ରାଜା ହଂସଧ୍ୱଜ ଓ ମନ୍ତ୍ରୀ ବୀରବାହୁ ଆସନେ ଉପବେଶନ, ଅଗ୍ରେ ନଗରପାଳ ଦଣ୍ଡାୟମାନ ଏବଂ ନର୍ତ୍ତକୀମାନଙ୍କର ନୃତ୍ୟ, ଗୀତ ଉଦ୍ଦେଶ୍ୟେ ପ୍ରବେଶ
ରାଜା– ଶୁଣ ନୃତ୍ୟ ଗୀତ ରଙ୍ଗ ରସ ବିଳାସିନୀଗଣେ ! ତୁମ୍ଭେମାନେ ବୀଣା ବିନିନ୍ଦିତ କଣ୍ଠରେ ସୁଧାରସ ପରିପୂରିତ ହରିଭକ୍ତି ରସମୟ ସଙ୍ଗୀତ ଗାନ କର, ସେହି ନାଦରେ ସୁରପୁର ନନ୍ଦନକାନସ୍ଥିତ ପାରିଜାତ ତରୁ ଶାଖାରୁ ପ୍ରସ୍ଫୁଟିତ କୁସୁମ ଝଡ଼ିପଡୁ, ଶଶି ହସି ହସି ତାର ମଧୁମୟ ସିତ କିରଣ ବର୍ଷଣ କରୁ, ସାଗର ଗତି ରୁଦ୍ଧ ହେଉ, ବାମାଗଣ ! ଗାଅ, ଗାଅ; ନାଚ, ନାଚ, ଆଉ ସମୟ ବିଳମ୍ବ କର ନାହିଁ ।
ନର୍ତ୍ତକୀମାନଙ୍କର ନୃତ୍ୟ ଓ ଗୀତ–ସତେ ପୀରତି–ବୃତ୍ତେ
ଗାଅ ଗାଅ ଗୋ ସଙ୍ଗିନୀ ସୁରସ ରଙ୍ଗିନୀ ହରି ପ୍ରେମ ଗୀତ ।
ନାଚ ଉଚ୍ଚେ ଟେକ ତାନ ପୁଲକାଇ ମନ ତୋଷ ଜନ ଚିତ୍ତ । ପଦ ।
ଅକ୍ଷୟ ଅବ୍ୟୟ ସେହି ମହିମା ଅନନ୍ତ ।
ଯେ ନାମ ଶ୍ରବଣେ ଦୂରେ ପଳାଏ ଦୂରିତ ।
ଯୋଗୀ, ଭୋଗୀ, ରୋଗୀ, ଯାର ଅନୁଗତ,
ତାର ଯଶ ଘୋଷେ ଘନ ଗଗନ ପବନ ବନ ଅବିରତ । ୧ ।
ଗାଉଛି ସାଗର ଯାର ମହିମା ସଙ୍ଗୀତ
ନକ୍ର ମକ୍ର ଅଙ୍ଗେ ହୋଇ ବିଭୂଷିତ
ଲହରୀ ତାଳ ମାଳରେ ନାଚଇ କେମନ୍ତ,
ପୁଣି ବିଞ୍ଚଇ ବସୁଧା ପରେ ସ୍ନେହସୁଧା ସିଞ୍ଚଇ ସତତ । ୨ ।
(ନାଚି ନାଚି ପ୍ରସ୍ଥାନ)
ରାଜା– ନଗରପାଳ ! ନଗରର ସମସ୍ତ ଘଟଣା ପ୍ରକାଶ କର । ପ୍ରଜାଙ୍କ ମଧ୍ୟରେ ମନୋମାଳିନ୍ୟ ନାହିଁ ତ ? ହରି ଉପାସନା, ଦେବଦେବୀଙ୍କ ପୂଜା, ଔଷଧାଳୟ, ଶିକ୍ଷା ବିଭାଗ ଉତ୍ତମରୂପେ ଚଳୁଛି ତ ?
ନଗରପାଳ– ଶୁଣନ୍ତୁ ମହାରାଜ ! ପ୍ରଜାଗଣ ଅତି ସୁଖ ଶାନ୍ତିରେ ଏ ଭଦ୍ରାବତୀପୁରେ ବାସକରୁଛନ୍ତି, ହରି ନାମର କୀର୍ତ୍ତନ ପ୍ରତି ଘରେ ଘରେ ଦିବାରାତ୍ର ହେଉଛି, ସେହି ସୁଧା ପାନକରି ପ୍ରଜାମାନେ ରୋଗ ଶୋକ ମୁଖରୁ ତ୍ରାହି ଲଭି ଛାମୁଙ୍କର ଯଶ ଗାନ କରୁଛନ୍ତି । ପୁଣି କିଛିଦୂର ଯାଇଁ ଦେଖିଲି, ଏକ ଯଜ୍ଞାଶ୍ୱ ଆମ୍ଭ ମଧୁବନରେ ଭ୍ରମଣ କରୁଛି । ସେହି ଅଶ୍ୱ କୌରବ ଗୌରବ ଧ୍ୱଂସକାରୀ ଧର୍ମରାଜ ଯୁଧିଷ୍ଠିଙ୍କର, ତାର ମସ୍ତକ ବନ୍ଧା ବୀରପତ୍ର ପଢ଼ି ସମସ୍ତ ଜାଣିଛି।
ରାଜା– ନଗରପାଳ ! ତୁମ୍ଭେ ବଡ଼ ଭାଗ୍ୟବାନ, ସାକ୍ଷାତ୍ ଶ୍ରୀହରିଙ୍କ ଆତ୍ମା ଯେଉଁ ଧର୍ମ ତାଙ୍କର ଯଜ୍ଞହୟ ଦର୍ଶନ କରି ନେତ୍ର ଚରିତାର୍ଥ କରିଛ । ଆଚ୍ଛା କହ, ସେ ଅଶ୍ୱ ସଙ୍ଗରେ କିଏ ଅଛନ୍ତି ?
ନଗରପାଳ– ଅଛନ୍ତି । ଭୀମାର୍ଜୁନ, କର୍ଣ୍ଣପୁତ୍ର ବୃଷକେତୁ ଓ ନିଜେ ଶ୍ରୀକୃଷ୍ଣ ।
ରାଜା– ଆହା, ଯାହାଙ୍କ ଦର୍ଶନ ପାଇଁ କୋଟିକଳ୍ପ ଯୋଗୀଗଣ ତପକରି ଅସ୍ଥି ଚର୍ମ ମାଟିରେ ମିଶାଇ ତାଙ୍କର କରୁଣା ଲାଭକରି ପାରନ୍ତି ନାହିଁ, ସେହି ହରି ଯେତେବେଳେ ମୋ ଭକ୍ତିବଳରେ ନିଜେ ସଖା ସହ ଆସି ଧରା ଦେଇଛନ୍ତି, ଏ ସୁଯୋଗ ସହଜରେ କାହାକୁ ମିଳେ ନାହିଁ । ହରି ହେ ଦୀନବାନ୍ଧବ !
ଗୀତ–ରାଜା ହଂସଧ୍ୱଜ–(କୀର୍ତ୍ତନ ସୁର)
ହେ ମହିଧରଧାରଣ ଅହି ଦର୍ପଗଞ୍ଜନ
ଦହିବ କି ମୋ ଦୁରିତ ରାଧା ମାନଭଞ୍ଜନ ।
ପାହିବ କି ଦୁଃଖ–
ନିଶା ମୋର ସତେ ପଦ୍ମମୁଖ । ୧ ।
ଉଇଁବ କି ଏ ଭାଗ୍ୟଗଗନେ ଶାନ୍ତି ଅରୁଣ
ଚାହିଁବ କି କୃପାନେତ୍ରେ ନକ୍ରକଣ୍ଠ ବାରଣ ।
ଆହେ ଚକ୍ରକର,
ଶକ୍ର ଗର୍ବହରା ତାର ତାର । ୨ ।
ହେ ଶ୍ୟାମସୁନ୍ଦର ନୀଳଘନ ଜିଣା ତନୁକୁ
ଦେଖାଇ ତୋଷିବ ବାରେ ଏ ପାପୀ ନୟନକୁ
କାଳିନ୍ଦିକୂଳିଆ,
ଚାରୁ କେକୀକଳାପ ଚୂଳିଆ । ୩ ।
ମନ୍ତ୍ରୀ– ମହାରାଜ ! ଶୁଣନ୍ତୁ, ଛାମୁଙ୍କ ମନକାମନା ନିଶ୍ଚୟ ଫଳବତୀ ହେବ, ଏହା ସତ୍ୟ ସତ୍ୟ ସତ୍ୟ । କିନ୍ତୁ ନିଜ ଧର୍ମ ରକ୍ଷା କରିବା କର୍ତ୍ତବ୍ୟ । ବୀରପତ୍ରରେ ଲେଖାଥିବ ଯେ ଯଜ୍ଞବାଜୀ ଧରିବ, ତାକୁ ସେ ଯୁଦ୍ଧରେ ପରାସ୍ତ କରି ନିଜର ବୀରଧର୍ମ ପାଳି ଆୟତ୍ତକୁ ନେବେ । ଆପଣ ଯଜ୍ଞଅଶ୍ୱ ବନ୍ଧନ କରନ୍ତୁ, ମିତ୍ର ଭାବେ ତାଙ୍କୁ ନ ପାଇ ଶତ୍ରୁ ଭାବରେ ପାଇବେ, ଏଣେ ନିଜ ଧର୍ମ ମଧ୍ୟ ରକ୍ଷା ହେବ, ସେ ଧର୍ମର ଅନ୍ୟ କର୍ତ୍ତା କେହି ନାହିଁ– ସେହି ହରି ।
ରାଜା– ଅସମ୍ଭବ ମନ୍ତ୍ରୀ ଅସମ୍ଭବ । ଶତ୍ରୁଭାବରେ କି ହରି ଦର୍ଶନ କେହି ଲାଭ କରିଛି ! ତାର ପ୍ରମାଣ ଦେଖାଇଲେ ଏ ମନ ମାନିବ ସିନା ।
ମନ୍ତ୍ରୀ– ଛାମୁ ! ସେହି କୃଷ୍ଣରେ ଶତ୍ରୁଭାବ ଧରି ବ୍ରଜରେ କାଳୀ ତରିଛି, ମାଡ଼ ମାରି ଅନ୍ଧ ନେତ୍ର ପାଇଛି, ଜନ୍ମ ସମୟରେ ବାଟରେ ଉଗ୍ରସେନ ଗାଳି ଦେଇ ଶଙ୍ଖ ଚକ୍ର ଗଦା ପଦ୍ମ ବିଭୂଷିତ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କରିଛି, ପୁତନା ଅନ୍ତୁଡ଼ିଶାଳେ କ୍ଷୀର ସଙ୍ଗେ ବିଷ ପିଆଇ ବୈକୁଣ୍ଠ ଅଧିକାରିଣୀ ହୋଇଛି, ଅନେକ ରାକ୍ଷସ ବିପକ୍ଷ ଭାବରେ ସେହି କଳା ତନୁ ଦର୍ଶନ କରି ମୋକ୍ଷ ହୋଇଛନ୍ତି, ଛାମୁଙ୍କର ସେହି ନୀତି ଅବଲମ୍ବନ କର୍ତ୍ତବ୍ୟ ।
ରାଜା– ଧନ୍ୟ ହରି ! ଧନ୍ୟ ତୁମ୍ଭର ଅପାର କରୁଣା ବୈକୁଣ୍ଠପତି, ଶ୍ରୀପତି ଶ୍ରୀବତ୍ସଲାଞ୍ଛନ ! ସତେ ଏ ଦୀନ ହୀନ ଅଧମ ତୁମ୍ଭର ଦର୍ଶନ ଲାଭ କରିବ ? ମନ୍ତ୍ରୀ ! ମନ ଯେ ଏକ୍ଷଣି ଆଉ ମୋର ବଶ ମାନୁ ନାହିଁ–କେବଳ ସେହି ରଙ୍ଗାଚରଣ ହିରଣ୍ୟବକ୍ଷ ବିଦାରଣଙ୍କୁ ଲକ୍ଷ୍ୟ କରି ଧାଇଁଛି । ଚାଲ ଶୀଘ୍ର ଯଜ୍ଞାଶ୍ୱ ବନ୍ଧନ କରିବା, ତେବେ ଭବବନ୍ଧନ ମୋଚନକାରୀ ହରିଙ୍କି ଧରିବା । ସଭା ଭଙ୍ଗ କର ।
ସମସ୍ତେ– ଯେ ଆଜ୍ଞା ।
(ସମସ୍ତଙ୍କ ପ୍ରସ୍ଥାନ)
କେତେକ ଭକ୍ତ ଖୋଳ କରତାଳ ବଜାଇ ନାଚି ନାଚି ପ୍ରବେଶ
ଗୀତ– ଜୟ ଜୟ ଗୋବିନ୍ଦ ଗୋପାଲ–ବୃତ୍ତେ
ଜୟ ରାଧାଧର ସୁଧାପାନ ଅଭିଳାଷୀ ।
ଜୟ ଜୟ କୃଷ୍ଣଚନ୍ଦ୍ର ଗୋକୁଳର ଶଶୀ ।
ଗୋକୁଳର ଶଶୀ ହେ । ରାଧା ପ୍ରେମ ଅଭିଳାଷୀ । ୧ ।
ନନ୍ଦ ଆନନ୍ଦବର୍ଦ୍ଧନ ଗୋବର୍ଦ୍ଧନ ଟେକା ।
କାଳ କାଳୀ ବିମର୍ଦ୍ଦନ ଶିରେ ଶିଖୀ ପଙ୍ଖା ।
ଗୋବର୍ଦ୍ଧନ ଟେକା ହେ । ଶିରେ ଶୋଭେ ଶିଖୀ ପଙ୍ଖା । ୨ ।
ଦୁର୍ଦ୍ଦଣ୍ଡ ଷଣ୍ଢ ଦାନବ ପିଣ୍ଡ ବିମନ୍ଥନ ।
ପାଣ୍ଡବ ବତ୍ସଳ ପୁଣ୍ଡରିକ ବିନାଶନ
ଷଣ୍ଢସୁର ଦଣ୍ଡା ହେ । ପାଣ୍ଡବ ବିପତ୍ତିଖଣ୍ଡା । ୩ ।
ଯମୁନା ଜଳ କଲ୍ଲୋଳ ସନ୍ତରଣକାରୀ ।
ଜଗତଜନନୀ ଜଗନ୍ନାଥ ଯାମଳାରି ।
ଯାମଳାଭଞ୍ଜନ ହେ । ଯମୁନାତଟ ରଞ୍ଜନ । ୪ ।
ସମସ୍ତେ–ହରିବୋଲ ! ହରିବୋଲ !! ହରିବୋଲ !!!
ଦୂତ– (ପ୍ରବେଶି) କିଏ କେଉଁଠାରେ ଅଛ ପ୍ରଜାଗଣ, ରାଜାଙ୍କର ଆଦେଶ ଶୀଘ୍ର ଶୀଘ୍ର ସମସ୍ତେ ଆସ । କୃଷ୍ଣାର୍ଜୁନଙ୍କ ସଙ୍ଗତରେ ଯୁଦ୍ଧ ହେଉଛି । ଯେଉଁମାନେ କୃଷ୍ଣଙ୍କୁ ଦର୍ଶନ କରିବ, ନରନାରାୟଣ ତନୁ ଦେଖି ସଂସାରୁ ବିଦାୟ ନେବ । ବୀର ଧୀର ହଂସଧ୍ୱଜ ରାଜାଙ୍କ ଆଦେଶ ଶୀଘ୍ର ଆସ– ସେହି କୃଷ୍ଣାର୍ଜୁନଙ୍କ ଯଜ୍ଞହୟ ଧରିବାକୁ ଯାଉଛନ୍ତି ନଗରବାସୀ । ଆଉ ଏ ସୁଯୋଗ ପାଇବ ନାହିଁ । ଯାହାଙ୍କୁ ପାଇବ ବୋଲି ଡାକି ଡାକି ଏତେକାଳ କଣ୍ଠ ରସନା ତାଳୁ ଶୁଖିଯାଉଥିଲା, ତାଙ୍କୁ ଦେଖି ସମସ୍ତେ ସୁଖୀ ହେବ । ଧାଇଁ ଆସ ଧାଇଁ ଆସ ।
ସମସ୍ତେ– ସତେ ସତେ, ଚାଲରେ ଚାଲ ରେ ହରିବୋଲ, ହରିବୋଲ ।
(ହରି ହରି ଡାକି ପ୍ରସ୍ଥାନ)
(ରାଜା ହଂସଧ୍ୱଜ, ମନ୍ତ୍ରୀ, ବିଦୂଷକ ଓ ସେନାପତି ପ୍ରବେଶ)
ରାଜା– ସେନାପତି ! ସମସ୍ତ ସୈନ୍ୟଙ୍କୁ ଯୁଦ୍ଧକୁ ଯିବାପାଇଁ ଜଣାଇଦେଲେ ?
ସେନାପତି– ମହାରାଜ ! ନାଗ୍ରୀଚି ଦ୍ୱାରା ଘୋଷଣା ଦିଆଇ ଦୂତ ପଠାଇ କି ସେନା, କି ପ୍ରଜା, ସମସ୍ତଙ୍କୁ ଯିବା କଥା ଜଣାଇ ଦେଇଛି, କିନ୍ତୁ ଦେଖି ଆସିଲି ଭୀମାର୍ଜୁନଙ୍କ ସହିତ ଶ୍ରୀକୃଷ୍ଣଙ୍କୁ ପାଇଲି ନାହିଁ । ଅଦ୍ୟ ଯୁଦ୍ଧଯାତ୍ରା ରହିତ କରି କାଲି ପ୍ରଭାତରୁ ଅନୁକୂଳ କଲେ କି ଭଲ ହୁଅନ୍ତା ନାହିଁ ? ଯାହାଙ୍କ ପାଇଁ ଏତେ ଆତୁର ସେ ତ ନାହାନ୍ତି !
ରାଜା– ସେନାପତେ ! ଏ ମିଥ୍ୟା କଥା, ଯହିଁ କୃଷ୍ଣ, ତହିଁ ଅର୍ଜୁନ ଉଭୟ ଅଭେଦ ଆତ୍ମା । ଏକର ଅଭାବେ ଅନ୍ୟ ରହି ନ ପାରେ, ମୋତେ ବୃଥାରେ ଭଣ୍ଡ ନାହିଁ । ଯେବେ ଏ ଜୀବର ସେହି ରଙ୍ଗ ନଳିନ ପଦ ଯୁଗଳରେ ଭକ୍ତି ଥିବ, ଅବଶ୍ୟ ସେ ଦର୍ଶନ ଦେବେ ।
ବିଦୂଷକ– ମହାରାଜ ! କଥା ଅଛି ଭଗବାନ ଯହିଁରେ ତୃପ୍ତ, ସେ କାର୍ଯ୍ୟଟି କରିବା ଆଗେ ଦରକାର । ଭଗବାନ କହିଛନ୍ତି- ଶିବମୁଣ୍ଡ, ଅଗ୍ନିକୁଣ୍ଡ, ବିପ୍ର ତୁଣ୍ଡରେ ଭୋଗ ଦେଲେ ସନ୍ତୋଷ ଲାଭ କରେଁ । ମୁଁ କହୁଛି, ଆଗେ ଥୋଡ଼ା ମିଷ୍ଟାନ୍ନ ଲଡ଼ୁ, ପୁରୀ, ମାଲପୁଆ, ସନ୍ଦେଶ, ପେଡ଼ା, ରସଗୋଲା, ଆମ୍ବ, ପଣସ ଯୋଗାଡ଼ କରି ଗୋଟା କେତେ ବ୍ରାହ୍ମଣଙ୍କୁ ଖୁଆଇବାର ଯୋଗାଡ଼ କରି ଠିକ୍ କରିଦିଅନ୍ତୁ । ମାଲ ଯେଉଁ ଘରେ ରହିବ, ସେ ଘରେ ଆମ୍ଭେ ସ୍ୱୟଂ ବିଦ୍ୟମାନ ରହିବାକୁ ହେବ ।
ସେନାପତି- ବାଃ, ବାଃ, ତେବେ ଯାଇଁ ମହାଶୟଙ୍କ ଜଠରାନଳ ନିର୍ବାପିତ ହେବ ।
ବିଦୂଷକ- ତା ହୋଇପାରେ, ଶୀଘ୍ର ଶୀଘ୍ର ସେ ବନ୍ଦୋବସ୍ତ କରନ୍ତୁ, ଯଦି ବିଳମ୍ବ ହୁଏ, ପାଣ୍ଡବ ବୀରଗଣ ରାଜ୍ୟକୁ ଧ୍ୱଂସ କରିଦେବେ । ଶୀଘ୍ର ହୋମାଦି କାର୍ଯ୍ୟ ଆରମ୍ଭ କରାଯାଉ ।
ରାଜା- ଠିକ୍ କହିଲ ସଖେ ! ମନ୍ତ୍ରୀ ତୁମ୍ଭେ ହୋମସାମଗ୍ରୀ ଓ ବ୍ରାହ୍ମଣ ଭୋଜନର ଯୋଗାଡ଼ କରାଇଦିଅ, ଆଉ ଗୋଟିଏ କାର୍ଯ୍ୟ କର । ଶୁଣ-
ଗୀତ- ମନ୍ତ୍ରୀ ପ୍ରତି ରାଜା (କାହା ମନୋହାରୀ-ବୃତ୍ତେ)
ଡଗରା ପଠାଇ ମନ୍ତ୍ରୀ ଡାକି ଦାଣ୍ଡେ କହିବ
ଡରିବ ଯେ ରଣେ ତାଙ୍କୁ ମୋଡ଼ିବ ତା ଦଇବ । ପଦ ।
ଡହ ଡହ ତୈଳ କୁଣ୍ଡେ, ପକାଇବି ତାକୁ ଚାଣ୍ଡେ
ଡବ ଡବ ତେତେବେଳେ ନେତ୍ରୁ ନୀର ବହିବ ।୧।
ଡିଣ୍ଡିମ ବଜାଇ ଜଣା, ବଡ଼ ସାନ କୁଜା କଣା
ନ ଯାଇ ଯେ ଗୃହ କୋଣେ ବଣା ହୋଇ ରହିବ ।୨।
ଛାଡ଼ିବ ତା ଆୟୁ ଫାଶ, ପୀଡ଼ିବି ଜାଣ ଅବଶ୍ୟ
ପଡ଼ିବ ଚିତ୍ରଗୁପତ ଆଗେ ଭିଡ଼ା ପାଇବ ।୩।
ମନ୍ତ୍ରୀ- ମହାରାଜ ! ଆପଣଙ୍କ ଆଜ୍ଞାନୁସାରେ ସମସ୍ତଙ୍କୁ ଜଣାଇଦେବି, କିନ୍ତୁ ଏତେ ତୈଳ ଦ୍ରୋଣୀ କଥା ଆଦେଶ ହେଲା, ଆପଣଙ୍କର ତ ଦୟାଳୁ ହୃଦୟ, ଯଦି କାହାରି ବିକଳ ଦେଖି ସହି ନ ପାରି ମୁକ୍ତି ଦେଇଦେବେ, ତେବେ ଯେ ମୋର ତୈଳ ଫୁଟାଇ ରଖିବା ଏତେଗୁଡ଼ିଏ ଶ୍ରମ ବିଫଳ ହେବ ।
ରାଜା- ମନ୍ତ୍ରୀ ! ତା କେଭେ ନୁହେଁ, ଯାହାର କୃଷ୍ଣ ଦର୍ଶନରେ ଅରୁଚି ଜନ୍ମିବ, ସେହି ନିଶ୍ଚୟ ମହାପାପୀ ନାରକୀ, ତାର ପାପର ଶାସ୍ତି ସେହି ତୈଳ ଦ୍ରୋଣୀ ।
ବିଦୂଷକ- ମହାରାଜ ! ସର୍ବନାଶ, ଆମ୍ଭେ ଯେ ଗୋଟିଏ ଅଭିଷିକ୍ତ ଗର୍ଦ୍ଦଭଠାରୁ ହୀନ । ଯୁଦ୍ଧ ବିଦ୍ୟାରେ ଏତେଦୂର ପଟୁ ଯେ, ସମୟେ ସମୟେ ଆମ୍ଭ ଗୃହିଣୀଙ୍କ ସହ ପରୀକ୍ଷା ବିଶେଷ ଭାବରେ ମିଳେ । ଆଜ୍ଞା ବୁଝନ୍ତୁ, ଯେତେବେଳେ ବ୍ରାହ୍ମଣୀ ଆମ୍ଭର ତାଙ୍କ ନିଯୋଗରେ ତ୍ରୁଟିଦେଖି ଆରକ୍ତିମ ନେତ୍ରଯୁଗରେ ଆମ୍ଭଙ୍କୁ ତୀବ୍ର ଦୃଷ୍ଟିରେ ଲକ୍ଷ୍ୟ କରି ତାଙ୍କର ଚିରସ୍ଥାୟୀ ଆୟୁଧ ଧରି ଆମ୍ଭ ମସ୍ତକ ପୃଷ୍ଠ ଗଣ୍ଡଦେଶ ସ୍ଥାନମାନରେ ପ୍ରୟୋଗ କରନ୍ତି, ସେତେବେଳେ ଆମ୍ଭର ପ୍ରତିଅସ୍ତ୍ର କେବଳ ‘ମଲୁଁ ମଲୁଁ’ ଏହି ସ୍ତବ ପାଠ । ଏଥିରେ ଛାମୁଙ୍କର ଏପରି ବୀରକୁ ସଙ୍ଗରେ ନେଲେ କ୍ଷତି ଛଡ଼ା କିଛି ଲାଭ ନାହିଁ ।
ରାଜା- ଆଚ୍ଛା, ତୁମ୍ଭଙ୍କୁ କେବଳ ଆମ୍ଭ ସଙ୍ଗରେ ରହିବାକୁ ହେବ ।
ବିଦୂଷକ- ଆଜ୍ଞା, ଏ ଚୂଡ଼ା ଦହିଖିଆ ପ୍ରାଣ ଅତି ନରମା, ଶୁଣନ୍ତୁ
ଗୀତ- ବିଦୂଷକ-(ଜାତୀୟ ସଙ୍ଗୀତ-ବୃତ୍ତେ)
ଅସ୍ତ୍ର ଝଙ୍କାର ଶ୍ରବଣେ ଆମ୍ଭ ବସ୍ତ୍ର ହୋଇବ ମାରା ।
ଗାତ୍ରଟି ଯାକ ଥରି ଲୋଡ଼ିବ ଚିତ୍ରଗୁପ୍ତ କାରା ।୧।
ଠୋ ଠୋ ଠୋ ଛୁଟିବାକାଳେ ବନ୍ଧୁକ ନଳିରୁ ଗୁଳି ।
ଠା ଠା ଠା ହୋଇଣ ବ୍ରାହ୍ମଣ ଡୋଳାଟି ପଡ଼ିବ ଗଳି ।୨।
ହେଁ ହେଁ ହେଁ ଶୁଭିଲାକାଳେ ଘୋଟକ ଘୋଣା ଫୁତ୍କାର ।
ହୋ ହୋ ହୋ ହାଏ ହାଏ ବୋଲି ଛାଡ଼ିବୁଁ ମହା ଚିତ୍କାର ।
ଘର୍ଘର ଘର୍ଘର ଚକ୍ର ଘୂର୍ଣ୍ଣନ ହେଲା କାଳରେ ।
ଝର୍ଝର ଝର ତିନ୍ତିଯିବ ଅଙ୍ଗ ଗୋଟି ଝାଳରେ ।
ରାଜା- ଆଚ୍ଛା, ସଖେ ! ଭୟ କରନା, ଭବଭୟହାରୀ ହରିଙ୍କି ଯେ ଆଗରେ ଦେଖିବ, ତାର ଆଉ ଜଗତରେ କେଉଁ କଥାକୁ ଭୟ ? ଯାଅ ସେନାପତେ ! ସମସ୍ତ ଯୋଗାଡ଼ କର, ଯେ ପ୍ରଭାତରୁ ଆସି ରଣସ୍ଥଳରେ ମୋର ସାକ୍ଷାତ ନ କରେ, ତାକୁ ସେହି ତୈଳ ଦ୍ରୋଣିରେ ନିଶ୍ଚୟ ନିଶ୍ଚୟ ପୋଡ଼ି ମରିବାକୁ ହେବ । ଯାଅ, ମୁଁ ଅନ୍ତଃପୁରକୁ ଯାଉଛି ।
(ସମସ୍ତଙ୍କର ପ୍ରସ୍ଥାନ)
ବୀରବେଶେ ବୃଷକେତୁ ଓ ଭୀମାର୍ଜୁନ
ବୃଷକେତୁ- ହେ ପିତୃବ୍ୟ ! କେଣେ ଗଲା ଯଜ୍ଞଅଶ୍ୱ ଆମ୍ଭ ? ବହୁସ୍ଥାନ କରି ଅନ୍ୱେଷଣ, ନ ପାଇଲି ବର୍ଣ୍ଣ ଚିହ୍ନ କିଛି । କାହାର ଏମନ୍ତେ ଶକ୍ତି କେ ଅଛି ଧରାରେ ପାଣ୍ଡବଙ୍କ ଯଜ୍ଞବାଜୀ କରିବ ବନ୍ଧନ ? କେ କରିଛି ମୃତ୍ୟୁକୁ ବରଣ, ଚିତ୍ରଗୁପ୍ତ ପୂରେ ଯିବାପାଇଁ କେ ବସିଛି ? ବିଷଧର ବିଳେ କେଉଁ ମୂର୍ଖ କର ଭରି ଅଛି, ମନ୍ତ୍ର ଗାରଡ଼ି ନ ଜାଣି । କି କରିବା କହନ୍ତୁ ଉପାୟ ।
ଭୀମ- ଏ ରାଜ୍ୟର ରାଜା ହଂସଧ୍ୱଜ, ନାମ ୟାର ଭଦ୍ରାବତୀ ପୁରୀ,
ଯାଇଅଛି ଦୂତ ସେହି ଦିଗେ, ଫେରିଲେ ସେ ଜଣାଯିବ ସର୍ବ,
ଚେଷ୍ଟା ନ କରିଣ ବସି କରନ୍ତେ ବିଚାର,
ପଥିକର ପଥ ଉଣା ହୋଇଅଛି କାହିଁ ?
ଔଷଧ ନ ଖାଇ ବସି କରୁଥିଲେ ଚିନ୍ତା,
ରୋଗୀ ରୋଗ ହଟଇ କି କେବେ ?
ବୃଷକେତୁ- ହେ ପିତୃବ୍ୟ ! ଧାଇଁଅଛି ଏଣେ ସେହି ଦୂତ, ଜଣାଯାଏ ଆଣିଅଛି ସମ୍ବାଦ ଅଶ୍ୱର ।
ଦୂତ- (ପ୍ରବେଶି) କହ ଦୂତ ! ଭେଟିଲୁ ଯଜ୍ଞବାଜୀ କାହିଁ ?
ଦୂତ- ଶୁଣ ଶୁଣ ଅଙ୍ଗନାଥ ସୁତ, ଭଦ୍ରାବତୀ ରାଜା ହଂସଧ୍ୱଜ,
ବାନ୍ଧିଅଛି ଆମ୍ଭ ବାଜୀ ପାଜି,
ମାଗନ୍ତେ ନ ଦେଲା ତିଳେ ମୁକୁଳାଇ ଦୁଷ୍ଟ,
କି କରିବା କହନ୍ତୁ ଉପାୟ ?
ଭୀମ- କି କହିଲୁ ଚାର, ଚୋର ଧରିଅଛି ଅଶ୍ୱ ?
ଭେକ ହୋଇ ହିମଗିରି ଉତ୍ତୋଳନେ ଇଚ୍ଛା ?
ଭୁଜଙ୍ଗ ହୋଇ ଗରୁଡ଼ ତୁଲେ ରଚେ ଦ୍ୱନ୍ଦ୍ୱ ?
ନ ଜାଣେ କି ଦ୍ୱିତୀୟ ପାଣ୍ଡବ ବୃକୋଦର,
ଯାର ଗଦାର ବତାଶେ ଉଡ଼ିଲେ ଅସଂଖ୍ୟ ଥାଟ,
ଭାରତ ସମରେ କଉରବ ଶତେ ଭ୍ରାତ,
ଏକାବେଳେ ଗଲେ ଯମାଳୟେ,
କୁମ୍ଭିରୀ, କିନ୍ନରୀ, ବକ, ହିଡ଼ିମ୍ବକ ହନ୍ତା ।
ରହିଛି ଜୀବିତ ସେ କି ନ ଜାଣେ ବର୍ବର ।
ଖର୍ବ ହୋଇ ଗର୍ବେ ଧାଏଁ ଧରିବାକୁ ଚାନ୍ଦ,
ବାମନ ହୋଇଣ ଇଚ୍ଛେ ସୁରତରୁ କୁସୁମ ଚୟନେ,
ଚାଲ ସେନା କରି ସଜ ଭଦ୍ରାବତୀ ପୁରେ,
ମାରିଣ ରାଜାକୁ, ଗଡ଼େ ବୁଲାଇବା ଲୁହା ମଇ,
ବିଳମ୍ବରେ ନାହିଁ କାର୍ଯ୍ୟ ଆଉ ।
ଅର୍ଜୁନ- ସ୍ଥିର ହୁଅ ଭ୍ରାତ ! ଅଯଥା କୋପ ନ କର ନୃପତି ଉପରେ
ଗୀତ- ଭୀମ ପ୍ରତି ଅର୍ଜ୍ଜୁନ-କୀର୍ତ୍ତନ ସୁର
ଅଜ୍ଞାତରେ ବାନ୍ଧିଥିଲେ ଆମ୍ଭ ଯଜ୍ଞ ବାଜୀକି
ଆଜ୍ଞା ମାତ୍ରେ ଆଣି ଦେବ କାଳେ ସଂଜ୍ଞା ଭଜିକି ।
ହରିଭକ୍ତ ଶିରୋମଣି ଅଟେ ନରମଣି
ଏହି କଥା ଗୋଟି ବହୁବାର ଅଛି ଶୁଣି ।
ତରିବାକୁ କାଳେ ଭରିଥିବ ଅଶ୍ୱ ନେଇ ଆଳେ ।
ଯେବେ ସେ ଶତ୍ରୁତାପଣ କରେ ଆଚରଣ
ପିତୃ ପତି ପୁର ପଠାଇବ ଏ ମୋ ବାଣ ।
କାଲି ରଣସ୍ଥଳେ ଜଣେ ନ ରଖିବି ଧରା ତଳେ ।
ବୃଷକେତୁ- ତେବେ ଚାଲ, ସମସ୍ତେ ଶିବିରେ ବସି ମନ୍ତ୍ରଣା କରିବା । ଗୁପ୍ତଚର ମୁଖରୁ ଅବଶ୍ୟ ଗୁପ୍ତ ରହସ୍ୟ ଜଣାପଡ଼ିବ ।
ଭୀମ- ଆସ ଆଉ ବିଳମ୍ବ କାହିଁକି ? ଭୀମର ବାହୁ ଯେ ବ୍ୟଥା କଲାଣି, କାଲି ନିଶ୍ଚୟ ରଣଗୋଳ ହେବ, ଆସ ।
(ସମସ୍ତଙ୍କ ପ୍ରସ୍ଥାନ)
(ସୁଧନ୍ୱା- ଶୟନରୁ ଉଠି ବସି)
ସୁଧନ୍ୱା- (ସ୍ୱଗତଃ) ଏ କଣ, ଆଉ କେତେ ରାତ୍ର ଅଛି, ମନରେ ଶାନ୍ତି ନାହିଁ ସୁଖ ନାହିଁ । କାହୁଁ ବା ଆସିବ ? ପ୍ରଭାତରେ ଯେତେବେଳେ ରାଜ୍ୟରେ କୋଟି କୋଟି ମହାଜୀବଙ୍କର ରକ୍ତ ଦର୍ଶନ ଆସୁଛି ତେଣେ ପିତ୍ରାଦେଶରେ ତୈଳପୂର୍ଣ୍ଣ ତାମ୍ର କଟାହ ଧୁ ଧୁ ହୋଇ ଫୁଟୁଛି, ଯେ ରଣକୁ ଯିବାକୁ ପଛଘୁଞ୍ଚା ଦେବେ ତାକୁ ସେ ଉତ୍ତପ୍ତ ତୈଳ ଦ୍ରୋଣିରେ ପଡ଼ିବାକୁ ହେବ । ଏ ଗୋଟିଏ ଭୀଷଣ ଚିନ୍ତା, ଚିନ୍ତା ସହିତ ନିଦ୍ରାର ସପତ୍ନୀ ବିବାଦ, ଆଉ ଟିକିଏ ଭଲା ନିଦ ଆସନ୍ତା ।
(ଶୟନ)
ଗୀତ- ବନ୍ଦିନୀମାନଙ୍କ ନୃତ୍ୟ-କି ନାମ ବୋଇଲୁ-ବୃତ୍ତେ
ପାହିଲାଣି ରାତି ଉଇଁଲାଣି ଦେଖ ପୂରୁବ ଗଗନେ ରବି ।
ବହିଲାଣି ଧୀରେ ଦକ୍ଷିଣା ପବନ ଦିଶେ ନବ ନବ ଛବି ।।
ଫୁଟିଲେଣି ଫୁଲ ବନ ଉପବନେ ଲୁଟନ୍ତି ମଧୁପେ ମଧୁ ।
ଛୁଟିଲାଣି ବାସ ମହ ମହ ହୋଇ ଉଛୁଳାଇ ପ୍ରେମସିନ୍ଧୁ ।।
କୋଟି କୋଟି ତାରା ତୋରା ଲୁଚିଲେଣି ଗୋଟି ଗୋଟି ଅଛି ରହି ।
ନିମିଷକେ ତାହା ତୁଟି ଯିବ କେଣେ ଫରଚା ଦିଶିଲେ ମହୀ ।।
ରଟିଲେଣି କାକ କୁକୁଟ ପ୍ରଭାତ ପ୍ରଭା ମନେ ଅନୁସରି ।
ଉଠ ଉଠ ନିତ୍ୟକର୍ମେ ମାତ ତ୍ରୁଟି କର ନାହିଁ ନରନାରୀ ।।
(ନାଚି ନାଚି ପ୍ରସ୍ଥାନ)
ସୁଧନ୍ୱା- (ଉଠି ବସି) ନା, ଆଉ ରାତ୍ର ବେଶି ନାହିଁ, ପ୍ରଦୀପ କ୍ରମେ କ୍ରମେ ନିସ୍ତେଜ ଦିଶିଲାଣି, ବନ୍ଦିନୀମାନେ ପ୍ରଭାତ ସୂଚନା ସଙ୍ଗୀତ ଗାଇ ନାଚି ନାଚି ଗଲେଣି, କୁକ୍କୁଟଯୂଥ ପ୍ରଭାତ ଅବକାଶ ଗୀତଗାନ କରି ଜନମାନଙ୍କୁ ଜାଗ୍ରତ କରିଲେଣି । ଦେବାଳୟମାନଙ୍କରେ ଶଙ୍ଖ ଘଣ୍ଟ ତୂରୀ ଭେରୀ ଧ୍ୱନି ବାଜିଉଠିଲାଣି । ଦ୍ୱିଜଗଣ ମଙ୍ଗଳାଷ୍ଟକ ପାଠକରି ଓଁକାର ନାଦରେ ଭଗବାନଙ୍କୁ ନିଜ ନିଜ ମଙ୍ଗଳ ଜଣାଉଛନ୍ତି । ଯିବା, ପ୍ରାତଃସ୍ନାନ ଶେଷ କରି ରଣସ୍ଥଳକୁ ଗମନ କରିବା । ଆଜି କେଡ଼େ ସୁପ୍ରଭାତ, ଆଜି ରଣସ୍ଥଳରେ କେଶୀନିସୂଦନ ମଦନମୋହନଙ୍କ ସଙ୍ଗେ ଅର୍ଜ୍ଜୁନଙ୍କୁ ଦର୍ଶନ କରିବାକୁ ହେବ, ଯାଏଁ ।
(ପ୍ରସ୍ଥାନ)
ଫୁଲପାତ୍ର ହସ୍ତେ ସଖିଗଣ ସହ ପ୍ରଭାତୀର ପ୍ରବେଶ
କୁଞ୍ଜ- ସଖି ! ଦେଖିଲଣି ନା, ଦିନେ ତ ଏତେ ଫୁଲ ଏ ବଗିଚାରେ ଫୁଟେ ନାହିଁ, ଆଜି ତ ନ ଫୁଟିବା ଗଛରେ ଫୁଲ ସବୁ ଫୁଟିଛି ।
ଲଳିତା- ହଁ ଲୋ କୁଞ୍ଜଲତା । ସେ କୁଞ୍ଜଲତା ଉପରେ ଯେଉଁ ଭ୍ରମରଟି ଯାଇ ବସି ଥରେ ଥରେ ଉଡ଼ି ପୁଣି ବସି ପୁଣି ଉଡ଼ିଯାଇ ପୁଣି ବସୁଛି, ଯେମନ୍ତେ ଦିଶୁଛି ବର କନ୍ୟା ଲୁଚକାଳି ଖେଳିଲାପରି ।
ପ୍ରଭାବତୀ- ସଖିଗଣେ ! ଆସ ଆମେ ସମସ୍ତେ ମିଳିମିଶି ଫୁଲ ତୋଳିବା ।
ଗୀତ- ଫୁଲତୋଳା – ଚନ୍ଦ୍ରମାବଦନୀ-ବୃତ୍ତେ
ତୋଳ ଗୋ ସଙ୍ଗାତ ଫୁଲ,
ବେଳ ବଳିଯିବ ବାସକୁ ଚାଲ ଗୋ ।
କେତେ ହେଉଅଛ ଗେଲ ଗେଲ ସଙ୍ଗାତ ଗୋ ।
ଚମ୍ପାଗୋରୀ ତୋଳ ଚମ୍ପା,
ଯୁବା ଯୁବତୀଙ୍କ ଧଇର୍ଯ୍ୟକମ୍ପା ଗୋ ।
ଦିଶେ ଟଗର କେମନ୍ତ ତୋଫା ସଙ୍ଗାତ ଗୋ ।
ଲବଙ୍ଗ- ଆମ ରାଣୀଙ୍କର ମଲ୍ଲୀ ଫୁଲରେ ବେଶି ଶ୍ରଦ୍ଧା, ଦେଖ ରାଣୀ !
ଗୀତ- ମଲ୍ଲିହାସିନୀରେ ମଲ୍ଲୀ,
ପାଶେ ବିକଶିଛି ସେ କୁରୁବେଲି ଗୋ ।
ତୋଳ କୁନ୍ଦବନ୍ତୀ କୁନ୍ଦ କଳି ସଙ୍ଗାତ ଗୋ ।
ମାଳତୀ- ସଖି ! ଏଣିକି ଅନେଇଲ ।
ଗୀତ-ଜବାଧରୀ ! ଜବା ଘେନ
ଶିବାଙ୍କର ଏ ତ ଆଦର ଧନ ଗୋ ।
ଆଜି ! ନିଆଳୀ ତୋଳ ବହନ ସଙ୍ଗାତ ଗୋ ।
ଲଳିତା- ହେଉ, ମୁଁ ଯେ ଫୁଲ ଦେଖିଛି ସେ ଉପକାରଗୁଡ଼ିକ ଆମ ଯୁବରାଜ ଓ ରାଣୀଙ୍କ ଠେଇ ପୂରି ରହିଛି ଦେଖ ।
ଗୀତ- ନୀଳୋତ୍ପଳ ଦୃଶା ନୀଳ-
କମଳ ଫୁଟିଛି ବହନ ତୋଳ ଗୋ ।
କେତକୀକାନ୍ତି କେତକୀ ଦଳ ସଙ୍ଗାତ ଗୋ ।
ସୁନୀଳ ଅପରାଜିତା
କେଶିନି ! ଏ ନୀଳ ଅପରାଜିତା ଗୋ ।
ତୋଳ ଫୁଟି ଦିଶେ ବିରାଜିତା ସଙ୍ଗାତ ଗୋ ।।
ପ୍ରଭାବତୀ- ସଖିମାନେ ! ଆଜି ଏ ଫୁଲଗୁଡ଼ିକ ନିଜେ ମୁଁ ହାତରେ ହାର ଗୁନ୍ଥି ମୋର ହୃଦୟ ଦେବତାଙ୍କ ଗଳାରେ ପିନ୍ଧାଇ ତାଙ୍କୁ ପୂଜା କରିବି । (ଚମକିପଡ଼ି) ଏ କ’ଣ ? ମୋର ଡାହାଣ ଆକ୍ଷି କାହିଁକି ନାଚି ଉଠିଲା, କଣ ଅମଙ୍ଗଳ ଘଟିବ କି ?
ଲବଙ୍ଗ- ଏ ଗୋଟାଏ କଥା, ଆମପରି କଣ ତୁମ୍ଭେ ଗରିବ ହୋଇଛ ଯେ, ସାହୁ ମହାଜନ ତଣ୍ଡିନେବେ, ଚୋରଖଣ୍ଟ ଦଣ୍ଡିନେବେ, ଲୁଗା ମିଳିବ ନାହିଁ, ଭାତ ମିଳିବ ନାହିଁ, ତୁମର ଗୋଟାଏ ଅମଙ୍ଗଳ କଣମ ?
ପ୍ରଭାବତୀ- ନା ସଖି ! ମୋ ପେଟ ଭିତର କିଏ ଘାଣ୍ଟି ପକାଉଛି ।
କୁଞ୍ଜ- ମୁଁ କହୁଛି ଲୋ ରାଣ୍ଡେ ! ଚଞ୍ଚଳ ଚାଲ, ଉଛୁର କରନା, ମାଜଣା ବେଳ ଗଡ଼ିଗଲାରୁ ରାଣୀ ଦିହଟା ସେମନ୍ତେ ହଉଥିବ
ପ୍ରଭାବତୀ- ନା ସଖି ! ମୋତେ ଭୁଲାଅ ନାହିଁ, ନିଶ୍ଚୟେ କିଛି ମୋ କପାଳରେ ମନ୍ଦ ଦଶା ଘଟିବ - ଶୁଣ ମୁଁ କହୁଛି ।
ଗୀତ-ସଖୀମାନଙ୍କ ପ୍ରତି ପ୍ରଭାବତୀ- ସେ କି ସହଜେ-ବୃତ୍ତେ
କରୁ ହଜିଗଲା ଧନ ଗୋ, ସେହିପରି ହୁଏ ଅନୁମାନ ।
ମାନୁ ନାହିଁ ମନ, ଯେ ଯେତେ କହିଲେ
ଚାରିଦିଗ ଦିଶେ ଶୂନ୍ୟ । ଗୋ ।
ବକ ବକ ଚିତ୍ତ ହେଲା ରେ ସଙ୍ଗାତ
ଅକସ୍ମାତ କିମ୍ପା ଘେନ ।
ବିଷ ସମ ଭାବ ବନପ୍ରିୟ ରାବ
ପୁଣି ଭ୍ରମର ଗୁଞ୍ଜନ ଗୋ ।
ଘନ ଘନ କିଏ କାନରେ କହୁଛି
ସରିଲା ତୋ ସୁଖ ଦିନ ।
ଭାରି ଲାଗେ ଉର- କନକର ହାର
ଗରୁ ତ ପିନ୍ଧା ବସନ ଗୋ ।।
ଗତ କାଲିଠାରୁ ଦେଖି ନାହିଁ ଆକ୍ଷି
ଅକଳଙ୍କ ଚନ୍ଦ୍ରାନନ ।
ସତେ ଦୀନବନ୍ଧୁ ଦେବେ ମୋ ବନ୍ଧୁଙ୍କୁ
ଶୁଣିବି ସୁଧା ବଚନ ଗୋ ।।
କୁଞ୍ଜଲତା- ରାଜରାଣୀ ! ସ୍ଥିର ହୁଅ, ରସମଞ୍ଜରୀ କାହିଁକି ଏଠାକୁ ତରତର ହୋଇ ଧାଇଁଛି, କଣ ଜଣାଇବାକୁ ଆସୁଛି ପରା, (ରସମଞ୍ଜରୀ ପ୍ରବେଶ) କିଲୋ ରସ ! ତୋର ବିରସ ମୁହଁ କାହିଁକି ? ସବୁବେଳେ ତ ରସର ହସ ଧାର ବୋହୁଥାଏ, ଆଜି ମୁହଁଶୁଖା ରୋଗ ତୋତେ ଧଇଲା କି ?
ରସମଞ୍ଜରୀ- ଯା ଲୋ ସବାଖାଈ ! ରସର ଶଶ ଶୁଖିଲାଣି, ତମକୁ ହସ ଲାଗିଛି, ଯୁବରାଜ- ରାଣୀ ! ଶୁଣ ତେଣେ ପରା ତମ ପତି ବୀର ବେଶ ପିନ୍ଧି ଶର ଖଣ୍ଡା ଧାର ସବୁ ଘସି ରଥରେ ରଖୁଛନ୍ତି, ମୁଁ ଦେଖି ଦଉଡ଼ି ଆସିଲି, ତମକୁ ଖବର ଦବାକୁ
ପ୍ରଭାବତୀ- ଆଲୋ ରସ ! କାହାସଙ୍ଗରେ ରଣ କରିବାକୁ ଯାଉଛନ୍ତି ?
ରସମଞ୍ଜରୀ- ତମ ଶଶୁରପରା ପାଣ୍ଡବଙ୍କ ଯାଗ ଘୋଡ଼ାକୁ ବାନ୍ଧି ଆଣିଛନ୍ତି, ସେ ଯୋଗେ ସେମାନେ ଲଢ଼ି ଘୋଡ଼ା ଛଡ଼େଇ ନେବାକୁ ତିଆର, ଏ ପରା ସେଠିକି ଯିବେ,ସାହି ସାହି ଧେଣ୍ଡୁରା ପିଟି କଟୁଆଳ କାଲିଠଉଁ କହିଲାଣି, ସମସ୍ତେ ହାତ ହତିଆର ଧରି ଯାଇ ଲଢ଼େଇ ଭୂଇଁରେ ଜମା ହୋଇ ଗଲେଣି ପରା, କୃଷ୍ଣାର୍ଜୁନ କିଏ, ତାଙ୍କ ସଙ୍ଗରେ ଲଢ଼ିବେ ।
ପ୍ରଭାବତୀ- ଚାଲ କେତକୀ ! ଏ ଫୁଲ ସବୁ ଏଠି ପଡ଼ିଥାଉ, ମୋତେ ଚଞ୍ଚଳ ତାଙ୍କ କତିକି ନେଇ ଚାଲ । ହା ନାଥ ! ତୁମ୍ଭେ ଏଡ଼େ ନିଦାରୁଣ ମୋତେ ପଦେ ନ କହି ରଣକୁ ଯିବାପାଇଁ ବସିଛ । ଚାଲ ରସ ।
(ପ୍ରସ୍ଥାନ)
ଗୀତ- ସଖିମାନେ-
ମନ୍ଦ ମଧୁର ମଳୟ ସୁନ୍ଦର-ବୃତ୍ତେ
ସରିଗଲା ଆମ୍ଭ ସରାଗ ସରବ ଗରବ ତୁ ପୋଡ଼ି ଯାଆ ରେ ।
ତୋଳିଲା ସୁମନ ପଡ଼ିଣ ଶୁଖିଲା ଯୋଗ ତ ନୋହିଲା କାହାରେ । ପଦ ।
ନ ରହିଲା ଅନୁରାଗ ରଙ୍ଗ ନାଟ,
ଏତେ କୂଟ କଲୁ ରେ ଦଇବ ଖଣ୍ଟ ।
ବହିଲା ବିପଦ ବାଆ ଘନ ଘନ ଦହିଲା ବିପତ୍ତି ଦାହା ରେ ।୧।
ଯାର ପାଇଁ ହାର ଗୁନ୍ଥିଥାନ୍ତୁ ବସି,
ତାର ତ ଏ ଦଶା ରସାରେ ଘଟିଛି ।
ରାହୁର କବଳୁ ବଳିବ କି ଶଶୀ ହସିବ କି ଶରଧା ରେ ।୨। (ସମସ୍ତଙ୍କ ପ୍ରସ୍ଥାନ)
ସୁଧନ୍ୱା ଅସ୍ତ୍ର ଶସ୍ତ୍ରଦ୍ୱାରା ସଜ୍ଜିତ ହେବା
ସୁଧନ୍ୱା- (ସ୍ୱଗତଃ) ଓହୋ, ରଣକ୍ଷେତ୍ର ସୈନ୍ୟ ମୁଖଗୋଳ,
ଉଠୁଅଛି ଗଗନ ପରଶି,
ଅଶ୍ୱଙ୍କର ହ୍ରେଷାନାଦ ଗଜଙ୍କ ଗର୍ଜନ,
ଅସ୍ତ୍ରର ଝଣ ଝଣ ଶବ୍ଦ,
ଶୁଣି କେଉଁ ବୀର ରକ୍ତ ସୁସ୍ଥିରେ ରହିବ ।
ନରନାରାୟଣ ଦରଶନେ,
ଧାଇଁଛନ୍ତି ଦେଶବ୍ୟାପୀ ପରମ ଉଲ୍ଲାସେ,
ମରଣକୁ ହେୟଜ୍ଞାନ କରି,
ବହୁ କଷ୍ଟାର୍ଜିତ ଧନେ ପଦେ ଦେଇ ଠେଲି,
ପ୍ରକୃତରେ, ଅକ୍ଷୟ ଅବ୍ୟୟ ଧନେ ଯାର ଅଭିଳାଷ,
କ୍ଷଣସ୍ଥାୟୀ ଧନକୁ ସେ କିମ୍ପା ଆଦରିବ,
ଧନ୍ୟ ନାରାୟଣ ! ଧନ୍ୟ ତୁମ୍ଭ ଲୀଳା ଖେଳା,
ତୁମ୍ଭେ ଏକା ଭେଳା ଏହି ଭବଅବଧିରେ,
କି କରିବି ଭାବିଥିଲି ପ୍ରଭାବତୀ ସଙ୍ଗେ କରି ଦେଖା,
ଯାଇଥାନ୍ତି ସମର ପ୍ରାଙ୍ଗଣେ, କିନ୍ତୁ ବେଳ ନାହିଁ ଆଉ,
କରିବା ତା କାର୍ଯ୍ୟେ ପରିଣତ,
ରଣ ଜୟ କରି ଯେବେ ନର ନାରାୟଣେ, ଫେରିବି ସଦନେ
ହରିବି ପ୍ରିୟାର ମାନ ଧରି ସ୍ନେହେ କୋଳେ,
ଚୁମ୍ବଦାନ ପାଶେ ଦମ୍ଭ କେତେ ରମଣୀର ।
ଏଣେ ଟାଣେ ନାରୀ ପ୍ରେମ, ତେଣେ ଟାଣେ ହରି ପ୍ରେମ,
କାର କେତେ ଶକ୍ତି, ଆଜି ଦେଖୁ ତା ଜଗତ,
ସୁଧନ୍ୱା ତା’ ପରୀକ୍ଷାର କ୍ଷେତ୍ର ।
ଗୀତ – ସୁଧନ୍ୱା-
ଏତେବେଳକୁ ହେ, ମୁଖ-ବୃତ୍ତେ
ମୋତେ ଫିଙ୍ଗନା ହେ, ହରି ବିଷମ ଧନ୍ଦାରେ ।
ଛନ୍ଦାଚରଣକୁ ଏ କି ନୋହିବଟି ନିନ୍ଦା ରେ । ପଦ ।
କନ୍ଦାଇବ କି ଅବଳା, ବାଳାକୁ ନନ୍ଦର ବଳା
ସନ୍ଧାଇବ କି ବିଚ୍ଛେଦ ଜନ୍ଦାର ମନ୍ଦାରେ ।୧।
ବୃନ୍ଦାରକ ରଙ୍କ ଧନ, ଶ୍ରୀବୃନ୍ଦାବନ ମୋହନ
ବୃନ୍ଦାର କ୍ରୀଡ଼ାକେତନ ମୁଁ ପଡ଼ିଛି ଅନ୍ଧାରେ ।୨।
ବୁନ୍ଦାଏ କଲେ କରୁଣା, ମୋ ବିପଦ ହେବ ଊଣା ।
ହେବ ଖନ୍ଦା ରନ୍ଧା ଭାତଗିଳା ବସୁଧାରେ ।୩।
ପ୍ରଭାବତୀ- (ରସମଞ୍ଜରୀ ସହ ପ୍ରବେଶି) ରସମଞ୍ଜରୀ ! କାହାନ୍ତି ମୋ ହୃଦୟ ପଞ୍ଜରୀ କଳା ସାରୀ ?
ରସମଞ୍ଜରୀ- ଏହି ଯେ ଯୁବରାଜ ! ଏଇଠି ଠିଆହୋଇଛନ୍ତି ।
ପ୍ରଭାବତୀ- ଜୀବନବଲ୍ଲଭ ! କେଉଁଠାକୁ ଯାଉଛ- ଏ ବୀର ବେଶ କାହିଁକି ?
ସୁଧନ୍ୱା- ପ୍ରିୟେ ! ପିତାଙ୍କ ଆଦେଶରେ ମୁଁ ଆଜି କୃଷ୍ଣାର୍ଜୁନ ସହ ରଣ କରିବାକୁ ଯାଉଛି । ସମୟ ନୋହିବାରୁ ତୁମ୍ଭ ସାକ୍ଷାତକୁ ଯାଇପାରି ନାହିଁ, ତେଣେ ସେନାମାନେ ସମରାଙ୍ଗଣରେ ପ୍ରବେଶି ମୋତେ ଅପେକ୍ଷା କରିଥିବେ ।
ପ୍ରଭାବତୀ- ଜୀବେଶ ! ଏ ଦାସୀର ଗୋଟିଏ କଥା ଶ୍ରବଣ କରନ୍ତୁ ।
ଗୀତ – ସୁଧନ୍ୱା ପ୍ରତି ପ୍ରଭାବତୀ-
କୃଷ୍ଣ ହେ ଦିଅ କୃପା-ବୃତ୍ତେ ଧନ ହେ, ମୋତେ ମନା ନ କର ।
ରଣେ ଯିବି ମନ ବଳିଛି ମୋର । ପଦ ।
ନର ନାରାୟଣେ କରି ଦରଶନ
ସରବ କଷଣ ଦହିବି ମୋର ।
ସନକାଦି ପତି ଯା ରୂପକୁ ଚିନ୍ତି
ଶମନ ଦମନ ନାମ ପ୍ରଚାର ।
କଲେ ଧରାର, ହେଲେ ଅମର,
ନେତ୍ରେ ନିରେଖିବି ସେହି ସମର ।୧।
ମୁଁ ଯେ ବୀର ସୁତା ବୀରର ବନିତା
ବୀରବଧୂ ବୋଲି ଜାଣନ୍ତି ନର
ବୀରପରି ଘର- କୋଣ ପିଞ୍ଜରାରେ
ପଡ଼ି କି ଏ ଜୀବ ହେବ ଅସାର ।
ଦେଖୁ ସଂସାର, ଶକତି ବାର,
ସାଧିଅଛି ବାଲ୍ୟେ ଅସ୍ତ୍ର ନିକର ।୨।
ଯେବେ ପାର୍ଥ ବାଣେ ରଣେ ହେବ ହତ
ସହମୃତା ହେବ ଦାସୀ ତୁମ୍ଭର
ନୋହିବି ବିଧବା ଆହେ ଜୀବଧନ !
ତୋଷେ ଯିବି ଜୀବଧବ ନବର ।
ଶିର ସିନ୍ଦୂର, ହେବ ସେ ଚିର,
ଅଙ୍ଗ ଆଉ ରଣରଙ୍ଗ ଅମ୍ବର ।୩।
ସୁଧନ୍ୱା- ପ୍ରିୟେ ! ଯା କହିଲ ଅଟେ ସତ୍ୟ,
କିନ୍ତୁ ପତି ଥାଉଁ ପତ୍ନୀ ସମରକୁ ଗଲେ,
ସୁନ୍ଦର ଦିଶିବ ନାହିଁ ଜଗତ ଚକ୍ଷୁକୁ,
ତେଣୁ କରୁଛି ନିଷେଧ ପ୍ରିୟେ !
ନ ବଳାଅ ବାଳାମଣି ସେ ଦିଗକୁ ମତି,
କହୁଛ ଯେ ନର ନାରାୟଣେ
ଦରଶନ କରି ହେବ ସର୍ବ ପାପୁଁ ମୁକ୍ତ,
ନାହିଁ ରମଣୀର ଅଧିକାର ଦେବ ଆରାଧନେ,
ପତି ତାର ଗତି, ପତି ତା ମୁକତି,
ପତି ଦେବତା ତାହାର ପତି ପଦସେବା ତାର ଜୀବନର ବ୍ରତ
ହେଉଛି ବିଳମ୍ବ, ଫେରି ଯାଅ ଅନ୍ତଃପୁରେ ।
ପ୍ରଭାବତୀ- ଶୁଣ ନାଥ ! ନର ନାରାୟଣ ରଣେ ନ ବଳା ମାନସ, ଶୁଣି ନାହଁ ପାର୍ଥଙ୍କ କ୍ଷମତା, କୃଷ୍ଣ ବଳେ ବଳୀୟାନ ବିଜୟୀ ସର୍ବତ୍ର, କୋଟି କୋଟି କୌରବ ବାହିନୀ, ଭୀଷ୍ମ ଦ୍ରୋଣପରି ରଥୀ, ନର ଶାର୍ଦ୍ଦୂଳ ନାମରେ କ୍ଷାତ ଯେହୁ ବେନି, ସେମାନଙ୍କୁ ପରାଜିତ କରିଛି ଅର୍ଜୁନ, ତାଙ୍କ ତୁଲେ ରଣେ ମୃତ୍ୟୁ ଅଟେ ଅନିର୍ବାର । ଯେବେ ଇଚ୍ଛା କୃଷ୍ଣ ଦରଶନେ, ତୁଷ୍ଟଭାବେ ବରି ତାଙ୍କ ଭକ୍ତି କର ଲାଭ । ଏକଥା କି ସଂସାରକୁ ନ ହେବ ସୁଲଭ ?
ସୁଧନ୍ୱା- ପ୍ରିୟେ ! ଜାଣିଛ ତ ଧର୍ମ କର୍ମକର୍ତ୍ତା ସେହି,
ଜଗତ ଜୀବନ ବନମାଳୀ,
ବୀର ଧର୍ମେ ତାହା ହେଲେ ଲାଗିବ କଳଙ୍କ,
ଧରିଛନ୍ତି ଅଶ୍ୱ ପିତା ପଣ କରି ରଣ,
ମୁଁ କେମନ୍ତେ ପୁତ୍ର ହୋଇ କରିବି ବାରଣ ?
ଆବର କଥାଏ ଶୁଣ ସୁକୁନ୍ଦ ରଦନେ,
ଅନ୍ତର୍ଯ୍ୟାମୀ ନାରାୟଣ ସକଳ ଅନ୍ତରେ,
ପୂରି ରହିଛନ୍ତି ଚରାଚରେ ।
ଗୀତ – ପ୍ରଭାବତୀ ପ୍ରତି ସୁଧନ୍ୱା-
ବାଟୋଇରେ ଦୂର ବାଟ-ବୃତ୍ତେ
ହରିକି ଡରିଲେ ମୋତେ ତାରିବ କିଏ ?
ସେହି ହରି ପରା ଭୟେ ଅଭୟ ଦିଏ । ପଦ ।
ବିଶ୍ୱରୂପୀ ପରା ସେହି ମୁହିଁ ତା ଉଦରେ ରହି
ଅଛି ଏ ଶରୀର ବହି (ସେ) କାହାରି ନୋହେ ।୧।
ନେତ୍ରଠାରୁ ହୃଦେ ଦେଖ ବାର ଆଙ୍ଗୁଳ ଫରକ ।
ଏତିକି ଦୂରେ ଥାଇ ସେ କଥା ନ କହେ ।୨।
ଯେବେ ମୃତ୍ୟୁ ଲେଖା ଭାଲେ, ଖଣ୍ଡିବ କେ ତାହା ଭଲେ ।
ଦଣ୍ଡିବା ଖଣ୍ଡିବା ଶକ୍ତି ତାଠାରେ ଥାଏ । ୩ ।
ପ୍ରଭାବତୀ- ଜୀବେଶ୍ୱର ! ତେବେ ମୋ କଥା ମାନିବେ ନାହିଁ ? ନାଥ ! ଶୁଣ, ଆଜି ମୋର ପାକାସ୍ପର୍ଶର ସପ୍ତମ ଦିବସ, ମୁଁ ଶୁଦ୍ଧ ସ୍ନାନ କରିଛି, ମୋତେ ବଂଶରକ୍ଷା ନିମିତ୍ତ କୌଣସି ବାଟ ବତାଇ ଦିଅନ୍ତୁ । ଯଦି ରଣରେ ମୃତ୍ୟୁ ହୁଏ, ଆଉ ଯେ ତୁମ୍ଭର ସାକ୍ଷାତ ଏ ଦାସୀ ପାଇବ ନାହିଁ, ସେ ଯୋଗେ ଚାଲନ୍ତୁ, ମୁଁ କେଳି ମଣ୍ଡନ କରି ରଖିଛି, ସେଠାରେ ଉଭୟ ଏକତ୍ର ଶୟନ କରି ପରେ ଯୁଦ୍ଧ ଯାତ୍ରା କରିବେ ।
ସୁଧନ୍ୱା- ପ୍ରିୟେ ! ଯୁଦ୍ଧ ସମୟରେ ବା କୌଣସି କର୍ମରେ ଯାତ୍ରା କରିବାକୁ ହେଲେ ନାରୀ ସହବାସ ନିଷେଧ । ମୋତେ ବଳାଅନା, ହୃଦୟର ନିଆଁ ହୃଦୟରେ ମାରି ତୁମ୍ଭର ବାସକୁ ଫେରିଯାଅ । ପିତାଙ୍କର ଆଦେଶ ଯେ ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ତାଙ୍କ ସହ ସାକ୍ଷାତ ନକରିବ, ସେ ତାକୁ ଉତ୍ତପ୍ତ ତୈଳ ଦ୍ରୋଣିରେ ପକାଇ ପ୍ରତିଜ୍ଞା ପୂର୍ଣ୍ଣ କରିବେ ।
ପ୍ରଭାବତୀ- ନାଥ ! ତେବେ କି ଏ କିଣା କିଙ୍କରୀକି ଦୂରକୁ ଫିଙ୍ଗି ରଣକ୍ଷେତ୍ରକୁ ଗମନ କରିବେ ?
ଗୀତ – ସୁଧନ୍ୱା ପ୍ରତି ପ୍ରଭାବତୀ-
ଶ୍ୟାମ ଶିଖଣ୍ଡେ ଚୂଳ-ବୃତ୍ତେ
ଜୀବ ଜୀବନ ଧନ ମାଗୁଛି ଏତେ ହେ, ଭୁଲି ନ ଯିବ ଚିତ୍ତେ । ପଦ ।
ତରୁ ବିନେ କି ଲତା ଦିଶିବ ଶୋଭା ।
ଫୁଲ ହୀନେ କି କାହିଁ ସାଜିବ ଗଭା ହେ ।
ଚାନ୍ଦ ହୀନେ ଯାମିନୀ, ତେସନ ଜାଣ ପତିହୀନେ କାମିନୀ ହେ ।
ନେତ୍ର ନୀରେ ତିନ୍ତିବ ପିନ୍ଧା ବସନ,
ବିଷ ଲାଗିବ ସୁଧା ଶୁଦ୍ଧ ଅଶନ ହେ ।
ଆହେ ମୋ ଉର ହାର, ହର ହାର ପରାୟେ ଦଂଶିବ ଚିର ହେ ।
ବଳିବ ତୂଳି ଶେଯ କଣ୍ଟା ବଣରୁ,
କାଳି ପଡ଼ିବ ତନୁ ତବ ହେତୁରୁ ହେ ।
ଆହେ ମୋ କଣ୍ଠମାଳି, ଖଣ୍ଟ ତ ନେଇେ କାଟି ଯାଉଛି ଚଳି ହେ ।
କଥା- ଶୁଣ ନାଥ ! ମୋର ବ୍ରତ ଭଙ୍ଗ କରି ଯାଉଛ, ଏଥିରେ କି ଅଧର୍ମ ହେବ ନାହିଁ ? ପୁଣି ନାରୀ ନ ଥିବା ପୁରୁଷ କୌଣସି ଶୁଭ କର୍ମ କରିବାର ଅଧିକାର ନାହିଁ, କିଂବା ପୁରୁଷ ବିନା ନାରୀର ହସ୍ତ ନୀର ପିତୃଲୋକେ ମଧ୍ୟ ପାଆନ୍ତି ନାହିଁ । ତୁମ୍ଭେ ମୋତେ ସଙ୍ଗରେ ନ ନେଇ କି ମୁକ୍ତି ଲଭିବ ନାଥ ?
ସୁଧନ୍ୱା- ପ୍ରିୟେ । ଶୁଣ, ଧର୍ମାଧର୍ମ କର୍ମାକର୍ମର କରତା ଯେଉଁ ହରି, ମୁଁ ଯେତେବେଳେ ତାଙ୍କ ନିକଟକୁ ଯାଉଛି ତାଙ୍କୁ ଦର୍ଶନ କରିବି, ସେତେବେଳେ କି ମୋ ଅଙ୍ଗରେ ଦୁଷ୍କୃତ ସ୍ଥାନ ପାଇବ ? ଯାର ନାମ ସ୍ମରଣ ମାତ୍ରେ ପାପ ଲକ୍ଷ ଲକ୍ଷ ଯୋଜନାନ୍ତର ପଳାୟନ କରେ, ସେ ହରି ମୋର ଆଗରେ ନନ୍ଦିଘୋଷରେ ଅଶ୍ୱରଜ୍ଜୁ, ଧରି ଛିଡ଼ାହୋଇଥିବେ । ଦୁଷ୍ଟ କୃତାନ୍ତର କି ସାଧ୍ୟ ଯେ ମୋର କେଶାଗ୍ର ସ୍ପର୍ଶ କରିବ ? ଥାଅ ପ୍ରିୟେ ! ମୁଁ ଯାଉଛି ।
ପ୍ରଭାବତୀ- ନାଥ ! ଯେତେ ବୁଝାଇଲେ ଏ ମନ ମାନୁନାହିଁ, ପାଇଲା ଧନ ହଜାଇ ଦେଲେ କି ଆଉ ମିଳିବ ? (ହସ୍ତ ଧାରଣ)
ସୁଧନ୍ୱା- ହଉ ପ୍ରିୟେ ! ଚାଲ, ସେହି ହରି ସୃଷ୍ଟି ସ୍ଥିତି ପ୍ରଳୟର କର୍ତ୍ତା ମୁଁ କିଏ ? ସେ ଯାହା କହିଦେଉଛନ୍ତି ମାନବ ତାହାହିଁ କରୁଛି । କାହିଁକି ତାଙ୍କ ସୃଷ୍ଟି କର୍ମରେ ବାଧା ଘଟିବ, ପଛରେ ନିନ୍ଦା ରଟିବ । ଚାଲ ବିଳାସ ଭବନକୁ, ତୁମ୍ଭର କାମ-କାମନା ପୂର୍ଣ୍ଣକରି, ତୀର୍ଥ କରି ରଣକ୍ଷେତ୍ରକୁ ଗମନ କରିବି ।
(ଉଭୟ କର ଧରାଧରି ହୋଇ ପ୍ରସ୍ଥାନ)
ମହାମାୟା- ହା ତୋ ମରଦପଣିଆ ମୁଣ୍ଡରେ ନିଆଁ । ଦି’ଦିନି ହେଲା କୋଉ ଚୂଲି ନିଆଁ ଗାତକୁ ଯାଇଛି କେଜାଣି, ଦି ଟା ମଣିଷ ଆମେ ଘରେ ପଡ଼ିଚୁଁ, ଜିଇଚୁଁ କି ମରିଚୁଁ କିଛି ଖବର ନ ବୁଝି ଆପଣା ଗଉଣୀଟି ପୂରେଇ ସିଆଡ଼େ । ମରନ୍ତା ପଛକେ ଜାଣନ୍ତେ କେହି ନାହିଁ, ଛୁଆଟାକୁ ଘିନି ଚଳନ୍ତି, ଯାହା କରମରେ ଥାଆନ୍ତା ତା ହୁଅନ୍ତା । ମୋ ବଟୁ ତ ଜମା ସାତ ବରଷର ଛୁଆ, ପାଠଶାଳାକୁ ଧାଇଁ ଧାଇଁ ଖଡ଼ି, ଖାଡ଼ିପରି ରହି ଗଲାଣି । ଆସୁ ଚୁଲିଆ ଆଜି କଣ ଗିଳିବ ଦେଖିବି । ଆଜି ଯେବେ ତାହାରି ହାତରେ ରନ୍ଧେଇ ତାହାରି ହାତରେ ପାଣି ନ କଢ଼ାଏଁ, ମୁଁ ତାଆରିଠଉଁ ଜନମ । ଯାଉଚି ଥିର ହୋଇ ଶୋଇବି ।
(ଶୟନ)
ବିଦୂଷକ- (ପ୍ରବେଶି) ଏ କଣ ଦରଜା ଯେ ବନ୍ଦ, କଣ କେହି ନାହାନ୍ତି କି ? ଭିତର ଆଡ଼ୁ କବାଟ ଦିଆହୋଇଚି, ଘରେ ଶୋଇଚି ପରା ? ବଟୁ ବଟୁ, ବଟୁ ମା, ବଟୁମା, ଅଗଣି, ଅଗଣି, କ’ଣ । ଶୁଭୁନାହିଁ ନା ?
ମହାମାୟା- ଆସିଲାଣି ତ କଣ ଖାଇବ ଖାଉ, ଚୂଲି ମୁହଁକୁ ମୋ ମୁହଁ ନ ହେଲେ ଗଲା, ମରୁ ଉପାସରେ ।
ବିଦୂଷକ- ମଲା, ଶୁଭୁନାହିଁ କି ? ବଟୁ ବଟୁ, ଅଗଣି !
ମହାମାୟା- ଯାଏଁ କବାଟ ଫିଟାଇ ଦେଇ ଆସେ । (କବାଟ ଫିଟାଇ ଶୋଇବା)
ବିଦୂଷକ- ମଲା, କବାଟ ଫିଟାଇ ଦେଇ କେଉଁଠି ନଟେଇ ଗଲା କି ? ମଲା, ମଲା, ଏଇଠି ତ ଶୋଇଚି । କିଲୋ ଏ କଣ ଶୋଇଲା ବେଳ ? ଦିନ ପହରେ ହୋଇ ନାହିଁ, ଫେର୍ ତୁ ଶୋଇଲୁଣି, ଉଠୁ,ଉଠୁ । (ହାତ ଧରି ଉଠାନ୍ତେ)
ମହାମାୟା- (ହାତ ଫୋପାଡ଼ି ଦେଇ) ହେ ଜାଣୁଚୁ ନା ମୋ କଥା, ମୋ ହାତ ଧରୁଚୁ ?
ବିଦୂଷକ- ଆଲୋ,ତୋ ହାତ କ’ଣ ମୁଁ ଆଜି ଧଇଲି ? ରାମ ରାମ ବଡ଼ ଭୁଲ, ବଡ଼ ଭୁଲ, ତୋ ହାତ ଧରିବାର ମୋର ଅଧିକାର ଯେ ନାହିଁ, କାହିଁକି ନା ତଳ ଭାଗଟା ଧରି ଧରି ଯେ ଅଭ୍ୟାସ ପାଲଟି ଗଲାଣି । ଉଠ, ଉଠ, କଣ ଦିହ ଫିଅ ହୋଇଛି, ନା କଣ ? ଯେବେ ଦିହ କିଛି ହୋଇଛି କହ – ଏକ୍ଷଣି ପାଇଁ କବିରାଜ ଘ’ଟୁ ଜୀର୍ଣ୍ଣକାଦି ମୋଦକ ଆଣିବି, ନଇଲେ ନଗଦା କରକୁ ସୁଦର୍ଶନ ଚୂର୍ଣ୍ଣ ଆଣିବି, ଛାଗଳାଦି ଘୃତ, ଅଶ୍ୱଗନ୍ଧା ରସାୟନ, କୁମାରକଲ୍ୟାଣୀ ଘୃତ, ନାରାୟଣ କିବା ମଧ୍ୟନାରାୟଣ ତୈଳ ଆଣିବି, କି କର୍ପୂରାରିଷ୍ଟ ଆଣିବି କହ ?
ମହାମାୟା- ଚୁପ୍ ରହ ଖଣ୍ଡିଆ ।
ଗୀତ–ମହାମାୟା ଓ ବିଦୂଷକର ଉକ୍ତି ପ୍ରତ୍ୟୁକ୍ତି-
ଧାଇଁଆ ଧାଇଁଆ-ବୃତ୍ତେ
ମହାମାୟା-ତୁ କିଛି କହନା କହନା କହନା ।
ବିଦୂଷକ-ଆହା ଲୋ ମୋ ପଢ଼ା ମଇନା ।
ମହାମାୟା-ତୋ ମୁଣ୍ଡକୁ ଆଜି ମୋଡ଼ିବି ।
ବିଦୂଷକ-ତୁ ଯେତେ ମାଇଲେ କି ଛାଡ଼ିବି ।
ମହାମାୟା-ତୁ ରଖିଦେ ଥଟା ଗୋଲାମ ବେଟା / ମୋ ମୁହଁକୁ ସଳଖି ଚାହାଁନା ।
ବିଦୂଷକ-ହେ ମୁଁ ମରିଯିବି ।
ମହାମାୟା- ମୁଁ ତ ତରିଯିବି ।
ବିଦୂଷକ-ହେ ମୁଁ ପରା ତୋ ଅମକ ।
ମହାମାୟା-ଥାଉ ଥାଉ ସେ ଧମକ ।
ବିଦୂଷକ-ତୁ କି ଥଟା ହବୁ ମୋର ମନକୁ ପଚାର ନା ?
ମହାମାୟା-ଥାଉ ଥାଉ ସେ ବାହାନା ।୧।
ବିଦୂଷକ- ଏମନ୍ତ କି କହନ୍ତି ?
ମହାମାୟା-ତୁ ଏଇକ୍ଷଣି ମଲେ ଆଉ ଘଡ଼ିକୁ ମୁଁ ଯାଆନ୍ତି ।
ବିଦୂଷକ-ଆହା ମୋ ରାତିପାହାନ୍ତି କାଶ –
ମହାମାୟା-ଆହାରେ ମୋ ସଖାଳ ପାଲଟା ବାସ ।
ବିଦୂଷକ-ସେ ବାସର ଯେଉଁ ବାସ –
ମହାମାୟା-ତାକୁ ତଳେ ଥୋଓନା ଥୋଓନା ।୨।
କଥା-ହେ, ମତେ ପାଟି ଫିଟାନା । କହିଲୁ ଭଲା, ତିନଦିନ ହେଲା ଯାଇଁ କେଉଁ ଗାତରେ ପଶିଥିଲୁଁ । ଆମେ ମା ପୁଅ ଦୁଇଟା
ଖାଉଁ କଣ ?
ବିଦୂଷକ- ହେ, ଆଗେ କଥାଟା ବୁଝ । ରଜାଘର ଗୋଟାଏ ଭାରି ଯୋଗାଡ଼ ହଉଛି, ମତେ କଣ ରଜା ଜମା ପାଖରୁ ଛାଡ଼ୁଥିଲେ କି ? ଗୋଟାଏ ତେଲ କଢ଼େଇରେ ଖସାତେଲ ନିଆଁରେ ବସି ଫୁଟୁଛି । କଥା ହୋଇଛି ଯେ ସେ କଢ଼େଇରେ ପକେଇବାକୁ ଯେ ସାତବରଷର ପିଲାଟିଏ ଦବ, ସେ ଅନେକ ଟଙ୍କା ପାଇବ । ମୁଁ ତ ଆମ ବଟୁକୁ ଦବାକୁ ଯବାବ କରି ଆସିଚି ।
ମହାମାୟା- ପୋଡ଼ିଯାଉ ସେ ଟଙ୍କା, ଗୋଟିଏ ବୋଲି ପୁଅ, ତାକୁ ତମ ଆକ୍ଷି ସହୁନାହିଁ । କିଏ ନବ ନେଉ ତ ମୋ ବଟୁକୁ !
ବିଦୂଷକ- ମୁଁ କଣ କରିବି, ଯବାବ ଦେଲାଠଉଁ କଥା ସଇଲା । ସେ କ’ଣ ଗରିବ ଘର କଥା ଯେ ଫାଙ୍କିଫୁଙ୍କି ଦବ, ସେ ତ ଯବରାନ ନେଇଯିବେ, ସେଠି ତୋ କଥା ରହିବ ନା ମୋ କଥା ରହିବ ।
ମହାମାୟା- ହେ ସତ କହୁଛ ?
ଗୀତ- (ମହାମାୟା ବାହୁନା)
ଦଶ ମାସ ତୋତେ ଗରଭେ ଧରି, ମୋ ବଟୁଆରେ,
ବଢ଼ାଇଲେ ତତେ ଜନମ କରି, ମୋ ବଟୁଆରେ ।
ଛେଳି ମେଣ୍ଢାପରି ବିକିବି ତତେ, ମୋ ବଟୁଆରେ,
କେମନ୍ତେ ଧରମ ସହିବ ମୋତେ, ମୋ ବଟୁଆରେ ।
ପାଠପଢ଼ି ହୋଇଥାନ୍ତୁ ଓକିଲ, ମୋ ବଟୁଆରେ,
ଲୋକକୁ ଶିଖାଇଥାନ୍ତୁ ଅକଲ, ମୋ ବଟୁଆରେ ।
କଚେରୀରୁ ଆସିଗଲେ ଲେଉଟି, ମୋ ବଟୁଆରେ ।
ଟଙ୍କାରେ ପକେଟ ଯାଆନ୍ତା ଫାଟି, ମୋ ବଟୁଆରେ ।
ବିଦୂଷକ- ଥାଉ ଥାଉ, ନୟନରୁ ଆଉ ନୀର ବୁହାଇ ବାସ ତିନ୍ତାନା, ବଟୁଆକୁ ନବ କିଏ ? ତୋ ମନ କସିବାକୁ ସେମନ୍ତେ କହିଥିଲିନା ?
ମହାମାୟା- ମୁଁ କଣ କରିବି ହେ, ଛାଏ ଛାଏ ଥପ ଥପ ନୁହ ବୋହିପଢ଼ୁଛି ।
ବଟୁର ଗୀତ ଗାଇ ଗାଇ ପ୍ରବେଶ-
ମରିବି ସିନା କଲବଲେ-ବୃତ୍ତେ କିଏ କଲା ଗୋଟା ପାଠପଢ଼,
ଦିହ ଶୁଖି ହେଲା ଛଣବିଡ଼ା । ପଦ ।
ଦିହଯାକ ପଡ଼ି ଖଡ଼ି ଧୂଳି,
ଧଳା ତନୁ ହୋଇଯାଏ କାଳି ।
ଘୋଳି ହେଉଥାଏ, ଅଣ୍ଟା ପିଠି ଗଣ୍ଠି,
ଘଣ୍ଟା ଘଣ୍ଟା ପୁଣି କାନମୋଡ଼ା ।
ଚରାଉ ଥାଆନ୍ତି ମେଣ୍ଢା ଛେଳି,
ତୋଳି ଖାଉଥାନ୍ତି ବରକୋଳି,
ପାଣିରେ ବୁଡ଼ନ୍ତି, ଗଛରେ ଚଢ଼ନ୍ତି,
ସାଙ୍ଗ ପିଲା ସଙ୍ଗେ ଗଡ଼ାପଡ଼ା ।
ମରନ୍ତା କି ପାଜି ଅବଧାନ,
(ମୋତେ ) ନିତି ନିତି କଲା ସାବଧାନ,
ଟେରି ଭାଙ୍ଗିଗଲେ, ଭାରି ରାଗିଯାଏ
ଗୋଟେ ଗୋଡ଼େ କରିଦିଏ ଛିଡ଼ା ।
ବିଦୂଷକ- ବାଃ, ବାଃ, ବାହାରେ ବଟୁ ଆମର, କେଉଁଦିନ, ଗୁଣସବୁ ପାନ ଗୁଆ ଗୁଣ୍ଡିପରି ବଟୁଆରେ ପୂରେଇଲୁ ? ଏ ଗୀତ କିଏ ଶିଖେଇଚି ? ଜାଣିଚି ମାଆଙ୍କର ଏ ତାଲିମ, ପାଠ ତ ପଢ଼ୁ ଏଗୁଡ଼ିକ ମୁଖସ୍ତ କେତେବେଳେ କରୁ ରେ ? ଆଉ ପଢ଼ାପଢ଼ି କରୁନାହୁଁ ପରା ?
ବଟୁ– ବାପା ! ପଢ଼ା ଛାଡ଼ିନାହିଁ, ଏ ଯେଉଁ ବିଦ୍ୟା, ଗନ୍ଧର୍ବକଳା ନଥିଲେ ବାପ ସହଜରେ ନହୁଏ ! ଦଶଜଣ ଏକାବେଳେ ଗୋଟାଏ ଅକ୍ଷରକୁ କହିବା କମ୍ କଥା ନୁହେଁ ବାପା, ପୁଣି ଏକାଠେଇ ସମସ୍ତଙ୍କର ଠକ୍ ରହିଯିବ ।
ବିଦୂଷକ- ତେବେ ବଟୁ ଏ ଗୁଣ କୁଠୁ ଶିଖିଲୁ ?
ବଟୁ- ବାପା ! ଆଜିକାଲି କର ସାହିରେ ନାଟଦଳ ଅଭାବ ଅଛି ? ଏ ଗୁରୁ ଗୁରା ପରା ଘରଘର ଗୋରୁପରି ବୁଲୁଛନ୍ତି, ପେଟେ ଖାଇ ଗଡ଼ୁଛନ୍ତି, ଘର ପିଛା ନାଟ ଆଖଡ଼ା । ଆମ ପ୍ରଧାନ ସାହିକି ଗୋଟିଏ ଗୁରୁ ଆସିଛନ୍ତି ଯେ, ସେ ଭଲ ଶିଖାଉଚନ୍ତି
ବିଦୂଷକ- କ’ଣ କଣ ଶିଖାଉଚନ୍ତି, କହିଲୁ ମୁଁ ଶୁଣେ ?
ବଟୁ – ବାପା ! ଶୁଣିବ, ଗୀତ ପଛେ; ଆଗେ ବଚନିକା ଶୁଣ ।
ଗୀତ- ବିଦୂଷକ ପ୍ରତି ବଟୁ –
ଆସ ଭାଇ ଲୁଚକାଳି – ବୃତ୍ତେ
ବାପ ! ନାଟ ପାଠଠାରୁ ସରସ ।
ବାଛି ଖଣ୍ଡେ ନାଚି ଦେଲେ ମନ ହରଷ । ପଦ।
ହଜାର ଲୋକରେ ବସି ରଜା ହୋଇବି,
ମୁଣ୍ଡ ଝାଡ଼ି ମଜା କରି ଗୀତ ଗାଇବି ।
ସଖାଳୁ ଦିହଯାକ ହବ ପରାଶ ।୧।
ପାଠ ଭୁଲିଗଲେ ମାଷ୍ଟର ମାରିବ ବେତ
ରୋଳ ଧରି ମେଜରେ ଥୋଇ ଛେଚିବ ହାତ
ଗଣି ଦବୁ ଦରମା ବାପା ମାସକୁ ମାସ ।୨।
ବିଦୂଷକ- ବାଃ ବାଃ, ବଟୁ ଆମର ବେଶ୍ ଜାଣିଗଲାଣି ।
ବଟୁ-ବାପା ! ବୋଉ କାହିଁକି ସେଠି ମୁହଁଶୁଖେଇ ବସିଚି ? ତୁମେ ତ କ’ଣ ବୋଉକୁ କହିଲ, ଦେଖି ଏଇକ୍ଷଣି ? ତମ ବାପାପଣିଆ ଛଡ଼େଇଦେବି- (ଭିଡ଼ାଭିଡ଼ି ହେବା) ନଇଲେ ଯାଉଚି, ରାଜାଘଟି ଫେରାଦ ହୋଇ ତମ ମଜାଟା ଦେଖି ନେବି ।
ମହାମାୟା-କେଉଁଠିକି ଯାଉଚୁ ବାପ ? ରାଜଘଟିକି ଯାଆନା, ସେ ପରା ପିଲାଙ୍କୁ ନେଇ ତତଲା ତେଲରେ ପକଉଚି, ଆ ବାପ!
ବଟୁ-ସତେ ମା ! ମତେ କଣ ନେଇଯିବ ? (କାନ୍ଦିବା)
ମହାମାୟା-ତୁନି ହୋ ବାପ, ମୋ ଧନ, ମୁଣ୍ଡ ବଦଳେ ମା ଦୁର୍ଗା ମୁଣ୍ଡ ଦେବି ପଛକେ, ମୋ ବଟୁକୁ ଯେମନ୍ତେ ରକ୍ଷାକରିବୁ ।
ବିଦୂଷକ-ଆହା ! କି ମାନସିକ, ଫି ବରଷକୁ ବରଷ ଯେତେ ଛେଳି ମେଣ୍ଢା ଭୋଗରାଗ ଠାକୁରାଣୀଙ୍କି ଯଚା ଯାଉଚି ହିମାଳୟଠାରୁ ଗୋଟାଏ ଉଚ୍ଚ ପାହାଡ଼ ହେବ ।
ମହାମାୟା- ଅସଲ ତମେ ଶୁଣ୍ଠିଆ ପେଟୁ, ବାରିରେ କଦଳୀ କାନ୍ଦିଏ ପାଚିଲେ ଆଗେ ଆଣି ଗଣିବ । ଛେଳି ବୋଦାଟିଏ ପାଳିଲେ ତାକୁ ବିକିଦବ ।
ବଟୁ- ଠିକ୍ କଥା, ମା ! ସବୁ ବାପା ବିଗାଡୁଚି, ଏଥର ବାପାକୁ ପଚେଇ ଭୋଗ ଦବା, ବାପା ତ ଭୋଗ କଦଳୀ ଖାଇଚି, ତାକୁ ତ ମା ଖାଇଲେ ଯିବ ।
ଚପରାସୀ- ଚୂଡ଼ାରତ୍ନେ, ହୋ ରତ୍ନେ ! ଘରେ ଅଛ ?
ବିଦୂଷକ- ହଁ, ହଁ, ଯାଉଚି, ରାଜାଘର ଚପରାସୀ ଡାକିଲାଣି, କବାଟ ଦିଅ । (ପ୍ରସ୍ଥାନ)
ମହାମାୟା-ବାପ ବଟୁରେ, ଚାଲ ମୁଁ ତତେ ଲୁଚେଇ ଦିଏଁ, କାଳେ ଚପରାସୀ ଧରିନବ । (ପୁଅକୁ ନେଇ ପ୍ରସ୍ଥାନ)
ରାଜା-କହ ମନ୍ତ୍ରୀ ! ଦେଖୁଛି ସମସ୍ତେ , ସ୍ଥଳେ ଉପଗତ, ମୋର ପୁତ୍ରମଣି ସୁଧନ୍ୱାକୁ ତ ଆଗରେ ଦେଖୁନାହିଁ ! ତାର କି ଆସିବାର ସମୟ ହୋଇନାହିଁ ? ନା, ନାରାୟଣ, ଅର୍ଜୁନ ସମର ଜାଣି ଭୟରେ କେଣେ ପଳାଇଗଲା । କିଛି ତ ଭାବି ଠିକ୍ କରିପାରୁନାହିଁ ?
ମନ୍ତ୍ରୀ- ମହାରାଜ ! ଜଣାଯାଏ କୁମାର କୌଣସି କାର୍ଯ୍ୟ ହେତୁ ରହିଯାଇଛନ୍ତି, ସେ ତ ଭୀରୁ ନୁହନ୍ତି, ଯେ ବୀରପୁଙ୍ଗବ ଶିର ହୀରକ, ସେ କି ସମରକୁ ଭୟ କରିବ ? ବୀର କେବେ ମୃତ୍ୟୁକୁ ଭୟ କରେ ନାହିଁ, କ୍ଷତ୍ରିୟର ମରଣ ନିତ୍ୟ ସହଚର ।
ରାଜା- ପୁରୋହିତେ ! କି କରିବ କହ କହ ?
ମୋର ପୁତ୍ର ହୋଇଲା ଏଡ଼େ ନୀଚମନା,
କଲା ମୋର ଆଦେଶ ଲଙ୍ଘନ,
ଆଉ ତାର ରକ୍ଷା ନାହିଁ ପୁରୋଧା ମୋ କରୁ,
ନିଶ୍ଚୟ ନିଶ୍ଚୟ ଦଣ୍ଡ ଭୋଗିବ ଦୁର୍ମତି,
କେ ଅଛରେ, ଦେଖ ଯାଇଁ ଶୀଘ୍ର,
କେଣେ ଗଲା ସେ ନର ପିଶାଚ ।
ମନ୍ତ୍ରୀ – ଏହି ଯେ ଆସୁ ଅଛନ୍ତି କୁମାର,
ଅସ୍ତ୍ର ଶସ୍ତ୍ରେ ହୋଇ ସୁସଜ୍ଜିତ,
ଗିରି ଗୌହର ନିଃସୃତ ହରି ଯକ୍ଷ ସମାନ ।
ସୁଧନ୍ୱା- (ପ୍ରବେଶି ପ୍ରଣାମ କରି )
ପିତଃ ପିତଃ ! ଉପଗତ ପୁତ୍ର ତବ ପାଶେ,
ଶୁଣିଛି ସମସ୍ତ ଶ୍ରୁତି ମୋର,
ଧୃତିହୀନ ନୁହେଁ ସୁତ ତବ,
ଯେ ତରୁ ଯେମନ୍ତ ତାର ଅଙ୍କୁର ତେମନ୍ତ,
ବିଳମ୍ବ ଅପରାଧକୁ ବିହିବେ କି ଦଣ୍ଡ,
କରନ୍ତୁ ଆଦେଶ ଏହି ଦାସେ ?
ହଂସଧ୍ୱଜ-ରେ ଅବୋଧ ଅବାଧ୍ୟ କୁମାର,
ଅଛନ୍ତି ଅନେକ ବ୍ୟକ୍ତି ଏହି ଭାରତରେ,
କହନ୍ତି ଯେ କଥା ଦିଅନ୍ତି ଉପଦେଶ,
ନିଜେ ସେ କତାରୁ ପଦେ କାର୍ଯ୍ୟ ପରିଣତ,
କରିବାଟା, ତାଙ୍କ ପକ୍ଷେ ଅସାଧ୍ୟ ଅଟଇ ।
ତୁହି ମୂର୍ଖ ଅଟୁ ସେହିପରି,
ଆଦେଶ ଦେଇଛି କାଲିଠାରୁ,
ଆସିବେ ସରବେ ନର ନାରାୟଣେ ଦେଖି,
ଯେ ବୈକୁଣ୍ଠପତି ବିପତ୍ତି ନାଶନ,
ଯା ନାମେ ବିପତ୍ତି ଭୟ କରେ,
ଯା ଦେଖା ପାଇବା ପାଇଁ ଲୁବ୍ଧ ଅଷ୍ଟ କ୍ଷିତି,
ଶିବ ବାସବାଦି ଦେବେ ଆଜ୍ଞାକାରୀ ଯାର,
ସେହି ନାରାୟଣ ଯେତେବେଳେ ସଖା ସହ
ଉପଗତ ମୋ ତପ ପ୍ରଭାବେ ମୋର ରାଜ୍ୟେ,
ତାଙ୍କ ଦରଶନେ ତୋର ଏତେ ଅବହେଳା?
ସୁଦନ୍ୱା- ପିତଃ ! ପୁତ୍ର ତବ ଶ୍ରୀହରି ଦର୍ଶନେ
ଅବହେଳା କରିନାହିଁ ତିଳେ,
ଆସୁଥିଲି ନିରୂପିତ ସମୟେ ଏଠାବେ
ଆସି ବଧୂ ତବ ଉଗାଳିଲେ ପଥ,
କରିଥିଲେ ଯେ ବ୍ରତ ପାଳନ
ଅନ୍ତ୍ୟ ସପ୍ତ ଦିନ ସମାପ୍ତ,
କଲି ତାଙ୍କ କାମନା ପୂରଣ,
ଉଦ୍ଯାପନ କରି ସେହି ବ୍ରତେ ଆସିଲି ଏ କ୍ଷେତ୍ରେ,
ତେଣୁ ଅଯଥା ବିଳମ୍ବ ହେଲା କାଳ,
ସତ୍ୟ କଥା କରିଛି ପ୍ରକାଶ,
ଦୋଷ କ୍ଷମ ଅଧମ ପୁତ୍ରର ।
ହଂସଧ୍ୱଜ- ରେ ଅବୋଧ ! କି କହିବି ତୋତେ,
ଯାଗ ଯଜ୍ଞ ତପ ବ୍ରତ ଉପାସନା,
ବାସନା ଯା ପାଇ, ଜୀବ କରେ ଇହଲୋକ,
ମନଯୋଗ ଧ୍ୟାନଯୋଗ ଜ୍ଞାନଯୋଗ,
କର୍ମଯୋଗ ଆଦି, ଏହାର ଯେ ଫଳଦାତା ହରି,
ସେହି ଆସି ଉପଗତ ପାଶରେ ମୋହର,
ଆଉ କି ବ୍ରତ ପାଳିଲୁ ରମଣୀ ନିକଟେ ?
ରେ ବର୍ବର ! ଶୁଣ ତୋତେ ଦେଉଛି ବୁଝାଇ ।
ଗୀତ- ସୁଧନ୍ୱା ପ୍ରତି ରାଜା
ପ୍ରାଣ ସଙ୍ଗିନୀ ନ ଯିବି- ବୃତ୍ତେ ହରି ନାରୀ ପଣତରେ ନାହିଁ ତ,
ଚାରି ଯୁଗଧରି ବସିଲେ କିଏ ପାଇଛି କେଉଁଠି କହ ତ ?
ମୂଢ଼ ନ ବୁଝିଲୁ ହିତ ଅହିତ । ପଦ।
ସେ ତ ହଟିଆ ବ୍ରଜବଟିଆ, ନନ୍ଦଚାଟିଆ ବଟିଆଲଗା ବଡ଼
ସେ ଯେ ଠଣାରେ ଠେଲି କରାଏ, ଜାଣିଲୁ ନାହିଁ ମୂଢ଼ ।
କାର ଗରିମା ନ ରଖେ ଅଣାକର,
ଜାଣ ଅଟେ ସେ ସରବ ଗୁଣାକର ।
ବୀଣାକର ଯା ବାମା, ଲୋଡ଼ିଣ ବ୍ରହ୍ମା,
ନ ପାଇଲା ପାଦ ଧୋଇ ତ ।୧।
ପଳା ପଳାରେ, ଜଳଜଳା ରେ,
ଲୀଳା ଲଗାନା, ଏଥି ରହି,
ଆଉ ଦେଖାନା ମୁଖ, ଆସି ମୋ ପାଖ,
କୁଳ ଅଙ୍ଗାର ତୁହି ।
ମେଳା ମେଳା ହେଉଛନ୍ତି ବୀରେ ଆସି,
ନିରେଖନ୍ତି ଚକାଡୋଳା ମୁଖ ଶଶି ।
ତୋର ତୀରର ଫଳା, ଧନୁର ହୁଳା,
ସାରିଲୁଣି ତାର ମହତ ।୨।
ପୁରୋହିତ –ମହାରାଜ ! ଏ ବଡ଼ ଅନ୍ୟାୟ କଥା । ନିଜ ପାଇଁକି ପଣ ବିସ୍ମରଣ ଘଟିଲା, ଏପରି ତ ପର ହୋଇ ନାହିଁ ଯେ ବିଳମ୍ବ କରିବ ସେ ନିର୍ବାସ ହେବ, ସତ୍ୟ କରିଛନ୍ତି, ଯେ ପ୍ରଭାତେ ରଣସ୍ଥଳରେ ଉପସ୍ଥିତ ନ ହେବେ, ତାକୁ ତପ୍ତତୈଳ କଟାହରେ ଫିଙ୍ଗିବାକୁ ହେବ । ପୁତ୍ର ବୋଲି ଜଣାଯାଏ ଦୟାହେଉଛି, ଅପର କେହି ଏପରି ଆଦେଶ ପାଳନରେ ତ୍ରୁଟି କରିଥିଲେ ଏତେବେଳକୁ ତାର ଜୀବନ ଲୀଳାର ଯବନିକା ପତନ ଘଟିସାରନ୍ତାଣି । ଏ ପରା ପୁତ୍ର ! ପ୍ରତିଜ୍ଞା ପୁତ୍ର ମିତ୍ର ଶତ୍ରୁ ମାନେନାହିଁ, ସତ୍ୟ ପାଳି କର୍ଣ୍ଣ ନିଜ ପୁତ୍ରର ଶିର ନିଜେ କାଟିଛନ୍ତି । ସତ୍ୟ ପାଳି ଦଶରଥ ରାମ ପରା ପୁତ୍ରକୁ ବନକୁ ପଠାଇଛନ୍ତି, ଏ କଥା ମିଥ୍ୟା ? ଯେ ପିତ୍ରାଦେଶ ପାଳନ ନକରି ଭାର୍ଯ୍ୟାଦେଶ ପାଳନ କରେ, ସେ କେଉଁ ପୁତ୍ର ସଙ୍ଗେ ସମାନ ?
ହଂସଧ୍ୱଜ-ପୁରୋହିତ ! କି କରିବି, ମୁଁ ଯେ ଉପାୟବିହୀନ । ଘୂରିଲା ମସ୍ତକ, କଣ୍ଠ ତାଳୁ ଶୁଷ୍କ, ନେତ୍ରରୁ ସ୍ଫୁଲିଙ୍ଗ ବାହାରୁଛି, କି କରିବି, କି କରିବି, କେହି କିଛି ଏହାର ପତ୍ରିକାର ଜାଣିଥିଲେ ଶୀଘ୍ର ମୋତେ ବତାଇଦିଅ । ଯଦି ଏ ପ୍ରାଣ ପରିବର୍ତ୍ତେ ନିଜର ପ୍ରାଣ ଦେଲେ କୁମାରର ଜୀବନ ରକ୍ଷା ହୁଏ, ଏହିକ୍ଷଣି ତାହା ପାଳନ କରିବି, ହୃତପିଣ୍ଡ ଚିରିବାକୁ ହେଲେ ଚିରିବି, ସର୍ପ ବ୍ୟାଘ୍ର ମୁଖରେ ପଶିବାକୁ ହେଲେ ନିଜେ ପଶିବି, କିନ୍ତୁ ସୁକୁମାର ଲବଣୀପିତୁଳାକୁ କିଏ ଜାଣୁ ଜାଣୁ ଅଗ୍ନିରେ ପକାଇବ ! ମଲେ ମରିବି, କିନ୍ତୁ ପବିତ୍ର ସୂର୍ଯ୍ୟବଂଶରେ ଜନ୍ମ ଗ୍ରହଣ କରି ଏ ଘୃଣ୍ୟ ଦସ୍ୟୁବୃତ୍ତ କରିବି ନାହିଁ ।
ସୁଧନ୍ୱା-ପିତଃ ! ହୁଅନା ଚିନ୍ତିତ ଏତେ,
ପଣ ରକ୍ଷା କରିବାକୁ ସୁତ ତବ ରହିଛି ପ୍ରସ୍ତୁତ ।
ଗୀତ-ରାଜା ପ୍ରତି ସୁଧନ୍ୱା - ବାନ୍ଧି ଦେ ମା ଶିରେ – ବୃତ୍ତେ
ପଦରଜ ଦିଅ ତାତ ମୋ ଶିରେ ହେ,
ଚାରିମାଥ ଲେଖାରେ କେ ଦେବ ହାତ
କଳଙ୍କ ଦେଇଛି ସେ ତ ଶଶିରେ ହେ ।ପଦ।
ରାତ୍ର ଶେଷେ ମଣ୍ଡି କରେ ରାଜଦଣ୍ଡ,
ଭୋଗ କରିଥାନ୍ତେ ଅଯୋଧ୍ୟା ଭୂଖଣ୍ଡ,
ସାବତ ମାତାଙ୍କ ବିଧି କୂଟଚକ୍ରେ
ଗଲେ ରଘୁନାଥ ବନବାସରେ ହେ ।୧।
ବସନ୍ତପଞ୍ଚମୀ ଉତ୍ସବର ଦିନ,
ହରିଶ୍ଚନ୍ଦ୍ର ଦଶା ଭୋଗିଲେ କେଶନ ?
ଦାନେ ବିଶ୍ୱାମିତ୍ର ନେଲେ ରାଜଛତ୍ର
ଭିକ୍ଷା ପାତ୍ର ସେ ଧରିଲେ ଖୁସିରେ ହେ ।୨।
ପୁଣି ତୁମ୍ଭେ ଯାଙ୍କ ଅଶ୍ୱ ଅଛ ବାନ୍ଧି,
କି ନ କଲେ ତାଙ୍କୁ କୁରୁ ହୋଇ ବାଦୀ ?
ବନେ ସହି ଦୁଃଖ ନୋହିଲେ ବିମୁଖ
ଦ୍ରୌପଦୀ ଗଣନା ରାଣୀ ଦାସୀରେ ହେ ।୩।
ହଂସଧ୍ୱଜ- ପୁତ୍ର ! ପୁତ୍ର !! ସୁଧନ୍ୱା । ମୋର କୁଳର ପ୍ରଦୀପ ମୋର, କଣ୍ଠର ଉଜ୍ୱଳ ମଣି, ଆହା ଆହା ନ ବୁଜି କି କଠୋର ପ୍ରତିଜ୍ଞା କରିଛି ! ନିଜର କୁଠାର ନିଜ ପାଦରେ ମାରିଛି ! ଗୁରୁଦେବ ଗୁରୁଦେବ, ରକ୍ଷାକର, କ୍ଷମାଭିକ୍ଷା, କ୍ଷମାଭିକ୍ଷା ।
ପୁରୋହିତ-ରେ ବର୍ବର ସତ୍ୟ ଭଙ୍ଗକାରୀ ! ତୁ ରାଜା ନୋହୁ ରାକ୍ଷସ, ପିଶାଚ, ପର ପ୍ରାଣହନ୍ତା ଦସ୍ୟୁ । ତୋ’ ପରା ସ୍ୱାର୍ଥପର ଜଗତରେ ବିରଳ । ଯେବେ ଭଲ ଚାହୁଁ, ପୁତ୍ର ହସ୍ତ ପଦ ବନ୍ଧନ କରି ତୈଳ ଦ୍ରୋଣିରେ ଶୀଘ୍ର ପକାଅ ।
ସୁଧନ୍ୱା- ନିଶ୍ଚୟ, ମୋତେ କେହି ପକାଇବେ ନାହିଁ, ଗୁରୁଦେବଙ୍କ ତାତ୍ସଲ୍ୟ ଭାବ ପକାଇବ, ପିତାଙ୍କର ସ୍ନେହ ମୋତେ ପକାଇବ । ସେହି ସତ୍ୟ ଧର୍ମର କରତା ଯେବେ ପ୍ରକୃତରେ ସେହି ହରି, ଅବଶ୍ୟ ଏ ଦାସ ପିତୃସତ୍ୟ ପାଳି ସମସ୍ତଙ୍କ ଆଗରେ ହସି ହସି ଅନଳସ୍ଥିତ ତୈଳ କୁଣ୍ଡକୁ ଡେଇଁ ପଡ଼ିବ ।
ହଂସଧ୍ୱଜ-ସୁଧନ୍ୱା ! ସୁଧନ୍ୱା !! କୁମାର, ଓଃ (ନୀରବରେ ପୁତ୍ରକୁ ଧରି ତଳକୁ ମୁଖ କରି ରହିଯିବା) ।
ପୁରୋହିତ-ଏ କି ଭାବ ରାଜ ! ନୀରବ ଯେ ମୁଖରେ ଉତ୍ତର ନାହିଁ ?
ହଂସଧ୍ୱଜ-ଏତେ ନୃଶସଂ, ଗୁରୁଦେବ ! ଶିରିଷ ଫୁଲରେ ବଜ୍ରାଘାତ କରିବ କେଉଁ ରାକ୍ଷସ?
ପୁରୋହିତ-ଆମ୍ଭେ ରାକ୍ଷସ ? ତୁ ମାନବ ? ନା ଦେବ ? ତୋର ଏ ପବିତ୍ର ବଂଶରେ ସ୍ଥାନ ଅଭାବ, ତୁ କପଟୀ, ଧାର୍ମିକ, ଖଣ୍ଟ ।
ସୁଧନ୍ୱା- କ୍ଷମାକର ଗୁରୋ ! ପିତା ଏକ୍ଷଣି ବିକୃତମସ୍ତିଷ୍କ, ତାଙ୍କର ମତି ଗତି ସ୍ଥିର ନାହିଁ, ତାଙ୍କର ଚିତ୍ତ ପୁତ୍ରଶୋକାକୁଳ, ଏ ଅବସ୍ଥାରେ ପିତାଙ୍କୁ କିଛି କଟୁ ଭାଷା କୁହନ୍ତୁ ନାହିଁ । ପାଦ ଧରି ବିନତି କରୁଛି, ଏ ଦାସ ପିତୃ ସତ୍ୟ ପାଳନକୁ ପ୍ରସ୍ତୁତ ପିତା ! ଚିନ୍ତା ତ୍ୟାଗ କରି, ମୁଖ ଟେକି ଅଧମ ପୁତ୍ରକୁ ଥରେ ଅନାଅ, ପୁତ୍ର ତବ ପଦରଜ ନେଇ ପ୍ରତିଜ୍ଞା ପାଳନ କରୁ ହଂସଧ୍ୱଜ-ନା, ନା, ନା, ତା ହେବ ନାହିଁ, ମୁଁ ଥାଉଁ ଥାଉଁ ତୋତେ କିଏ ମାରିବ ? କିଏ ମୂର୍ଖ ଜାଣୁ ଜାଣୁ ସିଂହ ମୁଖରେ ହସ୍ତ କ୍ଷେପଣ କରିବ ? ଚାଲ ପୁତ୍ର, ସେହି ବଂଶୀଧାରୀ ବନମାଳା ବିଭୂଷିତ ଚରଣକୁ ଧ୍ୟାନ କରି ଏ ରାଜ୍ୟ ଧନ ମସ୍ତକରେ ପତାଘାତ କରି ତୋତେ ଏଠାରୁ ନେଇ ବିଜନବାସୀ ହେବି ।(ପୁତ୍ରକୁ ନେଇ ପ୍ରସ୍ଥାନ) ପୁରୋହିତ- ମନ୍ତ୍ରୀ ! ଏ କି କାଣ୍ଡ, ଏତ ଭଲ କଥା ହେଲା ନାହିଁ, ରାଜା ରାଜା ! ତୁ ରାଜା ହୋଇ ବାକ୍ୟଭ୍ରଷ୍ଟ ହେଲୁ ?
-ବା ପଠପଢ଼ାକଥା- ବୃତ୍ତେ
ଜାଣିବୁରେ ରାଜା କେତେ ମଜା ଆର
ଜାଣିବୁ ଜାଣିବୁ ଜାଣିବୁ,
ଯେତେବେଳେ ସଜା ପାଇ ରେ ଅବୁଝା
ସତ୍ୟଭଙ୍ଗ ଧ୍ୱଜା ଟାଣିବୁ ।ପଦ।
ମଣୁଛୁ ଯାହାକୁ ଭଲ, ସେ ଶେଷେ ହେବ ରେ ଶଲ
କାଲିପରି ତୁହି ବଲ ବଲ ଚାହିଁ
ନିନ୍ଦା ଅପଯଶ ଶୁଣିବୁ ।୧।
ପଣ କଲାବେଳେ ତୁହି,ଆଗ ପଛ ବିଚାରିଲୁ ନାହିଁ,
ବୋହିଗଲା ପାଣି କହି ଦେଲା ବାଣୀ
ଆଉ କି ଲୋଡ଼ିଲେ ଆଣିବୁ ।
ମନ୍ତ୍ରୀ-ଚାଲ ପୁରୋହିତ ! ସୁରଥକୁ ନେଇ, ରାଜା ତେଣେ ସୁଧନ୍ୱାକୁ ଘେନି ଗଲେ । ଦେଖିବା, ଏଣେ ଯେ ପାଣ୍ଡବ ସେନା ଏ କାଣ୍ଡ ଦେଖି ନାକରେ ହାତ ଦେଇ ହସୁଥିବେ ।
ପୁରୋହିତ-ଆରେ ବାବା ଆମେ କଣ ମନା କଲୁ ? ଚାଲ ଖୋଜ କଳି ଖୁଣ୍ଟରୁ ଛେଳି ଫିଟି ପଳେଇଲେ, ତାଙ୍କୁ ଯେମନ୍ତେ ଗୋଡ଼େଇ ହାଣିଲା କଥାପରି କଥାଟା ହେଲା ? (ସମସ୍ତଙ୍କ ପ୍ରସ୍ଥାନ)
ନେପଥ୍ୟେ- ଜୟ ପାଣ୍ଡବକୁଳ ତିଳକ ଯୁଧିଷ୍ଠିର ଜୟ ।
ସେନାପତି- ଚାହିଁ ଦେଖ ଏଣେ ରାଜପୁତ୍ର,
ଗଡ଼ଦ୍ୱାରେ ପାଣ୍ଡବ ସେନାଙ୍କ ଜୟ କୋଳାହଳ ନାଦ,
ଚାଲ ଯୋଦ୍ଧା ଘେନି ଆମ୍ଭେ ପଶିବା ସମରେ,
କରିବା ସରବେ ମିଳି ଗଡ଼ରକ୍ଷା ଚେଷ୍ଟା,
ଦେଇଛନ୍ତି ରାଜା ନିଜେ ଆଦେଶ ସ୍ୱମୁଖେ,
ପାଳନ ନ କରି ତାହା କରିଲେ ହେଳନ,
ଅନୁତାପ ଭୋଗିବା ଶେଷରେ ।
ସୁରଥ- ସେନାପତି ରଣଦକ୍ଷ ! ନାହିଁ ମୋର ଆପତ୍ତି ତହିଁରେ,
କିନ୍ତୁ ଅସ୍ଥିର ଅନ୍ତର ଅତି ଭ୍ରାତାଙ୍କ ବିହୀନେ,
ପିତା ଘେନି କେଣେ ଗଲେ ନ ମିଳେ ସନ୍ଧାନ !
ଓଃ, କି ଭୀଷଣ ପ୍ରତିଜ୍ଞା,
ମନେକଲେ ରଙ୍ଗ ରକ୍ତ ହୁଏ ପରିଣତ ଜଳେ,
ତେବେ ଭାବୁଛି ଏତିକି,
ଯେବେ ଦୟାମୟ ହରି ରାଜିତ ସର୍ବଥା,
କିମ୍ପା ହେବ ଭାଇଙ୍କ ବିପଦ ?
ଜଳେ, ସ୍ଥଳେ, ଅନଳେ ତ ପୂରିଛନ୍ତି ସେହି,
ରଖିବେ ନାହିଁ କି ତାଙ୍କ ଭକତେ ସେ କ୍ଷେତ୍ରେ ?
ନେପଥ୍ୟେ-ଜୟ କୃଷ୍ଣାର୍ଜୁନଙ୍କର ଜୟ ।
ସେନାପତି-ଓଃ, ଉଠେ ବାରବାର ପାଣ୍ଡବଙ୍କ ଜୟଧ୍ୱନି,
ଭାଙ୍ଗିଲେ କି ଗଡ଼ର ପ୍ରାଚୀର ?
ପଶିଲେ କି ରାଜ ଉଆସରେ ?
ସୁରଥ-ଏହି ଯେ ଆସଇ ଦୂତ ଘେନି ସମାଚାର ।
ଦୂତ-(ପ୍ରବେଶି) ପାଟ ଯୁବରାଜଙ୍କର ଜୟ ହେଉ ।
ସୁରଥ-ଶୁଣ ଦୂତ ! ଆସିଲୁ କି ରଣସ୍ଥଳୁ ତୁହି,
ଜାଣୁ କି ରେ ରଣ ସମାଚାର ?
ଗୀତ- ଦୂତ ପ୍ରତି ସୁରଥ
- ସଙ୍ଗାତ ଏତିକି ମାଗୁଣି- ବୃତ୍ତେ
ରେ ଚାର ଆଣିଛୁ କି ସମାଚାର ।
ଜାଣିଛୁ କି ରଣକ୍ଷେତ୍ରେ ଐରିଗଣ କରନ୍ତି କିସ ବିଚାର ।ପଦ।
ଚକ୍ରପାଣି ତୁଲେ ’ ଛନ୍ତି କି ଗାଣ୍ଡିବପାଣି ବହନ ପ୍ରଚାର ।
ବୁଣିଲେ କି ଯଶରାଶି ଧରଣୀରେ କରନ୍ତି ଜୟ ଉଚ୍ଚାର ।
ବଞ୍ଚାଇ ନ ଭାଷା ସଞ୍ଚାଇଛି ବିଷ ମଧୁରେ ବିଧାତା ଚୋର
(ତେଣୁ) ବାଣକୁ ଉଞ୍ଚାଇ ଛାଡ଼ିପାରୁନାହିଁ ହୋଇଲିଣି ନାଆଚାର ।
ତାତ ଭ୍ରାତ ଗତି ଭୀତି ଦିଏ ଚିତ୍ତେ କଲେ କେଡ଼େ ଅବିଚାର
ଶରଣତାରଣ ଥାଉଁ ଥାଉଁ କେହ୍ନେ ସହିବେ ଏ ଅତ୍ୟାଚାର ।
ଦୂତ-ପାଟ ଯୁବରାଜ ! ସେନାପତେ ! ଆଉ ରକ୍ଷାନାହିଁ, ପାଣ୍ଡବ ବୀରଗଣେ ଗଡ଼ ବେଢ଼ି ଜୟନାଦରେ ଗଗନ କମ୍ପାଉଛନ୍ତି ।
ସେନାପତି-ଆସ ପାଟ ଯୁବରାଜ, ଆଉ ବିଳମ୍ବ କଲେ ସର୍ବନାଶ ହେବ, ଶୀଘ୍ର ପାଣ୍ଡବବାହିନୀକି ହଟାଇବାକୁ ହେବ ।
(ସମସ୍ତଙ୍କ ପ୍ରସ୍ଥାନ)
ତୃତୀୟ ଦୃଶ୍ୟ – ଅନଳ କୁଣ୍ଡ !
ସୁଧନ୍ୱା-ଓଃ ଅନାଇଲେ, ଯେ ଅଙ୍ଗରୁ ରକ୍ତ ଶୁଷ୍କ ହୋଇଯାଏ, ପଞ୍ଚଦଶ ଜିହ୍ୱା ଲହ ଲହ କରି ଅଗ୍ନି କେତେ ପ୍ରଖର ତେଜରେ ଉର୍ଦ୍ଧ୍ୱକୁ ଉଠୁଅଛି, ତହିଁ ମଧ୍ୟେ ଉତ୍ତପ୍ତ ତୈଳ ଦ୍ରୋଣି ଟକମକ ହୋଇ ଦାହ ସୁବର୍ଣ୍ଣ ବର୍ଣ୍ଣ ଜିଣି ତେଜ ବିକାଶୁଛି, ଦେଖୁ ଦେଖୁ ଏହିକ୍ଷଣି ମୋର ଅସ୍ଥି ଚର୍ମ ମାଂସ ସମସ୍ତ ଭସ୍ମୀଭୂତ ହୋଇ ବାୟୁମଣ୍ଡଳରେ ମିଶିଯିବ । ହରି ! ହରି ! ହରି ! ଏହି ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ତୁମ୍ଭର ଭକ୍ତକୁ ଥରେ ଦେଖା ଦେଲନାହିଁ ? ଆଉ କେତେବେଳେ ଦେଖାହେବ ?
ଗୀତ- ସୁଧନ୍ୱା
ଦେଖ ଗୋ ଆସିଲା ପରା- ବୃତ୍ତେ
ଆସେ ହେ ମୋ ଆଶା ତରଣୀ,
ସଂସାରୁ କି ସରିଗଲା ତବ କରଣୀ ।ପଦ।
ଅସାର ବୋଲି କି ମୋତେ, ରସାରୁ ତଡ଼ିବ ସତେ ?
ବସାରେ ନ ଦେବ ରଖି ମୁରଲୀ ପାଣି ।।
ଆହେ ଶରଣବତ୍ସଳ, ଭୃତ୍ୟରେ ଆଉ ନ ଛଳ ।
ବାସ ପ୍ରସାରି ଡାକୁଛି କରି ବରଣୀ ।।
ତ୍ରିଭଙ୍ଗ ଠାଣିରେ ଠିଆ, ହୁଅ ବରଜ ବେଠିଆ ।
ନ ସାଧ ହଟ ହଟିଆ ମଉଡ଼ମଣି ।।
ପୁରୋହିତ-ଯୁବରାଜ ! ଆଉ ବିଳମ୍ବ କରନା, ତେଣେ ଯେ ପାଣ୍ଡବବାହିନୀଙ୍କର ମୁଖ ଗୋଳରେ ଦରଣୀ ଟଳମଳ, ଏଠାରେ କାର୍ଯ୍ୟ ଶେଷ କରିଲେ ପୁଣି ସେଠାରେ କାର୍ଯ୍ୟରେ ଲାଗିବାକୁ ହେବ ଶୀଘ୍ର ଶୀଘ୍ର ପ୍ରତିଜ୍ଞା ପାଳନ କର ।
ସୁଧନ୍ୱା-ପିତଃ ! ପଶୁ, ପକ୍ଷୀ, ଯକ୍ଷ, ରକ୍ଷ, ନାଗ, ନର, କିନ୍ନର, ଗୁହ୍ୟକ, ଚାରଣ ସାକ୍ଷୀ । ଦେବରାଜ ଇନ୍ଦ୍ର, ବ୍ରହ୍ମା, ଶିବ, ଅନୀଳ ତେତ୍ରିଶକୋଟି ଦେବବୃନ୍ଦ ଦେବବୃନ୍ଦ ସାକ୍ଷୀ, ଅଷ୍ଟବସୁ, ନବଗ୍ରହ, ଚନ୍ଦ୍ର, ତାରା ସାକ୍ଷୀ ଆଦି ସୁଧନ୍ୱା ସମସ୍ତଙ୍କୁ ସାକ୍ଷୀରଖି ଅନଳ ଗର୍ଭସ୍ଥିତ ଉତ୍ତପ୍ତ ତୈଳଦ୍ରୋଣି ଜଠରକୁ ହସି ହସି ପିତୃ ପ୍ରତିଜ୍ଞା ପାଳନ ପାଇଁ ଡେଇଁ ପତୁଛି ।
(ଡେଇଁବାକୁ ଯାନ୍ତେ ହଂସଧ୍ୱଜ ଧରିବା)
ହଂସଧ୍ୱଜ-ବତ୍ସ ବତ୍ସ ! ରହ ରହ କେଉଁଠିକି ଯାଉଛୁ ? କେ ତୋତେ ଗ୍ରାସ କରିବ ? ମୁଁ ଥାଉଁ ଥାଉଁ କେ ତୋର ପ୍ରାଣ ନେବ ଧର୍ମ କର୍ମ ଲୋପ ହେଉ, ମୋର ଅକଳଙ୍କ କୀର୍ତ୍ତିରେ କଳଙ୍କ ଲାଗୁ, ପୃଥିବୀ ରସାଗତ ହେଉ, ଚନ୍ଦ୍ର ସୂର୍ଯ୍ୟ ମହୀରେ ଲୋଟୁ, ଏହା ହେବନାହିଁ, ହେବନାହିଁ, ହେବନାହିଁ ।
ସୁଧନ୍ୱା- ପିତା ପିତା ! ବାଧା ଦିଅନାହିଁ, ମୋତେ ବିଦାୟ ଦିଅ ।
ଗୀତ– ସୁଧନ୍ୱା- ଦେଖ କୁଞ୍ଜବନ କୋଣରୁ-ବୃତ୍ତେ
ହେ ଜନମଦାତା ! ଲକାଳେ ଚିନ୍ତା ଚିତ୍ତରୁ ଛାଡ଼,
ପିତା ପରା ସୁତେ ଉପେକ୍ଷି ରଖ ଆପଣା ପୀଢ଼ ।
ମାତାଙ୍କ ଚରଣ ମରଣକାଳେ ଦେଖିଲି ନାହିଁ,
ସହିଥିଲେ ଯେତେ କଷଣ ଗରଭଭାର ବହି ।
ପ୍ରଭାବତୀ ପ୍ରଭାବମଞ୍ଜୁଳା ସୁଖ ହେଲା ସ୍ୱପନ,
ଅଙ୍ଗନାର ଦୁଃଖ ଭାବନ୍ତେ ଅଙ୍ଗ ଭଜେ କମ୍ପନ ।
କୁଳଗୁରୁ ! ଛଳ ଛାଡ଼ିଣ ଦିଅ ପଦର ଧୂଳି,
ତବ କୃପା ଥିଲେ ଆପଦ କେଣେ ଯିବ ଝାଉଁଳି ।
ହେ ମନ୍ତ୍ରୀ ! ଲାଗିଲା ତୁମ୍ଭକୁ ବୃଦ୍ଧ ପିତାଙ୍କ ଚିନ୍ତା,
କେ ରହିବେ ନାହିଁ ଏ ଭବେ ଥିବ କାଳକୁ କଥା ।
ପୁରୋହିତ–ରାଜପୁତ୍ର ! ଆଉ ଏଣେ ତେଣେ ଅନାଇ ସମୟ ନଷ୍ଟ କରନା, ଶୀଘ୍ର ପ୍ରତିଜ୍ଞା ପାଳନ କର ।
ରାଜା ହଂସ-ହା ପୁତ୍ର ! ସୁଧନ୍ୱା ମୋର, ନାହିଁରେ ନାହିଁରେ, ନ୍ୟାୟ ଅନ୍ୟାୟ, ଧର୍ମହୀନ, ବଚନ ଭ୍ରଷ୍ଟରେ ଯେ ପାପ ନାରୀ ବଧ, ଭ୍ରୁଣ ହତ୍ୟା, ଗୋ-ବ୍ରହ୍ମ ହତ୍ୟାରେ ଯେ ପାପ, ଗୃହ ଦାହ, ବିଷଦାନ, ପରସ୍ୱ ହରଣରେ ଯେ ପାପ ହେବ, ନିନ୍ଦା ଶିବଲିଙ୍ଗରେ ଯେ ପାପମାନ ହୁଏ ସେ ପାପ ମୋର ହେଉ । କୁମାର, କୁମାର, କଦାପି ତୁ ମୋ ଆଗରେ ସେକଥା କହନା । ପିତା ସମ୍ମୁଖରେ ପୁତ୍ରର ଆତ୍ମ ବିସର୍ଜ୍ଜନ ? ଓଃ, ପ୍ରାଣ ଯେ ହୃତ୍ପିଣ୍ଡରୁ ବାହାରିଗଲା ପରା ଲାଗୁଛି ।
ସୁଧନ୍ୱା- ପିତଃ ! ଧୈର୍ଯ୍ୟଧର, ବାତୁଳପରି କଥା କୁହନା । ଯେବେ ବିଧାତାର ଇଚ୍ଛାହେଲା, ଯେବେ କୁଳଗୁରୁ, ମନ୍ତ୍ରୀ, ଅମାତ୍ୟ, ପ୍ରଜାବର୍ଗ ଓ ଦର୍ଶକବର୍ଗଙ୍କ ଇଚ୍ଛାହେଲା, ସର୍ବଶେଷରେ ତ୍ରିଭୁବନ ପୂଜିତ ଓ ପାଳିତ ବାଞ୍ଛାକଳ୍ପତରୁ ହରିଙ୍କର ଇଚ୍ଛା ହେଲା, ସୁଧନ୍ୱା ଅନଳସ୍ଥିତ ତୈଳ କଟାହରେ ନିଶ୍ଚୟ ଝାସ ଦେଇ ପିତୃପଣ ରକ୍ଷାକରିବ । ହରି ହରି, ଯେବେ ତୁମ୍ଭର ନାମ ସତ୍ୟ, ତୁମ୍ଭର ଗୁଣ ଯେବେ ସତ୍ୟ, ତେବେ ତୁମ୍ଭର ଭକ୍ତକୁ ତୁମ୍ଭେ ରକ୍ଷାକରିବାରେ କୁଣ୍ଠିତ ହେବ ନାହିଁ ।
ଗୀତ- ସୁଧନ୍ୱା- ତା ଅକ୍ଷିର ଦେଖା- ବୃତ୍ତେ
ଭବ କର୍ଣ୍ଣଧାର, ଭକ୍ତ ଗଳାହାର
କେହି ନ ବୋଇଲେ ମୋହର ମୋତେ ।
ଉଦ୍ଧାର କରତା ବସୁଧାରେ ତୋର
ବିନା କେ ସାରଥି ଏ ଦେହ ରଥେ । ପଦ।
ଦର ଦର ହସେ ଯେଉଁ ଫୁଲଟି
ଚାହୁଁ ଚାହୁଁ କ୍ଷଣେ ଯିବ ଓଲଟି,
ନ ରହିବ ଛାୟା କାୟା ସୁଧା ମାୟା
ଧରା ତା ଦେଖିବ କେମନ୍ତେ ନେତ୍ରେ ।
ରାହୁଗ୍ରସ୍ତ ଶଶି ସମାନ ଦଶା,
ଘଟିବ ଘୋଟିବ ଅନ୍ଧାର ନିଶା ।
ବସା ଛାଡ଼ି ପକ୍ଷୀ ଉଡ଼ିବ ସହସା
ପଡ଼ିବ ଯାଇ ସେ କାହିଁ ଅଜ୍ଞାତେ ।
କଥା- ହରି , ହରି ହରି, ଅନାଥ ବନ୍ଧୁ ହରି ! ପଥର ପଥିକ ହରି- ଅରକ୍ଷ ରକ୍ଷଣ ହରି ତୁମ୍ଭେ ଭରସା, ହରିବୋଲ ହରିବୋଲ ହରିବୋଲ । (ନେପଥ୍ୟେ ଅନଳ କୁଣ୍ଡରେ ପ୍ରବେଶ)
ହଂସଧ୍ୱଜ-ସଃ ଜଳିଲା, ଜଳିଗଲା, ଭସ୍ମ ହୋଇଗଲା, ପୁତ୍ର ମୋର କନକ ତନୁ କି ଭୟଙ୍କର ତେଜରେ ଧୂମରାଶିରେ ପରିଣତ ହୋଇ ଆକାଶକୁ ଉଡ଼ି ବାୟୁମଣ୍ଡଳରେ ମିଶିଯାଉଛି ! ଓଃ, କି ବିକଟଅଗ୍ନି ପଞ୍ଚଦଶ ରସନା ଦୋହଲାଇ ପୁତ୍ରକୁ ମୋର ଗ୍ରାସ କଲା... ଗଲା ଗଲା ଗଲା । (ରାଜାର ପତନ ଓ ମୂର୍ଚ୍ଛା)
ପୁରୋହିତ-ଓହୋ, ଜଗତ ମୋତେ ଅନ୍ଧାରମୟ ଦିଶୁଛି । ହାୟ, ମୁଁ ନିଷ୍ଠୁର ପିଶାଚ ଏ ମହାପାପର ପ୍ରଧାନ କାରଣ ମୁହିଁ ସିନା । ହାୟ ଭକ୍ତବୀର ସୁଧନ୍ୱା, ଧନ୍ୟ ତୁମ୍ଭେ, ଧନ୍ୟ ତୁମ୍ଭେ, ତୁମ୍ଭେ ଏକା ପ୍ରକୃତ ହରିଭକ୍ତ ।
ମନ୍ତ୍ରୀ- ହାୟ ହାୟ, ଦେଖୁ ଦେଖୁ ପ୍ରସ୍ଫୁଟିତ କୁସୁମଟି ବୃନ୍ତଚ୍ୟୁତ ହୋଇ କେଣେ ଝଡ଼ିପଡ଼ି ତପନ ତାପରେ ନଷ୍ଟହୋଇଗଲା । ଧନ୍ୟ ଭକ୍ତ ବୀରଚୂଡ଼ାମଣି ସୁଧନ୍ୱା । (ସୁକୁମାରୀ ରାଜାରାଣୀର ପ୍ରବେଶ)
ରାଣୀ- କାହିଁରେ ମୋ ହୃଦୟମଣି ମୋ ଆଶାର ଖଣି ସୁଧନ୍ୱା କାହିଁ ? ହାୟ, ହାୟ, ଶୁଣିଲି ପୁତ୍ର ମୋର ତପ୍ତତୈଳରେ ପଡ଼ି ପ୍ରାଣ ଦେଲା, କାହିଁ ଗଲୁ ରେ ବାପ ସୁଧନ୍ୱା ! ତୋର ମାଆକୁ କି ମାଆ ବୋଲି ଡାକିବୁ ନାହିଁ ?
(ବାୟାଣୀପରି ଏଣେତେଣେ ଧାଇଁ ଧାଇଁ)
ଗୀତ- ରାଣୀ- ସବୁ ଅନ୍ଧକାର ସବୁ ଏକାକାର- ବୃତ୍ତେ
ଆସ ଆସ ବଳା, ମୋର ଗଳାମାଳା
କାହିଁଗଲୁ ରେ ଦୁଃଖିଧନ,
ମାଆ ମାଆ ଡାକ, ଦେଖା ଚାଳି ମୁଖ,
ବାପ କରିଛୁ କି ଅଭିମାନ ।। ପଦ।
ତୋର ବିହୁନେ ସାରା ସଂସାର,
ମୋତେ ଲାଗଇ ପରା ଅସାର ।
ଆସ ଆସ ପଦେ ଭାଷ,
ପୋଛି ଦେଏ ରେ ନୟନୁ ବନ,
ରଙ୍କରେ, ଅଙ୍କରେ, ବସି ଦିଶିବମୁ କି ଶୋଭାବନ ।୧।
(ପତନ ଓ ମୂର୍ଚ୍ଛା)
ହଂସଧ୍ୱଜ- (ଚେତା ପାଇ ବସି) ବାପ ସୁଧନ୍ୱା, ଯାଅ ନାହିଁ, ଯାଅ ନାହିଁ । ତୋର ପ୍ରାଣହନ୍ତା ପିତାକୁ ଛାଡ଼ି ଯାଅନାହିଁ । ରେ ନିଷ୍ଠୁର ବିପ୍ର ! ତୁ ବ୍ରାହ୍ମଣ ନୋହୁ, ବ୍ରହ୍ମ ରାକ୍ଷସ, ନରରକ୍ତ ଲିପ୍ସୁ ପିଶାଚ । ଏ କିଏ ? ପ୍ରିୟେ ! ପ୍ରିୟେ ! ସୁକୁମାରୀ ପ୍ରିୟେ ! ତୁମ୍ଭେ ମୋତେ ଛାଡ଼ି ଯାଅନା । ମାତା ପୁତ୍ର କି ସଙ୍ଗ ହେଲ ? ଏ ହତଭାଗ୍ୟ ମହା-ପାତକୀ କୁ ତ୍ୟାଗ କରି ଚାଲିଯାଉଛ ?
ସୁକୁମାରୀ–(ଚେତା ପାଇ) ନା ନା, ନାଥ ! ଏ ଦାସୀର ସେ ସୁଦିନ ହୋଇନାହିଁ, ତାହାହେଲେ ଏ ସମସ୍ତ ଜ୍ୱାଳା ଯନ୍ତ୍ରଣ ଭୋଗ କରିବ କିଏ ? ହା ବସ୍ତ୍ର ସୁଧନ୍ୱା !
ଗୀତ- ପ୍ରଭାବତୀ- ଏହି କି ଦୁଃଖିନୀ ନୟନ ତାରା-ବୃତ୍ତେ
କାହିଁ ମୋ, କାହିଁ ମୋ, ମୋର ହୃଦୟ ଆରାଧ୍ୟ ନିଧି ।
କାହିଁ ମୋର ତପ ଜପ ବିଧି ସିଦ୍ଧି ।ପଦ।
ଯେଣେ ଅନାଇଲେ ମୁଖ ଦିଶେ,
ତାଙ୍କୁ ମନାଇଁ ଆଣନ୍ତେ ପାଶେ ।
ଧାଇଁ ଗଲାବେଳେ କାହିଁକି ସେ,
ଘୁଞ୍ଚି ଲୁଚି ଯାଉଛନ୍ତି ନିନ୍ଦି ।୧।
ମୋତେ ଆସିଲାକାଳରେ କହି,
ଆସିଥିଲ ସେ ମୋ ଦେହ ଛୁଇଁ
ଦାସୀ କିଛି ଦୋଷ କରି ନାହିଁ,
ତାଙ୍କ ଚରଣ ଯୁଗେ ଅବଧି ।୨।
କେତେବେଳେ ବସିଥିବି ଜାଗି,
ନାଥ ସ୍ନେହେ ହୋଇ ଅନୁରାଗୀ ।
କି ସେ ସାଜି ପ୍ରୀତି ବଇରାଗୀ,
ଭ୍ରମୁଛନ୍ତି ଗିରି ବନ ଭେଦୀ ।୩।
କଥା-ନାଥ, ନାଥ !ଦେଖାଦିଅ ଅବଳା ବାଳାରେ,
ନାହିଁ କି ସେହି ପୂରବର ସ୍ନେହ ?
ପିତା ! ପ୍ରତିଜ୍ଞା କି ପୋଷିଥିଲେ ସନ୍ତାନ ନିଧନେ,
ଦେଖିବ ବିଧବା ବଧୂ ବିଧୁମୁଖ ଗୋଟି ?
ସୁନ୍ଦୂର ବିହୀନ ସୀମନ୍ତର,
ଶୂନ୍ୟ କର ଧଟିହୀନ ବାସ ପରିଧାନ,
ଏତେ କଥା ଥିଲା ମନେ ତବ ?
ରେ ହୃଦୟ, ନ ଫାଟି ରହିଚୁ ?
ରେ ନୟନ, ଦେଖିବୁ କି କାନ୍ତ ମୁଖ ସୁମନ ତଳପେ
ସେଥିପାଇଁ ପଡ଼ୁନାହୁଁ ଖସି ?
ହେ ନାଥ ! ହା ପ୍ରାଣର ପ୍ରାଣ ମୋ ...(ପତନ)
ଗୁରୁ- ବଧୂ ! ଉଠ, ଉଠ,
ଆଉ କି ପାଇବ ଫେରି ହଜିଲା ବିତ୍ତକୁ ?
ଅବଧି କେ ପାଇନାହିଁ, ପାଉନାହିଁ,
ତୁମ୍ଭେ ପାଇବ କେମନ୍ତେ ?
ପ୍ରଭାବତୀ- ଗୁରୁଦେବ ! ଦେବ କି ନ ଦେବ
ମୋର ଧନେ କହ ସତ୍ୟ ?
ନା, ସେ ନୁହେ ତୁମ୍ଭ ଆୟତ୍ତ କେଭେ,
ଆସ ନାଥ ! ଆସ ବଧୂ,
ପୁତ୍ର ସହଗାମୀ ହେବା ତପ୍ତ ତୈଳ ପଡ଼ି ।
ହଂସ- ଚାଲ ପ୍ରିୟେ ! ଉତ୍ତମ ବିଚାର ତବ,
ପୁତ୍ର ଶୋକ ନ ବାଧିବ ଏ ଜୀବ ନଥିଲେ ।
(ଧାଇଁଯାନ୍ତେ ତିନିଜଣ ଦୂତକୁ ଆଗେ ଦେଖି)
ଦୂତ-କେଣେ ଯାଅ ତିନିପ୍ରାଣୀ ଶୀଘ୍ରଗତି ହୋଇ ?
ହଂସ- ଛାଡ଼ ଦୂତ, ଏ ଜୀବନେ କିସ କାର୍ଯ୍ୟ,
ପୁତ୍ରହରା ଜନକ ଜନନୀ, ପୁତ୍ରବଧୂ,
ଦେବୁପ୍ରାଣ ତପ୍ତ ତୈଳ କୁଣ୍ଡେ ।
ଦୂତ- ସ୍ଥିର ହୁଅ ରାଜା !
କୁଣ୍ଡ ମଧ୍ୟେ ଶୁଣି ହରି ଧ୍ୱନି ଧାଇଁଚି ମୁଁ
ଦେବାକୁ ଖବର ଛାମୁ ଆଗେ,
ଏହି ଶୁଣ ସର୍ବେ କର୍ଣ୍ଣ ଡେରି,
କି ମଧୁର ହରିଧ୍ୱନି ଉଠେ ଘନ ଘନ ।
ଗୀତ- ସୁଧନ୍ୱା-କିମ୍ପା ମନ ଅକାରଣ –ବୃତ୍ତେ ହରି ନାମ କି ମଧୁର ସୁଧା କରେ ହଳାହଳ
ହରି ନାମରେ ଆନନ୍ଦ ଶୀତରୁ ବଳେ ଶୀତଳ ।ପଦ।
ହରି ସର୍ବ ମୂଳାଧାର, ନାଶେ ଦୁରିତ ଅନ୍ଧାର,
ଜଳେ ହରି ସ୍ଥଳେ ହରି ହରି ଅଟଳ ଅଚଳ ।୧।
ଅବିଳ ନୀରେ ବଦନ, ଦିଶି କି ଆରେ ମନ,
ଦେବେ ଯେବେ ଦରଶନ ଚିତ୍ତ କର ନିରମଳ ।୨।
ଭାଇବନ୍ଧୁ ଭାର୍ଯ୍ୟା ପୁତ୍ର ଦୁଇଦିନ ସାଥି ମାତ୍ର,
ସଙ୍ଗେ କେ ଯିବାକୁ ପାତ୍ର ନୋହିବେ ଆସନ୍ତେ କାଳ ।୩।
ଗୀତ- ଶ୍ରୀକୃଷ୍ଣ- ଜଗତରେ ଭକତ ମୋ –ବୃତ୍ତେ
ଗଳାହାର ଭକ୍ତ ବୀର ମୋର,
ଆଜ ଅଟୁ ରେ ତୁହି ଜାଣିଲି ମୁହିଁ । ପଦ ।
ମୋତେ ଭଜି ଯେତେ ଦୁଃଖ ଭୋଗିଲୁ ଧନ,
ପରିମାଣେ ସେ ଫଳର ପରୀକ୍ଷା ଏହି । ୧ ।
ଭବେ ଚିର ହେଉ ତୋର କାମନା ପୁଞ୍ଜ,
ଭୁଞ୍ଜ ଭୁଞ୍ଜ ଅନ୍ତଃକାଳେ ବୈକୁଣ୍ଠ ଭୂଇଁ । ୨ ।
ମୁଁ ଯାରେ ରଖିବି ବତ୍ସ କ୍ଷିତି ଉପରେ,
ଜଳ ଅନଳକୁ ତାର ଭ୍ରାନ୍ତି ନ ଥାଇ । ୩ ।
(ସୁଧନ୍ୱାକୁ ଛାଡ଼ିଦେଇ ଅନ୍ତର୍ଦ୍ଧାନ)
ସୁଧନ୍ୱା– ହରି ! ହରି !! କେଣେ ଛାଡ଼ିଗଲ ! ଆହା, ତୁମ୍ଭର ସେ ଅଙ୍ଗ କେଡ଼େ ସୁଶୀତଳ ! ଆହା, ତୁମ୍ଭର ସେ କମଳ କର କେମନ୍ତ କୋମଳ ! ଆହା ତୁମ୍ଭ ବଚନ ସୁଧାରୁ ମଧୁମୟ । ସେ ସ୍ପର୍ଶ ସୁଖର ତୁଳନା ନାହିଁ, ପ୍ରଭୁ ! ଯାହା କହିଛ ଅନ୍ତିମ ସମୟରେ ତୁମ୍ଭର ବାସରେ ଏ ଦୀନ ଭକ୍ତ ତୁମ୍ଭର ଯେପରି ସ୍ଥାନ ପାଇବ ।
ସୁକୁମାରୀ–ଆସରେ, ଆସରେ ଧନ ମୋର ! (କୋଳେଇ ନେବା)
ହଂସଧ୍ୱଜ–ବତ୍ସ ସୁଧନ୍ୱା ! ତୋର ଏ ଅଧମ ପିତାର ଦୋଷ ଧରିବୁ ନାହିଁ । (କୋଳକରିବା)
ପ୍ରଭାବତୀ–ନାଥ ! ନାଥ !! ନାଥ !!! ମୋର ଜୀବନ ନାଥ ।
ଗୀତ–ସୁଧନ୍ୱା ପ୍ରତି ପ୍ରଭାବତୀ – ନାଗର ନିଅ ତୁମ୍ଭ–ବୃତ୍ତେ
କାନ୍ତ ହେ ପରତେ ନ ଥିଲା ପାଇବି ।
ମୋ ପ୍ରେମ ପଢ଼ା ମନ୍ଥର ଅନ୍ତର ଦୁଃଖ ବହିବି । ପଦ ।
ସାଗର ଗରଭ ଜଳେ, ହଜିଲା ରତନ କୂଳେ,
ଆସେ କି ସେ ଭାବ ଫଳେ ହୃଦେ ଆଦରେ ବହିବି । ୧ ।
ମୋ ସିମନ୍ଥିର ମଥାମଣି, ଖଣ୍ଟ ଫେରିଦେବ ଆଣି,
ଜାଣି କେ ଥିଲା ଏକଥା, ବ୍ୟଥା କାଳିମା ଧୋଇବି । ୨ ।
ଅନଳ ଭାଣ୍ଡୁ ଉବୁରି, ଆସିଲ କହ କିପରି ?
ଅନିଳେ କେ ପରିଣତ କଲା ତା ଗୁଣ ଗାଇବି । ୩ ।
ସୁଧନ୍ୱା– ପିତା ! ମାତା ! ପ୍ରିୟେ ! ମନ୍ତ୍ରୀ ବୀରବାବୁ ! କୁଳଗୁରୋ !
ସମସ୍ତେ ଶୁଣ, ଯେକାଳେ ପଡ଼ିଲି ଡେଇଁ ତପ୍ତ ତୈଳକୁଣ୍ଡେ
ଫୁଟୁଥିଲା ସେହି ତୈଳ ଟକମକ ନାଦେ,
ହରି ହରି ବୋଲୁ ବୋଲୁ ଆସି କେହି ଜଣେ,
କୋଳେ ତୋଳି ଧରିବା ମାତ୍ରକେ,
ସେ ଉତ୍ତପ୍ତ ତୈଳ ଭାଣ୍ଡ ଗୋଟି,
ସୁଧାକରଠାରୁ ମୋତେ ଲାଗିଲା ଶୀତଳ ।
ଆହା ! ମଧୁର ମଧୁମୟ ମୂରତିଙ୍କି,
ଦେଖି ନ ଥିଲି ଜୀବନେ କେବେ,
ପରିଚୟ ପାଇଲି ସେ ମୋ ଜୀବନ ବନ୍ଧୁ,
ମଧୁକୈଟଭ ନାଶନ ବନମାଳୀ,
ଗଳେ ଶୋଭେ ବାରମିଶା ଫୁଲ ହାରମାନ,
ହୃଦୟରେ ଶ୍ରୀବତ୍ସର ପଦ,
ଶିରେ ଶିଖିପୁଚ୍ଛ ଚୂଡ଼ା ରୁଞ୍ଜଗୁଞ୍ଜ ଛନ୍ଦା,
ଅନଳୁ ବାହାର କରି ପ୍ରବେଧି ବଚନେ,
କେଣେ ହେଲେ ଅନ୍ତର୍ଦ୍ଧାନ ।
ମନ୍ତ୍ରୀ– (ପଦତଳେ ପଡ଼ି) ଧନ୍ୟ ଭକ୍ତିମଣି ତୁମ୍ଭେ,
ଏ ବୃଦ୍ଧର ଅପରାଧ ନ ଧରିବ ତିଳେ ।
ସୁଧନ୍ୱା– ମନ୍ତ୍ରୀ ! ଏ କି କଥା, ବୃଦ୍ଧ ତୁମ୍ଭେ ?
ପୂଜ୍ୟ ଅଟ ମୋର, କେସନେ କରୁଛ ନମସ୍କାର ମୋ ଚରଣେ !
ମନ୍ତ୍ରୀ– ହରିଭକ୍ତ ବୃଦ୍ଧଠାରୁ ଶ୍ରେଷ୍ଠ,
ତାରେ କଲେ ପ୍ରଣିପାତ ଅପରାଧ ନାହିଁ !
ସମସ୍ତେ–ଜୟ ଭକ୍ତବୀର ସୁଧନ୍ୱାଙ୍କର ଜୟ ।
ପୁରୋହିତଃ–ଓଃ ! କ୍ରୋଧନଳେ ଅନ୍ତର ମୋ ହେଲା ଜର୍ଜରିତ, ଶୁଣି କର୍ଣ୍ଣେ କପଟତାଯୁକ୍ତ ଜୟ ନାଦ । ଭୃତ୍ୟେ ନିଶ୍ଚେଁ କରିଛନ୍ତି ଏଥିରେ ଛଳନା, ତାତି ନଥିଲା କଟାହସ୍ଥିତ ତୈଳ ତଳ ।
ଦୂତ–ଗୁରୁଦେବ ! ନିଶ୍ଚେ ତୈଳ ଫୁଟୁଥିଲା ଟକମକ ନାଦେ, ମିଥ୍ୟା କହୁନାହୁଁ ଆମ୍ଭେମାନେ ।
ହଂସଧ୍ୱଜ–ଗୁରୋ ! ବଞ୍ଚିଅଛି ପୁତ୍ର ମୋର ହରିଙ୍କ କୃପାରୁ । ଅକାରଣେ ନ ହୁଅନ୍ତୁ କ୍ରୋଧ ।
ପୁରୋହିତ–ନ ମାନିବି କାହାକଥା ନ କରିବି ବିଶ୍ୱାସ କାହାକୁ, ସକଳେ କରି କୌଶଳ ଭଣ୍ଡିଦେଲେ ମୋତେ । ଅଭିଶାପାନଳେ ଦଗଧ୍ ହେବ ତୁମ୍ଭେମାନେ, କରିବି ପରୀକ୍ଷା । ବେଗେ ଆଣ ଯାଇ ଶୀଘ୍ର ଜଳପୂର୍ଣ୍ଣ ଏକ ନାରୀକେଳ ।
ହଂସଧ୍ୱଜ–ଯାଅ ଦୂତ ଶୀଘ୍ରଆଣ ପନିର ଗୋଟିଏ ।
ଦୂତ–ଯେ ଆଦେଶ ଦେବ ! (ନାରୀକେଳ ଘେନି ପ୍ରବେଶ) ନିଅ ଗୁରୁ ଏହି ନାରୀକେଳ ।
ପୁରୋହିତ–ଆଚ୍ଛା ! ତୈଳମଧ୍ୟେ ଏହି ଜଳଦେଇକରି ଆସେ ପରୀକ୍ଷା ମୁଁ ଯାଇ ।
(ପ୍ରସ୍ଥାନ । ନେପଥ୍ୟେ ମଲି, ମଲି.....ଶବ୍ଦ)
ହଂସଧ୍ୱଜ–ଦେଖ ଦୂତ, ଦେଖ ଶୀଘ୍ର କି ହେଲା ଘଟଣା ? (ଦୂତ ଦେଖି ଆସି) ମହାରାଜା ! ପୁରୋହିତ ଅନଳରେ ଢାଳୁ ଜଳ ନେଇ, ଉଠିଣ ଅନଳ ମହା ପ୍ରଚଣ୍ଡ ଭାବରେ, ଅର୍ଦ୍ଧଦଗ୍ଧ କଲା ତାଙ୍କ କପାଳ ଦେଶକୁ, ଆସୁଛନ୍ତି ଅସ୍ତବ୍ୟସ୍ତ ଭାବେ ।
(ପୁରୋହିତ ବ୍ୟସ୍ତଭାବେ ପ୍ରବେଶ)
ପୁରୋହିତ–ମହାରାଜ, ଫଳାଫଳ ପାଇଛି ସ୍ୱହସ୍ତେ, ବଡ଼ ଅଟେ ମୁହିଁ ଅପରାଧୀ, ପ୍ରକୃତରେ ହରିଭକ୍ତ ଅଟନ୍ତି ସୁଧନ୍ୱା, ତପ୍ତତୈଳ ନିକ୍ଷେପନ୍ତେ ନାରୀକେଳ ଜଳ, ଡେଇଁ ଅନଳ ଗ୍ରାସିଲା ମୋ କପାଳଦେଶ, ଭାଗ୍ୟବଳୁ ରହିଗଲି ପ୍ରାଣେ । ଦେଖ ରାଜା ! କପାଳରେ କାଳିମାର ଚିହ୍ନ । (ଓଃ ଓଃ ଜଳିଲା ଜଳିଲା କହି ବସିଯିବା) ।
ହଂସଧ୍ୱଜ– ଗୁରୁଦେବ ! ଦେଇ ଅଉଷଧି ଆରୋଗ୍ୟ କରିବା କ୍ଷଣେ ତାହା, ବ୍ୟସ୍ତ ହୁଅନାହିଁ ଆଉ ଏତେ ।
ସୁଧନ୍ୱା–ମା, ଆଉ ନ ପାଇବ ଏଡ଼େ ଶୁଭବେଳ ତିଳେ, ସାଜି ଦିଅ ବୀର ବେଶେ ପୁତ୍ରକୁ ତୁମ୍ଭର ଏହିଠାବେ ।
(ସୁଧନ୍ୱାର ପ୍ରବେଶ)
ଗୀତ–ମାତା ପ୍ରତି ସୁଧନ୍ୱା – କୁଞ୍ଜ ବନରେ କାଳିଆ – ବୃତ୍ତେ
ସାଜି ଦେ ମାଆ ଆଜି ମୋତେ ବୀର ସାଜରେ ।
ମାଜିଛି ଅସ୍ତ୍ର ବାନ୍ଧିଛି ବାଜୀ ରଥରେ ସଜାରେ । ପଦ ।
ବିରାଜି ଥିବେ ପାର୍ଥ ସଙ୍ଗେ, ରାଜିବନୟନ ରଙ୍ଗେ,
ପୂଜି ତାଙ୍କୁ ଭକ୍ତବରେ, ମଜ୍ଜିବି ମହା ସମରେ,
ମାନସୁ ବରଜି ବ୍ୟାଜରେ । ୧ ।
ଏ ଜୀବେ ମୋ ଅଧିକାର, ନାହିଁଟି ଅଟେ ତାଙ୍କର,
କରିବେ କିମ୍ପା ଫଜିତ, ଆଗରୁ ଅଛି ବୁଝି ତ,
ନନ୍ଦସୁତ ବ୍ରଜଗାରରେ । ୨ ।
ମଞ୍ଜୁ ମଞ୍ଜୁଳ କାଳିଆ, ଗୁଞ୍ଜରାପାଟି ମାଳିଆ,
କୁଞ୍ଜବନ ରସାଳିଆ, କଞ୍ଜନେତ୍ର ବିଟାଳିଆ,
ମୂରତି ଦେଖିବି ନଜରେ । ୩ ।
ପ୍ରଭାବତୀ–ନାଥ ! ସତେ ଯିବ ଶ୍ରୀକୃଷ୍ଣ ଅର୍ଜୁନ ସମରେ ?
ଯାହାଙ୍କର ବାଣକୁ ଡରଇ ଜନ୍ତୁରାଣ,
ତାଙ୍କ ଆଗୁଁ ଫେରି କି ଆସିବ ପ୍ରାଣ ଘେନି ?
ସୁଧନ୍ୱା– ଜାଣିଲି ରମଣୀହୃଦ ଅତିହିଁ କୋମଳ,
ସହିପାରେ ନାହିଁ ତିଳେ କଷ୍ଟ,
ପ୍ରିୟେ ଦେଖିଲ ତ ପ୍ରମାଣ ଆଗରେ,
ନିଜେ ବଞ୍ଚାଇଲେ କି ସେ ନିଜେ ମାରିବାକୁ,
ପିତଃ, ମାତ ! ଆଶିଷ କରି କୁମରେ ଦିଅ ପଦରଜ ।
ହଂସଧ୍ୱଜ–ଯାଅ ବତ୍ସ ! ରଣେ ଯଶ କର ଅରଜନ,
ଯାଉଛି ମୁଁ ତୋର ପଛେ ପଛେ କୃଷ୍ଣ ପାଶେ,
ତୁ କି ମୁକ୍ତି ହେବୁ ମୋହଠାରୁ ଜାତ ହୋଇ ?
ମୁ କି ପଡ଼ିଥିବି ଅଜଗର ଆଦି ପରି ? (ସୁଧନ୍ୱା ଓ ହଂସଧ୍ୱଜ ପ୍ରସ୍ଥାନ)
ସୁକୁମାରୀ– ଚାଲ ବଧୂ ମାତ ସଦନକୁ, ଶୁଖାନାହିଁ ଚାନ୍ଦବଦନକୁ ।
(ପ୍ରଭାବତୀକି ଘେନି ପ୍ରସ୍ଥାନ)
(ଦୁଇଜଣ ସୈନିକ ପ୍ରବେଶ)
୧ମ ସୈନ୍ୟ– ଆରେ ହେ, କୁଆଡ଼େ ପଳେଇଛୁ ?
୨ୟ–ଆବେ, ତୁଟା ଓଲୁ ନା ଭାଲୁ ?
୧ମ–ନାହିଁ, ମୁଁ ସେ ଯୋଡ଼ାଯାକ, ତୁ କଣ କଥାଟା କହିଲୁ ?
୨ୟ–କହିଲୁ କହିଲୁ, ମଥାଟା ତ ଯିବ ଆଗେ ପହିଲୁ ?
୧ମ–କଣ ହୋଇଛି ମୋ ଆଗରେ କହ, ଦିହ ସମ୍ଭାଳି ରହ ।
୨ୟ–ଯୋଉ ଲଢ଼େଇ, ଆରେ ଭାଇ ରେ, ମୁଁ ତ ମନେକଲି, ଆର ବରଷ ବାହାଘର ହୋଇଛି, କିଛି ତ କୁଆଡ଼ୁ ହୋଇନାହିଁ,
ମୋ ମଉଜ ଫଉଜ ଟିକକ କଣ ରାଇଜରୁ ଯିବ କି ?
୧ମ– ଆରେ ଏତେବେଳେ ଡରିଲେ କିଏ ଛାଡ଼ିବ ? ଆଗରୁ ଯେ ବସି ବସି ଦରମା ଖଉଥିଲେ, ବୋଦା ପାଳନ୍ତି କାହିଁକି ଜାଣୁ
୨ୟ–ହଁ ଜାଣେ, ହଣା ହବାପାଇଁ, ପୁଣି ଠାକୁରାଣୀଙ୍କି ବଳି ଦେବାପାଇଁ, ପୁଣି ମାଆ ବାପ ମାନସିକ କରନ୍ତି, ପୁଅ ରୋଗରେ ପଡ଼ିଲେ କହନ୍ତି – ମଙ୍ଗଳା ମା ! ଏ ମୁଣ୍ଡ ଯେବେ ରଖିବୁ ତୁ ମୁଣ୍ଡ ବଦଳେ ମୁଣ୍ତ ଦେବି ।
୧ମ–ଆରେ ଏ ତ ଜାଣେ, ଏକଥା ସେଇ ଭଳିକା– ବୁଝିଲୁ ?
୨ୟ–ଦେଏ ଭାଇ ! ରଜା ଦାନାରେ ଏ ରକତ, ଯାର ରକ୍ତ ତାହାରି ପାଇଁ ତ ଯିବ, ସେଥିପାଇଁ ଚିନ୍ତା କଣ ?
୧ମ– ନାହିଁ ବେ, ଆଜି ନ ଖାଇଲେ ତ କାଲିକି ଏକ ସୁଦ୍ଧା ବନ୍ଦ ଚାଲେ ଚାଲ ଛକି ଛକି ଲଢ଼ୁ ଲଢ଼ୁ ମାମଲତ ଯୋଉଯାକେ ଯିବ, ଖାଲି ବାହା ହୋଇଥିଲି ବୋଉଟା ଘରକୁ ଆସି ଯାଇଥାନ୍ତା କି ମଲାଠଉଁ ମନଟା ଏକା ପଛରେ ଭାରି ବେସ୍ତ ହେବ ଜଣାଯାଉଛି।
୨ୟ–ଚାଲବେ ଚାଲ, ମଲେ ତ ଲୋକେ ତେଣେ ଭାରି ବେସ୍ତ ହୋଇ କାନ୍ଦନ୍ତି, ତୁ ଶୁଣି ନାହୁଁ ଆ ଆ, ରଣ ବାଜା ବାଜିଲା ବେ । (ଉଭୟେ ପ୍ରସ୍ଥାନ)
ବୃଷକେତୁ–ନରାଧମ ! ଜାଣୁ ମୁହିଁ କିଏ ? ଚିହ୍ନ ଭଲକରି ଥରେ, ପିତା ଯାର ସ୍ୱୟଂ ଦିବାକର, ମାତା ଯାର ନିଜେ କୁନ୍ତି ଦେବୀ, ସେ ପିତାର ପୁତ୍ର ମୁହିଁ ? ନାମ ମୋର ବୃଷକେତୁ, ଚିତ୍ତେ ହେତୁ ରଖ ରେ ପାମର ।
ଗୀତ– ସଧୁନ୍ୱା ପ୍ରତି ବୃଷକେତୁ– ଢକା ଫିଟାଇବାକୁ ଏକାକୀ–ବୃତ୍ତେ
ଗୁଣ୍ଡାଗିରି ଦେଖା ନାହିଁ ରେ ଗେଣ୍ଡାଳ
ଗୁଣ୍ଡାକିଆ ବୁଦ୍ଧି ଛାଡ଼ି ଦେଖ ।
ଭଣ୍ଡାଭଣ୍ଡି ଥଣ୍ଡା ଥଣ୍ଡି ନ ଖଟିବ
ମୋ କାଣ୍ଡ ମୁନକୁ ଏହି ଦେଖ । ପଦ ।
ଦଣ୍ଡଧର ଦଣ୍ଡେ ଡରି ନାହିଁ ମୋର
ଖଣ୍ଡା ଖଣ୍ଡକରେ ବିଡ଼ି ଦେଖ ।
ପଣ୍ଡା ଧଣ୍ଡାମାଳ ମଣ୍ଡା ପରା ଅଛି
ତୋ ନୟନ ଯୋଡ଼ି ଫେଡ଼ି ଦେଖ ।୧।
କଣ୍ଡାମଳ ଜାତି ପରା ନ ମଣ ରେ
ଭଣ୍ଡାଭଣ୍ଡି ପଥ ତଡ଼ି ଦେଖ ।
ମୁଣ୍ଡନ କରିବି ଗୁଣ୍ଡ ଏ କାଣ୍ଡରେ
ବାହାରେ ତାହାକୁ ଯୋଡ଼ି ଦେଖ ।୨।
ସ୍ୱଧନ୍ୱା– ଆରେ ଆରେ ଦୁର୍ବୃତ୍ତ ବାଳକ,
କି ସାହାସେ କହୁ ଏଡ଼େ କଥା ?
ଳଜ୍ଜା ତିଳେ ନାହିଁ ତୋ ବଦନେ,
ଯେବେ ଜୀବନେ ରହିବୁ ବଳିଅଛି ଆଶା,
ସହସା ପଳା ରେ କୃଷ୍ଣ ପାଶେ,
ନୋହିଲେ ଏ ବାଣର ମୁନରେ ବର୍ତ୍ତି ନ ପାରିବୁ କ୍ଷଣେ ।
ଜାଣେ ତୋର ବୀରପଣ ମୁହିଁ,
ମାରିବାରୁ ଭାରତ ସମରେ, ଅର୍ଜୁନ ତୋ ପିତା ବର୍ବର ।
ତେଣୁ ପ୍ରାଣ ଡରେ ପଶିଲୁ ଶରଣ ତାର ପଦେ,
ଥିଲେ ତୋ କ୍ଷମତା, ନେଇ କି ନ ଥାନ୍ତୁ ପିତୃହନ୍ତା ପରିଶୋଧ ?
ଏବେ ଶୀଘ୍ର କର ଯୁଦ୍ଧ ।
ବୃଷ– ପ୍ରସ୍ତୁତ ମୁଁ । (ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
(ଅନ୍ୟ ଦିଗରୁ ସୁରଥ ଓ ପ୍ରଦ୍ୟୁମ୍ନର ପ୍ରବେଶ)
ପ୍ରଦ୍ୟୁମ୍ନ– ରେ ପାମର ବାଳକ,
ମରିବୁ ପଡ଼ିଛୁ ଆସି ପ୍ରଦୁମ୍ନର ଆଗେ,
ବିଛା ମନ୍ତ୍ର ନ ଜାଣି ରେ ମୂର୍ଖ,
ନାଗୁଣୀ ତୁଣ୍ଡରେ କର ଭରିବାକୁ ଯାଉ,
ତୁ ନ ମରି ଆଉ କେ ମରିବ କହ ଭଲା ?
ଯାଦବ କୁଳ ତିଳକ କୃଷ୍ଣ ସୁତ ପ୍ରଦ୍ୟୁମ୍ନର ଶର,
ତୁ କି ଯୁଝିବାର ସମକକ୍ଷ ଯୋଦ୍ଧା ଅଟୁ ?
ପଳା ପଳା ରେ ବାତୁଳା ।
ସୁରଥ– ରେ ନୁର୍ଲଜ୍ଜ ଲଜ୍ଜାହୀନ ଭଣ୍ଡ,
ତୋର ଗୁଣ କହିଲେ ସରିବ ନାହିଁ ବସି,
ଦ୍ୱାରାବତୀ ପୁରେ ଜାତ ହୋଇ,
ବଢ଼ିଲୁ ତୁ ସମ୍ବର ବାସରେ ।
ରାଘବ ମାଛ ତୋହର ମାତା,
କିବା ରୁକ୍ମିଣୀ ତୋ ମାଆ,
କହ କାହାକୁ ଆଣିବା,
କିବା ବେଧ ଛୁଆ ଭାସୁଥିଲୁ ଜଳେ,
କେହି ଗୁପ୍ତେ ଯାଇଥିଲା ପାଣିରେ ପକାଇ,
ଭଲହୋଇଥିଲେ କିରେ ପାଳିତା ମାତାରେ,
ଭାର୍ଯ୍ୟା ଭାବେ କରନ୍ତୁ ରମଣ ?
ପ୍ରଦ୍ୟୁମ୍ନ– ରେ ପାଷାଣ୍ଡ ! ତୁ କାହୁଁ ଜାଣିବୁ ମର୍ମ ତାର ?
ଅଟେ ବଡ଼ ସେ ଗହନ କଥା,
ମୂର୍ଖକୁ ବୁଝାଇ ବେଦ ଫଳ କିଛି ନାହିଁ,
କର କର କର୍ତ୍ତବ୍ୟ ପାଳନ ।
ସୁରଥ– ରେ ନିର୍ଲଜ୍ଜ ଚୋରା କୃଷ୍ଣ ସୁତ,
କିଛି କହିବି ତୋ ପୂର୍ବାପର କଥା,
ତେବେ ଦେବି ଯଥୋଚିତ ପୁରସ୍କାର ରଣେ ।
ଗୀତ– ପ୍ରଦ୍ୟୁମ୍ନ ପ୍ରତି ସୁରଥ – ନେଏନା ନେଏନା ସଖି–ବୃତ୍ତେ ଫୁଲ ଧନୁ ଫୁଲ କାଣ୍ଡ ଧର ଭଣ୍ଡ
ମୂଲକଯାକ ତୁ ଦେଲୁ ସାରି ।
ତୋହ ଯୋଗେ ଭୂଲୋ– କରେ ଭାଇବୋହୂ
ଦେଢ଼ଶୁର ସଙ୍ଗେ ଧରାଧରି । ପଦ ।
ସ୍ୱଲୋକରେ ଲୋକ– ଶ୍ରଷ୍ଠା ଦେବ ସଭା,
ଠାବ ଦୁହିତାକୁ ଅଛି ହରି ।
ପଲକରେ ତୋହ ପିତା ଗୋଲକରେ
ଦେଲା ଗୋପୀଙ୍କ ମହତ ଜୁରୀ । ୧ ।
ତୋହ ଯୋଗେ ଜାତି ଅଜାତି ବାରଣ
ଧରମ ସଂସାରୁ ଗଲା ସରି ।
କୀଟଠାରୁ ଝିଟ ପଶୁ ପକ୍ଷୀ ଯେତେ
ସେସବୁ କାମ ତୋ ଆଜ୍ଞାକାରୀ । ୨ ।
ତୋ ଯୋଗୁ ହଜାରେ ହଜାରେ ବଜାରେ
ମହତ ବିକିଲେ ମୁଳ ନାରୀ ।
ଆରେ ପେଡ଼ା ପ୍ରେତ ଅତ୍ୟାଚାର ବ୍ରତ
ଯାବତ ଜଗତେ କଲୁ ଜାରି ।
ପ୍ରଦ୍ୟୁମ୍ନ– ରେ ଅହଂକାରୀ ଅଶ୍ୱଚୋର ପୁତ୍ର,
ଆଉ ବାକ୍ୟାଡ଼ମ୍ବରେ ନାହିଁ ପ୍ରୟୋଜନ,
କର ଯୁଦ୍ଧ ଧର ଧନୁ ଦୁଷ୍ଟ ।
ସୁରଥ– ଚିନ୍ତାନାହିଁ କିଛି, କର ରଣ । (ଉଭୟ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
(ଭୀମ ଓ ସୁଧନ୍ୱା ଯୁଦ୍ଧ କରୁ କରୁ ପ୍ରବେଶ)
ଭୀମ– ରେ ପାମର ଅଶ୍ୱଚୋର, ତୁ କି ଭୀମର ସମର ମହିମା ଜାଣୁନାହିଁ ? ଯେତେବେଳେ ଜଉଶାଳୁ ଗୁପ୍ତ ବନବାସ କରିଥିଲି ସେକାଳେ କୁମ୍ଭୀରୀ କିନ୍ନରୀ ବକ ହିଡ଼ମ୍ବକ ଆଦି ବଧ କରିଛି, ଗୋଳ ରଣରେ ଦୁର୍ଯ୍ୟୋଧନାଦି ଶତ ଭ୍ରାତାଙ୍କର ମରଣ ଏହି ବୃକୋଦର ଗଦାରେ । ରେ ବାଳକ, ଆଜି ବୃକୋଦର କରସ୍ଥିତ ଗଦା ତୋର ଯମାଳୟର ପଥ ପ୍ରଦର୍ଶକ, ଏହା ଭଲ କରି ମନେରଖ ।
ସୁଧନ୍ୱା– ହେ ମହବୀର ! ଯା କହିଲି ତାହା ଅନ୍ୟ ଆଗରେ କହିଲେ ସେ ବିଶ୍ୱାସ କରିବ, କିନ୍ତୁ ଧାର୍ମିକପ୍ରବର ବୀର ହଂସଧ୍ୱଜ ପୁତ୍ର ସୁଧନ୍ୱା କଦାପି ବିଶ୍ୱାସ କରି ନ ପାରେ । ବେଳ ତ ଯାଇନାହିଁ, ଏକ୍ଷଣି ତାର ପରୀକ୍ଷା ହେଉ ।
ଭୀମ– ଚିନ୍ତା ନାହିଁ, କର ଗଦାଯୁଦ୍ଧ ତେବେ ଭୀମର କ୍ଷମତା ଜାଣି ପାରିବୁ ।
(ଯୁଦ୍ଧ କରୁ କରୁ ଉଭୟେ ପ୍ରସ୍ଥାନ)
ଅର୍ଜୁନ– ଏ କଣ ! ଏପରି ରଣ ତ କେବେ ଏ ପାର୍ଥର ନେତ୍ର ଦେଖିନାହିଁ, ଏକାକୀ ବାଳକ ସୁଧନ୍ୱା ଶତ ଶତ ପାଣ୍ଡବ ବାହିନୀକି ପରାଜିତ କରୁଛି, ଭୀମ ବୃଷକେତୁ, ପ୍ରଦ୍ୟୁମ୍ନାଦି, ବୀର ସିଂହମାନେ ନିସ୍ତେଜ ଭଜିଲେଣି, ଆଜି କି ମହାପ୍ରଳୟର ଦିନ, ଜଣାଯାଏ ଧରା ରସାତଳେ ଯିବ, ଓଃ କି ବାଣଶିକ୍ଷା ଉଲ୍କାସମ ! ବାଣଗଣ ଛୁଟନ୍ତି ଚୌଦିଗେ, ରଥର ଘର୍ଘର ଧ୍ୱନିରେ ପବନର ଗତିରୁଦ୍ଧ, ମତ୍ତହସ୍ତୀ କମଳ ବନ ଦଳନ କଲା ପରି ମୋର ସମସ୍ତ ସେନା ଦଳିପକାଉଛି । ଧନ୍ୟ, ଧନ୍ୟ, ବୀର ସୁଧନ୍ୱା ! ଜଣାଯାଏ ଆଜି ପାଣ୍ଡବ କୌରବ ରବି ଅସ୍ତମିତ ହେବ । ଏହି ଯେ ସମସ୍ତଙ୍କୁ ପରାସ୍ତ କରି ମୋହରି ଆଡ଼କୁ ଛୁଟିଛି ।
ସୁଧନ୍ୱା–(ପ୍ରବେଶି) ମହାବୀର, ମହାବୀର, ତୃତୀୟ ପାଣ୍ଡବ, ମନେକରନା, ଲୁଚିଲେ ମୃତ୍ୟୁକାଳରେ ଯମକୁ ଭଣ୍ଡିବ । ଆସ ଆସ ସୁଧନ୍ୱା ସହିତ ରଣ ପରୀକ୍ଷା କର । ଦେଖ ଦେଖ, ତୁମ୍ଭର ସମସ୍ତ ସେନା ମୋର ସମରରେ ପରାଜିତ, ଅବଶିଷ୍ଟ ତୁମ୍ଭେ
ଅର୍ଜୁନ–ବର୍ବର ହୟ ହରଣକାରୀ ହଂସଧ୍ୱଜ ପୁତ୍ର ! ଥାଉ ଥାଉ ସେ ଆସ୍ପର୍ଦ୍ଧା, ତୁ କି ଜାଣୁ ନା – ନିର୍ବାତକବଚ ପରାଜିତକାରୀ ଗାଣ୍ଡିବଧାରୀର କ୍ଷମତା ? ଯେ ଏହି ଗାଣ୍ଡିବ ବଳରେ ସାତଦିନ ସସାଗରାଧରାକୁ ଧାରଣ କରିଛି, ଯେ ଏହି ଗାଣ୍ଡିବ ପାଇଁ ଖାଣ୍ଡବ ପୋଡ଼ି ଅଗ୍ନିକି ବ୍ୟାଧିମୁକ୍ତ କରିଛି, ଶିବଦତ୍ତ ପାଶୁପତ, ଦୁର୍ଗାଦତ୍ତ ଅକ୍ଷୟତୂଣୀର, ଗଙ୍ଗାଦତ୍ତ ନୀଳବାଣ, ଭୁଜ ବାଣକୁ ଯେ ଧାରଣ କରେ, ତୁ ତା ନିକଟରେ କି ଦର୍ପ ଦେଖାଉ ନରପଶୁ ? ଜୀବନରେ ଯେବେ ମମତା, ଅଶ୍ୱଦେଇ ଦୋଷ ପ୍ରତି କ୍ଷମା ମାଗି ନିଅ ।
ସୁଧନ୍ୱା–ବିଜୟ ! ସବୁ ଜାଣେ, ସବୁ ଶୁଣେ, କିନ୍ତୁ ବିଶ୍ୱାସ ହୁଏନାହିଁ, ତାର କାରଣ ଶୁଣ ।
ଗୀତ–ଅର୍ଜୁନ ପ୍ରତି ସୁଧନ୍ୱା –ଏ ଭିକ୍ଷାରେ ମୋର–ବୃତ୍ତେ
କାହା ବଳେ ଜୟ କରିଛି ବିଜୟ
ମହାଭାରତ ସମର ।
ଭୀଷ୍ମ ଦ୍ରୋଣ ଆଗେ ତୁମ୍ଭେ ତୃଣ ତୁଲ୍ୟ
ଜାଣନ୍ତି ନର ଅମର ।
ଭବ ଭୟହାରୀ ହେ, ସାରଥି ତୁମ୍ଭରି ହେ,
ସେ ଶକ୍ତୁ କେ ଯିବ ତରି । ୧ ।
ତା ଛଡ଼ା ପାଣ୍ଡବେ କହ କେଉଁଠାବେ
କରିଛନ୍ତି କେତେ କର୍ମ ?
ସରିଛି ଯା ତହୁଁ ସର୍ବ ଧର୍ମ ମର୍ମ
ସଜୀବେ ତୁମ୍ଭେ ପରମ ।
ମରମରେ ହେଜ ହେ, ଭରମେ ନ ମଜ୍ଜ ହେ,
ସମଜି ସେ ନାମେ ମଜ୍ଜ । ୨ ।
ଦ୍ରୋଣ ଚକ୍ରବ୍ୟୂହ୍ୱେ ମଲା ପୁତ୍ର ତବ
ସପତ ରଥୀଙ୍କ ବାଣେ ।
କୃଷ୍ଣ ଥିଲେ ଏଡ଼େ ଆଫତ କି ପଡିଥାନ୍ତା
ଥାନ୍ତା, ସେଥି ଚାରିଜଣେ ।
କରନା ଗରବ ହେ, ନ ଲଗା ପରବ ହେ,
ସେ ଯେ ଅମୂଲ୍ୟ ଦରବ । ୩ ।
ଅର୍ଜୁନ–ଦୁର୍ବୃତ୍ତ ବାଳକ ! ସେ ପବିତ୍ର ଭତ୍ସନା ଥାଉ, ଏକ୍ଷଣେ କର୍ତ୍ତବ୍ୟ ପାଳନ କର । ତୋର କଟୁ ମଧୁମିଶା ଭାଷା ଅତୀବ ଅସହ୍ୟ, ଧର ଧନୁ, କର ଯୁଦ୍ଧ, ବିଳମ୍ବ କର ନାହିଁ ।
ସୁଧନ୍ୱା– କଣ କରିବି କିପରି ଅର୍ଜୁନକୁ ଯୁଦ୍ଧରେ ପରାସ୍ତ କରିବି ? ଯାହାଙ୍କୁ ଦେଖି ଏ ନେତ୍ର ପବିତ୍ର ହେବ, ମଲେ ମଧ୍ୟ ଯଶ, ସେହି ବଙ୍କା ବଂଶଧାରୀ ଶଙ୍ଖାରୀ ଯେ ପାର୍ଥର ରଥରେ ନାହନ୍ତି ଦେଖୁଛି– ଅନ୍ୟ ଏକ ସାରଥି ରଥ ଚଳାଉଛି । ଆଗେ ତାକୁ ବିନାଶ କଲେ ନିଶ୍ଚୟ ସଖା ବିପଦ ସହି ନ ପାରି ଅହି ଦର୍ପଦଳା ଅର୍ଜୁନ ରଥରେ ଆସି ଅଶ୍ୱ ସଂଚାଳନ କରିବେ, ଏହି ଉପାୟ ମୋର କର୍ତ୍ତବ୍ୟ ।
ଅର୍ଜୁନ–ଡରିଲୁ କି ବାଳକ ? ନୀରବ କାହିଁକି ? ଅସ୍ତ୍ର ଉତ୍ତୋଳନ କର ।
ସୁଧନ୍ୱା–ଧର ଧନୁ, ଡରି ନାହିଁ, ତୁମ୍ଭରି ମରିବା କଥା ଭାବୁଛି ।
(ଉଭୟ ଯୁଦ୍ଧ– ସାରଥିର ଶିର ଛେଦନ)
ଅର୍ଜୁନ-ରେ ବାଳକ ! ମୋର ସାରଥିର ପ୍ରାଣ ହରଣ କଲୁ, ଏବେ ମନେକରନା ଅର୍ଜୁନ ବୀରଥି ।
ସୁଧନ୍ୱା–(ସ୍ୱଗତଃ) ଜାଣେ , ଏଥର ଅର୍ଜୁନକୁ ବାଣାଘାତେ ଅସ୍ତବ୍ୟସ୍ତ କଲେ ନିଶ୍ଚୟ କୃଷ୍ଣ ଏଥକୁ ଆସିବେ, ମୋର ମଧ୍ୟ କାମନା ପୂର୍ଣ୍ଣ ହେବ । (ପ୍ରକାଶ୍ୟେ) ବୀରବର ବିଜୟ ! ଜୟ ଆଶା କି ଭୁଲିଗଲୁ ? ଶୀଘ୍ର ଶୀଘ୍ର ରଣ କର, ବାଣ ଜାଲରେ ଗଗନ ଛାଇଦିଅ, ଧରଣୀ କମ୍ପିଉଠୁ, ଚନ୍ଦ୍ର, ସୂର୍ଯ୍ୟ ମହୀରେ ଲୋଟୁ, ଆଉ ଭୟ ନାହିଁ ଆଉ ଭୟ ନାହିଁ, ଦେଖ ଦେଖ ସମସ୍ତ ବୀରେ ଅସ୍ତ୍ର ଶସ୍ତ୍ର ଫିଙ୍ଗି ଆମ୍ଭ ରଣ ଦେଖବାକୁ ନିମଳିତ ନେତ୍ରରେ ଛିଡ଼ାହୋଇଛନ୍ତି ।
ଅର୍ଜୁନ–ରେ ବାଳକ ! ସେ ନିମନ୍ତେ ଗାଣ୍ଡିବୀ ପ୍ରସ୍ତୁତ ରହିଛି । ଧର ଧନୁ ହଂସଧ୍ୱଜ ପୁତ୍ର ।
(ଉଭୟର ଯୁଦ୍ଧ– ଅର୍ଜୁନ ନିରାଶ ଭାବେ ଠିଆ ହେବା )
ଅର୍ଜୁନ–(ସ୍ୱଗତଃ) ନା, ନିଶ୍ଚୟ ଏ ବାଳକ ମୋତେ ପରାଜିତ କରିବ । ହରି ! ତୁମ୍ଭେ ଥାଉ ଥାଉ ଅର୍ଜୁନ ଆଜି ଭଦ୍ରାବତୀରେ ଆସି ବାଳକଠାରୁ ଅପମାନ ଭୋଗୁଛି, ଯାଦବପତି ! ଯେବେ ଏପରି କରିବା ଚିତ୍ତରେ ଥିଲା ଚିନ୍ତାମଣି ! ଅଶ୍ୱମେଧର ମନ୍ତ୍ରଣା ଦେଇ, ଶେଷରେ ଏ ଯନ୍ତ୍ରଣା ଦେବା, ଏହାକି ଜଗତକୁ ସୁନ୍ଦର ଦିଶିବ ? ନାରାୟଣ, ଶୀଘ୍ର ଏଠାକୁ ଆସି ଅର୍ଜୁନକୁ ରକ୍ଷା କର, ପାଣ୍ଡବ ସଖା ନାମରେ କଳଙ୍କ ନ ରଟୁ, ହରି, ହରି ।
ଶ୍ରୀକୃଷ୍ଣ–(ପ୍ରବେଶି) ଅର୍ଜୁନ ! ମୁଁ ଆସିଛି, କହ ଏପରି ଦୁଃଖିତ ହୋଇ ରଣ ଭୂମିରେ ଧନୁର୍ବାଣ ସ୍ତମ୍ଭନ କରି ବସିଛ କାହିଁକି ?
ଅର୍ଜୁନ–ପ୍ରଭୋ ! ଯେ ମୋ ସ୍ମରଣ କରିବା ଜାଣିପାରି ଏଠାରେ ଦେଖା ଦେଲେ, ସେ କି କାରଣ ଜାଣନ୍ତି ନାହିଁ ? ବନମାଳୀ ! ଏକ୍ଷଣି ସଖା ତୋର ସାରଥିହୀନ, କିପରି ସୁଧନ୍ୱାକୁ ପରାସ୍ତ କରି ଯଜ୍ଞାଶ୍ୱ ମୁକ୍ତି କରିବି ତାର ପ୍ରତିକାର କରନ୍ତୁ ।
ସୁଧନ୍ୱା–ଆହା ! ଏ ଯେ ନୀଳ ନୀରଦ ନିନ୍ଦିତ କାନ୍ତି ସୁରାସୁର ବନ୍ଦିତ ନନ୍ଦନନ୍ଦନ ବଂଶୀବଦନ ଯେ ପାର୍ଥ ରଥରେ– ଧନ୍ୟରେ ପାଣ୍ଡବେ ଧନ୍ୟ ତୁମ୍ଭର ସୁକୃତ ।
ଗୀତ–ସୁଧନ୍ୱା–ବନଫୁଲ ହାରେ–ବୃତ୍ତେ
(ଏହି) କମଳାବଲ୍ଲଭ ଦୁର୍ଲଭ ଚରଣ ପଲ୍ଲବରେ ମନ ଲଗା ରେ
ସୁଲଭ ଏ ଜାଣ ମରଣକାଳକୁ ଜଳ ଘାଟ ବାଟ ଜଗାରେ । ପଦ ।
ନିର୍ଲୋଭ ଅନ୍ତରେ ଆରେ ରସନା,
ପୂର୍ଣ୍ଣ କର ନାମେ ରସି ବାସନା,
ଭାସନା ଭାସନା ମାୟା ଜଳାର୍ଣ୍ଣବେ ବେଳ ଥାଇ ଲଗା ପଘା ରେ । ୧ ।
ଭକ୍ତିଡୋରେ ବନ୍ଧା ଏ କାଳେ କାଳେ,
ଭକତ ବାନ୍ଧିଲେ ତିଳେ ନ ଚଳେ ।
ରୋଳେ ବନ୍ଧିଥିଲା ଯଶୋଦା ଗୋପିନୀ ଏ ଯେ ଅଘାତାଳୁ ଭଙ୍ଗା ରେ।୨।
ଯେବେ ତୋ ହାତରେ ଅଛି ସେ ଦାଉ ।
ଆଗରେ ପଡ଼ିଛି ନ ଛାଡ଼ ଆଉ ।
ଆଖି ପିଛଡ଼ାରେ କେଣେ ଲୁଚିଯିବ ଦହି ଦୁଧ ସର ମଗା ରେ । ୩ ।
କୃଷ୍ଣ– ଧର ଧନୁର୍ବାଣ ବେଗେ ବାସବର ସାନୁ ।
(ଅର୍ଜୁନ ସୁଧନ୍ୱା ନିକଟରେ ପ୍ରବେଶ)
ଅର୍ଜୁନ– ରେ ରେ ଅଶ୍ୱଚୋର ରାଜପୁତ୍ର,
ନୀରବେ କି ଭାବୁ ବସି, ଧର ଧର ଧନୁ ।
ସୁଧନ୍ୱା– ବୃଥା କିପାଁ ବୀରଦର୍ପ ଦେଖାଉ ଗାଣ୍ଡିବୀ ?
ନ ପାରିବୁ ମୋତେ ରଣେ ଜିଣି ।
ଅର୍ଜୁନ- ରେ ଗର୍ବିତ ବାଳକ !
ଦେଖିବୁ ଏକ୍ଷଣି ମୋର ରଣ ରଙ୍ଗ ନୀତି,
ଶ୍ରୀକୃଷ୍ଣ ବଦନ ଚାହିଁ କରୁଅଛି ପଣ,
ଏହି ବାଣେ ନେବି ତୋ ପରାଣ ।
ସଧୁନ୍ୱା–ନିଶ୍ଚେ ପଣ ଭଙ୍ଗ ତବ ଭଟିବ ବିଜୟୀ,
କୋଟି କୋଟି ବାଣେ କାଟି ନ ପାରିବୁ ମୁଣ୍ଡ,
ଧର ଧର ଗାଣ୍ଡିବ କୋଦଣ୍ଡ ।
(ରଣବାଦ୍ୟ ଉଭୟ ଯୁଦ୍ଧ, ସୁଧନ୍ୱାଠାରୁ ଅର୍ଜୁନ ପରାସ୍ତ)
କୃଷ୍ଣ–ବୃଥା ପଣ କରିଲୁ ଗାଣ୍ଡିବୀ ।
ସୁଧନ୍ୱାରେ ଜିଣିବା ତୋ
ହେବ ଅସମ୍ଭବ, ମୋର ଭକ୍ତଶ୍ରେଷ୍ଠ ସେହି ବୀର,
ନିଷ୍ପାପ ଶରୀର ତାର ନୋହିବ ନିଧନ ।
ଅର୍ଜୁନ– ଅଭୟ ଚରଣ ଯାର ସହାୟ ରସାରେ,
ତାର କି ଭୟ ଏ ଛାର ସୁଧନ୍ୱା ରଣକୁ ?
ଏହିବାର ପୂରିବ ପ୍ରତିଜ୍ଞା ଦେଖି ହରି
ସୁଧନ୍ୱା– ନିସ୍ତେଜ କି ହେତୁ ଇନ୍ଦ୍ର ସୁତ ?
ମର ଅବା ମାର ଧନୁ ଧର ବେଗ କରି ।
(ଉଭୟର ରଣ, ଅର୍ଜୁନ ସୁଧନ୍ୱା ବାଣେ ମୋହ)
ସୁଧନ୍ୱା– ଏକାଳେ ପଡ଼ିଛି ମୋହେ ବୀରବର ପାର୍ଥ,
ନ ପାଇବି ଏମନ୍ତ ସୁଯୋଗ,
ଜଣାଇବି ମନଭାବ ପଦେ । ୧ ।
ଗୀତ–ସୁଧନ୍ୱା–ଅନ୍ଧ ହୋଇ ମଧୁ–ବୃତ୍ତେ
ମିଳିଛି ମୋ ଖୋଜିଲା ନିଧି
ଏତେକାଳେ ଆଜି ଆକ୍ଷି ଆଗରେ ।
ଶୁକ ସନକ ଜନକ ସନାତନ,
ପାଇ ନାହାନ୍ତି ଯା ପଦଯୁଗରେ । ପଦ ।
ତ୍ରିଭୁବନ ଲୋଡ଼ିଲା ଯାଇ,
ବିହି ପାଦ ଧୋଇବା ପାଇଁ ।
ହେ କରୁଣାକର ବକା ଦେଲ କରି,
ଶୁଣିଛି ଏ ବାଣୀ ତ୍ରେତାଯୁଗରେ । ୧ ।
ଧ୍ରୁବ ପ୍ରହଲାଦେ ଉଦ୍ଧରି–
ଅଛ ଏହା ଶୁଣିଛି ହରି ।
ମୋତେ ତାଙ୍କ ସଙ୍ଗେ ଜଣେ ନିଅ କରି,
ଯଶ ଘୋଷିଥିବି ଚାରି ଯୁଗରେ । ୨ ।
ଯେବେ ଭୃତ୍ୟଠାରେ କପଟ,
ଚକ୍ର ଦାଢ଼େ ଏ ମୁଣ୍ଡ କାଟ ।
ନକ୍ର ଶିର ଭଞ୍ଜା ଶକ୍ର ଗର୍ବଗଞ୍ଜ,
ଛାଡ଼ିବି ନାହିଁ ଏ ଶୁଭ ଯୋଗରେ । ୩ ।
କଥା– ହେ ଦୟାନିଧି କରୁଣା ଆଧାର !
ବରୁଣ ଜେମା ଜୀବନ,
ଶରଣାଗତରେ ନ କରିବ ଚିତ୍ତରୁ ଅନ୍ତର,
ଯେବେ କରିଥିବ ଭୃତ୍ୟ ଅପରାଧ ପଦେ,
କ୍ଷମାଗୁଣେ କ୍ଷମ ରମାକାନ୍ତ ।
କୃଷ୍ଣ– ସ୍ଥିର ହୁଅ ବୀର ! ତୁହି ମୋର ଭକତ ପ୍ରଧାନ,
ତପ୍ତ ତୈଳୁ ତାରିଅଛି ତୋତେ ଯେତେବେଳୁ,
ସେତେବେଳୁ କିଣିଛୁ ମୋତେ ଭକ୍ତିଧନ ଦାନେ,
ମାଗି ନିଅ ଇଚ୍ଛା ଯାହା ଦେବି ଅକାତରେ,
ମୋହ ତେଜି ଏହିକ୍ଷଣି ଉଠିବ କିରୀଟି,
ଦେଖିଲେ ଘଟିବ ମହାଦ୍ୱନ୍ଦ୍ୱ ।
ସୁଧନ୍ୱା– ନାହିଁ ଇଚ୍ଛା ବନମାଳୀ ଆନ ବରେ ମୋର,
ମୋର ପ୍ରଜାଗଣେ ଦେଇ ଦରଶନ,
କରନ୍ତୁ ଉଦ୍ଧାର ତାଙ୍କୁ କୃତାନ୍ତ ଦାଉରୁ,
ଆଉ ଏକ ବାଞ୍ଛା ବାଞ୍ଛାନିଧି ।
ରଙ୍କକୁ ପଦ ପଙ୍କଜେ ଅନ୍ତେ ଦେବ ସ୍ଥାନ ।
କୃଷ୍ଣ– ତଥାସ୍ତୁ ! ଯାର ବୀର କର ଯା ସମର ।
ସୁଧନ୍ୱା– ଯଥା ଆଜ୍ଞା ପ୍ରଭୋ ! (ସୁଧନ୍ୱାର ନିଜ ରଥ ଆହୋରଣ)
କୃଷ୍ଣ– ଉଠ ସଖା ! ମାତ ରଣେ ଭୀତି ପରିହରି ।
ଅର୍ଜୁନ– (ଉଠି) ଯାଅ ନରାଧମ ଯମାଳୟେ ଏହି ଶରେ ।
(ସୁଧନ୍ୱା ସହ ରଣ, ସୁଧନ୍ୱା ପଳାୟନ)
ଅର୍ଜୁନ– ପଳାଇଛି ପ୍ରାଣ ଭୟେ ଦୁଷ୍ଟ ।
କୃଷ୍ଣ– ତାହା ନୁହେଁ ପାର୍ଥ ! ସେ ଆଶା ପୋଷ ନାହିଁ ମନେ, ଏହି ଦେଖ ଫେରିଲାଣି ବୀର ।
ସୁଧନ୍ୱା– ହେ ବିଜୟ ! ଦେଖ ମୋର ପଣ । (ଯୁଦ୍ଧେ ଅର୍ଜୁନ ପରାସ୍ତ ହୋଇ ପଳାୟନ)
ସୁଧନ୍ୱା– ଓଃ କି କଲି ମୁଁ, କି କଲି ମୁଁ,
ଅର୍ଜୁନ ରଣ ସହିତ ମୋ ମୁକତି ଦାତାଙ୍କୁ,
ଦୂରେ ଦେଲି ଠେଲି, ହାଏ ହାଏ,
ହରି ! କ୍ଷମା କର ଅପରାଧ ମୋର ।
କୃଷ୍ଣ– ଧନ୍ୟ ଧନ୍ୟ ଧନ୍ୟ ରେ ସୁଧନ୍ୱା !
ହଟାଇଲୁ ଶତ ହସ୍ତ ନନ୍ଦୀଘୋଷ ମୋର ।
ଅର୍ଜୁନ– କି ଯୁଦ୍ଧ କରିବି ଯଦୁନାଥ ?
ମୁହିଁ କଲି ତାରେ ପରାଜିତ ଯେତେବେଳେ,
ନ କହିଲେ କିଛି ନାରାୟଣ,
ସେ ଠେଲି ଦେବାରୁ ରଥ ମୋର,
ପ୍ରଶଂସାର ପାତ୍ର ଗଲା ହୋଇ,
ଶତ୍ରୁର ପ୍ରଶଂସା ଶୁଣି ଜଳେ ଏ ଅନ୍ତର ।
କୃଷ୍ଣ– ମନେ କର ରେ ଅର୍ଜୁନ କର୍ଣ୍ଣ ରଣ କଥା,
ଥରେ ତୋତେ କହିଛି ସେ ମର୍ମ,
ସମସ୍ତ ବିଶ୍ୱ ତୋ ରଥେ ଅଛି ଲଦା ହୋଇ,
ତୋ ରଥର ଭାର ନିଶ୍ଚେ ତାଠାରୁ ଅଶେଷ,
ସେ ନହେବ ପ୍ରଶଂସାର ପାତ୍ର କେଉଁପରି ?
କର କର ସମର କିରୀଟି ।
ସୁଧନ୍ୱା– କିପାଇଁ ନିଶ୍ଚଳେ ପାର୍ଥ ବସିଛ ରଥରେ,
ଦୁର୍ବଳ କି ହେଲା ତବ ଅଙ୍ଗ ?
ସେ ଯୋଗେ ନୀରବ ଏବେ,
କଢ଼ାଅ ସମର ବେଳ ହେବ ଅବସାନ ।
ଅର୍ଜୁନ– କି କରିବି କହ ଯଦୁନାଥ ?
କୃଷ୍ଣ– ନୀଳ ବାଣ ଭୁଜ ବାଣ ସହ, ପେଷରେ ନାରାଚ ପାଶୁପତ,
ବ୍ରହ୍ମାସ୍ତ୍ର ବିନୁ ଆନରେ ନାହିଁ ତା ମରଣ ।
ଅର୍ଜୁନ– (ଅର୍ଜୁନ ଶର ସନ୍ଧାନ) ରେ ବାଳକ !
ସମ୍ଭାଳ ଏ ତିନିଗୋଟି ଶର ।
ସୁଧନ୍ୱା– ଓଃ ! ଏ କି ମୋର ପ୍ରାଣହନ୍ତା କାଳ ?
ନିଶ୍ଚୟ ଏ ଶିବଦତ୍ତ ପାଶୁପତ ବାଣ,
ମୁଖେ ଜଳେ ହୁତାଶନ ଶତସୂର୍ଯ୍ୟ ତେଜେ,
ହରି, ହରି, ପ୍ରାଣ ଯିବାବେଳେ ଥରେ ଚାହିଁବ କି ଭକ୍ତେ ?
କୃଷ୍ଣ– ଏ ବଡ଼ ବିଷମ ସନ୍ଧି ସ୍ଥଳ,
ଦୁଇଟିଯାକ ପଦାର୍ଥ ଅଟଇ ମୋହରି,
କାହାକୁ ଭାଙ୍ଗିବି ପୁଣି ରଖିବି କାହାକୁ,
ନ ରଖିଲେ ଅର୍ଜୁନର ମାନ,
ବନେ ଯିବ ନ ଯାଇ ହସ୍ତିନା ।
ସୁଧନ୍ୱା– ନାରାୟଣ କମଳାରମଣ !
ଦେଖୁଅଛି ଚିନ୍ତିତ ମୋପାଇଁ, ସଙ୍କଟରେ ପଡ଼ିଛନ୍ତି ହରି !
ଗୀତ– ଶ୍ରୀକୃଷ୍ଣ ପ୍ରତି ସୁଧନ୍ୱା – ଚୋଖି ବୃତ୍ତେ
ବାଞ୍ଛାନିଧି ! ବାଞ୍ଛା ମୋର ଲଭିବାକୁ ତୋ ପୟର
ଭୟରେ କହୁନାହିଁ ଏ ବାଣୀ ପଦକ ।
ଆହେ ବଳିଆର ବାହୁ ଅର୍ଜୁନର ପଣ ରହୁ
ଛେଦ ଶିର ଯାଉ ପ୍ରାଣ ବୈକୁଣ୍ଠଲୋକ ।
କୌସ୍ତୁଭ ପଦକ ଭୂଷଣ,
ଛାର ଭୃତ୍ୟ ଲାଗି କିମ୍ପା ପାଅ କଷଣ । ୧ ।
ମୋ ଜୀବନ ମହାଯାଗ ଆଜି ତ ହୋଇବ ସାଙ୍ଗ
ନ ମିଳିବ ଏ ସୁଯୋଗ କାହାକୁ ଭବେ ।
ଭବ କର୍ଣ୍ଣଧାର ହରି ଥିବେ ଅଗ୍ରତେ ତାହାରି
ଶତପତ୍ର ନୟନରେ ଅନାଇଥିବେ ।
ଏ ଜୀବନ ଯିବ ବାହାରି,.
ଛୁଇଁବ ନାହିଁ କୃତାନ୍ତ ଦେହ ତାହାରି । ୨ ।
ଯାର ନାମ ଅନ୍ତଃକାଳେ ତୁଣ୍ଡେ ଭଜି ପ୍ରାଣୀ ଚଳେ
ଯମ ତ୍ରାସ ଏଡ଼ି ବଇକୁଣ୍ଠ ଆଳକୁ ।
ତାକୁ ପାର୍ଥ ରଥ ପରେ ଦେଖୁ ଦେଖୁ ନୟନରେ
ମରି ଯଶ ରଖି ଯିବି କାଳକାଳକୁ ।
ହେ ହରି ଇନ୍ଦିରାବଲ୍ଲଭ !
ଦତ୍ତ କର ଅନ୍ତଃକାଳେ ପଦପଲ୍ଲବ । ୩ ।
ଅର୍ଜୁନ – ରେ ବାଳକ ! ଆଉ ତୋର ନାହିଁ ରକ୍ଷା ଏ ବାଣ ବନ୍ଧନୁ,
ଗଲା ପ୍ରାଣ ସମ୍ଭାଳ ଏଥର ।
ସୁଧନ୍ୱା– ଆସ ପାର୍ଥ । (ଯୁଦ୍ଧ) ଦେଖିବି କି ଯୁଗଳ ମୂରତି ହରି ହରି ,
(ଯୁଦ୍ଧ ସୁଧନ୍ୱାର ମୃତ୍ୟୁ ପତନ) (ଦେବବାଳାମାନଙ୍କରେ ପୁଷ୍ପ ବୃଷ୍ଟି ଓ ଗୀତ)
ଗୀତ – ଗାଅ ଗାଅ ଗାଅ ସହଚରୀ– ବୃତ୍ତେ
ଗାଇ ଭକ୍ତ ବୀର ଯଶରାଶି, ଫୁଲ ମାଳ ଫିଙ୍ଗି ହସି ହସି ।
ଭାସି ଭକ୍ତିନୀରେ ଗମିଲା ସଧିରେ
ଦିନ ନେବ ବଇକୁଣ୍ଠ ବସି । ପଦ ।
ଦେଖାଇଲା କେତେ ବୀରପଣ,
ଶିଖାଇଲା ଲୋକେ ହରିଗୁଣ,
ଚଖାଇଲା ହରି ନାମ ପ୍ରେମପଣା
ତରିଲେ ପରଜାରାଶି । ୧ ।
ଧନ୍ୟ ଭକ୍ତ ବୀର ଶିରୋମଣି,
କେତେ ଖ୍ୟାତି ରଖିଗଲୁ ପୁଣି ।
ବୁଣିଦେଲୁ ଯେଉଁ ବୀଜ ବସୁଧାରେ
ନ ଯିବ ସେ କାଳସ୍ରୋତ ଭାସି । ୨ ।