(ଆନୁମାନିକ ସପ୍ତଦଶ ଶତାବ୍ଦୀର କବି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିକଟବର୍ତ୍ତୀ ଅଶୋକ ଖୋଲ କବିଙ୍କର ଜନ୍ମସ୍ଥାନ ବୋଲି ଅେନକ ମତ ଦିଅନ୍ତି । କେହି କେହି ତାଙ୍କୁ ବଜରି ଦାସ ଭାବେ ଆଖ୍ୟାୟିତ କରିଥା’ନ୍ତି । ସେ ଜୟଦେବଙ୍କ ‘ଶ୍ରୀଗୀତଗୋବିନ୍ଦ’କୁ ସରଳ ନବାକ୍ଷରୀ ବୃତ୍ତରେ ଅନୁବାଦନ କରିଛନ୍ତି । ଏହାର ନାଁ ‘ଅର୍ଥ ଗୋବିନ୍ଦ’ । କବିଙ୍କ ଦ୍ୱାରା ରଚିତ ଉକ୍ତ ଚଉତିଶାଟି ସାମାଜିକ ଭାବଧାରା ଉପରେ ଅଧାରିତ । ସଂସାରରେ ଭଲ କ’ଣ, ମନ୍ଦ କ’ଣ- ତାହାକୁ ସେ ପ୍ରଶ୍ନୋତ୍ତର ଛଳରେ ଏଠାରେ ସୁନ୍ଦରଭାବେ ଦର୍ଶାଇଛନ୍ତି । ଏହା ଏକ ଉପାଦେୟ ଚଉତିଶା ।)
ଭଲ, କେ ? କୃଷ୍ଣନାମେ ପୀରତି,
କବି କଲା କୀରତି
କାମଦେବ ମୂରତି
କମଳା ଯୁବତୀ, ସଖୀ ଭଲ ଏ
ମନ୍ଦ କେ ? କୁଥାନେ ବାସ,
କାନ୍ଧ ନଥାଇ ଚାଷ
କଳହ ମନୁଷ,
କଦଳୀ କଷ ସଖୀ ମନ୍ଦ ଏ ।୧।
ଭଲ, କେ ? ଖଣ୍ଡା ପାଇଲା ପାଇକ,
ଖଡ଼ିରେ ଜିତିଲା ନାୟକ,
ଖେଦରେ ଜିତିଲା ଲୋକ
ଖଗପତି ସେବକ ସଖୀ ଭଲ ଏ
ମନ୍ଦ କେ ? କ୍ଷୁଧା ନପାଇ ଭୋଜନ
ଖରାବେଳେ ଗମନ
ଖଟ ନଥାଇ ଶୟନ
ଖଳ ଲୋକ ବଚନ ସଖୀ ମନ୍ଦ ଏ ।୨।
ଭଲ, କେ ? ଗଙ୍ଗାରେ ଦାହିବା
ଗୀତ ଗୋବିନ୍ଦ ଗାଇବା
ଗୟାରେ ପିଣ୍ଡଦେବା
ଗରୁଡ଼ ପଛରେ ଚାହିବା ସଖୀ ଭଲ ଏ
ମନ୍ଦ କେ ? ଗୁଣ ନଥିଲା ପୁରୁଷ
ବନ୍ଧ ନଥିଲା ପୁଷ୍ପ
ଗୋରୁ ନଥିଲା ଦେଶ
ଗୁରୁଚରଣେ ଅବିଶ୍ୱାସ ସଖୀ ମନ୍ଦ ଏ ।୩।
ଭଲ, କେ ? ଘୋଷ ଯାତ୍ରା ଦର୍ଶନ
ଘର ଜଗେମାହନ
ଘଟ ଚିନ୍ତିଲା ଜ୍ଞାନ
ଘୃତ ଘେନି ଭୋଜନ ସଖୀ ଭଲ ଏ
ମନ୍ଦ କେ ? ଘଟ ଆବୁରା ପଣ
ଘରଣୀ ଚାଟୁଆ ଜଣ
ଘର ଯୁଆଁଇଆ ଯେବଣ
ଘାଉଆ କଷଣ ସଖୀ ମନ୍ଦ ଏ ।୪।
ଭଲ, କେ ? ନାରାୟଣ ଦାସ
ନୃପତି ପାଶ
ନଦୀତଟେ ବାସ
ନବୀନ ବୟସ ସଖୀ ଭଲ ଏ
ମନ୍ଦ କେ ? ନିଶାକାଳେ ଗମନ
ନିଶି ପ୍ରଭାତେ ଶୟନ
ଲୁଣ ନଥିଲା ଡିଉଣ
ସଖୀ ମନ୍ଦ ଏ ।୫।
ଭାବାର୍ଥ- (୧-୫) ସଂସାରରେ ଭଲ କିଏ ଓ ମନ୍ଦ କିଏ ବା ଭଲ କ’ଣ, ମନ୍ଦ କ’ଣ କବି ଏଠାରେ ସୁଚେଇଛନ୍ତି । କୃଷ୍ଣଙ୍କ ନାମର ମାହାତ୍ମ୍ୟ, ପ୍ରୀତିଭାବ କବିଙ୍କ କୀର୍ତ୍ତିରାଜି, କାମଦେବମୂର୍ତ୍ତି, ଲକ୍ଷ୍ମୀ-ଏ ସବୁ ଭଲ । ରେ ସଖୀ, ସଂସାରରେ ମନ୍ଦ କଥା ହେଲା-ଖରାପ ସ୍ଥାନରେ ବାସ କରିବା । ବଳଦ କାନ୍ଧ, ଲଙ୍ଗଳ ପ୍ରଭୃତି ନଥାଇ ଚାଷ, କଦଳୀ କଷ ଓ କଳହ ପ୍ରିୟ ମନୁଷ୍ୟ । ପୁଣି ଭଲ ମଧ୍ୟରେ ରହିଛି-ଯେଉଁ ପାଇକ ଝଣ୍ଡା ପାଇଥାଏ, ଦୁଃଖକୁ ଜିଣିବା ଲୋକ, ବିଷ୍ଣୁଙ୍କ ସେବକ । ମନ୍ଦ ହେଲା- ଭୋକ ନଥାଇ ଖାଇବା, ଖରାରେ ଯିବା, ବିନା ଖଟରେ ଶୋଇବା ଓ ଖଳ ଲୋକର କଥା । ଭଲ-ଗଙ୍ଗାରେ ସ୍ନାନ, ଗୀତେଗାବିନ୍ଦ ଗାନ, ଗୟାରେ ପିଣ୍ଡଦେବା ଓ ଗରୁଡ଼ ପଛରେ ରହି ପ୍ରଭୁଙ୍କୁ ଚାହିଁବା । ମନ୍ଦ-ଗୁଣ ବିହୀନ ମନ୍ୟୁଷ, ଗନ୍ଧ ନଥିବା ଫୁଲ, ଗୋରୁ ନଥିଲା ଦେଶ, ଗୁରୁଙ୍କ ପାଖରେ ଅବିଶ୍ୱାସୀ ।
ରେ ସଖୀ ଭଲ ମଧ୍ୟରେ ରହିଛି- ଘୋଷ ଯାତ୍ରା ଦର୍ଶନ, ଜଗମୋହନରେ ଘର, ଘଟକୁ ଚିନ୍ତୁଥିବା ଜ୍ଞାନ ଓ ଘିଅମିଶା ଭୋଜନ । ମନ୍ଦ ମଧ୍ୟରେ ରହିଛି-ସ୍ତ୍ରୀର ବୋଲକରା, ଘରଜ୍ୱାଇଁ ଓ ଘାଉଆ (କ୍ଷତ) କଷ୍ଟ । ଭଲ-ଭଗବାନଙ୍କ ଦାସ, ରାଜାଙ୍କ ପାଖରେ ରହିବା, ନଦୀତଟରେ ବାସ ଓ ନବୀନ ବୟସ । ମନ୍ଦ ମଧ୍ୟରେ ରହିଛି- ରାତିରେ ଯାତ୍ରା, ସକାଳ ସମୟରେ ଶୟନ ଓ ଲୁଣ ବିହୀନ ଭୋଜନ।
ଭଲ କେ ? ଚନ୍ଦ୍ରକିରଣେ ବସିବା
ଚତୁରୀ ସଙ୍ଗେ ହସିବା
ଚୁଆ ଚନ୍ଦନ ଘଷିବା
ଚକ୍ରଧରେ ରସିବା ସଖୀ ଭଲ ଏ
ମନ୍ଦ କେ ? ଚନ୍ଦ୍ର ନଥିଲା ରାତି,
ଚୁନ ନଥିଲା ଜଗତୀ
ଚୋରୀ କଲା ରତି
ଚକ୍ରଧରରେ ଅକୀର୍ତ୍ତି ସଖୀ ମନ୍ଦ ଏ ।୬।
ଭଲ କେ ? କ୍ଷେତ୍ରରେ ବାସ
କ୍ଷମାଶୀଳ ପୁରୁଷ
କ୍ଷୁଧାର୍ତ୍ତୀ ଜନେ ଗ୍ରାସ
କ୍ଷତ୍ରୀ ବହନ୍ତା ରୋଷ ସଖୀ ଭଲ ଏ
ମନ୍ଦ କେ ? ଛେଚିଲା ଗୁଆ ଖାଇବା
ଛତା ଦୋଷର ଛାଇବା
ଛୋଟ ଗୋଡ଼େ ଚାଲିବା
ସଖୀ ମନ୍ଦ ଏ ।୭।
ଭଲ କେ ? ଜଗନ୍ନାଥଙ୍କୁ ସେବା
ଯାଚି ଦାନ ଦେବା
ଯଜ୍ଞ କରିବା
ଯୁଦ୍ଧରେ ଜିଣିବା ସଖୀ ଭଲ ଏ
ମନ୍ଦ କେ ? ଜଳହୀନ ପୋଖରୀ
ଯୌବନ ହୀନା ସ୍ତିରୀ
ଯାନହୀନ ସୁଆରୀ
ଜନ୍ମହୁଁ ଭିକାରି ସଖୀ ମନ୍ଦ ଏ ।୮।
ଭଲ କେ ? ଝରିଲା ସୁବର୍ଣ୍ଣ
ଝୋଲା ସାହବସନ
ଝାଡ଼ ବୃନ୍ଦାବନ
ଝିଅ କନ୍ୟାଦାନ ସଖୀ ଭଲ ଏ
ମନ୍ଦ କେ ? ଝଗଡ଼ା ବେଳେ ଶୟନ
ଝଡ଼ ବେଳେ ଗମନ
ଝରିଲା ନୟନ
ଝାଙ୍କିଲା ପବନ ସଖୀ ମନ୍ଦ ଏ ।୯।
ଭଲ, କେ ନିଗମ ସ୍ଥାନେ ବସିବା
ନାରାୟଣ ଘୋଷିବା
ନଥିଲା ଲୋକକୁ ଦେବା
ନିରନ୍ତର ସେବା ସଖୀ ଭଲ ଏ
ମନ୍ଦ କେ ? ଲୁଣି ନଈର ପାଣି
ନିମକହରାମୀ ପ୍ରାଣୀ
ନିରାଶ ବଚନ ଜାଣି
ନବୁଝି ହୁଅନ୍ତି ଟାଣି ସଖୀ ମନ୍ଦ ଏ ।୧୦।
ଭଲ କେ ? ଟାଣ ଲୋକ ପାଶ
ଟେକିଲା ନିଶ
ଟଙ୍କଧରେ ବିଶ୍ୱାସ
ଟେକି କହିବ ଦେଶ ସଖୀ ଭଲ ଏ
ମନ୍ଦ କେ ? ଟାକି ଶୋଇଲା ବାଳୀ
ଟାଙ୍କ ଦହିଲା କାଳୀ
ଟାକୁଆଗାଲି ବାଳୀ
ଟୁକୁ ଟୁକିଆମାଳି ସଖୀ ମନ୍ଦ ଏ ।୧୧।
ଭଲ କେ ? ଠାକୁରାଣୀଙ୍କ ଠଣ
ଠାକୁରାଣୀଙ୍କ ଗୁଣ
ଠିଆହେବା ଲାଗି ଭବନ
ଠାଠିକ ବଚନ ସଖୀ ଭଲ ଏ
ମନ୍ଦ କେ ? ଠାପୁଆ ସେବକ
ଠକ ଭଣ୍ଡଲୋକ
ଠେକ ନଥାଇ ନାକ
ଠେକି ଆଞ୍ଚୁଆ ଲୋକ ସଖୀ ମନ୍ଦଏ ।୧୨।
ଭାବାର୍ଥ- (୬-୧୨)ରେ ସଖୀ ସଂସାରରେ ଭଲ ବିଷୟ ହେଲା-ଚନ୍ଦ୍ର କିରଣରେ ବସିବା, ଚତୁରୀ ସଙ୍ଗେ ହସିବା, ଦେହରେ ଚୁଆଚନ୍ଦନ ଘଷିବା ଓ ଚକ୍ରଧାରୀ ଶ୍ରୀକୃଷ୍ଣଙ୍କ ଆରାଧନା କରିବା । ମନ୍ଦ ମଧ୍ୟରେ ରହିଛି-ଚନ୍ଦ୍ରବିହୀନ ରାତି, ଚୁନ ନ ଲାଗିଥିବା କୋଠାଘର, ଚୋରା ପୀରତି ଓ ଭଗବାନଙ୍କ ପାଖରେ ଅକୀର୍ତ୍ତି ଭାବ ଆଚରଣ କରିବା । ପୁଣି ଭଲ କଥା ହେଲା-ଶ୍ରୀକ୍ଷେତ୍ରରେ ବାସ, କ୍ଷମାଶୀଳ ପୁରୁଷଙ୍କ ସାନ୍ନିଧ୍ୟ, ଭୋକିଲା ଲଷାକଙ୍କୁ ଅନ୍ନଦାନ ଓ କ୍ଷତ୍ରିୟ ପାଖରେ ରୋଷ । ମନ୍ଦ ମଧ୍ୟରେ ରହିଛି-ଛେଚିଲା ଗୁଆ ଖାଇବା, ଛୋଟ ଗୋଡ଼ରେ ଚାଲିବା । ରେ ସଖୀ, ସଂସାରରେ ଥିବା ଭଲ କଥା ହେଲା-ପ୍ରଭୁ ଜଗନ୍ନାଥଙ୍କ ସେବା, ଯାଚିକରି ଦାନ ଦେବା, ଯଜ୍ଞ କରିବା ଓ ଯୁଦ୍ଧରେ ଜିଣିବା । ସେହିଭଳି ମନ୍ଦ ହେଲା- ଜଳବିହୀନ ପୋଖରୀ, ଯାନହୀନ ସୁଆରୀଓ ଜନ୍ମରୁ ଭିକାରି । ଭଲ ମନ୍ଦ ମଧ୍ୟରେ ଯେଉଁସବୁ ପଦାର୍ଥ ରହିଛି, ସେ ଗୁଡ଼ିକ ହେଲା-ଉତ୍ତମ ସୁବର୍ଣ୍ଣ, ଶୁଦ୍ଧ ବସନ, ବୃନ୍ଦାମନ ଧାମ ଓ କନ୍ୟାଦାନ । ମନ୍ଦ ମଧ୍ୟରେ ରହିଛି-ଝଗଡ଼ (ଭ୍ରମପୂର୍ଣ୍ଣ) ବେଳେ ଶୟନ, ଝଡ଼ ବେଳେ ଯାତ୍ରା, ଆଖିରୁ ଲୁହ ଝରାଇବା ଓ ଝାଙ୍କିଲା ପବନ ।
ରେ ସଖୀ, ନିଗମ (ବେଦ ଆଲୋଚନା) ସ୍ଥାନରେ ବସିବା, ପ୍ରଭୁ ନାରାୟରଙ୍କ ନାମ ଘୋଷିବା, ଅଭାବୀ ଲୋକଙ୍କୁ ଦାନ ଦେବା ଓ ନିରନ୍ତରଭାବେ ଲୋକଙ୍କ ସେବା କରିବା ସଂସାରରେ ଭଲ କଥା । ମନ୍ଦ ମଧ୍ୟରେ ରହିଛି-ଲୁଣିଆ ନଦୀର ପାଣି, ନିମକ ହାରାମ ପ୍ରାଣୀ, ନିରାଶ ବଚନ ଓ କିଛି ନ ବୁଝି ଉପରେ ପଡ଼ି କହିବା । ରେ ସଖୀ, ଦୃଢ଼ ନିଷ୍ପତ୍ତି ନେଉଥିବା ଲୋକ, ଟେକିଲା ନିଶ ଅର୍ଥାତ୍ ନିଜ କଥା ରଖୁଥିବା ଲୋକ, ଈଶ୍ୱର ବିଶ୍ୱାସୀ ଓ ଦେଶକୁ ଟେକି କରି କହୁଥିବା ଲୋକ ଭଲ ମଧ୍ୟରେ ଗଣା । ସେହିପରି ଟାକି (ଚାହିଁ) କରି ଶୋଇବା ଝିଅ, କଲମ ଫାଟି କାଳୀ ବହିବା, ଟାକୁଆଗାଲି ବାଳୀ ଓ ଟୁକୁଟୁକିଆ (ଟୁକୁରା ବା ଖଣ୍ଡ) ମାଳି-ଏଗୁଡ଼ିକ ମନ୍ଦ । ରେ ସଖୀ, ଠାକୁରାଣୀଙ୍କ ଠାଣ (ଅଙ୍ଗର ଗଢ଼ଣ) ଆଉ ତାଙ୍କର ଗୁଣ, ମୁଣ୍ଡ ନ ବାଜିବା ଭଳି ଘର, ଠିକ୍ ବଚନ ଭଲ ଭାବେ ସଂସାରର ଗଣା ହୋଇଥିବା ବେଳେ ଠାପୁଆ (ଛଳନକାରୀ) ସେବକ, ଠକ, ଭଣ୍ଡ, ଠେକ ନଥିବା ନାକ, ଠେକି (ମାଟିପାତ୍ର) ଆଞ୍ଚୁଆ (ହାତ ଧୋଇବା) ଲୋକ ମନ୍ଦ ସ୍ୱଭାବର ।
ଭଲ କେ ? ଡାହାଣ ବ୍ରତ ଶଂଖ
ଡାଏଣୀ ନଥିଲା ପାଖ
ଡହ ଡହ ପାକ
ଡରିଥିଲା ସେବକ ସଖୀ ଭଲ ଏ
ମନ୍ଦ କେ ? ଡିଆଁ ଡେଇଁ ବିବାଦ
ଡଙ୍କ ପଡ଼ିଲା ଶବଦ
ଡେଙ୍ଗୁରା ବାଇଦ
ଡଙ୍ଗାବୁଡ଼ା ପ୍ରମାଦ ସଖୀ ମନ୍ଦ ଏ ।୧୩।
ଭଲ କେ ? ଢୋଳା ମାଡ଼ିଲେ ଶୋଇବା
ଢାକିଲେ ନିଶି ବଞ୍ଚିବା
ଢମ ନ କହିବା
ଢପ ରଖିବା ସଖୀ ଭଲ ଏ
ମନ୍ଦ କେ ? ଢାଳେ ସୁଖୀ ହେବା
ଢାଳେ ହେଁ ନ ଦେବା
ଢେଙ୍କିଶାଳେ ଶୋଇବା
ଢିପ ଜମି ଚଷିବା ସଖୀ ମନ୍ଦ ଏ ।୧୪।
ଭଲ କେ ? ଅଦୃଷ୍ଟ ଆଦରିବା ଲୋକ
ଅଇରି ମାଇଲା ଲୋକ
ଅମୃତ ଯୋଗାଡ଼ ପାକ
ଅଚ୍ୟୁତ ସେବକ ସଖୀ ଭଲ ଏ
ମନ୍ଦ କେ ? ଅମୁଣିଆ ଖାଇବା
ଅରଣ୍ୟ ଦହିବା
ଉଦାଲୁଗା ପିନ୍ଧିବା
ଉପାସେ ଶୋଇବା ସଖୀ ମନ୍ଦ ଏ ।୧୫।
ଭଲ କେ ? ତୁଟିଲା ରୋଗ
ତରକିଲା ଯୋଗ
ତରୁଣ ସ୍ତିରୀ ଭୋଗ
ତୁରଙ୍ଗ ଛେଦନ ଯାଗ ସଖୀ ଭଲ ଏ
ମନ୍ଦ କେ ? ତରଳ ଦହି ଗ୍ରାସ
ତେଲରନ୍ଧା ମାଂସ
ତିରୀଙ୍କି ବିଶ୍ୱାସ
ତୋଟି ନିକଟେ ଫାଶ ସଖୀ ମନ୍ଦ ଏ ।୧୬।
ମନ୍ଦ କେ ? ଥୟ ଚିତ୍ତ ହେବା
ଥୟ ବାଟ ଚାଲିବା
ଥିଲା ଯାକ ଦେବା
ଥୋଇ ନ ସାରିବା ସଖୀ ଭଲ ଏ
ମନ୍ଦ କେ ? ଥାନ ଛାଡ଼ିଲା ନୃପତି
ଥେଣ୍ଟ ସଙ୍ଗେ ପୀରତି
ଥୋଇଲା ଯୁବତୀ
ଥାଇ ନ ଦିଅନ୍ତି ସଖୀ ମନ୍ଦ ଏ ।୧୭।
ଭଲ କେ ? ଦୟାଳୁ ହେବା
ଦେବତା ବ୍ରାହ୍ମଣେ ସେବା
ଦୁଃଖ ଦେଖି ଦେବା
ଦେଉଳ ତୋଳାଇବା ସଖୀ ଭଲ ଏ
ମନ୍ଦ କେ ? ଦାନ ବୃତ୍ତି ହରଣ
ଦୃଶ୍ୟ ନୋହିଲା କିରଣ
ଦଉଡ଼ି ଲଗାଇ ମରଣ
ଦୟା ନଥିଲା ଶରଣ ସଖୀ ମନ୍ଦ ଏ ।୧୮।
ଭଲ କେ ? ଧର୍ମର୍ରେ ମନ ଦେବା
ଧାଡ଼ି ଆଦରିବା
ଧୋବ ପହଡ଼ିବା
ଧର୍ମ କରିବା ସଖୀ ଭଲ ଏ
ମନ୍ଦକେ ? ଧର୍ମ ହୀନ ମନୁଷ୍ୟ
ଧର୍ମହୀନ ଦେଶ
ଧୈର୍ଯ୍ୟହୀନ ଦାସ
ଧାଉଁଡ଼ି ହୀନ ଅଶ୍ୱ ସଖୀ ମନ୍ଦ ଏ ।୧୯।
ଭଲ କେ ? ନୂଆ ଫଳିଲା ଫଳ
ନୂଆ ତୋକିଲା ଆଳ
ନବାତ ଉଜ୍ଜଳ
ନୋହିବ କୁଟିଳ ସଖୀ ଭଲ ଏ
ମନ୍ଦ କେ ? ନଦୀପାରି ଚାଷ
ନଗ୍ର ବାହାରେ ବାସ
ନହୁରୁଣୀ ପ୍ରାସ
ନିରନ୍ତରେ ପରବାସ ସଖୀ ମନ୍ଦ ଏ ।୨୦।
ଭଲ କେ ? ପ୍ରଭାତୁ ସ୍ନାନ
ପିତୃଲୋକେ ଜଳଦାନ
ପରମାନନ୍ଦ ଦର୍ଶନ
ପୃଥିବୀ ପର୍ଯ୍ୟଟନ ସଖୀ ଭଲ ଏ
ମନ୍ଦ କେ ? ପରଗାଈ ପାଳିବା,
ପାଲଟା ଲୁଗା ପିନ୍ଧିବା
ପିଢ଼ାକୁ ନାଶିବା,
ପରଲୋକ ପୋଷିବା ସଖୀ ମନ୍ଦ ଏ ।୨୧।
ଭାବାର୍ଥ- (୧୩-୨୧)ରେ ସଖୀ ସଂସାରରେ ଭଲ ରହିଛି, ମନ୍ଦ ବି ରହିଛି । ଭଲ ମଧ୍ୟରେ ଅଛି- ଡାହାଣ ବ୍ରତ, ଶଙ୍ଖ, ଯାହା ପାଖରେ ଡାହାଣୀ ନଥିବ, ଗରମ ପାକ, ଭୟ କରୁଥିବା ସେବକ । ମନ୍ଦ ମଧ୍ୟରେ ରହିଛି-ଡିଆଡେଇଁ ବିବାଦ, ଅଭିଶାପ ଗାଳି, ଡେଙ୍ଗୁରା ବାଇଦ, ଡଙ୍ଗାବୁଡ଼ା ବିପଦ । ଢୋଳା ମାଡ଼ିଲେ ବା ନିଦ ମାଡ଼ିଲେ ଶୋଇବା, ଗବର୍ରେ ନ କହିବା, ତପ (ଆଡ଼ମ୍ବର) ରଖିବା ଭଲର ଲକ୍ଷଣ । ସାମାନ୍ୟ କଥାରେ ଖୁସି ହୋଇଯିବା, କାହାକୁ କିଛି ନ ଦେବା ଅର୍ଥାତ୍ ସାହାଯ୍ୟ ନ କରିବା, ଢେଙ୍କିଶାଳରେ ଶୋଇବା, ଢିପ ଜମି ଚଷିବା ମନ୍ଦର ଲକ୍ଷଣ ।
ରେ ସଖୀ, ସବର୍ଦା ଯିଏ ନଜର ଭାଗ୍ୟକୁ ଆଦରୁଛି, ଭଗାରି ମାଇଲା ଲୋକ, ଅମୃତରେ ପୂର୍ଣ୍ଣପାକ, ଅଚ୍ୟୁତଙ୍କ ସେବକ ସଂସାରରେ ଉତ୍ତମ ଭାବରେ ଗଣା । ଅପର ପକ୍ଷରେ ଅମୁଣିଆ ଖାଇବା, ଜଙ୍ଗଲକୁ ପୋଡ଼ିବା, ଓଦାଲୁଗା ପିନ୍ଧିବା, ଉପବାସରେ ଶୋଇବା ଖରାପ ବ୍ୟକ୍ତିର ଲକ୍ଷଣ । ଭଲ କଥା ହେଲା- ଦେହରୁ ରୋଗ ତୁଟିଯିବା, ତରକିବା ଯୋଗ, ତରୁଣ ସ୍ତ୍ରୀ ଭୋଗ ଓ ଅଶ୍ୱମେଧ ଯାଗ । ଖରାପ କଥାଗୁଡ଼ିକ ମଧ୍ୟରେ ରହିଛି-ତରଳ ଦହି ଭୋଜନ, ତେଲରେ ରନ୍ଧା ମାଂସ, ସ୍ତ୍ରୀଙ୍କୁ ବିଶ୍ୱାସ ଓ ତୋଟି ନିକଟରେ ଫାଶ । ସଂସାରରେ ଭଲ ମଧ୍ୟରେ ଗଣା ହେଉଛି- ଥୟମନା ହେବା, ଥୟରେ ବାଟ ଚାଲିବା, ପାଖରେ ଥିଲା ଯାଏଁ ଅନ୍ୟକୁ ଦେବା, ସଞ୍ଚିତ ଧନ ବା ପଦାର୍ଥର ଅପବ୍ୟୟ ନ କରିବା । ମନ୍ଦ ମଧ୍ୟରେ ଅଛି-ରାଜ୍ୟ ରାଜ୍ୟ ଛାଡ଼ିବା, ଖଣ୍ଟ ସଙ୍ଗରେ ପ୍ରୀତି ଭାବ, ଘରେ ଯୁବତୀ କନ୍ୟାକୁ ବାହା ନ ଦେଇ ରଖିବା, ଥିଲେ ମଧ୍ୟ ଦାନ ନ ଦେବା ।
ରେ ସଖୀ, ଦୟାଳୁ ହେବା, ଦେବତା ବ୍ରାହ୍ମଣର ସେବା, ପର ଦୁଃଖରେ ଦୁଃଖୀ ହେବା ଓ ତାକୁ ସାହାଯ୍ୟ କରିବା, ଦେଉଳ ତୋଳାଇବା ଉତ୍ତମ ଗୁଣର ଲକ୍ଷଣ । ଅପର ପକ୍ଷରେ ମନ୍ଦକାଯ୍ୟର୍ ଗୁଡ଼ିକ ହେଲା-ଦାନ ବୃତ୍ତି ହରଣ, ଦେଖାଯାଉ ନଥିବା କିରଣ, ଦଉଡ଼ି ଲଗାଇ ଆତ୍ମହତ୍ୟା କରିବା ଓ ଦୟାବିହୀନ ଶରଣ । ରେ ସଖୀ, ଭଲ କଥାରେ ସବର୍ଦା ମନ ଦେ । ମନ୍ଦ କଥାକୁ ଘୃଣା କରିବୁ । ଧର୍ମରେ ମନ ଦେବା, ଧର୍ମ କରିବା, ଧାଡ଼ି (ସମୂହ)କୁ ଆଦରିବା, ଧୋବରେ ପହଡ଼ିବା ବା ସଫା ଲୁଗାରେ ଶୋଇବା ପ୍ରଭୃତି ଭଲ ଗୁଣ । ଧର୍ମହୀନ ଦେଶ, ଧୈର୍ଯ୍ୟହୀନ ଦାସ, ଧାଉଁ ନଥିବା ଘୋଡ଼ା ସର୍ବଦା ମନ୍ଦର ପ୍ରତୀକ ।
ରେ ସଖୀ, ନୂଆରେ ଫଳିବା ଫଳ, ଜଜ୍ଜ୍ୱଳ ନବାତ, କୁଟିଳ ନ ହେବା ଭଲ ଗୁଣ; କିନ୍ତୁ ନଦୀ ପାର ଚାଷ, ନଗ୍ର ଶେଷ ମୁଣ୍ଡରେ ବାସ, ନହୁରୁଣୀର ଯନ୍ତ୍ରଣା ଓ ସର୍ବଦା ପରବାସୀ ଭଲକଥା ନୁହଁ । ସକାଳ ସ୍ନାନ, ପିତୃଲୋକରେ ଜଳଦାନ, ଭଗବତ୍ ଦର୍ଶନ, ପୃଥିବୀ (ଚାରିଧାମ) ପର୍ଯ୍ୟଟନ ଭଲ ହୋଇଥିବାବେଳେ ପର ଗାଈ ପାଳନ, ପାଲଟା ଲୁଗା ପିନ୍ଧିବା, ପରଲୋକ ପୋଷିବା ଓ ପିତାକୁ ନାଶ କରିବା ମନ୍ଦ କଥା ।
ଭଲ କେ ? ଫଗୁଣ ମାସ
ଫୁଲ ଫୁଲେ ସୁବେଶ
ଫୁଲ ମାନଙ୍କର ବାସ
ଫଗୁଖେଳ ଦିବ୍ୟରସ ସଖୀ ଭଲ ଏ
ମନ୍ଦ କେ ? ଫିଟିଲା ବାଳ
ଫିଟିଲା ମାଳ
ଫୁଟିଲା ଫୁଲ
ଫିଟିଲା ଝାଳ ସଖୀ ମନ୍ଦ ଏ ।୨୨।
ଭଲ କେ ? ବିଦ୍ୟାବନ୍ତ ବ୍ରାହ୍ମଣ
ବ୍ର୍ୟାଘ ଥିଲା ବଣ
ବାଦ୍ୟ ନିଶାଣ
ବନ ବୃନ୍ଦାବନ ସଖୀ ଭଲ ଏ
ମନ୍ଦ କେ ? ବୋଇତ ବଣିଜ ଯିବା,
ବେଶ୍ୟାଘରେ ରହିବା
ବ୍ରତ ନ ପାଳିବା
ବଳଦ ବାହିବା ସଖୀ ମନ୍ଦ ଏ ।୨୩।
ଭଲ କେ ? ଭାଇ ସଙ୍ଗେ ଭାଳିବା
ଭୋଜନ ପ୍ରତି ପାଳିବା
ଭାଇକି ଭାଗ ଦେବା
ଭଣଜା ଭୁଞ୍ଜାଇବା ସଖୀ ଭଲ ଏ
ମନ୍ଦ କେ ? ଭଉଣୀ ସଙ୍ଗେ ରତି
ଭାରିଜା ସଙ୍ଗେ ଜତି
ଭକତକୁ ନ ଡରତି,
ଭିକ୍ଷା ନ ଦିଅନ୍ତି ସଖୀ ମନ୍ଦ ଏ ।୨୪।
ଭଲ କେ ? ମାତା ସଙ୍ଗେ ଭୁଞ୍ଜିବା
ମାତାଙ୍ଗୀ ପୂଜିବା
ମୈତ୍ର ସଙ୍ଗେ ରସିବା
ମଉଳା ପୋଷିବା ସଖୀ ଭଲ ଏ
ମନ୍ଦ କେ ? ମଦୁଆ ପାଲା ପଦ
ମଂଜ୍ଜାରୀ ଖାଇଲା ଦୁଗ୍ଧ
ମୌଷଧି ନ ଥିଲା ଗଦ
ମିତ୍ର ସଙ୍ଗେ ବିବାଦ ସଖୀ ମନ୍ଦ ଏ ।୨୫।
ଭଲ କେ ? ଜନ୍ମ ହେଲା ନନ୍ଦନ
ତରତରିଆ ଚନ୍ଦନ
ଯଜ୍ଞଶାଳେ ରନ୍ଧନ
ଜାଣନ୍ତି ସର୍ବଜନ ସଖୀ ଭଲ ଏ
ମନ୍ଦ କେ ? ଜନ୍ମକାଳୁ ରୋଗୀ
ଜାତହେଲା ଯୋଗୀ
ଜୀବନ ଯିବା ସଙ୍ଗୀ
ସଖୀ ମନ୍ଦ ଏ ।୨୬।
ଭଲ କେ ? ରାଜ୍ୟରେ ବଡ଼ ପଣ
ରଖନ୍ତା ଶରଣ
ରତ୍ନ ଆଭରଣ
ରାଜହଂସ ସଦନ ସଖୀ ଭଲ ଏ
ମନ୍ଦ କେ ? ରାଗ ନଥିଲା ମନୁଷ୍ୟ
ଚଙ୍ଗଚଙ୍ଗିଆ ପୁରୁଷ
ରିପୁ ନଥିଲା ଦେଶ
ରକ୍ତ ନଥିଲା ମାଂସ ସଖୀ ମନ୍ଦ ଏ ।୨୭।
ଭଲ କେ ? ଲକ୍ଷ୍ମୀକି ସେବିବା
ଲାଗିଲା କଉଡ଼ି ଦେବା
ଲୋଭେ ନ କରିବା
ଲାଭ କରିବା ସଖୀ ଭଲ ଏ
ମନ୍ଦ କେ ? ଲକ୍ଷଣ ନଥିଲା ନାରୀ
ଲୋଚନେ ନଥିଲା ବାରି
ଲୋଚନେ ନଥିଲା କାଳୀ
ଲାଜ ନ ଥିଲା ବାଳୀ ସଖୀ ମନ୍ଦ ଏ ।୨୮।
ଭାବାର୍ଥ- (୨୨-୨୮)ରେ ସଖୀ, ସଂସାରରେ ସମସ୍ତେ ଭଲକୁ ଚିହ୍ନନ୍ତି । ଫଗୁଣ ମାସ, ଫୁଲରେ ଫୁଲରେ ସୁବେଶ, ଫୁଲର ସୁବାସ ଓ ଫଗୁଣରେ ଫଗୁଖେଳ ଦିବ୍ୟରସ ସହିତ ସମାନ; କିନ୍ତୁ ମନ୍ଦକୁ ଲୋକେ ଘୃଣା କରନ୍ତି, ଫିଟିଲା ବାଳ ବା ମୁକୁଳା ରଖିବା, ଫିଟିଲା ମାଳ ବା ଛିଣ୍ଡା ମାଳି, ଫୁଟିଲା ଫୁଲ ଓ ଝାଳ ଫିଟିଯିବା- ଏ ସବୁ ମନ୍ଦର ପ୍ରତୀକ । ସଂସାରେର ବିଦ୍ୟାବନ୍ତ ବ୍ରାହ୍ମଣ, ବାଘ ରହିଥିବା ବଣ, ବାଦ୍ୟ ନିଶାଣ, ବୃନ୍ଦାବନ ଭୂମି ଭଲର ଅନ୍ତର୍ଗତ । ଖରାପ ମଧ୍ୟରେ ରହିଛି- ବୋଇତ ବଣିଜ ଯିବା ବା ନଷ୍ଟ ହେବା, ବେଶ୍ୟାଘରେ ରହିବା, ବ୍ରତ ନ ପାଳିବା, ବଳଦ ବାହିବା । ଭାଇ ସଙ୍ଗେ ରହିବା, ଭାଇକୁ ଭାଗ ଦେବା, ଅନ୍ନକୁ ହତାଦର ନ କରିବା ଓ ଭଣଜାକୁ ଖୁଆଇବା-ଏ ସବୁ ଭଲ । ହେ ସଖୀ, ଭଉଣୀ ସଙ୍ଗରେ ରତି, ଭାର୍ଯ୍ୟା ସଙ୍ଗରେ ହୀନ ଆଚରଣ, ଭକ୍ତକୁ ନ ଡରିବା, ଭିକାରିକୁ ଭିକ୍ଷା ନ ଦେବା ଖରାପ କଥା ।
ରେ ସଖୀ, ଭଲ ମଧ୍ୟରେ ଆମେ ଦେଖୁଁ- ମା’ଙ୍କ ସଙ୍ଗେ ଏକାଠି ବସି ଭୋଜନ କରିବା, ଦେବୀଙ୍କୁ ପୂଜା କରିବା, ମିତ୍ର ସଙ୍ଗେ ହସଖୁସି ହେବା, ମାମୁଙ୍କ ପାଖରେ ରହିବା । ଖରାପ ମଧ୍ୟରେ ରହିଛି- ମଦୁଆ ପାଲାଗାୟକର ଗୀତ, ମଞ୍ଜାରି (ବିରାଡ଼ି) ଖରାଇବା ଦୁଧ, ଔଷଧୀୟ ଗୁଣ ନଥିବା ଗଦ ଓ ମିତ୍ର ସଙ୍ଗେ ବିବାଦର ସଖୀ, ସଂସାର ମଧ୍ୟରେ ଯାହା ସବୁ ଭଲ ରହିଛି- ସେ ଗୁଡ଼ିକ ମଧ୍ୟରେ ପୁଅ ଜନ୍ମ ହେବା, ଜରଜରିଆ ଚନ୍ଦନ ଓ ଯଜ୍ଞଶାଳରେ ରନ୍ଧନ । ଅପର ପକ୍ଷରେ ଆଜନ୍ମ ରୋଗୀ, ଜାତ ହେଲା ଯୋଗୀ ମନ୍ଦ ।
ରେ ସଖୀ ସଂହସାର ମଧ୍ୟରେ ଭଲ ପୁଣି ହେଉଛି-ଶରଣ ରକ୍ଷଣକାରୀ, ରତ୍ନ ଆଭରଣ ଓ ରାଜହଂସର ଘର । ମନ୍ଦରେ ରହିଛି ଅନୁରାଗ ବା ସ୍ନେହ ଯାହା ପାଖରେ ନାହିଁ, ଚଙ୍ଗଚଙ୍ଗିଆ ପୁରୁଷ ଓ ରକ୍ତ ନଥିଲା ମାଂସ । ଲକ୍ଷ୍ମୀଙ୍କୁ ସର୍ବଦା ସେବିବା, ଲୋଭରେ ନପଡ଼ିବା ଭଲ କଥା ଆହରଣ କରିବା ଭଲ; କିନ୍ତୁ କୌଣସି ସୁଲକ୍ଷଣ ନ ଥିବା ନାରୀ, ଆଖିରେ ଲୁହ ନ ଥିବା (ପର ଦୁଃଖରେ ଆଖିରୁ ଲୁହ ଝରେ ନାହିଁ), ଆଖିରେ କଳା ଡୋଳା ନଥିବା ଓ ଲଜ୍ଜାବିହୀନ ନାରୀ-ଏମାନେ ମନ୍ଦ ।
ଭଲ କେ ? ବାଳ କାଳେ ଶୋକ
ବିଭାକାଳେ ଭେକ
ବିଦ୍ୟାବନ୍ତ ଲୋକ
ବାସୁଦେବ ସେବକ ସଖୀ ଭଲ ଏ
ମନ୍ଦ କେ ? ବାଦ୍ୟ ନଥାଇ ବିଭା
ବାଇ ସଙ୍ଗେ ସେବା
ବିବାଦ ଭୂମିରେ ଥିବା
ବନସ୍ତ ଦହିବା ସଖୀ ମନ୍ଦ ଏ ।୨୯।
ଭଲ କେ ? ଶ୍ରୀ ଜଗନ୍ନାଥ ଦାସ
ସିଂହଦ୍ୱାରେ ବାସ
ସିଂହ କରିବା ଗ୍ରାସ
ଶ୍ରୀବନ୍ତ ପୁରୁଷ ସଖୀ ଭଲ ଏ
ମନ୍ଦ କେ ? ଶିବରାତ୍ରେ ଶୋଇବା
ଶ୍ୱାନକୁ ଛୁଇଁବା
ସଭାକୁ ନଯିବା
ସତ୍ୟ ନ କହିବା ସଖୀ ମନ୍ଦ ଏ ।୩୦।
ଭଲ କେ ? ସଜ୍ଜନ ସଙ୍ଗେ ରସିବା,
ସୁନା ରୂପା କଷିବା
ସମୟ ଜାଣି ରସିବା,
ସତ୍ୟ ରଖିବା, ସଖୀ ଭଲ ଏ
ମନ୍ଦ କେ ? ସ୍ୱାମୀ ନଥିଲା ଯୁବତୀ
ସୈନ୍ୟ ନଥିଲା ନୃପତି
ସ୍ୱାଧୀନ ଥିଲା ଭକତି
ସୂର୍ଯ୍ୟଘବଳେ ରତି ସଖୀ ମନ୍ଦ ଏ ।୩୧।
ଭଲ କେ ? ସାକର ସୁଆଦ
ସର୍ପଘାତ ଗଦ
ସଦାଇ ଆନନ୍ଦ
ଶ୍ରୀବନ୍ତ ସମ୍ପଦ ସଖୀ ଭଲ ଏ
ମନ୍ଦ କେ ? ସାକର ନଥାଇ ଭୋଜନ
ସଭାଖିଆ ପାନ
ସାରି ଶୁଆ ବଚନ
ସାଆନ୍ତକୁ ଗୁମାନ ସଖୀ ମନ୍ଦ ଏ ।୩୨।
ଭଲ କେ ? ହରିଙ୍କ ଧ୍ୟାନ
ହରିଣୀ ନୟନ
ହରି ସଂକୀର୍ତ୍ତନ
ହରିଙ୍କ ବଚନ ସଖୀ ଭଲ ଏ
ମନ୍ଦ କେ ? ତର ବରିଆ ନର
ହାଡ଼ ଦେହର ଜର
ହୁରିଆ ନଥିଲା ଘର
ହରି ଆଣିଲା ସଖୀ ମନ୍ଦ ଏ ।୩୩।
ଭଲ କେ ? ଛାଡ଼ିଲା ରୋଗ
କ୍ଷୀର ଯୋଗେ ଭୋଗ
କ୍ଷମାଶୀଳ ଅଙ୍ଗ
ଛନ୍ଦ ନଥାଇ ସଙ୍ଗ ସଖୀ ଭଲ ଏ
ମନ୍ଦ କେ ? ଛନ୍ଦ୍ରମ ପୁରୁଷ
ଛୋଟିଲା ଗ୍ରାସ
ଛାଡ଼ିଲା ବନ୍ଧୁ ପାଶ
ଛାର ବଜୁରୀଦାସ ସଖୀ ମନ୍ଦ ଏ ।୩୪।
ଭାବାର୍ଥ- (୨୯-୩୪)ରେ ସଖୀ, ସଂସାରରେ ପିଲାକାଳେ କାନ୍ଦ, ବିଭାକାଳେ ଭଲ ବେଶ ପୋଷାକ, ବିଦ୍ୟାବନ୍ତ ଲୋକ ଓ ଭଗବାନଙ୍କ ସେବକ ଭଲ ଭାବେ ପରିଗଣିତ । ବିନା ବାଦ୍ୟରେ ବିଭା, ବିବାଦୀୟ ଭୂମିରେ ରହିବା, ବେଶ୍ୟାର ସଙ୍ଗ ଓ ବଣକୁ ପୋଡ଼ିବା ଉତ୍ତମ ଲକ୍ଷଣରେ ପରିପନ୍ଥୀ । ପ୍ରଭୁ ଜଗନ୍ନାଥଙ୍କ ଦାସ ହେବା, ସିଂଦ୍ୱାହରରେ ବାସ କରିବା, ସିଂହ ଖାଇବା ଖାଦ୍ୟ ଓ ଶ୍ରୀବନ୍ତ ପୁରୁଷ ଭଲ ହୋଇଥିବା ବେଳେ ଶିବରାତ୍ରି ଦିନ ଶୋଇବା, କୁକରକୁ ଛୁଇଁବା, ସଭାକୁ ଯାଉ ନ ଥିବା ଓ ସତକଥା କହୁ ନଥିବା ମଣିଷ ବନ୍ଦ ଶ୍ରେଣୀର ।
ରେ ସଖୀ, ଯେଉଁମାନେ ସଜ୍ଜନଙ୍କ ସାନ୍ନିଧ୍ୟ ପାଆନ୍ତି ସେମାନେ ଉତ୍ତମ ବ୍ୟକ୍ତି । ସୁନାରୂପା କଷିବା, ସମୟ ଜାଣି ରସିବା, କଥା ଦେଇ ରଖିବା ବା ସତ୍ୟ ରଖିବା ଭଲ କାର୍ଯ୍ୟର ଲକ୍ଷଣ । ସ୍ୱାମୀ ବିହୀନ ଯୁବତୀ, ସୈନ୍ୟ ବିନା ରାଜା, ସ୍ୱାଧୀନ ଥିବା ଭକ୍ତି, ଦିନ ବେଳେ ରତିକ୍ରୀଡ଼ା ମନ୍ଦର ପ୍ରତୀକ । ସୁଆଦିଆ ସାକର, ସର୍ପାଘାତକୁ ଗଦ, ସଦାଆନନ୍ଦ ବ୍ୟକ୍ତି ଓ ଶ୍ରୀବନ୍ତ ସମ୍ପଦ ସର୍ବଦା ଭଲ । ଅପର ପକ୍ଷରେ ସାକର ବିନା ଭୋଜନ, ସଭାରେ ପାନ ଖାଇବା, ଶୁଆଶାରୀ କଥା ଓ ସାଆନ୍ତ ପାଖରେ ଗୁମାନ ଭଲ ନୁହେଁ ।
ରେ ସଖୀ, ପ୍ରଭୁଙ୍କ ଧ୍ୟାନ, ହରିଣୀର ଚକ୍ଷୁ, ହରି ସଂକୀର୍ତ୍ତନ ଓ ହରିକଥା ଭଲ; କିନ୍ତୁ ହରବରିଆ ମଣିଷ, ଦେହର ଜ୍ୱର, ହୁରିଆ (ଗହଳ ଚହଳ) ନଥିବା ଘର, ଚୋରାଇ ଆଣିଥିବା ସମ୍ପଦ ସର୍ବଦା ମନ୍ଦ। ଛାଡ଼ିଲା ରୋଗ, କ୍ଷୀର ଭୋଗ, କ୍ଷମାଶୀଳ ଲୋକ ଓ ଛନ୍ଦ ନଥାଇ ସଙ୍ଗ ସବୁବେଳେ ଭଲ; କିନ୍ତୁ କପଟୀ ପୁରୁଷ, ପେଟ ନ ପୂରିବା ଭୋଜନ ଓ ବନ୍ଧୁ ପାଖ ଛାଡ଼ିବା- ଏସବୁ ଭଲ ନୁହେଁ ।