ହିତକଥା

ବୈକୁଣ୍ଠନାଥ ବ୍ରହ୍ମଚାରୀ

 

 

ସତ୍ୟ ହିଁ ଈଶ୍ୱର      ସତ୍ୟ ହିଁ ସୁନ୍ଦର

ସତ୍ୟ ଶିବ, ପ୍ରେମମୟ,

ସତ୍ୟ ହିଁ ନିର୍ମଳ      ଆନ ସବୁ ମଳ

ସତ୍ୟର ନାହିଁ ତ ଲୟ ।୧।

ସବୁ ଯୁଗ ଗାଏ      ସତ୍ୟର ବିଜୟ

ମିଥ୍ୟା ଲଭେ ପରାଜୟ,

ସତ୍ୟର ମହତ୍ତ୍ୱ      ଅଚିନ୍ତ୍ୟ ଅବ୍ୟକ୍ତ

ବୁଝି ସତ୍ୟାଶ୍ରୟୀ ହୁଅ ।୨।

ସତ୍ୟର ମହିମା      ଜାଣେ ଯେ ମହାତ୍ମା

ବିଭୂତି ସେ ମାନେନାହିଁ

ବିଭୂତି ତ ମାୟା      ମରିଚିକା ଛାୟା

ଅଳ୍ପ କାଳ ତାହା ସ୍ଥାୟୀ ।୩।

ଯିଏ ଲଭେ ସିଦ୍ଧି,      ଆଦରଶବାଦୀ

ହୋଇ କରିଯାଏ କର୍ମ

ତାଙ୍କୁ ଅନୁସରି       କେତେ ନରନାରୀ

ଆଚରନ୍ତି ସେହି ଧର୍ମ ।୪।

ଭବବାନ ଅତି      ଗୋପନେ ଅଛନ୍ତି

ବୋଲି ଲୋଡୁଥାନ୍ତି ଜନେ,

ମୁକୁତା ଗୁପତ      ପ୍ରଘଟିଲେ ନଷ୍ଟ

କହିଛନ୍ତି ମହାଜନେ ।୫।

ବିଭୁ ଦରଶନ       ଭକ୍ତି ବିନେ ଆନ

କାହିଁରେ ମିଳିବ ନାହିଁ ।

ଗାଡ଼ି ଗାଡ଼ି ପାଠ      ପଢ଼ିକି ହୋଇବ

ପଣ୍ଡିତ ନାମ ଭଣାଇଁ ।୬।

ଭକତି ହିଁ ସାର      ପରଶୁ ପଥର

ପରଶି ନାହିଁ ଯା ହୃଦ

ଶାସ୍ତ୍ରେ ସନ୍ଥ ଜନ       କହିଛନ୍ତି ପୁଣ

ମାନବ ମଧ୍ୟେ ସେ ଗଧ ।୭।

ତିନି ଭୁବନର      କରତା ଈଶ୍ୱର

କରନ୍ତି ସେ ତାଙ୍କ ଲୀଳା,

ମୁଢ଼ ‘ମୁଁ-କାରତ୍ୱ’       ଭାବେ ହୋଇ ମତ୍ତ

ନିଜେ ଚାଞ୍ଛେ ନିଜ କିଳା ।୮।

ବିଶ୍ୱ ମଧ୍ୟେ ବିଭୁ      ଲୁଚିଛନ୍ତି ବୋଲି

ଖୋଜନ୍ତି ଯେ ଜ୍ଞାନୀ ବ୍ୟକ୍ତି,

ପ୍ରଭୁ ପଣ ଦମ୍ଭେ      ପ୍ରଚାର କେ କରେ

ଲଭି ସାମାନ୍ୟ ବିଭୂତି ।

ଲୋକ ଦେଖାଣିଆ      ଧରମ କରମ

ଅଳପ ଦିନର ପାଇଁ,

ଗୋପନରେ ରହି      କର୍ତ୍ତବ୍ୟ କରମ

କରି ଯାଉଥାଉ ଭାଇ ।୧୦।

ବନରେ କେତକୀ      ଫଟିଲେ ଅଟକି

ରହଇ କି ତାର ବାସ ?

ଆପେ ତା ସୁବାସ      ହୋଇ ପରକାଶ

ଚହଟାଏ ଦଶ ଦିଶ ।୧୧।

ଭାବିଲ, ଈଶ୍ୱର      ଯେତେ ଅବତାର

ହୋଇଛନ୍ତି ଏଇ ଭବେ,

ନିଜକି ନିଜେ ସେ       ଚିହ୍ନାଇ ହେବାର

ଶୁଣିଛ କି କେହି କେବେ ? ।୧୨।

ଜ୍ଞାନୀ ବ୍ୟକ୍ତି ନିଜ      ଜ୍ଞାନର ଗାରିମା

ଦେଖାଇ ହୁଅନ୍ତି ନାହିଁ,

ମୁରୁଖ ଦାଂଭିକ      ଗାଆଁ ଗାଆଁ ବୁଲି

ଜ୍ଞାନୀ ବୋଲି ହୁଏ କହି ।୧୩।

ନିଜ ଦୋଷ ଯେହୁ      ବିଚାର ନ କରି

ଦରଶାଏ ଆନ ଦୋଷ

ଅଧମ ଅଜ୍ଞାନ      ମଣିବ ତାହାକୁ

ଜାଣିବ ସେ ଅମଣିଷ ।୧୪।

ଜଗତରେ ଜଣେ       ଏକା ପ୍ରଭୁପଣେ

ଉଡ଼ାଇ ଅଛନ୍ତି ବାନା,

ଆନ ସର୍ବେ ମୂଢ଼      ଅହଙ୍କାରୀ ଜଡ଼

ସ୍ୱାର୍ଥେ ରତ ନୀଚମନା ।୧୫।

ହେ ଜଗତ ନାଥ      ଭକତେ ଅନାଥ

କରି କାହିଁ ଅଛ ରହି ?

କିଏ କେତେ କାହିଁ      ତୋ ନାମ ଭଣାଇ

ଗରବେ ହୋନ୍ତି ଫୁଲାଇ ।୧୬।

ଲୁଚି ଛପି ସାଧୁ      ସାଧମ କରନ୍ତି

ଭକତି ମୁକତି ବାଟ,

ଅଳ୍ପେ ଅଭିମାନୀ      ବୋଲାଇଣ ଜ୍ଞାନୀ

ହେଉଥାଏ ଭଟ ଭଟ ।୧୭।

ମଣିଷ ପଣିଆ      କର୍ମ ଆଚରିଲେ

ବିକସିବ ମାନବତ୍ଵ,

ଅଢ଼େଇ ଦିନିଆଁ      କଥାରେ କାହିଁକି

ବୃଥା ହେବା ଅସ୍ତ ବ୍ୟସ୍ତ ? ।୧୮।

ସସ୍ତା ସହଜରେ      ଧରମ ନମିଳେ

କଷ୍ଟେ ପ୍ରାପ୍ତ ହୋନ୍ତି କୃଷ୍ଣ

ପାଖାଣ୍ଡିଙ୍କ ମତ      ନକରିବ ହିତ,

ଶେଷେ ହେବ ନଷ୍ଟ ଭ୍ରଷ୍ଟ ।୧୯।

ପ୍ରଥମେ ଧରମ      ଶାସ୍ତ୍ରରୁ ମରମ

ଜାଣି କର ଗୁରୁନିଷ୍ଠା,

ଆନରେ ଭରମ      ନୋହି କର କର୍ମ

ତ୍ୟାଗ କରି ସ୍ୱପ୍ରତିଷ୍ଠା ।୨୦।

ଆସୁ ଯେତେ ସୁଖ       ଅବା ଯେତେ ଦୁଃଖ

ସମ ମଣି ଯାଅ ସହି,

ଭୟେ ଭକତିରେ      ଶରଣ ମାଗିଲେ

ଅଭୟ ମିଳିବ ଭାଇ ।୨୧।

ଗୁରୁ ଉପଦେଶ      ଅଟେ ତୋ ସର୍ବସ୍ୱ

ଦୃଢ଼ଭାବେ ତାହା ପାଳ,

ତେଜି ସବୁ ପ୍ରୀତି       ପ୍ରଭୁ ପ୍ରେମେ ମତି

ରଖ, ସେ ଶେଷ ସମ୍ବଳ ।୨୨।

ଓଁକାର ଧନୁରେ      ଯୋଖ ଆଶା ତୀର

ଲକ୍ଷ୍ୟ ଲଗା ବ୍ରହ୍ମ ଭାବେ,

ଧିଆନ ଧାରଣା      ତାହାପାଇଁ ସିନା

ତହିଁ ଲୀନ ହୁଅ ଲବେ ।୨୩।

ବିଭୂତି ବରଜ      ବିଭୁ ପ୍ରେମେ ମଳ

ଆତ୍ମାର ସଦ ଗତି ହେବ,

କାମନା ବାସନା      କରି କଳପଣା

ନ ପାଲଟ ବଦ୍ଧ ଜୀବ ।୨୪।

ସାଧୁ ଶାସ୍ତ୍ରେ କହି      ଯାଇଛନ୍ତି ଭାଇ

ବିଭୁତି କେଳା କୁହୁକ,

ଭେଳିକି ଲଗାଇ      ଜନ ମନ ମୋହି

ବୃଥାରେ ଭଣ୍ଡାଏ ଲୋକ ।୨୫।

ରୋଗର ମନ୍ଦିର      ଅଟେ ତ ଶରୀର

ମନେ କରନା ରେ ଟାଣ,

ଜଣା ତ ନ ଥିବ      କେବେ ଟଳିଯିବ,

ସରିବଟି ସବୁ ପଣ ।୨୬।

ସନ୍ଦେହୀ ଯେ ଜନ      ସଶଙ୍କିତ ମନ

ସଭିଙ୍କୁ ସନ୍ଦେହ କରେ,

ସନ୍ଦେହ ତାହାର      ହୃଦର ଆଧାର

ସରେ ନାହିଁ ଜୀବନରେ ।୨୭।

କର୍ମ ଯୋଗ ଯିଏ       ଅନ୍ୟକୁ ବୁଝାଏ

ନିଜେ କିଛି କରେ ନାହିଁ,

ବୃଥା ତା ଭାଷଣ      ଶୁଣିଲେ ହେଁ ଜନ

ଫିଙ୍ଗିଦ୍ୟନ୍ତି ଯହିଁ ତହିଁ ।୨୮।

ଅଥଳ ଜଳରେ      ରୋହିମତ୍ସ୍ୟ ଖେଳେ

ଜାଣି ନ ପାରନ୍ତି କେହି

ଅଳପ ବାରିରେ      ସର୍ଫରୀ ବିହରେ

ଦୁଇ କୂଳ ଚହଲାଇ ।୨୯।

ଧରମର ବାଟ      ସରଳ ନିପଟ

କପଟ ନ ଥାଏ ତହିଁ,

ଭକତି କୁମୁଦ      ଫୁଟେ ଯାର ହୃଦ

ଛାଏଁ ବାସ ଚହଟଇ ।୩୦।

ଟେକାଟେକି ପଣ      କେତେ କାଳ ପୁଣ

ଅଳପକେ ଯିବ ସରି;

ଦୁନିଆକୁ ଫାଙ୍କି      ଠାକୁରଙ୍କୁ ଠକି

ନେବ କେଉଁ ବାହାଦୁରୀ ?।୩୧।

ନେତା ହୋଇ ପର            ଉପକାର କର

ପରକୁ ଆପଣା ମଣ

ଧପାବାଜୀ ମାରି      ସଫେଇ ଗୁଜ୍ଜରୀ

ନଦେଖା ଚତୁର ପଣ ।୩୨।

ଜଗତ କରତା       ତିନି ଲୋକ ପିତା

ସୃଷ୍ଟିରେ ବଡ଼ ସେ ଏକା,

ଏ କଥା ନ ଭାବି      ବଡ଼ ବୋଲି ଦାବୀ

କରୁଥାନ୍ତି ପଞ୍ଝା ବୋକା ।୩୩।

ବାୟସ ପୁଚ୍ଛରେ       ଚନ୍ଦ୍ରିକା ଖଞ୍ଜିଲେ

ସେ କାହିଁ ମୟୂର ହେବ,

ରାମ ଦଣ୍ଡଧାରୀ      ରାମିଆ ଭଣ୍ତାରୀ

ସଙ୍ଗେ କେ ଉପମା ଦେବ ? ।୩୪।

ଧନ ଯଉବନ      ମାନ ଅଭିମାନ

ଦିନେ ତ ହୋଇବ ପଣ୍ଡ,

ହଟାଅ ଏ ମୋହ      ବିଭୁ ପାଦେ ସ୍ନେହ

ବଳାଇ ସେ ବାଟ ଉଣ୍ତ ।୩୫।

ଆକାଶୁ ଉଦାର      ଭାବ ଶିକ୍ଷାକର

ଧରଣୀରୁ ସହିଷ୍ଣୁତା,

ସାଗର ପରାୟ      ଗଭୀର ହୃଦୟ

ହୋଇ କର ଆତ୍ମଚିନ୍ତା ।୩୬।

ନିଜଠାରୁ ସବୁ      ଦୋଷ ବାଛି ବାବୁ

ବାହାରେ ଫୋପାଡ଼ି ଦିଅ,

ଆନ ଦୋଷ ଗୁଣ      ଶ୍ରବଣେ ନଶୁଣ

ତହୁଁ ଦୂରକୁ ପଳାଅ ।୩୭।

କାମିନୀ କାଞ୍ଚନ      ନିବିଡ଼ ବନ୍ଧନ

କଣ୍ଟକ ମୁକତି ରାଜ୍ୟେ

ନିର୍ଲୋଭ ନିଷ୍କାମ      ଭାବରେ କରମ

କରି ଚଳ ଏ ସମାଜେ ।୩୮।

ବିଷୟର ଭୋଗ      ନ କରୁଣୁ ଆଗ

ଭକ୍ତି ତେଲ ଦେହେଁ ବୋଳ,

ପଦ୍ମ ପତ୍ରେ ବାରି      ନ ଲାଗିବା ପରି

ବାଧିବ ନାହିଁ ଜଞ୍ଜାଳ ।୩୯।

କପାଳ ଲିଖନ      ନହୋଇବ ଆନ

ନିୟତି ଲେଖିଛି ଯାହା,

ନାହିଁ କା ସାମର୍ଥ୍ୟ      ନେଇଣ ଉତ୍କୋଚ

ପାଲଟାଇ ଦେବ ତାହା ।୪୦।

କରମ କଷଣ      ସହିଣ ପାଷାଣ

ପରାୟେ ଥାଅରେ ପଡ଼ି,

କରୁଥା ଜଣାଣ      ମାଗୁଥା ଶରଣ

କ୍ଷଣେ କଷ୍ଟ ଯିବ ଉଡ଼ି ।୪୧।

ଧରମ ସାଧନା      ଶରୀର କରେନା

ସାଧ୍ୟ ହୁଏ ମନ ଯୋଗେ,

ତ୍ୟାଗ ନ ଆଚରି      ଭୋଗ ବାଞ୍ଛାକରି

ବୁଡ଼ କିଆଁ ଭବରୋଗେ ? ।୪୨।

ଉନ୍ନତି ପଥରେ      ଆଗେଇ ଚାଲରେ

ବାଧା ବିଘ୍ନ ଏଡ଼ିଦେଇ,

ଅଦମ୍ୟ ଉତ୍ସାହେ      ଲାଗିଥା ଆଗ୍ରହେ

ଆନେ କାନ ଦିଅ ନାହିଁ ।୪୩।

ଦେହ ମନ ପ୍ରାଣ      ଯାହାର ସୃଜନ

ତା ପାଦେ କରି ଅର୍ପଣ

ତାର ପ୍ରୀତି ପାଇଁ      ଅନାଶକ୍ତ ହୋଇ

କର କର୍ତ୍ତବ୍ୟ ପାଳନ ।୪୪।

ଜନମଭୂମିର      ଯତ୍ନେ ସେବାକର

ମାଆ ସେବାରୁ ସେ ବଡ଼,

କର ଅବା ମର      କର୍ମ କ୍ଷେତ୍ରେ ତୋର

ଛିଡ଼ା ହୁଅ ଭିଡ଼ି ଗୋଡ଼ ।୪୫।

ନାହିଁ ନାହିଁ କହି      ସାଇ ବୁଲ ନାହିଁ

ଭିକ୍ଷାବୃତ୍ତି ଦୀକ୍ଷା ଧରି,

ଏ ବିଶ୍ଵ ଯାହାର      ଇଙ୍ଗିତୁ ବାହାର

ଆମ୍ଭେ ସନ୍ତାନ ତାହାରି ।୪୬।

ପାପ ଦୁର୍ବଳତା      କରନା ରେ ଚିନ୍ତା

ଚେତନା ଜାଗ୍ରତ କର,

ସରବ ଅଭାବ      ଦୂରେଇଣ ଯିବ

ହେଲେ ଆତ୍ମନିଷ୍ଠାପର ।୪୭।

ହୋଇ ରାଜପୁତ୍ର      ଅଭାବରେ ବ୍ୟସ୍ତ

ହେବା ଦେଖିଛ କି କେବେ ?

ନାନା ଉପହାର      ଦେଇଥାନ୍ତି ନର

ତାଙ୍କୁ ରାଜୋଚିତ ଭାବେ ।୪୮।

ପରଠାରେ ଯେହୁ      ହିଂସା କରେ ସେହୁ

ନିଜେ ଭୋଗେ ପ୍ରତିଫଳ,

ପର ଦୁଃଖେ ଦୁଃଖୀ       ପର ସୁଖେ ସୁଖୀ

ହୁଏ ଯା ହୃଦ ନିର୍ମଳ ।୪୯।

ନର, ନାରୀ ଯେତେ       ଦେଖିଛ ଜଗତେ

ସବୁ ବ୍ରହ୍ମ ମାୟା ରୂପ,

ସବୁରି ଅନ୍ତରେ       ଆତ୍ମା ସ୍ୱରୂପରେ

ରହିଛନ୍ତି ହୋଇ ଗୋପ୍ୟ ।୫୦।

ନର ନାରାୟଣ       ପିତା ପ୍ରାୟ ମଣ

ନ ଗଣ ମନରେ ଆନ,

ସସାଗରା ଧରା      ବ୍ରହ୍ମମୟ ପରା

ଦେଖରେ ଜ୍ଞାନ ନୟନ ।୫୧।

ଏ ମହୀ ମଣ୍ଡଳେ      ଦେହ ଧରିଥିଲେ

ରୋଗ ଶୋକ ଦିଏ ଦେଖା,

ସବୁରି ଲଲାଟେ      ଅକସ୍ମାତେ ଜୁଟେ

ଅଟେ ସେ ନିୟତି ଲେଖା ।୫୨।

ସମୟ କାହାରେ      ଅପେକ୍ଷା ନ କରେ

ଗଡ଼ି ଚାଲିଯାଏ ବେଳ,

ଆଜିକାର କଥା      କାଳିକା ବ୍ୟବସ୍ଥା

ନକରି ସାର ଚଞ୍ଚଳ ।୫୩।

ଗତ ହେଲା ଯାହା      ଭୁଲି ଯାଅ ତାହା

ନ ଭାବରେ ଭବିଷ୍ୟତ,

ବର୍ତ୍ତମାନ ଶୁଭ      ଦିଶେ ଯା ତୋ ଆଗ

କରି ଯା ନହୋଇ ବ୍ୟସ୍ତ ।୫୪।

ସତ୍ୟେ ମନ ରଖି      ନିଜକୁ ନିରେଖି

ସଳଖି ପକାଅ ପାଦ,

ଖସଡ଼ା ବାଟ ଏ       ଖସିଯିବ ଯିଏ

ସାର ହେବ ପରମାଦ ।୫୫।

ଦୋରଙ୍ଗି ଦୁନିଆଁ      ଜାଣିଥା ମନୁଆ

ଅଟଇ ବଡ଼ ଜଟିଳ,

ହୋଇ ହୁସିଆର      କର କାରବାର

ନ ବାଧିବ ଗଣ୍ଡଗୋଳ ।୫୬।

ଘୃଣା କର ନାହିଁ      କାହାରିକୁ ତୁହି

ସାମ ବଡ଼ ସମସରି,

ଭୁଲିଯାଅ ଭେଦ      ତୁଟାଅରେ ଦ୍ୱନ୍ଦ୍ୱ

ଜ୍ଞାନେ ଦିଅ ହୃଦ ଭରି ।୫୭।

ଭବେ କ୍ଷୁଦ୍ର ଜ୍ଞାନୀ      ମନେ ଆଣି ଗ୍ଳାନି

ମଣୁଥାନ୍ତି ଆନ ଆନ

ପୂର୍ଣ୍ଣ ଜ୍ଞାନୀ ସାର      କରେ ସେ ବିଚାର

ବ୍ରହ୍ମହୁଁ ନୋହେ କେ ଭିନ୍ନ ।୫୮।

ନରକ ସରଗ       ଏହିଠାରେ ଭୋଗ

ଦେହ ଅନ୍ତେ କିଛି ନାହିଁ,

ନ ବୁଝି ମରମ      ହୋଇଣ ଭରମ

ମାତ୍ର ଲୋକେ ଥାନ୍ତି ରହି ।୫୯।

ପୂଣ୍ୟେ ସ୍ୱର୍ଗ ସୁଖ      ପାପେ ନର୍କ ଦୁଃଖ

ବନ୍ଧନ ଉଭୟ ଭାଇ,

ଏ ଦୁଇ କାମନା       ଫିଙ୍ଗି ଦେଲେ ସିନା

ଦ୍ଵନ୍ଦ୍ଵରୁ ମିଳିବ ତ୍ରାହି ।୬୦।

ଦମ୍ଭୀ ଗର୍ବ ଟାଣେ      ଗାଳିଦିଏ ଆନେ

ନିଜକୁ ଭଣାଇ ବଡ଼,

ସହିପାରେ ଯିଏ      ସେହି ବଡ଼ ହୁଏ

ଏହା ନ ବୁଝଇ ମୂଢ଼ ।୬୧।

ମୁରୁଖ ଅବୋଧ      ଜନେ ଆଶୀର୍ବାଦ

ଦାନ କରେ ସିନା ସାଧୁ,

ଦୋଷୀ ଦୋଷ କ୍ଷମା କରନ୍ତି ମହାତ୍ମା

ଯେତେ ସେ ନିନ୍ଦିବ ନିନ୍ଦୁ ।୬୨।

କରମ କରିବା       ଆଗୁ ବିଚାରିବା

ଉଚିତ କି ଅନୁଚିତ,

ନୋହିବ ବିପଦ,      ହୋଇବ ଆନନ୍ଦ

ଅସ୍ଥିର ନ ହେବ ଚିତ୍ତ ।୬୩।

ସବୁରି ଅନ୍ତରେ      ଜ୍ଞାନ ଗୁପତରେ

ପୂରିଅଛି ଜାଣିଥାଅ,

ସତ୍ୟର ଛାଞ୍ଚଣୀ       ହାତେ ଧରି ପୁଣି

ଅଳିଆ ଓଳାଇ ଦିଅ ।୬୪।

ସଫା ହେଲେ ମଳି       ଦିଶିବଟି ଝଳି

ଜ୍ଞାନର ସ୍ୱରୂପ ନେତ୍ରେ,

ସତ୍ୟ ପ୍ରକାଶିବ       ଅନ୍ଧାର ଲୁଚିବ

ପୁଲକ ଭରିବ ଗାତ୍ରେ ।୬୫।

ଅନ୍ତର ଦୃଷ୍ଟିରେ       ଧ୍ୟାନକରି ଥରେ

ବ୍ରହ୍ମରେ      ଲଗାଅ ଲୟ

ନ ରହିବ ଭୟ       ଲଭିବ ଅଭୟ

ଘୁଞ୍ଚିଯିବ ମାୟା ମୋହ ।୬୬।

ବୈଷୟିକ ସୁଖ       ଅଟେ ମହାଦୁଃଖ

ଭଲ ତ ନୁହେଁ ସେ ଭେଲ,

ବିଷୟରେ ମତି      ମଜାଇଲେ ଅତି

ସାର ଶେଷେ କଲବଲ ।୬୭।

ଭକ୍ତି ଶାନ୍ତି ମୈତ୍ରୀ       ସର୍ବ ଜନେ ପ୍ରୀତି

ଅରଜିବା ଇଚ୍ଚାକର,

ପଥକୁ ପାଥେୟ      ହେବ ସେ ନିଶ୍ଚୟ

ସନ୍ତୁଷ ହେବେ ଈଶ୍ୱର ।୬୮।

ସାଧୁଙ୍କର କୋପ      ଅବା ଅଭିଶାପ

ସାଧାରଣ ପକ୍ଷେ ବର

ଅହଲ୍ୟା, ଗୌତମ      ଇନ୍ଦ୍ର, ଚିତ୍ରସେନ

କାହାଣୀ ମନେ ବିଚାର ।୬୯।

ଦି ଦିନ କୁଣିଆଁ        ହୋଇ ଏ ଦୁନିଆଁ

ଦ୍ଵନ୍ଦ୍ୱରେ ହୁଅନା ଘାଣ୍ଟି,

ଯାହାର ଆଦେଶେ       ଆସିଛୁ ଏଦେଶେ

ଦିଅ ସେଥି ପ୍ରତି ଦୃଷ୍ଟି ।୭୦।

ମାଳା ଜଟାଯୁଟ       ତିଳକେ ମଣ୍ଡିତ

ହୋଇଲେ କିସ ହୋଇବ,

ସଂଯମତା, ତ୍ୟାଗ,       ନିର୍ମଳ ବୈରାଗ୍ୟ

ଯେବେ ଅନ୍ତରେ ନ ଥିବ ।୭୧।

ଆସକ୍ତି ଯାହାର       ନହୋଇଛି ଦୂର

ସନ୍ନ୍ୟାସୀ ସେ ହେବ କାହୁଁ,

ଫାଙ୍କି ଭଗବାନେ       ଠକାଇଲେ ଆନେ

କି ଫଳ ମିଳିବ ତହୁଁ ? ।୭୨।

ଏ ମର ସଂସାରେ       ଜନମ ହୋଇଲେ

ମରଣ ତ ସୁନିଶ୍ଚିତ,

ମରିବା ପାଇଁକି       ଡରିବା କାହିଁକି

ବିଧିର ବିଧାନ ସେ ତ ।୭୩।

ସର୍ବଦା ସେ କାଳ      ଧରି ଶିରଚୂଳ

ବୁଲେ ଆମ୍ଭ ପୃଷ୍ଠ ଦେଶ,

ଭାବି ଏହା ମନ      କର୍ତ୍ତବ୍ୟ ସାଧନ

ଯଥା ଶୀଘ୍ର କର ଶେଷ ।୭୪।

ଜଗତରେ କେହି      ଶତ୍ରୁକାର ନାହିଁ

ଜଣକ ସନ୍ତାନ ସର୍ବେ,

ନିଜ ଶତ୍ରୁ ନିଜେ      ସେତେକ ନହେଜେ

ଅନ୍ଧ ହୁଏ କାମ ଲୋଭେ ।୭୫।

କାମ କ୍ରୋଧବଶ      ହୋଇଣ ମଣିଷ

ନରକ କରେ ବରଣ,

ନ ବୁଝେ ମୁରୁଖ      ମଣେ ତାକୁ ସୁଖ

ଶେଷେ ହୁଏ ହୀନମାନ ।୭୬।

ତୁ ତୋର ଭଗାରୀ       ଦେଖ ଭଲ କରି

ଅନ୍ୟକୁ ନ ଦିଅ ଦୋଷ,

ତୁହି ତୋର ଗୁଣେ      ଅମାନିଆ ପଣେ

ଆପେ ହେଉଅଛୁ ଧ୍ୱଂସ ।୭୭।

ତୋ ହୃଦମନ୍ଦିରେ      ପୂରି ରହିଛି ରେ

ବିବେକ ରତନ ଖଣି,

ତୋତେ ତୁ ନ ଚାହିଁ ବୃଥାଟାରେ ବାଇ

ହୋଇ ବୋଲାଉ କି ଜ୍ଞାନୀ ? ।୭୮।

ନିଜେରେ ନିଜକୁ      ଚିହ୍ନି, ତ୍ରିତାପକୁ

ଧୋଇପକା ଭକ୍ତି ଜଳେ

ସରିବ ଜଞ୍ଜାଳ      ଡରିଯିବ କାଳ

ନିଶ୍ଚିନ୍ତେ ଥିବୁ ନିରୋଳେ ।୭୯।

ଶାନ୍ତି, ଦୟା, କ୍ଷମା      ସତ୍ୟର ମହିମା

ବିକଶିଲେ ତୋ ମଧ୍ୟରେ,

ସଦା ପ୍ରେମେ ମାତି      ରହିବ ତୋ ମତି

ବୁଡ଼ିବୁ ଆନନ୍ଦନୀରେ ।୮୦।

ଶରୀରର ବ୍ୟାଧି      ପାଇଁକି ଔଷଧି

ସୁପଥ୍ୟଟି ହିତକର,

ମାନସ ରୋଗର      ରାମ ନାମ ସାର

ନାହିଁ ଆନ ପ୍ରତିକାର ।୮୧।

ଲୁଣ ଖାଏ ହାଣ୍ଡି      ଚିନ୍ତା ଖାଏ ଗଣ୍ଡି

କହୁଥାନ୍ତି ମୁଖେ ଜନ,

ଦୁଶ୍ଚିତା ନ କରି      ଈଶ କଥା ସ୍ମରି

ନିରିମଳ କର ମନ ।୮୨।

ସବୁ ସୁଖ ଛାଡ଼      ଦୃଢ଼ତାକୁ ବଡ଼

କରି ବିଭୁକୃପା ଲଭ,

ଆତ୍ମାରେ ହିଁ ପ୍ରୀତି      ଆତ୍ମାରେ ହିଁ ଶାନ୍ତି

ଆତ୍ମା ସଙ୍ଗେ ଲଗା ଭାବ ।୮୩।

ଅଟେ ଏ ସଂସାର      ଶିକ୍ଷାର ଆଗାର

ଯେ ଯାହା ଶିଖିବ ଶିଖ,

ବାଛି ଭଲ ମନ୍ଦ      ତୁଟାଇଣ ଦ୍ଵନ୍ଦ୍ୱ

ଅନୁଭବେ କର ଲକ୍ଷ୍ୟ ।୮୪।

ହାତୀ ଚାଲିଯାଏ      କୁକୁର ପଞ୍ଛାଏ

ଦେଖି ହୋନ୍ତି ଭୋଅ ଭୋଅ.,

ତୁମେ ଏ ଜଗତେ      ଚାଲ ସତପଥେ

ଆନେ କାମ ନ ପତାଅ ।।୮୫।

ପଥିକକୁ ଛାଇ       ବୃକ୍ଷ ଯେ ଦିଅଇ

କ୍ଷୁଧାତୁରେ ଦିଏ ଫଳ,

ସେପରି ହେ ନର      ପର ଉପକାର

କରି ସଂସାରରେ ଚଳ ।୮୬।

ଆଖିରେ ନିରେଖ       ଫଳଭରା ବୃକ୍ଷ

ତଳକୁ ପଡ଼ଇ ନଇଁ,

ତେହ୍ନେ ଗୁଣୀ ଜନେ       ଗୁଣର ଗହଣେ

ହୁଅନ୍ତି ନରମ ସ୍ନେହୀ ।୮୭।

ଧରମର ମୂଳ      ଦୟା ଯେ କେବଳ

ଅଭିମାନ ନର୍କ ଦ୍ଵାର,

ଏଣୁ ହେଜି ରଖ      ଦୟା ନ ଉପେଖ

ହେଉ ପଛେ ଯା ହେବାର ।୮୮।

ନିର୍ଗୁଣଟି ପିତା       ସଗୁଣ ଯେ ମାତା

କାହାକୁ କେବେ ନିନ୍ଦନା,

ଆମ୍ଭ ହିତକାରୀ      ବେନିଙ୍କୁ ବିଚାରି

କରୁଥା ପାଦେ ବନ୍ଦନା ।୮୯।

କିଛି ଯେବେ ଭବେ      ନ କରିବ ତୁମ୍ଭେ

ଏତିକି ମାତ୍ରକ କର,

ନ ରଖିଣ ମାୟା      ଜୀବେ କର ଦୟା

ପ୍ରତି କାର୍ଯ୍ୟେ କୃଷ୍ଣ ସ୍ମର ।୯୦।

ହରି ବହୁ ଦୂରେ      କହନ୍ତି ଯେ ନରେ

ନ ପାଇବ ତାଙ୍କୁ କେବେ,

ପ୍ରତି ଘଟେ ଘଟେ       ଥାଇଁ ସେ ନିକଟେ

ପ୍ରକଟିତ ଭକ୍ତ ଭାବେ ।୯୧।

ନିଆଁ ପଥରରେ      ଥାଏ ଯେ ପ୍ରକାରେ

ତେହ୍ନେ ଦେହ ମଧ୍ୟେ ହରି,

ପୁଣ୍ୟତ୍ମା ବା ପାପୀ      ପ୍ରାଣେ ଥାନ୍ତି ବ୍ୟାପୀ

ଜ୍ଞାନୀ ପାରେ ତାଙ୍କୁ ଧରି ।୯୨।

ଗୁରୁ ଉପଦେଶ      ଚକମକି ଘଷ

ଆତ୍ମାର ବିକାଶ ହେବ

କରି ସାଧୁ ସଙ୍ଗ      କର ତା ପ୍ରସଙ୍ଗ

ଅନ୍ଧାର ଉଭେଇ ଯିବ ।୯୩।

ପୂଜ, ଲାଳ, ରକ୍ତ,      ମାଂସରେ ଜଡ଼ିତ

ଦେହ ପ୍ରୀତି ସିନା ପ୍ରେୟ

ଜୀବ ପରମର      ପ୍ରୀତି ଅଟେ ସାର

ମାନବ ଜୀବନେ ଶ୍ରେୟଃ ।୯୪।

ବୁଝି ତ ହୁଏନା      ନର ବୁଝାମଣା

କି ଭାବି ସେ କିବା କରେ,

ମଣେ ଯାକୁ ସୁଖ      ପାଲଟେ ସେ ଦୁଃଖ

ଖାଲି ହା ହତାଶେ ମରେ ।୯୫।

ଦିବସେ ମୋହିନୀ       ନିଶିଥେ ନାଗୁଣୀ

ଚାଟି ଶୋଷି ରକ୍ତ ପିଏ,

ମାୟା ମୋହବଶେ      ନରକୁ ତା ବାସେ

ସ୍ନେହ ଫାଶେ ବାନ୍ଧି ଥାଏ ।୯୬।

ନୀଚ ପ୍ରେମ ପାଇଁ      ବୃଥା ବାଇ ହୋଇ

ଭୋଗନ୍ତି ଜନେ ଯେ କ୍ଳେଶ,

ସେତିକି ମମତା      ଦେଇ କଲେ ଚିନ୍ତା

ପାଆନ୍ତେ ବିଭୁ ଆଶିଷ ।୯୭।

ନାରୀ ଦେବୀ ମୂର୍ତ୍ତି      ମୋହିନୀ ଶକତି

ଧରି ଧରାଧାମେ ଜାତ

ସ୍ନେହେ ଡାକ ମାଆ      କରିବେ ସେ ଦୟା

ମୋହରୁ ହେବ ମୁକତ ।୯୮।

ନୁହଁ ଆନମନା      କରିବେ ପ୍ରାର୍ଥନା

ମାଗ ବିଭୁ ଆଶୀର୍ବାଦ

କର ପ୍ରଣିପାତ      ହୁଅରେ ଆଶ୍ରିତ

ନ କରିବ ଯମ ବାଦ ।୯୯।

ପୁଣ୍ୟ ଏ ଭାରତ       ଭୂମିର ମହତ୍ତ୍ୱ

ଗାଇଛନ୍ତି କେତେ କବି,

ହୋଇ ତା ସନ୍ତାନ      ରଖ ମା’ ସମ୍ମାନ

ନିଃସ୍ୱାର୍ଥ ଚିତ୍ତରେ ସେବି ।୧୦୦।

ଏଇ ମାଟି ମାଆ      କୋଳେ ଦେଲା ରାହା

ଜନମ ହୋଇଲା ବେଳେ,

ଅନ୍ତିମ କାଳରେ      ପୁଣି ତା କୋଳରେ

ଶୋଇବୁରେ ତୁ ନିଶ୍ଚଳେ ।୧୦୧।

ଶ୍ରୀ ବିଶ୍ୱ ବିହାରୀ      ସବୁ ପ୍ରାଣେ ଭରି

ଦିଅନ୍ତୁ ଶୁଭ ପ୍ରେରଣା,

ସକଳ କରମେ      ସବୁରି ଧରମେ

ବିଭୁ ଭକ୍ତି ନୋହୁ ଉଣା ।୧୦୨।

ଈଷ୍ଟ ପ୍ରେମେ ରତି      ରଖି, ଦିବ୍ୟ ଗତି

ଲଭନ୍ତୁ ସଂସାରୀ ଜୀବ

ବୋଲି ହରି ହରି      ବୁଲୁଥାନ୍ତୁ ଘୁରି

କପଟ ତୋଜି ବୈଷ୍ଣବ ।୧୦୩।

ସର୍ବେ ହୋଇ ଏକ      ଉଚ୍ଚ ସ୍ୱରେ ଡାକ

କଳକି ଭଗବାନଙ୍କୁ

ଧରି କଳେବର      ଆସିଣ ସତ୍ୱର

ରକ୍ଷା କରନ୍ତୁ ଆମ୍ଭଙ୍କୁ ।୧୦୪।

କଳକି ଆଦେଶେ      ନ ଆସୁ ଏଦେଶେ

ଅକାଳ ବିପଦମାନ

ସତ୍ୟର ମହିମା       ପ୍ରକାଶି ମଣିମା

ସାରିଦ୍ୟନ୍ତୁ କଳି ତମ ।୧୦୫।