ଲାବଣ୍ୟବତୀ ଓ ଚନ୍ଦ୍ରଭାନୁ

ଗଣକବି ବୈଷ୍ଣବ ପାଣି

 

ପ୍ରସ୍ତାବନା

ନଟୀର ଗୀତ ଗାଇ ଗାଇ ପ୍ରବେଶ

(ଆହା ମୋର ସାରଦିଆ–ବୃତ୍ତେ)

ହରି ହିରଣାକ୍ଷର ବକ୍ଷ ବିଦାରଣ । କର ମୋକ୍ଷଦାତା ଲକ୍ଷ ଜୀବ ପରାଣ । ପଦ ।

କ୍ଷିରାବ୍ଧିତନୟା ଧବ, ରୁକ୍ଷ ବାନର ବାନ୍ଧବ, ବାକ୍ୟଦେବୀ କାନ୍ତ ସହସ୍ରାକ୍ଷ କାରଣ ।୧ ।

ଅକ୍ଷୟ ଅକ୍ଷରେ ତୋର, ଯଶ ଘୋଷେ ଚରାଚର, ରଣଦକ୍ଷ ତକ୍ଷକ ଭକ୍ଷ ଯା ଶରଣ ।୨ ।

ଲକ୍ଷ୍ମଣ ଲକ୍ଷଣବନ୍ତ, ଅଗ୍ରଜ ଅଯୋଧ୍ୟାନାଥ ଏହି ଭିକ୍ଷା କର ବଇଷ୍ଣବେ ତାରଣ । ୩ ।

 

ନଟ–      (ପ୍ରବେଶି) ପ୍ରିୟେ, ମୁଁ ସବୁ ଶୁଣିଛି । ତୁମ୍ଭର ଏ ବୀଣା ବିନିନ୍ଦିତ କଣ୍ଠସ୍ୱର ମାନବ ମଣ୍ତଳରେ କଳ୍ପନାତୀତ ଥିଲା, ଏହା ସୁରବାଳା କିନ୍ନରୀଙ୍କଠାରେ ଥାଇପାରେ – ଏପରି ଅନୁପ୍ରାସଯୁକ୍ତ ଭକ୍ତିରସ କବିତା ମଧ୍ୟ ଅତି ଅଳ୍ପ ଶୁଣିଛି । କିଛି ଚିନ୍ତାକରନା, ନିଶ୍ଚେ ବୈକୁଣ୍ଠପତି ଶ୍ରୀପତି ଆମ୍ଭଙ୍କୁ ଏ ସ୍ଥଳରେ ଭରସା ହେବେ । ଯେ ଏତେବଡ଼ ବିଶାଳ ଜଗତକୁ ଚଳାଉଛନ୍ତି ତାଙ୍କୁ ଏ ସାମାନ୍ୟ କାର୍ଯ୍ୟ ଚଳାଇବାକୁ ବଳାଇବ ନାହିଁ । ଭାବି କହିଲ ପ୍ରିୟେ ! ଏସ୍ଥଳରେ ଆଜି କେଉଁ ବିଷୟଟି ଦୃଶ୍ୟକାବ୍ୟରୂପେ ଦର୍ଶକଗଣଙ୍କୁ ଦେଖାଇବା ।

 

ନଟୀ–      ନଟଶ୍ରେଷ୍ଠ ! ମୁଁ ମନେ ମନେ ସ୍ଥିର କରିଛି କବିକୁଳ-କଳାକର ମହାକବି ଶ୍ରୀ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟଟିକୁ ଗୀତିନାଟ୍ୟଭାବେ ଏ ରଙ୍ଗମଞ୍ଚରେ ଦେଖାଇ ଜନସାଧାରଣଙ୍କର ଶ୍ରଦ୍ଧାଭାଜନ ହେବା ।

 

ନଟ–      ପ୍ରିୟେ ! ଠିକ୍ ମନେକରିଛ, ଆଜି ପର୍ଯ୍ୟନ୍ତ ସେହି କବିକୁଳତିଳକ ବାକ୍ୟଦେବୀଙ୍କ ବରପୁତ୍ର ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟଗୁଡ଼ିକୁ କେହି ଲେଖକ ନାଟକାକାରରେ କିବା ଗୀତିନାଟ୍ୟ ବା ଗୀତାଭିନୟ ରୂପରେ ପ୍ରକାଶ କରି ସାଧାରଣଙ୍କୁ ଦେଖାଇ ନାହାନ୍ତି । ମୋର ମଧ୍ୟ ଏହି ପ୍ରଥମ ଚେଷ୍ଟା, କିପରି ଏଥିରେ ସାଧାରଣଙ୍କ ରୁଚି ହେବ, ତାହା ଭାବି ମନ ଦୋଦୁଲ୍ୟମାନ ହେଉଛି ।

 

ନଟୀ–      ନାଥ ! ଆଦିରସାତ୍ମକ ବିଷୟ ପ୍ରାୟ ଅଧିକାଂଶ ଜନଙ୍କର ଅନାଦର ହୁଏ ନାହିଁ, ଏ କାବ୍ୟରେ ବାତ୍ସଲ୍ୟ-ମିଶ୍ରିତ ହାସ୍ୟୋକ୍ତି ରସ ସ୍ଥାନେ ସ୍ଥାନେ ଅଛି । କର୍ଣ୍ଣାଟ ଯୁବରାଜ ନାୟକ ଚନ୍ଦ୍ରଭାନୁ ଓ ସିଂହଳ ରାଜଜେମା ନାୟିକା ଲାବଣ୍ୟବତୀଙ୍କର ବିରହଜନିତ ଦୁର୍ଦ୍ଦଶା ଯେ ସ୍ଥାନେ ସ୍ଥାନେ ବର୍ଣ୍ଣିତ ହୋଇଛି, ତାହା ଦେଖି ଶୁଣି କାହାର ପାଷାଣ ହୃଦୟ ତରଳି ନ ଯାଇ ରହିବ ?

 

ନଟ–      ଚାଲ ପ୍ରିୟେ, ତେବେ ଲାବଣ୍ୟବତୀର ଜନ୍ମଠାରୁ ବିଷୟଟି ଆରମ୍ଭ ନକରି ଯୌବନାବସ୍ଥାରୁ ଆରମ୍ଭ କରିବା । ତଥାପି ବିଷୟଟି ମଧ୍ୟ ବୃହତ୍‌ ଆକାର ଧାରଣ କରିବ । ଶୀଘ୍ର ଚାଲ, ଅଭିନେତୃ ଦଳେ ସଜାଇ ରଙ୍ଗଭୂମିରେ ଉପଗତ ହେବା ।

(ଉଭୟଙ୍କର ପ୍ରସ୍ଥାନ)

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

(ରାଜା ରତ୍ନେଶ୍ୱର ମନ୍ତ୍ରୀସହ ସଭାରେ ପ୍ରବେଶ)

ରାଜା–      ମନ୍ତ୍ରୀମଣି ! ମୁଁ ଗୋଟାଏ ଭୟଙ୍କର ଉର୍ମିମାଳାଯୁକ୍ତ ଚିନ୍ତାସାଗର-ଗର୍ଭରେ ପଡ଼ି ଭାସୁଛି, ତୁମ୍ଭେ ମୋତେ ସୁଚେଷ୍ଟା ତରଣୀ ଦାନେ ଏ ଦୁଃସହ ସାଗରରୁ ପାରି କରିପାରିବ କି ? ମୋର ସର୍ବ ସୁଲକ୍ଷଣଯୁକ୍ତା ଏକମାତ୍ର କନ୍ୟା ଲାବଣ୍ୟବତୀର ସ୍ମରାବସ୍ଥା ପ୍ରାପ୍ତ ହୋଇଛି । ଏ ସମୟରେ ସେ ନେତ୍ର ପ୍ରତିମାକୁ ବିବାହ ନଦେଲେ ନିଶ୍ଚେଁ ସେ ଯେ ମୋ ନାମରେ ଛି ଛି ଶବ୍ଦ ରଟିବ । ଏହି କଥା ନିରନ୍ତର ଭାବି ଭାବି ମୋର ହସ୍ତ ପଦ ଅବଶ ହୋଇ ଯାଉଛି । ଏଥିକି ଶୀଘ୍ର ଉପାୟ କର ।

 

ମନ୍ତ୍ରୀ–      ରତ୍ନେଶ୍ୱର ସିଂହଳପତି ! ଯାହା କି ମୋତେ ପ୍ରଶ୍ନ କଲେ, ତହିଁର ସଦୁତ୍ତର ଦେବାକୁ ମୋହର ସାହସ ହେଉନାହିଁ । ମୁଁ ମଧ୍ୟ ପୂର୍ବରୁ ମନେ ମନେ ବର ଖୋଜି ଖୋଜି ନିରୁପାୟ ହୋଇଲିଣି । ବର୍ତ୍ତମାନ ଯାହା ମୋତେ ଦେଖାଯାଉଛି ତାହା କହୁଛି ଶୁଣନ୍ତୁ ।

 

 

 

 

ଗୀତ

(କେତେ ଅଛୁ ଶୁଣା ତୋର – ବୃତ୍ତେ)

ତବ କନ୍ୟା ଅନୁରୂପେ କାନ୍ତ ମଣିମା ନାହିଁ ତ୍ରିଜଗତ । କୋଟି ଯୁଗ ବସି ଯାହାକୁ ଗଢ଼ିଛି ନିଜ ଭୁଜେ ବେଦନାଥ । ।ପଦ। ସାର ସାର କାନ୍ତି ସଂଗ୍ରହ, କରି ନର୍ମାଣିଛି ବିଗ୍ରହ, କାହାର ଆଗ୍ରହ ନ ବଢ଼ିବ ପଡ଼ିଗଲେ ସେ ରୂପରେ ନେତ୍ର । ହରେ ବର ବରନ୍ତେ କନ୍ୟା, ଅଭିଶାପ ଦେବେ ଅପର୍ଣ୍ଣା । ବିଭୁତି ଦାୟିନୀ ବିଭୁତି ଭୂଷଣ ଦେହେ ନ ରସିବ ଚିତ୍ତ ।୨। ଚନ୍ଦ୍ରେ ଅବା ବଳାନ୍ତେ ମନ, ସେ ତ କ୍ଷୀଣ କଳଙ୍କ ଚିହ୍ନ । ଅଶ୍ୱିନୀକୁମାର ଅଶ୍ୱମୁଖ ତା’ର ଅଙ୍ଗହୀନ ମନମଥ ।୩। ଇନ୍ଦ୍ର ତ ସହଜେ ଭଗାଙ୍ଗ, ନସାଜିବ ତା ଅଙ୍ଗସଙ୍ଗ । ମର୍ତ୍ତ୍ୟପୁରେ ଚିତ୍ରପଟ ତା’ ଫେରାଇ ରାଇବା ନୃପତି ଗୋତ୍ର ।୪। ଚିତ୍ତ ତା’ର ବଳିବ ଯାକୁ, ବାଳା ବଳେ ବରିବ ତାକୁ, ମାଳା ଦେବ ଗଳେ ବଇଷ୍ଣବ ଭାଳେ କାଳେ ନ ହେବ ଅହିତ ।୫।

 

ରାଜା–      ମନ୍ତ୍ରି ! ଧନ୍ୟ ତୁମ୍ଭର ଅଲୌକିକ ପ୍ରତିଭା, ଶୀଘ୍ର ଜ୍ଞାନାନନ୍ଦ ସନ୍ନ୍ୟାସୀଙ୍କୁ ଡକାଇ ଆଦେଶ କର; ସେ ଯାଇ ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କଠାରୁ ଲାବଣ୍ୟବତୀର ଚିତ୍ରପଟ ଘେନିଆସନ୍ତୁ । ତାଙ୍କ ହସ୍ତେ ସେହି ପ୍ରତିମୂର୍ତ୍ତିକୁ ଦେଇ ରାଜକୁମାରମାନଙ୍କ ନିକଟକୁ ପଠାଇବା । ଅନ୍ୟ ବିନ୍ଧାଣୀମାନେ ଜେମା ରୂପ ଚିତ୍ରରେ ଆଙ୍କିବାକୁ ନିଶ୍ଚେ ଅସମର୍ଥ ହେବେ । ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ବିନୁ ସେ ସବୁରି ଅସାଧ୍ୟ ।

 

ମନ୍ତ୍ରୀ–      ତେବେ ମହାରାଜ ମୁଁ ଯୋଗୀଙ୍କି ଡାକି ଆଣେ ?

ରାଜା–      ନା ଆଉ ତୁମ୍ଭଙ୍କୁ ଯିବାକୁ ହେବ ନାହିଁ । ମୋର ଭାଗ୍ୟ ବଶରୁ ସେ ନିଜେ ବିଜେ କରି ଏଠାକୁ ଆସୁଛନ୍ତି ।

 

(ଗୀତ ଗାଇ ଗାଇ ସନ୍ନ୍ୟାସୀଙ୍କର ପ୍ରବେଶ)

ଜୟ ଶିବ ଶଙ୍କର ହର ହର ଶୂଳୀ । ଭବ ଭବଭୟହାରୀ ଚନ୍ଦ୍ରମଉଳି । ପଦ ।

ଅନ୍ଧକ ତ୍ରିପୁର ହନ୍ତ । ଆଶୀବିଷ ଭୂଷିତ । ବ୍ୟାଘ୍ର ଚର୍ମାମ୍ବରଧର ଭୂତରେ କେଳି । ୧ ।

ପର୍ବତ-ଜେମା-ଜୀବନ । ଭୂତନାଥ ଭଗବାନ । ଭଇରବ ଭକ୍ତ ପ୍ରିୟାଙ୍କ ମୁଣ୍ତମାଳି । ୨ ।

ଦଣ୍ତପରଶୁ ଧାରଣ ଘୋର ସଂକଟ ତାରଣ, ବାଞ୍ଛେ ବଇଷ୍ଣବ ତବ ପୟର ଧୂଳି । ୩ ।

 

ମନ୍ତ୍ରୀ–      ହେ ଯୋଗୀନ୍ଦ୍ର ! ତୁମ୍ଭେ ଏକ୍ଷଣି ଦେବଶିଳ୍ପୀ ବିଶ୍ୱକର୍ମାଙ୍କଠାକୁ ଯାଅ । ତାଙ୍କଠାରୁ       ଆମ୍ଭ ରାଜଜେମା ଲାବଣ୍ୟବତୀଙ୍କ ଚିତ୍ରପଟ ନେଇ, ମାନବ ଲୋକରେ ବୁଲି ସେ ଚିତ୍ରକୁ ରାଜପୁତ୍ରମାନଙ୍କୁ ଦେଖାଇବ । ତାଙ୍କୁ କହିବ ଯେ ରତ୍ନେଶ୍ୱର ରାଜା ଆସନ୍ତା ଫାଲ୍ଗୁନ ମାସରେ ସେତୁବନ୍ଧ ରାମେଶ୍ୱରଠାରେ ସ୍ୱୟମ୍ବର କରିବେ । ସିଏ କ’ଣ କହିବେ ଫେରିଆସି ଶୀଘ୍ର ରାଜାଙ୍କୁ ଜଣାଇବ ।

 

ଦ୍ୱିତୀୟ ଦୃଶ୍ୟ

(ପୁଷ୍କରିଣୀ ମଧ୍ୟ-ମଣ୍ତପେ କନ୍ୟା ଓ ଯୁବରାଜ ଚନ୍ଦ୍ରଭାନୁ ମିତ୍ରଗଣ ସହ ଉପବେଶନ)

ଋତୁଧ୍ୱଜ– ଯୁବରାଜ ! ଏତେ ବ୍ୟସ୍ତ ହୁଅନା, ଭାଗ୍ୟେ ଥିଲେ କାମିନୀ-କାଞ୍ଚନ ଭୋଗହୁଏ । ଅଦୃଷ୍ଟ ସୁମରି କର୍ତ୍ତବ୍ୟ ପଥରେ ଅଗ୍ରସର ହୁଅ । ତା’ହେଲେ ଅସାଧ୍ୟ ସାଧନ ହେବ ।

 

ଚନ୍ଦ୍ରଭାନୁ– ମିତ୍ର ସେ ବୋଇତିଆଳଠାରୁ ସିଂହଳ ରାଜକନ୍ୟାଙ୍କ ରୂପଗୁଣ ଶୁଣିଲା ବେଳରୁ ମନ ମୋର ଅଥୟ ହେଉଛି । ଆହା,

ସାମାନ୍ୟ ଶୁକପକ୍ଷୀଟାଏ - ସେ କ’ଣ ମିଛ କହନ୍ତା । ସେ ନିଶ୍ଚୟ ତ୍ରିପୁରସୁନ୍ଦରୀ ସୁର-ସମ୍ପଦଦାୟିନୀ ମନମୋହିନୀ ହୋଇଥିବ । ଆହା, ଏତେବେଳେ ଯଦି କେହି ରତ୍ନେଶ୍ୱର ଜେମାର ପ୍ରତିମୂର୍ତ୍ତି ମୋତେ ଦେଖାନ୍ତା ମିତ୍ର, ତା’ହେଲେ ଏ ଚକ୍ଷୁ-କର୍ଣ୍ଣର ବିବାଦ କେଭେ ରହନ୍ତା ନାହିଁ ।

 

ଗୀତ

(ବେଗେ ଯାଅ ଯାଅ ଲଙ୍କାପୁରରେ – ବୃତ୍ତେ)

ମିତ୍ର ଆଜି କି ଶୁଣିଲି ଶ୍ରୁତିପଥେ ହେ । ନାମରେ ଯାହାର ଏତେ ଶକ୍ତି ଅଛି କାମରେ ନଥିବ କେତେ ହେ । ପଦ । ଲବଣୀ ପିତୁଳା, ନିଶ୍ଚେ ରାଜବାଳା, ହୋଇଥିବ ଏ ଜଗତେ । ବତିଶ ଲକ୍ଷଣା-, ଯୁକ୍ତ ସୁଲକ୍ଷଣା, ବଣିକ ବୋଇଲେ ଏଥେ ହେ ।୧। ଏ ଘେନି ସୁଷମା, ବହିଛି ସେ ରାମା, କ୍ଷମାଗୁଣ ଥିବ ଚିତ୍ତେ । ସେ ଗଜ ଗମନା, କାମୁକ କାମନା, ପୂରାଇବ ଅବିରତେ ।୨। କହନ୍ତା କେ ଥରେ, ରତି ପଣ୍ତିତାକୁ, ମୋ ମନ ଭାବ ଗୁପତେ । ଅହନ୍ତା କରିଣ, ମାରୁଅଛି ମୋର, ମରମକୁ ଶରାଘାତେ ହେ ।୩। ହର କୋପେ ପରା, ଡରେ ଫୁଲଚାପ ବୋଲନ୍ତି ଶାସ୍ତ୍ରେ ପଣ୍ତିତେ । ପାଣି ଭଣି ଶମ୍ଭୁ-, ପରେ ପାଣି ଦେଇ ତୋଷନ୍ତି ପରୀ ନିରତେ ହେ ।୪।

 

 

ମାଳୀ ପ୍ରବେଶ

ମାଳୀ–      ଯୁବରାଜ ! ମହ୍ଲାରୁ ମଦନିକା ନାମେ ବେଶ୍ୟା ଆସିଛି । ସେ ଶ୍ରୀଛାମୁରେ ସାକ୍ଷାତ ଇଚ୍ଛା କରେ ।

ଋତୁ–      ହଉ ହଉ ମାଳୀ, ତେବେ ଏଠାକୁ ଆସିବାକୁ କହ ?

ମାଳୀ–      ଯେ ଆଜ୍ଞା ।

(ପ୍ରସ୍ଥାନ)

ମାଳୀ ସହ ମଦନିକାର ପ୍ରବେଶ

ଚନ୍ଦ୍ର–      ମିତ୍ର ଏ ଗଣିକାମଣି ମର୍ତ୍ତ୍ୟର ନୁହେଁ । କେହି ଗନ୍ଧର୍ବୀ ସୁରମଣ୍ତଳରୁ ଶାପଭ୍ରଷ୍ଟା ହୋଇ ମହୀରେ ଜାତ ହୋଇଚି – ଏହାର ରୂପ ବର୍ଣ୍ଣନା କବିର କଳ୍ପନାତୀତ ।

 

ଋତୁ–      ବରାଙ୍ଗନେ ଆଉ ବସନା । ଆମ୍ଭ ରାଜପୁତ୍ରଙ୍କ ମନ ଭଲ ହେବା ପାଇଁ ଗୋଟିଏ ଗୀତ ଗାଇଲେ ଅନେକ ଧନରତ୍ନ ଉପହାର ପାଇବ ।

ମଦନିକା– ଛାମୁଁଙ୍କ ଆଜ୍ଞା ଶିରୋଧାର୍ଯ୍ୟ ।

 

ଗୀତ

(କାହିଁଗଲା ସଖୀ ଯମୁନା କୂଳିଆ– ବୃତ୍ତେ)

ଫୁଟିଚି ସୁମନା ଲୁଟିବ ମଧୁ ଭ୍ରମରା-ବନ୍ଧୁ ଯାଅ ହେ । ବିଧୁରଜନୀରେ ମଜ୍ଜି ପ୍ରେମ-ନୀରେ ଗୁଣୁ ଗୁଣୁ ଗୀତ ଗାଅ ହେ । ବିଞ୍ଚିଦେଇ ବାସ ରହିଛି ଅନାଇ, ସଞ୍ଚିଥୋଇ ସୁଧା ଅଛି ପରା ଚାହିଁ । ନ ଜୁଟିଲେ ଅଳି ଯିବଟି ମଉଳି କାଳି ପଡ଼ିବ ତା ଦେହ ହେ ।୧। ମାଳୀ ଦେଖି କାଳେ ତୋଳି ଘେନିଯିବ, ମାଳ କରି ଗୁନ୍ଥି ଆନ ଗଳେ ଦେବ, ବେଶି ଦିନ ଗଲେ ବାସି ହେଲେ ରସି ନଚାହିଁବେ କେହି ମୁହଁ ହେ ।୨। ସ୍ନେହଜଳେ ଭାସି ଜଳେ ତା’ର ଅଙ୍ଗ, କିଏ ବଳେ ଚାପେ ଯୋଖିବ ଅନଙ୍ଗ, ଭୃଙ୍ଗ ଅଙ୍ଗ ସଙ୍ଗ ହେବ ନିଶ୍ଚେ ଭଙ୍ଗ ଫେରିବ ନାହିଁ ସନ୍ଦେହ ହେ ।୩। ନିଶିରେ ଚନ୍ଦ୍ରକୁ ଦେଖିଦେଲେ ଶିବ, ଦିନେ ଭାନୁମୁଖ ଚାହିଁ ବିକଶିବ, ହସିଦେଲାକ୍ଷଣି କିଏ ନରସିବ ବଇଷ୍ଣବ ବୋଲେ କହ ହେ ।୪।

 

ଋତୁ–      ଧନ୍ୟ ଧନ୍ୟ ମଦନିକେ, ସଙ୍ଗାତଙ୍କ ମନ ଜାଣି ଗୀତ ଗାଇଚ – ବସ, ଉପହାର ନେଇ ବାହୁଡ଼ିଯିବ ।

ମାଳୀ–      (ପ୍ରବେଶି) ଯୁବରାଜ, ସିଂହଳଦ୍ୱୀପରୁ ଜଣେ ସନ୍ନ୍ୟାସୀ ସିଂହଳ ଜେମା-ଚିତ୍ରପଟ ଘେନି ଦ୍ୱାରେ ଅଛନ୍ତି, ଛାମୁଙ୍କ ଆଜ୍ଞାଙ୍କୁ ଅପେକ୍ଷା ।

 

ଚନ୍ଦ୍ର–      ମିତ୍ର ତୁମ୍ଭେ ଏଠାରେ ବସ, ମୁଁ ଯାଉଛି ଯୋଗୀଙ୍କି ପାଛୋଟିଆଣେ ।

ଋତୁ–      ମିତ୍ର ସେ କଣ, କେଉଁଠାକୁ ଯିବ, ସିଂହଳ ନାମ ଶୁଣି ଯେ ଏକାବେଳେ ବିହ୍ୱଳ ହୋଇଯାଉଛ, ବସ ଆମ୍ଭ ଲୋକ ଯାଇ ତାଙ୍କୁ ଘେନି ଆସିବେ ।

 

ଜଣେ ଲୋକ ସହ ସନ୍ନ୍ୟାସୀ ପ୍ରବେଶ

ଋତୁ–      ଯୋଗୀବର ପ୍ରଣାମ, ଏହି ଆସନରେ ବସନ୍ତୁ ।

ଚନ୍ଦ୍ର–      ସଙ୍ଗାତ, ଏ ଗଣିକାର ନେତ୍ରଛଟା ଆଉ ତା’ର ଭାବଭଙ୍ଗିରେ ନିଶ୍ଚେ ହର-ବ୍ରହ୍ମା ବଶ ହୋଇଯିବେ । ଆହା ଏପରି ମୋହିନୀ ମୂର୍ତ୍ତି କି ଜଗତରେ ଅଛନ୍ତି, କେତେ ଶ୍ରମ କରି ବିହି ଏ ପ୍ରତିମାକୁ ନିର୍ମାଣ କରିଥିବ ।

 

ସନ୍ନ୍ୟାସୀ– ଯୁବରାଜ, ଏ କିଛି ବଡ଼ ନୁହେଁ, ମୋ ନିକଟରେ ଯେଉଁ ଚିତ୍ରପଟ ସିଂହଳ ଜେମାଙ୍କର ଅଛି ତା’ଠାରୁ ଏ ଶତେଗୁଣେ ଊଣା, ତା’ର ପାଦଘଷା ପଥରକୁ ସରି ହେବା କଠିନ । ଏହି ଦେଖନ୍ତୁ ଯୁବରାଜ ସେ ଚିତ୍ର ।

 

ଋତୁ–      (ଚିତ୍ରଦେଖି) ଭାଷ ଯୋଗୀ ସତ ଏହି ଚିତ୍ର ଅଟଇ କାହାର ?

ସନ୍ନ୍ୟାସୀ– ଏ ଅଟଇ ରତ୍ନେଶ୍ୱର ରାଜଜେମାଙ୍କର ।

ଋତୁ–      ପ୍ରକୃତରେ ଏ ପ୍ରତିମା ଜଗତେ ଦୁର୍ଲ୍ଲଭ ।

ସନ୍ନ୍ୟାସୀ– ଯାର ଭାଗ୍ୟେ ଥିବ ୟାକୁ ସେ କରିବ ଲାଭ ।

ଚନ୍ଦ୍ର–      (ଚିତ୍ରକୁ ଚାହିଁ) ସଙ୍ଗି ! ନିଶ୍ଚେ ଯୁବା-ସୃଷ୍ଟି ନାଶିବାକୁ ଧାତା ଏହାକୁ କରିଛି ନିର୍ମାଣ ।

ଋତୁ–      ପ୍ରକୃତ ଏ ତବ ଅନୁରୂପା ନାରୀ ଜାଣ ।

ଚନ୍ଦ୍ର–      ଯତ୍ନ କଲେ ଫଳିବ କି ବନ୍ଧ୍ୟା ବୃକ୍ଷେ ଫଳ ।

ଋତୁ–      ଉପାୟ କରିବି ମିତ୍ର ନହୁଅ ଚଞ୍ଚଳ ।

ସନ୍ନ୍ୟାସୀ– ଯୁବରାଜ, ମେଲାଣି ନେଉଛି – ନିକଟରେ ହେବ ଏ କନ୍ୟାର ସ୍ୱୟମ୍ବର ଆସିଥିଲି ନିମନ୍ତ୍ରଣେ ।

(ପ୍ରସ୍ଥାନ)

ଚନ୍ଦ୍ର–      ପାଗଳ କରି ହେ ଯୋଗୀ ପଳାଉଛ କେଣେ ।

ଦ୍ୱାରୀ–      ପିତାଙ୍କ ଡକରା, ଯୁବରାଜ ଆସନ୍ତୁ ବହନ ।

ଚନ୍ଦ୍ର–      ମିତ୍ର କରନ୍ତୁ ବିଦାୟ ଗଣିକାକୁ, ଜାଣେ ଏ ସନ୍ନ୍ୟାସୀ କିବା ବଶ୍ୟ ଉଚ୍ଚାଟନ ।

(ସମସ୍ତଙ୍କର ପ୍ରସ୍ଥାନ)

ତୃତୀୟ ଦୃଶ୍ୟ

ଶୟନାଗାର

କାମକଳାଦି ସଖିଗଣ ପାର୍ଶ୍ୱେ ଉପବେଶନ – ଲାବଣ୍ୟବତୀର ନିଦ୍ରାଭଙ୍ଗ

କାମକଳା– ଜେମାଦେଈ, ବାୟାଣୀ ପରି ହୋଇ ଶେଯରେ କ’ଣ ହଜାଇ ଖୋଜୁଛ କି ? କେଶରେ, ଊରୁ ସନ୍ଧିରେ କ’ଣ ଥୋଇଥିଲ କିଏ ନେଇଗଲା କି ? ହଠାତ୍ ନିଦରୁ ଉଠି ଏପରି ହେଲ କାହିଁକି, କ’ଣ ସପନ ଦେଖିଲ ନା କଅଣ ?

 

ଲାବଣ୍ୟ-       କାମକଳା, ମୁଁ ତୁମ୍ଭଙ୍କୁ ସେକଥା କଅଣ କହିବି – ମୋ ହୀନ କପାଳକୁ କାହିଁକି ବିଧାତା ସୁଧାପାନ ଦେଇ ଛଡ଼ାଇ ନେଲେ । ମୋର କି ଖଣ୍ତ ତପସ୍ୟା ଥିବାରୁ ଏ ଦଶା ଘଟିଲା ।      (ରୋଦନ)

କାମମଳା– ଜେମାମଣି, କାନ୍ଦନା– କଅଣ ଘଟଣା ପ୍ରକୃତ ଭାବରେ ଆମ୍ଭ ଆଗରେ କହ ।

ଲାବଣ୍ୟ-      ସଖୀଗଣ, ମୁଁ ତାହା କହୁଛି ଶୁଣ ।

 

ଗୀତ

(ରୁହ ରୁହ ରୁହ ବାବାଜୀ– ବୃତ୍ତେ)

(ମୁଁ) ପାଇବା ରତନ ଦେଲି ହଜାଇ ।

ସ୍ୱପନେ ମୋ ମନ ମଜାଇ, ସହି ନିଦ ନାଶେ ଗଲା ସେ କାହିଁ ।

ଆସି ପୁରୁଷ ଏକ ବସି ମୋ’ ପାଖ ଊରେ ନିବେଶି କର,

ଅଙ୍ଗେ ଅଙ୍ଗ ମିଶାଇ ରଚନ୍ତେ କେଳି ଭାଜିଲା ନିଦ୍ରା ମୋର ।

ରତି ଚୋରକୁ ଲୋଡ଼ି ତ ପାଉନାହିଁ,

ଧୀରସ୍ଥିରଭାବେ ମନ ରହୁନାହିଁ ।

ସେହି ରସିକ ଶଶୀ      କାଳେ ବା ରସି

ଲୁଚିଥିବ ନୀଳନୀରଦେ ଯାଇଁ ।୧।

ତେଣୁ ଘନକୁନ୍ତଳେ ଫିଟାଇ ବଳେ ପାଇଲି ନାହିଁ ଦେଖା,

ଭାବି କରିଲି ସ୍ଥିର ମୋ ବେନି ଊର ଗିରି ସମାନ ଏକା,

କାଳେ ଉପତ୍ୟକା ମଣି ମଧ୍ୟଦେଶେ,

ଲୁଚିଥିବେ ଅସ୍ତାଚଳ-ମଣି ଶେଷେ

ତେଣୁ ସଙ୍ଗିନୀ ଈଶ କଲି ତଲାସ

ସେ ତ ଶେଯେ ଥିବା ପାଞ୍ଚିଲି ମୁହିଁ ।୨।

ତା’ର ମୋହନ ରୂପ ସଖି କଳାପ ନାଚେ ନୟନରେ,

ଯେବେ ଆସନ୍ତେ ପାଶେ ବାନ୍ଧନ୍ତି ବାସେ ସ୍ୱପନେ ଶୟନରେ ।

ବଶ୍ୟ ଉଚ୍ଚାଟନ ଜାଣେ ସେ ନାଗର,

ତାକୁ ଆଣିଦେବ କିଏ ମୋ ଆଗର ।

ତାର ହୁଅନ୍ତି ଋଣୀ ତରୁଣିମଣି

ବଇ ଭଣି ଆଉ ନପାରେ କହି ।୩।

 

କାମ-      ରାଜବାଳା ଏକଥା କହୁଛ ତୁମ୍ଭକୁ ଲାଜ ମାଡ଼ୁନାହିଁ ? ଯେଉଁ ପୁର ମଧ୍ୟରେ ଚନ୍ଦ୍ର ସୂର୍ଯ୍ୟଙ୍କ ଛାଇ ପଡ଼େନା, ଚନ୍ଦନ ତରୁକୁ ଅହି ଜଗିଲା ପରି ଯେ ପୁର ଚାରିପାଖେ ବିଷଧର ଅହି ତୁଲ୍ୟ ପ୍ରହରୀମାନେ ରହିଛନ୍ତି, କେବଳ ଉପବନର ସମାଗମ ବିନା ଏ ପୁର ଅନ୍ୟ କେ ଗମିବା ଅସମ୍ଭବ । ଦେବ-ଅଗମ୍ୟପୁରେ ତୁ ମାନବ ବା ପାଇଲୁ କିପରି ? ଯେବେ ସ୍ୱପ୍ନ ସତ୍ୟ ହୋଇଥାଏ, ତେବେ ସେ ପୁରୁଷ ନିଶ୍ଚେ କେହି ଦେବଅଂଶୀ ହେବ ।

 

ବିମଳା-      ଜେମା ତାଣ୍ଡବ ଚିତ୍ରକୁ ତ ମହାଦେବ ଆଳୟରେ ଦେଖିଚ, ତହିଁରୁ କେହି ହେବ କି ନା ମଦନକୁ ଦେଖିଲ ?

ଲାବଣ୍ୟ- ନା ସଖୀ ।

ପରିମଳା- ମଲା, ସଖୀଏ ଏତେ ପଚାରୁଛ କାହିଁକି, କ’ଣ ଦେଖିପାରୁନାହଁ । ଏ ଧରା ପଡ଼ିଲାଣି ଚୋର । ଖୋଜା ଲାଗିଅଛି ବରଘର । ସଙ୍କେତ ପରା ଆଗରେ ପଡ଼ିଛି, ସପନ କିଆଁ ହେବ ? ଏ ତ ସତକଥା !

ଗୀତ

(ଚନ୍ଦ୍ରବଦନାରେ ଜଣାଉଚି ଘେନ- ବୃତ୍ତେ)

ଦେଖ ସଙ୍ଗିନୀ ଗୋ ଗଣ୍ଡେ ଲାଗିଛି ତାମ୍ୱୁଳ ବୋଳ ।

ଅଛି ଦନ୍ତକ୍ଷତ ଚାହାଁରେ ସଙ୍ଗାତ ଗାଢ଼େ ଚୁମ୍ୱି କଲା କୋଳ ।।

ଉରଜ ଉପରେ କରଜର ଗାର ଅର୍ଦ୍ଧଚନ୍ଦ୍ର ପରା ଦିଶେ ।

ଗୋଟି ଗୋଟି ହୋଇ ଫୁଟି ଚହଟୁଛି କି ସୁନ୍ଦର ଝୀନ ବାସେ ।୧।

ଠାବେ ଠାବେ ବିଧୁରାଜ ବିରାଜଇ କସ୍ତୁରୀ ଚନ୍ଦନ ଛଟା ।

ପୁଂସ ଅଙ୍ଗେ ଅଙ୍ଗ ଯୋଗ ହେଲାବେଳେ ପଡ଼ିଛି ପୀରତିଭଟ୍ଟା ।।

ଭିଡ଼ିବାର କାଳେ କନକତନୁରେ କନକ କଙ୍କଣ ଦାଗ ।

କାମକଳା ପରା ଧରା ପଡ଼ିଯାଏ କାମ ବହି ଅନୁରାଗ ।୩।

ଭେଟିବା ବେଳେ ତ ଭେଟି ଦେଇ ସେହି ତା ଅଙ୍ଗୁଷ୍ଠିର ମୁଦ୍ରିକା ।

ସୃଷ୍ଟି ମଣ୍ଡନାର ମଣ୍ଡନ ହୋଇଛି ତା’ ଅଙ୍ଗୁଷ୍ଠି ଅନାମିକା ।୪।

କେଉଁ ଦେବୀ ନିଦ୍ରାଭୋଳେ ମାୟାବଳେ କରାଇଚି ଏତେକାଣ୍ଡ

ବଇଷ୍ଣବ କହି ଉଣ୍ଡ ତା’ ସନ୍ଧାନ ଶ୍ରମ ହେବ ନାହିଁ ପଣ୍ଡ ।୫।

 

କମଳା-      ପରିମଳା ଦେଖିଲଣି ନା ଏ ଚିତ୍ର ଏଠାରେ ନ ଥିଲା - ଏଠି କିଏ ରାତି ମଧ୍ୟରେ ୟାକୁ ଆଙ୍କିଦେଇଗଲା ।

ଲାବଣ୍ୟ-      ସଖୀଗଣେ, ଯେଉଁ ପୁରୁଷ-ସିଂହକୁ ମୁଁ ସ୍ୱପ୍ନରେ ହରାଇଛି ଏ ତାଙ୍କରି ପ୍ରତିମୂର୍ତ୍ତି । ନଳନାକୁ ଛଳନା କରିବାକୁ କିଏ ପ୍ରତିବିମ୍ୱ ଏଠି ରଖିଗଲା । ହା ନାଥ ! ସଖୀ, ଏ ଚନ୍ଦ୍ର କିରଣ, ମଳୟ ପବନ, ଭ୍ରମର ଗୁଞ୍ଜନ, କୋକିଳସ୍ୱନ, ଫୁଲସୁବାସ, ଚନ୍ଦନ, କସ୍ତୁରୀ, କର୍ପୂରରଜ, ଝୀନବସନ, ମୁକ୍ତାହାର ମୋତେ ବିଷପରି ଲାଗୁଛି । ହାୟ ସଖୀଗଣେ, ମୋ ଆଶା ଛାଡ଼ ।

ଗୀତ

(ଦଇବରେ ଏଡ଼େ ଦାରୁଣ ତୋ ଛାତି- ବୃତ୍ତେ)

କମଳା ଗୋ ଛାଡ଼ ମୋର ପ୍ରତି ଆଶା । ବିରହୀ ନାରୀକଣ୍ଟକ ବସନ୍ତ ବରଷା । ପଦ। ପୁଣି ଏ ଶରଦଶଶୀ, କିରଣରାଶି ବରଷି । ଶୋଷିବ ପିଣ୍ଡ ପରାଣ ଜାଣି ମୋ କୁଦଶା ।୧। ମାରର ବିଷମ ରୀତି । ଯିବ କେ ତହୁଁ ବରତି । ଜଳେ ଜଳେ ଶୀତଳ ସେ ନ ଭଜେ ସହସା ।୨। ଚନ୍ଦ୍ର ଚନ୍ଦନ ମିଶାଇ ଅଙ୍ଗରେ ଘଷନ୍ତେ ସହି । ଛଟକେ ସ୍ଫୋଟକ ଜନମାଏ ଦିବାନିଶି ।୩। ପୁଣି ସେ କଳାକଣ୍ଟକ । ହୋଇଛି କାଳକଣ୍ଟକ । ଚାରିଯୁଗେ ନାରୀକୁଳଠାରେ ତା’ର ହିଂସା ।୪। ପୁରୁଷ ପରଶ ବିନା । ଆନେ ମୋ ନାହିଁ କାମନା । ଲୁହା ଚୁମ୍ୱକ ସମାନ ବଇଷ୍ଣବ ଭାଷା ।୫।

 

କମଳା-      ଜେମାମଣି ତୁମେ ଯେଉଁ ବିରହ ରୋଗରେ ପଡ଼ି କଷ୍ଟ ପାଉଚ, ତା’ର କ’ଣ ଉପାୟ କିଛି ନାହିଁ ? ଆମ୍ଭେମାନେ ଏତେ ସଖୀ ଥାଇ ତୁମର କ’ଣ କିଛି ଉପାୟ କରିପାରିବୁ ନାହିଁ । ଥୟ ହୁଅ, ଏ ରାଜଭବନରେ ତୁମ୍ଭର କିଛି ଅଭାବ ନାହିଁ । ଧନ ଥିଲେ ଜନ ଅବଶ୍ୟ ମିଳେ । ଏ କାମନା ଯେବେ କର ଖରଚ ଯେତେ ହୁଏ ବେଶି ତେତେ ବରଷିବ ନୀର । ହେଇ ମାଳିନୀ ଆସିଲା ପରି ତ ଦିଶୁଚି । ତା’ର ମୁହଁ କାହିଁକି ପ୍ରଫୁଲ୍ଲ ଜଣାଯାଉଚି । କ’ଣ ଭଲ ଖବର ଆଣିଚି କି ? ତାକୁ ପରା ହରଦେଉଳରେ ଫୁଲ ଖଞ୍ଜା କରିଥିଲ । ତା’ର ଫଳ କ’ଣ କିଛି ନାହିଁ- ତେବେ କିଏ କାହିଁକି ଏଣିକି ଦିଅଁ ଦେବତା ପୂଜିବ ।

 

ଲାବଣ୍ୟ-      କମଳା ! ସବୁ କପାଳ, ବଡ଼ଲୋକ ହେଲେ କି ହେଲା ଶିବଙ୍କଠାରୁ ବଡ଼ କିଏ ଅଛି । ସମୁଦ୍ର ମନ୍ଥନରେ କେବଳ ତାଙ୍କ କପାଳରେ ବିଷ ପଡ଼ିଲା । ଯେବେ ସେହିପରି ମୋ କପାଳ ମନ୍ଦ ହୋଇଥିବ କୋଟି ଦିଅଁ ଦେବତା ପଥର ହୋଇଯିବ । ତୁମ୍ଭେ ଏତେ ସଖୀ ଥାଇଁ କ’ଣ କରିବ ?

 

(ମାଳିନୀର ପ୍ରବେଶ)

ମାଳିନୀ-      ଆଲୋ ରାଜା ଝିଅ ଭଲ ଅଛୁ ତ ? କି ଲୋ କାମକଳା-କମଳା-ବିମଳା-ପରିମଳା, ହେ ମଞ୍ଜରିଝିଅ, କାହିଁକି ଏଡ଼େ ଶୁଖିଲାଟା ଦିଶୁଚ ?

 

କମଳା-      ମାଉସୀ କ’ଣ କହିଁବୁ ତାଙ୍କୁ ବିରହ ବେଦନା ଶୋଷୁଚି ।

ମାଳିନୀ-      ମଲା ! ଝିଅକୁ ଥିର କରାଅ, ମୁଁ ପରା ତାହାରି ଲାଗି ତରତର ହୋଇ ଧାଇଁଚି, ଶୁଣ ....

 

ଗୀତ

(କି ନାମ ବୋଇଲୁ - ବୃତ୍ତେ)

ଗଲା କାଲି ଚତୁର୍ଦ୍ଦଶୀ ନିଶିରେ, ଜାଗର ଶିବ ଦେଉଳେ । ହୋଇ ଉପବାସୀ, ଜାଳୁଥିଲି ବସି, ରାତିଅଧେ ତୋ’ ମଙ୍ଗଳେ ।୧। ଅଳପ ଘୁମାଇ, ପଡ଼ୁ ପଡ଼ୁ ମୁହିଁ, ଏକାଳେ ଉମା ମହେଶ । ଘେନି ଦୀର୍ଘବେତ, କରେ ଭୂତନାଥ, ଆସି ମିଳିଲେ ମୋ ପାଶ ।୨। ଛୁଇଁ ସେହି ବେତ, କରାଇ ସତେ, ଏ ଭାବ ବ୍ୟକତ କଲେ । କଷ୍ଟ ପାଉଅଛି ସିଂହଳେଶ ଜେମା, ତୁଷ୍ଟ କର ଯା ବୋଇଲେ ।୩। ଶଶୀଶେଖର କୋଳରେ ଚନ୍ଦ୍ରଭାନୁ କର୍ଣ୍ଣାଟେ ହୋଇଛି ଜାତ । ଲଭୁ ସେ ତାହାକୁ ନାହା ଭାବେ ବରି, ପୂରିବ ତା ମନୋରଥ ।୪। ସୁନ୍ଦରପଣକୁ ଚନ୍ଦ୍ର, ପୁରନ୍ଦର, କନ୍ଦର୍ପ ନୋହିବେ ସରି । ସ୍ୱପନବଶେ ଯା ଲପନକୁ ଚୁମ୍ୱି, ମରୁଅଛି ଝୁରି ଝୁରି ।୫। ଶୁକ ବ୍ରହ୍ନଚାରୀ ଆସି କାଲିପରି ସଙ୍କେତ ଘେନି ମିଳିବ । ଏତେ କହି ହର ଅନ୍ତର ହୋଇଲେ ଭାଷେ ବିପ୍ର ବଇଷ୍ଣବ ।୬।

 

ମାଳିନୀ-      ଜେମା, ମୋତେ ସେତିକିବେଳୁ ତ ନିଦ ନାହିଁ । ଖବର ତ ପାଇଲ ମୋତେ ମେଲାଣି କର ।

ଲାବଣ୍ୟ-      ମାଳିନି ! ସେକଥା ମୋତେ ପୁଣି ଥରେ କହ; ଚିର କ୍ଷୁଧାତୁରକୁ ସୁଧା ପରସିଲୁ, ମୁଁ ତୋର ଏ ଋଣ ସାତଜନ୍ମେ ଶୁଝି ପାରିବି ନାହିଁ । ମାଉସୀ ଦୁର୍ଗାଙ୍କୁ ସୁନା ଚିତା ଓ ମନ୍ଦାର ମାଳ, ଶିବ ଶିରେ ଗୋ ଦୋହନ ଓ ବେଲପତ୍ରି ଲକ୍ଷେ ଦେଇ ଜଳଛାଇ କରାଇବୁ, ମୁଁ ସବୁ ଦରବ ତୋ’ ପାଖକୁ ପଠାଇ ଦେଉଚି ।

 

ଗୀତ

(ମାନକର ଦାନ ଧନ - ବୃତ୍ତେ)

ମାଳିନି ! ମୋ ପାଇଁ ଆଉ ଥରେ କହ ଯାଇ ଲୋ । ଉମା ମହେଶଙ୍କୁ ସେବା ପୂଜାରେ ମନାଇ ଲୋ । ପଦ । ଜୀବ ଥିଲେ ଶିବ ସେବା, କରୁଥିବି ନିଶିଦିବା, ଯୁବା ଯୁବତୀଙ୍କ ମନ ରଖିବେ ରଞ୍ଜାଇ ଲୋ ।୧। ନ ଘଟିବ ବିଘ୍ନବାଧା, ଏ ବସୁଧା ପରେ ସଦା, ତେଜିବି ଜୀବନଧନେ ବସିଲେ ହଜାଇ ଲୋ ।୨। କଷ୍ଟେ ଉପାର୍ଜିତ ଫଳ, ସେ ଯେବେ ହୁଏ ବିଫଳ, ଇଷ୍ଟ ବୋଲି କେ କିମ୍ପା ଭଜିବ ଭାଷେ ବଇ ଲୋ ।୩।

 

କମଳା-       ରାଜଜେମା ! ଏଡ଼େ ଅସ୍ଥିର ନହୋଇ ସାହାସ ବାନ୍ଧ, ଯେତେ ଯେତେ ଶୁଭସୂଚକ ଦେଖାଯାଉଛି ଏ କାର୍ଯ୍ୟ ନିଶ୍ଚୟ ସିଦ୍ଧି ହେବ । ଦେବୀଙ୍କ ଦୟାରୁ ସ୍ୱପନ ତ ସତ ହୋଇଛି । ଭୋକ କଲେ କି ଲୋକ ଦୁଇ ହାତରେ ଖାଇଯାଏ ? ହିମଋତୁ ପଦ୍ମବନକୁ ଜାଳିଦିଏ । ମୂଳ ଥିବାରୁ ସିନା ସେ ବସନ୍ତରେ ପୁଣି ପଲ୍ଲବିଉଠେ । ସେହିପରି ଯେବେ ତୁମ୍ଭେ ଜୀର୍ଣ୍ଣଶୀର୍ଣ୍ଣ ଦେହରେ ପଡ଼ିଥିବ, ତେବେ ନିଶ୍ଚେ ତୁମ୍ଭର ବାଞ୍ଛିତ ଧନ ପାଇ ମହା ସୁଖୀ ହେବ । ଆହୁରି କହୁଛି ଶୁଣ ।

 

 

ଗୀତ

(ଜଣାଯାଉ ନାହି ଆଉ ସ୍ନେହ- ବୃତ୍ତେ)

ମୋର କଥା ମନେରଖିଥା ଗୋ ରାଜସୁତା । ବନେ ଫୁଟିଲେ ମାଳତୀ ନ ଭୋଗଇ ଭୃଙ୍ଗ କି ତା । ପଦ । ମଧୁମକ୍ଷିକା ସଞ୍ଚିତ, ମଧୁ ଯେବେ ପରାପତ । ଅହି ଚନ୍ଦନେ ରକ୍ଷିତ ଥିଲେ ଘେନନ୍ତି ଦେବତା ।୧। ବିକଶି କୁସୁମ ବାସ, ନ କରି କି ପରକାଶ । ସାଗରେ ଯାଇ କି ନଦୀ ନ ମିଳଇ ତେଜି ଚିନ୍ତା ।୨। ବାଳ ଅରୁଣ କିରଣ, ଜଳଦେ କି ଲୁଚେ ପୁଣ । ଚହଟି ଦିଶଇ ଫୁଟି ରେ କାମକଳପ ଲତା ।୩। ଚେତାଇଦେଲି ସୁତନୁ, ନ ପାସୋରୁ ଏହା ମନୁ । ଅନୁଭବୀ ବଇଷ୍ଣବ ଭାବି ଲେଖଇ କବିତା ।୪।

 

ପରିମଳା - ମାଳିନି ! ଚାଲ ତୁମ୍ଭର ଉପହାର ତୁମ୍ଭେ ଘେନି ଯିବ । ଆମ୍ଭର ତ ଏଣିକି ଏଇ ବେପାର ଲାଗିଲା । ଜେମାଦେଈ କାହିଁକି ମାଳିନୀକି ବସାଇଛ – ଚାଲନ୍ତୁ ତାକୁ ମେଲାଣି କରିଦେବା । ଯେ ଯହିଁକି ଅଟଇ ଯୋଗ ସେ ତା’ ବାନ୍ଧି ହେଉଥାଏ ଭୋଗ।

ସମସ୍ତେ-      ହଉ ଚାଲ ।

(ସମସ୍ତଙ୍କର ଧୀରେ ଧୀରେ ପ୍ରସ୍ଥାନ)

ଚତୁର୍ଥ ଦୃଶ୍ୟ

ଶୟନାଗାର

ଚନ୍ଦ୍ରଭାନୁର ନିଦ୍ରା ନାଶ ଓ ବିଳାପ

ଚନ୍ଦ୍ର-      ଜୀବେଶ୍ୱରି ! ଟିକିଏ ରହ ରହ, ପଳାନାହିଁ ପଳାନାହିଁ । ହାୟ ହାୟ ମୋତେ ଦେଖାଦେଇ କାହିଁ ଲୁଚିଗଲୁ ? ରେ ଅରୁଣାଧରି ! ଆଉ ଥରେ କରୁଣା କରି ତୋର ମୋହିନୀ ମୂର୍ତ୍ତି ମୋତେ ଦେଖା।

ଗୀତ

(କୀର୍ତ୍ତନ- ବୃତ୍ତେ)

ଦରିଦ୍ରେ ଦେଇ ରତନ, କି ଭାବି ବାଳୀ ରତନ, ପୁଣି ଘେନି ପଳାଇଲୁ, କି କଷ୍ଟେ କରି ପତନ । ପଦ । ନିଶ୍ଚେ ଅତନୁ ଅନଳେ, ଜଳିଗଲି ଚାହାଁ ଡୋଳେ, ବରଷି ବଚନ ସୁଧା ଲିଭାଇ କର ଯତନ ।୧। ନୁହେଁ ସ୍ୱପନ ଏହି, ବଳେ ଗଳେ ଗଳାହାର ଗଲୁ ଦେଇ । ତୋ ଲପନ ଚୁମ୍ୱି ମଧୁ ଅଛି ପିଇ । ବାସେ କୁଙ୍କୁମର ରଙ୍ଗ, ବିରାଜଇ ସଙ୍ଗ ଭଙ୍ଗ, କି କାରଣେ କଲୁ ସହି । ରସାମଣ୍ଡନା, ଆଉ ଧଇର୍ଯ୍ୟ ଦ୍ରୁମକୁ ଖଣ୍ଡନା । ପ୍ରୀତିଧନ ଦାନ ଦେଇ ତଣ୍ଡନା । ଦାସ ଦୋଷ କରିଥିଲେ ଭଣ୍ଡନା, ବଇ ବୋଲେ ବର୍ଣ୍ଣିବି କି ଦେଲୁ ଯେ ଭାବ ନୂତନ ।୨।

 

ଆରେ ଆରେ ବିଶ୍ୱବିମୋହିନୀ, ଥିଲେ ଦାସଠାରେ ତୋର ଦୟା, ଦେଖା ସେହି ମୋହିନୀ ଛବିକି । ଜାଣୁଛି କଥା ତୋତେ କହିଲା କାଳରେ, କଲା ବିଶ୍ୱକାନ୍ତି ସାର ଠୁଳ ଏକ ଠାବେ, ଯହୁଁ ଆଣିଥିଲା କାନ୍ତିସାର, ମିଶି କିରେ ଗଲୁ ସେହି ସେହି ପଦାର୍ଥରେ, ନେତ୍ର ନୀଳୋତ୍ପଳରେ, ମୁଖ ଚନ୍ଦ୍ରରେ, କେଶ ଘନରେ, ନାଶା ତିଳପୁଷ୍ପରେ, ଦଶନ ମୁକ୍ତାରେ, ଅଧର ବିମ୍ୱଫଳରେ, ବାହୁ ମୃଣାଳଦଣ୍ଡରେ, କୁଚ ଶ୍ରୀଫଳରେ, ଉଦର କମଳଦଳରେ; ନାଭି ଜଳ ବ୍ୟାଳରେ, କଟୀ ସିଂହରେ, ଜାନୁ ମର୍କତ ସ୍ତମ୍ଭରେ, ଗତି ହଂସରେ, କରଜ ନିଆଳୀରେ; ଅଙ୍ଗୁଷ୍ଠି ଚମ୍ପକ କଢ଼ିରେ, ଭୂରୁ ଇନ୍ଦ୍ର କୋଦଣ୍ଡରେ, ହାସ ବିଧୂ କିରଣରେ, ଏହି ଏହି ପଦାର୍ଥରେ ପୁଣି ମିଳାଇଗଲୁ ନା ତା ନୁହେଁ, ମୋତେ ଛଳନା କରି ଲଳନାତିଳକ ଏ ଦଣ୍ଡ ଦେଉଛୁ । ତୋର ଚିତ୍ରପଟ ଦେଖିବାରୁ କି ମୋ’ ଚିତ୍ତ ବିଭ୍ରମ ହେଲା । ତେଣୁ ସ୍ୱପ୍ନରେ ଦେଖିଲି, ଯେବେ ସ୍ୱପ୍ନ ତେବେ ଏ ମୁକ୍ତାରଞ୍ଜିତ ରତ୍ନହାର କାହାର ।

 

(ଋତୁଧ୍ୱଜର ପ୍ରବେଶ)

ୠତୁ-      ସଙ୍ଗାତ, କ’ଣ ପାଗଳ ହେଲ, କାହିଁକି ସନ୍ନିପାତ ରୋଗୀପରି ପ୍ରଳାପ କରୁଛ ? ମୁଁ କହୁଛି ଦମ୍ଭଧର, ନିଶ୍ଚୟ ସେ କୁମ୍ଭସ୍ତନୀ ଦିନେ ତୁମ୍ଭରି ହେବ । ଜଣାଯାଏ ନିଶ୍ଚେ କେହି ଦେବୀ ନିଦ୍ରାବଶେ ତୁମ୍ଭ ଦୁହିଁକି ଏକତ୍ର କରିଚି, ତା ନହେଲେ ଏ ସଂକେତମାନ ପରିଲକ୍ଷିତ ହୁଅନ୍ତା ନାହିଁ । ଅଗସ୍ତି ପରା ମୁନି ସପ୍ତସାଗରକୁ ଚଳୁ କଲେ, ମର୍କଟଗଣ ବନବିହାରୀ ହେଲେ, ଧ୍ରୁବପରି ସାତବର୍ଷ ବାଳକ ବ୍ରହ୍ମଦର୍ଶୀ ହେଲେ । ଏପରି କେତେ ଅସମ୍ଭବ ଜଗତରେ ସମ୍ଭବୁଛି; ତୁମ୍ଭ ପକ୍ଷରେ ଏହା ଘଟିବା ଅସମ୍ଭବ ନୁହେଁ । ମନବଳ ଥିଲେ ଧନ ନିଶ୍ଚୟ ମିଳେ।

 

ଚନ୍ଦ୍ର-      ସଙ୍ଗାତ, ସେ ବାରଣ-ଗମନାକୁ ମୁଁ ନ ପାଇଲେ ନିଶ୍ଚୟ ମରଣ ମୋତେ ବରଣ କରିବ । ମୋର ପ୍ରାଣ ଆଶା ବୃଥା ।

ପୁରୋଧାପୁତ୍ର- ରାଜପୁତ୍ର, ସେ ଅମଙ୍ଗଳ କଥା ହୃଦକୁ ଆଣନା, ଏ ଦଶା ତୁମ୍ଭ ଶତ୍ରୁକୁ ନଘଟୁ, ମୋର ସାନକଥା ଶୁଣ ।
 

ଗୀତ

(ଆରେ କୁମର ମୋହର- ବୃତ୍ତେ)

ନିଷ୍ଠା କରିବା ଏ ଚେଷ୍ଟା ରାଜସୁତ । ବିଶ୍ୱସ୍ରଷ୍ଟା ନିର୍ମାଣିଛି ସେ ନାରୀକି, ତୁମ୍ଭଭୋଗ ଲାଗି ଜାଣିଛି ମୁଁ ତ । ପଦ । ସିଂହଳ ଦ୍ୱୀପେ ଅଛି ସେ ସିଂହଳ ଦ୍ୱୀପେ । ସାଧୁ ଶୁକ ବ୍ରହ୍ନଚାରୀ ତା’ ର ସମୀପେ । ଯାଇଛନ୍ତି ଜେମା ନିକଟେ; ଫେରିଲେ ତେଣିକି ଉପାୟ ଅଛି ବହୁତ ।୧। ତେଜିବ ଜୀବ କି ଯୋଗେ ତେଜିବ ଜୀବ । ନିଶ୍ଚେ ରାଜୀବନୟନା ଦିନେ ଭଜିବ । ଲକ୍ଷ୍ମୀ ଏକା ଜାଣ ନାରୟଣ ପାଇଁ ଆନ ଲଭିବାକୁ କେ ସାମରଥ ।୨। ସେ ଯେଣୁ ଅଟେ ଅବଳା, ନିଶ୍ଚେ ସେହି ପୁଂସ ହେବ ତା ଗଳା ମାଳା । ସେ ନୃପକୁମାରୀ ଅତି ସୁକୁମାରୀ ତୁମ୍ଭେ ତ କୁମାର କୁମାରବତ । ଶଶୀ ଶଶାର ଯେ ଭାବ ଶଶୀ ଶଶାର, ସେହି ଭାବ ହେବ ତ ନବ ନବ ଯୋଷାର । ଅଙ୍କରେ ମିଶିବ ଶଙ୍କର-ଉରଜା ବିପ୍ର ବଇଷ୍ଣବ ରଚେ ଏ ଗୀତ ।୪।

 

ଋତୁ-      ପୁରୋଧା ପୁତ୍ର ଯା କହିଲେ ତା’ ପ୍ରକୃତ । ଉପାୟ କଲେ ଅସାଧ୍ୟ ସାଧନ ହୁଏ । ଚାଲ ଆମ୍ଭ କର୍ଣ୍ଣାଟରୁ ସିଂହଳକୁ ବିନୋଦା ନାମକ ବାଜୀକରକୁ ଆଜି ପଠାଇବା । ସେ ଗୋଟିକାଞ୍ଜନ ସ୍ତମ୍ଭନ, ମୋହନ, ବଶ୍ୟ, ଉଚ୍ଚାଟନ ବିଦ୍ୟାରେ ଅତି ସୁଦକ୍ଷ । ମହା ମହା ଗୁରୁମାନେ ତାକୁ ଗୁରୁ କରି ମାନିଥାନ୍ତି । ଗଦପଦ ବିଷବିଦ୍ୟାରେ ମଧ୍ୟ ଜଣେ ସେ ଧନ୍ୱନ୍ତରୀ ପରି । ପ୍ରେମରୂପା ନାମରେ ଯେ ନଟୀ ସଙ୍ଗରେ ଅଛି ସେ ମଧ୍ୟ ତା’ର କୁଳବିଦ୍ୟାରେ ଅତି ଚତୁରୀ । ତାକୁ ସେଠାକୁ ପଠାନ୍ତେ ସେ ରାଜଦରବାରରେ ଯାଇ କୁହୁକଦ୍ୱାରା ତୁମ୍ଭର ରାଜ୍ୟ ଓ ଚିତ୍ରପଟ ଦେଖାଇ ଉଚ୍ଚାଟ କରି ଆସିବ । ରାଜା ତାହାର ଗୁଣରେ ବଶ ହୋଇ ଅନେକ ପୁରସ୍କାର ମଧ୍ୟ ତାକୁ ଦେବେ । ଶୀଘ୍ର ଏହାର ଯୋଗାଡ଼ କରିବା ।

 

ଚନ୍ଦ୍ର-      ଚାଲ ସଙ୍ଗାତ, ଏକଥା ମୋ ମନକୁ ଆସିଲା । ଶିଷ୍ୟ ଉପଶିଷ୍ୟ ସହ ତାକୁ କିଛି ଧନ ଦେଇ ସିଂହଳକୁ ପଠାଇବା ।

(ସମସ୍ତଙ୍କର ପ୍ରସ୍ଥାନ)

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

ରାଜସଭା

ସିଂହଳ ରାଜା ମନ୍ତ୍ରୀ ସହ ପ୍ରବେଶ

ରାଜା-      ମନ୍ତ୍ରୀ ! କେତେ ଦିନ ହେଲା ସନ୍ନ୍ୟାସୀ ଜେମା-ଚିତ୍ର ଘେନି ଦେଶ ପର୍ଯ୍ୟଟନକୁ ଗଲେ; କାହିଁକି ସେ ଫେରିଲେ ନାହିଁ, ତାଙ୍କୁ ନ ଦେଖି ମନ ବଡ଼ ଅସ୍ଥିର ହେଉଛି ।

 

ମନ୍ତ୍ରୀ-      ରତ୍ନେଶ୍ୱର ମହାରାଜ ! କିଛି ଚିନ୍ତା କରନ୍ତୁ ନାହିଁ । ଈଶ୍ୱରଙ୍କ କାର୍ଯ୍ୟ ଈଶ୍ୱର ଚଳାଇବେ । ମାନବ ତା’ର ଉପଲକ୍ଷ ମାତ୍ର । ମୁଁ ଶୁଣୁଛି ସନ୍ନ୍ୟାସୀ ଫେରି ଆସିଲାଣି, ବୋଧହୁଏ ବର୍ତ୍ତମାନ ଛାମୁରେ ଭେଟିବେ ।

 

ସନ୍ନ୍ୟାସୀ- (ପ୍ରବେଶି) ଜୟ ଶିବଶମ୍ଭୁ ହର ହର ମହାଦେବ । ମହାରାଜାଙ୍କର ଜୟ ହେଉ ।

ରାଜା-      ଜ୍ଞାନାନନ୍ଦ ! କହିଲ କେଉଁ ଦେଶକୁ ଜେମା-ଚିତ୍ରପଟ ନେଇ ଗଲ । ସେହି ରାଜଫୁଙ୍ଗବ କନ୍ୟାରୂପ ଦେଖି କଅଣ କହିଲେ ?

ସନ୍ନ୍ୟାସୀ- ରତ୍ନେଶ୍ୱର ମହାରାଜା ! ଶୁଣନ୍ତୁ ତେବେ ।

 

ଗୀତ

(ଯେଉଁ ହରି ହରି ପକାଉଛି ହୁରି- ବୃତ୍ତେ)

କୁନ୍ତଳ ମତ୍ସ୍ୟ ନିଷେଧ ଭ୍ରମି ଭ୍ରମି ମାଳବରେ ହେଲି ଯାଇଁ । ଆହେ ରାଜା । ମାଳୀ କରି ତବ ବାଳା ଚିତ୍ରପଟ୍ଟ ହୃଦେ ଲମ୍ୱାଇଲେ ସେହି । ଆହେ ରାଜା ।୧। ତହୁଁ ମଘଦେଶ ବିଦେହେ ବୁଲିଣ କନାଉଜେ ପରବେଶ । ଆହେ ରାଜା । ମରୁଅଙ୍ଗ କଳିଙ୍ଗକୁ କିଣି ମରହଟେ ଦିନ ହେଲା ଶେଷ । ଆହେ ରାଜା ।୨। ନେପାଳ ମାଗଧ କୁଞ୍ଜ ଗଲେ ବୁଲି ବଙ୍ଗରେ ମିଳିଲି ଯାଇଁ । ଲୋମଶ କଳେବର କେରଳବାସୀ ଚାହିଁ ଏହା ହେଲେ ମୋହି ।୩। ଯବନେ ଜୀବନ ହରାଇବେ ଜାଣି ସିନ୍ଧୁ ରାଜ୍ୟେ ଦେଲି ଦେଖା । ବିଦଗ୍ଧେ ବିଦଗ୍ଧ ହେଲେ ବହୁ ଲୋକ ତାହା କେ କରିବ ସଂଖ୍ୟା ।୪। କନ୍ୟା ପଟ ଘେନି ମିଳିଲି କର୍ଣ୍ଣାଟେ ସର୍ବଶେଷେ ନରମଣି । ତହିଁ ଦେଖାଇ ଅଇଲି ନିଜ ରାଜ୍ୟେ ପାଣି ବଇଷ୍ଣବ ଭଣି ।୫।

 

ରାଜା-      ଧନ୍ୟ ଜ୍ଞାନାନନ୍ଦ ! ତୁମ୍ଭେ ପ୍ରକୃତ ଯୋଗୀ । ଏତେ ଅଳ୍ପ ଦିନେ ଏତେ ରାଜ୍ୟ ବୁଲି ଅନ୍ୟ କେହି ଆସି ପାରନ୍ତା ନାହିଁ; ବସନ୍ତୁ ଆସନରେ । ସ୍ୱୟମ୍ୱର କଥା କହିଛ ତ ।

 

ସନ୍ନ୍ୟାସୀ- ଆଜ୍ଞା, ତାହା ଜଣାଇଛି ।

ଦ୍ୱାରୀ-      ମହାରାଜ ଜଣେ ଇନ୍ଦ୍ରଜାଲିକ ଆସି ଦ୍ୱାରେ ବାଦ୍ୟ ବଜାଉଛି । ଛାମୁରେ ସାକ୍ଷାତ୍‌ କରିବାକୁ ଇଛା କରେ ।

ରାଜା-      ଦ୍ୱାରୀ, ଆଚ୍ଛା ତାକୁ ଆସିବାକୁ କହ ।

ଦ୍ୱାରୀ-      ଯେ ଆଜ୍ଞା !

(ପ୍ରସ୍ଥାନ)

(ଇନ୍ଦ୍ରଜାଲିକ ନଟୀ ଓ ଶିଷ୍ୟାଗଣ ସହ ପ୍ରବେଶ)

ରାଜା-      ହଇ ହେ, ତୁମ୍ଭର ଘର କେଉଁଠାରେ, ତୁମ୍ଭ ନାମ କ’ଣ, ଏ ସ୍ତ୍ରୀଲୋକଟିର ନାମ କ’ଣ ?

ବିନୋଦ-      ମହାରାଜା ! ମୋର ଘର କର୍ଣ୍ଣାଟକ କାଞ୍ଚି ସହରରେ ! ନାମ ବିନୋଦା ଇନ୍ଦ୍ରଜାଲିକ; ଏ ମୋ ଘରଣୀ – ନାମ ପ୍ରେମରୂପା ।

 

ରାଜା-      ଆଚ୍ଛା ତୁମ୍ଭେ ଇନ୍ଦ୍ରଜାଲ ବିଦ୍ୟା ଜାଣ । କଅଣ କଅଣ ଜାଣ, କି କି ବିଦ୍ୟା ଦେଖାଇ ପାରିବ ସମସ୍ତ ଆମ୍ଭଙ୍କୁ ଗୋଟି ଗୋଟି କରି ବୁଝାଇ କହ ।

ବିନୋଦା- ଯା ପଚାରିଲେ ତା ଶୁଣନ୍ତୁ ମହାରଜ ।

 

ଗୀତ

(କହ କେଣେ ଅଛୁ ମୋର ହଂସା ଉଡ଼ିଗଲା- ବୃତ୍ତେ)

ହେ ନୃପତି ମୁକୁଟ, ଚିତ୍ତେ କପଟ ନ ରଖି କହୁଛି ସତ । ଯେଉଁ ବିଦ୍ୟା କରିଛି ସାଧନା ହେଲେ ଅବଧାନ ଦେଖ ତୁରିତ । ପଦ । ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ଗୋଟିକା ଅଞ୍ଜନ ବଡ଼ ଅଦ୍ଭୁତ । ଗଦ ପଦ ଭେଦ ସବୁ ଜଣା ମୋତେ ଧନ୍ୱନ୍ତରୀ ଦେଖି ଯୋଡ଼ିବେ ହାତ ।୧। ମାୟାରେ ମୁଁ ମୟ ଦାନବେ ଜିଣିବି ଗ୍ରୀଷମରେ ଆଣିପାରିବି ଶୀତ । ଏ ନାରୀରତନ ଗୁଣ ଅକଳନ ଚାହିଁ ବଶ ହେବେ ଗଉରୀକାନ୍ତ ।୨। ନୃତ୍ୟ ଦେଖି ରମ୍ଭା ଉର୍ବଶୀ ହାରିବେ ତେଜିବେ ବାସବ ଅମର ବିତ୍ତ । ଉଣା ହେବ ବୀଣା ସ୍ୱରକୁ ଏହାର ଗାଉଥିବା କାଳେ ପ୍ରେମସଙ୍ଗୀତ ।୩। ପଣ ପଣକରେ ଜଣେ ନ ମିଳିବେ ଆମ୍ଭ କୁଳେ ଦେବ ଏ ନାରୀବତ । କରନ୍ତୁ ଆଦେଶ ଦେଖିବେ କି ଦୃଶ୍ୟ ବଇ ବୋଲେ ସନ୍ଧ୍ୟା ହେଲା ଆଗତ ।୪।

 

ରାଜା-      ଇନ୍ଦ୍ରଜାଲିକ, ଯାଅ ତୁମ୍ଭେ ଖିଆପିଆ ସାରି ସଜହୁଅ । ଆମ୍ଭେ ମଧ୍ୟ ସନ୍ଧ୍ୟା ସାରି ଆସୁ, ତୁମ୍ଭଙ୍କୁ ଏହି ଆଦେଶ ହେଲା । ଆଜିରାତ୍ରରେ ରାମାୟଣ ବିଷୟ ଏଠାରେ ଦେଖାଇବ ।

ବିନୋଦା- ମହାରାଜା ଛାମୁଙ୍କର ଯେ ଆଦେଶ ହେବ । ଆମେ ଯାଉଚୁ । ଧନ୍ଦା ବଢ଼େଇ ଆସୁ ।

(ସମସ୍ତଙ୍କର ପ୍ରସ୍ଥାନ)

ଦ୍ୱିତୀୟ ଦୃଶ୍ୟ

କୋଠାଛାତ

ସଖୀ ସହ ଲାବଣ୍ୟବତୀର ପ୍ରବେଶ

(କାଲି ରଜନୀରେ ସଖୀ ଦେଖିଲି ସ୍ୱପନ- ବୃତ୍ତେ)

କି ଅଦ୍ଭୁତ ମାୟା ସଖୀ ନକଲା ସେ ବାଜିକର । ରଘୁପତି ଆଗେ ପତି ଯୋଡ଼ିଛନ୍ତି ବେନିକର ।ପଦ। ଜଣାଉଛନ୍ତି ଏତିକି ଦିଅ ଲାବଣ୍ୟବତୀକି । ଲଭିଣ ତା’ ସଙ୍ଗତିକି ତା’ ପଦେ ହେବି କିଙ୍କର ।୧। ପ୍ରାଣକାନ୍ତଙ୍କ ଏ ବାଣୀ, ଶୁଣି କର୍ଣ୍ଣେ ରଘୁମଣି । ଅସ୍ତୁ ଭଣି ଦେଲେ ଆଜ୍ଞା ଲଭିବୁ ଚିନ୍ତା ନକର । ତୁମ୍ଭଙ୍କୁ ଦେଖାନ୍ତେ ତାହା ହରି ଘେନିଗଲା ମାୟା ।୨। ଜାଣି ନପାରିଲି ପାଶେ ଥାଇଁ ସଙ୍ଗିନୀ ନିକର ।୩। କହୁଥାନ୍ତି ସଭାଲୋକ, ଦେଖାଇ ଇନ୍ଦ୍ରଜାଲିକ, ରାମାୟଣର ନାଟକ ଏ କି ଛଳନା ତାଙ୍କର ।୪। ପେଶିଲେ କି ଜୀବଧବ, ଦେଖାଇବାକୁ ଏ ଭାବ । ପଦଛନ୍ଦେ ବଇଷ୍ଣବ କି ଶକତି କୁହୁକର ।୫।

 

କାମକଳା-ସଙ୍ଗାତ, ଏତେଦିନେ ସପନ କଥାକୁ ମାଳିନୀ କଥା, ମାଳିନୀ କଥାକୁ ଏକଥା କେମନ୍ତେ ମିଶିଗଲା । ତୁମ୍ଭ ମନ ମାନିଲା । ଏ ଇନ୍ଦ୍ରଜାଲିକ ନିଶ୍ଚେ ତୁମ୍ଭ ପତିର ଚର । ମନେକର ତୁମ୍ଭ ମନରେ ପୂର୍ବଭାବକୁ ଜାଗ୍ରତ କରିବା ଯୋଗେ ଏଠାକୁ ଏ ଲୋକକୁ ପଠାଇଥିଲେ । ତା’ ନହେଲେ ସମସ୍ତେ ଦେଖନ୍ତେ ରାମଶାସ୍ତ୍ର, ତୁମ୍ଭେ ଦେଖନ୍ତ କାମଶାସ୍ତ୍ର !

 

ଗୀତ

(ପ୍ରାଣସଙ୍ଗନୀ ରେ କାଲି ମୁଁ କି ଲାଜେ- ବୃତ୍ତେ)

ଘଟ ଉରଜାରେ ହେଲାଣି ଏକଥା ପ୍ରଘଟ । ଫେରିଲାଣି ବ୍ରହ୍ମଚାରୀ ଘେନି ତୋର ଚିତ୍ରପଟ ।ପଦ। କର୍ଣ୍ଣାଟ ରାଜନ ସୁତ, ନିକଟେ ହେବ ପ୍ରାପତ । କହିବ କାରଣମାନ ଏଥି ଫେରିଯାଇ ନଟ ।୧। ଭାଳି ଭାଳି କୃଶକଟି, କାଳି କଲୁ ଦେହ ଗୋଟି, ଖଳିକାର ନୋହି କରୁ କଳାନାଗ ତୁଲେ ନାଟ ।୨। ଧରଣୀମଣ୍ଡନା ଧୈର୍ଯ୍ୟ ଧର ଲଭିବୁ ସୁକାର୍ଯ୍ୟ । ଆରେ ହର୍ଯ୍ୟକ୍ଷ-ମଧ୍ୟମା ଆଦରି ରହ ଅଦୃଷ୍ଟ ।୩। ଚାଲ ନାରୀ ଶିରୋମଣି । ତେଣେ ଲୋଡ଼ୁଥିବେ ରାଣୀ । ବିପ୍ର ବଇଷ୍ଣବ ଭଣି ସେ ପରା ଜଗତ ଶ୍ରେଷ୍ଠ ।୪।

 

ପରିମଳା-ଜେମା ଆଜି ମେଘମାଳା ଆସି ରାଣୀଙ୍କୁ ତମ ବିଭାଘର କଥା କହୁଥିଲେ । ବୋଇତିଆଳ, ଶୁକ, ବ୍ରହ୍ମଚାରୀ ସମସ୍ତେ ଫେରିଲେଣି । ରାଜା ବୋଧହୁଏ ନିକଟରେ କର୍ଣ୍ଣାଟ ଯୁବରାଜଙ୍କୁ ତୁମ୍ଭ ଲାଗି ବରଣ କରିବେ ।

 

ଲାବଣ୍ୟ- ପରିମଳା ! ସତେ କ’ଣ ମା ଏକଥା ଜାଣିଲେଣି ! କ’ଣ କରିବି, ମତେ ଏଣିକି ତ ତାଙ୍କୁ ଚାହିଁବାକୁ ଲାଜ ମାଡ଼ିବ ।

କାମ-      ହଉ ଏଣିକି ତ ତମ ହାତରୁ ବରକୁ ତ କେହି ଛଡ଼େଇ ନେଉନାହିଁ । ଚାଲ ଜେମା ବେଳ ପରା ଗଡ଼ିଯାଉଚି । ବେଶ ହେବାର ବିଳମ୍ୱ ଦେଖିଲେ ମା ପରା ଘୋଷା ହେବେ- ଚାଲ ।

(ସମସ୍ତଙ୍କର ପ୍ରସ୍ଥାନ)

ତୃତୀୟ ଦୃଶ୍ୟ

ଶୟନାଗାର

ଚନ୍ଦ୍ରଭାନୁର ବିଳାପ

ଚନ୍ଦ୍ର-      ହାୟ ଆଜି ଯେତେବେଳେ ଇନ୍ଦ୍ରଜାଲିକ ମୁଖରୁ ସେ କରିନ୍ଦ୍ରଗମନାର ପ୍ରଶଂସା ଶୁଣିଲି, ସେତିକିବେଳୁ ମୋତେ ସହସ୍ର ଗୁଣରେ କଷ୍ଟ ଦଉଚି । ରେ ମାର ! ମାର ନାମ କି ତୋର ମୋହରିଠାରେ ଏକା ସାର୍ଥକ କରିବୁ ।

 

ଗୀତ

(ଘେନାଇ ଆମ୍ଭେ ଯେତେ - ବୃତ୍ତେ)

ଅରୁଣାଧାରିକି କେ କହନ୍ତା ରେ । ମାର ମାରୁଚି ମୋତେ ଅହନ୍ତାରେ । ପଦ । କରୁଣାଶୀଳା ସେହି ଫୁରୁଣ ହୃଦେ ବହି ବରଣ କରି ବାରେ ନିଅନ୍ତା ରେ ।୧। ବାରଣଗତି ସଙ୍ଗେ ବିଧୁ କିରଣେ ରଙ୍ଗେ ବିହରିଲେ ପରାଣ ରହନ୍ତା ରେ ।୨। ସାରସ କୋଷଉର ପରଶନ୍ତେ ଏ କର ବାସବ-ପଦ ତଳେ ଥୁଅନ୍ତା ରେ ।୩। ସତେ ବିହି କରିବ ଏହି ଆଶା ପୂରିବ ବଇ ବୋଲେ ସେ ବିଶ୍ୱବିହନ୍ତା ରେ ।

 

ୠତୁଧ୍ୱଜର ପ୍ରବେଶ

ଋତୁ- ସଙ୍ଗାତ, ଯେତେବେଳେ ଦେଖୁଚି ସେତେବେଳେ ପାଗଳ ପରି ହଉଚ ! ବାଟ ସିନା ଚାଲୁଥିଲେ ସରେ, ବସି ଭାବିଲେ କ’ଣ ଊଣା ହୁଏ ? ଚେଷ୍ଟା କର, ଚେଷ୍ଟାର ଅସାଧ୍ୟ ଜଗତରେ କିଛି ନାହିଁ ।

ଚନ୍ଦ୍ର-      ମିତ୍ର ! ସେହି ଲାବଣ୍ୟବତୀ ନାମ-ମନ୍ତ୍ର ଜପ ବିନା ମୋର ଆଉ କି ଉପାୟ ଅଛି ?

 

ଗୀତ

(ବହୁଦିନ ପରେ ପାଇଛି- ବୃତ୍ତେ)

ସେହି ମୋ ଭଜନ, ସେହି ମୋ ପୂଜନ, ସେହି ମୋର ଜପ ତପ ହେ । ସେହି ମୋ ଧରମ, କରମ, ମରମ, ଜୀବ ପରମ ସ୍ୱରୂପ ହେ । ପଦ । ସେହି ମୋର ଗତି, ମୁକତି, ସମ୍ପତ୍ତି, ସେ ମୋ କ୍ଷିତି, ତେଜ, ଆପ ହେ । ସେ ମୋ ଦୁଃଖସରା, ପୀରତି ପାସୋରା, ସେହି ମୋ ଜୀବନ ଦୀପ ହେ ।୧। ସେହି ମୋ ବସନ, ଭୂଷଣ, କଷଣ, ରସାଣ ହେମ ପାଦପ ହେ । ସେହି ତୁଳାଅଙ୍ଗୀ ମୋ ଡୋଳା ପିତୁଳା, ସରସ ସୁରସ କୂପ ହେ ।୨। ସେ ମୋ ରାଜଗାଦି, ଅଷ୍ଟନିଧି ଆଦି, ବିଧିର ସୋହାଗ ଟୋପ ହେ । ବଇଷ୍ଣବ କହି, ଇଷ୍ଟ ଅଟେ ସେହି, ତା’ ପାଇଁ ଭୋଗେ ଏ ତାପ ହେ ।୩।

 

ଦ୍ୱାରୀ-      (ପ୍ରବେଶ) ଯୁବରାଜ, ସିଂହଳ ଦ୍ୱୀପରୁ ଜଣେ ବ୍ରହ୍ନଚାରୀ ଆସି ଦ୍ୱାରେ ଦଣ୍ଡାୟମାନ, ଆଦେଶ ଦେଲେ ଛାମୁରେ ସାକ୍ଷାତ କରିବେ ।

 

ଚନ୍ଦ୍ର-      ଦ୍ୱାରୀ, ତାଙ୍କୁ ଶୀଘ୍ର ଏଠାକୁ ଆସିବାକୁ କହ ।

ଦ୍ୱାରୀ-      ଯେ ଆଜ୍ଞା !

(ପ୍ରସ୍ଥାନ)

ଚନ୍ଦ୍ର-      ସଙ୍ଗାତ ସିଂହଳ ନାମ ଶୁଣିଲାକ୍ଷଣି ଲୋମ ସମୂଳେ ସିଂହାରି ଉଠୁଛି । ଯେଉଁ ଦ୍ୱୀପରେ ଲାବଣ୍ୟବତୀ ପରି ଯୁବତୀ ଜନ୍ମଗ୍ରହଣ କରଛି ସେଠାରେ ଆଉ ଆଉ ପଦାର୍ଥମାନ କେଡ଼େ ମୂଲ୍ୟବାନ ହୋଇନଥିବ । ଜଣାଯାଏ ନୃପକୁମାରୀ କିଛି ସମ୍ୱାଦ ପଠାଇଛି ।

 

ବ୍ରହ୍ମ-      (ପ୍ରବେଶି) ମହା ମହିମା ବର ଯୁବରାଜଙ୍କର ଜୟ ହେଉ ।

ଋତୁ-      ଯୋଗୀବର ! କହିଲ ସିଂହଳ ଜେମାଙ୍କର ଖବର କ’ଣ ?

ଚନ୍ଦ୍ର-      ହେ ବ୍ରହ୍ନଚାରି ! ସେହି ଇନ୍ଦ୍ର-ଭୂତି-ଦାୟିନୀ ଚନ୍ଦ୍ରମୁଖୀ ନରେନ୍ଦ୍ରଜେମାର କୁଶଳ ସମାଚାର ଭାଷି ଏ ପ୍ରାଣ ଶୀତଳ କର।

ବ୍ରହ୍ମ-      ଯୁବରାଜ ଓ ସଚିବପୁତ୍ର ! ତୁମ୍ଭେ ଦୁହେଁ ମୋ କଥାକୁ ବାହୁଲ୍ୟ ମନେକରିବ ନାହିଁ । ଏବେ ଶୁଣ ଜେମାମଣିର ଅବସ୍ଥା।

 

ଗୀତ

(ଆସ ଆସ ଉମା ମୋର- ବୃତ୍ତେ)

ସ୍ୱପନେ ତବ ଲପନ ଦେଖିଛି ଯେ ଦିନୁ । ଭାବି ଭାବି ଭାବବତୀ କ୍ଷୀଣ କଲା ତନୁ । କ୍ରମେ ହୋଇଲାଣି ହେ । ଅତନୁ ଅନଳ ଦହିଲାଣି ହେ ।୧। ମହିଳାମଣି ମହୀରେ ପତି ଭଜେ ମୋହ । ସହଚରୀମାନଙ୍କ ତା ହେଉଛି ଅସହ । ଅହରହ ଶିବ ହେ; ନାଶିବ ହେ ।୨। ଭୂପସୁତା ରୂପ ତବ ଚିତ୍ରବାଡ଼େ ଦେଖି । ନିରତେ ନୀରପୂରିତ ତା’ର ବେନି ଆଖି । ଝର ଝର ଝରେ ହେ । ମୀନ କି ଜୀବନ ବାନ୍ତି କରେ ହେ ।୩। ଅମା ଅନ୍ଧକାରେ ଚନ୍ଦ୍ରେ ଦେଖିବାକୁ ଆଶା । ଗୀରିଷମେ ଶିରାସାଙ୍ଗୀ ଲୋଡ଼ୁଛି ବରଷା; ହୋଇ ଖର୍ବ ତନୁ ହେ । ଗର୍ବେ କରେ ଧରି ଚିନ୍ତେ ଭାନୁ ହେ ।୪। ଦେଖି ସଖିଏ ଏ ଦଶା କରନ୍ତେ ଭାଳେଣି । ମୁହିଁ ତହିଁ ଯାଇଁ ପ୍ରବେଶିଲି ସେହିକ୍ଷଣି । ତବ ଗୁଣଗଣ ହେ । ପୁଚ୍ଛା କଲେ ମୋତେ ବାମାଗଣ ହେ ।୫। ମୁଁ କହନ୍ତେ ଗୁଣମଣି ଶୁଣି ସୀଉକାର । କରିଣ କରିନ୍ଦ୍ର ଗତି ଧରିଣ ମୋ କର । ଥରି ଥରି ସେହି ଯେ । ଥର ଥର ପଚାରି ବୁଝାଇ ଯେ ।୬। ସଙ୍କୋଚ ଭଜି ପତର ନଦେଲା ମୋ ହାତେ । ତରତରେ ପଠାଇଛି ବୋଧି ନାନା ମତେ । ବଇଷ୍ଣବ ଭାଷା ଯେ । ନିଶ୍ଚେ ଲଭିବ ରସଭୂଷା ଯେ ।୭।

 

ଚନ୍ଦ୍ର-      ହା ନରେଶ ନନ୍ଦିନୀ ! ମୋ ପାଇଁ ତୁ କେତେ କଷ୍ଟ ନ ପାଉଛୁ । ମିତ୍ର, ସେହି ଛତ୍ରପତି କୁମାରୀ ଚିତ୍ରପ୍ରତିମା ରାମାମଣି କାମାତୁରା ନିକଟକୁ ଏ ବ୍ରହ୍ନଚାରୀ ହସ୍ତରେ ଖଣ୍ଡିଏ ପ୍ରଣୟ ପତ୍ର ଦେଉଛି । ମୋର ଅବସ୍ଥା ଜାଣିପାରି ସେ ଗୁଣିରତ୍ନ କି ପ୍ରତି-ଉତ୍ତର ଦେବ, ତହିଁରୁ ନିଶ୍ଚୟ ଅନୁରାଗର ଚିହ୍ନ ଜଣାପଡ଼ିଯିବ ।

ୠତୁ-      ଅତି ଉତ୍ତମ, ଦିଅନ୍ତୁ । (ଚନ୍ଦ୍ରଭାନୁ ପତ୍ର ଲେଖି ବ୍ରହ୍ନଚାରୀକି ଦେବା ।)

ଚନ୍ଦ୍ର-      ଯତିଶ୍ରେଷ୍ଠ ! ନିଅ ।

 

ଗୀତ

(ନରେ ଭଜ ରାମ ନାମ- ବୃତ୍ତେ)

ହେ ଯୋଗୀ ଯାଅ ତରତରେ । ଏ ପତର ଦେବ ଯୋଗଭଙ୍ଗିନୀ ହାତରେ ହେ ।ପଦ। ମୁଁ ଭୋଗୁଛି ବିରହ ରୋଗ, ଭାଷିବ ନାଗରୀ ଆଗ, ଜଗତ-ମଣ୍ଡନା ଦୟା ବହିବ ଚିତ୍ତରେ ।୧। ଦେବ ସେ ତା’ ଅଙ୍ଗଯୋଗ, ଅଉଷଧି ମୋତେ ବେଗ, ତା’ ଅଧର-ସୁଧା ଅନୁପାନ ସହିତରେ ହେ ।୨। ସତ୍ୟ ତଥ୍ୟ ବାଣୀ ପଥ୍ୟ, ପାଇ ବ୍ୟାଧି ହେବ ହତ, ନେବ ପୁଂସହତ୍ୟା ଦୋଷ ନ ହେଲେ କାତରେ ହେ ।୩। କହ ଅରୁଚି ହେଲାଣି ନ ରୁଚଇ ଅନ୍ନ ପାଣି, ପାଣି ଭଣି ଝାଡ଼ିଦେଉ କାନି ପଣନ୍ତରେ ହେ ।୪।

 

ବ୍ରହ୍ମ-      ଯୁବରାଜ ! ମୁଁ ବିଦାୟ ନେଉଛି । ନିକଟରେ ଏ ପତ୍ରର ଉତ୍ତର ପାଇବ । ସ୍ଥିର ଭାବେ ବସ, ମିଳନ କାଳ ଆଉ ଅଳ୍ପ ଦିନ ଅଛି । ମୁଁ ବିଦାୟ ନେଉଛି । ଯୁବରାଜଙ୍କ ଜୟ ହେଉ ।

ଋତୁ-      ମିତ୍ର ଚାଲ, ଆମ୍ଭେମାନେ ନିତ୍ୟକର୍ମ ବଢ଼ାଇବା ।

ଚନ୍ଦ୍ର-      ମିତ୍ର, ମୋର ଆଉ କି ନିତ୍ୟକର୍ମ ? ନିତ୍ୟକର୍ମ ତ ଏହି ।

ଋତୁ-      ମିତ୍ର, କାର୍ଯ୍ୟ ତ ଚାଲିଛି । ସବୁ କଥା ସମୟସାପେକ୍ଷ, ସମୟ ଅନୁସାରେ ଗାଭୀ ଦୁଗ୍ଧବତୀ, ବୃକ୍ଷ ଫଳବତୀ, ନାରୀ ରଜୋବତୀ, କୁଳଟା ରମଣୀ ସତୀ, ଲମ୍ପଟ ପୁରୁଷ ଯତୀ, ଚନ୍ଦ୍ର ସୂର୍ଯ୍ୟ ଗ୍ରହମାନଙ୍କର ଗତି, ସବୁ ସମୟ ଅନୁସାରେ ହୁଏ । ତୁମ୍ଭେ ଯାହା ଭାବିଛ ସେ ସମୟ ଅନୁସାରେ ଘଟିବ । ବେଶି ଭାବନା, ଆସ ।      (କର ଧରି ପ୍ରସ୍ଥାନ)

 

ଚତୁର୍ଥ ଦୃଶ୍ୟ

(ରଙ୍ଗ ଟୁଙ୍ଗୀ । ଲାବଣ୍ୟବତୀ ସଖିଗଣ ସହ ପ୍ରବେଶ)

ଲାବଣ୍ୟ-      ସଖିଗଣେ ଶୁଣିଛ, ଆଜି କର୍ଣ୍ଣାଟ ରାଜନନ୍ଦନ ବ୍ରହ୍ମଚାରୀ ହସ୍ତରେ ଯେଉଁ ପତ୍ର ଦେଇଥିଲେ ତାହା ପଢ଼ି ଏକାବେଳକେ ମୁଁ ଜ୍ଞାନଶୂନ୍ୟ ହୋଇଗଲି । ସଖି ସତେ ସେ ଦୁର୍ଲଭ ପଦାର୍ଥ ମୋତେ ମିଳିବ ! ଯାହା ଲେଖା ହୋଇଥିଲା ତାହା ଯେବେ ସତ୍ୟ ହୋଇଥାଏ, ତାହାହେଲେ ପ୍ରେମିକ ଏ ଜଗତରେ ବିରଳ । ସଖି, ସତେ କି ଏପରି ପୁରୁଷ ଭାଗ୍ୟକୁ ମିଳିବ !

 

ଗୀତ

(କଳାମାଣିକ - ବୃତ୍ତେ)

ସତେ ପୂର୍ବ ଭାନୁ ଯାଇଁ ପଶ୍ଚିମେ ଉଇଁବ ଗୋ । ସତେ କି ସେ ଅବସନ୍ତେ ବସନ୍ତ ବହିବ । କାମକଳା କି ଗୋ । ପରିମଳା କି ଗୋ ।୧। ଚଳିବ ଅଚଳ ଅଗ୍ନି ଲାଗିବ ଶୀତଳ, ସତେ କି ହେବ ଏକତ୍ର ଆକାଶ ପାତାଳ । କାମକଳା କି ଗୋ ।୨। ପତିବ୍ରତା ନାରୀ ଯେବେ ହୋଇବେ ବିଟପୀ । ରହିବ ବାତ ମୁଠାରେ ଖଣ୍ଟ ହେବେ ତପୀ । କାମକଳା କି ଗୋ ।୩। ପଶୁ ପହଁରିବ ସିନ୍ଧୁ ମଳୁ ବୈଦ୍ୟ ହେବ । ତେବେ ଲଭିବି ଏକାନ୍ତେ ଭାଷେ ବଇଷ୍ଣବ । କାମକଳା କି ଗୋ ।୪।

 

କାମ-      ରାଜଜେମା ! ପ୍ରେମ ପୁଣି ପ୍ରାଣୀକି ଏପରି ଅନ୍ଧ କରିପକାଏ ଆଉ ପାଇବାକୁ କ’ଣ ବାକି ରହିଲା । ସ୍ୱପ୍ନେ ଭେଟ, ଚିତ୍ରବାଡ଼ ଦର୍ଶନ, ମାଲୁଣୀଠାରୁ ଶିବାଦେଶ ଶ୍ରବଣ; ଶୁକବ୍ରହ୍ମଚାରୀ, ବୋଇତିଆଳ, ଇନ୍ଦ୍ରଜାଲିକଠାରୁ ସନ୍ଧାନ ମିଳିବା ଏତେ ତ ସଇଲାଣି । ଏତିକି ରହିଚି ବାକି, ହୋଇନାହିଁ ପ୍ରତ୍ୟକ୍ଷରେ ଦୁହିଁଙ୍କର ଚାରିଆଖି ।

 

ବିମଳା-      ସେ ଯେବେ ଜେମା ତମଠାକୁ ପତ୍ର ଦେଲେ ତୁମେ ଖଣ୍ଡେ ତାଙ୍କଠାକୁ ଦଉନା, ସେ କ’ଣ ମନେକରିବେ ?

ଲାବଣ୍ୟ-      ସଖିଗଣେ ! ମୁଁ ପ୍ରକୃତଭାବେ ଉତ୍ତର ନଦେଇ ତୁମ୍ଭ ନାମରେ ଛଳନା କରି ପତ୍ର ତାଙ୍କଠାକୁ ଲେଖୁଚି । ମୋ ନିକଟକୁ କଲମ କାଗଜ ରଙ୍ଗସ୍ୟାଇ ଘଡ଼ିଟା ଦିଅ ।

 

କମଳା-      ହଁ, ହଁ, ଏତ ରଙ୍ଗକଥା; ଆକୁ ରଙ୍ଗରେ ଲେଖିଲେ ଭଲ । ଦୁଃଖ କଥା ହେଲେ ସିନା କଳାରେ ଲେଖନ୍ତ । ଏ ପରା ସ୍ନେହର ପତ୍ର ଓ ରଙ୍ଗରୁ ସ୍ନେହର ଚିହ୍ନ ଜଣାଯିବ ।

 

ଲାବଣ୍ୟ-      କମଳା ! ତୁମ୍ଭେ ମୋତେ ଏତେ ପରିହାସ କରନା, ଲେଖନୀ ଉପକରଣମାନ ପାଖକୁ ଦିଅ ।

ବିମଳା-      ହଉ ନିଅ ।

ଲାବଣ୍ୟ-      (ପତ୍ର ଲେଖି ମନ୍ତ୍ରୀ ଜେମାକୁ ଦେବା) କାମକଳା ଦେଖିଲ, ଏହିପରି ଲେଖା ଠିକ୍‌ ହୋଇଚି ତ । ମନକୁ ଗଲେ ମୁଦ ଦେଇ ଆମ୍ଭ ବ୍ରାହ୍ମଣଙ୍କ ହସ୍ତରେ ଶୁକ ସହିତ ଯୁବରାଜଙ୍କଠାକୁ ଶୀଘ୍ର ପଠାଇଦିଅ ।

 

କାମ-       (ପତ୍ରପଢ଼ି) ଜେମାଦେଈ ! ତୁମେ ଆମମାନଙ୍କ ମୁଣ୍ଡରେ ଅଠା ବୋଳିଲ କିଆଁ ? ସେ କ’ଣ ଏ ଭାବଗର୍ଭକ ଲେଖନୀ ଓ ଶବ୍ଦ ଯୋଜନାରୁ ତୁମ୍ଭ ନିଜ ଲେଖା ବୋଲି ଗଣିପାରିବେ ନାହିଁ ? ଚନ୍ଦ୍ରଲୋକକୁ ମେଘମାଳା ଯେତେ ଘୋଡ଼ାଇଲେ ସେ ନିଶ୍ଚେ ବାହାରକୁ ଫୁଟି ପଡ଼ିବ । ହଉ ଚାଲ । ପତ୍ର ମୁଦି ବ୍ରହ୍ନଚାରୀ ଶୁକ ହସ୍ତରେ ପଠାଇଦେବା ।

କମଳା-      ଜେମାମଣି ! ଚାଲ ଆମ୍ଭେମାନେ ଯିବା ?

(ସମସ୍ତଙ୍କର ପ୍ରସ୍ଥାନ)

 

ଦ୍ୱିତୀୟ ଅଙ୍କ

(ପଞ୍ଚମ ଦୃଶ୍ୟ)

ଚନ୍ଦ୍ରଭାନୁ ସଖାଗଣ ସହ ପ୍ରବେଶ ।

ଚନ୍ଦ୍ର- ସଙ୍ଗାତ ପତ୍ରନେଇ ଯେ ବ୍ରହ୍ନଚାରୀ ସିଂହଳ ଗଲା ସେ ଏବେ ଯାଏ ନ ଫେରିଲା କାହିଁକି ? କହୁଁ କହୁଁ ଗ୍ରୀଷ୍ମ ଗତହୋଇ ବର୍ଷା ଉପଗତ ହେଲା । ସଙ୍ଗାତ ଏ ବର୍ଷାକାଳ ବିରହ ଉତ୍ତେଜକ ଦ୍ରବ୍ୟ ଜଳରେ ସିନା ଶୀତଳ ହୁଅନ୍ତା । ଏ ବିରହାନଳ ଜଳଯୋଗ ପାଇଁ ଅଧିକ ଜଳୁଚି । ଗମ୍ଭୀର ଘନ ଗର୍ଜନ, କରାଳ କରକା ପାତ, ଡାହୁକ ଡାକ, ଭେକରଡ଼ି, ପ୍ରବଳ ପ୍ରଭଞ୍ଜନର ଶନଶନ ଶବ୍ଦ, ଏମାନେ ଗୋଟିଏ କାମରାଜାର ଅନୁଚର । ରେ ନିଷ୍ଠୁର ନୀରଦ ! ଧାତା କି ତୋତେ ବିରହୀ ଯୁବକଯୁବତୀକୁଳ ନିର୍ମୂଳ କରିବାକୁ ଜଗତରେ ସୃଷ୍ଟି କରିଥିଲା ।

 

ଗୀତ

(ଶୁଣ ଲୋ ସୁନୀତି- ବୃତ୍ତେ)

ଆରେ ରେ ଜଳଦ ତୁ ପରା ପ୍ରାଣୀର ବଳଦଟି ଚିରକାଳ । ମୋହ କପାଳେ କାଳ ହେଲୁ କିପାଁ ତୁ ସ୍ୱଭାବ ଛାଡ଼େ କି ଖଳ । ନୀଚଜନେ ତୋ’ ମେଳି । ସହୁ ନାରୀମାନଙ୍କର ଗାଳି ।୧। ମକ ମକ ଶାମୁକର ଡାକ ଶୁଣି ପିକ ହୋଇଯାଏ ମୂକ । ପେଣ୍ଡା ପେଣ୍ଡା ଗେଣ୍ଡା ନକ୍ରମକ୍ର ଗଣ୍ଡା ଗଣ୍ଡା ଲଭୁଥାନ୍ତି ସୁଖ ! ସ୍ୱଚ୍ଛ ସଲୀଳରାଶି, ହୋନ୍ତି ଆବିଳ ତୋ ତୁଲେ ମିଶି ।୨। ନାନାଜାତି ପୋକ ମକ୍ଷିକା ମଶକ ତୋଷୁ ତୁ ଏ ରସାରେ । ଅଂଶବଂଶ ମରା ଡାହୁକ ତୋ ଯୋଗେ ସରେ ଘେନେ ଭଲ ମାରେ । ଏହା ଦେଖିଣ ହଂସ, ଯାଇଁ ମାନସରେ କଲେ ବାସ ।୩। ସନ୍ଧ୍ୟାରେ ଅନ୍ଧାରେ ଧନ୍ଦାରେ ଡରନ୍ତି ପଦାରେ ନ ଆସି କେହି । ବୃଦ୍ଧିକରୁ ନଦନଦୀରେ ସଧୀରେ କେତେ ଶସ୍ୟ ନେଉ ଧୋଇ । ତଟତରୁ ଉପାଡ଼ି, ନେଇ ସାଗର ଦେଉ ଫୋପାଡ଼ି ।୪। ଘରବୁଡ଼ା କୁଳବୁଡ଼ା ତୋର ରୀତି ଚଢ଼ାଉ ବିରହ ତାପ । ବିଯୋଗୀ ନାରୀ ପୁରୁଷ ଭୋଗୁଥାନ୍ତି ତୋ ଯୋଗେ କେତେ ସନ୍ତାପ । ତୋର ସ୍ତନିତଧ୍ୱନି । ବକ୍ର କରକାକୁ କରେ ଘେନି ।୫। ବାର ବାର କରି କରିଣ ପ୍ରହାର ଉଚ୍ଚ ଗଛ ପଡ଼େ । କୋମଳ ପଲ୍ଲବ ଲତିକା ନ ସହି ମହୀପରେ ଝଡ଼ିପଡ଼େ । ବଇଷ୍ଣବ ଭାରତୀ, କେତେ ଗାଇବି ତୋ’ ମନ୍ଦ ରୀତି ।୬।

ଋତୁ-      ମିତ୍ର ! ଦେଖ ଶୁକ ବ୍ରହ୍ନଚାରୀ ଏତିକି ବେଳକୁ ତୁମ୍ଭର ରୋଗର ଔଷଧ ଘେନି ପହଞ୍ଚିଲେଣି ।

ଚନ୍ଦ୍ର-      ବ୍ରହ୍ନଚାରୀ ଆସ ଆସ, ପତ୍ରର ଉତ୍ତର ଆଣିଚ ତ ।

ବ୍ରହ୍ନ-      (ପ୍ରବେଶ) କର୍ଣ୍ଣାଟ ଯୁବରାଜଙ୍କର ଜୟ ହେଉ । ନିଅନ୍ତୁ ଏ ପତ୍ର ।

ଚନ୍ଦ୍ର-      (ପତ୍ର ପାଇ ହୃଦେ ଲଗାଇ ଚୁମ୍ୱି ) ସଙ୍ଗାତ ଏ ହୃଦୟ ଶୀତଳ ହେଲା- ଓଃ ଏବେ ଯେ ଚକ୍ଷୁ କର୍ଣ୍ଣର ବିବାଦ ଉପସ୍ଥିତ ।

ୠତୁ-      ସଙ୍ଗାତ ଆଉ ଡେରି କାହିଁକି ? ଦୁହିଁଙ୍କର ବିବାଦ ପଢ଼ି ତୁଟାଇଦିଅ । ଡାକି ପଢ଼- ଆମ୍ଭଙ୍କୁ କ’ଣ ଶୁଣାଇବ ନାହିଁ ?

ଚନ୍ଦ୍ର-      ନା ସଙ୍ଗାତ ମୁଁ ପଢ଼ୁଛି ତୁମ୍ଭେ ଶୁଣ ।      (ପତ୍ରପାଠ)

 

ଶ୍ରୀ ଦୁର୍ଗାମାଧବ ଶରଣ

ଶ୍ରୀ ଶ୍ରୀ ବୀରବର ପ୍ରଣୟପ୍ରବର କାମମୋହନ କାମିନୀମନ୍ମଥମହୋଦଧିମନ୍ଥନକର, କରୁଣାର୍ଦ୍ର ହୃଦୟ ଲୋକାଭିରାମ, ନୃପକୁମାରୀଙ୍କ ଚତୁର୍ବର୍ଗ ସୁଖଦାୟକ ନୃପକୁମାର ଚନ୍ଦ୍ରଭାନୁଙ୍କ ଚରଣକମଳେଷୁ, ବିଭୋ ନାଗରେନ୍ଦ୍ର ନୃପନନ୍ଦନ ! ଆମ୍ଭେ ସହଚରୀବୃନ୍ଦ ଶୀଛାମୁରେ ଏହି ନିବେଦନ କରୁଅଛୁଁ ଯେ ଆପଣ ଏତେ ଦାତାଶୀଳ ହୋଇ ଆମ୍ଭର ମନ-ଧନକୁ ଚୋରିକରି ନେଲ କାହିଁକି ? ହେ ନାଗର, ଆମ୍ଭେ ଜାଣୁ ତୁମ୍ଭେ ଇନ୍ଦ୍ରଜାଲ ମାୟା ଜାଣିଛ, ସେ ଯେଗେ ଆମ୍ଭ ସଖୀକି ଚାରି ଦିଗରେ ନିଜ କାୟାକୁ ଦେଖାଉଛ; ଯାର ଇନ୍ଦ୍ରପୁରଠାରୁ ସହସ୍ର ଗୁଣେ ସୁନ୍ଦର ପୁର ସେ ଆମ୍ଭେ ଜେମା ନେତ୍ରରେ ଗୃହ କଲେ କାହିଁକି ? ହେ ମନମୋହନ ! ପଦ୍ମବନକୁ କୁହୁଡ଼ି ପୋଡ଼ିଲା ପରି ତୁମ୍ଭ ପ୍ରଣୟ କୁହୁଡ଼ି ଆମ୍ଭ ସଖୀର ହୃଦୟ ପଦ୍ମବନକୁ ପୋଡ଼ିପକାଉଚି । ତୁମ୍ଭେ ଦୂତସହ ଆସି ବସନ୍ତରୂପେ ଦେଖା ନ ଦେଲେ କିଛି ଭଲ ହେବ ନାହିଁ, ଆଉ ଅଧିକ କି ଲେଖିବୁ। ଯେବେ ଆମ୍ଭ ପ୍ରିୟସଖୀଠାରେ କରୁଣାଥିବ ତେବେ ଶିବରାତ୍ରୀ ନାମରେ ଉତ୍ସବ ସେତୁବନ୍ଧ ରାମେଶ୍ୱରଠାରେ ଆସନ୍ତା ଫାଲ୍ଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ହେବ । ସେଠାକୁ ଆମ୍ଭେ ସମସ୍ତେ ଜେମାଙ୍କୁ ନେଇ ଶିବ ଦର୍ଶନକୁ ଯାଇଥିବୁଁ, ସେଠାରେ ଯେପରି ରାଧାକୃଷ୍ଣଙ୍କର ମିଳନ ହେବ। ଏଥିରେ ଲେଶମାତ୍ର ତ୍ରୁଟି କରିବ ନାହିଁ । ଏହା ସତ୍ୟ ସତ୍ୟ ତ୍ରିବାର ସତ୍ୟ ଅଟେ । ଆମ୍ଭେ ସେପର୍ଯ୍ୟନ୍ତ ଭରସା ଦେଇ ରସାମଣ୍ଡନାକୁ ତୁମ୍ଭ ପାଇଁ ବଞ୍ଚାଇ ରଖିଲୁଁ । ଆମ୍ଭମାନଙ୍କ ରାଣ ନିଶ୍ଚୟ ଆସିବ ।ଇତି। ତୁମ୍ଭର ସ୍ନେହାଧୀନା ସଖୀଗଣ।

ଋତୁ-      ସଙ୍ଗାତ ଆଉ ଭାବନା କ’ଣ, ଆସନ୍ତା ଶିବଚତୁର୍ଦ୍ଦଶୀରେ ରାଧାକୃଷ୍ଣଙ୍କର ମିଳନ ହେବ । ଶ୍ରୀକୃଷ୍ଣ କୁଞ୍ଜରେ ପହଞ୍ଚିଲେ ସଖାମାନଙ୍କୁ ପଚାରେ କିଏ ? ସଙ୍ଗାତ ଏ ପତ୍ର କାହାର ଲେଖା ଜାଣିପାରୁଛ ?

ଚନ୍ଦ୍ର-      ୟାକୁ ପରା ସଖୀମାନେ ଲେଖିଛନ୍ତି ।

ୠତୁ-      ମିତ୍ର ତୁମ୍ଭେ ମନେକରନା ଏ ସଖୀଙ୍କ ଲେଖା । ଏତେ ଚତୁର ବୁଦ୍ଧିରେ ପତ୍ର ଲେଖିବା ରାଜବାଳା ଛଡ଼ା ଅନ୍ୟକେହି ନୁହେଁ । ପରୋକ୍ଷଭାବରେ ତାଙ୍କ ନାମରେ ଛଳାଇ ଲେଖିଛନ୍ତି । ଯେତେ ଲୁଚାଇଲେ ଅନଳ ବସ୍ତ୍ର ଭିତରେ କି ଲୁଚି ରହି ପାରିବ ?

ଚନ୍ଦ୍ର-      ବ୍ରହ୍ମଚାରୀ ! ତୁମ୍ଭେ ଯାଇ କହିବ ଯେ ଆମ୍ଭେ ସଙ୍କେତ ଦିନକୁ ନିଶ୍ଚୟ ରାମେଶ୍ୱରରେ ପହଞ୍ଚିଥିବୁଁ; ତୃଷାତୁର ଜଳ ନିକଟକୁ ନ ଯାଇ ସ୍ଥିରଭାବେ ରହିପାରେ କି ? ତୁମ୍ଭେ ଶୀଘ୍ର ଏକଥା ସଖୀମାନଙ୍କୁ କହିବ ।

ବ୍ରହ୍ମ-      ଯେ ଆଜ୍ଞା ! ଯାଉଚି ।      (ପ୍ରସ୍ଥାନ)

ଚନ୍ଦ୍ର-      ଆହା ସତେ ମାର-ଦର୍ପଧ୍ୱଂସନ ରାମେଶ୍ୱରଦେବ ମୋତେ ମାର ଦରରୁ ରକ୍ଷା କରିବେ । ହେ ଅକର୍ମଦାନୀ ମହେଶ, ସତେ ମହୀଶ-କୁମାରୀ ସହିତ ତବ ସମ୍ମୁଖରେ ସାକ୍ଷାତ- କରିବି । ହେ ଭୂତଭାବନ ! ଏ ତୁମ୍ଭ କରୁଣା ।

ଗୀତା- (ହାଇରେ ଦୁର୍ଦ୍ଦଣ୍ଡ ବହି- ବୃତ୍ତେ)

ବିଭୂତିଭୂଷଣ ବିଭୂତିଦାୟିନୀକି ଯେବେ । ଲଭିବି ତବ ଭବନେ ଜାଗର ଉତ୍ସବେ ।୧। ତେବେ ଯୋଗ-ଭଙ୍ଗିନୀ ସଙ୍ଗରେ ଯୋଗ ହୋଇ । ଆଗରେ ପୂଜିବି ଲକ୍ଷେ ଚମ୍ପକ ଚଢ଼ାଇ ।୨। ଚମ୍ପାଗୋରୀ ଅନୁକମ୍ପା ବହି ମୋହଠାରେ । କମ୍ପାଇ ତା’ ନାସାମଣି ଭାସିବ ମିଠାରେ ।୩। ଆଶୁତୋଷ ଉରଜା ତୋଷିବ ରତିରସେ । ଭାବବତୀ ବତିଶଦ୍ୱିଗୁଣ ବନ୍ଧେ କି ସେ ।୪। ରୁଣ୍ଡିଭୂତ ଦ୍ୱିଜଗୋତ୍ର କଲି ଚଣ୍ଡିଆଳେ । ଚଣ୍ଡୀ ଗୁଣାଇବି ଦେଇ ଜବାଫୁଲ ମାଳେ ।୫। କାଳୀ ପାଖେ ଦେବି ଗଣ୍ଡା ଗଣ୍ଡା ବଳି ଭୋଜା । କୁକ୍କୁଟ ମେଷ ମହୀଷ କୋଟି କୋଟି ଅଜା ।୬। ଭେଟ ହେବା କଣ୍ଟ ଯେବେ ନିକଟ ହୁଅନ୍ତା । ବଇ ବୋଲେ ମଙ୍ଗଳା ଘେନନ୍ତେ ସୁନା-ଚିତା ।୭।

ୠତୁ-      ସଙ୍ଗାତ ! ସମୟ ଆମ୍ଭ କାର୍ଯ୍ୟ ଲାଗି ଦାୟି ନୁହେଁ, ଷଡ଼ ୠତୁକୁ ଚାରି ୠତୁ କରିବ କାହାର ଶକ୍ତି ? ଚାଲ ଶୀତ ଅନ୍ତେ ବସନ୍ତ ଆସିଯିବ, ରାତ୍ର ବେଶି ହେଲାଣି ଚାଲ ଭୋଜନ କରି ଟିକିଏ ବିଶ୍ରାମ କରିବା । (ଉଭୟଙ୍କ ପ୍ରସ୍ଥାନ।)

 

ତୃତୀୟ ଅଙ୍କ

୧ମ ଦୃଶ୍ୟ- ଶୟନ ଗୃହ

ଲାବଣ୍ୟବତୀର ଶୟନ ପାର୍ଶ୍ୱେ ସଖୀଗଣ ଉପବେଶନ ।

କାମ-      ସଖୀ ସ୍ଥିରହୁଅ ! ପ୍ରାଣୀର ସବୁବେଳେ ସବୁକାଳେ ଅବସ୍ଥା ସମାନ ରହେ ନାହିଁ । ଅବଶ୍ୟ ତୁମ୍ଭର ଏ ଦୁର୍ଦ୍ଦିନ ଯାଇ ସୁଦିନ ଆସିବ ।

ଲାବଣ୍ୟ-      ହେ ରମାରମଣ ! ତମ୍ଭେ ଏ ଜୀବର କର୍ତ୍ତା, ଶିବ ଶିବ ଶିବ ।

କାମ-      ସଖୀ ! ମାର-ଅରି ନାମକୁ କବଚ କରି ମାରଶର ମୁଖରୁ ତ୍ରାଣ ପାଅ ।

ପରିମଳା- ସଙ୍ଗାତ ତୁମ୍ଭେ କ’ଣ ନିଜ କଥାରୁ ଜାଣିପାରୁନାହଁ। ଏ ବର୍ଷା କାଳ ବିବରଣୀ ରମଣୀଙ୍କର କାଳ । ଏ ୠତୁରେ କାହିଁକି ଏପରି ହୁଏ କେ ଜାଣି ? କାମକଳା ! ଦେଖୁଛ ତ ରାଜବାଳା କେତେ କଷ୍ଟ ନ ପାଉଛନ୍ତି !

ଗୀତ- (ଆଜି କେଳି କଉତୁକି- ବୃତ୍ତେ)

ରହି ନ ପାରିବ ସହି ଏ ବରଷା ରସାରେ ଯୋଷା ରତନ । ଘଡ଼ି ଘଡ଼ି ଚେତା ଉଡ଼ିଯାଉଛି ତା’ ପଡ଼ିଗଡ଼ି ତଳେ ହେଉଚି ଅଚେତନ । ବହନ୍ତେ ଘନ ଘନ, ପ୍ରବଳ ପ୍ରଭଞ୍ଜନ, ଚାହାଁନ୍ତେ ଝଲକାଏ, ବିଦ୍ୟୁତ ପୁନଃ ପୁନଃ । ହୋଇଣ ଛନଛନ, ନୟନୁ ତେଜ ବନ । ଦିନକୁ ଦିନ କ୍ଷୀଣ ଭଜଇ ଅପଘନ । ପଦ । ଘଡ଼ଘଡ଼ି ରଡ଼ି ତଡ଼ିତ ଅଙ୍ଗିକି, ନିରତେ ଦିଏ ତରାସ । ଯଡ଼ି ତହିଁ ଭେକ ଟକମକ ପଦ ଶଙ୍ଖକଣ୍ଠୀ ଶ୍ରୁତି ଯୁଗ କରେ ପରାଣ ।୧। ବଲ୍ଲଭ ବିରହେ ମୃଣାଳ ପଲ୍ଲବେ, ବଲ୍ଲଭୀ ଶୟନ କରି । ଦୁର୍ଲଭ ମଣି ନାମ ଜପଇ ଅବିରତେ, ସୁଲଭ ଆଶାରେ କମଳମାଳ ଧରି ।୨। ଗଳା ମୋତିହାର ବାଳା କରି ବିହାର, ଫିଙ୍ଗଇ ଏଣେ ତେଣେ ।୩। କାହାକୁ ପଚାରି ଏ ରୋଗ ଉପଚାର; ନୋହିଲେ ଚାର ବରଗି । ଆଣ କାନ୍ତ ସନ୍ଦେଶ, ବଇଷ୍ଣବ ଭାଷ, ନ ଥିଲେ ଚିକିତ୍ସକ କଷଣ ଭୋଗେ ରୋଗୀ ।୪।

କାମ-      ସଖି ପରିମଳେ ! ଆମେ ତ ନାରୀ ଜାତି- ଦାଣ୍ଡ ବନ୍ଧ ଡେଇଁବାକୁ ମନା । କାହାପାଖକୁ ଯିବୁ ? ସମସ୍ତେ ବସି ଏଠି ଗୋଟିଏ ଉପଚାର ଚିନ୍ତା କରି ଯେବେ ଜେମାକୁ ଦିଅନ୍ତେ, ତାହା ହେଲେ ଏ ରୋଗ ଟିକିଏ କମିଯାଆନ୍ତା । ଯେଉଁ ବଇଦ କଥା କହିଲେ ସେ ବଇଦ କ’ଣ ପାଖରେ ଅଛି ?

ପରିମଳା- ସଖି ! ଯେଉଁ ସନ୍ନିପାତରେ ମକରଧ୍ୱଜ ପୂର୍ଣ୍ଣଚନ୍ଦ୍ର ଦରକାର, ସେ କି ତତଲା ଭାତରେ ଭଲ ହେବ ? ଏକଥା ତ ମୋ ମନକୁ ଜମା ଯାଉ ନାହିଁ ।

କାମ-       ମଲା ! ସେକିଲେ କ’ଣ ଶରଦ କମୁ ନାହିଁ । ମୁଁ ଗୋଟିଏ ତୁଟୁକା ମୂଳମୂଳିକା କହୁଛି ଶୁଣିଲ ତମ ମନକୁ ଯିବ କି ନାହିଁ?

ଗୀତ-      (ଖେଳନ୍ତି ଯମୁନାକୂଳେ- ବୃତ୍ତେ)

କମଳା ଗୋ ! ବଇଦ କର ମନକୁ । ପଦ । ହେଉଛି ଏତେ ସରି, ଦେଖିବ ହେମ-ଗୋରୀ, ନାଗର ଚନ୍ଦ୍ରଭାନୁକୁ ।୧। ଆଗରେ ଦେଖାଇବା, ବାଗରେ ଚଖାଇବା, ଭାସ୍କର ଅନୁପାନକୁ ।୨। ବିଧୁ ଚନ୍ଦ୍ର ଚନ୍ଦନେ, ବୋଲନ୍ତି ବୁଦ୍ଧଜନେ, ଆରି ଚନ୍ଦନ ଚୂର୍ଣ୍ଣକୁ ।୩। ଭାସ୍କର ଭାନୁଯୋଗ, କରି ତହିଁର ସଙ୍ଗ, ବୋଳ ସୁତନୁ ତନୁକୁ ।୪। ବଇଷ୍ଣବ ରଚନ, କରାଅ କିଛି ପାନ, ସୁମରି ଭଗବାନକୁ ।୫।

କମଳ-      ମନ୍ତ୍ରୀଜେମା ! ତୁମ୍ଭେ କିଛି ମନ୍ଦ କହିନାହିଁ । ସନ୍ନିପାତରେ କ’ଣ ବରଫ ଲେଡ଼ା ହୁଏ ନାହିଁ କି ? ବିଧୁ ଚନ୍ଦ୍ରକୁ, ବିଧୁ କର୍ପୂରକୁ, ବିଧୁ ଶ୍ରୀକୃଷ୍ଣଙ୍କୁ କୁହାଯାଏ । ଭାସ୍କର ଆଉ ଚନ୍ଦନକୁ ଏକତ୍ର ମିଶାଇ ଅଙ୍ଗରେ ଲଗାଇଲେ ଚନ୍ଦ୍ରଭାନୁ ମିଳିଲା ନାହିଁକି ? ତେବେ ଏ କୃତ୍ରିମ ! ଜେମା ମୌଳିକ ଦ୍ରବ୍ୟ ଲୋଡୁଚି । ଏ ଉପଚାର କ୍ଷଣସ୍ଥାୟୀ । ରାମେଶ୍ୱର ଯିବା କଥା ରାଜା- ରାଣୀଙ୍କର ପଡ଼ିଥିଲା । ସେକଥା ମେଘମାଳା ମୋତେ କହୁଥିଲେ । ଜାଗର ତ ନିକଟ ହେଲାପରି । କହୁଁ କହୁଁ ଦିନ କେଇଟା କାଲି ପରି ଗଡ଼ି ଯିବ ।

ପରିମଳା- ଚାଲିବଟି ଅବେଳରେ ଖିଆପିଆ କଲେ ଫେର୍ ବାହାର ଭିତର ସବୁ କଳ ବିଗିଡ଼ିଯିବ ।

ଦାସୀ-      (ପ୍ରବେଶି) ଜେମାଙ୍କୁ ମା ଡାକୁଛନ୍ତି, ଚଞ୍ଚଳ ଚାଲ ।)

(ସମସ୍ତଙ୍କର ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ

ରାମେଶ୍ୱର କ୍ଷେତ୍ରେ କେଶରବନେ ସୈନ୍ୟ ସମାବେଶ,

ଚାରିମିତ୍ର ସହ ଚନ୍ଦ୍ରଭାନୁର ଉପବେଶନ ।

ଚନ୍ଦ୍ର-      ମିତ୍ର ! ସିଂହଳ ରାଜପୁତ୍ରୀ ଶିବ ତାଙ୍କ ଦେଉଳକୁ ଦର୍ଶନ କରିଯିବେ, ମୋତେ ତାଙ୍କର ଲୋକ ପତ୍ର ଦେଇ ଜଣାଇଗଲା । କିପରି ଜଗତମୋହିନୀର ସାକ୍ଷାତ ହେବ ? ଯାହା କର୍ଣ୍ଣାଟରୁ ସେନାଘେନି ଆସି କେଶରବନରେ ରହିଲି ତାକୁ ନ ଦେଖିଲେ ମୋର ସକଳ ଶ୍ରମ ବୃଥା ହେଉଛି ।

ୠତୁ-      ସଙ୍ଗାତ ! ଯେତେବେଳେ ଆକ୍ଷି ଆଗରେ ଦୀପ ରହିଲାଣି ନ ଦିଶିବ କିପରି ? ତୁମ୍ଭେ ପରା ଦର୍ଶନ ବେଳକୁ ଯିବାକୁ ପ୍ରତିପତ୍ର ଲେଖିଛ ।

ଚନ୍ଦ୍ର-      ହଁ ଚାଲ, ଆମ୍ଭେମାନେ ତା’ ଆଗମନ ଅନୁସରି ଦେଉଳ ବେଢ଼ା ନିକଟରେ ଠିଆହୋଇଥିବା, ଦୂତ ମଧ୍ୟ ତାଙ୍କ ସନ୍ଧାନରେ ଯାଇଛି ।

ୠତୁ-      ତେବେ ଚାଲ, ଉଛୁର କରନା ।       (ଉଭୟଙ୍କର ପ୍ରସ୍ଥାନ)

 

ଲାବଣ୍ୟବତୀ ଓ ହେମମଞ୍ଜରୀର ପ୍ରବେଶ

ଲାବଣ୍ୟ-      ସଖି ହେମମଞ୍ଜରୀ ! ଏହିକ୍ଷଣି ଶୁକ ବ୍ରହ୍ମଚାରୀ ମୋତେ ପତ୍ର ଦେଇଗଲେ । ମୁଁ ପଚାରି ପାରିଲି ନାହିଁ କର୍ଣ୍ଣାଟଯୁବରାଜ କେତେବେଳେ ଶିବ ଦର୍ଶନକୁ ଆସିବେ ।

ହେମ-      ତା’ କ’ଣ ଜେମାଦେଈ ଲୁଚି ରହିବ । ସେ କ’ଣ ଗଳିଆ ପୋଛିଆ ଲୋକ ହୋଇଛନ୍ତି, ଆସିଲାବେଳେ କେତେ ବାଣ, କେତେ ନିଶାଣ, କେତେ କମାଣ ଫୁଟିବ- ଆମ୍ଭମାନଙ୍କୁ କ’ଣ ତାହା ଜଣାଯିବ ନାହିଁ । ହେଇ ତ କାମକଳା କାହିଁକି ରେ ରେ ହୋଇ ଧାଇଁଛନ୍ତି ।

ଲାବଣ୍ୟ-      କି କାମ, ଏଡ଼େ ତରତରିଆ ଦଉଡ଼ କାହିଁକି ମ ? କ’ଣ ନୂଆ ଖବର ଶୁଣିଲ କି ?

କାମ-      (ପ୍ରବେଶି) ସହି, ଏଥର ମନକୁ ଇଚ୍ଛାବର ବରଣ କର । ଏ ଯାତ୍ରା କେବଳ ତମରି ବିଭାଘର ହେବା ଛଳରେ ସିନା; ମୁଁ ନିଜେ ରାଣୀଙ୍କ ମୁହଁରୁ ଶୁଣିଛି- ଆଉ କେଉଁ ଚିନ୍ତା ।

ଲାବଣ୍ୟ-      ସଖୀ ! ତୁମ୍ଭେ ଏ ପତ୍ର ଖଣ୍ଡକ ନେଇ ଶୁକ ବ୍ରହ୍ମଚାରୀ ହସ୍ତରେ ଦେଇ କେଶରବନକୁ ପଠାଇ ଦିଅ ।

(ହେମମଞ୍ଜରୀ ପତ୍ରଘେନି ପ୍ରସ୍ଥାନ)

କାମ-      ଜେମା ଚାଲ, ସାହାଣମେଳା ଦର୍ଶନବେଳ ପରା ହୋଇଗଲା ।

ଲାବଣ୍ୟ-      ହଉ ଚାଲ ।      (ଉଭୟ ପ୍ରସ୍ଥାନ)

 

ତୃତୀୟ ଦୃଶ୍ୟ

ଚନ୍ଦ୍ରଭାନୁ ଓ ମନ୍ତ୍ରୀ ପୁତ୍ରର ପ୍ରବେଶ

ଚନ୍ଦ୍ର-      ମିତ୍ର, ଯେତେବେଳେ ଶିବଙ୍କ ଦେଉଳ ଦ୍ୱାରଦେଶରେ ପ୍ରିୟତମା ଉପରେ ମୋର ଦୃଷ୍ଟି ପଡ଼ିଲା, ମନେକଲି ସୃଷ୍ଟିରେ ଯାହା ଉଚ୍ଚ ଉଚ୍ଚ ଅଭିଳାଷ କରି ଲୋକ ଯାହା ଲାଭ କରନ୍ତି; ସେ ରାଜକୁମାରୀ ନିକଟରେ ଅଣୁମାତ୍ର ତୁଳନା ହୋଇ ନ ପାରେ । ଯାହା ଦେଖିଲି ତାହା କହୁଛି ଶୁଣ ।

 

ଗୀତ- (କାହିଁ ପାଇଁ ଭଉଣୀ- ବୃତ୍ତେ)

ହରଉରଜା ଯେକାଳେ ହର ଦେଉଳରୁ ହେଲା ବାହାର । ହରଷ ନୟନା ହରି-କଟିଜିଣା ପରେ ନେତ୍ର ପଡ଼ିଗଲା ମୋହର । ପଦ । ଅଭ୍ର ଚିତା ଶୁଭ୍ର, ଦିଶେ ଭାଲପଟେ, ମଧ୍ୟଗଗନେ କି ଉଦେ ମିହିର । ଚକ୍ରାକୃତି ନଥ ଝରା ଥରାଇଲା, ଦେଖି ନ ଦ୍ରବିବ ଚିତ୍ତ କାହାର ।୧। ଉଚ୍ଚ କୁଟେ ଢଙ୍କା, କୁଞ୍ଚିତ କାଞ୍ଚଲା, ସୁଧାକୁମ୍ଭ ଢଙ୍କା କିବା ତାହାର। ହୋଇଛି ଢାଙ୍କୁଣୀ, ଦୋଳୁଅଛି ପୁଣି ତାପରେ ହୀରକ ତ୍ରିସରି ହାର । କର, ଟେକି ଚିର, ରଖିବାବେଳୁ, ଦିଶିଲା ଉଦର କେତେ ବାହାର । ଲଳିତ ତ୍ରିବଳି, ବଳି ହୋଇ ଦିଶେ, ମାର କି ପାବଛେ କରେ ବିହାର ।୩। ତେରଛାଇ ଚାହିଁ, ଗଲାବେଳେ ବାଳା, ଦାସ ହେବ କାମପାଶେ ତ ହାର । ବଇ ବୋଲେ ମୁଖ ଚନ୍ଦ୍ର ତା ନିରେଖି, ଉଠିଲା ମୋ ପ୍ରୀତି, ସିନ୍ଧୁ ଜୁଆର ।୪।

ଋତୁ-      ସଙ୍ଗାତ, ତେବେ ଆଜି ଗଙ୍ଗାସ୍ନାର ଫଳ ଲାଭ ହୋଇଛି ।

ଚନ୍ଦ୍ର-      ତା’ର ସଙ୍ଗେ ସଙ୍ଗେ ହସ୍ତଲିପି ଖଣ୍ଡେ ପାଇଛି ।

ୠତୁ-      ଭାଷାରେ କି ଲେଖିଥିଲେ ରସାପତି-ସୁତା ?

ଚନ୍ଦ୍ର-      ଏକତ୍ର ହରଦର୍ଶନେ ବଳାଇ ମମତା ।

ୠତୁ-      ହେବ କେଉଁପରି ଲେଖିଛନ୍ତି ସେ ଉପାୟ ?

ଚନ୍ଦ୍ର-      ତୁମ୍ଭେ ଯାଇଁ ସିଂହଳନାଥଙ୍କୁ ଏହା କହ ।

ୠତୁ-      କେଉଁ କଥା କହିବି ସଙ୍ଗାତ ?

ଚନ୍ଦ୍ର-      କହ ଅବରୋଧ ଦର୍ଶନକୁ ଯିବେ ଆମ୍ଭ ନାରୀଯୁଥ ।

ୠତୁ-      ଏହା ହେଲେ ତୁମ୍ଭେ କେହ୍ନେ କରିବ ଦର୍ଶନ ?

ଚନ୍ଦ୍ର-      ଶୁଣ ପତ୍ରେ ଲେଖାଅଛି ମିତ୍ର ତହିଁର ବିଧାନ ।

 

ଗୀତ

ଶିବ ଦରଶନେ ଆସିବ ଜୀବଧବ ଏପରି । ସାଜି ଯୋଷା ଖୋଷା ଖୋଷିବ ଶିରେ ନୋହିବ ବାରି ।୧। ନୀଳ ନିଚୋଳ ଓଢ଼ଆଣି ଓଢ଼ିଥିବ ଅଙ୍ଗରେ । ଚାଲିବା ବେଳେ ପକାଇବ ବାମ ପାଦ ଆଗରେ ।୨। ନାନା ଆଭରଣ ମଣ୍ଡିତ ଶିରୁ ଚରଣ ଯାକେ, ପୁରୁଷ ବୋଲି ନ ଭାବିବେ ଯେହ୍ନେ ଦ୍ୱାରା-ରକ୍ଷକେ ।୩। ଆମ୍ଭମାନଙ୍କର ସଙ୍ଗରେ ସାରି ଦରଶନକୁ । ଫେରିବା ବେଳରେ ଆଚରି ସେହି ବିଧିମାନଙ୍କୁ ।୪। ହର ଦେଉଳରେ କରିବି ହାର ଦେଇ ବରଣ । ପୁରୁଷ ବେଶେ ପ୍ରୀତି କାଳେ ଦିନେ ଶୁଝିବ ୠଣ ।୫। ଲେଖିଛି ଏପରି ସୁନ୍ଦରୀ ମିତ୍ର ଭାବି କି ଚିତ୍ତେ । ସାଜିଦିଅ ରାମା ସୁବେଶ ବଇ ଭାଷଇ ଗୀତେ ।୬।

ୠତୁ-      ସଙ୍ଗାତ, ଆସ ମୁଁ ତୁମ୍ଭଙ୍କୁ ନାରୀ ବେଶ କରିଦିଏ । ମୁଁ ଆଗରେ ଯାଇ ସିଂହଳ ରାଜାଙ୍କ ଆଗରେ କହି ଆମ୍ଭ ରାଜ-ଅନ୍ତଃପୁର ନାରୀଗଣେ ତାଙ୍କ ଜେମା ଗହଣରେ ଦର୍ଶନକୁ ଯିବେ କହି ଅନୁମତି ତାଙ୍କଠାରୁ ମାଗିଆଣିବି । ତୁମ୍ଭେ ଏହି ଅବସରରେ ଆମ୍ଭ ସ୍ତ୍ରୀଗଣଙ୍କ ସଙ୍ଗେ ଶିବ ଦେଉଳ ଦରଜାରେ ହାନ୍ଦୋଳା ଆରୋହୀ ଠିଆ ହୋଇଥିବ ।

ଚନ୍ଦ୍ର-      ସଙ୍ଗାତ ! ଆଗେ ମୋତେ ବେଶ କରିସାରି ପରେ ଅନୁମତି ପାଇଁ ଯିବ, ଆସ ।

 

ଚନ୍ଦ୍ରଭାନୁକୁ ୠତୁଧ୍ୱଜ ନାରୀବେଶ କରିବା

ୠତୁ-       ସଙ୍ଗାତ ! କାହାର ସାଧ୍ୟ ଯେ ତୁମ୍ଭକୁ ପୁରୁଷ ବୋଲି ବାଛିଦବ ? ସୁରପରିଗଣେ ଏ ଶୋଭାକୁ ହାରିଯିବେ । ତୁମ୍ଭେ ନାରୀଗଣଙ୍କ ସଙ୍ଗେ ଆସ, ମୁଁ ରାଜାଙ୍କ ପାଖକୁ ଯାଉଛି ।

ଚନ୍ଦ୍ର-      ମିତ୍ର ! ତୁମ୍ଭେ ଚାଲ ମୁଁ ଥରେ ଏ ଦେହକୁ ମୋର ପ୍ରିୟା ନାମ କବଚରେ କବଚି ନିୟେଁ ।

 

ଗୀତ

(ଶ୍ରୀରାଧା ବାତୁଳି- ବୃତ୍ତେ)

ଆରେ କୁଟିଳାକ୍ଷୀ, ବାରେ କରୁ ରକ୍ଷା, ଚନ୍ଦ୍ରମୁଖୀ ନାମ ମୁଖ ମୋର । ତରଳ ନେତ୍ରୀ ମୋ; ନେତ୍ର ରକ୍ଷା କରୁ, ତୋଷିକା ନାମ ନାସିକାସାର । ଶ୍ରୁତି ବେନିଥରେ । ସୁବଚନା ନାମ ରକ୍ଷା କରିବ ରେ । ଅରୁଣାଧରି ଅଧର କମ୍ବୁକଣ୍ଠୀ, କଣ୍ଠଦେଶେ ଆସ ବସ ଧୀରେ ।୧। ମୃଣାଳବାହୁରେ, ରସ ଏ ବାହୁରେ, ଉଦରେ କୃଶ-ଉଦରୀ ଭାବେ । ପରମାନନ୍ଦ-ଦାୟିନୀ ପୃଷ୍ଠ ରଖ, କଟୀ ଦେଶ ହରି-ମଧ୍ୟ ଏବେ । ରମ୍ଭା-ଜାନୁ ଜାନୁ । ପାଦପଦ୍ମ ଚରଣ କେ ତୋ’ର ବିନୁ ରକ୍ଷା କରିବାରେ ସକ୍ଷମ ହୋଇବ, ଡାକେ ଅନୁସରି ଅନୁମାନ ।୨। କବଚିଲି ଯେଉଁ ଯଉଁ ସ୍ଥାନମାନ, ତୋ ନାମ କବଚେ ଛୁଇଁ କରେ । ସେହି ସେହି ସ୍ଥାନ, ରକ୍ଷା କରି କରୀ-ଗମନା ପାରି କରିବୁ କିରେ । ବଇଷ୍ଣବ ଗିର । ନାହିଁ ତୋ ନାମ ବିନୁ କେ ସାହା ମୋର । ପୂର୍ଣ୍ଣକରି ଶିବେ ଲକ୍ଷେ ସ୍ୱର୍ଣ୍ଣଚମ୍ପା, ଚଢ଼ାଇବି ଯେବେ ହେବି ତୋର ।୩।

 

ଚତୁର୍ଥ ଦୃଶ୍ୟ

ଶିବକ୍ଷେତ୍ର ସିଂହଳ ନୃପତିଙ୍କ ବାସଗୃହେ ୠତୁଧ୍ୱଜର ପ୍ରବେଶ

ୠତୁ-      ସିଂହଳପତି ! କାଲି ଯେଉଁ କର୍ଣ୍ଣାଟ ଯୁବରାଜଙ୍କୁ ଛାମୁଙ୍କ ପାଖକୁ ଦେଖିବା ନିମନ୍ତେ ଡକେଇ ଆଣିଥିଲେ, ସେ ମୋତେ ଆଜି ଶ୍ରୀଛାମୁକୁ ପଠାଇଛନ୍ତି ଯେତେବେଳେ ଛାମୁଙ୍କ ଅନ୍ତଃପୁରସ୍ଥା ନାରୀଗଣେ ଅବରୋଧ କକ୍ଷକୁ ଯିବେ; ସେହିକାଳେ ତାଙ୍କର ନାରୀଗଣେ ଏମାନଙ୍କ ସଙ୍ଗେ ଯିବାକୁ ଅନୁମତି ମାଗିଛନ୍ତି ।

ରାଜା-      ତେବେ ଭଲ ହେଲା; ଟିକଏ ରହନ୍ତୁ, ମୁଁ ସମସ୍ତ ପଣ୍ଡା ପଢ଼ିହାରିମାନଙ୍କୁ ଡାକି କହିଦେଉଛି ।

ଦ୍ୱାରୀ-      ମହାରାଜ !

ରାଜ-      ଯାଅ କେତେକ ପଣ୍ଡାପଢ଼ିହାରିଙ୍କି ଆମ୍ଭ ଛାମୁକୁ ଡାକି ଆଣିବ ।

ଦ୍ୱାରୀ-      ଯେ ଅଜ୍ଞା ଛାମୁଁ !

(ଦ୍ୱାରୀ ପ୍ରସ୍ଥାନ)

(କେତେକଜଣ ପଣ୍ଡାପଢ଼ିହାରି ଆସି ପ୍ରବେଶ)

 

ଗୀତ

ସତେ ବୃନ୍ଦାବନେ- ବୃତ୍ତେ

ସବୁଦିନେ ଯେବେ ପଡ଼ୁଥାନ୍ତା, ନାନା, ଏମନ୍ତ ଜାଗରଯାତ । ଗଣ୍ଡା ଗଣ୍ଡା ପଣ୍ଡା ପଢ଼ିହାରିଙ୍କର, ଉଚ୍ଛୁଳି ଉଠନ୍ତା ହାତ । ପଦ । ଟଙ୍କା ପଇସାକୁ ଥୋଇବାକୁ ପରା, ନ ମିଳନ୍ତା ଫୁରୁସତ । ଶିବ ଶକତିକି ଅଣ୍ଡାଳି ପକାନ୍ତେ, ଏକାବେଳେ ପାଞ୍ଚ ସାତ ।୧। ସୁନାର କଠାଉ ଗୋଟାଉଁ, ଉଲୁସି ଉଠନ୍ତେ ଚିତ୍ତ। କେତେ ସୁନାଚିତା ଟୋପର ମିଳନ୍ତା ଫୁରୁସତ । ଶିବ ଶତକିତି ଅଣ୍ଡାଳି ପକାନ୍ତେ, ଏକାବେଳେ ପାଞ୍ଚ ସାତ ।୧। ସୁନାର କଠାଉ, ଗୋଟାଉଁ, ଉଲସି ଉଠନ୍ତା ଚିତ୍ତ । କେତେ ସୁନାଚିତା ଟୋପର ମିଳନ୍ତା, ଶୁଣୁଥାନ୍ତ ନାନାଗୀତ ।୨। ପୁଞ୍ଜା ପୁଞ୍ଜା ରାଜପୁଅ ଆସି ପୁଣି, ବାଣ୍ଟୁଛନ୍ତି ଯେତେ ବିତ୍ତ । ସବୁଠାରୁ ବେଶି ବିଞ୍ଚୁଅଛି ଧନ, କାଞ୍ଚିଦେଶ ରାଜାସୁତ ।୩। କାଲିପରା ପୁଣି ପାଖକୁ ଡକାଇଥିଲେ, ଆମ୍ଭ ନରନାଥ । କୋଠା ଛାତପରେ ଭେଟାଭେଟି ହେଲେ ରୂପଗୁଣେ ଆଚମ୍ବିତ ।୪। ଦେଖୁଥାଅ ରହି ତା’ର ପରି କାହି, ଦେଉନାହିଁ ଖଇରାତ । ବଇଷ୍ଣବ ଭାଳେ ଦରଶନବେଳେ, ଦେଖିବୁ ତା’ କରାମତ ।୫।

 

ରାଜା-      ଶୁଣ ଶୁଣ କର୍ଣ୍ଣଡେରି ମନ୍ତ୍ରୀପୁତ୍ର ! ତୁମ୍ଭ ରାଜକୁମାରଙ୍କ ସୁଖ୍ୟାତି କିପରି ପଣ୍ଡାମାନେ ଗଣ୍ଡା ଗଣ୍ଡା ହୋଇ ଗାଉଛନ୍ତି ? ପୁଣି ଆମ୍ଭେ ସେମାନଙ୍କୁ ତୁମ୍ଭର କାର୍ଯ୍ୟରେ ସାବଧାନ କରାଇ ଦେଉଛୁ ।

      (ପଣ୍ତାପଢ଼ିହାରିଗଣ ପ୍ରବେଶ)

ପଣ୍ଡା-      ମଣିମାଙ୍କର ଜୟ ହେଉ, ଛାମୁରୁ କି ଆଦେଶ ଶୀଘ୍ର କରନ୍ତୁ, ଆଜି ଯାତଟା ଭାରି ଗହଳ ।

ରାଜ-      ଶୁଣ ପଣ୍ଡାପଢ଼ିହାରିଗଣେ ! କର୍ଣ୍ଣାଟ ରାଜାଙ୍କର ସ୍ତ୍ରୀଗଣଙ୍କୁ ଆମ୍ଭ ଜେମା ଇତ୍ୟାଦି ଅବରୋଧ କକ୍ଷକୁ ଗଲାବେଳେ ତାହାଙ୍କ ସଙ୍ଗେ ଛାଡ଼ିବ-ଯେପରି ସେମାନେ ସୁବିଧାରେ ଦର୍ଶନ ପାଆନ୍ତି ।

ପଢ଼ିହାରି- ମହାରାଜ ! ଏମନ୍ତଭାବେ ଦର୍ଶନ ହେବ ଯେପରି କାର ଦେହକୁ ଦେହ-ଲାଗିବ ନାହିଁ !

ୠତୁ-      ଖୁବ୍ ସାବଧାନରେ ଦର୍ଶନ କରାଇଲେ ଖୁବ୍ ପୁରସ୍କାର ପାଇବ । ମୋତେ ଚିହ୍ନିଥାଅ; ସେତେବେଳେ ଯେପରି ଭୁଲ ନ ଥାଏ ।

ପଣ୍ଡା-      ଛାମୁଙ୍କୁ କିଏ ନ ଚିହ୍ନେ, ଛାମୁଙ୍କ ରାଜକୁମାରଙ୍କ ଯଶ ପରା ରାମେଶ୍ୱରର କାଙ୍ଗାଳିଠାରୁ ଧନୀ ଲୋକ ସୁଦ୍ଧା       ଘୋଷୁଛନ୍ତି ।

ରାଜା-      ହଉ ହଉ ତୁମ୍ଭେମାନେ ଯାଅ, ଦର୍ଶନବେଳା ହେଲାଣି ।      (ସମସ୍ତଙ୍କ ପ୍ରସ୍ଥାନ)

ନେପଥ୍ୟେ, ନାନା ବାଦ୍ୟଧ୍ୱନି- ଚାରିଜଣ ପଣ୍ଡାଙ୍କର

ଭାଙ୍ଗ ଘୋଟାବାଡ଼ି, ପଥୁରି ହସ୍ତେ ପ୍ରବେଶ ।

 

୧ମ ପଣ୍ଡା- (ଭାଙ୍ଗ ଘୋଟୁ ଘୋଟୁ) ଭାଇନା, ବେହିପୋ ଆଜି ପାଗ ଯୋଗଟା ପରା କାହିଁ ମିଳିବ ନାହିଁ । ଯେତେବେଳେ ଖେଦାଟାଏ ମାଇପେ ଝମ ଝମ ହୋଇ ଦିଅଙ୍କ ଦିହୁଡ଼ି ଭିତରକୁ ପଶିଗଲେ । ତେଣେ ଚାହିଁଦେଇ ମୋ’ ମୁଣ୍ଡଟା ପରା ଝାଇଁ ଝାଇଁ ହୋଇଗଲା ।

୨ୟ ପଣ୍ଡା- ଭାଇନା, ମୁଁ ତେତେବେଳେ କସିକରି ପାଚକଟାଏ ପକେଇ କମରଭିଡ଼ି ବାସୁଆ ପଛପଟରେ ଠିଆ ହୋଇ ଥାଏଁ, ସେ ଗହଣା ଝମ ଝମ ନାଦଟା ହଠାତ୍ ମୋ କାନରେ ପଶିଗଲା; ମନେକଲି ବେହିପୋ ବରଷା ତ ଆସିଲା । କେଡ଼େ ଯାତ ସୁଖଟାଏ ଭାଙ୍ଗି ପକାଇବ । ଉପରକୁ ଚାହିଁଲି ଆାକାଶ ସଫା; ବାଦଲ ଖଣ୍ଡେ ବି ନାହିଁ । ଚାହିଁଲା ବେଳୁ ତ ବାଦଲା କାମ ପରି ଆକାଶ ପରି ପଞ୍ଝାଟାଏ ଦେଉଳକୁ ଧାଇଁଚନ୍ତି । ଭାଇନା, ସେଠୁ ତାଙ୍କ ପଛ ପଟ ଧରି ଆସ୍ତେ ଆସ୍ତେ ଗଲି । ମନେକରୁଥାଏ ଧନ ନ ଦେଇ ଯଦି ୟାଙ୍କ ହାତରେ ମୋତେ କାନମୋଡ଼ାଏ ଦିଅନ୍ତେ କି, କେଡ଼େ ସୁନ୍ଦର ହାତ ପାପୁଲି ରଙ୍ଗ, ଯେମନ୍ତେ ଫାଳେ ମାଲପୁଆ ପରି ଦିଶୁଥାଏ । ମୋର ଅସରଫି କିଏ ଗୋଟାଏ ରେ – ସେ ତ ଏଣେ ପଣପଣ ହୋଇ ପଡ଼ୁଥାଏ।

୩ୟ ପଣ୍ଡା- ଭାଇନା, ରହ ମୁଁ ତ ମନେ ଭାବିଲି ଏ ବଡ଼ଘର ଢିଲା । ଏ ବୋଧହୁଏ ଅସରଫି ପ୍ରସବ କରନ୍ତି । ଆରେ ତାଙ୍କୁ ଅନେଇବି ନା ଧନ ଗୋଟେଇବି ? ନନା କେତେ ଯେ ମାଳ ପଦକ ସବୁ ଝଡ଼ି ଛିଡ଼ିପଡ଼ିଲା, ଯେ ପାଇଚି ସେଇ ସେ ମଜା ଜାଣେ । ଆଉ ବେହିପୋ ତାଙ୍କ ନାଦ ଯେମନ୍ତେ କୋକିଳ ନାଦ, ମନେ ମନେ କହୁଥାଏ ଦି’ଚାରିପଦ ଗାଳି ଦ୍ୟନ୍ତେ କି ଭଲ କରି କଣ୍ଠ ସୁଆଦଟା ବୁଝନ୍ତି ।

୪ର୍ଥ ପଣ୍ଡା- ମୁ ମଧ୍ୟ ମନେକଲି ଭାଇନା, ପ୍ରକୃତରେ ବଡ଼ଘର ପିଲାଏ ଭଲ ଦାମୀ ଦାମୀ ଜିନିଷ ପ୍ରସବ କରନ୍ତି ।

୧ମ ପଣ୍ଡା- ଯା କହିଲୁ ନନା ତା ମିଛ ନୁହେଁ । ବଡ଼ଘରେ ବଡ଼ ଜିନିଷର ଜନମ । ସାନଘରେ ତା’ କାହୁଁ ମିଳିବ ? ଯଦିଚ ଦୁଇଘଣ୍ଟା ସେମାନେ ଦେଉଳ ଭିତରେ ରହିଯାଇଥାନ୍ତେ, ଜନ୍ମଟା ଯାକ ସେବକ ଗିରି ନ କଲେ କ’ଣ ଭାସି ଯାଉଥିଲା ହେ । ଗୋଟା ସର୍ବନାଶିନୀ ବୁଢ଼ୀଟାଏ ଏତିକି ବେଳେ ପହଞ୍ଚି କ’ଣ ବେହିପୋ ମନ୍ତର ଝାଡ଼ିଲା, ସେ ପଞ୍ଝାଟା ଯାକ ତ ସେଠୁ ଆସିବାଯାଏ ବାହାରକୁ ବାଆର ସଇଲା ନାହିଁ ।

୨ୟ ପଣ୍ତା- ଭାଇନା, ସେଟା ବୃଦ୍ଧା ରାଣ୍ଡୀଟାଏ ହେ । ତାକୁ ବୋଧହୁଏ ମୁଦୁସୁଲୀ ବୋଲନ୍ତି କି କ’ଣ ? ନଇଲେ ଏତେ ପୋଖତା ମାଇକିନିଆଟା ଯାଇଁ କାହିଁକି ତାଙ୍କୁ ଗୋରୁପରି ଅଡ଼େଇ ଆଣନ୍ତେ ହେ ।

୩ୟ ପଣ୍ଡା- ଆରେ ଭାଇନା, ଆଉ ଗୋଟିଏ ଖୁସ୍‌ଖବର, ମୋର ମନେନଥିଲା । ଯେଉଁ କାଞ୍ଚିରାଜା ପୁଅ ଆସିଚି, ତା’ ସଙ୍ଗେ ଆମ ସିହଂଳ ରାଜା ଝିଅର ବିଭାଘର ଠିକ୍ ହେଲା । ଶୁଣିଲି ଆଜି ଆମ ରଜା ଘରକୁ ଚାଲିଯିବେ । କାଲି ଭୋର କାଞ୍ଚି ରଜାପୁଅ ସିଂହଳକୁ ଯିବେ । ଆଚାର୍ଯ୍ୟ ଯାଇ ସବୁ ଠିକ୍ ଠାକ୍ କରି ଚାଲିଆସିଚି ।

୪ର୍ଥ ପଣ୍ଡା- ତେବେ ତ ବାହାଘରକୁ ଗଲେ ପେଟଭରି ଭୋଜନ, ଅଣ୍ଟାଭରି ପଇସା ଦକ୍ଷିଣା ମିଳିବ । ଆଉ ବେହିପୋ ଏ ଯେଉଁ ହାଉଳି ରରଜାଗୁଡ଼ାଏ ଆସିଛନ୍ତି ତାଙ୍କୁ କିଏ ପଚାରେ । ପୁଅ ତ କାଞ୍ଚି ରଜାର ପୁଅ, ଝିଅ ତ ସିଂହଳ ରଜାର ଝିଅ । ଆଉ ଗୁଡ଼ାଏ ବେହିପୋ ବଣଭୂତ । ଚାଲ ଯେଉଁ ସେତୁବନ୍ଧ ରାମେଶ୍ୱରଙ୍କ ଯୋଗେ ଆମ ପଟେ ହାତେ ହାତେ ପଦାକୁ ବାହାରିଛି, ଯାହାଙ୍କର ଦାନା ଖାଇ ଏତେଦିନ ମଉଜରେ କଟେଇଲେ ତାଙ୍କ ନାଆଁରେ ଗୋଟିଏ ନୂଆ ଭଜନ ଗାଇ ଗାଇ ଚାଲିଯିବା ।

ସମସ୍ତେ-      ତେବେ ପାଚକଟା ପଡ଼ୁଥାଉ । ଗୀତଟା ଆରମ୍ଭ କର ।

(ସମସ୍ତେ ପାଚକ ଖାଇ ଗୀତ ଗାୟନ କରିବା)

 

ମୁଝେ ଦେଖାଦେଓରେ- ବୃତ୍ତେ

ହର ହର ବଂ ବଂ ବଂ ସେତୁବନ୍ଧ ରାମେଶ୍ୱର । କପର୍ଦିଚନ୍ଦ୍ର ମଉଳି ଅନାଦି ଈଶ୍ୱର । ପଦ । ଅନ୍ଧକ ଦୈତ୍ୟ ନାଶକ ଦୈତ୍ୟ ନାଶନ ସଂହାର । ମାର ଦର୍ପହାରୀ ନୃପସୁତ ଦୁଃଖହର ।୧। ତୋତେ ସେବି ସୀତାନାଥ ନାଶିଲେ ଅସୁର । ଯେସନେ ଲଭିଲେ ଜୟ ତାହା ନ ପାସୋର ।୨। ଭୃତ୍ୟବାଞ୍ଛା ବାଞ୍ଛାନିଧି ପୂରାଅ ସତ୍ୱର । ବଞ୍ଚିତ କରନା ବର ଦେନା ଦିଗମ୍ବର ।୩। ଯେ ପଦେ ସେବନ୍ତି ସଦା ନର ନାଗ ସୁର । ଦିଅ ସ୍ଥାନ ବଇଷ୍ଣବେ ସେ ପଦ ପାଶର ।୪।

(ସମସ୍ତଙ୍କ ନାଚି ନାଚି ପ୍ରସ୍ଥାନ)

 

ଚତୁର୍ଥ ଦୃଶ୍ୟ-ସିଂହଳ ରାଜଭବନ

ସଖୀସହ ଲାବଣ୍ୟବତୀର ପ୍ରବେଶ

କାମକଳା- ଜେମାମଣି ଆଉ ଭାବନା କ’ଣ, ରାଜ ତ ବର ବରି ଆସିଲେ । କାଲି ତ ବାହାଘର, ଆଉ ସ୍ୱପନ ଦିନ ଆତୁରିଆ ଆଜି ଅଛି ନା । ପୁଣି ତ ଶିବ ଦେଉଳରେ ପ୍ରତ୍ୟକ୍ଷେ ମାଳ ଦିଆନିଆ ହୋଇଗଲା, ଖାଲି ଲୋକ ଜାଣିବାକୁ ହବ ବାହା।

ଲାବଣ୍ୟ-      ମନ୍ତ୍ରୀ ଜେମା ମୋତେ ପରିହାସ ଆଉ କରନା । ଯେତେବେଳେ ଧନ ହାତକୁ ଆସିନି ତା’ର କୋଉ ସ୍ଥିର ।

କାମକଳା- ମଲା, ଆଉ କଅଣ କିଓ ବାକି ରହିଲା । ରାଣି ପରା ବୋଇତରେ ଆସିଲା ବେଳେ ପାଖରେ ବସି ଏତେ ବୁଝାଉଥିଲେ, ସେ ପରା କହୁଥିଲେ ବର କାଲି ଆସିବ । ଆମେ ଆଗରେ ଆସିଲୁ । ସେ ସୈନ୍ୟ ଘେନି କେଶର ବନରେ ଅଛନ୍ତି । ହେଇମ ଚାହିଁ, ସେ ବୁଢ଼ୀ ଦାସୀ କାହିଁକି ମାତାମହୀଙ୍କ ପାଖରୁ ଏଠିକି ଧାଇଁଛି ।

ଲାବଣ୍ୟ-      ସଖି, ଏକ୍ଷଣି କେତେ କେତେ ଥଟ୍ଟା କଥା ବାହାରକରିବ, ତୁମେ ତା’ ସାଙ୍ଗରେ ତର୍କ କରିବ, ମୁଁ କିଛି କହିପାରିବି ନାହିଁ ।

ଦାସୀ-      (ପ୍ରବେଶ) କି ନାତୁଣୀଯାକ, ଲାବଣ୍ୟକୁ ମୋହର କଅଣ ବସି ପଢ଼ାଉଛ କି ? ଏଥର ତ ସବୁଆଡ଼ୁ ଭାଙ୍ଗିଗଲା । ଏଣିକି ଦେହକୁ ଭଲକରି ରଖୁ, ମୁଁ ଔଷଧ ବତେଇ ଦେଉଛି । କାମ ତୁ ସେହି ସେହି ଔଷଧ ଖୋଇ ବର ପାଇଁ ନାତୁଣୀକି ମୋର ଦମ୍ଭ କରି ରଖ, ଶୁଣ ।

ଗୀତ

ଆଉ ନ ଭାଳ ନ ଭାଳ ରାଣୀ- ବୃତ୍ତେ

ଗୋ ଜେମା ବେଳସୁଁ ଉପାୟ କର । ଯେଉଁ କଥା ହିତ ହେବ ଏ ଅଟଇ ନାଗରୀଙ୍କ କାରବାର ଗୋ । ପଦ। କନ୍ଦ କ୍ଷୀର ମେଥି ଖାଅ ନିତି ପ୍ରତି ଦିନକରେ ବେନିଥର । ବିଜୟା ଚୂର୍ଣ୍ଣକୁ କରି ସୂର୍ଯ୍ୟପାକ ମହୁ ଲବଣୀ ସଙ୍ଗର ।୧। ସକାଳ ସନ୍ଧ୍ୟାରେ ଖାଇଲେ ଏମାନ ସବଳ ହେବ ତୋ’ ଦେହ । ରତି ରସେ ପଡ଼ି ହାରିବରେ ଗୋରୀ ତିଳେ କରନା ସନ୍ଦେହ ଗୋରୀ ତିଳେ କରନା ସନ୍ଦେହ ଗୋ ।୨। ତିଳ ତଇଳକୁ ଡାଳିମ୍ବ ରସରେ ମିଳାଇ ଉରଜେ ବୋଳ । କାନ୍ତ କର ପୀଡ଼ା ନ କରିବ କୁଚ ହେବ ଯେହ୍ନେ ତାଳ ଫଳ ଗୋ ।୩। ବିଡ଼ଙ୍ଗ ଗନ୍ଧ ଉତ୍ପଳକୁ ସୋରିଷ ତଇଳରେ ମିଶାଇବ। ବେଶ କଲା କାଳେ କେଶରେ ବୋଳନ୍ତେ କଜ୍ଜ୍ୱଳ କୁଟିଳ ହେବ ।୪। ସୈନ୍ଧବ ପିପ୍ପଳୀ ନେଳିକି ଗୋଳି ଗୋ ବସନରେ ଛାଣି ତାହା । ଚିକୁରେ ଚିକ୍କଣ କରି ଲଗାଇଲେ ବଢ଼ିବ ନ ଭୁଲ ଏହା ।୫। ମୁଖ ଦୁର୍ଗନ୍ଧ ବିନାଶ ପାଇଁ ଦିଅ ନାଗେଶ୍ୱର ଜାତିଫଳ । ଗୁଡ଼ତ୍ୱକ୍-ଘନସାରରେ ମିଶାଇ ପାନେ ଭୁଞ୍ଜ ବେନିବେଳ ।୬। ସ୍ୱେଦ ଗନ୍ଧନାଶେ ନାଗ କେଶରକୁ ଚନ୍ଦନ ତୁଲେ ମିଶାଅ । ଅଭୟା ହଳଦୀ ସଙ୍ଗେ ଅଙ୍ଗେ ଲେପ ମହକିବ ମହ ମହ ଗୋ ।୭। ନାୟକ ନାୟିକା ସୁଖ ଭୋଗ ପାଇଁ ସରଜିଲେ ଏହା ଧାତା । ବଇଷ୍ଣବ ଭଣି ରମଣୀ ରମଣ ରସେ ହେବେ ଉନମତ୍ତା ।୮।

କାମ-      ଆଈ ଯାହା କହିଲୁ ତା ସତ, ଶାଣ ଦେଲେ ମଣିଷେ ଏବେ ସରୁ ହୋଇଯାଏ ତା’ ହେଲେ କ’ଣ ତା’ର ଶୋଭା ତୁଟିଯିବ । ଏଥିପାଇଁ ସଖୀର ଦେହ ଶୁଖି ଯାଇଛି ବୋଲି ମେଥି ଲହୁଣୀ ଇତ୍ୟାଦି ଖୋଇବୁଁ ଯେ କୁଚଯୁଗ କମଠ ପୃଷ୍ଠରୁ କର୍କଶତାକୁ ଆହୁରି କଠିନ କରି କିଆଁ ପତି କରକୁ ଏତେ ବିପତ୍ତି ଦେବୁଁ ? ଯେଉଁ କେଶ ଚିକ୍କଣ ନବ ନିରଦକୁ ଜିଣି କଳା ନଦୀ ଲହରୀ ପରି ଯାହାର କୁଟିଳତା, ସେ କେଶ ଶୋଭାରେ ଜଗତ ଜନ ମନକୁ ବାନ୍ଧି ରଖିଚି, ତାକୁ କୁଟିଳ ଚିକ୍‌କଣ କଳା କରିବାକୁ ଆହୁରି ଓଷଦି କରିବାକୁ ହେବ ! ଯାର ମୁଖ ବିଷ୍ଣୁଙ୍କ ଶିର ତୁଳସୀଦଳପରି ବାସେ, ଯାର ଦେହ ସବୁବେଳେ ପଦ୍ମଫୁଲପରି ସୁଗନ୍ଧରେ ଦିଗ ଚହଟାଇ ଦିଏ, ତାହାଠାରୁ ଆଉ ସୁଗନ୍ଧ ପଦାର୍ଥ ଜଗତରେ କଅଣ ଅଛି ? ଥାଉ ଆଉ ସେକଥା ବେଶି କହନାହିଁ ।

ଦାସୀ-      ଆଲୋ କାମକଳା, ଲାବଣ୍ୟ ହାତରେ କି ଶାସ୍ତ୍ରପୋଥି ଦିଅ, ସେ ବସିବା ଶୋଇବା ବନ୍ଧ ଚିତ୍ରମାନ ଶିଖୁ ।

କାମ-      ତା କ’ଣ ହଉ ହଉ ଆସିଯିବ ନାହିଁ, କହନି ହଂସକୁ ଧଳା ମୟୂର ଚନ୍ଦ୍ରିକା ଚିତ୍ର କରିଚି କେ ତାକୁ ?

ଦାସୀ-      ହଉଲୋ, ନବ ବରଷୀ ରସିକିନୀ ଯାକ, ତୁମକୁ କଥାରେ କିଏ ପାରିବ । ତୁମର ପଇସା ସିନା ଦାଉ ହୋଇ ଦିଶୁଚି, ବୁଢ଼ୀ ହେଲାଣି ଘସରା ପଇସା, ତୁମେ ଆଉ ତା’ କଥା ମାନୁଚ, ଏଇକ୍ଷଣି ଚିତା ରହିଲାଣି ଟୋପିରେ, କଥା ରହିଲାଣି ଠେକିରେ, ମୁଁ ଯାଉଚି ତୁମେ ଥାଅ ।       (ପ୍ରସ୍ଥାନ)

କମଳା-      ଦେଖିଲ, ବୁଢ଼ୀ କେଡ଼େ ଚତୁରୀ, ଆମେ ସିନା ତା’ କଥାକୁ ହସରେ ହସରେ ଉଡ଼େଇ ଦେଲେ, ନଇଲେ ଯାହା କହିଲା ସେ ପରା ଠିକ୍ ଓଷଦ ।

ଲାବଣ୍ୟ-      ସଖିମାନେ, ଯେବେ ବୁଢ଼ୀକଥା ମନକୁ ଗଲା ଥରେ ଥରେ ନିଜେ ସେ ଔଷଧକୁ ବିଡ଼ିଲ, କେମନ୍ତେ ଫଳ ହେବ ।

କାମ-      ମଲା, ଗଲା କଥା ତ ଗଲାଣି, ଚାଲ ମନ ବିଡ଼ିଲାବେଳେ ବିଡ଼ିବ । ନିଶାଣ ଶୁଭୁଚି, ବର ଆସିଲାଣି ପରା ସମୁଦ୍ର କୂଳେ ତୋପ ପଡ଼ୁଛି । ଚାଲ ମାଜଣା ସାରି ଯିବେ ଜେମାକୁ ବେଶି ନ କରିବା ରାଣୀ ଗାଳିଦେବେ।

କମଳା- ହଉ ଚାଲ ।       (ସମସ୍ତଙ୍କ ପ୍ରସ୍ଥାନ)

 

ପଞ୍ଚମ ଦୃଶ୍ୟ – ରାଜବାଟୀ

ରାଜା ମନ୍ତ୍ରୀ ପ୍ରବେଶ

ରାଜା-      ମନ୍ତ୍ରୀବର ! ବରକୁ ବରଣ କରାଇ ଯଥାବିଧିରେ ଯେ ଯାହା ସ୍ଥାନମାନ ନେଲେ ତ ? ଏବେ ଶୀଘ୍ର ବିଭାର ଯୋଗାଡ଼ କର । ଭୃତ୍ୟମାନଙ୍କୁ ଆଦେଶ ଦିଅ ସେମାନେ ଛାୟାମଣ୍ଡପ ପ୍ରସ୍ତୁତ କରନ୍ତୁ ।

ଗୀତ

ବଡ଼ କଠିନ ପ୍ରେମର ପାଠ- ବୃତ୍ତେ

ମନ୍ତ୍ରୀ, ଆଦେଶ ମୋର ବଜାନ୍ତୁ ସକଳେ ବାଦ୍ୟ ଛନ୍ତି ଯେତେ ବାଦ୍ୟକାର । ପଦ । ଶଙ୍ଖ ଘଣ୍ଟା କଲ୍ଲୋଳ, ତାଳ ରବା ମର୍ଦ୍ଦଳ ଢୋଲ ଦମା ଟମକ ଯେ ବିଜିଘୋଷ ନାଗେଶ୍ୱର ।୧। ମିଳି ଗଣକଗଣ, ମଙ୍ଗଳାଷ୍ଟକ ପୁଣି, ପାଠ କରିବେ ସରବେ ବେଦୀ ପାଶେ ନିରନ୍ତର ।୨। ମଣ୍ଡପେ ବସି ମନ୍ତ୍ର, ପଢ଼ିବେ ପୁରୋହିତ, ଦେଶ କାଳ ବାକ୍ୟ କରି ବିଭା ଦେବେ କନ୍ୟାବର ।୩। ମିଳି ଗଣିକା ଯୂଥ, ଦାଣ୍ଡେ କରିବେ ନୃତ୍ୟ, ଭାଟେ ଗାଇବେ କବିତା ଛନ୍ତି ଯେତେ କଏବାର ।୪। ସାଧବା ନାରୀ ମିଳି, ଦିଅନ୍ତୁ ହୁଳହୁଳୀ, ଚଳ ବେଦୀ ପାଶେ ଭାଷେ ବଇଷ୍ଣବ କବିବର ।୫।

ମନ୍ତ୍ରୀ-      ଚାଲ ନରନାଥ, ବିଭା ମଣ୍ଡପକୁ ଦଶଦଣ୍ଡ ପରେ ବିଭା ଲଗ୍ନ ପଡ଼ିଯିବ । ମୁଁ ଯାଉଚି ସମସ୍ତ ଉପକରଣ ପଠାଇଦେବି ।

ରାଜା-      ହଉ, ତୁମ୍ଭେ ଯାଅ, ମୁଁ ଯାଉଚି ।

 

ଯଥାବିଧି ବିଭାକାର୍ଯ୍ୟ ସମାପନ- ଚନ୍ଦ୍ରଭାନୁର ଏକାକୀ ଭ୍ରମଣ

ଚନ୍ଦ୍ର-      ରେ ତପନ ! ମୋ’ଠାରେ ତୋର ଏତେ ହିଂସା କାହିଁକି । ଯଦି କେହି ମୋର ଦୂତହୋଇ ଶୀତକୁ ଏଠାକୁ ଆଣନ୍ତା ତୋର ଏ ତେଜ ରହନ୍ତା ନାହିଁ । ତୁ ଦିନସଙ୍ଗେ ମଧ୍ୟ କ୍ଷୀଣ ହୋଇଯାନ୍ତୁ, ରାତ୍ରି ଦୀର୍ଘ ହୁଅନ୍ତା । କାମୀ-କାମିନୀମାନେ କେତେ ସୁଖଭୋଗ କରନ୍ତେ । ରେ ମିହିର ! ଯେତେ ଅଭିସାରୀ ସ୍ତ୍ରୀପୁରୁଷ ଏ ଜଗତରେ ଅଛନ୍ତି ତାଙ୍କ ନିଶ୍ୱାସ ବତାସ ହୋଇ ତୋତେ ଉଡ଼ାଇ ନ ନେଉଚି କିପାଇଁ ? ତୋର ନାମ ପରା ଭାନୁ, ଏହି ମୋ’ଠାରେ ତୋ’ର ମିତ୍ରସ୍ନେହ । ଏ ମୋ’କଥା ଶୁଣିଥା ।

 

ଗୀତା- ଯାଅ ଗୋ ଉର୍ବଶୀ- ବୃତ୍ତେ

ଯା’ ଯା’ରେ ମାର୍ତ୍ତଣ୍ଡ ଅସ୍ତାଚଳକୁ । ନ ଦଣ୍ଡ ଯୁବା ଯୁବତୀ କୁଳକୁ । ପଦ । ହୋଇ ଅନୁଭବୀ, ରହିଛୁ କି ଭାବି । ଗାଳିଦେଲି ନ ଘେନୁ ଯା ଛଳକୁ ।୧। ବିରହରେ ଘାରି, ଗୁରୁପତ୍ନୀ ହରି । ଅଖ୍ୟାତି ରଖିଲୁ କାଳ କାଳକୁ ।୨। ବରିଆଣି ରାହୁ, ସାରିବି ତୋ’ ଦାଉ, ଗିଳି ଚଳିବ ସେ ନିଜ ଆଳକୁ ।୩। ତେଣେ ପ୍ରିୟା ମୋର, କାମେ ଜରଜର, ହୋଇ ତେଜୁଥିବ ଅଶ୍ରୁ ଜଳକୁ ।୪। ମଣ୍ଡି କେଳିପୁର, ଥିବେ ସଖୀ ବାର, ପିନ୍ଧାଉଣ ଥିବେ ସେ ନୀଳଚେଳକୁ ।୫। କରୁଥିବେ ବେଶ, ବଇଷ୍ଣବ ଭାସ ଗଭାରେ ଖଞ୍ଜି ତା ଫୁଲ ମାଳକୁ ।୬।       (ଚନ୍ଦ୍ରଭାନୁର ପ୍ରସ୍ଥାନ)

 

ସଖୀମାନେ ଲାବଣ୍ୟବତୀକୁ ବେଶ କରିବା ଗୀତ

ଆସ ରସିକାମଣି ବେଶ ସାଜିଦେବୁ ଗୋ । ମାଜି ଘନକେଶ ଫୁଲ ଖଞ୍ଜିଦେବୁ ଗୋ । ପଦ । ଚନ୍ଦ୍ରଝୁମ୍ପି ଦେଇ, କେତେକୀ ଚଢ଼ାଇ, ଗଜଗତି ମତିକି ତୋ’ ରଞ୍ଜିଦେବୁ ଗୋ ।୧। ନିର ଶଶିଜିତ ତାଟଙ୍କକୁ ମିତ । କର୍ଣ୍ଣଦେଇ ମାର ଗର୍ବ ଗଞ୍ଜିଦେବୁ ଗୋ ।୨। ନାସେ ନାସାମଣି, ଘେନ ଯୋଷାମଣି । ପତି ମତି ଧୈର୍ଯ୍ୟ ଦମ୍ଭ ଭାଞ୍ଜିଦେବୁ ଗୋ ।୩। ଗଳେ ଚାପସରି, ମୁକୁତା ଦୋସରି । ଶମ୍ଭୂ ଉରଜେ ଲମ୍ବାଇ ପୂଜିଦେବୁ ଗୋ । କନକ କଙ୍କଣ, କରେ ପିନ୍ଧାଇଣ । ବନ୍ଧୁ ଭୁଜେ ବାଜୁବନ୍ଧ ବାନ୍ଧିଦେବୁ ଗୋ ।୫। ଚନ୍ଦ୍ରଭାନୁ ପାଇଁ, ଚନ୍ଦ୍ରହାର ନେଇ । ହରିକଟି ତୋ’ କଟିରେ ଆଜି ଦେବୁ ଗୋ ।୬। ବଇଷ୍ଣବ ଭାଷ, କୁଞ୍ଚି ଝୀନବାସ । ପିନ୍ଧାଇ କେଳିମନ୍ଦିରେ ତେଜିଦେବୁ ଗୋ ।

କମଳା-      ସଖି, କାନ୍ତ ସଙ୍ଗ ପାଇ ସଙ୍ଗସଖିକି ପ୍ରଭାତ ବନସରି ତେଜିଦେବ ନାହିଁଟି । ବେଶ ତ ସରିଲା ଲାଜ ଲାଜ କାହିଁକି- ଆସ କେଳି ମନ୍ଦିରକୁ, ତେଣେ ପରା ଘଣ୍ଟି ନାଦକୁ ମୃଗ କର୍ଣ୍ଣ ଡେରିଲାପରି, ତୁମ୍ଭ ନୂପୁର ଧ୍ୱନିକୁ କାନଡେରି ଏକା ବସି ବେସ୍ତ ହେଉଥିବେ ।

 

ଗୀତ- ମାଧବ ହେ ବୁଝାଇଲି ବାର- ବୃତ୍ତେ

ନାଗର ହେ କର ଭୋଗ ସୁଧାଘଟ । ଥୋଇଥିଲୁ ତୁମ୍ଭ ପାଇଁ କରିଣ ଆକଟ । ପଦ । ହୋଇ ତରତର ତୃଷାତୁରେ ଯେବେ ନ ବାରି ଶଠ ଲମ୍ପଟ । ବ୍ୟାଧି ଅଙ୍ଗକୁ ଅଧିକ ପିଅନ୍ତେ ବିଧିରେ ଜାଣିଥା ନିଶ୍ଚେ ଫାଟିଯିବ ପେଟ ।୧। ଏ ନବ ବାଳିକା ଦେଖ ସେଫାଳିକା ତୁମ୍ଭେ ପରା ଭାନୁ ଅଟ । ସହି ନ ପାରିବ ଅରୁଣ କିରଣ ମହୀରେ ଲୋଟିବ ମହିଳା ମୁକୁଟ ।୨। ଏଣିନେତ୍ରୀ ଆଉ ଏଣିକି ଆମ୍ଭର ନୁହଇ କର୍ଣ୍ଣାଟରାଟ । ତୁମ୍ଭର ଦରଦ ତୁମ୍ଭେ ସାଇତିବ ରଖି ନ ଜାଣିଲେ ଶେଷେ ହେବ ଛଟପଟ ।୩। ବାରଣ ଗତିକି ଚାରଣ ଡିଆଇଁ ଦେଇଗଲୁ ହୁଅ ଭେଟ । ବରଣ କରିଚି କାରଣ ଆଶାରେ ବଇଷ୍ଣବ ଭଣି ମାର ଭଣ୍ଡାର ତା’ ଲୁଟ ।୪।      (ମଧୁଶଯ୍ୟାରେ ଛାଡ଼ି ସଖୀମାନଙ୍କର ପ୍ରାସ୍ଥାନ ।)

ଚନ୍ଦ୍ର-      ପ୍ରିୟେ ଆଉ ଲାଜ କାହାକୁ- ଆସ ପଲଙ୍କକୁ ଆସ- ମୁଁ ପରା ତୁମ୍ଭର ।

 

ଗୀତ- ଆସ ଆସେ ମୋ କୋଳକୁ- ବୃତ୍ତେ

ଶଙ୍ଖକଣ୍ଠି ବୃଥାକରୁ ଶଙ୍କା କାହିଁକି ରେ । ତୋ’ ପ୍ରୀତିଧନେଟି ରଙ୍କ ମୁହିଁକି ରେ । ପଦ। ପଙ୍କଜାକ୍ଷୀ ଓଷ୍ଠସୁଧା ଦେଇ ହର ମାର ବାଧା । ସେଦିନ ସେକଥା ମନେ ନାହିଁକି ରେ ।୧। ସ୍ୱପନେ ଶିବା ଯେମନ୍ତେ, ଭେଟାଇଲେ ତୋତେ ମୋତେ । ଶିବ ଦରଶନେ ପୁଣି ଯାଇକି ରେ ।୨। ପ୍ରେମପତ୍ର ପଠାପଠି ବିଧାତାର ଘଟାଘଟି । ଏକାଳେ ସଫଳ ହେଲା ସେହିକି ରେ । ଯା ଯୋଗେ ଏତେ ବିପତ୍ତି, ମିଳିଛି ସେହି ସମ୍ପତ୍ତି । ବସ ପଲଙ୍କେ ଭାବଇ ବଇକି ରେ ।୪।

ଲାବଣ୍ୟ-      ଜୀବେଶ୍ୱର ! ମୋର ଅନ୍ତର ବାହାର ତୁମ୍ଭଙ୍କୁ ସବୁ ଜଣା । ଯେ ପ୍ରକୃତ ପ୍ରେମିକ ପ୍ରେମିକା ହୋଇଥିବେ, ସେ ନିଶ୍ଚେ ଆମ୍ଭର କେତେ କଷ୍ଟ ସେ ଅନୁଭବ କରିବେ ।

ଚନ୍ଦ୍ର-      ସୁନ୍ଦରୀ ! ଚାଲ ପଲଙ୍କ ଅଙ୍କକୁ ମନକଥା ସବୁ ଫିଟାଇ କହିବି । ରାତ୍ର ଅଧିକ ହେଲାଣି ।

(ଉଭୟର କର ଧରାଧରି ହୋଇ ପ୍ରସ୍ଥାନ)

 

ଷଷ୍ଠ ଦୃଶ୍ୟ

(ସଖିଗଣ ଲାବଣ୍ୟବତୀକି ଘେନ ପ୍ରବେଶ ।)

କମଳା-      ସଖି ! ଆଜି କାହିଁକି ପଦ୍ମଫୁଲଟି ମଉଳି ଯାଇଛି । ସବୁ ମଧୁଯାକ ପିଇ କ’ଣ ମଧୁକର ଉଡ଼ି ଯାଇଛି ।

କାମ-      ନା ସଖି, ତା’ ନୁହେଁ, ରାହୁ ଚନ୍ଦ୍ରକୁ ଗିଳୁଥିଲା, ଚକ୍ରକୁ ଦେଖି ପଳେଇ ଯିବାରୁ ତା’ର ଦନ୍ତକ୍ଷତ ଚନ୍ଦ୍ରଠାରେ ଜଣାଯାଉଛି ।

ଲାବଣ୍ୟ-      ସଖି, ସବୁ ମୁଁ ଜାଣିପାରୁଛି । ତୁମ୍ଭେ ତ ଯେତେବେଳେ ବୈଦ୍ୟ, ରୋଗ କ’ଣ ତୁମକୁ ଛପି ରହିବ । ମୋତେ ଛଳାନା।

ପରିମଳା – ମଲା ଛଳାଇବୁ ନାହିଁ, ଏଥିପାଇଁ କେତେ ଅର୍ଦ୍ଦୋଳି ସହିଛୁ ମନକଥା ଫିଟେଇ କହି ଦିଅ।

 

ଗୀତ– କଳାମାଣିକ- ବୃତ୍ତେ

କହ ଶଶି ହାସୀ କାଲି ଗଲା ନିଶି ଭାବ । ମିଳନ କାଳରେ କିସ କଲା ସେ ବଲ୍ଲଭ । କେଳି କୁଶଳା ରେ ।୧। ଫୁଲଗଭା ବେଣୀ ଫିଟି ପୃଷ୍ଠ ଦେଶେ ଲୋଟେ । ବିପରୀତ ବେଳେ କାନ୍ତ ଭିଡ଼ିଲେ କି ଆଣ୍ଟେ । ୨। ଗଣ୍ଡ ମଣ୍ଡଳେ ଲାଗିଛି ତାମ୍ବୁଳର ଦାଗ । ଚୁମ୍ବିବାରୁ ପତି ଅତି ବହିଣ ସରାଗ ।୩। ଫିଟି ଯାଇଛି କଟିରୁ ସୁଝୀନ ବସନ । ଉରଜେ ଫୁଟି ଦିଶଇ କରଜର ଚିହ୍ନ ।୪। ଗଳା ଗଜମୋତି ତୁଟି ଲମ୍ବେ କେରାକେରା । ଉରେ ପଡ଼ି ଦୋଳେ ହର ଶିରେ ନାଗପରା । ୫। ବିନ୍ଦୁ ବିନ୍ଦୁ ହୋଇ ଝାଳ ଗଳଇ ବଦନୁ । ଚନ୍ଦ୍ର କି ଶିଶିର ବାନ୍ତିକରେ ଅନୁମାନୁ ।୬। ଶ୍ରମ ଝାଳେ ଲିଭିଅଛି ଚନ୍ଦନ କସ୍ତୁରୀ । ସେତ କାମାତୁର ତୁ ତ ତହୁଁ କାମାତୁରୀ । ୭। କି ମନ୍ତ୍ର ପଢ଼ି ଅନ୍ତର କଲୁଣି ଆମ୍ଭଙ୍କୁ । ବଇ ବୋଲେ ହଜାଇଛୁ ପୂରବ ଦମ୍ଭକୁ ।୮।

ପରିମଳା –ହଉ ନ କହିଲେ କାହିଁ – ଚାଲ ମାଜଣା ବିଧି କରିବା ।      (ସମସ୍ତଙ୍କର ପ୍ରସ୍ଥାନ)

 

ଋତୁଧ୍ୱଜ ରାଜା ପାଶେ ପ୍ରବେଶ

ଋତୁ–      ସିଂହଳ ନାଥ ! ଯୁବରାଜ ଆଜି ରାଜ୍ୟକୁ ଯିବେ । ତାଙ୍କୁ ମେଲାଣି କରନ୍ତୁ । ସେ ଯୋଗେ ମୋତେ ଛାମୁକୁ ପଠାଇଲେ ।

ରାଜା-      ମନ୍ତ୍ରୀପୁତ୍ର ! ତୁମ୍ଭେ ଯାଅ ମୁଁ ତା’ର ସମସ୍ତ ସୁବିଧା କରିଦେଉଅଛି ।      (ପ୍ରସ୍ଥାନ)

 

ଫାର୍ଶ - ଜଣେ ସ୍ତ୍ରୀ ଜଣେ ପୁରୁଷ ପ୍ରବେଶ

ଗଲୁ ନାହିଁ ନାତି କାହିଁକି– ବୃତ୍ତେ

ପୁ- କେଣେ ଯାଉ କମଳି ଅପା, ଏତେ ତୋର ତରତର କାହିଁକି ?

ସ୍ତ୍ରୀ- ରଜା ଝିଅ ଜୋଇଁ ବିଦାହେଉଛନ୍ତି ଗଦା ତୋତେ ଏହା ଜଣାନାହିଁ କି । ପଦ।

ପୁ- ହଉଛି ନା ଯମକ ଭାରି, ଦେଲା କେତେ ଘୋଡ଼ା ସୁଆରି ?

ସ୍ତ୍ରୀ- ଘୋଡ଼ାବାପୁଡ଼ାକୁ ପଚାରେ କିଏସେ ଅଧେ ଧନ ନେଉଅଛି ବୋହିକି ।୧।

ପୁ – ଫଟା ନୋଟା ଖଣ୍ଡିଏ ମୋର, ଦେଇଥାନ୍ତା ଭଲା ଶଶୁର,

ସ୍ତ୍ରୀ – ଏ ଭାଉବଟା କି ଗରିବ ଟଙ୍କାରେ ବନ୍ଧେଇ ଦେବେ ନଈକି ।୨।

ପୁ- ୟାଙ୍କ ଘରେ ଦୋଷରା ବାଟ, ବରଙ୍କର କରମ ଆଣ୍ଟ,

ସ୍ତ୍ରୀ- ଯୋଉ ଘରେ ଯେଉଁ ରୁଅ ଶେଣୀ ଖଞ୍ଜା ବ୍ରାହ୍ମଣଙ୍କ ପାଇଁ ପାଣି ଦହି କି ।୩।

ପୁ- ନେଲା ଯେଉଁ ସରସା ମାଲ, ଦେଖିବାକୁ ତୋ ଠଉଁ ଭଲ ।

ସ୍ତ୍ରୀ - କାଣିଆଙ୍ଗୁଠିକି ଯୋଗ ହେବି ନା ମୁଁ କାଉ ଉଡ଼ୁଛନ୍ତି ତୁଚ୍ଛା ଖାଇ କି ।୪।

ପୁ- ସବୁରି ତ ଗୋଟାଏ ସୁନା, ଉପରଟା ଫରକ ସିନା,

ସ୍ତ୍ରୀ- ତରକ ତାରକ ତେଣିକି ରଖିଥା ବଳଦ ଟଙ୍କା କେ ଦେବ ଗାଈ କି ।୫।

ପୁ- କଣାକୁ ତ ସୁନ୍ଦର କାଣୀ, ରାଜାକୁ ତ ସୁନ୍ଦର ରାଣୀ;

ସ୍ତ୍ରୀ - ଜାଣିଥା ସେଇୟା କହଇ ବଇଆ ଠାଇଁଆ ଖୋଜନ୍ତି ସିନା ଠାଇଁ କି ।୬।

 

ସ୍ତ୍ରୀ ପୁରୁଷ କଥାବାର୍ତ୍ତା

ପୁ- ଆଚ୍ଛା କମଳି ଅପା, ତୋଅର ମୋଅର ତ କିଛି ନାହିଁ ଆଡ଼ ବାଙ୍କ ।

ସ୍ତ୍ରୀ- ମୁଁ କଣ ହୋଇଚି କି ଅଇଣ୍ଠା ଚାଟିବା ଲୋକ ।

ପୁ- ମୋର ତ ଅଇଣ୍ଠା ଗୋଇଠା ଦି’ କଥାରେ ରାଜି ।

ସ୍ତ୍ରୀ- ତୁ ତ ଗୋଟା ରସିକ ଭିତରେ ମଞ୍ଜି ।

ପୁ- ତୁ କଣ ଠଉରେଇଲୁ ଉପର ଚୋପା ।

ସ୍ତ୍ରୀ- ଥିୁ ଥୁ, ରାମ ରା, ତୁଟା ଦେଖିବାକୁ ଯୋଉ ସଫା ।

ପୁ- ମୋର କଣ ଚେହେରା ଖଣ୍ଡକ ମନ୍ଦ ।

ସ୍ତ୍ରୀ- ଇରେ ମୁଁ ଯାଉଛି ରେ ଝିଅ ବାହାରିଲାଣି ଉଛୁଳି ପଡ଼ୁଛି କାନ୍ଦ ।

ପୁ- ଏ ଗୋଳମାଳରେ ମୁଁ ତୋ ସାଙ୍ଗ ଛାଡ଼ୁଛି ।

ସ୍ତ୍ରୀ- ଖଣ୍ଡି କୁ ଧରି ଦମେ କୋଡୁଛି ।       (ଉଭୟ ପ୍ରସ୍ଥାନ)