କନକାଂଗୀ ଧନୀ ରାଇ ଗୋ, ଫୁଲ ବଉଳବେଣୀ
କଦମ୍ବ ମୂଳିଆ ଚନ୍ଦ୍ରିକା ଚୂଳିଆ
କହ୍ନାଇ ତୋ ଲାଗି ବାଇ ଗୋ, ଫୁଲ ବଉଳବେଣୀ ।୧।
ଖଣ୍ଡ କ୍ଷୀର ଖିଆ ରସି ଗୋ ! ଫୁଲ ବଉଳବେଣୀ
ଖେଳ ଖିଆଲିଆ ରାଧେ ବୋଲି କିଆଁ
ଖରାବେଳେ ବାଏ ବଂଶୀ ଗୋ ! ଫୁଲ ବଉଳବେଣୀ ।୨।
ଗଣ୍ଠିଧନ ଜାଣୁକିନା ଗୋ ! ଫୁଲ ବଉଳବେଣୀ
ଗୋକୁଳ ସୁନ୍ଦର ଗୋପ ରାଣୀଙ୍କର
ଗଳା ମରକତ ମୀନା ଗୋ ! ଫୁଲ ବଉଳବେଣୀ ।୩।
ଘଟଣ ଶ୍ରୀମୁଖ ତୋରା ଗୋ ! ଫୁଲ ବଉଳବେଣୀ
ଘନ ବରନିଆଁ ଶ୍ରୀ ବୃନ୍ଦାବନିଆଁ
ସବୁରି ଦୁଃଖ ପାସୋରା ଗୋ ! ଫୁଲ ବଉଳବେଣୀ ।୪।
ଉପମା ଅଛି କି କାହିଁ ଗୋ ! ଫୁଲ ବଉଳବେଣୀ
ଉଭା ହେବା ଶୋଭା ଅତି ମନ ଲୋଭା
ଚଉଦ ଭୁବନେ ନାହିଁ ଗୋ ! ଫୁଲ ବଉଳବେଣୀ ।୫।
ଚତୁର ନାଗର ବର ଗୋ ! ଫୁଲ ବଉଳବେଣୀ
ଚନ୍ଦନ ପାଟିଆ ଧଇର୍ଯ୍ୟ ଲୁଟିଆ
ଚମତ୍କାର ବେଶ ତାର ଗୋ ! ଫୁଲ ବଉଳବେଣୀ ।୬।
ଛଇଳୀ ଚନ୍ଦ୍ରମା ମୁଖୀ ଗୋ ! ଫୁଲ ବଉଳବେଣୀ
ଛାଡ଼ିଦେବେ ସତୀ ପତି ବରତକୁ
ଛଇଛଟା ଭଙ୍ଗୀ ଦେଖି ଗୋ ! ଫୁଲ ବଉଳବେଣୀ ।୭।
ଜଗତ ମୋହନ ଠାଣି ଗୋ ! ଫୁଲ ବଉଳବେଣୀ
ଜନମି ଅଛନ୍ତି ଏବ୍ରଜ ମଣ୍ଡଳେ
ଶିଳା କରିବାକୁ ପାଣି ଗୋ ! ଫୁଲ ବଉଳବେଣୀ ।୮।
ଝଳି ନୀଳମଣି-କାନ୍ତି ଗୋ ! ଫୁଲ ବଉଳବୋଣୀ
ଝୁମୁ ଝୁମୁ ପାଦ ନୂପୁର ନାଦରେ
ନାରୀ ଚିତ୍ତ ଚମକାନ୍ତି ଗୋ ! ଫୁଲ ବଉଳବେଣୀ ।୯।
ନିକୁଞ୍ଜ କାନନ ବୁଲା ଗୋ । ଫୁଲ ବଉଳବେଣୀ
ନିତି ନୂଆ ନୂଆ ଭାବ ବିନୋଦିଆ
ନାଗରୀ ମାନସ ଭୁଲା ଗୋ ! ଫୁଲ ବଉଳବେଣୀ ।୧୦।
ଟହକ ମୁରୁକିହସା ଗୋ ! ଫୁଲ ବଉଳବେଣୀ
ଟଳାଇ ଦିଅନ୍ତି ଦମ୍ଭ ଅଭିମାନ
ଟିକେ ଉଚ୍ଚାରିଲେ ଭାଷା ଗୋ ! ଫୁଲ ବଉଳବେଣୀ ।୧୧।
ଠଣ ସୁନ୍ଦର ମୂରତି-ଗୋ ! ଫୁଲ ବଉଳବେଣୀ
ଠାକୁର ପଣକୁ ଯୋଗ୍ୟ ଏକା ସେହି
ଠଉରାଇଛି ମୋ ମତି ଗୋ ! ଫୁଲ ବଉଳବେଣୀ ।୧୨।
ଡମ୍ବରୁ ସରୁ କଟିଆ ଗୋ ! ଫୁଲ ବଉଳବେଣୀ
ଡୋଳା ଢାଳି ବାଙ୍କେ ଚାହିଁବା ମାତ୍ରକେ
ତରଳାଇ ଦ୍ୟନ୍ତି ହିଆ ଗୋ ! ଫୁଲ ବଉଳବେଣୀ ।୧୩।
ଢମାଳି ସଙ୍ଗୀତ ଗାଇ ଗୋ ! ଫୁଲ ବଉଳବେଣୀ
ଢଙ୍ଗେ ରଙ୍ଗେ ବନ ନାଚି ଆସୁଥାନ୍ତି
ମୋହନ ବେଣୁ ବଜାଇ ଗୋ ! ଫୁଲ ବଉଳବେଣୀ ।୧୪।
ଅଣିମାଦି ଅଷ୍ଟନିଧି ଗୋ ! ଫୁଲ ବଉଳବେଣୀ
ଅଛି ସବୁଯାକ କୃଷ୍ଣ ପାଦ ତଳେ
ଅମର ଭୁବନ ନିଧି ଗୋ ! ଫୁଲ ବଉଳବେଣୀ ।୧୫।
ତପତ ହାଟକ ଗୋରୀଗୋ ! ଫୁଲ ବଉଳବେଣୀ
ତମାଳ ଶ୍ୟାମଟି ତାର ପତି ହେବେ
ତପସ୍ୟା ଯେ ଥିବ କରି ଗୋ ! ଫୁଲ ବଉଳବେଣୀ ।୧୬।
ଥରେ ଯେ ଦେଖିବ ତାଙ୍କୁ ଗୋ ! ଫୁଲ ବଉଳବେଣୀ
ଥୋଇଦେବ ନିଶ୍ଚେ କୁଳ ଲାଜ ଭୟ
ଆଦର ଯେ ଗରିମାକୁ ଗୋ ! ଫୁଲ ବଉଳବେଣୀ ।୧୭।
ଦରିଦ୍ର ସଙ୍ଖାଳି ସେତ ଗୋ ! ଫୁଲ ବଉଳବେଣୀ
ଦରଫୁଟା କଳା- କଞ୍ଚ ଗର୍ବ ଦଳାୟ
ଦେହ ମୃଦୁ ସହଜେତ ଗୋ ! ଫୁଲ ବଉଳବେଣୀ ।୧୮।
ଧଇର୍ଯ୍ୟ ଛାର ବା କେତେ ଗୋ ! ଫୁଲ ବଉଳବେଣୀ
ଧରାମଣ୍ଡନା କେ ବିକି ନ ହୋଇବ
ଧୀର ଲଳିତ ସୁଗାତ୍ରେ ଗୋ ! ଫୁଲ ବଉଳବେଣୀ ।୧୯।
ନବ କିଶୋର ବୟସ ଗୋ ! ଫୁଲ ବଉଳବେଣୀ
ନର୍ତ୍ତନ ମାଧୁରୀ ନବୀନ ଚାତୁରୀ
ନବ ନଟବର ବେଶ ଗୋ ! ଫୁଲ ବଉଳବେଣୀ ।୨୦।
ପରମାନନ୍ଦଙ୍କ ଭାବେ ଗୋ ! ଫୁଲ ବଉଳବେଣୀ
ପଦତଳ ଦାସୀ ହେବାକୁ ମନାସୀ
ପାର୍ବତୀ ରମା ଝୁରିବେ ଗୋ ! ଫୁଲ ବଉଳବେଣୀ ।୨୧।
ଫଗୁ ଅଧରୀ ରାଧିକେ ଗୋ ! ଫୁଲ ବଉଳବେଣୀ
ଫଣୀ ମର୍ଦ୍ଦନିୟା ପ୍ରୀତି ବର୍ଦ୍ଧନିୟାଁ
ଫାନ୍ଦରେ ନ ଭୁଲିବ କେ ଗୋ ! ଫୁଲ ବଉଳବେଣୀ ।୨୨।
ବକିଂମ ତା ଅନାଉଣି ଗୋ ! ଫୁଲ ବଉଳବେଣୀ
ବଳେ ଝିକିଂନିଏ ଚୁମ୍ବକ ପରାୟେ
ବରବଧୂ ବାଇଆଣୀ ଗୋ ! ଫୁଲ ବଉଳବେଣୀ ।୨୩।
ଭଙ୍ଗିଆ ବଟୁ ସଙ୍ଗିଆ ଗୋ ! ଫୁଲ ବଉଳବେଣୀ
ଭଲା କିମିଆଁ ସେ କାହୁଁ ଶିଖି ଅଛି
ଭେଳିକି ଲଗା ରଙ୍ଗିଆ ଗୋ ! ଫୁଲ ବଉଳବେଣୀ ।୨୪।
ମୟୂର ଚନ୍ଦ୍ରିକା ନିତି ଗୋ ! ଫୁଲ ବଉଳବେଣୀ
ମଥାରେ ସେ ନିତି ବାମେ ଖୋସିଥାଏ
ମଞ୍ଜୁ ଗୁଞ୍ଜମାଳ ଘିନି ଗୋ ! ଫୁଲ ବଉଳବେଣୀ ।୨୫।
ଯତି ମତି ଭୁଲା ଶ୍ୟାମ ଗୋ ! ଫୁଲ ବଉଳବେଣୀ
ଯନ୍ତ୍ର ମୂରଲୀଟି ଫୁଙ୍କି ସେ ଜାଣଇଁ
ଯତନେ ଭବାରି ନାମ ଗୋ ! ଫୁଲ ବଉଳବେଣୀ ।୨୬।
ରସରାଜ ଚକ୍ରବର୍ତ୍ତୀ ଗୋ ! ଫୁଲ ବଉଳବେଣୀ
ରଭିଦ୍ମାଧରେ ତା ମନ୍ଦ ମନ୍ଦ ହାସ
ରଖି ନ ଦିଅଇ ଧୃତି ଗୋ ! ଫୁଲ ବଉଳବେଣୀ ।୨୭।
ଲପନ ଚନ୍ଦ୍ରମା ଶିରୀ ଗୋ ! ଫୁଲ ବଉଳବେଣୀ
ଲକ୍ଷ୍ୟ ନାହିଁ ତାକୁ କୋଟିଏ ବ୍ରହ୍ମାଣ୍ଡେ
ଲବଣ୍ୟାମୃତ ମାଧୁରୀ ଗୋ ! ଫୁଲ ବଉଳବେଣୀ ।୨୮।
ବନମାଳୀ ବକ୍ଷତଟ ଗୋ ! ଫୁଲ ବଉଳବେଣୀ
ବରନିବି ଦିବା ନୀଳେନ୍ଦ୍ର ମଣିର
ବେନି ଫାଳିଆ କବାଟ ଗୋ ! ଫୁଲ ବଉଳବେଣୀ ।୨୯।
ଶରଣ ବତ୍ସଳ ସେ ତ ଗୋ ! ଫୁଲ ବଉଳବେଣୀ
ଶୁଣିଥିବୁ କାନେ ଶିଶୁଦିନୁ ପରା
ଶକଟା କଲେ ନିପାତ ଗୋ ! ଫୁଲ ବଉଳବେଣୀ ।୩୦।
ଷଣ୍ଢାବକା ଅଘା ଦୈତ୍ୟ ଗୋ ! ଫୁଲ ବଉଳବେଣୀ
ଷଟ୍ପଦ ମିତ୍ରଙ୍କ ହସ୍ତେ ନାଶଗଲେ
ଷଡ଼ଯନ୍ତ୍ର କରି ସେ ତ ଗୋ ! ଫୁଲ ବଉଳବେଣୀ ।୩୧।
ସଂସାର ସାର ମୋହନ ଗୋ ! ଫୁଲ ବଉଳବେଣୀ
ସକଳ ଗୁଣରେ ଶ୍ରେଷ୍ଠ ସେ ଅଟନ୍ତି
ସମ କାହିଁ ତାକୁ ଆନ ଗୋ ! ଫୁଲ ବଉଳବେଣୀ ।୩୨।
ହଟ ଚମଟିଆ ହରି ଗୋ ! ଫୁଲ ବଉଳବେଣୀ
ହେ ରାଧିକେ ତୋର ହେବେ ନିଶ୍ଚେ ବର
ହୃଦରେ ଥାଅ ବିଚାରି ଗୋ ! ଫୁଲ ବଉଳବେଣୀ ।୩୩।
କ୍ଷଣକାନ୍ତି-କାନ୍ତି ଧନୀ ଗୋ ! ଫୁଲ ବଉଳବେଣୀ
କ୍ଷୀଣମଧ୍ୟା ! ତୋର ପଦାବ୍ଜ କିଙ୍କରୀ
କ୍ଷେମେ ବୈଷ୍ଣବ ଅଜ୍ଞାନୀ ଗୋ ! ଫୁଲ ବଉଳବେଣୀ ।୩୪।