ଧୀରି ଧୀରି ଆସଇ ବହି ଶୀରି ଶୀରି ସଞ୍ଜ ପବନ- ବୃତ୍ତେ
ବହିବାରୁ ମଳୟ ବାତ ଫୁଲ ଫୁଟି ଚହଟେ ବାସ ।
ଲୁଟି ନିଏ ପରାଣ ମନ ଘନ ଘନ କୋକିଳ ଭାଷ ! ଘୋଷା ।।
ନୀଳ ନଭେ ତାରା ବିକଶେ ଶୋଭେ ଚାନ୍ଦ ପୂରୁବାକାଶେ
ସତେ କି ସେ ପ୍ରକୃତି ରାଣୀ ଜାଣି ଶୁଣି ନ ଭାଷେ ଭାଷ ।୧।
ମଣ୍ଡିକି ସେ ନବ ବସନ ଦେଖାଉଛି ନାନା ଫେସନ ।
ଟପ ଟପ ନିଶି ଶିଶିର ବରଷଇ ଅମିୟ ରସ ।୨।
ନଟ- ପ୍ରିୟେ ! ଆଜି ଯେଉଁ ବସନ୍ତକାଳୀନ ପ୍ରକୃତିରଞ୍ଜନ କବିତାଟି ଗାଇଲ ତାହା ଅତି ଉପଭୋଗ୍ୟ ହୋଇଛି ଆଚ୍ଛା କହିଲ ଅଦ୍ୟ କେଉଁ ବିଷୟଟି ଦର୍ଶକମାନଙ୍କୁ ଏଠାରେ ଅଭିନୟ ଦେଖାଇ ତାଙ୍କର ଅନୁରାଗର ପାତ୍ର ହେବା ! ଆଗରୁ କିଛି ସ୍ଥିର କରିଛ ?
ନଟୀ - ପ୍ରିୟବର ନଟ ! ଏ ହଟ ତୁମ୍ଭର କାଳକ ହୃଦପଟରୁ ଯିବନାହିଁ, ମୋତେ କଣ ଗୀତ ଗାଇ ଆସେ, ତୁମ୍ଭେ ମୋତେ ଯାହା ଶିଖାଇଦେଇଛ ମୁଁ ତାହା ଜନସମାଜରେ ପ୍ରକାଶ କରୁଚି । ଆଜକାଲି ତ ନୂଆ ନୂଆ କବିଙ୍କ ରଚନାରେ ଲୋକ ତୁଆ ତୁଆ ହୋଇ ମାତି ଉଠୁଛନ୍ତି, ମୋର ଏ ଗୀତ ତୁମ୍ଭଙ୍କୁ କିପରି ଭଲଲାଗିଲା ! ଏଥିରେ ତ ଚମ୍ପା ମାଳତୀ ଆଦି ପୁଲ ବାସନା ନାହିଁ, ତେବେ ସିନା ଲୋକେ ଭୁଲି ବାଳରେ ଖୋଷନ୍ତେ ।
ନଟ- ପ୍ରିୟମ୍ବଦେ ! ସେ ଛଳ ଉକ୍ତି ଛାଡ଼, ଆଗେ ବସନ୍ତ ବହିବାରୁ ପରେ ସିନା ଫୁଲ ସବୁ ଫୁଟିଲେ । ବାଳରେ ଖୋଷିବା ଦୂରେ ଥାଉ, ଏଥିପୂର୍ବେ ସେ ଗଛରେ ପତ୍ର ଥିଲା କି ନା ସନ୍ଦେହ । ଦେଖିବ ଏଣିକି ସେ ଫୁଲ ବନରେ ଫୁଟି ବନରେ ଝଡ଼ିବ । ଆଚ୍ଛା ଥାଉ ସେକଥା, କହିଲ କେଉଁ ବିଷୟଟି ଏଠାରେ ଦର୍ଶକମାନଙ୍କୁ ରାତ୍ର ପ୍ରଭାତ ଯାଏ ଦେଖାଇବା ?
ନଟୀ - ନାଥ ! ମୋ ମତରେ ଉତ୍କଳର କବିବର ରାୟ ରାଧାନାଥ ରାୟ ବାହାଦୂରଙ୍କ ଗ୍ରନ୍ଥାବଳିରୁ ଉଦ୍ଧୃତ କରି ଯେଉଁ ପାର୍ବତୀ ନାମକ ଐତିହାସିକ ନାଟକ ଖଣ୍ଡ ଗଢ଼ିଛନ୍ତି ତାହା ଏଠାରେ ଦୃଶ୍ୟ କାବ୍ୟାକାରେ ଦେଖାନ୍ତୁ । ସେଥିରେ ଗୋଟିଏ ମହାଶିକ୍ଷାର ବୃହତ୍ ଚିତ୍ର ଅଙ୍କିତ । ପ୍ରାଣୀ ଯେତେ ବଳଶାଳୀ, ଯେତେ ଧନୀ ମାନୀ ହେଉନା କାହିଁକି, ମହାପାପ ଆସୁରୀ ପ୍ରବୃତ୍ତି ବଳରେ ପରିଣାମରେ ସେ କି ଫଳ ଭୋଗକରେ ତାର ଜାଜ୍ୱଲ୍ୟମୟ ଚିତ୍ର ଏଥିରେ ବିଶେଷ ଭାବେ ଚିତ୍ରିତ । ଲୋକେ ଦେଖି ଶିଖି ଭବିଷ୍ୟତ ପାଇଁ ସାବଧାନ ହେବ । ଚାଲ ରାତ୍ର ଅଧିକ ହେଉଚି, ଅଭିନୟରେ ଯୋଗାଡ଼ କରିବା ।
ନଟ- ଯଥାର୍ଥ କହିଲ ପ୍ରିୟେ ! ତାହା ନିଶ୍ଚୟ ଶିକ୍ଷା ହେତୁ ଲୋକରେ ଆଦରଣୀୟ ହେବ –ଆସ ।
(ଉଭୟଙ୍କର ପ୍ରସ୍ଥାନ)
ଶିବିର
ରାଜା ଗଙ୍ଗେଶ୍ୱରଦେବ କୌଶଲ୍ୟାକୁ କ୍ରୋଡ଼େ ଘେନି ଆସନେ ଉପବେଶନ ଓ ସୈନିକଗଣ ପାର୍ଶ୍ୱେ ଉପବିଷ୍ଟ
ଗଙ୍ଗେଶ୍ୱର – ଭୋ ସୈନିକେ ! ଭୂପାଳତନୁଜେ !
ଭୋ ବୀର –ଶିର- ହୀରକ-ମୁକୁଟମଣ୍ଡନ
ଶୁଣିଥାଅ ଗଙ୍ଗେଶ୍ୱର ପଣ-
ଅଗ୍ରେ ତବ ଦେଖ ବିରାଜିତ ଯେଉଁ ରତ୍ନ
ଯାର ଅତୁଳ ସୌନ୍ଦର୍ଯ୍ୟ ଜଗତେ ଦୁର୍ଲଭ
ଯାର ମୁଖ ଦେଖି ଚନ୍ଦ୍ର ଲୁଚିବ ନୀରଦେ
ଯା ନେତ୍ର ଦେଖି ଖଞ୍ଜନ ଗଞ୍ଜି ହେବ ଚିତ୍ତେ
ଯାର ନାସ ଶୁକଚଞ୍ଚୁ ଜିଣା
ଯା ଦନ୍ତପନ୍ତି ଦାଡ଼ିମ୍ବବୀଜକୁ ଧିକ୍କାରେ
ଅମ୍ବୁଜାତ କମ୍ବୁକୁ ଯା କଣ୍ଠ ଅଛି ଜିଣି
ଯାର ବାହୁଯୁଗ ପଦ୍ମଦଣ୍ଡଠାରୁ ଶୋଭା
ଯା କଟିଶୋଭା ନିରେଖି ହଟିବ କେଶରୀ
ଯାର ଜାନୁ ଯୁଗବଳି ଉଲଟ ରମ୍ଭାକୁ
ଯା ତଳିପା ତଳ ନିନ୍ଦେ ରକ୍ତ କୋକନଦେ
ଅଙ୍ଗୁଳି ଚମ୍ପକକଳୀ ବଳିଛି ଛଟାରେ
ନାହିଁ ତୁଳିବାକୁ ଯାକୁ ପ୍ରକୃତିବିଧାନେ
ଏହି ସେହି କୌଶଲ୍ୟା ମୋ ନୟନପ୍ରତିମା ।
ସ୍ୱୟମ୍ବର ହେବା ଆଶେ ଆଣିଥିଲି ସଙ୍ଗେ
ଏ କନ୍ୟା ଗୋଟିକି ରଖି କରୁଛି ମୁଁ ପଣ
ଯେହୁ ବୀର ରତ୍ନପତି ମୁକୁଟମଣ୍ଡିତ ଶିର
ହାଣି ଆଣି ଭେଟିବ ମୋ ପାଶେ
ଯା ଯୋଗେ ରତ୍ନପୁରର ନରେଶ ନନ୍ଦିନୀ
ଅନ୍ନପୂର୍ଣ୍ଣା ହେବ ଗଙ୍ଗେଶ୍ୱର ଅଙ୍କଲକ୍ଷ୍ମୀ
ଏହି ସେହି କନକପ୍ରତିମା ତାର କଣ୍ଠେ ହେବ ହାର
ସତ୍ୟ ସତ୍ୟ ସତ୍ୟ ଏ ତ୍ରିବାର ।
୧ ମ ସୈନିକ- ଭୋ ଉତ୍କଳଗଜପତି ବୀରେନ୍ଦ୍ର କେଶରୀ
ଶ୍ରୀଛାମୁ ସମ୍ମୁଖେ କରି କରବାଳ ସ୍ପର୍ଶ
କରୁଛି ପ୍ରତିଜ୍ଞା ରଖ ମନେ
ରଣେ ପ୍ରାଣପଣେ ହାଣି ରତ୍ନପତି ଶିର
ଅଚିରେ ଭେଟିବି ତବ ପାଶେ ।
୨ୟ ସୈନିକ- ମୁହିଁ ମଧ୍ୟ ଗଜପତି କରୁଛି ପ୍ରତିଜ୍ଞା
ଆଣିଦେବି ରତ୍ନପତି ମୁକୁଟମଣ୍ଡିତ-
ଶିର ଗୋଟି ଶ୍ରୀଚରଣେ ତବ ।
ରାଜରାଜେଶ୍ୱର !
ଅନ୍ନପୂର୍ଣ୍ଣା ପ୍ରାପ୍ତି-ଆଶା ପୋଷିଣ ଅନ୍ତରେ
ବସିଥାନ୍ତୁ ଶିବିର ମଧ୍ୟରେ
ରାଜଜେମା ମରାଳଗମନା
ନିଶ୍ଚୟ କରିବ ତବ ଅଙ୍କ ବିମଣ୍ଡନ
ଚାଲିଲୁଁ ସମରେ ସର୍ବେ ମାତିବୁଁ ପ୍ରେମରେ ।
ଗଙ୍ଗେଶ୍ୱର- ରାଜସୁତେ ! ପ୍ରତ୍ୟୟ ନ ହୁଏ ତବ ବାକ୍ୟେ
ବେନି ବର୍ଷ ଷଡ଼ମାସ
ଅତୀତ ହୋଇଲା ରଣ ଆସି
ନୋହିଲା ରତ୍ନପତି ଗର୍ବ ଖର୍ବ
ଭୂତଳେ ଲୁଣ୍ଠିତ ହେଲା ନାହିଁ ଦୁଷ୍ଟ ଶିର
ଆସେ ଦୂତ ଘେନି କି ଖବର ।
ଦୂତ–(ପ୍ରବେଶି) ମହାରାଜାଙ୍କର ଜୟ ହେଉ ।
ଗଙ୍ଗେଶ୍ୱର– ବାର୍ତ୍ତାବହ ! କି ସମ୍ୱାଦ କର ପରକାଶ ?
ଦୂତ– ଶୁଣ ଦେବ ତହିଁର କାରଣ ।
ହରିବଲେ ଆମାର ଗଉର ନାଚେ–ବୃତ୍ତେ
ଗଜପତି ନିଜ ସୈନ୍ୟ ସାଜ । ପଦ ।
ଅନ୍ୟ ଭାବ ନାହିଁ ଯେବେ ଧନ୍ୟ ହେବ ଭବେ,
ରତ୍ନପୁର ନୃପ ଦର୍ପ ଚୂର୍ଣ୍ଣ କର ଏବେ ।୧।
ଅସ୍ତ୍ର ଶସ୍ତ୍ର ସାଜି ରତ୍ନପୁର ଶତ୍ରୁ ସେନା ।
ଛନ୍ତି ଅପେକ୍ଷାରେ ଆତ୍ମ କବିର ଭାବନା ।୨।
ମହାରାଜ ! ପାପିଷ୍ଠ ରତ୍ନପତି ଆଜି ମଦମତ୍ତ କରୀ ପରି
ରଣସ୍ଥଳରେ କ୍ରୀଡ଼ା କରୁଛି,
ଶୀଘ୍ର ଶୀଘ୍ର ସେନାମାନଙ୍କୁ ଆଦେଶ କରନ୍ତୁ ।
ଗଙ୍ଗେଶ୍ୱର–ସୁସଜ୍ଜିତ ସେନା ରଣସ୍ଥଳେ ଅଗ୍ରସର କରନ୍ତୁ ।
ସମସ୍ତେ–ଯେ ଆଜ୍ଞା ଚାଲିଲୁଁ ! ଜୟ ଗଙ୍ଗେଶ୍ୱରଙ୍କର ଜୟ । (ସମସ୍ତଙ୍କର ପ୍ରସ୍ଥାନ)
ଗଙ୍ଗେଶ୍ୱର–ଚାଲ ମା କୌଶଲ୍ୟା ତୋର ବାସେ ।
କୌଶଲ୍ୟା–ଯେ ଆଜ୍ଞା ପିତା । (ପ୍ରଣାମାନ୍ତେ ପ୍ରସ୍ଥାନ)
ଗଙ୍ଗେଶ୍ୱର–(ସ୍ୱଗତ) ଆଉ ଏ ସୁବର୍ଣ୍ଣ ସୁଯୋଗ ଗଙ୍ଗକୁ ମିଳିବ ନାହିଁ । ଆଜି ଶିବିର ବୀରଶୂନ୍ୟ । ବହୁ ଦିବସର ଆଶା ଏଥିରେ ପୂର୍ଣ୍ଣହେବ, ଯାଏଁ ।
(ପ୍ରସ୍ଥାନ)
ଉପବନ
ରତ୍ନପୁର ଜେମା ଅନ୍ନପୂର୍ଣ୍ଣା ସଖିଗଣ ସହ ଉପବନ ଭ୍ରମଣ
୧ମ ସଖୀ –ରତ୍ନପୁର ରାଜବାଳା ! ଏମନ୍ତେ ମନଟା ବିରସ କରିଛ କିଆଁ ମ ! ତୁମ୍ଭ ମନ ଭଲ ହେବ ବୋଲି ପରା ଏ ଉପବନ ବିହାରକୁ ଆସିଲୁଁ । ରଣ ତ କ୍ଷତ୍ରିୟଙ୍କ ଦିହର ମଳି, ସେଥିପେଇଁ ଏତେ ଚିନ୍ତା କଣ ! ଭଲା ସେ ହର୍ଷମୁଖ ଆମ୍ଭଙ୍କୁ ଥରେ ଦେଖା ।
ଅନ୍ନପୂର୍ଣ୍ଣ– ସଖି ଗୋ ଆଉ ହସିବି–ସେ କଥାଟି ଏ ଜୀବନରେ ନୁହେଁ । ମୋର ଯେ ଦୁଃଖ ସେ କି ଯିବାର ଦୁଃଖ ।
୨ୟ ସଖୀ–ମଲା ଏମନ୍ତେ କି ଦୁଃଖ ହେଇଚି କହୁନାହଁ ।
ଅନ୍ନପୂର୍ଣ୍ଣା–ତା ଶୁଣିବ ତ ଶୁଣ ମୁଁ କହୁଛି ।
ରାଧା ଧରି ସଖୀ କର–ବୃତ୍ତେ
ଶୁଣ ସଖି ମୋ ଭାରତୀ, କହିଲେ ସହିବ ନାହିଁ ଧରତୀ ଗୋ ।
ଚିତ୍ତ ଭିତର ଦିଏ କରତି । ସଜନି ଗୋ ।୧।
୨ୟ ସଖି–ମଲା, ଏମନ୍ତେ କ’ଣ ହେଲା ଯେ ଚିତ୍ତ କରତି ଦେଉଛି ?
ଅନ୍ନପୂର୍ଣ୍ଣା–ତା ଶୁଣ–
ମୋ ସମ ଦୁଃଖିନୀ ଯୋଷା, ନାହିଁ ନୋହିବ ନ ଥିବ ଏ ରସା ଗୋ ।
ଶୁଣିନାହିଁ ଦିନେ ମାତା ଭାଷା, ସଜନି ଗୋ ।୨।
୧ମ ସଖୀ–ମଲା, ସେ କି କଥା ମ, ଖୋଲି କହିଲେ ସିନା ଜାଣିବୁ ।
ଅନ୍ନପୂର୍ଣ୍ଣ –ସଖି ! ମୋ ମନକଥା କଣ ଜାଣିପାରୁନାହଁ, ତା ଶୁଣ– ଜନମକାଳୁଁ ମାଆକୁ ଖାଇ ବସିଛି, କହିବି କାହାକୁ ଗୋ । ଚାହିଁ ଜୀଇଛି ପିତା ବାହାକୁ । ସଜନି ଗୋ ।୩। ସଖି ଗୋ, ଏ ଅଭାଗିନୀ ସୂତିକା ଗୃହରୁ ମାତୃହୀନା, କେବଳ ପିତାଙ୍କର ଆଦର ସ୍ନେହର ଆଜିଯାଏ ବଢ଼ି ଆସିଛି ।
୧ମ ସଖୀ– ମଲା ସେ କଅଣ ମ, ସେ ପିତା ପରା ଆଜି ଅଛନ୍ତି, ତାଙ୍କର କଣ ସ୍ନେହ ଆଦର ପାଉ ନାହଁ ବୋଲି ଏପରି ହେଉଚ?
ଅନ୍ନପୂର୍ଣ୍ଣା –ତାର କାରଣ ଶୁଣ–ଯଉବନ ହୋଇ କାଳ, ଛଡ଼ାଇଲା ମୋତେ ପିତାଙ୍କ କୋଳ ଗୋ । ତାହା ଭାବି ବହେ ଅଶ୍ରୁଜଳ । ସଜନି ଗୋ ।୫। ସଖି ଗୋ, ଏ ପୋଡ଼ା ଯଉବନ ମୋ ଅଙ୍ଗଦେଶରେ ଆବିର୍ଭାବ ହେଲା ଦିନୁ ପିତାଙ୍କ ଅଙ୍କ ମୋତେ ଶତକ୍ରୋଶ କରାଇ ଦେଲା ।
୨ୟ ସଖୀ–ମଲା ସବୁଦିନେ କିଏ ବାପାଙ୍କ ପାଖରେ ବାପାଙ୍କ ଅଙ୍କରେ କିଏ ବସିଛି ନା ତୁମେ ବସିବ ମ– ସେକଥା ଆମକୁ ଶୁଣାନା ।
ଅନ୍ନପୂର୍ଣ୍ଣା –ସଖି ଗୋ, ଆଉ ଗୋଟିଏ ଦୁଃଖ ବାପା ମୋ ପାଇଁ ଅର୍ଜନ କରିଛନ୍ତି ତା ଏହି–ମୋର ଦୋଷେ ରତ୍ନପୁର, ଗଙ୍ଗେଶ୍ୱର କରଇ ଛାରଖାର ଗୋ । ଧରିବାକୁ ଲମ୍ପଟ ମୋ କର । ସଜନି ଗୋ ।୫। ସଖି ଗୋ ! ବୃଦ୍ଧ ଗଙ୍ଗେଶ୍ୱର ପଣ କରିଛନ୍ତି ଯେ ମୋପିତାଙ୍କ ଛିନ୍ନ ମୁଣ୍ତନେଇ ତାଙ୍କ ନିକଟରେ ଦେବ ତାଙ୍କର କନ୍ୟା କୌଶଲ୍ୟା ତାହାରି କଣ୍ଠରେ ବରମାଲ୍ୟ ଦେବେ ଓ ମୋତେ ନେଇ ନିଜେ ଅଙ୍କଲକ୍ଷ୍ମୀ କରିବେ । ହା ପିତଃ ! ଏ ଅଭାଗିନୀ ସିନା ତୁମ୍ଭ ଦୁଃଖର କାରେଣୀ ହେଲେ ।
୧ମ ସଖୀ –ଆଗେ ଏ କି ଅପସାନ୍ତର କଥା ମ, ସେ ବୁଢ଼ାଟା କଣ ତମ ହାତ ଧରିବ ମ । ତାଙ୍କର ପରା ଷୋଳବରଷର ଯୁଆନ ପୁଅ ଅଛି– ଏ ପୁଅଟା ଥାଉଁ ଥାଉଁ ବୁଢ଼ାଟା ତମ ହାତ ଧରିବ ! ମଲା ମୋର –ଏ ପାକଲା ଆମ୍ୱକୁ ଡାମରା କାଉ, କେତେ ରାଉ ରାଉ ବୋବାଉ ଥାଉ । ସେ ଦିନ ଯେଉଁ ବାଣବିଦ୍ଧ ବିହଙ୍ଗଟିକୁ ଧରି ତମେ କୋଳରେ ପୂରାଇ ଜଳ ପିଆଉଥିଲ ସେ ହଠାତ୍ ଆସି ସେଠି ପହଞ୍ଚିଗଲେ– ସେହି ପରା ବୁଢ଼ାର ପୁଅ । ଆହା, କେମନ୍ତ ସୁଆଦିଆ ମିଣିପଟିଏ ମ । ମୁଁ ପରା ତାଙ୍କ ମୁହଁକୁ ଚାହିଁଦେଲାକ୍ଷଣି ମୋ ଦିହ କେମନ୍ତେ ଝିମିଝିମି ହୋଇଗଲା ।
ଅନ୍ନପୂର୍ଣ୍ଣା–(କ୍ରନ୍ଦନ)
୨ୟ ସଖୀ–ସଖି ! ପୁଣି କାନ୍ଦିଲ, ଏ ଚିରିଦିନ କାନ୍ଧିବାକୁ କି ବିଧାତା ତୁମକୁ ଏ ରତ୍ନଧାମରେ ଜନ୍ମ ଦେଇଥିଲା ।
(କଳାମାଣିକ-ବୃତ୍ତେ)
କାନ୍ଦନା କାନ୍ଦନା କୁନ୍ଦରଦନା ଗୋ ଆଉ ।
ମନ୍ଦଉଦରୀ ସେ ଚିନ୍ତା ପୋଡ଼ିଯାଉ ।
ଇନ୍ଦୁବଦନା ଗୋ । କାମ ସଦନା ଗୋ ।୧।
ଭାଳି ଭାଳି ସୁନା ତନୁ କରିଲୁଣି କାଳୀ ।
ବାଳିଶ ପରାୟେ କେତେ ହେଉଛୁ ରେ ବାଳୀ ।
କୁଳ ପାଳିକା ରେ । ମୋ ଗଳାମାଳିକା ରେ ।୨।
ବରଜନା ନୀରଜନୟନୁ ନୀରଧାର
ବିହି ସରଜନା ଖଣ୍ତିବାକୁ ବଳ କାର ।
ଗଜଗମନା ରେ । ପୂରିବ କାମନା ରେ ।୩।
ଚାଲ କୁଞ୍ଚିତକୁନ୍ତଳା ସୁଚିତ୍ତରେ ବେଶ ।
ସାଜିଦେବୁ ମାଜିଦେବୁ କେଶ କବି ଭାଷ ।
ରସ ଉଦୟା ରେ । ଥିଲେ ତୋ ସୁଦୟା ରେ ।୪।
(ସମସ୍ତଙ୍କର ଜେମା କର ଧରି ପ୍ରସ୍ଥାନ)
ରତ୍ନପୁର ଦୁର୍ଗ ପ୍ରାଚୀର
ରତ୍ନପୁର ପତି ଏକାକୀ ଭ୍ରମଣ
ରତ୍ନପତି– (ସ୍ୱଗତ) ଆଜି ଏ କିସ ବଳ ବିକ୍ରମ ଗଙ୍ଗେଶ୍ୱର ସେନାଙ୍କର ନେତ୍ରପଥରେ ଦେଖୁଚି । ଆଜକୁ ବେନିବର୍ଷ ଷଟ୍ମାସାବଧିତ ବିପକ୍ଷ ବାହିନୀଙ୍କର ଏପରି ବଳବିକ୍ରମ କେବେ ନେତ୍ରପଥରେ ଦେଖି ନ ଥିଲି । ଗଙ୍ଗେଶ୍ୱର ପୁତ୍ର ସେନାଭାର ବହନ କରି ସୈନ୍ୟମାନଙ୍କୁ ଦ୍ୱିଗୁଣରେ ଉତ୍ସାହିତ କରୁଚି । କାହିଁ ପାପିଷ୍ଠ ଗଙ୍ଗକୁ ତ ରଣ ପ୍ରାଙ୍ଗଣରେ ଦେଖୁନାହିଁ । ଜଣାଯାଏ ସେ କପଟୀ କୌଣସି କପଟ ମନ୍ତ୍ରଣାରେ ଲିପ୍ତ ଅଛି, ପୁଣି ବର୍ବର ନିଜ କନ୍ୟା ପ୍ରଲୋଭନ ସେନାମାନଙ୍କୁ ଦେଖାଇ କହିଛି–ପଣ କରିଛି ଯେ ମୋର ମୁଣ୍ତ ହାଣି ନେଇ ତାହାକୁ ଉପହାର ଦେବ ତାର କନ୍ୟା କୌଶଲ୍ୟା ତାହାରି କଣ୍ଠରେ ମାଳ ଦେବ । ହା ଅନ୍ନପୂର୍ଣ୍ଣା ! ମୋର ନିଧନରେ ତୋର ଦଶା ଯେ କ’ଣ ହେବ ତାହା ଭାବି ମନ ବିଷାଦ ସାଗର ଗର୍ଭରେ ବୁଡ଼ିଯାଉଛି । ହା ଅନ୍ନ ! ତୁ କି ବୃଦ୍ଧ ଗଙ୍ଗେଶ୍ୱର ଅଙ୍କ ମଣ୍ତନ କରିବୁ ବୋଲି ଆବାଲ୍ୟରୁ ଯାବତୀୟ ସ୍ନେହ ତୋ ଉପରେ ଢାଳି ଦେଇଥିଲି, ପୁଣି ମାତୃହୀନା ହେତୁ ସୂତିକାଗାରୁ ପାଳିଆସିଥିଲି ! ଏ କିଏ ? ଏ ଯେ ଆମ୍ଭର ଦୂତ ତରତର ହୋଇ ମୋ ନିକଟକୁ ଧାଉଁଛି । ବୋଧହୁଏ ବିପକ୍ଷ ପକ୍ଷର ବା ନିଜ ପକ୍ଷର କୌଣସି ଖବର ଆଣିଛି । କହ ଦୂତ ! ବିଜିତ କି ପରାଜିତ ବାହିନୀ ଆମ୍ଭର ?
ଦୂତ – (ପ୍ରଣାମ କରି) ମହାରାଜ ! ପ୍ରଣାମ ଚରଣେ
କି କହିବି ଅଦ୍ୟ ରଣ କାରଣ ସମସ୍ତ
ସାଳନ୍ଦୀ ତଟିନୀ ତଟଠାରୁ
ଶାଳ୍ମଳୀ ଶଇଳ ଅଧିତ୍ୟକା ଭୂମି ମାଡ଼ି
ରହିଛନ୍ତି ବିପକ୍ଷ ବାହିନୀ
ରଣଭେରୀ ରଣଶିଙ୍ଗା ଅଶ୍ୱ ହ୍ରେଷା ରବ
ଗଜଙ୍କର ବୃହିଁସ୍ୱନ ଅସ୍ତ୍ର ଝଣତ୍କାରେ
ମିଶି ଚିତ୍ତେ ଜନ୍ମାଏ ଆଶଙ୍କା
ନାଚନ୍ତି କବନ୍ଧବୃନ୍ଦ ପଣ ପଣ ଭୂମେ–
ମଡ଼ାରେ ମଡ଼ାରେ ପୂର୍ଣ୍ଣ ମହୀଦେବୀ ଦେହ
ଗଙ୍ଗେଶ୍ୱର ସେନାଙ୍କ ପ୍ରତାପେ ।
ଛତ୍ରଭଙ୍ଗ ଦେଲେ ରଣେ ଆମ୍ଭରି ସେନାଏ,
ଚାଲ ପ୍ରଭୁ ପ୍ରାଣପଣେ କରିବା ସାହାଯ୍ୟ
ତା ନୋହିଲେ ଦୁର୍ଗ ରକ୍ଷା ହେବ ଅସମ୍ଭବ ।
ରତ୍ନପତି –କି କହିଲୁ ବାର୍ତ୍ତାବହ ! ପରାଜିତ ରତ୍ନପୁର ସେନା ?
ଚାଲିଲି ସମରେ ମୁହିଁ ପଶିବି ପ୍ରେମରେ
ସାକ୍ଷୀ ଥା’ନ୍ତୁ ଦଶଦିଗପାଳେ
ସାକ୍ଷୀ ଥାନ୍ତୁ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର
ବନଗିରି ବୃକ୍ଷ ଲତା ପଶୁ ପକ୍ଷୀରାଜି
ଅସି ଛୁଇଁ କରୁଛି ପ୍ରତିଜ୍ଞା–
ଗଙ୍ଗେଶ୍ୱର ସେନାଙ୍କ ରକତେ
ପ୍ଲାବିତ ହେବ ଏ ରତ୍ନପୁର ମହୀସ୍ଥଳୀ
ସାଳନ୍ଦୀର ନୀଳ ଜଳ ହୋଇବ ଲୋହିତ ।
ଚାଲ ଦୂତ ଦେଖା ଅଗ୍ରେ ପଥ ।
(ପ୍ରସ୍ଥାନ)
ଉପବନ
କାଞ୍ଚନକୁଞ୍ଜ, ପ୍ରେମ ଆଦି ଚାରି ସଖୀସହ କୌଶଲ୍ୟା ପ୍ରବେଶ ।
୧ମ ସଖୀ–ରାଜଜେମା ! ଦେଖିଲ ଏ କଳା ଭ୍ରମରଟି କେମନ୍ତ ମଧୁମାଳତୀ ଫୁଲଟିରେ ବସି କିପରି ଗୁଣୁ ଗୁଣୁ ନାଦ କରି ମଧୁପାନ କରୁଚି, ସତେ ଯେମନ୍ତ ତା କାନ ପାଖରେ କଣ କହିଦେଉଚି ।
୨ୟ ସଖୀ– ଆଲୋ କାଞ୍ଚନ ! ତୁ ତ ଆମ ଜେମାଙ୍କୁ ଭଲ କଥାଟିଏ ଦେଖଉଚୁ, ଆଲୋ ତାଙ୍କର ପରା ସେ ବେଳ ଅତି ନିକଟ।
୩ୟ ସଖୀ –ଆଲୋ ନିକଟ କଣ କହୁଚୁ ମ, ଫୁଲ ସିନା ଫୁଟିଚି, ଭ୍ରମର ପରା ଜୁଟି ନାହିଁ ।
୪ର୍ଥ ସଖୀ –ଯେତେବେଳେ ଫୁଲ ଫୁଟିଲାଣି ଭ୍ରମର ଆସି ଧରାପରା ହେବେ । ‘‘ବନେ ବିକସିତ ହେଲେ ମାଧବୀ । ମଧୁପେ କି ନ ଜାଣନ୍ତି ବାନ୍ଧବୀ ।’’ କିଲୋ ପ୍ରେମ କହୁନାହୁଁ ।
୨ୟ ସଖୀ –ମଲା ମତେ ଏତେ ଆଡ଼େ ବୁଲେଇ ଭୁଲେଇ କହି ଆସେ ନା । କ’ଣ ସଂସାରରେ ତାଙ୍କୁ ସେ ରୋଗ ଏକା ଧଇଲା ଆଉ କାହାକୁ ଧାରେ ନା ?
କୌଶଲ୍ୟା –ସଖିଗଣେ ! ତୁମେମାନେ ମତେ ଏତେ କଥା ଦେଖାଇ ଶିଖେଇ କହ ନାହିଁ । ମୁଁ ବାପାଙ୍କ ଚରଣ ବିନା ଆଉ କିଛି ଜାଣେ ନାହିଁ । ପିତା ମୋର ସ୍ୱର୍ଗ, ପିତା ମୋର ତପ, ପିତା ମୋର ଅଜ୍ଞାନ ଅନ୍ଧାକାରର ଆଲୋକମାଳା । ଏବେ ଶୁଣ କହୁଚି କାଞ୍ଚନ ।
(ପାର ହେବ ଯେବେ ସଂସାର ସାଗରୁ–ବୃତ୍ତେ ।)
ବାପାଙ୍କ ଚରଣ ଏ ପିଣ୍ତେ ପରାଣ ଥାଉଁ ନ ଭୁଲିବି ସହି ରେ ।
ଯାହାଙ୍କ କରୁଣାବଳରୁ ଅରୁଣାଧରୀ ଜନମିଛି ମହୀରେ ।ପଦ।
ଏ ପିଣ୍ତର ଅଧିକାରୀ ଯେ ଜାଣ ଯାହାଙ୍କ ଆଦେଶ ଶିରଭୂଷଣ
ତାଙ୍କ ଯୋଗୁଁ ମୋର ମରଣକୁ ଡର ନାହିଁ ନାହିଁ ରେ ।୧।
୧ମ ସଖୀ– ଠିକ୍ କଥା, ଏକା ପିତାଙ୍କ ପାଦ ଧୋଇ ପାଣି ନ ପାଇଲେ ଜେମା ଆମର ବେଳ ପଛେ ବୁଡ଼ିଯାଉ ମୁହଁରେ ଗଣ୍ତାଏ କିଛି ଦେବେ ନାହିଁ ! କି କୁଞ୍ଜ, ଏପରି ଭକ୍ତି ତ ତମ ଆମ ଘରେ ନାହିଁ ।
କୌଶଲ୍ୟା – ଆହୁରି କହୁଚି ଶୁଣ କାଞ୍ଚନ–
ନିତି ନିତି ଦେଇ ନବ ବସନ ନରପତି ମୋର ଯୋଗାନ୍ତି ମନ
ନବ ଆଭରଣେ ସୁରୁଚି ଅଶନେ ତୋଷନ୍ତି ମୋ ମନ ସେହି ରେ ।୨।
ସଖି ! କେଉଁ ବାପ ରାତି ପାହିଲେ ଝିଅକୁ ନୂଆ ବସନ ଭୂଷଣ ଯୋଗାଉଚି,
ସେ ମୋତେ ସ୍ନେହ ଦେଲେ ମୁଁ ତାଙ୍କୁ ଭକ୍ତି ନ ଦେବି କାହିଁକି ? ଆହୁରି ଶୁଣ–
ଯେ ଦିନୁ ପାଶରେ ବସାଇ ମୋତେ, ଦେବେ ପଣ କଲେ ପରର ହାତେ
ମୋ ମନ ସୁମନେ ସେହିଦିନୁ କୀଟ ଦଂଶିଅଛି ଭାଷେ ବଇ ରେ । ୩ ।
ସଖି ଗୋ, ପିତା ଯେଉଁଦିନୁ ମୋତେ କତିରେ ବସାଇ ପଣ କଲେ– ଯେ ବୃଦ୍ଧ ରତ୍ନପତିର ମୁଣ୍ତ ଆଣି ତାଙ୍କ ପାଦରେ ଭେଟିବ ସେ ସେହିଦିନ ମୋତେ ତାହାଙ୍କୁ ସମର୍ପି ଦେବେ । ସଖି ମୁଁ ସେହିଦିନଠାରୁ ଲାଜ ପଙ୍କରେ ବୁଡ଼ିଚି ।
୩ୟ ସଖୀ– ଏକି କଥା ଲୋ ମା, ଯେତେ କନିଆ ସେତେ ବର, ଯେତେ ଭାଇ ତେତେ ଘର । ବାହା ହବାକୁ କାହା ମନ ନ ହୁଏ ମ, ଆଜି ଯିଏ ପେଟରୁ ପଡ଼ୁଚି କାଲି ସେ ବାହା ହବାକୁ ଗୋଡ଼ ଠିଆ କଲାଣି । ତୁମ୍ଭର ଯେଉଁ ଯୌବନ ତେଜ ଉପରକୁ ଫୁଟି ଉଠୁଚି ସେଥିରେ ଯେବେ ସେ ସୁଆଦ ତମ ପାଟିରେ ଲାଗିବ ତେବେ କି ରାତି କି ଦିନ, ବରଷା କି ବନ କି ପବନ କିଛି ଠିକଣା ରହିବ ନାହିଁ, ସବୁ ଛାଡ଼ି ତାର ପଛରେ ଗୋଡ଼େଇବ । ନୂଆ ଯଉବନରେ ବାହା କଥା ଶୁଣିଲେ ନାରୀଙ୍କ ମନ ଦିନକୁ ଚାଖଣ୍ତେ କଅଁଳିବ । ଜେମା କଣ ନାରୀ ସଂସାରରୁ ବାହାର ?
୨ୟ ସଖୀ– ଅବଶ୍ୟ ବାହାର । ଆମ ଭିତରୁ କିଏ ପିତାଙ୍କ ପାଦ ନ ଧୋଇ ପାଣି ନ ପିଇଲେ କିଛି ଖାଇବ ନାହିଁ ?
୩ୟ ସଖୀ– ଯାଲୋ ଯା ମତେ ସେଗୁରା ଶୁଣାନା । ଯୋଉ କାମରେ ଆସିଲ ତା କର । ଏ ଯୋଉ ଛୋପରି ହୁଅ ମିଛରେ ମୁଁ ତା ଶୁଣିଲେ ମୋ ହାଡ଼ ଜଳିଯାଏ, ଦେଖିଲ ରାଜଜେମା ।
(ନବ ବସନ୍ତ ସମୟ ନବ ବୃନ୍ଦାବନ ରସମୟ ଗୋ-ବୃତ୍ତେ)
ଦେଖ ରାଜଜେମା କେମନ୍ତ ସଜରେ ବିକଶିଛି ବ୍ରଜମଲ୍ଲୀ ଗୋ । ପଡ଼ିଲେ ନଜରେ ବରଜି ଏହାକୁ ନ ତୋଳି କେ ଯିବ ଚାଲି ଗୋ । ମଲ୍ଲୀ ହାସିନୀ ଗୋ ଅନା, ଏ ଯେ ଫୁଟିଅଛି ଛୁରୀଅନା ଗୋ ।୧।
୨ୟ ସଖୀ– ଆଚ୍ଛା ତୁ ଭଲା କୁଞ୍ଜ ଏମତିକା ଉପମାରେ ପଦେ ଗୀତ ଗାଇ ଫୁଲ ଚିହ୍ନେଇଲୁ ! ନଇଲେ କାଞ୍ଚନର ଜିତାପଟ ହେଲା ।
୧ମ ସଖୀ– ମଲା, ମତେ ଆହୁରି ଚିହ୍ନାଇବାକୁ ପଡ଼ିବ, ତାଙ୍କର ସେ ଲକ୍ଷଣ ଅଛି, ମୁଁ ଖାଲି ଜୁଟାଇ ଦେବା କଥା । ଦେଖ ରାଜଜେମା –
ମନ୍ଦାରଅଧରା ଧରାମଣ୍ତନା ଏ ମନ୍ଦାର ଫୁଟିଛି ଦେଖ ଗୋ ।
ରେ କୁନ୍ଦରଦନା ! କୁନ୍ଦ ସୁମନକୁ ତୋଳିଣ ସାଇତି ରଖ ଗୋ ।
ଦେଖ ନିଆଳୀକରଜା । ଏ ନିଆଳୀ ଫୁଲେ ବଶ ରାଜା ଗୋ ।୩।
୩ୟ ସଖୀ –ଏଣେ ଦେଖ ଜେମା–
ଅନୁକମ୍ପା ବହି ଚମ୍ପାବରନା ଏ ଚମ୍ପାଫୁଲ ନେବୁ ତୋଳି ଗୋ ।
ବାସନାରେ ଦିଗ କମ୍ପାଉଚି ପରା ନାଗରୀଙ୍କ କଣ୍ଠମାଳୀ ଗୋ ।
ଆଗୋ ସରୋଜବଦନା, ସରେ ସରୋଜ ଫୁଟିଛି ଅନା ଗୋ ।୩।
୪ର୍ଥ ସଖୀ – ସମସ୍ତେ ତ ପଦେ ଅଧେ କହିଲ, ପ୍ରେମ କଉଡ଼ିରେ କଣ ସନ ନାହିଁକି ? ଶୁଣ ଗୋ ଜେମା–
ନୀଳୋତ୍ପଳଦୃଶା ଦେଖ ନୀଳକଇଁ ବିକଶିଛି ନୀଳ ଜଳେ ଗୋ ।
ରେ ଭ୍ରମରକେଶା ! ଭ୍ରମନ୍ତି ଭ୍ରମରେ ତା ନିକଟେ ଦଳେ ଦଳେ ଗୋ ।
ଆଗୋ ହରପରାଜିତା ! ବଇ କହି ଏ ଅପରାଜିତା ଗୋ ।୪।
କୌଶଲ୍ୟା– ସଖିଗଣେ ! ତୁମ୍ଭେମେନେ ମୋତେ ଏତେ ଉପରକୁ ଟେକି ଦେଉଚ କିଆଁ ! ଏ ଲକ୍ଷଣାକୁ ମୁଁ ଲକ୍ଷ ଦେବି ?
୧ମ ସଖୀ– ସତେ ଗୋ ସହି, ଦେଖିଲ ଜେମା ଆମର କେଡ଼େ ଚତୁରୀ ? କେମନ୍ତେ ଉପରକୁ ଉଠିବାକୁ ତଳକୁ ଖସି ପଡୁଛନ୍ତି । ଫୁଲ ତ ବାସି ହେଲା ଝଡ଼ି ପଡ଼ିବ, ଜେମା ତ ଆମର ସବୁବେଳେ ସଜ ଫରଫର । ହଉ ଆମର କାଇଲି ।
୨ୟ ସଖୀ– ହଉ ଜେମା–ଆମର ସବୁ କାଇଲି, ଏ ଯେତେବେଳେ ଓଡ଼ିଶା ରାଜାଙ୍କ ଆଦରର ନିଧି ତାଙ୍କୁ ଫୁଲ ସଙ୍ଗରେ ତୁଲ କରିବା କି ସିଦ୍ଧି ! ଆସ ଲୋ ଆସ ଖରା ପରା ମାଡ଼ି ଆସୁଚି ।
(ସମସ୍ତଙ୍କର ପ୍ରସ୍ଥାନ)
(କଞ୍ଚୁକୀର ଏକାକୀ ପ୍ରବେଶ)
କଞ୍ଚୁକୀ – (ସ୍ୱଗତ) ଓଃ, ମଣିଷ କି ଗଣ୍ତଗୋଳରେ ପଡ଼ି ଲଣ୍ତଭଣ୍ତ ହଉଚି ହୋ, ଦଣ୍ତେ ଖଣ୍ତେ ଏ ଶଳା ଆଖିକି ଫୁରସତ୍ ନାହିଁ । ଏ ଛାତୁଟା ଉପରେ ହାତୁଟାକୁ ଟେକି ମଣିଷ କେତେ ଅନେଇବ । ରଜାଟା କହିଚି ଯେଉଁଦିନ ଲଢ଼େଇର ମଜାଟା ବାହାରିବ, ଶତ୍ରୁ ସଜା ପାଇବ, ତୁ ସେଇଦିନ ଆଲୁଅ ଦିହୁଳି ପାହାଡ଼ ଶିଖରେ ଦେଖିବୁ । ହା ତୁ ପର ଗୋଲାମି, ତାକୁ ପାଇବାକୁ ଫେରି ମଣିଷ ଦବ ସଲାମି । ଆମର ମୋଟା ଚାଉଳ ହେଲେ ତାଙ୍କର ଫେର ପୂରା ବାଲାମି ପୁଣି ସେଥେରେ କେତେ କେତେ ବଦନାମି ! କରଜ କରି ଖାଇ ଘରଡିହ ପଛେଇ ଯିବ ନିଲାମି, ବାବା ଏ କାମକୁ ଯେ ମନ ଦବ ତାଠଉଁ ଜମା ଛାଡ଼ିନାହିଁ ଓଲାମି । ବାବା, ଏହି ଗୋଲାମି ଗୋଲାମିରେ ବୁଢ଼ା ହେଲି, ଚମ ଧଡ଼କିଲା, ହାତ ନଡ଼କିଲା, ନାକ ଭଡ଼କିଲା, ଆଉ କେତେଦିନେ ଆମର ବାବା ଯାଇଁ ସ୍ୱର୍ଗଦ୍ୱାରେ ହାଜର । ଆରେ ବାବା, ରାଜା ହେବାଟା ପୁଣି ଏମନ୍ତେ ଝିଞ୍ଜଟ । ହରଦମ କିଏ ରାଜ୍ୟ ନେଇଯିବ ବୋଲି ଛାତି ଦକ ଦକ, ମନ ରକ ରକ, ଖାଲି ବାହାରଟା ସିନା ଜକ ଜକ, ଭିତରଟା ଭାରି ଅଳିଆ, କାଳିଆ, ଗୋଳିଆ, ପ୍ରଜା ହେଲେ ମେଳିଆ, ତାଙ୍କ ଭାଡ଼ିରୁ ଚାଲିଲା ଓଳିଆ । ଆରେ ବାବା, ମତେ ଯେବେ କେହି ଜବରାନ୍ ରାଜା ହେବାକୁ କହେ ମୁଁ କେବେ ସେ କାଦୁଅରେ ନ ପଶେ । (ପେଟ ଚିପିଧରି) ଏ ପାଇଖାନା ଯିବାଟା କିଏ କଲା ହୋ, ଗୋଟାଏ ଲୋଟା, ଗୋଟାଏ ଗାମୁଛା, କାହାର କାହାର ବିଡ଼ି ସିଗାରେଟ, କାହାର କାହାର ଖଇନୀ ନ ହେଲେ ତଳ ଦରଜା ଶଳା ନ ଖୋଲେ । ଛେଳି ମେଣ୍ଢା ହାତୀ ହରିଣ ଚଢ଼େଇ ଓଗେର ଜାତିମାନଙ୍କର ତ ବେଶ୍ – ଯେଉଁଠି ତଲାସ ସେଇଠି ଖଲାସ, ଧୁଆଧୋଇ କିଛି ନାହିଁ । ବୁଢ଼ା ମଣିଷକୁ ବିଧାତା ଏତକ ନ ଦେଇଥିଲେ ତାର ବା କୋଉ କାମ ଅଟକୁ ଥିଲା ? ଏ କିଏରେ ବାବା, ଏତ ସେଇ ହାରମଯାଦି ଉଗ୍ରଚଣୀ ! ମତେ ତ ମାଇପିଙ୍କୁ ଦେଖିଲେ ଭେରି ଡରମାଡ଼େ, କାହିଁକି ନା ପିଲାଦିନୁଁ ମୁଁ ସେ ଚାଟଶାଳୀରେ ଭାରି ପଣ୍ତିତ, କାମଶାସ୍ତ୍ର ବହି ଉପର ପୃଷ୍ଠା ମଲାଟ ଉପରେ ମୋର କାରବାର ।
ଦାସୀ– (ପ୍ରବେଶି) କିରେ ଖଣ୍ତିଆ କେଞ୍ଚେର ବୁଢ଼ା, ଏଠି ଏକାକୀ କାହା ସଙ୍ଗରେ ବରବର ହଉଚୁ କି ?
କଞ୍ଚୁକୀ– ଚୁପ୍ ବେ ରାଣ୍ତୀ, ମୁଁ ଏଠି ମୋ ହାତକୁ କହୁଚି, ଗୋଡ଼କୁ କହୁଚି, ତ ତୁ ରାତିରେ ଏକା ଶୋଉ ନିତି କାହା ସାଙ୍ଗରେ ଭୁଟୁ ଭୁଟୁ ହଉ ?
ଦାସୀ– ମୁଁ ମୋ ମନକୁ କହେ ।
କଞ୍ଚୁକୀ– ମୁଁ ସେମନ୍ତେ ଏ କୋଠା ଛାତ ଉପରେ ବସି ଏ ଜହ୍ନକୁ କହେ । ହଉ ତୁ କୁଆଡ଼େ ଯାଉଚୁ ଯା, ନୃମୁଣ୍ତମାଳିନୀ କୁଳକୁଣ୍ଡଳିନୀ, ଏଠି ତ ପଣାପାଣି କିଛି ନାହିଁ, ଖାଲି ଖାଲି ଉଭା କିଆଁ ?
ଦାସୀ– ଆରେ ତୋଠେଇଁ ଅଛି ଯୋଉ ରସ ଛଣା ପଣା, ମୁଁ ପରା ତାକୁ ପିଇବାକୁ ହେଇଯାଉଚି ବଣା । ଆରେ କଣା ଖାସି, ତୋ ସାତପୁରୁଷରେ କିଏ ରଙ୍ଗିକି ଥଟା କରିଥିଲା ।
କଞ୍ଚୁକୀ– ଆଲୋ, ଶୁଣ ଶୁଣ ।–
ଗୀତ–(ବନା ମା, ଅନା ଥରେ ମୋ ଆଡ଼କୁ–ବୃତ୍ତେ)
ରଙ୍ଗି ତୁ ମୋ ସଙ୍ଗେ ଲାଗିଛୁ କାହିଁକି ?
ଦାସୀ–ତୋ ଭଙ୍ଗୀ ଚେହେରାରେ ରସି, ମଙ୍ଗେଇବି ଅଛି ଆସି, ପାରିକର କାମ ନଈକି । ପଦ ।
କୁଞ୍ଚୁକୀ–ଆଲୋ, ଆଲୋ, କାତ ତ ମୋ କତିରେ ନାହିଁ ।
ଦାସୀ–ଆଉଲା କେଣେ ହଜାଇଲୁ ରେ ତୁହି ।
କଞ୍ଚୁକୀ–ନହଲା ମୁହଁ ମୋ ଆଗେ ମରିଯିବି ସଙ୍ଗେ ସଙ୍ଗେ ପିଲାଦିନ ଡରେ ମାଇକି ।୧।
ଦାସୀ–ଆରେ ରେ, କବିରାଜ କତିକି ଯାଆ ।
କଞ୍ଚୁକୀ–ଆଲୋ ଲୋ ନୁହେ ସେତ ମଣିଷ କିଆ ।
ଦାସୀ–କେଉଁ ଜନମେ କି ପାପ କରି ଭୋଗୁଛୁ ଏ ତାପ, ଜଣା ତା ଜଗତସାଇଁକି ।୨।
କଞ୍ଚୁକୀ–ଆଲୋ ଲେ, ନୁହେଁ କି ମୁଁ ମଣିଷ ଜଣେ ।
ଦାସୀ–ଆରେ ରେ ପଶୁ, ଯେହୁ ରସ ନ ଜାଣେ ।
କଞ୍ଚୁକୀ–ରସ ଛଅ ପରକାର, ଆହାରରେ କାରବାର, ଦେଖାନା ଏ ଟୋକି ଛଇକି ।୩।
ଦାସୀ–ଆରେ ରେ ରେ, ରସିକେ ତା ଜାଣନ୍ତି ଭାଉ ।
କଞ୍ଚୁକୀ–ଆଲୋ ତା ବୁଢ଼ା ଦିନେ ଶିଖିବି ଆଉ ।
ଦାସୀ–ଆଦିକି ଯେ ସାଧି ନାହିଁ, ନିଧି ସେ ପାଇବ କାହିଁ, ବୃଥା ତ ଆସିବା ମହୀକି ।୪।
କଞ୍ଚୁକୀ–ହଉ ହଉ ତୁ ମୋ ଅବଧାନ ହୋଇ ପାଠ ପଢ଼ାନା, କୁଆଡ଼େ ଯିବୁ ଯା ।
ଦାସୀ–ଚାଲ ଖଣ୍ତିଆ ରାଣୀ ପଠେଇଛନ୍ତି କଣ ତୋଠଉଁ ନଢ଼େଇ ଖବର ବୁଝିବେ ।
କଞ୍ଚୁକୀ–ମୁଁ ବାବା କଭି ତୋ ସାଙ୍ଗରେ ନ ଯାଏ, ତୁ ଯେ ଏକବାର ଗରମ, ମୁଁ ଯେ ଏକବାର ନରମ ।
ଦାସୀ–ଏ ଖଣ୍ତିଆ ବାଡ଼ିପଡ଼ାକୁ ଛାଡ଼ିଲାଣି ଧରମ । ସେ ଯୋଗେ ୟା ମୁହଁରେ ଟିକିଏ ନାହିଁ ସରମ ।
(ଉଭୟଙ୍କର ପ୍ରସ୍ଥାନ)
ଶିବିର
(କୌଶଲ୍ୟା ଏକାକୀ ଆସନରେ ଉପବେଶନ ।)
କୌଶଲ୍ୟା– (ସ୍ୱଗତ) ଆଜି ଏ କି ଅମଙ୍ଗଳ ନେତ୍ର ପଥରେ ଦେଖୁଚି, ଦିନେ ତ ଏପରି ଦେଖେ ନାହିଁ । ତେଣେ ଯୁବରାଜ ସେନା ଘେନି ରଣ କାର୍ଯ୍ୟରେ ଲିପ୍ତ । ଶୁଣୁଛି ପ୍ରତିଦିନ ଲଢ଼େଇରେ ଆମ୍ଭର ଜୟ ହେଉଚି, ତେବେ ଏ କୁଲକ୍ଷଣ ଦେଖୁଚି କାହିଁକି । ଏଠି ତ ପିତା ମୋତେ ସ୍ୱୟଂ ଏଠାରେ ରଖି ସମସ୍ତ ତତ୍ତ୍ୱ ନେଉଛନ୍ତି । କାହିଁରେ ତ କିଛି ଅସୁବିଧା ନାହିଁ । ଏ କଣ ଏତେବେଳେ ମୋ ନିକଟକୁ ପିତାଙ୍କର ଆସିବାର କାରଣ ! କଣ ପିତା, ପ୍ରଣାମ ଶ୍ରୀପଦେ ।
ଗଙ୍ଗେଶ୍ୱର–ମା କୌଶଲ୍ୟା ! ତୋର ତ ଚଳିବାର କାହିଁରେ ଅସୁବିଧା ଘଟୁ ନାହିଁ ?
କୌଶଲ୍ୟା–ନା ପିତା, ଆପଣଙ୍କ ଦୟାରୁ, ଜଗତ୍ପତି ଜଗନ୍ନାଥଙ୍କ କରୁଣାରୁ ମୋର କାହିଁରେ ଅସୁବିଧା ନାହିଁ ।
ଗଙ୍ଗେଶ୍ୱର–ଆଛା ମା, ତୋତେ ଗୋଟିଏ କଥା ପଚାରିବି, ମୋତେ ତାର ପ୍ରକୃତ ଉତ୍ତରଦାନେ ସୁଖୀ କରିବୁ । ଆଛା ମା କହନି, ଜଗତରେ ଭଲ ପଦାର୍ଥ ପାଇବା ଆଶା କାହାର ନାହିଁ ? ଆଉ ଗୋଟିଏ ପ୍ରଶ୍ନ–ବୃକ୍ଷ ରୋପଣ କଲା ଲୋକ ଫଳଭୋଗୀ ହୁଏ କି ନା ?
କୌଶଲ୍ୟା–ପିତା ! ଯାହାର ବୃକ୍ଷ ତାହାର ଫଳ, ଜଗତରେ ଭଲଦ୍ରବ୍ୟ ପାଇବା ଆଶା ସବୁରି ଥାଏ । ପିତା, ଆଉ ଗୋଟିଏ କଥା ଏ ଦାସୀ ପଚାରୁଛି ଆପଣ ମୋତେ ଏହା ପ୍ରଶ୍ନ କଲାମାତ୍ରେ ଆପଣଙ୍କ ପ୍ରଭା ବଦଳି ଗଲା କାହିଁକି ?
(କୀର୍ତ୍ତନ ସ୍ୱର ।)
ପିତା ତବ ସୁତା ଅଳି ଏହି । ଦିନେ ତ ଏମନ୍ତ ଭାଷନାହିଁ ।
ଯାହାହିଁ ତାହିତ ଜାଣିଥିଲି ମୁଁ ତ ସେହି ଭାବେ ଦେଇଅଛି କହି ।
ନ ଧରିବ ଦୋଷ । କିଞ୍ଚିତରେ ଦୁହିତାର ନରଈଶ ।
ପିତା ! ଅଦ୍ୟାବଧି ଏ ପ୍ରଶ୍ନ କେବେ ଶ୍ରୀମୁଖରୁ କୌଶଲ୍ୟା ଶୁଣି ନ ଥିଲା, ମୁଁ ଯାହା ଜାଣିଥିଲି ତାହା କହିଚି । ଏହା ପଚାରିବାର ଅର୍ଥ କିସ ?
ଗଙ୍ଗେଶ୍ୱର–କୌଶଲ୍ୟା ! ତାହା ମୁଁ ତୋତେ ପରେ କହିବି ।
କୌଶଲ୍ୟା–ପିତା ! ଆହୁରି କହୁଛି ଶୁଣନ୍ତୁ–
ଯାହା ନିମନ୍ତେ ଯାହା ଚଉମଥା । ସଞ୍ଚି ଥୋଇଚି ହେ ଜନ୍ମଦାତା ।
ବଞ୍ଚିତ କେ ତାକୁ କରିବ ତହିଁରୁ ସୁଚିତ୍ତେ ବିଚାର ସେ ବ୍ୟବସ୍ଥା ।
ପୀୟୂଷରେ ବିଷ, କିପାଁ ମିଶିଲା ପରା ଦିଶଇ ଆସ୍ୟ ।୨।
କମ୍ପିତ ହୁଏ କର ଚରଣ । ସତ କହ ଦେଉଚି ମୋ ରାଣ ।
ମାଗିଲେ ପିଣ୍ତରୁ ପ୍ରାଣ ପାରେ ଦେଇ ମନ୍ତ୍ର ଯନ୍ତ୍ର ତନ୍ତ୍ର ଶ୍ରୀଚରଣ ।
ବଇଷ୍ଣବ ଭାଳି । ଇଷ୍ଟ ନାମଟି ଅଟେ ମୋ କଣ୍ଠମାଳି ।୩।
ପିତା ! ପ୍ରଶ୍ନ କଲା ମାତ୍ରେ ଆପଣଙ୍କ ହସ୍ତ ପଦ କମ୍ପି ଉଠିଲା କାହିଁକି ? ପିତା, ତୁମ୍ଭେ ମୋର ମନ୍ତ୍ର ଯନ୍ତ୍ର ତନ୍ତ୍ର ସମସ୍ତ, ତୁମ୍ଭପାଇ ଏ ପ୍ରାଣ ମଧ୍ୟ ଦେଇ ପାରେ । ଯଦି ଆପଣଙ୍କ ରୋଗମୁକ୍ତି ପାଇଁ ନରପିତ୍ତ ଲୋଡ଼ା ହୁଏ ହସି ହସି ଏ ହୃଦୟ ଚିରି ନେବାପାଇଁ ଦେଖାଇ ଦେବି । ମୋତେ ସମସ୍ତ କାରଣ ଖୋଲି କହନ୍ତୁ ।
ଗଙ୍ଗେଶ୍ୱର – ମା କୌଶଲ୍ୟା ! ତା ମୁଁ ତତେ ଅନ୍ୟବେଳେ କହିବି । ଏକ୍ଷଣେ ତୋର ସଖୀମାନେ ଆସଲେଣି, ମୁଁ ଯାଉଚି । (ପ୍ରସ୍ଥାନ)
କି ସୁନ୍ଦର ଚାନ୍ଦନୀ ରାତି । ସରସ କରଇ ନୀରସ ମତି ।
ପରଶିଲା ମାତ୍ରେ ବସନ୍ତ ଅନିଳ ବରଷି ଗଲା କି ସୁଧା ସମ୍ପତ୍ତି । ପଦ ।
ନୀଳ ନଭେ ଫୁଟିଛି ତାରା ଗୋଟି ଗୋଟି ହୋଇ ସେ ପରା
ବାଣ୍ଟୁ ଅଛି ବାସ ବିକଶି କାନନେ
ଯୂଇ ଜାଇ ଚମ୍ପା ମଲ୍ଲୀ ମାଳତୀ ।୧।
କହୁ କହୁ ପଞ୍ଚମତାନ କରି ପିକ ଗାଉଚି ଗାନ
ଭ୍ରମର ଗୁଞ୍ଜନ ଝିଙ୍କାରି ଝଙ୍କର ବିରହୀ ଯୁବତୀ ଯୁବକଘାତୀ ।୨। (କୌଶଲ୍ୟା ସହ ସମସ୍ତଙ୍କ ପ୍ରସ୍ଥାନ)
ଯୁବରାଜ –ଆହା କି ରମଣୀୟ ଏ ସ୍ଥାନଟି ! ସାଳନ୍ଦୀ ଜଳରାଶି ସାୟଂ ସମୀରଣ ସ୍ପର୍ଶରେ କଳ କଳ ନାଦ କରି ରତ୍ନପୁର ଦୁର୍ଗର ପଶ୍ଚିମପଟ ତଟର ପଦଧୌତ କରୁଚି । ଆହା ଚକ୍ରବାକ ଚକ୍ରବାକୀଙ୍କ ପ୍ରଣୟସୂଚକ ଧ୍ୱନି କେମନ୍ତ ମଧୁର । ଅଦୂରେ ଯେଉଁ ଉପବନଟି ଦେଖୁଛି ସେ ଦିନ ଏଠାରେ ହତଭାଗାର ଗୋଟିଏ ଭାଗ୍ୟ ପରୀକ୍ଷା ହୋଇଯାଇଚି । ରତ୍ନପୁର ରାଜବାଳା ମୋ ପ୍ରତି ତାଙ୍କର ମନ ପ୍ରାଣ ଅର୍ପଣ କରିବା ସୂଚକ ଇଙ୍ଗିତରେ ଜଣାଇଦେଇଛନ୍ତି । ହା ଅନ୍ନପୂର୍ଣ୍ଣା । ପୂର୍ଣ୍ଣେନ୍ଦୁବଦନା ! ସତେ ଏ ଦୀନ ତୋତେ କୋଳରେ ଧରି ଜୀବନ ସାର୍ଥକ କରିବ । ହା ରାଜକୁମାରୀ ସୁକୁମାରୀ, କେବେ ସେ ବୀଣାବିନିନ୍ଦିତ କଣ୍ଠରେ ପ୍ରାଣେଶ୍ୱର ବୋଲି ଡାକିବୁ ।
ଗୀତ–(ଆଜି ରଜନୀରେ ସ୍ତବ୍ଧ ହେଲେ ରାଜପୁରୀ–ବୃତ୍ତେ)
ଆହାରେ ଘଟଉରଜା ଝଟକହାସିନି ।ପଦ।
କଟକମଣ୍ତନା ପୀୟୂଷଭାଷିଣି । ଆରେ ହାଟକବରନା !
ତୁ କି ଛଟକେ କିଣିଛୁ ମୋର ଏ ମାନସ ମୋହନ ।୧।
ଗୀତ – ଘଟକ ହୋଇ ସେ ଦିନ ମୋ ଚଟକ ଗୋଟି । ଭେଟ କଲା ଏ କଣ୍ଟକ କାନନେ ବିମ୍ବୋଷ୍ଠୀ । ଆରେ କଣ୍ଠିରବମଝା । ତଟିନୀ ତଟେ ଦାସେ କିଁପା ଦେଉ ସଜା ।୨।
ରେ ବିମ୍ୱୋଷ୍ଠି ! ଏ କଣ୍ଟକ କାନନେ ତଟିନୀ ତଟରେ ବିଧାତା କାହିଁକି
ତୋ ସଙ୍ଗେ ଭେଟକଲା, ସେହିଦିନଠାରୁ ଏ ଦାସରେ କିଁପା ସଜା ଦେଉଅଛୁ ।
ଗୀତ – ଘଟ ମାରପୁର ତୋ ବିହୀନେ ଗଲେ ଘଟ । ବାଟ ଫିଟିଯାନ୍ତା ମେଣ୍ଟିଯାନ୍ତା ସବୁ ନଟ । ନଟ ବଇଷ୍ଣବ ଭାଷ । ଚାଟସୁତା କାଟିବୁ କି ମାର ତ୍ରାସ ଫାଶ ।୩।
ରେ କଣ୍ଠିରବମଝା ! ତୋ ବିହୁନେ ଏ ଘଟରୁ ପ୍ରାଣ ବାହାରିଗଲେ ସମସ୍ତ ନଟ ମେଣ୍ଟିଯାନ୍ତା । ହା ପିତା ! ତୁମ୍ଭେ ବୃଦ୍ଧ କାମୁକ ହୋଇ କେମନ୍ତ ରତ୍ନପୁରକୁ ଆଜି ଶ୍ମଶାନରେ ପରିଣତ କରିବାକୁ ଯାଉଚ । ଏ କିଏ ଆସୁଚି, ଆମ୍ଭ ଦୂତ ମୋତେ ଖୋଜି ଖୋଜି ଆସୁଚି ପରା ।
ଦୂତ– ଯୁବରାଜ ! କି କର ଏ କାନେ,
ରଣବାଦ୍ୟ ନ ଶୁଭେ କି କାନେ,
କି ଦଶା ଭୋଗିବେ ସେନା ସେନାପତିହୀନେ ।
ଯୁବରାଜ –ହଉ ଚାଲ, ଦୂତ ଦେଖା ଅଗ୍ରେ ପଥ,
ଯାହା କରିବେ ଜଗତପତି ଜଗନ୍ନଥ । (ଉଭୟର ପ୍ରସ୍ଥାନ)
ଗଙ୍ଗେଶ୍ୱର –(ସ୍ୱଗତ) ଓଃ କି ଅପମାନ, ପିତାର ଦୁହିତାଠରୁ ଅପମାନ, ଦେଖୁଚି ସେହି ସମୟରୁ କୌଶଲ୍ୟାର ମୁଖମଣ୍ତଳ ପାଣ୍ତୁରବର୍ଣ୍ଣ, ପୟୋଧରର ଅଗ୍ରଭାଗ କୃଷ୍ଣବର୍ଣ୍ଣ ଧାରଣ କରି ଆନୁ ଆନ ସ୍ଥାନ ମାନରେ ଗର୍ଭଲକ୍ଷଣ ପ୍ରକାଶ ପାଉଚି, ଏ ନିଶ୍ଚୟ ମୋର ଦୁଃଖର ଓ ଲଜ୍ଜାର କାରଣ ହେବ, ସନ୍ତାନ ନିଶ୍ଚୟ ମୋହର ଆକୃତି ଧାରଣ କରି ଜନ୍ମ ହେବ, ଏତିକିବେଳୁ ତାର ପ୍ରତିକାର ଦରକାର, ଏ ସମ୍ୱନ୍ଧରେ କୌଣସି ସୈନିକ ଦ୍ୱାରା ପାପଗର୍ଭ ହେବା ପ୍ରଚାର କରି ବନ୍ଦିନୀ ଭାବେ ରଖିବି । ସନ୍ତାନ ପ୍ରସବ ହେଲେ ତେଣିକି ଅନ୍ୟ ଉପାୟ କରିବାକୁ ହେବ, କେ ଅଛରେ ଭୃତ୍ୟ ?
ଭୃତ୍ୟଦ୍ୱୟ–(ପ୍ରବେଶି) କି ଆଦେଶ ମହାରାଜ ?
ଗଙ୍ଗେଶ୍ୱର–ରେ କିଙ୍କରେ, ତୁମ୍ଭେ ଗୋଟିଏ କାର୍ଯ୍ୟକର ।
ଗୀତ– (କୀର୍ତ୍ତନସ୍ୱର)
କୌଶଲ୍ୟାର କାଣ୍ତ ଦେଖି ଭୃତ୍ୟେ ମୁଣ୍ତ ଭ୍ରମି ଯାଉଅଛି ମୋର ରେ । ବେଳକାଳ ଉଣ୍ତି ଉଣ୍ତିନା କା ତୁଲେ କଲା ପାପ ପ୍ରୀତି ସାର ରେ । ପକାଇଛି ତଣ୍ତରେ । ନିନ୍ଦା ଡିଣ୍ତିମ ବାଜଇ ଦାଣ୍ତରେ ।୧।
ରେ ଭୃତ୍ୟଦ୍ୱୟେ, ମୋର ଝିଅ କୌଶଲ୍ୟା ବେଳକାଳ ଉଣ୍ତି କାହା ସହିତରେ ପାପ ପ୍ରୀତିରେ ମଗ୍ନ ହୋଇ ଗର୍ଭର ସଞ୍ଚାର ହୋଇଅଛି । ସେ ଭଣ୍ତିନୀ ଆଜି ଜଗତରେ ନିନ୍ଦା ଡିଣ୍ତିମ ବଜାଇଛି ।
ଗୀତ– ଅଖଣ୍ତ ମାର୍ତ୍ତଣ୍ତ ପ୍ରଭାରେ ବୋଳିଲା କଳଙ୍କ କାଳିମା ଚାଣ୍ତ ରେ
ଖଣ୍ତ ଖଣ୍ତ କରି ସେ ଦୁଃଖ କରତ କରତଇ ମୋ ପିଣ୍ତ ରେ ।
ତୁଣ୍ତ ବାଜଇ ଜାଡ଼ି, କଲା ଲଣ୍ତଭଣ୍ତ ଧର୍ମ ଛାଡ଼ି ।୨।
ରେ ଭୃତ୍ୟ ଦ୍ୱୟେ ! ମୋର ଅଖଣ୍ତ ମାର୍ତ୍ତଣ୍ତରେ କଳଙ୍କର କାଳିମା ବୋଳି ଦେଲା, ସେହି ଦୁଃଖ କରତ ମୋର ପିଣ୍ତକୁ ଖଣ୍ତ ଖଣ୍ତ କରି କରତି ଦେଉଛି । ସେହି ଧର୍ମଛାଡ଼ିର ଏ କଥା ଜାଣି ମୋର ତୁଣ୍ତ ଜାଡ଼ି ହୋଇ ଯାଉଛି ।
ଗୀତ– ପଣ୍ତିତା ଗୁଣ୍ତରେ ମଣ୍ତିତା ହୋଇ ଯା ଖଣ୍ତିତା କଲା ମୋ କୀର୍ତ୍ତିକି । ଗୁଣ୍ତି କରିଅଛି ଦଣ୍ତକେ ଚୂରନ୍ତି ନାରୀବଧେ ହୁଏ ଭୀତିକି । ଦଣ୍ତଧରକୁ ମାରି । ହୋଇ ହୋଇ ଯେ ଶେଷେ ଦୋଚାରୀ ।୩।
ରେ ଭୃତ୍ୟଦ୍ୱୟ ! ମୋର କନ୍ୟା ଏପରି ପଣ୍ତିତା ହୋଇ ସେ ଯାହା ଦୋଚାରୀ କାର୍ଯ୍ୟ କଲା, ଏହା ଜାଣି ମୋର ହୃଦୟ ବିଦାର ହୋଇ ଯାଉଛି । ମୁଁ ତାହାକୁ ଏହିକ୍ଷଣି ବଧ କରନ୍ତି, କିନ୍ତୁ ନାରୀହତ୍ୟା ହେତୁ ଭୀତି ଲାଗୁଅଛି ।
୧ମ – ମହାରାଜ ! ଏକି କାମ କଥା ।
୨ୟ ଭୃତ୍ୟ – ଆଜ୍ଞା ବଡ଼ଘର କଥା ଶୁଣି ଛୋଟ ଗୁଡ଼ା ଆମର କ’ଣ କରିପାରିବେ ।
ଗଙ୍ଗେଶ୍ୱର –ରେ କିଙ୍କରେ, ତୁମ୍ଭେ ଏହିକ୍ଷଣି ମୋ ଶିବିର ନିକଟରେ ଗୋଟିଏ ବନ୍ଦୀ ଗୃହ ନିର୍ମାଣ କରାଇ ପାପିଷ୍ଠାକୁ ତା ମଧ୍ୟରେ ପୂରେଇ ରଖ । ମୋ ବ୍ୟତୀତ କେହି ସେଠାକୁ ଯିବେ ନାହିଁ । ଦେଖ ସନ୍ତାନ ଜନ୍ମ ହେଲାଯାଏ ଜଣେ ଦାସୀ କେବଳ ତା ନିକଟରେ ଖାଦ୍ୟ ଓ ପାନୀୟ ଯୋଗାଉଥିବ । ଏ ଆଜ୍ଞା ଅବଜ୍ଞା କଲେ ଉଚିତ ଦଣ୍ତଭୋଗ କରିବ ମୁଁ ଯାଉଚି । (ପ୍ରସ୍ଥାନ)
୧ମ ଭୃତ୍ୟ –ଆରେ ଭାଇ ଏଠି ତ ସେପରି ଲୋକ କେହି ନାହି ଯେ ହୋମ ଘିଅକୁ ଅଇଁଠାକରିବ । ଲଢ଼େଇରେ ଅଢ଼େଇ ବର୍ଷ ହେଲା ସମସ୍ତ ସଡୁଛନ୍ତି, ତୁଉ ଆଉ ମୁଉଁ ଦିଇଟା ତ ନିହାତି ମଲା, ଆମକୁ କିଏ କଣ ସତେ ଶୁଭେଇ କରିବ ।
୨ୟ ଭୃତ୍ୟ –ଆବେ ଆମରି ଭଳିଆ ଲୋକ କଣ ଏକା ଏପରି କାମ କରନ୍ତି । ଆମେ ତ ଯାହା ହାତ ଧରି ବାହା ହୋଇଚେ ସେ ତ ସଦାବର୍ତ୍ତ ଦିଆହୋଇଚି କେବଳ ଏ ଶଳା ପେଟ ଚାଖଣ୍ତକ ପେଇଁ, ଆବେ ସେ ପରା ଆମ ଠାକୁରାଣୀ ।
୧ମ ଭୃତ୍ୟ –ଆଉ କଣ ଭଗୀରଥ ଭଳିଆ କାମ କିରେ, ସେ ତ ପଲେ ଟୋକୀ ଏକାଠି ଥାଆନ୍ତି । ମୁଁ ଦିନେ ତାଙ୍କ ଆଡ଼କୁ ଅନେଇଦେଲି, ଭାଇ ସେ ପରା ଆଖି ଫୋଡ଼ି ଦେଇଥାନ୍ତେ । ମୁଁ ଜାଣେ ସେ ସେଇ ରାଣ୍ତୀଙ୍କର ପାଠ ।
୨ୟ ଭୃତ୍ୟ –ରହବେ ରହ, ତୁ ଶଳା ଭିତର ମଜା ନ ବୁଝି ସେଣେ ଉପରେ ଉପରେ କଣ ପଳେଇଚୁ । ଏ ରଜାଟାକୁ କମ ମନେ କରନା, ତେଣେ ରତ୍ନପୁର ରାଜଜେମା ୟା ପୁଅକୁ ବାହା ହବାକୁ ମନ ବଳେଇଚି ; ଏ ବୁଢ଼ାଟା ତାକୁ ଜବରାନ୍ ବାହା ହବାକୁ ବସିଚି । ସେଥିପାଇଁ ଏତେ ଲଢ଼େଇ ଭିଡ଼େଇ । ତେଣେ ଯେ ବୋହୂକୁ ରଖିବାକୁ ମନ, ଏଠି ସେ ଝିଅ ସଙ୍ଗରେ ପାପପ୍ରୀତି ନ କରିବ କାହିଁକି କହିଲୁ ?
୧ମ ଭୃତ୍ୟ –ଚୁପ୍ ବେ ଚୁପ୍, ଶଳା ରଜାଘର କଥା ପକେଇଚୁ, ଚାଲ ଚାଲ– ପତର ସାଉଁଟି ଆସି ତୋଟାମୂଲ କଲୁଣି ।
୨ୟ ଭୃତ୍ୟ –ହଉ ଚାଲ ଚାଲ, ପଛେ ବୁଝିବୁ ମୋ କଥାର ହାଲ । ଦେଖୁଚୁ ଏ ବୁଢ଼ାଟାକୁ ପଛରେ କେହି ଗୋଟିଏ ଭଲ କହୁଚି? ଏଟା ଭାରି ଟକଳା । (ଉଭୟର ପ୍ରସ୍ଥାନ)
କୌଶଲ୍ୟା –(ସ୍ୱଗତ) ହାୟରେ ଅଦୃଷ୍ଟ ! ଏହା ପୁଣି ଦେଖିବାକୁ ହେଲା । କିଏ ଜାଣିଥିଲା ଯେ ଚନ୍ଦନରେ ବିଷ୍ଠାର ଦୁର୍ଗନ୍ଧ ଛପି ରହିଚି । ଇକ୍ଷୁ ଦଣ୍ତରେ ଲିମ୍ୱ ରସର ସଂଚାର ହେବା କିଏ ଭାବିଥିଲା । ପାଉଁଶରେ ନିଆଁ ଛପିଥିବା ଜାଣିଥିଲେ ପୂର୍ବରୁ ସାବଧାନ ହୋଇଥାନ୍ତି । ପିତାଙ୍କ ହୃଦ ସୁଧା ଭରଣ୍ତରେ ଗରଳ ମିଶିଚି ଏକଥା ସ୍ୱପ୍ନରେ ଭାବି ନ ଥିଲି । ଧିକ୍ ରାଜକୁଳ, ଧିକ୍ ରାଜ ସମ୍ପଦ ! ଲୋକ ରାଜ ଗୃହରେ ଜନ୍ମିବାକୁ ତପସ୍ୟା କରନ୍ତି କାହିଁକି ? ଯାର ଅନ୍ତର ଭୀଷଣ ନରକ, ତାକୁ ପାଇବାକୁ ପୁଣି ଲୋକେ ତପସ୍ୟା କରେ । ଆଜି ମୁଁ ରାଜକନ୍ୟା ହୋଇ ଯେ ଯାତନା ଭୋଗୁଛି ଦରିଦ୍ର କୁଟୀରବାସିନୀ କନ୍ୟା ଭାଗ୍ୟରେ ତାହା ଘଟିବା ଅସମ୍ଭବ । ହା ନିର୍ଲଜ୍ଜ ପିତା ! ତୁମ୍ଭେ ଏ କର୍ମର ଫଳ ଅବଶ୍ୟ ଭୋଗିବ । କେତେକାଳ ଲୋକଚକ୍ଷୁ ଧର୍ମ ଆଖିରେ ଧୂଳି ଦେଇ ନିଜ ଟେକ ବିସ୍ତାର କରି ଦାଣ୍ତରେ ମୁଣ୍ତଟେକି ଚାଲିବ– ଛି ଛି କି ଲଜ୍ଜା, ଯେ ଜନ୍ମଦାତା ପିତା ସେହି ପୂଣି ପତି ପଦବାଚ୍ୟ ! ଏକଥା କହିବାକୁ ଘୃଣା ଓ ଶୁଣିବାକୁ ଘୃଣା । ରେ ରସନା ! ମୁଁ ତତେ ମନାକଲି କଦାପି ଏ କୁଶବ୍ଦ ଜୀବନରେ ଉଚ୍ଚାରଣ କରିବୁ ନାହିଁ । ଓଃ ପେଟ କାହିଁକି ବଥା କରେ, ଜାଣିଛି ପାପ କେଭେ ଲୁଚିବାର ନୁହେଁ । ଆଜି ଜାରଜ ସନ୍ତାନର ମୁଖ ଦର୍ଶନ ମୋ ଭାଗ୍ୟରେ ଅତି ନିକଟ । ହେ ଅନାଥନାଥ, ନୀଳକନ୍ଦରନିବାସୀ– ଥରେ ତୁମ୍ଭର କନ୍ୟାକୁ ଏ ଗର୍ଭ ଯାତନାରୁ ଉଦ୍ଧାର କର ।
ଚକାଡ଼ୋଳା ହେ,
ଏ ସଂକଟେ ପକାଇ ନ ପଳା ନନ୍ଦବଳା କି । ପଦ ।
ହେ ଯାମଳାଜକା ହରି, ଶୁଣ ଅଧୀନା ଗୁହାରି ହେ ।
ଶିକା କଟା ଟୀକାଏ ନ କର ଆଉ ହେଳା କି ।୧।
ଅନା ଥରେ ଦକା ଯାଉ, ବକା ଚିରା ମହାବାହୁ ହେ ।
ପାର୍ଥ ସଖା ସହି ନ ପାରଇ ଗର୍ଭ ଜ୍ୱାଳା କି ।୨।
ହେ ପ୍ରଭୁ, ଅନାଥର ବନ୍ଧୁ ! ଏ ଗର୍ଭଜ୍ୱାଳାରୁ ମୋତେ
ଉଦ୍ଧାର କର । ହେ ଯାମଳାଭଞ୍ଜନକାରୀ ମହାବାହୁ ମୋତେ
ଏ ବିପଦରୁ ପରିତ୍ରାଣ କର ।
ଗୀତ – ଲୋକାଳୟେ ପାପମୁଖ, କେହ୍ନେ ଦେଖାଇବି ରଖ ହେ ।
କାଟିଦିଅ କଟି ଯାଉ ବଇଷ୍ଣବ ଗଳା କି । ୩ ।
ହେ ପ୍ରଭୁ ଦୀନବନ୍ଧୁ ! ଏ ଲୋକ ସମାଜରେ କିପରି ମୁଖ ଦେଖାଇବି ? ମୋର ଏ ଯେଉଁ ଜାରଜ ସନ୍ତାନ ଜନ୍ମ ହେବ ଏହାକୁ ନେଇ ବା କାହାକୁ ଦେବି ? ମୁଁ ରାଜଜେମା ହୋଇ ପିତାଙ୍କ ଦୋଷରୁ କୁଳଟା ହେଲି ହାୟରେ ବିଧାତା ! ଓଃ ମୋର ପେଟ ବିଶେଷ ବଥା । (ପୁତ୍ରଜନ୍ମ– କୁଆଁ କୁଆଁ ଶବ୍ଦ)
ଦାସୀ –(ପ୍ରବେଶି) ମହାରାଜ ! ମୁଁ ବନ୍ଦୀଶାଳରେ କୁଆଁ କୁଆଁ ରାବ ଶୁଣି ଧାଇଁଚି, ଶୀଘ୍ର ସେଠାକୁ ଘେନି ଛାମୁ ବିଜେ କରନ୍ତୁ ।–
ଗଙ୍ଗେଶ୍ୱର –କି କହିଲୁ ଦାସୀ, ପାପିଷ୍ଠା ବନ୍ଦୀ ଗୃହରେ ସନ୍ତାନ ଜନ୍ମ କଲାଣି, ମୋତେ ସେଠାକୁ ଘେନି ଚାଲ । (ବନ୍ଦୀଶାଳେ ପୁତ୍ର ଦେଖି ସ୍ୱଗତ) ଏ କଣ, ଏ ସଦ୍ୟଜାତ ଶିଶୁ ଯେ ଅବିକଳ ମୋହରି ଆକୃତି । ଏ ପ୍ରାଣରେ ଥିଲେ ନିଶ୍ଚୟ ମୋର କୁକାର୍ଯ୍ୟର ପରିଚାୟକ ହେବ । ଶୀଘ୍ର ମାତା ପୁତ୍ର ଦୁହିଁଙ୍କର ବଧ ବିଧାନ କରିବା ମୋର କର୍ତ୍ତବ୍ୟ । ଦାସୀ ! ଶୀଘ୍ର ମାତା ପୁତ୍ର ଦୁହିଁଙ୍କର ବଧ ବିଧାନ କରିବା ମୋର କର୍ତ୍ତବ୍ୟ । ଦାସୀ ! ଶୀଘ୍ର ଭୃତ୍ୟ ଦୁଇଜଣକୁ ଡାକି ଦେ ।
(ଦାସୀର ପ୍ରସ୍ଥାନ, ଚାକର ଦ୍ୱୟଙ୍କର ପ୍ରବେଶ)
୧ମ ଭୃତ୍ୟ – ମହାରାଜ ! କି ନିମନ୍ତେ ଆଦେଶ ହେଲା ?
ଗଙ୍ଗେଶ୍ୱର – ରେ ଭୃତ୍ୟଦ୍ୱୟେ, ତୁମ୍ଭେ ଗୋଟିଏ କାର୍ଯ୍ୟ ଶୀଘ୍ର କର ।
ଗୀତ – (ବାନ୍ଧରେ ବାନ୍ଧରେ ଏ ବାତୁଳକୁ ବାନ୍ଧରେ–ବୃତ୍ତେ)
ପଛକୁ ନ ଚାହିଁ ଭୃତ୍ୟେ ସ୍ୱଚ୍ଛେ ୟାକୁ ନିଅ ରେ ।
ବତ୍ସ ତୁଲେ ନ ଦେଖିବି ମତ୍ସ୍ୟନେତ୍ରୀ ମୁହଁ ରେ । ପଦ।
ତୁଚ୍ଛ ଲାଗଇ ଜୀବନ ନୀଚ ଭବଗେହ ରେ ।
ସଚ୍ଛିଦ୍ର ସୁବର୍ଣ୍ଣ ବାରି ଘଟ ଶିରେ ଦିଅ ରେ । ୧ ।
ପୁଚ୍ଛନା କାହାରେ କେବେ ଏ ସବୁ ବିଷୟ ରେ ।
ଛି ଛି ନ କଲା କି କାଣ୍ଡ ଏ ନିର୍ଲଜ୍ଜୀ ଝିଅ ରେ । ୨ ।
କଛ କେ ନ ଥିଲେ ଏ ଉତ୍କଳେ ମମ ସହ ରେ ।
ପୁଚ୍ଛହୀନ ପଶୁ ମୋତେ କଲା ନର ଦେହ ରେ । ୩ ।
ରେ କିଙ୍କରେ ! ଶୀଘ୍ର ଏ ଜାରଜପ୍ରସବନୀ ମସ୍ତକରେ ଏ ଜାରଜ ପୁତ୍ର ସହ ଏକ ସଚ୍ଛିଦ୍ର ସୁବର୍ଣ୍ଣ ବାରିପୂର୍ଣ୍ଣ କଳସୀ ଦେଇ ଧବଳୀ ପର୍ବତର ଦକ୍ଷିଣ ପଟ ବିଚ୍ଛିନ୍ନ ଭୂମିରେ ବୁଲାଇବ । ଯେଉଁଠାରେ ଜଳ ସରିଯିବ ସେଠାରୁ ଦୁଷ୍ଟାକୁ ମୋ ନିକଟକୁ ଘେନି ଆସିବ । ମୁଁ ସେହି ସ୍ଥାନରେ କୌଶଲ୍ୟା ନାମକ ଏକ ସୁଦୀର୍ଘ ଦୀର୍ଘିକା ଖୋଳାଇବି । ତହିଁରେ ଯାତ୍ରୀଗଣେ ସ୍ନାନାଦି କଲେ ଏହାର ମହା ପାପ ପ୍ରାୟଶ୍ଚିତ ହୋଇଯିବ ।
ଉଭୟ – ଯେ ଆଜ୍ଞା । (ଜଣେ ଭୃତ୍ୟକୁ ଗୋପନରେ ରାଜା ଡାକି)
ଗଙ୍ଗେଶ୍ୱର –ରେ କିଙ୍କର, ଏକଥା ତୋର ସଙ୍ଗୀ ଚାକର ବିନା ଅନ୍ୟ କାହାକୁ କହିବୁ ନାହିଁ । ଯେପରି ଜଳ କଳସୀରୁ ସରିଯିବ ପାପିଷ୍ଠାକୁ ସୁତ ସହ ନେଇ ଧବଳ ଶିଖର ଦେଶ ପ୍ରକାଣ୍ଡ ଗୁହାରେ ପୂରାଇ ଗୁହା ମୁଖ ପାଷାଣରେ ରୁଦ୍ଧ କରିଦେବ । ସାବଧାନ, ଏ ଆଦେଶ ଲଙ୍ଘିଲେ ତୁମ୍ଭ ମୁଣ୍ଡ ତୁମ୍ଭଙ୍କୁ ଉପହାର ଦେବି । ଯା– (ସମସ୍ତଙ୍କର ପ୍ରସ୍ଥାନ)
୧ମ ଭୃତ୍ୟ –ମା ଆମ୍ଭ ମୁହଁକୁ ଚାହିଁ ଲୁହ ଗଡ଼ାନାହିଁ । ଶୁଣିଲ ତ ପ୍ରତ୍ୟକ୍ଷରେ ନିଷ୍ଠୁର ପିତାଙ୍କର ଆଦେଶ । ମା’ ଏତେଦିନ ଦେବୀ ଭାବି ଯାହାକୁ ହୃଦ-ସିଂହାସନରେ ବସାଇ ପୂଜି ଆସିଥିଲୁଁ, ତାଙ୍କର ଦଣ୍ଡ ପୁଣି ଏହି ହାତରେ ଦେବାକୁ ହେଲା ! ଧିକ୍ ପର ଗୋଲାମି !
ଗୀତ – (ମନାଇ ପାରିଲୁ ନାହିଁ ସେ ନନ୍ଦ କହ୍ନାଇକି–ବୃତ୍ତେ)
ଗଡ଼ାଅନା ଲୁହ ମାଆ ଚାହିଁ ଆମ୍ଭ ମୁହଁକୁ ।
ଜନ୍ମଦାତା କେବେ କାହିଁ ଦଣ୍ଡ ଦିଏ ଝିଅକୁ । ପଦ ।
ପରପଞ୍ଚ ପର ସେବା, କି ଦୋଷ କାହାର ଅବା,
ଏ ବିପଦେ ସାକ୍ଷୀ ଦିଅ ନୀଳାଚଳ ଦିଅଁକୁ । ୧ ।
କଥା – ମା ଆମ୍ଭମାନଙ୍କର ମୁହଁକୁ ଚାହିଁ କାହିଁକି ଲୁହ ଗଡ଼ାଉଅଛ; ଜନ୍ମଦାତା ହୋଇ କେଉଁଠାରେ ଝିଅକୁ ଦଣ୍ଡ ଦେଇଅଛି ! ହାୟରେ ବିଧାତା, ଆମେ ତ ପର ଗୋଲାମି କରିଛୁଁ, ମାଆ, ଆମ୍ଭର ବା ଦୋଷ କଣ ? ନୀଳାଚଳନାଥଙ୍କୁ ଏ ବିପଦରେ ସାକ୍ଷୀ ଦିଅ ମା ।
ଟାଙ୍କୁରି ଉଠଇ ଲୋମ, ବହେ ଝାଳ ଘମ ଘମ,
ଦୋଷୀ ଦୋଷ କରି କେବେ ଚିତ୍ତେ ବହେ ରିହକୁ । ୨ ।
ଦୋଷ ଦେବ ନାହିଁ ଦାସେ, ଦ୍ୱିଜ ବଇଷ୍ଣବ ଭାଷେ,
ଲଗାଇ କୁଠାରେ କେ ଛେଦଇ ମହୀରୁହକୁ । ୩ ।
ମା’ ତୁମ୍ଭର ଏ ଘଟଣା ଦେଖି ଲୋମ ଟାଙ୍କୁରି ଉଠି ଘମ ଘମ ହୋଇ ଝାଳ ବହି ପଡ଼ୁଛି । ଆହା ରେ ପିତା, ନିଜେ ଦୋଷକରି ନିଜେ ଏ ଶତ୍ରୁତା ପଣ ସାଧନ କରୁଛି । ମା ଆମ୍ଭେ ତ ଚାକର ଲୋକ, ଯାହା ଆଦେଶ ହେଲା ତାହା ପାଳନ କରିବାକୁ ବାଧ୍ୟ ଅଟୁଁ । ରାଜାଙ୍କର ଆଜ୍ଞା କିଏ ଅବଜ୍ଞା କରିପାରିବ ।
କୌଶଲ୍ୟା –ଭୃତ୍ୟଦ୍ୱୟେ, ମୁଁ ତୁମ୍ଭଙ୍କୁ ଦୋଷ ଦେଉନାହିଁ, ବା ପିତାକୁ ଦୋଷ ଦେଉନାହିଁ, ସେ ମୋ ଅଦୃଷ୍ଟର ଦୋଷ । ଯାଉ ସେକଥା, ଭାବି କି ଫଳ ଆଉ, ଦେଖାଅ ଦେଖାଅ କାହିଁ ସେ ମୋର ମହାପାପର ପ୍ରାୟଶ୍ଚିତ କ୍ଷେତ୍ର ।
୨ୟ ଚାକର–ମା, ଏହି ଯେ ସେ ନରକସ୍ଥଳୀ ଧବଳୀ ଦକ୍ଷିଣରେ ।
କୌଶଲ୍ୟା–ହେ ଦେବଧର୍ମ, ଦଶଦିଗପାଳେ, ତୁମ୍ଭେମାନେ ମୋର କର୍ମରେ ସାକ୍ଷୀ ଥାଅ ।
ଗୀତ – (ଶ୍ରୀରାଧା ବାତୁଳୀ ପ୍ରେମ ରସାତୁଳୀ–ବୃତ୍ତେ)
ଆହେ ଦିଗପାଳେ ! ସାକ୍ଷୀ ଥାଅ ତୁମ୍ଭେମାନେ ଏତେବେଳେ । ପଦ ।
ବ୍ରହ୍ମା ରୁଦ୍ର ଇନ୍ଦ୍ର ବରୁଣ ନଇଋତ ଚନ୍ଦ୍ର ଦିନମଣି ।
ଗନ୍ଧର୍ବ କିନ୍ନର ଅଶ୍ୱିନୀକୁମାର ନାଗ ନର ଲୋକେ ଥାଅ ଶୁଣି ।
ଆହେ ଅଗ୍ନିଦେବ ! କିଏ ଜାଣିଥିଲା ଏତେ କଷ୍ଟ ଦେବ । ୧ ।
ବନ ପଶୁ ପକ୍ଷୀ ତରୁ ଗୁଳ୍ମ ଲତା ଆହେ ଚକ୍ରବାକୀ ଚକ୍ରବାକ ।
ମୁକୁଟଧାରୀ କୁକୁଟ କୁଳ ଶୁଣ କାକ ଡାହୁକ ଏ ଦୁଃଖୀ ଡାକ ।
ଆହେ ୠକ୍ଷ ହରି ! ସିଂହ ବ୍ୟାଘ୍ର ହରିଣ ଶୂକର କରୀ । ୨ ।
ହେ ନକ୍ର ମକ୍ର ଜଳଜୀବେ ଶୁଣିଥା ନଦ ନଦୀ ହ୍ରଦ ପାରାବାର ।
ଆହେ ଲିଙ୍ଗରାଜ କିପାଁ ଲାଜ ବୋଝ ଲଦି ଦେଲ ତବ ସୁତା ଶିର ।
ଆହେ ଦେବରାଜ ! ନୀଳଚକ୍ରୁ କି ପଡ଼ିଲା ଛିଡ଼ି ଧ୍ୱଜା । ୩ ।
ଗୋ ଗର୍ଭଧାରିଣୀ ଏ ପିଣ୍ଡକାରିଣୀ କୌଶଲ୍ୟା ଦୁର୍ଗତି ଆସି ଦେଖ ।
କେତେ ସ୍ନେହେ ପାଳିଥିଲ ଗୋ ଯାହାକୁ ଅନ୍ତର ନ କରି ତିଳେ ପାଖ
ବଇଷ୍ଣବ ଭାଷା, ପୁଣି ଆଜି ସେ ଭୋଗେ ଏସନ ଦଶା । ୪ ।
(ଭୃତ୍ୟଦ୍ୱୟେ କୌଶଲ୍ୟାକୁ ଘେନି ପ୍ରସ୍ଥାନ)
ରତ୍ନପତି – ଆରେ ଆରେ ପରରାଷ୍ଟ୍ରାପହାରୀ ଗଙ୍ଗ !
ନ ଜାଣୁ କି ରତ୍ନପତି ଶକ୍ତି
ବେନିବର୍ଷ ଷଡ଼ମାସ ରତ୍ନପୁରରେ ପଶି
ନାଶିଲୁ ଅନେକ ସେନା ଶାସିବାକୁ ମୋତେ
ଦାସପୁର ଦୁର୍ଗ ଜୟ କରି ତୋର ବଢ଼ିଛି ସାହସ
ନରାଧମ, ଅଦ୍ୟ ରଣେ ଚୂରିବି ସେ ଦର୍ପ ।
ମନ୍ତ୍ର ନ ପଢ଼ିଣ ନାଗସର୍ପର ମୁଖରେ
ଅଙ୍ଗୁଳି ଭରିବା ବୁଦ୍ଧି କିଏ ଦେଲା ତୋତେ
ଷୋଡ଼ଶୀ ରୂପସୀ ଅନ୍ନପୂର୍ଣ୍ଣା କନ୍ୟା ମମ
ତୁହି କି ତା ଯୋଗ୍ୟପତି ବୃଦ୍ଧ ।
କେଉଁ ନିର୍ଲଜ୍ଜ ବଦନେ ମାଗିଥିଲୁ ମୋତେ
ସେହି ଦୁହିତା ରତନେ ।
କୂପେ ପଦ୍ମ ରୋପିବାକୁ ବଳିବ କା ମନ
ମରୁଦେଶେ କନକ ଚମ୍ପକ ତରୁ–
ରୋପଣ କରିବ କହ କେଉଁ ମୂର୍ଖ ।
ଧିକ୍ ତୋର ଆସୁରୀ ପ୍ରବୃତ୍ତି ।
ଭାବୁଛି କି ରଣେ ଜିଣି ରତ୍ନପୁର ରାଟେ
ଅନ୍ନପୂର୍ଣ୍ଣାକୁ କରିବୁ ନେଇ ଅଙ୍କଲକ୍ଷ୍ମୀ
ସେହି ଆଶା ଭୁଲିଯା ବର୍ବ୍ଦର ।
ଗଙ୍ଗେଶ୍ୱର –ଆରେ ଆରେ ରତ୍ନପତି ଅବିଚାରୀ ମୂଢ଼
ମନ୍ଦମତି ଅନ୍ଧ କନ୍ଧବନ୍ଧୁ
କେଉଁ ମୁଖେ ନିନ୍ଦୁ କହ
ଶୌର୍ଯ୍ୟ ବୀର୍ଯ୍ୟ ଧୈର୍ଯ୍ୟଶୀଳ ଓଡ଼ିଶା ନରେନ୍ଦ୍ରେ ।
କୋଟି କୋଟି ରାଜସୁତେ ଖଟନ୍ତି ଯା ପଦେ
ଭୃତ୍ୟପରି ପାଳି ଆଜ୍ଞା ଦିବସ ଶର୍ବରୀ
ଗଙ୍ଗାଠାରୁ ଗୋଦାବରୀ ଚୁମ୍ବି
ଯାର ଦେଖ କୀର୍ତ୍ତିଧ୍ୱଜା ଉଡ଼େ ଫରଫର
ଅଙ୍ଗ ବଙ୍ଗ କଳିଙ୍ଗ ଯା ପଦେ ନତଶିର
ତୋର କନ୍ୟା ଉପଯୁକ୍ତ ବର ନୁହେ ସେହି ?
ପାଳିବି ଅଚିରେ ଯାହା କରିଅଛି ପଣ
ଦୁର୍ବହ ହୋଇଛି ତୋର କନ୍ଧେ ଶିରଭାର
ଅଦ୍ୟ ରଣେ ଏହି ଅସି ଲୁଟାଇବ ତଳେ ।
ତେଜ ସେହି ବୃଥା ଆସ୍ଫାଳନ
ଅନ୍ନପୂର୍ଣ୍ଣା କନ୍ୟା ହେବ ପାର୍ବତୀର ଦାସୀ
ସତ୍ୟ ଏହା ମନେରଖ ଦୋଷୀ ।
ବଡ଼ପଣ ଛାଡ଼ ମୂଢ଼ମତି ରେ, ଗଜପତି ରେ । ପଦ ।
ମଡ଼ ମଡ଼ ଶ୍ୱାନ ପଞ୍ଜରା ହାଡ଼ ଚୋବାଇବେ ଦନ୍ତେ ଆରେ ବଗଡ଼ା
ଲଢ଼ ଲଢ଼ ଅସି ଦାଢ଼କୁ ଚାହାଁ ଦୋଷୀ ଛାଡ଼ିଦେବି ଭାବିଛୁ ଏଥିରେ । ୧ ।
ପଡ଼ ପଡ଼ ମୋର ଚରଣେ ଆସି ବେଢ଼ା ନାହିଁ ଗଳେ ବିପଦ ରଶି
ଧଡ଼ ଧଡ଼ ବୁକ ପଡ଼ୁଥିବ ରେ ମୂକ ଚୂଡ଼ା ସମାନ ଦେବି ମନ୍ଥିରେ । ୨ ।
ଆଡ଼ ହୋଇ ଯା-ଯା ମାଡ଼ ମୂଲାନା ରାଢ଼ ମୋଡ଼ି ନିଶ ଛାତି ଫୁଲାନା
ପୀଢ଼ କରିଛି ଯାହା ଦୃଢ଼ ଚିତ୍ତରେ ତାହା ପାଳିବି ବଇ କହି କ୍ଷିତିରେ । ୩ ।
ରତ୍ନପତି –ଆରେ ଆରେ ନୃଶଂସ ପିଶାଚ, ତୋପରି ରତ୍ନପତି ଜଗତଚକ୍ଷୁରେ ଘୃଣ୍ୟ ନୁହେ । କପିଳେନ୍ଦ୍ର ଦେବଙ୍କ ମହାକୀର୍ତ୍ତିରେ ତୁ କଳଙ୍କ ମସି ବୋଳିବୁ ବୋଲି କି ଜଗତ୍ପତି ସୁଦର୍ଶନପାଣି ତୋତେ ଏ ପର୍ଯ୍ୟନ୍ତ ବଞ୍ଚାଇ ଅଛନ୍ତି ? ନା ତା ନୁହେଁ–ପାପଚାରୀର ପରିମାଣରେ କି ଗତି ହୁଏ ଜଗତକୁ ଦେଖାଇବା ତାଙ୍କର କାମନା । ପୁରୀ ସିଂହାସନ ତୋ ଯୋଗେ ଅପବିତ୍ର, ଏହା ଶତ ଶତ ଅନ୍ତରେ ଖେଳୁଚି, ରଣରେ ପ୍ରବୃତ୍ତ ହୋ ।
ଗଙ୍ଗେଶ୍ୱର –ରେ ରେ କାପୁରୁଷ ଭୀରୁ ! ଆ ଆଉ ବିଳମ୍ବ ନାହିଁ, ମୃତ୍ୟୁକାଳ ନିକଟ ନୋହିଲେ ନ ନିନ୍ଦେ କେ ମହତ ବ୍ୟକ୍ତିକୁ । ଜାଣିଚି ମୁଁ ତୋହରି ଶକ୍ତିକୁ, ମୁକ୍ତି ନାହିଁ ଗଙ୍ଗେଶ୍ୱର କରୁ ଆଜି ତୋର । (ଉଭୟେ ରଣ କରୁ କରୁ ପ୍ରସ୍ଥାନ)
ଯୁବରାଜ–(ସ୍ୱଗତ) ଆହା କି ଅଦ୍ଭୁତ ରଣ ଜାଣେ ରତ୍ନପତି,
ପିତାଙ୍କ ସହିତ ଅଦ୍ୟ ମତ୍ତ ଅସି ରଣେ
ବେନିକର କୃପାଣ ତେଜରେ
ପ୍ରଚଣ୍ଡ ମାର୍ତ୍ତଣ୍ଡ ପ୍ରଭା ମଳିନ ଭଜଇ ।
କି ଅଦ୍ଭୂତ ଶକ୍ତି ରମଣୀର ପ୍ରେମେ ଭରା
ତାର ଲୋଭେ ପ୍ରାଣ ମଣେ ତୁଚ୍ଛତର
ଆସେ ଦୂତ ଘେନି ସମାଚାର ।
ଦୂତ – (ପ୍ରବେଶି) ଯୁବରାଜ ! ଯୁବରାଜ ! କି କର ଏ ଠାବେ
ଏହି ଦେଖ ରଣରଙ୍ଗେ ଲିପ୍ତ ବେନିରାଜା
ଅସି ଫିଙ୍ଗି ଦୂରେ
କରନ୍ତି ସମର ଯେହ୍ନେ ମତ୍ତହସ୍ତୀ ସମ
ପିଟନ୍ତି ଛାତିରେ ଛାତି ଭୀତି ମନୁ ତେଜି
ମୁଣ୍ଡେ ମୁଣ୍ଡ କୋଡ଼ା କୋନି ବାହୁ ପିଟି ଭୂମେ
ଜଣାଯାଏ ଉଭୟରୁ କେହି ହେବେ ହତ ।
ଦୂରେ ଛିଡ଼ା ହୋଇ ସେନା ଦେଖନ୍ତି ସମର
ଧୂଳି ଉଡ଼ି ରବିରଥ ଅଦୃଶ୍ୟ ଗଗନେ
ରକ୍ଷା ନାହିଁ ରକ୍ଷା ନାହିଁ ରକ୍ଷା ନାହିଁ ଆଉ ।
ଯୁବରାଜ –ଅନ୍ନପୂର୍ଣ୍ଣା, ଅନ୍ନପୂର୍ଣ୍ଣା ତୋର ସୌନ୍ଦର୍ଯ୍ୟର ସିନା
ବିଷମୟ ଫଳ ପାଚି ଲୋଟଇ ଭୂତଳେ ।
ତାକୁ ଭୁଞ୍ଜିବା ଆଶାରେ
ବିହଙ୍ଗସ୍ୱରୂପୀ ଗଙ୍ଗ ଉପଗତ ଏଥି
ଚାଲ ଦୂତ ପ୍ରାଣପଣେ କରିବା ସାହାଯ୍ୟ । (ଉଭୟ ପ୍ରସ୍ଥାନ)
(ଯୁଦ୍ଧ କରୁ କରୁ ଦୁଇ ରାଜାଙ୍କ ପ୍ରବେଶ)
ଗଙ୍ଗେଶ୍ୱର –ରେ ରେ ନରକର କୀଟ
ମୃତ୍ୟୁ ତୋର ହେଲା ରେ ନିକଟ
କୃତାନ୍ତପୁରୁ ବୃତ୍ତାନ୍ତ ଘେନି କରି ଦୂତ
ରହିଛନ୍ତି ଅପେକ୍ଷାରେ ତୋର
ଭେଟିବାକୁ ତାକୁ ଶୀଘ୍ର ହୁଅରେ ପ୍ରସ୍ତୁତ ।
ରତ୍ନପତି – ତହିଁ କି ପ୍ରସ୍ତୁତ ଅଛି ରତ୍ନପୁରପତି ।
ଗୀତ
ଢକା ପିଟାଇବୁ ଏକାକୀ ଭାବିଚୁ ଠେକା ବାନ୍ଧି ବଡ଼ଦାଣ୍ଡରେ । ଫିକା ଯିବ ପଡ଼ି ମୁଖାମ୍ବୁଜ ତୋର ରମଣୀ ହୋଇବ ରାଣ୍ଡରେ । ପଦ । ଚୋଖା ଚୋଖା ବୀର ଆଣିଥିଲୁ ଡାକି, ଥୋକା ଥୋକା ରଣ ଶିଖାଇ କାହିଁକି, ବକା ପରା ଚାହାଁ ତକାଇଛନ୍ତି ସେ ଫିଙ୍ଗି ଦେଇ ଖଣ୍ଡା ଖଣ୍ଡ ରେ । ୧। ଲେଖାରେ ତୋହର ତୁହି ପରା ବୀର, ଟେକା ହୋଇ କି ଚୂରିବୁ ଗିରିବର । ଧକ୍କାରେ ସାବାଡ଼ ହେବୁ ରେ ବଗଡ଼ ତୁକାର ନ ଭାଷ ତୁଣ୍ଡରେ । ୨ । ଟକାଟକି ବେଳ ପଡ଼ିଛି ଏ ସ୍ଥଳେ, ଠକାଠକି ନ ଚଳିବ ଏତେବେଳେ । ଛୋକାର ଖୋଳାଇ ନ ହୁଅ ଓକାର କବି ଶ୍ରମ ନୋହୁ ପଣ୍ଡ ରେ । ୩ ।
ଗଙ୍ଗେଶ୍ୱର –ଆରେ ଆରେ ଅକାଳ କୁଷ୍ମାଣ୍ଡ, ପ୍ରଚଣ୍ଡ ମାର୍ତ୍ତଣ୍ଡ ପ୍ରଭାକୁ କି ସମାନ୍ୟ ଜ୍ୟୋତିରିଙ୍ଗଣ ମ୍ଳାନ କରିପାରେ । ରଣରେ ପ୍ରବୃତ୍ତ ହୋ ।
ରତ୍ନପତି –ରେ ନିର୍ଲଜ୍ଜ !
ମରିବ ବୋଲି କି ରଣେ ଦେବ ପୃଷ୍ଠଭଙ୍ଗ
ବୃଦ୍ଧ ରତ୍ନପୁର ପତି
କ୍ଷତ୍ରିୟ ଜୀବନ ମାନ ପାଶେ ତୁଚ୍ଛ ଅତି
ରଣସ୍ଥୁଳ ପଳାଇଲେ ବୀର
କଳଙ୍କ ରଖିବା ପାଇଁ ନ ମିଳଇ ସ୍ଥାନ
ଏହି ବିଶାଳ ଜଗତେ–
ମୂର୍ଖକୁ ଶୁଣାଇ ବେଦ କି ଫଳ ଲୋକର
ବଧୀରକୁ ହରିନାମ ଯେମନ୍ତେ ସୁଆଦ
ତେସନ ତୋ ଆଗେ ଧର୍ମଶିକ୍ଷା
ରଣକର ମନୁ ଭୁଲି ଦକା ।
ଗଙ୍ଗେଶ୍ୱର –ଆ ତେବେ ଦେବି ଫଳାପଳ,
କେତେ ଶକ୍ତି ନିହିତ କାଠାରେ
ଦେଖନ୍ତୁ ଅମରବାସୀ ଶୂନ୍ୟପଥେ ରହି । (ଉଭୟେ ଯୁଦ୍ଧ କରୁ କରୁ ପ୍ରସ୍ଥାନ)
(ରତ୍ନପତିର ଛିନ୍ନ ମସ୍ତକ ଘେନି ଗଙ୍ଗେଶ୍ୱରଙ୍କ ପବେଶ)
ଗଙ୍ଗେଶ୍ୱର –(ଛିନ୍ନ ମସ୍ତକ ଧରି) ରେ ବର୍ବର ! ଏହି ମୁଖରେ ଗଙ୍ଗକୁ କେତେ ବିଦ୍ରୂପ ବାକ୍ୟ ନ କହିଛୁ, କାହିଁ ଏତେବେଳେ ସେ ଗର୍ବ ଦମ୍ଭ ଆତ୍ମାଭିମାନ ? କେ ଅଛରେ ଭୃତ୍ୟ, ଶୀଘ୍ର ଉଆସକୁ ଅନ୍ନପୂର୍ଣ୍ଣାକୁ ମୋ ନିକଟକୁ ଘେନି ଆସ, ଏକ୍ଷଣେ ତାର ରକ୍ଷଣାବେକ୍ଷଣ ଭାର ଗଙ୍ଗେଶ୍ୱର ହସ୍ତରେ ନ୍ୟସ୍ତ । ଦେଖ ଯେପରି କେହି ତାଙ୍କୁ ପଥରେ ଅପମାନିତ ନ କରେ ।
ଭୃତ୍ୟ – ଯେ ଆଜ୍ଞା ! (ପ୍ରସ୍ଥାନ) (ଅନ୍ନପୂର୍ଣ୍ଣାର ପ୍ରବେଶ)
ଅନ୍ନପୂର୍ଣ୍ଣା –ହା ଭୂତଧାତ୍ରୀ ବସୁଧେ, ଥରେ ଦ୍ୱିଧା ହୋଇ ଏ ହତଭାଗିନୀକି ତୋ କୋଳରେ ସ୍ଥାନ ଦାନ କର । ପିତୃ ମାତୃ ବିହୀନା ପାପିନୀ ଭାବି କି ଘୃଣା କରୁଚୁ ।–
ଗୀତ – ଭେଟି ଚୌତିଶା–ବୃତ୍ତେ
ହେ ପିତା କେଣେ ଅଛ ଶୁଣ ଗୁହାରି ।
ନିଅନ୍ତି ଶତ୍ରୁ ତବ ସୁତାକୁ ଧରି ହେ ।
ନାହିଁ କେ ସାହା ।
ଏକାଳେ ରାହା ଦେବ ବୋଲିବ ଆହା ହେ । ୧ ।
ତୁମ୍ଭ ବିହୁନେ ଅଭାଗିନୀ ଜୀବନ ।
ଶୂନ୍ୟ ଲାଗଇ ଜଳିଯାଏ ଏ ମନ ହେ ।
ଜନ ସମାଜେ ।
ଦେଖାଇବି ଏ ମୁଖେ କେବଣ ଲାଜେ ହେ । ୨ ।
ମାତାର ସ୍ନେହ ବାଣୀ ନ ଥିଲି ଶୁଣି ।
ତୁମର ସ୍ନେହ ହୋଇ ବଢ଼ିଲି ୠଣୀ ହେ ।
ପଡ଼ନ୍ତେ ଚିତ୍ତେ ।
ସେ ଭାବ ଆଜି ମୋର ହୃଦ କରତେ ହେ । ୩ ।
ଅନ୍ଧାର ଦିଶେ ଦଶଦିଗ ନେତ୍ରକୁ ।
କି ପାଇଁ ଗଲ ପୋଡ଼ା କ୍ଷେତ୍ରକୁ ହେ ।
ଗଙ୍ଗର କରେ ।
ଏବେ ଫିଙ୍ଗିଣ ଗଲ କବି ବିଚାରେ ହେ । ୪ ।
ଗଙ୍ଗେଶ୍ୱର –ସୁନ୍ଦରୀ ! ଆଉ କାନ୍ଦ ନାହିଁ । ଏହି ଦେଖ ତୁମ୍ଭ ପିତାର ଛିନ୍ନମସ୍ତକ ତୁମ୍ଭ ସମ୍ମୁଖରେ । ଏବେ ସମସ୍ତ ଭୁଲି ମୋର ହୃଦୟତୋଷିଣୀ ହୁଅ ।
ଅନ୍ନପୂର୍ଣ୍ଣା –ହାୟ ରେ ନୟନ ! ତୁ ଏତେବେଳଯାଏ ଫୁଟି ନ ଯାଇ ଯା ରହିଚୁ ? କେଉଁ ମାତୃ ପିତୃହୀନା ରମଣୀ ପିତୃ ଶିର ସମ୍ମୁଖରେ ଦେଖି ପୁରୁଷର ପୌରୁଷ ବାଣୀରେ ଭୁଲିବ ?
ଗଙ୍ଗେଶ୍ୱର -ବରାଙ୍ଗନେ ! ବୃଥାରେ ଭାବି ଭାବି ଏ ସୁନା ତନୁକୁ କାଳୀ କର ନାହିଁ । ସେ ବନଜନୟନରୁ ବନ ବୁହାଇ ଏ ହୃଦୟକୁ କଷ୍ଟ ଦିଅ ନା ।
ବୀଣା ବାଣୀ କିଣାଜନେ ତୋର ରେ ।
ମନ ଊଣା ତୁ ନ କର ଶୁଣା ଶୁଣା ଏଣୀନେତ୍ରା ଗାର ରେ । ପଦ ।
ଛଣା ସୁଧାପଣା ଦେଇ ବିମ୍ବାଧରୁ ରସିକରେ ଗଣା କର ରେ ।
ଠଣାରେ ପକାଇ ବଣା କର ନାହିଁ ମଣାଇ ଧରୁଚି କର ରେ । ୧ ।
ଅରୁଣ ଚରଣା କରୁଣାରୁ କଣା ତୋଷେ ଦାସେ ଦତ୍ତ କର ରେ ।
ଗୁଣି ଶିରୋମଣି ରେ ରମଣୀମଣି ମଣିବୁ ନାହିଁଟି ପର ରେ । ୨ ।
ରାଣୀ କରିବାକୁ ଠାଣିରେ ଭୁଲିଚି ବେଣୀ ସାଜିବି ନିକର ରେ ।
ଶଙ୍କର ଉରଜେ ମୋ କର ପରଶ ପାଣି ୠଣୀ ତୋ ପାଖର ରେ । ୩ ।
ରେ ବୀଣାଜିଣା ଭାଷୀ ! କିଁ ପାଇ ଏ କିଣାଜନରେ ମନ ଊଣା କରିଅଛ ? ମୁଁ ତୁମ୍ଭ ଠାଣିରେ ଭୁଲି ରାଣୀ କରିବା ନିମନ୍ତେ ଆଜକୁ ମାସେ ହେବ ରତ୍ନପୁର ଦୁର୍ଗରେ ସମରାଗ୍ନି ଜାଳି ତୁମ୍ଭଙ୍କୁ ଲାଭକରିଅଛି । ତୁମ୍ଭର ବିମ୍ବାଧରର ସୁଧାପଣ ଏ ଚରଣ ଦାସକୁ ଦାନ କରି ଜଗତରେ ଜଣେ ରସିକା ଶ୍ରେଷ୍ଠରେ ଗଣାହୁଅ ।
ଗଙ୍ଗେଶ୍ୱର –ସେନାଗଣ ! ବର୍ତ୍ତମାନ ଶିବିକା ବାହକମାନଙ୍କୁ ଆଦେଶ କର ସେମାନେ ରତ୍ନପୁର ଜେମାଙ୍କୁ ନେଇ ପୁରୀଠାକୁ ଯାଆନ୍ତୁ। ଦୂତ ଅଗ୍ରେ ରାଣୀଙ୍କି ସମ୍ବାଦ ଦେଉ ସେ ସେଠାରେ ରତ୍ନପୁର ବିଜୟ ଉତ୍ସବ ସଙ୍ଗେ ଦୋଳ ମହୋତ୍ସବ ମିଶାଇ ପୁରୀଠାରେ ଆମୋଦ ପ୍ରମୋଦର ସୂତ୍ରପାତ କରାଇବେ । ଭୂୟାଁମାନଙ୍କ ଆଦେଶ ଦିଅ ସେମାନେ ପର୍ବତେ ଅଗ୍ନି ଜାଳି ପୁରୀଠାରେ ବିଜୟ ନିଶାର ଦେଖାଇବେ । ମୁଁ ରତ୍ନପୁର ରାଜଧାନୀ ରକ୍ଷାର ବନ୍ଦୋବସ୍ତ କରି ଆଜିଠାରୁ ତିନିଦିନେ ରାଜପୁତ୍ରମାନଙ୍କୁ ନେଇ କ୍ଷେତ୍ରରେ ପହଞ୍ଚିବି ।
ଯାଅ ସମସ୍ତେ – ଯେ ଆଜ୍ଞା ! (ସମସ୍ତଙ୍କପ୍ରସ୍ଥାନ)
(ଚାରିଜଣ ପଣ୍ଡା ଭାଙ୍ଗ ଉପକରଣ ଘେନି ଭାଙ୍ଗ ଘୋଟିବା ।)
୧ମ ପଣ୍ଡା –ଆରେ ଗୋବର୍ଦ୍ଧନ ଭାଇନା, ଆଜି ଯେମନ୍ତେ ରାଗୁଆ ପାଚକଟା ହେବ । ଯେମନ୍ତେ ପିଇଦେଇ ପେଟରେ ଯୋଡ଼େ ଫୁଟୁକି ମାରିଦେଲାଖୁଣୁ ପଛପଟ ଲୁଗା ଖୋଲିବାକୁ ଫୁସରତ୍ ନ ରହେ ।
୨ୟ ପଣ୍ଡା –ହାଃ, ହାଃ, ହାଃ, ହାଃ, ପରମାନନ୍ଦ ନନା ସବୁଦିନେ ତୋର ଏ ଭାଣ୍ଡୁଆ ଖୋଇ ଗଲା ନାହିଁ । ଫେର ତ ଢାଳେ ପାଣି ଗୋଟାଏ ଗାମୁଛା ନବାଯାଏ ଦମ୍ ରହିବା ଦରକାର । ଭାଇ ଏକା ଯୋଉଦିନ ଭାଙ୍ଗ ସଙ୍ଗକୁ ଚୁଡ଼ାଘଷା ଆଉ କଦଳୀ ମନ୍ଥାଟା ହୋଇଥାଏ ସେଦିନ ନିଶାଟା ଭାରି ବଢ଼ିଆ ।
୩ୟ ପଣ୍ଡା –ଆରେ ଛାଡ଼ିଗଲୁ ରେ ନନା, ତା ସଙ୍ଗକୁ ଯେବେ ଦୋଳମଣ୍ଡପ ସାଇ ଆଖଡ଼ା ଟୋକା ସଙ୍ଗିତରୁ ପଦେ ପଦେ ହଉଥିବ ଯେମନ୍ତେ ପରା ମଣିକାଞ୍ଚନ ଯୋଗ ।
୪ର୍ଥ ପଣ୍ଡା–ଆରେ ଶୁଣିଚୁନା, ଆଜି ରତ୍ନପୁର ବିଜୟ ନିଶାଣ ଦେଖି ସେ ବୁଢ଼ା କଞ୍ଚୁକୀ କଣ ରାଣୀମାଙ୍କୁ ତାଙ୍କ ହୁକୁମରେ ଆଜି ଫୁଳମାଳ ପତାକାରେ ବଡ଼ଦାଣ୍ଡ ଫାଟି ପଡ଼ୁଚି । ରାଜା ଆସିଲେ ନାଟ ହବ, ବାଣ ଫୁଟିବ । –
୧ମ ପଣ୍ଡା –ତେବେ ଆଜି ମଉଜଟା ଷୋଳବିଶ୍ୱା ହେବ । ଧରିବୁ ଲୋକନାଥ ମର୍ଦ୍ଦଳଟା, ମୁଁ ଗୋଟାଏ ପଦ ଗାଉଚି ।
(ମର୍ଦ୍ଦଳ ବଜାଇ ଗୀତ)
ରାମା ରେ ତୁ ମୋ ନେତ୍ର ପ୍ରତିମା ।
ଶତପତ୍ର ନେତ୍ରା ଚିତ୍ତ ଚନ୍ଦ୍ରମା । ପଦ ।
ଶମ୍ଭୁ ଉରଜା ମୋ ଡମ୍ବରମୁଝା । ଜମ୍ବୁନଦଗୋରୀ ନାଗରୀ ରଜା । ୧ ।
ଅମ୍ବୁଜଚରଣା ଜିମୁତକେଶା । ଦମ୍ଭୀ ଦମ୍ଭ ହଜା ତୋ ନାସା ଭୂଷା । ୨ ।
୨ୟ ପଣ୍ଡା –ଆରେ ପରମାନନ୍ଦ ଆଉ କଣ ରାଗ ନ ଥିଲା, ପୁରୁଣା ମରହଟିଆ ରାଗଟାଏ ଗାଇଲୁ, ସେଟା ପୁଣି ପହପଟ ତାଳ ।
୩ୟ ପଣ୍ଡା –ହଁରେ ଭାଇନା ପହପଟ ତାଳ, ଗୋଟାଏ ଝୁଲା ଫୁଲା ବୋଇଲେ ସିନା ମନଭୁଲା ହବ, ଆଚ୍ଛା ଆଚ୍ଛା ମୁଁ ଗୋଟାଏ ବୋଲୁଛି ବଜା ବଜା ।
ବିପରୀତ ରତିରେ ମାତି ରାତି ପୁହାଇଲା ସୁରସବତୀ । ପଦ । ଖୋଷି ଭାଲେ ଡୋଳା ସୁଅଙ୍ଗିନୀ ବାଳା ଦତ୍ତ କଲା ମୋତେ ସୁରସମ୍ପତ୍ତି । ବିମ୍ବାଧରା ଧୀରେ ଚାଳନ୍ତେ ନିତମ୍ବ କଟି ଘଣ୍ଟି ରଟି ମୋହିଲା ମତି । ୧ । ବେଣୀର ନର୍ତ୍ତନ ଏ ଚିତ୍ତ କର୍ତ୍ତନ କରି ଦେଲା ଧରି ନୋହିଲା ଧୃତି । ବିନ୍ଦୁ ବିନ୍ଦୁ ଝାଳ ଅଳକା ତଳକୁ ଚନ୍ଦ୍ର କି ଶିଶିର କରଇ ବାନ୍ତି । ୨ । ରସିକାମଣିର ନାସିକାମଣିର ଝୁଲା ଚାହିଁ ଦେଲେ ସେକାଳେ ଯତି । ତେଜିଣ ବିଭୂତି ଇଚ୍ଛିବେ ଏ ଭୂତି ବଇ ତହିଁ ପାଇଁ ଛାଡ଼ିଛି ଜାତି । ୩ ।
୧ମ ପଣ୍ଡା –ଆରେ ଏମନ୍ତେ ହେଲେ ହବକି । ଦେ ଦେ କଣ ଅଛି ସଡ଼ାଏ ସଡ଼ାଏ ଦେ । ଏକା ଗୋଟାଏ ଆଖଡ଼ା ଟୋକା କେଉଁଠୁ ସଜିଲ କରିଥିବୁ, ସେ ଯେମନ୍ତେ ମୁରଲୀ ଭଲ ଫୁଙ୍କି ପାରୁଥିବ । ଦେ ଦେ କଣ ଅଛି ଦେ ଖାଇ ପୋଖରୀ ଯିବା ।
୨ୟ ପଣ୍ଡା –ଆଉ ବେହିପୋ ପାଚକ ଅଛି, ନନା ଯେଉଁ ବିପରୀତ ରତି ବର୍ଣ୍ଣନା ଗୀତଟା ଗାଇଲା ସେଥିରେ ତ ବାଡ଼ିରେ ତାଳ ଠୁଙ୍କୁ ଠୁଙ୍କୁ କୁଣ୍ଡି ଏକାବେଳକେ ଦିଫାଳେ, ମତେ କଣ ଜଣାଅଛି କି ?
୩ୟ ପଣ୍ଡା –ଯା ବେହିପୋ, ଯେଉଁଦିନ ମଣିଷ ଷୋଳପଣିଆ ମଉଜଟା ପାଞ୍ଚିଥିବ ସେ ଦିନ ସବୁ ଖରାପ । ଦେ ଦେ କଣ ଅଛି ଆଣ, ଏକା ଟୋକା ସଜିଲ ଭାର ମୋ ଉପରେ ରହିଲା, ଟଙ୍କା ଗଣ୍ଡେ ନେଲେ ନବ, ଆଗେ ବେହିପୋ ମୁରଲୀ ଫୁଙ୍କି ଚାଲ ।
ଦାସୀ – ମହାଦେଈ ! ଏମନ୍ତେ କଣ ହଉଚି କି ଆଜକୁ କେତେଦିନ ହେବ ତୁମର ତ ଖିଆପିଆ ନାହିଁ । ଯେଉଁଠି ବସୁଛ କଣ ହଜେଇଲା ପରି ହଉଚ, କଣ ହୋଇଚି କହୁ ନା । କବିରାଜ ଡାକତର କଣ ଅଭାବ ଅଛନ୍ତି ।
ରାଣୀ – ଦାସୀ ଲୋ ତୁ ସେକଥା କଣ ଶୁଣିବୁ– ମୋ ମନରେ ଯେଉଁ ରୋଗ ପଶିଚି ସେ କଣ ଔଷଧରେ ଭଲ ହେବ । ଶୁଣିବୁ ତ ଶୁଣ–
ଗୀତ–(ଶ୍ରୀରାଧା ବାତୁଳୀ–ବୃତ୍ତେ ।)
କି କହିବି ଦାସୀ ଏ ମୋ ଦୁଃଖରାଶି
ଭାସୁଛି ମୁଁ ମହା ଚିନ୍ତା ନୀରେ ।
ମିଶିଛି ମଙ୍ଗଳେ ଅମଙ୍ଗଳ ଆସି
ଗଲା କାଲି ଆମ୍ଭ ସୌଧଶିରେ ।
ବସି ଗୃଧ୍ର ଏକ । ହଲାଇଲା ଲମ୍ବ ଥଣ୍ଟ ବେକ ।
ଘଡ଼ ଘଡ଼ ହୋଇ ପଡ଼ଇ ଚଡ଼କ ଦେଖିଛନ୍ତି ତାହା ଭୃତ୍ୟଯାକ । ୧ ।
ଦାସି ! ମୁଁ ଆଉ କଣ କହିବି, ମଙ୍ଗଳେ ଅମଙ୍ଗଳ ଆସି ପହଞ୍ଚି ଅଛି । ଆମ୍ଭର ଏହି ସୌଧ ଚୂଡ଼ାରେ ଗୃଧ୍ରପକ୍ଷୀ ଆସି ବସି ରାବ ଦେଉଥିଲା, ଏହା ସବୁ ଭୃତ୍ୟମାନେ ଦେଖିଛନ୍ତି ।
ଆଉ କଣ ହୋଇଛି ଶୁଣ–
ଦିବସରେ ଶୁଭେ ପେଚକ ନିସ୍ୱନ
ମାଧବୀ ମଣ୍ଡପ ଲତାକୁଞ୍ଜେ ।
ଦେଖିଲି ଏ ନେତ୍ରେ କ୍ଷେତ୍ର ବଡ଼ଦାଣ୍ଡେ
ନକ୍ଷତ୍ରମାନ ଖସନ୍ତି ସଞ୍ଜେ ।
ଆଗୋ ସହଚରୀ ! ଏ ଦଶା ଭୋଗୁଛି କି ବିଚାର ।
ଘନ ଘନ ଦକ୍ଷନେତ୍ର ଅନଶନ ନାଚେ ଧଇର୍ଯ୍ୟ ନ ପାରେ ଧରି । ୨ ।
ସହଚରୀ ! ଦିବସରେ ମାଧବୀମଣ୍ଡପ ଲତାକୁଞ୍ଜରେ ପେଚକର ଧ୍ୱନି ଶୁଣାଯାଉଛି, ସଞ୍ଜ ସମୟରେ ଆକାଶରୁ ନକ୍ଷତ୍ରମାନେ ଖସିପଡ଼ୁଛନ୍ତି, ସଦାସର୍ବଦା ମୋର ଦକ୍ଷିଣ ଆଖି ନାଚୁ ଅଛି, ମୋର ଧଇର୍ଯ୍ୟ କିଁପାଇ ଯେ ଅଧୈର୍ଯ୍ୟ ହେଉଛି ତାହା କିଛି ଜାଣିପାରୁ ନାହିଁ ।
ଆବର ଯେ ଦୁଃଖ ଖେଳେ ଏ ମାନସେ
ପରକାଶି ନୋହେ ପର ଆଗେ ।
ହୋଇଥିଲେ ସତ ମୋହରି ଆଗତ
ନ ପାଇବ କେହି ଚାରିଯୁଗେ ।
ଆଗୋ ପ୍ରିୟସଖି ! ଉଡ଼ିଯିବ ପିଣ୍ଡୁ ପ୍ରାଣପକ୍ଷୀ ।
ନୀଳଶଇଳ ଦେଉଳ ନାଥେ ଚିନ୍ତି ପଦ ଛନ୍ଦେ ବଇଷ୍ଣବ ଦୁଃଖି । ୩ ।
ସହଚରି ! ଆଉ ଗୋଟିଏ ଦୁଃଖ ମୋର ଏ ହୃଦପଟରେ ଯାହା କି ଖେଳୁଅଛି, ତାହା କାହା ଆଗେ ପ୍ରକାଶ କରିପାରୁ ନାହିଁ । ଯଦି ଏହା ସତ ହୋଇଥାଏ ତାହାହେଲେ ମୋର ଏ ପ୍ରାଣପକ୍ଷୀ ପିଣ୍ଡରୁ ବାହାରିଯିବ ।
ଦାସୀ – ମହାଦେଈ ! ତୁମ୍ଭେ ଏହା କାହିଁକି କହୁଛ ମ ? ତୁମ୍ଭେ ରାଜାଙ୍କୁ ଅନେକଦିନୁ ନ ଦେଖିବାର ମନ ସେମନ୍ତ ଗୋଳେଇଘାଣ୍ଟି ହେଉଥିବ । ଛି ଅମଙ୍ଗଳ ଗୋଟାଏ କଣ, ଯାର ନିଜେ ଜଗନ୍ନାଥ ରକ୍ଷାକାରୀ ତାର କି ଅମଙ୍ଗଳ ସମ୍ଭବ !
ରାଣୀ – ଦାସୀ ଲୋ, ତୁ ମତେ ଏଣେ ତେଣେ ଭୁଲା ନା, ଦାସୀ ଆଜି ଗରୁଡ଼ଖମ୍ବ ନିକଟରେ ଅଧ୍ୟା ପଡ଼ିବାରୁ ଯେ ଅଶରିରୀ ଶୂନ୍ୟବାଣୀ ଶୁଣିଲି ତହିଁରୁ ଜାଣୁଛି ହୃଦୟମଣି କୌଶଲ୍ୟାର ମୋର ବିଦେଶରେ କୌଣସି ବିପଦ ପଡ଼ିଛି । ପୁଣି ବୃଦ୍ଧ କଞ୍ଚୁକୀ ଆସି କେତେଦିନ ପୂର୍ବେ କହୁଥିଲା ଯେ ମାଧବୀମଣ୍ଡପ ମକର ଉଦ୍ୟାନଠାରେ ଗୋଟିଏ ଛାୟାମୂର୍ତ୍ତି କଣ ନିତି ଦେଖୁଛି । ତୁ ଯା, ମୁଁ ଏସବୁ କଥା ଶୁଣି ମୋ ମନରେ ନାନାଦି ସନ୍ଦେହ ହେଉଛି । ବୃଦ୍ଧ ତ କେବେ ମିଛ କହେ ନାହିଁ । ତୁ ଗଲୁ, ତାକୁ ମୋ ନିକଟକୁ ଡାକି ଆଣିବୁ। ମୁଁ ଯାଉଛି ଜଗବନ୍ଧୁଙ୍କ ସନ୍ଧ୍ୟା ଆରତି ଦର୍ଶନକୁ ।
ଦାସୀ – ଯେ ଆଜ୍ଞା ! (ପ୍ରସ୍ଥାନ)
ରାଣୀ – ଆଜି ମାଧବୀମଣ୍ଡପ ମକର ଉଦ୍ୟାନକୁ ରାତି ପ୍ରହରକ ପରେ ଗଲେ ସମସ୍ତସନ୍ଦେହ ଦୂର ହେବ । ହେ ପ୍ରଭୁ ଜଗନ୍ନାଥ ଚକ୍ରାୟୂଧ, ତୁମ୍ଭେ ଭରସା ।(ପ୍ରସ୍ଥାନ)
କଞ୍ଚୁକୀ – (ସ୍ୱଗତ) ଆରେ ବାବା, ଏ ଯେ ସନ୍ଧ୍ୟା ଆସିଲା ଏ ତ ସନ୍ଧ୍ୟା ଦୁହେଁ, ଏ ଗୋଟିଏ ଆମର ମାରକଦଶାର ସନ୍ଧିସ୍ଥଳେ । ସେ ଛାୟାମୂର୍ତ୍ତି କଥା ମନେପଡ଼ିଲେ ଏକାବେଳେକେ ରକ୍ତପାଣି ଠିକ୍ ତ ରାଜଜେମାଙ୍କ ଆକୃତି । ଏ କିଏରେ ବାବା ୟାଡ଼କୁ ତ କଣ ଆସ୍ତେ ଆସ୍ତେ ଆସିଲା, ଏପରି ତ ସେ କେବେ ମୋ କତିକି ଆସେ ନା, ସେ ସେହି ମାଧବୀମଣ୍ଡପଠାରେ ବୁଲେ, ଏ ତ କଣ ପାଖକୁ ପାଖକୁ ଆସୁଚି । ଦୁର୍ଗା, ଦୁର୍ଗା, ଦୁର୍ଗା, –ହାତ୍ ହାତ୍ ଦୁର୍ଗା ତ ଏଇଥର ତଣ୍ଟିରେ ମୁହଁ ନଗେଇଲେ । ଆଲୋ ମୁଁ ନିହାତି ମଲାରକ୍ତ, ଶୁଖି ଚମ ଧଡ଼ ଧଡ଼, ଖଡ଼ା ଚୋବେଇବାକୁ ମନ କରନା । ମା’ ଏଠି କ’ଣ ଭଲ ଭଲ ମାଲ ଅଭାବ ଅଛି, ମା, ମା, ମା !
ଦାସୀ – (ପ୍ରବେଶ) ଆରେ ଖଣ୍ଡିଆ, ତୋ ତେପନପୁରୁଷରେ ମତେ କିଏ ଡାହାଣୀ କହିଥିଲା, ତୋ ମୁଣ୍ଡକୁ ମୋଡ଼ୁଛି ରହ ।
କଞ୍ଚୁକୀ – ଆଲୋ ମୁଁ ତ ସେଇଆ କହୁଚି । ଘଣ୍ଟିକା ତ ମୁଣ୍ଡ କତିରେ, ତତେ ବେଶିବାଟ ହାତ ବଢ଼ିଇବାକୁ ପଡ଼ିବ ନାହିଁ, ହାତ୍ ହାତ୍ ।
ଦାସୀ – ଖଣ୍ଡିଆ ଫେର ପାଟିକଲା ।
କଞ୍ଚୁକୀ – ଆଉ କଣ ତୁ ମତେ ଚୁପ୍ଚାପ୍ ଖଲାସ କରିବୁ ।
ଦାସୀ – ଆରେ କଣା ଖାସି, ମୁଁ ପରା ରାଣୀଙ୍କ ଅଙ୍ଗଲଗା ଦାସୀ ।
କଞ୍ଚୁକୀ – ଯେବେ ତୁ ଜାଣୁ ଖାସି, ତୋ ମନ କାହିଁକି ମୋଠେଇ ଅଛି ରସି ।
ଦାସୀ – ମଲା, ମୁଁ ପରା ସେଥିପାଇଁ ତୋ ଦିହରେ ନିଇତି ହେଉଚି ଘଷି । ଖଣ୍ଡିଆର ଅନ୍ତ ନାହିଁ ନା ପିତ୍ତ ନାହିଁ ନା ଦାନ୍ତ ନାହିଁ ।
କଞ୍ଚୁକୀ – ଅସଲ ତ କହିବୁ ଡଙ୍ଗା ବୋହିବାକୁ ମୋ ପାଖରେ କାତ ନାହିଁ ! ହଉ ହଉ, କୁଆଡ଼େ ଯାଉଚୁ ଯା’ ।
ଦାସୀ – ମଲା ତୁ ଏମନ୍ତେ ରସିକ ଯେ ମୁଁ ଦିନରାତି ଉଠେଇ ବସେଇ ଦଉ ନାହିଁ, ଖଣ୍ଡିଆ ବୁଢ଼ା ।
ବୁଢ଼ା ତୋତେ ନାହିଁକି ସରମ । ଫାଟିଲାଣି ଖଣ୍ଡିଆ କରମ ।
ଗରମକୁ କାଟେ ସିନା ହେଲେ ଗରମ । ପଦ ।
ରସାଇ ଜାଣୁ ନା ନାରୀ ବସାଇ କୋଳେ,
ହସାଇ ଜାଣୁ ନା ବାହୁ ବେଢ଼ାଇ ଗଳେ;
ଜଳେ ମରମ, ଗଳେ ଘରମ, ବିଧିବଳୁଁ ବୁଦ୍ଧି ଘଟିଲାଣି ଭରମ । ୧ ।
କଞ୍ଚୁକୀ – ଆଲୋ ମରଦ ଭଣ୍ଡେଇ କାଣ୍ଡେଇ ଟୋକି ଶୁଣିବୁକି ବୁଢ଼ାଠଉଁ ପୁରାଣ ।
ଗଣ୍ଡା ଗଣ୍ଡା ଭେଣ୍ଡା ତୋତେ ପାରିବେ ନାହିଁ,
ଦଣ୍ଡାବୁଲି ପେଣ୍ଡା କରି ଦେବୁ ଚଳାଇ,
ହଡ଼ା ଚରମ ହେଲି କୁରୁମର କଟି ଲୋ ମେଣ୍ଟିବ କି ଟୋକୀ ସରମ ।।
ଦାସୀ – ଚାଲ ଖଣ୍ଡିଆ ରାଣୀ ଡାକିଛନ୍ତି ।
କଞ୍ଚୁକୀ – ଯା ଯା, ତୁ ଆଗେ ଆଗେ ଯା, ମୋଠେଇ ପଘା ନଗାନା, ମୁଁ ବେଶ ପୋଷା ମାନିଚି, ତୋ ପଛେ ପଛେ ଚାଲିଯିବି, କେ ଜାଣି କେତେ ମଣିଷକୁ ତୁ ଖରାପ କଲୁଣି ତାର କିଛି ଠିକ୍ ନାହିଁ ।
ଦାସୀ – ତୋର ତ ଖରାପଫରାପକୁ ଡର ନାହିଁ, ତୋର କଣ ଅଛି, ଘଣ୍ଟା କଣ୍ଟା ନା ମିନିଟ କଣ୍ଟା କଣ ଅଛି ଯେ ମୁଁ ଖରାପ କରୁଛି ।
କଞ୍ଚୁକୀ – ଆଲୋ ନାହିଁ କହନା ଅଛି, ଅଛି ସେ ସେକେଣ୍ଡ କଣ୍ଟା ବକଟକ ଅଛି । (ଉଭୟଙ୍କ ପ୍ରସ୍ଥାନ)
ରାଣୀ – (ସ୍ୱଗତ) କାହିଁ କଞ୍ଚୁକୀ କଥିତ ମୂର୍ତ୍ତି ତ ଏଠାରେ ଦେଖୁନାହିଁ ତେବେ କଣ ବୃଦ୍ଧ ମତେ ମିଥ୍ୟା କହିଲା ! ନା ସେ କେବେ ମିଥ୍ୟା କହିବାର ପାତ୍ର ନୁହେଁ । (ଟିକିଏ ଚାହଁ) ଏ କଣ, କାହାର ରୋଦନ ଧ୍ୱନି କ୍ରମେ କ୍ରମେ ଏଇଦିଗରୁ ଶୁଭିଲାପରି ଜଣାଗଲା ! ଏ କଣ ମେଘ ଭିତରେ ଚନ୍ଦ୍ରାଲୋକପରି କଣ ମୂର୍ତ୍ତିଟାଏ ହଠାତ୍ ମୋ ଆଖିକି ଦିଶିଗଲା, ରେ ମନ ଦମ୍ଭ ହୋ । ଏପରି ଅଧୀର ହେଲେ
କିଛି ଶୁଣିପାରିବୁ ନାହିଁ । ଏ ଯେ ବାମା କଣ୍ଠ ।
ନେପଥ୍ୟେ କୌଶଲ୍ୟାର ପ୍ରେତାତ୍ମାର ଗୀତ
କାହିଁଅଛୁ ସ୍ନେହେ ଡାକ ଜନନୀ ଲୋ ।
ନିତି ତୋତେ ଲୋଡ଼ୁଛି ଏ ଦୁଃଖିନୀ ଲୋ । ପଦ ।
ଦେଖିଥିଲୁ କୌଶଲ୍ୟାରେ କୋଳେ ବସାଇ ଗହ୍ଲାରେ
ଏବେ ଛାୟା କାୟା ଚାହାଁ ଦାନିନୀ ଲୋ । ୧ ।
ବେଶଭୂଷା ଅଳଙ୍କାର ମାଗୁନାହିଁ ଝିଅ ତୋର
ଶୁଣିବୁ କି ମୋ ଗୁହାରି ମାନିନୀ ଲୋ । ୨ ।
ରାଣୀ – ରେ କର୍ଣ୍ଣ ! କ’ଣ ଶୁଣୁଛୁ ତୁ ବଧୀର ହୋଇ ଯା ! ରେ ପ୍ରାଣ ! ତୁ ଏ ଦେହରୁ ବାହାରି ଯା ! ଓଃ ଏ କଣ ମୋ ହୃଦୟମଣି କୌଶଲ୍ୟା ! ମା ମା, ମୋ କୋଳକୁ ଆ, ଆସିବୁ ନାହିଁ ନାହିଁ ଦିନ କେଇଟାରେ ବାପାଙ୍କ ସ୍ନେହ ପାଇ କି ମାକୁ ଏକାବେଳେ ପାସୋରିଦେଲୁ, ଅ, ମୋ ମା !
ଆସ ଆସ ଦୁଃଖିନୀର କଣ୍ଠ ରତ୍ନମଣି । ଆସ ଲୋ କୌଶଲ୍ୟା ଭାଷ ମାଆ ମାଆ ବାଣୀ । ରୁଷିଛୁ କି ଦୋଷେ ଲୋ । ବସ କୋଳରେ ସ୍ନେହବଶେ ଲୋ । ୧ । ମନଜାଣି ନ ଦେଲି କି ରତ୍ନ ଅଳଙ୍କାର । ଅଳିକରି ନିଅ ମାଆ ମୋର । ଅଞ୍ଚଳ ମୋ ଧରି ଲୋ। କରୁନାହିଁ କି ପାଇ ଗୁହାରି ଲୋ । ୨ । ମାଆ ଲୋ କ୍ଷୁଧା କି ତୋର ଜଠରରେ ନାହିଁ, ଏଡ଼େ କଠୋର ସ୍ୱଭାବ ଶିକ୍ଷା କଲୁ ନାହିଁ । କାଖ ହେବୁ ପରା ଲୋ । ପାଖକୁ ଆସ ମୋ କଣ୍ଠହରା ଲୋ । ୩ । କିସ ଊଣା ହେଲା ତୋତେ ଏ ରାଜବନରେ । କିପାଁ ଛିଡ଼ା ହୋଇଛୁ ମା ବିରସ ଭାବରେ । ମନ ଫେଇ କହ ଲୋ । ପୋଛିଦିଅ ବଇ ନେତ୍ରୁ ଲୁହ ଲୋ ।୪। ମା, ଆ ମୋ କୋଳକୁ ଆ ।
କୌ-ପ୍ରେତ-ମାଲେ, ଏ ଅନାଥିନୀ ଦୁଃଖିନୀ କନ୍ୟା କି ତୋର ଇହଧାମରେ ଅଛି ? ମା ଏ ଛାୟାଦେହରେ ତୋର କାୟା କିପରି ସ୍ପର୍ଶ କରିବି । ମା–ମୁଁ ବେଶଭୂଷା ବା କୁଙ୍କୁମ କସ୍ତୁରୀ ସୁବାସିତ ପଦାର୍ଥ ବା ଦଧି ଦୁଗ୍ଧ ପାୟସାଦି ମାଗି ଆସିନାହିଁ । ମାଗିବି ଆସିଚି ତୋର କରୁଣା, ଶୁଣାଇବାକୁ ମୋ ଦୁଃଖ । ମା କାୟାଦେହରେ ଥିଲାବେଳେ ଯେପରି ତୋର ସୁତାର କଥା କାନକୁ ନେଉଥିଲୁ ଆଜି ଏ ଛାୟାଦେହର କଥା ଥରେ ସେହିପରି ନେବୁ କି ?
ରାଣୀ– ମା, କ’ଣ ତୋ କପାଳରେ ଘଟିଛି ମୋତେ ଶୀଘ୍ର କହ । ରେ ହୃଦୟ, ରେ ପ୍ରାଣ ଏପରି ଅସ୍ଥିର ହେଲେ ଯେ କିଛି ଶୁଣିପାରିବୁ ନାହିଁ । ସମସ୍ତ କଥା ଶୁଣିବା ଯାଏ ଏ ବଜ୍ର ନିଦାନ ବଜ୍ରପତନ ସହିବାକୁ ହେବ । ଯାହା ଯାହା ମୋର ଦୁଃଖିନୀ ଭଲପଟରେ ଘଟିଛି ତାହା ତାହା ଶୁଣିବା ଯାଏ ଏ ପାପ ପିଣ୍ଡରେ ଅବସ୍ଥାନ କର । ମା ମା, କଣ ତୋର କଥା ମତେ ଶୁଣା । ପରେ ସମସ୍ତ ଶୁଣାଇ ତୋ ସଙ୍ଗରେ ମୋତେ ପରଲୋକକୁ ନେଇ ଚାଲ । ମାତା ସୁତା ଦୁହେଁ ଏକତ୍ର ଏକସ୍ଥାନରେ ବାସକରିବା ।
କୌ- ପ୍ରେତ – ମା, ମୁଁ, ତୋତେ ସେ ଘୃଣ୍ୟ କଥା କଣ କହିବି । ମୁଁ ଜାଣେନା ଯେ ପିତାଙ୍କ ହୃଦ ସୁଧା ଭାଣ୍ଡରେ ଏପରି ଗରଳ ମିଶିଚି ବୋଲି, ମା ଯାହା ଏ ହୀନ କପାଳୀ ଦୁହିତା ଭାଲ ପଟରେ ଘଟିଚି ତା ଶୁଣ ।
ଗର୍ଭଧାରୀଣୀ ଲୋ ଶୁଣ । ତୋର ଦୁହିତାର ହତ କାରଣ, କି ଜନନୀ ଲୋ । ଜନ୍ମଦାତା କି ଏଡ଼େ ଦାରୁଣ । ୧ । ସେନାଙ୍କୁ କହିଲେ ଦିନେ । ସଭାରେ ବସାଇ ମୋ ବିଦ୍ୟମାନେ, କି ଜନନୀ ଲୋ । ରତ୍ନପୁର ନିରେଶ ନିଧନେ । ୨ । ଯେହୁ ରତ୍ନପୁର ମୋତେ । ଜୟ କରାଇଣ ଦେବ ତୁରିତେ; କି ଜନନୀ ଲୋ । ଦେବି ଏ କନ୍ୟା ଗୋଟି ତା ହାତେ । ୩ । ସରବେ ମୋର ଲୋଭେ ପଡ଼ି ଚାଲିଗଲେ ନିଜ ଛାଉଣୀ ଛାଡ଼ି; କି ଜନନୀ ଲୋ । ସେବିଲି ମୁଁ ପିତା ଯୋଡ଼ି । ୪। ଦିନେ ଭାଷିଲେ ପିଅର । ବୃକ୍ଷ ଯାର ଫଳ ନୁହେ କି ତାର କି; ଜନନୀ ଲୋ । ନ ବୁଝିଣ ସେ କପଟ ଗୀର । ୫ । ଅଙ୍ଗୀକାର ମୁଁ କରନ୍ତେ । ଯାହା ଯାହା କଲେ ସେ ରାତ୍ରେ ମୋତେ, କି ଜନନୀ ଲୋ । ହେଲି ପାପଗର୍ଭ ଅନାୟତ୍ତେ । ୬ । କାରାବଦ୍ଧେ ମୋତେ ରଖି । ପୁତ୍ର ପ୍ରସବିବା ନୟନେ ଦେଖି, କି ଜନନୀ ଲୋ । ବେନି ସୈନିକ କହିଲେ ଡାକି । ୭ । ଧବଳୀ ନିକଟେ ନେଇ । ସଚ୍ଛିଦ୍ର କନକ କଳସ ଦେଇ, କି ଜନନୀ ଲୋ । ସୁତ ସହ ବୁଲାଇଲେ ସେହି । ୮ । ଯେଠାରୁ ସରିବ ନୀର । ସେହିଠାରେ ଖୋଳିବେ ସରୋବର, କି ଜନନୀ ଲୋ । ହେବ ପ୍ରାୟଶ୍ଚିତ୍ତ ଏ ପାପର । ୯ । ଗୋପନେ ଆଦେଶ ଦେଲେ । ଗିରି ଗୁହାରେ ପାଷାଣ ଢାଙ୍କିଲେ, କି ଜନନୀ ଲୋ । ମୋତେ ସଦ୍ୟଜାତ ଶିଶୁ ତୁଲେ । ୧୦ । ସେଠାରୁ ଘଟିଲା ଯାହା । ତୋ ଦୁହିତା ହୀନ କରମେ ମାଆ କି, ଜନନୀ ଲୋ । ବଇଷ୍ଣବ ବୋଲେ ଶୁଣ ତାହା, କି ଜନନୀ ଲୋ । ୧୧ ।
ରାଣୀ – ଓଃ କଣ ଶୁଣୁଚି, ହସ୍ତପଦ ଅବଶ, ଏକାବେଳେ ବାକ୍ଶକ୍ତି ରହିତ ! ମାଲୋ ମା, କଣ ହେଲା ସେଠାରୁ କହ?
କୌ – ପ୍ରେତ – ମା, ତତେ ସେ ଅମାନୁଷୀ କାଣ୍ଡ କଣ କହିବି ? ସେ ଗୁହାରେ ସାପ ନଥିଲେ ଯେ, ଯେତେ ତାଙ୍କୁ କାନ୍ଦି କାନ୍ଦି ଡାକିଲି ଦୁଃଖିନୀକି ପାପିନୀ ଭାବି କେହି ବିଷଦନ୍ତରେ ଦଂଶନ କଲେ ନାହିଁ । ଦିବସରେ ଶିଳାଚ୍ଛିଦ୍ରରେ ସୂର୍ଯ୍ୟ ରଶ୍ମିପଡ଼ି ପୁତ୍ରଟିର ମୁଖ ଦେଖାଇ ଅଧିକ କଷ୍ଟ ଦେଉଥାଏ । ମୁଁ ଅନାହାରରେ ରହିବାରୁ ମୋର ସ୍ତନ ବେନିରୁ କ୍ଷୀର ଶୁଖିଗଲା, ପୁତ୍ରଟି ଆହାର ନପାଇ ସାତଦିନ ପରେ ପ୍ରାଣତ୍ୟାଗ କଲା । ମୋର ଆଖିରେ ଲୁହ ନ ଥିଲା ଯେ ପୁଅପାଇଁ କାନ୍ଦିବି ବୋଲି । ଏଣେ ଜଠର ଯାତନା ବଳାଇବାରୁ ଆଉ କାନ୍ଦ ମାଡ଼ିଲା ନାହିଁ ମା, ଯେଉଁ ସନ୍ତାନ ପାଇବା ଆଶାରେ ନାରୀମାନେ ବାର ବ୍ରତ ତେର ଉପବାସ କରନ୍ତି, ଯାହା ପାଇଁ ରମଣୀ ଭାଗ୍ୟବତୀରେ ଗଣନା ହୁଅନ୍ତି, ମା କ୍ଷୁଧା ଜ୍ୱାଳାରେ ତାର ସଢ଼ା ଶରୀର ଖାଇବାକୁ ଉଣ୍ଡାଳିଲି । ମାତା କେବେ ପୁତ୍ରଶବ ଖାଏ ଏହା କେହି ଶୁଣି ନ ଥିବେ, ଏହା ମୋ କପାଳକୁ ଘଟିଲା । ସେ ସବୁ ଭୋଜନରେ ତିନିଦିନ ପ୍ରାଣ ଧାରଣ କଲି, ପରେ ଏ ପ୍ରାଣ ପୁଣି ପରଲୋକକୁ ଚାଲିଗଲା । ମା ତୋତେ ସେ ଅମାନୁଷୀ କାଣ୍ଡ କ’ଣ ଶୁଣାଇବି ? ଦୋଷୀ କେବେ ନିଜ ଦୋଷ ଢାଙ୍କି ପରକୁ ଏପବରି ଦଣ୍ଡ ଦିଏ ? ପିତା ମୋ ନାମରେ ପରଦାର ପାପ ଗର୍ଭର କଳଙ୍କ ଜଗତକୁ ଦେଖାଇବା କାଳକୁ ରଖାଇ ଦେଇଛନ୍ତି । ମା, ଏତିକି କହିବି ବୋଲି ତିନିମାସ ହେବ ଏ ମାଧବୀ ମଣ୍ଡପ ଲତାତଳେ ବୁଲୁଛି । ମା, ରାତ୍ର ଯେ ପାହି ଆସିଲାଣି, ପ୍ରଭାତରେ ଦେବତାମାନେ ସ୍ୱର୍ଗଦ୍ୱାର ଦେଇ ଜଗବନ୍ଧୁଙ୍କ ଆଳତି ଦେଖିବାକୁ ଆସିବେ । ଏତେବେଳେ ପ୍ରେତ ଯୋନୀଙ୍କ ରହିବାକୁ କ୍ଷେତ୍ରରେ ମନା ।
ଯାଉଚି ଯାଉଚି ମାଆ ଲୋ ତୋର ଦେଖା ଏତିକି । ନ ପାଇବୁ ସୁତାକୁ ପୁଣି ସ୍ଥିର କର ମତିକି । ୧ । ସ୍ନେହବାଣୀ ଭାଷିବୁ ନାହିଁ ମାଆ ମାଆ ଏ ଡାକ । କୋଳେ ଧରି ଚୁମିବୁ ନାହିଁ ଦଣ୍ଡେ ଏ ଚାନ୍ଦମୁଖ । ୨ । ଯେତିକି ଶୁଣିଲି ଏତିକି ତୋର ସୁସ୍ୱର ବାଣୀ । ମୋ ପରା ଦୁଃଖିନୀ ତୋ ଗର୍ଭେ ଜାତ ନ ହେଉ ପୁଣି । ୩ । ତୋହପରା ଜନନୀ ମୋତେ ମିଳୁ ଗୋ ଜନ୍ମ ଜନ୍ମେ । ମୋ ସମାନ ଦଶା ନ ଘଟୁ କେବଣ ନାରୀ କର୍ମେ । ୪ । ବାହାର ବିଦାୟ ଦେଇ ଅନ୍ତରେ ଥିବୁ ରଖି । ତୋ କୌଶଲ୍ୟା ପ୍ରତି ଏ ଦୟା ଭାଷେ ବଇୟା ଦୁଃଖୀ । ୫ । (ପ୍ରସ୍ଥାନ) ରାଣୀ – ମାଲୋ ମା, ସତେକି ଚାଲିଗଲୁ ! (ପତନ, ଉଠି ଗୀତ)
କାହିଁ ଗଲୁ ମାଆ ମାଆ କୋଳେ ଆ ଆ ମୋର କଣ୍ଠ ରତନମଣି । କେଣେ ଗଲୁ ହଜି ମରୁଅଛି ଖୋଜି ମନର ରଞ୍ଜାଇ ସାଜିବି ବେଣୀ । । ପଦ । କାହିଁ କଲୁ ମୋ ନେତ୍ର ପସରା । କାହିଁ ଦୁଃଖିନୀ ଦୁଃଖ ପାସୋରା । ହାୟ ହାୟ ରହ ରହ କହ କହ ଥରେ ଶୁଣା ସେ ଅମିୟ ବାଣୀ । ମରତେ ପରତେ ନାହିଁ ଦେବୁ ସ୍ନେହ ବୀଜ ବୁଣି । ୧ ।
ମା ମା, ସତେକି ଚାଲିଗଲୁ ! ରେ ନରପିଚାଶ, ତୋର ରକ୍ତ ନ ଦେଖିବା ଯାଏ ଏ ଚିତ୍ତ ସ୍ଥିର ନାହିଁ । ଛି ଛି ଧିକ୍ ଧିକ୍ ତୋତେ ! କି ଇନ୍ଦ୍ରିୟ ଲାଳସା ତୃପ୍ତି ପାଇଁ ସ୍ଥାନ ମିଳିଲା ନାହିଁ । ନିଜର ଔରସର ଦୁହିତାଠାରେ ପିତାର ପାଶବିକ କାମନାପୋଷଣ ନରାଧମ ! ତୁ ନରଶ୍ରେଷ୍ଠ ନୋହୁ । ନରକ କୀଟ – ଯେ ଦିନ ପାର୍ବତୀର ତୀକ୍ଷ୍ମ ତରବାରୀ ଧାର ତୋ ରକ୍ତପାନ କରିବ ତାହା ଜଗତ୍ପତି ନୀଳଶୈଳ ଦେଉଳରେ ଥାଇ ସ୍ୱନେତ୍ରରେ ଦେଖିବେ, ସେହିଦିନ ଏ ହୃଦୟ – ନିଆଁ ନିର୍ବାପିତ ହେବ । ମା ଲୋ ମା ତୁ ସେହିଦିନ ତୋର ଦଣ୍ଡଦାତା ଭଣ୍ଡ ପିତାର ଛିନ୍ନମୁଣ୍ଡ ଦର୍ଶନ କରି ସେହି ରକ୍ତପାନ କରି ତୋର ଚିର ଅନଶନ ବ୍ରତ ଉଦ୍ଯାପନ କରିବୁ – ମା – ମା – ମା । (ପ୍ରସ୍ଥାନ)
ଶବର – ଓ ଏତୋ ଶବରୀ, ଆଜି ପରା ଆମ ରଜାର ନଢ଼େଇ ଜିତ୍ ହବାରୁ ସାଇ ସାଇ ନାଟଗୀତରେ ଫାଟିପଡ଼ୁଚି । ତୋ ମୋ ମୁହଁଟା ପଡ଼ିଆପଡ଼ିବ କିଆଁ ମ ଶବରୀ ?
ଶବରୀ – ଓରେ ଶବରା, ବଜା ତ ଘୁମୁରା ଗାଉଚି ମୁଁ ମୋ ଗୀତ ।
ଶବର – ବଜାଉଚି ଘୁମୁରା ଗାଉଚି ମୁଁ ମୋ ପଦ ନାଚ ତ ଶବରୀ ।
ଶବରୀ – ଶୁଣ୍ ରେ ଭାଲୁ –
ଅଦିନେ ବଢ଼ିଲା ନଈ, ଅଣପୁରୁଷାକୁ ସରମ ନାହିଁ, ଶବର ରେ ।
ନବନାଗର ରେ । ମୋ ଆଗେ ଦେଖାଉ ଛଇ, ଜାମୁଡାଳି ରେ । ୧ ।
ଶବର – ବେଶ୍ ତ ଗାଇଲୁ ଶବରୀ ।
ଗୀତ – ପାଚିଲା ଆମ୍ବ ଟାକୁଆ, ଚୂନା ଫେଶି ଚକି ହେଲା ପାକୁଆ । ଶବରୀ ଲୋ । ନବନାଗରୀ ଲୋ । ଆଉକି ଅଛି ବାକିଆ, ଜାମୁଡାଳି ରେ । ୨ ।
ଶବରୀ – ନଈକୂଳେ ତାଳବଣ, ମାଣିଖୁଣ୍ଟି ଯେବେ ଥାଆନ୍ତା ଟାଣ । ଶବର ରେ । ନବନାଗରେ ରେ । ନୁହନ୍ତି ମୁଁ ହଇରାଣ, ଜାମୁଡାଳିରେ ।
ଶବର – ଆମ୍ୱଫଳେ ବାରମାସ, ହଡ଼ାକୁ ତାଉ ତ କରିଲୁ ପରା । ଶବରୀ ଲୋ । ନବନାଗରୀ ଲୋ । ସେ କି ନ କରିବ ଚାଷ, ଜାମୁଡାଳି ରେ । ୪ ।
ଶବର – ଗଡ଼ିଲା ପାକଲା ବେଲ, କୋଳଥକୁ ପାଣିଦେଇ ପେଡ଼ିଲେ, ଶବର ରେ । ନବନାଗର ରେ । ସେଠୁଁ ବାହାର ହେବ କି ତେଲ, ଜାମୁଡାଳି ରେ । ୫ ।
ଶବର – ସାଉଁଟିଲି ବିଲିଘସି, ହୁଗୁଳା ହୋଇଲେ ଟାଙ୍ଗିଆ ପଶା । ଶବରୀ ଲୋ । ନବନାଗରୀ ଲୋ । ତାର ଚୋଟ କି ନ ଯିବ ଖସି । ଜାମୁଡାଳି ରେ । ୬ ।
ଶବରୀ- ଗଡ଼ି ଗଡ଼ି ଗଲା ଗୋଡ଼ି, ହାଣି ଜାଣିଥିଲେ ବାଗରେ କାଠ ।
ଶବର ରେ । ଏକାଚୋଟକରେ ଯିବ ଛିଡ଼ି । ଜାମୁଡାଳିରେ । ୭ ।
ଶବରୀ – ଆମ୍ଭଗଛେ ମହୁବସା, ତୁଉ ଯଉଥିରେ କଲୁଣି ଆଶା । ଶବରୀ ଲୋ । ଟଙ୍କାରେ ସେ ପରା ମଶା । ଜାମୁଡାଳି ରେ ।୮ ।
ଶବରୀ – ଶଶା ଡାକଦେଲା ବଣେ, ସାଇତି ରଖିଲେ ରହିବ ନାହିଁ । ଶବର ରେ । ସେ ତ ଚାଲିଯିବ ଏଣେତେଣେ । ଜାମୁଡାଳୀ ରେ । ୯ ।
ଶବର – ଭାଙ୍ଗିଲା ଶବର ଚକ, ପଡ଼ିଥିବ ଯେବେ ଗୁଳାରେ ଗାଡ଼ି । ଶବରୀ ଲୋ । ଦବ ଘଡ଼ ଘଡ଼ ଡାକ । ଜାମୁଡାଳି ରେ ।୧୦।
ଶବରୀ – ମଇଁଷି ଚରିଲେ ଦୂବ, ହୋଇଥିବ ଯେବେ ଚଷା ପୁଅଟା । ଶବର ରେ । ତାର ବିଳକି ପଡ଼ିଆ ହେବ । ଜାମୁଡାଳି ରେ । ୧୧ ।
ଶବର – ବାଲିଆ ବରଜ ପାନ, ସବୁ ବରଷରେ ଫସଲ କଲେ । ଶବରୀ ଲୋ । ତାକୁ ଥୋଇବାକୁ ନାହିଁ ଥାନ । ଜାମୁଡାଳି ରେ । ୧୨ ।
ଶବରୀ – ରାବିଲା କଜଳପାତି, ବିହନ ତ ଜମା ଭାଡ଼ିରେ ନାହିଁ । ଶବର ରେ । ମତେ କେତେ ଚେତାଉଛୁ ନିତି । ଜାମୁଡାଳି ରେ । ୧୩ ।
ଶବର – ପରବତ ତଳେ ବଣ, ଏକାଥରେ ଯେବେ ଭିଡ଼ିବି ବାଣ । ଶବରୀ ଲୋ । ମୁଁତ ଝାଡ଼ିଦେବି ପଣ ପଣ । ଜାମୁଡାଳି ରେ । ୧୪ ।
ଶବରୀ – ବଇଆ ଲେଖେ ଏ ଭାଷା, ଆଜି ତୋର ମୋର ପରଖ ହବ ଶବର ରେ । ପଣସ ରେ କେତେ ଖୋଷା, ଜାମୁଡାଳି ରେ । ୧୫ ।
ରାଣୀ – ଏ କଥା ଆଜି – ରାଜାଙ୍କର ଏତେ ବିଳମ୍ୱ କାହିଁକି ? ଆଜି ଦାସୀମାନଙ୍କୁ ଆଦେଶ କରିଛି ସେମାନେ ଗୋଟିଏ ଫୁଲମାଳ ଶକ୍ତରଜ୍ଜୁରେ ଗୁନ୍ଥିଥିବେ । ଏ କିଏ ଦୂତ, କି ସମ୍ୱାଦ ଶୀଘ୍ର କହ ।
ଦୂତ – (ପ୍ରବେଶି) ମା, ରତ୍ନପୁର ଜେମାଙ୍କ ଶିବିକା ରହିଅଛି ନହର ବାହାରେ, ବନ୍ଦାଇ ତାହାଙ୍କୁ ଘେନି ଆସ ଅନ୍ତଃପୁରେ, ପଠାଇଲେ ଆଗେ ମୋତେ ରାଜା ଶ୍ରୀଛାମୁରେ ଦେବାକୁ ଖବର, ଆସୁଛନ୍ତି ଛାମୁ ନୃପଗଣ ଗହଣେ, ମିଳିବେ ସେ ଅତି ନିକଟରେ । ଭଗ୍ନୀଭାବେ ତୋଷ ତାଙ୍କୁ ଅତି ସମାଦରେ ଯେମନ୍ତେ ନ ହୁଏ ତାଙ୍କ ସମ୍ମାନର ଊଣା ।
ରାଣୀ – ଦୂତ, ଶୀଘ୍ର ଯାଇଁ ଦାସୀମାନଙ୍କୁ ଡାକିଦେ, ସେମାନେ ବନ୍ଦାପନା ଥାଳିନେଇ ନହର ବାହାରକୁ ଚାଲନ୍ତୁ, ମୁଁ ପଛେ ପଛେ ଯାଉଛି । ଯେଉଁ ରତ୍ନପୁର ଜେମାଙ୍କ ଗୁଣ କାନରେ ଶୁଣିଥିଲି ଆଜି ତାଙ୍କୁ ଆଖିରେ ଦେଖି ଚକ୍ଷୁ କର୍ଣ୍ଣର ବିବାଦ ଭଞ୍ଜନ କରିବି – ଯାଅ ଦୂତ ।
ଦୂତ – ଯେ ଆଜ୍ଞା !
ବନ୍ଦାପନାକରଣ
ରାଣୀ – ରତ୍ନପୁରଜେମା ! ଆଉ କାନ୍ଦନା ଧୈର୍ଯ୍ୟଧର ।
ଅନ୍ନ – ମା ! ତୋ ଆଗରେ ଏ ଦୁଃଖିନୀ ଦୁଃଖ ନ କହି କହିବି କାହା ଆଗରେ ।
ଶୁଣିବୁ କି ଦାସୀ ଦଶା ଶ୍ରବଣ ଦେଇ ଗୋ । ମାଗୋ କରୁଣାମୟୀ । ପଦ । ମୋ ସମ ଦୁଃଖିନୀ ଯୋଷା, ନାହିଁ ନ ଥିବ ଏ ରସା । ଭାଷାରେ ସଂସାରରେ କେ ତା ପାରିବ କହି ଗୋ ।୧। ଜନ୍ମକାଳୁ ମାତୃହୀନା, ହୋଇଥିଲି ମୁହିଁ ସିନା । ଏତେଦିନେ ଜନକେ ବସିଲି ହରାଇ ଗୋ ।୨। ମୋର ଦୋଷେ ରତ୍ନପୁର–ପତି ହେଲେ ଛାରଖାର । ଗଙ୍ଗେଶ୍ୱର କରେ ଶିର ଲୋଟିଲା ମହୀ ଗୋ ।୩। ହୋଇ ତବ ପୁତ୍ରବଧୂ, ତରିଥାନ୍ତି ଦୁଃଖସିନ୍ଧୁ, ଏବେ ସପତଣୀ ହେବି ଭାଷଇ ବଇ ଗୋ ।୪।
ରାଣୀ – ମା ମୁଁ ସବୁ ଶୁଣିଚି, ସବୁ ଜାଣିଚି, ତୁ ମୋର ପୁତ୍ରକୁ ପ୍ରାଣ ମନ ଦାନକରିବା କଥା ଏ କାନ ଶୁଣିଚି । ଯେପରି ବିହଙ୍ଗ ଦ୍ୱାରା ତା ସଙ୍ଗେ ତୋର ଉପବନରେ ପ୍ରଥମ ସାକ୍ଷାତ୍ – ସେକଥା ମୋତେ ଅଜଣା ନାହିଁ । ମା ତୁନି ହୁଅ ।
ଗତ କଥାକୁ ନ ଭାଳ ମାନ ମୋ ଚିତ୍ତ ସ୍ଥିରକର ଦୁଃଖ ରେ । ପଦ । ତୋ ଦୁଃଖ ମୋ ଦୁଃଖ ସମାନ ଧରାରେ ଧୀରା ଅଧୀରା ନୁହେଁ ତିଳେ । ନୁହେଁ ତିଳେ ଏତେବେଳେ ଭୁଲ ମା ଭୁଲ ଗଲେ ଯାଇଁ । ସତେ ଚନ୍ଦ୍ରରୁ ଶିଶିର ବରଷିଲା ପରା ମୁଖଚନ୍ଦ୍ରୁ ଝାଳ ନ ବୁହା ମା ।୧। ମୋର କଣ୍ଠମାଳୀ ସୁନା ଦେହ କାଳି ପକା ନା ଅକାରଣେ ଆଉ । ଦକା ଯାଉ, ମହାବାହୁ । ସେ ଆରତି ଆରତ ହଟା । ନୀଳଚକ୍ରେ ଅନା ଉଡ଼ାଉଛି ବାନା । କଳୁଅଛି ଆମ୍ଭ ବିକଳ ମା ।୨।
ମା ଚାଲ ମୋ କୋଠରିକି, ସବୁ କଥା ମନରୁ ଭୁଲି ଯା ।
ଅନ୍ନ –ମା କରୁଣାମୟି ! ସତେ କରୁଣା ପାଇ ଏ ମାତୃପିତୃହୀନା ଧନ୍ୟା ହେବ ।
(ଉଭୟର ପ୍ରସ୍ଥାନ)
କଞ୍ଚୁକୀ – ଏଇ ଯେ ତୋପ ପଡ଼ିଲା, ରାଜା ଆସିଲେ ପରା, ରାଣୀ ମାଆଙ୍କୁ ଡାକି ଏତିକିବେଳେ ମଉଜଟା ଦେଖେଇ ଦବା ଦରକାର୍ । ଯାହାହେଉ ରାଣୀ ମା ବି ବେଳଜାଣି ଏଠାକୁ ବିଜେ ହେଲେଣି । ମା ! ଦେଖନ୍ତୁ ଗହଣ ଦେଖନ୍ତୁ ।
ରାଣୀ – (ପ୍ରବେଶ) କହ ବୃଦ୍ଧ ! କେଉଁ ରାଜା ସର୍ବାଗ୍ରେ ସୁବର୍ଣ୍ଣନିର୍ମିତ ହାଉଦାରେ ବସି ଆସୁଛନ୍ତି, ମତେ ଜଣ ଜଣ କରି ଚିହ୍ନାଇ ଦେ ।
କଞ୍ଚୁକୀ – ମା ! ଏ ଯେ ଆଗରେ ହସ୍ତୀ ପରେ ସୁନା ହାଉଦାରେ ବସି ଆସୁଛନ୍ତି ସେ ବ୍ରାହ୍ମଣ ବୌଦ୍ଧରାଜ, ଏହାଙ୍କ ଗଡ଼ ମହାନଦୀ ତଟରେ । ତତ୍ପରେ ଯେ ଆସୁଛନ୍ତି ସେ ତାଳଚେରାଧୀଶ୍ୱର । ତାଙ୍କ ଗଡ଼ ମହାନଦୀ ତଟରେ, ହିଙ୍ଗୁଳୀ ଏହାଙ୍କର ଅଧିଷ୍ଠାତ୍ରୀ ଦେବୀ । ଆହୁରି ଶୁଣ ରାଣୀମା ।
ବାଣପୁର ନରରାଟେ ନିରେଖ ରାଣୀ । ପଦ । ତାଙ୍କ ପଛେ ବାଙ୍କିନାଥ, ଦେଖ ସ୍ଥିରକରି ଚିତ୍ତ, ବରଛାଧାରୀ ସୈନିକେ ପରକାଶୁଛନ୍ତି ଠାଣି । ୧ । ଏ ଯେ ରାଜା ଦରପଣ, ଦାନେ ନୁହଁନ୍ତି କୃପଣ, ମହାବିନାୟକ ବରେ ରୋଗ ଋଣେ ଛନ୍ତି ଜିଣି । ୨।
ବରାହ ପାଳିତ ସ୍ଥଳୀ, ତା ପରେ କନିକା ଆଳି, ଏମନ୍ତ ଆଗତ କେତେ ବିପ୍ର ବଇଷ୍ଣବ ଭଣି । ୩ ।
ରାଣୀ – ବୃଦ୍ଧ, ତୁ ଯା ! ସିଂହାରୀ ବିନ୍ଧାଣୀମାନଙ୍କୁ କହିବୁ, ସେ ଗୋଟାଏ ଶକ୍ତରଜ୍ଜୁରରେ ଫୁଲହାର ଗୁନ୍ଥି ରଖିଥିବେ । ତା ପରେ ନାରୀମାନଙ୍କୁ କହ ଯେ ସେମାନେ ଅର୍ଘ୍ୟଥାଳୀ ଘେନି ନବର ସିଂହଦ୍ୱାରକୁ ଚାଲନ୍ତୁ, ମୁଁ ସେଠାକୁ ତୋର ପଛେ ପଛେ ଯାଉଛି ।
କଞ୍ଚୁ – ହଉ ରାଣୀମା ମୁଁ ଚାଲିଲି । (ପ୍ରସ୍ଥାନ)
ରାଣୀ – ନରାଧମ ! ଆଜି ତୋର ମହାଯାତ୍ରାର ପର୍ବ ଦିବସ ଦେଖିବି ପାର୍ବତୀର ତୀକ୍ଷ୍ଣ କୃପଣଧାର ମୁଖରୁ କିଏ ତତେ ରଖିବ ... ଯାଏଁ । (ପ୍ରସ୍ଥାନ)
(ରାଜାଙ୍କର ପ୍ରବେଶ ।)
ଗଙ୍ଗେଶ୍ୱର –କାହିଁ ! ମହାରାଣୀଙ୍କର ଆସିବାରେ ଏତେ ଉଛୁର କାହିଁକି ? ଜଣାଯାଏ ବିଦେଶରେ ଅଧିକ ଦିନ ଗତ ହେବା ମୋ’ ପ୍ରତି ମନରେ ଦୁଃଖ କରିଛନ୍ତି । ନା, ଏହି ଯେ ନାରୀଗଣେ ପରିବେଷ୍ଟିତା ହୋଇ ମୋତେ ବନ୍ଦାଇ ନେବାକୁ ଆସିଲେ ।
(ନାରୀଗଣ ସହ ରାଣୀ ପ୍ରବେଶ –ବନ୍ଦାପନା ହୁଳହୁଳୀ ଅର୍ଘ୍ୟଦାନ)
ପ୍ରିୟେ ! ମୁଁ ଜାଣୁଛି ତୁମ୍ଭେ ମୋ ପ୍ରତି ଅଭିମାନ କରିଛ ।
ଆରେ ଘନଜଘନା, କି ପାଇଁ ମନ ଊଣା କରିଛୁ ବନପ୍ରିୟବଚନା ରେ । ପୀନଉରଜା ବହୁଦିନ ହେବାରୁ ଗତ ମୀନନେତ୍ରା ନ କର ବଞ୍ଚନା ରେ । ପଦ । ହିମକରେ ମକର ଉଦ୍ୟାନେ ରଙ୍କନିଧି ଦୁହେଁ କରିବ ପ୍ରୀତି ରଚନା ରେ । ମନେରଖ ନିକର, ତୋହ କରେ ମୋ କର ମିଳନ ହେବ କିଛି ପାଞ୍ଚନା ରେ । ୧ । ଉତ୍କଳ ନରଙ୍କର କୁମର ଭୃତ୍ୟ ମୋର, ମୁଁ ତୋ କିଙ୍କର ଭୁଲ ଶୋଚନା ରେ । ପଞ୍ଚବାଣ ମୁଖରୁ ତ୍ରାଣ କରିବୁ ଭୀରୁ ଘଞ୍ଚଚିକୁରା ଦୋଷ ବାଛନା ରେ । ୨ ।
ପ୍ରିୟେ ବହୁଦିବସ ବିଦେଶରେ ଗତ ହେବାରୁ ମୋ ପ୍ରତି ମନରେ କଷ୍ଟ କରିଚ, ମୁଁ କି ସେ ଅଭିମାନ ରଖିବି । ବହୁଦିନ ତରବାରି ଧାରଣ କରି କର କର୍କଶ ଭାବକୁ ଧାରଣ କରିଛି । ତୁମ୍ଭର କୋମଳ କରସ୍ପର୍ଶରେ ତାହା ଦୂରୀଭୂତ କରାଅ । ବୀରହୃଦୟ ମାୟାମମତାଶୂନ୍ୟ ନ ହେଲେ ସେ କୌଣସି କାର୍ଯ୍ୟରେ ଜୟୀ ହୋଇ ନ ପାରେ । ଆଜି ଦୋଳପୂର୍ଣ୍ଣମୀ, ତୁମ୍ଭେ ମୁଁ ଏକପକ୍ଷ, ଆଉ ନାରୀଗଣେ ଏକ ପକ୍ଷ ହୋଇ ପିଚକାରୀ ଅବରି କେଳି କରିବା । ମୁଁ ରାଜକୁମାରକୁ ଘେନି ଦିଅଁ ଦର୍ଶନକୁ ଚାଲିଲି, ତୁମ୍ଭର ମୋର ସେହିଠାରେ ଭେଟ ।
ରାଣୀ– ଜୀବେଶ୍ୱର ! ମୁଁ ମଧ୍ୟ ମୋର ମନଭାବ ତୁମ୍ଭଙ୍କୁ ସେହିଠାରେ ଜଣାଇବି । ମାଧବୀମଣ୍ଡପଠାରେ ସ୍ୱହସ୍ତରେ ଗୋଟିଏ ଫୁଲଦୋଳି ପ୍ରସ୍ତୁତ କରାଇ ରଖିଥିବି, ସେ ଦୋଳିରେ ତୁମ୍ଭଙ୍କୁ ବସାଇ ନିଜ କରେ ଝୁଲାଇବି । ତୁମ୍ଭେ ଯାଅ ମୁଁ ଯାଉଛି । (ରାଜାର ପ୍ରସ୍ଥାନ)
ଯାଉଛି, ନର ଶୃଗାଳର ଉଚିତ ଦଣ୍ଡ ସେହି ମାଧବୀମଣ୍ଡପଠାରୁ ହେବ । ଦାସୀମାନଙ୍କ ନିର୍ମିତ ଫୁଲମାଳ ନେଇ ଦୋଳି ସଜାଏଁ । ଝୁଲାଇଲାବେଳେ ବେକକୁ ଦୃଢ଼ଭାବେ ବନ୍ଧନ କରିବି । ହଁ ବସ୍ତ୍ର ଭିତରେ ମୋର ଶାଣଦିଆ ତରବାରି ଖଣ୍ଡି ଲୁଚାଇ ନେବାକୁ ହବ । ଯାଏଁ ବେଶଭଭୂଷାରେ ସଜ୍ଜିତ ହୋଇ ପ୍ରସ୍ତୁତ ହୁଏଁ । (ପ୍ରସ୍ଥାନ)
(ମାଧବୀମଣ୍ଡବ– ଗାୟିକାଗଣଙ୍କ ପ୍ରବେଶ, ତତ୍ପରେ ରାଣୀଙ୍କର ପ୍ରବେଶ ।)
ରାଣୀ – ଗାୟିକାଗଣେ ! ତୁମ୍ଭେମାନେ ସମସ୍ତେ ଏଠାରେ ନୃତ୍ୟ ଗୀତ କରିବାକୁ ହେବ, ତୁମ୍ଭେ ଏକପକ୍ଷ –ମୁଁ ଆଉ ରାଜା ଏକପକ୍ଷ ହୋଇ ପିଚକାରୀ ମାରିବାକୁ ହେବ, ଡରିବ ନାହିଁ, ସ୍ୱୟଂ ସେ ଆଦେଶ ଦେଇଛନ୍ତି । ଏଇ ତ ରାଜା ଆସିଲେଣି–ମେଘକୁ ତ ଚାହୁଁ ଚାହୁଁ ବରଷା ।
ଗଙ୍ଗେଶ୍ୱର –(ପ୍ରବେଶି) ଧନ୍ୟ ଧନ୍ୟ ରାଜରାଜେଶ୍ୱରୀ, ଏ ସ୍ଥାନଟି ଆଜି ମର୍ତ୍ତ୍ୟବୈକୁଣ୍ଠର ରଙ୍ଗମଞ୍ଚ ପରି ସାଜିଛି । ଆଚ୍ଛା ଗାୟିକାଗଣେ, ଆଜି ଦୋଳପୂର୍ଣ୍ଣିମା ସମୟକୁ ଲକ୍ଷ୍ୟକରି ଗୀତ ଓ ରାଗଭାବ ଯେପରି ଗଛି ଯାଇଥିବ, ଗୋଟିଏ ଗୀତ ଗାଇ ଅବିର ଖେଳ କର ।
ଗାୟିକା –ଯେ ଆଜ୍ଞା ! (ଗାୟିକାଗଣଙ୍କ ନୃତ୍ୟ ଗୀତ)
ଗାଅ ଗାଅ ଗାଅ ସହଚରୀ ନାଚ ନାଚ ନାଚ ଧୀରି ଧୀରି । ଝୁମୁ ଝୁମୁ ଝୁମୁ, ଘୁମୁ ଘୁମୁ ଘୁମୁ ନାନାରଙ୍ଗେ ଭଙ୍ଗେ ତାନ ଧରି । ପଦ । ଅବିର ଉଡ଼ାଅ ଅବିରତେ, ରବି ଛବି ଜିଣି ଯାଉ ବାତେ । ଝର ଝର ଝର ନିଶିର ଶିଶିର ବରଷେ ମାର ଗୋ ପିଚକାରୀ ।୧। ବହିଣ ବସନ୍ତ ଘନ ଘନ, ଭୁଲାଉ ଅଛି ପ୍ରାଣମନ, ପୂନେଇର ଜହ୍ନ କିରଣ କେସନ ବିଞ୍ଚଇ ହସଇ ବନଗିରି ।୨।
ରାଣୀ – ଗାୟିକାଗଣେ, ତୁମ୍ଭେମାନେ ଅନ୍ତରାଳକୁ ଯାଅ ।
ଗାୟିକା – ଯଥା ଆଜ୍ଞା ରାଜରାଣୀ । (ପ୍ରସ୍ଥାନ)
ରାଣୀ – ନାଥ, ମୋ ଜୀବର ଜୀବନ, ମାଧବୀମଣ୍ଡପଲତା ତଳକୁ ଦୋଳି ଉପରକୁ ଚାଲନ୍ତୁ । ସେଠାରେ ତୁମ୍ଭଙ୍କୁ ଦୋଳିରେ ବସାଇ ତୁନି ତୁନି ଗୋଟିଏ ଗୀତ ଗାଇ ଝୁଲାଇବି, ମୋ ମନୋଭାବ ଶୁଣାଇ ଚିରଦିନ ପାଇଁ ତୁମ୍ଭର ଇହଧାମରେ ଶାନ୍ତି ବିଧାନ କରାଇବି ।
ଗଙ୍ଗେଶ୍ୱର –ଧନ୍ୟ ରାଜରାଜେଶ୍ୱରୀ, ସତେ ଏ ହତଭାଗ୍ୟ ଆମ୍ଭେ ତୁମ୍ଭର କରର କ୍ରୀଡ଼ା – କନ୍ଦୁକ ହୋଇ ସେ କୋକିଳ – ବିନିନ୍ଦିତ ସଙ୍ଗୀତ ସ୍ୱର ଶୁଣିମା, ଧନ୍ୟ ଲୀଳାମୟ, ଏ ମର୍ତ୍ତ୍ୟଧାମ ରଙ୍ଗମଞ୍ଚରେ ଅଭିନେତା ସ୍ୱୟଂ ଗଙ୍ଗ, ଅଭିନେତ୍ରୀ ସ୍ୱୟଂ ରାଣୀ, ପାର୍ବତୀ ଚାଲ ଦୋଳିଠାକୁ ଚାଲ ।
(ଦୋଳିରେ ବସାଇ ଗୀତ ଗାଇ ଗାଇ ଝୁଲାଉ ଝୁଲାଉ କର ବନ୍ଧନ)
ଝୁଲ ଚିତ୍ତ ପ୍ରଫୁଲ୍ଲ ଚନ୍ଦ୍ରମା । ତୁଲ୍ୟ ମୋହିବ ଯାହାର କିଙ୍କରୀକି ସୁର – ବାମା । ପଦ । ଭାଲପଟେ ଯାହା ଯାର, ଲେଖିଥାଏ ବେଦ ବର । ସେ ସେହି ସଜା ଭୋଗେ ଏ ଜଗତେ କାରବାର । କ୍ଷମାନିଧି ତାହାର ବିହି ନ କରନ୍ତି କ୍ଷମା । ୧ । ତବ କୃତ କର୍ମଫଳ । ବିହିବ ଏ ଫୁଲ ମାଳ । ଥିବ କାଳକାଳକୁ କାଳଦଣ୍ଡେ କଷତୁଳ । ପୂର୍ଣ୍ଣ ଶଶଧରେ ମୋର ତୋଳି ବୋଳିଦେଲେ ଅମା ।୨।
ଗଙ୍ଗେଶ୍ୱର –ପ୍ରିୟେ, ମଲି ମଲି ମଲି, ଓଁ ଏତେ କର୍କଶ ଭାବରେ କର ବାନ୍ଧନା, କ୍ଷମା - କ୍ଷମା - କ୍ଷମା ।
ରାଣୀ – (କ୍ରୋଧେ) ନରାଧମ, ନରଶୃଗାଳ ! କ୍ଷମା କି କ୍ଷମା, ପ୍ରସୂତି ଅସହାୟା ଦୁର୍ବଳା ଅବଳାକୁ ଖଳବୃଦ୍ଧି ଛଳ କରି ଶିଶୁସହ ଗିରି ଗୁହାରେ ଭରିଲାବେଳେ କି ଜଗତରେ କ୍ଷମା ନ ଥିଲା ? କନ୍ୟାରତ୍ନ ସତୀତ୍ୱ ଅପହରଣକାରୀ ପିଚାଶ ! ତୋତେ କି ଇନ୍ଦ୍ରିୟ ଲାଳସା ତୃପ୍ତି ସାଧନ ପାଇଁ ସ୍ଥାନ ଜଗତରେ ମିଳିଲା ନାହିଁ ? କନ୍ୟାରତ୍ନ ସତୀତ୍ୱ ଅପହରଣକାରୀ ! ତୋ ପାଇଁ ରୌରବ କୁମ୍ଭୀପାକ ନର୍କରେ ମଧ୍ୟ ସ୍ଥାନ ନାହିଁ । ତୁ କି ଯାହା ଯାହା କାଣ୍ଡ ଭୂଖଣ୍ଡରେ କରିଚୁ ତା ଅଶ୍ରୁତ ଅବକ୍ତବ୍ୟ । ପାପିଷ୍ଠ, ତୁ ଯେ ଜଗତକୁ ଜଳାଉଥିଲୁ, ତୋ ଯୋଗେ ଜଗତ ପାପାନଳ ତେଜରେ ଜଳୁଥିଲା, ମଜି ତୋର ରକ୍ତ ପାନକରି ଧରା ଶାନ୍ତି ଭଜିବ । ଛିଛି, ଧିକ୍, ତୋ ପରା ମହାପାପୀକି ପତିଭକ୍ତି ଦେବି ଏ ଜୀବନରେ ତା ହେବନାହିଁ । ଦଶଦିଗପାଳ ସାକ୍ଷୀ, ଅଷ୍ଟବସୁ ନବଗ୍ରହ ପବନ ଅନଳ ନିଳାଚଳ ନାଥ ସାକ୍ଷୀ, ମା ଲୋ ମା କୌଶଲ୍ୟା, ଏବେ ତୋର ଭଣ୍ଡ ପିତାର ଛିନ୍ନ ମୁଣ୍ଡର ରକ୍ତପାନ କରି ଅନଶନ ବ୍ରତ ଉଦ୍ଯାପନ କର । ଯା ପାପିଷ୍ଠ, ଚିରଦିନ ପାଇଁ ଶାନ୍ତି ଧାମକୁ ଯା ।
(ଗଙ୍ଗର ଶିରଶ୍ଛେଦନ – ରାଣୀ ଭୈରବୀମୂର୍ତ୍ତିରେ ତତ୍ପରେ ଦଣ୍ଡାୟମାନ ।)
ନେପଥ୍ୟେ –ସର୍ବନାଶ ସର୍ବନାଶ –କେ ଅଛ ଧାଇଁଆସ ।
ଯୁବରାଜ –(ହଠାତ୍ ପ୍ରବେଶି)
ଏ କିସ ଘଟଣା ଦେଖି ମଣଇ ଆଶ୍ଚର୍ଯ୍ୟ,
କହ ମାତ କି ହେତୁ ଘଟିଲା
ଏସନ ଅବସ୍ଥା ଆଜି ପିତାଙ୍କ କରମେ ।
ଦକ୍ଷକରେ ରାଜେ ରକ୍ତରଞ୍ଜିତ କୃପାଣ
ଆରକ୍ତ ନେତ୍ର ଯୁଗଳ ତବ,
କେଶ ଫିଟି ଲୋଟଇ ଚରମେ
ମହିଷମର୍ଦ୍ଦିନୀ ଯେହ୍ନେ ରାଜନ୍ତି ସମରେ
ତେସନ ମୂରତି କିଁପା ଆଜି ଗୋ ଜନନୀ
ଚରଣେ ପଡୁଛି ମାତଃ
କହ ୟାର ପ୍ରକୃତ କାରଣ ?
ତାହା କହ କହ କହ ମାଆ, ଏହା ଘଟିଲା କାହିଁକି ?
କର କଙ୍କଣ କି ଭାବି ଫିଙ୍ଗିଲୁ ମହୀକି । ପଦ ।
କି ଦୋଷ ମୋ ଦୋଷୀ ତାତ, ରୋଷ ତେଜି ଭାଷ ମାତ,
କ୍ରୋଧେ ଜରଜର କିଁପା କମ୍ପାଉ ଦେହୀକି । ୧।
ମୁକ୍ତକେଶେ ରକ୍ତ ଛିଟା, ନଭେ କି ସିନ୍ଦୂର ଫୁଣ୍ଟା,
ଅଯଶ ଘୋଷି ରାଜାଏ ନିନ୍ଦିବେ ନାହିଁକି । ୨ ।
ଉତ୍ସବେ ଉଚ୍ଛନ୍ନ ଦଶା, କିପାଁ ଘଟିଲା ସହସା,
ମାଗୁଛି ଏତିକି ଫେଡ଼ି ବତାଅ ବଇକି । ୩ ।
ରାଣୀ – କି କହିବି ବତ୍ସ ତୋତେ ସେ ଘୃଣ୍ୟ କାହାଣୀ,
ଯାହା ଯୋଗେ ଥରୁଥିଲା ଉତ୍କଳ ଧରଣୀ,
ଯାର ବାହୁବଳେ ହତ ଭୂପାଳମଣ୍ଡଳୀ ।
ଯାର ଯୋଗେ ରତ୍ନପୁରଜେମା ପିତୃହୀନା
ତାର ପରିଣାମ ଏହି ମାଂସ ପିଣ୍ଡ ମାତ୍ର,
ଯାହା ଯୋଗେ ଭଗ୍ନୀ ତୋର ଧବଳୀ ଗୁହାରେ
ଅନଶନେ ଶିଶୁ ସହ ତେଜିଛି ଜୀବନ ।
ଯା କୂଟ କପଟେ ମର ଧାମେ
କୁଟିଳାକ୍ଷା କନ୍ୟା ମୋର କୁଳଟାରେ ଗଣା,
ଯାହା ଯୋଗେ କନ୍ୟାହରା ଆଜି ମାଆ ତୋର
ତାର ପରିଣାମ ଏହି ମାଂସ ପିଣ୍ଡ ମାତ୍ର ।
ବତ୍ସ ରେ ! ଭାବିବୁ ନାହିଁ, ତୁ ତିଳେ ମାତା ପାଇଁ ତୋର
ସ୍ୱାମୀ ହତ୍ୟା କରିଅଛ ବୋଲି,
ଜନ୍ତୁପତି ପଳାଇବ ଯେବଣ ନରକେ
ହସି ହସି ପଶିବି ତହିଁରେ
କିନ୍ତୁ ଏ ମହାପାପିକି ଦେବି ପତିଭକ୍ତି
ହେବନାହିଁ ହେବନାହିଁ ହେବନାହିଁ ତାହା ।
ଆଉ ଦେଖ ବତ୍ସ,
ବଧୂ ମୋର ହେବ ଯେହୁ ପୋଷିଥିଲା ଖୋଷା,
ଯେହୁ ପ୍ରାଣ ମନ ସମର୍ପଣ କରିଥିଲା ତୋତେ
ସେ ଆଶା ପଥରେ ଥିଲା ଏ ଦୃଷ୍ଟ କଣ୍ଟକ ।
ମୁଁ ଏହାକୁ କରିନାହିଁ ହତ୍ୟା
ସ୍ୱୟଂ ସୁଦର୍ଶନପାଣି ପେଷି ସୁଦର୍ଶନେ
ପାପାତ୍ମାର କାଟିଛନ୍ତି ଶିର
ମୁହିଁ ତହିଁ ନିମିତ୍ତ ମାତର ।
ପାପାତ୍ମାର ପାପ ଦେହ ବିନାଶ କାରଣେ
କୌଶଲ୍ୟାକୁ ମୋର ଗର୍ଭେ ଦେଇଥିଲେ ସ୍ଥାନ
ସେ ଶ୍ରୀହରି ।
ନେପଥ୍ୟେ –ସର୍ବନାଶ ସର୍ବନାଶ ସର୍ବନାଶ !
ଯୁବରାଜ –ଏ କଣ; ଅନ୍ତଃପୁରେ କିଁପା ଶୁଭେ ନାରୀ ଆର୍ତ୍ତନାଦ, ଦେଖେ ମୁହିଁ । (ପ୍ରସ୍ଥାନ)
ରାଣୀ – ନା, ଆଉ ଏ ପାପମୁଖ ଜଗତରେ ଦେଖାଇବି ନାହିଁ । ମାଲୋ ମା, କୌଶଲ୍ୟା, ତୋ ସଙ୍ଗରେ ମୋତେ ପରଲୋକକୁ ଘେନି ଯା, ଯାଏଁ; ଏହି ନବର ମଧ୍ୟ କୂପରେ ମୋର ଶେଷ ବିଶ୍ରାମ । (ପ୍ରସ୍ଥାନ)
ଯୁବରାଜ –(ପ୍ରବେଶି) କି କର ନାରୀଗଣେ
କିଁପା ସର୍ବେ କରୁଛ ରୋଦନ
ରତ୍ନପୁର ଜେମା କିଁପା ଅସ୍ତବ୍ୟସ୍ତ ଏତେ
ବାଣବିଦ୍ଧ ଏଣୀପରି ଗଡ଼ନ୍ତି ଭୂମିରେ
କହ କହ ରାଜବାଳୀ କି ହେଲା ଶରୀର ?
ଅନ୍ନ – ଜୀବେଶ୍ୱର; ଏତେବେଳେ ସେକଥା ଭାବି କିଛି ଫଳ ନାହିଁ;
ମୋ ପାଇଁ ଚେଷ୍ଟା କରିବା ଅକାରଣ;
ପ୍ରାଣେଶ୍ୱର; ମୋ କଥା ଶୁଣ ।
ହେ ଜୀବେଶ, ବୃଥା ଚିନ୍ତା ଚିତ୍ତୁଁ ତେଜ । ଜୀବେଶ ବାସ ଯିବାକୁ ଜୀବ ହେଲା ସଜ । ପଦ । ଆଉ ଏ ଜୀବନେ ଦେଖରା ନୋହିବ ଜୀବନ ସଖା । ମେଲାଣି ହେଉଛି ଦିଅ ଶ୍ରୀଚରଣ ରଜ । ୧ । ତୁମ୍ଭଙ୍କୁ ନ ଦେଖି ବିଷ – ପାଶେ ଥିଲା କଲି ଗ୍ରାସ, ତା ମୁଖୁ ବଞ୍ଚିବା ନାଥ ନୁହଇ ସହଜ । ୨ ।
ପ୍ରାଣନାଥ, ଏତିକି ମାଗୁଛି; ଅପର ଜନ୍ମରେ ଦାସୀ ତୁମ୍ଭ
ଚରଣଦାସୀ ହେଉ; ଓଃ; ଆଉ ନାହିଁ ଗଲା ପ୍ରାଣ । (ମୃତ୍ୟୁ)
ନାରୀଗଣ -ହାୟ ହାୟ, କେତେବେଳେ ଏତେ କଥା ହେଲା କେହି ଜାଣିପାରିଲୁ ନାହିଁ । ହାୟ ଜେମା ଆମ୍ଭଙ୍କୁ ଛାଡ଼ି ଚାଲିଗଲ ।
ଯୁବରାଜ –ହାୟ, କ’ଣ ଦେଖୁ ଦେଖୁ କ’ଣ ହେଲା । ତେଣେ ପିତାଙ୍କ ମୃତ୍ୟୁ ଏଣେ ବନିତାଙ୍କ ମୃତ୍ୟୁ; ହାୟ ଦେଖୁ ଦେଖୁ ପ୍ରଭାତ କୁସୁମଟି ବନମାଳତୀ ବନରେ ଫୁଟି ଝଡ଼ିଲା; କେହି ଦେବ ସେବାରେ ଲାଗିଲା ନାହିଁ ।
ଦୂତ – (ପ୍ରବେଶି) ଯୁବରାଜ, ସର୍ବନାଶ ସର୍ବନାଶ; ରାଣୀମାଙ୍କ ସନ୍ଧାନ ଅନେଖ ସ୍ଥାନ ଲୋଡ଼ି ମିଳୁନାହିଁ; ସମସ୍ତେ ଏଣେ ତେଣେ ବ୍ୟସ୍ତ ହୋଇ ଖୋଜୁଛନ୍ତି ।
ଯୁବରାଜ –କି କହିଲୁ ଦୂତ, ମାତା ମୋର ନାହାନ୍ତି ? ଜଣାଗଲା – ବୋଧହୁଏ କୌଣସି ଜଳାଧାରରେ ପ୍ରାଣତ୍ୟାଗ କଲେ । ଏପରି ଦଶା କାହାକୁ ଜଗତରେ ଘଟି ନ ଥିବ କି ଘଟିନାହିଁ; ଏକା ଦିନରେ ପିତା ମାତା ବନିତାର ମୃତ୍ୟୁ, ଶୀଘ୍ର ଶୀଘ୍ର ଚାଲ ଦୂତ । ତୁମ୍ଭେମାନେ ସମସ୍ତେ ଜେମାଙ୍କ ଶବଦେହ ସାବଧାନରେ ରଖ; ମୁଁ ପରେ ତାର ପାର ଲୌକିକ କାର୍ଯ୍ୟ ସୁବିଧା କରିବି । (ସମସ୍ତଙ୍କର ପ୍ରସ୍ଥାନ)
(ଅଦୃଷ୍ଟ କୁମାରୀଙ୍କ ଗୀତ ଓ ନୃତ୍ୟ ।)
ଦେଖ ଦେଖ ହେ ସରବେ ମହାପାପର ଫଳ ।
ଯାର କବଳରେ ପଡ଼ି ନାଶେ ମାନ ସମ୍ୱଳ । ପଦ ।
ଭ୍ରୁଣ ହତ୍ୟା ନାରୀ ନାଶ; ନରକେ ଦିଅଇ ବାସ
ଇହଧାମେ ଅପଯଶ ଜନମ ତା ବିଫଳ । ୧ ।
ହୁଅ ସର୍ବେ ସାବଧାନ; କରନା ଏ କର୍ମମାନ;
ଦେଖି ଶିଖି ସୁଖୀ ହୁଅ ବଇ ଭାବି ଚଞ୍ଚଳ । ୨ ।