କବିତା କୁମୁଦ

ବିଚ୍ଛନ୍ଦ ଚରଣ ପଟ୍ଟନାୟକ

 

ଦ୍ୱିତୀୟ ଭାଗ

ସେ ତ ସ୍ୱଦେଶ ମୋହର

(ରାଗ ଶଙ୍କରାଭରଣ)

ପ୍ରକୃତିର ଶୋଭା ଯାର ଜଗତେ ଅତୁଳ

ସ୍ୱର୍ଗସୁଖୁଁ ବନ୍ଦି ସୁଖ ଦିଏ ଯାହା କୋଳ

ସେ ତ ସ୍ୱଦେଶ ମୋହର

ଧରଣୀର ମଥାମଣି ଗୌରବର ଘର । ୧ ।

 

ରତ୍ନାକର ପଦ ଯାର ଧୁଏ ଅବିରତ

ହିମାଳୟ ମୁକୁଟେ ଯା ଶିର ସୁଶୋଭିତ

ସେ ତ ସ୍ୱଦେଶ ମୋହର

ଧରଣୀର ମଥାମଣି ଗୌରବର ଘର । ୨ ।

 

କ୍ଷୀର ସମ ନୀର ବହି ନଦୀରେ ଯେ ଭୂଇଁ

ଜନନୀ ସମାନ ସୁତ ସୁତାଙ୍କୁ ପାଳଇ

ସେ ତ ସ୍ୱଦେଶ ମୋହର

ଧରଣୀର ମଥାମଣି ଗୌରବର ଘର । ୩ ।

 

ସୁମଧୁର ଫଳ ଧରି ଯାର ତରୁଗଣ

ପୋଷୁଛନ୍ତି ଚିରକାଳ ଜୀବ ଅଗଣନ

ସେ ତ ସ୍ୱଦେଶ ମୋହର

ଧରଣୀର ମଥାମଣି ଗୌରବର ଘର ।୪।

 

ସୁନ୍ଧେ ସୁମନ ଯାଉ ଫୁଟି ଦିବା ରାତି

ଭୂତଳରେ ତାରାମାଳ ପରାଏ ଶୋହନ୍ତି

ସେ ତ ସ୍ୱଦେଶ ମୋହର

ଧରଣୀର ମଥାମଣି ଗୌରବର ଘର । ୫ ।

 

ବିଲ, ବନ, ଗିରି ଯାର ଶ୍ୟାମଳ ସୁନ୍ଦର

ମହୁ ଖାଇ ଫୁଲେ ଯାର ଘୁମାଏ ଭ୍ରମର

ସେ ତ ସ୍ୱଦେଶ ମୋହର

ଧରଣୀର ମଥାମଣି ଗୌରବର ଘର । ୬ ।

 

ବସୁଧାର ଗନ୍ତାଘର ଯାହା ଧନେ ଧନୀ

ଧର୍ମର ଆଲୁଅ ଦେଲେ ଜଗତେ ଯା ଜ୍ଞାନୀ

ସେ ତ ସ୍ୱଦେଶ ମୋହର

ଧରଣୀର ମଥାମଣି ଗୌରବର ଘର । ୭ ।

 

ନରଦେହ ଧରି ଯାର କେତେ ସୂତସୁତା

ଚରିତ୍ର ବଳରେ ହେଲେ ସାକ୍ଷାତ ଦେବତା

ସେ ତ ସ୍ୱଦେଶ ମୋହର

ଧରଣୀର ମଥାମଣି ଗୌରବର ଘର । ୮ ।

 

ତହିଁରେ ଜନମ ଲଭି ଧନ୍ୟ ମୋ ଜୀବନ

ସ୍ୱଦେଶର ମାଟି ମୋରେ ପୂଜାର ଚନ୍ଦନ

ସଜ୍ଞ ବିଭୂତି ତା ଧୂଳି

ମଣ୍ଡୁ ଆଉ ଚିରକାଳ ତାହା ମୋ ମଉଳି । ୯ ।

 

୧ । ଅତୁଳ-ଉପମାହୀନ ।

୨ । ରତ୍ନାକର-ସମୁଦ୍ର; ଅବିରତ-ନିରନ୍ତର; ସର୍ବଦା ।

୪ । ଅଗଣନ-ଅସୁମାର ।

୫ । ସୁମନ-ଫୁଲ ।

୬ । ଶ୍ୟାମଳ-ଶାଗୁଆ ।

୭ । ଗନ୍ତାଘର-ଭଣ୍ଡାର; ଜ୍ଞାନୀ-ବେଦଉପନିଷଦକାର ଋଷି ପ୍ରଭୃତି ।

୯ । ମଉଳି-ମୁଣ୍ଡ ।

 

ବ୍ରଜକିଶୋର ପାଖକୁ ସ୍ନେହଲତା

(ରାଗ ଚୋଖି)

କେଉଁ ଆଶାରେ ଆଶାୟୀ            ହୋଇ ଦିନ ପାପିବଇଁ

ତୁମ୍ଭେ ତ ଆସିଲ ନାହିଁ ବ୍ରଜକିଶୋର ।

ନୀରସ, ସୁଷମାହୀନ                  ହେଲା ମୋ ରଜନୀ ଦିନ

ଯୁଗ ସରି ହେଲା କ୍ଷଣ କାଳ ଅସର

କହ ସତେ ଆସିବ ନାହିଁ

ଅଭାଗିନୀ ସ୍ନେହଲତା-କୁଞ୍ଜ-କହ୍ନାଇଁ ? । ୧ ।

 

ଜନକ ବିଭବ ବିଷ            ନ ଦିଏ ତା ମୋରେ ତୋଷ

ଚିତ୍ତେ ଜଳେ ହାଦୁତାଶ ପ୍ରାଣ-ଦୋସର ।

ତୁଚ୍ଛ ଶୂନ୍ୟ ମହାଶୂନ୍ୟ                  ଦିଶନ୍ତି ଏ ଦିଶମାନ

ଆଖି ରଖିବାକୁ ଥାନ ନାହିଁ ଯେ ମୋର ।

ଆଖିର ଯା ସମ୍ପତ୍ତି ସାର

ଲଳିତ ମୂରତି ତୁମ୍ଭ ତହିଁର ଘର । ୨ ।

 

ଜନକ କରନ୍ତି ଚିନ୍ତା                  ମୁଁ ହୋଇବି ପରିଣୀତା

ତୁମ୍ଭେ ଜାଳି ଦେଲ ଚିତା ଆଗ ଅନ୍ତରେ,

ଏ ପୋଡ଼ା ହୃଦୟ ନେଇ            କାହାକୁ ମୁଁ ସଂପିବଇଁ

ପାରିବି ବା ପଲ୍ଲବାଇ କେଉଁ ମନ୍ତ୍ରରେ ?

ମନ୍ତୁରିଆ ! ହୋଇଲି ଦୂର

ଚିତ୍ତକୋଷୁଁ ମଧୁ ମୋର କରିଣ ଜୂର । ୩ ।

 

ଗୋପାଳଜୀ ମନ୍ଦିରରେ            ସନ୍ଧ୍ୟା ଆଳତି କାଳରେ

ମିଳାଇ ନେତ୍ର ନେତ୍ରରେ କିଣିଲ ମନ,

ଯୁବା ଜନଙ୍କୁ ଗୋଚର            ମହିମା ଚତୁରାକ୍ଷର

ଅନ୍ତରେ ଯୋଡ଼େ ଅନ୍ତର ତା ତତକ୍ଷଣ

ପରିଚିତ ଅପରିଚିତେ

ପରେ ଆପଣାର କରଇ ତା କିଞ୍ଚିତେ । ୪ ।

 

ହୋଇ ତୁମ୍ଭେ ସାତ ପର            ହେଲ ଅତି ଆପଣାର

ହୋଇଲା ଦେବ ମନ୍ଦିର ଭେଟର ଭୂଇଁ,

ଅଭାଗିନୀ ଭାବେ ମଜ୍ଜି            ରୂପ ଗରବ ବରଜି

ମନେ ତା ଦମ୍ଭ ସରଜି ପଡ଼ିଲ ନଇଁ

ନଇଁବାରେ ଜିଣିଲ ଚିତ୍ତ

ଜେତା ହୋଇ କଲ ଜୂର ଚିତ୍ତର ବିତ୍ତ । ୫ ।

 

ଲୋତକେ ସୁମନ ଧୋଇ             ମାଳା ମୁଁ ନିତି ରୁଚଇ

ଏକେ ଦେବ ଅରଚଇ ତୁମ୍ଭଙ୍କୁ ଆନେ

ତୁମ୍ଭର ଦତ୍ତ ସୁମନ                  କୁନ୍ତଲେ କରେଁ ମଣ୍ଡନ

ଯା ଦେଖି ହୁଅ ମଗନ ମୋର ଧିଆନେ

ଗରବେ ମୋ ଭର ଅନ୍ତର

କୋମଳେ ଶୁଣାଅ ‘ତୁ ମୋହର ମୁଁ ତୋର’ । ୬ ।

 

ଜନକଙ୍କ ପରିଚିତ                  ହୋଇଣ ହେଲ ଆଗତ

ଆହେ ମୋ ଚିତ୍ତ ବିୟତ ସଂପୂର୍ଣ୍ଣ ଶଶୀ !

ଅପରିଚିତର ସରି                  ପାଶେ ମୋ ଥାଅ ବିଚରି

ନ ପାରନ୍ତି କେହି ଧରି ନେତ୍ର ବଡ଼ଶୀ

ପକାଇ ଯା କ୍ଷଣକୁ କ୍ଷର

କଉଶଳେ ଧରୁ ଥାଅ ମୋ ଚିତ୍ତ ମୀନ । ୭ ।

 

ସିନେମାକୁ ଯେଉଁ ଦିନ            କରଇ ମୁହିଁ ଗମନ

ଜାଣିଲାର ପରି ମନ ହୁଅ ଆଗତ

ଲଭିଲେ ଆସନ ପାଶେ            ନିମଜ୍ଜି ଯାଅ ଉଲ୍ଲାସେ

କଉଶଳେ କଥା ରସେ ରହୁଁ ନିରତ

ଗଭାରେ ମୋ ଦିଅ ସୁମନ

କୁଣ୍ଢେ ମୋଟ ଦିଅ କରି ମୋର ଏ ମନ । ୮ ।

 

ସଙ୍ଗେ ଘେନି ପରିବାର            ବାପା ଯାନ୍ତେ ବାଲେଶ୍ୱର

ତୁମ୍ଭେ ହେ ଛଇଳବର ! ଖାଲି ଛଳରେ

ପ୍ରଣତି ତାହାଙ୍କୁ ବିହି                  ମୋ ନେତ୍ରେ ନେତ୍ର ମିଳାଇ

ପ୍ରେମ ଚକ୍ରୀ ରୂପ ବହି ବସି ରେଳରେ

କରିଥିଲ ସଙ୍ଗେ ଗମନ

ହୃଦ ହାଣି ହୁଏ କରି ତା ସୁମରଣ । ୯ ।

 

ପଥେ ମୋର ବସୁଚିକା,            ଜନନୀ ପାରିଲେ ଡକା

ତୁମ୍ଭେ ସମ୍ଭାଲିଲ ଏକା ଏଡ଼େ ବିପତ୍ତି

ମରଣ ସାଗରେ ଡୁବି                  ଯାଇଥାନ୍ତି କାହିଁ ନିଭି

ଜଳାଇ ରଖିଲ ଭୁବି ଜୀବନ-ବତି

ଜନନୀଙ୍କ ସେନେହ ମୋର

ହୋଇ ଆସୁଥିଲା ଗାଢ଼ ଯେ ଗାଢ଼ତର । ୧୦ ।

 

ବିଦାୟ ନେବାର ଦିନ                  ନାହିଁ କି ବନ୍ଧୁ ! ସ୍ମରଣ

ଗଳେ ଗଳା ନିବେଶିଣ କହିଲ ମୋରେ

‘‘ସ୍ନେହ ରେ! ତୋହର ମୁହିଁ            ଆନର କେଭେଁ ନୁହଇ

ତୋ ଗୁଣ ମୁଁ ଥିବି ଧ୍ୟାଇ ଦୂରେ ଅଦୂରେ

ଅନ୍ତରେ ତୋ ଠାବ ମୋ ପାଇଁ

ରଖିଥିବୁ ମାଗୁଛି ରେ ଚନ୍ଦ୍ରମାମୁହିଁ !’’ । ୧୧ ।

 

ଭାଷିଲି ମୁଁ ‘‘ଯେବେ ଯାଅ            ଚିତ୍ତ ମୋ ଫେରାଇ ଦିଅ

ନତୁବା କାହିଁ ନ ଯାଅ ଚିତ୍ତ ମୋ ନେଇ

ବନ୍ଧୁ ହେ ! ଯାଅ ପରତେ            ବିଚ୍ଛେଦ ଦାଢ଼ କରତେ

କରତି ହେବି ନିରତେ ଭାବ ଚିତୋଇ;

ଫୁଲ ହାର ଅନଳେ ଫିଙ୍ଗ

ପାଷାଣେ କଚାଡ଼ି କାଚ ପ୍ରତିମା ଭାଙ୍ଗ’’ । ୧୨।

 

ଭାଷିଲ ‘‘ସୁମନାବର!                  ନୋହିବ ବେଶୀ ଉଛୁର

ଯିବଇଁ ଅଳପ ଦୂର ଅଥୟ ନୁହ,

ନ ପାରଇ କହି କଥା                  ଘୂରି ଯାଉଛି ମୋ ମଥା

ଅସହ ବିଦାୟ ବଥା, କଣ୍ଠରେ କୋହ

ଜମି ଯାଉଅଛି ମୋ ଧନ ।

ନେଉଛି ଦେହ ମାତର, ରଖ ତୁ ମନ’’ । ୧୩ ।

 

ସୋଦରେ ବିରାଗ ବହି            ସମରେ ନାମ ଲେଖାଇ

ଆହା ଭାଳି ନ ପାରଇ ହେଲା ଟି କିସ !!

କଷଣେ ହୋଇବି ତାହି            କାହାକୁ ଦୋଷିବି ନାହିଁ

କରମେ ଭଲ ମୋ ନାହିଁ ଜୀବଜୀବେଶ ।

କୁମାରୀ ମୁଁ ରହିବି ବୀର !

ପୋଛିଲା ଯାଏଁ ତୁମ୍ଭେ ମୋ ନୟନୁଁ ନୀର । ୧୪ ।

 

ହୁଅନ୍ତି ମୁଁ ଜଳଧର                  ଗଗନେ କରି ସଂଚାର

ଯାଆନ୍ତି ସେ ଦେଶ ଦୂର, ରହିଛ ଯହିଁ ।

ବିହଙ୍ଗ ହେଲେ ହୁଅନ୍ତି            ବିୟତ ଲଙ୍ଘି ଗମନ୍ତି

ଅନ୍ତର ଦାହ ଶମନ୍ତି ମୁଁଖେ ଅନାଇଁ ।

ହୁଅନ୍ତି ମୁଁ ହେଲେ ଅନିଳ

ଆଲିଙ୍ଗି ଆସନ୍ତି ଚୁମ୍ୱି ଅଙ୍ଗ ଅତୁଳ !! । ୧୫ ।

 

ସ୍ୱପନଦେବୀ ସଦୟ                  ହେଲେ ହୋଇ ମୁଁ ଉଦୟ

ଗଦ ଗଦ ମାନମୟ ଭାଷା ବଖାଣି

ବଲ୍ଲଭୀ ଅମୂଲ୍ୟ ଧନ                  ବଲ୍ଲଭ ଚାଟୁ ବଚନ

ହେଲେ କରି ଅରଜନ ଧରାନ୍ତି ପାଣି

ଏଡ଼େ ଭାଗ୍ୟ ମୋର ଟି କାହିଁ ?

କାଙ୍ଗାଳୁଣୀ ରାଜରାଣୀ ଭୋଗ ବାଞ୍ଛଇ । ୧୬ ।

 

ଜଳାଇ ପ୍ରେମ-ଜାଗର            ରହିବଇଁ ଉଜାଗର

ଲଭିବି ଫଳ ଯାଗର ତୁମ୍ଭଙ୍କୁ ଦେଖି

ଆଶା ମୋ କବଚ ହୋଇ            କରୁ ରକ୍ଷା ତୁମ୍ଭ ଦେହି

ଶାନ୍ତ ବେଗେ ହେଉ ମହୀ, ଯୁଦ୍ଧ ଉପେକ୍ଷି

ଆସ ସେହି ବାହୁ ବନ୍ଧନେ

ନ ପୋଡ଼ୁଁ ସେନେହ-ଲତା ଶୋଚ୍ଛଇନ୍ଧନେ। ୧୭ ।

 

୧ । ସୁଷମାହୀନ-ଅସୁନ୍ଦର; କୁଞ୍ଜ-କହ୍ନାଇଁ-ପ୍ରେମିକ ।

୨ । ଜାନକବିଭବ-ବାପଙ୍କ ସମ୍ପତ୍ତି; ହାତୁତାଶ-ହାହାକାରରୂପ ନିଆଁ; ପ୍ରାଣଦୋଷର-ଜୀବନବନ୍ଧୁ; ଦିଶମାନ-ଦିଗମାନ; ଲଳିତ-ସୁନ୍ଦର ।

 

୩ । ପରିଣୀତା-ବିବାହିତା; ଜୂର-ଲୁଟି ।

୪ । ଚତୁରାକ୍ଷ-ଚାରିଚକ୍ଷୁର ମିଳନ ।

୬ । କୁନ୍ତଳ-କେଶ ।

୭ । ବିୟତ-ଆକାଶ; ସମ୍ପୂର୍ଣ୍ଣଶଶୀ-ପୂର୍ଣ୍ଣଚନ୍ଦ୍ରମା; ବଡ଼ଶୀ-ବନିଶିକଣ୍ଟା; ମୀନ-ମାଛ ।

୯ । ଛଳରେ-ବାହାନାରେ; ପ୍ରେମଚକ୍ରୀ-ଗୁପ୍ତପ୍ରେମିକ ।

୧୦ । ଭୁବି-ସଂସାରରେ ।

୧୨ । ଚିତୋଇ-ଭାବି ଭାବି ।

୧୪ । ତାହିହେବି-ସିଝିଯିବି ।

୧୫ । ଜଳଧର-ମେଘ; ଅନ୍ତରଦାହ-ମନପୋତି; ଶମନ୍ତି-ଶୀତଳ କରନ୍ତି ।

୧୬ । ବଲଭ-ପ୍ରେମିକ; ବଲ୍ଲଭୀ-ପ୍ରେମିକା ।

୧୭ । ଯାଗର-ଯଜ୍ଞଗୋଟାକର; ଇନ୍ଧନ-ଜାଳେଣୀ କାଠ ।

 

ନନ୍ଦକିଶୋର ବଳ

(ରାଗ ରସକୁଲ୍ୟା)

ହେ ତ୍ରିଦିବଗତ ନନ୍ଦକିଶୋର !

ନିପୁଣ ତୂଳିକା ଧରି କରର

ଉତ୍‌କଳର ଜନପଦ ଆଲେଖ୍ୟ

ଆଙ୍କି ଗଲ ଯାହା କିସ ତା ଲକ୍ଷ୍ୟ ହେ

ତୁମ୍ଭ ଲେଖନୀ ପ୍ରସାଦେ ହେ

ସାରସ୍ୱତ ଧାମେ            ଚିରାବହେଳିକା

ପଲ୍ଲୀ ଆଜି ରାଜେ ମୋଦେ ହେ । ୧ ।

 

ନାଗର ସଭ୍ୟତା ଉପକରଣ

ଘେରିଅଛି ଆଜି ସଭ୍ୟଜୀବନ

ପଲ୍ଲୀ ପ୍ରକୃତିର ନିସର୍ଗ ଶୋଭା

ନୋହୁଛି ଶିକ୍ଷିତ ମାନସଲୋଭା

ତୁମ୍ଭେ କିନ୍ତୁ ବର କବି ହେ

ଶିକ୍ଷିତ ନୟନ            ବିକାର ନାଶିଲ

ଟାଣି ଅନବଦ୍ୟ ଛବି ହେ । ୨ ।

 

ଓଢ଼ଣା ଉଢ଼ାଳେ ଦିବ୍ୟ ମାଧୁରୀ

ବିହି ରଖିଥିବା ଲୁଚାଇ କରି

କାକପୋଇ ଡାକି କାନ୍ତବାରତା

ପଚାରିବାରେ ଯେ ପୀରତିବଥା

ତାହା ଆଉ ତୁମ୍ଭ ପରି ହେ

କିଏ ଦେଖି ପୁଣି            ଦେଖାଇ ଯାଇଛି

ଧନ୍ୟ ଦିବ୍ୟ ନେତ୍ରଧାରୀ ହେ !! । ୩ ।

 

ଶିଶୁ ଖେଳ ମେଳ, ଜନନୀ ପ୍ରାଣ,

ସଶଙ୍କ ଅବଳା-ବଧି ଜୀବନ

ବେପାରର ଗୋଳ ଶିଶୁଦରୋଟି

ଲେଖନୀରେ ତୁମ୍ଭ କି ଯୋଗେ ଫୁଟି

ଥିଲା ଟି ନନ୍ଦକିଶୋର ହେ,

ପଢ଼ିଲେ କବିତା            ପଲ୍ଲୀ ମନୋରମା

ରାଜଇ ଆସି ଆଗର ହେ । ୪ ।

 

ଧନ୍ୟ ଯାଦୁଗର ! ନିଦାଘେ ବସି

କବିତାରେ ତୁମ୍ଭମନ ନିବେଶି,

ଗାଇଲେ ଲାଗଇ ସତେ ବରଷା,

ଆସିଲାଣି ମାଡ଼ି ବୁଡ଼ାଇ ରସା ହେ

ଧାଇଁଲାଣି ପୁଣି ଜଳ ହେ

ଝାଞ୍ଜି ଆଉ ନାହିଁ            ଶୁଭିଲାଣି ଏହି

ମେଘ ଟପର ଟପର ହେ । ୫ ।

 

କି ଦେଇ ପୂଜିବୁଁ ତୁମ୍ଭ ପ୍ରତିଭା

କି ଟୀକା ଦେଇଣ ଲଲାଟ ଆଭା

ମଣ୍ଡିବୁଁ ହେ କବି ! ଦିଅ ବତାଇ,

ପଲ୍ଲୀ ଉପବନେ ସୁମନ ପାଇଁ

ଯାଇ ନାହୁଁ ଅଭାଜନେ ହେ

ଘେନ ଯାହା ଅଛି            ଦୀନ ଉପାୟନ

ଆଜି ସାରସ୍ୱତ ଧାମେ ହେ । ୬ ।

 

୧ । ତ୍ରିଦିବଗଦ-ସ୍ୱର୍ଗତ; ଜନପଦ-ପଲ୍ଳୀ, ଆଲେଖ୍ୟ-ଚିତ୍ର; ପ୍ରସାଦେ-ଅନୁଗ୍ରହରୁ; ସାରସ୍ୱତଧାମେ-ସାହିତ୍ୟକ୍ଷେତ୍ରରେ ।

 

୨ । ନାଗର-ସହରରେ ଗଠିତ; ଉପକରଣ-ସରଞ୍ଜାମ; ନିସଗ-ସ୍ୱାଭାବିକ; ଅନବିଦ୍ୟ-ନିଖୁଣ ।

୪ । ସଶଙ୍କ-ଭୀତ; ମନୋରମା-ଶୋଭାମୟୀ, ମନୋହାରିଣୀ ।

୫ । ଯାଦୁକର-ଐନ୍ଦ୍ରଜାଲିକ; ନିଦାଗେ-ଗ୍ରୀଷ୍ମକାଳରେ; ରସା-ପୃଥିବୀ ।

 

୬ । ଅଭାଜନେ-ଅଯୋଗ୍ୟ ବ୍ୟକ୍ତିମାନେ; ଉପାୟନ-ଭେଟି; ସାର-ସୁରଧାମେ-ଉତ୍କଳ ସାହିତ୍ୟ ସମାଜ ଘର ଶ୍ରୀରାମଚନ୍ଦ୍ର ଭବନରେ । ବହୁ ଦିନ ତଳେ କବିଙ୍କ ପ୍ରତିକୃତି ଉନ୍ମୋଚନ ଉପଲକ୍ଷେ ଏ ଗୀତ ରଚିତ ହୋଇଥିଲା ।

 

ବାଣୀ ରାଣୀ

(ବିଷ ପୀୟୁଷ ବୋଲି ମୁଁ ଦେଲି ଚାଖି-ବୃତ୍ତରେ)

ବାଜି ଉଠିବ ବିପଞ୍ଚୀ ସତେ ପୁଣି

ଆଗୋ ! ବାଣୀରାଣି ! ଘୋଷା ।

 

କଳା-ଲୀଳା-ଦୋଳା ଏହୁ ମହୀ

କାଳ-ଦାଉ-ଜାଳ ସହି ସହି

ପରାଣ ନୀରସ            ଅନ୍ତର ଉଦାସ

ସଙ୍ଗୀତେ ମାନସ ଆଉ ନାହିଁ । ୧ ।

 

ଥିଲା ଯେବେ ପ୍ରାଣ-ପ୍ରଚୁରତା

କଣ୍ଠେ ନ ଫୁଟିଲା କି ଗୀତ ତା

ଜୀବନ-ସରସୀ            ଅମ୍ୱୁ-ରାଶି ନାଶି

ଦୁଃଖରବି କଲା କି ଅହନ୍ତା । ୨ ।

 

ଭଞ୍ଜ-କବି ରବି-ବନମାଳୀ

ଗୋପାଳକୃଷ୍ଣ ସଂଗୀତାବଳୀ

ଯେ ଦେଶ ସଂପତ୍ତି            ଦେଶ ତା ବିପତ୍ତି

ସେ ପୁଣି ବହଇ ଭିକ୍ଷାଥାଳି । ୩ ।

 

ଯିବ ଜାତିର ଏ ଅପମାନ

ଚିହ୍ନିବ ଉଜ୍ଜ୍ୱଳୀ ଘରଧନ

ବିଶ୍ୱ ସାରସ୍ୱତ            ସଙ୍ଗୀତ ବିଭବୁ

କରିବ ସେ ସାର ଆହରଣ । ୪ ।

 

ଏହି ମାନସିକେ କରୁଁ ପୂଜା

ବନ୍ଦନା ଘେନ ବଲ୍ଲକୀଭୁଜା ।

କଳାପୂଜା-ପୀଠ            ପୂଜକ ଓଡ଼ିଆ

ସଙ୍ଗୀତେ ପ୍ରାଣ ତା ହେଉ ତାଜା । ୫ ।

 

୦ । ବିପଞ୍ଚୀ-ବୀଣା ।

୦୧ । ଜାଳ-ସମୂହ, ସବୁ; ମାନସ-ମନ ।

୦୨ । ପ୍ରାଣପ୍ରଦୁରତା-ଉତ୍ସାହ, ତେଜ ଓ ବୀର୍ଯ୍ୟ ପ୍ରଭୃତି ପ୍ରାଣ ପରିଚାୟକ ଗୁଣର ଆଧିକ୍ୟ; ସରସୀ-ପୋଖରୀ; ଅମ୍ୱୁ-ପାଣି, ରାଶି-ସମୂହ ।

 

୦୩ । ଭଞ୍ଜ-ଉପେନ୍ଦ୍ର ଭଞ୍ଜ; କବିରବି-କବିରବି-କବିସୂର୍ଯ୍ୟ ବଳଦେବ, ବନମାଳୀ-ସଙ୍ଗୀତକାର ବନମାଳୀ ପଟ୍ଟନାୟକ; ଗୋପାଳକୃଷ୍ଣ-କବିକଳଂହସ ଗୋପାଳକୃଷ୍ଣ ପଟ୍ଟନାୟକ ।

୫ । ମାନସିକେ-ଏହି କାମନା କରି; ବଲ୍ଲଭୀରୁତା-ବୀଣାପାଣି; ବାଜା-ପ୍ରଫୁଲ୍ଲ ।

 

ହେମଲତାର ଚିଠି

(ରାଗ-ଶଙ୍କରାଭରଣ)

ବିନୋଦ ବାବୁ ହେ ।

ତୁମ୍ଭ ପାଇଛ ପତର

ବିଳମ୍ବ ହୋଇଛି ଦେବା ପାଇଁ କି ଉତ୍ତର

ବୋଉ ଅଛଇ ପୀଡ଼ିତ

ଫୁରୁସତ ନାହିଁ ତିଳେ କହୁଛି ମୁଁ ସତ । ୧ ।

 

ବଡ଼ଲୋକ ଝିଅ ଉଚ୍ଚ ଶିକ୍ଷିତା ଆବର

ତମ କାମେ ହେବା ପାଇଁ ସହାୟ ତମର

ନୋହିବଇଁ ମୁଁ ଭାଜନ

ଭାଳୁଛି ଏହାହିଁ ତୁମ୍ଭ ଚିଠିର ମରମ । ୨ ।

 

ବୁଲାଇ ଲେଖିଛ ତୁମ୍ଭେ ଗରିବର ପୁଅ

ଭାସି ଯାଅ ଟାଣେ ଯେଣେ ଘଟନାର ସୁଅ

ମୁହିଁ ଗଗନର ଶଶୀ

କରିବାକୁ ଆଶା ମୋରେ ନ ପାର ଭରସି । ୩ ।

 

ମାମୁଁ ଘରେ ଥିଲ ଆସି ପ୍ରଚାର-କାମରେ

ବଡ଼ ନିଶ୍ଚିନ୍ତରେ ଆଗୁଁ ଥିଲି ମୁହିଁ ଘରେ

ଚାନ୍ଦା ପାଇଁ ତୁମେ ଆସି

ବୋଉକୁ ମୋ କଲ ବନ୍ଧୁ ! ଲେଖାରେ ମାଉସୀ । ୪ ।

 

ମୁଁ ଥିଲି ଅପରିଚିତା; ବୋଉ କହିବାରେ

ଶହେ ଟଙ୍କା ଚାନ୍ଦା ଗଣିଦେଲି ତୁମ୍ଭ କରେ

ତୁମ୍ଭ ସେ ବେଳ ଚାହାଣୀ

ଜଣାଇଲା ହେଲେ ତୁମ୍ଭ ଅନ୍ତର କାହାଣୀ । ୫ ।

 

ଦିନେକ ଖୁଦୁରୁକୁଣୀ ଥିବ ତୁମ୍ଭ ମନେ

ମୁଁ ଥିଲି ନିରତ ନାନା କୁସୁମ ଚୟନେ

ନ ମିଳନ୍ତେ କଇଁ ଫୁଲ,

ବୋଉ ଆଗେ କରୁଥିଲି ଆଖି ଛଳ ଛଳ । ୬ ।

 

ଚୋର ପରି (କ୍ଷମିବ ଏ ବିଶେଷଣ) ସଖା ।

ଲୁଚି ଦେଖୁଥିଲ ଦୃଶ୍ୟ; ଦେଇ ଆସି ଦେଖା

ଭାଷି ‘‘କଇଁ ଫୁଲ ଛାର

ମିଳିବ ନାହିଁ କି ଏତେ ଭାବନା ହେମର’’ । ୭ ।

 

ଭାଷିଲା ବୋଉ ‘‘ବିନୋଦ ! ସେ ଦଳ-ପୋଖରୀ

ମଣିଷଖିଆ କିମ୍ଭୀରେ ଅଛଇ ରେ ପୂରି

କେହି ନ ପଶନ୍ତି ତହିଁ

ନୋହିଲେ କି ପୂଜା ପାଇଁ ନ ମିଳନ୍ତା କଇଁ ?’’ । ୮ ।

 

କିଛି ନ ଭାଷିଣ ତୁମ୍ଭେ ହୋଇଲ ବାହାର

ଆଣିଲ ଘଣ୍ଟାକ ତୁମ୍ଭେ ହୋଇଲ ବାହାର

ଆଣିଲ ଘଣ୍ଟାକ ପରେ କଇଁ ଫୁଲ ଭାର

ନିଜ କାନ୍ଧରେ ବୁହାଇ

ବିପଦ ଗଣିଲ ନାହିଁ କହ କାହା ପାଇଁ ? । ୯ ।

 

କୁମାର ପୂର୍ଣ୍ଣିମା ଦିନ ପୁଚି ଖେଳ ସାରି

ଫେରୁଥିଲି ହେଲା ଭେଟ ସଙ୍ଗତେ ତୁମ୍ଭରି

ମୋର ଝାଳ-ଭିଜା ଦେହ

ଦେଖି ଭାଷିଅଛ ଯାହା ମନରେ ପକାଅ । ୧୦।

 

ପକେଟରେ ଚମ୍ପା ଫୁଲ ଥିଲା ଲୁଚାଇଣ

ଗଭାରେ ତା ଗୁଞ୍ଜି ଦେଇ କଲ ଯେଉଁ ଗୁଣ

ଆହେ ‘‘ଗରୀବର ପୁଅ’’ !

ସେ ବେଳ ସାହସ ଏବେ ଗଲା କାହିଁ କହ । ୧୧।

 

ମନେ ନାହିଁ ଧୋବା ଘରୁ ବ୍ଲାଉସ ମୋହର

ଚୋରାଇ ପିନ୍ଧିଲ ନିଜେ କାମିଜ ତଳର

ମୋତେ ଭାଷିଲ ଦେଖାଇ

ମଳୟେ, ଚନ୍ଦ୍ରେ, ଚନ୍ଦନେ ଏଡ଼େ ସୁଖ ନାହିଁ । ୧୨ ।

 

ହେଲା ମୋ ଠିଆମରଣ ଲାଜେ ଗଲି ଜଳି

ନ କହନ୍ତେ ଭାଷା, ତେମେ ହେଲ ମୋରେ ଚଳି ।

ଆହେ ‘‘ଗରୀବର ପୁଅ’’ !

ଲେଖନ୍ତେ ଉଠୁଚି କୋହ ଝରୁଅଛି ଲୁହ । ୧୩ ।

 

ହୃଦ-ଧନ ହରେ ହେଳେ ପ୍ରେମ ତସକର

ନୁହଇ ଅବସ୍ଥା ତାରେ ଅଲଙ୍ଘ୍ୟ ପ୍ରାଚୀର

ହୃଦ-ତସକର ମୋର !

ଚନ୍ଦ୍ର ହୋଇ କୁମୁଦକୁ ମଣ କିପାଁ ଦୂର ? । ୧୪ ।

 

ଦେଉଛି ଶୁଭ ସମ୍ୱାଦ ତା ପାଇଁ ବଧେଇ

ଭେଟ ହେଲା ଦିନ ପୁଣ, ମାଗି ମୁଁ ନେବଇଁ

ବୋଉ ବାପାଙ୍କୁ କହଇ

‘‘ହେମକୁ ବିନୋଦେ ଦେଲେ ଭଲ ହ୍ୱନ୍ତା ନାହିଁ ?’’ । ୧୫ ।

 

ବାପା କହୁଛନ୍ତି ‘‘ତମ ଦେହ ଭଲ ହେଉ

ହେଲେ ତା ହୋଇବ ଚାହିଁଥିଲେ ମହାପ୍ରଭୁ

ବିନୋଦଟି ଆଚ୍ଛା ପିଲା

ସବୁମନ୍ତେ ଯୋଗା, ହେଲେ ଗରୀବ କି ହେଲା ?’’ । ୧୬ ।

 

ଚିନ୍ତାକର ଯହିଁ ପାଇଁ ହେଉଛି ତା ଦୂର

ଲେଖିବ ଏଣିକି ଚିଠି ଆନ ପରକାର,

ଆଉ ଅବସ୍ଥାର କଥା

ପତ୍ରେ ଲିହି ମନେ ମୋର ଦେବ ନାହିଁ ବ୍ୟଥା । ୧୭ ।

 

ମଲ୍ଲୀ ଫୁଲ ଗୋଟିଏ ମୁଁ ଦେଲି ଏଥି ସହ

ନ କରିବ ସଂଶୟେ ମୋ ଆଉ ଦୁର୍ବିସହ

ହେମଲତାର ପ୍ରଣତି

ହେମଲତା-ବନ୍ଧୁ ! ଘେନା କରିବ ହୋଇ ତି । ୧୮ ।

 

୨ । ଭାଜନ-ଯୋଗ୍ୟ ।

୪ । ଲେଖାରେ – ଦୂରସମ୍ପର୍କୀୟ ଭାବରେ ।

୫ । ଅନ୍ତର କାହାଣୀ-ହୃଦୟର କଥା ଅର୍ଥାତ୍‌ ପ୍ରେମ ଅଭିଳାଷ ।

୬ । ନିରତା-ନିଯୁକ୍ତା, ଚୟନେ-ତୋଳିବାରେ ।

୯ । ବିପଦ ଗଣିଲ ନାହିଁ-ପ୍ରାଣଭୟକୁ ଖାତିର କଲ ନାହିଁ ।

୧୨। ବ୍ଲାଉସ-କାଞ୍ଚିଲା ।

୧୪ । ଅଲଂଘ୍ୟପ୍ରାଚୀର-ଯେଉଁ ପାଚିରିକି ଡେଇଁଯିବା ଅସମ୍ଭବ ।

୧୫ । ବଧେଇ – ଶୁଭ ଖବର ଦେଲେ ସମ୍ୱାଦଦାତା ଯେଉଁ ପୁରସ୍କାର ପାଏ ।

୧୬ । ଯୋଗା-ଯୋଗ୍ୟ ।

୧୭ । ଲିହି-ଲେଖି ।

୧୮ । ମଲ୍ଲୀଫୁଲ....ଏଥି ସହ-ମଲ୍ଲୀଫୁଲ ଦେଇ ‘‘ମୁଁ ତୁମ୍ଭ କରୁଣା ବିନା ମଲି’’ ଏହା ପ୍ରେମ ସାହିତ୍ୟରେ ସୂଚନା ଦିଆଯାଏ । ଦୁର୍ବିସହ-ଅତି ଅସହ୍ୟ ।

 

ମା ! ତୁ କ୍ଷମାବାରିଧି

ରାଗ ମାଳବ ଗୌଡ଼ା-ଆଠତାଳି

(ଶ୍ୟାମ କମନୀୟକୁ ସମ ନାହିଁ ଆଉ - ବୃତ୍ତରେ)

ହେ ଜନନି ! ଶୟନ ତ ଭାଜୁ ନାହିଁ

କାଳ-ସରିତ ପରା ଯାଉଛି ବହି । ଘୋଷା ।

ଖାରବେଳ କୀରତି            ଭୁଲିଲେଣି ସନ୍ତତି

ଅଧୋଗତି-ପାଦୁକା ଶିରେ ବହି । ୧ ।

କପିଳେନ୍ଦ୍ର ଅନଙ୍ଗ---            ଭୀମ ଶ୍ରୀ ନରସିଂହ

ନାମ ଦେଲାଣି କାଳ ପାସୋରାଇ । ୨ ।

 

ସ୍ୱାଧୀନତା-ବିଭୂତି            କୋଳେ ମା ଗୋ ! ସନ୍ତତି—

ସମ ଖେଳାଇଥିଲୁ ଗଲା କାହିଁକି ? । ୩ ।

ଆସିଲା କାହୁଁ ଦୁଃଖ            ସୁଖ-ଶୀତମୟୁଖ

ଲୁଚିଲା ତମେ ଅପଘନ ଛାଇ । ୪ ।

ହେଲେ କାହୁଁ ଜନମ            କୁଳ ପାଂଶୁଳାଧମ

ସୁତେ ପରପଦ-ଲେହନ-ସ୍ନେହୀ । ୫ ।

 

ସଞ୍ଚିତ ପୁଣ୍ୟ ସୁଧା--            ପାବନାଙ୍ଗୀ ବସୁଧା

ଶସ୍ୟ-ଶ୍ୟାମଳା ଧନ୍ୟହିରଣ୍ମୟୀ । ୬ ।

ଅବଳେ ଦିଅ ବଳ            ପ୍ରାଣ-ମନ୍ଦିର ତୋଳ

ସନ୍ତାନର ଦେବତା-ବାସ ପାଇଁ । ୭ ।

ସନ୍ତାନ ଅପରାଧୀ            ମା ! ତୁ କ୍ଷମା ବାରାଧି

ବିଚ୍ଛନ୍ଦ ମାଗେ ପଦେ ମଥା ନିହି । ୮ ।

 

୦ । ସରିତ – ନଈ ।

୧ । ଅଧୋଗତି ପାଦୁକା-ଅବନତି ରୂପ ଜୋତା ।

୩ । ବିଭୂତି-ସଂପଦ ।

୪ । ଶୀତମୟୁଖ-ଚନ୍ଦ; ଢମ-ଅନ୍ଧାର; ଅପଘନ-ଦେହ;

୫ । କୁଳପାଂଶୁଳା-କୁଳାଙ୍ଗାର; ଲେହନ ସ୍ନେହୀ-ଚାଟିବା ପାଇଁ ଲାଳସୀ ।

୭ । ଅବଳ-ବଳହୀନ ।

୮ । ବାରାଧି-ସମୁଦ୍ର; ନିହି-ନ୍ୟସ୍ତ କରି ।

 

ତୁ ଏ ବେଶ ହୋଇବୁ ନାହିଁ

ରାଗ-ଲଳିତ କାମୋଦୀ; ଆଠତାଳି

(ବନମାଳୀଙ୍କ ‘‘ଶ୍ୟାମନାଗର ହେ ଏ ବେଶ ହୋଇବ ନାହିଁ’’--ବୃତ୍ତରେ)

ପ୍ରାଣ-ବାନ୍ଧବି ରେ ! ତୁ ଏ ବେଶ ହୋଇବୁ ନାହିଁ

ଏ ବେଶ ଦେଖିଲେ ପାଷାଣ ତରଳେ

ମୋ ଧୃତି ରହିବ କାହିଁ ? । ଘୋଷା ।

 

ସୁଝୀନ ବସନ                  କରି ପହରଣ

ଥିବୁ ଯେବେ ଉଭା ହୋଇ

ମୋ ରାଣ ସଙ୍ଗାତ !            ଅଳସ ଭଞ୍ଜନେ

ଭୁଜ ଟେକି ଦେବୁ ନାହିଁ । ୧ ।

 

ତୋ ସ୍ମିତ-ମାଧୁରୀ                  ମୋ ଦମ୍ଭ-କତୁରୀ

ମନ୍ଦେ ହସି ଦେବୁ ନାହିଁ

ହସିବାର ହେଲେ                  ଛଇଳାବର ରେ !

ତେରଛେ ନ ଦେବୁ ଚାହିଁ । ୨ ।

 

ଫୁଲମୃଦୁଳାରେ !                  ଫୁଲ ତୁ ଗଭାରେ

ଯତନେ ମଣ୍ଡିବୁ ନାହିଁ

ମଣ୍ଡିଥିବୁ ଯେବେ                  ଢାଙ୍କିଲା ବସନ

ମୁଣ୍ଡୁଁ ନ ଦେବୁ ଖସାଇ । ୩ ।

 

ଅଳକ-ଆବଳି                  ଖେଳାଇ କପାଳେ

ସିନ୍ଦୂର ଘେନିବୁ ନାହିଁ

ଚାଲୁଥିବୁ ଯେବେ                  ପୁରତେ ମୋ ବନ୍ଧୁ !

ଅଲକ୍ତ ନ ଥିବୁ ନାଇ । ୪ ।

 

ଯେତେ ବେଶ ତୋତେ            ମନା କଲି ବନ୍ଧୁ !

ତେତେ ବେଶ ହେଲୁ ତୁହି

ହସି ମନ୍ଦେ ମନ୍ଦେ                  ସୂଚାଇ ବିଚ୍ଛନ୍ଦେ

ବେଶ ତୋ ସବୁ ତା ପାଇଁ । ୫ ।

 

୦ । ଧୃତି-ଧୈର୍ଯ୍ୟ ।

୧ । ପହରଣ କରି-ପିନ୍ଧି ।

୨ । ସ୍ମିତ-ମୁରୁକି ହସ; ଛଇଳାବର-ଚତୁରୀ ଶ୍ରେଷ୍ଠା; ତେରଛେ-ବଙ୍କେଇ କରି ।

୩ । ଫୁଲମୃଦୁଳା-ଫୁଲ ପରି କୋମଳ ଦେହା ।

୪ । ଅଳକ-ଚୁନୁଚୂନିଆ କେଶ; ସୁରତେ-ଆଗରେ; ଅଜକ୍ତ-ଅଳତା;

୫ । ସୂଚାଇ-ସଂକେତ କରି ।

 

ଜଡ଼ତା ପାଶ ଗଳେ କାହିଁକି ହେ ?

ରାଗ-ମାୟାମାଳବ ଗୌଡ଼ା-ତାଳ ଝୁଲା

(ଉଠିଲୁ ଏଡ଼େ ବେଗେ କାହିଁକିରେ ଦୁଃଖୀଧନ-ବୃତ୍ତରେ)

ଜଡ଼ତା-ପାଶ ଗଳେ                  କାହିଁକି ହେ ଦେଶବାସୀ ।

ରକତେ ଉଷ୍ମ ଆଉ ନାହିଁ କେ ହେ । ଘୋଷା ।

ଭୁଲିଗଲା ମାନସ                  ଅତୀତ ଇତିହାସ

ଦୂର ଉପନିବେଶ ଭୂଇଁ କି ହେ । ୧ ।

 

ବଣିଜ ଲକ୍ଷ୍ମୀ ଯାଇଁ                  ପର ହାତେ ସମ୍ଭାଇ

ସେ ଭୂତ ବିନା ଜାତି ଜୀଇ କି ହେ । ୨ ।

ଉତ୍‌କଳ-ତରୀମାଳ--            ଛବିଳ ସିନ୍ଧୁ-ଜଳ

ହୃଦେ ପାତିଲା ନାହିଁ ଛାଇ କି ହେ । ୩ ।

 

ସାଧବ-ଦେଶେ ଜାତ            ହେବା ହୋଇ ବିସ୍ମୃତ

ଦୀନତା-ଶେଯେ ମାର ହାଇ କି ହେ । ୪ ।

 

ବୀର-ଦେଶେ ଜନମ                  ଭୀରୁତା-ପଦେ ନମ

ଚମକ ଚାହିଁ ନିଜ ଛାଇ କି ହେ । ୫ ।

ଅବଳାର ପଣତେ                  ଆଶ୍ରା ଲୋଡ଼ ଉଷତେ

କଳିଙ୍ଗ-ପଉରୁଷ ଏହି କି ହେ । ୬ ।

ବିଚ୍ଛନ୍ଦ କାନ୍ଦି କହେ                  ଶୋକ ଅନଳ-ଦାହେ

ବୁକୁ ପୋଡ଼େ ଚାହିଁ ଏ ମହୀକି ହେ । ୭ ।

 

୦ । ଉଷ୍ମ-ଉଷୁମ ।

୧ । ଉପନିବେଶ-ଓଡ଼ିଶାର ଦରିଆସାରି ସାମ୍ରାଜ୍ୟ ।

୨ । ସମ୍ଭାଇ-ରହୁଛି; ଭୂତି-ସମ୍ପତ୍ତି,

୩ । ଛବିଳ-ସୁନ୍ଦର ।

 

ସୈନିକର ଅନୁଚିନ୍ତା

(ରୁଷିଆ କବିତାର ଛାୟା)

ରାଗ-ଚୋଖି

ରେ କୋକିଳ ! ଯାଅ ଉଡ଼ି            ଯହିଁ ଚିନ୍ତା-ଜଳେ ବୁଡ଼ି

ମୁହିଁ ଉପାଧାନେ ମାଡ଼ ତାଳି ଲୋତକ

ରୂପସୀ ପ୍ରେୟସୀ ମୋର            ହୃଦେ ଭରି ହାହାକର

ବିରହେ ମୋ ଅନିବାର କରଇ ଶୋକ;

ପ୍ରବାସେ ମୋ ହୃଦେ ହୁତାଶ

ଜଳେ ସୁମରି ତା ଗୁଣ ନିଶି ଦିବସ । ୧ ।

 

କହିବୁ ତାକୁ କୋମଳେ            ପ୍ରାନ୍ତରେ ଘାସକୁ ଜାଳେ

ଖର ସୁରକରଜାଳେ ଯଥା ନିଦାଘ

ମୋରେ ଜାଳିବାର ପାଇଁ            ପରୁଷ-କେଳତି ସାଇଁ

ମୋ ତନୁ ତା ଶିରେ ଛାଇ କରେ ସେ ବାଗ—

ମିଳନର ବରଷାଜଳ

ପାଇଁ ମୋ ପ୍ରାଣଚାତକ ସଦା ବିକଳ । ୨ ।

 

ନ ଥିବାରୁ ସେ ମୋ ପାଶ            ରଜନୀରେ ତାରା-ଈଶ

ସ୍ୱଚ୍ଛ କଉମୁଦୀ-ହାସ ନ ରୁଚେ ମୋରେ

ଦିବସରେ ଦିବାକର--            କର ନ ଦିଶେ ରୁଚିର

ଶୋଭା ଅଧିଦେବୀ ମୋର ଯେଣୁ ଟି ଦୂରେ

ତା ମଧୁର ସମ୍ଭାଷସୁଧା

ବିହୁନେ ନୀରସ ମୋରେ ସାରା, ବସୁଧା । ୩ ।

 

କାହା ଉରେ ନିହି ଶିର            ଭୋଗି ବିଶ୍ରାମ ମଧୁର

କରିବି ରେ ରସଭର ଏ ମୋର ଛାତି

କାହା ବୀଣା-ଜିଣା ଭାଷା            କରିବ ସୁଧା ବରଷା

କାହାକୁ କରି ଭରସା ସ୍ମିତର ଭାତି

ଫୁଟିବ ଏ ଓଠେ ମୋହର

କେ ଡାକିବ ତୋଳି ସଙ୍ଗୀତର ଝଙ୍କାର । ୪ ।

 

ଯାଆ ତୁ କୋକିଳ ଉଡ଼ି            ଯହିଁ ଚିନ୍ତାଜଳେ ବୁଡ଼ି

ଗବାକ୍ଷ କବାଟ ଫେଡ଼ି ତାଳି ଲୋତକ

ରୂପସୀ ମୋ ହୃଦରାଣୀ            ମୋ ଚିନ୍ତା ମାନସେ ଆଣି

ଗଣ୍ଡେ ତା ନିବେଶି ପାଣି କରଇ ଶୋକ

କୁହୁତାନ ମୋ କାନେ ଢାଳି

ହୃଦ ମୋ ଗାୟକବର ! ନ ଦିଅ ଜାଳି । ୫ ।

 

୧ । ଉପାଧାନେ-ତକିଆରେ; ଅନିବାର-ବନ୍ଦ ନ ହେଉଥିବା; ହୁତାଶ-ନିଆଁ ।

୨ । ଖର-ପ୍ରଚଣ୍ଡ; ସୁରକର-ସୂର୍ଯ୍ୟ କିରଣ; ଜାଳ-ସମୂହ; ପରୁଷ-ନିର୍ଦ୍ଦୟ, କେଳବିସାଇଁ-ମଦନ; ଛାଇ-(ଏଠାରେ) ଦେହଯାକ ବିନ୍ଧି ।

 

୩ । ତାରେଶ-ଚନ୍ଦ୍ର; ସ୍ୱଚ୍ଛ-ଧବଳ, କୌମୁଦୀ-ଚନ୍ଦ୍ରିକା, ଟୋଭା ଅଧିଦେବୀ-ସୌନ୍ଦର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ, ସମ୍ଭାଷସୁଧା-ଆଳାପ ରୂପ ଅମୃତ ।

 

୪ । ସ୍ମିତିର ଭାବି-ମୂରୁକି ହସ ରୂପ ଆଲୁଅ ।

୫ । ଗବାକ୍ଷ –ଝରକା ।

 

ବିଶ୍ୱନାଥ କର

(ରାଗ ରସକୁଲ୍ୟା)

ସାହିତ୍ୟପୁରୋଧା ହେ ବିଶ୍ୱନାଥ !

ଆଉ ଏ ଉତ୍‌କଳେ ପୁଣି କା ହାତ

ସାହିତ୍ୟଲତାକୁ ରଞ୍ଜା ଯୋଗାଇ

ସମାଜରେ ଆହା ଦେବ ମଡ଼ାଇ ହେ

ଗଲା ତିନି ଦଶହରା ହେ

ମୁହିଁ ଲୁଚା ଦେଇ            ରହିଲ ସରଗେ

ଝରାଇ ଅଶ୍ରୁ ଅସରା ହେ । ୧ ।

 

ବିଶ୍ୱାସର ପୀଠେ ହେବାକୁ ବଳି

ଆଗୁସାର ତୁମ୍ଭ ତହୁଁ କେ ବଳି

ଥିଲାଟି ଉତ୍‌କଳେ ? ହେ କର୍ମିବର !

ଦିନୁଁ ଦିନ ଦୀନୁଁ ସେ ଦୀନତର

ବ୍ୟକ୍ତିତ୍ୱର ଖମ୍ୱମାନ ହେ

ତୁମ୍ଭ ତୁଲ୍ୟ ନରୋ-            ତ୍ତମଙ୍କ ପ୍ରୟାଣେ

ଭଜଇ ଯେଣୁ ପତନ ହେ । ୨ ।

 

ରସନାର ଭାଷା, ଲେଖନୀ ବାଣୀ

ସଙ୍ଗତେ ସେ ଧାମୁଁ ଥିଲ କି ଆଣି

ବଜ୍ରସାର ଯାହା ଧାରଣା ତାର

ଦେବାକୁ ଏ ଦେଶେ ହେ ସୁଧୀବର ?

ତୁମ୍ଭେ ଗଲ ଯେଉଁ ଦିନୁଁ ହେ

କେଶରି ଗର୍ଜ୍ଜନ            କୁଦାଚିତ କେବେ

ଶୁଭଇ ସାହିତ୍ୟ ବନୁଁ ହେ । ୩ ।

 

ଋଷିରୂପଧରି ଋଷିଜୀବନ

ଯାପିବାକୁ ଗୃହେ ଦ୍ୱିତୀୟ ଜନ

ଆଉ କିଏ ଅଛି କହ ଏ ଦେଶେ

ନାହିଁ ଯଦି ଭଲା କହ କି ଦୋଷେ

ଛାଡ଼ିଗଲ ବିଶ୍ୱନାଥ ହେ ?

ତିରୋଧାମେ ତୁମ୍ଭ                  କହୁଛି ମୁଁ ସତ

‘ସାହିତ୍ୟ’ ହେଲା ଅନାଥ ହେ । ୪ ।

 

୧ । ସାହିତ୍ୟ ପୁରୋଧା-ସାହିତ୍ୟ ବେଦୀର ପୁରୋହିତ ।

୨ । ନରୋତ୍ତମ-ଶ୍ରେଷ୍ଠ ମନୁଷ୍ୟ ।

୩ । ରସନାର ଭାଷା....ବାଣୀ-ବିଶ୍ୱନାଥ ଶକ୍ତିଶାଳୀ ବକ୍ତା ଲେଖକ ଥିଲେ; ବଜ୍ରସାର-ବଜ୍ରପରି ଟାଣ; ସୁଧୀବର-ପଣ୍ଡିତ ଶ୍ରେଷ୍ଠ ।

 

ବିପିନବିହାରୀ ଚଉଧୁରୀ

(ଶ୍ରୀରାଧାବାତୁଳୀ ପ୍ରେମ ରତ୍ନ ତୁଳି-ବୃତ୍ତରେ)

ସର୍ଜନକୁଶଳା ପ୍ରକୃତି ହାରିଲା

ହେ ବନ୍ଧୁ ଯାହାର କଳାପାଶେ

ମାହେନ୍ଦ୍ର ଯୋଗରେ ଭଲା ଜନମିଲ

କୋଣାରକ-ଧନ୍ୟ ସେହୁ ଦେଶେ

ଜନନୀର ପାଇଁ

ଦୁଃଖରେ ତା ସମ-ଦୁଃଖୀ ହୋଇ

ଲାଞ୍ଛନା-ତାମସ-ହରଣ-ମିହିର

କରି ଦେଲା ବିହି ପଠିଆଇ । ୧ ।

 

କୋଟି ଅଧୋଗତି କବଳରେ ପଡ଼ି

ଉତ୍କଳରେ ଆତ୍ମା ନାହିଁ ମରି

ବିଶ୍ୱକଳାପୀଠେ ପ୍ରମାଣ ତା କଲ

ହେ ବରେଣ୍ୟ ସୁଧୀ ! ତୁଳାଧାରି ।

ତୁମ୍ଭ ଗଉରବେ

ତୁମ୍ଭରି ବିଜୟ-ଶ୍ରୀବିଭବେ

ଜନନୀ-କପାଳେ ଦୀପ୍ତି ଯୋଗ ହେଲା

ଗରୀୟାନ ହେଲୁଁ ଆମ୍ଭେ ସର୍ବେ । ୨ ।

 

କୋଣାରକ-ମୂକ-ଅବଳା-ମୂରତି

ମୁଖୂଁ ଛୁଟାଇଲ ହୁଳହୁଳି

ପଥର ଅବଳା ପ୍ରାଣବନ୍ତ ହୋଇ

ଧରିଛନ୍ତି ବନ୍ଦପନା ଥାଳି

ସାରସ୍ୱତଧାମେ

କଳା-କିରୀଟିନୀ ଧରା ନାମେ

ସାର୍ଦ୍ଧକୋଟି ଉତ୍କଳୀୟ ଶ୍ରଦ୍ଧାଞ୍ଜଳୀ

ଘେନ ଟେକି ଯାହା ଦେଉ ଆମ୍ଭେ । ୩ ।

 

୧ । ସର୍ଜନ କୁଶଳା-ସୃଷ୍ଟି କରିବାରେ ପାରଙ୍ଗମା; ଯାହାର-ଅର୍ଥାତ୍‌ ଉତ୍କଳର କଳାଶିଳ୍ପୀମାନେ ଏତେ ବିବିଦ ଓ ଏତେ କମନୀୟ ସୃଷ୍ଟି କରିଛନ୍ତି ଯେ ତାଙ୍କ ସୃଷ୍ଟି ତୁଳନାରେ ନିଜେ ପ୍ରକୃତି ସୁଦ୍ଧା ପଛରେ ପଡ଼ିଯାଇଛି; ଲାଞ୍ଚନା-ଅପମାନ; ତାମସ-ଅନ୍ଧାର, ହରଣ-ଦୂର କରୁଥିବା, ମିହିର-ସୂର୍ଯ୍ୟ, ଅର୍ଥାତ୍‌ ଜନନୀ ଉତ୍କଳର ଅଧୁନାତନ ଯୁଗର ଅପମାନ ଦୂର କରିବା ପାଇଁ ବିଧାତା ତୁମ୍ଭଙ୍କୁ ପଠାଇ ଦେଲା ।

 

୨ । ଆତ୍ମା-ଅନ୍ତରାତ୍ମା, ଦୀପ୍ତି-ଆଭା,

୩ । ତୁମ୍ଭ ଗୌରବରେ ଉତ୍‌ଫୁଲ୍ଲ ହୋଇ କୋଣାର୍କର ପଥର ଅବଳା ମୂର୍ତ୍ତିମାନେ ତୁମ୍ଭଙ୍କୁ ଅଭ୍ୟର୍ଥନା କରିବା ପାଇଁ ବନ୍ଦାପନା ଥାଳି ଧରି ହୁଳହୁଳି ପକାଉଅଛନ୍ତି । କଳାକିରୀଟିନୀ ଧରା-ଉତ୍କଳ ।

 

ସଜଳ କରିବୁ ନାହିଁ କଜଳ ନୟନ

(ରାଗ-ଶଙ୍କରାଭରଣ)

ସଜଳ କରିବୁ ନାହିଁ କଜଳ ନୟନ

ବୋଲି କେତେ ବାର ତୋରେ ଦେଇ ନାହିଁ ରାଣ !

ଥିଲେ ଆଶା ମୋହଠାଇଁ

ତୋ ଗଣ୍ଡ-ଗୋଲାପେ ଲୁହ ଧୁଅନ୍ତା କିପାଇଁ ।୧।

 

ଯୋଗୀ ମୁଁ ମୋ ଥାଳ ସିନା ସ୍ମିତ ତୋର ସହି

ଶୋକ-ମେଘ ସେ କୌମୁଦୀ ପକାଇଲେ ଛାଇ

ମୋରେ ଏ ସାରା ସଂସାର

ଅମା ରଜନୀର ସମ ଦିଶଇ ଅନ୍ଧାର । ୨ ।

 

ଯାବତ ଜଞ୍ଜାଳଭାର କାନ୍ଧେ ମୋର ଦିଅ

ପର ବୋଲି ମୁହିଁ ମନୁଁ ପୋଛି ଗୋ ପକାଅ

ପର ହେଲି କେଉଁ ପରି

ପୀରତି-ମୂଲରେ ଆଗୁଁ କିଣା ହୋଇ ସାରି । ୩ ।

 

ସଂସାର ଉଦ୍ୟାନେ ପୁଷ୍ପ ଗୋଲାପ ସୁମନ

ଦେଖିବାରେ ଖାଲି ତୋରେ ପୂରି ଉଠେ ମନ

ଉପଭୋଗୀ ଭାଗ୍ୟବାନ

ସହିବି କେସନେ ଚିନ୍ତା-କୀଟର ଦଂଶନ ? । ୪ ।

 

ମୋ ଉପରେ ବହୁ ଝଞ୍ଜା, ଭୁଞ୍ଜ ତୁ ମଳୟ,

ମାନସହାରିଣୀ ମମ ଶୋଭାର ନିଳୟ,

ଶୋଭାବିଳାସୀ ମୁଁ କବି

ଫୁଲର ଭାରା ଯା ତୋତେ ମୋରେ ସେହୁ ପବି । ୫ ।

 

୧ । ସଜଳ-ଲୁହରେ ଛଳଛଳ; କଜଳ-କଳା; ଗଣ୍ଡଗୋଲାପ-ଗାଲ ରୂପ ଗୋଲାପ ଫୁଲ ।

୨ । ସ୍ମିତ-ମନ୍ଦହାସ, ମୂରୁକି ହସ; ଅମା-ଅମାସ୍ୟା ।

୪ । ଫୁଲ୍ମ-ପ୍ରସ୍ପୁଟିତ ।

୫ । ଫୁଲର ଭାରା-ଅର୍ଥାତ୍‌ ତୋ ଉପରକୁ ଫୁଲ ସମାନ ଭାର ଆସିଲେ ମୋତେ ତାହା ପରି ଅର୍ଥାତ୍‌ ବଜ୍ରମାଡ଼ ପରି ବୋଧହୁଏ ।

 

ନିତ୍ୟାନନ୍ଦ ପାଖକୁ ନିରୁପମା

ରାଗ-ତୋଡ଼

(ଶିଂଶପା ବୃକ୍ଷର ଡାଳେ ହନୁ ମନେ ମନେ ଭାଳେ –ବୃତ୍ତରେ)

ଶୂନ୍ୟ ଦିଶଇ ସଂସାର

ନାହିଁ ଭାଷା ଲେଖିବାର

ଦଇବ ଦଉଡ଼ି ନେବ କି ହେ ଭିଡ଼

ମୋରେ ଅତଳ ଗହ୍ୱର

ପ୍ରିୟ ମୋହର ହେ ! । ୧ ।

 

ବାପ ମୋର ନିଦାରୁଣ

ଦେଲେଣି ଏବେ ବଚନ

ମୁଁ ହେବି କାଞ୍ଚନପୁର-ଜମିଦାର –

ତନୟ କୋଳ-ମଣ୍ଡନ ।

ନାହିଁ ମରଣ ହେ ! । ୨ ।

 

ବୋଉର ମୋ ଚାରା ନାହିଁ ।

କାନ୍ଦୁଛି ଲୁହ ଗଡ଼ାଇ

ଜମିଦାର ଘର ପେଷୁଛନ୍ତି ଚାର

ନାନା ଉପହାର ଦେଇ

ନୁହଇ କହି ହେ ! । ୩ ।

 

ଟଙ୍କା ପାଞ୍ଚଟି ହଜାର

ଆଣୁଛନ୍ତି ବାପ ମୋର

ଶାଗ ମାଛ ସରି ହେବଇଁ ବିକିରି

ଲଲାଟ ପଟେ ମୋ ଗାର

ପ୍ରିୟ ମୋହର ହେ ! । ୪ ।

 

ମଦ ମାଂସର ସଙ୍ଗିନୀ

ହେବ ନିରୂପମା ପୁଣି

ହେଉଛି ଅସହ ଶୁଣି ଅହରହ

ବନ୍ଧୁ ତୁମ୍ଭ ନିନ୍ଦାବାଣୀ

ପିତା କରଣୀ ହେ । ୫ ।

 

ହୋଇ ଲହୁଣୀ ପିତୁଳା

ବୋଲାଇ ପୁଣ ଅବଳା

ପାଟି ନ ଫିଟାଇ ସହିଁବୁ କେତେ ଏ

ଦୁରନ୍ତ ସମାଜ ଜାଳା

ନାରୀ ଅବଳା ହେ । ୬ ।

 

କନ୍ୟାକୁ ମଣି କନକ

ବିକନ୍ତି ଲୋଭୀ ଜନକ

କଂସେଇ ବେପାର ଟଙ୍କା କାରବାର

ମଣେ ମୁଁ ଘୋର ନରକ

ନାହିଁ ମୋ ଦକ ହେ । ୭ ।

 

ପରାଣ କରିଛି ପଣ

ଲଙ୍ଗିବ ପିତୃବଚନ

ଲୋକ ଅପବାଦ ରଟିଲେ ରଟିବ

ନୋହିବ ସତ୍ୟ ଭଗନ

ଜୀବଜୀବନ ହେ । ୮ ।

 

ମୋ ନିଜ କର ଲିପିରେ

ଜଣାଇବି ଜମିଦାରେ

ତନ ମନ ମୋର ବିକା ନିତ୍ୟାନନ୍ଦେ

ନ ଦେବି କେଭେଁ ଆନରେ

ରଖ ମନ ରେ । ୯ ।

 

ବାନ୍ଧିଛି ଏଡ଼େ ସାହସ

ଆସ ବନ୍ଧୁ ମୋର ଆସ

‘‘ନିରୁ’’ ଡାକି ମୋରେ କୋଳେ ଆଉଜାଅ

ଚିତ୍ତେ ମୋ ଭର ଆଶ୍ୱାସ

ଜୀବଜୀବେଶ ହେ । ୧୦।

 

ବଳଙ୍ଗା ମେଳଣ ଠାରେ

କିଣିଥିଲ ପରା ମୋରେ

କେତେ କଣ ଆଣି ଦେବାକୁ କହିଲି

ଲତାଇ ତୁମ୍ଭରି ଉରେ

ଅତି ନିର୍ଭରେ ହେ । ୧୧ ।

 

ଘରେ ଆମ ପରିଚିତ

ଥିଲେ ତୁମ୍ଭ ତାତମାତ

ଗୋକୁଳି ଉମା ଦେଈଙ୍କ ସୁତ ବୋଲି

ଆଦର ହେଲା ପ୍ରାପତ

ଲାଜ ତ୍ୟକତ ହେ । ୧୨ ।

 

ମେଳନୁଁ ବିଦାୟ ବେଳେ

ଲାଖି ରହି ତୁମ୍ଭ କୋଳେ

ମୁଁ କହିଲି ମୁଁ ଏହାକୁ ନ ଛାଡ଼ିବ

ରହିବି ଏହାଙ୍କ ମେଳେ

ସେନେହ ଭୋଳେ ହେ । ୧୩ ।

 

ବରଷ ନଅ ମାତର

ନାହିଁ ଛଟକ ଚାତର

ତଥାପି ବାଳିକା ବୟସୁଁ ହୋଇଲି

ସାରଣୀ ପ୍ରୀତି ହାତର

ଚାହୁଁ ମାତର ହେ । ୧୪ ।

 

ନେବାକୁ ତୁମ୍ଭଙ୍କୁ ଘରେ

ଅଡ଼ି ବସିଲି ଯାତରେ

ଜିଦି ଦେଖି ମୋର ହେଲା ଆସିବାର

ତୁମ୍ଭଙ୍କୁ ମୋ ସହିତରେ

ମୋର ହିତରେ ହେ । ୧୫ ।

 

ଥାଏ ବୋଉ ଫରମାସ

ଛୁଟି ହେଲେ ତୁମ୍ଭେ ଆସ

କେତେ ନୂଆ ବହି ଆଣ ମୋହ ପାଇଁ

ମୋ ମନ କରି ଉଲ୍ଲାସ

ଜୀବଜୀବେଶ ହେ । ୧୬ ।

 

ପୋଖରୀକୁ ସଙ୍ଗେ ନିଅ

ହାତରେ ଗୋଧୋଇ ଦିଅ

ମୁଁ କେବଳ ମୁଖେ ଦେଖଇ ଆନନ୍ଦ

କି ଆନନ୍ଦ ମୋଠୁଁ ପାଅ,

ହେ ପରପୁଅ ହେ । ୧୭ ।

 

ବହୁତ ବହି ଫିଟାଇ

କାହାଣୀ ଯାଅ ହେ କହି

ଶକୁନ୍ତଳା ଜୁଲିଏଟଙ୍କ ଚରିତ

କେଭେଁ ମୋ ଭୁଲା ନ ଯାଇ

ନିତେଇ ଭାଇ ହେ । ୧୮ ।

 

ହେଲା ଚଉଦ ବରଷ

ଜୀବନେ ମୋ ମଧୁମାସ

ତୁମ୍ଭ ହାତେ ମୋରେ ଦେବା ପାଇଁ ବାପା

କଲେ ଦିନେ ପରକାଶ

ବୋଉ ହରଷ ଯେ । ୧୯ ।

 

ତୁମ୍ଭେ ଇନ୍ଦୁ ସିନ୍ଧୁ ମୁହି

ହରଷ ମୋ ନୁହେ କହି

ଛୁଟିରେ ନ ଆସି ପାର ଯଦି କେବେ

ବିରହେ ହୁଏ ଯା ତାହି

କୁହା ନ ଯାଇ ହେ । ୨୦ ।

 

ଚକଟେ ମନ୍ଥେ ହୃଦୟ

ମନ ମୋ ହୁଏ ଅଥୟ

ବିହଙ୍ଗର ପକ୍ଷ ଦେବା ପାଇଁ ମୋରେ

ଧାତାରେ କରେଁ ବିନୟ

ମୁଁ ଅନୁନୟ ହେ । ୨୧ ।

 

ଆସ କେବେ ଯେବେ ସଖା

ନ ଦିଏ ପୂରା ମୁଁ ଦେଖା

ମନ ଥାଏ ଅଙ୍ଗେ ଅଙ୍ଗ ଯୋଡ଼ିବାକୁ

ଆଚରଣ ଲୋକଦେଖା

ପରାଣ ସଖା ହେ । ୨୨ ।

 

ପାନିଆଁ କରେ ମୁଁ ଘେନି

ସଜାଡ଼ୁ ଥିଲି ମୋ ବେଣୀ

ତୁମ୍ଭେ ପହଞ୍ଚିଲ କେହି ଥିଲେ ନାହିଁ

ଦଇବେ ମୁଁ ଏକାକିନୀ

ବେଶ ମୋହିନୀ ହେ । ୨୩ ।

 

ଆଉଜାଇ ମୋରେ ଉରେ

ପରଷି ଗଣ୍ଡ ଗଣ୍ଡରେ

ଭାଷିଲ ‘ନିରୁ’ରେ ଆହା ମୋ ଭୀରୁରେ

ଏତେ ଲୁଚା ପୁରି ମୋରେ

ଦୁଃଖେ ମୁଁ ମରେ ହେ । ୨୪ ।

 

ଲଲାଟେ ଚନ୍ଦନ ବିନ୍ଦୁ

ଉରସେ ତୁ ମୋର ଇନ୍ଦୁ

ପ୍ରେମରଚନାକୁ ବାଣୀ ତୁ ରେ ମୋର

ରୂପରେ ଶଶୀକୁ ନିନ୍ଦୁ

ପରାଣ ବନ୍ଧୁ ହେ ! । ୨୪ ।

 

ତୁ ପରା ମୋରେ ଛଇଳା

ଜୁଲିଏଟ ଶକୁନ୍ତଳା

ବର ଦିଅ ମୋରେ ହେବୁ ତୁ ମୋ ଉରେ

ପ୍ରେମ ବୈଜୟନ୍ତୀ ମାଳା

ପୀରତିଶୀଳା ହେ । ୨୬ ।

 

ତୁ ମୋର ମୁହିଁ ତୋହର

କର ଆଜି ଅଙ୍ଗୀକାର

ରାଜହଂସ ଗତି ଲାଜ ତୁ ବରଜ

ମୁଁ ପରା ତୋ ପରିଚାର

ସୁମନାବର ରେ । ୨୭ ।

 

ଉରେ ମୁଁ ତୁମ୍ଭ ଲତାର

କେତେ କିସ ଗଲି କହି

ସବୁର ମରମ ! – ଚରଣ ତଳର

ଦାସୀ ପଣେ ମୁଁ ଯୋଗାଇ

ଶରଣ ଦେହି ହେ । ୨୮ ।

 

ବାହୁ ବନ୍ଧନକୁ ଫେଇ

ଲପନେ ମୋର ଅନାଇ

ଭାସିଲ ନର ଛାର କେତେ ମାତର

ଦେବତା ହୋଇବେ ବାଇ

ତୋରେ ଅନାଇଁ ରେ । ୨୯ ।

 

ଚନ୍ଦନପୋଖରୀ ଜଳେ

ପଡ଼ୁଁ କୁମ୍ଭୀର କବଳେ

ସନ୍ତରିଣ ତୁମ୍ଭେ ବଞ୍ଚାଇଲ ମୋରେ

ଆଘାତ ସହି କପାଳେ

ମୋ ପାଇଁ ହେଳେ ହେ । ୩୦ ।

 

ଜୀବନ ଦେଇଛି ବିକି

ରଖ ହେ ପରିଚାରୀକି

ହେ ଜୀବଜୀବନ            ରାଜସିଂହାସନ

ତୁମ୍ଭ ବିନୁ ଧିକି ଧିକି

ମୁଁ ସେ ସେବକୀ ହେ । ୩୧ ।

 

ପିଅରଙ୍କୁ ପୁଣି,             କହିଛି ଜନନୀ

ତୁମ୍ଭେ ମୋ ହୃଦୟ ରାଣ

ସେ ଯେ ପାଷାଣ ହେ । ୩୨ ।

 

ହେ ମୋ ଗଭା ମଲୀଚୋର ।

ଦ୍ୱିତୀୟ ଜୀବନ ମୋର

ଆସୁଛି ସଂକଟ            ଆସ ମୋ ନିକଟ

ବତାଇଣ ଦିଅ କର

ପରାଣେଶ୍ୱର ହେ । ୩୩ ।

 

ହୋଇବି ଜନକଦ୍ରୋହୀ

ଦୋଚାରୁଣୀ ହେବି ନାହିଁ

ଆସ ପ୍ରିୟତମ,            ହର ଚିନ୍ତାମମ,

ଦୁଃଖିନୀ, ମୋ ସମ ନାହିଁ

କି କହିବଇଁ ହେ । ୩୪ ।

 

ଜମିଦାର ଘର ଦାସୀ

ବିଲୋକି ମୋ ଶୋଭାରାଶି

ଜମିଦାର ସୁତ,            ଭାଗ୍ୟବନ୍ତ ଭାଷି

ହରଷେ ଯାଆନ୍ତି ଭାସି

ନବବୟସୀ ହେ । ୩୫ ।

 

ଜମିଦାରେ ଲେଖିବଇଁ

ପିଅରେ ଦେବି ଜଣାଇ

ହୋମ ଘିଅ ନୁହେ            କୁକୁର ଆହାର

କୁକୁର କାହିଁକି ବାଇ ?

ହା ମୋ ନିତାଇ ହେ ! । ୩୬ ।

 

ଦୁଃଖବାଟେ ପଦ ଚାଳି

ସୁଖେ ଦେଲି ଜଳାଞ୍ଜଳି

ଜୀବନଦୋସର            ନିତ୍ୟାନନ୍ଦ ମୋର !

ଆସ ମୋ ରଙ୍କ ସଙ୍ଖାଳି !

ମୁଁ ତୁମ୍ଭ ବାଳୀ ହେ ! । ୩୭ ।

 

ଭାଷିଥିଲ ଦିନେ ମୋରେ

ଜନମ ତୁମ୍ଭ ମହୀରେ

ମୋହରି ଅଙ୍ଗର            କବଚ ହେବାକୁ,

ଥିବ ତା ତୁମ୍ଭ ମନରେ

ଝୁରି ତା ମରେଁ ହେ ! । ୩୮ ।

 

ଦୂଷଣ ଘୋଷଣ ବାଜୁ

ଲାଜ ବନ୍ଧ ପଛେ ଭାଜୁ

ନିରୂପମା ନାରୀ            ନୋହିବ ଦୋଚାରୀ

ପିତା ତା ପଛେ ଗରଜୁ

ବାଧା ସରଜୁ ହେ ! । ୩୯ ।

 

ତଟିନୀ ତେଜିବ ଗିରି

ସିନ୍ଧୁକୁ ଯିବ ବାହାରି,

ଗିରି ତରଜନ            ସିନା ଅକାରଣ

ରୋଧି ହୁଏ କି ତା ବାରି ?

ନାରୀ ତା ସରି ହେ ! । ୪୦ ।

 

ପାଳିବି ପତିବରତ

ବୁଝିବେ ମୋ ଲୋଭୀ ତାତା,

ଏ ଦେହ ତାହାର            ଯାହାକୁ ଅନ୍ତର

ହୋଇଛି ଇଚ୍ଛାରେ ଦତ୍ତ

ଜାଣ ନିୟତ ହେ ! । ୪୧ ।

 

ମୋ ନିରାନନ୍ଦ ଆନନ୍ଦ !

ଆସ ମୋର ନିତ୍ୟାନନ୍ଦ !

ମୋ ପତିବରତ            ପୃଥ୍ୱୀରାଜବତ

ରଖ ଦେଖୁ ଜୟଚାନ୍ଦ

ଦୁର୍ଜନ ମନ୍ଦ ହେ ! । ୪୨ ।

 

ହୋଇଛି ବୟସ ମୋର

ଆଇନକୁ ନାହିଁ ଡର

ପ୍ରେମ ଯୋଗୀ ପ୍ରେମ--            ଯୋଗୀଆଣୀ ସାଜି

ସମାଜେ ଦେବା ଉତ୍ତର

ସଂକଳ୍ପ ମୋର ହେ ! । ୪୩ ।

 

ମୁକୁଳା ଆକାଶ ତଳେ

ଅମା ମହୀରୂହ ମୂଳେ

ଉରେ ତୁମ୍ଭ ମୁଁ             ଆଉଜି ଠିଆ ହେଲେ

ଶଚୀଭୂତି ପାଦତଳେ

ଜାଣେଁ ମୁଁ ଭଲେ ହେ ! । ୪୪ ।

 

ଚିତ୍ତ ଥରେ ନେଲେ ଚୋର

ସଂସାରେ ଥାଏ କି ଡର ?

ସଂଯୁକ୍ତା ସମାନ            ମୁହିଁ ଭୀତିହୀନ

ପୃଥ୍ୱୀରାଜ ହୁଅ ମୋର

ହୃଦତସ୍ମର ହେ ! । ୪୫ ।

 

ପଥ ଚାହିଁ ଅଛି ବସି

ଆସ ମୋ ମାନସ ଶଶୀ !

ନିଆଶା ସରିତେ            ତରଣୀ ବୁଡ଼ୁଛି

ନିରୂପମା ଯାଏ ଭାସି

ଉଦ୍ଧର ଆସି ହେ ! । ୪୬ ।

 

୧ । ଲେଖିବାର-ଲେଖିବା ନିମନ୍ତେ; ଦଇବଦଉଡ଼ି-ଭାଗ୍ୟ (ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣିଲେ ତେଣିକି ଯାଇ) ।

୨ । ନିଦାରୁଣ-ନିର୍ଦ୍ଦୟ; କୋଳମଣ୍ଡନ-ଭାର୍ଯ୍ୟା ।

୪ । ଲଲାଟ ପଟେ ମୋ ଗାର-ମୋ କପାଳରେ ଲେଖା ।

 

୫ । ମଦ ମାଂସର ସଂଗିନୀ-ଜମିଦାର ପୁଅ ମଦ, ମାଂସ ଖାଏ-ତା ସଙ୍ଗକୁ ମୋତେ ଭୋଗ ସାମଗ୍ରୀ ବନାଇବ । ପିତା କରଣୀ—ବାପଙ୍କ କୀର୍ତ୍ତି ।

 

୬ । ଦୂରନ୍ତ-ଅତ୍ୟାଚାରୀ, ନିଷ୍ଠୁର

୭ । କନକ-ସୁନା ।

୮ । ପରାଣ କରିଛି ପଣ-ମୁଣ୍ଡରେ ପାଣି ଛଡ଼ାଇ ଦେଇଛି ।

୯ । କରଲିପି – ହାତର ଚିଠି; ତନ-ଦେହ ।

୧୦ । ଆଶ୍ୱାସ-ଦମ୍ଭ ।

୧୧ । ଲଢ଼ାଇ-ଲତା ଭଳି ଆଉଜି ।

୧୪ । ସାରଣୀ-ଖେଳର ନଟୁ ।

୧୫ । ଅଡ଼ି ବସିଲି-ଜିଦ୍‌ ଧରିଲି ।

୧୬ । ଫରମାସ-ବରାଦ ।

୧୮ । ଶକୁନ୍ତଳା-କାଳିଦାସଙ୍କ ପ୍ରଣୟିନୀ ନାୟିକା; ଜୁଲିଏଟ-ସେକ୍‌ସ ପିଅରଙ୍କ ପ୍ରଣୟିନୀ ନାୟିକା ।

 

୧୯ । ମଧୁମାସ – ବସନ୍ତକାଳ ।

୨୦ । ତାହି ହେବା-ନିଆଁ ଧାସରେ ସିଝିବା ।

୨୧ । ବିହଙ୍ଗ-ପକ୍ଷୀ; ଚଢ଼େଇ ।

୨୨ । ଲୋକ ଦେଖା-ଲୋକଙ୍କୁ ଦେଖାଇ ହେବାକୁ ଲୁଗୁ ।

୨୫ । ଲଲାଟେ-କପାଳରେ; ଉରସେ-ଛାତିରେ; ଇନ୍ଦୁ-ଚନ୍ଦ୍ର; ପ୍ରେମରଚନାକୁ ବାଣୀ-ମୋତେ ପ୍ରୀତିବିଦ୍ୟା ଦେବାକୁ ସରସ୍ୱତୀ ।

 

୨୬ । ବୈଜୟନ୍ତୀ ମାଳା-ବିଜୟର ହାର ।

୨୭ । ପରିଚାର-ସେବକ ।

୨୮ । ଦେହ-(ସଂସ୍କୃତ) ଦିଅ ।

୩୨ । ହୃଦୟରାଣ-ମନର ରାଜା ।

୩୮ । କବଚ-ସାଞ୍ଜୁ ।

୩୯ । ଦୂଷଣ ଘୋଷଣ-ନିନ୍ଦା ।

୪୦ । ତଟିନୀ-ନଈ; ଗିରି-ପର୍ବତ; ସିନ୍ଧୁ-ସମୁଦ୍ର ।

 

୪୨ । ପୃଥ୍ୱୀରାଜ-ଜୟଚାନ୍ଦ- ଜୟ ଚାନ୍ଦଙ୍କ ଝିଅ ସଂଯୁକ୍ତା ମନେ ମନେ ପୃଥ୍ୱୀରାଜଙ୍କୁ ବରଣ କରିଥିଲେ କିନ୍ତୁ ଜୟଚାନ୍ଦ ପୃଥ୍ୱୀରାଜଙ୍କୁ ସଂଯୁକ୍ତାଙ୍କ ସ୍ୱୟମ୍ୱରକୁ ନିମନ୍ତ୍ରଣ ନ କରି ତାଙ୍କୁ ଅପମାନ ଦେବା ପାଇଁ ତାଙ୍କ ମୂର୍ତ୍ତିକୁ ଦ୍ୱାରପାଳ ରୂପେ ଥାପି ଦେଇଥିଲେ । ପୃଥ୍ୱୀରାଜଙ୍କ ମୂର୍ତ୍ତି ବେକରେ ସଂଯୁକ୍ତା ମାଳ ଦେଲେ ଏବଂ ପୃଥ୍ୱୀରାଜ ଲୁଚି ରହିଥିବା ସ୍ଥାନରୁ ଆସି ସଂଯୁକ୍ତାଙ୍କୁ ଘୋଡ଼ାରେ ବସାଇ ଘେନିଯାଇଥିଲେ ।

୪୪ । ଶଚୀଭୂତି-ଇନ୍ଦ୍ରାଣୀଙ୍କ ସମ୍ପଦ ।

 

ସଚ୍ଚିଦାନନ୍ଦ ଭୂୟାଁ

(ରାଗ-କାମୋଦୀ)

ଉତ୍କଳେ ନିରାନନ୍ଦ                  କରି ସଚ୍ଚିଦାନନ୍ଦ !

ତ୍ରିଦିବେ ଯାଇଛି ବାହାରି

ତେଜି ବ୍ୟୋମବିହାରି            ମହାବ୍ୟୋମରେ ଘର

କରି ରହିଛି ବ୍ୟୋମଚାରି

ହେ ଶୂରମଣି !

ହରାଇ ତୁମ୍ଭଙ୍କୁ ଉତ୍କଳ

ନୟନୁ ନିଗାଡ଼ଇ ଜଳ,

ସ୍ମୃତିପୂଜା ବାସରେ                  ପ୍ରସନ୍ନ ମାନସରେ

କ୍ଷଣକ ଲାଗି ଅବତର

ହେ ବ୍ୟୋମଚାରି !

ଏ ଜାତି ନାହିଁ ମରି                  ସୁପ୍ତ କେଶରୀ ସରି

ଅଛି ନିର୍ବେଦ ଭାବ ଭଜି

କଏ ଏହା ପ୍ରମାଣ                  କରି ମହାପ୍ରୟାଣ

ଶୂରକାଙ୍କ୍ଷିତ ଭୂତି ଅର୍ଜି

ହେ ଧୀରମଣି !

ଶହୀଦ ମଧ୍ୟେ ଗଣ୍ୟ ହୋଇ

ଉତ୍‌କଳ ସମ୍ମାନ ବଢ଼ାଇ

ଅକାଳରେ ଶ୍ମଶାନ                  କଲ ଯାହା ବରଣ

ଦହେ କେବଳ ହୃଦ ତାହି

ହେ ଧୀରମଣି !

 

ଦରିଦ୍ର ଦୁଃଖ ଦେଖି                  ଆର୍ଦ୍ର କରିବା ଆଖି

ଅକୁଣ୍ଠ ଚିତ୍ତେ ଦେବା ଦାନ

ଦୁର୍ଲ୍ଲଭ ଗୁଣାବଳୀ                  ଥିଲା ତୁମ୍ଭର ବୋଲି

ଜୀବନ ତୁମ୍ଭର ମହାନ

ହେ ବୀରୋତ୍ତମ !

ତୁମ୍ଭ ସୁଗୁଣ ମୁଗ୍‌ଧ ଦେଶ

ପ୍ରୟାଣେ ତୁମ୍ଭ ହା-ହୁତାଶ

ଜାଳି ବରଷସାରା                  ଡାକଇ ଆଜି ପରା !

ଘେନ ଶରଧା ସୁମନସ

ହେ ବୀରୋତ୍ତମ !

 

ବିଶ୍ୱେ ସବୁ ନଶ୍ୱର                  କୀରତି ଅନଶ୍ୱର

କୀରତି ଦେହେ ଆୟୁଷ୍ମାନ

ହୋଇ ରହିବ ବୀର                  ଚନ୍ଦ୍ରମା ଦିବାକରା

ମଣ୍ଡିବେ ଯାବତ ଗଗନ

ହେ ଶୂରବର !

ଶଉର୍ଯ୍ୟ ବୀର୍ଯ୍ୟ ପରମ୍ପରା

ରଖି ଅକ୍ଷୁର୍ଣ୍ଣ ବୀରଧରା

ବୋଲାଉ ପୂର୍ବପରି                  ଜନ୍ମ ଭୂମି ଆମ୍ଭରି

ବରଷ ଏ ସଦିଚ୍ଛା ଧାରା

ହେ ଦିବବାସି !

 

ଦୁର୍ଘଟଣାରେ ମୃତ ଉତ୍‌କଳର ପ୍ରଥମ ଉଡ଼ାଜାହାଜ ଚାଳକ କୁମାର ସଚ୍ଚିଦାନନ୍ଦ ଭୂୟାଁଙ୍କ ସତୀଚଉରା ଶ୍ମଶାନ ସମାଧି ସ୍ଥାପନ ଉପଲକ୍ଷେ ରଚିତ ।

 

୧ । ମହାବ୍ୟୋମ-ସ୍ୱର୍ଗ, ବ୍ୟୋମଚାରୀ-ଆକାଶ ବିହାରୀ; ଅବତର-ସ୍ୱର୍ଗରୁ ଓହ୍ଲାଇ ଆସ ।

୨ । ନିର୍ବେଦ ଭାବ – ନିଶ୍ଚଳ ଭାବ, ଶହିଦ-(ଯାବନିକ ଶବ୍‌ଦ)—ମହତ କାର୍ଯ୍ୟରେ ପ୍ରାଣ ଦେଉଥିବା ବ୍ୟକ୍ତି । ଆର୍ଦ୍ର-ଓଦା;

୩ । ସୁମନସ-ଫୁଲ, ନଶ୍ୱର-ଅସ୍ଥାୟୀ ।

 

ସେ କାଳ ବିପଞ୍ଛୀ ଏ କାଳ ତାନ

(ରାଗ-ରସକୁଲ୍ୟା)

ପ୍ରାଣ-ପ୍ରଚୁରତା ଏ ଦେଶେ ଆଉ

ନାହିଁଛି ନିୟତି ସାଧିଛି ଦାଉ,

ଜଡ଼ତା-ଅଜ୍ଞାନ-ଘନ-ଅନ୍ଧାର

ଘୋଟିଛି ଏ ଦେଶେ ଚଉଦିଗର ଯେ

ପ୍ରାଣେ କାହିଁ ପ୍ରଫୁଲ୍ଲତା ଯେ ?

କଣ୍ଠରୁ ଛୁଟିବ            ସଙ୍ଗୀତର ଉତ୍ସ

ଦେଇ ଆନନ୍ଦର ବାର୍ତ୍ତା ଯେ । ୧ ।

 

ଗଡ଼ ବାରବାଟୀ ଉନ୍ନତ ଶିର

ଭୂଲୁଣ୍ଠନେ ଆଜି କି ନାରଖାର !!

କାପୁରୁଷ ପଦ ବୀର ମାଟିରେ

କରି କଳୁଷିତ କାତୀ ଛାତିରେ ଯେ

ମାରିଦିଏ ଉତ୍‌କଳୀର ଯେ

ଶଉର୍ଯ୍ୟ–ମୟୁଖ            ଯାଇଛି ଉଭେଇ

ଥିଲା ଯା ଜଳସ୍ଥଳର ଯେ । ୨ ।

 

ଭଞ୍ଜ ଦୀନକୃଷ୍ଣ କର ପରଶେ

ବାଣୀବୀଣା ସର୍ଜିଥିଲା ଯେ ରସେ

କବିରବି ଆଦି ସେ ରସପୂରେ

ଭସାଇଲେ କୁଟୀ ସଉଧପୁରେ ଯେ

ତା ସମାନ ରସ କାହିଁ ହେ ?

ନବଯୁଗ କର୍ଣ୍ଣ--            ରସାୟନ ହେବ

ଶୁଣିବେ ଭଉଣୀ ଭାଇ ଯେ ? । ୩ ।

 

ଗାଉଛି ଉତ୍କଳ ପରସଙ୍ଗୀତ

ନ ଜାଣୁଛି ନିଜେ ନିଜର ବିତ୍ତ,

ସେ କାଳ ବିପଞ୍ଚୀ ଏ କାଳ ତାନ

ଯୋଗ ବିନା ଧନୀ ହାରୁଛି ମାନ

ଛନ୍ଦ କଳ୍ପତରୁ ତଳେ ଯେ

ରହି ରସକ୍ଷୁଧା             ନ ମେଣ୍ଟୁଛି ତାର

ଭାଗ୍ୟେ ବଳିବ କେ ବଳେ ଯେ ? । ୪ ।

 

ଗାଅ ବାଣୀସୁତେ ! ବୀରସଙ୍ଗୀତ

ବୀର ମେଦିନୀ ଏ ହେଉ ସ୍ପନ୍ଦିତ;

ପ୍ରାଚୀନ ଛନ୍ଦରେ ବିଶ୍ୱଭାବନା

ଢାଳି ଗାଅ କରି ଉତ୍‌ପୁଲ୍ଲ ମନା ! ଯେ

ମଧୁଧାରା ବିଶ୍ୱେ ସିଞ୍ଚ ହେ

ଅନାଗତ ବଂଶଧରଙ୍କ            ପାଇଁ କି

ଗୁରୁ ଗଉରବ ସଞ୍ଚ ହେ । ୫ ।

 

୧ । ପ୍ରାଣ ପ୍ରଚୁରତା-ଉତ୍ସାହ, ଉନ୍ମାଦନାଦି ଜୀବନ ପରିଚାୟକ ଗୁଣର ଯଥେଷ୍ଟତା; ଦାଉ ସାଧିଛି-ଅକସ ସାଧିଛି ।

୨ । ଭୂଲୁଣ୍ଠନେ ଭୂଇଁରେ ଲୋଟିବାରୁ, ଶୌର୍ଯ୍ୟମୟୁଖ-ବୀରତ୍ୱର ଆଭା ।

 

୩ । ଭଞ୍ଜ ଉପେନ୍ଦ ଭଞ୍ଜ, ଦୀନକୃଷ୍ଣ-ଦୀନକୃଷ୍ଣ ଦାସ; ପୂର-ସ୍ରୋତ କୁଟୀ-କୁଟୀର; ସୌଧ-ପକ୍‌କା, କର୍ଣ୍ଣରସାୟନ-କାନର ପ୍ରିୟ ।

 

୪ । ସେ କାଳ ବିପଞ୍ଚୀ ଏକାଳ ତାନ – ଏଠାରେ ଅର୍ଥ ପ୍ରାଚୀନ ସହିତ ନବୀନର ସମାବେଶ; ଛନ୍ଦକଳ୍ପତରୁ-ଓଡ଼ିଶାର ପ୍ରାଚୀନ ସାହିତ୍ୟରେ ଅଗଣିତ ଛନ୍ଦ ରହିଛି; ତେଣୁ ତାର ଏ ନାମ ।

୫ । ଅନାଗତ – ଜନ୍ମ ହୋଇ ନ ଥିବା ।

 

ନୃସିଂହ ଚରଣ ମହାନ୍ତି

(ରାଗ-ରସକୁଲ୍ୟା)

ଦୁଃଖିନୀ ଓଡ଼ିଶା ଦୁଃଖ ସଙ୍ଖାଳି !

ସାହିତ୍ୟ ଆରାମ ନବୀନ ମାଳି !

ନବୋଦିତ ଯୁବକୁଳ ଚନ୍ଦ୍ରମା !

କାହିଁଗଲ ସର୍ଜି ଅକାଳେ ଅମା

ବନ୍ଧୁ ନୃସିଂହ ଚରଣ ହେ !

କେଉଁ ରାଇଜରେ            ଛପାଇଲ ମୁହିଁ

ଦେଇ ଏ ଗୁରୁ କଷଣ ହେ ? । ୧ ।

 

ପାଷାଣେ ପିହିତ ଜନନୀ ହିଆ

ବୋଲି ସିନା ହାଦେ ସହିଲା ଏହା,

କେତେ ଆଶା କେନ୍ଦ୍ର କରି ତୁମ୍ଭଙ୍କୁ

ପୋଷିଥିଲା ଭାଙ୍ଗି ଦେଇ ତା ବୁକୁ

କଲ ଅକାଳ ପ୍ରୟାଣ ହେ

ଉତ୍କଳ ଗୌରବ--            ମନ୍ଦିରରେ ତୁଚ୍ଛ

କରି ନିଜ ଉଚ୍ଚ ସ୍ଥାନ ହେ । ୨ ।

 

ବିଲାତରୁ ଫେରି ତ୍ୟାଗର ପଥ

ଗମିବାକୁ କରି ବସିଲ ବ୍ରତ

କରି ନିରନ୍ତର ଜନନୀ ସେବା

ଦେଖାଇଲ ଦେଶେ ଯା କରେ ଯୁବା

ଜାତିର ମୁକତି ପାଇଁ ହେ

ସୁଖେ ଜଳାଞ୍ଜଳି             ଭୋଗେ ଜଳାଞ୍ଜଳି

ଧନ-ଗାରିମା ହଜାଇ ହେ । ୩ ।

 

ଆଡ଼ମ୍ୱର ଜାଣି ନ ଥିଲ ଲବେ

ଗରବ ତ ରଖି ନ ଥିଲା ଯେବେ

କାନ୍ତସ୍ମିତେ ସଦା ଆଲୋକି ମୁଖ

ଭାଷିଗିର ଦେଇ ନାହିଁ କି ସୁଖ !!

ଯେ ଜାଣିଥିଲା ତୁମ୍ଭଙ୍କୁ ହେ

ଅକାଳରେ ଚଳି            ଯାଇ ବନ୍ଧୁବର !

ଶେଳେ ବିନ୍ଧିଲ ତା ବୁକୁ । ୪ ।

 

ନବୀନା ଅବଳା ମୁଖୁଁ ସିନ୍ଦୁର

ପିତା-ଡାକ ରସନାରୁ ଶିଶୁର

ଘେନି ଯିବା ବନ୍ଧୁ ! କେଡ଼େ ପରୁଷ

ଶ୍ୱଶୁର-ଦମ୍ପତୀ କଲେ କି ଦୋଷ ହେ

କି ଦୋଷେ ଦୋଷୀ ଏ ଦେଶ ହେ ?

ସେ ଦେଶକୁ ଗଲ            ନ ଫେରିଛି ଯହୁଁ

କାଳେ କାଳେ ତ ସନ୍ଦେଶ ହେ । ୫ ।

 

ଯହିଁ ତହିଁ ଥାଅ ହେ ଗୁଣିବର ।

ଝୁରୁଥିବୁଁ ସିନା ଗୁଣ ତୁମ୍ଭର !!

ଦଇର୍ଘେ ଜୀବନ ନୁହଇ ମପା

ମାପକାଠି ସିନା ତା ଗଭୀରତା

ତହିଁ ହୋଇ ପରିମିତ ଯେ

ଯାହା ବୋଲି ତୁମ୍ଭ            ଜୀବନ ଆଭାସେ

ତାରେ ବକ୍ଷ ଆମ୍ଭ ସ୍ଫୀତ ଯେ । ୬ ।

 

ମରଣ ପରଦା ଏ ପଟେ ରହି

ଶରଧା ଅଞ୍ଜଳି ଟେକୁଛି ଭାଇ !

ଭାଜିଗଲା ପରି ଦକ୍ଷିଣ କର

ହୁଏ ପରତୀଏ ବିୟୋଗେ ତୋର ରେ

ଜୀବନ ସଉଦା ମୋର ରେ

ସରିଗଲା ଯାଏଁ            ଭାଇ ନୃସିଂହ ରେ

ସ୍ମୃତି ହୃଦେ ତିନିଗାର ରେ । ୭ ।

 

କବିଙ୍କର ସୁନାମଧନ୍ୟ ଯୁବକ ବନ୍ଧୁ, କବିଙ୍କ ସହିତ ମିଶି Greater Utkal League (ବୃହତ୍ତର ଉତ୍କଳ ସଂଘ) ଗଢ଼ି ତହିର ସଭାପତି ହୋଇଥିଲେ ।

୧ । ଆରାମ-ବଗିଚା ।

୨ । ତୁଚ୍ଛ-ଶୂନ୍ୟ ।

୪ । କାନ୍ତ-ମନୋହର ।

 

୫ । ନବୀନାଅବଳା-ଯୁବତୀ ଭାର୍ଯ୍ୟା; ରସନା-ଜିଭ; ପାଟି, ପରୁଷ-କଠୋର-ନିର୍ଦ୍ଦୟ; ଶ୍ୱଶୁର-ଦେୱାନ୍‌ ବାହାଦୁର ଲକ୍ଷ୍ମୀଧର ମହାନ୍ତି, ସନ୍ଦେଶ-ଖବର ।

୬ । ସ୍ଫୀତ-ଫୁଲିଥିବା ।

 

ବାରବାଟୀ

ଢୁଲାଇଛି ଗାଢ଼ ନିଦେ ଏଥି ସ୍ୱାଧୀନତା

ମୂକ ଏଥି ଆହା କେତେ ଗଉରବ ଗାଥା !

ଏହୁ ପଥେ ହେ ଉତ୍କଳି ! ଯାଅ ଯେହୁ ଚଳି

ଜାଣ ଦଳୁଅଛ ପଦତଳେ କେଉଁ ଧୂଳି ? । ୧ ।

 

ସ୍ୱାଧୀନ ଓଡ଼ିଆ ଜାତି ଧମନୀ ଶୋଣିତ –

ଆସାରେ ଏ ଧୂଳି ଭାଇ ! ହୋଇଛି ଧଉତ;

ଉତ୍କଳର ଗଉରବ ମଶାଲ ଆଲୁଅ

କଳାପାହାଡ଼ର ହାତେ ଭଜି ଅଛ ଲୟ । ୨ ।

 

ସ୍ୱାଧୀନତାଦେବୀଙ୍କର ରମ୍ୟ ନିକେତନ

ନବତଳ ଦୁର୍ଗ ଆଜି ନିଶାର ସପନ;

ଗତ ବିଭବର ମୂକ ସାକ୍ଷୀ ଅସହାୟ

ଠିଆ ଭଙ୍ଗା ଗଡ଼ଦ୍ୱାର ପ୍ରହରୀ ପରାୟ । ୩ ।

 

ଯେଉଁ ପରିଖାର ଜଳ ପ୍ରାଚୀର ଆରୋହୀ

ସୈନ୍ୟଙ୍କର ପ୍ରତିବିମ୍ୱ ଥିଲା ଦିନେ ବହି

କ୍ଷେତ ହୋଇ ସହେ ସେହୁ ଲଙ୍ଗଳର ଗାର

ବେଦନା ଦେଖାଏ ଅବା ଚିରାଇଣ ଉର !! । ୪ ।

 

ଉତ୍କଳ ନରେଶଙ୍କର ଇଚ୍ଛି ପରସାଦ

ଆଣି ଉପଦଉକନ ମଣ୍ଡି ଏ ପ୍ରାସାଦ

କେତେ ଯେ ବିଦେଶୀ ରାଜଦୂତେ ସ୍ୱଦେଶର

ଧ୍ୱଜା କଲେ ଅବନତ ତା ତ ଅସୁମାର । ୫ ।

 

ଦୁର୍ଗେଶ ବିଜୟବାଦ୍ୟେ ଏ ଦୁର୍ଗ ପ୍ରାଚୀର

କେତେ କେତେ ବାର ଦେଇନାହିଁ ପ୍ରତିଗିର !!

ରାଜକୁଳଲକ୍ଷ୍ମୀଙ୍କର ହୁଳହୁଳି ନାଦ

ସୂଚାଇ ନାହିଁ ବା କେତେ ବିଜୟର ମୋଦ !! । ୬ ।

 

ଦୃତ ବହୁଦିନୁଁ ସବୁ କାଳର ପ୍ରଭାବେ,

ଅତୀତର ଗାଥା ଝିଲ୍ଲୀ ଭଣଇ ଆରାବେ,

ବାରବାଟୀ ଲୋତକରେ ଲୋତକ ମିଳାଇ

କାନ୍ଦିନାହିଁ ଯଦି ବାରେ କାନ୍ଦ ଆଜି ଭାଇ ! । ୭ ।

 

୨ । ଆସାର-ଅସରା, କଳା ପାହାଢ଼-ବଙ୍ଗଳା ନବାବଙ୍କ ଜ୍ୱାଇଁ ଓ ସେନାପତି-ଓଡ଼ିଶାର ସ୍ୱାଧୀନତା ତାହାରି ଦ୍ୱାରା ଲୁପ୍ତ ହୋଇଥିଲା ।

 

୩ । ନବତଳ ଦୁର୍ଗ-ବାରବାଟୀ ଦୁର୍ଗ ନଅ ମହଲା କୋଠା ଥିଲା ।

୪ । ପରିଖା-ଗଡ଼ଖାଇ; ପ୍ରତିବିମ୍ୱ-ଛାଇ; କ୍ଷେତ ହୋଇ-ବାରବାଟୀର ଗଡ଼ଖାଇରେ ଏବେ ଧାନକ୍ଷେତ ହୋଇଅଛି ।

୫ । ପ୍ରସାଦ-ଅନୁଗ୍ରହ; ଉପଢୌକନ-ଭେଟି; ଅସୁମାର-ଅଗଣିତ ଯାହାର ସୁମାରି ନାହିଁ ।

 

୬ । ଦୁର୍ଗେଶ-ବାରବାଟୀ ଦୁର୍ଗର ଅଧିପତି ଓଡ଼ିଆ ସମ୍ରାଟ; ଏ ଦୁର୍ଗ ପ୍ରାଚୀର.....ସମ୍ରାଟ ବିଜୟ କରି ଫେରିଲା ବେଳକୁ ତାଙ୍କ ବିଜୟୀ ଥାଟର ବାଦ୍ୟ ସଙ୍ଗକୁ ବାରବାଟୀ ଦୁର୍ଗର ପାଚିରୀ ଉପରୁ ନହବତ୍‌ ବାଜି ଉଠୁଥିଲା; ରାଜକୁଳ ଲକ୍ଷ୍ମୀ....ରାଣୀହଂସ ମାନଙ୍କର ।

୭ । କାଳର ପ୍ରଭାବେ-ସମୟର ଗତିରୁ; ଝିଲୀ-ଝିଙ୍କାରୀ ପୋକ । ଭଣଇ-କହେ; ଆରାଜ-ରବ, ଶବ୍‌ଧ ।

 

ବାଣୀ ଆବାହନ

(ଚମ୍ପୁ ଫ ଗୀତ ବୃତ୍ତରେ)

ବରଷକ ଥରେ ଡାକୁଛୁଁ ସନ୍ତାନେ ଆସ ଆସ ଅବତରି

ଅଶେଷ ବିଭବ ପୂଜା ପାଇଁ ତବ ସାଜିଅଛି ଧରା ନାରୀ

ମା ଭାରତି ! କରୁଣା ନ କରି ଊଣା

ଭଞ୍ଜ-ରାଧାନାଥ-ଦେଶେ ଆଉ ବାଭେ ବାଅ ଉନ୍ମାଦିନୀ ବୀଣା । ୧ ।

 

ବିଶ୍ୱ-ଭାବାନିଳ-ତରଙ୍ଗ ଯେ ଆଜି ଖେଳ ବୁଲୁଛି ଅମ୍ୱରେ

ସାରସ୍ୱତ ବନେ ନିମ ପାଲଟୁଛି ଚନ୍ଦନ ସେ ମଳୟରେ

ମା ଭାରତି ! ତବ ଅନୁକମ୍ପା ବିନା

କବି-କଞ୍ଜବନ ଏ କଳିଙ୍ଗ ଧରା ହୋଇ ଋଦ୍ଧିମତୀ ଦୀନା । ୨ ।

 

ହୀନାନୁକରଣ ଯାଉ ଅପସରି ପ୍ରାଚୀନୁଁ ଆହରି ସାର

ମିଶାଇ ନବୀନ ତୁମ୍ଭରି ପୂଜନ ପାଇଁ ସଜାଡ଼ ସମ୍ଭାର

ମା ଭାରତି ! ଧନ୍ୟ ହେଉ ଏହୁ ଦେଶ

ଦୁର୍ଗତି ଶିଶିର କାଳ ଅନ୍ତେ ଫେରୁ ଉନ୍ନତି-ମାଧବ-ମାସ । ୩ ।

 

କଳାର ବିପଣୀ ଧନ୍ୟ ହେଉ ତାର ସାହିତ୍ୟ ହେଉ ଅତୁଳ

ହେ ବାଣୀ ବରଦେ ! ହେ ମାତଃ ସାରଦେ ! ସବୁରି ତ ତୁମ୍ଭେ ମୂଳ

ମା ଭାରତି ! ହୋଇ କଳାକିରୀଟିନୀ

ବିଶ୍ୱ ସମାଜରେ ନୁଆଇଁବ ମଥା କେତେ କଳିଙ୍ଗ ଜନନୀ ? । ୪ ।

 

୨ । କଞ୍ଜବନ-ପଦ୍ମବନ; ଋଦ୍ଧିମତୀ-ବିଭବଶାଳନୀ ।

୩ । ପ୍ରାଚୀନୁଁ-ପ୍ରାଚୀନ ସାହିତ୍ୟରୁ, ନବୀନ-ନୂଆ ଭାବଧାରା; ମାଧବ (ମଧୁ+ଅ) ବସନ୍ତ ।

 

କବିର ସଂଖାଳି

(ରାଗ-କାମୋଦୀ)

“A cup of wine, a book of verse and the singing beside me

in the wilderness And the wilderness is Paradise enom”

Omar Khyyam

(୧)

ସୁମନା ଶୋଭାଧାମ            ସୁମନସ ଆରାମ

କବିର ସଂଖାଳି ଏ ଦୁଇ,

ଦିନ-ମଣି-ବିହୀନ            ମହୀ ସମାନ ହୀନ

କବି-ଜୀବନ ଯା ନ ଥାଇ ଯେ

ମନୋରମା---

କଣ୍ଠ ବାଜେଣୀ ବୀଣା ସରି

ଯେ ପୁରେ ନ ତୋଳେ ଲହରୀ

ଯେ ପୁରର ଆରାମ ନୋହେ ସୁମନ ଧାମ

ତା କବି-କବରର ସରି ଯେ

ନୋହେ ମିଛ ।

 

(୨)

କମଳା ନନ୍ଦନଙ୍କ             ଭାଗ୍ୟର ନୋହେ ରଙ୍କ

କବି; ତା କୁଟୀରେ ପ୍ରାପତ

ହୁଏ ସକଳ ଶିରୀ            ଏ ଦୁଇ ଘେନି କରି

ନ ଇଚ୍ଛେ ଧନପତି ବିତ୍ତ ସେ

ଗର୍ବେଶ୍ୱର,

ନୀରୋଗ ବପୁ, ଅପ୍ରବାସ,

ଆୟୁଷ ମାତ୍ର ତା ପ୍ରୟାସ

କୃପା କଲେ ବିଧାତା            କାହିଁ କବିର ଚିନ୍ତା ?

ନୃପେ ରଚଇ ଉପହାସ ସେ

ବାଣୀସୁତ ।

 

(୩)

ଦେଲେ ଆନ ଆଶିଷ            କବି ମଣଇ ବିଷ

ସେ ମାତ୍ର ଶୋଭାର ଭିକାରୀ

ସୁମନ, ସୁମନାରେ            ଯେ ଶୋଭା ଅଛି ତାରେ

ଏ ମରଧାମେ କିସ ସରି ସେ ?

ଆନଭୂତି

ବାଞ୍ଛିଲେ ହୋଇବ ଆନନ୍ଦ ?

କରେ ପାଇଛି ସେ ଚା ଚାନ୍ଦ

ଜାଣଇ ସେ ଶୋଭାର            ସରଣୀ ଗମିବାର

ଫଳ ପ୍ରାପତି ଭୂମାନନ୍ଦ ସେ

ଶୋଭାଜୀବୀ ।

 

୧ । ସୁମନା-ରମଣୀ; ଶୋଭାଧାମ-ଶୋଭାମୟୀ; ସୁମନସ-ଫୁଲ; ଆରାମ-ବଗିଚା; ଦିନମଣି-ସୂର୍ଯ୍ୟ; ବାଜେଣୀ-ବାଜୁଥିବା, କବରି-ସମାଧି ।

 

୨ । କମଳାନନ୍ଦନ-ଲକ୍ଷ୍ମୀଙ୍କ ବରପୁତ୍ର; ଧନପତି-କୁବେର; ଗର୍ବେଶ୍ୱର-ସର୍ବୋତ୍‌ଫୁଲ୍ଲ; ବପୁ-ଦେହ; ପ୍ରୟାସ-ଅଭିଳାଷ ।

୩ । ଭୂତି-ସଂପଦ; ସରଣୀ-ବାଟ; ଭୁମାନନ୍ଦ-ପ୍ରଚୁର ଶ୍ରେଷ୍ଠ ଆନନ୍ଦା ।

 

ଭାରତୀ ଆବାହନ ଗୀତି

ରାଗ-ଦକ୍ଷିଣ କାମୋଦୀ, ତାଳ ଆଠତାଳି

(ଶ୍ୟାମ ନାଗର ହେ ! ଏ ବେଶ ହୋଇବ ନାହିଁ -ବୃତ୍ତରେ)

ମାତଃ ! ଭାରତି ଗୋ ! ଏ ଦେଶେ କରୁଣା କର

ବଲ୍ଲକୀ କରେ ମା ! ତ୍ରିଦିବ ଧାମରୁ ମଧୁମାସେ ଅବତର । ଘୋଷା ।

ତୁମ୍ଭରି କରୁଣା             ହେବାରୁ ମା ! ଊଣା

ଉନ୍ନତ ମଉଳି ତାର

ଅବନତ ଆଜି            ଯାଇଛି ଟି ଭାଜି

ହେମ-କିରୀଟ ଶିରର । ୧ ।

 

ସ୍ଫୁରୁ କଣ୍ଠେ ତାର            ଉପମା ଯାହାର

ନାହିଁ ସେ ଗୀତ ସମ୍ଭାର

ଜଗତେ ଅତୁଳା            କୋଣାରକ-କଳା

ମଣ୍ଡୁ ଗୀତ କଳେବର । ୨ ।

 

ମୁକକୁ ବାଚାଳ            କରିବାର ବଳ

ବହେ ବିପଞ୍ଚୀର ତାର

ମୃତ ସଞ୍ଜୀବନୀ            ଉତ୍କଳ ଅବନୀ

କାନେ ଶୁଣାଅ ସତ୍ୱର । ୩ ।

 

ନବୀନ ଯୁଗରେ            ବିଶ୍ୱ ଦରବାରେ

ଗରବେ ଟେକୁ ସେ ଶିର

ନବୀନ ତରଙ୍ଗେ            ତୋଳି ନବରଙ୍ଗେ

ନାଚୁ ଚିତ୍ରୋତ୍ପଳା-ନୀର । ୪ ।

 

୧ । ହେମ-ସୁନା; ଚିତ୍ରୋତ୍ପଳା-ମହାନଦୀ (କଳୌ ଚିତ୍ରୋତ୍ପଳା ଗଙ୍ଗା)

 

Unknown

ବଳଭଦ୍ର ଦେବ

(ରାଗ ରସକୁଲ୍ୟା)

ବଳଭଦ୍ରଦେବ ବଡ଼ କୁମର ।

ଶୋଭାଙ୍ଗୀ-ବଲ୍ଲଭ ହେ କବିବର ।

ଆଲୋକି ଉତ୍କଳ-କବିତାକାଶ

ହୋଇଥିଲ ବାମଣ୍ଡାରେ ପ୍ରକାଶ

କାନ୍ଦଇ ଉତ୍କଳ ଭୂଇଁ ହେ ।

ଅତର୍କିତେ ଆହା            ଗଲ ବାଣୀସୂତେ

ଯାଇଥିଲେ ଆଗୁଁ ଯହିଁ ହେ । ୧ ।

 

ଦୀନା ମାତୃଭାଷା ମନକୁ ଜାଣି

ସାରଦା ଆରାମୁଁ ଆଉ କେ ପୁଣି

ଦିବ୍ୟ ସୁମନସ ତୋଳି ସାଦର

ନିପୁଣ ମାଳୀର ସମାନ ହାର

ଗୁନ୍ଥିବ ରାଜନନ୍ଦନ ହେ ।

ବିଳାପ ତଳପ            ତୁଚ୍ଛ ମଣି କେହୁ

ପୂଜିବ ବାଣୀ ଚରଣ ହେ ? । ୨ ।

 

ତୁମ୍ଭ ସାରସ୍ୱତ କୃତିରେ ଲାଗି

କାଳକୀଟ ଦନ୍ତ ଯିବଟି ଭାଗି

ତୁମ୍ଭ କୃତି ରାଜମୁକୁଟ ମୂଲେ

କିଣି ଧନ୍ୟ ନୃପେ ହୁଅନ୍ତେ ହେଳେ;

ଯଶୋ ଦେହରେ ବିରାଜ ହେ

ଶରଧା ସୁମନ            ଅଞ୍ଜଳି ଦେଇଣ

ପୂଜିବୁଁ ପୟର ଆଜ ହେ । ୩ ।

 

୧ । ବଡ଼ କୁମାର-ବାମଣ୍ଡା ମଣ୍ଡନ ସାର୍‌ ସୁଢଳ ଦେବଙ୍କ ଦ୍ୱିତୀୟ ପୁତ୍ର ।

୨ । ସାରଦା-ସରସ୍ୱତୀ; ଆରାମ-ବଗିଚା, ସୁମନସ-ଫୁଲ; ତଳ୍ପ—ବିଛଣା ।

୩ । ସାରସ୍ୱତକୃତି-କାବ୍ୟ କବିତା; କୃତି-ଗ୍ରନ୍ଥାବଳୀ, କବିଙ୍କ ଗ୍ରନ୍ଥାବଳୀ ଗୋଟିଏ ବିଶାଳ ଗ୍ରନ୍ଥ (ନାମ-ବଳଭଦ୍ର ଗ୍ରନ୍ଥାବଳୀ)

 

ଅବନୀ ଶୋଭା

ରାଗ-କଳହଂସ କେଦାର

ଆୟୁତ ମଧୁଶିରୀ ତଳେ ଲୋଟାଇ

ଅବନୀ-ଶୋଭା ଧନୀ ମଣ୍ଡିଛି ମହୀ,

ଥଳେ କମଳ ଦ୍ୱନ୍ଦ ରଙ୍ଗାଚରଣ

ସୁକୃତୀ ଯୁବା ମୌଳି ଯୋଗ୍ୟ ମଣ୍ଡନ । ୧ ।

 

ଯୁବା ହୃଦୟ ବ୍ୟାଧି ଉପଶମନେ

ଅଭିଳାଷୀ ବିଧାତା ସଦୟ ମନେ

ମଞ୍ଜୁଳ ବାରବାନୀ ମଞ୍ଜୁଷା ସରି

ଗଢ଼ିଛି ଉର ତାର ଭେଷଜେ ଭରି । ୨ ।

 

ଲୁଳଇ ତହିଁ ହେମ-ରତନ-ହାର

ହେମ ଘନେ କି ଥିର ତଡ଼ିତ ଗାର

ସେ ମଧୁ ବଡ଼ଶୀରେ ଦେବ ଜୀବନ

ମନାସି ହେଲେ ମୀନ ହୁଏ ନୟନ । ୩ ।

 

ଅବନୀଶୋଭା-ଯେ ପୃଥିବୀର ସୌନ୍ଦର୍ଯ୍ୟ ସ୍ୱରୂପିଣୀ (ତୁଳନାକର—‘‘କୁସୁମବତୀ ହୋଇ ଅବନୀ ଶୋଭା, ତଳପ ତେଜି ତଳେ ହୋଇଛି ଉଭା—ଭଞ୍ଜ’’) ।

 

୧ । ଅୟୁତ ମଧୁଶିରୀ-ଅସଂଖ୍ୟ ବସନ୍ତର ସମ୍ମିଳିତ ଶୋଭା ସମ୍ଭାରକୁ ନିଜର ଗୋଡ଼ତଳେ ଗଡ଼ାଇ ଦେଇ ଅର୍ଥାତ୍‌ ତାକୁ ପରାଜିତ କରି; କମଳଦ୍ୱନ୍ଦ-ପଦ୍ମଯୁଗଳ (ତା ପଦ ଯୋଡ଼ିକି ଥଳ ଉପରେ ଦୁଇଟି ପଦ୍ମ ଉକୁଟିଲା ପରି ଦିଶୁଛି) ରଙ୍ଗା ଚରଣ-ଲାଲ ପଦ୍ମ ସମାନ ପାଦ, ଏ ଦୁଇଟି ଚରଣ ସୁକୃତୀ ଅର୍ଥାତ୍ ପୁଣ୍ୟବନ୍ତ ଯୁବାର ମୌଳି ଅର୍ଥାତ୍ ମୁଣ୍ଡରେ ଲଗା ହେବାର ଯୋଗ୍ୟ ମଣ୍ଡନ ବା ଅଳଙ୍କାର ଅଟେ ।

 

୨ । ଯୁବା ହୃଦୟର କାମନା ଜନିତ ବ୍ୟାଧି ବା ରୋଗର ଉପଶମନ ଅର୍ଥାତ୍‌ ଆରୋଗ୍ୟ ଘଟାଇବାକୁ ଅଭଳାଷୀ-ଇଚ୍ଛୁକ ବିଧାତା ଦୟା ପୂର୍ଣ୍ଣ ଚିତ୍ତରେ ତା ଉର ଅର୍ଥାତ୍‌ ଛାତିକୁ ଭେଷଜ—ଔଷଧରେ ଭରି-ପୂର୍ଣ୍ଣକରି ମଞ୍ଜୁଳ-ସୁନ୍ଦର ବାରବାନୀ-ସୁନା ମଞ୍ଜୁଷା-ପେଡ଼ି କରି ଗଢ଼ିଛି ।

୩ । ଲୁଳଇ-ଲମ୍ୱ ରହିଛି, ହେମଘନ-ସୁନା ମେଘ; ତଡ଼ିତ-ବିଜୁଳି; ମଧୁ-ମଧୁର, ବଡ଼ଶୀ-ବନିଶି କଣ୍ଟା, ମନାସି-ଇଚ୍ଛାକରି ।

 

ଅଳସର ଦୁର୍ଦ୍ଦଶା

ରାଗ-ଶଙ୍କରାଭରଣ

ଶୁଖିଲା ପାଗଟା ଯାକ ଅଳସ ଝିଣ୍ଟିକା

ଗୀତ ଗାଇ ବୁଲିବାକୁ କଲା ତା ଜୀବିକା

ଏବେ ଆସିଲା ବରଷା

ସଞ୍ଚି ନାହିଁ ଆଗୁଁ କିଛି ତୁଚ୍ଛା ତାହା ବସା ।

କି କଲି କି କଲି ? ଆହା ବରଷା କାଳରେ

ନ ଖାଇ ମରିବି ଲେଖା ଥିଳା କପାଳରେ !

ଖୁଦ କଣିକାଏ ନାହିଁ

ଚାରିଆଡ଼ ଜଳମୟ ଯିବି ଅବା କାହିଁ ?

ବନ୍ଧୁ ପିମ୍ପୁଡ଼ିର କଥା ପଡ଼ିଲା ତା ମନେ

ଆଶା ବାନ୍ଧି ପାଶେ ତାର ଚଳିଲା ତକ୍ଷଣେ

ମୁଣ୍ଡ ନୁଆଇଁ ପ୍ରଣାମ

କରି କହେ ‘‘ବନ୍ଧୁବର ! ଅଛି ବଡ଼ କାମ ।’’

ଦେଖୁଅଛ ହେଉଅଛି କି ଘୋର ବରଷା !

ତା ସଙ୍ଗକୁ ଏକାବେଳେ ତୁଚ୍ଛା ମୋହ ବସା,

ତୁମ୍ଭେ ସଞ୍ଚିଛ ବହୁତ

ଖାଦ୍ୟ କିଛି ଦିଅ ଧାର, ସୁଧର ସହିତ

ବରଷାକାଳର ଅନ୍ତେ ଶୁଝିଦେବି ମୁହିଁ,

ଦେଖୁଛ ଦୁର୍ଦ୍ଦଶା ଦୟା ବହ ମୋହଠାଇଁ

ନ ବୁଡ଼ିବ ତୁମ୍ଭ ଧନ

ଚିରକାଳ ସୁମରିବି ତୁମ୍ଭ ବନ୍ଧୁ ପଣ ।

ମୁଣ୍ଡକୁ ହଲାଇ କହେ ପିମ୍ପୁଡ଼ି ହେ ଭାଇ !

‘ଋଣୀ ଅବା ଋଣଦାତା କେଭେଁ ହେବନାହିଁ’

ଏହା ମୋ ଗୁରୁବଚନ

ପ୍ରାଣ ଗଲେ କରି ନ ପାରଇଁ ମୁଁ ଲଂଘନ ।

ଶୁଖିଲା ପାଗରେ ତୁମ୍ଭେ କରୁଥିଲ କିସ ?

ଖାଦ୍ୟ ବୋହି ବୋହି ହେଲା ମୋ ଦେହ ପସରା;

କରେ ଝିଣ୍ଟିକା ଉତ୍ତର

‘‘କି କହିବି ଭାଗ୍ୟଦୋଷ ବନ୍ଧୁ ! ସେ ମୋହର ।

ଫୁଲଣା ମନରେ ଖାଲି ଗାଇଲଇଁ ଗୀତ

ଭାଳି ମୁଁ ନ ଥିଲି ହେବି ବୋଲି ଶୂନ୍ୟହାତ,’’

କହେ ପିମ୍ପୁଡ଼ି ‘‘ଗାୟକ!

ତର୍ଦ୍ଦିନରେ ନାଚ ଏବେ ଥେଇ ଥେଇ ଥାକ ।’’

 

ଗୌରୀଶଙ୍କର ରାୟ

କୁଟିଳ ପଡ଼ୋଶି ଯେବେ କୂଟଜାଲ ପାତି

ଓଡ଼ିଶା ଭାଷା ବିଲୋପେ ବଳାଇଲେ ମତି

ଲେଖନୀ-ଅସିରେ ବୀର ! କାଟି ସେ ବାଗୁରା

ବଜାଇଲ ଓଡ଼ିଶାର ବିଜୟ ଡେଙ୍ଗୁରା ।୧ ।

 

ନୋହିଲା ରସନା ଛେଦ ଓଡ଼ିଆ ଜାତିର,

ଦାୟାଦ ସକଳେ ଆମ୍ଭେ ତୁମ୍ଭ ସୁକୃତିର !

ଯେ ପୀଠେ ମୁଖର ଆମ୍ଭ ଜାତୀୟ ଜୀବନ

ଏ ଦେଶକୁ ମହାମନା ! ତାହା ତୁମ୍ଭ ଦାନ । ୨ ।

 

ଆସ ଆଉବାରେ ‘‘ଭଞ୍ଜ’’-କବିତାବିଳାସି ।

ନବଯୁଗ-ଉଷା-ପ୍ରଭା ‘‘ଦୀପିକା’’ ପ୍ରକାଶି ।

ଯାଉ ଅପସରି ଦେଶୁଁ ହୀନାନୁକରଣ

ହେଉ ସମୁଦିତ ଆତ୍ମ-ସମ୍ମାନ-ତପନ । ୩ ।

 

୧ । କୁଟିଳ ପଡ଼ୋଶି – କେତେକ ପଦସ୍ଥ ବଙ୍ଗୀୟ ଓଡ଼ିଆ ଭାଷା ସ୍ୱତନ୍ତ୍ର ଭାଷା ନୁହେ, ବଙ୍ଗ ଭାଷାର ଉପଭାଷା ବୋଲି ରାଜଦରବାରରେ ଦର୍ଶାଇ ଓଡ଼ିଆ ଭାଷାକୁ ଲୋପ କରିଦେବାକୁ ଅଣ୍ଟା ଭିଡ଼ିଥିଲେ; ବାଗୁରା-ଜାଲ ।

 

୨ । ନୋହିଲା ରସନା ଛେଦ-ଭାଷା ଲୋପ ହୋଇ ପାରିଲା ନାହିଁ; ଦାୟାଦ-ଉତ୍ତରାଧିକାରୀ, ସୁକୃତିର-ତୁମ୍ଭର ଏ ମହାକୀର୍ତ୍ତିର; ଯେ ପୀଠେ-କଟକର ଟାଉନ୍‌ହଲ୍‌-ଏହା ଓଡ଼ିଶାକୁ ମହାମନା ଗୌରୀ-ଶଙ୍କରଙ୍କ ଦାନ, ନିଜ ହାତରୁ ଟଙ୍କା ଦେଇ ସେ ଏହା ଗଢ଼ିଥିଲେ ।

 

୩ । ଭଞ୍ଜ କବିତା ବିଳାସୀ-‘‘ଇନ୍ଦ୍ରଧନୁ’’ ‘‘ବିଜୁଳି’’ ଯୁଦ୍ଧରେ ସେ ଉପେନ୍ଦ୍ର ଭଞ୍ଜଙ୍କ ପକ୍ଷ ସମର୍ଥନ କରିଥିଲେ; ‘‘ଦୀପିକା’’-ବିଖ୍ୟାତ ‘‘ଉତ୍କଳ ଦୀପିକା’’ କାଗଜର ସେ ପ୍ରତିଷ୍ଠାତା ଓ ଆମରଣ ସଂପାଦକ ଥିଲେ ।

 

ଜୀବନର ଗୌରବ

(ଇଂରାଜ କବି ଲର୍ଡ଼ ବାଇରନ୍‌ଙ୍କ ‘‘ଅଲ୍‌ ଫର୍‌ ଲଭ୍‌’’ କବିତାର ଛାୟା)

ଯଉବନ ଗଉରବ            ସମବୃନ୍ତ

ସୁମନ ଅଟନ୍ତି ଦୁଇ

ଯଉବନ ଅଟନ୍ତି            ଟେକାଇଲେ ଛତି

ଗଉରବ ତହିଁ କାହିଁ ? ।

ପଳିତ କେଶର            ଅଭିଷେକୁଁ ବଡ଼

ଦଳିତର ଯଉବନ,

କେ ନୁହେ ସଂସାରେ      ନରପତି ? ଘେନି

ଯଉବନ-ସିଂହାସନ ? ।

ଯେଉଁ ଲଲାଟରେ            ଆଙ୍କି ସାରିଲାଣି

ଜଇତ୍ର ରେଖା ତା ଜରା

ତୁହିନ-ମଣ୍ଡିତ             ବି-ରସ ସୁମ ତା,

କିରୀଟେ ହେଲେହେଁ ତୋରା ।

 

କିରୀଟରେ ଢାଙ୍କି            ସିତ-କେଶ-ରାଜି

ଫୁଲିବାର ଗଉରବେ

ଲଲାଟ ପଟେ ମୋ            ନ ଲେଖ ବିଧାତା !

ନ ଚାହେଁ ତାହା ମୁଁ ଲବେ ।

ଖ୍ୟାତି ଘେନି ଯେବେ            ଅରଜି ପାରିଲି

ଶୋଭାଙ୍ଗୀ-କରୁଣା-ଦୃଷ୍ଟି

ସାର୍ଥ ହେଲା ମୋର            ପୁରୁଷାର୍ଥ ପୁଣି

ସାର୍ଥ ମୋ ପ୍ରଖ୍ୟାତି ସୃଷ୍ଟି ।

କରୁଣା-ଦୀପିତ             ଶୋଭାଙ୍ଗୀର ନେତ୍ର

ମୋ ଗଉରବର ବାସ,

ବିଜୟ-ଟୀକା ମୋ            କରୁଣାରେ ଦତ୍ତ

ତା ମନ୍ଦ ମଧୁର ହାସ ।

ଯଉବନର ଏ            ବିଜୟ ବିଭୂତି

ଜୀବନର ଗଉରବ,

ସିତ-କେଶ ନୃପ            ମହାର୍ଘ ମୁକୁଟ

ସମାନ ନୋହେ ୟା ଲବ ।

 

୧ । ସମବୃନ୍ତ ସୁମନ-ଏକା ଡେମ୍ଫରେ ଫୁଟିଥିବା ଦୁଇଫୁଲ (ଅର୍ଥାତ୍‌ ଯୌବନ ନ ଥିଲେ ପ୍ରକୃତ ଗୌରବ ନ ଥାଏ ।)

୨ । ପଳିତ କେଶ-ବାଳ ପାଚି ଯାଇଥିବା ବୁଢ଼ା; ଘେନି-ଯୋଗୁଁ ।

୩ । ଜୈତ୍ରରେଖା-ଜୟ ସୂଚକ ରେଖା; ବିରସ-ଶୁଖିଲା, ସୁମ-ଫୁଲ ।

୪ । ସିତ-ଧଳା; ପାଚିଲା ।

୫ । ଶୋଭାଙ୍ଗୀ-ସୁନ୍ଦରୀ, ପ୍ରଖ୍ୟାତ ସୃଷ୍ଟି-ଯଶ ସମୂହ । ମହାର୍ଘ-ମୂଲ୍ୟବାନ ।

 

ଗମିବି ରାହା କାହାକୁ କରି ଆଶାବାଡ଼ି ?

(ରାଗ-ଶଙ୍କରାଭରଣ)

ପରିଚିତ ପୁରାତନ ଅନେକ ବଦନ

ମମ ଏ ନୟନ ଏବେ ନ କରେ ଲୋକନ,

ନିଭିଲାର ଦୀପ ସରି

ଅପସାରିଲାଣି କାଳ ଗୋଟି ଗୋଟି କରି । ୧ ।

 

ହସରେ ଉଜଳ ପୁଣି କାନ୍ଦରେ ସଜଳ

ସରଳତା ବିମ୍ୱୁଥିବା ନୟନ-ଯୁଗଳ

କେତେ ଭଜିଲାଣି ଲୟ !

ସୁମରି ଯା ଅନ୍ତରାତ୍ମା ଖେଦେ ମୋ ଅଥୟ । ୨ ।

 

ଶରଧା ଦୀପିତ କେତେ ନୟନର ଭାତି

ତମ ନାଶି ହୃଦେ ଯା ମୋ ଜାଳୁଥିଲା ବତି

ଏବେ ହେଲାଣି ସପନ

ଆସାର ପତନ ଅନ୍ତେ ବୁଦ୍‌ବୁଦ୍‌ ଯେସନ । ୩ ।

 

ଶିଶିରେ ଝଡ଼ିଲା ସରି ତରୂର ପଲ୍ଲବ

ଆହା କରି ସାହା ହେବା ବାନ୍ଧବ ସରବି

କାହିଁ ଗଲେଣି ବାହାରି !

କାଳର ଆଦେଶେ ଯେଝା ରାହା ଅନୁସରି । ୪ ।

 

ମେଳଣର ଶେଷେ ଯଥା ମେଳଣ ପଡ଼ିଆ

ଜୀବନ ଲାଗଇ ଆଜି ତଥା ନିଛାଟିଆ

ସଞ୍ଜ ଆସୁଅଛି ମାଡ଼ି

ଗମିବି ରାହା କାହାକୁ କରି ଆଶା ବାଡ଼ି ? । ୫ ।

 

ଅଛ ମୋର ନେତ୍ରମଣି ହେ ପୁରୁଷୋତ୍ତମ

ମାୟାଧର ହୃଦାନନ୍ଦ କି କରିବ ତମ ?

ମାୟା ପଟଳକୁ ଫେଇ

ଆଲୋକ ଧାମକୁ ବାଟ ନେବ ହେ କଢ଼ାଇ । ୬ ।

୧ । ନ କରେ ଲୋକନ-ଦେଖୁନାହିଁ; ଅପସାରିଲାଣି-ଦୂର କଲାଣି ।

୨ । ଖେଦ –ଦୁଃଖ ।

୩ । ଦୀପିତ-ଆଲୋକିତ; ଭାତି-ଆଲୋକ; ଆସାର-ବର୍ଷା, ବୁଦ୍‌ବୁଦ୍‌-ପାଣିଫୋଟକା ।

୪ । ଶିଶିର-ଶୀତକାଳ; ରାହା-ବାଟ ।

 

ବିଶ୍ୱବୈଜ୍ଞାନିକ ସି.ଭି. ରମଣ

(ଶ୍ୟାମ ନାଗର ହେ-ବୃତ୍ତେ)

ବିଶ୍ୱ ପୂଜିତ ହେ            ଏ ପୂଜା ରଖିବ ମନେ

ହଜି ନ ଯିବ ଯେସନେ ସ୍ମୃତି ୟାର (ତବ)

ପୂଜନ ସ୍ମୃତି ଗହନେ । ଘୋଷା ।

ଅକ୍ଷରେ ପଥରେ            ବିନ୍ଧାଣୀ ଏ ଜାତି      

ଲଳିତ-କଳା-ରସିକ

କୋଟି ବିପର୍ଯ୍ୟୟେ            ଭଜିନାହିଁ ଲୟ

ରଖିଛି ମଉଳି ଟେକ । ୧ ।

 

ବୋଇତ ବଜିଜ             ସାମୁଦ୍ର ସାମ୍ରାଜ୍ୟ

କାହାଣୀରେ ଅଛି ଆଜି,

ମେରୁ ହାଡ଼ କିନ୍ତୁ            ଅଛି ଯଥାପୂର୍ବ

ଯାଇ ନାହିଁ ମାଡ଼େ ଭାଳି । ୨ ।

 

ହେ ବିଜ୍ଞାନ ! ଘେନି                  ପ୍ରଣତି ଆମ୍ଭର,

ଦାରୁଣ ବିଦାୟ ବଥା;

ହୋଇବ ଝଂକୃତ            କାଳେ କାଳେ କାନେ

ସୁଧା ମଖା ତୁମ୍ଭ କଥା । ୩ ।

 

ବିଜ୍ଞାନ ଦର୍ଶନ            ସମନ୍ୱୟେ ଯେବେ

ଜଗତ ହୋଇବ ନୂଆ

ଆହେ ସୂରିବର !             କର ଶୁଭାଶିଷ

ବଡ଼ ହୋଇବ ଓଡ଼ିଆ । ୪ ।

 

୦ । ଗହନ-ବନ ।

୨ । ସାମୁଦ୍ର ସାମାଜ୍ୟ-ଓଡ଼ିଶାର ଦରିଆପାରି ଔପନିବେଶିକ ବସତି ।

 

ପ୍ରିୟାବିଚ୍ଛେଦ

(ଇଂରାଜ କବି ଏଚ୍., ଏଫ୍‌, ଲିଟ୍‌ଙ୍କ ଏ ଲଷ୍ଟ ଲଭ୍‌ କବିତାର ଅନୁବାଦ)

ଚିନ୍ତାରାଗେ ମନୋରମ            କାନ୍ତ ଶଶି-କଳା ସମ

ନୟନ ପୁରତେ ମମ ମୁଖ ତୋ ଦିଶେ,

ବେପଥୁ ଚିତ୍ତେ ସରଜି            ବୀଣା-ଜିଣା ବାଣୀରାଜି

ହୃଦୟର ରାଣି ! ଆଜି କାନେ ମୋ ପଶେ

ତୋ ସଙ୍ଗତି-ଜାତ ସମ୍ପଦ

ଅତୀତ ଅଛଇ ଭକ୍ଷି                  ଅବଶେଷ ତ ନ ରଖି

ସ୍ମରଣ ସଙ୍ଗତେ ସଖି ! ସାଧୁଛି ବାଦ ।

ନୟନୁଁ ଲୋତକ ଝରେ,            ନାସାରୁ ଶ୍ୱାସ ପ୍ରସରେ,

ନାହୁଁ ତୁ ଆଜି ପାଶରେ ମୋ ଦୁଃଖ ସାଥି !

ଦେଖିଣ ମୋର ବିକଳ            ହୋଇବ କେ ଶୋକାକୁଳ ?

ମୋ ଖେଦ ସିନ୍ଧୁ ଅଥଳ ଅସର ରାତି ?

ଭାବେ ତୋର ରହିଛି ମଜ୍ଜି

ତହୁଁ ବଡ଼ ସୁଖ ନାହିଁ                  ପରମ ଆଶ୍ୱାସ ତହିଁ

ମୋ ଧ୍ରୁବତାରା ମଣଇଁ ତୋରେ ମୁଁ ଆଜି ।

ବାଜିଣ ଶୋକ ଭିଦୁର            ନୋହିବାର ଚୁରମାର

ହୃଦୟ ଅଛି ସଂସାର ଭିତରେ ରହି,

ସେ କିସମର ମୁକର            ମଣଇଁ ମୁଁ ଚିତ୍ତ ମୋର

ବିଷମ ବିରହ ତୋର ସହଇ ସେହି,

ଜଳୁଛି ମୋ ପରାଣଦୀପ

ତଇଳ ସମ ତୁ ଯାର            ଥିଲୁ ଆରେ ରାମାବର !

ନ ଲଭି ବିନୁଁ ତୋହର ଆଶୁ ନିର୍ବାପ ।

 

ଆସିବ ଦିନ ରମ୍ଭୋରୁ !            ସୁଖଦୁଃଖ ଅତୀତରୁ

ହୋଇବ ଆହୁରି ଗରୁ ନ ଥିଲି ଜାଣି

ସାଥୀ ମୋର ଅହର୍ନିଶ            ତୁ ପୁଣି ନ ଥିବୁ ପାଶ

ଛିନ୍ନ ହେବ ଆଶା ପାଶ ! ସେ କୁଶପାଣି

ବିହିବ ବିଚିତ୍ର ଭିଆଣ

ମୁଁ ରହିବି ଭବପୂରେ,            ଭବ ଯବନିକା ପାରେ

ତୁ ରହିବୁ ଆହା ଆରେ ଜୀବ ଜୀବନ !

 

ଆମ୍ଭ ହୃଦୟର ମେଳ            ଛେଦିବା ପାଇଁ ନିର୍ବଳ

ମରଣର କରବାଳ ଜାଣ ମୋ ଧନ !

ଏକା ବସି ତୋତେ ଶୋଚି            କାନ୍ଦିବା ଲୋତକ ମୁଞ୍ଚି

ନୁହଇ ତ ତେଡ଼େ ଶୁଚି, ଯେଡ଼େ ଶୟନ

ଭସ୍ମ ଆସ୍ତରଣେ ତୋ ପାଶେ,

ଯହିଁ ତୁ ଶୋଭାବଲ୍ଲରୀ !            ସକଳ ଶୋଭା ସଂହରି

ମଉନବ୍ରତ ଆଚରି ଅଛୁ ରଭସେ ।

 

ତୁ ମୋର ଯେଡ଼େ ଦୋସର            ତାକୁ ଊଣା କରିବାର

ଶକତି ମରଣ ଛାର ନାହିଁରେ ବହି

ସ୍ମରଣ ଥାଉଁ ରାଜନ                  କିଏ ସେ ଏଡ଼େ ଭାଜନ

ତୋରେ ମୋରେ ଭିନ୍ନାଭିନ୍ନ କରିବ ସହି !

ଝାଉଁଳା ମୋ ହୃଦ ବଲ୍ଲରୀ

ତୋ ସ୍ମୃତିକି ରଞ୍ଜା କରି            ଅଛଇ ନିୟତ ଘେରି,

ଭେଟ ଯାଏଁ ସାଥେ ତୋରି ଥିବ ସେପରି ।

 

୧ । ଚିନ୍ତାରାଗେ ମନୋରମ-ମୁଖ ଉପରେ ଚିନ୍ତାର ଚାୟା ପଡ଼ି ତାହା ସୁନ୍ଦର ଦିଶୁଥିଲା, କାନ୍ତ-ମନୋହର; ବେପଥୁ-କମ୍ପ, ସ୍ପନ୍ଦନ; ସଙ୍ଗତି-ସଙ୍ଗ, ଅବଶେଷ-ବହକା, ସ୍ମରର-ସ୍ମୃତି ।

 

୨ । ପ୍ରସରେ – ବାହାରେ ।

୩ । ଭିଦୁର-ବଜ୍ର ଆଶୁ-ତୁରନ୍ତ; ନିର୍ବାପ-ନିଭିଯିବା ।

୪ । ରମ୍ଭୋରୁ-କଦଳୀଗଛର ଗଢ଼ଣପରି ଜଙ୍ଘର ଗଢ଼ଣ ଯାହାର; କୁଶପାଣି-ବିଧାତା ।

୫ । ଶୂଚି-ରୂଚିକର; ଭସ୍ମଆସ୍ତରଣ-ପାଉଁଶ ଶେଯା, ସଂହରି-ଅପସାରିତ କରି; ରଭସେ-ନିଭୃତରେ ।

୬ । ଦୋସର-ପ୍ରିୟ, ଆପଣାର; ସ୍ମରଣ-ସ୍ମୃତି, ଭାଜନ-ଯୋଗ୍ୟ ।

 

ଶଶିଭୂଷଣ ରାୟ

(ରାଗ କଳହଂସ କେଦାର)

ଘେନି ଶ୍ରଦ୍ଧା ଭକତି କୁସୁମାଞ୍ଜଳି

ପୂଜ୍ୟ ପୂଜା ଉତ୍ସବେ ଆସ ଉତ୍କଳୀ !

ଶଶିଭୂଷଣ ରାଧାନାଥ-ତନୁଜ

ଜାତିର ପୂଜା ଅର୍ଘ୍ୟ ଘେନିବେ ଆଜ । ୧ ।

 

ଏ ସମାଜ-ଭବନ-ଗଠନ ପାଇଁ

ଖଟିଲେ ଯେ ରକତ ପାଣି ଫଟାଇ

ରକ୍ତ ମାଂସେ ଯାହାଙ୍କ ସାହିତ୍ୟ ସେବା

ମିଶିଛି ପଟାନ୍ତର କେ ତାଙ୍କ ଅବା ? । ୨ ।

 

କମଳା-ଦତ୍ତ-ସୌଧୁଁ ଚିତ୍ତ ସଂହରି

ନିଭୃତ ନିଳୟେ ଯେ ସଦା ବିହାରୀ,

ଜରା ପାରିଲା ନାହିଁ କରି ଶିଥିଳ

ଲେଖନୀ ଯାହାଙ୍କର ସେ ତାଙ୍କ ତୁଲ । ୩ ।

 

ସ୍ତୂପୀକୃତ ଯାହାଙ୍କ ସାହିତ୍ୟ ଶ୍ରମ

ଉତ୍କଳ ତମସକୁ ଆଲୋକ ଧାମ,

ହୃଦୟବତ୍ତା ତଥା ପିତୃଭକତି

ମୁକର ଏ ଦେଶର ଆଦର୍ଶ ଭୂତି । ୪ ।

 

ସାର୍ଦ୍ଧକୋଟି ଉତ୍କଳୀ ହୃଦ-ମନ୍ଦିର

ଶଶିଭୂଷଣ ମୂର୍ତ୍ତ ବହେ ରୁଚିର

ସେ ଦୀପ୍ତ ମୂରତିର ପ୍ରତୀକ ସରି

ରାଜୁ ଏଥି ଏ ପ୍ରତିକୃତି ତାଙ୍କରି । ୫ ।

 

ଶ୍ରୀରାମଚନ୍ଦ୍ର ଭବନରେ ଶ୍ରୀଶଶିଭୂଷଣ ରାୟଙ୍କ ପ୍ରତିକୃତି ଉନ୍ମୋଚନ ଉପଲକ୍ଷେ ରଚିତ ।

୧ । ରାଧାନାଥ-କବିବର ରାଧାନାଥ, ତନୁଜ-ପୁତ୍ର; ଏ ସମାଜ-ଉତ୍‌କଳ ସାହିତ୍ୟ ସମାଜ ।

 

୩ । କମଳା-ଦତ୍ତ-ସୌଧୁଁ-ମାଆ ଲକ୍ଷ୍ମୀଙ୍କ ପ୍ରସାଦରୁ ପାଇଥିବା ପୈତୃକ ପକ୍‌କାଘର; ଚିତ୍ତସଂହରି-ମନ କାଢ଼ିନେଇ; ମୋହ ତୁଟାଇ; ନିଭୃତ ନିଳୟ-ଆଠଗଡ଼ ଧବଳେଶ୍ୱରଙ୍କ ନିକଟରେ ସାଧକଙ୍କର ସାଧନା ମନ୍ଦିର ।

 

୪ । ସ୍ତୂପୀକୃତ ତାହାଙ୍କ ସାହିତ୍ୟ ଶ୍ରମ-ଶଶିଭୂଷଣ ବହୁତ ଗଦ୍ୟଗ୍ରନ୍ଥ ଲେଖି ଅଛନ୍ତି; ଅଧିକାଂଶ ଅପ୍ରକାଶିତ, ମୁକର-ନିଶ୍ଚୟ ଭୂତି-ସଂପଦ, ରୂଚିର-ସୁନ୍ଦର; ପ୍ରତୀକ-ସନ୍ତକ, ପ୍ରତିକୃତି-ଫଟୋ ।

ମୋ ଚିରସମାଧି ହେଉ ଉରସ ତୋର

(ଇଂରାଜି କବି ଶେଲୀଙ୍କ ‘‘ଇଣ୍ଡିଆନ ସିରିନେଡ୍‌’’ କବିତାର ଅନୁବାଦ)

ସ୍ପପ୍ନେ ତୋ ରୂପ ବଲ୍ଲରୀ--            କମ୍ପନ ନୟନେ ହେରି

ଆସିଛି ସୁସୁପ୍ତି ହାରି, ନିଶୀଥ ଘୋର;

ବହଇ ମନ୍ଦେ ମରୁତ            ବିୟତେ ତାରକାବ୍ରାତ

ଜଳନ୍ତି ପ୍ରଦୀପବତ କାନ୍ତି-ଭାସ୍ୱର,

ତୋ କକ୍ଷର ଗବାକ୍ଷ ତଳେ

ଦେଖ ମୁଁ ଯେ ଉପଗତ            ଯନ୍ତ୍ର ଚାଳିତର ବତ

ସହି ! ତୋ ଶୋଭା-ଉନ୍ମତ୍ତ ଭାବନା ବଳେ ।

 

ନଭେ ଭ୍ରମୁଁ ଗୀତିତାନ            ହୋଇଣ ହତ ଚେତନ

ତଟିନୀ-କୃଷ୍ଣ ବିଜନ ଉରସେ ଢଳେ

ସପନେ ଚିନ୍ତା ମଧୁର            ମିଳାଇଲା ପରକାର

ସୁରଭି ହୁଏ ଚମ୍ପାର ଭ୍ରଷ୍ଟ ଅନିଳେ,

ବିରହଣୀ ବିହଗୀ ଖେଦ

ହତ ଯେହ୍ନେ ଚିତ୍ତେ ତାରି            ଉରେ ତୋର ତେହ୍ନେ ଗୋରି !

ଲୀନ ହେବା ଇଚ୍ଛା ମୋରି ନ ରଖି ଭେଦ ।

 

ତୋ କକ୍ଷ କବାଟ ଫେଅ            ଭୂଇଁରୁ ମୋରେ ଗୋଟାଅ

ଚେତନା ମୋର ଜଗାଅ, ହେଲି ଅବଶ;

ନୟନ ପରେ, ଅଧରେ,            ବନ୍ଧୁ ରେ ! ପ୍ରୀତି ସୁଧାରେ

ଚୁମ୍ୱନ-ଆସାର-ଧାରେ ବେଗେ ବରଷ,

ହୃଦେ ଧର ଅଭିନ୍ନ କର

ଛାତିରୁ ବେପଥୂ ଯାଉ                  ଗଣ୍ଡୁଁ କାଳିମା ଉଭାଉ

ମୋ ଚିର ସମାଧି ହେଉ ଉରସ ତୋର ।

 

୧ । ବଲରୀ-ଲତା, ସୁସୁଣ୍ଡି-ନିଦ; ବିୟତ-ଆକାଶ; ବ୍ରାତ-ସମୂହ; ଭାସ୍ୱର-ଉଜ୍ୱଳ ।

୨ । ତଟିନୀ-ନଈ; ତମସାଚ୍ଛନ-ଅନ୍ଧାର; ଉରସ—ଛାତି; ଚମ୍ପା-ଚମ୍ପାଫୁଲ, ହେମଗଉରୀ....ସୁନା ବରନା ।

୩ । ଆସାର-ଅସରା; ବେପଥୁ-କମ୍ପ ।

 

ଭିକ ନ ମିଳିଲା ଆଉ

(ରାଗ-ଶଙ୍କରାଭରଣ)

ବନାକୁ ଥାଆନ୍ତି ପୋଷି ଭିକ ମାଗି ମାଗି

ବୋଉ ତାକୁ ଦେଲା ବିକି ଆଠଣୀଟା ଲାଗି,

କିଣିନେଲା ମାଢ଼ୁଆଳି

କକର୍ଥନା ହୋଇ ବୃଥା ପାରିଲି ବୋବାଳି । ୧ ।

 

ସରିଛି ଆଠଣୀ, ବୋଉ ପଡ଼ିଅଛି ଜରେ

ବିଳିବିଳଉଛି ‘‘ବନା ! ଆ ଆ ବାପ ଥରେ’’

ହାତ ଉପରକୁ ଟେକେ

କହେ ‘‘କରିବଣି ଭୋକ ଖାଆ ଦୁଧ ଢୋକେ’’ । ୨ ।

 

ଗଛମୂଳେଛନ୍ତି ଯେଉଁ ପଡ଼ୋଶି ଭିକାରି

କହୁଛନ୍ତି ‘‘ବୋଉ ତୋର ଯିବ ଲୋ ବାହାରି ।’’

କଣ୍ଠେ ନ ଗଳଇ ପାଣି

ତଳିପା ବିବାକ ଥଣ୍ଡା ହୋଇ ଆସିଲାଣି । ୩ ।

 

ଲଢ଼େଇରେ ମଲା ବାପ ରେଙ୍ଗାମ ସହରେ

ଚକ୍ର କରି ଦାଦି ଖୁଡ଼ୀ ଦିନ ଦି ପହରେ

ଗାଆଁ ଲୋକଙ୍କୁ ମିଳାଇ

ଆମ୍ଭ ତିନିଜଣେ ଦେଲେ ଘରୁ ଘଉଡ଼ାଇ । ୪ ।

 

ଚଳିଗଲୁଁ ଯେତେ ଦିନ ମିଳୁଥିଲା ଭିକ

ବୋଉ ଥନ ଖାଏ ବନା ନ ଜାଣଇ ଭୋକ

ଭିକ ନ ମିଳିଲା ଆଉ

ଶୁଖିଲା ବୋଉର ଥନ, ବନା କାଉ କାଉ । ୫ ।

 

ଆଠଦିନ ବୋଉ ଦେଖି ନ ଥିଲା ଯେ ଦାନା

ଚାରିଦିନ ଉପାସରେ ଝାଉଁଲିଳା ବନା

ମୁହିଁ ତୁଚ୍ଛା ପାଣି ପିଇ

ଫେରୁଥିଲି ଖାଲି ହାତେ ଭିକ ମାଗି ଯାଇ । ୬ ।

 

ବନା ଗଲା, ବୋଉ ଯିବ, ଯାଇଥିଲା ବାପ

ମୁଁ ଅଭାଗୀ ଥିବି ଜୀଇ ପାଇଛି କା ଶାପ

ଯାଚୁଅଛ ପେଟେ ଭାତ

ଟେକିବାକୁ ଗୁଣ୍ଡା କାହୁଁ ଚଳିବ ମୋ ହାତ ? । ୭ ।

 

ସନ୍ନିପାତେ ବୋଉ ଦେହୁଁ ବହୁଅଛି ପାଣି

ସେକିବାକୁ ନାହିଁ ଜାଳ; ଶୁଣିଲ କାହାଣୀ

କାଠ ବିଡ଼ାଟିଏ ଦିଅ

ନଈବାଲି ଯେତେ ତେତେ ଦିନ ଜୀଇଥାଅ । ୮ ।

 

ଏହି ଚୁନପିଣ୍ଡା ଯାଙ୍କ, ଚାକର ଲଗାଇ

ଦୁଆର ମୂହଁରୁ ମୋତେ ଦେଲେ ଘଉଡ଼ାଇ

କହି ନାନା କଟୂବାଣୀ

ଖାଇଯିବି ପିଲା, ମୁହିଁ କୁଆଡ଼େ ଡାଆଣୀ । ୯ ।

 

ଚୂନ ପିଣ୍ଡା ଥିଲା ଆମ, ଥିଲି ଅଲିଅଳ

ଅପବାଦ ଶୁଣାଉଛି ମୋ ପୋଡ଼ା କପାଳ,

ଦେଲ କାଠ । ଯାଏଁ ମୁହିଁ

ପହଞ୍ଚିଲା ବେଳକୁ ମୋ ବୋଉ ଥାଉ ଜୀଇ । ୧୦ ।

 

ଚିନ୍ତାମଣି ମହାନ୍ତି

(ଧୀରେ ରାଧା କରି ଧରି ବୃତ୍ତରେ)

ଚିନ୍ତାମଣି ! ସାଧନାର ପିରାମିଡ଼ ରଚିଛ

ଅପଘନେ ଭାରତୀଙ୍କ ରତ୍ନରାଜି ଖଚିଛ

ସୁଧୀ ହେ !

ଅମର-ଭୂତି ଆମ୍ଭପାଇଁ ସଂଚିଛ

ମରିନାହିଁ ମରିନାହିଁ ହୃଦେ ଆମ୍ଭ ବଂଚିଛ । ୧ ।

 

ବ୍ୟାଧି ତୁଷାନଳେ ଜଳି ସୁବାସ ବିତରିଛ

ତସସ୍ୟାର ଧନ ଦେଇ ମାଆ ଦୈନ୍ୟ ହରିଛ

ସୁଧୀ ହେ !

ଭାସ୍ୱର ଆଭା ମାଆ ଭାଲେ ଭରିଛ

ବାଣୀ-ଅରଚନେ ପଳ ପଳ ହୋଇ ସରିଛ । ୨ ।

 

୧ । ପିରାମିଡ଼-ମିଶର ଦେଶର ରାଜାମାନଙ୍କର ସମାଧି ଉପରେ ଗଠିତ ବିରାଟ ସ୍ତୂପ-ବିରାଟତା ନିମନ୍ତେ ଏ ସବୁ ପ୍ରସିଦ୍ଧ; ଅପଘନ-ଶରୀର, ଭୂତି-ସଂପଦ ।

୨ । ଭାସ୍କର-ସମୁଜ୍ଜଳ; ଭାଲ-କପାଳ; ପଳ ପଳ ହୋଇ-ଟିକି ଟିକି ହୋଇ ସରିଛ-ନିଜକୁ କ୍ଷୟ କରିଛ ।

 

କଳାକ୍ରମ ଉତ୍କଳ

ରାଗ- କାମୋଦୀ

(ଭଞ୍ଜବୀରଙ୍କ ‘‘ଦେଖି ନବ କାଳିକା’’ ବୃତ୍ତରେ)

କଳା-କ୍ରମ ଉତ୍‌କଳ            ମାନସ-ଶତଦଳ—

ଆସନ ପାରି ମା ଭାରତି !

କରଇ ଆବାହନ            ଅବତରି ବହନ

ବିରଚ ତହିଁ ମା ବସତି ହେ

ବୀଣାପାଣି !

ମୂର୍ଚ୍ଛନା ତୋଳି ଆଉ ବାରେ

ବାଅ ବିପଞ୍ଚୀ ଧାତିକାରେ

ମଞ୍ଜୁଳ ବିମୋହନ            କବିତା କଞ୍ଜବନ

ପୂରୁ ଭ୍ରସଳ-ମାଳିକାରେ ହେ

ବୀଣାପାଣି !

ବଟାଳୀରେ ପଥରେ      ଲେଖନୀରେ ଅକ୍ଷରେ

ବିରାଟ କଳାର ମନ୍ଦିର

ଗଢ଼ିଲା ଏହୁ ଜାତି            ତେଣୁ ଆଜି ଅଖ୍ୟାତି

ହୋଇଛି ଶେଳ ହୃଦେ ତାର ହେ

ବାଗୀଶ୍ୱରି !

ସମୃଦ୍ଧ ତା କଳା ବିପଣୀ

ହୋଇ ପ୍ରସନ୍ନା କର ପୁଣି

ବୀଣା, ତୂଳୀ, ବଟାଳୀ,            ଲେଖନୀ ଶକ୍ତିଶାଳୀ

କରେ ମୋଦରେ ଧରୁ ଧନୀ ହେ !

ବାଗୀଶ୍ୱରୀ !

କୀର୍ତ୍ତି-ମୟୁଖରାଶି                  ଦଶଦିଗ ଉଦ୍‌ଭାସି

ଉତ୍‌କଳ ନାମ କରୁ ସାର୍ଥ

ସତ୍ୟ, ଶିବ, ସୁନ୍ଦର                  କଳାଶିଳ୍ପି ବୃନ୍ଦର

ହେଉ ଏକୈବ ପରମାର୍ଥ ହେ

ମା ଭାରତି ?

ଶୋଭନ-ଜୀବନ-ସରିତ

ହେଉ ଏ ଦେଶେ ପ୍ରବାହିତ

ରଙ୍ଗ ରାଜୀବ ସରି                  କରୁଣା ମା ! ତୁମ୍ଭରି

ଫୁଟୁ ତହିଁରେ ଅବିରତ ହେ

ମା ଭାରତି !

 

୧ । କଳାକ୍ରମ-କଳାଦ୍ୱାରା କମ୍ର ବା କମନୀୟ, ଧାତିକାରେ-ଶୀଘ୍ର, ମଞ୍ଜୁଳ-ମନୋଜ୍ଞର, କଞ୍ଜବନ-ପଦ୍ମବନ, ଭ୍ରସଳ-ଭମର ।

୨ । ଶେଳ-ତୀକ୍ଷ୍‌ଣ ଅସ୍ତ୍ର ବିଶେଷ; ବାଗୀଶ୍ୱରୀ-ସରସ୍ୱତୀ ।

୩ । ମୟୁଖ-କିରଣ; ଉଦ୍‌ଭାସ-ଆଲୋକିତ କରି; ଶୋଭନ-ମନୋଜ୍ଞ ।

 

ରାଜକିଶୋର ପାଖକୁ ମାଧୁରୀ

(କୃଷ୍ଣ ନାମ ଆଜିଠାରୁ ମୋ ଶ୍ରବଣେ ନ ଶୁଣାଇବଟି କେହି-ବୃତ୍ତରେ)

ଲବଣୀ ପ୍ରତିମା            ଆରେ ଶୋଭାସାମା

ବୋଲି ଥାଅ ବନ୍ଧୁ ! ଡାକି ହେ

ଅନଳ ଜଳାଇ            ଫିଙ୍ଗ ମୋରେ ତହିଁ

କି ଅପରାଧ ପାଇଁ କି ହେ

ଆହେ ‘‘ମାଧୁରୀ’’—ଜୀବନ

ପିଣ୍ଡ ରହେ କି ଗଲେ ପରାଣ ହେ ? । ୧ ।

 

ପ୍ରେମ ବଇରାଗୀ            ହେବ ଯାହା ଲାଗି

ଦେବ ତାହାକୁ କାହାକୁ

ସେ ପରା ତୁମ୍ଭର             ଦାସୀ ଚରଣର

ଆଶା ତା ତୁମ୍ଭ ବାହାକୁ ହେ

କେ ତା ପରାଣ ବଳ୍ଲରୀ

ସମ୍ଭାଳିବ ମହୀରୂହ ସରି ହେ ? । ୨ ।

 

ବିବାହରେ ଯୋଗ            ନୋହିଲେ କି ହେବ ?

ମାଧୁରୀ ହୋଇବ ସୁଖୀ ହେ

ଦିନେକ ଭିତର            ଥରେକ ମାତର

ବଦନ ତୁମ୍ଭ ନିରେଖି ହେ

ଆଜନମ ସେ ଦୁଃଖିନୀ

ତୁମ୍ଭେ ତାର କୋହିନୂର ମଣି ହେ । ୩ ।

 

ଜନନୀ ତୁମ୍ଭର             ହେଲେ ଦେହାନ୍ତର

ସେହି ଦିନୁଁ ମିଳନର ହେ

ଆଶାକୁ ବରଜି            ନିରାଶାକୁ ଭଜି

ଉଶ୍ୱାସ କରି କରି ଅନ୍ତର ହେ

ଦାସୀ ପଦ ଅଛି ବରି

କିଆଁ ହେବ କେ ତହିଁ ଭଗାରି ହେ ? । ୪ ।

 

ରସଲେଖା ଘେନି            ପୁହାଅ ରଜନୀ

ବେଦୀର ସେ ହେଉ ସଖୀ ହେ

ଜନକବଚନ            କର ନାହିଁ ଆନ

ହେଲେ ମୁଁ ହୁଏ ନିର୍ମାଖୀ ହେ

ଭାବମୁକୁତାର ହାର

ବନ୍ଧୁ ! ହେଉ କନ୍ୟାସଜ ମୋର ହେ । ୫ ।

 

ସାପ କାମୁଡ଼ିଲା            ପରାଣ ନ ଗଲା

ଗାରଡ଼ିଆ ତୁମ୍ଭେ ହୋଇ ହେ

କାନ ମୋ ଫୁଙ୍କିଲ            ପ୍ରାଣ ବଞ୍ଚାଇଲ

ପରଶ ଭୁଲା ନ ଯାଇ ହେ

ବୋଉ ଭାଷିଲା ମୋହର

ମାଧୁରୀକି ମୁଁ ଦେବି ରାଜର ହେ । ୬ ।

 

ଗଣ୍ଡ ମୋ ସୁରଙ୍ଗ             ପଡ଼ିଥିଲା ରଙ୍ଗ

ଆଜନ ମୁଁ ମୁଁ ଅନ୍ତରେ

ଫୁଲ ଚନ୍ଦନରେ            ପୂଜିଲି ଆଦରେ

ଯାହାଙ୍କ ସେ ମୋ ହାତରେ ହେ

ମୋଦେ ଦେଲେ ଆସି ବର

କିଶି ନେଇ ଜନନୀ ଅନ୍ତର ହେ । ୭ ।

 

ସେ ଦିନୁ ଗଲେ ମୁଁ            ସରସୀ କୂଳକୁ

ଆଗୁଁ ଯାଇଥାଅ ତହିଁ

ଗଜରା ହାରେକ             ତୁଠରେ ପକାଇ

ବସ ଦୂରେ ପଥ ଚାହିଁ ହେ

ମୁହିଁ ଫେରେଁ ପାଣି ନେଇ

ଫୁଲ ହାରକୁ ଚାହିଁ ନ ଚାହିଁ ହେ । ୮ ।

 

ତୁଠେ ଯେ ଯାଆନ୍ତି            କେହି ନ ଜାଣନ୍ତି

ବାଚୁରା ପାତ କା ପାଇଁ ହେ

ମାଧୁରୀ ଭାଳଇ             ହୋଇ ଅଛ ବାଇ

ଧରା କି ସେ ଦେଇ ନାହିଁ ହେ

ମନ ଉଚ୍ଛନ୍ନ ତାହାର

କରୁଁ ପିନ୍ଧିବାକୁ ପରା ହାର ହେ । ୯ ।

 

ଏକୋଇଶ ହାର            ହେଲା ନାରଖାର

ଦିନ ଏକୋଇଶ ଗତ ହେ

ଖନି ବଜା ତୁଣ୍ଡେ            କହି ଦେଲ ଚାଣ୍ଡେ

ପୂରିଲା ସହି ! ବରତରେ

ରହ ଲବଣୀ ପିତୁଳା ।

ଆଜି ହାରେ ମଣ୍ଡି ଦିଏଁ ଗଳା ରେ । ୧୦ ।

 

ଲାଜ ମୋ ଭାଷିଲା            ‘‘ତୁରିତେ ତୁ ପଳା’’

ପୀରତି ଛନ୍ଦିଲା ପଦ

ଲାଜ କଲା ମନା            ‘‘ପାଟି ତୁ ଫିଟାନା’’

ପୀରତି କଲା ଗଦ୍‌ଗଦ ହେ

‘‘ଟାଣ ହୁଅ’’ ଭାଷୁଁ ଲାଜ

ପ୍ରୀତି ଭାଷେ ‘‘ସେ ପରା ତୋ ରାଜ ହେ’’ । ୧୧ ।

 

ପିନ୍ଧାଇଣ ମାଳ            ଆଖି ଛଳ ଛଳ

କରି କହିଲ ‘‘ସୁନ୍ଦରି ରେ !

ଏକୋଇଶ ମାଳ            କଲୁ ତୁ ବିଫଳ

କେଉଁ ଅପରାଧୁଁ ଗୋରି ! ରେ’’

ମୁଁ ଭାଷିଲି ‘‘ବରତର

ଟାଣ ପରଖୁ ଥିଲି ମାତର ହେ’’ । ୧୨ ।

 

କହିଲ ‘‘ଆଜିଠୁଁ             ଭିନ୍ନାଭିନ୍ନ ନାହିଁ

ତୁ ମୋହର ମୁଁ ତୋହର ରେ

ଏ କୁସୁମ ଯାଙ୍କ            ଅଟଇ ଶାୟକ

ମନାସି ତାଙ୍କ ମନର ରେ

ତୋରେ କହିଲି ରୂପସି !

ତୁ ମୋ ମାନସ ଆକାଶ ଶଶୀ ରେ । ୧୩ ।

 

ହେଲା ଘରପୋଡ଼ି            ନିଆଁ ଗଲା ବେଢ଼ି

ପାରିଲି ନାହିଁ ବାହାରି ହେ

ଭାଇ ମୋ ଶଙ୍କିଲେ            ଟିକେ ନ ଚଙ୍କିଲେ

ଅନଳ-ପରଦା ଚିରି ହେ

ମୋର ବଞ୍ଚାଇ ପରାଣ

କଲ ନିବିଡ଼ ପରା ଦାନ ହେ । ୧୪ ।

 

କରର ଅଙ୍ଗୁରୀ            ହୋଇଲା ବିକିରି

ଘର ଆମ ହେଲା ତୋଳା ହେ

ମୁଁ ଛାର ଅଭାଗୀ            ମୋହ ସୁଖ ଲାଗି

ଅଙ୍ଗୁଳି ହେଲା ମୁକୁଳା ହେ

ଆହେ ଦୟାର ବାରିଧି !

ତୁମ୍ଭେ ମାଧୁରୀ ବାଳାର ନିଧି ହେ । ୧୫ ।

 

ସବୁ କଥା ଏଥି            ଲେଖିଗଲେ ପୋଥି

ହୋଇବୁଁ ଏହୁ ପତର ହେ

ଦିନ ଦିନକର            ଭାବ ବଖାଣିଲେ

ସମାନ ହେବ ବେଦର ହେ

ସେହି ଭାବ ମୋ ଭୂଷଣ

ଭୋଗୁଁ ଓହରିଆସିଛି ମନ ହେ । ୧୬ ।

 

ନର କଳପନା            ନୋହୁ ଥିଲେ ଚୂନା

ଏ ଧରା ଅମରାବତୀ ହେ

ନିମିଷେ ହୁଅନ୍ତା            କେ କିମ୍ପା ସହନ୍ତା

କଷଣ-ଜର-ତବତି ହେ ?

ବାସ୍ତବକୁ ଆସ ଫେରି

ରାଣ ଦେଉଛି ତୁମ୍ଭ ମାଧୁରୀ ହେ । ୧୭ ।

 

ଚୁଣି ତୁମ୍ଭ ଗୁଣ            ମାଧୁରୀ ଜୀବନ

ଦୁଃଖେ ସୁଖେ ଯାଉ କଟି ହେ

ନେଉ ରସଲେଖା            ତୁମ୍ଭଙ୍କୁ ମୋ ସଖା !

ମୋରେ ଦିଅ ଚିତ୍ରପଟି ହେ

ପୂଜାରେ ତା ରଖି ଲୟ

ଜୀବନ କରିବି ମଧୁମୟ ହେ । ୧୮ ।

 

ଗଗନେ ଭାସ୍କର            ପୁଣ ନିଶାକର

ପଙ୍କଜିନୀ; କୁମୁଦିନୀ ହେ

କୋଟିଏ ଯୋଜନ            ଦୂରେ ରହି ଯେହ୍ନେ

ବିଲୋକି ତାଙ୍କୁ ସୁଖିନୀ ହେ

ତେହ୍ନେ ହେ ରାଜକିଶୋର !

ସୁଖିନୀ ହେବ ‘‘ମାଧୁରୀ’’ ତୁମ୍ଭର ହେ । ୧୯ ।

 

ତୁମ୍ଭ ମୁଖ ଦେଖି            ପୂରିବ ତା ଆଖି

ଦେଖୁ ସେ ଦୋଳମୁକୁଟ ହେ

ଦେଖିବାର ପାଇଁ            ନ ଥିବ ସେ ଜୀଇ

ମୁଣ୍ଡେ ତୁମ୍ଭ ଜଟାଜୁଟ ହେ

ତୁମ୍ଭ ଚିତ୍ରକୁ ନିରେଖି

ଇଚ୍ଛେ ଜୀଇବ ତୁମ୍ଭ ସେବକୀ ହେ । ୨୦ ।

 

ଯାଅ ନାହିଁ ସଖା !            ବାରେ ମାତ୍ର ଦେଖା

ଦିନକରେ ଦିଅ ମୋରେ ହେ

କଥା ଭାଷା ପାଇଁ            ନୁହଇ ଆଶାୟୀ

ଦେଖିଲେ ଥରେ ପଥରେ ହେ

ଲଭିବଇଁ କୋଟିନିଧି

କେଣେ ଯାଅ ନା କରି ଅବିଧି ହେ । ୨୧ ।

 

ତୁମ୍ଭ ଗଲା ବାଟୁଁ            ଧୂଳି ମୁଁ ଗୋଟାଇ

ଖିସାରେ ରଖିବି ନେଇ ହେ

ଏ ପୋଡ଼ା ପରାଣ            ହୋଇବ କାରଣ

ନିର୍ମାଲ୍ୟ କରି ତା ପାଇ ହେ

ମଲେ ଆର ଜନମରେ

କଳାଜାଇ ହେବି ଶ୍ରୀଅଙ୍ଗରେ ହେ । ୨୨ ।

 

ମାଆ ମଙ୍ଗଳାଙ୍କୁ            ମାଜଣା କରାଇ

ମାଗିଛି ମୁଁ ଆଜି ବର ହେ

ରସଲେଖା ଘେନି            ମୋ ଜୀବନମଣି

ସୁଖେ କରନ୍ତୁ ସଂସାର ହେ

ଦୂରେ—ଅତିଦୂରେ ରହି

ସୁଖୀ ହୁଏଁ ଖାଲି ତାଙ୍କୁ ଚାହିଁ ହେ । ୨୩ ।

 

୧ । ଲବଣୀ ପ୍ରତିମା—ଲହୁଣୀ ପରି କୋମଳା; ଶୋଭାସୀମା-ସୌନ୍ଦର୍ଯ୍ୟର ଶେଷସୀମା ।

୨ । ବଲରୀ-ଲତା, ମହୀରୁହ-ବୃକ୍ଷ ।

୩ । କୋହିନୂର ମଣି-ପୃଥିବୀର ସବୁଠୁ ବଡ଼ ଓ ମୂଲ୍ୟବାନ୍‌ ହୀରାର ନାମ କୋହିନୂର ।

 

୪ । ଦେହାନ୍ତର-ମୃତ; ଉଶ୍ୱାସ-ହାଲୁକା; ଅନ୍ତର-ହୃଦୟ; ଭାବ-ପ୍ରୀତି; କନ୍ୟାସଜ-ବିଭା ହେବାକୁ ଯାଉଥିବା କନ୍ୟାର ଅଳଙ୍କାର ଆଦି ଭୂଷଣ ।

 

୬ । ଗାରଡ଼ିଆ-ସାପମନ୍ତ୍ର ଜାଣିଥିବା ଲୋକ; ପରଶ ଭୁଲା ନ ଯାଇ – ତେତେବେଳେ ତୁମ୍ଭ ମୁହିଁ ମୋ ମୁହଁକୁ ଛୁଆଁଇବା କଥା ।

 

୭ । ଗଣ୍ଡ-ଗାଲ; ସୁରଙ୍ଗ-ଉତ୍କୃଷ୍ଟ ବର୍ଣ୍ଣ ବିଶିଷ୍ଟ; ରଙ୍ଗ-ଲାଲ ।

୯ । ବାଗୁଚା-ଜାଲ; ଉଚ୍ଛନ୍ନ-ଉତ୍ସୁକ; ଆଗ୍ରହୀ ।

 

୧୦ । ଲାଗି ମୋ ଭାଷିଲା-ଏ ପଦରେ ମନରେ ଲାଜ ଓ ପ୍ରୀତିର ଟଣାଟଣି ବର୍ଣ୍ଣନା କରାଯାଇଛି । ବରତ-ତୋତେ ଲାଭ କରିବା ପାଇଁ କରା ଯାଇଥିବା ବ୍ରତ ।

 

୧୩ । ଭିନ୍ନାଭିନ୍ନ-ଛଡ଼ା ଛଡ଼ି; ଏ କୁସୁମ ଯାଙ୍କ.....ଅର୍ଥାତ୍‌ ଫୁଲ ଯାହାଙ୍କର ଶାୟକ ବା ଧନୁ ଅଟେ ପ୍ରୀତ ଦେବତା ସେହି ମଦନ ।

 

୧୪ । ନିବିଡ଼-ଘନିଷ୍ଠ ।

୧୫ । ମୁକୁଳା-ଖାଲି, ବାରିଧି-ସମୁଦ୍ର; ନିଧି-ମୂଲ୍ୟବାନ୍‌ ଜିନିଷ ।

୧୬ । ଭାବ-ମନର ପ୍ରୀତି ଯହିଁରେ ଦେହର ସମ୍ପର୍କ ନାହିଁ, ଓହରି ଆସିଛି-ଖସି ଆସିଛି ।

୧୭ । କଳ୍ପନା-ପାଞ୍ଚ, ଅମରାବତୀ-ସ୍ୱର୍ଗ; ତବତି-ଜରଥିଲା ବେଳେ ଦେହରେ ଥିବା ତାପ; ବାସ୍ତବକୁ-ସଂସାରର ପ୍ରକୃତ ସ୍ଥିତିକୁ ।

 

୧୮ । ଚିତ୍ରପଟି-ତୁମ୍ଭର ଅଙ୍କା ହୋଇଥିବା ମୂର୍ତ୍ତି ବା ଫଟୋ; ଲୟ—ମନୋଯୋଗ ।

୧୯ । ଭାସ୍କର-ସୂର୍ଯ୍ୟ; ନିଶାକର-ଚନ୍ଦ୍ର; ପଙ୍କଜିନୀ-ପଦ୍ମ; କୁମୁଦିନୀ-କଇଁ; ମାଧୁ-ମାଧୁରୀର ଆଦର ଡାକ ।

 

୨୦ । ଦୋଳ ମୁକୁଟ-ବିଭାଘର ।

୨୧ । ଅବିଧି-ଅନ୍ୟାୟ ।

୨୨ । ଖିସା-ଛୋଟ ମୁଣା ଯହିଁରେ କି ନିର୍ମାଲ୍ୟ ଓ ପାଦୁକ ପ୍ରଭୃତି ରଖାଯାଏ ।

 

କେହି ତ ଦରଦୀଜନ ଏକାକୀ ନାହିଁ

‘‘ଲଭ୍‌ସ୍‌ ଫିଲ୍‌ସଫି’’

(ଇଂରାଜ କବି ଶେଲୀଙ୍କ କବିତାର ଛାୟାରେ)

ରାଗ ଚୋଖି

ଝରଣା ସରିତ କୋଳେ            ଢଳଇ ପୀରତି ଭୋଳେ

ସରିତ ସାଗରେ ମିଳେ ନିବିଡ଼େ ସାଇଁ,

ପବନେ ଲୋଡ଼ି ପବନ            ପ୍ରେମେ ଦିଏ ଆଲିଙ୍ଗନ

କେହି ତ ଦରଦୀଜନ ଏକାକୀ ନାହିଁ;

ଏକ ସାଥେ ମିଳେ ଅପର

ତୋହ ମୋହ ମେଳ ନୁହେ କି ଦୋଷ ମୋର ?

 

ପ୍ରେମମଦେ ହୋଇ ଘାରି                  ଅମ୍ୱର ଚୁମ୍ୱଇ ଗିରି

ଢେଉ ଉରେ ଦେଖ ଗୋରି ! ଢଳଇ ଢେଉ

ଶୋଭାବତୀ ଫୁଲବାଲୀ            ଲେଉଟାଇ ଦେଲେ ଅଳି

ତା ଉପରେ ନୋହେ ଚଳି କହଟି କେହୁ ?

ଧରାକଣ୍ଠେ ଦେଖ ତପନ

ବେଢ଼ାଇ କେସନ କର, ଚୁମ୍ୱେ ଲପନ ।

 

ସାଗର ଉରସେ ଶଶୀ            ଚୁମ୍ୱଇ ଦେଖ ସୁହାସି !

ହେରି ଏ ଚୁମ୍ୱନ ରାଶି କି ଲାଭ ମୋର ?

ତୋ ଚୁମ୍ୱନ-ସୁଧା ପାଇ            ହୋଇ ନିରନ୍ତର ବାଇ

ରହେ ଉପବାସୀ ହୋଇ ଏ ମୋ ଅଧର;

ଦଶଦିଶ ପୀରତିମୟ

ହେରି ନ ଟଳଇ ତିଳେ ତୋହ ହୃଦୟ !

 

୧ । ଦରଦୀ-ପ୍ରେମୀ ।

୨ । ଅମ୍ୱର-ଆକାଶ; ଆଳି-ଭ୍ରମର; ଚଳି ହେବା-ବିରକ୍ତ ହେବା; ରାଗ ହେବା; ଲପନ-ମୁଖ ।

୩ । ଉରସ-ଛାତି ।

 

ଜଗଜ୍ଜନ ଈର୍ଷଣୀୟା ମମ ଗଳାମାଳା

(ଇଂରାଜ କବି ଏଚ,ଏଫ, ଲୀଟକ ଆନୀ କବିତାର ଅନୁବାଦ )

(ରାଗ ଶଙ୍କରାଭରଣ)

(ଶୈଶବେ)

ଶଇଶବେ ଆଭାମୟୀ କାନ୍ତିଲତା ରମା

ବାସନ୍ତୀ-ଉଷା-ନିହାର-ଶୁଭ୍ରା, ଅନୁପମା

ଉଷା-କାନ୍ତି-ରସାଣିତ ।

ସୁମ-ସୁକୁମାରୀ            ସୁମ-ଲାବଣ୍ୟ-ମଣ୍ଡିତା ।

(ଯୌବନେ)

ଯଉବନେ ବୀଣାଭାଷୀ ରୂପସୀ ଷୋଡ଼ଶୀ

କାନ୍ତି-ଅଧିଦେବୀ ଶୋଭା-ପ୍ରପୂର୍ଣ୍ଣ ସରସୀ

ସୁଧା-ମୟୁଖ-ମଞ୍ଜୁଳା

ଜଗଜ୍ଜନ-ଈର୍ଷଣୀୟା ମମ ଗଳାମାଳା ।

(ବିବାହେ)

ବୟୋଧର୍ମେ ପକ୍ୱକାନ୍ତି ସୁତବତୀ ମାତା

ଫଳଭରେ ଅବା ହେମ-ବଲ୍ଲରୀ ନମିତା

ପ୍ରିୟ । ଜନନୀ-ରୂପିଣୀ

କୁଟୀର-କମଳାମୟ । ବିଶ୍ୱ-ବିମୋହିନୀ ।

(ମରଣେ)

ଅନ୍ତିମ ଶୟନେ ଯେବେ ମୁଦ୍ରିତଲୋଚନା

ପରମେଷ୍ଠି-ପରିପାଟୀ-ପରମ-ରଚନା

ଭବ ବିକାର ଖଣ୍ଡିତା

ଦିବ ଲୋକ ଭୂତି ଭୋଗ ଆଶା ବିମଣ୍ଡିତା ।

 

୧ । ଆଭାମୟୀ-ଉଜ୍ଜଳତାମୟୀ; ରମା-ସୁନ୍ଦରୀ; ବାସନ୍ତ-ବସନ୍ତ କାଳର; ନିହାର-ଶୁଭ୍ରା-କାକର ବିନ୍ଦୁପରି ଧବଳା; କାନ୍ତି—ଝଳି; ରସାଣିତା-ମଣ୍ଡିତା; ସୁମ-ଫୁଲ; ସୁମସୁକୁମାରୀ-ଫୁଲପରି ମୃଦୁଳା ।

 

୨ । କାନ୍ତି-ଅଧି ଦେବୀ-କାନ୍ତିର ଅଧିଷ୍ଠାତ୍ରୀ ଦେବୀ; ସରସୀ-ପୁଷ୍ପରିଣୀ; ସୁଧା ମୟୁଖ ମଞ୍ଜୁଳା-ଚନ୍ଦ୍ର ତୁଲ୍ୟ ଶୋଭାବତୀ; ଜଗଜ୍ଜନ ଈର୍ଷଣୀୟା-ଯାହାର ରୂପ ଦେଖି ଜଗତ ଯାକର ଲୋକ ହିସାଂରେ ଜଳି ଯାନ୍ତି ।

 

୩ । ବୟୋଧର୍ମେ-ବୟସର ପ୍ରଭାବରୁ; ହେମ ବଲ୍ଲରୀ-ସୁନାର ଲତା; କମଳାମୟା-ଲକ୍ଷ୍ମୀ ।

୪ । ପରମେଷ୍ଠି-ବିଧାତା, ପରିପାଟୀ-ନିର୍ମାର କୌଶଳ, ଭବବିକାର ଖଣ୍ଡିତା-ସଂସାରର ପାପ ତାପରୁ ଅତିକ୍ରାନ୍ତା; ଦିବଲୋକ-ସ୍ୱର୍ଗ, ଭୂତି-ସଂପଦ ।

 

ଚାନ୍ଦ ଶୋଭାବନ୍ତ ଅବା ତୋ ଶୋଭାକୁ ଘେନି

(ରାଗ ଶଙ୍କରାଭରଣ)

ବି- ମ୍ୱାଧରୀ ଶଶିଜିତହାସୀ ଗଳାମାଳି

ଛଂ-ଦବିନୋଦିନୀ ରଙ୍କପସରା ସଙ୍ଖାଳି ।

ଦ-ରପଣ ମୁହୀଁ । ମନେ

ଚ-ରଣ ସେବକ ସେ ଦେଶେ କି ପଡ଼େ ଦିନେ ?

ର-ସାଭୂଷା ଆଶାପାଶେ ଛନ୍ଦିଣ କୋୟରେ

ନ-ଉକା ଡୁବାଇଗଲୁ ମଝି-ଦରିଆରେ

ପ- ଙ୍କେରୁହନେତ୍ରୀ ଧନ !

ଟ-ଭାଫାଳ ଖୋସାର ତୋ ମୁଁ ଲାଗି-ସୁମନ । ୨।

 

ନା-ଟୁଆ-ଖଞ୍ଜନ-ଜିଣା ମଞ୍ଜୁ ଡୋଳାଲୀଳା

ଏ-କଲୟେ ନିରେଖିବା ଯେହୁ ଘେନିଗଲା

କ-ମ୍ୱୁ କଣ୍ଠି । ସେ ବିରଞ୍ଚି

ବି-ରହ-ଦହନ ଥିଲା ଆମ୍ଭ ପାଇଁ ସଞ୍ଚି । ୩ ।

ଏ-ବେ କୋଟି ପାରାବାର ହ୍ୱନ୍ତେ ବ୍ୟବଧାନ

ପୋ-ହଳା ଅଧର ତୋର ସପନେ ସପନ

ଅ-ୟି ତ୍ରିଦିବବାସିନି !

ଚାଂ-ଦ ଶୋଭାବନ୍ତ ଅବା ତୋ ଶୋଭାକୁ ଘେନି । ୪ ।

 

ଦ-ରଦ କରିଛି ବନ୍ଧୁ ! ବୁକୁର ସମ୍ୱଳ

ନୀ-ରଧାର ପାଇଁ ପଥ ନୟନ ଯୁଗଳ

ଚ-କୋରର ଆଶା ବହି

ଉ-ଦିତ-ସୁଧାଂଶୁ-ସୁଧା ନ ପାରିଲି ପିଇ । ୫ ।

କ-ହ କଳକଣ୍ଠି ! ଭଲା ମଉଣ ସେ ପାରେ

କ-ମ୍ୱୁ-କଣ୍ଠେ କିଣା ଦାସେ ଜଡ଼ାଇଣ ଥରେ

ଟ-ହଟହ ରଙ୍ଗାଧରୁ

କ-ଷଣ-ପାସୋରା ଢୋକ ଦେବୁଟି କି ଭୀରୁ ! । ୬ ।

 

୧ । ବିମ୍ୱାଧରୀ-ପାଚିଲା କଇଞ୍ଚି କାକୁଡ଼ି ପରି ଯାହାର ଅଧର ଲାଲ; ଶଶିଜିତ ହାସୀ-ଯାହା ହସର ସ୍ୱଚ୍ଛତା ଚନ୍ଦ୍ରକୁ ପଛରେ ପକାଇ ଦେଉଛି; ଛନ୍ଦ ବିନୋଦିନୀ-କୌତୁକ ପ୍ରିୟା; ଦର୍ପଣ ମୁହୀଁ-ଯାହା ମୁହଁ ଦର୍ପଣ ପରି ସମୁଜ୍ଜ୍ୱଳ; ସେ ଦେଶେ-ସ୍ୱର୍ଗ ପୁରରେ ।

 

୨ । ରସାଭୂଷା-ରସା ଅର୍ଥାତ ପୃଥିବୀର ଅଳଙ୍କାର, କୋୟର-ଚାକର; ପଙ୍କେରୁହ-ପଦ୍ମ; ଟଭାଫାଳ ଖୋସା-(ତୁଳନା କର) ଟଭାଫାଳ ପରି ଖୋସା । ଖୋସିଛି ଯୋଷା-ଉପେନ୍ଦ୍ର ଭଞ୍ଜ; ଲାଗି-ଲଗା ହେଉଥିବା ।

 

୩ । ଖଞ୍ଜନ-କଜଳପାତୀ ଚଢ଼େଇ, ମଞ୍ଜୁ-ସୁନ୍ଦର ଡୋଳାଲୀଳା-ଆଖିକ୍‌-ଭଙ୍ଗୀ; କମ୍ୱୁ-ଶଙ୍ଖ; ବିରଞ୍ଚି-ବିଧାତା; ବିହନ-ଅଗ୍ନି ।

୪ । ପାରାବାର-ସମୁଦ୍ର; ତ୍ରିଦିବ-ସ୍ୱର୍ଗ ।

 

୫ । ଦରଦ-ଦରଜ (ତୋ ବିଚ୍ଛେଦ ଜନିତ); ବୁକୁ-ହୃଦୟ; ସମ୍ୱଳ-ସମ୍ପଦ; ନୀରାଧାର ପାଇଁ-ଲୁହ ଗଡ଼ିବା ପାଇଁ; ସୁଧାଂଶୁ-ଚନ୍ଦ୍ର (ତୁଳନା କର-ତୁ ତ ହେଲୁ ପରହାତ, କମ୍ର କରେ ମୋ ପାଇଁ କେ ପିନ୍ଧିବ ବରତ) ।

 

୬ । କଳକଣ୍ଠୀ-ମଧୁର ଭାଷିଣୀ; ମରଣ ସେ ପାରେ-ମୁଁ ସଂସାରରୁ ବିଦାୟ ନେବା ପରେ, କମ୍ୱୁକଣ୍ଠ-ଶଙ୍ଖ ତୁଲ୍ୟ ତୋ ମନୋହର କଣ୍ଠରେ; ଟହ ଟହ-ଲାଲ ରଙ୍ଗ ଥୋପିପଡ଼ୁଥିବା; ରଙ୍ଗାଧର-ଲାଲ ଓଠ; କଷଣ ପାସୋରା-ଯାହା ବିଚ୍ଛେଦଜନିତ ସବୁ ଦୁଃଖ ମୋତେ ଭୁଲେଇ ଦେବ ।

 

ମୋହନ ପାଖକୁ ହାରାମଣି

ରାଗ-ଧନାଶ୍ରୀ

(ରଣ ବିଜେ ବାଣୀ)

ପରାଣ-ଦୋସର ! ଭାଷା କାହିଁ ମୋର ପରକାଶିବାକୁ ଭାବ

ବିନ୍ଦୁକୁ ତୁମ୍ଭେ ଯେ ସିନ୍ଧୁ ବନାଇଛ ମେରୁ ବନାଇଛ ଯବ

ହେ ସଖା ! ଭଲା ତୁମ୍ଭ ମୋହ ଆର୍ଦ୍ୟ–ଦେଖା । ହେ ସଖା !

ଚତୁରାକ୍ଷରେ ଅନ୍ତର ଚଖା । ହେ ସଖା !

ପ୍ରୀତି-ତଇଳେ ପରାଣ ସଖା । ହେ ସଖା ! । ୧ ।

 

ନ ଥିଲା ଗୋଚର ଅନ୍ତରେ ମୋହର ସିନ୍ଧୁଏ ଥିଲା ଗୋପନ

ଯାହା ଥିଲା ତାହା ବିନ୍ଦୁଏ ମାତର ବୋଲି ଭାବୁଥିଲା ମନ

ହେ ଧନ ! ଭଲା ହୋଇଲ ପୁନିଅଁ ଜହ୍ନ । ହେ ଧନ !

ଏବେ ଯୁଆର ନୁହେ କଳନ । ହେ ଧନ !

ବେଳା ଲଙ୍ଘିବାକୁ ଇଚ୍ଛେଁ ମନ । ହେ ଧନ ! । ୨ ।

 

ମାତୁଳ-ଦୁହିତା ହେଲା ପରିଣୀତା ମୁହିଁ ହରାଇଲି ଚିତ୍ତ

ମୋହନ ତସ୍କର ! ଜୂର କରି ଦୂର ହେଲି ମୋର ଏଡ଼େ ବିତ୍ତ

ହେ ଗୁଣି ! ଗଲା ପାସୋର କି ହାରାମଣି ? ହେ ଗୁଣି !

କିପାଁ ରହିଛ ହୋଇ ମଉନୀ ! ହେ ଗୁଣି !

‘‘ହାରା’’ ପ୍ରେମ-ବଇଭବ-ଖଣି ! ହେ ଗୁଣି ! । ୩ ।

 

ଏକାନ୍ତ ବେଳରେ ବଉଳମାଳରେ ମୁଣ୍ଡି ଦେଇ ମୋର ଗଭା

ଗଣ୍ଡେ ଗଣ୍ଡ ଦେଇ ଭାଷିଲ ‘ମୁସୂହିଁ!’ ହେଲି ଆଜିଠୁଁ ମଘବା

ରେ ଧନ ! ତୋହ ଲପନୁଁ ଶଶୀ ନିଊନ ! ରେ ଧନ !

କୋଟି-ବସନ୍ତ ସୁଷମାମାନ ! ରେ ଧନ ।

ପଦ-ନଖେ ତୋ ନୁହେ ସମାନ ! ରେ ଧନ ! । ୪ ।

 

କରେ କର ଧରି ଭାଷିଲି ‘‘ସୁନ୍ଦରି ! କହ କଲୁ ଚିତ୍ତ ଦତ୍ତ’’

ଡୋଳା ମୁଁ ଟେକିଲି ନୀରବେ ଭାଷିଲି ଦେବାକୁ ବାକି ନାହିଁ ତ

ହେ ମାଳି ! ନେଇ ସାରିଲାଣି ଫୁଲ ତୋଳି । ହେ ମାଳି !

ଛଳେ ଲତାରେ କରୁଛ ଅଳି । ହେ ମାଳି !

ହଟ କାହିଁଛି ଏହାଠୁଁ ବଳି ? ହେ ମାଳି !’’ । ୫ ।

 

ଭାଷିଲି ମୁଁ ଦିନେ ‘‘କିପାଇଁ ଅଶନେ ନାହିଁ ଭଲା ଆଜି ମନ ?’’

‘‘ପେଟପୂରା କରି ଦେଖିଛି ସୁନ୍ଦରି ! ତୋ ସୁଧାମୟ ଲପନ

ତା ଲାଗି ! ଭୋକ ଯାଇଛି ବିଦାୟ ମାଗି ।’’ ତା ଲାଗି ।

ଶୁଣି ଲାଜେ ମୁଁ ପଡ଼ିଲି ଭାଗି।’’ ତା ଲାଗି ।

ଭାଳିଁ କେଡ଼େ ତୁମ୍ଭେ ଅନୁରାଗୀ । ତା ଲାଗି । ୬ ।

 

ମାଇଁଙ୍କ ପାଶରେ ବସି ମୁଁ କେଶରେ ଦିନେ ଖଞ୍ଜୁଥିଲି ଫୁଲ

ସାକ୍ଷୀଗୋପାଳଙ୍କ ଅଙ୍ଗ-ଲାଗି ଧଣ୍ଡା ଶୋଭାରେ ଯାହା ଅତୁଳ

ତା ଆଣି । ଥୋଇ ଦେଲ ମନ ମୋର ଜାଣି । ତା ଆଣି ।

ମାଇଁ କଲେ ମୋ ଗଭା-ମଣ୍ଡଣି । ତା ଆଣି ।

ଫିଟିଗଲା ତୁମ୍ଭ ମୋଦ-ଖଣି । ତା ଆଣି । ୭ ।

 

ବାରିଘରେ ମୁହିଁ ଏକାକୀ ଥିଲଇଁ ତହିଁ ହେଲ ପରବେଶ

ଭାଷିଲ ତଇଳେ ସାମଳି ମୋ ମାଳେ ସାଜିଛୁ ଯେଣୁ ତୁ କେଶ

ରେ ସଖି ! ବରଣମାଳା ଅଛୁ ମୋ ରଖି । ରେ ସଖି ।

ସାକ୍ଷୀଗୋପାଳ ଏଥକୁ ସାକ୍ଷୀ । ରେ ସଖି !

ଲାଜେ ନ କର ନତ ତୁ ଆକ୍ଷି । ରେ ସଖି ! । ୮ ।

 

ତୋହଠାରୁ ଦୂରେ ରହି କେଉଁ ପୁରେ କେସନେ କାଟିବି ଦିନ

ତୋ ଶୋଭା ନିରେଖି ନ ପାରି ମୋ ଆକ୍ଷି ହେବ ଉପବାସେ ଦୀନ

ରେ ‘‘ହୀରା’’ ! ବାହୁରେ ତୁ ସାଜିଦିଅ କାରା । ରେ ହାରା !

ତହିଁ ସାନନ୍ଦେ ଦେବଇଁ ଧରା । ରେ ହାରା !

ତହୁଁ ନାହିଁ ମୋହନ ବାଗୁରା । ରେ ହାରା ! । ୯ ।

 

ଶୀତ-ସକଳାର କଅଁଳ ଖରା ତୁ ନିଦାଘ ଶୀତଳ ବାତ

ଜୀବନ ପିଠାକୁ ମିଠା ତୁ ଶୋଭାଙ୍ଗି ! ବରଷାପାତକୁ ଛାତ

ରେ ଧନ ! ତୁ ମୋ ନାସା-ନିଶ୍ୱାସ-ପବନ । ରେ ଧନ !

ଆଶାତରୁ ଫଳ ସୁଶୋଭନ । ରେ ଧନ !

ପ୍ରାଣକ୍ଷୁଧାକୁ ଭୂରି ଭୋଜନ । ରେ ଧନ ! । ୧୦।

 

ତୁମ୍ଭ ନୟନର ନିରେଖି ମୁଁ ନୀର ପୁଚ୍ଛଲି ଲାଜ ବରଜି

‘‘ନୟନ କମଳ କାହିଁକି ସଜଳ ଅପୂରୁବ ଏ ତ ଆଜି

ହେ ବନ୍ଧୁ ! କିମ୍ପା ଉଛୁଳାଅ ଶୋକସିନ୍ଧୁ । ହେ ବନ୍ଧୁ !

ଢାଙ୍କ ବଉଦେ ମୋ ମୁଦ-ଇନ୍ଦୁ । ହେ ବନ୍ଧୁ !

ମୁକୁଳାଅ ସଂଶୟର ଛନ୍ଦୁଁ ।’’ ହେ ବନ୍ଧୁ ! । ୧୧ ।

 

‘‘ଆସିଅଛି ତାର ଯିବା ପାଇଁ ଘର, ରହିଲିଣି ବହୁଦିନ

ଏମ୍‌. ଏ. ପରୀକ୍ଷା ମୋ ନିକଟ ବୋଲିର ଜନକ ତେଣେ ଉଚ୍ଛନ୍ନ

ରେ ଧନ ! ଅଙ୍ଗୁଯାଏ ଛାଡ଼ ମୋ ଜୀବନ ।’’ ରେ ଧନ !

ଭାଷି-ଲୋତକ କଲ ମୋଚନ । ହେ ଧନ !

ଆଉଜାଇ ମୋ କାନ୍ଧେ ଲପନ । ହେ ଧନ ! । ୧୨ ।

 

ଗରବେ ମୋ ଛାତି ହୋଇଲା ଭରତି କରେ ପାଇଲି ମୁଁ ଚାନ୍ଦ

ବଢ଼ି ପାଣି ସରି ଲୋତକ ତୁମ୍ଭରି ଭାଙ୍ଗିଲା ଧଇର୍ଯ୍ୟ–ବନ୍ଧ

ମୁଁ ପରା । ଛାଏଁ ବାହୁବନ୍ଧେ ଦେଲି ଧରା । ମୁଁ ପରା ।

ଅବିରାମ ଲୋତକ-ଅସରା । ମୁଁ ପରା !

ରଖି ନ ଦେଲା ତିଳେ ମୋ ଚାରା । ମୁଁ ପରା । ୧୩ ।

 

ନୀରସ ବସୁଧା ସରସ ହୋଇଲା ଓହ୍ଲାଇ ଅମରାବତୀ

ତୁମ୍ଭଙ୍କୁ ମୋହକୁ ଘେରି ପ୍ରାଣବନ୍ଧୁ ମଞ୍ଚପୁରେ କଲା ସ୍ଥିତ ।

ମୁଁ ଭାଷେ ବେଳା ଥରେକ ମାତର ଆସେ । ମୁଁ ଭାଷେ ।

ଉର ଯୁଗଳକୁ ଯା ରହସେ । ମୁଁ ଭାଷେ ।

ଝାଳି ଏକ କରେ ପ୍ରୀତି-ରସେ । ମୁଁ ଭାଷେ । ୧୪ ।

 

ସଂସାର ଭରିଲ ତାମସରେ ମୋର ନୟନ କଲି ମୋ ଅନ୍ଧ

ଏ ବିରାଟ ରସା ମୋରେ ଅମାନିଶା ତୁମ୍ଭେ ମୋ ଗଗନ ଚାନ୍ଦ

ମୁଁ ବସି ! ଶୋକ ମାଳା ରଚେଁ ଦିବାନିଶି । ମୁଁ ବସି ।

ରାକା ସରଜ ସମ୍ପୂର୍ଣ୍ଣ ଶଶି । ମୁଁ ବସି ।

ଦୁଃଖଗିରି ଯାଉ ତଳେ ଲସି । ମୁଁ ବସି । ୧୫ ।

 

ଫୁଲ ମୋରେ ନିଆଁ ଝୁଲ ହୋଇଲାଣି ଅଙ୍ଗରାଗ ଭୁଜଙ୍ଗମ

ତୁଳୀତଳପ ଯେ କଣ୍ଟକ କାନନ ଯୁଗ ହୋଇଲାଣି ଯାମ

ମୋ ବାସ ! ଅଙ୍ଗ-ବିହଙ୍ଗ ପାଦକୁ ଫାଶ । ମୋ ବାସ !

ଓଠ ସୁରଙ୍ଗ ମୋର ପାଉଁଶ । ମୋ ମାସ ।

ଚିତ୍ତଗୋଟା ଜଳନ୍ତା ହୁତାଶ । ମୋ ବାସ । ୧୬ ।

 

ବିରହ ସହିଲି ଜୀଇ ମୁଁ ରହିଲି କହ କେଉଁ ଅଧିକାରେ

ଛତି ଟେକାଇଣ ଉଚ୍ଚରେ ଆସନ ଲଭି ପ୍ରୀତି ଦରବାରେ

ହେ ସଖା ! ବଲ୍ଲଭୀ ପଦରେ ହେବି ଲେଖା । ହେ ସଖା ।

ତହିଁ ମରଣ ମାତର ଏକା । ହେ ସଖା ।

ଦରଦୀ ନାମେ ଟେକ ପତାକା । ହେ ସଖା । ୧୭ ।

 

ତୁମ୍ଭ ଲୋତକର ଭାଜନ ମୂକର ହେବାକୁ ଆଶାୟୀ ଦାସୀ

ଲୋତକ ଆସାରେ ଉଛୁଳାଇ ଦେଳ ବନ୍ଧୁ ! ତା ପ୍ରାଣସରସୀ

ତା ପାଇଁ । ସାରା ବସୁଧାରେ ଠାବ ନାହିଁ । ତା ପାଇଁ ।

ସେ ଯେ ତୁମ୍ଭରି ଶ୍ରୀ ଅଙ୍ଗ-ଛାଇ । ତା ପାଇଁ ।

ଦାସୀ ପଣକୁ ଏକା ଯୋଗାଇ । ତା ପାଇଁ । ୧୮ ।

 

ଆସୁଅଛି ମେଘ ଆସନ୍ତି ବିହଙ୍ଗ କରିବ ତାହାଙ୍କୁ ଚାର

ସପନରେ ସଖା ! ଦେବ ଆସି ଦେଖା ହାରାମଣି-ହୃଦ-ହାର !

ସେ ପୁଣି ! ତୁମ୍ଭ ଅଙ୍ଗ ଛୁଇଁଥିବ ଜାଣି । ସେ ପୁଣି ।

ଅତି ଅଧୀରେ ତା ଭୁଜ ବେନି । ସେ ପୁଣି !

ଟେକି ହୁଏ ବାତେ ଚୁମ୍ୱଦାନୀ । ସେ ପୁଣି । ୧୯ ।

 

ତୁମ୍ଭ ନାମାଙ୍କିତ ରୁମାଲକୁ ସେ ତ ଉରେ ତା କରେ ଚନ୍ଦନ

ତୁମ୍ଭ ବଉଳର ମାଳ କରି ହାର ରଚେ ତା ନନ୍ଦନବନ

ହେ ଧନ ! ପାଠୁଁ ଧାରି କତିପୟ କ୍ଷଣ । ହେ ଧନ ।

ନିଶ୍ଚେଁ କରିବ ଲିପି-ରଚନ । ହେ ଧନ !

ଅଲଂଘ୍ୟ ସେ ‘‘ହାରାମଣି’’ ରାଣ । ହେ ଧନ ! । ୨୦ ।

 

୧ । ପରାଣ ଦୋସର-ପ୍ରାଣ ସଖା; ଯବ-ଛୋଟ ଶସ୍ୟ ବିଶେଷ; ମେରୁ-ମେରୁ ପର୍ବତ (ଅର୍ଥାତ୍‌ ମୋ ହୃଦୟର ପ୍ରୀତିକୁ ଅଗାଧ କରି ଅଛ); ଚତୁରାକ୍ଷ-ଚାରିଚକ୍ଷୁ ହେବା, ଅନ୍ତର-ଚିତ୍ତ; ହୃଦୟ; ମଖା-ମାଖି ହେବା ।

 

୨ । ନ ଥିଲା.......ମନ-ମୁଁ ଭାବିଥିଲି ମୋ ହୃଦୟରେ ଖୁବ୍‌ କମ ପ୍ରେମ ଥିଲା କିନ୍ତୁ ବର୍ତ୍ତମାନ ବୁଝିଲି ତାହା ସମୁଦ୍ର ପରି ଅପାର; ନୁହେ କଳନ-ଗଣି ହୁଏ ନାହିଁ; ବେଳା-କୁଳ ।

 

୩ । ପରିଣୀତା-ବିବାହିତା; ମଉଜୀ-ମୌନୀ; ଚିଠି ନ ଦେଇ ଚୁପ ।

୪ । ମରାବା-ଇନ୍ଦ୍ର; ନିଉନ-ଉଷା; ସୁଷମା-ଶୋଭା ।

୫ । ଛଳେ-ନକଲି କରି; ହଟ-ହଇରାଣ ।

୬ । ଅଶନେ-ଭୋଜନରେ; ଲପନ-ମୂଖ; ଅନୁରାଗୀ-ଦରଦୀ; ପ୍ରେମିକ ।

୭ । ଅଙ୍ଗ-ଲାଗି-ପିନ୍ଧିଥିବା, ଧଣ୍ଡା-ମାଳ; ମୋଦ-ଆନନ୍ଦ ।

୮ । ସାମଳି-ସାଉଁଳି; ନକର ନତ-ନୂଆଁ ଅନାହଁ-ତଳକୁ ଦୃଷ୍ଟିକର ନାହିଁ ।

୯ । ଦୀନ-କ୍ଷୁବ୍‌ଧ, ଦରିଦ୍ର; କାରା-କଏଦଖାନା; ମୋହନ-ସୁନ୍ଦର; ବାଗୁରା-ଜାଲ ।

 

୧୦ । ଶୀତ ପ୍ରଭାତର-ଶୀତ ଦିନ ସକାଳର; ନିଦାଘ-ଖରାଦିନ; ମନ୍ଦ-ସୁଲୁସୁଲିଆ, ଧୀର; ବାତ-ପବନ; ତରୁ-ଗ୍ରନ୍ଥ; ସୁଶୋଭନ-ଅତିସୁନ୍ଦର; ଭୂରି ଭୋଚନ-ପୂର୍ଣ୍ଣଗ୍ରାସ ।

 

୧୧ । ମୁଦ-ଆନନ୍ଦ; ମୁକୁଳାଅ-ଖଲାସ କରିଦିଅ, ସଂଶୟର ଛନ୍ଦୁ-ସନ୍ଦେହରୁ ।

୧୨ । ତାର-ଟେଲିଗ୍ରାମ, ଉଚ୍ଛନ୍ନ-ଅଥୟ ।

୧୩ । ଛାଏଁ-ନିଜ ଇଚ୍ଛାରୁ, ଅବିରାମ-ବନ୍ଧ ନ ହେଉଥିବା, ଚାରା-କର୍ତ୍ତବ୍ୟ

 

୧୪ । ବସୁଧା-ପୃଥିବୀ; ଅମରାବତୀ-ସ୍ୱର୍ଗପୁର, ମଞ୍ଚପୁରେ କଲା ସ୍ଥିତି-ପୃଥିବୀରେ ରହିଗଲା; ଉର ଯୁଗଳକୁ-ଦୁଇଟି ଛାତିକୁ । ପ୍ରେମିକ ଓ ପ୍ରେମିକା ଏ ଦୁହିଁଙ୍କ ଛାତି ବା ହୃଦୟକୁ । ରହସେ-ଏକାନ୍ତରେ, ଝାଳି ଏକ କରିଦିଏ-ଖଣ୍ଡ ଖଣ୍ଡ ସୁନା ରୂପା ଝଳା ହୋଇ ଏକ ହେଲା ପରି ମିଶାଇ ଦିଏ ।

 

୧୫ । ତାମସ-ଅନ୍ଧାର; ରସା-ପୃଥିବୀ; ଅମାନିଆ-ଅମାସ୍ୟା ରାତି; ରାକା-ପୂର୍ଣ୍ଣମୀ; ସମ୍ପୂର୍ଣ୍ଣ ଶଶୀ-ପୂର୍ଣ୍ଣଚନ୍ଦ୍ର; ତଳେ ଯାଉ ଲସି-ତଳକୁ ଦବିଯାଉ ।

 

୧୬ । ଅଙ୍ଗରାଗ-ସ୍ନୋ ପାଉଡ଼ର ଇତ୍ୟାଦି, ଭୂଜଙ୍ଗମ-ସାପ, ତୂଳୀତଳପ-କଅଁଳ ଶେଯ; କାନନ-ବନ; ଯାମ-କ୍ଷଣ; ହୁତାଶ-ନିଆଁ ।

 

୧୭ । ବଲଭୀ-ପ୍ରେମିକା; ଦରଦୀ-ପ୍ରେମିକ ବା ପ୍ରେମିକା ।

୧୮ । ଭାଜନ-ଯୋଗ୍ୟ; ମୂକର-ନିଶ୍ଚୟ; ଆସାର-ଅସରା; ସରସୀ-ପୋଖରୀ, ଯୋଗାଇ-ଯୋଗ୍ୟ ଅଟେ ।

 

୧୯ । ବିହଙ୍ଗ-ପକ୍ଷୀ, ଚାର-ଦୂତ; ହୁଏ ବାଢ଼େ ଚୁମ୍ବଦାନୀ-ବାୟୁକୁ ଚୁମ୍ବେ ।

୨୦ । ନାମାଙ୍କିତ-ନାଆଁ ଲେଖାଥିବା, ଧାରି-ଧାରକରି; କତିପୟ କେତେକ, ଲିପି-ଚିଠି, ଅଲଙ୍ଘ୍ୟ–ଲଙ୍ଘି ହେଉ ନ ଥିବା ।

 

ହାରାମଣି ପାଖକୁ ମୋହନ

ରାଗ-ଭାଟିଆରି-ତାଳ ଏକତାଳି

(ଗୋପାଳ କୃଷ୍ଣଙ୍କ ‘‘ପଥ ଛାଡ଼ ଦେ ମୁଁ ଯିବି ଫୁଲ ତୋଳି, ଆରେ ବନମାଳି !’’ ବୃତ୍ତେ)

ଘେନା ହେଉ ମୋ ଲିପି-ଲିଖିତ ବାଣୀ

ଆରେ ଶୋଭାରାଶି !

ପ୍ରୀତିରଚନାକୁ ପରା ତୁ ମୋ ବାଣୀ । ଘୋଷା ।

ରୂମ ମୂଳ ଯାକ ସହି ! ମୋର                  ନୟନ ନ କଲା ବେଦବର

ପଲକ ବରଜି ବର ଶୋଭା ରାଜି

ବିଲୋକୁଥାନ୍ତି ମୁଁ ନିରନ୍ତର । ୧।

 

ଓଠରେ ଓଠ ମିଳାଇ ଧନ !             ଜଳାଇଲୁ ତହିଁ ହୁତାଶନ

ଅଳପ ବୟସୁଁ ଏ କଟୁ ମଦିରା

କଲା କେହ୍ନେ ତଥି ଅଧିଷ୍ଠାନ ? । ୨ ।

 

ଭୂଜ ବେନି ମୋର ଅକୁଳାନ            କୋଟି ଭୁଜେ ବଳାଏ ମୁଁ ମନ

ମନବୋଧ କରି ରେ ଶୋଭା ବଲ୍ଲରି !

ନ ପାରଇଁ କରି ଆଲିଙ୍ଗନ । ୩ ।

 

ଅଳପ ଦିନର ପରିଚୟ            ଲାଜ ତିଳେ ଭଜି ନାହିଁ କ୍ଷୟ

ଉର-ଆଉଜାରୁ ଠଉରାଏଁ ଭୀରୁ !

ପ୍ରଣୟ ତୋ କେଡ଼େ ସୁରାମୟ । ୪ ।

 

ଜାଣଇଁ ନାହିଁ ମୁଁ ଗୁରୁଜନ            କି ବାଧା କରିବେ ସରଜନ

ବାଧା ସହି ସିଧା ଠିଆ ହେବା ସିନା

ପୀରତି-ପରମ-ଅରଜନ । ୫ ।

 

ଘେନା କରି ମୋର ନିମନ୍ତ୍ରଣ            ମୋ କୁମାର ଚିତ୍ତ ସିଂହାସନ

ମଣ୍ଡିଛୁ କୁମାରି ! ମାଧବ-ମାଧୁରୀ

ପୂରିତ କରି ମୋ ପ୍ରାଣବନ । ୬ ।

 

ଚୁମ୍ୱନେ ଶିଥିଳ କବରୀର            କେଶ ଚୁମ୍ୱିବାର ଉର ତୋର

ହିମ ଅଚଳକୁ ତମ ଘୋଟିବାର

ସୁଷମା ତା ଆଗେ କିବା ଛାର ? । ୭ ।

 

କେତକୀ-କଢ଼ି ଯା ଥାଉ ଖୋସି            ଅସମ୍ଭାଳେ ତାହା ପଡ଼ି ଖସି

ମଦିର କରଇ ରଜନୀ-ତମକୁ

ସରଜି ପୁଲକ ଦଶଦଶି । ୮ ।

 

ଅଳତା ରଞ୍ଜିତ ପୟରରେ             ପରାଣ ସଂଚାରୁ ଧୂଳି-ଉରେ

ତୋ ପୟର ତଳେ ଘାସ ହେବା ବାଞ୍ଛା

ବିଧୂପିତ କରେ ମୋ ଅନ୍ତରେ । ୯ ।

 

ଅଳକା ନାଇବା ପାଇଁ ମୁହିଁ            କରଇଁ ବାରଣ ଚାନ୍ଦମୁହିଁ !

ଗୁଣେକ ତ ଶୋହା ନ ହୁଅଇ ସୁହା

କୋଟି ଗୁଣିତ କି ସୁହା ଯାଈ ? ।୧୦ ।

 

ପଦ୍ମନାଡ଼ ହେମ ସରସୀର            ସମାନ ରଖି ! ରେ କର ତୋର

କଣ୍ଠେ ହେଲେ ତାର କାହିଁକି ଅମର

ନର ହୋଇବେ ଟି ସୁନାଶୀର । ୧୧ ।

 

ରାଜରାଜେଶ୍ୱର ପଣ ମୁହିଁ            ତୋହ ଘେନି ବଡ଼ ନ ମଣଇଁ

ଟହ ଟହ ରଙ୍ଗ ଅଧରୁ ତୋ ଢୋକେ

ମଧୁ, ଅମିୟକୁ କରେ ଟାହି । ୧୨ ।

 

ବଧୁ ହୋଇ ମଧୁ ଦେବୁ ମୋରେ            ବିଧୁ ହେବୁ ଚିତ୍ତ-ବିୟତରେ

ସୀଧୁରେ ଉଚ୍ଛଳ ହେବ ଉରସ୍ଥଳ

ସପନ ଦେଖେଁ ମୁଁ ନିରନ୍ତରେ । ୧୩ ।

 

ବନସ୍ଥଳୀ କରି ସୁରଭିତ            ଫୁଟଇ କେତକୀ ଅଗଣିତ

ଦରଦୀ ସାଜନ୍ତି ପ୍ରେୟସୀ-କୁନ୍ତଳ

ସେ ଦିନ କି ମନେ ଅଛି ମିତ ? । ୧୪ ।

 

ବଳେ ଧରି ତୋରେ ଶୁଚିସ୍ମିତା !             ଗଣ୍ଡେ ତୋ କୁଙ୍କୁମେ ରଚି ଚିତା

ଉରେ ଆଙ୍କିବାକୁ ହୁଅନ୍ତେ ଲାଳସୀ

ବ୍ୟାଜରେ ହେଲୁ ତୁ କି କୁପିତା ! । ୧୫ ।

 

ଭାଷିଲୁ ତହିଁକି ବେଳ ଅଛି            ବାହୁ ଶିଥିଳାଅ ଛି ଛି ଛି ଛି

କେଶେ ମୋ କେତକୀ ଦିଅ ହେ ଏତିକି

ପାଇଁ ବନ୍ଧୁ ! ଅନୁମତି ଅଛି । ୧୬ ।

 

ସବନ୍ଧ ବାସନା ପ୍ରାଣ ସହି !            ବିବନ୍ଧ ହେବାକୁ ମନାସର

ଚୁମ୍ୱନ ସରିତେ ଶୋଭା-ଅଙ୍ଗ ଯେତେ

ଡୁବାଇବି କେବେ ଦିଅ କହି । ୧୭ ।

 

ପ୍ରତି ରୁମ ମୂଳେ ସହି ! ମୋର            ଉନ୍ମାଦ-ବାରୁଦ ରଚେ ଘର

ତହିଁକି ତୋ ଚିନ୍ତା ହେଉଛି ଅନଳ

ଅଧର-ମମୃତେ ଶାନ୍ତ କର । ୧୮ ।

 

ଚିତ୍ତ ଦମକାଇ ଦରଦୀର            ଫୁଟିଲାଣି ସହି ! କରବୀର

ଗଭା-ଶୋଭା ତୋର ପଡ଼ୁଛି ରେ ମନେ ।

ଉତୁରାଇ ମୋର ଦମ୍ଭ-କ୍ଷୀର ।୧୯।

 

କଳା-କେଶେ ହୀରା-ଚୂନା ସରି            ଫୁଲ ମଣ୍ଡିଥାଉ ଶମ୍ପା-ଗୋରି !

ରଜନୀ-ତାମସ ମୁହାଁସ ଭାଜଇ

ଢାଙ୍କି ନ ପାରି ତୋ କାନ୍ତି-ଶିରୀ । ୨୦ ।

 

ସେବାରେ ମନାଇଁ ଉମା-ଈଶ            ସହି ରେ ! ବରନ୍ତି ଜଳ-ବାସ

ଶ୍ରୀକରେ ତୋ ଲୀଳା-କମଳ ହୁଅନ୍ତି

ଜନମେ ଜନମେ ତା ମୋ ଆଶ । ୨୧ ।

 

ଖଣିରେ ଅପାର କାଳ ରହି            କନକ ହୋଇ ମୁଁ ଚାନ୍ଦ-ମୁହିଁ ।

ସୀମନ୍ତେ ତୋହର ଅଳକା ହେବାକୁ

ଅନଳରେ ହେଲେ ହ୍ୱନ୍ତି ଦାହି । ୨୨ ।

 

ଗୋଟି ପୋକ ରୂପେ ଅବତରି            ସୂତା ବୁଣନ୍ତି ରେ ଶମ୍ପା-ଗୋରି !

ତୋ ଅଙ୍ଗରେ ପୀତାମ୍ୱର ଶୋଭା ଆଶେ

ଖୋସା ଭିତରେ ମୁଁ ଯାନ୍ତି ମରି । ୨୩ ।

 

କପାଫଳ ଅବା ହୋଇ ଯାନ୍ତି            ପିଞ୍ଜା, ଭିଣା, ବୁଣା ମୁଁ ସହନ୍ତି

ହୋଇ ଝୀନ ବାସ କରନ୍ତି ପରଶ

ସାର ସାର ତୋର ଅଙ୍ଗପନ୍ତି । ୨୪ ।

 

ବାଳାରୁଣ ଅଧ ବିଧୁ କୋଳେ            ସିନ୍ଦୁର ବିନ୍ଦୁ ତୋ ହେବି ଭାଲେ

ବର ଆନନିରେ ! ବର ଆଶରେ ମୁଁ

କମ୍ୱୁ ହୋଇବଇଁ ଶମ୍ଭୁଆଳେ । ୨୫ ।

 

ଅନଳ ଗରଭେ ରହି କରି            ଅଞ୍ଜନ ହୋଇ ମୁଁ ସୁକୁମାରି

ଖଞ୍ଜନ-ଗଞ୍ଜନ ମାନସ-ରଞ୍ଜନ

ଶଫରୀ-ନେତ୍ର ରଞ୍ଜିବି ତୋରି । ୨୬ ।

 

ନେତ୍ର-ବାଣ-କ୍ଷତ ଯୁବା-ଚିତ୍ତ--            କ୍ଷରିତ ପାଟଳ ସେ ରକତ

ତହିଁରେ ତୋ ପଦେ ଟୀକା ଆଙ୍କିବାକୁ

ଅଳତା ହୋଇବି ମୋ ବାଞ୍ଛିତ । ୨୭ ।

 

ଅଳତା ରଞ୍ଜିତ ପଦୁଁ ତୋର            ସୁଧା ଚୋଷିବାକୁ ନିରନ୍ତର

ସ୍ୱର୍ଣ୍ଣକାର କରୁଁ ପାହାର ସହିବି

ପାଉଞ୍ଜି ହେବାକୁ ପୟରର । ୨୮ ।

 

ପରାଣ ବାଞ୍ଛଇ କାଚ ହେବି            ମୁକୁର-ଭୂତି ମୁଁ ଅରଜିବି

ଦୁଲ୍ଲଭ ଦର୍ଶନ ତୋ ଚାରୁ ଲପନ

ପେଟ ପୂରାଇ ମୁଁ ନିରେଖିବି । ୨୯ ।

 

ତୋ ମୁଖେ ନ ପାରେ ସ୍ୱେଦ ସହି      ବ୍ୟଜନ ସଜନି ! ହୋଇବଇଁ

ସୁଖେ ନିଦ ଗଲେ ଉରେ ଠାବ ପାଇ

ଅମର ଭୂତିରେ ହେବି ମୋହି । ୩୦ ।

 

ସୁମନେ ମନାଇଁ ଗିରିସୃତା            ବନ୍ଧୁଆ ! ହେବି ତୋ ଅଣ୍ଟାସୁତା

ଦେବତା ହିଂସିବେ ସଉଭାଗ୍ୟ ମୋର

କେ ପଚାରେ ଛାର ନର କଥା ? । ୩୧ ।

 

କୁଙ୍କୁମରେ ହେବି ଜର ଜର            ଲକୁଚ-କୁଚେ ତୋ ହୋଇ ହାର

ଗଉର ଅଚଳେ ଗଙ୍ଗା ଧାର ହେବା

ବର ସତେ ଦେବେ ଗଙ୍ଗା-ଧର !! । ୩୨ ।

 

ତପସ୍ୟାର ଲଭିବଇଁ ସିଦ୍ଧି            ଚମ୍ପା ଅଙ୍ଗୁଳିରେ ହେବି ମୁଦି

ହେଲେ ସବୁ ଅଙ୍ଗ ପରଶ ଲଭିବି

ବିଶେଷେ ଯାହା ଅମୂଲ୍ୟ ନିଧି । ୩୩ ।

 

ଶଙ୍କର ଶଙ୍କରୀ ମନାଇବି            ଗାଧୁଆ ତୁଠେ ତୋ ଶିଳା ହେବି

ଅଳତା-ରଞ୍ଜିତା ପଦଘସା ଲଭି

ହେଲେ ଜୀବନ୍ୟାସ ଅରଜିବି । ୩୪ ।

 

ଚିତ୍ରାଙ୍ଗିରେ ! ତୋର ଅଙ୍ଗ ଧୋଇ      ଚିତ୍ରୋତ୍ପଳାନୀର ଆସେ ବହି

ଅତି ନିବିଡ଼େ ମୁଁ ଆଲିଙ୍ଗଇ ତାରେ

ଅଧୀରେ ସହସ୍ରାର୍ଜୁନ ହୋଇ । ୩୫ ।

 

ଚିତ୍ରେ ତୋ ଅନାଇଁ ରାମାବର !            ମୁଖ ଚୁମ୍ବିବାକୁ ଆଗଭର

ହେଉଁ ନୟନ ଲୋତକେ ହୁଏ ଅନ୍ଧ

ଓଠ ପରଶଇ ଭିତ୍ତଉର । ୩୬ ।

 

ସପନେ ଶମ୍ପାଙ୍ଗି ! କରୁ ହଟ            ପଳାଉ ଗଲେ ମୁଁ ତୋ ନିକଟ

ଶମ୍ପା ଧରିବାର ବାତୁଳପ୍ରକାର

ହୁଏଁ ରାତିସାରା ଛୁଟପଟ । ୩୭ ।

 

ଦିନେ ଦିନେ ସହି ! ନୀଶୀଥରେ            ଝିଙ୍କାରୀଝଙ୍କାର ଶୁଣି ଥରେ

ମଞ୍ଜର-ନିକ୍ୱଣ ଅନୁକରି ତୋର

ଛନକା ଭରେ ତା ମୋ ଚିତ୍ତରେ । ୩୮ ।

 

ତୋ ଗଭା ସେବତୀ ପାଖୁଡ଼ାର            ଗନ୍ଧ ଦିନେ ଦିନେ ରାମାବର !

ନାସାକୁ ଆସଇ କାହୁଁ ନ ଜାଣଇଁ

କ୍ଷୁଧିତ ପବନ ତାର ଚୋର । ୩୯ ।

 

ଏକ ହୋଇ ବହୁ ଆଭାସୁଛୁ            ଯେଣେ ଚାହେଁ ତେଣେ ତୁ ଦିଶୁଛ

ମଥିବା ପାଇଁକି ପରାଣ ମୋହର

ପ୍ରତି ରୂମ ମୂଳେ ପ୍ରବେଶୁଛୁ । ୪୦ ।

 

ଉର ସହି ! ଆଉଜାଇ ଉରେ            ପ୍ରାଣ ଡୁବାଇ ତୁ ପ୍ରାଣ ପୂରେ

ସ୍ମିତେ ରଚିଦେଲେ ଚାରୁ ଚନ୍ଦ୍ରାତପ

ତାପ ପଳାଇବ ହେଳେ ଦୂରେ । ୪୧ ।

 

ମଞ୍ଜୀର କଙ୍କଣ ନାଦ ରଚି            ଉଭା ହେବୁ ଯେବେ ମଞ୍ଚଶଚୀ

ଧୂପିତ ଗଭାର ଚାରୁ ଗୁରୁ ଗନ୍ଧ –

ଭାରେ ବାତ ନ ପାରିବ ବଞ୍ଚି । ୪୨ ।

 

ବନଜ-ବଦନ-ମଧୁକର            ଉର-କୋଷର ତୋ ଧନଚୋର

ସଙ୍ଗତି-ଲୋଲୁପ ମୋହନ-ନୟନ

ଉଲ୍ଲାସେ ହୋଇବ ଲୁହ-ଭର । ୪୩ ।

 

ସେ ନୀରେ କଜଳ ନୟନର            ଧୋଇ ହେବ ତୋର ନାରଖାର

ନିବିଡ଼ ବାହୁଭିଡ଼ାରେ ଜୀବଧନ !

ବିରହ କରିବ ହାହାକାର । ୪୪ ।

୦ । ଲିପି-ଚିଠି; ବାଣୀ-କଥା; ବାଣୀ-ସରସ୍ୱତୀ ।

୧ । ବେଦବର-ସୃଷ୍ଟିକର୍ତ୍ତା, ବ୍ରହ୍ମା; ପଲକ ବରଜି-ଆଖି ପିଛୁଡ଼ା ନ ପକାଇ; ବର-ଶ୍ରେଷ୍ଠ; ବିଲୋକୁ ଥାନ୍ତି-ଦେଖୁ ଥାନ୍ତି ।

୨ । ହୁତାଶନ-ନିଆଁ; ମଦିରା-ମାଦକତା; ଅଧିଷ୍ଠାନ କଲା-ରହିଲା ।

୪ । ସୁରାମୟ-ମାଦକତାରେ ଭରା ।

୫ । ପରମ-ଶ୍ରେଷ୍ଠ ।

୬ । ମାଧବ-ବସନ୍ତ କାଳୀନ ।

୭ । ଶିଥିଳ-ହୁଗୁଳା ହୋଇ ଯିବା, ଫିଟିଯିବା; କବରୀ-ଗଭା; ଉର-ଛାତି; ହିମ ଅଚଳ-ହିମାଳୟ ବା ବରଫରେ ଢାଙ୍କି ହୋଇଥିବା ପର୍ବତ; ଢମ-ଅନ୍ଧାର; ସୁଷମା-ସୌନ୍ଦର୍ଯ୍ୟ ।

 

୮ । ମଦିର କରଇ-ମାଦକତାରେ ଭରିଦିଏ; ଦଶଦିଶି-ଚାରିଆଡ଼େ ।

୯ । ପରାଣ ସଂଚାରୁ ଧୂଳି ଉରେ-ତୋ ଅଳତା ଲଗା ପଦର ପରଶ ପାଇ ନିର୍ଜୀବ ଧୂଳି ଜୀବନ ପାଏ, ବାଞ୍ଛା-କାମନା; ବିଧୂପିତ କରେ ମୋ ଅନ୍ତରେ – ମୋ ହୃଦୟକୁ ସୁଗନ୍ଧରେ ଭରିଦିଏ ।

 

୧୦ । ଅଳକା-ମୁଣ୍ଡର ମନୋହର ଅଳଙ୍କାର ବିଶେଷ; ଶୋହା-ଶୋଭା; ନ ହୁଅଇ ସୁହା-ସହି ହୁଏ ନାହିଁ ।

୧୧ । ପଦ୍ମନାଡ଼ ହେମ ସରସୀର-ତୋ ଦେହ ସୁନାର ଗୋଟିଏ ପୁଷ୍କରିଣୀ ଓ ତୋ ହାତ ତହିଁର ପଦ୍ମନାଡ଼ ପରି; ଅମର-ଦେବତା; ସୁନାଶୀର-ଇନ୍ଦ୍ର ।

 

୧୨ । ଘେନି-ଯୋଗୁଁ; ଅମିୟକୁ କରେ ଟାହି-ଅମୃତକୁ ତୁଚ୍ଛ କିରେ ।

୧୩ । ବଧୂ-କାନ୍ତା; ବିୟତ-ଆକାଶ; ସୀଧୁ-ମଦ୍ୟ (ଏଠାରେ ମାଦକତା) ହେବ; ଉଚ୍ଛଳ-ଉଛୁଳିବ ।

୧୪ । ସୁରଭିତ-ସୁବାସିତ; ଅଗଣିତ-ବହୁ ସଂଖ୍ୟକ; ଦରଦୀ-ପ୍ରେମିକ; କୁନ୍ତଳ-କେଶ ।

୧୫ । ଶୁଚି ସ୍ମିତା-ମଧୁର ହାସୀ; ବ୍ୟାଜରେ-ମିଛ ମିଛିକା ।

୧୬ । ବାହୁ ଶିଥିଳାଅ-ଆଲିଙ୍ଗନକୁ କୋହଳ କରିଦିଅ ।

୧୭ । ସବନ୍ଧ-କଟକଣା ଥିବା; ବିବନ୍ଧ ହେବାକୁ ମନାସଇ-କଟକଣାକୁ ଫୋପାଡ଼ି ଦେବାକୁ ଚାହୁଛି; ଶୋଭା-ଅଙ୍ଗ-ତୋର ସୁନ୍ଦର ଦେହାଂଶମାନଙ୍କୁ ।

 

୧୮ । ଉନ୍ମାଦ-ତୋ ପାଇଁ ପାଗଲ ହେବା ପ୍ରବୃତ୍ତି ।

୧୯ । ଦମକାଇ-କମ୍ପାଇ; ଦରଦୀ-ପ୍ରେମିକ; କରବୀର-ଲାଲ କନିଅର ଫୁଲ; ଦମ୍ଭକ୍ଷୀର-ଧୈର୍ଯ୍ୟ ରୂପ ଦୁଗ୍‌ଧ ।

୨୦ । ରଜନୀ ତାମସ ମୁହାଁସ.....କାନ୍ତିଶିରୀ-ରାତିର ଅନ୍ଧାର ତୋ ଦେହର କାନ୍ତିକୁ ଘୋଡ଼ାଇ ନ ପାରିବାରୁ ତା ବଢ଼େଇ ଭାଙ୍ଗିଯାଏ ।

 

୨୧ । ଉମା-ଈଶ-ମହାଦେବ; ବରନ୍ତି ଜଳବାସ-ପାଣିରେ ବାସ କରି ରହନ୍ତି ।

୨୨ । କନକ-ସୁନା; ସୀମନ୍ତ-ସୁନ୍ଥା; ହ୍ୱନ୍ତି ଦାହି-ପୋଡ଼ି ହୁଅନ୍ତି ।

୨୩ । ଶମ୍ପାଗୋରୀ-ବିଜୁଳିକରଣା ।

୨୪ । ସାର ସାର-ବଛା ବଛା ।

୨୫ । ବାଳାରୁଣ-ଉଇଁ ଆସୁଥିବା ସୂର୍ଯ୍ୟ, ଅଧବିଧ-ଅର୍ଦ୍ଧଚନ୍ଦ୍ର (ଅର୍ଥାତ୍‌ ତୋ କପାଳ ଅର୍ଦ୍ଧଚନ୍ଦ୍ର ପରି, ସିନ୍ଦୁର ବିନ୍ଦୁ ତା ଭିତରେ ଉଇଁ ଆସୁଥିବା ସୂର୍ଯ୍ୟପରି ଲାଲ ଓ ସୁନ୍ଦର) ବର-ଆନନୀ-ସୁନ୍ଦର ମୂଖୀ; ବର ଆଶରେ...ଶମ୍ୱୁ ଆଳେ-ଏ ସୌଭାଗ୍ୟ ଅର୍ଜିବାକୁ ମୁଁ ଶମ୍ୱୁ ଅର୍ଥାତ୍‌ ମହାଦେବଙ୍କ ଆଳ ବା ମନ୍ଦିରରେ କମ୍ୱୁ ବା ଶଙ୍ଖ ହୋଇ ତପସ୍ୟା କରିବି; ଅଞ୍ଜନ-କଜ୍ଜ୍ୱଳ ।

 

୨୭ । କ୍ଷରିତ-ଝୁରୁଥିବା; ପାଟଳ-ଲାଲ; ଟୀକା-ଚିତ୍ର; ବାଞ୍ଛିତ-ବାଞ୍ଛା-କାମନା ।

୨୮ । ସ୍ୱର୍ଣ୍ଣକାର-ବଣିଆ, ପାଉଞ୍ଜି-ପାଦର ମନୋହର ଅଳଙ୍କାର ବିଶେଷ ।

୨୯ । ମୁକୁର-ଭୂତି-ଦର୍ପଣର ଭାଗ୍ୟ, ଦୁର୍ଲଭ ଦର୍ଶନ-ଦେଖିବାକୁ ମିଳୁ ନ ଥିବା ।

୩୦ । ସ୍ୱେଦ-ଝାଳ, ବ୍ୟଜନ-ବିଚଣା; ଠାବ-ସ୍ଥାନ; ଭୂତି-ସମ୍ପଦ ।

୩୧ । ଗିରିସୁତା-ପାର୍ବତୀ; ହିଂସିବେ-ଈର୍ଷା କରିବେ ।

୩୨ । ଲକୁଚ-ଜେଉଟ ଫଳ ଏହା ସହିତ କୁଚର ତୁଳନା ହୁଏ, ଗଉର-ଅଚଳ-ଧବଳ ପର୍ବତ; ଗଙ୍ଗାଧର-ମହାଦେବ ।

୩୩ । ଅମୂଲ୍ୟନିଧି-ଅତି ଅମୂଲ୍ୟ ସମ୍ପଦ ।

୩୪ । ଜୀବନ୍ୟାସ ଅରଜିବି-ମୁଁ ପଥର ହୋଇ ସୁଦ୍ଧା ପ୍ରାଣ ପାଇଯିବି ।

୩୫ । ଚିତ୍ରାଙ୍ଗୀ-ସୁନାବରନା; ଚିତ୍ରୋତ୍ପଳା-ମହାନଦୀ; ସହସ୍ରାର୍ଜ୍ଜୁନ ହୋଇ-ପୁରାଣ ବର୍ଣ୍ଣିତ ସହସ୍ରାର୍ଜ୍ଜୁନ ପରି ହଜାରେ ବାହୁରେ ।

୩୬ । ଭିତ୍ତି – କାନ୍ଥ ।

୩୭ । ଶମ୍ପାଙ୍ଗୀ – ବିଜୁଳି କରନା ।

୩୮ । ନିଶୀଥ – ରାତିଅଧ; ଥରେ-କମ୍ପେ; ମଞ୍ଜୀର ନିକ୍ୱଣ-ତୋ ଗୋଡ଼ ଅଳଙ୍କାରର ଝମ ଝମ ଶବ୍ଦ; ଅନୁକରି-ଅନୁକରଣ କରି ।

 

୩୯ । କ୍ଷୁଧିତ – ଭୋକିଲା ।

୪୦ । ବହୁ ଆଭାସୁଛୁ – ବହୁତ ପରି ଜଣା ପଡ଼ୁଛୁ ।

୪୧ । ସ୍ମିତ – ମୁରୁକି ହସ ; ଚନ୍ଦ୍ରାତପ – ଚାନ୍ଦୁଆ ।

୪୨ । ନାଦ – ଶବ୍ଦ; ମଞ୍ଚଶଚୀ-ମଞ୍ଚରେ ସ୍ୱର୍ଗରାଜ ଇନ୍ଦ୍ରଙ୍କ ଭାରିଯା ପରି ସୁନ୍ଦରୀ; ଧୂପିତ ଗଭା- ଧୂପଦିଆହୋଇ ସୁବାସିତ ହୋଇଥିବା; ବାତ ନ ପାରିବ ବଞ୍ଚି-ସୁଗନ୍ଧର ଭାର ବହି ନ ପାରି ଅଣନିଶ୍ୱାସୀ ହୋଇଯିବ ।

୪୩ । ବନଜ-ପଦ୍ମ ; କୋଷ-ଭଣ୍ଡାର; ସଙ୍ଗତି ଲୋଲୁପ-ସଙ୍ଗଲାଭ ଲାଳସୀ ।

୪୪ । ନିବିଡ଼-ଗାତ; ବାହୁଭିଡ଼ା-ଆଲିଙ୍ଗନ; ବିରହ କରିବ ହାହାକାର-ବିରହ ମଲି ମଲି ବୋଲି ଡାକ ଛାଡ଼ିବ ।

 

ପ୍ରିୟତମ କୋଇଲି

(କାନ୍ତ କୋଇଲି --ବୃତ୍ତ)

କୋଇଲି ! କହ ଯାଇଁ ପ୍ରିୟତମେ ମୋର !

କମଳେ ମଣ୍ଡିବା ଗଭା ହେଲା କି ପାସୋର ଲୋ କୋଇଲି । ୧ ।

 

କୋଇଲି ! ଖଣ୍ଡିତ ହୋଇଲା ସୁଖ ମୋର !

ଖଳ ବିହି ଭିଆଇଲା ଏ ବିରହ ଘୋର ଲୋ କୋଇଲି । ୨ ।

 

କୋଇଲି ! ଗଗନରେ ଦେଖି ସେ ମୁଦିର

ଗେଲାଇ କହନ୍ତି ଏଥୁଁ କଳା ତୋ ଚିକୁର ଲୋ କୋଇଲି । ୩ ।

 

କୋଇଲି ! ଘଟିଥିଲା ଯେହ୍ନେ ପରିଚୟ ।

ଘଡ଼କି ଘଡ଼ି ସୁମରି ମନ୍ଥେ ତା ହୃଦୟ ଲୋ କୋଇଲି । ୪ ।

 

କୋଇଲି ! ଅଳତାରେ ରଞ୍ଜି ମୁଁ ପୟର ।

ଓଦାବାସେ ନଈ ତୁଠୁଁ ଫେରୁଥିଲି ଘର ଲୋ କୋଇଲି । ୫ ।

 

କୋଇଲି ! ଚଟୁଳ ନୟନ ମୋ ଥକିତ !

ଚାରୁ ଚନ୍ଦ୍ରାନନେ ତାଙ୍କ ହେଉଁ ନିପତତ ଲୋ କୋଇଲି । ୬ ।

 

କୋଇଲି ! ଛଳ କରି ଭାଷିଲେ ‘‘କଲେଜ !

ଛୁଟି କହିପାର ଅଛଇ କି ନାହିଁ ଆଜ ?’’ ଲୋ କୋଇଲି । ୭ ।

 

କୋଇଲି ! ଜୟ ହେଲା ଜାଣିଲି ଦୃଷ୍ଟିର ।

ଜଣାଇଲି ‘‘ଅଛି’’ ‘‘ଘେନନ୍ତୁ ମୋ ନମସ୍କାର’’ ଲୋ କୋଇଲି । ୮ ।

 

କୋଇଲି ! ଝରାଇଣ ବଚନ ଅମୃତ

ଝଟିତି ଭାଷିଲେ ‘‘ଧନ୍ୟବାଦ ମୋ ବହୁତ’’ ଲୋ କୋଇଲି । ୯ ।

 

କୋଇଲି ! ନୂଆ ଏହୁ ବାକ୍ୟ ବିନିମୟ ।

ନିବାଡ଼ ଯୋଡ଼ିଲା ଆମ୍ଭ ଯୁଗଳ ହୃଦୟ ଲୋ କୋଇଲି । ୧୦ ।

 

କୋଇଲି ! ଟିକାଏକି ଆଡ଼ ଚାହିଁ । ପୁଣ ।

ଟାଳି ଦିଅଇ ଏସନ ଯୁବା ନୂଆ ମନ ଲୋ କୋଇଲି । ୧୧ ।

 

କୋଇଲି ! ଠିକେ ମୁଁ କହୁଛି ଶୋଭା ମୂଲେ ।

ଠଣ-ମଧ୍ୟା ନୂଆ-ଉର କିଣି ଥାନ୍ତି ହେଲେ ଲୋ କୋଇଲି । ୧୨ ।

 

କୋଇଲି ! ଡର ତାଙ୍କୁ ନ ରହିଲା ଆଉ ।

ଡକାଇତ ହେଉଁ ଚିତ୍ତେ ହେଲେ ସେହୁ ପ୍ରହୁ ଲୋ କୋଇଲି । ୧୩ ।

 

କୋଇଲି ! ଢକ୍‌କା-ବଜା ହୋଇଲା ପୀରତି ।

ଢମ କହୁନାହିଁ ଢକ୍କା ଟାଣ କଲା ଛାତି ଲୋ କୋଇଲି । ୧୪ ।

 

କୋଇଲି ! ନିୟମ ମୁଁ କଲି ତୋ ପୁରତେ

ନାହିଁ ତାଙ୍କ ସମ କେହି ମୋର ଏ ମରତେ ଲୋ କୋଇଲି । ୧୫ ।

 

କୋଇଲି ! ତପସ୍ୟାର ଫଳ ସେ ମୋହର ।

ତପତ କନକ ଅଙ୍ଗ ମୁଲକ ତାଙ୍କର ଲୋ କୋଇଲି । ୧୬ ।

 

କୋଇଲି ! ଥିର ଶମ୍ପା ସରି ବାହୁବନ୍ଧେ ।

ଥାଇ ମୁଖେ ଚାହିଁ ହସିବାର ବେଳେ ମନ୍ଦେ ଲୋ କୋଇଲି । ୧୭ ।

 

କୋଇଲି ! ଦରଦୀ ଉର ସେ ତାଙ୍କ ଫେଇ ।

ଦାସ ସେ ମୋ ବୋଲି କେତେ କରନ୍ତି ବଡ଼ାଇ ଲୋ କୋଇଲି । ୧୮ ।

 

କୋଇଲି ! ଧୀରେ ପୁରି ଧରି ମୋ ଚିବୁକ ।

ଧୃତିହର ତହିଁ ତାଙ୍କ ଦେଖନ୍ତି ଶ୍ରୀମୁଖ ଲୋ କୋଇଲି । ୧୯ ।

 

କୋଇଲି ! ନିବିଡ଼ରେ କରି ଆଲିଙ୍ଗନ ।

ନିମିଷେ ଅମରାବତୀ କରି ସରଜନ ଲୋ କୋଇଲି । ୨୦ ।

 

କୋଇଲି ! ପାନ ସେ କରନ୍ତି ଜବାଧର ।

ପକ୍ଷ୍ମ ଚୁମ୍ୱନରେ ହେଲେ ହୁଏ ଜର ଜର ଲୋ କୋଇଲି । ୨୧ ।

 

କୋଇଲି ! ଫାଶେ ଧରା କୁରଙ୍ଗୀ ସମାନ ।

ଫାନ୍ଦେ ପଡ଼ ବାହୁ ବନ୍ଧେ ହରାଏଁ ମୁଁ ଜ୍ଞାନ ଲୋ କୋଇଲି । ୨୨ ।

 

କୋଇଲି ! ବହି ଗଲାଣି ତ ମାସ ଦୁଇ ।

ବନ୍ଧୁ କରିଗଲେ କଣ୍ଟ ହପ୍ତା ଦୁଇ ପାଇଁ ଲୋ କୋଇଲି । ୨୩ ।

 

କୋଇଲି ! ଭାବର ଭିଡ଼ ମୋ ଉରେ ହୋଇ ।

ଭାସିଯାଏ ଧୈର୍ଯ୍ୟ ବନ୍ଧା କାକୁ କହିବଇଁ ଲୋ କୋଇଲି । ୨୪ ।

 

କୋଇଲି ! ମହୀ ଅଳଙ୍କର ତାଙ୍କ ରୂପ

ମନ ରାଇଜର ସେ ମୋ ଏକଛତ୍ର ରୂପ ଲୋ କୋଇଲି । ୨୫ ।

 

କୋଇଲି ! ଯତନ ଯେ କବିଙ୍କ ଚାତୁରୀ ।

ଯୁବା କେ ଚିତ୍ରିଛି ନ ଜାଣେଁ ମୁଁ ତାଙ୍କ ସରି ଲୋ କୋଇଲି । ୨୬ ।

 

କୋଇଲି ! ରୁଚିର ସେ ରୁଚିରତମରୁ ।

ରୂପେ ମନୋହର ପୁଣି ରୂପ-ଦେବଠାରୁ ଲୋ କୋଇଲି । ୨୭ ।

 

କୋଇଲି ! ଲାବଣ୍ୟର ସେ ଅଧିଦେବତା ।

ଲହୁଲୀବୟସୀ ନେତ୍ର ପଙ୍କଜେ ସବିତା ଲୋ କୋଇଲି । ୨୮ ।

 

କୋଇଲି ! ବସନ୍ତ ସେ ବାମା-ହୃଦ-ବନେ ।

ବ୍ରହ୍ମ ଅସ୍ତ୍ର ଶୋଭାଙ୍ଗୀଙ୍କ ଦମ୍ଭ ବିନାଶନେ ଲୋ କୋଇଲି । ୨୯ ।

 

କୋଇଲି ! ଶୀତାଂଶୁ ସୁନ୍ଦର ଯୁବାମଣି ।

ଶୋଭାଦେବୀ ମଣିମୟ ହାରା ମଧ୍ୟମଣି ଲୋ କୋଇଲି । ୩୦ ।

 

କୋଇଲି ! ଷଟପଦ ବଦନ-କଞ୍ଜର ।

ଷୋଡ଼ଶୀ ମାରଣ ଅସ୍ତ୍ର ବିହି ଭିଆଣର ଲୋ କୋଇଲି । ୩୧ ।

 

କୋଇଲି ! ସରସିଜ-ବଦନ ତାଙ୍କର ।

ସୁମନା-କୁମାରୀ-ବ୍ରତ ଭଞ୍ଜନ ଭିଦୁର ଲୋ କୋଇଲି । ୩୨ ।

 

କୋଇଲି ! ହେବି, ଲତା ଉର ମହୀରୁହେ ।

ହଂସୀ ହେବି ତାଙ୍କ ଶୋଭା ସରିତ ପ୍ରବାହେ ଲୋ କୋଇଲି । ୩୩ ।

 

କୋଇଲି ! କ୍ଷୀଣାଙ୍ଗ ମୋ ଅଙ୍ଗେ ତାଙ୍କ ଢାଳି ।

କ୍ଷୟ ହୀନ ମିଳନରେ ଯିବଇଁ ମୁଁ ମିଳି ଲୋ କୋଇଲି । ୩୪ ।

 

୧ । କମଳେ-ପଦ୍ମଫୁଲରେ ।

୨ । ଖଣ୍ଡିତ ହୋଇଲା – ଭାଜିଗଲା ।

୩ । ମୁଦିର – ମେଘ; ଗେଲେ-ସ୍ନେହରେ; ଚିକୁର-କେଶ ।

୬ । ଚଟୁଳ-ଚଞ୍ଚଳ; ହେଉଁ ନିପତିତ-ପଡ଼ୁଁ ପଡ଼ୁଁ ।

୭ । ଛଳ କରି – ବାଆଁ ରେଇ ହୋଇ ।

୧୦ । ବାକ୍ୟ ବିନିମୟ-କଥାବାର୍ତ୍ତା; ନିବାଡ଼ି-ଟାଣ କରି ।

 

୧୧ । ଆଡ଼ଚାହିଁ – ବାଙ୍କ ଚାହାଣି; ଟାଳି ଦିଅଇ-ଅଥୟ କରିଦିଏ; ଯୁବାନୂ ଆମନ-ନୂଆ ପ୍ରେମରେ ଭର୍ତ୍ତି ହୋଇ ଆସୁଥିବା ଯୁବକମାନଙ୍କର ମନ ।

 

୧୨ । ଠିକେ-ଠିକ କରି; ଶୋଭାମୂଲେ-ନିଜର ସୌନ୍ଦର୍ଯ୍ୟ ବଳରେ; ଠଣମିଧ୍ୟା-ସୁନ୍ଦର କଟୀଥିବା ଯୁବତୀ; ନୂଆ-ଉର-ନୂଆ ପ୍ରେମରେ ଭର୍ତ୍ତି ହୋଇ ଆସୁଥିବା ଯବକଙ୍କ ଚିତ୍ତ ।

 

୧୩ । ଡର-ସଂକୋଚ; ପ୍ରହୁ-ପ୍ରଭୁ; ମାଲିକ ।

୧୪ । ଢକ୍‌କା ବଜା-ଚାରିଆଡ଼େ ପ୍ରକଟିତ, ଢମ କହୁନାହିଁ-ବଡ଼େଇ କରି କହୁ ନାହିଁ; ଢକ୍‌କା-ଡେଙ୍ଗୁରା (ଏଠାରେ ଆମ୍ଭ ଦୁହିଁଙ୍କ ପ୍ରୀତିର ଜନ ମୁଖରେ ପ୍ରଚାର)

 

୧୫ । ପୁରତେ-ଆଗରେ; ମରତେ –ପୃଥିବୀରେ ।

୧୬ । ତପତ-କନକ-ଅଙ୍ଗ-ନିଆଁରେ ଢାଉ ହୋଇଥିବା ସୁନାପରି ରଙ୍ଗ ବିଶିଷ୍ଟ ମୋ ଦେହ ।

୧୭ । ଥିରଶମ୍ପା-ମଞ୍ଚପୁରରେ ସ୍ଥକିତ ହୋଇ ରହିଯାଇଥିବା ବିଜୁଳି; ବାହୁବନ୍ଧେ-ଆଲିଙ୍ଗନରେ, ମନ୍ଦେ-ଆଳପ କରି ।

୧୯ । ଦରଦୀ-ପ୍ରେମମୟ; ଉର-ଚିତ୍ତ; ଫେଇ-ଫିଟାଇ; କରନ୍ତି ବଡ଼ାଇ-ଗର୍ବ କରନ୍ତି ।

୨୦ । ଧୃତିହର-ମୋ ଧୈର୍ଯ୍ୟକୁ ଯେ ନାଶ କରନ୍ତି ।

୨୧ । ନିବିଡ଼ରେ – ଗାଢ଼ଭାବରେ; ଅମରାବତୀ-ସ୍ୱର୍ଗ ।

୨୨ । ପକ୍ଷ୍ମ-ଆଖିପତା ।

୨୪ । ଭାବର ଭିଡ଼-ପ୍ରେମଭାବନାର ବାହୁଲ୍ୟ ।

୨୫ । ମହୀ ଅଳଙ୍କାର-ପୃଥିବୀର ଭୂଷଣ; ଏକଛତ୍ର ରୂପ-ସର୍ବେସର୍ବା; ଏକାଙ୍ଗ ଚକ୍ରବର୍ତ୍ତୀ ।

୨୬ । ଯତନ-ସୁନ୍ଦର; ଯୁବା କେ ଚିତ୍ରିଛି..ତାଙ୍କପରି ଯୁବକ କବିମାନେ ସୁଦ୍ଧା କଳ୍ପନା କରି ନାହାନ୍ତି ।

୨୭ । ରୁଚିର-ସୁନ୍ଦର; ରୁଚିରତମରୁ-ସବୁଠାରୁ ସୁନ୍ଦର ।

୨୮ । ରୂପଦେବ – ମଦନ ବା କାର୍ତ୍ତିକେଶ୍ୱର ।

୨୯ । ଅଧିଦେବତା-ଅଧିଷ୍ଠାତ୍ରୀ ଦେବତା; ଲହୁଲୀଲସୀ-ନୂଆ ବୟସୀ ଅଳ୍ପବୟସୀ; ପଙ୍କଜ-ପଦ୍ମ; ସବିତା-ସୂର୍ଯ୍ୟ ।

୩୦ । ଶୀତାଂଶୁ ସୁନ୍ଦର-ଚନ୍ଦ୍ରପରି କମନୀୟ, ମଧ୍ୟମଣି-ପଦକ ।

୩୧ । ଷଟପଦ-ଭ୍ରମର; ବଦନକଞ୍ଜ-ମୂଖପଦ୍ମ; ବିହଭିଆଣର-ବିଧାତା ସୃଷ୍ଟିରେ ।

୩୨ । ସୁମନା-ରମଣୀ; କୁମାରୀ ବ୍ରତ-ଅବିବାହିତା ରହିବା ରୂପ ସଂକଳ୍ପ; ଭଞ୍ଜନ-ଭାଙ୍ଗିବାକୁ, ଭିଦୂର-ବଜ୍ର ।

୩୩ । ଉର ମହୀରୂହେ-ଛାତିରୂପ ଗଛରେ; ସରିତ-ନଦୀ ।

୩୪ । ଅଙ୍ଗେ ତାଙ୍କ ଢାଳି – ତାଙ୍କ ଉପରକୁ ଆଉଜି ।

 

ମହାତ୍ମାଜୀ

(ରାଗ-କାମୋଦୀ)

(୧)

ଅଧୋଗତ ଏ ଦେଶ            ତବ ପଦ-ପରଶ

ଲଭି ହୋଇଲା ସଂଜୀବିତ

ମାନସ-ପକ୍ଷାଘାତ            ହେଲେ ତା ହେଲା ହତ

ନିଗଡ଼ ପୟରୁ ସ୍ଖଳିତ

ହେ ମହାତ୍ମାଜୀ !

ଭଲା ହୋଇଲ ଯାଦୁକର

ଉଚ୍ଚାରି ଅହିଂସା ମନ୍ତର,

ବଶ କଲ କେଶରୀ;            ହେବାକୁ ତୁମ୍ଭ ସରି

ନ ବହେ ମେଦନୀ ଅପର ।

ହେ ମହାତ୍ମାଜୀ ।

 

(୨)

କଷଣ କଣ୍ଟକର            ମୁକୁଟ ବହି ଶିର

ତିଆଗ-ଛଦ ପରିଧାନି

ଚାଳିଶ-କୋଟି ଜନ--            ଅନ୍ତର ସିଂହାସନ

ଈଶ୍ୱର ହୋଇଲି ବିଜ୍ଞାନି !

ହେ ମହାତ୍ମାଜୀ !

ପ୍ରଜ୍ଞାର ଆଲୋକେ ତୁମ୍ଭର

ଧରା ଏ ହୋଇଲା ଭାସ୍ୱର,

ଗୀତା, ବେଦ, ବେଦାନ୍ତ            ହେଲେ ବିଗ୍ରହବନ୍ତ

ଆଶ୍ରୟି ଜୀବନେ ତୁମ୍ଭର

ହେ ମହାତ୍ମାଜୀ !

 

(୩)

ଦଳିତର ମୁକତି--            ବ୍ରତେ ନିହଲ ମତି

ଭରିଲ ମୂକ-ମୁଖେ ଭାଷା

ଅଗଣିତ ଶତାବ୍‌ଦୀ            ପାଇଁ କି ଆହେ ସୁଧୀ !

ଗଲ ସରଜି କେତେ ଆଶା

ହେ ମହାତ୍ମାଜୀ !

ଦଳିତ-ଗଉରବ-ଦାତା

ମୁକତ-ଭାରତ-ବିଧାତା,

ଅସହାୟ ଅବଳ            ଜାତି ଆଶା କମଳ

ପ୍ରକାଶ କାରକ ସବିତା

ହେ ମହାତ୍ମାଜୀ ।

 

୧ । ଅଧୋଗତ-ଅବନତ; ହୋଇଲା ସଞ୍ଜୀବିତ-ନବଜୀବନ ଲାଭ କଲା; ମାନସ ପକ୍ଷାଘାତ-ମନର ନିର୍ଜୀବତା (Mental paralysis); ନିଗଡ଼-ବେଡ଼ି; ସ୍ଖଳିତ-ଖସିଗଲା; ଯାଦୁଗର-ମନ୍ତୁରିଆ; କେଶରୀ-ବ୍ରିଟିଶ ସିଂହ; ଅପର-ଆଉ ଜଣେ ।

 

୨ । କଷଣ କଣ୍ଟକର ମୁକୁଟ.....ଭାରତର ମୁକ୍ତି ପାଇଁ ବହୁ କଷଣ ଓ ବହୁ ନିର୍ଯ୍ୟାତନା ତୁମ୍ଭେ କରି ନେଇଛ, ତିଆଗ-ତ୍ୟାଗ; ଛଦ-ପୋଷାକ; ଈଶ୍ୱର-ଅଧିପତି; ଭାସ୍ୱର-ଉଜ୍ଜ୍ୱଳ; ଗୀତା, ବେଦ......--ଏ ସବୁର ନୀତିକୁ ତୁମ୍ଭେ ଜୀବନରେ ସଫଳ କଲି ।

 

୩ । ଦଳିତ – ଅତ୍ୟାଚାରିତ;

ତୁମ୍ଭେ ସମ୍ମାନ ଦେଇ ଅଛ; ମୁକତ ଭାରତ ବିଧାତା-ସ୍ୱାଧୀନ ଭାରତର ଜନକ; ସବିତା-ସୂର୍ଯ୍ୟ । ଦଳିତ-ଗଉରବ-ଦାତା-ଦଳିତମାନଙ୍କୁ ।

 

ମିନତି

(ରାଗ-ଚୋଖି)

ପାଠକ-ପାଠିକା ମୋର !            ମୁଁ ଅପଟୁ ମାଳାକର !

ଏ ସଂସାର ଆରାମର; ଦୋଷ ମୋ କ୍ଷମ;

ଅତୁଳ ମାଧୁରୀମୟ                  ମନୋଜ୍ଞ ସୁମନଚୟ

ତୋଳିବା ପାଇଁ କି ହାୟ ! ନୁହେଁ ମୁଁ କ୍ଷମ;

ଗୁନ୍ଥି ଆଜି ସୁମ ଅଧମ

ଘେନା ହେବା ପାଇଁ ତୁମ୍ଭ ରଚିଛି ଦାମ । ୧ ।

 

ମନୋଜ୍ଞ ଦିବ୍ୟ ସୁମନ            ନ କରି ପାରି ଚୟନ

ଭାଳଇଁ କବି ଜୀବନ ମୋ ଅକାରଣ

ଭବିଷ୍ୟତ ଯୁଗ ପାଇଁ            ନ ପାରେଁ ମୁଁ ପଠିଆଇ

ଚାଙ୍ଗୁଡ଼ି ମୋର ପୂରାଇ ବର ସୁମନ

ଏ-ମନୋଜ୍ଞ-ଯୁଗ-ମୁକୁର

କାହିଁ ଭାଗ୍ୟ ? ହେବ ଭଲା କବିତା ମୋର ? । ୨ ।

 

ହେ ଭବିଷ୍ୟ ନାରୀନର !            ଯବେକ ସୁଷମା ସାର

ନ ପାରେଁ ପେଷି ରସାର, ଲେଖନୀ ପୋତେ

ଲଭିଣ ଭାଗ୍ୟ-ପାହାର            ଭଗ୍ନପୋତ ବଣିଜାର

ବିଳପଇଁ ଅନିବାର ବେଳା ସୈକତେ

ପେଷଇଁ ଯା ଭେଳାରେ ଥୋଇ

ପହଞ୍ଚିବ ପାଶେ ତୁମ୍ଭ ଆଶା ମୋ ନାହିଁ । ୩ ।

 

ଭାଇ ଦକ୍ଷ ମାଳାକର !            ରଚିଛ ଯେ ଅବା ହାର

ନିଅ ରେ ଚଳାଇ ମୋର ରଚନା ଦୀନ

ମାଡ଼ି ନାହିଁ ପାଦ ମୋର            ଯଶୋମନ୍ଦିର-ଦୁଆର

ନୁହଇ ମୋରେ ଗୋଚର ସେ ସିଂହାସନ

ବସି ଯହିଁ ଜନନୀ ବାଣୀ

ଦିଅନ୍ତି ଭକତଜନେ ଜଇତ୍ର-ମଣି । ୪ ।

 

୧ । ଅପଟୁ-ଅପାରଗ, ମାଳାକର-ମାଳୀ; ଆରାମ-ବଗିଚା; ମନୋଜ୍ଞ-ସୁନ୍ଦର; ସୁମ-ଫୁଲ, ଅଧମ-ନିକୃଷ୍ଟ; ଦାମ-ହାର

୨ । ବର – ଶ୍ରେଷ୍ଠ ।

 

୩ । ଯବେକ-ଟିକିଏ ହେଲେ, ସୁଷମାସାର-ଶ୍ରେଷ୍ଠ ଶୋଭା; ରସା-ପୃଥିବୀ; ଲେଖନୀ ପୋତ-ମୋ କଲମ ରୂପ ଜାହାଜରେ; ଭାଗ୍ୟ ପାହାର-ବୁର୍ଦ୍ଦୈକର ଦଣ୍ଡ; ଭଗ୍ନ ପୋତ-ଯାହା ଜାହାଜ ଭାଜି ଯାଇଛି; ବଣିଜାର-ବଣିକ; ଅନିବାର-ଅନବରତ; ବେଳା-ସୈକତେ-ଉପକୂଳ ବାଲିରେ ।

୪ । ଦକ୍ଷମାଳାକର-ଯଶ୍ୱସୀ କବିମାନେ; ଜୈତ୍ରମଣି-ଜୟ ଦାୟକ ମଣି ।

 

ସମାପ୍ତ