ଗୀତ-(ଗୁଣୁ ଗୁଣୁ ଏତେ ହେଉଛୁ କହରେ...ବୃତ୍ତେ)
ଆରେ ଶୀତ ନାହିଁ ତୋ ଚିତ୍ତରେ ହିତାହିତ ବିଚାର ।
ମିତ ତୋର ପିତ୍ତ ତୋ ଋତୁରେ ଦେହେ ହୁଏ ସଂଚାର ।ପଦ।
ଗରିବଙ୍କଠାରୁ ଗାଳି କେତେ ସହୁ ଚଳି କେତେ ତୋତେ ନ କହନ୍ତି କେହୁ ।
ଉତ୍ତର ଅନିଳ ଯୋଗେ ସିନା ବଢ଼େ ଏ ତୋ ଚାତର ।୧।
ଅନଳ ସେ ବଳ ସାରିଦିଏ ଏକା ଜଳକୁ ଦେଖିଲେ ଜନମାଉ ଶଙ୍କା ।
ତପନ ତାମ୍ଭୁଳ ତଇଳେ ଆଦର କରାଉ ପ୍ରଚାର ।୨।
ନାରୀକୋଳ ନଦୀକୂଳ ତରୁମୂଳ, ଜୀବଗଣେ ଶାନ୍ତି ଦିଏ ଅବିରଳ ।
ବାସରେ ବାସରେ ନିଶିରେ ଲୋଡ଼ନ୍ତି କମ୍ବଳକୁ ନର ।୩।
ମଳୟ ଶିଖରୀଶିରୀ ହରି ଧୀରେ, ବହିବ ବସନ୍ତ ଯେକାଳେ ସଧୀରେ ।
ରଖି ନ ଦେବ ସେ ତୋ ବଡ଼ାଇ ବଇଷ୍ଣବ ବିଚାର ।୪।
ନଟୀ- ଏତେବେଳେ କେଣେ ଗଲେ ନଟଶିରୋମଣି ?
ନଟ- (ପ୍ରବେଶି) ନଟୀକୁଳମୁକୁଟହୀରକ !
ଧାଇଁଛି ତବ ସଙ୍ଗୀତଟି ଶୁଣି, ପ୍ରକୃତି ରହସ୍ୟ କବିତାଗୁଡ଼ିକ
ଏକା ସାଜେ ସଦା ତବ ମୁଖେ, ସତ କହ ଗୋ ଭାବିନି !
କେଉଁ ଅଭିନୟ ଦେଖାଇବା ଅଦ୍ୟ ଏହି ଲୋକଙ୍କ ସମ୍ମୁଖେ ?
ନଟୀ- ହେ ଲେଖକ-ଚୂଡ଼ାମଣି ! ମନେ ଏହା କରିଅଛି ସ୍ଥିର
ଦେଖାଇବା ଦରଶକବୃନ୍ଦେ ଏ ସଭାରେ
ଅର୍ଜୁନର ଲକ୍ଷ୍ୟଭେଦ-ଦ୍ରୌପଦୀ ଦେବୀଙ୍କର ସ୍ୱୟଂବର ।
ନଟ- ଜନମାନସତୋଷିଣି ! ଦେଖୁଛି ଏଣିକି ମହାଭାରତରେ କି ହେତୁ ବଳିଅଛି ମନ ତବ ! ସେକ କି ଏ ସ୍ଥଳରେ ପ୍ରିୟେ ଆଦର ହୋଇବ ?
ନଟୀ- ନଟଶ୍ରେଷ୍ଠ ! ବ୍ୟାସବିରଚିତ ମହାଭାରତ ଗ୍ରନ୍ଥରେ କାର ନୋହିବ ଆଦର ? ଯହିଁ ଅଶେଷ ଶିକ୍ଷା ରହିଅଚି ପୂରି, ଦେଖାଇବା ଦରଶକଗଣେ ଏହି ସ୍ଥଳେ ଗୀତିନାଟ୍ୟଭାବେ ଅର୍ଜୁନ ଲକ୍ଷ୍ୟଭେଦ ତନ୍ନତନ୍ନ କରି ।
ନଟ- ଚଳଚଳାପାଙ୍ଗି ! ତବ ମତେ ଏକମତ ମୁହିଁ । ସଜାଇବା ଅଭିନେତୃଦଳେ, ବଳିଯାଉଅଛି ବୃଥା ବେଳ ଚାଲ ଅନୁମତି ନେଇ ସଭାସ୍ଥଳୁଁ ।
(ଉଭୟର ଦଣ୍ଡବତକରି ପ୍ରସ୍ଥାନ)
(ଏକଚକ୍ରାନଗର ବିପ୍ରଗୃହ; କୁନ୍ତୀ ସହ ପଞ୍ଚପାଣ୍ଡବେ ଏକତ୍ର ପ୍ରବେଶ)
ଅର୍ଜୁନ- ଶୁଣ ଗୋ ଜନନୀ । ଆଜି ପାଇଲୁଁ ସନ୍ଧାନ ଦ୍ୱିଜମୁଖୁଁ ପଞ୍ଚାଳନଗରେ ହେଉଅଛି ସ୍ୱୟଂବର ରଚିଛନ୍ତି ଦ୍ରୁପଦ ରାଜନ ଦିବ୍ୟ ଲାଖ ବେଦବ୍ୟାସଙ୍କ ଆଦେଶେ, ଯେ ବିନ୍ଧିବ ସେହି ଲାଖ ଗୋଟି ଯଜ୍ଞାନଳୁଁ ଯେଉଁ କନ୍ୟା ଯାଜ୍ଞସେନୀ ନାମେ ହୋଇଅଛି ଜାତ, ତାକୁ ନିଶ୍ଚେଁ ଲଭିବ ସେ ଜନ । ମାତା ! ଚାଲ ତେଜି ଏକଚକ୍ରାନଗରକୁ ଆଜି, ଯିବୁଁ ଆମ୍ଭେ ପାଞ୍ଚଭାଇ ଲକ୍ଷ୍ୟଭେଦ ସ୍ଥଳେ ।
କୁନ୍ତୀ- ଶୁଣ ବାପ ଧନଞ୍ଜୟ ! ଏଣେ ଆସୁଛନ୍ତି ବେଦବ୍ୟାସ ଗାଇ ହରିଗୁଣଗଣ ତୁଣ୍ଡେ ଜଣାଯାଏ ତୁମ୍ଭଙ୍କୁ ସଙ୍ଖୋଳି କହିବେ ସେ ଲାଖବିବରଣ । ସେହୁ ଯେବେ ଦେବେ ଅନୁମତି ତେବେ ସର୍ବେ ଯିବା ସେହି ସ୍ଥଳେ ।
(ବେଦବ୍ୟାସ ଗୀତ ଗାଇ ପ୍ରବେଶ)
(ଚାହାଁ ଚାରୁ ଛଟକେ...ବୃତ୍ତେ)
ଭଜ ବ୍ରଜରାଜ ଶ୍ରୀନନ୍ଦନନ୍ଦନ, କୁଞ୍ଜବିହାରୀ ବଂଶୀବଦନ ।ପଦ ।
କଂସ କେଶୀ ନିସୂଦନ ମଦନତାତ,
ଗୋବିନ୍ଦ ଗୋପାଳ ଗୋପୀନାଥ ଅଚ୍ୟୁତ ।
ଗୋବର୍ଦ୍ଧନଧାରଣ ଗୋପୀଚନ୍ଦନ ।୧।
ମଧୁକଇଟଭହନ୍ତା ଶ୍ରୀମତୀପତି,
ମୟୂରପୁଚ୍ଛମଉଳି ଅଗତିଗତି ।
ଜୟ ଗୋପତି ଅଗତି ମୁକ୍ତିସଦନ ।୨।
ନାଗଗରବଗଞ୍ଜନ ଗୋଧନରଖା,
ନରନାରାୟଣ ଦ୍ୱିଜ ସୁଦାମା ସଖା ।
ଅଘା ବକା ବତ୍ସା ଅସୁରନିଧନ ।୩।
ପତିତପାବନ ହେ ବିପତ୍ତି ସମ୍ପତ୍ତି,
ପରମାନନ୍ଦ ଆନନ୍ଦବର୍ଦ୍ଧନ ମୂର୍ତ୍ତି ।
ଫେଡ଼ ବଇଷ୍ଣବର ଭବବନ୍ଧନ ।୪।
ବ୍ୟାସ- ବତ୍ସ ଯୁଧିଷ୍ଠିର ! କୁଶଳେ ତ ଅଛ ପାଞ୍ଚଜଣେ ?
ସମସ୍ତେ- ପିତାମହ ! ନମୁଚୁଁ ଚରଣେ, ଆଶୀର୍ବାଦ କର ପୁତ୍ରଗଣେ ।
ବ୍ୟାସ- ଯଶ ଶ୍ରୀ ଆୟୁର୍ବର୍ଦ୍ଧନ ହେଉ ଶତଗୁଣେ ।
କିସ ପାଞ୍ଚ କର ପଞ୍ଚବୀରେ ?
ଯୁଧିଷ୍ଠିର- ଶୁଣ ପିତାମହ ! ସରବ ଘଟଣା ମନସ୍ଥିରେ,
ଜତୁଗୃହେ ଯେଉଁକାଳେ ଭରି ଦୁର୍ଯ୍ୟୋଧନ,
ଅନଳ ଲଗାଇଦେଲା ପୁରୋଚନହସ୍ତେ
ସେହି କାଳେ ବିଳ ଦେଇ ବିଦୁର ସାହାଯ୍ୟେ
ଉଦ୍ଧାର ହୋଇଲୁ ପାଞ୍ଚଭାଇ ।
କୁମ୍ଭାରୀ କିନ୍ନରୀ ହିଡ଼ମ୍ବକ ବକେ ମାରି
ଏବେ ରହିଅଛୁଁ ଏହି ସ୍ଥାନେ ବିପ୍ରଗୃହେ
ପିତାମହ ! ଏହା ଭୋଗ୍ୟ ରାଣ୍ଡପୁଅଙ୍କର,
ଯେତେ କଷ୍ଟ କି ଅଜଣା ଅଛି ତବ ପାଶେ ?
ବ୍ୟାସ- ବତ୍ସ ଧର୍ମ ଯୁଧିଷ୍ଠିର ! ଆଉ ନାହିଁ ତୁମ୍ଭ ଭାଗ୍ୟେ କଷ୍ଟ ବେଶି ଦିନ ।
ନିକଟେ ପ୍ରକାଶ ହେବ ପଞ୍ଚାଳନଗରେ
ଦ୍ରୌପଦୀର ସ୍ୱୟଂବର ଲକ୍ଷ୍ୟଭେଦଠାରେ
ଶୁଣିଥାଅ ପାଞ୍ଚଭାଇ ସେ ଲାଖ ମହିମା ।
ଗୀତ-(କାହା ଭାବେ ମଜ୍ଜି ଆଜି ହସୁଚୁ...ବୃତ୍ତେ)
ଶୁଣ ଧର୍ମ ସେ ଲାଖର ମର୍ମ ଏହିପରି ।
କରିଛ ଆଶ୍ଚର୍ଯ୍ୟ କର୍ମ୍ମ ପଞ୍ଚାଳକେଶରୀ ।ପଦ।
ସପ୍ତତାଳ ସ୍ତମ୍ଭଊର୍ଦ୍ଧ୍ୱେ ରାଧାଚକ୍ର, ଭ୍ରମେ ବାୟୁବେଗେ ତିଳେ ନୋହେ ବକ୍ର,
ଚକ୍ର ଊର୍ଦ୍ଧ୍ୱେ ରହିଅଛି ସୁବର୍ଣ୍ଣ ଶଫରୀ ।୧।
ଲାଖପଟା ତଳେ ଘଟେ ଅଛି ଜଳ, ମନେ ରଖିଥିବ କୁନ୍ତୀର ଦୁଲାଳ,
ମୀନଚକ୍ର ବିମ୍ବ ନୀରଘଟେ ଅନୁସରି ।୨।
ତହିଁ ପାଖେ ଲୋହଶରାସନେ ଶର, ଖଞ୍ଜି ପାଞ୍ଚଗୋଟି ଥୋଇଛି ଆବର,
ତଳ ଜଳଘଟେ ଦୃଷ୍ଟ ଊର୍ଦ୍ଧ୍ୱେ ମୁଷ୍ଟିକରି ।୩।
ଯେ ବିନ୍ଧିବ ଲାଖ ନୀରକୁ ଅନାଇ, ଭେଦି ରାଧାଚକ୍ର ପଞ୍ଚ ତୀର ଯାଇ,
ଫୁଟିବ ମୀନ ନୟନେ, ଏ ପଣ ତାହାରି ।୪।
ଦେବ ସେ ବୀରକୁ କରକଦନ୍ତୀକି, ବରିଅଛି କୋଟି କୋଟି ନୃପତିଙ୍କି,
ମୋ ବୋଲେ ଏତିକି କଲା ବଇର ଗୁହାରି ।୫।
ଯୁଧିଷ୍ଠିର- ଭାଷ ପିତାମହ ! ଏ ଲାଖ ବିନ୍ଧିବ ଆମ୍ଭ ମଧ୍ୟେ କେଉଁ ଜନ ?
ବ୍ୟାସ- ଭାବ ନାହିଁ ଧର୍ମ ! ଲାଖ ବିନ୍ଧି ରାଜକନ୍ୟା ଆଣିବ ଅର୍ଜୁନ ।
ଯୁଧିଷ୍ଠିର- ଏତେ ଅସାଧ୍ୟ କର୍ମ ! ଶୁଣିଲାକ୍ଷଣି ହୃଦୟ ଥରୁଛି ମୋହରି ।
ବ୍ୟାସ- ପାର୍ଥ ବିନୁ ସେହି କନ୍ୟା ନ ହେବ କାହାରି ।
ଯୁଧିଷ୍ଠିର- ଏହା ଯେବେ ଜାଣ, ତେବେ କିମ୍ପା ଏତେ ରାଜା କରିଲ ବରଣ ?
ବ୍ୟାସ- ଜାଣନ୍ତି ସକଳେ ପଣ୍ଡୁପୁତ୍ରେ ତେଜିଲେ ପରାଣ ।
ଯୁଧିଷ୍ଠିର- ଜାଣନ୍ତି ସକଳେ ପଣ୍ଡୁପୁତ୍ରେ ଛନ୍ତି ମରି ।
ବ୍ୟାସ- ଯାଅ ଛଦ୍ମବେଶେ, ସେହି ଠାବେ ସେହି ଭ୍ରମ ତୁଟିବ ସବୁରି ।
ଯୁଧିଷ୍ଠିର- ତେବେ କି ଯାତ୍ରା କରିବୁଁ ଏକ୍ଷଣେ ପଞ୍ଚାଳେ ?
ବ୍ୟାସ- ମୁଁ ଯାଉଅଛି ତହିଁ, ଯାଅ ଦ୍ୱିଜବେଶେ ଏଥି ରହନାହିଁ ତିଳେ ।
(ସମସ୍ତଙ୍କର ପ୍ରସ୍ଥାନ)
(ପଞ୍ଚାଳ ରାଜମାର୍ଗ। ତାଳପତ୍ରଛତା ଗଡ଼ୁହସ୍ତ ଦୁଇଜଣ ବ୍ରାହ୍ମଣଙ୍କ ପ୍ରବେଶ)
ଗୀତ-(ରାଜାଘର ଚୁଡ଼ାଦହି...ବୃତ୍ତେ)
୧ମ- ବ୍ରାହ୍ମଣ- ରାଜା ଦଉଅଛି ଦାନ ନନା ଯିବୁ ଆରେ ।
୨ୟ- ବ୍ରାହ୍ମଣ- ବୁଝିନାହିଁ ହଉଚି ହଉଚି କଅଣ ଆଜି କାହାରେ ।ପଦ।
୧ମ- ବ୍ରାହ୍ମଣ- ଖୋଜିଆଣିଅଛି କେତେ ବର ନାହିଁ ବାହାରେ ।
୨ୟ- ବ୍ରାହ୍ମଣ- ଗୋଟା ଝିଅକୁ କ’ଣ ଏତେ ହେବେ ବାହାରେ ।୧।
୧ମ- ବ୍ରାହ୍ମଣ- ଖଞ୍ଜିଛି ସେ ଯେଉଁ ଲାଖ ଦୁନିଆରୁ ବାହାରେ ।
୨ୟ- ବ୍ରାହ୍ମଣ- ସେଥିରୁ କି ଲାଭ ହେବ ବୁଝା ଚାଣ୍ଡେ ଏହାରେ ।୨।
୧ମ- ବ୍ରାହ୍ମଣ- ଯେ ବିନ୍ଧିବ ରଜାଝିଅ ଧରିବ ତା ବାହାରେ ।
୨ୟ- ବ୍ରାହ୍ମଣ- ଜାଣିଲି ଏ ନୂଆ ଖେଳ ଦଇବର କିଆଁରେ ।୩।
୧ମ- ବ୍ରାହ୍ମଣ- ଗିଳିଯିବୁ ଥୋଡ଼ା ପୁରି ଗଜା ମାଲପୁଆ ରେ ।
୨ୟ- ବ୍ରାହ୍ମଣ- ଏହା କଲେ କି ହଜାରେ ରହିବ ତୋ ନାଆଁରେ ।୪।
୧ମ- ବ୍ରାହ୍ମଣ- ରାଜ ସମାଜରେ ନାହିଁ ଦ୍ୱିଜଙ୍କର ବଢ଼ିଆ ରେ ।
୨ୟ- ବ୍ରାହ୍ମଣ- ଶୁଣିଲାବେଳୁ ଏ ମନ ରାମ୍ପି ହୁଏ ଯାହାରେ ।୫।
୧ମ- ବ୍ରାହ୍ମଣ- ଧନୁ ଧରି କେମନ୍ତେ ହୁଅନ୍ତି ଜାଣୁ ଠିଆ ରେ ?
୨ୟ- ବ୍ରାହ୍ମଣ- ବଇଆ ବୋଲେ ମୋ ନାଆଁ ନାହିଁ ସେହି ସିଆରେ ।୬।
୧ମ- ବ୍ରାହ୍ମଣ- ଆଉ ତେବେ ସେ ବେମାରିରେ ଘାଣ୍ଟି ହେଉ ମିଛେ କାହିଁକି ?
୨ୟ- ବ୍ରାହ୍ମଣ- ଆରେ ନନା ଆମ ଜାତି କ’ଣ ଖାଲି ମଜବୁତ ଚୁଡ଼ାଦହିକି ।
୧ମ- ବ୍ରାହ୍ମଣ- ଆମର ପରା ଧନୁ କାଣ୍ଡ ତୂଣ ଦଣ୍ଡ କମଣ୍ଡଳୁ ପୋଥି ।
୨ୟ- ବ୍ରାହ୍ମଣ- ସେତିକି ଜାଣିଥିଲେ କ’ଣ ଆଉ କିଛି ବ୍ରାହ୍ମଣ ବାକୀରଖନ୍ତି ? ଖାଲି ସୁରୁବଖଣ୍ଡକ ଧରି ପରା ଦୁନିଆଁ ପକାଉଛନ୍ତି ମନ୍ଥି ।
୧ମ- ବ୍ରାହ୍ମଣ- ଆରେ ଶ୍ରାଦ୍ଧରୁ ଚାଉଳ କେତେ ମିଳିବ ଯେ ସେଥିରେ ପୁଣି ହଳେ ମାଇକିନା ପାଳିବାକୁ ମନ ।
୨ୟ- ବ୍ରାହ୍ମଣ- ଆରେ ନନା, ସେ ରାଣ୍ଡ ମାଇକିନିଆଁ ଗିଳିଲେ ସରିବ ନାହିଁରେ, ଯେବେ ଗୋଟାଏ ହାବୁଡ଼ିବ କୋଉଠୁ ମୃତାହପଞ୍ଚକଦାନ ।
୧ମ- ବ୍ରାହ୍ମଣ- ସେ କ’ଣ ସବୁ ସମୟରେ ଘଟୁଛି ?
୨ୟ- ବ୍ରାହ୍ମଣ- ଆରେ ଓଲୁ ! ମୋତେ କ’ଣ ସତେ ସତରଣ୍ଡା ଜୁଟୁଛି ।
୧ମ- ବ୍ରାହ୍ମଣ- ଅନାନିନନା, ମୋ ପଇତା ଚିତାଟା ଆଜି ଦିଶୁଛି ନା ଦାଉ ଦାଉ ।
୨ୟ- ବ୍ରାହ୍ମଣ- ହଁରେ ଏଣେ ଦେଖିଲୁ ଆସୁଛନ୍ତି ପାଞ୍ଚୁଟା ବ୍ରାହ୍ମଣ ଆଉ ।
(ବିପ୍ରବେଶୀ ପଞ୍ଚପାଣ୍ଡବଙ୍କର ପ୍ରବେଶ ।)
୧ମ- ବ୍ରାହ୍ମଣ- ହୋ ଭାଇନା ! କେଉଁଠୁ ଆସିଲେ ? ଯିବେ କେଉଁଠାକୁ ?
ଭୀମ- ଆମ୍ଭେ ଜଇନ୍ତା ଶାସନବାସୀ, ଯାଉଅଛୁଁ ପଞ୍ଚାଳସଭାକୁ ।
୨ୟ- ବ୍ରାହ୍ମଣ- କେଉଁ ଶାଖା କି ଉପାଧିଧାରୀ ?
ଭୀମ- ଯଜୁର୍ବେଦ କାଣ୍ୱଶାଖା, ପଣ୍ଡା ଉପାଧି ଆମ୍ଭରି ।
୧ମ- ବ୍ରାହ୍ମଣ- ରାଜଦରବାରେ ତୁମ୍ଭର ଅଛି କେଉଁ କାର୍ଯ୍ୟ ?
ଭୀମ- ଲାଖବିନ୍ଧା ଦେଖିବା; ଭୋଜନ ମିଳିବ, ବ୍ରାହ୍ମଣଘରକୁ ବ୍ରାହ୍ମଣଘରକୁ ବ୍ରାହ୍ମଣ ଯିବାକୁ କ’ଣ ହେବ ଏତେ ଲାଜ ?
୨ୟ- ବ୍ରାହ୍ମଣ- ଏ ରାଜାଟା ଆମରି ଜାତିଆ ପରା ନନା ?
ଭୀମ- ଚାଲ ସମସ୍ତେ ସାଙ୍ଗ ହୋଇ ଯିବା, ଆହୁରି ବ୍ରାହ୍ମଣ କେତେ ଧାଇଁଛନ୍ତି ଅନା । (ସମସ୍ତଙ୍କର ପ୍ରସ୍ଥାନ)
(ରାଜସଭା- ପଞ୍ଚାଳରାଜା ପୁତ୍ର ଧୃଷ୍ଟଦ୍ୟୁମ୍ନ ସହ ପ୍ରବେଶ)
ରାଜା- ବତ୍ସ ଧୃଷ୍ଟଦ୍ୟୁମ୍ନ ! ଯେତେ ରାଜା ଆସିଛନ୍ତି ଏଥି ନିମନ୍ତ୍ରଣେ
ତ୍ରୁଟି ତ ନୁହଇ କାର ସେବାରେ ନିମିଷେ ?
ତାହା ହେଲେ ନିନ୍ଦା ରଖିବାକୁ ମୋର ନ ମିଳିବ ସ୍ଥାନ ।
ଆସିଛନ୍ତି କୌରବପ୍ରଧାନ ଦୁର୍ଯ୍ୟୋଧନ,
ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶଲ୍ୟ, ଭୂରିଶ୍ରବା, କୃପ
ଅଶ୍ୱତ୍ଥାମା, ସୋମଦତ୍ତ ରହିଛନ୍ତି ସଙ୍ଗେ,
ପୁଣି ଛନ୍ତି ଜରାସନ୍ଧ ମଗଧନୃପତି, ଚେଦିରାଜା ଶିଶୁପାଳ ତୁଲେ,
କିନ୍ତୁ ବତ୍ସ ! ପେଷି ଦୂତେ ମୁହିଁ
ବହୁ ଦିନୁ ବହୁ ସ୍ଥାନ କରି ଅନ୍ୱେଷଣ
ନ ପାଇଲି ପଣ୍ଡୁପୁତ୍ରଙ୍କ ସନ୍ଧାନ !
କେତେ କହନ୍ତି ଗୃହଦାହେ ମଲେ ପାଞ୍ଚଭାଇ
ଶୁଣିଅଛି ବ୍ୟାସଙ୍କ ମୁଖରୁ ଅର୍ଜୁନ ବିନା ଏ ଲାଖ ବିନ୍ଧିବାକୁ କ୍ଷମ
ନ ହୋଇବେ ଆନ ରାଜା କେହି !
କି ଅଟଳ ପଣ କରି କଷ୍ଟଦେଲି କୁମାରୀକି ମୁହିଁ ?
ଧୃଷ୍ଟଦ୍ୟୁମ୍ନ- ପିତା, ମୁଁ ମଧ୍ୟ ଶୁଣିଛି ଗୃହଦାହେ ମରିଲେ ପାଣ୍ଡବ ପାଞ୍ଚଭ୍ରାତ ।
ରାଜା- ବତ୍ସ ! ବିଶ୍ୱାସ ନ ହୁଏ, ଦେବଅଂଶେ କୁନ୍ତୀ ଦେବୀ କରିଛନ୍ତି ଜାତ, ତେଣୁ ସହଜେ ସେ ନୋହିବେ ନିହତ ।
ଦେଖ ନିକଟରେ ଶୁଭେ ଏକ ଦୂତକଣ୍ଠ ସ୍ୱନ
ପାଇ କି ଫେରିଲା ସେହି ପାଣ୍ଡବ ସନ୍ଧାନ, ଜାଣିଯିବ ସମସ୍ତ ଏକ୍ଷଣି ।
(ଦୂତର ଗୀତ ଗାଇ ପ୍ରବେଶ)
(ଛାଡ଼ି ଚାଲ ପରବାସ...ବୃତ୍ତେ)
ଚାଲି ଚାଲି ବୁଲି ବୁଲି ଠିକିଲି, ଖରାରେ ଶୁଖିଲି ।
ଏ ପର ଚାକିରି, ପରପଞ୍ଚ ଭାରି, ବୋପାକୁ ମଉସା ଡାକିଲି ।ପଦ।
ବାରପାଣି ପିଇ, ବାରଜାଗା ଶୋଇ, ନ ଦେଖିଥିଲି ଯା ଦେଖିଲି
ତୋଡ଼ ଡରେ ବାର-ସାଆନ୍ତଙ୍କ ଗୋଡ଼, ଧରି ଶିରେ କର ଠୁକିଲି ।୧।
ପୁଅ ମାଇପଙ୍କୁ ଦେଖିବାକୁ ସାତ-ସ୍ୱପନ ଏମାନ ଶିଖିଲି ।
ହେଲା ମୋ ଜୀବିକା, ଖଚମିଛ ପାଞ୍ଚ ନିଜକୁ ଯା ନିଜେ ଠକିଲି ।୨।
ମାସ ଶେଷକୁ ତ, ଆଶା କରି ନିତି, ବସି ଖଡ଼ିଗାର ଲେଖିଲି ।
ଭିତର ମୋ କଳା, ବାହାରକୁ ଧଳା, ଦେଖାଇ ଭାଇଙ୍କି ଫାଙ୍କିଲି ।୩।
ବରଷରେ ମାସେ, ଛୁଟି ନେବା ପାଇଁ ସବୁବେଳେ ଏହା ଟାକିଲି ।
ବଇଆ ବୋଲେ ମୁଁ ଡରି ଏ ସଜାକୁ ଘରେ ବସି ପଦ ଯୋଖରି ।୪।
(ଦୂତର ରାଜା ପ୍ରାଦେ ପ୍ରଣାମ)
ରାଜା- ଦୂତବର ! ସତ କହ, ପାଇଲୁ କି ପାଣ୍ଡବଙ୍କ ଦେଖା ?
ଦୂତ- ମହାରାଜ ! ଶୁଣନ୍ତୁ ସେକଥା ଯାହା ଜାଣିଛି ଏ ଭୃତ୍ୟ
କେରଳ, ଦ୍ରାବିଡ଼, ଗୌଡ଼, ଚୌଡ଼ଙ୍ଗ, ମାଗଧ,
ତୈଲଙ୍ଗ, ଗୁଜରାଟ, ମାନଭୂମି, ମହୀଶୂର,
କାଶ୍ମୀର, କାମ୍ବୋଜ, ମହାରାଷ୍ଟ୍ର ଖୋଜି ଖୋଜି
ଘନବନ ପର୍ବତ କନ୍ଦର ଦେଶଗ୍ରାମ ଗଳି ଗଳି ଫେରି
ନ ପାଇଲୁ ଦୂତଗଣେ ତାଙ୍କର ସନ୍ଧାନ;
ପୁଣି ଶୁଣିଲୁ ଅନେକ ଲୋକ ମୁଖୁଁ ଜୀବନେ ନାହାନ୍ତି ପାଞ୍ଚଭାଇ ।
ଦୋଷ କ୍ଷମାକରନ୍ତୁ ଶ୍ରୀଛାମୁଁ ! ଆଉ ଆମ୍ଭେ ନ ପାରିବୁ ଯାଇ ।
ରାଜା- ତେବେ ଯାଅ ଦୂତ କର ନ କାର୍ଯ୍ୟ
ଆସିଛନ୍ତି ଦେବ ନର ନାଗଲୋକ ଯେତେ
ମୋର ଏହି ପଞ୍ଚାଳ ସଭାକୁ
ନିଅ ତନ୍ନ ତନ୍ନ କରି ସେମାନଙ୍କ ତତ୍ତ୍ୱ
ଘେନି ସଙ୍ଗେ ଆନ ଦୂତଗଣେ
ତ୍ରୁଟି ହେଲେ ସେବାରେ କାହାର, କାଟିବି ମୁଁ ସମସ୍ତଙ୍କ ଶିର ।
ବତ୍ସ ଧୃଷ୍ଟଦ୍ୟୁମ୍ନ ! ତୁମ୍ଭେ ଶୀଘ୍ର କର ମୋର ଆଦେଶ ପାଳନ ।
ଗୀତ- (ଭାଇ ଭୀମ କରିବା କି ବୁଦ୍ଧି...ବୃତ୍ତେ)
ଯାଯାରେ ନନ୍ଦନ ଲାଖ କତି ।
ବିନ୍ଧିବ ଯେ ଲାଖ ଧନୁ ଧରି କରେ ନରପତି ।ପଦ।
ଦେଖିବୁ ନେତ୍ରେ ପୂରାଇ, ରାଧାଚକ୍ରଭେଦି ତହିଁ
ପଞ୍ଚଶର ସରସେ ବରତି ।୧।
ଫୁଟିଥିବ ମୀନନେତ୍ର, ବତାଇବୁ ଲାଖ ସୂତ୍ର,
କରିବୁ ତାଙ୍କର ରୀତିନୀତି ।୨।
ହେବ ଯା’ର ଲକ୍ଷ୍ୟଭ୍ରଷ୍ଟ, ନ ବହିଣ ଚିତ୍ତେ ରୁଷ୍ଟ
ନ ଭାଷିବୁ ଅସ୍ପଷ୍ଟ ଭାରତୀ ।୩।
କର ବତ୍ସ ଏହି କାର୍ଯ୍ୟ, ଭାଷେ ବଇଷ୍ଣବ ଦ୍ୱିଜ,
ଇଷ୍ଟଭାବେ ବିଷ୍ଣୁପଦ ଚିନ୍ତି ।୪।
ରାଜା- ବତ୍ସ, ଚାଲ ସଭାସ୍ଥଳେ, ଡକାଇ ମୁଁ ବୃଦ୍ଧ ମୁଦୁସୁଲୀକି ନିକଟେ
କହିଦେଉଅଛି ସଜାଇଣ ଦ୍ରୌପଦୀକି
ରଖାଇବ ମେଢ଼େ ନେଇ ସଭା ନିକଟରେ ।
ଯାଅ ଶୀଘ୍ର ନିଜ କାର୍ଯ୍ୟେ କରନାହିଁ ଡେରି ।
ଧୃଷ୍ଟଦ୍ୟୁମ୍ନ- ଯେ ଆଜ୍ଞା ଯାଉଅଛି ମୁଁ ପାଳି ତବ ଆଦେଶ
ଉଭାହେବି ଲାଖପଟା ପାଶେ । (ବେଗେ ଧୃଷ୍ଟଦ୍ୟୁମ୍ନର ପ୍ରସ୍ଥାନ)
ରାଜା- ଦୂତବର, ଯାଅ ଶୀଘ୍ର ମୁଦୁସୁଲୀକି ଏଠାକୁ ଡାକିଆଣ ।
ଦୂତ- ଯେ ଆଜ୍ଞା ମହାରାଜା ! (ବେଗେ ଦୂତର ପ୍ରସ୍ଥାନ)
(ମୁଦୁସୁଲୀ ଓ ଦାସୀଗଣଙ୍କର ପ୍ରବେଶ)
ଗୀତ-(ଧୂଳିରେ ଶୋଇଛୁ କିପାଁ...ବୃତ୍ତେ)
କିପାଁ ଡାକିଲ ଆମ୍ଭଙ୍କୁ ନରନାଥ ହେ
କରିବୁ କେବଣ କାର୍ଯ୍ୟ କହ ସତ ହେ ।ପଦ।
ଆକଟ କରି କପଟେ, ଜଗିଥାଉ କୃଷ୍ଣା ପାଖେ ।
ତାଙ୍କ ଚିତ୍ତ ତୋଷେ କରୁ ନୃତ୍ୟ ଗୀତ ହେ ।୧।
ହେଲାଣି ପନ୍ଦର ଦିନ, ଆଜକୁ ହେଜ ରାଜନ
ଛାଡ଼ି ନ ଦେଉ ଦାଣ୍ଡକୁ ଦଣ୍ଡେ ମାତ୍ର ହେ ।୨।
ରୁଣ୍ଡ ହୋଇବାରୁ ରାଜା, ବାଜଇ ବିବିଧ ବାଜା,
ସେ ଘେନି ଥରଇ ଥରଥର ଗାତ୍ର ହେ ।୩।
ହେ ପାଞ୍ଚାଳ ଅଧିପତି, କି ଭାବି ରାଇଲ କତି,
ବଇ ବୋଲେ କହ ପୂରୁ ମନୋରଥ ହେ ।୪।
ରାଜା- ଯାଅ ମୁଦୁସୁଲୀ ସଙ୍ଗେ ଘେନି ଦାସୀଗଣେ
ଶୀଘ୍ର ମୋର କନ୍ୟାକୁ ସଜାଇ
ମେଢ଼େ ରଖ ନେଇ ନୃପସୁତଙ୍କ ସାକ୍ଷାତେ । ମଣ୍ଡିବ କନକ ଆଭରଣେ
ହୀରା ନୀଳା ଯେ ଯହିଁକି ଦିଶିବ ସୁନ୍ଦର ।
ବେଗେ ଚଳ ନ କରି ବିଳମ୍ବ
ଶୁଭେ ଦୂରେ ପଞ୍ଚଜନ୍ୟ ଶଙ୍ଖର ଶବଦ
ଜଣାଯାଏ ଆସନ୍ତି ଶ୍ରୀକୃଷ୍ଣ ରାମ ତୁଲେ ।
ଯାଉଛି ମୁଁ ତାହାଙ୍କ ଦର୍ଶନେ
ଯଦୁବଳ ସହ ଦେଖି ରାମ ହରି ବେନି
ପାପନେତ୍ର ଆଜି ମୋର ହୋଇବ ପବିତ୍ର ।
ଦାସୀଗଣେ- ମହାରାଜ, ଆମ୍ଭେ ଯାଉଛୁ କୃଷ୍ଣାଙ୍କୁ ସଜାଇ ମେଢ଼କୁ ନେଇଯିବୁଁ ।
(ସମସ୍ତଙ୍କର ପ୍ରସ୍ଥାନ)
(ରାଜସଭା- ଦୂରେ ବ୍ରାହ୍ମଣ ମଧ୍ୟେ ପାଣ୍ଡବମାନେ ଆସୀନ । ଭୀଷ୍ମ, ଦ୍ରୋଣ, ଜରାସନ୍ଧ, ଶିଶୁପାଳ, ଦୁର୍ଯ୍ୟୋଧନ ଓ ରାଜାଗଣ ନିଜ ନିଜ ଆସନେ ଉପବେଶନ । ରାମ କୃଷ୍ଣଙ୍କ ପ୍ରବେଶ । ଶଙ୍ଖଧ୍ୱନି)
ଭୀଷ୍ମ- (ଉଠି)ନମୋ ନମୋ କୃଷ୍ଣ କାମପାଳ, ତବ ପଦରଜଦାନେ ଏ ପଞ୍ଚାଳ, ସଭା ଆଜି ହୋଇଲା ପବିତ୍ର । ବିଜେ କରନ୍ତୁ ଆସନେ ଶତପତ୍ରନେତ୍ର !
ସମସ୍ତେ- ନମୋ ନମୋ ନମୋ ଚକ୍ରାୟୁଧ !
ଶିଶୁପାଳ- ହେ ଶାନ୍ତନୁସୁତ ! କାହାକୁ ପ୍ରଣାମ କର ହୋଇ ନତଶିର ? ଗୋପସୁତେ କରି ନମସ୍କାର କେଉଁ ଉପକାର ତବ ହୋଇବ ସାଧିତ ? ଆଣିଛନ୍ତି କରି ଆମନ୍ତ୍ରଣ ରାଜା ଦ୍ରୁପଦ ଏହାଙ୍କୁ ଶଙ୍ଖ ଫୁଙ୍କିବାର ପାଇଁ ଏହି ସ୍ୱୟମ୍ବର ସଭା ଠାବେ ।
ଜରାସନ୍ଧ- ହେ ଭୀଷ୍ମଦେବ ! ତୁମ୍ଭେ ତ ଅତି ଜ୍ଞାନବାନ ସାଜିଲା କି ଏ କର୍ମ ତୁମ୍ଭଙ୍କୁ ? ଯେ ସ୍ଥଳେ ବିରାଜମାନ ରାଜପୁତ୍ରଗଣେ ତାହାଙ୍କ ସମ୍ମୁଖେ ଗୋପସୁତେ କରିଲ ପ୍ରଣାମ । ଶୁଣି ନାହଁ ୟାଙ୍କ ପୂର୍ବାପର ଘଟଣା ସମସ୍ତ ଗଙ୍ଗାପୁତ୍ର ! ଶୁଣ ଏବେ ତାଙ୍କର ଚରିତ୍ର ।
ଗୀତ-(ଜୟ ରଘୁନାଥ ଆରତି..ବୃତ୍ତେ)
ଶାନ୍ତନୁନନ୍ଦନ, ଭଲ କରି ଚିହ୍ନ, ଏହି ଦୁଷ୍ଟ ନନ୍ଦସୁତ ।
ଗୋପାଳ ଉଚ୍ଛିଷ୍ଟ, ଗିଳି ହୃଷ୍ଟପୁଷ୍ଟ, ହୋଇଛି ଏ ବଳବନ୍ତ,
ଦହି ଦୁଧ ଚୋରି, କରି ଖାଏ ଖଣ୍ଟପଣ କରି ।୧।
ହଟ କରି ବାଟ ଜଗି ଏହି ଧିଟ, ଭାଙ୍ଗେ ଗୋପୀଙ୍କର ନୀରଘଟ ।
ପୁଣି ତାଙ୍କୁ ଘେରି ଘାଟ କରେ ପାରି, ଶଠଭାବେ ଏ ତ ବିଟରାଟ;
ନେଇ ବୃନ୍ଦାବନେ, ତାଙ୍କ ମହତ ଲୁଟଇ ବଂଶୀସ୍ୱନେ ।୨।
ଦେଖ ଏହି ଭଣ୍ଡ ମାରିଅଛି ଷଣ୍ଢ ଗୋବଧ ପାତକ ଛାଡ଼ି ନାହିଁ ।
କଲା ନାରୀ ନାଶ ମାତୁଳ ବିନାଶ ଅତୁଳ ଅଯଶ ଅର୍ଜ୍ଜି ତହିଁ;
ବର୍ଜି କୁଳଧର୍ମ, ମୂଳରୁ କରିଲା ନୀଚକର୍ମ ।୩।
ନିଜର ମହତ ତେଜି ଦଣ୍ଡବତ, କରିଲ କାହିଁକି ନୀଚପଣେ ।
ମଜ୍ଜିଲା କି ସ୍ନେହ ଦେଖି କଳାମୁଖ, ଭୁଲିଗଲ ଭୀଷ୍ମ କିସ ଗୁଣେ ।
ବଇଷ୍ଣବ କହି, ମିଛେ ମିଛେ ବୋଲାଇଛି ବଡ଼ ସେହି ।୪।
ଭୀଷ୍ମ- ଚେଦିରାଜ ଶିଶୁପାଳ ! ହେ ଭୂପାଳ ଦନ୍ତବକ୍ର, ଆହେ ଜରାସନ୍ଧ !
କହୁଅଛି ମନ୍ଦପଣେ ନିନ୍ଦ ନା ଗୋବିନ୍ଦେ
ଅଗୋଚର ଦେବେ ଯା’ର ଅତୁଳ ମହିମା
ସଦା ସଦାଶିବ ବ୍ରହ୍ମା ସେବନ୍ତି ଯା ପାଦ
ଅଶେଷ ବ୍ରହ୍ମାଣ୍ଡ ଯା’ର ପୂରିଛି ଉଦରେ
ଯା ନାମକୁ ଯମ କରେ ଭୟ, ସେହି ଏହି ବୈକୁଣ୍ଠପତି
ଗୋପ ଗୃହେ ଅବତୀର୍ଣ୍ଣ ଗୋପାଳରୂପରେ
ଦୁଷ୍ଟଦଳନକାରଣେ ଭୂଭାରହରଣେ
ମାୟାରେ ମାନବ ଦେହ ଧରିଛନ୍ତି ହରି
ବେଦପତି ଉତପତ୍ତି ଯା ନାଭିକମଳୁଁ
ରୁଦ୍ର ଯାର ଲଲାଟରୁ ଲଭିଛନ୍ତି ଜନ୍ମ,
ନୟନରୁ ଚନ୍ଦ୍ର ଦିବାକର
କୀଟୁଁ ବ୍ରହ୍ମଯାଏ ବ୍ୟାପିଅଛି ଯା’ର ଅଂଶ
ପଞ୍ଚଶିରେ ପଞ୍ଚାନନ ବନ୍ଦନ୍ତି ଯା ପାଦ
ମୁହିଁ କିବା ଛାର ନର ବନ୍ଦିବି ସେ ପଦ,
ନକହ ଏକୁବଚନ ଆହେ ଜରାସନ୍ଧ !
ଜରାସନ୍ଧ- ଶୁଣ ଆହେ ଭୀଷ୍ମ ! ଜାଣେ ମୁହିଁ ଏ କୃଷ୍ଣର ଶକ୍ତି । କଂସ ଜାମାତାକୁ ବଧିବାରୁ, ମୋର ଡରେ ଲୁଚିଲା ସମୁଦ୍ରଗର୍ଭରେ ! ପଳାଇଲା ତେଜିଣ ମଥୁରା । ଏହି କି ଉଚିତ କର୍ମ ନାରାୟଣ ପକ୍ଷେ ?
ଭୀଷ୍ମ- ଶୁଣ ମଗଧେଶ ! ମୁହିଁ ଜାଣିଛି ସେ ସବୁ
ମଲେ ଶ୍ରୀକୃଷ୍ଣଙ୍କ କରେ କାଳେ ତୁହି ଲଭିବୁ ସଦ୍ଗତି
ସେହିହେତୁ ନ ବଧିଲେ ତୋତେ ଏହି ହରି ।
ଏହି ହଳାୟୁଧ ଗଳାଇଣ ଜାନୁତଳେ ଫିଙ୍ଗିଦେଲେ ଶୁଣି ଶୂନ୍ୟବାଣୀ
ଯାଇଣ ପଡ଼ିଲୁ ତୁହି ଚାଳିଶଯୋଜନେ ।
ରେ ରାକ୍ଷସ ! କୃଷ୍ଣନିନ୍ଦା ନ ସହିବ ଭୀଷ୍ମକର୍ଣ୍ଣ କେଭେ ।
ଯେହୁ ବିଷ୍ଣୁର ବଇରି, ତାକୁ ଯେବେ ନ ପାରିବ ମାରି
ଶୀଘ୍ର ତେଜ୍ୟା କରିବ, ସେ ସ୍ଥାନ ଏହା ଅଟେ ଶାସ୍ତ୍ରର ବିହିତ
ତେଜି ଏହି ସ୍ଥାନ ଅନ୍ୟ ସ୍ଥାନେ କରିବି ଗମନ ।
(ବେଗେ ଭୀଷ୍ମ ଅନ୍ୟସ୍ଥାନରେ ଉପବେଶନ। ଏକାଳେ ନେପଥ୍ୟେ ହୁଳହୁଳି ଧ୍ୱନି । ଦାସୀଗଣ ଦ୍ରୌପଦୀକୁ ଆଣି ସଭାସମ୍ମୁଖେ ଉପସ୍ଥାପନ)
ଜରାସନ୍ଧ- ଆହା କି ମୋହିନୀ ମୂର୍ତ୍ତି ଅଟେ ଏ ନାରୀର
ଭାଗ୍ୟେ ଥିଲେ ଭୋଗ ହୁଏ ଏମନ୍ତ ରମଣୀ
ପଡ଼ି ନେତ୍ର ଏ ଯୋଷାର ଗାତ୍ରେ ହସ୍ତ ପଦ ହେଲା ଅବସନ୍ନ
ଆହା, କେତେକାଳ ବସି ୟାକୁ ନିର୍ମାଣିଲା ବିହି ?
ଗୀତ-(ସତେ ବୃନ୍ଦାବନେ...ବୃତ୍ତେ)
ମନ୍ଦରସ୍ତନାକୁ କୁନ୍ଦରଦନାକୁ ମଣିଲା କେ ଏହି ଧରତୀକି ରେ ।
ପନ୍ଦରନୟନ ଅନାଇଁ ସୁନ୍ଦରପଣ ତ ନ ଯିବ ବରତି କି ରେ ।ପଦ।
ଚନ୍ଦରମୁଖୀର ଭୂରୁଠାଣି ଦୂରୁଁ ଚାହିଁ ହୃଦ ହୁଏ କରତି କି ରେ ।
ଦଣ୍ଡକେ ଖଣ୍ଡିବ କନ୍ଦରପଦର୍ପ କୋଳେ ବସାନ୍ତେ ଏ ମୂରତିକି ରେ ।୧।
କାମ ବାଣିଜ୍ୟର ଏ ନିଶ୍ଚେ ବନ୍ଦର ଭାଷିବ ଯେ କାଳେ ଭାରତୀକି ରେ ।
ଅନ୍ଧର ନୟନ ଫିଟିବ ବଧିର ଶ୍ରବଣେ ହେବ ତ ଆରତିକି ରେ ।୨।
ଅରୁଣଚରଣା ତରୁଣାଙ୍ଗୀ ତୁଲେ ଯେ କରିବ ଥରେ ପୀରତିକି ରେ ।
ବଇଷ୍ଣବ ଭରି ହେବ ଏ ରମଣୀ ତା ଦେହରଥର ସାରଥିକି ରେ ।୩।
ଦ୍ରୁପଦ- ଭୋ ସମାଗତ ନରପତିବୃନ୍ଦ ! ସର୍ବେ ଶୁଣିଛ ତ ପଣ ମୋର
ଭରସା କରିଣ ତୁମ୍ଭମାନଙ୍କ ବାହୁକୁ କଲି ଦୃଢ଼ପୀଢ଼ ଏହିପରି
ସାତତାଳ ସ୍ତମ୍ଭ ପରେ ଅଛି ରାଧାଚକ୍ର
ଚାହିଁ ଦେଖ ପବନହୁଁ ଘୂରେ ଶୀଘ୍ର ଗତି
ତାର ପରେ ଅଛି ସ୍ୱର୍ଣ୍ଣମତ୍ସ୍ୟ
ଲାଖ ସ୍ତମ୍ଭମୂଳେ ଅଛି ଯେଉଁ ଜଳଘଟ
ସେ ଘଟେ ପଡ଼ିଛି ମତ୍ସ୍ୟଚକ୍ର ପ୍ରତିବିମ୍ବ
କର ସେହି ପ୍ରତିବିମ୍ବେ ଦୃଷ୍ଟି ଊର୍ଦ୍ଧ୍ୱେ ରଖି ଧନୁ ମୁଷ୍ଟି
ଧରି ପଞ୍ଚଶର ସହ ଏହି ଶରାସନ
ଯେ ବୀର ବିନ୍ଧିବ ପଞ୍ଚକାଣ୍ଡ ଏକାବେଳେ
ଭେଦି ରାଧାଚକ୍ର ଛିଦ୍ରେ ମତ୍ସ୍ୟନେତ୍ରେ ଝଳି ଦିଶୁଥିବ ଶରମୁନ ତାର
ସେହି ଜନ ଏକା ମୋର ଅଯୋନିସମ୍ଭୂତା ଯାଜ୍ଞସେନୀ କନ୍ୟାକୁ ଲଭିବ ।
ଏତେ ଲୋକ ସମ୍ମୁଖରେ ରାଜବାଳା ଦେବ ସେହି ବୀରଗଳେ ମାଳା ।
ଅଛି ଯା’ର ହୃଦେ ଶୌର୍ଯ୍ୟ ବୀର୍ଯ୍ୟ ଧୈର୍ଯ୍ୟ ଶକ୍ତି ବୀରେ
ଆସ ଶୀଘ୍ର ଧନୁ ଧରି ସାଧ ନିଜ କାର୍ଯ୍ୟ ।
ଜରାସନ୍ଧ- (ବାହୁରେ ତାଳଠୁଙ୍କି ଉଠି) ଦେଖ ଦେଖ ସଭ୍ୟଗଣେ !
ଏକ୍ଷଣେ ବିନ୍ଧିବା ଆମ୍ଭେ ଲାଖ,
ବେଳହୁଁ କହୁଛି କେହି ନ କରିବ କନ୍ୟାପାଇଁ ଗୋଳ ।
(ଧନୁ ଧରି ନପାରି ଦୂରେ ପତନ-ତାଳିଧ୍ୱନି)
ଧୃଷ୍ଟଦ୍ୟୁମ୍ନ- ବାହା ବାହା ବଡ଼ଶକ୍ତ ବୀର ଏ !
ଦୁର୍ଯ୍ୟୋଧନ- (ଲକ୍ଷ୍ୟ ଭେଦେ ଅଗ୍ରସର) ସାକ୍ଷୀ ଥାଅ ବୀରବୃନ୍ଦେ ! ଆମ୍ଭେ ଏହିକ୍ଷଣି ଦେଖ ବିନ୍ଧିବା ଏ ଲାଖ ।
ଧୃଷ୍ଟଦ୍ୟୁମ୍ନ- ଅଟ କେଉଁ ଦେଶ ନରବର, କି ନାମ ତୁମ୍ଭର ?
ଦୁର୍ଯ୍ୟୋଧନ- ହସ୍ତିନାସମ୍ରାଟ, ଆମ୍ଭ ନାମ ଦୁର୍ଯ୍ୟୋଧନ !
ଧୃଷ୍ଟଦ୍ୟୁମ୍ନ- ରଖ ଯେହ୍ନେ କଉରବକୁଳର ସମ୍ମାନ ।
ଦୁର୍ଯ୍ୟୋଧନ- ଆମ୍ଭ ପକ୍ଷେ ଏ ଲାଖ ସାମାନ୍ୟ ।
(ଧନୁରେ ଗୁଣ ଦେଉଁ ଦେଉଁ ନପାରି ଦୂରରେ ପତନ, ରକ୍ତବମନ ଓ ମୂର୍ଚ୍ଛା- କରତାଳି ଧ୍ୱନି)
ବିରାଟ- (ଉଠି ଲାଖ ନିକଟେ ପ୍ରବେଶ)
ଧୃଷ୍ଟଦ୍ୟୁମ୍ନ- ତୁମ୍ଭେ କିଏ ଧର କିସ ନାମ ? ଧାମ ଅଟେ କେଉଁଠାରେ ?
ବିରାଟ- ଆମ୍ଭେ ମଘମତ୍ସ୍ୟ ଅଧିପତି ବିରାଟ ରାଜନ ।
ଧୃଷ୍ଟଦ୍ୟୁମ୍ନ- ଦେଖ ଯେହ୍ନେ ନ ପାଅ ସଭାରେ ଅପମାନ।
(ଧନୁ ଧରୁ ଧରୁ ଦୂରେ ପତନ, କରତାଳି ଧ୍ୱନି- ଏକେ ଏକେ ସକଳେ ଲକ୍ଷ୍ୟଭେଦେ ଅକ୍ଷମ)
ଦ୍ରୁପଦ ରାଜା- ଶୁଣ ଶୁଣ ସମାଗତ ନରପତିଚୟ !
ଆଣିଥିଲି ବହୁ ଆଶା କରି ସମସ୍ତଙ୍କୁ,
କେହି ଜଣେ ପଣରକ୍ଷଣେ ସକ୍ଷମ ନୋହିଲ ମୋହର ।
ଗୀତ- (କାଲି ରଜନୀରେ...ବୃତ୍ତେ)
ଜାଣିଥାନ୍ତି ଯେବେ କ୍ଷତ୍ରିଜାତି ଏଡ଼େ ହୀନବଳ ।
କରି ନ ଥାନ୍ତି ଏ ପଣ ଶୁଣ ହେ ଭୂପାଳକୁଳ ।ପଦ।
ଏ ସନ ନିର୍ବୀର୍ଯ୍ୟା ଧରା, ହେବା ଜଣା ଥିଲେ ତ୍ୱରା ।
ଓପାଡ଼ିଥାନ୍ତି ମନରୁ କାମନାପାଦପମୂଳ ।୧।
ଲକ୍ଷ ଲକ୍ଷ ରସାନାଥ, ହୋଇଅଛ ରୁଣ୍ଡୀଭୂତ ।
ନୋହିଲ ସକ୍ଷମ ଜଣେ ପଣରକ୍ଷଣେ କେବଳ ।୨।
ମୂଷା ପ୍ରାୟ ତବ ଦଶା ନିରେଖି ନେତ୍ରେ ସହସା ।
ଉଡ଼ିଯାଏ ହଂସା ହସ୍ତ ପଦ ହେଲାଣି ଅଚଳ ।୩।
କୁରୁ ଦ୍ରାବିଡ଼ ଚୂଡ଼ଙ୍ଗ, ମତ୍ସ୍ୟ ଚେଦି ଅଙ୍ଗବଙ୍ଗ ।
ମଗଧ ଗଧ ପରାଏ ଅନାଇଁଛ ଜଳଜଳ ।୪।
ଅକାରଣ ପଣ କରି, ନାଶିଲି ମୋ ସୁଖଶିରୀ ।
ବଇ ବୋଲଇ ନ ମିଳେ ଏ ଦୁଃଖସାଗରେ ଥଳ ।୫।
ଶିଶୁପାଳ- ପଞ୍ଚାଳନୃପତି ! ଆଉ ନ ଭାଷ ଏ କର୍କଶ ବଚନ
କଳିବାକୁ ରାଜାଙ୍କର ଧୈର୍ଯ୍ୟ ବୀର୍ଯ୍ୟ ବଳ
ଛଳନାରେ କରିଛ ଏ କାର୍ମୁକ ନିର୍ମାଣ
ଗୁଣ ଦେବା ଥାଉ ପଛେ ଦୂରେ,
କିନ୍ତୁ ଟେକିବାକୁ ଜଣେ କେହି ନୋହିଲୁଁ ସକ୍ଷମ
ଭଗଦତ୍ତସୁତା ଭାନୁମତୀସ୍ୱୟଂବରେ ଏହି ରାଜା ରହିଥିଲେ ତହିଁ
ଯେଉଁ କର୍ଣ୍ଣ ସେହି ଲକ୍ଷ୍ୟ ବିନ୍ଧି ଭାନୁମତୀ ଆଣିଦେଲା ଦୁର୍ଯ୍ୟୋଧନ କୋଳେ
ସେହି କର୍ଣ୍ଣ ନୋହିଲେ ସକ୍ଷମ ଆଜି ଏହି ଧନୁର୍ଗୁଣଦାନେ ।
ଧୃଷ୍ଟଦ୍ୟୁମ୍ନ- ହେ ବ୍ରାହ୍ମଣଗଣ !
ଯେଉଁମାନେ ଏ ସଭାରେ ଅଛ ବିଜେ କରି
ଯଦି ତୁମ୍ଭ ମଧ୍ୟୁ କେହି ଆସି କରିପାର ପିତୃପଣ ରକ୍ଷା
ଅକ୍ନେଶେ ଭଗିନୀ ମମ ବରିବ ତୁମ୍ଭଙ୍କୁ ।
ବଳରାମ- ବନମାଳି ! ମଉନେ ରହିଛୁ କିମ୍ପା ବସି ଏ ସଭାରେ
ଥରେ ଚେଷ୍ଟା କରି ଚଳ ଲାଖନିକଟକୁ
ଅସାଧ୍ୟ ତୋହର ହରି କି ଅଛି ଜଗତେ !
ଦେଖ ଏ ପଞ୍ଚାଳପତି ଲକ୍ଷେ ରାଜା ଆଣିଲା ନିମନ୍ତ୍ରି
ବିଂଶ ଦିବସ ହେଲାଣି ଖାଉଛନ୍ତି ବସି
ଚର୍ବ୍ୟ ଚଷ୍ୟ ଲେହ୍ୟ ପେୟ ମାନ
ଜଣେ କେ ନୋହିଲେ କ୍ଷମ ଏହି କାର୍ମୁକ ଧାରଣେ ।
ଉଠ କୃଷ୍ଣ, ଚେଷ୍ଠା କର ଥରେ ତୋ ପରା ପୁରୁଷ ଯେବେ ହୋଇବ ବିମୁଖ
ଏହି ସାମାନ୍ୟ କର୍ମରେ, ଆଉ କେ ଏଭଳି କାର୍ଯ୍ୟେ ବଳାଇବ ମନ ।
ଳାଖ ବିନ୍ଧି କନ୍ୟା ଘେନି ଚାଲ ରେ ମୋହନ !
ଶ୍ରୀକୃଷ୍ଣ- ଶୁଣ କାମପାଳ ! ଯେ ବିନ୍ଧିବ ଏହି ଲାଖ ଅଛି ନରଲୋକେ
ଦେବ ନାଗ ଯକ୍ଷ ରକ୍ଷଠାରୁ ସେହି ଶ୍ରେଷ୍ଠ
ଏ ପଣରକ୍ଷଣେ ଏକ ଜଣ ବିନୁ ଆନ ଜଣ ଜନ୍ମିନାହିଁ ଶୁଣ ଭାଇ ତାର ପରିଚୟ ।
ଗୀତ- (ଦଗାଦିଆ ଗଙ୍ଗାଧର...ବୃତ୍ତେ)
ଶୁଣ ରେବତୀର ପତି,
ଚିହ୍ନିବ ଯେବେ ତାହାକୁ ସ୍ଥିର କର ମତି ହେ ।ପଦ।
ମାନବ ଲୋକେ ତା ବାସ, ଜାଣିଥାଅ ନୀଳବାସ,
ଇଚ୍ଛା କଲେ ତୋଳିପାରେ ସସାଗରା କ୍ଷିତି ହେ ।୧।
ସେହି ବାସବକୁମର, ପାଣ୍ଡବଙ୍କ ମଧ୍ୟେ ବର,
ସେ ଅର୍ଜୁନ ବିନ୍ଧି କନ୍ୟା ନେବ ଶୀଘ୍ର ଏଥି ହେ ।୨।
ଲକ୍ଷେ ରାଜା ମୁଖେ କାଳି ସୁଖେ ପାର୍ଥ ଦେବ ବୋଳି,
ମିଳି ଦେଖୁଥିବେ କୋଟି କୋଟି କ୍ଷତ୍ରିଜାତି ହେ ।୩।
ବଳିବାକୁ ତାକୁ ବଳେ, କେହି ନାହିଁ ରବିତଳେ,
ହେଳେ ଭେଟିବ ଏଠାରେ ବଇର ଭାରତୀ ହେ ।୪।
ବଳରାମ- ଏ କି ଅଲୋକିତ କଥା କହୁ ବନମାଳି ! ଦେବ ନାଗ ନରେ କେହି ନ ପାରିଲେ ବିନ୍ଧି ଯେଉଁ ଲାଖ ଦେଖିଲୁଁ ନୟନେ । ମଲାଲୋକ କେଉଁପରି କରିବ ଯେ କର୍ମ, କନ୍ୟା ନେବ ନୃପଗଣ ମୁଖେ କାଳି ବୋଳି । ବାରବର୍ଷ ହେଲା ଜଉଶାଳେ ଜଳିମଲେ ଯେଉଁ ପାଣ୍ଡୁସୁତେ, ଯାହାଙ୍କର ଚିହ୍ନ ନାହିଁ ଧରଣୀବକ୍ଷରେ, ତାଙ୍କ ମଧ୍ୟରୁ ଅର୍ଜୁନ ବିନ୍ଧିବ ଏ ଲାଖ ? ମୋ ଆଗେ କପଟ କଥା କହୁ ପଦ୍ମମୁଖ !
ଶ୍ରୀକୃଷ୍ଣ- ନୀଳାମ୍ବର ! ତବ ଆଗେ ମିଥ୍ୟା କେବେ କହିଛି କି ଦାସ ।
ପାଣ୍ଡବେ ବଧିବ ଏଡ଼େ କାହାର ସାହସ ?
ଯାହାଙ୍କର ଜନ୍ମ ଦେବଅଂଶ
ଯାହାଙ୍କ ଜନମ ଭାଇ ଭୂଭାରହରଣେ
ଯାହାଙ୍କର ଧର୍ମବଳ ଅଟେ ଅକଥନ,
ତାହାଙ୍କୁ କି ମାରିପାରେ ଅନ୍ଧସୁତ କୂଟେ ।
ଚାହିଁଦେଖ ଭାଇ ବାରବର୍ଷ ବନବାସେ ଛଦ୍ମବେଶେ
ଦେଶେ ଦେଶେ ଭ୍ରମି ପାଞ୍ଚ ଭାଇ
ଏବେ ଆଜି ଦ୍ୱିଜରୂପେ ଛନ୍ତି ସଭାସ୍ଥଳେ ।
ଗୀତ-(କେଣେ ଅଛୁ ଶୁଣା ତୋ...ବୃତ୍ତେ)
ଚାହାଁ କାମପାଳ ହେ ! ଦ୍ୱିଜମେଳେ ବସିଛନ୍ତି ପାଣ୍ଡବବଳ ।
ପିଙ୍ଗଳ ବରନ, ଜଟା ଶୋଭାବନ ଊର୍ଦ୍ଧ୍ୱପୁଣ୍ଡ୍ର ଚିତା ଧର୍ମ କପୋଳେ ।ପଦ ।
କଷାବସ୍ତ୍ର କଟିକାଛେଣି, କନ୍ଧେ ସାଜେ ଭିକ୍ଷାର ମୁଣି ।
ତାଳପତ୍ର ଛତ୍ର ମହା କି ପବିତ୍ର, ଦଣ୍ଡକମଣ୍ଡଳ ଦିଶେ ଉଜ୍ଜ୍ୱଳେ ।୧।
ତାଙ୍କ ବାମେ ଅଛି ପାବନୀ, ରୁଷ କେଶ କେମନ୍ତେ ମାନି ।
ଦାଢ଼ି ବଢ଼ି ପଡ଼ିଅଛି ବକ୍ଷପରେ ଦେହେ ବହେ ଶତସିଂହର ବଳ ।୨।
ତାର ବାମେ ବିଜେ ବିଜୟୀ, ଯେଉଁ ବୀର ତ୍ରିପୁରଜୟୀ ।
ସହସ୍ରେ ଆଦିତ୍ୟ ତେଜ ନିନ୍ଦୁଅଛି ଅନ୍ନ ତେଜି ଭୁଞ୍ଜି ବନର ଫଳ ।୩।
ସହଦେବ ନକୁଳ ତୁଲେ, ବସିଛି ସେ କେମନ୍ତ ଗେଲେ ।
ଅଶ୍ୱିନୀକୁମାର ମାର ପରି ଶୋଭା ପାନ୍ତି ଭାଷେ ବଇଷ୍ଣବ ବାତୁଳ ।୪।
ବଳରାମ- ଦେଖ କୃଷ୍ଣ ! ଦୁର୍ଯ୍ୟୋଧନ ଅଛି ରାଜାମେଳେ
ବିରାଜଇ କନକମୁକୁଟ ମଉଳିରେ
ସୁଧର୍ମା ସଭାରେ ଶଚୀପତି ଶୋଭେ ଯଥା ବିଜେ ତଥା କୁରୁକୁଳନାଥ
ତାର ଭାଇ ହୋଇ କି ମଳିନ ଦିଶେ ଧର୍ମସୁତ ।
ଶ୍ରୀକୃଷ୍ଣ- ଜ୍ୟେଷ୍ଠଭ୍ରାତ ! ଜାଣିଅଛି କୁରୁପତି ଅଟେ ପାପମତି, ପାପେ ବଢ଼େ ପାପାତ୍ମାର ତେଜ କିନ୍ତୁ କାଳେ ନିଶ୍ଚେଁ ହୁଏ ତା ନିର୍ବାଣ । ଧାର୍ମିକର ଯଶଃକୀର୍ତ୍ତି ବଢ଼େ କ୍ରମେ କ୍ରମେ- ଏଥେ ମିଥ୍ୟା ନାହିଁ ଲେଶ ।
ବଳରାମ- ତେବେ କି ହେତୁ ନ ବିନ୍ଧେ ଲାଖ ଇନ୍ଦ୍ରର ନନ୍ଦନ ?
ଶ୍ରୀକୃଷ୍ଣ- ଦେଖିବ ଯେକାଳେ ଦ୍ୱିଜଗଣେ କହିବ ଏ ପଞ୍ଚାଳରାଜନ
ସେ କାଳେ ଦେଖିବ ଭ୍ରାତ ପାର୍ଥର କ୍ଷମତା ।
ଧୃଷ୍ଟଦ୍ୟୁମ୍ନ- ହେ କ୍ଷତ୍ରିୟ, ଦ୍ୱିଜ, ବୈଶ୍ୟ ଶୂଦ୍ର !
ଯେ ଯେତେ ରହିଛ ଏହି ସଭାସ୍ଥଳେ
ଯେ ଲାଖ ବିନ୍ଧିବ କନ୍ୟା ତାହାରି କପାଳେ ।
ଭୀଷ୍ମ- (ବେଗେ ଉଠି) ହେ ରାଜନ୍ୟବର୍ଗ, ଏବେ ଶୁଣ ମନ ସ୍ଥିରେ
ପୂର୍ବରୁ ମୁଁ କରିଅଛି ପଣ ନ କରିବି ଦାର ପରିଗ୍ରହ କାଳେ କାଳେ ।
ମୁଁ ଲାଖ ବିନ୍ଧିବି କନ୍ୟା ନେବ ଦୁର୍ଯ୍ୟୋଧନ,
ସତ୍ୟ ଏହା ତ୍ରିବାର ମୋହର ।
(ଧନୁଧରିବାମାତ୍ରେ ଶିଖଣ୍ଡୀକି ଦେଖି ଧନୁ ତଳେ ଥୋଇ)
ଆହୋ ! ଅକସ୍ମାତ୍ ଦେଖିଲି ମୁଁ କିମ୍ପା ଅମଙ୍ଗଳ
ଏ ଶିକଣ୍ଡୀ ଅଟେ ନପୁଂସକ; ଏହା ମୋର ଅଛି ପଣ ଚିତ୍ତେ
ନାରୀ କିବା ନପୁଂସକ ଦେଖନ୍ତେ ନୟନେ ନ ଧରିବି କରେ ଶରାସନ
ହେବ ନାହିଁ ଏ କର୍ମସାଧନ। (ନିଜର ଆସନରେ ବସିବା)
ଦ୍ରୋଣ- (ବେଗେ ଉଠି) ଶୁଣ ରାଜଗଣେ !
ନୁହେ ଦ୍ରୋଣାଚାର୍ଯ୍ୟ ଏହି କର୍ମରେ ଅକ୍ଷମ
କିନ୍ତୁ ମୋର ଭ୍ରାତୃକନ୍ୟା ଅଟଇ ଦ୍ରୌପଦୀ,
ଲେଖାରେ ସେ ଝିଆରୀ ମୋହରି,
ମୁଁ ଲାଖ ବିନ୍ଧିବି, କନ୍ୟା ନେଉ କୁରୁପତି ।
(ଧନୁରେ ଗୁଣ ଦେଇ ଶର ପ୍ରୟୋଗ-
କୃଷ୍ଣ ସୁଦର୍ଶନ ପଠାଇ ମତ୍ସ୍ୟ ଉହାଡ଼ କରନ୍ତେ)
ନା ହେଲାନାହିଁ ! ଚକ୍ର ବିନୁ ମତ୍ସ୍ୟ ନେତ୍ର ଦେଖାଗଲା ନାହିଁ ।
(ଯଥାସ୍ଥାନ ଉପବେଶନ)
ଧୃଷ୍ଟଦ୍ୟୁମ୍ନ- ଭୋ ବିପ୍ରକୁଳ ଥିଲେ ବାହୁବଳ କର ଆସି କର୍ତ୍ତବ୍ୟପାଳନ ।
ଅର୍ଜୁନ- (ଶୀଘ୍ର ଉଠି) ଜ୍ୟେଷ୍ଠଭ୍ରାତ ! କର ଅନୁମତି, ଯାଏଁ ସ୍ୱକାର୍ଯ୍ୟସାଧନେ ।
ଯୁଧିଷ୍ଠିର- ଯାଅରେ ଅର୍ଜୁନ, ମନସାଧ ହେଉ ପୂର୍ଣ୍ଣ ।
୧ମ ବ୍ରାହ୍ମଣ- ଆରେ ଭାଇନା କେଣେ ଯାଉଛୁ ? ଆମେ ଆସିଛୁଁ କିଛି ଧନପାଇଁ ଭୋଜନପାଇଁ- ସେଥିରୁ କଣ ମିଳିବ; ବସ ।
୨ୟ ବ୍ରାହ୍ମଣ- ଆରେ ପାଗଳନନା, ତୁଟା ମଣିଷ ନୋହୁ କିରେ ? ଦେଖୁଛୁ ଶିଳ-ଶିଳୁପତା ଉଡ଼ିଯାଇ ଗଗନରେ; ସେଠି ତୁଳାକୁ କିଏ ପଚାରେ ? ବସ, ଆରେ ଖାଇବା ପିଇବା, କିଛି ଦକ୍ଷିଣା ନେଇ ଘରକୁ ଯିବା, ବିଛା ମନ୍ତ୍ର ନ ଜାଣି ସାପକୁ ଧରୁଛୁ । ଏ ଚୂଡ଼ାଦହି ନୁହେଁ ଯେ କମର କଷି ଦମେ ମନ୍ଥିଦବା । ମୋ କଥା ମାନି ବସ ।
ଅର୍ଜୁନ- ହେ ବିପ୍ରଗଣ ! କରନା ବାରଣ ମୋତେ କେହି
ହେଲେ ହେବ ନୋହିଲେ ନୋହିବ
ଯେତେବେଳେ ଏତେ କ୍ଷତ୍ରୀ ବୀରେ ହୋଇଲେ ନିରସ୍ତ;
ମୁହିଁ ତ ସାମାନ୍ୟ ଦ୍ୱିଜଜାତି କାର୍ଯ୍ୟ ନୋହିଲେ ସଫଳ ଲଜ୍ଜା ଅବା କିସ
(ସ୍ୱଗତ) ଆହା, ଅଛନ୍ତି ଏ ସ୍ଥାନେ ମୋର ସଖା
ଶଙ୍ଖେ ଦେଖାଉଅଛନ୍ତି ସଙ୍କେତ ସେ ମୋତେ
ତାହା ଶ୍ରବଣେ ପ୍ରାଣ ଉଚ୍ଚାଟ ମୋହରି । ଯାଏଁ ଏବେ ଲକ୍ଷ୍ୟସ୍ତମ୍ଭ ପାଶେ ।
୧ମ ବ୍ରାହ୍ମଣ- ଆରେ, ନନା, ଲାଭ ଆଶାରେ ମୂଳ ଦାମ୍ ବୁଡ଼ାନା।
୨ୟ ବ୍ରାହ୍ମଣ- ନନା, ଏଟା ତ ମାଇକିନିଆକୁ ଦେଖି ଅଜ୍ଞାନ, ଯା ଯା ପଟାପାଖକୁ, ପଟାଏ ପା ।
ଯୁଧିଷ୍ଠିର- ହେ ନନା, ଏମନ୍ତ ତାକୁ କହନା, ଜଣାଯାଉଛି ସେ ସାମାନ୍ୟ ଲୋକ ନୁହେଁ ।
(ଅର୍ଜୁନ ଲକ୍ଷ୍ୟ ନିକଟେ ମିଳି ଭୀଷ୍ମ ଦ୍ରୋଣେ ନମସ୍କାରକରଣ)
ଦ୍ରୋଣ- ଦେଖ ଦେଖ ଗଙ୍ଗାସୁତ, ତବ ପାଦେ ନମସ୍କାର କରଇ ଏ ଦ୍ୱିଜ ।
ଭୀଷ୍ମ- ହେ ଆଚାର୍ଯ୍ୟ ! ତାହା ନୁହେଁ କ୍ଷତ୍ରିୟ ମୁଁ, ଏ ଅଟେ ବ୍ରାହ୍ମଣ, ମୋତେ କିମ୍ପା ନମସ୍କାର କରିବ ଏ ପୁଣ ?
ଦ୍ରୋଣ- ଶୁଣ ଶୁଣ ଶାନ୍ତନୁତନୁଜ ! ନୁହେ ଦ୍ୱିଜ, ନିଶ୍ଚେ ସେ କ୍ଷତ୍ରିୟ
ଛଦ୍ମେ ବହିଅଛି ବିପ୍ରତନୁ ଜାଣୁଛି ମୁଁ ଅନୁମାନୁ
ଆଲୋକିତ କର୍ମ ଏଥି କଲାକ ଏ ଯାହା
ମୋର ଶିଷ୍ୟ, ବିନା ଆନେ ନ ସମ୍ଭବେ ଏହା ।
ଧନୁ ଟଙ୍କାରଶବଦେ ସ୍ଥକିତ ହୋଇଲା ଏଡ଼େ ସଭା
ଅନୁମାନେ ନିଶ୍ଚେ ଏ ଅର୍ଜୁନ, ଦେଖ ଦେଖ ଗଙ୍ଗାସୂନୁ
ବସିଛନ୍ତି ମନ ଚାରିଭାଇ ଦ୍ୱିଜମେଳେ, ମରିନାହାନ୍ତି ଏ ଜଉଶାଳେ।
ଭୀଷ୍ମ- ଯା ବୋଇଲ ସତ୍ୟ ହେ ଆଚାର୍ଯ୍ୟ ! ଅର୍ଜୁନ ବିନା ଅନ୍ୟର ଅସାଧ୍ୟ ଏ କାର୍ଯ୍ୟ ।
ହାୟ ହାୟ ହାୟ ରେ ପାଣ୍ଡବେ, ଦ୍ୱାଦଶ ବରଷ ହେଲା ଫୁଟିଯାଇଥିଲା ଏ ନୟନ,
ସତେ କିରେ ରାଣ୍ଡସୁତେ ରହିଛ ଜୀବନେ ?
ଦ୍ରୌଣ- ଧୈର୍ଯ୍ୟ ଧର ବୀରଶ୍ରେଷ୍ଠ ଭୀଷ୍ମ !
ମରିନାହାନ୍ତି ପାଣ୍ଡବେ ଅଛନ୍ତି ଜୀବନେ ।
ନିଶ୍ଚେଁ ନିଶ୍ଚେଁ ଏହି ପାଞ୍ଚଭାଇ,
ତାହାଙ୍କ ମରଣ କଥା ଘୋଷଣା ହୋଇଛି ସତ୍ୟ-
ନୁହେଁ ତା ପ୍ରକୃତ ତତ୍ତ୍ୱ ପଡ଼ିଗଲା ଜଣା,
ମୁକ୍ତକଣ୍ଠେ ଆଶୀର୍ବାଦ କର ହେ ଗାଙ୍ଗେୟ,
ମୁହିଁ ମଧ୍ୟ କରୁଛି କଲ୍ୟାଣ- ଯଦି ଏହି କୁନ୍ତୀର ନନ୍ଦନ
ଲାଖ ବିନ୍ଧି କନ୍ୟା ନେଉ ନିଜର ସଦନ ।
(ବଳରାମ, ଶ୍ରୀକୃଷ୍ଣଙ୍କୁ ଅର୍ଜୁନଙ୍କର ପ୍ରଣାମ)
କୃଷ୍ଣ- ଚାହିଁ ଦେଖ ହେ ରେବତୀକାନ୍ତ ! ତୁମ୍ଭଙ୍କୁ ପ୍ରଣମେ ବୀର ପାର୍ଥ,
ଆଶୀର୍ବାଦ କର ବାଞ୍ଛା ସିନ୍ଧି ହେଉ...ତାର ।
ବଳରାମ- ଆଶୀର୍ବାଦ ମୁଁ କରୁଛି ଶ୍ରୀହରି ! ଲକ୍ଷ୍ୟ ନିଶ୍ଚେଁ ବିନ୍ଧିବ ଅର୍ଜୁନ, କନ୍ୟା ନେବା ଗହନ ପଡ଼ିବ । ଏକାକୀ ଅର୍ଜୁନ, ଏ ଯେ ଲକ୍ଷ ନରପତି ସସୈନ୍ୟେ ଅଛନ୍ତି ଏହିଠାବେ ଗୋଳ କରି କନ୍ୟା ନେଇଯିବେ ।
କୃଷ୍ଣ- ଶୁଣ କାମପାଳ ! ଯଦି ଦୁଷ୍ଟେ କରିବେ ଅନ୍ୟାୟ
ତୁମ୍ଭେ ଆମ୍ଭେ ଏଠାବେ ରହିଚେଁ କି କାରଣେ ?
ଗୋଳ କଲେ ଏ ବିଜୟୀ ଜୟୀ ହେବ ରଣେ ।
ତା ନୋହିଲେ ସଦୁର୍ଶନେ ଛେଦିବି ଏହାଙ୍କୁ
ନୋହିଲେ କିମ୍ପା ଆରତତ୍ରାଣ ନାମଗୋଟି ଧରିବେ ଦରିଦ୍ରେ ?
ମୁହିଁ ଦୁର୍ବଳର ବଳ ନିରାଶ୍ରୟର ଆଶ୍ରୟ
ଯେସନେକ ପର୍ଶୁରାମ ଏକବିଂଶବାର କ୍ଷତ୍ରିଶୂନ୍ୟ କରିଥିଲେ ରସା
ଅର୍ଜୁନ ସହିତ ଅନ୍ୟାୟରେ କଲେ ଗୋଳ
ତେହ୍ନେ ଆଜି ହେବ ୟାଙ୍କ ଦଶା ।
ଦ୍ରୌପଦୀ- ସଜନୀ ଗୋ ! ଦେଖ ଦେଖ ଏ ଦ୍ୱିଜ ମୂରତି
ତେଜେ ଜିଣେ କୋଟିଏ ଶଶାଙ୍କ;
କିନ୍ତୁ ତବ ତୁଲେ ଥାଇଁ ଦେଖୁଥିଲି ନୃପେ
ଦ୍ରବି ନ ଥିଲା ଏ ଚିତ୍ତ ଏତେବେଳଯାଏ କାହା ପ୍ରତି ।
ଦେଖନ୍ତେ ମୁଁ ଏ ବିପ୍ର ମୂରତି, ଶିହରି ଉଠଇ ରୋମରାଜି,
ମନଭାବ ନରଖି ଗୋପନେ ସଖି କହୁଛି ତୋ ଆଗେ ।
ଗୀତ- (ଜଣାଯାଉନାହିଁ ଆଉ ସ୍ନେହ ଥିଲା...ବୃତ୍ତେ)
ସଖି ଏ ଛବି ନିରେଖି ଧୃତି କମ୍ପେ ମୋର ।
ଟାଣି ବିନ୍ଧେ ଫୁଲଧନୁ ପାଣି ହୃଦେ ପଞ୍ଚଶର ।ପଦ।
ଜାଣି ନ ହୁଏ କି କଥା; କିବା ଆଣିଛନ୍ତି ଧାତା ।
ଦେବାକୁ ମୋତେ ଏ ଯୁବା ପୁରୁଷ ନୂଆ ନାଗର ।୧।
ଯେସନ ନୀଳ ନୀରଦ, ଚାହିଁ ଚାତକିନୀ ସାଧ ।
ବଳେ ତେସନ ଘଟିଲା ମୋ ଦଶା ରସାଭିତରେ ।୨।
ବାମଚକ୍ଷୁ ବାମ ବାହୁ କମ୍ପେ କିମ୍ପା ମୁହୁର୍ମୁହୁଃ ।
ସତେ ବାମଦେବେ ଦେବେ ହେବେ ଏ ମୋ ଗଳାହାର ।୩।
ଧରିଲା ବେଳୁଁ ଧନୁକୁ, ଆସୁଛି ଅନୁମାନକୁ ।
ଲାଖ ବିନ୍ଧି ନିଜ ଟେକ ରଖିବେ ଦ୍ୱିଜଜାତିର ।୪।
ଗୁଣ ଦେଲାକ୍ଷଣି ପୁଣ, ସ୍ଥକିତେ ନୃପତିଗଣ ।
କାଷ୍ଠିପିତୁଳା ପରାୟ ରହିଛନ୍ତି ବଇ ଗିର ।୫।
ଦାସୀ- ନୃପଜେମା ! ତୁମେ ଯାହା ଅନୁମାନ କରିଛ, ତାହା କେବେ ମିଛ ହେବନାହିଁ । ବସନ୍ତକାଳକୁ ସିନା କୋକିଳ ଚିହ୍ନେ; ତାହା କାକ ଜାଣିବ କାହୁଁ ? ମେଘଗର୍ଜ୍ଜନ ଶୁଣିଲେ ଚାତକୀର ଆନନ୍ଦ ବଢ଼େ । ଯେଉଁ ରୋଗ ମଧ୍ୟ ନାରାୟଣ ତଇଳରେ ଭଲ ନ ହୁଏ, ସେ ପରା ତୁଟୁକା ଦୂବ-କାକରରେ ହଟିଯାଏ ! ମୋର ଗୋଟିଏ ସାନ କଥା ମନେରଖ ।
ଗୀତ-(ମରିବ ମରିବ ସଖି...ବୃତ୍ତେ)
ଯା ପାଇଁ ଯାହାକୁ ବିହି ରଖିଛି ଖଞ୍ଜାଇ ଗୋ ।
ତାହାକୁ ଖଣ୍ଡିବ କାହା ଶକତି ତ ନାହିଁ ଗୋ ।ପଦ।
ମଣିକାଞ୍ଚନ ସଂଯୋଗ ପାଞ୍ଚି ଦେଖ ସହି ଗୋ ।
ଶଶିକୋଳେ ଦେଲା ଶଶା ରସାଭୂଷା ସେହି ଗୋ ।
ଲୁହା ଚୁମ୍ବକଭାବ, ପଦ୍ମିନୀର ରବିଠାରେ ଲୋଭ ।
ଜାହ୍ନବୀ ଭୂଷଣ ମହାଦେବ, ନାଭୀଠାରେ ନର ପରାଭବ,
କ୍ଷୀର ନୀରରେ ନୀରରେ, ଧରା ଧାରଣ ଭୂଜଙ୍ଗଶିରରେ ।
ଘନେ ଚପଳା ମିଳନ ଚିରରେ,
ବଇ ବୋଲେ ସଙ୍ଗିନୀ ତା ଦେଲି ସମଜାଇ ଗୋ ।୧।
ଅର୍ଜୁନ- (ଯୁଧିଷ୍ଠିର ପ୍ରତି ପ୍ରଣାମ କରିବା)
ଯୁଧିଷ୍ଠିର- ଦେଖ ଦେଖ ବିପ୍ରଗଣ ଏଣେ ନମେ ଦ୍ୱିଜ ତୁମ୍ଭରି ଉଦ୍ଦେଶ୍ୟ, ମୁକ୍ତକଣ୍ଠେ କର ସର୍ବେ ତାକୁ ଆଶୀର୍ବାଦ ।
ବ୍ରାହ୍ମଣଗଣ- ଜୟଲାଭ କର ବିପ୍ରବର ! ଲାଖ ବିନ୍ଧି କନ୍ୟା ନିଅ ରଖ ଜାତିଟାଣ, ଏ ଆଶିଷ ଫଳୁ ତୋତେ ବ୍ରାହ୍ମଣକୁଳର ।
ଅର୍ଜୁନ- କହ କହ ରାଜପୁତ୍ର, ଥରେ ଲାଖବିବରଣ ?
ଧୃଷ୍ଟଦ୍ୟୁମ୍ନ- ନିରେଖି ହେ ବିପ୍ରଶ୍ରେଷ୍ଠ ଏହି ଜଳଘଟେ
ଚକ୍ର ଛିଦ୍ରପଥେ ଦେଖାଯାଏ ସ୍ୱର୍ଣ୍ଣମତ୍ସ୍ୟ
ତାର ଯେଉଁ ମାଣିକ୍ୟ ନୟନ
ଊର୍ଦ୍ଧେ ରଖି ମୁଷ୍ଟି ଦେବ ଜଳଘଟେ ଦୃଷ୍ଟି
ଏ ମତ୍ସ୍ୟ ନୟନ ଶରେ ଛେଦିବ ଯେ ଜନ
ସେହି ହେବ ମମ ଭଗ୍ନୀପତି
ଦେବ ରାଜକନ୍ୟା ବରମାଳ ତାର ଗଳେ ।
(ଅର୍ଜୁନର ତଦ୍ରୁପକରଣ- ଲକ୍ଷ୍ୟ ଭେଦ)
ବ୍ରାହ୍ମଣଗଣ- ଜୟ ବିପ୍ରବର, ଜୟ ଦ୍ୱିଜ ଜାତିର ଜୟ ! (ପୁଷ୍ପବୃଷ୍ଟି, ଶଙ୍ଖଧନି)
ଶିଶୁପାଳ- ବୃଥା ଗୋଳ କର କିମ୍ପା ହେ ବ୍ରାହ୍ମଣଗଣ !
ନ ବୁଝି ନସୁଝି ମାଳ ନ ଦିଅ ଦ୍ୱିଜକୁ, ସାମାନ୍ୟ ଭିକ୍ଷୁକ ଅଟେ ଏହି ବିପ୍ର ।
କି ଶକତି ବିନ୍ଧିବ ଏ ଲାଖ । ମିଥ୍ୟା କରନାହିଁ ଗୋଳ ବାତୁଳ ବର୍ବରେ, ମନେକରିଛ
କି କନ୍ୟା ନେବ, ଦେଖ ଜଳେ ପ୍ରକୃତ କି ଅପ୍ରକୃତ ବିନ୍ଧିଛି ବ୍ରାହ୍ମଣ ।
ସମସ୍ତେ- (ଜଳେ ନିରୀକ୍ଷଣ) ନା, ପ୍ରକୃତ ମତ୍ସ୍ୟଚକ୍ଷୁରେ ଭେଦିଛି ନାରାଜ ।
ଜରାସନ୍ଧ- ମିଥ୍ୟା ମିଥ୍ୟା, ବୃଥା ଗୋଳ କରନାହିଁ ଦ୍ୱିଜ !
ସାତତାଳ ଉଚ୍ଚେ ମତ୍ସ୍ୟ ଛେଦିବ ଏ ଯେବେ
ତେବେ ଆମ୍ଭେ କରିବା ବିଶ୍ୱାସ ଲାଖ ବିନ୍ଧିଛି ବ୍ରାହ୍ମଣ ।
ଅର୍ଜୁନ- ସେ ନିମନ୍ତେ ନୃପଗଣେ ନାହିଁ ମୋ ଶୋଚନା
ଦେଖ ମତ୍ସ୍ୟ ଛେଚିପାରେ ଶତଖଣ୍ଡ କରି
ମିଥ୍ୟା କହି କେତେ କାଳ କରିବ ହେ ଜୟ
କେତେ କାଳ ଶିରେ ରହେ ଜଳର ତିଳକ
କେତେ ବେଳ ରହେ ଅନ୍ଧକାର ଉଦେ ହେଲେ ଦିନମଣି
ଭଣ୍ଡଗଣଙ୍କ ଭଣ୍ଡାମି ଅଟେ ସେହିପରି
କାର୍ଯ୍ୟକ୍ଷେତ୍ରେ ନିମିଷକେ ପଡ଼ିଯାଏ ଧରା
ଏହି ଦେଖ ସ୍ୱର୍ଣ୍ଣମତ୍ସ୍ୟ ଛେଦିବଇଁ ମୁହିଁ ଅବହେଳେ ଲୋଟିବ ଭୂତଳେ ।
(ମତ୍ସ୍ୟଚ୍ଛେଦନ)
ବିପ୍ରଗଣ- ଜୟ ବ୍ରାହ୍ମଣକୁଳର ଜୟ !
ଧୃଷ୍ଟଦ୍ୟୁମ୍ନ- ଦିଅ ବରମାଳ କୃଷ୍ଣା ବିପ୍ରବର ଗଳେ ।
(ଦ୍ରୌପଦୀ ବରମାଳଦାନେ ଉଦ୍ୟତ)
ଅର୍ଜୁନ- ରହ ରାଜବାଳା ଆଉ ତିଳେ ।
(ଏକ ଦୂତ ଅର୍ଜୁନ ପାଶେ ପ୍ରବେଶ)
ଦୂତ- ବିପ୍ରବର ! ପଠାଇଲେ ରାଜା ଦୁର୍ଯ୍ୟୋଧନ ତୁମ୍ଭ ପାଶେ ମୋତେ ଏହିକ୍ଷଣି, ଶୁଣ ତାର କାରଣ ମୋଠାରୁ ।
ଗୀତ- (ଚକ୍ରକେଳି...ବୃତ୍ତେ)
ଶୁଣ ଶୁଣ ଦ୍ୱିଜ ତାର କାରଣ, କରେ କନ୍ୟା କରି ମାଳ ଧାରଣ ।୧।
ଯେତେବେଳେ ଦେବାକୁ ତବ ଗଳେ, ଗଳାନିଷେଧ କଲ ଅବହେଳେ ।୨।
ଯେବେ ନାରୀରେ ନାହିଁ ତବ ମନ, ତାର ପ୍ରତିବଦଳେ ଘେନ ଧନ ।୩।
ଦିଅ ସେ ରମଣୀ କୁରୁମଣିକି, ଦୁଃଖ ନ ରହିବ ତବ ଏଣିକି ।୪।
ଏତ ରାଜଜେମା ତୁମ୍ଭେ ଗରିବ, ନେଇ ଏ ବାମାକୁ କିସ କରିବ ।୫।
ଯଥା ସିନ୍ଦୂର ବିଧବାକପାଳେ, ତଥା ଏ କନ୍ୟା ହେବ ତବ କୋଳେ ।୬।
ଧନ ଗୋଧନ ରାଜ୍ୟ ଦେବା ପାଇଁ, କହିଅଛନ୍ତି ନିଅ ନାରୀ ଦେଇ ।୭।
କର ମନଭାବମାନ ପ୍ରକାଶ, ଦ୍ୱିଜ ବଇ ଦୀନ ରଚେ ଏ ରସ ।୮।
ଅର୍ଜୁନ- ରେରେ ନୀଚମନା ଭଣ୍ଡ ଦୂତ ! କହ ଯାଇ ଏହା ତୋ ରାଜାକୁ, ଆସିଥିଲୁ ତାର ଦୂତ ହୋଇ ଏବେ ହୋଇ ଚଳ ମୋର ଦୂତ ତହିଁ ।
ଗୀତ- (ଦେବେ ତୁମରି କଥା ଗଲା ଜଣା..ବୃତ୍ତେ)
ଯେତେ ରୁଣ୍ଡ ଭଣ୍ଡ ନରପତି ତହିଁରେ,
ଅତି ବେଗେ କହ ତାଙ୍କୁ ଯାଇଁରେ ।ପଦ।
ବୋଲ ଦୂତ ସାତଦ୍ୱୀପ ପୃଥ୍ୱୀ କଲେ ଆଶା,
ଦେଇପାରେଁ କ୍ଷଣେ, ଦ୍ୱିଜ ଶାସିଣ ସହସା,
ଜିଣି କୁବେର ଭଣ୍ଡାର ଦହି ରେ ।୧।
ତାଙ୍କ ରାଣୀଗଣେ ଶୀଘ୍ର ଦିଅନ୍ତୁ ସେ ଆଣି,
ନିର୍ଭୀକ ହୃଦୟେ ତାଙ୍କୁ କହ ଯା ଏକ୍ଷଣି,
ଶୁଣି କି ଭଣିବେ ତୋତେ ସେହି ରେ ।୨।
ଆବର ଆସି କହିବୁ ମୋତେ ସେ ଖବର;
ଚାହିଁଲେ ତୋଳାଇପାରେଁ କୋଟିଏ ନବର,
ରଣେ ବରଣ କରନ୍ତୁ ବଇ ରେ ।୩।
(ଦୂତର ପ୍ରସ୍ଥାନ)
ନେପଥ୍ୟ- ରେ ପାଷାଣ୍ଡ ହୀନମତି ଦ୍ୱିଜ !
କି ସାହସେ ରାଜବର୍ଗେ ଭାଷିଲୁ ଏ କଥା
ଅତି ଅସହ୍ୟ ହେଉଛି ତୋ କଟୁ ବଚନ
ଭୋଗିବୁ ଉଚିତ ଶାସ୍ତି ଆମ୍ଭରି ହସ୍ତରେ
ଅଳ୍ପବୁଦ୍ଧି ଏ ଦ୍ରୁପଦରାଜା ନୃପସୁତେ ଦେଇ ଅପମାନ
କରଇ ବରଣ ଦରିଦ୍ର ଭିକ୍ଷୁକେ ପୁଣି ଜାମାତାଭାବରେ
ତୋର ସହିତେ ତାହାରେ ଦେବୁଁ ପ୍ରତିଫଳ
କ୍ଷତ୍ରିୟ ଜାତିର କଲା କେଡ଼େ ଅପମାନ ।
ରାଜାଗଣେ ବେଢ଼ି ସର୍ବେ ମାର ବ୍ରାହ୍ମଣକୁ ।
ଅର୍ଜୁନ- ରେରେ ବୃଇା ଅହଂକାରୀ ନୃପସୁତଗଣେ !
ଏହିକ୍ଷଣି ତୁମ୍ଭ ପ୍ରେତକର୍ମ କରିବ ଏ ବ୍ରାହ୍ମଣର ବାଣ
ହୁଅ ଅଗ୍ରସର ମୃତ୍ୟୁମୁଖେ ଯିବାକୁ ରେ ଅଛ କେତେ ଜଣ ।
ଦ୍ରୌପଦୀ- ବିପ୍ରବର ! ତୁମ୍ଭେ ଏକାକୀ; ଏମାନେ ଲକ୍ଷେ ନରପତି,
ଏହାଙ୍କୁ କି ବିଣିବାକୁ ମୋର ପିତାର ଶକତି ?
ଅର୍ଜୁନ- ରାଜସୁତା ! ସେ ନିମନ୍ତେ କରନାହିଁ ଚିନ୍ତା
ମମ ତୁଲେ ରହି ଦେଖ ରଣ, କେଡ଼େ ଟାଣ ଭିକ୍ଷୁକର ବାଣ
ଏକେଶ୍ୱର ହୋଇ ନିମିଷକେ ପରାଭବ ଦେବି ଦୁଷ୍ଟଗଣେ ।
ରେରେ ଦୁର୍ବୁତ୍ତ କ୍ଷତ୍ରିୟକୁଳକଳଙ୍କ
ଆସ ଶୀଘ୍ର ତେଜି ଚିତ୍ତୁଁ କୂଟ ପରାମର୍ଶ ।
ରାଜଗଣେ- (ଅର୍ଜୁନକୁ ବେଢ଼ି)
ରେରେ ଅଧମ ବ୍ରାହ୍ମଣ ! ଏହି ଦେଖ୍ ଗଲା ତୋର ପ୍ରାଣ
(ଅର୍ଜୁନ ରାଜାଗଣ ସହ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
ବଳରାମ- ଦେଖିଲୁ ତ କୃଷ୍ଣ ! ମୋ କଥାର ପ୍ରକୃତ ପ୍ରମାଣ ସ୍ୱନେତ୍ରରେ ।
ଶ୍ରୀକୃଷ୍ଣ- ଆସ ଆସ ଭାଇ ! ଦେଖିବା ପାର୍ଥବିକ୍ରମ ନୟନ ପୂରାଇ ।
ରୁଣ୍ଡ ହେଲେ କୋଟିଏ ଶୂକର, ଜିଣିବେ କି ଏକ ସିଂହଶିଶୁକୁ ସମରେ ।
(ବଳରାମ ଶ୍ରୀକୃଷ୍ଣଙ୍କ ପ୍ରସ୍ଥାନ)
ଯୁଧିଷ୍ଠିର- ଦେଖ ଦେଖ ବୃକୋଦର ! ଅର୍ଜ୍ଜୁନେ ବେଢ଼ିଲେ ଦୁଷ୍ଟଗଣ, ରଣ କରି ଆଣ ଯା ପାର୍ଥକୁ ।
ଭୀମ- ଯେ ଆଦେଶ ଧର୍ମରାଜ !
(ଏକ ପ୍ରକାଣ୍ଡ ବୃକ୍ଷ ଓପାଡ଼ି ପ୍ରସ୍ଥାନ)
ବ୍ରାହ୍ମଣଗଣ- ଚାଲ ନନା, ଏ ଦଣ୍ଡ କଣ ଏତେବେଳେ ଆୟୁଧର କାର୍ଯ୍ୟ କରିବ ନାହିଁ ? ଏ ବ୍ରହ୍ମଦଣ୍ଡ ନ ପାରିଲେ ଶେଷକୁ ଅଭିଶାପରେ ପାପିଷ୍ଠକୁ ପୋଡ଼ିଦେବା । ଆସ ସମସ୍ତେ ଆସ, ଜୟ ବ୍ରାହ୍ମଣଜାତିର ଜୟ, ଜୟ ବ୍ରହ୍ମଦଣ୍ଡଧାରୀ ବ୍ରାହ୍ମଣଗଣଙ୍କର ଜୟ ।
(ସମସ୍ତଙ୍କର ପ୍ରସ୍ଥାନ)
ନେପଥ୍ୟେ- ପଳାରେ, ଅଇଲାରେ, ଏଇଟା କିଏ ଗୋଟାଏ ଆଇଲାରେ ।
(ଜଣେ ସ୍ତ୍ରୀ ଓ ଜଣେ ପୁରୁଷର ପ୍ରବେଶ)
ଗୀତ- (କହ କରୁଣା ସାଗର...ବୃତ୍ତେ)
ପୁରୁଷ- ଆଉ ଏଠି ରହିହବ ନାହିଁ ଲୋ ଅପା ପଳେଇବା ଚାଲିଆ
ସ୍ତ୍ରୀ- କ’ଣ ଦେଖିରେ ଚୁଲିପଶା ଏତେ ହେଉଅଛୁ ହାଲିଆ ।ପଦ।
ପୁରୁଷ- କାହୁଁ ଆସିକରି ହଳେ ବ୍ରାହ୍ମଣ, ହାଣନ୍ତି ମଣିଷ ପଣକୁ ପଣ,
ସ୍ତ୍ରୀ- ଗୋଟା ଭେଣ୍ଡାପଣ୍ଡା ଗଛ ଗୋଟା ଧରି ମାରୁଅଛି କାଲିଆ ।୧।
ପୁରୁଷ- ଚୁଡ଼ା ଦହି ଗୁଡ଼ ଚକଟା ହାତ, ଲଢ଼େଇକି ପୁଣି ଏଡ଼େ ଶକତ,
ସ୍ତ୍ରୀ- ଗଣ୍ଡିମୁଣ୍ଡ ଗଡ଼ି ରକତରେ ପୁଣି ଉଛୁଳୁଛି ଖାଲିଆ ।୨।
ପୁରୁଷ- ଗୋଟିଏ ମଢ଼କୁ କୋଟିଏ କାଉ, ଏଥିରେକି କଳି ନ ହେବ ଆଉ,
ସ୍ତ୍ରୀ- ସ୍ୱୟମ୍ବର ପରା କରୁଥିଲା ରଜା ନିଆଁଲଗା ଚୁଲିଆ ।୩।
ପୁରୁଷ- ବ୍ରାହ୍ମଣଟା ଏଡ଼େ ପଡ଼ିଲା ଟାଣ, ଝିଅ ନେଇଗଲା ବିନ୍ଧିଣ ବାଣ,
ସ୍ତ୍ରୀ- ଛଡ଼େଇବେ ବୋଲି ବସିଥିଲେ ତାକୁ ଦେଖି ଭିକଝୁଲିଆ ।୪।
ପୁରୁଷ- ଜଟାଜଟି ଭାବ ପଟିଲା ନାହିଁ, ମାଡ଼ ଖାଇ କିଏ ପଡ଼ିଲେ ନାହିଁ,
ସ୍ତ୍ରୀ- ହେଲା ଥୟେଥାଆ ହବ ପରା ବାହା ମାରିବୁରେ ଫାଲୁଆ ।୫।
ପୁରୁଷ- ଦେଖିଲୁ କେମନ୍ତେ ଧରମବଳ, ଜିଣିଗଲେ ତେଣୁ ବ୍ରାହ୍ମଣକୁଳ ।
ସ୍ତ୍ରୀ- ବଇଆ ବୋଲଇ ଭଲରେ କାହିଁକି ଲଗେଇଲେ ଭାଲିଆ ।୬।
(ସ୍ତ୍ରୀ-ପୁରୁଷଙ୍କ କଥାବାର୍ତ୍ତା)
ପୁରୁଷ- ଅପା, ତୁ ବାହା ହେଉଚୁନା, କାହାକୁ ?
ସ୍ତ୍ରୀ- କାହିଁକି ତୁ କଣ ପୁରୁଣା କରିବୁ ନୂଆକୁ ।
ପୁରୁଷ- ମନ ଥିଲେ କଣ ହଉନାହିଁ ନୂଆ ପୁରୁଣା
ସ୍ତ୍ରୀ- ଟଙ୍କାକରୁ ପରା ରହିଲାଣି ଜମା ବାରଣା ।
ପୁରୁଷ- ଆଉ ତ ଫେର୍ ଚାରଣା ରହିଛି ବାକୀ
ସ୍ତ୍ରୀ- ତାକୁ କଣ ଖରଚ କରିବାକୁ ମୁଁ ଯାଉଛି କାହାକୁ ଡାକି ।
ପୁରୁଷ- ସେଥିପାଇଁ ପରା ମୁଁ ଟାକି ବସିଅଛି ଆଗରୁ
ସ୍ତ୍ରୀ- ଏକା ତୋର ଜଣାପଡ଼ୁଅଛି ଢଙ୍ଗରୁ ।
ପୁରୁଷ- ମୋର ଢଙ୍ଗଢାଙ୍ଗ କଣ ବିଗିଡ଼ିଚି
ସ୍ତ୍ରୀ- ଆ ଖଣ୍ଡିଆ କାନକୁ ରଗଡ଼ୁଚି ।
ପୁରୁଷ- ଅପା ବାହାଘର ହବ ଆଜି କେତେବେଳେ
ସ୍ତ୍ରୀ- ତୁ କଣ ସେଥିରୁ କାମୁଡ଼ି ଖାଇବୁ ଫାଳେ ।
ପୁରୁଷ- ସେ ତୁ ନ ହେଲେ ଏଥିରୁ ତ ପୁଳା ମିଳିବ,
ସ୍ତ୍ରୀ- କଣ ଧରାପଡ଼ିବ ନାହିଁ କେତେ ବାଣ ନିଶାଣ ପରା ଜଳିବ ।
ପୁରୁଷ- ଫେର୍ ଏ ରଜାଗୁଡ଼ାକ ଗଲେ କୁଆଡ଼େ
ସ୍ତ୍ରୀ- ମୁଁ ଯାଉଚିରେ, ଗଲେ ଯୁଆଡ଼ୁ ଆସିଥିଲେ ସିଆଡ଼େ ।
(ଉଭୟର ପ୍ରସ୍ଥାନ)
(କୁମ୍ଭକାର ଗୃହ-କୁନ୍ତୀ ଏକାକୀ ପ୍ରବେଶ)
କୁନ୍ତୀ- (ସ୍ୱଗତ) ରେ ବିଧାତା, ତୁ କ’ଣ ଏକା ମୋହରି ପାଇଁ ଏ ଦୁଃଖଯାକ ସୃଷ୍ଟି କରିଥିଲୁ ? ଦୁଃଖ ଦେବାକୁ କି ତୋତେ ଆଉ ଅନ୍ୟସ୍ଥାନ ନ ଥିଲା ? ରାତି ଆସି ତ ପ୍ରହରେ ହେଲା, ପୁଅମାନେ ମୋର କାହିଁକି ଆସିଲେ ନାହିଁ, କଣ ଭିକ୍ଷା ନ ମିଳିବାରୁ ଏତେ ବିଳମ୍ବ କଲେ । ଆଜି ଦିନଯାକ କେବଳ ମାର ମାର ଶବ୍ଦ ଶୁଭୁଛି, ଭୀମା ମୋର କଣ କେଉଁଠି ଦୁଷ୍ଟପଣ କଲା କି ? ମୋ ମନରେ କାହିଁକି ଶଙ୍କା ହଉଛି । ହାୟ ଦୁର୍ଯ୍ୟୋଧନ ! ତୁ ଏଡ଼େ ନିଷ୍ଠୁର, ମୋ ପୁଅଙ୍କର ସୁଖ ତୋର ଚକ୍ଷୁଶୂଳ ହେଲା ।
ଗୀତ- (କାହିଁପାଇଁ ହେଉ କାନ୍ଦକାନ୍ଦ ରେ...ବୃତ୍ତେ)
କେଣେ ଗଲ ରାଣ୍ଡର ସଙ୍ଖାଳି, ରେ ପଞ୍ଚସୁତେ !ପଦ !
କେତେବେଳେ ଭିକ୍ଷା ଆଣି ଦେବରେ କୁମରମଣି,
ରକ୍ଷା ହେବ ଏ କ୍ଷୁଧା କି ଚିତ୍ତେ ରେ ।୧।
କେତେବେଳେ ରାନ୍ଧି ଅନ୍ନ, ପରଷିବି ରେ ନନ୍ଦନ,
ଭକ୍ଷିବ ଦେଖିବି ପାପନେତ୍ରେ ରେ ।୨।
ଦ୍ୱିଜ ମାର ଧର ଧର, ଶୁଣି ଶ୍ରବଣେ ଏ ଗିର,
ହୃଦେ ଉଦେ ହୁଏ ଶଙ୍କା କେତେ ରେ ।୩।
ଅନାଥ ପଣ୍ଡୁଦୁଲାଳ, କଲ କି କା ତୁଲେ ଗୋଳ
ଶୋକେ ବଇଷ୍ଣବ ଭାଷେ ଗୀତେ ରେ ।୪।
କୁନ୍ତୀ- ଆହା, ଏ କାହାର ପଦଶବ୍ଦ ଶୁଭୁଚି । ଜଣାଯାଏ ମୋର ଦରିଦ୍ର ଧନ, ପଥିକର ଛାୟା, ଅନ୍ଧର ଯଷ୍ଟି, ଭିକାରୀର ଝୁଲି ପୁତ୍ରଗଣେ ଆସିଲେ ପରା । ଏ କିଏ ରେ ବାପ, ଏତେ ଅନ୍ଧାରରେ ତୁମେମାନେ ଆସିଲ କିଏ ମୋର ପାଞ୍ଚପୁଅଙ୍କର ଆସିବାର ଦେଖିଚ କି ?
ଯୁଧିଷ୍ଠିର- ମା, ଯାହାକୁ ଲୋଡ଼ୁଛୁ ଆମ୍ଭେ ସେହି ପୁତ୍ର ତୋର ।
କୁନ୍ତୀ- ବେଳୁଁ ନ ଆଣିଲ ଭିକ୍ଷା, ଏତେ ରାତ୍ରେ କି ଆଣିଛ କରିବ ଆହାର ।
ଯୁଧିଷ୍ଠିର- ଦେଖ ମାତା, ଅପୂର୍ବ ଭିକ୍ଷାଏ ଆଜି କରିଅଛୁଁ ଲାଭ ।
କୁନ୍ତୀ- ଯା ଆଣିଚ, ପାଞ୍ଚ ଭାଇ ବାଣ୍ଟିଣ ଖାଇବ ।
ଗୀତ- (ରାଗ-ରାମକେରୀ)
ସୁତେ, ଦେଖି ତୁମ୍ଭ ମୁଖ ରେ ମୋର ଗଲାଣି ଭୋକ ।
ଆସ ପାଶେ କୋଳେ ଘେନି ରେ ହେଳେ ଭୋଗିବି ସୁଖ ।୧।
ବଧିର ସମାନ ଥିଲା ତ ପଡ଼ି ଶ୍ରବଣ ମୋର ।
ଶୁଭିଲା ଯେମନ୍ତେ ଶୁଣିଲି ମାଆ ମାଆ ଏ ସ୍ୱର ।୨।
ତୁମ୍ଭ ତୁଲେ ଦିଶେ କିଏ ସେ ଏହି ନାରୀରତନ ।
କାହାର କୁମାରୀ ତା’ପରେ ନେତ୍ର ହେଲା ପତନ ।୩।
କିମ୍ପାଇ ଆସିଲା ଭିକ୍ଷାଶିଗଣ ସଙ୍ଗେ ଗୋଡ଼ାଇ ।
ବଇଷ୍ଣବ ବୋଲେ କହିବ ଚିତ୍ତୁଁ ଚିନ୍ତା ଛଡ଼ାଇ ।୪।
ଭୀମ- ଶୁଣ ଥରେ ସେ ସର୍ବ ଘଟଣା, ଏ ପାଞ୍ଚାଳୀ ପଞ୍ଚାଳନନ୍ଦିନୀ
ଏକଚକ୍ରାନଗ୍ରେ ବ୍ୟାସ କହିଥିଲେ ପରା ଏହି କନ୍ୟା ସମାଚାର ?
ଏ ନାରୀର ଯୋଗେ ତହିଁ ହେଲା ବହୁ କଳି
ରାଜଗଣେ ଜିଣି ସୁଖେ ଆଣିଲୁଁ ଏ ଭିକ୍ଷା
ସେ କାରଣେ ପଥେ ଏତେ ହୋଇଲା ବିଳମ୍ବ ।
କୁନ୍ତୀ- କି କଲ ରେ ହତଭାଗ୍ୟ ସୁତଗଣେ ମୋର
ନାରୀଲାଭ କରି ଭିକ୍ଷା କହିଲ କେସନେ
ସେ ଯୋଗେ ବୋଇଲି ବାଣ୍ଟି ଖାଅ ପାଞ୍ଚ ଜଣେ
ମାତୃବାକ୍ୟ ହେବନାହିଁ ଆନ
ବାଧ୍ୟହୋଇ ଅବଶ୍ୟ ତା ପାଳିବ କୁମରେ,
ତା ନୋହିଲେ ଅନ୍ତିମେ ଲଭିବ କୁମ୍ଭୀପାକ ।
ଯୁଧିଷ୍ଠିର- ମାତଃ ! କିମ୍ପା ଏଡ଼େ ହେଉଛ ବିକଳ,
ଶୁଣିଅଛି ବ୍ୟାସଙ୍କ ବଦନୁ,
ପୂର୍ବେ ପାଞ୍ଚାଳୀ ଥିଲେ ଦ୍ୱିଜର ଦୁହିତା,
ଶିବ ସେବି ଲଭିଛନ୍ତି ବର ପଞ୍ଚପତି ହେବେ ଏ ଜନମେ ।
ଖଣ୍ଡପରଶୁବଚନ ଖଣ୍ଡିବ କେ କହ
ତେଣୁ ଜନମ ଯଜ୍ଞରୁ ଯାଜ୍ଞସେନୀ ନାମେ ଏହି
ସେ ଘେନି ଫଳିଲା ମାତୃବାକ୍ୟ ଆମ୍ଭ ଭାଲେ
ରେ ଅର୍ଜୁନ, ବହୁଶ୍ରମେ ଜିଣି ରାଜାଗଣେ ଆଣିଅଛୁ ଏହି ରମଣୀକି
ଡାକିଆଣ ଧୌମ୍ୟ ପୁରୋହିତେ, ଅବିଳମ୍ବେ କର ଯା ବିବାହ ।
ଅର୍ଜୁନ- ଧର୍ମ୍ମରାଜ ! କିପାଁ ଭାଷ ଅବିଧି ବଚନ
ଜ୍ୟେଷ୍ଠ ଥାଉଁ କନିଷ୍ଠର ବିଭା ମନା ଅଛି ବେଦର ବିଧାନେ
ଅଗ୍ରେ ମାତୃବାକ୍ୟ ରକ୍ଷାକର ।
ଯୁଧିଷ୍ଠିର- ଧନ୍ୟ ଧନ୍ୟ ଧନ୍ୟରେ ଗାଣ୍ଡୀବୀ
ନ ମିଳିବେ ତୋ ସମାନ ଭାଇ ଇହଧାମେ ।
ଚାଲ ସର୍ବେ ନିତ୍ୟକର୍ମ୍ମ କର ସମାଧାନ ।
ଅର୍ଜୁନ- ଆହା, ଏ କିଏ ଆସନ୍ତି ଦୂରୁ,
ମା, ମା, ଆସିଲେଣି ସଖା ମମ ପାଇ ଆମ୍ଭ ସମ୍ବାଦ କା’ ଠାରୁ
ଏତେ ଦିନେ ହୋଇବ ପବିତ୍ର କୃଷ୍ଣ ଆଲିଙ୍ଗନେ ଦେହ ପ୍ରାଣ ।
କୃଷ୍ଣ- (ପ୍ରବେଶି, କୁନ୍ତୀଙ୍କୁ ଦଣ୍ଡବତ କରି) ମାଉସି !
ନମସ୍କାର କରୁଛି ତୋ ଚରଣେ ଗୋବିନ୍ଦ, ମୁକ୍ତକଣ୍ଠେ କର ଆଶୀର୍ବାଦ ।
କୁନ୍ତୀ- ରେ ନନ୍ଦନନ୍ଦନ ! ମୋର ଅନ୍ଧର ନୟନ
ଆସ କୋଳେ ଧରି ଭୁଲିଯାଏ ସବୁ ଦୁଃଖ ।
ଗୀତ- (ମେଲାଣି କର ରେ ନନ୍ଦ...ବୃତ୍ତେ)
ମାଉସୀ ମନେପଡ଼ିଲା ଏତେକାଳ କି ତୋହରି ?
ପୋଡ଼ିମଲେ ଯାଆନ୍ତାଣି ଦ୍ୱାଦଶ ବରଷ ପୂରି ।ପଦ।
ଆସ ରେ ଯାଦବଈଶ; ନ ଦେଖି ବାର ବରଷ ।
ପଡ଼ିରହିଛି ଏ ପୋଡ଼ା ଆକ୍ଷି ଯୋଡ଼ି ଲୁହା ପରି ।୧।
ଆଜି ମୋର ଶୁଭଦିନ, ଦେଖି ରାଜୀବବଦନ ।
ଉଡ଼ିଗଲା ସବୁ ଚିନ୍ତା ସୁଖେ ପାହିବ ଶର୍ବରୀ ।୨।
ଭାଷ କୁଶଳ ବାରତା, ଶୁଭେ ଛନ୍ତି ନା ତୋ ମାତା ।
କି କରଇ ଭ୍ରାତା ମୋର, ଯଦୁଲୋକ ସଙ୍ଗେ କରି ।୩।
ବାର ବରଷ ଖବର, ଭାଷ ତୋଷେ ବଂଶୀଧର ।
କେ ମରିଚି କେ ବଞ୍ଚିଚି ବଇଷ୍ଣବର ଗୁହାରି ।୪।
କୁନ୍ତୀ- କୃଷ୍ଣ ରେ, ଏଡ଼ିକି ନିଷ୍ଠୁର ପିତା ତୋର, ହୋଇ ମୋର ସହୋଦର ଭାଇ ନେଲେ ନାହିଁ ରାଣ୍ଡସୁତଙ୍କର ସମାଚାର ଦିନେ ଶୟନେ ସ୍ୱପନେ ଆରେ ଦୟାନିଧି ! ଏଡ଼େ ତୋର ନିର୍ଦ୍ଦୟ ହୃଦୟ ? ସଙ୍ଖୋଳିଲୁ ନାହିଁ ଭାଇମାନଙ୍କୁ ରେ ଦିନେ ଆଜି କାହାଠାରୁ ବାପ ପାଇଲୁ ସନ୍ଧାନ ଦେଖିବୁ ବୋଲି ଆସିଲୁ ରେ ଯଦୁନନ୍ଦନ !
କୃଷ୍ଣ- ମାଉସି ! ଯେ କାରଣେ ଲୋଡ଼ିନାହିଁ ଭାଇଙ୍କି ମୋହରି
ଶୁଣ ଏବେ କାରଣ ତହିଁର
ଭୋଗ ନ କଲେ ରୋଗ କି ଛଡ଼ାଇ ସହଜେ
ଯେତେବେଳେ ମଲେ ବୋଲି ଜଳି ଜଉଶାଳେ
ଶୁଣିଲେ ପିୟର ମୋର ପଣ୍ଡୁପୁତ୍ରଗଣେ
ସାତଦିନ ଅନ୍ନ ଜଳ ନ କଲେ ଆହାର
ଅହରହ କରିଲେ ରୋଦନ ଭ୍ରାତା ତବ
ତା ଉତ୍ତାରୁ ଯା ଘଟଣା ଶୁଣନ୍ତୁ ମାଉସି !
ଗୀତ- (ପ୍ରେମ ସରସୀରେ ପ୍ରେମ...ବୃତ୍ତେ)
ଶୁଣ ଭୋଜସୁତା, ନେବାକୁ ବାରତା, ପଠାଇଲେ ମୋତେ ଜନକ ଗୋ ।
ଆସିଣ ସଘନେ ଭ୍ରମି ବହୁ ସ୍ଥାନେ କରିଲି ସନ୍ଧାନ ଅନେକ ଗୋ ।ପଦ।
ଯହୁଁ ଜଣାଇଲେ ବିଦୂର, ସକଳ କାରଣ ଜାଣିବାକୁ ତାଙ୍କ ସଦନେ ରହିଲି ଦିନକ ଗୋ ।୧।
ତାତ ଅନ୍ଧନନ୍ଦନ ଡରେ, ଆବର ତୁମ୍ଭର ଖବର ନ ନେଲେ ବିଚାର କରି ଏସନକ ଗୋ ।
ଜ୍ୟେ ଯିବାକୁ ହୁଅ ସଜ; ବଇଷ୍ଣବ ବୋଲେ ତେଜ ସର୍ବକଷ୍ଟ ଦଳ ଦର୍ପ ଅରିମାନଙ୍କ ଗୋ ।୩।
କୁନ୍ତୀ- ରେ ବାପ ଗୋବିନ୍ଦ ! କହ ଯାଇ ଏହି କଥା ଯୁଧିଷ୍ଠି ମୋର, କରାଇଣ ସୀଉକାର ପରେ ଚଳରେ ଦ୍ୱାରକା ।
(କୃଷ୍ଣ ଯୁଧିଷ୍ଠିରଙ୍କ ପାଶେ ପ୍ରବେଶ)
କୃଷ୍ଣ- ଧର୍ମରାଜ ! ପ୍ରଣାମ ଚରଣେ
ଯୁଧିଷ୍ଠିର- ଏ କିଏ ଯଦୁନାଥ ! ପାଣ୍ଡବରକ୍ଷଣବାନା ପଡ଼ିଛି କି ଛିଡ଼ି । (ରୋଦନ)
କୃଷ୍ଣ- ବୃଥା ଣୋକ ନ କର ହେ ଧର୍ମ, କର୍ମଫଳ ମେଣ୍ଟିବ କା’ ଶକ୍ତି ?
ପୂର୍ବାପର କଷ୍ଟମାନ ଜାଣେ ମୁଁ ସକଳ
ଜଉଶାଳୁଁ ଅଗ୍ନିଦେବାଠାରୁ ଏକଚକ୍ରା ବକବଧଯାଏ
ବାରବର୍ଷ ବିପ୍ରବେଶେ ଭ୍ରମିଅଛ ନାନା ବନ ତୀର୍ଥ
ଏବେ ଯାଇଛି ସେ କଷ୍ଟ
ଦିଅ ଦୁଷ୍ଟ ଦୁର୍ଯ୍ୟୋଧନ ତାର ପ୍ରତିଫଳ
ଯାଅ କାଲି ପ୍ରାତେ ଘେନି ଭାଇଙ୍କି ସଙ୍ଗରେ
ନିଜ ରାଜ୍ୟେ ମିଳି ମାଗ ପ୍ରତିଶୋଧଦାନେ
ଭଲେ ଯେବେ ଭାତୃଅଂଶ ନ ଦେବ ସେ ଅନ୍ଧ
ମିଳି ସର୍ବେ କରିବା ତା ବିନାଶ ସାଧନ ।
ଯୁଧିଷ୍ଠିର- ଶ୍ରୀନିବାସ ! କେମନ୍ତେ ଜାଣିଲ ଆମ୍ଭେ ଏଥି କରିଅଛୁଁ ବାସ ଧର୍ମଧ୍ୱଜ କୁମ୍ଭକାର ଆଳେ ?
କୃଷ୍ଣ- ଶୁଣ ଧର୍ମ ! ଯେ କର୍ମ କରିଲେ ଆଜି ତୃତୀୟ ପାଣ୍ଡବ
କୋଟି ନୃପତିଙ୍କ ଆଗେ ପଞ୍ଚାଳସଭାରେ
ପୁଣି ଦୁଷ୍ଟ କ୍ଷତ୍ରିଗଣେ ରଣେ ଦେଲେ ଭଙ୍ଗ
ଭୀମାର୍ଜ୍ଜୁନ ବିନୁ ଏହା ଆନେ କି ସମ୍ଭବେ ?
ଆର୍ଯ୍ୟ ! କାର୍ଯ୍ୟରୁ ଚିହ୍ନିବ ସିନା ଗୁଣିଗଣ ଜନେ
ଅନୁସନ୍ଧାନେ ଜାଣିଲି ଅଛ ଚକ୍ରିଆଳେ ମାତା ସହ ପାଞ୍ଚଭାଇ ଏଥି ।
ଯୁଧିଷ୍ଠିର- ହେ ଗୋବିନ୍ଦ ! ତବ ସହ ଚକ୍ରିଗୃହେ ହେବାର ସାକ୍ଷାତ
କଉଶଳେ ଯେବେ ଏହା ଜାଣେ କୁରୁନାଥ ?
କୃଷ୍ଣ- ଧର୍ମରାଜ ! କିପାଁ ଏତେ ଭୟ ଦୁର୍ଯ୍ୟୋଧନେ ?
କି କରିବେ କୋଟିଏ କୌରବ ହୋଇ ରୁଣ୍ଡ
ଭୀମାର୍ଜ୍ଜୁନ ସମ୍ମୁଖ-ସମରେ
ନର ନାଗ ସୁର ଯକ୍ଷ ହେଲେ ଏକ
କେଶାଗ୍ର ସ୍ପର୍ଶକରିଣ ନ ପାରିବେ ତବ ।
ଯୁଧିଷ୍ଠିର- ନାରାୟଣ ! ମାନି ତବ କଥା, ଅଦ୍ୟ ଏଥେଁ ନିଶି ଶେଷ କରି କାଲି ନିଜ ରାଜ୍ୟେ ଯିବୁଁ ଜନନୀ ସହିତେ ।
କୃଷ୍ଣ- ଧର୍ମରାଜ, ହେଉଛି ବିଦାୟ, ଶୁଭେ ନିଶି ଶେଷ କରି
ନିଜ ରାଜ୍ୟେ କର ଅନୁକୂଳ। (ଶ୍ରୀକୃଷ୍ଣଙ୍କ ପ୍ରସ୍ଥାନ)
ଭୀମ- ଧର୍ମରାଜ ! ଅର୍ଜୁନକୁ ଘେନି ମୁହିଁ ଯାଉଛି ଏ ଗ୍ରାମେ
ଉପବାସେ ନ ପାରିବି ରହି
ରଣଶ୍ରମେ ଜଳେ ବୃକୋଦରର ଉଦର
ଏହିକ୍ଷଣି ଭିକ୍ଷା ଆଣି ଦେବୁଁ ତବ ପାଶେ
ହରଷେ ରାନ୍ଧିବେ ତାହା ମାତା ତୁଲେ ଦ୍ରୁପଦକୁମାରୀ ।
ଯୁଧିଷ୍ଠିର- ଯାଅ ଭ୍ରାତ ! ନ କରି ବିଳମ୍ବ ଯେବେ ଆଣିପାର ଭିକ୍ଷା ସହି ବହୁ କଷ୍ଟ ରାନ୍ଧିବାକୁ ନୋହିବ ଉଛୁର । ଆସ ମାତା, ବଧୂ ଘେନି ଗୃହର ଭିତରେ ।
(ସମସ୍ତଙ୍କ ପ୍ରସ୍ଥାନ)
(ଅନ୍ତଃପୁରେ ଦ୍ରୁପଦ ଏକାକୀ ବସି ରୋଦନେ)
ରାଜା- କୃଷ୍ଣା କୃଷ୍ଣା ! କେଣେ ତେଜିଗଲୁ ତୋ ପିତାକୁ, କରି ଯଜ୍ଞ କେତେ କଷ୍ଟେ ପାଇଥିଲି ତୋତେ, ତେଣୁ ରଖିଲି ମୁଁ ଯାଜ୍ଞସେନୀ ନାମ । ତୋ ବିହୁନେ ଦିଶେ ଅନ୍ଧକାର ଏହି ପାଞ୍ଚାଳ ନବର (ରାଜା ପୁତ୍ରକୁ ଦେଖି) ଏ କିଏ ଧୃଷ୍ଟଦ୍ୟୁମ୍ନ ! ଗଲା ପ୍ରାଣ ଗଲା ପ୍ରାଣ ଦ୍ରୌପଦୀବିହୀନେ ।
ଗୀତ- (ରାଗ-ବରାଡ଼ି ବା ଧୀରେ ଦିନେ ବନମାଳୀ...ବୃତ୍ତେ)
କହ ରେ କହ କୁମର, କେଣେ ଗଲା କୃଷ୍ଣା ମୋର,
ତା ତୁଲେ ତୁ ଥିଲୁ ବାପଧନ ! କେଣେ ନେଲା ବିପ୍ରବର,
ଜାଣୁ ଯେବେ ସେ ଖବର, କହି ତାତେ ଦିଅ ଜୀବଦାନ ରେ ।
ଆରେ ପୁତ୍ରମଣି, ମରିବି ପାଞ୍ଚାଳୀ ଗୁଣ ଗୁଣି ।
ବଳିପଡ଼ିଲାଣି କଷ୍ଟ, ନିଶ୍ଚେଁ ଟଳିଯିବ ଘଟ,
ଢଳିଗଲା ପରି ଘଟୁଁ ପାଣିରେ ।୧।
ବ୍ୟାସଙ୍କ ଭାରତୀ ମିଛ, ହୋଇଲା ଏକାଳେ ବତ୍ସ,
ଜାଣିଲି ପୋଡ଼ା କପାଳକୁ । ଯେ ଲୋକ ବିନ୍ଧିଲା ଲକ୍ଷ୍ୟ,
ହେଲେ ତାହାର ବିପକ୍ଷ, ଲକ୍ଷ ରାଜା ପାଞ୍ଚିଣ ଖଳକୁ ରେ ।
ବୃଥା କଲେ ରଣ, ଅହଙ୍କାରେ ନୃପସୁତଗଣ ।
କେସନେ କୋଟି ନାରାଜ, କାଟିବ ଏକା ସେ ଦ୍ୱିଜ,
ନେବେ କନ୍ୟା ବିନାଶି ତା ଟାଣ ରେ ।୨।
ବୃଥା ହେଲା ସ୍ୱଂୟବର, ବୃଥା ଏ ରାଜସମ୍ଭାର,
ବୃଥା ହେଲା ନିଜ କୁଳମାନ । ଅରଜୁନେ ରଖି ଆଶା,
କଲି ଏ ପଣ ସହସା ନିରାଶ କରିଲେ ପଞ୍ଚାନନ ରେ ।
ତାହା ଏତେବେଳେ, ମଲାରୁ ପାଣ୍ଡବେ ଜଉଶାଳେ ।
ବଇଷ୍ଣବ ବିରଚିତ, ଜୀବନେ ଥିଲେ କି ପାର୍ଥ ଦୁର୍ଘଟଣା ଘଟନ୍ତା ଏକାଳେ ରେ ।୩।
ଧୃଷ୍ଟଦ୍ୟୁମ୍ନ- ହେ ଜନକ ! ମନ କଷ୍ଟ କର ଶୀଘ୍ର ଦୂର
ଶୁଣ ଯାହା ନୟନେ ଦେଖିଛି ଆଜି ମୁହିଁ
ବୃଥା ହୋଇନାହିଁ ବ୍ୟାସବାଣୀ ।
ଯେ ବ୍ରାହ୍ମଣ ବିନ୍ଧିଲେ ଏ ଲକ୍ଷ୍ୟ, ଅଲୌକିକ ଅଟେ ତାଙ୍କ କର୍ମ୍ମ
ଯେବେଳେ ବେଢ଼ିଲେ ତାଙ୍କୁ ଖଳ ରାଜଗଣେ।
ଛଡ଼ାଇନବେ କନ୍ୟାକୁ ରଣେ ଦ୍ୱିଜେ ଜିଣି ।
ସେକାଳେ କୃଷ୍ଣାକୁ ବିପ୍ର ଘେନି ସହିତରେ
କାଟିପକାଇଲେ ବର୍ବରଙ୍କ ବାଣଗଣ ।
ଏମନ୍ତ ସମୟେ କାହୁଁ ବିପ୍ର ଏକ ଆସି,
ଦୀର୍ଘ ତରୁ ଘେନି କରେ ପଶିଲା ସମରେ,
ମତ୍ତକରୀ ଯେଉଁପରି ଦଳେ ପଦ୍ମବନ,
ତେସନେ ମନ୍ଥିଲା ଦ୍ୱିଜ ସର୍ବରାଜଥାଟ ।
ବାଟ ନ ପାଇଲେ କିଏ କେଣେ ଯିବାପାଇଁ,
ଛତ୍ରଭଙ୍ଗ ଦେଇ ସର୍ବେ ପଳାଇଲେ ଯହୁଁ,
ତହୁଁ ଭଗ୍ନୀ ସଙ୍ଗେ ରଙ୍ଗେ ଗଲେ ବେନି ବିପ୍ରେ ।
ଏହିକାଳେ ଅସ୍ତାଚଳେ ଚଳନ୍ତେ ମିହିର
ଅନ୍ଧକାର ଘୋଟିଲା ଅବନୀ
ଶୁଣ ପିତା ସେଠାରୁ ଯା ଘଟିଲା ଘଟନା ।
ଗୀତ- (ଆଷାଢ଼ ଶୁକ୍ଳବାଣୀ...ବୃତ୍ତେ)
କୃଷ୍ଣା ତୁଲେ ଦ୍ୱିଜ ଗମନ୍ତେ ପଥେ, ଗୋପନେ ଗଲି ମୁଁ ତାଙ୍କ ପଶ୍ଚାତେ
ଭେଟିଲେ ବାଟେ ଆନ ଦ୍ୱିଜ ତିନି, ପାଞ୍ଚବିପ୍ରେ ତହୁଁ ଗଲେ ବହନି ।
କୁମ୍ଭକାରବାସେ । ପ୍ରବେଶିଲେ ସର୍ବେ ମନ ହରଷେ ।୧।
ତହିଁ ରମଣୀଏ ଥିଲା ବିଷାଦେ, ନମିଲେ ଏମାନେ ତାହାଙ୍କ ପାଦେ ।
ଅନୁମାନେ ପିତା ପାରିଛି ଚିହ୍ନି, ହେବ ସେହି ଏହାଙ୍କର ଜନନୀ
ତହିଁ ତିନି ଜଣ । ରହିଲେ କନ୍ୟାକୁ ସଙ୍ଗେ ଘେନିଣ ।୨।
ଭିକ୍ଷା ନେଇ ବେନି ବିପ୍ର ଆସିଲେ, ଭଗ୍ନି ମୋର ତାହା ରାନ୍ଧିବସିଲେ
ବେନି ଭାଗ କରି ବାଣ୍ଟିଲେ ତାକୁ, ଭାଗେକ ଦେଲେ ସେ ପାଞ୍ଚଜଣକୁ
ବାକୀ ଏକ ଜଣ । ଭୁଞ୍ଜିଲା ଏକାକେ ଅର୍ଦ୍ଧେକ ଅନ୍ନ ।୩।
କୃଷ୍ଣା ଅଂଶକ ଦୁଇ ଅଂଶ କଲା, ଅତିଥି ଭାବେ ମୋତେ କିଛି ଦେଲା ।
ପେଜ ପାଇଁ ଦ୍ୱିଜ କଲା କଟାଳ, ଯେ ଅର୍ଦ୍ଧେକ କରିଥିଲା କବଳ ।
ବୁଝାବନ୍ତେ ମାତା । ମାନି ତୁନି ହେଲା ତାହାଙ୍କ କଥା ।୪।
ମଣ୍ଡଯାକ ଭଗ୍ନୀ ଦେବାରୁ ଢାଳି, ସେ ନାରୀ ବୁଝାଇ ଭାଙ୍ଗିଲା କଳି ।
ଜଣାଯାଏ ହେବେ ସେହି ପାଣ୍ଡବେ, ବ୍ରାହ୍ମଣବେଶେ ଛନ୍ତି ଛଦ୍ମଭାବେ ।
ତାଙ୍କୁ ଆଣି ବରି । ବିଭା ଦିଅ ଦ୍ୱିଜବଇ ଗୁହାରି ।୫।
ଧୃଷ୍ଟଦ୍ୟୁମ୍ନ- ତାତ ! ନିଶ୍ଚେଁ ସେହିଟି ପାଣ୍ଡବେ
ଯେ ବ୍ରାହ୍ମଣ ଅଧେ ଅନ୍ନ କଲା ତିନିଗୁଣ୍ଡା
ଅନୁମାନେ ଜାଣେ ନିଶ୍ଚେଁ ସେହି ବୃକୋଦର
ଖାଇଲାବେଳେ ସେ ଦ୍ୱିଜ ଛାଡ଼ୁଥାଏ ରଡ଼ି
ଡାକୁଥାଏ ରଣ କରିବାରୁ ପେଟ ଯାଉଅଛି ପୋଡ଼ି
ତାହା ଶୁଣି ଚମକିପଡ଼ିଲି ତହିଁ ମୁହିଁ
ଆଜି ଦୋଷ ଖଣ୍ଡ ବୋଲି ବୋଇଲେ ଜନନୀ
ନୂତନା ଅଟଇ ଏହି ବଧୂ ଜାଣେ ନାହିଁ ଆମ୍ଭ କାରବାର କିଛି
ତେଣୁ ଢାଳିଦେଲା ପେଜଯାକ
ତାହା ଶୁଣି କେତେବେଳେ ସ୍ଥିର ହେଲା ବିପ୍ର
ତହୁଁ ଶୟନେ କରିଲେ ପଞ୍ଚ ପଞ୍ଚ ସ୍ଥାନେ
ତାଙ୍କ ପାଦତଳେ ତୃଣାସନେ ପହୁଡ଼ିଲେ ଭଗିନୀ ମୋହରି
ପ୍ରଭାତ ହୁଅନ୍ତେ ମୁହିଁ ଅଇଲି ପଳାଇ ।
ରାଜା- କି କହିଲୁ ବତ୍ସ ! ନିଜେ ଏହା ଦେଖିଛୁ ନେତ୍ରରେ ?
ଜାଣିଲି ମୋ ଭାଗ୍ୟରବି ଆସି ଏତେଦିନେ ଉଦେ ହେଲେ ପୂରୁବ ଗଗନେ
ଚିନ୍ତାରୂପୀ ଅନ୍ଧକାର ପଳାଇଲା ହଟି
ଡାକି ବତ୍ସ ! ଆଣ ଶୀଘ୍ର କୁଳପୁରୋହିତେ
ପଠାଇ ତାହାଙ୍କୁ ବରିଆଣିବି ଏକ୍ଷଣେ ବିଳମ୍ବ ତୁ କରନାହିଁ କ୍ଷଣେ
ଭୃତ୍ୟଗଣେ ଦେଇଣ ଆଦେଶ ବିବାହସମ୍ଭାର ଶୀଘ୍ର କରିବେ ପ୍ରସ୍ତୁତ ।
(ସମସ୍ତଙ୍କର ପ୍ରସ୍ଥାନ)
(ବ୍ରାହ୍ମଣ ବ୍ରାହ୍ମଣୀର ପ୍ରବେଶ)
ଗୀତ- (ଗଲୁନାହିଁ ନାତି କାହିଁକି...ବୃତ୍ତେ)
ପୁରୁଷ- ଯାଉଛି ମୁଁ ରଜାନହରେ ମଜା ମାରୁଥାଅ ଏକାକେ ବସି ।
ସ୍ତ୍ରୀ- ବଜର ବଜର ହୋଓନା ମିଛରେ ସଖାଳୁ ଉଠି ରେ ଖଣ୍ଡିଆ ଦୋଷୀ ।ପଦ।
ପୁରୁଷ- ଜାଣିଚୁ ନା ହଜାରମାରି, ଯିବି ପରା ବାହା ମୁଁ କରି ।
ସ୍ତ୍ରୀ- ଓଜାରି ତ ଦବୁ ଆଣି ଟଙ୍କା ସୁନା ନାଇ ଖାଇ ଖାଲି ହୋଇବ ନେସି ।୧।
ପୁରୁଷ- ବଜାରି ତ ଅଛନ୍ତି ଚାହିଁ, ସାଜିଦେଲେ ମାଜିବେ ନେଇ ।
ସ୍ତ୍ରୀ- ଜମି ଯେବେ ଥିବ ସରସା ମଟାଳ ଯୁଟିବେ ଚାହିଁଲେ ହଜାର ଚାଷୀ ।୨।
ପୁରୁଷ- ଦୁଇ କଲମରେ କି ସେହି, ଲେଖେଇବେ ସଲାମି ଦେଇ ।
ସ୍ତ୍ରୀ- ଦଖଲ ତାଙ୍କର ଉଠେଇ କି ଏ ନକଲ କାଢ଼ୁଚୁ ଖଣ୍ଡିଆ ଦୋଷୀ ।୩।
ପୁରୁଷ- ମୁଁଉ ତେବେ ଖଞ୍ଜଣା ପାଇଁ ବସିଥିବି ତୁଉନି ହୋଇ ।
ସ୍ତ୍ରୀ- ନୋଟିସରେ ତାଙ୍କୁ ଉଠେଇବୁ ଯେବେ ତେବେ ରହିଥାଅ ମୋ ସଙ୍ଗେ ମିଶି ।୪।
ପୁରୁଷ- କରି ନେଇ କାଳେ ତଲପ, ଧରେଇବେ ମୋତେ ହଲପ ।
ସ୍ତ୍ରୀ- ସିକିମିଖାତା କି ରଦ ହବ ନାହିଁ ଟିକିଏ ଖରଚା ଲାଗିଲେ ବେଶି ।୫।
ପୁରୁଷ- ଯାହା ତ ହବାର ହେଲାଣି, ଆଜି ମତେ ଦେଏ ମେଲାଣି ।
ସ୍ତ୍ରୀ- ବଇ କହେ ରେ ବାଇଆ ହୋଓନା ଦଉନାହିଁ କେହି ଗଳାରେ ଫାଶୀ ।୬।
(ବ୍ରାହ୍ମଣ ବ୍ରାହ୍ମଣୀଙ୍କ କଥାବାର୍ତ୍ତା)
ପୁରୁଷ- ଭଜାଭଜି ଟିକିଏ କରି ଦେ ମ, ମୁଁ ଗାଧୋଇପଡ଼େ ଚଞ୍ଚଳ
ସ୍ତ୍ରୀ- ଆରେ ମୁଁ ତ ନିଜେ ଏଇକ୍ଷଣି ବଡ଼ ଅଚଳ ।
ପୁରୁଷ- ଆଲୋ, ତୁ ଏମତେ ଅଚଳ କାହିଁକି ହେଲୁଁ ?
ସ୍ତ୍ରୀ- ତୁ ତ ମତେ ଏତେସରି କରି ମଲୁ ।
ପୁରୁଷ- ଆଉ କଣ ସେ କାମ ମିଶିପେ କରିବେ ଏଥର
ସ୍ତ୍ରୀ- ତା ହେଲେ ତ ଏକାଥରେ ଅସଜ ହୁଅନ୍ତା ଯନ୍ତର ।
ପୁରୁଷ- ସେ କଳା ପରା ଜମା ଆମର ନାହିଁ
ସ୍ତ୍ରୀ- ଖାଲି ବଳ ଅଛି ବଢ଼େଇବାକୁ ଝିଅ ଜୋଇଁ ।
ପୁରୁଷ- ହେ ଚାଆଲେ ତେଣେ ରଜାଘର ହେବେ ଖପା
ସ୍ତ୍ରୀ- ପାଠ ତ ନ ଆସେ କଣ ଖାଲି ମାରୁଥାଉ ମୁହଁଧପା । (ଉଭୟଙ୍କର ପ୍ରସ୍ଥାନ)
(ଦ୍ରୁପଦରାଜା ଧୃଷ୍ଟଦ୍ୟୁମ୍ନ ସହ ପ୍ରବେଶ)
ରାଜା- ଗଲାଣି ତ ପୁରୋହିତ ବତ୍ସ ! ଚକ୍ରାଗୃହେ ସେ ଦ୍ୱିଜଙ୍କ କତି
ଧୃଷ୍ଟଦ୍ୟୁମ୍ନ- ପେଷିଥିଲି ପରିଚୟ ଦେଲେ ନାହିଁ ପଞ୍ଚ ମହାମତି ।
ରାଜା- କି କହିଲେ କହ ମୋ ଆଗରେ
ଧୃଷ୍ଟଦ୍ୟୁମ୍ନ- କହିଲେ ନୀଚଜାତି ଦୁର୍ବଳ କି ଲାଖ ବିନ୍ଧିପାରେ ?
ରାଜା- ଅପରିଚିତରେ କନ୍ୟା ଦେବା କେହ୍ନେ ଦାନ
ଧୃଷ୍ଟଦ୍ୟୁମ୍ନ- ଏକଥା କହନ୍ତେ ସେ କହିଲେ, ପଣ ଯେ କରିଛି ଜାତିକୁଳେ କିସ ତା’ର ପ୍ରୟୋଜନ ?
ରାଜା- ଯାଅ ତେବେ ପୁତ୍ର, ତୋର କଥା ନୁହଇ ଅନ୍ୟଥା ।
ଧୃଷ୍ଟଦ୍ୟୁମ୍ନ- ତେବେ କିସ କରିବା ଭାଷ ଶୀଘ୍ର ପିତା ।
ରାଜା- ସାଜି ଛଅଗୋଟି ରଥ ଆଣ ଯା ବହନ ।
ଧୃଷ୍ଟଦ୍ୟୁମ୍ନ- ତେବେ କୃଷ୍ଣା ସହ ମାତା ଏକ ରଥେ,
ଅନ୍ୟ ପାଞ୍ଚରଥେ ପାଞ୍ଚଜଣ
ରାଜା- ମାଙ୍ଗଲ୍ୟ ଦ୍ରବ୍ୟ ସରବ ନିଅ ସହିତରେ
ଧୃଷ୍ଟଦ୍ୟୁମ୍ନ- ଯେ ଆଜ୍ଞା ଜନକ ! ଯାଉଛି ଥୋଇ ତା ମୁଁ ରଥରେ ।
(ଉଭୟଙ୍କର ପ୍ରସ୍ଥାନ)
(ଚକ୍ରିଶାଳ-ପାଣ୍ଡବ ପାଞ୍ଚଜଣଙ୍କର ପ୍ରବେଶ)
ନକୁଳ- ଦେଖ ଧର୍ମରାଜ ! ଆସେ ଏଣେ ଛଅଗୋଟି ରଥ, ବାଜୁଛି ବିବିଧ ବାଦ୍ୟ କମ୍ପୁଛି ଧରଣୀ, ଆଡ଼େଣୀ ଛତ୍ର ତରାସ ଆଲଟ, ଆସିବାରୁ ଦିଗ ଦିଶେ ଆହା କି ସୁନ୍ଦର, ଜଣାଯାଏ ପେଷିଛନ୍ତି ପୁତ୍ରେ ବରଣ କରି ନେବାକୁ ଆମ୍ଭ ପାଞ୍ଚଜଣେ ।
ଯୁଧିଷ୍ଠିର- ରେ ନକୁଳ ! ମୁହିଁ ମଧ୍ୟ ଜାଣୁଅଛି ଅନୁମାନେ ପେଷିଥିଲେ ରାଜା ପୁରୋହିତେ ପରିଚୟ ନେବାକୁ ଆମ୍ଭରି, ନ ଦେବାରୁ ପରିଚୟ ଭାବି କି ମାନସେ ପଠାଇଲେ ଅଶ୍ୱରଥ ପାଞ୍ଚାଳଈଶ୍ୱର, ଯିବା ରାଜପୁରେ ! ଭାଇ ସର୍ବେ ହୁଅ ସଜ ।
(ଧୃଷ୍ଟଦ୍ୟୁମ୍ନର ପ୍ରବେଶ)
ଧୃଷ୍ଟଦ୍ୟୁମ୍ନ- ହେ ମହାତ୍ମା ! ପେଷିଛନ୍ତି ପିତା ଦେଇ ମୋହତୁଲେ ରଥ
ଘେନି ପାଞ୍ଚାଳୀ ସହିତ ଚାଲ ରଥେ ବସି ଆମ୍ଭ ରାଜଭବନକୁ ।
ଗୀତ- (ଆସ ଆସ ମୋ କୋଳକୁ...ବୃତ୍ତେ)
ଦ୍ୱିଜ ଚଞ୍ଚଳ ଚଳ ପଞ୍ଚାଳନହରେ ହେ।
ହେଜ ଚିତ୍ତେ ଡାକିଛନ୍ତି ପିତା ସ୍ନେହରେ ।ପଦ।
କରନ୍ତେ ତାହାଙ୍କୁ ଦେଖା, ହରିବ ସରବ ଶଙ୍କା
ପୁଣି ହେବ ଉତ୍ସବ ସରବ ସହରେ ହେ।୧।
ପାଞ୍ଚ ଜଣେ ପାଞ୍ଚ ରଥେ, ବସ ବସ ତୋଷଚିତ୍ତେ,
ପାଞ୍ଚାଳୀ ତୁଲେ ନ ରହ ପ୍ରହରେ ହେ ।୨।
ଜନନୀକି ଘେନି ସଙ୍ଗେ, ରାଜପଥେ ଚାଲ ରଙ୍ଗେ,
ବଇ ବୋଲେ ଆଉ ଭୟ କାହାରେ ହେ ।୩।
ଯୁଧିଷ୍ଠିର- ହେ ନୃପନନ୍ଦନ ! ଯେବେ ପେଷିଛନ୍ତି ସ୍ନେହେ ତବ ପିତା ନେବା ପାଇଁ ବରି ପାଞ୍ଚ ଜଣେ, ତେବେ କ୍ଷଣେ ନ କରି ବିଳମ୍ବ ଯିବୁଁ ରାଜଦରଶନେ । ଚାଲ ବୀର ଶଙ୍କା କିଛି ନାହିଁ ମନେ।
(କୁନ୍ତୀ ଓ ଦୌପଦୀ ସହ ସମସ୍ତଙ୍କର ପ୍ରସ୍ଥାନ)
(ରାଜସଭା-ରାଜା ସିଂହାସନେ ଉପବେଶନ)
ରାଜା- ମନ୍ତ୍ରୀଶ୍ରେଷ୍ଠ ! ଜଣାଯାଏ ଆସିଲେଣି ପଞ୍ଚ ସହୋଦରେ ।
ରଥର ଘର୍ଘର ଧ୍ୱନି ଅଶ୍ୱ ହ୍ରେଷାରବ,
ଗଜଙ୍କ ଗର୍ଜ୍ଜନ ପୁଣି ହୁଳହୁଳିସ୍ୱର,
ତାର ତୁଲେ ନାନା ବାଦ୍ୟନାଦ ମିଶିକରି
ଥରାଏ ଧରାକୁ ହେଳେ କମ୍ପାଏ ହୃଦୟ
ଧୂଳି ଉଡ଼ି ରବିରଶ୍ମି ନ ପଡ଼ଇ ତଳେ
କୁଜ୍ଝଟିକା ଆବରଣ ପରା ଦିଗ ଦିଶେ
ଏହି ଦେଖ ମନ୍ତ୍ରୀ ! ଅଗ୍ରେ ଆସେ ପୁତ୍ର ମମ ରଥ ଆରୋହଣେ
ତା ପରେ ଆସନ୍ତି ଏକେ ଏକେ ପାଞ୍ଚଜଣ
ଏହି ଦେଖ ସଭାର ଅଦୂରେ ଉଭାହେଲା ରଥମାନ ।
ମନ୍ତ୍ରୀ- ମହାରାଜ ! ଆସିଲେଣି ପାଞ୍ଚାଳୀ ସହିତ ପାଞ୍ଚଜଣେ
ବେଗେ ରଥରୁ ଉତ୍ତରି କନ୍ୟା ସଙ୍ଗେ ଆସେ ଏକ ନାରୀ ।
(ପାଣ୍ଡବଗଣଙ୍କ ପ୍ରବେଶ)
(ଦ୍ରୌପଦୀକି ବନ୍ଦାଇ ନାରୀଗଣେ ଭିତରପୁରେ ନେବା, ହୁଳହୁଳି ଶଙ୍ଖଧ୍ୱନି)
ରାଜା- ବସନ୍ତୁ ଆସନେ ! ବିପ୍ରସୁତେ କରି ଅନୁଗ୍ରହ ଚିତ୍ତୁଁ ପରିହରି କଷ୍ଟ । ପଚାରିବି ପାଞ୍ଚିଛି ଯା ମନେ ପରକାଶି ସନ୍ଦେହ ମୋ କରନ୍ତୁ ମୋଚନ ।
ଗୀତ- (କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ...ବୃତ୍ତେ)
କହ ମରାମତି କେବଣ ଗ୍ରାମରେ ବସତି ଅଟେ ତୁମ୍ଭର।
ଏଭବ ଭବନେ ଦେଖିନାହିଁ ତବ ପରାୟ ଶକତିଧର, ହେ କହି ।
ପକା ମୋ ସନ୍ଦେହବନ ଦହି, କାହା ପୁତ୍ର ଅଟ ପାଞ୍ଚ ଭାଇ,
ଦେବ ସମାନ ପ୍ରଭା ଦିଶଇ ହେ ।୧।
ଜ୍ୟେଷ୍ଠ କେ କନିଷ୍ଠ ତୁମ୍ଭ ମଧ୍ୟେ ଶ୍ରେଷ୍ଠ ସମାନ ଦିଶ ସକଳେ ।
କିବା ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର କାମଦେବ ମହୀତଳେ, ହେ ଆସି ।
ଛଦ୍ମେ ହୋଇଛ କାନନବାସୀ, ଗ୍ରାସିବାକୁ ଦୁଷ୍ଟ-ଦର୍ପରାଶି
ଶିଷ୍ଟେ ତାରିବ ଧରା ଉଶ୍ୱାସି ହେ ।୨।
ଧର୍ମକର୍ମ ନୀତି ଅଜ୍ଞାତ ତ ନାହିଁ ଅନୁମାନେ ଅଛି ଜାଣି ।
ଯେବଣ ପ୍ରାକର୍ମ ଦେଖାଇଲ ଏଥି ହୃଦୟ ହୁଅଇ ଗୁଣି, ହେ ସତ ।
କହ କୂଟ ନ ରଖି କିଞ୍ଚିତ, କେତେକାଳ ରହେ ରବିରଥ;
ମେଘକୋଳେ ହୋଇଣ ଗୁପତ, ଜଣାପଡ଼େ, ବଇ ଯୋଡ଼େ ଗୀତ ହେ ।।
ଯୁଧିଷ୍ଠିର- ଶୁଣ ପଞ୍ଚାଳ-ଈଶ୍ୱର ! ଆନ କିଛି ପାଞ୍ଚ ନାହିଁ ମନେ, ଆମ୍ଭେ ପାଞ୍ଚ ଭାଇ ଅଟୁଁ ପଣ୍ଡୁର ନନ୍ଦନ । ମୁହିଁ ଜ୍ୟେଷ୍ଠ ଯୁଧିଷ୍ଠିର, ଏହୁ ଭୀମାର୍ଜ୍ଜୁନ, ଏ ବେନି ନକୁଳ ସହଦେବ, ଜତୁଗୃହେ ଦୁର୍ଯ୍ୟୋଧନ ଦେବାରୁ ଅନଳ ବିଦୁର ସାହାଯ୍ୟେ ସର୍ବେ ତରିଲୁଁ ସେଠାରୁ । ବିପ୍ରବେଶ ବାର ବର୍ଷ ବନେ କଲୁଁ ବାସ, ଏକଚକ୍ରାଠାରେ ବ୍ୟାସ କହନ୍ତେ ସକଳ ତବ ଲକ୍ଷ୍ୟ ପଣ କଥା, ତହୁଁ ଆସି ଧର୍ମଧ୍ୱଜ କୁମ୍ଭକାର ଆଳେ ଛାଡ଼ି ଜନନୀକି ଆମ୍ଭେ, ଉପଗତ ହେଲୁଁ ଦ୍ୱିଜମେଳେ ସଭାସ୍ଥଳେ, ବଳେ ଲାଖ ବିନ୍ଧିଲା ଏ ପାର୍ଥ । ଈର୍ଷାବଶେ ଗୋଳ କଲେ ଲକ୍ଷ ନରପତି ନେବେ ବୋଲି କନ୍ୟାକୁ ଛଡ଼ାଇ, ଜିଣିଲେ ଭୀମ ଅର୍ଜୁନ ସମସ୍ତଙ୍କୁ ରଣେ, ଅକପଟେ କହିଲୁଁ ସରବ ତବ ଆଗେ ।
ରାଜା- ଆହା ! ଧନ୍ୟ ହେଲା ଏ ଦେହ ଜୀବନ, ପବିତ୍ର ହୋଇଲା ନେତ୍ର ଦୁଇ, ଦେବୋପମ ପଣ୍ଡୁପୁତ୍ରଙ୍କର ଦରଶନେ । ଆନନ୍ଦେ ନାଚଇ ଆଜି ବହୁକାଳ ତାପିତ ହୃଦୟ ।
ଗୀତ- (ସେ ନଟକୁଟିଆ ରତିଲମ୍ଫିଆ..ବୃତ୍ତେ)
ଭୁଲିଯାଅ ପଛକଥା ଗଲାଣି ଯେ, ଚାଲ ମନୁ କୁନ୍ତୀର କୁମରେ ହେ ।
ମନ୍ଦକର୍ମ ଫଳ, ଅନ୍ଧନରପାଳ, ସ୍ୱଚ୍ଛନ୍ଦେ ଭୁଞ୍ଜିବେ ଦିନେ,
ସନ୍ଦେହ ନ କର ମନେ, ଦେଖିବେ ଅମରେ ହେ ।୧।
ଧାର୍ମିକର ଧର୍ମ, ସଦାକାଳେ ବର୍ମ, ରକ୍ଷାକରେ କ୍ଷିତିପରେ,
ବିଧର୍ମୀ ପଡ଼େ ପାପରେ, ନ ଭୁଲି ମରେ ହେ ।୨।
ଜାଣିଲେ ଜଗତ, ପଣ୍ଡୁପୁତ୍ର ହତ ହେଲେ
ଗୃହଦହନରେ, ଆଶ୍ରା କରି ମୋହନରେ, ଏ ମରଧାମରେ ହେ ।୩।
ଏ ନିନ୍ଦା ରଟନ, କଲା ଦୁର୍ଯ୍ୟୋଧନ, ଦିନେ ଘଟିବ ତା ଭାଲେ,
ଦ୍ୱିଜ ବଇଷ୍ଣବ ବୋଲେ, ତାହାରି ନାମରେ ହେ ।୪।
ରାଜା- ହେ ଧର୍ମନନ୍ଦନ ! ଦିଅ ଅନୁମତି ଧନଞ୍ଜୟେ, ବିଭା କରୁ କୁମାରୀକି ମୋର । ହେ କୌନ୍ତେୟ ! ମନେ ଆନ ନ ଭାବିବ କେଭେ, ଏ ମୋ ରାଜ୍ୟ ଆଜିଠାରୁ ତୁମ୍ଭର ନିଶ୍ଚୟ ।
ଯୁଧିଷ୍ଠିର- ପଞ୍ଚାଳ-ନରେନ୍ଦ ! ଶୁଣ ଯାହା ଦଇବ ଘଟନ ମାତାଙ୍କ ଆଦେଶ ଆଜି ମିଳି ପାଞ୍ଚ ଭାଇ ବିବାହ କରିବୁଁ ତବ ଦୁହିତାରତନେ ଜନକ ଜନନୀ ବାକ୍ୟ ଅଲଙ୍ଘ୍ୟ ଜଗତେ ।
ରାଜା- ହେ କୁନ୍ତୀନନ୍ଦନ ! ବହି ଧର୍ମରାଜ ନାମ, କିପାଁ କୁଳେ ଲଗାଅ କଳଙ୍କ । ଯାହା ଅଛି ବେଦେ ମନା ଆଜି କେ କରିବ ଧର୍ମ ତାହା ନୂଆ କରି ।
ଯୁଧିଷ୍ଠିର- ଥାଉ ବା ନଥାଉ ପରମ୍ପରା, ମାତୃବାକ୍ୟ ଏଡ଼ି ନ ପାରିବୁଁ ଦଣ୍ଡଧାରି ! ଆସୁଛନ୍ତି ମୁନିଗଣେ ଗାଇ ଶୁଭେ ରାମ କୃଷ୍ଣ ନାମ ପଚାରି ବୁଝ ତାହାଙ୍କୁ ଧର୍ମାଧର୍ମ ମର୍ମ ।
(ମୁନିଗଣଙ୍କର ଗୀତ ଗାଇ ଗାଇ ପ୍ରବେଶ)
ଗୀତ- (ଉତ୍ପଳଲତା ନବବନିତା...ବୃତ୍ତେ)
ଭଜରେ ମନ, ମନମୋହନ, ଗୋରଜ-ରଜ-ବୋଳିଆ ।
ଗୋଧନରଖା, ଗୋପଜୀବିକା, ଗୋକୁଳକୁଳପାଳିଆ ।ପଦ।
ମନ୍ଦରଟେକା, ଯାମଳା-ଯକା, ମୟୂରପୁଚ୍ଛଚୂଳିଆ ।
ଇନ୍ଦ୍ର ଦରପ ଦଳା କାଳୀୟ ସରପ ଦମ୍ଭଟାଳିଆ ।୧।
ଦୁଃଖନାଶନ, ଗରୁଡ଼ାସନ, ପୀତବସନ କାଳିଆ ।
କିଶୋରୀରଙ୍କା, ବାଂଶରି ଫୁଙ୍କା, କଦମ୍ବତରୁମୂଳିଆ ।୨।
ନନ୍ଦହୃଦୟ-ଚାନ୍ଦ ଗୋବିନ୍ଦ, କଳାକାଇଁଚମାଳିଆ ।
ସୁଦରଶନ ନନ୍ଦନନ୍ଦନ ବଇଷ୍ଣବ ସେ ପଦତଳିଆ ।୩।
ମୁନିଗଣ- ଜୟ ଶ୍ରୀରାଧେ ଶ୍ରୀରାଧେ ଶ୍ରୀକୃଷ୍ଣ ରାଧେ...
ରାଜା- (ପ୍ରଣାମକରି) ହେ ପରାଶର, ବଶିଷ୍ଟ, କୌଣ୍ଡିନ୍ୟ, ମାର୍କଣ୍ଡେୟ, ବିଭାଣ୍ଡକ, ଶାଣ୍ଡିଲ୍ୟ, ଗୌତମ, ବ୍ୟାସ, ସଦାନନ୍ଦ, ଭରଦ୍ୱାଜ ଯେତେ ଯେତେ ଏଥେଁ ଅଛ ଆସି, କହ ଭାବି ! ଏକ ନାରୀ ବରଣ କି କରେ ପଞ୍ଚପତି ଦୈନିକ ବିଧିରେ !
ବ୍ୟାସ- ହେ ରାଜନ୍ ! ଜାଣୁ ଆମ୍ଭେ ତବ ମନୋଭାବ ଯେ କାରଣେ ପ୍ରଶ୍ନ କଲ ଏହା । ଅଛି ପୂର୍ବରୁ ଲିଖନ ପଞ୍ଚପତି ଦ୍ରୌପଦୀର ସଦାଶିବ ବରେ, ସେ ଘେନି ଫଳିଲା କୁନ୍ତୀବାକ୍ୟ । ଧର୍ମ ନାମେ ଯେ ଯୁଧିଷ୍ଠି ବିଦିତ ଜଗତେ ତାଙ୍କ ମୁଖୁଁ ସ୍ଫୁରିଲା ଯେ କାଳେ ପଞ୍ଚପତି ପାଞ୍ଚାଳୀର ଭାଗ୍ୟେ, ତେଣୁ ଅକାଟ୍ୟ ଧର୍ମର ବାଣୀ ଏଡ଼ ନାହିଁ ରାଜା, ଚାଲ ୟାଙ୍କୁ ବସାଇ ବେଦୀରେ ବଢ଼ାଇ ବିବାହ କାର୍ଯ୍ୟ ଯିବୁଁ ଆମ୍ଭେମାନେ ।
ରାଜା- ମାନିଲି ମୁଁ ତବାଦେଶ ଋଷିଗଣ ଆଜି, ଚାଲ ସର୍ବେ ବିବାହମଣ୍ଡପେ, ଋଷିବାଣୀ ଦେବବାଣୀ ଧର୍ମବାଣୀ ପାଳିବି ଅବଶ୍ୟ ମୋର ହେବନାହିଁ ଦୋଷ ।
ସମସ୍ତେ- ଜୟ ରାଧେ ଶ୍ରୀରାଧେ ଶ୍ରୀକୃଷ୍ଣ ରାଧେ ରାଧେ ଗୋବିନ୍ଦ ଜୟ, ବୃନ୍ଦାବନଚନ୍ଦ୍ର ଜୟ, ହରିବୋଲ ।
(ସମସ୍ତଙ୍କ ପ୍ରସ୍ଥାନ)
(ଚାକର ଚାକରାଣୀଙ୍କର ପ୍ରବେଶ)
ଗୀତ- (ଘନଜଘନା ରେ ମନକଥା...ବୃତ୍ତେ)
ସ୍ତ୍ରୀ- ଆରେ ପୋଡ଼ିଗଲାରେ ଧରମ କରମ ଦେଶରୁ ।
ପୁରୁଷ- କହ କହ ମତେ ଆଲୋ ସୁନାମାଆ କିଏ ନେଲା କାହା ହିଁସାରୁ ।।
ସ୍ତ୍ରୀ- ଖାଇବେ କେମତେ ପାଞ୍ଚଜଣେ ବସି ଏକାବେଳେ ଖଣ୍ଡେ କଂସାରୁ
ପୁରୁଷ- ଜଣେ ଖାଇସାରି ହାତ ଧୋଉ ଧୋଉ ଆଉ ଜଣେ ଯିବ ବସାରୁ ।୧।
ସ୍ତ୍ରୀ- କଳିଗୋଳ ଯେବେ ଲାଗିବ କେହି ତ ନ ଛାଡ଼ିବ କାହା ଅଂଶରୁ ।
ପୁରୁଷ- ସଫା କରି ଅପା କହ ଭଲା ମତେ ଏଣେତେଣେ କିଆଁ ଇସାରୁ ।୨।
ସ୍ତ୍ରୀ- ଗୋଟାଏ ନାରୀକି ପାଞ୍ଚଟା ପୁରୁଷ ବାହା ହେଲେ ମନ୍ଦ ଦଶାରୁ,
ପୁରୁଷ- ତୁ କାହିଁକି ମତେ ମନାକରୁ ଏତେ ଭୂଇଁରେ ନାକକୁ ଘୋଷାରୁ ।୩।
ସ୍ତ୍ରୀ- ଛୋଟକୁଳେ କ’ଣ ମୋଟକାମ ହେବ ପଣସ ସୁଆଦ ଖୋଷାରୁ
ପୁରୁଷ- ବଡ଼ଙ୍କର କ’ଣ ସବୁ କଥା ବଡ଼ ପାପ ପରା ଜାତ ଆଶାରୁ ।୪।
ସ୍ତ୍ରୀ- ସେ କଥା ଶୁଣିଲେ ଥରୁଚି ଏ ଦିହ ଜାତି ଚିହ୍ନାଯାଏ ପେଷାରୁ
ପୁରୁଷ- ଖସାଖସି କଲେ ନ ଛାଡ଼ିବି ଭଲେ ଖେଳାଳି ବୁଝିବୁ ପଶାରୁ ।୫।
ସ୍ତ୍ରୀ- ପଶିବ ନାହିଁ ତ ଚଷା ବୁଦ୍ଧି ଏଠି ଧରାପଡ଼େ ବେଶଭୂଷାରୁ ।
ପୁରୁଷ- ପଦକୁ ଯୋଡ଼ିଚି ବଇଆ କହିଲୁ ବଡ଼ କିଏ ମଦନିଶାରୁ ।୬।
(ଚାକର ଚାକରାଣୀ କଥାବାର୍ତ୍ତା)
ସ୍ତ୍ରୀ- ସେଟା କ’ଣ ଦୁନିଆଁକୁ ହେଲା ସୁନ୍ଦର ?
ପୁରୁଷ- ତା ନହେଲେ ଋଷିଗୁରା କ’ଣ ଦେଖୁଛନ୍ତି ବସି ହୁନ୍ଦର ?
ସ୍ତ୍ରୀ- ସେ କ’ଣ ବାନ୍ଦର ତୋହରି ଭଳିଆ ।
ପୁରୁଷ- ତୁ ଦେଖିବୁ ଯାହାଙ୍କର ପଦ ବେଶି ଟାଣ ସେ ସବୁଯାକ କାଠମାଳିଆ ।
ସ୍ତ୍ରୀ- ଗୋଟାଏ କେମତେ ସହିବ ପାଞ୍ଚଟାର ଅରଦଳି ।
ପୁରୁଷ- ଥରେ ଝୁଲିଗଲେ ପରା ତେଣିକି ମନକୁ ଝୁଲଇ ଦୋଳି ।
ସ୍ତ୍ରୀ- ଏଇଟା କ’ଣ ସେମିତିକା ମାମଲା !
ପୁରୁଷ- ଦରଖାସ କେବେ ଗୋଳମାଳ ହବନାହିଁ ଅପା; ଏକା ଠିକ୍ ଯେବେ ଥିବ ଅମଲା ।
ସ୍ତ୍ରୀ- ତତେ ମୁଁ ପାରିବି ନାହିଁରେ ଗାତୁଆ ।
ପୁରୁଷ- ଯେତେ କହ ଅପା ପିରକୁ କ’ଣ ଖରାପ ଲାଗିବ ଫାତିଆ ।
ସ୍ତ୍ରୀ- ଚାଲ ରେ ବାହା ସରିବଣି କ୍ଷିରୀପିଠା ବସି ଖାଇବୁ ।
ପୁରୁଷ- ମୋ କଥାଟା କ’ଣ ହେଲା ମତେ ଟିକିଏ ବେଳ ଥାଉଁ ଥାଉଁ କହିବୁ ।
(ଉଭୟର ପ୍ରସ୍ଥାନ)