ପ୍ରୀତି ଚିନ୍ତାମଣି ଚଉତିଶା

ବୈଷ୍ଣବ ଦାସ

 

କୁଳାଭିମାନଙ୍କୁ            ଦୂର କରି ସହୀ !

କଳଙ୍କ ଭରିଚି ମୁଣ୍ଡେ ଗୋ

କୃଷ୍ଣ ବିଟପ-            ପ୍ରେମ ପ୍ରୀତିପସରା

ବିହିଚି ମୁଁ କନ୍ଧେ ମୁଣ୍ଡେ ଗୋ

କଥା ରହିଥାଉ ବୋଲି

କଳା କାହ୍ନୁଙ୍କ ସଙ୍ଖାଳି କଲି ଗୋ ।।୧।।

 

ଖଳ ଦୁରୁଜନ            ଛଳ ଟାହୁଲିଙ୍କ

ଗିରକୁ ଶିର ଆଡ଼ିଚି ଗୋ !

ଖେଦବୀଜ ନିଜ-            ହୃଦ କେଦାରେ ମୁଁ

ଜାଣି ଜାଣି ତ ବୁଣିଚି ଗୋ !

ଖଟିବାକୁ କୃଷ୍ଣ ପାଦେ

ଖରା ତରା ତ ମୋତେ ନ ବାଧେ ଗୋ ।।୨।।

 

ଗୋଇଠା ମାରି            ପ୍ରତିଷ୍ଠାକୁ ଛାଡ଼ିଚି

ଶ୍ୟାମ ଅଇଁଠା ଲାଳସେ ଗୋ

ଜ୍ଞାନ କର୍ମ କାମ            ଦେଉଛି ମୁଁ ଦାନ

ଶ୍ୟାମବନ୍ଧୁ ପ୍ରୀତି ଆଶେ ଗୋ

ଗଲେ ଜୀବ ଯିବ ସିନା

ଗଣ୍ଠିଧନ ମୋ କାଳିଆ ସୁନା ଗୋ ।।୩।।

 

ଘନ ସୁନ୍ଦରଙ୍କୁ            ମନ ବିକି ଦେଲି

ବନ କୁସୁମ ତୋଳାରେ ଗୋ

ଘଣ୍ଟି ଘାଗୁଡ଼ିଆ            ବାଙ୍କ ଚୂଳିଆଙ୍କୁ

ହାର କରିଚି ଗଳାରେ ଗୋ

ଘରୁ ହୋଇଚି ବାହାର

ଘେନି କୃଷ୍ଣ ନାମାବଳୀ ହାର ଗୋ ।।୪।।

 

ଉମା ଶଙ୍କରଙ୍କୁ            ସେବାରେ ମନାଇ

ପାଇଚି ଏମନ୍ତ ଦୀକ୍ଷା ଗୋ !

ଉଦାସୀନା ହୋଇ            କାଳ ବଞ୍ଚୁଥିବି

କୃଷ୍ଣ ନାମେ ମାଗି ଭିକ୍ଷା ଗୋ

ଉଡ଼ୁ ପଛେ ନିନ୍ଦା ବାନା

ଉଣା କଥାକୁ ନାହିଁ ଶୋଚନା ଗୋ ।।୫।।

 

ଚନ୍ଦନ ପାଟିଆ            କନ୍ଦର୍ପ ମୋହନ

ନାଚୁଥାନ୍ତୁ ମୋ ନୟନେ ଗୋ

ଚିନ୍ତାମଣି ମୋର            ଚିତ୍ତର ଭିତରେ

ରହିଥାନ୍ତୁ ଅନୁକ୍ଷଣେ ଗୋ

ଚଉଦ ଭୁବନ ଭୁଲା ।

ଚେଳାଞ୍ଚଳ ନିଧି ମୋର ହେଲା ଗୋ ।।୬।।

 

ଛନ୍ଦାଚରଣଙ୍କୁ            ଫନ୍ଦା ମୁଁ କରିଛି

ବନ୍ଦାଇଣ କରମାଳୀ ଗୋ !

ଛଇଳ ନାଗର            ଛବି ନଟବର-

ମୂରତି ମୋର ସଙ୍ଖାଳି ଗୋ

ଛାଡ଼ିବି ସକଳ ଆଶା

ଛିନ୍ନକାରୀଙ୍କି କରି ଭରସା ଗୋ ।।୭।।

 

ଜନ ଅପବାଦେ            ଜଳାଞ୍ଜଳି ଦେଲି

ଜପିବାକୁ କୃଷ୍ଣ ନାମ ଗୋ

ଜଗତଯାକରେ            ନିନ୍ଦା ଢୋଲ ବାଜୁ

ସମସ୍ତେ ହୁଅନ୍ତୁ ବାମ ଗୋ

ଜାଣିଥାଅ ମୋ ସଜନୀ

ଜୀବ ଯିବ କୃଷ୍ଣ ଗୁଣ ଗୁଣି ଗୋ ।।୮।।

 

ଝରୁ ଥାଉ ମୋର            ନୟନରୁ ନୀର

ସେହି କୃଷ୍ଣ କଥା ଭାଳି ଗୋ

ଝାଇଁମରା ହୋଇ            ଢଳି ପଡ଼ୁଥିବି

ଧରି କୃଷ୍ଣ ଜପାମାଳି ଗୋ

ଝୁରୁଥିବି କଳା ତନୁ

ଝାଡ଼ବୁଲା ନ ଯାନ୍ତୁ ମୋ ମନୁ ଗୋ ।।୯।।

 

ନିୟମ କରିଛି            ନିଜ ଦେହେ ମୋର

ନାହିଁ କିଛି ଅଧିକାର ଗୋ

ନୀଳ ନଳିନ ଶ୍ରୀ-            କରଯୁଗ ପାଶେ

ରାଧା ବନ୍ଧା ନିରନ୍ତର ଗୋ

ନ ରୁଚଇ ମୋତେ ଆନ

ନ ଦିଶଇ କେ ତାଙ୍କ ସମାନ ଗୋ ।।୧୦।।

 

ଟଳି ପଡ଼ୁ ଦେହ            ସେ ଶ୍ୟାମ ବିଗ୍ରହ

ସୁନ୍ଦରଙ୍କୁ କୋଳ କରି ଗୋ

ଟହ ଟହ ମନ୍ଦ            ମଧୁର ହାସଟି

ଦେଖୁଥିବି ନେତ୍ର ଭରି ଗୋ

ଟେକ ଶ୍ରୀମୁଖ ମାଧୁରୀ

ଟାଣପଣ ମୋ ମୁରଲୀଧାରୀ ଗୋ ।।୧୧।।

 

ଠଣ ପଙ୍କଜ            ଚରଣ ଯୁଗେ ମନ-

ଧନକୁ ଦେଇଛି ବନ୍ଧା ଗୋ

ଠାଣି ତ୍ରିଭଙ୍ଗିଆ            ସେ ରସ ରଙ୍ଗିଆ

ଲାଗି ସହେ ଏତେ ଧନ୍ଦା ଗୋ

ଠାକୁର ମୋହର ସେହି

ଠିକେ ବୈଷ୍ଣବ ଦାସ କହଇ ଗୋ ।।୧୨।।

 

ଡର ଲାଜ ଘୃଣା            ଫିଙ୍ଗିଚି ଦୂରକୁ

ଆଉ କାହାକୁ ମୋ ଭୟ ଗୋ

ଡେଙ୍ଗୁରା ଏ ଗୋପେ      ବାଜୁଥାଉ ପଛେ

ନେଲି କାଳିଆ ଆଶ୍ରୟ ଗୋ

ଡୋଳା ପ୍ରତିମା ମୋ ସେହି

ଡାକି କହୁଛି ତୁଣ୍ଡ ବଜାଇ ଗୋ ।।୧୩।।

 

ଢଳିଗଲେ ନୀର            ଯାଏ ସିନା ବହି

ସେ କି ଆସଇ ଲେଉଟି ଗୋ

ଢଗ ଢମାଳିରେ            ଅସହଣୀମାନେ

ହସନ୍ତୁ ତାଳି ଦେଇଟି ଗୋ

ଢଙ୍ଗ ଚାତୁରୀ କି ଥୋଇ

ଢାଳିଛି ମୁଁ ମନ ତାଙ୍କ ତହିଁ ଗୋ ।।୧୪।।

 

ଅରୁଣ କୁଞ୍ଜରେ            ତରୁଣୀ ରଙ୍କାକୁ

କରୁଥିବି ଆଲିଙ୍ଗନ ଗୋ

ସରୁ ଅଞ୍ଜନିଆ            କରୁଣାନିଧି ମୋ

ତରୁମୂଳିଆ ମୋହନ ଗୋ

ଧରୁଚି କେତେ ବା ପାଣି

ଗରୁ ଅପବାଦକୁ ନଶୁଣି ଗୋ ।।୧୫।।

 

ତଡ଼ି ଦେଲେ ଦେବେ            ପଛକେ ଜାତିରୁ

ତହିଁକି ନାହିଁ ମୋ ଦୁଃଖ ଗୋ !

ଟଗରମାଳିଆ            ତନୁ ଶ୍ୟାମଳିଆ

ତିଳେ ନୋହିବେ ବିମୁଖ ଗୋ

ତରଳତର ନୟନେ ।

ତାଙ୍କୁ ଦେଖୁଥିବି ଅନୁକ୍ଷଣେ ଗୋ ।।୧୬।।

 

ଥରି ଥରି ଡରି            ପହଣ୍ଡ ଚାଳଇ

ବିହିରଙ୍ଗ ମେଳେ ଥାଇ ଗୋ

ଥୟରେ ଥାପିଚି            ସେହି ମୂରତିଙ୍କି

ହୃଦ-ମନ୍ଦିରେ ପୂରାଇ ଗୋ

ଥିବାଯାଏ ପିଣ୍ଡେ ପ୍ରାଣ

ଥାଳ ମୋର ଶ୍ରୀନନ୍ଦ ନନ୍ଦନ ଗୋ ।।୧୭।।

 

ଦରଚୋବା ପାନ-            ଅଧରାମୃତକୁ

ଦୟାଳୁ ସାମନ୍ତ ମୋର ଗୋ

ଦେବେ କେବେ ଯାଚି      ଦରଶନ କାଳେ

ଦର ହସିଆ ସୁନ୍ଦର ଗୋ

ଦୁଃଖିନୀ ଦୁଃଖପାସୋରା

ଦୀନବନ୍ଧୁ ମୋର ଦିନସରା ଗୋ ।।୧୮।।

 

ଧନ ମୋର ସେହି            ଜନ ମୋର ସେହି

ଧରା ମଧ୍ୟ ରେଟି ପରା ଗୋ

ଧବଳୀ ଶ୍ୟାମଳୀ-            ଧେନୁପଛିଆ ମୋ

ଧଇର୍ଯ୍ୟ ବିବେକ ହରା ଗୋ

ଧୀର ଲଳିତ ମୂରତି !

ଧ୍ୟାନ ଦେବତା ମୋ ନୀଳ ହାତୀ ଗୋ ।।୧୯।।

 

ନଈ ଘାଟଜଗା            ସେ ହୁନ୍ଦରଲଗା

ନବୀନ ନାଟୁଆମଣି ଗୋ

ନବ ନାଗରୀଙ୍କ            ଚିତ୍ତ ବିନୋଦିଆ

ନିଧୁବନ ନିଶାମଣି ଗୋ

ନିକୁଞ୍ଜ କିଶୋର ବର

ନିତ୍ୟ ନୂତନ ରୂପ ମୋ ସାର ଗୋ ।।୨୦।।

 

ପଦ୍ମପାଦ ଧୂଳି            ହେଉଥିବି ବୋଳି

ପାପ ଅଙ୍ଗରେ ମୋହରି ଗୋ

ପରମ ପଦାର୍ଥ            ସେ ସିନା ସଜନୀ

ପାଇବି ତାହା କି କରି ଗୋ

ପ୍ରୀତି ଚିନ୍ତାମଣିଙ୍କର

ପ୍ରିୟା ପଦକୁ ମୁଁ ଅସୁନ୍ଦର ଗୋ ।।୨୧।।

 

ଫରଚା ହୃଦରୁ            ଫିଙ୍ଗି ଦେଇଥିବା

ଛଡ଼ା ବାସ ଫୁଲ ହାର ଗୋ

ଫୁଲଣା ମନେ ତା            ଯତନେ ଗୋଟାଇ

ଗଭାରେ ଖଞ୍ଜିବି ମୋର ଗୋ

ଫୁଲି ଉଠିବ ମୋ ଛାତି

ଫୁଟା କଞ୍ଜ ଶିରୀ ପ୍ରେମେ ମାତି ଗୋ ।।୨୨।।

 

ବକୁଳ ମାଳତୀ            ଫୁଲେ ମାଳ ଗୁନ୍ଥି

ବିଧୁ ଚନ୍ଦନେ ମିଶାଇ ଗୋ

ବନ୍ଧୁଙ୍କ ଗଳାରେ            ଉପହାର ଦେବି

ବିବାକେ ମୁଁ ବିକି ହୋଇ ଗୋ

ବୋଲି କରିଚି ଭରସା

ବିଶ୍ୱ ମୋହନ ଫେଡ଼ିବେ ଦଶା ଗୋ ।।୨୩।।

 

ଭଗାରି କେ ହେଉ-            ପଛେ ଏଥି ପାଇଁ

ଭାବନା ନାହିଁ ମୋ ତିଳେ ଗୋ

ଭୁଲିତ ଯାଇଚି            ଭାବ ବିନୋଦଙ୍କୁ

ଭିନ୍ନେ ହୋଇବେ କି ଭଲେ ଗୋ

ଭାଲ ତିଳକ ସେ ମୋର

ଭଣେ ବଇଷ୍ଣବ ଦାସ ଛାର ଗୋ ।।୨୪।।

 

ମନର ବେଦନା            ମନେକଲି ଚୂନା

ମରକତ କାନ୍ତି ଲାଗି ଗୋ

ମଧୁର ମୂରଲୀ-            ମୋହିନୀ ମନ୍ତରେ

ମୁଁ ତ ହେଲି ଅନୁରାଗୀ ଗୋ

ମନେ ରଖିଥା ମିତଣି

ମଥାମଣି ମୋର ବେଣୁପାଣି ।।୨୫।।

 

ଯଶୋଦାରାଣୀଙ୍କ            ନୟନ ପିତୁଳି

ଯମୁନା-କୂଳିଆ ଶ୍ୟାମ ଗୋ

ଯାଚି ହୋଇ ନିଜେ            ପ୍ରାଣ ସମର୍ପିଣ

କୃଷ୍ଣ କଳଙ୍କିନୀ ନାମେ ଗୋ

ଯତି-ମତି-ଭୁଲି ପ୍ରୀତି

ଯିବ କି ମୋ ମନୁ ପ୍ରିୟ ଦୂତୀ ଗୋ ।।୨୬।।

 

ରଙ୍ଗ ଅଧରଙ୍କ            ଅଙ୍ଗ ସଙ୍ଗ ପାଇଁ

ରଙ୍କ ମୋ ଅବୋଧ ଚିତ୍ତ ଗୋ

ରସାଣ କାଳିଆ            ସୁନା ସୁ-ନାଗର

ମୋହର ସର୍ବସ୍ୱ ଚିତ୍ତ ଗୋ

ରକ୍ଷା ନାହିଁ ତାଙ୍କ ବିନୁ

ରସିଚି ମୁଁ ରବିପୂଜା ଦିନୁ ଗୋ ।।୨୭।।

 

ଲଜ୍ଜା ଧର୍ମ ଏଡ଼ି            ଲଭିଚି ତାହାଙ୍କୁ

ଲୋକାଚାର କର ତ୍ୟାଗ ଗୋ

ଲେଖି ଚିତ୍ରପଟେ            ରଖିଚି ନିକଟେ

ଲୋଭେ ବଳାଇ ସରାଗ ଗୋ

ଲକ୍ଷଣବନ୍ତ ପୁରୁଷ

ଲୁଟି କରିଛନ୍ତି ମୋ ମାନସ ଗୋ ।।୨୮।।

 

ବରଜ ବଜାରେ            ହଜାର ହଜାରେ

ବାଜୁ ଅକୀର୍ତ୍ତି ବାଜଣା ଗୋ

ବନମାଳିଆ ମୋ            ଧନ ମାଳି ବୋଲି

ସମସ୍ତଙ୍କୁ ହେଉ ଜଣା ଗୋ

ବସୁ ଅପନିନ୍ଦା ହାଟ

ବନ୍ଧୁ ଜୀବନର ନନ୍ଦ ବାଟ ଗୋ ।।୨୯।।

 

ଶରଣ ମୁଁ ତାଙ୍କ            ଚରଣ ତଳରେ

ବାରଣ କାର ନ ମାନି ଗୋ

ଶୁଭ ଅଶୁଭ ତ            କିଛି ନ ଗଣଇଁ

ଭଲ ମନ୍ଦ ଲାଭ ହାନି ଗୋ

ଶ୍ରୀମୁଖ ମାଧୁରୀ ଦେଖି

ଶତ୍ରୁ ଗଞ୍ଜଣା ନ ବାଧେ ସଖୀ ଗୋ ।।୩୦।।

 

ଷଣ୍ଢମୁଣ୍ଡମୋଡ଼ା            କାଳୀୟଘଉଡ଼ା

ଷଟପଦ ମୁଁ ପଦ୍ମିନୀ ଗୋ !

ଷୋଳ ଏକ ଊଣା-            ବୟସ ନବୀନ-

ଶ୍ରୀ କିଶୋର ଚୂଡ଼ାମଣି ଗୋ

ଷୋଳ କଳା ଶତ କାମ

ଷୋଡ଼ଶ ଯୋଗରେ ପୂରୁ ନାମ ଗୋ ।।୩୧।।

 

ସଂସାର ସାର-            ଶୋଭାକୁ ଗୋଟିଏ

କରି ନିର୍ମାଣିଛି ବିହି ଗୋ !

ସୁରସିକ ବର            ସୁବଳ ସଙ୍ଗିଆ

ସମସରି କେହି ନାହିଁ ଗୋ

ସେତ ସୁଖର ସଦନ

ସବୁ ଗୋପୀଙ୍କ ମୋଦ ବର୍ଦ୍ଧନ ଗୋ ।।୩୨।।

 

ହଳୀପ୍ରିୟ ମୂଳ-            ବିହାରୀ ମୋ ମୂଳ

ହରିତ ବସନ ହରି ଗୋ !

ହେଜି ହେଜି ନିତି            ତ୍ରିଭଙ୍ଗ ମୁରତି

ହେବି ଏ ଜଞ୍ଜାଳୁ ପାରି ଗୋ

ହେ ସଖୀ ! କହିଲି ସତ୍ୟ

ହସି ନେତ୍ରୁ ହେଉ ଅଶ୍ରୁପାତ ଗୋ ।।୩୩।।

 

କ୍ଷଣେ ତ ଅନ୍ତର            ହେଲେ ବଂଶୀଧର

କ୍ଷୋଭ ସିନ୍ଧୁ ଉଛୁଳଇ ଗୋ !

କ୍ଷମା ନିଧାନ            ଗୋକୁଳ-କଳାକାର

କ୍ଷୀର, ମୁଁ ନୀର ଅଟଇ ଗୋ

କ୍ଷୀଣ ହେଲି ତାଙ୍କୁ ଧ୍ୟାୟି

କ୍ଷେମେ ବୈଷ୍ଣବ ଦାସ କହଇ ଗୋ ।।୩୪।।