ଭାଗବତ ଭଜନ

ବୈକୁଣ୍ଠନାଥ ବ୍ରହ୍ମଚାରୀ

 

(ପ୍ରଥମ ସ୍କନ୍ଧ)

(ଭାବ ଭାଗବତ ଭାଷା – ବୃତ୍ତେ)

ନିତି ଭାଗବତ ପଢ଼, ସେ ଭାବରେ ମନ କର ତୁ ଦୃଢ଼

ମନ ବାଇରେ, ଜୀବ ଗତି ମୁକ୍ତି ମାର୍ଗ ଲୋଡ଼, ମନବାଇରେ      ।୦।

ନ ପଢ଼ି ପାରିବୁ ଯେବେ, ଶ୍ରୁତି ଡେରି ଶୁଣ ତୁ ଶ୍ରଦ୍ଧାଭାବେ

ମନ ବାଇରେ, ଜଣେ ବୋଲି ଗଣା ହେବୁ ଭବେ, ମନ ବାଇରେ ।୧।

 

ପ୍ରଥମ ସ୍କନ୍ଧରେ ଶୁଣ, ଭକତବତ୍ସଳ ଶ୍ରୀଭଗବାନ

ମନବାଇରେ, କଲେ ପାଣ୍ତବକୁଳ ରକ୍ଷଣ, ମନ…      ।୨।

ଶାଲ୍ୱ, ଶିଶୁପାଳ, ବୀର ଶିରକୁ ଛେଦିଣ ଶ୍ରୀ ଚକ୍ରଧର

ମନବାଇରେ, ଦେଲେ ତାଙ୍କୁ ମୋକ୍ଷ ଅଧିକାର, ମନ…      ।୩।

 

ମାୟାଧର ମାୟାକରି ଅରଜୁନ ଠାରୁ କଳାକୁ ହରି

ମନବାଇରେ, ନେଲେ କେହି ନ ପାରିଲେ ବାରି, ମନ…      ।୪।

ସେ ପାଦ ପଶ ଶରଣ, ଭବରୋଗ ସର୍ବ ହଟିବ ଜାଣ

ମନବାଈରେ, ଭାବି କହେ ବୈକୁଣ୍ଠ ବ୍ରାହ୍ମଣ, ମନବାଇରେ      ।୫।

 

(ଦ୍ଵିତୀୟ ସ୍କନ୍ଧ)

(ବାଇମନ ହୋ ବସି ଅବନାବନ ବୃତ୍ତେ)

ବାଇଧନରେ ପଢ଼ ଦ୍ଵିତୀୟ ସ୍କନ୍ଧ

ପଢ଼ିଲେ ଜାଣିବୁ                  ମନରେ ଗୁଣିବୁ

ବ୍ରହ୍ମା ନାରଦଙ୍କ ଜ୍ଞାନ ସମ୍ଵାଦ, ବାଇଧନ ରେ ।୦।

 

ସମୁଦ୍ରାଦି ଜ୍ଞାନ                  ତତ୍ତ୍ଵ କଥାମାନ

କହି ବେନି ଜନେ ହୋଇଲେ ବୋଧ,

ଖଟ୍ଵାଙ୍ଗ ରାଜନ                  ପାଇଲା କାରଣ

ଉଚ୍ଚାରିଣ ନାରାୟଣ ଶବଦ ।୧।

 

ଶୁକ ପରୀକ୍ଷିତ                  କଥନ ଏହି ତ

ମନ୍ଥନରେ ଚିତ୍ତ ହେବ ଆନନ୍ଦ

ବୋଲି ହରି ହରି                  ଯିବୁ ଭବୁ ତରି

କେହି ନ କହିବେ ତୋତେ ନିର୍ବୋଧ ।୨।

 

ଭାଗବତ ଜ୍ଞାନ                  କରିଣ ଅର୍ଜନ

ସୁଖେ ସେବୁଥିବୁ ସଜ୍ଜନବୃନ୍ଦ ।

ବଇକୁଣ୍ଠ କହେ                  ରସନାରେ ସ୍ନେହେ

ରସି ରଟ ବସି-ରାଧା ଗୋବିନ୍ଦ ।୩।

 

(ତୃତୀୟ ସ୍କନ୍ଧ)

(ଓଲଟ ବୃକ୍ଷେ ଖେଳୁଛି ବୃତ୍ତେ)

ତୃତୀୟ ପୋଥିକୁ ପୁଣି ପଢ଼ରେ ବାପ…

ଦରଶନ କର ପ୍ରଭୁ ବରାହରୂପ ।୦।

 

ବିଦୁର ଉଦ୍ଧବ କଥା                  ମନେ ରଖି କର ଚିନ୍ତା

ଶୁଣି ହିରଣାକ୍ଷ ବାର୍ତ୍ତା ତେଜ ତୁ କୋପ ।୧।

କପିଳ ରୂପେ ଗୋସାଇଁ                  ଦେବହୁତୀ ପୁତ୍ର ହୋଇ

ପିତାମାତଙ୍କୁ ବୁଝାଇ ଦେଲେଟି ତପ ।୨।

 

ନିର୍ଗୁଣ ତତ୍ତ୍ଵକୁ କହି                  କାମନା ଥିଲେ ତୁଟାଇ

ସେ ପ୍ରେମେ ଚିତ୍ତ ବୁଡ଼ାଇ ଧୁଅ ତ୍ରିତାପ ।୩।

ବାସନା ସବୁ ବରଜ                  କର୍ତ୍ତବ୍ୟ ଜ୍ଞାନରେ ଭଜ

କହେ ବଇକୁଣ୍ଠ ଦ୍ଵିଜ ନାମ ନ ମାପ ।୪।

 

(ଚତୁର୍ଥ ସ୍କନ୍ଧ)

(ଏ ଦେହ କଞ୍ଚା ହାଣ୍ତି – ବୃତ୍ତେ)

ଚତୁର୍ଥେ ଭାଗବତ ତତ୍ତ୍ଵ ତୁ ଶୁଣ ରେ ଚଗଲା ମନ

ଦକ୍ଷଘରେ ପାର୍ବତୀ ହେଲେ ଜନମରେ ଚଗଲା ମନ ।୦।

ପତିନିନ୍ଦାକୁ ସତୀ ନ ସହି ପୁଣ

ଯଜ୍ଞାନଳେ ତେଜିଲେ ନିଜର ପ୍ରାଣ ରେ… ଚଗଲା ମନ ।୧।

 

ସାତ ବରଷ ପୁଅ ଧୁରୁବ ଜାଣ

ହରି ଖୋଜିବା ପାଇଁ ପଶିଲା ବଣରେ… ଚଗଲା ମନ ।୨।

ମାଆ କଥାକୁ ମନେ କରିଲା ଟାଣ,

ଦୃଢ଼ ବଳେ ଲଭିଲା ବିଭୁ ଚରଣରେ… ଚଗଲା ମନ ।୩।

 

ତା ଧ୍ୟାନ ବଳେ ପ୍ରଭୁ ହୋଇ ଉଚ୍ଛନ୍ନ

ଧ୍ରୁବମଣ୍ତଳେ ନେଇ ଦେଲଟି ସ୍ଥାନରେ… ଚଗଲା ମନ ।୪।

ଏପରି ଏକନିଷ୍ଠ କରିଲେ ମନ

କହେ ବୈକୁଣ୍ଠ ଇଷ୍ଟ ଦେବେ ଦର୍ଶନରେ… ଚଗଲା ମନ ।୫।

 

 

 

(ପଞ୍ଚମ ସ୍କନ୍ଧ)

(ଅଭୟ ପାଦପଦ୍ମକୁ - ବୃତ୍ତେ)

ପଞ୍ଚମରେ ପ୍ରିୟବ୍ରତ ତଥ୍ୟ ନିର୍ଣ୍ଣୟ

ଶୁଣ ହୋ ସୁଜନ ମନ କରିଣ ଥୟ ।୦।

 

ତାହାଙ୍କର ସାତ ପୁତ୍ର            ଶ୍ରେଷ୍ଠ ଅଟନ୍ତି ଭରତ

ମହୀ କଲେ ସପ୍ତ ଭାଗ ସେ ନାରାୟଣ ।୧।

ରଘୁରାଜା ଯେ ଭରତ            ବେନି ଜନଙ୍କ ବୃତାନ୍ତ

ବୁଝିଣ ସେ ଜ୍ଞାନ ତତ୍ତ୍ଵ ତୁଟାଅ ମୋହ ।୨।

ମେଣ୍ଟାଇ ଜ୍ଞାନ ପିପାସା            ଲଗା ହରି ପଦେ ଆଶା

ଏତିକି ମାତ୍ର ଭରସା କରିଥା ଲୟ ।୩।

ଭାଷେ ବଇକୁଣ୍ଠ ହୀନ            ହୋଇ ଭାଗବତ ଜନ

ପ୍ରେମେ ଗାଇ ପ୍ରଭୁନାମ ଲଭ ଅଭୟ ।୪।

 

(ଷଷ୍ଠ ସ୍କନ୍ଧ)

(ମନ କହୁଛିରେ ପାଇବା ଧନ ନ ହଜା - ବୃତ୍ତେ)

ଭାଇ କହୁଛିରେ ପାଠ କର ଷଷ୍ଠ ବହି

ନାମରେ କରଣି ପାରିବୁ ତ ଜାଣି ଭ୍ରମରେ ପଡ଼ିବୁ ନାହିଁ ।୦।

 

ପାପୀ ଅଜାମିଳ            ଭୟେ ହୋଇ ଭୋଳ

ମରଣ ଶଯ୍ୟାରେ ଥାଇଁ

କରି ମତିଚ୍ଛନ୍ନ            ଡାକି ନାରାୟଣ

ଯମଦଣ୍ତ ଗଲା ଡେଇଁ ।୧।

ନର୍କୁ ପାଇ ମୁକ୍ତି            ଲଭି ଦିବ୍ୟଗତି

ବସିଲା ବୈକୁଣ୍ଠେ ଯାଇଁ

ଏତେ ଶସ୍ତା ପୁଣ୍ୟ            ପାଇଲା ବ୍ରାହ୍ମଣ

ଦୟାକଲେ ଭାବଗ୍ରାହୀ ।୨।

ଚତ୍ରକେତୁ ଆଗେ            ବିଧାତା ସରାଗେ

ବହୁଜ୍ଞାନ ଗଲେ କହି

ଶୁଣି ଏ ସମ୍ବାଦ            ତେଜିଣ ବିଷାଦ

ସସାଂର ପାଅ ହୋ ତ୍ରାହି ।୩।

ହେଜି ଭଜ ମନେ            ନିତି ଚିନ୍ତି ଧ୍ୟାନେ

ମାୟା ତ ଲାଗିବ ନାହିଁ

ଭଣେ ବଇକୁଣ୍ଠ            ମୋର ବନ୍ଧୁ କୃଷ୍ଣ

ମୋ କଥା ବୁଝିବେ ସେହି ।୪।

 

 

 

(ସପ୍ତମ ସ୍କନ୍ଧ)

(ଲାଗିଛି ଲୀଳା ନୀଳାଚଳରେ – ବୃତ୍ତେ)

ସୁଜନେ ଭାବ ସପ୍ତମ ଖଣ୍ତ

ଭକ୍ତ ଲାଗି ଭଗବାନ କଲେ ଯେ କାଣ୍ତ ସୁଜନ ହୋ ।

କଲେ ଯେ କାଣ୍ତ ସୁଜନେ ଭାବ ।୦।

ପ୍ରହଲ୍ଲାଦ ବିଷ୍ଣୁ ନାମ            ଭଜି ହେଲା ହୀନମାନ

ତା ପିତା ଦୁଷ୍ଟ ରାଜନ ବିହିଲା ଦଣ୍ତ ସୁଜନ ହୋ ।୧।

ସହି ନ ପାରିଣ ହରି      ଆପେ ସ୍ତମ୍ଭରୁ ବାହାରି

ନଖେ ବୁକୁ ଦେଲେ ଚିରି ମଲା ସେ ଭଣ୍ତ ।୨।

ବହୁ ରାଜା ଥିଲେ ତହିଁ      ଭୟରେ ଗଲେ ପଳାଇ

କେ କାହାକୁ ପଦେ ଖୋଲି ନାହାନ୍ତି ତୁଣ୍ତ ।୩।

ତହୁଁ ଭକ୍ତ ଦୈତ୍ୟବୀର      ଭଣିଲା ସ୍ତୁତି ଅପାର

ଯେ ସ୍ତୁତି ଶୁଣି ଶ୍ରୁତିରେ ତରେ ପାଷାଣ୍ତ ।୪।

ଭକତଙ୍କ ଗୁଣ ହେଜି      ଏ ଜୀବନ ଯାଉ ହଜି

ବଇକୁଣ୍ଠ ଆଶା ଭାଜି ନ ହେଉ ପଣ୍ତ ।୫।

ସୁଜନ ହୋ ନ ହେଉ ପଣ୍ତ

ସୁଜନେ ଭାବ ସପ୍ତମ ଖଣ୍ତ ।

 

 

(ଅଷ୍ଟମ ସ୍କନ୍ଧ)

(ଭଜ ବାରରେ ହେଜ ତେରରେ – ବୃତ୍ତେ)

ଭାବ ଆଠରେ ଭାବ ଆଠରେ ପାଣି ଘାଟରେ

(ଦୁଷ୍ଟ) ଗ୍ରାହ ଧଇଲା ଗଜକୁ ଆଣ୍ଟରେ ।୦।

 

କରୀର ବିକଳେ ହରି      ନିଜେ ତହିଁ ବିଜେ କରି

ଚକ୍ରେ ନକ୍ରକୁ କରିଲେ ନଷ୍ଟ ରେ,

ଭାବ ଆଠରେ… ।୧।

ପୁଣି ସମୁଦ୍ର ମନ୍ଥନେ      ଦେବଙ୍କୁ ଅମୃତ ଦାନେ

ତୋଷିଥିଲେ ପରା ନନ୍ଦଚାଟରେ,

ଭାବ ଆଠରେ… ।୨।

ଧରିଣ ମୋହିନୀ ମୂର୍ତ୍ତି      ମୋହିଲେ ସବୁରି ମତି

ମୋହ ହୋଇଲେ ଅସୁର ଥାଟ ରେ,

ଭାବ ଆଠରେ… ।୩।

ସେ ମାୟା ମୂରତି ଚାହିଁ      ସଦାଶିବ ହେଲେ ବାଇ

ଭୁଲିଯାଇଥିଲେ ନିଜ ପାଠରେ,

ଭାବ ଆଠରେ… ।୪।

କହେ ଦିନ ବଇକୁଣ୍ଠ      ତା ମାୟା ବୁଝିବା କଷ୍ଟ

ତାକୁ କେ ଜିଣି ପାରିବ ଷାଠରେ,

ଭାବ ଆଠରେ… ।୫।

 

(ନବମ ସ୍କନ୍ଧ)

(ବାଇମନରେ ବସି ହରି ଭଜୁଥା – ବୃତ୍ତେ)

ଧନ ମଣିରେ ଏ ତ ନବମବାଣୀ

ଅମ୍ବରିଷଙ୍କ ତାରଣ କାହାଣୀ ।୦।

 

ଆପେ ପ୍ରଭୁ କୋପେ      ପର୍ଶୁରାମ ରୂପେ

ଦରଶାଇ ଦେଲେ ଲିଜ କରଣି

ଧରି କ୍ଷାତ୍ର ବୃତ୍ତି            କରିଲେ ନକ୍ଷତ୍ରୀ

ମାରି ଯେତେ ଯୋଦ୍ଧା ଥିଲେ ଧରଣୀ ।୧।

ଶ୍ରୀରାମ ଲକ୍ଷ୍ମଣ            ଭରତ ଶତ୍ରୁଘ୍ନ

ଦଶରଥ ଘରେ ଜନ୍ମିଲେ ପୁଣି ।

ଋଷୀ ଯଜ୍ଞ ରଖି            ହୋଇ ବହୁ ସୁଖୀ

ଗ୍ରହିଲେ ଜନକ କନ୍ୟାର ପାଣି ।୨।

ପାଳି ପିତୃସତ୍ୟ            ପ୍ରଭୁ ରଘୁନାଥ

ଗଲେ ବନେ ସଙ୍ଗେ ଭାରିଯା ଭାଇ

ଭଗ୍ନୀ ଅପମାନ            ଛଳେ ଦଶାନନ

ଜନକନନ୍ଦିନୀ ନେଲା ଚୋରାଇ ।୩।

ସୀତାଙ୍କ ସନ୍ଧାନ            ପାଇ ହନୁମାନ

ଲଙ୍କାଗଡ଼ ଜାଳି ଫେରିଲା ପୁଣି

ରାମ ଲଇକ୍ଷଣ            ଧରି କପିଗଣ

ରାବଣ ମାଇଲେ ବୈକୁଣ୍ଠ ଭଣି ।୪।

 

(ଦଶମ ସ୍କନ୍ଧ)

(ଦେଖ ଦେଖ ହୋ ମନେ ମନ – ବୃତ୍ତେ)

ଭାବେ ଭାବ ହୋ ପ୍ରେମୀ ଜନେ ଦଶମ ଲୀଳା

ବ୍ରଜ ଯୁବରାଜ ପାଦେ ମନକୁ ବଳା ।୦।

 

ଦେବକୀ ଗରଭୁ ହୋଇଣ ଜାତ

ବଢ଼ିଲେ ଗୋପରେ ଶ୍ରୀ ଗୋପୀନାଥ

ଆଠ ବର୍ଷେ ହରି            ଅଷ୍ଟ ମଲ୍ଲ ମାରି

କ୍ଷୀର ଖୋଇ ନିଜେ ପୁତନା ମଲା ।୧।

ମଧୁରେ ବଜାଇ ମୋହନ ବଂଶୀ

ଗୋପୀ ସଙ୍ଗେ ରଙ୍ଗେ ରାସରେ ରସି

ହୋନ୍ତେ ବାଞ୍ଛା ପୂର୍ଣ୍ଣ            ସେ କଂସ ରାଜନ

ନେବାକୁ ଅକ୍ରୁର ପଠାଇ ଦେଲା ।୨।

ମଥୁରା ପ୍ରବେଶ ହୁଅନ୍ତେ ହରି

ଦେଖି କଂସପ୍ରାଣ ଗଲା ବାହାରି

ସଂସାର ବେଭାର            କଲେ ଦ୍ଵାରକାର

ଭାଶେ ବଇକୁଣ୍ଠ ସରସ ହେଲା ।୩।

 

(ଏକାଦଶ ସ୍କନ୍ଧ)

(ଶ୍ରୀ ଭାଗବତ ଭଜନମାଳା – ବୃତ୍ତେ)

ଶୀରି ଏକାଦଶେ ସକଳ ସିଦ୍ଧି

ଅନୁଭବେ ଖଟା ତୋ ହେତୁ ବୁଦ୍ଧି ।୦।

 

ସଂସାରୀ ଉଦ୍ଧବ            ଆଗରେ ମାଧବ

କହିଲେ ଯେ ଜୀବ – ପରମ ବିଧି

ଚାରି ବର୍ଣ୍ଣାଶ୍ରମ            ଆଗମ ନିଗମ

ଶୁଣି ସେ ମଣିଲା କି କୋଟିନିଧି ।୧।

ପାଇ ଦିବ୍ୟଜ୍ଞାନ            ତୁଟାଇଣ ଭ୍ରମ

ଶ୍ରୀକୃଷ୍ଣ ପାଦୁକା ମୁଣ୍ତରେ ଲଦି

ବଦ୍ରିକାରେ ଯାଇଁ            ଆସନ ଜମାଇ

ନାମକୁ ରଟିଲା ପ୍ରେମରେ କାନ୍ଦି ।୨।

ବ୍ରାହ୍ମଣଙ୍କ କୋପେ            ନିଜ ବଂଶ ଆପେ

ମରାଇଲେ ପୁଣି ସେ ଦୟାନିଧି ।

ସାରି ସବୁ କେଳି            ପ୍ରଭୁ ବନମାଳୀ

ଯିବାକୁ ସ୍ଵସ୍ଥାନେ କଲେ ସମାଧି ।୩।

ଭାଇ ବନ୍ଧୁ ଜନ            କରିଣ କ୍ରନ୍ଦନ

କହିଲେ ବିଧାତା କଲା ଅବିଧି ।

ଭାଳେ ବଇକୁଣ୍ଠ            ଶୁଣି କୃଷ୍ଣ କଷ୍ଟ

ନ ମରି ରହିଲେ ମୁଁ ମନ୍ଦବୁଦ୍ଧି ।୪।

 

(ଦ୍ଵାଦଶ ସ୍କନ୍ଧ)

(ବୃନ୍ଦାରଣ ସାର୍ବଭୌମ୍ୟ ଦମ୍ପତ୍ତି ହେ ରାଧାଗୋବିନ୍ଦ – ବୃତ୍ତେ)

ଭାଗବତ ଶେଷ ଦ୍ଵାଦଶ ଖଣ୍ତ ହେ ଶୁଣ ସୁଜନେ

ପ୍ରଳୟ କାଳରେ ଋଷି ମାର୍କଣ୍ତ ହେ ଶୁଣ ସୁଜନେ ।୧।

ବଟ ପୁଟେ ବିଷ୍ଣୁ ଦର୍ଶନ କଲେ ହେ ଶୁଣ ସୁଜନେ

କଳି କବଳରୁ ଉଦ୍ଧାର ହେଲେ ହେ ଶୁଣ ସୁଜନେ ।୨।

ଏହାପରେ ଶୁଣ ଆଗତ ଗୀର ହେ ଶୁଣ ସୁଜନେ

କଳିଯୁଗେ ଚଳନର ବେଭାର ହେ ଶୁଣ ସୁଜନେ ।୩।

ଗୁରୁ ବନିଥିବେ ପଣକୁ ପଣେ ହେ ଶୁଣ ସୁଜନେ

ଶିଷ୍ୟ ଥିବେ କେହି କୋଟିକେ ଜଣେ ହେ ଶୁଣ ସୁଜନେ ।୪।

ସତ ଆଚରଣ ପଡ଼ିବ ଉଣା ହେ ଶୁଣ ସୁଜନେ

ଅସତ ଆଚାରେ ହୋଇବେ ବଣା ହେ, ଶୁଣ ସୁଜନେ ।୫।

ସ୍ଵୟଂ ଭଗବାନ ଗୁପତେ ଥିବେ ହେ ଶୁଣ ସୁଜନେ

ପାଖାଣ୍ତିଏ ପ୍ରଭୁ ଭଣାଇ ହେବେ ହେ ଶୁଣ ସୁଜନେ ।୬।

ପାପ ଭରା ଯେବେ ବଳାଇ ଯିବ ହେ ଶୁଣ ସୁଜନେ

କଳିକ ମହିମା ଜାହିର ହେବ ହେ ଶୁଣ ସୁଜନେ ।୭।

ଦୁଃଖ ସହିଥିବ ଯେତେ ଭକତ ହେ ଶୁଣ ସୁଜନେ

ସତ୍ୟେ ବିକଶିବ ତାଙ୍କ ମହତ୍ତ୍ଵ ହେ ଶୁଣ ସୁଜନେ ।୮।

ଶାନ୍ତି ଓ ସହିଷ୍ଣୁ ଥିବେ ଯେମାନେ ହେ ଶୁଣ ସୁଜନେ

ଧନ୍ୟ ହେବେ ସେହି ବୈକୁଣ୍ଠ ଭଣେ ହେ ଶୁଣ ସୁଜନେ ।୯।