ସରଳ ଭକ୍ତିପଥ

ବୈକୁଣ୍ଠନାଥ ବ୍ରହ୍ମଚାରୀ

ସୂଚୀପତ୍ର

୧. କର୍ତ୍ତବ୍ୟ ବିଚାର

୨. କାଳ ଓ କର୍ମ

୩ ଭକ୍ତି ପ୍ରସଙ୍ଗ

୪. ରାଗାନୁଗା ଓ ପରକୀୟା ଭକ୍ତି

୫. ଗୁରୁଶିଷ୍ୟ

୬. ଉତ୍ତମ ଶିଷ୍ୟର ଲକ୍ଷଣ

୭. ଈଶ୍ୱର ପ୍ରେମ

୮. ଈଶ୍ୱର ଚିନ୍ତାର କାରଣ

୯. ଧ୍ୟାନ

୧୦. ପ୍ରଣବ ତତ୍ତ୍ୱ

୧୧. ମୁରଲୀ ସ୍ୱର

୧୨. ବାବାଜି

୧୩. ଗୃହରେ ଥାଇ ବିହିତ କର୍ମ କର

୧୪. ଧର୍ମ ପ୍ରଚାରର କାରଣ

୧୫. ଭବିଷ୍ୟତ ଚିନ୍ତା

କର୍ତ୍ତବ୍ୟ ବିଚାର

ମନୁଷ୍ୟ ପ୍ରତ୍ୟହ ଯାହା ଯାହା କର୍ମ ଓ ଧର୍ମ କରନ୍ତି, ସେହି କର୍ମକୁ ନାନା ଶାସ୍ତ୍ର-ବିଚାରରେ ପ୍ରମାଣିତ କରି, ବିବେକ ବିଚାରରେ ପ୍ରମାଣିତ କରି, ବିବେକ ବିଚାର ପୂର୍ବକ କରିବା ଦରକାର । ପୂର୍ବରୁ ମୁନିଋଷିମାନେ ଜୀବର ଉଦ୍ଧାର ନିମନ୍ତେ ପଥ ଉଦ୍ଭାବନ କରିଯାଇଛନ୍ତି । ଆମ୍ଭେମାନେ ସେସବୁକୁ ଳକ୍ଷ୍ୟଦେଇ ସତ୍‌ସାହାସର ସହିତ କର୍ମ କରିପାରିଲେ ହେଲା । କେବଳ ସେ ସବୁର ଅର୍ଥାତ୍ ଋଷି ପ୍ରଦର୍ଶିତ ମାର୍ଗର ତତ୍ତ୍ୱାର୍ଥ ପାଇପାରୁ ନଥିବାରୁ କୌଣସି ମହତ ବ୍ୟକ୍ତିଙ୍କୁ ଗୁରୁ ପଦରେ ବରଣ କରି, ତାଙ୍କଠାରୁ ତତ୍ତ୍ୱାର୍ଥ ବୁଝିବାକୁ ହୁଏ । କେବଳ ବୁଝିଲେ ହେବ ନାହିଁ । ସେହି ଉପଦେଶାନୁସାରେ କର୍ମ କଲେ ବଦ୍ଧଜୀବ ମୁକ୍ତ ହୋଇପାରିବ । ଆଜି ଶାସ୍ତ୍ରମାନଙ୍କରୁ ସାରକଥା ଆଲୋଚନା କରିବା ଦ୍ୱାରା ଦେଖାଯାଉଛି ଶ୍ରୀମ୍‌ଦ ଭାଗବତରେ ଭଗବାନ ଉଦ୍ଧବକୁ କହିଛନ୍ତି,

‘ ଏ ଜୀବ ମରଣ ନିକଟେ, ବେଗେ ଚିନ୍ତଇ ଅନ୍ୟ ଘଟେ ।

ଏ ଦେହୁଁ ଜୀବ ଗଲାବେଳେ, ଯେ ରୂପ ଦେଖିଥାଇ ଡୋଳେ ।

ଜନ୍ମଇ ସେହିରୂପ ଧରି, କୀଟ ଯେସନେ ପେଶସ୍କାରୀ । । ’

ଏଣୁ ବୁଝାଗଲା ମୃତ୍ୟୁ ନିକଟବର୍ତ୍ତୀ ହେଲେ ଜୀବ ଅନ୍ୟ ଯେ କୌଣସି ରୂପକ ଚିନ୍ତାକରେ ଏବଂ ସେହି ଚିନ୍ତା ଅନୁରୂପ ପୁର୍ନଜନ୍ମ ଲାଭ କରେ ବା ଦେହ ଧାରଣ କରେ, ତାହା ହିଁ ଭଗବାନ ଗୀତାରେ କହିଅଛନ୍ତି,

      “ ଯଂ ଯଂ ବାପିସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍

      ତଂତମେବୈତି କୌନ୍ତେୟ ସଦାତଦ୍‌ଭାବ ଭାବିତଃ”

                                    (୮ ଅଧ୍ୟାୟ-୬ ଶ୍ଳୋକ)

ପୁନଶ୍ଚ- “ ଅଭ୍ୟାସ ଯୋଗ ଯୁକ୍ତେନ ଚେତସା ନାନ୍ୟ ଗାମିନା

ପରମଂ ପୁରୁଷଂ ଦିବ୍ୟଂ ଯାତି ପାର୍ଥନୁଚିନ୍ତୟନ୍ । ‘’

                  (୮ମ ଅଧ୍ୟାୟ -୮ ଶ୍ଳୋକ)

ଏଣୁ ଯାହାର ଅଭ୍ୟାସ ବା ଲକ୍ଷ୍ୟ ଯେଉଁ ଦିଗରେ ଅଧିକ ଥାଏ । ମୃତ୍ୟୁ ସମୟରେ ସେହି ଭାବନାଟି ସେତେ ବ୍ୟଗ୍ରଗତିରେ ତାର ମନରେ ଆସିଯାଏ । ତେଣୁ ଅନ୍ୟ ଦିଗରୁ ଆସକ୍ତି କମାଇ ଭଗବାନଙ୍କ ଦିଗରେ ଭାବନା କରିବା କିମ୍ବା ଆସକ୍ତି ବଢ଼ାଇବା ନିମନ୍ତେ ଅଭ୍ୟାସ କରିବା ଆବଶ୍ୟକ ।

      “ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶଂରଣ ବ୍ରଜ ।

      ଅହଂ ତ୍ୱା ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମାଶୁଚଃ । “

                                     (୧୮ ଅଧ୍ୟାୟ ଶ୍ଳୋକ-୬୬)

ସମସ୍ତ ପ୍ରକାର ଧର୍ମ ଛାଡ଼ି କେବଳ ଈଶ୍ୱର ଶରଣାପନ୍ନ ହେବା ପ୍ରଧାନ କଥା । ସବୁ ପ୍ରକାର ଧର୍ମ ବୋଲନ୍ତେ ସ୍ତ୍ରୀ, ପୁତ୍ର, ଧନ, ଗୃହ ଇତ୍ୟାଦି ନୁହେଁ । ତୁମ୍ଭ କୁଳର ଯାହା ବ୍ୟବହାର ତାହା କର, ତାହା ଈଶ୍ୱର ତୁମ୍ଭଦ୍ୱାରା କରାଇବା ନିମନ୍ତେ ତୁମ୍ଭଙ୍କୁ କର୍ମକ୍ଷେତ୍ରରେ ଜନ୍ମ ଦେଇଛନ୍ତି । ସେଥିରେ ଉଦାହରଣ ଭାଗବତରେ ଅଛି,

            “ ଯେ ଯା କୁଳର ବ୍ୟବହାର, ନ ଘଟେ ଗୁଣଦୋଷ ତାର”

ସାରକଥା ହେଉଛି ଯେ ଯାହାର କୁଳାଚାର କରୁଥାଆନ୍ତୁ ।କିନ୍ତୁ ଭଗବାନଙ୍କୁ ପ୍ରାର୍ଥନା କଲାବେଳେ, କିମ୍ବା ତାଙ୍କ ରୂପ ଧ୍ୟାନ କଲାବେଳେ ଇନ୍ଦ୍ରିୟମାନଙ୍କୁ ଅପଥକୁ ଅଗ୍ରସର ହେବାକୁ ଛାଡ଼ି ନ ଦେଇ ସେହି ଆରାଧ୍ୟ ଦେବତାଙ୍କ ଠାରେ ଦୃଢ଼ ମନୋନିବେଶ ପୂର୍ବକ କ୍ରମଶଃ ସଂଯତ କରନ୍ତୁ । ସେତେବେଳେ ସ୍ତ୍ରୀ, ପୁତ୍ର, ଧନ ସମ୍ପଦାଦି ଦିଗରେ ମୁଣ୍ଡ ଯେପରି ନ ଯାଏ, ଏହା ଅଭ୍ୟାସ କରିବାକୁ ହେବ । ମନର ଭାବନା ସମ୍ବନ୍ଧରେ ଗୀତାରେ ପ୍ରମାଣ ଅଛି –

                  “ ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମୁନୁସ୍ମରନ୍

                  ଯଃ ପ୍ରୟାତି ତ୍ୟଜନ୍ ଦେୟଂ ଓ ଯାତି ପରମାଂ ଗତିମ୍ ‘’

                                                (୮ ଅଧ୍ୟାୟ ୧୩-ଶ୍ଳୋକ)

ଯେଉଁ ବ୍ୟକ୍ତି ପ୍ରାଣତ୍ୟାଗ ସମୟରେ ଓଁକାର ଏକାକ୍ଷର ଚିନ୍ତାକରି ପ୍ରାଣତ୍ୟାଗ କରେ, ସେ ଭଗବାନଙ୍କୁ ପାଇପାରେ । ଆଗରୁ କୁହାଯାଇଛି ଯାହାର ଯେଉଁ ଅଭ୍ୟାସ ଅଧିକ ଥାଏ ତାହାର ଲକ୍ଷ୍ୟ ସେହିଦିଗରେ ଧାବମାନ ହୁଏ । ତେଣୁ ଆଗରୁ ଅନ୍ୟରୂପ ଧ୍ୟାନରେ ନ ରଖି ଭଗବାନଙ୍କୁ ନିକଟକୁ ମନର ଗତିକୁ ଦଉଡ଼ାଇବାକୁ ହେବ । ସେଥିପାଇଁ କୁହାଯାଇଛି,

      “ ବାଳକେ ମୋର ବୋଲ କର ବେଳ ହୁଁ ଗୋବିନ୍ଦ ସୁମର”

ପୁନଶ୍ଚ କଥିତ ଅଛି-

            “ କୃଷ୍ଣ ତ୍ୱତୀୟ ପଦ ପଙ୍କଜ ପିଞ୍ଜରାନ୍ତେ,

      ଅଦ୍ୟୈବ ମେ ବିଶତୁ ମାନସ ରାଜହଂସଃ

      ପ୍ରାଣ ପ୍ରୟାଣ ସମୟେ କଫ ବାତ ପିତ୍ତୈଃ

କଣ୍ଠାବରୋଧେନ ବିଧୋ ସ୍ମରଣଂ କୁତସ୍ତେ ?’’

ବେଳହୁଁ ଅଭ୍ୟାସ କରି ଭଗବାନଙ୍କୁ ଭାବୁଥିଲେ ଶେଷ ସମୟରେ ସେହି ଭାବ ଓ ରୂପ ମନରେ ଆସିପାରେ । ଏହାର ଗୋଟିଏ ବ୍ୟକ୍ତିଗତ ଉଦାହରଣ ଦେଖ । ଜଣେ ଲୋକ ଧାନ ମାପୁଣି ହୋଇ ଜମିଦାରଙ୍କର ଧାନ ମାପଚୁପ କରି ଖାତକଙ୍କ ଠାରୁ ଆଣେ । ସେଥିରେ ତାର ପରିବାରବର୍ଗଙ୍କୁ ପରିପୋଷଣ କରେ । ଏପରିକି ଅହରହ ସେ ସେହି କାର୍ଯ୍ୟରେ ବ୍ୟସ୍ତ ।

 

      କେତେକ ଦିବସ ପରେ ଉକ୍ତ ବ୍ୟକ୍ତିର ଘଟାନ୍ତର ସମୟ ଉପସ୍ଥିତ ହେଲା । ତାହାର ପୁଅ ପିତାର ଶେଷ ମୁହୂର୍ତ୍ତ ହେବାର ଦେଖି ତାଙ୍କ ନିକଟକୁ ଯାଇ କହିଲା, ବାପା ! ଏପରି କାହିଁକି ହେବାକୁ ଆରମ୍ଭ କରୁଛ ? ହରେ ରାମ ହରେ କୃଷ୍ଣ ସ୍ମରଣ କର । ପୁଅର କଥା ଶୁଣି ମୁମୂର୍ଷୁ କହିଲା ! ରାମ ସାହୁ ଉପରେ ଭ ୧-୬ ଧାନ ହୋଇଥିଲା ମୁଁ ଆଣିଥିଲି । ଆଉ ସେ ଛଅ ଗୌଣୀ ଅଧେ ଧାନ ଦେଲେ ତାର ଅଡ଼ୁଆ ତୁଟାଇ ଦେବୁ । ଗୋପାଳ ବେହେରା ସେଦିନରୁ ୫୦ ଟଙ୍କା ନେଇଥିଲା, ତା ଠାରୁ ଆଣିବୁ। ଏହିପରି ନାନା କଥା କହିଲା ଏବଂ ମୁହୂର୍ତ୍ତକ ପରେ ଇହଧାମ ପରିତ୍ୟାଗ କରିଗଲା ।

       ସେ ଗ୍ରାମରେ ଆଉ ଜଣେ ଲୋକ ଥିଲା ସେ ଭାରି ଗରିବ । ମଜୁରି ଆଣି ତାର ସଂସାର କାର୍ଯ୍ୟ ନିର୍ବାହ କରେ । ଏଣେ ଘରେ ଶ୍ରୀମୂର୍ତ୍ତିଟିଏ ରହିଥାଏ । ଫୁଲହାରମାନ ଗୁନ୍ଥି ତାଙ୍କୁ ସଜାଉଥାଏ । ତତ୍ ସଙ୍ଗେ ସଙ୍ଗେ ପ୍ରେମରେ ତାଙ୍କ ନାମ ଗାନ କରିବାରେ ଲାଗିଥାଏ ।

      ଏପରି ମନେହୁଏ, ସେ କେବଳ ପେଟପାଇଁ ଓ ନିଜର ପରିବାର ନିମନ୍ତେ ମଜୁରୀ ଲାଗିଥାଏ ସତ, କିନ୍ତୁ ମନରେ ଭାବୁଥାଏ, କେଉଁଠି ଭଲ ଫୁଲ ପାଇବି କେତେବେଳେ ଯାଇଁ ମାଳ ଗୁନ୍ଥି ଶ୍ରୀମୂର୍ତ୍ତିଙ୍କୁ ସଜାଇ ଦେବି ଇତ୍ୟାଦି । କେତେଦିନ ପରେ ତାର ଶେଷ ସମୟ ଉପସ୍ଥିତ ହେଲା । ସେ ଅଫିମ ଖାଏ । ତେଣୁ ତାର ପୁଅ ତାକୁ ପ୍ରଶ୍ନ କଲା “ବାପା ! ଅଫିମ ଖାଇବେକି?’’ ସେ ଉତ୍ତର ଦେଲା, “ଦେଖିଲୁ ଏ ଫୁଲହାର ମୋର ଆରଧ୍ୟ ଦେବତାଙ୍କୁ ସାଜିଛିନା” ଆଉ ମଧ୍ୟ ଫୁଲ ଗୁନ୍ଥିବା ପରି ଅଭିନୟ କରୁଥାଏ । ଅନ୍ୟକୁ ଠାର ଦ୍ୱାରା କହିଦେଉଥାଏ “ ଏ ଫୁଲମାଳ ନେଇ ଶ୍ରୀମୂର୍ତ୍ତିଙ୍କୁ ଦେଇଦିଅ । ‘’

      ଏଥିରୁ ଜଣାଗଲା, ଯାହାର ମନ ଯହିଁରେ ମଜ୍ଜିଥାଏ, ତାକୁ ଦିନେ ସେହି ପଥର ପଥିକ ହେବାକୁ ପଡ଼େ । ଏଣୁ ଭଗବାନଙ୍କ ପ୍ରେମରେ ପ୍ରେମିକ ହୋଇ ତାଙ୍କ ଠାରେ ମନ ଅର୍ପଣ କର । ପୂର୍ବରୁ କୁହାଯାଇଥିବା କଥାରୁ ଜଣାଯାଉଛି, ଭଗବାନ କହିଛନ୍ତି ଓଁକାର ଏକାକ୍ଷରକୁ ଚିନ୍ତା କରିବାର କଥା, ତେବେ ଓଁକାର ସମସ୍ତେ ଜାଣନ୍ତି, ସେତ ଗୋଟିଏ ଅକ୍ଷର । ସେଥିରେ ଭଗବାନ କି ଭାବରେ ବିରାଜମାନ କରିଛନ୍ତି ତାହା, ଭାବିବା ଦରକାର ।

       “ତତ୍ତ୍ଵ ବୁଝିଲେ ତୁଟେ ଭ୍ରାନ୍ତି, ଭବ ସାଗରୁ ତରିଯାନ୍ତି ‘’

            ଏହାକୁ ବୁଝିବାମାନେ ଓଁକାରର ତତ୍ତ୍ଵାର୍ଥ ବୁଝିବା ।

ଏହି ଓଁକାରଟି ଖାଣ୍ଟି କଥା ବୋଲି ଆମେ କିପରି ଜାଣିଲେ, ଏହା ଶୁଣ-ପୂର୍ବରୁ ‘ମହାଜନ’ ମାନେ ଯେଉଁ ସବୁ ଶାସ୍ତ୍ର ଲେ୍ଖି ଯାଇଛନ୍ତି, ତହିଁରୁ ଅନେକ ସ୍ଥାନରେ ଆମ୍ଭେ ଯେଉଁ ଗୋଟିକ ପ୍ରମାଣ ପାଉଛେ ତାହାହିଁ ଲେଖାଗଲା ।

“ ଅକ୍ଷର ମଧ୍ୟେ ମୁହିଁସାରା । ତ୍ରିଧାମ ବ୍ରହ୍ମଟି ଓଁକାର । ‘’(ଭାଗବତ)

“ଓଁକାର ଧନୁଟି ଧରି ଆଶାତୀର ଯୋଖି

ଅପ୍ରମତ୍ତ ହୋଇଯାଅ ବ୍ରହ୍ମେ ଲକ୍ଷ ରଖି । ‘’(ମୁକ୍ତି ଶତକ)

ଓମିତ୍ୟେକାକ୍ଷରଂ ବ୍ରହ୍ମ ଇତ୍ୟାଦି । (ଗୀତା)

ଆହୁରି ମଧ୍ୟ ଅଚ୍ୟୁତାନନ୍ଦ ଦାସ ତାଙ୍କ ଶୂନ୍ୟସିଂହିତାରେ ଲେଖିଅଛନ୍ତି –

            ଜଗତ କର୍ତ୍ତାଂ ବ୍ରହ୍ମ ପ୍ରଣବଂ (ଓଁ) ପ୍ରାଣ ସମ୍ଭବଂ

            ତାରଣଂ ମାରଣଂ ସର୍ବ ନାମ ରୂପେଣ ସଂସ୍ଥିତାଃ”

ଏହାର ଅର୍ଥ – ଜଗତର ମାଲିକ୍ ଯେ ପରଂ ବ୍ରହ୍ମ ସେ ଓଁକାର ସ୍ୱରୁପରେ ସମସ୍ତଙ୍କ ପ୍ରାଣରେ ବିଦ୍ୟମାନ ଅଛନ୍ତି ଏବଂ ବାହାରେ ନାମ ରୂପରେ ପ୍ରକାଶ ପାଉଅଛନ୍ତି । ସେହିଁ ଉତ୍ପତ୍ତି ପ୍ରଳୟ ଓ ପାଳନକାରୀ ଅଟନ୍ତି । ତେଣୁ ତାଙ୍କର ନାମ ଆଶ୍ରୟ କରି ତୁମ୍ଭର ମନ ପ୍ରାଣ, ତାଙ୍କର ପାଦରେ ଢାଳିଦେଇ ଧନ୍ୟ ହୁଅ । ଏଇ ତତ୍ତ୍ୱମାର୍ଗମାନ ଜାଣିବା ବା ଜଣାଇବା ସକାଶେ ଉତ୍ତମ ଶିଷ୍ୟଙ୍କର ସୁଗୁରୁ ଓ ସଦ୍‌ଗୁରୁଙ୍କର ମଧ୍ୟ ସତ୍‌ଶିଷ୍ୟ ଲୋଡ଼ା ହୋଇଥାଏ । ପ୍ରକୃତ ମର୍ମ ବୁଝି କର୍ମ କଲେ ଏ ସଂସାର ସମୁଦ୍ରରୁ ପାର ହୋଇ ପାରିବ । ଏ ଦେହରେ ବାସ କରୁଥିବା ଦୁଷ୍ଟ ପ୍ରକୃତିମାନେ ନାନା ପ୍ରକାର ପ୍ରଲୋଭନ ଦେଖାଇଲେ ସୁଦ୍ଧା ସେ ତାଙ୍କ ବଶବର୍ତ୍ତୀ ହୁଏ ନାହିଁ । ଏଣୁ ଧନ୍ୟ ହୁଏ । ଆଜିକାଲି ନାନା ପ୍ରକାର ଧର୍ମ୍ମ ମାର୍ଗ ଦେଖାଯାଏ । ସେଥିମଧ୍ୟରେ ଉଚିତ କର୍ମ ଏବଂ ଅନୁଚିତ କଳୁଷିତ କର୍ମମାନ ଦେଖାଯାଏ । ଏଣୁ ଆମ୍ଭେମାନେ ଶାସ୍ତ୍ରାନୁମୋଦିତ ବାକ୍ୟମାନ ଦେଖି ନିଜର ବିବେକ ଓ ବୁଦ୍ଧିବିଚାର ଦ୍ୱାରା ଧର୍ମପଥରେ ପଥିକ ହେବା ଉଚିତ ଅଟେ । କେବଳ ଲୋକ ଦେଖା ଦେଖି ଧର୍ମର ଦରକାର ନାହିଁ । ନ୍ୟାୟ ଶାସ୍ତ୍ର, ପୁରାଣ ଓ ମହାତ୍ମାମାନଙ୍କର ବାକ୍ୟ, ଦେଶାଚାର କୁଳାଚାର ଆଦିର ବିଚାର କରି କାର୍ଯ୍ୟ ନ କଲେ ପରେ ଅନୁତାପ ଆସେ ଓ ଶାନ୍ତି ପରିବର୍ତ୍ତେ ଅଶାନ୍ତିର ଅଗ୍ନି ହୃଦୟରେ ଦାଉ ଦାଉ ହୋଇ ଜଳି ଉଠେ । ତେଣୁ ସବୁଦିଗରେ ବିଚାର କରି ପ୍ରତ୍ୟେକଙ୍କର କାର୍ଯ୍ୟ କରିବା ଆବଶ୍ୟକ ।

କାଳ ଓ କର୍ମ

ପ୍ରତ୍ୟେକ ଯୁଗରେ କାଳର ଗତି ଅନୁସାରେ କର୍ମ କରାଯାଏ ଏବଂ ମହତ ବ୍ୟକ୍ତିମାନେ ମଧ୍ୟ କାଳକୁ ଅନାଇ କର୍ମ କରିବାର କର୍ତ୍ତବ୍ୟ ଓ ନିର୍ଦେଶନା ଦେଇ ଯାଇଅଛନ୍ତି । ଆମ୍ଭେମାନେ ତାହା ବୁଝି କର୍ମ କରିପାରିଲେ ଧନ୍ୟ ହେବା ।ସତ୍ୟ ଓ ତ୍ରେତାଦି ଯୁଗରେ ମନୁଷ୍ୟମାନେ ବହୁତ କ୍ଷମତାସମ୍ପନ୍ନ, ଅତି ଉନ୍ନତ୍ତ ଓ ସତ୍ୟନିଷ୍ଠ ତିଲେ ବୋଲି ଶାସ୍ତ୍ରାଦିରୁ ପ୍ରମାଣ ମିଳେ । ସେମାନଙ୍କର ପ୍ରାଣବାୟୁ ଦେହରେ ଅସ୍ଥି ମଧ୍ୟସ୍ଥ ମଜ୍ଜାରେ ଅବସ୍ଥିତ ଥିଲା । ତ୍ରେତାରେ ଅସ୍ଥିଗତ ପ୍ରାଣଥିଲା । ଦ୍ୱାପରରେ ଚର୍ମଗତ ହେଲା । ସେ ବେଳର ଲୋକମାନେ ଦୀର୍ଘଜୀବୀ ହୋଇ ଅନେକ ଦିନ ବଞ୍ଚି ରହୁଥିଲେ ।

ସେଥିନିମିତ୍ତ ସେ ଯୁଗରେ ତପସ୍ୟା ଓ ଯଜ୍ଞାଦିର କର୍ମ ସମ୍ପାଦନ କରି ଲୋକେ ପୁଣ୍ୟ ଅର୍ଜନ କରୁଥିଲେ । ଆଉ ମଧ୍ୟ ତପସ୍ୟା ଯଜ୍ଞାଦିର ଅନୁଷ୍ଠାନ କରିବାର ଯେଉଁ କଷ୍ଟ ତାହା ସେମାନଙ୍କୁ ବିଚଳିତ କରିପାରୁ ନ ଥିଲା। ସେତେବେଳେ ସେମାନେ ଅନାହାରରେ ବହୁଦିନ ରହିପାରୁଥିଲେ ବୋଲି ଅନୁମାନ କରାଯାଏ । ଦ୍ୱାପରରେ ସେମାନେ କମିଯାଇ ଶ୍ରୀକୃଷ୍ଣ ଅବତାର ଲୀଳାର ଉପଭୋଗୀ ହେଲେ । ଲୋକମାନଙ୍କ ମନରେ ପ୍ରଭୁ ସେବା କର୍ମ, ଧର୍ମ ଜାଗ୍ରତ ହିଁ ପ୍ରଧାନ ହେଲା । କେବଳ ରାଜାମାନେ ଯଜ୍ଞ କରିବେ ଏହା ହିଁ ହୋଇଥିଲା । ଅନ୍ୟମାନେ ପ୍ରଭୁଙ୍କୁ ଭକ୍ତି ସହ ସେବାପୂଜା ଆଦି କରି ତାଙ୍କ ପ୍ରେମରେ ତନ୍ମୟ ହୋଇ ଜୀବର ମୁକ୍ତି ପଥରେ ପତିକ ହୋଇପାରିବେ ।

ସେଥି ନିମିତ୍ତ ଗୋପୀମାନଙ୍କୁ ଆଦର୍ଶ ଭକ୍ତ କରାଇ ସ୍ୱୟଂ ପ୍ରଭୁ ଜଗତକୁ ଦେଖାଇ ଯାଇଛନ୍ତି ଯେ, -ଗୋପୀମାନେ ଯେପରି ନିଃସ୍ୱାର୍ଥପର ହୋଇ ସଦାବେଳେ ମୋତେ ଭାବିଲେ ଏବଂ ମୁଁ ତାଙ୍କ ପ୍ରତି ଅନୁଗ୍ରହ କଲି । ଏହି ଭାବରେ ପ୍ରତ୍ୟେକ ଭାବି ଉଦ୍ଧାର ହୁଅ । ବର୍ତ୍ତମାନ କଳିରେ ଅନ୍ନଗତ ପ୍ରାଣବୋଲି ଶାସ୍ତ୍ରରୁ ପ୍ରମାଣ ମିଳୁଛି ଏବଂ ଅନାହାରରେ କେତେ ବ୍ୟକ୍ତି ଇହଧାମ ପରିତ୍ୟାଗ କରି ଯିବାର ମଧ୍ୟ ଆଖି ଆଗରେ ଦେଖାଯାଉଛି, ସେଥି ନିମନ୍ତେ ଆଜିକାଲି ଯୁଗରେ ଯେୁଉଁ ଧର୍ମକର୍ମ ପ୍ରଚାର ହୋଇଛି ବା ହେଉଛି କ୍ରମେ ତାହା ସରଳ ଦିଗକୁ ଆସବାର ମନେ ହେଉଛି । ଅନ୍ୟଗୁଣ ଅପେକ୍ଷା ଏହା ବର୍ତ୍ତମାନ ଢେର ସହଜ ଜଣାହୁଏ । କଳିରେ କେବଳ ହରିନାମ ମାତ୍ର ସାର ଅଟେ । ସେଥି ନିମନ୍ତେ ଲେଖାଅଛି ଯଥା-

“ହରେ ନାମ ହରେ ନାମ ହରେନାମୈବ କେବଳମ୍ ।

କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିରନ୍ୟଥା । ”

ଅନ୍ନଗତ ପ୍ରାଣ ହେତୁ ଜପ, ଯଜ୍ଞ, ତପସ୍ୟାଦି ନ ହୋଇ ଜୀବରେ ଦୟା ଓ ନାମରେ ବିଶ୍ୱାସ କରିବା ହିଁ ପ୍ରଧାନ ଧର୍ମ, କିନ୍ତୁ ଏହା ସଙ୍ଗେ ସଙ୍ଗେ ଗୃହର ଯାହାକି ଗୃହସ୍ଥ ଧର୍ମର ନିୟମମାନ ବେଦ ଶାସ୍ତ୍ରାଦିରେ ନିର୍ଣ୍ଣିତ ହୋଇଛି, ତାହା ପାଳନ କରିବା ବିଧେୟ । ନାମର ତତ୍ତ୍ୱ ବୁଝି, କୃଷ୍ଣ ଗୋପୀମାନଙ୍କର ଯେଉଁ ଲୀଳା ତାହାକୁ ଗୁରୁ ଶିଷ୍ୟାତ୍ମକ ତଥା ଆଧ୍ୟାତ୍ମିକ ଭାବରେ ଭାବନା ବା ଧ୍ୟାନ କରି ସେହି ଗୁଣାନୁବାଦ କରିବା ହିଁ ଶ୍ରେଷ୍ଠ ଅଟେ । ଏଥିପାଇଁ ଗୋପାଳକୃଷ୍ଣ ଲେଖିଯାଇଅଛନ୍ତି –

“ ଆରେ ପ୍ରିୟସହି !

ଶ୍ୟାମ ଅପବାଦ ପଛେ ହେଲେ ହେଉ,

ନିତି ସେହି ଚିନ୍ତାରେ ମୋ ଦିନ ଯାଉ,

ଚାହିଁଦେଲେ ଥରେ ସେ ଶ୍ରୀମୁଖ,

କୋଟିଏ କୋଟି ଜନ୍ମର ଦୁଃଖ,

ଲିଭି ଯାଇଛିରେ ପରାଣମିତଣୀ,

ଯେଯେତେ ବୋଲିବ ବୋଲୁଥାଉ । "

ଇତ୍ୟାଦି ଆହୁରି ମଧ୍ୟ ରାସମୟୀ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କର ମିଳନାତ୍ମକ ସୁଖଭୋଗର ଦର୍ଶନ ସୁଖ, ଗୋପୀମାନେ କିପରି ଭୋଗ କରୁଥିଲେ ଓ ତାର ବିଚ୍ଛେଦରେ କି ପ୍ରକାର ଅନୁତାପ କରୁଥିଲେ ତାହା ଉଲ୍ଲେଖ ଅଛି ।

ଯଥା-( ଗୋପାଳକୃଷ୍ଣ ପଦ୍ୟାବଳୀ)

“ ଦରାବୃତ୍ତ ଶିର ନୀଳ ଉପରାଣ ତେଣେ ପ୍ରଚଳାକ ଚୂଳ ବିଭୂଷଣ,

ତରଳତର ଇକ୍ଷଣ ବିକ୍ଷେପଣ                  ହା, ହା ସେ ରୋମାଞ୍ଚ ତନୁ ଶିରୀଙ୍କି,

କି ପାସୋରି ଦେଲି, କାହିଁରେ ରହିଲି,       ଶ୍ରୀକିଶୋରୀ କୁଞ୍ଜବିହାରୀଙ୍କି । ”

ଅର୍ଥାତ୍ – ସେହି ଶ୍ରୀକୃଷ୍ଣଙ୍କୁ ଚିନ୍ତା କରି କରି ତାଙ୍କର ଗୁଣାନୁବାଦ କରି କରି ଏ ଜୀବନ ଚାଲିଯାଉ । ଏହା ହିଁ ଆମ୍ଭମାନଙ୍କର ପକ୍ଷରେ ଅତ୍ୟନ୍ତ ସହଜ କର୍ମ ବୋଲି ମନେ ହୁଏ । ତେଣୁ ଏତେ ସହଜ ଭାବଟି ଅନ୍ୟ ଯୁଗରେ ନ ଥିଲା । ଆଜି ଆମ୍ଭ କ୍ଷୁଦ୍ର ଜୀବମାନଙ୍କ ଦୟା କରି ସେହି ଦୟାମୟ ପ୍ରଭୁ ଏତେ ସରଳ ଧର୍ମ ପ୍ରଚାର କରିଥିଲେ ସୁଦ୍ଧା ଆମ୍ଭେମାନେ ଏତେ ପାଷାଣ୍ଡ ଯେ, ଆମ୍ଭମାନଙ୍କର ସେଥିପ୍ରତି ଆଦୌ ଭ୍ରୁକ୍ଷେପ ନାହିଁ । ଯଦିବା କେହି କେହି ସେ ଆଡ଼କୁ ଆକୃଷ୍ଟ ହୁଅନ୍ତି ବା ହେବାର ଦେଖାଯାଏ, ସେମାନଙ୍କ ମଧ୍ୟରେ ଢେର ବ୍ୟକ୍ତି କାମନା ପରବଶରେ ଭକ୍ତି ପଥରେ ପଥିକ ହୋଇଥାନ୍ତି । ନିୟାମାନୁସାରେ ବା ଈଶ୍ୱରଙ୍କର ଆଦେଶନୁସାରେ କର୍ମ କଲେ ତହିଁରେ କାମନା ଚଳିବ ନାହିଁ ପୁଅ ଦେହ ନିମନ୍ତେ ବା ଧନ ସମ୍ପଦ ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥୀ ହେବ ନାହିଁ । ଏପରିକି ଜୀବର ମୁକ୍ତି ଇଚ୍ଛା କିମ୍ବା ଈଶ୍ୱରଙ୍କ ଦର୍ଶନବାଞ୍ଛା ଆଦି ଭିକ୍ଷା କରିବ ନାହିଁ । ଯଥା –

ଆମ୍ଭର ବାସନା ସ୍ପଷ୍ଠ ସ୍ୱର୍ଗପଦ ବାଞ୍ଛା,       

ବାସନା ବନ୍ଧନ ଅବନତିର ଫରିଛା ।

ସ୍ୱର୍ଗଲାଭ ଇଚ୍ଛା କେବେ ନ ରଖି ମନରେ,

କର୍ମକରି ଯାଉଥାଅ ଯେବା ଯାହା ପରେ । । ”

ଏଣୁ ଆମ୍ଭେ କୌଣସି କାମନା ନ କରି କେବଳ ଆମ୍ଭର କର୍ତ୍ତବ୍ୟ ମନେ କରି ଧର୍ମ ପଥରେ ଅଗ୍ରସର ହେବା । ତେଣିକି ସେ କରୁଣାମୟଙ୍କର ଯାହା କରୁଣା ହେବ, ସେ କଥା ତାଙ୍କୁ ହିଁ ଜଣା । ଆମ୍ଭଙ୍କୁ ସେ ପ୍ରଭୁ ମର୍ତ୍ତ୍ୟଧାମକୁ ପଠାଇଅଛନ୍ତି ଧର୍ମର ଉନ୍ନତି କରିବା ପାଇଁ । ଏଥିପ୍ରତି ଆମ୍ଭର ପ୍ରଧାନ ଲକ୍ଷ୍ୟ ରଖି କର୍ମ କରିବା ଆବଶ୍ୟକ । କାରଣ-

“ ଧର୍ମର ଉନ୍ନତ କଳ୍ପେ ପ୍ରେରିତ ଏ ନର

ମାନବ ଜନ୍ମର ଲକ୍ଷ୍ୟ ଧର୍ମ ହିଁ କେବଳ । ”

ଏହା ଭାବି ସତ୍‌କର୍ମ ଅନୁଷ୍ଠାନ କରିବା ପ୍ରତ୍ୟେକ ଲୋକର କର୍ତ୍ତବ୍ୟ ।

ତେବେ ଆମ୍ଭମାନଙ୍କର କ୍ଷୀଣ ଆୟୁରେ ଅତି ସହଜ ଧର୍ମର ଅନୁସରଣ କରିବା ଦରକାର । ସେଥିପାଇଁ ବଜ୍ରଭାବଟି ଶ୍ରେଷ୍ଠ ଅଟେ। ସେମାନେ କେବଳ କୃଷ୍ଣଙ୍କ ରୂପ ଗୁଣ ଭାବି ଭାବି ତରି ଯିବାର ପ୍ରମାଣ ଅଛି । ଯେତେବେଳେ କୃଷ୍ଣ ମଥୁରାରେ ରହି ଗୋପୀମାନଙ୍କୁ ବୋଧଦେବା ନିମନ୍ତେ ଉଦ୍ଧବକୁ ଗୋପ ଗ୍ରାମକୁ ପଠାଇଥିଲେ, ସେତେବେଳେ ଗୋପୀମାନଙ୍କୁ ବ୍ରହ୍ମ ଜ୍ଞାନର ବୋଧ ଦେବାରୁ, ସେମାନେ ଉଦ୍ଧବକୁ କହିଥିଲେ –

ଉଦ୍ଧବ ବଚନ ଶୁଣି                   ବୋଲନ୍ତି ବ୍ରଜ ତରୁଣୀ

ଏ ଯେଉଁ ଜ୍ଞାନକୁ ବୁଝାଇଲ,

କ୍ଷୀର ସଙ୍ଗେ ଦଧି ଦେଲେ            ସେହୁ ନାଶ ଯାଏ ଭଲେ

ଏହି ଜ୍ଞାନ କିମ୍ପାଇ କହିଲ !ହେ ! ହରିଦୂତ

ଆମ୍ଭର ଭକତି ରତ୍ନାକାର,             ଜ୍ଞାନ ନଦୀ ତହିଁ ସମକର,

ଆମ୍ଭ ବୋଲ କର ଏବେ,             ଦିନ ବଞ୍ଚ ଭକ୍ତି ଭାବେ ।

ନାମ ରୂପ ବୟସ ଭୂଷଣ,

ନାନା ରଙ୍ଗେ ସେବା କରି,             ଶାନ୍ତି ଳୋଭ ହୃଦେ ଧରି,

ଦମ୍ଭ ଲଜ୍ଜା ଖ୍ୟାତି, ପରାଧୀନ, ‘ହେ’ ହରିଦୂତ !

ଏମାନ ତେଜିଲେ ପାଇ ପ୍ରେମ, ବ୍ରହ୍ମଜ୍ଞାନ ବିଅର୍ଥରେ ଭ୍ରମ !

( ମଥୁରା ମଙ୍ଗଳ)

ଏଥିରୁ ବୁଝାଗଲା, ଏହା ଅତି ସହଜ ମାର୍ଗ । ଆମ୍ଭର ଏଥି ପ୍ରତି ସ୍ନେହ ଆସିଲେ ହେଲା । ଯେପରି ଗୋପୀମାନେ ସବୁବେଳେ ସବୁ ସମୟରେ ସେହି କୃଷ୍ଣପଦାରବିନ୍ଦରେ ମନପ୍ରାଣ ଢାଳିଦେଇ ବାହ୍ୟମତ‌ରେ ସଂସାରକର୍ମ କରୁଥିଲେ, ଆମ୍ଭମାନଙ୍କୁ ସେହିପରି ଅଭ୍ୟାସ କରି ଶିଖିବାକୁ ହେବ । ଏହାକୁ ଅଭ୍ୟାସଯୋଗ ବୋଲାଯାଏ । ସେଥି ନିମନ୍ତେ ଭଗବାନ ଅର୍ଜ୍ଜୁନଙ୍କୁ ବୁଝାଇଥିଲେ-

“ ଅଭ୍ୟାସଯୋଗଯୁକ୍ତେନ ଚେତସା ନାନ୍ୟ ଗାମିନା । ” ଇତ୍ୟାଦି

ଯେ ଯାହା ଅଭ୍ୟାସରେ ପରିଣତ ନ କରିଥାଏ ତାହାର ଦୃଷ୍ଟି ଆଗରେ ହଠାତ୍ ତାହା ଆସିପାରେ ନାହିଁ । ତେବେ ଆମ୍ଭେମାନେ ଅନ୍ୟାନ୍ୟ ଯୋଗ ନ କରି କୃଷ୍ଣ ନାମ ସ୍ମରଣ, ତାଙ୍କ ରୂପରେ ଲୟ ଏବଂ ଭୂଷାଣାଦିମାନଙ୍କର ଚିନ୍ତା କଲାପରେ ତାଙ୍କୁ ନାନା ପ୍ରକାର (ମାନସିକ) ସେବାକରି ଧନ୍ୟ ହୋଇ ପାରିବା । ଯଦି ଏତେ ସରଳ କଥାରେ ଆମ୍ଭର ମୁଣ୍ଡ ନ ଢୁକେ, ତେବେ ଆମ୍ଭେ ଆଉ କଣ କରିପାରିବା ? ଏବଂ ଭଗବାନ ଆମ ଉପରେ ଆଉ କେଉଁ ଗୁଣରେ ସନ୍ତୁଷ୍ଟ ହେବେ ?

ଭକ୍ତି ପ୍ରସଙ୍ଗ

ଚିତ୍ତ ଶୁଦ୍ଧି କର । ଏ ହେଉଛି ଧର୍ମର ସାରକଥା । ଯେ ପର୍ଯ୍ୟନ୍ତ ମନର ଦାଗଗୁଡ଼ିକ ଲିଭି ନଥିବ, ସେ ପର୍ଯ୍ୟନ୍ତ ମନର ଦାଗଗୁଡ଼ିକ ଲିଭି ନଥିବ, ସେ ପର୍ଯ୍ୟନ୍ତ ଆମ୍ଭେ ସେହି ସତ୍ୟ ସ୍ୱରୂପୀ ଈଶ୍ୱରଙ୍କୁ ଠିକ୍ ଭାବରେ ଦର୍ଶନ କରିପାରିବା ନାହିଁ । କାରଣ, ନିତ୍ୟାନ୍ତ ଶିଶୁ ଏ ସଂସାରରେ ପାପ କଣ ଦେଖିବାକୁ ପାଇ, ନାହିଁ । ଅର୍ଥାତ୍ ବାହାରର ପାପର ପରିମାଣ ମାପ କରିବାର ମାପକାଠି ସେ ପାଇ ନଥାଏ । ଆମ୍ଭେ ମାପକାଠି ପରି ମନର ଦୋଷଗୁଡ଼ିକ ଦୂର ନ କରିବା ଯାଏ ସତ୍ୟ ବସ୍ତୁ ଲାଭ ହୋଇ ନ ପାରେ । ଯାହାର ନିଜ ଭିତରେ ଦୋଷ ଥାଏ, ସେ ଜଗତକୁ ଦୋଷୀରୂପରେ ଦେଖିଥାଏ । ଯାହାର ହୃଦୟ ଯେତେ ପବିତ୍ର ଓ ନିର୍ମଳ, ସେ ଜଗତକୁ ସେତିକି ପବିତ୍ର ଚକ୍ଷୁରେ ଦେଖେ ଯଥା-

“ ସାଧୁଃ ସାଧୁର୍ମୟଯଂ ପଶ୍ୟତେ,

କ୍ରୂରଃ କ୍ରୂରମୟଂ ଜଗତ୍

ଦର୍ପଣେନ ଯଥା ଜନଃ,

ସ୍ୱୀୟମାକାରମୀକ୍ଷତେ । । ”

ଏଣୁ ନିଜ ଭିତରର ସମସ୍ତ ଦୋଷ ମାର୍ଜ୍ଜନକର । ତେବେ ତୁମ ଚକ୍ଷୁରେ ପାପୀଠାରୁ ପୁଣ୍ୟବାନ ପର୍ଯ୍ୟନ୍ତ ସମସ୍ତେ ସମାନ ଦେଖାଯିବେ । ତୁମ୍ଭେ ନିଜେ ହିଁ ଅନନ୍ତ ସ୍ୱରୂପ । ସେହି ସର୍ବବ୍ୟାପୀ ସତ୍ତା ମଧ୍ୟ ତୁମ୍ଭମାନଙ୍କଠାରେ ଅଛି। ସେହି ସର୍ବବ୍ୟାପି ସତ୍ତା ମଧ୍ୟ ତୁମ୍ଭମାନଙ୍କଠାରେ ଅଛି। ନିଜକୁ ସଂଯତ କର । ତୁମ୍ଭେ ଯଥାର୍ଥ ଆତ୍ମାର ବାଣୀ ଶୁଣିପାରିବ । ସାହାସ ପୂର୍ବକ ନିର୍ଭୟରେ ସତ୍ୟ କୁହ ବିଶେଷ ଭାବରେ ଆଧ୍ୟାତ୍ମିକ ଉନ୍ନତିଲାଭ କରିବାକୁ ହେଲେ କୌଣସି ସାମ୍ପ୍ରଦାୟିକ ଗଣ୍ଡଗୋଳରେ ଆବଦ୍ଧ ହେବା ଅନାବଶ୍ୟକ । ଜ୍ଞାନସତ୍ତ୍ୱ ସମସ୍ତଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା ଅଛି । ମନୁଷ୍ୟ ତାକୁ ଆବିଷ୍କାର କରେ । କିନ୍ତୁ ଏଥି ନିମନ୍ତେ ଗୁରୁଙ୍କର ସାହାଯ୍ୟ ଲୋଡ଼ା ହୁଏ । କିନ୍ତୁ ନିଜେ ଯଦି ଧ୍ୟାନ ଧାରଣା ନକର ତେବେ ଗୁରୁଙ୍କ ଦୋଷ କ’ଣ ? ନିଜେ ନିଜକୁ ମୁକ୍ତ କରି ପାରିବ । ଗୁରୁ କେବଳ ପଥ ପ୍ରଦର୍ଶକ । ନିତାନ୍ତ ପାପତ୍ମା ଭଗବାନଙ୍କ ପ୍ରତି କାୟମନୋବାକ୍ୟରେ ଥରେ ଢ଼ଳି ପଡ଼ିଲେ ପରାତପ୍‌ର ଦୟାଳୁ ଭଗବାନ ତାକୁ ତୋଳି ଧରନ୍ତି । ଅଜାମ୍ବିଳାଦି ଉପଖ୍ୟାନ ଏହାର ଦୃଷ୍ଟାନ୍ତ । ପାପାନ୍ଧକାର ମଳିନ ହୃଦୟ ବ୍ୟକ୍ତି ଭଗବାନଙ୍କର ଏହିପରି ଶରଣାପନ୍ନ ହୁଏ ।

“ କ୍ଷୀର ସାରମପହୃତ୍ୟ ଶଙ୍କୟା

ଅର୍ବେନତଂ ଯଦି ପଳାୟନଂ ତବ

ମାନସେ ମମନିତ୍ୟାନ୍ତ ତାମସେ

ନନ୍ଦନନ୍ଦନଂ କଥଂ ନ ଲୀୟସେ । ”

ରାଗାନୁଗା ଓ ପରକୀୟା ଭକ୍ତି

ରାଗାନୁଗା ଓ ପରକୀୟା ଭଜନ ମାର୍ଗ ଶ୍ରେଷ୍ଠ ବୋଲି ଅନେକ ଶାସ୍ତ୍ରରେ ଲେଖାଅଛି । ଏହାର ପ୍ରକୃତ ଭାବ ଜାଣି ଭଜନ କରିବାକୁ ହୁଏ । ସାଧାରଣ ଭାବରେ ବୁଝିବାକୁ ଗଲେ, ଜଣାଯାଏ ରାଗାନୁଗା ଅର୍ଥ ସ୍ନେହ- ଭକ୍ତିମାର୍ଗ ଅଟେ । ପରକୀୟା ଅର୍ଥ ଅନ୍ୟର ଭାବଭଙ୍ଗିକୁ ସଦାବେଳେ ହୃଦୟରେ ଗୁଣି ହେବାର କଥା, ଟିକେ ଗଭୀର ଗବେଷଣା ଦ୍ୱାରା ଏହା ଦେଖିବା ଦରକାର । ଏହି ଭଜନ ଗୋପୀମାନେ କରିଥିଲେ । ଏହାର ତାତ୍ପର୍ଯ୍ୟ ଏହି ଯେ ଗୋପୀମାନେ କୃଷ୍ଣଙ୍କୁ କେହି ପତି ଭାବରେ କେହି ପୁତ୍ର ଇତ୍ୟାଦି ଭାବରେ ସ୍ନେହ ଓ ଭକ୍ତି କରୁଥିଲେ । କିନ୍ତୁ ସେ ସ୍ନେହର ଲୋକ ଦେଖିବା ପାଇଁ ହେଉ ବା ଅନ୍ୟ ଯେକୌଣସି ପାଇଁ ହେଉ ଟିକେ ତମଗୁଣ ଥିଲାପରି ବୋଧ ହେଉଛି । ପ୍ରକୃତରେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସର୍ବସ୍ୱ ଅର୍ପଣ କରି ଥିଲେ ଏବଂ ସେହି କୃଷ୍ଣ ତାଙ୍କର ପତି, ପୁତ୍ର, ଭାଇ, ବନ୍ଧୁ ସୁହୃଦ ଓ ଗୁରୁ ଇତ୍ୟାଦି ସର୍ବରୂପୀ ଓ ସର୍ବବ୍ୟାପକ ବୋଲି ଭାବିଥିଲେ, ସେଥିପାଇଁ କେତେ ନିନ୍ଦା, କେତେ ଅପବାଦମାନ ପଛକୁ ପକାଇଦେଇ କେବଳ କୃଷ୍ଣସେବା, କୃଷ୍ଣ ଗୁଣାନୁବାଦ କୃଷ୍ଣ ଦର୍ଶନାଦିକୁ ଶ୍ରେଷ୍ଠ ଧର୍ମରୂପେ ଗ୍ରହଣ କରିଥିଲେ କିନ୍ତୁ ସେମାନଙ୍କର ଭକ୍ତିର ପରାକାଷ୍ଠା ପରୀକ୍ଷା କରିବା ଉଦ୍ଦେଶ୍ୟରେ ମଧ୍ୟେ ମଧ୍ୟେ କୃଷ୍ଣ ଅନ୍ତର ହୋଇ ବିଚ୍ଛେଦଦଶା ଘଟାଇ ଦେଇଥିଲେ । ସେହି ବିଚ୍ଛେଦ ସମୟରେ ଗୋପୀମାନେ ସ୍ନେହ ଭକ୍ତି କରି ସୁଦ୍ଧା କୃଷ୍ଣଙ୍କ ପ୍ରତି ବିରକ୍ତମନା ହୋଇ ତାଙ୍କୁ ନାନା ପ୍ରକାର ଭର୍ତ୍ସନା ବାକ୍ୟ ପ୍ରୟୋଗ କରିବାର ପ୍ରମାଣ ଅଛି । ( ଉଦ୍ଧବ ଚଉତିଶା)

“ ତାଙ୍କ ସଙ୍ଗେ ଆମ୍ଭେ             ମାନବତୀ ହେଲେ

ଗୁଞ୍ଜ ଫଳ ପ୍ରାୟ ଦିଶୁଁ

ତନୁଯାକ ଦିବ୍ୟ-                  ଅନୁରାଗ ପୂରି

ମୁଖରେ ଢ଼ମ ପ୍ରକାଶୁ

ଉଦ୍ଧବ ହେ

(ତାଙ୍କୁ)ତୁ ଟି ଦେଉଥାଉଁ ଗାଳି

ତିରଣ ଦରି ଚରଣ ତଳେ ପଡ଼ି ଚାଟୁ କହେ ବନମାଳୀ । ”

ଏଥିରୁ ବେଶ୍ ଜଣାପଡ଼ୁଛି ଗୋପୀମାନେ ସ୍ନେହମିଶା କ୍ରୋଧରେ କୃଷ୍ଣଙ୍କୁ ନାନାପ୍ରକାର ଛଳନାବାକ୍ୟ କହିଥିଲେ । ଏଥି ନିମନ୍ତେ ରାଗାନୁଗା ବୋଲି ଏକ ପ୍ରବାଦ ପ୍ରଚଳିତ ଅଛି । ରାଗାନୁଗା ଶବ୍ଦରେ ରାଗ ଅର୍ଥ ଅନୁରାଗ ବା ସ୍ନେହ ; ରାଗକୁ ବା ସ୍ନେହକୁ ଅନୁଗମନ କରେ ଯେଉଁ ଭକ୍ତି । ଅର୍ଥାତ୍ ପବିତ୍ର ସ୍ନେହ ସମ୍ପର୍କ ଦ୍ୱାରା ମଧୁର ଭକ୍ତି ବା ଅନାବିଳ ଭକ୍ତିକୁ ରାଗାନୁଗା କହନ୍ତି।

ଜଗତକୁ ଶିକ୍ଷା ଦେବା ପାଇଁ ଶ୍ରୀମତି ଓ ଶ୍ରୀକୃଷ୍ଣ ଏ ଭାବ ଦେଖାଇ ଅଛନ୍ତି । ଗୁରୁ ନିକଟରେ ଶିଷ୍ୟ ଅନୁରୋଧ କଲେ, ଗୁରୁ ଯେପରି ଶିଷ୍ୟ ପ୍ରତି ଅନ୍ତରରେ ସ୍ନେହ ରଖି ମୁଁହରେ ନାନା ପ୍ରକାର କ୍ରୋଧାନ୍ୱିତ ବାକ୍ୟ କହନ୍ତି, ଯଥା-: ତୁମ୍ଭେ ଉପଯୁକ୍ତ ଶିଷ୍ୟ ନୁହଁ, ତୁମେ ଏଠାରୁ ଉଠି ଅନ୍ୟତ୍ର ଯାଅ ଇତ୍ୟାଦି । ସେହିପରି ରାଧା ଗୁରୁ ସ୍ୱରୂପିଣୀ ହୋଇ କୃଷ୍ଣଙ୍କୁ ଶିଷ୍ୟୋଚିତ ଭାବରେ କହିଅଛନ୍ତି, ଶିଷ୍ୟ ଯେପରି ଗୁରୁଙ୍କ ପାଦରେ କ୍ଷମା ପ୍ରାର୍ଥୀ ହୋଇଥାଏ, ଏଠାରେ କୃଷ୍ଣ ତଦୃପ ଭାବାବଲମ୍ବନ କରି ଜଗତ ଜନକୁ ଗୁରୁ ଓ ଶିଷ୍ୟର ଭାବକୁ ଦେଖାଇଅଛନ୍ତି । ଆଉ ଗୋଟିଏ କଥାରେ ଦେଖିବା-ଏ ଘଟରେ ପରଂବ୍ରହ୍ମ ହେଲେ କୃଷ୍ଣ ଏବଂ ପ୍ରକୃତିମାନେ ଗୋପୀ ଅଟନ୍ତି । ପରଂବ୍ରହ୍ମ ବା କୃଷ୍ଣ ଏ ଦେହରୁ ଅନ୍ତର ହୋଇଗଲେ ଗୋପୀ ବା ପ୍ରକୃତିମାନଙ୍କର ବିଚ୍ଛେଦ ଦଶା ହୁଏ, ଏବଂ ସେମାନଙ୍କର ସୁଖ ବିଳାସରେ ବାଧା ପଡ଼େ । ତେଣୁ ସେମାନେ ପରଂବ୍ରହ୍ମଙ୍କ ପ୍ରତି ମଧ୍ୟ ବିରକ୍ତମନା ହେଉ ନଥିବେ କାହିଁକି ?

କୃଷ୍ଣ ଯେପରି ବିଚ୍ଛେଦ ପରେ ଗୋପୀଙ୍କ ସହିତ ମିଳିତ ହୁଅନ୍ତି ଏବଂ ଗୋପୀଙ୍କର ପୂର୍ବ ଅନନ୍ଦ ଫେରି ଆସେ, ଏ ଜୀବାତ୍ମା ମଧ୍ୟ ସେହିପରି ଅନ୍ୟ ଘଟରେ ପ୍ରକାଶିତ ହୋଇ ପ୍ରକୃତିମାନଙ୍କୁ ସଙ୍ଗରେ ରଖି ସେମାନଙ୍କୁ ପୂର୍ବ ପରି ସୁଖାଭିଳାଷ ପ୍ରଦାନ କରନ୍ତି । ଏବେ ପରକୀୟା କଥାର ବିଚାର ହେଉ- ଯେ ନିଜର ସୁଖ ଆଶା ନ କରି ଅନ୍ୟ ସୁଖରେ ଆନନ୍ଦିତ ହୁଏ । ଅର୍ଥାତ୍ ଅନ୍ୟକୁ ସୁଖ ଦେବା ପାଇଁ ବା ଅନ୍ୟ ଯହିଁରେ ସନ୍ତୁଷ୍ଟ ହେବ, ତାକୁ ତହିଁରେ ଶାନ୍ତି କରାଇ, କେବଳ ନିଜେ ଦେଖି ସନ୍ତୋଷ ଉପଭୋଗ କରେ ତାହାକୁ ପରକୀୟା ପ୍ରେମ କୁହାଯାଏ । ଗୋପୀମାନେ ଏହିପରି ନିଜର କୌଣସି ପ୍ରକାର ସୁଖକାମନା ବା ଇନ୍ଦ୍ରିୟ ପ୍ରକାର ତୃପ୍ତି ବାଞ୍ଛା ନ ରଖି କେବଳ କୃଷ୍ଣ ଯହିଁରେ ସନ୍ତୁଷ୍ଟ ହେବେ ତାହାହିଁ କରିଥିଲେ । ସେଥିପ୍ରତି ସେମାନେ ନିଜେ କଷ୍ଟ ପାଇଲେ ସୁଦ୍ଧା ମନରେ ଦୁଃଖ କରୁନଥିଲେ । ଶ୍ରୀକୃଷ୍ଣଙ୍କ ସହ ଶ୍ରୀମତୀଙ୍କୁ ଏକତ୍ର କରାଇ କିମ୍ବା ଏକ ସଙ୍ଗରେ ବସାଇ ସେମାନଙ୍କର ଅନ୍ତର ଭାବାନୁସାରେ ଲଳିତାଦି ସଖୀମାନେ ସେବା ଯୋଗାଇ ତାଙ୍କୁ ଶାନ୍ତି କରାଉଥିଲେ ଏବଂ ନିଜେ ତାଙ୍କ ଶାନ୍ତିର ପ୍ରେମ ସିନ୍ଧିରେ ଡ଼ୁବି ଯାଉଥିଲେ । ପରକୁ ସୁଖ ଦେବାପାଇଁ ନିଜକୁ କଷ୍ଟ ହେଲେ ସୁଦ୍ଧା ସେ ତାହା ଭୁଲି ଯାଇଥିଲେ । ନିଜେ କଷ୍ଟ ସହି ପରକୁ ସୁଖ ଦେଉଥିଲେ ବୋଲି ଏହାର ନାମ ପରକୀୟା ହୋଇଅଛି । ସେହିପରି ଯେଉଁ ବ୍ୟକ୍ତି ଗୁରୁ ଓ କୃଷ୍ଣଙ୍କୁ ଏକ ବୋଲି ଭାବି, ହୃଦୟ ସିଂହାସନରେ ଏକ ସ୍ଥାନରେ ବସାଇ ତାଙ୍କୁ ସନ୍ତୁଷ୍ଟ କରିବା ଭଳି କାର୍ଯ୍ୟ କରେ ଓ ନିଜକୁ ଯେତେ କଷ୍ଟ ହେଲେ ମଧ୍ୟ ତାହା ଭୁଲି ଯାଏ ଏବଂ ବେଳକୁ ବେଳ ଆନନ୍ଦ ଉପଭୋଗ କରେ, ସେ ମଧ୍ୟ ପରକୀୟା ଭକ୍ତରେ ଗଣ୍ୟ ହୋଇପାରେ । ପୁନଶ୍ଚ ଆମ୍ଭର ଶରୀରରେ ବାସ କରୁଥବା ପ୍ରକୃତିମାନେ ଯେବେ ତାଙ୍କର ନିଜର ସ୍ୱାର୍ଥ କାମନା ତ୍ୟାଗ କରି ଜୀବାତ୍ମା ଓ ପରାତ୍ମାଙ୍କୁ ଏକ ସ୍ଥାନରେ ମିଳନ କରାଇ ତହିଁରେ ଆନନ୍ଦିତ ହୋଇପାରିବେ, ତାହାହେଲେ ଜୀବର ସଦ୍‌ଗତି ଲାଭ ହେବ । ଏଣୁ ଏହା ପ୍ରତ୍ୟେକ ଭକ୍ତର ହେବା ବାଞ୍ଛନୀୟ ।

ଏହି ରାଗାନୁଗାମାର୍ଗ ଦ୍ୱାରା ବ୍ରଜାଙ୍ଗନା ଶ୍ରୀକୃଷ୍ଣଙ୍କୁ ପ୍ରେମରେ ବାନ୍ଧି ରଖି ଥିଲେ । ଯାହାଙ୍କୁ ଯୋଗୀଋଷିମାନେ ପାଇପାରି ନ ଥିଲେ । ବ୍ରଜାଙ୍ଗନାମାନେ ଏହି ସ୍ନେହ ଭକ୍ତି ଦ୍ୱାରା ଅକ୍ଳେଶରେ ତାଙ୍କୁ ପାଇ ଶେଷରେ ପରମ ଗତି ବା ମୁକ୍ତି ଲାଭ କରିଥିଲେ । ଏଣୁ ଏହି ମାର୍ଗ ସବୁଠାରୁ ସହଜ ଅଟେ । ଏହି ସହଜର ଅର୍ଥ ହେଉଛି ଜୀବାତ୍ମା, ପଞ୍ଚମନ ଓ ପଚିଶି ପ୍ରକୃତିଙ୍କ ସହ ପରମାତ୍ମାଙ୍କ(ସ)ହିତ (ହଜ) ହଜିଯିବା ଅଥବା ଜୀବଭାବ ଭୁଲି ଯାଇଁ ଭାବ- ରାଜ୍ୟରେ ପ୍ରବେଶ ପୂର୍ବକ ସେହି ପ୍ରେମରେ ନିମଜ୍ଜିତ ହୋଇଯିବାର ଭାବକୁ ସହଜ ବୋଲାଯାଏ । ଏହି ଭାବ ପ୍ରାପ୍ତହେବାର କର୍ମାନୁଷ୍ଠାନ ପ୍ରତ୍ୟେକ ଭକ୍ତଙ୍କ ପକ୍ଷେ ଉଚିତ ମନେ କରି, ଏହି ସତ୍ କର୍ମ କରିବା ବିଧେୟ ଅଟେ । ଈଶ୍ୱର ଓ ଗୁରୁଙ୍କର ଦୟାହେଲେ ଏହା ଏକ ମୁହୂର୍ତ୍ତରେ ଆସି ନିକଟରେ ପହଞ୍ଚି ପାରେ । ଏଥିରେ ସନ୍ଦେହ ନାହିଁ । ମୋଟକଥା ଆମ୍ଭେ ଏହି ପଥର ପଥିକ ହେବା ଦରକାର ।

 

ଗୁରୁଶିଷ୍ୟ

ଗୁରୁ କାହାକୁ କହନ୍ତି ଏବଂ ଶିଷ୍ୟ ତାଙ୍କୁ କିପରି ଭାବିବ । ଏହା ଜାଣିବା ଦରକାର ।

“ ସକାର ସିଦ୍ଧ୍ୟଃ ପ୍ରୋକ୍ତଃ ରକାର ପାପ ହାରକଂ

ଉକାରସ୍ତୁ ମହାବିଷ୍ଣୁ ଗୁରୁଦେବଂ ନମସ୍ତୁତେ ”

ଅର୍ଥାତ୍ – ସକାର ଶବ୍ଦେ ସିଦ୍ଧି ଦାତା, ର ଶବ୍ଦେ ପାପହର୍ତ୍ତା, ଉ ଶବ୍ଦ ମହାବିଷ୍ଣୁ ।

ଗୁ ଶବ୍ଦ ଶ୍ଚାନ୍ଧକାରସ୍ୟାତ୍ ରୁ ଶବ୍ଦେ ସ୍ତେଜରୁଚ୍ୟତେ ।

ଅଜ୍ଞାନ ଧ୍ୱଂସକଂ ବ୍ରହ୍ମ ଗୁରୁଦେବଂ ନ ସଂଶୟଃ । ”

ଅର୍ଥ- ଗୁ ଶବ୍ଦ ଦ୍ୱାରା ଅନ୍ଧକାର ନାଶ ହୁଏ । ରୁ ଶବ୍ଦ ତେଜ ବା ଆଲୋକ ପ୍ରାପ୍ତି ସ୍ୱରୂପ ଅର୍ଥାତ୍ ଅଜ୍ଞାନ ଅନ୍ଧାର ଦୂର ହୋଇ ଜ୍ଞାନଳୋକ ପ୍ରକାଶ ହେବ ।

“ ଯଃ ମନ୍ତ୍ର ଓ ଗୁରୁ ସାକ୍ଷାତ୍ ଯଃ ଗୁରୁ ଓ ହରି ସ୍ୱୟଂ ”

ଯେ ମନ୍ତ୍ର ସେ ଗୁରୁ । ଯେ ଗୁରୁ ସେ ହରି । ମନ୍ତ୍ରଗୁରୁ ଓ ହରି ଏକ ଅଟନ୍ତି ।

“ ଜୀବନ ନିସ୍ତାର ଲାଗି ନନ୍ଦସୁତ ହରି

ଭୁବନେ ପ୍ରକାଶ ହନ୍ ଗୁରୁ ରୂପ ଧରି

ଯେ ହି ଗୁରୁ ସେହି କୃଷ୍ଣ ଭଜ ନିଷ୍ଠ କରି

ନାମରେ ସହିତେ ଆଚେ ଆପନି ଶ୍ରୀହରି । ”

ଗୁରୁଙ୍କର ଆଦେଶ ଉପଦେଶକୁ ନିଷ୍ଠାର ସହିତ ଶିରୋଧାର୍ଯ୍ୟ କରି ପରମାର୍ଥେ ଜ୍ଞାନଲାଭ କରିବା ହିଁ ଗୁରୁସେବା । ସେବା ଅର୍ଥ ସୁଖ ଦେବା, ଆଦେଶ ପାଳନ କରିବା । ଯେ ଗୁରୁ ସେ ଶିଷ୍ୟ । ଯେ ଶିଷ୍ୟ ସେ ଗୁରୁ । ଅର୍ଥାତ୍ ଗୁରୁଙ୍କ ଠାରେ ନିଜତ୍ୱକୁ ହରାଇଦେଇ ମିଶିଯିବା । ଗୁରୁଙ୍କ ଠାରେ କୌଣସି ପ୍ରକାର ସ୍ୱାତନ୍ତ୍ର ନ ରଖିବା ‘ ମୁଁ’ ଟି ଥିବାଯାଏ ଗୁରୁ ସେବା ନ ଥାଏ । ‘ମୁଁ’ ଟି ହଜିଗଲେ ‘ସେ’ ଏ ଦେହକୁ ଅଧିକାର କରି ବସନ୍ତି । ‘ସେ’ ଏ ଦେହକୁ ଅଧିକାର କଲେ ମୁଁ ଆଉ ରହି ନ ପାରେ । ତେଣିକି ଶିଷ୍ୟ ବୋଲି କେହି ନ ଥାଏ । ଦେହଟା ଗୁରୁଙ୍କର ହୋଇଯାଏ । ଯେଉଁ ବ୍ୟକ୍ତି ଗୁରୁଙ୍କୁ ମନେ ମନେ ଆପଣାର ମସ୍ତକ ଉପରେ ରଖି ତାଙ୍କର ଆ‌ଦେଶ ମୁତାବକ କାର୍ଯ୍ୟ କରୁଥାଏ, ଏହି ତିନିଲୋକ ମଧ୍ୟରେ ତାର ଗୁରୁ ଭକ୍ତିରେ କୌଣସି ଭୟ ନ ଥାଏ । ଯେ ଗୁରୁଙ୍କୁ ଦକ୍ଷିଣା ସ୍ୱରୂପ ନିଜର ମସ୍ତକ ଦାନ କରିପାରେ, ସେହି ଏକା ପ୍ରେମାମୃତ ପାନ କରିବାରେ ସମର୍ଥ । କିନ୍ତୁ ଯେଉଁ ଲୋଭୀ ନିଜର ଦେହ ଓ ମନର ସୁଖ ଲୋଡ଼ୁଥାଏ, ସେହି ବ୍ୟକ୍ତି ଗୁରୁଙ୍କୁ ମସ୍ତକ ଦେଇପାରେ ନାହିଁ । ଅର୍ଥାତ୍ ଆତ୍ମସମର୍ପଣ କରିପାରେ ନାହିଁ । ସେ କେବଳ ନାମ ମାତ୍ର ଭକ୍ତ, ଯେ ପର୍ଯ୍ୟନ୍ତ ଭକ୍ତି ସକାମ ଥାଏ, ସେ ପର୍ଯ୍ୟନ୍ତ ଗୁରୁସେବା ବିଫଳ । ନିଷ୍କାମ ନ ହେଲେ ନିଷ୍କାମକୁ ଲାଭ କରି ହେବନାହିଁ । କାରଣ ଗୁରୁଦେବ ନିଷ୍କାମ ଅଟନ୍ତି । ପ୍ରଧାନ କଥା ହେଉଛି ଶିଷ୍ୟ ଗୁରୁଙ୍କର ଆଦେଶାନୁସାରେ ପରମାର୍ଥ ଜ୍ଞାନ ଲାଭ କରି ଭକ୍ତିପଥରେ ପ୍ରେମୀ ପଥିକ ହୋଇପାରିଲେ ଗୁରୁଙ୍କର ସେଥିରେ ଆନନ୍ଦ ଆସିବ । ସ୍ୱାର୍ଥ ସୀମାବଦ୍ଧ ମନୁଷ୍ୟର ବିଚାର ଓ ବୁଦ୍ଧିକୁ ନେଇ ଗୁରୁଙ୍କଠାରେ ଥୋଇ ଅଭିମାନ ଆଣିବା କିମ୍ବା ତର୍କବିତର୍କ କରିବା ନିତାନ୍ତ ମୂର୍ଖତା । ।

ଶିଷ୍ୟର ପ୍ରଧାନ କର୍ତ୍ତବ୍ୟ ତାଙ୍କୁ ଏ ଦେହର ପରତ୍ମାରୂପୀ ଶ୍ରୀକୃଷ୍ଣ ବୋଲି ଜାଣିବ, ଗୁରୁଦେବ ସଗୁଣ ହେଲେ ହେଁ ନିର୍ଗୁଣ । ନିଜର ଗୁରୁଙ୍କୁ ଜଗତ ଗୁରୁରୂପେ ଭାବନା କରିବ । ସେ’ ତ କ୍ଷମାସାଗର; ନିର୍ଦୋଷ, ନିର୍ଗୁଣ ନିଷ୍କାମ । ତାଙ୍କ ନିକଟରେ ଦୋଷର ବିଚାର ନାହିଁ ।

ଉତ୍ତମ ଶିଷ୍ୟର ଲକ୍ଷଣ

୧.ଶ୍ରଦ୍ଧା- ଗୁରୁବାକ୍ୟରେ ଅଟଳ ବିଶ୍ୱାସ

୨.ବିବେକ- ନିତ୍ୟାନିତ୍ୟର ବିଚାର ଏବଂ ଜାଗତିକ ସମସ୍ତ ପରମେଶ୍ୱରଙ୍କର, ନିଜସ୍ୱ ବୋଲି କିଛି ନାହିଁ, ଏହି ଜ୍ଞାନ

୩.ଆର୍ଜବ- ସମ୍ପୂର୍ଣ୍ଣ ଅକପଟ ଭାବ

୪.      ଅକିଞ୍ଜନତ୍ୱ - ଅଭିମାନ ଶୂନ୍ୟତା

୫.ଅନନ୍ୟଗତିତ୍ୱ -ଗୁରୁ ଭିନ୍ନ ଅନ୍ୟ ଗତି ନାହିଁ; ଏହି ବୋଧ ବା ଜ୍ଞାନ

୬.ନିର୍ବେଦ- ବିଷୟ ଅନାସକ୍ତି ଭାବ

. ଶୌଚାଦି ସମ୍ପୂର୍ଣ୍ଣ – ବାହାର ଶୌଚାସ୍ନାନାଦି ଅନ୍ତର ଶୌଚ – ଗୁରୁନାମ ସ୍ମରଣାଦି ।

ଯାହାର ପ୍ରଣାଦି, ଧନ, ଜୀବନ ସମସ୍ତ ହିଁ ଗୁରୁଙ୍କ ନିମିତ୍ତ ; ଯେ ନିଜ ପ୍ରତି ଏବଂ ନିଜ ସମ୍ବନ୍ଧୀୟ ସକଳ ବସ୍ତୁ ବିଷୟ ପ୍ରତି ମୋହଶୂନ୍ୟ, ସେହିହିଁ ଉପଯୁପ୍ତ ଶିଷ୍ୟର ସ୍ଥାନ ଅଧିକାର ଲାଭ କରେ । ଯେ ଅକପଟ ଚିତ୍ତରେ ଗୁରୁଭକ୍ତି କରେ ଓ ଯାହାର ଭଗବାନ ଓ ଗୁରୁଙ୍କ ପ୍ରତି ଭେଦଜ୍ଞାନ ନ ଥାଏ, ସେ ପ୍ରକୃତ ଶିଷ୍ୟ ଅଟେ । ଗୁରୁ ଶିଷ୍ୟର ଲକ୍ଷଣ ଏକାଦଶ ସ୍କନ୍ଧର ୪ ଅଧ୍ୟାୟ ୧୨ ଅଧ୍ୟାୟ ଓ ଅଷ୍ଟାଦଶ ଅଧ୍ୟାୟମାନଙ୍କରୁ ପାଇପାରିବ ।

ଈଶ୍ୱର ପ୍ରେମ

ଈଶ୍ୱର ପ୍ରେମ ଦୁଇ ପ୍ରକାର ଅଟେ । ପ୍ରଥମଟି ସକାମ ଓ ଦ୍ୱିତୀୟଟି ନିଷ୍କାମ ମାର୍ଗ । ସକାମ ଅର୍ଥାତ୍ : ଈଶ୍ୱରଙ୍କ ପ୍ରେମରେ ତନ୍ମୟ ହୋଇ ତାଙ୍କୁ ପୁତ୍ର, କଳତ୍ର, ଯଶ ଏୗଶର୍ଯ୍ୟ ଓ ମୁକ୍ତି ଇତ୍ୟାଦି ମାଗିବା ହିଁ ସକାମ ଭକ୍ତି । ଏହି ଭାବଟି ହେଉଛି ବନ୍ଧନର ମୂଳ କାରଣ । ନିଷ୍କାମ- ଈଶ୍ୱରଙ୍କୁ କିଛି ନ ମାଗି ଈଶ୍ୱରଙ୍କ ଉଦ୍ଦେଶ୍ୟରେ କର୍ମ କରି ତାଙ୍କ ପ୍ରେମରେ ଯେ ତନ୍ମୟ ହୁଏ ଏବଂ ଏହା ନିଜର କର୍ତ୍ତବ୍ୟ ବୋଲି ଭାବେ, ଦୁଃଖ ଓ ସୁଖରେ ବିଚଳିତ ହୁଏ ନାହିଁ, ପ୍ରାଣ ଯାଉ ପଛକେ ନିଜର ସତ୍ୟକୁ ବଜାଏ ରଖିବାକୁ ଭୁଲେନାହିଁ ଓ ସବୁବେଳେ ଈଶ୍ୱର ଭାବାପନ୍ନ ହୁଏ । ଈଶ୍ୱର ବିଶ୍ୱାସ କରେ, ସେହି ଭାବକୁ ନିଷ୍କାମ ପ୍ରେମ ବୋଲାଯାଏ। ଏହି ଭାବର ବ୍ୟକ୍ତି ପ୍ରଧାନ ଭକ୍ତ ଅଟନ୍ତି । ଏହି ଭାବଟି ସର୍ବୋଚ୍ଚ ଭାବରୂପେ ଗ୍ରହଣ କରାଯିବ । ତାହାର ଭାଗ୍ୟକୁ ଯାହା ଆସୁଥାଏ ସେ ତହିଁରେ ଆନନ୍ଦ ଲାଭ କରି କେବଳ ମନରେ ପ୍ରବଳ ଭଗବତ ‌ପ୍ରେମକୁ ଜାଗ୍ରତ ରଖେ। ଗୋପାଳ କୃଷ୍ଣ ଲେଖିଅଛନ୍ତି ।

ଯଥା –“ ଦୟା ନ କରନ୍ତୁ ମୁଁ ଦାସୀ ସିନାରେ ”

ନି‌ଷ୍କାମ ଭକ୍ତିର ଭାବ ଏପରି ଯେ ସେ ଭଗବାନଙ୍କ ଦୟା ଉପରେ ସୁଦ୍ଧା ନିର୍ଭର କରେ ନାହିଁ । ସେ କହେ, ପ୍ରଭୁର ଦୟା ହେଉ ବା ନ ହେଉ ସେଥିରେ ଭକ୍ତର କିଛି ଯାଏ ଆସେ ନାହିଁ କିନ୍ତୁ ତାର ନିଜର କର୍ତ୍ତବ୍ୟ ସେ କରିବ । ସେଥିରେ ତୃଟି ଯେପରି ନ ହେବ, ଏହା ହିଁ ତାର ଶ୍ରେଷ୍ଠ କଥା ଅଟେ । ଏହି ଭାବଟିର ବଳରେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସଦାସର୍ବଦା ବାନ୍ଧି ରଖିଥିଲେ ।

ଏହି କୃଷ୍ଣପ୍ରେମ ବଳରେ ଦମ୍ଭ, ମୋହ ଆଦି ରିପୁ ଦମନ ହୋଇଥିଲେ । ସମସ୍ତ ମାୟା ତାଙ୍କ ନିକଟରେ ପରାସ୍ତ ହୋଇଥିଲେ ।

ଯଥା –“ କୃଷ୍ଣନାମ ବଡ଼ସୀ ମନମତ୍ସର ।

ମୋ ମନରୁ ଛଡ଼ାଇଦେଲା ମତ୍ସର ଯେ ” ଇତ୍ୟାଦି

                        ( ବିଦଗ୍ଧ ଚିନ୍ତାମଣି )

ଅର୍ଥାତ୍ – ଏଠାରେ କୃଷ୍ଣଙ୍କ ନାମ ବଡ଼ସୀ ଉପଲକ୍ଷ୍ୟ ଦିଆଯାଇଛି ।ଗୋପୀମାନଙ୍କର ମନମାଛ ସେ ଥୋପ ଖାଇ ତାଙ୍କ ମନରୁ ଆଉ ପାସୋରି ହେଲାନାହିଁ ।

ବି.ଦ୍ର – ଗୋପୀମାନଙ୍କ ହୃଦୟରେ ପ୍ରବଳ ଭାବରେ ଈଶ୍ୱର ପ୍ରେମ ଜାଗ୍ରତ ହେବାରୁ ଷଡ଼ରିପୁ ଦମିତ ହୋଇଗଲେ ଏବଂ ସାତ୍ତ୍ୱିକ ଭାବମାନ ପୂର୍ଣ୍ଣମାତ୍ରାରେ ବିକଶିତ ହୋଇ ଉଠିଥିଲା ।

ପୁଣି ସାଂସାରିକ କାମ ଭାବରେ ପ୍ରେମକୁ କେତେକ ଶ୍ରେଷ୍ଠ ପ୍ରେମ ବୋଲି ମନରେ ଭାବିଥାନ୍ତି । ତାହା ନିମ୍ନତର ଅଟେ । ଉଚ୍ଚତର ଈଶ୍ୱର ପ୍ରେମ ପରି ନୁହେଁ । ଉଚ୍ଚତ୍ତର ପ୍ରେମ ଭାବ ସମ୍ପର୍କରେ କୁହାଯାଇଛି- ଯଥା

“ ଜୀବ ପରମ ପ୍ରଣୟୀରେ ସାର                   ଲୀଳା ନିମନ୍ତେ ଭେଦ ପରଚାର

କର୍ମକୁ ସାକ୍ଷୀ ପରସ୍ପରେ ସେହି                  ଏକ ଗଲେ ଆନ ରହଇ ନାହିଁ… । ”

ଶ୍ୟାମ ପ୍ରେମ ଜାଗି ଉଠେ ଗୋ ଯା ହୃଦେ,

ସେ ଲହରୀ ତାନେ ଭାସିଯାଏ ଯା ’ ମନ ଆନନ୍ଦେ ।

ନ ଥାଉ ତା ଜ୍ଞାନ ଧ୍ୟାନ                  କିବା ଅର୍ଚ୍ଚନ ବନ୍ଦନ

ନିତ୍ୟରେ, ସତ୍ୟରେ, ଅନ୍ତରେ ଭାବି ଗୋ

ହୋଇ ଅନୁଭବି ଗୋ                   ଚିନ୍ତେ ସେହୁ ଛବି ଗୋ

ନ ଥିବ ତା କିଛି ଲୋଡ଼ା ବଦ୍ଧ ମୋକ୍ଷ ଭେଦ ବାଦେ । ୧।

ବଇକୁଣ୍ଠ ବ୍ରହ୍ମଚାରୀ                        ନିଷ୍କାମକୁ ଅନୁସରି

ପରାଣ ପ୍ରୟାଣ କାରଣକାରୀ ଗୋ

ପାଇ କୃପା ବାରି ଗୋ                  ଦିନ ଯାଉ ସରି ଗୋ

ଏହି ଆଜ୍ଞା ପ୍ରାର୍ଥୀ ହୋଇ ଛନ୍ଦା ପାଦେ ସଦା କାନ୍ଦେ ”। ୨।

ଈଶ୍ୱର ଚିନ୍ତାର କାରଣ

ପ୍ରଶ୍ନ –ଈଶ୍ୱର ଚିନ୍ତା କରିବାର କାରଣ କଣ ?

ଉତ୍ତର- ଈଶ୍ୱରଙ୍କୁ ସବୁବେଳେ ଚିନ୍ତାକଲେ ଲୋକ ତ୍ରିଗୁଣରୁ ମୁକ୍ତି ପାଏ ।

ପ୍ର- ତାଙ୍କର ରୂପ କିପରି ?

ଉ- ତାଙ୍କର ପ୍ରକୃତ ରୂପ ନାହିଁ । ସେ ଶୂନ୍ୟ ରୂପୀ । କିନ୍ତୁ ସେ ବିଶ୍ୱର ରନ୍ଧ୍ରେ ରନ୍ଧ୍ରେ ଅଣୁ ପରମାଣୁରେ ପୂରି ରହିଥାନ୍ତି । ଭକ୍ତ ଯେଉଁ ଭାବରେ ଭାବେ ସେ ତାର ଭକ୍ତି ଦେଖି ଭକ୍ତର ଭାବନାନୁସାରେ କମନୀୟ ରୂପ ଧାରଣ କରନ୍ତି ଓ ଦର୍ଶନ ଦିଅନ୍ତି ।

ପ୍ର- ସେ କିପରି ବିଦ୍ୟମାନ ଓ ତାଙ୍କୁ କିପରି ଭାବିବ ?

ଉ- ନିଶବ୍ଦରୁ ଶବ୍ଦ ହେଲା, ତହିଁ ରୁ ଅକ୍ଷର ହେଲା; ନାମ ସ୍ୱରୂପରେ ସେ ପ୍ରକାଶ ହେଲେ ଏବଂ ସେ ସ୍ଥାବର, ଜଙ୍ଗମ କୀଟପତଙ୍ଗାଦି କରି ପ୍ରତ୍ୟେକ ଜୀବରେ ଆତ୍ମା ରୂପରେ ବିଦ୍ୟମାନ ହୋଇ ଅଛନ୍ତି । ମୃତ୍ୟୁ ସମୟରେ ତାଙ୍କ ନାମ ସ୍ମରଣ ଓ ରୂପରେ ଧ୍ୟାନ ରଖି ମଲେ ସେ ଲୋକଙ୍କୁ ଉଦ୍ଧାର କରନ୍ତି ।

ପ୍ର- ଯଦି ସେ ମୃତ୍ୟୁ ସମୟରେ ଲୋକଙ୍କୁ ଉଦ୍ଧାର କରିବେ, ତେବେ ଏତେ ଆଗରୁ ଭାବିବାର ଦରକାର କଣ ?

ଉ-ପିଲାଦିନରୁ ଯାହା ଶିଖି ନ ହୋଇଥାଏ, ବଡ଼ ବେଳେ କଷ୍ଟକରି ସୁଦ୍ଧା ତାହା ଶିଖିବା ବିଫଳ ହୋଇଥାଏ । ସ୍ତ୍ରୀଲୋକେ କହନ୍ତି ପରା ‘ଯାହା ନାହିଁ ବାଲ୍ୟକାଳେ, ତାହାକି ହେବ ପାଚିଲା ବାଳେ’ ସେଥିପାଇଁ ପ୍ରଥମରେ କୁହାଯାଇଛି । ଅଭ୍ୟାସ କରି ଓଁକାର ଏକାକ୍ଷର ଚିନ୍ତା କର । ଶେଷ ବେଳକୁ ତାହାହିଁ ପାଣ୍ଠି ହେବ ।

ପ୍ର- ଓଁକାରକୁ ଗୋଟିଏ ଅକ୍ଷର ବୋଲି ମୁଁ ଜାଣିଛି । ଏହାର ବିଶେଷତ୍ୱ କଣ ?

ଉ- ତାହା ସମସ୍ତେ ଜାଣିଛନ୍ତି ସତ କିନ୍ତୁ ତାହାର ମର୍ମ ଜାଣିବା ଦରକାର । ଓଁକାରରେ ଈଶ୍ୱରଙ୍କର କି ସମ୍ବନ୍ଧ ଥିବା ହେତୁ ସେ ଅକ୍ଷରଟିକୁ ଏତେ ଉଚ୍ଚସ୍ତରରେ ରଖାଯାଇଅଛି ଓ ତହିଁରେ ଭଗବାନ କି ସ୍ୱରୂପରେ ବିରାଜମାନ କରିଅଛନ୍ତି ଏବଂ ତାହା ଶରୀର ମଧ୍ୟରେ କେଉଁ କେଉଁ ସ୍ଥାନରେ ଅବସ୍ଥିତ, ପିଣ୍ଡ ଓ ବ୍ରହ୍ମାଣ୍ଡ ମଧ୍ୟରେ ତଫାତ କଣ । ଏହା ବୁଝି ନାମ ଭଜନ କଲେ ଜୀବକୁ ମୁକ୍ତି ମିଳେ ସିନା ।

ପ୍ର- ଏହିସବୁ କଥାମାନ ଆମ୍ଭେ କାହାଠାରୁ ବୁଝିପାରିବା ?

ଉ-ଏ ସମସ୍ତ ତତ୍ତ୍ୱ ଶ୍ରୀ ଗୁରୁଦେବଙ୍କ ବ୍ୟତୀତ ଅନ୍ୟ କେହି କହିବା ସମ୍ଭବ ନୁହେଁ ।

ପ୍ର- ମୁଁ’ ତ ଗୁରୁ ମନ୍ତ୍ର ଗ୍ରହଣ କରିଅଛି । ସେ ମୋ କାନରେ ହରେ ରାମ କୃଷ୍ଣ ବୋଲି କହି ଅଛନ୍ତି, ଏସବୁ କଥାତ କହି ନାହାନ୍ତି ।

ଉ- ଗୁରୁ କେତେ ପ୍ରକାର ଅଛନ୍ତି । ପ୍ରଥମେ, ପିତା ଓ ମାତାଙ୍କୁ ଗୁରୁ ବୋଲାଯାଏ । ଦ୍ୱିତୀୟରେ ଶିକ୍ଷାଗୁରୁ, ତୃତୀୟରେ କର୍ଣ୍ଣଗୁରୁ, ଚତୁର୍ଥରେ ତତ୍ତ୍ୱଗୁରୁ ଏବଂ ତାଙ୍କ ଠାରୁ ଡୋର କୌପୀନ ଗ୍ରହଣ କରିଲେ ସେହି ଦୀକ୍ଷାଗୁରୁ ମଧ୍ୟ ବୋଲାନ୍ତି।

ପ୍ର- ଏହି ତତ୍ତ୍ୱଗୁରୁ ଅଧିକା କଣ କହିବେ ?

ଉ- ତତ୍ତ୍ୱ ଗୁରୁଙ୍କୁ ଈଶ୍ୱର ସଦୃଶ ମନେ କରି ତାଙ୍କ ବାକ୍ୟରେ ଅଟଳ ବିଶ୍ୱାସ ଆଣିବା ଉଚିତ।

ସେ ଈଶ୍ୱରଙ୍କ ତତ୍ତ୍ୱକୁ ଓଁକାରରେ ପିଣ୍ଡରେ ଏବଂ ବ୍ରହ୍ମାଣ୍ଡରେ ମିଳାଇ ମନର ସନ୍ଦେହ ମାନ ଦୂର କରାଇଦେବେ ଏବଂ ଧ୍ୟାନ ଧାରଣାର ଉପଦେଶ ଦେବେ । ତାଙ୍କ ଆଦେଶ ଭଙ୍ଗକଲେ ଜନ୍ମ ଜନ୍ମାନ୍ତରରେ ନରକଗାମୀ ହେବାକୁ ପଡ଼ିବ । ଏଥିପାଇଁ ବିଶେଷ ସାବଧାନ ହେବାକୁ ହେବ ।

ପ୍ର-ସେ ଯାହା ବତାଇବେ ଆମ୍ଭେ କଣ ତାହା କରିପାରିବା ?

ଉ- ତାଙ୍କର ଉପଦେଶକୁ ଶିରୋଧାର୍ଯ୍ୟ କରି ନିଶା ଖାଇବା ପରି ତାଙ୍କ ଧ୍ୟାନ ଧାରଣାକୁ ଯତ୍ନ ସହିତ ପାଳନ କରିବାକୁ ହେବ, କାରଣ ଭଗବତ ପ୍ରେମରେ ଲାଳସା ବଢ଼ାଇଲେ ସେହି ପ୍ରେମ ସଦାବେଳେ ମନ ମଧ୍ୟରେ ଜାଜ୍ୱଲ୍ୟମାନ ହୋଇ ଉଠିବ । ଆପାତତଃ ସୁଖକର ମାର୍ଗରୁ ଆସକ୍ତି କମିଯିବ ।

ପ୍ର- ଆଜିକାଲି କେତେ ଗୁରୁ ହେବାକୁ କହୁଛନ୍ତି ଓ ଦ୍ୱାରେ ଦ୍ୱାରେ ବୁଲୁଥିବାର ଦେଖାଯାଉଛି, ଆମ୍ଭେ କାହାକୁ ମାନିବା ?

ଉ-ଯାହା ଉପରେ ତୁମର ମନର ଦୃଢ଼ତା ଆସୁଛି, ତୁମ୍ଭେ ତାକୁହିଁ ତତ୍ତ୍ୱ ଗୁରୁ ବୋଲି ମାନିନିଅ । ତାଙ୍କର ଆଦେଶାନୁସାରେ ଚଳିଲେ ତୁମ୍ଭର ଦୃଢ଼ତା ବଳରେ ଈଶ୍ୱର ସାକ୍ଷାତକାର ହୋଇପାରିବ ।

ଗୁରୁଙ୍କର ଯାହା ଇଚ୍ଛା ସେ ତାହା କରନ୍ତୁ ତୁମ୍ଭର ସେଥିରେ ଯାଏଆସ କିଛି ନାହିଁ, ତାଙ୍କର ଦୋଷ ବାଛିବାରେ ତୁମ୍ଭର କି ଅଧିକାର ଅଛି ? ତୁମ୍ଭେ ତାଙ୍କୁ ଈଶ୍ୱର ସଦୃଶ ମାନିନିଅ, ସେ ନିତାନ୍ତ ନିକୃଷ୍ଟ ହୋଇ ଥିଲେ ସୁଦ୍ଧା ତୁମ୍ଭ ଦୃଢ଼ତା ବଳରେ ସେ ତୁମ୍ଭପକ୍ଷେ ଅତ୍ୟନ୍ତ ଉତ୍କୃଷ୍ଟ ହୋଇଯିବେ । ଯଦି ଅବିଶ୍ୱାସ କର ତେବେ ତୁମେହିଁ ପଥଭ୍ରଷ୍ଟ ହେବ, କିନ୍ତୁ ପ୍ରଥମରେ ଦେଖିବ ସେ ଶାସ୍ତ୍ରାନୁମୋଦିତ କଥା କହୁଛନ୍ତି କି ନା ? ତାଙ୍କ କହିବା କଥା ଶାସ୍ତ୍ରରେ ମିଳାଇବା ଦରକାର ।

ମନଗଢ଼ା କଥାରେ ଭୁଲିବା ଅନାବଶ୍ୟକ ଅଟେ ।

ପ୍ର- ସ୍ୱଦେହରେ କଣ ବ୍ରହ୍ମ ସାକ୍ଷାତକାର ହୋଇପାରେ ?

ଉ- ଏ ଜନ୍ମରେ ସ୍ୱଦେହରେ ବ୍ରହ୍ମ ସାକ୍ଷାତକାର ହୋଇ ନ ପାରେ, କିନ୍ତୁ ପରୋକ୍ଷରେ ହୋଇଥାଏ । ଏ ଦେହ ଯାଇଁ ନିତ୍ୟ ଦେହ ଲାଭ ହେଲେ ସ୍ୱଦେହରେ ବ୍ରହ୍ମ ସାକ୍ଷାତକାର ହୁଏ । (ନାରଦ ଓ ଧୃବାଦିଙ୍କ ପରି )

ପ୍ର- ନିରାକାର ଭଜନ ଭଲ କି ସାକାର ଭଜନ ଭଲ ?

ଉ- ଉଭୟ ଗୋଟିଏ ଜିନିଷ । ତୁମ୍ଭର ଯେଉଁଥିରେ ବିଶ୍ୱାସ ତାହାକୁ ଅନୁସରଣ କର । କିନ୍ତୁ ମନୁଷ୍ୟଦେହଧାରୀ ପକ୍ଷରେ ନିରାକାର ଭଜନ ଅତୀବ କଷ୍ଟକର ହୋଇଥାଏ ।

ପ୍ର-ଯେବେ ଭଗବାନ ପ୍ରତ୍ୟେକଙ୍କ ଠାରେ ବିଦ୍ୟମାନ ଅଛନ୍ତି, ତେବେ ସେ ଜୀବକୁ ମୁକ୍ତି ନ ଦିଅନ୍ତ କାହିଁକି ?

ଉ-କାଠ ଦେହରେ ଅଗ୍ନି ଥାଏ ସତ, କିନ୍ତୁ କାଠକୁ କାଠରେ ଘସିଲେ ନିଆଁ ବାହାରେ ଓ କାଠକୁ ପୋଡ଼ିଦିଏ । ସେହିପରି ଘଟରେ ଈଶ୍ୱର ଅଛନ୍ତି ସତ, ତୁମ୍ଭେ ବିକର୍ମ ଛାଡ଼ି ସୁକର୍ମ କରି ମନରେ ଫଳ କାମନା ନ କରି ଅକପଟ ଚିତ୍ତରେ ଗୁରୁ ଓ ଈଶ୍ୱରଙ୍କୁ ଭକ୍ତି କର ।

ମୁକ୍ତି ତମ ହାତକୁ ଚାଲି ଆସିବ ।

ପ୍ର-ମୁଁ କଣ ଏହା କରିପାରିବି ?

ଉ- ଏହା କହିବା ନିତାନ୍ତ କାପୁରଷତା ବା ଆଳସ୍ୟତାର କଥା । ଏହା ନ କହି ସାହାସ ଓ ଧର୍ଯ୍ୟର ସହିତ ଯାହା ପାରୁଛ ତାହାକର ଏବଂ କ୍ରମେ ବଢ଼ାଇବାକୁ ଚେଷ୍ଟାକର, ତେବେ ଧନ୍ୟ ହେବ ।

ପ୍ର- ମୁଁ ତ ଗୃହୀ, ନାନା ରକମ ଜଞ୍ଜାଳ ଓ ପିଲାପିଲିଙ୍କ ଗଣ୍ଡଗୋଳରେ ଏସବୁ କର୍ମ କଣ କରିହେବ ?

ଉ-ତୁମ୍ଭେ ନିଜେ କର୍ମ କର ଏବଂ ଗୃହରେ ସ୍ତ୍ରୀ ପୁତ୍ରାଦିମାନଙ୍କୁ ଏହି ଶିକ୍ଷା ଦିଅ ଯେ, ମନୁଷ୍ୟ ଧର୍ମର ଉନ୍ନତି ନିମିତ୍ତ ସଂସାରକୁ ଆସିଅଛି, ଆବାଳ ବୃଦ୍ଧବନିତା ସମସ୍ତଙ୍କର ଧର୍ମ ପାଳନ କରିବାରେ ଅଧିକାର ଅଛି । ଗୃହସ୍ଥର କର୍ମ ବେଦ ନିୟମ ଅନୁସାରେ ସମ୍ପାଦନ କଲେ ଈଶ୍ୱର ସନ୍ତୁଷ୍ଟ ହୋଇ ଦେଖାଦେବେ ଏବଂ ତୁମ୍ଭର ଗୃହଟି ଋଷିମାନଙ୍କର ଆଶ୍ରମ ପରି ହୋଇଯିବ । ତୁମ୍ଭଙ୍କୁ ଦେଖି ତୁମ୍ଭର ପଡ଼ୋଶୀ ମଧ୍ୟ ତୁମ୍ଭଙ୍କୁ ଅନୁକରଣ କରିବେ ।

ପ୍ର- ହଉ ତେବେ ମୁଁ ଆଜିଠାରୁ ଆପଣଙ୍କ କଥା ମୁତାବକ ଚଳିବାକୁ ଚେଷ୍ଟା କରିବି । କିନ୍ତୁ ମୋର କୌଣସି କଥାରେ ସନ୍ଦେହ ହେଲେ ମୁଁ ଆପଣଙ୍କ ପରାମର୍ଶ ଲୋଡ଼ିବି ଆପଣ ସାହାଯ୍ୟ କରିବେ ତ ?

ଉ- ହଁ ତାହା ନ କରିବା କାହିଁକି ? ଆମ୍ଭର କର୍ମ ହେଲା ଯେଉଁ ବ୍ୟକ୍ତିର ଧର୍ମ ମାର୍ଗରେ ଚଳିବାକୁ ଇଚ୍ଛା, ଆମ୍ଭେ ତାଙ୍କୁ ଆଗେଇ ଦେବାକୁ କୁଣ୍ଠିତ ହେବୁ ନାହିଁ ବରଂ ତାର ମନରେ ଉତ୍ସାହ ପ୍ରଦାନ କରାଇବୁ ।

ଧ୍ୟାନ

ଯେଉଁ ବିଷୟ କିମ୍ବା ଯେଉଁ ରୂପ ମନ ମଧ୍ୟରେ ଅନବରତ ଜାଗ୍ରତ ଥାଏ, ତାହାକୁ ଧ୍ୟାନ କହନ୍ତି । ଅତଏବ ଈଶ୍ୱରଙ୍କ ସାକାର ମୂର୍ତ୍ତିଟି ସଦାବେଳେ ମନରେ ବିରାଜମାନ କରିଥିବ ଓ ନେତ୍ର ତାଙ୍କୁ ଚତୁର୍ଦିଗରେ ଦେଖୁଥିବ ଏହାହିଁ ଅଭ୍ୟାସ କରିବା ଆବଶ୍ୟକ। ଏହା ନିଜେ ସଂଯତ ଭାବରେ ନ କଲେ ଆଉ ଅନ୍ୟ କିଏ କରାଇ ଦେବ ?

ଧାରଣ :- ଯେ ଯାହାକୁ ଭଲପାଏ ମନରେ ସବୁବେଳେ ତାହାର ରୂପଗୁଣ ତାହାରି କଥାମାନ ଆସିଯାଉଥାଏ । ଏହି ଭାବମାନ ଅନ୍ୟଦିଗରୁ ଆସି ଈଶ୍ୱରଙ୍କ ପ୍ରତି ହେଲେ ଭଲ ହୁଏ । ହାତରେ ସମସ୍ତ କାର୍ଯ୍ୟ କରୁଥାଅ ।

ମନ-ପ୍ରାଣ- ଅନ୍ତର ଆରାଧ୍ୟ ଦେବତାଙ୍କ ନିକଟରେ ଢାଳିଦିଅ, ତେବେ ଭଲ ହେବ ।

ପ୍ରାର୍ଥନା :- ଯାହାର ଯେଉଁ କଥା ଜଣାଇବାର ଥାଏ । ତାହା ଜଣାଇବାର ନାମ ପ୍ରାର୍ଥନା । ତେବେ ଭକ୍ତ ଧନ, ଜନ, ବିଷୟାଦି ଉନ୍ନତି ହେବା ନିମନ୍ତେ ଜଣାଏ ନାହିଁ । ସେ ଜଣାଏ-

ଯଥା-“ ଗଲାବେଳେ ମମ ପ୍ରାଣ             ଆହେ ରମା ରମଣ

କିଶୋରୀ ସଙ୍ଗେ ମନେ ଯିବକି ପଶି

ରହି ନିତ୍ୟ ମଣ୍ଡଳେ ଅଷ୍ଟ       ସଖୀଙ୍କ ମେଳେ

ଅଧରେ ଧରିଥିବ ମୋହନ ବଂଶୀ । ”

ଇତ୍ୟାଦି ଭାବମାନ ଯାହା ଭକ୍ତର ଆସିପାରେ । ତାହା କରିପାରେ । ନିଷ୍କାମ ମାର୍ଗ ଅନୁସରଣ ହିଁ ପ୍ରଧାନ ମାର୍ଗ ।

ପ୍ରଣବ ତତ୍ତ୍ୱ

ଭଗବାନଙ୍କର ଉତ୍ପତ୍ତି ବିଷୟରେ ଚିନ୍ତା କରି ଦେଖିବାକୁ ଗଲେ ଜଣାଯାଏ ତାଙ୍କୁ କେହି ତିଆରି କରି ନାହାନ୍ତି । ସେ ନିଜେ ମାତା ଓ ପିତା ଅଟନ୍ତି । ଯେତେବେଳେ ଜଗତ ଶୂନ୍ୟମୟ, ସେତେବେଳେ ଏକା ଭଗବାନ ବିଦ୍ୟମାନ ଥଲେ । ତାଙ୍କ ଜ୍ୟୋତିରୁ ଶୂନ୍ୟର ଆବିର୍ଭାବ ହେଲା । ସେ ଜ୍ୟୋତିକୁ ମହାଶୂନ୍ୟ ବୋଲାଯାଏ । ସେହି ମହାଶୂନ୍ୟରେ ଚେତନାର ଅବସ୍ଥାନ ଓ ସେହି ଚିତ୍ ମଣ୍ଡଳରେ ଭଗବାନ ବିରାଜମାନ କରିଥାନ୍ତି । ତାଙ୍କର ଆକାର ନାହିଁ । ସେ ଅକ୍ଷରରୁ ବାହାର ଅଟନ୍ତି । କେବଳ ତାଙ୍କ ଠାରୁ ସମସ୍ତ ସୃଷ୍ଟି ଓ ଅକ୍ଷର ମାନ ଜାତ ହୋଇ ଥିବାରୁ, ଭକ୍ତମାନେ ଅକ୍ଷର ଓ ମନ୍ତ୍ର ଯନ୍ତ୍ରାଦିକୁ ପାବଚ୍ଛ ପ୍ରାୟ ଧରି, ଶେଷରେ ଯାଇଁ ନିର୍ଗୁଣମୟଙ୍କୁ ଯେତେବେଳେ ସୃଷ୍ଟି କାମନା ଜାଗ୍ରତ ହେଲା । ସେ ନିର୍ଗୁଣ ହେଲେ ହେଁ ଉର୍ମ୍ମ । (ତେଜ, ଜ୍ୟୋତି, ଜ୍ୱାଳା ଓ ବିନ୍ଦୁ ଏହି ପଞ୍ଚ ମନର ସୂକ୍ଷ୍ମ ଅବସ୍ଥା ଅଟେ) । ଏହି ପଞ୍ଚ କଳା ଜଳରେ ପଡ଼ନ୍ତେ ଯୋଗମାୟା ଜାତ ହେଲେ।ଏହା ଅନନ୍ତ ବା ସିଷୁମ୍ନା ଅଟେ । ଏହି ସିଷୁମ୍ନାରେ ମନ ପ୍ରବେଶ କରାଇ ଈଶ୍ୱରଙ୍କୁ ଭଜିଲେ, ଲୋକ ତ୍ରିଗୁଣରୁ ମୁକ୍ତି ପାଇପାରେ ।

ଏ’ତ ହେଲା ଓଁକାର ଜାତ କଥା, ଏବେ ଏହି ଓଁ କାରକୁ ପିଣ୍ଡ ଓ ବ୍ରହ୍ମାଣ୍ଡରେ ମିଳାଇ ଦେଖିବା, ଭାଗବତରେ ଲେଖାଅଛି-

ଯଥା- “ ପିଣ୍ଡ ବ୍ରହ୍ମାଣ୍ଡ ଏକମତ । ଜାଣନ୍ତି ସୁଜ୍ଞାନୀ ପଣ୍ଡିତ । । ”

ପୃଥିବୀ ଯଥା- ସ୍ୱର୍ଗ, ମର୍ତ୍ତ୍ୱ, ପାତାଳ ପିଣ୍ଡର ପାଦଠାରୁ କଟି ଯାଏ ପାତାଳ, କଟିଠାରୁ ସୂକ୍ଷ୍ମ ବେକଯାଏ ମର୍ତ୍ତ୍ୱ ଓ ବେକଠାରୁ ମସ୍ତକ ସ୍ୱର୍ଗରେ ପରିଣତ । ଓଁକାର ଯଥା- ଓ ଟି ପାତାଳ + ଅର୍ଦ୍ଧମାତ୍ରାଟି ମର୍ତ୍ତ୍ୟ + ଠ ବିନ୍ଦୁଟି ସ୍ୱର୍ଗ ଅଟେ । ଏହି ଓଁ ମଧ୍ୟ ସତ୍ତ୍ୱ, ରଜ, ତମ ତ୍ରିଗୁଣ ଅଟନ୍ତି । ଜଗନ୍ନାଥ, ବଳଦେବ ଓ ସୁଭଦ୍ରା ଅଟନ୍ତି । ବ୍ରହ୍ମା, ବିଷ୍ଣୁ ଓ ଶିବ ଏବଂ ଗୁରୁ, ଶିଷ୍ୟ, ଭଗବାନ ଅଟନ୍ତି । ରାଧା, କୃଷ୍ଣ ଓ ଚନ୍ଦ୍ରାବଳି ଅଟନ୍ତି । ରାମ କୃଷ୍ଣ ହରେ ତ୍ରୟନାମ ଅଟନ୍ତି । ହ୍ଲୀଁ, କ୍ଳୀଁ, ଶ୍ଳୀଁ ତ୍ରୟ ବୀଜ ଅଟନ୍ତି । ପୁନଶ୍ଚ ବିଚାର କଲେ ଦେଖାଯାଏ ପୃଥିବୀଟି କେବଳ ତିନୋଟିରେ ନୁହେଁ, ସେଥିରେ ଆଉ ଦୁଇଟି ମିଶି ପଞ୍ଚ ଦ୍ରବ୍ୟରେ ସୃଷ୍ଟି ହୋଇଅଛି । ଯଥା-ପୃଥ୍ୱୀ+ଆପ୍+ତେଜଃ+ବାୟୁ+ଆକାଶ = ୫ରେ ସୃଷ୍ଟି ହେଲା, ଦେହରେ ପୃଥ୍ୱୀ ହେଲା ମାଂସ, ଆପ ହେଲା ରକ୍ତ, ତେଜ ହେଉଛି ଚକ୍ଷୁ, ବାୟୁ ନାଶା ଏବଂ ଆକାଶ ହେଲା ମସ୍ତକ, ଓଁକାର ମଧ୍ୟ ୫ ଗୋଟି ମାତ୍ରାରେ ହୋଇଅଛି ତାରକ+ଦଣ୍ଡକ+କୁଣ୍ଡଳୀ+ଅର୍ଦ୍ଧମାତ୍ରା+ବିନ୍ଦୁ=ଓଁରେ ଥିବା ଦେବତା, ୧-ଜଗନ୍ନାଥ, ୨-ବଳଭଦ୍ର, ୩-ସୁଭଦ୍ରା, ୪-ସୁଦର୍ଶନ, ୫-ସିଂହାସନ । ପୁନଶ୍ଚ ଅନ୍ୟ ଭାବରେ ୧-ବ୍ରହ୍ମା, ୨-ବିଷ୍ଣୁ, ୩-ଶିବ, ୪-ଆଦି, ୫-ଅନାଦି ଅଟନ୍ତି । ବୀଜ ମଧ୍ୟ ୫, ଶ୍ଳୀଁ, କ୍ଳୀଁ, ହ୍ଳୀଁ, ଧ୍ଳୀଁ, ପ୍ଳୀଁ ଅଟେ । ଆଜିକାଲି ଆମ୍ଭେମାନେ ଶ୍ରୀକ୍ଷେତ୍ରଧାମକୁ ପ୍ରଧାନ ଈଶ୍ୱରଲୀଳା ସ୍ଥାନ ବୋଲି ମାନି ଆସିଅଛୁ । ବର୍ତ୍ତମାନ ସେହି ଶ୍ରୀମନ୍ଦିର ସହ ଆମ୍ଭର ପିଣ୍ଡ ଓ ବ୍ରହ୍ମାଣ୍ଡକୁ ତୁଳନା କରିବା । ଯଦିଚ ତାହା ସହିତ ପିଣ୍ଡ ଓ ବ୍ରହ୍ମାଣ୍ଡର ତୁଳନା ହୋଇପାରେ ତେବେ ଆମ୍ଭେ ଯହିଁ ତହିଁ ଈଶ୍ୱରଙ୍କୁ ଭାବି ପାରିବାରେ ଅସମ୍ଭବ କଣ । ଏବେ ତାହା ହିଁ ମିଳାଇବାକୁ ଚେଷ୍ଟା କରିବା ।

ପୁରୀରେ ଜଗନ୍ନାଥଙ୍କର ଯେପରି ଦେଉଳଟିଏ ଅଛି, ଏ ଦେହ –ପୃଥିବୀକୁ ସେହିପରି ଭାବିନିଅ ।ଦିଅଁ ଦର୍ଶନକୁ ଗଲେ ଯେପରି ବାଇଶି ପାବଚ୍ଛରେ ଯାଇଁ ଗରୁଡ଼ ଖମ୍ବ, ଚନ୍ଦନ ଅର୍ଗଳି ଆଦି ଅତିକ୍ରମ କରି ଗଲା ପରେ ଜଗନ୍ନାଥଙ୍କର ଦର୍ଶନ ହୋଇଥାଏ ସେହିପରି ଏ ଦେହରେ ଷଷ୍ଠ ଚକ୍ର ଭେଦ କରି ତ୍ରିକୁଟ ପାର ହୋଇ ଶେଷ ଚକ୍ର ପରେ ତାଙ୍କର ଦର୍ଶନ ପାଇବ ।

ଦେଉଳରେ ଚାରିଗୋଟି ଦରଜା ଥାଏ । ଦେହରେ ତାହା ମୁଖ, ନାଶ, ଚକ୍ଷୁ ଓ କର୍ଣ୍ଣ ଅଟେ । ବ୍ରହ୍ମାଣ୍ଡରେ ପୂର୍ବ, ପଶ୍ଚିମ, ଉତ୍ତର ଦକ୍ଷିଣ ଦିଗ ଅଟେ ଗରୁଡ଼ ଖମ୍ବ ନାଶାକୁ ମନେ କରିବା, ଦିଅଁ ଜଗା, ବଳିଆ, ସୁଭଦ୍ରାଙ୍କ ପରି ଦେହରେ ଜୀବ ପରମ ଓ ଚେତନା ରୂପୀ ଦିଅଁ ଥିବାରୁ ଏ ଦେହ ସ୍ୱରୂପ ଦେଉଳଟି ସୁନ୍ଦର ଅଟେ। ଦିଅଁ ନ ରହିଲେ ଦେଉଳଟି ପଡ଼ି ମହାଜନମାନେ ଦୋକାନ ଦେଇ କାରବାର କରନ୍ତି; ଦେହରେ ପାଞ୍ଚମନ ପାଞ୍ଚ ମହାଜନ ଅଟନ୍ତି । ପ୍ରକୃତିମାନେ ଗ୍ରାହକରୂପୀ ହୋଇ କାରବାର କରୁ ଅଛନ୍ତି । ସେଠାରେ କୈବଲ୍ୟ ହାଟ ଏଠାରେ ମୁକ୍ତିର ହାଟ ।

ଯଥା-ଧର୍ମ, ଅର୍ଥ, କାମ ଓ ମୋକ୍ଷ ଆଦି ଚତୁଃବର୍ଗାଦି ଫଳ ମିଳେ । ଯେ ଯେପରି ଧର୍ମ କରିବ, ସେ ସେପରି ଫଳ ପାଇବ ଏହାକୁ ବିଚାର କରି ଯେ ଯାହା ପାରୁଛ କରୁଥାଅ । କର୍ମ, ଭକ୍ତି, ଜ୍ଞାନ ଓ ପ୍ରେମ ଯାହାର ଅନୁଭବ ଯେତେ ଦୂର ଅଛି, ସେ ସେହି ପଥରେ ସେତିକି ଅଗ୍ରଗାମୀ ହୋଇ ଚାଲିଯିବା ଦରକାର । ଯେ ଯେଉଁ ପଥରେ ଯାଉ ମନର ଦୃଢ଼ତା ସେହି ପଥରେ ରଖିଥାଉ । ନଚେତ ପଥଭ୍ରଷ୍ଟ ହୋଇ ହଇରାଣ ହେବାର ସମ୍ଭାବନା ଅଛି । ଶାସ୍ତ୍ରରେ ଅଛି –

“ ଇହ ଜନ୍ମାନ୍ତରେ ଅବା ପର ଜନ୍ମାନ୍ତରେ ।

ଭାବିତେ ଭାବିତେ କୃଷ୍ଣ ଯଦି କୃପା କରେ । ”

ମୁରଲୀ ସ୍ୱର

ଆଜି ଏହି ମୁରଲୀ ସ୍ୱର ସମ୍ବନ୍ଧରେ ଆଲୋଚନା କରି କେତେକ ବିଷୟ ଉଲ୍ଲେଖ କରିବାକୁ ମନସ୍ତ କରୁଅଛି । କିନ୍ତୁ ସେଇ ଜଗତକର୍ତ୍ତା ମୁରଲୀଧରଙ୍କର ଯେପରି କୃପା ହେବ ସେପରି ଲେଖି ହୋଇପାରିବ । ସେ ଯାହା କହିବେ ତାହାହିଁ ଲେଖାହେବ। କାରଣ ସେହି ରାସବିହାରୀ ଯେପରି ନଚାଇ ଥିଲେ, ବ୍ରଜାଙ୍ଗନାମାନେ ସେହିପରି ନାଚିବାକୁ ଆରମ୍ଭ କରିଥିଲେ । ଏଣୁ ସବୁ ସେହି ଇଚ୍ଛାମୟଙ୍କ ଇଚ୍ଛା ଉପରେ ନିର୍ଭର କରେ । ମୁରଲୀସ୍ୱର ସମ୍ବନ୍ଧରେ ଆଲୋଚନା କଲେ ଦେଖାଯାଏ ଯେ, ଶ୍ରୀକୃଷ୍ଣ ବଂଶୀ ବଜାଇବା ଦ୍ୱାରା ସେ ସ୍ୱନ ଶୁଣି ଗୋପବାଳାମାନେ ଘରଛାଡ଼ି ଜଙ୍ଗଲକୁ ଚାଲିଯାଇ ଥିଲେ ବୋଲି ଯାହା ଶାସ୍ତ୍ରରେ ଲେଖାଅଛି, ସେ ଲେଖାକୁ ବାହ୍ୟ ମତରେ ନ ବୁଝି ଆଧ୍ୟାତ୍ମିକ ଭାବରେ ବିଚାର କରିବା ଦରକାର । ନିଗୂଢ଼ ଭାବରେ ବିଚାର କଲେ ଜଣାଯାଏ, ଯେପରି ଗୁରୁଙ୍କଠାରେ ଶିଷ୍ୟ ନାମ ଗ୍ରହଣ କରିବା ସମୟରେ ଗୁରୁ ଶିଷ୍ୟ କର୍ଣ୍ଣରେ ନାମ କହିଦିଅନ୍ତି, ଶ୍ରୀକୃଷ୍ଣ ସେପରି ଗୁରୁ ସ୍ୱରୂପୀ ହୋଇ ଗୋପୀମାନଙ୍କୁ ଶିଷ୍ୟା ସ୍ୱରୂପିଣୀ କରାଇ ସେମାନଙ୍କ କର୍ଣ୍ଣରେ ମୁରଲୀସ୍ୱର ଦ୍ୱାରା ମନ୍ତ୍ର (କ୍ଳୀଁ ବୀଜ)କୁ କହି ଦେଇଥିଲେ ।

ଅନ୍ୟ ଭାବରେ ବିଚାର କଲେ ବୁଝାଯାଏ ଯେ ଶ୍ରୀକୃଷ୍ଣ ସ୍ୱୟଂ ପରଂବ୍ରହ୍ମ ବୋଲି ବ୍ରଜଙ୍ଗନାମାନଙ୍କୁ ମୁରଲୀ ଶବ୍ଦ ଦ୍ୱାରା ପରିଚୟ ଦେଇଥିଲେ ବା କହିଦେଇଥିଲେ ବୋଲି ଜାଣିବାକୁ ହେବ । ସେଥିପାଇଁ ଗୋପୀମାନେ ଭୁଲିପାରି ନଥିଲେ ବା ଭୁଲିପାରିଲେ ନାହିଁ । ଶରୀର ମଧ୍ୟରେ ଅର୍ଥ କଲେ ଜଣାଯାଏ, ଦୃଷ୍ଟି ଆଗୋଚରରେ ଅର୍ଥାତ୍ ବଣରେ କୃଷ୍ଣ ବଂଶୀ ବଜାଉ ଥିଲେ ସତ, କିନ୍ତୁ ଗୋପୀମାନେ ସେ ସ୍ୱନ ଶୁଣିଥିଲେ, କିନ୍ତୁ କୃଷ୍ଣଙ୍କୁ କେହି ଦେଖିନଥିଲେ, ଦେଖିବାର ଇଚ୍ଛା କରିଥିଲେ । ତଦ୍ରୂପ ଶରୀର ମଧ୍ୟରେ ଦୃଷ୍ଟି ଆଗୋଚର ସ୍ଥାନଟି, ଷଟ୍‌ଚକ୍ର ପରେ ଆଜ୍ଞା ଚକ୍ରଟି ବଣ ଅଟେ । ସେଠାରେ ପରଂବ୍ରହ୍ମ ଥାଇ ବାୟୁରୂପୀ ଶବ୍ଦ ଦ୍ୱାରା ଏ ଶରୀରକୁ ଚଳାଉଛନ୍ତି । ଏହି ବାୟୁକୁ ବଂଶୀଧ୍ୱନି ବୋଲି ମନେ କରିବା ଦରକାର । ଯେପରି କୃଷ୍ଣଙ୍କୁ ଦେଖିବା ନିମିତ୍ତ ଗୋପୀମାନେ ଆଶା କରିଥିଲେ । ତଦନୁରୂପୀ ପ୍ରତ୍ୟେକଙ୍କ ଦେହରେ ଥିବା ପ୍ରକୃତିମାନେ ଗୋପୀମାନଙ୍କ ସଦୃଶ ପରଂବ୍ରହ୍ମଙ୍କ ସାକ୍ଷାତ ପାଇବାକୁ ଲାଳସା ବଢ଼ାଇବା ଦରକାର । ବଂଶୀରେ କୃଷ୍ଣ ନିଜେ ପରଂବ୍ରହ୍ମ ବୋଲି ଯାହା ଉଚ୍ଚାରଣ କରିଥିଲେ ତାହା ଶରୀର ମଧ୍ୟସ୍ଥ ବାୟୁର ଯିବା ଓ ଆସିବାହିଁ ଜପ ଅଟେ । ଏହାକୁ ସୋହଂ-ହଂସ ବୋଲି ଶାସ୍ତ୍ରମାନଙ୍କରେ ପ୍ରମାଣ କରାଯାଇଛି । ସୋହଂ ଅର୍ଥ ନିଜେ, ହଂସ ଅର୍ଥ ବ୍ରହ୍ମ ଅଟେ । କେହି କହିପାରନ୍ତି ଗୋପୀମାନେ ତ ଥରେ ବଂଶୀସ୍ୱନ ଶୁଣୁଥିଲେ । ପୁଣି ଶୁଣିବା ନିମନ୍ତେ ବାରମ୍ବାର କର୍ଣ୍ଣ ଡ଼େରିବାର କାରଣ କ’ଣ ? ତାହାର ପ୍ରକୃତ କାରଣ ଶିଷ୍ୟ ଗୁରୁଙ୍କ ଠାରୁ ଥରେ ନାମ ଗ୍ରହଣ କଲେ ସୁଦ୍ଧା ବାରମ୍ବାର ଗୁରୁଙ୍କ ମୁଖରୁ ସେହି ଈଶ୍ୱର ତତ୍ତ୍ୱ ସତ୍ ଉପଦେଶ ଶୁଣିବା ଦ୍ୱାରା ମନ ପ୍ରେମରେ ତନ୍ମୟ ହୁଏ । ପୁଣି ପ୍ରତି ମୁହୂର୍ତ୍ତରେ ସେହିପରି ରସାସ୍ୱାଦନ ନିମନ୍ତେ ଲୋଭବଳେ । ଈଶ୍ୱରଙ୍କ ତତ୍ତ୍ୱ ସମ୍ବନ୍ଧରେ ଯେତେ ଆଲୋଚନା ହେଉଥାଏ, ସେ ଶେଷ ହୁଏନାହିଁ ବରଂ ଦିନକୁ ଦିନ ନୂଆ ନୂଆ ଭାବମାନ ହୃଦୟରେ ଜାଗି ଉଠୁଥାଏ । ଏଣୁ ଶରୀର ମଧ୍ୟରେ ବାସ କରିଥିବା ଗୋପୀ ସ୍ୱରୂପିଣୀ ପ୍ରକୃତିମାନେ ସ୍ୱ ସ୍ୱ କର୍ତ୍ତବ୍ୟ ଭୁଲି ସେହି ପ୍ରେମ ରସକୁ ସଦାବେଳେ ପାନ କରିବାର ଇଚ୍ଛା କରିଥାନ୍ତି । ଏହାର ତାତ୍ପର୍ଯ୍ୟ ଏହି ଯେ ବାୟୁ ଚଳୁଥିବା ଯାଏ ମନୁଷ୍ୟର ଦେହ ଥାଏ ଏବଂ ଦେହରେ ଥିବା ପ୍ରକୃତିମାନେ ନାନା ପ୍ରକାର ଭୋଗ ବିଳାସରେ କାଳ କାଟନ୍ତି । ଗୋପୀମାନେ କୃଷ୍ଣଙ୍କୁ ଯେପରି ଦଣ୍ଡେ ହେଲେ ଛାଡ଼ିବାକୁ ଇଚ୍ଛା ନ କରି ଭାବନ୍ତି କୃଷ୍ଣ ଆମ୍ଭ ନିକଟରେ ସଦାବେଳେ ରହିଲେ ଆମ୍ଭେ ପ୍ରେମାନନ୍ଦରେ ସର୍ବଦା ବୁଡ଼ି ରହିବା । ଏହି ଘଟରେ ବଂଶୀ ସ୍ୱରୂପୀ ବାୟୁ ଚିରଦିନ ପାଇଁ ବାଜୁଥାନ୍ତା ବା ଚଳ ପ୍ରଚଳ ହେଉଥାନ୍ତା । ତେବେ ଏଦେହ ନଷ୍ଟ ହୁଅନ୍ତା ନାହିଁ । ତେବେ ଆମ୍ଭେମାନେ ଚିରଦିନ ନିମନ୍ତେ ଏହି ଗୋଟିଏ ଘରରେ ରହି ସୁଖରେ କାଳ କାଟନ୍ତୁ । ଆଉ ଜନ୍ମ ମରଣ ଦୁଃଖରେ ପତିତ ହୁଅନ୍ତୁ ନାହିଁ ବା ଅନ୍ୟ ଘଟରେ ଆଶ୍ରୟ ଗ୍ରହଣ କରନ୍ତୁ ନାହିଁ ।

ଏବେ ଘରଛାଡ଼ି ଗୋପୀମାନେ ବଣକୁ ପଳାଉଥିଲେ ତାହାର ବିଚାର ହେଉ । ଏହା ପ୍ରକୃତ କଥା ଗୁରୁଙ୍କ ଠାରୁ ସତ୍ ଉପଦେଶମାନ ଶିଷ୍ୟ ଗ୍ରହଣ କରି ଶେଷରେ ପ୍ରେମରେ ତନ୍ମୟ ହୋଇ ବିଷୟ ବାସନା, ସ୍ତ୍ରୀ, ପୁତ୍ର ଓ ଧନ ରତ୍ନାଦିରୁ ସ୍ନେହ ମମତା ତୁଟାଇ ଦେଇ ସବୁ ସ୍ନେହ ଗୁରୁଙ୍କ ପାଦରେ ଏକାବେଳେ ଅଜାଡ଼ି ଦିଏ । ଅର୍ଥାତ୍ କେବଳ ତାଙ୍କୁ ବା ତାଙ୍କର ଉପଦେଶକୁ ସ୍ନେହମୟ ବସ୍ତୁ ବୋଲି ଭାବି ଅନ୍ୟାନ୍ୟ ସମସ୍ତ କତାକୁ ତୁଚ୍ଛଜ୍ଞାନ କରି ସର୍ବଦା ସେହି ପରମବ୍ରହ୍ମ ସ୍ୱରୂପୀ ପିଣ୍ଡ ସଦ୍ ଗତି ଦାତା ଗୁରୁଙ୍କର ସେବା କରନ୍ତା । ଏଥିରେ ଯେ ଆଶା ବଢ଼ାଏ, ତହିଁରେ ନିଜର ଦୁଃଖ ହେଉ ବା ସୁଖ ହେଉ ସେଥି ନିମିତ୍ତ ଶୋଚନା କରେ ନାହିଁ । ଏହା ବଡ଼ କଠିନ କଥା । ସେହିପରି ଉପଯୁକ୍ତ ଶିଷ୍ୟ ନ ହେଲେ ଏହା କରିପାରେ ନାହିଁ । ତେଣୁ ଗୋପୀମାନେ କୃଷ୍ଣଙ୍କୁ ଗୁରୁ ବା ପରଂବ୍ରହ୍ମ ବୋଲି ଭାବି ବାରମ୍ବାର ତାଙ୍କର ମନ୍ତ୍ର ସ୍ୱରୂପୀ ବଂଶୀସ୍ୱନ ଶ୍ରବଣ କରି ତାଙ୍କ ପ୍ରେମରେ ତନ୍ମୟ ହୋଇ ସବୁବେଳେ ସେହି କୃଷ୍ଣଙ୍କ ସେବାର ରହିବେ ବୋଲି ଭାବି ଘରର ସମସ୍ତ ବିଷୟ ବାସନାକୁ ତୁଚ୍ଛଜ୍ଞାନ କରୁଥିଲେ ଏବଂ କୃଷ୍ଣଙ୍କ ଦର୍ଶନ ଇଚ୍ଛାରେ ମାତି ଶ୍ରେଷ୍ଠଭକ୍ତା ଶ୍ରୀମତୀ ରାଧାମଣିଙ୍କୁ ସଙ୍ଗରେ ଘେନି, କୃଷ୍ଣ ସେବା ପାଇଁ ଉଦ୍ ବିଘ୍ନ ହେଉଥିଲେ ।

ବଂଶୀ ବାଜିବା ମାତ୍ରେ ମନ ପ୍ରାଣକୁ ନେଇ କୃଷ୍ଣଙ୍କ ସେବାରେ ଲଗାଇ ଦେଇଥିଲେ । ସବୁ ସ୍ନେହ ମମତା ସେହି ନନ୍ଦ ସୁତଙ୍କ ପାଦରେ ଢାଳି ଦେଉଥିଲେ । ଏହା ଜଗତକୁ ଶିକ୍ଷା ଦେବା ନିମିତ୍ତ ହୋଇଅଛି । ଅନ୍ୟ ପ୍ରକାରେ ବୁଝିବାକୁ ଗଲେ ଦେଖାଯାଏ ପ୍ରତ୍ୟେକଙ୍କ ଶରୀରରେ ପରଂବ୍ରହ୍ମ (କୃଷ୍ଣ) ବିରାଜମାନ ହୋଇ ବାୟୁରୂପୀ ବଂଶୀଦ୍ୱାରା ଘଟ ଚଳାଉ ଅଛନ୍ତି । ପ୍ରକୃତି ଗୋପୀମାନେ ଏକତ୍ର ହୋଇ ସେହି ପଥର ସନ୍ଧାନ ଉଣ୍ଡି ନିଜ ନିଜର କାମନାରୁ ରହିତ ହେବ ଏବଂ ଜୀବାତ୍ମା ରୂପୀ ରାଧାଙ୍କୁ ସଙ୍ଗରେ ନେଇ ପରତ୍ମାଙ୍କ ସହ ମିଳନ କରାଇ ଦର୍ଶନ ଓ ମାନସିକ ସେବା କଲେ ପରମ ଗତି ଲାଭ କରି ପାରିବ । ଗୋପୀ ଓ କୃଷ୍ଣଙ୍କର ଭାବମାନ ଗୁରୁ ଶିଷ୍ୟାତ୍ମକ ଭାବ ଅଟେ । ଲୋକେ ଏହା ନ ବୁଝି ଗଣ୍ଡଗୋଳରେ ପଡ଼ନ୍ତି ।

ବାବାଜି

ଆଜିକାଲି ଯୁଗରେ ଆମ୍ଭେମାନେ ଯେ କୌଣସି ବ୍ୟକ୍ତିଙ୍କ ଠାରେ ଅଖଣ୍ଡ-ନଖ, ଲୋମ, ମାଳା, ତିଳକ ଓ କୌପୀନାଦି ବ୍ୟବହାର ଦେଖି ସେମାନଙ୍କୁ ସାଧାରଣତଃ ବାବାଜି ବା ସାଧୁ ବୋଲି କହିଥାଉଁ । ପ୍ରକୃତ କଥାଟା କ’ଣ ? ତାହା ବୁଝି ନାହୁଁ । ବାହାର ଆନମ୍ବରରେ ଯାହାକି ବିଶ୍ୱାସ କରିଥାଉ ଭିତର ଭାବ ବା ଅନ୍ତରର ଭକ୍ତି କଥା କିଏ ବୁଝୁଛି ? ବର୍ତ୍ତମାନ ଦେଖା ଯାଉଛି ଏହି ବାହାର ଆଡ଼ମ୍ବରୀ ବା ମର୍କଟ ସନ୍ନ୍ୟାସୀ ହୋଇ ଅନେକ ବ୍ୟକ୍ତି ଗୃହ ଛାଡ଼ନ୍ତି । କେହି ଅର୍ଥ ଅଭାବରୁ, କେହି ନିଜର ଆଳସ୍ୟତା ଦୋଷରୁ ବାବାଜି ବନି ଯାଆନ୍ତି ।

କେତେକ ଦିନ ଯାକଜକମରେ ଯାଗଯଜ୍ଞାଦି କରି କ୍ରମେ ବିଷୟ ବାସନା ପ୍ରତି ମମତା ଦୌଡ଼ାନ୍ତି । ଲୋକ ଦେଖାଣିଆ ଜଟା ଦାଢ଼ି ଥାଏ, ମାତ୍ର ମନ ଅନ୍ୟାନ୍ୟ ଦିଗରେ ଗତି କରି ଚାଲିଥାଏ । କୋଉଠି ବଗିଚା ହେବ, କେଉଁଠୁଁ ଅନାବାଦି ଓ ଗୋଚର ମିଳିଲେ ଜମି ହେବ ଇତ୍ୟାଦି । ସମସ୍ତେ ଯେ ଏହି ଭାବରେ ପଥିକ ତାହା ନୁହେଁ । ନିସ୍ୱାର୍ଥପର ବାବାଜି କେତେକ ଅଚନ୍ତି ସତ, କିନ୍ତୁ ସେମାନଙ୍କର ସଂଖ୍ୟା ଅତ୍ୟଳ୍ପ । ବାବାଜି ବନିଯିବାଟା ସହଜ କଥା ନୁହେଁ । ବାବା ଜୀବନ ହେଲା ସିନା ହେବ । ବାବା ଜୀବନ ହେଲେ ସିନା ହେବ । ଅର୍ଥାତ୍ ଯାହାର ଜୀବନଟି ବାବାରେ ପରିଣତ, ବା ଯେ ଜଗତ ଗୋଟାଯାକକୁ ନିଜର ପୁଅ ଝିଅ ବୋଲି ମନରେ ଭାବି ନେଇଛି, ସେହି ପ୍ରକୃତ ବାବାଜି । ଜଟା, ଦାଢ଼ି ଇତ୍ୟାଦିରେ ମଣ୍ଡିହେଲେ ଯେ ବାବଜି ହୋଇଯିବ ଏହା ଠିକ ବୋଲି ମୁଁ ମନେ କରୁନାହିଁ । ପ୍ରକୃତ କାମ ଦେଖିଲେ ସିନା ଜଣାଯିବ ।

ଅନେକ ବ୍ୟକ୍ତି ଭାବନ୍ତି ଜାତି ହରାଇ, ନିଜର କୁଳ, ଧର୍ମ ଛାଡ଼ି କୌଣସି ବଡ଼ ମଠରେ ମହନ୍ତଙ୍କ ଠାରୁ ଡ଼ୋର, କୌପୀନ ଧାରଣ କଲେ ବୈଷ୍ଣବ ବାବାଜି ହୋଇଗଲା ବୋଲି ପ୍ରମାଣିତ ହୁଏ । କେଉଁ ଜାତି ହରାଇଲେ ବୈଷ୍ଣବ ହୁଅନ୍ତି, ଏହା ଜାଣ କି ? ସେ ଜାତିରେ ବ୍ରାହ୍ମଣ, କରଣ, ଚଷା ବା ଗୁଡ଼ିଆ ଥିଲା । ବୈଷ୍ଣବ ମଧ୍ୟରେ ଶଙ୍କର, ରମାନନ୍ଦୀ, ଅତିବଡ଼ୀ ଓ ଗୌଡ଼ୀୟ ଏହି ଚାରିଜାତି । ସେ ଗୁଡ଼ିଆ, ବ୍ରାହ୍ମଣ ପ୍ରଭୃତି ଜାତି ପରିତ୍ୟାଗ କରି ଏହି ବୈଷ୍ଣବ ଜାତିରେ ପ୍ରବେଶ କଲା । ତେବେ ସେ ଜାତି ହରାଇଲା କଣ ? ସେ ସବୁ ଭୁଲ ଧାରଣା, ପ୍ରକୃତ କଥାରୁ ଜଣାଯାଏ, ଜୀବର ଜାତି ହେଉଛି, କାମ, କ୍ରୋଧ, ଲୋଭ, ମୋହ ଇତ୍ୟାଦି । ବିଷୟ ଭୋଗ ବାସନା –ଧନ, ଦେହ ଧର୍ମ-ଘର, ଏହି ସବୁ ଯେ ତ୍ୟାଗକରିପାରେ ତାକୁ ହିଁ ବୈଷ୍ଣବ କୁହାଯାଏ ।

ସେ ଗୃହୀ ହେଉ ବା ସନ୍ନ୍ୟାସୀ ହେଉ, ସ୍ତ୍ରୀ ହେଉ ବା ପୁରୁଷ ହେଉ, ଯହିଁ ଇଚ୍ଛା ତହିଁ ତାଉ ସେଥିରେ କିଛି ଯାଆସା ନାହିଁ । କଥାରେ କହନ୍ତି ଚୈତନ୍ୟ ଭକ୍ତଙ୍କୁ ଚାରିଖୁଣ୍ଟ ଖୋଲା ଅର୍ଥାତ୍ ବ୍ରହ୍ମଚର୍ଯ୍ୟ, ଗ୍ରାର୍ହସ୍ଥ ବାନପ୍ରସ୍ଥ, ଯତିବ୍ରତ ଓ ଯୋଗ କର୍ମ ଜ୍ଞାନ ଭକ୍ତି ଆଦି ଧର୍ମ ରୂପକ ଭ୍ରମ ତାଙ୍କୁ ବାନ୍ଧି ପାରେ ନାହିଁ । ଦେହ ଧର୍ମ, ଆତ୍ମା ଧର୍ମ, ଲୌକିକ ଧର୍ମ ଦେହ ଧର୍ମ ଆଦି କୌଣସି ପ୍ରକାର ଧର୍ମର ବନ୍ଧନ ବା ମାୟ ତାଙ୍କୁ ଭୁଲାଇ ପାରେ ନାହିଁ । ଭାଗବତରେ ସେଥିପାଇଁ ଲେଖାଅଛି, ଯଥା-

“ବିଧି ନିଷେଧ ଆଦି କର୍ମ       ଛାଡ଼ି ସକଳ ଲୋକ ଧର୍ମ ।

ଦେଖ ଏ ଲୋକ ଧର୍ମ ଯେତେ      ମିଥ୍ୟା ବିଚାର ଏ ସମସ୍ତେ । ’’

ଯେଉଁଠାରେ ପ୍ରକୃତ ଭକ୍ତି, ସେଠାରେ ବେଶଭୂଷାରେ ସ୍ଥାନ ନାହିଁ, ଜାତି ବର୍ଣ୍ଣର ବିଚାର ନାହିଁ । ମାନସଂଭବ ନାହିଁ । ନିନ୍ଦା ପ୍ରଶଂସା ନାହିଁ । କୌଣସି ନିୟମ, ଦେଶ କାଳ ପାତ୍ରର ବିଚାର ନାହିଁ । ପ୍ରେମ ସମ୍ଭୂତ ଯେଉଁ ନାମ ଭକ୍ତି, ତାହାହିଁ ପ୍ରେମ ଭକ୍ତି । ସେହି ଭକ୍ତି ଦ୍ୱାରା ଭାଗ୍ୟ ପୂର୍ଣ୍ଣ ହୋଇଥାଏ, ଏହି ପ୍ରକାର ଭକ୍ତି ଯାହାର ହୃଦୟରେ ଉଦିତ ହୁଏ, ତାହାଙ୍କୁ ହିଁ ପ୍ରକୃତ ବୈଷ୍ଣବ ବା ପ୍ରଭୁର ଭକ୍ତ ବୋଲାଯାଏ । ତାକୁ ମଧ୍ୟ ଗୁରୁ ଓ ଈଶ୍ୱରଙ୍କର ଆଶିଷ ମିଳିଥାଏ । ଏହିପରି ବ୍ୟକ୍ତିଙ୍କର ସଙ୍ଗ ଲାଭ କଲେ ପାଷାଣ୍ଡ ବ୍ୟକ୍ତି କ୍ରମେ ସତ୍ ମାର୍ଗକୁ ଗତି କରିପାରେ ।

ଆଶ୍ରୟ କାହାକୁ କହନ୍ତି ଜାର ? ଭଲ ରକମ କୋଠା ଘର କରି ଫଟୋଗ୍ରାଫ୍ ଇତ୍ୟାଦି ଟଙ୍ଗାଇ ସାଜସଜ୍ଜା କରିଥିବା ଘରକୁ ଆଶ୍ରମ ବୋଲି ଆମ୍ଭେମାନେ ଭାବିଥାଉଁ, ତାହା ଠିକ୍ ନୁହେଁ । ପ୍ରଭୁଭକ୍ତର ସେପରି ଭାବ ନୁହେଁ । ତାର ଆଶ୍ରମ ହେଉଛି ପ୍ରଭୁର ପାଦ । ଯେଉଁ ପାଦରେ ଦିନରାତ୍ର ମନକୁ ବାନ୍ଧିବା ନିମନ୍ତେ ସେ ସମସ୍ତ ସ୍ୱାର୍ଥ ତ୍ୟାଗ କରିଛି । ସେହି ଲକ୍ଷ୍ୟ ସ୍ଥାନଟି ହିଁ ତାହାର ଆଶ୍ରୟ ସ୍ଥଳ ଅଟେ; କାରଣ ଭକ୍ତ ଅନବରତ ସେହିଠାକୁ ଆଶ୍ରୟ କରିଥାଏ ।ତେଣୁ ସେହି ପାଦହିଁ ତାର ଆଶ୍ରମ ଅଟେ।

ଯେତେବେଳେ ସେ ସେଠାରେ ଲୀନ ହୋଇଯିବ, ସେତେବେଳେ ସେ ମଠଧାରୀ ହେବ । ଆଉ ଏ ଅବିଚଳିତ ବା ଅସ୍ଥିର ଦେହଧରି ସଂସାର କର୍ମମୟ କ୍ଷେତ୍ରକୁ ସେ ଆସିବ ନାହିଁ ।

ଘର ବା ସାଜସଜ୍ଜା ଏ କେବଳ ବାହ୍ୟାଡ଼ମ୍ବର ମାତ୍ର । ତାହାର ବିଶେଷ ଲକ୍ଷ୍ୟ ନ ଥାଏ । ହେଉ ହେଉ ଯାହା ହେଲା। ଯଦି କେହି କିଛି କରାଇ ତାହାହିଁ ହୁଏ । ପ୍ରଭୁ ଭକ୍ତର ଅନ୍ତର ସେ ଘର ପାଇଁ କାନ୍ଦେ ନାହିଁ । କାନ୍ଦେ ଖାଲି ସେହି ଳକ୍ଷ୍ୟ ସ୍ଥଳରେ ଆଶ୍ରୟ ନେବା ନିମନ୍ତେ, ଏହାହିଁ ତାର ପ୍ରଧାନ କଥା ଅଟେ । ଆଜିକାଲି ଦୁଇ ପ୍ରକାର ବାବାଜି ଦେଖାଯାଆନ୍ତି। ଦଳେ ପ୍ରକୃତ ନିସ୍ୱାର୍ଥ ଭାବବଲମ୍ବୀ ଈଶ୍ୱର ପ୍ରେମିକ ଓ ବାହ୍ୟାଡ଼ମ୍ବର ଶୂନ୍ୟ ଏବଂ ନିନ୍ଦା ପ୍ରଶଂସା ସମଦର୍ଶୀ ଅଟନ୍ତି । ଏହି ପ୍ରକାର ଖୁବ୍ କମ୍ ଦେଖାଯାନ୍ତି । ଆଉ ଦଳେ ଜଟା ଦାଢ଼ି ଇତ୍ୟାଦି ଦେଖାଇ ନିଃସ୍ୱାର୍ଥପରତା ଦେଖାନ୍ତି ଏବଂ ଅନ୍ତରରେ ବିଷୟାଦିର କଳ୍ପନା ଜଳ୍ପନା ପୋଷଣ କରିଥାନ୍ତି । ଯାଗ ଯଜ୍ଞାଦି କରି ଲବ୍ଧ ପାଣ୍ଠିରେ କୋଠାବାଡ଼ି ବାଗ ବଗିଚାମାନ କରିନିଅନ୍ତି। ଏପରିକି ଗୋଚର ଓ ଅନାବାଦି ଜମି ବାବାଜିଙ୍କ ଚାଷ ଜମିରେ ପରିଣତ ହୋଇଥାଏ ।

ଆମ୍ଭେମାନେ ଏହିପରି ରୀତିଗତି ଦେଖି ସୁଦ୍ଧା ତାଙ୍କରି କଥାରେ ବିଶ୍ୱାସ କରି ଶହ ଶହ ମୁଦ୍ରା ବ୍ୟୟ କରୁ ଏବଂ ଅନ୍ଧପରି ତାଙ୍କରି ପଛରେ ଦୌଡ଼ି ଥାଉ । ଏଣେ ଦାଣ୍ଡରେ ଯଦି ଜଣେ ଦରିଦ୍ର କ୍ଷୁଧାରେ ଆତୁର ହୋଇ ଅନ୍ନ ମୁଠିଏ ମାଗି ମାଗି ତାର ପାଟି ପଡ଼ିଯାଏ, ବରଂ ତାକୁ ନାନାପ୍ରକାର ଭର୍ତ୍ସନା କରିବାକୁ ଆରମ୍ଭ କରୁ । ଯେଉଁଠାରେ ପ୍ରକୃତ ଭକ୍ତି ଭାବ ଥାଏ ସେଠାରେ ବେଶଭୂଷା ନ ଦେଖିଲେ ତାଙ୍କ ପ୍ରତି ବିଶ୍ୱାସ ନ କରି ନାନା ରକମ ନିନ୍ଦା କରୁଥାଉଁ ।

ଆମ୍ଭମାନଙ୍କର ଏହି ଅନ୍ଧ ନିଷ୍ପତ୍ତି ଦେଖି ବେଶଭୂଷା ବନାଇ ଢେର ଲୋକ ଆସି ଆମ୍ଭଙ୍କୁ ଠକିକରି ଚାଲିଯାଆନ୍ତି । ତଥାପି ଆମର ଅନୁତାପ ଆସେ ନାହିଁ । କାରଣ ଯାହାର ଜଟା ଦାଢ଼ି, ମାଳ, ବିଭୂତି ଇତ୍ୟାଦି ଅଛି, ସେ ଠକିଲେ ସୁଦ୍ଧା ତାଙ୍କର ଦୋଷ ନାହିଁ ।

ଏହା ହିଁ ଆମ୍ଭମାନଙ୍କର ପ୍ରଧାନ ଧାରଣା ଅଟେ । ମୋ ମତରେ ଏହି ବେଶଭୂଷାକୁ ଭେକ କହନ୍ତି । ଭେକ ଧାରଣ ନ କଲେ ଭିକ ମାଗି ହେବ ନାହିଁ । ଏଥିପାଇଁ ଏହି ଭେକ ଦରକାର ହୁଏ; ନଚେତ ଏହି ବେଶ ନ ହୋଇଲେ ଯେ ଭଗବାନ ଆମ ଉପରେ ରାଗିବେ କିମ୍ବା ତୁମ୍ଭ ଭକ୍ତରେ ଗ୍ରହଣ ନ କରିବେ ଏପରି କିଛି କାରଣ ନାହିଁ । ସେ ଆମ୍ଭ ତୁମ୍ଭ ପରି ନୁହଁନ୍ତି । ସେ ନୀଚକୁ ଘୃଣା ଉଚ୍ଚକୁ ଆଦର କରିବେ । ଏହା କଦାପି ତାଙ୍କର ଉଦ୍ଦେଶ୍ୟ ନୁହେଁ । ଏ ସଂସାର ଯାକ ତାଙ୍କର ସମସ୍ତେ ପୁଅ ଝିଅ ଅଟନ୍ତି । ତାଙ୍କ ଚକ୍ଷୁରେ ପାପୀ ଓ ନିଷ୍ପାପ ସମସ୍ତେ ସମାନ । ଏଣୁ ତାଙ୍କ ଭକ୍ତଙ୍କ ଠାରେ ଏହି ଗୁଣ ଅସମ୍ଭବ ନୁହେଁ । ଭେକ ‌ଦେଖାଇ ଭିକ ମାଗିବାର ଆବଶ୍ୟକତା କଣ ? ଯାହାର ପିତା ବିଶ୍ୱରାଜ ଅଟନ୍ତି ତାର ପୁଣି ଅଭାବ କଣ ? ପ୍ରକୃତ ରାଜାର ପୁଅ ଭିକ ମାଗିବାର ଦେଖିଛ କି ? ତାଙ୍କୁ ଲୋକେ ରାଜୋଚିତ ସମ୍ମାନ ଦେଖାଇବା ନିମନ୍ତେ ନାନାପ୍ରକାର ଉପହାର ବା ଭେଟି ଦେବାର ଦେଖାଯାଏ । ଯାହା ନିକଟରେ ଭିକ୍ଷା କଲେ ଜନ୍ମେ ଜନ୍ମେ ବସି ଖାଉଥିବ, ତାହା କରିବା ଦରକାର । ଭେକ ଧରି ଅଯାଚିତ ଭାବରେ ଦ୍ୱାରେ ଦ୍ୱାରେ ବୁଲି ଭିକ୍ଷା ମାଗିବା ଦ୍ୱାରା ସନ୍ନ୍ୟାସୀମାନଙ୍କର ସମ୍ମାନ ଆଜିକାଲି ହ୍ରାସ ହେବାର ଦେଖାଯାଏ । ଆମ୍ଭମାନଙ୍କର ପ୍ରକୃତ ବାବାଜି ଚିହ୍ନିବା ଶକ୍ତି ଆସି ନ ଥିବା ହେତୁ ନାନା ପ୍ରକାର ଗଣ୍ଡଗୋଳରେ ପଡ଼ୁଛେ ଓ ପରେ ଅନୁତାପ କରୁଛେ, ଏଥିପ୍ରତି ସାବଧାନ ହେବା ଦରକାର ।

ଗୃହରେ ଥାଇ ବିହିତ କର୍ମ କର

ଗୃହରେ ଥାଇ ମଧ୍ୟ ଇଶ୍ୱରଙ୍କ ଭକ୍ତି ପଥରେ ପଥିକ ହୋଇପାରିବ । ଏଥିରେ କିଛି ଭୁଲ ନାହିଁ, କିନ୍ତୁ କେତେକ ବିଷୟରେ ସାବଧାନ ହେବାକୁ ପଡ଼ିବ । ପ୍ରଥମେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବାକୁ ହେବ । ତାପରେ ଗୁରୁଙ୍କ ନିକଟରୁ ବାହୁଡ଼ି ଉତ୍ତମ ଜାତି; କୁଳ, ଗୋତ୍ରରୁ କନ୍ୟାଟିଏ ବିବାହ କରିବାକୁ ହେବ । ସ୍ତ୍ରୀ ପୁରୁଷ ଉଭୟେ ପରସ୍ପରକୁ ସାହାଯ୍ୟ ପ୍ରଦାନ କରି ଧର୍ମର ଉନ୍ନତି କରିବେ । ଏହାହିଁ ଉଭୟଙ୍କ ମନରେ ସବୁବେଳେ ଜାଗ୍ରତ ଥିବା ଦରକାର ।

ସ୍ତ୍ରୀ ସ୍ୱାମୀଙ୍କୁ ଦେବତାତୁଲ୍ୟ ମନେ କରି ତାଙ୍କ ଆଦେଶ ଅନୁସାରେ ଶାଶୁ ଶଶୁରଙ୍କ ସେବା, ଗୁରୁ, ବ୍ରାହ୍ମଣ, ଅତିଥି ଇତ୍ୟାଦିଙ୍କର ସେବା ଓ ତାଙ୍କୁ ଭକ୍ତି କରିପାରିବ । କାମ ଲାଳସାରେ ଏକବାର ଜଡ଼ିତ ନ ହୋଇ ବେଦର ନିୟମ ମୁତାବକ ଚଳିବେ।

ଯଥା-“ ସ୍ତ୍ରୀ ସଙ୍ଗମ ଋତୁମତେ କେବଳ ପୁତ୍ର ଜନ୍ମେ ଅର୍ଥେ ”

ନଚେତ, -‘ସୋମ, ଶୁକ୍ର ବୁଧବାର ସ୍ତ୍ରୀ ସଙ୍ଗରେ ମେଳା ଏଦିନ ଜାଣିଣ ଥିବୁ ବାବୁ ଚନ୍ଦ୍ରକଳା’ (ସନ୍ତତ୍ୟେବାର ରତି)

ଏଥିପ୍ରତି ଦୃଷ୍ଟି ରଖିବାକୁ ହେବ । ସମସ୍ତ ପରିବାରଙ୍କୁ ନିଜର ବୋଲି ଭାବିବ । ତାଙ୍କ ଠାରେ କପଟ ବ୍ୟବହାର ବା ଅନୀତି ପ୍ରୟୋଗ କରିବ ନାହିଁ ।

ସକାଳ ଓ ସନ୍ଧ୍ୟାରେ ବିଭୁଙ୍କ ନାମ ସ୍ମରଣ ଅର୍ଚ୍ଚନ, ବନ୍ଦନ, ପୂଜନ ଓ ପ୍ରାର୍ଥନାଦି କରିବା ଉଭୟଙ୍କ ପକ୍ଷେ ଆବଶ୍ୟକ । ନୀଚ ବ୍ୟକ୍ତିଙ୍କୁ ଘୃଣା କରିବ ନାହିଁ । ସମସ୍ତଙ୍କ ଠାରେ ଈଶ୍ୱରସତ୍ତା ବିଦ୍ୟମାନ ଅଛି, ଏହା ମନେ କରି ଜୀବପ୍ରତି ଦୟା କରିବ । ତାମସ ଆହାର ବର୍ଜନ କରି, ସାତ୍ତ୍ୱିକ ଆହାର କରିବ ଓ ସାତ୍ତ୍ୱିକ ଭାବାପନ୍ନ ହୋଇ ଧର୍ମଗ୍ରନ୍ଥମାନ ପାଠ କରିବ । ପିଲାମାନଙ୍କୁ କୁ’ ଭାଷା ନ କହି ବାଲ୍ୟକାଳରୁ ତାଙ୍କୁ ଧର୍ମ ବିଷୟ ଶିଖାଇ ସେମାନଙ୍କ ଜୀବନକୁ ଉନ୍ନତି ପଥରେ ଗଢ଼ିନେବ । ମାସିକ ଋତୁ ସମୟରେ ସ୍ତ୍ରୀମାନେ ପାକ ପ୍ରସ୍ତୁତ କରିବେ ନାହିଁ ବା ଅନ୍ୟ କାହାରିକୁ ଏକ ସପ୍ତାହ ପର୍ଯ୍ୟନ୍ତ ସ୍ପର୍ଶ କରିବେ ନାହିଁ । ଅନ୍ୟ ପୁରୁଷଙ୍କୁ ସ୍ତ୍ରୀମାନେ ପିତା ଓ ପୁତ୍ର ଜ୍ଞାନ କରିବା ବିଧେୟ । ଅକପଟ ଚିତ୍ତରେ ଗୁରୁଜନମାନଙ୍କୁ ଭକ୍ତି କରିବେ । ସେଥି ନିମନ୍ତେ ଗୋଟିଏ ଉଦାହରଣ ଦିଆଗଲା ।

                        “ ଚରିତ୍ର ଉଦାର ଯାର

ଏ ବିଶ୍ୱବାସୀଙ୍କୁ ମନେ କରେ ସେହୁ ଆପଣାର ପରିବାର”

                  ( ଉଦାର ଚରିତାନାଂତୁ ବସୁଧୈବ କୁଟୁମ୍ବକଂ)

କୌଣସି କଥାରେ କାହା ଉପରେ ହଠାତ୍ ରାଗିବ ନାହିଁ । ଯେତେ ଦୂର ପାର, ସହିଷ୍ଣୁ ହେବାକୁ ଚେଷ୍ଟା କର । ପର ଧନକୁ ଲୋଭ କରି କାହାକୁ ଠକି ଆଣିବ ନାହିଁ । ପେଟ ପୋଷିବା ନିମନ୍ତେ ନିଷ୍କପଟ ଉପାୟ ଅବଲମ୍ବନ କରିବ । ନ୍ୟାୟ ପଥରେ ଚଳି ଦରିଦ୍ର ହେବା ଭଲ, କିନ୍ତୁ ଅନ୍ୟାୟ ଉପାୟରେ ଧନ ସଂଗ୍ରହ କରି ବଡ଼ଲୋକ ସାଜିବା ଭଲ ନୁହେଁ ।

ସଂସ୍କୃତରେ ଗୋଟିଏ ସୁନ୍ଦର ଶୋଳ୍କ ଅଛି ।

“ ବରଂ ଦାରିଦ୍ରଂ ବିଭବାତ୍ ଅନ୍ୟାୟ ପ୍ରଭାବାଦପି,

କଶୃତା ପି ମତାଦେହେ ସ୍ଥୁଳତା ତନୁ ଶୋଥଜା” ।

୨ୟ ପାଦର ଅର୍ଥ- ଦେହ କୃଶ ବା ସରୁ ହେବା ଭଲ, କିନ୍ତୁ ଶୋଥ ରୋଗ ହୋଇ ଦେହଟା ମୋଟା ହେବା କେବେ ଭଲ ନୁହେଁ । ଅଯଥା କଥାରେ ସମୟ ନଷ୍ଟ କରିବ ନାହିଁ । ସର୍ବଦା ପବିତ୍ର ଭାବରେ ରହିବାକୁ ଚେଷ୍ଟା କରିବ, ମନରେ କୁ-ଚିନ୍ତାକୁ ସ୍ଥାନ ଦେବ ନାହିଁ । ହାର ନିନ୍ଦା ପ୍ରଶଂସାକୁ ନ ଶୁଣି ନିଜ କାର୍ଯ୍ୟ ନିଜେ କରୁଥିବ । ଜଗତରେ ଯାହା କିଛି ଅଛି ସବୁ ଈଶ୍ୱରଙ୍କର ବୋଲି ମନରେ ଭାବିବ, ନିଜର କିଛି ନାହିଁ । ସେହି ଈଶ୍ୱରହିଁ ସତ୍ୟ, ଆଉ ସମସ୍ତ ମିଥ୍ୟା ଅଟେ । ଏହି ଧାରଣା ରଖିଥିବ ।

ମନରେ କେତେବେଳେ ଅଶାନ୍ତିକୁ ସ୍ଥାନ ଦେବ ନାହିଁ ।ସମସ୍ତ ଭାର ଈଶ୍ୱରଙ୍କ ଉପରେ ନିର୍ଭର ଦେଇ କର୍ମ କରୁଥିଲେ ମନରେ ଅଶାନ୍ତି ହେବ ନାହିଁ । ସ୍ତ୍ରୀ ଓ ସ୍ୱାମୀ ଉଭୟେ, ଏକ ଗୁରୁଙ୍କ ଆଦେଶରେ ଚଳିବେ ଏବଂ ତାଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ପାଳନ କରୁଥିବେ । ସ୍ତ୍ରୀର ସ୍ୱାମୀ ବିନୁ ଅନ୍ୟ ଗତି ନାହିଁ । ଏହା ମନେ କରି ତାଙ୍କ ଆଦେଶ ମାନିବାକୁ ହେବ, ନିଜେ ଭଲ ହେଲେ ଦୁନିଆଁ ଭଲ, ଏହାହିଁ ପ୍ରଧାନ କଥା । ସଂସାରରେ ରହି ଯେତେ ସତ୍‌କାମ କର ସେଥିପାଇଁ ମନରେ କୌଣସି ଫଳ କାମନା କରନା । ତୁମର କର୍ମାନୁସାରେ ଯାହା ହେବାର ସେ ପ୍ରଭୁ ନିଜ ଇଚ୍ଛାରେ ଦେବେ ତୁମ୍ଭେ ସେଥିପାଇଁ ବ୍ୟସ୍ତ ହୁଅନା । ତୁମ୍ଭର ଯାହା ଉଚିତ-କର୍ତ୍ତବ୍ୟ ତାହା କରୁଥାଅ, ଯାହା ଦ୍ୱାରା ତୁମ୍ଭଙ୍କୁ ସମସ୍ତେ ଭାବୁଥିବେ ଓ ତୁମ୍ଭର ଇହଧାମ ପରିତ୍ୟାଗ ଶୁଣି ତୁମ୍ଭ ନିମନ୍ତେ ଦୁଃଖିତ ହେବେ । ସ୍ତ୍ରୀମାନେ ଜଗତରେ ମା ସ୍ୱରୂପିଣୀହୋଇ କର୍ମ କରିବା ଦରକାର। ସେଥିପାଇଁ ବୁଦ୍ଧଦେବ କହିଥିଲେ ।

“ ସର୍ବଜୀବେ ଦୟାବତୀ କାର୍ଯ୍ୟେ ଅନାଳସା

ସଂସାର ଅସାର ସୁଖେ ନଥିବ ଲାଳସା

ଜନନୀ ଭଗିନୀ ସର୍ବଜୀବେ ଦୟାକର

ପାଳିବ ନଥିବ ଜ୍ଞାନ କେ ତା ଆତ୍ମପର

ସେ ନାରୀ ହେବାକୁ ପାରେ ଗୃହିଣୀ ମୋହର”

ସ୍ତ୍ରୀମାନେ ପ୍ରତ୍ୟେକ ଏହିପରି ହେବା ବାଞ୍ଛନୀୟ । ଏହିପରି ଚଳି ଈଶ୍ୱରଙ୍କ ଭକ୍ତି ଲାଭ କରି ଧନ୍ୟ ହୋଇ ପାରିବା ।

                  

ଧର୍ମ ପ୍ରଚାରର କାରଣ

ସବୁ ଯୁଗରେ ଓ ସବୁ କାଳରେ ପ୍ରତ୍ୟେକ ଦେଶରେ ଧର୍ମ ପ୍ରଚାର କରିବା ପାଇଁ ଧର୍ମ ପ୍ରଚାରକ ରୂପେ କେତେକ ବ୍ୟକ୍ତି ବାହାରି ଧର୍ମ ପ୍ରଚାର କରନ୍ତି ଏବଂ ଲୋକମାନଙ୍କୁ ଅସତ୍ ଦିଗରୁ ଫେରାଇ ସତ୍ ଦିଗରେ ପ୍ରବର୍ତ୍ତାଇ ସେମାନଙ୍କର ମଙ୍ଗଳ କାମନା କରନ୍ତି । ଏଥି ନିମନ୍ତେ ନାରଦଙ୍କୁ ବସୁଦେବ କହିଥିଲେ, ଯଥା-

“ ତୁମ୍ଭେ ଯେ ଲୋକ ପରିତ୍ରାଣେ ବ୍ରହ୍ମାଣ୍ଡେ ଭ୍ରମ ଅନୁକ୍ଷଣେ”

ପ୍ରକୃତ ଧର୍ମ ପ୍ରଚାର ହେବା ଦ୍ୱାରା ମହତ୍ୱ ବଢ଼ିଯାଏ ଏବଂ ଅନ୍ୟାନ୍ୟ ପାଖାଣ୍ଡି ଧର୍ମପାନ ଲୋପ ହୋଇଯାଏ । ଯାହା କାଳେ କାଳେ ଅକ୍ଷରେ ଅକ୍ଷରେ ସତ୍ୟ ଓ ସାର ମର୍ମ ବୋଲି ପୁରାଣ ଶାସ୍ତ୍ରାଦିରେ ପ୍ରସିଦ୍ଧ ଥାଏ, ସେହି ଧର୍ମ ମାର୍ଗଟି ଅଧିକ ପରିମାଣରେ ଜଗତରେ ଜାଗି ଉଠେ । ସବୁ ଯୁଗରେ ପାଖାଣ୍ଡି ଧର୍ମ ପ୍ରଚାର ଥାଆନ୍ତି । ସେମାନେ ନିଜର ଆତ୍ମାର ସ୍ୱାର୍ଥ ଲୋଭରେ ଲୋକମାନଙ୍କୁ ନାନା ରକମର କାମନାର ପ୍ରଲୋଭନ ଦେଖାଇ ଅସାର ବସ୍ତୁକୁ ସାର ବୋଲି ବିଖ୍ୟାତ କରି ଲୋକଙ୍କୁ ଭ୍ରମରେ ପକାଇ ଦିଅନ୍ତି । ଲୋକେ ମଧ୍ୟ ଶାସ୍ତ୍ରାନୁଗତ ବାକ୍ୟରୁ ନଭାବି ନ ଦେଖି କାମନା ପରବଶ ହୋଇ କେତେକ କଦର୍ଯ୍ୟ କର୍ମ ଅନୁଷ୍ଠାନ କରି ପାଖାଣ୍ଡି ମତରେ ଚାଲି ଯାଆନ୍ତି । ଅସତ ଦିଗରେ ଧନ ଓ ମନକୁ ଳଗାଇ ଶେଷରେ ଦିନେ ହତାଶ ହୋଇ ଅନୁତାପ କରନ୍ତି । ଲୋକମାନଙ୍କର ଭାବିବାର ଦରକାର ଯେ, ସେ ଯେଉଁପରି କର୍ମ କରିଅଛି ବା କରିଥାଏ ଭଗବାନ ତାହାର ବିଚାର କରି ସୁଖରେ ହେଉ ବା ଦୁଃଖରେ ହେଉ ତାକୁ ସେହି କର୍ମାନୁସାରେ ଜନ୍ମ ଦେଇଥାନ୍ତି । ବର୍ତ୍ତମାନ –ଜନ୍ମରେ ସେହି ଅନୁସାରେ ସୁଖ ବା ଦୁଃଖ ଭୋଗ କରିବାକୁ ହୋଇଥାଏ । ପୁନଶ୍ଚ ଇହଜନ୍ମରେ ଯେପରି କର୍ମ ଅନୁଷ୍ଠାନ କରିବ ପରଜନ୍ମରେ ସେହି ଅନୁରୂପ ଜନ୍ମ ଲାଭ କରି ତାହା ଭୋଗିବାକୁ ହେବ । ଏହିପରି ପ୍ରକୃତ ଶାସ୍ତ୍ର ବିହିତ ସତ୍କାର୍ଯ୍ୟ, ଅନୁଷ୍ଠାନ କରି କରି କେତେକ ଜନ୍ମ ପରେ ଈଶ୍ୱରସତ୍ତା ଓ‌ଙ୍ଗେ ଲୀନ ହୋଇ ଯାଇପାରିବ । ଯଦି ଏହା ପ୍ରକୃତ କଥା ତେବେ କାମନା ପରବଶ ହେବାର ଆବଶ୍ୟକତା କ’ଣ ? ମନେକର ଗତ ଜନ୍ମାନୁସାରେ ଯଦି ଏ ଜନ୍ମରେ ମୋର ଦୁଃଖଭୋଗ ଥାଏ, ତେବେ କାମନା କଲେ ସୁଖ ହୋଇ ପାରିବ କି ? ଭଗବାନ ତାଙ୍କର କହିଥିବା କଥାକୁ ରଦ୍ଦ କରି ପୁଣି ଆଜି କଣ ନୂଆ ରାୟ ଦେଇ ପାରିବେ କି? ଯଦି ସେ ଏହା କରନ୍ତି, ତେବେ ତାଙ୍କୁ କାହିଁକି କିଏ ମାନିବ ? ତୁମ୍ଭର କର୍ମ ଦେଖି ପରଜନ୍ମର ରାୟ ଦେବେ । ଏହା ଜାଣିବା ସତ୍ତ୍ୱେ କାମନାରେ ଏତେ ବ୍ୟସ୍ତ ହେବାର ଦରକାର କ’ଣ ? ଯଦି କେହି କହନ୍ତି ତାନ୍ତ୍ରିକ ମତରେ କାମନା ପୂର୍ଣ୍ଣ ହୁଏ ତାହା କେବେଳ ଅଳ୍ପ କ୍ଷଣ ସ୍ଥାୟୀ ଅଟେ । କେଳାମାନେ କୁହୁକ ବା ଭୋଜ ବିଦ୍ୟା ବଳରେ ଗୁଡ଼ିଏ ଟଙ୍କା ଦେଖାନ୍ତି । କିନ୍ତୁ ଖରଚ ପାଇଁ ରଖି ହୁଏ ନାହିଁ । ଯଦି ଖରଚ ନିମନ୍ତେ ରଖି ହୁଅନ୍ତା ତେବେ କେଳା ଦ୍ୱାରେ ଦ୍ୱାରେ ଏହି ବିଦ୍ୟା ଦେଖାଇ ବୁଲନ୍ତା ନାହିଁ । ତାନ୍ତ୍ରିକ ମଧ୍ୟ ସେହିପରି ଏବଂ ଏହାଦ୍ୱାରା ତାନ୍ତ୍ରିକ ପୂଜକମାନେ କେତେକ ନିଷ୍ଠୁରତା ବ୍ୟବହାର ଓଚ ହିଂସା ରୂପକ ଅତ୍ୟାଚାର କର୍ମରେ ଭାଗୀ ହୋଇ ଶେଷରେ ଅଧଃପତିତ ହେବାର ଦେଖାଯାଏ । ପୂର୍ବରୁ ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଛି, ରାଜା ବିକ୍ରମାଦିତ୍ୟଙ୍କ ଦ୍ୱାରା ଯେପରି ଜଣେ ତାନ୍ତ୍ରିକ ଯୋଗୀ ଅଧୋଗତି ଲାଭ କରିଥିଲେ; ତାହା ବୋଧହୁଏ ସମସ୍ତେ ପଢ଼ି ଜାଣି ପାରିଥିବେ, ଏଣୁ ଏମାନଙ୍କର ଗତି ସବୁଦିନ ପାଇଁ ସେହିପରି ହୋଇଥାଏ । ଏହା ଶାସ୍ତ୍ରାନୁମୋଦିତ ଏବଂ ଭଗବାନଙ୍କ ଶ୍ରୀମୁଖ ବାକ୍ୟପରି ଅଟେ । ଯେଉଁଥିରେ ସିଂସା ଇତ୍ୟାଦି ଆସୁରିକ ଓ ଅତ୍ୟାଚାର କର୍ମମାନ ବର୍ଜ୍ଜନ କରାଯାଇଥାଏ ତାହାହିଁ ପ୍ରକୃତ ସତ୍ୟ ଧର୍ମ ଅଟେ । ପ୍ରଚାରକ ହୋଇ ଯେଉଁ ବ୍ୟକ୍ତି ଉକ୍ତ ସତ୍ୟଧର୍ମକୁ ପ୍ରଚାର କରେ ତାହା ପ୍ରତି ଭଗବାନ ସନ୍ତୁଷ୍ଟ ହୁଅନ୍ତି । ପ୍ରଚାରକମାନଙ୍କୁ ପ୍ରଥମରେ କଷ୍ଟ, ନିନ୍ଦା ଓ ଅପବାଦ ଇତ୍ୟାଦି ସହ୍ୟ କରିବାକୁ ହୁଏ । ଚୈତନ୍ୟ ଅବତାରରେ ଜଗାଇ ମାଧାଇଙ୍କ ନିକଟରେ ନାମ ପ୍ରଚାର କରି ପ୍ରଚାରକ ଯେଉଁ କଷ୍ଟ ଭୋଗିଛନ୍ତି ତାହା ସମସ୍ତଙ୍କୁ ଜଣା । ତଥାପି ସେ କଷ୍ଟ ସହି କହିଲେ-“ ମେରେଛ ବେଶ୍ କରେଛ । ଆଇରେ ମୋର ଜଗାଇ, ମାଧାଇ” । ଶେଷରେ ସେ ମାତାଲ ଦୁହେଁ ପ୍ରେମରେ ତନ୍ମୟ ହୋଇ ନାମାଶ୍ରିତ ହୋଇ ନିଜର ଆସୁରିକ ପ୍ରକୃତିର କାର୍ଯ୍ୟମାନ ପରିତ୍ୟାଗ କରିପାରିଥିଲେ । ପ୍ରଚାରକର ମଧ୍ୟ ଏହାଦ୍ୱାରା ଯଥେଷ୍ଟ ଉନ୍ନତି ହୋଇଥାଏ ।

ପ୍ରଥମତଃ କେତେଗୁଡ଼ିଏ ବ୍ୟକ୍ତିଙ୍କୁ ସତ୍ ଦିଗରେ ପ୍ରବର୍ତ୍ତାଇବା ଦ୍ୱାରା ପରୋପକାର କରେ । ତେଣୁ ଈଶ୍ୱରଙ୍କ ବାକ୍ୟ ଅନୁସାରେ “ ପରୋପକାରାୟ ସ୍ୱର୍ଗାୟ” ଏହା ଲାଭ ହୁଏ । ଦ୍ୱିତୀୟରେ ଜଣକୁ ଅସତ୍ ପତରୁ ଫେରାଇ ସତ୍ ପଥରେ ନେବାକୁ ହେଲେ ତାହା ସହିତ କେତେକ ଚର୍ଚ୍ଚାଦି କରି ତାହାର ମନ ପରିବର୍ତ୍ତନ କରାଇବାକୁ ଯାଇଁ ପ୍ରଚାରକୁ ଲକ୍ଷ୍ୟ ବେଶୀ ସତ୍ ଦିଗରେ ଯାଏ । ଏପରିକି ଦିନରାତି ସେ ସେହିକଥାରେ ମୁଣ୍ଡ ଖେଳାଇବା ଦ୍ୱାରା ନିଜର ଆତ୍ମାର କେତେକ ମୀମାଂସା ଗ୍ରହଣ କରିଥାଏ । ଶେଷରେ ଏ ଭାବଗୁଡ଼ିକ ଅଭ୍ୟାସରେ ପରିଣତ ହୋଇଯାଏ । ସେଥିନିମନ୍ତେ ଭଗବାନ ଅର୍ଜ୍ଜୁନଙ୍କୁ ଗୀତାରେ ବୁଝାଇଥିଲେ, -

“ ଅଭ୍ୟାସ ଯୋଗ ଯୁକ୍ତେନ ଚେତ୍ତସାନାନ୍ୟ ଗାମିନା” ।

ଏଣୁ ଧର୍ମ ପ୍ରଚାରକ ହେବା ବ୍ୟକ୍ତି ଏହିସବୁ ଦିଗରେ ଉନ୍ନତିକରେ ବୋଲି ଜାଣି ଧର୍ମ ପ୍ରଚାରକ ହେବା ପାଇଁ ଆଗ୍ରହୀ ହେବା ଦରକାର ।

ଭବିଷ୍ୟତ ଚିନ୍ତା

ଆଜିକାଲି ଦେଖାଯାଏ ଅନେକ ବ୍ୟକ୍ତି ଭବିଷ୍ୟତ ଚିନ୍ତା କରି ମନରେ ଛାନିଆ ହୋଇଥାନ୍ତି । ଏହା ଆମ୍ଭମାନଙ୍କର ଗୋଟିଏ ପ୍ରଧାନ ଭୁଲ ଧାରଣା ଅଟେ । ଆମ୍ଭେ ବର୍ତ୍ତମାନର କର୍ମ ବା କର୍ତ୍ତବ୍ୟର ଚିନ୍ତାକରି କେଉଁଦିନ କଣ ହେବ ଏ କଥା ଖୋଜିବାର ଦରକାର କଣ ? ମନେକର କେହି ଜଣେ ଲୋକ ଆମ୍ଭଙ୍କୁ କହିଲା ‘ତମେ ଭଗବାନଙ୍କର ନାମ ଗ୍ରହଣ କର ନଚେତ ଶୀଘ୍ର ମରିଯିବ’ । ଏହା କଣ ଠିକ୍ ହେଲା ? ନାମ ନେଇ ଈଶ୍ୱରଙ୍କ ସେବକ ହେଲେ ଲୋକ କଣ ଅମର ହୋଇଯିବ । ତାହା ନୁହେଁ ! ଶାସ୍ତ୍ରରେ ଅଛି ।

      ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ । ”

ଆମେତ ମନୁଷ୍ୟ, ଆମର ଦେହରେ ଥିବା ପରମାତ୍ମା ଅମର ସତ, କିନ୍ତୁ କୌଣସି ଠାରେ ଚିରଦିନ ନିମନ୍ତେ ଗୋଟିଏ ଘଟରେ ସ୍ଥାୟୀ ହୋଇ ରହିପାରେ ନାହିଁ ବା ରହିପାରିବ ନାହିଁ କି ରହି ନାହିଁ । ଏକଥା ନ ବୁଝି ଅନ୍ୟ ଲୋକ କଥାରେ ଭାସିଯିବା ଭୁଲ ଅଟେ । ଧର୍ମ କର୍ମ କରିବା ମନୁଷ୍ୟର କର୍ତ୍ତବ୍ୟ, ଏହାଭାବି ଧର୍ମ କରିବାକୁ ହେବ । ପ୍ରକୃତ କଥା ଦେଖିବାକୁ ଗଲେ ଜଣାଯାଏ ଭବିଷ୍ୟତବାଣୀ ମିଥ୍ୟା ବୋଲି ମଧ୍ୟ କୁହାଯାଇ ନ ପାରେ । ଯାହା ହେବାର ଥିବ ତାହା ନିଶ୍ଚୟ ହେବ, କାରଣ ପୂର୍ବରୁ ଯାହା ଶୁଣାଯାଉ ଥିଲା ତା ମଧ୍ୟରୁ କେତେ କଥା ହେବାର ଦେଖାଗଲାଣି ବା ଦେଖାଯାଉଛି । କିନ୍ତୁ ଏ ବିଷୟ କେଉଁଦିନ କେତେ ତାରିଖରେ ହେବ ତାହା କେହି ନିର୍ଣ୍ଣୟ କରି କହିପାରିବ ନାହିଁ ବା କେହି ମଧ୍ୟ କହୁନାହିଁ । ମୋଟା ମୋଟି ୫ ଗୋଟି କଥାରୁ ଯେତେବେଳେ ଦୁଇଗୋଟି ହେଲା, ତେବେ ଆଉ ଯାହା ହେବାର କଥା ତାହା ହୋଇପାରେ, କିନ୍ତୁ ତାହା ଆମ୍ଭେ ଦେଖିବା ବୋଲି ଯେଉଁ ଧାରଣା ତାର ପ୍ରମାଣ କଣ ? ନା, ତାହା ନୁହେଁ ଆମ୍ଭ ଆଖି ଆଗରେ କିମ୍ବା ଆଗରେ ପୁଅ ନାତିମାନଙ୍କ ଆଖିଆଗରେ ହେବ ତାହା କେହି କହି ପାରିବେ ନାହିଁ । ମନେକର କୌଣସି ମହତ ସିଦ୍ଧପୀଠରେ ଈଶ୍ୱରୀୟଲୀଳା ହେବ ବୋଲି ଶୁଣାଯାଇଅଛି ବା ଲୋକେ କହୁଅଛନ୍ତି ତାହା ମିଛ ନ ହୋଇ ସତ ହେଲେ ବରଂ ଆମ୍ଭେମାନେ ଯେ ୨୫ ଜଣ ସେ ସ୍ଥାନରେ ଚଳାଚଳି ହେଉଛେ, ଆମ୍ଭମାନଙ୍କ ସ୍ୱଚକ୍ଷୁରେ ସେ ଲୀଳା ଯେ ପୂର୍ଣ୍ଣମାତ୍ରାରେ ଦେଖିବା ଏହାର କୌଣସି ସ୍ଥିରତା ନାହିଁ । ଆମ୍ଭମାନଙ୍କ ଦ୍ୱାରା ଯାହା ହେବାର ଥିବ ତାହାହିଁ ହେବ ଶେଷରେ ଯାହାକୁ ବରାଦ ଥିବ ସେ ସେ ଜନ୍ମ ଗ୍ରହଣ କରି ସଂପୂର୍ଣ୍ଣ ଲୀଳାରେ ଭୁକ୍ତଭୋଗୀ ହେବ। ତଥାପି ଅନ୍ୟ ଯାହାଙ୍କ ଦ୍ୱାରା କିଛିନା କିଛି କାର୍ଯ୍ୟ ହୋଇଛି ସେମାନଙ୍କୁ ସେତିକିରେ ମଧ୍ୟ ବହୁ ଭାଗ୍ୟବାନ ବୋଲି କୁହାଯିବ । ଏହାର ଉଦାହରଣ ଯଥା- ଜଣେ ବ୍ୟକ୍ତି ଗୋଟିଏ ଦେବ ମନ୍ଦିର ତୋଳାଇବ ବୋଲି ଇଟାଗୁଡ଼ିଏ ପକାଇଲା । ଇଟା ପ୍ରସ୍ତୁତ ହେବା ପରେ ସେ ବ୍ୟକ୍ତି ଇହଧାମ ପରିତ୍ୟାଗ କଲା । ତହୁଁ ତାଙ୍କର ଭାଇ ଥିଲେ ସେ ମନ୍ଦିରଟିକୁ ଅର୍ଦ୍ଧାଂଶ ନିର୍ମାଣ କରାଇ କାଳ କବଳରେ ପତିତ ହୋଇ ସଂସାର କ୍ଷେତ୍ରରୁ ବିଦାୟ ନେଲେ । ଏହାଙ୍କ ପରେ ପୁଅ ଓ ନାତିମାନେ ଥିଲେ । ସେମାନେ ଉକ୍ତ ମନ୍ଦିରଟିର ସମସ୍ତ କାର୍ଯ୍ୟ ଶେଷ କରି ଦିଅଁ ରଖି ପ୍ରତିଷ୍ଠାଦି କର୍ମ ଶେଷ କଲେ । ଏଥିରେ ପ୍ରଥମ ଦ୍ୱିତୀୟ ଉଦ୍‌ଯୋଗକର୍ତ୍ତାମାନଙ୍କର କଣ କିଛି ମାତ୍ର ଭାଗ ନାହିଁ ? ହଁ ଅଛି । ପ୍ରକୃତରେ ସେମାନଙ୍କର ଆନୁକୁଲ୍ୟରେ ଯେତେବେଳେ ଉକ୍ତ କାର୍ଯ୍ୟର ପ୍ରାରମ୍ଭିକ କର୍ମର ଅନୁଷ୍ଠିତ ହୋଇଛି, ସେଥିପାଇଁ ସେମାନେ ମଧ୍ୟ ଧନ୍ୟ ହେବେ । ପୁନଶ୍ଚ କେହି କେହି କହନ୍ତି, “ଅମକ ଲୋକ ଜଣେ ପ୍ରଧାନ ଭକ୍ତ ବା ସମକ ଲୋକ ନିଜେ ପ୍ରଭୁ” ।

ମୋ ମତରେ ଏକଥାଗୁଡ଼ିକ ଭୁଲ ନୁହେଁ ବା ଠିକ୍ ନୁହେଁ । କାରଣ ମନୁଷ୍ୟ ମାତ୍ରେ ହିଁ ଭଗବାନଙ୍କର ସନ୍ତାନ, ଫଳତଃ ସମସ୍ତଙ୍କ ଘଟରେ ମଧ୍ୟ ସେହି ପ୍ରଭୁ ନିଜେ ଆତ୍ମା ରୂପରେ ବିଦ୍ୟମାନ । ଏଣୁ ପ୍ରତ୍ୟେକ ମନୁଷ୍ୟ ପ୍ରଭୁ ପଦବାଚ୍ୟ ଅଟନ୍ତି । ଏକଥା ଠିକ୍, କିନ୍ତୁ ଆମ୍ଭେ ଈଶ୍ୱରଙ୍କ ଶକ୍ତି ଯେପରି, ସେପରି ଶକ୍ତି ମନୁଷ୍ୟଠାରେ ନ ଦେଖି ଜଣକୁ ପ୍ରଭୁ ପ୍ରଭୁ ବୋଲି ପ୍ରମାଣ କରିବା ବା ମାନିବାଟା ନିତାନ୍ତ ଭୁଲ ଅଟେ । ଯଥା- ଅବତାର ଶ୍ରେଣୀୟ ଶ୍ରୀକୃଷ୍ଣ ଯଶୋଦାକୁ ନିଜ ଗର୍ଭରେ ବିଶ୍ୱ ବ୍ରହ୍ମାଣ୍ଡ ଦେଖାଇଥିଲେ । ଏହାପରେ ଗୋପପୁରକୁ ରକ୍ଷା କରିବା ନିମନ୍ତେ ମନ୍ଦରଗିରିକୁ ବାମ ହସ୍ତରେ କନିଷ୍ଠାଙ୍ଗୁଳି ଦ୍ୱାରା ତୋଳି ଧରିଥିଲେ । ଏପରି ପ୍ରମାଣର ଲେଶମାତ୍ର କାହାଠାରେ ଦେଖିପାରିବା କଥା କେହି କହିପାରିବେ କି ?

ପ୍ରଭୁ ଅବତୀର୍ଣ୍ଣ ହେଲେ ଅତି ଗୋପନ ଭାବରେ ହୁଅନ୍ତି ଏପରିକି ତାଙ୍କର ଜନ୍ମଦାତା ପରିଚୟ ପାଇପାରନ୍ତି ନାହିଁ । ଯେଉଁ ଭକ୍ତମାନଙ୍କ ପ୍ରତି ତାଙ୍କର ଦୟା ଥାଏ, ସେମାନେ ଚିହ୍ନିପାରିଲେ ମଧ୍ୟ ତାହା ବ୍ୟକ୍ତିଗତ ଭାବରେ ପ୍ରକାଶ କରନ୍ତି ନାହିଁ । କେହି କହି ପାରନ୍ତି ଯେ, ଏ ଯୁଗରେ ଭଗବାନଙ୍କୁ ଚିହ୍ନିବା ନିମନ୍ତେ ଭକ୍ତ କଣ ନାହାନ୍ତି ? ଯେବେ ନାହାନ୍ତି, ତେବେ “ ଯୁଗକୁ ଯୁଗ ଏହିମ‌ତେ ” ଏହା ଲେଖା ହେଲା କାହିଁକି ? ତାହା ନ ହେବ କାହିଁକି ? ସବୁ ଯୁଗରେ ସେପରି ଅଛି ସତ; କିନ୍ତୁ ଟିକେ ସବୁ ଦିଗକୁ ଲକ୍ଷ୍ୟ ଦେଇ ବିଚାର କରିବା ଦରକାର । ଯୋନି ଦ୍ୱାରା ଦେଇ ଜନ୍ମ ଗ୍ରହଣ କଲେ, ହଠାତ୍ ପରଜନ୍ମର କର୍ମ ମନରେ ଜାଗ୍ରତ ହୁଏନାହିଁ । କ୍ରମେ ଜ୍ଞାନର୍ଜ୍ଜନ ଦ୍ୱାରା କେତେଦିନ ପରେ ତାହା ଜାଣିହୁଏ । କାରଣ କୃଷ୍ଣ ନିଜେ ଜନ୍ମ ହୋଇ କଣ କରିବେ ତାହା ଜାଣି ନ ଥିଲେ । ବ୍ରହ୍ମା ମଧ୍ୟ ତାଙ୍କୁ ଚିହ୍ନିପାରି ନ ଥିଲେ, ଗୋବତ୍ସା ହରଣ କଲା ପରେ ବ୍ରହ୍ମା ଚିହ୍ନିପାରିଥିଲେ, କୃଷ୍ଣ ମଧ୍ୟ ପୌର୍ଣ୍ଣମାସିଠାରୁ ରାଧାଙ୍କ ନାମ ଶୁଣି ତାଙ୍କୁ ନିମନ୍ତେ ବ୍ୟାକୁଳ ହେବାରୁ ବ୍ରହ୍ମା ତାଙ୍କୁ ବଂଶୀ ପ୍ରଦାନ କଲେ ଓ ପୂର୍ବର ହାଲଚାଲ ବୁଝାଇ ଦେଇଥିଲେ । ଏହି ଭାବମାନ ବିଦଗ୍ଧ ଚିନ୍ତାମଣିରେ (କ:ଚ:ଟ:ତ:ପ:) ନିୟମ ଛାନ୍ଦରେ ଦେଖିଲେ ପାଇପାରିବ । ତେଣୁ ସେ ଯୁଗର ପୁଣ୍ୟ ଶକ୍ତି ଅପେକ୍ଷା ଆଜିକାଲି ଯୁଗରୀ ପୁଣ୍ୟ ଶକ୍ତି ଢେର କମ୍ ଅଟେ ।

ଯେଉଁ ମର୍ତ୍ତ୍ୟକୁ ଆସି ଭଗବାନ ତାଙ୍କ ନିଜକୁ ବା ନିଜର କାର୍ଯ୍ୟକୁ ଭୁଲି ଯାଇଥିଲେ; ବ୍ରହ୍ମା ନିଜେ ଭଗବାନଙ୍କୁ ଚିହ୍ନିପାରି ନ ଥିଲେ, ସେପରି ସ୍ଥଳରେ ତ ଆମ୍ଭେ ସାମାନ୍ୟ କୀଟାତ୍ କୀଟ ମାତ୍ର । ଏଣୁ ଯେତେବେଳେ ଯେଉଁ ବ୍ୟକ୍ତି ନିଜକୁ ନିଜେ ଚିହ୍ନିବ ଓ ନିଜର କର୍ତ୍ତବ୍ୟ ସ୍ଥିର କରିପାରିବ ସେତେବେଳେ ସେ ଆପେ ସବୁ ଜାଣି ପାରିବ । ଆଉ ତାର ଭବିଷ୍ୟତ ଚିନ୍ତାରେ ଦରକାର ହେବ ନାହିଁ । ସେଥି ନିମନ୍ତେ କଥା ଅଛି ପରା-

            “ ଆପକୁ ଆପେ ଚିହ୍ନିଲେ ଛିଡ଼ିବ ଅଡ଼ୁଆ” ।

ଯେତେବେଳେ ଯାହା ହେବାର ଥିବ ତାହା ଆପେ ହୋଇଯିବ ଏବଂ ଯାହାଦ୍ୱାରା ହେବାର ଥିବ ସେ ତାର ସାଙ୍ଗସାଥୀ ଖୋଜି କରାଇ ନେବ । ସେଥି ନିମନ୍ତେ କାହାରି ବ୍ୟସ୍ତ ହେବା ଅନାବଶ୍ୟକ ଅ‌ଟେ । ବିଶେଷ କଥା ଏହି ଯେ ତୁମ୍ଭେମାନେ ଭବିଷ୍ୟତ ଚିନ୍ତା ନ କରି ଯାହା କଲେ ସଂସାରରେ ଭଲ କର୍ମ ବୋଲି ପ୍ରକାଶ ପାଏ ଓ ଯେଉଁ କର୍ମକୁ ସତ୍‌କର୍ମ ବା ଭଗବତ୍ ପ୍ରେମ ଓ ଈଶ୍ୱର ପ୍ରୀତିମୟ (କାମନା ଶୂନ୍ୟ) କର୍ମ ବୋଲାଯାଏ; ତାହା କର ଏବଂ କରିବାକୁ ଚେଷ୍ଟା କର, ତୁମ୍ଭର ପରିବାର ଓ ପ୍ରିୟ ବ୍ୟକ୍ତିମାନଙ୍କୁ ଏହିଶିକ୍ଷା ପ୍ରଦାନ କରାଅ । ସେମାନେ ମଧ୍ୟ ଏହା କରି ଧନ୍ୟ ହୁଅନ୍ତୁ ।