ନିର୍ବାସିତ ରାଜପୁତ୍ର

ବା ମୋହନମୁରାରି ଗୀତାଭିନୟ

ଗଣକବି ବୈଷ୍ଣବ ପାଣି

 

ନଟୀର ଗୀତ ଗାଇ ଗାଇ ପ୍ରବେଶ

ପାହିଥିଲା ରାତିଟା କେଡ଼େ ଦୁରୁଯୋଗରେ–ବୃତ୍ତେ

କେତେ କେତେ ଜାତି ଫୁଲ ଉପବନେ ଫୁଟିଛି । ମହ ମହ ସଉରଭ ଚାରିଦିଗେ ଛୁଟିଛି । ପଦ । ଲୁଟୁଛି ମଧୁପ ମଧୁ ଆନନ୍ଦ ଚିତ୍ତେ, ରଟି ଗୁଞ୍ଜନ ସ୍ୱରକୁ ମୁଖେ କେମନ୍ତେ । ବିଟପ ପରାଏ ବିଟପୀରେ କାଳ କାଟୁଛି ।୧। ଏ ଫୁଲେ ସେ ଫୁଲେ ଉଡ଼ି ବସଇ ହେଳେ, ୟାକୁ ଚୁମ୍ୱି ତାକୁ ଚୁମ୍ୱି ପଡ଼ଇ ତଳେ । ପ୍ରେମିକ ପରାଏ ଆନ ପାଶେ ଯାଇ ଜୁଟୁଛି ।୨। ଭ୍ରମର ତୋ ପରା ଜଣେ ନାହିଁ ପ୍ରେମିକ, ତୋତେ ଚିହ୍ନିଅଛି ସେହି ଋତୁନାୟକ । ସୁମନ ତୁଲେ ତା ଆଗେ ତୋ ମାନସ ଖଟିଛି ।୩। ଯେତେବେଳେ ବସୁ ତୁ ତ ମାଳତୀ ପାଶେ, ଶଶା କି ରାଜଇ ଶଶୀ ଅଙ୍କରେ ଦିଶେ । ବଇ ଭାଷେ ମୋର ତୋ ସମାନ ଦଶା ଘଟିଛି ।୪।

 

 

 

ନଟର ପ୍ରବେଶ

ନଟ –      ପ୍ରିୟେ ! ଆଜି ଏ ବସନ୍ତ କାଳରେ, ଉଜ୍ଜ୍ୱଳ ଚନ୍ଦ୍ରକିରଣରେ ଭ୍ରମୁ ଭ୍ରମୁ ଯେଉଁ ଉପବନ ଶୋଭା ପ୍ରକୃତି ରହସ୍ୟ କବିତାଟି ଗାଇଲ, ତାହା ଅତି ସୁମଧୁର ହୋଇଛି । ତହିଁରେ ପୁଣି ତୁମ୍ଭର ବାମା କଣ୍ଠ, ଆଚ୍ଛା କହିଲ, ସଂସାରରେ କଅଣ ପ୍ରେମିକ ଏକା ଭ୍ରମର ?

 

ନଟୀ –      ନା, ଭ୍ରମର କାହିଁକି ? ପ୍ରେମ ପାଇଁ ସମସ୍ତେ ପାଗଳ; ମାତା, ପୁତ୍ର ପ୍ରେମରେ, ଭାଇ ଭାଇ ପ୍ରେମରେ, ବନ୍ଧୁ ବନ୍ଧୁ ପ୍ରେମରେ, ବିଟପ ବିଟପୀ ପ୍ରେମରେ, ନାରୀ, ସ୍ୱାମୀ ପ୍ରେମରେ, ସଖା ସଖା ପ୍ରେମରେ, ଭକ୍ତ ଈଶ୍ୱର ପ୍ରେମରେ, ଏହିପରି ପରସ୍ପର ପ୍ରେମରେ ଛନ୍ଦାଛନ୍ଦି । ଏକା ଭ୍ରମର ଫୁଲ କାହିଁକି ?

 

ନଟ –      ପ୍ରିୟେ ! ମାତା ପୁତ୍ର ପ୍ରେମରେ, ଭାଇ ଭାଇ ପ୍ରେମରେ, ନାରୀ ସ୍ୱାମୀ ପ୍ରେମରେ, ବିଟପ ବିଟପୀ ପ୍ରେମରେ; କିପରି, କେଉଁଠାରେ, ଛନ୍ଦାଛନ୍ଦି ହୋଇଛନ୍ତି, ତହିଁର ଗୋଟିଏ ଉଦାହରଣ ମୋତେ ଦେଖାଅ – ତେବେ ଯାଇଁ ସିନା ମୋ ମନ ମାନିବ।

 

ନଟୀ –      ନାଥ ! ଭାରତବର୍ଷ ଉପନ୍ୟାସରୁ ଉଦ୍ଧୃତ ହୋଇଛି ଏକ ନିର୍ବାସିତ ରାଜପୁତ୍ରର କଥା, ତହିଁରେ ପୂର୍ବର ଘଟଣାବଳି ଜାଜ୍ୱଲ୍ୟମାନ ରହିଛି । ଶାପର ପରିଣାମ, ଧର୍ମ ଜଗତରେ କିପରି ଧାର୍ମିକକୁ ରକ୍ଷାକରେ, ତାହାର ପ୍ରମାଣ ଆଜି ଏ ସ୍ଥଳରେ ଲୋକମାନଙ୍କୁ ଦେଖାଇବି । ଲୋକେ ଦେଖନ୍ତୁ, କଷ୍ଟ ସହିଥିଲେ ଫଳରେ କିପରି ଇଷ୍ଟ ସାଧନ ହୁଏ । ଏ ବିଷୟଟି ନାଟକାକୃତିରେ ଲେଖିବାକୁ ଯାଉଥିଲି, ପୁଣି ଦେଶର ସାଧାରଣ ଶିକ୍ଷାର ଅବନତି ଭାବି; ତାହା ଗୀତାଭିନୟରେ ପରିଣତ କରିବାକୁ ଗଲି । ଆଜି ଏ ରଙ୍ଗ ଭୂମିରେ, ସାଧାରଣଙ୍କୁ ତାହା ଦେଖାଇ ଦେହ ଜୀବନକୁ ଧନ୍ୟ ମନେକରିବି ! ବଳରାମପୁର ଶୂର ପ୍ରତାପ ମହେନ୍ଦ୍ର ରାଜାଙ୍କର ଘଟଣା ନେଇ, ଏ ଗୀତାଭିନୟ ଆରମ୍ଭ କରିଛି ।

 

ନଟ –      ପ୍ରିୟେ ! ବିଷୟଟି ନବରସପୂର୍ଣ୍ଣ ହେବ । ନବରସ ରଞ୍ଜିତ ନ ହେଲେ ନାଟକଟା ଭଲହୁଏ ନାହିଁ । ଶୃଙ୍ଗାର, ବୀର, କରୁଣ, ଅଦ୍ଭୁତ, ହାସ୍ୟ, ଭୟାନକ, ଶାନ୍ତ, ବୀଭତ୍ସ ଓ ରୌଦ୍ର ଏହିପରି ନବରସ ରଞ୍ଜିତ ନାଟକଟି ନବ ସମାଜରେ ଦେଖାଇ, ନବ କଲ୍ୟାଣ ଓ ନବ ପ୍ରଶଂସା ଲାଭ କରି ସୁଖୀ ହେବା । ସାଧାରଣଙ୍କ ଅନୁମତି କ୍ରମେ ଅଭିନୟ ଆରମ୍ଭ କରିବା । ସମୟ ଅତୀତ ହେଉଛି ।

ନଟୀ –      ନାଥ ! ତେବେ ଚାଲ, ମୁଁ ତୁମ୍ଭ ମତରେ ଏକମତ ।      

(ପ୍ରସ୍ଥାନ)

ଶୂର ପ୍ରତାପ ମହେନ୍ଦ୍ର ରାଜା ଓ ମନ୍ତ୍ରୀର ପ୍ରବେଶ

ରାଜାର ମନ୍ତ୍ରୀପ୍ରତି- ଗୀତ

ଆହା କି ଶୋଭା ହେ, ମନ୍ତ୍ରୀ ଦିଶେ – ବୃତ୍ତେ

ମନ୍ତ୍ରୀ ପୂରିଛି ଦେଖ ମୋ ଧନ ଭଣ୍ଡାରେ ହେ । ହସ୍ତୀ ରଥ, ଅଶ୍ୱ, ଗଣ୍ଡା ଗଣ୍ଡାରେ ହେ । ପଦ । ମୁକୁତା ପ୍ରବାଳ ହୀରା, ନୀଳା, ମଣି କେରା କେରା । ଦୋଳୁଥାଏ ନିତି ସୌଧ ପିଣ୍ଡାରେ ହେ ।୧। ସୈନ୍ୟ ସେନା ଅଗଣନ; ରହିଛନ୍ତି ମନେ ଘେନ । ଭ୍ରମନ୍ତି ସିପାହି ଭେଣ୍ଡା ଭେଣ୍ତାରେ ହେ ।୨। ଥାଉଁ ଥାଉଁ ଏତେ ବିତ୍ତ, ହରଷ ନ ହୁଏ ଚିତ୍ତ । ତାପିତ ପରାଣ ନୁହେ ଥଣ୍ଡାରେ ହେ ।୩। କୁମର ବିହୁନେ ପୁର, ଦିଶୁଅଛି ଅସୁନ୍ଦର । ବଇ କହି ଜଳେ ହୃଦହଣ୍ଡାରେ ହେ ।୪।

 

ରାଜା ପ୍ରତି ମନ୍ତ୍ରୀର ଉତ୍ତର – ଗୀତ

ଆସିଲା ଆସିଲା କୃଷ୍ଣ ଆସିଲା – ବୃତ୍ତେ

ନରନାଥ ବୃଥା ଚିନ୍ତା କରନା କରନା ହେ । ପୁତ୍ର ଶୋକାନଳେ ଦେହ ଘାର ନା ଘାର ନା ହେ । ପଦ । ଧନ ଦାରା ସୁତ ଚିତ୍ତ, ଅଟେ ଦଇବ ଆୟତ୍ତ । ସେ ନିମନ୍ତେ ଧରାନାଥ ଧରାକୁ ଚିର ନା ହେ ।୨। ପୂର୍ବାର୍ଜିତ ଫଳ ନରେ, ଭୋଗନ୍ତି ଏହି ଧରାରେ । ତାହା ଭାବି କର ଶିରେ ମାର ନା ମାର ନା ହେ ।୩। ଭାଲେ ବିହି ଲେଖିଥିଲେ, ଦିନେ ତା ଲଭିବ ଭଲେ । ଲିଭିବ ଖେଦ ଅନଳ ଡର ନା ଡର ନା ହେ ।୪। ପୁତ୍ର ଦୁଃଖେ ତନୁ ଖିନ୍ନ, କର ନାହିଁ ଦିନ ଦିନ । ବଇ ଭଣି ଜ୍ଞାନ ମାନ ସାର ନା ସାର ନା ହେ ।୫।

 

ଜଣେ ଜଟାଧାରୀ ସନ୍ନ୍ୟାସୀର ପ୍ରବେଶ ଓ ରାଜଦ୍ୱାରେ ଗୀତ

ବଂ ବଂ ବଂ ହର ହର ହର, ଶଙ୍କର ଉମାକାନ୍ତ । ଡିବି ଡିବି ଡିବି ବାଜିବ ଡମ୍ୱରୁ ପିନାକ ତ୍ରିଶୂଳ ହସ । ପଦ । ଖଡ଼ ଖଡ଼ ହାଡ଼ ମାଳ ଗଳଦେଶେ, ଫଣି ମଣି ଶୋଭା ଶିର ପରେ ଦିଶେ । ମଉଳିରେ ଅର୍ଦ୍ଧଚନ୍ଦ୍ର ପରକାଶେ; ବ୍ୟାଘ୍ରାମ୍ୱର ପରିହିତ ।୧। ରକ୍ଷ ଯକ୍ଷ ନାଗ ସେବିତ ସଦା; ମୋକ୍ଷ ଦାତା ଦକ୍ଷଜେମା ସୁଖଦା । କାଶୀବାସୀ ସର୍ପ, ଗଳେ ରାଶି ରାଶି; ଭସ୍ମ ବିରାଜିତ ଗାତ୍ର ।୨। ବୃଷଭ ବାହନ ମହା କାଳ କାଳ; ଲମ୍ୱିତ ଜଟା ଚରଣ ତଳ । ବଇଷ୍ଣବ ଭାଷି; ଅଚଳ ନିବାସୀ, ସୁରଙ୍ଗ ରଞ୍ଜିତ ଗାତ୍ର ।୩।

 

 

ରାଜା ଓ ସନ୍ନ୍ୟାସୀର କଥୋପକଥନ – ଗୀତ

କାହାଭାବେ ମଜ୍ଜି ଆଜି ହସୁଛୁ – ବୃତ୍ତେ

ରାଜା – ଭାଷ ହେ ସନ୍ନ୍ୟାସୀ କିଁପା ଆସିଲ ମୋ ବାସେ ?

ସନ୍ନ୍ୟାସୀ – ଯେ କାର୍ଯ୍ୟେ ଆଗତ ରାଜା କହିବି ତୋ ପାଶେ । ପଦ ।

ରାଜା – ପଡ଼ିକରି ତବ ପୟର ଯୁଗଳ, ପବିତ୍ର ହୋଇଲା ଏ ମୋ ସଭାସ୍ଥଳ ।

ସନ୍ନ୍ୟାସୀ – ଶୁଣ ରାଜା ନିବେଦନ ନ ଭାଙ୍ଗିବୁ ଲେଶେ ।୧।

ରାଜା – କିସ ନିବେଦନ ଶୁଣାଇଲେ ଯୋଗୀ, ନିଅ ଦାସଠାରୁ ଶକ୍ତିମତେ ମାଗି ।

ସନ୍ନ୍ୟାସୀ – ସହସ୍ରେକ ସ୍ୱର୍ଣ୍ଣମୁଦ୍ରା ଦିଅ ଅନିମିଷେ ।୨।

ରାଜା – ଆଉ କିସ ଅଛି ଫେଡ଼ିକରି କହ, କାଢ଼ିଦେବି ତିଳେ ନ କର ସନ୍ଦେହ ।

ସନ୍ନ୍ୟାସୀ – ଯଜ୍ଞ ଭଙ୍ଗ ହୁଏ ଅର୍ଥର ସକାଶେ ।୩।

ରାଜା – ପୁତ୍ରହୀନ ଧନ ଭୋଗିବ କେ ଆଉ, କିଛି ଭାଗ ହେଲେ ଧର୍ମ କାର୍ଯ୍ୟେ ଯାଉ ।

ସନ୍ନ୍ୟାସୀ – ବିକଳ ନ ହୁଅ ନୃପ ବଇଷ୍ଣବ ଭାଷେ ।

 

ରାଜା ଓ ସନ୍ନ୍ୟାସୀର କଥୋପକଥନ

ସନ୍ନ୍ୟାସୀ – ଏ କବଚ ବାନ୍ଧ ରାଣୀ ବାହୁରେ ବହନ ।

ରାଜା – ଏହା ଯୋଗେ ପୁତ୍ର ଦୁଃଖ ହେବ କି ଦହନ ?

ସନ୍ନ୍ୟାସୀ – ବନ୍ଧ୍ୟା ରୋଗ ଯାନ୍ତେ ଜାତ ହୋଇବ ନନ୍ଦନ ।

ରାଜା - ଏ ବୃଦ୍ଧ ବୟସେ, ଦେଖିବି କି ସତେ, ଯୋଗି, କୁମର ବଦନ ।

ସନ୍ନ୍ୟାସୀ – ଆମ୍ଭ ବରେ ହେବ ପୁତ୍ର ନ କର ତୁ ଖେଦ ।

ରାଜା – କରିପାର ଯୋଗୀ ତୁମ୍ଭେ ଅସାଧ୍ୟକୁ ସାଧ୍ୟ ।

ସନ୍ନ୍ୟାସୀ – ଧନ ଆଣ ନରବର ଯିବୁ ଆମ୍ଭେ ମଠେ ।

ରାଜା – ମନ୍ତ୍ରୀ ! ସହସ୍ରେକ ସ୍ୱର୍ଣ୍ଣମୁଦ୍ରା ଦିଅ ଆଣି ଯୋଗୀଙ୍କ ନିକଟେ ।

(ସ୍ୱର୍ଣ୍ଣମୁଦ୍ରା ଘେନି ଯୋଗୀ ପ୍ରସ୍ଥାନ)

ରାଜା – ମନ୍ତ୍ରୀ ! ବେଗେ ସଭା ଭଙ୍ଗ କର; ମୁଁ ରାଣୀଙ୍କ ପାଖକୁ ଯାଉଛି । (ପ୍ରସ୍ଥାନ)

 

ରାଣୀ ନିକଟରେ ରାଜାର ଗୀତ

ପ୍ରାଣ ସଙ୍ଗିନୀରେ ନେତ୍ରାନନ୍ଦପସରା – ବୃତ୍ତେ

ପ୍ରାଣ ସଙ୍ଗାତ ରେ ମନ୍ଦ ଦଶା ତୁଟିଲା, ଭାଗ୍ୟ କୁମୁଦ ଫୁଟିଲା । ପଦ । ଉଠିଲା ପୂର୍ବ ଗଗନେ, ଚାନ୍ଦ ଗୋଟି ଚନ୍ଦ୍ରାନନେ; ମନ୍ଦ ମନ୍ଦ ପ୍ରେମ ଗନ୍ଧବହ ଛୁଟିଲା ।୧। ଆଜି ପ୍ରାତେ ଏକ ଯୋଗୀ, ଆସିଥିଲେ ଅର୍ଥ ମାଗି, ତାଙ୍କ ଲାଗି ଏ ସୁଯୋଗ ମୋର ଜୁଟିଲା ।୨। ବାହୁରେ ବାନ୍ଧ କବଚ, ଆନନ ମନେ ପାଞ୍ଚ, କୁମର ମୁଖ ଦେଖିବା ତୃଷା ମେଣ୍ଟିଲା ।୩। ସନ୍ନ୍ୟାସୀ ବଚନ ସତ, ହେବ ଜାଣିଥା ମିତ; କଷ୍ଟି ବଇଷ୍ଣବ କଷ୍ଟେ କୃଷ୍ଣ ରଟିଲା ।୪।

(କବଚ ବନ୍ଧନ)

ରାଜା ପ୍ରତି ରାଣୀର ଗୀତ

ସତେ ଜୀବଧନ, ହୋଇବ ସୁଦିନ, ଦେଖିବା ନନ୍ଦନ ମୁଖ । ପ୍ରେମରେ କୋଳରେ, ବସାଇ ଭୋଳରେ, ଚୁମ୍ୱି ଗଣ୍ଡେ ଦଣ୍ଡେ ଲଭିବା ସୁଖ । ପଦ । ସତେ ଏହା କରିବେ ହର; ଚିର ହେବ ସନ୍ନ୍ୟାସୀ ବର । ଖେଳାଇବା କର ଧରି ପଲଙ୍କର; ଶୁଣିବା ଜନକ ଜନନୀ ଡାକ ।୧। ରଙ୍କ ସତେ ଭକ୍ଷିବ ସୁଧା, ଜନ୍ମ ବାଙ୍କ ହୋଇବ ସିଧା । ମରୁଦେଶେ ସୁଧା ନଦୀ କି ବହିବ, ଆଷାଢ଼ ଶ୍ରାବଣେ ରାବିବ ପିକ ।୨। ପୁତ୍ର ଧନେ ଯେହୁ ବଞ୍ଚିବ; ତା ଜୀବନ ଯିବା ଉଚିତ । କିଞ୍ଚିତରେ ତାର ଚିତ୍ତରେ ହରଷ; ନ ଆସେ ଭାଷଇ ବଇଆ ରଙ୍କ ।୩।

 

ରାଜା – ପ୍ରିୟେ ! ଆଜିଠାରୁ ତୁମ୍ଭେ ଏ କବଚ ବାହୁରେ ଧାରଣ କରି ଶୁଦ୍ଧ ମନରେ ଈଶ୍ୱର ଉପାସନାରେ ବ୍ରତୀ ହୁଅ । ଚାଲ ରାତ୍ର ବେଶି ହେଲାଣି, ଶୟନ କରିବା । ନୟନରେ ନିଦ୍ରା ଆକର୍ଷିଲେ, ତୁମ୍ଭ ସୁକୁମାର ଶରୀରକୁ ବଡ଼ କଷ୍ଟ ଲାଗିବ ।

 

ରାଣୀ – ନାଥ ! ଯା’ର ଚିରକାଳ କଷ୍ଟରେ ଯାଉଛି, ତା ପକ୍ଷରେ ନିଦ୍ରା କଷ୍ଟ ବେଶି ନୁହେଁ । ହଉ ତେବେ ଚାଲ ।      

(ପ୍ରସ୍ଥାନ)

ଚାକର ଓ ଚାକରିଆଣୀଙ୍କର କଥାବର୍ତ୍ତା

ଆଜି ସାରି ଦେଲେ ସହରକୁ – ବୃତ୍ତେ

ପୁରୁଷ – ଆଲୋ, ସରନାନି ହେଉ କିଁପା ତରତର ?

ସ୍ତ୍ରୀ – କିରେ, ପେଟ ବଥାଉଛି ପରା ରାଣୀଙ୍କର । ପଦ ।

ପୁରୁଷ – ତୋଅର କଅର ହେଲା, କାହିଁକି ଧାଇଁଛୁ ଭଲା ?

ସ୍ତ୍ରୀ – ଶୁଳୁଣୀ ପାଇଁ କହିଲେ ରାଜା ମୋର ।୧।

ପୁରୁଷ – ବୁଢ଼ାଦିନେ ପେଟ ବଥା ? ଏ ତ ଅସମ୍ଭବ କଥା ?

ସ୍ତ୍ରୀ – ଶୁଣି ନାହୁଁ ? ବାବାଜି ଦେଉଛି ବର ।୨।

ପୁରୁଷ – ଏମନ୍ତ କି ବର ଦେଲା ? ବନ୍ଧ୍ୟା ପୁତ୍ର ପ୍ରସବିଲା ?

ସ୍ତ୍ରୀ – କଟିଗଲା ଯେତେ ଦଶା ଥିଲା ତାର ।୩।

ପୁରୁଷ – ଆଜିଠଉଁ ଲାଗିପଡ଼ି, ଦବା ଲୋ ଦୁହେଁ ସଜାଡ଼ି

ସ୍ତ୍ରୀ – ବଇ ବୋଲେ ହଉ କେତେ ବରାବର ।୪।

 

ପୁତ୍ରସହ ରାଣୀର ପ୍ରବେଶ ଓ ରାଜାପ୍ରତି ଗୀତ

(ବେଗେ ଯାଅ ଯାଅ ଲଙ୍କାପୁର – ବୃତ୍ତେ)

ଗୁରୁ ଡକାଇ ପଢ଼ାଅ ପାଠ, ହେ ନାଥ । ଯୋଗୀ କୃପାବଳେ ଧଇଲି ମୁଁ କୋଳେ ଏ ବେନି ଗୋଟି ବାଳୁତ ହେ ।ପଦ। ଅପୁଆ ଘରରେ ପୁଅ ହୋଇ ଆଜି, ଆନନ୍ଦ ହୋଇଛି ଜାତ । ମୋହନ ମୁରାରି, ବିଦ୍ୟା ପାଠ କରି ଜଗତେ ହେବେ ବିଖ୍ୟାତ ହେ ।୧। ମୋ ଜ୍ୟେଷ୍ଠ ନନ୍ଦନ, ଅଟଇ ମୋହନ, କନିଷ୍ଠ ମୁରାରି ଏ ତ, ରୂପେ ଗୁଣେ କାମ, ନୋହିବ ସମାନ, ଟେକିବେ ଏ ରାଜଚ୍ଛତ୍ର ହେବ ।୨। ଭୂଗୋଳ, ବିଜ୍ଞାନ, ଗୀତା ଅଭିଧାନ, ବ୍ୟାକରଣ ଯେ ସିଦ୍ଧାନ୍ତ । ଅଙ୍କ ଶାସ୍ତ୍ରମାନ, ଘୋଷନ୍ତେ ନିଃଶଙ୍କେ, ସେସବୁ ହେବ ତା ହିତ ହେ ।୩। ଅସ୍ତ୍ର ଶସ୍ତ୍ର ଶାସ୍ତ୍ର, ସାଧନ୍ତେ ନିଶ୍ଚିନ୍ତ, ହୋଇବ ଆମ୍ଭର ଚିତ୍ତ । ବଇଷ୍ଣବ ଭାଳେ, ଯାଇଁ ଗୁରୁ ଆଳେ; ଡାକିଆଣୁ ଆମ୍ଭ ଦୂତ ହେ ।୪।

 

ଦୂତର ପ୍ରବେଶ – ଗୀତ

ମୋତେ କାହିଁକି ଡକରା ହେଲା – ବୃତ୍ତେ

କଳିକାଳରେ ରାଣ୍ଡଙ୍କ ଦାଉ ନୋହେ ସହି । ଭାଉ ବୁଡ଼ାଇଲେ ପାନ ଗୁଣ୍ଡି ଖାଇ । ପଦ । ଚାବି ମାରିଣ ଅଣ୍ଟାରେ, ଚାଲନ୍ତି ମନ ମୋଟରେ, ହଲାଇ ହାତ ଦେଖାନ୍ତି ଦାଣ୍ଡେ ଛଇ ।୧। ମୁଣ୍ଡରୁ ଲୁଗାକୁ କାଢ଼ି, ପକାନ୍ତି ପୁଣି ସଜାଡ଼ି; ଯେମନ୍ତେ ସଦନେ ଉଡ଼ିଗଲା ସେହି ।୨। କମରେ ବଟୁଆ ମାରି; ଯେମନ୍ତେ ଦଶ ହଜାରୀ, ବଜାର ହାଟେ ଫେରନ୍ତି ଭାଷେ ବଇ ।୩।

 

ଦ୍ୱାରୀ ପ୍ରତି ରାଜାଙ୍କର ଆଦେଶ

ରାଜା – ଦ୍ୱାରୀ ! ଡାକିଆଣ ମାଷ୍ଟରକୁ ଏଥି; ମୋ କୁମରେ ପଢ଼ାଇବେ ପାଠ ।

ଦ୍ୱାରୀ – ଯେ ଆଜ୍ଞା !

(ପ୍ରସ୍ଥାନ)

ମାଷ୍ଟରଙ୍କ ପ୍ରବେଶ ଓ ରାଜା ପ୍ରତି ଗୀତ

ଦେଖ ବସନ୍ତ; ଆହା କି ମନୋହର – ବୃତ୍ତେ

କି କାର୍ଯ୍ୟେ ମୋତେ; ଡାକିଲେ ନରନାଥ । ପଦ । କରିବି କିସ ବହନ ଭାଷ; ଗୃହ ବିବାଦେ ବ୍ୟସ୍ତ ଚିତ୍ତ ।୧। ଯେମନ୍ତେ ଫଣୀ, ମୋର ଗୃହିଣୀ, ଦଂଶଇ ମୋତେ ଅବିରତ ।୨। ଯାଚକ ବୃତ୍ତି, ଅଟେ ମୋ ନିତି, ଆଣିଲେ ପ୍ରାଣେ ନାଶିବ ତ ।୩। ବଇ ଭାଷଇ, ଦେହ ଶୋଷଇ ଉଦର ଜ୍ୱାଳା ହନ୍ତସନ୍ତ ।୪।

 

ରାଜା ଓ ଗୁରୁଙ୍କର କଥୋପକଥନ

ରାଜା –      ଯାଅ ଗୁରୁ ଘେନି ଆମ୍ଭ କୁମର ଦୁହିଙ୍କୁ, ତବ ଗୃହେ ପଢ଼ାଇବ ପାଠ । ମୋହନ ମୁରାରି ଯୋଗେ ଘୁଞ୍ଚିଯିବ ଉଦରର ଦରିଦ୍ରତା କଷ୍ଟ । ପଢ଼ାଇବ ଇତିହାସ, ଭୂଗୋଳ, ବିଜ୍ଞାନ, ପୁଣି ଗଣିତ, ସାହିତ୍ୟ, ଏହା ପରେ କାବ୍ୟ ଭଟ୍ଟି ଯେତେକ ସଂସ୍କୃତ । ତାହା ହୋଇଯାନ୍ତେ ଶେଷ ଦେଖାଇବ ରାଜନୀତି, ଦଣ୍ଡନୀତି ଶାସ୍ତ୍ର । ଯାଆନ୍ତୁ ଏ ସୁତବେନି ତୁମ୍ଭରି ସହିତ, ଛାତ୍ରାବାସେ ରଖି ତବ ପାଶେ ଦେଉଥିବ ସତ୍ୟ ଉପଦେଶ ।

 

ଗୁରୁ –      ଯେ ଆଜ୍ଞା ! (କୁମରପ୍ରତି) ଆସନ୍ତୁ ରାଜକୁମର ସଙ୍ଗରେ ମୋହରି । (ପ୍ରସ୍ଥାନ)

ରାଜା – ଦୂତ ! ରାଜରାଣୀଙ୍କ ଶରୀର ଅସୁସ୍ଥ ଥିବାରୁ ରାଜକାର୍ଯ୍ୟେ ଲାଗୁନାହିଁ ମନ । ଡକାଇଣ କବିରାଜେ ଆଣ ଯା ବହନ ।

(ପ୍ରସ୍ଥାନ)

ରାଣୀଙ୍କର ମୃତ୍ୟୁରେ ରାଜାଙ୍କର ଶୋକ

ପ୍ରାଣସଖି ! ମୋତେ କେଣେ ଗଲୁ ଛାଡ଼ି । ଭାବିଲେ ତୋ କଥା ପିଣ୍ଡୁ ପ୍ରାଣ ଯାଏ ଉଡ଼ି । ପଦ । ପ୍ରାଣରୁ ଅଧିକ କରି ମଣିଥିଲି ରେ ସୁନ୍ଦରି ! ନ ଦେଖିଲି ମୁଖ ମୁଣ୍ଡେ ବଜ୍ର ପଡୁ ଛିଡ଼ି ।୧। ନବୀନା ଭୂଧରସ୍ତନା, ଟିକେ ମୋତେ ଚାହୁଁ କିନା । ପୀୟୂଷ ବଚନା ମରିବି ମୁଁ ମୁଣ୍ଡକୋଡ଼ି ।୨। ଛାଡ଼ି କରି ବେନି ସୁତ, କରିଣ ଗଲୁ ଅନାଥ କିଏ ସମ୍ଭାଳିବ, ବଇଷ୍ଣବ ପଦ ଯୋଡ଼ି ।୩।

 

ଅଦୃଷ୍ଟ କୁମାରୀମାନଙ୍କର ଗୀତ

ମନକର୍ଣ୍ଣ ଦେଇ ଶୁଣ ସୁଜ୍ଞାନୀ ପଣ୍ଡିତ–ବୃତ୍ତେ

ମନ ସ୍ଥିରେ ଶୁଣ ଧୀରେ ଉପନ୍ୟାସ ବାଣୀ । କଉତୁକ ହେବ ଜାତ କର୍ଣ୍ଣେ ଯାହା ଶୁଣି ।୧। ରୋଗ ଭୋଗ କରିବାରୁ ରାଣୀ କଲେ ପର । ଖଞ୍ଜନ ନୟନା ଗଲା ସଂଯମନୀପୁର ।୨। ରାଜପୁରେ ଲାଗିଗଲା ମହା କୋଳାହଳ । ମାତା ମାତା ବୋଲି ପୁତ୍ରେ ହୁଅନ୍ତି ବିକଳ ।୩। କିଛି କାଳ ଅନ୍ତେ ବୃଦ୍ଧ ରାଜା ହେଲେ ବିଭା । ଅଭାବ ହେବାରୁ ଗୃହକାର୍ଯ୍ୟ ଭାବି କିବା ।୪। ପରେ ଜ୍ୟେଷ୍ଠସୁତେ ବିଭା ଦେଲେ ନରମଣି । ଚନ୍ଦ୍ରରେଖା ନାମେ ଜମିଦାରର ଦୁଲଣୀ ।୫। ମନ୍ଦରା ଅଧରା ମନ୍ଦଗମନା ମହିଳା । ଚନ୍ଦରଆନନା କନ୍ଦରପ ଦର୍ପ ଦଳା ।୬। ଶିରୀଷ ଅଙ୍ଗନା ସେ ଗିରୀଶସ୍ତନା ରଙ୍ଗେ । କରଇ ବିହାର ହରଷରେ ପତି ସଙ୍ଗେ ।୭। ବତିଶାର୍ଦ୍ଧ ବୟସୀ ହୁଅନ୍ତେ ଗର୍ଭବତୀ । ଦିନୁ ଦିନ ବଢ଼େ ପୀନ ଉରଜାର କାନ୍ତି ।୮। ବେନିମାସ ଅତୀତେ ନାରୀଏ ତିନିମାସେ । ସୁରୁଚି ସମ୍ପନ୍ନ ଦ୍ରବ୍ୟମାନ ଦେଲେ ପାଶେ ।୯। ନ ରୁଚଇ ସେମାନ ହୁଅନ୍ତେ ମାସ ଚାରି । ବାରଣ ଗମନା ଅଙ୍ଗ ଲାଗୁଥାଏ ଭାରି ।୧୦। ପାଞ୍ଚମାସ ଗତେ ଛଅମାସେ ପ୍ରବେଶିଲା । କଳା ବୋଳା ହେଲାପରି ଚୁଚୁକ ଦିଶିଲା ।୧୧। ଏହିପରି ପ୍ରବେଶ ହୁଅନ୍ତେ ସାତମାସ । ଏଥୁଅନ୍ତେ ଶୁଣ ରସ ବଇଷ୍ଣବ ଭାଷ ।୧୨।

 

ରାଜା ମୃଗୟାକୁ ଯିବା ନିମନ୍ତେ ପୁତ୍ର ପ୍ରତି

ରାଜା –      ବତ୍ସ ମୋହନ ଓ ମୁରାରି ! ତୁମ୍ଭେ ରାଜପୁରୀ ରକ୍ଷା କରିଥାଅ, ମୁଁ ବନ ଭ୍ରମଣକରି ଯାଉଛି । ଦିନେ କିବା ଦୁଇଦିନେ ଫେରିଆସିବି ।

 

ଦୂତ ପ୍ରତି – ଦୂତ ! ଶୀଘ୍ର ସେନା ସଜକର, ମୋର ଧନୁର୍ବାଣ, ବର୍ଚ୍ଛାମାନ ଅସ୍ତ୍ରାଗାରରୁ ଘେନି ଆସ । ମୁଁ ରାଜପୁରୀର ତୋରଣ ନିକଟରେ ଠିଆ ହୋଇଛି ।

(ପ୍ରସ୍ଥାନ)

ରାଜାଙ୍କର ଦ୍ୱିତୀୟ ରାଣୀର ବିଟ ପୁରୁଷ ପ୍ରତି ଗୀତ

ଜୀବଧନ ହେ, କାଲି କାହିଁ ଥିଲ କହନି । ପଦ । ନାହାନ୍ତି ନୃପତି, ହରୁଥାନ୍ତେ ରାତି, ନିଶଙ୍କରେ ହରୁଥାନ୍ତେ ପରା ଦିନ ହେ ।୧। ବୃଦ୍ଧ କାଳେ ଯୁବା ନାରୀ ହୋଇ ବିଭା; କି ସୁଖ କରନ୍ତେ କର ଅନୁମାନ ହେ ।୨। ତୁମ୍ଭ ଯୋଗେ ମୋର ସକଳ ସଂସ୍କାର ବୃଦ୍ଧ ପ୍ରେମରଙ୍ଗେ ନ ମାନଇ ମନ ହେ ।୩। ଗୁପତ ପୀରତି ସୁଖକର ଅତି, ଉଲୁସାଇ ଦିଏ ଚିତ୍ତ ଘନ ଘନ ହେ ।୪। ଯେତେବେଳେ ଯାହା ଲୋଡ଼ୁଥିବ ତାହା; ଦେଉଥିବେ ବଇଷ୍ଣବ ନିବେଦନ ହେ ।୫।

 

ରାଣୀ ପ୍ରତି ବିଟ ପୁରୁଷର ଉତ୍ତର– ଗୀତ

ଯୋଗଭଙ୍ଗିନି ନାହିଁ ରୋଗ–ବୃତ୍ତେ

ରସରଙ୍ଗିନି ମୋ ଦୋଷ ତିଳେ ଧର ନା ରେ । ତୋର ବଶରେ ରହିବି ବର ବରନା ରେ । ପଦ । ରାଜପୁର ଯୋଗେ ଡର, ମାଡ଼ଇ ରେ ନାରୀବର । ସେକଥା ତୁ ଚିତ୍ତେ ଧରନା ରେ ।୧। ଧୀରା ଧରା ଗଲେ ପଡ଼ି ଶିର ନିଶ୍ଚ ଯିବ ଉଡ଼ି । ବିପଦେ ଫିଙ୍ଗି ସଙ୍ଗିନି ମାର ନା ରେ ।୨। ଆସୁଥିବ ବେଳ ଜାଣି, କହୁଛି ଗୋ ରାଜରାଣି ! ଚିନ୍ତା-ବିଷ ଆଣି ଦେହେଁ ଘାର ନା ରେ ।୩। ହୋଇଣ ଦରିଦ୍ର ଜାତି ଲଭିଲି ରାଜ-ବିଭୂତି । ବଇ ବୋଲଇ ସାର ନା ରେ ।୪।

 

ବିଟ ପୁରୁଷ ସହିତ ରାଣୀ ଶୋଇଥିବାର, ମୋହନର ସ୍ତ୍ରୀ ଚନ୍ଦ୍ରରେଖା

ସ୍ୱଚକ୍ଷୁରେ ଦେଖି ଦେବର ମୁରାରିକୁ ଜଣାଇବା ଗୀତ

ଭାଇ ଭୀମ କରିବା କି ବୃଦ୍ଧି–ବୃତ୍ତେ

ଶୁଣ ହେ ମୁରାରି ମୋର ବାଣୀ । କହିଲା ବେଳକୁ ତୁଣ୍ତେ ହୃଦୟ ହୁଅଇ ହାଣି । ପଦ । ଘୂରିଗଲା ମୋର ମୁଣ୍ତ, ନ ଫିଟିଲା ଆଉ ତୁଣ୍ତ; ତିଳେ ନ ଚଳିଲା ପାଦ ପାଣି ।୧। ଆାଜି ରାଣୀହଂସପୁରେ, ଯାଉଥିଲି ଧୀରେ ଧୀରେ; ଆସିଲି ଫେରି ଗୋପନେ ଶୁଣି ।୨। ଆସି ବିଟପ ପୁରୁଷେ, ବସିଣ ରାଣୀଙ୍କ ପାଶେ; ଭାଷୁଥିଲା ପ୍ରେମର କାହାଣୀ ।୩। ଚୁମ୍ବୁଥିଲା ଗଣ୍ତଦେଶ, ଦେଖିଲି ଭାଣ୍ତ ପୁରୁଷ, ଶୁଣି କି କହିବେ ନୃପମଣି ।୪। ଆଉ ଦେଖ ପାପଭାରା ସହି ନ ପାରିବ ଧରା, ଚାହିଁ ଆସ ବଇଷ୍ଣବ ଭଣି ।୫।

 

ମୁରାରି–ଓଃ, ଫାଟଯାରେ ଛାତି, ଫୁଟିଯାରେ ଶୀଘ୍ର ପାପଆକ୍ଷି କି କହିଲ ଜ୍ୟେଷ୍ଠଭ୍ରାତା ଜାୟା ! ରାଜପୁରେ ଏତେ ଅନାଚାର । ମାତା ଅନାଚାର କର୍ଣ୍ଣେ ଶୁଣି, କେଉଁ ପୁତ୍ର ଧରିବ ଜୀବନ । ଧିକ ଆମ୍ଭ ରାଜଦଣ୍ତଧରା, ଧିକ ଆମ୍ଭର ଧରାପତି ଆଖ୍ୟା, ଧିକ ଧିକ ଆମ୍ଭ ଶୂରପଣେ ଯେବେ ଦ୍ୱିତଳ ପ୍ରାସାଦେ ଆଜି ଘଟୁଛି ଏ କାଣ୍ତ, ସାମାନ୍ୟ କୁଟୀର ବାସୀ କି କରିବେ ଆଉ ? ଦେବି ! ଥାଅ ତୁମ୍ଭେ ଏହିଠାରେ, ଯାଉଛି ମୁଁ ଜନନୀଙ୍କ ବାସେ । ଜନନି ! ଜନନି ! ଜନନୀ ବୋଇଲେ ଜିହ୍ୱା ହେବ କଳଙ୍କିତ ଲୋ ପାପିଷ୍ଠା ! ଧିକ୍ ଧିକ୍ ତୋର ସେହି ଇନ୍ଦ୍ରିୟ ଲାଳସା ଥାଉଁ ଥାଉଁ ଅମୃତ ଆଗରେ ବିଷକୁ ତୁ କରିଲୁ ଆଦର ? ଆଗେ ବାନ୍ଧିବି ଜାର ପୁରୁଷକୁ, ପରେ ବଧିବି ମୁଁ ତୋତେ ।

 

ମୁରାରି ରାଣୀହଂସପୁରେ ବେଗେ ପ୍ରବେଶ

ଜାର ପୁରୁଷର ପଳାୟନ ଓ ରାଣୀପ୍ରତି ମୁରାରିର ଗୀତ

କେଉଁପରି ଯାଇଁ, ସେ ରାଜବାଳାକୁ–ବୃତ୍ତେ

ହୋଇ ରାଜରାଣୀ, ଏଡ଼େ ଅଲକ୍ଷଣୀ, ହେଲୁ ଲୋ ଜନନି କାହିଁକି । ପତିବ୍ରତା ଧର୍ମକର୍ମ ପାସୋରିଲୁ, କଳଙ୍କିତ କଲ ମହୀକି । ପଦ । ବିଟ ତୁଲେ ରମି ନଷ୍ଟ କରି ଘଟ, ଖଣ୍ଟ କରେ ଦେଲୁ କାଞ୍ଚନ ମୁକୁଟ । କାଳକୂଟ ବିଷ, ଜାଣୁ ଜାଣୁ ଗ୍ରାସ, କରାଇଲେ ନରସାଇଁକି ।୧। ପୋଡ଼ୁ ପୋଡ଼ୁ ତୋର କପଟ ମନ୍ତ୍ରଣା; କାହିଁପାଇଁ ହୁଡ଼ି ହେଲୁ ବାଟବଣା । ହାଟେ ଘାଟେ ହେଲେ ଏ ନିନ୍ଦା ରଟନା, ଚାଲିବୁ କା ମୁଖ ଚାହିଁକି ।୨। ସହିଛି ବସୁଧା କେଉଁପରି ତୋତେ, ଫାଟିଯାଉ ନାହିଁ କିମ୍ପା ସେ ତୁରିତେ । ବୁଡ଼ି ଯା ନ ମଲୁ ସାଗର ସରିତେ, ବଇଷ୍ଣବ ପଦ ଗାଇକି ।୩।

 

ରାଣୀ–କେ ଅଛ ହେ ! ରକ୍ଷାକର, ରକ୍ଷାକର । ଆସି ଏଥି ମୁରାରି ପାମର, ମୋତେ କରୁଅଛି ବଳତ୍କାର । ଆଉ ହବ ନାହିଁ ।

ପୁଅ ହୋଇ; ମାତୃହରଣେ କରଇ ଇଚ୍ଛା ।

(ଦାସୀମାନେ ପାଟି ଶୁଣି ପ୍ରବେଶ ।)

ରାଣୀ–ଦାସୀଗଣେ ! ତୁମ୍ଭେ ଆସି ନ ଥିଲେ, ମୁଁ ବଞ୍ଚିପାରି ନ ଥାନ୍ତି ।

ଦାସୀ–(ମୁରାରି ପ୍ରତି) ଛି ମୁରାରି ! ଏ କି କଥା ?      (ରାଣୀପ୍ରତି) ପାଟ ମହାଦେଈ ! ଯାହା ହେବାର ହେଲାଣି; ଏକଥା କାହାରିକି କହିବ ନାହିଁ ।

(ମୁରାରି ପ୍ରତି) ଯାଅ ମୁରାରି ! ତୁମ୍ଭେ ଏଠାରୁ ଚାଲିଯାଅ । ତୁମ୍ଭେ ନ ଗଲେ, ରାଣୀଙ୍କର ରାଗ ଶାନ୍ତ ହେବ ନାହିଁ ।

(ମୁରାରି ପ୍ରସ୍ଥାନ)

ରାଜା, ଶିକାରରୁ ଫେରି ପ୍ରବେଶ ଓ ରାଣୀଙ୍କୁ ଦେଖି ଗୀତ

ରାଗ–ଚୋଖି

ଧରାମଣ୍ତନା ତୁ ଧରା– ପରେ ହୋଇଣ ଅଧୀର, ଶୟନକରି ନୟନ ଗଡ଼ାଉ ଲୁହ । କେ କିସ କହିଲା ତୋତେ ରସବତି ଭାଷ ମୋତେ, ତୋ ଦୁଃଖ ନିରେଖି ଚିନ୍ତା ଦହଇ ଦେହ । ତେଜି ଦେଇ ବେଶ ଭୂଷଣ । କି ହେତୁ ପାଉଛୁ ସଖି ଏତେ କଷଣ ।୧। ଶଣପୁଷ୍ପ ଜିଣା କାନ୍ତି, ନିରସ ଦିଶଇ ଅତି, ସରସ ମନରୁ କେ ବା ନେଇଛି କାଢ଼ି । କହିଛି କେ କଟୁ କଥା, ସେ ଘେନି ପାଉ ଏ ବ୍ୟଥା; ଯମ ପୁରକୁ କାହାର ପଡ଼ିଲା ଧାଡ଼ି । ଲୋଡ଼ିଲା କେ ମରଣ ବାଟ । ବାରଣଗତି କାରଣ କହ ରେ ଝଟ ।୨। ଥାଉଁ ଥାଉଁ ଏ ବିଭବ, କି କଥା ହେଲା ଅଭାବ ଭାବଦାୟିନୀ ରେ ତୋତେ ରାଜଭଣ୍ତାରେ । ତେଜ ରୋଷ ରାସରଙ୍ଗି, ଦୋଷ ଘେନୁଅଛି ମାଗି, ମୋର ନାହିଁ କାରଣ ।୩।

 

ରାଜା ପ୍ରତି ରାଣୀର ଉତ୍ତର–ଗୀତ

ହେ ଦ୍ୱିଜବର ନ କାନ୍ଦି କହ–ବୃତ୍ତେ

ହେ ଗୁଣମଣି କି କହିବି ସେ କାହାଣୀ । ପଦ । ଆଜି ତୁମ୍ଭ ସୁତ ମୁରାରି ଦୁରନ୍ତ, ଆସି କହିଲା ଯେ ବାଣୀ ।୧। ମୋର ତୁଲେ ରତି କରିବାକୁ ଅତି; ବଳାତ୍କାର କଲା ପୁଣି ।୨। କରନ୍ତେ ମୁଁ ପାଟି ପଳାଇଲା ହଟି, ଦାସୀମାନେ ଛନ୍ତି ଶୁଣି ।୩। ଏଡ଼େ ନୀଚ କର୍ମ ନ ସହିବ ଧର୍ମ, ମୋ ମର୍ମ ପକାଏ ହାଣି ।୪। ପୁତ୍ରହୋଇ ମାତା ହରିବା ଅବସ୍ଥା, ଏକଥା ନ ଥିଲା ଜାଣି । ନ କଲେ ବିଚାର, ବଇଷ୍ଣବ ଗିର, ଜହର ଭକ୍ଷିବି ଆଣି ।୬ ।

 

ରାଜା–      ଓଃ, କି କଥା ଶୁଣିଲି ରେ ମୁରାରି ! ତୁ ପୁତ୍ର ନୋହୁ, ଶତ୍ରୁ, ତୋତେ ଏତେ ଶାସ୍ତ୍ର ପଢ଼ାଇଥିଲି ଶେଷରେ କଅଣ ତାର ଫଳ ଏଇଆ ମିଳିଲା ?

 

 

 

 

 

ଦୂତଗଣ ପ୍ରତି ରାଜାର ଗୀତ

କେଉଁପରି ଯାଇଁ ସେ ରାଜବାଳାକୁ–ବୃତ୍ତେ

ଏଡ଼େ ଦୁରୁଦଣ୍ତ ମୁରାରି ପାଷଣ୍ତ, କାଟ ଦୂତେ ତାର ମୁଣ୍ତରେ । ଶୁଣିଣ ଏ କାଣ୍ତ ଭ୍ରମୁଛି ମୋ ଚିତ୍ତ ନ ପଶଇ କଥା ତୁଣ୍ତରେ । ପଦ । ଆଣି ତାର ରକ୍ତ, ଦେଲେ ଖାଇ ଭାତ, ଚାଲିବି ଏ ରାଜ ଦାଣ୍ତରେ । ଖଣ୍ତ ଖଣ୍ତ କରି, ପଳାଇବି ଚିରି, ସେହି ପାପମତି ପିଣ୍ତରେ ।୧। ରାଣୀ ପାଦଯୁଗେ, ମଣ୍ତିବି ଶୋଣିତ, ଦେଖୁଥିବେ ହୋଇ ରୁଣ୍ତରେ । ଜାଣୁ ଜାଣୁ ଗଣ୍ତ ଜଳରେ ଝାସିଲା ବଳେ ଧରି କରୀ ଶୁଣ୍ଢରେ ।୨। କେଡ଼େ ଭାଣ୍ତପଣ, ଟୋକାଖଣ୍ତ କଲା, ଶୁଣା ଯା ନାହିଁ ବ୍ରହ୍ମାଣ୍ତରେ । ଚାଣ୍ତେ ଯାଅ ଚଳି, ବଇଷ୍ଣବ ଭାଳି, ନୋହିବ ଏକଥା ପଣ୍ତରେ ।୩।

 

ମୋହନର ସ୍ତ୍ରୀ ମୁରାରିର ପ୍ରାଣଦଣ୍ତାଜ୍ଞା ଶୁଣି ନିଜ ସ୍ୱାମୀଙ୍କୁ କହନ୍ତେ

ପିତା ନିକଟରେ ମୋହନର ନିବେଦନ– ଗୀତ

ଡୋଲେତେ ଆଓଏ ମେରେ ନୟାଁ–ବୃତ୍ତେ

ରଖ ମାଗୁଣି ତାତ ମୋର, ରୋଷ ନ କର । ରୋଷ ନ କର ତବ କିଙ୍କର, ନ କାଟ ମୁରାରି ଶରୀର । ପଦ । ଦଣ୍ତିଲେ କାହିଁ ଖଣ୍ତିବ ନାହିଁ ବୁଝ ସଙ୍କେତ ତା ନିକର ।୧। ପର ପତିକି ଆଣି କତିକି ରାଣୀ କରିଲେ ଏ ଫିକର । ଦେଖି ମୁରାରି ନ ସହି ପାରି କରିଛି କେତେ ତିରସ୍କାର ।୨। ସେ ଦୋଷ ଘେନି, ଆମ ଜନନୀ, ଛାଡ଼ିଲେ ସେ ଘୋର ଚିତ୍କାର ।୩। ବଇ ରଚନ ପ୍ରମାଣ ଘେନି ଚାକରମାନଙ୍କୁ ହକାର ।୪।

 

ମୋହନ– ପିତଃ ! ନୁହେଁ ଦୋଷୀ ମୁରାରି ଏ ଦୋଷେ, ଦେଖି ଉପପତି ସହିତରେ ବିମାତାଙ୍କୁ ମୋର, ଜଣାଇଲେ ଏ ସଙ୍କେତ ତବ ପୁତ୍ରବଧୁ ମୁରାରି ନିକଟ, ତହୁଁ ରୋଷେ ଆସିଣ ମୁରାରି ପ୍ରବେଶନ୍ତେ ଜନନୀଙ୍କ ଆଳେ, ପଳାଇଣ ଗଲା ସେ ପୁରୁଷ । ସେହିକାଳେ ତହୁଁ ଧିକ୍କାରନ୍ତେ ମାତାଙ୍କୁ ମୁରାରି, ଛଦ୍ମଭାବେ ମାତା ବେଗେ ପକାଇଲେ ହୁରି । ଦେଖିଛନ୍ତି ପୁରଦାସୀଗଣେ, ଏ ଘଟଣା ନ କରି ପ୍ରମାଣ ବୃଥାରେ ମୁରାରି ଶିର ଛେଦନା ଆପଣ । ଚିତ୍ତସ୍ଥିରେ ନେଇଣ ପ୍ରମାଣ, କର ରକ୍ଷା ମୁରାରିର ପ୍ରାଣ ।

 

ରାଜା–      ରେ ମୋହନ ! ତୁହି ସେହି ପାପୀ ସହୋଦର, ସେହେତୁ ତା ପ୍ରାଣ ଭିକ୍ଷା କରୁ ମୋ ଆଗରେ । (ଦୂତ ପ୍ରତି) ଦୂତଗଣେ ! ଘେନିଯାଅ ମୁରାରି ମୋହନ ଦୁଇଜଣେ–ଏକତ୍ରେ ହାଣିବ ମୁଣ୍ତ ଏ ଦୁଇ ଭାଇର । ମିଥ୍ୟା କେବେ କହେ ନାହିଁ ରାଣୀ,ଶୀଘ୍ର ନିଅ ମୋ ଆଗରୁ ଦୁରାତ୍ମାକୁ ଟାଣି ।      

(ରାଜା ପ୍ରସ୍ଥାନ)

କଟୁଆଳେ ମୋହନ ମୁରାରିଙ୍କୁ ହାଣିବାକୁ ନେବା

ସମୟ ପଥ ମଧ୍ୟେ ଗୀତ

ଯୋଡ଼ିଯାଉ ରେ ପୋଡ଼ା ଚାକିରି–ବୃତ୍ତେ

କହ ଭାଇ ରେ ଆମ୍ଭେ କରିବା କିସ । ସତ ବଳୁନାହିଁ, ହାତ ଚଳୁନାହିଁ, କେମନ୍ତେ ଏହାଙ୍କୁ କରିବି ନାଶ । ପଦ । ଆଜି ଅବିଚାର କରି ନୃପବର, ଦେଲେ ସିନା ଏ ନିଷ୍ଠୁର ଆଦେଶ । ରାଗ ଶାନ୍ତ ହେଲେ, ସେ ଯେବେ ମାଗିବେ, ଜୀବ କି ପାଇବେ ଜଳାପାଉଁଶ ।୧। ଯାଆନ୍ତୁ ପଳାଇ, ଏହୁ ବେନି ଭାଇ, ଜୀଇଥିଲେ ଦିନେ ଗାଇବେ ଯଶ । ମାରିଣ କୁକୁର, ନେଇ ରକ୍ତ ତାର, କରେ ଦେଲେ ନିଶ୍ଚେ ହେବେ ସନ୍ତୋଷ ।୨। ନ କରିଲେ ତାହା, ଜାଣ ନରନାହା; ପେଶିବ ଆମ୍ଭଙ୍କୁ ଶମନ ବାସ । କାଳେ କାଳେ ରାଜା ଅଟନ୍ତି ଅବୁଝା, ଜାଣି ନ ପାରନ୍ତି ଭୂତ ଭବିଷ୍ୟ ।୩। ଏମନ୍ତ ସୁନ୍ଦର ମୂରତି ହାଣିବା ପାଇଁ ଚଳିବ କାହାର ସାହସ । ପୁଣି ବୋହୂରାଣୀ, ଗର୍ଭବତୀ ପୁଣି, ବଇ କହେ କିଏ ନେବ ଏ ଦୋଷ ।୪।

 

ଦୁଇ ଜଣ କଟୁଆଳଙ୍କର କଥୋପକଥନ

ପ୍ରଥମ କଟୁଆଳ–      ରାଜପୁତ୍ରେ ! ତୁମ୍ଭେ ଦୁହେଁ ପଳାଇଯାଅ, ଜୀବ ଥିଲେ ଭିକ୍ଷାମାଗି ପେଟ ପୋଷିବ, ଆମ୍ଭେ ତୁମ୍ଭଙ୍କୁ ମାରିବୁ ନାହିଁ ।

 

ମୋହନ–      କଟୁଆଳ ! ଆମ୍ଭ ଦୁହିଙ୍କ ଲାଗି ତୁମ୍ଭ ଦୁହିଙ୍କ ପ୍ରାଣ ଯିବ କାହିଁକି ? ତୁମ୍ଭେ ଆମ୍ଭଙ୍କୁ ଶୀଘ୍ର ମାରି ନିଜ ପ୍ରାଣ ରକ୍ଷା କର ।

 

ଦ୍ୱିତୀୟ କଟୁଆଳ–      ଯୁବରାଜ ! ତୁମ୍ଭେ ଦୁହେଁ ବୋହୂ ସୀନ୍ତାଣୀଙ୍କୁ ନେଇ, ଏହି ରାତି ରାତି ନଅର ଛାଡ଼ି ଚାଲିଯାଅ; ଆମ୍ଭେ ଆମ୍ଭ ଜୀବନ ରକ୍ଷାର ବାଟ କରିବୁଁ ।

 

ମୋହନ–      ଭାଇ ମୁରାରି ! ଏ ଚାକର ଦୁହିଁଙ୍କର ଉପକାର ଶୁଝିବାକୁ ଆମ୍ଭମାନଙ୍କର କି ବର୍ତ୍ତମାନ ଶକ୍ତି ଅଛି ? ଏମାନେ ଆମ୍ଭର ଚିରସ୍ମରଣୀୟ ହେଲେ । ଚାଲ ଭାଇ ! ଚନ୍ଦ୍ରରେଖାକୁ ନେଇ, ରାତ୍ର ଥାଉଁ ଥାଉଁ ରାଜଧାନୀ ତ୍ୟାଗ କରିବା । ଚନ୍ଦ୍ରରେଖା ଗର୍ଭାଳସୀ ଶୀଘ୍ର ଚାଲିପାରିବ ନାହିଁ । ଚଞ୍ଚଳ ଚାଲିଯିବା ଦରକାର ।

(ପ୍ରସ୍ଥାନ)

ପ୍ରଥମ–      କଟୁଆଳ–(ଦ୍ୱିତୀୟ କଟୁଆଳ ପ୍ରତି) ଚାଲ ଭାଇ ! ଏ ତ ଗଲେ; ଏଥର ଗୋଟାଏ କୁକୁର କେଉଁଠୁ ଧରିବା । କୁକୁର ନ ମିଳେ ଯେବେ, ଚାକରଙ୍କର ଜୀବ ତା ବଦଳରେ ପଡ଼ିବ । ଭାଇ, ଏ ଦୁଇ ଭାଇଙ୍କର କେଡ଼େ ମିଠା କଥା ! ବିନା ଦୋଷରେ ସିନା ଏ ଗଲେ । ଆଉ ଭାଇ ! ଏ ଯୁଗରେ ମାଇପି ଜାତିଙ୍କି ବିଶ୍ୱାସ ନାହିଁ ।

(ପ୍ରସ୍ଥାନ)

ଚାକର ଚାକିରିଆଣୀଙ୍କର ଫାର୍ଶ

ଶୁଉଣୁ ଶୁଉଣୁ ଏଣେ ଶଙ୍କରୀ ଅପା ଲୋ–ବୃତ୍ତେ

ପୁରୁଷ–ଚାଆଲେ ଚାଆଲେ ଏଠୁ ଅବଳି ଅପା ଲୋ, ପଳାଇ ଯିବା ଏ ରଜା ରାଇଜ ଛାଡ଼ି ।

ସ୍ତ୍ରୀ–ଏମନ୍ତେ କଅଣ ହେଲା, ଗାଆଁ ଛାଡ଼ିଯିବା ଭଲା, କହୁଁ କହୁଁ ଓଠ ପାଟି ବାଜୁଛି ଯୋଡ଼ି । ପଦ ।

ପୁରୁଷ–ମାଇପ ବୁଦ୍ଧିରେ ପଡ଼ି, କି ସୁନ୍ଦର ପୁଅ ଯୋଡ଼ି ହାଣିବାକୁ ଦେଲା ରଜା ନଅରୁ କାଢ଼ି ।

ସ୍ତ୍ରୀ–ବୁଢ଼ାକାଳେ ବାହାଘର, ମଜା ବାହାରୁଛି ତାର, କାଳେ କାଳେ ଏହି ରୀତି ରହିଛି ଜଡ଼ି ।୧।

ପୁରୁଷ–ନ ଥିଲେ ବୁଝିବା ଶନ୍ତି, ଏପରି ଭ୍ରମେ ପଡ଼ନ୍ତି, ଅବୁଝା ଏ ରାଜା ରାଜ୍ୟ ଯିବା ଲୋ ଛାଡ଼ି ।

ସ୍ତ୍ରୀ–ନ ଶିଖି ବିଛା ମନ୍ତର, ହାତ ପୂରାନ୍ତି ଗାତର, ଜାଣି ନ ଥାନ୍ତି କି ଶାପ ଦେବ କାମୁଡ଼ି ।୨।

ପୁରୁଷ–ମୁଁ ତ ହୋଇଥିଲେ ବୁଢ଼ା, ତୁ ଦାଣ୍ତେ କରାନ୍ତୁ ଛିଡ଼ା, ଲଗେଇ ଥାଆନ୍ତୁ ମଜା ସତର ଘଡ଼ି ।

ସ୍ତ୍ରୀ–ଭାଙ୍ଗିବି ଖଣ୍ତିଆ ଦାନ୍ତ, ତୁ କ’ଣ ମୋ ଚୁଲି ଗାତ, କଥା କହୁଁ କହୁଁ କିଁପା କହୁଛୁ ହୁଡ଼ି ।୩।

ପୁରୁଷ–ହୁଡ଼ିଗଲି କେତେବେଳେ, ଠିଆ ତ ହୋଇଛି ତଳେ, ମିଛୁଟାରେ କହୁ ମୋତେ ମୁହଁ ଛିଞ୍ଚାଡ଼ି ।

ସ୍ତ୍ରୀ–ପଡ଼ିଥିଲା କେଉଁ କଥା, କେଉଁଠି କଲାଣି ଦନ୍ତା, ବଇଆ ବ୍ରାହ୍ମଣ କହେ ପଦକୁ ଯୋଡ଼ି ।୪।

 

 

ଚାକର ଚାକିରିଆଣୀଙ୍କର କଥାବାର୍ତ୍ତା

ପୁରୁଷ–ହଁ, ହଁ, ମୁଁ ଛାଡ଼ିଗଲି ପରା ଗୁଳା ।

ସ୍ତ୍ରୀ–ତୁଟା ଅସଲ ବଜାରି କେଳା ।

ପୁରୁଷ–ଆଚ୍ଛା, ସେ ରଜା କାହିଁକି ଏମନ୍ତ କଲା ?

ସ୍ତ୍ରୀ–ଯାହାର ଯେଉଁ ଖୋଇ, ସେ ଛାଡ଼ିବ କେମନ୍ତି ଭଲା ?

ପୁରୁଷ–ଆଚ୍ଛା, ମତେ ତୁ କହୁଚୁ ଯେ, ମୁଁ ମୋ ଖୋଇ କେମନ୍ତେ ଛାଡ଼ିବି ?

ସ୍ତ୍ରୀ–ଫେଏର୍‌; ମୁହଁ ସମାଳ; କଅଣ ନାହିଁ କଅଣ ଗୁଡ଼େ କାଢ଼ିବି ।

ପୁରୁଷ–ଅପା ! କଅଣ କାଢ଼ିବୁ, କୋଉଠି କାଢ଼ିବୁ ?

ସ୍ତ୍ରୀ–ତୁ ତ ବେଳକୁ ବେଳ ବେଶି ବେଶି ମୁହଁ ହୁଡ଼ିଲୁ ?

ପୁରୁଷ–ମୁଁ ହୁଡ଼ିଲି କଅଣ ? ତୋ କଥା ପରା ତତେ କହୁଚି ।

ସ୍ତ୍ରୀ–ମୁଁ ତତେ ପାରିବି ନାହିଁ ରେ, ଯାଉଚି ।

ପୁରୁଷ–ରହ, ରହ, ସେ ରାଣୀ କ’ଣ ଦିନେ ପଡ଼ିବ ନାହିଁ ଧରା ?

ସ୍ତ୍ରୀ–ଯେଉଁଦିନ ପଡ଼ିବ ଧରା, ସେ ଦିନ ଜାଣିବେ ମୁଲକସାରା ।

ପୁରୁଷ–ଆଉ ମଲା ପୁଅ କ’ଣ ଫେରିବ ?

ସ୍ତ୍ରୀ–ସେହି ପୁଅ ପୁଅ ହୋଇ ରାଜା ଦିନେ ମରିବ ।

ପୁରୁଷ–ତମେ ମାଇପି ଗୁରାକ ଏମନ୍ତେ ଜୀବନ ମାରଣା ?

ସ୍ତ୍ରୀ–ତୁମେ ମରଦଯାକ ଖାଲି କରୁଥିବ ନୂଆ ପୁରୁଣା ।

ପୁରୁଷ–ଆ ଆ ମ ଅପା ! ଆମେ ଯିବା ଆମ ଘରକୁ ।

ସ୍ତ୍ରୀ–ମୁଁ ଜାଣିଲିଣି ଯେ, ତୁ ମତେ ସୁତୁରେଇ ନଉଚୁ କଥାରେ କଥାକୁ ।

(ପ୍ରସ୍ଥାନ)

ଚନ୍ଦ୍ରରେଖା, ମୁରାରି ମୋହନର ପ୍ରବେଶ ଏବଂ ଚନ୍ଦ୍ରରେଖାର ଗୀତ

ଜଣାଯାଉଛି ଭଣଜା–ବୃତ୍ତେ

ଚାଲି ନ ପାରିବି ନାଥ, ଆଉ ପଥ ଏଥର । ପଚାରିଲେ କିମ୍ପା ପଦେ ନ ଦେଉଛ ଉତ୍ତର । ପଦ । ଏକେତ ଉଦର ବୋଝ, ଦେଇଛନ୍ତି ଦେବରାଜ । ସେ ବୋଝ ନ ଥିଲେ ପଥ, ନ କରନ୍ତି ଖାତର ।୧। ହୋଇ ରାଜ ସୌଧବାସୀ; କାନନେ ଭ୍ରମିଲୁଁ ଆସି । ସେ ଭାବ ଭାବନ୍ତେ ଜଳିଯାଏ ଚିତ୍ତ ଭିତର ।୨। ଭାଇ ଭାର୍ଯ୍ୟା ଘେନି ରାମ, ଭ୍ରମନ୍ତି ଯେହ୍ନେ ଆରାମ । ତେସନ ହୋଇଛି ଆଜି, ଆମ୍ଭ ଦଶା ମାତର ।୩। ସାବତ ଜନନୀ ହିଂସା, ହେତୁ ବନେ କଲେ ବସା । ବଇ ବୋଲେ ବୋଳି ଭସ୍ମ ମଣ୍ତି ଚୂଆ ଅତର ।୪।

 

ମୋହନ–ହାୟରେ ଅଦୃଷ୍ଟ ! ଏ କଷ୍ଟ ଥିଲା ଭୋଗିବାକୁ । ରେ ଦୁଃଖ ! ତୋତେ କି ବିଧାତା ଏକା ସୃଷ୍ଟି କରିଥିଲା ମୋହ ଲାଗି ! ଆହା; ଆଜି ଯା’ର ଚରଣ ଶତ ଶତ ଦାସୀ ସେବୁଥାନ୍ତେ, ସେ ଚରଣ ପୀଡ଼ାରେ ଏତେ କଷ୍ଟ ପାଉଛି ! ଏକେ ଗର୍ଭାଳସୀ, ଦ୍ୱିତୀୟରେ ପଥଶ୍ରାନ୍ତ ପୀଡ଼, ତହିଁରେ ଘଟିଛି ମାନସିକ କ୍ଳାନ୍ତି ଅତି । ହା ଜନକ ! ତୁମ୍ଭେ ବିମାତାର କପଟ ମନ୍ତ୍ରରେ ଭୁଲି; ଫିଙ୍ଗି ଅଛ ସୁତେ ଆଜି ଅଶେଷ କଷଣେ; ଶଣଫୁଲଜିଣା ଯାର କାନ୍ତି, ସହ୍ୟ କରି ନିଶିର ଶିଶିର, ଆଜି ପଡ଼ିଯାଇଅଛି କାଳି ।

 

ସ୍ତ୍ରୀ ପ୍ରତି–      ପ୍ରିୟେ ! ଧୈର୍ଯ୍ୟ ଧରି; ଚାହଁ ମୁହଁକୁ ମୋହର, ସହି ଯାଅ ସବୁ ।

ମୁରାରି ପ୍ରତି–ଭାଇ ମୁରାରି ରେ ! ନ ଧରିବୁ ବିମାତାର ଦୋଷ, ଏ ତ ଆମ୍ଭ କର୍ମଫଳ ଭାଇ, ଜ୍ୟେଷ୍ଠ ଉପାର୍ଜିତ ଧନେ, ଥାଏ କନିଷ୍ଠର ଅଂଶ । ଧ୍ୟାଇ ଭଗବାନେ, ଅଗ୍ରଜର ଆଜ୍ଞାବହ ହୋଇ କର ବନବାସ, ରାମଭାଇ ଲକ୍ଷ୍ମଣ ସମାନ ।

 

ମୁରାରି–ଜ୍ୟେଷ୍ଠଭ୍ରାତ ! ଯେବେ ଚାଲି ନ ପାରିବେ ମାତା, ଏଥି କରି କୁଟୀର ନିର୍ମାଣ, ରହିବା ହରଷେ ବାସକରି । ଦେଖୁଅଛି ନାନାଫଳ ଏହି ଅରଣ୍ୟରେ; ପାଚି ପଡ଼ୁଅଛି ଗଳି, ଟଭା ନାରଙ୍ଗ, ବକୁଳ, ଚୂତ; ନାରୀକେଳ, ହରିତକୀ, ବାତାପୀ, ତମାଳ, ଡାଳିମ୍ବ, କରମଙ୍ଗା, କେରନ୍ଦା, ଖଜୁର ଆଉ ତାଳ; ଅବସନ୍ତେ ବସନ୍ତ ବହିଲା ପରାଏ, ଏଥି ଯାଉଅଛି ଜଣା । ମାତାଙ୍କ ସହିତ ଭାଇ ବସିଥାନ୍ତୁ ଏଥି, ଆଣି ମୁହିଁ ହସ୍ତୀ ଭଙ୍ଗାକାଠ ନିର୍ମାଣ କରିବି ପତ୍ରକୁଟୀର ସ୍ୱହସ୍ତେ!

(ପ୍ରସ୍ଥାନ)

ମୋହନ–ଧନ୍ୟରେ ରେ ମୁରାରି ! ଧନ୍ୟ ତୋର ଭ୍ରାତୃସେବା, ଦେଖିନାହିଁ ଏହି ଯୁଗେ ତୋ ସମାନ ଭ୍ରାତୃଭକ୍ତ କାହିଁ । ବଢ଼ୁଥିଲୁ କେମନ୍ତେ ଗେହ୍ଲାରେ, ତୋ କପାଳେ, ଥିଲା ପୁଣି ଭୋଗିଲୁ ଏ ଦଣ୍ତ ।

 

ସ୍ୱାମୀ ପ୍ରତି ରାଣୀର ଗୀତ

ଏ ଯୁବାକାଳେ ହେ ନାଥ ଥିଲା ଏହା କପାଳେ । ତେଜି ଦ୍ୱିରଦ ପଲଙ୍କ, ଗଡ଼ିଲେ ତଳେ ହେ । ପଦ । ଦ୍ୱିତଳ-ପ୍ରାସାଦ ତେଜି, ଏ ଦଶା ଭୁଞ୍ଜିଲେ ଆଜି । କଟାଇବା ବସି ଦିନ, ଏ ତରୁ ତଳେ ହେ ।୧। ବୃକ୍ଷ ପତ୍ର ହେଲା ପାତ୍ର, ଦେଖିଲେ ଏ ପାପ ନେତ୍ର, ଅନ୍ନ ହେବେ ଦିବା ରାତ୍ର, କାନନ ଫଳେ ହେ ।୨। ବ୍ୟାଘ୍ର ସିଂହଙ୍କର ରଡ଼ି, ଶୁଣି ପ୍ରାଣ ଯିବ ଉଡ଼ି । ଜଡ଼ି ରହିବି ସେ କାଳେ ତୁମ୍ଭରି କୋଳେ ହେ ।୩। ଗିରି ନିର୍ଝରିଣୀ ଜଳ, ପାନ କରି ଅବିରତ । ସଞ୍ଚରିବ ଅଙ୍ଗେ ବଳ, ବଇଆ ଭାଳେ ହେ ।୪।

 

ମୁରାରି କାଠ ଘେନି ପ୍ରବେଶ ଓ ବଡ଼ ଭାଇ ମୋହନ ପ୍ରତି ନିବେଦନ

ମୁରାରି–ଭାଇ ! ଏ ବନ ଭୟଙ୍କର କ୍ଷେତ୍ର, ଘେନି ବସିଥିବ ମୋର ମାତାଙ୍କୁ ଅଙ୍କରେ । ପଶୁଙ୍କ ଗର୍ଜନେ ଭୀତା ହେବେ ନିଶ୍ଚେ ମାତା ମଲା ଦିନୁ । ମାତୃହୀନ ହୋଇ ନାହିଁ ଏ ଦୀନ ମୁରାରି, ମାଆ ଡାକ ହୋଇନାହିଁ ତୁଣ୍ତରୁ ଅନ୍ତର । (ଭାଉଜ ପ୍ରତି) ମା ! ଥାଅ ଅଗ୍ରଜଙ୍କ ପାଶେ ସ୍ୱକରେ କୁଟୀର ମୁଁ ତ କରୁଛି ପ୍ରସ୍ତୁତ । (କୁଟୀର ନିର୍ମାଣ କରି) ଆସ ମାତ ! ବସ ଏ କୁଟୀରେ । (ଭାଇ ପ୍ରତି) ଭାଇ ! ଆଣେ ଯାଇଁ ତୋଳି କିଛି କାନନର ଫଳ, କ୍ଷୁଧାତୁରେ ଜଳୁଥିବ ଦୁହିଁଙ୍କ ଉଦର । ଆଣିଲେ ମୁଁ ଫଳ, ଦୁହେଁ ଏକଠାବେ ବସି କରିବ କବଳ ।

(ପ୍ରସ୍ଥାନ)

ମୋହନର ଗୀତ

କେ ରକ୍ଷା କରିବ ଆଜି–ବୃତ୍ତେ

ତୋହ ପରା ଭାଇ ଜଣେ, ମିଳିବ ନାହିଁ ଧରାରେ । ମୋହ ପାଇଁରେ ମୁରାରି ଭ୍ରମୁଛୁ କେତେ ଖରାରେ । ପଦ । ସେହି ରାତ୍ରେ ଏତେ କଷ୍ଟ, ଆଣି ହସ୍ତୀଭଙ୍ଗା କାଠ । ସ୍ୱହସ୍ତେ କୁଟୀର ଗୋଟି, ନିର୍ମାଣ କଲୁ ତ୍ୱରା ରେ ।୧। ପୁଣି ଗଲୁ ଫଳ ପାଇଁ, ଅଙ୍ଗେ ସ୍ନେହ ବଳ ବହି । ପାନ କି କରିଛୁ ତୁହି ଅଗ୍ରଜ ଭକ୍ତି ସୁରା ରେ ।୨। ତୋର ନାମେ ନିନ୍ଦା ଧ୍ୱନି, ଘୋଷିଲା ବୃଥା ଅବନୀ । ତା ଶୁଣି ହୋଇଣ ତୁନି ବହୁ ବିପଦଭାରାରେ ।୩। ପୂର୍ବ ଜନ୍ମେ କିବା ୠଣୀ, ଥିଲୁ ମୋ ଅନୁଜମଣି । ବଇ ବୋଲେ ଏବେ ଜାଣି ଶୁଝିଲୁ ଆଣି ତ୍ୱରାରେ ।୪।

 

ଫଳ ଘେନି ମୁରାରି ପ୍ରବେଶ

ମୁରାରି–ହେ ଅଗ୍ରଜ ! ଭୁଞ୍ଜ ଫଳ ଆଣିଛି ଯତନେ, କି ଭାବନା କର ବସି ମନେ ?

ମୋହନ–ବସ ରେ ମୁରାରି, ଏକତ୍ରେ ଭୁଞ୍ଜିବା ତିନି ଜଣେ । ଆହା ! କେତେ କ୍ଳେଶ ସହିଲୁଣି ବୁଲି ବୁଲି ବନେ ।

ଚନ୍ଦ୍ରରେଖା–ମୁରାରିରେ ! ଆସ ମୋ କୋଳକୁ ଖୋଇଦେବି ତୁଣ୍ତେ କରେ ଏ ପକ୍ୱ ଫଳକୁ (ସ୍ୱାମୀପ୍ରତି) । ନାଥ ! କିମ୍ପା କଷ୍ଟ

ଲାଗେ ଅଙ୍ଗ ମୋର ? ବ୍ୟଥା କରେ କଟୀ ଘନ ଘନ ।

ମୋହନ–ହେ ଭଗବାନ୍ ! ଅଟୁ ଆମ୍ଭେ ଆଶ୍ରୟ ବିହୀନ, କେହି ନାହିଁ ଭରସା ଏ ସ୍ଥାନେ, ନିଜେ ଏ କାର୍ଯ୍ୟ ବହନ କରି ଗର୍ଭ-ଯନ୍ତ୍ରଣାରୁ କର ପାର (ପୁତ୍ର ଜନ୍ମହେବା) (ମୁରାରି ପ୍ରତି) ଭାଇ ମୁରାରି ରେ ! ବସିଥା ତୁ ପ୍ରସୂତୀକି ଜଗି, କାଷ୍ଠ କିଛି ଆଣଇ ମୁଁ ଭାଙ୍ଗି, ଅନ୍ତୁଡ଼ି ଲଗାଇ କାର୍ଯ୍ୟ କରିବା ସାଧନା, ଯାଅ ନାହିଁ ତୁହି କାଷ୍ଠ ଆଶେ, ମାତା ସୁତେ କରିଥିବୁ ରକ୍ଷା, ମୋ ଫେରିବା ଯାଏ ।      (ପ୍ରସ୍ଥାନ)

 

ରାଣୀ ପ୍ରତି ମୁରାରିର ଗୀତ

ମେଲାଣି କର ରେ ନନ୍ଦ, ଆନନ୍ଦରେ–ବୃତ୍ତେ

ଆଜି ଯଦି ଗୋ ଜନନି, ଥାନ୍ତେ ଆମ୍ଭେ ରାଜପୁରେ । ଖଟିଥାନ୍ତେ କେତେ ଦାସୀ, ଆସିଣ, ତବ ପାଶରେ । ପଦ । କେତେ ବାଦ୍ୟ ଧ୍ୱନି; ବ୍ୟାପିଥାନ୍ତା ରାଜଧାନୀ । କମ୍ପି ଉଠନ୍ତା ଅବନୀ, ଧାଇଁଥାନ୍ତେ ନାରୀ ନରେ ।୧। କେତେ ଅନ୍ନ ବସ୍ତ୍ରମାନ, ଦ୍ୱିଜେ ନେଉଥାନ୍ତେ ଦାନ, ନୃତ୍ୟ ଗୀତ ଘନ ଘନ, ଉଠୁଥାନ୍ତା କି ପ୍ରକାରେ ।୨। ଚନ୍ଦନ କାଷ୍ଠେ ଅନ୍ତୁଡ଼ି, ଦିଅନ୍ତେ ନାରୀ ସଜାଡ଼ି । ଦଇବ ନେଇଛି କାଢ଼ି, ଫିଙ୍ଗିଛି ତା ଏତେ ଦୂରେ ।୩। କେତେ କଷ୍ଟ ସହି ଭାଇ, ବନେ ଗଲେ କାଷ୍ଠ ପାଇଁ । ଦୀନ ବଇଷ୍ଣବ କହି, ଭାଗ୍ୟଚକ୍ର ସଦା ଘୂରେ ।୪।

 

ଚନ୍ଦ୍ରରେଖା କାନ୍ତର ବିଳମ୍ବ ଦେଖି ମୁରାରି ପ୍ରତି

ଚନ୍ଦ୍ରରେଖା–ଦେଖେ ହେ ମୁରାରି ! ଭାନୁ ଆସି ହୋଇଗଲା ଅସ୍ତ, କାଷ୍ଠ ଆଶେ ଗଲେ କିମ୍ପା ନ ଆସିଲେ ଫେରି ?

ମୁରାରି–ଏକା କେହ୍ନେ ଛାଡ଼ି ଯିବି ମାତ – ଏ ଘୋର ବନସ୍ତେ ? କି କହିଲେ ଅଗ୍ରଜ ଶୁଣନ୍ତେ ?

ଚନ୍ଦ୍ରରେଖା–ମୁରାରି ରେ ! ତାଙ୍କୁ ନ ଦେଖନ୍ତେ ଉଡ଼ିଯିବ ପିଣ୍ଡୁ ପ୍ରାଣ ।      (ମୁରାରିର ପ୍ରସ୍ଥାନ)

 

ବନସ୍ତେ ହାତୀ ଘେନି ମାହୁନ୍ତର ପ୍ରବେଶ–ଗୀତ

ଘୋଡ଼ା ଚାକିରିରେ ଚିତ୍ତ ଅଛି ଜଡ଼ି–ବୃତ୍ତେ

କାହା କପାଳେ ଅଛି କିଏ ରାଜା ହେବ ରେ । ହାତୀ କଳସ ତା ମୁଣ୍ତରେ ଢାଳିଦେବ ରେ । ପଦ । ଲଢ଼େଇରେ ମଲେ ରଜା ସେ ଯୋଗେ ପଡ଼ିଛି ଖୋଜା । ଖୋଜି ଖୋଜି ବୁଲୁ ଆମ୍ଭେ କେତେ ଠାବରେ ।୧। ଜାଣିଥିବ ଯେ ଲଢ଼େଇ; ପାଇଲେ ନେବୁଁ ଅଡ଼ାଇ । ପରଜାଙ୍କଠାରୁ ମାଗି କର ନବରେ ।୨। ରାଣୀଙ୍କର ପୁଅ ନାହିଁ, ପୋଷ ମାନିବ ସେ ରହି । ପୂଜିବ ତାହାଙ୍କୁ ସେ ତ ମାତା ଭାବରେ ।୩। (ମୋହନକୁ ଦେଖି) ହେଇ ଜଣେ କାଠ ଗୋଛା, ନେଉଛି ଚେହେରା ଆଛା । ଛୁଟି ହାତୀ ଭେଟେ ଭାଷେ ବଇଷ୍ଣବ ରେ ।୪।

 

ହାତୀ ମୋହନ ମୁଣ୍ତରେ କଳସ ଢାଳିବା, ମାହୁନ୍ତେ ମୋହନକୁ ହାତୀରେ ବସାନ୍ତେ, ମୋହନ ଓ ମାହୁନ୍ତ କଥୋପକଥନ

ମୋହନ–ଆରେ ଭାଇ ! ଏ କାଙ୍ଗାଳିକୁ କୁଆଡ଼େ ନଉଚ ?

ମାହୁନ୍ତ–ଆସ, ଏହିକ୍ଷଣି ରାଜା ପରା, ଏମନ୍ତେ କାହିଁକି ହଉଚ ।

ମୋହନ–ଏହି ବଣେ ଦୁଇଜଣ ଅଛନ୍ତି ମୋ ସଙ୍ଗେ,

ମାହୁନ୍ତ–ରଜା ହୋଇ ହୁକୁମ୍ ଦେଲେ ନେଇଯିବା ବେଗେ ।

ମୋହନ–ମୋତେ ଆଗେ ବୁଝା ଏ ଖବର ?

ମାହୁନ୍ତ–ଆମର ରଜା ଲଢ଼େଇରେ ମରିଚି, ତୁମେ ରଜା ହୋଇ ସମ୍ଭାଳିବ ନବର ।

ମୋହନ–ଆଛା କହିଲ, ସେ କେଉଁ ରାଜ୍ୟର ରାଜା ।

ମାହୁନ୍ତ–ଅମୃତ ସହର ରଜା – ପଛେ ଶୁଣିବ ଆସି ତା ମଜା ।       (ପ୍ରସ୍ଥାନ)

 

ମୁରାରି କାନ୍ଦି କାନ୍ଦି ବନରେ ଭାଇଙ୍କୁ ଖୋଜିବା ଗୀତ

ଆଜି ରଜନୀରେ ସ୍ତବ୍‌ଧ ହେଲେ ରାଜପୁରୀ–ବୃତ୍ତେ

କେଉଁଆଡ଼େ ଅଛ ଭାଇ ଦେଖାଦିଅ ଆସି । କି କାରଣେ ଦାସ ପରେ ବହିଅଛ ରୋଷେ । ଡ଼ାକି ଏ ମୋ କଣ୍ଠ । ଶୁଖିଯାଏ ଏ ସମୟ କର ନାହିଁ ହଟ ।୧। ନିଶି ଗୋଟା ବୁଲି ମୁଁ ଖୋଜିଲି ନାନା ବନେ । ତେଜିବେଣି ମାତା ପ୍ରାଣ ତୁମ୍ଭରି ବିହୁନେ । ଦଣ୍ତେ ନ ଦେଖିଲେ ପାଶେ । ମୁଣ୍ତେ କର ମାରି ସେ ତ ମଣନ୍ତି ବରଷେ ।୨। ମାତା ଭ୍ରାତା ଡାକ ବିହି ନେଲାକି ଛାଡ଼ଇ । ମରିବ ମୁରାରି ବେନି ପ୍ରାଣୀ ଗୁଣ ଗାଇ । ଆହେ ବନ ଜୀବଗଣେ । ଏ ଅଧମ ପାପୀ ଡାକ ନ ଶୁଣ ଶ୍ରବଣେ ।୩। ଦେଖିଥିଲେ ଦଖାଅ ନୋହିଲେ ଆସି ଖାଅ । କାହାରି କି କ୍ଷୁଧା ତୃଷା ନୋହୁଛି ଉଦୟ । ମହାପାପୀ ମନେ କରି । ନ ଖାଇଣ କିବା ସେ କାରଣେ ଅଛ ଘେରି ।୪। ଏହି ଏକ ନିକଟେ ଦିଶଇ କ୍ଷୁଦ୍ର ଗିରି । ଏହାପରେ ଆରୋହୀ ଖୋଜିବି ଯାଇଁ କରି । ହେଲା ପ୍ରହରେକ ଦିନ । ବିକଳେ ପଦ ଛନ୍ଦଇ ବଇଷ୍ଣବ ଦୀନ ।୫।

 

ମାୟା କନ୍ୟାମାନେ ମୁରାରିକି ଦେଖି ଗୀତ

(କାନ୍ଦ ନା କାନ୍ଦ ନା ଗୋ ଇନ୍ଦୁବଦନା–ବୃତ୍ତେ)

ସଖି ଗୋ ଦେଖ ଏ ମୋହନ ମୂରତି । ଦେଖିଲା ବେଳୁଁ ଉଚ୍ଛନ୍ନ, ହେଉଅଛି ପ୍ରାଣ ମନ; ଏ ଦେହ, କି ମନେ ବିମନେ, ପାଞ୍ଚି ପକାଉଛି କରତି ।୧। ସଖିଏ ରହନ୍ତେ କି ମୋର ପାଖରେ, ଖୁଆଇ ସୁସ୍ୱାଦ ଅନ୍ନ, ସୁଖରେ ହରନ୍ତି ଦିନ, ଧରାରେ; ପରାରେ, ସତୀର, ଜାତିର, ଅସ୍ଥିର ଏ କରିବ ମତି ।୨। ସହି ଗୋ, ଅବଗାହ ଏ ନୀରେ ତୁମ୍ଭେ ଯାଉଛି ମୁଁ ତାଙ୍କ ପାଶେ, ଦ୍ୱିଜ ବଇଷ୍ଣବ ଭାଷେ, ମୋହିବି, କହିବି, ତା ଚିତ୍ତ, ସଙ୍ଗାତ, ଉଚିତ ଏ ମୋର ଭାରତୀ ।୩।

 

ମାୟା କନ୍ୟା ଓ ମୁରାରିର କଥୋପକଥନ

କନ୍ୟା- ହେ ନାଗର ! ଡାକୁଛ କାହାର ନାମ ଧରି ?

ମୁରାରି- ହରାଇ ଭାଇଙ୍କି ମୋର, ଲୋଡୁଛି ସୁନ୍ଦରି !

କନ୍ୟା- ଛାଡ଼ ଭାଇ ଆଶା, ଆସ ମାତିବା ଖେଳରେ

ମୁରାରି- ଅଛନ୍ତି କି ଅଗ୍ରଜ ମୋ ତୁମ୍ଭରି କତିରେ ?

କନ୍ୟା- ପ୍ରେମରେ ମଜ୍ଜିଲେ ଭୁଲିଯିବ ତୁମ୍ଭ ଚିତ୍ତ,

ମୁରାରି- ମାତା ସ୍ନେହ ସୁତ କେବେ ହୁଏ କି ବଞ୍ଚିତ ?

କନ୍ୟା- କି କି ଶାସ୍ତ୍ର ଅଛ ତୁମ୍ଭେ ପଢ଼ି ?

ମୁରାରି – ନ ଆସଇ ତୁଣ୍ଡେ, ମାତା ଭ୍ରାତା ନାମ ଛାଡ଼ି ।

କନ୍ୟା- (ସଖି ପ୍ରତି) ସଖି ! ଯେତେ ପଟାଇଲେ ଏତ ନ ପଟଇ ଲେଶ,

ସଖୀ – ଚାଡ଼ି ଦେଇ ମନ୍ତ୍ର ଜଳ କରି ନେବା ମେଷ ।

କନ୍ୟା- ବାନ୍ଧି ୟାକୁ ରଖିଥିବା ପାଶେ,

ସଖୀ- ରାତି ହେଲେ ପ୍ରେମାଳାପ ୟା ତୁଲେ, ମାନବର ବେଶେ ।      (ମେଷ କରି ନେଇ ପ୍ରସ୍ଥାନ)

 

ଏକ ଧନୀ ସୌଦାଗରର ପ୍ରବେଶ

ଚନ୍ଦ୍ରରେଖା ପୁତ୍ର ଜନ୍ମ କରି ଅଚେତନରେ ଥିବା ।

ସୌଦାଗର –      ବାଃ, କେଡ଼େ ସୁନ୍ଦର ପିଲାଟିଏ ! ଏପରି ନୟନ ତୃପ୍ତିକର ଓ ଗୋଟିଏ ଚାଉଳରେ ଗଢ଼ା ପିଲାଟିଏ ତ ମୁଁ ଜନ୍ମରୁ ଦେଖିନାହିଁ । ସହଜେ ଭଗବାନଙ୍କ ଆଡୁ ବି ସେ ବିଷୟରେ ପଡ଼ି କାଟ । ଏହି ସ୍ତ୍ରୀ ଲୋକଟି ବୋଧହୁଏ ଶିଶୁଟିକୁ ଜନ୍ମକରି ଅଚେତନ ହୋଇ ପଡ଼ିଛି । ଏମାନଙ୍କର ଚେହେରା ଆକାର ପ୍ରକାରରୁ ଏମାନେ ଉଚ୍ଚବଂଶୀୟ ବୋଲି ପ୍ରତୀତ ହୁଏ । ଯାହା ହେବାର ହେଉ, ଏଇ ଶିଶୁଟିକୁ ମୁଁ ନେଇ ଯିବି ।

(ଶିଶୁ ନେଇ ପ୍ରସ୍ଥାନ)

ଚନ୍ଦ୍ରରେଖା ସଚେତ ହେବା

ଚନ୍ଦ୍ରରେଖା-       ରେ ଦଇବ ! ମୋତେ ଶିଶୁଟିକୁ ଦେଇ, କେଣେ ଚୋରାଇ ନେଲୁ ! ମୁଁ କି କାଳନିଦ୍ରା କବଳରେ ପଡ଼ିଲି ? ଖରାବେଳେ କି କେହି ବନଜନ୍ତୁ ଘେନିଗଲେ ! ହା ପ୍ରାଣେଶ୍ୱର ! ହାୟ ଦେବ ମୁରାରୀ ! ତୁମ୍ଭେମାନେ ମୋତେ ଏ କଷ୍ଟରେ ଫିଙ୍ଗି କେଉଁଠି ରହିଲ ? ଚାହିଁ ଚାହିଁ ଏକ ରାତ୍ର ଗତ ହୋଇ ଦିନ ଦ୍ୱିପ୍ରହର ହେଲା; ତୁମ୍ଭେ ତୁମ୍ଭ ସନ୍ତାନକୁ ଥରେ ଦେଖିଲ ନାହିଁ ! ତୁମ୍ଭେ ଥିଲେ ଅଭାଗିନୀର ଶିଶୁଟି କେଭେଁ ସେହି ଦସ୍ୟୁ ବା ହିଂସ୍ର ଜନ୍ତୁ ମୁଖରେ ପଡ଼ି ନଥାନ୍ତା । ହା ନାଥ ! କେବଳ ଦଶ ମାସ ଗର୍ଭ ବୋଝ ସହିଲି, ଦୁଇ ଦିନ କୋଳରେ ଧରିନାହିଁ । ହାୟ ପ୍ରାଣ, ଯାଉଁ ନାହିଁ କିମ୍ପା !

 

ଚନ୍ଦ୍ର ରେଖା ଶୋକ ଗୀତ

ଦଇବରେ, ଏଡ଼େ ଦାରୁଣ – ବୃତ୍ତେ

ବିଧାତା ରେ, ଏହା ଭାଲେ ଥିଲୁ ଲେଖି । ମୋହଠାରୁ ନାହିଁ ଜଣେ ଜଗତରେ ଦୁଃଖୀ । ପଦ। ହୋଇଣ ରାଜ ମହିଷୀ, ହେଲି ମୁଁ ବିଜନବାସୀ । ଜାତ କରି ପୁତ୍ର ମୁଖ, ନ ପାରିଲି ଦେଖି ।୧। ପରାଣୁ ଅଧିକ ମଣି; ଥିଲେ ଯେହୁ ଗୁଣମଣି । ତାଙ୍କୁ ହରାଇ କାନ୍ଦୁଛି, ହୋଇ ନିରିମାଖି ।୨। ଲୋଡ଼ି ଯାଇ ଦେବର, ଆଣିଲେ ନାହିଁ ଖବର । ତାଙ୍କ ଲାଗି ହରବର, ହେଲି ଡାକି ଡାକି ।୩। ହେ ନଦୀ ବନ ପର୍ବତ, ଜାଣ ଯେବେ କହ ସତ । ଦେବ ଦେବୀ ଜଣେ କ୍ଷଣେ, ନ ପାରିଲ ରଖି ।୪। ହେ ପଶୁ ପକ୍ଷୀ ସକଳ, ହେଉଛି ଏ ତେ ବିକଳ । ବଇଷ୍ଣବ ବୋଲେ ଫୁଟି, ଗଳାଣି କି ଆଖି ।୫।

ଚନ୍ଦ୍ରରେଖା-       ରେ ଦାରୁଣବିହି ! ମୋ ମନରେ କଅଣ ଏହପରି କେଷ୍ଟ ଦେବାକୁ ପାଞ୍ଚିଥିଲୁ ! ତୁ ତ ଅବିବେକ, ତତେ କେ କହେ ବିବେକ ? ଯାହାକୁ ସୁଖ ଦେଉ, ତାକୁ ସୁଖର ଶେଷ ସୀମାରେ, ଯାହାକୁ ଦୁଃଖ ଦେଉ, ତାକୁ ଦୁଃଖର ଶେଷ ସୀମାରେ ନେଇ ଛାଡ଼ୁ । କାହିଁ ରାଜରାଜେଶ୍ୱରୀ; କାହିଁ ବନବାସିନୀ ! କାହିଁ ପତି ସହ ପ୍ରେମାଳାପ, କାହିଁ ପତିଦୁଃଖରେ ବିଳାପ ! କାହିଁ ନବତଳ ଅଟ୍ଟାଳିକାଚୂଳ, କାହିଁ ପତ୍ର କୁଟୀର, କାହିଁ ଦୁଗ୍ଧଫେନନିଭ ସୁକୋମଳ ଶଯ୍ୟା, କାହିଁ ଧରଣୀ ଧୂଳି କଣ୍ଟା ପାଷାଣ, କାହିଁ ଦେବର ତୁଲେ ସ୍ନେହ ସମ୍ଭାଷଣ କାହିଁ ତା ବିଚ୍ଛେଦ ନେତ୍ରୁ ବାରି ବରଷଣ; କାହିଁ ପୁତ୍ର ଗର୍ଭ ସ୍ଥାପନେ ଆହ୍ଲାଦ, କାହିଁ ପୁତ୍ର ଶୋକେ ଖେଦ । ବିହି ରେ ! ତୋର କେଉଁ ସୁବିଚାର ? କେଭେଁ ମୋର ସ୍ୱାମୀ ଦେବର ଜୀବନରେ ନାହାନ୍ତି, ଯେ ପଥେ ପୁତ୍ର ସେହି ପଥେ ପିତା, ଯାଏଁ ଖୋଜି ଏ ନଦୀ ତୀରକୁ, ଦେଖେ, ଏଠି ମାନବ ତୁଣ୍ଡରବ ଶୁଭୁଛି । (ପ୍ରସ୍ଥାନ)

 

ଏକ ଭିକାରି ବ୍ରାହ୍ମଣର ପ୍ରବେଶ ଓ ଚନ୍ଦ୍ରରେଖାର କ୍ରନ୍ଦନ ଶୁଣି ଗୀତ

ଆଜି ଚାଣ୍ଡାଳ ଗାଳିଦେବ ମୋତେ – ବୃତ୍ତେ

କିଏ ଏହି ବନେ କରୁଛ ରୋଦନ ଘନ ଗନ । ଶୁଭୁଅଛି ବାମା କଣ୍ଠ ସ୍ୱନ । ପଦ। କିବା ବଣେ ଖଣ୍ଟେ ଆଣି, କାହାର କନ୍ୟା ରମଣୀ, ଲୁଟି କରନ୍ତି ତା ସତୀ ଧନ ।୧। ଆସେ କି ତଟିନୀ ତଟେ, ଶୁଣାଯାଉଛି ନିକଟେ, ପିକ କି କରେ ପଞ୍ଚମ ତାନ ।୨। ଅନୁମାନେ ଏ ମହିଳା , ହେବ ନିଶ୍ଚେ ରାଜବାଳା, ତୁଣ୍ଡେ ଘୋଷେ ଜୀବନ ଜୀବନ ।୩। ବଇଷ୍ଣବ ରସେ ଭାବେ, ଭଲ ଜାତି ଥିବ ଯେବେ, ଠାବ ଦେବି ନେଇ ମୋ ସଦନ ।୪।

 

ବ୍ରାହ୍ମଣକୁ ଦେଖି ଚନ୍ଦ୍ରରେଖାର ଗୀତ

ଦ୍ୱିଜ ଭାଷ ଖବର, ଗଲେ କିଏ ପଥେ ମୋର ସ୍ୱାମୀ ଦେବର । ପଦ। ଅଟେ କ୍ଷତ୍ରିୟ ରମଣୀ, ଏହା କଲେ କୁଶପାଣି । କାନନେ ବୁଲିଲୁ ତେଜି ରାଜ ନବର ହେ ।୧। ଜାତ କରି ଏକ ସୁତ ନିଦ୍ରାରେ ହେଲି ମୋହିତ । ଘେନିଗଲେ ବ୍ୟାଘ୍ର ଭାଲୁ କିବା ଶବର ହେ ।୨। ସ୍ୱାମୀ ପଥ ଅନୁସରି, ଗଲେ ଦେବର ମୋହରି, ବନ୍ଦି କି କଲା ଜାଲରେ ବିହି ଧୀବର ହେ ।୩। ନ ପାଇ ତାହାଙ୍କ ଦେଖା, ଏକାକୀ ଲାଗେ ଆଶଙ୍କା । ଯିବ ଏ ଜୀବନ ଭାବ ବଇଷ୍ଣବର ହେ ।୪।

ବ୍ରାହ୍ମଣ- ମା ! କାହିଁକି ଏ ସୁନ୍ଦର ଶରୀରକୁ ନଷ୍ଟ କରିବୁ ? ଜୀଇଥିଲେ ଭଗବାନ୍‌ ଦିନେ ଏ କଷ୍ଟ ମେଣ୍ଟେଇ ଦେବେ । ମା ! ମୋ ଘରକୁ ଚାଆଲେ, ମୁଁ ସତ୍‌କୁଳୀନ ବାହ୍ମଣ; ମୋର କେହି ନାହିଁ, ଦେବପୂଜାକୁ ଫୁଲ ତୋଳିବୁ; ଦିଅଁଙ୍କ ବାସନ ମାଜିବୁ । ଆମେ ତୁମର ସ୍ୱାମୀ ପୁତ୍ର ଦେବରଙ୍କ ଅନୁସନ୍ଧାନରେ ରହିଲୁ ...ଆ ମା-ଆ ।

ଚନ୍ଦ୍ରରେଖା- ଗୋସେଇଁ ! ସତେ ମୋର କୁଦିନ ଯାଇ ସୁଦିନ ହେବ? ପୁତ୍ର ଦେବରଙ୍କ ଠାରୁ ସତେ ମା ଡାକ ଶୁଣିବି, ପ୍ରାଣେଶ୍ୱରଙ୍କଠାରୁ ସତେ ପ୍ରିୟା ବୋଲି ଡାକ ଶୁଣିବି ? ସତେ ଏ ପାପିନୀର ଶ୍ରୁତିଯୁଗ ପବିତ୍ର ହେବ । (ପ୍ରସ୍ଥାନ)

 

ମୋହନ ରାଜାଙ୍କ ପାଶେ ଦୂତ ଜଣାଇବା – ଗୀତ

ପଣ୍ଡିଆଣୀ ଲୋ, ଚାଲ ଷେଣ୍ଡା ଟେକି –ବୃତ୍ତେ

ମହାରାଜା ହୋ, ଖୋଜି ପାଇଲୁ ନାହିଁ । ଖାଲି ପଡ଼ିଥିଲା ପତର କୁଡ଼ିଆ; ନାହାନ୍ତି ସେଠାରେ ଭାରିଯା ଭାଇ । ପଦ। ଗିରି ନଦୀ ଝରଣା କୂଳ; ବୁଲି ଦେଖିଲୁ ସକଳ । ନଦୀ ହ୍ରଦ ପୁଣି ସରୋବର ତୀର, କେହି ନ ପାଇଲୁ ସନ୍ଧାନ କାହିଁ ।୧। କେତେ ନାରୀଙ୍କି, ପଚାରି ଆସିଲୁଁ ଫେରିକି । କଣ୍ଟା ମାଡ଼ି ପାଦ ଛୋଟା ହୋଇଲାଣି, ଆଉ ନ ପାରିବୁ କେଣିକି ଯାଇଁ ।୨। କଲେ ଚିନ୍ତା କିସ ହୋଇବ, ଯାହା ଲେଖିଅଛି ଦଇବ । ହୋଇଲା ତା ଭୋଗ, ଭଣେ ବଇଷ୍ଣବ ଆନ ଦୂତମାନେ ଫେରନ୍ତୁ ଯାଇଁ ।୩।

 

ଚନ୍ଦ୍ରରେଖା ବ୍ରାହ୍ମଣ ଘରେ ଦାସୀରୂପେ ଓ ତାହାର ପୁତ୍ର ସୌଦାଗର ଘରେ ପୁତ୍ରରୂପେ ରହିବା । କିଛିଦିନ ଅନ୍ତେ ଅଚିହ୍ନା ଭାବେ ସୌଦାଗର ପୁଅ –

ବ୍ରାହ୍ମଣ ଘର ଦାସୀକୁ ଦେଖି-

ଲାଗିଲାରେ ଲାବଣ୍ୟ ନିଧିଙ୍କି ଶ୍ୟାମନଟ – ବୃତ୍ତେ

ଦିଶିଲା ରେ; ନେତ୍ରେ ରସିକାରତନ ଗୋଟି ।ପଦ। ରାହୁକି ବିସ୍ତାରି ତୁଣ୍ଡ ପିଉଛି ପୀୟୂଷ ଭାଣ୍ଡ, ଦେବତାଙ୍କ ଭୟେ ଲୁଚି ଏଠି ।୧। ନୀରଦେ କି ବାଳଭାନୁ; ଗୋପନେ ଢାଙ୍କିକି ତନୁ, କିରଣ ବାଣ କରୁଛି ବୃଷ୍ଟି ।୨। ଦେଖି ତାର ମନ୍ଦହାସ, ଉଡୁଛି ମୋର ସାହସ; ବଇଷ୍ଣବ ଜୀବ ଯିବ ଛୁଟି ।୩।

 

ଚନ୍ଦ୍ରରେଖା ଓ ସୌଦାଗର ପୁଅର କଥୋପକଥନ

ଚନ୍ଦ୍ରରେଖା – କହ ସୌଦାଗର ପୁଅ ! କିମ୍ପା ହେଉଛ ଏପରି ?

ସୌ, ପୁଅ- ତୋତେ ଦେଖି ମନ ମୋର ହେଉଛି ଆତୁର, ସୁନ୍ଦରି ! ଆହୁରି କହୁଛି ଶୁଣ-

 

ସୌଦାଗର ପୁଅର ଗୀତ

ଯୋଗଭଙ୍ଗିନୀ ନାହିଁ ରୋଗ ଅଙ୍ଗରେ ଗୋ । ଅଙ୍ଗୀକାର କର ସଙ୍ଗିନୀ ମୋ ଆଗରେ ଗୋ ।ପଦ। ତୋ ରୂପ ଲାବଣ୍ୟ ଦେଖି । ଅଟକି ରହିଲା ଆଖି । ବୁଡ଼ିଗଲା ମନ ପ୍ରେମ ସାଗରେ ଗୋ ।୧। ତୋ ଶିରରୁ ପାଟଶାଢ଼ୀ, ଗଲା ଯେତେବଳେ ଉଡ଼ି ଦେଖିଲି ଢାଙ୍କିଲୁ ଯେଉଁ ଢଙ୍ଗରେ ଗୋ ।୨। ଦେଖାଗଲା ରାଜବାଳା, ପରାୟେ ତୋର ଚେହେରା, ପଡ଼ିଅଛୁ କିବା ଦୁଃଖ ସାଗରେ ଗୋ ।୩। ବଇଷ୍ଣବ କହି ଗୀତେ, ଝାଡ଼ ତୋ କାନି ପଣନ୍ତେ । ବସାଇ ବାରିଜ-ନେତ୍ରା ଅଙ୍କରେ ଗୋ ।୪।

ସୌ ପୁଅ-      ରେ ସୁନ୍ଦରି ! ନାହିଁ ରୋଗ ଅଙ୍ଗରେ ମୋହର ଦେଖି ତୋର ଲାବଣ୍ୟ ମୂରତି, ମନେ କରେଁ ହେବ ରାଜବାଳା, କି କାରଣେ ବିପ୍ରଘରେ ହୋଇଅଛ ଦାସୀ, ବରାନନେ, କହ ପଦେ ହସି, ପୂର୍ଣ୍ଣକରେ ମନର ବାସନା, ଯାହା ତୁମ୍ଭେ ମାଗିବ ଲଳନେ ନିବେଶିବି ତାହା ଆକାତରେ ।

ଚନ୍ଦ୍ରରେଖା -      ହେ ସୌଦାଗର ପୁଅ ! ନୁହେଁ ମୁହିଁ ଅସତୀ ବିଟପୀ, ନ ମଣ ହେ ଆନ ନାରୀ ତୁଲେ; କର୍ମ ଦୋଷେ ବ୍ରାହ୍ମଣର ଅଟେ ମୁହିଁ ଦାସୀ । ହୋଇ ତୁମ୍ଭେ ଭଦ୍ରର ସନ୍ତାନ, କୁନୀତି କୁକଥା ମୁଖେ ନ ଆଣ ଶ୍ରୀମୁଖେ । ଯେବେ ମୋତେ ବଳାଇବ ବେଶି ନିକଟସ୍ଥ ସରୋବରେ ତେଜିବି ଜୀବନ । (କ୍ରନ୍ଦନ କରିବା)

ସୌ, ପୁଅ -      (ସ୍ୱଗତ) ‘ବାଳାନାଂ ରୋଦନଂ ବଳଂ- ଛୁଆ ଆଉ ମାଇପିଙ୍କର କାନ୍ଦିବାଟା ହଉଚି ବଳ । ତେବେ ଏହାକୁ ବୋଧ କରି ପଠାଇ, ବ୍ରାହ୍ମଣକୁ କହି ଟଙ୍କା ତୋଡ଼ାଏ ଦେଇଦେଲେ ଏ କିଛି ଅସାଧ୍ୟ ହେବେ ନାହଁ ! (ପ୍ରକାଶ୍ୟେ) ନ କାନ୍ଦ ଛଇଳି ! ଯଅ ସୁଖେ ଗୃହେ ଚଳି ।       (ପ୍ରସ୍ଥାନ)

 

ବ୍ରାହ୍ମଣ ଓ ସୌଦାଗର ପୁଅର କଥୋପକଥନ

ସୌ, ପୁଅ- ଗୋସାଇଁ ! ତୁମେ ମତେ ଚିହ୍ନିଚ ?

ବ୍ରାହ୍ମଣ-ଆଜ୍ଞା ହଁ, ଆପଣ ସୌଦାଗର ବାବୁଙ୍କର ପୁଅ ।

ସୌ, ପୁଅ-ତୁମ୍ଭଙ୍କୁ ଗୋଟିଏ କାମ କରିବାକୁ ହେବ,

ବ୍ରାହ୍ମଣ- କହନ୍ତୁ; ଯାହା ଯାହା କହିବେ ତାହା କରିବି ।

ସୌ, ପୁଅ- ତୁମ୍ଭ ଘରେ ଯେଉଁ ଦାସୀଟିକି ରଖିଛି, ତାକୁ ମୋତେ ବିଭା ଦିଅ ।

ବ୍ରାହ୍ମଣ- (ସ୍ୱଗତ) ମୁଁ ତାକୁ ଧର୍ମ ଭାବରେ ପାଳିଚି – ଏକଥା ତାକୁ କହିବି କିପରି ? (ପ୍ରକାଶ୍ୟେ) ଆଜ୍ଞା ! ଏକଥା ତାକୁ ପଚାରେ, ତାର ଇଚ୍ଛା କଅଣ ।

ସୌ, ପୁଅ-ଆହେ ତାର ଫେର ଗୋଟେ ଇଚ୍ଛା କଅଣ ?ତୁମେ ତ ରଖିଚ, ଯାହା ଟଙ୍କା ନବ ଦେବି ।

ବ୍ରାହ୍ମଣ- ଆଜ୍ଞା ! ମୋର ଆପତ୍ତି ନାହିଁ, ତେବେ ମତଟା ଟିକିଏ ବୁଝେ ।

ସୌ,ପୁଅ- ସେକଥା ତୁମ୍ଭେ ଜାଣ, ଟଙ୍କାନିଅ, ଦବ ତ ଯେମନ୍ତ ହେଲେ ?

ବ୍ରାହ୍ମଣ- କେତେ ଟଙ୍କା ଭଲା ମତେ ଦେବେ ?

ସୌ.ପୁଅ- ତୁମେ କେତେ ଚାହଁ ?

ବ୍ରାହ୍ମଣ- ଦୁଇ ହଜାର ମୁଦ୍ରା ।

ସୌ,ପୁଅ- ନିଅ ଦୁଇ ହଜାର ମୁଦ୍ରା (ଟଙ୍କାଦେବା) – କେଉଁ ଦିନ ଠିକ୍‌ ହେବ ?

ବ୍ରାହ୍ମଣ- କାଆଲି ରାତିରେ ।      (ସୌଦାଗର ପୁଅର ପ୍ରସ୍ଥାନ)

 

ଚନ୍ଦ୍ରରେଖା ଓ ବ୍ରାହ୍ମଣର କଥୋପକଥନ

ବ୍ରାହ୍ମଣ-ଝିଅ ! ଗୋଟେ କଥା ତତେ କହିବାକୁ ଅଛି ।

ଚନ୍ଦ୍ରରେଖା – କଅଣ କହନ୍ତୁ ।

ବ୍ରାହ୍ମଣ-       ଆଲୋ ମା ! ତୁ ତ ଆସି ବହୁତ ଦିନ ହେଲା ମୋ ଘରେ ରହିଲୁ, ଆଉ ମୋର ଇଚ୍ଛା, ଗୋଟିଏ ପାତ୍ର ଠିକ୍‌ କରିଚି, ତତେ ତାହା ସଙ୍ଗେ ଛନ୍ଦାଛନ୍ଦି କରିଦେଲେ ଭଲହୁଅନ୍ତା । ତୋର ଇଚ୍ଛା କଅଣ ମା କହିଲୁ ?

ଚନ୍ଦ୍ରରେଖା -ପିତା ! ଏ କଥାରେ ନାହିଁ ତିଳେ ମନ । ଯେବେ ବଳାଇବ ବେଶି, ଚାଲିଯିବି ଛାଡ଼ି ଏ ସଦନ, ଭିକ୍ଷା ମାଗି ପୋଷିବି ଉଦର ।       (କ୍ରନ୍ଦନ)

ବ୍ରାହ୍ମଣ-      ଆଲୋ ଝିଅ ! ନ ହେଲେ ନାହଁ, କାନ୍ଦୁଚୁ କିଆଁ (ସ୍ୱଗତ) କଅଣ କରିବି, ଏ ତ ନାମଙ୍ଗ । ସୌଦାଗର ପୁଅ ତ ଟଙ୍କା ଦେଇଛି; ସେ ତ ନଛୋଡ଼ବନ୍ଧା- ହଉ ଦେଖାଯାଉ ।       (ପ୍ରସ୍ଥାନ)

 

ସୌଦାଗର ପୁଅ ନିକଟରେ ବ୍ରାହ୍ମଣର ପ୍ରବେଶ

ବ୍ରାହ୍ମଣ- ବାବୁ ! ସେ ତ ନାହିଁ କରୁଚି ।

ସୌ, ପୁଅ –ଆମେ ସେ କଥା ଜାଣୁ ନାହିଁ, ତୁମେ ଟଙ୍କା ନେଲ କିପରି ?

ବ୍ରାହ୍ମଣ-      (ସ୍ୱଗତଃ) ନ ଦେଲେ ତ ଟଙ୍କା ଫେରସ୍ତ ମାଗିବ । ଏଥେ ଗୁଡ଼େ ଟଙ୍କା ହାତରେ ପଡ଼ିଚି, ଆଉ ଫେର୍‌ ଫେରସ୍ତ ! (ପ୍ରକାଶ୍ୟେ) ଆଜ୍ଞା ! ଆପଣ ଆଜି ରାତି ଆଠୁଟାବେଳେ ମୋ ଘର ନିକଟରେ ଯେଉଁ ଦୋକାନ ଅଛି, ତା ପାଖରେ ଯେଉଁ ବରଗଛ ଅଛି, ସେଇଠି ବସିଥିବେ । ମୁଁ ସେତିକିବେଳେ ତାକୁ ଦୋକାନକୁ ସଉଦାପାଇଁ ପଠେଇଦେବି ।

ସୌ, ପୁଅ- ହଁ, ହଁ, ଠିକ୍‌ କଥା । ଆଛା, ମୁଁ ସେଇଠି ଯାଇ ବସିଥିବି । (ପ୍ରସ୍ଥାନ)

 

ସୌଦାଗର ପୁଅ ଗଛମୂଳେ ବସୁ ବସୁ ଶୋଇ ଯିବା ଓ ଗଛରେ ବସା କରିଥିବା ଦୁଇଟି ପକ୍ଷୀର କଥୋପକଥନ

ପକ୍ଷୀ-       ପ୍ରିୟେ ! ଦେଖ ଦେଖ ସଂସାର ଭିଆଣ; ମାତାକୁ ହରିବା ନିମନ୍ତେ ପୁତ୍ର କରିଛି ମନସ୍ଥ । ନ ହେବ ଏ କଥା ଆଉ ନ ସହିବ ଧରା ।

ପକ୍ଷିଣୀ -      ନାଥ ! ଏ ତ ନିଦ୍ରିତ ? ଭଗବାନ୍‌ କର ସୁକଟାକ୍ଷ, ନ ଘଟୁ କଦାପି ଏହା । ପୂର୍ବଘଟଣା ସମସ୍ତ ପକ୍ଷୀଦ୍ୱୟ କଥାବାର୍ତ୍ତା ହେବା ଓ ନିଦ୍ରିତ ସୌଦାଗର ପୁଅ ଶୁଣିପାରି-

 

ଚାକର ଓ ଚାକାରିଆରୀର ଫାର୍ଶ

ଆସ ବନୁ ଫୁଲ ତୋଳିବା – ବୃତ୍ତେ

ସ୍ତ୍ରୀ- ଚାଲିଆ, ଚାଲିଆ, ଚୁଲିଆ, ଏଠକି, ଅନା ଏଣେ ବସି । ପଦ।

ପୁରୁଷ- କଅଣ ଦେଖାନି କେଉଁଠି ?

ସ୍ତ୍ରୀ- ଇରେ ହେଇଟି, ହେଇଟି, ହେଇଟି ।

ପୁରୁଷ- ଦେଖିନାହିଁ କି ମୁଁ ସେଇ ମାଇପିଟା – ବ୍ରାହ୍ମଣ ଘରର ଦାସୀ ।୧।

ସ୍ତ୍ରୀ- ଅନା, ସେ କୋଠା ଉପରେ କିଏ ?

ପୁରୁଷ-ଆଲୋ ! ସୌଦାଗର ପୁଅ ସିଇଏ ।

ସ୍ତ୍ରୀ- ଦିଇଜଣଯାକ, ଛିଡ଼ାହୋଇଅଛନ୍ତି, ସନ୍ଧିଆ ହେଲାଣି ଆସି ।୨।

ପୁରୁଷ- ମୁଁ ତ କେଉଁଦିନୁ ତାକୁ ଦେଖୁଛି, ସେହିଠାରେ ନିତି ଠିଆହେଉଛି ।

ସ୍ତ୍ରୀ-ମରଦଗୁଡ଼ାକ ଏଡ଼ିକି ଡାଆଣା ରକ୍ତ ଖାଇବେ ଶୋଷି ।

ପୁରୁଷ- ଟୋକା ଟରଣୀ ପଠେଇଥିଲା, ଯେତେ ମଙ୍ଗେଇଲା ନାହିଁକଲା ।

ସ୍ତ୍ରୀ- -ହୋଇଥିଲେ ସିନା ପୁରୁଷ ଡାଆଣା, ରାତିରେ ଆସନ୍ତା ଖସି ।୪।

ପୁରୁଷ- ଯେବେ ମନ ତା ଠେଇଁ ନ ରସିଲା, ଦାସୀ ଅନେଇ କାହିଁକି ବସିଲା ?

ସ୍ତ୍ରୀ—ମହାଜନ ବୋଲି ମନ ବିଡ଼ୁଥିବ, ଯାଆରେ ଖଣ୍ଡିଆ ଦୋଷୀ ।୫।

ପୁରୁଷ-ସେ ଦେଖେଇ ଦଉ ନାହିଁ ଟଙ୍କା, ମୁହଁ କେମନ୍ତେ ନ ହେବ ବଙ୍କା ।

ସ୍ତ୍ରୀ-ଟଙ୍କା ଦେଖି କରି ଭୁଲିଚି ବ୍ରାହ୍ମଣ ବଇୟା କଥାରେ ରସି ।୬।

 

ଚାକର ଓ ଚାକିରିଆଣୀର କଥାବାର୍ତ୍ତା

ପୁରୁଷ- ଆଲୋ ! ବ୍ରାହ୍ମଣ କଅଣ ତା କାମ କରିବ ?

ସ୍ତ୍ରୀ-ନାହିଁରେ, ୟାକୁ ନିଦ ହେଲାବେଳେ, ତାକୁ ଯାଇଣ ଇସାରା ମାରିବ ।

ପୁରୁଷ- ବ୍ରାହ୍ମଣ ଏ ଟୋକାକୁ କୋଉଠୁ ପାଇବ ?

ସ୍ତ୍ରୀ- ଗୋଟାଏ ଗଛମୂଳେ; ମୁଁ ଶୁଣିଛି, ଏ ଟୋକା ଅନ୍ଧାରରେ ଯାଇ ରହିବ ।

ପୁରୁଷ- ସେ କଅଣ ଘର କରି ଶୋଇଥିବ ମେଲା ?

ସ୍ତ୍ରୀ- ଘର ଭେଦ ବିଭୀଷଣ ଯୋଗେ ଲଙ୍କାପୁର ଜୟ ହେଲା ।

ପୁରୁଷ- ଆଛା, ସେ ମାଇକିନିଆ ଯେବେ କରିବ ଗୋଟାଏ ପାଟି ?

ସ୍ତ୍ରୀ- ବୁଢ଼ା ପରା ଟଙ୍କା ଯାକ ଖାଇ, ଦରୋଜା ମୁହଁରେ ଦେଇ ବସିଥିବ ତାଟି ।

ପୁରୁଷ- ସେଇଟା ଏମନ୍ତେ ନାଞ୍ଚୁଆ ବୁଢ଼ା ?

ସ୍ତ୍ରୀ- ଆରେ ! ଏଇଭଳିଆ ଲୋକ ପରା ଦୁନିଆରେ ଘରବୁଡ଼ା ।

ପୁରୁଷ- ଏ ତ ଭଡ଼ାଖିଆଙ୍କର ଖୋଇ ।

ସ୍ତ୍ରୀ- ଏବେ ମିଣିପେ ନେଲେଣି ରେ ଭଡ଼ା, ଆଗେ ନେଉଥିଲେ ସିନା ମାଈ ।

ପୁରୁଷ- ତେବେ, ଆମେ ଆମର ଶୋଇବ ଚାଆଲେ ।

ସ୍ତ୍ରୀ- କାଲି ତୁଛେଇଁତ ଜଣାଯିବ ସବୁ ହାଆଲେ ।       (ପ୍ରସ୍ଥାନ)

 

ସୌଦାଗର ପୁଅର ପ୍ରବେଶ- ଗୀତ

ଜଳିଲା ଜଳିଲା ଭାଇ- ବୃତ୍ତେ

ଶୁଣିଲି କି କଥା ଧାତା ଶୁଣିଲି କି କଥାରେ । ନ ଯାଇ ପୋଡ଼ା ଜୀବନ ରହିଛି ଯା ବୃଥାରେ ।ପଦ। ବିହଙ୍ଗ ବିହଙ୍ଗୀ ଦୁଇ ଏହି ବୃକ୍ଷପରେ ଥାଇ । ଶୁଣାଇଲେ ଯାହା ଶୁଣି, ଉଡ଼ିଯାଏ ଚେତା ରେ ।୧। ବିହଙ୍ଗୀ ବୋଇଲା ନାଥ, ସଂସାରେ ଅହିତ ସୁତ । ଯାଉଛି ଏ ପାପୀ ହରିବାକୁ ନିଜ ମାତା ରେ ।୨। ସୌଦାଗର ବନୁ ଚୋରି, ଆଣିଥିଲା ମୋତେ କରି । ପୁଣି ବୋଲେ ରାଜ୍ୟେ ରାଜା ହୋଇଛି ୟା ପିତା ରେ ।୩। ଶୁଣି ବିହଙ୍ଗୀ ବଚନ, ମନ ମୋ ହୁଏ ଉଚ୍ଛନ୍ନ । ବଇଷ୍ଣବ ବୋଲେ ସଢ଼ିଲି କି ଘୋର ଚିନ୍ତାରେ ।୪।

ସୌଦାଗର- ପୁଅ-      ହାୟ, ଏହି ବିହଙ୍ଗୀ ବୃକ୍ଷ ଶାଖାରେ ଥାଇ ଯାହା ବିହଙ୍ଗକୁ କହିଲା, ମୁଁ ତଳେଥାଇ ସମସ୍ତ ଶୁଣିଲି । ହାୟ । ପିତଃ ! ତୁମ୍ଭେ କେଉଁଠି ମୋତେ ପିଙ୍ଗି, ଆଜି ରାଜଚ୍ଛତ୍ର ଧରିବ । ହାୟ କନିଷ୍ଠ ତାତ ! ତୁମ୍ଭକୁ ମାୟାଗିରିରେ, ମାୟା କନ୍ୟାମାନେ ମେଷ କରି ରଖିଚନ୍ତି । ମୁଁ ରାଜପୁତ୍ର, ମୁଁ ମୋର ପୂର୍ବକଥା ସମସ୍ତ ଶୁଣିଚି । ମୋତେ ଏ ପାପିଷ୍ଠ ସୌଦାଗର, ମାତା କୋଳୁଁ ଚୋରି କରି ଆଣିଲା । ଯଦି ଧର୍ମ ଜଗତରେ ସତ୍ୟ, ଯଦି ପାପ ପୁଣ୍ୟର ବିଚାରକର୍ତ୍ତା ଜଗଦୀଶ୍ୱର ଜଗତରେ ସତ୍ୟ, ତେବେ ଏ ହତଭାଗ୍ୟ ଆଜି ବା କାଲି ସମସ୍ତଙ୍କୁ ଏକତ୍ର ମିଳାଇବ । ଓଃ, ମନ କି ହେତୁ ଏତେ ବ୍ୟଗ୍ର ହେଉଛି । ରେ ମନ ! ସ୍ଥିର ହୋ; ନିକଟରେ ପିତା ମାତାଙ୍କ ଚରଣ ଦର୍ଶନ କରିବୁ ଓ କନିଷ୍ଠ ତାତଙ୍କୁ ଦର୍ଶନ କରିବୁ, ଧନ୍ୟ ହେବୁ, ଆଉ ଏପରି ହୁଅନା । ଲୋ ବିହଙ୍ଗି ! ତୁ ମୋତେ ମହାପାପରୁ ରକ୍ଷା କଲୁ; ମୁଁ ତୋର ଏ ଋଣ ସହସ୍ର ଜନ୍ମରେ ଶୁଝି ପାରିବି ନାହିଁ । ଆଜି ଏ ବୃକ୍ଷ ମୂଳକୁ ସଙ୍କେତ କରି ନ ଥିଲେ ମୋର ଏ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇ ନ ଥାନ୍ତା । ଜନନି ! ଜନନି !! ମୋର ଅପରାଧ ଧରିବୁ ନାହିଁ । ଦେଖାହେଲେ ମୁଁ କପରି ତୁମ୍ଭ ମୁହଁକୁ ଚାହିଁବି ? ମୁଁ ମହାପାପୀ, ନାରକୀ । ପୁଂ ନାମା ନରକରୁ ତ୍ରାଣ କରେ ବୋଲି ତାର ନାମ ପୁତ୍ର । ମୁଁ ସେହି ନର୍କରେ ଚିରକାଳ ପଡ଼ି ବିଷ୍ଠା କୀଟ ହେବି । ମା !! ମୋତେ କ୍ଷମାଦେବେ; ମୁଁ ଏଠାରେ ନମସ୍କାର କରୁଅଛି ! ଯାଏଁ ମୋର ସେହି ଦସ୍ୟୁ ପିତାକୁ ରାଜଦର୍ଶନେ ଯିବାକୁ କହେଁ ।       (ପ୍ରସ୍ଥାନ)

 

କନ୍ୟା ଚନ୍ଦ୍ରରେଖା ତରଫର ବ୍ରାହ୍ମଣ ପ୍ରବେଶ

ବ୍ରାହ୍ମଣ -      ଗଲା କୁଆଡ଼େ ? ସୁଷୁରି ମାରି ମାରି ଜିଭ ବଙ୍କା ହୋଇଗଲାଣି । କଅଣ, ଟୋକାଟା ଶୋଇପଡ଼ିଲା ? ଦୁଇହଜାର ଟଙ୍କା ଦେଇଚି । ମୁଁ ତ ଚାରିଅଣା ପଇସା କାହାକୁ ଯେବେ ସେ ବାବଦରେ ଦେଇଥାନ୍ତି ମୋର ଭୋକ ଶୋଷ ବନ୍ଦ । ଆଉ ଗୋଟେ ଦିଟା ସୁଷୁରି ମାରେଁ (ସୁଷୁରି ମାରିବା) ! ନା, ଆସିଲା ନାହିଁ । ଘର ଦୁଆର ମୁହଁ ଟିକିଏ ମାଡ଼ିଦେଇ ଯାଇଥିଲେ ମଣିଷ ଖଲାସ୍‌ ପାଇଥାନ୍ତା । କାଳେ ଯେବେ ଟଙ୍କା ୱାପସ୍ ମାଗେ, କରିବି କଅଣ ? ମନେ ମନେ କେତେ ଖରଚ ବରାଦ୍‌ କରିଯାଇଥିଲି; ଶେଷକୁ ସମୁଦ୍ର ଜୁଆର ପରି କୁଆଡ଼େ ଗଲା । ଏକ୍ଷଣି ପାଣି ପୁଣି ଏକ୍ଷଣି ଶୁଖିଲା ଠକ୍‌ ଠକ୍‌ । ବଡ଼ଲୋକ ପୁଅ; ଫାଙ୍କି ହେବ ନାହିଁ । ରାଗ ରଖିବ ଆଉବେଳେ ହରକତ କରିବ-ଆଉ ଦିଟା ସୁଷୁରି ମାରେ; (ସୁଷୁରି ମାରିବା) ନା, ସେ ଦାସୀ କଅଣ ମନଭଙ୍ଗା ମନ୍ତର ଜାଣେ କି ? ଓଃ, ଦୁଇ ତୋଡ଼ା; ଟଙ୍କା ଚକି ବଜେଇ ଗଣିଥିଲି, ସେ ବାବତ କଅଣ କଛି ଛାଡ଼ି ଦେବ ନାହିଁ, ନୋହିଲେ କାଲିକି କହିବି, ଠିକ୍‌ କଥା; ସେଇଆ, ସେଇଆ, ଯିବା- ରାତି ଅଛି ଟିକିଏ ଶୋଇବା । (ପ୍ରସ୍ଥାନ)

 

ସୌଦାଗର ଓ ରାଜସୁତର ପ୍ରବେଶ,

ସୌଦାଗର ପ୍ରତି ରାଜସୁତର ନିବେଦନ ଗୀତ

ଜଳିଲା ଜଳିଲା ଭାଇ ଜଳିଲା ଜଳିଲା – ବୃତ୍ତେ

ରାଜ ଦରଶନେ ଆଜ ବଳିଛି ମୋ ଚିତ୍ତ ହେ । ଭେଟି ସରଞ୍ଜାମ ମୋତେ ସାଜିଦିଅ ତାତ ହେ । ପଦ। ନୃପତି ସହିତେ ଦେଖା; କରିଣ ଆସିବି ଏକା । ନ କରିବ ଚିତ୍ତେ ଶଙ୍କା, ହେବ ବଡ଼ ହିତ ହେ ।୧। ରାଜା ଅନ୍ନ ବସ୍ତ୍ର ଦାତା, ରାଜା ସାକ୍ଷାତେ ଦେବତା । ସେ ସନ୍ତୋଷ ହେଲେ ଭାଗ୍ୟ ବଢ଼ଇ ବହୁତ ହେ । ପାତ୍ର ଅମନାତ୍ୟ ସହ, ହେବ ଆଜି ପରିଚୟ । ମିଳିବ ଭଣ୍ଡାରୁ ମୋତେ ଶାଢ଼ି ରାଜଦତ୍ତ ହେ ।୩। ରହନ୍ତୁ ନିଜ ସଦନେ , ସନ୍ଦେହ ନ କରି ମନେ । ବଇ ବୋଲେ ଖଣ୍ଡିବ କେ ଦଇବର କୃତ୍ୟ ହେ ।୪।

 

ରାଜସୁତ ପ୍ରତି ସୌଦାଗରର ଉତ୍ତର –ଗୀତ

ଧୂଳିରେ ଶୋଇଛୁ କିମ୍ପା ବନମାଳି ରେ ବୃତ୍ତେ

ସେ ତ ରାଜଦରବାରରେ ସୁତ ଜାଣିଥା ରେ । ସାମାନ୍ୟ ଦୋଷରେ ପରା ହାଣିବେ ମଥା ରେ । ପଦ। ତୋତେ ଛାଡ଼ିଦେଇ ଏକା, କେମନ୍ତେ ହେବି ନିଃଶଙ୍କା । ଜାଣିନାହୁଁ ନାଗ ନରପତି କ୍ଷମତା ରେ ।୧। ଯେବେ କରିବୁ ବିଶ୍ୱାସ, ତେବେ ହେବ ସର୍ବନାଶ । ଚାହୁଁ ଚାହୁଁ ମଧୁରକୁ କରନ୍ତି ପିତା ରେ ।୨। ସ୍ୱଭାବେ ବାଳକ ଜାତି, ଅତି ସରଳ ତୋ ମତି । ପଚାରିବେ ରାଜା ଯେବେ ଗୃହ ବାରତା ରେ ।୩। କି ବୋଲି ବୋଲିବୁ ତୁହି, ଚାଲ ସଙ୍ଗେ ଯିବି ମୁହିଁ । ବିପ୍ର ବଇଷ୍ଣବ କହି ଏହି କବିତା ରେ ।୪।

 

ରାଜା ମୋହନ, ସଭାରେ ବସି ମନ୍ତ୍ରୀ ପ୍ରତି ଗୀତ

କାହିଁଗଲା ସଖି ଯମୁନାକୁଳିଆ- ବୃତ୍ତେ

କ୍ଷଣେ କ୍ଷଣେ ଶୁଭ ଲକ୍ଷଣ କାହିଁକି ଦେଖୁଛି ହେ ଭାଷ ସଚିବ । କି ଅମୂଲ୍ୟ ଧନ ମିଳିବ ମୋ ପାଶେ ଏ କଥାକୁ ତିଳେ ପାଞ୍ଚିବ ।ପଦ। ମେଘ ଦରଶନେ ବନେ କି ମୟୂର ଆନନ୍ଦ ମନରେ ନାଚିବ । ନିଦାଘ ଉତ୍ତାପେ ବାରିଧାରା ଇନ୍ଦ୍ର ମୋ ହୃଦ ମରୁରେ ସିଞ୍ଚିବ । ଅଧୀର ହେଉଛି ବିଧିରେ ମୋ ଛାତି ମାନସ ଦୁଃଖ କି ଘୁଞ୍ଚିବ । ମୋ ନୟନୁଁ ଜଳ ଆସି କି ମୁରାରି ତା ବାସ କାନିରେ ପୋଛିବ ।୨। ସତେ ଚନ୍ଦ୍ରରେଖା ମୋ ସମ୍ମୁଖେ ଦେଖା ଦେଇ ପୂର୍ବ କଥା ପୁଚ୍ଛିବ । ଏ ଭାବରେ ଅନୁଭବୀ ବଇଷ୍ଣବ ଗୀତ ଛନ୍ଦେ ପଦ ରଚିବ ।୩।

ମନ୍ତ୍ରୀ- ମହାରାଜ ! ଏ ନିଶ୍ଚୟ ମଙ୍ଗଳର ଚିହ୍ନ, ଛାମୁ ବୋଧହୁଏ ନିକଟରେ ହରାଇବା ଧନକୁ ପୁନଶ୍ଚ ପ୍ରାପ୍ତ ହେବେ ।

 

ସୌଦାଗର-ପୁତ୍ରସହ ରାଜସଭାରେ ପ୍ରବେଶ

ରାଜା- ସୌଦାଗର ! କି ନିମନ୍ତେ ଆସିଲ ମୋ ପାଶେ ? ଏ ପୁତ୍ର କାହାର ?

ସୌଦାଗର- ଆଜ୍ଞା ଆଶୀର୍ବାଦ କରନ୍ତୁ ଶ୍ରୀଛାମୁ, ଏଇଟି ମୋର ସନ୍ତାନ, ଘେନି ଭେଟି ଆସିଅଛି ଭେଟିବ ଛାମୁରେ ।

ରାଜା -      (ମନେ ମନେ) ଏତ ବଡ଼ ଅଦ୍ଭୁତ କଥା, ଏ ପୁତ୍ରକୁ ଦେଖିଲା ବେଳୁଁ ମୋ ମନ ଆକର୍ଷିତ ହେଉଛି, ଯେପରି କି ୟା’ କୁ କୋଳରେ ଆଣି ବସାନ୍ତି ! ରେ ଅବୋଧ ମନ, ତାହା କଲେ ପଦମର୍ଯ୍ୟାଦା ନଷ୍ଟ ହେବ । (ସୌଦାଗର ପୁତ୍ର ପ୍ରତି) ହେ ସୌଦାଗର ପୁତ୍ର ! କି ନିମନ୍ତେ ଆସିଛ ମୋ ପାଶେ ଭେଟିବା ନିମନ୍ତେ ?

ପୁତ୍ର- ମହାରାଜ ! କହିବାକୁ ଅଛି ଅଛି କଥା, ଦାସ ଅନୁମତି କରଇ ପ୍ରାର୍ଥନା ।

ରାଜା- ଯାହା ଇଚ୍ଛା କହ ବତ୍ସ, ନାହିଁ ମୋର ମନା ।

ପୁତ୍ର- ବଳରାମପୁର ରାଜପୁତ୍ର କି ଆପଣ ?

ରାଜା- ହଁ, ତାହାପରେ କୁହ ଆଉ ଯାହା ଯାହା ଜାଣ ।

ପୁତ୍ର-ସାବତ ମାତ।ର ଛଳେ, ଭାଇଭାର୍ଯ୍ୟ ଘେନି, ରାଜ୍ୟୁ ହେଲେ ବିତାଡ଼ିତ ?

ରାଜା – ହଁ, ଏହାପରେ ଆଉ କି ପୁଚ୍ଛିବୁ, ପୁଚ୍ଛ ସୁତ !

ପୁତ୍ର- କାଷ୍ଠାନ୍ୱେଷଣେ ଆସି କି ହେଲେ ଏଥି ରାଜା ?

ରାଜା- (ମନେ ମନେ) କିଏ ଏ ବାଳକ ! କିଛି ଯାଉନାହିଁ ବୁଝା ?

ପୁତ୍ର- ଜାଣନ୍ତି କି ନାହିଁ ଭାଇ ଭାର୍ଯ୍ୟାଙ୍କ ଖବର ?

ରାଜା- ଜାଣିଥିଲେ ଜଣାଅ ତୁ ସେ କଥା ଆବର ।

 

ରାଜାପ୍ରତି ସୌଦାଗର ପୁତ୍ର ଗୀତ

ସଜ ସରସିଜ ଦୃଶାରେ, ଯାହା ଦୁର୍ଦ୍ଦଶା- ବୃତ୍ତେ

ଶୁଣ ଶୁଣ ମହୀପତି ହେ, ତବ ହିତର ଖବର ମାନ । ସମସ୍ତ ସଙ୍କେତ, ପାଇଛି ଏ ଭୃତ୍ୟ, ତୁଟିଛି ଯେଣୁ ଅଜ୍ଞାନ । ପଦ। ଶରଣ ଦହ ଗ୍ରାମରେ ବାସକରେ ଏକ ଯାଚକ ବ୍ରାହ୍ମଣ । ତାର ବାସେ ଦାସୀରୂପେ ଚନ୍ଦ୍ରରେଖା ରହିଛନ୍ତି ବର୍ତ୍ତମାନ ।୧। ଯେ ସ୍ଥାନେ କୁଟୀରେ କରିଥିଲେ ବାସ, ମନେକର ଅନୁମାନ । ତହିଁ ନିକଟରେ ମାୟା ପର୍ବତରେ ଛନ୍ତି ମୁରାରି ମୋହନ ।୨। ସେ ରମଣୀ ମାୟା କରି ମେଷ କାୟା ରଖାଇଣ ସନ୍ନିଧାନ । ଦେଉଛନ୍ତି କଷ୍ଟ ନୃପତି ମୁକୁଟ, ଭାଷେ ବଇଷ୍ଣବ ଦୀନ ।୩।

ରାଜା-      ଏ କି ଆଶ୍ଚର୍ଯ୍ୟ ! ଏ କଣ ମାୟା ସ୍ୱପ୍ନ । (ଦୂତ ପ୍ରତି) ଦୂତଗଣେ ! ବେଗେ ଯାଇଁ ଆଣ ଗୁଣିଗଣେ, ନେଇ ସେମାନଙ୍କୁ ମାୟାଗିରି ପାଶେ, ମୁରାରିକି ଆଣ ମୁକ୍ତକରି । (ପାତ୍ରଙ୍କ ପ୍ରତି) ପାତ୍ର ! ଘେନିଯାଅ ଗଉଡ଼ ଶୁଆରି; ଯାଚକ ଘରୁ ଆଣ ଯା ରାଣୀଙ୍କି ତୁମ୍ଭର, ବୁଝାଇଶୁଝାଇ ବ୍ରାହ୍ମଣକୁ ।       (ସମସ୍ତ ପ୍ରସ୍ଥାନ)

ସୌଦାଗର ପୁତ୍ର ପ୍ରତି -ବତ୍ସ ! ନୋହୁ ତୁହି ମାନବ କଦାପି । ନିଶ୍ଚେ ନିଶ୍ଚେ ଦେବଅଂଶେ ଅବତଂଶ ତୁହି । କହରେ ନନ୍ଦନ ! ଯେବେ ଜାଣୁ ଏ ସମସ୍ତ- ଭାଷ କେଉଁଠାରେ ସେହି ଅଭାଗିନୀର ଗର୍ଭଜାତ ପୁତ୍ର । ସେ କି ଅଛି ଜୀବିତରେ?

ପୁତ୍ର- ମହାରାଜ, ଏହି ଯେ ଅଭାଗା ଅଛି ତବ ସମ୍ମୁଖରେ       

ରାଜା -      ବତ୍ସ ରେ ! ମୋ କୋଳକୁ ଆ, ତୋର ଆଖିରୁ ଲୁହ ପୋଛିଦିଏ । ଧନ୍ୟ ବିଶ୍ୱମୟ ହରି ! ତୁମ୍ଭେ ଧନ୍ୟ, ଧନ୍ୟ ତୁମ୍ଭର ଲୀଳା; ଏତେଦିନେ ଅନ୍ଧେ ପୁଣି ଦେବ ବୋଲି ଡୋଳା କିଏ ଭାବିଥିଲା ମନେ ଏହା ।

ମନ୍ତ୍ରୀପ୍ରତି ମନ୍ତ୍ରି ! ଦୂରେ ଶୁଭେ ଶିବିକା ସଙ୍କେତ, ଆସିଲେ କି ବ୍ରାହ୍ମଣ ଗୃହରୁ ଚନ୍ଦ୍ରରେଖା ? ଏଇ ଯେ ଭାଇ ମୁରାରି ଦେଲା ଆସି ଦେଖା ! ଆ ଭାଇ, ଆ ଆରେ ମୋ କୋଳେ, ସର୍ବେ ଯାଇଥିଲେ ହଜି କର୍ମ ଅବଳକୁ । ଚିହ୍ନ ନନ୍ଦନ ମୋହର ।

ପୁତ୍ର- (ପ୍ରଣାମ କରି) କନିଷ୍ଠ ପିଅର ! ମୋତେ କର ଆଶୀର୍ବାଦ ।

ରାଣୀ- (ସ୍ୱାମୀ ପ୍ରତି) ନାଥ ! ଏତେଦିନେ ଅମା ଅନ୍ଧକରେ ଆଜ ଉଠିଅଛି ଚାନ୍ଦ ।

ରାଜା- (ରାଣୀ ପ୍ରତି) ପ୍ରିୟେ !ଏବେ ସର୍ବେ ହୁଅ ଚିହ୍ନାଚିହ୍ନି ।

 

ଆନନ୍ଦ ଗୀତ

ଜୟ ପ୍ରତାପୀ ମତ୍ସ୍ୟ ନରେଶ- ବୃତ୍ତେ

ଏ କି ଅପୂର୍ବ ମିଳନ ଆଜି । ଆନନ୍ଦରେ ଭାସେ ଅଙ୍ଗରାଜି । ପଦ । କାହାରି ଦୋଷ ମନରେ ନ ଧରିବ କେହି । ଯାହାପାଇଁ ଯାହା ଭିଆଇଛି ମନ୍ଦବିହି, ତାହା ଥୋଇଛି ତା ପାଇଁ ଖଞ୍ଜି । ଭାଇ ଭାଇ, ପିତା ପୁତ୍ରେ, ସ୍ୱାମୀ ଦାରା ସୁତ । ହୋଇଥିଲେ ଭିନ୍ନାଭିନ୍ନ ଆସିଣ ଏକତ୍ର । ଚାଲ ବିଷ୍ଣୁ ପ୍ରେମେ ମାତ ମଜ୍ଜିଧର୍ମେ ଥିଲେ ମନ ନିଶ୍ଚେ ହୁଏ ଇଷ୍ଟ ସିଦ୍ଧି । ପଥର ଭିକାରି ଏବେ ଭୋଗେ ରାଜଗାଦି । ଚଢ଼ି ଶତରଥ ଗଜବାଜୀ ।୩। ପାପେ ଭସ୍ମ ବଳରାମପୁର ରାଜବାଟୀ । ଖଣ୍ଟମାନେ ରାଜ୍ୟ ଭଣ୍ଡାରକୁ ଲୁଟି । ବଇଷ୍ଣବ ଛନ୍ଦେ ପଦ ହେଜି ୪।