ଦୁଃଶାସନ- ଅର୍ଜ୍ଜୁନ ! ସଜାଡ଼ି ସମିଧ ମୁହିଁ କୁଣ୍ଡମଧ୍ୟେ ଢାଳିଦେଇଅଛି ଘୃତ ତହିଁ

କାଢ଼ି ଅନଳାସ୍ତ୍ର ତୂଣୁ ଲଗାଅ ଅନଳ ।

ଛି ଛି.... ଭାବି ନପାରିଲୁ ନିଜ ବଳ ?

ଗୀତ- (ଯାଅ ଗୋ ଉର୍ବଶୀ...ବୃତ୍ତେ)

ପଶରେ ଅର୍ଜ୍ଜୁନ ଅନଳ ଜାଳି, ଆଗେ ହେଲା ତୋହ ମରଣ ପାଳିରେ ।

ଅନା ତୋହ ବଳ ନୟନରୁ ଜଳ ଗଡ଼ାଉଅଛନ୍ତି ତୋ କଥା ଭାଳିରେ ।

ତୋର ଭାଇ ଭୀମା କାହିଁ ତା ଗରିମା ଚାହାଁ ତା ବଦନ ପଡ଼ିଛି କାଳିରେ ।

କେମନ୍ତ ନକୁଳ ହେଉଛି ଆକୁଳ ମେଣ୍ଢା ସମ ଛାଡ଼ୁଛନ୍ତି ବୋବାଳିରେ ।

ନାହିଁ ସେ ପୂର୍ବର ଗର୍ଜନ-ତର୍ଜନ ହୋଇଛି ବଇଆ କଳିରେ ।

(ଅର୍ଜ୍ଜୁନ ଅଗ୍ନିବାଣ ପେଷି ଚିତାଗ୍ନି ଲଗାଇବା)

ଅର୍ଜ୍ଜୁନ- ଯାଦବେନ୍ଦ୍ର ! ଭାବୁନାହିଁ ଜୀବନ ତେଜିବା କଥା ପାର୍ଥ;

କିନ୍ତୁ ଭାବୁଛି ଏତିକି- ତବ ରାଜିବଚରଣୁ ଯାହା ହେଉଛି ମେଲାଣି ।

ହରି ! ଏହି ମୋ ମିନତି- ଜନ୍ମେ ଜନ୍ମେ ଯେହ୍ନେ ତବ ପଦେ ଥିବ ମତି

ସର୍ବଜୀବ- ଗତିଦାତା ତୁମ୍ଭେ- ନାହିଁ ଭୟ କୃତାନ୍ତ ଦଣ୍ଡକୁ ।

ମୃତ୍ୟୁକାଳେ ଯା’ ନାମ ସ୍ମରଣ କଲେ ପ୍ରାଣୀ ନମାଡ଼ଇ ଜନ୍ତୁପତି ସୀମା ।

ତାକୁ ସମ୍ମୁଖରେ ଦେଖି, ବୀରଧର୍ମ ପାଳି ମୁହିଁ ରଣଭୂମେ ତେଜୁଛି ଜୀବନ ।

କି ସାଧ୍ୟ ଯମର ସେହୁ ଦଣ୍ଡିବ ପକାଇ ମୋତେ ଅନନ୍ତ ନରକେ ?

ଗୀତ- (ଧୀରେ ଘେନ ଧୀରେ...ବୃତ୍ତେ)

ହେ ନନ୍ଦ-ନନ୍ଦନ ବଂଶୀଧାରୀ ! ସଂସାର ସୁଖ ମୋ ଗଲା ସରି,

ପରଲୋକେ ସଖା ଦେବୁ ମୋତେ ଦେଖା, ଭବାର୍ଣ୍ଣବେ ତୋର ନାମ ଲଭି

ତରିଯାନ୍ତି ପ୍ରାଣୀ, ଧରି ତୋ ନାମକୁ ବଂଶୀପାଣି ।୧।

ନଦେଖିଲି ଧର୍ମଙ୍କର ମୁଖ, ରହିଲା ଏତିକି ମନେ ଦୁଃଖ

ନଦେଖିଲି ମାତ କୁନ୍ତୀଙ୍କ କୁନ୍ତୀଙ୍କ ବଦନ ନଶୁଣିଲା ଶ୍ରୁତି ସୁରଡାକ

ଭାଇ ବୃକୋଦର ! ସୁଭଦ୍ରାକୁ ନକରିବ ହତାଦର ।୨।

ବିଧବା-ବଧୂ ବିରାଟଜେମା, ଦୋଷ କଲେ ଦେଉଥିବ କ୍ଷମା

ବାମାଗଣେ ଶୁଭେ ପାଳୁଥିବ ଭାଇ ପାରିକରାଇ ଏ ଶୋକସୀମା,

କହି ମିଠାକଥା, ତାଙ୍କ ଚିତ୍ତରୁ ତୁଟାଇଦେବ ଚିନ୍ତା ।୩।

ଆହେ ଗୁରୁ ଦ୍ରୋଣାଚାର୍ଯ୍ୟ, ଶିଷ୍ୟ ଶିରେ ଦିଅ ପଦରଜ

ହେ ମାନଗୋବିନ୍ଦ କର ଆଶୀର୍ବାଦ ଛନ୍ଦ ତେଜି ଭୁଞ୍ଜ ନିଜ ରାଜ୍ୟ

ମୋର ଭ୍ରାତା ଚାରି, ତାଙ୍କୁପର ନମଣିବ ଦଣ୍ଡଧାରୀ ।୪।

ସାକ୍ଷୀ ଥାଅ ଇନ୍ଦ୍ର ବ୍ରହ୍ମା ହର, ହେ ଚନ୍ଦ୍ର ବରୁଣ ଦିବାକର

ଅଷ୍ଟବସୁ ନବଗ୍ରହ ଦିଗପାଳେ ଅନଳ ଅନୀଳ ପାରାବାର,

ନଦୀନଦ ଗିରି, ବୃକ୍ଷଲତା ଗୁଳ୍ମ ତୃଣ ଆଦିକରି ।୫।

ଆକାଶ ପାତାଳ ବସୁମତି, ଯକ୍ଷ ରକ୍ଷ ନର ନାଗ ଯତି

ଦେଖ ସତ୍ୟ ପାଳି ମରୁଛି ଅର୍ଜ୍ଜୁନ କ୍ଷତ୍ରିୟ ପ୍ରତିଜ୍ଞା ଚିତ୍ତେ ଚିନ୍ତି

ଭାଷେ ବଇଷ୍ଣବ, ମନୁ ମୂରୁଛିବ ନାହିଁ ରାଧାମାଧବ ।୬।

ନାରାୟଣ ! ନିଅ ଏ ଗାଣ୍ଡୀବ ଶରାସନ, ସରିଅଛି କାର୍ଯ୍ୟ ମୋର ଏଥୁ ।

ରେ କାର୍ମୁକ ! ଦୁଃଖ କିଛି ନକରିବୁ ମନେ ତୋତେ ତେଜିଗଲି ବୋଲି ।

ତୋତେ ସଦା କରିଣ ଧାରଣ କେତେ କେତେ ବିପଦରୁ ରଖିଲି ଏ ପ୍ରାଣ ।

ମହା ମହା ରଣେ ମୋତେ କରିଛୁ ସାହାଯ୍ୟ ।

ସ୍ୱର୍ଗେ ନିବାତକବଚ ମାରି ଅରଜିଛୁ ଯଶ

ଶଙ୍କରଙ୍କୁ କରିଛୁ ପରାସ୍ତ

ବନସ୍ଥଳେ ଉଡ଼ିଯାଉଥାଏ ତା’ର ପ୍ରାଣ ।

ତୋ ଯୋଗେ ଗାଣ୍ଡିବୀ ନାମ ଅର୍ଜ୍ଜୁନର ଅଟେ ।

ଅଗ୍ନିଦତ୍ତ ତୁହିଁରେ ଗାଣ୍ଡୀବ,

ଆଜି ରଣେ କାହିଁପାଇଁ ଦେଲୁ ପରାଭବ ?

କି ହେବ ଭାବିଲେ ସେଇ କଥା

ରେ ଅକ୍ଷୟତୂଣ, ତୋତେ ତ୍ୟାଗ କଲି ଆଜି ଗାଣ୍ଡୀବ ସହିତେ ।

ହରି ! ନମି ସମସ୍ତଙ୍କୁ ଏବେ ପଶୁଛି ଅନଳେ,

ପ୍ରଜ୍ୱଳିତ ହୋଇ ଅଗ୍ନି ଜଳେ ।

ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ମୃତ୍ୟୁକାଳ ଉପସ୍ଥିତ ହେବାରୁ କି ହେଉଅଛୁ ବୁଦ୍ଧି-ଭ୍ରଷ୍ଟ ତୁହି ?

ଗୀତ- (କେ ରକ୍ଷା କରିବ....ବୃତ୍ତେ)

ରେ ଗାଣ୍ଡିବୀ, ଧର କରେ ଗାଣ୍ଡୀବ କୋଦଣ୍ଡ ତୋର

ରାଣ୍ଡ ସ୍ତିରୀପରି ଦଶା ନ ବହର ବୀରବର ।ପଦ।

ସେହି ଭୂଷଣ ତୋହରି, ତେଜୁ ତାକୁ କେଉଁପରି,

ହେଜି କି ପାରୁଚୁ ଭାବ ସଧବା ରମଣୀଙ୍କର ।୧।

ଅନଳେ କଲେ ପ୍ରବେଶ, ହୁଅନ୍ତି ନାନା ସୁବେଶ,

କରେ ନାଇ ସୁନାଚୁଡ଼ି ମୁଣ୍ଡରେ ମଣ୍ଡି ସିନ୍ଦୂର ।୨।

ବୀର ଯେବେ ସ୍ୱଇଚ୍ଛାରେ, ମରଣ ବରଣ କରେ

ଝାସେ ନିଜ ଅଙ୍ଗ ତାରେ ଅଙ୍ଗେ ବହି ଅସ୍ତ୍ରଭାର ।୩।

ଯେବେ ମୋ ବଚନ ମାନ, ଧର କରେ ଧନୁ ତୁଣ,

ବଇ କହେ ଇନ୍ଦ୍ରସୁନୁ ନିଜ ପଥ ଅନୁସର ।୪।

ଅର୍ଜ୍ଜୁନ- ଲଙ୍ଘି କେ ପାରିବ ତବ ବାକ୍ୟ ।

ପ୍ରକୃତରେ ସଧବାନାରୀ ଆଭରଣ ଯେଉଁପରି

ବୀରର ତେସନ ଅଳଙ୍କାର ଅସ୍ତ୍ରଶସ୍ତ୍ର ।

ରମଣୀ ଯେମନ୍ତେ ପତିବ୍ରତେ ବ୍ରତୀ ହୋଇ ପଶନ୍ତି ଅନଳେ,

ବୀରର ଅଟଇ ଧର୍ମ ଜାଣିଛି ସେପରି ଦୃଢ଼ବ୍ରତ ।

ଜଗନ୍ନାଥ, ମାନି ଶ୍ରୀମୁଖବଚନ

ଏ ବେଶ ଗାଣ୍ଡିବୀ ହୋଇ ଧର୍ମ କରୁଛି ପାଳନ ।

ମୁହିଁ ଝାସୁଛି ଅନଳେ ।

ଗୀତ- (ଚକ୍ରକେଳି...ବୃତ୍ତେ)

ନମଃ ସର୍ବଭକ୍ଷ ହୁତାଶନ ହେ, ତବ ଗର୍ଭେ ଦିଅ ଦାସେ ସ୍ଥାନେ ହେ ।

ଶ୍ୱେତଯଜ୍ଞେ ଘୃତ କରି ମହାର, ଲୁଦୁବୁଦୁ ବ୍ୟାଧି ହେଲା ତୋହର ।

ମୁହିଁ ଖାଣ୍ଡବ ଦହିଲି ପାବକ, ଦେଲି ଔଷଧି ରୋଗ ହେଲା ମୋକ୍ଷ ।

ଯେଣୁ ସନ୍ତୋଷେ ପୋଡ଼ିଲି ଖାଣ୍ଡବ, ତୋଷେ ଦତ୍ତ କଲ ଏହି ଗାଣ୍ଡୀବ ।

ପୁଣି ଭୀମକୁ ଦେଇଥିଲ ବର, ସେହି ବରେ ଅଜ୍ଞାତ ଗଲା ତାର ।

ଯାଜ୍ଞସେନୀ ସେହି ଯଜ୍ଞରୁ ପୁଣି, ଜନ୍ମି ହେଲା ପାଣ୍ଡବ ପାଟରାଣୀ ।

ବହିଅଛି ଧନଞ୍ଜୟ ନାମକୁ, ମିତ୍ରଭାବେ ନିଅ ଧନଞ୍ଜୟକୁ ।

ବୃହଦ୍ଭାନୁ କୃଷାନ ବାୟୁସଖା, ବଇଷ୍ଣବକୁ ବାରେ କର ରକ୍ଷା ।

ଶ୍ରୀକୃଷ୍ଣ- ଦୁର୍ଯ୍ୟୋଦନ ! ଇହଧାମ ତେଜି ଯିବାବେଳେ ବନ୍ଧୁଜନ ବନ୍ଧୁ ସଙ୍ଗେ ଦେଖାହେବା ଅର୍ଜ୍ଜୁନର ଉଚିତ ।

ସହଜେ ତ ବନ୍ଧୁ ପାର୍ଥର ଅଟଇ ଜୟଦ୍ରଥ,

ତା’ ନୋହିଲେ ଶତ୍ରୁଭାବେ ଦେଖୁ ଆସି ଶତ୍ରୁର ମରଣ ।

ଯାଇଣ ଭିଣୋଇକି ଡାକିଆଣ,

ଦେଖା କରୁ ଅର୍ଜ୍ଜୁନ ସଙ୍ଗରେ ହେବ ଶାନ୍ତି ତା’ର ଚିତ୍ତ ।

ଦେଖୁ ଦେଖୁ କେଡ଼େ ପଣ ନକଲା ବିଜୟୀ !

ଏପରି ପ୍ରତିଜ୍ଞା କେହି କରିନାହିଁ କେବେ ।

ଦେଖୁ ପାର୍ଥ-ମୃତ୍ୟୁ ଜୟଦ୍ରତ ଆସି ଏବେ ।

ଦୁର୍ଯ୍ୟୋଧନ- ଦୁଃଶାସନ ! ଘେନିଆସ ଜୟଦ୍ରଥେ ।

କହ କିମ୍ବା ଲୁଚିଛି ସେ ପଦ୍ମର ମଧ୍ୟରେ ।

ଶତ୍ରୁ ତା’ର ପଶୁଛି ଅନଳେ, ଦେଖୁ ଆସି ଡୋଳେ ।

ମରିଥାନ୍ତା ସେହୁ, ମରୁଅଛି ତୃତୀୟ ପାଣ୍ଡବ,

ଦେଖୁ ଏତେବେଳେ ଅର୍ଜ୍ଜୁନ ନିଧନ ବେନିଡୋଳେ । (ବେଗେ ଦୁଃଶାସନର ପ୍ରସ୍ଥାନ)

ଶ୍ରୀକୃଷ୍ଣ- ରହ ପାର୍ଥ ! କିମ୍ପାଇ ସେ ଚିନ୍ତା ରଖି ପଶିବୁ ଅନଳେ ?

ଜୟଦ୍ରଥ ସହ କରି ଦେଖା ଶତ୍ରୁମିତ୍ର ଭାବ ଭୁଲିଯାଇ

ଝାସ କୁଣ୍ଡେ, ନାହିଁ କିଛି କ୍ଷତି ।

ଏହି ଆସୁଅଛି ଦୁଃଶାସନ ସହ ସିନ୍ଧୁପତି ।

(ଦୁଃଶାସନ ଜୟଦ୍ରଥକୁ ଘେନି ପ୍ରବେଶ)

ଜୟଦ୍ରଥ- ଅର୍ଜ୍ଜୁନ ! ଏବେ ପ୍ରତିଜ୍ଞା ହୋଇଛି ତ ପୂର୍ଣ୍ଣ ?

ଗୀତ (ଆଜ୍ଞା ଦିଅ ଭୋଜରାଜ...ବୃତ୍ତେ)

ମାରିବୁ ବୋଲି ତୁ ପରା କରିଥିଲୁ ମୋତେ ପଣ

ରେ ପାମର ଦେଖ କା’ର ଘଟୁଛି ଆଗ ମରଣ ।ପଦ।

ପର ପାଇଁ ଯେଉଁ ଗର୍ତ୍ତ, ଖୋଳେ ଜାଣିନାହୁଁ ପାର୍ଥ !

ନିଜେ ତହିଁରେ ପତିତ ହୋଇ ହରାଏ ପରାଣ ।୧।

ଦନ୍ତହୀନ ଅହି ପରି, ଏକ୍ଷଣି ଦଶା ତୋହରି

କିସ କରିବୁ ମୋହରି, ପୋଡ଼ୁ ତୋର ଧନୁର୍ବାଣ ।୨।

ଶ୍ରୀହରି ଚରଣ ଛୁଇଁ, ଅକାରଣେ ଥିଲୁ କହି,

ଏତେବେଳେ ନାହିଁକିରେ ତୋର ସେ ପୂରୁବ ଟାଣ ।୩।

ଅନାଉ ଅଛୁ କିମ୍ପାଇ, ନପଡ଼ି ଅନଳେ ଡେଇଁ,

ବିପ୍ର ବଇଷ୍ଣବ କହି ଧରାପଡ଼ିଗଲା ଗୁଣ ।୪।

(ଏକାଳେ ସୁଦର୍ଶନକୁ ଶ୍ରୀକୃଷ୍ଣ ଚିନ୍ତାକରନ୍ତେ ଚକ୍ର ସୂର୍ଯ୍ୟମୁଖୁ ଅନ୍ତରହେବା- ଦିବସ ପ୍ରହରେ ଥିବା ଦେଖି କୌରବସୈନ୍ୟ ମଧ୍ୟରେ ହାହାକାର ଧ୍ୱନି ଓ ଜୟଦ୍ରଥର ପଳାୟନ)

ଅର୍ଜ୍ଜୁନ- ରେ ପାମର ଜୟଦ୍ରଥ, ପଳାଉ କେଣିକି, କେଉଁଠାରେ ଲୁଚିବୁରେ ପାଜି ! ଅର୍ଜ୍ଜୁନ ବାଣମୁଖରୁ ତ୍ରାଣ ନାହିଁ ତୋର । ନର, ନାଗ, ଯକ୍ଷ, ରକ୍ଷ, ଗନ୍ଧର୍ବ, କିନ୍ନର, ନପାରିବେ କେହି ରକ୍ଷାକରି ।

ଶ୍ରୀକୃଷ୍ଣ- ଗୋଡ଼ାଅ ଗାଣ୍ଡିବୀ, ଦୁଷ୍ଟ ପଳାଉଛି କେଣେ,

କହୁଥିଲା ଦୁଷ୍ଟ କେତେ ଛଳଭାଷା । (ଜୟଦ୍ରଥକୁ ଗୋଡ଼ାଇ ପ୍ରସ୍ଥାନ)

ଦୁର୍ଯ୍ୟୋଧନ- ହାୟ ହାୟ... ଆଚାର୍ଯ୍ୟେ !

ନପାଇବି ଭିଣୋଇକି ମୋର

ଥିଲା ପ୍ରହରେକ ଦିନ କେହି ନପାରିଲେ ଜାଣି

କିବା ମେଘାଚ୍ଛନ୍ନ ଗଗନମଣ୍ଡଳ,

ଅଦିନେ ଆସିଲା କାହୁଁ ଆକାଶରେ ମେଘ !

ନାହିଁ ପବନର ସତ୍ତା, କେଉଁପରି ମିଳାଇଣ ଗଲା ବାରିବାହ ?

ଆଚାର୍ଯ୍ୟେ ! ଏ କିସ ଘଟଣା କହ ନପାରଇ ବୁଝି ।

ଦ୍ରୋଣାଚାର୍ଯ୍ୟ- ଦୁର୍ଯ୍ୟୋଧନ !

କେ ବୁଝିପାରିବ କହ କୃଷ୍ଣର କୌଶଳ

ଯେହୁ ମାୟାଜାଲ ଘୋଡ଼ାଇଛି ଜଗତଚକ୍ଷୁରେ

ସେ କି ଘୋଡ଼ାଇ ନପାରେ ଏହି ସୂର୍ଯ୍ୟମଣ୍ଡଳକୁ ?

ପୂର୍ବେ ମୁଁ କହିଛି ତୋତେ ରାଜା !

କୃଷ୍ଣ ଥାଉ କେହ୍ନେ ଅର୍ଜ୍ଜୁନ ବିନାଶ

ଯେଣୁ ଏକ ଆତ୍ମା ଶ୍ରୀକୃଷ୍ଣ-ଅର୍ଜ୍ଜୁନ,

ତେଣୁ ସନ୍ଦେହ ହୋଇଛି ମନେ ମୋର ।

ଦୁର୍ଯ୍ୟୋଧନ- ନାହିଁ କିଛି ଅସ୍ତ୍ର ଜୟଦ୍ରଥ କରେ

କେସନେ କରିବ ରଣ ଅର୍ଜ୍ଜୁନ ସହିତେ,

ନିଶ୍ଚେ ଗଲା ଜୟଦ୍ରଥ ପ୍ରାଣ

ନାରାୟଣ ସଙ୍ଗେ ନେଇ ପାର୍ଥ ଗୋଡ଼ାଇଛି ତାକୁ

ପଛେ ଧାଇଁଅଛି ଭୀମ ଭୀମପରାକ୍ରମେ ।

ଆଶା ନାହିଁ ଅର୍ଜ୍ଜୁନ ହସ୍ତରୁ ନିସ୍ତରିବ ସିନ୍ଧୁପତି ।

ଦ୍ରୋଣ- ବତ୍ସ ଦୁର୍ଯ୍ୟୋଧନ ! ଶୁଣ କର୍ଣ୍ଣ ଡେରି

ତେଣେ ପଶି କୌରବଦଳରେ ମାରୁତି ମାରୁଚି ସୈନ୍ୟଗଣେ ।

ଓହୋ, କେଡେ ମାୟାଧାରୀ ଜଗନ୍ନାଥ !

ମାୟାକରି ଆଣି ଜୟଦ୍ରଥେ କେଡ଼େ ବଡ଼ ବ୍ୟୂହ ମୋର ବ୍ୟର୍ଥ କରିଦେଲା ।

ଚାଲ ଦୁର୍ଯ୍ୟୋଧନ ! କର୍ଣ୍ଣ ଦୁଃଶାସନ ସହ

ରକ୍ଷାକରିବା ତାଙ୍କୁ ଭୀମର ମୁଖରୁ ।

ଦୁଃଶାସନ- ଗୁରୁଦେବ ! ଦେଖି ଏହି କାଣ୍ଡ ମୁଣ୍ଡ ଭ୍ରମିଯାଉଅଛି ମୋର, ଚଳୁନାହିଁ ତିଳେ ହସ୍ତପଦ । ଅବସନ୍ନ ହୋଇଲାଣି ଅଙ୍ଗ । ହାୟ, କି ନକଲା ଗୋପାଳ ବାଳକ ! (ସମସ୍ତେ ପ୍ରସ୍ଥାନ)

 

 

 

 

ଦ୍ୱିତୀୟ ଦୃଶ୍ୟ

(ରାଣୀହଂସପୁର-ଭାନୁମତୀ ଓ ଦୁଃଶୀଳା ପ୍ରବେଶ)

ଦୁଃଶୀଳା- ନୂଆବୋହୂ ! ମୁଁ କି ସତେ ବଞ୍ଚିବି । ରଣରେ କି କଥା ଘଟିଲା କିଛି ଜଣାଗଲା ନାହିଁ । ଆଜି ବସି ଦୁଇପ୍ରହର ସମୟରେ ଏକାକୀ କାନ୍ଦୁଥିଲି; ଲୁହ ପୋଛୁ ପୋଛୁ କାହିଁକି ହଠାତ୍ ମୋ ମୁଣ୍ଡର ସିନ୍ଦୂର ପୋଛିହୋଇଗଲା । ତେତେବେଳୁ ଏ ମନରେ ନାନା କଥା ଉଦୟ ହୋଇ ହୃଦୟକୁ କନ୍ଦାଇଦେଉଛି । ତୁମ୍ଭର ମୋର କ’ଣ ଏ ଜନ୍ମରେ ଆଉ ଦେଖା ହେବ ନାହିଁ ?

ଭାନୁମତୀ- ନଣନ୍ଦେ ! ମୁଁ ପରା ବାରମ୍ବାର ତୁମକୁ ମନାକଲି, ସେ ଅମଙ୍ଗଳ କଥା ମନକୁ ଆଣ ନାହିଁ । ତୁମେ ପୁଣି ସେ କଥା ମନରେ ସ୍ଥାନ ଦେଇ କାନ୍ଦୁଛ ? ଛି, ସେପରି ହୁଅନା, ଆଉ ସନ୍ଧ୍ୟା ହେବାକୁ ଅଳ୍ପ ସମୟ ଅଛି । ଏତେବେଳଯାଏ ଅର୍ଜ୍ଜୁନ ସଙ୍ଗେ ତୁମ ସ୍ୱାମୀଙ୍କର ରଣ ହୋଇନାହିଁ । ଆଉ ଗୋଟିଏ କଥା- ଅର୍ଜ୍ଜୁନ ନିଆଁରେ ପଶିବ ବୋଲି ଦୁଃଶାସନ ଚନ୍ଦନ ଘୃତ ଆଦି ନେଇଯିବା କଥା ମୁଁ ଦାସୀଠାରୁ ଶୁଣିଛି । ଏ କଥାରେ ଯେବେ ତୁମର ବିଶ୍ୱାସ ନହୁଏ ଦାସୀକୁ ଡାକିଆଣି ତୁମ ମନକୁ ମନେଇଦେବି । କାନ୍ଦନା, ମୁଁ ଈଶ୍ୱରଙ୍କୁ ଡାକୁଛି, ତୁମ ସ୍ୱାମୀଙ୍କର ଶତ୍ରୁ ମରୁ ।

ଦୁଃଶୀଳା- ଭାଉଜ ! ମୁଁ କ’ଣ ମନକୁ ବୋଧଦେଉନାହିଁ; କିନ୍ତୁ ଅବୋଧ ହୃଦୟ କେଭେ ବୋଧ ନମାନି ବେଳକୁ ବେଳ ବେଶି ଦଗ୍ଧ ହେଉଛି ।

ଗୀତ- (ରଖି ପାରିବ ଏପରି କେ...ବୃତ୍ତେ)

କାଳିପଡ଼ିଲାଣି ମୋର ଚୁଡ଼ିବାହି, ଆଗୋ ମହାଦେଈ,

ତାହା ଦେଖି ଚିତ୍ତ ହୋଇଯାଏ ଦହି, ଆଗୋ ମହାଦେଈ ।ପଦ।

ଅନ୍ଧାର ଦିଶଇ ଦଶଦିଶ, ଚନ୍ଦ୍ର ବିନା ରାହୁ କଲା ଗ୍ରାସ,

ଉରଦେଶ ତିନ୍ତିଲାଣି ଲୁହ ବୋହି ଗୋ, ଆଗୋ ମହାଦେଈ ।୧।

ରଙ୍କ ହଜାଇଲା ପରି ଧନ, ତୁଚ୍ଛା ଲାଗୁଅଛି ତ୍ରିଭୁବନ,

ଟେକ ଭାଙ୍ଗିଲା କି ସତେ ମନ୍ଦ ବିହି ଗୋ, ଆଗୋ ମହାଦେଈ ।୨।

ଜୀବବନ୍ଧୁ ବିନା ଜୀବ ମୋର, ତେଜିଯିବ ଜୀବଧରପୁର,

ଶିବ ଅଶିବ ହେବ ଜାଣୁଛି ମୁହିଁ ଗୋ, ଆଗୋ ମହାଦେଈ ।୩।

ଭୁଲାଇଲେ ଭାଷି ନାନା କଥା, ନଭୁଲିବ କେବେ ଘୋର ଚିନ୍ତା,

ପିତା ମଧୁର କି ଲାଗେ ଭଣେ ବଇ ଗୋ, ଆଗୋ ମହାଦେଈ ।୪।

ଭାନୁମତୀ- ସିନ୍ଧୁରାଜରାଣୀ ! ମନର ଗତି ସେ ନଈସୁଅ ପରି । ସେ ସୁଅକୁ ବାଧାଦେବା ଶକ୍ତି କା’ ର ? ଯେତେବେଳେ ନଦୀ ତଳକୁ ବୋହିଯାଉଥାଏ ତାକୁ ବନପର୍ବତ ବୃକ୍ଷଲତା ସମ୍ମୁଖରେ ବାଧା ଅଟକାଇପାରନ୍ତି କି ? ଶେଷରେ ସେମାନେ ବି ସମୟ ସମୟରେ ସେହି ପ୍ରଖର ସ୍ରୋତରେ ପଡ଼ି ତଳକୁ ଗଡ଼ିଯାନ୍ତି । ଦେଖୁଛି ତୁମ୍ଭଙ୍କୁ ବୁଝାଉ ବୁଝାଉ, ତୁମ୍ଭ କ୍ରୋଧ ଦେଖି ମୋ ମନରେ ଆସି କ୍ରୋଧ ପହଞ୍ଚିଯାଉଛି । ଚାଲ, ଦୁହେଁ ରଣଚଣ୍ଡୀଙ୍କ ମନ୍ଦିରକୁ ଯାଇ ତାଙ୍କୁ ମନଦୁଃଖ ଜଣାଇବା । (ଦୁଃଶୀଳାର ଲୁହ ପୋଛି କର ଧରି ପ୍ରସ୍ଥାନ)

 

 

 

ତୃତୀୟ ଦୃଶ୍ୟ

(ରଣଭୂମି ରଣଚଣ୍ଡୀଙ୍କର ନୃତ୍ୟଗୀତ)

ବଜାଇ ବଜାଇ ନାଚ ମଡ଼ାମୁଣ୍ଡ-ଖୋଳ ଗୋ

ଘୋଡ଼ାମୁଣ୍ଡ ପେଣ୍ଡା ଗଳେ ମୁଣ୍ଡ ମାଳ ମାଳ ଗୋ ।ପଦ।

ହାତିଶୁଣ୍ଢ ବୀଣଂଦଣ୍ଡୀ କର, ଲଗା ନାଡ଼ିମାନ ଚାହିଁ ତାର

ମଣିଷର ଆଖି ନଖିକରା ସଖୀ ହରଷରେ ଖେଳ ଗୋ ।୧।

କବନ୍ଧ ପିଠିରେ କୁଦ ଡେଇଁ, ଗୋବିନ୍ଦ ନାମ ଆନନ୍ଦେ ଗାଇ

କହ ହର ହର ଶିବ ଶଙ୍କର ମହାକାଳ କାଳ ଗୋ ।୨।

ହାଡ଼ଅନ୍ତ କରି ତନ୍ତ, ତାକୁ ପଇତା କରି ପକା ଗୋ ମିତ

ଯୋଡ଼ା ଯୋଡ଼ା ଘୋଡ଼ା ଚମଡ଼ା ବିଛାଇ ଗଡ଼ିବା ତଳ ଗୋ ।୩।

ବିକଟ ହୁଙ୍କାର ଛାଡ଼ି ରଡ଼ି କରି, ଛିଡ଼ିବ ଆକାଶ ଝଡ଼ିପଡ଼ୁ ଗିରି

ବଇଆ ବୋଲେ ଏ ରକ୍ତନଈକି ପହଁର ନମିଳେ ଆଳ ଗୋ ।୪।

୧ମ- ଚା, ଚିଇଁ, ଚି ଚିଇଁ, ଚି ଚିଇଁ, ଚି

୨ୟ- ଚା, ହାଁ ହିଃ ହିଃ ହିଁଃ

୩ୟ- ଚା, ହାଁଃ ହିଁଃ ହାଃ ହାଃ

୪ର୍ଥ- ଚା, ହୋଁଃ ହୋଁଃ ହୋଁଃ ହୋଁଃ

ସମସ୍ତେ- ଚା, ଚିଇଁଚି ଚିଇଁଚି ଚିଇଁଚି । (ନାଚି ନାଚି ସମସ୍ତେ ପ୍ରସ୍ଥାନ)

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ

[ରୈବତ ପର୍ବତ ନିକଟବର୍ତ୍ତୀ ସ୍ଥାନେ ଜୟଦ୍ରଥ ଏକାକୀ ପ୍ରବେଶ]

ଜୟଦ୍ରଥ- (ଦୀର୍ଘ ନିଃଶ୍ୱାସ ତ୍ୟାଗକରି ସ୍ୱଗତ)

ଓଃ, ଆଉ ଦଉଡ଼ିପାରିବିନାହିଁ, ହସ୍ତପଦ ଅବସନ୍ନ ହୋଇଗଲା । ଜାଣୁଛି, ପ୍ରାଣବାୟୁ ଦେହରୁ ଣାଘ୍ର ବାହାରିଗଲାପରି ବୋଧହେଉଛି । ଏ ଯେ ରୈବତ ଗିରି । ଏଣିକି ପଳାଇବାକୁ ଆଉ ପଥ ପାଉନାହିଁ । ଗିରିଶୃଙ୍ଗ ଅତିକ୍ରମ କରି ଅପରପାର୍ଶ୍ୱକୁ ଯିବାକୁ ମଧ୍ୟ ଶକ୍ତି ନାହିଁ । ଏପରି ସ୍ଥଳେ କି ଉପାୟ କଲେ ରକ୍ଷାପାଇବି । ଏଇ ଯେ- କୃଷ୍ଣାର୍ଜ୍ଜୁନ ମୋ ପଛେପଛେ କ୍ଷିପ୍ର ଗତିରେ ଧାଇଁଛନ୍ତି । ହେଇ ହେଇ, ଅତି ନିକଟ ହୋଇଗଲେ, କି ବୁଦ୍ଧି କରିବି । ପଛକୁ ଚାହିଁ ଦେଖିଲି, କେହି ଜଣେ କୌରବ ସେନା ମୋ ସଙ୍ଗରେ ନାହିଁ । ରେ ସଂସାର ! ତୋର ଗତି ବଡ଼ ବିଚିତ୍ର । ଯାହାପାଇଁ ଆଜି ଏ ଦଶା, ସେ ମାନଗୋବିନ୍ଦର ମାନ ରକ୍ଷା ନିମନ୍ତେ ସିନ୍ଧୁକଟକ ଛାଡ଼ି ନିଜ ଜୀବନକୁ ସମାନ୍ତରାଳରେ ଆହୁତି ଦବାକୁ ଯାଇଥିଲି, ସେ ଏତେବେଳେ କାହିଁ ? ବୁଝିଲି ଜଗତ କେବଳ ସ୍ୱାର୍ଥର ବଶବର୍ତ୍ତୀ । ମୁଁ ଜାଣିଛି ଶରଣାଗତକୁ କଦାପି ବୀରମାନେ ଅସ୍ତ୍ର ପ୍ରହାର କରନ୍ତି ନାହିଁ । ଶରଣ ଶରଣ କହି ଅର୍ଜ୍ଜୁନର ଚରଣ ଧରି ମହୀରେ ଶୋଇବି । ଦେଖେଁ, ଯେଉଁ ପାର୍ଥ ସତ୍ୟ ପାଳନ କରିବା ନିମନ୍ତେ ନିଜ ପ୍ରାଣକୁ ଝାସିବାକୁ ଯାଉଥିଲା, ସେ କଦାପି କ୍ଷତ୍ରିୟ ଧର୍ମ ପାଳନରେ କୁଣ୍ଠିତ ହେବନାହିଁ। ଆସିଲା, ଆସିଲା ।

ଅର୍ଜ୍ଜୁନ- ରେ ବାଳକହତ୍ୟାକାରୀ ଅଧମ ନାରକୀ,

ରେ ପିତୃଦ୍ୱେଷୀ ବୀରାଧମ ଜୟଦ୍ରଥ !

ଏବେ ମୋର ପଡ଼ିଛୁ ସମ୍ମୁଖେ ।

ଯିବୁ କେଉଁ ଦିଗେ, ଆରୋହଣ କର ଦୁଷ୍ଟ ଗିରିଶୃଙ୍ଗପରେ ।

ଏହି ଦେଖ ଗିରିଧାରୀ କୃଷ୍ଣ ଅଛି ମୋ ସଙ୍ଗରେ ।

ନପଳାଇଣ ଛିଡ଼ା ହେଲୁ କିମ୍ପା ?

ଭୀରୁ ପଳାୟିତ ଅପମାନିତ ସିନ୍ଧୁପତି !

ଏହି ଶରେ ଛେଦିଲି ତୋ ଶିର ।

ଏତେବେଳେ କାହିଁ ଦୁର୍ଯ୍ୟୋଧନ ?

ରକ୍ଷାକରୁ ଆସି ପାର୍ଥ-ଶର ସମ୍ମୁଖରୁ ।

(ଶର ଦେଖାନ୍ତେ ଜୟଦ୍ରଥ ଅର୍ଜ୍ଜୁନର ପଦଧାରଣପୂର୍ବକ ମହୀରେ ପତନ)

ଜୟଦ୍ରଥ- ଦ୍ୱାହି ବୀରବର ! ତୋ ପାଦରେ ପଶିଲି ଶରଣ । ହେ କିରୀଟି ! ରକ୍ଷାକର, ରକ୍ଷାକର, ରକ୍ଷାକର ଥରେ ।

ଗୀତ- (କୀର୍ତ୍ତନ ସୁର)

ଦିଅ ପ୍ରାଣଦାନ ବାସବନନ୍ଦନ ନ ମାର ଶରଣାଗତେ

ତୁ ମାରିଲେ କେହି ତ୍ରାଣକର୍ତ୍ତା ନାହିଁ ସାହା ହେବ ଆସି ଏଥେ ।

ସବ୍ୟସାଚୀ ଶ୍ୱେତବାହନ କିରୀଟି ପାର୍ଥ ନାମ ପରହିତେ

ବିଜୟ ଫାଲ୍‌ଗୁନୀ ଗାଣ୍ଡିବୀ ଅର୍ଜ୍ଜୁନ ଧନଞ୍ଜୟ ଏ ଜଗତେ ।

କୃଷ୍ଣ ଜିଷ୍ଣୁ ଦଶ ନାମ ଅରଜିଛୁ ରଖି ଯଶ ଏ ମରତେ

ନୋହିବ ଶେଷ କ୍ଷମା କରିବୁ କରିଛି ଦୋଷ ଯେତେ ।

ମୋତେ ମାରିବ, ଯେବେ ମାରିବ, ତୋର ସୁତ କି ଅମରୁ ଫେରିବ

ମନରୁ କି ସୁଧାନଦୀ ଝରିବ, ମାତ୍ର ମନର କାମନା ପୂରିବ

ବଇ ରଚେ ଜୀତ ମହତର ବାଣୀ ନଟଳଇ କଦାଚିତେ ।

ଅର୍ଜ୍ଜୁନ- ଯଦୁନାଥ !

ନ ମାରିବ କେଭେ ଜୟଦ୍ରଥେ,

ଦେଖ ତେଜ୍ୟା କଲି ଏ ଗାଣ୍ଡୀବ ।

ଏହି ଦେଖ ତ୍ୟାଗ କଲି ଅସି ନ ନାଶିଚି ସିନ୍ଧୁପତି ପ୍ରାଣ

ପଳାୟିତ ରଥଚ୍ୟୁତ ରଥୀ ଅସ୍ତ୍ରହୀନ ପୁଣି, ଭୟାତୁରେ ଯେହୁ

ରଣ ତେଜି ପଶଇ ଶରଣ, ରୋଗୀ ଋଣୀ ଦୂତ,

ଏମାନେ ଅବଧ୍ୟ କାଳେ କାଳେ ।

ଆଉ ଦେଖ, ଶ୍ୱଶୁର ପିଅର ନାରୀକୁଳେ ଗୁରୁବିପ୍ର ଅତିଥି ଭୃତ୍ୟଙ୍କୁ

ଦୋଷ କଲେ କ୍ଷମାଦେବ ଦଣ୍ଡକୁ ନଦେଇ ।

ବିଶେଷରେ ଜୟଦ୍ରଥ ପଳାୟିତ ଭୟାତୁର ଅସ୍ତ୍ରହୀନ ଅଟେ ।

ଆଗରୁ ଶରଣ ଶରଣ ବୋଲି ବୋଲୁଛି ମୁଖରେ ।

ଧରି ବାରେ ମୋ ବେନି ଚରଣ

ହେଉ ପଛେ ପୁତ୍ର ଅରି, ନ ବଧିବି କେଭେ ଏହା ପ୍ରାଣ ।

(ଗାଣ୍ଡୀବ ଓ ଅସି ଭୂତଳେ ନିକ୍ଷେପ)

ଶ୍ରୀକୃଷ୍ଣ- ଜ୍ଞାନଶୂନ୍ୟ ହେଲୁ କି ଅର୍ଜ୍ଜୁନ !

ବିଶେଷେ ଏଣେ ପୁତ୍ରର ଅରାତି ଶୁଣିଥିଲୁ ଧର୍ମରାଜମୁଖୁ-

ଏହି ଜୟଦ୍ରଥ ଯୋଗେ ମରିଛି ତୋ ସୁତ ।

କେଉଁ ଧର୍ମହାନି ଏହୁ କରିନାହିଁ ?

ଅଭିମନ୍ୟୁର ସମରେ ଏକ ବାଳକକୁ ବେଢ଼ିକରି

ସପ୍ତରଥୀ ଏକକାଳେ ଅସ୍ତ୍ରଶସ୍ତ୍ର କରିଲେ ପ୍ରହାର

ଏ କି ନୁହଁଇ ଅନ୍ୟାୟ ?

କେଉଁ ଧର୍ମେ ଅଛି ଏହା ଲେଖା-

ରଣଚ୍ୟୁତ ଅସ୍ତ୍ରହୀନ ହୋଇ ସୁତ ତୋର

ମାଗିଲା ଖଣ୍ଡିଏ ଅସି କେତେ ଅନୁନୟେ,

ଦେଲେନାହିଁ ଏ ପାପିଷ୍ଠମାନେ ।

ଶେଷେ ପାଣି ପାଣି କହି ବତ୍ସ ତେଜିଲା ପରାଣ ।

ନିରସ୍ତ୍ର ରଥୀକି କେହ୍ନେ ଅସ୍ତ୍ର ମାରି

ଚକ୍ରବ୍ୟୂହ ମଧ୍ୟେ ଅସହାୟେ ପକାଇଲେ ମାରି ?

ଯାର ଯେମନ୍ତ ପ୍ରକୃତି, ତାର ତୁଲେ ଆଚରିବ ସେହିପରି ରୀତି ।

ଲେଖା ନାହିଁ ପୁରାଣରେ ଅଧର୍ମୀ ସହିତ ଧର୍ମ ପାଳିବାର କଥା ।

କପଟପଶା ଦଶା କି ଭୁଲିଗଲୁ ଏକାବେଳେ ମନୁ ?

ଏକବସ୍ତ୍ରା ରଜସ୍ୱଳା ଭ୍ରାତୃବଧୂକୁ ଆଣିଣ

କେଉଁପରି କଲେ ବିବସନ ଦୁଷ୍ଟେ କୁରୁସଭା ତଳେ,

ନଥିଲା କି ତେତେବେଳେ ଧର୍ମକରିବାର ?

ନଥିଲେ କି ପୁରାଣ-ଲେଖକ ଋଷିବୃନ୍ଦ ?

କପଟୀକି ଜିଣିବ କପଟେ, ଧର୍ମଶାସ୍ତ୍ର ମର୍ମ ଏହା ଅଟେ ।

କିନ୍ତୁ ସବୁଠାରୁ ଶ୍ରେଷ୍ଠ ଧର୍ମ ଅଟେ ପ୍ରତିଜ୍ଞା ପାଳନ ।

ଗୀତ- (ତେଜ ତେଜ ଚିନ୍ତା ଚିତ୍ତୁ...ବୃତ୍ତେ)

କର କର ବୀରବର ପ୍ରତିଜ୍ଞା ପାଳନରେ

ମୋହର ଗିରକୁ କେଭେ ନକର ହେଳନ ରେ ।ପଦ।

ଏ ଦୁଷ୍ଟେ ନାଶିବା ପାଇଁ, କହିଛୁ ମୋ ପାଦ ଛୁଇଁ,

ସତ୍ୟଭଙ୍ଗ କଲେ ଯମ ନର୍କେ ଦେବ ସ୍ଥାନରେ ।୧।

ନିଜର ଆତ୍ମରକ୍ଷଣ, ଧର୍ମ ମଧ୍ୟେ ଶ୍ରେଷ୍ଠ ଜାଣ,

ଏ ବଞ୍ଚିଲେ ତୁ ଅନଳେ ତେଜିବୁ ଜୀବନରେ ।୨।

ସ୍ୱହସ୍ତେ ଚିତା ସଜାଇ, ପଶୁଥିଲୁ ଏହା ପାଇଁ,

ଏତେ ଶୀଘ୍ର କିପରି ତୋ ଭୁଲିଗଲା ମନରେ ।୩।

ସେ ଚିତା ନିକଟେ ଏହି. କେତେ କଟୁ କହିନାହିଁ,

ବଇ ବୋଲେ ଧର ତୁ ଗାଣ୍ଡୀବ ଶରାସନରେ ।୪।

ଅର୍ଜ୍ଜୁନ- ଦୟାମୟ ହରି ! ଧର୍ମାଧର୍ମ ପାପପୁଣ୍ୟ ବିଚାରକରତା

ତୁହି ଅଟୁ ନାରାୟଣ । କି ସାଧ୍ୟ ଅର୍ଜ୍ଜୁନ ଲଙ୍ଘିବ ତୋର ଉପଦେଶ ?

ପ୍ରକୃତରେ ରାକ୍ଷସ ଏମାନେ

ଦୟାମାୟା-ଶୂନ୍ୟ-ହୃଦ କାଳେ କାଳେ ଅଟେ ଏମାନଙ୍କ ।

ଏମାନେ ଅଟନ୍ତି ଆତତାୟୀ ।

ଷଡ଼ଗୁଣ ରହିଥାଏ ଆତତାୟୀଠାରେ ।

ପ୍ରଥମେ ଯେ ଯୋଡ଼ି ପରଗୃହ ପ୍ରାଣୀ ନାଶେ,

ଦ୍ୱିତୀୟରେ ଯେହୁ ବିଷ ପ୍ରାଣୀକି ଭୁଞ୍ଜାଏ,

ତୃତୀୟରେ ଅସ୍ତ୍ର ସଦା ଘେନି ଯେ ବୁଲଇ,

ଚତୁର୍ଥରେ ପରଧନ କରେ ଯେ ହରଣ,

ପଞ୍ଚମରେ ପରଭୂମି ଯେହୁ ବଳେ ନିଏ,

ଷଷ୍ଠେ ହରଇ ଯେ ପରନାରୀ-

ଏ ଗୁଣମାନ ରହିଛି କୌରବ ପକ୍ଷରେ ।

ଜତୁ-ଗୃହଦାହ, ଭୀମେ ବିଷଲଡ଼ୁ ଦାନ,

ଅସ୍ତ୍ରହସ୍ତ ଅଟନ୍ତି ତ ସହଜେ ଏମାନେ,

କପଟପଶାରେ ନେଲେ ଆମ ରାଜ୍ୟ ଧନ-

ଦ୍ରୌପଦୀକୁ କଲେ ବିବସନ ଆଣି କୌରବ ସଭାରେ,

ରଖିବା ଲୋଭରେ ଡାକୁଥିଲା ଦୁର୍ଯ୍ୟୋଧନ ।

ବୁଝିଲି ବୁଝିଲି ଏହାଙ୍କ ବିନାଶେ ଲେଶ ଦୋଷ ହେବନାହିଁ ।

ରେ ପାପୀ-ଶିରୋମଣି ଜୟଦ୍ରଥ !

ଏଇ ଦେଖ ନେଲି ତୋର ପ୍ରାଣ । (ଜୟଦ୍ରଥର ପଳାୟନ, ଅର୍ଜ୍ଜୁନର ଶର ନିକ୍ଷେପ)

 

 

 

 

ଦ୍ୱିତୀୟ ଦୃଶ୍ୟ

(ଯୁଧିଷ୍ଠିର ଓ ଭୀମ ପ୍ରବେଶ)

ଯୁଧିଷ୍ଠିର- ରେ ମାରୁତି ! କମ୍ପେ ଦମ ଦମ ଛାତି ମୋର,

ଦେବଦତ୍ତ ପଞ୍ଚଜନ୍ୟ ଶଙ୍ଖଧ୍ୱନି କିମ୍ପା ନବାଜେ କର୍ଣ୍ଣରେ ?

ନମଲା କି ସିନ୍ଧୁରାଜପୁତ୍ର ବୀରବର ଅର୍ଜ୍ଜୁନ ବାଣରେ ?

ଅବଶିଷ୍ଟ ଆଉ ଅଛି ବେଳ ଦୁଇ ଦଣ୍ଡ-

ଏଥିମଧ୍ୟେ ଘଟିଛି କି କାଣ୍ଡ ?

ହୋଇଲାଣି ଯୁଦ୍ଧ ଅବସାନ, କିମ୍ପା ନଫେରେ ଅର୍ଜ୍ଜୁନ ?

କୃଷ୍ଣ ତୁଲେ ଯାଇଥିଲୁ ରଣସ୍ଥଳେ ତୁହି, କିସ ଜାଣୁ କହ ମୋତେ ଭାଇ !

ଭୀମ- ଧର୍ମରାଜ ! କୃଷ୍ଣାର୍ଜ୍ଜୁନ ବ୍ୟୂହ ଭେଦ କରିବାର ବେଳେ

ମିଳନ୍ତେ ସେ ଶକଟର ପଞ୍ଚମ ଫଳିର ପାଶେ

ମେଘାଚ୍ଛନ୍ନ ହେତୁ ନଦିଣିଲା ରବିରଥ ଗଗନପଥରେ ତହୁଁ ।

ସର୍ବେ ପାଞ୍ଚିଲେ ଚିତ୍ତରେ ରବି ଅସ୍ତ ହେଲା ବୋଲି ।

ସ୍ୱହସ୍ତେ ଚିତା ପ୍ରସ୍ତୁତ କଲା ଅରଜୁନ

ତେଜିବ ଜୀବନ ହୋଇ ପ୍ରତିଜ୍ଞାଆୟତ୍ତ ।

ଦୁର୍ଯ୍ୟୋଧନ ଯୋଗାଇଲା ଘୃତ ଓ ଇନ୍ଧନ,

ଏହା ଦେଖି ଜଡ଼ସମ ହେଲା ଆମ ଗତି ।

ମେଲାଣି ମାଗିଣ ପାର୍ଥ ସମସ୍ତଙ୍କଠାରୁ

ଅଗ୍ନିରେ ଝାସିବାକାଳେ ଜୟଦ୍ରଥ ହୋଇଲା ପ୍ରବେଶ ସେହିଠାରେ ।

ସେହି କାଳେ ସୂର୍ଯ୍ୟମୁଖୁ ମେଘରାଶି ହୋଇଲା ଅନ୍ତର

ଦେଖିଲୁ ସରବେ ଅଛି ଅଷ୍ଟଦଣ୍ଡ ବେଳ ।

ତହୁଁ କୌରବେ ହୋଇଲେ ବାକ୍ୟହୀନ

ପଳାଇଲା ଜୟଦ୍ରଥ ପବନହୁଁ ଖରେ,

ଧାଇଁଥିଲେ ପାର୍ଥ-କୃଷ୍ଣ ତାହାରି ପଛରେ ।

ତତ୍ପରେ କି ଘଟିଲା ଜଣାଯାଇନାହିଁ ।

ଯୁଧିଷ୍ଠିର- ଭୀମ ! ଜାଣିଲି ମୁଁ ସେହି ଯୋଗେ ନୀରବେ ବସିଛନ୍ତି କୌରବେ ।

ଦମ୍ଭ ହେଲା ଚିତ୍ତ ଶୁଣି ତୋ ମୁଖୁ ଏ ଭାବ ।

ନିଶ୍ଚେ ମରିବ ଜାଣୁଛି ବୀରବର ଅର୍ଜ୍ଜୁନ ହସ୍ତରେ ।

ଆସ ଭୀମ ! ପାର୍ଥର ଫେରିବା ମାର୍ଗ ଚାହିଁ ବସିଥିବା ଆମ୍ଭେମାନେ ।

(ଉଭୟ ପ୍ରସ୍ଥାନ)

ତୃତୀୟ ଦୃଶ୍ୟ

[ରଣବାଦ୍ୟ- ଯୁଦ୍ଧ କରୁ କରୁ କୃଷ୍ଣାର୍ଜ୍ଜୁନ ଓ ଜୟଦ୍ରଥ ପ୍ରବେଶ]

ଅର୍ଜ୍ଜୁନ- ହେ ଯାଦବକୁଳଚନ୍ଦ୍ର !

କହ ମୋତେ କରିବି ମୁଁ କେବଣ ଉପାୟ ?

ଗୀତ- (କର୍ଣ୍ଣ ନିର୍ଦ୍ଦେଶ ଶୁଣ ହେ ସାଧୁଜନ...ବୃତ୍ତେ)

ଥିଲେ ଉପାୟ କହ ହେ ଯଦୁନାଥ, କେଉଁପରି ମରିବ ଏ ଜୟଦ୍ରଥ ।

ଯେତେବାର କାଟଇ ମୁଁ ଏହା ଶିର, ପୁଣି ଯୋଡ଼ିହୋଇଯାଏ ତେତେଥର ।

କେଭେ ନୋହିବ ମୋ କରେ ଏ ସଂହାର, ଶେଷ ଜୀବ ଯିବା ସାର ହେଲା ମୋର ।

ଥିଲି ତ୍ରେତାଯୁଗ କଥା କର୍ଣ୍ଣେ ଶୁଣି, ରାବଣର ମୁଣ୍ଡ କାଟୁ ରଘୁମଣି

ପଲକରେ ତାର ମୁଣ୍ଡ ଯାଏ ଯୋଡ଼ି, ଅଙ୍ଗ ଥରେ ତାର କଥା ମନେପଡ଼ି ।

ସେହି ରାବଣ କି ଜୟଦ୍ରଥ ହୋଇ, ଜନମିଛି ସିନ୍ଧୁଦେଶେ କହ ଭାଇ,

ସବୁ ଛେଦଭେଦ ହରି ତୋତେ ଜଣା, କିମ୍ପା ନକହୁ ହେଉଛି ବାଟବଣା,

କିସ କଲେ ଏ ନୃଶଂସ ହେବ ନାଶ, ତୁମ୍ଭେ ଇଷ୍ଟ ମୋର ବଇଷ୍ଣବ ଭାଷ ।

ଶ୍ରୀକୃଷ୍ଣ- ଧନଞ୍ଜୟ ! ନିରାଶ ନହୁଅ ତୁହି । ସେବି ପଞ୍ଚାନନେ

ବର ପାଇଛି ଦୁର୍ଜନ, ତୋର ବିନୁ ଅନ୍ୟ ହସ୍ତେ ନମରିବ ସେହି ।

ଦେଖୁଅଛୁ ଲାଗେ କଟାମୁଣ୍ଡ ତାହା ସେହି ସଦାଶିବ ବରେ ।

ଅଛି ଏକ ଅଭୁତ ରହସ୍ୟ- ଏ ପାମର ଜୟଦ୍ରଥ ବିନାଶ କାରଣ ।

(ଗୀତ)

ବାୟୁବାଣ ବିନ୍ଧ ଇନ୍ଦ୍ରସୁତ, କାଟିପକା ଜୟଦ୍ରଥ ମାଥ ।ପଦ।

ସେହି ବାଣେ ଉଡ଼ାଇଣ ଦିଅ ତା ମୁଣ୍ଡ,

କେଭେ ଶ୍ରମ ହେବ ନାହିଁ ଜାଣିଥା ପଣ୍ଡ ।

ତପ କରେ ଦେଶେ ସିନ୍ଧୁରଥ ।୧।

ଚକ୍ଷୁ ବୁଜି ତର୍ପଣ ସେ କରଇ ତହିଁ,

ଅଞ୍ଜଳି କରିଣ ରଖି ତା’ କର ଦୁଇ ।

ତାର ହସ୍ତେ ପକାଅ ତୁରିତ ।୨।

ପିତା ଭସ୍ମ ହୋଇଯାଅ ବୋଲି କହିବ,

ତେବେ ଏ ପାମର ଭସ୍ମ ହୋଇବ ।

ଦୋଷୀ ଅଟେ ଏ ତାହା ସହିତ ।୩।

ଏହା କଲେ ହେବ ତ ସ୍ୱକାର୍ଯ୍ୟ ସାଧନ,

ଅଟଇ ଏ ପାମରର ମୃତ୍ୟୁବିଧାନ ।

ବଇଷ୍ଣବ ଚିନ୍ତେ ଲକ୍ଷ୍ମୀକାନ୍ତ ।୪।

ଅର୍ଜ୍ଜୁନ- ରେ ରେ ଶିଶୁଘାତୀ ପାତକୀ ଦୁର୍ଜନ !

ଏହି ଦେଖ ବାୟୁବାଣେ ଗଲା ତୋ ଜୀବନ,

ଏତେବେଳେ ରକ୍ଷାକରୁ ଆସି ଦୁର୍ଯ୍ୟୋଧନ ।

(ଶର ନିକ୍ଷେପ, ଜୟଦ୍ରଥ ଶିର କାଟି ଉଡ଼େଇଦେବା, ଦେବଦତ୍ତ ଓ ପଞ୍ଚଜନ୍ୟ ଶଙ୍ଖଧ୍ୱନି, କୃଷ୍ଣାର୍ଜ୍ଜୁନ ପ୍ରସ୍ଥାନ)

(ସିନ୍ଧୁପତି ସିନ୍ଧୁଦେଶେ କୃତାଞ୍ଜଳିପୁଟେ ନେତ୍ର ମୁଦି ଧ୍ୟାନେ ମଗ୍ନ)

ସିନ୍ଧୁରାଜ- ହରି ! ଦୟାନିଧି ! କେତେକାଳ ଏ ବୃଦ୍ଧ

ଜରାଜୀର୍ଣ୍ଣ ଘଟକୁ କଷ୍ଟ ଦେଉଥିବ ?

ପାପାତ୍ମା ଜୟଦ୍ରଥ ମୋତେ ଏ ଯନ୍ତ୍ରଣାରେ ପକାଇଛି

ତା’ର କି ମୃତ୍ୟୁ ହେବନାହିଁ ?

(ଏକାଳେ ଶୂନ୍ୟରୁ ଜୟଦ୍ରଥର କଟାମୁଣ୍ଡ ତା’ର ପିତା ସିନ୍ଧୁରାଜ ହସ୍ତେ ପତନ)

ସିନ୍ଧୁରାଜ- କିଏରେ ପାମର ! ମୋର ତର୍ପଣ କିମ୍ପା ଭଗ୍ନ କଲୁ ଆସି, ଭସ୍ମ ହୁଅ ଏହିକ୍ଷଣି ତୁହି । (ଜୟଦ୍ରଥର ମୁଣ୍ଡ ଭସ୍ମହେବା)

ସିନ୍ଧୁରାଜ- ଓଃ ! ଏ ଜଳିଗଲା କାହାର ମସ୍ତକ ?

ଓହୋ ! ଏ ଯେ ସେହି ଜୟଦ୍ରଥର ଶିର !

ଯାଏଁ ଏତେବେଳେ କରେ ସ୍ନାନ,

ଏତେ ଦିନେ ପୁତ୍ର ମୋର ହୋଇଲା ନିଧନ । (ପ୍ରସ୍ଥାନ)

(ନିୟତିର ପ୍ରବେଶ)

(ଗୀତ)

ଫଳେ ଦେଖ ଭାଇ ଏ ଖଳଜନ ପରାଭବ,

ପାରହେଉଥିଲେ ବିନା ପବନରେ ମଝିରେ ବୁଡ଼ୁଛି ନାବ ।ପଦ।

ସଂସାରସାଗରେ ଏକା ଧର୍ମତରୀ ଭରସା ସବୁରି ଜାଣ,

ତାକୁ ଯେ ଛାଡ଼ିବ ବିପଦେ ପଡ଼ିଛି, ସବୁ ଶ୍ରମ ଅକାରଣ ।୧।

ସତ୍ୟ ପାଳିଥିଲେ ସଚରାଚର ତ ନମାଡ଼ିବ ଗୋଡ଼େ କଣ୍ଟା,

ଦେଖ କୂଟବୁଦ୍ଧି କରି କଉରବେ ହେଲେ କେତେ ହଟହଟା ।୨।

ଯେଉଁପରି ଭାଇ ଲୋଭୁଁ ହୋଏ ପାପ, ପାପରୁ ମରଣ ହୁଏ

ସେହିପରି ଦେଖ କର୍ମରୁ ଧରମ, ଧରମରୁ ଜାଣ ଜୟେ ।୩।

କାଳେ କାଳେ ଯା’କୁ ରଖନ୍ତି ଗୋବିନ୍ଦ ତାର କେ କରିବ ମନ୍ଦ,

ବଇଷ୍ଣବ ବୋଲେ ବିଷ୍ଣୁ ପଦ ସାର, ଅସାର ଆଉ ସମ୍ପଦ ।୪।

*ସମାପ୍ତ*