କରଯୋଡ଼ି କହେ ପାର୍ଥ ଶ୍ରୀକୃଷ୍ଣ ଛାମୁର
କହ କଳିଯୁଗ ରୀତି କମଳାର ବର ହେ ।
କିପ୍ରକାର ।
କଳିଯୁଗେ ନାଶ ହେବେ ନର ହେ ।୧।
ଖଗପତିଙ୍କୁ ପଚାରି ଏସନ ବଚନ
ଖିଆଲ ନୁହେଁଟି ଯାହା ପୁଚ୍ଛିଲ ଅର୍ଜୁନ ହେ
କ୍ଷମେ ଗୁଣ ।
କହିବା ଆଗତ କଥାମାନ ହେ ।୨।
ଗୁରୁ ଗଉରବ କଳିଯୁଗେ ନ ମାନିବେ
ଗୃହସ୍ଥଙ୍କୁ ନାରୀମାନେ ପାଦେ ଖଟାଇବେ ହେ
ଗେଲ ଗର୍ବେ ।
ଗୁପ୍ତେ ଅନ୍ୟ ପୁରୁଷ ରମିବେ ହେ ।୩।
ଘୋର କଳିଯୁଗେ କାର ଜ୍ଞାନ ନ ରହିବ,
ଘରେ ଘରେ ମିଥ୍ୟା ବାଦ କଳି ଉପୁଜିବ ହେ ।
ଘୋଷା ହେବେ ।
ଘୋର ପାପେ ସର୍ବେ ନାଶିଯିବେ ହେ ।୪।
ଉତ୍ତମ ଲୋକଙ୍କ ସଙ୍ଗେ ସଙ୍ଗେ ସେ ନୋହିବେ
ଉପହାସ କରି ମୋ ଭକ୍ତଙ୍କୁ ଗାଳିଦେବେ ହେ ।
ଏହି ଭାବେ ।
ଅଳ୍ପାୟୁଷ କଳିଯୁଗରେ ହେବେ ହେ ।୫।
ଚଷିବେ ଗୋଚର ଦଣ୍ଡା ନ ମାନିବେ କେହି,
ଚଣ୍ଡୀ ଯେ ଚାମୁଣ୍ଡା ଗ୍ରାମେ ଗ୍ରାମେ ଯିବେ ଖାଇ ହେ
ଚମକାଇ ।
ଚିଆଁଇଣ ଖାଇବେ ଗୋଡ଼ାଇ ହେ ।୬।
ଛାଡ଼ିଣ ସକଳ ତୀର୍ଥ ପାପେ ଦିନ ନେବେ,
ଛନ୍ଦ କପଟରେ ନିତି କୁଟୁମ୍ବ ପାଳିବେ ହେ ।
ଛନ୍ଦି ହେବେ ।
ଛାଡ଼ି ଦୟା ଧର୍ମପଥ ସର୍ବେ ନାଶ ହେବେ ।୭।
ଜଳ ନ ବରଷି ମେଘ ଉଠାଇ ଆସିବ,
ଜାଣିଥା ଅର୍ଜୁନ ମୋର ଏ ବଚନ ଧ୍ରୁବ ।
ଜଳହୀନ ।
ଜଳିଯିବ କୃଷି ଆଦି ଧାନ ହେ ।୮।
ଝାଡ଼ ବାଡ଼ ଭାଙ୍ଗି ପ୍ରଜା କୃଷି ଆରମ୍ଭିବେ,
ଝଗଡ଼ା କରିଣ ରାଜା ବସାଣି କରିବେ ହେ ।
ଝୁରୁଥିବେ ।
ଝୁରି ଝୁରି ସର୍ବେ ନାଶ ଯିବେ ହେ ।୯।
ନାନା ଉପଦ୍ରବ ହେବ ଏ ମହୀ ମଣ୍ଡଳେ,
ନ ମାନିବେ ବଡ଼ ସାନ କଳିଯୁଗ ନରେ ହେ ।
ନିଶ୍ଚେ ଠୁଳ ।
ନାଶ ହେବ ଏ ମହୀମଣ୍ଡଳ ହେ ।୧୦।
ଟାଣ ନ ରହିବ କାର ହେବେ ଅଣାୟତ୍ତ,
ଟଳି ପଡ଼ୁଥିବେ ଦେଖୁଁ ଦେଖୁଁ ଆଚମ୍ବିତ ହେ ।
ଟାହି ଗୀତ ।
ଟିକାଏ ନମଣ ପଣ୍ଡୁ ସୁତ ହେ ।୧୧।
ଠାକୁର ବୋଲି ଆମ୍ଭଙ୍କୁ କେହି ନ ମାନିବେ,
ଠାବେ ଠାବେ ଦେବଦେବୀ ଅପୂଜା ରହିବେ ହେ ।
ଠକି ଦେବେ ।
ଠିକ୍ବେଳେ ସର୍ବେ ନାଶଯିବେ ହେ ।୧୨।
ଡାଏଣୀ ଡାଙ୍କଣୀଗଣ ଉତ୍ପାତ ହୋଇବେ,
ଡାକହାକ କରି ଗ୍ରାମେ ଗ୍ରାମେ ବୁଲୁଥିବେ ହେ ।
ଡରାଇବେ ।
ଢକା ପଡ଼ିଯିବ ସର୍ବଠାରେ ହେ ।୧୩।
ତିଳେହେଁ କାହାର ବୁଦ୍ଧି ଶୁଦ୍ଧି ନ ରହିବ,
ଢମପଣ ବହିବାରୁ ନାଶହେବ ସର୍ବ ହେ ।
ଢାଳେ ହେବ ।
ଢାଉଁ ଢାଉଁ ଜଗତେ ଶୁଭିବ ହେ ।୧୪।
ଆପଣ ଅର୍ଜିଲା ଫଳ ଆପଣଙ୍କୁ ସଲ,
ଆପେ ତାହା ବୁଝିବାକୁ ନୁହଁ କଲବଲ ହେ ।
ଅଟେ ଫଳ ।
ଅମଙ୍ଗଳ ଅଟେ କଳିକାଳ ହେ ।୧୫।
ତୀର୍ଥ ବ୍ରତ ଦୟା ଧର୍ମ ସବୁ କରି ଦୂର,
ତାକ ତକେ ଦିନ ନେବେ କଳିଯୁଗ ନର ହେ ।
ତୋ ଆଗର ।
ତଥ୍ୟ କହୁଅଛି ପଣ୍ଡୁବୀର ହେ ।୧୬।
ଥୟ ନ ରହିବ ଯେ କାହାରି ଜ୍ଞାନ ବୁଦ୍ଧି
ଧୀରପଣେ ଜଣେ କେହି ନୋହିବେ ସୁବୁଦ୍ଧି ହେ ।
ଥିରବାଦୀ ।
ଥିବେ କୁକର୍ମକୁ କରି ସିଦ୍ଧି ହେ ।୧୭।
ଦେଢ଼ଶୁର ଭାଇବୋହୂ ନ ଥିବେ ବାରଣ,
ଦେଠାଇ ଖୁଡ଼ାଇ ଆଦି ହରିବେଟି ଜାଣ ହେ
ଦୁଷ୍ଟଗଣ ।
ଦିବସରେ କରିବେ ରମଣ ହେ ।୧୮।
ଧର୍ମ ଅଧର୍ମ ବିଚାର ନ ଥିବ କାହାରି,
ଧରଣୀ ଦିଶିବ ସିନା ହୋଇ ହତଶିରୀ ହେ ।
ଅଂଶେ ସାରି
ଧନଞ୍ଜୟ କହନ୍ତି ବିଚାରି ହେ ।୧୯।
ନ ମାନିବେ କୁଳବଧୂ ଶାଶୂ ଶ୍ୱଶୁରଙ୍କୁ,
ନ ମାନିବେ ପୋଏ ମାତ ପିତାଙ୍କ ବୋଲକୁ ହେ ।
ନିଷେଧକୁ ।
ନାରୀଏ ତେଜିବେ ଗୃହସ୍ଥକୁ ହେ ।୨୦।
ପରଧନ ଲୁଟି କରି ବୋହି ନେଉଥିବେ,
ପରଜା ଗୁହାରି କଲେ ରାଜା ନ ଶୁଣିବେ ହେ ।
ପଳାଇବେ ।
ପଥ ଛାଡ଼ି ଅପଥେ ଗମିବେ ହେ ।୨୧।
ଫନ୍ଦା କରିଥିବା କୃଷି ବୋହି ନେବେ ଆନ,
ଫନ୍ଦ ଫିକର କରିଣ ବଞ୍ଚୁଥିବେ ଦିନ ହେ ।
ଫନ୍ଦାମାନ ।
ଫାନ୍ଦ ଫାନ୍ଦୁଥିବେ ରାତ୍ର ଦିନ ହେ ।୨୨।
ବ୍ରାହ୍ମଣେ ଗାୟତ୍ରୀ ଛାଡ଼ି ଗାରେଡ଼ି ପଢ଼ିବେ
ବେଦ ବିଦ୍ୟା ଆଦି ଗ୍ରାମେ ବୁଲାଇ ବିକିବେ ହେ ।
ବଣାହେବେ ।
ବିପ୍ରମାନେ ସନ୍ଧ୍ୟାକୁ ତେଜିବେ ହେ ।୨୩।
ପାପଭାରା ହେବ ପୃଥ୍ୱୀ ନ ପାରିବ ସହି
ଭୂମିକମ୍ପ ହେବ ନିଶ୍ଚେ ଜାଣିଥାଅ ତୁହି ହେ ।
ଭଣ୍ଡବଳ ।
ଭ୍ରମି ମରୁଛନ୍ତି ସର୍ବ ନର ହେ ।୨୪।
ମରୁଡ଼ି ହୋଇବ ଇନ୍ଦ୍ର ବୃଷ୍ଟି ନ କରିବ,
ମହାନଦୀ ଜଳ ନିଶ୍ଚେଁ ଉଠିଣ ଆସିବ ହେ ।
ମିଥ୍ୟାଭାବ ।
ମଣୁଛ କି ଏ କଥା ପାର୍ଥିବ ହେ ।୨୫।
ଯେତେବେଳେ ନୀଳାଚଳ ଛାଡ଼ିକରି ଯିବୁ,
ଯାଜପୁର ବିପ୍ରଘରେ ଯାଇ ଜନମିବୁ ହେ ।
ଜଗିଥିବୁ ।
ସେ ଯେତେ କହିଲେ ନ ଶୁଣିବୁ ହେ ।୨୬।
ରାଜା ହୋଇ ରାଜ୍ୟେ କେହି ଜଣେ ହେ ନ ଥିବେ
ରାଜେଶ୍ୱର ଫିରଙ୍ଗି ଯେ ଅଙ୍କ କଟାଇବେ ହେ ।
ଏହି ଭାବେ ।
ରାଜା ପ୍ରଜା କରି ଏକ ଠାବେ ହେ ।୨୭।
ନୀଳାଚଳ ଛାଡ଼ି ଆମ୍ଭେ ଯିବୁ ଯେତେବେଳେ
ଲାଗିବ ରତ୍ନଚାନ୍ଦୁଆ ଅଗ୍ନି ସେତେବେଳେ ।
ନିଶାକାଳେ ।
ନୀଳାଚଳୁ ଫେରିଯିବୁ ହେଳେ ହେ ।୨୮।
ବଡ଼ ଦେଉଳରୁ ମୋର ଖସିବ ପଥର
ବସିବ ଯେ ଗୃଧ୍ର ପକ୍ଷୀ ଅରୁଣ ଖମ୍ବର ହେ ।
ବତାସର ।
ବକ୍ରହେବେ ନୀଳାଚକ୍ର ମୋର ହେ ।୨୯।
ସତ୍ୟକଥା ସତ୍ୟକଥା ଅଟଇ ଅର୍ଜୁନ,
ଜାଣିଥାଅ ଅର୍ଜୁନ ଏ ଶ୍ରୀମୁଖ ବଚନ ହେ ।
ସତକରି ।
ଶ୍ରୀମୁଖ ବଚନ ଏ ମୋହରି ହେ ।୩୦।
ସପ୍ତଦିନ ପରିଯନ୍ତେ ହେବ ଏହି ଭାବ,
ଅନ୍ୟ ଦିନ ମଣୁଥିବ ଦୃଶ୍ୟ ତ ନୋହିବ ହେ ।
ସତ ଭାବେ ।
ଶେଷ ହେବ କଳିଯୁଗ ତେବେ ହେ ।୩୧।
ସମୁଦ୍ର ଉଠି ଆସିବ ବତାସ ବହିବ
କଳପବଟ ମୋହର ଭାଙ୍ଗି ପକାଇବ ହେ ।
ସତ୍ୟଭାବ ।
ସାଲ ଊନଶତ କର ଠାବ ହେ ।୩୨।
ହସିକରି କହୁଛନ୍ତି ଅଖିଳ ଗୋସାଇଁ,
ହେତୁ କରିଥିବୁ ପାର୍ଥ ନ କହିବୁ କାହିଁ ହେ ।
ହସ୍ତେ ତୁହି ।
ଥାଅ ମୋର ପାଦପଦ୍ମ ଛୁଇଁ ହେ ।୩୩।
ଖଗପତି-ନାଥ କହି ଏସନ ବଚନ
ଖିଆଲ ନୁହେଁଟି ଯାହା କହିଲେ ଅର୍ଜୁନ ହେ ।
କ୍ଷମେ ଶୁଣ ।
କ୍ଷମେ ଜୟୀ ମାଗଇ ଶରଣ ହେ ।୩୪।