ଉତ୍କଳ ମାତାର ଯୋଗ୍ୟତମ ପୁତ ଉତ୍କଳୀୟ ବୃଷ୍ଟିର ଶ୍ରେଷ୍ଠ ପ୍ରତିନିଧି ଶ୍ରଦ୍ଧେୟ ବନ୍ଧୁ ଉତ୍କଳକେଶରୀ ମାନ୍ୟବର ଶ୍ରୀ ହରେକୃଷ୍ଣ ମହତାବ ଶ୍ରୀ କରକମଳେଷୁ ଯୁଗ ତଳେ ଅନୁସରି ପଦାଙ୍କ ତୁମ୍ଭର ଆନ ଭାରତୀକି ମୋର ମିଳୁ ଗହଣର ।
-ବିଚ୍ଛନ୍ଦ-
କଳିଙ୍ଗ ଭାରତୀର ଆଦ୍ୟ ପୃଷ୍ଠ ପୋଷକଙ୍କ ପ୍ରତି
ଯେ ନିଜର ସୁସଂଯତ ଆଦର୍ଶ ଜୀବନ, ପ୍ରଜାବାତ୍ସଲ୍ୟ, ରାଜ୍ୟର ହିତ ନିମନ୍ତେ ଅକାତର ବ୍ୟୟ ଏବଂ ଲଳିତକଳା ଓ ସାହିତ୍ୟ ପ୍ରୀତି ଦ୍ୱାରା ଉତ୍କଳୀୟ ତରୁଣ ରାଜନ୍ୟବର୍ଗଙ୍କ ଆଦର୍ଶ ସ୍ଥାନୀୟ, ମୋ ସାହିତ୍ୟସାଧନା ପ୍ରତି ଯାହାଙ୍କର ବିଶେଷ କରି ଅହେତୁକ ଦୟା ଓ ଅନୁଗ୍ରହ ଏବଂ କଟକ ନଗରୀସ୍ଥ ଯାହାଙ୍କ ‘‘ଡମ୍ପଡ଼ା ହାଉସ୍’’ରେ ମୋ ଜୀବନର ଘଟନାବହୁଳ ଯୁଗେତ ସମୟ ଅତିବାହିତ, ଏ ଗ୍ରନ୍ଥର ଅଧିକାଂଶ କବିତା ଚରିତ ଓ ମୋ ପ୍ରିୟତମ ଅନୁଷ୍ଠାନ ‘‘କଳିଙ୍ଗ ଭାରତୀ’’ର ଜନ୍ମ ଓ ‘‘ଉତ୍କଳ ଛାତ୍ର ସାହିତ୍ୟ ସମାଜ’’ର ଅଧିଷ୍ଠାନ ।
ଡର୍ମ୍ପଡାଧୀଶ୍ୱର
ସେହି ଲଳିତ-କଳା-ବିଳାସୀ ଓ ସାହିତ୍ୟ-ପ୍ରେମିକ
ରାଜା ଶ୍ରୀ ଶ୍ରୀ ଶ୍ରୀ ଅମରେନ୍ଦ୍ର ମାନସିଂହ ଭ୍ରମରବର ରାୟ
ମହୋଦୟ ଦୟା ପୂର୍ବକ ଏ ଗ୍ରନ୍ଥର ଅର୍ଦ୍ଧେକ ମୁଦ୍ରଣ ବ୍ୟୟ ବହନ କରି କଳିଙ୍ଗ ଭାରତୀର ଆଦ୍ୟ ପୃଷ୍ଠପୋଷକ ହୋଇ ଅଛନ୍ତି । ମୋ ପ୍ରତି ଚିରାଚରିତ ଦୟା ଓ ଅନୁଗ୍ରହ ଯୋଗୁଁ ତାଙ୍କୁ ଅନ୍ତରର ଗଭୀର କୃତଜ୍ଞତା ଜ୍ଞାପନ କରୁଅଛି ।
ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟନାୟକ
କଳିଙ୍ଗ ଭାରତୀଙ୍କ ବରପୁତ୍ର କବିସମ୍ରାଟ ମହାକବି ଉପେନ୍ଦ୍ର ଭଞ୍ଜ ବନ୍ଦନା
ଛାର ଜୀବନ ମୋର ପଂକିଳ ସରୋବର
ତହିଁ କବିତା କୋକନଦ
ତବ କୃପାରୁ ଦେବି ! ଅଛି ସିନା ସମ୍ଭବି
ସତେ ତା ବିତରିବ ମୋଦ
ହେ ବାଗୀଶ୍ୱର !
ମନେ ମୋ ନ ହୁଏ ପରତେ
ଅଭାଜନ ମୋ କଣ୍ଠେ ସତେ
ବିସି ପଦ କହିଛ କରୁଣା ଝରାଇଛ
ଅମର ହେବାକୁ ମରତେ
ହେ ବାଗୀଶ୍ୱର !
ଗଡ଼-କୁଲାଡ଼-ଧବ ନୀଳକଣ୍ଠ-ସମ୍ଭବ
ଉପେନ୍ଦ୍ର-କଣ୍ଠେ ବିରାଜିଲ
କୋଣାର୍କ-ପରିପାଟୀ ଲିପିଶିଳ୍ପେ ପ୍ରକଟି
ମଞ୍ଜୁଳ ମୂର୍ଚ୍ଛନା ରଚିଲ
ହେ ବାଗୀଶ୍ୱର ମହାସିନ୍ଧୁ
ମୁହିଁ ଗୋଷ୍ପଦ-ନୀରବିନ୍ଦୁ
ମା ! ତୁମ୍ଭ କରୁଣାରୁ ସେ କବି-ଗିରି-ମେରୁ
କବିତା-କୁମୁଦର ଇନ୍ଦୁ
ହେ ବାଗୀଶ୍ୱର !
ଭଞ୍ଜ-କଞ୍ଜ-ଚରଣ ମୋ ମଉଳି-ଶରଣ,
ଖିଳ ଉତ୍କଳ ତୀର୍ଥ ପୁଣ୍ୟ,
ନେତ୍ର-ନୀରେ ପଖାଳି ଏ ଗୀତ-ସୁମାଞ୍ଜଳି
ତଥି ଅରପି ହେବି ଧନ୍ୟ
ହେ ବାଗୀଶ୍ୱରି !
ସେ ରାଜରାଜେଶ୍ୱର ମୋର
କରଦ ପ୍ରଜା ମୁଁ ମାତର
କୋୟର ହେବା ଯୋଗ କରାଅ ବୀରେ ଭୋଗ
ଗଡ଼ କୁଲାଡ଼ ଅଭ୍ୟନ୍ତର
ହେ ବାଗୀଶ୍ୱର !
କବିତା କୁମୁଦରେ ଗତ ପନ୍ଦର ବର୍ଷ ଭିତରେ ଲିଖିତ କବିତାମାନଙ୍କ ମଧ୍ୟରୁ ୧୦୧ ଗୋଟି କବିତା ପ୍ରକାଶିତ ହେଲା । କଳିଙ୍ଗ ‘‘ଭାରତୀ ସେବକଗୋଷ୍ଠୀ’’ ଯେଉଁ ସବୁ କବିତାର ଚିରନ୍ତନ ମୂଲ୍ୟ ଅଛି ବୋଲି ମତ ଦେଲେ କେବଳ ସେହି କବିତା ଗୁଡ଼ିକ ଏ ସଂଗ୍ରହରେ ସ୍ଥାନ ପାଇଅଛି-ଅନ୍ୟ ଗୁଡ଼ିକୁ ଜାଣିଶୁଣି ବାଦ୍ ଦିଆ ଯାଇଅଛି ।
କଳିଙ୍ଗ ବା ଉତ୍କଳ ଆଜି ଆଉ ଉତ୍କଳ ହୋଇ ନାହିଁ । ଉତ୍କଳ ଭାରତର ଅଙ୍ଗ ସ୍ୱରୂପ ତ ସ୍ୱାଧୀନତା ହରାଇ ଅଛି; ତାହା ଛଡ଼ା କେତେକ ଐତିହାସିକ କାରଣରୁ ବ୍ରିଟିଶ ପ୍ରଭାବ ସଙ୍ଗକୁ ପ୍ରତିବେଶୀ ପ୍ରଦେଶମାନଙ୍କ ପ୍ରଭାବ ମିଶି ଉତ୍କଳୀୟ କୃଷ୍ଟିକୁ ନାଶ କରିବାକୁ ବସିଅଛି । ଉତ୍କଳୀୟମାନଙ୍କ ପରି ସଙ୍ଗୀତପ୍ରାଣ, କବିତାପ୍ରାଣ ଓ କଳାପ୍ରାଣ ଜାତି ଏକା ଭାରତରେ କାହିଁକି ସାରା ପୃଥିବୀରେ ଆଉ ନାହିଁ । କୋଣାର୍କ, ପୁରୀ ଓ ଭୁବନେଶ୍ୱର ପରି ବୈଦେହୀଶ ବିଳାସ, ରସକଲ୍ଲୋଳ ଓ ବିଦ୍ଗଧ ଚିନ୍ତାମଣି ଉତ୍କଳୀୟମାନଙ୍କର ଅନୁପମ ସୃଷ୍ଟି । ଛନ୍ଦୋମୟ ଗୀତି ଉତ୍କଳୀୟ ଜୀବନର ପ୍ରିୟତମ ସାମଗ୍ରୀ । ଏଥି ପାଇଁ ଉତ୍କଳୀୟ ମନୀଷା ବହୁଶତାବ୍ଦୀ ବ୍ୟାପୀ ଶ୍ରମ ଓ ଗବେଷଣା ଦ୍ୱାରା ସୃଷ୍ଟି କରିଛି ଅଗଣିତ ଛାନ୍ଦ ଓ ସଂଖ୍ୟାହୀନ ରାଗରାଗିଣୀ । ଉତ୍କଳୀୟ ମନ୍ଦିର ଭିତ୍ତିମାନଙ୍କରେ ଠିକ୍ କେତେ ମୂର୍ତ୍ତି ଅଛି କହିବା ଯେପରି ଅସମ୍ଭବ ଉତ୍କଳୀୟମାନେ ଠିକ୍ କେତେ ଛାନ୍ଦ ଓ ରାଗ ରାଗିଣୀ ସୃଷ୍ଟି କରି ଅଛନ୍ତି ତାହା ଠିକ୍ କରି କହିବା ମଧ୍ୟ ସେହିପରି ସାଧ୍ୟାତୀତ । ଉତ୍କଳର ବିବାହୋଦ୍ୟତା ବାଳିକା ପିତୃଗୃହ ତ୍ୟାଗ ପୂର୍ବରୁ କବିତାମୟୀ କାନ୍ଦଣାରେ ହୃଦୟ ବ୍ୟଥା ଜ୍ଞାପନ କରେ ଏବଂ ତାର ମହିଳାଗୁରୁଜନମାନେ ମଧ୍ୟ ତା କଣ୍ଠ ସହିତ କଣ୍ଠ ମିଶାଇ ଛନ୍ଦୋମୟୀ କବିତାରେ କ୍ରନ୍ଦନ କରିଥାନ୍ତି । ସହରବାସିନୀମାନେ ଅବଶ୍ୟ କାନ୍ଦଣାକୁ ବର୍ବରତାର ଚିହ୍ନ ଭାବି ତ୍ୟାଗ କରି ଅଛନ୍ତି କିନ୍ତୁ ସହରମାନ ଯେ ଆମମାନଙ୍କ ଜାତୀୟ ଜୀବନର ଶ୍ମଶାନ ଓ ବିଜାତୀୟ ପ୍ରଭାବର ଦୁର୍ଗ । ରାଧାନାଥଙ୍କ ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତିଭାଶାଳୀ ଉଚ୍ଚ ଶିକ୍ଷିତ କବିମାନେ ମୁଷ୍ଟିମେୟ ସହରବାସୀ ଶିକ୍ଷିତଙ୍କ ପାଇଁ କବିତା ଲେଖୁଅଛନ୍ତି ଏବଂ ଏ ବିରାଟ ଜାତି ବୈଷ୍ଣବ ପାଣି, ବାଳକୃଷ୍ଣ ମହାନ୍ତି, ଦୟାନିଧି ସ୍ୱାଇଁ ଓ ହମିଦ୍ମିଆଁଙ୍କ ହାତର କ୍ରୀଡ଼ାକନ୍ଦୁକ ହୋଇଅଛି । ପ୍ରତିଭାଶାଳୀ ଉଚ୍ଚଶିକ୍ଷିତ କବିମାନଙ୍କ କବିତା ବୈଦେଶିକ ଛାଞ୍ଚରେ ଢଳା ହୋଇଥିବାରୁ ତାହା ଏକପ୍ରକାର ବାଏଁ ବାଏଁ ଉଡ଼ିଯାଉଛି; ଉତ୍କଳର ଶତକଡ଼ା ୯୫ ଜଣ ଲୋକ ତହିଁର ଆସ୍ୱାଦନରୁ ବଞ୍ଚିତ ହେଉଅଛନ୍ତି । ଉତ୍କଳର ଶିକ୍ଷା ବିଭାଗର କର୍ତ୍ତୃତ୍ୱ ବହୁକାଳ ଯାଏଁ ଦୁଇ ତିନିଜଣ ନବୀନ ଭାବାପନ୍ନ କବିଙ୍କ ହାତରେ ପଡ଼ିଯିବାରୁ ଶିକ୍ଷିତ ଲୋକଙ୍କ ରୁଚିକୁ ବିଦେଶୀ ଭାବାପନ୍ନ କବିତା ଆଡ଼କୁ ଟାଣିନେବାର ଉତ୍କଟ ପ୍ରଚେଷ୍ଟା ହୋଇଅଛି ଏବଂ ଉତ୍କଳୀୟ ପ୍ରାଚୀନ କବିମାନଙ୍କୁ ଅଶ୍ଳୀଳ ଓ ଅସ୍ପୃଶ୍ୟ ବୋଲି ପ୍ରଚାର ଚଳା ଯାଇ ସେମାନଙ୍କୁ ଶିକ୍ଷିତ ମହଲରୁ ନିର୍ବାସିତ କରି ଦିଆ ଯାଇଅଛି । ରାଧାନାଥଙ୍କ ଅମଳରୁ ବଙ୍ଗର ମାଇକେଲ, ନବୀନଚନ୍ଦ୍ର, ହେମଚନ୍ଦ୍ର, ନଜରୁଲ ଇସଲାମ୍ ଓ ରବୀନ୍ଦ୍ରନାଥ ଠାକୁରଙ୍କ ଛାଞ୍ଚର ଲେଖା ଓଡ଼ିଶା ସାହିତ୍ୟ ବଜାରରେ ଖୁନ୍ଦି ହୋଇ ଯାଇଅଛି । ଶିକ୍ଷିତମାନେ ଏହି ସବୁ ଘେନି ବିଭୋର ହୋଇ ରହି ଅଛନ୍ତି ଏବଂ ଯେଉଁମାନେ ସଂଖ୍ୟା ଦୃଷ୍ଟିରୁ ଜାତିର ପ୍ରକୃତ ମେରୁଦଣ୍ଡ ସେମାନଙ୍କୁ ରସ ପରିବେଷଣ କରିବାର ଭାର ରହିଅଛି ବୈଷ୍ଣବ ପାଣି ଓ ହମିଦ ଆଦିଙ୍କ ହାତରେ ।
ଯେଉଁ ଛନ୍ଦୋମୟୀ କବିତା ପାଇଁ ଉତ୍କଳୀୟ କେବଳ ସାରଳା ମହାଭାରତରେ ସନ୍ତୁଷ୍ଟ ନ ହୋଇ ବିଶ୍ୱମ୍ଭର ଦାସଙ୍କ ବିଚିତ୍ର ମହାଭାରତ ଧରିଲା, ବଳରାମ ଦାସଙ୍କ ଦାଣ୍ଡିରାମାୟଣରେ ସନ୍ତୁଷ୍ଟ ନ ହୋଇ ଭଞ୍ଜଙ୍କ ବୈଦେହୀଶ ବିଳାସ ଓ ବିଶ୍ୱଖୁଣ୍ଟିଆ ବିଚିତ୍ର ରାମାୟଣ ଧରିଲା ଏବଂ ଅଚ୍ୟୁତାନନ୍ଦଙ୍କ ହରିବଂଶକୁ ପଛରେ ପକାଇ ଦୀନକୃଷ୍ଣଙ୍କ ରସକଲ୍ଳୋଳ, ଅଭିମନ୍ୟୁ ବିଦ୍ଗଧ ଚିନ୍ତାମଣି ଓ ଭକ୍ତଚରଣଙ୍କ ମଥୁରାମଙ୍ଗଳ ଧରିଲା ସେ ବିଚିତ୍ର ଓ ଝଙ୍କାରମୟୀ କବିତା ପ୍ରଥମେ ରାଧାନାଥଙ୍କ ପ୍ରଭାବ ଓ ପରେ ରବି ଠାକୁରଙ୍କ ପ୍ରଭାବ ବଶତଃ ଓଡ଼ିଶାର ଉଚ୍ଚ ଶିକ୍ଷିତ କବିମାନଙ୍କ ଲେଖନୀରୁ ଆଉ ପ୍ରସାରିଲା ନାହିଁ । ଆମର ଜୁମର ନିଠେଇ ଘୋଷା ଆଉ ସବୁ ପାଠଚାଳରେ ଖୋସ- ଏ ପ୍ରବଚନ ଉତ୍କଳର ଯେଉଁ କୃଷ୍ଟିର ପରିଚାୟକ ସେ କୃଷ୍ଟିକୁ ତଣ୍ଟିଚିପି ମାରି ଦିଆଗଲା । ରାଧାନାଥ ଯୁଗ ରବୀନ୍ଦ୍ର ପ୍ରଭାବ ଯୁଗକୁ ଓଡ଼ିଆ ସାହିତ୍ୟର ଇତିହାସରେ ପରମ୍ପରା ଚ୍ଛେଦ ଯୁଗ କହିଲେ ଅତ୍ୟୁକ୍ତି ବା ସତ୍ୟର ଅପଳାପ ହେବ ନାହିଁ ।
ପ୍ରାଚୀନ କବିତାର ଛନ୍ଦ ଓ ରାଗରାଗିଣୀମାନଙ୍କୁ ଆଧୁନିକ ଭାବଧାରାର ବାହାନ କରି କବିତା ଲେଖିବା ପାଇଁ ମୁଁ ପନ୍ଦର ବର୍ଷ ତଳେ ଆରମ୍ଭ କରିଥିଲି । ଭଞ୍ଜ, ଦୀନକୃଷ୍ଣ, ଅଭିମନ୍ୟୁ, କବିସୂର୍ଯ୍ୟ, ଗୋପାଳକୃଷ୍ଣ ଓ ବନମାଳୀ ଶୈଳୀକୁ ଉତ୍କଳରେ ପୁନଃ ପ୍ରତିଷ୍ଠିତ କରି ରାଧାନାଥ ଓ ରବିଠାକୁରଙ୍କ ପ୍ରଭାବକୁ ପୂରାପୂରି ହଟେଇ ଦେବାକୁ ହେବ ଆଦ୍ୟରୁ ଏହାହିଁ ମୋର ଲକ୍ଷ୍ୟ ଥିଲା । ଯେଉଁ ଓଡ଼ିଆ କବିତାରେ ପ୍ରାଚୀନ ଛନ୍ଦ ଓ ପ୍ରାଚୀନ ଝଙ୍କାର ନ ଥାଏ ତାହା ଶୁଣିଲେ ବା ପଢ଼ିଲେ ମୁଁ ଗଭୀର ଭାବରେ ମର୍ମାହତ ହେଉଥିଲି । ପୂରା କୋଡ଼ିଏ ପଚିଶ ବର୍ଷକାଳ ଚାରିଆଡ଼େ ଏହି ଦୁଇ ଉତ୍କଟ ପ୍ରଭାବର ବ୍ୟାପକ ପ୍ରସାର ଦେଖି ମୁଁ ଏକପ୍ରକାର ଅଣନିଶ୍ୱାସୀ ହୋଇ ଯାଉଥିଲି । ତେଣୁ ପ୍ରାଚୀନ ଶୈଳୀ ଆୟତ୍ତ କରିବାରେ ମୁଁ ବହୁ ଆୟାସ କରିଅଛି; ପ୍ରାଚୀନ ଶୈଳୀକୁ ପୁନଃ ପ୍ରତିଷ୍ଠିତ କରିବାରେ ମୁଁ କମ ଶ୍ରମ ସ୍ୱୀକାର କରିନାହିଁ । ଖୁବ୍ ପିଲାଦିନୁଁ ଅବଶ୍ୟ ପ୍ରାଚୀନ ଶୈଳୀ ମୋଠିଁ ସ୍ୱତଃ ସ୍ଫୁର୍ତ୍ତ ହୋଇଥିଲା କିନ୍ତୁ ବାଲ୍ୟ ଓ କିଶୋର ଅବସ୍ଥାରେ ଚିନ୍ତାମଣି ଓ ଫକୀରମୋହନଙ୍କ କବିତା ମୋତେ କିଛିକାଳ ପ୍ରଭାବିତ କରିଥିବା ମୋର ମନେ ପଡ଼ୁଅଛି । ସାହିତ୍ୟହିଁ ଜାତୀୟ ଜୀବନର ମୁକୁର । ଏ ମୁକୁରରେ ବିଜାତୀୟ ପ୍ରଭାବର ବିମ୍ୱ ଯେପରି ନ ପଡ଼େ ସେଥି ପ୍ରତି ପ୍ରତ୍ୟେକ ଜାତୀୟବାଦୀ କବି ଅବହିତ ହେବା ଉଚିତ । ପରମ୍ପରାର ଉପାସକ ଭାବରେ ମୁଁ ମୋ କର୍ତ୍ତବ୍ୟ ମାତ୍ର କରି ଅଛି । ଯେଉଁ ଦେଶ ଭଞ୍ଜ, ଦୀନକୃଷ୍ଣ ଓ ଅଭିମନ୍ୟୁ ଲେଖନୀ ନିଃସୃତ ଅମିୟର ଉପଭୋଗୀ ମୋ ଲେଖନୀ ନିଃସୃତ ଗୁଡ଼ପଣାରେ ତା ପିପାସା ମେଣ୍ଟିବ ମୋର ଏ ଧୃଷ୍ଟ ଦୁରାଶା ନାହିଁ । ତଥାଚ ଓଡ଼ିଆ ସାହିତ୍ୟର ସୁବର୍ଣ୍ଣମୟ ଯୁଗ ଫେରାଇ ଆଣିବା ପାଇଁ ମୋ କ୍ଷୁଦ୍ର ଶକ୍ତିରେ ଯାହା ସମ୍ଭବ ତାହା ମୁଁ କରୁଅଛି । ଏ କବିତାକୁମୁଦ ଗ୍ରନ୍ଥ ମୋ କ୍ଷୀଣ ଉଦ୍ୟମର ଆଦ୍ୟ ପରିଚୟ । ମୋଠାରୁ ରାଧାନାଥ ଆଦିଙ୍କ ପରି ଯେଉଁମାନେ ସମଧିକ ଶକ୍ତିଶାଳୀ ସେମାନେ ଏ କାମ କରି ନ ଯିବା ଦ୍ୱାରା ଓଡ଼ିଆ ସାହିତ୍ୟ ଦରିଦ୍ର ହୋଇଅଛି । ମୋ ସମସାମୟିକ କବିମାନଙ୍କ ମଧ୍ୟରେ ଓ ମୋ ଉତ୍ତର ପୁରୁଷମାନଙ୍କ ମଧ୍ୟରେ ମୋ ଠାରୁ ନିଶ୍ଚୟ ଅଧିକ ଶକ୍ତିଶାଳୀ କବି ଅଛନ୍ତି । ସେମାନେ ଯଦି ଟିକିଏ ଜାତୀୟ ଭାବରେ ଉଦ୍ବୁଦ୍ଧ ହୁଅନ୍ତେ ତାହେଲେ କଳିଙ୍ଗ ଭାରତୀଙ୍କ ବିଶ୍ୱ ବିମୋହିନୀ ବିପଞ୍ଚୀରେ ଅବଶ୍ୟ ତା ଛିନ୍ନ ତାର ସଂଯୋଜିତ ହୁଅନ୍ତା ଏବଂ ଉତ୍କଳରେ ଦିବ୍ୟାଳଙ୍କର ଭୂଷିତା ଲଳିତ ଝଙ୍କାରମୟୀ କବିତାର ପୁନରାବିର୍ଭା ବଫଳରେ ସିନେମା ଓ ଥିଏଟରମାନଙ୍କ ପ୍ରଚାରିତ ଲଘୁ ସଂଗୀତାବଳି ଯାହା କି ଉତ୍କଳୀୟ ଜାତୀୟ ଜୀବନକୁ କ୍ରମାଗତ ଭାବରେ କଳୁଷିତ କରୁଅଛି ଛାଏଁ ଛାଏଁ ଲୋପ ପାଇଥାନ୍ତା । ମୋର ଶେଷ ନିଶ୍ୱାସ ପ୍ରବାହିତ ହେଉଥିବା ପର୍ଯ୍ୟନ୍ତ ମୋ ଲେଖନୀ ଏହି ଜାତୀୟ ଆଶାର ପରିପୂର୍ତ୍ତ ନିମନ୍ତେ ଅନବରତ ଚାଳିତ ହେଉଥିବ । ନୂତନ ସୌନ୍ଦର୍ଯ୍ୟ ଗ୍ରହଣର ମୁଁ ଅପକ୍ଷପାତୀ ନୁହେଁ; କିନ୍ତୁ ସେଥିନିମନ୍ତେ ମୋ ଜାତିର କମନୀୟ ପରମ୍ପରା ତ୍ୟାଗ କରିବାକୁ ମୁଁ ଅକ୍ଷମ ।
ପିତାମାତାଙ୍କ କଥା ଛାଡ଼ି ଦେଲେ ସେ ଦୁହିଁଙ୍କ ତଳକୁ ଏ ଗ୍ରନ୍ଥପ୍ରକାଶ ଦେଖି ଯେ ସବୁଠୁଁ ବେଶି ଉଲ୍ଲସିତ ହୋଇଥାନ୍ତେ ସେ ଆଜି ଇହଧାମରେ ନାହାନ୍ତି । ସେ ହେଉଛନ୍ତି ମୋର ପରମହିତାକାଙ୍ଖୀ ସୁହୃଦ୍ ଅଧ୍ୟାପକ ଶ୍ରୀ ଲକ୍ଷ୍ମୀକାନ୍ତ ଚୌଧୁରୀ । ଅନ୍ୟତମ ପରମହୈତେଷୀ ପିତୃକଳ୍ପ ସାହିତ୍ୟଭୂଷଣ ରାୟ ବାହାଦୂର ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ମଧ୍ୟ ସ୍ୱର୍ଗାରୋହଣ କରି ଅଛନ୍ତି । ମୋତେ ବୋଧ ହେଉଅଛି ମୋର ଏହି ସ୍ୱର୍ଗତ ଗୁରୁଜନମାନେ ମୋ କବି ଜୀବନର ଲକ୍ଷ୍ୟ ପୂର୍ତ୍ତ କାମନା କରି ମୋତେ ସେ ପୁରରେ କଲ୍ୟାଣ କରୁ ଅଛନ୍ତି । ସ୍ୱର୍ଗତ ପ୍ରହରାଜଙ୍କ ଲିଖିତ ଅନୁକ୍ରମଣିକା ଏ ଗ୍ରନ୍ଥର ଗୌରବ ବୃଦ୍ଧି କରୁଅଛି ।
ମୋର ଜୀବିତ ହିତାକାଙ୍କ୍ଷୀ ଗୁରୁଜନମାନେ ସମସ୍ତେ ଆଜି କବିତାକୁମୁଦର ପ୍ରକାଶ ଦେଖି ଆନନ୍ଦିତ । ସେମାନଙ୍କ ମଧ୍ୟରୁ ମୋ ଗୁରୁଦେବ ରାୟ ବାହାଦୂର ଶ୍ରୀ ଆର୍ତ୍ତବଲଭ ନାହାନ୍ତି ଏଥିର ମୁଖବନ୍ଧ ଲେଖି ଏବଂ ଅନ୍ୟାନ୍ୟମାନେ ମୋତେ ଆଶୀର୍ବାଣୀ ଦେଇ କୃତାର୍ଥ କରି ଅଛନ୍ତି ।
ନୀରବ ସାରସ୍ୱତ ସାଧକ ଶ୍ରଦ୍ଧେୟ ବନ୍ଧୁମାନଙ୍କର ଶ୍ରୀ ହରେକୃଷ୍ଣ ମହାତାବ ଏ ଗ୍ରନ୍ଥର ଉତ୍ସର୍ଗପତ୍ର କରି ଓ ଏ ଗ୍ରନ୍ଥ ସହିତ ତାଙ୍କ ମହନୀୟ ନାମକୁ ସଂଶ୍ଳିଷ୍ଟ କରିବାର ସୁଯୋଗ ଦେଇ ମୋତେ ବାଧିତ ଓ ଅନୁଗୃହୀତ କରିଅଛନ୍ତି ।
କବିତା କୁମୁଦର କବିତାମାନଙ୍କୁ ବାଛି ଏକତ୍ର କରିବାରେ ଓ ସଜାଇବାରେ ଉତ୍କଳର ଉଦୟମାନ ଲିପିଶିଳ୍ପୀ ଶ୍ରୀମାନ ହୃଦାନନ୍ଦ ରାୟ ଓ ଗୋପବନ୍ଧୁ ରଥ ଏବଂ ଉଦୟମାନ ରୂପଶିଳ୍ପୀ ଶ୍ରୀମାନ୍ କିଶୋରୀ ମୋହନ ପରିଡ଼ା ବହୁତ ଶ୍ରମ କରିଅଛନ୍ତି । ସେମାନଙ୍କୁ ମୁଁ ଆଶୀର୍ବାଦ କରୁଅଛି ।
‘‘କଳିଙ୍ଗ ଭାରତୀ ସେବକ ଗୋଷ୍ଠୀ’’ ମୋ ଜୀବନ ଗାଥା ସଂଗ୍ରହ କରି ତହିଁର ପ୍ରକାଶ ନିମନ୍ତେ ସନିର୍ବନ୍ଧ ଅନୁରୋଧ କରିବାରୁ ତାହା ଗ୍ରନ୍ଥରେ ସନ୍ନିବେଶିତ ହୋଇଅଛି ।
କବିତା କୁମୁଦର ବହୁତ ଗାତକୁ କଣ୍ଠରେ ଫୁଟାଇ ରୂପ ଦେଇ ଅଛନ୍ତି ଉତ୍କଳର ପ୍ରସିଦ୍ଧ ଗାୟକ ଶ୍ରୀ ଉପେନ୍ଦ୍ର ତ୍ରିପାଠୀ, ସିଂହାରୀ ଶ୍ରୀ ଶ୍ୟାମ ସୁନ୍ଦର କର, ଶ୍ରୀ ଦୁର୍ଲଭ ଚନ୍ଦ୍ର ସିଂହ ଓ ଶ୍ରୀ ବାଳକୃଷ୍ଣ ଦାସ । ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ବିଶେଷ ଭାବରେ ମୋ ଗାନ ମାନଙ୍କର ଅନୁରାଗୀ । ସେ ଏ ଗାନମାନଙ୍କରସ୍ୱରଲିପି ତିଆର କରୁଅଛନ୍ତି । ମୁଁ ଏ ସମସ୍ତଙ୍କ ନିକଟରେ ଓ ବିଶେଷ କରି ଶ୍ରୀ ତ୍ରିପାଠୀଙ୍କ ନିକଟରେ ଋଣୀ ।
ବ୍ରଜବାସୀ ବାବାଜୀ ଶ୍ରୀ ବୈଷ୍ଣବ ଚରଣ ଦାସଙ୍କ ତାଲିମ ଶ୍ରୀମାନ୍ ବଳରାମ ସାହୁ ମଧ୍ୟ ଏ ଗ୍ରନ୍ଥର ଅନେକ ପ୍ରସିଦ୍ଧ ଗାନର ଗାୟକ ।
ସର୍ବ ପ୍ରଥମେ ବହୁ ସାରସ୍ୱତ ଉତ୍ସବରେ ଏ ଗ୍ରନ୍ଥର ଅନେକ ବନ୍ଦନା ଗାନ ଶ୍ରୀମତୀ ସରସ୍ୱତୀ ଚୌଧୁରୀ ଗାନ କରିଥିଲେ । ତାଙ୍କ ପଛକୁ ମନେ ପଡ଼େ ଶ୍ରୀମତୀ ସଂଯୁକ୍ତା ଦେବୀ, ବିଦ୍ୟୁଲ୍ଲତା ଦେବୀ, ବୀଣାପାଣି ଦେବୀ, ସରସ୍ୱତୀ ଦେବୀ ଓ ଗୌରୀ ଦେବୀ ପ୍ରଭୃତି ବହୁ ବାଳିକାଙ୍କ ନାମ । ପ୍ରଭୁ ସେ ସମସ୍ତଙ୍କୁ ସୌଭାଗ୍ୟବତୀ କରନ୍ତୁ । ଏହି ଆଶୀର୍ବାଦ କରି ମୁଁ ସେମାନଙ୍କ ଅଭିଭାବଙ୍କମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଅଛି ।
ଜୟ ମା କଳିଙ୍ଗ-ଭାରତୀ
କଳିଙ୍ଗ-ଭାରତୀ, ବିନୀତ ନିବେଦକ
କଟକ ଶ୍ରୀ ବିଚ୍ଛନ୍ଦଚରଣ ପଟନାୟକ
୦୩/୦୭/୧୯୪୬
ରାଗ ଧନାଶ୍ରୀ—ଆଠତାଳି
(ଗୋପାଳକୃଷ୍ଣଙ୍କ ‘‘ମୋହନ ରୀତି ଚିହ୍ନା ପଡ଼ିଲା ମା’’ ବୃତ୍ତରେ)
ସାର୍ଦ୍ଧକୋଟି-ସନ୍ତାନ-ପାଳିନୀ ମା
ସୁଜଳା ସୁଫଳା ମହୀ-ମୌଳି-ମାଳା
ବେଶ-ମଞ୍ଜୁଳା ଭୂତି-ଶାଳିନୀ ମା ।୧।
ତଟିନୀ-ମେଖଳା ପୋତ-ପତ-ବେଳା
ନଭଶ୍ଚୁମ୍ୱୀ-ମନ୍ଦିର-ମାଳିନୀ ମା ।୨।
ମୁନି-ଜନ-ମନ-- କାରା ବିମୋହନ
ମୋକ୍ଷ ପାବଚ୍ଛ ମାଳ ଶୋଭିନୀ ।୩।
ଶଉର୍ଯ୍ୟ-ଉଜ୍ଜ୍ୱଳା ଶୂର-ଶିଶୁ-ଦୋଳା
ବିଜୟ-ବିଭାମୟୀ ହ୍ଲାଦିନୀ ମା ।୪।
କଳା-ପଦ୍ମାଳୟା- ଉଷିତ-ସୁଦେହା
ଦ୍ୟୁତିଅମଳା ବିଧୁହାସିନୀ ମା ।୫।
ବିଚ୍ଛନ୍ଦ-ମଉଳି-- ଦତ୍ତ-ପଦଧୂଳି
ଚିତ୍ତ-କୁମୁଦାନନ୍ଦ-ଚାନ୍ଦିନୀ ମା ।୬।
ଉତ୍କଳ ସାହିତ୍ୟ ସମାଜର ସାହିତ୍ୟ ସପ୍ତାହ ପ୍ରଭୃତି ବହୁ ଜାତୀୟ ଉତ୍ସବରେ ଏ ଗୀତ ଗାନ ହୋଇଅଛି ।
୦୧। ସାର୍ଦ୍ଧକୋଟି –ଦେଢ କୋଟି; ମହୀମୌଳିମାଳା-ପୃଥିବୀ ମୁଣ୍ଡର ଅଳଙ୍କାର; ବେଶ ମଞ୍ଜୁଳା-ବେଶ ଯୋଗୁଁ ସୁନ୍ଦର ବା ସୁନ୍ଦର-ବେଶା; ଭୁତିଶାଳିନୀ-ବିଭବମୟୀ ।
୦୨। ତଟିନୀ-ମେଖଳା-ନଈମାନେ ଯାହାର ଅଣ୍ଟାସୂତା; ପୋତପୂତ ବେଳା-ଯାହା ଉପକୂଳରେ ଜାହାଜ ରୁଣ୍ଡ ହୁଏ; ନଭଶ୍ଚୁମ୍ୱୀ-ଅତିଉଚ୍ଚ ।
୩। ବିମୋହନ-ସୁନ୍ଦର; ମୋକ୍ଷ-ମୁକ୍ତି; ପାବଚ୍ଛ-ପାହାଚ; ମୋକ୍ଷ ପାବଚ୍ଛମାଳଶୋଭିନୀ-ଯାହା ମୁକ୍ତିର ପାହାଚରେ ମଣ୍ଡିତା ଅଟେ ଅର୍ଥାତ୍ ତୀର୍ଥମାଳିନୀ ।
୪। ବିଜୟ-ବିଭାମୟୀ-ବିଜୟ ଆଲୋକରେ ଆଲୋକିତା; ହ୍ଲାବିନୀ ଆନନ୍ଦଦାୟିନୀ ।
୫। କଳା-ପଦ୍ମାକୟା-ଉଷିତ-ସୁଦେହା-ଯାହାର ଦେହ କଳା ରୂପ ଲକ୍ଷ୍ମୀଙ୍କ ଆବାସ; ବିଧୁହାସିନୀ-ବିଧୁ ଅର୍ଥାତ୍ ଚନ୍ଦ୍ରପରି ଯାହାର ହସ ସ୍ୱଚ୍ଛ ଅଟେ ।
୬। ମଉଳି-ମୌଳି-ମୁଣ୍ଡ; ଚାନ୍ଦିନୀ-ଚନ୍ଦ୍ର କିରଣ ।
(ରାଗ- ଶଙ୍କରାଭରଣ)
ଆଦ୍ୟେ ଯେଉଁ ଦିନ ସହି ! ରାଜିଲୁ ପୂରତେ
ଆନନ୍ଦ ପ୍ରତିମା ପରି ଆଭାସିଲୁ ମୋତେ ।
ମହୀ ମଣ୍ଡିଲୁ ଶୋଭାରେ
ରସାଣିତ ଉଷା ସରି ହୋଇଣ ଆଭାରେ ।୧।
ତାମରସେ ଅଳି ସରି କଜଲା-ଉଜଳ
ଡୋଳା ଦୁଇ ନୟନେ ତୋ କରୁଥିଲା ଖେଳ ।
କେଉଁ କାଳିମା ତୋହର
ତମୋପୁଞ୍ଜ-ଗାରିମାକୁ କରୁଥିଲା ଜୂର ।୨।
ଚନ୍ଦ୍ରରୁ ଚୁପୁଡ଼ି କାନ୍ତି, ବସନ୍ତୁ ସୁଷମା
ଅମର ବିନ୍ଧାଣି ତୋରେ ଗଢ଼ିଥିଲା ରାମା !
ସଂଗୀତରୁ ସାର ଛାଣି
କମ୍ୱୁ-କଣ୍ଠେ ଛଇଳି । ତୋ ଭରିଥିଲା ବାଣୀ ।୩।
ନୟନ-ନଳୀରେ ତୋର ଦେଖିଲି ହୃଦୟ
ଗୋଟାପଣେ ମୋହ ପାଇଁ ପ୍ରେମ-ହେମମୟ ।
ରୂପ ଧରି ମୋ ସୁକୃତ,
ମଣିଲି ପୁରତେ ଆସି ହେଲା ଉପଗତ ।୪।
ବଚନୁଁ ବୁଝିଲି ପୁଣି ତୁହି ରେ ଲଳିତା !
ରୂପ ଅନୁରୂପ ଗୁଣଚୟେ ବିମଣ୍ଡିତା ।
କାମ-ବିମୋହନ-ଫାଶ,
ଦାମିନୀ ଥକିତ ମଞ୍ଚେ ହେଉଁ ପରକାଶ ।୫।
ଭାଳିଲି ଲତିକା ହେବୁ ମୋ ଉର-ତରୁରେ
ମନ୍ଦାକିନୀ-ଧାର ପୁଣ ମୋ ଚିତ୍ତ-ମରୁରେ ।
ପ୍ରୀତି-ରଚନାକୁ ବାଣୀ,
ପ୍ରେମ-ହେମ-ସିଂହାସନେ ମମ ହୃଦରାଣୀ ।୬।
ତୁହି ସୂଚାଇଲୁ ପୁଣି ଅଶେଷ ସଂକେତେ
ପୂର୍ଣ୍ଣ ସୁଧାକର ହେବୁ ମୋ ଚିତ୍ତ-ବିୟତେ ।
ସ୍ୱର୍ଣ୍ଣ-କମଳ ସମାନ,
ମୋ କୁଟୀର ସରସୀରେ ହେବୁ ଶୋଭମାନ ।୭।
ନିଃଶେଷି ତୋ ରୂପସୁଧା କରିବାକୁ ପାନ
ରୂମମୂଳ-ପାକ ମୋର ହୋଇଲେ ନୟନ ।
ସହସ୍ର-ଶ୍ରୁତି ମୁଁ ହୋଇ,
ତୋ କଣ୍ଠ-ବାଜେଣୀ-ବାଣୀ-ଗୀତ ଶୁଣିଲଇଁ ।୮।
ଭାବରାଜ୍ୟ ଭାଷାର ତୁ ଯେଣୁ ବାଗୀଶ୍ୱରୀ
ଭାବ-କାବ୍ୟ-ବିଦ୍ଗଧ କଲୁ ଚିତ୍ତ ମୋରି ।
ରଚି ମାନସ କୁଲାୟ,
ନିବସିଲେଁ ତହିଁ ଭୁଲି ବିଶ୍ୱ ସମୁଦାୟ ।୯।
କଳପନା-ମହୀରୁହ ବାସ୍ତବ-ଅଶନି
ଜାଳିଦେବ ବନ୍ଧୁଆରେ ! ଥିଲି ନାହିଁ ଜାଣି ।
ଚିର-ବିଚ୍ଛେଦ-ବଉଦେ,
ଲୁଚି ଯାଇ ବାରେ ଆଉ ନ ହୋଇବୁ ଉଦେ ।୧୦।
ନୟନତାରା ରେ ! ମୋର ଶୋଭା-ଅଧିଦେବି ।
କହ ସତେ ତତେ କିରେ ଆଉ ମୁଁ ଭେଟିବି ।
କଣ୍ଠେ ବେଢ଼ାଇବି କର,
ବାସ-ବଜନ-ବଦନେ ହେବି ମଧୁକର ।୧୧।
୧। ପୁରତେ- ଆଗରେ; ସମ୍ମୁଖରେ; ଆନନ୍ଦପ୍ରତିମା – ଆନନ୍ଦ ଉପାଦାନରେ ଗଢ଼ା ମୂର୍ତ୍ତି; ଆଭାସିଲୁ-ଜଣା ପଡ଼ିଲୁ; ରସାଣିତ-ଝଳିରେ ମଣ୍ଡିତ; ଆଭା-ଆଲୋକ ।
୨। କେଶ-କାଳିମା-ମୁଣ୍ଡବାଳର କଳା ରଙ୍ଗ; ତମୋପୁଞ୍ଜଗାରିମା-ଅନ୍ଧାରର ବଢ଼େଇ; ଜୂର କରୁଥିଲା-ଲୁଟି କରୁଥିଲା ।
୩। କାନ୍ତି-ଝଳି; ସୁଷମା – ଶୋଭା; ଅମରବିନ୍ଧାଣି-ବିଧାତା; ସାର-ନିର୍ଯ୍ୟାସ ।
୪। ହେମ- ସୁବର୍ଣ୍ଣ: ସୁକୃତ – ପୁଣ୍ୟ: ଉପଚିତ – ଉପସ୍ଥିତ ।
୫। ଅନୁରୂପ-ସମାନ: କାମବିମୋହନଫାଶ-ଯୁବା ହୃଦୟ ପକ୍ଷୀକୁ ଧରିବା ନିମନ୍ତେ ମଦନ ହାତର ସୁନ୍ଦର ଫାଶ ବା ଫାନ୍ଦ; ଦାମିନୀ-ପରକାଶ-ମର୍ତ୍ତ୍ୟପୁରରେ ପହଞ୍ଚି ଦାମିନୀ ଅର୍ଥାତ୍ ବିଜୁଳି ଥକିତ ଅର୍ଥାତ୍ ଆଉ ଉପରକୁ ଯାଇ ନ ପାରି ସତେ ରହି ଯାଇଛି କି ?
୬। ଲତିକା-ଲତା; ତରୁ-ଗଛ; ମନ୍ଦାକିନୀ-ଗଙ୍ଗା; ମରୁ-ଜଳହୀନ ବାଲୁକାମୟ ସ୍ଥାନ; ବାଣୀ- ସରସ୍ୱତୀ ।
୭। ସଙ୍କେତ-ଇସାରା; ସୁଧାକର-ଚନ୍ଦ୍ର; ନିୟତ-ଆକାଶ, ସରସୀ-ପୋଖରୀ; ହେବୁ ଶୋଭମାନ- ଶୋଭା ପାଇବୁ ।
୮। ନିଃଶେଷି-ଟୋପାଏ ସୁଦ୍ଧା ବାକୀ ନ ରଖି; ରୂପସୁଧା-ରୂପ ରୂପ ଅୃତ; ସହସ୍ରଶ୍ରୁତି-ହଜାର କାନ ଥିବା ବ୍ୟକ୍ତି; ବାଜେଣୀ ବୀଣା-ବାଜୁଥିବା ବୀଣା ।
୯। ଭାବ-ପ୍ରେମ; ବାଗୀଶ୍ୱରୀ-ସରସ୍ୱତୀ; ଭାବକାବ୍ୟ-ପ୍ରେମରୂପକ କାବ୍ୟ; ବିଦ୍ଗଧ-ପଣ୍ଡିତ; ମୋରି – ମୋହର; ରଚି ମାନସ କୁରାୟ-ମନେ ମନେ ବୁଲାୟ ଅର୍ଥାତ୍ ନୀଡ଼ ବା ପକ୍ଷୀ ବସା ତିଆର କରି; ନିବସିଲେଁ-ତହିଁରେ ବାସ କଲେଁ ।
୧୦। କଳ୍ପନାମହୀବୁହି-ଆମ ଦୁହିଁଙ୍କ କଳ୍ପନା ବା ମନର ପାଞ୍ଚ ରୂପକ ଗଛ; ବାସ୍ତବ-ଅଶନି-ପ୍ରକୃତରେ ଯାହା ଘଟିଲା ସେ ଘଟନାରୂପକ ବଜ୍ର; ବନ୍ଧୁଆ-ପ୍ରିୟତମା; ଉଦେ- ଉଦୟ ।
୧୧। ନୟନତାରା-ଆଖିର ପୁଅ ପରି ଆଦରଣୀୟା; ଶୋଭା ଅଧିଦେବୀ-ସୌନ୍ଦର୍ଯ୍ୟର ଅଧିଷ୍ଠାତ୍ରୀ ଦେବତା; ବାସ – ସୁବାସିତ; ବନତ-ପଦ୍ମ; ବନ୍ଦନ-ମୁଖ; ମଧୁକର-ଭ୍ରମର ।
(ରାଗ-ଶଙ୍କରାଭରଣ)
(ମାଧବ)
‘‘ପ୍ରାଣପ୍ରିୟା ମଞ୍ଜୁଳାରେ କହ ସତ କରି
ଦାସଜନ ପାଇଁ ହେବୁ ଟିକି ଦେଶାନ୍ତରୀ ।
ତେଜି ଏ କାଞ୍ଚୀ ନଗର,
ଶୁଣିନାହୁଁ ନାଗରୀ କି ସରିଲା ସମର ? ।୧।
‘‘ପଣତ କାନିରେ ତୋର ବନ୍ଧା ମୋ ପରାଣ
ରିକ୍ତ ଦେହ ଘେନି କେହ୍ନେ କରିବି ଗମନ ।
ରହିବଇଁ ବା କେସନେ ?
ଧରା ହେବା ସାର ହେବ ସଇନ ଗଣନେ’’ ।୨।
(ମଞ୍ଜୁଳା)
‘‘ପ୍ରାଣଧନ ମାଧବ ହେ ! ସରସୀ-ପୁଳିନେ
ପ୍ରଥମ ଭେଟରେ ଯେବେ ସାକ୍ଷୀ କରି ଜହ୍ନେ ।
ପ୍ରାଣ ସଂପିଲି ଶ୍ରୀକରେ
ଛଡ଼ାଛଡ଼ ହେବା କଥା ଥିଲା କି ମନରେ ? ।୩।
‘‘ଯିବି କି ନ ଯିବି ଆଜି ପଚାରୁଛ ଯାହା
ଦେହର ଛାଇକି ଦେହ ପଚାରିଲେ ତାହା
ହନ୍ତା ଯେଡ଼େ ଅଘଟଣ
ତା ତହୁଁ ଏ କଥା ତୁମ୍ଭ ମୁହଁରେ ଦୂଷଣ ।୪।
‘‘ମାତ୍ରକ ଆଶଙ୍କା ମୁହିଁ ତୈଲଙ୍ଗ ଅବଳା
ମୋହ ଲାଗି ଭଙ୍ଗି କେହ୍ନେ ସମାଜ-ଅର୍ଗଳା
ହେବ ସୁଖୀ ମୋରେ କହ
ମଞ୍ଜୁଳା ନୋହିବ ଜୀବଧବ-ଗଳଗ୍ରହ’’ ।୫।
(ମାଧବ)
‘‘ଜାଣିନାହୁଁ ବାନ୍ଧବି ! କି ସଂସାର-ବନ୍ଧନ
ଗଲା ଦିନୁଁ ପିତାମାତା ହେଲାଣି ଛେଦନ ।
ଖାଲି ମଞ୍ଜୁଳା ! ତୋ ଆଶ
ଏ ମୁକ୍ତ ଚରଣ ଯୁଗଳରେ ନୁଆ ଫାଶ ।୬।
ମଞ୍ଜୁଳା ସମାଜ ମୋର, ମଞ୍ଜୁଳା ମୋ ଜାତି,
ମଞ୍ଜୁଳା ବିହୁନେ ମୋର ନାହିଁ ଆନ ଜ୍ଞାତି
ମଞ୍ଜୁଳାକୁ ଛାଡ଼ି କରି
ମଞ୍ଜୁଳ ହୋଇ ଏ ବିଶ୍ୱ ନାହିଁ କିଛି ଧରି ।୭।
‘‘ଗଛମୂଳେ ସାତ ଦିନ ରହିଲେ ଉପାସ
ମଞ୍ଜୁଳାରେ ! ସ୍ମିତ ତୋର ଦେବ ମୋରେ ଗ୍ରାସ ।
ତୋର କୁପିତ ସମ୍ଭାଷ !
କର୍ଣ୍ଣବିଳେ ପଶି ହେବ ମୋ ଚିତ୍ତ-ପୀୟୁଷ ।୮।
‘‘ଦୂଷଣ ଘୋଷଣ ବାଜୁ ନାହିଁ ମୋର ଡର
ଡର କିସ ତାକୁ ଚିତ୍ତ ନେଲାଣି ଯା ଚୋର ?
ଆରେ ମୋ ଚିତ୍ତ-ଚୋରଣି ।
ଚୋରି-ଦଣ୍ଡ ଦେବି ନେଇ ଉତ୍କଳ-ଅବନୀ ।୯।
‘‘ଗଜପତି-ଚିତ୍ତ ହରି ଜେମା ପଦ୍ମାବତୀ
ପ୍ରେମ-ରାଟ ଅଧିକରଣରେ ଯେଉଁ ଶାସ୍ତି
ଏବେ ଅଛନ୍ତି ମୂଲାଇ;
ସେ ଶାସ୍ତି ହୋଇଛି ଥୁଆ ମଞ୍ଜୁଳା ! ତୋ ପାଇଁ ।୧୦।’’
(ମଞ୍ଜୁଳା)
‘‘ନିଜେ ଚୋର ହୋଇ ପରେ ବୋଲୁଛ ଚୋରଣୀ
ଧନ୍ୟରେ ଓଡ଼ିଆ ! ଧନ୍ୟ ତୁମ୍ଭର କରଣି
ନେଲ କାଞ୍ଚୀ-ସ୍ୱାଧିନତା
ଓଲଟି ଦଣ୍ଡିବ କାଞ୍ଚୀ-ନଗର-ବନିତା ।୧୧।
‘‘ସାକ୍ଷୀ ଥାଅ ହେ ଚନ୍ଦ୍ରମା ! ପର୍ବ-ଶର୍ବରୀଶ
ଚିତ୍ତ-ଚୋର-ଗଳେ ଲଗାଇଲି ବାହୁପାଶ
ଚିତ୍ତ ନ ଦେଲେ ଫେରାଇ,
ଏହା’ କର୍କଶତା ନ ଦେବଇଁ କୋହଲାଇଁ’’ ।୧୨।
ହସୁଥିଲା କାଞ୍ଚୀପୁରେ ସୁହାସିନୀ ରାଜା
ହସିଲା ଗଗନେ ଇନ୍ଦୁ, ହସିଲେ ତାରକା
ଦେଖି ଏ ମଧୁର ଯୋଗ,
ଶୁଣି ପୁଣି ପ୍ରୀତି-କଇତବ-ଅଭିଯୋଗ ।୧୩।
ଘଟନା ପୁରୁଷୋତ୍ତମ ଦେବଙ୍କ କାଞ୍ଚୀ ଅଭିଯାନ ସମୟର
୧। ଦେଶାନ୍ତରୀ-ଯେ ଦେଶ ଛାଡ଼େ, ନାଗରା-ଡେଙ୍ଗୁରା ।
୨। ରିକ୍ତ-ଖାଲି (ଅର୍ଥାତ୍ ହୃଦୟକୁ ତୋ ପାଖରେ ରଖି ଖାଲି ଦେହଟାକୁ ଘେନି ।)
୩। ସରସୀପୁଳିନେ – ପୋଖରି କୂଳରେ, ସଂପିଲି-ସମର୍ପଣ କଲି ।
୪। ଅଘଟଣ – ଅସୁନ୍ଦର; ଦୂଷଣ-ନିନ୍ଦାର ବିଷୟ
୫। ଅର୍ଗଳା-ବନ୍ଧନ; କଟକଣା; ଜୀବଧବ ଗଳଗ୍ରହ-ପ୍ରାଣବନ୍ଧୁଙ୍କ ଉପରକୁ ବୋଝ ।
୬। ମୁକ୍ତ-ବନ୍ଧନ ଶୂନ୍ୟ; ନୂଆ ଫାଶ-ନୂଆ ବନ୍ଧନ ।
୭। ମଞ୍ଜୁଳ – ସୁନ୍ଦର ।
୮। କୁପିତ ସମ୍ଭାଷ-ରାଗ ବେଳର କଥା; ଚିତ୍ତ-ପୀୟୁଷ-ହୃଦୟକୁ ଅମୃତ; (ତୁଳନାକର) ‘‘ଭାଷା କହିଲା ବେଳେ ନାସା ଫୁଲାଇ । ଚକ୍ରବର୍ତ୍ତୀପଣକୁ ଗଣନ୍ତି ନାହିଁ ।’’ – ଉପେନ୍ଦ୍ର ଭଞ୍ଜ ।
୯। ଦୂଷଣ ଘୋଷଣ ବାଜୁ – ଚିହ୍ନା ରଟୁ ପଛକେ; (ତୁଳନାକର) ‘‘ବାଜୁ ଦୁଷଣ ଘୋଷଣ । ହେଲେ ହେଉ ପଛେ ନାନା କଷଣ ଗୋ । ମୁଁ ତ କଲିଣି ନିନ୍ଦା ଭୂଷଣ; ସଜନି ଗୋ ।’’ -ଅଭିମନ୍ୟୁ ସାମନ୍ତ ସିଂହାର ।
୧୦। ଗଜପତି-ପୁରୁଷୋତ୍ତମ ଦେବ ଓଡ଼ିଶାର ଗଜପତି ମହାରାଜା; ରାଟ-ରାଜା; ଅଧିକରଣ-ବିଚାରାଳୟ; ଶାସ୍ତି-ଦଣ୍ଡ ।
୧୧। କରଣି-କାମ ।
୧୨। ପର୍ବ-ପୂର୍ଣ୍ଣିମା; ଶର୍ବରୀଶ-ରାତିର ଅଧିପତି ବା ରାଜା ଅର୍ଥାତ୍ ଚନ୍ଦ୍ର; କର୍କଶତା-ବାହୁପାଶର କଠିନତା ।
୧୩। ରାକା- ପୂର୍ଣ୍ଣିମା; ଇନ୍ଦୁ-ଚନ୍ଦ୍ର; ମଧୁର ଯୋଗ- ମଧୁର ମିଳନ; କଇତକ-ମିଛିମିଛିକା; ଅଭିଯୋଗ-ଦୋଷ ଦିଆଦେଇ।
(ରାଗ-ଦେଶାକ୍ଷ)
ପତିଗୃହେ ଶକୁନ୍ତଳା କରିବେ ଗମନ
ଭାଳି କଣ୍ୱାଶ୍ରମ ଆଜି ବିଷାଦେ ମଗନ ।୧।
ପୁଷ୍ପପାତ ଛଳେ ତରୁ ଲୋତକ ପକାଇ,
କାନ୍ଦନ୍ତି ସରଳ-ସଖୀ-ଗୁଣଗଣ ଧ୍ୟାଇ ।୨।
ଶୋକର ତାମସୀ ଛାୟା କାୟାକୁ ବିସ୍ତାରି
ଆଶ୍ରମର ଚଉଦିଗ ଅଛଇ ଆବୋରି ।୩।
ବୃଦ୍ଧା ଗଉତମୀ ପ୍ରିୟମ୍ୱଦା ଅନସୂୟା
କରନ୍ତି ବିଳାପ ହୋଇ ଆକୁଳ ହୃଦୟା ।୪।
ନିର୍ବିକାର କଣ୍ୱ ମୁନି ବିକାରକୁ ଭଜି
ନୀରବେ କରନ୍ତି ଶୋକ ଲୋତକ ବରଜି ।୫।
ଗୃହି-ଜନ-ସୁଲଭ ଏ ଶୋକାବେଗ ପୁଣି
ଲକ୍ଷି ହେଉଛନ୍ତି ମୁନି ହୃଦ ମଧ୍ୟେ ଗୁଣି ।୬।
‘‘ଶକୁନ୍ତଳା ପତିଗୃହେ କରିବ ଗମନ
ଜଡ଼ୀଭୂତ ନେତ୍ର ମୋର କଣ୍ଠ ବାକ୍ୟହୀନ ।୭।
ବନବାସୀ ତାପସ ମୁଁ; ମାୟା ମୋ ଏସନ
କନ୍ୟା ତେଜି ନୋହୁଥିବେ କିସ ଗୃହୀ ଜନ ।୮।
ଚିନ୍ତୁଁ ଏହି କ୍ରମେ ମୁନି ନବୀନ ଦୁକୁଳେ
ମଣ୍ଡି ବପୁ ଶକୁନ୍ତଳା, ଚରଣର ତଳେ ।୯।
ପ୍ରଣମି ମାଗିଲେ ଧନୀ ବିଦାୟ କରୁଣ
ଶୋକ-ନଦୀ-ବନ୍ଧ ଭଗ୍ନ କରି ତତକ୍ଷଣ ।୧୦।
ଲୋତକରେ କରି ସିକ୍ତ ଭାଷା ମୁନିବର
ବିହିଲେ ଆଶିଷ ‘‘ବତ୍ସେ ! ଲଭ ଗୋ ସତ୍ୱର ।୧୧।
ସୁତ ରାଜଚକ୍ରବର୍ତ୍ତି–ଲକ୍ଷଣ-ସଂଯୁତ,
ସଧବା ସିନ୍ଦୁରେ ରହୁ ମା ! ଅକ୍ଷତ ।୧୨।
ତରୁଗଣେ ସମ୍ୱୋଧିଣ କହନ୍ତି ତାପସ
‘‘ତୁମ୍ଭଙ୍କୁ ନ ଦେଇ ଜଳ ଯେ ଜଳ ସ୍ପରଶ ।୧୩।
କରିନାହିଁ, ହୋଇ ଯେହୁ ଭୂଷଣ-ରଙ୍କୁଣୀ
ପଲ୍ଲବ ତୁମ୍ଭର ଦିନେ କରିନାହିଁ ହାନି ।୧୪।
କୁସୁମ ଉଦ୍ଗମେ ତୁମ୍ଭ, ହୃଦୟ ଯାହାର
ଆନନ୍ଦରେ ହେଉଥିଲା ଉଦ୍ବେଳ ଗୋ ତାର ।୧୫।
ପତି-ଗୃହ-ଯାତ୍ରା ଆଜି, ଉଲ୍ଲସିତ ମନେ
ବିଦାୟ ଦିଅ ଆଶ୍ରମ ମହୀରୁହଗଣେ! ।୧୬।
ଏକାଳେ ରାବନ୍ତେ ପିକ ତରୁ-ଡାଳେ ବସି
ପଡ଼ନ୍ତେ ପୁଷ୍ପନିବହ ବାୟୁଯୋଗେ ଖସି ।୧୭।
ତରୁଗଣ ଏ ସବୁକୁ କରି ବ୍ୟପଦେଶ
ଦେଲେ ଅନୁମତି ବୋଲି ଜାଣିଲେ ମୁନୀଶ ।୧୮।
ପ୍ରିୟସଖୀ ପାଇଁ ଶୋକେ ହୋଇଣ ଗଦ୍ଗଦ ।
ଗଗନ ଫଟାଇ ବିଳପିଲା ପ୍ରିୟମ୍ୱଦା ।୧୯।
ଆସନ୍ନ-ସଖୀ-ବିରହେ ଅନସୂୟା ପୁଣି
କଣ୍ଠେ ତା ମିଳାଇ କଣ୍ଠ କାନ୍ଦିଲା ଦୁଃଖିନୀ ।୨୦।
ଶକୁନ୍ତଳା-ବସନାନ୍ତ ଧରି ମୃଗଶାବ
ଟାଣନ୍ତେ ସୂଚାଇ ମୁଖେ ବିଷାଦ ନୀରବ ।୨୧।
ଭାଷିଲେ ତାପସ ‘‘ବତ୍ସେ ! କୁଶାଗ୍ରେ ଯା ମୁଖ
କ୍ଷତ ହ୍ୱନ୍ତେ ମନେ ତୁମ୍ଭେ ବହି ଗୁରୁ ଦୁଃଖ ।୨୨।
ଇଙ୍ଗୁଦୀ-ତଇଳ ଲେପି ଶୁଖାଇଲ ବ୍ରଣ ।
ନୀବାର ତଣ୍ଡୁଳେ ତୁମ୍ଭ, ପୁଷ୍ଟା ଯା ଜୀବନ; ।୨୩।
ମାତୃହୀନ ସେହୁ ମୃଗଶାବ ତୁମ୍ଭ ଗତି ।
ବସନାନ୍ତ ଟାଣି ରୋଧେ, ବିଷାଦ ତ ଅତି ।୨୪।
ବାତ୍ସଲ୍ୟରେ ବିଗଳିତ ହୁଅନ୍ତେ ଅନ୍ତର
ସମ୍ଭାଷିଲେ ସ୍ନେହଶୀଳ ମୃଗଣାରେ ଗିର ।୨୫।
‘‘ପାଳିଥିଲି ତୋତେ ତୋର ମାଆ ଯାନ୍ତେ ମରି
ପଛେ ଗୋଡ଼ାଇ କି ବାପ ! ସେ କଥା ସୁମରି ? ।୨୬।
ଯାଉଛି ମୁଁ ପିତୃଦେବ ତୋତେ ଆଜଠାରୁ
ଲାଗିଲେ ରେ ବାପ ! ତୁହି ରହି ଏହିଠାରୁ ।୨୭।
ଝରିଲା ନୟନୁଁ ନୀର ହେଲା କଣ୍ଠରୋଧ
ନ ମାନିଲେ ଚାରୁଶୀଳା କାହାରି ପ୍ରବୋଧ ।୨୮।
ଶାର୍ଙ୍ଗ ରବେ ଚାହିଁ ମୁନି ଭାଷନ୍ତି ଏକାଳେ
‘‘ଶକୁନ୍ତଳା ସହ ବତ୍ସ ! ଯିବ ନୃପ ଆଳେ ।୨୯।
ଭାଷିବ ତାହାଙ୍କୁ ଆମ୍ଭେ ବନବାସୀଜନ
ତପସ୍ୟା ବିହୁନେ ଆମ୍ଭ ନାହିଁ ଆନ ଧନ ।୩୦।
ସରଳା ଏ ଶକୁନ୍ତଳା, ପ୍ରଣୟ ପ୍ରବୃତ୍ତି
ସରଳ ବେଭାରେ ପ୍ରକାଶିଛି ତାଙ୍କ ପ୍ରତି ।୩୧।
କଳତ୍ର-କାଙ୍କ୍ଷିତ ପତି ସୁହାଗ-ସମ୍ଭାର
ଲଭିଲେ ସେ, ହେବ ତୋଷ ଅନ୍ତର ଆମ୍ଭର ।୩୨।
ନ ମାଗୁଛୁଁ ଆନ କିଛି’’ । ‘‘ଶୁଣ ଶକୁନ୍ତଳେ !
ଆଚରିବ ଗୁରୁଜନସେବା ପତିଆଳେ ।୩୩।
ମଣିବ ସପତ୍ନୀଗଣେ ପ୍ରିୟସଖୀ ସରି
ନ ଧରିବ ପତିଦୋଷ ରୋଷେ ହୁଡ଼ କରି ।୩୪।
ପତି ରୁଷ୍ଟ ହେଲେ ହୋଇ ବିରୁଦ୍ଧାଚାରିଣୀ
ନୋହିବ କଦାଚ ତାଙ୍କ ବିରାଗ-ଭାଗିନୀ ।୩୫।
ବିଳାସେ ଆସନ୍ତି କେଭେଁ ନୋହେ ବୋ ଉଚିତ
ପରଜନେ ଅନୁକମ୍ପା ବିହବ ମା ! ନିତ୍ୟ ।୩୬।
ଏହାର ଅନାଥା କଲେ ମିଳେ ଅପସଣ
ମନଃଶୂଳ ହୁଏ ବଧୁ ସଭିଙ୍କ ଅବଶ୍ୟ ।୩୭।
ଦିଅ ମା ! ମେଲାଣି ଏବେ ସଖୀଙ୍କି ତୋହର
ନ ଯିବେ ତୋ ସଙ୍ଗେ ସେ ତ ଆଉ ବେଶୀ ଦୂର ।୩୮।
ମୋତେ ମା ! ବିଦାୟ ଦିଅ ଘେନ ଶୁଭାଶିଷ
ପୂରାନ୍ତୁ କାମନା ତୋର ପ୍ରଭୁ ଜଗଦୀଶ ।୩୯।
ପ୍ରାଚୀ ପ୍ରସବଇ ସେହ୍ନେ ସହସ୍ରଦୀଧିତି
ସୁପୁତ୍ର ତେସନ କୋଳେ ବହି ଆୟୁଷ୍ମତି ।୪୦।
ମୋ ବିଚ୍ଛେଦ-ବ୍ୟଥା ତ୍ୱରା ହୁଅ ଗୋ ବିସ୍ମୃତି
ବିଷୟବ୍ୟାପାରେ ସଦା ନିବେଶ ମା! ଚିତ୍ତ ।୪୧।
ଶୋକାତୁରା ଶକୁନ୍ତଳା ସଖୀଙ୍କି ଆଲିଙ୍ଗି
ଭାଷନ୍ତି ‘‘ମେଣ୍ଟ ଆମ୍ଭର ବିହି ଦେଲା ଭାଙ୍ଗି ।୪୨।
ସଖୀଏ ! ଏହି କି ମୋର ଶେଷ ଆଲିଙ୍ଗନ
ଏହି କି ଲୋ ଆଶ୍ରମେ ଶେଷ ସମ୍ଭାଷଣ ? ।୪୩।
ପ୍ରିୟମ୍ଭଦେ ! ଅନସୁୟେ ! କହ ସତ କରି
ଦୁଃଖିନୀର ସ୍ମୃତି ହୃଦେ ଥିବ ଟିକି ଧରି ।୪୪।
କହ ପିତଃ କହ କେବେ ଆସି ଏ ରଙ୍କୁଣୀ
ଏ ଆଶ୍ରମ ନିରେଖିବ ନେତ୍ରଯୁଗେ ପୁଣି’’ ।୪୫।
ଭାଷିଲେ ତାପସ ‘ବତ୍ସେ ! ବିଶାଳ ଅବନୀ
ସପତ୍ନୀ ସମାନ ଲଭି, ହୋଇ ରାଜରାଣୀ ।୪୬।
ଜରାଗସେ ରାଜ୍ୟଭାର ଦେଇ ସୁତି କରେ
ଆଚରିବ ବାନପ୍ରସ୍ଥ ଏହୁ ଆଶ୍ରମରେ ।୪୭।
ସେ ଅଛି ବହୁତ ଦିନ ! ନୁହ ଗୋ ଚିନ୍ତିତା
ପତିଗୃହେ ପତିସେବା କର ପତିବ୍ରତା! ।୪୮।
ତପସ୍ୟାର ବେଳା ଏବେ ହେଲାଣି ଆରତ
ଯାଏଁ ମାଆ ! ନିରାପଦ ହେଉ ତୁମ୍ଭ ପଥ ।୪୯।
ପ୍ରାଣମିଣ ଶକୁନ୍ତଳା ଗଲେ ପତିଗୃହ
ଶାର୍ଙ୍ଗଚାବ, ଶାରବଦିତ, ଗଉତମୀ ସହ ।୫୦।
ଚନ୍ଦ୍ରିକା ବିହୁନେ ଯଥା ଦିଶଇ ଯାମିନୀ
ଦାମିନୀ ପ୍ରୟାଣେ ଯଥା ଦିଶେ କାଦମ୍ୱିନୀ ।୫୧।
ଶକୁନ୍ତଳା ଯାନ୍ତେ ଚଳି ତଥା ତପୋବନ
ଦିଶିଲା ସପଦି ହତଶିରୀ ଅଶୋଭନ ।୫୨।
୧। କଣ୍ୱାଶ୍ରମ – କଣ୍ୱ ମୁନି ଅର୍ଥାତ୍ ଶକୁନ୍ତଳାଙ୍କ ପାଳକ ପିତାଙ୍କ ଆଶ୍ରମ ।
୨। ଗୁଣଗଣ-ଗୁଣ ସମୂହ; ଧ୍ୟାୟି-ସୁମରି ।
୫। ନିର୍ବିକାର-ଦୁଃଖ ସୁଖରେ ଅବିଚଳିତ ।
୮। ତାପସ – ଋଷି ।
୯। ଦୁକୁଳ-ବସ୍ତ୍ର; ବପୁ-ଦେହ ।
୧୧।୧୨। ଲୋତକରେ କରି ସିକ୍ତ ଭାଷା-କୋହରେ କଣ୍ଠ ରୋଧକରି; ବିହିଲେ ଆଶିଷ-ଆଶୀର୍ବାଦ କଲେ ।
୧୩।୧୬। ସମ୍ୱୋଷଣ-ଡାକି; କୁସୁମ ଉଦ୍ଗମେ-ଫୁଲ କଢ଼ି ବାହାରିଲେ; ମହୀରୁହ-ତବ୍ର ।
୧୭।୧୮। ବିବହ-ସମୂହ; ସବୁ; ବ୍ୟପଦେଶ-ଛଳ, ସଂକେତ ।
୧୯।୨୦। ଗଦ୍ଗଦା-ଆକୁଳ; ବିଳପିଲା-କାନ୍ଦରା ।
୨୧।୨୪। ବସନାନ୍ତ-ଲୁଗାକାନି; ଶାବ-ଛୁଆ; ବ୍ରଣ-ଘାଆ ।
୩୧। ସରଳ ବେଭାରେ.. ଇତ୍ୟାଦି-ନିଷ୍କପଟରେ ତାଙ୍କୁ ହୃଦୟ ଦାନ କରିଅଛି ।
୩୨। କଳତ୍ର-ଭାର୍ଯ୍ୟା; କାଙ୍କ୍ଷିତ-ଇପ୍ସିତ, ଇଚ୍ଛା କରୁଥିବା; ସୁହାଗସମ୍ଭାର-ସ୍ନେହରୂପ ଧନ ।
୩୩। ଆଳେ – ଘରେ ।
୩୬। ପରିଜନ-ଚାକର ଚାକରାଣୀ; ଅନୁକମ୍ପା-ଦୟା; ନିତ୍ୟ-ସବୁବେଳେ ।
୩୭। ମନଃଶୂଳ – ଅପ୍ରିୟ ।
୪୦। ପ୍ରାଚୀ-ପୂର୍ବଦିଗ; ସହସ୍ରଦୀଧତି- ସୂର୍ଯ୍ୟ ।
୪୧। ତ୍ୱରା-ଶୀଘ୍ର; ବିଷୟ ବ୍ୟାପାରେ-ସଂସାର ଧନ୍ଦାରେ; ନିବେଶ ମା ! ଚିତ୍ତ-ହେ ମା ! ମନ ଦିଅ ।
୪୨। ମେଣ୍ଟ-ମେଳ ।
୪୩। ଜରାଗମେ – ବୃଦ୍ଧ ବୟସ ହେଲେ ।
୫୧। ଯାମିନୀ-ରାତ୍ରି; ଦାମିନୀ-ବିଜୁଳି; କାଦମ୍ୱିନୀ-ମେଘ ।
୫୨। ସ୍ଥପଦି – ଶୀଘ୍ର ।
(ରାଗ ଚୋଖି)
ଲାଜର ମନା ନ ମାନି ଅବାଧ୍ୟ ନୟନ ବେନି
ଅଳି ସମ ଅୟିଧନି ! ମୁଖେ ତୋ ମଜ୍ଜେ,
ଅନ୍ତର ତରଳ ହୋଇ ଅଜାଣତେ ଯାଏ ବହି
ଚୁମ୍ୱିବ ଆବର୍ତ୍ତ ହୋଇ ତୋ ପଦକଞ୍ଜେ,
ଲାଳସୀ ଏ ସାରା ପରାଣ,
ନିଃଶେଷି ତୋ ରୂପସୁଧା କରିବ ପାନ ।
ଅବାଧ୍ୟ–ଅମାନିଆଁ; ଧନୀ–ପ୍ରିୟା: ଅନ୍ତର–ଚିତ୍ତ: ଆବର୍ତ୍ତ-ଡଅଁର: କଞ୍ଜ-ପଦ୍ମ; ଲାଳସୀ-ଅତୀବ ଆଗ୍ରହୀ; ନିଃଶେଷି-ଟିକିଏ ହେଲେ ବହକା ନ ରଖି; ରୂପସୁଧା-ରୂପ ରୂପକ ଅମୃତ ।
ରାଗ-ବସନ୍ତ
ଦିଗପାଳ ସମ ମନେ ହୁଏ ମମ ଉତ୍କଳ ସାହିତ୍ୟ କ୍ଷେତ୍ରେ ଯେ
ରାଜିଥିଲ ତୁମ୍ଭେ ହେ ଗୋପାଳଚନ୍ଦ୍ର ଦେଇ ମୋଦ କୋଟି ନେତ୍ରେ
ସାଧକ ! ସିଦ୍ଧ ତ ହେଲା ସାଧନା ହେ
ପ୍ରପଞ୍ଚ ମଞ୍ଚରେ ବେଶି କିପାଁ ଆଉ ରହନ୍ତ ଟି ମହାମନା ହେ ?
କଲ ଫଳବନ୍ତ ‘ଭାଷାକୋଷ’—ତରୁ ପାଣି ଫଟାଇ ଶୋଣିତ ହେ ।
ଏକା ଏଥିପାଇଁ ଚଉଥ-ଶତାବ୍ଦୀ ଜୀବନରୁ କଲ ଦତ୍ତ ହେ
ସାଧକ ! ସାତ ଖଣ୍ଡ ଭାଷାକୋଷ ହେ
ସାଧନାର ସପ୍ତ ସାଗର ତୁମ୍ଭର, କାଳେ ରଚେ ଉପହାସ ହେ ।
ରସାଳ ଲେଖନୀ ଧରି ଗୁଣମଣି ! ‘ନନାଙ୍କ ବସ୍ତାନୀ ଆଦି ହେ’
ଅମୂଲ୍ୟ ଅତୁଳ ରତନ ପ୍ରତୁଳ ଯାଇଛ ଯାହା ସମ୍ପାଦି ହେ
ରସିକ ! ରବି ଶଶୀ ଥିବା ଯାକେ ହେ
କଳିଙ୍ଗ-ଭାରତୀ-ଭଣ୍ଡାରେ ତା ଆଭା ମଉଳିବ ନାହିଁ ଟିକେ ହେ ।
ସାହିତ୍ୟ ଜଗତେ ଥିଲ ଛତ୍ରପତି, ମାନବ କୁଳରେ ହୀରା ହେ ।
ଦୀନ ହେଲା ଆଜ ଉତ୍କଳ ମହୀର ଦୟା-ସୌଜନ୍ୟ-ପସରା ହେ
ଦୟାଳୁ ! ସୁସ୍ମିତ ବଚନ ଧନ ହେ !
କୋଟି ତରୁଣଙ୍କ ପ୍ରିୟ ‘ବାବା’ ଡାକ ଘେନି ହେଲ ଅନ୍ତର୍ଦ୍ଧାନ ହେ ।
ଆଉ ସଭିଙ୍କର ଅଛି ପଟାନ୍ତର ତୁମ୍ଭ କାହିଁ ହେ,
ଶିଖରୀ ହୋଇଣ ତୃଣକୁ ଶିଖର ପାରେ କେ ଆଉ ନୁଆଇଁ ହେ
ଗୋପାଳ ! ହୃଦ ତୁମ୍ଭ ସ୍ନେହ-କୂପ ହେ
ସୁଦୀନ ବିଚ୍ଛନ୍ଦ ପରଜା ତୁମ୍ଭର ତୁମ୍ଭେ ତା ଆରାଧ୍ୟ ଭୂପ ହେ ।
କଟକ ଟାଉନ ହଲରେ ଅନୁଷ୍ଠିତ ପ୍ରଥମ ଶୋକସଭାରେ ଗାନ ହୋଇଥିଲା ।
୧। ମୋଦ-ଆନନ୍ଦ; ପ୍ରପଞ୍ଚ-ଖଳ, ମଞ୍ଚ-ମର୍ତ୍ତ୍ୟପୁର ।
୨। ଭାଷାକୋଷ-ସାତଖଣ୍ଡରେ ସମାପ୍ତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ; ଚଉଥ-ଚଉଠ ।
୩। ‘‘ନନାଙ୍କ ବସ୍ତାନୀ’’ ପ୍ରଭୃତି ପୁସ୍ତକ ପ୍ରହରାଜଙ୍କ ହାସ୍ୟୋଦ୍ଦୀପକ ସାହିତ୍ୟ ସୃଷ୍ଟିର ଚରମ-ଓଡ଼ିଆ ସାହିତ୍ୟ ରାଜ୍ୟରେ ଅତୁଳନୀୟ; ପ୍ରତୁଳ ପ୍ରଚୁର ।
୪। ଛତ୍ରପତି ରାଜା । ସସ୍ମିତ-ହସହସ, ‘ବାବା’-ପ୍ରହରାଜ ମହୋଦୟ ସମସ୍ତଙ୍କୁ ବାବା ଡାକୁଥିଲେ । ଏ ଡାକ ଅପାର ବାତ୍ସଲ୍ୟର ସୂଚକ ଥିଲା ।
୫। ପଟାନ୍ତର-ତୁଳନା; ଶିଖରୀ-ପର୍ବତ; ଶିଖର-ପର୍ବତର ଶିଖ; ତୃଣ-ଘାସ; ଭୂପ-ରାଜା; କବି ବ୍ୟକ୍ତିଗତ ଭାବରେ ପ୍ରହରାଜଙ୍କ ନିକଟରେ ବହୁ ଭାବରେ ଋଣୀ । ପ୍ରହରାଜେ କବିଙ୍କର ବିପଦବନ୍ଧୁ ।
ରାଗ-ଆଶାବରୀ
(‘ଯାହା ଇଚ୍ଛା ତାହା ହେଉ ଗୋ ପ୍ରିୟସହି ରେ’ ବୃତ୍ତରେ)
ମିଳନ ତ ଏବେ ଶେଷ ହେ ପ୍ରିୟଭାଇ !
ଅତୀତ ଗରଭେ ହଜାଇଲା ସତ୍ତା
ଆଜିଠାରୁ ଏ ବରଷ ହେ । ଘୋଷା ।
କଳା-ଗରବିନୀ କଳିଙ୍ଗ ଅବନୀ
ନବ ସାରସ୍ୱତ ଦୀକ୍ଷା
ମାହେନ୍ଦ୍ର ସୁଯୋଗେ ଘେନୁ ନବଯୁଗେ
କର ବାଣୀ-ପଦେ ଭିକ୍ଷା ହେ ।୧।
ସଂକୀର୍ଣ୍ଣ ବେଷ୍ଟନୀ ତେଜି ମୁଦେ ଧନୀ
ବିଶ୍ୱାଙ୍ଗନେ ପରବେଶୁ
ଖେଳ ନଭେ ଆଜି ବିଶ୍ୱଭାବ ରାଜି
ତହିଁ ତା ଚିତ୍ତ ବିଳସୁ ।୨।
କଳିଙ୍ଗ ଅତୀତ ଗଉରବଯୁତ
କଳିଙ୍ଗର ବର୍ତ୍ତମାନ
ପ୍ରଭୁ ଜଗଦୀଶ ମଙ୍ଗଳ ଆଶିଷ—
ଆସାରରେ କରୁ ସ୍ନାନ ।୩।
କଳିଙ୍ଗ ଭାରତୀ ଭଣ୍ଡାର-ବିଭୂତି
ସାରା ବିଶ୍ୱେ କରୁ ଧନୀ
ସାର୍ଦ୍ଧ କୋଟି କଣ୍ଠୁ ଏକସ୍ୱରେ ଉଠୁ
ଜୟ ମା ବୀର ଜନନୀ ।୪।
(ଗୋପାଳ କୃଷ୍ଣଙ୍କ ‘ଦୟା ନ କରନ୍ତୁ ମୁଁ ଦାସୀ ସିନା’ ବୃତ୍ତରେ)
ଉରେ କଡ଼ାଇ ଧରିଥାନ୍ତି ସିନା ହେ ! ଘୋଷା ।
ପୟ ଗଳିବା ପାଇଁ ଫାଙ୍କ ତ ଥାନ୍ତା ନାହିଁ
କହ ଭଲା କାହିଁକି ଅଳରୁଣା ।୧।
ନାଚଇ ଉରେ ମୋର କେତେ କେତେ ଯୁଗର
ବାସନା ତୁମ୍ଭ ବିନା ଅପୂରଣା ।୨।
ପରାଣମାଥି ! ଦୂରେ ରହ, ଝୁରି ମୁଁ ମରେଁ;
ଯଥା ଘାଉଆ ଏଣୀ ଗଣବଣା ।୩।
ଦିଶେ ଦିଶେ ଦିଶୁଛ ପାଶେ ତ ନ ଆସୁଛ
ଦୀନା ନିଆଳୀ ମଧୁଲିଟ ବିନା ।୪।
ପୂଜାଡାଲା ମୋହର ହେଲା ଟି ନାରଖାର
ଲୁହ-ସୁଏ ଭାସିଲି ରଖ କିନା ।୫।
ଏହା ଉତ୍କଳ ସାହିତ୍ୟ ସମାଜର ୧୯୩୭ ମସିହାର ବାର୍ଷିକୋତ୍ସବର ଶେଷ ସଂଗୀତରୂପେ ଓ ଅନ୍ୟାନ୍ୟ ବହୁ ସାରସ୍ୱତ ଉତ୍ସବର ଶେଷ ସଙ୍ଗୀତ ରୂପେ ଗାନ ହୋଇଅଛି ।
୦। ଉର-ଛାତି; ଜଡ଼ାଇ-ଜାକି ।
୧। ପୟ-ପାଣି; ଅକରୁଣା ଦୟାର ଅଭାବ ।
୨। ଅପୂରଣା-ସାର୍ଥ ହୋଇ ନ ଥିବା ।
(ଶ୍ରୀରାଧା ବାତୁଳି ପ୍ରେମରତ୍ନତୁଳି ବୃତ୍ତରେ)
ପ୍ରାଚୀ-ଭାଲ-ଟୀକା ତାରୁଣ୍ୟ-ପୁରୋଧା
ଆହେ ସାର୍ବଭୌମ କବିବର !
ଭାରତ-ଗୌରବ-ଶିଖର-ମଉଳି !
ଧନ୍ୟ ହେଲା ଧରା ଏ ଆମ୍ଭର;
ତୁମ୍ଭ ପଦ ଛୁଇଁ
ତୁମ୍ଭରି ମଳୟାମୋଦ ପାଇ
ଜଡ଼ତା-ଶିଶିର ହତ ହେଲା ତାର
ବରଦ ହେ ଚଲ ଚର ଦେଇ ।
ସୁଚିର-ମାଧବ-ମାଧୁରୀ-ଜାହ୍ନବୀ
ଭଗୀରଥ ହୋଇ ଥିଲ ଆଣି,
ଚିର-ତରୁଣ ହେ ! ଆଦରଶ ତୁମ୍ଭ
ହେଲା ମୃତ-ଧରା-ସଞ୍ଜୀବନୀ,
ଭସ୍ମ ଅଙ୍କୁରିଲା,
ମରଣେ ଜୀବନ ଭରିଗଲା,
ଶିଶିର-ହତ-ପଲ୍ଲବ ତରୁ-ଗାତ୍ର
ଶ୍ୟାମ-ଅଇଶୁର୍ଯ୍ୟେ ପୁଲକିଲା ।
ବିଶ୍ୱ-ଜନ-ହୃଦ-ମରାଳୀ ନାଚିଲା
ତୁମ୍ଭ ରଚନାର ବାରିଘାତେ
କଞ୍ଜ-ବନ କବିତାର ଫୁଟାଇଲ
ଭୂଭାରତେ କମ୍ର ରଶ୍ମିପାତେ,
ଆହେ ସୂରିଚାରୁ !
ଅବତରି ଆସ ସୁରପୁରୁ ।
ଭାରତ-ହୃଦ-କୁମୁଦ-ପ୍ରକାଶକ !
ପଥ ଚାହିଁ ଅଛୁଁ ପରା ଦୁରୁଁ ।
କାଦମ୍ୱିନୀ-ଶାଟୀ ବକାଳି-ମାଳିକା
ପ୍ରାବୃଟର ଏହି ନବସାଜ
କରି ପହରଣ ଉଲ୍ଲସିତ ମନ
ଉତ୍କଳ ଅବନୀ ପରା ଆଜ
ତୁମ୍ଭ ଆଗମନେ
‘ସାହିତ୍ୟ ସମାଜ ଅର୍ଘ୍ୟ ଦାନେ’
କୋଣାର୍କ-ପଥର-ଅବଳା-ବନ୍ଦାଣେ
ବନ୍ଦାଏ ଏ ସ୍ମୃତି ପୂଜା ଦିନେ ।
୩। ଘାଉଆ-ଆହତ ହୋଇଥିବା; ଏଣୀ-ହରିଣୀ; ଗଣବଣା-ଗୋଠରୁ ଖସି ଯାଇଥିବା ।
୪। ମଧୁଲିଟ-ଭ୍ରମର ।
ଏହା ଉତ୍କଳ ସାହିତ୍ୟ ସମାଜ ଓ ବଂଗୀୟ ସାହିତ୍ୟ ପରିଷଦଙ୍କ ସମ୍ମଳିତ ବାର୍ଷିକ ରବୀନ୍ଦ୍ର ଶ୍ରାଦ୍ଧ ସଭାରେ ବହୁବାର ଗାନ ହୋଇଅଛି ।
ପ୍ରାଚୀ-ପାଚ୍ୟ ଖଣ୍ଡ; ଭାଲ-କପାଳ; ଟୀକା-ଚିତା, ଦାରୁଣ୍ୟ-ପୁରୋଧା ଆମରଣ ଯୁବ-ମନୋଭାବ ରକ୍ଷା କରିବାର ପକ୍ଷପାତୀ, ସାର୍ବଭୌମ କବି-ବିଶ୍ୱକବି, ଶିଖରୀ-ପର୍ବତ ମଉଳି-ମୌଳିଶିଖର, ମଳୟାମୋଦ-ମଳୟ ପବନର ସୁଗନ୍ଧ, ଜଡ଼ତା-ଶିଶିର-ନିଶ୍ଚେଷ୍ଟତା ରୂପକ ଶୀତକାଳ ।
ରାଗ-ଆହାରୀ
(‘କୃଷ୍ଣର ଗମନ ଦେଖି ଛନ ଛନ ହୋଇ ସକଳ ଗୋପାଙ୍ଗନା’, ବୃତ୍ତ)
ପାଇଛି ପତର କି ଦେବି ଉତ୍ତର କରେଁ ନିରନ୍ତର ଭାବନା
ସଂଶୟ ସୂଚାଇ ଲେଖୁଛୁ ଯା ତୁହି ଚିତ୍ତେ ସରଜେ ତା ଯାତନା
ରତନା ! କେଉଠୁଁ ଶିଖିଲୁ ଏ ରୀତି
ଜାଣୁ ନାହିଁ କି ରେ ଗାଢ଼ ପୀରତିକି ସଂଶୟ ଯେ ଅଟେ ଅରାତି ।୧।
ରତ୍ନଚୀରାତୀରେ ବାଲି ଖେଳ ଖେଳୁଁ ତୋର ମୋର ପରା ପୀରତି,
ଭୁଲି ଗୁଲୁକି ରେ ! ବାଲିଘରେ ତୁହି କାନ୍ତା ସାଜୁ ମୁହିଁ ତୋ ପତି,
ରତନ ! ବାଲିରେ ବନାଉଁ ଅଶନ,
ଚମ୍ପା-ଆଙ୍ଗୁଳିରେ ପରଷି ତା ପୁଣି କରାଉଟି ମୋରେ ଭୋଜନ ।୨।
ବାଲିଭାତ ଦିନେ ମିଛେ ଗଲା ପୋଡ଼ି ମିଛେ ମୁଁ ମାରନ୍ତେ ଚାପୁଡ଼ା,
ଶଶିଖଣ୍ଡ-ରାଣ୍ଡେ ହୋଇଗଲା ଆଙ୍କି ମୋ ଆଙ୍ଗୁଳିର ନୋଳା ଯୋଡ଼ା,
ରତନ ! ତୁ କାନ୍ଦିବାର ଆଗୁଁ ମୋର
ଆଖିରୁ ଗଡ଼ନ୍ତେ ଲୁହଧାର ଦେଖି ଦିହ କରି ଦେଲୁ ପଥର ।୩।
ବୋଉ ପଚାରନ୍ତେ ଗାଲ କିସ ହେଲା ବୋଇଲୁ ପଡ଼ିଗଲି ମୁହିଁ,
ପଥରେ ଲାଗିଲା ଆଘାତ ମାଧବ ଧଇଲା ମୋରେ ଉଠାଇ
ବୋଉ ଲୋ ! ମାଧବ ନ ଯାଉ ତା ଘରେ
ଆମ ଘରେ ରହୁ, ଆମ ଘରେ ଖାଉ, ଶୋଉ ଆମ ଖଟ ଉପରେ ।୪।
ଧୂଳି ଖଳ ବେଳ ସରିଗଲା ବେଗେ ହୋଇଲୁ ତୁହି ଏକାଦଶୀ,
ଗଲା ନୂଆ ଝଳି ଅଙ୍ଗରେ ତୋ ଖେଳି ଲାଜରେ ପୂରା ଗଲୁ ଲସି,
ଏଣିକି ! ଚାହିଁଲେ ନତ କରି ମଥା
ଗୋଡ଼ ବୁଢ଼ା ଆଙ୍ଗୁଠିରେ ମହୀ ଚିରି ଲାଜଭରେ କହିଲୁ କଥା ।୫।
ଦିନେକ ପିଜୁଳି ତୋଳୁଥିଲି ମୁହିଁ ଗଛମୂଳେ ଥିଲୁ ଅନାଇଁ
ଦମକା ପବନ ବାଦ ସାଧି ତୋର ଝୀନବାସ ନେଲା ଉଡ଼ାଇ,
ରତନ ! ସୁନା ଖଡ଼ିକାର ସରି ରେ
ମତୁଆଳ କରି ମନକୁ ମୋହର ଦିଶିଲୁ ଶୋଭା-ବଲ୍ଲରୀ ରେ ।୬।
ଡାକନ୍ତେ ‘ରତନ !’ ସମ୍ଭାଳି ବସନ କହିଲୁ ଦୁଷ୍ଟାମି କାହିଁକି ?
ବୋଉ ତେଣେ ଅଛି ରମାକୁ ଡାକୁଛି ପାଟି ତାର ଶୁଭୁ ନାହିଁ କି ?
ସେ ଦିନ; କାନି ଧରି ମୋରେ ଟାଣିଲ
ବୋଉ ହାବୁଡ଼ିଲେ ପଡ଼ିଲି ମୋ ହୃଦ ଲାଜ କୁର୍ହାଡ଼ରେ ହାଣିଲ ।୭।
ବୃତ୍ତ ପାଇ ଗାଁଆ ଛାଡ଼ି ଯେଉଁ ଦିନ ପୁରୀ ଗଲି ପଢ଼ା ପାଇଁ କି
ଗାଡ଼ିଆ କୂଳର ଏକାନ୍ତ ମିଳନେ କି କାନ୍ଦ ତୋ ମନେ ନାହିଁ କି ?
ରତନ ! ପୋଥିଏ କଥା ତୁ ଲୁହରେ
କହିଗଲୁ ମୋର କଣ୍ଠ ନ ଫିଟିଲା ଜଡ଼ୀଭୂତ ହୋଇ କୋହରେ ।୮।
ଲୁହ, କୋହ, ଯେତେ କଥା କହନ୍ତି ରେ ରସନା ନ ପାରେ ବଖାଣି
ଅନୁଭବରୁ ସେ ଦିନୁଁ ଥାଇଁ ଜାଣି, ଆହା ରେ ମୋର ହୃଦମଣି !
ରତନ ! ଚିଠିରେ ବନାଇଁ ଚୁନାଇଁ,
ଯେତେ ଯା ଲେଖିଲେ ଲୁହ କୋହ ସରି କଥା କି ତହିଁରେ ଫିଟାଇ ।୯।
ଛୁଟିରେ ମୁଁ ଯାଏ ଯେତେ ଥର ଗାଁଆ ଜୀବନ ହୁଏ ମୋ ମଧୁର,
ତୋ ଦୁଇ ସଜଳ କଜଳ ଆଖିର ଭାବନା ମୋ ପ୍ରାଣ-ଆହାର,
ରତନ ! ଦିନ-ଚିନ୍ତା- ରାତି-ସପନ
ତୋରେ କରି ପାଠେ ନିବେଶର ମନ ତୁ ମୋର ନାସାରେ ପବନ ।୧୦।
ଦେଶ ବିଦେଶର ହାଟକ-ବରନା ଦେଖି ମୁଁ ଚିତ୍ତରେ ଭାଳଇ
ନାହିଁ ଏକ ଜଣ ରତନ-ଚରଣ-ଘସା-ପଥର ସମ ହୋଇ,
ମୋ ଧନ ! ପଲ୍ଲୀ-ସରସୀରେ ବିରଞ୍ଚି
କନକ-କମଳ ରୂପେ ଫୁଟାଇଣ ତୋରେ ମୋ ପାଇଁ ଅଛି ସଞ୍ଚି ।୧୧।
ଫଗୁ ପଠାଇଲୁ ଦୋଳ ପୂର୍ଣ୍ଣିମୀରେ ରମା ହାତେ ମୋର କତିକି,
କ୍ଷଣକେ ଚିତ୍ତେ ମୋ ଲଗାଇ ଦେଲା ତା ଅଶେଷ ଆନନ୍ଦବତୀକି
ରତନ ! ଭାଳିଲି ସତେ କି ମୋ କର
ଫଗୁରେ ତୋ ଅଙ୍ଗ ମଣ୍ଡଣି କରିବା ଭାଗ୍ୟେ ଲଭିବ ଅଧିକାର ।୧୨।
ସାକ୍ଷୀଗୋପାଳଙ୍କ ଦରଶନ ପାଇଁ ଯାଇଥିଲୁ ତୁହି ସଞ୍ଜରେ,
ଲୁଚି ମୁହିଁ ତମ ପିଛା ଧରିଥିଲି ଗଭା ଛୁଇଁ ତୋର ଖଞ୍ଜରେ,
ରତନ ! ଚମ୍ପାଫୁଲ କରୁଁ ଅନ୍ତର
ବଦନ-କମଳ ବୁଲାଇ ହସିଲୁ ଲାଜରେ ହୋଇ ଜରଜର ।୧୩।
ପ୍ରଭାତ ଭ୍ରମଣେ ଯାଇଁ ମୁଁ ଦେଖିଲି ଗାଡ଼ିଆ କରି କଞ୍ଜବନ
ସମବୟସୀଙ୍କ ଗହଣେ ରୂପସୀ ! ରଚୁଅଛୁ ତୁହି ସ୍ନାହାନ
ରତନ ! ଜଳରେ ତୁ ହସମୁକୁତା
ବୁଣି ଦେଇ ମୋହ ମୁଖେ ଯା ଚାହିଁଲୁ ଚିତ୍ତେ ରାଜେ ଆଜ ଛବିତା ।୧୪।
କଳାମେଘୀ ଶାଢ଼ୀ ପିନ୍ଧି ତୁ ରାତନ ଗୀତ ଗାଉଥିଲୁ ବାରିରେ
ତୋହ ଶୋଭା ଦେଖି କୁଆଁର ପୁନିଅଁ ଜହ୍ନ ଦେଲା ମନ ମାରି ରେ
ଷୋଡ଼ଶି ! ଝରକା ମୁଁ ଦୁଃସାହସୀ ଶିକାରୀ ରେ
ଗୋଡ଼ଟିଏ ଛାଡ଼ି ଦିଅନ୍ତେ ବୁଝିଲୁ ମୁଁ ଦୁଃସାହସୀ ଶିକାରୀ ରେ ।୧୫।
ସଖୀଙ୍କୁ ଭୁଲାଇ ଝରକା ପକାଇ ଆଣିବାକୁ ଆସି ନିକଟ
ଗଭାରୁ ଚମ୍ପକ-ଦାମ ପିଙ୍ଗି ଗଲୁ ମୁଁ ଧରି ନେଉଁ ତୋହ ହାତ
ରତନ ! ସେ ଦାମର ଦାମ କେ ଦେବ ?
ସେ ଏକା ପାଇବ ମୋହ ପରି କେହି ଯେବେ ପୂଜିବ ସଦାଶିବ ।୧୬।
ତୋର ମୋର ସହି ! ହୋଇଛି ମିଳନ ବେନିଏଁ ଆମେ ବେନିଙ୍କର
ମନର ମିଳନ ମିଳନରେ ଲେଖା ଦେହ-ମେଳ ବଶ ତହିଁର
ରତନ ! ବୋଉ କହେ ତୁହି ରତନ,
ଯାହା ଘରେ ଯିବୁ ତା ଘର ମଣ୍ଡିବୁ ତୋହ ସରି କିଏ ଯତନ ।୧୭।
ଚିନ୍ତା ତୁ ନ କର ପାହାନ୍ତ । ପହର ହେଲାଣି ବିଚ୍ଛେଦ-ନିଶିର,
ମିଳନ-ପ୍ରଭାତ ହେବ ଉପଗତ ଶୁଖିଯିବ ଶୋକ-ଶିଶିର
ରତନ ! ତୋଷ-ତାମରସ ଫୁଟିବ
ହୋଇ ପ୍ରମୋଦିତା ‘ରତନ’-ବଲ୍ଲାରୀ ‘ମାଧବ’ ତରୁରେ ଲୋଟିବ ।୧୮।
ଚିନ୍ତା ଉପେକ୍ଷିବୁ ଚିତା ତୁ ଜାଳିବୁ ବିଚ୍ଛେଦ-ଶବକୁ ଦହିବା
ପ୍ରେମର ଅମରାବତୀରେ-ବାନ୍ଧବି ଶଚୀ ଶଚୀପତି ହୋଇବା
ରତନ ! ଗୋବିନ୍ଦା କହେ ଦୃଢ଼ କରି
ଆସନ୍ତା କୋଡ଼ିଏ ତାରିଖେ ପିନ୍ଧିବି ମୁହିଁ ସୀଉକାର-ଅଙ୍ଗୁରୀ ।୧୯।
କାନ୍ଦଣା ଆରମ୍ଭ କରିଦେବୁ ବୋଲି ଜଣା ନ ହୋଇଛି ତୋହରେ
ରତନବଲ୍ଲରୀ ଝାଉଁଳି ପଡ଼ିବା ଯିବ ପୁଣି କାହା ଦେହରେ ?
ରତନ ! ଏଣିକି ଭାବନା ମୁଞ୍ଚିବୁ
ମୋ ଗାଢ଼ ଚୁମ୍ୱନ ଅଭିଷେକ ପାଇଁ ଅଙ୍ଗେ ସିଂହାସନ ରଚିବୁ ।୨୦।
କିଏ ସେ କହିଲା ତୋ ଆଗେ ରତନ ! ଆନେ ମୋହ ମନ ମଜ୍ଜିଛି ?
ରାଜାରାଜେଶ୍ୱରି । କୋୟରେ କୋପୁଛୁ ଏ ପୁଣ କି କଥା ଛି ଛି ଛି ।
ରତନ ! ତୁ ମୋହର ମୁହିଁ ତୋହର
ଶଶାଙ୍କର ପଛେ କୁମୁଦ ନୋହିବ ରତନ-ମାଳା ମାଧବର ।୨୧।
ସୁଚିର-ଚିରସ୍ଥାୟୀ, ମାଧବ- (ମଧୁ+ଅ) ବାସନ୍ତୀ, ଜାହ୍ନବୀ-ଗଙ୍ଗା; ଭସ୍ମ-ପାଉଁଶ; ଶିଶିର-ହତ-ପଲ୍ଲବ – ଶୀତକାଲ ଯୋଗୁଁ ପତ୍ରଝଡ଼ା ଦେଇଥିବା, ଶ୍ୟାମ-ଅଇଶୁର୍ଯ୍ୟେ-ପତ୍ର ବିଭବରେ ।
୩। ମରାଳୀ-ହଂସୀ, ବୀତି-ତରଙ୍ଗ, କଞ୍ଜବନ-ପଦ୍ମବନ, କମ୍ର-କମନୀୟ, ସୁରୀ-ବିଜ୍ଞବର ।
୪। କାଦମ୍ୱିନୀ-ମେଘ, ଶାଟୀ-ଶାଢ଼ୀ, ବକାଳି-ବଗ ।
୧। ସଂଶୟ-ସନ୍ଦେହ, ସାତନା-କଷ୍ଟ; ଅରାତି-ଶତ୍ରୁ ।
୨। ରତ୍ନଚୀରା-ସାକ୍ଷୀଗୋପାଳ ପାଖର ନଦୀ, ଅଶନ-ଖାଦ୍ୟ। ।
୩। ଶଶିଖଣ୍ଡ-ବିନ୍ଦ୍ରରୁ ଖଣ୍ଡକ ପରି ଉଜ୍ୱଳ; ନୋଳା-ଚିହ୍ନ ।
୫। ଏକାଦଶୀ-ଏଗାରବର୍ଷର ବାଳିକା; ଝଳି-ଆଭା ।
୬। ବଲ୍ଲରୀ-ଲଚିକା ।
୮। ପୋଥିଏ କଥା – ଯେଉଁ ସବୁ କଥାକୁ ଲେଖିଲେ ବହିଟାଏ ହେବ ।
୯। ରସନା – ବିଭ ।
୧୦। ଦିନଚିନ୍ତା ରାତିସପନ – ତୋ କଥା ମୁଁ ଦିନଯାକ ଚିନ୍ତାକରେ; ରାତିଯାକ ସପନ ଦେଖେ; ନିବେଶର ମନ – ମନ ଦିଏ । ନାସାରେ ପବନ- ପ୍ରାଣବାୟୁ ।
୧୧। ହାଟକବରନା । ସୁନାବରନୀସ୍ରୀ; ବିରଞ୍ଚି-ବିଧାତା; କନକ କମଳ-ସୁନାର ପଦ୍ମ ।
୧୪। କଞ୍ଜବନ – ପଦ୍ମବନ, (ସମବୟସୀମାନଙ୍କ ମୁଖପଦ୍ମ ଦ୍ୱାରା)
୧୫। କଳାମେଘୀଶାଢ଼ୀ-କଳାଶାଢ଼ୀ ।
୧୬। ଦାମ-ମାଳା; ଦାମ- ମୂଲ୍ୟ ।
୧୭। ଯତନ – ରୂପ ଗୁଣରେ ନିଖୁଣ ।
୧୮। ତାମରସ – ପଦ୍ମ
୧୯। ଚିତା – ଶବଦାହ କରିବାର ନିଆଁ, ଅମରାବତୀ- ସ୍ୱର୍ଗ; ଶଚୀ-ଇନ୍ଦ୍ରଙ୍କ ପତ୍ନୀ; ଦେବରାଣୀ; ଗୋବିନ୍ଦା-ରତ୍ନମାଳାଙ୍କ ଘରର ଚାକର; ସୀଉକାର-ଅଙ୍ଗୁରୀ-ବିଭାଘର ଆଗରୁ କନ୍ୟାପକ୍ଷରୁ ସ୍ୱୀକାରର ଯେଉଁ ମୁଢ଼ି ଆସେ ।
୨୧। ଶଶାଙ୍କ – ଚନ୍ଦ୍ର ।
(ରାଗ- ବଙ୍ଗଳାଶ୍ରୀ)
ତୁମ୍ଭେ ମହାପ୍ରଭୁ ! ଅନନ୍ତ ଗଗନ
କ୍ଷୁଦ୍ର ତାରକା ମୁଁ ତହିଁ,
ତୁମ୍ଭେ ମହାପ୍ରଭୁ ! ସୀମାହୀନ ସିନ୍ଧୁ,
ବିନ୍ଦୁ ମୁଁ ତହିଁ ବୋଲାଇ ।୧।
ତୁମ୍ଭେ ବେଗବତୀ ଚିତ୍ରୋତ୍ପଳା ନାଥ !
ମୁଁ ତହିଁ ବୁଦ୍ବୁଦ ହୀନ
ତୁମ୍ଭେ ନାଥ ! ଚାରୁ ଚିଲିକାର ଅମ୍ୱୁ
ମୁଁ ତହିଁ ନଗଣ୍ୟ ମୀନ ।୨।
ତୁମ୍ଭେ ଶୋଭାମୟ ଋତୁରାଜ ପ୍ରଭୁ !
ମୁଁ ସାମାନ୍ୟ ପୁଲକଳି,
ତୁମ୍ଭେ ଶାନ୍ତିହର ମଳୟ ସମୀର
ମୁଁ ପରା ପରାଗ ଧୂଳି ।୩।
ଅଖିଳ ବ୍ରହ୍ମାଣ୍ଡ-- ନାଥ ତୁମ୍ଭେ ନାଥ !
ମୁଁ ତୁମ୍ଭ ଦାସର ଦାସ,
ତୁମ୍ଭେ ଚଉବତ-- ଦାତା ମୁଁ ଭିକାରୀ
ଜାଣିଛ ରାଜରାକେଶ ।୪।
ପତିତପାବନ ତୁମ୍ଭେ ମହାପ୍ରଭୁ !
ପତିତ ଜନେ ମୁଁ ସାର,
ଦୀନ ଜନଙ୍କର ଚିନ୍ତାମଣି ତୁମ୍ଭେ,
ଦୀନଜନେ ମୁହିଁ ବର ।୫।
ମୋ ହୃଦୟ ମରୁ ମନ୍ଦାକିନୀ ତୁମ୍ଭେ,
ଚିତ୍ତ-ଚକୋର-ଚନ୍ଦ୍ରମା,
ଜୀବନ ଗଗନେ ଉଇଁ ଆସ ମୋର
ବିନାଶି ଭାଳୁଷ-ଅମା ।୬।
କଣ୍ୱେ ହାର କରି ଉରେ ମୁଁ ବହିବି
ନାଶିବି ବେଦନା ସବୁ
ପଦ ଦୁଇ ତୁମ୍ଭ ନଉକା କରିଣ
ତରିଯିବି ହେଲେ ଭବୁଁ ।୭।
୨। ଚିତ୍ରୋତ୍ପଳା – ମହାନଦୀ; ଅମ୍ୱୁ-ଜଳ; ମୀନ-ମାଛ ।
୩। ଋତୁରାଜ-ବସନ୍ତ ।
୪। ଚଉବର୍ଗଦାତା-ଧର୍ମ; ଅର୍ଥ, କାମ ଓ ମୋକ୍ଷ ଦାନକାରୀ ।
ଆସ ରବୀନ୍ଦ୍ର ! ଆଜ କ୍ଷିତିକି ହେ
ଉଲସାଇ ଉତ୍କଳ-ମତିକି ହେ ! ଘୋଷା ।
ଅପସାରି ଆତପ, ବାରିଦ ଚନ୍ଦ୍ରାତପ,
ଟାଣି ଧରିଛି ନୂଆ ରୀତି କି ହେ ।୧।
ପାରିଛି ବିମୋହନ; ଶ୍ୟାମ ଦୂର୍ବା ଆସନ,
ଖଞ୍ଜାଇ ଇନ୍ଦ୍ର ଗୋପ-ପନ୍ତିକି ହେ ।୨।
ପୁଟାଇ ନୀପସୁମ, ରଟାଇ କେକା ରାମ,
ତା ଛଳେ ଡାକେ ଆସ କତିକି ହେ ।୩।
ହେ ସୁଷମା-ବିଳାସି! ଶୋଭା ସମ୍ଭାରେ ରସି,
ଟେକାଇ ଉଚ୍ଚେ ଆଭା-ଛତିକି ହେ ।୪।
ନିର୍ମୋକ ଅତୀତର, କରି ଅଙ୍ଗରୁ ଦୂର,
ଧରେ ଜଗତ ନୂଆ ଦ୍ୟୁତିକି ହେ ।୫।
ପୁରୋଧା ନବୀନର, ପ୍ରାଚୀନ ନିଶା ଘୋର,
ପ୍ରଭାତୁଛି ଛୁଟାଇ ଜ୍ୟୋତିକି ହେ ।୬।
ବିଶ୍ୱ-ଭାରତୀ ବୀଣା-- ବାଦନ-ଦୃଷ୍ଟମନା
କର ରଞ୍ଜନ ବିଶ୍ୱ ଶ୍ରୁତିକି ହେ ।୭।
ତୁମ୍ଭର ପ୍ରୟୋଜନ-- ଅଛଇ କବିରାଣ !
ଏ ବାସରେ ଜଣାଉଁ ଏତିକି ହେ ।୮।
୧। ଅପସାରି – ଦୂରକରି, ଚନ୍ଦ୍ରାତପ – ଚାନ୍ଦୁଆ ।
୨। ଇନ୍ଦ୍ରଗୋପ – ସାଧବଭାର ବୋହୂ ପୋକ ।
୩। ନୀପସୁମ – କଦମ୍ୱଫୁଲ, କେକା-ମୟୁର ଡାକ, ରାମ- ମନୋହର ।
୫। ନିର୍ମୋକ – ଖୋଳା, କାଢ଼ି । ବର- ଶ୍ରେଷ୍ଠ ।
୬। କର ରଞ୍ଜନ-ମୁଗ୍ଧ କର, ଶ୍ରୁତି-କାନ । ମନ୍ଦାକିନୀ-ଗଙ୍ଗା; ଅମା-ଅମାସ୍ୟା ।
୮। କବିରାଣ – କବିଶ୍ରେଷ୍ଠ, ବାସର – ଦିନ ।
ଉତ୍କଳ ସାହିତ୍ୟ ସମାଜ ଓ ବଙ୍ଗୀୟ ସାହିତ୍ୟ ପରିଷଦଙ୍କ ସମ୍ମିଳିତ ରବୀନ୍ଦ୍ର ଶ୍ରାଦ୍ଧ ଉତ୍ସବରେ ଏ ଗୀତ ଗାନ ହୋଇଥିଲା ।
କ୍ଷିତି-ପୃଥିବୀ, ଉଲସାର-ଆନନ୍ଦିତ କରି ।
(୰ ଗୋପାଳ କୃଷ୍ଣଙ୍କ ‘‘ସହି ! ଅଣ୍ଟିଲା ନାହିଁ କି’’ --ବୃତ୍ତରେ)
ମା !କରୁଣା ନାହିଁ କି ?
ତବ ପୂଜନ-ପୂତ ଭୂଇଁକି ? । ଘୋଷା ।
କବି-କଞ୍ଜବନ ଭଞ୍ଜ-ଦେଶରେ ମା !
ମୂକ କାହିଁକି ବଲ୍ଲକୀ ?
କୃପା-ସୁଧା-ଝରୀ ଢାଳି ଯୁଗେ ଯୁଗେ
ଚିଟା ସତେ ପାଇଲ କି ।୧।
ଭକତି-ପୀରତି-- ସୁମନସ-ଦାମ
ଗଳା-ଭୂଷଣ ପାଇଁ କି
କବି-ମାଳାକର ଦେଲେ ଯାଏ ଦେଶେ
କିସ ସମାନ ତହିଁ କି ? ।୨।
ବିଶ୍ୱେ ଉଠେ ରବ ଓଡ଼ିଆ ବିଭବ—
ହୀନ; କେ ପାରିବ ରୋକି ?
ପର ରସନାରେ; ନ ଉଠିଲେ ତେଜେ
ରତନ ତାର ଝଲକି ।୩।
ବିଶ୍ୱ-ହୃଦ-ତନ୍ତ୍ରୀ-- ନବୀନ ସଙ୍ଗୀତ
ଗାନେ ମା ! ଓଡ଼ିଶା ଭୋକୀ
ନବଯୁଗ-ଗହ୍ମା ଆଗମେ ତା କରେ
ନ ଦେଲ ମଞ୍ଜୁଳ ରାକ୍ଷୀ ।୪।
ଛନ୍ଦ-ରସ-ରାଜ୍ୟ ଲୁଟିଛି ଅତୀତେ
ରଖି ନାହିଁ କିଛି ବାକୀ
ନବଯୁଗ-ସିନ୍ଧୁ-- ମନ୍ଥନ-ଅମୃତ—
ଲାଳସୀ; ନାହିଁ ତା ଚାଖି ।୫।
ବିଚ୍ଛନ୍ଦ-ଭାଷିତ ଭଞ୍ଜ-ଗରବିତ--
ଦେଶ-ଅତୀତ-ଆଣିକି
ରଖିବ କି ଅବା କାନ୍ଦିବ ମଉନେ
ନୟନୁ ଢାଳି ପାଣିକି ? ।୬।
ଏହା ବହୁବାର ଉତ୍କଳ ସାହିତ୍ୟ ସମାଜର ସାରସ୍ୱତ ଉତ୍ସବ ମାନଙ୍କରେ ଗାନ ହୋଇଅଛି ।
୦। ତବ ପୂଜନ-ପୂତ-ତୁମ୍ଭ ପୂଜାଦ୍ୱାରା ପବିତ୍ର ।
୧। କବି-କଞ୍ଜ-ବନ-କବିରୂପକ ପଦ୍ମର ବନ; ଭଞ୍ଜଦେଶ-ମହାକବି ଉପେନ୍ଦ୍ର ଭଞ୍ଜଙ୍କ ଦେଶ; ବଲ୍ଲକୀ-ବୀଣା, କୃପା-ସୁଧା-ଝରୀ-ଦୟା ରୂପକ ଅମୃତରେ ଭରାଥିବା ଗଡ଼ୁ, ଚିଟାପାଇଲ-ଦିକ୍ଦାର ହେଲ ।
୨। ସୁମନସ-ଫୁଲ, ଦାମ-ମାଳା, ମାଳାକାର-ମାଳୀ, ଏ ଦେଶର କବିମାନେ ଭକ୍ତି ଓ ପ୍ରୀତିମୂଳକ ଯେଉଁ ସବୁ କବିତା ଲେଖିଛନ୍ତି ତହିଁର ତୁଳନା ନାହିଁ ।
୩। ରବ-ଚହଳ, ବିଭବ-ସମ୍ପଦ, ପର ରସନାରେ କେ ପାରିବ ରୋକି-ପର ପାଟିରେ କିଏ ବତା ଦେବ ? ନ ଉଠିଲେ...ଝଲକି ତା ପ୍ରାଚୀନ ସାହିତ୍ୟର ଗୌରବ ପ୍ରକଟିତ ନ ହେଲେ । ବିଶ୍ୱହୃଦ...ଭୋକୀ-ବିଶ୍ୱ ହଦୟକୁ କମ୍ପାଇଲା ଭଳି ନୂଆ ସଂଗୀତ ଗାଇବାକୁ ଓଡ଼ିଶା ଆଗ୍ରହୀ, ନବଯୁଗ-ଗହ୍ମା-ନବଯୁଗ ରୂପକ ଗହ୍ମାପୂର୍ଣ୍ଣିମା ଆସିଲା କିନ୍ତୁ ମା ଭଗବତି ! ତୁମ୍ଭେ ଓଡ଼ିଶା ହାତରେ ସୁନ୍ଦର ରାକ୍ଷୀ ପିନ୍ଧାଇ ଦେଲ ନାହିଁ; ଅର୍ଥାତ ଓଡ଼ିଶା ଆଧୁନିକ ଯୁଗରେ ତା କବିତା ଘେନି ଯଶସ୍ୱୀ ହୋଇପାରିଲା ନାହିଁ ।
୫। ଓଡ଼ିଶା ଅତୀତ ଯୁଗରେ ଅଗଣିତ ଛନ୍ଦରେ ବହୁତ ରସ କବିତା ଲେଖିଛି; ସେ ଦିଗରେ ତାର ଲେଖିବା ନିମନ୍ତେ ଆଉ କିଛି ବାକୀ ନାହିଁ । କିନ୍ତୁ ନବୀନ ଯୁଗରେ ଓଡ଼ିଶା ଉନ୍ନତ କବିତା ଲେଖି ନାହିଁ, ସେଥିପାଇଁ ଆଗ୍ରହୀ ଅଛି ।
୬। ଭଞ୍ଜ-ଗରବିତ-ଦେଶ-ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିଭା ଘେନି ଗର୍ବ କରୁଥିବା ଓଡ଼ିଶା, ଆଣି-ଗୌରବ, ଟେକ ।
(ରାଗ ବଙ୍ଗଳାଶ୍ରୀ)
‘‘ଉଛୁର ନ କର ନାଉରି ଭାଇରେ !
ନେଏ ତୁ ନେବାର ଯାହା
ଖଳ ଖଳ ଖଳ ଗରଜେ ନଈ ରେ !
ବାହି ଆଣ ବେଗେ ନାହା’’ ।୧।
‘‘କିଏ ଅବଧାନ ଅଟ ହେ ଆପଣ !
ବଢ଼ୁଛି ଦେଖୁଛ ନଈ
ପଛିମ ଆକାଶ କଳାଘୁମର ହେ
ଝଡ଼ ଆସେ ପରା ବହି’’ ।୨।
‘‘ଖୋରଧାର ସାନ- ଦେଓ ମୁଁ ନାଉରି !
ଏ ଯେ ବାଣପୁର-ଜେମା
ପ୍ରାଣ ଘେନି ଦୁହେଁ ପଳାଇ ଲୋଡ଼ୁଛୁଁ
ପ୍ରିୟତମ ପ୍ରିୟତମା ।୩।
ସଇନ ଗହଣେ ଘୋଡ଼ା ଝପଟାଇ
ନିଜେ ବାଣପୁର-ପତି
ତିନିଦିନ ହେଲା ଅଛନ୍ତି ଗୋଡ଼ାଇ
କରି କୋପାନଳ-ମତି ।୪।
ରକତ-ଚିତା ମୋ ଘେନିବେ ପରା ସେ
ପଡ଼ିବି ଯେବେ ମୁଁ ଧରା
ରେ ଭାଇ ନାଉରି ! କର ନା ତୁ ଡେରି
କରନା ମହତସରା ।୫।
ଘୋଡ଼ା ଟାପୁ ନାଦେ ମେଦିନୀ କମ୍ପୁଛି
ଶିର ମୋ ଲୋଟିଲେ ମହୀ
ଲହୁଣୀ ପିତୁଳା ଏ ବାଳା କୋମଳା
ଧରି କି ପାରିବ ଦେହି’’ ।୬।
ଡର ନା ଡର ନା କୁମର ମଣି ହେ !
ମୁକର କରିବି ପାରି
ଲୋଡ଼ା ନାହିଁ ଧନ ଆକୁଳ ମୋ ମନ
ଜେମାଙ୍କ ବିକଳ ହେରି ।୭।
ଫେଣ ଫିଙ୍ଗି ନଈ ଲହଡ଼ା ମାରଇ
ତଥାପି ବାହିବି ନାହା
ମନ ଦିଏ ମନ୍ଥି ନଖୁଁ ଶିଖ ଯାଏଁ
କମ୍ପୁଛନ୍ତି ଜେମା ଯାହା ।୮।
କହୁଁ କହୁଁ ଝଡ଼ ଆସିଲା ଯେ ମାଡ଼ି
ଦିବସେ ଘୋଟିଲା ତମ
ଫେଣର ପଗଡ଼ି ପିନ୍ଧି ନଈପାଣି
ନାଚିଲା ପାଗଳ ସମ ।୯।
ମୁହଁକୁ ମୁହଁ ଯେ ନ ଦିଶିଲା ଆଉ
ପ୍ରବଳେ ବହିଲା ବାଆ
ଏତିକିବେଳକୁ ଘୋଡ଼ା ଟାପୁ ନାଦ
ଶୁଭିଲା ନିକଟେ ଆହା ।୧୦।
‘‘ନାଉରି ଭାଇ ! ରେ’’ କହେ ଜେମାମଣି
‘‘ତୁରିତେ ବାହା ତୁ ନାହା
ପିତା କଟୁବାଣୀ ସହିବି ନାହିଁ ରେ
ଭଲ ତହୁଁ ଝଡ଼ ବାଆ’’ ।୧୧।
କୂଳ ଛାଡ଼ି ନାହା ନଈରେ ପଡ଼ିଲା
ବଳୀୟାର ହେଲା ଝଡ଼
ବିଧାତା ଲେଖନ କେ କରିବ ଆନ
ବଢ଼ିଲା ପାଣିର ତୋଡ଼ ।୧୨।
ଅଣ୍ଟେ ମାରି କାତ ବାହିଲେ କି ହେବ
ଡଅଁରେ ପଡ଼ିଲା ନାହା
କୁଳୁଁ ତା ଅନାଇଁ ବାଣପୁର ସାଇଁ
ଶୋକେ କଲେ ଆହା ଆହା ।୧୩।
ଭୁଜେକ ବେଢ଼ାଇ ପ୍ରେମିକ ଗଳାରେ
ଆର ଭୁଜ ତୋଳି ବାଳା
ନୀରବ କାତର ଡାକେ ଡାକୁଥିଲା
ରଖ କିଏ ଅଛି ଭଲା ।୧୪।
‘‘ଫେରି ଆ ଫେରି ଆ ପ୍ରମଦା କୁମାରି !
ବୁଢ଼ା ମୁଁ କୋପିଲି ହୁଡ଼ି
ତୋ ଜୟନ୍ତ ହାତେ ଅରପିବି ତୋତେ
ଦେଖିବ ତୋ ମାମା ବୁଢ଼ୀ ।୧୫।
ଭାଷିଲେ ରାଜନ ! କିନ୍ତୁ ଅକାରଣ
ହେଲା ଏ ଅବେଳ-ବାଣୀ
ନାହା ଗଲା ଡୁବି ଫେଣ-ହସ ହସି
ଗରଜିଲା ନଈ-ପାଣି ।୧୬।
ଇଂରାଜ କବିଟି, କ୍ୟାମ୍ୱେଲ୍ଙ୍କ ‘‘ଲର୍ଡ଼ ଇଉଲିନ୍ସ ଡଟର’’ ନାମକ କବିତାର ଏହା ଓଡ଼ିଆ ସଂସ୍କରଣ ।
୨। କଳାଘୁମର – କଳାହାଣ୍ଡିଆ ମେଘରେ ଢଙ୍କା ।
୩। ସାନଦେଓ – ଯୁବରାଜଙ୍କ ତଳ ଭାଇ ।
୪। କୋପାନଳ କରି ମତି – ରାଗରେ ଜଳି ।
୫। ମହତସରା – ବେଜିତ୍ ।
୬। ମେଦିନୀ କମ୍ପୁଛି-ମହୀ ଦୁଲୁକୁଛି; ଦେହି-ଦେହ; ଧରି...ଦେହ- ବଞ୍ଚି ପାରିବ କି ?
୭। ମୂକର-ନିଶ୍ଚୟ; ହେରି-ଦେଖି ।
୮। ନଖୁଁ ଶିଖଯାଏଁ – ଗୋଟାସୁଦ୍ଧା; ଢମ-ଅନ୍ଧାର ।
୧୦। ନାଦ-ଶବ୍ଦ ।
୧୧। ତୁରିତେ – ଶୀଘ୍ର ।
୧୨। ତୋଡ଼ – ବେଗ ।
୧୩। ଆଣ୍ଟେ-ଜୋର୍ କରି, ଡଅଁର-ଜଳଭଉଁରୀ ।
୧୪। ତୋଳି – ଟେକି ।
୧୫। କୋପିଲି – ରାଗ ହେଲି; ହୁଡ଼ି-ଭୁଲ୍ ବୁଝି । ମାମା – ମାଆ (ରଜାଘର ଡାକ) ।
୧୬। ଅବେଳ-ବାଣୀ-ଅସମୟର ଡାକ; ଫେଣ ହସ-ପାଣିର ଫେଣକୁ ନିର୍ଦ୍ଦୟ ନଈର ହସ ବୋଲି କୁହା ଯାଇଛି ।
(ରାଗ-କଳସା)
ମାନବେନ୍ଦ୍ର ! ଏ ଉତ୍କଳ ବହୁ ପୂଣ୍ୟଫଳେ
ସୁତ ତୁମ୍ଭ ସରି ସିନା ଲଭିଥିଲା କୋଳେ
ଜାଗରଣ-ଭାଗୀରଥୀ ଭଗୀରଥ ହୋଇ
ଉତ୍କଳ-ମହୀକୁ ତୁମ୍ଭେ ଆଣିଲ ବୁହାଇ ।୧।
ମୂକ ଓଡ଼ିଆର ମୁଖେ ଦେଲ ତୁମ୍ଭେ ଭାଷା
ମୁଖର କରିଲ ଏ ଜାତିର ମୂକ ଆଶା
ଯାଦୁକର ସରି ତୁମ୍ଭେ ମୁକତି ମନ୍ତ୍ରରେ
ହେ ପୁରୁଷ-ସିଂହ ! ଜଗାଇଲ ତା ଅନ୍ତରେ ।୨।
ତୁମ୍ଭ ଯୋଗୁଁ ଭୂଭାରତେ ଲଭି ସ୍ୱତନ୍ତ୍ରତା
ଧନ୍ୟା ବୋଲି ଏତେ ଦିନେ ହେଲା ସେ ଗଣିତା
ନ ଥିବାରୁ ତୁମ୍ଭେ ଆଜି ବିକ୍ରମ-କେଶରି !
ହୋଇଅଛୁଁ ଯୃଥପତିହୀନ ଯୂଥ ସରି ।୩।
ଅତୁଳ ତୁମ୍ଭର ମେଧା ଅତୁଳ ବାଚ୍ମିତା
ତୁମ୍ଭ ଅନ୍ତେ ଉତ୍କଳରେ ଦୁର୍ଲ୍ଲଭ ସିନା ତା
ତୁମ୍ଭ ସମ ମହାମାନବର ଜନ୍ମ ପାଇ
କିଏ ଜାଣେ କେତେ ଯୁଗ ଯିବ ଆଉ ବହି ।୪।
ରାଜ୍ୟ ଗୋଟାକର ତୁମ୍ଭେ ଅରଜି ବିଭବ
ଦେଶ ହିତ ପାଇଁ ତାହା ସାରିଲ ସରବ,
ଟଙ୍କା ଆଞ୍ଜୁଳାକୁ ତୁମ୍ଭେ ହେ ଜନନାୟକ !
ଧୂଳି ଆଞ୍ଜୁଳାରୁ ମଣି ନ ଥିଲ ଅଧିକ ।୫।
ଏଡ଼େ ବଡ଼ ହୃଦ ଏଡ଼େ ମଥାର ସହିତ
ଦୁର୍ଲ୍ଲଭ ଏ ଦେଶେ ପୁଣ ହୋଇବା ଏକତ୍ର,
ଉତ୍କଳ ବିଶାଳକୀର୍ତ୍ତି ଜାଣି ଏହା ବିଧି
କରିଥିଲା ତୁମ୍ଭଙ୍କୁ ତା ଯୋଗ୍ୟ ପ୍ରତିନିଧି ।୬।
ତୁମ୍ଭ ସ୍ମୃତି ଏ ଉତ୍କଳେ ଜାହ୍ନବୀର ବାରି,
ତୁମ୍ଭ ନାମ ପୂଜ୍ୟ ପୁଣି କ୍ଷେତ୍ର ଧୂଳି ସରି,
ରାଜିବେ ଯାବତେ ନଭେ ଶଶୀ ଦିବାକର
ମଧୁନାମୁଁ କ୍ଷରୁଥିବ ମଧୁ ନିରନ୍ତର ।୭।
୧। ମାନବେନ୍ଦ୍ର – ମନୁଷ୍ୟଶ୍ରେଷ୍ଠ; ଜାଗରଣ-ଭାଗୀରଥୀ...ବୁହାଇ-ଭଗୀରଥ ଗଙ୍ଗାକୁ ପୃଥିବୀକୁ ଆଣିଲା ପରି ତୁମ୍ଭେ ଉତ୍କଳକୁ ଜାଗରଣ ଆଣିଥିଲ ।
୨। ମୁଖର...ଆଶା – ଏ ଜାତିର ଆଶାକୁ ତୁମ୍ଭେ ବଳିଷ୍ଠ ଭାଷାରେ ପ୍ରକାଶ କରିଥିଲ; ଯାଦୁକର-ମନ୍ତୁରିଆ ।
୩। ବିକ୍ରମକେଶରୀ-ସିଂହ ତୁଲ୍ୟ ପରାକ୍ରମୀ ।
୪। ମେଧା-ପ୍ରତିଭା, ବୁଦ୍ଧି, ବାଗ୍ମିତା-ବାକ୍ଶକ୍ତି, ବାକ୍ପଟୁତା ।
୬। ବିଶାଳକୀର୍ତ୍ତୀ-ଯାହାର କୀର୍ତ୍ତୀ ସବୁ ବିରାଟ, କରିଥିଲା....... ପ୍ରତିନିଧି-ସେପରି ଦେଶର ପ୍ରତିନିଧି ହେବାକୁ ବିଧାତା ତୁମ୍ଭକୁହିଁ ପ୍ରତିନିଧି କରି ବାଛିଥିଲା କାରଣ ତୁମ୍ଭର ହୃଦୟ ବିରାଟ ଓ ମସ୍ତିଷ୍କ ବିରାଟ ।
୭। ଜାହ୍ନବୀର ବାରି – ଗଙ୍ଗାଜଳ । (ପରି ପବିତ୍ର); କ୍ଷେତ୍ରଧୂଳି-ତୀର୍ଥ ସ୍ଥାନର ଧୂଳି (ପରି ପୂଜ୍ୟ); କ୍ଷରୁଥିବ –ଝରୁଥିବ ।
(କହ କିଏ ପକାଇଲା ଶ୍ୟାମଲଟେ ଗୋ କି କପଟେ-ବୃତ୍ତରେ)
କେଉଁ ଭୂମି କହ ଭଲା ତୋହ ସମା
ଗୋ ଶସ୍ୟ ଶ୍ୟାମା ! (ଘୋଷା)
ଭକ୍ତିଭରେ ବଙ୍ଗ-ସାଗର-ତରଙ୍ଗ
ଧୁଅଇ ଜନନି ! ତୋହ ଅଧମାଙ୍ଗ
ତରଣୀ-ବିଶାଳ ! ତୁହି ମା କଳିଙ୍ଗ !
କଳା-ଲକ୍ଷ୍ମୀ-ମନୋରମା ଗୋ ।୧।
ତରଙ୍ଗେ ଶାସିଣ ପରା ତୋ ସନ୍ତତି
ବସାଇଲେ ଉପନିବେଶ ପଙ୍କତି !
ବରୁଣ ବହିଲା ଆଜ୍ଞା ଶିର ପାତି
ନିଖିଳ-ବଣିଜ-ରମା ଗୋ ।୨।
ପାଣି ସୁଅ ସମ ବିଦେଶୁଁ ମା ! ଧନ
ଆସିଲା କେତେ ଶତାବ୍ଦୀ ଅକଳନ
ଧନ୍ୟ ଧନ୍ୟ ମା ! ତୋ ସାଧବ ସନ୍ତାନ
ବୁଦ୍ଧିମନ୍ତ ବେଳା ରମ୍ୟା ଗୋ ।୩।
କ୍ଷମତାର ଧ୍ୱଜା ଧର୍ମ୍ମର କେତନ
ଭୂମଣ୍ଡଳେ କାହିଁ ନୋହିଲା ଉଡ଼୍ଡ଼ୀନ ।।
ତୋ ନାମ ଉଠାଇ କେତେ ଜୟଗାନ
ଅଶେଷ କୀରତି ଧାମା ଗୋ ।୪।
ଶୂର ବୀର ବକ୍ଷେ ବହ ଆଉ ବାରେ
କେଶରି-ଗହ୍ୱର ଭରୁ କେଶରୀରେ
ବିଚ୍ଛନ୍ଦ-ମଉଳି ନତ କାହାଠାରେ
ନୋହୁ ମା ! ତ୍ରିଦଶ-କାମ୍ୟା ଗୋ ।୫।
ଉତ୍କଳ ସାହିତ୍ୟ ସମାଜର ବହୁ ସାରସ୍ୱତ ଉତ୍ସବରେ ଏ ଗୀତ ଗାନ ହୋଇଅଛି ।
୧। ବଙ୍ଗସାଗର – ବଙ୍ଗୋପସାଗର; ଅଧମାଙ୍ଗ-ପାଦ, ତରଣୀବିଶାଳା-ଜାହାଜମାଳା ଯୋଗୁଁ ଅର୍ଥାତ ନୌବାଣିଜ୍ୟଯୋଗୁଁ ପ୍ରଧାନ; କଳାଲକ୍ଷ୍ମୀ ମନୋରମା-କଳାରୂପ ଲକ୍ଷ୍ମୀଙ୍କ ପ୍ରିୟ । (ଭୂମି) ।
୨। ତରଙ୍ଗେ ଶାସିଣ-ସମୁଦ୍ରକୁ ଆୟତ୍ତ କରି, ଉପନିବେଶ ପଙ୍କତି-ବ୍ରହ୍ମଦେଶ ଓ ସମଗ୍ର ପୂର୍ବଭାରତୀୟ ଦ୍ୱୀପପୁଞ୍ଜ (ସୁମାତ୍ରା, ଯାଭା, ବୋର୍ଣ୍ଣିଓ ଆଦି) କଳିଙ୍ଗବାସୀମାନଙ୍କ ଉପନିବେଶ ଥିଲା-ଏ ସବୁକୁ ଘେନି କଳିଙ୍ଗର ବିରାଟ ଔପନିବେଶିକ ସାମ୍ରାଜ୍ୟ ଗଢ଼ାହୋଇଥିଲା । ବରୁଣ ଦେବତା କଳିଙ୍ଗର ବରସ୍କର ଥିଲେ । ନିଖିଳ ବଣିଜରମା-ସବୁ ପ୍ରକାର ବଣିଜ ଘେନି କଳିଙ୍ଗ ରମା ଅର୍ଥାତ ଲକ୍ଷ୍ମୀଙ୍କ ପରି ଥିଲା ।
୩। ସାଧବ – ପୂର୍ବକାଳର ଓଡ଼ିଆ ବଣିକ, ଋଦ୍ଧିମନ୍ତ-ବିଭବପୂର୍ଣ୍ଣ, ବେଳା-ଉପକୂଳରେ । (ବନ୍ଦର ଆଦି ଘେନି); ରମ୍ୟା – ଶୋଭାବତୀ ।
୪। କ୍ଷମତାର ଧ୍ୱଜା – କର୍ତ୍ତୃତ୍ୱର ପତାକା (ପ୍ରାଚୀନ କଳିଙ୍ଗର ବିଶାଳ ସାମ୍ରାଜ୍ୟ ପ୍ରତି ଲକ୍ଷ୍ୟ କରାଯାଉଛି); କେତନ-ପତାକା ।
୫। କେଶରୀ-ସିଂହ, ତ୍ରିଦଶ-ଦେବତା; କାମ୍ୟା-କାଙ୍କ୍ଷିତା; ତ୍ରିଦଶ କାମ୍ୟା-ଯହିଁରେ ଦେବତାମାନେ ବାସ କରିବାକୁ ଲାଳାୟିତ ।
(ରାଗ କଳହଂସ କେଦାର)
କବିବର ! ଚଇତ୍ର ପୂର୍ଣ୍ଣିମା ଦିନ
ଚଢ଼ି ତନ୍ଦ୍ରିକା-ରଥେ କଲ ଗମନ
ସେ ଧାମେ ଯହିଁ ପିନ୍ଧି ଆଭା-ଅମ୍ୱର
କବିତା-ବଧୂ ବନ୍ଦିଥିବ ପୟର ।୧।
ରସ-ଆକର-ହୃଦ ରସିକ କବି ।
ଆଙ୍କିଛ ରସମୟ ବିବିଧ ଛବି;
ବିଧୁ-କିରଣ ସମ ତୁମ୍ଭର ଗୀତ
ବିଧୁଶିଳା ପାଠକ ଜନର ଚିତ୍ତ ।୨।
ଉତ୍କଳ ପ୍ରକୃତିର କମ୍ର ମାଧୁରୀ
କବିତା-ପଟେ ଦକ୍ଷ ତୂଳିକା ଧରି
ଚିତ୍ରିଛ ଚିତ୍ରକର ! ଯା ଅବଲୋକି
ହେଳେ ମେଣ୍ଟୋନ୍ତି କ୍ଷୁଧା ସୁଷମା-ଭୋକୀ ।୩।
ନବୀନ କବିକୁଳ-ମହୁଡ଼-ମଣି !
ନମୁଛୁଁ ହେ ଲଳିତ-ପଦ-ବିନ୍ଧାଣି !
ଆନନ୍ଦ-ସରୋବର ଅଛ ସରଜି
ନୁହଇ ପ୍ରମୋଦିତ କେ ତହିଁ ମଜ୍ଜି ? ।୪।
ଗତ ବହୁବର୍ଷ ଧରି ଉତ୍କଳ ସାହିତ୍ୟ ସମାଜର ରଧାନାଥ ଶ୍ରାଦ୍ଧୋତ୍ସବର ଏହା ଗୀତରୂପେ ଗାନ ହୋଇଅଛି ।
୧। ଚଇତ୍ର ପୂର୍ଣ୍ଣମୀ – ରାଧାନାଥଙ୍କ ମୃତ୍ୟୁଦିବସ ।
୨। ବିଧୂଶିଳା-ଚନ୍ଦ୍ରକାନ୍ତ ମଣି- ଏହା ଯେପରି ଚନ୍ଦ୍ରକିରଣ ପଡ଼ିଲେ ତରଳିଯାଏ ରାଧାନାଥଙ୍କ କବିତାରେ ପାଠକଙ୍କ ହୃଦୟ ମଧ୍ୟ ସେହିପରି ଦ୍ରବୀଭୁତ ହୁଏ ।
୩। କମ୍ର-କମନୀୟ ।
୪। ଆନନ୍ଦ ସରୋବର-ରାଧାନାଥଙ୍କ ଗ୍ରନ୍ଥାବଳୀ ଆନନ୍ଦର ଗୋଟିଏ ପୁଷ୍କରିଣୀ, ତହିଁରେ ଗୋଧୋଇଲେ ଅର୍ଥାତ୍ ତାହା ପାଠକଲେ ଦିଏ ଆନନ୍ଦିତ ନ ହେବ ?
“I fear thee, view thee, raza over all thy charms
And round thy phantom glue my cleaning arms.”
T. Campbell.
ବିଧାତା ଉଦ୍ୟାନେ ଚିର ପ୍ରସନ୍ନ ଗୋଲାପ !
ଅପଘନେ ବହି ନାହିଁ କି ଶୋଭା-କଳାପ !!
ଯୁବାନେତ୍ର-ବୁଭୁକ୍ଷାକୁ ଶାଳି ଅନ୍ନ ସରି
କୁନ୍ଦେ ବସାଇଣ ବପୁ ଭଲା କୁଶଧାରୀ
ଗଢ଼ିଛି ସଜନି କାହିଁ ଅଛିରେ ଉପମା,
ଦେବି ? ମୋହ ନେତ୍ରେ ତୁମ୍ଭେ ଶୋଭା-ସାର-ସୀମା ।
ଉର୍ବଶୀ-ଅତୁଳ-ଶୋଭା ତ୍ରିଦିବେ ଲୋଳିତ
ଏ ମର୍ତ୍ତ୍ୟ-ମୁକୁରେ ତୁମ୍ଭେ ତାର ବିମ୍ୱବତ ।
ମରାଳ ମାନଇ ହାର ଗତିକି ଅନାଇଁ
ଦାମିନୀ ଝଟକେ ହାରି ମେଘେ ଲୁଚେ ଯାଇଁ ।୧୦।
ଦୃଷ୍ଟିରେ ହରିଣ ହାରି ହରିଣାଙ୍କେ ପଶେ
ଅଧରେ ଅରୁଣ ପରା ସମ ନୁହେ ଲେଶେ;
ପଦ୍ମ ଉକୁଟଇ ପଦ ଦେଲେ ବସୁଧାରେ
ଲାକ୍ଷା ରଞ୍ଜ ନାହିଁ ରଥି କହିବା କାହାରେ ?
ଶତଦଳେ ଶଇବାଳ ସମାଳ ଅଳକ
ସ୍ୱେଦବିନ୍ଦୁ ଘେନି ମଣ୍ଡୁଛନ୍ତି ଆହା ମୁଖ ।
ମନୋରମା ! ମୁଗ୍ଧ କବି ରୂପର କାଙ୍ଗାଳି
ରୂପ-ଅନ୍ନପୂର୍ଣ୍ଣା ରୂପେ ଧରି ରୂପଥାଳି
ଦେଲ ଅଶା ଯଦି ତେବେ ଶଚୀ-ପତି-ଭୂତି
ପାଦେ ଲାକ୍ଷା କରି ତାକୁ, କରାଅ ପ୍ରାପତି ।୨୦।
ଗାଲିଚା ନୋହିଲେ କରି ଶ୍ରୀଚରଣ ନିହି
ମଦାଳସି ! ଗଞ୍ଜି ହଂସୀ ଗତି କର ତହିଁ ।
ଚିତ୍ତ ନେଇ ରିକ୍ତଦେହୀ କରିବାରଠାରୁ
ପରୁଷତା ବଡ଼ ହୋଇନାହିଁ କରଭୋରୁ !
ଅୟି ମନୋରମା ! ମମ ସର୍ବ ଶ୍ରୀ ମନ୍ଦିର
ହୁଅ ବରଦାୟୀ ଶୁଣି ବନ୍ଦନା ବନ୍ଦୀର ।
୧-୧୦। ବିଧାତା ଉଦ୍ୟାନେ ...କଳାପ-ତୁମ୍ଭେ ବିଧାତାଙ୍କ ଉଦ୍ୟାନ-ବଗିଚାରେ ଚିର ପ୍ରସନ୍ନ-କେବେ ମଉଳୁ ନ ଥିବା ଗୋଲାପ ଫୁଲ ଅଟ । ଅପଘନେ-ଦେହରେ; କଳାପ-ସମୂହ । ଯୁବାନେତ୍ର...ସରି-ଯୁବାଲୋକଙ୍କ ଆକ୍ଷିର ଭୋକକୁ ତୁମ୍ଭେ ସରୁ ଚାଉଳର ଭାତପରି ରୋଚକ; କୁଶଧାରୀ-ବିଧାତା; ଶୋଭାସାରସୀମା-ସୌନ୍ଦର୍ଯ୍ୟସାରର ସାର, ତ୍ରିଦେବେ ଲୋକିତ-ସ୍ୱର୍ଗରେ ଦେଖାଯାଏ; ଏ ମର୍ତ୍ତ୍ୟ...ବତ-ସଂସାରରୂପ ଦର୍ପଣରେ ତୁମ୍ଭେ ତାର ପ୍ରତିରୂପ ।
୧୧-୨୦। ହରିଣାଙ୍କ-ଚନ୍ଦ୍ର; ଉକୁଟଇ-ଫୁଟେ; ଲାକ୍ଷା-ଅଳତା; ଶତଦଳ-ପଦ୍ମ; ଶଇବାଳ-ଶିଉଳି; ଅଲକ-ଚୂନଚୂନିଆ ବାଳ । ତୁମ୍ଭ ସୁନ୍ଦର ପାଦରେ ଅଳତା ନ ଦେଖି ଓ ସୁନ୍ଦର ମୁହଁରେ ଝାଳବିନ୍ଦୁ ଦେଖି ମୁଁ ବ୍ୟଥିତ-ଏକଥା କାହାକୁ ଜଣାଇବି ? ଶଚୀପତିଭୂତି –ଇନ୍ଦ୍ରବିଭବ; ପାଦେ ଲାକ୍ଷା କରି ତାକୁ – କବିକୁ ତୁମ୍ଭ ପାଦର ଅଳତା କରି ।
୨୧-୨୬। ଗାଲିଚା ନୋହିଲେ କରି – ତା ନ ହେଲେ କବିକୁ ତୁମ୍ଭ ଗୋଡ଼ ପକାଇବାର ଗାଲିଚା କରି: ଗଞ୍ଜି ହଂସୀ-ହଂସକୁ ହଟେଇ ସୁନ୍ଦର ଗତି କର, ରିକ୍ତ-ଖାଲି, ରିକ୍ତଦେହୀ କରିବା-ମନ ଚୋରାଇ ନେଇ ଖାଲି ଦେହଟା ଥିବା ବ୍ୟକ୍ତି ବନେଇ ଦେବା; ପରୁଷତା-ନିର୍ଦ୍ଦୟପଣିଆ; ସର୍ବଶ୍ରୀ ମନ୍ଦିର-ସବୁଶୋଭାର ଆବାସ; ବନ୍ଦନା-ସ୍ତୁତି ବନ୍ଦୀ-ବନ୍ଦନାକାରୀ, ଭାଟ ।
(ରୁଷିଆ କବିତାର ଛାୟା)
ନିଶିଦିବସ ପଛେ ହେବ ଅସର,
ରହିବୁ ପଥ ଚାହିଁ ବାନ୍ଧିବି ! ମୋର
ଦୃଢ଼େ ବାନ୍ଧିବୁ ଆଶା
ଫେରିବି ମୁକର ମୁଁ ଚପଳଦୃଶା !।୧।
ଟପ ଟପ ବରଷା ଗୁଳି ସମାନ
ପଡ଼ି ମଥିଲେ ହୃଦ ନୋହିବୁ ଛିନ୍ନ,
ଜାଡ଼ ବାଧା ସହିବୁ,
ନିଦାଘ-ତାପେ ସନ୍ତାପିତ ନୋହିବୁ ।୨।
ବରଷ ପରେ ଗଡ଼ିଯିବ ବରଷ,
ମୋ ଘେନି ଜ୍ଞାତି-ଜନ ହେବେ ନିରାଶ;
ବାରତା ମୋ ନ ପାଇ,
ଭାଳିବେ ବୃଥା ଖାଲି ମୋ ପଥ ଚାହିଁ ।୩।
ମୋ ସମ ଦୂରଗତ ସୈନିକ ଜନ
ପ୍ରିୟା-ବିସ୍ମୃତି-ଜଳେ ହେବେ ମଗନ,
ଜାଳି ଆଶା-ଜାଗର
ତଥାପି ପଥ ଚାହିଁଥିବୁ ତୁ ମୋର ।୪।
ଫେରିବି, ରହିଥିବୁ ମୋ ପଥ ଚାହିଁ,
ପାଇବୁ ନାହିଁ ଚିଟା ପାଇଲେ କେହି,
ଚିଟା ପାଇବା ରୀତି
ଅପରଙ୍କର; ତୋର ନୁହେ ସୁମତି !।୫।
ମୋ ଜନନୀ, ମୋ ସୁତ, ଲୋତକ ଢାଳି
କାନ୍ଦିବେ ଜୀଇ ଆଉ ନାହିଁ ମୁଁ ବୋଲି
ମୋର ବନ୍ଧୁପଂକତି
ନିଭାଇ ଦେବେ ହୃଦୁଁ ଆଶାର ବତୀ ।୬।
ବସି ଏକାଠି ଯେବେ ମୋର ବିଚାର
ପକାଇ ମୁଞ୍ଚିବେ ଟି ନୟନୁଁ ନୀର
ତୋରେ ରାଣ ମୋ ଧନ !
ଲୋତକେ ନ ଧୋଇବୁ କେଭେଁ ନୟନ ।୭।
ଲଗାଇ କାଳି ମରଣର ଲପନେ,
ରହିବୁ ପଥ ଚାହିଁ, ଆସିବି ଦିନେ
ଯେବେ ହୋଇ ଚକିତ
ଭାଷିବେ ସର୍ବେ ‘‘ଜୟି ! ଏ ଅଲୋକିତ ।’’।୮।
ନ ପାରିଲେ ଯେ ଧନ ! ମୋ ପଥ ଚାହିଁ
ସେ-ବେଳ-ମୋଦେ ଭାଗୀ ହେବେ କିପାଇଁ
ତୋର ଆଶାର ଡୋରି
ଆଣିବ ଯେବେ ମୋରେ କତିକି ତୋରି ? ।୯।
ତୋ ଆଶା-କବଚ ମୋ ପ୍ରାଣ ରଖିବା
ଆନ ସହଜେ କିପାଁ ବୁଝିବେ ଅବା ?
ଏକା ଆଶାୟୀ ଜନ
ଅରଜେ ଦେବତାର ଆଶିଷ ଦାନ ।୧୦।
ସେ ଦାନେ ଗରବିଣୀ ଏକା ତୁ ହୋଇ
ଗତ ଦୁଃଖ ପଛକୁ ଦେବୁ ପକାଇ
ଯେହୁ ଜାଳେ ଜାଗର
ଫଳ ତା ଭୋଗ୍ୟ ଏକା ହୁଅଇ ତାର ।୧୧।
୫। ଚିଟା ପାଇବା – ଦିକ୍ଦାର ହେବା ।
୬। ପଂକ୍ତି – ସମୂହ ।
(ବିୟୋଗେ)
ରାଗ-ଚିନ୍ତାଦେଶାକ୍ଷ
(‘‘ଆହା ଧନୁର୍ଦ୍ଧର ବୀରବର’’ -- ବୃତ୍ତରେ)
(୧)
ଭାଷା ଲେଖନୀମୁନେ ମୋ ନାହିଁ
ଅଶ୍ରୁ ନେତ୍ରୁଁ ଯାଇଛି ଉଭାଇ
ଅଶନି ନିର୍ଘାତ ସମ ଏ ପ୍ରୟାଣ
କାହିଁ ଅଛ ମୁହଁଛପା ଦେଇ,
ହେ ସୃହୃଦ !
(୨)
ମର୍ତ୍ତ୍ୟପୁର ସଂଗୀତ କି କର୍ଣ୍ଣ
ଆଉ କଲା ନାହିଁ ହେ ତୋଷଣ ?
ଗୀର୍ବାଣ-ସଂଗୀତ- ଲାଳସୀ ହୋଇଣ
କଲ ଗୀର୍ବାଣପୁରୀ ଗମନ
ହେ ସୁହୃଦ !
(୩)
ଏଡ଼େ ଅତର୍କିତେ ଯିବା ପାଇଁ
ମନ ବଳିଲା କେସନେ ଭାଇ !
ଗାନ୍ଧର୍ବ ସଂଗୀତ-- ମୂର୍ଚ୍ଛନା କି କାନେ
ବାଜି ଦେଲା ସକଳ ଭୁଲାଇ
ହେ ସୁହୃଦ !
(୪)
କେଉଁ କଥା ମୋଠାରୁ ଛପାଇ,
ରଖିଥିବା ମୋରେ ଜଣା ନାହିଁ
ଛାଡ଼ିଯିବ ବୋଲି ଏ ନିଗୁଡ଼ି ପାଞ୍ଚ
କେବୁଁ ସଂପାଦିଲ ମନେ ନେଇ
ହେ ସୁହୃଦ !
(୫)
ଛିଣ୍ଡି ପଡ଼ିଲା ମୋ ଦକ୍ଷ କର
ଭାଜି ଲୋଟିଲା ନିର୍ଭର-ଘର
ବିନଷ୍ଟ-କୁଲାୟ ବିହଙ୍ଗମ ସମ
ଅସହାୟ ଏବେ ଚିତ୍ତ ମୋର
ହେ ସୁହୃଦ !
(୬)
କାନ୍ତ-ସ୍ମିତ-ଶାଳୀ ତୁମ୍ଭ ମୁଖ
କାହା ମନେ ନ ଦେଇଛି ସୁଖ
ନିସର୍ଗ କୋମଳ ଯାହା ଏ ସଂସାରେ
ତୁମ୍ଭ ଭାଷା ତ ତାର ପ୍ରତୀକ
ହେ ସୁହୃଦ ।
(୭)
କୁଟିଳତାର ତ୍ରିସୀମାଠାରୁ
ବହୁଦୂରେ ଥିଲ ସଦା ଗୁରୁ ।
ଶିକ୍ଷିତ-ସମାଜ ଗୌରବ ଆସ୍ପଦ
ଯେଣୁ ସତ୍ୟସନ୍ଧ ଧର୍ମଭୀରୁ
ହେ ସୁହୃଦ !
(୮)
ଉତ୍କଳୀୟ କଳା କୃଷ୍ଟି ପାଇଁ
ଆଉ କିଏ ସେ ଆହୂତି ଦେଇ
ସ୍ୱାର୍ଥ ମେଧ ଯଜ୍ଞ ଅନଳ ଜାଳିବ
କାହିଁ ଆଖିକି ତ ଦିଶୁ ନାହିଁ
ହେ ସୁହୃଦ !
(୯)
ଦୀନଜନଙ୍କ ବିପଦ ବନ୍ଧୁ !
ପୀଡ଼ାଗ୍ରସ୍ତଙ୍କୁ କରୁଣା ସିନ୍ଧୁ
ବାନ୍ଧବ ଜନଙ୍କ ଆଶ୍ରୟ ପାଦପ
ମମ ଶରଧା-କୁମୁଦ-ଇନ୍ଦୁ
ହେ ସୁହୃଦ !
(୧୦)
ସ୍ନେହମୟୀ ମାତା ଜୀବଧନ
ଦେଶ ମାତୃକା ଯୋଗ୍ୟ ନନ୍ଦନ
ପରୁଷ ନୁହେ କି ଜୀବନ ମଧ୍ୟାହ୍ନେ
ଶୂନ୍ୟ କରିଯିବା ନିଜ ସ୍ଥାନ
ହେ ସୁକୃତି !
(୧୧)
ଦେଶେ ଥିଲା ତୁମ୍ଭ ପ୍ରୟୋଜନ
କରି ଶ୍ରୀହୀନ ବାଣୀ ଭବନ
ଗୁଣ ମୁଗ୍ଧ ଗୋଷ୍ଠୀ ହୃଦେ ଶେଳ ବିନ୍ଧି
କଲ ଅକାଳେ ମହା ପ୍ରୟାଣ
ହେ ସାଧକ !
(୧୨)
ଦିବଂଗତ ସାଧବଙ୍କ ମେଳେ
ବିଳସୁଥିବ ତ କୁତୂହଳେ
ଅମୃତ ଦୃଷ୍ଟିରେ ସେ ଧାମରୁ ସଦା
ଚାହୁଁଥିବଟି ପ୍ରିୟ ଉତ୍କଳେ
ହେ ସୁକୃତି ।
(୧୩)
ମୃତ୍ୟୁ ପରଦା ସେ ପାରେ ରହି
ଦୟା ବହିଣ ଦିଅ ବତାଇ
ତୁମ୍ଭ ଆଦରଶ ପ୍ରଦୀପର ଶିଖା
ଯେହ୍ନେ ରଖିବୁଁ ସଦା ଜଳାଇ,
ହେ ସୁକୃତି !
(୧୪)
ଆଜି ଏ ଧାମେ କ୍ଷଣକ ପାଇଁ
ଦିବ୍ୟ ତନୁରେ ଆସ ଓହ୍ଲାଇ
ଶରଧା ସୁମନେ ଆସନ ସାଜିଣ
ହୃଦ ପୀଠରେ ଅଛୁଁ ବିଛାଇ,
ହେ ଅମର !
(୧୫)
ଆସି ସସ୍ନେହେ ତହିଁରେ ବସ
ପରିଚିତସ୍ମିତେ ତୁମ୍ଭ ହସ
ସେ ଧାମରେ ଭେଟ ହେବାଯାଏଁ ଭଲା
ଶୋକ-ତାମସ ଏ ହୃଦୁଁ ନାଶ
ହେ ସୁହୃଦ !
ଉତ୍କଳ ସଙ୍ଗୀତ ସମାଜର ପ୍ରତିଷ୍ଠାତା ସ୍ୱନାମଧନ୍ୟ ଦେଶପ୍ରାଣ ଅଧ୍ୟାପକ ଓ କବିଙ୍କ ଅକୃତ୍ରମ ହିତୈଷୀ ଓ ବିପଦ ବନ୍ଧୁ ।
୧। ଅଶନି-ନିର୍ଘାତ-ବଜ୍ରପାତ, ମୁହଁ ଛପାଦେଇ-ମୁହଁ ଲୁଚାଇ ।
୨। ଗୀର୍ବାଣ-ଦେବତା, ଗୀର୍ବାଣପୁରୀ-ସ୍ୱର୍ଗଭୁବନ ।
୩। ଗାନ୍ଧର୍ବ-ଗନ୍ଧର୍ବମାନଙ୍କର ।
୪। ଛପାଇ-ଲୁଚାଇ, ନିଗୂଢ଼-ଗୁପ୍ତ, ପାଞ୍ଚ-ବିଚାର, କେବୁଁ-କେବଠାରୁ, ସମ୍ପାଦିଲ-ସାଇଚିଲ ।
୫। ଦକ୍ଷକର-ଡାହାଣ ହାତ, ଭାଜିଲୋଟିଲା....ଘର-ତୁମ୍ଭ ଉପରେ ନିର୍ଭର ରଖୁଥିଲି-ସେ ଆଶ୍ରା ବର୍ତ୍ତମାନ ତୁଟିଗଲା, ବିନଷ୍ଟକୁଲାୟ...ମୋର-କୁଲାୟ ଅର୍ଥାତ୍ ପକ୍ଷୀର ବସା ଭାଜି ଗଲେ ବିହଙ୍ଗମ ଅର୍ଥାତ ପକ୍ଷୀ ଯେପରି ଅସହାୟ ହୋଇପଡ଼େ ମୋର ଚିତ୍ତ ଆଜି ସେହିପରି ହୋଇପଡ଼ିଲା, ବିଶ୍ୱାସ କଥା ଶୁଣିବାକୁ କେହି ରହିଲେ ନାହିଁ ।
୬। କାନ୍ତସ୍ମିତଶାଳୀ-ମଧୁର ମନ୍ଦ ହସରେ ମଣ୍ଡିତ, ନିସର୍ଗକୋମଳ—ସ୍ୱଭାବତଃ ଯାହା କୋମଳ, ତୁମ୍ଭ...ପ୍ରତୀକ—ତୁମ୍ଭ କଥା ତହିଁର ସୂଚକ ଅର୍ଥାତ କୋମଳତାର ଅଗ୍ରଣୀ ।
୭। କୁଟିଳତା—ଛନ୍ଦକପଟ; ଆସ୍ପଦ-ସ୍ଥାନ; ସତ୍ୟସନ୍ଧ—ସତ୍ୟବ୍ରତ; ଧର୍ମଭୀରୁ-ଧାର୍ମିକ (କବି କଲେଜରେ ଅଧ୍ୟାପକ ମହାଶୟଙ୍କ ଛାତ୍ର ଥିଲେ; ପରେ ପ୍ରାଚୀ ସମିତିରେ ସହକର୍ମୀ ଓ ବନ୍ଧୁ ହେଲେ ।)
୮। ଉତ୍କଳୀୟ....ଦିଶୁନାହିଁ—ଉତ୍କଳର କଳା ଓ ସଂସ୍କୃତିକୁ ପ୍ରଖ୍ୟାସିତ କରିବା ନିମନ୍ତେ ଚଉଧୁରୀ ନିଃସ୍ୱାର୍ଥପର ଭାବରେ ଧନ ଓ ବହୁମୂଲ୍ୟ ସମୟ ବ୍ୟୟ କରୁଥିଲେ । ଯେଉଁ ଯଜ୍ଞରେ ସ୍ୱାର୍ଥକୁ ବଳି ଦିଆଯାଏ ତାହା ସ୍ୱାର୍ଥମେଧ ଯଜ୍ଞ ।
୯। ଆଶ୍ରୟ ପାଦପ—ଆଶ୍ରା କରିବାର ସ୍ଥାନ ଯେପରିକି ବୃକ୍ଷ ବିଶେଷ ଯହିଁରେ ବହୁତ ପକ୍ଷୀ ବସା ବାନ୍ଧି ରହିଥାନ୍ତି । ପାଦପ-ବୃକ୍ଷ; ଶରଧା-କୁମୁଦ-ଇନ୍ଦୁ—ଶ୍ରଦ୍ଧା ବା ସ୍ନେହର ଆକର୍ଷକ ।
୧୦। ସ୍ନେହମୟୀ-ସ୍ନେହଶୀଳା; ମାତା-ଜନନୀ (ର ଜୀବନ ଧନ) ଅଥବା ସ୍ନେହମୟୀ—(ତାଙ୍କ ଜ୍ୟେଷ୍ଠା କନ୍ୟା)ର ମାତାର ଜୀବନ ଧନ; ଦେଶ ମାତୃକା-ଜନ୍ମଭୂମି; ପରୁଷ-କଠୋର ।
୧୧। ଶ୍ରୀହୀନ-ହିତଶିରୀ; ବାଣୀଭବନ-ଭଗବତୀ ଭାରତୀଙ୍କ ପୂଜା ପୀଠ; ଖେଳ-ଅସ୍ତ୍ର ବିଶେଷ; ମହାପ୍ରୟାଶ – ସ୍ୱର୍ଗଯାତ୍ରା ।
୧୨। ଦିବଂଗତ—ସ୍ୱର୍ଗଗତ, ବିଳସୁଥିବ—କ୍ରୀଡ଼ା କରୁଥିବ; ସୁକୃତି—ପୂଣ୍ୟକର୍ମା ।
୧୫। ସେ ଧାମରେ-ପରଲୋକରେ; ଶୋକତାମସ-ଦୁଃଖରୂପ ଅନ୍ଧାର ।
(ରାଗ ଭୈରବ-ଆଠତାଳି)
ଖାରବେଳ ସୁହାଗିନୀ ତୁହି ମା ଟିକି । ଘୋଷା ।
ବିପୁଳ-ବାରଣ-ସେନା- ପଦ-କମ୍ପ୍ର-ଅପଘନା ।
ବୀର-ମେଦମୟ ତୋର ଏହି ମାଟି କି ? ।୧।
ଥଳେ ମା ! ଦୁର୍ଗ ଶାଳିନୀ ତଳେ ବୋଇତ ମାଳିନୀ
ନବତଳ ଉଆସ ଏ ବାରବାଟୀ କି ? ।୨।
ବିଦେଶେ ଉଦର ଅନ୍ନ ଖୋଜନ୍ତି ଯାଙ୍କ ସନ୍ତାନ
ତୋ ଦେଉଳେ ତାଙ୍କ କଳା-ପରିପାଟୀ କି ।୩।
ବାବଦୂକ ଇତିହାସ କାନେ ଦିଏ କେତେ ଗ୍ରାସ
ନେତ୍ର ଉଦାସ ଚାହିଁ ତୋ କ୍ଷୀଣ ନାଟୀ କି ।୪।
ବନ୍ୟାସମ ପଉରୁଷ ହେବ କେବେ ପରବେଶ
ଅତୀତ ଉଠିବ ଭଲା ଚିରି ମାଟି କି ।୫।
ବିଚ୍ଛନ୍ଦ ଗଡ଼ାଇ ଲୁହ ପଚାରେ ସମୟ-ସୁଅ
ମୁହେଁ କି ଦୁଃଖ ନିବହ ଥିବ ଅଟକି ।୬।
୦। ଖାରବେଳ-ପ୍ରାଚୀନ କଳିଙ୍ଗର ଭାରତ ବିଜୟୀ ସମ୍ରାଟ, ସୁହାଗିନୀ-(ଙ୍କ ପ୍ରତି) ସ୍ନେହଶୀଳା ।
୧। ବିପୁଳ-ବହୁଳ; ବାରଣ ସେନା-ଗଜାରୋହୀ ଫଉଜ; ପଦକମ୍ଫ୍ର-ଅପଘନା-ପାଦରେ କମ୍ପୁଥିବା ଅପଘନ-ଶରୀର ଯାହାର; ବୀରମେଦମୟ-ବୀରଙ୍କ ମେଦରେ ଗଢ଼ା ।
୨। ନବତଳ ଉଆସ ଏ ବାରବାଟୀ କି ? ---ଏ ଯେଉଁ ବାରବାଟୀ ରହିଛି ଏଥିରେ ତୋ ସମ୍ରାଟଙ୍କ ନଅ ମହଲା ପକ୍କାର ଉଆସ ଥିଲା କି ?
୩। ଉଦର ଅନ୍ନ-ପେଟର ଦାନା !
୪। ବାବଦୁକ-ବହୁତ କଥା ଗପୁଥିବା, ଗପଡ଼ି; କାନେ ଦିଏ କେତେ ଗ୍ରାସ-କାନକୁ ବହୁତ ଖାଦ୍ୟ ଦିଏ ଅର୍ଥାତ ବହୁତ କଥା ଶୁଣାଏ; ଉଦାସ-ନିରୁତ୍ସାହ, କ୍ଷୀଣ-ଦୁର୍ବଳ; ନାଟୀ-ନାଡ଼ି ।
୫। ବନ୍ୟା-ନଈବଢ଼ି; ପଉରୁଷ-ପୁରୁଷପଣିଆ, ବିକ୍ରମ ।
୬। ଦୁଃଖନିବହ-ଦୁଃଖ ସବୁ ।
ମାଆଙ୍କ ବର ଓ ଅଭିଶାପ
(ରାଗ-ବଙ୍ଗଳାଶ୍ରୀ)
ବୁଢ଼ୀ ତରାଟିଏ ଅଛଇ ଆକାଶେ
ବସିଲେ ନ ପାରେ ଉଠି,
ଚାନ୍ଦ, ସୂର୍ଯ୍ୟ ଆଉ ପବନ ଦେବତା
ଏମାନଙ୍କ ମାଆ ସେ ଟି ।
ସରଗରେ ଠାଏ ଭୋଜି ହୋଇଥିଲା
ତିନି ପିଲା ଗଲେ ଖାଇ
ଚମ ଧୁଡ଼ୁ ଧୁଡ଼ୁ ବାଡ଼ି ଠୁକୁ ଠୁକୁ
ବୁଢ଼ୀ ନ ପାରିଲା ଯାଇ ।
ଭୋଜିରେ ଦେଖିଣ ଅପୂର୍ବ ପଦାର୍ଥ
ପବନ ଖାଇଲା ଲୋଭେ,
ସୁଆଦ ଭୋଳରେ ମାଆ ବୁଢ଼ୀ କଥା
ନ ଭାଳିଲା ସେହୁ ଲବେ ।
ସୂର୍ଯ୍ୟ ତାହା ପରି ପକାଇଲା ପେଟେ
ପତରେ ପଡ଼ିଲା ଯାହା
ଖାଇବାରେ ମାତି ଭାଳିଲା ନାହିଁ ସେ
ମାଆ ବୁଢ଼ୀ କଥା ଆହା ।
ଚାନ୍ଦ ଯେଣୁ ଝିଅ ମାଆ ପାଇଁ ତାର
ଘାଣ୍ଟି ହେଲା ଭାରୀ ମନ
ଖାଇଲା ପତରୁ ମାଆ ପାଇଁ କିଛି
ରଖିଲା କରି ଯତନ ।
ପବନ ଫେରିଲା ଗଗନ କମ୍ପାଇ
ମାଆ ପଚାରନ୍ତି ‘‘ବାବୁ !
ଭୋଜିରୁ ମୋ ପାଇଁ କିଛି ଆଣିନାହୁଁ
ଖାଇ ଦେଲୁ କି ରେ ସବୁ’’ ?
ପବନ କହିଲା ରାଗରେ ‘‘ବୁଢ଼ୀ ! ତୁ
ଆପେ ନ ପାରିଲୁ ଯାଇ
ଚାକର ନୁହେ ମୁଁ ଅପୂର୍ବ ଦରବ
ଆଣନ୍ତି ତୋ ପାଇଁ ବହି’’ ।
ତେଜରେ ଝଟକି ଲେଉଟିଲା ସୂର୍ଯ୍ୟ
ବୁଢ଼ୀ ପଚାରଇ ‘‘ବାବୁ !
ଭୋଜିରୁ ମୋ ପାଇଁ କିଛି ଆଣି ନାହୁଁ
ଖାଇ ଦେଲୁ କି ରେ ସବୁ’’ ?
ଆଖି ରଙ୍ଗାଇଣ ଗରଜିଲା ସୂର୍ଯ୍ୟ
‘‘ବଡ଼ ଅଳାଜୁକୀ ତୁହି
ଅପୂର୍ବ ଦରବ ବୁହନ୍ତି ତୋ ପାଇଁ
ଚାକର କି ତୋର ମୁହିଁ’’ ?
ହସ ହସ ମୁହେଁ ଫେରିଲା ଚନ୍ଦ୍ରମା
ମାଆ କହିବା ଆଗରୁ
ବାଢ଼ିଦେଲା ଆଣି କାଢ଼ି ରଖିଥିଲା
ଯାହା ସେ ନିଜ ଭାଗରୁ ।
ପିଲାଙ୍କୁ ଡାକିଣ କହୁଛନ୍ତି ମାଏ
‘‘ଜଣ ଜଣ ହୋଇ ଶୁଣ
ସାମାନ୍ୟ କଥାରୁ ଜଣା ପଡ଼ିଗଲା
ତୁମ୍ଭ ତିନିଙ୍କର ଗୁଣ’’ ।
ଆପସୁଆର୍ଥୀ ତୁ ଅଟୁ ରେ ପବନ
ଘେନ ମୋର ଅଭିଶାପ,
ସୁଉ ସୁଉ ହୋଇ ଗର୍ଜି ମରୁଥିବ
ତେବେ ନ ଛାଡ଼ିବ ପାପ,
ଯାହାକୁ ଛୁଇଁବୁ ସେହୁ ଶୁଖିଯିବ
ଲୋକେ ତୋତେ ତଡ଼ିଦେଇ
କିଳିବେ କବାଟ ହୋଇ ଛଟପଟ
ମୁଣ୍ଡ ତୁ ହେବୁ ବାଡ଼େଇ’’ ।
‘‘ପବନ ସମାନ ଆପସୁଆର୍ଥୀ ତୁ
ସୂର୍ଯ୍ୟ ମୋହ କଥା ଶୁଣ
ଜଡ଼ ପୋଡ଼ ହୋଇ ମରିବୁ ତୁ ସଦା
ଜାଳି ସଭିଙ୍କ ପରାଣ ।
ପୋଡ଼ା ମୁହିଁ ତୋର କେହି ନ ଚାହିଁବେ
କହି ଯେଣୁ କଟୂ କଥା
ବୁଦ୍ଧ ବୟସରେ ମନରେ ମୋହର
ଦେଲୁ ଏଡ଼େ ଗୁରୁ ବ୍ୟଥା ।
‘‘ଶୁଣ ଆଲୋ ଚାନ୍ଦ ! ମାଆ ଦୁଃଖେ ଯେଣୁ
ତରଳିଲା ତୋହ ମନ
ରୂପେ ଗୁଣେ ତତେ ଏ ସାରା ଜଗତେ
ନୋହିବେ କେହି ସମାନ ।
ଜଗତ ଯାକର ମନ ତୁ ମୋହିବୁ
ଆକାଶେ ଦେଖି ତୋ ଗତି
ମଞ୍ଚପୁର ଲୋକେ ଗଣନା କରିବେ
ବର୍ଷ ମାସ ଆଉ ତିଥି’’ ।
ରାଗ ଚିନ୍ତା ଦେଶାକ୍ଷ
(ଆହା ଧନୁର୍ଦ୍ଧର ବୀରବର – ବୃତ୍ତରେ )
ମୋହ ଚିଠିର ନାହିଁ ଉତ୍ତର
ଭରା ଆଶଙ୍କରେ ମୋ ଅନ୍ତର
ଦିନେ ଗଲେ ଯୁଗେ ଯାଉଛି ମୋହର
ତୁମ୍ଭେ ହୋଇବା ଦିନୁଁ ଅନ୍ତର ହେ
କିଶୋର ! ।୧।
ତୁମ୍ଭେ କହୁଥାଅ ରେ ବାନ୍ଧବି !
ମୁହିଁ କବି ତୁ ସିନା ମୋ ଛବି
ତୋର ଅଦର୍ଶନେ କବିତା ମୋ କାହିଁ
ତୋର ବିରହ ତ ମୋରେ ପରି ହେ
କିଶୋର ! ।୨।
ଦିନ ପନ୍ଦରକୁ ଗଲ କହି
ମାସ ଦୁଇ ଯେ ଗଲାଣି ବହି
ଦିନୁଁ ଦିନ ଗରୁ ହେଲା ଏ ବିରହ
କେହ୍ନେ ଧରିବି ଭଲା ମୁଁ ଦେହି ହେ
କିଶୋର ।୩।
କହିଥିଲ ‘‘କାୟା ଛାୟା ସରି
ମୁହିଁ ତୋର ତୁ ମୋର ସୁନ୍ଦରି ।’’
ଚନ୍ଦ୍ର ହୋଇ ମୋରେ ଚନ୍ଦ୍ରିକା କରିବା
ସତେ ପକାଇଲ କି ପାସୋରି ହେ
କିଶୋର ! ।୪।
କହ କହ ପ୍ରିୟ ମୋର ! ସତ
ହୋଇ ପଡ଼ିଛ ଅବା ପୀଡ଼ିତ
‘‘ସକଳ ବ୍ୟାଧିର ଭେଷଜ ତୁ ମୋର’’
ମୋରେ କହିଛ ବାର ବହୁତ ହେ
କିଶୋର ! ।୫।
ମୋରେ ରଖିଯାଇ ବନ୍ଧୁ ! ଦୂରେ
ପୀଡ଼ା ଭୋଗୁଅଛି କି ଦେହରେ
ସଂଶୟ ନିଆଁରେ କିଆଁ ଜାଳି ମାର
ମୋରେ ଭସାଇ ଦେଇ ଲୁହରେ ହେ
କିଶୋର ।୬।
ଯେବେ ହୋଇଥିବ ତୁମ୍ଭ ପୀଡ଼ା
ସତ କହୁଛି ତେଜି ମୁଁ ବ୍ରୀଡ଼ା
ଚରଣ ସେବାକୁ ପରିଚାରୀ ସରି
ସହିଁ ତହିଁ ହୋଇବଇଁ ଛିଡ଼ା ହେ
କିଶୋର ! ।୭।
ମୋରେ ପହଲେ ଦେଖିଲା ଦିନ
କେଡ଼େ ସରାଗେ ଫିଙ୍ଗି ସୁମନ
ଶଶିଜିତ ମୁଖେ ସୁହାସ ଫୁଟାଇ
ଚତୁରାକ୍ଷେ ବଳାଇଲ ମନ ହେ
କିଶୋର ! ।୮।
ମୋର ଥିଲା ନାହିଁ ବନ୍ଧୁ ! ଚାରା
ନେତ୍ର-ବାଗୁରାରେ ଦେଲି ଧରା
ପ୍ରତିଭା-ଦୀପିତ ବଦନ ତୁମ୍ଭର
ମାନସକୁ ମୋ ହୋଇଲା କାରା ହେ
କିଶୋର ! ।୯।
ଦିନେ ଝୁଲଣ ସାତରେ ମୁହିଁ
ହଜିଥିଲି ଟି ପଥ ହରାଇ
ତାତ ମାତ ମୋର ଅଥୟ ହୋଇଲେ
ଭାଷି ‘‘କାମିନି ! ଗଲୁ ତୁ କାହିଁ’’ ହେ
କିଶୋର ! ।୧୦।
କାହୁଁ ଦେବତା ସମାନ ଆସି
ଜନ ଗହଳିରେ ତୁମ୍ଭେ ପଶି
ଅପରିଚିତାଙ୍କ ମେଳୁଁ ମୋରେ ନେଇ
ଗୁହାଇଲ ତାଙ୍କ ଶୋକ ନିଶି ହେ
କିଶୋର ! ।୧୧।
ସେହି ଦିନରୁ ଥରେ ଆମର
ବଢ଼ି ଗଲାଟି ତମ ଆଦର,
କେହି ନ ଜାଣିଲେ ଆଗୁଁ ହୋଇଥିବା
ତୁମ୍ଭେ କାମିନୀ-ମାନସ-ଚୋର ହେ
କିଶୋର ! ।୧୨।
କେତେ ବାର ଜଳପାନ ନେଇ
ନିଜ କରେ ଦେଇଛ ଭୁଞ୍ଜାଇ
ସକଳେ ଜାଣନ୍ତି ନିରୀହା କାମିନୀ
ତାର ବଅସ ଯେ ହୋଇ ନାହିଁ ହେ
କିଶୋର ! ।୧୩।
ତୁମ୍ଭେ କରିବା ବେଳେ ଆହାର
ଗୁରୁଜନେ ହୋଇ ଯାନ୍ତି ଦୂର,
ସକଳେ ଭାଳନ୍ତି ଲାଜକୁରା ଅତି,
ଏକା ଜାଣେ ମୁଁ ଗୁଣ ଅପାର ହେ
କିଶୋର ! ।୧୪।
ଆମ ଘର ଆଦରର ଧନ !
ଆହେ କାମିନୀ-ଜୀବ-ଜୀବନ !
ମାସ ଦୁଇ ହେଲା ରହିଲ ନୀରବ,
କେହ୍ନେ ତଟୁ ନାହିଁ ତୁମ୍ଭ ମନ ହେ
କିଶୋର ? ।୧୫।
ମୋର ନୟନ କୋଟର-ଗତ
ଦେଖି ଶୋକାତୁର ତାତ ମାତ;
ଡାକତର ଡାକି ପରଖାନ୍ତି ଛାତି
ମୋର ବିକାର ତାଙ୍କୁ ଅଜ୍ଞାତ ହେ
କିଶୋର ! ।୧୬।
ତୁମ୍ଭ ଲାଗି ମୋ ସବୁ ବିକାର,
ଏକା ତୁମ୍ଭେ ଭିଷଜ ତହିଁର,
ମୋ ଗୁପତ ପ୍ରେମ ଗଣେଷ ଟି ତୁମ୍ଭେ
ମୋର ଚିତ୍ତ-ବଇଭବ-ଚୋର ହେ
କିଶୋର ! ।୧୭।
ଫୁଲ ଫିଙ୍ଗି କିଣିଲ ମୋ ମନ,
ଆଗେ ଧନୀ ପଛେ କଲ ଦୀନ;
ମନ-ପୋଡ଼ି ମୋର କିଏ ସେ ଜାଣିବ ?
ଦୂରେ ରହିଲ ଜାଣିବା ଜନ ହେ
କିଶୋର ! ।୧୮।
ରଖିଥିବ ସେ ଝର-କଲମ
ଯାହା ଛୁଉଁଥିଲା ଉର ମମ
କରେ ବ୍ଲାଉସରୁ କାଢ଼ି ତା ନେଇଛ
ଭାଷି ତାହା ମୋ ଦାନ ପରମ ହେ
କିଶୋର ! ।୧୯।
ତହୁଁ ଝରିବ କବିତାଧାରା;
ବିଶ୍ୱେ ମୋହିବା ପାଇଁ କି ପରା,
ମୁଁ ପୁଣି କେଉଠି ରୂପିଣୀ କବିତା !!!
ଲେଖନୀ ମୋ ତା ଆଧାର ପରା ହେ
କିଶୋର ! ।୨୦।
ମନେ ପଡ଼େ କି ବିଦାୟ ଦିନ
‘‘କିଶୋରକୁ ଦେଇ ଆ ତୁ ପାନ’’
ବୋଉ ଆଦେଶିଲା, ଗଲି ତୁମ୍ଭ କତି
ତୁମ୍ଭେ ଏକାଥିଲ ଉପବନ ହେ
କିଶୋର ! ।୨୧।
ମୋରେ ଆଲିଙ୍ଗି ଶଣ୍ଡେ ମୋ ଲୁହ
ଢାଳି ଦେଇ, ବହି କଣ୍ଠି କୋହ,
ସବୁ କଥା ସଖା ! ଅକୁହା ରଖିଲ
କେବେ ଫିଟାଇ କହିବ କହ ହେ
କିଶୋର ! ।୨୩।
ଯେତେ କଥା ଥିଲା ମନେ ରହି
ତେତେ ତରଙ୍ଗ ସିନ୍ଧୁରେ ନାହିଁ ;
ଭଗାରି ହୋଇଲା କଣ୍ଠେ କୋହ ମୋର
ଆଖି ଆଖି କି ଥିବ ମା କହି ହେ
ସୁନ୍ଦର ! ।୨୪।
ମୁହିଁ ଚୋବାଇ ଥିବାର ପାନ
କରି ସରାଗେ ମୁଖେ କ୍ଷେପଣ
ଆଖିପତା ମୋର ଲୋତକେ ଧୋଇଣ
ମୋର ପରାଣ କଲ ମନ୍ଥନ ହେ
ସୁନ୍ଦର ! ।୨୫।
ଜଳି ଯାଉଛି ମୋ ଚିତ୍ତ-ଧରା,
କର ବରଷା ତୋଷ-ଅସରା,
ବୋଉ କହୁଥିଲା ବାପାଙ୍କୁ ‘‘କାମିନୀ
ମୋରେ ଲାଗେ କିଶୋରର ପରା’’ ହେ
ସୁନ୍ଦର ! ।୨୬।
ପ୍ରାଣ ଉପବନ ମାଳୀ ମୋର !
ଆଉ ନ କର ଦିନେ ଉଛୁର
ରୂପିଣୀ କବିତା କହିଛ ଯାହାକୁ
ମାଧୁରୀ ତା ହେଲା ନାରଖାର ହେ
ସୁନ୍ଦର ! ।୨୭।
୧। ଅନ୍ତର – ଦୁଇ
୨। ପବି-ବଜ୍ର
୩। ଦେହ-ଦେହ
୪। ଚନ୍ଦ୍ରିକା- ଚନ୍ଦ୍ର କିରଣ
୫। ଭେଷଜ – ଔଷଧ
୭। ବ୍ରୀଢ଼ା-ଲାଜ
୮। ଶଶିଜିତ-ଶୋଭାରେ ଚନ୍ଦ୍ରକୁ ଜିଣିଥିବା; ଚତୁରାକ୍ଷ-ଚାରିଚକ୍ଷୁ
୯। ଚାରା-ଶକ୍ତି; ବାଗୁରା-ଜାଲ; ପ୍ରତିଭା ଦୀପିତ-ପ୍ରତିଭାର ଆଲୁଅରେ ଉଜ୍ଜ୍ୱଳ; କାରା-କଏଦରାର
୧୩। ଜଳପାନ-ଜଳଖିଆ
୧୫। ତଟୁ ନାହିଁ-ତରଳୁ ନାହିଁ ।
୧୬। କୋଟରଗତ-କୋରଡ଼ରେ ପଶିଥିବା ।
୧୭। ଭିଷକ-ବୈଦ୍ୟ; ଗଣେଷ-ଗୁରୁ; ବିଦ୍ୟାଦାତା; ବଇଭବ-ଧନ ।
୧୮। ମନପୋଡ଼ି-ମୋ ମନ ଜଳି ପୋଡ଼ିଯିବା କଥା (ଯଥା-ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି ମନ ପୋଡ଼ିଗଲେ କିଏ ସେ ଜାଣେ? )
୨୦। ଝରକଲମ-ଫାଉଣ୍ଟେନ୍ ପେନ୍; ଉର-ଛାତି ।
୨୫। କରି କ୍ଷେପଣ-ପକାଇ ।
୨୬। ଚିତ୍ତ-ଧରା-ହୃଦୟ ରୂପ ପୃଥିବୀ ।
୨୭। ରୂପିଣୀ-ରୂପଧାରିଣୀ; ମାଧୁରୀ-ଶୋଭା, ଲାବଣ୍ୟ, ମଧୁରତା ।
ରାଗ-କଳହଂସ କେଦାର
(ଦ୍ୱିତୀୟା ଯାମିନୀରେ ମୋ ପ୍ରାଣ ସହୀ-ବୃତ୍ତରେ)
ମୋ ହୃଦ ଶରଦିନ୍ଦୁ କାମିନୀ ବାଳି !
କର-କମଳ-ଲିପି ପାଇଲି କାଲି,
କରମ ଚାପେ ଦେଇ ନାହିଁ ଉତ୍ତର
ଭରମଦେହା ଅପରାଧୀ କୋୟର ।୧।
ଫୁଟିଲା ପଦ୍ମ ସରି ନୟନ ତୋର
ଲେଖିଛୁ ପରା ଭଜିଲାଣି କୋଟଇ ।
ଅୟି ମୋ ଚିତ୍ତ-ସରସୀର ମରାଳି !
ହାଡ଼ ଯାଏ ମୋ ଫାଟି ତୋ ଛବି ଭାଳି ।୨।
ହୁଗୁଳା କଙ୍କଣ ତୁ ଦେବୁଣି ଥୋଇ,
ଗାରଉ ଥିବୁ ନାମ ବସିଲା ଠାଇଁ,
କଙ୍କତିକା ପରଶ ନ ଲଭି କେଶ
ପବନେ ଉଡ଼ୁଥିବ ହୋଇ ଉଦାସ ।୩।
ବାଉ ନ ଥିବୁ ବୀଣା ତୋଳି ଝଙ୍କାର,
ବେହେଲା ହୋଇବଣି ତୋ ନାରଖାର,
ବସିବା ବାତାୟନ ପାଶରେ ଆସି
ନିରାଶେ ଛାଡ଼ ଦେବୁଣି ତୁ ସୁହାସି ।୪।
ବିରଳ ହୋଇବଣି ସୀମନ୍ତେ ଗାଇ,
ଅଞ୍ଜନ ନେତ୍ରୁଁ ହୋଇବଣି ଅନ୍ତର,
ଗଣ୍ଡେ ଡମ୍ୱିତ ଦୁଲ କାଢ଼ି କାନରୁ
ଅନାଦରେ ତୁ ଫିଙ୍ଗି ବୁଣି ରମ୍ଭୋରୁ ।୫।
ପାଣ୍ଡୁର ହୋଇବଣି ଅଧର-ବିମ୍ୱ,
ପିତା ହେବଣି ପାନ ଯେସନ ନିମ୍ୱ;
ବମ୍ୱୁ କଣ୍ଠରୁ ହାର କରି ବାହାର !
କାଞ୍ଚିଲା-ପିନ୍ଧା କରିବୁଣି ତୁ ଦୂର ।୬।
କାଞ୍ଚୀ ଦାମ କଟୀରୁ ଦେବୁଣି ଫେଇ,
ବାହାର ନ ଥିବୁ ତୁ ଅଳତା ନାଇ;
କୁନ୍ଦ ସୁମନ ସମ ମୁରୁକି ହସ
ଓଠେ ତୋ ଫୁଟୁଥିବ ନାହିଁ ନାରୀଶ ।୭।
ତପତ ଶ୍ୱାସେ ନାସା ତିଳ ସୁମନ
ଝାଉଁଳି ଦିଶିବଣି କି ହତମାନ ।
ଅଙ୍ଗୁଳି ଚମ୍ପା ଯାଇଥିବ ମଉଳି,
କି ହୋଇଥିବ ଉର ସରୋଜ କଳି ।୮।
କଳା ଶାଢ଼ୀରୁ ତୁଟାଇଣ ଆଦର
ଅଯତ୍ନେ ଛାଉଥିବୁ ଅଙ୍ଗ ତୁ ତୋର,
ରୂପିଣୀ କବିତା ରେ ! ରୂପ କାଙ୍ଗାଳି
ଦବି ଯାଉଛି ଜଳି ତୋ ଦଶା ଭାଳି ।୯।
ଧୂଳିରେ ଲୁଳି ଯାଉଥିବ ପଣତ,
କାନ୍ଧେ ବହିବା ବଳ ହେବଣି ହତ ।
ମୁଖ ଶଶୀକି ଢାଙ୍କିଥିବ ବଉଦ
ମହୀରେ ପଡ଼ୁଥିବ ଅଥୟେ ପଦ ।୧୦।
ଝର-କଲମ ତୋର ଉରେ ଜଡ଼ାଇ
ଦୁଇ ଦିନର ପଥ ଯିବଇଁ ବାହି;
ତୋ ପରାଣ ପଙ୍କଜେ ମୁହିଁ ତପନ
ଜାଣି ନ ଥିଲି ଆଜ ଅବଧି ଧଳ ।୧୧।
ମୁଁ ଭାଳିଥିଲି ମୁହିଁ ଚାତକ ସରି
କଣ୍ଠକୁ ମୋର ତୁହି ବାରିଦ-ବାରି;
ଏବେ ବୁଝିଲି ଆନ ଚିଜ ବିତ୍ତରେ
କିଣା ଯେସନ, ଚିତ୍ତ କିଣା ଚିତ୍ତରେ ।୧୨।
ଲାଜ ମଞ୍ଜୁଷାରେ ଏ ପ୍ରୀତିରତନ
ଢାଙ୍କି ତୁ ରଖିଥିଲୁ, ନ ଜାଣି ଧନ ।
ହୋଇଛି ଅପରାଧି କରୁଣା କରି
ପାଣିକି ଦୋଷ ଫିଙ୍ଗିଦିଅ ସୁନ୍ଦରି ।୧୩।
ଶୋଭା ବିଳାସୀ ତୋର କିଶୋର କବି
କବି-ମୋହିନି ! ତୋର ମନୋଜ୍ଞ ଛବି
ଚିରକାଳ ତା ଲେଖନୀରେ ଆହାର
ତୁହି ସୁମନାବର ସେ ମାଳାକର ।୧୪।
ଗ୍ରୀବାନାଡ଼ରେ ମୁଖପଦ୍ୱ ଢଳାଇ
ତୁ ହସୁଥିବୁ, କବି ସେ ଛବି ଚାହିଁ
କବିତା ଯିବ ଲେଖି କରିଛ ଆଶା
ହେଳାରେ ହଜାଇ ଯାନ ଦେବ ରସା ।୧୫।
କଳା-କୁନ୍ତଳେ ନାଇଥିଲେ ଅଳକା
ସରଜୁ ଥିବ କବିକି ତା ଅଳକା,
କପାଳ ଝଲକିଲେ ମୁକୁର ସରି
ମୁଖ ଦେଖିବ ତହିଁ କବିତାନାରୀ ।୧୬।
ଗୋଲାପି ଗଣ୍ଡ ଗଢ଼ା ଲାବଣ୍ୟସାରେ
କମ୍ପନ ସରଜିବ କବି ଅନ୍ତରେ,
କାନଝୁମୁକା ତହିଁ ବିମ୍ୱିତ ହୋଇ
କବିକି ମୋଦନୀରେ ନେବ ଭସାଇ ।୧୭।
ଅରୁଣ ସରି ରଙ୍ଗ ତୋ ରଙ୍ଗାଧର,
ମାଣବକ ଶମ୍ଭୁ ତୋ ଉରପୀଠର,
ଚାରିଅଙ୍କ-ମଧ୍ୟ ତୋ ମରାଳଗତି
କବି କବିତା ଲାଗି ଅତୁଳ ଭୂତି ।୧୮।
ହସିଲେ କଉମୁଦୀ ହୁଅଇ ବିଞ୍ଚି,
ଭାଷିଲେ ବାଜି ଉଠଇ ରେ ବିପଞ୍ଚୀ,
ଟେକିଲେ ମୁଖ ବରଷଇ ମୟୁଖ,
ଚାଲିଲେ ପାଦ ହଂସୀ ଲଭନ୍ତି ଦୁଃଖ ।୧୯।
ବସିଲେ ହୀରାକୁଢ଼ ସରି ରୁଚିର,
ଶୋଇଲେ ନିକଷରେ କନକ ଗାର,
ଛାଡ଼ିଲେ ଶ୍ୱାସ ଜାତ ମଳୟ ବାତ
ଫେଡ଼ିଲେ ପକ୍ଷ୍ମ କୁବଳୟ ସ୍ଫୁଟିତ ।୨୦।
ଏସନ ନିଧି ତୁ ମୋ ଶୋଭା-ପସରା,
ତୋ ଲିପି ବରଷିଲା ଭାବ-ଅସରା;
ଭାବବତି ରେ ! ତୋଳି ଭାବ ଜୁଆର
ଧୋଇ ଦେବ ତୋ ପଦ କବିତା ମୋର ।୨୧।
ମୁକର ପହଞ୍ଚିବି ପଅର ଦିନ
ଦିନ ଦୁଇଟା କ୍ଲେଶେ କର ଯାପନ ।
କଳା-କୁନ୍ତଳା ! ଶକୁନ୍ତଳା ତୁ ମୋର
ଦୋଷୀ ଦୁଷ୍ମନ୍ତ ଦୋଷ ପାଣିର ଗାର ।୨୨।
୧। ଶରବିନ୍ଦୁ-ଶରତ୍କାଳର ନିର୍ମଳଚନ୍ଦ୍ର; ଲିପି-ଚିଠି; କରମ-ଚାପେ ବହୁତ କାମ ପଡ଼ିଥିବାରୁ; ଭରମଦେହା-ଭର୍ମଦେହା-ସୁନାଗୋରୀ; କୋୟର-ସେବକ ।
୨। ଭଜିଲାଣି କୋଟର-କୋଇଡ଼ରେ ପଶିଲାଣି; ସରଣୀ-ପୋଖରୀ; ମରାଳୀ-ହଂସୀ ।
୪। କଙ୍କଳିକା-ପାନିଆଁ; ଉବାସ-ଅଳିହେକାପ୍ରାପ୍ତ ।
୫। ବିରଳ-ଦେଖିବାକୁ ଦୁଷ୍ପ୍ରାପ୍ୟ; ସୀମନ୍ତ-ସୁନ୍ତା; ଗଣ୍ଡେ ବିମ୍ୱତ-ଝଟକୁଥିବା ଗାଲରେ ପ୍ରତିଫଳିତ; ଭୟୋରୁ-କଦଳୀଗଛ କାଣ୍ଡ-ପରି ଯାହାର ଜରାନ, ସୁବଳିତ ।
୬। ପାଣ୍ଡୁର-ଫିକା; ଅଧରବିମ୍ୱ-ଅଧରରୂପ ପାଚିଲା କଇଁଚିକାକୁଡ଼ି; କମ୍ୱୁ-ଶଙ୍ଖ ।
୭। କାଞ୍ଚୀଦାମ-ଚନ୍ଦ୍ରାହାର (ଅଣ୍ଟାର ଅଳଙ୍କାର); ନାବୀଶ-ଶ୍ରେଷ୍ଠ ନାରୀ ।
୮। ଚିଳସୁମନ-ରାଶିଫୁଲ (ଏଥି ସହିତ ନାକର ତୁଳନା ହୁଏ); ଉର-ଛାତି; ସରୋଜକଳି-ପଦ୍ମକଢ଼ି ।
୯। ଅଯତ୍ନେ-ଯତ୍ନ ନ କରି; ଛାଉଥିବୁ-ଘୋଡ଼ାଉଥିବୁ; ରୂପିଣୀ-ରୂପ ଧାରିଣୀ ।
୧୦। ଲୁଳି ଯାଉଥିବ-ଘୁସୁରୁ ଥିବ ।
୧୧। ଅବଧି-ପର୍ଯ୍ୟନ୍ତ ।
୧୨। ବାରିଦବାରି-ମେଘର ଜଳ; ଚିଜ-ପଦାର୍ଥ ।
୧୩। ମଞ୍ଜୁଷା-ପେଡ଼ି ।
୧୫। ଗ୍ରୀବାନାଡ଼-ବେକରୂପ ନାଡ଼ି; ରସା-ପୃଥିବୀ ।
୧୬। କୁନ୍ତଳ-କେଶ; ଅଳକା-ସୀମାନ୍ତର ଅଳଙ୍କାର; ଅଳକା-ସ୍ୱର୍ଗପୁର ।
୧୭। ସାର-ନିର୍ଯାସ ।
୧୮। ମାଣବକ-ଶିଶୁ; ଶମ୍ଭୁ-ଶିବଲିଙ୍ଗ; ଚାରିଅଙ୍କ ମଧ୍ୟ-ଚାରିଅଙ୍କ (୪)ର ଅଣ୍ଟାପରି ସରୁ ଅଣ୍ଟା; ମରାଳ-ହଂସ ।
୧୯। ତୁ ହସିଲେ କୌମୁଦୀ ଅର୍ଥାତ୍ ଚନ୍ଦ୍ର କିରଣ ବିଞ୍ଛି ହୋଇଗଲା ପରି ଦିଶେ । ତୁ ଭାଷିଲେ ଅର୍ଥାତ୍ କଥା କହିଲେ ବିପଞ୍ଚୀ ଅର୍ଥାତ୍ ବୀଣା ବାଜି ଉଠିଲା ପରି ଶୁଭେ । ତୁ ମୁହଁ ଟେକିଲେ କିରଣ ବର୍ଷା ହେଲା ପରି ଦିଶେ, ତୁ ପାଦ ଚାଳିଲେ ହଂସୀମାନେ ନିଜ ସୁନ୍ଦର ଚାଳିକି ତୁଚ୍ଛ ମନେ କରି ଦୁଃଖିତ ହୁଅନ୍ତି ।
୨୦। ତୁ ବସିଲେ ହୀରାର ଗଦା ପରି ସୁନ୍ଦର ଦିଶୁ, ଶୋଇଲେ କଷଟି ପଥରରେ ସୁନାର ଗାରଟିଏ ପରି କ୍ଷୀଣ ଦିଶୁ । ତୁ ନିଃଶ୍ୱାସ ଛାଡ଼ିଲେ ମଳୟ ପବନ ପରି ସୁବାସ ପବନ ଜାତ ହୁଏ ଓ ତୁ ପକ୍ଷ୍ମ ଅର୍ଥାତ୍ ଆଖିପତା ଖୋଲିଲେ କୁବଳୟ ବା ପଦ୍ମ ସ୍ଫୁଟିତ ଅର୍ଥାତ୍ ଫୁଟିଲା ପରି ଦିଶେ ।
୨୨। କଳାକୁନ୍ତଳା-କୃଷ୍ଣକେଶୀ; ଶକୁନ୍ତଳା-କାଳିଦାସଙ୍କ ନାଟକର ନାୟିକା; ଦୋଷୀ ଦୁଷ୍ମନ୍ତ ଦୋଷ ପାଣିର ଗାର-ଶକୁନ୍ତଳା ତାଙ୍କ ପ୍ରେମିକ ଦୁଷ୍ମନ୍ତଙ୍କ ଅପରାଧ କ୍ଷମା କରିଥିବା ପରି ତୁ ମଧ୍ୟ ମୋ ଦୋଷ କ୍ଷମା କରିବୁ । ପାଣି ଉପରେ ଟଣା ଗାର ପରି ତାହା ଅସ୍ଥାୟୀ ହେବ ।
(୧)
ନଦୀ ନ ପିଏ ନିଜ ଜଳ,
ତରୁ ନ ଖାଏ ନିଜ ଫଳ,
ଶସ୍ୟ ବଢ଼ାଇ ଜଳଦାନେ
ମେଘ ତା ନ ଇଚ୍ଛେ ଆପଣେ ।
ଏ ଅଟେ ସାଧୁଙ୍କ ବେଭାର
ପରାର୍ଥେ ଜୀବନ ତାଙ୍କର ।
(୨)
ପାଣି ଫୋଟକାର ସମ ଅଚିର ଜୀବନ,
ଅଚିର ସକଳ ଭବେ, ଧର୍ମ ସନାତନ ।
(୩)
ରାହୁ-ଦନ୍ତେ ଘଟେ ରବି ଶଶୀଙ୍କ ପୀଡ଼ନ,
ଆଶୀବିଷ ମାତଙ୍ଗମ ଭଜନ୍ତି ବନ୍ଧନ ।
ପ୍ରତିଭାବନ୍ତଙ୍କୁ ଘୋଟି ରହେ ଦରିଦ୍ରତା
ଦେଖି ମୁଁ ଭାଳଇଁ ବଳିଆର ଏକା ଧାତା ।
(ଭର୍ତ୍ତୃହରି)
(୪)
ସତ୍ୟବାଦୀ ସମ କେହୁ ନାହିଁ ଭୟହୀନ,
କାମନା-ବିହୀନ ସମ ନାହିଁ କେ ସ୍ୱାଧୀନ ।
ଦାସତ୍ୱ ସମାନ ଆଉ ନାହିଁ ଯେ ନରକ
ହୀନାଦପି ହୀନ ସିନା ଅଟଇ ଯାଚକ ।
ଅଳସ ଜନର ପାଶେ ଦିନରାତି ନାହିଁ
ଦୀର୍ଘସୂତ୍ରିତାର ଭଲା ଅନ୍ତ ଅଛି କାହିଁ ?
ନିରପେକ୍ଷ ନୁହେ କେହୁ ନ୍ୟାୟର ସମାନ
ଲମ୍ପଟରୁ ବଳି ନାହିଁ ଅଧୋଗତ ଜନ ।
(୫)
ସେ କଣ୍ଠ ରୁଦ୍ଧ ହେଉ ଆର୍ତ୍ତର ପାଇଁ
ଯେ କଣ୍ଠୁଁ କାତରୋକ୍ତି ଉଠଇ ନାହିଁ ।
(୬)
ମୁକୁରୋଦରେ ବିମ୍ୱ ପଡ଼ଇ ଯଥା
ଜାତି ଜୀବନବିମ୍ୱ ସାହିତ୍ୟେ ତଥା ।
(୭)
ଓଡ଼ିଆ ତରୁଣ ତରୁଣୀ
ଓଡ଼ିଶା-ଆଶା-ହେମ ଖଣି ।
୩। ଆଶୀବିଷ-ସାପ; ମାତଙ୍ଗମ-ହାତୀ ।
୬। ବିମ୍ୱ-ଛାୟା ।୭। ହେମ-ସୁନା ।