ନମସ୍ତେ କରାଳ ରୂପୀ କାଳିକା କଙ୍କାଳି ମା – ବୃତ୍ତେ
ସୁମର ନରେ ନିରତେ ବାମଦେବ ଶୂଳି
କାମବିନାଶନ, ଶିବଶଙ୍କର ତ୍ରିଶୂଳି ।ପଦ।
ମହେଶ ପାର୍ବତୀ ବିଭା, ବର୍ଣ୍ଣନେ ହୋଇବ ଶୋଭା ।
ଶୁଣି ତାରେ ସଭାଜନେ ଦୁଃଖ ଦିଅ ଜାଳି ।୧।
ଦକ୍ଷଯଜ୍ଞେ ସତୀ ହତ, ହୋଇବାରୁ ଭୋଳାନାଥ ।
ମହାକ୍ରୋଧେ ତପେ ରତ ସେ ଚନ୍ଦ୍ରମଉଳି ।୨।
ଦେବବାକ୍ୟେ ପୁଷ୍ପଶର, ମାର କରନ୍ତେ ପ୍ରହାର ।
କୋପନେତ୍ରେ ଅନାନ୍ତେ ଅନଙ୍ଗ ଗଲା ଜଳି ।୩।
ସେ ରେତ ଘେନି ମରୁତ, ଅନଳେ ଖେପି ତୁରିତ ।
କାର୍ତ୍ତିକ ତହିଁରୁ ଜାତ କୃତ୍ତିକାଦି ଗିଳି ।୪।
ସୁରସେନା, ଷଡ଼ାନନ କଲେ ତାରକା ନିଧନ ।
ଅମରେ ପ୍ରେମରେ ମିଳି ଦେବ ହିତ ଭାଳି ।୫।
ଜନ୍ମ ହେମବନ୍ତ ଘରେ ଦେବୀ ମେନକା ଉଦରେ ।
ନବଯୁବା ହେଲେ ଶିବା ବଇ କରେ ଅଳି ।୬।
ଆଜି ଜଣାଉଚି ଭାଇମାନଙ୍କୁ ହେ – ବୃତ୍ତେ
ଶୁଣ ସଚିବ ଏ ମୋର ବାଣୀ ହେ ପାଞ୍ଚି କହିଦେବ ଚିତ୍ତେ ପୁଣି ।ପଦ। ଯାଉନାହିଁ ତ ବାଞ୍ଛିତ ଧନ, ତେଣୁ ଛନଛନ ନିତି ମନ । ନବଯୁବତୀ ମୋ ଜେମାମଣି ହେ ତେଣୁ ଜଞ୍ଜାଳ କରନ୍ତି ରାଣୀ ।୧। ଗଉରୀର ଅନୁରୂପେ ବର, ନ ପାଇଣ ହେଲି ହରବର। ମଣି ହରାଇଲା ପରା ଫଣୀ ହେ ନ ଚଳଇ ଭାଳି ପାଦ ପାଣି ।୨। ଭାଟେ ଭ୍ରମି ଭ୍ରମି ମୋ ନିକଟେ, ଜଣାଇଲେ ପଡ଼ିଲି ସଙ୍କଟେ । ହଟ ସାଧିଲାଣି ବିଧି ଆଣି ହେ ଦିନ ନ ସରଇ ଗଣି ଗଣି ।୩। କନ୍ୟା ନିତି କରେ ଶିବ ସେବା, ସଖୀ ସହ ମିଳି ନିଶି ଦିବା । କିବା ବିଡ଼ୁଚନ୍ତି ଶୂଳପାଣି ହେ ରସେ ବିପ୍ର ବଇଷ୍ଣବ ଭଣି ।୪।
ମନ୍ତ୍ରୀ– ଗିରିରାଜ ! ଭାସ ନାହିଁ ନିତି ନିତି ଭାବନା ସ୍ରୋତରେ, ମନଗୁଣେ ଫଳ ନିଶ୍ଚେ ଦିଅନ୍ତି ବିଧାତା, ସେ ନିମନ୍ତେ କର ନାହିଁ ଚିନ୍ତା, ହୁଏ ଅନୁମାନ ନିକଟରେ ମନସାଧ ପୂରାଇବେ ଧାତା, ପୁଣି ବରଗିବା ଦୂତେ, ଚେଷ୍ଟାରୁ ବିରତ ହେବା କାପୁରୁଷ କଥା ।
ଆଜି ଘୋଷଣା ଶୁଣି ଆସିଚି ନରନାଥ- ବୃତ୍ତେ
ସାରି ଦେଲାଣି ଏ ସହରକୁ ଦାରିପଲ
ଭିତରେ ପୋଡ଼ା ଅଙ୍ଗାର ଚୋପା ଭଲ ।ପଦ।
କେଡ଼େବଡ଼ ଘରପୁଅ, ଗଡ଼ାଇଲେ ଆଖି ଲୁହ,
କିଣିଲେ ପଇସା ଦେଇ କଲବଲ ।୧।
କବିରାଜ ଡାକତର ଏହାଙ୍କ ଯୋଗେ ଖାତର,
ବଢ଼ିଲା ତାଙ୍କର ଟାଣି ନେଲେ ମାଲ ।୨।
ମୁହେଁ ପାଉଡର ମାଖି ଠାରିଦେବେ ଯେବେ ଆଖି
ବିକାଇବେ ସୁନାହାର ସାଇକଲ ।୩।
ଚୋରି କରି ଘର ଧନ ଆଣି ଯୋଗାଇବେ ମନ,
ମହରଗ କଲେ ହାର ମଲ୍ଲିଫୁଲ ।୪।
ପଇସାଟି ଗଲେ ସରି ଜାଣିଥା ହେବେ ଭଗାରି,
ନଥିବ ସେ ହାତ ଧରା ନୂଆ ଗେଲ ।୫।
ବଅଶ ବଇରି ସେହି କାଳେ କାଳେ ଜାଣ ଭାଇ
ଧରି ବସିଛନ୍ତି ବାବୁ ଧରାଜାଲ ।୬।
ସରକାର ଜାଣିଶୁଣି ଚଢ଼ାଇ ଅଛନ୍ତି ବାଣୀ
ହେଲାଣି କବି ସେ ଘେନି ଫଟା ଢୋଲ ।୭।
କେତେ ବର୍ଣ୍ଣିବି ମଦ ତୋ ମଜା ତ– ବୃତ୍ତେ
ଦୂତ ବୁଲ ଯାଇଁ ଦେଶ ଦେଶରେ, ବର ଘଟାଇ ବହନ ଆସ ରେ । ଫେରି ଜଣାଇବ ମୋର ପାଶରେ ।ପଦ। ଦେବାପାଇଁ ବିଭା, ଚିତ୍ତ ହୋଏ ଲୋଭା, ଆସନ୍ତା ଫଗୁଣ ମାସରେ । ଦୁଇଗୁଣେ ଚିନ୍ତା, ଜାଳଇ ଦେହକୁ ଜାଣିଥା ନିଶି ଦିବସ ରେ । ଅନ୍ନ ବ୍ୟଞ୍ଜନ ଲାଗଇ ବିଷ ରେ ନିନ୍ଦା ଶୁଣନ୍ତେ ଶ୍ରବଣେ ଲେଶ ରେ । ଜୀବ ଯିବ ଛାଡ଼ି ଅବଶେଷରେ ।୧। କନ୍ୟା ତୁଲେ ନାନା ଦେବି ଦାନ, ପୂରିଚି ମୋ ରାଜକୋଷ ରେ । ହୀରା ନୀଳା ମୋତି, ମାଣିକ୍ୟ ବୈଦୁର୍ଯ୍ୟ, ଗଜ ଅଶ୍ୱ ଗୋ ମହୀଷ ରେ । ତା’ର ତୁଲେ ବହୁ ଦାସୀ ଦାସ ରେ ସଦାମାନି ରହିଥିବେ ବଶ ରେ । ଗୀତ ଗାଇବେ ଗାଇକା ସୁସ୍ୱରେ ।୨। କଳଙ୍କ କାଳିମା, ବୋଳିବକି ଧାତା, ଗୋଳି କଳଙ୍କ ବଂଶରେ । ମୁହିଁ ଧରାରେ ତ ସେ ଆକାଶରେ, ହୃଦେ ଯାଉନାହିଁ ସ୍ଥାନ ଲେଶ ରେ । ବଇଷ୍ଣବ ବିରଚେ ଏ ରସରେ ।୩।
ଦୂତ– ମହାରାଜ ! ତେବେ ଆମ୍ଭେ ଯାଉଚୁ ବରଖୋଜି, ନିକଟରେ କହିବୁଁ ଖବର, ମନସୁଖେ ବସିଥାଅ ଏ ରାଜନବର ।
ରାଜା– ବର୍ତ୍ତମାନ ମନ୍ତ୍ରୀବର ସଭାଭଙ୍ଗ କର, ଯାଉଚି ରାଣୀଙ୍କୁ ଦେବି ଏହି ସମାଚାର ।
(ସମସ୍ତେ ପ୍ରସ୍ଥାନ)
ବାଧା ଦିଅନା ଦିଅନା ଋଷି – ବୃତ୍ତେ
ରାଜବାଳାର ବିଡ଼ିବି ମନ ଆଜି ହେଜିଚି ଚିତ୍ତ ଭିତରେ । ନିତି ନିତି ମୋତେ ସେବେ ପତି ଭକ୍ତିରେ ଅନ୍ତର୍ଗତରେ ।ପଦ। ଜନମିଛି ମୋର ଲାଗି ଯୋଗଭଙ୍ଗିନୀ ନିଜ ହିତରେ । ଭକତି ରସ ରସିକା ଧରି ବସିବ ତା’ର ହିତରେ ।୧। ଦକ୍ଷଯଜ୍ଞ କାଳୁ ତାକୁ ଦେଖିନାହିଁ ମୁଁ ନେତ୍ରପଥରେ । ଚିତ୍ରପିତୁଳା ସମାନ ବାଳା ବସାଇଲା ଏ କାନ୍ତରେ ।୨। ଶୁଣନ୍ତେ ଶିବର ନିନ୍ଦା କିସ ଭାଷି ବସିବ ଆତୁରେ, ଭାଷିବ କି ପ୍ରେମ ନୀରେ, ବୈଇଷ୍ଣବ ଭାଷଇ ଗୀତରେ ।୩। (ପ୍ରସ୍ଥାନ)
ଗମନ – ଗୀତ
ପିତପଟିଆ ଲମ୍ପଟିଆ– ବୃତ୍ତେ
ପୂଜି ଯିବା ଶଙ୍କରେ ଆସ ସଜନି ଗୋ
ବେଳ ବିଳମ୍ୱ ହେଉଚି ବୁଝନି ଗୋ ।ପଦ।
କମ୍ପଇ ମୋ ବାମ ବାହୁ ବାମାଗଣେ ଚାହୁଁ ଚାହୁଁ
ହେବ ଉମାକାନ୍ତ କି ମନରଞ୍ଜନୀ ଗୋ ।୧।
କମ୍ପଇ ବାମ ଇକ୍ଷଣ ବାମାଗଣେ କ୍ଷଣୁ କ୍ଷଣ
ସତୀପୁଷ୍ପ ଦେହ ସାଜେ ସଜନି ଗୋ ।୨।
ସତେ ଏ କିଙ୍କରୀ ପତି ହୋଇବେ ସେ ପଶୁପତି
ବଇଷ୍ଣବ ଭଜେ ଦିବା ରଜନୀ ଗୋ ।୩।
ଶିବ– କି ନିମନ୍ତେ ଶିବ ସେବା କର ଗୋ ପାର୍ବତୀ ?
ପାର୍ବତୀ– ପୂଜୁଅଛି ସତୀ ବିଶ୍ୱପତି ହୋଇବେ ମୋ ପତି ।
ଶିବ– ଯେତେ ଅମଙ୍ଗଳ ଶିବ ଅଟନ୍ତି ତା ମୂଳ ।
ପାର୍ବତୀ– ଅମଙ୍ଗଳ ହେଲେ କିସ ହେବ ତାଙ୍କ ନାମଟି ମଙ୍ଗଳ ।
ଶିବ– ଶମଶାନବାସୀ ଶିବ ଭୂତଗଣ ନାଥ ।
ପାର୍ବତୀ– ପଙ୍କୁ ସିନା ଜାତ ପଦ୍ମ ସେ ତ ମିହିରଙ୍କ ମିତ୍ର ।
ଶିବ – ଶିବଙ୍କର ଭୁଜଙ୍ଗ ଭୂଷଣ ସତୀ ରମିବ କେମନ୍ତେ ?
ପାର୍ବତୀ– ଅଭୟ ଯା ନାମ କିମ୍ପା ଭୟ ହେବ ଚିତ୍ତେ ।
ଶିବ– ଅମ୍ୱର ବିହୀନ ହର ସର୍ବଦା ଲଙ୍ଗଳା ।
ପର୍ବତୀ– ଶୁଣିଚି ଦିଗ୍ବସନ ମାର ଦର୍ପଦଳା ।
ଶିବ– ହାଡ଼ମାଳ ଗଳେ ଦେହ ଭଷ୍ମେ ଜରଜର ।
ପାର୍ବତୀ- ହାଡ଼ମାଳ ନୁହେଁ ସେହି ଯୋଗୀଙ୍କ ଭଣ୍ଡାର ।
ଶିବ– ଧରି ବୁଲେ ଭିକ୍ଷାଅର୍ଥେ ନାଉଥାଳ କରେ ।
ପାର୍ବତୀ– ଲୋକଦେଖା ସେହି ଧନପତି ମିତ୍ର ଯାର ସେ କି ଦରିଦ୍ର ଲୋକରେ ।
ଶିବ– ଜାଣେ ନାହିଁ କ୍ରିୟା କର୍ମ ଅଧର୍ମ ଧର୍ମ ତିଳେ ।
ପାର୍ବତୀ– ମଜ୍ଜିଚି ମୋ ମନ ସରମ ନ ହେବ ତାଙ୍କୁ ମାଳାଦେଲେ ଗଳେ ।
ଶିବ– ନଷ୍ଟ ଲୋକ ଦୁଷ୍ଟ ସେହି ସଂହାର ମୂରତି ।
ପାର୍ବତୀ– ଇଷ୍ଟ ସେ ମୋ ନିନ୍ଦା କର ନାହିଁ ମହାମତି ।
ଶିବ– ରାଜଜେମା ହୋଇ ଯୋଗୀ ମନୋହାରୀ ହେବ ।
ପାର୍ବତୀ– ଅଧିକାରେ ଅଛି ଯାର ଅଶେଷ ବୈଭବ ।
ଶିବ– ନ ମାନିଲ କଥା ଫେରି ଯାଉଚି ଗୋ ସତୀ ।
ପାର୍ବତୀ– ଯାଅ ବ୍ରହ୍ମଚାରୀ ନ କହିବି ତୁମ୍ଭଙ୍କୁ ହୋଇଲେ ପଛେ କ୍ଷତି ।
ଜୟ ଶ୍ରୀରାଧେ ବୋଲି– ବୃତ୍ତେ
ସତେ ହେବ କି ମୋ ବର, ହେ ଦେବ ହର,
ହେ ଦେବ ହର, ମୋ କଣ୍ଠହାର ନୋହିଲେ ଗିଳିବି ଜହର ।ପଦ।
କଲେ ନିରାଶ - ନେବ କି ଯଶ - ସେବକୀ ସଦା ମୁଁ ତୋହର ।୧।
ସେ ପଦଧୂଳି – ଯାର ସଙ୍ଖାଳି – ବିପଦ କିଅବା ତାହାର ।୨।
ଗୋପତି ପତି – ଖଣ୍ଡ ବିପତ୍ତି – ମୋ ଧୃତି ମତିରେ ବିହର ।୩।
ଘେନ ଆପତ୍ତି – ହୁଅ ମୋ ପତି ବଇଆ କରଇ ଜୁହାର ।୪।
ମଦନ ମୋହନ ବଦନ ଛବି– ବୃତ୍ତେ
ଜେମାମଣି ଗୋ ଅକାରଣେ ଚିନ୍ତା କର କାହିଁକି ।ପଦ।
ଯାପାଇଁ ଯାହା ବିହି ଆଗରୁ ଅଛି ଲିହି
ପୂରିବ ତୋ ମନୋବାଞ୍ଛା ତରୁଣୀ ।୧।
ଚନ୍ଦ୍ର କୁମୁଦ କଥା ହେଜ ଗୋ ରାଜସୁତା
ତୋର ମନକୁ ସେ ନେଇଚି କିଣି ।୨।
ଯୋଗ ନ ଥିଲେ ଭୋଗ ନୋହିବ ଜାଣ ରାଗ
ଲତାସିତା ହାସି ନାହୁଁ କି ଶୁଣି ।୩।
ଯେ ଯାର ସେ ତାହାର ହୋଇବ ଗଳାହାର
ପାଣି ବଇଷ୍ଣବ ଏ ରସେ ଭଣି ।୪।
ସଖୀ- ଜେମାମଣି ଭାସ ନାହିଁ ନିତି ନିତି ଭାବନା ସ୍ରୋତରେ । ଚାଲ ତେଣେ ମା’ ପରା ଲୋଡ଼ୁଥିବେ । ବସନ୍ତକୁ ସିନା ଚିହ୍ନଇ କୋକିଳ କୁଆକି ପାରଇ ଚିହ୍ନି ? ଥୁଆଥୋଇ ସବୁ ଦଇବ ହାତରେ କାହାରି ନକରେ ହାନି ।
କହ କହ ବନଲତା ଦେଖିଛ କି– ବୃତ୍ତେ
କିବୁଦ୍ଧି କରିବି ନନ୍ଦୀ କହ କହ ରେ
ଉମା ଗଲାଦିନୁ ଅଙ୍ଗ ଥରୁଅଛି ଅହରହ ରେ ।ପଦ।
କପିଳାସ ଲାଗେ ଶୂନ୍ୟ, ଶ୍ୱାସ ଉଠେ ଘନ ଘନ,
ଛନଛନ ପୋଡ଼ାମନ ତିଳେ ନ ହୁଅଇ ଥୟ ରେ ।୧।
କଳପେ ହେଲାଣି ଗତ – କଳପିଲି ତାକୁ ମୁଁ ତ,
ତୁଳି ତଳପେ ଶୟନ କରିନାହିଁ ଏହି ଦେହ ରେ ।୨।
କେବେ ମିଳାଇବ ଧାତା – ଚଳାଇ କହିବ କଥା,
ଖେଳାଇବ ଡୋଳା ବାଳା ପଳାଇବ ମାର ଭୟ ରେ ।୩।
ନାରୀ ହୀନ ହେଲେ ନର, ଜୀବନେ କି ସୁଖ ତା’ର,
ବଇ କହି ନ ମରିବି ନାମ ମୋର ମୃତ୍ୟୁଞ୍ଜୟ ରେ ।୪।
ଚକ୍ରକେଳି– ବୃତ୍ତେ
ବାବା କେତେ ବୁଝାଇବି ତୋତେ ରେ । ବସି କାନ୍ଦିଲୁ ଦେଉଳ ଭିତରେ– ଉଆଚାଉଳ ବେଲପତ୍ରୀ ଖଣ୍ଡେ । ନ ଖାଇଲୁ ପଚିଲା ପଡ଼ି କୁଣ୍ଡେ ।୨। ଗୁଣୁ ଗୁଣୁ ହୋଇ କି ଭାବୁ ବସି । ଡାକି ଡାକି ଥକଇ ମୁହିଁ ଆସି ।୩। ପହଡ଼କେ ଶୁଣି ଦେଉ ଜବାବ । ମାଆ ମଲା ଦିନୁ ଏ ତୋ ସ୍ୱଭାବ ।୪। ତୋର ଭାବନା ଦେଖି ଷେଣ୍ଢ ଗୋଟା । ଜମା ଛୁଇଁଲା ନାହିଁ ଘାସକୁଟା ।୫। ତାର ଆଖିରୁ ସଦା ଲୁହଗଡ଼େ । କୋଡ଼ି କଚାଡ଼ି ଖୁରେ ଭୂଇଁ ତାଡ଼େ ।୬। ଯେତେ ବୁଝାଇ ଆଉଁସିଲେ ତାକୁ । ବେଶି ରାବେ ମୁହଁମାଡ଼ି ତଳକୁ ।୭। ତୋର ନିରେଖି ଏଡ଼େ ଛଟପଟ । ବଇ ବୋଲେ ନଗଲା ମୋର ଘଟ ।୮।
ବରଜଶିରୀ – ବୃତ୍ତେ
ଭାଷ ଭାଷ କୁଶଳ କିସ କରୁଅଛ ବସି କାଳ ହେ । ପଦ।
କଇଳାସପୁର, ଦିଶେ ଛାରଖାର, ଥିଲି ଚଞ୍ଚଳା ଦେବୀଙ୍କୁ ଆଳ ହେ ।୧।
ବିରସବଦନ, ଦିଶେ ପଞ୍ଚାନନ, ନୟନୁ ବହେ ଅଶ୍ରୁଜଳ ହେ ।୨।
ତୁଟିଅଛି ଶିରୀ ଦେଖୁଚି ସବୁରି, ବୃକ୍ଷଲତା ଫୁଲଫଳ ହେ ।୩।
ବଇଷ୍ଣବ କହି, ବହୁଦିନୁ ମୁହିଁ ଆସିନାହିଁ ଚନ୍ଦ୍ରଚୂଳ ହେ ।୪।
ଶିବ –
ଆଉ କି ପଚାର ମୁନି ଶିବର ମଙ୍ଗଳ ଶିବା ଗଲାଦିନୁ
କୋଳଶୂନ୍ୟ ଅଛି ହୋଇ – ଜାୟାହୀନ ଜୀବନେ ଭବନେ
କିସ କାର୍ଯ୍ୟ କଳପେ ହେଲାଣି ଗତ – କପିଳାସ ତେଜିଲା
ଅଭୟା ତୋ ବିହୁନେ ସଦା ମୋର ପୋଡ଼ିଯାଏ ହିଆ
ବଞ୍ଚିବା ମରିବା ଉଭୟ ସମାନ ମୋର ।
ତୁମି କାଦେର କୁଲେର ବହୂ – ବୃତ୍ତେ
କିମ୍ପା ବସିଅଛୁ କାନ୍ଦି–ଜାତ ହୋଇଛନ୍ତି ଉମା ଗିରି ଘରେ ଆସି ହେ ।
ହୋଇଲେଣି ନବଯୁବା ପାଇଁ ବେଗେ ହୁଅ ବିଭା
ଉଛୁଳି ପଡ଼ିଚି ଚାରି ଦିଗେ ଶୋଭାରାଶି ହେ ।୧।
ମୁହିଁ ହୋଇ ଭଲଲୋକ, ଭେଟାଇବି ତ୍ରିଅମ୍ବକ
ସେବଇ ସଦା ଅମ୍ବିକା ତବ ପଦେ ରସି ହେ ।୨।
ଯାଉଚି ଆଣିବି ଡାକି ହେମବନ୍ତକୁ ଏଠିକି
ଦେଖିଯାଉ ବରଘର ମନ ହେବ ଖୁସି ହେ ।୩।
ଭୋଳାନାଥ ନାମବହ, ଭୋଳରେ କାଳ କଟାଅ
ହଟାଅ ଶୋକ ଯାତନା ବଇଷ୍ଣବ ଭାଷି ହେ ।୪।
ଗୋ ପ୍ରାନ୍ ସଇ କି ବଲିବୁଁ ତୁମାରେ– ବୃତ୍ତେ
ହେ ବାବା କହିଗଲା ନାରଦ ମାଆକୁ କି କାହାକୁ ସେ କଲାଣି ବରାଦ
ବାହାଘର ହେବ, ରୋଶଣି ଲାଗିବ ଫୁଟୁଥିବ ବାରଦ ।
ବାଜୁଥିବ ବାଜା, ଉଡୁଥିବ ମଜା, ଛୁଟୁଥିବେ ମରଦ ।୧।
ଡାଲିଭାତ ଖିରିପିଠା ଖାଇ ଦେହୁ ଛାଡ଼ିଯିବ ଶରଦ
ବରଜାତି ଭୂତ ନାଚିବେ ବହୁତ ପିନ୍ଧି ସାଲଫରଦ ।୨।
ଚାଲୁଥିବେ ଷେଣ୍ଢ ମୁଣ୍ଡ ଦୋହଲାଇ ଯେଉଁପରି ଦ୍ୱିରଦ
ବରବେଶେ ବାବା ବସିବୁ ତାପରେ ବଇ ଛନ୍ଦେ ଏ ପଦ ।୩।
କାହାଭାବେ ମଜ୍ଜି – ବୃତ୍ତେ
ରାଜା– କେଉଁ କାର୍ଯ୍ୟେ ମୋ ପାଶେ ଆସିଲ ବିଧିସୂତ ?
ନାରଦ– ମାନିଲେ ମୋ ବୋଲ ତାହା କହିବି ପର୍ବତ (ପଦ)
ରାଜା– କେବେ ତବ ବାଣୀ ଯାଇଚିକି ମେଣ୍ଟି । କିମ୍ୱା ଆଜି ଏହା କହ ପରମେଷ୍ଠି
ନାରଦ– କିଭାବି ବାସେ ଥୋଇଛ ଯୁବତୀ ଦୁହିତା ।
ରାଜା– ଯାଇଛନ୍ତି ବର ଲୋଡ଼ିବାକୁ ଦୂତେ – ବର ସ୍ଥିର କରି କହିବେ ଅଗ୍ରତେ
ନାରଦ– ହରବର ନୋହି ହରେ ବର ଯା ତୁରିତ ।୨।
ରାଜା– ସତେ ବିଶ୍ୱନାଥ ହେବେ ମୋ ଜୁଆଁଇ ।
ଏହା ତ ମୋ ଚିତ୍ତେ ପରତେ ନୁହଇ ।
ନାରଦ– ଆମ୍ଭେ ଭଲଲୋକି ହେଲୁ ଦେଲୁ ସନମତ ।୩।
ରାଜା– ଦିନ ସ୍ଥିର କରି କହିଯାଅ ଋଷି । ବିଭାର ସମ୍ଭାର ଭିଆଇବି ଆସି ।
ନାରଦ– ଏ ଫଗୁଣ କୃଷ୍ଣ ଚତୁର୍ଦ୍ଦଶୀକୁ ନିଶ୍ଚିତ ।୪।
ରାଜା– ବରଘର ଦେଖା ସଂସାର ବିଧାନ । କେବେ ଯିବୁ ଦେଖି ଆହେ ତପୋଧନ ।
ନାରଦ– ଆସ ମୋ ସହିତ – ବଇଷ୍ଣବ ରଚେ ଗୀତ ।୫।
(ଉଭୟ ପ୍ରସ୍ଥାନେ)
କାହିଁକି କାନ୍ଦୁଚୁ ମୋର ରସକଢ଼ି ଲୋ – ବୃତ୍ତେ
ପୁରୁଷ– ସର ଅପା ତରତର ହଉଚୁ କାହିଁକି ।
ସ୍ତ୍ରୀ– ହବ ବାହାଘର ତୋର ମନରେ ନାହିଁକି ।ପଦ।
ପୁରୁଷ– ସେଦିନ ଜୁଲମ ଏତେ, ମିଛୁଟାରେ କଲି ତୋତେ ।
ସ୍ତ୍ରୀ– କେଉଁ କଥାକୁ କାହିଁରେ ପୂରାଉ ନେଇକି ।୧।
ପୁରୁଷ– ମୁଁ କହିଲି ତୁଉ ମୁଉଁ, ଆଉ କେ ଆସିଲା କାହୁଁ ।
ସ୍ତ୍ରୀ– ଯାଇଚନ୍ତି ରଜା ଆଜି ଦେଖିବେ ଜୋଇଁକି ।୨।
ପୁରୁଷ– ଭଲ ଲୋକ କିଏ ହେଲା, କେଉଁ ଠେଇଁ ଜୁଟେଇଲା ।
ସ୍ତ୍ରୀ– ଡାକି ନେଲା ଜଟିଆ ମନ ଭୁଲାଇକି ।୩।
ପୁରୁଷ– ମିଳେଇ ଦିହିଙ୍କ ମନ, ହୋଇଯିବା ସେହି ଦିନ ।
ସ୍ତ୍ରୀ– ବିନା ପଇସାରେ କିଏ ତରିଚି ନଈକି ।୪।
ପୁରୁଷ– ଅପା, ଯେତେବେଳେ ତାଙ୍କର ହାତଗଣ୍ଠି ପଡ଼ିବ ସେତେବେଳେ ଏଣେ ତୋର ମୋର ପକେଇବା ହାତଗଣ୍ଠି ।
ସ୍ତ୍ରୀ– କହନି ଖଣ୍ଡିଆ କୋଉ ବୋପା ତୋର ମନ୍ତର ପଢ଼ିବ ସେଠି
ପୁରୁଷ– ମନ୍ତର ପରା ତେଣେ ପଢ଼ୁଥିବ ସେଇ ଗୋସାଇଁ ।
ସ୍ତ୍ରୀ– ତୋର ତ ଧାନ ଚାଉଳ ନାହିଁ କେମନ୍ତେ ହବରେ ରୋଷେଇ
ପୁରୁଷ– ଆମ କୁଣିଆ ତ ଖାଇବେ ରଜାଘର ଖିରିପିଠା ।
ସ୍ତ୍ରୀ– ସେ ତ ଘିଅ ପୋଡ଼ୁଥିବେ ତୁ କଅଣ ପୋଡ଼ିବୁ ଖେଣ୍ଟା ।
ପୁରୁଷ– ତେଣେ ତ ହୁମ ଆମର ବସିଥିବା ବା ଡାହାଁଣ ।
ସ୍ତ୍ରୀ– ତୋରଣ ବିନା ସୁଧରେ ରହଣ ।
ପୁରୁଷ– ଆମର ତ ସବୁ ମାରିନବା ପରେ ପରେ ।
ସ୍ତ୍ରୀ– ବାହା ବଢ଼ିଲେ ତୋର ତ କନିଆ ପଶିବ ଘରେ ।
ପୁରୁଷ– ବାହା ସରୁ ସେ ସରସ କି ମୁଁ ସରସ ବାରିବୁ ।
ସ୍ତ୍ରୀ– ଚୂଲିଆ- ତୁ ତାଙ୍କପରି ବାହା ଘରଟାଏ କରିବୁ
ଦେଖୋ ଗଙ୍ଗାମେ ଯମୁନା – ବୃତ୍ତେ
ସାଜ ସାଜ ନନ୍ଦୀ ପ୍ରେତଗଣଙ୍କୁ ବେଗେ ରେ, ଯିବେ ବରଯାତ୍ରୀ ହୋଇ ମୋହରି ସଙ୍ଗେ ରେ । ପଦ । ତୁରିତେ ବଜାନ୍ତୁ ଭୂତେ ଝମ୍ପା ଡେମ୍ଫ ଢୋଲ । କମ୍ପାଇବେ ବସୁମତି ଧାଇଁ ପଲ ପଲ । ନାଚି ଚାଲିବେ ପିଶାଚେ ତାଙ୍କରି ଆଗେ ରେ ।୧। ରୁଦ୍ରବୃନ୍ଦ ବେଢ଼ି ରହିଥାନ୍ତୁ କଇଳାସ । ବୃଷଭକୁ ସଜାଇ ବହନ ଘେନି ଆସ । ଆରୋହିବି ପୃଷ୍ଠେ ତା’ର ମୁଁ ଅନୁରାଗେ ରେ ।୨। ନିଜେ ଗିରି ଆସିକରି ଯାଉଛନ୍ତି ଦେଖା । ବିଭାସାରି ବାହାରିବା ନ କରିଣ ଶଙ୍କା । ଆଜ ଅଧିବାସ ଜାଣ ସେ ରାଜ ଯୋଗେ ରେ ।୩। ଚଳାଅ ଗହନେ ରଣସିହାଁ ରଣ ତୂରୀ । ଫୁଙ୍କ ଶଙ୍ଖ ତିନିପୁର ନାଦେ ଉଠୁ ପୂରି । ବିପ୍ର ବଇଷ୍ଣବ ସେବେ ସେ ପଦ ଯୁଗେ ରେ । ୪ ।
କଂ କଂ କଂ କଂ କଂ କାଳିକା ମା ଜୟ କାଳିକେ– ବୃତ୍ତେ
ଚେଁ ଚେଁ ଚେଁ ଚେଁ ଚଂ ଚଂ ଚଂ ଚଂ ଚମ୍ ଚମ୍ ଚମ୍ ଚମ୍ ଚମ୍ ଖେଁ ଖେଁ ଖେଁ ଖେଁ ଖଁ ଖାଁ ଖାଁ ଖାଁ ରାମ୍ ରାମ୍ ରାମ୍ ରାମ୍ ରାମ୍ (ପଦ) ଲଙ୍ଗ ଲଙ୍ଗ ଲଙ୍ଗ ଲଙ୍ଗ ନାଚ୍ ନାଚ୍ ନାଚ୍ ନାଚ୍ ଚୋବା ମଡ଼ା ମଚ୍ ମଚ୍ ମଚ୍ ମଚ୍ କଡ଼୍ କଡ଼୍ କଡ଼୍ କଡ଼୍ ମଡ଼ ମଡ଼ ମଡ଼ ମଡ଼ ବଂ ବଂ ବଂ ବଂ ବଂ ।୧। ହଟ୍ ହଟ୍ ହଟ୍ ହଟ୍ ଖଟ୍ ଖଟ୍ ଖଟ୍ ଖଟ୍ ଛିଡ଼ାନାଡ଼ ପଟ୍ ପଟ୍ ପଟ୍ ପଟ୍ କାଟ୍ କାଟ୍ କାଟ୍ କାଟ୍ କାନ ନାକ କମ୍ କମ୍ କମ୍ କମ୍ କମ୍ ।୨। ଝମ୍ ଝମ୍ ଝମ୍ ଝମ୍ ଝାଇଁ ଝାଇଁ ଝାଇଁ ଝାଇଁ ପିଅ ରକ୍ତ ସାଇଁ ସାଇଁ ସାଇଁ ସାଇଁ ଭଏ ଡାକେ ବଇଷ୍ଣବ ରାମ୍ ରାମ୍ ରାମ୍ ରାମ୍ ।୩।
ଯେନାବଳି ଅଧୀଶ୍ୱର ବୃତ୍ତେ
ଶୁଣ ଦେବ ହେମବନ୍ତ, ଆସିଲେଣି ଭୂତନାଥ, ଆଣି କରି ବହନ ବରଣ । ବୃଷଭ ପୃଷ୍ଠେ ବିରାଜିଛନ୍ତି ଯୋଗୀ ବେଶ ସାଜି, ସଙ୍ଗତରେ ଭୂତ ପ୍ରେତଗଣ ।୧। ବଜାନ୍ତି ଯେଉଁ ବାଜଣା, ଶୁଣି ବୁଦ୍ଧି ହେବ ବଣା, ଗୁଣି ମରୁଥିବ କାଳେ କାଳେ । ବୁଣିଦେଲି ସୁଧାବାରି ସ୍ନେହେ ଗୀତ ଗାଇକରି ଗଳେ ଦୋଳେ ହାଡ଼ନାଡ଼ ମାଳେ । ୨ ।, ଯେବେ ନ କର ବରଣ, ସବୁହେବ ଅକାରଣ, ମରଣ ଘୋଟିବ ଚାହୁଁ ଚାହୁଁ । ଛାଡ଼ି ଯିବେ ଯେବେ ଭୂତ, ଶୋଷି ପିଇବେ ଶୋଣିତ ଶୀତେ ଦେହଥରେ ହାଉ ହାଉ । ୩ । ସିଙ୍ଗଦରାଜା ନିକଟ ପ୍ରବେଶି ଶଙ୍କର ଥାଟ, ଛାଡ଼ୁଛନ୍ତି ବିକଟାଳ ରଡ଼ି । ପଢୁଛନ୍ତି କି ମନ୍ତର, ବୁଝି ନୁହଇ ମାତର, ଭୟେ ବଇ ଡାକେ କରଯୋଡ଼ି । ୪ ।
କେଣେ ଗଲ ଚଣ୍ଡମୁଣ୍ଡ ମୋର ରେ– ବୃତ୍ତେ
ଚାଲ ଦୂତରେ ବେଗେ କହ କୁଳ ପୁରୋହିତରେ ।ପଦ।
ବାଟରୁ ବରଣୀ, କରି ବେଗେ ଆଣି, ବସାଅ ମନ୍ଦିର ଭିତରେ । ୧ ।
କାଲି ବିଭାଘର, ଜାଣିଥା ନିଜର, କିଙ୍କରେ କହ ତୁରିତ ରେ । ୨ ।
କଲେ ଉପହାସ, ହେବ ସର୍ବନାଶ, ରୋଷବହେ ଯଦି ଚିତ୍ତରେ । ୩ ।
ତିନିପୁରେ ବଡ଼, ସେହି ଚନ୍ଦ୍ରଚୂଡ଼, ପଡ଼ ସେ ପଦେ ସତତ ରେ । ୪ ।
ନ କର ବିଳମ୍ବ, ଭାଷେ ବଇଷ୍ଣବ, ସାଧ ନିଜ ନିଜ ହିତରେ । ୫ ।
କେଉଁପରି ଯାଇଁ ସେ ରାଜାବାଳକୁ–ବୃତ୍ତେ
କାଲି ପ୍ରଭାତରେ, ବସି ବେଦି ପରେ ରସି ମାୟା କାୟା ଧରିବି ।
ହସିବେ ଯେସନେ, ରୂପ ଚାହିଁ ଜନେ, ସେହିପଥ ଅନୁସରିବି । ପଦ ।
ଗଳିତ ରଦନ ଲୋଳିତ ସର୍ବାଙ୍ଗ, ପଳିତ ଚିକୁର ବଳିତ ଅପାଙ୍ଗ ।
ଚଳିତ ଶକ୍ତିରହିତ କରଯୁଗ, ଯଷ୍ଟି ଖଣ୍ଡେ ଘେନି ଥରିବି । ୧ ।
ଅଧରରୁ ଲାଳ ପଡ଼ୁଥିବ ଗଳି, ତୋଳନ୍ତେ ମହିରେ ପଡୁଥିବ ଢଳି
ନେବି ନର ନାରୀଙ୍କର ମନ କଳି ସ୍ଥବିରବତ ଆଚରିବି । ୨ ।
ବୁଝିବି ବାଳାର ଚିତ୍ତ କେଡ଼େ ଟାଣ ତାର ସହ ରାଜାରାଣୀଙ୍କର ଗୁଣ ।
ବୁଣିବି କାଲି ମୁଁ କଉତୁକ ବୀଜ ପୁଣି ଜଡ଼ସମ ଠାରିବି । ୩ ।
ଜୀର୍ଣ୍ଣ ଶୀର୍ଣ୍ଣ ତନୁ ବହିବ ବୃଷଭ - ବନ୍ଧା ହୋଇଥିବ ବିଭାବେଦୀ ଠାବ ।
ରାବ ଦେବାପାଇଁ, ବଳ ତା ନଥିବ, କବି ଧୈର୍ଯ୍ୟ ଦମ୍ଭ ସାରିବି । ୪ ।
(ପ୍ରସ୍ଥାନ)
ଧୂଳିରେ ଶୋଇଚୁ କିମ୍ବା ବନମାଳି ରେ – ବୃତ୍ତେ
ବଳିଲାଣି ଲାଜ ଆଜ ରାଜରାଣୀ ଗୋ ।
ଭସାଇ ଦେଲ ଝିଅକୁ ଜାଣି ଶୁଣି ଗୋ । ପଦ ।
କାହୁଁ ଲୋଡ଼ି ବୁଢ଼ାବର; ଆଣିଲେ ପତି ତୁମ୍ଭର,
କରତି ହୁଏ ଏ ଛାତି ଚାହିଁ ଠାଣି ଗୋ । ୧ ।
ଆଣ୍ଠୁ ଭରା ଦେଇ ବସେ, ଖଇଁଖଇଁ ହୋଇ କାଶେ,
ଆଖି ନାକ ମୁଖରୁ ଛୁଟୁଛି ପାଣି ଗୋ । ୨ ।
ପାଚଲା ବାଳରେ ଜଟ, ବାନ୍ଧି ଚାହେଁ ମଟ ମଟ,
ତହିଁ ବାନ୍ଧିବ ମୁକୁଟ କିଏ ପୁଣି ଗୋ । ୩ ।
ଗଣ୍ଡିଏ ପାଟିରେ ଦାନ୍ତ, ନ ଦେଖିଲୁ ଶୁଣ ମାତ,
କେମନ୍ତେ ଧରିବେ ହାତ ଜେମାମଣି ଗୋ । ୪ ।
ବାହାକୁ କି ଆସେ ବର, ଚଢ଼ି ବଳଦ ଉପର,
ଫେରାଇ ଦିଅ ବେଦିରୁ ପାଣି ଭଣି ଗୋ । ୫ ।
ତୋତେ ସେନାପତି କଲେ ଆଶ ଲୋ– ବୃତ୍ତେ
ଏତେ ବାରନା ବାରନା ବରବରନା ମୋର ଜୋଇଁକି ।
କରନା କରନା ପରିହାସ କେଭେ ଦେବାଧିଦେବ ସାଇଁକି । ପଦ । କଲାବେଳେ କାଲି ବାଟ ବରଣ, ନିରେଖିଛି ତାଙ୍କ ଚାଲିଚରଣ । ନର କିନ୍ନରେ ନ ଥିବେ କେହି ଜଣେ ଗୋକ୍ଷୀର ପରା ଦେହିକି । ୧ । ମଉଳିରେ ତାରାପତି ରାଜଇ, ତା’ର ତଳେ ତ୍ରିନୟନ ସାଜଇ । ଶାର୍ଦ୍ଦୂଳ ଚର୍ମର ଜୋଇଁ କଟିତଟେ ଚଳନ୍ତି ଚାହିଁ ମହିକି । ୨ । ଥଟାବାଣୀ ଭାଷି ହଟା ନକର, ଶୁଣିଲେ ରୁଷିବ ଗଉରୀ ମୋର । କାଲି ମଣି ଆଜି ଗୋଟିକପଣରେ ପାଲଟି ଗଲା ସେହି କି । ୩ । ଆଗ ପଛ ପାଞ୍ଚି ମିଛ ନ ଭାଷ, ତୁଚ୍ଛ କଲେ କାଳେ ବହିବେ ରୋଷ । ମଙ୍ଗୁଳିଲା ବର ଫେରିଗଲେ ଘର ଲାଜ ନ ହେବ ବଇକି । ୪।
ଆସ ମାଉସୀ ସରବ– ବୃତ୍ତେ
ଆସ ଗୋ ଆମ୍ଭ ସଙ୍ଗର, ବେଦୀରେ ବସିଛି ବୁଢ଼ାନାଗର କି ଜନନୀ ଗୋ, ଦେଖି ଫେରିବ ନେତ୍ର ଯୁଗର । ୧ । ଚନ୍ଦ୍ରମାକୁ ରାହୁ କରେ, ଜାଣୁ ଜାଣୁ ଦେଲ କେଉଁ ପ୍ରକାରେ କି ଜନନୀ ଗୋ । ଅପଖ୍ୟାତି ଅରିଜିଲ କରେ । ଆଜିକି କାଲି ମରିବ, କାହାତୁଲେ ଉମା ଘର କରିବ କି ଜନନୀ ଗୋ । ମୁଣ୍ଡେ କରକଚାଡ଼ି ଝୁରିବ । ୩ । ବେଦିପାଖେ ହଡ଼ା ଗୋଟି, ଛେରି ମୂତି ସବୁ କଲେ ଏକାଠି କି ଜନନି ଗୋ । ତହିଁ ହେଉଛି ଘାଣ୍ଟି ଚକଟି । ୪ । ଡବ ଡବ ଦିଏ ଢାଳି, ନଈବଢ଼ି ପରି ଯାଉଚି ଖେଳି କି ଜନନୀ ଗୋ । ହଡ଼ା ବୁଢ଼ାର ଏକା ସଙ୍ଖାଳି । ୫ । କେତେ ବାହୁନିବି ବସି, ନ ସରିବ ଗୁଣ ପାହିଲେ ନିଶି କି ଜନନୀ ଗୋ । ବିପ୍ର ବଇଷ୍ଣବ ଭାବେ ଭାଷି । ୬ ।
ରାଣୀ– ନାରୀଗଣେ ! ତୁମ୍ଭେ ଏକଥା ମୋ ପାର୍ବତୀକି କହ, ସେ ଶୁଣି ତୁମ୍ଭଙ୍କୁ କଅଣ କହିବ ସେ ପରା ବର ପାଇଁ ଶିବ ସେବା କରେ ।
ଆଜି ପଡ଼ିଚ ପଡ଼ିଚ ଧରା ହେ– ବୃତ୍ତେ
ସଖି କରିବୁ କରିବୁ କରିବୁ ଘର ଗୋ ବୁଢ଼ାବର କୋଳରେ ବସି । ହରିବୁ ହରିବୁ ମାର ଜାଳା ବାଳା ପ୍ରୀତି ଭୋଳେ ପୁହାଇ ନିଶି । ପଦ । ପାଞ୍ଚ ମୁଖରେ ଚୁମ୍ବନ, ସ୍ୱଚ୍ଛେ ଦେଲାବେଳେ ମନ, କିଣି ନେବୁରେ ଦରହାସୀ ଆଦର ଭାବେ ପନ୍ଦର, ଆଖିରେ ଚାହାନ୍ତେ ଦର, କଣ୍ଠି ନେବୁ ବାହରେ କସି । ୧ । ରତିରସ କାଳେ ସହି, ଅହିଗଣେ ଥିବେ ଚାହିଁ, ହେଉଥିବେ ଦେହରେ ଘଷି । ବାସ ଅଙ୍ଗୁ ଦେଇ ଫେଇ ରଙ୍ଗେ ଦେଖିବୁ ଅନାଇ ଲାଗିଥିବ ପାଉଁଶ ରାଶି । ୧ । ଏଥିପାଇଁ ଶିବ ସେବା କରି ହରୁ ନିଶି ଦିବା, ଭାବିନୀ ତା ଭାବରେ ଭାଷି । ଦେଇ ଧାତୁରା ଗୟସ, ହେଲା ତୋ ଯୁବା ବୟସ, ଶମ୍ଭୁଶିରେ ଗୋରସ ଘଷି । ୩ । ବେଗେ ଫଳିବ ସେଫଳ–ସରସେ କର କବଳ ସ୍ନେହଘନ ରସ ବରଷି । ବଇଷ୍ଣବର ଗୁହାରି ହରିଣାକ୍ଷୀ କୃଶୋଦରି, ନ ରୁଷିବୁ ଆମ୍ଭେ ତୋ ଦାସୀ । ୩ ।
ଦେଖିଚୁ ନା ସଖି ଆଖି ପୂରାଇ ତୁ– ବୃତ୍ତେ
ଛଳାଇ ନ କହ ଆଳିଗଣେ ଏତେ ଅରିଜିଛି ଯାହା ଭୁଞ୍ଜିବି ଗୋ । ଚିତ୍ତରେ ହିତରେ ଭଜିଚି ଯାହାଙ୍କୁ ସେପଦ ପଙ୍କଜ ପୂଜିବି ଗୋ । ପଦ । ଅମର ମୋ କାନ୍ତ ପ୍ରେମର ସରିତ ପ୍ରେମରସ ନୀରେ ମଜ୍ଜିବି ଗୋ । କରିଚନ୍ତି ଏହା ହୃଦେ ଭାବି ଏହା ଜାୟା ମନ କେହ୍ନେ ବୁଝିବି ଗୋ । ୧ । ସେ ଦେବାଧିଦେବ ଏ ଜୀବ ବାନ୍ଧବ ସେ ୠଣ କି ସତେ ଶୁଝିବି ଗୋ। ଭାଜିବାକୁ ଜନ ଗରବ ଦମ୍ଭ ସେ ଛଦ୍ମବେଶ ବୋଲି ହେଜିବି ଗୋ । ୨ । ହେବେ ଗଳାହାର ନିଶ୍ଚେ ସେ ମୋହର ହେଳାରେ ତିଳେ ନ ତେଜିବି ଗୋ । ବଇଷ୍ଣବ ଭାଳି ବନଫୁଲ ତୋଳି ସେ ଚାରୁ ଚରଣ ପୂଜିବି ଗୋ । ୩ ।
ମରିବି ସିନା କଲବଲେ–ବୃତ୍ତେ
ଛିଛି ରାଜଜେମା ଏତେ ବାଇ, ବୁଢ଼ାବରେ କିମ୍ବା ହେଲୁ ମୋହି ।
ହୁଡ଼ିଗଲୁ ବୁଦ୍ଧି ପଡ଼ିଗଲୁ ଫାନ୍ଦେ ପଛେ ବୁଝି ହେବୁ ହାଇଁପାଇଁ । ପଦ ।
ମଲା ପାଉଁଶ ଶରୀରେ ବୋଳି, ବସି ବସି ଗଣୁଥାଏ ମାଳି,
ରସିଲୁ କେସନେ ମନମରା ଛବି ହଡ଼ା ବଳଦେ ଯେ ଚଢ଼ୁଥାଇ । ୧ ।
ଡର ମାଡ଼ଇ ଯା ରୂପ ଦେଖି, କେମନ୍ତେ ତା ତୁଲେ ହେବୁ ସୁଖୀ ।
ଛଣା ସାଧୁବାଣୀ ଏକା ବିଛଣାରେ ନିଃଶଙ୍କାରେ ନିଶି ଦେବୁ ପୋହି । ୨ ।
ରସାପତି ଯୋଷା ହୋଇଥିଲେ, ଦାସୀ ଦାସ ଖଟିଥାନ୍ତେ ଭଲେ ।
ସେବନ୍ତେ ଚରଣ ବାରଣଗମନା ପରାଣୁ ଅଧିକ ପାଶେ ରହି । ୩ ।
ନଳିନନୟନା ଆମ୍ଭ ଅଳି, ନିଅ ଥରେ ହୃଦୟରେ କଳି
ଢଳିଗଲା ବନ ତୋଳି କେ ପାରିବ ବହିଯାଏ ବେଳ ଭାଷେ ବଇ । ୪ ।
(ଉଭୟର ପ୍ରସ୍ଥାନ)
କି କହିବି ପୁତନା ମୋ– ବୃତ୍ତେ
ବେଗରେ ଯାଅ ଡଗରେ ଘେନି ମୋ ଆଦେଶରେ
ସଙ୍ଗରେ ନାପିତ ଗଣକକୁ ନେଇଆସ ରେ । ୧ ।
ଦ୍ୱିଜଗଣେ ଘେନି ବିଜେ କରିବି ବେଦିରେ ରେ ।
ସାରିବି ସରବ କର୍ମ ଧରମ ବିଧିରେ ରେ । ୨ ।
ବୃଦ୍ଧ ବୋଲି ଉପହାସ କରନ୍ତି ସକଳେ ।
ବରି ଆଣିଅଛି ବୃଦ୍ଧ ନ କହିବି ତିଳେ । ୩ ।
ଆଜି ଅଟେ କୁମ୍ଭମାସ ଚତୁର୍ଦ୍ଦଶୀ ତିଥି
କୃଷ୍ଣ ପକ୍ଷ ବିପ୍ର ବଇଷ୍ଣବର ଭାରତୀ । ୪ ।
(ରାଜା ଓ ଦୂତର ପ୍ରସ୍ଥାନ)
ରଜାର ଦୂତ ବଜାରେ ଛାଡ଼ୁଛି ଡାକ– ବୃତ୍ତେ
ସ୍ତ୍ରୀ– ଡାକିଗଲା ରଜା ଚାର ଶୁଭୁନାହିଁ କି କାନକୁ ।
ପୁ– ଜାଣୁଚି ମୁଁ ତୋ ସମାନ କିଏ ଚିହ୍ନିବି ମନକୁ । ପଦ ।
ସ୍ତ୍ରୀ– ଥାଉ ସେ ରସିଆ କଥା, ଯାଅ ଘେନି ଗଡୁ ଛତା ।
ପୁ– ଛାଡ଼ିବି କେମନ୍ତେ ମୋର ପାଚଲା ଛାଞ୍ଚି ପାନକୁ । ୧ ।
ସ୍ତ୍ରୀ– ଯା ଯା ଜଗୁଆଳି ରଖି କହିବେ ତୋ ଆଗେ ଡାକି ।
ପୁ– ଆଖିରେ ପକେଇ ଧୂଳି ଚଖେଇ ଦବୁ ଆନକୁ । ୨ ।
ସ୍ତ୍ରୀ– କେତେ କହୁଚୁ ବୁଲେଇ ମାଛ କି ଛାଡ଼େ ବିଲେଇ ।
ପୁ– ତୁଲେଇବୁ ହାନିଲାଭ ନ ମାଡ଼ିବି ଏ ଥାନକୁ । ୩ ।
ସ୍ତ୍ରୀ– ତୋ ବିନା ମୋ ଘର ଦିଅଁ ଅପୂଜା ରହିବେ କହ ।
ପୁ– ଆଗରୁ ତ ପୂଜାହାରି ଡେରିଣ ଥିବେ କାନକୁ । ୪ ।
ସ୍ତ୍ରୀ– ଯାଆ ଅନକୂଳ କରି ପଛରେ ମରିବୁ ଝୁରି ।
ପୁ– ହୋଇଯା ସୁତୁରା ସଫା ବଇ କହି ଏସନକୁ । ୫ ।
ସ୍ତ୍ରୀ– ଆରେ ମୁଁ କ’ଣ ନୁହେଁ ସତୀ ।
ପୁ– ତୋର ତ ଗୋଟିକରୁ ଦିଓଟି ନ ଥିବେ ପତି ।
ସ୍ତ୍ରୀ– ମୁଁ ପୁରାଣ କଥା କହୁଚି ଦ୍ରୌପଦୀ କୁନ୍ତି – ଶାଶୁର ପାଞ୍ଚ ବୋହୂର ପାଞ୍ଚ ସେ ସତୀ ହେଲେ କେମନ୍ତେ ।
ପୁ– ସେ ପରା ବଡ଼ଘର ବୋଲି ଚଳେଇ ନେଲେ ସମସ୍ତେ,
ସ୍ତ୍ରୀ– ତେବେ ସେଇଆ କହ ଆମ ଗରିବଙ୍କୁ ସବୁ ମନା,
ପୁ– ସେ ତ ଭେଲ ମିଶାହୋଇ ବୋଲେଇଲେ ଖାଣ୍ଟି ସୁନା
ସ୍ତ୍ରୀ – ତେବେ ତୁ କିଆଁ ମତେ ବାରିଲୁ,
ପୁ– ତାଙ୍କର ତ କେତେ କେତେ ବାସନ ପଡ଼ିଚି
ତୁ ତ ମୋ ପଥୁରି ଖଣ୍ଡକ ଘୋରିଲୁ,
ସ୍ତ୍ରୀ– କିରେ ମୁଁ ମନକଲେ ନିଇତି ଦେଖିବୁ ନୂଆ,
ପୁ– ତୁମର କ’ଣ ତମାଦି ଅଛି ସେ ତ ଓ୍ୱାସିଲି ବାକି ସିଆ,
ସ୍ତ୍ରୀ– ଯେବେ ଲେଖିପଢ଼ି ଜାଣିଥାନ୍ତୁ ନାଲିସି କରନ୍ତୁ ଚଞ୍ଚଳ,
ପୁ– ଇଲୋ, ମୋର ତ ବେଳସୁଁ କଲମ୍ ଅଚଳ
ସ୍ତ୍ରୀ– ତେବେ ଖାଲି କାହିଁକି ଆବୁରି ବସିଛୁ ଖାତା
ପୁ– ମୋର ପଛେ ବୁଡ଼ିଲେ ବୁଡ଼ୁ, କହିଲେ ତ ସିଆଡୁ ଉଠିବ ଜୋତା ।
(ଉଭୟର ପ୍ରସ୍ଥାନ)
ତା’ ଥେଇ ଥେଇ ଶ୍ୟାମ ତୁମାରେ ନାଚିତେ ହବେ–ବୃତ୍ତେ
ଆସ ଆସ ଦେବବୃନ୍ଦେ କର ବିଭା । ପଦ । ଆସ ବେଦବର ହୁଅ କୁଳ ପୁରୋହିତ, ବରଯାତ୍ରୀ ପଣେ ଆସ ଇନ୍ଦ୍ର ନିଶାନାଥ, ଧନପତି ଆସ ହେ, ବୈଶ୍ୱାନର ରତ୍ନାକର ତପନ ନୈୠତ । ଅଶ୍ୱିନିକୁମାର ମାର ଆହେ ଅଧିସୁତ । ୧ । ହେ ମଙ୍ଗଳ ବୁଧ ବୃହସ୍ପତି ଶନିଶ୍ଚର, ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଏବେ ବିଜେକର, ଆସ ୠଷି କୁଳ ହେ, ଭୃଗୁ ଅଙ୍ଗିରସ ଅତ୍ରି ଗୌତମ କପିଳ, ସଦାନନ୍ଦ ଅଗସ୍ତି ପୌଲସ୍ତି ହୋଇ ମେଳ, ଜନକ ସନକ ଜୟଦେବ ବ୍ୟାସବାଳ । ଶରଭଙ୍ଗ ୠଷ୍ୟଶୃଙ୍ଗ ବଶିଷ୍ଠ ବିଶାଳ, ବିଶ୍ୱାମିତ୍ର ଦୁରୁବାସା ଅହଲ୍ୟା ଦୁଲାଳ, ବଇଷ୍ଣବ ବୋଲେ କାର୍ଯ୍ୟ ଶେଷ କରି ଚଳ । ୨ ।
ବୋଲନ୍ତି ହରି ଶୁଣ ନାଗରି–ବୃତ୍ତେ
ଆସ ହେ ଦେବେ ଯିବା ସରବେ ହର ବିଭାଘର ଦେଖି ।
ହରିବା ଦୁଃଖ ଅରଜି ସୁଖ ପବିତ୍ର ହେବ ଏ ଆଖି । ପଦ ।
ବାମେ ପାର୍ବତୀ, ଚାହିଁ ଦୁର୍ଗତି ଦୂରେ ରହିବ ଉପେକ୍ଷୀ,
ବର କରତା ପଣେ ବସିବି ଶିବଗଣେ ରଖି ସାକ୍ଷୀ । ୧ ।
ଦୁନ୍ଦୁଭି ଧ୍ୱନି ନିଜ ବେଢ଼ିଲା ଭୁବନ ଉଠିବ ଶଙ୍କି,
ସୁର ନଗରୀ ନାଗରୀଗଣେ ଗାଇବେ ସଙ୍ଗୀତ ଟେକି । ୨ ।
ଚାମର ଛତ୍ର ଆଲଟ ଗୋତ୍ର ଅମରେ ଧରିବ ଟେକି,
ଫେରିବା ଶେଷ ଚିତ୍ତ ଉଲ୍ଲାସେ ଭାଷେ ବଇଷ୍ଣବ ଦୁଃଖୀ । ୩ ।
ଶିବ– ଆସ ଆସ ବସ ଏଥି ଧାତା ।
ବ୍ରହ୍ମା– ଏ ବେଶ କିମ୍ପାଇଁ ଆଜି ଭାଷ ଊର୍ଦ୍ଧ୍ୱରେତା ।
ଶିବ– ବିଡିବାକୁ ଜନମନ ଏହି ଜରା ବେଶ ।
ବ୍ରହ୍ମା– ତେଜନ୍ତୁ ଏ ବେଶ ଶିବ କାର୍ଯ୍ୟ ହେବ ଶେଷ ।
ଶିବ– ଥିଲେ ଏହି ଛଦ୍ମରୂପ ହେବ କିବା କ୍ଷତି ।
ବ୍ରହ୍ମା– ସୁନ୍ଦର ଦିଶିବେ ନାହିଁ ତବ ବାମରେ ପାର୍ବତୀ ।
ଶିବ– ତେଜ୍ୟାକଲି ଜରାରୂପ କର ବିଭାକାର୍ଯ୍ୟ ।
ବ୍ରହ୍ମା– ଆସିଲେଣି ଏଠାକୁ ସମ୍ଭର୍ବେ ଗିରିରାଜ ।
ପର୍ବତ– ନମୋ ନମୋ ବିଧିତୁଲେ ଅମର ମଣ୍ଡଳି ।
ବ୍ରହ୍ମା– ନମସ୍ତେ ପର୍ବତ, ନାହିଁ ତବଠାରୁ କେହି ଭାଗ୍ୟବାନ ବଳି ।
ପର୍ବତ– କାହିଁ ପାଇଁ ଏତେ ମୋତେ ଶ୍ରେଷ୍ଠ ମନେକର ।
ବ୍ରହ୍ମା– ଯାହାଙ୍କ ଜାମାତା ନିଜେ ଦେବଦେବ ହର ।
ପର୍ବତ– ଆସ ଦେବଗଣେ ଘେରି ବସିବ ବେଦିରେ ।
ବ୍ରହ୍ମା– ବିଜେକର କନ୍ୟା ପିତା ଶିବ ସନ୍ନଧିରେ । (ସୁବେଦୀରେ)
ପର୍ବତ– ହରେଷରେ ବିଭାକର୍ମ ଶେଷ କର ଦେବେ ।
ବ୍ରହ୍ମା– ମହାନନ୍ଦେ ନୃତ୍ୟ ରଙ୍ଗେ ମାତ ହେ ଗନ୍ଧର୍ବେ ।
ଚାଲିଲେ ରାଧିକା ଲଲିତା ବିଶାଖା–ବୃତ୍ତେ
ମଧୁର ବସନ୍ତେ ମଧୁର ମିଳନ ଆହା କି ବିଧିରେ ସାଜେ ।
ମଧୁପ ଗୁଞ୍ଜନ ମଧୁମୟ ତାନ ସଧୀରେ ସଧୀରେ ରାଜେ । ପଦ ।
ବିଧୁ ଶିଖର ଅଙ୍ଗରେ ନେଇ ଖରେ ବୋଳ ସଖି ବିଧୁ ରଜେ ।
ମଧୁର ଭାଷିଣୀ ଶଙ୍କର ଘରଣୀ ହର ବାମରେ ବିରାଜେ । ୧ ।
ଗିରିରାଜପୁରୀ ପୂରିଚି ଉଲ୍ଲାସେ ତୂରୀ ଭେରୀ ଘଣ୍ଟା ବାଜେ ।
ତର ଭବସିନ୍ଧୁ ଭବାନୀ ସୁମରି କବି ସେ ପୟରେ ଭଜେ । ୨ ।
ବିଭାକର୍ମ ସମାପ୍ତ, ଶଙ୍ଖ ହୁଳହୁଳି ଧ୍ୱନି,
ବର କନ୍ୟାକୁ ଘରକୁ ଘେନି ନାରୀଗଣେ ପ୍ରସ୍ଥାନ ।
ପୋଡ଼ିଯାଉ ରେ ପୋଡ଼ା ଚାକିରି ନିଶା– ବୃତ୍ତେ
ପୁରୁଷ– ମାନ ନାନୀ ଲୋ ମନ ହଉଚି ଘାଣ୍ଟି ।
ସ୍ତ୍ରୀ– କାହିଁକି ତୋ ତାନ ଉଠୁଚି ମିଛେ ରେ ଦିଅନ୍ତି ଖଣ୍ଡିଆ କାନକୁ କାଟି । ପଦ ।
ପୁ– ବାହା ପୁଣି ଏମିତି ହୁଏ, ମିଳିଗଲା ଯାହାକୁ ଯିଏ ।
ସ୍ତ୍ରୀ– ଗୁଲିଖିଆ ବାଘପରି କନକନ ହେଲେ କି ସୁଆଦ ହେବ ରେ ପାଟି । ୧ ।
ପୁ– କଥା ଯେବେ ଯାଆନ୍ତୁ ମାନି, ନ ହୁଅନ୍ତା କାହରି ହାନି ।
ସ୍ତ୍ରୀ– କହନି କି କଥା କହିବୁ ଚୁଲିଆ ଏକଥା କହିଲେ ଚିପିବି ତଣ୍ଟି । ୨ ।
ପୁ– ତୁଉ ମୁଉଁ ଦ୍ୱିତୀୟ ହବା, ଜାତିଭାତ ଜାତିଙ୍କି ଦେବା ।
ସ୍ତ୍ରୀ– ଏଇଥି ପେଇଁକି ସୁତୁରଉଥିଲୁ ପତୁରି ସୁନା କି ହବରେ ମାଟି । ୩ ।
ପୁ– ମୁଉଁ କ’ଣ ନାକରା ପିଲା, ଥରେ ନେଇ ପରଖ ଭଲା ।
ସ୍ତ୍ରୀ– ତୋ ବାପ ମୋ ପାପ ସଇ ହୋଇଥିଲେ ଭାଇ ଭଉଣୀର ସଉଦା ଏଟି । ୪ ।
ପୁ– ଆଜିକାଲି କାଇଦା ନାହିଁ, ମନ ରାଜି ଯାର ଯା ଠେଇଁ ।
ସ୍ତ୍ରୀ– ସେଇଥି ପେଇଁକି ଜର ବାଧକରେ ମରୁଛନ୍ତି ପାପ ଯାଉଚି ଘୋଟି । ୫ ।
ପୁ– ମୋର ଖାଲି ଜଗିବୁ ଘର, ସବୁକାମ ଚଳିବ ତୋର ।
ସ୍ତ୍ରୀ– ଏଇଖିଣି ଖାଲି କଥାରେ କହୁଚୁ ହାତରେ ପାଇଲେ ଝିଙ୍କିବୁ ଚୁଟି । ୬ ।
ପୁ– ଆଗେ ମତେ କରା ହଲପ, ପରେ ଫିଟେଇବୁ କୋଲପ ।
ସ୍ତ୍ରୀ– ବଇଆ ବୋଲେ ରେ ଚାଆଲେ ଚୁଲିଆ ରଜାଘରେ ମିଳି କରିବା ବେଠି । ୭ ।
ପୁ– ଆଲୋ ନାନି, ସେ ବୁଢ଼ାବରକୁ ଆମ ରଜାଝୁଅ ରାଜିହେଲା କେମନ୍ତେ ?
ସ୍ତ୍ରୀ– ସେ କ’ଣ ବାହାବେଳେ ଦିଶୁଥିଲା କିରେ ସେମନ୍ତେ ।
ପୁ– ସେ କ’ଣ ଫେରେ ହୋଇଗଲା ଗୋଟା ଟୋକା ।
ସ୍ତ୍ରୀ– ଯେ କାଲି ଦେଖିଥିଲେ ସେ ଆଜି ଦେଖି ହୋଇଗଲେ ବକା ।
ପୁ– ତେବେ ମୁଁ କ’ଣ ହୋଇଯିବି ନାହିଁ ଆଚ୍ଛା ।
ସ୍ତ୍ରୀ– ତୋର ତ ଠିକ୍ନାହିଁ କିଏ ଆଗା କିଏ ପିଛା ।
ପୁ– ତେବେ ତ ମୁଁ ଶାଳଗିରାମ ତୁ ପାଦୁକ ପାଇବୁ ଧୋଇ ।
ସ୍ତ୍ରୀ– ସେ ପରା ଠାକୁରରେ ଏଇଠି ଅଛି ଖେଳହବ ବୋହୂ ବନ୍ଦାଇବେ ଯାଇ ।
ପୁ– ନାନୀ ଶାଳଗିରାମ ପରା ସେଇଆ ।
ସ୍ତ୍ରୀ– ଥଟା କରୁଚୁ ଖଣ୍ଡିଆ ଠାଇଁଆ ।
ପୁ– ଆଲୋ ଠାଇଁଆ ପରା ଆମରି ପରିକା ମରଦ ।
ସ୍ତ୍ରୀ– ହଁ, ଯିଏ ଗୋଟା ମାଇପ ଖାଇ ଆଉ ଗୋଟା ରାଣ୍ଡ ନେଇ କରନ୍ତି ସଂସାର ବରାଦ ।
ପୁ– ସେ ମରଦ ତ ଖାଆନ୍ତି ହାତରେ ।
ସ୍ତ୍ରୀ– ହଁ ଟିକିଏ ଫରକ, ପିଣ୍ଡ ଶିରାଧରେ ବାହାସାଦିରେ ବସିଥାନ୍ତି ବାରି ଭିତରେ ।
ପୁ– ହେ ମାନ ନାନୀ ମୁଁ ଆଉ ହେବି ନାହିଁ ତତେ ଠାଇଁ ।
ସ୍ତ୍ରୀ– ଚାଆଲେ ରେ ଚୋର, ମୁଁ ତ ତତେ ଠାଇଁ ହବାକୁ ହେଉଅଛି ହାଇଁପାଇଁ ।
(ଉଭୟ ପ୍ରସ୍ଥାନ)
(ଶାଶୁ ଗୋ ମୋତେ ଡାକୁଥା କେଣେ– ବୃତ୍ତେ)
ଆସ ଗୋ ରାସରଙ୍ଗିନୀକୁଳ, ବନ୍ଦାଇବା ଝିଅ ଜୋଇଁ, ଦୁଇ ଜଣେ ବେଗହୋଇ ଚଳ, ଯାଉଛି ବେଳ । ପଦ । ହାସ ପରିହାସେ ତାହାଙ୍କ ସଙ୍ଗରେ ଅଛ ଖେଳକାଳେ ହରିବା କାଳ । ବାନ୍ଧନ୍ତେ ମୁକୁଟ ଟାଣିଦେବା; ମଣିବେ ନାହିଁ ସେ ବାଣୀକି ଛଳ । ୧। କରେ ବରାଟକ ଦେବା ଗୋ ହାଟକ ବରନା ଯେ ଭୁଜେ ଭୁଜଙ୍ଗ ବଳ କାମୁଡ଼ିବେ କାଳେ ମାଡ଼ୁଅଛି ଡର କରିବା କି ବୁଦ୍ଧି କହ ଚଞ୍ଚଳ ।୨। ମଡ଼ା ଶାର୍ଦ୍ଦୂଳର ଚମଡ଼ା କଟିରେ ବେଢ଼ାଇଚି ଗଳେ ହାଡ଼ରମାଳ । ଖଡ଼ର ଖଡ଼ର ବାଜିବ ଚାଲନ୍ତେ କାଲି କେତେ ସେ ତ ନ କଲେ ଖେଳ । ୩ । କାହିଁ ରଖିଥିଲେ ନବଯୁବା ରୂପ ନିରେଖନ୍ତେ ନାରୀ ହେବେଟି ଭୋଳ । ତେଜି ଜାତି ପତି ଭଜିବେ ସେ ପଦେ ବଇ ବୋଲେ ନାରୀ ନାଶ ନ କଲ । ୪ ।
(ଆଜି ଫୋପାଡ଼ି ଦେବି ଏ ମୃଗ ଛାଲକୁ ତ–ବୃତ୍ତେ)
ଆଜି ଲାଜ ଦେବି ରାଜବଧୂଗଣଙ୍କୁ ମୁଁ । ନ ଛାଡ଼ିବି ତହୁଁ ଏକ ଜଣକୁ ମୁଁ । ପଦ । ଧରି ବନ୍ଦାପନା ଥାଳି, ବନ୍ଦାନ୍ତେ ସେ ଠାବେ ବାଳୀ, ରଖିବିନାହିଁ କାହାର ଟାଣକୁ ମୁଁ । ୧ ।
ବେଗେ ଏକ ଭେକ ନେଇଁ ତହିଁ ମଧ୍ୟେ ଥୋଇବଇଁ,
ଛୁଟିବେ ଭୁଜଙ୍ଗ ଟେକି ଫେଣକୁ ମୁଁ । ୨ ।
ହର ହୁଅନ୍ତେ ଲଙ୍ଗଳା, ଡରେ ପଳାଇବେ ବାଳା,
ମାର ପ୍ରହାରିବ ପଞ୍ଚବାଣକୁ ମୁଁ । ୩ ।
ଶୁଭିଲାଣି ହୁଳହୁଳୀ, ଏ ସମୟେ ଯିବି ଚଳି,
ବଇ ବୋଲେ ସେବି ଶିବଗଣଙ୍କୁ ମୁଁ । ୪ ।
କେଡ଼େ ଛନ୍ଦ ଜାଣେ ନନ୍ଦ ବେଟାଟା ଲୋ ମା– ବୃତ୍ତେ
ଏଡ଼େ ହଟହଟା କାହୁଁ ଆସି କରିଲା ଏ ବେଙ୍ଗୁଟା ଲୋ ମା । ଛୁଟିଆସନ୍ତେ ମୋ ଆଗକୁ ନାଗୁଟା, ହଟି ଦେଖିଲି ମୁଁ ଢଙ୍ଗୁଟା ଲୋ ମା। ପଦ । ଦଉଡ଼ି ଆସନ୍ତେ ଉଡ଼ିଯାଇ ବାସ ଦିଶିଗଲା ମୋର ଜଙ୍ଘୁଟା ଲୋ ମା । ତଳେ ପଡୁ ପଡୁ ଧରିପକାଇଲି ଥର ଥର ଥରେ ଅଙ୍ଗୁଟା ଲୋ ମା । ୧ । ପଥରେ ପଥର ଝୁଣ୍ଟିବାରୁ ମୋର ନ ଦିଶିଲା କେଉଁ ଦିଗୁଟା ଲୋ ମା । ଲଭିଲି ଯେ ଲାଜ ଭାବୁଚି ଚିତ୍ତରେ ଲିଭିବ ନାହିଁ ସେ ଦାଗୁଟା ଲୋ ମା । ୨ । ଦଂଶିଲା ସମାନ ହେଲା ଅନୁମାନ ମାଛକୁ ଯେସନେ ବଗୁଟା ଲୋ ମା । କାହା ମୁହଁ ଚାହିଁ ଘରୁ ବାହାରିଲି ବଇ କହି ଦୁରୁଯୋଗୁଟା ଲୋ ମା । ୩ ।
(ରାଜବଧୂଙ୍କର ପ୍ରସ୍ଥାନ)
ରଜା ଦିଅ ତୋର ଝିଅକୁ– ବୃତ୍ତେ
ବାବା ମଠକୁ ଯିବା ଚାଲ । ବଢ଼ିଲାଣି ପାଠ, ଫୁଟିଲାଣି ପେଟ, ଖାଇ ତୋ ବାହା ମାଲ । ପଦ । ଛାଡ଼ିଲେଣି ରଡ଼ି ଏଣେ ଷେଣ୍ଢୁଟା, ଦେଖିଲି ଠାରୁଛି ଝାଡ଼ି ମୁଣ୍ଡଟା । ନେଇ ନୂଆ ମା’ ଚଢ଼ ତା’ ଉପରେ ବିଛେଇ ବାଘଛାଲ । ୧ । ହୋଇଥିଲେ ସିନା ମଶାଣି ଭୂଇଁ, ଲାଗୁଥାନ୍ତା ଭଲ ରହିବାପାଇଁ । ରାବୁଥାନ୍ତେ ଯେବେ ଶିବା ଶ୍ୱାନ ଗୃଧ୍ର ବୁଲିଣ ପଲ ପଲ । ୨ । ମାଳ ମାଳ ନର ଶିର କଙ୍କାଳ, ଜଳୁଥାନ୍ତା ଚିତ୍ତା ବର୍ଜିତ ଚେଳ । ଥାନ୍ତା ନିକଟେ ଭଷ୍ମ ରାଶି ରାଶି ସେ ତହିଁ ସମତୁଲ । ୩ । କୋଠା ବାଡ଼ି ଖଟ ପାଟ ବିଛଣା, ଦେଖି ଏଗୁଡ଼ାକ ହେଲିଣି ବଣା । ଜଣା ଯାଉନାହିଁ କଇଳାସ ସମ ଶ୍ୱଶୁର ଘର ଭଲ । ୪ ।
ଦିଅ ଦିଅ ନନ୍ଦରାଣୀ ଗୋ– ବୃତ୍ତେ
କହ ନନ୍ଦି ଯାଇ ରାଜାକୁ କଇଳାସେ ଯିବା କରୁ ମେଲାଣି । ଭୂତ ପ୍ରେତ ପଲ ହେଲେ କଲବଲ ବହୁକାଳ ବେଳ ବହିଗଲାଣି । ପଦ। ଲୋଡ଼ାନାହିଁ ଭାର ବେଭାର, କିସ ହେବ ସେ ତ ଆମ୍ଭର । ଶିବର ସମ୍ବଳ, ଏକା ଥାଳ ମାଳ, ଜୀବର ଜୀବନ ତା’ର ଦୁଲଣୀ । ୧ । ଘର ନାହିଁ ଶ୍ମଶାନେ ବାସ, ଦାସ ଦାସୀ ହେବ ରେ କିସ । ଥାନ ନାହିଁ କାହିଁ ଧନ ରଖିବାକୁ, ଅରୁଆ ଅକ୍ଷତ ମନ ଭୁଲାଣି । ୨ । ଗଜ ଅଶ୍ୱ ଜୀବିକା ଗାଡ଼ି, ଯାଉଁନାହୁଁ ତହିଁରେ ଚଢ଼ି । ବହିବ ବୃଷଭ ପୃଷ୍ଠେ ଶିବାଶିବ ଭାଷେ ବଇଷ୍ଣବ ବାଟ ବୁଲାଣି । ୩ ।
ସେ ପ୍ରଚଣ୍ଡ କଂସ ଉଣ୍ଡାଳିଣ ନିଶ– ବୃତ୍ତେ
ମଠକୁ ଯିବାକୁ କହିଲା ତୋ ଜୋଇଁ ଝଟ କରି ବିଦାକର ଅଜା । ନେବ ନାହିଁ ଭାର ବେଭାର ଆବର ହେବନାହିଁ କିଛି ସାଜ ସଜା ।୧। ବୃଷଭ ଉପରେ ବସି ଯିବ ମା ଖାଲି ତ ନଯିବ ଖାଲି ତଳେ ହାଡ଼ ସମାନ ଦିଶିବ ବିରାଜନ୍ତେ ସେ ତ ଚୂଳ ମୂଳେ । ୨ । ଭୂତ ଗମିବେ ଗହନେ ନରମୁଣ୍ଡ କରତାଳି ଧରି । ବଜାଇବେ ବାଜା ମଜାରେ ପୂରି ଉଠିବ ଏ ଦିଗ ଚାରି । ୩ । ଜୟ ହର ଜୟ ହର ବଂ ବଂ ବଂ ଶବଦେ କାନ୍ଦିବ ପୁର ତିନି । ବଇଷ୍ଣବ ଭାବେ ହର ବିଭା ଦେଖି ହରଷେ ମାତିବେ ସୁର ମୁନି । ୪ ।
ସଙ୍ଗିନୀରେ ମନେ ପଡ଼ୁଛି ମୋର– ବୃତ୍ତେ
ପାସୋରି ଦେବ ନାହିଁ, ସଖିଏ ମୋତେ । ମନେରଖିଥିବ ଅନୁବରତେ । ପଦ । ବାଳିକା ବେଳ, ଦାଣ୍ଡର ଖେଳ, ମାଳିକା ହୋଇଥିଲା ରହିଲା ଏଥେ । ୧ । ସେ ଫୁଲ ତୋଳା, ଗଲା ଛଇଳା, ଗାଉଥିଲେ । ସଙ୍ଗୀତ ନାନାଇଙ୍ଗିତେ । ୨ । ନାରୀ ଜନମ, ପୋଡ଼ା କରମ, ପର ଅଧୀନ ପରା ପାଞ୍ଚ ଗୋ ଚିତ୍ତେ । ୩ । ଭୁଲିବ ନାହିଁ, ଗଲି ଜଣାଇ, ରାଣ ଦେଉଚି ବଇ କହି ଏ ଗୀତେ । ୪ ।
ବହୁ ଦିନ ପରେ ଯାଇଛି ହେ ଦେଖା–ବୃତ୍ତେ
ଦେବ ତ୍ରିଲୋଚନ, ଘେନ ମୋ ବଚନ, ମାଗିଅଛି ଦାସ ଦୋଷକୁ ହେ । କ୍ଷମା ଦେବ ଜେମା କଲେ ଅପରାଧ ନ ବହିବ କେଭେ ରୋଷକୁ ହେବ । ପଦ । ପିଲାଦିନୁ ଗେହ୍ଲା, ହୋଇ ବଢ଼ୁଥିଲା, ମାନି ନାହିଁ କାହା ବତ୍ସକୁ ହେ । ଥିଲା ରାଜ ଆଳେ, ଲାଜ ଭୟ ତିଳେ, ଗ୍ରାସିନାହିଁ ଅଙ୍ଗ ଦେଶକୁ ହେ । ୧ । ସ୍ନେହ ପିତୁଳାକୁ, ଦେଲି ତବକରେ ଶୂନ୍ୟକରି ହୃଦ ଦେଶକୁ ହେ । ପୂର୍ଣ୍ଣକର ହର, ମାନସ ମୋହର, ରଖାଅ କ୍ଷିତିରେ ଯଶକୁ ହେ । ୨ । କଇଳାସପୁର, ଆଜହୁଁ ମୋହର, ଜଣାଇଲି ଅବଶେଷକୁ ହେ । ଏହି ହିମାଳୟ, ତୁମ୍ଭର ଆଳୟ, ବଇଷ୍ଣବ ରଚେ ରସକୁ ହେ । ୩ ।