ଗୀତିନାଟ୍ୟ କର୍ଣ୍ଣବଧ

ଗଣକବି ବୈଷ୍ଣବ ପାଣି

 

(ନଟୀ ଗୀତ ଗାଇ ଗାଇ ପ୍ରବେଶ)

(ନମସ୍ତେ କରାଳରୂପୀ - ବୃତ୍ତେ)

ଜୟ ଯାମଳାଭଞ୍ଜନ ନୀଳ ନଳିନାକ୍ଷ ।

କଳପବଟ ପୁଟିଆ ନୋହିବ ବିପକ୍ଷ ।। ପଦ ।।

ଅଳପ କଲେ କରୁଣା      ପୂରିବ ଏ କଳପଣା

ଜଳପତି-ଜେମା ବନ୍ଧୁ ହେବ ସାହାପକ୍ଷ ।

ହିରଣାକ୍ଷ୍ୟ ରକ୍ଷପତି       ବକ୍ଷ ଦାରଣ ଶ୍ରୀପତି

କଳପି କଳପି ପାପୀଗଣେ କରୁ ମୋକ୍ଷ ।

ସତ୍ୟ ଶାନ୍ତି ଦୟା କ୍ଷମା      ଏମନ୍ତ ତବ ମହିମା

ସେହି ଗୁଣେ ବଶ ସଦା ସୁର ନର ଯକ୍ଷ ।

କୃପା କଲେ ଭାରହାରି      ନିକୁଞ୍ଜ କୁଞ୍ଜବିହାରୀ

ଲେଖିବ ଭାରତ ବଇଷ୍ଣବେ ହେବ ସାକ୍ଷ ।

 

ନଟ-(ପ୍ରବେଶି)      ମହିଳା ମୁକୁଟ ହୀରା ନଟୀ ଶିରୋମଣି !

ଧାଇଁଛି ମୁଁ ତୁମ୍ଭ ବିରଚିତ ଭକ୍ତିରସ କବିତାଟି

ପଡ଼ନ୍ତେ ଶ୍ରବଣେ ପ୍ରାର୍ଥନା କରିଲି ନାରାୟଣେ

ଦେଖାଇବ ଭାରତର ଚରିତ

କେଉଁ ଭାବେ ଏ ସଭାରେ

ଗୋ ଶର୍ବରୀମୁଖୀ ! ସେ ବିଷୟ କେବଣ ପର୍ବର ଅନ୍ତର୍ଗତ ?

 

ନଟୀ-      ନଟବର ! ବୃଥା କିମ୍ପା ଛଳ ଲଳନାରେ ?

ତୁମ୍ଭେ ମୋର ଅଟ ବୁଦ୍ଧିବଳ

ତୁମ୍ଭରି ସାହାଯ୍ୟେ ବହୁବାର କାର୍ଯ୍ୟକ୍ଷେତ୍ରେ

ହୋଇଛି ଉତ୍ତୀର୍ଣ୍ଣ ଏହି ଦାସୀ

ଆଜି ସେଥିଯୋଗେ ହୋଇଣ ସାହସୀ

ଦେଖାଇବି ରଙ୍ଗସ୍ଥଳେ କର୍ଣ୍ଣପର୍ବ ଗୀତିନାଟ୍ୟ ଖଣ୍ଡ ।

 

ନଟ-      ପ୍ରିୟେ ! କେ କହଇ ଦୁର୍ବଳା ଅବଳା ଏ ଜଗତେ ?

କିନ୍ତୁ ମୁହିଁ ଜାଣେ ଯେତେଦୂର

ଅବଳାର ଧୈର୍ଯ୍ୟବଳ କାର୍ଯ୍ୟକ୍ଷେତ୍ରେ କରିଲେ ପରୀକ୍ଷା

ଦେଖାଯାଏ ନାହିଁ ଶତାଂଶରୁ ଅଂଶେ ତା’ର ପୁରୁଷଙ୍କଠାରେ ।

 

ନଟୀ-      ନଟ ଶିରୋମଣି !

ମୋର ମନୋଗତ ଭାବ ତୁମ୍ଭେ ପାରିଅଛ ଜାଣି

ଚଳ ଶୀଘ୍ର ଅଭିନେତୃଗଣେ କରି ସୁସଜ୍ଜିତ

ଉଭା ହେବା ରଙ୍ଗଭୂମିପରେ ।      

(ଉଭୟେ ପ୍ରସ୍ଥାନ)

ପ୍ରଥମ ଅଙ୍କ

[ପ୍ରଥମ ଦୃଶ୍ୟ]

(କୁରୁକ୍ଷେତ୍ର ଶିବିର)

[କର୍ଣ୍ଣ, ଶକୁନି ସହ ରାଜା ଦୁର୍ଯ୍ୟୋଧନର ପ୍ରବେଶ]

ଦୁର୍ଯ୍ୟୋଧନ- ହେ ମାମୁ ଶକୁନି ! ସଖା କର୍ଣ୍ଣ !

ବୁଦ୍ଧି ଶୂନ୍ୟ ଘଟିଲାଣି ଏଣିକି ମୋହରି

ଦଶଦିନ ଯୁଦ୍ଧେ ଭୀଷ୍ମ କଲେ ଶରଶଯ୍ୟା

ତ୍ରେତାରୁ ଦ୍ୱାପର ଯାଏ ବଞ୍ଚିଥିଲେ ଯେଉଁ ଦ୍ରୋଣଗୁରୁ

ଯାହାଙ୍କର କାର୍ମୁକ ଟଙ୍କାର ନାଦେ

ଶଙ୍କିତ ସହସା ଦେବଗଣ, କମ୍ପିଉଠେ ସସାଗରା ଧରା

ଯେପରି ବୀର ଶାର୍ଦୂଳ ପର୍ଶୁରାମ ଶିଷ୍ୟ

ନାଶ ହେଲେ ପାଞ୍ଚଦିନ ଭାରତ ସମରେ

ଅଷ୍ଟାଦଶ ଦିନ ମଧ୍ୟୁଁ ପନ୍ଦର ଦିବସେ

ତେଜି ଗଲେ ମତେ ମହାରଥୀ ଭୀଷ୍ମ ଦ୍ରୋଣ

ବାକି ତିନିଦିନ ଯୁଦ୍ଧ ଚଳାଇବି କାହା ବାହୁବଳେ ସଖା

ତୁମ୍ଭ ବିନୁ ଏ ସ୍ଥଳେ ଭରସା ମୋର ନାହିଁ ଆନ ଜାଣ

ଏହିକ୍ଷଣି ସେନାପତି ପଦେ ଶାଢ଼ି କରନ୍ତୁ ଗ୍ରହଣ ।

 

କର୍ଣ୍ଣ-      ସଖା ଦୁର୍ଯ୍ୟୋଧନ !

ଅପାର ବିଳମ୍ବେ ତୁମ୍ଭେ ହେଲ ସଚେତନ ।

ମହାବୀର କର୍ଣ୍ଣର କ୍ଷମତା

ଜାଣି ମଧ୍ୟ ଅଜ୍ଞତା ପଣରେ

ଆଶ୍ରା କଲ ଦୁଇଟି ବୃଦ୍ଧଙ୍କୁ

ବୃଦ୍ଧ ଭୀଷ୍ମ, ବୃଦ୍ଧ ଦ୍ରୋଣ ଶ୍ଳଥଚର୍ମ

ପୁଣି ପକ୍ୱ କେଶ, ଦିବାନିଶି ପାଞ୍ଚୁଥାନ୍ତି

ପାଣ୍ଡବ କୁଶଳ ।

ନ ବୁଝି ନ ଭାବି ତୁମ୍ଭେ ହଇରାଣ ବୁଦ୍ଧି

ତାଙ୍କୁ କଲ ଥାଟେ ସେନାପତି,

ବୃଥାଗଲା ପନ୍ଦରଟି ଦିନ ।

 

ଶକୁନି –      ଭଣଜା ! ମୁଁ ପରା ଆଗରୁ ଜାଣେ ସେ ବୁଢ଼ା ଯୋଡ଼ାଙ୍କୁ ବିଶ୍ୱାସ ନାହିଁ । ସେ ପରା ପୁରୁଣା ପୋକଖିଆ ଡାଳ, ଶୁଖି ଲାଖିଥିଲେ, ଟିକିଏ ପବନ ଦେବାରୁ ମଡ଼ ମଡ଼ ହୋଇ ଭାଙ୍ଗି ପଡ଼ିଲେ । ଆଉ ଗୋଟିଏ କଥା ମୁଁ ଆଖିରେ ଦେଖିଛି, ଶୁଣ ।

 

 

 

 

(ଗୀତ)

[ନିଅ ନିଅ ସୁତକୁ ତୁମ୍ଭର ହେ- ବୃତ୍ତେ]

ଦିନେ ଦେଖିଛି ଏ ଦୁଇ ଆଖିରେ କୁରୁନାଥ ।। ପଦ ।।

ରଣର ପ୍ରଥମ ଦିନ      କୁନ୍ତରୀ ଜ୍ୟେଷ୍ଠ ନନ୍ଦନ

କମଳ ଗୁଡ଼ାଏ ସୂତ୍ରେ ଯୋଖି ରେ ।

ଦେଇ ସେ ସୁମନ ମାଳ      ଭୀଷ୍ମ ଦ୍ରୋଣ ପଦତଳ

ପଡ଼ିଲା ଅଛନ୍ତି ସର୍ବେ ସାକ୍ଷୀ ରେ ।

ଆଶିଷ କଲେ ସେ ଦୁଇ      ହୁଅ ଧର୍ମ ରଣେ ଜୟୀ

ମରଣ ଭେଦ କହିଲେ ଡାକି ରେ ।

ଯେହୁ ଶତ୍ରୁ ସହକାରୀ      ତାଙ୍କୁ ସେନାପତି କରି

ଜାଣିଲି ଠିକିଲୁ ଏବେ ଶିଖ ରେ ।

କୋଳେ ମୋ ପରେ କୋପିବୁ       ତେଣୁ ନ କହିଲି ବାବୁ

ଏବେ କର୍ଣ୍ଣେ ବରି ହୁଅ ସୁଖି ରେ ।

ଗଲା ମଲା କଥା ଏତେ,      ଭଣଜା ନ ପକା ଚିତ୍ତେ

ବଇ ଭଣି ମୁଁ ତୋ ଦୁଃଖେ ଦୁଃଖୀ ରେ ।

 

କଥା –       ବୁଝିଲୁ ଭଣଜା ! ଭୀଷ୍ମ ଦ୍ରୋଣଙ୍କୁ ତୁ ଆପଣାର ମନେକରି ସିନା ସେନାପତି କଲୁ, କିନ୍ତୁ ବୁଝିବାକୁ ଗଲେ ସେ କ’ଣ ତୋର କି ? ଦିନେ ପରା ମୁଁ ନିଜ ଆଖିରେ ଦେଖିଛି- ଯୁଧିଷ୍ଠିର ଗୁଡ଼ାଏ ପଦ୍ମଫୁଲରେ ମାଳାଗୁନ୍ଥି ଭୀଷ୍ମ, ଦ୍ରୋଣଙ୍କ ଗଳାରେ ଦେଇ ପାଦତଳେ ପଡ଼ିଗଲା । ଦି’ଟାଯାକ ବୁଢ଼ା ତାକୁ କଲ୍ୟାଣ କରି କହିଲେ, ତୋର ଯୁଦ୍ଧରେ ଜୟ ହେଉ। ତା’ପରେ ନିଜନିଜର ମରଣ ଭେଦ ବି ତୁନି ତୁନି କରି କହିଦେଲେ ।

 

ଦୁର୍ଯ୍ୟୋଧନ-      ମାମୁ, ଜାଣେ ନାହିଁ ଏତେ ଛନ୍ଦ ଅନ୍ଧର ନନ୍ଦନ

ଯେବେ ଜାଣିଥାନ୍ତି ନିଜ ଦେହୁ ରୋଗ ଜନ୍ମି ନିଜକୁ ମାରଇ

ତେବେ ବେଳୁ ପାଞ୍ଚିଥାନ୍ତି ଔଷଧ ତାହାର

ଶତ୍ରୁ କୂଟେ ଉପ୍ରୋଧ ରଣରେ ମଜ୍ଜି

ଜିଣାଇଲେ ଅକୁଳା ଗୁଡ଼ାଙ୍କୁ ।

ଏବେ ଗଲା କଥା ଭାବି ଫଳ କିଛି ନାହିଁ

କର୍ଣ୍ଣେ ଦେଲି ସେନାଭାର ମୁହିଁ ।

 

କର୍ଣ୍ଣ-      ସଖେ ଦୁର୍ଯ୍ୟୋଧନ !

ମନୁ କଷ୍ଟ କରିଦିଅ ଦୂର

ଶକୁନିର କଥା ମିଥ୍ୟା ନୁହଇ କଦାପି

ଯେ ଦିନ ଯୁଧିଷ୍ଠିର ଯାଇ ଶରଣ ତାଙ୍କ ପାଦେ

ସେହିଦିନ ମୋତେ ମଧ୍ୟ କହିଥିଲା ତାହା

କିନ୍ତୁ ନ ମାନିଲି କଥା ତାର,

ନ ଘେନି ତା ପୂଜା ମୁହିଁ

କହିଲି ପ୍ରତିଜ୍ଞା କରି ସମ୍ମୁଖେ ତାହାର

ମାରିବି ଅର୍ଜ୍ଜୁନେ ଯୁଦ୍ଧେ ତିଳେ ଉପ୍ରୋଧ ନ ରଖି,

ତହୁଁ ପଳାଇଲା ଧର୍ମରାଜ ମନେ ହୋଇ ଦୁଃଖୀ ।

ସଖେ ! ଶୁଣିଥାଅ କର୍ଣ୍ଣର ପ୍ରତିଜ୍ଞା

ମମ ସମକକ୍ଷ ରଥୀ ନାହିଁ କେହି ପାଣ୍ଡବ ପକ୍ଷରେ

ଯଦି ଥାଏ କେବଳ ଅର୍ଜ୍ଜୁନ

ସେ ନିମନ୍ତେ ଭାବନା ନ କର ଦୁର୍ଯ୍ୟୋଧନ ।

 

(ଗୀତ)

[କିମ୍ପାରେ ଅମରେ- ବୃତ୍ତେ]

କାର୍ମୁକ ଟଙ୍କାର      ଅସ୍ତ୍ରର ଝଙ୍କାର

ହୁଁକାର ନିର୍ଘୋଷ ଶୁଣି ହେ ।

ଶଙ୍କର ଶଙ୍କରୀ      ଫିଙ୍ଗି ପଳାଇବେ

ଅଙ୍କ ରକ୍ତ ହେବ ପାଣି ହେ ।। ପଦ ।।

କିଙ୍କର ପରାୟେ ପାଦରେ ଖଟିବେ,

ଶଙ୍କା ଚିତ୍ତେ ଲଭି ବାସବାଦି ଦେବେ;

ଡଙ୍କରାଜ ଶିରୁ ଧରଣୀ ଟଳିବ ବୀଣା ତେଜି ଯିବେ ବାଣୀ ହେ ।।

କେଶରୀ ବିକ୍ରମେ କରିଲେ ସମର,

କେ ସରି ହୋଇବ ସମ୍ମୁଖରେ ମୋର,

ପାସୋରି ଯିବ ତା’ ଦୂରୁ ଗୁରୁଦୀକ୍ଷା ତୁଟିବ ଛଟକେ ଆଣି ହେ ।।

ଏକମାତ୍ର ମୋର ସାରଥି ଅଭାବ,

ତେଣୁ ଦକା ହୁଏ ହୃଦ ମଧ୍ୟେ ଭାବ

ଯଦି ମଦ୍ରପତି ଶଲ୍ୟ ସାହା ହେବ ରାହା ଦେବି ଧର୍ମେ ଜିଣି ହେ ।।

ସେହି ସୁତ ହୋଇ ବାହିଲେ ମୋ ରଥ,

ପୂର୍ଣ୍ଣ ହେବ ରାଜା ତବ ମନୋରଥ ।

କୋଟି କୃଷ୍ଣ ପଣ୍ଡୁସୁତେ ନ ରଖିବେ ଦଣ୍ଡେମାତ୍ର ପାଣି ଭଣି ହେ ।।

 

(କଥା)–      ଶୁଣି ମୋର କାର୍ମୁକର ଟଙ୍କାର ନିର୍ଘୋଷ ସ୍ୱୟଂ ଶିବ ଅଙ୍କରୁ ଉମାଙ୍କୁ ଫିଙ୍ଗିଦେଇ ପଳାଇବେ । ଭୟେ ଦାସ ସମ ଦିଗପାଳ ବୃନ୍ଦ ଶଙ୍କା କରି ଖଟିବେ ଚରଣେ ।

 

ଧରଣୀର ଭାର ବହି ନ ପାରିବ ବାସୁକୀ କଦାପି

ଟଳଟଳ ଟଳିବ ମେଦିନୀ      

ବାକ୍ୟଦେବୀ ତେଜିବେ ବିପଞ୍ଚି

ପର୍ଶୁରାମ ଶିଷ୍ୟ ମୁହିଁ, ବୀରଙ୍କ କେଶରୀ

ପାଣ୍ଡବ ପକ୍ଷେ କେ ମୋତେ ନ ହୋଇବେ ସମ ।

ଚିନ୍ତା ମାତ୍ର ସାରଥି ନିମନ୍ତେ

ଯଦି ମଦ୍ରପତି ଶଲ୍ୟ ସାରଥି ପଣରେ

ବାହିବେ ସ୍ୟନ୍ଦନ ମୋର ଅକୁଣ୍ଠ ହୃଦୟେ

ତେବେ ନିଶ୍ଚେଁ ଜିଣି ପାଣ୍ଡବଙ୍କୁ

ବିଜୟ ଚିରାଳେ ତବ ଶିବିର ମଣ୍ଡିବି ।

 

ଦୁର୍ଯ୍ୟୋଧନ-      ସଖା ! ଉତ୍ତପ୍ତ ଧରଣୀ ପୃଷ୍ଠେ ବାରିଧାରା ସମ

ତବ ପଉରୁଷ ବାକ୍ୟ,

ଏ ତାପିତ ହୃଦୟ କେଦାରେ ବରଷିଣ ଗଲା ସୁଧାବାରି

ମରୁଦେଶେ ମହାନଦୀ ହେଲା ପ୍ରବାହିତ

ଗିରିଷମେ ଉଦୟ ହୋଇଲା କଳାମେଘ

ଚାଲ ମାମୁ, ଚାଲ ସଖା ଯିବା

ତିନି ଜଣ ସାଙ୍ଗ ହୋଇ ଶଲ୍ୟଙ୍କ ଶିବିରେ

ସତେ ଏକାଙ୍ଗ ଚକ୍ରବର୍ତ୍ତୀ ମୁଁ ହେବି ପୃଥିବୀରେ !

(ମାୟା ବାଳକ ବା ନିୟତି ଗୀତ କଣ୍ଠେ ପ୍ରବେଶ)

 

(ଗୀତ)

ଆଶା ସିନା ଖାଲି ଆଶାରେ ରହିବ

ମାନସ ମେଣ୍ଟିବ ନାହିଁ ।

ଅନିଶା କରିଛି ମହାକାଳ ତେଣେ

କରାଳ ମୁଖ ମେଲାଇ ।୦।

ଶୁଖିଯିବ ଆଶା ସାଗର ସଲିଳ,

ତୃଷା ନ ମେଣ୍ଟିବ ହେ ବଦ୍ଧ ପାଗଳ !

ବଂଶ ନାଶିବାକୁ      ପୋଷିଅଛ ଗୃହେ

ସ୍ନେହ ବଶେ କାଳ ଅହି ।ପଦ।

ଖଞ୍ଜୁଥିବ ଯେତେ ଫନ୍ଦି କଉଶଳ,

ବିଧି ବଶେ ସବୁ ହୋଇବ ବିଫଳ ।

ଚକ୍ରବର୍ତ୍ତୀ ଚକ୍ର      ବକ୍ର ହୋଇଯିବ

ରସେ ଭାଷେ ପାଣି ବଇ ।୨।

ଦୁର୍ଯ୍ୟୋଧନ -      କିଏ ତୁମ୍ଭ ଛଳାଇବା ପରି ଗାଅ ବ୍ୟଙ୍ଗ ଗୀତ କିମ୍ପା ?

ନିୟତି –      ଗୀତ ଗାଇବା ମୋହର ଅଟଇ ଜୀବିକା,

ଛଳାଏ ନାହିଁ କାହାକୁ ନିରାଟ ଏ କଥା ।

ଦୁର୍ଯ୍ୟୋଧନ-      ଦୂର ହୁଅ ଏଥୁ ।      [ସମସ୍ତେ ପ୍ରସ୍ଥାନ]

 

[ଦ୍ୱିତୀୟ ଦୃଶ୍ୟ]

(ଶଲ୍ୟଙ୍କ ଶିବିର)

ଶଲ୍ୟ-      (ସ୍ୱର୍ଗତଃ) ହାୟ ହାୟ କି ବିକଟାଳ ଦୃଶ୍ୟ !

କି ବିଭତ୍ସ କାଣ୍ଡ ! ପଞ୍ଚଦଶ ଦିବସ ହୋଇଲା

ନାହିଁ କର୍ମକ୍ରିୟା ଦେବ ସେବା,

ମହାମନ୍ତ୍ର ହେଲା ନରହତ୍ୟା

ଗାୟତ୍ରୀ ସାବିତ୍ରୀ ହେଲା କୂଟ ପରାମର୍ଶ

ହେଲା ପୁଣି ନରମୁଣ୍ଡ ସନ୍ଧ୍ୟା କମଣ୍ଡଳୁ

ନର ରକ୍ତ ହେଲା ପୂତ ଜଳ

ଚଣ୍ଡ ହେଲା କାର୍ମୁକ ନାରାଚ,

କି ଭୟଙ୍କର ରାଜ୍ୟ ଲିପ୍‌ସା

ଦିବା ରାତ୍ର ହୋଇଅଛି ଜୀବନ ଆଶଙ୍କା ।

ଏ କିଏ ଆସନ୍ତି ଦୂରେ- ଜଣାଯାଏ କର୍ଣ୍ଣ

ସଙ୍ଗେ ଘେନି ଦୁର୍ଯ୍ୟୋଧନ ଆସେ ମୋହରି ନିକଟେ,

ଏତେ ରାତ୍ରେ ଆସିବାର ଅଭିପ୍ରାୟ କ’ଣ

ଏହିକ୍ଷଣି ତତ୍ତ୍ୱ ତାର ପଡ଼ିଯିବ ଜଣା ।

(ଦୁର୍ଯ୍ୟୋଧନ ଆଭରଣ ପାତ୍ର ହସ୍ତେ କର୍ଣ୍ଣ ସହ ପ୍ରବେଶ)

ଦୁର୍ଯ୍ୟୋଧନ- ହେ ମାତୁଳ,

ବାରେ ମାତ୍ର ଅନ୍ଧସୁତ ପ୍ରତି

ସୁପ୍ରସନ୍ନ ହୁଅ ହୃଦେ ବହିଣ କରୁଣା

କିଞ୍ଚିତେ ନିର୍ଦ୍ଦୟା ଯଦି କରିବ ଦାସକୁ

ତେବେ ନିଶ୍ଚେ କୌରବ ଗୌରବ ରବି

ହେବ ଅସ୍ତମିତ ।

 

(ଗୀତ)

[ଆରେ ମନ୍ଦ ଦଇବ-ବୃତ୍ତେ]

ମାମୁ କର କାରଣ, ଏ ଅନାଥ କୁରୁରାଣେ ଦିଅ ପରାଣ ହେ ॥ପଦ। ବରଣ କରୁଛି ମୁହିଁ, କର୍ଣ୍ଣର ସାରଥି ହୋଇ, କୁନ୍ତୀ, କୁମର ବିନାଶେ କରନ୍ତୁ ରଣ ହେ ॥ ଅନ୍ଧ ସୁତ ଅନ୍ଧ ମୁହିଁ, ତୁମେ ଦିବ୍ୟ ଚକ୍ଷୁ ପାଇ, ଦେଖୁଛ କୌରବ ଗଉରବ ହରଣ ହେ । ତୁମ୍ଭେ ଅଟ ଗଙ୍ଗା ନୀର, ଏ ଦାସ କ୍ଷୁଦ୍ର କାସାର, ତୁମେ କେଶରୀଟି ମୁହିଁ ମୂର୍ଖ ବାରଣ ହେ । ମୋରାଣ ଦେଲି ମାତୁଳ, ବାରଣ କରନା ତିଳ, ବଇ କହି କଲେ ନାହିଁ ହେଲା ମରଣ ହେ ॥

 

ଶଲ୍ୟ-       ବତ୍ସ ଦୁର୍ଯ୍ୟୋଧନ !

ଏକଥା କହୁ କେସନେ ଚଳିଲା ରସନା

ରାଜପୁତ୍ର ନୋହେ କର୍ଣ୍ଣ ଅଟେ ସାରଥିର ସୁତ

ତା’ର ସାରଥିତ୍ୱ ପଦ ବହିବ ଏ ମଦ୍ରପତି ଶଲ୍ୟ ?

ଏହା ପୁଣି ଶୁଣିଲା ଏ ଶ୍ରୁତି !

ଶିର ଅଳଙ୍କାର କେହୁ ଘେନଇ ପାଦରେ

ଏ କଥାର ଦିଅ ତୁହି ପ୍ରକୃତ ଉତ୍ତର

 

ଦୁର୍ଯ୍ୟୋଧନ–ମାମୁ, ଯାହା କହିଲ ଉଚିତ ସେ କଥା

କିନ୍ତୁ ମନେ ଦେଖ ଭାବି

ସୂର୍ଯ୍ୟହୁଁ ଅରୁଣ ବଡ଼ ସହସ୍ରେ ବରଷ

ହୋଇଲେ ସେ କେହ୍ନେ ସୂର୍ଯ୍ୟ ରଥରେ ସାରଥି ?

ପର୍ଶୁଙ୍କ ରଥେ ସାରଥି ପୁଣି ଭାଗ୍ୟବର

ବୟସରେ ବେନି ଲକ୍ଷ ବର୍ଷ ଶ୍ରେଷ୍ଠ ସେହି,

ନିଶାକର ଦେଖ ବାହୁଛନ୍ତି ଚନ୍ଦ୍ର ରଥ

ବୟୋଽଧିକ ଚନ୍ଦ୍ରଠାରୁ ସେହି ପାଞ୍ଚ ଗୁଣ,

ବାସବ ରଥେ ସାରଥି ଅଟନ୍ତି ମାତଳି

ଲକ୍ଷେ ବର୍ଷ ଇନ୍ଦ୍ର ତହୁଁ ବଡ଼ ସେ ଅଟନ୍ତି ।

ତେଣୁ ହେ ମାତୁଳ ! ନ କରନ୍ତୁ ତୁଚ୍ଛଜ୍ଞାନ ସାରଥି ପଦକୁ

ହୋଇ କର୍ଣ୍ଣ ରଥରେ ସାରଥି ରକ୍ଷାକର କଉରବ ବଂଶ ।

 

ଶଲ୍ୟ-       ବତ୍ସ ଦୁର୍ଯ୍ୟୋଧନ!

କଲି ସୀଉକାର ହେବି ମୁହିଁ ସାରଥି କର୍ଣ୍ଣର-

କିନ୍ତୁ ଅର୍ଜ୍ଜୁନ ଅଗ୍ରତେ

ହୋଇ ସମ୍ମୁଖୀନ ରଣ କରିବଟି କର୍ଣ୍ଣ ?

ପାର୍ଥ ଯେଉଁପରି ରକ୍ଷା କରିଅଛି ତା ସାରଥି ମାନ

ତେହ୍ନେ ଏ ମୋ ମାନ ରକ୍ଷା ପାରିବ ନା କରି ?

 

କର୍ଣ୍ଣ-       ମାମୁ ଅଜଣା କି ଅଛି କର୍ଣ୍ଣ ଶକ୍ତି ତବ ପାଶେ ?

ଆନ କର୍ମ କରିବାକୁ କହୁ ନାହିଁ ମୁହିଁ

କେବଳ ବାହିବ ମୋ ରଥ

ଯେତେବେଳେ ନନ୍ଦିଘୋଷେ ଥିବେ ପାର୍ଥ ଜଗନ୍ନାଥ ।

 

 

 

 

(ଗୀତ)

[କୀର୍ତ୍ତନ ସୁର]

ଏତିକି ବିନତି ମୋର ରଖିବ ମାତୁଳ ହେ । ରଥଧ୍ୱଜେ ବିଜେ କରିଥିବ ବାୟୁ ବାଳ ହେ । ପଦ । ପାର୍ଥ କନ୍ଧେ ଥିବ ଯେ ଗାଣ୍ଡୀବ ଲକ୍ଷ ବଳ ହେ । ଶ୍ୱେତ ହୟ ଚାଲି ଛୁଟିଥିବେ ଟେକି ଗଳ ହେ । କନ୍ଧେ ଅକ୍ଷୟ ତୂଣ । ଭିଡ଼ିଥିବ ଧନଞ୍ଜୟ ଜାଣ । ସେହିକାଳେ ଦେଖିବ କର୍ଣ୍ଣର ରଣ । ମୋ ରଥକୁ ଟେକିବ ତା ଆଗେ ଜାଣ । ଟାଣ ଭାଙ୍ଗିବି, ଭାଙ୍ଗିବି, ଶକ୍ତିମତେ ପାର୍ଥ ତୁଲେ ଲାଗିବି । ବେଳ କାଳ ଜାଣି ଅସ୍ତ୍ର ଦାଗିବି, ନିଶ୍ଚେ ସଂସାରେ ପ୍ରଶଂସା ଭୋଗିବି । ବଇ ଭାବି ଦେବି ତୋତେ ବିଭବ ଅତୁଳ ହେ ।

ଶଲ୍ୟ –       ରେ ଭଣ୍ଡ କର୍ଣ୍ଣ । ଜାଣେ ମୁହିଁ ତୋହର ଭଣ୍ଡାମି ।

କର୍ଣ୍ଣାର୍ଜ୍ଜୁନ ଶକ୍ତି ନାହିଁ ଶଲ୍ୟକୁ ଅଜଣା

ଶୁଣ ତୋତେ ହାନି ଲାଭ ଦେଉଛି ବୁଝାଇ ।

 

(ଗୀତ)

[ଚକ୍ରକେଳି- ବୃତ୍ତେ]

ଅଙ୍ଗରାଣ ବୃଥା ଟାଣ କରନା । ବଣେ ବଣା ହୋଇ ରଣେ ମରନା । ତୁ ମତ୍ତକରୀ ପାର୍ଥ କେଶରୀ, ଏହା ମନରୁ ନ ପକା ପାସୋରି । ତୁହି ଅନ୍ଧକାର ସେହି ମିହିର, ଦେଖି ତମ ପଳାଇବ ତୋହର ।। ସେହି ଗରୁଡ଼ ତୁରେ କାଳସର୍ପ, ତାକୁ ଚାହାନ୍ତେ ଟଳିଯିବ ଦର୍ପ ।। ମୂଷା ଦେଖି ମାର୍ଜ୍ଜାରକୁ ଯେମନ୍ତ, ଭୀତ ହୋଇଣ ଲୋଡ଼େ ନିଜ ଗର୍ତ୍ତ ।। ସେହି ପରାୟେ ହେବ ତୋର ଦଶା, ଛାଡ଼ ଅର୍ଜ୍ଜୁନ ଜିଣିବା ଭରସା ।୧। ଶୁଣନ୍ତେ ତୁ ନନ୍ଦିଘୋଷ ଗର୍ଜନ, ମୋତେ ତେଜି ପଳାଇବୁ ଦୁର୍ଜ୍ଜନ ।। ଛୋଟ ମୁଖେ ନ ଭାଷ ମୋଟ କଥା, ନଟ ବଇଷ୍ଣବ ଲେଖେ କବିତା ।।

 

(କଥା)-       ଅଙ୍ଗରାଟ ସୁତପୁତ୍ର କର୍ଣ୍ଣ

ଛୋଟ ମୁଖେ କହ ନାହିଁ ବଡ଼ ବଡ଼ କଥା,

ଜାଣେ ମୁହିଁ ତୋର ବୀରପଣ

ବୃଥା କିମ୍ପା କରୁଅଛୁ ଆଣ୍ଟ ।

ଅରୁଣ କିରଣ ଦୃଷ୍ଟେ ଯଥା ଅନ୍ଧକାର

ବୈନତେୟ ଦେଖି ଯଥା ପଳାନ୍ତି କୁଣ୍ଡଳୀ

ମାର୍ଜ୍ଜାର ଦେଖି ଇନ୍ଦୂର, ସିଂହ ଦେଖି ମୃଗ

ଯେସନେ ପଳାନ୍ତି ଭୟେ ସେହିପରି ତୁହି

ଅର୍ଜ୍ଜୁନ ମାର୍ଗଣ ଦେଖି ତୋ ମାର୍ଗଣ ଗଣ

ସେହିପରି ପଳାଇବେ ଭୟେ ।

ଛାଡ଼ ତାକୁ ଜିଣିବାର ଆଶା,

ମହାରଥୀ ଶ୍ରୀକୃଷ୍ଣଙ୍କ ସଖା,

ତୋହପରି ହୀନଜନ ଅଭିଶପ୍ତ କ୍ଷତ୍ରୀ

ତାକୁ କେବେ ନ ପାରିବ ଜିଣି ।

 

କର୍ଣ୍ଣ-       ମାମୁ, ମିଛରେ ଭର୍ତ୍ସନା ଏତେ କର କାହିଁ ପାଇଁ ?

ଦେଖିବ କର୍ଣ୍ଣର ଶକ୍ତି ସମ୍ମୁଖ ସମରେ

ବୃଥାରେ କର କି ପାଇଁ ପାର୍ଥର ପ୍ରଶଂସା ?

ସେ ପୌରୁଷ ବଚନ, ଶତ କୁନ୍ତଘାତ ସମ ବଜାଇ ଏ ହୃଦେ

ଚାଲ ରଥେ ବସ ମୋର ଅଶ୍ୱକୁ ଧରି

ଶକ୍ତି ପରୀକ୍ଷା ସମୟ ନାହିଁ ବେଶି ଡେରି

ଶଲ୍ୟ –       ରେ ଅଲାଜୁକ କର୍ଣ୍ଣ !

ପଡ଼ିଶା ବସାଇ ଢମ ନ କହନ୍ତି କେହି ।

ଯେ ନ ଜାଣିଛି ତୋର ବୀରପଣ, କହିବୁ ଯା ତାହାରି ଆଗରେ ।

ଆରେ ଭଣ୍ଡ କର୍ଣ୍ଣ ! ପାଣ୍ଡବାସୁର କଥା କି ଭୁଲିଲୁ ମନରୁ ?

 

(ଗୀତ)

[ଅଟୁ ଜଳଜଳା ଝିଅ- ବୃତ୍ତେ]

ଆରେ କର୍ଣ୍ଣ ଘୋଷଯାତ୍ରା ଦିନ କଥା ମନେ ପଡ଼ୁ ନାହିଁକି । ସମ୍ପଦ ଦେଖାଇବାକୁ ଯାଇଥିଲ, ବିପଦେ ପଡ଼ିଲ ତହିଁ କାହିଁକି? । ପଦ । ଚିତ୍ରସେନ ଗନ୍ଧର୍ବ ଆସି ତୁମ୍ଭ ନାରୀ ମେଳରେ ପଶି, ବାନ୍ଧିନେଉଥିଲେ ଦୁର୍ଯ୍ୟୋଧନକୁ, ଏ ବଣରେ ଲୁଚିଲୁ ତୁହି ଯାଇଁକି ।। ଥିଲେ ପରା ବଳ କୋଟିଏ, ସାହା କେ ନୋହିଲେ ଗୋଟିଏ, ଶରେ ପଥ ରୁନ୍ଧି ସେ ପାର୍ଥ ଆଣିଲା ମୁକୁଳାଇ କୁରୁକୁଳସାଇଁକି ।। ପାଞ୍ଚାଳରେ ଦ୍ରୌପଦୀ ଲାଖ, ଠାରେ ପରା ଥିଲୁ ତୁ ମୂର୍ଖ, ଲକ୍ଷେ ରାଜା ଜିଣି କୃଷ୍ଣାକୁ ଆଣିଲା ଜଳକା ପରାୟେ ଥିଲୁ ଚାହିଁକି ।। ବିରାଟ ଗୋଧନ ହରଣ, ବେଳ କଥା କର ସ୍ମରଣ, ଏକାକେ କିରୀଟୀ ତୁମ୍ଭେ କୋଟି କୋଟି ଜିଣି ଘେନିଗଲା ତା’ ର ଗାଈଙ୍କି । ସେହି କର୍ଣ୍ଣ ଆଜ ତୁ ପରା ଟାଣ ହେଲୁ ଥିଲୁ ପାପରା । ଜାଣେ ତୋର ବଳ, ରେ ରାଧା ଦୁଲାଳ, ମରିବୁ ମାରିବୁ ନାହିଁ ବଇକି ।।

 

କଥା-       ଘୋଷଯାତ୍ରା କଥା ମନେପକା

ଆରେ କର୍ଣ୍ଣ,

ସମ୍ପଦ ଦେଖାଇବାକୁ ଯାଇଣ ସଦର୍ପେ

ଭୋଗ କଲୁ କିପରି ଦୁର୍ଦ୍ଦଶା ?

ସେହି ପାର୍ଥ ବାହୁବଳ ହେତୁ

ହାରିଣ ପଳାଇଗଲା ଯହୁଁ ଚିତ୍ରସେନ

ତହୁଁ ସର୍ବେ ଆସିଲେ ମୁକୁଳି

ସେତେବେଳେ ତୁହି ଯାଇ ଲୁଚିଥିଲୁ ବନେ ।

ପୁଣି ଗୋଧନ ହରଣ କାଳେ ବିରାଟ ରାଜ୍ୟରେ

କୋଟି କୋଟି ତୁମ୍ଭେ ଥିଲ ଜୁଟି

ଏକାକି ଅର୍ଜ୍ଜୁନ ବାଣେ ହେଲ ଛିନ୍ନଛତ୍ର ।

ସେହି କର୍ଣ୍ଣ ତୁହି, ଜାଣିଛି ମୁଁ ବୀରପଣ ତୋର

ଏକ୍ଷଣି ଚାତର କିମ୍ପା ବଖାଣୁଛୁ ଏତେ?

 

କର୍ଣ୍ଣ-       ମାମୁ, ଅବିଚାର କଥା ତୁଣ୍ଡେ ଧର ନାହିଁ ଆଉ

ଯେତେବେଳେ ଘଟିଥିଲା ଏସବୁ ଘଟଣା

ମୋ ସମ ଯୋଗ୍ୟ ସାରଥି ନଥିଲା ମୋ ରଥେ

ତେଣୁ ବହୁ ସ୍ଥାନେ ମାମୁ ଘଟିଛି ଅଯଶ ।

ବିଚାରି ଦେଖନ୍ତୁ ମଦ୍ରନାଥ !

ଯେଉଁକାଳେ ଧନୁକୁ ମୁଁ କରେ ଆକର୍ଷଣ

ସ୍ୱୟଂ ନାରାୟଣ ଶଙ୍କିତ ହୁଅନ୍ତି ବୈକୁଣ୍ଠେ ।

ପ୍ରତିଜ୍ଞା କରିଛି ମାମୁ ! ସାକ୍ଷୀ ରଖି ଦିଗପାଳଗଣେ,

ମାରିବି ମୁଁ ଅର୍ଜ୍ଜୁନକୁ ଅପାଣ୍ଡବା କରିବି ଅବନୀ

ମନୁ ତେଜ ଅହଙ୍କାର

ସଖ୍ୟଭାବେ ବାହ ମୋର ରଥ

କୁରୁକ୍ଷେତ୍ର ସମର ସାଗରେ ।

 

ଦୁର୍ଯ୍ୟୋ–      ମାମୁ ଧରୁଛି ଚରଣ

ସବୁ କଥା ମନୁ ଭୁଲି ହୁଅ କର୍ଣ୍ଣର ସାରଥି

ଏଡ଼ ନାହିଁ ଭଣଜା ଭାରତୀ ।

ଶଲ୍ୟ –       ଭଣଜା । ଚାଲିଲି ମୁଁ । କର୍ଣ୍ଣ ସାରଥି କାର୍ଯ୍ୟ କରିବି ବହନ,

କିନ୍ତୁ ଏତିକି କହୁଛି, ଅସମୟ କାଳେ କର୍ଣ୍ଣ ରଖିବ ମୋ କଥା

ଏତିକି ବେଳୁ ମୁଁ କରୁଅଛି ସାବଧାନ

ଶତ୍ରୁ ସମ୍ମୁଖ ସମରୁ ମୋର ନ ଫେରଇ ରଥ ।

କର୍ଣ୍ଣ –       ଚିନ୍ତା ନାହିଁ ମାମୁଁ ! କହିଲି ତୁମ୍ଭଙ୍କୁ

କର୍ଣ୍ଣର ପ୍ରତିଜ୍ଞା ଜାଣ ଅଟଇ ଅବ୍ୟର୍ଥ ।

[ସମସ୍ତଙ୍କ ପ୍ରସ୍ଥାନ]

[ତୃତୀୟ ଦୃଶ୍ୟ]

(ପଦ୍ମାବତୀ ଓ ବୃଷକେତୁ ପ୍ରବେଶ)

ବୃଷ–      ମା ! ମା ! ମୋତେ ଆଜି ଅନୁମତି ଦିଅ,

ମୁଁ ପିତାଙ୍କ ସଙ୍ଗରେ ରଣଭୂମିକୁ ଯିବି ।

ପଦ୍ମା–        ବାପା ବୃଷକେତୁ ! ସେ କି କଥା ? ଆଜକୁ ପନ୍ଦର ଦିନ ହେଲା ଯୁଦ୍ଧ ଲାଗିଛି । ଦିନେ ତ ମୋତେ କହି ନାହୁଁ, ବାପାଙ୍କ ସଙ୍ଗରେ ରଣକୁ ଯିବୁ ବୋଲି । ଆଜି ତୋତେ କିପରି ମୁଁ ସେ କାଳ ରଣକୁ ପଠାଇ ଏକାକୀ ଘରେ ବସିରହିବି ?

ବୃଷ –       ମା ! ବାପା ଆଜି କୁରୁପକ୍ଷର ସେନାପତି ହୋଇଛନ୍ତି । ଏହି ରାତ୍ର ପାହିଲେ ରଥ ଚଢ଼ି ରଣଭୂମିକି ଯିବେ । ମୁଁ ତାଙ୍କ ପାଖେ ରଥରେ ବସି ରଣ ଦେଖିବି । ଅସ୍ତ୍ରମାନଙ୍କୁ କେଉଁ ସମୟରେ କିପରି ମାରନ୍ତି ଶିଖିବି ।

ପଦ୍ମା –       କଅଣ କହୁଛୁ ବତ୍ସ ! ପିତା ତୋର ଆଜି ସେନାପତି ପଦ ନେଲେ, କାଲି ପ୍ରଭାତରୁ ରଣକୁ ଯିବେ ? ହାୟରେ ପୋଡ଼ା କପାଳ ! ମୋତେ ପଦେ କହିବାକୁ ଆସିଲେ ନାହିଁ । ମୁଁ କି ତାଙ୍କର ଚରଣେ କିଛି ଅପରାଧ କରିଥିଲି ?

ବୃଷ –       ମା ! ଏତେ ବ୍ୟସ୍ତ ହୁଅନା । ହେଇ ପରା ବାପା ଏ ଆଡ଼େ ଆସୁଛନ୍ତି । ବୋଧ ହୁଏ ତୁମ୍ଭଙ୍କୁ କହିବା ପାଇଁ ଏତେବେଳେ ଆସିଲେ ।

 

(କର୍ଣ୍ଣର ପ୍ରବେଶ)

କର୍ଣ୍ଣ –       ପ୍ରିୟେ ! ମାଆ ପୁଅ ଦୁହିଁଙ୍କର ଏଠି କି କଥା ପଡ଼ିଥିଲା କି ? ମୋତେ ଦେଖି କାହିଁକି ତୁନି ହୋଇଗଲ ?

ପଦ୍ମା –       ନାଥ ! ତୁମ୍ଭେ କାଲି ସେନାପତି ହୋଇ ରଣ କରିବ ବୋଲି ମୁଁ ଏ କଥା ବୃଷକେତୁ ଠାରୁ ଶୁଣିଲି । ଏହା କ’ଣ ସତ ?

କର୍ଣ୍ଣ –       ହଁ ପ୍ରିୟେ ! ସେ ଯୋଗେ ପରା ମୁଁ ତୁମ୍ଭଠାରୁ ମେଲାଣି ନେବାକୁ ଆସିଛି । ମୋତେ ପ୍ରଫୁଲ୍ଲ ଅନ୍ତରେ ଶୀଘ୍ର ମେଲାଣି ଦିଅ, ପ୍ରଭାତ ଆସି ଅତି ନିକଟ ।

ପଦ୍ମା –       ନାଥ ! ଏ ଦାସୀର କଥା ପାଦରେ ଠେଲି ଦେବେ ନାହିଁ । ଥରେ ମନ ମଧ୍ୟରେ ଭାବି ଦେଖନ୍ତୁ – ଯେଉଁ ରଣରେ ସେନାପତି ହୋଇ ମହାରଥୀ ଭୀଷ୍ମ, ନରଶାର୍ଦ୍ଦୁଳ ଦ୍ରୋଣାଚାର୍ଯ୍ୟ ପରି ବୀର ଦୁହେଁ ପରାସ୍ତ ହେଲେ, ତୁମ୍ଭେ କେଭେ ତହିଁରେ ମନ ବଳାଅ ନାହିଁ ।

 

(ଗୀତ)

[ବୀରବର ହର ମୋର - ବୃତ୍ତେ]

ହେ ଜୀବେଶ୍ୱର ! ଯେବେ ଯିବ ରଣେ ଜୀବ ନିଅ ମୋର, ଶିବ ଶିବ ଭାବି ଯିବ ଧରପୁର ହେ ।ପଦ। ଦେବ ଦେବ ହରି ଯାର ସାହା, ତାଙ୍କୁ କେ ରଣେ ଜିଣିବ ନାହା । ଭବ ଭୁବନେ ଯା ଶକ୍ତି ବଳିୟାର ହେ ।। ସଙ୍ଗେ ରଣେ ମତେ ନିଅ ନାଥ, ନିରେଖିବି ନେତ୍ରେ ଜଗନ୍ନାଥ । ନନ୍ଦିଘୋଷେ ବନ୍ଦିବି ମୁଁ ପଦ ତା’ର ହେ ।। ପାର୍ଥ ଶରେ ଯେବେ ହେବ ହତ, ତବ ତୁଲେ ତେଜି ପଞ୍ଚଭୂତ । ଗଲେ ଯଶ ଘୋଷିବ ସଚରାଚର ହେ ।। ଏ ସୁଯୋଗ ଛାଡ଼ି ବାସେ ପଡ଼ି ଶେଷେ କିମ୍ପା ହେବି ମୁଣ୍ଡକୋଡ଼ି । ଏଡ଼ି ନଯା ନଯା ବୈଷ୍ଣବ ଗିର ହେ ।।

 

(କଥା)-       ନାଥ ! ବିଶ୍ୱପୂଜ୍ୟ କୃଷ୍ଣଚନ୍ଦ୍ର ଯାହାର ଭରସା ତାକୁ କିଏ ଜିଣିବ ସମରେ ?

ମାନ ମୋର ବାଣୀ କେବେ ନ ଯାଅ ରଣକୁ

ଯେବେ ଯିବ ସଙ୍ଗେ ନିଅ ମୋତେ

ନନ୍ଦୀଘୋଷେ ଥିବେ ଯେବେ ଶ୍ରୀକୃଷ୍ଣ ଅର୍ଜ୍ଜୁନ,

ଅର୍ଘ୍ୟ ଘେନି ପୂଜିବି ମୁଁ ତାଙ୍କୁ ।

 

କର୍ଣ୍ଣ –      ପ୍ରିୟେ ! ତୁମ୍ଭେ ବୀରରମଣୀ ହୋଇ ଭୀରୁ ପରି ଶୋକ କରିବା କି ତୁମ୍ଭପରି ମହିଳାର କର୍ତ୍ତବ୍ୟ ? ତୁମ୍ଭେ କି କର୍ଣ୍ଣର ଶକ୍ତି ଜାଣିନାହଁ ! ଆଉ ଯେ କହୁଛ ତାଙ୍କୁ ସ୍ୱୟଂ ନାରାୟଣ ସହାୟ ଅଛନ୍ତି, ସେହି ନାରାୟଣ ତ ସବୁ କାର୍ଯ୍ୟର କର୍ତ୍ତା– ସେ ଏକା ପାଣ୍ଡବଙ୍କର ହେବେ କାହିଁକି ? ସମୟ ଯାଉଛି ମୋତେ ବିଦାୟ ଦିଅ ।

ପଦ୍ମା – ନାଥ ! ଆସ ତେବେ ତୁମ୍ଭଙ୍କୁ ମୁଁ ବୀରବେଶେ ସଜାଇ ଦେଉଛି ।

 

(ଗୀତ)

[ଆଜି ରଜନୀରେ - ବୃତ୍ତେ]

ଶିରେ ଶିରସ୍ତ୍ରାଣ ବୀର ଶିରର ରକ୍ଷକ । କାଲି ଯେବେ ରଣ ଜିଣି ଆସିବୁ ମୋ ପାଖ । ସ୍ୱର୍ଣ୍ଣ ସିଂହାସନ ସାଧେ । ରଖି ପୂଜିବି ମୁଁ ଧୂପ ଦୀପ ନଇବେଦ୍ୟେ । ରେ କବଚ ତୁହି ଯୋଦ୍ଧା ହୃଦ ରକ୍ଷାକାରୀ । କାଲି ସ୍ୱାମୀ ରଣେ ଅରି ଜିଣିଲେ ମୋହରି, ସ୍ନାନ କରାଇ ପନୀରେ । ଗୋଳି ଚୁଆ ଚନ୍ଦନ ବୋଳିବି ରଜନୀରେ । ଯୋଦ୍ଧା କରଭୂଷା ଅସି ତୁହି କାଳେ କାଳେ । କାଲି ଶତ୍ରୁ ଶିର ଛେଦି ଆସିଲେ ମୋ କୋଳେ, ଗଢ଼ାଇଣ ସ୍ୱର୍ଣ୍ଣକୋଷ, ତହିଁରେ ଭରି ସେବିବି ତୋତେ ବାରମାସ । ଆରେ ଶରାସନ ତୁହି ଶତ୍ରୁ ପ୍ରାଣହନ୍ତା । ଭୁଲି ନ ଯିବୁ ରଣରେ ପଶି ଦାସୀ କଥା, ବଇଷ୍ଣବ ରସେ ଭାସେ । ଅରାତି ମର୍ଦ୍ଦନ କରି ଫେରିବୁ ମୋ ପାଶେ ।

 

କର୍ଣ୍ଣ – ପ୍ରିୟେ ଏହି ଶୁଣ, ତେଣେ ରଣବାଦ୍ୟ ବାଜିଲାଣି । ମୋର ସେନାପତି ହେବା ଜାଣି, ଯୋଦ୍ଧାଗଣେ ଶିବିରରୁ ବାହାରି ନିଜ ନିଜ ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ ହୋଇ ବୀରନାଦରେ ଗଗନ ବିଦୀର୍ଣ୍ଣ କରୁଛନ୍ତି । ଆଜି ଭୀଷଣ ଯୁଦ୍ଧ ହେବ । ସମସ୍ତ ବୀରେ ମୋର ଅପେକ୍ଷାରେ ଠିଆହୋଇଥିବେ । ତୁମ୍ଭେ ଥାଅ, ମୁଁ ଯାଉଛି ।

 

(ପ୍ରସ୍ଥାନ)

ପଦ୍ମା – ମା’ ମହେଶମୋହିନୀ, ମହିଷାସୁର ନାଶିନୀ, ମା’ ଚଣ୍ଡୀକେ, ମୋର ପତିଙ୍କି ରଣରେ ସହାୟ ହୁଅ । ବତ୍ସ ! ଆ ମୋ ସାଙ୍ଗରେ ଆ ।

 

ବୃଷ – ମା ! ମୋତେ ରଣକୁ ଯିବାକୁ ବାରଣ କଲ ? ସିଂହ ଶିଶୁ ପିଞ୍ଜରାବଦ୍ଧ ପରି ମୋ ଦଶା ହେଲା। [ଉଭୟଙ୍କ ପ୍ରସ୍ଥାନ]

 

[ଚତୁର୍ଥ ଦୃଶ୍ୟ]

(ପାଣ୍ଡବ ଶିବିର)

ଅର୍ଜ୍ଜୁନ –      ସଖା ! କାଲି ରଣେ ଦ୍ରୋଣଗୁରୁ ହୋଇଗଲେ ବିନାଶ ଆଉ କୌରବ ପକ୍ଷରେ ହେବ ସେନାପତି କେହୁ – ଜଣାଗଲା ନାହିଁ କିଛି କାରଣ ତହିଁର ।

କୃଷ୍ଣ -      ହେ ଅର୍ଜ୍ଜୁନ ! ପଞ୍ଚଦଶ ଦିନ ଯୁଦ୍ଧ ହୋଇଛି ସମ୍ପୂର୍ଣ୍ଣ

ଅଛି ଆଉ ତିନିଦିନ ବାକି, ଏହି ଶୁଣ

ଆସନ୍ତି ନାରଦ ମୁନି କରି ବୀଣାନାଦ

ଗାଉଛନ୍ତି ରାମ କୃଷ୍ଣ ପଦ,

ଜାଣିଥିବେ କୌରବ ସମ୍ବାଦ ।            (ନାରଦ ବୀଣା ହସ୍ତେ ପ୍ରବେଶ)

 

(ଗୀତ)

[ଭଜରେ ମନ ବ୍ରଜରାଜ - ବୃତ୍ତେ]

ଗାଅରେ ବୀଣା ଗୋବିନ୍ଦ ଗୋକୁଳାନନ୍ଦ, ଗୋବରଧନ ଧାରଣ ନାରାୟଣ ଆଦିକନ୍ଦ ।ପଦ। ନାଗ ଗରବ ଗଞ୍ଜନ ଜୟ ଯାମଳା ଭଞ୍ଜନ ଗୋପୀ ସମ୍ପଦ, ଗରୁଡ଼ ଆସନ ଗଙ୍ଗାଧର ହୃଦୟ ଚାନ୍ଦ । ଗୁଞ୍ଜପକ୍ଷୀମାଳିଆ ବ୍ରଜବାଳକ ମେଳିଆ ପରମାନନ୍ଦ, ଇନ୍ଦ୍ରର ଦରପଦଳା ବରନ ନୀଳ ନୀରଦ । ବୃଜିନ ଦଳନକାରୀ କେକୀପୁଚ୍ଛଧାରୀ ବୃନ୍ଦାବନ ବିନୋଦ, ବୈଷ୍ଣବ ଏ ନାରଦ ଭକ୍ତିଭରେ ଭଜେ ତୋ ପଦାରବିନ୍ଦ ।।

 

ସୀତାରାମ ... ସୀତାରାମ ...ରାଧେ ଶ୍ରୀକୃଷ୍ଣ ରାଧେ ...

କୃଷ୍ଣ–      ଦେବର୍ଷେ ! ଆଜି ମମ ସୁପ୍ରଭାତ

ସାକ୍ଷାତେ ଦେଖିଲି ନେତ୍ରେ ଭଗବତ ମୂର୍ତ୍ତି ।

ହେ କଳହପ୍ରିୟ !

କହନ୍ତୁ କି କାର୍ଯ୍ୟେ ଏଥେ ହେଲେ ଉପଗତ ।

ଏ ତ ରଣଭୂମି, ରଣସ୍ଥଳେ ବ୍ରାହ୍ମଣର ପ୍ରୟୋଜନ କିସ ?

 

ନାରଦ–      ହେ କେଶୀନିସୁଦନ ! ମଦନମୋହନ !

ଆସିଛି କହିବି ପାଣ୍ଡବଙ୍କ କୁଶଳ ବାରତା –

ଦ୍ରୋଣଙ୍କ ବିୟୋଗେ କର୍ଣ୍ଣ ହେଲେ କୁରୁଥାଟେ ସେନାପତି

ସାରଥି ତାଙ୍କର ରଥେ ମଦ୍ରପତି ଶଲ୍ୟ

ଏ ହେତୁ ସଂକଟ ପଡ଼ିବ ଜାଣ ପଣ୍ଡୁସୁତଗଣେ

ପାଣ୍ଡବ ରକ୍ଷକ ନାମ ସାର୍ଥକ କରନ୍ତୁ କର୍ଣ୍ଣ ରଣେ

ବିଦାୟ ନେଉଛି ଭୃତ୍ୟ ନ ଧରିବ ଦୋଷ ।

(ପ୍ରସ୍ଥାନ)

କୃଷ୍ଣ–      ରେ କିରୀଟୀ ! କି କରିବା କହ ମୋତେ ନ ଦିଶଇ ପଥ

ମହାମଲ୍ଲ ଅଟେ କର୍ଣ୍ଣବୀର, ତା ସାରଥି ମଦ୍ର ଅଧୀଶ୍ୱର

ଯା’ର ଧନୁ ଆମଞ୍ଚନେ ଭୀତ ହୁଏ ମୁହିଁ

ଆଜ ଜାଣ ପରାଜୟ ଆମ୍ଭରି କପାଳେ ।

କହ ପାର୍ଥ ! ତୁ କି ତୋର ସମକକ୍ଷ ରଣେ ?

ଅର୍ଜ୍ଜୁନ–      ଯାଦବେନ୍ଦ୍ର ! କିସ ଭାବି ଶଙ୍କା ଦେଉ ଚିତ୍ତେ ମୋର

ଶୁଣ ନାରାୟଣ ତେବେ କାରଣ ତହିଁର ।

 

 

 

(ଗୀତ)

[ଚୋଖି - ବୃତ୍ତେ]

ନିଜେ ତୁହି ଦୟାମୟ ଅଟୁ ଯାହାର ସହାୟ, ତାହାର କି ଭୟ ଏହି ଛାର ରଣକୁ । କୋଟି କୋଟି କର୍ଣ୍ଣ ଶଲ୍ୟ, ନୋହିବେ ମୋ ସମତୁଲ, ତୁଲ୍ୟ ନାହିଁ ତାହାଙ୍କର ଏକ ଏକ ବାଣକୁ । କ୍ଷଣକରେ କାଟିବି ଶିର, ତୁହି ରଥେ ଥିଲେ ନାହିଁ ଯମକୁ ଡର ।। କୃପାଚାର୍ଯ୍ୟ ଅଶ୍ୱତ୍‌ଥମା ଭାଙ୍ଗିବି ୟାଙ୍କ ଗରିମା, ନ ରଖିବି ନାମ ଜାଣ ଧରା ଧାମରେ । ଯାହାର ଅଭୟ ପଦ, ସର୍ବଦା ଅଟେ ସମ୍ପଦ, ଆପଦ କି ଡରାଇବ ତାକୁ ସମରେ । ବିପଦକୁ କୋଳେ ପ୍ରେମରେ, ବହିବି ଶୂନ୍ୟରେ ଦେଖୁଥିବେ ଅମରେ । ସାଜ ସାଜ ନନ୍ଦିଘୋଷ, ବନ୍ଦୀ ତୋ ଚରଣେ ଦାସ, ବସିବ ଗାଣ୍ଡୀବ କନ୍ଧେ ଆନନ୍ଦେ ବହି ।। କଉରବ ଗଉରବ ରବି ଆଜି ଅସ୍ତ ହେବ, ଛେଦିବି ସନ୍ଧି ଶାୟକ ତୋ ନାମ ଧ୍ୟାୟି । ବଇଷ୍ଣବର ତୁ ଭରସା, କର୍ଣ୍ଣ ରକ୍ତପାନେ ତୃପ୍ତ ହେଉ ଏ ରସା ।।

 

(କଥା)–      ହେ ପାଣ୍ଡବ ସଖା, ଦୟାମୟ ହରି !

ତୁମ୍ଭେ ଯାର ହୋଇଛ ସହାୟ,

ସେ କିମ୍ପା କରିବ ଶଙ୍କା ଏ ଛାର ରଣକୁ ।

କୋଟି କୋଟି କର୍ଣ୍ଣ ଶଲ୍ୟ ହେଲେ ଏକତ୍ରିତ

କିଞ୍ଚିତେ ମୁଁ ନ ଗଣେ ତାହାଙ୍କୁ ।

କୃପ ଅଶ୍ୱତ୍‌ଥାମା ଆଦି ଛନ୍ତି ଯେତେ ବୀର

କୌରବ ପକ୍ଷରେ

ଭାଙ୍ଗିବି ମୁଁ ସବୁରି ଗରିମା

ମିଥ୍ୟା ନୁହେଁ କହୁଅଛି ଯାହା,

ଏକା ତୁମ୍ଭ ଅଭୟ ଚରଣ ଯେହୁ କରିଛି ଭରସା

ତାର କାହିଁ ହେବ ପରାଜୟ ?

ଛାଡ଼ ମାୟା, ସାଜ ନନ୍ଦିଘୋଷ

ଦିଅ ପଦଧୂଳି ଦାସର ମସ୍ତକେ

କୌରବ ଗୌରବ ରବି ହେଉ ଅସ୍ତମିତ ।

 

କୃଷ୍ଣ–      ସାଧୁ ସାଧୁରେ ଅର୍ଜ୍ଜୁନ ! ତୋର ଅସୀମ ସାହସ

ଆସ ଅରଜ ଅକ୍ଷୟ ଯଶ କର୍ଣ୍ଣେ କରି ନାଶ ।

[ଉଭୟେ ପ୍ରସ୍ଥାନ । ଅନ୍ୟ ଦିଗରୁ ଭୀମ ଓ ଦ୍ରୌପଦୀର ପ୍ରବେଶ ।]

ଭୀମ–      ପ୍ରିୟେ ପାଞ୍ଚାଳନନ୍ଦିନୀ ! ଗୁପ୍ତଚର ମୁଖୁ ମୁହିଁ ପାଇଛି ସନ୍ଧାନ

ମମ ସଙ୍ଗେ ସଂଗ୍ରାମ କରିବ ଦୁଃଶାସନ

ଏତେ କାଳେ ପୂର୍ଣ୍ଣ ହେବ ଭୀମର କାମନା ।

କୃଷ୍ଣା ! କୃଷ୍ଣା ! ଶୁଣିଲାବେଳୁ ସେ କଥା

କୋପେ କମ୍ପେ ବୃକୋଦର ହୃଦ

ଶୁଣ ପ୍ରିୟେ ଯାହା ଯାଉଅଛି କହି ନ ଭୁଲିବ ମନୁ ।

 

 

 

 

(ଗୀତ)

[ଯାଅ ଯାଅ ସଦନେ- ବୃତ୍ତେ]

ଆଝୁ ରସାଭୂଷା ତୋ ଦଶା ଫେରିବ । ଆଜି ସଂସାରୁ ଦୁଃଶା ଆୟୁ ପୂରିବ ।। ପଦ। ମୂଷାକୁ ଯେସନେ ନାଶ କରେ ମାର୍ଜାରୀ ତେସନେ ତାହାର ଦଶା ହେବ ରେ ଗୋରୀ । ଭୁଜ ଉପାଡ଼ି ଭୀମ ବକ୍ଷ ଚିରିବ ।। ଚିଉ ତୃଷା ହରିବ ତା ରକତ ପାନେ । ବାନ୍ଧିବୁ ପାଣ୍ଡବ ରାଣୀ ବେଣୀ ଯତନେ । ଅନ୍ଧ ଅନ୍ଧୁଣୀ ମୁଣ୍ଡକୋଡ଼ି ମରିବେ ।। ପୂରିବ ଉଦର ବୃକୋଦରର ଆଜି । ତାର ଜ୍ୟେଷ୍ଠ ସହୋଦର ମରିବ ଗଞ୍ଜି । ବାଟ ଚାହିଁ ବସିଥିବୁ ହାଟକ ଦେହା । ଛଟକରେ ସୁଗଠନା ନ ଭୁଲି ଏହା । ସହଦେବ ଆସି ଯେମନ୍ତ ଠାରିବ। ତରତରେ ତରଳାକ୍ଷୀ ଯିବୁ ତା ତୁଲେ । ପାଶେ ମିଳିବ ରସେ ବଇଆ ବୋଲେ । ହରିକଟି ସରବ ଚିନ୍ତା ହରିବ ।।

 

(କଥା)-      ଆଜି ନିଶ୍ଚେ ଉପାଡ଼ିବି ଦୁଃଶାସନ ଭୁଜ,

ବକ୍ଷ ତା’ର ବିଦାରିବି ନରସିଂହ ରୂପେ ।

ଧୈର୍ଯ୍ୟ ଧରି ବାସେ ଥାଅ ଗୋରୀ,

ଆଜି ହେବ ତୋ ବେଣୀ ବନ୍ଧନ ।

କରୁଛି ପ୍ରତିଜ୍ଞା ସାକ୍ଷୀ ରଖି ଦିନକର

ଦୁଃଶାସନ ରକ୍ତ ପାନେ ମେଣ୍ଟାଇବି ତୃଷା ।

ତେତ୍ରିଶ କୋଟି ଦେବତା ହେଲେ ଏକତ୍ରିତ

ଭୀମ କରୁ ପ୍ରାଣ ତା’ର ରଖି ନ ପାରିବେ ।

ଜାଣିଥାଅ ସଖୀ, ସହଦେବ ଆସି ଯେବେ ଏଥେ ପ୍ରବେଶିଣ

ଦୁଃଶାର ମୃତ୍ୟୁ ସମ୍ୱାଦ ତୋତେ ଜଣାଇବ,

ସେହିକାଳେ ଯାଇ ମୋର ପାଶେ ପ୍ରବେଶିବୁ ।

ଦ୍ରୌପଦୀ– ପ୍ରାଣେଶ୍ୱର ! ସତେ କି ମେଣ୍ଟିବ ଆଜି ଅଭାଗିନୀ କଷ୍ଟ ?

ପରତେ ନାହିଁ ମୋ ମନେ ତିଳେ

ମଲା ନାହିଁ ଦୁଃଶାସନ

ସତେ କି ଗ୍ରୀଷ୍ମେ ଧାତା ଦେହେ ବୋଳିବ ଚନ୍ଦନ ।

 

(ଗୀତ)

[ଆରେ କୁମର ମୋହର – ବୃତ୍ତେ]

ଜୀବଧନ ଏ ସୁଦିନ ହେବ କି ସତେ । ସତେ ଗିରୀଷମେ ବରଷିବ ଘନ ରାବିବ କି ପୀକ ଆଷାଢ଼େ ଚୂତେ ।। ପଦ। ଦୁରନ୍ତ ଦୁଃଶା ମରିବ, ଦୁରନ୍ତ ଦୁଃଶା । ତା ରକତ ବୋଳି କେଶେ ଖୋଷିବି ଖୋଷା । ଆଜି ଦାସୀ ତୃଷା ତୁଟିବ ସହସା, ବେଣୀ ବାନ୍ଧି ପୁଣି ଚାଲିବି ପଥେ । ଛନ୍ତି ସକଳେ ଜୀବନେ, ଛନ୍ତି ସକଳେ । ଏକାକୀ ମୋ ତାତ ଗଲେ କୃତାନ୍ତ ଆଳେ ।। କି ପାପ କରିଲି ପୂରୁବ ଜନମେ, ଜନକ ନିଧନ ଦେଖିଲି ନେତ୍ରେ । ପାଣ୍ଡବ ରାଣୀ ହୋଇ ମୁଁ ପାଣ୍ଡବ ରାଣୀ, କୁଲକ୍ଷଣୀ ପ୍ରାୟେ ଦଣ୍ଡ ଭୋଗୁଛି ଜାଣି । ଉଭୟ କୁଳର ମୂଳ ବୁଡ଼ାଇଛି ସେବିଲି ବିରାଟ ନାରୀକି କେତେ ।। କୀଚକ କଥା ପାପିଷ୍ଠ କୀଚକ କଥା, ମନେ ପଡ଼ିଲେ ଏକାଳେ ହଜଇ ଚେତା । ଗାନ୍ଧାରୀ ନନ୍ଦନ ନିଧନ ଦେଖିଲେ ଭୁଲିବି ତା ବଇ ଭାଷଇ ଗୀତେ ।

 

ଭୀମ–      କୃଷ୍ଣା ! ହୃଷ୍ଟ ଚିତ୍ତେ ଥାଅ ନିଜ ବାସେ ।

ଶିଖଣ୍ତୀ ଧୃଷ୍ଟଦ୍ୟୁମ୍ନକୁ ଘେନି ସଙ୍ଗତରେ

ବିନାଶିବି ମୁଁ ଆଜି ରଣେ କୌରବ ବାହିନୀ ।

ଧରାରୁ କୌରବ ନାମ ଆଜି ହେବ ଲୋପ

ଘୁଞ୍ଚିବ ତୋ ହୃଦୁଁ ସନ୍ତାପ

ନିଶ୍ଚିନ୍ତ ଚିତ୍ତରେ ରହିଥିବ ଅନ୍ତଃପୁରେ

ସହଦେବ ପଥ ଅନୁସରି

ଏହି ଶୁଣ ରଣସ୍ଥଳେ ଶୁଭେ କୌରବଙ୍କ ହୁରି ।

(ଉଭୟେ ପ୍ରସ୍ଥାନ)

କେଳା-କେଳୁଣୀ

[କେଳା–ଗୀତ]

କେଳା–      ଝିମିଟି ଖେଳରୁ ମହାଭାରତ ଲୋ

      ହାଣ କାଟ ଗଡ଼ାଗଡ଼ି ।

ଧରମ ଯାହାର ଜୟ ତାର ହେବ

      ଅଧର୍ମକୁ ଚଡ଼ଚଡ଼ି ଲୋ

ମୋର ଚନ୍ଦ୍ରବଦନା । ଥରେ ନନ୍ଦିଘୋଷକୁ ତୁ ଅନା ।।

କେଲୁଣୀ–ବସିଛନ୍ତି ରଥେ କୃଷ୍ଣ ଅର୍ଜ୍ଜୁନ ରେ

      ବାଜେ ଶଙ୍ଖ ଦେବଦତ୍ତ

ଗାଣ୍ତୀବ କାର୍ମୁକ ଟଙ୍କାରେ ଅର୍ଜ୍ଜୁନ

      ଯୋଡ଼େ ଅସ୍ତ୍ର ପାଶୁପତ ରେ

ଓଠ କାମୁଡ଼ି ଭୀମ । କରୁଅଛି କୌରବଙ୍କୁ ତମ ରେ ।

କେଳା–      ଯୁଦ୍ଧ ନୁହେଁ ଏତ ମରଣ ଲହରୀ

      ମେଲି କରାଳ ରସନା

ଧାଇଁଅଛି କାଳ ବିକଟାଳ ବେଶେ

ଗ୍ରାସ କରିବାକୁ ସିନା ରେ

କର୍ଣ୍ଣାର୍ଜ୍ଜୁନ ସମର, ଅଟେ ଦେବତାଙ୍କୁ ଅଗୋଚର ଲୋ ।

କେଲୁଣୀ– ଛକାଛକି ହୋଇ ଭୀମ ଦୁଃଶାଦନ

କାଟୁଛନ୍ତି ପଇଁତରା

ଭେଟାଭେଟି ମାତ୍ରେ ପିଟାପିଟି ହେବେ

ଜ୍ଞା‌ନ ନ ରହିବ ପରା ରେ

ହେବ ବିଷମ ଗୋଳ, ଅଧରମର ପୂରିବ କାଳ ରେ ।।

କେଳା–      ଆମେ କ୍ଷୁଦ୍ରଜୀବ ଆଲୋ ରସବତୀ

      ଯୁଦ୍ଧ ରୀତି କି ଜାଣିବା

ପେଟ ପୋଷିବାକୁ ବାର ଦ୍ୱାର ବୁଲି

      ଭିକ ମୁଠିଏ ଆଣିବା ଲୋ,

ଚାଲ କେଲୁଣୀ ମୋର, ବିପ୍ର ବଇଷ୍ଣବର ଏ ଗୀର ଲୋ ।

(ପ୍ରସ୍ଥାନ)

 

 

ଦ୍ୱିତୀୟ ଅଙ୍କ

[ପ୍ରଥମ ଦୃଶ୍ୟ]

(ରଣଭୂମି)

[କୃଷ୍ଣାର୍ଜ୍ଜୁନ ନନ୍ଦିଘୋଷେ ପ୍ରବେଶ]

କୃଷ୍ଣ–      ଏହି ଦେଖ ପାର୍ଥ !

ଆସେ କର୍ଣ୍ଣ ରଥ ଏଣେ ଉତ୍ତର ଦିଗରୁ ।

ଅର୍ଜ୍ଜୁନ–      କର୍ଣ୍ଣ ରଥୀ, ଶଲ୍ୟ ତା ସାରଥି      

ହରି ! ଯେବେ ନ ପାରିବି କି କରିବି କହନ୍ତୁ ଆଗରୁ ।

କୃଷ୍ଣ–      ରେ ଅର୍ଜ୍ଜୁନ !

ଦେଖିଲେ ମୁଁ ତୋତେ ହୀନବଳ

ଚକ୍ର ପେଶି କର୍ଣ୍ଣ ଶଲ୍ୟ ଶିରକୁ ହାଣିବି ।

ଅର୍ଜ୍ଜୁନ–      ଯଦୁନାଥ !

ଏହା କଲେ ପାଣ୍ତବରକ୍ଷଣ ନାମ ସତ୍ୟ ମୁଁ ମଣିବି ।

କୃଷ୍ଣ–      ହେ କିରୀଟୀ ! ତୁମ୍ଭେ ପାଣ୍ତବେ ମୋହର ଅଟ ପଞ୍ଚପ୍ରାଣ

ଅର୍ଜ୍ଜୁନ–      ସେ ନିମନ୍ତେ ପଡ଼ା ମାଗିଯାଇ

ପ୍ରଭୁ ଭୋଗିଅଛ ବହୁତ କଷଣ ।

କୃଷ୍ଣ–      ଶୁଣ ଧନଞୟ ! କୌରବେ କି ଛାର

ପାଣ୍ତବ ବିପକ୍ଷ ବ୍ରହ୍ମା ଶିବ ହେଲେ ସୁଦ୍ଧା

ନିଶ୍ଚେ ତାଙ୍କର ଘେନିବି ମୁଁ ଜୀବ ।

ଅର୍ଜ୍ଜୁନ–      ଜଗନ୍ନାଥ !

ଏହି ଦେଖ ନିକଟ ହେଲାଣି କର୍ଣ୍ଣ ରଥ

ଦେବଦତ୍ତ ଶଙ୍ଖ ନାଦ କର ସଖା ବେଗେ ।      

[ଦେବଦତ୍ତ ଶଙ୍ଖ ଧ୍ୱନି ]

[କର୍ଣ୍ଣ ରଥାରୋହଣ କରି ପ୍ରବେଶ]

ଶଲ୍ୟ–      କର୍ଣ୍ଣ ! ଦେଖ ତୁମ୍ଭ ରଥ କଲି ନନ୍ଦିଘୋଷ ଆଗେ ।

କର୍ଣ୍ଣ–      ରେ ଅର୍ଜ୍ଜୁନ ! ସମ୍ଭାଳ ଏ ବାଣ ପ୍ରାଣ ଘେନିବ ତୋ ନିଶ୍ଚୟ ।

(ବାଣ ପ୍ରୟୋଗ)

ଅର୍ଜ୍ଜୁନ–      ଏଇ ଦେଖ ମୂର୍ଖ କର୍ଣ୍ଣ !

ବାୟବାସ୍ତ୍ରେ ରଥ ତୋର ଉଡ଼ାଇବ ପାର୍ଥ !

[ଅସ୍ତ୍ର ପ୍ରୟୋଗ ଓ କର୍ଣ୍ଣ ରଥ ପଛକୁ ହଟିବା]

କର୍ଣ୍ଣ–      ହେ ଶଲ୍ୟ ସାରଥି !

କାହିଁକି ପଛକୁ ମୋର ଶଏ ବେଢ଼ା ଘୁଞ୍ଚିଗଲା ରଥ ?

ଶଲ୍ୟ–      ତାହା ଜାଣେ ରଥୀ, ପ୍ରତିଅସ୍ତ୍ର ନ କଲୁ କିମ୍ପାଇ ରାଧାସୁତ ?

କର୍ଣ୍ଣ–      ରେ ଅର୍ଜ୍ଜୁନ ! ମଣିଛୁ କି ଦ୍ରୋଣ ପରି ମୋତେ ?

 

 

 

 

(ଗୀତ)

[ହେ ଅବନୀପତି– ବୃତ୍ତେ]

ନିର୍ଲଜ୍ଜ ଅର୍ଜ୍ଜୁନ ତୋତେ ମାଡ଼ୁ ନାହିଁ ଲାଜ । କର୍ଣ୍ଣ ସମ୍ମୁଖରେ ପୁଣି କାଢ଼ୁଛୁ ପହିଜ । ନୁହେଁ ଦ୍ରୋଣ ମୁହିଁରେ, କୌଶଳେ ନାଶିବ ମିଛ କହି ରେ । କପଟେ କଲୁ ଯେମନ୍ତ ଜୟଦ୍ରଥ ବଧ । ଛଳେ ଶୀଖଣ୍ତିକି ରଥେ ବସାଇ ଅବୋଧ, ଭୀଷ୍ମ ଶରଶାୟୀରେ କରାଇଲୁ କପଟେ ବିଜୟୀ ରେ ।। ନପୁଂସକ ଦେଖି ଅସ୍ତ୍ର ଫିଙ୍ଗିଲେ ଗାଙ୍ଗେୟ । କେବଳ କୂଟ କପଟେ କଲୁ ରଣ ଜୟ । ଏ ପାମର ହରି ରେ, ସେ ମନ୍ତ୍ରଣା ସରବ ତାହାରି ରେ ।। ରେ ବାସବ ବାଳ କାଳ ବଶେ କର୍ଣ୍ଣ ଆଗେ । ପଡ଼ିଲୁ ଗାଣ୍ତୀବ ଧରି ଲଢ଼ ମୋର ସଙ୍ଗେ । ଜ୍ଞାନ ହଜି ଯିବ ରେ, ରସେ ଭାଷେ ବଇଷ୍ଣବ ଦ୍ୱିଜ ରେ ।।

 

(କଥା)–      ରେ ଅର୍ଜ୍ଜୁନ ! ଏଡ଼ିକି ନିର୍ଲଜ୍ଜ ତୁହି

କାହା ପାଶେ ଦେଖାଉ ଏ ବଡ଼ିମା ତୋହର,

ନୁହେଁ ମୁହିଁ ଭୀଷ୍ମ, ଶିଖଣ୍ତିକି ଆଗେ ରଖି

ଦେବୁ ଶରମୁଖେ ! ଦ୍ରୋଣଙ୍କୁ ଯେପରି

ମିଥ୍ୟା ବଚନେ ଭୁଲାଇ ବିନାଶିଲୁ ଧୃଷ୍ଟଦ୍ୟୁମ୍ନ ଦ୍ୱାରା,

କପଟେ ଯେମନ୍ତେ କଲୁ ଜୟଦ୍ରଥ ନାଶ,

ସେପରି ତୁ ଭାବ ନା କର୍ଣ୍ଣକୁ ।

କପଟୀ ଶ୍ରୀକୃଷ୍ଣର ସମସ୍ତ କପଟ

ଜଣାଅଛି ମୋତେ ।

ଏଠାରେ ମନ୍ତ୍ରଣା ତା’ର ତିଳେ ନ ଖାଟିବ,

ଆଜି ନେବି ନିଶ୍ଚେଁ ପରାଣ

ହରି ହର ସର୍ବେ ଆସିଲେ ଏଠାକୁ

ରଖି ନ ପାରିବେ କେହି ପରାଣ ତୋହର ।

ଧର ବେଗେ ଗାଣ୍ତୀବ କାର୍ମୁକ,

ଅର୍ଜ୍ଜୁନଶୂନ୍ୟ କରିବି ଆଜି ଧରା ବକ୍ଷ !

ଅର୍ଜ୍ଜୁନ–      ରେ ଅଲାଜୁକ କର୍ଣ୍ଣ !

ବୃଥା ବାକ୍ୟେ କାଳକ୍ଷେପ କରୁ କାହିଁ ପାଇଁ

ଶକ୍ତିର ପରୀକ୍ଷା କ୍ଷେତ୍ର ଏହି, ଏ ସୂର୍ଯ୍ୟାବଳୀ ଶର–

       [ରଣବାଦ୍ୟ– ଶର ପ୍ରୟୋଗ– ଯୁଦ୍ଧ କରୁ କରୁ ପ୍ରସ୍ଥାନ]

(ଅପର ଦିଗୁ ଶଲ୍ୟ କର୍ଣ୍ଣ ପ୍ରବେଶ)

କର୍ଣ୍ଣ–      ଶୁଣ ଶଲ୍ୟ,

ରଥ କିମ୍ପା ଘୁଞ୍ଚିଲା ପଛକୁ ଶତେ ହସ୍ତଟି ମୋହର ?

ଶଲ୍ୟ–      ମୂର୍ଖ କର୍ଣ୍ଣ ! ତୁ କାହିଁ ଜାଣିବୁ ରଥ ସଂଚାଳନ ମାର୍ଗ ।

ଘୁଞ୍ଚି ନ ଥିଲେ ତୋ ରଥ ଛିଡ଼ିଯାଇଥାନ୍ତା ରଣସ୍ତମ୍ଭ

ଏହି ଟେକିଲି ମୁଁ ନନ୍ଦିଘୋଷ ଆଗେ ।

(ସହସା କୃଷ୍ଣାର୍ଜ୍ଜୁନ ପ୍ରବେଶ)

କର୍ଣ୍ଣ–      ରେ ଇନ୍ଦ୍ରନନ୍ଦନ ! ସମ୍ଭାଳ ମୋ ଶତେକ ନାରାଚ ।

ଅର୍ଜ୍ଜୁନ–      ଦେଖ ପଞ୍ଚବିଂଶ ବାଣେ

ଛେଦିବି ତାହା ମୁଁ ।        (ଉଭୟେ ଯୁଦ୍ଧ କରୁ କରୁ ପ୍ରସ୍ଥାନ)

(ବେଗେ ଦୁର୍ଯ୍ୟୋଧନର ପ୍ରବେଶ)

ଦୁର୍ଯ୍ୟୋଧନ- (ସ୍ୱଗତଃ) ଓଃ ହୋ !

ଏକି ଅଦ୍‌ଭୁତ କାଣ୍ତ ହେଲା ଉପସ୍ଥିତ

ବାୟୁଘାତେ ଧୂଳି ଉଡ଼ି ରବି ରଥ ହୋଇଲା ଅଦୃଶ୍ୟ

ରଣଭୂମେ ନ ଦିଶନ୍ତି ଗଜ ଅଶ୍ୱ ରଥୀ

ନାହିଁ ମେଘ ନୁହେଁ ବର୍ଷା ଋତୁ

ଏଡ଼େ ବଡ଼ ବାୟୁ ବେଗ ଜାତ ହେଲା କେହ୍ନେ ?

ଦୂତ–      (ଅସ୍ତବ୍ୟସ୍ତେ ପ୍ରବେଶି)

ମହାରାଜ ! ରକ୍ଷା ନାହିଁ ଆଉ ରକ୍ଷା ନାହିଁ,

ସବୁ ସରିଲା, ସବୁ ସରିଲା,

କର୍ଣ୍ଣ ଅର୍ଜ୍ଜୁନଙ୍କ ଯୁଦ୍ଧକାଳେ

ଦକ୍ଷିଣ ଦିଗରୁ ଭୀମ ହୋଇଲା ପ୍ରବେଶ

ପଥେ ଭେଟ ହୋଇଲେ କଳିଙ୍ଗ ସେନାଥାଟ

ଭୀମାକୁ ଚିହ୍ନାଇ ଦେଲା ସହଦେବ ମନ୍ତ୍ରୀ

ଏହି ଅଟେ କଳିଙ୍ଗ ନୃପତି, ତହିଁ ବିଶ୍ୱମୂର୍ତ୍ତି ଧରି,

ବୁଲାଇଣ ବାଉନ ଭାର ଗଦା ବେନି କରେ

କଳିଙ୍ଗ ସେନା ବାହିନୀ ପକାଇଲା ମନ୍ଥି ।

ତହୁଁ ତବ ଶତାନୋଇ ଭ୍ରାତ

ଭୀମକୁ ଘେରିଲେ ସର୍ବେ ରେରେକାର କରି ।

ମାରନ୍ତେ ପରିଘ ଗଦା ମୁଦ୍‌ଗର ଶାବେଳି

ବୃକୋଦର ଦେହେ ବାଜି ସର୍ବ ହେଲେ ଧୂଳି ।      

ଆଗେ ପଡ଼ିଲେ ରଣରେ ତୁମ୍ଭ ଭ୍ରାତା ଦୁର୍ଜ୍ଜୟ ଦୁରାପଦ

ତାହା ଦେଖି ପଳାବନ୍ତେ ଆନ ଭାଇମାନେ

ପଛରୁ ଗୋଡ଼ାଇ ଭୀମା ସମସ୍ତଙ୍କୁ ପକାଇଲା ମାରି ।

ହାୟ, ହାୟ, ଦେଖୁ ଦେଖୁ କି ନ କଲା ଭୀମା

ନୁହେଁ ଭୀମ ନିଶ୍ଚେଁ ସେହି ଯମ ଅନୁଚର ।

ଦୁର୍ଯ୍ୟୋ–      ହାୟ ହାୟ ହାୟରେ କପାଳ !

ଓଃ, ଫାଟିଯାରେ ହୃଦ ।

ଦେଖୁ ଦେଖୁ କର୍ଣ୍ଣର ପ୍ରଥମ ଦିନ ରଣେ

ଶତାନୋଇ ଭାଇଙ୍କି ମୋ ମାଇଲା ମାରୁତି ? ଓଃ, ହସ୍ତ ପଦ ନ ଚଳଇ ଆଉ ।

 

(ଗୀତ)

[ଧୀରେ ରାଧା କର ଧରି – ବୃତ୍ତେ]

କି କଲୁ ମନ୍ଦ ଦଇବ କି କଲୁ କିକଲୁ ରେ । ଅନ୍ଧ ନନ୍ଦନକୁ ଛନ୍ଦ ପଣେ ମରାଇଲୁ ରେ ॥ ଶତାନୋଇ ଭ୍ରାତୃବଧୂ ରାଣ୍ତ କରାଇଲୁ ରେ । ଦାଣ୍ତେ ମୁଣ୍ତକୋଡ଼ି ନେତ୍ରୁ ଲୁହ ଝରାଇଲୁ ରେ । ହସ୍ତିନା କଟକେ ଯାଇ ଚାହିଁବି କା ମୁଖ ରେ । ପୂରିଥିବ ସର୍ବତୁଣ୍ତେ ଆହା ଆହା ଡାକ ରେ । ପଡ଼ିଥିବ ସ୍ୱର୍ଣ୍ଣ ଚୂଡ଼ି ଝଡ଼ି ଚାରିପାଖ ରେ । ଅଶ୍ରୁନୀରେ ରସାଧୂଳି ହୋଇବଣି ପଙ୍କ ରେ । ଫିଟି କେଶ ବାସ କାର ଲୋଟଇ ତ ମହୀରେ । କେହୁ ବିବସନେ ଗଡ଼ୁଥିବ ଡାକି ବିହି ରେ ॥ ଛିଣ୍ତାଇ ରୁଣ୍ତାଇ ହାର ଫିଙ୍ଗୁଥିବ କେହି ରେ । ପଡ଼ିଥିବ ଗଜମୋତି ଗୋଟି ଗୋଟି ହୋଇ ରେ ।। ଉଆଁସ ଅନ୍ଧାର ଘୋଟିଥିବ ଉଆସରେ ରେ । ପଶିବି ରସି ତହିଁରେ କେଉଁ ସାହସରେ । ମୋଠାରୁ ହୀନ ପାପିଷ୍ଠ ନାହିଁ କେ ସଂସାରେ ରେ । ରଖିବି ଜୀବନ ଆଉ କାହା ଭରସାରେ ରେ । ସମସ୍ତଙ୍କ ଆୟୁ ସରିଲା କି ଏକା ବେଳେ ରେ । ସାଙ୍ଗ ହୋଇ ଗଲେ ଭାଇମାନେ କାଳ ଆଳରେ, ଭୀମ ଯମ ହେଲା ଜାଣିଲି ମୁଁ ଏତେ କାଳ ରେ । କ୍ଷମା ନାହିଁ ତା’ ହୃଦରେ ବଇଷ୍ଣବ ଭାଳେ ରେ ।।

ଦୂତ–ମହାରାଜ ! ଧୈର୍ଯ୍ୟ ଧରନ୍ତୁ । ଚାଲନ୍ତୁ ଦୁଃଶାସନ କର୍ଣ୍ଣସହ ନିଜ ଜୀବନ ରକ୍ଷାର ଉପାୟ କରିବା । ଯେ ପର୍ଯ୍ୟନ୍ତ ନିଜ ଜୀବନ ରହିବାର ଠିକଣା ନାହିଁ, ଅନ୍ୟ ଲାଗି ଭାବୁଛନ୍ତି କ’ଣ ? ଚାଲନ୍ତୁ ।

(ଉଭୟେ ପ୍ରସ୍ଥାନ)

[ଶ୍ରୀକୃଷ୍ଣଙ୍କ ସହ ଭୀମର ପ୍ରବେଶ]

ଶ୍ରୀକୃଷ୍ଣ–      ଧନ୍ୟ ବୃକୋଦର ! ତୁମ୍ଭର ଅତୁଳ ବିକ୍ରମ ଦେଖି ମୁଁ ଆଜି ସନ୍ତୁଷ୍ଟ ହେଲି । ତୁମ୍ଭେ ଆଜି ଯୁଦ୍ଧରେ ଅୟୁତେକ ରଥ, ପାଞ୍ଚ ଅୟୁତ ହସ୍ତୀ, ତିନି କୋଟି ଅଶ୍ୱ, ସାତ ଅକ୍ଷଉଣୀ ପଦାତି ଏମାନଙ୍କୁ କର୍ଣ୍ଣର ପ୍ରଥମ ଯୁଦ୍ଧରେ ବିନାଶ କଲ । ଏମାନଙ୍କୁ ଏକାଠି କରି ଗଣନା କଲାବେଳେ ଦେଖିଛ ତ ଦୁଃଶାସନ ଶବକୁ ?

ଭୀମ–      ଯାଦବେନ୍ଦ୍ର ! ମୁଁ ଗୋଟି ଗୋଟି କରି ସବୁ ଶବଯାକ ଖୋଜିଲି, କିନ୍ତୁ ଦୁଃଶାସନକୁ ତା’ ଭିତରେ ପାଇଲି ନାହିଁ ।

ଶ୍ରୀକୃଷ୍ଣ–      ଭୀମ ! ଆଜି ରଣରେ ଦୁର୍ଯ୍ୟୋଧନ ଦୁଃଶାସନକୁ ଘେନି ପଳାଇଗଲା । ଦୁଃଶାସନ ମରି ନାହିଁ ।

ଭୀମ–      ଚକ୍ରୀ ଚୂଡ଼ାମଣି ! ତୁମ୍ଭେମାନେ ସମସ୍ତେ ଯାଅ, ମୁଁ ଆଜି ଗୃହକୁ ଯିବି ନାହିଁ । ଦ୍ରୌପଦୀ ମୁଖକୁ ଚାହିଁବାକୁ ମୋତେ ଲଜ୍ୟାବୋଧ ହେବ । ମୁଁ ଆଜି ଦୁଃଶାସନକୁ ମାରି ତା’ର ବେଣୀ ବାନ୍ଧିବାକୁ ପ୍ରତିଜ୍ଞା କରି କହି ଆସିଥିଲି । ଆଉ ତା’ର କଟୁ ବାକ୍ୟ ସହି ପାରିବି ନାହିଁ । ମୁଁ ଏ ରଣଭୂମିରେ ଏକାକୀ ରହିବି । ତୁମ୍ଭେ ସମସ୍ତେ ଯାଅ । ଦୁଃଶାସନକୁ ନ ମାରି ମୁଁ କେବେ ରଣରୁ ଫେରିବି ନାହିଁ ।

ଶ୍ରୀକୃଷ୍ଣ–      ବୃକୋଦର ! ତୁମ୍ଭେ ଏପରି ପ୍ରତିଜ୍ଞା କଲ କାହିଁକି ? ମୁଁ ଜାଣେ, ତୁମ୍ଭର ଶହେ କଥାରେ ପଚାଶ ମିଛ ଥାଏ । ଆଜି ଦୁଃଶା ମରିଥିଲେ ଦ୍ରୌପଦୀର ବହୁକାଳର ଆଶା ପୂରିଥାନ୍ତା । ସେଥିପାଇଁ ଭାବ ନାହିଁ– କାଲି ସେ କାର୍ଯ୍ୟ ବଳାଇବ ନାହିଁ । ଆସ, ମୋ ସଙ୍ଗରେ ଆସ ।      [ଭୀମର ହସ୍ତ ଧରି ପ୍ରସ୍ଥାନ]

 

[ଦ୍ୱିତୀୟ ଦୃଶ୍ୟ]

(ଯୁଦ୍ଧଭୂମି)

[ଦ୍ରୌପଦୀ ଅର୍ଘ୍ୟହସ୍ତେ ଦଣ୍ତାୟମାନ]

ଦ୍ରୌପଦୀ–(ଦୂରେ ଭୀମ, କୃଷ୍ଣ ଓ ଅର୍ଜ୍ଜୁନକୁ ଦେଖି ସ୍ୱଗତଃ)

ଜଣାଯାଉଛି ଆଜି ଯୁଦ୍ଧରେ ପାଣ୍ତବ ପକ୍ଷର ଜୟ ହୋଇଛି । ତା’ ନ ହେଲେ ସମସ୍ତଙ୍କ ମୁଖ ହର୍ଷରେ ପୂରି ନ ଥାନ୍ତା । ତେବେ ଦେଖୁଛି ଏକା ଭୀମ ମଳିନ କାହିଁକି ! ଏହିକ୍ଷଣି ସବୁ ଜଣାପଡ଼ିବ ।

(ଭୀମ ଓ ଅର୍ଜ୍ଜୁନ କୃଷ୍ଣ ସହ ପ୍ରବେଶ)

      କୁହ କୃଷ୍ଣ, ଆଜି କିମ୍ପା ଏତେ କାଳ ହୋଇଲା ବିଳମ୍ୱ ? କାହାକୁ ସମରେ ଆଜି କରିଲ କି ନାଶ ? ସେହି କଥା କହି ମୋର ମନ କର ତୋଷ ।

ଶ୍ରୀକୃଷ୍ଣ–      ଶୁଣ ଦ୍ରୁପଦ ନନ୍ଦିନୀ । ତୁମ୍ଭ ଉପକାର କରିଛନ୍ତି ଭୀମସେନ । ମୋତେ ନ ଦେଇଣ ଅର୍ଘ୍ୟ ତାଙ୍କୁ ଦିଅ ଗୋ ବହନ । ମାରିଛନ୍ତି ଦୁର୍ଯ୍ୟୋଧନର ଶତାନୋଇ ଭ୍ରାତ, କଳିଙ୍ଗ ସେନାର ନବଲକ୍ଷ ହସ୍ତୀ, ସାତ ଅକ୍ଷଉଣୀ ପଦାତି । କେବଳ ଅଛନ୍ତି ଦୁଃଶାସନ, ଦୁର୍ଯ୍ୟୋଧନ । ଅନ୍ଧକାର ହୋନ୍ତେ ରଣଭୂଇଁ, ଦୁହେଁ ଲୁଚି ଗଲେ ସେ ପଳାଇ । ଅଦ୍ୟ ରଣେ ପଡ଼ିଥିଲେ ଦୁଃଶାସନ ଆଗେ, ବାନ୍ଧିଥାନ୍ତେ ତବ ବେଣୀ ପାବନୀ ସରାଗେ ।

 

(ଦ୍ରୌପଦୀ ଗୀତ)

[ଆଜି ଜଣାଉଛି ଭାଇମାନଙ୍କୁ– ବୃତ୍ତେ]

ହଟହଟା ମୋ ଫଟା କପାଳ ହେ କାଳକାଳକ ଯାଦବପାଳ ॥ ପଦ ।। ମାଳମାଳ ସମରେ ବାଳକ, ବଞ୍ଚି କରୁଛନ୍ତି କଉତୁକ, ଏକା ଅଭିମନ୍ୟୁ ମୋ ଦୁଲାଳ ହେ, ଜୀବ ତେଜି ଗଲା କାଳ ଆଳ । ଘଟୋତ୍କଚ ଘଟୁକାଦି ରଣେ, ମଲେ ମୋ ପିତା ତୁଲେ ପରାଣେ ॥

 

ଧରି ଅଙ୍ଗେ ଶତସିଂହ ବଳ ହେ, ନାହିଁ ଏ ପାଞ୍ଚ ଭାଇଙ୍କର ଛଳ ॥

ମିଛେ କରୁଥାଆନ୍ତି ବଡ଼ାଇ, ଯେବେ ଟାଣ ପଡ଼ଇ ଲଢ଼ାଇ,

କେଣେ ହୁଡ଼ି ଯାଏ ବାହୁ ବଳ ହେ, ଲୋଡ଼ୁଥାନ୍ତି କାହିଁ ଅଛି ବିଳ ॥

ନାଶି ନିର୍ଦ୍ଦୋଷୀଙ୍କୁ ବିନା ଦୋଷେ, କର ମାରୁଥାନ୍ତି ବସି ନିଶେ ॥

ବଇଷ୍ଣବ କଟାଳ ନ ଟଳ ହେ, ଦୁଃଶା ସିଂହ ଏମାନେ ଶୃଗାଳ ॥

 

(କଥା)–      ଯଦୁନାଥ ! ଭୀଷ୍ମଦେବ ଅଟନ୍ତି ଆମ୍ଭର ପିତାମହ

ଜୟଦ୍ରଥ ଭଗ୍ନୀପତି ଅଟେ ଏହାଙ୍କର

ଦ୍ରୋଣାଚାର୍ଯ୍ୟ ୟାଙ୍କ ଅସ୍ତ୍ରଗୁରୁ, ଦୁର୍ଯ୍ୟୋଧନ ଦୁଃଶାସନ ଭିନ୍ନ,

ଆନ ଭାଇମାନେ ତା’ର ଅଟନ୍ତି ନିର୍ଦ୍ଦୋଷୀ

ନିରୀହ ନିର୍ଦ୍ଦୋଷୀ ନିଜ ପକ୍ଷ ଲୋକ ମାରି

ବଡ଼ ଯଶ ଅରଜିଲେ ଏହା, ବୃଥା ପଣକରି ମାନି ଭୀମ କଥା

ମୁକୁଳା କରିଲି କେଶ ପନ୍ଦର ବରଷ

ସ୍ୱାମୀଥିଲା ନାରୀର କି ଅଟେ ଏହି ଦଶା

କାହିଁ ଦେଖିଅଛ ହେ ଶ୍ରୀହରି ?

 

ଭୀମ–      କୃଷ୍ଣା ! କୃଷ୍ଣା ! କହ ନାହିଁ କଟୁ ବାକ୍ୟ ଆଉ

ହେବ ଦୁଃଶାର ଅନ୍ତିମ ଦିନ– କିନ୍ତୁ

ପ୍ରାଣ ଭୟେ ତେଜିଣ କ୍ଷତ୍ରିୟ ନୀତି

ଆଜି ଲୁଚି ଗଲା ସେ ପଳାଇ ।

କରିଅଛି ସତ୍ୟ ଶତେବାର

କାଲି ରଣେ ତାର ଉପାଡ଼ିବି ଭୁଜ

ଯଦି ନ ପାରିବି ସତ୍ୟ ରକ୍ଷାକରି

ତେବେ ମୁହିଁ ଝାସିବି ଅନଳେ

ସାକ୍ଷୀ ରଖି କହୁଅଛି କମଳାକାନ୍ତଙ୍କୁ ।

ଦୁଃଶାସନ ଉତ୍ତପ୍ତ ଶୋଣିତେ କାଲି

ବନ୍ଧନ କରିବି ତୋର ମୁକୁଳା ବେଣୀକୁ ।

ପଛ କଥାମାନ ମନୁ ପୋଛରେ ବରାଙ୍ଗୀ

କାଲି ନିଶ୍ଚେଁ ମେଣ୍ଟାଇବି ମନସାଧ ତୋର ।

(ଗୀତ)

[ଯାଅ ଯାଅ ସଦନେ– ବୃତ୍ତେ]

ଚଳପାଙ୍ଗି ! କହନା ଆଉ ଛଳାଇ । ଦୁଃଶା ରଣରୁ ଲୁଚି ଗଲା ପଳାଇ ।।ପଦ।। ବାରଣଗମନା କାଲି ରଣରେ ତା’ର, ଓପାଡ଼ିବି ବେନି ଭୁଜ ସତ୍ୟ ମୋହର, ତା’ ନୋହିଲେ ମରିବି ଅଗ୍ନି ଜଳାଇ ।। ନିୟମ କରିଲି ସାକ୍ଷୀ ରଖି ଶ୍ରୀହରି । କାଲି ବନ୍ଧନ କରିବ ବେଣୀ ତୋହରି । ମନେପଡ଼ି ହୃଦ ହେଉଅଛି ଶୂଳାଇ ।। ଲୋଡ଼ୁ ଲୋଡ଼ୁ ପାପିଷ୍ଠକୁ ବୁଡ଼ିଲା ଦିନ । ମାଡ଼ି ଆସିଲା ସେକାଳେ ଅନ୍ଧାର ଘନ । ପଛ କଥାକୁ ମନୁ ଦିଅ ମିଳାଇ ।। ସୁଝୀନ ବସନା ସ୍ଥିରେ ଆଜିକ ରହ । କାଲି ନ ଦେଖିବି ତୋର ବିରସ ମୁହଁ । ବଇଷ୍ଣବ ଦମ୍ଭକୁ ନ ଦେ ଟଳାଇ।।

ଦ୍ରୌପଦୀ– ବୃକୋଦର ! ଛୁଇଁଣ ଅନଳ ସତ୍ୟ କର ତିନିବାର ।

ଭୀମ–      କରୁଛି ନିୟମ ସାକ୍ଷୀ ରଖି ବୈଶ୍ୱାନର ।

ଦ୍ରୌପଦୀ– ଚାଲ ସର୍ବେ କରିବ ମଣୋହି ।

ଭୀମ–       କେଉଁପରି ନିଶି ଯାଉ ପାହି ।      

(ସମସ୍ତଙ୍କ ପ୍ରସ୍ଥାନ)

[ତୃତୀୟ ଦୃଶ୍ୟ]

(ହସ୍ତିନା ରାଜପ୍ରାସାଦ)

(ଶକୁନି, ଦୁଃଶାସନ, ଦୁର୍ଯ୍ୟୋଧନ ଓ କର୍ଣ୍ଣର ପ୍ରବେଶ)

ଦୁର୍ଯ୍ୟୋଧନ– ଭାଇ ଦୁଃଶାସନ ! ମାମୁ ଶକୁନି ! ସଖା କର୍ଣ୍ଣ ! ଆଜି ଜାଣିଛି କୌରବଶୂନ୍ୟ ଏ ପୃଥିବୀ ହେବ । ବିଧବା ଭ୍ରାତୃବଧୂଙ୍କ ଶୋକ ଦେଖିଲେ କାହାର ପାଷାଣ ହୃଦୟ ନ କାନ୍ଦି ରହିବ ? ହାୟ ଏତେବେଳେ ପୁଣି ମୋର ପିତାମାତା ଶୋକାଶ୍ରୁ ନୟନରେ କହୁଛନ୍ତି ପାଣ୍ତବଙ୍କ ସଙ୍ଗେ ସନ୍ଧି ସ୍ଥାପନ କରିବାକୁ । ମାମୁଁ ! ଆଉ କି ସନ୍ଧି ! ସେ ବେଳ ଯାଇଛି । ଆଉ ଗୋଟିଏ କଥା ଶୁଣ –

 

(ଗୀତ)

[ସତେ ବୃନ୍ଦାବନେ– ବୃତ୍ତେ]

ବାଳୀକୁଳ ମିଳି ଆକୁଳ ହୃଦୟେ ଯେତେ ଦେଉଛନ୍ତି ଗାଳି ହେ । ଆଉ ଭାସୁଛନ୍ତି ଯେ କଟୁ ଭାରତୀ ମାମୁ କେ ପାରିବ କଳି ହେ ।।ପଦ।। ମଳିନ ବସନେ ମଳିନ ବଦନେ ଛିଣ୍ତାଇ ମୁକୁତା ମାଳି ହେ । ରାଣୀ ଭାନୁମତୀ ଆସି ମୋର କତି କେତେ ମତେ କଲା ଅଳି ହେ । ବୋଇଲା ପାଣ୍ତବେ ଦିଅ ପାଞ୍ଚ ପଡ଼ା ବିପଦ ନ ପଡ଼ୁ ବଳି ହେ । ତା’ ହିତ ବଚନ ନ ଶୁଣିଲି କାନେ ବାଜେ ଯେସନେ ବାଟୁଳି ହେ । ତେସନେ କାଟିଲା ଚିତ୍ତକୁ ସେ କଥା ନ ଲାଗୁ ଏ କୁଳେ କାଳି ହେ ॥ ସଖା ତୋ ବାହାକୁ ଆଶ୍ରା କରି କୁରୁମଣି ହୋଇଲା ଏଭଳି ହେ । ବଇଷ୍ଣବ ଭାଷ ବିପକ୍ଷେ ବିନାଶ ଆଜ ତ ଆମ୍ଭରି ପାଳି ହେ ।

 

ଶକୁନି–      ଭଣଜା ! ଭାଇ ମଲେ ବୋଲି ଭାବନା କରୁଛୁ- ଛି, ଛି, ତା’ ମନକୁ ଆଣିବୁ ନାହିଁ । ସେମାନେ ମଲେ ଭଲ ହେଲା, ଅଂଶୀଦାର କଟିଗଲେ । ପୁଣି ଦିନେ ରାଜ୍ୟପାଇଁ ଭାଇରେ ଭାଇରେ କଳହ ହୋଇଥାନ୍ତା । ତୁ ଯେ କହୁଛୁ କେବଳ ଆମେ ମରୁଛୁ ସେ ଜମା ମରୁ ନାହାନ୍ତି ତା’ ନୁହେଁ । ଆମେ ବହୁତ ବୋଲି ଜଣାପଡୁଛି । ସେ ପରା ଜମା ପାଞ୍ଚଟି ପୁଞ୍ଜି, ବାପ ! ଯେଉଁ ଦାଆରେ ଯେତେ ଦାଢ଼ ସେ ସେତେ ଘୋରି ହୁଏ । ସେ ପଛ କଥାକୁ ଭାବି ରଣ ଛାଡ଼ିବୁ ?

 

ଦୁର୍ଯ୍ୟୋ– ଯେପର୍ଯ୍ୟନ୍ତ ମୁଁ ଜୀବନରେ ଅଛି ସେ ପର୍ଯ୍ୟନ୍ତ କେବେ ହେଲେ ରଣ ଛାଡ଼ିବି ନାହିଁ । ହେଲେ ସେ ଭୀମକୁ ମାରିବ କିଏ ?

 

ଦୁଃଶା–      ଜ୍ୟେଷ୍ଠ ଭ୍ରାତ ! ମୁଁ ପ୍ରତିଜ୍ଞା କରୁଛି ନିଶ୍ଚେ ଭୀମକୁ ଆଜି ଯୁଦ୍ଧରେ ମାରିବି । ଦେଖିବି କେମନ୍ତେ ତାକୁ କୃଷ୍ଣ ଅର୍ଜ୍ଜୁନ ରକ୍ଷାକରିବେ । ସେ ପୁଣି ମୋତେ ମାରିବାକୁ ପଣ କରୁଛି !

ଦୁର୍ଯ୍ୟୋ–      ଭାଇ ଦୁଃଶାସନ ! ସେ କଥା ତୁଣ୍ତରେ ଧରନା ।

 

(ଗୀତ)

[ଭାଇ ଯିବୁ କେଣିକି– ବୃତ୍ତେ]

ଭାଇ ମାନି ମୋ ଭାଷା ନ ବଳା ଆଶା ତୁ ଭୀମର ସମରେ । ତୁହି ମୋର ଭରସା, ତୋ ବିନା ଜୀବ ନେବଟି ଯମରେ ।।ପଦ।। ଯେ ଦିନୁ ଦୁଃଶାସନ, କରିଛୁ ବିବସନ, ଆଣି କୃଷ୍ଣାକୁ ବଳେ ମୋ ସଭାତଳେ ହୃଦୟ ତମେ ରେ । ବାମ କରେ ତା’ କେଶ ଟାଣିଛୁ ବୋଲି ରୋଷ, ବେଣୀ ନ ବାନ୍ଧେ ବାଳ କରି ମୁକୁଳା ତୋ ମୃତ୍ୟୁ ସୁମରେ । ତୋର ଶୋଣିତ ଦେଲେ ପବନସୁତ, ସତୀ ବାନ୍ଧିବ ବାଳ ମତିରେ ଭାଳ ମରଧାମରେ ॥ ଭୁଲି ନ ଯିବ ଏହା କହିଲି ଯାହା ଯାହା, ରାହା ନାହିଁ ଜଗତରେ ତୋ’ ବିନା ମୋତେ ବଇଆ ସୁମରେ।

 

ଶକୁନି–      ବାପ ଦୁର୍ଯ୍ୟୋଧନ ! ସେ କଥା କହନା । ଅସଲ ସାବଧାନ– ସାବଧାନର ବିନାଶ ନାହିଁ । କାହିଁ ଦେଖୁଛୁ – ସହଦେବ ତ ମୋତେ ମାରିବାକୁ ପ୍ରତିଜ୍ଞା କରିଛି, ମାରିପାରୁ ନାହିଁ । ଅସଲ ଦଉଡ଼ ଧାପଡ଼ କରି ପାରିଲେ ତ ହେଲା । ଏ ଯେତେବେଳେ ଦୁଃଶାସନ, ୟାକୁ କି ସହଜେ ଭୀମ ଶାସନ କରିବ ? ଚାଲ, ଆଜି ଯେକୌଣସିମତେ ସମସ୍ତେ ଘେରି ଭୀମକୁ ମାରିବା ।

 

କର୍ଣ୍ଣ–      ସଖେ ! ଏହି ଶୁଣ ରଣଭେରୀ,

ଜଣାଯାଏ, ରଣସ୍ଥଳେ ପ୍ରବେଶିଲା ଆସି ନନ୍ଦିଘୋଷ ।      (ଜୟଧ୍ୱନି)

ଦୁର୍ଯ୍ୟୋଧନ– ମନ ମୋର ହୁଏ ଛନ୍ନ ସଖା,

କରିଛି ପ୍ରତିଜ୍ଞା ଭୀମ କାଲିର ସମରେ

ବିନାଶି ଦୁଃଶାସନକୁ ଶୋଣିତରେ ତା’ର

ପ୍ରକ୍ଷାଳିବ ଦ୍ରୌପଦୀର କେଶ ।

ତେଣୁ ମୋର ବଜ୍ରସମ ଆଣ୍ଟ ଏହି

ଅଟଳ ହୃଦୟ ଯାଉଅଛି ଦ୍ରବି ।

ଦୁଃଶାସନ ମୋର ନୟନ

ତାକୁ ରଣେ ଛାଡ଼ିବାକୁ ନ ବଳେ ମାନସ ।

କପଟୀ ଶ୍ରୀକୃଷ୍ଣ ଅଛି ପାଣ୍ତବ ସହାୟ

ପ୍ରକାଶି କୂଟ କପଟ ମତାଇ ଭୀମାକୁ

ଯଦି କରେ ଦୁଃଶାକୁ ନିହତ

ତେବେ ମୁହିଁ ବଞ୍ଚି ନ ପାରିବି ।

ଦକ୍ଷିଣ ବାହୁ ସେ ମୋର ଆଖିର ପ୍ରତିମା ।

 

ଦୁଃଶାସନ– ମନୁ ଚିନ୍ତା ତେଜ କୁରୁଈଶ !

ନୁହେଁ ଦୁଗ୍‌ଧପୋଷ୍ୟ ଶିଶୁ ମୁହିଁ,

ମହା ଶକ୍ତିଶାଳୀ ।

ବୀର ରକ୍ତେ, ବୀର ମାଂସେ, ବୀରର ଅସ୍ଥିରେ

ଗଢ଼ା ମୋ ଶରୀର ।

ଛାର ଏହି ଭୀମା ପରି ଶତ ଶତ ଭୀମାଙ୍କୁ

ମୁଁ ନ ଗଣେ ସମରେ

ସ୍ଥିର ହୋଇ ଦେଖ ତୁମ୍ଭେ କାଲି ମୋ ସମର ।

 

ଦୁର୍ଯ୍ୟୋଧନ– ଯେତେ ଯେ ପ୍ରବୋଧ ଦେଲେ

ନ ମାନେ ମୋ ମନ

ନ ଛାଡ଼ିବି ତୋତେ କାଲି ରଣେ ।

ଏକମାତ୍ର ଭରସା ତୁ ମୋର       

ତୋତେ ତେଜିଲେ ଜଗତ ଦିଶିବ ଅନ୍ଧାର

ଭୀମ ବୀର କ’ଣ ଛାଡ଼ିବରେ ତୋତେ ?

 

ଶକୁନି–      ଭଣଜା ! ଶିକାର ବେଳେ କୁକୁର ଝାଡ଼ା ଫେରିଗଲା ପରି ଠିକଣା ସମୟରେ ତୁ ଯେବେ ପଛଘୁଞ୍ଚା ଦେଉ, ତେବେ ରାଣ୍ତୀପୁଅ ପାଞ୍ଚଟା ରଥୀଙ୍କ ବହପ ବଢ଼ି ନ ଯିବ କାହିଁକି ? ଦୁଃଶାସନ କ’ଣ ପିଲାଟିଏ ହୋଇଛି ? ବୀରମାନଙ୍କ ଭିତରେ ମହାବୀର, ପୁଣି ମହାରାଜା ଦୁର୍ଯ୍ୟୋଧନଙ୍କ କନିଷ୍ଠ । ଛାର ଭୀମାଟା ତା’ର କ’ଣ କରିବ ? ପାଣି ତୋରାଣି ପିଇ ଫାଲୁଆ ଗଣ୍ତିଟେ ବୋହିଛି ବୋଲି ଡରିଯାଉଛୁ କି ? କିଛି ନୁହେଁ କିଛି ନୁହେଁ– ଭୀମାଟା ସୁଦ୍‌ ପେଟୁଆଟା । ଆମ ଦୁଃଶାସନ କାଲି ତାକୁ ସାବାଡ଼ କରିଦେବ । ନୋହିଲେ ବେଳକୁ ସମସ୍ତେ ମିଶି କାଲି ତାକୁ ଅଭିମନ୍ୟୁ ଭଳିଆ ବାଟିଦେବା ।      

 

ଦୁର୍ଯ୍ୟୋଧନ– ଯାହା କିଛି କର ହେ ମାତୁଳ !

କିନ୍ତୁ ଦୁଃଶାସନ ପାଖ ନ ଛାଡ଼ିବ ।

କର୍ଣ୍ଣ–      ଚିନ୍ତା ନାହିଁ ସଖା !

କାଲି ନିଶ୍ଚେ ଅପାଣ୍ତବା ହୋଇବ ଧରଣୀ ।

ଶତ ଶତ କୃଷ୍ଣ ଯେବେ ଆସି ରଣାଙ୍ଗନେ

ଚେଷ୍ଟା କରିବେ ପାର୍ଥର ପ୍ରାଣ ରଖିବାକୁ

ତେବେ ତାହା ହୋଇବ ବିଫଳ ।

ଦୁଃଶାସନ ପାଇଁ ତୁମ୍ଭେ ନ ହୁଅ ଚିନ୍ତିତ

କର୍ଣ୍ଣ ସେନାପତି ଥାଉ ଥାଉ ବିଦ୍ୟମାନ

କେଶାଗ୍ର ତାହାର କେହି ସ୍ପର୍ଶି ନ ପାରିବେ ।

ଦୁର୍ଯ୍ୟୋଧନ– ଯଥାର୍ଥ ଏ ବୀର ବାକ୍ୟ ତବ

ଦୁର୍ବଳ ମୋ ହୃଦୟ କେଦାରେ

ସୁଧା ସମ ସୁଶୀତଳ ବାରି ।

ଯାଅ ସଖା, କର ଆୟୋଜନ

କାଲି ଅର୍ଜ୍ଜୁନ ବିନାଶେ ।

ଶକୁନି–      ବୋଲ ସର୍ବେ କୌରବଙ୍କ ଜୟ ।

(ପରେ ପରେ ସମସ୍ତେ ପ୍ରସ୍ଥାନ)

 

ଶବର ଶବରୁଣୀ ଡୁଏଟ୍‌

(ଶବର– ଗୀତ)

ରଣ ଝଣ ଝଣ ଅସ୍ତ୍ର ନିନାଦ ଲୋ

କାନ କରେ ରାଇଁଝାଇ ।

ତୋ ପ୍ରେମରେ ଘାରି ହୋଇ ଲୋ ଶବରୀ

ଅନ୍ଧାରରେ ଅଛି ଧାଇଁ ଲୋ

ଥରେ ଅଧର ପାନ । ଦେଇ ତୋଷ କର ମୋର ମନ ଲୋ ॥

(ଶବରୀ– ଗୀତ)

ତୋର ଲାଗି ମୋର ପ୍ରାଣ ଉଚ୍ଛନ୍ନ ରେ

ଘରେ ନ ଲାଗଇ ମନ,

ବାରମ୍ୱାର ଚାହିଁ ବଣ ଉହାଡ଼କୁ

ନେତ୍ରୁ ଢାଳେ ଅଶ୍ରୁବନ ରେ,

ମୋର ନବନାଗର । କେଳି ରସର ମହୁ ସାଗର ରେ ।।

(ଶବର– ଗୀତ)

ଲାଗିଛି ସମର ମରନ୍ତି ଜନ ଲୋ

ଜନ୍ଦା ପିମ୍ପୁଡ଼ିଙ୍କ ପରି

ବାଟେ ଦେଖି ଖାଲି କଟା ମୁଣ୍ତ ଗଣ୍ତି

ପରାଣ ଉଠୁଛି ଥରି ଲୋ,

ମୋର ସୁନା ଫରୁଆ । ପ୍ରେମ ପୀରତି କୁନ୍ଦ ମରୁଆ ଲୋ ।।

(ଶବରୀ– ଗୀତ)

ଯେହୁ ମଲା ଗଲା ମାଟିରେ ମିଶିଲା

ତା ମଉଜ ଗଲା ସରି

ବଞ୍ଚିଥିବାଯାଏ ଆମେ ଖେଳୁଥିବା

ପୀରତି ରସରେ ହୋରି ରେ,

ଆସ ମାତି ପ୍ରୀତିରେ । ମନ ହରିବା ଜହ୍ନ ରାତିରେ ରେ ।

(ଶବର– ଗୀତ)

(ତୋ) ଉଚ୍ଚ କୁଚରେ କରପଙ୍କଜ ଚାଳି

ଧନ୍ୟ ହେଉ ଏ ଜୀବନ

ଅଧର ମହୁଆ ଚାଖି ମୁଁ ନିଶାରେ

ଆନନ୍ଦ କରିବି ମନ ଲୋ,

ବଇ କହି ଗୀତରେ, କୋଳେ ଘେନି ଶୋଇବି ଶୀତରେ ଲୋ ॥

(ପ୍ରସ୍ଥାନ)

ତୃତୀୟ ଅଙ୍କ

[ପ୍ରଥମ ଦୃଶ୍ୟ]

(ରଣଭୂମି, କୃଷ୍ଣ ଅର୍ଜ୍ଜୁନ ନନ୍ଦିଘୋଷରେ ପ୍ରବେଶ)

କୃଷ୍ଣ–      ସାଧୁ ! ସାଧୁ !! ସାଧୁ !!! ଧନ୍ୟ ଧନ୍ୟ ଧନ୍ୟ ସୂର୍ଯ୍ୟସୁତ !

ସାତ ଭେଡ଼ା ଘୁଞ୍ଚାଇଲୁ ନନ୍ଦଘୋଷ ରଥ ।

ହେ ଅର୍ଜ୍ଜୁନ ! କି ହେତୁ ଅସ୍ତ୍ରଚାଳନା ନ କରୁ ଏ କାଳେ

ନୀରବ ହୋଇଣ କିବା ତେଜିଲୁ ଗାଣ୍ତୀବ ?

ଅର୍ଜ୍ଜୁନ-      ହେ କେଶବ, ସାତଥର ଘୁଞ୍ଚାଇଲି କର୍ଣ୍ଣ ରଥ ମୁହିଁ

ପ୍ରତ୍ୟେକ ଥରକେ ଶହେହସ୍ତ ପରିଯନ୍ତେ

ଏହାକୁ ପ୍ରଶଂସା ତିଳେ ନ କର ଶ୍ରୀହରି !

ମୋ ରଥକୁ କର୍ଣ୍ଣ ଘୁଞ୍ଚାବନ୍ତେ ସାତ ହାତ

ସେ ଯୋଗେ ପ୍ରଶଂସାପାତ୍ର ହେଲା ରାଧାସୁତ ?

କୃଷ୍ଣ–      ହେ ଅର୍ଜ୍ଜୁନ ! ନ ବୁଝି ନ ସୁଝି କିମ୍ପା ବୃଥା କରୁ କୋପ

ଅନ୍ୟାୟ ଭାବେ ଦେଉଛି ମୋତେ ସିନା ଦୋଷ,

ବୁଝାଇ ଦେଉଛି ତୋତେ ତହିଁର କାରଣ

ଆହେ ପଣ୍ତୁ ଶିଷ୍ୟ ।

 

(ଗୀତ)

[ଚନ୍ଦ୍ରବଦନା– ବୃତ୍ତେ]

ଶୁଣ ଅର୍ଜ୍ଜୁନ ରେ, କର୍ଣ୍ଣ ରଥ ତୁଳା ଗିରି ପରି । ତୋର ନନ୍ଦିଘୋଷ ଗୋଟିଏ ଚକକୁ ହେବ ନାହିଁ ସମସରି ।ପଦ। ମହା ମନ୍ଦରକୁ ଜିଣିକରି ଗରୁ ଅଟେ ଏ ତୋ ରହୁବର । ଚଉଦ ସହସ୍ର ବଳକୁ ବହିଛି ଧ୍ୱଜେ ବସେ ହନୁବୀର । ଚାରି ମେଘ ଚାରି ଚକ ହୋଇଛନ୍ତି ହେଜି ଦେଖ ହୃଦେ ତୁହି । ଆବର କୁବେର ଉମାବର ତୁଲେ ଦକ୍ଷିଣ କୋଣେ ବିଜୟୀ । ନଇର୍ଋତ କୋଣେ ବିଜେ ଦେଖ କରିଛନ୍ତି ଦିନମଣି । ପଶ୍ଚିମ କୋଣେ ସ୍ତମ୍ଭରେ ଜଳପତି ଅଛନ୍ତି ନ ପାରୁ ଜାଣି ।।

ଦେଖ ଚାରିଯୁଗ ଅଖ ଏ ସ୍ୟନ୍ଦନେ ଏମନ୍ତ ମହିମା ଯାର ।

ସେ ରଥକୁ କର୍ଣ୍ଣ ହଟାଇଲା ଧନ୍ୟ ନୋହିବ କି ବଇ ଗିର ॥

ପୁଣି ଦେଖ ଆରେରେ ଗାଣ୍ତୀବି !

ଗର୍ଭେ ମୋର ରହିଛି ଅଶେଷ ବ୍ରହ୍ମାଣ୍ତ

ମୁହିଁ ତୋର ଧରିଅଛି ଅଶ୍ୱରଜ୍ଜୁ ଜାଣ

ଏ ରଥର ଭାର ଅଟେ କେତେ ?

ଏମନ୍ତ ରଥକୁ କର୍ଣ୍ଣ ହଟାଇଲା ଯେଣୁ

ତେଣୁ କିମ୍ପା ନୋହିବ ପ୍ରଶଂସାର ପାତ୍ର ।      

ଯେବେ ନ ମାନେ ତୋ ମନ ତୁଣ୍ତ ବିସ୍ତାରୁଛି

କର ଗର୍ଭେ ମୋର ବିଶ୍ୱବ୍ରହ୍ମାଣ୍ତ ଦର୍ଶନ ।

ଅର୍ଜ୍ଜୁନ–      (ଗର୍ଭେ ବ୍ରହ୍ମାଣ୍ତ ଦେଖି) ଦୟାମୟ !

ତବ ମହିଁମା ଅଟଇ ଦେବେ ଅଗୋଚର

ମୁଁ କିସ କରିବି ଛାର ନର ତନୁ ବହି

ହେ ହରି ! ଦେଖିଲି ଉଦରେ ତବ

ପୂରିଅଛି ନଦୀ ହ୍ରଦ ଗିରି,

କାହିଁ ଲାଗିଅଛି ରାମାୟଣ, କାହିଁ କର୍ଣ୍ଣ ଅର୍ଜ୍ଜୁନର ଯୁଦ୍ଧ

ବର୍ଣ୍ଣି ନ ପାରିବି ତାହା ମୁଖେ ଚକ୍ରାୟୁଧ !

ଧରିଲି ଗାଣ୍ତୀବ ଚାଲ କରିବା ସମର ।       (କୃଷ୍ଣାର୍ଜ୍ଜୁନଙ୍କ ପ୍ରସ୍ଥାନ)

(କର୍ଣ୍ଣ ଯୁଧିଷ୍ଠିରର କେଶ ଧାରଣ କରି ପ୍ରବେଶ)

କର୍ଣ୍ଣ–      ରେ ରେ ପାଷଣ୍ତ ଭଣ୍ତ ଯୁଧିଷ୍ଠିର,

ବିରଥି ହୋଇଛୁ ଏବେ ପଳାଇବୁ କେଣେ ?

ରେ ପାମର ! କନିଷ୍ଠ ହୋଇଣ ଜ୍ୟେଷ୍ଠ ବୋଲାଉଛୁ ତୁହି

ଏହିକ୍ଷଣି ଛେଦିବି ତୋ ମୁଣ୍ତ ।

ରେ ନିର୍ଲଜ ! ମୋର କରୁ ଆଉ ତୋର ନାହିଁ ପରିତ୍ରାଣ

ତୁହି ମଲେ ଜ୍ୟେଷ୍ଠରେ ମୁଁ ହୋଇବି ଗଣନା ।

 

(ଗୀତ)

[ଆଜି ଘୋଷଣା ଶୁଣି– ବୃତ୍ତେ]

ଇଷ୍ଟ ଚିନ୍ତାକର ଯୁଧିଷ୍ଠି ତୋ ଇଷ୍ଟ ଯାଉ । ସ୍ପଷ୍ଟ କହିଲି ନାହିଁ ତୋ ଆୟୁ ବେଶି ଆଉ ।ପଦ। ଆସି କୃଷ୍ଣ ମୋ ହାତରୁ ତୋତେ ଦୁଷ୍ଟ ରକ୍ଷା କରୁ । ସେ ତ କୃଷ୍ଣଚନ୍ଦ୍ର ମୁହିଁ ତା’ର ରାହୁ । ଆରେ ରେ ବିରାଟ ଦରସ, ବୁଡ଼ାଇଲୁ ନିଜ ବଂଶ । ଦୁର୍ଯ୍ୟୋଧନ ବାଦୀ ହୋଇ ଚାହୁଁ ଚାହୁଁ ।। ବୃଥା ନ କର ଗର୍ଜ୍ଜନ, ଡାକ ରଖୁ ସେ ଅର୍ଜ୍ଜୁନ । ବର୍ଜ୍ଜନ କେ କରିପାରେ ଏଡ଼େ ଦାଉ । ସୁତ ତାତ ମାତ ବନ୍ଧୁ, ଅକାରଣେ କିମ୍ପା କାନ୍ଦୁ । ବଇ ବୋଲେ କିଏ ମୁଁ ତା ଜାଣି ନାହୁଁ ।

(କଥା)–      ଚିନ୍ତା କର ଶୀଘ୍ର ଇଷ୍ଟଦେବ ନାମ

ଆଜି ପୂର୍ଣ୍ଣ ହୋଇଛି କାଳ ।

      ଶ୍ରୀକୃଷ୍ଣ ବୋଲାଏ ପରା ବିଶ୍ୱର ପାଳକ

ଡାକ ତାକୁ, ସେହି ଆସି ରଖୁ ମୋ ହାତରୁ ।

ନରାଧମ ! ନିଜେ ନିଜର ଦୋଷରେ

ବୁଡ଼ାଇବୁ କୁଳ ।

ଦମ୍ଭ କରୁ ଯେଉଁ ପାର୍ଥ ଲାଗି,

ତାକୁ ଡାକ ସେହି ଆସି କରୁ ତୋତେ ରକ୍ଷା ।

ଯୁଧିଷ୍ଠିର– ହେ ରାଧେୟ ! ବାକ୍ୟ ତବ ଅଶନିରୁ ଆଣ୍ଟ

ବିନ୍ଧେ ମୋର ମରମେ ମରମେ ।

ଇଚ୍ଛା ଯଦି କାଟ ପଛେ ଏ ଶିର କମଳ

ଶୁଣାଅନା ଶ୍ରୀକୃଷ୍ଣଙ୍କ ନିନ୍ଦା ।

କର୍ଣ୍ଣ-      ଚିନ୍ତାକର ଇଷ୍ଟ ଦେବତାଙ୍କୁ ।

ଯୁଧିଷ୍ଠି-      ମାତା ଭୋଜରାଜ ସୁତା କୁନ୍ତୀଦେବୀ,

ଏ ବିପଦେ ରକ୍ଷାକର ଆସି ତୋ କୁମରେ

ଧର୍ମ ଅଂଶେ ଦେଇଣ ଜନମ, ଦେଇଥିଲ ଧର୍ମରାଜ ନାମ

ଏତେବେଳେ କର୍ଣ୍ଣ କରୁ ରକ୍ଷାକର ମୋତେ ।

ହେ କର୍ଣ୍ଣ ! କହୁଛି ଥରେ ମୁଁ ଶୁଣ ମୋହର ଭାରତୀ ।

 

(ଗୀତ)

[କହ କରୁଣା ସାଗର ହେ- ବୃତ୍ତେ]

ଶୁଣିଥାଅ ଅଙ୍ଗରାଟରେ ମାତା କୁଇନ୍ତା ଇଷ୍ଟ ମୋର । କାଟିଲେ କାଟ ତୁ ପଛେ ଏହି ଶିର ଭାଷନା କଟୁଗିର ।ପଦ। ଏ ବିପଦେ ନାହିଁ ଭରସା ଆନ, ଯା ଯୋଗେ ପାଳିତ ଏହି ଜୀବନ । ସେହି ମୋର ଯନ୍ତ୍ର ମନ୍ତ୍ର ତନ୍ତ୍ର ସବୁ ତାହାର ଏ ଶରୀର । ରଖିଲେ ରଖୁ ସେ ମାରିଲେ ମାରୁ, ଏ ସଂକଟେ କର୍ଣ୍ଣ ଆସି ତୋ କରୁ । ଦିଅ ନାହିଁ ଲାଜ ରେ ରାଧା ତନୁଜ ଏ ଜୀବ ନୁହେଁ ଚିର ।। ସହି ନ ପାରିବି ଆଉ କଷଣ, ସହିଛି ଅନେକ ହେଲି ପାଷାଣ ।

ଅନ୍ନ ତେଜି ବନ୍ୟ ଫଳ କରି ଗ୍ରାସଳ, ବଇଷ୍ଣବର ଗିର ।।

କଥା-      ଇଷ୍ଟ ମୋର ମାତା କୁନ୍ତୀ ଦେବୀ

ତାଙ୍କ ନାମ କଲି ମୁଁ ସ୍ମରଣ,

ଆଉ ଭୟ ନାହିଁ—

କାଟ ଏବେ ତବ ଶାଣିତ କୃପାଣେ

ମସ୍ତକ ମୋହର ।

କର୍ଣ୍ଣ-      ରେ ପାପିଷ୍ଟ ଯୁଧିଷ୍ଠିର !

ଯେଣୁ ବୋଇଲୁ ମୋ ଇଷ୍ଟ କୁନ୍ତୀ ଦେବୀ

ତେଣୁ ମୁକ୍ତି ଦେଲି ମୁହିଁ ତୋତେ

ତା ନୋହିଲେ କାଟିଥାନ୍ତି ମୁଣ୍ଡ

ଏବେ ପଳା ପଳା ଏଥୁ ଭଣ୍ଡ !

ପୂର୍ବେ ମାତା କରାଇଛି ସତ୍ୟ

ଅର୍ଜ୍ଜୁନ ବ୍ୟତୀତ ନ ମାରିବି ଆନ ଚାରି ଜଣେ

ନ ଜାଣୁ ଏ କଥା କୁରୁରାଣ

ପଳା ତୁ ଏକ୍ଷଣେ ।      (ଯୁଧିଷ୍ଠିଙ୍କର ପଳାୟନ)

ଶଲ୍ୟ-      ଏ କି ଅବିଚାର କଲୁ କର୍ଣ୍ଣ,

ବିପକ୍ଷକୁ କରେ ଧରି ଛାଡ଼ିଦେଲୁ କେହ୍ନେ ?

କର୍ଣ୍ଣ-      ମାମୁ ! ଏହାର କାରଣ ପରେ ଶୁଣିବ ମୋଠାରୁ,

ଚାଲ କେଣେ ଗଲା ଲୋଡ଼ିବା ଅର୍ଜ୍ଜୁନେ ।

      [ପ୍ରବେଶ କଲା ନିୟତି ଗୀତ କଣ୍ଠେ]

 

(ଗୀତ)

ମରଣକୁ ଲୋଡ଼େ ଯାରେ ପୂରିଥାଏ କାଳ

କାଳ ପୁରୁଷକୁ ଦେଇ ବରଣମାଳ,

ମାୟା ମୋହୀ ହୋଇ ନିଜ ପ୍ରୋଢ଼ି ପାଇଁ

ବାହାଦୁରୀ କରେ      ଅନ୍ଧ ଆଜ୍ଞା ବାଇ

ବୁଝି ନ ପାରେ ଅବସ୍ଥା କ୍ରୋଧିତ ପାଗଳ ॥

ଖଟି ଖଟି ତୁମ୍ଭେ      ହଟିବ ଶେଷରେ

ଦେଖା ହେବ କାଳ      ଅନ୍ତକ ବେଶରେ

ନିୟତର ଖେଳ ଏହି ଦିବ୍ୟ ଚିତ୍ତେ ଭାଳ ॥

ଖୋଜୁଅଛ ଯାକୁ      ସେ ଅଛି ନିକଟେ

ମୃତ୍ୟୁର ଚମ୍ବନ      ଦେବାକୁ ଅଛଟେ

ବଇଷ୍ଣବ ଭାଳେ ଅହି ଲାଞ୍ଜକୁ ନ ଚାଳ ।

କର୍ଣ୍ଣ-      ତୁନି ହୁଅ ଭଣ୍ଡ !

ଯାତ୍ରାକାଳେ ନ ଗାଅ ତୁ ଏପରି କବିତା ।

ନିୟତି-      ଦେଖିଲେ ମଙ୍ଗଳ ଗାଏ ମଙ୍ଗଳ କବିତା,

      ଅମଙ୍ଗଳ ବେଳେ ଗାଏ ଅମଙ୍ଗଳ ଗୀତି ।

କର୍ଣ୍ଣ-      କିଏ ତୁହି ?

ନିୟତି-      ପଥର ପଥିକ ଜଣେ ।

କର୍ଣ୍ଣ-      ପଥିକର ଗୀତ ବୋଲା କିସ ପ୍ରୟୋଜନ ?

ନିୟତି-      ପଥଶ୍ରମ ବାଧା ଦୂର ପାଇଁ ।

କର୍ଣ୍ଣ-      ଚାଲିଯାଅ ମୂର୍ଖ !

ତିକ୍ତ ଗାନ ଗାଇ ମନେ ନ ଦିଅ ସନ୍ତାପ ।

ନିୟତି-      ସନ୍ତାପିତ ମାନସର ପ୍ରିୟ

ସେଥିପ୍ରତି ବିମୁଖ ହେଉଛ କିମ୍ପା !

ଭାଗ୍ୟ ଲେଖା ପାର କି ଲିଭାଇ ?

କର୍ଣ୍ଣ-      ନାହିଁ କେହି ବିଶ୍ୱେ ଶକ୍ତିମାନ

ଅଖଣ୍ଡିତ ଭାଗ୍ୟଲିପି କରିବ ଖଣ୍ଡନ ।

ନିୟତି-      ତେବେ ଯାଅ ବୀର ଭାଗ୍ୟ ପରେ ରଖିଣ ଭରସା

ଅଯଥା ପଥୁକୀ ପ୍ରତି ନ ହୁଅ କ୍ରୋଧାନ୍ଧ ।      (ଅନ୍ୟ ଦିଗେ ପ୍ରସ୍ଥାନ)

 

[କୃଷ୍ଣ ଅର୍ଜ୍ଜୁନଙ୍କ ପ୍ରବେଶ]

ଅର୍ଜ୍ଜୁନ-      ହେ କେଶବ ! କେଣେ ଗଲେ ଧର୍ମରାଜ ତେଜି ରଣଭୂଇଁ ?

ବହୁତ ସନ୍ଧାନ କରି ନ ପାଇଲୁ କାହିଁ ।

କୃଷ୍ଣ-      ଶୁଣରେ କିରୀଟୀ ! ଏହିକ୍ଷଣି ସହଦେବ କୀହିଲା ବାରତା,

କାହାଠାରୁ ଯୁଧିଷ୍ଠିର ପାଇ ଅପମାନ

ନିଜ ବାସେ କବାଟକୁ କିଳି କରିଅଛନ୍ତି ଶୟନ ।

ଅର୍ଜ୍ଜୁନ-       ଚାଲନ୍ତୁ ଶ୍ରୀହରି ! କାଳେ ଭ୍ରାତା ତେଜିବେ ଜୀବନ

ବୁଝାଇ ତାହାଙ୍କୁ ଶୀଘ୍ର ଆସିବା ଲେଉଟି ।

ନକୁଳ ଶିଖଣ୍ଡୀ ଧୃଷ୍ଟଦ୍ୟୁମ୍ନ ସହଦେବ ସହ

ଏଥି ମିଳି କରୁଥାନ୍ତୁ ରଣ ।      (ଭଭୟଙ୍କର ପ୍ରସ୍ଥାନ)

 

[ଦ୍ୱିତୀୟ ଦୃଶ୍ୟ]

(ଯୁଧିଷ୍ଠିର ଏକାକୀ ଶୟନେ- ସ୍ୱଗତଃ)

ଯୁଧିଷ୍ଠିର-      ଓଃହୋ ! କି ଭୀଷଣ ଅପମାନ ଦେଲା ସେ ରାଧେୟ

କେହୁ ରକ୍ତ ମାଂସ ଦେହ ଧରି

ଏହା ସହି ରହିବ ମହୀରେ ?

ନମରିବାଯାଏ କର୍ଣ୍ଣ, ଅନ୍ନ ଜଳ ନ ଛୁଇଁବି କିଛି ।

ପ୍ରାଣ ଯିବା ଉଚିତ ମୋହରି

ଦେଖାଇବି ପୋଡ଼ାମୁଖ କାହା ଆଗେ ଯାଇଁ ?      (କୃଷ୍ଣ ଅର୍ଜୁନ ପ୍ରବେଶ)

କୃଷ୍ଣ-      ଧର୍ମରାଜ ! ଧର୍ମରାଜ ! ଆସ ଏଣେ

କିମ୍ପାଇଁ କବାଟ କିଳି କରିଛ ଶୟନ ?

ଅର୍ଜ୍ଜୁନ-      ଜ୍ୟେଷ୍ଠଭ୍ରାତ ! ଆସନ୍ତୁ ବାହାରି

କିମ୍ପା କରୁଅଛ ଡେରି ?

ଯୁଧିଷ୍ଠିର-      ରେ ଅର୍ଜୁନ ଯାଉଛି ମୁଁ ଘେନି ଅର୍ଘ୍ୟ

ରହ ଦଣ୍ଡେ ସ୍ଥିରେ ।

କୃଷ୍ଣ-      ଆସ ଧର୍ମରାଜ, ନ ପଶ ଭିତରେ ।

ଯୁଧିଷ୍ଠିର-      କହନି ଅର୍ଜ୍ଜୁନ କର୍ଣ୍ଣେ ମାରୁଛୁ ତ ରଣେ ?

ଅର୍ଜ୍ଜୁନ-      ମରି ନାହିଁ ରାଧାସୁତ

ତବ ଦଶା ଶୁଣି ଦେବ ଆସିଛି ମୁଁ ଏଣେ ।

ଯୁଧିଷ୍ଠିର-      ରେ ଅର୍ଜ୍ଜୁନ୍ନ !

 

(ଗୀତ)

[ସେ ମୋତେ ବରିଛି- ବୃତ୍ତେ]

ଯେତେ ଦୁଃଖ ମୋତେ ଦେଲା ମୂର୍ଖ କର୍ଣ୍ଣ ପଡ଼ିଲେ ପୋଡ଼ଇ ହୃଦୟ ମୋର । ରେ କିରୀଟୀ ମୁଣ୍ଡ କାଟିବ ବସିଲା ଭାଷିଲା ସେ କଟୁଭାଷା ନିକର । ପଦ । କାମୋଡ଼ିଲା ଓଷ୍ଠ ସେ ଦୁଷ୍ଟ ପାପିଷ୍ଠ ଶାଣିତ ଖଡ଼୍‌ଗ ଧରିଣ କର । ଝିଙ୍କିଲା ମୋ କେଶ ନର୍ଦ୍ଦୟେ ନୃଶଂସ ବୋଇଲା ତୋ ଇଷ୍ଟ ଥରେ ସୁମର । କୁଇନ୍ତା ମୋ ମାତ ଅଟନ୍ତି ଏ କଥା କହନ୍ତେ ତେଜିଲା ରାଧା କୁମର । ସେ ବାଧା ହୃଦକୁ ବାଧିଛି ବହୁତ ପଳାଇ ଅଇଲି ଯେମନ୍ତେ ଚୋର । ତୋ ପରାଏ ଭାଇ ଥାଉଁରେ ବିଜୟୀ ଭୋଗିଲି ଏ ଦଶା ରସା ଭିତର । ଧିକ ତୋ ଅକ୍ଷୟ ତୂଣୀ ପାଶୁପତ ଧିକ ତୋ ବହିବା ଗାଣ୍ଡୀବ ଭାର ।। ଧିକ ଦେବଦତ୍ତ ଶଙ୍ଖ ତୋର ପାର୍ଥ ଧିକ ନନ୍ଦିଘୋଷ ତୋ ରହୁବର । ଧିକ ତୋର ସଖା ସେ ଯାମଳାଜକା ବଙ୍କା ବଂଶୀଫୁଙ୍କା ଶାରଙ୍ଗଧର । ଧିକ ତୋର କପିଧ୍ୱଜରେ ନିର୍ଲଜ୍ଜ ନାହିଁ ବୃଥା ବୋଲାଉ ବୀର । ବଇଷ୍ଣବ ଦ୍ୱିଜରାଜ ଗୀତେ ଭଣି ସହିଲା କେମନ୍ତେ ଧରଣୀଧର ।

ଯୁଧିଷ୍ଠିର-      ରେ ଅର୍ଜ୍ଜୁନ !

ନିର୍ଲଜ ମୁଖ ଦେଖାଉ ଆସି କେଉଁପରି ?

ଯେତେ ଯେତେ ଦଣ୍ଡ ମୋତେ ଦେଲା ମୂର୍ଖ କର୍ଣ୍ଣ

କହି ନାନା କଟୁଭାଷା ସ୍ପର୍ଦ୍ଧିତ ବକ୍ଷରେ,

ସେ କଥା କହିଲେ ଜଳିଯାଏ ଏ ଅନ୍ତର ।

ପାର୍ଥ ଭୀମ ଅଟନ୍ତିରେ ଯାହାର ସାନୁଜ,

ସେହି ଯୁଧିଷ୍ଠିର ଭାଗ୍ୟେ ଏତେ ଅପମାନ,

ଛାର ସୁତପୁତ୍ର ମୁଖେ !

ଅସହ୍ୟ ଅସହ୍ୟ ଯନ୍ତ୍ରଣା,

ସହି ମୁଁ ନ ପାରେ ତିଳେ କର୍ଣ୍ଣ କଟୁଭାଷା ।

କେଶ ମୋର କରିଣ ଧାରଣ,

ଖଡ଼୍‌ଗ ଝମକାଇ କାଟୁଥିଲା ମୁଣ୍ଡ

ଜନନୀ କୁନ୍ତୀଙ୍କ ନାମ ଉଚ୍ଚାରନ୍ତେ ମୁଖେ

ଛାଡ଼ିଦେଲା ଅତି ହୀନ ମଣି ।

ଧିକ ମୋତେ ଧିକ ମୋ ବଂଶକୁ,

ଧିକ ତୋର ଗାଣ୍ଡୀବ ଧାରଣ ନାମ,

ଧିକ ସେହି ପାଶୁପତ ଅସ୍ତ୍ର

ଦେବଦତ୍ତ ଶଂଖ ସହ ରଥ ନନ୍ଦିଘୋଷ

କପିଧ୍ୱଜ ଆଦି ସବୁ ପ୍ରହସନ ମାତ୍ର

ସଖାପଣେ ଅଛନ୍ତି ଯେ ଶିଖଣ୍ଡଚୂଳିଆ

ତାଙ୍କୁ ମଧ୍ୟ ଅଟେ ଶତଧିକ ।

ଅର୍ଜ୍ଜୁନ-      ହେ ହରି ! ଏହିକ୍ଷଣି କାଟିବି ମୁଁ ଯୁଧିଷ୍ଠିର ଶିର-

ନାହିଁ ନାହିଁ ଭୟ ପାପକୁ ମୋହର ।

(ଖଡ଼୍‌ଗ ଧରନ୍ତେ କୃଷ୍ଣ ପାର୍ଥରେ କର ଧାରଣ)

କୃଷ୍ଣ-      ଏ କି କଥା କରୁ ବୀରବର !

ଜ୍ୟେଷ୍ଠଭ୍ରାତା ପିତାସମ ଅଟଇ ଜଗତେ ।

ଅର୍ଜ୍ଜୁନ-      ଶୁଣ ନନ୍ଦସୁତ, ଅଛି ମୋର ପୂର୍ବରୁ ଏ ପଣ ଯେ ନିନ୍ଦିବ ଅକ୍ଷୟ ତୂଣୀର ପାଶୁପତକୁ ମୋହର, ନିଶ୍ଚେଁ ଶିର କାଟିବି ମୁଁ ତାର । ତା ନ ହେଲେ ସେହି ଅସ୍ତ୍ର ଯିବ କଇଳାସେ ।

କୃଷ୍ଣ-      ରେ ଅର୍ଜ୍ଜୁନ ! ସେହି କଥା ଜାଣେ ମୁହିଁ

ହେଲେ ତୋର ବଳେ ଯୁଧିଷ୍ଠି କି ନ ପାରିବୁ ମାରି ।

ଅର୍ଜ୍ଜୁନ-      ଏହା କେହ୍ନେ ଭାଷ ଗୋପିନାଥ ।

ଅଙ୍ଗାର ପନ୍ନଗ ହର ନିବାତ କବଚ

ହନୁ ପାଣ୍ଡବାସୁରକୁ ଜିଣିଲି ସମରେ

ସୁଭଦ୍ରା ହରଣେ ଜିଣିଅଛି ବଳରାମେ

ରାଜସୂୟ ଯଜ୍ଞକଥା ମନେପକା ହରି

ଧନୁହୁଳେ ତୋଳିଲି ଧରଣୀ

ବିରାଟ ଗୋଧନ ହରଣରେ ଏକା ମୁହିଁ

ଜିଣିଲି କୌରବେ ବାମାବେଶେ

ଯୁଧିଷ୍ଠିର ଛାର ମୋତେ ବଳାଇବ ନାହିଁ ।

କୃଷ୍ଣ-      କ୍ରୋଧ ଶାନ୍ତି କର ଅର୍ଜ୍ଜୁନ

ହର ଗୈାରୀ କରିଣ ସ୍ମରଣ

ରୁହାଇବିକ ପାଶପତ ଅକ୍ଷୟ ତୂଣୀର ।

ଚାଲ ଶୀଘ୍ର ଯିବା ରଣସ୍ଥଳେ ।

ଆସ ଧର୍ମରାଜ ! ଆଜି କର୍ଣ୍ଣ ଲଭିବ ବିନାଶ ।      (ସମସ୍ତେ ପ୍ରସ୍ଥାନ)

(ଭୀମ ଏକାକୀ ପ୍ରବେଶ)

ଭୀମ-      ଓଃ ! ଏ କି ଭୟଙ୍କର ରଣ କରନ୍ତି କୌରବେ ?

ନଥିବାରୁ ପାର୍ଥ ଏହିଠାରେ

ଦମ୍ଭ ଗର୍ବେ ବିନାଶନ୍ତି ପାଣ୍ଡବ ବାହିନୀ ।

(ନକୁଳର ପ୍ରବେଶ)

ଆସଇ ନକୁଳ ଘେନି କେବଣ ସମ୍ବାଦ-

କହରେ ନକୁଳ ଏଡ଼େ ଆକୁଳ କାହିଁକି ?

ନକୁଳ-      ଦ୍ୱିତୀୟ ପାଣ୍ଡବ ଶୁଣ ରଣର ଘଟଣା

ଦୁର୍ଯ୍ୟୋଧନ ଭ୍ରାତା ଦୁଃଶାସନ ପଶି ଆମ୍ଭ ଥାଟେ

ରଥ ଗଜ ଅଶ୍ୱ ଆଉ ରଥୀ ଓ ପଦାତି

ଅସଂଖ୍ୟ ମାରି ଲୋଟାଏ ଭୂତଳେ

ମତ୍ତ କରି ପଦ୍ମବନ ଦଳିଲା ପରାୟେ

ଦଳୁଅଛି ପାଣ୍ଡବ ବାହିନୀ

ଶିଖଣ୍ଡି ବିନାଶ ହେଲେ ଦୁଃଶାସନ କରେ ।

ଭୀମ-      କି କହିଲୁ କୁମାର ନକୁଳ !

ଶିଖଣ୍ଡିକି ମାରିଲା ସେ ଦୁଃଶାସନ ରଣେ ?

କାହିଁ ଅଛି ସେହି ଅନ୍ଧ ଦ୍ୱିତୀୟ ନନ୍ଦନ

ପଥ ଦେଖାଇଣ ମୋତେ ନିଅ ତା’ ପାଶକୁ

ଆଜି ଦ୍ରୌପଦୀର ପୂର୍ଣ୍ଣ ହେବ ମନସ୍କାମ ।      (ଭୀମ ଓ ନକୁଳର ପ୍ରସ୍ଥାନ)

(ଦୁଃଶାସନର ପ୍ରବେଶ)

ଦୁଃଶା-      ଆଜି ପୂର୍ଣ୍ଣ ହେବ ମନବାଞ୍ଛା

ଆଜି ପାସୋରିବି ଭ୍ରାତୃଶୋକ

ଏହି ଦିଗେ ଆସୁଅଛି ଭୀମା

ଭାଙ୍ଗିବି ମୁଁ ଦୁଷ୍ଟର ଗରିମା

ଆରେ ପାଣ୍ଡବା, ଆଜି ପୂରିଲା ତୋ କାଳ ।

 

(ଗୀତ)

[ଆହେ ସୁକୁମାରୀ- ବୃତ୍ତେ]

ଆରେ ଭଣ୍ଡ ଭୀମ ମୁହିଁ ତୋର ଯମ ହାବୁଡ଼େ ପଡ଼ିଛୁ ଆସି ରେ । ଖଣ୍ଡ ଖଣ୍ଡ ପିଣ୍ଡ କରିଣ ଚୂରିବି ଏଡ଼େ ତୁଟା ଭଣ୍ଡ ଦୋଷୀ ରେ ।ପଦ। ମେଣ୍ଢା ପରି ମୋର ବାଳକ ଭାଇଙ୍କି ଗଣ୍ଡା ଗଣ୍ଡା ଦୁଷ୍ଟ ମାଇଲୁ କାହିଁକି । ଭେଣ୍ଡା ବୋଲାଉଛୁ ପଣ୍ଡା ପରା ବଳି ଦେବି ଚାହଁ, ଏହି ଅସିରେ । ମୁଣ୍ଡା ମୁଣ୍ଡା ତୋର ସୁସ୍ଥ ମାଂସ ଗୃଧ୍ର, ଶ୍ୱାନ ଭୁଞ୍ଜୁଥିବେ ହୋଇ ଆନନ୍ଦ । କାନ୍ଦିବେ ପାଣ୍ଡବେ ମୁଣ୍ଡେ କର ମାରି ତୁଣ୍ଡ ନ ଫିଟିବ ବସିରେ । ତୋର ପାପରାଶି ଆସି ହେଲା ରୁଣ୍ଡ, ସେ ଘେନି ଚାଣ୍ଡରେ ଭୋଗିବୁ ତା’ ଦଣ୍ଡ । ଦଣ୍ଡଧର ଆଳେ ଯିବା ପାଇଁ ହେଲେ ବସ ହୋଇ କସିକାସିରେ । ଷେଣ୍ଢ ମରା ଭଣ୍ଡ ସେ ଗଉଡ଼ ଟୋକା, କେମନ୍ତେ ସେ ସାହା ହେବ ତୋତେ ଏକା, ଏ ତ ରଣ ନୁହେଁ ଦହି ହାଣ୍ଡି ଶିକା ଛିଣ୍ଡାଇବୁ ଘରେ ପଶିରେ ।। ଆରେ ରାଣ୍ତଛୁଆ ଦାଣ୍ଡର ଭିକାରି, ଭିକମଗା ବୁଦ୍ଧି ଯିବ ନିଶ୍ଚେଁ ସରି । ଖଣ୍ଡିତ ନୋହିବ ଦଇବ ଲିଖନ ବିପ୍ର ବଇଷ୍ଣବ ଭାଷିରେ ।।

(କଥା)-      ଯମ ଆଗେ ପଡ଼େ ଯେବେ ପ୍ରାଣୀ

ତେବେ ଆଉ ସେ ନ ଫେରଇ,

ଭଣ୍ଡ ଭୀମା ! ଯାହା ତୁହି କରିଛୁ ଅନ୍ୟାୟ

ତାର ଆଜି ହେବ ପ୍ରତିଶୋଧ ।

ଭୀମ-      ସେହି ପ୍ରତିଶୋଧ ଲାଗି ଆରେ ଦୁଃଶା

ଉପାଡ଼ି ଭୁଜ ତୋହର ଆଜିର ସମରେ

ବନ୍ଧାଇବି ଦ୍ରୌପଦୀର ବେଣୀ

ଟଳିଯିବେ ରବି ଶଶୀ ଗ୍ରହ ତାରାପନ୍ତି

ନ ଟଳିବ ପ୍ରତିଜ୍ଞା ମୋହର ।

ଦୁଃଶା-       ଆରେ ଆରେ ପାପୀ ଭୀମ

ପାପ ତୋର ହେବାରୁ ପ୍ରବଳ, ଆଜି ରଣେ ପଡ଼ୁଅଛୁ ଭେଟ

ବିନା ଦୋଷେ ଗଣ୍ଡା ଗଣ୍ଡା ମୋର

ବାଳକ ଭାଇଙ୍କୁ ମାରି ଅର୍ଜ୍ଜୁଛୁ ଯେ ପାପ

ସେ ପାପର ନେବି ପ୍ରତିଶୋଧ

ଦେଖିବି କେମନ୍ତେ କୃଷ୍ଣ ରଖିବ ରେ ପାପୀ ।

ଭୀମ-      ରେ ଅନ୍ଧନନ୍ଦନ, ପାଣ୍ଡବେ ଅଟନ୍ତି ପାପୀ ତୁମ୍ଭେ ଧର୍ମଭୀରୁ !

ମିଷ୍ଟାନ୍ନରେ ବିଷଦେଇ ମେଲିଲ ସାଗରେ

ଜତୁଗୃହେ ପୂରାଇଣ ଦେଲରେ ଅନଳ,

ଚତୁର୍ଦ୍ଦଶ ବର୍ଷୀୟ ବାଳକ ଅଭିମନ୍ୟୁ

ସପ୍ତରଥୀ ବେଢ଼ି ତାକୁ ମାଇଲ ସମରେ,

ଖେଳିଣ କପଟପଶା ନେଲ ରାଜ୍ୟଧନ

ଅସ୍ପର୍ଶୀୟ ରମଣୀକି ସଭାତଳେ କଲ ବିବସନ ?

ସେ ଦିନୁ ସେ ନ ବାନ୍ଧିଲା କେଶ ହେଲା ଆସି ପନ୍ଦର ବରଷ

ସେହିଦିନୁ ତୋତେ ଲୋଡ଼ୁଥିଲି ଏତେ କାଳେ ପଡ଼ିଛୁ ହାବୁଡ଼େ

ତୋର ରକତେ କୃଷ୍ଣା କେଶ କରିବି ବନ୍ଧନ

ହେଉ ଶକ୍ତି ପରୀକ୍ଷା ଏସ୍ଥଳେ ।

ଦୁଃଶା-      ସେ ନିମନ୍ତେ ଚିନ୍ତା ନାହିଁ ତିଳେ ।      [ଉଭୟେ ଯୁଦ୍ଧ କରୁ କରୁ ପ୍ରସ୍ଥାନ]

 

(କୃଷ୍ଣ ଅର୍ଜୁନଙ୍କ ପ୍ରବେଶ)

ଅର୍ଜୁନ-      ନାରାୟଣ ! ସୋମଦତ୍ତ ହତ ହେଲା ରଣେ,

ଘେନ ନନ୍ଦିଘୋଷ ମମ କର୍ଣ୍ଣ ରଥ ପାଶେ;

ଆଜି ରଣେ ଦୁଷ୍ଟକୁ ପେଷିବି ଯମବାସେ ।

କୃଷ୍ଣ-      ଶୁଣ ଧନ୍ୟଞ୍ଜୟ ! ଆଉ ହେବ ନାହିଁ ରଣ

ଏଣେ ଦେଖ ଭୀମ ଦୁଃଶା କରନ୍ତି ସମର

ବାଳୀ ସୁଗ୍ରୀବ ସମାନ ଦିଶୁଛନ୍ତି ଦୁହେଁ ।

ଦୁଃଶା ଭୀମ ଗଦା ଫିଙ୍ଗି ମାଲରଣ କଲେଣି ଆରମ୍ଭ

ଚାଲ ସାହାଯ୍ୟ କରିବା ସର୍ବେ ମିଳି ଭୀମେ ।

(ରଣବାଦ୍ୟ- ଯୁଦ୍ଧ କରୁ କରୁ ଭୀମ ଓ ଦୁଃଶାସନର ପ୍ରବେଶ)

(ଭୀମ ଉପରେ ଦୁଃଶାସନ ମାଡ଼ି ବସିବା)

 

(ଗୀତ)

[ହେ ଅବନିପତି- ବୃତ୍ତେ]

ଆରେ ରେ ପାଣ୍ଡବା ତୋର ପୂରିଲାଣି କାଳ । ଏତେବଳେ ଆସି ରକ୍ଷା କରୁ ନନ୍ଦବାଳ । ଡାକ ଦ୍ରୌପଦୀକି ରେ, କେଶ ବାନ୍ଧୁ ଆସିଣ ଏଥିକି ରେ ।। ବାଳକ ଭାଇଙ୍କି ମୋର କାଳପୁରେ ପେଷି । ଆଉଁସୁ ନାହିୁଁ ତୁ ନିଶ ଏତେବେଳେ ବସି । ନିଜେ ନିଜେ ବଡ଼ରେ, ବୀର ତୁହି ବୋଲାଉ ବଗଡ଼ରେ ।। କାହିଁକି ରଣରେ ତୁନି ହୋଇଣ ଶୋଇଛୁ । ଭାଇମାନେ ଚାହିଁଛନ୍ତି କଥା ନ କହୁଛୁ । ନାହିଁକି ସେ ଗରିମା ରେ, ଆଜି ଏତେବେଳେ ତୋର ଭୀମାରେ ।। ଭୀମ ତୋ କଥା ପଡ଼ିଣ ଥିବ ଯମପୁରରେ । ବଞ୍ଚି କି ପାରିବୁ ଦୁଃଶାସନର କୋପରେ । କରିଦେବି ଚୂନା ରେ, ବଇ ବୋଲେ ନ କର ଭାବନା ରେ ।।

(କଥା)-      ଆରେ ଆରେ ଭୀମା !

ତୁନି ହୋଇ ଶୋଇଲୁ କାହିଁକି ?

ବଞ୍ଚି କି ପାରିବୁ ଆଉ ଦୁଃଶାର କବଳୁ ?

ଶକୁନି-      ଧନ୍ୟ ଧନ୍ୟ ଧନ୍ୟ ଦୁଃଶାସନ ! ଭଣଜା ନୋହିଲେ...

ଭୀମ ମଲା ମଲା ମଲା, ଆରେ ଆଉ ଦେଖୁଛୁ କ’ଣ ?

ଭୀମ ପରା ଏହିକ୍ଷଣି ଶକୁନି ମୁହଁରେ ପଡ଼ିବ ।

କର୍ଣ୍ଣ-      ଜୟ ମହାରାଜା ଦୁର୍ଯ୍ୟୋଧନଙ୍କର ଜୟ ।

ଜୟ ବୀରକେଶରୀ ଦୁଃଶାସନଙ୍କର ଜୟ ।

(ବ୍ୟଗ୍ରଭାବେ ଶ୍ରୀକୃଷ୍ଣ ଓ ଚାରି ପାଣ୍ଡବଙ୍କର ପ୍ରବେଶ)

ଯୁଧିଷ୍ଠିର-      ହାୟ ହାୟ ଯଦୁନାଥ !

ଆଉ କି ବଞ୍ଚିବ ଭାଇ ମୋର ଦୁଷ୍ଟ ଦୁଃଶାର ମୁଖରୁ ?

ହାୟରେ ଭାଇ ବୃକୋଦର !

କୁମ୍ଭୀରୀ କିନ୍ନରୀ ବକ ହିଡ଼ିମ୍ବକ

କୁମ୍ଭକ ତାରାକ୍ଷୀ ପ୍ରାଣ ନେଲୁ ଅବହେଳେ ।

ଏଡ଼େ ଏଡ଼େ ବୀର ନାଶି ଶେଷେ

ପଡ଼ିଲ ତ ଦୁଃଶାର କବଳେ ?

ଭାଇ ଭୀମ ! ତୋ ବିହୁନେ ଏ ଜୀବନ ନ ରହିବ ମୋର ।

ମୁଁ ମଲେ ଅର୍ଜ୍ଜୁନ ନିଶ୍ଚେ ତେଜିବି ଜୀବନ

ତୋ ବିହୁନେ ଅପାଣ୍ଡବା ହୋଇବ ଅବନୀ

ଅକଣ୍ଟକ ରାଜ୍ୟ ଭୋଗ କରିବେ କୌରବେ ।

ଅର୍ଜୁନ-      ହାୟ ଭାଇ ଭୀମସେନ !

ପାଣ୍ଡବେ ଭସାଇ କେଣେ ଗଲ ଏକା କରି ।

ସହଦେବ- (ନାକରେ ହାତ ଦେଇ ହସିବା)

କୃଷ୍ଣ-      କହ ସହଦେବ ତୁମ୍ଭେ ହସିଲ କାହିଁକି ?

ତିନି ଭାଇ ଶୋକେ ନେତ୍ରୁ ଗଡ଼ାଅନ୍ତି ଲୁହ

ଭୀମ ବିପଦରେ ତୁମ୍ଭେ ହରଷ କି ହେତୁ ?

ନାକେ ହସ୍ତ ଦେଇ ହସ ଅବନୀକି ଚାହିଁ

ମନ ଭାବ ଶୀଘ୍ର କର ବ୍ୟକ୍ତ ।

ସହଦେବ- ଅନ୍ତର୍ଯ୍ୟାମୀ ! କି ନ ଜାଣ ତୁମ୍ଭେ,

ଅଜଣା ପରାୟେ ମୋତେ ପଚାର ଗୋବିନ୍ଦ !

ଶୁଣ ମୋତେ ଜଣାଅଛି କଥାସବୁ ଯାହା ।

 

(ଗୀତ)

[ଯାଅ ଗୋ ଉର୍ବଶୀ- ବୃତ୍ତେ]

ଚିନ୍ତାମଣୀ ଚିନ୍ତା କରୁ କାହଁକି, କେଉଁ କଥା ତୋତେ ଜଣା ନାହିଁ କି । ଭୀମ ବଳ, ଛଳ, କଳ କଉଶଳ କଳିବ କେ ନରଦେହ ବହିକି । ଆସି ବ୍ରହ୍ମା ହର, କରନ୍ତେ ସମର, ଭୀମ କରୁ ଯିବେ ଜୀବ ପାଇକି ।। ଏ ସାମାନ୍ୟ ମୂଷା, ସମ ଅଟେ ଦୁଃଶା, ଦେଖ ବୃକୋଦର କଳା ଅହିକି । ଭୀମଙ୍କର ଲୋମ, ଟାଳିବାକୁ କ୍ଷମ, ନ ହୋଇବେ ସୁରେ ଶଚୀସାଇଁକି ।। ପଡ଼ନ୍ତେ ଯେ ଅଙ୍ଗ, ଗିରି ଶତଶୃଙ୍ଗ ଧସିଗଲା ନ ପାରିଣ ସହିକି ।। ଏହାଙ୍କ ଅଙ୍ଗୁଳି ବାଜି ଶୃଙ୍ଗ ଟଳି ପଡ଼ିଲା ତା ଜଣା ବଡ଼ଭାଇଙ୍କି । ଫଳିଛି ପର୍ବତ ଶାପ ଗୋପୀନାଥ ମରିବ ଏ ଦୁଃଶା ଭାଷେ ବଇକି ।।

(କଥା)-      ଯଦୁନାଥ ! ମନେପଡ଼େ ଶତଶୃଙ୍ଗ ଶାପ

ପ୍ରଥମ ରଣେ ହାରିବେ ବୀର ଭୀମସେନ ।

ଦେଖନ୍ତୁ ଏକ୍ଷଣି, ଏହାଙ୍କର କରେ ଦୁଃଶା ତେଜିବ ଜୀବନ ।

ତୁମ୍ଭେ ଶତଶୃଙ୍ଗ ନାମ ଶଙ୍ଖରେ ଉଚ୍ଚାର

ତାହା କର୍ଣ୍ଣେ ପଶନ୍ତେଣ ଉଠିବେ ପାବନୀ;

ଏତିକି କରନ୍ତୁ, ସର୍ବେ ଦେଖ ହୋଇ ତୁନି ।

(କୃଷ୍ଣ ଶତଶୃଙ୍ଗ ନାମ ଶଙ୍ଖରେ ବଜାଇବା)

ଭୀମ-      ରେ ରେ ବର୍ବର କୌରବଧମ ଦୁଃଶା !

ଏହି ଦେଖ ତୋର ପ୍ରାଣ ଘେନିବି ସହସା ।

(ଦୁଃଶାକୁ ଲେଉଟାଇ ମାଡ଼ିବସି)

 

(ଗୀତ)

[ଯେଉଁ ହରି ହରି- ବୃତ୍ତେ]

ରେ ରେ ପାପମତି ଅନ୍ଧର ନନ୍ଦନ ରଖିବ କେ ରଖୁ ତୋତେ, ଆରେ ଦୁଃଶା । ଡାକ ଦୁର୍ଯ୍ୟୋଧନ ରଖୁ ତୋ ଜୀବନ କର୍ଣ୍ଣ ଶକୁନି ସହିତେ, ଆରେ ଦୁଃଶା । ଆହେ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ହର ବ୍ରହ୍ମା ଦିଗପାଳେ, କିଏ ଆସୁ । ଥିଲେ ଦେହେ ଶକ୍ତି କର କର ମୁକ୍ତି ମୋ କରୁ ଏହି ଚଣ୍ଡାଳରେ । ଆରେ ଦୁଃଶା ।। ଅନନ୍ତ ବାସୁକୀ ପାରିବେକି ରଖି ଏ ପାମର ଦୁଃଶାସନେ, ବେଗେ ଆସ ।। ଘେନି ନାଗବଳ ଆସ ହେ ଚଞ୍ଚଳ ଅଚଳ କି ତୁମ୍ଭେମାନେ । ଆରେ ଦୁଃଶା, ଆରେରେ କୌରବେ ରକ୍ଷାକର ଏବେ କକ୍ଷା କରି ଭୀମ ସହ, ଆରେ ଦୁଃଶା ।। ସମ୍ପଦରେ ସଖା ହୋଇ ବିପଦର କାଳେ ଲୁଚାଉଛ ମୁହଁ ବେଗେ ଆସ ।। ରେ ପାଷଣ୍ଡ କର୍ଣ୍ଣ ବୀରେ ତୁହି ଧନ୍ୟ ବୋଲାଉଛୁ ରଖ ଏହାକୁ, ଆରେ ଦୁଃଶା ।। ଠକି ଖାଉଥିଲୁ ଦୁର୍ଯ୍ୟୋଧନ ଧନ ଗର୍ବେ ଫୁଲାଇ ହିଆକୁ, ଆରେ କର୍ଣ୍ଣ । ଭୀଷ୍ମ ଦ୍ରୋଣ ଆଶା ଛାଡ଼ିଣ ଭରସା କରିଥିଲା ତୋ ବାହାରେ । ଏବେ ଶୁଣ ହେଲ ସେନାପତି ଆରେ ହୀନମତି ପାରିଲେ ରଖ ଏହାରେ, ଆରେ କର୍ଣ୍ଣ ।। ଆରେ ଦୁଃଶାସନ ନୋହିଲେ ଭାଜନ ରଖିବାକୁ ଜଣେ ତୋତେ, ଆରେ ଦୁଃଶା ।। ମେଣ୍ଢା ପଲ ପରି ଗଣ୍ଡା ଗଣ୍ଡା ହୋଇ ପଳାନ୍ତି ଚାହିଁଲା ମାତ୍ରେ, ଆରେ ଦୁଃଶା ।। ଆହେ ଯୁଧିଷ୍ଠିର କେତେ ଉପକାର କରି ନାହିଁ ଏ ତୁମ୍ଭର, ଭାଇ ଶୁଣ । ଏପରି ଭାଇକି ନ ରଖ କାହିଁକି ବୃଥା ଧର୍ମ ନାମ ଧର, ଆହେ ଯୁଧିଷ୍ଠି ।। ଆରେ କିରୀଟୀ ନ ଯା ନ ଯା ହଟି ଧରି ଗାଣ୍ଡୀବ କାର୍ମୁକ, ଆରେ ପାର୍ଥ । ସବ୍ୟସାଚୀ ନାମ ସାର୍ଥକ କରିବ ଦୁଃଶାସନ ପ୍ରାଣ ରଖ, ଆରେ ପାର୍ଥ । ସୁଦର୍ଶନଧାରୀ ନିକୁଞ୍ଜବିହାରୀ ରଖିଛ ସଚରାଚର, ଆହେ ହରି । ବଇଷ୍ଣବ ଗୀର ଦୀନ ଦୁଃଖ ହର ନାମ କି ଗଲ ପାସୋରି, ଆହେ ହରି ।।

(କଥା)-      ଆହେ ହରି ! ତୁମ୍ଭେ ତ ବୋଲାଅ ଏହି ଚରାଚର ପରତ, ପାର ଯେବେ ମୋ କବଳୁ ରଖ ଏ ଦୁଃଶାକୁ ।

କବଳୁ ରଖ ଏ ଦୁଃଶାକୁ ।

ଅର୍ଜୁନ-      ବିପଦଭଞ୍ଜନ ହରି ଯାଅ ତୁମ୍ଭେ ସାକ୍ଷୀ

      ରଖିବି ମୁଁ ଦୁଃଶାସନ ପ୍ରାଣ ।

ଧର୍ମ ନିନ୍ଦା ଶୁଣି କୋପ ନୋହିଲା ମୋ ମନେ

କିନ୍ତୁ ତବ ନିନ୍ଦା ନ ସହେ ଏ ଦେହ,

ଭୀମେ ବିନାଶିବ ତିଳେ ନ କର ସନ୍ଦେହ ।

(ଧନୁରେ ଶର ଯୋଖନ୍ତେ କୃଷ୍ଣ ପାର୍ଥ ଗୋଡ଼ ଧରି)

କୃଷ୍ଣ-      ହେ ଅର୍ଜ୍ଜୁନ ! ବାତୁଳ ପରାୟେ ତୋର ଏ କି ରୀତି ଆଜି

ଯାର ତେଜେ ତୁହି ମହାବଳୀ ତ୍ରିଜଗତେ

ତା’ର ତେଜେ ତେଜିଆନ ଭୀମ

ନାହିଁ ବିଶ୍ୱେ ଭୀମକୁ କେ ଜିଣିବ ସଂଗ୍ରାମେ

କି ଛାର ଗାଣ୍ଡୀବ ଧରି ଧାଇଁ ଅଛ ତୁମେ ?

ଭୀମ-      ରେ ବର୍ବର ଦୁଃଶାସନ ! ନାହିଁ ମୋର ଦୋଷ

ଏହିକ୍ଷଣି ଯିବୁ ତୁହି ପ୍ରେତପତି ବାସ,

ନ ପାରିଲେ କେହି ତୋତେ ଆଣ ପାଞ୍ଚାଳିକି

ଯାଅ ସହଦେବ ଶୀଘ୍ର ଆଣ ପାଞ୍ଚାଳିକି

ତୋର ବାଟ ଚାହିଁ ବସିଥିବ ଯାଜ୍ଞସେନୀ

ବାନ୍ଧିବୀ ତା ବେଣୀ । (ସହଦେବର ପ୍ରସ୍ଥାନ)

କୃଷ୍ଣ-      ବୃକୋଦର ! କିମ୍ପା କାଳ କର ବୃଥା ଡ଼େରି ?

ଭୀମ-      ଏହି ଦେଖ ପାଞ୍ଚାଳୀ, ଦେବହରି !

 

(ଧୀରେ ଘେନ ଧୀରେ- ବୃତ୍ତେ)

ରେ ଝୀନବସନା ଆସ ଆସ, ଏତେ ଦିନେ ପୂରିଛି ତୋ ଆଶ । ଦୁଃଶା ରକ୍ତେ ବାନ୍ଧି ସାଜ କେଶ ମୀନନେତ୍ରୀ ମନେ ହୋଇ ତୋଷ । ପଶାଖେଳ ଦଶା, ଆଜି ପାସୋର ମାନସୁ ରସାଭୂଷା ।। ଅଭୟଦାୟିନୀ କିମ୍ପା ଭୟକରି ପାଶେ ନ ଆସୁରେ କହ । ଭଲ କରି ଦେଖ ମୋର ଭାଇମୁଖ ଦୁଃଖ ହରୁ ଥରେ ଚିହ୍ନିଥାଅ, କେତେ ଉପକାରେ ପୂର୍ବେ କରିନାହିଁ ଏ ତୋ ରାମାବର ।। ଯା କେଶ ଧରି ଆଣିଥିଲୁ ଝିଙ୍କି-ଚିହ୍ନରେ ଦୁଃଶା ଏ ସେହିଟିକି । ଯଜ୍ଞାନଳୁ ଜାତ ଯେହୁ ଯାଜ୍ଞସେନୀ କହିଥିଲା ଶୋକେ ଯାହା ଡାକି, ସତୀଶାପ ଫଳ, ଏତେ ଦିନେ ଫଳିଲା ରେ ଅନ୍ଧବାଳ ।। ଅଯୋନିସମ୍ଭବା ଏ ରମଣୀ । ତୁହି ଦୁଷ୍ଟ ନ ପାରିଲୁ ଜାଣି । ଏଣିକି ମରଣସାଜେ ହୁଅ ସଜ, ଦ୍ୱିଜ ବଇଷ୍ଣବ ରସେ ଭଣି । ଆଉ ନାହିଁ ବେଳ ସରିଗଲାଣି ଆଜି ସଂସାର ଖେଳ ।।

(ଦ୍ରୌପଦୀର ପ୍ରବେଶ)

(କଥା)- ଦେଖ ଗୋ ପାଞ୍ଚଳୀ ମୋର ଭ୍ରାତାଙ୍କ ବଦନ

ଦିଶେ କେଡ଼େ ତୋରା

ଏହି ମୁଖେ କହିଅଛି କେତେ କଟୁ କଥା ।

କରିଅଛି କେତେ ଗୋ ଲାଞ୍ଛନା

ଆଜିର ରଣେ ତାହାସବୁ ଯିବ ତ ମଉଳି ।

ଦ୍ରୈପଦୀ-       ଛି’ ରେ ନିର୍ଲଜ୍ଜ ଦୁଃଶା

ଏହିଟି କରମ ଦଶା ଅଟେ ତୋହରି-

କାହିଁ ଏତେବେଳେ ତୋର ସେ ପୂରୁବ ତେଜ ।

 

(ଗୀତ)

[କାହିଁ ପ୍ରେମଠାରୁ ବଳି- ବୃତ୍ତେ]

ନାହିଁ କି ତୋର ନାହିଁ ଦୁଃଶା । ସେ ବେଳ ନିଶା । ମୁହିଁକି ନୁହେଁ ସେହି ପାଞ୍ଚଳୀ ପାଣ୍ଡବ ଯୋଷା ।ପଦ। ଧାଇଁକିରେ ଆଣିଲୁ ଟାଣି, ତହିଁକି ତୋତେ କହିଲି ବାଣୀ । ଛୁଇଁକିଥିଲୁ ଯହିଁକି ଦେଖ ଆଜି ତୋ ଦଶା । ମହୀ ଆଉ ସହିଲା ନାହିଁ । ଭାଙ୍ଗିଗଲା ପୂରୁବ ଛଇ । ଦେଇଛୁ ଯାହା ପାଇବୁ ତାହା ବଇର ଭାଷା ।।

ଭୀମ-      କୃଷ୍ଣା ! କୃଷ୍ଣା ! କହ ନାହିଁ କହ ନାହିଁ ସେବେଳର କଥା

ଶୁଣି ତୋ ବଦନୁ ଦୁଇଗୁଣେ କମ୍ପଇେ ଏ ଦେହ

ଏହି ନିଅ ଯାଜ୍ଞସେନୀ ପଖାଳ ତୋ କେଶ ।

ରେ ନିର୍ଲଜ ! ଏହି କରେ ଝିଙ୍କିଥିଲୁ କୃଷ୍ଣା ବେଣୀ-

(ଭୁଜ ଉପାଡ଼ି ରକ୍ତ ଦ୍ରୌପଦୀ କେଶରେ ଦେବା ଓ ଦୁଃଶାର ଶୋଣିତ ପାନ କରି ଊର୍ଦ୍ଧ୍ୱକୁ ଚାହିଁ)

ହେଲା ତୋଷ ଏବେ ମୋ ମାନସ,

ମାତୃସ୍ତନ୍ୟ ପାନ କରି

ଏଡ଼େ ତୃପ୍ତ ହୋଇ ନାହିଁ ଭୀମର ରସନା ।

ଚାଲ ଚାଲ ସହଦେବ, ଚାଲ ହେ ଗାଣ୍ଡୀବୀ

ଘେନି କୃଷ୍ଣ ସଙ୍ଗେ ଏଥର ନଗରେ

ଅସ୍ତାଚଳେ ଗଲେ ଦିନନାଥ ।

ପାଣ୍ଡବଗଣ- ଜୟ ଧର୍ମରାଜ ଯୁଧିଷ୍ଠିରଙ୍କ ଜୟ । (ସମସ୍ତଙ୍କ ପ୍ରସ୍ଥାନ)

ଦୁର୍ଯ୍ୟୋଧନ- ସଖା କର୍ଣ୍ଣ ! ଶକୁନି ମାତୁଳ,

ଅତୁଳ ବିପଦ ମୋତେ ଦେଲେ ପଣ୍ଡୁ ସୁତେ

ଦୁଃଶାସନ ପରା ଭାଇ ମଲା ଆଜି ରଣେ

ଛିଡ଼ିପଡ଼ିଲା ମୋ ବକ୍ଷ ବାହା

ଆଉ କାହା ମୁଖ ଚାହିଁ ଧରିବି ଜୀବନ ।

ହା ଭାଇ ଦୁଃଶାସନ ! ଓଃ ଫାଟିଗଲା ହୃଦ ।

 

(ଗୀତ)

[କୀର୍ତ୍ତନ ସୁର]

ଏକା କରି ଭାଇ ମୋତେ ଛାଡ଼ିଗଲୁ କେଣେ ରେ । ତୋ ବିହୁନେ ତେଜି ରାଜ୍ୟ ପଶିବି ମୁଁ ବଣେ ରେ । ପଦ । ତୋ ବାହୁବଳେ କାହାକୁ ସଂସାରେ ନ ଗଣେ ରେ । କାହା ସାହାସେ ଜିଣିବି ପାଣ୍ଡବଙ୍କୁ ରଣେ ରେ । କିମ୍ପା ମରଣ ନୋହେ । ନିର୍ଲଜ୍ଜ ଜୀବନ ଅଛିକ ଦେହେ । ପାଷାଣୁ ହୃଦୟ ଟାଣ କି ଏ ? ଅବିରତେ ନେତ୍ରୁ ନୀର ଧାର ବହେ । କିସ କରିବି, କିସ କରିବି, କେଉଁପରି ହସ୍ତିନା କଟକେ ଫେରିବି । ପଛେ ଭୀମ ହାତେ ଏଣେ ମରିବି । କେତେ ବସି ନଖେ ଧରା ଚିରିବି । ଛାଡ଼ ମୋ ଭରସା ସଖା ବଇଷ୍ଣବ ଭଣେ ରେ ।

କର୍ଣ୍ଣ-      ସଖା ! ଆଉ ବୃଥାରେ କାନ୍ଦିଲେ କି ହେବ ?

କାର ସାଧ୍ୟ ଖଣ୍ଡିବ କେ ତାହା ଅନିବାର୍ଯ୍ୟ ନିୟତିର ଗତି ।

ତେବେ କର୍ତ୍ତବ୍ୟ ପାଳନ ଅଟେ ମାନବର ଧର୍ମ

ଏଥିପାଇଁ ଭୀରୁ କାପୁରୁଷ ପରି କର ନାହିଁ ଶୋକ ।

ଆଜିକ ନକୁଳ ପାପିଷ୍ଠ ପାଇ ମୋହଠାରୁ ଅପମାନ

ଆକୁଳ ହୃଦୟେ ରଣୁ ଯାଇଛି ପଳାଇ

କାଲି ନିଶ୍ଚେଁ ଅର୍ଜ୍ଜୁନ ପଡ଼ିବ ମମ ବାଣେ ।

ବସି କାନ୍ଦିଲେକି ଭାଇ ଆସିବ ଲେଉଟି

ଅକାରଣେ କର ନାହିଁ ଶୋକ ।

ଦୁର୍ଯ୍ୟୋଧନ- ମାମୁ, ଜାଣିଅଛି ସମସ୍ତଙ୍କ ମନ

ଆଜି ରଣେ କପଟେ ମୋ ବଂଶ ବୁଡ଼ାଇଲେ ସର୍ବେ ମିଳି

ଯେଉଁକାଳେ ଦୁଃଶାସନ ପଡ଼ିଅଛି ଭୀମର କବଳେ

ସେତେବେଳେ ଅଶ୍ରୁଜଳେ ପୂର୍ଣ୍ଣ ଆମ୍ଭ ନେତ୍ର

ଦେଖି ନାହିଁ ତୁମ୍ଭ ଆଖି ଲୋତକଜର୍ଜ୍ଜର

ଏତେଦିନେ ଜାଣିଲି ମାତୁଳ ବିଦୁର ବଚନ ହେଲା ସତ !

ଶକୁନି-      ଭଣଜା ! ମତେ ଦୋଷ ଦବୁନାହିଁ, ଦବୁ ନାହିଁ । ଜାଣିଛୁ ଯେତେବେଳେ ଦୁଃଶାକୁ ଭୀମା, ମାଡ଼ିବସି ଗର୍ଜ୍ଜନ କଲା, ସେତେବେଳେ ତୁମ୍ଭେମାନେ ସିନା କାନ୍ଦୁଥାଅ, କିନ୍ତୁ ରାଗରେ ମୋର ମୁଣ୍ଡ ଠାରୁ ଗୋଡ଼ଯାଏ ଜଳୁଥାଏ । ବାପ ମୁଁ ବେଶି କଅଣ କହିବି ? ତୁ ତୋ ନିଜ କଥାରୁ ନିଜେ ବୁଝି ପାରୁଥିବୁ । ରାଗ ବେଳେ କି ଶୋକ ରହେ ?

ଶଲ୍ୟ-      କର୍ଣ୍ଣ ! ମୋ ମତରେ ଏଣିକି ଯୁଦ୍ଧ ନ କରି ସନ୍ଧି କରି ଦେଖ । ତୁମ୍ଭ ସେନାପତି ହେବାର ଦୁଇଦିନ ଯୁଦ୍ଧରେ । ପ୍ରଥମେ ରାଜାର ଶତାନୋଇ ଭାଇ, ଦ୍ୱିତୀୟ ଦିନ ଯୁଦ୍ଧରେ ଦୁଃଶା ପରି ବୀର ପଡ଼ିଲା । ମୁଁ କହୁଥିଲି, ଭୀଷ୍ମ ଦ୍ରୋଣଙ୍କ ପରେ ମିଳିମିଶି ଯାଇଥିଲେ ଏତେ କ୍ଷତି ହୋଇ ନ ଥାନ୍ତା ।

କର୍ଣ୍ଣ-      ମାମୁ ! ତୁମ୍ଭେ ସେ ଆଶା ତ୍ୟାଗକର । ଚୋର ଗଲା ପରେ ଘର ବନ୍ଦ କରି କିଛି ଲାଭ ନାହିଁ । ଏକ୍ଷଣି ସନ୍ଧି କଲେ କ’ଣ ମରିବା ଲୋକ ଫେରି ଆସିବେ ? ଚାଲ ସମସ୍ତେ ଶିବିରରେ ବିଶ୍ରାମ କରିବା । କାଲି ପ୍ରଭାତରେ ମୋର ବାଣରେ ଅର୍ଜ୍ଜୁନର ପତନ ହେବ ।

ଶଲ୍ୟ-      ଭଣ୍ଡ କର୍ଣ୍ଣ ! ତୁ ଗର୍ବ ଛାଡ଼ିବାର ପାତ୍ର ନୋହୁ । ହଉ ଚାଲ । ଫଳେନ ପରିଚୟେତ୍‌ ।

(ସମସ୍ତଙ୍କର ପ୍ରସ୍ଥାନ)

 

ତୃତୀୟ ଅଙ୍କ

[ହସ୍ତିନାପୁର]

[ଦୁଃଶାର ସ୍ତ୍ରୀ ଏକାକୀ ରାଜପଥେ ବସି କ୍ରନ୍ଦନ]

ଦୁଃଶା ସ୍ତ୍ରୀ- ହା ବଜ୍ର, ହା ବଜ୍ର ! କାହିଁ ଅଛୁ ବଜ୍ର, ଶୀଘ୍ର ମୋ ମୁଣ୍ଡରେ ପଡ଼ୁନାହୁଁ କାହିଁକି ? ରେ ପ୍ରାଣ ! ତୁ ଯାଉନାହୁଁ କାହିଁକି ?

ହା ପ୍ରାଣନାଥ ! ମୋତେ ଏକା କରି କେଉଁଆଡ଼େ ଗଲ ?

 

(ଗୀତ)

[ଦଇବରେ ଏଡ଼େ ଦାରୁଣ- ବୃତ୍ତେ]

ଆସ ନାଥ । ନେତ୍ରେ ଦେଖ ଦାସୀ ଦଶା । ତବ ବିହୁନେ ଅନ୍ଧାର ଦିଶୁଛି ଏ ରସା ।ପଦ। ଧରମେ ହେଲେ ବିବାଦୀ, ପରମାନନ୍ଦଙ୍କୁ ନିନ୍ଦି, ମରମ ଦହଇ ମନେପଡ଼ିଲେ ସହସା ॥ ଶକୁନି କୂଟ କପଟ, ନ ଜାଣିଲେ ନରରାଟ, ଜାଳିଲା ହିଂସା ଅନଳ ହୃଦେ ଦିବା ନିଶି ॥ ସୁଖମାନ ନେଲା ସାରି, ଦୁଃଖରେ ପକାଇ ଘାରି, ଶୂନ୍ୟ କରେ ଗଡ଼ୁଛନ୍ତି ପଣ ପଣ ଯୋଷା । ଶ୍ରବଣ ହୁଏ ବଧୀର, ଶୁଣି ନାହା ନାହା ସ୍ୱର, ଶୁଭଇ ସରବ ବାସେ ଆହା ଆହା ଭାଷା ॥ ଅଠାନୋଇ ବୋହୁ ରାଣ୍ତ, ହୋଇ କୋଡ଼ୁଛନ୍ତି ମୁଣ୍ତ, ବଇଷ୍ଣବ ଭଣି କାଳ ହେଲା କୂଟ ପଶା ॥

ଭାନୁମତୀ– (ପ୍ରବେଶି) ଏ କିଏ ସାନବୋହୁ ! ମୁଁ ତୁମକୁ ଉଆସରେ କେତେ ଖୋଜୁଛି, ତୁମେ ଦାଣ୍ତରେ ଆସି ମୁଣ୍ତକୋଡ଼ି ଧୂଳିରେ ଗଡ଼ୁଛ ? ଆସ, ଆଉ କାହାର କେଉଁ ଭରସା ଅଛି ଯେ କାନ୍ଦିବ ?

ଦୁଃଶା ସ୍ତ୍ରୀ–      ନାନୀ ! ଆଉ ପ୍ରାଣ ରହିବ ନାହିଁ । ତୁମେ ଯାଅ, ମୁଁ ରଣଭୂମିକୁ ଯିବି । ସେଠାରେ ସ୍ୱାମୀଙ୍କ ମୁଖ ଦେଖି ପ୍ରାଣତ୍ୟାଗ ଯିବି ? ଆସ ମୋ ସଙ୍ଗରେ ଆସ ।      (ପ୍ରସ୍ଥାନ)

 

[ଚତୁର୍ଥ ଦୃଶ୍ୟ]

(ରଣଭୂମି ରଣବାଦ୍ୟ)

[କୃଷ୍ଣ ଅର୍ଜ୍ଜୁନଙ୍କର ପ୍ରବେଶ]

କୃଷ୍ଣ–      ଶୁଣ କପିଶ୍ରେଷ୍ଠ ହନୁ

ପାତାଳକୁ ଚାପ ନନ୍ଦିଘୋଷ

ଆସଇ ଶୋଷକ ମହାନାଗ

ଧନୁରେ ବସାଇ କର୍ଣ୍ଣ କରିଛି ପ୍ରୟୋଗ

ଚାହୁଁ ଚାହୁଁ ନନ୍ଦିଘୋଷ ଗିଳିବ ସେ ରାଗେ

ପାତାଳକୁ ଚାପ ସ୍ୟନ୍ଦନକୁ ଅତି ବେଗେ

ମୋର ପାଣ୍ତବ ରକ୍ଷଣ ନାମେ ନ ଲାଗୁ କଳଙ୍କ ।

ଅର୍ଜ୍ଜୁନ–      ସଖା ! ସଖା ! ବହୁ ଅସ୍ତ୍ର କରିଲି ପ୍ରୟୋଗ

କିନ୍ତୁ ନାଗର ବିଶ୍ୱାସେ ପଡ଼ି ଯାଉଛନ୍ତି ଜଳି ।

କୃଷ୍ଣ–      ନୋଇଁ ଶିର ହୃଦେ ଚିନ୍ତ କାଳୀୟଦଳନ ବନମାଳୀ

(ବେଗେ କୃଷ୍ଣ ଅର୍ଜ୍ଜୁନଙ୍କର ପ୍ରସ୍ଥାନ)

(ରଥାରୋହଣେ କର୍ଣ୍ଣ ଶଲ୍ୟଙ୍କର ପ୍ରବେଶ)

କର୍ଣ୍ଣ–      ହେ ମାତୁଳ ! କେଡ଼େ ବାଣ ବ୍ୟର୍ଥ ହେଲା ମୋର

ଯେତେବେଳେ ନ ଦିଶିଲା ନନ୍ଦିଘୋଷ ମୋତେ

ମନେଇଲି ଗିଳିଛି ନିଶ୍ଚେ ଶୋଷକ ଅର୍ଜ୍ଜୁନ ସ୍ୟନ୍ଦନ

କିନ୍ତୁ ଉଦ୍‌ଗାରିଲା ଆସି ଆଗେ ମୋର

ନନ୍ଦିଘୋଷ ରଥ ଛତ୍ର ମାତ୍ର

କଉଶଳେ ହନୁ ରଥ ଚାପିଲା ପାତାଳେ ।

ଶୁଣ ମାମୁ, ବୃଥାରେ ସର୍ପକୁ ଏତେକାଳ ଦେଲି ମୁଁ ଆଶ୍ରୟ

ରଥ ଧ୍ୱଜେ ଥିଲା ପାଇ୍ ଅପମାନ, ମୋତେ ତେଜିଗଲା ଆଜି ।

ଶଲ୍ୟ–      ରେ କର୍ଣ୍ଣ ଅଜ୍ଞାନ !

ଯାତ୍ରାକାଳେ ଯାର ମୁଖେ ଦେଖିଲେ ଅଯଶ

ସେପରି ଜୀବକୁ ରଥେ କରିଲୁ ବହନ

ରଣେ ତୋର ହେବ କାହୁଁ ଯଶ ?

ଆସେ ନନ୍ଦିଘୋଷ

କର ତୁ ସାହସେ ରଣ, କରେ ଧନୁ ଧରି ।

(ରଥାରୋହଣେ କୃଷ୍ଣାର୍ଜ୍ଜୁନଙ୍କ ପ୍ରବେଶ)

ଅର୍ଜ୍ଜୁନ–      ରେ ରେ ସୁତପୁତ୍ର !

ଆଜି ତୋର ମୋର କରୁ ନାହିଁଟି ନିସ୍ତାର

ସାରଥି କୁମର କେବେ କରେ ରଥୀ କାର୍ଯ୍ୟ ?

ସମ୍ମୁଖରୁ ପଳା ରେ ନିର୍ଲଜ୍ଜ ।

 

(ଗୀତ)

[ଦେବେ ତୁମରି କଥା– ବୃତ୍ତେ]

କର୍ଣ୍ଣ ରହିବ ନାହିଁ ଟାଣ ଆଉ ରେ । ରଣ ସାଧ ପୂର୍ଣ୍ଣହେବ ଚାହୁଁ ଚାହୁଁ ରେ ।ପଦ। ଜାଣ ବାଣକରେ କ୍ଷଣେ ପରାଣ ଘେନିବି ମୁହିଁ ରଣରାହୁ ସ୍ଥିର ମନେ ଦେଖ ଭାବି । ମୋର ସମକ୍ଷକ ତୁ ତ ନୋହୁ ରେ ।। ଗୁଣୀର ଗରିମା ସିନା ଜାଣେ ଗୁଣୀଜନ । ନିର୍ଗୁଣୀ କାହୁଁ ଜାଣିବ ତା ମହତ୍ତ୍ୱମାନ । ଜାଣେ ବଣିକ ବଣିଜର ଭାଉରେ ।। ଶାଣଦିଆ ବାଣଗଣ ତୂଣୀରେ ଅଛି ରଖି । ଦେଖିଲେ ଠାକିବ ନାହିଁ ତହିଁ ତୋ ଆଖି । ତେଜ ଦିଶୁଅଛି ଦାଉଦାଉ ରେ ।। କୁବେର ବାରୁଣା ଯେ ପର୍ବତ ବଜ୍ରାବଳି । ପାଶୁପତ ନୀଳ ଭୂଜବାଣ ଭଳି ଭଳି । ଦଣ୍ତେ ଜାଳିଦେବେ ସୃଷ୍ଟି ଯେହୁ ରେ ।। ସୁତପୁତ୍ର ହୋଇ କରୁ ରଥୀର କାର୍ଯ୍ୟ । ରଥେ ରଥୀ ହୋଇ ଯୁଝୁ ନ ମାଡଇ ଲାଜ । ଦ୍ୱିଜ ବଇ ବୋଲେ ହେଜୁ ନାହିଁ ରେ ।

(କଥା)–      ଆରେ ଆରେ ଭଣ୍ତ କର୍ଣ୍ଣ !

ଯେତେ ଟାଣ କରିଛୁ ଅନ୍ତରେ

ତାହା ସବୁ ଆଜି ଭାଙ୍ଗିଯିବ ।

ଦେଖି ନାହୁ ଅସ୍ତ୍ର ତେଜ,

ଦେଖିଲେ ଝଲସିଯିବ ନୟନ ତାରକା

କମ୍ପିଯିବ ବକ୍ଷର ପଞ୍ଜର ।

ଛାର ସୁତପୁତ୍ର କାହୁଁ କ୍ଷତ୍ରିୟର ସଙ୍ଗେ ହେବୁ ସମତୁଲ ?

କର୍ଣ୍ଣ–      ରେ ରେ ନିର୍ବୋଧ ଅର୍ଜ୍ଜୁନ !

ବୋଇଲୁ ଯେ ଅଟେ ମୁହିଁ ସାରଥିର ସୁତ

ତା’ର ପ୍ରତ୍ୟୁତ୍ତର ପାର୍ଥ ଶୁଣ ମୋରଠାରୁ–

ରେ ବର୍ବର ! ଜନ୍ମ ମୋର ଦୈବର ଅଧୀନ,

ଶକ୍ତି ଅଟେ ମୋହର ଆୟତ୍ତ, ଏଥି କୁଳେ କିବା ପ୍ରୟୋଜନ !

ଶକ୍ତିର ପରୀକ୍ଷା ସ୍ଥାନ ଏହିଟି ଅର୍ଜ୍ଜୁନ !

 

(ଗୀତ)

[ରଥ ରଖ ପଥେ– ବୃତ୍ତେ]

ଅର୍ଜ୍ଜୁନ ଅର୍ଜ୍ଜୁନ ତୋର ଭେକର ସଦୃଶରେ । ନିର୍ଜ୍ଜନେ ବସି ନାରୀକି ଭାଷା ଯା ଏ ଭାଷା ରେ ।ପଦ। ହିଂସାକୁ ବର୍ଜ୍ଜନ କର ବିରାଟର ଦାସ ରେ ।। ଅର୍ଜ୍ଜୁନ କରିଲୁ ନଟୀଭାବେ କେଡ଼େ ଯଶ ରେ । ସାନ ବୋଲି ଏ ବାର ମାର୍ଜ୍ଜନା କଲି ଦୋଷ ରେ। ଜାଣେ ଦୁର୍ଜ୍ଜନ ଦଳ କୃଷ୍ଣ ତୋ ସାହସ ରେ ।। ଧୈର୍ଯ୍ୟ ଧରି କର ନ ହୁଅ ଉଶ୍ୱାସରେ । ସୂର୍ଯ୍ୟସୁତ ଶକ୍ତି ବୁଝ ବଇ ବୋଲେ ରସରେ ।

(କଥା)–      ରେ ବିରାଟ ଦାସ ବୃହନ୍ନଳା ବେଶି

ଭେକ ଯେହ୍ନେ ବର୍ଷାକାଳେ ଇରଇ ଗର୍ଜ୍ଜନ

ସେହିପରି ମଣେ ତୋ କଥାକୁ ।

ଛାଡ଼ିଦିଅ ବୃଥା ବାହାଦୁରୀ

ଦମ୍ଭ ଧରି ଠିଆ ହୁଅ କର୍ଣ୍ଣର ସମ୍ମୁଖେ

ବରି ନିଅ ରଣମୃତ୍ୟୁ ସଖା କୃଷ୍ଣ ଆଗେ ।

ଅର୍ଜ୍ଜୁନ–      ସମ୍ଭାଳ ଶାୟକ କର୍ଣ୍ଣ ମୋର ଏହି ବାଣୀ ।

କର୍ଣ୍ଣ–      ପ୍ରତିଶରେ ଉଡ଼ାଇବି ଦେଖରେ ଏକ୍ଷଣି ।

(ରଣବାଦ୍ୟ– ଉଭରୟଙ୍କ ଯୁଦ୍ଧ ଓ ପ୍ରସ୍ଥାନ)

(ଚାମୁଣ୍ତାଗଣଙ୍କ ପ୍ରବେଶ)

 

(ଗୀତ)

[ଆଲୋ ରାଜା ଭାରିଯା– ବୃତ୍ତେ]

ଆଜି କରିବା ମଜା ଖଜା ପରାଏ ଚୋବାଇ ମୁଣ୍ତ ଲୋ । ଚୋବାଇ ନବା ଉଞ୍ଛାଇ ହାଡ଼ ଖଣ୍ତ ଖଣ୍ତ ଲୋ ।ପଦ। ମଡ଼ାରେ ଅନ୍ତ ଟାଣି । ଅନ୍ତ ପଇତା କର ଆଣି । ପିଅ ରକତ ହବ ତାକତ ସଢ଼ିବ ତୁଣ୍ତ ଲୋ । ମଡ଼ା ମଡ଼ମଡ଼ ପବ । ତାକୁ ରେକେଟିପକା ଯବ । ଭିତରେ ଶସ ରହିଛି ଭିଡି ମେରୁଦଣ୍ତ ଲୋ । ମରନ୍ତି କଉରବ । (ବଢ଼ିଛି) ଧରମ ଗଉରବ । କର୍ଣ୍ଣ ଶକୁନିକୁ ଖାଇଲେ ଥଣ୍ତା ହେବ ପିଣ୍ତ ଲୋ ।। ଏକା ରହିଲା ରଜା କାଲିକି, ଯିଏ କୁରୁ ବଅଁଶର ମାଲିକି । ସଜ ମାଉଁସ ପାଇବେ ଭାଷେ ବଇଆ ଚଣ୍ତ ଲୋ।

 

(ଖଣ୍ତ ଖଣ୍ତ ହାଡ଼ ଘେନି ପ୍ରସ୍ଥାନ)

ଦୁର୍ଯ୍ୟୋଧନ– (ଅସ୍ତବ୍ୟସ୍ତେ ପ୍ରବେଶି)

ହାୟ ହାୟ ! କ’ଣ ହେଲା, କ’ଣ ହେଲା !

ଦେଖୁ ଦେଖୁ ସହଦେବ କରେ ମଲା ମାତୁଳ ଶକୁନି,

ବୁଡ଼ିଗଲା ଧୈର୍ଯ୍ୟ, ଦମ୍ଭ ମୋର

କେହୁ ଦେବ ବିପଦେ ମନ୍ତ୍ରଣା ?

ଏକମାତ୍ର ଯୁଝେ କର୍ଣ୍ଣ ଅର୍ଜ୍ଜୁନର ତୁଲେ ।

ଶୋକ କରିବାକୁ ମୋତେ ନାହିଁ ଅବସର

ଏବେ ନିଜ ପ୍ରାଣରକ୍ଷା ହେଲା ଆସି ଭାର

ତେଣେ ଭୀମ ନକୁଳକୁ ଘେନି ଧୃଷ୍ଟଦ୍ୟୁମ୍ନ

ଛିନ୍ନ ଭିନ୍ନ କରି ନାଶେ କୌରବ ବାହିନୀ

ରକ୍ଷା ନାହିଁ ଆଉ ରକ୍ଷା ନାହିଁ

ଯାଏ ମୁହିଁ ସେମାନଙ୍କ ସାହଯ୍ୟ କାରଣେ

କୃପାଚାର୍ଯ୍ୟ ଅଶ୍ୱଥାମା କରୁଛନ୍ତି ରଣ ତାଙ୍କ ତୁଲେ

କାଳେ କି ଘଟିବ ମୁହିଁ ସେଠାକୁ ନ ଗଲେ ।

(ବେଗେ ଦୁର୍ଯ୍ୟୋଧନର ପ୍ରସ୍ଥାନ)

[କର୍ଣ୍ଣ ଅର୍ଜ୍ଜୁନ ଯୁଦ୍ଧ କରୁ କରୁ ଉପସ୍ଥିତ]

କର୍ଣ୍ଣ–      ରେ ଅର୍ଜ୍ଜୁନ !

କ୍ଷଣେ ମୋତେ ଦେ ଅବସର

ଦ୍ରୁତ ବେଗେ ଚାଲନ୍ତେ ମୋ ରଥ

ରଥ ଚକ୍ର ଧସିଲା ଭୂଗର୍ଭେ,

ତିଳେ ରଣରୁ ରହିତ ହୁଅ, ରଥଚକ୍ର ତୋଳଇ ମୁଁ ଏବେ

ଶୁଣରେ ପାର୍ଥ ! ଯୁଦ୍ଧର ନିୟମ ମୋହଠାରୁ ।

(ଗୀତ)

[କହୁ କେଣେ ଅଛୁ– ବୃତ୍ତେ]

ମନା ମାନ ଅର୍ଜ୍ଜୁନ ତୋତେ ବୁଝାଇ ଦେଉଛି କ୍ଷତ୍ରିଙ୍କ ନୀତି । ଶରଣ ମାଗିବ ଯେହୁ ଅସ୍ତ୍ର ତେଜି ବାଣ ନ ଛାଡ଼ିବ ସେ ବୀରପ୍ରତି । ପଦ । କରିଥିବ ମୁକୁଳା କେଶ ଭାଷୁଥିବ ବିନୟ ଭାଷା । ରଣେ ପୃଷ୍ଠଦେଇ ଥିବ ଯେ ପଳାଇ ରଥ ତେଜି ହୋଇଥିବ ବିରଥୀ ।। ପୁଣି ଦନ୍ତେ ତିରଣ ଧରି । ରଣସ୍ଥଳେ ପରାଣେ ଡରି । ବସ୍ତ୍ର ଦେଇ ଗଳେ ଡାକିବ କାଳେ ଏହାକୁ ବଧିଲେ ନରକ ଗତି । ଧ୍ୱଜେ ଅଛି ଅଞ୍ଜନା ସୁତ, ସାରଥି ତୋ ଦେବ ଅଚ୍ୟୁତ । ପଚାରି ଏହାଙ୍କୁ ମନା ତୋ ମନକୁ ଅଯଶ ନ ଘୋଷୁ ତୋର ଏ କ୍ଷୀତି ।। ଦୁଇ ଖଣ୍ତ ସମୟ ଦିଅ ଚଣ୍ତପଣ ତିଳେ ନ ବହ । ତା ଉତ୍ତାରୁ ବୀର କରିବୁ ସମର ଧର୍ମ ଏକା ଚିର ବଇ ଭାରତୀ ।।

(କଥା)–      ଆରେ ପାର୍ଥ !

ମାଗେ ମାତ୍ର ବେନିଦଣ୍ତ ସମୟ ମୁଁ ତୋତେ

ମାନି କ୍ଷତ୍ରିୟଙ୍କ ନୀତି ହୋଇ ତୁ ଉଦାର

ଦିଅ ଏତିକି ସମୟ

ତାହାପରେ କେଶରୀ ବିକ୍ରମେ କରିବା ସମର

ହେଉ ଅବା ଅର୍ଜ୍ଜୁନ ପତନ କିବା କର୍ଣ୍ଣର ବିନାଶ ।

ଅର୍ଜ୍ଜୁନ–      ଜଗନ୍ନାଥ ! ନ ପେଷିବି ଅସ୍ତ୍ର ତିଳେ କର୍ଣ୍ଣ ପ୍ରତି ଆଉ

ଯେତେବେଳେ ବିରଥୀ ବୋଲୁଛି ମୋତେ ପଡ଼ିଣ ବିପଦେ

ବଧିଲେ ଏହାକୁ ଅଧର୍ମ ଅର୍ଜିବ ଅର୍ଜ୍ଜୁନ ।

କୃଷ୍ଣ–      ଏ କି ରୀତି ତୋର ରେ କିରାଟୀ ?

ମାରି ଶର କାଟ କର୍ଣ୍ଣ ଶିର ଅତିବେଗେ

ଧର୍ମାଧର୍ମ ନ କରି ବିଚାର, ଅତିଶୀଘ୍ର କାଟ ଦୁଷ୍ଟ ଶିର ।

କର୍ଣ୍ଣ–      ହେ କପଟି ! କପଟତା ଗଲା ନାହିଁ ତୋର କାଳେ କାଳେ

ଯାବତ ଧର୍ମ ତୋହର ସୃଷ୍ଟି ଅଟେ ହରି

ଏ ବଚନ ସାଜେ ତୋର ମୁଖେ ଜଗନ୍ନାଥ ।

କୃଷ୍ଣ–      ହେ ରାଧେୟ !

ଚୋର ମୁଖେ ପରଦ୍ରବ୍ୟ ହରଣ ନିନ୍ଦା

କାଳକୂଟ ମଧୁର ସଞ୍ଚାର ?

ତୁମ୍ଭେ ଏକା ଧର୍ମ ପାଳିଥାଅ ଚିରକାଳ

ଯେ ଧର୍ମରେ କରିଥିଲ କର୍ଣ୍ଣ

ତାହା ଥରେ ଦେଉଛି ମୁ ସ୍ମରଣ କରାଇ ।

 

(ଗୀତ)

[ଶୁଣ ଲୋ ସୁନୀତ– ବୃତ୍ତେ]

ଶୁଣ ଅଙ୍ଗରାଟ ତୁମ୍ଭର କପଟ ଧର୍ମ ଅଛି ମୋତେ ଜଣା । ଦ୍ରୌପଦୀ ହରଣ କାରଣକୁ ସ୍ମର ମନ ମଧ୍ୟେ ନୁହଁ ବାଟବଣା । ପଶା ଖେଳ ବେଳକୁ, ଥରେ ଆଣ ତୋ ହୃଦସ୍ଥଳକୁ ।। ରଜସ୍ୱଳା ନାରୀ କେଶ ଧରି ପରା ଆଣିଥିଲ ସଭାତଳେ । ଗୁରୁଜନ ଆଗେ କଲ ବିବସନ ଏ କେବଣ ଧର୍ମବଳେ । ବିଷଲଡ଼ୁ ଭୀମକୁ, ଦେଇ ପାଳିଣ ଅଛ ଧର୍ମକୁ ।। ପୁଣି ଜଉଶାଳେ ଭରି କଉଶଳେ ପାଞ୍ଚ ଜଣେ ଦେଲ ପୋଡ଼ି । ଚଉଦ ବର୍ଷର ଶିଶୁକୁ ବିନାଶ କଲ ସପ୍ତରଥୀ ବେଢ଼ି । ପାଣି ପାଣି ଉଚ୍ଚାରି, ପ୍ରାଣ ତେଜିଲା ନ ଦେଲ ବାରି ।। ତୁମ୍ଭ ଧର୍ମ ପରି ପାଣ୍ତବଙ୍କ ଧର୍ମ ନୁହେଁ ଜାଣ ରାଧାସୁତ । ମନେପଡ଼ି ଏବେ ପୋଡ଼ୁଛି ଏ ମର୍ମ କୁରୁକୁଳ କଳଙ୍କିତ । କଲୁ ଖଳ ସ୍ୱଭାବେ, ବିପ୍ର ବଇଷ୍ଣବ ରସେ ଭାଷେ ।।

କୃଷ୍ଣ–      ରେ ଗାଣ୍ତୀବୀ ! ବୃଥା କାଳ କରନା ବିଳମ୍ବ

ଦୁଇଘଡ଼ି ପରେ ଯେବେ ଉଠେ କର୍ଣ୍ଣ ରଥ

ଶତ ଅର୍ଜ୍ଜୁନ ହୋଇଲେ ନ ପାରିବ ଜିଣି

ଅଧର୍ମ ସହିତ ଧର୍ମ ନୁହେଁ ପାଳିବାର

କପଟୀ ସହ କପଟ ବେଭାର ଉଚିତ

ହେ କିରୀଟି ! ବାଣ ଘେନି କାଟ କର୍ଣ୍ଣ ମୁଣ୍ତ ।

ଅର୍ଜ୍ଜୁନ–      ବୀର କର୍ଣ୍ଣ ! ଧର ଧନୁ କିମ୍ପା ଡେରି ?

କର୍ଣ୍ଣ–      ରେ ଅର୍ଜ୍ଜୁନ ! ବୃଥା ହେଲା ମୋହର ଗୁହାରି ?

ଶଲ୍ୟ–      ହେ ରାଧେୟ ! ନିସତ ହେଲେ ଅର୍ଜ୍ଜୁନ ନ ଛାଡ଼ିବ ଆଉ ।

କର୍ଣ୍ଣ–      ରେ ଗାଣ୍ତୀବୀ, ରଣ ନ ତେଜିବ କର୍ଣ୍ଣ ପ୍ରାଣ ଥାଉଁ ଥାଉଁ ।

ଓଃ ଫଳିଛି ଶୋଷକ ଅଭିଶାପ, ରଥଚକ ଗ୍ରାସ କଲା ପୃଥ୍ୱୀ ।

ତୁ କିସ କରନ୍ତୁ ମୋର ଆରେ ଇନ୍ଦ୍ର ସୁତ ?

ତୋର ପିତା ଯୋଗେ ଆଜି ମୋ ଦଶା ଏମନ୍ତ ।

ଛଦ୍ମେ ମୋ କବଚ ନେଲା ବ୍ରାହ୍ମଣ ବେଶରେ

ଯାଇଛି ସେ ବେଳ, ଗତ କଥା ଭାବି କିଛି ଫଳ ହେବ ନାହିଁ

ବଳ ଥିଲେ ଇନ୍ଦ୍ରବଳା କରରେ ସମର ।

ଅର୍ଜ୍ଜୁନ–      ଏହି ଦେଖ ରାଧାସୁତ କାଟିଲି ତୋ ଶିର ।

(ରଣବାଦ୍ୟ, ଯୁଦ୍ଧ ଓ କର୍ଣ୍ଣର ଶିରଚ୍ଛେଦ ଏବଂ ପୁଣି ମୁଣ୍ତ ଲାଗିବା)

ଅର୍ଜ୍ଜୁନ–      କହ ସହଦେବ,

କିମ୍ପା କର୍ଣ୍ଣ ଶିର ଜନ୍ମେ ବାରମ୍ବାର ତାହାର ସ୍କନ୍ଧରେ ?

ନ ପାରିବି ବଧି ଦୁରାତ୍ମାକୁ

କହ ମନ୍ତ୍ରୀ ଏହାର କାରଣ ।

ସହ–      ହେ ଇନ୍ଦ୍ରନନ୍ଦନ ! ଶୁଣ ତହିଁର କାରଣ

ଯେହେତୁ ଜନ୍ମଇ କର୍ଣ୍ଣର ଶିର,

ମରକତ ଲିଙ୍ଗ ରଖିଛନ୍ତି ଦିନମଣି କର୍ଣ୍ଣ ଅଙ୍ଗେ

ତେଣୁ କୌଣସି ପ୍ରକାରେ ନ ମରଇ କର୍ଣ୍ଣ ।

ଏକାବେଳେ ଗାଣ୍ତୀବେ ବସାଇ ତିନି ବାଣ

ନାଭୀଦେଶେ ପାଶୁପତ ବକ୍ଷରେ ବାବଲ

ନୀଳଚକ୍ର ପଡ଼ୁ କନ୍ଧେ ତାର

ପାଶୁପତ ନାଭୀଦେଶେ ପଡ଼ି ପୋଡ଼ି ଦେବ ସେ ମର୍କତ ଲିଙ୍ଗ

ଏକାବେଳେ ତିନିଖଣ୍ତ ହୋଇ ଛିଡ଼ିଯିବ କର୍ଣ୍ଣ ଅଙ୍ଗ ।

ଅର୍ଜ୍ଜୁନ–      ହେ ନୀଳଚକ୍ର ! ଏତେବେଳେ ଆସ ପାତାଳୁ

ବିଜେ କର ମୋ ଗାଣ୍ତୀବେ ।

ରେ ପାପାତ୍ମା କର୍ଣ୍ଣ ! ଇହଧାମୁ ସରିଲା ତୋ କାର୍ଯ୍ୟ

ଏବେ ମରିବାକୁ ଶୀଘ୍ର ହୁଅ ସଜ ।

 

(ଗୀତ)

[ଶିଖାଅ ରାଜନୀତି– ବୃତ୍ତେ]

ଆରେ କର୍ଣ୍ଣ ହେଳା କରନା । ଇଷ୍ଟ ଚିନ୍ତାକର । ବୃଥା କଷ୍ଟରେ ପଡ଼ି ମରନା ।। ପଦ । ଚାହାଁରେ ରାଧାସୁତ, ଏ ଅସ୍ତ୍ର ପାଶୁପତ । ବାବଲ ସହିତ ନୀଳଚକ୍ର ଛେଦିବି ତୋ ସେହ୍ନା । କାହିଁ ରେ ଦୁର୍ଯ୍ୟୋଧନ ଦେଖୁ ତୋର ବଦନ । ଆଉ ନ ପାଇବ ଭେଟ ଏ ପାପ ସଂସାରେ ସିନା । ତୋ ରାଣୀ ପଦ୍ମାବତୀ, ତୋ ଭାବ ମନେ ଚିନ୍ତି । ନିତି ବାହୁନି କାନ୍ଦିବ ହୋଇଣ ଦୁଃଖିତମନା ।। କାହିଁ ତୋର କପଟ କୂଟରେ ଅଙ୍ଗରାଟ । ଭାଟ ବଇଷ୍ଣବ କହି ମରମ ପଥକୁ ଅନା ।

କର୍ଣ୍ଣ–      (ସ୍ୱଗତ) ଓଃ, ଆଉ ମୋର ନାହିଁ ପ୍ରାଣେ ଆଶା

ହେ ଅନାଥବନ୍ଧୁ ହରି,

ତୁମ୍ଭ ଏତେବେଳେ ଅର୍ଜ୍ଜୁନ ରଥରେ ରହିଛ

ଥରେ ଆସି ଏ କର୍ଣ୍ଣ ଦେହ-ରଥରେ ଆରୋହଣ କର ।

ରେ ଅର୍ଜ୍ଜୁନ ! ନାହିଁ ତୋର ସମାନ ସାରଥି ମୋ ରଥେ

ତୁ କି ମୋତେ ଜିଣିଥାନ୍ତୁ ରେ ଇନ୍ଦ୍ର ଆତ୍ମଜ ।

(ଉଭୟଙ୍କର ଯୁଦ୍ଧ–କର୍ଣ୍ଣର ମୃତ୍ୟୁ–ପଞ୍ଚଜନ୍ୟ ଶଙ୍ଖଧ୍ୱନି)

ସମସ୍ତେ–      ଜୟ ଧର୍ମରାଜ ଯୁଧିଷ୍ଠିରଙ୍କର ଜୟ । (ତ୍ରିବାର)

(ଦ୍ରୁତ ବେଗେ ଦୁର୍ଯ୍ୟୋଧନର ପ୍ରବେଶ)

ଦୁର୍ଯ୍ୟୋଧନ– (କର୍ଣ୍ଣ ଶବକୁ କୋଳରେ ଧରି ରୋଦନ)

ହା ସଖା, ହା ସଖା, ମୋତେ ଛାଡ଼ି କେଉଁଆଡ଼େ ଗଲା । ମୋର ଦୁଃଖିତ ଭାବ ଲୋତକପୂର୍ଣ୍ଣ ନେତ୍ର ଦେଖିଲେ କେତେ କେତେ ପ୍ରବୋଧ ବଚନଦ୍ୱାରା ମୋତେ ଆଶ୍ୱାସନା ଦିଅ । ଏତେବେଳେ କାହିଁ ସେହି ପୂର୍ବଭାବ ସଖା !

 

(ଗୀତ)

[ବୁଧେ ଶୁଣିବା ହେଉ ସୁମତି– ବୃତ୍ତେ]

ସଖା ବୀରବର ଶିରୋମଣି । ନ ସରିବ ତବ ଗୁଣ ଗୁଣ । ଅଣୀ‌ମାଦି ସୁଖ ଭୁଞ୍ଜାଇବ ବୋଲି କହିଥିଲ ପାଣ୍ତବଙ୍କୁ ଜିଣି ହେ, ଭୋ ମିତ୍ର । ଏବେ ଧରଣୀ ଦିଶେ ଅନ୍ଧାର । କିଏ କରିବ କଷ୍ଟୁ ଉଦ୍ଧାର । ଶୋକ ତରଣୀରେ ବସାଇ ଭସାଇ ଗଲ ହୋଇ ବୀର ଧନୁର୍ଦ୍ଧର ହେ । ଭୋ ମିତ୍ର । ଯାର କାର୍ମୁକ ଟଙ୍କାର ଶୁଣି । ହରି ବ୍ରହ୍ମାରକ୍ତ ହୁଏ ପାଣି । ଶୁଣନ୍ତେ ଯା ନାମ ଭୟ କରେ ଯମ ସେହି ଲୋଟୁ ଅଛି ଆଜି ଧରଣୀ ହେ । ଭୋ ମିତ୍ର । କିଏ ବିପଦେ ଦେବ ସାହସ । ଦୁଃଖ କହିବି ମୁଁ କାହା ପାଶ । ତୁମ୍ଭ ଅଭାବରେ ବୁଡ଼ିଲା ଗୌରବ ହେଳେ ଏହି କଉରବ ବଂଶ ହେ । ଭୋ ମିତ୍ର । ଘେନି ମାତିବି କାହାକୁ ରଣେ । ନାହିଁ ଭରସା ରସାରେ ଜଣେ । ଭୀଷ୍ମ ଦ୍ରୋଣ ତେଜି ମଜ୍ଜିଲି ସମରେ ଭାବି ନ ଥିଲି ତୋ ପାଇଁ କ୍ଷଣେ ହେ, ଭୋ ମିତ୍ର । ଏବା ଉଠି ଭାଷ ପଦେ କଥା । ତୁଟି ଯାଉ ଏ ହୃଦୟ ବ୍ୟାଥା । ବଇଷ୍ଣବ ଭାବି ମୋର ଭାଗ୍ୟରବି ଅସ୍ତ ଗଲେ ହଟିଲା କ୍ଷମତା ହେ । ଭୋ ମିତ୍ର ।

(କଥା)–      ମାମୁ ମାମୁ ! ଥାଉଁ ଥାଉଁ କର୍ଣ୍ଣ ରଥେ ତୁମ୍ଭେ, କେମନ୍ତେ ହୋଇଲା ଏତେ କାଣ୍ତ ? ଦେଖୁ ଦେଖୁ ପାର୍ଥ ଶରେ ଛେଦନ ହୋଇଲା ମିତ୍ର ମୁଣ୍ତ ।

ଶଲ୍ୟ–      ଭାବ ନାହିଁ କଥା ତିଳେ ତୋ ମନରେ

ଅନିର୍ବାର୍ଯ୍ୟ ନିୟତର ଗତି କାର ସାଧ୍ୟ କେ ଖଣ୍ତିବ ତାହା

ଚାଲ ଯାହା କରିବାକୁ ହେବ କରିବ ଏକାନ୍ତେ

ଗଲେଣି ପାଣ୍ତବେ ଜୟ କରି ବାସେ ।

(ଶଲ୍ୟ ଦୁର୍ଯ୍ୟୋଧନକୁ ଘେନି ପ୍ରସ୍ଥାନ)

[ସମାପ୍ତ]