କୃଷ୍ଣଚରଣ ଦାସ ନବ୍ୟ ଯୁବକ ।
ବୈଷ୍ଣବ ଚରଣ ଦାସ କୃଷ୍ଣଚରଣର ପିତା
ଗଙ୍ଗାଧର ପଟ୍ଟନାୟକ
ବଂଶୀବଦନ ଐ ସଙ୍ଗୀ ଦ୍ୱୟ
ମାଧ ଦାସ
ଅନାଦି ଐ ଭୃତ୍ୟ ଦ୍ୱୟ
ଅବଦୁଲ୍ଲା ଚପରାସୀ ।
ଆତ୍ମାରାମ ବାବଜୀ ।
ପରଶୁ ଭଡ଼ୁଆ ।
କଳିରାଜ, ଇନ୍ସ୍ପେକ୍ଟର, ହେଡକନେଷ୍ଟବଲ, କନେଷ୍ଟବଲ ଦ୍ୱୟ, ଜଜ ସାହେବ, ଓକିଲ, ପେସ୍କାର, ଚପରାସୀ, ଦପ୍ତରୀ, ଡାକ୍ତର ସାହେବ, କାବୁଲୀ, ଦର୍ଜୀ, ମାରୁୱାଡ଼ି ଓ ଇୟାର ବାବୁଗଣ ଇତ୍ୟାଦି ।
ରସମଞ୍ଜରୀ |
କୃଷ୍ଣଚରଣର ସ୍ତ୍ରୀ । |
କନକଲତା ଐ ମାତା । |
|
ଯମୁନା ରସମଞ୍ଜରୀର ସହଚରୀ । |
|
ହରିଦାସୀ ବୈଷ୍ଣବୀ । |
|
ପାର୍ବତୀବାଈ |
ବେଶ୍ୟା । |
କଳି ।- (ପଦଚାରଣ କରୁ ୨) ଓଃ କି ପାପ ! ସତ୍ୟ, ତ୍ରେତା ଓ ଦ୍ୱାପର ଏ ତିନିକାଳ କେଡ଼େ ସୁନ୍ଦର ରୂପରେ ଅତିବାହିତ ହୋଇଗଲା - ମୋର କପାଳକୁ ଏତେ ଯନ୍ତ୍ରଣା । - ପୃଥିବୀ ଆଉ ଏ ପାପଭାର ସହି ପାରିବ ନାହିଁ - ନିଶ୍ଚୟ ଏ ଭୟାନକ ପାପ ଭାରରେ ପୃଥିବୀ ବୁଡ଼ିଯିବ - ପ୍ରଳୟ ଅତି ନିକଟ । (ଗୀତ)
ରାଗିଣୀ ଇମନ - ତାଳ ଏକତାଳୀ ।
ଦେଖ ମନ ହୋ ଭବଲୀଳା – ଇହଲୋକେ -
ପରମପାପରେ ବୁଡ଼ିଗଲା ରେ । ପଦ ।
କହ କି ଏଠି ରହିବୁ, ଧରଣୀ-ଭାରା ଦେଖିବୁ -
ପାପ ତାପ ଶାପ ସହ ଖେଳା । ୧।
ମାୟା-ବନ୍ଧନ ଯେତେ, ଛିଡ଼ିଲାଣି ସର୍ବମତେ,
ପିତା ମାତା ଭ୍ରାତା ନାମ ସାରା ।୨।
ହାୟ ହାୟ ! ଏପରି ପୃଥିବୀରେ ରାଜତ୍ୱ କରି ସୁଦ୍ଧା କି ଲାଭ ? ମରୁଭୂମିରେ ରାଜା ହୋଇ ରହିଲେ କେଉଁ ଫଳ ମିଳିବ ? - ନା - ଏ ରାଜତ୍ୱରୁ ଡୋର କୌପୀନ ପିନ୍ଧି ସନ୍ନ୍ୟାସୀ ହୋଇଯିବା ଲକ୍ଷଗୁଣେ ଶ୍ରେୟସ୍କର । ଯେଉଁ ଖରତର ପାପର ସ୍ରୋତ ବୋହୁଛି ଲୋକେ ତହିଁରୁ ଉଦ୍ଧରିବା ବଡ଼ କଠିନ । ପାପସ୍ପର୍ଶରେ ଲୋକଙ୍କର ମତି ଏତେସରିକି ବୁଦ୍ଧିହୀନ ହୋଇଯାଇଚି ଯେ ଭଲଆଡ଼କୁ ମନ ଆଦୌ ପ୍ରବେଶ କରୁନାହିଁ - ସୁତରାଂ ଏ ସଂସାର ତ୍ୟାଗ କରି ଯିବାହିଁ ଏକାନ୍ତ ଉଚିତ! - (ଗୀତ)
ରାଗିଣୀ ଛାୟାନଟ । ତାଳ କୱାଲୀ ।
ଚାଲରେ ମନ, କିରିବାକୁ ଧ୍ୟାନ
ବିଶେଶ୍ୱର ପୃଥିବୀ ତେଜିଣ ।
କି’ ସୁଖପାଇଁ କହ ରେ ରହିବୁ ,
ଛାଡ଼ ସାର ସଂସାର-ଧନ । ଘୋଷା ।
ଛାର ଖାର ଏ ସୁଖସଂସାର,
କାହିଁ ତାର ଶୋଭାର ଭଣ୍ଡାର,
ସତେ ଲୋକେ ଉନମତ ସୁଖେ
ହେବେ କରି ଧରମ କରମ ।୧ ।
ଲୋକେ କେତେଦୂର ପାପାସକ୍ତ ହୋଇଛନ୍ତି ତାହା ଦେଖାଇବାର ନିମିତ୍ତ ଏ ରଙ୍ଗଭୂମି ରଚିତ ହୋଇଛି - ଲୋକେ ଦେଖନ୍ତୁ - ମାତ୍ର ଆମ୍ଭର ଏତିକି !
[ପ୍ରସ୍ଥାନ ।
ଯବନିକା ପତନ ।
[ଗଙ୍ଗାଧର ପଟ୍ଟନାୟକ ଏକାକୀ ରାଜପଥରେ ଦଣ୍ଡାୟମାନ ।]
ଗଙ୍ଗାଧର ।- ଏକା ଦିନଟାଏତ - ଏ ଶୀତକାଳକୁ କେହି ଲାଗେ ନାହିଁ ପରା ! ଲୁଗାଭିତରେ ବନାରସୀ ସାର ଆଉ ଦିନ ଭିତରେ ଶୀତଦିନଇ ସାର - ଆମୋଦ କରିବ କର, ଏତେ ମଜା ଆଉ କୌଣସି କାଳରେ କରି ପାରିବ ନାହିଁ । ରସିକଙ୍କର ଗୁହାରିକି ରାତିଟା କେମନ୍ତେ ଚୌପହରିଆ ହୋଇଛି ! କବିଗୁଡ଼ାଏ ଯେ ରାତିକି ତ୍ରିଯାମା ବୋଲି କହିଗଲେ ସେ କଣ ଶୀତକାଳର ଗୁଣ ବାରି ପାରି ନ ଥିଲେ ? କଣାଗୁଡ଼ାଏ ! ମୁଁ ଯେବେ ଅମରକୋଷ କର୍ତ୍ତାର ଆସନରେ ବସିଥାନ୍ତି ତେବେ ‘ତ୍ରିଯାମା ରାତ୍ରିଃ’ କତିରେ ‘ଚୌଯାମା ଶୀତକାଳୀନା’ ଲଗାଇ ଦେଇଥାନ୍ତି ୟେ ପଣ୍ଡିତମାନେ କେତେ ଉପକାର ପାଇଥାନ୍ତେ ପରା ! ଆରେ କେଉଁ ଜି ଅବଦୁଲ୍ଲା !
[ଅବ୍ଦୁଲ୍ଲାର ପ୍ରବେଶ]
ଅବଦୁଲ୍ଲା ।- ସଲାମ ବାବୁଜି !
ଗଙ୍ଗା ।- ସଲାମ - ଆରେ ଏତାବେଳେ କିଧର ଯାୟତ୍ହେ ?
ଅବ ।- ହଜୁର ! ଖିଜମଦ୍ଗାରୋଁ କା ବାତ୍ କ୍ୟା ପୁଛତେହେଁ - ଉଧର ସରକାରୀ କାମ ଇଧର ଅବ୍ ଫିର୍ତେ ଫିର୍ତେ ବେଚାରୋ ମେରା ପେୟର୍ ଦର୍ଦ୍ଦ ହୋଗିୟାବି ।
ଗଙ୍ଗା ।- କୃଷ୍ଣବାବୁକା ଖବର କିଛି ଜାଣ ?
ଅବ ।- ହଜୁର ! ଏହି ଲିଜିୟେ । ପଢ଼କେ ଜଲଦି ଦେନେସେ ଆଓରଭି ଦଶ୍ବାରେ ବାବୁଲୋଗୋଁକୋ ଘରକୁ ଯାନେ ହୋଗା । (ପକେଟରୁ ଲଫାଫା ପ୍ରଦାନ ।)
ଗଙ୍ଗା ।- ଏ କ୍ୟାଜି ? କିଛି ନିମନ୍ତ୍ରଣ କ୍ୟା ?-(ଲଫାଫାର ଉପର ଓଲଟାଇ ପାଲଟାଇ ଦେଖି)
ଏ ତ ବହୁତ ଲୋକଙ୍କା ନାମ ଲିଖାଗୟି - କ୍ୟା ? - ତୁମକୁ ମାଲୁମ ହୋ ?
ଅବ ।- ନେହିଁ ସାହେବ – ମୁଝ୍କୋ କିସ୍ତରେଁ ମାଲୁମ ହୋଗା - ହଜୁର ଭିତର ଦେଖଲିଜିୟେ ।
ଗଙ୍ଗା ।- (ଲଫାଫା ମଧ୍ୟରୁ କାଗଜ ବାହାର କରି ପଢିଲାନନ୍ତର) ହାଁ ହାଁ - ଆରେ ତୁମ ବୁଝେ ନେହି - ଆନ ଯାଇଁ କରିକରି ଆଜ ରାତିକୁ ଆମମାନଙ୍କା ମଉଜ ହବ - କୃଷ୍ଣବାବୁଙ୍କା ମନ ଖୁସି ହେଁ - ପେନ୍ସିଲ ? (ପକେଟରେ ହସ୍ତପ୍ରଦାନ ଓ ନିଷ୍କାଶନ) ପେନସିଲ ହେ ?
ଅବ ।- ହେ, ୟେ ଲିଜିୟେ - (ହୁଦା ପକେଟରୁ ପେନ୍ସିଲ ପ୍ରଦାନ ।)
ଗଙ୍ଗା ।- (ପେନ୍ସିଲରେ ଆପଣାର ନାମ କାଟି) ବହୁତ ପୁଣି ଖୁସି ହୋ ଯାତି ହୋଇ - ତୁମେବି ବଡ଼ା ମଜବୁତ ମଣିଷ - ଖୁବ ବୁଲେବି । ମୋର କଥା କହି ଦେଙ୍ଗା - ମୁ ଠିକ ସମୟମେ ହାଜର ଆସେଙ୍ଗା - କିଛି ଅନ୍ଦେସା ନହୋ - ଲୋ (ଲଫାଫା ପ୍ରଦାନ) - ଆରେ ରହ ରହ । ବଂଶୀବାବୁବି ଆସତେ ହେଁ - ତାଙ୍କୁ ଦେଖାଇ ଲେଙ୍ଗା ।
ଅବ ।- ଜି ହଜୁର ଆଚ୍ଛା ହୁଆ - ସଲାମ ବାବୁଜି !
ଗଙ୍ଗା ।- କି ବଂଶୀବାବୁ, ଏହି ଆସୁନ୍ - ଗୁଡ଼ମରନିଙ୍ଗ ।
[ବଂଶୀବାବୁର ପ୍ରବେଶ]
ବଂଶୀ ।- ଗୁଡ଼ମରନିଙ୍ଗ ! (ଗଙ୍ଗାଧର ସଙ୍ଗେ ସେକଣ୍ଡକରି) କି ସଂବାଦ ? ଅବ୍ଦୁଲ୍ଲା ଏଖାନେ କେନେ ? ଓଟା ତୋର ହାତେ କି ରେ ?
ଗଙ୍ଗା ।- ଆଜି ଆମମାନର ସଗଲକେ କୃଷ୍ଣବାବୁର ନିମନ୍ତ୍ରଣ ହୟାଚେ - ତୁମେମାନର ସଗଲେ ତାର ଆମୋଦେ ପହୁଞ୍ଚବେନ ।
ବଂଶୀ ।- କ୍ରିଷ୍ଣବାବୁର ନିମନ୍ତ୍ରନ ? - ଓଟା ତବେ କି ନୋଟିସ୍ ?
ଗଙ୍ଗା ।- ହାଁ - ତୁମର ନାମଟା ଆମେ କାଟିୟା ଦିଚ୍ଚେ ?
ବଂଶୀ ।- ରୋସ୍ ରୋସ୍ । ତୁଇ ପଷ୍ଟ ବାଙ୍ଗଲା ବଲତେ ପାରିସ୍ ... ଦେ, ଆମି ଆଗେ ଦେଖି କି ଲିଖା ହୟେଚେ ।
ଗଙ୍ଗା ।- (ନୋଟିସ ପ୍ରଦାନ) ନିନ୍- ଆମି ବୁଝି ଆନ ଯାଇଁ କରି କରି ବାଙ୍ଗଲା ଅଭ୍ୟାସ କରିଛେ । ଆଉ ଏ ଓଡ଼ିଆ କଥା ଗୁନ କତ କହିବ - ଦିନ୍ ଦିନ୍ ଓଡ଼ିଆ କହିବାତେ ଦିଗ୍ଦାର ହୟା ଗଲୁଣ୍ନି ।
ବଂଶୀ ।- (ନୋଟିସ ଦେଖି) ଆରେ ଏଟା ଯେ ଆବାର ଉଡ଼େତେ ଲିଖା ହୟଚେ - ବେଟା ଉଡ଼େ ମେଡ଼ାଦେର ଦେଶେର ଭାଷାତ ଭାରୀ ତ । ଆବାର ଏ ଉଡ଼େତେ ଲିଖା ହୟେଚେ ! - ରେଭେଲ ପାର୍ଟିର ନିମନ୍ତ୍ରନ୍ ଏସବ ଇଂରିଜିତେ ଲିଖ୍ତେ ହୟ ! - ପୋଡ଼୍ତ ଗଙ୍ଗାଧର କି ଲିଖା ହୟେଚେ (ନୋଟିସ ପ୍ରଦାନ ।)
ଗଙ୍ଗା ।- (ନୋଟିସ ନେଇ) ମୁତ ସେଇୟା କହିଛିଲୁନ । ଆମଦେର ସଗଲମାନୁଷ୍ତ ଇଂରେଜୀ ଜାଣେ ନା ।
ବଂଶୀ ।- ତା ଉପରେ ଇଂରିଜୀ ନୀଚେ ଉଡ଼େ ଲିଖେ ଥାକ୍ଲେ କି ହତୋ ନା ?
ଗଙ୍ଗା ।- ଆମ୍ଦେର ସଗଲ ବାଙ୍ଗାଲିବନ୍ଧୁରା କି ଇଂରେଜୀ ଜାଣେ ?
ବଂଶୀ ।- ଦୂର୍ ଗେ - ତୁଇ ପୋଡ଼୍ ନା !
ଅବ ।- ବାବୁ ଜେରା ଜଲ୍ଦି କର୍କେ ଦେନେସେ ବନ୍ଦା ଆଓରଭି କେତା ଜଗା ଯାୟେଗା - ସାମ୍ ହୋ ଯାତାହେ ।
ବଂଶୀ ।- ଏକଟୁ ରୋସ୍ ବାବା, ଏହି ଏକ୍ ଜେରା ସମୟ ଲାଗ୍ବେ ତୋ ତୁମ୍ ଚଲା ଯାଗା - ହଇରାଣି କିଛୁମାତ୍ର ହୋଗା ନେଇ ।
ଗଙ୍ଗା ।- ତୁମ୍ଦେର ବାଙ୍ଗାଲିଗୁନାକ୍ କିଛି ନୟ । ଆମରା ଅଖୁନି ବାଙ୍ଗଲା ପଢିଯିବ, ବୁଝିବ । ତୁମ୍ଦେର ଏକଟୁ ଓଡିୟା ହେଇଗଲେ ଅମ୍ନି ବୁଦ୍ଧି ଉଡି ଯାୟ ।
ବଂଶୀ ।- ହୋକ୍ରେ ବାବା ତୁଇ ପୋଡ୍ନା ଆଗେ ରେ –
ଗଙ୍ଗା ।- ତ ଶୁଣ ପଢ଼ଚି । (ନୋଟିସ ପଠନ) ମହାଶୟ - ଆଜି ଏ ନଗରର ଶ୍ରୀମତୀ ପାର୍ବତୀ ଦାସୀ ବାଈଙ୍କ ଘରଠାରେ ଭୋଜନ ପାନର ଉଦ୍ଯୋଗ ହୋଇଅଛି । ଆପଣ ଅନୁକମ୍ପା ପ୍ରଦର୍ଶିତପୂର୍ବକ ରାତ୍ର ଆଠଘଣ୍ଟା ସମୟରେ ସେଠାରେ ଉପସ୍ଥିତ ହୋଇ ସଜଲିସ ବିଭୂଷଣ କରିବାଦ୍ୱାରା ଚିରବାଧ୍ୟ କରିବେ । - ବଶମ୍ବଦ ଶ୍ରୀ କୃଷ୍ଣଚରଣ ଦାସ ।
ବଂଶୀ ।- ଉଡେଟାଓ ବୁଝି ଠିକ ହୟେଚେ - ଅନୁକମ୍ପା ପ୍ରଦର୍ଶିତ ପୂର୍ବକ ମଜଲିସ ବିଭୂଷଣ କରେ ଚିରବାଧ୍ୟ - କି ?
ଗଙ୍ଗା ।- କରିବେ ।
ବଂଶୀ ।- ହାଁ - କରିବ । ବେଟା ଭାଷାଓ ଯେମନ୍ ଲେଖକ ଓ ତେମ୍ନି ! କ୍ରିଷ୍ଣବାବୁର ଆମାଦେର ସବ୍ବିଦ୍ୟାୟ ପାଣ୍ଡିତ୍ୟ ?
ଅବ ।- ବାବୁ ଦେର୍ ହୋ ଯାତାହେ ।
ବଂଶୀ ।- ଦେ ଆମାର ନାମ୍ଟା କେଟେ ଓକେ ଶିଗ୍ଗିର ବିଦାୟ କରେ ଦେ ।
ଗଙ୍ଗା ।- (ଅବଦୁଲ୍ଲାଠାରୁ ଲଫାଫା ନେଇ ପେନ୍ସିଲରେ ବଂଶୀ ବାବୁର ନାମ କାଟି ଲଫାଫା ଭିତରେ ନୋଟିସ ରଖି ଅବଦୁଲ୍ଲାକୁ ପ୍ରଦାନ) ଏହି ନଅ ।
ଅବ ।- ହାମ୍ ଆତେହେଁ ବାବୁ ସାହେବ - ସଲାମ !
[ଅବଦୁଲ୍ଲାର ପ୍ରସ୍ଥାନ ।
ଗଙ୍ଗା ।- ଆଉ କେନେ ଯାବେନ ବଂଶୀବାବୁ ?
ବଂଶୀ ।- ଯାଚ୍ଚି ଏକ୍ବାର୍ ବାଡିଥେକେ ଜଲ୍ଟଲ୍ ଖେୟେ ଆସି - ଏକେବାରେ ଯେ ବେରୋତେ ହବେ ରାତ୍ଟା କାବାର ହୟେ ଯାବେ ।
ଗଙ୍ଗା ।- ତୁମ୍ଦେର ପରିବାର ଏହିଖାନରେ ଅଛନ୍ତି ?
ବଂଶୀ ।- ହେଁ ।
ଗଙ୍ଗା ।- ତା ରାତିଟା କାବାର କରେଦିୟେ ସକାଳକୁ ଆସିଲେ ଘରେ କି ହବେ ?
ବଂଶୀ ।- ହେଁ ବଲ୍ଲେ ଏକ୍କଥା - ଆର ତୋର ମାଇପଟା ଘରେ କଁଡ କରୁ ଥାକ୍ବେ ?
ଗଙ୍ଗା ।- ଆମ୍ଦେର୍ ତ ଗାଁରେ ଆଛେ ।
ବଂଶୀ ।- ଏଇ, ଉଡେଦେର ବ୍ୟାପାରଖାନା ଦେଖ୍ଲେ ଗାୟେ ରାଗ ହୟ - ଏଖାନେ ଓଦେର ଘିଁତିଆସ୍ଲେ କି ଜାତି ଯିବେ ?
ଗଙ୍ଗା ।- ତୁମ୍କେ ତ ଭଲ ଓଡିୟା କହିତେ ଆସେ ? - ଘିତି ଆସ୍ଲେ ଜାତି ନ ଯାଉ ତୁମ୍ରା ଘିତିଆସି କଣ କରେ ପକାଉଚ ? କ୍ରିଷ୍ଣ ବାବୁର ସଙ୍ଗେ ତ ବାଇସାହେବଙ୍କ ଘରେ ରାତିଟା ଯିବେ - ମାଇପ ଘରେ କାନ୍ଦିତେ ଥାକିବେ ।
ବଂଶୀ ।- ହୋକ୍ଗେ -ଏଖନ କ୍ରିଷ୍ଣ ବାବୁର କି ଉଦ୍ଯୋଗ ହୟେଚେ ଜାନ ?
ଗଙ୍ଗା ।- ନା - ଆମେ ଯାଚି ଦେଖିବ କି ପରସ୍ତୁତ ହଚେ ।
ବଂଶୀ ।- ଭାଇ ତୁଇ ବଲିସ୍ ଯେନ ଆଜକେର୍ ଦିନ ଗୁଜରାତିତେ ଆମାଦେର ମଦେର ଚାଟ୍ଟା ହବେ ତା ନଇଲେ ଆର ଆମାର ଓଖାନେ ହଚ୍ଚେ ନା । -ଆରେ ମାଧିଆ ଯେ ହେଆ କି ମାଥାୟ କରେ ଆସ୍ଚେ, - ଆରେ କିରେ ମାଧ - ମାଥାୟ କଁଡ ଧଡେ ଚାଲିଚେ ।
ଗଙ୍ଗା ।- (ସ୍ୱଗତ) କଣ ୟେ କୃଷ୍ଣ ବେହେରାଟାକୁ ଆଜି ଠକେଇ ଦେଲା କି ?
[ମାଧ ଦାସର କାଠର ବାକ୍ସ ମୁଣ୍ଡରେ ଘେନି ପ୍ରବେଶ ।
ମାଧ ।- (ହାତ ଉଠାଇ) ଜୁହାର ସାନ୍ତେ !
ଗଙ୍ଗା ।- ସେ କଣ କିରେ ମାଧିଆ !
ମାଧ ।- ସାନ୍ତେ ସେ କଣ କୃଷ୍ଣ ସାନ୍ତେ ଦୋକାନରୁ କଣ ବହନା ଶରତ କିଣି କରି ଦେଇଚିନି ଘିତି ଯାଉଚି ।
ଗଙ୍ଗା ।- ବହନା ଶରତ କଣ ରେ ?
ମାଧ ।- କେଜାଣି ସାନ୍ତେ - ମୋ ମନରେ ରହିଲା ନାହିଁ - କଣ କହିଲେ ବହନା ଶରତ - କି ବଦନା ଶରତ ।
ବଂଶୀ ।- ଆରେ ଉଡେ ଚାଷା କୋଥାକାର । ଗଙ୍ଗାଧର ବୁଝ୍ତେ ପାରଲେ, ଓ ବଲେଚେ ବେଦାନାର ଶରବତ୍-
ମାଧ ।- ହଁ ହଁ ବଦାନାଶରବତ, ବେଦନାଶରବତ ।
ବଂଶୀ ।- ବେଟା ଏଇଟୁକୁ ଆସ୍ତେ ଆସ୍ତେ ରାସ୍ତାୟ ଭୁଲେ ଗେଛେ - ଯେତେ ଚାଷା ଆର ବୋକାର ସର୍ଦ୍ଦାର !
ଗଙ୍ଗା ।- ସେଇୟା କହ ଭଲା ।
ମାଧ ।- ଅବଧାନେ ଆମେ ମୁରୁଖ ଭୁଷଣ୍ଡ ଲୋକ ଆମେ ସେସବୁ କି ଜାଣୁ ।
ବଂଶୀ ।- ଗଙ୍ଗାଧର ଏକବାର ଓର ମାଥାଥେକେ ନାମିୟେ ଦେଖାଯାକ୍ ଜିନିସ୍ଟେ କି ରକମ୍ ?
ଗଙ୍ଗା ।- ହଉ (ମାଧ ଦାସର ମୁଣ୍ଡରୁ ବାକସ ଓଲ୍ଲାଇ ତଳେ ରଖି) ଦେଖ ବଂଶୀବାବୁ !
ବଂଶୀ ।- (ଏକ ବୋତଲ ଉଠାଇ) ଦୁର୍ଗେ ! ସାମ୍ପେ୍ନ୍ ଟାମ୍ଫେନ୍ ନା ଏନେ ପଚା ବ୍ରାଣ୍ଡି ଗୁଲୋ ଏନେଚେ । ଆମି ଢେର ବ୍ରାଣ୍ଡି ଖେୟେଚି - ଏଖନ ସାମ୍ପନ୍ ଖେୟେ ସାହେବ୍ ହତେ ପାରଲେ ବାଁଚା ଯାୟ । (ବୋତଲ ଯଥା ସ୍ଥାନେ ରଖି ଦେବାର)
ଗଙ୍ଗା ।- (ଆଉ ଏକ ବୋତଲ ଉଠାଇ ଦେଖି) ସବୁ ବ୍ରାଣ୍ଡି -ହଉନା ବ୍ରାଣ୍ଡିର ମଜା କୁଥାୟ ନାହିଁ । (ବୋତଲ ଯଥା ସ୍ଥାନେ ରଖି) ଯା ନେଇଯା - ଧ ।
ମାଧ ।- ମୁଁ ତ ସାନ୍ତେ ତା ନେବି ନାହିଁ ।
ଗଙ୍ଗା ।- କାହିଁକି ?
ମାଧ ।- ବରାଣ୍ଡି ଗୁଡ଼ାଏ - ମୁ ନେଇଯିବି ? ମୋ ଜାତିରେ ବଟା ଲାଗିବ ।
ଗଙ୍ଗା ।- ଆରେ ନାହିଁ ସେ ବରାଣ୍ଡି କାହିଁକି ହବ - ନେ ଉଠା ।
ମାଧ ।- କେବେ - ତୁମେତ ଏହିକ୍ଷଣି କହିଲ ସେ ବରାଣ୍ଡିଗୁଡ଼ାଏ - ମୁ କଦାକାଳେ ଛୁଇଁବି କି - ଚାକର ରଖିଚିନି ବୋଲି କଣ ଜାତି ନେବେ କି ?
ବଂଶୀ ।- ଯା ଚଲେ - ବେଟା ଏତଦୂର ଆଣିଛିଲେ କି କରେ ?
ଗଙ୍ଗା ।- ଆରେ ସେ ବରାଣ୍ଡି କାହିଁକି ହବ, ବେଦାନା ସରବତ୍ ଓଲୁ ନା କଣ !
ମାଧ ।- କେଭେଁ - ୟା କହିଲେ ମୁଁ ମାନିବି । ଆଣିଲାବେଳୁଁ ମୋ ମନରେ ପାପ ଛୁଁଇଚି । ଜାତିର କଥା ନା କଣ !
ବଂଶୀ ।- ବେଟାର ଜାତ ଓର କାପଡ଼େ ବାଁଧା ରୟେଚେ । (ଈଷତ୍ ରୋଷ ପ୍ରକାଶ କରି) ତୁ ନେବି ନାହିଁ ତ ନିବେ କେ । ବେଟା ନିୟେଏଲେନ୍ ଏତଟା, ଏଠି ଆସେ ପେଖି ଦେଖାଚ୍ଚେ ।
ମାଧ ।- ସାନ୍ତେ ରାଗୁଚ କାହିଁକି । ମରିଗଲେତ ମୁଁ ଛୁଁଇବି ନାହିଁ ।
ଗଙ୍ଗା ।- (ରୋଷ ପ୍ରକାଶ କରି) ତୋତେ କଣ ଭୂତ ଲାଗିଲାକି - ନ ନବୁତ ନବ କିଏ ? ଉଠଉଚୁ ନା ଦେଖିବୁ ଏହିକ୍ଷଣି ?
ବଂଶୀ ।- ମାର୍ ବେଟାକେ - ବେଟା ତାମାସା କର୍ଚେ ।
ମାଧ ।- ଏଁ - ୟାବୋଲି କଣ ଜାତି ନବ କି ?
ଗଙ୍ଗା ।- କି ଜାତିରେ ? ଉଠଉଚୁ ନା ଦେଖିବୁ ?
ମାଧ ।- କଣ ଦେଖିବି ? ମାରନି କେମନ୍ତେ ମାରିବ - ବରାଣ୍ଡିଗୁଡ଼ାଏ ମୁଁ ଘିତି ଯାଉ ନ ଥିଲି କି ।
ବଂଶୀ ।- ଧର୍ତ ବେଟାର୍ ଚୁଲେ ।
[ବଂଶୀ ଆଉ ଗଙ୍ଗା ମାଧର ବାଳ ଧରିବା ଓ ତିନିହେଁ ଝିଙ୍କାଝିଙ୍କି ହେଉଁ ହେଉଁ ମାଧର ଖସି ପଳାୟନ ଓ ଗଙ୍ଗାର ତତ୍ପଶ୍ଚାତ୍ ଧାବନ ।
ବଂଶୀ ।- ବେଟା ଉଡ଼େର ତବୁ ଜୋର କତ - ହାତ୍ଟା ଲାଲ ହୟେଗେଲ ! ତୋଡ଼ାନି ଖେୟେତ ବେଟାର ଏତ ଜୋର ଆର ଏକଟୁ ମାଂସ ଟାଂସ ଖେଲେ ନାଜାନି କି ହତୋ । - (ଆଙ୍ଗୁଠି ଦେଖି) - ୟେଃ କି ଚିଟେ ରେ ! ତେଲ ଲଗାଏ ନା ଚୂଲେ ମୋମ୍ଦେୟ । (ନାକ କତିକି ଆଙ୍ଗୁଠି ନେଇ) ଇଃ ବେଟା ଘି ଲାଗିୟେ ମାଥାଖାନା କି କରେଇ ଫେଲେଚେ ! ବେଟାରା ଆବାର କି ବୈଷ୍ଣବ - ବେଟାଦେର ବୁଦ୍ଧିଓ ଏମ୍ନି ଗୋଁଡ଼ା - ମଦେର ବୋତଲ ଛୁଁ ଲେ ଜାତ ଯାବେ ! ସେତ ଏଖନ୍ ଗଙ୍ଗାର ଜଲେର ଚେୟେ ବେଶି - କି ଗଙ୍ଗାଧର ବାବୁ ?
ଗଙ୍ଗା ।- (ଉର୍ଦ୍ଧଶ୍ୱାସ ହୋଇ) ତେବେ ପାଲିଏ ଗେଲ । ଉଡ଼େ ଗଉଡ଼ଦେର କଥା ଜାଣନା - ଗୋସେଁଇକେ ଲୁକିୟେ ମାଛ ମାଉଁସ ଖାୟେ ଦିବେ ଆର ଚିତାକାଟିୟା ବୈଷ୍ଣବ ହୋଇ ବୁଲିବେ ।
ବଂଶୀ ।- ହେଁ ତାକି ଆମାୟ ବଲ୍ତେ ହବେ - ଏଖନ୍ ହଚ୍ଚେ କି ?
ଗଙ୍ଗା ।- କି କର୍ତେ ହବ କହ ?
ବଂଶୀ ।- ଆର କି କରତେ ହବେ – ଓ ବାକ୍ସଟା ଫେଲେଦେ - ତୁଇ ଛଟା ନିୟେ ଯା ଆମାୟ ଛଟା ଦେ - ଆମି ବାଡି ହୟେ ଜଲ ଖେୟେ ନିୟେ ଯାଚ୍ଚି ।
ଗଙ୍ଗା ।- ଆମି ଆଉରି ନିବ କେମ୍ନେ ?
ବଂଶୀ ।- ଖାବି କେମ୍ନେ ?
ଗଙ୍ଗା ।- ନୁକିୟେ ଖାଇବ ନା ।
ବଂଶୀ ।- ତୁଇ ଯେ ଆବାର ଓ ବେଟା ମାଧର ମତ ହଲି ଯେ ଦେଖ୍ଚି - ନିୟେଯାନା ଚାଦରେର ନିଚେ ନୁକିଏ ।
ଗଙ୍ଗା ।- (ପାଞ୍ଚୋଟି ବୋତଲ କାଖରେ ଯାକି) ଆଉତ ହଚେନାହିଁ- ତୁମେ ସାତୁଟା ନିୟେଯାଅ ।
ବଂଶୀ ।- ହୋକ୍ - ଯାକ୍ଗେ - (ସାତଗୋଟି ବୋତଲ ନେଇ) - ଆରେ ଏ ବ୍ରାଣ୍ଡିର ବୋତଲ ନୟ - ଆମୋଦେର ଜାହାଜ ।- ତୁଇ ଆଗେ ଯା ଆମି ଏଇ ଚଲଲୁମ୍ ବଲେ ।
[ଉଭୟଙ୍କ ପ୍ରସ୍ଥାନ ।
ପଟ୍ଟକ୍ଷେପଣ ।
[ତକିୟା ଲଗାଇ ବୈଷ୍ଣବଚରଣ ଦାସ ଏକାକୀ ଉପବିଷ୍ଟ ଓ ନିକଟେ ବୈଠକି ଉପରେ ଗୁଡ଼ାଖୁ ସଜା ହୋଇ ହୋକ୍କାଚିଲମ ସ୍ଥାପିତ ।]
ବୈଷ୍ଣ ।- (ଦକ୍ଷିଣହସ୍ତରେ ମାଳା ଝୋଲି ହଲାଉ ୨ ସ୍ୱଗତ) ହଦ୍ ହେଲା ଆସି ! ଦୁଇ ଚାରିଟା ଯଉଁଠୁ ଇଂରାଜୀ ପଢ଼ିଲେ ଆପଣା ଧର୍ମ ଆପଣା ଗୁରୁ କି ଆପଣାର ମାନ୍ୟଲୋକଙ୍କୁ ଆଉ ଖାତର କଲେ କି - ଗୋଟିଏ ଗୋଟିଏ ଯେପରି ବଡ଼ ବଡ଼ ଶେଠ କି ନବାବ ହୋଇଗଲେ । କାହାକୁ କହିବା ! ମାଳି କରିବା କି ଚିତା ଘେନିବା ତେଣିକି ଥାଉ ଗାଧୋଇ ସାରି ଗୋଟାଏ ନିର୍ମାଲ୍ୟ ପାଇବା ତ ଦୁଷ୍କର ହେଲା, ଏଥିରେ ଆଉ କୁଳଧର୍ମ ରଖିବେ କଣ ? (ହୋକ୍କା ନେଇ ଟିକିଏ ଧୂମ୍ରପାନ) ନିଶା ତ ଗଲା ସେ ଦୁନିୟା ବେଭାର ହେଲାଣି, ୟାଙ୍କୁ ଆଉ କି କହିବା ! ମାଧିଆତ କେବେ ମିଛ କହିବାର ଲୋକ ନୁହେ - ହରେକୃଷ୍ଣ ! ସରାପଗୁଡ଼ାଏ କରଣକୁଳରେ ଜନ୍ମ ହୋଇ ପିଇଦେଉଚିନି, କାହାକୁ କହିବା ! ପୁଣି ସେଦିନ ଗୋଟାଏ କୁଳାଙ୍ଗାରକୁ ଦେଖିଲି ଯେ କଣ କହିବି ! ଦରମା ପାଏ କୋଡ଼ିଏ, ସେଥିରେ ନିତି ସଞ୍ଜବେଳେ ଆଠଣାଟିଏ - ରାଧେକୃଷ୍ଣ ! ମଦ, ପାଉଁ ରୋଟି ବିସ୍କସ୍ - ରାଧେକୃଷ୍ଣ ! ତା ବାଦ କସବିଟିଏ ଯେ ତାଙ୍କର ଦରମା ଦଶ ଟଙ୍କା - ହରେକୃଷ୍ଣ ! - (ପୁଣି ଧୁମ୍ରପାନ) - ଆମ ପୁଅକୁ ଆଉ କି ବୋଲିବା । -
ନେପଥ୍ୟେ ।- ଜୟ ରାଧେ, ରାଧେକୃଷ୍ଣ !
ବୈଷ୍ଣ ।- (ଚକିତେ) କିଏ - ବାବାଜି ମହାପ୍ରଭୁ । - ଆସିବା ହେଉନ୍ତୁ (ଉତ୍ଥାନ ଓ ପ୍ରଣାମ ।)
[ଆତ୍ମା ରାମ ବାବାଜୀର ପ୍ରବେଶ ।
ଆତ୍ମା ।- (ଦୁଇହସ୍ତ ହଲାଉଁ ୨) ଜୟ ରହେ ।- ସବୁ ଆଚ୍ଛାତ ? - (ପାର୍ଶେ ଉପବେଶନ ।)
ବୈଷ୍ଣ ।- (ଉପବେଶନାନ୍ତେ) ଆପଣଙ୍କ ଆଶୀର୍ବାଦରୁ ସମସ୍ତ କୁଶଳ । ଦାସ ଘରେ ଯେ ଚରଣ ଧୂଳି ପଡୁଛି ଦାସଙ୍କ ଛାତି ପରା କୁଣ୍ଢେ ହୋଇଯାଉଛି ।
ଆତ୍ମା ।- ଭଲ ଭଲ । (ଚତୁର୍ଦ୍ଦିଗ ନିରୀକ୍ଷଣ କରି) ଆଜିତ ଘର ଆଚ୍ଛା ସଫା ଦିଶୁଛି । ଏ ଛବିସବୁ କେଉଁଠୁ ଆଣିଲ ।
ବୈଷ୍ଣ ।- କୃଷ୍ଣଚରଣକୁ ଜାଣନ୍ତି ନାହିଁ - ମଇଳା ହୋଇ ଟିକିଏ ତା ଆଖିରେ ଯାଏ ନାହିଁ । ଆଠ ଦିନକୁ ଆଠ ଦିନ ଘର ସଫା ହେଉଛି । ଝଡ଼ାଝଡ଼ି ହୋଇ ଆଜି ଚୂନ ଦିଆ ସରିଲାରୁ ବଜାରରୁ ଏ ଛବିଗୁଡିଏ ଆଣି ଟାଙ୍ଗି ଦେଇଛି । ବାବାଜି ମହାପ୍ରଭୁ ! ତାର ପସନ୍ଦଟା ଭଲ । ହେଇ ଦେଖନ୍ତୁ ଅର୍ଜୁନ ଦ୍ରୌପଦୀସ୍ୱୟମ୍ବରରେ ଲାଖ ବିନ୍ଧୁଛନ୍ତି; ହେଇ ଦେଖନ୍ତୁ ଶ୍ରୀକୃଷ୍ଣଙ୍କୁ ଅକ୍ରୂର ରଥରେ ଘେନି ଯାଉଛି ଆଉ ଗୋପିମାନେ ଉପରକୁ ମୁହଁ ଟେକି ଡକା ପାରୁଛନ୍ତି, ହେଇଦେଖନ୍ତୁ ରାମ-ରାବଣଙ୍କର ଘୋର ଯୁଦ୍ଧ ହେଉଛି; ହେଇ ଦେଖନ୍ତୁ ସୀତାଠାକୁରାଣୀଙ୍କ ପରୀକ୍ଷା ସକାଶେ ଅଗ୍ନିକୁଣ୍ଡ ସଜଡ଼ା ହେଉଛି –
ଆତ୍ମା ।- କୃଷ୍ଣଚରଣର ଧର୍ମରେ ମତି ଅଛି ।
ବୈଷ୍ଣ ।- ସେସବୁ ଭଲ - ଖାଲି ସେହି କଥାଟି ।
ଆତ୍ମା ।- ତା ଆଉ କି କହିବା ହେଉଛନ୍ତି - ତା ତ ସଂସାର ଭ୍ରଷ୍ଟ କଲାଣି । ମାତ୍ର ମୁଁ ଦେଖୁଛି ତୁମ୍ଭର କୃଷ୍ଣଚରଣର ଯେପରି ପସନ୍ଦ ତା ମତି ଶିଘ୍ର ବଦଳିଯିବ ।
ବୈଷ୍ଣ ।- ହଁ ଦୀନବନ୍ଧୁ ଯେବେ ଦୟା କରିବେ - ରାଧେକୃଷ୍ଣ !
ଆତ୍ମା ।- ଦୀନବନ୍ଧୁଙ୍କର ଦୟା ? ଆହା ! ସେ ଦୟାମୟ କରୁଣାସାଗର ଇଶ୍ୱରଙ୍କ କୃପାରୁ ଏଡ଼େ ସଂସାର ଚଳୁଛି - ଜଣେ ବାଳକ ପ୍ରତି ଅନୁଗ୍ରହ କରିବା ଛାର !
ରାଗିଣୀ ଝିଁ ଝିଁ ଟ - ତାଳ ଠୁଂରି ।
କର ସଦା ମନ ଶ୍ରୀହରି ସ୍ମରଣ ।
ଭକ୍ତ ପାଶେ ବଦ୍ଧ ଥାଇଁ ରେ । ପଦ ।
କ୍ଷଣିକ ଏ ଜୀବନ, କ୍ଷଣକେ ବିନାଶନ,
ତହିଁକି କେତେ ମାୟା ନାହିଁ ରେ ।
ଯେବେ ରେ ଏ ଜୀବ, ଭବ ଛାଡୁଥିବ
ତୁଚ୍ଛ କରିବ ସବୁଠାଇଁରେ ।୧।
ଜ୍ଞାତି ପରିଜନ, ସଂସାରବନ୍ଧନ,
ଭୁଲାଇଛି ମନ ଭାଇ ରେ ।
କେଣେ ଯିବ ସର୍ବ, କିଛି ନ ରହିବ,
ଭଗବାନେ ଏକା ତ୍ରାହି ରେ ।୨।
ଅହଲ୍ୟା, ଦ୍ରୌପଦୀ, ପ୍ରହଲାଦ ଆଦି,
ସେହି ନାମେ ମୋକ୍ଷ ପାଇରେ ।
ଡାକ ତାଙ୍କୁ ମନ, ଦୀନ-ଉଦ୍ଧାରଣ
ତାଙ୍କୁ ବଳି କେହି ନାହିଁ ରେ ।୩।
ବୈଷ୍ଣ ।- ଆହା କି ସୁନ୍ଦର ଭଜନ! - କେଡ଼େ କୋମଳ ଭାବ! ମହାରାଜା ! ଆପଣଙ୍କର କଣ୍ଠ ଅତି ପରିଷ୍କାର । ଆହା! ଗୋଟଏ ଭଜନରେ ଅଧୀନର ଗୃହ ପବିତ୍ର ହୋଇଗଲା ।
ଆତ୍ମା ।- ନାରାୟଣ ପରଂବ୍ରହ୍ମ । ତାଙ୍କ ନାମ ଘେନିଲେ ଚରାଚର ବିଶୁଦ୍ଧ ହୁଏ - ପାତକୀ ଏକା ନାମ ଘେନି ସ୍ୱର୍ଗପୁର ଦର୍ଶନ କରେ । ସେ ଶାନ୍ତିନିକର ଦୟାସାଗରଙ୍କର ସ୍ତୁତିବାଦ କି ଆମ୍ଭେମାନେ କରିପାରୁଁ ? ଇଶ୍ୱର କରନ୍ତୁ ପ୍ରଭୁଙ୍କଠାରେ ତୁମ୍ଭର ମନ ଥାଉ ଆଉ ସଦାକାଳ ଖୁସିରେ କଟାଇ ମରଣ ସମୟକୁ ତାଙ୍କର ନାମ ଘେନି ତରିଯାଅ ଏହି ବାଞ୍ଛା ।
ବୈଷ୍ଣ ।- ଏହି ଆଶୀର୍ବାଦ କରନ୍ତୁ ।
[କୃଷ୍ଣଚରଣର ପ୍ରବେଶ ।
କୃଷ୍ଣ ।- ବାବାଜି ମହାରାଜ ! ଦଣ୍ଡବତ -(ସାଷ୍ଟାଙ୍ଗ ପ୍ରଣିପାତ ଓ ଉପବେଶନ ।)
ଆତ୍ମା ।- ଜୟ ରହେ ବାବା ! ଠାକୁର ତୁମକୁ ସୁବୁଦ୍ଧି ଦେଉନ୍ତୁ ! - ଭାଇ କୃଷ୍ଣଙ୍କ କଥା ଯେ କହୁଥିଲ ଦେଖିଲତ କିପରି ଗୁରୁବୈଷ୍ଣବଙ୍କ ପ୍ରତି ଭକ୍ତି ।
ବୈଷ୍ଣ ।- ଆହା ! ମୋ କୃଷ୍ଣ ପରି କି ଆଉ କିଏ ଏଡେ ଥଣ୍ଡା - ଏଡେ ବୁଦ୍ଧି ଜୀବୀ ହେବ ? ଦେଖୁନାହାନ୍ତି ସେ ପଦେ କଥା ହୋଇ କାହାରିକି ନ କହେ - ସବୁବେଳେ ତୁନିତାନି ହୋଇ ଆପଣା କାମ କରି ଚାଲିଯାଉଥାଏ । ତାହାର ଗୁରୁ ବୈଷ୍ଣବଙ୍କ ପ୍ରତି ଭକ୍ତି ଚତୁର୍ଗୁଣ ।
ଆତ୍ମା ।- ଇଶ୍ୱର ଚିରଜୀବୀ କରନ୍ତୁ ! ବ୍ରାହ୍ମଣବୈଷ୍ଣବ ଓ ଗୁରୁଜନଙ୍କପ୍ରତି ଏହିପରି ଭକ୍ତି ଥାଉ ! ଯେ ଦୋଷ କଥା କହୁଥିଲ ତାହା ଶୀଘ୍ର ଭଲ ହୋଇଯିବ - ମୋ ଆଶୀର୍ବାଦରୁ କୁଆଡ଼େ ଉଡ଼ିଯିବ ।
ବୈଷ୍ଣ ।- ଏହି ଆଶୀର୍ବାଦ କରନ୍ତୁ - ଆରେ କୃଷ୍ଣ ! ତୁ ଯେ ଖର୍ଚ୍ଚବର୍ଚ୍ଚ କରୁ ତାର କିଛି ହେସାବ ରଖୁଟିକି ?
କୃଷ୍ଣ ।- ସବୁ ତ ଆମରି ଖର୍ଚ୍ଚ - ହାତରେ କରୁଛୁ, ହେସାବ ଆଉ କି ରଖିବା । ଭଲ ହେଲେ ଆମ୍ଭରି ଖର୍ଚ୍ଚ, ମନ୍ଦ ହେଲେ ଆମରି ଖର୍ଚ୍ଚ ।
ବୈଷ୍ଣ ।- ତା ହେଉ, ତେବେ ହେସାବଟାଏ ଥିଲେ ଭଲ । ମୁଁ ତ ଦେଖୁଛି ତୁ ଯେଉଁ ଭଳି ଖର୍ଚ୍ଚବର୍ଚ୍ଚରେ ଚଳୁଛୁ - ତୋର ତ ଦରମାହା ଚାଳିଶ ଟଙ୍କା - ଏତେ ଟଙ୍କା ଆଣୁ କେଉଁଠୁ ?
କୃଷ୍ଣ ।- ନାହିଁ, ଆମ୍ଭ ଇଲାକାରେ ଢେର ମଣିଷଙ୍କର କାମ - କିଏ ଦଶ କିଏ ପାଞ୍ଚ କାମଟାଏ ପଡ଼ିଲାବେଳେ ଦେଇଯାନ୍ତି ।
ବୈଷ୍ଣ ।- ଦେଖ୍ ଆଜିକାଲି କାଳ ଓଲଟା ଟି - ସମସ୍ତଙ୍କୁ ମିଳେଇ-ମିଶେଇ କାମ କରୁଥିବୁ ।
ଆତ୍ମା ।- କୃଷ୍ଣକୁ ସେ କଥା ଶିଖାଇଦେବାକୁ ହେବ ନାହିଁ - ପିଲା ହେଲେ କଣ ହେଲା ତାର ବୁଦ୍ଧି ଭାରୀ ।
ବୈଷ୍ଣ ।- ହଁ ତା ସବୁ ଦେଖାଯାଉଛି । ଭଲା ତୁ ଏତେ ଖର୍ଚ୍ଚବର୍ଚ୍ଚ କରୁଛୁ ମୁଁ ଗୋଟିଏ କଥା କହିବି ମଂନିବୁ ନା ?
କୃଷ୍ଣ ।- ଆପଣଙ୍କ କଥା ମାନିବି ନାହିଁ ?
ଆତ୍ମା।– ଆଉ କଣ ? କେଡ଼େ ବୁଦ୍ଧି ! ରାଧେକୃଷ୍ଣ !
ବୈଷ୍ଣ ।- ବାବାଜୀ ମହାରାଜାଙ୍କର ଅନେକ ଦିନୁଁ ଅଭିଳାଷ ଅଛି ଗୋଟିଏ ହରିହାଟ କରିବେ- ଯେତେ ବୈଷ୍ଣବମଣ୍ଡଳୀ ଅଛନ୍ତି ସମସ୍ତେ ନିମନ୍ତ୍ରିତ ହୋଇ ଆସିବେ - ତୁ କିଛି ଦେଇ ପାରିବୁ ?
କୃଷ୍ଣ ।- ମୋଠିତ ଏହିକ୍ଷଣି ଟଙ୍କା ନାହିଁ - ପଚାଶ ଟଙ୍କା ଭିତରେ ହୋଇ ପାରିବ ?
ବୈଷ୍ଣ ।- ଢେର - ଢେର ହେବ ।
ଆତ୍ମା ।- କିସନ୍ଜି କୁଶଳମେ ରଖେଁ - ବାବା ଖୁବ୍ନାମ କରେଗା ।
କୃଷ୍ଣ ।- (ପକେଟରେ ହାତ ପୂରାଇ) କାଲି ଦେବା ।
ବୈଷ୍ଣ ।- ବାବାଜୀ ମହାରାଜ ! ଚାଲନ୍ତୁ ଆପଣଙ୍କର ଆଉ କି କି ଉଦ୍ଯୋଗ କରିବାକୁ ହେବ ଦେଖିବା (ଉତ୍ଥାନ) ।
ଆତ୍ମା ।- (ଉଠି କୃଷ୍ଣର ମସ୍ତକରେ ହାତ ବୁଲାଇ) ଜୟ ରହେ - ଖୁସି ରହେ ।
[ବୈଷ୍ଣବ ଓ ଆତ୍ମାରାମର ପ୍ରସ୍ଥାନ ।
କୃଷ୍ଣ ।- (ପିତାଙ୍କସ୍ଥାନରେ ତକିୟାକୁ ଆଉଜି ବସି) ଗଲା, ପାପ ଗଲା ! (ହାଇ ମାରିବା) ଓଃ ବେଳ ଯେ ଉଛୁର ହେଉଛି! (ପୁନଃ ହାଇ) ହାଇତ ଉଠିଲାଣି; (ପୁଣି ଚାରି ପାଞ୍ଚ ହାଇ ଓ ନାକ ସୁ୍ଁ ସୁଁ କରି) ଓଃ ନାକ ଆଖିବି ବନ୍ଦ ହୋଇ ଆସିଲାଣି । ଅନାଦି! - ଅନାଦି!-
ନେପଥ୍ୟେ ।- ଅବଧାନ !
[ଅନାଦିର ପ୍ରବେଶ ।
କୃଷ୍ଣ ।- ମୋ ଡିବିଆଟା ଆଉ ପାଣି ଗିଲାସେ ଆଣତ ।
[ଅନାଦିର ପ୍ରସ୍ଥାନ ।
ଛଅଟା ତ ବାଜିଗଲାଣି - ଆଉ ଦି ଘଣ୍ଟା - ଘଣ୍ଟାଏ ଗଲେ ଆମେ ଚାଲିଯିବା ।
[ଡିବିଆ ଓ ଜଳପାତ୍ରହସ୍ତେ ଅନାଦିର ପ୍ରବେଶ ।
କୃଷ୍ଣ ।- ଦେ (ଡିବିଆ ଘେନି ଟେଳାଏ ଅଫିମ ବାହାର କରି ମୁଖେ ପ୍ରକ୍ଷେପଣ ଏବଂ ଜଳପାତ୍ର ନେଇ ଚଳେ ପାଣି ସହିତ ଅଫିମ କଷ୍ଟେ ଗଳାଧଃକରଣ) ।
ଅନା ।- ସାନ୍ତେ, ମୁଁ ଅଫିମ ଖାଇ ନାହିଁ ।
କୃଷ୍ଣ ।- ଆଉ, ଅଫିମ ନ ଖାଇଲେ ଆମର ଚାକର ତ ନେ - (ଅଫିମ ଟେଳାଏପ୍ରଦାନ ।)
ଅନା ।- (କୃଷ୍ଣବତ୍ ଅଫିମ ସେବନ) ମାଧିଆ ଡରେ ପଳେଇଚି ।
କୃଷ୍ଣ ।- ମୁଁ ସେଇଆ ଶୁଣିଲି - ସେଉଟା ଭାରୀ ଚଷାଣ୍ଡିଆ । ଯା ତୁ ବେଗେ ଗିଲାସ ରଖି ଦେଇ ହୋକ୍କା ଏ ସବୁ ବାହାର କର - ମଦତ ରାନ୍ଧିଚୁ ?
ଅନା ।- ହଁ - (ଗିଲାସ ଘେନି ପ୍ରସ୍ଥାନ) ।
କୃଷ୍ଣ ।- (ସ୍ୱଗତ) ଆଜି ବୁଢ଼ା ବସିଲା ସ୍ଥାନକୁ ମଦତ ଖାଇ ପବିତ୍ର କରି ଦେବା ।
[ଅନାଦିର ପ୍ରବେଶ ।
ଅନା ।- ହୁସେନ କାବୁଲୀ ଆସିଚି ।
କୃଷ୍ଣ ।- ଡାକ । - ଆଓଜି ହୁସେନ ସାହେବ !
[କାବୁଲିର ବୋକଚା ସହିତ ପ୍ରବେଶ ।
କାବୁ ।- ସଲାମ ।
କୃଷ୍ଣ ।- ଆଓ ଆଓ, ସଲାମ ! କୁଛ୍ ଲାଏ ହୋ ନା ଖାଲି ?
କାବୁ ।- ହାଁ ହେ କୁଛ୍- କିସ୍ମିସ୍, ବେଦାନା, ପେସ୍ତା, ବାଦାମ -
କୃଷ୍ଣ ।- ଦୋ, ଲାୟେହୋ ତ ସବ୍ସେ ଥୋଡ଼ା ଥୋଡ଼ା ଦେଯାଓ ।
କାବୁ ।- ପିଛେକା ରୁପିତୋ ମିଲା ନେହିଁ ।
କୃଷ୍ଣ ।- କେତା ହେ ?
କାବୁ ।- ଓ ହୁଆଥା ସାଠ ରୁପି ପଞ୍ଜ ଆନା ।
କୃଷ୍ଣ ।- ହୋଏ - ତୁମ୍ ଦୋ ନା - ସବ୍ସେ ଏକ ଏକ ସେର୍ ଦେ ଯାଓ ଯୋ ଦାମ ହୋଗା କଲ୍ ସାମକୁ ଆୟକେ ଲେ ଯାଓ - ଯା ଅନାଦି ବୁଝି ନେ ।
କାବୁ ।- କେତ୍ନା ଦଫେ କଲ୍ ସାମ୍ କଲ୍ ସାମ୍ ବୋଲ୍ତା ହେ ଲେକିନ୍ ଦେତାତୋ ନେହିଁ । - ଆଚ୍ଛା ହାମ୍ଦେ ଯାତା ।
[ଅନାଦି ଓ କାବୁଲିର ପ୍ରସ୍ଥାନ ।
କୃଷ୍ଣ ।- (ଭିଡିମୋଡି ହୋଇ) ଦେହଟା ଟିକିଏ ନସମିଆଁ କାହିଁକି ହୋଇଛି - ଗରମ ପଡ଼ିଲେ କାଲିକି ତାଜା ହୋଇଯିବ ।
[ଅବଦୁଲ୍ଲା, ବୋକଚାମସ୍ତକେ ଜଣେ ମାରୁଆଡି ଓ ଗଜ ମେକରାଜ ସହିତ ଏକ ଦର୍ଜୀର ପ୍ରବେଶ ।
କେଉଁ ଅବଦୁଲ୍ଲା ! ନୋଟିସ ଫିରାଦିୟା ?
ଅବ ।- ଜି ହଜୁର ! ଲିଜିୟେ (ଲଫାଫା ପ୍ରଦାନ) ।
ମାରୁ ।- ରାମ୍ରାମ୍ବାବୁଜି !
କୃଷ୍ଣ ।- (ଲଫାଫା ନେଇ ପାର୍ଶେ ରଖିଦେଇ) ରାମ୍ରାମ୍ ! କାହାଥେଁ ତୁମ୍ ? - ଅବଦୁଲ୍ଲା ଯାକେ ବୋଲନେକା ବାଦ୍ ଆୟେ ।
ମାରୁ ।- କାହାଁ ବାବୁ ଦାମ୍ତ ପାୟନେହି । ପିଛିଲା ସନ୍ତାଇଶ ରୁପିୟା ଢାଇଆଣା ଓ ହାଲକୁ ତିତାଳିଶ ରୂପିୟା ପନ୍ଦରା ଆଣା ୟେ ଏକାତ୍ତର ରୁପିୟା ସାଢ଼େ ଏକ ଆଣା ଆଓର ମାର୍କିନ୍ ଏକଗଜ ପୌଣେ ତିନିଆଣା ।
କୃଷ୍ଣ ।- ହୋଏନା - ମହାଜନକା କେତା କାହାଁ ରହ୍ତାହେ ।- ଅବଦୁଲ୍ଲା ! ଓ ଦର୍ଜୀ ଆୟା ?
ଦର୍ଜୀ ।- ଅବଧାନ । ମୁଁ ତ ଜରରେ ଉଠି ବସି ପାରୁ ନାହିଁ - ହଜୁରଙ୍କର ନାମ ଶୁଣି ଚାଲି ଆସିଛି ।
କୃଷ୍ଣ ।- ଆରେ ଏ ମାରୁଆଡିଠୁଁ ବନାରସ ପତଲୁନ, ସାହେବୀ କୋଟ ଆଉ ଉଏଷ୍ଟକୋଟ ପାଇଁ ଲୁଗା ନେ । ଆଉ ସବ୍ଜାରଙ୍ଗର ଆଲ୍ପକ୍କା ନେ ସେ ଟୋପିବାଲା ମାଗୁଥିଲା ସାହେବୀ ଟୋପି ଉପରେ ପଡ଼ିବ ଆଉ ଗୋଟାଏ ଚାଇନାକୋଟ ହେବ ।
ଦର୍ଜୀ ।- ବହୁତ ଆଚ୍ଛା । (ସ୍ୱଗତ) ଭଲଯୋଗ ହୋଇଛି - ଦାମ ତ ଏଠି ଯା ମିଳିବ - ଗଜ ଚାରି ପାଞ୍ଚଲୁଗା ହେଲେ ମିଳିଯିବ ।
ମାରୁ ।- ବାବୁ, ରୁପେୟା ?
କୃଷ୍ଣ ।- ଓଃ ! କଲ୍ସନ୍ଧ୍ୟାକୁ ସବ୍ ଲୋଗେ ।
ମାରୁ ।- ଆଜ୍ କୁଚ୍ଛ୍ ହୁକୁମ ହୁଆ ନେହିଁ ?
ଅବା ।- ଫେର ଝୁଟେମୁଟେ କାହେ ଲଗାଏ ହୋ - ହୁକୁମ ତ ହୋ ଗିୟା - ଆଜ୍ କି କଲ୍ - ଇସ୍ମେବି ଓଜର୍ ?
କୃଷ୍ଣ ।- ଉନ୍କା ଦସ୍ତୁର ଓହି ରକମ୍- ତୁମ୍ ଯାଓ ଅବଦୁଲ୍ଳା ଦେଖ୍କେ କପଡ଼ା ଲେଲୋ ।
ଅବ ।- ବାବୁ ମିଜେ ଏକଠୋ କୁର୍ତ୍ତା ହୁକୁମ୍ ହୁଆଥା !
କୃଷ୍ଣ ।- ଆଚ୍ଛା ଉସ୍ସେ କପଡ଼ା ଲେଲୋ ।
ଅବ ।- ବହୁତ ଖୁବ୍- ଚଲୋ ।
[ଅବଦୁଲ୍ଲା, ମାରୁଆଡି ଓ ଦର୍ଜୀର ପ୍ରସ୍ଥାନ ।
କୃଷ୍ଣ ।- ଅନାଦିଟା କୁଆଡ଼େ ଗଲା । -
[ଗଙ୍ଗାଧରର ପ୍ରବେଶ ।
ଆରେ ବାଃ ଆ ଆ ଗଙ୍ଗାଧର ! ଖବର କିସ ?
ଗଙ୍ଗା ।- ବାଈସାହେବ ଭଲ ଅଛି - କହିଛି ଯଲଦି ଯିବାକୁ ।
କୃଷ୍ଣ ।- ହେଇ ଚାଲିଲି - ତୁ ଶାଢ଼ୀ ଦେଇ ଅଇଲୁ ?
ଗଙ୍ଗା ।- ହଁ ଦେଖିକରି ଭାରୀ ଖୁସ୍ । ବାଈ ବଡ଼ ଭଲଲୋକ - ଆଉ ଦାରୀଙ୍କ ପରି ନୁହେ । ସେ କହିଲା ତାର ଦାମ ଷାଠିଏ ଟଙ୍କା ହେବ ।
କୃଷ୍ଣ ।- ଆଉକଣ, ସଚ୍ଚାଜର ବନାରସୀ - କଣ ଅଳପ ହୋଇଛିକି ! ଗଙ୍ଗାଧର ! ଆଉ ତା ପରି ଗୋଟିଏ ମାଇକିନିଆ ହେବ କି - ସେ ରମଣୀଶିରୋମଣି । - ଛିଟାଏ ମଦତ ପିଇବୁ ? – ଅନାଦି ! ଅନାଦି ! -
ନେପଥ୍ୟେ ।- ଅବଧାନ !
[ଅନାଦିର ପ୍ରବେଶ ।
କୃଷ୍ଣ ।- ଆଣନା ଜଲ୍ଦି । ଦିଟା ହୋକ୍କା ଆଉ ବେଶି ନାହିଁ ଗୋଟା ଆଠ ଦଶ ଗୋଲି ଘିତିଆ - ଆଉ ସେ ଛେନା ମୁଡୁକି ଓ ରାବଡି ଆଣିବୁ ଚାଟହେବ ।
[ଅନାଦିର ପ୍ରସ୍ଥାନ ।
ଗଙ୍ଗା ।- ବଂଶୀ ବାବୁର ସେହି କଥା ।
କୃଷ୍ଣ ।- କଣ -ଗୁଜୁରାତି ?
ଗଙ୍ଗା ।- ହଁ - ସେହିଟା ମଦ ପିଇ ପିଇ ଦିନେ ମରିଯିବ ।
କୃଷ୍ଣ ।- ଥାଳିଆଏ ଗୁଜୁରାତି ପଠାଇ ଦେଇଛି - ଆଉ କିସିମିସ୍, ପେସ୍ତା, ବାଦାମ ଏ ସବୁବି ଯୋଗାଡ଼ କରିଛି -
ଗଙ୍ଗା ।- ତେବେତ ଷୋଳ ବିଶ୍ୱା ମଉଜ ହେବ ।
କୃଷ୍ଣ ।- ହେବ ଯେବେ ଆଚ୍ଛା ହୋଇ ହେବ ନା - ଅଧାପନ୍ତରିଆଟା ହେଲେ ବାଈ ମନେ କରିବେ କଣ ?
ଗଙ୍ଗା ।- ଭାଇ ମୋର ଦରମା ଟଙ୍କା ପରା ବାକୀ ଅଛି । ବାଈର ମୁଁ ଯେତେ କାମକରୁଛି ଆଉ କେହି କରିବ ନା ?
କୃଷ୍ଣ ।- ଦିଟଙ୍କା ପାଇଛୁ ପରା - ବାକୀ ଆଠଟଙ୍କା ?
ଗଙ୍ଗା ।- ହଁ ।
କୃଷ୍ଣ ।- ହେଉ କାଲି ନେବୁ ।
[ଅନାଦିର ହୋକ୍କା, ନଳ, ବୈଠକୀ, ଗିନା ଓ ଚାଟ ସହିତ ପ୍ରବେଶ ଓ ସେସବୁ ଦୁହିଁଙ୍କ ସମ୍ମୁଖେ ଯଥାବିଧାନ ସ୍ଥାପିତ ।
ଅନା ।- (ଏକ ଲମ୍ବଟିକିଆ ଦେଖାଇ) ନିଆଁ ଲଗାଏଁ ?
କୃଷ୍ଣ ।- ହଁ ଲଗା । - ତୁ ଖାଇବୁ ନା ?
ଅନା ।- ହଁ ମୋ ତଣ୍ଟି ଟା କାହିଁକି ଖସ୍ଖସ୍ ହେଉଚି, ଛିଟାଏ ଖାଇବି ।
ନେପଥ୍ୟେ ।- ଅନାଦି ! ମାଳିଟା ନେବୁଟି ।
କୃଷ୍ଣ ।- (ଶଶବ୍ୟସ୍ତେ) ଆରେ ଉଠା ଉଠା ବାପା ଆଇଲେଣି !
ଲଣ୍ଡଭଣ୍ଡ ହୋଇ ହୋକ୍କାଆଦି ଘେନି ସମସ୍ତଙ୍କର ପଳାୟନ ।
ଯବନିକା ପତନ ।
ରାଗିଣୀ କାଫି - ତାଳ ଆଡ଼ଖେମଟା ।
ପାପପାରାବାରେ (ରେ) ବୁଡିଲା ସଂସାର ।
ଏହିରୂପ ନିତିନିତି ଅନୀତି ବେଭାର । ପଦ ।
ନାନାଦି ନିଶା ସେବନ, କପଟତା ଆଚରଣ,
ବ୍ୟୟ ବଳି ଉପାର୍ଜନ - ଘୋର କଳିକାଳ ।୧।
[ରସମଞ୍ଜରୀ ଏକାକିନୀ ଏକ ପ୍ରସ୍ତରମୟ ଆସନରେ ଅଧୋବଦନରେ ଫୁଲ ଗୁନ୍ଥୁଥିବାବସ୍ଥାରେ ଉପବିଷ୍ଟା ।]
ରସ ।- (ସ୍ୱଗତ) ବିଧାତା ଯାହାକୁ ଦୁଃଖୀ କରେ ତାକୁ ଗୋଟାଏ ଦୁଃଖରେ ଯେବେ ପଡ଼ିବାକୁ ହେଉଥାନ୍ତା ତେବେ ଆଉ ଚିନ୍ତା କି ଥିଲା - ଦୁଃଖ ଉପରେ ଦୁଃଖ ପଡି ମନ ଘାଣ୍ଟି ଦିଏ - ଚେତନା ବୁଡ଼ାଇ ଦିଏ – ଏକାବେଳକେ ସାରିଦିଏ ! ଆହା ! ସୁଖୀ ଯେଉଁମାନେ ତାଙ୍କରି ଭାଗ୍ୟ । ଦୁଃଖୀ ଯେଉଁମାନେ ତାଙ୍କୁ ସୁଖ ସ୍ୱପନପରି ! ଯାହାର କପାଳରେ ଥାଏ ଅନେକଦିନ ଉତ୍ତାରୁ ଆପଣା ମଣିଷର ମୁହଁ ଦେଖେ - ଆଉ ଯାର କପାଳରେ ନାହିଁ ତାର ଯେଉଁ ଦୁଃଖକୁ ସେହି ଦୁଃଖ ! ଯେ ଚିରଦୁଃଖୀ ତାହାକୁ ଚିରକାଳ ଦୁଃଖ ସହିବାକୁ ପଡ଼ିବ । ନାରୀ ଅବଳା - ସ୍ୱାମୀ ବିନା ତାର ଗତି ନାହିଁ । ସ୍ୱାମୀ ଯେତେବେଳେ ପ୍ରେମଭାବରେ ଆଦର କରି ଭାର୍ଯ୍ୟା ମୁଖେ ଚୁମ୍ବ ଦେବେ ଭାର୍ଯ୍ୟା ପ୍ରେମଆହ୍ଲାଦମନରେ ମିଳେଇ ପଡି ତାହା ଉପଭୋଗ କରିବ; ଯେତେବେଳେ ସ୍ୱାମୀ କ୍ରୋଧରେ ଗୋଇଠା ମାରି ଭାର୍ଯ୍ୟାକୁ ଫିଙ୍ଗି ଦେବେ ତାହା ବି ଭାର୍ଯ୍ୟାକୁ ନୀରବରେ ସହିବାକୁ ପଡ଼ିବ । ଆଉ ଉପାୟ କିସ ? - ସ୍ୱାମୀ ଦେବତା, ସ୍ୱାମୀ ଗୁରୁ; ସ୍ୱାମୀ ସର୍ବସ୍ୱ । ଯେଉଁ ନାରୀ ସୁଭାଗିନୀ ସେ ମନୋମତ ସ୍ନେହମୟ ସ୍ୱାମୀ ପାଇଚି - ଇହଲୋକରେ ସେହି ଧନ୍ୟା ! ଗୁଣମୟୀ ନିର୍ଦ୍ଦୋଷୀ ଭାର୍ଯ୍ୟା ପ୍ରତି ଯେଉଁ ସ୍ୱାମୀ ଅକାରଣ ଅତ୍ୟାଚାର କରେ ତାର ମନ କିପରି ! - (ପ୍ରକାଶ୍ୟେ) ମୁଁ କି ଏଡ଼େ ଅଭାଗିନୀ !- ବିଧାତା କାହିଁକି ଅଭାଗିନୀ କରି ମୋତେ ଜନ୍ମ ଦେଲେ । (ଅଞ୍ଚଳେ ଲୋତକ ମୋଚନ) ।
[ହରିଦାସୀ ବୈଷ୍ଣବୀର ନୀରବେ ପଶ୍ଚାଦ୍ଭାଗରୁ ପ୍ରବେଶ]
ହାୟ ! ଆଉ କେତେ କଷ୍ଟ ସହିବି ! ଯେ ମୋତେ ଭଲ ନ ପାଏ ତାହାପାଇଁ ମୁଁ ଯେତେ ଘାଣ୍ଟି ହେଉଚି ଯେବେ ତେତକ କେହି ନ ଜାଣିଲା - ଧିକ ଏ ଜୀବନ ! - ପୃଥିବୀ ଦୁଇଖଣ୍ଡ ହୋଇଯା ମୁଁ ତହିଁରେ ପଶି ବିକଳଜୀବନ ବିସର୍ଜନ କରେ -(ଦୀର୍ଘନିଶ୍ୱାସ) ମା ଲୋ !
ହରି ।- (ସମ୍ମୁଖକୁ ଆସି) ବୋହୁ ! ତୁଛେଇ ସବୁବେଳେ ଏହିପରି ଦୁଃଖ କରୁଥିବ ?
ଏହିପରି ଭାଳୁ ଭାଳୁ ଯେ ଜୀବନଟା କ୍ଷୟ ହେଇଯାଉଚି ତା କିଛି ବୁଝି ପାରୁଚ ?
ରସ ।- (ତ୍ରସ୍ତେ ଅପ୍ରତି ଭଭାବେ ଉଠି ଲୁହ ପୋଛି ଧୀରେ ଧିରେ) କି ମାତା କି ? -କେତେବେଳୁଁ ଆସି ଛିଡ଼ା ହେଇଚ ? - (ମୁଁହ ପୋତି) ମୁଁ କଣ କହୁଥିଲି!
ହରି ।- ବୋହୁ । ଡ଼ର ନା - ମୁଁ କଣ ଆଜି ହେଲି କି ? ତୁମର ଦୁଃଖମାଳ ମୋ ବେକରେ ପଡ଼ି ବେକ ନଇଁ ଗଲାଣି - କେତେକାଳ ଏହିପରି ଚିନ୍ତା କରୁଥିବ ?- ବସ, ଦେଖିବା ତୁମେ କିପରି ହାର ଗୁନ୍ଥିଚ । (ନିକଟବର୍ତ୍ତୀ ପ୍ରସ୍ତରରେ ଉପବେଶନ ।)
ରସ ।- (ବସି) ମୋ ମୁଣ୍ଡ ଗୁନ୍ଥିଚି ! ମାତା ! ମୁଁ ଯେଉଁ ଦିନ ମରିବି ମୋ ମଲାଦେହ ଉପରେ ଏହିପରି ଗୋଟିଏ ହାର ଗୁନ୍ଥି ଥୋଇ ଦବ - ମୋର ସେଇଆ ଢେର ।
ହରି ।- (ଜିହ୍ୱାଦଂଶନ କରି) ଛି ଛି ବୋହୁ ଏପରି କଥା କାହିଁକି କହୁଚ !
ରସ ।- ମାତା ! କୁଞ୍ଜଲତାଟିଏ ଆଣି ଆପଣା ବଗିଚାରେ ଲଗାଇ ତାର ଯତନ ନ କଲେ ସେ ଲତାର ଦଶା କି ହେବ କହିଲ ? - ମାଟିରେ ପଡ଼ି ଧୂଳିରେ ଗଡ଼ି ହଜାର ଲୋକର ଗୋଡ଼ରେ ଦଳି ହେଇ ତାର କି ଜୀବନ ରହିବ ? ମୋତେ ଯତନାଇବାକୁ କିଏ ଅଛି ? -ମୋର ଯେ ହୁଅନ୍ତା ତାର ତ ଦଶା ଦେଖୁଚ । ଆଉ ଶାଶୁବୁଢୀ ? ତାଙ୍କର ସେବାକରି ମୁଁ ଜୀଇଁଚି - ତାଙ୍କର ସ୍ନେହପାଇ ମୁଁ ଜୀଇଚି- ନୋହିଲେ ବାର ଲୋକର ଗଞ୍ଜନାରେ ମୋର ଆଉ ଅବସ୍ଥା ଥାଆନ୍ତି ?
ହରି ।- ଶାଶୁ ତୁମର ଯେଡ଼େ ଭଲ ଶ୍ୱଶୁରବି ସେମିତି । ଏପରି ଶାଶୁ ଶ୍ୱଶୁର କେଉଁ ବୋହୁଟା ଭାଗ୍ୟରେ ଘଟିଥାଏ ? - ତୁମେବି ତହିଁ କି ହୀରାଟିଏ!
ରସ ।- ଚୁଲ୍ଲୀ-ପାଉଁଶ ! -ମାତା । ମୋର ସୁଖ ଦୁଃଖ କା ଉପରେ ?
ହରି ।- ଆଉ ତା କାହିଁକି କହୁଚ ? ନିଶା ଖାଇ ସେତ ଆପଣା ବଶରେ ନାହିଁ ।-ଖାଲି ବାପମାକୁ ଟିକିଏ କେମିତି ଡ଼ରିଥାଏ ବୋଲି ଗାଁଯାକ ନିଚିନ୍ତେ ଅଛନ୍ତି ।ତେବେବି ତୁମକୁ ଗଞ୍ଜିବାରୁ ମଟାରତ ଜୀବନରେ ଜୀବନ ହେଇ ନାହିଁ । ନିଶା ଖାଇବ - ଦାରାଘର କରିବ - ଘରେ ଯେ ଗୋଟାଏ ଲକ୍ଷ୍ମୀ ଦିନରାତି ଝୁରିମରୁଚି ତାକୁ କି ତା ଟିକିଏ ବାଧୁଚି ।-ମଲା ମୋ ! ସଂସାରରେ କର ଆଉ କେହି ଚାକିରୀ କରିନାହାନ୍ତି କି ?
ରସ ।- ଛି ମାତା ତାଙ୍କୁ ଆଉ ଗଞ୍ଜ ନାହିଁ - ସେ ମୋର କପାଳଦୋଷ ! ସେ ଯାହା କରୁଚନ୍ତି କରନ୍ତୁ -ସେ ସୁଖରେ ଥିଲେ ହେଲା - ମୋ କପାଳ ପୋଡ଼ି ଯାଇଚି ନା ଯିବାକୁ ବାକୀଅଛି ! (ଲୁହ ପୋଛିବା)
ହରି ।- ଛି ବୋହୁ । ଆଉ କାନ୍ଦତ ନା - ଆଖିଟା ଫୁଲି ନାଲ ହୋଇ ଗଲାଣି - ତୁନି ହୁଅ, ତୁନି ହୁଅ ।
ରସ ।- ନା ଆଉ କାନ୍ଦିବି କାହାପାଇଁ - କେହି କି ମୋରଲୁହ ପୋଛି ଦେବ ! (କଇଁ ହେବା ଓ ଲୁହ ପୋଛିବା) ।
ହରି ।- ଛି ଛି ଆଉ ସେଗୁଡ଼ାକ କହ ନା । -କଣ ହବ କହି ? - କହନ୍ତି, ଯେତେ ମାଠିବୁ ମାଠ - ନା ମୁଁ ସେହି ଦରପୋଡ଼ା କାଠ ।
ପ୍ରେମ କି ସଂସାରେ ଅଛି -ରାଧାକୃଷ୍ଣ ପରି କିଛି ,
ଯେ ଦିନ ଅକ୍ରୂର ରଥେ ଚଢାଇଲା ସେ ଦିନୁଁ ସବୁ ଯାଇ’ଛି ।।
ଲୋକେ ଯା ବୋଲନ୍ତି ପ୍ରେମ - ଅଟଇ ତା ଭଣ୍ଡପଣ,
ଆଗେ ସୁଖକଥା ପଛେ ମଥାବ୍ୟଥା ଶେଷକୁ ନ ଥାଏ କିଛି ।।
ରସ ।- (ଦୀର୍ଘନିଶ୍ୱାସ ତ୍ୟାଗ କରି) ସତ ଗୋ ସତ !
ହରି ।- ଆଉ,
ସେ ଭଳି ପୁରୁଷ ହୋଇବ କିଏ, ସ୍ତିରୀ ପାଦ ନେଇ ମସ୍ତକେ ଦିଏ ।
ଶ୍ରୀକୃଷ୍ଣ ରାଧାର ରାଧା ଶ୍ରୀକୃଷ୍ଣର ତାଙ୍କୁ ଭିନ ଭିନ କରିବ କିଏ ।।
ରସ ।- ଆହା ! ତାଙ୍କ ପରି କିଏ ହେବ !
ହରି ।- ପୁଣି;
ଦିନେ ରାଧାଙ୍କର ଭେଟ ନ ପାଇ , ଶ୍ରୀକୃଷ୍ଣ ଅତ୍ୟନ୍ତ ହୋଇଲେ ବାଇ, କେତେ ବଂଶୀ ସ୍ୱନ କଲେ ଘନ ଘନ ତେବେହେଁ ନ ଦିଶ ରାଧାଙ୍କ ଛାଇ। ତହୁଁ ପିନ୍ଧା ଲୁଗା ଖଣ୍ଡି ଛିଣ୍ଡାଇ ଧରି, ନିପଡାଳେ ଦୃଢେ ବନ୍ଧନ କରି, ବେକ ଦେଲାବେଳେ ଦୂତିକା ସେ କାଳେ ଓପାରି ଧଇଲା ପଛରୁଯାଇ । ଫାଟିଗଲା ଲାଜେ ଚନ୍ଦ୍ରବଦନ, ନ ସୁରିଲା ଆଉ କିଛି ବଚନ, ଏତିକି କଥାକୁ ଏଡେ କଥାଟାଏ ବୋଇଲା ଦୂତିକା ଶ୍ରୀମୁଖ ଚାହିଁ । ଜ୍ଞାନବାନ ଆହେ ଶ୍ରୀକୃଷ୍ଣ ଏଡେ, ଆଳପେ ମୂରୁଖ ହୋଇଲ କେଡେ, ରାଧିକା ଏ କଥା ଶୁଣିଲା କାଳରେ କେତେବା ଗଞ୍ଜନା ଗଞ୍ଜିବ ନାହିଁ ।
ରସ ।- ଭଲା କଥାଏ ପକେଇଲ ମାତା !
ହରି ।- ତହୁଁ
ଭାଷିଲେ ଶ୍ରୀକୃଷ୍ଣ ମନ୍ଦହାସେ, ନ କହ ଦୂତିକା ରାଧିକା ପାଶେ, ପରାଣ ରାଧିକା ବିହୂନେ ପରାଣ ତେଜୁଥିଲି ମୂଁହି ଭ୍ରମେ । ମୋର ପରାଣ ଯେ ତାର ପରାଣ, ଏ ଗଲେ ସେ ଯିବ ନ ହେବ ଆନ, ବୁଝି ନ ପାରିଲି ଠିକେ ହୁଡିଗଲି ବୁଲି ବୁଲି ଦିବାଶ୍ରମେ । ଚତୁରୀ ଦୂତିକା ଏମମ୍ତ କାଳରେ ଆଡେ ଦେଲା ଆଖି ଠାରି । ବୋଇଲେ ଶ୍ରୀକୃଷ୍ଣ କେବଣ ପରୀକ୍ଷା ଏ ହେଲା ଧନ୍ୟ ତୁ ନାରୀ । ରାଧିକା ସୁନ୍ଦରୀ ଏସନ କାଳରେ ବାହାରିଲେ ଉଢୁଆଳୁଁ । ତହୁଁ , ଆନନ୍ଦ ରୋଳରେ ଭୋଳ ହେଲେ ସର୍ବେ - ପ୍ରେମ କେ ଭଲ ଏଠାରୁ ?
ରାଗିଣୀ ପୂରବୀ । ତାଳ ଏକତାଳୀ ।
ଆରେ ରସଲତା । କେବେ ନ ସରିବ ତୋର ଚିତ୍ତବ୍ୟଥା । ଘୋଷା । ଏ ଯେ ସଂସାର ସାର ସବୁ ସରିଗଲା, ସୁଖ - ସ୍ୱରଗେ ନର୍କରାଜ ରାଜ୍ୟ କଲା । କଳିକାଳକୁ ପାପ ଦିଏ ଯା ମନସ୍ତାପ କଳିବ କେ ତାକୁ ତୁଲ କରି - ଆରେ ରସନାରୀ ! ତୋତେ ଦୁଃଖଗଞ୍ଜନା ଯା ଦେଲା ସାରି ।୧।
ଦିବ୍ୟ ସୁଧାପାନ ଛାଡି ଲୋକେ, ବିଷପାନେ ମାତିଲେ ଥୋକେ । ଛିଡି ଗଲାଣି କୂଳ ଧର୍ମ-ଆଚାର-ମୂଳ ଝରି ପଡିଲାଣି ପତ୍ରରେଖା - ଆରେ ରସଲେଖା ! ତୋର କପାଳକୁ ସଦା ଦୂଃଖ ଦେଖା । ୨ ।
ଏତେ, ସନ୍ତାପ-ସାଗରେ ସନ୍ତରଣ ବିନା ଗତି ନାହିଁ ତୋହର ଭବେ ଆନ। ଲୋଡିଥିଲୁ ତୁ ଯାକୁ ଭୁଲିବା ହେବ ତାକୁ ଭୁଲିଲାଣି ସେ ତୋତେ ଥିର କରି - ଆରେ କ୍ଷିଣୋଦରି ! ଡାକ ଜଗତପାତଙ୍କୁ ଝୁରି ଝୁରି ।୩।
ରସ ।- (ଦୀର୍ଘନିଃଶ୍ୱାସ ତ୍ୟାଗ କରି) ଏକା ସେଇଆ - ଭଗବାନ୍ ଏକା ମୋ ଭରସା !
ହରି ।- ମଣୀଷର ଆଉ ଚାରା କି ଅଛି- ସବୁ ଭଗବାନଙ୍କ ମାୟା- ସବୁ ଭଗବାନଙ୍କ ଲୀଳା- କି ଗୋ ଯମୁନି।
[ଖଣ୍ଡିଏ ଛବି ଘେନି ଯମୁନାର ପ୍ରବେଶ।]
ହାତରେ କଣ କି ?
ରସ ।- ତା ମୁଣ୍ଡ! ମୁଁ ଯା ଛିଣ୍ଡେଇ ରଖିଥିଲି ମୋତେ ଶଏଥର ତ ଦେଖାଇ ବୁଲୁଚି।
ଯମୁ ।- ମାଲୋ ଏତେ ରୋଷ କାହିଁକି- କଣ ହେଇଗଲା ସେଉଠୁ ? ଯା ହବାର ତା ତ ହେଇଚି- ୟାକୁ ଛିଣ୍ଡେଇ ପକେଇ ଥିଲେ କଣ ହୋଇଥାନ୍ତା ?
ହରି ।- କଣ ସେଇୟା କହ ନା- ସେଇଠି ବସ। (ଖଣ୍ଡିଏ ପ୍ରସ୍ତର ନିର୍ଦ୍ଦେଶ)।
ଯମୁ ।- (ବସି) ଦେଖ କଣ ! (ହରି ଦାସୀକି ଛବି ପ୍ରଦାନ) ।
ରସ ।- କିସ କହିବି ବେଲ ! ତୁ ମନେ କରୁ ସବୁ ରଙ୍ଗ - ମୋର ତା ଦେଖିଲା ବେଳକୁ ଅଙ୍ଗ ଜଳିଯାଏ !
ଯମୁ ।- ମାଲୋ - ଏଇ କଥାକୁ ମୁହଁଟା ଏଡେ ଭାରୀ କରି ଦଉଚ - ଦିଅ ଗୋ ମାତା !
ହରି ।- ରହ ରହ ମ, ଏ କାହା ଛବି ?
ଯମୁ ।- କହିବି ସେ ପାପକଥା। ଆମ ଗୁଣବାନ ପରା ଦାରୀଟିଏ ରଖିଚନ୍ତି, ମାଈପକୁ ଦେଖାଇବା ପାଇଁ ତାର ଗୋଟିଏ ଛପା ଉତାରି ଆଣିଥିଲେ।
ହରି ।- (ଜିହ୍ୱା ଦଂଶନ କରି) କଅଣ ! ଦାରୀଟାରେ ଛବି ଦେଖାଇବା ପାଇଁ ମାଇପକତିକି ଆଣିଥିଲା ।ଆଉ ହବ ନାହିଁ । - ଆଲୋ ଏ ରୂପଟା କଣସୁନ୍ଦର ଦିଶୁଚି - ଆଲୋ ସେ ଆମ ବୋହୂର କାଣି ଆଙ୍ଗୁଠିକି ସରି ହବ ନା ଆଗେ ?
ଯମୁ ।- ତୁମେ ଦେଖ, ମୋତେ ପଚାରୁଛ କାହିଁ ପାଇଁ ? ଗୋଟାଏ ଗୋଟାଏ ଲୋକଙ୍କ ପରକୁତି - କହିବା କାହାକୁ !
ହରି ।- ଛି ! ଛି ! - ଯମୁନି ! ଏ ଛବି ଅଙ୍କା ହେଲା କେମତି ? ଏ ସତକୁ ସତ ଗୋଟିଏ ତିଲା ପରି ଦୁଉଚି ।
ଯମୁ ।- ସେ କଳରେ ଛାପି ନେଇଛି ମ ।
ହରି ।- ହଁ କଳ ନୋହିଲେ ଫେର ଏମନ୍ତ ଆଙ୍କିବ କିଏ ? ସରକାର କେତେ ପରକାର କଳ କଲାଣି - ଖାଲି । ଜୀବଦାନ ଦେଇପାରୁ ନାହିଁ ।
ଯମୁ ।- ହାତରେ ଫେର କିଏ ଆଙ୍କିବ ? ଦିଅ ଦିଅ ସେ କାନ୍ଦିଲାଣି । (ଛବି ନେଇ, ଅଞ୍ଚଳେ ରସମଞ୍ଜରୀର ଲୁହ ପୋଛି ଦେଉଁ ଦେଉଁ) ଛି ବେଲ ! କେତେ କାନ୍ଦୁଚ ! ଦେହଟା କାନ୍ଦି କାନ୍ଦି ସିଝିଗଲାଣି - ସୁନାର ଗଛଟା ଯେମତେ ଝାଉଁଳି ଯାଉଚି !
ହରି ।- (ଆପଣା ଲୁହ ପୋଛୁ ପୋଛୁ) ଆହା ! !-
ଯମୁ ।- (ଆପଣା ଲୁହ ପୋଛି ରସମଞ୍ଜରୀର ଲୁହ ପୋଛି ଦେଉଁ ଦେଉଁ) ସେ କି ବେଲ,
କପାଳରେ ଦୁଃଖ ଅଛି ବୋଲି କଣ ସଂସାରରେ ସବୁକଥାକୁ ତୁଚ୍ଛ କରୁଚ ?
ରସ ।- ବେଲ । ସଂସାରରେ ମୋର ଆଉ କଉଁ କଥା ଅଛି ! ମୋ ଅବସ୍ଥାରେ ବଞ୍ଚିବା କି ସୁଖର କଥା !- ଫୁଲ ଗଛଟିରେ ପାଣି ଦେଲେ ସେ ବଞ୍ଚେ ନା ଶୁଖିଲା ଭୂଇଁରେ ଚାରିପାଖର ଗଛ ପାଇଁ ବଞ୍ଚେ । ମୋର ଅଛି କଣ ମୁଁ ବଞ୍ଚିବି । (କ୍ରନ୍ଦନ) ।
ହରି ଓ ଯମୁ ।- (ଉଠିଯାଇ) ଛି ଛି ! ତୁନି ହୁଅ ତୁନି ହୁଅ । (ଲୁହ ପୋଛିଦେଇ ମୁଖରେ ଜଳ ଦେବାର) ।
[କନକଲତାର ପ୍ରବେଶ ଓ ସମସ୍ତେ ତୁନିତାନି ହୋଇ ଛିଡ଼ା ହେବାର ।]
କନ ।- ଯମୁନି । ବୋହୁ ଅଛି କି ଏଠି ? - ରାତିଟା, କାକର ପଡ଼ୁଚି, ଆସ ମା ମୋ ସଙ୍ଗେ ଆସ । - ଆଉ କିଏ - ମାତା କି !
ହରି ।- କି ଗୋ ।
କନ ।- ତୁମରି ପାଇଁ ବୋହୁ ଏତେବେଳଯାଏ ଏଠି ବସିଯାଇଚି -ଆଉ ତା ମନ ଲାଗିବ କଉଁଠି ? କାକର ପଡ଼ି ନସମ ହବ । - ଯମୁନ, ଯିବୁ ନା ଆ ।
ଯମୁ ।- ମୁଁ ଟିକିଏ ଛାଡ଼ିଯାଉଚି ।
ରସ ।- (ପ୍ରସ୍ଥାନ) ।
କନ ।- ହଉ ଆ, ଆଉ କାକରଟାରେ ବସ ନା । (ରସମଞ୍ଜରୀର ପଶ୍ଚାତ୍ ପ୍ରସ୍ଥାନ) ।
ହରି ।- କେତେ ଯନ୍ତ୍ରଣା ବୋହୁକୁ ଆସି ଘଟିଚି !
ଯମୁ ।- ଆଉ ତା କାହିଁକି କହୁଚ । ଗୁଣମଣି ଆମର କାଲି ଘଟିକି ଆସି ଥିଲେ ଜାଣ ?
ହରି ।- ହଁ ଶୁଣୁଥିଲି- ସେହି ରାତି ଥାଉଁ ଚାଲିଗଲାଣି ? -ସରକାରୀ କାମ କିଛି ଥବ ।
ଯମୁ ।- କି ସରକାରୀ କାମ ମ ? ସେ ସାଇର ପୁଅଟିଏ କଣ ଘଟିକି ଆସି ନାହିଁ ?
ହରି ।- ହଁ - ସେ ଏ -କଣ ତା ନା ଆସୁ ନାହିଁ ।
ଯମୁ ।- ତାର କି ସରକାରୀ କାମ ନାହିଁ ? ସେ ଆଇଲା କେମନ୍ତେ ଯିବ କେମନ୍ତେ କେହି ଜାଣିବ ? ୟେ ଆମର ଆସିକରି ଖରଖର ଫରଫର -ନିଶା ଖାଇତ କାହାକୁ ମାନିବାକୁ ନାହିଁ ।- ବୋହୁର ପିଠି ଦେଖିଚ ?
ହରି ।- (ତ୍ରସ୍ତେ) କଣ- କଣ ମ ?
ଯମୁ ।- ଆଉ ତେବେ କଣ - ବୋହୁର ପିଠିର ଆଗେ ଅବସ୍ଥା ଅଛି ? ପଳେ ମାଉଁସ ଉଠି ଯାଇଛି ପରା !
ହରି ।- କଣ ମାଡ଼ଖାଇ ?
ଯମୁ ।- ଯୋତାରେ ।
ହରି ।- (ଜିହ୍ୱା ଦଂଶନ କରି) ଆଉ ହବ ନାହିଁ । ଛି ଛି ! କାଳ ସଇଲା !
ଯମୁ ।- ଗୁଣମଣି ଏ ଛବି ଖଣ୍ଡକ ଆଣି ବେଲକୁ ଦେଖେଇ କହିଲେ ଦେଖନି ଏ କେମନ୍ତେ ସୁନ୍ଦର ରୂପ । ବେଲତ ଆଗହୁଁ ଶୁଣିଥିଲା କହିଲା ଏଇଟାତ ମୋର ସଉତୁଣୀ ପରା । -ଆଉ କହିକରି ଯିବ କୁଆଡ଼େ- ମାଡ଼ ଶବଦରେ ଘର ଭାଙ୍ଗି ପଡ଼ିଲା ! ମୁଁ ଉଠିଯାଇ ଗୁଣମଣିକି ଟାଣିଆଣି ବାହାରେ ପକେଇ ଦେଖେ ଯେ ବେଲ ମୂର୍ଚ୍ଛା ଯାଇ ପଡ଼ିଚି । -କଣ କହିବି- ବଡ଼ଲୋକଘର ଝିଅକୁ ଛନ୍ଦି ଦେଇ ସାଆନ୍ତାଣୀ ଆମର ବହୁତ ହଟହଟା ହେଲେଣି । - ଟିକିଏ ଗଲାଠୁଁ ଯହୁଁ ନିଶା କମିଗଲା ଗୁଣମଣିତ ଯୋତାଛତା ନେଇ ଚଲ୍ କଲେ -ଯାତ୍ରା ନା କଣ !
ହରି ।- ଛିଛି ! କି କାଳ ହେଲା -ବର୍ଷେହବ ତ ନାହିଁ ବାହାଘର ।
ଯମୁ ।- ଆଠମାସ ମ । ଦେଖୁଚ ତ ୟାରିଭିତରେ ବେଲ କେମନ୍ତେ କଣ୍ଟାପରି ହୋଇଗଲାଣି ।
ହରି ।- ବୟସ କେତେଗୁଡ଼ାଏ ହବ କି ?
ଯମୁ ।- ପନ୍ଦର ବରଷ ତ ? -କହନ୍ତି ବାହାହେଲେ ଚାଲି ଚରଣ ଫେରିଯାଏ ଯେ ଆମର ଗୁଣମଣିଙ୍କର ତ ଗୁଣ ଅଧିକ ଅଧିକ ବାହାରୁଚି ।
ହରି ।- ଛି ଛି ! -ଆହା ମୋ ମନ ତୁମ ବୋହୁପାଇଁ ବଡ଼ ଘାଣ୍ଟି ହଉଚି ।
ରାଗିଣୀ ଝିଁ ଝିଟ -ତାଳ ଆଡ଼ ଖେମଟା ।
କେଉଁ ସୁଖାଶାରେ ଏ ପାପ-ସଂସାରେ ବଞ୍ଚିବାକୁ ମନ ବଳିବ ।
ଅତିଘୋର ବ୍ୟଭିଚାର ଦେଖି ଛାତିରେ କାହାର ସହିବ । ପଦ ।
ଭାସିଲେ ପୁରୁଷେ ପାତକ-ଜଳେ,
ସରିଲେଖି ସର୍ବେ ଅଧର୍ମ-ଫଳେ,
କଳଙ୍କୀ ହେଲେଣି କଳଙ୍କ-ବଳେ,
ଦୁଃଖ-ଜଳେ ଭବ ଭାସିବ (ଏବେ) । ୨ ।
ପୁରୁଷଚ୍ଛାୟାରେ ଆଶ୍ରିତା ନାରୀ,
ସତେ କିରେ ଭବୁଁ ହୋଇବ ପାରି,
ଦିବାନିଶି ଶୋକ ଦେଲାଣି ସାରି,
କି ଘେନି ଜୀବନ ରହିବ (ତାର) । ୧ ।
ସୁଭୋଜନ କୁଭୋଜନ-ସେବାରେ,
କୁଳବଧୂ ପ୍ରୀତି ନ ପାଏ ବାରେ,
ନିଶା ବେଶ୍ୟା ସାର ହେଲା ଏକାଳେ,
ଏ ଘୋର ପାପ କେ ଦେଖିବ (କହ) । ୩ ।
ନେପଥ୍ୟେ ।- ଘଣ୍ଟ ଓ ଘଣ୍ଟାଧ୍ୱନି ।
ହରି ।- ଯମୁନି ! ଚାଲ ଠାକୁର ଭୋଗ ଆଳତି ହେଲାଣି ।
(ହରିଦାସୀ ଓ ଯମୁନାର ପ୍ରସ୍ଥାନ ।)
ଯବନିକା ପତନ ।
ରାଗିଣୀ ବେହାଗ । ତାଳପତ୍।
ଗୋ ଏଥର- ଛାତିକି ନ କଲେ ପଥର ।
ଝରିଝରି ଦିବାନିଶି ଯିବ ଜୀବ ମାତର । ପଦ ।
ପ୍ରଣୟ-ପାଦପ ହେଳେ ସ୍ନେହ-ଲତା ତ୍ୟାଗ କରେ,
ନ ଜାଣେ ଲତିକା ଏକା ଏ କାଳକୁ ହିତର । ୧ ।
[ଗୃହଟି ଅତ୍ୟନ୍ତ ସୁସଜ୍ଜିତ, ତଳେ ମଜିଲିସ ପ୍ରାୟ ବିଛଣା; କୃଷ୍ଣଚରଣ, ଗଙ୍ଗାଧର, ବଂଶୀବଦନ ଓ ଅନ୍ୟାନ୍ୟ ବାବୁମାନେ ଅର୍ଦ୍ଧଗୋଲାକାର ଭାବରେ ଉପବିଷ୍ଟ । ସମ୍ମୁଖେ ଧାଡ଼ି ହୋଇ ଆଠଗୋଟି ବୋତଲ ଓ ଆଠଗୋଟି ଗ୍ଲାସ ଏବଂ ଭିନ୍ନ ଭିନ୍ନ ବାସନରେ କିସ୍ମିସ୍, ବାଦାମ, ପେସ୍ତା ଓ ଗୁଜରାତି ସଂସ୍ଥାପିତ, ମଧ୍ୟଭାଗରେ ପାର୍ବତୀ ବାଈ କୃଷ୍ଣଚରଣ ଆଡ଼କୁ ମୁହଁକରି ଉପବିଷ୍ଟା ।]
କୃଷ୍ଣ ।- ବଂଶୀବାବୁ । ସହରେ ଯେତେ ବାଈ ଆଛେ ଆମାଦେର ପାର୍ବତୀ ବାଈର ମତନ ଆର୍ ଗୋଟିଏ ଦେଖା ନାଇ। ଆଜ୍ ଯେମନ ଶନିବାର- ତେମ୍ନି ମଜାଦାର- ଆର ତେମନି ପାର୍ବତୀବାଈ । - ଅତଏବ ସଗଳେ ମଲେ ପାର୍ବତୀ ବାଈର ବାରେ ଜୟ ଘୋଷଣା କର !
ସମସ୍ତେ ।-ଜୟ ପାର୍ବତୀ ବାଈ କି ଜୟ ! କ୍ୟା ମଜହେ !
କୃଷ୍ଣ ।- ଅବଦୁଲ୍ଲା-
ନେପଥ୍ୟେ ।- ଜି !
କୃଷ୍ଣ ।- (ରୋଷଭରେ) କ୍ୟା କରତାହେ ଏତ୍ତା ବଖତ୍ ?- ଯଲଦି ଆଓ ।
[ଅବଦୁଲ୍ଳାର ପ୍ରବେଶ ।]
ଦୋ-ସବକୋଇକୁ ଏକ ଏକ ଗ୍ଲାସ କର୍କେ ଆଗେ ବ୍ରାଣ୍ଡି ଦୋ, ବାଦ ଉସ୍କେ ତୁମ୍କ୍ୟା ଖାନାଉନା ବନାୟେ ହୋ ନେଇଆଓ !
ଅବ ।- (ଏକ ବୋତଲ ଖୋଲି ବ୍ରାଣ୍ଡି ଗ୍ଲାସରେ ଢାଳି କୃଷ୍ଣଚରଣକୁ ଦେବାର ।)
ବଂଶୀ ।- ଏ ବେଟା ଅନେକ କ୍ଷନ୍ଦେରି କର୍ବେ -ଆମରା କି ତ କିୟେ ଓର୍ ମୁଖ୍ ଖାନା ଦେଖ୍ତେ ଥାକ୍ବୋ ? (ଏକ ବୋତଲ ଖୋଲି ବ୍ରାଣ୍ଡି ଗ୍ଲାସରେ ଢାଳି ପାନକରଣ) ।
ସମସ୍ତେ ।-(ଯେଝା ଇଚ୍ଛାମତେ ଏକ ଦୁଇ ଗ୍ଲାସ ମଦ୍ୟପାନ ଓ କିସ୍ମିସ୍ ଇତ୍ୟାଦି ଚାଟ ଭକ୍ଷଣ) ।
ବଂଶୀ ।- ବଡ଼ା ଆଚ୍ଛା ହୁଆ । ପାର୍ବତୀ ! ତୁଇ ସେ କୋଇ ମଦ ଖେଲିନା ?
କୃଷ୍ଣ ।- ଖାଉଆଅ, ଖଉଆଅ ତାକେ ।
ପାର୍ବ ।- ମୁଁ ଖାଇବି ନାହିଁ ।
ବଂଶୀ ।- ହଁ । ବେଟି ଖାବିନା ?
ସମସ୍ତେ ।- ଦୋ ଦୋ ଏକଗ୍ଲାସ - ଖାଇବ ନାହିଁ ? -ଅବଶ୍ୟ ଖେତେ ହବେ ।
ବଂଶୀ ।- (ଏକ ଗ୍ଲାସ ମଦ ଖୁଆଇ) ଆଉ ଏକଟୁ ଖା । (ଆଉ ଗ୍ଲାସେ ମଦ ପୁରାଇ)
ପାର୍ବ ।- ନାହିଁ - ମୁଁ ଆଉ ଖାଇବି ନାହିଁ ।
ବଂଶୀ ।- (ଗ୍ଲାସ ଦେଖାଇ) ଏଇ ଏକଟୁ - ବେଶୀ ନୟ ?
ପାର୍ବ ।- ନାହିଁ, ମୋତେ ନିଶା ହେଇଯିବ- ମୁଁ ଖାଇବି ନାହିଁ ।
କୃଷ୍ଣ ।- ମୋ ରାଣଟି -ସେଇଟିକିକ ଖାଇଦେ ।
ପାର୍ବ ।- ଏଁ ବାବୁ ! ଏଡ଼େ ବଡ଼ ରାଣଟାଏ ପକେଇଲ- ଅଲେଇ ବଲେଇ ସବୁ ଝାଡ଼ିଝୁଡ଼ି ଯାଉ । -ଦିଅ, କହିଲେଣି ତ - (ହସ୍ତପ୍ରସାରଣ) ।
ବଂଶୀ ।- ନାହିଁ ଆମି ଖୁଆଇ ଦିବେ ।
ପାର୍ବ ।- ମ ଏତେ ସରାଗ ।
ବଂଶୀ ।- ନେ ଖା ଆଗେ -ଆହ୍ଲାଦେ ଆଟଖାନା ହୟେ ଯ ଚ୍ଚେ ।
(ଉଠି ଯାଇ ପାର୍ବତୀ ମୁଖକୁ ଆପଣା ଜଙ୍ଘଉପରକୁ ଓଲଟାଇ ନେଇ ମଦ ପିଆଇ ଦେବାର) ।
ଗଙ୍ଗା ।- କୃଷ୍ଣବାବୁକା ଜୟ ।
ସମସ୍ତେ ।- ଜୟ ଜୟ ! କୃଷ୍ଣବାବୁକା ଜୟ !
ବଂଶୀ ।- ଏସେଇ ଆନନ୍ଦ ଲଗେ ରହେ ।
ନେପଥ୍ୟେ ।- (କବାଟରେ ଆଘାତ-ଧ୍ୱନି) ।
ବଂଶୀ ।- କେ ଓ ?
କୃଷ୍ଣ ।- କୋନ୍ହେ ?
[ପରଶୁର ପ୍ରବେଶ ।
କ୍ୟାହେ ପରଶୁ ?
ସର ।- (ବାଈନିକଟକୁ ଯାଇ ଚୁପକରି) ଇନ୍ସ୍ପେକ୍ଟର ବାବୁ ଆସିଚନ୍ତି ।
ପାର୍ବ ।- କେମ୍ତେ ହବ ?
କୃଷ୍ଣ ।- କୋନ୍ଇନ୍ସ୍ପେକ୍ଟର ? -ଚଲା ଯାଓ ।
ବଂଶୀ ।- ଶାଲା କେ ଇନ୍ସ୍ପେକ୍ଟର ବେ -ବସ୍ଚଲାଯାଓ ।
ସମସ୍ତେ ।- ନିକାଲ୍ଦୋ- ମଉଜକେ ବଖତ୍ ଭଣ୍ଡୁର କରନେ ଆୟେ ।
ପର ।- (ଆହୁରି ଚୁପକରି ପାର୍ବତୀ କାନରେ) ଇନ୍ସ୍ପେକ୍ଟର ଆଉ ଦି ଚାରି ବାବୁ ଆସିଚନ୍ତି ।
ପାର୍ବ ।- (ଟିକିଏ କୃଷ୍ଣଚରଣ ଆଡ଼କୁ ଅନାଇ) ନାହିଁ । ମନା କରି ଦିଅ ବୁଝେଇ ବାବୁ ଅଛନ୍ତି ।
ନେପଥ୍ୟେ ।-(ପୁନର୍ବାର କବାଟରେ ଧକ୍କା ମାରିବା ଶବ୍ଦ) ।
ବଂଶୀ ।- କେ ଓ ଶାଳା ?
କୃଷ୍ଣ ।- ଯାଓ ତୁମ୍ ମନା କରିଦୋ ।
[ପରଶୁର ପ୍ରସ୍ଥାନ ।]
ବଂଶୀ ।- ବେଟା ଇନ୍ସ୍ପେକ୍ଟର ଦେଖାଚ୍ଚେ -କତ ପୁଲିସେର୍ ଇନ୍ସ୍ପେକ୍ଟରକେ ହଜମ୍ କରେ ଦିୟେଚି । କଲ୍କାତା ହତୋ ତୋ ବେଟାକେ ଦେଖିୟେ ଦିତୁମ୍।
କୃଷ୍ଣ ।- ହେଁ ମଜଲିସ୍ ବଂଶୀବାବୁ ଥଣ୍ଡା ହୟେ ଯାଚ୍ଚେ ଯେ ।
ବଂଶୀ ।- ନା, ନା, ଦେତୋ ରେ ଗ୍ଲାସଟା ?
ସମସ୍ତେ ।- (ପୁନର୍ବାର ଥରେ ଦୁଇ ଥର ପୂର୍ବପ୍ରାୟ ମଦ୍ୟପାନ ଓ ଚାଟ ଭକ୍ଷଣ) ଖାସା ବ୍ରାଣ୍ଡି, ଜୟ ରହେ, ହରିବୋଲ !
ବଂଶୀ ।- ହେ କ୍ରିଷ୍ଣବାବୁ, ଏକ୍ ଆଦ୍ଟା ଏସମୟ ଗାନ୍ନା ହଲେ କେମନ୍ ଆମୋଦଟା ପାନ୍ସେ ପାନ୍ସେ ହୟେ ଯାଚ୍ଚେ।
କୃଷ୍ଣ ।- (ଢ଼ଳି ଢ଼ଳି) ତାଇତୋ । ବାଈସାହେବ - ତୁମ୍ ମେରି ବାଈ ସାହେବ ! ଏକ୍ଠୋ ଗୀତ ଫରମାସୀ ଦେଖି ଗାଓନା ।
ବଂଶୀ ।- ଗାଓ ଗାଓ - ଆମି ତାଲି ଦିଚ୍ଚି - ଓରେ ଧରତୋ ଓଦିକେ ସରନ୍ଦା ଆର୍ ତବ୍ଲାଟା ।
ନେପଥ୍ୟେ ।- (ବାଦ୍ୟ)
[ଗୀତ ସମୟେ ବଂଶୀବାବୁ ଥରେ ଦୁଇଥର ତାଳି ମାରୁ ମାରୁ ସମସ୍ତେ କ୍ରମେ କ୍ରମେ ମସ୍ତକ ଭଙ୍ଗି କରି ତାଳରେ ତାଳି ଦେବାର ଓ ମଧ୍ୟେ ମଧ୍ୟେ ‘‘ ବ୍ରାଭୋ’’ ‘‘ବାହାବା ’’ ଶବ୍ଦ କରିବାର ।]
ପାର୍ବ ।- (ଗୀତ)
ରାଗିଣୀ ଶଙ୍କର- ତାଳ ଆଡ଼ଖେମ୍ଟା ।
ସତେ କି ନାଗରବର ଦାସୀକି ମନେ ରଖି’ଛ ।
ଭୁଲି କା ର ନୂଆ ଭାବେ ଦାସୀକି ପାସୋରିଅଛ । ପଦ ।
ଥିଲା ଭାବ ନୂଆ ଯେବେ, କେତେ ଭାବ ଥିଲା ତେବେ,
ଭାବକୁ ଅଭାବ ଏବେ ଦିନୁ ଦିନୁ ଭୁଲୁଅଛ । ୧ ।
ଏ କି ରୀତି ଜୀବଧନ, କିପାଁ ନୁଆ ଅନ୍ୱେଷଣ, -
ପୁରାତନେ ଅଯତନ କେଉଁଠାରୁ ଶିଖିଅଛ । ୧ ।
ବଂଶୀ ।- ବେଢେ ଗାନ୍।- ରୋସ୍ ରୋସ୍ ତୋରା ସବ୍ ଅମନ୍ ଗୋଲ୍ କର୍ବି ତୋ କିଛୁଇ ହବେ ନା - ଗାନ୍ ଏକଟା ଗାଇବେ ଯେ ତାୟ ତୋଦେର ଗଲା ଓକେ ଏକେଇବାରେ ଡ଼ୁବିୟେ ଦିଚ୍ଚେ ।
ଜନୈକ ।- (ସ୍ୱର ଧରି) ଡ଼ୁବିୟେ ଦିଚ୍ଚେ ।
ସମସ୍ତେ ।- (ଗୀତରାଗରେ ତାଳ ଦେଇ) ଡ଼ୁବିୟେ ଦିଚ୍ଚେ, ଡ଼ୁବିୟେ ଦିଚ୍ଚେ, ଡ଼ୁବିୟେ ଦିଚ୍ଚେ, ଦେ ଡ଼ୁବିୟେ ।
କୃଷ୍ଣ ।- ଆରେ କଣ ମଦ ଖାଇବ ନାହିଁ ?
ସମସ୍ତେ ।-(ପୁନର୍ବାର ମଦ୍ୟପାନ ଓ ଚାଟ ଭକ୍ଷଣ) ।
କୃଷ୍ଣ ।- (ଏକଗ୍ଲାସ ଓ ବୋତଲ ଉଠାଇ) ଖାଅ; ଖାଅ - ଗୋଟିଏ ବୋତଲ ଯେମତେ ଖାଲି ନ ରହେ ।
ସମସ୍ତେ ।- (ପୁର୍ବବତ୍ମଦ୍ୟପାନ ଓ ଚାଟଭକ୍ଷଣ) ।
କୃଷ୍ଣ ।- କ୍ୟା ମଉଜ ହେ ।- ବଂଶୀବାବୁ ଆର ଏକଟା ଗାନ୍ ହେଲେ କେମନ୍ ହବେ ?
ବଂଶୀ ।- ଓରେ ବେଶ୍ ହବେ ରେ ବେଶ୍ ହବେ ।
ସମସ୍ତେ ।- (ସ୍ୱର ଧରି) ଓରେ ବେଶ୍ ହବେ ।
ନେପଥ୍ୟେ ।-(ବାଦ୍ୟ)
[ଗୀତ ସମୟେ ସମସ୍ତେ ପ୍ରଥମେ ଟିକିଏ ତୁନି ହୋଇ ମୁଣ୍ଡ ଟୁଙ୍ଗାରୁ ଟୁଙ୍ଗାରୁ ପଛକୁ ପୂର୍ବପ୍ରାୟ ତାଳି ଦେବାର ଓ ଶବ୍ଦକରଣ ଓ ଲମ୍ଫ ଓ ନୃତ୍ୟ ।]
ପାର୍ବ ।- (ଗୀତ)
ରାଗିଣୀ ଅହଂ - ତାଳ ଏକତାଳୀ ।
ପୀରତି ପରମଧନ ଧରାଧାମରେ ।
ମନେ ମନ ମିଶାମିଶି କେତେ ସୁଖ ଦିବାନିଶି
ନାହିଁ ଚିନ୍ତା କିଦୃଶ୍ୟ,
ଦେହେ ଦେହ ସମ୍ମିଳନ ସ୍ୱର୍ଗଭୋଗ ଉପାର୍ଜ୍ଜନ
ତହିଁ ଭାବ କେସନ । -
ବୁଝିବ କେ ସୁଧାରସ ନ ଚାଖିଲେ ଥରେ । ୧ ।
କୃଷ୍ଣ ।- ଏ ଗୀତଟା ବେଶ୍ହେଲା - ବେଶ୍ହେଲା ।
ସମସ୍ତେ ।- (ଗୀତ ସ୍ୱରରେ ତାଳିଦେଇ) ବେଶ୍ହେଲା ବେଶ୍ହେଲା ।
[ଅବଦୁଲ୍ଲା ଓ ଅନ୍ୟ ଏକଜଣ ପଠାଣର ଭୋଜନପତ୍ର ଗୁଡ଼ି । ସଜାଡ଼ି ଆଣି ସମ୍ମୁଖେ ସ୍ଥାପନ ଓ ପଠାଣର ପ୍ରସ୍ଥାନ ।]
କୃଷ୍ଣ ।- (ମଦଭୋଳରେ) ଆସ - ଅବଦୁଲ୍ଲାକା ପ୍ରସାଦ ପାଇବା-
ଗଙ୍ଗା ।- (ତଦୃତ୍) ମହାପ୍ରସାଦ :-
ବଂଶୀ ।- ଆରେ ଜଗନ୍ନାଥେର କପାଲେଓ ଅମନ୍ ମହାପ୍ରସାଦ୍ ଏଜନ୍ମେ ଘଟ୍ବେ ନା ।
ଆରେ ରୋସ୍, ଆଗେ ମଦୁଖା - ସୋଡ଼ା ଉଆ ର୍କୋଇ ?
[ପଠାଣର ସୋଡ଼ାବୋତଲ ଘେନି ପ୍ରବେଶ]
ସମସ୍ତେ ।- (ମଦ୍ୟପାନ ଓ ସୋଡ଼ାସେବନ ପରେ କୃଷ୍ଣବାବୁ ଅଚେତନ ହୋଇ ପତନ) ।
ବଂଶୀ ।- ଏଃ ଏଖନ୍ ଥେକେ ଏମନ ହୟେ ଗେଲ ! ଧର୍ତୋ ଅବଦୁଲ୍ଲା ବାବୁକୁ ଏଇ ଖଟ୍କା ଉପର ଶୁଇଏ ଦେଓୟା ଯାକ୍।
[ଅବଦୁଲ୍ଲା ଓ ବଂଶୀବଦନ ଧରାଧରି କରି କୃଷ୍ଣଚରଣକୁ ଖଟରେ
ଶୁଆଇବା ଓ ଜ ୨ଣ ବାବୁର ଢ଼ଳି ଢ଼ଳି ପ୍ରସ୍ଥାନ ।]
ନେପଥ୍ୟେ ।- (ବମନ ଶବ୍ଦ) ।
ଗଙ୍ଗା ।- ଆରେ - ଟିକିଏ ପାଣି - ଆଣ -ରେ ୟେ ବାନ୍ତି କଲେ (ପତନ) ।
ଅନ୍ୟବାବୁମାନେ ।- (ଭାରୀ ମତୁଆଲା ହୋଇ ବୁଲିବାରେ) ।
ବଂଶୀ ।- ଅବଦୁଲ୍ଲା ! ଗାଡ଼ି ତୟାର ହେ ?
ଅବ ।- ଜି ବାବୁ ସାହେବ - ତୟାର ହେ ।
ବଂଶୀ ।- ଓରେ ଆୟ ସବ୍- ଗାଡ଼ିତେ ଉଠ୍ବି । - ଓରା ଅମ୍ନେ ଯାବେ ନାରେ - ଅବଦୁଲ୍ଲା ତୁଇ ଏ ବୋତଲ୍ଗୁଲୋ ନିୟେ ଆଗେ ଆଗେ ଚଲ୍ତୋ । - ଆରେ ଓ ପାଠାନ ଭାୟା ଏ ବାବୁକୁ ଆସ୍ତେ ଆସ୍ତେ ଉଠିୟେ ଲେ ତୋ ।
[ଅବଦୁଲ୍ଲା ଆଗେ ଆଗେ ଯାଆନ୍ତେ ତତ୍ପଶ୍ଚାତ୍ ସମସ୍ତଙ୍କର ଝୁଲି ୨
ପ୍ରସ୍ଥାନ ଓ ପଠାଣ ଏବଂ ଅନ୍ୟଜଣେ ଗଙ୍ଗାଧରକୁ ଟେକି ନେବାର ।]
ପାର୍ବ ।- ଯାଏଁ - ଶୋଇବି । ମୁଣ୍ଡଟା ସତେ ବୁଲେଇ ଦଉଚି - ବଡ଼ କଡ଼ା ମଦ- (ଉଠ ଉଠ ପତନ) ।
ନେପଥ୍ୟେ ।- ଆରେ ଆରେ !
[ପରଶୁର ପ୍ରବେଶ]
ପର ।- (ପାର୍ବତୀକି ଧରି) ଉଠ, ଉଠ (ହାତଧରି ପାର୍ବତୀକି ଉଠାଇନେଇ ଖଟ ଉପରେ ବସାଇ ଦିଅନ୍ତେ ପାର୍ବତୀର ଅଚେତନ ପ୍ରାୟ ଖଟରେ ପତନ) । ୟେ ଖନା ସବୁତ ମୋର - ବାଃ ବାଃ ! ଅଜଗରକୁ ଦାତା ରାମ ! - ଆରେ ଭାଇ ଆଓନା - ଖନା ଥଣ୍ଡା ହୋ ଯାତା ।
ନେପଥ୍ୟେ ।-ଚଲୋ ଚଲୋ ।
[ଅବଦୁଲ୍ଲା ଓ ପଠାଣର ପ୍ରବେଶ ଏବଂ ପରଶୁସହିତ ଭୋଜନ କରି
ପାତ୍ରାଦି ନେଇ ସମସ୍ତଙ୍କର ପ୍ରସ୍ଥାନ ।]
ନେପଥ୍ୟେ ।- (ଗୀତ)
ରାଗିଣୀ ଗାରାଭୈରବୀ - ତାଳ ଆଡ଼ଖେମଟା ।
ଛି ଛି ଏ ଜୀବନ -ନାଟ ସଂସାର ପବିତ୍ର-ପୁରେ ।
ସରିବ ସକଳ କଥା ଏସନ ନୀଚରୂପରେ । ପଦ ।
ହାତ-ସ୍ୱର୍ଗସୁଖ ଛାଡ଼ି, ,ସନ ନରକେ ପଡ଼ି,
ଅର୍ଜିକେ ପାରଇ ସୁଖ ଦୁଃଖ ତା ଅନତିଦୂରେ । ୧ ।
ସଂସାର-ମାୟାବନ୍ଧନ, ଜ୍ଞାନେ ତା ହୁଏ ଖଣ୍ଡନ,
ଅଜ୍ଞାନପଥେ ମାତିଲେ ବନ୍ଧନେ ପଡ଼ିବ ବଳେ । ୨ ।
କୃଷ୍ଣ ।- (ଖଟରୁ ଉଠିବସି ମତୁଆଲାପ୍ରାୟ) ବଡ଼ ଗମ୍ମତ -ବଂଶୀବାବୁ- ତୁମାକେ- ଆଜକାର ମଜା କେମନ-କେମନ ଲାଗଲ- ବଡ଼ ଗମ୍ମତ୍- ଏମନ ମଜା ଆର କିଏ କରିବ ? - ଗଙ୍ଗାଧର - ତୁ - କୁଆଡ଼େ ଗଲୁ - ଆରେ ଗଙ୍ଗା -ଗଙ୍ଗାଧର ଆଜିର ମଦ ବଡ଼ କଡ଼ା -ମୁଁ ନିଜେ ଆଣିଥିଲି -ବାଛି ଆଣିଥିଲି - ବିଲାତିମଦ - ପେଟ ପବିତ୍ର ହୋଇଗଲା - ଗଙ୍ଗା – ଏ ମଜା ଆମ ବାପ ଅଜାଙ୍କ- କପାଳେ ନାହିଁ - ମୂର୍ଖ- ମରହଟ୍ଟି - ଗଙ୍ଗାଜଳ ପବିତ୍ର - ଦରିଆଜଳ ପବିତ୍ର ୟେ ସାତ ସମୁଦ୍ର -ତେର ଗଙ୍ଗା ପାରିହୋଇ ଆସୁଛି - ୟେ ତେପଟ ପବିତ୍ର ! (ତଳେ ପଡ଼ୁ ପଡ଼ୁ ଖଟକୁ ଧରି ଛିଡ଼ା ହୋଇ ରହି ଯିବାର)- ପାର୍ବତୀ-ପାରରେ - ପାରବତି - ତୁ କଉଠି ଅଛୁ ମ-ମତେ କି ଆଜି କଥା କହିବୁ ନାହିଁ ! -ପାର ଆମର ରୁଷିଛି - ମାନ କରିଛି - କାଲି ବଣିଆ ଡ଼ାକି ସୁନାର ଗହଣା -ବନାରସୀ ଶାଢୀଦେବି ! - ପାର - ପାର୍ବତୀ - ଆ-ମୋ-ଧନ-ମୋ ପ୍ରାଣ-ଉଃ !-ଛାତିଟା କଣ ହେଉଛି-ଆଉ ଟିକିଏ ମଦ-ଅବଦୁଲ୍ଲା -ଦୁଲ୍ଲା- ଦୁଲୁଲ୍ଳା -ଯେରାସା ସରାପ -ଆରେ ଅବଦୁଲ୍ଲା-ଦୋନା ଭାଇ-ଅବଦୁଲ୍ଲା-କେହି ନାହିଁ ? -ସମସ୍ତେ ଚାଲିଗଲେ, ଚାଲିଗଲେ-କଲ୍ ଦେଖେଙ୍ଗେ ! -ବାଈ ଆମର ଭଲ ଲୋକ (ବାଈ ଉପରେ ହାତ ପଡ଼ିଯିବାର)-ଅତି ଥଣ୍ଡା ଲୋକ -ହୀରାଟିଏ-ପାର !-କଥା କହ ଟିକିଏ ମ - ଉଠ ମ-ଟିକିଏ ମଦ ଦେ ମ।- କଥା କହିବୁ ନାହିଁ- କହିବୁ ନାହିଁ - ତୋର ଇନସ୍ପେକ୍ଟର ଅଛି ପରା ? ଶାଲାର ବେଟା ଶାଲା ଇନସ୍ପେକ୍ଟର ।-ହଁ ହଁ -ତାରି ପାଇଁ ଏତେ ଗର୍ବ-ଆଚ୍ଛା !-କଥା କହିବୁ ନାହିଁ ?-( କାନ୍ଥ ନିକଟକୁ ଯାଇ ଝୁଲୁଥିବା ଏକଖଣ୍ଡ ତରବାରି ଧରି) -କଥା କହିବୁ ନାହିଁ-ହେଉ, ଥିବୁ ଏପରି କରିବୁ - ତୋତେ ମାରିବି-ମୁବି ମରିବି- (ତରବାରି ଖୋଲି) ତେବେବି କଥା କହିବୁ ନାହିଁ ? -ଦେଖିବୁ ? ତୋର ଜୀବନ ଗଲା-ଗଲା (ତରବାରିରେ ବେକରେ ଏକ ଚୋଟ ପ୍ରଦାନ) ।
ପାର ।- (ଅଚେତନନାବସ୍ଥାରେ) ଏଁ-
କୃଷ୍ଣ ।- (ତଦ୍ଦତ) ଆଉ ଚୋଟ (ଅନ୍ୟ ଏକଚୋଟ ପ୍ରଦାନ ।)-ବସ୍ମୁଣ୍ଡ ଛିଣ୍ଡି ଗଲା-ଯେସାକୁ ତେସା -ଯା ଇନସ୍ପେପ୍ଟର କତିକି -
ନେପଥ୍ୟେ ।- (ଘୋର କୋଳାହଳ ସ୍ୱରେ) ଏ କଣ -ଏ କଣ ।
[ଦ୍ରୁତବେଗେ ଅବଦୁଲ୍ଲାର ପ୍ରବେଶ ।]
ଅବ ।- ଆରେ ଖୁନ୍ ହୋଚିୟା -ହିଆଁ ସେ ଯଲ୍ଦି ବାବୁକୁ ଲେ ଚଲୋ ।
ଯବନିକା ପତନ ।
ଛି ଛି ଶେଷେ ଏହିଫଳ - କଳଙ୍କୁ କଳଙ୍କେ ପଡ଼,
ପ୍ରଭେଦ କି ରହେ ତେବେ ଜଗତ ଓ ଯମଘରେ । ୩ ।
ଯେ ଜୀବନ ଆଜୀବନ ପାପ-ପଥେ ରଖେ ଧ୍ୟାନ,
ମନୁଷ୍ୟତା ସବୁ ତାର ଏହିରୁପ ଏକାଠୁଳେ । ୪ ।
ଚତୁର୍ଥ ଅଭିନୟ
ପ୍ରଥମ ଦୃଶ୍ୟ - କୃଷ୍ଣଚରଣର ଶୟନାଗାର
[କୃଷ୍ଣଚରଣ ବିଛଣାରେ ଏକାକୀ ଉପବିଷ୍ଟ ଓ ସମ୍ମୁଖେ ବାକ୍ସ ଏକଗୋଟା ଖୋଲା ହୋଇ ସଂସ୍ଥାପିତ ।]
କୃଷ୍ଣ ।- (ସ୍ୱଗତ) ହାୟ । ମୁଁ କି କର୍ମ କଲି ! ଧନ, ଯୌବନ,ପିତା,ମାତା, ସମସ୍ତେ ଗଲା ! ! ସକାଳ ହୋଇଗଲାଣି- ପୁଲିସତ ଏହିକ୍ଷଣି ଆସିବ । ହାୟ ! ହାୟ ! ଆଉଦିନେ ଇନସ୍ପେକ୍ଟରକୁ ବସାଇ କେତେ ମଦ ଖୁଆଇଛି; କାଲି କାହିଁକି ତାକୁ ଗାଳିଦେଇ ଫେରାଇ ଦେଲି ! ହାୟ ! ସବୁ ମୋର କପାଳର ଦୋଷ ! ଯୋଗକୁ ବ୍ରହ୍ମା ଖଟନ୍ତି ନାହିଁ ! ଏତେବେଳେ ଆଉ ଉପାୟ କି ? - ଯାହା କରିବ । ଆହା ଭାର୍ଯ୍ୟାକୁ ଅକାରଣ କାହିଁକି ଦଣ୍ଡ ଦେଇ ଆସିଲି - ଏସବୁ ତାରି ଫଳ ।- ଏହିକ୍ଷଣି ପୁଲିସ ଆସିବ, ଏହିକ୍ଷଣି ସମସ୍ତେ ଜାଣିବେ - ଆଉ ବଞ୍ଚିକରି କି ଲାଭ ? ସରକାରର ଯେତେ ଟଙ୍କା ଖାଇ ଯାଇଛି ତା ବି ଧରା ପଡ଼ିବାର ସୁତ୍ର ଲାଗିଲାଣି - ସେ ଧରା ପଡ଼ିଲେତ ଆଉ ରକ୍ଷା ନାହିଁ । ଏଣେ ବଞ୍ଚିବାର ତ ଭରସା ନାହିଁ - ଏଣେ ବଞ୍ଚିଲେ ବି ତେଣେ ପଡ଼ିବାକୁ ହବ । ମୋ ପକ୍ଷେ ମରଣ ଶ୍ରେୟସ୍କର । - ତେବେ ଆଉ ବିଳମ୍ବ କାହିଁକି ? (ଦୀର୍ଘ ନିଶ୍ୱାସ ତ୍ୟାଗ ପୁର୍ବକ ବାକ୍ଦ ମଧ୍ୟରୁ ଏକ କାଗଜ ପୁଡ଼ିଆ ବାହାର କରି ଖୋଲି ଦେଖିବାର) ଏହି ଶଙ୍ଖୁଆ - (ପୁଡ଼ିଆକୁ ଚୁମ୍ବିବାର) । -ଆହା ଏତେବେଳେକୁ ତୁହି ମୋର ଏକମାତ୍ର ବନ୍ଧୁ- ମୁଁ ଆଉ ସଂସାରରେ କାହାରିକୁ ବନ୍ଧୁ ବୋଲି ଦେଖୁ ନାହିଁ । - ହାୟ! ମୋର କୃତକର୍ମ ମୋତେ ଭୋଗ କରିବାକୁ ପଡ଼ିଲା ! ବେଳକୁ ବାପ, ମା, ଭାର୍ଯ୍ୟାର କଥା ମାନିଥିଲେ କାହିଁକି ଏତେ ସରିକି ହୋଇଥାନ୍ତି । ! ବାପା ! ମା !- ତୁମ୍ଭଙ୍କୁ ଏଇଠି ଦଣ୍ଡବତ (ଦଣ୍ଡବତ କରିଣ)- ମୋତେ ବିଦାୟ ଦିଅ !- ରସମଞ୍ଜରି ! (ଲୋତକ ମୋଚନ) ମୋର ଦୋଷ କ୍ଷମା କରିବ - ମୁଁ ବଡ଼ ଅପରାଧୀ । ତୁମ୍ଭର କପାଳ ! ଆହା ! ଟିକିଏ ହସିଖୁସି ହୋଇ ଭଲା ଘରୁ ଆସିଥାନ୍ତି ! ହାୟ ! କି ଦୁର୍ଯ୍ୟୋଗ ! ରସମଞ୍ଜରି ! ମୁଁ ବଡ଼ କୁସ୍ୱାମୀ । ମୋ କଥା ମନେ ଘେନିବ ନାହିଁ ! ମୁଁ ତୁମ୍ଭଙ୍କୁ ଭଗବାନଙ୍କ ହାତରେ ସମର୍ପି ଗଲି । ( ଲୋତକ ମୋଚନ) -ଆଉ ବିଳମ୍ବ କାହିଁକି ?- (ଚତୁର୍ଦ୍ଦିଗ ନିରୀକ୍ଷଣ କରି) ଆଉ କାହିଁକି ?- ଏ ମାୟା ତ୍ୟାଗ କର । ଭଗବାନ ! ମୋର ପାପର ଦଣ୍ଡ ମୋରି ହାତରେ ହେଲା ! (ଶଙ୍ଖୁଆ ଭକ୍ଷଣ ଓ ଟିକିଏ ପାଣି ପିଇ ବାକ୍ସ ବନ୍ଦ କରି ଅନ୍ୟତ୍ର ରଖିଦେଇ) -ଯା- ଯାହା ହେବାର ଥିଲା ହୋଇଗଲା । (ଶୟନ) ।
[ପୁଲିସ୍ ଇନସ୍ପେକ୍ଟର ଜ୨ଣ କନେଷ୍ଟବଳ,
ପରଶୁ, ଅନାଦି ଓ ଗଙ୍ଗାଧରର ପ୍ରବେଶ ।]
ଇନା ।- ଉଏଲ୍, କାହାଁ ହେ କୃଷ୍ଣଚରଣ ?- ଏ କୋନ୍ଶୁଆ ?
ପର ।- (ରୋଷସଂଯୁକ୍ତ ବିକଳସ୍ୱରେ) ଆଜ୍ଞା ସେହି କୃଷ୍ଣବାବୁ ।
ଇନ ।- ହାଁ ହାଁ ଓ କୃଷ୍ଣଚରଣ ହେ । (ସ୍ୱଗତ) ବେଟା କାଲ୍ରାତେ ଆବାର ଆମାକେ ହାଁକିୟେ ଦିୟେଚେ - ଏଖନ୍ ଦିଚ୍ଚି ମଜାଟା ଦେଖିୟେ । (ପ୍ରକାଶ୍ୟେ) ଉଏଲ୍, କୃଷ୍ଣଚରଣ !
କୃଷ୍ଣ ।- (ଧୀରେ ଉଠିବସି ସ୍ୱଗତ) ହାୟ ! ଏହା ଆଗେ ନ ମଲି କାହିଁକି ?
ଇନ ।- ଉଏଲ୍, ମୁଁ ମେ ଯବାବ ନେହିଁ ?- ୟେ ପରଶୁ ଦାବୀ କରତାହେ, ତୁମ୍ଗୟା ରାତକୁ ପାର୍ବତୀ ବାଈକୁ ଖୁନ୍କିୟା - ଯବାବ ଦୋ- ଖୁନ୍କିୟା ୟା ନେହିଁ !
କୃଷ୍ଣ ।- (ସ୍ୱଗଲ) ଜଗଦୀଶ୍ୱର ! ଆଉ କାହିଁକି କଷ୍ଟ ଦେଉଛନ୍ତି । ରେ ଶଙ୍ଖୁଆ ! ତୋର କି ମୋପ୍ରତି ଲେଶମାତ ଦୟା ନାହିଁ ?
ଇନ ।- କ୍ୟା ହେ ଯବାବ ଦେତା ନେହିଁ ? ଦେଖେ କନେଷ୍ଟବଲ !-ଲଗାଓ ଯୋତି ।
କଅଷ୍ଣ ।- (ସଭୟେ) ହଁ ମୁଁ ମାରିଚି -(ବାନ୍ତି କରିବାର) ।
ଇନ ।- ଆସାମୀ ଏକରାର୍ହେ ।- ଏ କ୍ୟା ? ନିଶା କ୍ୟା ଅବତକ୍ ଛୁଟ୍ତା ନେହିଁ ?
କୃଷ୍ଣ ।- (ପୁନର୍ବାର ବମନ ଓ ବିକଟ ମୁଖଭଙ୍ଗି ଏବଂ ପେଟମର୍ଦ୍ଦନ)
ଜନୈକ କନେଷ୍ଟବଲ ।- ହଜୁର ଓ ମାଲୁମ ହୋତା ହେ କୁଛୁ ଖାୟା ହେ-ଖାଲି ନିଶାକାର ଏସା ମାଲୁମ ନେହିଁ ହୋତା ।
ଇନ ।- ଆଚ୍ଛା ! ତୁମ୍ଦୌଡ଼କେ ଜଲ୍ଦି ଡ଼ାକ୍ତରସାହେବକୁ ଲେଆଓ-ଜଲ୍ଦି ।
[କନେଷ୍ଟେବଲର ପ୍ରସ୍ଥାନ ।]
ଦେଖୋ ଗଙ୍ଗାଧର,ତୁମ୍ବରାବର ଉସ୍କା ସାଥ ରହେତା-ବୋଲୋ ଓ କ୍ୟା ଖାୟା ହେ !
ଗଙ୍ଗା ।- (ସଭୟେ ହାତ ଯୋଡ଼ି) ହଜୁର ହାମ୍ତ କିଛି ଜାନ୍ତା ନାହିଁ -ହାମ୍ତ ଏହିକ୍ଷଣି ଆସିକା ଦେଖେତେ ଏସା ଅବସ୍ଥା ।
ଇନ ।- ଉଏଲ୍ ଅନାଦି, ତୁମ୍ଉସ୍କା ନୌକର୍- ତୁମ୍କୁ ସବ୍ମାଲୁମ୍- ବୋଲୋ ଓ କ୍ୟା ଖାୟା !
ଅନା ।- (ଭୟରେ କୃତାଞ୍ଜଳି ହୋଇ) ହଜୁର ! ମୁଁ କିଛ ଜାଣେ ନାହିଁ ।-ମୁଁ ମୂରୁଖ ।
ଇନ ।- କ୍ୟା ? ମୂରୁଖ । -ମୂରୁଖ ହୋନେସେ କ୍ୟା ନଜର୍କରନେ ନେହିଁ ସକ୍ତା ହେ ?- ତୁମ୍ଲୋକ ସବ୍ଛିପାତା ହେ ! - ଅମୀର ! ୟେ ଦୋନୋକୁ ଚାବୁକ୍ଲଗାଓ ।
[ଅମୀର କନେଷ୍ଟବଲ ଅନାଦି ଓ ଗଙ୍ଗାଧରକୁ
ଚାବୁକରେ ପ୍ରହାର କରଣ ।]
ଅନା ଓ ଗଙ୍ଗା ।- (ସରୋଦନ) ମାଲୋ, ମଲି ଲୋ । ଦୋହାଇ ଇନସ୍ପେକ୍ଟର ସାହେବ-ଆମେ କିଛି ଜାଣୁଁ ନାହିଁ ।
ଇନ ।- ଅମୀର ! ଓ ବାକ୍ସ ଖୋଲୋତୋ ଉସ୍ମେ କ୍ୟା ହେ ଦେଖା ଯାୟେଗ ।
ଅମୀ ।- (ବାକ୍ସ ଦେଖି) ଏଠୋ ବନ୍ଦ ହେ ।
ଇନ ।- ତୋଡ଼ୋ ଉସ୍କୁ ।
ଅମୀ ।- (ବାକ୍ସ ଭାଙ୍ଗି ଦୁଇ ଚାରିଟା ପୁଡ଼ିଆ ବାହାର କରି ଇନସ୍ପେକ୍ଟରକୁ ଦେବାର) ।
ଇନ ।- (ଉତ୍ତମରୂପେ ଦେଖି) ଆରେ ଏତୋ ଶଙ୍ଖୁଆ ହେ । ଏ ଲାକ୍ଲାମ୍ ଶଙ୍ଖୁଆ ଖାୟା ।
କୃଷ୍ଣ ।- (ପୁନର୍ବାର ବମନ ଓ କୁନ୍ଥାଇବାର ଓ ପୂର୍ବବତ୍ ମୁଖଭାଙ୍ଗି ଏବଂ ପେଟମର୍ଦ୍ଦନ କରି) ମାଲୋ ମୁଁ ମରିଗଲି !
[ବୈଷ୍ଣବର ପ୍ରବେଶ]
ବୈଷ୍ଣ ।- (ଲମ୍ବଭାବେ ଇନସ୍ପେକ୍ଟର ପାଦତଳେ ପଡ଼ି) ଦୋହାଇ ଇନ୍ସ୍ପେକ୍ଟର ସାହେବ - ଓ ଆପ୍କା ଲଡ଼୍କା ।
ଇନ ।- ଆରେ କୁଛ ଲାୟା ହେ ନା ଖାଲି ବୋଲତା ।
ବୈଷ୍ଣ ।- (ଉଠି ବସି) ମୁ ଗରିବ ଲୋକ -ଶଏ ଟଙ୍କା ଆଣିଛି ।
ଇନ ।- ଶଏ ରୋପେୟା କ୍ୟା ହୋଗା -ଏକହଜାର ରୋପେୟା ଦେନେ ପଡ଼େଗା । ଏ ସଙ୍ଗୀନ ମୋକଦ୍ଦମା ।
ବୈଷ୍ଣ ।- ଦୋହାଇ ଇନସ୍ପେକ୍ଟର ସାହେବ- ଆଉ କଉଁ ଠୁ ପାଇବି- ଆଉ ପଛକେ ଶଏ ଟଙ୍କା ଧାର କରି ଦେବି -ଏ ଟଙ୍କା ରଖ - ମୋତେ ରକ୍ଷା କର ।
[ପ୍ରଥମ କନେଷ୍ଟବଲର ପ୍ରବେଶ ।]
ଇନ ।- ଉଏଲ- ଡ଼ାକ୍ତର ସାହେବ ଆୟା ? -ଗୁଡ଼୍ମର୍ଣ୍ଣିଙ୍ଗ !
[ଡ଼ାକ୍ତର ସାହେବଙ୍କର ପ୍ରବେଶ]
This man has eaten-this-this-(ଶଙ୍ଖୁଆ ପୁଡ଼ିଆ ସବୁ ଡ଼ାକ୍ତରଙ୍କ ହାତକୁ ଦେବାର) ।
ଡ଼ାକ୍ତ ।- (ପୁଡ଼ିଆ ଦେଖି) Yes-Arsenic-very strong Aresenic (କୃଷ୍ଣର ମୁଖ, ଜିହ୍ୱା ଓ ଓକାଳିଥିବା ପଦାର୍ଥ ଦେଖି)send him at once to the hospital (ଗମନୋଦ୍ୟମ) ।
ବୈଷ୍ଣ ।- (ଗୋଡ଼ତଳେ ପଡ଼ି) ଦୋହାଇ ଡ଼ାକ୍ତର ସାହେବ !-ହଜୁରଙ୍କ କଲମରେ ସବୁ ଅଛି -ମୁଁ ଗରିବ ଲୋକ ଶଏଟି ଟଙ୍କା ଦେବି-ବେଶୀ ଦେଇ ପାରିବି ନାହିଁ ।
ଡ଼ାକ୍ତ ।- ଉଏଲ୍, ଇଧର୍ଆଓ ।
[ଡ଼କ୍ତର ସାହେବ ଓ ବୈଷ୍ଣବର ପ୍ରସ୍ଥାନ ।]
ଇନ ।- ଦେଖୋ - ଇସ୍କୁ ହାମାରା ବଚିମେ ଲେକେ ବୈଠାଓ- ଯଲ୍ଦି ହସପତାଲକୁ ଯାନେ ହେ ଗା ।
କନେଷ୍ଟେବଲମାନେ ।- ଯୋ ହୁକୁମ (କୃଷ୍ଣଚରଣକୁ ଧରାଧରି କରି ନେଇ ଯିବାର) ।
[ବୈଷ୍ଣବଚରଣର ପ୍ରବେଶ ।]
ଇନ ।- ହାମ ଏକ ହଜାରସେ କମ ନେହି ଲେଗା !- ଡ଼ାକ୍ତର ସାହେବକୁ କ୍ୟା ଦିୟା ?
ବୈଷ୍ଣ ।- ସେହି ଶଏ ଟଙ୍କା- ହଉ ମୁଁ ଆପଣଙ୍କୁ ପାଞ୍ଚଶ ଦେବି - ମୋ ପୁଅକୁ ରକ୍ଷା କରନ୍ତୁ । (ଇନସ୍ପେକଟରକୁ ଶଏ ଟଙ୍କା ପ୍ରଦାନ) ।
ଇନ ।- (ଟଙ୍କା ନେଇ) ହାମ୍ ବୋଲଦେତା- ଏକ ହଜାରସେ ଏକ ରୁପେୟା କମ ହୋନେସେ ତୁମାର ଆଚ୍ଛା ନେଇ ହୋଗା-ବାକୀ ରୁପେୟା କଲ୍ଲେ ଆଓ ।
[ଇନସ୍ପେକଟରର ପ୍ରସ୍ଥାନ ।]
ବୈଷ୍ଣ ।- କି ମୂର୍ଖାନ୍ତ କାମ କଲା- ମୋର ତା ଘରଦ୍ୱାର ବିକିଲେ ଏତେ ଟଙ୍କା ହେବ ନାହିଁ ! (ମୁଣ୍ଡ କୋଡ଼ି ହେବାର) ।
ପଟକ୍ଷେପଣ ।
[ପୂର୍ଣ୍ଣ ମିଶଲ; ଜଜ ସାହେବ ନିବିଷ୍ଟମନେ କାଗଜପତ୍ର ଦେଖି ରାୟ ଲେଖିବାରେ ନିଯୁକ୍ତ; ବାମପାର୍ଶ୍ୱରେ ପେସକାର ଉପବିଷ୍ଟ ଓ ସମ୍ମୁଖେ ନଥି ସଂସ୍ଥାପିତ, ପେସ୍କାର ପଶ୍ଚାଭାକରେ ଜ ୨ ଣ ଚାପରାସୀ ଦଣ୍ଡାୟମାନ, ମିଶଲର ଏକପାର୍ଶ୍ୱରେ ଆସାମୀ କୃଷ୍ଣଚରଣ ଓ ତତ୍ପାର୍ଶ୍ୱେ ଜଣେ କନେଷ୍ଟବଲ ଦଣ୍ଡାୟମାନ, ସାହେବଙ୍କ ସମ୍ଭୁଖରେ ଜଣେ ଓକିଲ ଓ ହେଡ଼୍କନେଷ୍ଟବଲ ଚୌକୀରେ ଉପବିଷ୍ଟ ଓ ମିସଲ ତଳେ ଲୋକାରଣ୍ୟ ଏବଂ ତନ୍ମଧ୍ୟେ ବଂଶୀବଦନ, ଗଙ୍ଗାଧର ଓ ବୈଷ୍ଣବଚରଣ ପ୍ରଭୃତି ଉପସ୍ଥିତ]
ଜନୈକ ଚପରାସୀ ।- (ମିସଲ ଆଗକୁ ଆସି ଉଚ୍ଚସ୍ୱରେ) ଚୋପ୍ ଚାପ୍। (ଫେରିଯାଇ ସ୍ୱସ୍ଥାନେ ଦଣ୍ଡାୟମାନ) ।
କୃଷ୍ଣ ।- (କନେଷ୍ଟେବଲକୁ ଧୀରୀସ୍ୱରେ) ଗୋଡ଼ ଦି ଟା ବଡ଼ ଘୋଳେଇ ହଉଚି-ଟିକିଏ ବସନ୍ତି ?
କନେ ।- (ତେଜ ହୋଇ) ନେହିଁ- ହିଁ ଆ ବୈଠନେକା ହୁକୁମ ନେହିଁ-ୟେ ବୈଠକଖାନା ୟା ଆୟେସକା ଜଗା ନେହି ହେ ।
କୃଷ୍ଣ ।- (ସ୍ୱଗତ) ମରିବାପାଇଁ ଏତେ ଯତ୍ନକରି ଯେତେବେଳେ ମରି ପାରି ନାହିଁ ମୋ କପାଳେ ବହୁତ ହୀନ’ସ୍ଥା ଅଛି!-ଭଗବାନ ! ତୁମ୍ଭେ ଭରଷା !
ଗଙ୍ଗା ।- (ସ୍ୱଗତ) ମୋର କଥା ସରିଲା । କୃଷ୍ଣଟି ଥିଲାବେଳେ ଚାରିପଇସା ମିଳୁଥଲା-ସେ ଗଲେ ଆଉ କିଏ ଦେବ ?
ବଂଶୀ ।- ହାଁରେ ଗଙ୍ଗାଧର ! କେମନ ହୟେଚେ ? ଯେମନ୍କାଜ୍। ଆମି ତଖନ୍ ହୋତେ ବାର୍ ବାର୍ ବଲ୍ଚି ଏତ ମଦ ଖାସିନ୍, ଏତ ମଦ ଖାସ୍ନି, ଓ କି ମାନ୍ବାର୍ ଛେଲେ ! ଏଖନ୍ ଯେମନ୍ କାଜ ତେମନି ଫଲ ।
ଗଙ୍ଗା ।- ମୋ ସଙ୍ଗରେ କଥା କହ ନା ବଂଶୀବାବୁ ! ମୋର ମନଟା କେମନ ହୋଇ ଯାଉଛି ।
ବଂଶୀ ।- (ସ୍ୱଗତ) ଏ ବେଟାରଓ ବେଶ ହୟେଚେ- ବେଟା ମୁ ସୁଦ୍ଦି ହୟେଛିଲି ।-ଏଖନ୍ ଚାବୁକ୍ ଖେୟେ ବେଟାର ଏକଟୁ ବୁଦ୍ଧି ହୟେଚେ । (ପ୍ରକାଶ୍ୟେ) ଗଙ୍ଗାଧର ! ତୋତେ ଯେ ଇନିସ୍ପେକଟର ସେଦିନ ଚାବୁକେ ମାର୍ଲେ ତୁଇ ନାଲିସ କର୍ଲିନେ ?
ଗଙ୍ଗା ।- ବଂଶୀବାବୁ ! ତୁମେ କେନ ମୋ ସାଙ୍ଗରେ ଲାଗିୟେଚ ? (ଅନ୍ୟତ୍ର ଗମନ) ।
ଚପ ।- (ପୂର୍ବପ୍ରାୟ) ଚୋପ୍ ଚୋପ୍।
ବୈଷ୍ଣ । - (ସ୍ୱଗତ) ମୋତେତ କିଛି ଭଲ ଦିଶୁ ନାହିଁ- ସତେ ଠାକୁରେ ଜଜସାହେବଙ୍କ କଣ୍ଠରେ ବସିବେ -ମୋର ପୁଅ ଖଲାସ ହେବ ? ଯେତେ ଓକିଲକତିକି ଗଲି ସମସ୍ତେ ବେଶି ବେଶି ଟଙ୍କା ଖୋଜିଲେ- ମୁଁ ଏବେ ଦିନ ପଚାଶଟଙ୍କା କୁଆଡ଼ୁ ଆଣିବି ? ସେ ମହାଜନ ବେଚାରାଟି ତେବକି କେତୋଟି ଟଙ୍କା ଦେଲା ବୋଲି ଡ଼ାକ୍ତର ଆଉ ଇନସ୍ପେକ୍ଟରକୁ ବୋଧ କରିଦେଲି । ଇନ୍ସପେକ୍ଟରଟା ବଡ଼ ବାହାପିଆ- ଟଙ୍କା ନେଇକରିବି କିଛି କଲା ନାହିଁ - ଗୋଟାଏ ଓକିଲ ଛିଡ଼ା କରିଥିଲେ ଯାହା ହୋଇଥାନ୍ତା- କଅଣ କରିବି-ମୋର କପାଳ !
ଜଜ ।- (ରାୟ ଲେଖିସାରି) ଦଫତରି-
[ଦପ୍ତରିର ପ୍ରବେଶ ।]
(ଦପ୍ତରି ହାତକୁ ରାୟକାଗଜ ବଢାଇଦେବାର ଓ କଲମ କାମୁଡ଼ି ଭାବିବାର ।)
ଦପ୍ତ ।- (ରାୟକାଗଜ ଛୁଞ୍ଚି ଓ ସୁତାରେ ଗୁନ୍ଥି ଜଜ ସାହେବଙ୍କ ସମ୍ମୁଖରେ ସ୍ଥାପନ) ।
ଜଜ ।- (ଟିକିଏ ଭାବି ଦସ୍ତଖତ କରି ତାରିଖ ଦେଇ) ଫାଶୀ । (ରାୟ ଓ କାଗଜପତ୍ରାଦି ପେସକାର ଆଡ଼କୁ ବଢାଇଦେବାର)
ପେସକାର ।-(କାଗଜାଦି ନେଇ) କୃଷ୍ଣଚରଣ !-
[କନେଷ୍ଟବଲ ଓ କୃଷ୍ଣଚରଣ ପେସ୍କାରଆଡ଼କୁ
ଟିକିଏ ଅଗ୍ରମର ହୋଇଯାଇ ଦଣ୍ଡାୟମାନ ।]
ତୁମକୁ ପାର୍ବତୀ ବାଈକୁ ଇଚ୍ଛାପୂର୍ବକ ପ୍ରାଣରେ ମାରିପକାଇଥିବା ଅପରାଧରେ ଫାଶିର ହୁକୁମ ହେଲା ।
କୃଷ୍ଣ ।- (ହୁକୁମଶୁଣି କାଷ୍ଠବତ୍ ହୋଇଯିବା) ।
କନେ ।- (କୃଷ୍ଣଚରଣର ବାହୁ ଧରି) ଚଲୋ । (କୃଷ୍ଣଚରଣକୁ ନେଇ ଯିବା) ।
ଲୋକେ ।- (ଗୋଳମାଳ କରି ଉଠିବା ।)
ଚପ୍।- (ଅଗ୍ରସର ହୋଇ ଉଚ୍ଚୈଃସ୍ୱରେ) ଯାଓ -ଯାଓ ସବ୍- ଗୋଲମାଲ ମତ୍କରୋ-ଯାଓ ।
ବୈଷ୍ଣ ।- (ଉଚ୍ଚସ୍ୱରେ) ମୋ କୃଷ୍ଣରେ - (ଅଚେତନ ହୋଇ ଭୁତଳେ ପତନ) ।
ପେସ ।- (ଉଠି) ଦେଖୋ -ଚପ୍ରାସୀ ? କ୍ୟା ହୁଆ ?
ଯବନିକା ପତନ ।
ରାଗିଣୀ ପିଲୁ-ତାଳ ଖେମ୍ଟା ।
ଏହି ରେ ଚରମ ଫଳ ଚରମ ସଜା ।
ମଜା ବୋଲି ମଜୁଥିଲୁ ଏହି ସେ ମଜା । ପଦ ।
ଘର, ଦ୍ୱାର, ଧନ, ପ୍ରାଣ, ପିତା,ମାତା, ବନ୍ଧୁଜନ,
ଆଉ ସେ ପ୍ରିୟତମା ପ୍ରାଣସମ ଚରମେ ହଜା । ୧ ।
ଯାତେ ମନ୍ଦ ମନସାଧ, ବିହି ତେତେ କଲା ବାଦ,
ଏବେ ଅବିରତ ଅପବାଦ-ନାଗରା ବଜା ।୨ ।
ମନ କଲେ କେଉଁ କାଳେ, ପାପୀ କିରେ ମରିପାରେ,
ତାର ପ୍ରତିଫଳ ନିଶ୍ଚେ ଯେବେ ସୁବୁଦ୍ଧି ହଜା । । ୩ ।
[ରସମଞ୍ଜରୀ ଶଯ୍ୟୋପରି ଶୟାନା; ପାର୍ଶ୍ୱେ ଯମୁନା ଓ ହରିଦାସୀ ଉପବିଷ୍ଟା ]
ହରି ।- ଆଜିକାଲି ସଂସାରର ଏହି ରୀତି । -ମା ବାପକୁ ମାନୁ ନାହାନ୍ତି ! - ବୋହୁଟା ସଢିଗଲାଣି ।
ଯମୁ ।- (ବିଳମ୍ବରେ) ମାତା ! ବେଲର କି ଆଉ ଅବସ୍ଥା ଅଛି ? ସେ କି ଏଥର ବଞ୍ଚିବ ? ମାଡ଼ ଖାଇ ତା ଦିହ ଯେପରି ହୋଇଥିଲା ଦେଖିଥିଲ-ଆହା ! ଏକ ସୁକୁମାରୀ, ତହିଁରେ ପୁଣି ସେ ମାଡ଼- ତା ଉପରେ ମାତା ! ସେ ହାଜତକୁ ଯିବାର ଶୁଣିଲା ଦିନରୁ ଜର -ତାତି- କେତେବେଳେ ଚେତନା ଅଛିତ କେତେବେଳେ ନାହିଁ ।
ହରି ।- (ଚୁ ଚୁ କାର କରି) ଆହା !
ଯମୁ ।- ଏଣିକି ଖାଇବା ପିଇବାରତ କଷ୍ଟ ପଡ଼ିବ । ସେଇତ ରୋଜଗାର କରୁଥିଲା - ଯାହା କରୁ ଗୋଟାଏ ଭରସା ଥିଲା । ଆଉ କଣ ସେ ଖଲାସ ହବ ?- (ଦାର୍ଘନିଃଶ୍ୱାସ ତ୍ୟାଗକରି) ଆଜିକାଲି ଅନେକ ଲୋକ ନିଶା ଖାଇ ଦାରୀ ରଖୁଚିନି -ଆପଣା ଓଜନରେ ଥିଲେ ହବ ନା ।
ହରି ।- (ଦୀର୍ଘ ନିଃଶ୍ୱାସ ତ୍ୟାଗ କରି) ସେଭଳି ଲୋକ କି ଓଜନରେ ରହିପାରନ୍ତି ?
ଯମୁ ।- ସେ ତ ଏପରି ଆଉ ୟାକୁ ଦେଖ କେତେ ଘାଣ୍ଟି ହଉଚି ! ସଦାବେଳେ ଜର -କଥା କହିବାକୁ ବଳ ପାଉନାହିଁ । (କାନ୍ଦିଲାପ୍ରାୟ) ଏ କଣ ବଞ୍ଚିବ ? ମୋତେତ ୟା କେବେ ପରତେ ହଉନାହିଁ ! (ଲୁହ ପୋଛି) ମାତା ! ବେଲ ସାଙ୍ଗେ ମୁଁବି ସରିଗଲିଣି - ବେଲ ମୋର ଗଲେ, ମାତା ! ମୁଁବି ବେଲ ସାଙ୍ଗେ ସାଙ୍ଗେ ଯିବି ।
ହରି ।- ଛି ଯମୁନି ! ତୁ ଏମତେ ହଉଚୁ କାହାକୁ କହିବି ।
ରସ ।- (ଧୀରସ୍ୱରେ) ମା !- ମା !
ଯମୁ ।- ବେଲ ! ମା ଏଠି କାହାନ୍ତି ?
ରସ ।- ମା-ନାହିଁ -ମୋ ମା (ଲୋତକ ବହିବାର) -
ଯମୁ ।- (ଲୁହ ପୋଛିଦେଇ ବିକଳରେ) ବେଲ ! ଛି କାନ୍ଦୁଚ କାହିଁକି ?
ହରି ।- (ବିକଳସ୍ୱରେ) ବୋହୁ, ଥୟ ହୁଅ । ଏମନ୍ତ ହେଲେ କଣ ହବ !
ରସ ।- ମୋ -ଜୀବନ-ଯାଉ-ନାଇ ।
ହରି ।- (କାନ୍ଦିଲା ପ୍ରାୟ) ମାତା ! ଏହି ଦଦରା ନାବ ଘେନି ମୋ ଜୀବନ-ଯେବେ ଏନାହା ବୁଡ଼ିବ ମୁଁ ବି ସାଙ୍ଗେ ସାଙ୍ଗେ ବୁଡ଼ିଯିବି ! (କ୍ରନ୍ଦନ) ।
ହରି ।- ଛି ଯମୁନି । ସେମେତେ ବାୟାଣୀପରି କାହିଁକି ହଉଚୁ (ଚୁ ଚୁ କାର କରି ଗୀତ) ।
ରାଗିଣୀ ଶଙ୍କରା -ତାଳ ଆଡ଼ାଠୋକା ।
କିସ ପାଇ ବଞ୍ଚିବରେ ଲତା ବିନା ବାରି ଆହା ।
ସୁକୁମାରୀ ପ୍ରେମଲତା ଜୀବେ ଯିବ ଘାରି ଆହା । ପଦ ।
ରମଣୀ ପ୍ରମ ଲତିକା ସୁଆଗ-ବନ-ଜୀବିକା,
ପୁରୁଷ ଆଦିର ବିନା କାହୁଁ ହେବ ପାରି ଆହା । ୧ ।
ରସ ।- ମାତା ! ତୁମ ଜୀବନ ସାର୍ଥ ।
ହରି ।- ଆହା ! ମୋ ଜୀବନ ତୁମ ସୁଖରେ ସିନା ସାର୍ଥକ- ତୁମେତ ଏମତେ ଅଥୟ ହଉଚ -
ରସ ।- ଅଥୟ-ମୋ ଆଶା ଛାଡ଼ ।
ହରି ।- ଛି ବୋହୁ ! ସେମେତି କାହିଁକି କହୁଚ !
ଯମୁ ।- (ଦୀର୍ଘ ନିଶ୍ୱାସ ତ୍ୟାଗ କରି) ମାତା ! ସେହିପରି ଟିକିଏ ଗୀତ ଗାଅ- ତୁମ ଗୀତ ଶୁଣି ବେଲ ଟିକିଏ ନିଶ୍ୱାସ ମାଇଲା ।
ହରି ।- କଅଣ ଗାଇବି ଯମୁନି ! ମୋ ମନ ଖାଲି ଘାଣ୍ଟି ହେଇ ଯାଉଚି ! (ଗୀତ)
ରାଗିଣୀ ବସନ୍ତ-ତାଳ ଆଡ଼ାଠେକା ।
ବଢାଇଥିଲି ପାଦପ ସାଧ ଶରଧାରେ କେତେ ।
ସମୂଳେ ଶୁଖି ସେ ଗଲା ଆଶା ଥିଲା ଯେତେ । ପଦ ।
ଯେ ଦିନ ରୋପଣ କଲି, ହାତେ ଆଣି ଲଗାଇଲି,
କିରେ ବିଧି ବିଡ଼ମ୍ବନା ଆଶାକୁ ନିରାଶା ଏତେ । ୧ ।
ରସ ।- ମୁଁ -କଣ-ଦେବି - ଦେବି ମାତା ! - ମୋ -ଜୀବନ ତୁମକୁ ଦେଲି ।
ହରି ।- ମୋର ସେଇୟା ଢେର !
ଯମୁ ।- ବେଲ ! ଜୀବନଟା ଯେ ତାଙ୍କୁ ଦେଲ - ଥୟ ହେଲେ ହବ ନା - ଅଥୟ ଜୀବନ ନେଇ ସେ କଣ କରିବେ ?
ରସ ।- ମୁଁ -ଥୟ -ମଲେ -ମା ! -
[କନକଲତାର ପ୍ରବେଶ ।]
କନ ।- (ରସମଞ୍ଜରୀ ପାର୍ଶ୍ୱରେ ବସି) ମାତା ! ବୋହୁର ଅବସ୍ଥା ଦେଖୁଚ -ମୁଁ ଏବେ ଚାରିଆଡ଼ୁ ହଟହଟା ହେଲି ।
ହରି ।- ତୁମେ ଏତେ ଭାବୁଚ କାହିଁକି -ସଦରରୁ ଭଳବାର୍ତ୍ତା ଆସିବ -ଟିକିଏ ଥୟ ହୁଅ ।
କନ ।- ମାତା ! ମୁଁ ସରିଗଲିଣି । (କାନ୍ଦୁ କାନ୍ଦୁ) ମୁଁ ଆଜି ସ୍ୱପ୍ନ ଦେଖିଲି ମୋ ଦୁଃଖିଧନକୁ ଫାଶିର ହୁକୁମ ହେଇଚି ।
ହରି ।- (ଜିହ୍ୱା ଦଂଶନ କରି) ଆହା ! ସ୍ୱପନ କଥାକୁ ସତ ମଣିଚ ? -ଛି ! କାନ୍ଦ ନାହିଁ ।
କନ ।- ଆଉ କାନ୍ଦିଲେ କଣ ହବ -ପରଘରୁ ଝିଅଟିଏ ଆଣି ଘାଣ୍ଟି ହେଲି -ମୋ କପାଳ (କ୍ରନ୍ଦନ) ।
[ଅନାଦିର ପ୍ରବେଶ ।]
ଯମୁ ।- ହେଇ ଅନାଦି ଅଇଲାଣି -କିରେ ଖବର କଣ ?
ଅନା ।- (କ୍ରନ୍ଦନ)
କନ ।- କିରେ କାନ୍ଦୁଚୁ କାହିଁକି - (କ୍ରନ୍ଦନସ୍ୱରେ)କହରେ ମଥୁରା-ବାର୍ତ୍ତା ।
ରସ ।- (ଉଚ୍ଚ ଦୀର୍ଘନିଶ୍ୱାସ ତ୍ୟାଗ କରି) ମା !
ଅନା ।- (କାନ୍ଦୁ କାନ୍ଦୁ) ସାନ ସାଆନ୍ତଙ୍କୁ ଫାଶିର ହୁକୁମ ହେଲା- ଆଠଦିନ ଗଲେ ଫାଶୀ ପାଇବେ । (ଉଚ୍ଚସ୍ୱରେ କ୍ରନ୍ଦନ।)
କନ ।- କିରେ କଅଣ କରୁଚୁ (ଅଚେତନ ହୋଇ ଢଳି ପଡ଼ିବାର) ।
ରସ ।- ମାଆ !-(ମୁଣ୍ଡକୁ ହାତ ଉଠାଉ ଉଠାଉ ହାତ ତଳେ ପଡ଼ିଯିବାର) ।
ହରି ।- (କ୍ରନ୍ଦନସ୍ୱରେ) ମଥୁରାବାର୍ତ୍ତା ଅଇଲା- ବଞ୍ଚୁ ବଞ୍ଚୁ ରାଧାମଲା । !
ଯମୁ ।- (ଉଚ୍ଚ କ୍ରନ୍ଦନସ୍ୱରେ) ଅନାଦି ! ପାଣି ଆଣ ରେ -ଅନାଦି ! (କ୍ରନ୍ଦନ) ।
[ଅନାଦିର ଦ୍ରୁତରଙ୍ଗଭୁମିରୁ ପ୍ରସ୍ଥାନ ।]
ରାମପ୍ରସାଦୀସ୍ୱର । ତାଳ ଏକତାଳୀ ।
ଚାଲ ମନ ଭବ ଛାଡ଼ି ।
ଛାଡ଼ି ଚାଲ ରେ ନରକପୁରୀ । ପଦ ।
ଥିଲେ ଲୋକେ ପୁରାକାଳେ, ଧର୍ମପଥେ ସୁବିଚାରେ,
ଏବେ ଅଧର୍ମରୂପୀ ଦାନବ ଦେଲାଣି ରେ ଭବ ସାରି । ୧ ।
ମୋକ୍ଷେ ଯଦି ଅଛି ଆଶ, ଭବେ ନ କର ରେ ବାସ,
ଡ଼ାକ ବିଜନବନକୁ ଯାଇ ଦୀନବନ୍ଧୁ ହରି ହରି । ୨ ।
ଘୋର ହେଲା କଳିକାଳ, ନାଶଯିବ ଏ ସଂସାର,
ଜିଣିଯିବୁ ତୁହି କଳିକାଳ ଭକ୍ତି-ଯୋଗେ ଦିନ ସାରି । ୩ ।