ବୃହତ୍‌

ଭଜନମାଳା

ସନ୍ଥକବି ଭୀମ ଭୋଇ

 

ପ୍ରଥମ ଭାଗ

(୧)

ବୋଲାଅ ଅତିଥି ବେଶ, ଦୁଃଖ ମୁଁ କହିବି କିସ ।।ପଦ।।

ଦେଖିଣ ଅଦ୍ଭୁତ ରୂପ      ମନକୁ ଲାଗୁଛି ତ୍ରାସ୍ତ

ଚିଆଁ ଚଇତନ ଜୀବ

ଉଡ଼ି ଯାଉଛି ଆକାଶ ।।୧।।

ନ ଭୁଞ୍ଜିଣ ଛଡ଼ରସ,      ତେଜି ଶୁକ୍ଳ ଝୀନବାସ

ଭୂମି ଆସନେ ଶୟନ

ଅଙ୍ଗକୁ ହେଲାଣି ପ୍ରାସ ।।୨।।

ରହୁ ନବଖଣ୍ଡ ମହୀ,      ଧର୍ମବଳେ ରକ୍ଷା ପାଇ,

କଷା ବସ୍ତ୍ର ଆଭରଣ

ଧର୍ମ ହେଲାଣି ପ୍ରକାଶ ।।୩।।

ଦିବସ ରଜନୀ ତହିଁ,      କ୍ଷଣେ ଦଣ୍ଡେ ସୁସ୍ଥ ନାହିଁ,

ଦେଖି ବୁଦ୍ଧ ଅବତାର

କାନ୍ଦୁଛନ୍ତି ତୁମ୍ଭ ଦାସ ।।୪।।

ଛପ୍ନା କୋଟି ଜୀବଜନ୍ତୁ      ଯେଉଁ ପୁରୁଷର ହେତୁ,

ଚାହିଁଦେଲେ ପରିତ୍ରାଣ

ଆଜ୍ଞାରେ ପୁର ଏକ୍ୱୈଶ ।।୫।।

ଉତ୍ତରାଇ ଜଟାଭାର,      ଲାବଣ୍ୟ ମୂରତି ଧର,

ଭଣେ ଭୀମ ଅରକ୍ଷିତ

ରତ୍ନ ସିଂହାସନେ ବସ ।।୬।।

 

(୨)

ଶୂନ୍ୟ ମନ୍ଦିରେ ବିହାର, ରୂପରେଖ ନାହିଁ ଯାର ।

ଦୂତିପାଦ ନ ମିଶାଇ ଏକ ପାଦ ଧର ଧର ।। ଘୋଷା ।।

ଅଲେଖ ପାଟଣା ପୁର      ସେଠାବରେ ତାଙ୍କ ଘର

ନାହିଁ ଶରଦ ଉଷୁମ

ସାଧୁଜନେ ହେତୁ କର ।।୧।।

ନିରାମିଷ ନିଅଇଣ୍ଠା      ପିଉଥିଲେ ଲାଗେ ମିଠା

ଅଦେଖା ଅନାମେ ସ୍ୱାଦ

ଏମନ୍ତ ସେ ସୁଧାଧାର ।।୨।।

ଦେଖି ତା ଛଟକ ଚାଲି      ଜ୍ଞାନୀ ମରୁଛନ୍ତି ଭାଳି

ଚକ୍ଷୁ ମଟକରୁ ବେଗ

ବିଜୁଳିରୁ ଅତି ଖର ।।୩।।

ତାହାଙ୍କୁ ଯେବଣ ଜନ      ନିର୍ବେଦେ କରେ ଦର୍ଶନ

ଅଖଣ୍ଡିତ ବ୍ରହ୍ମେ ଲୀନ

ଜନ୍ମ ମରଣରୁ ପାର ।।୪।।

କ୍ରିୟା କର୍ମ ନ ଲାଗଇ      ସାଧୁ ସଙ୍ଗ କଲେ ପାଇ

ଦୀକ୍ଷା ତା ନିଷ୍କାମ ଧର୍ମ

ଭଜନ ଅଣ ଅକ୍ଷର ।।୫।।

ଯେଉଁଠାରେ ବ୍ରହ୍ମ ଅଛି      ଉଦେ ଅସ୍ତ ନାହିଁ କିଛି

କହେ ଭୀମ ଅରକ୍ଷିତ

ନିଗମ ସେ ଅଣାକାର ।।୬।।

 

(୩)

ଅଭୟପୁର ମଣ୍ଡଳ, ନାହିଁ ଅନ୍ଧାର ଉଜ୍ଜ୍ୱଳ ।

ଅଜପା ଅଲେଖ ବ୍ରହ୍ମ ନାହିଁ ତାଙ୍କ ସ୍ଥିତି ଠୁଳ ।

ନାମ ଯହିଁରେ ଦୁଆରୀ      ଭରସା ଅଛି କାହାରି

ନିରାମୟ ବ୍ରହ୍ମ ଯେହୁ

କି ମିଳିବ ସ୍ଥଳ କୂଳ ।।୧।।

ସୁସତ୍ୟ ଯହିଁରେ ଦୀପ      ଲକ୍ଷ୍ୟ ଦେବା କେଉଁ ରୂପ

ଅକଳ୍ପଣା ଅଣାକାର

ଆପେ ଆପଣେ ନିର୍ମଳ ।।୨।।

ଧର୍ମ ଯାର ବାମ କରେ      ସେ କି କାହାକୁ ପଚାରେ

ଉଦେଛନ୍ତି ଏତେବେଳେ

ବାନା କି ହେବ ବିଫଳ ।।୩।।

ସେବା ଯାର ନଖ କୋଣ      ଭକ୍ତ ହେବ କେଉଁ ଜନ

ପାଇଛ ଦୁର୍ଲ୍ଲଭ ତନୁ

ଆଶ୍ରିତ ହୁଅ ସକଳ ।।୪।।

ମୁକ୍ତି ଯାର ପୃଷ୍ଠ ଭାଗେ      ସେ କି ଭାବ ଭକ୍ତିମାର୍ଗେ

ଅଲେଖ ଯେବଣ ପଦ

ଅଣ ଆକାରେ କୁଶଳ ।।୫।।

ଏବେ ସେହୁ ବ୍ରହ୍ମ ଦେଖ      ପ୍ରବୁଦ୍ଧ ମୂରତି ରୂପ

କହେ ଭୀମ ଅରକ୍ଷିତ

ସମସ୍ତେ ଧରିବା ଚାଲ ।।୬।।

 

(୪)

ଶୂନ୍ୟ ବ୍ରହ୍ମକୁ ହେ, ଦେଖିବ

ଯେମନ୍ତେ ଜ୍ଞାନ ଡୋଳେ ।

କଳ୍ପନାକୁ କାଟି      ଜନ୍ମ ମୃତ୍ୟୁ ମେଣ୍ଟି

ଏକ୍ୱୈଶ ପୁରକୁ ଜିଣିଗଲେ ।। ଘୋଷା ।।

ଅନନ୍ତ ବାସୁକୀ      ଅଷ୍ଟକୁଳା ନାଗ

ସପତ ସିନ୍ଧୁକୁ ଡେଇଁଗଲେ ।

ଚଉଦ ବ୍ରହ୍ମାଣ୍ଡ      ପୃଥ୍ୱୀ ନବଖଣ୍ଡ

ଅନୁଭବ ସୂତ୍ରେ ବୁଝିଥିଲେ ।।୧।।

ତିନି ସତାଇଶ      ଏକ୍ୱୈଶ ଭୁବନ

ସେ ଜିଣିପାରିବ ଏକାବେଳେ ।

କାଳିବାସୀ ନୁହେଁ      ଏକ ବ୍ରହ୍ମପାଦ

ସ୍ୱଦେହରେ ମିଳେ ତତକାଳେ ।।୨।।

ଦାରୁ ପ୍ରତିମା ମୂର୍ତ୍ତି-      ଦେବୀ ଦେବତା

ସବୁଠାରୁ ଚିତ୍ତ ଛାଡ଼ିଦେଲେ ।

ମନ୍ତ୍ର ଯନ୍ତ୍ର ତନ୍ତ୍ର      ଚାରିବେଦ ସବୁ

ଏମାନଙ୍କୁ ଏଡ଼ି ଚାଲିଗଲେ ।।୩।।

ନବଲକ୍ଷ ତାରା      ବିରାଟ ସୁରାଟ

ମହାରାଟ ସବୁ ପଛ କଲେ ।

ପୃଥ୍ୱୀ ଆପ ତେଜ      ବାୟୁ ଯେ ଆକାଶ

ଏମାନଙ୍କୁ ଟିକେ ନ ଚାହିଁଲେ ।।୪।।

ପଡ଼ିଅଛି ବଜ୍ର      କିଳଣୀ କବାଟ

ସକାଳ ନିଷ୍କାମ ଦୁଇ ମେଳେ ।

କାମନା କଳ୍ପନା      ସେଠାରୁ ଛିଡ଼ୁଛି

ସକାମରେ ନ ପଡ଼ିଲଷ ଭୋଳେ ।।୫।।

ଠୁଳ ଶୂନ୍ୟପରେ      ଅମନ ମନ୍ଦିରେ

ତହିଁକି ବଚନ ନାହିଁ ଚଳେ ।

ତର ତର ହୋଇ      ବୋଲେ ଭୀମ ଭୋଇ

ପଡ଼ି ଶ୍ରୀଗୁରୁଙ୍କ ପାଦତଳେ ।।୬।।

 

(୫)

ଧର ଦୃଢ ବନ୍ଧେ ସର୍ବେ ସେହି ସେ କରତା ।

ନ କର ଚିନ୍ତା ।। ଘୋଷା ।।

ଗତି ପତି ପ୍ରାଣ ଭକ୍ତ ହିତା ।

ବର୍ଗ ବନ୍ଧୁ ତାତ ମାତ

ସେ ଇଷ୍ଟ ଦେବତା ।।୧।।

ଧନ ଦାରା ସୁତ ପଡ଼ି ଦାତା ।

ଛପ୍ନାକୋଟି ଜୀବ

ପିଣ୍ଡ ବ୍ରହ୍ମାଣ୍ଡ ଗଢନ୍ତା ।।୨।।

କର୍ମ ଧର୍ମ ଦାନ ଧ୍ୟାନ ଜିତା

ଜପ ତପ ତୀର୍ଥ

ବ୍ରତ ଉପରେ ଶକତା ।।୩।।

ପୂର୍ଣ୍ଣ ଅଖଣ୍ଡିତ ବ୍ରହ୍ମବେତ୍ତା ।

ରବି ତଳେ ଯୁଗେ ଯୁଗେ

ରୁହାଇବେ କଥା ।।୪।।

କରିଛନ୍ତି କଷା ବସ୍ତ୍ର ଗନ୍ଥା ।

ସ୍ୱଦେହରେ ଉଦେ ହୋଇ

ପୃଥିବୀ ଧରନ୍ତା ।।୫।।

ଭଣେ ଭୀମ ଭୋଇ ଅରକ୍ଷିତା ।

ନାମବ୍ରହ୍ମ ଭଜି ହୁଅ

ସକଳେ ସଚେତା ।।୬।।

 

(୬)

ଡାକ ମୁଖେ ସ୍ୱାମୀ ନିଜ ମହିମା ନାମକୁ,

ଶୂନ୍ୟ ବ୍ରହ୍ମକୁ ।। ଘୋଷା ।।

ଯୁଗ ଶେଷ ହେଲାଦେଖୁ ଦେଖୁ ।

ଏତେବେଳେ ନ ଲୋଡ଼ିଲେ

ନ ମିଳେ ଆଗକୁ ।।୧।।

ଧର୍ମ କେହି ନାହିଁ ଚିହ୍ନିବାକୁ ।

ଦ୍ୱାରେ ଦ୍ୱାରେ ଯାଚୁଛନ୍ତି

ମୁକତି ପଦକୁ ।।୨।।

ଫିଙ୍ଗି ଦେଉଛନ୍ତି ଅଲଗାକୁ ।

ଧନ୍ୟ କଳିଯୁଗେ ବାନା

ଉଦେ କି ଭାଗ୍ୟକୁ ।।୩।।

ନରେ ନ ଭଜୁଛ ଅଲେଖଙ୍କୁ ।

ସାଧୁ ସୁଜ୍ଞଜନେ

ଦୋଷ ନ ଦେବ ପ୍ରଭୁଙ୍କୁ ।।୪।।

ସର୍ବେ ମାଗୁଛନ୍ତି ପରୀକ୍ଷାକୁ ।

ସାବଧାନେ ସମ୍ଭାଳି ଥାଅ

ଏ ପିଣ୍ଡ ପ୍ରାଣକୁ ।।୫।।

ମୋର ଶକ୍ୟ ନାହିଁ ବର୍ଣ୍ଣିବାକୁ ।

ସ୍ୱାମୀ ଦୟା ରଖିଥିବେ

ଭୀମ ଅର୍କ୍ଷିତକୁ ।।୬।।

 

(୭)

ବ୍ରହ୍ମ ହୁଅ ପରକାଶ,

ପିଣ୍ଡ ବ୍ରାହ୍ମଣ ଦୂରିତ ଝଟତିରେ ନାଶ ।। ଘୋଷା ।।

ଅଲେଖ ଅରୂପ ଅଟ ଶୂନ୍ୟାଦି ପୁରୁଷ,

କେଉଁ ପାଦ ସେବା କରି ବୋଲାଇବି ଦାସ ।।୧।।

ନାମ ନାହିଁ ଅନାମିକା ଅବର୍ଣ୍ଣ ଅଦୃଶ୍ୟ,

କି ରୂପ ଚିହ୍ନିବି ଯା‘ର ମହିମା ଅଶେଷ ।।୨।।

ଅବ୍ୟକତ ନିଶବଦ ନାହିଁ ବେଦ ଲେଶ,

କବିକୃତେ ବର୍ଣ୍ଣିବାକୁ ନ ସ୍ଫୁରେ ସାହସ ।।୩।।

ଇଚ୍ଛାବିହାରୀ କରତା କରୁଣା ବିଳାସ,

କି ବୋଲି ଠାବ କରିବି ଭକ୍ତ ଭାବେ ଦଶ ।।୪।।

ସୁଦୟା ହୋଇଲେ ସିନା ହେବ ମୋତେ ଦୃଶ୍ୟ,

ଶୁଣ ନ ଶୁଣ ଗୁହାରି କରିଅଛି ଆଶ ।।୫।।

ସତେ ଯେବେ ଅନ୍ତର୍ଯ୍ୟାମୀ ଭକତ ବିଶ୍ୱାସ,

ଭଣେ ଭୀମ ଅରକ୍ଷିତ ଜଣାଇବି କିସ ।।୬।।

 

(୮)

କିମ୍ପା ଦେଉଛି କଷଣ,

ମାୟା ମୋହ ଧନ୍ଦେ ପଡ଼ି ହେଲି ଅକାରଣ ।। ଘୋଷା ।।

ନ ଗଲା ପୂର୍ବ ଦୁର୍ଦ୍ଦଶା ଅଭାଗ୍ୟର ଗୁଣ,

କେ ଆନ କରିବ ମୋର କର୍ମର ଲିଖନ ।।୧।।

ପୋଡ଼ୁଅଛି ପିଣ୍ଡ ପ୍ରାଣ ଆଶା ଯେ ସ୍ୱପନ,

ବେନି ନୟନରୁ ଅଶ୍ରୁ ବହେ ଘନ ଘନ ।।୨।।

ଏ ମୃତ୍ୟୁ ଶରୀର ଗୋଟା ପୁଷ୍ପକ ଯେସନ,

ଭରସା ନ ଦିଶୁଅଛି ହେବାକୁ କାରଣ ।।୩।।

ରଖ ଅଭୟ ଚରଣେ ସମ୍ଭାଳି ଶରଣ,

ଗୁରୁଦେବ ଥାଉଁ ଥାଉଁ ହେଲାଣି ମରଣ ।।୪।।

କର୍ମକାଣ୍ଡ ପ୍ରକୃତିରେ ପଡ଼ି ଅନୁକ୍ଷଣ,

ଦୋଷ ଅପରାଧ ଖଣ୍ଡିକର ପରିତ୍ରାଣ ।।୫।।

ଦିବସ ରଜନୀ ଭାବି ନ ସରଇ ଦିନ,

ଗୁରୁ ପାଦ ପଦ୍ମେ ଧ୍ୟାୟି ଭଣେ ଭୀମ ହୀନ ।।୬।।

 

(୯)

କୃପା କର ମହାବାହୁ

ଆଜ୍ଞାରେ କୋଟି ଜନ୍ମ ଦୁଃଖ ଯାଉ ହେ

।। ଘୋଷା ।।

ଜଗି ବସି କାଳ, କରୁଛି ଦୁର୍ବଳ,

ଯେସନେ ଖାତକ ସାହୁ ।

ସଂସାର ସାଗରେ, ପଡ଼ି ନିରନ୍ତରେ,

ବୁଦ୍ଧି ଦିଶୁନାହିଁ ଆଉ ଯେ ।।୧।।

ଘଟେ ଘଟେ ବାସ, ଏ କଳି ପୁରୁଷ,

ତା’ର ବଡ଼ିମା କେ କହୁ ।

ମାୟାଜାଲ ପ୍ରାୟେ, ଆବୋରିଛି କାୟେ,

ସତ୍ୟ ଧର୍ମ ଥାଉଁ ଥାଉଁ ଯେ ।।୨।।

ଏ ପିଣ୍ଡ ବ୍ରହ୍ମାଣ୍ଡ, ହୋଇ ଖଣ୍ଡ ଖଣ୍ଡ,

ଦମ୍ଭେ ରହୁ ନାହିଁ ଆଉ ।

ଦିବସ ରଜନୀ, ପକାଉଛି ହାଣି,

ମାୟା କଳ୍ପକାଳ ରାହୁ ଯେ ।।୩।।

ଅବନା ମନ୍ଦିରୁ, ପ୍ରଭୁ ଶ୍ରୀଛାମୁରୁ,

ରକ୍ଷା ବାରେ ମାତ୍ର ହେଉ ।

ନୋହିଲେ କରୁଣା, ଭାସିଯିବୁ ସିନା,

ସମ୍ଭାଳି ଧରିବ କେହୁ ଯେ ।।୪।।

ଜଗତ ଭଗତ, ହେଲେ ବିମୋହିତ,

କୃପାକର ତୁମ୍ଭେ ତହୁଁ ।

ଜଣାଇଲି ଯେତେ, ଶୁଣ ଶ୍ରୁତିପଥେ,

ଭକ୍ତବାନା ଯେବେ ବହୁ ଯେ ।।୫।।

ଏ କଳିଯୁଗରେ, ଉଦ୍ଧାରି ନେବାରେ,

କୃପାରେ ସାଗର ଯେହୁ ।

ଭଣେ ଭୀମ ହୀନ, ପାମର, ଅଜ୍ଞାନ,

ଗୁରୁପାଦେ ଚିତ୍ତ ରହୁ ଯେ ।।୬।।

 

(୧୦)

କରୁଅଛି ମୁଁ ବିନତି ।

ଶୂନ୍ୟ ଅଭୟ ପୟର ଚିନ୍ତି ଯେ ।। ଘୋଷା ।।

ଲଗାଇଛି ଲୟେ, ଗୁରୁ ପଦ୍ମ ପାୟେ,

ନ ଜାଣଇ ଦିବାରାତି ।

କଳିଯୁଗେ ମୁଁ ତ, ନର ଅଙ୍ଗେ ଜାତ,

ଅଟେ ଅଳପ ଶକତି ଯେ ।।୧।।

ନାନା କର୍ମେ କରି, ଚେତା ନ ସୁମରି,

ନୁହଇ ଗୁରୁ ଭକତି ।

ଅନୁକ୍ଷଣେ ମୋତେ, ସୁସ୍ଥ ନାହିଁ ଚିତ୍ତେ,

ବିଷୟା ଧନ୍ଦାରେ ମାତି ଯେ ।।୨।।

ନ ପଶେ ହୃଦୟେ, ନ ଭେଦଇ କାୟେ,

ନାହିଁ ମୋର ଜ୍ଞାନଗତି ।

କାଳ ଖଡ଼୍‌ଗ କାଟି, ପକାଉଛି ବାଣ୍ଟି,

ମନ ପଚିଶ ପ୍ରକୃତି ଯେ ।।୩।।

ନିଶବଦ ଘରୁ, ଉଦେ ହେଲେ ଗୁରୁ,

ବିଜେ କଲେ ଏ ଧରିତ୍ରୀ ।

ସଂସାର ସାଗରେ, ଦିଗ ଦିଗାନ୍ତରେ,

କଳି ଘୋଟିଅଛି ପୃଥ୍ୱୀ ଯେ ।।୪।।

ଦେଖ ଦେଖ ପ୍ରଭୁ, ପାପକର୍ମ ଯୋଗୁଁ,

ହୋଇଲାଣି ଅପକୀର୍ତ୍ତି ।

ଏ ପିଣ୍ଡ ବ୍ରହ୍ମାଣ୍ଡ, ଯେମନ୍ତେ ରହିବ,

ଭାରା ଛେଦି କର ସ୍ଥିତି ଯେ ।।୫।।

ଅଶେଷ ଭୁବନ, ଶୁଣ ସର୍ବଜନ,

ଡାକ ଦେଉଅଛି ନିତି ।

ଭଣେ ଭୀମହୀନ, ପାମର ଅଜ୍ଞାନ,

ଗୁରୁପାଦେ ଦେଇ ମତି ଯେ ।।୬।।

 

(୧୧)

କ୍ଷମା କର ଅପରାଧ ।

ଛପ୍ନାକୋଟି ଜୀବଙ୍କୁ ସମ୍ପାଦ ଯେ ।। ଘୋଷା ।।

ପ୍ରକୃତିରେ ଜୀବ ପଡ଼ି ଭବାର୍ଣ୍ଣବ ଭକ୍ଷୁଅଛି ମାଂସ ମଦ ।

ଏହାଙ୍କର ଦୋଷ ଧଇଲେ କି ହେବ

ଗୁରୁ ତ ପରମ ଆଦ୍ୟ ଯେ ।।୧।।

ଜଙ୍ଗମ ହୋଇ ଏ କିଛି ନ ଜାଣନ୍ତି ବେଦ ପୁରାଣର ଭେଦ ।

ୟାଙ୍କୁ କୋପ କଲେ କି କାର୍ଯ୍ୟ ହୋଇବ

ମନେ ନ ଧର ବିଶାଦ ଯେ ।।୨।।

ସ୍ଥାବରମାନେ ଯେ କିପରି ଜାଣିବେ ପରଂବ୍ରହ୍ମର ସମ୍ବାଦ ।

ସଂହାରଣ କଲେ କି ଯଶ ରହିବ ଚକ୍ରରେ

ନ କର ଛେଦ ଯେ ।।୩।।

କୀଟପଖାନି କିସ ନାମ ଜାଣନ୍ତି ଲୁଚନ୍ତି ବିଳର ମଧ୍ୟ ।

ଅଜ୍ଞାନୀ ପ୍ରାଣୀକି କିମ୍ପାଇଁ ନାଶିବ

ଆପେ ବୁଝି ହୁଅ ବୋଧ ଯେ ।।୪।।

ପତଙ୍ଗ ଜାତି କେଉଁ ଭକ୍ତି ଜାଣନ୍ତି ଆକାଶରେ ତାଙ୍କ ନାଦ ।

ନିର୍ଦ୍ଦୋଷୀ ଜନଙ୍କୁ ଛାଡ଼ିକରି ସ୍ୱାମୀ

ଅସାଧ୍ୟକୁ କର ସାଧ୍ୟ ଯେ ।।୫।।

ଭାସି ଯାଉଛନ୍ତି କୂଳେ ନ ଲାଗନ୍ତି ଅଗାଧ ସାଗର ହ୍ରଦ ।

ଭଣେ ଭୀମହୀନ ପାମର ଅଜ୍ଞାନ

ଧାୟି ଏକାକ୍ଷର ପାଦ ଯେ ।।୬।।

 

(୧୨)

ଭଜ ଅଲେଖ ବ୍ରହ୍ମଙ୍କୁ ।

ଈଶ୍ୱର ଧ୍ୟାୟି ଅଛନ୍ତି ଯେଉଁ ନାମ ଅଜପାକୁ ।। ଘୋଷା ।।

ଦିବାନିଶି ହରିହର       ଧ୍ୟାୟିଛନ୍ତି ଯା ପୟର

ସେ ପାଦକୁ ଚିହ୍ନି ଧର ଛେଦ

ମୋହନ ମଦକୁ ।।୧।।

ଏକାକ୍ଷର ଥାଅ ଧ୍ୟାୟି      ଯୁଗେ ଯୁଗେ ଥିବୁ ରହି

ଜନ୍ମ ମୃତ୍ୟୁ ନ ଲାଗଇ

ଚିହ୍ନି ଧର ଧର ତାଙ୍କୁ ।।୨।।

ଛାଡ଼ି ଏ ସକଳ ଦ୍ୱନ୍ଦ୍ୱ      ଭଜ ଏକା ନିରିବେଦ

ଛପ୍ନାକୋଟି ଜୀବଜନ୍ତୁ

ନ ଚିହ୍ନି ସ୍ୱାମୀ ପାଦକୁ ।।୩।।

ଚାରିବେଦ ଚାରିଗ୍ରନ୍ଥ      କୀଟ ପତଙ୍ଗ ଯେ ଯୁକ୍ତ

ଶୁଷ୍କ ପତ୍ର ସଙ୍ଗେ ଲକ୍ଷ୍ୟ ଛାଡ଼ି

ଜପ ଅଜପାକୁ ।।୪।।

ଚାଣକ୍ୟଽବିଧାନ ପାଠ      ଏସବୁ ଅଟନ୍ତି ଶାଠ

ସାରସ୍ୱତ ବ୍ୟାକରଣ ତେଜି

ଜପ ଅରୂପକୁ ।।୫।।

ଏକାଦଶ ଯାହା କହି      ମାତାର ପଦ୍ମ ସେ ହୋଇ

ତହିଁରେ କି ଲାଭ ପାଇ ଛାଡ଼ି

ଜପ ନିର୍ବେଦକୁ ।।୬।।

ନ ଭଜ ନର ବିଷ୍ଣୁଙ୍କୁ      ନ ଭଜ ବୃନ୍ଦାବତୀଙ୍କୁ

ମାୟା କଳ୍ପଣାଟି ସେହି ଚିହ୍ନି

ଧର ନିଗମକୁ ।।୭।।

ଅଷ୍ଟାଦଶ ପୁରାଣିକ      ଏ ସର୍ବେଟି ଅବିବେକ

ଗତିମୁକ୍ତି କିଛି ନାହିଁ ତେଜି

ଧର ଅନାମକୁ ।।୮।।

ଭଣିଲେ ଯେ ଭୀମକନ୍ଧ      ପଦ ଅଟଇ ବିଚ୍ଛନ୍ଦ

ଜ୍ଞାନୀଜନେ ଚିହ୍ନି ଧର ଭଜ

ଅନାମ ରୂପକୁ ।।୯।।

 

(୧୩)

ଭଜ ଅବର୍ଣ୍ଣ ରୂପକୁ ।

ବର୍ଣ୍ଣି ନାହାନ୍ତି ଯୋଗୀଏ ଅବର୍ଣ୍ଣିକା ପୁରୁଷକୁ ।। ଘୋଷା ।।

ସାରଳା ଯେ ସିଦ୍ଧମୁନି      ବର୍ଣ୍ଣି ନ ପାରିଲେ ପୁଣି

ଅରୂପ ଅବ୍ୟୟ ନାମ

ଚିହ୍ନି ଧର ତାଙ୍କୁ ।।୧।।

ନାରଦ ଅଗସ୍ତି ମୁନି      କଣ୍ୱ କପିଳ ଏ ତିନି

ଯୋଗଧ୍ୟାନେ ମନଦେଇ

ଦୃଶ୍ୟ ନ ପାଇଲେ ଯା’ଙ୍କୁ ।।୨।।

ବ୍ରହ୍ମାଏ କରିଣ ଧ୍ୟାନ      ନ ପାଇଲେ ଯନ୍ତ୍ର ଶୂନ୍ୟ

ଚାରିବେଦରେ ଲୋଡ଼ିଲେ

ଅଭୟ ବ୍ରହ୍ମ ପାଦକୁ ।।୩।।

ଚାରିବେଦେ ନାହିଁ ସେହୁ      ଲୋଡ଼ିଲେ ପାଇବେ କାହୁଁ

ଛଡ଼ବେଦ ନ ଭେଟନ୍ତି

ଅବର୍ଣ୍ଣିକା ପୁରୁଷକୁ ।।୪।।

ଏ ଦେହରେ ରହିଅଛି      ଚିହ୍ନି ଧର ଧର ବାଛି

ଯେ ଚିହ୍ନି ପାରିବ ତାଙ୍କୁ

ରହିବ ଚାରି ଯୁଗକୁ ।।୫।।

ଭଣିଲେ ସେ ଭୀମବନ୍ଧ      ଖୋଜୁ ଅଛି ସ୍ୱାମୀ ପଦ

ପାଉ ନାହାନ୍ତିଟି ଅନ୍ତ

ଅନାମିକା ପୁରୁଷକୁ ।।୬।।

 

(୧୪)

ଭଜ ଅଲେଖ ରୂପକୁ ।

ଶୂନ୍ୟ ବ୍ରହ୍ମେ ଚିତ୍ତ ଦେଇ ଭଜ ଅରୂପ ରୂପକୁ ।। ଘୋଷା ।।

ଅଲେଖ ରୂପକୁ ଯେହି      ନିରନ୍ତରେ ଭାବୁଥାଇ

ତା ପାଦେ ଶରଣ ମୋର

ଧ୍ୟାୟି ଅରୂପାନନ୍ଦକୁ ।।୧।।

ଚାରିଯୁଗେ ଚାରିବେଦେ      ନ ସେବିଲେ ସ୍ୱାମୀପାଦେ

ଛପ୍ନାକୋଟି ଜନ୍ତୁଜୀବ

ଚିହ୍ନି ନ ପାରିଲେ ଯା’କୁ ।।୨।।

ଚାରି କର୍ମ ଚାରି ଧର୍ମ      ନ ପାଇଲେ ବ୍ରହ୍ମଜ୍ଞାନ

ଛଡ଼ଋତୁ ଦିବା ନିଶି

ଅନ୍ତ ନ ପାଇଲେ ଯା’କୁ ।।୩।।

ସିଦ୍ଧାନ୍ତୀ ଯୋଗାନ୍ତୀ ଯୋଗୀ      ଦେବାନ୍ତୀ ନାଗାନ୍ତୀ ଭୋଗୀ

କୋଟି କୋଟି ତପ କରି

ଦେଖି ନ ପାରିଲେ ଯା’କୁ ।।୪।।

ନବ ଲକ୍ଷ ତାରାଗଣ      ଗମି ନ ପାଇଲେ ଜ୍ଞାନ

ଚନ୍ଦ୍ର ସୂର୍ଯ୍ୟ ଚାରିଦିଗ

ନ ପାଇ ଆଦ୍ୟ ମଧ୍ୟକୁ ।।୫।।

ତେତିଶ କୋଟି ଦେବଗଣ      ଯୋଗୀ ଋଷି ରୁଦ୍ର ଜାଣ

ରାମକୃଷ୍ଣ ବଳଦେବ

ନ ଚିହ୍ନି ସ୍ୱାମୀ ପାଦକୁ ।।୬।।

ଭଣିଲେ ଯେ ଭୀମକନ୍ଧ      ଅରୂପ ପୟର ବିନ୍ଦ

ଧ୍ୟାୟି ଅଛି ହୃଦଗତେ

ଅଲେଖ ବ୍ରହ୍ମ ପାଦକୁ ।।୭।।

 

(୧୫)

ଭଜ ଆହେ ଜ୍ୟୋତିନାଦ କରୁଛି ବୀଣା ଶବଦ ।

ଶବଦ ଉପରେ ରହିଅଛିଟି ନିର୍ବେଦ ।। ଘୋଷା ।।

ବେଦର ଉପରେ ବେଦ      ରହିଅଛିଟି ନିର୍ବେଦ

ନିର୍ବେଦ ଉପରେ ଅଛ ଅଣାକାର ପଦ ।।୧।।

ଅଣାକାର ପାଦ ବିନ୍ଦ      ଗଳୁଅଛି ମକରନ୍ଦ

ଧ୍ୟାନ କରି ସାଧୁଜନେ ପିଅ ମକରନ୍ଦ ।।୨।।

ଅଲେଖ ଶୂନ୍ୟ ଶବଦ      ଶୂନ୍ୟେ କରୁଅଛି ନାଦ

ଶୂନ୍ୟପୁରେ ଦ୍ୱାରୀ ହୋଇଛନ୍ତି ଚାରିବେଦ ।।୩।।

ଶୂନ୍ୟ ଜ୍ୟୋତି ପାଦମୋଦ      ରହିଛନ୍ତି ଛଡ଼ବେଦ

ଛଡ଼ ମଣ୍ଡଳରେ ଶୂନ୍ୟ ରୂପ କରି ନାଦ ।।୪।।

ଋକ୍‌ ସାମ ଯଜୁ ଅଥ      ତଳପାବଚ୍ଛରେ ମୁଦ

ଅଲେଖ ବ୍ରହ୍ମେ ବିଷ୍ଣୁଙ୍କୁ କରିଛନ୍ତି ଭେଦ ।।୫।।

ଅଭୟ ବ୍ରହ୍ମର ପଦ      ଭଜିଣ କରନ୍ତି ମୁଦ

ଭଜୁଛନ୍ତି ନିର୍ବେଦରେ ଭକ୍ତଜନ ବୃନ୍ଦ ।।୬।।

ଶୂନ୍ୟେ ଶୂନ୍ୟେ ବ୍ରହ୍ମନାଦ      ରହି ଅନାମିକା ପଦ

ବୀଣାଯନ୍ତ୍ର ଚାଳୁଛନ୍ତି ଅଲେଖ ନିର୍ବେଦ ।।୭।।

ଅଲେଖ ଅରୂପାନନ୍ଦ      ଶୂନ୍ୟେ ରାଉଅଛି ନାଦ

ଲୟ କରି ସାଧୁଜନେ ମନକୁ ନିରୋଧ ।।୮।।

ଧର ନିଷ୍କାମ ନିର୍ବେଦ      ମାୟା ଜାଲମାନ ଛେଦ

ଶୂନ୍ୟେ ଜ୍ୟୋତିପାଦ ଚିତ୍ତେ ମନକୁ ମୋଦ ।।୯।।

ଅଣାକାର ପାଦବିନ୍ଦ      ଝରୁଅଛି ମକରନ୍ଦ

ଭଣିଲେ ସେ ଭୀମକନ୍ଧ କବିକୁଳ ଚାନ୍ଦ ।।୧୦।।

 

(୧୬)

ମନର ଭିତରେ କଲେ ଭକତି ଗୋ

ଅନ୍ତର୍ଯ୍ୟାମୀ ଗୁରୁବେଦ ଜାଣନ୍ତି ଗୋ ।। ଘୋଷା ।।

ନାମକୁ ଭଜିଲେ ଚିହ୍ନି      ପାଷାଣ ହୁଅଇ ପାଣି

କାଷ୍ଠ ପଲ୍ଲବନ୍ତି ଗୋ, କୁସୁମ ଫୁଟନ୍ତି

ଥିଲେ ପୂର୍ବର ବାସନା      ଗୁଣ ତା’ର ପଡ଼େ ଚିହ୍ନା

ମୁକ ଜଡ଼ା ଚାରିବେଦ କହନ୍ତି ଗୋ ।।୧।।

ମୂର୍ଖ ହୁଅନ୍ତି ପଣ୍ଡିତା      ପା’ନ୍ତି ଜ୍ଞାନ ହେତୁ ଚେତା

ବାନା ଉଡ଼େ ପୃଥ୍ୱୀ ଗୋ, ବଢିଲେ କୀରତି

ଅନୁଭବ ଥିଲେ ବୁଦ୍ଧି      ପାଇବ ବ୍ରହ୍ମକୁ ସାଧି

ପ୍ରାପତ ହୁଅଇ ଗତି ମୁକତି ଗୋ ।।୨।।

ଅନ୍ଧାର ଘରରେ ନିତି      ବିନା ତଇଳରେ ବତୀ

ଲଗାଇ ପାରନ୍ତି ଗୋ, ନିଷ୍ଠାଥିଲେ ମତି

ଆରତେ ଭଜିଲେ ନାମ      ଦଣ୍ଡି ନ ପାରଇ ଯମ

ପଙ୍ଗୁ ଗିରିବର ଲଙ୍ଘି ଯାଆନ୍ତି ଗୋ ।।୩।।

ଅକର୍ମରୁ କର୍ମ ଉଦେ      ଗମନ୍ତି ଅନାମ ଭେଦେ

ଛିଡ଼େ ଭବ ଭ୍ରାନ୍ତି ଗୋ, ନ ପଡ଼େ ବିପତ୍ତ

କାମନା କଳ୍ପନା ଇଚ୍ଛା      ପୂର୍ଣ୍ଣ ହୁଏ ମନୋବାଞ୍ଛା

ଅବଶ୍ୟ ସେ ଫଳ ବସି ଭୁଞ୍ଜନ୍ତି ଗୋ ।।୪।।

ନିଶବ୍ଦ ଘରୁ ଶବଦ      ଜନ୍ମ ହୋଇ ଚାରିବେଦ

ମହିମା ଜାଣନ୍ତି ଗୋ, ଶାସ୍ତ୍ରେ ବଖାଣନ୍ତି

ଲାଗିଥାଇ ବିଷ୍ଣୁ ତେଜ      ପଣ୍ଡିତ ସୁଜ୍ଞାନୀ ବୁଝ

କବିକୃତ କରି ପଦ ଯୋଡ଼ନ୍ତି ଗୋ ।।୫।।

ଅନ୍ତର୍ଗତ କଥା ସବୁ      ଜାଣନ୍ତି ଅଲେଖ ପ୍ରଭୁ

ସର୍ବଠାରେ ଥା’ନ୍ତି ଗୋ, ରୂପେ ନ ଦିଶନ୍ତି

କହେ ଭୀମ ଅରକ୍ଷିତ      ନିର୍ଣ୍ଣୟ ବୁଝିଲେ ତତ୍ତ୍ୱ

ଲକ୍ଷେ ଯୋଜନରେ ଥିଲେ ଶୁଣନ୍ତି ଗୋ ।।୬।।

 

(୧୭)

ନିରନ୍ତରେ ଭଜୁଥାଅ ନାମକୁ ଗୋ

ଛାଡ଼ି ସୁତ ଚିତ୍ତ ଦାରା ଧନକୁ ଗୋ ।। ଘୋଷା ।।

ଏ ଯେ ବ୍ରହ୍ମଜ୍ଞାନ ତତ୍ତ୍ୱ      ଏ ଜୀବ ଆତ୍ମାକୁ ହିତ

ଆସଇ ମନକୁ ଗୋ, ସୁଜ୍ଞାନୀ ଜନଙ୍କୁ

ପଚିଶ ପ୍ରକୃତି ମାରି      ମନ ପବନରେ ଭରି

ଧରିଥିବ ମନଧ୍ୟାନ ଯୋଗକୁ ଗୋ ।।୧।।

ଏତେବେଳେ ଥିଲେ ବାଞ୍ଛି      ନିଶ୍ଚୟେ ରଖିବେ ସଞ୍ଚି

ଆଗତ ଦିନକୁ ଗୋ, ଭକତମାନଙ୍କୁ

ପୃଥ୍ୱୀ ହୋଇଲେ ଉତ୍ସୁକ      ଶୂନ୍ୟରୁ ପଡ଼ିବ ଡାକ

ଡେରିଥିବ ବାମକର କର୍ଣ୍ଣକୁ ଗୋ ।।୨।।

ଅମଡ଼ା ଅପୋଡ଼ ଭୂଇଁ      ଚନ୍ଦ୍ର ସୂର୍ଯ୍ୟ ଗମ୍ୟ ନାହିଁ

ଲୋଡ଼ ସେ ସ୍ଥାନକୁ ଗୋ, ସୁମରି ଗୁରୁଙ୍କୁ

ପାଞ୍ଚମନ କଲେ ତତ୍ତ୍ୱ      ପାଇବ ପୂର୍ବର ହେତୁ

ଭାଜନ ହୋଇବ ଦାସ ପଣକୁ ଗୋ ।।୩।।

ଗମି ପାରିଲେ ସେ ପୁର      ଯୁଗ ଯୁଗାନ୍ତେ ଅମର

ଛେଦଇ ଭୟକୁ ଗୋ, ଭେଦଇ ଜ୍ଞାନକୁ

ସୁଜନେ ନ ଦେବ ଦୋଷ      ଶ୍ରୀଗୁରୁ ଆଜ୍ଞାରେ ଦୃଶ୍ୟ

ସେଠାରୁ ଫିଟିଛି ବାଟ ଶୂନ୍ୟକୁ ଗୋ ।।୪।।

ବହୁଛି ବସନ୍ତ ତହିଁ      କ୍ଷୁଧା ତୃଷା ବାଧା ନାହିଁ

ସୁସ୍ଥ ଏ ପିଣ୍ଡକୁ ଗୋ, ଆଶ୍ୟ ଏ ଜୀବକୁ

ସଦବ୍ରହ୍ମଜ୍ଞାନ ଏହି      ତିନି ତ୍ରୈଲୋକ୍ୟ ନ ପାଇ

ହିତକୁ ଆସଇ ଜ୍ଞାନୀ ଜନକୁ ଗୋ ।।୫।।

ବ୍ରହ୍ମଲୋକଙ୍କର ବାସ      ତହିଁକି କରିଛି ଆଶ

ବିଚାରି ମନକୁ ଗୋ, ନ ଭଜି ଆନକୁ

କହେ ଭୀମ ଅରକ୍ଷିତ      ଶ୍ରୀଗୁରୁ ଯେମନ୍ତେ ସତ୍ୟ

ଭାଗ୍ୟେ ଥିଲେ ଯିବି ତପୋବନକୁ ଗୋ ।।୬।।

 

(୧୮)

ଗୁରୁ ପାଦତଳେ ଗତି ମୁକତି ଗୋ

ଆଉ କଥାମାନ ଫଳ ସୁରତି ଗୋ ।। ପଦ ।।

ଅତିଥିକୁ ଦେଖି ମାନ୍ୟ      ଆତ୍ମା ଚିହ୍ନି ଅନ୍ନଦାନ

ଯେ ଅବା ଦିଅନ୍ତି ଗୋ, ଧର୍ମକୁ ଲଭନ୍ତି ।

ବୋଲାନ୍ତି ପ୍ରଭୁ ଭକତ      ଦାନୀ ପଣେ ସାମରଥ

ପଣ୍ଡିତ ସୁଜ୍ଞାନୀ ସେହୁ ଅଟନ୍ତି ଗୋ ।।୧।।

ପୁଣ୍ୟ ଯେବେ କରିଥିବୁ      ଧର୍ମ ତାକୁ ସାହା ହେବ

ବ୍ରହ୍ମକୁ ଚିହ୍ନନ୍ତି ଗୋ, ବୈକୁଣ୍ଠେ ବସନ୍ତି ।

ଅଟନ୍ତି ସେ ମହାଜନ      ଅଭୟ ବ୍ରହ୍ମରେ ଲୀନ

କଟିତ ହୁଅଇ କାଳ ବିପତ୍ତି ଗୋ ।।୨।।

ବ୍ରହ୍ମଙ୍କୁ ଚିହ୍ନିଲା ଲୋକ      ସକଳଠାରୁ ଅଧିକ

ପାଦକୁ ସେବନ୍ତି ଗୋ, ଭେଦକୁ ଜାଣନ୍ତି ।

ପ୍ରସନ୍ନ ହୋଇଲେ ବ୍ରହ୍ମ      ତୁଟିଯାଇ ମାୟା ଭ୍ରମ

ଅନଳ ପରାଏ ଅଙ୍ଗ ମୂରତି ଗୋ ।।୩।।

ଅଲେଖ ପୁରୁଷ ଯେହୁ      ଲେଖାରେ ନ ବସେ ସେହୁ

ଅଶ୍ରୁତି ଅମୂର୍ତ୍ତି ଗୋ, ନାହିଁ ରୂପକାନ୍ତି ।

ମହାଶୂନ୍ୟ ଶୂନ୍ୟ ଦେହୀ      ନିଶବ୍ଦରେ ଛନ୍ତି ରହି

ଛପନା କୋଟି ଜୀବର ସମ୍ପତ୍ତି ଗୋ ।।୪।।

ନିଗମ ଭୁବନ ସେହି      ମହା ଦୁର୍ଗମ ଅଟଇ

ଗଲେ ନ ଆସନ୍ତି ଗୋ, ପେଲି ନ ପଶନ୍ତି ।

ତହିଁକି ଦୃଷ୍ଟି ଲଗାଇ      ଯେ ପାରିଲେ ଧର ଯାଇ

ଭକତ ପଣକୁ ଯେହୁ ଶକତି ଗୋ ।।୫।।

ଭାବକୁ ଆସନ୍ତି ଚାଲି      ପୁଣି ପଛେ ଦ୍ୟନ୍ତି ଛଳି

ସତ୍ୟ ଥିଲେ ଥାନ୍ତି ଗୋ, ଅସତ୍ୟେ ନ ଥାନ୍ତି ।

ଭଣେ ଭୀମ ଅରକ୍ଷିତ      ଧ୍ୟାୟି ଗୁରୁ ପାଦଗତ

ନିଷ୍କାମ ନିର୍ଗୁଣେ ଧରା ଦିଅନ୍ତି ଗୋ ।।୬।।

 

(୧୯)

ତତ୍ତ୍ୱ କଲେ ସତ୍ୟ ହେବ ଉଦୟେ ଗୋ

ଏଥିରେ ନ କର କିଛି ସଂଶୟେ ଗୋ ।। ପଦ ।।

ହେତୁ ଚେତା ଦ୍ୱାରେ ଧର      ବିଅର୍ଥେ ଭ୍ରମି ନ ମର

ଭଜ ନିଷ୍କାମରେ ଗୋ, ଶ୍ରୀଗୁରୁ ଆଜ୍ଞାରେ ।

ଚାହିଁ ଯେବେ ଦେବେ ଗୁରୁ      ସୁଦୟା ହେବ ଛାମୁରୁ

ଏ ପିଣ୍ଡ ପରାଣ ହେବ ଅକ୍ଷୟେ ଗୋ ।।୧।।

ଆପଣା ଜିହ୍ୱାରେ ସତ୍ୟ      ରଖିପାରିଲେ ଭକତ

ଧ୍ୟାୟି ପାଦତଳେ ଗୋ, ପୂର୍ବ ତପ ଥିଲେ

କାମ କଳ୍ପଣା ନିବାର      ଭବ ଭୟ କରି ଦୂର

ହାରି ଗୁହାରି ବୁଝିବେ ନିଶ୍ଚୟେ ଗୋ ।।୨।।

ଆତଙ୍କେ ଡାକିବ ଯେବେ      କର୍ଣ୍ଣେ ଶୁଣିଲେ ଆସିବେ

ଜାଣିବେ ଅନ୍ତରେ ଗୋ, ଭକତ ହିତରେ

ଅନାଦି ସେ ଭାବଗ୍ରାହୀ      ଭକ୍ତ ହିତେ ବଶ ହୋଇ

ଚିତ୍ତକୁ ଜାଣି କରିବେ ବିଜୟେ ଗୋ ।।୩।।

ବ୍ରହ୍ମପାଶେ ନାମ ଅଛି      ଘୋଡ଼ାଇ କରି ରଖିଛି

ଚର୍ମ ନୟନକୁ ଗୋ, ନ ଦିଶେ କାହାକୁ

ଜ୍ଞାନ ନୟନେ ଦିଶଇ      ଦୂରେ ନାହିଁ ପାଶେ ଥାଇ

ଚିହ୍ନିପାରିଲେ କରନ୍ତି ସୁଦୟେ ଗୋ ।।୪।।

ଗୁରୁ ପାଦେ ସେବା କର      ନାମ ବ୍ରହ୍ମରେ ବିହର

ଅଛି ଯେବେ ଭାଗ୍ୟ ଗୋ, ଦିଆଯିବ ଭାଗ

କୋଟି ଜନ୍ମ ପାପ ଯିବ      ହେତୁ ଚେତା ନ ବୁଡ଼ିବ

ଚିହ୍ନି ପାରିବ ଯେମନ୍ତେ ସ୍ୱଦେହେ ଗୋ ।।୫।।

ଯାର ରୂପ ରେଖ ନାହିଁ      ନରଦେହ ଛନ୍ତି ବହି

କହୁଛନ୍ତି କଥା ଗୋ, ବ୍ରହ୍ମାଣ୍ଡ କରତା

ଭଣେ ଭୀମ ହୀନ ଭୋଇ      ସଦା ଅପରାଧୀ ହୋଇ

କରଯୋଡ଼ି ଶ୍ରୀଛାମୁରେ ବିନୟେ ଗୋ ।।୬।।

 

(୨୦)

ଶୂନ୍ୟବାସୀ ମର୍ତ୍ତ୍ୟେ ଆସି ବିଜେ କଲେ ରବିତଳେ ।। ଘୋଷା ।।

ଲୋଡ଼ ଯାଇଁ ଚାରିଦିଗେ      ଏକମନ ହୋଇ ସର୍ବେ

ନିଶ୍ଚୟେ ପାଇବ ଭେଟ,

ହୃଦେ ସୁମରି ଡାକିଲେ ।।୧।।

ଉଚ୍ଚବାଚ କଥା ଛାଡ଼      ନିଷ୍କାମ ପ୍ରେମରେ ବୁଡ଼

ପ୍ରସନ୍ନ ହୋଇବେ ପ୍ରଭୁ

ଯହିଁ ଇଚ୍ଛା ତହିଁ ଥିଲେ ।।୨।।

ମନ ମୋଟେ ହୋଇବାରୁ      ଶ୍ରୀଗୁରୁ ମଣିଲେ ଗରୁ

ପଥରେ କଚାଡ଼ି ଦେଲେ

ଏବେ ହୋ ଚେତ ସକଳେ ।।୩।।

ଏକାକ୍ଷର ପଦ ଧ୍ୟାୟି      ଡାକ ଏକମୁଖ ହୋଇ

ଗୁପତରେ ଦେହ-ଧରିଛନ୍ତି

ଅବନୀ ମଣ୍ଡଳେ ।।୪।।

ଅନ୍ଧାର ହେଲା ବ୍ରହ୍ମାଣ୍ଡ      ଜମ୍ବୁଦ୍ୱୀପ ନବଖଣ୍ଡ

ରହିବ ଯେବେ ତ୍ରିପୁରେ

ଠାବ କର ଏତେବେଳେ ।।୫।।

ଯେ ଅବା ଅଛ ଭକତ      ସମ୍ଭାଳି ରଖ ଜଗତ

ଭଣେ ଭୀମକନ୍ଧ ପୃଥ୍ୱୀ

ବଞ୍ଚାଅ ଏ କଳିକାଳେ ।।୬।।

 

(୨୧)

ଧର୍ମ ଧାରଣେ ଧରିତ୍ରୀ ରହିଛି ଚାରି ଯୁଗରେ ।। ଘୋଷା ।।

ଶାନ୍ତଶୀଳ ଦୟାକ୍ଷମ      ଏହା ପାଳିବ ଯେ ଜନ

ଆତ୍ମା ଚିହ୍ନି ଅନ୍ନଦାନ

ଦେଲେ ବଶ ହୋନ୍ତି ତାରେ ।।୧।।

ନାମରେ ଶରଣ ଯାଅ      ଜୀବ ପରେ ଦୟା ବହ

ଏ ଧର୍ମରୁ ସାର

ଆଉ ନାହିଁ ନା ଏ ସଂସାରରେ ।।୨।।

ଶରୀରାର୍ଥେ ଜ୍ଞାନ କର      ତେବେ ପାଇବ ଗୋଚର

ସେ ଅଲେଖ ଅଣାକାର

ଅଛନ୍ତି ସର୍ବ ଘଟରେ ।।୩।।

ଅନ୍ତର୍ଯ୍ୟାମୀ ସେ ପୁରୁଷ      ତାଙ୍କ ମହିମା ଅଶେଷ

ସେବା ଭକତିକି ଜାଣି

ଦୃଶ୍ୟ ହୁଅନ୍ତି ଭାବରେ ।।୪।।

ମନ ମଧ୍ୟେ କଲେ ତତ୍ତ୍ୱ      ତେବେ ଅଛି ସତ୍ୟ କୃତ୍ୟ

ବିଚାରିଲେ ପାଶେ ଛନ୍ତି

ଉଦିତ ଭକ୍ତ ହିତରେ ।।୫।।

ବେନି ନେତ୍ରୁ ଲୁହ ବହେ      ହୃଦୟ ସନ୍ତାପି ହୁଏ

ଭଣେ ଭୀମକନ୍ଧ ଭକ୍ତ

ଲୋଡ଼ୁଅଛି ନିରନ୍ତରେ ।।୬।।

 

(୨୨)

ଜଗତ ଭକତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ।। ଘୋଷା ।।

ଶ୍ରୀ ପୁରୁଷୋତ୍ତମ ଜାଣ      ଥିଲେ ଯେଉଁ ନାରାୟଣ

ସେ ପ୍ରଭୁ କାହିଁ ରହିଲେ

ତେଜିଣ ତିନି ଦାରୁକୁ ।।୧।।

ମହିମା ଗୋସାଇଁ ଗୁରୁ      ସେହି ଅବା ମହାପ୍ରଭୁ

ତାଙ୍କୁ କରିଥିଲୁ ଆଶ

ଶୂନ୍ୟ ହେଲେ ଦେଖୁ ଦେଖୁ ।।୨।।

ଚାରିଦିଗେ ଚାରିଧାମ      ଚାରିଧର୍ମ ଚାରିନାମ

ଏଥେ ଅବା ପ୍ରଭୁ

ଥିବେ ପୁଚ୍ଛ ପଣ୍ଡିତ ଜନଙ୍କୁ ।।୩।।

ସାଧୁ ସନ୍ଥ ସୁଜ୍ଞଜନ      ଯେ ଅଛ ଜଗତେ ଜାଣ

ହାକିମ ହୁକୁମା ଯେହୁ

କହୁଅଛି ସମସ୍ତଙ୍କୁ ।।୪।।

ଏତେ କଥା ହୋଇଲାଣି      କେହି ନ ପାରୁଛ ଜାଣି

ବିପତ୍ତି ଆଗମ ଅଛି ଏ

ସଂସାର ସାଗରକୁ ।।୫।।

ଭଣେ ଭୀମସେନ କନ୍ଧ      କଥାକୁ ନ ବୁଝ ମନ୍ଦ

ବ୍ରହ୍ମାଣ୍ଡ ରହିବ ବୋଲି

ପରତେ ନାହିଁ ମନକୁ ।।୬।।

 

(୨୩)

ପୃଥ୍ୱୀ ହେଲାଣି ଅନ୍ଧାର ସମ୍ଭାଳ କେ ଅଛ ଯେବେ ।। ଘୋଷା ।।

କିବା ନାଗାନ୍ତୀ ଯୋଗାନ୍ତୀ      କିବା ବେଦାନ୍ତୀ ସିଦ୍ଧାନ୍ତୀ

କି ଅବା ସେ ଯତୀ ସତୀ

ବ୍ରହ୍ମାଣ୍ଡକୁ ରଖ ଏବେ ।।୧।।

ଦ୍ୱିପାଦେ ଧର୍ମ ସ୍ଥାପିଲେ      ଶ୍ରୀଗୁରୁ ଗୋପ୍ୟାନ ହେଲେ

ନୂଆରି ରଚନା ହେବ

ଶାସ୍ତ୍ରେ ଶୁଣିଥିଲି ପୂର୍ବେ ।।୨।।

ଯେବଣ ଧର୍ମରେ ପୃଥ୍ୱୀ      ରହିବ ଯଶ କୀରତି

ଯେମନ୍ତେ ସତ୍ୟ ଗଚ୍ଛିବ

ସେ ଧର୍ମକୁ ଧର ସର୍ବେ ।।୩।।

ନାମବ୍ରହ୍ମେ ଯେ ଆଶ୍ରିତ      ପାଇବ ଗତି ମୁକତ

ଭବ ସାଗରୁ ତରିବ

ରହିବ ଅନନ୍ତ ଗର୍ଭେ ।।୪।।

ଆତ୍ମାକୁ କଲେ ଗୋଚର      ପାଇ ଆଦ୍ୟ ଅନ୍ତ ତା’ର

ଦୃଢବନ୍ଧେ ସେବା କର

ନିଶ୍ଚୟେ ସେ ତାରିନେବେ ।।୫।।

ଭଣେ ଭୀମସେନ କନ୍ଧ      ଜୀବନ୍ତେ ହେଲାଣି ବଦ୍ଧ

ଜଣାଉଛି ପାଦବିନ୍ଦ

ଶ୍ରୀଗୁରୁ ହେଲେ ଜାଣିବେ ।।୬।।

 

(୨୪)

ମହା ନିର୍ବେଦ ଅଟଇ ଏହୁ ଏ ପଥ,

ଅର୍ନ୍ତଗତେ ନାମ ଭଜି ହୁଅ ସଚେତ ।। ଘୋଷା ।।

ଧର ଏକାଙ୍ଗ ପୟର      ଡର ଭୟକୁ ନିବାର

ଧାରଣାକୁ ଦୃଢେ ଧରି ହୁଅ ସଚେତ ।।୧।।

ନିଗମକୁ ଧର ବାଛି      ଆଉ ବାଞ୍ଛା ନାହିଁ କିଛି

ଅଛ ଯେବେ ସତ୍ୟ ନିର୍ଗୁଣରେ ଭକତ ।।୨।।

ଯେବେ ଭଜିବ ବ୍ରହ୍ମଙ୍କୁ      ପାଷାଣ କରି ହିଆକୁ

ଦେଖୁଅଛ ପରା ରହୁନାହିଁ ମହତ ।।୩।।

ଏ କଳି ଯୁଗରେ ଏକା      ଉଦୟେ ମହିମା ଦୀକ୍ଷା

କର ସର୍ବେ ଆତ୍ମା ଭକ୍ତି ହୋଇ ଏକାନ୍ତ ।।୪।।

ପ୍ରକାଶ ହୋଇଛି ଧର୍ମ      ସେହିଟି ସାକ୍ଷାତେ ବ୍ରହ୍ମ

ତାହାଙ୍କ ଆଜ୍ଞାରେ ରକ୍ଷା ଅଛି ଜଗତ ।।୫।।

ଶ୍ରୀଗୁରୁ ଚରଣେ ଧ୍ୟାୟି      ଦିବା ନିଶି ଚିତ୍ତ ଦେଇ

ଭଣେ ପାମର ଅଜ୍ଞାନ ଭୀମ ଅର୍କ୍ଷିତ ।।୬।।

 

(୨୫)

ନିରତେ ଭଜ ତରିବ ଭବ ସାଗରୁ

ନାମ ବହି ଆସୁଅଛି ଅଣ ଅକ୍ଷରୁ ।। ଘୋଷା ।।

ସୁଖ ଭୋଗ ତେଜ୍ୟା କରି      ଭୂମି ଆସନେ ବିହରି

ଜନ୍ମ ମୃତ୍ୟୁକୁ ନିବାର ଏହି ଅଙ୍ଗରୁ ।।୧।।

କାମ କ୍ରୋଧ ଲୋଭ ମୋହ      ଛନ୍ଦ ବାଦ ହିଂସା ଦ୍ରୋହ

ଆୟତ କରାଇ ରଖ ଜ୍ଞାନ ତତ୍ତ୍ୱରୁ ।।୨।।

ଖଚ ମିଛ କଥା ଛାଡ଼      ନିର୍ବେଦରେ କର ଦୃଢ

ସେବା ଜାଗି ସୁଧା ପାନ ପିଅ ପୟରୁ ।।୩।।

ସେହିଟି ପୃଥିବୀ ଠୁଳ      ଫୁଟି ଯେସନେକ ଫୁଲ

ଦଶ ଅବତାର ଆତଯାତ ସେଠାରୁ ।।୪।।

ଚାରିଯୁଗେ ଯେହୁ ମୋକ୍ଷ      ଏତେବେଳେ ତାଙ୍କୁ ଡାକ

ନିଶ୍ଚୟ ତରିବ ଶ୍ରୀଗୁରୁଙ୍କ ଦୟାରୁ ।।୫।।

କଳି ଉତ୍ପାତ ହେଲାଣି      ଧର୍ମ ଇଜତ ଗଲାଣି

ଭଣେ ଭୀମ ଭୋଇ ତ୍ରାହିକର ନିନ୍ଦାରୁ ।।୬।।

 

(୨୬)

ଚେତାରେ ଉଠ ଶ୍ରବଣେ ଶୁଣି ଶବଦ,

ଗୁରୁ ବଚନରେ ନାମ ଭଜ ନିର୍ବେଦ ।। ଘୋଷା ।।

ମାୟା ମୋହ ତେଜ ବେଗେ      ସାବଧାନ ହୁଅ ସର୍ବେ

କଳିଯୁଗ ଭୟ ଦେଖି ନୁହ ସ୍ତବ୍‌ଧ ।।୧।।

ତୁମେ ଅବା ବୋଲୁଥିବ      ଅକାରଣ ହେବ ଜୀବ

ସତ୍ୟଧର୍ମ ଏହୁ ଅଟେ ନୁହ ଅବୋଧ ।।୨।।

ଗରବିତା ନାହିଁ ବୁହ      ଛାଡ଼ିଯିବ ନିଜ ଦେହ

ମୁକ୍ତି ଗୁରୁ ଦ୍ୱାରେ ନ କର ନା ବିବାଦ ।।୩।।

ଢାଙ୍କିଛି ମାୟା କୁହୁଡ଼ି      ଶତେପୁର କରି ବେଢି

ଏକା ଦିବସକେ ଲଭିବ କି ସେ ପଦ ।।୪।।

ଅନାମିକା ପଦ ଯେଟି      ପୁଷ୍ପ ପ୍ରାୟେ ଅଛି ଫୁଟି

ବାସ କରୁଅଛି ତିନିପୁରେ ଆମୋଦ ।।୫।।

ତିନି ବ୍ରହ୍ମାଣ୍ଡରୁ ଆସି      ଖଟିଛନ୍ତି ଦାସ ଦାସୀ

ଭଣେ ଭୀମ ଭୋଇ ହୃଦେ କରି ସମ୍ପାଦ ।।୬।।

 

(୨୭)

ଧର ନିର୍ବନ୍ଧେ ନାମକୁ ଭାସି ନ ଯିବ

ଗୁରୁ ଦୟା କଲେ ଜୀବ ମୁକ୍ତି ପାଇବ ।। ଘୋଷା ।।

ମହା ଅନର୍ଥ ହେଉଛି      କାର ଚେତା ନ ରହୁଛି

ମହିମା ଭଜିଲେ କଳିଯୁଗୁ ବଞ୍ଚିବ ।।୧।।

କାହିଁରେ ନାହିଁ ନା ଫଳ      ବ୍ରହ୍ମକୁ ଭଜ ସକଳ

ସ୍ୱାମୀ ସେବା କଲେ ପିଣ୍ଡୁ ପ୍ରାଣ ତରିବ ।।୨।।

ତପ ପୂର୍ଣ୍ଣ ହୋଇଲାଣି      ସବୁ ନିକଟ ହେଲାଣି

କଳି ସତ୍ୟ ଦୁହିଁଙ୍କର ଭେଟ ପଡ଼ିବ ।।୩।।

କଳିଯୁଗ ହଟପଟ      ଲାଗିଅଛି ନବକୂଟ

ନିନ୍ଦା ଗର୍ବ ଗାଳି ଯେହୁ ସହି ପାରିବ ।।୪।।

ଅନାଦି ମଣ୍ଡିବେ ସଭା      ଯାର ହାନି ଲାଭ ହେବା

ଯା’କୁ ଯେଉଁ ରୂପେ କରାଇବେ ସଂଯୋଗ ।।୫।।

ଭଣେ ଭୀମସେନ ଭୋଇ      ଶ୍ରୀଗୁରୁ ଚରଣେ ଧ୍ୟାୟି

ନାମ ଭଜିଥିବ ଯେହୁ ସେହୁ ତରିବ ।।୬।।

 

(୨୮)

କାହିଁ ବିଜୟେ ମୋ ଇଷ୍ଟ ବାନ୍ଧବ

ଛନ୍ତି କେତେ ଦୂର      କେଉଁଠାରେ ଘର

ଦେଖିଅଛ ଯେବେ କହିବ ।। ଘୋଷା ।।

ସ୍ନେହ ନାହିଁ ଛନ୍ତି ପ୍ରୀତି ଲଗାଇ,

ଦେଖା ଦେଖି ନାହିଁ ମୂର୍ଚ୍ଛି ନୁହଇ,

ପ୍ରତିଦିନ କଥା      ବାରତା ଲାଗିଛି

କେତେ ଦିନେ ଭେଟ ପଡ଼ିବ ।।୧।।

ବସ୍ତି ଦେଇଛନ୍ତି ସ୍ଥାନ ନ ଥାଇ,

ଘର ଦେଲେ ଛଣ କୁଟା ନ ଛାଇ,

ଦ୍ୱାର ଦେଇଛନ୍ତି      ନାହିଁ ଦୀର୍ଘ ପ୍ରତି

କେଉଁ ରୂପେ ଯାଇଁ ଆସିବ ।।୨।।

ଅକର୍ମ ଦାୟକ ପରା ବୋଲାନ୍ତି,

କର୍ମେ ନାହିଁ ଥିଲେ ଯାଚି ଦିଅନ୍ତି,

ଦରିଦ୍ର ଅଟନ୍ତି      ଦାତାପଣେ ଦ୍ୟନ୍ତି

ସେବା ନ କରନ୍ତେ ଫଳ ମିଳିବ ।।୩।।

ସର୍ବ ଗୃହରେ କୁଣିଆ ହୁଅନ୍ତି,

ବନ୍ଧୁ ବୋଲି କେହି ଚିହ୍ନି ନାହାନ୍ତି,

ପାଶରେ ନ ଥାଇ      କଷଣ ପେଡ଼ନ୍ତି

ତାଙ୍କ ଗୁଣମାନ କେହୁ ଶୁଝିବ ।।୪।।

ବାନା ତିନିପୁର ମଧ୍ୟେ ଉଡୁଛି,

ଧର୍ମେ ନାହିଁ ପୁଣ୍ୟେ ପୃଥ୍ୱୀ ପୂରିଛି,

ଯଶ ନାହିଁ କୀର୍ତ୍ତି      ପ୍ରକାଶ ହୋଇଛି

ଚାରି ଯୁଗକୁ ସେ ରହିବ ।।୫।।

ଫୁଟି ନ କାନ୍ଦି କରନ୍ତି ରୋଦନ,

ଅଗ୍ନି ନାହିଁ ପୋଡ଼ୁଅଛି ଜୀବନ,

ଭୀମ ଅରକ୍ଷିତ      ଗୁରୁ ପାଦଗତ

ଜଣାଇଲେ ଦୁଃଖ ଫିଟିବ ।।୬।।

 

(୨୯)

ଭେଟ ପାଇଲେ କରନ୍ତି ବିନତି ।

କରପତ୍ର ଯୋଡ଼ି      ପାଦତଳେ ପଡ଼ି

ଦୁଃଖ ସୁଖ ମୋର ଜଣାନ୍ତି ।। ଘୋଷା ।।

ହସ୍ତ ନ ଲଗାଇ ପିଣ୍ଡ ଗଢନ୍ତି,

ଜୀବ ପରମ ଏ ଅଙ୍ଗେ ଅଛନ୍ତି,

ଭିନ୍ନ ଭିନ୍ନ କରି      ଥୋଇଛନ୍ତି ବାରି

ଏକଠାରେ ଯୁବା ଯୁବତୀ ।।୧।।

ଝିଅ ନ ନେଇ ଜୁଆଇଁ ବୋଲାନ୍ତି,

ଯୋଗ ନାହିଁ ବନ୍ଦାପନା ହୁଅନ୍ତି,

ଏକ ଘରେ ଥାଇ      ଛୁଆଁ ଛୁଇଁ ନାହିଁ

କରୁଛନ୍ତି ସୁଖ ସୁରତି ।।୨।।

ପାଶେ ଥାଇ ଦୂରାନ୍ତରେ ନିବାରି,

ଛପ୍ନାକୋଟି କୁଟୁମ୍ବକୁ ଆବୋରି,

ଭଣ୍ଡାର ନ ଥାଇ      ପଡ଼ି ବାଣ୍ଟୁଛନ୍ତି

ପ୍ରତିପାଳ କରୁଅଛନ୍ତି ।।୩।।

ସେବା ଭକ୍ତି ନାହିଁ ସେବା କରନ୍ତି,

ପାଦତଳେ ତିନିପୁର ଖଟନ୍ତି,

ଯାଚି ନ ଦିଅନ୍ତି      ଫଳ ପାଉଛନ୍ତି

ସ୍ୱର୍ଗକୁ ନ ଯାଇ ତରୁଅଛନ୍ତି ।।୪।।

ନାମ ନାହିଁ ଅନାମିକା ପୁରୁଷ,

ରୂପେ-ଥାଇ ଅରୂପରେ ଅଦୃଶ୍ୟ,

ନ ଭଜିଲେ ଆପେ      ପ୍ରସନ୍ନ ହୁଅନ୍ତି

ନ ଦେଖିଣ ବ୍ରହ୍ମେ ଲୀନ ହୁଅନ୍ତି ।।୫।।

ଡକ୍‌କା ନ ବାଜନ୍ତେ ନବ ଖଣ୍ଡରେ,

ଶବ୍ଦ ଶୁଭିଲାଣି ତିନିପୁରରେ,

ଭଣେ ଭୀମ ଭୋଇ      ଅରୂପକୁ ଧ୍ୟାୟି

ଗୁରୁ ଚରଣରେ ରହୁ ମୋ ମତି ।।୬।।

 

(୩୦)

ଶୂନ୍ୟ ପୁରୁଷ ମର୍ତ୍ତ୍ୟରେ ଖେଳୁଛନ୍ତି ହେ ।

ନରରୂପେ ଦେବା-ଦେବୀ ଖଟିଛନ୍ତି ହେ

।। ଘୋଷା ।।

ସେହି ଏକା ମହାଗୁରୁ      ବିଜୟେ ଶୂନ୍ୟ ମନ୍ଦିରୁ

ସଂଶୟ ଛାଡ଼ି ହୃଦରୁ କର ସ୍ତୁତି ହେ ।।୧।।

ସେହିଟି ଜୀବର ଧନ      ଅପ୍ରତେ ନ କର ମନ

ଭଲ କରି ଏବେ ଚିହ୍ନିଧର ଚେତି ହେ ।।୨।।

ଠାକୁର ମହିମା ସେହି      ଏକା ଗୁରୁ ଶୂନ୍ୟଦେହୀ

ଧନ୍ଦି ହେଉଛ କିମ୍ପାଇଁ କରି ଭୀତି ହେ ।।୩।।

ବେଳ ଥାଉଁ ବସା ଧର      ଜ୍ଞାନେ ସାଧୁସଙ୍ଗ କର

ଛାମୁରେ କର ଗୋଚର ଦେବେ ସ୍ଥିତି ହେ ।।୪।।

ତୋଳି ବିଚିତ୍ର ମନ୍ଦିର      ପଡ଼ୁଛି ଛତ୍ର ଚାମର

ବେଢିଛନ୍ତି ସୁର ନର ଚଉକତି ହେ ।।୫।।

ଶ୍ରୀଗୁରୁ ଚରଣେ ଧ୍ୟାୟି      ଭଣେ ଭୀମସେନ ଭୋଇ

ଆନନ୍ଦେ ଶୋଭା ପାଉଛି ଏ ଧରିତ୍ରୀ ହେ ।।

 

(୩୧)

ମହାନିତ୍ୟ ଖେଳ ଦେଖ ଜମ୍ବୁଦ୍ୱୀପେ ହେ

ଶରୀରାର୍ଥ ପରକାଶ ବାହ୍ୟରୂପେ ହେ ।। ଘୋଷା ।।

ସତ୍ୟାଦି ଯୁଗେ ଭକତ      ଯା’ର ପାଇଁ ତପୋବନ୍ତ

ଅଶେଷ ବ୍ରହ୍ମାଣ୍ଡ ହିତେ ବିଜେ ଆପେ ହେ ।।୧।।

ତ୍ରେତୟା ଯୁଗରେ ତପୀ      ଭକ୍ତମାନେ ହେଲେ କପି

ସେହି ବ୍ରହ୍ମଙ୍କୁ ନିରୋପି ଆତ୍ମାସୁଖେ ହେ ।।୨।।

ଦ୍ୱାପର ଯୁଗକୁ ଚାହିଁ      ବ୍ରଜ ଗୋପାଳୁଣୀ ହୋଇ

ବ୍ରହ୍ମ ସଙ୍ଗେ ପ୍ରେମ ଅଙ୍ଗେ ନାରୀରୂପେ ହେ ।।୩।।

ଏ କଳି ଯୁଗରେ ଦେଖ      ଚାରିଯୁଗ ଭକ୍ତଯାକ

ହୋଇଲେଣି ବ୍ରହ୍ମଲୋକ ପୂର୍ଣ୍ଣ ତପେ ହେ ।।୪।।

ଜନମି ଚାରି ଦିଗରେ      ବାଉନ ପାଟକ ଘରେ

ରହିଲେଣି ଠାବେ ଠାବେ ଧ୍ୟାୟି ଥୋକେ ହେ ।।୫।।

ଭଣେ ଭୀମସେନ ଭୋଇ      ସକଳେ ପାଇବେ ନାହିଁ

ସଦଜ୍ଞାନ ମୁକ୍ତିପଦ ଗୁରୁ ମୁଖେ ହେ ।।୬।।

 

(୩୨)

ଘୋଟିଲାଣି ଆସି କଥା ଦେଖୁଁ ଦେଖୁଁ ହେ ।

ମନୁଷ୍ୟ କି ପ୍ରଭୁ ସେହି ଚିହ୍ନ ତାଙ୍କୁ ହେ ।। ଘୋଷା ।।

ନିର୍ଗୁଣ ସେ ହୋଇଥିଲା      ମହାଶୂନ୍ୟ ନିତ୍ୟ ଲୀଳା

ଦେବ ମାନବରେ ଖେଳା ଏ ଯୁଗକୁ ହେ ।।୧।।

ଅନନ୍ତଙ୍କ ଖେଳ ଏହି      କେ କଳିବ ଦେହ ବହି

ହାସ୍ୟ ରଙ୍ଗ କରୁଅଛ ସେ ପ୍ରଭୁଙ୍କୁ ହେ ।।୨।।

ଶ୍ରୀଗୁରୁଙ୍କ ଆଜ୍ଞାପାଇ      ଚାରିଦିଗୁଁ ଭକ୍ତେ ଯାଇ

ଅର୍ଘ୍ୟସ୍ଥାଳୀ ବନ୍ଦାଇଲେ ସେ ପ୍ରଭୁଙ୍କୁ ହେ ।।୩।।

ଫୁଲ ଚନ୍ଦନ କର୍ପୂର      ସପ୍ତାମୃତରେ ସମ୍ଭାର

ତ୍ରିଧୂପ ଆଳତିମାନ ମଙ୍ଗଳକୁ ହେ ।।୪।।

ନାମ ଧ୍ୱନି ହୁଳହୁଳି      ମହୀ ପଡ଼ୁଛି ଉଛୁଳି

ପ୍ରଚରି ଗଲାଣି ନାମ ତ୍ରିପୁରକୁ ହେ ।।୫।।

ଶ୍ରୀଗୁରୁ ଚରଣେ ଧ୍ୟାୟି      ଭଣେ ଭୀମସେନ ଭୋଇ

ଦିବା ନିଶି ଭାବୁଅଛି ସେ ପ୍ରଭୁଙ୍କୁ ହେ ।।୬।।

 

(୩୩)

ପାଶେ ପାଶେ ଅଛି ହେ, ନ ଦିଶୁଛି, ଆବୋରି ରହିଛି ।। ଘୋଷା ।।

ଅଣରୂପେ ଥାଇ ରୂପ ପରକାଶ,

ପାପ କରୁଅଛି ନ ଲାଗଇ ଦୋଷ,

ଧନ ନ ମିଳୁଛି      ପୁଣ୍ୟ ଅରଜୁଛି

ଖାଲି ହସ୍ତେ ଭ୍ରମୁଅଛି ହେ ।।୧।।

ସତ୍ୟକୁ ନ ଧରି ମିଛ କହେ ନିତି,

ଯୋଗକୁ ନ ସାଧି ବୋଲାଉଛି ଯତି,

ନ କରି ଭଜନ      ଦେଇ ଚିତ୍ତ ମନ

ଅପରତେ ନାହିଁ କିଛି ହେ ।।୨।।

ଶିଷ୍ୟ ହୋଇଅଛି ଶ୍ରୀଗୁରୁ ନ ଥାଇ,

ପ୍ରଭୁ ପଣ ଗୋଟା ଲୋଡ଼ିବାକୁ ନାହିଁ,

ଜାତି ତା’ର ନୀଚ      ଶ୍ରେଷ୍ଠ ପଣେ ଉଚ୍ଚ

ପିତା ନାହିଁ ପୁତ୍ର ଅଛି ହେ ।।୩।।

ଗାଳି ଦ୍ୱନ୍ଦ୍ୱ ନାହିଁ ସଭା ମଣ୍ଡୁ ଥାଇ,

ନ୍ୟାୟ ଛିଣ୍ଡାଉଛି ଉତ୍ତର ନ ଦେଇ,

ଯେ ମାରଇ ମାଡ଼      ତାକୁ କରେ ବଡ଼

ଗୋଷ୍ଠୀ ମଧ୍ୟେ ଥାଇ ଗଚ୍ଛି ହେ ।।୪।।

ସିହାଣ ନ ହୋଇ ବତାଉଛି ବୁଦ୍ଧି,

ରଖିଲା ମୁଣ୍ଡକୁ ପକାଉଛି ଛେଦି,

କଷା ପିତା ସ୍ୱାଦ      ଏକଠାରେ ମେଦ

ସବୁ ପକାଉଛି ବାଛି ହେ ।।୫।।

ଚରଣାରବିନ୍ଦେ ଅବନାର ବନ୍ଦେ,

ସୁଧାରସ ନାହିଁ ପିବି ବୋଲି ବୁନ୍ଦେ,

ଭୀମ ଅରକ୍ଷିତ      ହେବାକୁ ଭକତ

ଶ୍ରୀଛାମୁରେ କୀଟ ମାଛି ହେ ।।୬।।

 

(୩୪)

ଭଜ ସର୍ବେ ଚେତି ହେ ପ୍ରାଣପତି

ଗୁରୁ ବିଜୟେ ଧରିତ୍ରୀ ।। ଘୋଷା ।।

ଜୀବର କରତା ବିଜୟ ସଂସାରେ,

ଭେକ ବାନା ବହି ବୈଷ୍ଣବ ବେଶରେ,

ଅତିଥି ବୋଲାନ୍ତି      ମାଗି ନ ଖାଆନ୍ତି

ନାହିଁ ତାଙ୍କ ଫନ୍ଦା ବୃତ୍ତି ହେ ।।୧।।

ଅନ୍ନ ରାନ୍ଧୁଛନ୍ତି ନ ବସାଇ ହାଣ୍ଡି,

କର ନେଉଛନ୍ତି ପ୍ରଜାଙ୍କୁ ନ ଦଣ୍ଡି,

ନୁହନ୍ତି ସେ ରାଜା      ଖଟିଛନ୍ତି ପ୍ରଜା

ବୁଝୁଛନ୍ତି ନବକ୍ଷିତି ହେ ।।୨।।

କୁଟୁମ୍ବ ଅଛନ୍ତି ଖରଚା ନ ଲୋଡ଼ି,

ତଣ୍ଡୁଳ କିଣନ୍ତି ନ ଦେଇ କଉଡ଼ି,

ଯାଚି ନ ଦିଅନ୍ତି      ବହି ଆଣୁଛନ୍ତି

ଅପ୍ରୀତିରେ କରି ପ୍ରୀତି ହେ ।।୩।।

ବିଲବାଡ଼ି ନାହିଁ କରୁଛନ୍ତି ହେଳ,

ବିହନ ନ ବୁଣି ଫଳୁଅଛି ଫଳ,

ମେରି ଖଳା ନାହିଁ      ଧାନ ମଳୁଥାଇ

ନ ରଖି ହଳିଆ ଗୋତି ହେ ।।୪।।

ପୁତ୍ର ବିଭା ନାହିଁ ବୋହୂ ଆଣୁଛନ୍ତି,

ରତି ସଙ୍ଗ ନାହିଁ ଜନମୁଛି ନାତି,

ଶିଶୁ ମେଳ ନାହିଁ      ଏକା ଖେଳୁଥାଇ

ଆଗ ପଛ ଲାଗିଛନ୍ତି ହେ ।।୫।।

ଭଣେ ଭୀମ ହୀନ ପାମର ଅଜ୍ଞାନ

ପାଦ ପାଣି ନାହିଁ ଧରିଛି ଚରଣ,

ପଚିଶ ପ୍ରକୃତି      ବିଷୟାରେ ମାତି

ନାହିଁ ସଦଜ୍ଞାନ ଗତି ହେ ।।୬।।

 

(୩୫)

ନ ପଡ଼ିବ କାୟେ ହେ, କର ଲୟେ,

ନାହିଁ ମୃତ୍ୟୁ ଭୟେ ।। ଘୋଷା ।।

ତୋଳିଛି ମନ୍ଦିର ନାହିଁ ଖୁମ୍ବ ପାଟି,

ଛାଉଣୀ କରିଛି ଚୂନକୁ ନ ଛାଟି,

ଦିଶୁଛି ଶୁକଳ      ଅତି ପରିମଳ

ସ୍ୱରୂପ ଧବଳ ମୟେ ହେ ।।୧।।

ଲାଗିଛି କବାଟ ନ ଥାଇ କିଳିଣୀ,

ରଜ୍ଜୁ ନାହିଁ ତହିଁ ପଡ଼ିଛି ବାନ୍ଧେଣୀ,

କାନ୍ଥ ଦେଇଅଛି      ଚିହ୍ନା ନ ଯାଉଛି

ଇଟା କି ପଥର ନୁହେଁ ହେ ।।୨।।

ଧୂନି ଲଗାଇଛି କୁଣ୍ଡକୁ ନ ଖୋଳି,

କାଷ୍ଠ ପୋଡ଼ୁଅଛି ପାଉଁଶ ନ ପଡ଼ି

ଉଠୁଛି ହୁତାଶ      ବ୍ରହ୍ମତେଜ ଝାସ

ନ ଦିଶଇ ଧୂମମୟେ ହେ ।।୩।।

ଦେଉଛି ଆହୁତି ନ ଥାଇଣ ଘୃତ,

ଶାସ୍ତ୍ର ପଢାନାହିଁ କହୁଅଛି ଅର୍ଥ,

ବତାଉଛି ଜ୍ଞାନ      ଏ ଭେଦ ସମ୍ପୂର୍ଣ୍ଣ

ଧରିବାକୁ ନାହିଁ କିଏ ହେ ।।୪।।

ଉଇଁଛି ଅରୁଣ ନୁହଇ ଦିବସ

ଚନ୍ଦ୍ର ପ୍ରକାଶିଛି ନ ଥାଇ ତରାସ,

ଅନ୍ଧକାର ରାତ୍ର      ନାହିଁ ସନ୍ଧ୍ୟା ପ୍ରାତ

ଅନ୍ଧାର ଉଜ୍ଜ୍ୱଳ ନୋହେ ହେ ।।୫।।

ଦିଗବିଜେ ନାହିଁ ପଡ଼ିଛି ପାଏଡ଼ା,

ସୁଆର ନ ଥାଇ କଷୁଅଛି ଘୋଡ଼ା,

କୋରଡ଼ା ନ ଥାଇ      ପିଟୁଛି ତୁହାଇ

ଭୀମ ଅରକ୍ଷିତ କହେ ହେ ।।୬।।

 

(୩୬)

ନିଜ ନାମ ବ୍ରହ୍ମଙ୍କୁ ରଖ ସମ୍ପାଦି ।। ଘୋଷା ।।

ଆତଯାତ ହେଉଛି      ଜନ୍ମ ମୃତ୍ୟୁ ନୋହୁଛି

ଆସୁଛି ଯାଉଛି      ଦେଖା ନ ଦେଉଛି

ବହୁଅଛି ଯେସନେକ ନଦୀ ।।୧।।

ଜଳ ପବନେ ଦେହନାହିଁ ସ୍ଥିତି ଅଥୟ

ଖେଳୁଅଛି ଅଙ୍ଗେ      ନ ମିଶି କା ସଙ୍ଗେ

ଶରୀରରେ ଶବ୍ଦରୂପେ ଭେଦି ।।୨।।

ପବନର ସଂଜ୍ୟୋତି      ଅଣଶ୍ରୁତି ଅମୂର୍ତ୍ତି

ଚକ୍ରର ଆକାରେ      ନ ଦିଶେ ନେତ୍ରରେ

ଆଦି ଅନ୍ତ ନାହିଁ କ୍ଷୟ ବୃଦ୍ଧି ।।୩।।

ରୂପ ମଧ୍ୟେ ଅରୂପ      ଅଛି ବ୍ରହ୍ମ ସ୍ୱରୂପ

ପାର ଯେବେ ଚିହ୍ନି      ଘଯେ ଧର ଆଣି

ଅଲେଖ ଅବ୍‌ଧୂତ ସତ୍ୟବାଦୀ ।।୪।।

ଥୟରେ ନ ରହୁଛି      ବ୍ରହ୍ମାଣ୍ଡକୁ ବହିଛି

ନିର୍ଗୁଣରେ କାୟା      ରଚିଛନ୍ତି ମାୟା

ଦେଖ କରୁଛନ୍ତି ସର୍ବସିଦ୍ଧି ।।୫।।

ନିଷ୍କାମରେ ବିହରି      ଅଗଢାରେ ତିଆରି

ଭଣେ ଭୀମ ଭୋଇ      ସେ ପ୍ରଭୁଙ୍କୁ ଧ୍ୟାୟି

ସାରସ୍ୱତ ବ୍ରହ୍ମ ସେ ଯେ ଅନାଦି ।।୬।।

 

(୩୭)

ମୂଳ ଶୂନ୍ୟ ଘରକୁ କର ବିବେକ ।। ଘୋଷା ।।

ନିଶବ୍ଦ ସେ ଭୁବନ      ଘୁ ଘୁ ନାଦ ଗର୍ଜ୍ଜନ

ଅଗାଧ ସାଗର      ନାହିଁ ତହିଁ ନୀର

ପୂରି ରହିଅଛି ହଦ୍ର ପଙ୍କ ।।୧।।

ନ ପଡ଼ି ପୁଟ ବେଢ      ଚାରି ଦୁଆରେ ଖେଳ

ମହାନିତ୍ୟ ଭୂଇଁ      ଟଳ ଟଳ ନାହିଁ

ପାଦଘାତେ ପଡ଼ୁଅଛି ଚମକ ।।୨।।

ଜଣେ ଜଣେ ସୁବେଶ      ନ ଥାଇ ଝୀନବାସ

ଚୌଷଠୀ ବନ୍ଧରେ      ନୃତ୍ୟ ସେ ମନ୍ଦିରେ

ନ ବାଜଇ ଢୋଲ ଦମା ଟମକ ।।୩।।

ମଧ୍ୟେ ପ୍ରଭୁ ବିଜୟେ      ଅନାମେ ରଖି କାୟେ

ଅଲେଖ ମହିମା      କି ଦେବ ଉପମା

ଆଶ୍ରେ କଲେ ଖଣ୍ତୁଅଛି ପାତକ ।।୪।।

ବାମ ଡାହାଣ କତି      ଜନ୍ମମୃତ୍ୟୁ ଖଟନ୍ତି

ଅକ୍ଷୟ ପୁରୁଷ      ଭକ୍ତଭାବେ ଦୃଶ୍ୟ

ଖାଇଛନ୍ତି ଅମରିକା କଳପ ।।୫।।

ଏକାକ୍ଷର ନିର୍ବେଦ      କ୍ଷରି ଆସୁଛି ପଦ

ବ୍ରହ୍ମ ନିରୂପଣ      ହେଉଛି ସେ ସ୍ଥାନ

ଭଣେ ଭୀମହୀନ ବାଇ ମୁରୁଖ ।।୬।।

 

(୩୮)

ଝଟ ଝଟ ଦିଶନ୍ତି ଦିବ୍ୟ ମୂରତି ।। ଘୋଷା ।।

ରୂପ ମଧ୍ୟେ ନ ଗଛେ      ଲାଗିଛି ଆଗ ପଛେ

ବାମ ଡାହାଣରେ      ଭିତର ବାହାରେ

ଜ୍ଞାନ ନେତ୍ରେ ଦେଖି କର ପୀରତି ।।୧।।

ଅମନ ମଣ୍ଡଳରେ      ଧର ଏତେ ବେଳରେ

ନ ଦେଉଛି ଧରା      ଯେସନେ ଭ୍ରମରା

ଅନୁମାନ ମାର୍ଗେ କର ସୁରତି ।।୨।।

ନିଗମ ଘରେ ପଶ      ହେବ ଯେମନ୍ତେ ଦାସ

ନ ଧଇଲେ କର୍ମ      ଭେଟିବ ସେ ବ୍ରହ୍ମ

ତେବେ ସେ ପାଇବ ଗତି ମୁକତି ।।୩।।

ନିଦା ବ୍ରହ୍ମ ଅଙ୍ଗରେ      ନିତ୍ୟ ଥିବ ସଙ୍ଗରେ

ଗୁରୁ ଶିଷ୍ୟ ସେଥି      ବାରଣ ନ ଯାନ୍ତି

କଟିବ ଜନ୍ମ ମରଣ ବିପତ୍ତି ।।୪।।

କ୍ଷରୁଛି ଚାରିଯୁଗେ      ଫଳଶ୍ରୁତିର ଭୋଗେ

ଦେଉଛନ୍ତି ଛଳି      ଯେହ୍ନେ ମଧୁଫଳି

ଛଡ଼ାଇ ଅଲଗା ହୋଇ ଅଛନ୍ତି ।।୫।।

ଭଣେ ଭୀମ ଅର୍କ୍ଷିତ      ନ ପାଇ ଆଦ୍ୟ ଅନ୍ତ

ଧରୁଛି ପୟର      ହେବାକୁ ଉଦ୍ଧାର

ଏବେ ସେ କରତା ବିଜେ ଧରିତ୍ରୀ ।।୬।।

 

(୩୯)

ନିର୍ଝରରୁ ଝରୁଛି ସୁଧା ମଧୁର ।। ଘୋଷା ।।

ଜାଗି ପାରିଲେ ବସି      ତହିଁ ଦ୍ରବି ଆସୁଛି

ଥିଲେ ପୂର୍ବ ଭାଗ୍ୟ      ତେବେ ସେ ପାଇବ

ଗଳୁଅଛି ଏକ ପାଦ-ବିନ୍ଦରେ ।।୧।।

ରାତ୍ର ଦିବସ ଖାଇ      କେଭେ ଚିଟା ନ ପାଇ

ଅଧିକରେ ସ୍ୱାଦୁ      ସୁଧାପାନ ମଧୁ

ପିଇ ତୋଷ କର ଦେହ ଉଦର ।।୨।।

ଅମର ମକରନ୍ଦ      ଅଛିଟି ଭଲମନ୍ଦ

ଦୁର୍ଗମ ସେ ପଥ      କର ଦୃଢବ୍ରତ

ପଶି ପାରିଲେ ଅଗମ୍ୟ ଭିତର ।।୩।।

ଏ ପିଣ୍ଡ ନ ପଡ଼ିବ      ହେତୁ ବୁଡ଼ି ନ ଯିବ

ଗୁରୁ ଆଜ୍ଞା ବହି      ନୀଚ ପ୍ରାୟ ହୋଇ

ସାକ୍ଷୀରୁପେ ଦେଖୁଥିବ ସଂସାର ।।୪।।

ଏ ଘରେ ଯେ ପଶିବ      ଶରୀରାର୍ଥ ଦିଶିବ

ବ୍ରହ୍ମର ଭୁବନ      ନାହିଁ ରାତ୍ର ଦିନ

ନ ପଡ଼ିବ ଜନ୍ମ ମୃତ୍ୟୁ ଭାଗର ।।୫।।

ମହାଶୂନ୍ୟ ମନ୍ଦିରୁ      ବହୁଛି ସେଠାବରୁ

ଲାଗିଅଛି ଧରା      ନିଗମରୁ ପରା

ଭଣେ ଭୀମ ଅଗାଧ ସେ ସାଗର ।।୬।।

 

(୪୦)

ନର ମନୁଷ୍ୟ ନୋହି ।

ଅପରତେ କରୁଅଛ କିମ୍ପାଇଁ ।। ଘୋଷା ।।

ସାକ୍ଷାତେ ସେ ବ୍ରହ୍ମ      ଅଣାକାର ନାମ

ସର୍ବେ ପାଇବେ କାହିଁ ।

ବାହ୍ୟ ସଂସାରକୁ      ଏ କଳି ଯୁଗକୁ

ଅଛନ୍ତି ସେ ନର ଦେହକୁ ବହି ।।୧।।

ବଇଷ୍ଣବ ବେଶ      ମଞ୍ଚରେ ପ୍ରକାଶ

ଦୀକ୍ଷା ଅବଧୂତ ହିଁ ।

ବକଳ ଭୂଷଣ      ଦେଖ ସର୍ବଜନ

ଜ୍ଞାନ ଭଣ୍ଡାରକୁ ଅଛନ୍ତି ଥୋଇ ।।୨।।

ବଚନେ ଉଦ୍ଧାର      କରିବେ ତ୍ରିପୁର

ମନ୍ତ୍ର ମୂର୍ତ୍ତି ନ ଦେଇ ।

ଅକ୍ଷୟ ଶରୀର      ଅଟେ ତାହାଙ୍କର

ନ ଥାଇ ଯାହାର ସ୍ୱରୂପ ଛାଇ ।।୩।।

ମହାଶୂନ୍ୟ ଠାରୁ      ପ୍ରଭୁ ଶ୍ରୀ ଛାମୁରୁ

କ୍ଷରି ଆସୁଛି ମହୀ ।

ଦେବା ଦେବୀଗଣ      ମୃତ୍ତିକା ପାଷାଣ

ବ୍ରହ୍ମାଣ୍ଡେ କେହି ନ ପାରିବେ ରହି ।।୪।।

ଆତ୍ମାଜ୍ଞାନ ଭାବ      ସର୍ବଠାରେ ହେବ

ସାର କର୍ମ ବୋଲାଇ ।

ଦେଖିବ ମହିମା      ପ୍ରଭୁ ଗୁଣ ସୀମା

ସ୍ୱାମୀ ଯେମାନଙ୍କୁ ଥିବେଟି ଥୋଇ ।।୫।।

ଯାହାଙ୍କୁ ଅଲେଖ       ବୋଲୁଛନ୍ତି ଲୋକ

ମୋ ଜୀବର ଗୋସାଇଁ ।

ନିଶ୍ଚୟ ତାରିବେ      କଷଣ ଫେଡ଼ିବେ

ଭଣେ ଭୀମଭୋଇ ଅଧମ ବାଇ ।।୬।।

 

(୪୧)

ଯାଇଁ ଶରଣ ମାଗ ।

ଗୁରୁପାଦ ବିନ୍ଦେ ହୋଇଲେ ଯୋଗ୍ୟ ।। ଘୋଷା ।।

ଏକା ଜଣକର      ନୁହନ୍ତି ଠାକୁର

ଅଛି ସବୁରି ଭାଗ ।

କୋଠ ଲୋକ ହେବ      ଅନ୍ତର ନୋହିବ

ଯେଉଁମାନେ ଭଜୁଥିବେଟି ଆଗ ।।୧।।

ଦୟା ଯେବେ ହେବ      ଏ ପିଣ୍ଡ ରହିବ

ଚାରିଯୁଗରେ ଥିବ ।

ଯା’ର ମନ ଇଚ୍ଛା      ଅଛି ଯେଉଁ ବାଞ୍ଛା

ନିଶ୍ଚେ ପରାପତ ତାହାଙ୍କୁ ହେବ ।।୨।।

ମହା ଘୋର କଥା      କରିବେ କରତା

କହିଲେ ଅସମ୍ଭବ ।

ଦିନୁ ଦିନୁ ଦେଖ      ତିନି ତ୍ରଇଲୋକ୍ୟ

ମାଡ଼ିଯିବେ ଭକ୍ତ ଏ ଚଉଦିଗ ।।୩।।

ଅପୂର୍ବ କାହାଣୀ      ହେବ ଏ ମେଦିନୀ

ବେନି ଡୋଳେ ଦେଖିବ ।

ଅଲେଖ ମହିମା      ଯେବେ ନ ଭଜିବ

ରବିତଳେ କାହିଁ ମିଳିବ ଠାବ ।।୪।।

ଦେଉଅଛି ଡାକ      ତିନିପୁର ଯାକ

ଚେତାରେ ଯେ ଧରିବ ।

ସାଧିଲେ ସୁଜ୍ଞାନ      ରହିବ ବିହନ

ବ୍ରହ୍ମଅଙ୍ଗ ଲୋକ ସେ ବୋଲାଇବ ।।୫।।

କଳିକ୍ଷୟ ଯିବ      ଧର୍ମ ପ୍ରକାଶିବ

ହେଲାଣି ସତ୍ୟ ଶୁଭ ।

ଗୁରୁ ପାଦ ଧ୍ୟାୟି      ଭଣେ ଭୀମ ଭୋଇ

କବିକୃତ ପଦ ଯୋଗ୍ୟ ହୋଇବ ।।୬।।

 

(୪୨)

କର ସତ୍ୟ ଆଚାର

ଛେଦି ହୋଇଯିବ ପାତକ ଭାର ।। ଘୋଷା ।।

ଦୁର୍ଲ୍ଲଭ ଜନମ ଦେଲେ ନାରାୟଣ ହେଉଛି ନାରଖାର ।

ମାୟା ମୋହେ ପଡ଼ି      କ୍ରିୟା କର୍ମେ ଜଡ଼ି

ହୋଇଲେଣି ସର୍ବେ ଦୁଷ୍ଟ ଅସୁର ।।୧।।

ପାପମାନ କରି ଦୋକାନ୍ଧେ ଦୋ ଭାରି ବୋଝ ବହିଲେ ଶିର ।

ନିଶ୍ଚୟେ ବୁଝିଲେ      ପ୍ରଭୁଙ୍କୁ ଭଜିଲେ

ଦୋଷ ଅପରାଧ ହୋଇବ ଦୂର ।।୨।।

କିଛି ଦୋଷ ନାହିଁ କହୁଛି ବୁଝାଇ ବଚନ ସୁଧା ଧାର ।

ଆଜ୍ଞା ନ ଘେନିଲେ      ବୋଲ ନ ମାନିଲେ

ପଶ୍ଚାନ୍ତେ ହୋଇବ ପୋଡ଼ା ଅଙ୍ଗାର ।।୩।।

ଅଲେଖ ପ୍ରଭୁଙ୍କୁ ଭଜ ହେ ତାହାଙ୍କୁ ନିଶ୍ଚେ ହେବ ଉଦ୍ଧାର ।

ସର୍ବ ଅଭ୍ୟାଗତ      ଯେବଣ ଅତିଥ

ସେବା ଭକ୍ତି କର ତାଙ୍କ ପୟର ।।୪।।

ସେହି ଅବଧୂତ ମହିମା ବିଖ୍ୟାତ ଛାଡ଼ିଛନ୍ତି ସଂସାର ।

ମନୁଷ୍ୟ ପରାୟେ      କର ଏବେ ନ୍ୟାୟେ

ଶ୍ରୀଗୁରୁ ଛାମୁରେ ଦିଅ ଇଝାର ।।୫।।

ସତ୍ୟ ତ୍ରେତୟା ଦ୍ୱାପର କଳିଯୁଗେ ଯେଉଁ ଧର୍ମଟି ସାର ।

ଛାଡ଼ି ଦେଇଅଛ      ମାୟାରେ ପଡ଼ିଛ

ଭଣେ ଭୀମଭୋଇ ନିରତେ ଧର ।।୬।।

 

(୪୩)

ବ୍ରହ୍ମାଣ୍ଡେ ବିଜୟ ଶ୍ରୀଗୁରୁ ହେ ।। ଘୋଷା ।।

ମିଛ ନୁହେଁ ବାକ୍ୟ      ପ୍ରତ୍ୟକ୍ଷରେ ଦେଖ

ପ୍ରକାଶ ଅବନା ମନ୍ଦିରୁ ହେ ।।୧।।

ନବଖଣ୍ଡ ମହୀ      ଯାଇଥାନ୍ତା ବହି

ରହିଲା ଶ୍ରୀଗୁରୁ କୃପାରୁ ହେ ।।୨।।

ଭକ୍ତ ହିତକାରୀ      ଅନାଦି ସେ ହରି

ତାରିବେ ଏ ଭବ ସାଗରୁ ହେ ।।୩।।

ଧର୍ମାଧି ପୁରୁଷ      ଭକ୍ତଭାବେ ବଶ

ଜାଣନ୍ତି ଅନନ୍ତ ଭିତରୁ ହେ ।।୪।।

କରୁଛି ଜଣାଣ      ବିନତି ମୋ ଘେନ

କହିଲେ ଦୁଃଖ ମୋ ନ ସରୁ ହେ ।।୫।।

ଭଣେ ଭୀମକନ୍ଧ      ଧ୍ୟାୟି ପାଦବିନ୍ଦ

ହେ ପ୍ରଭୁ ଉଦ୍ଧାର ସଂସାରୁ ହେ ।।୬।।

 

(୪୪)

ସଂସାର ତାରିବା ନିମନ୍ତେ ହେ ।। ଘୋଷା ।।

ଅନାଦି ସେ ବ୍ରହ୍ମ      ଏକାକ୍ଷର ଧର୍ମ

ବୈଷ୍ଣବ ରୂପ ଏ ଜଗତ ହେ ।।୧।।

ତିନିପୁର ଯା      ପଡ଼ୁଅଛି ଡାକ

ନ ଚିହ୍ନି ଆଜ ପରିଯନ୍ତେ ।।୨।।

ଚକ୍ଷୁ ଥାଉଁ କଣା      ବୁଦ୍ଧି ଥାଉଁ ବଣା

ବାତୁଳ ହେଲେଣି ସମସ୍ତେ ହେ ।।୩।।

ଯେ ହେବ ମନୁଷ୍ୟ      ଜାଣିବ ଅବଶ୍ୟ

ବୁଝାଇ କହୁଅଛି ଯେତେ ହେ ।।୪।।

ଭଜିଲେ ଏ ଦୀକ୍ଷା      ହେତୁ ରହେ ଏକା

ଚେତାରେ ଧର ଅନ୍ତର୍ଗତେ ହେ ।।୫।।

ଭଣେ ଭୀମକନ୍ଧ      ସୁଧା ମକରନ୍ଦ

ସୁଜନେ ପିଅ ଅନୁବ୍ରତେ ହେ ।।୬।।

 

(୪୫)

ଭକତ ଭାବେ ହୋନ୍ତି ବଶ ହେ ।। ଘୋଷା ।।

ସକାମରେ ନାହିଁ      ନିଷ୍କାମରେ ଥାଇ

ସତ୍ୟ ବଚନେ ପରକାଶ ହେ ।।୧।।

ମନ୍ତ୍ର ପାଇଅଛ      କି ଗୁରୁ କରିଛ

ପୂର୍ବରୁ କର୍ଣ୍ଣ ଉପଦେଶ ହେ ।।୨।।

ଆସିଅଛି ଜୀବ      କିଛି ନାହିଁ ନେବ

ରହିବ ଯଶ ଅପଯଶ ହେ ।।୩।।

ମାତୃଗର୍ଭେ ସବୁ      ଦେଇଛନ୍ତି ପ୍ରଭୁ

ଆପଣା ସୁଖେ ଗଲା ନାଶ ହେ ।।୪।।

ଧରି ନ ପାରିଲା      ମାୟାରେ ପଡ଼ିଲା

କାହାର କିଛି ନାହିଁ ଦୋଷ ହେ ।।୫।।

ଭଣେ ଭୀମକନ୍ଧ      ଗୁରୁଙ୍କ ନ ନିନ୍ଦ

ସେ ପାଦ ମହିମା ଅଶେଷ ହେ ।।୬।।

 

(୪୬)

ଧର୍ମରେ ଧରିତ୍ରୀ ରହିଲା ହେ ।। ଘୋଷା ।।

ଚାରିଯୁଗେ ଦେଖ      ନାହିଁ ରୂପରେଖ

ଏବେ ସେ ପ୍ରକାଶ ହୋଇଲା ହେ ।।୧।।

ଏକାକ୍ଷର ପଦ      ଅବନା ନିର୍ବେଦ

କୌଣସି ଯୁଗରେ ନ ଥିଲା ହେ ।।୨।।

କଳିଯୁଗେ ଜାଣ      ଏଡ଼େ ବଡ଼ ଜ୍ଞାନ

ଦାଣ୍ଡ ବାଟରେ ବହିଗଲା ହେ ।।୩।।

ବ୍ରହ୍ମ ଗଙ୍ଗାନଦୀ      କର ସ୍ନାନ ସିଦ୍ଧି

ଭାଗ୍ୟେ ମେଦିନୀକି ଅଇଲା ହେ ।।୪।।

ଅପୋଡ଼ା ଭୂମିରେ      ଥିଲା ଗୁପତରେ

ଏବେ ସେ ଚିହ୍ନଟ ପଡ଼ିଲା ହେ ।।୫।।

ଭଣେ ଭୀମକନ୍ଧ      ଗୁରୁପାଦ ବିନ୍ଦ

ମୋ ଚିତ୍ତ ନିରତେ ମଜ୍ଜିଲା ହେ ।।୬।।

 

(୪୭)

ଅଭୟ ମଣ୍ଡଳକୁ, ଉଠି ଜ୍ଞାନ ନେତ୍ରେ ଶୂନ୍ୟେ ଦେଖ

।। ଘୋଷା ।।

କର୍ମ କାଣ୍ଡ ଇଟା ପଥର ବସାଇ,

ଜ୍ଞାନ କଳା ଚୂନ ଛାଟିଛନ୍ତି ତହିଁ

ସୁସତ୍ୟ ପୁଣ୍ୟକୁ      ମାଟି ଖତ କରି

ଲିପିଛନ୍ତି ଅନାଦି ଅଲେଖ ।।୧।।

ଧର୍ମ ହୋଇଅଛି ଛାଞ୍ଚୁଣୀ ପହଁରା,

କୋଠା ଖରକୁଛି ବୁଲି ବେଢା ବେଢା,

ସର୍ଜନା କଳ୍ପନା      ଝୁଟି ଆଳପଣା

କେ କହିବ ମୁଖେ କରି ସଂକ୍ଷ୍ୟ ।।୨।।

ରାମ କୃଷ୍ଣ ନାମ ହୋଇଛି କବାଟ,

ଲାଗିଅଛି ଦଶ ପରକାରେ କାଠ,

ଅର୍ଥ ଲୁହାକଣ୍ଟା      ତାଲା ଛତିପଟା

କମ ହୋଇଅଛି ଦ୍ୱାଦଶ ରୂପ ।।୩।।

ଏକାକ୍ଷର କଞ୍ଚି କୋଲପ ହୋଇଛି,

ଜ୍ୟୋତି ବ୍ରହ୍ମଦ୍ୱାରୀ କବାଟ କିଳିଛି,

ଚାରିଯୁଗ ତହିଁ      ଦ୍ୱାରବନ୍ଧ ହୋଇ

ଲାଗିଛନ୍ତି ତହିଁ ଏତେ ଲୋକ ।।୪।।

ଅନାଦି ନିଃଶବ୍ଦ ନିଷ୍କାମ ନିର୍ବେଦ,

ଜ୍ଞାନୀଜନମାନେ ଜାଣନ୍ତି ଏ ଭେଦ,

ଏ ପିଣ୍ଡ ରହିବ      କଳ୍ପନା ହଜିବ

ତେବେ ଏ ଜୀବକୁ ଅଛି ମୋକ୍ଷ ।।୫।।

ଭଣେ ଭୀମକନ୍ଧ ମନରେ ଆନନ୍ଦ,

ମହା ବ୍ରହ୍ମ ସେ ଯେ ଅଣରୂପା ଚାନ୍ଦ,

ଥିବ ଯେବେ ଧ୍ୟାୟି      ଲୀନ ହବ ଯାଇଁ

କୋଟି ଜନ୍ମ କରିଥିଲେ ତପ ।।୬।।

 

(୪୮)

ଅବନା ମନ୍ଦିରରେ, ମହିମା ସାଗର ବ୍ରହ୍ମପୁରୀ ।। ଘୋଷା ।।

ଉତ୍ତର ଦକ୍ଷିଣ ମନ୍ଦିର ପାରିଆ,

ଉଦେ ଅସ୍ତେ ମେରୁ ହୋଇଛି ତୁଳିଆ,

ଚାରି ଦିଗଯାକ      ଚାରିଖଣ୍ଡ ଶେଣୀ

ମଉଡ଼ ମାରିଛି ଯତ୍ନ କରି ।।୧।।

ଅନୁମାନ ବୁଦ୍ଧି ବାରିସି ନିହାଣ,

ଚାଞ୍ଛି ଫୋଡ଼ି ପୋତି କରିଛି ନିର୍ମାଣ,

ଶଲ ପିଆଇଛି      ବାରିତ ନୋହୁଛି

ବିବେକ ମନକୁ ସୂତ୍ରେ ଧରି ।।୨।।

ତେତିଶ କୋଟି ଦେବ ରୁଅ ନଇବତା,

ବିଚିତ୍ର କାମରେ ଫୁଟାଇଛି ଲତା,

ମେଦିନୀ ମାଳାକୁ      ଛଣ ବିଡ଼ା କରି

ଛାଏଣୀ କରିଛି ମନ ସ୍ମରି ।।୩।।

ଷୋଳ ବଖରାକୁ ସାତ ଗୋଟି ବାଟ,

ଲାଗିଅଛି ତହିଁ ଯାଉଁଳୀ କବାଟ,

ବସିଛି ଉହାଡ଼େ      ବତିଶ ବେଢାରେ

ସାତ କବାଟକୁ ଏକ ଦ୍ୱାରୀ ।।୪।।

ମଧ୍ୟ ବଖୁରୀରେ ବାନ୍ଧିଛନ୍ତି ମଠ,

ଶାନ୍ତଶୀଳ ଦୟା କ୍ଷମା ଧୂନି କାଠ,

ନିର୍ଧୂମ ଅନଳ      ତେଜ ପରବଳ

ଅନାହତ ଧୂନି ତେଜ ଭାରି ।।୫।।

ନବଲକ୍ଷ ତାରା ଧୂନି କାଠ ଝୋଲା,

ଶୂନ୍ୟେ ଉଡ଼ୁଛନ୍ତି ହୋଇ ହୁଳାହୁଳା;

ଭଣେ ଭୀମକନ୍ଧ      ଭକ୍ତକୁଳ ବୃନ୍ଦ

ଆଶ୍ରେ କରି ଯାଉଛନ୍ତି ତରି ।।୬।।

 

(୪୯)

ଅଲେଖ ଅନାଦି ତ, ନିଗମ ଭୂମିରେ ରହିଛନ୍ତି ।। ଘୋଷା ।।

କାମନା କଳ୍ପନା କ୍ଷୁଧା ତୃଷ୍ଣା ନାହିଁ,

ନିଦ୍ରା ମଇଥୁନ ଆହାର ନ ଥାଇ,

ହାସ୍ୟ ପ୍ରେମ ରସ      ନବରଙ୍ଗ ବେଶ

ହାଇ ଛାଇ ତହିଁ ନାହିଁ କିଛି ।।୧।।

ନବୀନ ବୟସ ନାହିଁ ଗନ୍ଧ ବାସ,

ପାପ ପୁଣ୍ୟ ତହିଁ ନ ଲାଗଇ ଦୋଷ,

ଆକାର ବିକାର      ସବୁ ସମାଚାର

କାହିଁ ନ ଲାଗିଣ ଶୂନ୍ୟେ ଛନ୍ତି ।।୨।।

ତୀର୍ଥ ବ୍ରତ ତପ ନାହିଁ ମନ୍ତ୍ର ଜପ,

ଲୋଭ ମୋହ ମାୟା ନାହିଁ କାୟା ରୂପ,

ଶୁଭ ଅନୁକୁଳ      ନାହିଁ ବେଳ କାଳ

ସଦା ସରବଦା ଝରୁଅଛି ।।୩।।

ବେଦ ଶାହାସ୍ତ୍ରକୁ ଦେଇଛନ୍ତି ଫିଙ୍ଗି,

ସହସ୍ର ଯୋଜନେ ରହିଛନ୍ତି ଶଙ୍କି,

ଧରିତ୍ରୀ ଆକାଶ      ଆପ ବାୟୁ ତ୍ରାସ

ଏମାନଙ୍କୁ ସାକ୍ଷ୍ୟ ରଖିଛନ୍ତି ।।୪।।

ଥିଲେ ପୂର୍ବ ତପ ଦେଖିବ ସେ ରୂପ,

ତେବେ କ୍ଷମା ହେବ ପିତାମାତା ଶାପ,

ଜନ୍ମ ଲଭିଅଛ      ପାତକ କରିଛ

ଏବେ ପାଦପଦ୍ମ ଧର ବାଛି ।।୫।।

ଭଣେ ଭୀମକନ୍ଧ ନିରିଗୁଣ ପଦ,

ସମସ୍ତଙ୍କୁ ଦୃଶ୍ୟ ନୁହଇ ଏ ଭେଦ,

ଲୁଚିଅଛି ଯହିଁ      ଉବାର ନୁହଇ

ଭକ୍ତ ନୟନକୁ ଦିଶୁଅଛି ।।୬।।

 

(୫୦)

ଅନାମିକା ପଦକୁ; ଅମନରେ ଧ୍ୟାୟି ପ୍ରତ୍ୟେକର ।। ଘୋଷା ।।

ଜଳ ପବନର ଭେଦ ନାହିଁ ତହିଁ,

ଚନ୍ଦ୍ର ସୂର୍ଯ୍ୟ ତେଜ ବାଜିବାକୁ ନାହିଁ,

ବ୍ରହ୍ମା ବିଷ୍ଣୁ ଶିବ      କୋଟି କଳ୍ପଯୁଗ

ସେଠାବକୁ ସମସ୍ତେ ଅନ୍ତର ।।୧।।

ଆସିଥିଲେ ସିନା ଯାଇ ନ ପାରିଲେ

ଅନନ୍ତ ଗର୍ଭରେ ସମସ୍ତେ ରହିଲେ,

ଯେ ବହିଲେ କାୟା      ଲାଗିଗଲା ମାୟା,

ଆତଯାତ ହେଲେ ତିନିପୁର ।।୨।।

ତଥି ଉପରକୁ ନ ଦିଶେ କାହାକୁ,

ଭକତ ଯେ ହେବ ଦିଶିବ ତାହାକୁ,

ଅତି ବଡ଼ ପ୍ରଥା      ଅଟଇ ସେ କଥା

ଯାରେ ଦୟା ହେବ ସେ ପୟର ।।୩।।

ପୂର୍ବଦିଗେ ମୁଣ୍ଡ ପଶ୍ଚିମକୁ ଗୋଡ଼;

ମଧ୍ୟେ ରହିଅଛି ଏକ ପାଦ ଖଣ୍ଡ,

ସୁଜ୍ଞାନୀ ପଣ୍ଡିତା      ବୁଝିବେ ଏ କଥା

ଅଜ୍ଞାନୀକି ଅଟେ ବଡ଼ ଦୂର ।।୪।।

ତହିଁର ଉପରେ ଅନାମିକା ନାମ,

ଅଶ୍ରୁତି ଅମୂର୍ତ୍ତି ନିଷ୍କାମ ଏ ବ୍ରହ୍ମ,

ସେହିଟି ମୁକତି      ଜୀବର ସମ୍ପତ୍ତି

ତାଙ୍କୁ ଆଶ୍ରେ କର ନିରନ୍ତର ।।୫।।

ଭଣେ ଭୀମକନ୍ଧ ନବଘନ ଚାନ୍ଦ

ଅନୁସରି ଅଛି ସୁଧା ମକରନ୍ଦ,

ଶ୍ରୀପୟର ଧରି      ପ୍ରଣମିତ କରି

ଶ୍ରୀ ଛାମୁରେ ଯୋଡ଼ି ବେନି କର ।।୬।।

 

(୫୧)

ଉଠ ଶୂନ୍ୟ ଶିଖରେ      ଭେଟ ଅଲେଖ ପୁରେ

ଖଟ ସେବା ଭକତି ମୁକତି ହେ ।। ଘୋଷା ।।

ବିଦ୍ୟୁ ଝଟକ କାନ୍ତି      ଜାଜ୍ୱଲ୍ୟମୟ ଜ୍ୟୋତି

ଆବାଲ୍ୟ ରୂପବ୍ରହ୍ମ ମୂରତି ହେ ।।୧।।

ସଦାକାଳେ ଅତିଥି      ନାହିଁ ଦିବସ ରାତି

ଥୟରେ କାହିଁ ନାହିଁ ରହନ୍ତି ହେ ।।୨।।

ସର୍ବ ଠାବରେ ଛନ୍ତି      କାହିଁରେ ନ ଲାଗନ୍ତି

ଚିତ୍ତ ଲଗାଇ କର ପୀରତିହେ ।।୩।।

ରଜ ବୀର୍ଯ୍ୟେ ନୁହନ୍ତି      ପବନେ ନ ଉଡ଼ନ୍ତି

ନାହିଁ ଗନ୍ଧ ପ୍ରକଟ ବିକୃତି ହେ ।।୪।।

ଦ୍ୱାଦଶ ଯୂଣ କ୍ଷିତି      ତହିଁର ଦୀର୍ଘ ପ୍ରତି

ଚାରି ଯୂଣରେ ବ୍ରହ୍ମ ଖେଳନ୍ତି ହେ ।।୫।।

ଭଣିଲେ ଭୀମ କ୍ଷିତି      ଗୁରୁ ପୟରେ ମତି

ଅଭେଦ ମାର୍ଗେ ବ୍ରହ୍ମ ଦିଶନ୍ତି ହେ ।।୬।।

 

(୫୨)

କର ବଢାଇ ଧର      ହେଉଛି ତର ତର

ଲୁଚି ପଶୁଛି ଯାଇଁ ଭିତରେ ହେ ।। ଘୋଷା ।।

ଶବଦ ବ୍ରହ୍ମ କାନ୍ଥ      ହୋଇଛି ସେ ମନ୍ଦିରେ

ମେରୁ ପୋତିଛି ଚଉପାଶରେ ହେ ।।୧।।

ସୂର୍ଯ୍ୟ ଦେବତା ଦୀପ      ଚନ୍ଦ୍ର ଦର୍ପଣ ରୂପ

ପ୍ରହରୀ ହୋଇଛନ୍ତି ସେ ପୁରେ ହେ ।।୨।।

ଏ ତିନି ବ୍ରହ୍ମାଣ୍ଡର      କହୁଛନ୍ତି ଖବର

ଯେତେ ଭଲ ଅସାର ଛାମୁରେ ହେ ।।୩।।

ଭେଦ ତତ୍ତ୍ୱ ସେ ଘରେ      ଜଗିଛନ୍ତି ଭଣ୍ଡାରେ

ଜ୍ଞାନ ବଣ୍ଟା ହେଉଛି ବେଦରେ ହେ ।।୪।।

ଭାଗ୍ୟ ଅଛି ଯାହାରେ      ଧର ଏତେ ବେଳରେ

ଅନୁମାନ ବିବେକ ବୁଦ୍ଧିରେ ହେ ।।୫।।

ଭଣିଲେ ଭୀମକନ୍ଧ      ସ୍ୱାମୀ ଚରଣାବିନ୍ଦ

ଠାବ କରିଛି ବ୍ରହ୍ମ ଶୂନ୍ୟରେ ହେ ।।୬।।

 

(୫୩)

ସଂଜ୍ୟୋତି ତେଜ ତୋରା      ନାହିଁ ଦେଉଛି ଧରା

ଅଜ୍ୟୋତି ବ୍ରହ୍ମ ତହିଁ ଖେଳନ୍ତି ହେ ।। ଘୋଷା ।।

ରୂପ ପ୍ରାୟେ ଦିଶନ୍ତି      ଅରୂପେ ବିହରନ୍ତି

ଅଦୃଷ୍ଟି ଆସ୍ଥାନରେ ରହନ୍ତି ହେ ।।୧।।

ଅବ୍ୟକ୍ତ ହୋଇଅଛି      ବଚନ ନ କହୁଛି

କୃପାଜନ ଶରୀରୁ ବହୁଛି ହେ ।।୨।।

ଚିହ୍ନି ଧରିଲେ ବାଛି      ହସ୍ତୁ ଖସି ଯାଉଛି

ଅତି ଚିକ୍କଣ ଅଙ୍ଗ ହୋଇଛି ହେ ।।୩।।

ନିଷ୍କାମରେ ଗଛିଛି      ବଡ଼ ଚତୁରେ ଅଛି

ନିଶ୍ଚିନ୍ତେ ଅଚିନ୍ତାରେ ରହିଛି ହେ ।।୪।।

ନିର୍ଝରୁଁ ଝରି ଝର      ସେ ଯେଉଁ ପୂର୍ଣ୍ଣାନନ୍ଦ

ପାଦବିନ୍ଦରୁ ପଦ କ୍ଷରୁଛି ହେ ।।୬।।

 

(୫୪)

ଗମି ନାହାନ୍ତି କେହି      ଘୂମିଗଲେ ଅନେକ

ଏବେ ସେ ପ୍ରଭୁ ନର ସ୍ୱରୂପ ହେ ।। ଘୋଷା ।।

ବୈଷ୍ଣବ ବେଶ ଧରି      ବ୍ରହ୍ମାଣ୍ଡରେ ବିହରି

ସପ୍ତସାଗର ନବଦ୍ୱୀପକ ହେ ।।୧।।

ବୈକୁଣ୍ଠପୁର ବାନ      ଅଟେ ଜଗତ ଜିଣା

ଉଡ଼ାଇଛନ୍ତି ତିନି ପୁରକୁ ହେ ।।୨।।

ନିର୍ବେଦରୁ ସମ୍ଭୁତ      ମହିମା ଅବଧୂତ

କର୍ଣ୍ଣେ ଶୁଣିଲେ କଥା ପୁଲକ ହେ ।।୩।।

ତାରିବେ ଚାରିଖାନି      ମହିମା ନାମ ଘେନି

ସ୍ତିରୀ ପୁରୁଷ ବୃଦ୍ଧ ବାଳକ ହେ ।।୪।।

କ୍ଷମା ସାଗର ବ୍ରହ୍ମ      ଧର୍ମ ନିର୍ବେଦ କର୍ମ

ଛପନା କୋଟି ଜୀବ ପାଳକ ହେ ।।୫।।

ଭଣିଲେ ଭୀମକନ୍ଧ      ସ୍ୱାମୀ ଅନାଦି କନ୍ଦ

ବିଜୟ କଲେ କଳି କାଳକ ହେ ।।୬।।

 

(୫୫)

ଅଣାକାର ଅରୂପ ବ୍ରହ୍ମ ମୂରତି ହେ ।

ଏବେ ବିଜୟେ କରିଛନ୍ତି ଧରିତୀ ହେ ।। ଘୋଷା ।।

ଅରୂପ ପୁରୁଷ ରୂପବନ୍ତ ହୋଇଲେ,

ବ୍ରହ୍ମାଣ୍ଡକୁ ଅଇଲେ ।

ଭକତ ହିତକାରୀ      କରୁଣା କୃପା ଧାରି

ମାୟା ସିନ୍ଧୁ ସାଗରୁ      ନେବେ ଉଦ୍ଧାର କରି

ପିଣ୍ଡ ପ୍ରାଣକୁ ଦେଇ କର ଭକତି ହେ ।।୧।।

ଅନାମିକା ପୁରୁଷ ସେ ନାମକୁ ବହି,

ରକ୍ଷା ନିମନ୍ତେ ମହୀ

ନିର୍ବେଦରୁ ପ୍ରକାଶ      ମହିମା ଦୀକ୍ଷା ରସ

ଭଜି ଯେବେ ପାରିବ      ଯିବ ପୂର୍ବ କଳ୍ମଷ

ତେବେ ଯେବେ ପାଇବ ସଦଗତି

ମୁକତି ହେ ।।୨।।

ଅଚିହ୍ନା ପୁରୁଷ ସେ ଯେ ଚିହ୍ନଟ ଦେଲେ,

ଆପେ ଅତିଥି ହେଲେ ।

ଅଲେଖ ପଦ ଯେହୁ      ଲେଖି ନୁହଇ ସେହୁ

ଗୁରୁ ପଣେ ଶକତା      ଅଟନ୍ତି ମହାବାହୁ

ଏକୋଇଶ ଭୁବନେ ସେହୁ ନୃପତି ହେ ।।୩।।

ଅକଳ୍ପଣା ପୁରୁଷ ସେ କଳ୍ପଣା କଲେ;

ଅଙ୍ଗୁ ସର୍ବେ ଜନ୍ମିଲେ ।

ଏବେ ସେ କରତାଙ୍କୁ      ନେତ୍ରରେ ଦେଖୁ ଦେଖୁ

ନିନ୍ଦିତ କରୁଅଛ      ଭଜୁଅଛ କାହାକୁ

ଏବେ ବୈଷ୍ଣବ ଧର୍ମ ଅଛି ଏ ପୃଥ୍ୱୀ ହେ ।।୪।।

ଅକ୍ଷୟ ପୁରୁଷ କ୍ଷୟ ହେବାକୁ ନାହିଁ,

ଏକୁ ନାହିଁ ନା ଦୁଇ ।

ବ୍ରହ୍ମାଣ୍ଡେ ଗୁରୁ ବିଜେ      ଶିଷ୍ୟ ନାହାନ୍ତି କେହି

ବଡ଼ିମା ପଣେ ସର୍ବେ      ଦିନ ଯାଉଛି ବହି

ଗୁରୁ ଦର୍ଶନେ ଖଣ୍ଡେ କାଳବିପତ୍ତି ହେ ।।୫।।

ଦେହଧାରୀ ହୋଇଛନ୍ତି ମହୀମଣ୍ଡଳେ,

ଏ ଘୋର କଳିକାଳେ ।

ଅବନା ଅଣାକ୍ଷର      ବାନା ହିଁ ବୀରବର

ବଚନ ସୁଧା ଧାର      ମୁକ୍ତିଦାନୀ ପୟର

ଭଣେ ଭୀମ ଅର୍କ୍ଷିତ କରି ବିନତି ହେ ।।୬।।

 

(୫୬)

ତେଜି ଭଜି ପାରିଲେ ହେବ ଅମର ହେ ।

ତେବେ ଲୀନ ହୋଇବ ବ୍ରହ୍ମ ଅଙ୍ଗର ହେ

।। ଘୋଷା ।।

ପୂର୍ଣ୍ଣାନନ୍ଦ ପୂର୍ଣ୍ଣ ବ୍ରହ୍ମ ଅଟନ୍ତି ସେହି,

ଚିହ୍ନ ତାହାଙ୍କୁ ଧ୍ୟାୟି ।

ନୁହେ ଅଳ୍ପ ବହୁତ      କିଛି ନୁହଇ ଉଣା

ତେଜ ବିରାଜୁଅଛି      ନୁହେ ନୂଆ ପୁରୁଣା

ପାରି ହେବ ଯେମନ୍ତେ ବସ ନାବର ହେ ।।୧।।

ସଦାନନ୍ଦ ସଦା ସର୍ବଦାରେ ଅଛନ୍ତି,

କ୍ଷୟ ବୃଦ୍ଧି ନୁହନ୍ତି ।

ସେହି ବ୍ରହ୍ମେ ଭକତି      କର ଦିବସ ରାତି

ଧର ଅଣ ବିକାର      ନାହିଁ ଜାତି ଅଜାତି

ଭବ ସାଗରୁ ଯେବେ ହେବ ଉଦ୍ଧାର ହେ ।।୨।।

ଜଣାନନ୍ଦ ଜଗତରେ ଜାଣନ୍ତି ସବୁ,

ଅନ୍ତର୍ଯ୍ୟାମୀ ସେ ପ୍ରଭୁ ।

କଲେ ନିଷ୍କାମ ଚିତ୍ତ      ଗମିବ ସେହି ପଥ

ହେଲେ ଭୃତ୍ୟର ଭୃତ୍ୟ      ଲଭିବ ଜ୍ଞାନ ତତ୍ତ୍ୱ

ନିରିବେଦ କର୍ମରେ କର ବିହାର ହେ ।।୩।।

ଚିଦାନନ୍ଦ ଚିରକାଳ ଅଛନ୍ତି ରହି,

ଟାଳି ନାହାନ୍ତି ଦେହୀ ।

କର ସୁସାଧୁ ସଙ୍ଗ      ଧର ଭକତି ମାର୍ଗ

ଜାଗିଲେ ଆତ୍ମା ଲିଙ୍ଗ      ଟଳି ନ ଯିବ ଅଙ୍ଗ

ଧର ଏକ ରୂପ ଚରଣାର୍ବିନ୍ଦର ହେ ।।୪।।

ସଚ୍ଚିନାନନ୍ଦଙ୍କୁ ଘଟେ ଚେତାଇ ରଖ,

ବୁଦ୍ଧି ବିବେକ ଦେଖ ।

ପୋଡ଼ିଯିବ କଳଙ୍କ      ରହିବ ଯୁବାରୂପ

ବୟସ ନ ଟଳିବ      ଆସ୍ୟ ବଢିବ ଦେଖ

ଆନନ୍ଦିତେ ବ୍ରହ୍ମ ସାଗରେ ବିହର ହେ ।।୫।।

ଅଣରୂପା ନନ୍ଦ ଅବଧୂତଙ୍କୁ

ଧ୍ୟାନ-କର ସୁଜ୍ଞାନୀ ଜନ ।

ଜନ୍ମ ଲଭିଛ ମଞ୍ଚେ      ଗତି ପାଇବ ନିଶ୍ଚେ

ସେବା ଦେଖିଲେ ଆଗେ      ଦୟା କରିବେ ପଛେ

ଭଣେ ଭୀମ ଅର୍କ୍ଷିତ ଗୁରୁ ପୟର ହେ ।।୬।।

 

(୫୭)

ବ୍ରହ୍ମ ବିଜେ ବତିଶ ବେଢା ଭିତରେ ହେ ।

ଗମି ପାରିଲେ ନିଶବଦ ମନ୍ଦିରେ ହେ ।। ଘୋଷା ।।

ମହାଶୂନ୍ୟ ପୂର୍ଣ୍ଣବ୍ରହ୍ମ ଅଟନ୍ତି ସେହି,

ରୂପ ରେଖ ହିଁ ନାହିଁ ।

ମିଛକୁ ଛାଡ଼ି ସତ୍ୟ      ରଖିପାରିଲେ ନିତ୍ୟ

ପ୍ରାତଃ ସାୟଂ ଦର୍ଶନ      ପାଳିଲେ ଦୃଢ ବ୍ରତ

ନିଶ୍ଚେ ଦେଖିବ ଯାଇଁ ଜ୍ଞାନ ନେତ୍ରରେ ହେ ।।୧।।

ଅଣାକାର ପୁରୁଷ ସେ ଆକାର ନାହିଁ,

ଭାବି ପାରିଲେ ପାଇ ।

ବ୍ରହ୍ମ କର୍ମରେ ଅଙ୍ଗ      ପରିପୂର୍ଣ୍ଣ ହୋଇଲେ

ଅସାଧନା ମାର୍ଗରେ      ନିଜ ଧର୍ମ ଧରିଲେ

ତେବେ ଚାଲିପାରିବ ସେହି ପଥରେ ହେ ।।୨।।

ଅବ୍ୟକତ ପୁରୁଷ ସେ ବ୍ୟକତ ନାହିଁ,

ଚିହ୍ନ ତାହାଙ୍କୁ ଧ୍ୟାୟି ।

ଦୁର୍ଲ୍ଲଭ ଜନ୍ମ ପିଣ୍ଡ      ଥିବ କେତେ ଦିବସ

ଅଭାବ ଛାଡ଼ି ଚିତ୍ତେ      ଭାବ ଭକ୍ତିରେ ରସ

ଅନୁମାନରେ ଧର ଘଟ ସୂତ୍ରରେ ହେ ।।୩।।

ସେ ଅଲେଖ ଅବଧୂତ ଜଗତ ତାତ,

ସର୍ବ ଜୀବଙ୍କ ହିତ ।

କାମନା କଳ୍ପନାକୁ      ଆୟତ୍ତ କରି ରଖ

ଆପ ଆତ୍ମାକୁ ଘଟେ      ବୁଦ୍ଧି ବିବେକ ଦେଖ

ନିଶ୍ଚେ ପ୍ରବେଶ ହେବ ବ୍ରହ୍ମ ଅଙ୍ଗରେ ହେ ।।୪।।

ଅଶେଷ ବ୍ରହ୍ମାଣ୍ଡର ଅଟନ୍ତି ଠାକୁର;

ସମସ୍ତଙ୍କ ଉପର ।

ଆପଣା ପିଣ୍ଡ ପ୍ରାଣ      ଯେ ଅଛି ଦାରା ଧନ

ପୁତ୍ର ଦୁହିତା ନେଇ      ଛାମୁରେ ଦିଅ ଦାନ

ସବୁ ସମର୍ପି ଦିଅ ଗୁରୁ ପୟରେ ହେ ।।୫।।

ଅଲେଖ ପୁରୁଷ ନାମ ଲେଖି ନୁହଇ,

କେହୁ ପାରିବ କହି ।

ଭଣେ ଭୀମ ଅରକ୍ଷିତ      ଶୂନ୍ୟ ବ୍ରହ୍ମରେ ଚିତ୍ତ

ନାହିଁ ମୋର ଶକତ      ହୋଇବାକୁ ଭକତ

ଅନୁସରି ରହିଛି ଗୁରୁ ଦୁଆର ହେ ।।୬।।

 

(୫୮)

ଶୂନ୍ୟେ ଶୂନ୍ୟେ ଯିବା ଆସିବା ହେଉଛି ହେ ।

ମାୟା ଛାୟାରେ କାହିଁ ନାହିଁ ଲାଗୁଛି ହେ

।। ଘୋଷା ।।

ମେଦିନୀରେ ଚାଲୁଛନ୍ତି ନ ଲାଗେ ଧୂଳି,

ଅଙ୍ଗୁଶ୍ରମ ନଗଳି ।

ନୁହନ୍ତି ପଥଶ୍ରମୀ      ନାହିଁ ପାଦେ ପରାସ

ଅତ୍ୟନ୍ତ ସୁକୁମାର      ଅଟନ୍ତି ସେ ପୁରୁଷ

ମନେ ପଡ଼ିଲେ ନେତ୍ରୁ ନୀର ବହୁଛି ହେ ।।୧।।

ଭୋଜନ ମାଗୁଅଛନ୍ତି କ୍ଷୁଧା ନ ଥାଇ,

ଜଳେ ତୃଷାର୍ତ୍ତୀ ନୋହି ।

ଛପନା କୋଟି ଜୀବ      ଯାହାର କୁଟୁମ୍ବାଦି

ବାଉନ କୋଟି ଭଣ୍ଡାର      ରଖିଛନ୍ତି ସମ୍ପାଦି

ଏହା ତଦନ୍ତ କରି କେହୁ ଜାଣୁଛି ହେ ।।୨।।

ତିନିଶ ଷାଠିଏ ଦିନ କରି ଭ୍ରମଣି,

ଗ୍ରାମେ ଦିନେ ରହଣି ।

ସେ ପ୍ରଭୁ ମହିମା ହିଁ      ଦୁଃଖ କଷଣ ସହି

ଜଗତ ଭକ୍ତ ନିମନ୍ତେ      ଏତେ ଅବସ୍ଥା ପାଇ

ଗୁଣ ଗୁଣି ହୃଦୟ ପୋଡ଼ି ଯାଉଛି ହେ ।।୩।।

ବ୍ରହ୍ମାଣ୍ଡକୁ କରିଛନ୍ତି ଘର ବଖୁରୀ,

ଆଦି ଏ ତିନିପୁରୀ ।

ସପତ ସିନ୍ଧୁ ଘାଟେ      ଜଳେ ସ୍ନାହାନ କରି

ଚନ୍ଦ୍ର ସୂର୍ଯ୍ୟ ଯାହାର      ଦୀପାବଳୀ ପ୍ରହରୀ

ଠୁଳଶୂନ୍ୟ ମୁଦା ଛାଏଣୀ ହୋଇଛି ହେ ।।୪।।

ଚାରିଦିଗେ ଚାରିମେରୁ ହୋଇଛି ଖମ୍ବ,

ସେ ଚାରିଗୋଟି ରୋମ ।

ପୃଥ୍ୱୀ ଦେବୀ ଯାହାର      ପୟର ମଞ୍ଚାଳନ୍ତି

ଛପନା କୋଟି ଜୀବ      ଯାହାର ପୁତ୍ର ନାତି

ସେହି ପୁରୁଷ ଅବତାର ହୋଇଛି ହେ ।।୫।।

ବ୍ରହ୍ମ ଯେ ମହିମା ବିଜେ କଲେ ଧରଣୀ,

ସର୍ବେ ଥାଅ ହେ ଶୁଣି ।

କବି ପସରା ମୋତେ      ଶିରେ ବୁହାଇ ଦେଲେ

ଅତିଥି ରୂପେ ସ୍ୱାମୀ      ବ୍ରହ୍ମାଣ୍ଡରେ ବୁଲିଲେ

ଭଣେ ଭୀମ ଅରକ୍ଷିତ ନୁହେଁ ମୂରୁଛି ହେ ।।୬।।

 

(୫୯)

ଉଠ ସ୍ୱାମୀ ବ୍ରହ୍ମାଣ୍ଡ ଠାକୁର ହେ, ବିଜେ କର,

ଦେବ ହେଉଛି ଉଛୁର ।। ଘୋଷା।।

ରଜନୀ ହୋଇଲା ଶେଷ      ହୁଅ ପ୍ରାତଃ ଅବକାଶ

ମୁକ ପଖାଳ ସୁବାସ      ନିଶି ହୋଇଲାଣି ଶେଷ

ଆଣିଛନ୍ତି ଶୂନ୍ୟୁ ଗଙ୍ଗାନୀର ହେ ।।୧।।

ଦ୍ୱାରେ ଛନ୍ତି ଚାରି ନାମ      ସାରି ବିଧି ନିତ୍ୟକର୍ମ

ଆବର ସେ ଚାରି ଧର୍ମ      ଶାନ୍ତଶୀଳ ଦୟା କ୍ଷମ

ଆସିଛନ୍ତି ଦର୍ଶନେ ତୁମ୍ଭର ହେ ।।୨।।

ନିରାକାର ଆଦିକନ୍ଦ      ସଙ୍ଗେ ଘେନି ବିଷ୍ଣୁ ବୃନ୍ଦ

ମନେ ଉତ୍ସାହ ଆନନ୍ଦ      ଜଣାଇବେ ଭଲ ମନ୍ଦ

ଦୁଃଖ ସୁଖ ପ୍ରଭୁ ଶ୍ରୀଛାମୁର ହେ ।।୩।।

ମହାନିତ୍ୟ ଭକ୍ତଗଣ      ରାତ୍ରହୁଁ କରି ସ୍ନାହାନ

ସର୍ବେ ବ୍ରହ୍ମର୍ଷି ବ୍ରାହ୍ମଣ      ମୁଖେ ଗାୟତ୍ରୀ ବଖାଣ

ଆଜ୍ଞା ହେଲେ ସେବିବେ ପୟର ହେ ।।୪।।

ଅଙ୍ଗ ଲାଗି ସେବାକାରୀ      ଅଗଣାରେ ଛନ୍ତି ପୂରି

ବଚନକୁ ଅନୁସରି      ହୃଦେ ମହିମା ସୁମରି

କାକୁସ୍ଥରେ ଶିରେ ଯୋଡ଼ିକର ହେ ।।୫।।

ଯୋଗ ନିଦ୍ରା ତେଜି ଗୁରୁବାର      ଉଠ ଶୂନ୍ୟ ଆସନରୁ

ଦଣ୍ଡ ପ୍ରଣମିତ ଦୂରୁ      ଥାଇ କବାଟ ଦୁଆରୁ

ଭଣେ ଭୀମ ଅଜ୍ଞାନ ପାମର ହେ ।।୬।।

 

(୬୦)

ଅନ୍ତର୍ଯ୍ୟାମୀ ସମ୍ଭାଳ ଶରଣ ହେ, ଶୂନ୍ୟବ୍ରହ୍ମ,

ଦିଅ ଦରଶନ ।। ଘୋଷା ।।

ପଶ୍ଚିମଦ୍ୱାରେ ଅନନ୍ତ      ଖଞ୍ଜଣୀ ମନ୍ଦିରା ଘାତ

ମନ କାମନା ବାଞ୍ଛିତ      ଦରଶନରେ ଆଗତ

କରୁଛନ୍ତି ନାମକୁ ଗାୟନ ହେ ।।୧।।

ପରମ ଉତ୍ତର ଦ୍ୱାରେ      ଚିତ୍ତ ନିବେଶି ଶୂନ୍ୟରେ

ଧ୍ୟାୟି ଶ୍ରୀଗୁରୁ ପୟରେ      କରପତ୍ର ଯୋଡ଼ି ଶିରେ

ଲାଗିଅଛି ଶ୍ରୀମୁଖେ ଭଜନ ହେ ।।୨।।

ପୂର୍ବଦ୍ୱାରେ ରାମହରି      ବଜାଇ ବଂଶୀ ବାଂଶରୀ

ଦରଶନେ ଇଚ୍ଛା କରି      ନାଚୁଛନ୍ତି ଭୋଳେ ପଡ଼ି

ଜୟ ଶଙ୍ଖ ଶୁଭେ ଘନ ଘନ ହେ ।।୩।।

ଦକ୍ଷିଣରେ ଜଗନ୍ନାଥ      ଦ୍ୱାରେ ଆସି ପ୍ରବେଶିତ

ବେଢ ପଡ଼ି ଅପ୍ରମିତ      ରହିଛନ୍ତି ଯୂଥ ଯୂଥ

ଦରଶନେ ସବୁଙ୍କର ମନ ହେ ।।୪।।

ଚଉଦିଗରେ ଚହଳ      ଶୁଭେ ମୁଖ ରାବ ଗୋଳ

ଅବନାପୁର ମଣ୍ଡଳ      ଶବଦରେ କୋଳାହଳ

ଚାରିଦ୍ୱାରେ ଲାଗିଛି ଭଜନ ହେ ।।୫।।

ଶ୍ରୀଗୁରୁ ଚରଣେ ଚିତ୍ତ      ଭଣେ ଭୀମ ଅରକ୍ଷିତ

କରାଅ ଭୃତ୍ୟର ଭୃତ୍ୟ      ଏତିକି ମୋର ବାଞ୍ଛିତ

ମାଗୁଅଛି ଜୀବ ପରିତ୍ରାଣ ହେ ।।୬।।

 

(୬୧)

ସିଂହଦ୍ୱାରେ ସର୍ବେ ରହିଛନ୍ତି ହେ, ପ୍ରାଣପତି ।

ଆସି ଯତି ସତୀ ।। ଘୋଷା ।।

ବ୍ରହ୍ମବାସୀ ମୁନିଗଣେ      ଆସିଛନ୍ତି ଦରଶନେ

ବେଦମୁଖୀ ବ୍ରହ୍ମାମାନେ      ଉଭାରି ପାଦ ଗମନେ

ବେଦଧ୍ୱନି ଦ୍ୱାରେ କରୁଛନ୍ତି ହେ ।।୧।।

ଆସିଛନ୍ତି ରୁଦ୍ରକୁଳ      ଘେନି ଡମ୍ବରୁ ତ୍ରିଶୂଳ

ଅଷ୍ଟକୁଳା ନାଗବଳ      ଆଣି କ୍ଷୀର ସିନ୍ଧୁଜଳ

ଅବ୍ୟକତ ବିଷ୍ଣୁ ଆସିଛନ୍ତି ହେ ।।୨।।

ସୁରପତି ରାଜଇନ୍ଦ୍ର      ସଙ୍ଗେ ଘେନି ଦେବବୃନ୍ଦ

ବଜାଇ ଦୁନ୍ଦୁଭି ବାଦ୍ୟ      ନାଚୁଛନ୍ତି ଉନମାଦ

ପାରିଜାତ ପୁଷ୍ପ ଆଣିଛନ୍ତି ହେ ।।୩।।

ଚାରିଯୁଗ ହୋଇ ଠୁଳ      ପଢୁଅଛନ୍ତି ମଙ୍ଗଳ

ଦରଶନେ ଆଖଣ୍ଡଳ      ଭିଡ଼ହୋଏ ବେଳୁଁ ବେଳ

ବାଟ ନାହିଁ ହୋନ୍ତି ଯନ୍ତାଯନ୍ତି ଯେ ।।୪।।

ଛପ୍ନାକୋଟି ଜୀବ ଯେତେ      ପଡ଼ି ପାଇବା ନିମନ୍ତେ

ଆଶା କରିଛନ୍ତି ଚିତ୍ତେ      ହସ୍ତକୁ ପାତି ସମସ୍ତେ

ନେଲେ ଯାଇଁ କୁଟୁମ୍ବ ପୋଷନ୍ତି ହେ ।।୫।।

ଭଣେ ଭୀମସେନ ଭୋଇ      ଶ୍ରୀଗୁରୁ ଚରଣ ଧ୍ୟାୟି

ଥିବେ କେତେ ଠିଆହୋଇ      ଦୟା ହେଲେ ଯିବେ ସେହି

ଜଣାଉଛି ଘେନ ମୋ ବିନତି ହେ ।।୬।।

 

(୬୨)

ବିଦା ହେଲେ ଯେଝାପୁର ଯିବେ ହେ, ଚାଲ ଏବେ ।

ଅନୁକୁଳ ଶୁଭେ ।। ଘୋଷା ।।

ଦୂର ଦେଶ ଭକ୍ତମାନେ      ଆସିଛନ୍ତି ଦରଶନେ

କିଛି ନ ରୁଚଇ ମନେ      ଧ୍ୟାୟିଛନ୍ତି ଅନୁକ୍ଷଣେ

ନାମେ ଭୋଳ ହେଉଛନ୍ତି ଭାବେ ହେ ।।୧।।

ଦେଖ ପ୍ରଭୁ ଅନାଦିତ      ଅଶେଷ ଜଗତ ହିତ

ଟାକି ଅଛନ୍ତି ଭକତ      ଆନନ୍ଦରେ କୃତ କୃତ

ନିରନ୍ତରେ ପଦ୍ମପାଦ ଲାଗେ ହେ ।।୨।।

ଯାଅ ବୋଇଲେ ନ ଯାନ୍ତି      ପଟୁଆାରେ ରହିଛନ୍ତି

ମାଗୁଛନ୍ତି ସଦଗତି      ଦମ୍ଭେ ରହୁ ନାହିଁ ମତି

ଆପଣଙ୍କୁ ଦେଖିବାର ଲୋଭେ ହେ ।।୩।।

ଗୁହାରିଆ ଆସିଛନ୍ତି      ଦୋଷମାନ କରିଛନ୍ତି

ବିକଳ ହେଲେଣି ଅତି      କ୍ଷମାକର ଦଣ୍ଡ ଶାସ୍ତି

ଅପରାଧ କରିଛନ୍ତି ପୂର୍ବେ ହେ ।।୪।।

ହେଉଛନ୍ତି ଥରହର      ହୃଦୟ ଛନ୍ନ କାତର

କରିବ ଯେବେ ଉଦ୍ଧାର      କିସ ବିଚାରୁଛ ଆର

ଗୁରୁ ପରା ଅଟ ଚାରିଯୁଗେ ହେ ।।୫।।

ଶ୍ରୀକର ପାରୁଶେ ରହି      ଭଣେ ଭୀମସେନ ଭୋଇ

ଧରି ପାଦପଦ୍ମ ଦୁଇ      ଅନେକ କହେ ବିନୟୀ

ଉଭା ହୋଇ ପ୍ରଭୁଙ୍କର ଆଗେ ହେ ।।୬।।

 

(୬୩)

୧-ଚାରିଯୁଗେ ନର ଅଙ୍ଗେ ଲାଗିଛନ୍ତି ଭକ୍ତ ସଙ୍ଗେ

।। ଘୋଷା ।।

ଶୂନ୍ୟ ବୋଲି ଯେଉଁ ଶବଦ,      ସୂତ୍ର କରି ଘଟେ ସମ୍ପାଦ,

କହନ୍ତା, ବହନ୍ତା, ଏ ଦୁଇ ମଧ୍ୟରେ

ବିରାଜିତ ବ୍ରହ୍ମ ସେଠାରେ ।।୧।।

ଅଲେଖ ନାମରେ ଯେ ଅର୍ଥ,      ଅଶେଷ ଲକ୍ଷଣେ ଲକ୍ଷିତ,

ଲେଖ ଅଣଲେଖ ଏ ଶରୀରେ ଦେଖ,

ଭେଦ କର ଆତ୍ମାର ଲିଙ୍ଗେ ।।୨।।

ଶରୀରେ ପବନ ଖେଳୁଛି,      ସତ୍ୟରେ ଏ ପିଣ୍ଡ ଚଳୁଛି,

ଶବଦ ବ୍ରହ୍ମରେ, ଆସୁଛି ଯାଉଛି,

ଅଣ ଅଗୋଚର ସେ ମାର୍ଗେ ।।୩।।

ଗୁରୁ ବୋଲିବାର ବଚନ,      ଗରିଷ୍ଠ ସେବାରେ ପ୍ରସନ୍ନ,

ଯତିରୂପ ଧରି, ଜଗତେ ବିହରି,

ଗୁପତେ ଅତିଥିଙ୍କ ଭାବେ ।।୪।।

ପ୍ରଭୁ ବୋଲିବାର ସନ୍ଦେଶ,      ପରମ ପୁରୁଷ ସାରସ,

ପୂରି ରହିଅଛି, ପର ହୋଇଯିବ,

ଅଧରାକୁ ଧରଇ ବେଗେ ।।୫।।

କରତା କହିବା ଭେଦାନ୍ତ,      କରୁଛି ବ୍ରହ୍ମାଣ୍ଡ ଉଦିତ,

ଭଣେ ଭୀମକନ୍ଧ, ଗୁରୁ ପାଦବିନ୍ଦ,

କରପତ୍ର ଯୋଡ଼ିଣ ମାଗେ ।।୬।।

 

(୬୪)

ଦେହ ଶାସ୍ତ୍ରେ ଭେଦ କର, ରୂପ ଚିହ୍ନି ବାଛି ଧର

।। ଘୋଷା ।।

ଅଙ୍ଗଟି ଅଉଠ ଯୋଜନ      ଏଥି ଅଛି ଶୂନ୍ୟ ଭୁବନ

ଶରୀରକୁ ଅର୍ଥ, କର ସାଧୁ ସନ୍ଥ,

ଭେଟିବ ସେ ବ୍ରହ୍ମର ଘର ।।୧।।

ଘଟରେ ବ୍ରହ୍ମକୁ ବହିଛ,      ପ୍ରତ୍ୟକ୍ଷେ ନେଉଛ ଆଣୁଛ,

ଘଟ ଛୁଟିଗଲେ, କେ ଦେଖିବ ଡୋଳେ,

ଏପରି ମହିମା ତାଙ୍କର ।।୨।।

ସାକ୍ଷାତେ କହୁଛି ବଚନ,      ମଣୁଛ ଯେସନେ ସ୍ୱପନ

ଏ ପିଣ୍ଡ ବ୍ରହ୍ମାଣ୍ଡ, ଆଜ୍ଞାରେ ଚଳୁଛି,

ତରଳି ଯାଉଛି ପଥର ।।୩।।

ବାହ୍ୟେ, ଭ୍ରମି ଭ୍ରମି ନ ମର,      ଆତ୍ମା ନିରୂପଣେ ବିହର

ପରମେ ପରଚେ, ହୁଅ ତାଙ୍କ ପଛେ,

ସେହି ନେବେ ଅଲେଖପୁର ।।୪।।

ତତ୍ତ୍ୱର ଗୋଚରେ ମିଳୁଛି,      କର୍ମକୁ ଧରାଇ ଚଳୁଛି,

ଗୁରୁ ସେବା କର, ଧ୍ୟାୟି ଅନୁସର

ବସିଛି ଏ ଘଟ ଭିତର ।।୫।।

ସେ ଯେ ଅଣରୂପ ପୁରୁଷ,      ନିଷ୍କାମ ଭକ୍ତିରେ ଦୁରୁଶ,

Unknown

ବୋଲେ ଭୀମକନ୍ଧ, ଗୁରୁପାଦବିନ୍ଦ,

ହ୍ରଦ ଫୁଙ୍କାବନ୍ଧ ଉପର ।।୬।।

 

(୬୫)

ଘଯେ ଘଟେ ବିଜେ ଗୁରୁ, ଅଣାକାର କଳ୍ପତରୁ

।। ଘୋଷା ।।

ପିତାମାତା ଶୂନ୍ୟ ନିଗମ      କଳ୍ପଣାରେ ରତି ସଙ୍ଗମ,

ଏ ପିଣ୍ଡ ବ୍ରହ୍ମାଣ୍ଡ, ପୃଥ୍ୱୀ ନବଖଣ୍ଡ,

ଦେହଟି ପ୍ରତିମା ତ୍ରିଦାରୁ ।।୧।।

ପାଦରୁ ତାଳୁକା ପର୍ଯ୍ୟନ୍ତ,      ଅସ୍ଥି ମାଳମାନ ଗ୍ରଥିତ,

ଅଙ୍ଗ ରୋମମୂଳ, ମହୀ ମାଳ ମାଳ,

ଦେହ ଅସ୍ଥିମାନ ସେ ମେରୁ ।।୨।।

ଏ ଷୋଳ ଡମ୍ବରୁ ଭିତରେ,      ଖେଳୁଛନ୍ତି ବ୍ରହ୍ମ ସଧୀରେ,

ପଡ଼ିଛି କିରଣ, ଏ ତିନି ଭୁବନ,

ନିର୍ଝରିଲା ଝର ଠାବରୁ ।।୩।।

ନବଦ୍ୱାର ନବ ମେଦିନୀ      ତାଳୁ ଶିଖେ ଶୂନ୍ୟ ମୁର୍ଦ୍ଧନୀ,

ପଦ୍ମେ ଯୁଗ ଗଲେ, ପାଦେ ଆଜ୍ଞା ପଡ଼େ,

ଭିତର ଅବନା ମନ୍ଦିରୁ ।।୪।।

ବତିଶ ବେଢାଉ ଭିତର,      ବିଜୟେ ମହିମା ସାଗର

ଆଦି ଶକ୍ତି ପରେ, ଅଲେଖ ପୁରୁଷ,

ବିଜେ କରିଛନ୍ତି ଶୂନ୍ୟରୁ ।।୫।।

ଆଶ୍ରୟ ଜନମ ଦିନରୁ      ତ୍ରାହି କର କଳିଯୁଗରୁ

ବୋଲେ ଭୀମକନ୍ଧ, ସୁଧା ମକରନ୍ଦ,

ଦୟା ହେଉ ବୁନ୍ଦେ ପୟରୁ ।।୬।।

 

(୬୬)

ଗୁପତରେ ରହିଛନ୍ତି, ଦେଖି କଳିଯୁଗ ରୀତି

।। ଘୋଷା ।।

ଦେଇ ଯାଇଛନ୍ତି ଧର୍ମକୁ,      ଧର୍ମ ଧରି ଡାକ ବ୍ରହ୍ମଙ୍କୁ

ଜଗତ ଭକତ, ଆତଙ୍ଗ ନିମନ୍ତେ,

କର୍ଣ୍ଣ ଡେରିଛନ୍ତି ସେ ନିତି ।।୧।।

ମୁଖେ ଯେବେ ନାମ ଘୋଷିବେ,      ଯହିଁ ଥିଲେ ଗୁରୁ ଆସିବେ

ଶ୍ରୀଗୁରୁଙ୍କୁ ଧ୍ୟାନ, କର ସାଧୁଜନ,

ଶୂନ୍ୟ ହେବେ ରୂପ ମୂରତି ।।୨।।

ଭକତ ରକ୍ଷଣ ନିମନ୍ତେ,      ନ ଲାଗନ୍ତି ମାୟା ସଙ୍ଗତେ

କ୍ଷଣକରେ ରୂପ, କ୍ଷଣକେ ଅରୂପ,

ଭକତ ନିକଟେ ଅଛନ୍ତି ।।୩।।

ଭକତ ଅଙ୍ଗରେ ବସନ୍ତ,      ଅଗ୍ନି କାନ୍ତି ରୂପ ଦିଶନ୍ତି,

ପୂର୍ଣ୍ଣାନନ୍ଦ ସ୍ୱାମୀ, ଘଟେ ପୂରିଛନ୍ତି,

କୋଟିଏ କନ୍ଦର୍ପ ମୂରତି ।।୪।।

ଏକ ବ୍ରହ୍ମପାଦ ସଂସାରେ,      ଦେଇ ଆତ୍ମଜ୍ଞାନ ଗୋଚରେ

ବାହ୍ୟେ ଭ୍ରମାଇଲେ, ସମାଧି ଘେନିଲେ,

ସ୍ୱଦେହରେ ଛନ୍ତି ଏ କ୍ଷିତି ।।୫।।

ଏକ ବ୍ରହ୍ମ ବିନୁ ହୃଦରେ      ଅନ୍ୟ ମୁଁ ନ ଜାଣେ ଚିତ୍ତରେ

ବୋଲେ ଭୀମକନ୍ଧ, କବିକୁଳ ଚାନ୍ଦ,

ଗୁରୁପାଦେ ରହୁ ମୋ ମତି ।।୬।।

 

(୬୭)

କଳିଯୁଗେ ଅବଧୂତ ମୂରତି

ନର ଅଙ୍ଗେ ସ୍ୱାମୀ ବିଜେ ଧରିତ୍ରୀ ।। ଘୋଷା ।।

ନିଷ୍କାମ ଧର୍ମରେ ସତ୍ୟାଦି କର୍ମରେ ରହିଛି ନବକ୍ଷିତି ।।୧।।

ବୃଦ୍ଧ ତନୁକ୍ଷୀଣ ଶ୍ୟାମଳ ବରନ ସେ ସ୍ୱରୂପ ଦିଶନ୍ତି ।।୨।।

ଅରକ୍ଷିତ ବେଶ ମୁକୁଳିତ କେଶ ଭିକ୍ଷା ମାଗୁଅଛନ୍ତି ।।୩।।

ସାକ୍ଷାତେ ସେ ବ୍ରହ୍ମ କଥା କହୁଛନ୍ତି ନାହିଁ ଚିହ୍ନୁ ଅଛନ୍ତି ।।୪।।

ଦୀକ୍ଷା ଅବଧୂତ ମହିମା ଅଦ୍ଭୁତ ଭୂମିରେ ସେ ଶୁଅନ୍ତି ।।୫।।

ଭୀମ ଅରକ୍ଷିତ ଗୁରୁପାଦ ଗତ ମାଗୁଅଛି ବିନତି ।।୬।।

 

(୬୮)

କଳିଭାଙ୍ଗି କରିବେ ସତ୍ୟଯୁଗ ।

ବ୍ରହ୍ମାଣ୍ଡରେ ଧୂନି ଜାଗିଲେ ଆଗ ।। ଘୋଷା ।।

କ୍ଷେତ୍ର ପ୍ରାୟ ହୋଇ ଜମ୍ବୁଦ୍ୱୀପ

ମହୀ କଲେଣି ସାଧୁସଙ୍ଗ ।।୧।।

ମନବାଞ୍ଛା ସିଦ୍ଧ କରିବେ ଅନାଦି

ପାଇବେ ରାଜଭୋଗ ।।୨।।

ଯେ ହେବ ଅତିଥି ସେ ହେବ

ମୁକତି ବୁଝିଲେ ଭେଦମାର୍ଗ ।।୩।।

ଚାହିଁ ବୁଦ୍ଧରୂପ ଇଚ୍ଛି ଘୋର ତପ

ଅଛି ଯେମନ୍ତେ ଲାଭ ।।୪।।

ଏ ପିଣ୍ଡ ବ୍ରହ୍ମାଣ୍ଡ ସେ ବ୍ରହ୍ମ ଅଖଣ୍ଡ

କରିଅଛି ସଂଯୋଗ ।।୫।।

ଭଣେ ଭୀମକନ୍ଧ ଗୁରୁପାଦ ବିନ୍ଦ

ଥିବ ଯେମନ୍ତେ ଭାଗ୍ୟ ।।୬।।

 

(୬୯)

ସ୍ୱାମୀସେବା ଗୁରୁସେବା ସ୍ୱଦେହରେ କର ।

ସତ୍ୟ ଆଚାରେ ସାତ୍ତ୍ୱିକ ଧର୍ମକୁ ଦୃଢବନ୍ଧେ ଧର ।। ଘୋଷା ।।

କୋଟିଜନ୍ମ ଘୋର ତପସ୍ୟା ପୁଣ୍ୟରୁ ମନୁଷ୍ୟ ଜନ୍ମ ଏ ସାର ।

ଅଜ୍ଞାନରେ ଦିନ ଗଲା ହୋ ସୁଜନ

ଭଜ ଶ୍ରୀପୟର ।।୧।।

ଗତି ମୁକତ ସମ୍ପତ୍ତି ଛାଡ଼ିଦେଇ ମାୟାକୁ କରିଛ ଭାର ।

ମାଡ଼ି ପଡ଼ିବ ଲହଡ଼ି ଘଡ଼ଘଡ଼ି

ପଶ୍ଚାନ୍ତେ ଉପର ।।୨।।

ହେତୁ ଥାଉଁ ଆଶା ଲଗାଅ ଭରସା ଟିଆକୁ ହେଉଛି ଦୂର ।

ଶୂନ୍ୟେ ଥିଲେ ଯେହୁ ରବିତଳେ

ସେହୁ ସବୁରି ଠାକୁର ।।୩।।

ନବଦ୍ୱାର ବାଟେ ପୂରିବ ଏ ଘଟେ କାରୁଣ୍ୟ ପ୍ରଳୟ ନୀର ।

ପାଇଛ ଯେତିକି ନ ପାରିଲେ

ରଖି ହେବ ନାରଖାର ।।୪।।

ସାକ୍ଷାତରେ ସତ ହେବ ପରାପତ ଗୁରୁସେବା କଲେ ସାର ।

କାଳ ମାୟାଜାଲ ଛାଡ଼ିବ ସକଳ

ତେବେ ହେବ ପାର ।।୫।।

ନ ଦଣ୍ଡିବ ଯମ ପାଇବ ଆଶ୍ରମ ବସିବ ଅଭୟପୁର ।

ଭଣେ ଭୀମକନ୍ଧ କବିକୁଳ

ଚାନ୍ଦ ହେବ ଅଜ୍ରାମର ।।୬।।

 

(୭୦)

ମାୟା ତେଜ ମୋହ ତେଜ ଅରୂପକୁ ଭେଦ ।

ଘଟେ ଘଟେ ବାସ ଅଲେଖ ପୁରୁଷ ତାଙ୍କୁ କର ଠାବ ।। ଘୋଷା ।।

ପବନ ପରାୟେ ସର୍ବାଙ୍ଗ ଶରୀର ଖେଳୁଛି ଶବଦ ନାଦ ।

କରୁଛି ଭ୍ରମଣି ଫେରୁଛି ଉଜାଣି

କ୍ଷରି ଏକପାଦ ।।୧।।

ଅନୁମାନ ଦ୍ୱାରେ ଗମିବ ସେ ପୁରେ ନିଗମରୁ କ୍ଷରି ପଦ ।

ଜିହ୍ୱା ନ ଲଗାଇ ପାର ଯେବେ

ଖାଇ ତେବେ ପାଇ ସ୍ୱାଦ ।।୨।।

ଅରୂପକୁ ରୂପ କରି ମୁଖେ ଜପ ହୋଇବ ବଚନ ସିଦ୍ଧ ।

ଅଦେଖା ଦେଖିଲେ ଏ ଘଟେ

ରହିଲେ ଆତ୍ମା ହେବ ବୋଧ ।।୩।।

ଶ୍ରୋତ ଚକ୍ଷୁ ନାସା ମୁଖ ଏ ସମସ୍ତ ସାକ୍ଷାତେ ଅଟନ୍ତି ବେଦ ।

ରଜବୀର୍ଯ୍ୟ ପାଞ୍ଚ ପଚିଶ ପ୍ରକୃତି,

କଠାରେ ମେଦ ।।୪।।

ସେ ବ୍ରହ୍ମକୁ ଧ୍ୟାୟି ଚିତ୍ତେ ଦୃଷ୍ଟି ଦିଅ ନ କର ମନରେ ଖେଦ ।

କୋଟିଏ ଅନଳ ତେଜ ପରବଳ

ପାପ ହେବ ଛେଦ ।।୫।।

ପରତେ ହୋଇଲେ ରହିବ ନିରୋଳେ ନୋହିବ ଜନମ ବଦ୍ଧ ।

ଭଣେ ଭୀମକନ୍ଧ ଜ୍ଞାନଭେଦ

ବନ୍ଧ ଫିଟିଅଛି ମଦ ।।୬।।

 

(୭୧)

ଇଚ୍ଛା ନାହିଁ ବାଞ୍ଛା ନାହିଁ ଏ ଧର୍ମରୁ ଅଧିକ ।

ଆତ୍ମାଜ୍ଞାନ ହିତ ନିତ୍ୟେକର ଚିତ୍ତ ବୁଦ୍ଧିରେ ବିବେକ

।। ଘୋଷା ।।

ଧନଦାରା ସୁତ କଳ୍ପନା ସମସ୍ତ ଏ ପଥୁକୀ ସଙ୍ଗଲୋକ ।

ମୋର ମୋର ବୋଲି ଅଛୁ ତୁ

ଆବୋରି ପଛେ ଦେବେ ଦୁଃଖ ।।୧।।

ରାଜପଣ ଭଲ ବୋଲିବା ସକଳ ତହିଁ ନାହିଁ କିଛି ସୁଖ ।

ବ୍ରହ୍ମକୁ ନ ଚିହ୍ନି ହେଲେ ନୃପମଣି

ଲଭେ ଦୋଷ ପାପ ।।୨।।

କ୍ଷତ୍ରୀପଣ ବୃତ୍ତି ଯେମାନେ କରନ୍ତି ଅଜ୍ଞାନ ମୂଢ ମୁରୁଖ ।

ଅଧୋଗତି ହୋନ୍ତି ନରକେ

ପଡ଼ନ୍ତି ତହିଁ ନାହିଁ ମୋକ୍ଷ ।।୩।।

ନାମ ବ୍ରହ୍ମଲାଭ ଜୀବକୁ ଦୁର୍ଲ୍ଲଭ ପିଣ୍ଡ କାରଣକୁ ଦେଖ ।

ଛପ୍ନାକୋଟି ଜୀବ କରନ୍ତି ସର୍ଜନା

ଅନାଦି ଅଲେଖ ।।୪।।

ନିଶବ୍ଦରୁ ରସ ଭେଦରୁ ପ୍ରକାଶ ତିଆରି ହୋଇଛି ଚାଖ ।

ଢାଙ୍କୁଣୀ ମୁଦିଲେ ନ ମିଳିବ ଆଉ

ହେବ ନିରାପକ୍ଷ ।।୫।।

ମୂଳକୁ ନ ଛାଡ଼ ଲୋଭରେ ନ ପଡ଼ ଭଜ ଅଛି ଯାର ଶକ୍ୟ ।

ଭଣେ ଭୀମକନ୍ଧ କବି ବୀରବର

ଅଦେହ ଅରୂପ ।।୬।।

 

(୭୨)

ଭକ୍ତି କଲେ ଭାବ ହେଲେ ଅନ୍ତି ଲେଶ ପାଇବ,

ମହିମା ସାଗର ଏ ମହୀମଣ୍ଡଳେ ହୋଇଛନ୍ତି ନାବ

।। ଘୋଷା ।।

ନିଶବ୍ଦ ମନ୍ଦିରେ ଥିଲା ମୁଦ୍ରିତରେ ଦ୍ରବିଆସି ହେଲା ଭାବ,

ଅବନା ମନ୍ଦିରୁ ବିଜୟ ଶ୍ରୀଗୁରୁ

ଭଜୁଥିଲେ ଭାଗ୍ୟ ।।୧।।

ବ୍ରହ୍ମମଣ୍ଡଳରୁ ଖସିଲା ବେଳରୁ ଯା’କୁ ଲାତ ବାଜିଥିବ,

ବେଦଘରୁ ଆସି ନିର୍ବେଦରେ

ପଶି ସେବା ଯୋଗାଇବ ।।୨।।

ପୂର୍ବ ବାସନାରୁ ସତ ସୁକୃତରୁ ଲେଖା ହୋଇଅଛି ଆଗ ।

ଅକର୍ମ ବିକର୍ମ କରିପାରେ ସମ

ଲଭେ ସାଧୁସଙ୍ଗ ।।୩।।

ଅନାଦି ବ୍ରହ୍ମରେ ଚିତ୍ତ ନିରନ୍ତରେ ଲଗାଇ ଯେମନ୍ତ ଥିବ ।

ଅସାଧନା ମାର୍ଗେ ଶକତି

ସମ୍ଭର୍ବେ ଉପରେ ବସିବ ।।୪।।

ଦିନୁନିନ ଜ୍ଞାନ ହୃଦରେ କୀର୍ତ୍ତନ ଲଗାଇ ଯେମନ୍ତ ଥିବ ।

ଅନାମ ବ୍ରହ୍ମକୁ ଆଶ୍ରେ କଲେ

ତାଙ୍କୁ ଉଦ୍ଧାରଣ ହେବ ।।୫।।

ଅପୋଡ଼ା ବନକୁ ବଳାଅ ମନକୁ ବେଳହୁଁ କରିଥା ଠାବ ।

ଭଣେ ଭୀମକନ୍ଧ ଗୁରୁପାଦ

ବିନ୍ଦ ହେବ ଯେବେ ଯୋଗ୍ୟ ।।୬।।

 

(୭୩)

ନିଶବ୍ଦ ଘରେ ଭେଦ ନିଦା ବ୍ରହ୍ମକୁ ।। ଘୋଷା ।।

ନୁହେଁ ଶବଦ ଭେଦ      ଶୂନ୍ୟ ଅଟେ ଅନାଦ

ଜନ ପବନ ନାହିଁ ନିଜ ଅଙ୍ଗକୁ ।।୧।।

ରାତ୍ର ଦିବା ନୋହୁଛି      ନିଷ୍କାମ ଯୋଗେ ଅଛି

ନିଗମ ଅଟେ ପଥ ସେ ଭୁବନକୁ ।।୨।।

ଅଲେଖ ସ୍ୱାମୀ ଯେହୁ      ନିର୍ବେଦେ ଛନ୍ତି ସେହୁ

ଅଭେଦ ମାର୍ଗେ ଚଳ ସେ ମନ୍ଦିରକୁ ।।୩।।

ସବୁଙ୍କୁ ନୁହେଁ ଦୃଶ୍ୟ      ଅଛି ନିଜ ଅଶେଷ

ସଙ୍ଗ କରିଛି ଏକା ସତ୍ୟ ଧର୍ମକୁ ।।୪।।

ବ୍ରହ୍ମ ଉପରେ ବ୍ରହ୍ମ      ଶୂନ୍ୟେ ରହିଛି ମର୍ମ

କେହି ନ ଜାଣେ ତାଙ୍କ ନିଜ ନାମକୁ ।।୫।।

ଭଣିଳେ ଭୀମକନ୍ଧ      ପଦ ପଦକେ ଭେଦ

ଅନୁସରି ରହିଛି ପାଦବିନ୍ଦକୁ ।।୬।।

 

(୭୪)

ଫେଡ଼ି କବାଟ ଯାଇଁ ପଶ ଭିତରେ ।। ଘୋଷା ।।

ପରଚେ ହେଲେ ତାଙ୍କୁ      ଭୟ ନାହିଁ କାହାକୁ

ସଂଶୟ ଯିବ ମନୁ ସେବ ପୟରେ ।।୧।।

ବ୍ରହ୍ମ ବେନି ଅକ୍ଷର      ଜ୍ଞାନୀ ଜନେ ବିଚାର

ଏକତ୍ୱ କର ଯୁକ୍ତ ଦିବା ନିଶିରେ ।।୨।।

ପାଦରୁ ଫେଡ଼ି ପଦ      ଅନାମେ କର ଭେଦ

ହେତୁ ରହିବ ଏକା ଚାରି ଯୁଗରେ ।।୩।।

ସମ୍ପାଦ ବ୍ରହ୍ମ ଯୋଗ      ଜନ୍ମ ବଦ୍ଧ ନୋହିବ

ପ୍ରବେଶ ହେବ ଜୀବ ବ୍ରହ୍ମପୁରରେ ।।୪।।

ରୂପ ଅରୂପ ଦୁଇ      ଛନ୍ତି ସମାନ ହୋଇ

ମଧ୍ୟେ ଅଭୟ ପୁର ଅଛି ସେଠାରେ ।।୫।।

ଭଣିଲେ ଭୀମକନ୍ଧ      ଗଳୁଛି ମକରନ୍ଦ

ଉଚ୍ଚିଷ୍ଟ ନାହିଁ କର ପିଅ ମୁଖରେ ।।୬।।

 

(୭୫)

ବ୍ରହ୍ମ ସାଗରେ ପିଣ୍ଡ ଝସାଅ ନେଇ ।। ଘୋଷା ।।

ମହିମା ଯେ ସାଗର      ତାହାଙ୍କୁ ଆଶ୍ରେ କର

ଯାହା ବୋଲିବେ ଗୁରୁ ଆଜ୍ଞାକୁ ବହି ।।୧।।

ତତ୍ତ୍ୱ କଲେ ତରିବ      ବ୍ରହ୍ମେ ଭେଟ ହୋଇବ

ତ୍ରିଗୁଣ ଛିଡ଼ିଯିବ ନିଷ୍କାମ ହୋଇ ।।୨।।

ମନୁଷ୍ୟ ଜନ୍ମ ସାର      ଏ ଦେହେ ହେତୁ କର

ଦୁର୍ଲ୍ଲଭ ଜନ୍ମ ଆଉ ପାଇବ ନାହିଁ ।।୩।।

ଅଖଣ୍ଡ ବ୍ରହ୍ମ ଯେହି      ଖଣ୍ଡ ଖଣ୍ଡ ନୁହି

ଆଶ୍ରିତ କଲେ ସିନା ତରିବ ମହୀ ।।୪।।

ସେହି ପ୍ରଭୁଙ୍କୁ ଦାନ      ଦିଅ ପିଣ୍ଡ ପରାଣ

ମୁକ୍ତି ଲଭିବ ବ୍ରହ୍ମେ ବଢ଼ିଲେ ଦେହୀ ।।୫।।

ଭଣିଲେ ଭୀମକନ୍ଧ      ପଦ ଅଟେ ବିଚ୍ଛନ୍ଦ

ଜ୍ଞାନୀ ଜନଙ୍କୁ ସିନା ଧର୍ମ ରୁଚଇ ।।୬।।

 

(୭୬)

ଯୁଗ ହେଲାଣି ଶେଷ      ଭାସିଲା ଚତୁର୍ଦ୍ଦଶ

ଏବେ ବିଜୟେ କର ଆସି ହେ ମହାବାହୁ ।

ଯେବେ ଭକତ ବାନା ବହୁ ।। ପଦ ।।

କଳି ହେଲା ପ୍ରବଳ      ନ ଥିଲା ଧର୍ମ ବଳ

ଜୀବର ଆତଙ୍ଗ କେ କହୁ ।

ଭଜିଲେ ଯେତେ ଜନ      ସର୍ବେ ପାଇଲେ ଜ୍ଞାନ

ଭରସା ନ ଦିଶଇ ଆଉ ହେ ।।୧।।

ସ୍ୱାମୀ ଗୁରୁ ଅଲେଖ      ପିଣ୍ଡ ବ୍ରହ୍ମାଣ୍ଡ ରଖ

ସତ୍ୟ ଧର୍ମ ପରୀକ୍ଷା ହେଉ ।

କୋଟିଏ ତେଜ ଘେନି      ଉଦେ ହୁଅ ଧରଣୀ

ଏ କଳି କାଳ ହତ ଯାଉ ହେ ।।୨।।

ନବଖଣ୍ଡ ମେଦିନୀ      ସ୍ଥାପିଲ ବ୍ରହ୍ମଧୂନି

ପ୍ରାଣୀର ପରତେ ନ ଯାଉଁ ।

ତିନି ଭୁବନ ମହୀ      ହେଲାଣି ଅନର୍ଥ ହିଁ

ବେନି ନୟନେ ଚାହୁଁ ଚାହୁଁ ହେ ।।୩।।

ସୁର ଅସୁର ଦୁଇ      ଛନ୍ତି ସମାନ ହୋଇ

ଧନ ପଣରେ ବଡ଼ ଏହୁ ।

ସତ୍ୟ ଧର୍ମ ବଚନ      ନାହିଁ ରୁଚିଲା ମନ

ଶାନ୍ତି କି ନ ଭଜିଲେ କେହୁ ହେ ।।୪।।

ଗୁରୁ ସେବା ଭକତି      ସଦଗତି ମୁକତି

ସେମାନ ପଛକତି ଥାଉ ।

ଏବେ ହେଉଛି ଯାହା      ତୁରିତେ ବୁଝ ତାହା

ବିପତ୍ତି କଷଣ କେ ସହୁ ହେ ।।୫।।

ପ୍ରଭୁ ଅନାଦି ମୂଳ      ଦେଖ ଭୃତ୍ୟ ବିକଳ

ବିଳମ୍ବ କରିବାର ନୋହୁ ।

ଗୁରୁପାଦେ ଜଣାଇ      ଭଣିଲେ ଭୀମ ଭୋଇ

ଏ ରବି ତଳେ କୀର୍ତ୍ତି ରହୁ ହେ ।।୬।।

 

(୭୭)

ନାମ ଗୁରୁ ଅନାଦି      କରୁଣା କୃପାନିଧି

ସମ୍ଭାଳି ରଖ ଦାସ ଦାସୀ ହେ ।। ଶୂନ୍ୟବାସୀ ।।

ଆକାଶୁ ଧୀରେ ଆସ ଖସି ।। ପଦ ।।

ବେନି ପାଦେ ବନ୍ଧଣି      ପଡ଼ିଅଛି ଛନ୍ଦଣି

ବେଗେ ଛିଡ଼ାଅ କାଳ ଫାସି ।

କାଳାନ୍ତକ ମୂରତି      ପ୍ରକାଶ ରୂପ କାନ୍ତି

ଭଗତ ଅଙ୍ଗେ ଆପେ ବସି ହେ ।।୧।।

ଅନ୍ତର୍ଯ୍ୟାମୀ ପୁରୁଷ      ଆତଙ୍ଗ ଜାଣି ଆସ

ଅଲେଖ ପ୍ରଭୁ ଶୂନ୍ୟବାସୀ ।

ଅନାଦି ଯୋଗେଶ୍ୱର      ଭାରା ଉଶ୍ୱାସ କର

ଦୂରିତ ପକାଅ ବିନାଶି ହେ ।।୨।।

ପାତକ ଭାରେ ମହୀ      ନ ପାରେ ଦମ୍ଭେ ରହି

ଯାଉଛି ରସାନ୍ତଳେ ପଶି ।

ପଦ୍ମପାଦେ ଘୋଡ଼ାଅ      ବେନି ବାହୁ ବେଢାଅ

ଧରଣୀଧର ଧର ଆସି ହେ ।।୩।।

ଆକୁଳେ ପୃଥ୍ୱୀ ଦେବୀ      ଅଣ୍ଟେ ପାରୁଛି ବୋବି

ରୋଦନ କରି ଦିବା ନିଶି ।

ଉର୍ଦ୍ଧ୍ୱକୁ କରି ମୁଖ      ତ୍ରାହି କର ଅଲେଖ

ଡାକି ମୁଁ ଯାଉଅଛି ଭାସି ହେ ।।୪।।

ନିଶବଦ ବିହାରି      ବୁଝ ସୁଦୟା କରି

ପ୍ରଭୁ ତ ଭଗତ ବିଶ୍ୱାସୀ ।

ନିଜ ରୂପ ଦେଖାଅ      ଫିଟିଯାଉ ସଂଶୟ

ଶୂନ୍ୟରେ ତେଜ ପରକାଶି ହେ ।।୫।।

ନ ଜାଣେ ଭଲ ମନ୍ଦ      କୂଟ କପଟ ଛନ୍ଦ

ମୋ ମନ ସର୍ବଦା ଉଦାସୀ ।

ଭଣେ ଭୀମ ଅର୍କ୍ଷିତ      ଗୁରୁ ଚରଣେ ଚିତ୍ତ

ଛାମୁରେ ଚାରି ଯୁଗେ ଦୋଷୀ ହେ ।।୬।।

 

(୭୮)

ଗୁରୁ ହର୍ତ୍ତା କରତା      ଫେଡ଼ ସକଳ ଚିନ୍ତା

ନିରେଖ ଜନ ହିତକାରୀ ହେ ।। ଶୂନ୍ୟହରି ।।

ଶୁଣିମା ଏ ମୋର ଗୁହାରି ।। ପଦ ।।

ଯେତେ ଦୂରକୁ ମୋତେ      କଲେଣି ଏ ଜଗତେ

ଠଉରି ନୋହେ ଦେହ ଧରି ।

ଅବନା ମଣ୍ଡଳରୁ      ବିଜେ ନ କଲେ ଗୁରୁବାର

ପରାଣ ନ ବଞ୍ଚେ ମୋହରି ହେ ।।୧।।

ଏବେ ନିଶ୍ଚୟେ ଜାଣ      ପଡ଼ୁଅଛି କଷଣ

ତୁମ୍ଭ ଚରଣେ ଆଶ୍ରେ କରି ।

ଦୈତ୍ୟ ଦାନବ ହସ୍ତେ      ଦଣ୍ଡାଉଛ ସାକ୍ଷାତେ

କରାଉ ଅଛ ଏତେ ସରି ହେ ।।୨।।

ବନ୍ଦି କରାଇ ମୋତେ      ପରିହାସେ ସମସ୍ତେ

ନିନ୍ଦିତ ହୋଇଲାଣି ଆସି ।

ତୁ ପରା ଗୁରୁ ଭକ୍ତି      ଦେଖିବା ତୋ ଶକତି

ବୁହାଉଛନ୍ତି ମେରୁ ଗିରି ହେ ।।୩।।

ନର ନାଗ ଦେବତା      ଅସତ୍ୟ ମଣି କଥା

ସମସ୍ତେ ହେଲେଣି ବଇରି ।

ନାହିଁ ମୋର ଆୟତ୍ତ      ସଦଗୁରୁ ସାମର୍ଥ

ବଞ୍ଚାଇ ରଖିବେ ଉଦ୍ଧରି ହେ ।।୪।।

ଚିନ୍ତା ଜ୍ୱର ସନ୍ତାପ      ଘୋଟି ସର୍ବାଙ୍ଗ ଯାକ

ହୃଦୟ ହେଉଅଛି ଘାରି ।

ନାହିଁ ମୋହର ସଖା      ପଡ଼ି ମୁଁ ଅଛି ଏକା

ଘୋର ସଙ୍କଟୁ କର ପାରି ହେ ।।୫।।

ଶ୍ରୀଗୁରୁ ଦେବ ବିନୁ      ରକ୍ଷା ମୋ ନୋହେ ତନୁ

କାହାକୁ କହିବି ସୁମରି ।

ଶ୍ରୀଛାମୁରେ ଜଣାଣ      ଭୀମ ଭୋଇ ଅଜ୍ଞାନ

ଭରସା ଯିବି ବୋଲି ତରି ହେ ।।୬।।

 

(୭୯)

ଗୁରୁ ମହିମା ନାମ      ଉଦେ କରିଛ ଧର୍ମ

ବାନା ଉଡୁଛି ନବକ୍ଷିତି ହେ ।। ପ୍ରାଣପତି ।।

ନିବାର ଏ ଘୋର ବିପତ୍ତି ।। ଘୋଷା ।।

କଲେଣି ବଳା ବଳ      ନ ଦିଶି ମଙ୍ଗଳ

ମହତ ଗଲାଣି ଏ ଘାନ୍ତି ।

ଗୁରୁ ଧର୍ମ ନିମନ୍ତେ      ଅପବାଦ ସମସ୍ତେ

ଧରିଣ ଦେଉଛନ୍ତି ଶାସ୍ତି ହେ ।।୧।।

ପାପ ଅର୍ଜିଲା ବୋଲି      ଅନେକ ଦ୍ୱନ୍ଦ୍ୱ ଗାଳି

ଦେଉଅଛନ୍ତି ଅପଖ୍ୟାତି ।

ଅଧର୍ମ ପଥ ଏହୁ      ଜାଣି ଭଜିବ କେହୁ

ଏଥିରେ ନାହିଁ ସଦଗତି ହେ ।।୨।।

ଏହା ବୋଲି ସମସ୍ତେ      ବିଚାର କରି ଚିତ୍ତେ

ମାୟା ମୋହରେ ସର୍ବେ ମାତି ।

କାହାରି ହୃଦେ ଜ୍ଞାନ      ନାହିଁ ଧର୍ମ ବଚନ

ଅସତ୍ୟ ହୋଇଲାଣି ପୃଥ୍ୱୀ ହେ ।।୩।।

ଗୁରୁ ବାକ୍ୟ ନ ମାନି      ହୋଇଲେଣି ଅଜ୍ଞାନୀ

ଅଧିକେ କଲେଣି ଅନୀତି ।

କେହି ମୋ ରକ୍ଷା ନାହିଁ      ଉଚ୍ଚେ ଡାକୁଛି ମୁହିଁ

ଯୋଗ ନିଦ୍ରାରୁ ଉଠ ଚେତି ହେ ।।୪।।

ମୁହିଁ ମୂଢ ପାପିଷ୍ଠ      ଶ୍ରୀଗୁରୁ ଦେବ ଇଷ୍ଟ

ଆନେ ମୁଁ ନ କରି ଭକତି ।

ଏକ ବ୍ରହ୍ମ ପାଦରେ      ଧ୍ୟାନ ମୋ ନିରନ୍ତରେ

ହୃଦୟ ମନ ମଧ୍ୟେ ଚିନ୍ତି ହେ ।।୫।।

ଭାସିଲା ପିଣ୍ଡ ପ୍ରାଣ      ରଖ ହେ ଗୁରୁବ୍ରହ୍ମ

ଅଲେଖ ଅବର୍ଣ୍ଣ ଅଜ୍ୟୋତି ।

ଭଣିଲେ ଭୀମ କନ୍ଧ      ସ୍ୱାମୀ ଚରଣାବିନ୍ଦ

ହୀନ ପାମରମୂଢ଼ମତି ହେ ।।୬।।

 

(୮୦)

ଲୋଡ଼ି ଯିବି କେତେ ଦୂର, ସକ୍ଷ ନାହିଁ ମୋର ହେ ।

ରୂପେ ଅରୂପେ ପୂରିଛ ଅନାଦି ଈଶ୍ୱର ହେ

।। ପଦ ।।

ଆଦ୍ୟରୁ ଅନାଦି ବ୍ରହ୍ମ      ଭିଆଇ ସଂସାର ହେ

ବିଜେ କରିଅଛ ଗୁରୁ      ଅବନା ମନ୍ଦିର ହେ

ଆଗ ପଛକୁ କିଛି ନ ବିଚାର

ଆପଣେ ଶ୍ରୀହସ୍ତେ ଖଡ଼୍‌ଗ ଧର

ଅବନୀର ଭାରା ଛେଦନ କର ।

ଭକତ ଜନର ଦୁଃଖ ହର ହେ ।।୧।।

ଅନାମ ପୁରୁଷ ନାମ      ବହି ନିରାକାର ହେ

ଉଜାଣି ଶିଖରେ ଠୁଳ      ଶୂନ୍ୟରେ ବିହାର ହେ

ସନ୍ଥପାଳି ଦୁଷ୍ଟ ବଳ ସଂହାର

ଗୁରୁ ଯେବେ ବୀର ଉପରେ ବୀର

ଏ ଛାର ବିପତ୍ତି କେତେ ମାତର

ତୁମ୍ଭେ ଯେମନ୍ତ ଜୀବନ୍ତ ଠାକୁର ହେ ।।୨।।

ଚାରିଦିଗେ ଶୂନ୍ୟ ରୂପେ      ଘୋଟି ଆକାଶରୁ ହେ

ଯାହା ଭାବୁଅଛି ମୁହିଁ      ନୁହଁଇ ଉବାର ହେ

କ୍ରୋଧେ ଅନଳେ ଦହୁଛି ଶରୀର ।

ବିଜେ କରି ଢାଳ କରୁଣା ନୀର

ଅନନ୍ତ ପୁରୁଷ ନାମ ତୁମ୍ଭର

ଅନ୍ତରେ ଜାଣି କ୍ଷମା କର ହେ ।।୩।।

ରୂପରେଖ ବର୍ଣ୍ଣ ଚିହ୍ନ      କରିଛ ବିସ୍ତାର ହେ

କଳିଯୁଗେ ହୋଇଅଛ      ନବ ଅବତାର ହେ

ପତିତ ଜୀବକୁ ଉଦ୍ଧାର କର

ଉଡ଼ିଗଲା ପ୍ରାଣ ପିଣ୍ଡରେ ଭର

ଗୁରୁ ପାଦ ବିନୁ ନାହିଁ ନା ସାର

ନାମ ବହିଛ ମହିମା ସାଗର ହେ ।।୪।।

ଶୂନ୍ୟ ରୂପେ ଦେହ ଧରି      ଜଗତେ ପ୍ରଚର ହେ

କେହି ଜାଣି ନ ପାରନ୍ତି      ମହିମା ତୁମ୍ଭର ହେ

ସ୍ଥିତି ଉତ୍‌ପତି ପ୍ରଳୟେ କର

ଜନ୍ମ ମରଣ ଅଟେ ଅଧିକାର

ଆବୋରି ରହିଛ ସଚରାଚର

ଯୁଗେ ଯୁଗେ ବାନା ମୂରତି ଧର ହେ ।।୫।।

ଅମୂଳ ଅକୂଳ ବ୍ରହ୍ମ      କେ କରି ଗୋଚର ହେ

ବାନା ତୁମ୍ଭର ଅଟଇ      ଶରଣ ପଞ୍ଜର ହେ

ଅଭୟ ବ୍ରହ୍ମ ଦୟା ମୋତେ କର

ଅଶେଷ ଭୟ ଅଙ୍ଗରୁ ନିବାର

ଧ୍ୟାନ କରି ସଦଗୁରୁ ପୟର

ଭଣେ ଭୀମ ଭୋଇ ହୀନ ପାମର ହେ ।।୬।।

 

(୮୧)

ଗୁରୁଦେବ ସ୍ୱାମୀ ମୋର ଅଟ ସାମରଥ ହେ

ଅନ୍ତର୍ଯ୍ୟାମୀ ପୁରୁଷ ଫେଡ଼ ମୋ ଦୂରିତ ହେ

।। ପଦ ।।

ଦୁଃଖ ଦଣ୍ଡ ଖଣ୍ଡ ଖଣ୍ଡ      କରାଅ କଟିତ ହେ

କୃପା ନୟନରେ ସ୍ୱାମୀ      ଦେଖ ମୋ ଆରତ ହେ

ଗୁରୁ ଧର୍ମ ଚାରି ଯୁଗରେ ସତ

ସକଳ ଠାବେ ଅବିକାର ମତ

ଅଶେଷ ବ୍ରହ୍ମାଣ୍ଡେ ନାମ ବିଦିତ

ଶ୍ରୀମୁଖ ବଚନ ଅଟେ ସିଦ୍ଧାନ୍ତ ହେ ।।୧।।

ଆଶ୍ରେ କରି ଅନୁସରି      ଗୁରୁପାଦେ ଗତ ହେ

ସମର୍ପି ଦେଇଛି ମୋର      ପ୍ରାଣ ପଞ୍ଚଭୂତ ହେ

ନାମ ଦେଇଛ ନିଷ୍କାମ ଭକତ

କରାଇଅଛ ଯେବେ ଦୃଢ ବ୍ରତ

ମନବାଞ୍ଛା ମୋର କର ପ୍ରାପତ

ପ୍ରସନ୍ନ ହେବ ଜାଣି ଚିତ୍ତ ହେ ।।୨।।

ସହି ନୁହଇ କଷଣ      ହେଲାଣି ବହୁତ ହେ

ଅଙ୍ଗେ ମାଡ଼ି ବସିଅଛି      ଯେସନେ ପର୍ବତ ହେ

ପୀଡ଼ାରେ ପିଣ୍ଡ ହେଲାଣି ନିର୍ଗତ

ବଚନ କହି ନ ଫିଟେ ବକତ୍ର

ଉଠିବାକୁ ନ ଚଳଇ ଶକତ

ଯାହାକର ସ୍ୱାମୀ ତୁମ୍ଭ ଆୟତ୍ତ ହେ ।।୩।।

ନାମ ବୋଲାଉଛ ପ୍ରଭୁ      ଜଗତର ନାଥ ହେ

ଭଗତ ଜନର ତୁମ୍ଭେ      ଅଟ ପରା ମିତ ହେ

ମୋ ଜଣାଣ ଘେନି ହୁଅ ଉଦିତ

ଅତିଥ ଜନକୁ କରାଅ ସ୍ଥିତ

ଯଶ ହେବ ରବି ତଳରେ ଖ୍ୟାତ

କଥା ରହି ଥାଉ କଳ୍ପ କଳ୍ପାନ୍ତ ହେ ।।୪।।

ଛପନ କୋଟି ଜୀବର      ଗତି ମୁକ୍ତି ପ୍ରାପ୍ତ ହେ

ଅବ୍ୟୟ ଅକ୍ଷୟ ସ୍ୱାମୀ      ଅଲେଖ ଅବଧୂତ ହେ

ଏ ମୋର ଇଝାର ହେବ କେମନ୍ତ

କରତା ପୁରୁଷ ନୁହ ଅସତ୍ୟ

ନିଅଣ୍ଟ ହେଲା ଦିଅ ପଡ଼ି ଭାତ

ମିଳୁ ବୋଲି ପ୍ରସାରିଛି ପଣନ୍ତ ହେ ।।୫।।

ଥିବ ଯେବେ ମୋର      ଜନ୍ମର ସୁକୃତ ହେ

ଅବଶ୍ୟ ବୁଝିବେ ମୋର      ଗୁରୁ ତାତ ମାତ ହେ

କାନ୍ଦି କାକୁସ୍ତେ ଶିରେ ଦେଇ ହସ୍ତ

ପଦ୍ମ ପାଦେ ରଖି ସଦା ଚିତ୍ତ ।

ଗୁରୁ ଚରଣେ ଶରଣ ବାଞ୍ଛିତ

ଭଣିଲେ ଭୀମ ଅଧମ ଅର୍କ୍ଷିତ ହେ ।।୬।।

 

(୮୨)

କେତେବେଳେ ଗୁରୁଦେବ ବୁଝାମଣା ହେବ ହେ,

ଦୃଢେ ଧରି ଅନୁସରି ଟାକିଅଛି ଜୀବ ହେ ।। ପଦ ।।

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ      ନାହିଁ ମୋର ଠାବ ହେ

ସୋହତିରେ ଭାସୁଅଛି      ଲଗା ଆଣି ନାବ ହେ

ହେଳା ନ କର ଅନାଦି ରାଘବ

ତୁମ୍ଭେ ସାକ୍ଷାତେ ବିଧାତା ଦଇବ

ସତ୍ୟ ଧର୍ମ ଯେବେ ମିଥ୍ୟା ହୋଇବ

ପିଣ୍ଡରେ ପରାଣ କେହୁ ରଖିବ ହେ ।।୧।।

ଅନ୍ତ ନ ପାଇଲେ ଯାର      ବ୍ରହ୍ମା ବିଷ୍ଣୁ ଶିବ ହେ

ଏପରି ବୋହି ଗଲାଣି      କୋଟି କୋଟି ଯୁଗ ହେ

ଯାହର ମହିମା ଅତ୍ୟନ୍ତ ଦୁର୍ଲ୍ଲଭ

ତ୍ରିପୁର ମଧ୍ୟେ ସମ୍ପତ୍ତି ସୁଲଭ

ଗମି ନ ପାନ୍ତି ଋଷି ମୁନି ଦେବ ।

ସମସ୍ତେ ନ ଜାଣନ୍ତି ତୁମ୍ଭ ଭାବ ହେ ।।୨।।

ଯେବେ ମୋତେ ଦିଆଇବ      ଅଇଶ୍ୱର୍ଯ୍ୟ ଭୋଗ ହେ

ଯେଉଁ ଆଜ୍ଞା ହେବ ସ୍ୱାମୀ      ସଂଶୟ ନ ଥିବ ହେ

କରିଥିବି ଯେବେ ପୂର୍ବରେ ଭାଗ୍ୟ

ଯାହା ବିଚାରିଲେ ତାହା ଘୋଟିବ

ପ୍ରଭୁଙ୍କର ଯଦି ସୁଦୟା ହେବ

କଳିଯୁଗେ ଗୁରୁ ବାନା ଉଡ଼ିବ ହେ ।।୩।।

ଏହି ସୃଷ୍ଟି ଅନ୍ତେ ଯେବେ      ଆନ ସୃଷ୍ଟି ହେବ ହେ

ମହତ ପୁରୁଷ ବାକ୍ୟ      କେବେ ନ ଟଳିବ ହେ

ଚନ୍ଦ୍ର ସୂର୍ଯ୍ୟ ଯେତେ ଦିବସ ଥିବ

କେତେଦିନ ଯାଏ କେହୁ ମେଣ୍ଟିବ

ବେଦ ଶାହାସ୍ତ୍ରେ ପୃଥ୍ୱୀରେ ରହିବ

କଳିଯୁଗ ଭାଙ୍ଗି ସତ୍ୟ ହୋଇବ ହେ ।।୪।।

ବ୍ରହ୍ମ କ୍ଷତ୍ରୀ ଶୂଦ୍ର ବୈଶ୍ୟ      ଆଣ୍ଟୁଆ ଏ ସର୍ବ ହେ

ଭୋ ଗୁରୁ ମହିମା ଗଞ୍ଜି      ଏହାଙ୍କର ଗର୍ବ ହେ

କେଉଁ ରୂପେ ପୃଥ୍ୱୀ ସାଧ୍ୟ ହୋଇବ

କାହା ବଡ଼ିମା ପଣ ନ ରହିବ

ସବୁରି ନେତ୍ରୁ ପଟଳ ଭାଙ୍ଗିବ

ବ୍ରହ୍ମ ମୂରତି ପ୍ରତ୍ୟକ୍ଷେ ଦିଶିବ ହେ ।।୫।।

ତେବେ ମନୁ ପ୍ରତେ ଯିବ      ସଂଶୟ ତୁଟିବ ହେ

ଏ ମାୟା ମୋହ ତିମିର      କୁହୁଡ଼ି ପଡ଼ିବ ହେ

ଅଙ୍ଗୁର ପାପ ବକଳ ଛାଡ଼ିବ

ମନର ପ୍ରତେ କରିଣ ଉଠିବ

ସଦା ସର୍ବଦା ଆନନ୍ଦ ଲଭିବ

ଭୀମ ଭୋଇ ଗୁରୁ ପାଦେ ଖଟିବ ହେ ।।୬।।

 

(୮୩)

ସାକ୍ଷାତରେ ଗୁରୁ ଧର୍ମ ବାକ୍ୟ ନୋହେ ମିଛ ହେ ।

ଆଉ କଥାମାନ ଯେତେ ଥାଉ ସବୁ ପଛ ହେ

।। ପଦ ।।

ଅକଳ୍ପନାରୁ କଳ୍ପନା      ପାଞ୍ଚି ରଞ୍ଚି ଅଛ ହେ

ସୁତଳ ଭୂତଳ ରସା-      ତଳ ଭିଆଇଛ ହେ

ପାତାଳ ବିତଳ ପୂରି ରହିଛ

ମୂର୍ତ୍ତି ପଥରେ କାହିଁ ନ ମିଶୁଛ

ନାମରେ ଅଣାକ୍ଷର ବୋଲାଉଛ

ସପତ ସାଗର ମଧ୍ୟେ ପୂରିଛ ହେ ।।୧।।

ଜଡ଼ ଜୀବ ରୂପେ ପ୍ରଭୁ      ତୁମ୍ଭେ ଆବୋରିଛ ହେ

ସ୍ଥାବର ଜଙ୍ଗମ କୀଟ      ପତଙ୍ଗେ ବ୍ୟାପିଛ ହେ

ଦୁର୍ଗନ୍ଧ ଗନ୍ଧ ପ୍ରକଟେ ମିଶିଛ

ସୁଗନ୍ଧ ଗନ୍ଧ ସୌରଭେ ବାସୁଛ

କଳା କୁଙ୍କୁମ ଶୁକଳ ନୋହୁଛ

କହନ୍ତା ବହନ୍ତା ରୂପେ ବସିଛ ହେ ।।୨।।

ନବଖଣ୍ଡ କରି ମେଦି-      ନୀକି ସ୍ଥାପି ଅଛ ହେ

ସ୍ଥିତି ବସ୍ତି ବାଡ଼ି ବୃତ୍ତି      ଆପଣେ ଖଞ୍ଜିଛ ହେ

ହୁକୁମ ହାକିମ ରୂପେ ବୁଝୁଛ

ଦୁଃଖୀ ଦରିଦ୍ର ପ୍ରଜା ପାଳୁଛ

ମାଈ ଅଣ୍ଡିରା ଦୁଇ ଅଙ୍ଗେ ଅଛ

ଆପେ ଚତୁର ଉଦାର ହୋଇଛ ହେ ।।୩।।

ମନ ବୁଦ୍ଧି ପ୍ରକୃତିରେ      ଲଘିଂତ ହୋଇଛ ହେ

ଶୁଭ ଲଗ୍ନ ଅନୁକୂଳେ      ରଞ୍ଜିତ ହୋଇଛ ହେ

ଦିବା ରଜନୀ ଆପଣେ ଗଢିଛ

ଉଜ୍ଜ୍ୱଳ ଅନ୍ଧାର କରାଉଅଛ

ଅଶେଷ ଖେଳ କୌତୁକ କରୁଛ

ଭିତର ବାହାରେ ପୂରି ରହିଛ ହେ ।।୪।।

ଦେବ ଦାନବ ମାନସେ      ସମ୍ପୂର୍ଣ୍ଣ ପୂରିଛ ହେ

କୁଟୀଳ କପଟ ଲୋଭ      ମୋହ ନ ରଖିଛ ହେ

ପାପ ପୁଣ୍ୟରେ ବିରାଜି ରହିଛ

ସତ ମିଛରେ ସମାନ ହୋଇଛ

ହାନି ଲାଭ ମଧ୍ୟରେ ସମକଚ୍ଛ

ଅଶେଷ ବ୍ରହ୍ମାଣ୍ଡେ ସର୍ବ ଦେଖୁଛ ହେ ।।୫।।

ପିଣ୍ଡ ବ୍ରହ୍ମାଣ୍ଡକୁ ଗର୍ଭ-      ଗତରେ ଧରିଛ ହେ

ସକଳ ଭୂତରେ ସାକ୍ଷୀ-      ପରାୟେ ପୂରିଛ ହେ

ଅଚିନ୍ତା ପୁରୁଷ ଚିନ୍ତାରେ ଅଛ

ଯାକୁ ଯହିଁକି ନେଇ ଆଣୁଅଛ

ସୁମନ ପ୍ରାୟେ ହୃଦୟରେ ଅଛ

ଭଣେ ଭୀମ କନ୍ଧ ଗୁରୁଙ୍କ ପଛ ହେ ।।୬।।

 

(୮୪)

ଦୁର୍ଲ୍ଲଭ ଜନ୍ମରେ ଥରେ ଦର୍ଶନ କର

ପିଣ୍ଡ ପ୍ରାଣ କାଳ କାଳ ନୁହଁଇ ଚିର ।। ପଦ ।।

ପରଶୁ ପଥର ଖଣ୍ଡେ      ଖସି ପଡ଼ିଛି ବ୍ରହ୍ମାଣ୍ଡେ

ଚିହ୍ନାଇ ଦେଉଛି ହୃଦେ ସମ୍ଭାଳି ଧର ।

ଏହିପରି ସ୍ୱଦେହରେ      ଆଉ କି ମିଳିବ ଥରେ

ମାଳ ଗୁନ୍ଥି ବାନ୍ଧିରଖ ହୃଦରେ ହାର ।।୧।।

ସର୍ବଗୁଣେ ପରିପୂର୍ଣ୍ଣ      କରିଅଛି ଅଭିମାନ

ମାନବ ତନୁଟି ଏହି ସଂସାର ସାର ।

ଚାରିଯୁଗେ ଏହି ମତେ      ଦେହ ବହି ଗଲେ କେତେ

କଦାଚିରେ ଭବଜଳୁ ନୁହେ ଉଦ୍ଧାର ।।୨।।

ଜାଣୁଛ ସକଳ ବୁଦ୍ଧି      ବିଚାରିଲେ ସର୍ବସିଦ୍ଧି

ଜନ୍ମ ମରଣଟି ଏ ଦେହକୁ ଅସାର ।

ସ୍ୱାମୀ ନାମେ ଅଳଙ୍କାର      ସର୍ବେ କର ନିରନ୍ତର

ତେବେ ସେ ଜନ୍ମ କଷ୍ଟରୁ ହୋଇବ ପାର ।।୩।।

କୋଟିଏ ଯୋନିରେ ଜନ୍ମ      ହେଲାଣି ଏହୁ ଜୀବନ

ମହାଭାଗ୍ୟେ ପାଇଅଛ ଗୁରୁପୟର ।

ଗଳୁଅଛି ମକରନ୍ଦ      ଲୟ କର ପାଦବିନ୍ଦ

ଦିବସ ରଜନୀ ବହି ଆସୁଛି ଧାର ।।୪।।

କରିଅଛୁ ଯାକୁ ହିତ      ସକଳ ଏ ପଶୁଭୃତ୍ୟ

ନିଦାନ କାଳକୁ ସର୍ବେ ହେବେ ଅନ୍ତର ।

କୋମଳ ଶରୀର ଅଙ୍ଗ      ଅବଶ୍ୟ ଏ ହେବ ଭଙ୍ଗ

ହେତୁ ଚେତା ଜ୍ଞାନ ଧ୍ୟାନ ହେବ ପାଶୋର ।।୫।।

ଜଳ ଘଟେ ଯେଉଁପରି      ଏ ଦେହରେ ଅଛି ପୂରି

କାମକ୍ରୋଧ ଲୋଭ ମୋହ ବୋହିଛ ଭାର ।

ଭଣେ ଭୀମ ଅରକ୍ଷିତ      ଶ୍ରୀଗୁରୁ ଚରଣେ ଚିତ୍ତ

ନୟନରୁ ନିରନ୍ତରେ ବହୁଛି ଧାର ।।୬।।

 

(୮୫)

ଜମ୍ବୁଦ୍ୱୀପ ପୂର୍ବଦିଗେ ପଡ଼ିଛି ଧୂନି

ଉଦେ ହୋଇଛନ୍ତି ସତ୍ୟ ଧର୍ମକୁ ଘେନି ।। ପଦ ।।

ଅନନ୍ତ ଖଞ୍ଜଣି ବାଦ୍ୟ      ଯେତେ ଦୂରକୁ ଶବଦ

ଗଢାଇ ଅଛନ୍ତି ରୂପା ସୁବର୍ଣ୍ଣ ଗିନି ।

ଯେତେ ଦୂରକୁ ଶୁଭିବ      ଯମ ଛାଡ଼ି ପଳାଇବ

ଭିଆଇ ଅଛନ୍ତି କଳିଯୁଗକୁ ଜାଣି ।।୧।।

ବୁଦ୍ଧ ଅବତାର ରୂପେ      ବିଜେ କରିଛନ୍ତି ଆପେ

ସର୍ବ କର୍ମ ତେଜି ଭଜୁଅଛନ୍ତି ମୁନି ।

କୋଟି ଜନ୍ମ ପାପ ଯିବ      ମୁକତି ପଥ ଲଭିବ

ଅନ୍ତର୍ଗତେ ମହିମାକୁ ପାରିଲେ ଚିହ୍ନି ।।୨।।

ଯାର ଅଙ୍ଗେ କଳା ଥିବ      ସେହି ସେ ଭଜି ପାରିବ

କାତର ହୋଇବେ ବେନି କର୍ଣ୍ଣରେ ଶୁଣି ।

ଅନ୍ତର୍ଗତେ ଥିଲେ ଜ୍ଞାନ      ଉପୁଜିବ ତତ୍‌କ୍ଷଣ

ଗୁରୁପାଦ ତଳେ ଲୋଟିଯିବ ଧରଣୀ ।।୩।।

ହୋଇଛନ୍ତି ଆତଯାତ      ଯେତେକ ପ୍ରଭୁ ଭକତ

ଉଦ୍ଧାର ହୋଇବେ ଛପ୍ନାକୋଟି ପରାଣୀ ।

ବୈକୁଣ୍ଠପୁରର ବାନା      ପକାଇ ଦେଲେଣି ଚିହ୍ନା

ବୁଲାଉ ଅଛନ୍ତି ରବି ତଳରେ ଆଣି ।।୪।।

ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ      ଘେନି ତିନିଭୁବନକୁ

ଡାକ ଫେରୁଅଛି ନବଖଣ୍ଡ ମେଦିନୀ ।

ନିର୍ଗୁଣ ଯେ ବ୍ରହ୍ମଜ୍ଞାନ      ଏବେ ସ୍ୱଦେହରେ ଚିହ୍ନ

ନାଗାନ୍ତୀ ଯୋଗାନ୍ତୀ ବେଦ ସିଦ୍ଧାନ୍ତୀ ମୁନି ।।୫।।

ପିଣ୍ଡ ପ୍ରାଣ ତାରି ନେବେ      ବାଞ୍ଛା ପୂର୍ଣ୍ଣ କରାଇବେ

ଅଶେଷ ବ୍ରହ୍ମାଣ୍ଡ ସ୍ୱାମୀ ମୁକୁଟମଣି ।

ବିଜେ ନିଦା ପୂର୍ଣ୍ଣବ୍ରହ୍ମ      ପ୍ରକାଶ ହୋଇଛି ଧର୍ମ

ଗୁରୁପାଦ ଧ୍ୟାୟି ଭୀମ ଅର୍କ୍ଷିତ ଭଣି ।।୬।।

 

(୮୬)

ଦେଖ ଘୋର କଳିକାଳେ ଅନନ୍ତ ଖେଡ଼

ଅଲେଖ ମହିମା ନାମ ଦୀକ୍ଷା ହିଁ ବଡ଼ ।। ପଦ ।।

ମହିମା ନାମଟି ସାର      ସର୍ବଜନ ଧର ଧର

ଏକାବେଳେ ଯାଇ ପ୍ରଭୁ ପାଦରେ ପଡ଼ ।

ଜଳ ପବନରେ ଦେହୀ      ମାତା ଗର୍ଭରେ ବନାଇଁ

ଏ ପିଣ୍ଡ ପ୍ରାଣକୁ କରିଛନ୍ତି ନିବାଡ଼ ।।୧।।

ଅଲେଖ ବ୍ରହ୍ମର ପଦ      ହୃଦୟରେ କର ଭେଦ

ଚାରିଯୁଗ ଯୁଗାନ୍ତରେ ଅଟଇ ଗାଢ଼।

ନିଗମ ବୋଇଲେ ସେହି      କାହିଁ କିଛି ନ ଦିଶଇ

ବହୁତ ଗଭୀର କଥା ମହା ନିଗୂଢ଼ ।।୨।।

ଗୁରୁ ସେବା କରିଥିଲେ      ଏ ସଂସାରୁ ତରେ ଭଲେ

ଗତି ମୁକତିକି ନିଜ ନାମଟି ଜଡ଼ ।

ଜନ୍ମରୁ ମରଣ ଯାଏ      ସେବା ଭକ୍ତି ଯେବେ ରହେ

ନିରନ୍ତରେ ହୃଦେ କରି ପାରିଲେ ଦୃଢ଼।।୩।।

ଅନନ୍ତ ପୁରୁଷ ସେହି      ରବିତଳେ ଉଦେ ହୋଇ

ବୁଦ୍ଧ ଅବତାର କରୁଅଛନ୍ତି ଖେଳ ।

ଅନନ୍ତ କୋଟି ସାଧୁ ଧରି      ଚଉଷଠି ସିଦ୍ଧ କରି

ମହାନିତ୍ୟ ଲୀଳା କରୁଛନ୍ତି ନିବାଡ଼ ।।୪।।

ଦିନୁ ଦିନ ମହୀ ଦେଖ      ତିନିପୁର ତ୍ରଇଲୋକ୍ୟ

ଅମଡ଼ା ମାଡ଼ିଲେ ନିଶ୍ଚେ ପଡ଼ିବ ମାଡ଼ ।

ଏହି ପ୍ରଭୁଠାରୁ ଆଉ      ନ ଦିଶନ୍ତି ମହାବାହୁ

ମନରେ ବିଚାରି ମୁହିଁ କରିଛି ବଡ଼ ।।୫।।

ଏ ତିନି ବ୍ରହ୍ମାଣ୍ଡେ ଦେଖ      ଏକତା ଯେ ହେବେ ଲୋକ

ବେଳୁ ବେଳ ହୋଇବ ଯେ ବହୁତ ଭିଡ଼

ଶ୍ରୀଗୁରୁ ପାଦ ସୁମରି      ନିଷ୍କାମ ଭକତି ଧରି

କହେ ଭୀମ ଅରକ୍ଷିତ ପାମର ମୂଢ଼।।୬।।

 

(୮୭)

ଅନାଦି ଅଲେଖ ବ୍ରହ୍ମ, ତୁମ୍ଭେ ରଖ ତୁମ୍ଭ ଧର୍ମ

ନିର୍ଗୁଣ ପଥ ଦେଇଛ ବତାଇ ନିର୍ବେଦ କର୍ମ

।। ପଦ ।।

ପ୍ରାତେ କରିଲି ସ୍ନାହାନ      ଉଦେ ଅସ୍ତେ ଦରଶନ

ରାତ୍ରରେ ନାହିଁ ଭୋଜନ

ମୁଖେଭଜୁଅଛି ନାମ ।।୧।।

ଗୁରୁ ଧର୍ମ ଆଶ୍ରେ କଲି      ବାହ୍ୟ କର୍ମ ବିନାଶିଲି

ଜଗତେ ନିନ୍ଦା ପାଇଲି

ହୃଦେ ବହିଲି ନିଷ୍କାମ ।।୨।।

ଅବଧୂତ ଦୀକ୍ଷା ଦେଲ      ମହିମା ଭଜ ବୋଇଲ

ଏବେ ଅନ୍ତର ହୋଇଲ

ମନରେ ମୁଁ ହେଲି ଭ୍ରମ ।।୩।।

ପଡ଼ିଲି ମାୟା ସଂସାରେ      ହିଂସା ବାଦ ଅହଙ୍କାରେ

ଛପନ କୋଟି ଜୀବରେ

ଚାହିଁ ନ ମଣିଲି ସମ ।।୪।।

ମୁହିଁ ସଦା ଅପରାଧି      ହରାଇଲି ଜ୍ଞାନ ବୁଦ୍ଧି

ପ୍ରଭୁ କରୁଣା ବାରିଧି ଦୋଷ

ମୋ କରିବ କ୍ଷମ ।।୫।।

ତନୁ ମନ ପ୍ରାଣ ଦେଇ      ଶ୍ରୀଗୁରୁ ଚରଣେ ଧ୍ୟାୟି

ଭଣେ ଭୀମହୀନ ଭୋଇ

ଅଜ୍ଞାନ ମୂର୍ଖ ଅଧମ ।।୬।।

 

(୮୮)

ଅରୂପ ଅନାଦି ମୂଳ, ଏ ପିଣ୍ଡ ପ୍ରାଣ ସମ୍ଭାଳ ।

ପତିତକୁ ଦୟା କର ଦେଖି ଏ ମୋର ବିକଳ

।। ପଦ ।।

ରାଜଲୋକ ବ୍ରହ୍ମଲୋକ      ନରଲୋକ ଦେବଲୋକ

ବୃଦ୍ଧା ଯୁବାଙ୍ଗ ବାଳକ

ବେଢିଅଛନ୍ତି ସକଳ ।।୧।।

ମିଳି ଯୁବତୀ ପୁରୁଷ      ହୃଦେ ବହି ବଡ଼ ରୋଷ

ମୁଖେ କରି ଉପହାସ୍ୟ

କରେ ମାରି କରତାଳ ।।୨।।

କେ ମାରି କହେ ଚାତୁରୀ      ଯେସନେ ଶତ୍ରୁ ବଇରୀ

ଜଗାଇ ଚଉ ପାହାରି

ଉଠୁଅଛି କୋଳାହଳ ।।୩।।

ବନ୍ଧନ କରାଇ ଗାଢେ      ପକାଇ ଅଛନ୍ତି ବେଢେ

ଛାଡ଼ି ନ ଦେଇ ନିବିଡ଼େ

ଦଶ ପାଞ୍ଚ ହୋଇ ମେଳ ।।୪।।

ମହିମା ଦେଖାଅ ବୋଲି      ଲାଗିଛନ୍ତି ତକରାଳି

ଦେଉଛନ୍ତି ଦ୍ୱନ୍ଦ ଗାଳି

ଦିଅତୁ ପରୀକ୍ଷା ଫଳ ।।୫।।

ଶ୍ରୀଗୁରୁ ଚରଣ ଧ୍ୟାୟି      ଭଣେ ଭୀମ ହୀନଭୋଇ

କଷଣ ନୁହଇ ସହି

ଲାଗିଅଛି ଖଳବଳ ।।୬।।

 

(୮୯)

ମହିମା ପରୀକ୍ଷା ହେଉ, କଳିଯୁଗ କ୍ଷୟ ଯାଉ ।

ନବଖଣ୍ଡ ମେଦିନୀରେ ଶ୍ରୀଗୁରୁ ବଚନ ରହୁ

।। ପଦ ।।

ଜାଣନ୍ତୁ ତିନି ଭୁବନ      ମାନନ୍ତୁ ସକଳ ଜନ

ଚିହ୍ନନ୍ତୁ ଚାହିଁ ନୟନ

ଦୟା କର ମହାବାହୁ ।।୧।।

ପ୍ରକାଶ ବ୍ରହ୍ମ ସ୍ୱରୂପ      ଅରୂପରୁ ହୋଇ ରୂପ

ଅଦ୍ଭୁତେ ଶରୀର ବ୍ୟାପ

ଯେବେ ଭକ୍ତ ବାନା ବହୁ ।।୨।।

ଅଙ୍ଗେ ପଡ଼ୁଛି କଷଣ      ନିନ୍ଦା ଶୁଭୁଛି ଘୋଷଣ

ଶରୀରେ ନାହିଁ ମୋ ଜ୍ଞାନ

ହୃଦ ଆରତ କେ କହୁଁ ।।୩।।

କ୍ଷଣକେ ସୁଶାନ୍ତି ମନ      କ୍ଷଣକେ କରି ରୋଦନ

ଟେକି ନୁହଇ ବଦନ

ଗୁରୁଦେବ ଥାଉଁ ଥାଉଁ ।।୪।।

ପ୍ରତିଦିନ ହଟପଟ      ଲାଗିଅଛି ନଟକୂଟ

ପିଣ୍ଡ ପ୍ରାଣ ଛଟପଟ ଶରୀର

ବୋହି କେ ସହୁ ।।୫।।

ଶ୍ରୀଗୁରୁ ଚରଣାବିନ୍ଦ      ପାନ କରି ମକରନ୍ଦ

ଭଣେ ଭୀମଭୋଇ କନ୍ଧ

ଚିର ଦୁଃଖ କ୍ଷୟ ଯାଉ ।।୬।।

 

(୯୦)

ଶ୍ରୀଗୁରୁ ଦେବ ସ୍ୱାମୀ କର ବିବେକ

ଏ କଳି ଯୁଗେ ପିଣ୍ଡ ପ୍ରାଣ ରଖ ।। ପଦ ।।

ଅଶେଷ ବ୍ରହ୍ମାଣ୍ଡ ପରେ ମାଲିକ

ଛପନ କୋଟି ଜୀବର ପାଳକ

ଯାର ବଚନ ସିଦ୍ଧ ବ୍ରହ୍ମବାକ୍ୟ

ଧର୍ମ ଧାରଣେ ଏ ତିନି ତ୍ରୈଲୋକ୍ୟ ।।୧।।

ଧର୍ମ ନ ବିଚାରି ସର୍ବ ମୁରୁଖ

ସୁର ଅସୁର ଦେଉଛନ୍ତି ଦୁଃଖ ।

ଆଗେ ପଛେ ମୋ କେହି ନାହିଁ ରକ୍ଷ

ରାଜ ଦାଣ୍ଡେ ମୋର ଅବସ୍ଥା ଦେଖ ।।୨।।

କେତେ ଠିଆ ହେବି ନାହିଁ ମୋ ସାକ୍ଷ୍ୟ

ଡାକୁଅଛି ଆକାଶେ ଟେକି ମୁଖ ।

ଶୁଣ ଅନ୍ତର୍ଯ୍ୟାମୀ ଶୂନ୍ୟ ସ୍ୱରୂପ

ଅଟ ପରା ଭକ୍ତଜନଙ୍କ ବାପ ।।୩।।

ଜନମ ଦିନୁ ଅଜ୍ଞାନ ମୁରୁଖ

ବୋଧ ନୁହଇ ଅବୋଧ ବାଳକ ।

ସଢି ଯାଉଛି ପଡ଼ି ଜୀର୍ଣ୍ଣ କୂପ

ଅଟ ମୋର ପ୍ରାଣବନ୍ଧୁ ନାୟକ ।।୪।।

ଯୋଗ ଧ୍ୟାନେ ବସି ନ କରି ତପ

ଅର୍ଜିଅଛି ମୁହିଁ ଅନେକ ପାପ ।

ସାକ୍ଷାତେ ପ୍ରଭୁ ଦେଖିଅଛ ଆପ

ଶ୍ରୀଛାମୁରେ କି କହିବି ଅଧିକ ।।୫।।

ଗୁରୁ ପୟରେ କଣ୍ଟକ କଳଙ୍କ

ସେବା ଭକ୍ତିରେ ବୁଦ୍ଧି ଅପାଣ୍ଡୁକ

ଜୀବନ୍ତରେ ଭୁଞ୍ଜୁଅଛି ନରକ

ଭଣେ ଭୀମ ଭୋଇ କରିବ ମୋକ୍ଷ ।।୬।।

 

(୯୧)

ସକଳ ଭୂତେ ବିଜୟେ କରି

ଜୀବେ ଅଜୀବେ ରହିଅଛ ପୂରି ।। ପଦ ।।

ଅନନ୍ତ ଶକ୍ତି ନୋହେ ଅନ୍ତ କରି

ମାଈ ଅଣ୍ଡିରା ବୋଲି ନୁହେ ବାରି

ପାଦ ପକାଇ ନୋହେ ବସୁନ୍ଧରୀ

କିମ୍ପା ନ ଶୁଣୁଛ ମୋର ଗୁହାରି ।।୧।।

ରୂପରେଖ ବର୍ଣ୍ଣ ନାହିଁ ଯାହାରି

ମନ ନ ପଶେ ଅମନ ବିହାରୀ

ଅକ୍ଷର ନ ବସେ ଅଣ ଅକ୍ଷରୀ

ଧରିବ ବୋଇଲେ ନୁହଇ ଧରି ।।୨।।

ଅଶେଷ ବ୍ରହ୍ମାଣ୍ଡେ ତେଜ ତୁମ୍ଭରି

ଲାଗିଅଛି ସୂର୍ଯ୍ୟ କିରଣ ପରି

ପିଣ୍ଡ ବ୍ରହ୍ମାଣ୍ଡରେ ଅଛ ଆବୋରି

ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ଅଧିକାରୀ ।।୩।।

ଦୁଷ୍ଟ ସନ୍ଥ ହୃଦେ ବିଜୟେ କରି

ପତିତ ଚାଣ୍ଡାଳରେ ସମସରି

ବିକାର ନ ଥାଇ ଅଣ ବିକାର

ଆତ୍ମାରୂପେ ସର୍ବ ଘଟେ ବିଜେ କରି ।।୪।।

ଅଶେଷ ଭୟ କଳ୍ମଷ ନିବାରି

ଏ ଘୋର ବିପଦରୁ କର ପାରି

ଅନ୍ତର୍ଗତେ ଯାହା ଅଛି ବିଚାରି

ଏତିକି ବୁଝିଲେ ଯିବି ଉଦ୍ଧରି ।।୫।।

ପିଣ୍ଡ ବ୍ରହ୍ମାଣ୍ଡକୁ ହେଲାଣି ଭାରି

କଳିକାଳକୁ ପକାଅ ସଂହାରି

କରୁଣାସିନ୍ଧୁ ଭକ୍ତ ହିତକାରୀ

ଭଣେ ଭୀମ ଗୁରୁ ପାଦ ସୁମରି ।।୬।।

 

(୯୨)

ମୋହର କିଛି ନାହିଁ ଆୟତ୍ତ

ଯାହା କରିବ ଗୁରୁ ଆଶ୍ରିତ ।। ପଦ ।।

କଳିଯୁଗେ ସଦଗୁରୁ ସମର୍ଥ

ଚରଣାର ବିନ୍ଦେ ନୁହଇ ଭକ୍ତ

ସକ୍ଷ୍ୟ ନାହିଁ ମୋର ହେବାକୁ ଭୃତ୍ୟ

ଯାହା ବୁଝିବେ ଅଲେଖ ଅବ୍‌ଧୂତ ।।୧।।

କରିଅଛି ଦୈତ୍ୟ ଦାନବ ମତ

ପାପ ପ୍ରକୃତିରେ ବୁଡ଼ିଛି ଚିତ୍ତ

ଗୃହରେ ପଡ଼ି ଦ୍ରୋହକାରୀ ମୁଁ ତ

ଉଦ୍ଧାରିବାକୁ ପ୍ରଭୁ ବଳବନ୍ତ ।।୨।।

ଧ୍ୟାନ ନ ଦେଇ ଗୁରୁପାଦ ଗତ

ନିଦ୍ରା ମଇଥୁନ ଆହାରେ ରତ

ଦୁନିଆ ସଂସାର ଭାବେ ବଞ୍ଚିତ

ଗୁରୁ ଧର୍ମ କର୍ମେ ନାହିଁ ମୋ ତତ୍ତ୍ୱ ।।୩।।

ଦୁର୍ଲ୍ଲଭ ଜନମ ଗଲା ବିଅର୍ଥ

ଧିକ ହେଉ ମୋ ପ୍ରାଣ ପଞ୍ଚଭୂତ

ଏ ଘାନ୍ତି ମରଣ ହେଲା ନିୟତ

ଗୁରୁ ଧର୍ମେ ନିନ୍ଦା ହେଲା ବହୁତ ।।୪।।

କାହିଁ ପଳାଇବି ନ ଦିଶେ ପଥ

ଯେହ୍ନେ ବୃଷଭ ବନ୍ଦି ଦୃଢ ବ୍ରତ

ମହାଜାଲେ ପଡ଼ି ମୀନ ଯେମନ୍ତ

ତେସନେ ମୁଁ ହେଉଅଛି ଆରତ ।।୫।।

ଅନ୍ତର୍ଯ୍ୟାମୀ ଗୁରୁ ବିଜେ ଜଗତ

ନର ତନୁରେ ହୋଇଛ ଉଦିତ

ଗୁରୁ ଧର୍ମ ରବି ତଳରେ ଖ୍ୟାତ

ଧ୍ୟାୟି ଭଣିଲେ ଭୀମ ଅରକ୍ଷିତ ।।୬।।

 

(୯୩)

ଗୁରୁଦେବ ସ୍ୱାମୀ ବିଜେ କଳିକାଳେ ଯେ ।

ଶରଣ ପଶ ସକଳେ ଏତେବେଳେ ହେ ।। ପଦ ।।

ସମର୍ପି ପିଣ୍ଡ ପରାଣ      ଲଭ ପରିତ୍ରାଣ ଦାନ

ପ୍ରବୁଦ୍ଧ ସ୍ୱରୂପ ଦେଖ ଏବେ

ବେନି ଡୋଳେ ହେ ।।୧।।

ବ୍ରହ୍ମା ରୁଦ୍ର ପୁରନ୍ଦର      ଅଷ୍ଟକୁଳା ନାଗନର

ତେତିଶ କୋଟି ଦେବତା

ଦିଗପାଳେ ହେ ।।୨।।

ବ୍ରହ୍ମ କ୍ଷତ୍ରି ଏହି କ୍ଷିତି      ବୈଶ୍ୟ ଶୂଦ୍ର ଚାରି ଜାତି

ଯେହୁ ଅଛ ଯତି ସତୀ

ବୃଦ୍ଧ ବାଳେ ହେ ।।୩।।

ସ୍ଥାବର ଜଙ୍ଗମ ଯେତେ      କୀଟ ପତଙ୍ଗ ସହିତେ

ଦେହ ଧରି ଯେହୁଅଛ

ରବିତଳେ ହେ ।।୪।।

ଏ ନବ ଖଣ୍ଡ ମେଦିନୀ      ଶୁଣ ଗୁରୁ ନାମ ଧ୍ୱନି

ଉଡ଼ା ବୁଡ଼ା ଯେହୁ ଅଛ

ଜଳେ ସ୍ଥଳେ ହେ ।।୫।।

ଅନାଦି ବ୍ରହ୍ମ ପୁରୁଷ      ପାପ କରିବେ ବିନାଶ

ଭଣେ ଭୀମ ଭୋଇ ଭକ୍ତ ଗୁରୁ

ପାଦତଳେ ହେ ।।୬।।

 

(୯୪)

କ୍ଷୀର ସିନ୍ଧୁ ବାସୀ ଏବେ ମର୍ତ୍ତ୍ୟେ ଆସି ହେ

ସର୍ବେ ନାଶ ଯାନ୍ତି ଯେହୁ ଅବିନାଶି ହେ ।। ପଦ ।।

ସେ ଯେଉଁ ଅଲେଖ ବ୍ରହ୍ମ      ନ ଲାଗଇ କ୍ରିୟା କର୍ମ

ନିଷ୍କାମ ସତ୍ୟ ନିର୍ଗୁଣ ପରକାଶ ହେ ।।୧।।

ସର୍ବ ଜୀବର କରତା      ଠାକୁର ପଣେ ଶକତା

ନିରାକାର ରୂପି ସେ ଯେ ବ୍ରହ୍ମରାଶି ହେ ।।୨।।

ସାକ୍ଷ ସ୍ୱରୂପ ପୁରୁଷ      ନ ବୋଲନ୍ତି କାକୁ ଆସ

ହୋଇ ପାରିଲେ ଚରଣେ ଦାସ ଦାସୀ ହେ ।।୩।।

ପାପ ଭାରା ହେଲା ମହୀ      ଅନ୍ତର୍ଯ୍ୟାମୀ ଭାବଗ୍ରାହୀ

ଆକାଶ ମଣ୍ଡଳୁ ଗୁରୁ ଧୀରେ ଖସି ହେ ।।୪।।

କରି ପାରିଲେ ଭଗତି      ତୁଟି ଯିବ ଭୟ ଭ୍ରାନ୍ତି

ଚାହୁଁ ଚାହୁଁ ଛିଡ଼ିଯିବ କାଳଫାଶି ହେ ।।୫।।

ଗୁରୁ ବିନୁ ପିଣ୍ଡ ପ୍ରାଣ      ଅନ୍ୟରେ ନୋହେ କାରଣ

ଭଣେ ଭୀମ ଅରକ୍ଷିତ ଦିବା ନିଶି ହେ ।।୬।।

 

(୯୫)

ଧର ଦୃଢ ବନ୍ଧେ ଚାହିଁ ପାଦ ବିନ୍ଦେ ହେ

ନୁହନ୍ତି ସେ ଖୋଲ ପୋଲ ପୂର୍ଣ୍ଣାନନ୍ଦ ହେ ।। ପଦ ।।

ଗୁରୁ ମହିମା ସାଗର      ବଢାଇଛନ୍ତି ପୟର

ଝରୁଅଛି ପାନ କର ମକରନ୍ଦ ହେ ।।୧।।

ଯେହୁ ଅଛ ଋଷି ମୁନି      ଜପି ତପି ଯୋଗ ଧ୍ୟାନି

ଗୁରୁ ପାଦ ଆଶ୍ରେ କରି ହୁଅ ସିଦ୍ଧ ହେ ।।୨।।

ଧର ନିର୍ବେଦ କର୍ମରେ      ମଜ୍ଜିତ ହୁଅ ନାମରେ

ତେବେ ସେପାଇବ ମନେ ପ୍ରତିବୋଧ ହେ ।।୩।।

ସତ୍ୟ ଧର୍ମ ସଙ୍ଗେ ଘେନି      ଆସି ବିଜୟେ ମେଦିନୀ

ସକାମୀ ଗୁରୁ ନୁହନ୍ତି ଅଣନାଦ ହେ ।।୪।।

ଅଜପାକୁ କର ଜପ      ପୋଡ଼ିଯିବ ସର୍ବ ପାପ

ଦୟା ହେଲେ କଟିଯିବ ପରମାଦ ହେ ।।୫।।

ନାମ ନିରନ୍ତରେ ଭଜ      ଚିନ୍ତା ଅର୍ଥ ଦୂରେ ତେଜ

ଗୁରୁପାଦ ଧ୍ୟାୟି ଭଣେ ଭୀମ କନ୍ଧ ହେ ।।୬।।

 

(୯୬)

ତରିଯିବ ଯେବେ ଗୁରୁ ସେବା କର ହେ ।

ହୃଦଗତେ ଦୃଢ ଚିତ୍ତେ ଅନୁସର ହେ ।। ପଦ ।।

ଧର ଏକାଙ୍ଗ ପୟର      ଚିନ୍ତା ଅର୍ଥ କର ଦୂର

କବିତ୍ୱ ପଣ୍ଡିତ ସୁଜ୍ଞ ସାଧୁ ନର ହେ ।।୧।।

ଡାକି କହୁଛି ବୁଝାଇ      ଠକ ଭଣ୍ଡ କଥା ନାହିଁ

ପିଣ୍ଡ ବ୍ରହ୍ମାଣ୍ଡେ ହେଲାଣି ପାପ ଭାର ହେ ।।୨।।

ତିନିପୁରେ ଅଣନୀତି      ହେଲାଣି ସବୁରି ଜାତି

କାଳ ପୁରୁଷ ହୋଇଛି ବୀର ବର ହେ ।।୩।।

ରହିବ ଯେବେ ମହତ୍ତ୍ୱ      ଗୁରୁ ବାକ୍ୟ ମଣ ହିତ

ଏ ଭବ ସାଗରୁ ନିଶ୍ଚେ ହେବ ପାର ହେ ।।୪।।

ସଦଗୁରୁ ଧର୍ମ ଏହି      କାହାକୁ ମନା ନୁହଇ

ଆଗପଛ ହାନି ଲାଭ ନ ବିଚାର ହେ ।।୫।।

ଶ୍ରୀଗୁରୁ ଚରଣ ଧ୍ୟାୟି      ଶିରେ ବେନି କର ଦେଇ

ଭଣେ ଭୀମ ଅରକ୍ଷିତ ତ୍ରାହି କର ହେ ।।୬।।

 

(୯୭)

ହେ ମହିମା ସାଗର, ଗୁରୁବିନା ଗତି ନାହିଁ ନା ଆର ।। ପଦ।।

ସର୍ବଭୂତେ ପୂରିଅଛ ବିଜେ କରି, ମୋ ଜୀବନର ଠାକୁର ।

ଅକାଳ ବିପତ୍ତି ଫେଡ଼ ମୋ ଦୁର୍ଗତି

ବାରେ ମାତ୍ର ଦୟା କର ।।୧।।

ଦିବସ ରଜନୀ ହୃଦପଦ୍ମେ ଗୁଣି ଧ୍ୟାୟି ଅଛି ନିରନ୍ତର ।

ଦୁଃଖ ଚିନ୍ତା ଘୋରେ ବୁଡ଼ିସନ୍ତାପରେ

ଆୟତ୍ତ ନାହିଁ ମୋହର ।।୨।।

ଗଳେ ବାସ ବାନ୍ଧି ବେନି କର ଛନ୍ଦି ତିରଣ ଧରି ଦାନ୍ତର ।

ଜ୍ଞାନ ଖଡ୍‌ଗ ଘେନି ଅନ୍ତର

ଜାମେନି ନିବାର ଏ ଭାରା ଭାର ।।୩।।

ନୋହିଲେ କରୁଣା ଭାସିଲି ମୁଁ ସିନା ଭବାର୍ଣ୍ଣବ ସୋହତିର ।

ହେ ଜଗତନାଥ ଜାଣି ମୋ ଆରତ

ବିଚାରି ଉଦ୍ଧରି ଧର ।।୪।।

ଜଗତ କାରଣ ପତିତ ତାରଣ ହେଲ ପ୍ରବୁଦ୍ଧାବତାର ।

ଅନନ୍ତ ପୁରୁଷ ଦେଖି ମୋ ଭବିଷ୍ୟ

କଟାକ୍ଷେ କରୁଣା କର ।।୫।।

ଶୂନ୍ୟ ବ୍ରହ୍ମ ଧୂନି ସ୍ଥାପିଲ ମେଦିନୀ ଜ୍ଞାନ କରିଛ ବିସ୍ତାର ।

ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ

ଭକ୍ତ ଦୁଃଖ ହର ହର ।।୬।।

 

(୯୮)

ହେ ଗଳାର ଜୀବନ, ନ ବୁଝିବ ଯେବେ ଆରତ ତ୍ରାଣ

।। ପଦ ।।

ଘୋର କଳି କାଳେ ଅବନୀ ମଣ୍ଡଳେ ଯଶ ରଖ ଗୁରୁ ବ୍ରହ୍ମ

ଶୁଣ ମୋ ଗୁହାରି ବିଳମ୍ବ ନ କରି

ବିଜୟେ କର ବହନ ।।୧।।

ଚଉଦ ବ୍ରହ୍ମାଣ୍ଡେ ପୃଥ୍ୱୀ ନବଖଣ୍ଡେ ଯାହାର ମହିମା ଧନ୍ୟ ।

ଏ ବିପତ୍ତି ଛାର ପ୍ରଭୁ ବିଶ୍ୱପତି

ଚାହିଁଲେ ହେବ ଖଣ୍ଡନ ।।୨।।

ଅନାଦି ଈଶ୍ୱର ବେଗେ ତ୍ରାହିକର ବହି ଯାଉଅଛି ଦିନ ।

ପ୍ରଭୁଙ୍କୁ ଭରସା କରିଛି ମୁଁ

ଆଶା ଅଟଇ ନିରେଖ ଜନ ।।୩।।

ଶ୍ରୀଗୁରୁ ନାମରେ କାକୁସ୍ତ ଭାବରେ ସମର୍ପି ମୁଁ ପିଣ୍ଡ ପ୍ରାଣ ।

ଏକ ପାଦ ବିନ୍ଦେ ଧ୍ୟାୟି ଦୃଢ

ବନ୍ଧେ ମାଗୁଅଛି ମୁଁ ଶରଣ ।।୪।।

ଦୁଃଖୀ ଜନ ବନ୍ଧୁ ନାମ କୃପାସିନ୍ଧୁ ଦରିଦ୍ର ଲୋକର ଧନ ।

ଅଲେଖ ପୁରୁଷ ଭାରାକର ଶେଷ

ମୋ ବିନତି ପ୍ରଭୁ ଘେନ ।।୫।।

ଅନ୍ତର୍ଗତ କଥା ଜାଣିବ କରତା ଯାହା ମୋ ପାଞ୍ଚନା ମନ ।

ଶ୍ରୀଗୁରୁ ପୟରେ ଚିତ୍ତ

ନିରନ୍ତରେ ଦେଇ ଭଣେ ଭୀମ ହୀନ ।।୬।।

 

(୯୯)

ହେ ଅନାଦି ଅଲେଖ, ତୁମ୍ଭ ବାନା ତୁମ୍ଭେ ସମ୍ଭାଳି ରଖ

।। ପଦ ।।

ମୂର୍ତ୍ତିବନ୍ତ କାଳ ଗ୍ରାସୁଛି ସକଳ ହୋଇଛି ସହସ୍ର ମୁଖ ।

ଘରେ ଘରେ ବାସ ପୁରେ ପୁରେ

ବାସ ଲାଗିଛି ତାହାରି ଧାପ ।।୧।।

ନବଖଣ୍ଡ କ୍ଷିତି ହୋଇ ଚକ୍ରବର୍ତ୍ତୀ, ବ୍ୟାପିଛି ବ୍ରହ୍ମାଣ୍ଡଯାକ ।

ସବୁ କରି ନାଶ ଧରିତ୍ରୀ ଆକାଶ

ପୂରିଛି ପାପ କଳଙ୍କ ।।୨।।

ପଡ଼ି ତାର ଭାଗେ ସର୍ବେ ମତଗର୍ବେ ହୋଇ ଅଜ୍ଞାନ ମୁରୁଖ ।

ସତ୍ୟ ଧର୍ମ ଛାଡ଼ି ମାୟା ମୋହେ

ପଡ଼ି କାହାରି ନାହିଁ ବିବେକ ।।୩।।

ଛପନା କୋଟରେ ପଶି ହୃଦୟରେ ଦିଆଉଛି ନିନ୍ଦା ବାକ୍ୟ ।

ପ୍ରାଣୀ ଅଙ୍ଗେ ବସି କରାଉଛ ଦୋଷୀ

ଲଗାଉଛ କଉତୁକ ।।୪।।

ସତ୍ୟ ଧର୍ମ ଲଘିଂ ବେଦ ଶାସ୍ତ୍ର ଫିଙ୍ଗି କବିତ ପଣ୍ଡିତ ଲୋକ ।

ଋଷି ମୁନିଗଣ ହେଲେଣି ଅଜ୍ଞାନ

କି କହିବି ମୁଁ ଅଧିକ ।।୫।।

ଅଜ୍ଞାନରେ ପଡ଼ି ପାପ ପଙ୍କେ ବୁଡ଼ି ନାହିଁ ନା ମୋହରି ସକ୍ଷ ।

ଭଣେ ଭୀମ ହୀନ ପାମର ଅଜ୍ଞାନ

ଅବସ୍ଥା ମୋହର ଦେଖ ।।୬।।

 

(୧୦୦)

ହେ କଳଙ୍କ ବିନାଶ, ଯୁଗାବଦ୍ଧ ତୁଟି ହେଲାଣି ଶେଷ

।। ପଦ ।।

ମାଗୁଛି ଏତିକି ପରାଣ ପତିକି ପାପ ଭାରାକୁ ବିନାଶ ।

ପାଉଅଛି ଦୁଃଖ କ୍ଷମା କରି

ରଖ ସ୍ୱାମୀ କରତା ପୁରୁଷ ।।୧।।

ତ୍ରିପୁର ଜଗତେ ନିନ୍ଦାର ନିମନ୍ତେ କାହିଁ ନ ମିଳୁଛି ବାସ ।

ଅବନା ବିହାରୀ ଦୟାରେ

ବିଚାରି ସ୍ଥିତି ଖଣ୍ଡେ ଦେଇ ଆସ ।।୨।।

ଜାଜ୍ୱଲ୍ୟ ମୂରତି ତେଜୋମୟ କାନ୍ତି ଦେଖନ୍ତୁ ନର ମନୁଷ୍ୟ ।

ଚାହିଁ ନେତ୍ରପଥେ ପାଇବେ

ପରତେ ତେବେ ହୋଇବ ସନ୍ତୋଷ ।।୩।।

ମହିମା ଅଲେଖ ନାମ ଶୁଣି ଲୋକ ମଣିଲେ ଗରଳ ବିଷ ।

ଏତେବେଳେ ମୋତେ ପକାଇ

ଆୟତେ କରିଛନ୍ତି ବଡ଼ରୋଷ ।।୪।।

ଘନ ହୃଦେ ପଶ ଧର୍ମ ରୂପେ ବାସ କରାଅ ଭାବରେ ବଶ୍ୟ ।

ପାପ କ୍ଷୟ ଯାଉ ପୁଣ୍ୟ ଉଦେ

ହେଉ ଦିଅ ଜ୍ଞାନ ଉପଦେଶ ।।୫।।

ଚାରିଯୁଗେ ପ୍ରଭୁ ବୁଝୁଅଛ ସବୁ ଅଟ ଭକତ ବିଶ୍ୱାସ ।

ଭଣେ ଭୀମକନ୍ଧ ଗୁରୁପାଦ

ବିନ୍ଦ କ୍ଷମାକର ମୋର ଦୋଷ ।।୬।।

 

(୧୦୧)

ଅନନ୍ତ ନାମ ନୋହେ ଅନ୍ତକରି ହେ ।। ପଦ ।।

ଅଲେଖ ବ୍ରହ୍ମ ଠାକୁର,      ରୂପ ରେଖ ନାହିଁ ତାର

ଆତ୍ମା ସ୍ୱରୂପେ ହେବାର ସର୍ବ

ଭୂତେ ପୂରି ହେ ।।୧।।

ପଚିଶ ପ୍ରକୃତି ଯେହି,      ଅଙ୍ଗରେ ପୂରିଛି ରହି

ଭିତର ବାହାରେ ଥାଇ

ବିକାରକୁ ଧରି ହେ ।।୨।।

କହନ୍ତା ବହନ୍ତା ରୂପେ,      ଦେଖୁଛ ଶୁଣୁଛ ଆପେ

ଘୋଟିଛି କାୟା କଳ୍ପିତ

ରୋମ ଚର୍ମ ପରି ହେ ।।୩।।

କ୍ଷୁଧା ତୃଷାରେ ପ୍ରକାଶ,      ଜିହ୍ୱା ଇନ୍ଦ୍ରି ମୂଳେ ବାସ

ପାଇ ସୁଖ ସ୍ୱାଦୁ ରସ

ରହିଛି ଆବୋରି ହେ ।।୪।।

ସ୍ଥାବରୁ ଜଙ୍ଗମ ଯାଏ,      କୀଟ ପତଙ୍ଗ ପରାୟେ

ଆପ କରମର ଫଳ

ରୂପରେ ସଞ୍ଚରି ହେ ।।୫।।

ଗୁରୁ ଅଲେଖ ଅବଧୂତ      ଦୀକ୍ଷା ରବିତଳେ ଖ୍ୟାତ

ଭଣେ ଭୀମ ଅରକ୍ଷିତ

ଥାଅ ଅନୁସରି ହେ ।।୬।।

 

(୧୦୨)

ଭକତ ହିତେ ବିଜୟେ କରତା ହେ ।। ପଦ ।।

କଳିକାଳ ଯୁଗ ଜାଣି      ସତ୍ୟ ଧର୍ମ ସଙ୍ଗେ ଘେନି

ଆସି ଅଛନ୍ତି ମେଦିନୀ

ଦଇବ ବିଧାତା ହେ ।।୧।।

ସଦଗୁରୁ ମନ୍ତ୍ର ଶିକ୍ଷା,      ଅବଧୂତ ଧର୍ମ ଦୀକ୍ଷା

ତିନିପୁରେ ନାହିଁ ଦେଖା

ଅଟନ୍ତି ଶକତା ହେ ।।୨।।

ଚରଣେ ପଶ ଶରଣ,      ଲଭ ପରିତ୍ରାଣ ଦାନ

ଗଢ଼ିଛନ୍ତି ପିଣ୍ଡ ପ୍ରାଣ ଗୁରୁ

ପିତା ମାତା ହେ ।।୩।।

ଆପଣା ଅର୍ଜିଲା ଧର୍ମ,      କରିଛନ୍ତି ସମ୍ଭାଳନ

ଛପନା କୋଟିରେ ଜାଣ

ଗତି ପତି ଦାତା ହେ ।।୪।।

ନାମ ଭଜ ରାତ୍ର ଦିନେ,      ସତ୍ୟ ସୁକୃତ ପ୍ରମାଣେ

ଜଗତ ଭଗତ ଜନେ

ଛାଡ଼ି ମନୁ ଚିନ୍ତା ହେ ।।୫।।

ଶ୍ରୀଗୁରୁ ଚରଣ ଧ୍ୟାୟି,      ଭଣେ ଭୀମ ହୀନ ଭୋଇ

ରୂପ ରେଖ ନ ଦିଶଇ

ଅଗୋଚର ପନ୍ଥା ହେ ।।୬।।

 

(୧୦୩)

ଏ ଜମ୍ବୁଦ୍ୱୀପେ ଧୂନି ପକାଇଲେ ହେ ।। ପଦ ।।

ଉଦେ ହେଲେ ପୂର୍ବ ଦିଗେ,      କପିଳାସ ଗିରି ଲାଗେ

ବସି ଯୋଗ ଧ୍ୟାନ ମାର୍ଗେ

ତପ ସିଦ୍ଧି କଲେ ହେ ।।୧।।

ଧୂନି ନାମ ଅନାହତ,      ପିଣ୍ଡ ବ୍ରହ୍ମାଣ୍ଡକୁ ହିତ

ସ୍ଥାପି ଗୁରୁ ଅନାଦିତ

ସତ୍ୟ ପୁଣ୍ୟ କଲେ ହେ ।।୨।।

ନାମଟି ଗୁରୁ ଅଲେଖ,      ଦିଅଇ ମହିମା ଡାକ

ଧୂନି ଲଗାଇଲେ ଦେଖ

ତପ ସିଦ୍ଧଜଳେ ହେ ।।୩।।

ଜଗତ ସଂସାର ଯାକେ,      ନାମ ବ୍ରହ୍ମ ଜପ ମୁଖେ

ଗୁରୁ ଆଜ୍ଞା ପାଳ ଲୋକେ

ସନ୍ଧ୍ୟା ପ୍ରାତଃକାଳେ ହେ ।।୪।।

ସେ ଅଲେଖ ଅଣାକାର,      ବୁଦ୍ଧ ରୂପେ ଅବତାର

ସୁଜ୍ଞାନୀ ମାନବ ନର ଦେଖ

ଚର୍ମ ଡୋଳେ ହେ ।।୫।।

ଲଭିବ ଗତି ମୁକତି,      ଭଜ ଜଗତ ଭଗତ

ଭଣେ ଭୀମ ଅରକ୍ଷିତ

ଗୁରୁ ପାଦତଳେ ହେ ।।୬।।

 

(୧୦୪)

ମହିମା ଭଜ ସର୍ବେ ନିରନ୍ତର ହେ ।। ପଦ ।।

ସମର୍ପି ପିଣ୍ଡ ପରାଣ,      ଦାରା ସୁତ ଚିତ୍ତ ଧନ

ଧରି ମତ ଉଦାସୀନ ନିଷ୍କାମ

ମନରେ ହେ ।।୧।।

ନ ଘେନ ଭୋଗ ପ୍ରସାଦ      ଭକ୍ଷିଲେ ହେବ ଅପ୍ରାଧ

ଛୁଇଁଲେ ଅଛି ବିରୁଦ୍ଧ ଏହି

ଧରମର ହେ ।।୨।।

ଦେବା ଦେବୀ ଅବଶେଷ,      ହସ୍ତରେ ଧଇଲେ ଶିଷ୍ୟ

ପାଇଲେ ଗୁରୁ ପୁରୁଷ ଦୋଷ

ହେବ ତା’ର ହେ ।।୩।।

ଛାଡ଼ିଲା ଉଚ୍ଚିଷ୍ଟ ମାନ      ଆଉ ଥରେ ସମର୍ପଣ

ନ କରିବ ସାଧୁଜନ ଶ୍ରୀଗୁରୁ

ଛାମୁର ହେ ।।୪।।

ଭଗତ ହସ୍ତର ଦ୍ରବ୍ୟ,      ଅମୃତ ମଣନ୍ତି ସର୍ବ

ଶ୍ରୀଗୁରୁ ଭୁଞ୍ଜନ୍ତି ଆଗ ଶୁଣିଥା

କର୍ଣ୍ଣର ହେ ।।୫।।

ଘୋର କଳିଯୁଗ ଏହି,      ପାଳି କି ପାରିବି ମୁହିଁ

ଭଣେ ଭୀମ ହୀନ ଭୋଇ ଶ୍ରୀଗୁରୁ

ପୟର ହେ ।।୬।।

 

(୧୦୫)

ନିଜ ନାମ ବୋଲାଉଛି, ମହିମା ସାଗର ନିନ୍ଦା ନ କର ।। ପଦ ।।

ଛପ୍ନାକୋଟି ଜୀବ ତହୁଁ ଜାତ,

ସର୍ବେ ଅଟନ୍ତି ତାଙ୍କ ଭଗତ

ପୂରିଛନ୍ତି ଅଶେଷ ଜଗତ

ଚାରିଖାନି ଜୀବ ବୋହି ଅଛନ୍ତି ଶରୀର ।।୧।।

ସେହି ଅଟନ୍ତି ସେ ତାତ ମାତ,

ଭକ୍ତଜନମାନଙ୍କର ହିତ

ହୋଇପାର ଯେବେ ଭଗତ

ତେବେ ସିନା ପାଇ ଗତି ମୁକତି ଉଧାର ।।୨।।

ସିନ୍ଧୁ ପ୍ରାୟେ ବ୍ରହ୍ମ ଆକୁଳିତ,

ମହା ମହିମା ଶକ୍ତି ଅଦ୍‌ଭୂତ

ଭେଦା ଭେଦ କଲେ ପାଇ ଅନ୍ତ

ମହାନିର୍ଗୁଣରେ ଶୂନ୍ୟ ମନ୍ଦିରେ ବେହାର ।।୩।।

ସେଠାବରୁ ଆସି ଅବଧୂତ,

ମହିମା ବାନା କଲେ ବିଖ୍ୟାତ

ତିନିପୁରେ ହୋଇଲେ ସଚେତ

ସତ୍ୟ ଧର୍ମ ପ୍ରଚରି ଏ ମାୟା ସଂସାର ।।୪।।

ପିଣ୍ଡ ବ୍ରହ୍ମାଣ୍ଡେ ନୋହେ ବର୍ଦ୍ଧୁତ,

ବିଚାରିଲେ କ୍ଷଣକରେ ହତ

ବାରି ନୋହେ ଆଦି ଅନାଦିତ

ଚାରିଯୁଗେ କରୁଛନ୍ତି ପ୍ରଳୟ ସଂହାର ।।୫।।

ଅନୁସରି ଗୁରୁପାଦ ବିନ୍ଦ,

ଭଣେ ଅରକ୍ଷିତ ଭୀମକନ୍ଧ

ପୂରି ରହିଛନ୍ତି ପୂର୍ଣ୍ଣାନନ୍ଦ

ରୂପ ରେଖ ବର୍ଣ୍ଣ ନ ଦିଶେ ତାଙ୍କର ।।୬।।

 

(୧୦୬)

ସାର ବ୍ରହ୍ମ ଅନାଦି ଏ ଅଲେଖ ପୁରୁଷ, ନାମ ଅଶେଷ ।। ପଦ ।।

ରୂପ ଅରୂପେ ସକଳ ଘଟେ,

ଦୃଶ୍ୟ ହୋନ୍ତି ଭଗତ ନିକଟେ

ତାରି ନିଅନ୍ତି ବିପତ୍ତି ସଙ୍କଟେ

ଅଦ୍‌ଭୂତେ ହୋଇଛନ୍ତି ଶୂନ୍ୟରୁ ପ୍ରକାଶ ।।୧।।

ଅନାମିକା ଅବ୍ୟକତ ମଣି,

କେହି ନ ପାରୁ ଅଛନ୍ତି ଜାଣି

ସେହି ଜୀବ ପରମର ଧ୍ୱନି

ଘନ ରୂପେ ଘୋଟିଛନ୍ତି ଧରଣୀ ଆକାଶ ।।୨।।

ବ୍ରହ୍ମ ଯାହାକୁ ବୋଲି ମୁଖରେ,

ବର୍ଣ୍ଣି ନୋହେ ବେଦ ବେଦାନ୍ତରେ

ଦେଖ ଯାଇ ଅବନା ମନ୍ଦିରେ

କର୍ତ୍ତା କରୁଣା ବଲ୍ଲଭ ଭଗତ ବିଶ୍ୱାସ ।।୩।।

ପ୍ରଭୁ ବିଜେ ନିଗମ ଭିତରେ,

ରହିଛନ୍ତି ତ୍ରିପୁର ବାହାରେ

ଯେହୁ ଆଦି ଅନ୍ତ କରିପାରେ

ଦୟା ବହି ଦେଉଛନ୍ତି କଲ୍ୟାଣ ଆଶିଷ ।।୪।।

ଆଶ୍ରେ କଲେ ହେବ ବ୍ରହ୍ମାଜ୍ଞାନୀ,

ତ୍ରୟ ଗୁଣକୁ ପାରିବ ଜିଣି

ସେବା ଯୋଗାଇବ ଯେବେ ମାନି,

ଚାହିଁଦେଲେ ପୋଡ଼ିଯିବ ପୂର୍ବର କଳ୍ମଷ ।।୫।।

ଝରୁଅଛି ସୁଧା ମକରନ୍ଦ,

ଭଣେ ଭୀମ ଅରକ୍ଷିତ କନ୍ଧ

ଅବନ୍ଧାକୁ ଦୃଢେ ଧରି ବାନ୍ଧ

ଭବେ ଛନ୍ତି ଯେସନେକ ଅରୁଣ ତରାସ ।।୬।।

 

(୧୦୭)

ଗୁରୁ ବୋଲି ଯାହା କହି ଜୀବର ଗୋସାଇଁ ଦୀକ୍ଷାକୁ ଦେଇ ।। ପଦ ।।

ଶୂନ୍ୟ ପବନ କ୍ଷରିଲା ବୀଜ,      ରୁଧିରୁ ଜନମିଲା ରଜ

ସୃଷ୍ଟି ରଚନାରେ କଲେ ସମ

ଦୂତି ଅଙ୍ଗେ ଏକଠାରେ ଆକାର ଭିଆଇ ।।୧।।

ପିତା ମାତାଙ୍କୁ ଯୁଗଳ କଲେ      ମାତା ଗର୍ଭେ ପିଣ୍ଡକୁ ଗଢିଲେ

ଯୋନି ଦୁଆରେ ଜନମ ଦେଲେ

କ୍ଷୀର ନୀର ଫଳ ଖଞ୍ଜା କରିଛନ୍ତି ସେହି ।।୨।।

ଆତ୍ମାରୂପେ ବିରାଜି ଘଟରେ      ବୁଦ୍ଧି ପାଞ୍ଚନା ଥାଇ ହୃଦରେ

ହେତୁ ଚେତା ବିବେକ ଜ୍ଞାନରେ

ଲଲାଟରେ ବସି ନେଉ ଅଛନ୍ତି କଢାଇ ।।୩।।

ଶ୍ରେଷ୍ଠ ମାନବ ଶରୀର କଲେ      ଦାରା ସୁତ ଚିତ୍ତ ଧନ ଦେଲେ

ଭୋଗ ଯୋଗ ଆଣି ସମର୍ପିଲେ

ବେଦ ଶାସ୍ତ୍ର ବିଦ୍ୟା ଶ୍ରୀବନ୍ତ କରାଇ ।।୪।।

ଗୁରୁ ଶିଖାଇ ଅଛନ୍ତି ସବୁ      ସେହି ଅନାଦି ତ ମହାପ୍ରଭୁ

ଆଉ ଏଥୁ କି ହାଜର ନେବୁ

ଚାରିଖାନି ଜୀବ ମଧ୍ୟେ ଗରିଷ୍ଠ ଅଟଇ ।।୫।।

ମତେ ପକାଉଛ ମାୟା ଛନ୍ଦ      ଭଣେ ଅରକ୍ଷିତ ଭୀମ କନ୍ଧ

ଧ୍ୟାୟି ଏକାଙ୍ଗ ଚରଣାବିନ୍ଦ

ଗୁରୁ ବ୍ୟତୀତ ସଂସାରେ କେହି ବଡ଼ ନାହିଁ ।।୬।।

 

(୧୦୮)

ଧର୍ମପଦ ଯେ ଅଟଇ ସତ୍ୟାଦି ବଚନ, ନୁହଇ ଆନ ।। ପଦ ।।

କାହାରି ଆଡ଼େ ନୋହେ ସେହି      ସାକ୍ଷୀରୂପେ ମଧ୍ୟସ୍ଥିରେ ଥାଇ

ଆକାଶରେ ଟମକ ଦିଆଇ

ପାପ ପୁଣ୍ୟ ଦୁଇକଥା କରିଛ ତୁଳନ ।।୧।।

ଯହିଁ ସ୍ଥାପଇ ହୁଅଇ ସତ୍ୟ      ତହିଁ ଧର୍ମ ହୁଅଇ ଉଦିତ

କର୍ମଫଳ ହୋଏ ପରାପତ

ଦିବାନିଶି କରିଅଛ ପାଞ୍ଜିରେ ଲେଖନ ।।୨।।

ଗୁପତରେ ସର୍ବଠାର ଅଛି,      ବାହ୍ୟ ଅନ୍ତର ସବୁ ଦେଖୁଛି

ଯେତେ କଥା ସଂସାରେ ହେଉଛି

ଚାରିଯୁଗେ ଏ ପୃଥ୍ୱୀରେ ହେଉଛି ଧାରଣ ।।୩।।

କେହି ନ ପାରୁଅଛନ୍ତି ଚେତି,      ସତ୍ୟ ଧର୍ମ ସିନା ଯତି ସତୀ

ସେହି ଅଟନ୍ତି ପୃଥ୍ୱୀର ପତି

ସର୍ବଭୂତେ ପୂରିଛନ୍ତି ନ ଥାଇ ବାରଣ ।।୪।।

ଏକ ପଦ ବିନ୍ଦୁ ଅନୁସର,      କଳି ଯୁଗରୁ ହୋଇବ ପାର

ମହିମାକୁ କର କଣ୍ଠେ ହାର

ଦୟା କଲେ ନ ଘୋଟିବ ଜନ୍ମାଦି ମରଣ ।।୫।।

ସେହି ଅନାଦିତ ପୂର୍ଣ୍ଣାନନ୍ଦ      ଭଣେ ଅରକ୍ଷିତ ଭୀମକନ୍ଧ

ଉଦେ ଛନ୍ତି ଯେସନକ ଚାନ୍ଦ

ଚିହ୍ନି ଆଶ୍ରେ କଲେ ତାଙ୍କୁ ଲଭିବ କାରଣ ।।୬।।

 

(୧୦୯)

ନିଗମ ଯାହାକୁ ବୋଲନ୍ତି ମୁଖରେ

ଷୋଳ ଡମ୍ବରୁରେ ଭ୍ରମି ସେ ନିଗମ ରହିଅଛି ମେରୁ ଶିଖରେ ।। ପଦ ।।

ନ ଥିଲା ମେଦିନୀ ଏ ଭୁବନ ତିନି

ନାହିଁ ଆପତେଜ ଶୂନ୍ୟରେ ।

ଚଉଦ ବ୍ରହ୍ମାଣ୍ଡ କେ ରଚନା କଲା

ହେଜ ଅନୁଭବ ହେଜାରେ ।।୧।।

ଦେବା ଦେବୀଗଣ ଶୂନ୍ୟେ

ତାରାଗଣ ନ ଥିଲେଟି ଚନ୍ଦ୍ର ସୂର୍ଯ୍ୟରେ ।

ବ୍ରହ୍ମାରୁଦ୍ର ଆଦି ସପତ ବାରାଧି

କେ ଭିଆଣ କଲା ଆଦ୍ୟରେ ।।୨।।

ପ୍ରଥମେ ସେ ବ୍ରହ୍ମ ନାହିଁ କର୍ମ ଧର୍ମ

ରହିଲେ ସେ ମହାଶୂନ୍ୟରେ ।

ଆଦିରୁ ଅନାଦି କୃଷ୍ଣଚନ୍ଦ୍ର ଆଦି

ରହିଲେ ଅଲେଖ ଆଜ୍ଞାରେ ।।୩।।

ବାମଅଙ୍ଗ ଚାହିଁ ସ୍ତିରୀଏ ଭିଆଇ

ସୃଜିଲେ ସେ ଯୋଗ ନିଦ୍ରାରେ ।

ପାଦ ମଞ୍ଚାଳନ୍ତେ ମଳି ଫୋପାଡ଼ନ୍ତେ

ଜାତ ହେଲେ ବେନି ଅସୁରେ ।।୪।।

ଯୋଗନିଦ୍ରା ବେଳେ ଆହାର

ମାଗନ୍ତେ ମେଦି କଲେ ପୃଥ୍ୱୀ ଜଳରେ ।

ଶୁଣିମା ସୁଜନ ହୋଇ ସାବଧାନ

ସୃଷ୍ଟି ହେଲା ଏତେ ପ୍ରକାରେ ।।୫।।

ତହିଁ ଚାରିଯୁଗ ଭିଆଣ ହୋଇଲା

ଦେବାସୁର ଆଦି ସିଦ୍ଧରେ

ସ୍ଥାବର ଜଙ୍ଗମ କୀଯ ପତଙ୍ଗାଦି

ଏକ୍ୱୈଶ ବ୍ରହ୍ମାଣ୍ଡ ମଧ୍ୟରେ ।।୬।।

ଏକାକ୍ଷରକୁ ସେ ଚାରିକ୍ଷର କରି

ଚତୁର୍ବେଦ ସ୍ଥାପି ମହୀରେ ।

ଭୀମ ଅରକ୍ଷିତ ପଦ ବଖାଣଇ

ଅଲେଖ ବ୍ରହ୍ମର କୃପାରେ ।।୭।।

 

(୧୧୦)

ତେବେ ସେ ସଦ୍‌ଗୁରୁଙ୍କୁ ତୁ ପାଇବୁ ।

ସୁତ ଚିତ୍ତ ଛାଡ଼ି ସର୍ବକର୍ମ ଏଡ଼ି ନିଷ୍ଠାଭକ୍ତି ଯେବେ କରିବୁ

।। ପଦ ।।

ଇଷ୍ଟବନ୍ଧୁ ଯେତେ ଏମାନ ସମସ୍ତେ ଜଳଧି ତରଙ୍ଗ ଏ ସବୁ

ଦାରାସୁତ ଚିତ୍ତ କାରଣ ଅନର୍ଥ

ବିଷୟା ସଙ୍ଗତେ ବୁଝିବୁ ।।୧।।

ନ କର ଆସରା ଏ ମିଛ ପସରା ସଙ୍ଗତେ ଘେନାଇ କି ନେବୁ ।

ଏ ଧନ ସମ୍ପଦ ହିଂସା ଅପବାଦ

ହୃଦୟ ପଦ୍ମେ ନ ଧରିବୁ ।।୨।।

ଆଚାର ବିଚାର ଏ ସବୁ ବିକାର ଦୁଷ୍ଟ ସଙ୍ଗେ ସଙ୍ଗ ନୋହିବୁ ।

ଲୋଭ ମୋହ କାମ କ୍ରୋଧକୁ

ନିବାରି ନିଶ୍ଚଳରେ ମନ ରଖିବୁ ।।୩।।

ଜ୍ଞାନ ଘର କଥା ଅଶ୍ରୁତା ଅବକ୍ତା ବିନା ଭକ୍ତିରେ କି ଲଭିବୁ ।

ବାଜୁଅଛି ବାଦ୍ୟ ପଞ୍ଚସ୍ୱର ଶବ୍ଦ

ଗୁରୁ ସେବା କଲେ ଭେଦିବୁ ।।୪।।

ପଢି ଚାରିବେଦ ପାଇ ଭକ୍ତିସ୍ୱାଦ ଭାଲେ ସୁଖେ ପାନ କରିବୁ ।

ତୋ ହୃଦ ପଦ୍ମରୁ ଜ୍ଞାନ ଜାତ

ହେଲେ ତେବେ ସିନା ତୁହି ତରିବୁ ।।୫।।

ଘଟେ ଘଟେ ଅଛି ଅଲେଖ ବ୍ରହ୍ମଟି କୀଟାଦି ପତଙ୍ଗରେ ସବୁ ।

ତୁ ଯେବେ ଅପ୍ରତେ କରୁଅଛୁ

ଚିତ୍ତେ ଜ୍ଞାନୀଜନଙ୍କୁ ପଚାରିବୁ ।।୬।।

ଜପ ତପ ଧ୍ୟାନ ତୀର୍ଥବ୍ରତ ପୁଣ୍ୟ ଫଳ ଶ୍ରୁତି ଅଟେ ଏ ସବୁ ।

ଭଣେ ଭୀମହୀନ ଶୁଣ ଜ୍ଞାନ

ପାଇଲେ ନ ଭାବିବୁ ।।୭।।

 

(୧୧୧)

ସୁଜନେ ଜ୍ଞାନର କେମନ୍ତ ବିଚାର ।

ନାହିଁ ରୂପ ରେଖ ଶବ୍ଦ ହୁକହୁକ ଡାକ କରେ ରାଗ ଫୁଙ୍କାର

।। ପଦ ।।

ବୋଲିବ ସୁଜନେ ମନେ ବିଚାରିଣ

ପିତାମାତା ଯୁକ୍ତ ପ୍ରକାର ।

ରଜ ବୀର୍ଯ୍ୟ ଠୁଳ ହେଲା

ଯେ ପ୍ରକାର ବାରେକ ଯେ ଅର୍ଥ ବିଚାର ।।୧।।

ମାତା ଗର୍ଭେ ପୁତ୍ର ଦଶ ମାସ ଯାଏ

କେବେ ସେ ନୁହଇ ବାହାର ।

କି ଭାବରେ ଥାଏ ବିସ୍ତାରଇ କାୟେ

କିସ ଅଟେ ତାର ଆହାର ।।୨।।

ବନତରୁ ଲତା ହୋନ୍ତି ପଲବିତା

କେମନ୍ତେ ତାଙ୍କର ଶୃଙ୍ଗାର ।

ଫୁଟିଗଲେ ପୁଷ୍ପ ବାସେ କେତେ

କୋଶ ମଧୁଚୁମ୍ବେ କେଉଁ ଭ୍ରମର ।।୩।।

ନାହିଁ ତାଙ୍କ ଶୃଙ୍ଗ ଅଭେଦ ଦ୍ୱିଅଙ୍ଗ

ପଦ୍ମପୁଷ୍ପ ନାହିଁ ସ୍ଥାବର ।

ବୃକ୍ଷମାନେ କେହ୍ନେ କରନ୍ତି

ରମଣ କେ ଅଟେ ବଲ୍ଲଭ ତାଙ୍କର ।।୪।।

ବୋଲିବ ତ ବାସ ମଳୟ ବସନ୍ତ

ପତି ଅଟେ ତରୁ ତୃଣର ।

ଅଣଚାଶ ପବନ ବହୁଅଛି ଜାଣ

କେମନ୍ତେ ପଲ୍ଲବେ ଶରୀର ।।୫।।

ସେ ପବନ ଘଟ ଅତି ହିଁ ସଙ୍କଟ ନିଗମ ଅଟଇ ଗଭୀର ।

ପଣ୍ଡିତ ଲୋକଙ୍କୁ ଦୃଶ୍ୟ ଥିବ

କେତେ ମୂର୍ଖଙ୍କୁ ଅତି ଅଗୋଚର ।।୬।।

ଭଣେ ଭୀମ ଭୋଇ ଦୁର୍ଗମ ସେ

ପଥ ଜପି ନ ପାରିଲେ ଶଙ୍କର ।

ପାର୍ବତୀଙ୍କି ଘେନି କାମରେ

ଭ୍ରମଣି ନାମ ଭଜିହେଲେ ଅମର ।।୭।।

 

(୧୧୨)

ଭଜରେ ମନ ଅଲେଖ ଅବର୍ଣ୍ଣ ଜ୍ୟୋତି ।

କିଞ୍ଚିତ ମାତ୍ରକେ କରୁଣା ହୋଇଲେ ଲଭିବୁ ମୋକ୍ଷ ମୁକତି

।। ପଦ ।।

ଦେଖ ଅଣାକାର ଏକ ରୂପ ତା’ର ବ୍ରହ୍ମ ନିରଞ୍ଜନ ମୂରତି ।

ବାଛି ବାଛି କରି କାଟି ପକାଉଛି

ଚାରିବେଦ ଶାସ୍ତ୍ର ପୋଥି ।।୧।।

ନିଶବଦ ଘରୁ ବିଜେ କଲେ ଗୁରୁ ଦେଖିଣ କଳିଯୁଗ ରୀତି ।

ମାୟା ମୋହ ତେଜ ପାଦ

ବିନ୍ଦେ ଭଜ ନାହିଁ ରଜନୀ ପାରନ୍ତି ।।୨।।

ଚଉପାଶେ ଚାରି ଶାଖା ହୋଇଛନ୍ତି ଦୟା କ୍ଷମାଶୀଳ ଶାନ୍ତି ।

ମଧ୍ୟରେ ଅଲେଖ ମହିମା

ପୁରୁଷ ଜଳୁଅଛି ଯେସନକ ବତୀ ।।୩।।

ସେହିଟି ସାକ୍ଷାତେ ନାମ ବ୍ରହ୍ମ ଅଟେ ଘୋଟିଛି ତ୍ରିପୁର ପୃଥ୍ୱୀ ।

ଜଳେ ସ୍ଥଳେ ସର୍ବଠାରେ ପୂରିଛନ୍ତି

ଘୋଟି ଆକାଶ ଧରିତ୍ରୀ ।।୪।।

ଜ୍ଞାନ ରସ ଭେଦ ଅମରାଧି ପଦ ଧରିବୁ ଯେମନ୍ତେ ଚେତି ।

ଚାରିଯୁଗେ ତୋର ପିଣ୍ଡ ନ ପଡ଼ିବ

ନ ବୁଡ଼ିବ ଗୋତ୍ର ଜାତି ।।୫।।

ଦୃଢେ ଧର ରଟି ନ ଫିଟିବ ଗଣ୍ଠି ତେଜିଣ ମୋକ୍ଷ ପ୍ରକୃତି ।

ଏକାକ୍ଷର ପାଦ ନିଶବଦ ଭେଦ

କରି ଲଗାଅ ତୋ ମତି ।।୬।।

ଗୁରୁ ପାଦ ଗତେ ମନ ଶୁଦ୍ଧ ଚିତ୍ତେ ସେବା ଭକ୍ତି ଖଟ ନିତି ।

ଭଣେ ଭୀମ ହୀନ ପାମର

ଅଜ୍ଞାନ ନ ଲାଗିବ ଦିବାରାତ୍ରି ।।୭।।

 

(୧୧୩)

ଗୁରୁଦେବ ପାଦେ ମୋତେ ରଖ

ତୁମ୍ଭେ ଥାନ୍ତେ ଏତେ ଦୁଃଖ ଶୂନ୍ୟରୂପ,

କୃପା ନେତ୍ରେ ଚାହିଁ ଦେଖ ପଦ୍ମମୁଖ ।। ପଦ ।।

କରୁଅଛି ମୁଁ ଜଣାଣ      ବିନତି ଘେନ ନ ଘେନ

ଭରସାରେ କରିଅଛି ବହୁ ସକ୍ଷ ।

ନ ରଖିଲେ ଶୂନ୍ୟବାସୀ      ନିଶ୍ଚୟ ମୁଁ ଗଲି ଭାସି

ଅକୃପା କଲେ ମୁଁ ହେଲି ନିରାପକ୍ଷ ।।୧।।

ଲଗାଇ ଅଛି ଦର୍ଶନ      ହୁଅ ନ ହୁଅ ପ୍ରସନ୍ନ

କରୁଣା ନୟନେ ଦେଖ ବା ନ ଦେଖ

କରିବି ଯେବେ ଆଶ୍ରିତ      ପାଦ ବିନ୍ଦରେ ଭଗତ

ଅଧିକରେ ନ କରନା ଅରକ୍ଷକ ।।୨।।

ଅନାସ୍ଥ ପ୍ରାଣୀ ଅଟଇ      ସେବା ଭକ୍ତି ନ ଜାଣଇ

ନାହିଁ ସଦଜ୍ଞାନ ବୁଦ୍ଧି ମୋ ବିବେକ ।

ପ୍ରଭୁ ସିନା ପିତା ମାତା      ଅଟେ ଜୀବର କରତା

ଯାହା ଇଚ୍ଛା କର ଶୂନ୍ୟ ଅଣ ଅଲେଖ ।।୩।।

ଅବ୍ୟକତ ବ୍ରହ୍ମଦେହୀ      ନାହିଁ ବର୍ଣ୍ଣ ଚିହ୍ନ ଛାଇ

ଚାହୁଁଥିଲେ କେବେ ନ ପଡ଼ଇ ପଲକ ।

କେଉଁ ପାଦକୁ ବର୍ଣ୍ଣିବି      କେବଣ ଉପମା ଦେବି

ନୁହନ୍ତି ସେ ପ୍ରଭୁ କାୟା ରୂପ ରେଖ ।।୪।।

ମହାଶୂନ୍ୟକୁ ସାହସ      ଲଗାଇ ଅଛି ମୁଁ ଆଶ

ନିତ୍ୟେ ଅନୁସରି ଅଛି ଆଦି ମୂଳକ ।

ମାନବ ଜନ୍ମରୁ ପାର      କରିବ କେ ଅଣାକାର

ଏ ପିଣ୍ଡ ପରାଣକୁ ଦେବ ମୋକ୍ଷ ।।୫।।

ଶରଣ ସୋଦର ପାଦ      ଭେଟ ଅଟେ ନିଶବଦ

ଘୋଟି ରହିଅଛି ତିନି ତ୍ରୈଲୋକ୍ୟ ।

ଭଣେ ଭୀମ ଅରକ୍ଷିତ      ଶ୍ରୀଗୁରୁ ଚରଣେ ଚିତ୍ତ

ମହା ନିଷ୍କାମ ନିର୍ମୋହ ନିଷ୍କଳଙ୍କ ।।୬।।

 

(୧୧୪)

ଅଣାକ୍ଷରୁ ଅଜ୍ଞାନୀକି ନାମ ଗୁରୁ

ଭକ୍ତଜନ ତୁମ୍ଭ କରୁଣାରୁ, ମହିମା ବ୍ରହ୍ମ ଶକତି ମହାମେରୁ

।। ପଦ ।।

ଭଜିଲେ ଭଗତ ଜନ      ଏକାକ୍ଷରେ ରଖି ମନ

ସୁଧାମୃତ ପାନ କଲେ ଶୂନ୍ୟ ଘରୁ ।

ଚିତ୍ତେ ଅନୁଭବ କଲେ      ପିଣ୍ଡ ପ୍ରାଣ ସମର୍ପିଲେ

ଶ୍ରୀମୁଖୁ ଶ୍ରୀଛାମୁ ଆଜ୍ଞା ପାଇବାରୁ ।।୧।।

ସୁଦୟା ଯେମନ୍ତେ ଅଛି      ବିଚାର ନ କର କିଛି

ପରକାଶ କର ନିଜ ଶକତିରୁ ।

ଦେବ ଯେବେ ମହାବାହୁ      ବିଳମ୍ବ ନ କର ଆଉ

ସୁଧା ମକରନ୍ଦ ଝରୁ ଶ୍ରୀପୟରୁ ।।୨।।

କଳିକାଳ ଯୁଗ ଆସି      ନର ଅଙ୍ଗେ ବ୍ରହ୍ମରାଶି

ବିରାଜିତ ଅବର୍ଣ୍ଣିତ ମନ୍ଦିରରୁ ।

ନିର୍ବେଦ ଧର୍ମ ଆଚାର      ଜଗତେ ହେଲା ପ୍ରଚାର

ନାମ ଅଲେଖ ମହିମା ମହାମେରୁ ।।୩।।

ଯେହୁ ଭକ୍ତ ହୋଇଥିଲେ      ଘରୁ ବାହାର ହୋଇଲେ

ଭେକ ବାନାକୁ ବହିଲେ ସୁକୃତରୁ

ପୂର୍ବେ ପୁଣ୍ୟ କରିଥିଲେ      ସନ୍ନ୍ୟାସ ମୂରତି ହେଲେ

ବାସନା ଥିବାରୁ ଶତେ ଜନମରୁ ।।୪।।

ଉଦୟେ ହୋଇଛି ଜ୍ଞାନ      ଯେହୁ ହୋଇବ ସିହାଣ

ଥରେ ଆୟ ବ୍ୟୟ କର ସ୍ୱଦେହରୁ ।

ଦଶ ସହସ୍ର ବରଷ      ଗଲେ ହୋନ୍ତି ବ୍ରହ୍ମଦୃଶ୍ୟ

ସୁଭାଗ୍ୟ ଦିଶଇ ତପ ସିଦ୍ଧଠାରୁ ।।୫।।

ଭଣେ ଭୀମ ଅରକ୍ଷିତ      ଗୁରୁ ଏକା ସାମରଥ

ଉଦ୍ଧାର କରିବେ ଭବ ସଂସାରରୁ ।

ଶ୍ରୀ ଛାମୁରେ କରଯୋଡ଼ି      ପଦ୍ମପାଦ ତଳେ ପଡ଼ି

ପାଦ ଉଦକ ଘେନଇ ଶ୍ରୀପୟରୁ ।।୬।।

 

(୧୧୫)

ଉଦେ ଅସ୍ତ ଦିବା ନିଶି ନାହିଁ ଯାର

କି ବର୍ଣ୍ଣରେ ଭଜି ନରେ ହେବ ପାର

ଅତି ହିଁ ନିଗମ ପଥ ଶୂନ୍ୟ ଘର ।। ପଦ ।।

ଜଳୁଅଛି ସପ୍ତତାଳ      ମୃତ୍ତିକା ଅଟେ ଚୌତାଳ

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁର ।

ଯେସନେ ଚାଷ ନିବାଡ଼      ନିର୍ବନ୍ଧେ କରନ୍ତି ଗାଢ଼

ତେସନେ ହୋଇଛି ସପ୍ତସିନ୍ଧୁ ବାର ।।୧।।

ବ୍ରହ୍ମା ବିଷ୍ଣୁ ଶିବଗଣ      ଏ ଅଟେ ତ୍ରିଗୁଣ ଜାଣ

ଛାଡ଼ ଚିତ୍ତୁ ମନର ବିକାର ।

ପରତେ ହୋଇବୁ ଯେବେ      ଅମାପ ମାପିବୁ ତେବେ

ଅଣ ଅକ୍ଷରରେ ଅନନ୍ତ ଶରୀର ।।୨।।

ଦେବାସୁର ନରହର      ଗମି ନାହିଁ ଯା ପୟର

ଅଜ୍ଞାନୀଙ୍କି ଅତି ହିଁ ଅନ୍ତର ।

ବେଦ ପଢୁଅଛି ବ୍ରହ୍ମା      ସେ ନ ଜାଣଇ ମହିମା

ଚନ୍ଦ୍ର ସୂର୍ଯ୍ୟକୁ ହୋଇଛି ଅଗୋଚର ।।୩।।

ରହିଛି ଶୂନ୍ୟ ମନ୍ଦିରେ      ଅଜପା ଅଲେଖ ପୁରେ

ତ୍ରିଭୁବନୁ ହୋଇଛି ବାହାର ।

ସେ ଯେ ଅଣାକାର ବ୍ରହ୍ମ      ନାହିଁ ତା’ର କ୍ରିୟା କର୍ମ

ପୂରିଥାଇ ସର୍ବ ଘଟେ ଯା ବେହାର ।।୪।।

ନିଷ୍କାମ ଭକ୍ତି ତା ଦେଖ      ଅଟେ ଅଚିହ୍ନା ଅରୂପ

କେହୁ ଗମି ପାରିବଟି ସେ ମନ୍ଦିର ।

କୋଟି ବ୍ରହ୍ମା ବିଷ୍ଣୁ ଗଲେ      ଜନ୍ମ ପାଇ ରବି ତଳେ

କେହି ନ ଜାଣିଲେ ଭକ୍ତି ଭାବ ତା’ର ।।୫।।

ନ ବସେ ଅକ୍ଷର ପଦ      କେ ପାଇବ ତହିଁ ଭେଦ

ନାହିଁ ଶାସ୍ତ୍ର ସଙ୍ଗିତା ସଂଯୋଗର ।

ଭଣେ ଭୀମ ହୀନ ଭୋଇ      ସକାମରେ ଜ୍ଞାନ ନାହିଁ

ନିଷ୍କାମ ଚିତ୍ତରେ ଦୃଢ଼େଧର ଧର ।।୬।।

 

(୧୧୬)

ଝଟକ ବିଦ୍ୟୁ ପରାୟେ ପ୍ରଭୁ ରୂପ

ଚିହ୍ନି ଭଜିବାକୁ ଅଛି କାହା ସକ୍ଷ

ଦର୍ଶନ ମାତ୍ରକେ କୋଟି ପାପ ମୋକ୍ଷ ।। ପଦ ।।

କ୍ଷୀର ନୀରରେ ନ ମିଶେ      ଅର୍ଥ ଗୀତରେ ନ ରସେ

ବେଳ ହୁଁ ଛଡ଼ାଇ କାମ କଳ୍ପଣାକ ।

ନ ଘେନେ ବାସନା ଭୋଗ      ନ ମଣଇ ଶୁଭଯୋଗ

ସଙ୍ଗ କରିଅଛି ସତ୍ୟ ନିଷ୍କାମକ ।।୧।।

ନ ମିଶେ ପ୍ରକୃତି ଭାବେ      ନ ବସେ କୌଣସି ଠାବେ

ନିବାରିଛି ଛନ୍ଦ କୂଟ କପଟକ ।

ନାହିଁ ତା’ର ବାଡ଼ି ବୃତ୍ତି      ଅବଧୂତ ବେଶ ମୂର୍ତ୍ତି

ବଶ୍ୟ ହୋଏ ଆତ୍ମାଜ୍ଞାନୀ ଭଗତଙ୍କ ।।୨।।

ମହାଶୂନ୍ୟରୁ କ୍ଷରୁଛି      ଚଉଦିଗେ ଫେରୁଅଛି

ସାଧନେ ଛଡ଼ାଇ କ୍ଷୁଧା ତୃଷାକ ।

ବେନି ନୟନେ ନ ଦିଶେ      ମୁଖେ ବଖାଣି ନ ଆସେ

ଅକଳ୍ପଣା ଅଣାକାର ଶ୍ରୁତି ଜପ ।।୩।।

ନୋହେ ଯୁବା ବୃଦ୍ଧା ବେଶ      ନୁହଇ ବାଳୁତ ଶିଷ୍ୟ

କଳିବାକୁ କେହୁ ଅଛି ସାମର୍ଥକ ।

ଚର୍ମ ନୟନେ ଚିହ୍ନିବେ      ମୁଖେ ମହିମା ଭଜିବେ

ଯାର ଥିବ ପୂର୍ବ ଜନ୍ମ ସୁକୃତକ ।।୪।।

ଅବନା ମଣ୍ଡଳୁ ଧୂନି      ମର୍ତ୍ତ୍ୟରେ ସ୍ଥାପିଲେ ଆଣି

ମହାଭାରା ହେଲା ଯହୁଁ ଜଗତକ ।

କେ ନ ପାଇଥିଲେ ଅନ୍ତ      ଏବେ ବିଜୟେ ଅନନ୍ତ

ପ୍ରତ୍ୟକ୍ଷେ ସୁଜ୍ଞାନୀ ସାଧୁ ଦେଖ ଦେଖ ।।୫।।

ଜୟ ଜୟ ଜ୍ୟୋତି ରୂପ      ନିଷ୍କାମ ଭଜନା ଜପ

ଅକୃପା କଲେ ହେଲି ମୁଁ ନିରେଖ ।

ସିନ୍ଧୁଜଳେ ଗଲି ଭାସି      ତ୍ରାହିକର ଶୂନ୍ୟବାସୀ

ଗୁରୁ ପାଦ ଧ୍ୟାୟି ଭଣେ ଭୀମ ମୂର୍ଖ ।।୬।।

 

(୧୧୭)

କାମିନୀ, ସର୍ବେ ହୋଇଲେ ସଜ ଗୋ

ଡର ଭୟ ଲାଜ ଦୂରକୁ ତେଜ ଗୋ ।। ପଦ ।।

ଟେକିଛନ୍ତି ଶୂନ୍ୟ ବାନା ଶ୍ରୀଭୁଜ,

ବ୍ରହ୍ମା ବିଷ୍ଣୁ କଳା ଗୋଟିଏ ତେଜ ଗୋ ।।୧।।

ନ କର ଭାଳେଣି ମନରେ ଦୁଜ

ବାରି ହୁଅ ଗୋତ୍ର ସୁମରି ଆଜ ଗୋ ।।୨।।

ଅଙ୍ଗ ଭାଙ୍ଗି ରଙ୍ଗେ ଗେରୁଆ ସଜ

ବିଜୟେ କରିବେ ଶ୍ରୀଗୁରୁ ରାଜ ଗୋ ।।୩।।

ଚାରିଯୁଗ କଥା ପୋଥାରେ ବୁଝ

ଚେତି ଉଠି ପୂର୍ବ ବାସନା ତେଜ ଗୋ ।।୪।।

ସୁଖ ଭୋଗ ପ୍ରେମ ପ୍ରୀତି ମାଧୁର୍ଯ୍ୟ

ନିର୍ମଳ ଭକ୍ତିରେ ପ୍ରେମରେ ମଜ୍ଜ ଗୋ ।।୫।।

ଧ୍ୟାନ କର ପ୍ରଭୁ ପାଦ ପଙ୍କଜ

କହେ ଭୀମ ଭୋଇ ନିଷ୍କାମେ ଭଜ ଗୋ ।।୬।।

 

(୧୧୮)

ପାଇବ, ନିଶ୍ଚେ ପ୍ରତ୍ୟକ୍ଷ ଭେଟ ଗୋ

ଲଭିବ ସ୍ୱଦେହେ ଫିଟିବ କଷ୍ଟ ଗୋ ।। ପଦ ।।

କରୁଛନ୍ତି ତପ ମନରେ ନିଷ୍ଟ,

ପାଳି ସାଧୁ ସନ୍ଥ ମାରିବେ ଦୁଷ୍ଟ ଗୋ ।।୧।।

କର୍ମ କରି ଚାଲ ଧର୍ମାଦି ବାଟ

ଅନ୍ତର୍ଗତେ ଭକ୍ତି ଧରିଥା ଆଣ୍ଟ ଗୋ ।।୨।।

ଫିଟିଅଛି ଏକ ଅକ୍ଷର ପାଠ

ପିନ୍ଧିଛନ୍ତି କଷା ବସନ ପଟ ଗୋ ।।୩।।

ସବୁ ଝୀନ ବାସ ପିନ୍ଧିଣ ପାଟ

ଖଟିଥିବ ବ୍ରଜ କୁମାରୀ ନଟ ଗୋ ।।୪।।

କାଳ ବେଳ ଆସି ହେଲା ନିକଟ

ଆରମ୍ଭିଲେ ନାନା ବନ୍ଧରେ ନାଟ ଗୋ ।।୫।।

କଳିକାଳ ଯିବା ପର୍ଯ୍ୟନ୍ତ କାଟ

କହେ ଭୀମ ଭୋଇ କରି ଆକଟ ଗୋ ।।୬।।

 

(୧୧୯)

ବସିବ, ଧର୍ମ ସତ୍ୟାଦି ଯୁଗ ଗୋ

ସରିଲାଣି କଳିକାଳର ଭୋଗ ଗୋ ।। ପଦ ।।

ଶ୍ୱେତ ଜଳ ବୃଷ୍ଟି କରିବ ମେଘ

ତିନିପୁର ଶୁକ୍ଳବର୍ଣ୍ଣ ଦିଶିବ ଗୋ ।।୧।।

ଘରେ ଘରେ ଲକ୍ଷ୍ମୀ ବିଜେ କରିବ

ସୁବର୍ଣ୍ଣ କଳସ ଦ୍ୱାରେ ସ୍ଥାପିତ ଗୋ ।।୨।।

ଦୁଃଖ କଷ୍ଟ ସହି ପାରିଲେ ଆଗ

ପଛେ ସୁଖ ଭୋଗ ପ୍ରାପତ ହେବ ଗୋ ।।୩।।

ନାମରେ ପବିତ୍ର ହୋଇଲେ ଦିଗ

ପ୍ରକାଶିବ ତହୁଁ ସକଳ ଶୁଭ ଗୋ ।।୪।।

ମନ ନିଷ୍କାମେ କର ସାଧୁ ସଙ୍ଗ

ଚିହ୍ନ ନ୍ୟାୟ ଧର୍ମ ବେଦାନ୍ତ ମାର୍ଗ ଗୋ ।।୫।।

ମିଛ ନୁହେଁ କଥା ବଚନ ଧ୍ରୁବ

କହେ ଭୀମ ଭୋଇ ନିଶ୍ଚେ ଦେଖିବ ଗୋ ।।୬।।

 

(୧୨୦)

କରିବେ, ମନ କାମନା ପୂର୍ଣ୍ଣ ଗୋ

ବିଜେ କରିଛନ୍ତି ଅରୂପ ଶୂନ୍ୟ ଗୋ ।। ପଦ ।।

କମ୍ପୁଅଛି ଚତୁର୍ଦ୍ଦିଗ ଭୁବନ,

ଶୁଭୁଅଛି ନାମ ମହିମା ଧନ୍ୟ ଗୋ ।।୧।।

କରୁଥାଅ ଧ୍ୟାନ ଧର୍ମ ଧାରଣ,

ନିରନ୍ତରେ ମାଗୁଥାଅ ଶରଣ ଗୋ ।।୨।।

ପ୍ରାତଃ ସାଂୟେ କରୁଥାଅ ଦର୍ଶନ,

ଚିତ୍ତ ଜାଣି ନିଶ୍ଚେ ହେବେ ପ୍ରସନ୍ନ ଗୋ ।।୩।।

ସତ୍ୟ ତତ୍ତ୍ୱ-ଦୁଇ କର କାରଣ,

ରୂପରେ ଥାଇ ଅରୂପକୁ ଚିହ୍ନ ଗୋ ।।୪।।

ସାଧୁ ସଙ୍ଗମ ସେବା ଅନୁକ୍ଷଣ,

ଶ୍ରୀଗୁରୁ ବଚନ ଶିରରେ ଘେନ ଗୋ ।।୫।।

ଏ ମାୟା ସଂସାରୁ କର ତାରଣ,

ଭୀମଭୋଇ ମାଗୁଅଛି ଶରଣ ଗୋ ।।୬।।

 

(୧୨୧)

ସୁଜନେ ମଧୁରସ ଅଛି ପଦ୍ମରେ

ପ୍ରେମମତ୍ତ ଗର୍ବେ ଚୁମ୍ବିବାର ଲୋଭେ ଭୃଙ୍ଗ ସେ ପଡ଼ିଛି ବନ୍ଦିରେ ।। ପଦ ।।

ସ୍ଥଳରେ ସ୍ଥିତି କରି ଦଳେ

ଉତ୍ପତ୍ତି କରିଅଛି ଜଳରେ ।

ପଝରି ପୁଷ୍ପ ଫୁଟିଅଛି ଗଜରୀ

ଗୁଜରି ଅଗାଧ ବନ୍ଧରେ ।।୧।।

ନ ଫୁଟୁ ବାସ କରେ ସରଜ

ପୁଷ୍ପ ପ୍ରକୃତି ବସନ୍ତ ଭେଦରେ ।

ଭୁଜ ବଢାଇ ଶ୍ରୀହସ୍ତରେ

ତୋଳନ୍ତେ ଲୁଚି ଲୀନ ହ୍ରଦରେ ।।୨।।

ଅଙ୍ଗୁଷ୍ଠି ଅଗ୍ରଜ ଲାଗନ୍ତେ ଦହିର୍ଯ୍ୟ

ଆଣନ୍ତେ କେ ଅଛି ସ୍ୱାଦରେ ।

ଛୁଇଁ ଆକ୍ରୋଶି ପିବି ପାନ

କରନ୍ତେ ଗୁପ୍ତ ହେଲା ନାଡ଼ ମଧ୍ୟରେ ।।୩।।

ଶ୍ରୁତି ଲୋଭରେ ଅତି ହିଁ ବଳାତ୍କାରେ

ଝସାଇ ପଶିଲେ ସିନ୍ଧୁରେ ।

ଧରିବି ବୋଲି ହସ୍ତ ଧରି

ବୋଲନ୍ତେ ଉଛୁଳି ପଡ଼ିଛି ତୀରରେ ।।୪।।

କାହିଁ ମୂଳ ଚେର କେତେ ନାଡ଼

କଢ଼ବାରଣ ନ ଯାଇ ତହିଁରେ ।

କାହିଁ ଗଣ୍ଠି ପାଖୁଡ଼ି ପତରେ

ଡେମ୍ଫ ବୃକ୍ଷରୂପ କେଉଁ ବର୍ଣ୍ଣରେ ।।୫।।

ନବ ତରୁମାନ ପଲ୍ଲବି ବିକାଶେ

ଶୂନ୍ୟ ମେଘମାଳ ଆକାରେ ।

କହେ ଭୀମଭୋଇ ଫୁଲ

ଏକ ରୂପ ଫଳ ଫଳେ ବେନି ପ୍ରକାରେ ।।୬।।

 

(୧୨୨)

ବିଧିରେ ମତ ହସ୍ତୀପରେ ମାହୁନ୍ତ ।

ସାଆନ୍ତ ସେବକ ବାରଣ ନ ଯାନ୍ତି ରଥି ଯୋଦ୍ଧା ସଙ୍ଗେ ବହୁତ ।। ପଦ ।।

ଏକୁ ଏକ ବୀରବର ଧନୁର୍ଦ୍ଧର ପୃଥ୍ୱୀ କମ୍ପମାନ ବହୁତ ।

ଯେ ଯାହାର ଯାନ ବାହନରେ

ଚଢ଼ିଉତ୍ତାରି ଅଛନ୍ତି ସମସ୍ତ ।।୧।।

ପାଞ୍ଚଲକ୍ଷ ପଚିଶ କୋଟି ସଇନି ସିନ୍ଧୁ ସଦୃଶେ ଅକଳିତ ।

ନ କରନ୍ତି ଶଙ୍କା ସର୍ବେ ରଣରଙ୍କା

ସଂଗ୍ରାମ ଭୂମିକି ଆଗତ ।।୨।।

ଫରିଖଣ୍ଡା ଛେଲ ଚକ୍ରକୁନ୍ତ ଭାଲ ଗଦା ମୁଦ୍‌ଗର ଅପ୍ରମିତ ।

ପଟ୍ଟା ସାବେଳୀ ହାବେଳୀ ବ୍ରହ୍ମବାଣ

ଆବର ବଜ୍ରମୁନା କୁନ୍ତ ।।୩।।

ତିନି ବ୍ରହ୍ମାଣ୍ଡ ଟଳମଳ ହେଉଛି

ଚମକୁଛି ଗିରି ପର୍ବତ ।।୪।।

ସେ ଯୁଦ୍ଧର ରୀତି ଇଚ୍ଛାଏ ଯୁଝନ୍ତି ନ ସରେ ବରତନ ଭାତ ।

ଭଙ୍ଗା ଧନୁ ଧରି କ୍ଷତ୍ରିପଣ କରି

ରାଣ୍ଡ ପୁଅ ହେବ ସାମର୍ଥ୍ୟ ।।୫।।

ଧାଉଁରି ଧାପେରି କାୟାକୁ ବିସ୍ତାରି ଗଡ଼ ଆବୋରି ଦୃଢ଼ ବ୍ରତ ।

କହେ ଭୀମଭୋଇ ଯୋଦ୍ଧାମାନେ

ଯାଇ କବାଟେ ମାରି ବଜ୍ରମୁଥ ।।୬।।

 

(୧୨୩)

ବିରସ୍ତ୍ରେ ସ୍ୱକାମ ଶ୍ୟାମ ବେନି ବୀର

କେହୁ ପଡ଼ିଉଠି ଭୂମିରେଣ ଲୋଯି ମାଲବନ୍ଧେ ଯୁଦ୍ଧ ଅପାର

।। ପଦ ।।

ପଶିଲେ ସଇନି ଯେହ୍ନେ ବଢ଼ି

ପାଣି ଅସ୍କନ୍ଧ ଗଡ଼ର ଭିତର ।

ଚଉଦିଗେ ପୂରି କଲେ ହୁରି

ଜୁରି ଭାଙ୍ଗି ସୁବର୍ଣ୍ଣମୟ ପୁର ।।୧।।

ଅନ୍ତଃପୁରେ ଥାଇ ଜାଣି ବୁଝି

ସେହି ସଶଙ୍କବାଦି ନରେଶ୍ୱର ।

ଛଡ଼ ଲକ୍ଷ ଅଶ୍ୱ ଯୋଚି ରହୁପରେ

ଘୋଟି ଆସୁଛି ତିନିପୁର ।।୨।।

ଚାହିଁ ଦଳ ଦଳ ହୋଇ ପଲ ପଲ

ବେଗେ ଆସି କଲେ ସମର ।

ନର ଦେହ ବହି କେ ପାରିବ

କହି ସତ୍ୟନା ବରୁଣ ସାଗର ।।୩।।

ଦୁଇବଳ ଥାଟ ହେଲେ ତହିଁ ଭେଟ

ଘୋର ସଂଗ୍ରାମ ଗୁରୁତର ।

ନିଘାତ ମହାଗାଢ କଷ୍ଟ ମାରେଣି

ବଜାଇ ଶଙ୍ଖ ବୀର ତୁର ।।୪।।

କି ଅବା ଚନ୍ଦ୍ରମାକୁ ରାହୁ ଗ୍ରାସିଲା

ଖଗ କି ଧଇଲା ଫଣିର ।

କି ଅବା କ୍ଷୀର ନୀର ପ୍ରୀତି

ବଢିଲା ଘୃତ କି ପଡ଼ିଲା ଅଗ୍ନିର ।।୫।।

ଉଠିଲେ ହୁତାଶନ ପ୍ରଳୟ କି ସେ

ଶୂନ୍ୟେ ଆବୋରିଲା କୁହୁର ।

ସିନ୍ଧୁ ଗର୍ଜ୍ଜନ ପ୍ରାୟେ ମୁଖ ଚହଳ

ଅଙ୍ଗ ଫୁଟି ଶ୍ରମ ବାହାର ।।୬।।

ଅନ୍ତରେ ଥାଇ ଭଣିଲେ ଭୀମଭୋଇ

ଧନ୍ୟ ଏ ଜଗତ ସଂସାର ।

ଜ୍ଞାନ ନେତ୍ରେ ଦେଖି ଅନୁଭବ

ରଖି ପଦ ଯୋଡ଼ିବାକୁ ବିଚାର ।।୭।।

 

(୧୨୪)

ନିରତେ ମୁଖରାବ ଶବଦ ଧ୍ୱନି

ଯୁଦ୍ଧ ଅପ୍ରମୟେ କଳନା ନ ଯାଏ କମ୍ପୁଛି ତ୍ରିପୁର ମେଦିନୀ

।। ପଦ ।।

ଏକ୍ୱୈଶ ପୁର ଛନ୍ନ ଛନ୍ନ ହେଉଛି ଘୋଟିଲା କି ପ୍ରଳୟ ଜାଣି ।

ଶାଳ ଶୀଳ ବାଣ କାଣ୍ଡ ପଡ଼ୁଅଛି

କି ଅବା ଅଗ୍ନି ଶିଖା ଜାଣି ।।୧।।

ସହସ୍ରାଙ୍କ ତେଜ ତପତିର ଘାଏ ଆଉଟି ହୋଇଲେ ସଇନି ।

ମନୁରାଜା ସୈନ୍ୟ ହୋଇ

ରଣଭଙ୍ଗ ଘୁଞ୍ଚିଲେ ହୁତାଶନ ମଣି ।।୨।।

ହସ୍ତୀର କାୟେ ରୁଧିର ଜରଜର ମୁଣ୍ଡ ଛେଦିଲେ ଚକ୍ର ଘେନି ।

ରହି ନ ପାରି ପଛକୁ ଘୁଞ୍ଚିଗଲା

ଦେଇଣ ସିଂହ ରଡ଼ି ତିନି ।।୩।।

ରଣ ରାହୁ ବାନା ସଂଗ୍ରାମେ ଉଡ଼ାଇ କଳଙ୍କ ବାଦି ନୃପମଣି ।

ଦୁଇକତି ପଟୁଆର ରହିଛନ୍ତି

ସଙ୍ଗେ ଦଶଲକ୍ଷ ସଇନି ।।୪।।

ମନୁ-ନୃପବର ଅନେକ ପ୍ରକାର ଯୁଦ୍ଧରେ ନ ପାରିଲେ ଜିଣି ।

ଘୁଞ୍ଚି ପଳାଇଲେ ଘିଞ୍ଚିମାରୁଛନ୍ତି

କତିବାଦି ରାଜା ସଇନି ।।୫।।

ଗଡ଼ରୁ ବାହାର ହୋଇ କରି ବୀର ପଛକୁ ନ ଚାହିଁ ଭାଗୁଣି ।

ବାହୁଡ଼ାର ବେଳ ଘୋଡ଼ାଇ ମାରନ୍ତି

ସିଂହଦ୍ୱାର ପର୍ଯ୍ୟନ୍ତେ ପୁଣି ।।୬।।

ଦୈତ୍ୟଯୁକ୍ତ ସତ୍ୟ ଅରଥ ଭାରତ ଦେଖିଣ ଜ୍ଞାନ ନେତ୍ରେ ବେନି ।

ଭୀମ ଅରକ୍ଷିତ ହୋଇ ଆଚମ୍ବିତ

ପ୍ରକୃତି ବନ୍ଧେ ପଦ ଭଣି ।।୭।।

Unknown

ପ୍ରଥମ ଭାଗ ସମାପ୍ତ

 

ବୃହତ୍‌

ଭଜନମାଳା

ଦ୍ୱିତୀୟ ଭାଗ

 

(୧୨୫)

କଳିଯୁଗେ ଅପୂର୍ବ ରୀତି,

ମହିମା ସାଗର ବିଜୟ କ୍ଷିତି ।। ଘୋଷା ।।

ସୁର ନର କେହି      ଜାଣି ନ ପାରନ୍ତି

ଶୂନ୍ୟ ପ୍ରଭୁଙ୍କର ଯେଉଁ ବିଭୂତି ।

ଜ୍ଞାନ ଧର୍ମ ଘେନି      ବିଜୟ ମେଦିନୀ

ହୋଇଛନ୍ତି ବଇଷ୍ଣବ ମୂରତି ।।୧।।

ଆକାଶରେ ଅଗ୍ନି      ସଞ୍ଚାଳ ହେଉଛି

ବାରଣ ନୋହୁଛି ଦିବସ ରାତି ।

ଅବାନ ମନ୍ଦିରେ      କଳ୍ପ କଳ୍ପାନ୍ତରେ

ଅନାହତ ଧୂନି ରହିଛି ଚେତି ।।୨।।

ମହା ମହିମା ସେ      ରବି ତଳେ ଆସି

ଧରିଛନ୍ତି ନବମଣ୍ଡଳ ପୃଥ୍ୱୀ ।

ତିମିରିକି ଛେଦି      ତିନିପୁର ଭେଦି

ବ୍ରହ୍ମାଣ୍ଡ ଭିତରେ ଜଳୁଛି ବତୀ ।।୩।।

ଲୀଳା ଉଠିଲାଣି      ଭାଗ୍ୟ ଦିଶିଲାଣି

ବୀରବଧୂ ବାନା ଉଡ଼ୁଛି କ୍ଷିତି ।

ମନେ ପାଇ ପ୍ରତେ      ଦାସ ଦାସୀ ଯେତେ

ଆସିଯାଇ ସେବା କଲେଣି ନୀତି ।।୪।।

ସଂସାର ନିନ୍ଦାକୁ      ଡର ଡର ହେଲେ

ସାରସ୍ୱତ ନୁହେ ସେବା ଭକତି ।

ଲଜ୍ଜା ସଙ୍କୋଚକୁ      ନିବାର ଦୂରକୁ

ଆଗକୁ ପଛକୁ ନ କରି ଭୀତି ।।୫।।

ମନେ ମନେ ହେଜି      ଅନ୍ତର୍ଗତେ ବୁଝି

ଅଭୟ ବ୍ରହ୍ମକୁ ହୃଦରେ ଚିନ୍ତି ।

ଆଜ୍ଞା ହେଲେ ସିନା      ଶ୍ରୀଛାମୁକୁ ଯିବି

ଭଣେ ଭୀମଭୋଇ ପାମର ମତି ।।୬।।

 

(୧୨୬)

ପାପଭାରା ହେଲାଣି ଛେଦି,

କରୁଛନ୍ତି ଖେଳ ଗୁରୁ ଅନାଦି ।। ଘୋଷା ।।

ମହିମା ଶବଦ      ତିନିପୁର ମଧ୍ୟେ

ପିଣ୍ଡ ବ୍ରହ୍ମାଣ୍ଡରେ ଗଲାଣି ଭେଦି ।

ଜଗତ ଭଗତ      ତପସ୍ୟା ନିମନ୍ତେ

ଅଶେଷ ବ୍ରହ୍ମାଣ୍ଡ କରିବେ ସିଦ୍ଧି ।।୧।।

ଆପେ ବିଜେ କରି      ଭକତ ବୃନ୍ଦଙ୍କୁ

ତରିବାକୁ ରଖିଛନ୍ତି ସମ୍ପାଦି ।

ଏକ୍ୱୈଶ ପୁରକୁ      ଏକ୍ୱୈଶ ହାତିଆ

ତୋଳାଇ ଅଛନ୍ତି ଆସନ ଗାଦି ।।୨।।

ସ୍ୱର୍ଗ ଭୁବନୁ-      ମର୍ତ୍ତ୍ୟକୁ ଆସିଲେଣି

ସୁରଗଣେ ଯେଣୁ ହୋଇଲେ ବାଦୀ ।

ଦେବା ଦେବୀ ଯେତେ      ବିଘ୍ନ କଲେ ନିତ୍ୟେ

ଜାରି କଲେଣି ସେ ସତ୍ୟକୁ ସାଧି ।।୩।।

ନବଖଣ୍ଡ ମହୀ      ଉବାର ନୁହଇ

ସମୁଦ୍ର ପରାୟେ ଯାହାର ବୁଦ୍ଧି ।

ଚାରି ଧର୍ମ ଚଉ-      ପାଶେ ରହିଲେଣି

ଖଟିଲେଣି ନବରତନ ନିଧି ।।୪।।

ପାପା ପୁଣ୍ୟ ଧର୍ମ      ଅଧର୍ମ ସହିତ

ହୋଇଯାଉଥିଲା ଏକାନ୍ତେ ମେଦି ।

କଳିକାଳ ତିନି-      ଦିନ ଭୋଗ ଅଛି

ଏଥର ତାକୁ ପକାଇବେ ଛେଦି ।।୫।।

କର୍ପୂର ଗନ୍ଧ ଅଏଁଳା      ଲାଗି ହେବେ

ଚନ୍ଦନ ଅତର ବହିବ ନଦୀ ।

ଭଣେ ଭୀମ ଭୋଇ      ଗୁରୁପାଦ ଧ୍ୟାୟି

ହୃଦେ କର ମନ ଧ୍ୟାନ ସମାଧି ।।୬।।

 

(୧୨୭)

ନରଦେହେ ପାଇଛ ଜନ୍ମ

ଏତେବେଳେ ଡାକ ମହିମା ନାମ ।। ଘୋଷା ।।

କାଳଚକ୍ର ବ୍ରହ୍ମାଣ୍ଡରେ      ଫେରିଲାଣି

ଅଦୃଷ୍ଟ କରମ ହେଉଛି ବାମ ।

ଏକ ପ୍ରଭୁ ବିନୁ      ଏ ମାନବ ତନୁ

ରଖିବାକୁ କେହି ନୁହନ୍ତି କ୍ଷମ ।।୧।।

ମିଛ କଥାକୁ      ପସରା କରିଅଛ

ସରିଲାଣି ଦେଖ ସକଳ କାମ ।

ଦିନ ନ ସରି      ଅପମୃତ୍ୟୁ ହେଉଛି

ବିଅର୍ଥରେ ବାନ୍ଧି ନେବଟି ଯମ ।।୨।।

ଅଗ୍ନି ଅଙ୍ଗୀକାର      ପୁରୁଷ ଅଟନ୍ତି

ତାଙ୍କ ତୁଲେ କେହି ନୁହନ୍ତି ସମ ।

ଚାରି ତୀର୍ଥ ଆସି      ଶର୍ଣାଗତ ପଶି

ଶ୍ରୀଚରଣ ତଳେ ସେ ଚଉଧାମ ।।୩।।

ଯେ ଆଶ୍ରିତ ହେବେ      ଗୁରୁ ଧର୍ମ ନେବ

ଆକାଶକୁ ଚାହିଁ କର ନିୟମ ।

ନ ଧରିଲେ ରଟି      ଗଣ୍ଠି ଯିବ ଫିଟି

ପଶ୍ଚାନ୍ତେ ପାଇବ ପଥ ଶରମ ।।୪।।

ସପ୍ତ ବ୍ରହ୍ମାଣ୍ଡକୁ      ସାତଥର ହୋଇ

ଫେରି ଆସିଲାଣି ଅଲେଖ ଧର୍ମ ।

ଜାଣି ଶୁଣି କରି      ଚିତ୍ତରେ ନ ଧରି

ମାୟାରେ କିମ୍ପାଇଁ ହେଉଛ ଭ୍ରମ ।।୫।।

ଅକ୍ଷରେ ନ ବସେ      ରୂପରେ ନ ଦିଶେ

ସେ ପ୍ରଭୁଙ୍କୁ ନ ପାଇବେଟି ଗମ୍ୟ ।

ଆତ୍ମଜ୍ଞାନୀ ହେଲେ      ତେବେ ଯାଇଁ ମିଳେ

ଭଣେ ଭୀମଭୋଇ ପାମର ହୀନ ।।୬।।

 

(୧୨୮)

ଧର ଧର ହେ ଜୀବ ଗଲାଟି ସରି ।

ଏ ଭବ ସାଗରୁ କରିବେ ପାରି ।। ଘୋଷା ।।

କି ମନ ହେଉଛି      ଜମ୍ବୁଦ୍ୱୀପା ମହୀ

ହେତୁ ଚେତା ଗୋଟା ନାହିଁ କାହାରି ।

ଚାରିବେଦେ ଯେଉଁ      ଧର୍ମ ଦେଇଥିଲେ

କିପାଇଁ ମନରୁ ଦେଇ ପାଶୋରି ।।୧।।

ଧର୍ମ ବୁଡ଼ାଇଲ      କର୍ମ ବୁଡ଼ାଇଲ

ପ୍ରଚାର ହେଉଛ କାହାକୁ ଧରି ।

ବଡ଼ ପ୍ରଭୁ ବୋଲି      ଟେକିଥିଲୁ ଯାକୁ

ପ୍ରତ୍ୟକ୍ଷରେ ସେହୁ ଦେଲେଟି ସାରି ।।୨।।

ଧନମଦ ପଣ-      ମଦ ସ୍ତିରୀମଦ

ମାୟାମଦ ଖାଇ ହେଉଛ ଘାରି ।

କାମ କ୍ରୋଧ ଘେନି      ଧର୍ମକୁ ନ ମାନି

ପ୍ରାଣରୁ ଅଧିକ ଅଛ ଆବୋରି ।।୩।।

ଏ କଳି ପୁରୁଷ      ଘଟେ ଘଟେ ବାସ

ଅଚେତା କରି ପକାଉଛି ମାରି ।

ଅପ୍ରତେ ନ କର      ହୃଦରେ ବସିଛି

ଗଲାବେଳେ ଯିବ ନିଶ୍ଚେ ସଂହାରି ।।୪।।

ଯୁଗ ଶେଷ ହେଲା      କଳି ଭୋଗ କଲା

ମହିମା ଦୀକ୍ଷାରେ ବିଜୟ ହରି ।

ଏବେ ଆଶ୍ରେ କଲେ      ଦୋଷ କ୍ଷମା ଅଛି

ଅନେକ ଭାବେ କହୁଛି ତିଆରି ।।୫।।

ଏ ପିଣ୍ଡ ପ୍ରାଣକୁ      ଆଶା ଯେବେ ଅଛି

ଏତେବେଳେ କର ହାରି ଗୁହାରି ।

ଗୁରୁପାଦ ଧ୍ୟାୟି      ଭଣେ ଭୀମ ଭୋଇ

ଏ ବ୍ରହ୍ମାଣ୍ଡ ଫେରେ ହେବ ନୁଆରି ।।୬।।

 

(୧୨୯)

ମହିମା ଶବଦ ଧ୍ୱନି,      ତିନି ବ୍ରହ୍ମାଣ୍ଡ ମେଦିନୀ

କମ୍ପୁଅଛି ପୁର ତିନି ।। ଘୋଷା ।।

ଅଠରଲକ୍ଷ ଏ କଳି ପୂର୍ବେ ଥିଲି ଶୁଣି ।

ଚାରିଲକ୍ଷ ବତିଶସସ୍ର ଶାସ୍ତ୍ରେ

ଥୋଇଲେକ ଆଣି ।।୧।।

ଚାରିଲକ୍ଷ କଳିଯୁଗ ଗଲା ଯେଉଁକ୍ଷଣି ।

ବତିଶସସ୍ର ଭିତରେ ଗୁରୁ

ବିଜେ କଲେ ଜାଣି ।।୨।।

ଚାରି ଯୁଗ ଅବତାରେ ଥିଲେ ଯେତେ ମୁନି ।

ନିଜ ପ୍ରଭୁଙ୍କୁ ନ ଚିହ୍ନି

କ୍ରିୟାକର୍ମରେ ଭ୍ରମଣି ।।୩।।

ଅଶେଷ ବ୍ରହ୍ମାଣ୍ଡ ପୋଡ଼ି ଯାଉଥିଲା ପୁଣି ।

ଅନାଦି ପୁରୁଷ ଧର୍ମ ପ୍ରକାଶ

କଲେକ ଆଣି ।।୪।।

ଚାରିପାଦ ଧର୍ମ ପାପେ ବୁଡ଼ିଥିଲା ପୁଣି ।

ଧନ୍ୟ ସେ କର୍ତ୍ତା ପୁରୁଷ

ପୃଥ୍ୱୀକି ରଖିଲେ ଛାଣି ।।୫।।

ସତ୍ୟ ଧର୍ମ ନ ମାନିଲେ ହୋଇଲେ ଅଜ୍ଞାନୀ ।

ଗୁରୁ ପାଦ ବିନ୍ଦ ଧ୍ୟାୟି

ଭୀମ ଅରକ୍ଷିତ ଭଣି ।।୬।।

 

(୧୩୦)

ଭକତ ଦେଖିବେ ଯାକୁ ମହୀ ସମର୍ପିବେ ତାକୁ ।। ଘୋଷା ।।

ଏକ୍ୱୈଶ ବ୍ରହ୍ମାଣ୍ଡ ପାଟ ବାନ୍ଧିଦେବେ ତାଙ୍କୁ ।

ନବଖଣ୍ଡ ତ୍ରିଭୁବନ

ଯେ ପାରିବ ବୁଝିବାକୁ ।।୧।।

ସମ୍ଭାଳି ପାରିବ ଯେହୁ ଭକତ ବୃନ୍ଦଙ୍କୁ ।

ବାଞ୍ଛାପୂର୍ଣ୍ଣ ସ୍ଥିତି ବାସ

ଦେଇଯିବ ସମସ୍ତଙ୍କୁ ।।୨।।

ସମର୍ପି ଦେବେ ବାଉନକୋଟି ଭଣ୍ଡାରକୁ ।

ସମାନରେ ଯେ ପାଳିବ

ଛପନକୋଟି ଜୀବକୁ ।।୩।।

ଦାସ ପରି ମାନି ସେହୁ ରହିବ ଆଜ୍ଞାକୁ ।

ଦିବସକେ ଲକ୍ଷେ ଟଙ୍କା

ଖରଚାଦେବ ପ୍ରଭୁଙ୍କୁ ।।୪।।

ମୁଦାଇ ନୋହିଲେ ପୃଥ୍ୱୀ ନ ଦେବେ କାହାକୁ ।

ଚାକିରି ଯେହୁ କରିବେ

ଶ୍ରୀଗୁରୁ ପାଦପଦ୍ମକୁ ।।୫।।

ଶକତି ଯାହାର ଥିବ ମିଳିବ ତାହାକୁ ।

ଭଣେ ଭୀମ ଅରକ୍ଷିତ

ସୁମରି ଶୂନ୍ୟ ପ୍ରଭୁଙ୍କୁ ।।୬।।

 

(୧୩୧)

ଜଗତ କରତା ବିଜେ, ପହଣ୍ଡିକି ଭଲା ସାଜେ ।। ଘୋଷା ।।

ମତ୍ତଗଜ ଚାଲି ପ୍ରାୟେ ସ୍ୱରୂପ ବିରାଜେ ।

ବଇଷ୍ଣବ ମାୟା କରି ଦେଖାଉ

ଅଛନ୍ତି ବାହ୍ୟେ ।।୧।।

ବୃଦ୍ଧ ରୂପ ପରିପୂର୍ଣ୍ଣ ନୁହେଁ ଯୁବା ତେଜେ ।

ହସ ମାଡୁଅଛି ମୋତେ ନାହିଁ

ମୁଁ କହୁଛି ଲାଜେ ।।୨।।

ନବୀନ ବୟସ ଗୁପ୍ତ ବ୍ରହ୍ମାଣ୍ଡର କାର୍ଯ୍ୟେ ।

ସେହି କ୍ଷୀଣ ରୂପ ଧରି ଅଶେଷ

ବ୍ରହ୍ମାଣ୍ଡ ସର୍ଜେ ।।୩।।

ଛପନକୋଟି ଜୀବକୁ ପଡ଼ି ଭାତ ଖଞ୍ଜେ ।

ଆପଣେ ଭୁଞ୍ଜିଲାବେଳେ

ତୋଷହୋନ୍ତି ବାସି ପେଜେ ।।୪।।

ଭକତ ହାରି ଗୁହାରି ତତପରେ ବୁଝେ ।

ଗରବଗଞ୍ଜନ ବାନା

ଗରବିତାପଣେ ଗଞ୍ଜେ ।।୫।।

ସେ ଅଲେଖ ଶ୍ରୀଗୁରୁଙ୍କୁ ଦିବା ନିଶି ଭଜେ ।

ଭଣେ ଭୀମ ଅରକ୍ଷିତ

ଶରଣ ପାଦ ପଙ୍କଜେ ।।୬।।

 

(୧୩୨)

ବଜାଇ ଅନନ୍ତ ତାଳି, ହରିବୋଲ ହୁଳହୁଳି ।। ଘୋଷା ।।

ଫୁଲ ଚନ୍ଦନ କର୍ପୂର କ୍ଷୀର ମଧୁ ଗୋଳି ।

ସପ୍ତାମୃତ ଝରୀ ଘେନି

ଦିଅ ପୟର ପଖାଳି ।।୧।।

ଯେ ଯହିଁରେ ଅଛ ସର୍ବେ ଗୋପାଳୁଣୀ ବାଳୀ ।

ପ୍ରଭୁଙ୍କ ଆଜ୍ଞା ପଡ଼ିଲା ବନ୍ଦାଅ

ହେ ଅର୍ଘ୍ୟସ୍ଥାଳୀ ।।୨।।

ଅନନ୍ତ ଖଞ୍ଜଣୀ ବାଦ୍ୟେ ବ୍ରହ୍ମାଣ୍ଡ ଉଛୁଳି ।

ଗହ ଗହ ନିରନ୍ତରେ

ମହାନିତ୍ୟର ମଣ୍ଡଳୀ ।।୩।।

ଦାସୀ ଦାସ ଘେନି ପ୍ରଭୁ କରୁଛନ୍ତି କେଳି ।

ପ୍ରଭୁଙ୍କ ଶ୍ରୀମୁଖ ଚାହିଁ

ନାଚ ସର୍ବେ ଢଳି ଢଳି ।।୪।।

ଅଲେଖ ନାମକୁ କଣ୍ଠେ କର ରତ୍ନମାଳୀ ।

ଭଜିଥିଲେ ଅନ୍ତଃକାଳେ

ପଥକୁ ହେବେ ସଙ୍ଖାଳି ।।୫।।

ଚାରିଯୁଗ ଭକ୍ତମାନେ ହୋଇଛନ୍ତି ମେଳି ।

ଭଣେ ଭୀମ ଅରକ୍ଷିତ

ଅନୁସରି ପାଦଧୂଳି ।।୬।।

 

(୧୩୩)

ଦର୍ଶନ କର, ଧ୍ୟାୟି ଶ୍ରୀଗୁରୁ ପୟର ।। ଘୋଷା ।।

ନିର୍ବେଦ ଅମୃତ ସୁଧା      ଥିଲା ଯେ ଅଲେଖ ବିଦ୍ୟା

ଖିଲ ପଡ଼ିଥିଲା ମୁଦା

ଏବେ ବହୁଅଛି ଧାର ।।୧।।

ସେ ଠାବକୁ ହେଲେ ଲକ୍ଷ୍ୟ      ବୋଲାଇବ ବ୍ରହ୍ମଲୋକ

ଜିଣିବ ତିନି ତ୍ରୈଲୋକ୍ୟ

ତେବେ ହୋଇବେ ଅମର ।।୨।।

ଶ୍ରୀପୟରୁ ଝରୁଅଛି      ବସୁଧାରେ ପଡ଼ୁଅଛି

ଅନୁସରି ପିଅ ଅଛି

କୋଟି ଜନ୍ମ ପାପ ହର ।।୩।।

ବାହ୍ୟରେ କଲେ ପ୍ରକାଶ      ଯୁଗ ଯହୁଁ ହେଲା ଶେଷ

ବୁନ୍ଦେ ବୁନ୍ଦେ କର ଗ୍ରାସ

ମାୟା ମୋହ ହେଉ ଦୂର ।।୪।।

ସେ ସର୍ଜିଲା ପିଣ୍ଡ ପ୍ରାଣ      ସେହି ସେ କରତା ଜାଣ

ସେବା ଲାଗି ନିଅ ଦିନ

ଅଛି ଯେବେ ପ୍ରତିକାର ।।୫।।

ସ୍ୱାମୀ ମହିମା ଅଶେଷ      ଭଣେ ଭୀମ ହୀନ ଦାସ

ଉଦ୍ଧାର ହେବ ଅବଶ୍ୟ

ଦୃଢବନ୍ଧେ ସେବା କର ।।୬।।

 

(୧୩୪)

ଭଜ ସ୍ୱାମୀଙ୍କି, ଚର୍ମ ନୟନରେ ଦେଖି ।। ଘୋଷା ।।

ଶୁଷ୍କତରୁ ପଲ୍ଲବୁଛି      ପୁଷ୍ପଫୁଟି ବାସୁଅଛି

ଚାହିଁଲେ ନେତ୍ରେ ଦିଶୁଛି

ଏବେ ଅପ୍ରତେ କାହିଁକି ।।୧।।

ପାତକ ଭାରା ଛେଦନ      ଉଦୟ ହେଲାଣି ଜ୍ଞାନ

ଦେଖ ଦେଖ ସର୍ବଜନ

ମନକୁ ଥବିରେ ରଖି ।।୨।।

ମିଛ ମାୟା ଗାଳି ଗର୍ବ      ଛେଦନ ହେଲାଣି ସର୍ବ

ପଶିଲାଣି ସତ୍ୟଯୁଗ

ଆସି ରହିଲାଣି ବାକି ।।୩।।

ଆଜ୍ଞାରେ ଚାରିବେଦରେ      ରହିଲେଣି ବଚନରେ

ପ୍ରଚରି ବ୍ରହ୍ମକର୍ମରେ

ସକାମକୁ ଦୂରେ ଫିଙ୍ଗି ।।୪।।

ଶ୍ରୀ ପୟରୁ ସୁଧାପାନ      ପିଇଲେଣି ଭକ୍ତଜନ

ମନୋବାଞ୍ଛା କରି ପୂର୍ଣ୍ଣ

ଲଭିଲେ ସଦଗତିକି ।।୫।।

ପ୍ରଭୁ ନାମକୁ ନିରୋପି      କହୁଛି ଜଗତେ ଡାକି

ଭଣେ ଭୀମ ଅରକ୍ଷିତ

ପିଣ୍ଡ ପରାଣକୁ ବିକି ।।୬।।

 

(୧୩୫)

ନିଜ ଅଙ୍ଗରେ, ଖେଳୁଛନ୍ତି ବ୍ରହ୍ମାଣ୍ଡରେ ।। ଘୋଷା ।।

ଜମ୍ବୁଦ୍ୱୀପ ପୂର୍ବଦିଗେ      ବିଜୟ ଅନନ୍ତ ଯୋଗେ

ସାବଧାନ ହୋଇ ସର୍ବେ

ଯାଇ ଦେଖି ଆସ ଥରେ ।।୧।।

ନ ଗଲେ ନ ରହେ ଜୀବ      ଜଗତେ ନୋହିବ ଠାବ

କାହିଁରେ ନାହିଁ ନା ଭାବ

ଅଛି ପ୍ରଭୁଙ୍କ ଛାମୁରେ ।।୨।।

ସେ ମହା ମହିମା ମେରୁ      ଦୁବକୁ କରନ୍ତି ଦାରୁ

ଛପନକୋଟି ଜୀବ ଗୁରୁ

ସେବା କର ନିରନ୍ତରେ ।।୩।।

ପଡ଼ି ଦାତା ଜ୍ଞାନଦାତା      ପିଣ୍ଡ ପ୍ରାଣର କରତା

କିମ୍ପାଇଁ କରୁଛ ଚିନ୍ତା

ଦୁଯା ନ ହୁଅ ମନରେ ।।୪।।

ଯୁବାଙ୍ଗ ଯୁବତୀ ଯେତେ      ବାଳବୃଦ୍ଧ ପରିଯନ୍ତେ

ଦେଖ ଦେଖ ନେତ୍ରପଥେ

ପୂର୍ବଜନ୍ମେ ତପସ୍ୟାରେ ।।୫।।

ନ ଜାଣଇ ଆଦିଅନ୍ତ      ନୁହଇ କବି ପଣ୍ଡିତ

ଭଣେ ଭୀମ ଅରକ୍ଷିତ

ଧ୍ୟାୟି ଅଭୟ ପୟରେ ।।୬।।

 

(୧୩୬)

ମହିମା ଦେଖ, ଯାର ନାହିଁ ରୂପ ରେଖ

।। ଘୋଷା ।।

ନିଶବ୍ଦ ଘରୁ ଶବଦ      ଜଡ଼ା କହେ ଚାରିବେଦ

ଶୂଦ୍ର ହୋଇ ବ୍ରହ୍ମପଦ

ପ୍ରକାଶ ହେଉଛି ମୁଖ ।।୧।।

ମୂର୍ଖେ ହୋଇଲେ ପଣ୍ଡିତା      ବେଦଶାସ୍ତ୍ର ନାହିଁ ଶ୍ରୋତା

ଅଜ୍ଞାନୀ ହୋଇଲେ ଚେତା

ବୁଦ୍ଧିରେ କରି ବିବେକ ।।୨।।

ଗୃହୀମାନେ ହେଲେ ଋଷି      ତପରେ ବ୍ରହ୍ମକୁ ତୋଷି

ବୋଲାଇଲେ ଦାସ ଦାସୀ

କ୍ଷୟ କରି ପାପ ଦୁଃଖ ।।୩।।

ମଲା ପିଣ୍ଡ ଉଠିଲାଣି      ପାଷାଣ ପାଣି ହେଲାଣି

ଗୁପ୍ତକଥା ଫିଟିଲାଣି ମିଛ

ନୁହେଁ ସତ୍ୟବାକ୍ୟ ।।୪।।

ପଙ୍ଗୁ ଗିରି ଲଙ୍ଗି ଯାଇ      ଅନ୍ଧ ଚକ୍ଷୁ ଦାନ ପାଇ

ଅପୁତ୍ରିକ ପୁତ୍ରହୋଇ

ଏଥୁ କି ନେବ ପରୀକ୍ଷା- ।।୫।।

ଭଣେ ଭୀମ ଅରକ୍ଷିତ      ଧ୍ୟାୟି ଗୁରୁ ପାଦଗତ

ସେ ଅଲେଖ ଅବଧୂତ

ଲଭିବାକୁ କାହା ଶକ୍ୟ ।।୬।।

 

(୧୩୭)

ନାମ ଭଜ ନିରନ୍ତରେ ।

ହୃଦୟରେ ଡର ଭୟ ନ କରି ମନରେ ।। ଘୋଷା ।।

ରଚନା ହୋଇଛି କାୟା ମାୟାର ଭିତରେ,

ସିନ୍ଧୁ ଅଗାଧ ସାଗରେ ।

ପୀରତି ଲଗାଅ ପ୍ରାଣ ଶ୍ରୀଗୁରୁଙ୍କ ଠାରେ ।।୧।।

ଦୁର୍ଲ୍ଲଭ ଜନମ ପିଣ୍ଡ ବିଷୟା ବୃଥାରେ,

ସରି ଯାଉଛି ମିଥ୍ୟାରେ ।

ପୂର୍ବ ହେତୁଧର ମାତୃ ଗର୍ଭର ଜ୍ଞାନରେ ।।୨।।

ଆଶାର ବିଶ୍ରାମ ସ୍ଥିତି ପର୍ବତ କନ୍ଦରେ,

ଉଦେ ଦୋପଖା ସନ୍ଧିରେ ।

ସଦବୁଦ୍ଧି ହଜିଅଛି ଆକାଶ ଶୂନ୍ୟରେ ।।୩।।

ପଚାରୁଛି ବାନା ଭେକ ଭକତ ମଧ୍ୟରେ,

ଡାକ ଫେରୁଛି ତ୍ରିପୁରେ ।

ଭେଟ ପଡ଼ିଅଛି ବ୍ରହ୍ମ ସୁକୃତ କର୍ମରେ ।।୪।।

ଅନୁସରି ଅଛି ମୁହିଁ ଯେବଣ ଧ୍ୟାନରେ ।

ଥୟ କରି ମୋ ମନରେ ।

ଯାହା ସୁଦୟା ହୋଇବ ଶ୍ରୀଗୁରୁ ଆଜ୍ଞାରେ ।।୫।।

ଯାହା ମୋ କଳ୍ପଣା ଅଛି ହୃଦୟ ଭିତରେ,

ଗୁରୁ ଜାଣିବେ ଅନ୍ତରେ ।

ଭଣେ ଭୀମ ଅରକ୍ଷିତ ଶ୍ରୀଗୁରୁ କୃପାରେ ।।୬।।

 

(୧୩୮)

କଳିଯୁଗ ହେଲେ ସାରା ।

ନିଶ୍ଚେ ବସାଇବି ହାଟ ବଣିଜ ପସରା ।। ଘୋଷା ।।

ଦିବସ ରଜନୀ ଭାଳି କରିଛି ଆଶରା,

ସତ୍ୟଯୁଗ ହେବ ପରା ।

ନୟନରୁ ବ୍ରହୁ ଅଛି ଅଶ୍ରୁଜଳ ଧାରା ।।୧।।

ବହି ଯାଉଅଛି ଯୁଗ ନିଶି ଦିବାକରା,

ଏହିରୂପେ ଚନ୍ଦ୍ର ତାରା ।

କେତେଦିନେ ଉଶ୍ୱାସ କରୁଛ ମହୀ ଭାରା ।।୨।।

ଠାବେ ଠାବେ ରଖିଅଛ ବିଚିତ୍ର ନୋତରା,

କିଣି ରତ୍ନମଣି ହୀରା ।

ନାମ ଶବଦ ଟମକ ଦିଆଇ ନାଗରା ।।୩।।

ବ୍ରହ୍ମଜାତି ପଦ୍ମରାଗ ମୋତି ମାଣିକରା

ଶାସ୍ତ୍ର ସମ୍ପଦ ଅସରା ।

ଝାଳି ପୋଡ଼ି କରିଥିବି ହୃଦୟର ହାରା ।।୪।।

ପିତା ମୋ ଅନାଦିକନ୍ଦ ସତ୍ୟରେ ପସରା

ଧର୍ମ ନ ଲଘିଂବି ପରା ।

ମନ ନିଷ୍ଠା ବୋଲି କାଟି ଦେଇଛନ୍ତି ଗିରା ।।୫।।

ସିଦ୍ଧ ବାକ୍ୟ ବ୍ରହ୍ମବାଣୀ ହେଉଅଛି ମାରା

ଭକ୍ତେ ଅଶାନ୍ତି ଅଧୀରା ।

କହେ ଭୀମଭୋଇ ଆଜ୍ଞା ପଡ଼ୁଛି ଦୋହରା ।।୬।।

 

(୧୩୯)

କ୍ଷଣେ ନ ଛାଡ଼ିବି ପାଦ

ଅଣ ବୁଝାମଣା ହେଲେ କରିବି ପ୍ରମାଦ ।। ଘୋଷା ।।

ଦେବକୂଟ ବିଷ୍ଣୁକୂଟ ଲାଗିଛି ବିବାଦ,

ମନ ଭୟରେ ତବଦ

ମାୟା କାଳକୂଟ ଡାକ ପଡ଼ୁଛି ପ୍ରମାଦ ।।୧।।

ନିର୍ଦ୍ଦୋଷେ ଦୋଷ ଲଗାଇ କଲେଣି ବିଚ୍ଛେଦ,

ଦଣ୍ଡ ଶାସ୍ତି ଦେଇ ଖେଦ

ଋକ ସାମ ଆଦି ସାକ୍ଷ୍ୟ ଥାନ୍ତୁ ଚାରିବେଦ ।।୨।।

ରଖ ବା ନ ରଖ ମହୀ ଭକ୍ତ କୁଳ ସିଦ୍ଧ

ଦୁଷ୍ଟେ କରୁଛନ୍ତି ବାଦ ।

ନ ସଂହାରି ଦେଖୁଅଛ ଇନ୍ଦ୍ର ଚନ୍ଦ୍ର ପଦ ।।୩।।

ପାଳନ କରୁଛ ମ୍ଳେଚ୍ଛ ଘୁଷୁରୀ ଯେ ଗଧ ।

ସୁଖ ଭୋଗରେ ଆନନ୍ଦ ।

ଗରବିତା ପଣେ ଉପହାସେ ଗଦ ଗଦ ।।୪।।

ଲୁଚିଅଛି ସ୍ୱାମୀ ଲତା ଗିରି ବନ କନ୍ଦ,

ଦେଇ ଏକାକ୍ଷର ପଦ ।

ଦୈତ୍ୟ ସଙ୍ଗତେ ଭକ୍ତଙ୍କୁ କରାଉଛ ଯୁଦ୍ଧ ।।୫।।

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁର କର ସାଧ୍ୟ,

ନାମ ମହିମା ଅଗାଧ ।

କହେ ଭୀମଭୋଇ କର ଏକଠାରେ ମେଦ ।।୬।।

 

(୧୪୦)

ସତ୍ୟ ଧର୍ମକୁ ଚାହିଁ

ନାମ ଶବଦ ଆକାରେ କମ୍ପୁଅଛି ମହୀ ।। ଘୋଷା ।।

ଅଣରୂପ ହୋଇଥିଲେ ମହାଶୂନ୍ୟ କହି

ଅବତାର କଲେ ଦେହୀ ।

ଭକ୍ତବୃନ୍ଦ ରବିତଳେ ଛନ୍ତି ଜନ୍ମ ହୋଇ ।।୧।।

ପଳାଇଲେ ଚାରିଧର୍ମେ ବାରତା ନ କହି,

ପ୍ରଭୁ ଆଣିଲେ ଫେରାଇ ।

ଗୁପତରେ ଚାରିଦିଗେ ବସାଇଲେ ନେଇ ।।୨।।

ବ୍ରହ୍ମାଣ୍ଡେ ସ୍ଥାପିଲେ ଧୂନି ଘୃତ ଯେ ପକାଇ

ଶାନ୍ତଶୀଳ ଦୟା ବହି ।

ଭକ୍ତଜନ ଭଗବାନ ସାଧୁ ସନ୍ଥ ଦୁଇ ।।୩।।

ଜଗତର ପାପଭାରା ଛେଦିବାର ପାଇଁ,

ବୀରବିଧୂ ବାନା ବହି ।

ଏତେ ଦୁରୁଦଶା କଳିଯୁଗ ଥିଲା କାହିଁ ।।୪।।

ତିଆରି ହେଉଅଛନ୍ତି ଯୁଝିବେ ନିଠାଇ,

ଧନୁ ହୁଳେ ଗୁଣ ଦେଇ ।

ବ୍ରହ୍ମବାଣେ ଛିଡ଼ିଯିବେ ଖଣ୍ଡ ଖଣ୍ଡ ହୋଇ ।।୫।।

ଗୁରୁ ଶିଷ୍ୟଙ୍କର ବେନି ଚରଣକୁ ଧ୍ୟାୟି,

ଶରଣ ମାଗୁଛି ତ୍ରାହି ।

ଭଣେ ଭୀମ ଅରକ୍ଷିତ ସ୍ୱାମୀ ପଦ ଧ୍ୟାୟି ।।୬।।

 

(୧୪୧)

ପାକ ଷଡ଼ରସରେ

ଭୁଜୁଅଛ ସତୀ, ପରଶୁଛି ପତି,

ଅତି ହରଷ ମତିରେ ।। ଘୋଷା ।।

ଦୋପଖା ଚୂଲାରେ ବସିଅଛି ଭାଣ୍ଡ ନୀର ଫୁଟୁଛି ତହିଁରେ ।

କାଷ୍ଠ ନାହିଁ ଅଗ୍ନି ହୁତାଶେ

ଜଳୁଛି ଖୋଳା ବିମ୍ବର ଭିତରେ ।।୧।।

ଦୋପଖାରେ ପାକ ରନ୍ଧନ ହେଉଛି ଏକଗୋଟି ତଣ୍ଡୁଳରେ ।

ଭାଣ୍ଡ ପୂରି ମଣ୍ଡ ଉଛୁଳି

ପଡ଼ୁଛି ନିର୍ଧୂମ ଅଗ୍ନି ଜାଳରେ ।।୨।।

ଭୁଞ୍ଜାଉଛି ଘୃତ ହରୁଛି ସର୍ବତ୍ର ମନ ଧ୍ୟାନ ଭଣ୍ଡାରରେ ।

ଦ୍ୱିଗୁଣେ ନେଉଛି ତିନିଗୁଣେ

ଦେବ ଦୁର୍ଲ୍ଲଭ ରତ୍ନ ଦାନରେ ।।୩।।

ପୂରା ଜଳ ଭାଣ୍ଡେ ସଲିଳ ପ୍ରଚଣ୍ଡେ ବିନ୍ଦୁ ବ୍ରହ୍ମଲୀଳା କରେ ।

ଚନ୍ଦନ ଅର୍ଗଳୀ ତିଳ ମାତ୍ରେ

ଗଳି ମୁଦ୍ରିତ ଷଡ଼ଦଳରେ ।।୪।।

ସେ ତପତକୁଣ୍ଡ ସଞ୍ଚରିଛି ପିଣ୍ଡ ପ୍ରଚରେ ବ୍ରହ୍ମଜ୍ଞାନରେ ।

ଭଣେ ଭୀମକନ୍ଧ କବିକୁଳ

ଚାନ୍ଦ ଜ୍ଞାନ ରସ ସମ୍ପାଦରେ ।।୫।।

 

(୧୪୨)

ସୁବେଶକୁ ଜଗିଛି

କ୍ଷରି ପଦ୍ମ ପୁଷ୍ପ, ପୂରି ମଧୁ ରସ,

ବିନ୍ଦୁରେ ବଶ କରୁଛି ।। ଘୋଷା ।।

ଜ୍ୟୋତି ମୂର୍ତ୍ତି ଘେନି କ୍ଷିତି ପ୍ରକାଶିଛି ସ୍ଥଳରେ ଜଳ ରହିଛି ।

ଜଳ ମଧ୍ୟେ ଷଡ଼ ପାଖୁଡ଼ା

ଦଳରେ ଅନାଡ଼େ ପୁଷ୍ପ ଫୁଟିଛି ।।୧।।

ଅହି କାଳ ସର୍ପ ଅମୋଘ ପୁଷ୍ପକୁ ବେଢ଼ାଇ ତହିଁ ରହିଛି ।

ଆଧାର ନ ଅଣ୍ଟି ବିସ୍ତାରିଛି ପାଟି

ବିନ୍ଦୁ ଗ୍ରାସ କରିଅଛି ।।୨।।

ବଞ୍ଚିବାର ଯୋଗେ କହିଅଛି ପଦେ ନିତ୍ୟ ଭୋଜନକୁ ବାଞ୍ଛି

ତ୍ରିପୁରର ଧନ କରୁଛି ଆପ୍ୟାନ

ଉଦର ତା ନ ପୁରୁଛି ।।୩।।

ଶିରୀଷର ପୁଷ୍ପ କରିଅଛି ବାସ ତିନି ଭୁବନ ମୋହୁଛି ।

କଢୀର ସଙ୍ଗରେ ଆବୋରି

ଭ୍ରମର ମଧୁପାନ କରୁଅଛି ।।୪।।

ଲାଗିଅଛି ତହିଁ ଇଚ୍ଛାକ କବାଟ କଞ୍ଚିଖିଲ ନାହିଁ କିଛି ।

ମାଛି ଗଳିବାକୁ ନ ମିଳଇ ସଜ

ମତ୍ତଗଜ ଗଳୁଅଛି ।।୫।।

ଏ ଜଗତରୂପ ଭବାର୍ଣ୍ଣବ କୂପ ଷଡ଼ରଚନା କରିଛି ।

ଭଣେ ଭୀମଭୋଇ କୁଢ

ରସେ ବାଇ ଦିବସ ସରିଯାଉଛି ।।୬।।

 

(୧୪୩)

ଅନାହତ ବିହାରୀ !

ଆବୋରିଛି କାୟେ, ଜଳେ କୁମ୍ଭ ପ୍ରାୟେ

ଭିତର ବାହାରେ ପୂରି ।। ଘୋଷା ।।

ବିନା ଚକେ ରଥ ବୁଲେ ଅବିରତ ମନ ଦଣ୍ଡ ଯୋଚିକରି ।

ତହିଁରେ ବାହାରେ ହ୍ରଦ ପଙ୍କଜଳ

ଶ୍ରୋଣୀ ତ ସେ ଭବ ବାରି ।।୧।।

ଚନ୍ଦ୍ର ମଧ୍ୟେ ବ୍ରହ୍ମ କରିଛି ଆଶ୍ରମ ଜଳରେ ପାଷାଣ ପରି ।

ଗଙ୍ଗା ଯମୁନା ସରସ୍ୱତୀ ବହୁଛି

ବଙ୍କୁନାଳ ଶିଖେ ଝରି ।।୨।।

ସପ୍ତଦ୍ୱୀପା ମହୀ ରଚନା କରୁଛି ଚତୁର୍ଦ୍ଦଶ ପୁର କରି ।

ଚଉଦବ୍ରହ୍ମାଣ୍ଡ ଭିତର ବାହାରେ

ଅଛି ସପ୍ତସିନ୍ଧୁ ପୂରି ।।୩।।

ଅସ୍ଥି ମାଂସ ଚର୍ମ ଲୋମ ଏକ କରି ଲତା ବନକୁ ଆବୋରି ।

ଏ ତିନି ବ୍ରହ୍ମାଣ୍ଡେ ଯେ କରିଛି

ପିଣ୍ଡ ସର୍ବଘଟେ ବିଜେ କରି ।।୪।।

ଏ କୀଟପ ଜୀବ କରୁଅଛି ଭାବ ଅରୂପକୁ ଅନୁସରି ।

କହେ ଭୀମଭୋଇ କୃପା ଯେବେ

ହେବ ଭବସିନ୍ଧୁ ଯିବି ତରି ।।୫।।

 

(୧୪୪)

ବାନା ଜଗତେ ସଞ୍ଚରି ।

ରହିଲେ ଭକତେ ନାମ ଭଜିନିତ୍ୟେ ଚଉଦିଗ ରାଷ୍ଟ୍ରେ ପୂରି

।। ଘୋଷା ।।

ବିଜେ କଲେ ପୃଥ୍ୱୀ ରଖିବାରୁ ଉଦେ ଅସ୍ତ ପୂର୍ଣ୍ଣ ଗିରି ।

ଧୂନିର ପାରୁଶେ ଜଗି ରହିଅଛି

କାଳିନ୍ଦୀ ନାମେ ଶର୍ବରୀ ।।୧।।

କାଳିନ୍ଦୀ ମଧ୍ୟରେ ଯେତେ ସୀମାନ୍ତରେ ବହେ ଜଳ ପରଖରି ।

ତେଣୁ ଜଳ ପଙ୍କ ଅନୁଭବେ ଦେଖ

ହେଉଅଛି ଏକାନ୍ତରୀ ।।୨।।

ସେ କାଳିନ୍ଦୀ ହ୍ରଦ ନାହିଁ ଅନ୍ତ ଭେଦ କେ କହିବ ଅନ୍ତ କରି ।

ଠିକେ ଠିକେ କରି କହିବା ବିସ୍ତାରି

ଛନ୍ତି ସସ୍ରେ ବ୍ରହ୍ମଚାରୀ ।।୩।।

ଯେଉଁ ପୁରୁଷର ହାଇ ଛାଇ ନାହିଁ ଛନ୍ତି ତହିଁ ମଠ କରି ।

ନ କରି ଆହାର ନାମରେ ପିଅର

ଅଣସାଧନାରେ ତରି ।।୪।।

ତହିଁରୁ ଗଭୀର ଦୀର୍ଘ ପ୍ରତି ତା’ର ସମାନେ ପୂରିଛି ବାରି ।

ଭଣେ ଭୀମ ହୀନ ପାମର

ଅଜ୍ଞାନ ଗୁରୁ ପାଦବିନ୍ଦ ଧରି ।।୫।।

 

(୧୪୫)

ବ୍ରହ୍ମ ଯହିଁ ଛନ୍ତି କର ନିରୂପଣ ହେ ସାଧୁଜନ

।। ଘୋଷା ।।

ଅଲେଖରୁ ଲେଖା ହେଲେ      ବୁଦ୍ଧ ଅଙ୍ଗେ ବିରାଜିଲେ

ସଂସାର ବାହ୍ୟକୁ ହୋଇଛନ୍ତି ଶୂନ୍ୟ ।

ଅନାଦି ଈଶ୍ୱର ଯେହୁ      କ୍ଷୟ ବୃଦ୍ଧି ନୁହେଁ ସେହୁ,

କେଉଁ ବେଦେ ଶୁଣିଛ କି ଲଭନ୍ତି

ସେ ମରଣ ହେ ।।୧।।

ଅଜନ୍ମା ପୁରୁଷ ସେହି      ଜନ୍ମ ମୃତ୍ୟୁ ତାଙ୍କ ନାହିଁ

କାହିଁ ଜନ୍ମ ହୋଇଛନ୍ତି କେ କେ ଜାଣ ।

ସମସ୍ତଙ୍କୁ ପଚାରୁଛି      ଜାଣିଥିଲେ କୁହ କିଛି

ଚିନ୍ତା କରି ହୃଦୟରେ ସରୁ

ନାହିଁ ମୋ ଦିନ ହେ ।।୨।।

ସେ ପ୍ରଭୁ ଯହିଁରେ ଛନ୍ତି      ସୁର ନର ନ ଜାଣନ୍ତି

ବିଶ୍ୱାସ ଲଗାଇ କର ପରସନ୍ନ ।

ନିଷ୍କାମ ହୋଇଲେ ମନ      ଦୃଶ୍ୟ ହେବେ ପରଂବ୍ରହ୍ମ

ଅଳ୍ପଦିନେ ମିଳିବ

ପାଦପଦ୍ମ ଦର୍ଶନ ହେ ।।୩।।

ଅଲେଖ ବୋଇଲେ ମୋତେ      ରୋଦନ ମାଡ଼ୁଛି ଚିତ୍ତେ

ଶୋକ ସନ୍ତାପରେ ପୋଡ଼ୁଅଛି ଜୀବନ ।

ସେ ଯେ ଅଣରୂପ ସ୍ୱାମୀ      ସର୍ବଦା ସେ ଅନ୍ତର୍ଯ୍ୟାମୀ

ରୂପ ହୋଇଛନ୍ତି ପରା

କୋଟିଏ ମଦନ ହେ ।।୪।।

ସେ ଅଲେଖ ଅଣାକାର      କାହାକୁ ନାହିଁ ଗୋଚର

ଅଙ୍ଗରେ ହୁଅନ୍ତି ସେ ବିରାଜମାନ ।

ଭକତଙ୍କ ଧନ ସେହି      ତିନିପୁରେ ଛନ୍ତି ଧ୍ୟାୟି

ସତ୍ୟାଦି ଧର୍ମରେ ଏକା

ହୁଅନ୍ତି ସେ ବନ୍ଧନ ହେ ।।୫।।

ଭଣେ ଭୀମ ଅରକ୍ଷିତ      ଶ୍ରୀଗୁରୁ ଚରଣେ ଚିତ୍ତ

ଅଲେଖକୁ ସମର୍ପିଛି ପିଣ୍ଡ ପ୍ରାଣ ।

ମରିଗଲେ ବୋଲୁଛନ୍ତି      କି ରୂପେ ରହିଛି ପୃଥ୍ୱୀ

କଦାଚିତ୍ତରେ ପରତେ ନ

ଯାଉଛି ମୋ ମନ ହେ ।।୬।।

 

(୧୪୬)

ସର୍ବଶୁଭେ ତାଙ୍କୁ ଭେଦ କର, ରବିତଳେ ଥିବେ ହେ ।। ଘୋଷା ।।

ବନ୍ଦଇ ଅଲେଖ ବ୍ରହ୍ମ      ଅନାମୁଁ କ୍ଷରିଲା ନାମ

ରୂପରେଖ ବର୍ଣ୍ଣ ନାହିଁ ଥିଲା ପୂର୍ବେ ।

ଘର ବାହାରେ ଅଲେଖ      ପିଣ୍ଡ ବ୍ରହ୍ମାଣ୍ଡରେ ଦେଖ

ଘଟେ ଘଟେ ଜୀବରୂପେ

ପୂରି ସର୍ବଠାବେ ହେ ।।୧।।

ଚାରିଯୁଗେ ସେ ଅଲେଖ      ନ ଲାଗେ ମାୟା କଳଙ୍କ

ନରଅଙ୍ଗେ ବିରାଜିତ ଗୁପ୍ତଭାବେ ।

ଇଚ୍ଛାରେ ଆସନ୍ତି ବ୍ରହ୍ମ      ପରକାଶେ ସତ୍ୟ ଧର୍ମ

ଚିହ୍ନା ପଡ଼ି ଅଛନ୍ତି ସେ ସମ୍ଭାଳି

ଧର ଏବେ ହେ ।।୨।।

ଖେଳ କରିବା ନିମନ୍ତେ      ଆସି ବିଜୟ ଜଗତେ

ସଂସାର ତାରିବା ପାଇଁ ସର୍ବଶୁଭେ ।

ଭକ୍ତଙ୍କ ହାରି ଗୁହାରି      ବାଞ୍ଛା କାମନା ଯାହାରି

ନିର୍ଦ୍ଦୟା ନ କରି ସ୍ୱାମୀ

ତତ୍‌ପରେ ବୁଝିବେ ହେ ।।୩।।

ଶୂନ୍ୟ ବୋଲି ଯାହା କହି      ବେଦର ଭ୍ରମଣି ସେହି

ଆକାଶକୁ ସର୍ବେ ଚାହିଁଅଛି ଲୋଭେ ।

ଅନନ୍ତ କୋଟି ସାଧୁସଙ୍ଗେ      ଚଉଷଠି ସିଦ୍ଧ ଅଙ୍ଗେ

ଏହି ଭିତରେ ଲୋଡ଼ିଲେ

ନିଶ୍ଚେ ଧରା ପଡ଼ିବେ ହେ ।।୪।।

ଥବିର କର ମନକୁ      ଚିତ୍ତୁ କାଟ ବଡ଼ିମାକୁ

ତତ୍ତ୍ୱ କରି ଜପ ମନ ଧ୍ୟାନ ସଙ୍ଗେ ।

ବାଇ ହେଉଛି ସମସ୍ତେ      ବୁଝାଇ କହିବି କେତେ

ସତ୍ୟ ଧର୍ମକୁ ମାଗିବ

ଜଣେ ଆଗେ ହେ ।।୫।।

ଯେ ଅଛ ସାଧୁ ସୁଜନ      କିମ୍ପା ହେଉଛ ଅଜ୍ଞାନ

ଅନୁସରି ଲୋଡ଼ି ଠାବ କର ବେଗେ ।

ଭଣେ ଭୀମ ଅରକ୍ଷିତ      ନିର୍ଣ୍ଣୟେ କହୁଛି ସତ୍ୟ

ଗୁପତରେ ଛନ୍ତି ପ୍ରଭୁ

ଅନନ୍ତର ଗର୍ଭେ ହେ ।।୬।।

 

(୧୪୭)

ଦୃଢେ ଧର; ଚିହ୍ନ ଭଲ କରି ଅପ୍ରତେ ନ କର ଗୁରୁ ମହିମା ସାଗର ।। ଘୋଷା ।।

ଅନନ୍ତ ପୁରୁଷ ସେହି      ଆଦି ଅନ୍ତ ତା ପାଇ

ଭକତ ହିତରେ ମର୍ତ୍ତ୍ୟେ ଅବତାର ।

ସେ ପ୍ରଭୁ ମହିମା ଗାଦି      ଶୂନ୍ୟ ଅନନ୍ତ ସମାଧି

ଚାରିଯୁଗକୁ ରହିବ

ସଂସାର ମଧ୍ୟର ହେ ।।୧।।

ଯେ ଅଲେଖ ଅବଧୂତ      ଧରନ୍ତି ଅତିଥ ମତ

ଧର୍ମ ତାଙ୍କର ଅଟଇନିର୍ବିକାର ।

ଯେ ଯେମନ୍ତ ଖଟିଛନ୍ତି      ନ ଥାଇ ସଂଶୟ ଭୀତି

ସେମାନେ ଦୟା ବହନ୍ତି

ନ କରନ୍ତି ଅନ୍ତର ହେ ।।୨।।

କେ ପାରେ ଏ କର୍ମମାନ      ଛତିଶ ପାଟେ ଭୋଜନ

ସମ କରିବାକୁ ଅଛି ଶକ୍ତିକାର ।

ବ୍ରହ୍ମ ଯେବେ ଚିହ୍ନିଥାଇ      କିଞ୍ଚିତ ମାତ୍ର ହୁଅଇ

ଆଜ୍ଞା ଯେବେ ଶ୍ରୀମୁଖରୁ

ପଡ଼ିଥାଇ ତାଙ୍କର ହେ ।।୩।।

ଯେଉଁ ବୃଦ୍ଧ ରୂପ ଗୋଟି      ଦିଶଇ କ୍ଷୀଣ ରୂପଟି

ସେ ପ୍ରଭୁ କାହିଁ ରହିଲେ ହେତୁକର ।

ବୈଷ୍ଣବ ଜଣେ ବୋଇଲେ      ଯୋଗୀ ପରାୟେ ମଣିଲେ

ମାନବ ଶକତି ନୁହେଁ ଅନାଦି

ସେ ଈଶ୍ୱର ହେ ।।୪।।

ରଜବୀର୍ଯ୍ୟ ନ ଲାଗଇ      ବିଲଗେ ଅଲଗା ଥାଇ

ଆପେ ଏ ଘଟକୁ କରିଛନ୍ତି ତିଆର ହେ ।

ଆତ୍ମାରୂପେ ରହିଅଛି      କହୁଅଛି ନ ଦିଶୁଛି

ଇଚ୍ଛାରେ ବାସନା ଭୋଗ

କରୁଛନ୍ତି ଆହାର ହେ ।।୫।।

ଅବିଶ୍ୱାସ ହେଲେ ଯହୁଁ      ଅପମାନେ ମହାବାହୁ

ତେଜି ହୋଇ ଯାଉଥିଲେ ସେ ବାହାର ହେ ।

ଭଣେ ଭୀମ ହୀନ କନ୍ଧ      ସୁଜନେ ନ ମଣ ମନ୍ଦ

ଧାଇଁପଡ଼ ସେ ପ୍ରଭୁର

ଛନ୍ଦିଛି ପୟର ହେ ।।୬।।

 

(୧୪୮)

ବଣା ନୁହଁ, କର ବିଚାରଣ ହେତୁ ଚେତା ହୁଅ ହେ

।। ଘୋଷା ।।

ଏଡ଼େ ବଡ଼ ଧର୍ମ କର୍ମ      ହୋଇ ଯାଉଛି ଅଧର୍ମ

ହୃଦରେ ବିବେକ କରି ବୁଝି ନିଅ ।

ବେଦ ବତାଉଛି ଯାହା      କରି ନ ପାରୁଛ ତାହା

ବଡ଼ିମା ପଣରେ ସର୍ବେ କରୁଛ ଅନ୍ୟାୟ ହେ ।।୧।।

ଆଜ୍ଞା କଲେ ଯାହା ଗୁରୁବାର      ପାଇଅଛ ଶ୍ରୀମୁଖରୁ

ସତ୍ୟାଦି ଧର୍ମକୁ ସାଧିକର ଥୟ

ଜୀବନରେ ଯେହୁ ଥିବ      ଧର୍ମ ପରୀକ୍ଷା ଦେଖିବ

କାଳ ବେଳ ଘଟି ଏବେ ଆସୁଛି ସମୟ ହେ ।।୨।।

ସ୍ତିରୀ ପୁରୁଷ ସମସ୍ତେ      ମହିମା ଭଜୁଛ ଯେତେ

ଶାନ୍ତଶୀଳ ଦୟା କ୍ଷମା ହୃଦେ ବହ ।

ମୋର କିଛି ଦୋଷ ନାହିଁ      ସବୁରି ହିତାର୍ଥ ପାଇଁ

ମାୟା କରିବାକୁ ନାହିଁ କହୁଛି ନିର୍ଣ୍ଣୟ ହେ ।।୩।।

କିମ୍ପା ଅଜ୍ଞାନ ହେଉଛ      ସତ୍ୟକୁ ମିଥ୍ୟା ମଣୁଛ

ଶୂନ୍ୟବାସୀ ପରା ଧରିଥିଲେ ଦେହ ।

ସେବା ଭକ୍ତି କରିଥିଲେ      ମନରୁ ପାଶୋରି ଦେଲେ

ଭଲ ମନ୍ଦ ଦୁଇ ଏହୁ ନ ତୁଟେ ସଂଶୟ ହେ ।।୪।।

କିବା ଗୃହୀ ଦିଗମ୍ବରୀ      କି ଅତିଥି ବ୍ରହ୍ମଚାରୀ

ଯେହୁଅଛ ଏ ସଂସାରେ ଯୋଗୀପୁଅ

ବଡ଼ ପ୍ରଭୁଙ୍କୁ ଭଜୁଛ      ସାନ ବୁଦ୍ଧି କରୁଅଛ

ବଡ଼ ବୁଦ୍ଧି ବିବେକ ସମ୍ଭାଳି ଏବେ ରୁହ ହେ ।।୫।।

ସତ୍ୟ ଧର୍ମରେ ଯେ ଥିବ      ଯଶ କୀରତି ପାଇବ

ଶୁଭ ମଙ୍ଗଳ ଶୁଭିବ ଜୟ ଜୟ ।

ଭଣେ ଭୀମହୀନ ଦାସ      ପ୍ରଭୁଙ୍କୁ ଲୋଡ଼ିବା ଆସ

ସମସ୍ତଙ୍କୁ କରଯୋଡ଼ି କରୁଛି ବିନୟ ହେ ।।୬।।

 

(୧୪୯)

ଅନାଦି ମଣ୍ଡଳରୁ ସର୍ବେ ସଞ୍ଚରି

ରୂପ ଅରୂପ ନାମ ବ୍ରହ୍ମକୁ ଧରି ।। ଘୋଷା ।।

ମହାଶୂନ୍ୟ ପୂର୍ଣ୍ଣବ୍ରହ୍ମ କର୍ତ୍ତା ପୁରୁଷ,

ରୂପ ରେଖ ବର୍ଣ୍ଣ ଚିହ୍ନ ନ ଥିଲା ଦୃଶ,

ଅବନା ଅଣାକ୍ଷରୁ      ଦୁର୍ଗମ ହେଲା ଜାତ

ଦୁର୍ଗମରୁ ଜନ୍ମିଲା      ଅନାମ ଅବ୍ୟକତ

ଅନାମରୁ ଜନ୍ମିଲା      ନିଗମ ଭେଦ ତତ୍ତ୍ୱ

ନିଗମରୁ ଜନ୍ମିଲା      ସ୍ୱାହା ଶବଦ ଘାତ

ଶବଦରୁ ଜନ୍ମିଲା      ଓଁକାର ସାରସ୍ୱତ

ଓଁକାର ରା ରା କାର      ଜନ୍ମିଲା ଆଦି ଶକ୍ତ

ରାରାକାରରୁ ରାମ-      ନାମ ପଦ ଉଦିତ

ଉଜାଣି ଠୁଳ ଶୂନ୍ୟ ପରେ ବିହରି ।।୧।।

ଉର୍ମ ଧୂର୍ମ ଜ୍ୟୋତି ଜ୍ୱାଳା କେହି ନ ଥିଲେ,

ଅରୂପାନନ୍ଦ ସ୍ୱାମୀଙ୍କ ଆଜ୍ଞାରେ ହେଲେ,

ଠୁଳ ଶୂନ୍ୟରୁ ଜନ୍ମ-      ହେଲା ଦିଗ ଆକାଶ

ଆକାଶରୁ ଜନ୍ମିଲା      ପବନ ଅଣଞ୍ଚାଶ

ଅଣଞ୍ଚାଶରୁ ଜନ୍ମ-      ହେଲା ଅଗ୍ନି ହୁତାଶ

ହୁତାଶନରୁ ଜଳ      ବୁନ୍ଦେ ହେଲା ପ୍ରକାଶ

ଜଳରୁ ଜ୍ୟୋତିରୂପ      ବର୍ଣ୍ଣ ହୋଇଲା ଦୃଶ୍ୟ

ଜ୍ୟୋତି ରୂପରୁ ଜନ୍ମ-      ହେଲେ ଭୂତ ଭବିଷ୍ୟ

ଭବିଷ୍ୟରୁ କାମନା      କଳ୍ପନା ହେଲା ଜାତ

ତହିଁ ଉତ୍ତାରୁ ଧରିତ୍ରୀ ବସୁନ୍ଧରୀ ।।୨।।

ଅହି ପରେ ପୃଥ୍ୱୀ ରୁହାଇଲେକ ମାଡ଼ି,

ସେଠାରେ ରଚିଲେ ଜ୍ୟୋତି ଯୁଗଳ ଯୋଡ଼ି,

ସୁମନ ଶାନ୍ତି ମନ      କ୍ଷମାଦି ବିଚାରଣ

ଶୀଳ ଦୟାକୁ ଘେନି      ହୋଇଲେ ପାଞ୍ଚଜଣ

ପାଞ୍ଚମନରୁ ଜାତ      ହେଲେ ପ୍ରକୃତିଗଣ

ପଚିଶ ପ୍ରକୃତିରୁ      ବିକୃତି ଉଦ୍ୟାପନ

ବିକୃତିରୁ ଜନ୍ମିଲା      ହାସ୍ୟପ୍ରେମ ପ୍ରଦାନ

ପ୍ରଦାନରୁ ଜନ୍ମିଲା      ରେତ ରସାଦିମାନ

ରେତ ରସରୁ ଜନ୍ମ      ହୋଇଲା ରଜୋଗୁଣ

ସ୍ଥଳେ ରସ ସାଗରେ ରହିଲଶ ପୂରି ।।୩।।

ପରମ ମଜ୍ଜାରୁ ଶୂନ୍ୟ ଶିଖୁଁ ଖସିଲା,

ଗର୍ଭଗତେ ଷଡ଼ଦଳେ ବିଶ୍ରାମ କଲା,

ପୀତ ଶ୍ରୋଣିତ ଶ୍ୱେତ      ଶୁକଳ ପ୍ରାୟେ ଦିଶି

କଳା କୁଙ୍କୁମ ରଙ୍ଗ      ଧବଳ ଆଠ ମିଶି

ନୀଳ ଗୌର ଲୋହିତ      ଶ୍ୟାମଳ ପରକାଶି

ଜୀବ ଯୁବତୀ କର୍ମ      କାମନା ଫଳେ ରସି

ପିଣ୍ଡ ଆବୋରିଅଛି      କାଳବିକାଳ ଆସି

ପରମ ସାକ୍ଷୀରୂପେ      ଜାଗ୍ରତେ ଦିବା ନିଶି

ସେ ଯେବେ ଛାଡ଼ିଯିବେ      ଏ ପିଣ୍ଡ ଯିବ ଭାସି

ବାରକଳାରେ ପିଣ୍ଡ ରଚନା କରି ।।୪।।

ପିଣ୍ଡବ୍ରହ୍ମାଣ୍ଡକୁ ସପ୍ତସିଦ୍ଧିରେ କଲା,

ଶାଖା ରୂପେ ଚାରିବେଦ ଜାତ ହୋଇଲା,

ବାମ ଡାହାଣ ଜାନୁ      ଋକ ସାମ ସେ ସ୍ଥାନୁ

ଦ୍ୱିତୀୟ ଭୁଜମୂଳୁ      ଯଜୁ ଅଥର୍ବ ତେଣୁ

ଧନୁର୍ବେଦ ଯା କହି      ସାକ୍ଷାତେ ଅଟେ ତନୁ

ମୁଖେ ତା ଶିଶୁବେଦ      ଶୂନ୍ୟେ ରହିଲା ଜ୍ଞାନୁ

ନିରଞ୍ଜନ ଲଲାଟ      ଚକ୍ରେ ଉଦୟେ ଭାନୁ

କୋଟିଏ ଯୁଗ ଗଲେ      ଗୋଟିଏ ହୁଏ ମନୁ

ତଥିପରେ ଅଲେଖ-      ପୁର ନିର୍ମାଣ ଶୂନ୍ୟୁ

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁର ଧରି ।।୫।।

ତିନିପୁର ମଧ୍ୟେ ବନଗିରି ସ୍ଥାପିଲା,

ତେଣୁ କରି ପାଖୁଡ଼ାରେ ଲତା ଫୁଟିଲା,

ପିତା ବୀଜକୁ ଅସ୍ଥି      ପିଞ୍ଜରୀ ହାଡ଼ କଲା

ମାତା ରଜ ରକତ      ମାଉଁସ ଘୋଡ଼ାଇଲା

ଶିରା ଶାଙ୍କୋଳୀ ଗଣ୍ଠି      ମୁଠି ବନ୍ଧନ କଲା

ରୋମ ଚର୍ମକୁ ରୁଅ      ବତା ଛାଉଣୀ କଲା

ଦଶମଦ୍ୱାରୁ ନବ-      ଦ୍ୱାରକୁ ଫିଟାଇଲା

ଏହି ସଂସାରେ ସାର      ମାନବ ଜନ୍ମ ହେଲା

ଉତ୍ପତ୍ତି ସ୍ଥିତି ଦେଇ      ପ୍ରଳୟ କରି ନେଲା

ଭଣେଭୀମ ଅର୍କ୍ଷିତ ଜ୍ଞାନ ବିଚାରି ।।୬।।

 

(୧୫୦)

ଦୁର୍ଲ୍ଲଭ ଜନ୍ମ ପିଣ୍ଡେ ସକଳ ସିଦ୍ଧି ।

ଏହି ଶରୀରରେ ଜ୍ଞାନ ପାରିଲେ ସାଧି ।। ଘୋଷା ।।

ଅନୁମାନ କରି ସର୍ବ କର୍ମ ଜାଣିଲା,

ଓଲଟ ଜଙ୍ଗମ ବୃକ୍ଷ ନାମ ବହିଲା,

ପାଦ ପଙ୍କଜେ ଛନ୍ତି      ସେ ଅଷ୍ଟକୁଳା ନାଗ

ଶିରରେ ବହିଅଛି      ସପ୍ତ ବ୍ରହ୍ମାଣ୍ଡ ସ୍ୱର୍ଗ

ଅସାଧନା ସିଦ୍ଧିରେ      ଘେନି ତପସ୍ୟା ଯୋଗ

ଭିତରେ ପୂରିଅଛି      ସପତସିନ୍ଧୁ ମାର୍ଗ

ଚାଲନ୍ତେ ଦୁମୁ ଦୁମୁ      ଶବ୍ଦ କରୁଛି ନାଦ

ଶ୍ରୋତା ବକତା ଦୁହେଁ      ଚାଳୁ ଅଛନ୍ତି ଅଙ୍ଗ

ନେଇ ଆଣୁଅଛନ୍ତି ସହି ସମ୍ପାଦି ।।୧।।

ଦୁଇ ପଖା ଏକଠାରେ କରାଇ ମେଳ

ବେନି ଜାନୁ ସନ୍ଧି ପଦ୍ମ ଇନ୍ଦ୍ରି ମଣ୍ଡଳ,

ସେଠାରେ କାମ କାମୀ      ଫୁଟିଅଛନ୍ତି କଢି

କାମ କଳ୍ପନା ମଧ୍ୟେ      ରହିଅଛନ୍ତି ଜଡ଼ି

ପ୍ରକୃତି ପବନରେ      ଦେଇ ଅଝାଲ ଧାଡ଼ି

ତପ୍ତ ଅନଳ ତେଜ      ଜଳୁଅଛି ଦିହୁଡ଼ି

ରେତ ଜଳ କୁହୁଡ଼ି      ମାରୁଅଛି ଲହଡ଼ି

କ୍ଷଣକ୍ଷଣକେ ଧାପ      ନାଗସରପ ପରି

ଯୋଖି ନାରାଚ ବିନ୍ଧୁଛି ମରମ ଭେଦି ।।୨।।

ନାଭି କମଳରେ ବ୍ରହ୍ମା ବେଦାନ୍ତ ପତି,

ହୃଦୟରେ ଜଗନ୍ନାଥ ବସିଅଛନ୍ତି,

ସପତ ବ୍ରହ୍ମାଣ୍ଡକୁ      ବାଣ୍ଟି ଚଉଦପୁର

ନବଦ୍ୱୀପ ସ୍ଥାପିଲେ      ଦୀର୍ଘ ପ୍ରତି ଓସାର

ଦଶଦିଗରେ କଲେ      ଜଗତ ପ୍ରତିପାଳ

ଛପନକୋଟି ଜୀବ      ଦେବୀ ଦେବାନ୍ତ ସୁର

ଚାରି ଯୁଗ ଭିତରେ      ଭିଆଇ ସାତବାର

ପିଣ୍ଡ ପ୍ରାଣକୁ ଗଢ଼ି      ସଞ୍ଚିଲେ କ୍ଷୀର ନୀର

ଚାରି ରସ ଭିତରେ କରାଇ ବନ୍ଦି ।।୩।।

କଣ୍ଠତଟେ ସଦାର୍ଶିବ ଅଛନ୍ତି ରହି,

ଅଷ୍ଟାଙ୍ଗ ଯୋଗ ସମାଧି ନାମକୁ ଧ୍ୟାୟି,

ରୁଦ୍ର ଅନଳ ଜ୍ୱାଳା      ଉଠୁଅଛି ହୁତାଶ

ସେଠାରେ ଉପୁଜୁଛି      ଅନର୍ଥ କୋପ ରୋଷ

ବକତା ରଡ଼ି ଛାଡ଼ୁ      ଅଛି ଶବଦ ଘୋଷ

କଣ୍ଠ ଶୁଖି ଯିବାରୁ      କରୁଅଛି ପିଆସ

କ୍ଷଣେ ସେ ସ୍ଥିର ନୋହେ      ବଚନ ପରକାଶ

ପାଣି ପବନ କିଛି      ଲାଗିଲେ ହୁଏ ତୋଷ

ତହିଁ ଉପରେ ଅଛି ତ୍ରିକୂଟ ସନ୍ଧି ।।୪।।

ଠୁଳ ଶୂନ୍ୟେ ନିରାକାର ରହି ଅଛନ୍ତି,

ତହିଁ ଏକୋଇଶ ପୁର ତଳକୁ ପୃଥ୍ୱୀ

ବାମ ଡାହାଣ କାନ୍ଥ      ଶ୍ରୀରାମ ଜଗନ୍ନାଥ

ପୂର୍ବରେ କୃଷ୍ଣଚନ୍ଦ୍ର      ପଛଭାଗେ ଅନନ୍ତ

କୁଢ଼ କୁଢ଼ ପଡ଼ିଛି      ଶାହାସ୍ତ୍ର ଗ୍ରନ୍ଥ ଗୀତ

ରୋମ ମୂଳରେ ମାଳ-      ମାଳ ମେଦିନୀ ଜାତ

ସେଠାରୁ ଉଦ୍‌ଯାପନ      ହେଉଛି କବିକୃତ୍ୟ

ମୁଦା ପଡ଼ିଛି କୁଞ୍ଚ      ଫୁଟିଅଛି ଫୁଲତ

ବହି ଆସୁଛି ସଧୀରେ ଏ ଚାରିନଦୀ ।।୫।।

ତାଳୁକା ଦୁଆର ପୁରେ ଅଲେଖ ପୁର,

ଅଖଣ୍ଡିତ ପୂର୍ଣ୍ଣବ୍ରହ୍ମ ବିଜେ ସେଠାର,

ସେ ଗୁରୁଦେବ ସ୍ୱାମୀ      ଅଣଶେଷ ମହିମା

ମୁଁ କିସ ସାମରଥ      ବର୍ଣ୍ଣିବାକୁ ଉପମା

ଏକ୍ୱୈଶ ପୁରେ ଯାର      ନ ଜାଣେ ଗୁଣ ସୀମା

ଅବନା ଅଣାକ୍ଷର      ଅନାମେ କରେ ଠଣା

କହେ ଭୀମ ଅର୍କ୍ଷିତ      କି ରୂପକୁ ବର୍ଣ୍ଣିବା

ସେ ଯେ ମହାଶୂନ୍ୟ ପୁରୁଷ ଅନାଦି ।।୬।।

 

(୧୫୧)

ଅମନ ମନ୍ଦିରକୁ କର ଗମନ ।

ମାୟାରେ ପଡ଼ି ବାୟା ନୁହ ସୁଜନ ।। ଘୋଷା ।।

ଅଲେଖର ମନ୍ଦିରକୁ ଫିଟିଛି ବାଟ

ଜୀବ ପରମର ଅନ୍ତେ ଯହିଁରେ ଭେଟ,

ଭବ ସାଗରେ ଭାସି      ଯିବାର ହେଉଅଛି

ନାବ ଆଣି କୈବର୍ତ୍ତ      ତୀରରେ ଖଟାଇଛି

ପାରିହୁଅ ନାବରେ      ନିଜ ମହିମା ବାଛି

ମୂଲ କଉଡ଼ି ତହିଁ      ନ ଲାଗୁଅଛି କିଛି

ଦୁଆରୀ ଜଗିଅଛି      ଗଳି ନ ପାରେ ମାଛି

ଶତେ କବାଟ ଲାଗି      ମୁଦା ପଡ଼ିଛି କଞ୍ଚି

ହସ୍ତରେ ନ ଫିଟଇ      ଅନୁଭବେ ଫିଟୁଛି

ଜ୍ଞାନୀକି ଜ୍ଞାନ ନେତ୍ରେ      ଝଟ ଝଟ ଦିଶୁଛି

ଷଡ଼ବେଦ ପରେ ବାନ୍ଧିଛନ୍ତି ଆସନ ।।୧।।

ଏକା ଅକ୍ଷରକୁ ହୃଦେ ନିରତେ ଜପ,

ଫୁଙ୍କାବନ୍ଧ ପରେ ନୃତ୍ୟ ନୟନେ ଦେଖ,

ବାଂଶରୀ ନାଦସ୍ୱନ      ଷୋଳ ଗୋପୀ ଅଜ୍ଞାନ

ବେନି ହସ୍ତେ ତାଳନ      ଅର୍ଘ୍ୟସ୍ଥାଳୀ ବନ୍ଦାଣ

ଶିରେ ଖଞ୍ଜନ୍ତି ଗଭା      ବିବିଧ ପୁଷ୍ପମାନ

ଘେନି ବୁଲନ୍ତି ସଙ୍ଗେ      ମନମଥ ରଞ୍ଜନ

ଲୀଳାମୃତ ଗର୍ଜନ      ଶୁଭୁଛି ଘନ ଘନ

ଅତ୍ୟନ୍ତ ଶୋଭାବନ      ଦିଶଇ ସେ ଭୁବନ

ଏ ରୂପେ ମୁନିଗଣେ      ଧ୍ୟାୟନ୍ତି ଅନୁକ୍ଷଣେ

ଯାହାର ଥିବ ପୂର୍ବ ସୁକୃତମାନ ।।୨।।

ବଜାଇ ତାଳ ମୃଦଙ୍ଗ ବୀଣାଛନ୍ଦରେ,

ଗହ ଗହ ନିତ୍ୟସ୍ଥଳ ରାସ ମନ୍ଦିରେ,

ଢୋଲ ଦମା ଟମକ      ଚାଙ୍ଗୁ ନିଶାଣ ଭେରୀ

ଶଙ୍ଖ ଶିଘାଂ ନ ଭେରି      ମହୁରୀ ବୀରତୂରୀ

ଶିରେ ଶ୍ୱେତ ଛତିରୀ      ଆଲଟ ଚାମଞ୍ଜରୀ

ନୃତ୍ୟରେ ଉନ୍ମାଦରୀ      ଷୋଳସସ୍ର କୁମାରୀ

ପାଦେ ନୃତ୍ୟ ଚାତୁରୀ      ମୁଖେ ନାମ ଗାୟତିରୀ

ଶବ୍ଦେ ଘଣ୍ଟି ଘାଗୁଡ଼ି      କମ୍ପୁଛି ବସୁନ୍ଧରୀ

ସର୍ବେ ଆନନ୍ଦେ ପୂରି      ସ୍ୱାମୀ ନାମ ଉଚ୍ଚାରି

ଦେଖ ଦ୍ୱାଦଶ ବନ୍ଧେ ଯହିଁ କୀର୍ତ୍ତନ ।।୩।।

ଅନ୍ତର୍ଯ୍ୟାମୀ କରତା ସେ ଆପେ ନିର୍ମାଣ,

ଭକତ ଜନଙ୍କ ଧନ ମନ ଜୀବନ,

ଯାହାର ରୋମମୂଳେ      ମାଳ ମାଳ ମେଦିନୀ

ବର୍ଣ୍ଣି ନାହାନ୍ତି ଯାକୁ      ସାରଳା ସିଦ୍ଧ ମୁନି

ବ୍ରହ୍ମାଣ୍ଡ କରତା ସେ      ଅବ୍ୟକ୍ତ ଶିରୋମଣି

ଯା ଗର୍ଭେ ପୂରିଅଛି      ସପ୍ତଦୀପା ଧରଣୀ

ଗଙ୍ଗା ଯମୁନା ନଦୀ      ବହୁଅଛି ତ୍ରିବେଣୀ

ତତ୍ତ୍ୱ ନ ଜାଣି ପ୍ରାଣୀ      ମାୟା ମୋହେ ଭ୍ରମଣି

ଜ୍ଞାନୀଜନେ ନ ଚିହ୍ନି      ମୂର୍ଖକୁ କାହିଁ ପୁଣି

ପ୍ରତେ ହେଲେ ହେବ ପଣ୍ଡିତ ସୁଜ୍ଞାନୀ ।।୪।।

ତହିଁର ମହିମା ମୁଖେ କହିବି କିସ

ଯହିଁ ଚାରିବେଦ ହୋଇଅଛି ପାବଚ୍ଛ

ଋକ ବେଦରୁ ବିନ୍ଦୁ      ମହୀ ସପତ ସିନ୍ଧୁ

ସାମବେଦ ଚରିତ      ଶୂନ୍ୟେ ମରୁତ ଫାନ୍ଦୁ

ଅଥର୍ବ ବେଦ ବିଦ୍ୟା      ଦଶଦିଗକୁ ଛନ୍ଦୁ

ଯଜୁର୍ବେଦରୁ ସାମ      ଯୁକ୍ତ ହେଲାକ ଅର୍ଦ୍ଧୁ

ଶିଶୁବେଦ ଆସ୍ଥାନ      ଅନାମ ଦୀନବନ୍ଧୁ

ଭକତ ଭାବେ ବଶ      କରୁଣା କୃପାସିନ୍ଧୁ

ଅଭୟ ଶ୍ରୀପୟରୁ      ଝରୁଛି ସୁଧାମଧୁ

ଶ୍ୱେତ ଶୁକଳ ରୂପ ବର୍ଣ୍ଣ ଉଦ୍ଦାନ ।।୫।।

କୁଜ୍ଞାନୀକି ବିଷ ଭକ୍ତଜନଙ୍କୁ ରସ,

ସୁଜ୍ଞାନୀକି ଅନୁଭବ ଚିତ୍ତରେ ଦୃଶ୍ୟ,

ଭଣେ ଭୀମ ଅର୍କ୍ଷିତ      ସେ ଧନେଶ୍ୱର ସୁତ

ଗୁରୁ ମୋ ଅବଧୂତ      ଜାଣନ୍ତି ତଦଗତ

କାରଣ ଗତି ମୁକ୍ତି      ସେ ପ୍ରଭୁଙ୍କ ମାର୍ଜିତ

ଅରୂପ ଅନ୍ତର୍ଯ୍ୟାମୀ      ଭକତ ଭାବେ ରତ

ଅତି ନିଗମ ପଥ      ଗମିବାକୁ କେ ଶକ୍ତ

ଦିଶିବ ଯେବେ ମୋର      ପୂର୍ବ ଜନ୍ମ ସୁକୃତ

ତପସ୍ୟା କରିଥିଲେ      ହେବି ଭୃତ୍ୟର ଭୃତ୍ୟ

ଅନୁସରି ବହନ      ସାଧୁଜନ ପଶ୍ଚାନ୍ତ

ଭାଗ୍ୟଥିଲେ ଯିବି ଅଲେଖ ଭୁବନ ।।୬।।

 

(୧୫୨)

ସୁଦୟା କର ଶୂନ୍ୟ ସ୍ୱରୂପ ବାସୀ ।

ଉଦ୍ଧରିଧର ଜୀବ ଗଲାଟି ଭାସି ।। ଘୋଷା ।।

ମାତା ପିତା ଦୁହିଁଙ୍କର ଯୁଗଳବେଳେ

ମୁଦ୍ରିତ ହୋଇଲା ବ୍ରହ୍ମ ପଦ୍ମର ଫୁଲେ,

ରଜ ବୀର୍ଯ୍ୟ ସଂଯୁକ୍ତ      କରିଣ ଏକ ତୁଲେ

ଆପେ ପିଣ୍ଡକୁ ସ୍ୱାମୀ      ଗଢ଼ିଲେ ଯେତେବେଳେ

ମୀନ ପରାୟେ ବୁଲୁ-      ଥିଲି ଗର୍ଭ ଭିତରେ

ଅନ୍ଧକାର ସେ ଭୂମି      ଦିଶୁ ନ ଥିଲାଡୋଳେ

ଉର୍ଦ୍ଧ୍ୱ ମୁଖେ ମୁଁ ଧ୍ୟାନ      କରୁଥିଲି ନିରୋଳେ

ଏବେ ସେ କଥାମାନ      ପାଶୋର ଗଲା ଢାଳେ

ବନ୍ଧା ହେବାରୁ ମାୟା-      ସଂସାର ମୋହ ଜାଲେ

ଜନ୍ମ ହେବାରୁ ମର୍ତ୍ତ୍ୟ ମଣ୍ଡଳେ ଆସି ।।୧।।

ଯେତେବେଳେ ଗର୍ଭଗତୁଁ ପଡ଼ିଲି ମୁହିଁ

ତିରଣ ପରାୟେ ଦିଶୁଥିଲା ଏ ମହୀ,

ଅଷ୍ଟକୋଟି ବେଦନା      ଛନ୍ତି ଚୌଷଠି ରୋଗ

ସେ ଯାହା ସମୟରେ      କରୁଅଛନ୍ତି ଭୋଗ

ଦୁର୍ବଳ କାଳେ ଆତ୍ମା      ଉପରେ ହୋନ୍ତି ସିଂହ

କାମ କଳ୍ପଣା ଆଣ୍ଟେ      ମନକୁ କରି ବେଗ

ଚର୍ମ ନୟନେ ପଶି      କରାଉଅଛି ଭୋଗ

ସର୍ବଗୁଣରେ ଜିଣା      ସ୍ତିରୀଙ୍କ ରୂପ ରଙ୍ଗ

କଣ୍ଠେ ଲଗାଇ ଝିଙ୍କୁଛି ଏ କାଳଫାଶି ।।୨।।

ଯେବଣ ପ୍ରାଣୀ ସଂସାରେ ଦେହକୁ ବହେ,

ଲୋଭ ମୋହ କାମ କ୍ରୋଧ ସମ୍ଭାଳି ନୁହେଁ,

ଜନ୍ମ ହେବାରୁ ମର୍ତ୍ତ୍ୟେ      ମାନବ ଦେହ ବହି

ମନେ ପଡ଼ିଲେ କଥା      ଲାଗୁଛି ତ୍ରାହି ତ୍ରାହି

ଅଗାଧ ଭବସିନ୍ଧୁ      ତରିଯିବ କି ହୋଇ

ତରିବାକୁ ଉପାୟ      ଭରସା ଦିଶୁନାହିଁ

ଛପନକୋଟି ଜୀବ      ଅଛନ୍ତି ବନ୍ଦୀ ହୋଇ

ଯେ ବ୍ରହ୍ମା ବିଷ୍ଣୁ ଶିବ      ଅଟନ୍ତି ତିନିଭାଇ

ମାୟାରେ ପଡ଼ି ସୃଷ୍ଟି      ରଚନା କଲେ ସେହି

ଷଡ଼ ବ୍ରହ୍ମବାସୀଙ୍କି      ପ୍ରକୃତି ଛାଡ଼ିନାହିଁ

ଲେଶେ ହେଲେ ମାୟାରେ      ପଡ଼ିଅଛନ୍ତି ସେହି

ମୋତେ କେବଣ ବାଟ ଦେଉଛ ଆସି ।।୩।।

ଶୂନ୍ୟ ଶୂନ୍ୟ ଅଣାକାର ପରମ ଜ୍ୟୋତି,

ମାୟା ରଚନାରେ ସ୍ୱାମୀ ସର୍ଜିଲ ପୃଥ୍ୱୀ,

ନିଶବ୍ଦରୁ ଶବଦ      କ୍ଷରୁଛି ବିନ୍ଦୁ ନାଦ

ଓଁ କାରରୁ କ୍ଷରିତ      ହୋଇଲା ଚାରିବେଦ

ଚାରି ବେଦରୁ ଶ୍ଳୋକ      ହେଲା ଶାସ୍ତ୍ର ସମ୍ବାଦ

ଶାସ୍ତ୍ରରୁ ଜନମିଲା      ଅଥର୍ବ ପଦ ଭେଦ

ଭେଦକୁ ତୋଳି ନେଇ      ଅନାମେ କଲା ମୁଦ

ଅନାମୁ ଉପୁଜିଲା      ସୁପକ୍ୱ ଫଳ ସ୍ୱାଦ

ସ୍ୱାଦରୁ ଶ୍ରୁତି ଯୋଗ      ଉଦୟ ପୂର୍ଣ୍ଣ ଭେଦ

ଯୋଗକୁ ଭିଆଇଲା            ଭୋଗକୁ କଲା ଭେଦ

ଶୂନ୍ୟ ମଣ୍ଡଳରେ ବିଜୟ ପୂର୍ଣ୍ଣ ଶଶି ।।୪।।

ଶୂନ୍ୟ ମଣ୍ଡଳରୁ ବାନା ଆସିଛି ଚାଲି,

ଭକ୍ତଗଣେ ରଖିବେ ଶରଣ ସମ୍ଭାଳି

ମୋତେ କି ଯୋଗ ଅଛି      କିମ୍ପା ଆଜ୍ଞା ନୋହୁଛି

କି ଯଶ ଅପଯଶ      କର୍ମେ ମୋ ଲେଖାଅଛି

କର୍ମଯୋଗର କଥା      ନ ଜାଣଇ ମୁଁ କିଛି

କି ଅନୁକୂଳ ବେଳା      କି କଳା ଲାଗିଅଛି

ଗୁରୁ ମୋ ସାମରଥ      ବାଛିଦେବେ ବୋଲୁଛି

ଅନୁସରି ରହିଛି      ଯେହ୍ନେ ଚାତକ ପକ୍ଷୀ

କୃପା କରିବେ ବୋଲି      ଏମନେ ପ୍ରତେ ଅଛି

ଜନ୍ମ ଜନ୍ମାନ୍ତେ ଚରଣ ତଳେ ଦୋଷୀ ।।୫।।

ଭକ୍ତ ହିତକାରୀ ସ୍ୱାମୀ ଗତି ମୁକତି,

ଚଉଦିଗେ ଫେରାଇଛ ଯଶ କୀରତି,

ଭଣଇ ଭୀମଭୋଇ      ଗୁରୁ ଚରଣ ଧ୍ୟାୟି

ବ୍ରହ୍ମାଣ୍ତ ପାପଭାରା      ଛେଦ ହେ ଶୂନ୍ୟ ଦେହୀ

ଆଦି ଅନାଦି ରୂପେ      କରୁଣା ଜଳ ଦେଇ

କ୍ଷମାକର ଦୁସ୍ତରୁ      ମାୟାଜାଲ ଛିଣ୍ଡାଇ

ପାଞ୍ଚମନ ପ୍ରକୃତି      ନାମ ବ୍ରହ୍ମେ ଜଡ଼ାଇ

ରଖ ଭକତ କୁଳ      ତ୍ରିଗୁଣରୁ ଛଡ଼ାଇ

ଅସ୍ଥି ମାଂସକୁ ବ୍ରହ୍ମ      ଅଗ୍ନି ମଧ୍ୟେ ପୋଡ଼ାଇ

ଦେଖୁଁ ଦେଖୁଁ ଘୋଟିଲାଣି ଏ କାଳଫାଶି ।।୬।।

 

(୧୫୩)

ଶୂନ୍ୟ ଅଣରୂପ ନିର୍ବେଦ ହେ ।

ବର୍ଣ୍ଣ ଚିହ୍ନ ନାହିଁ ତହିଁ ସମ୍ପାଦ ହେ ।। ଘୋଷା ।।

ଅଣାକ୍ଷର ବ୍ରହ୍ମ ସେହି      ମାତ୍ରାକ୍ଷର ନ ବସଇ

ଅକ୍ଷୟ ଅଖଣ୍ଡ ଦେହି ନିଶବ୍ଦ ହେ ।।୧।।

ଅମନ ମନ୍ଦିରେ ବାସ      ଭ୍ରମଣ କରେ ଆକାଶ

ନାହିଁ ତା ରାତ୍ରି ଦିବସ ଉଇଁଅଛି ଚାନ୍ଦ ହେ ।।୨।।

ପଡ଼ୁଛି ତା’ର କିରଣ      ଛପନକୋଟିରେ ଜାଣ

ସକଳ ଘଟରେ ସମ ପୂରିଛି ବିଭେଦ ହେ ।।୩।।

ଅତି ଅଗୋଚର ପନ୍ଥା      ନିଗମ ବ୍ରହ୍ମ ଦେବତା

କେ କଳିପାରୁ ମହିମା ସାଗର ଅଗାଧ ହେ ।।୪।।

ସେହି ଏକା ବଡ଼ ପ୍ରଭୁ      ଆଉ ଯେତେ ମିଥ୍ୟା ସବୁ

ରଜବୀର୍ଯ୍ୟ ନ ଅଟଇ ନିଷ୍କାମ ନିର୍ବେଦ ହେ ।।୫।।

ନୁହନ୍ତି ସ୍ତିରୀ ପୁରୁଷ      ଥୟ ମୁଁ କରିବି କିସ

ଭଣେ ଭୀମ ହୀନ ଭକ୍ତ ନ ପାଇଲା ଆଦ୍ୟ ହେ।।୬।।

 

(୧୫୪)

କେ ପାରିବ କରି ଦର୍ଶନ ହେ ।

ଏକ ବ୍ରହ୍ମ ଦ୍ୱିରୀ ନାହିଁ ନ କହେ ବଚନ ହେ ।। ଘୋଷା ।।

ନୁହଇ ଜନମ ଯୋନି      ନାହିଁ ତାଙ୍କ ପାଦ ପାଣି

ମୁରତି ନୁହଇ ସେହି

ହେବ କି ପ୍ରସନ୍ନ ହେ ।।୧।।

ନାହିଁ ନା ଉଦର କଟି      ନିଦାବ୍ରହ୍ମ ଲିଙ୍ଗ ଗୋଟି

ଅନାମୁଁ ହୋଇଛି ଜାତ

ବ୍ରହ୍ମାଣ୍ଡ ରଚନ ହେ ।।୨।।

ନାହିଁ ତା ଶ୍ରବଣ ଆଖି      ଅଟେ ସମସ୍ତଙ୍କ ସାକ୍ଷୀ

ଭକତ ଗୁହାରି କର୍ଣ୍ଣେ ଶୁଣନ୍ତି ବଚନ ହେ ।।୩।।

ସର୍ବଭୂତେ ପୂରିଛନ୍ତି      ରୂପ ରେଖ ନ ଦିଶନ୍ତି

ବ୍ରହ୍ମକୁ ନ ଲାଗେ ମାୟା

ଅଙ୍ଗରେ ବନ୍ଧନ ହେ ।।୪।।

ସେହି ସତ୍ୟ ଧର୍ମ ସାର      କରୁଅଛନ୍ତି ଉଦ୍ଧାର

ବେଳହୁଁ ହୋଇଛି ଶୂନ୍ୟ

ନିଶ୍ଚିନ୍ତେ ଗୋପ୍ୟାନ ହେ ।।୫।।

ସେ ପ୍ରଭୁଙ୍କୁ ଧ୍ୟାନ ଦେଇ      ଭଣେ ଭୀମହୀନ ଭୋଇ

ଭରସା ନୋହିଲା ଚିତ୍ତେ

ହୋଇଲି ମଉନ ହେ ।।୬।।

 

(୧୫୫)

କିଛି ନ ଦିଶନ୍ତି ଚାହିଁଲେ ହେ ।

କଦାଚିତେ ନ ପଡ଼େ ଧଇଲେ ହେ ।। ଘୋଷା ।।

ମହାଶୂନ୍ୟ ଶୂନ୍ୟମୟ      କେ କାହିଁ କରିବ ଥୟ

ଛଡ଼ାଇ ସକଳଠାରୁ ହୋଇଛ

ପହିଲେ ହେ ।।୧।।

ସକଳ ଆତ୍ମାରୁ ସାର      ହେ ଅନାଦି ପରମେଶ୍ୱର

କେ କରିପାରିବ ଭେଦ ଅଧିକ

କହିଲେ ହେ ।।୨।।

ପୂର୍ବରୁ ନାମ ନ ଜାଣି      କିସ ମୁଁ ପାରିବି ବର୍ଣ୍ଣି

ଅକ୍ଷର ନ ବସେ ତାଙ୍କ କରୁଣା

ନୋହିଲେ ହେ ।।୩।।

ଲୋଡ଼ୁଅଛି ତିନିପୁରେ      ଭ୍ରମି ଅଶେଷ ସଂସାରେ

ଯାହା ମୋ ବିଚାର ଚିତ୍ତେ ଠିକ୍‌ରେ

କହିଲେ ହେ ।।୪।।

ଅରୂପ ବ୍ରହ୍ମ ମହିମା      କେ କଳିବ ଗୁଣସୀମା

ଭରସା ନୋହିଲେ ମୋର ପଦରେ

ଲିହିଲେ ହେ ।।୫।।

ଭଣେ ଭୀମ ଅରକ୍ଷିତ      ଶୂନ୍ୟକୁ କରି ଆଶ୍ରିତ

ପଦ୍ମପାଦରେ ଦର୍ଶନ କରନ୍ତି

ପାଇଲେ ହେ ।।୬।।

 

(୧୫୬)

ଆତଙ୍ଗରେ ଡାକ ପ୍ରଭୁଙ୍କୁ ହେ ।

ଦିବା ନିଶି ଏକ କରି ସତ୍ୟାଦି ଧର୍ମକୁ ହେ

।। ଘୋଷା ।।

ଅନାମ ବ୍ରହ୍ମ ପୁରୁଷ      ରୂପି ପାରିଲେ ବିଶ୍ୱାସ

ଭକତିରେ ହେବେ ବଶ

ତେଜିଲେ କର୍ମକୁ ହେ ।।୧।।

ସତ୍ୟାଦିରେ ହେଲେ ଯୁକ୍ତ      ଗମି ପାରିବ ଯେ ପଥ

ନ ପାଏ ଆଶା ଭରସା

ଉଠିଲେ ଶୂନ୍ୟକୁ ହେ ।।୨।।

ନିଷ୍କାମରେ ଅନୁସର      ଅଦୃଶ୍ୟ ପଥ ସେ ପୁର

ପିଣ୍ଡ ପ୍ରାଣ ଦିଅ ଦାନ

ସମର୍ପି ବ୍ରହ୍ମକୁ ହେ ।।୩।।

ବହୁତ କଲେ କଷଣ      ତେବେ ମିଳୁଛି ଦର୍ଶନ

ଅନୁଭବ ସାଧୁସଙ୍ଗେ

ରଖିଲେ ମନକୁ ହେ ।।୪।।

ସଦ୍‌ଗୁରୁ ସେବା ଖଟ      ମନକୁ ନ କର ମୋଟ

ଦେଖିବ ଅଲେଖ ପ୍ରଭା

ପାଇବ ଜ୍ଞାନକୁ ହେ ।।୫।।

ଭଣେ ଭୀମସେନ କନ୍ଧ      ଅନେକ ପ୍ରକାର ଫାନ୍ଦ

ପକାଇ ଧରିବା ବୋଲି

ବିଚାର ମନକୁ ହେ ।।୬।।

 

(୧୫୭)

ବିଜେ ମହିମା ହେ ଏ ମହୀମଣ୍ଡଳେ ।

ରୂପରେଖ ନାହିଁ ତାଙ୍କୁ ଦେଖ ଚର୍ମଡୋଳେ

।। ଘୋଷା ।।

ଚାରିଯୁଗେ ଦେଖ      ନ ମଉଳି ରୂପ

ତରିବା ଯେମନ୍ତେ ଆସ

ଭଜିବା ସକଳେ ।।୧।।

ଜମ୍ବୁଦ୍ୱୀପ ମଧ୍ୟେ      ଏକାକ୍ଷର ପାଦେ

ସତ୍ୟାଦି ସାଗର ବାନା

ବିଖ୍ୟାତ ନିରୋଳେ ।।୨।।

ରକ୍ଷାର ନିମନ୍ତେ      ଭକତଙ୍କ ହିତେ

ଭାସିଯିବେ ବୋଲି ଧ୍ୟାୟି

ଅଛନ୍ତି ଆକୁଳେ ।।୩।।

ସେହି ଏକ ଯୋଗୀ      ନିଷ୍କାମୀ ନିରୋଗୀ

ନିଜ ଅଙ୍ଗ ରଖିଛନ୍ତି

ଅସାଧନା ତୁଲେ ।।୪।।

ବକଳ ଭୂଷଣ      ଭୂମିରେ ଆସନ

ଭୋଜନ କରୁଅଛନ୍ତି

ସୁବର୍ଣ୍ଣର ଥାଳେ ।।୫।।

ନିଷ୍କାମକୁ ଧରି      ଆଜ୍ଞା ଅନୁସରି

ଭଣେ ଭୀମ ଅରକ୍ଷିତ

ଗୁରୁପାଦ ତଳେ ।।୬।।

 

(୧୫୮)

ସ୍ୱାମୀ ବୁଝିବେ ହେ ଆତଙ୍ଗେ ଡାକିଲେ

ପ୍ରାତ ସାୟଂ ଦରଶନ ଧର୍ମକୁ ପାଳିଲେ

।। ଘୋଷା ।।

ଅମୂଲ୍ୟ ରତନ      ବାନ୍ଧିଥା ଯତନ

ହସ୍ତରୁ ଖସିବ ଧର ଧର ଏତେବେଳେ ।।୧।।

ଫିଟିଛି କବାଟ      କରିଆସ ହାଟ

ବଜାର ବସିଛି କିଣ ଯାହା ଇଚ୍ଛା ଥିଲେ ।।୨।।

ବାଛି ବାଛି ନିଅ      ଭଣ୍ଡାରରେ ଥୁଅ

ହେଳା କଲେ ଭେଳା ବୁଡ଼ିଯିବ ଜଳେ ।।୩।।

ଧରିଥା ସମ୍ଭାଳି      ନିତି ପ୍ରତିପାଳି

ତିମିରି ଫିଟିବ ପ୍ରଭୁ ପ୍ରସନ୍ନ ହୋଇଲେ ।।୪।।

ପଡ଼ୁଅଛି କୂଟ      ହୋଇ ନାନା ବାଟ

ରଙ୍ଗ ପସରାରେ ନ ମରନା ଭୋଳେ ।।୫।।

ଚାହିଁ ଦୟା ଥିବ      ସ୍ୱାମୀ ଗୁରୁଦେବ

ଭୀମ ଭୋଇ ଅଛି ସୁର ଅସୁରଙ୍କ ମେଳେ ।।୬।।

 

(୧୫୯)

କ୍ଷୀଣ ରୂପରେ ହେ ଏ କଳିଯୁଗରେ ।

ଦୁଃଖ ସୁଖ ଏହି ସ୍ୱାମୀ ବିଜୟ ସଂସାରେ

।। ଘୋଷା ।।

ଫିଟାଇ ଧର୍ମକୁ      ସାତ୍ତ୍ୱିକ କର୍ମକୁ

ଆଜ୍ଞାକୁ ବିସ୍ତାର କରି ଅଛନ୍ତି ସଂସାରେ ।।୧।।

କାଷ୍ଠ ଖଣ୍ଡ ତିନି      ସମାଧିରୁ ଆଣି

ଛାଡ଼ି ଆସିଛନ୍ତି ଖଣ୍ଡେ ଅଭୟ ପୁରରେ ।।୨।।

ଦେଲେ ଘୃତ ବୁନ୍ଦେ      ଅଗ୍ନିରୂପେ ଉଦେ

ରହି ନୁହଇ ପାରୁଶେ ସେ ବ୍ରହ୍ମତେଜରେ ।।୩।।

ଅବନା ଭିତରେ      ଥିଲେ ଗୁପତରେ

ଜ୍ଞାନକୁ ବିସ୍ତାର କରିଅଛନ୍ତି ସଂସାରେ ।।୪।।

ଅଛି ଯେବେ ପୁଣ୍ୟ      ବଚନକୁ ମାନ

ଭାଗ୍ୟ ଥିଲେ ଦରଶନେ ମୋକ୍ଷ ହୁଅ ନରେ ।।୫।।

ମୁଁ ପାପୀ କୁସଙ୍ଗୀ      ଦେଇଛନ୍ତି ଫିଙ୍ଗି

ଭୀମ ଅରକ୍ଷିତ ଧ୍ୟାନ କରିଛି ପୟରେ ।।୬।।

 

(୧୬୦)

ନାମ ଦୁଆରୀ ହେ ଶୁଣ ସୁପଣ୍ଡିତା ।

ନିଜ ଅଙ୍ଗ ଧରି ସ୍ୱାମୀ କହୁଛନ୍ତି କଥା ।। ଘୋଷା ।।

ନ କରନା ମିଛ      ଲାଗିଥାଅ ପଛ

ବୁଦ୍ଧ ଅବତାର ହୋଇଛନ୍ତି କରତା ।।୧।।

ବ୍ରହ୍ମଟି ମହିମା      ଗଞ୍ଜୁଛି ଗାରିମା

ଅଲେଖ ଅବଧୂତ ଅଖଣ୍ଡିତ ଜ୍ଞାନଦାତା ।।୨।।

ଅନୁମାନେ ବୁଝ      ଅନ୍ତର୍ଗତେ ଖୋଜ

ଭେଦ ମାର୍ଗେ ଧର ଦେହୁ ନ ବୁଡ଼ାଅ ଚେତା ।।୩।।

ରୂପକୁ ଛଡ଼ାଅ      ଅରୂପେ ଜଡ଼ାଅ

ଜନ୍ମରୁ ମରଣଯାଏ ଲାଗିଅଛି ଲତା ।।୪।।

ପଡ଼ୁଛି କଷଣ      କମ୍ପୁଛି ଆସନ

ପରୀକ୍ଷା ଉଠିଲେ କାର ନ ରହିବ ଚେତା ।।୫।।

ବୋଲେ ଭୀମ ଭୋଇ      ଗୁରୁପାଦ ଧ୍ୟାୟି

ସ୍ଥିତି ହେବାଯାଏ ପୃଥ୍ୱୀ ଲାଗିଅଛି ଚିନ୍ତା ।।୬।।

 

(୧୬୧)

କର ସାଧୁସଙ୍ଗ,

ନିଶ୍ଚେ ପରାପତ ହେବ ବ୍ରହ୍ମଅଙ୍ଗ ।। ଘୋଷା ।।

ସଂସାର ସାଗର ପ୍ରୟୋଜନ,      ସୁଖ ଭୋଗ ନ ବାଞ୍ଛିବ ମନେ

ମାୟା ଘର ଦ୍ୱାର      ଆଶରା ନ କର

ଯେସନେ ପସରା ଢାଉରଙ୍ଗ ।।୧।।

ଚାରି ଦିବସକୁ ଥାଅ ଟାକି,      କଳିଯୁଗ ରହିଲାଣି ବାକୀ

ଦୀକ୍ଷାକୁ ନ ଲେଖି      ବାନାକୁ ସେ ଦେଖି

ସଦଜ୍ଞାନ କରୁଛନ୍ତି ଭଙ୍ଗ ।।୨।।

ନିନ୍ଦା କଲେ ଯୁଗ ଯିବ କ୍ଷୟ,      ତହିଁ କି ନ କର କିଛି ଭୟ

ଯେସନେ ପାଷାଣ      କରି ପଞ୍ଚମନ

ଦେଖିବା ଶୁଣିବା ଦୂରେ ଫିଙ୍ଗି ।।୩।।

ସଂସାର ମତରେ ନୁହଁ ବାଇ,      ସବୁ କଥା ଥାଅ ଦେହେ ସହି

ଏ ଜଗତ ଲୋକ      ସର୍ବେ ଅବିବେକ

ବିଘ୍ନ କରୁଛନ୍ତି ଯେହ୍ନେ ସିଘଂ ।।୪।।

ମାୟା ମୋହେ ପଡ଼ିଛନ୍ତି ବନ୍ଦୀ      ନିଜ ନାମ ଦେଉଛନ୍ତି ଫିଙ୍ଗି

ଆପେ ନିନ୍ଦା କରି      ପାପେ ଯିବ ମରି

ଦେଖିବ ହୋଇବ କିସ ଢଙ୍ଗ ।।୫।।

ଶ୍ରୀଗୁରୁ ବଚନ ହୃଦେ ରଟି,      ଏତେବେଳେ କର ସାଧୁଗୋଷ୍ଠୀ

କହେ ଭୋଇ ଭୀମ      ନ ଛୁଇଁବ ଯମ

ଧରିଥାଅ ନାବ ଆଗ ମଙ୍ଗ ।।୬।।

 

(୧୬୨)

ଭଜ ନିରିବେଦେ,

ଏହି ଶରୀରେ ସୁଜ୍ଞାନ ହେବ ଉଦେ ।। ଘୋଷା ।।

ଦୁର୍ଲ୍ଲଭ ଶରୀର ଗୋଟା ପିଣ୍ଡ,      କିମ୍ପାଇଁ କରୁଛ ଖଣ୍ଡ ଖଣ୍ଡ

ବୁଡ଼ିଲାଣି ଚେତା      ସର୍ବ ହେବ ବୃଥା

ଚିହ୍ନି ଧର ଧର ଏକପାଦେ ।।୧।।

ଅଲେଖ ପୁରୁଷ ବିଜେ କରି      ରୂପରେଖ ନାହିଁ ତାହାଙ୍କରି

ସେହି ସେ କରତା      କର୍ମଦେବ ସ୍ୱାମୀ

ଭୁଲାଇ ମାରୁଛି ମାୟାମଦେ ।।୨।।

ପଚିଶ ପ୍ରକୃତି କରି ବାଣ୍ଟ,      ଏମାନେ କରନ୍ତି ନଟକୂଟ

ସକାମରେ ଜୀବ      ମାୟାରେ ସଂଯୋଗ

ବୁଡ଼ି ରହିଅଛି ଫଳ ସ୍ୱାଦେ ।।୩।।

ଏ ଦେହ ଛାଡ଼ିଲେ ଜନ୍ମ କାହିଁ,      ଯେବେ ଜନ୍ମ ହେବୁ ହେତୁ ନାହିଁ

ମନେ ମନେ ଭାଳି      ବୋଲ ଆଜିକାଲି

ପଡ଼ିଯିବୁ କୁମ୍ଭୀ ନର୍କ ମଧ୍ୟେ ।।୪।।

ଦାରା ସୁତ ଚିତ୍ତ ବନ୍ଧୁ ବର୍ଗ,      କେହି କାହାକୁ ନ ନ୍ୟନ୍ତି ସ୍ୱର୍ଗ

ଏମାନେ ବିଷୟା      ସର୍ବେ ମୋହମାୟା

ଶଙ୍କୋଳୀ ଅଟନ୍ତି ବେନିପାଦେ ।।୫।।

ଅଭୟ ଚରଣ ଚିତ୍ତେ ଧ୍ୟାୟି,      ଭଣେ ଅରକ୍ଷିତ ଭୀମଭୋଇ

ତେଜି ପିଣ୍ଡପ୍ରାଣ      ନାମ ବ୍ରହ୍ମେ ଲୀନ

ନବ୍‌ଧା ଭକ୍ତିଭାବ ଗଦ ଗଦେ ।।୬।।

 

(୧୬୩)

ଚିହ୍ନ ସ୍ୱଦେହରେ,

ଚିତ୍ତ ଲଗାଅ, ଅନାମ ଅଦେହରେ ।। ଘୋଷା ।।

ତପ ଜପ ମନ୍ତ୍ର ଯନ୍ତ୍ରେ ନାହିଁ,      ବେଦ ବିଦ୍ୟା ଭେଦ ନ ଲାଗଇ

ଦାନ ଧ୍ୟାନ ଜ୍ଞାନ      ତୀର୍ଥ ବ୍ରତ ପୁଣ୍ୟ

ଫିଙ୍ଗି ଦେଇଛନ୍ତି ଦୂରାନ୍ତରେ ।।୧।।

ଧରିତ୍ରୀ ଆକାଶ ନ ଲାଗଇ,      ମହାଶୂନ୍ୟ ଶୂନ୍ୟେ ଶୂନ୍ୟଦେହୀ

ଆପ ତେଜ ବାଇ      ଛାୟା ନ ଲାଗଇ

ଧରି ଏକ ପାଦ ନିର୍ମାୟରେ ।।୨।।

ଚାହିଁ କହିବା ରହିବା ଠାରେ,      ନ ଥାଇଟି ଶାସ୍ତ୍ର ଅରଥରେ

ପଣ୍ଡିତ ପାଣ୍ଡିତ୍ୟ      ଏ ସର୍ବ ଖଣ୍ଡିତ

ଲୋଡ଼ ଯାଇଁ ରୂପ ବାହାରରେ ।।୩।।

ଅନୁସରିଥିଲେ ଲୟ କରି      ନିଷ୍କାମ ନିର୍ମୋହ ଚିତ୍ତେ ଧରି

ଆଶା ମାତ୍ର ଥିବ      ବାଞ୍ଛା ହିଁ ନୋହିବ

ତରିଯିବ ଗୁରୁ ସୁଦୟାରେ ।।୪।।

ସ୍ୱଦେହରେ ନାହିଁ କଲେ ଠାବ      ଅଦେହରେ ଆଉ କି ପାଇବ

ବେଳ ଥାଉଁ ଠାବ      କରି ଯେବେ ଥିବ

ବସିବ ଅଭୟ ମଣ୍ଡଳରେ ।।୫।।

ଥାଏ ସେବା ଭକ୍ତି ଭାବନାରେ,      ଶୁଣୁଛି ଦେଖୁଛି ସର୍ବଠାରେ

ଗୁରୁପାଦ ଧ୍ୟାୟି      ଭଣେ ଭୀମ ଭୋଇ

ଅଲେଖ ସ୍ୱାମୀଙ୍କ କରୁଣାରେ ।।୬।।

 

(୧୬୪)

ଆରେ ମୂର୍ଖବାଇ,

ମାନି ସେବା କଲେ ସିନା ଜ୍ଞାନ ପାଇ ।। ଘୋଷା ।।

କୋଟି ବ୍ରହ୍ମା ବିଷ୍ଣୁ ଶିବ ଗଲେ,      ଆପ ବଡ଼ିମାରେ ନ ପାଇଲେ

ଭାବ ଭୋଳେ ପଡ଼ି      ଭବେ ଗଲେ ବୁଡ଼ି

ବ୍ରହ୍ମେ କେହି ଲୀନ ହୋଇନାହିଁ ।।୧।।

ନାମେ ଆତଯାତ ଜୀବଜନ୍ତୁ,      ସଦଗୁରୁ ପାଦେ ନାହିଁ ହେତୁ

ଅନେକ ସାଧିଲେ      ଅନ୍ତ ନ ପାଇଲେ

ବାହାରିଗଲେଣି ଦେହ ବହି ।।୨।।

ଲକ୍ଷେ କଳ୍ପଗଣ୍ଡା ଯୁଗ ଯେଣୁ,      କୋଟି କୋଟି କଳ୍ପାନ୍ତର ମନୁ

କେବଣ ଯୁଗରେ      ନ ପାଇ ଠାବରେ

ବ୍ରହ୍ମ ଆସ୍ଥାନକୁ କେ ନ ଯାଇ ।।୩।।

ମନକୁ କରିପାରିଲେ ସରୁ,      ତେବେ ଭେଟ ହେବ ସଦଗୁରୁ

କବାଟ ଅର୍ଗଳୀ      ଶିଶୁରନ୍ଧ୍ରେ ଗଳି

ବିଚାରିଲେ ନିକଟରେ ଥାଇ ।।୪।।

ଏ ଦେହ ଶିଖରେ ବ୍ରହ୍ମଅଛି,      ଅଭୟ ମଣ୍ଡଳେ ବିହରୁଛି

ଜନ ପବନର      ଭେଦାଭେଦ ନାହିଁ

ନିଗମ ଭୁବନ ବୋଲି କହି ।।୫।।

ଭଣେ ଅରକ୍ଷିତ ଭୀମ କନ୍ଧ,      ସେଠାକୁ ସୁଜ୍ଞାନୀ ଜନେ ଭେଦ

ବାହ୍ୟରେ ଖୋଜିଲେ      କେବେ ନାହିଁ ମିଳେ

ଘଟ ଭେଦାନ୍ତରେ ଭେଟ ପାଇ ।।୬।।

 

(୧୬୫)

ନ ପଡ଼ି ଚିହ୍ନା, କରୁଅଛି ମୁଁ ଜଣା ।

ଅବନା ମନ୍ଦିରେ ଥାଇ ଦେଖ ଦେଖ ଭାବନା ।। ଘୋଷା ।।

ସତ୍ୟଧର୍ମ ବୋଲି ଜାଣି, କେହି କାହାକୁ

ନ ମାନି ହୋଇଲେ ବଣା

ଭଜିଥିବା ଭକ୍ତମାନେ ମନ କଲେଣି ଉଣା ।।୧।।

ମହିମା ନାମ ମହୀରେ, ଏ ନବ ଜମ୍ବୁଦ୍ୱୀପରେ,

ହୋଇଲା ବୁଣା ।

ଆୟ ବ୍ୟୟ କରିଣ ନ ପାଇଲେଟି କଳଣା ।।୨।।

ଏକ ଧର୍ମ ବେନିଭାଗ, ବଢିଲାଣି

ହିଂସାମାର୍ଗ, କରି ବାରଣା

ନିଷ୍କାମର ପୁଣ୍ୟଫଳ ବୁଡ଼ିଲାଣି ଧାରଣା ।।୩।।

ଏଥର ଏଣିକି ପ୍ରଭୁ, ଉଦ୍‌ଯୋଗ

ହେଲଶ ସବୁ, ନୂଆ ରଚନା ।

ଅଲେଖ ମଣ୍ଡଳୁ ଯାହା କରିଥିଲେ ପାଞ୍ଚନା ।।୪।।

ବହିବାରୁ ନରଦେହ, ହେଲାଣି

ମହୀ ଦୁର୍ନୟ ପଡ଼ି ବନ୍ଦନା ।

ପଞ୍ଚଭୂତ ହୃଦୟରେ ଲାଗିଛି ହେଜାଗୁଣା ।।୫।।

ଭଣେ ଭୀମ ଅରକ୍ଷିତ, ଶ୍ରୀଗୁରୁଚରଣେ

ଚିତ୍ତ, ହୋଇ ନିମନା ।

ପୂର୍ବକଥାମାନ ସବୁ ମନେ ପଡ଼ୁଛି ସିନା ।।୬।।

 

(୧୬୬)

ଉଦୟ ନୁହଁ, ଗୁପତେ ରହିଥାଅ ।

ଏ ବ୍ରହ୍ମାଣ୍ଡ ବୁଝିବାକୁ ଶ୍ରୀମୁଖେ ଆଜ୍ଞା ଦିଅ ।। ଘୋଷା ।।

ବାଳକ ପରାୟ ହୋଇ ଅବନାମନ୍ଦରେ

ଥାଇ ବାହାର ନୁହ ।

ଚାରିଦିନ ହୋଇନାହିଁ ତେଜିଛି ପରା ଦେହ ।।୧।।

ଅନନ୍ତଗର୍ଭ ଭୁବନ, ମେରୁପୃଷ୍ଠରେ ଆସନ,

ଅଚିନ୍ତାହୁଅ ।

ଆଉଥରେ ଆସିବାକୁ ବେଳ ନୁହେଁ ସମୟ ।।୨।।

ଛପନ କୋଟି ଜୀବର ଏକୋଇଶ ବ୍ରହ୍ମାଣ୍ଡର,

ହିସାବ ନିଅ ।

ଗତିମୁକ୍ତି ସମ୍ପତ୍ତିକି କୋଠ ଭଣ୍ଡାରେ ଥୁଅ ।।୩।।

ଏହିଠାରୁ ସତ୍ୟଧର୍ମ, ସଦ୍‌ଗୁରୁ ଆଜ୍ଞାମାନ,

ନୋହିଲା ନ୍ୟାୟ ।

ଧର୍ମ ବୁଡ଼ିଗଲା ବୋଲି ହୃଦୁ ଉଠୁଛି କୋହ ।।୪।।

ବୁଝାଇ କହିଲି ଯେତେ କେହି ନ ଗଲେ ପରତେ,

ମୁକ୍ତି ବିଷୟ ।

ଗୁରୁପାଦେ ଶତେବାର ଆହୁରି କଲେକ ଦ୍ରୋହ ।।୫।।

ଅନାଦିଠାକୁର ସେହି, ହଜିଯିବ ଅବା ଏହି,

ଜ୍ଞାନକୁ କଲେ ଭୟ ।

ଭଣେ ଭୀମ ଅରକ୍ଷିତ ନେତ୍ରୁ ବହୁଛି ଲୁହ ।।୬।।

 

(୧୬୭)

ନ ଆସ ଗୁରୁ, ନିଶବଦ ମନ୍ଦିରୁ ।

ଲଘୁଯଶା ବହିବାକୁ କି ନେବ ଏ ସଂସାରୁ ।। ଘୋଷା ।।

ବତାଇ କହିଲେ ଯେତେ, ନ ମାନିଲେ କଦାଚିତ୍ତେ,

ପାପ କର୍ମରୁ ।

ସମସ୍ତେ ଅଜ୍ଞାନୀ ହେଲେ ଘୋର କଳିଯୁଗରୁ ।।୧।।

ଅଭ୍ୟାଗତମାନେ ହେଲେ, ମହିମା ଦୀକ୍ଷିତ

ନେଲେ ସତ୍ୟଧର୍ମରୁ ।

କାମକଳ୍ପଣା ପ୍ରକୃତି ନ ଛାଡ଼ିଲେ ମନରୁ ।।୨।।

କେହି ଜାଣି ନ ପାରିଲେ, ଅରୂପରୁ ରୂପ ହେଲେ,

ମହାଶୂନ୍ୟରୁ ।

ଭୟେ ବଞ୍ଚି ପଳାଇଲେ ମାୟାସିନ୍ଧୁ ସାଗରୁ ।।୩।।

ଏହି ନରଦେହ ଲୋକ, ନିଷ୍କଳଙ୍କରେ

କଳଙ୍କ ଲଗାଇବାରୁ ।

ସାକ୍ଷାତେ ନିଜ ବ୍ରହ୍ମକୁ ଦେଖି ଡରିଲେ ଦୂରୁ ।।୪।।

ଏ କଳିଯୁଗ ମନୁଷ୍ୟ, ସର୍ବେ କରିଛନ୍ତି ଦୋଷ,

ଗୁରୁ ପୟରୁ ।

ପୂର୍ଣ୍ଣ ନୋହେ ଭକ୍ତିମାନ ନାମେ ଦ୍ରୋହୀ ହେବାରୁ ।।୫।।

ଆଦ୍ୟରୁ ଅନାଦି ଏକ, ସୁଜନେ କର ବିବେକ,

ବେଦାନ୍ତ ଘରୁ

ଭଣେ ଭୀମ ଗୁରୁଚିନ୍ତା ଅନନ୍ତ ପୃଷ୍ଠମେରୁ ।।୬।।

 

(୧୬୮)

ନୁହନ୍ତି ଦୃଶ୍ୟ, ଅନାଦିତ ପୁରୁଷ ।

ଜଗତ ଭକତ ଦେହୀ ନ ପାନ୍ତି ଅନ୍ତ ଲେଶ ।। ଘୋଷା ।।

ମହାଶୂନ୍ୟ ଶୂନ୍ୟଦେହୀ, ରୂପରେଖ ବର୍ଣ୍ଣ ନାହିଁ,

ନିଗମେ ପଶ ।

ଅଲେଖ ମହିମା ନାମ ମଣୁଅଛନ୍ତି ବିଷ ।।୧।।

ଯାହା ଜଣାଉଛତି ପ୍ରଭୁ, ଅପ୍ରାଧ ଖଣ୍ଡିବ ସବୁ;

ନ ଧରି ଦୋଷ ।

ଅନ୍ତର୍ଯ୍ୟାମୀ ଗୁରୁମୋର ଆଉକି କହିବି କିସ ।।୨।।

ମୋର କିଛି ଦୋଷ ଅଛି, କବିତା ରୂପେ ବର୍ଣ୍ଣିଛି;

କରି ବିଶ୍ୱାସ ।

ନିନ୍ଦିତ ବଡ଼ିମା; କରି ନ ଆସୁଛନ୍ତି ପାଶ ।।୩।।

ଛପନକୋଟି ଜୀବକୁ, ଧର୍ମ ଯାଚିଲାବେଳକୁ,

ନୋହିଲେ ବଶ ।

ପ୍ରଳୟ ହେଲାଣି କଳିଯୁଗ ହୋଇବ ଶେଷ ।।୪।।

ଗୁରୁରୂପେ ବିରାଜିତ, ଘେନି ବ୍ରହ୍ମ ତେଜବନ୍ତ,

ଆବୋରି ବସ ।

ସମ୍ବତ୍ସର ତ୍ରୟସାଲ ଆସି ହେଲା ଛଅମାସ ।।୫।।

ସେ ଅଲେଖ ଅଣାକାର ହେଲେ ବୁଦ୍ଧ ଅବତାର,

ଗୁପ୍ତେ ପ୍ରକାଶ୍ୟ ।

ଭଣେ ଭୀମ ଅରକ୍ଷିତ ଅନନ୍ତ ପରେ ବାସ ।।୬।।

 

(୧୬୯)

ଅନାଦିଗୁରୁ, ଅଣଅକ୍ଷରୁ

ନାମ ବୋଲାଇଲ ମହିମାମେରୁ ।। ଘୋଷା ।।

ଅଲେଖ ବୋଲିବା ଯେବଣ ଶବଦ,

ବ୍ରହ୍ମଜ୍ଞାନୀ ଜନେ କର୍ଣ୍ଣେ ଶୁଣି ଭେଦ,

ଚାରିଯୁଗେ କବି ଲେଖି ନ ପାରିଲେ,

ଅଲେଖ ବୋଲିଣ ନାମ ତହୁଁ ଦେଲେ,

ପ୍ରକାଶ ହୋଇଲେ ନିଶବଦରୁ ।।୧।।

ଶୂନ୍ୟ ବୋଲିବାର ଯେବଣ ବିଭୂତି,

ଉର୍ଦ୍ଧ୍ୱକୁ ଚାହିଁଲେ କିଛି ନ ଦିଶନ୍ତି,

ସର୍ବଭୂତେ ପୂରି ଅଛନ୍ତି ଆବୋରି,

ସୁଖେ କରୁଛନ୍ତି ଦିବା ଶର୍ବରୀ,

ଏ ପିଣ୍ଡ ବ୍ରହ୍ମାଣ୍ଡ ଯେତେ ସୀମାରୁ ।।୨।।

ଅନନ୍ତ ପୁରୁଷ ବୋଲିବା ନିର୍ଣ୍ଣୟେ,

ଚାରିଯୁଗେ ଆଦିଅନ୍ତ ପାଇ ନୁହେଁ,

ନୁହଇ କବି ତ ଅଦ୍ଭୁତରେ ଯୁକ୍ତ,

ଧର୍ମ ଅର୍ଥ କାମ ନୁହଇ ଶକତ,

ଅଟଳ ଶକତି କେ ବର୍ଣ୍ଣିପାରୁ ।।୩।।

ସ୍ୱାମୀ ବୋଲିବାର ଯେବଣ ବିଭୂତି,

ଛପନାକୋଟିର ଅଟନ୍ତି ସେ ପତି,

ସେ ଜଗତ ନାଥ ସମସ୍ତଙ୍କ ହିତ,

ଭକତଙ୍କ ବନ୍ଧୁ ସେହି ଇଷ୍ଟମିତ୍ର,

ଅବତାର ହୋଇ ଅଣରୂପରୁ ।।୪।।

ଗୁରୁ ବୋଲିବାର ଯେବଣ ଅରଥ,

ଜ୍ଞାନ ବୁଦ୍ଧି ହେତୁ ହେବାରୁ ସମର୍ଥ,

ଘେନି ସେବା ଭକ୍ତି ଦ୍ୟନ୍ତି ସଦ୍‌ଗତି,

ଅଭୟ ମଣ୍ଡଳେ ପ୍ରାପତ କରାନ୍ତି,

ତାରଣ କରନ୍ତି ଭବ ସାଗରୁ ।।୫।।

କର୍ତ୍ତା ବୋଲିବାର ଯେଉଁ ରୀତିମତ,

ପିଣ୍ଡ ବ୍ରହ୍ମାଣ୍ଡକୁ କରିଛନ୍ତି ଜାତ,

ଭଣେ ଭୀମକନ୍ଧ ମନରେ ଆନନ୍ଦ,

ଭରସା ମୋର ସେ ଅଣରୂପା ଚାନ୍ଦ,

ସର୍ଜନା କଳ୍ପନା ଶୂନ୍ୟ ମନ୍ଦିରୁ ।।୬।।

 

(୧୭୦)

ପରମବ୍ରହ୍ମ, ସତ୍ୟାଦିଧର୍ମ.

ଭକତ ଭାବକୁ ବହନ୍ତି ନାମ ।। ଘୋଷା ।।

ଯେ ଆଦି ଅନାଦି ବୋଲିବା ବିଧାନ,

ଏ ଦୁଇ ଶବଦ ନାହିଁ କିଛି ଭିନ୍ନ,

ଏକ ଅଙ୍ଗ ସେହି ଖଣ୍ଡ ଖଣ୍ଡ ନୋହି

ଅଖଣ୍ଡ ବ୍ରହ୍ମର ଖଣ୍ଡ ଖଣ୍ଡ କାହିଁ

ବିଚାରି ବୁଝିଲେ ଏକତ୍ୱ ସମ ।।୧।।

ଅଶେଷ ବ୍ରହ୍ମଙ୍କୁ କେ ବୋଲିବ ଶେଷ,

ନୁହନ୍ତି ସ୍ତିରୀ ସେ ନୁହିନ୍ତି ପୁରୁଷ,

ସେ ନିଗମ ପଦ କେ କରିବ ଭେଦ,

ଅଗମ୍ୟ ଭୁବନ ଅଟଇ ସେ ପଦ,

ନର ତନୁ ବହି କାହାର କ୍ଷମ ।।୨।।

ଏକାକ୍ଷର ବ୍ରହ୍ମଜ୍ଞାନ ମତବାଣୀ,

ଅଧାଧନ୍ଦ ନୁହ ସାଧୁ ସନ୍ଥ ପ୍ରାଣୀ,

ଏକ ସେ ଅବର୍ଣ୍ଣ ନିତ୍ୟ ନିରାଧାର,

ନୁହନ୍ତି ସେ ମାଈ ନୁହନ୍ତି ଅଣ୍ଡିର,

ବାରି ନୁହେଁ ତହିଁ ଡାହାଣ ବାମ ।।୩।।

ଅଲେଖ ମହିମା ପଦ ନିରୂପଣ,

ଖଡ଼ି ଘେନି ହସ୍ତେ ଗାର କାଟିଗଣ,

ଷଡ଼ାକ୍ଷର ଯାକ ଏକାକ୍ଷର ଯୋଗ,

ସେହୁ ସେ ଅଟଇ ଅଣାକ୍ଷର ପଦ,

ଭଜିବାର ତେବେ ସୁଫଳ କାମ ।।୪।।

ଚିହ୍ନାଇ କହୁଛି ଭଲ କରି ଚିହ୍ନ,

ମହିମା ନାମଟି ଅନନ୍ତ ଭୁବନ,

କୋଟି କୋଟି ଜାତ କୋଟି କୋଟି ହତ

ସେ ମହିମା ପଦ ନୁହଇ ବର୍ଣ୍ଣିତ,

ପଳୟ ଶବଦେ ଅଟନ୍ତି ଯମ ।।୫।।

ନିଶବଦ ପୁର ଅମନ ମନ୍ଦିର,

ପେଲି ପଶିବାକୁ ଶକ୍ୟ ନାହିଁ ଆର,

ଭଣେ ଭୀମ କନ୍ଧ କବି କୁଳ ଚାନ୍ଦ,

ଅନୁସରି ଅଛି ଗୁରୁପାଦବିନ୍ଦ,

ମୋ’ ଠାରୁ ସଂସାରେ ନାହିଁ ଅଧମ ।।୬।।

 

(୧୭୧)

କର ବିଚାର, ସୁଜ୍ଞାନୀ ନର,

ବ୍ରହ୍ମଠାରୁ ଆଉ ନାହିଁ ନାଁ ସାର ।। ଘୋଷା ।।

ମହାବ୍ରହ୍ମ ବୋଲିବାର ମତରୀତି,

ନିର୍ମାୟା ପ୍ରଭୁ ସେ ଭେଦେ ପ୍ରକୃତି,

ଆପଣା ମାୟାକୁ ଆପେ ଅଛି ଜିଣି,

ତେଣୁ ତା ପକ୍ଷୀରେ ନ ଲାଗଇ ପାଣି,

ଭିଆଣ କରିଛି ଭବସାଗର ।।୧।।

ଅବଧୂତ ବୋଲିବାର ବାକ୍ୟ ପ୍ରତି,

ଅଦ୍ଭୁତରୁ ଯେଣୁ ଉଦିତ ହୁଅନ୍ତି,

ପାପ ଭାରା ହେଲା ନବଦ୍ୱୀପ ପୃଥ୍ୱୀ,

ଅତିଥି ରୂପରେ ଭ୍ରମି ସଂସାର ।।୨।।

ସର୍ବ ଅଭ୍ୟାଗତ ବୋଲିବା ଚରିତ,

ପୃଥ୍ୱୀ ପ୍ରାୟ ସହେ ଅଣହିଂସା ମତ,

ଜୀବ ପରେ ଦୟା ନାମରେ ଶରଣ,

ସଦଗୁରୁ ସେବା କରେ ପ୍ରତିଦିନ

ପିଣ୍ଡ ବ୍ରହ୍ମାଣ୍ଡରେ ନାହିଁ ବିକାର ।।୩।।

ସଦଜ୍ଞାନ ବୋଲି ଯାହାକୁଟି କହି,

ସମୁଦ୍ର ପରାୟେ ବୁଦ୍ଧି ସ୍ଥିର ହୋଇ,

ଆକାଶ ପରାୟେ ବିଚାର ବିବେକ,

କପଟ ନ ରଖି ନ କରଇ କୋପ,

ଧିରାନ୍ତ ପଣକୁ ଅଟେ ଗଭୀର ।।୪।।

ସତ୍ୟ ଧର୍ମ ବୋଲିବାର ଯେଉଁ ନାମ,

ବ୍ରହ୍ମ ଶକତିରୁ ହୁଅଇ ଜନମ,

ନୋହେ ମିଥ୍ୟାପଦ ସାକ୍ଷାତେ ସେ ପାଦ

ସେବା ଭକତିରେ ଚେତା ସୁମର ।।୫।।

ତତ୍ତ୍ୱପଦ ବୋଲିବାର ଯେ ବଚନ,

ପଞ୍ଚଭୂତ ମନ ଯହୁଁ ଉଦ୍ଦୀପନ,

କର ଦୃଢବ୍ରତ ସୁଜ୍ଞାନୀ ପଣ୍ଡିତ,

ଗୁରୁ ପାଦପଦ୍ମେ ରଖ ନେଇ ଚିତ୍ତ

ଭଣେ ଭୀମ ଭୋଇ ହୀନ ପାମର ।।୬।।

 

(୧୭୨)

ପରମେଶ୍ୱର, ସେହିଟି ସବୁ,

ତାଙ୍କ ବିନୁ ନାହିଁ ଦ୍ୱିତୀୟ ପ୍ରଭୁ ।। ଘୋଷା ।।

ମେରୁ ମନ୍ଦିରକୁ ଚାହିଁ ଆଜ୍ଞା ଦେଲେ,

ନବଖଣ୍ଡ ମହୀ ଧରିଥା ବୋଇଲେ,

ଆମ୍ଭ ଆଜ୍ଞା ଘେନି ପ୍ରତିପାଳ ହୁଅ,

ଧରଣୀକି ଶିର ପରେ ବହିଥାଅ,

ନିଃସତ ହୋଇଲେ ଦ୍ରୋହ ପାଇବୁ ।।୧।।

ଜଳସାଗରକୁ ଆଜ୍ଞା ଦେଲେ ଚାହିଁ

ପୂରିଥିବୁ କୂଳ ଲଘିଂବୁ ତୁ ନାହିଁ,

କହୁଅଛି ତୋତେ ହେତୁ କରି ଚିତ୍ତେ,

ଛପନା କୋଟିକୁ ଆଣ୍ଟିଥିବୁ ନିତ୍ୟେ,

ଆଜ୍ଞା ନ ମାନିଲେ ଅପ୍ରାଧୀ ହେବୁ ।।୨।।

ପବନକୁ ହକରାଇ ଆଜ୍ଞା ଦେଲେ,

ପିଣ୍ଡ ବ୍ରହ୍ମାଣ୍ଡରେ ବୁଲୁଥା ବୋଇଲେ,

ଦେଉଥିବୁ ସୁଖ ନୋହିବୁ ବିମୁଖ,

ଯେମନ୍ତ ପ୍ରକାରେ ନ ପାଇବେ ଦୁଃଖ,

କଳିବାରେ ତୁ ହୋ ହେଳା ନୋହିବୁ ।।୩।।

ଅନଳକୁ ଆଜ୍ଞା ଦେଲେ ପ୍ରତିବାକ୍ୟ,

ପିଣ୍ଡ ବ୍ରହ୍ମାଣ୍ଡରେ କରୁଥାଅ ପାକ,

ଆଜ୍ଞା ମାନିଥିବୁ ଅବଜ୍ଞା ନୋହିବୁ,

ଘରଷଣ କାଳେ ବାହାର ହୋଇବୁ,

ବଚନ ଏଡ଼ିଲେ ଦୋଷୀ ହୋଇବୁ ।।୪।।

ଚନ୍ଦ୍ରସୂର୍ଯ୍ୟଙ୍କୁ ଯେ ଆଜ୍ଞା ଦେଲେ ଜାଣ,

ଉଦେ ଅସ୍ତ ତୁମ୍ଭେ ହୁଅ ପ୍ରତିଦିନ,

ଆଜ୍ଞା ମାନିଥିବ ଆକାଶରେ ଥିବ,

ଦିବସ ରଜନୀ ବାରଣ ପଡ଼ିବ,

ତିଆରି ତୁମ୍ଭକୁ କହୁଛି ବାବୁ ।।୫।।

ସେ ଆଦ୍ୟ ଅନନ୍ତ ପରମ ଅଲେଖ

ଯହିଁ ନିରୂପିଲେ ତହିଁ ଛନ୍ତି ଦେଖ,

ବ୍ରହ୍ମମୟ ଭୂତ ତ୍ରିପୁର ଜଗତ,

ଭେଦାଭେଦ କରି ବୁଝ ସାଧୁସନ୍ଥ,

ଭଣେ ଭୀମ କନ୍ଧ ମୁରୁଖ ବାବୁ ।।୬।।

 

(୧୭୩)

ଗୁରୁଙ୍କ ପରା ସେବୁଛ, ଜାଣୁଅଛ,

ସତ୍ୟକୁ ମିଥ୍ୟା ମଣୁଛ ।। ଘୋଷା ।।

ବ୍ରହ୍ମ ଯାହା ବୋଲିବାର,      ରଜୀ ବୀର୍ଯ୍ୟରୁ ବାହାର

ପୂରି ରହିଅଛି ସ୍ୱର୍ଗ ପାତାଳ ମଞ୍ଚ ।

ଧର୍ମ ପୁରୁଷ ଅଟଇ,      ଜନ୍ମ ମୃତ୍ୟୁ ନ ଲାଗଇ

ନୁହନ୍ତି କାହାରି ବଶ ।।୧।।

ଭକତ ଅଙ୍ଗରେ ସିନା,      ପଡ଼େ ଏହୁ ଧର୍ମ ଚିହ୍ନା

ଭକ୍ତ ଭଗବାନ ଦିଶନ୍ତି ସମକଚ୍ଛ ।

ଚାରିଯୁଗେ ଏହିପରି      ଭୁଲାଉଛି ମାୟା କରି

କେହି ଜାଣି ନ ପାରୁଛ ।।୨।।

ଅନଳ କାନ୍ତି ପରାୟେ,      ବିରାଜନ୍ତି ଭକ୍ତ ଦେହେ

ଭକତଙ୍କୁ ଆଗ କରି ଆପଣ ପଛ ।

ଭକତ ଅଙ୍ଗରେ ଥାନ୍ତି,      ଅଶେଷ ସେବା ଘେନନ୍ତି

କିମ୍ପାଇ ଭିନ୍ନ କରୁଛ ।।୩।।

ହୃଦୟ ପଦ୍ମରେ ବାସ,      ଆତ୍ମାରୂପେ ପରକାଶ

ଭକତ ଅଙ୍ଗଟି ସିଂହାସନ ପାବଚ୍ଛ ।

ମଣିମୟ ମଣ୍ଡପରେ      ପ୍ରଭୁ ବିଜୟ ତହିଁରେ

ଡେଙ୍ଗା ଜଗତିରୁ ଉଚ୍ଚ ।।୪।।

ତାଳୁକା ଦୁଆର ଶିଖେ,      ଫୁଙ୍କାବନ୍ଧ ହ୍ରଦ କଳ୍ପେ

ଶୂନ୍ୟାଦି ମଣ୍ଡଳ ନିର୍ଭା ହୋଇଛି ସଞ୍ଚ ।

ଶୂନ୍ୟ ଅବନା ମନ୍ଦିର,      ଅଲେଖ ଅବନା ପୂର

ଯେସନେ ମୟୂର ପୁଚ୍ଛ ।।୫।।

ସେ ପ୍ରଭୁ ଅନାଦି କନ୍ଦ,      ଏକାକ୍ଷର ପାଦବିନ୍ଦ

ପିଣ୍ଡପ୍ରାଣ ସେଠାବରେ ଦେଇଛି ଲାଞ୍ଚ ।

ଭଣେ ଭୀମସେନ ଭୋଇ,      ବ୍ରହ୍ମେ ଲୀନ ହେବାପାଇଁ

ଶ୍ରୀଗୁରୁ ପାଦରେ ନେଞ୍ଚ ।।୬।।

 

(୧୭୪)

ସମ୍ଭାଳି ସତ୍ୟ ଧର୍ମକୁ, ବ୍ରହ୍ମାଣ୍ଡକୁ

କହୁଅଛି ସମସ୍ତଙ୍କୁ ।। ଘୋଷା ।।

ଧର୍ମ ଅବତାର ଗୁରୁ,      ଫେରୁ ଅଛନ୍ତି ଶୂନ୍ୟରୁ

କଳିଯୁଗେ କେହି ନାହିଁଟି ଜାଣିବାକୁ ।

ରୂପବର୍ଣ୍ଣ ଛନ୍ତି ହୋଇ,      ମନରେ ପରତେ ନାହିଁ

ବେନି ନେତ୍ରେ ଦେଖୁ ଦେଖୁ ।।୧।।

ମୁଁ କିସ ପରୀକ୍ଷା ଦେବି      ଅଧିକରେ କି କହିବି

ଭଜନାରେ କହୁଅଛି ଏ ସଂସାରକୁ ।

ବେନି କର୍ଣ୍ଣ ଥାଉଁ ଥାଉଁ,      ଭେଦ ନ ପଶିଲା ଆଉ

ନ ଗଲା ତାଙ୍କ ମନକୁ ।।୨।।

ପାଷାଣ ତରଳି ଗଲା,      ଶୁଷ୍କତରୁ ପଲ୍ଲବିଲା,

ଲେଶେ ଜ୍ଞାନ ନ ଭେଦିଲା ଲୋକମାନଙ୍କୁ ।

ଦୁର୍ଲ୍ଲଭ ଜନମ ପାଇ,      ଅଜ୍ଞାନରେ ହେଲ ବାଇ

ନ ଚିହ୍ନିଲ ସେ ପ୍ରଭୁଙ୍କୁ ।।୩।।

ଏବେ ଦୃଢ କରି ଧର,      ସତ୍ୟାଦି ଧର୍ମେ ବିହର

ଅନେକ ପ୍ରକାରେ କହୁଅଛି ତୁମ୍ଭଙ୍କୁ ।

କବି ପଣେ ବସିଥିଲା,      କିଛି ସମସ୍ୟା ନ ଦେଲା

ନିନ୍ଦା ନ ଦେବ ପ୍ରଭୁଙ୍କୁ ।।୪।।

କେତେଦିନ ସଂସାରରେ,      ଥିବା ଏ ମହୀମଣ୍ଡଳେ

ଆସ ସମସ୍ତେ ସେବିବା ସଦଗୁରୁଙ୍କୁ ।

ଧନ ନୁହେଁ ମାଳ ମାଳ,      ଜୀବ ନୁହେଁ କାଳ କାଳ

ଲୋଡ଼ ସେ ଶୂନ୍ୟ ପ୍ରଭୁଙ୍କୁ ।।୫।।

ସେ ଅଲେଖ ଅଣାକାର,      କଲେ ଯେତେ ଅବତାର

ଚିର କରି ରଖି ଦେଇ ନାହିଁ କାହାକୁ ।

ଭଣେ ଭୀମସେନ ଭୋଇ      ପିଣ୍ଡ ପ୍ରାଣ ଦାନ ଦେଇ

ଶ୍ରୀଗୁରୁ ପାଦତଳକୁ ।।୬।।

 

(୧୭୫)

ଭ୍ରମି ଯାଉଛି ଚିତ୍ତରେ, ଆଜ୍ଞାନରେ

ଜାଣୁ ଜାଣୁ ସ୍ୱଦେହରେ ।। ଘୋଷା ।।

ଅଲେଖ ଶବଦ ଡାକ,      ତିନିପୁର ତ୍ରଇଲୋକ

ମହିମା ନାମ ମିଶାଇ ଭଜ ମୁଖରେ

ନିଜ ବ୍ରହ୍ମରେ ଭଜନ,      ଆତଯେତ ଅନୁକ୍ଷଣ

ଦିବା ନିଶି କଳ୍ପାନ୍ତରେ ।।୧।।

ନର ନାରାୟଣ ରୂପ,      ବିସ୍ତାର ବ୍ରହ୍ମ କଳାପ

ମୂର୍ତ୍ତିମନ୍ତ ହୋଇ ବିରାଜିଛ ମହୀରେ ।

ଜଗତ ଜନଙ୍କ ହିତେ,      ଧର୍ମ ସ୍ଥାପିବା ନିମନ୍ତେ

କ୍ଷୀଣ ବୁଦ୍ଧ ଅବତାରେ ।।୨।।

ପ୍ରବୁଦ୍ଧ ବୁଦ୍ଧ ସ୍ୱରୂପ,      ମାନବ ଶରୀର କଳ୍ପ

ନିଜ ଶକତିକି ଘେନି ନବ କ୍ଷିତିରେ ।

ଏକ ବ୍ରହ୍ମ ଦ୍ୱିରୀରୂପ,      ଗୁରୁ ଶିଷ୍ୟ ପ୍ରାୟେ ଦେଖ

ଆସିଛନ୍ତି ଗୁପତରେ ।।୩।।

ଶ୍ରୀଗୁରୁ ବଚନ ମାନି,      ଛାମୁ ଆଜ୍ଞା ଶିରେ ଘେନି

ଏକମନ ହୋଇ ଚାଲ ଧର୍ମ ପଥରେ ।

ଧରି ସଦଗୁରୁ ପାଦ,      ମନରୁ ସଂଶୟ ଛେଦ

କପଟ ଛାଡ଼ି ଅନ୍ତରେ ।।୪।।

ଅଶ୍ରୁତି ହୋଇ ଯାଉଛ,      ହେତୁଚେତା ବୁଡ଼ାଉଛ

ସମସ୍ତେ ଭାସି ଯାଉଛ ମାୟା ସାଗରେ ।

ଅନ୍ତର୍ଯ୍ୟାମୀ ଗୁରୁଦେବ,      ଛାଡ଼ିଛନ୍ତି ଧର୍ମନାବ

ଏ ଘୋର କଳିଯୁଗରେ ।।୫।।

ବେନିଜନ ଏକ ମାତ      ବାରିଲେ ବାରି ନୁହେ ତ

ମନର ଭିତରେ ଜଣାଉଛି ଅନ୍ତରେ ।

ଭଣେ ଭୀମ ଅରକ୍ଷିତ,      ଶତେବାର ପ୍ରଣମିତ

ଶ୍ରୀଗୁରୁ ଶିଷ୍ୟ ପୟରେ ।।୬।।

 

(୧୭୬)

ଶୂନ୍ୟରେ ଲାଗିଛି ପୂଣ୍ୟ ତପସ୍ୟା ଗୋ ।

ତେଣୁ ଶୂନ୍ୟ ନାମ କର ଭରସା ଗୋ ।। ଘୋଷା ।।

ଅପୂର୍ବ ମହିମା ନାମ      ନିଷ୍କାମ ଅଟଇ ଧର୍ମ

ଦେଖି ନ ସହନ୍ତି ସାହି ପଡ଼ିଶା ଗୋ ।।୧।।

ଏ ଦେହରେ ସବୁ ଅଛି      ବେଦ ଭୁଲାଇ ମାରୁଛି

ବିଅର୍ଥେ ନ ଯାଅ କ୍ଷେତ୍ର ତୁରୁଷା ଗୋ ।।୨।।

ବ୍ରହ୍ମକୁ ଯେବେ ଚିହ୍ନିବ      ଆତ୍ମାଲିଙ୍ଗ ନ ଟଳିବ

ଦୂରାନ୍ତ ହୋଇବ କ୍ଷୁଧା ତୁରୁଷା ଗୋ ।।୩।।

ଆପେ ହୋଇବ ଉଦ୍ଧାର      ପ୍ରବେଶ ନିଜ ବ୍ରହ୍ମର

ଉଦ୍ଧାର ପାଇବେ ସପ୍ତପୁରୁଷ ଗୋ ।।୪।।

ମନ ମଧ୍ୟେ କଲେ ତତ୍ତୁ      ପାଇବ ପୂର୍ବରୁ ହେତୁ

ସକଳ ଜୀବରେ କଲେ ଅହିଂସା ଗୋ ।।୫।।

ଭଣେ ଭୀମ ଅରକ୍ଷିତ      ଅରୂପ ବ୍ରହ୍ମରେ ଚିତ୍ତ

ନିରନ୍ତରେ କରିଅଛି ସାହସ ଗୋ ।।୬।।

 

(୧୭୭)

ହୋଇଲେ ସ୍ତିରୀ ପୁରୁଷ ଭକତି ଗୋ ।

ତେବେ କଳିଯୁଗ ଯିବ କଟତି ଗୋ ।। ଘୋଷା ।।

ସତ୍ୟାଦି ଧର୍ମେ ଯେ ଜନ      ରଖିଥିବ ପିଣ୍ଡ ପ୍ରାଣ

ଲଭିବ ଧନ ରତନ ସମ୍ପତ୍ତି ଗୋ ।।୧।।

ଭୟ ତେଜି ଭକ୍ତି କର      ହାନି ଲାଭକୁ ନ ଡର

ତେବେ ସେ ପାଇବ ଗତି ମୁକତି ଗୋ ।।୨।।

ପୁତ୍ର ଦୁହିତା ପ୍ରଦାନ      କରିବ ଯେବଣ ଜନ

ଚାରିଯୁଗେ ରହିଥିବ କୀରତି ଗୋ ।।୩।।

ଏତେବେଳେ ସବୁ ଅଛି      ଆଗକୁ ନ ମିଳେ କିଛି

ଭାରତେ ଛାଡ଼ିବେ ଲକ୍ଷେ ନୃପତି ଗୋ ।।୪।।

ନାମେ ଆଶ୍ରିତ ଯେ ହେବେ      ରବିତଳେ ସେ ରହିବେ

ନିଶ୍ଚିନ୍ତେ ଭୋଗ କରିବେ ଏ ପୃଥ୍ୱୀ ଗୋ ।।୫।।

ଭଣେ ହୀନ ଭୀମଭୋଇ      ବେଳୁ ବେଳ ଅନର୍ଥ ହିଁ

ତେଣୁ ଘୋଟି ଆସୁଅଛି ବିପତ୍ତି ଗୋ ।।୬।।

 

(୧୭୮)

ଶୂନ୍ୟେ ଅବଧୂତ ବାନା ଉଡ଼ୁଛି ଗୋ ।

ଧରିତ୍ରୀ ଆକାଶ କମ୍ପି ଯାଉଛି ଗୋ ।। ଘୋଷା ।।

ଅନାହତ ବ୍ରହ୍ମଧୂନି      ମର୍ତ୍ତ୍ୟରେ ସ୍ଥାପିଲେ ଆଣି

ମର୍ତ୍ତ୍ୟକୁ ସେ କେଡ଼େ ଶୋଭା ପାଉଛି ଗୋ ।।୧।।

ନ ଜାଣନ୍ତି ତିନିପୁର      ମାୟା ସଂସାରେ ପ୍ରଚାର

ଏକାକ୍ଷର ପାଦ ଉଦେ ହୋଇଛି ଗୋ ।।୨।।

ଚାରିଲକ୍ଷ ବତିଶସ୍ର      କଳି ହୋଇଯିବ ଶେଷ

ସତ୍ୟାଦି ହେବାକୁ କଥା ପଡ଼ିଛି ଗୋ ।।୩।।

ଗୁରୁ ପାଦପଦ୍ମ ଜାଣ      ସେବା କରେ ଯେଉଁ ଜନ

ଚେତା ଥିଲେ ନାମ ନୁହେଁ ମୁରୁଛି ଗୋ ।।୪।।

ଗୁରୁ ନ ଦେଲେ ବତାଇ      ଏହା ମୁଁ ଜାଣନ୍ତି କାହିଁ

ଅମନ ମନ୍ଦିରୁ ଉଦେ ହୋଇଚି ଗୋ ।।୫।।

ଭଣେ ଭୀମସେନ ଭୋଇ      ଶ୍ରୀଗୁରୁ ଚରଣେ ଧ୍ୟାୟି

ଛାମୁ ଆଜ୍ଞା ଶିରପରେ ବହିଛି ଗୋ ।।୬।।

 

(୧୭୯)

କର ନିଷ୍କାମ ଭକ୍ତି ସୁଚିତ୍ତେ ଗୋ ।

ଦେହଧାରୀ ଯେତେ ଅଛ ଜଗତେ ଗୋ

।। ଘୋଷା ।।

ଭକତ ହିତକାରୀ      ଅନାଦି ଅରୂପ ହରି

ବ୍ରହ୍ମାଣ୍ଡକୁ ରଖିବାର ନିମନ୍ତେ ଗୋ ।।୧।।

ଏହି କଳିଯୁଗେ ଜାଣ      ବୁଦ୍ଧରୂପେ ନାରାୟଣ

ଭାଗ୍ୟ ଥିଲେ ବାନ୍ଧିରଖ ପଣନ୍ତେ ଗୋ ।।୨।।

ଅରୂପ ବ୍ରହ୍ମକୁ ଭାବ      ପାଇବ ଯେମନ୍ତ ଠାବ

ଅନନ୍ତଗର୍ଭେ ରହିବ ନିଶ୍ଚିନ୍ତେ ଗୋ ।।୩।।

ସ୍ଥିତି ଉତ୍ପତ୍ତି ପ୍ରଳୟ      ନ ଥିବ କାହାକୁ ଭୟ

କଟିବ ଜନ୍ମ ମରଣ ସାକ୍ଷାତେ ଗୋ ।।୪।।

କଳି ଭାଙ୍ଗି ସତ୍ୟ ହେବ      ନିର୍ଣ୍ଣୟ ବଚନ ଧ୍ରୁବ

ଦ୍ୱାଦଶ ବାରରେ ନମ ଭୂମିତେ ଗୋ ।।୫।।

ଭଣେ ଭୀମହୀନ କନ୍ଧ      ନ ଭଜିଲେ ପାଦବିନ୍ଦ

କଦାଚିତ୍ତେ କ୍ଷମା ନାହିଁ ପଶ୍ଚାତେ ଗୋ ।।୬।।

 

(୧୮୦)

ସୁଜନ, ଧଇର୍ଯ୍ୟ ଧରିଥାଅ ମନ ହେ ।

ଛାମୁରେ କରୁଛି ଜଣାଣ ବୁଝିବେ ଗୁରୁ ନାରାୟଣ ହେ ।। ଘୋଷା ।।

ଯେ ଯହିଁରେ ରହିଅଛ ସୁଜ୍ଞାନୀ ସନ୍ଥନ ।

ଧରମ ଡାକ ଦେଉଛି ସାବଧାନେ ଶୁଣ ହେ ।।୧।।

ସତ୍ୟ ଧର୍ମକୁ ନ ଛାଡ଼ ନୁହ ଛନ୍ନ ଛନ୍ନ ।

ଦିବା ନିଶି ଗୁରୁପାଦେ ଲଗାଅ ଭଜନ ହେ ।।୨।।

ନାମବ୍ରହ୍ମ ଚିତ୍ତେ ଲୟ କର ଅନୁକ୍ଷଣ ।

ବୁଝି ବିଚାରି ଚିତ୍ତରେ ହୁଅ ସମ୍ଭାଳଣ ହେ ।।୩।।

ଶ୍ରୀଗୁରୁ ଆଜ୍ଞାରେ ମୁଁ ଯେ କରୁଛି ବଖାଣ ।

ମିଥ୍ୟା ନୁହେଁ କଦାଚିତେ ଏ ମୋର ବଚନ ହେ ।।୪।।

ମହିମାଧର୍ମ ପରୀକ୍ଷା ହେବ ପରମାଣ ।

ବାହାର ହୋଇବେ ଗୁରୁଦେବେ ଦରଶନ ହେ ।।୫।।

ଗୁରୁଦେବ ବିନେ ଅନ୍ୟେ ନ ଜାଣେ ଶରଣ ।

ବୋଲେ ଭୀମ ଅରକ୍ଷିତ ପାମର ଅଜ୍ଞାନ ହେ ।।୬।।

 

(୧୮୧)

ଶେଷରେ, ଘଟିଛି ଏ କଳିଯୁଗରେ ହେ ।

ବୁଝାଉଅଛି ନିରନ୍ତରେ ନିଷ୍କାମ ଭକ୍ତି ନିମନ୍ତରେ ହେ

।। ଘୋଷା ।।

ପରଦାରା ଚୋରୀ ମିଥ୍ୟା ନ ଧର ମନରେ ।

ହିଂସା ଅହଙ୍କାର ଛନ୍ଦ ନିବାର ଦୂରରେ ହେ ।।୧।।

କୂଟ କପଟ ଖଚକୁ ନ ରଖ ପାଶରେ ।

କାମ କ୍ରୋଧ ତେଜି ରହିଥାଅ ମଉନରେ ହେ ।।୨।।

ଶାନ୍ତଶୀଳ ଦୟା କ୍ଷମା ବହ ହୃଦୟରେ ।

ଗୁରୁ ଧର୍ମ ଆଶ୍ରେ କରି ନିଷ୍କାମ ପଥରେ ହେ ।।୩।।

ବୁଦ୍ଧ ଅବତାରେ ଗୁରୁ ବୁଲିଏ ସଂସାରେ ।

ସତ୍ୟଧର୍ମ ଦେଇ ଯାଇଛନ୍ତି ଘରେ ଘରେ ହେ ।।୪।।

ଯାର ପୂର୍ବ ଭାଗ୍ୟ ଥିବ ଏ ନର ଅଙ୍ଗରେ ।

କୋଟି ଜନ୍ମ ପାପ ଯିବ ଚାହିଁଲା ମାତ୍ରରେ ହେ ।।୫।।

ଶୟନ କରି ଅଛନ୍ତି ଅବନା ମନ୍ଦିରେ ।

ବୋଲେ ଭୀମ ଅରକ୍ଷିତ ଶ୍ରୀଗୁରୁ ପୟରେ ହେ ।।୬।।

 

(୧୮୨)

ଦେଖିବ, କଳଙ୍କି ହୋଇବେ ରାଘବ ।

ଏ କଳିକାଳ କ୍ଷୟ ଯିବ ନିଶ୍ଚେ କରିବେ ସତ୍ୟଯୁଗ ହେ

।। ଘୋଷା ।।

ବେନି ପୟରେ ସପତ ପାତାଳ ପୂରିବ ।

ମର୍ତ୍ତ୍ୟରେ ଉଦର ଶିର ଆକାଶେ ଲାଗିବ ହେ ।।୧।।

କଟି ଯମଦାଢ ଭିଡ଼ି ଢାଲ ପୃଷ୍ଠ ଭାଗ ।

ସହସ୍ର ହାତର ଖଣ୍ଡା ତାଙ୍କ ହସ୍ତେ ଥିବ ହେ ।।୨।।

କାଳାନ୍ତକ ରୂପ ଅଦଭୂତେ ପ୍ରକାଶିବ ।

ଭଇରବୀ ବିକଟାଳ ମୂରତି ଦିଶିବ ହେ ।।୩।।

ନବଖଣ୍ଡ ମେଦିନୀରେ ଉଲ୍‌କାପାତ ହେବ ।

ରୂପକୁ ଦେଖିବ ଯେବେ ମନକୁ ଆସିବ ହେ ।।୪।।

ଏବେ ଆସି ଘଟିଲାଣି ଅନୁକୁଳ ଶୁଭ ।

ଚାରିଦିନ ଟାକି ଥାଅ ଛପ୍ନାକୋଟି ଜୀବ ହେ ।।୫।।

ତିନି ଭୁବନରେ ମହା ଭୟ ଉପୁଜିବ ।

ବୋଲେ ଭୀମ ଅରକ୍ଷିତ ଥୟ ନ ରହିବ ହେ ।।୬।।

 

(୧୮୩)

ସକଳ, ଖଟିବେ ଦଶଦିଗପାଳ ହେ ।

ସଙ୍ଗତେ ଦେବା-ଦେବୀ ବଳ ଅନେକ ଥିବେ କ୍ଷତ୍ରିକୁଳ ହେ ।

ରଥୀ ମହାରଥୀ ତହିଁ ଥିବେ ମହାମଲ୍ଲ ।

ଉଚ୍ଚେ ସିଂହ ରଡ଼ି ଦେବେ ଶୁଭିବ ଚହଳ ହେ ।।୧।।

ରଙ୍ଗବର୍ଣ୍ଣ ଦିଶୁଥିବ ଏ ମହୀମଣ୍ଡଳ ।

ରକତର ନଦୀ ବହିଯିବ ଖଳ ଖଳ ହେ ।।୨।।

ସନ୍ଥକୁ ପାଳିବେ ସଂହାରିବେ ଦୁଷ୍ଟକୁଳ ।

ଜୟ ଶଙ୍ଖ ଦେବେ ବୀର କ୍ଷତ୍ରୀ ଅନର୍ଗଳ ହେ ।।୩।।

ସତ୍ୟ ପ୍ରକାଶିବ ମନ ହୋଇବ ନିର୍ମଳ ।

ସର୍ବମୁଖେ ତ୍ରାହି ତ୍ରାହି ଶୁଭିବ ମଙ୍ଗଳ ହେ ।।୪।।

ସହସ୍ର ତେଜରେ ଫାଟିଯିବ ମହୀଆଳ ।

ପୁଣ୍ୟରେ ପିଣ୍ଡ ବ୍ରହ୍ମାଣ୍ଡ ଦିଶିବ ଉଜ୍ଜ୍ୱଳ ହେ ।।୫।।

ଆଦିରୂପ ପ୍ରକାଶିବେ ସେ ଅନାଦି ମୂଳ ।

ବୋଲେ ଭୀମ ଅରକ୍ଷିତ ଦେବେ ଭକ୍ତେ ଫଳ ହେ ।।୬।।

 

(୧୮୪)

ଅନ୍ତର୍ଯ୍ୟାମୀ, ସେ କରତା ପିତାମାତା ।

ଅନାଦି ଈଶ୍ୱର ଯେହୁ ଗୁରୁପଣେ ସାମରଥ

।। ଘୋଷା ।।

ଉଦେ ଯେବେ ହୋନ୍ତେ ସେହି ଏ

ତିନିଭୁବନ ମହୀ ହୁଅନ୍ତା ଚେତା ।

ନିର୍ବେଦ ଧର୍ମ ତାଙ୍କର ନ ଥାଇ ମନେବିକାର

ନ ଲାଗେ ଦେବୀ ଦେବତା ।।୧।।

ସେ ଯେ ଅଣରୂପ ପ୍ରଭୁ ତାଙ୍କର

ଗଢନ୍ତା ସବୁ ବିହି ବିଧାତା ।

ଜଳସ୍ଥଳ ଅନଳରେ ଛପନକୋଟି

ଜୀବରେ ଆତ୍ମା ସ୍ୱରୂପେ ବସନ୍ତା ।।୨।।

ନାହିଁ ତାଙ୍କ ପାଦପାଣି ସେ ପ୍ରଭୁ ବିଜେ

ଧରଣୀ ନ ମଣ ମିଥ୍ୟା ।

ଅରୂପ ରୂପ ହୋଇଲେ ବୁଦ୍ଧଅଙ୍ଗେ

ବିହରିଲେ ଉଚିତ ପ୍ରମାଣ କଥା ।।୩।।

ନିଶ୍ଚୟ ତାରିବେ ସେହି ବହିଛନ୍ତି

ନରଦେହୀ ନ କର ଚିନ୍ତା ।

ମନେ ନ କରି ଅପ୍ରତେ ଆଶ୍ରେ

କର ଦୃଢଚିତ୍ତେ ସେ ଅନାଦି ବ୍ରହ୍ମବେତ୍ତା ।।୪।।

ସମସ୍ତେ ଅଜ୍ଞାନ ହେଲେ ପାପକର୍ମମାନ

କଲେ ବୁଡ଼ାଇ ଶ୍ରୋତା ।

ବ୍ରହ୍ମକର୍ମ ନିରୂପଣ ବେଦମତ କର୍ମମାନ

ପଡ଼ି ଯାଇଛନ୍ତି ପୋତା ।।୫।।

ଶରଣ ପଶ ସମସ୍ତେ ଧ୍ୟାନ ଦିଅ

ପାଦଗତେ ପୁତ୍ର ଦୁହିତା ।

ଭଣେ ଭୀମ ହୀନ ଭୋଇ

ଜନ୍ମରୁ ଅଜ୍ଞାନ ମୁହିଁ ଗୁରୁଦେବ ଉଦ୍ଧାରନ୍ତା ।।୬।।

 

(୧୮୫)

ପ୍ରଭୁଙ୍କ ଡାକ ମୁଖରେ, ନିରନ୍ତରେ ।

ବଞ୍ଚିବ ଯେବେ ସମସ୍ତେ, ଏ ଘୋର କଳିଯୁଗରେ

।। ଘୋଷା ।।

ସେ ଯେ ଅନାଦି ଅଲେଖ, ହୋନ୍ତି କଳେବର ରୂପ, ଭକ୍ତହିତରେ ।

ନିଶ୍ଚେ ମିଳିବ ଦର୍ଶନ, ସେବା ଭକ୍ତି କର

ନିଷ୍କାମ ପ୍ରେମ ଭାବରେ ।।୧।।

ଅଶେଷ ବ୍ରହ୍ମାଣ୍ଡଯାକ ଶୁଣାଇ ଦେଉଛି ଡାକ

ରୁହ ଚେତାରେ ।

ଛପ୍ନାକୋଟି ଜୀବଜନ୍ତୁ କର୍ଣ୍ଣେ ଶୁଣି

କର ହେତୁ ଧ୍ୟାନ କରି ଯେ ଯାହାରେ ।।୨।।

କରିଅଛ ଯେତେ ଦୋଷ ସର୍ବେ

ଅନୁସରି ବସ ଧର୍ମ ନାବରେ ।

ଢାଙ୍କି ବସିଲାଣି କାଳ ଜାଗ୍ରତରେ

ପ୍ରତିପାଳ ସତ୍ୟଧର୍ମ ଘରେ ଘରେ ।।୩।।

ନାମକୁ ମିଥ୍ୟା ମଣୁଛ ଇଚ୍ଛାରେ

ଆପେ ନାଶୁଛ ମିଥ୍ୟା ବାଦରେ ।

ଦୁର୍ଲ୍ଲଭ ଶରୀର ପାଇ ଅଜ୍ଞାନେ

ଯାଉଛ ବହି ଏହି ସଂସାର ସାଗରେ ।।୪।।

ଜୀବ ଅଟଇ ଅଜ୍ଞାନ ଭାସୁଅଛି

ଅନୁକ୍ଷଣ ଭବାର୍ଣ୍ଣବରେ ।

ମିଳିଛି ପରମ ପତି ଏତେବେଳେ

କର ଭକ୍ତି ବୁଦ୍ଧରୂପ ଅବତାରେ ।।୫।।

ଭଣେ ଭୀମ ଅରକ୍ଷିତ ଦିବାନିଶି

ଦେଇ ଚିତ୍ତ ଗୁରୁ ପୟରେ ।

ଜନ୍ମ ଲଭିଅଛି ମଞ୍ଚେ ଗୁପତେ

ବ୍ରହ୍ମାଣ୍ଡେ ଲୁଚେ ମିଥ୍ୟା ପାତକକୁ ଡରେ ।।୬।।

 

(୧୮୬)

ବ୍ରହ୍ମାଣ୍ଡକୁ, ବିଜୟ ଯୁଗ ଶେଷକୁ ।

ପ୍ରବୁଦ୍ଧ ବୁଦ୍ଧ ସ୍ୱରୂପ କେହି ନାହିଁ ଜାଣିବାକୁ

।। ଘୋଷା ।।

ଉଦେ ମହିମା ସାଗର ଦେବ ନରେ

ଅଗୋଚର ନ ଜାଣିବାକୁ ।

ପ୍ରତ୍ୟକ୍ଷେ ମନୁଷ୍ୟରୂପୀ ଧନ୍ୟ ତୁମ୍ଭ

ଚର୍ମ ଆଖି ଦୃଶ୍ୟ ନୋହୁଛି କାହାକୁ ।।୧।।

ଅନନ୍ତ ଶକତି ବହି ଗୋପ୍ୟାନରେ

ଛନ୍ତି ରହି ଚାହିଁ ସବୁଙ୍କୁ ।

ନ ଜାଣି ହେଉଛୁ ବଣା ସମୟ

ପଡ଼ିଲଷ ସିନା ଛେଦିବେ ପାପଭାରାକୁ ।।୨।।

ଅଣାକାର ବ୍ରହ୍ମ ଯେହି ଆଦି ଅବତାର

ହୋଇ ବାହ୍ୟ ମର୍ତ୍ତ୍ୟକୁ ।

ରୂପ ଅରୂପ ସମାନ ନାହିଁ ତାଙ୍କ

ବର୍ଣ୍ଣଚିହ୍ନ ଇଚ୍ଛା ବିହରେ ମନକୁ ।।୩।।

ଏହି ଧର୍ମର ବୃତ୍ତାନ୍ତ ଦୀକ୍ଷା

ଦେଲେ ଅବଧୂତ ବହି ନାମକୁ ।

ସରିଲାଣି ସର୍ବସିଦ୍ଧି ଧୂପ ଦୀପ

ପୂଜାବିଧି ପାଦେ ଅଛି ପରୀକ୍ଷକୁ ।।୪।।

ଏ କଳିଯୁଗ ପୁରୁଷ କରୁଛି

ନାନା ଭବିଷ୍ୟ ଦିନ ଦିନକୁ ।

ସାଧୁ ସୁଜ୍ଞଜନେ ଭଜ ମାୟା

ବିଷୟାକୁତେଜ ଲଭିବ ଶୂନ୍ୟପ୍ରଭୁଙ୍କୁ ।।୫।।

ମୋର କିଛି ଦୋଷ ନାହିଁ କହୁଛି

ସବୁ ବୁଝାଇ ତିନିପୁରକୁ ।

ବୋଲେ ଭୀମ ଅରକ୍ଷିତ ଶତେବାର

ପ୍ରଣମିତ ସୁମରି ସଦ୍‌ଗୁରୁଙ୍କୁ ।।୬।।

 

(୧୮୭)

ପରକାଶ, ଅଲେଖ ଶୂନ୍ୟ ପୁରୁଷ

ବ୍ରହ୍ମାଣ୍ଡ ରଖିବା ପାଇଁ ଧଇଲେ ସନ୍ନ୍ୟାସ ବେଶ

।। ଘୋଷା ।।

ଯାର ନାହିଁ ରୂପରେଖ ପ୍ରତ୍ୟକ୍ଷେ

ନେତ୍ରରେ ଦେଖ ବକଳ ବେଶ ।

ଆଣି ଅବନାମଣ୍ଡଳେ ସ୍ଥାପିଦେଲେ

ରବିତଳେ ସତ୍ୟାଦି ଧର୍ମର ଯଶ ।।୧।।

ଅବଧୂତ ଦୀକ୍ଷା ଦେଲେ ମହିମା

ଭଜ ବୋଇଲଷ ଯେ ନିଜ ଦାସ ।

ଗୃହ ପନ୍ଥାମାନ ଛାଡ଼ି ସାତ୍ତ୍ୱିକ

କର୍ମରେ ବୁଡ଼ି ନ ଲାଗଇ କାଳଫାଶ ।।୨।।

ନିଷ୍କାମ କରି ମନକୁ ଭଜ ଏକା ସେ

ବ୍ରହ୍ମକୁ ହୃଦୟରେ ଘୋଷ ।

ମାତୃହରଣ ଯେ ଦୋଷ ପିତାର

ଯେ ଅଭିଶାପ ତେବେ କ୍ଷମା ହେବ ଦୋଷ ।।୩।।

କଳିକାଳରୁ ତରିବ ସତ୍ୟଯୁଗକୁ

ପାଇବ ବୃଦ୍ଧ ଆଶିଷ ।

ସତର ହାତେ ମନୁଷ୍ୟ ବୃଦ୍ଧେ ନବୀନ

ବୟସ ସର୍ବଦା ବସନ୍ତ ମାସ ।।୪।।

ଛପନାକୋଟି ଜୀବକୁ ଶରଣ

ସମ୍ଭାଳିବାକୁ ବାନା ବିକାଶ ।

ପ୍ରଳୟ ଆଗତ ଜାଣି ସେ ପ୍ରଭୁ

ଅବ୍ୟକ୍ତମଣି ବିପତ୍ତିକି କଲେ ନାଶ ।।୫।।

ପିଣ୍ଡ ବ୍ରହ୍ମାଣ୍ଡ ବଞ୍ଚାଇ ଶ୍ରୀଅଙ୍ଗେ

କଷଣ ସହି ପବନ ଗ୍ରାସ ।

ବୋଲେ ଭୀମ ଅରକ୍ଷିତ ଶତେବାର

ପ୍ରଣମିତ ଗୁରୁପଦ୍ମପାଦେ ଆଶ ।।୬।।

 

(୧୮୮)

ବ୍ରହ୍ମମୟ ଜଗତ, ମନରେ ଚେତ ।

ସେ ଅରୂପ ହରି ଥିଲେ ଦେହଧରି ତେଜି ହେଲେ ଗୁପତ

।। ଘୋଷା ।।

ସେ ଅଲେଖ ଗୁରୁ ବିଜୟ ଶୂନ୍ୟରୁ ନରଅଙ୍ଗେ ଉଦିତ ।

ବ୍ରହ୍ମଜ୍ଞାନ ଘେନି ବିଜୟ ମେଦିନୀ

ବ୍ରହ୍ମାଣ୍ଡରେ ବିଦିତ ।।୧।।

ସତ୍ୟଧର୍ମ ଖେଳା ମହାନିତ୍ୟ ଲୀଳା ଅନୁକୂଳ ଆଗତ ।

ନବଖଣ୍ଡ ମହୀ ଯାଇଛନ୍ତି ଥୋଇ

ଦେଇଛନ୍ତି ସମସ୍ତ ।।୨।।

ମହିମା ନାମକୁ ଭକତ ଜନଙ୍କୁ ବତାଇଲେ ଦୀକ୍ଷାନ୍ତ ।

ତାଙ୍କ ଦାସୀ ବାସ ଯତୀ

ସତୀ ବେଶ କଳିଯୁଗେ ବିଖ୍ୟାତ ।।୩।।

ସେ ପ୍ରଭୁ ଅନାଦି ଘେନିଲେ ସମାଧି ଜଗତ ପୂରିତ ।

ଆତ୍ମା ସ୍ୱରୂପରେ ଭକତ ଅଙ୍ଗରେ

ସର୍ବଘଟେ ବ୍ୟାପିତ ।।୪।।

ବୁଦ୍ଧ ରୂପ ଗୋଟି ନବଦ୍ୱୀପ ସୃଷ୍ଟି ଦେଖିଅଛ ସମସ୍ତ ।

ସେ ଅଲେଖ ପରା ପଡ଼ିଥିଲେ

ଧରା ନ ଜାଣିଲ ତଦନ୍ତ ।।୫।।

ଆତ୍ମାରେ ଗୋଚର କର ସୁଜ୍ଞନରେ ପାଇବ ଆଦିଅନ୍ତ ।

ଭଣେ ଭୀମହୀନ ପାମର ଅଜ୍ଞାନ

ଗୁରୁଚରଣେ ଚିତ୍ତ ।।୬।।

 

(୧୮୯)

ଅଦେହୀ ଦେହେଁ ଅଛି, ସେ ଯେ ନ ଦିଶୁଛି ।

ଆତ୍ମା ଭୂତ ପ୍ରାୟେ ଆବୋରିଛି କାୟେ ସକଳଠାରେ ଅଛି

।। ଘୋଷା ।।

ଘଟ ନିରୂପଣ କର ହେ ସୁଜନ ବ୍ରହ୍ମକୁ ଧର ବାଛି ।

ସର୍ବାଙ୍ଗ ଶରୀରେ ଭିତର ବାହାରେ

ଭେଦ କଲେ ହେଉଛି ।।୧।।

ଆତ୍ମାରେ ନିମଜ୍ଜ ସୁଧାରସ ଭୁଞ୍ଜ ଆନେ ନୁହଇ କିଛି ।

ମନମଧ୍ୟେ ତତ୍ତୁ ଏବେ କର

ହେତୁ ଗୁପତରେ ରହିଛି ।।୨।।

ପରମ ପଦକୁ ସୁମର ଆଦ୍ୟକୁ ଅର୍ଥରେ ଧର ବାଛି ।

ଶୂନ୍ୟ ବୋଲିବାରୁ ସବୁ

ବହିଗଲା ତୋଳି ନେଇ ଯାଉଛି ।।୩।।

ସେ ବ୍ରହ୍ମ ପୁରୁଷ ଘଟେ ଘଟେ ବାସ ରୂପରେ ବିହରୁଛି ।

ପିଣ୍ଡ ପ୍ରାଣ ଗୁରୁ ଅଟନ୍ତି ଆଦ୍ୟରୁ

ଗୁଣ ନୁହେ ମୁରୁଛି ।।୪।।

ଯହିଁ ତହିଁ ଦେଖ ମହିମା ଅଲେଖ ସର୍ବଭୂତେ ପୂରିଛି ।

ଗୁରୁ ନାମ ସାର ଦୃଢ କରି

ଧର ତେଣୁ ମୁଁ ବତାଉଛି ।।୫।।

ଭଣେ ଭୀମ ହୀନ ପାମର ଅଜ୍ଞାନ ଭବାର୍ଣ୍ଣବେ ପଡ଼ିଛି ।

ଅଲେଖ ପ୍ରଭୁଙ୍କୁ ଭଜି ଲଭିବାକୁ

ଭାଗ୍ୟ ମୋ କାହିଁ ଅଛି ।।୬।।

 

(୧୯୦)

ଆକାଶକୁ ନ ଯାଇ, ପ୍ରଭୁ ଅଛନ୍ତି ରହି,

ତନୁ ତ୍ୟାଗ କରି ଘଟେ ପୂରି ଓଲଟି ଦେହ ବହି

।। ଘୋଷା ।।

ହୃଦେ କରି ଦୃଢ, କରତାଙ୍କୁ

ଲୋଡ଼ ଏ ନବଦ୍ୱୀପା ମହୀ ।

ତିନିପୁରେ ଖୋଜ ବାହ୍ୟ ଅନ୍ତେ

ବୁଝ ଶକତା ଅଛ ଯେହି ।।୧।।

ଶୂନ୍ୟହେଲେ ବୋଲି ନ କର ବୋବାଳି

ମନେ ଅପ୍ରତେ ନୋହି ।

ଏ ପିଣ୍ଡ ବ୍ରହ୍ମାଣ୍ଡେ ବିରାଜି ଅଛନ୍ତି

ଏବେ ମୁଁ ଦେଲି କହି ।।୨।।

ବଞ୍ଚୁଛନ୍ତି ଦିନ କଷୁଛନ୍ତି ମନ

ମାୟା ଗୋଟି ଭିଆଇ ।

ଜଗତ ଭକତ ଭାବ ବୁଝୁଛନ୍ତି

ସତ୍ୟଧର୍ମ ଦିଆଇ ।।୩।।

କେହି ନ ଗମନ୍ତି ନିଗମ ଅଟନ୍ତି

ଯେବଣଠାରେ ଥାଇ ।

ଅଶେଷ ମହିମା ସେଠାରୁ ପ୍ରକାଶ

ଚିହ୍ନି ପାରିଲେ ପାଇ ।।୪।।

ବ୍ରହ୍ମ ଯାକୁ କହି ମରଇ କି ସେହି

ହୋଇଛ ବାଇ ।

ଅଖଣ୍ଡ ବ୍ରହ୍ମକୁ ଖଣ୍ଡିତ ନ କର

ଏକରୁ ନାହିଁ ଦୁଇ ।।୫।।

ଆଦ୍ୟ ବୃକ୍ଷ ମୂଳ ସୁମରି ସୁଫଳ

ଅନୁସରିଛି ଧ୍ୟାୟି ।

ଭଣେ ଭୀମ ହୀନ ପାମର ଅଜ୍ଞାନ

ଗୁରୁଛାମୁରେ କହି ।।୬।।

 

(୧୯୧)

ଶରୀରେ ଧର ତାଙ୍କୁ, ସେ ଅଲେଖଙ୍କୁ ।

କରତା ପୁରୁଷ ନୁହନ୍ତି ମନୁଷ୍ୟ ଜଣାନାହିଁ କାହାକୁ

।। ଘୋଷା ।।

ଠୁଳ ରୂପ ଧରି ଇଚ୍ଛାରେ ବିହରି ସୃଜଇ ବ୍ରହ୍ମାଣ୍ଡକୁ ।

ଅଶେଷ ରଚନା ସଂସାର ସ୍ଥାପନା ଥୋଇ ଚାରିଯୁଗକୁ ।।୧।।

ଧର୍ମମାନ ଦେଇ ଜ୍ଞାନରେ ମଜ୍ଜାଇ ନିସ୍ତାରେ ଭକତକୁ ।

ନାମ କଳ୍ପତରୁ ଦୂବ ହୁଏ ଦାରୁ ଦୟାକରେ ଯାହାକୁ ।।୨।।

ସଦ୍‌ଗୁରୁ ଛାଡ଼ି ଅଜ୍ଞାନରେ ପଡ଼ି ଯାଉଛ ଦୂରାନ୍ତକୁ ।

ସାକ୍ଷ୍ୟ ଲକ୍ଷ୍ୟ କଥା ଅଲେଖ କରତା ନେତ୍ରରେ ଦେଖୁ ଦେଖୁ ।।୩।।

ସେ ବ୍ରହ୍ମକଳପ ମ ମଣ ଅଳପ ଘୋଟିଛି ଅଶେଷକୁ ।

ମନୁଷ୍ୟ ବିଚାର ବୁଦ୍ଧି ନାହିଁ କର ଦ୍ରୋହ କୋଟି ଜନ୍ମକୁ ।।୪।।

କେ ଅଛ ସମର୍ଥ ବ୍ରହ୍ମାଣ୍ଡେ ଭକତ ଲୋଡ଼ ଏବେ ପ୍ରଭୁଙ୍କୁ ।

ଶିରେ କରଯୋଡ଼ି ପାଦତଳେ ପଡ଼ି କହୁଛି ସମସ୍ତଙ୍କୁ ।।୫।।

ନରଦେହେ ଦେଖ ବିରାଜି ଅଲେଖ ଲଭି ସୁଶାଶ୍ରମକୁ ।

ଭଣେ ଭୀମଭୋଇ ଠାବ କର ଯାଇଁ ଶକତି ଉପରକୁ ।।୬।।

 

(୧୯୨)

ଚିନ୍ତା ବହୁତ, ଦିନୁ ଦିନକୁ ଶିରପରେ ବଜ୍ର ପ୍ରାୟେତ ।। ଘୋଷା ।।

ଅଲେଖ ଶ୍ରୀଗୁରୁ ଜାଣନ୍ତି

ଅନ୍ତରୁ ଯାହା ମୋ ଜଣାଣ ସେବା ଭକ୍ତି ।

ସଦା ଅପରାଧୀ ଜୀବ      ଦୟା ହେଲେ ଯାଇଁ ହେବ

ଥୟ ନାହିଁ ପଞ୍ଚମନ ଆରତ ।।୧।।

ଏ ଘୋର ବିପଦ ଅରୂପ ଅନାଦ

କାଟିବାକୁ ଏକା ସାମରଥ ।

ଏ ପିଣ୍ଡ ପ୍ରାଣକୁ ଆଶା      ଅନ୍ୟ ନୋହୁଛି ଭରସା

ବେନି ନେତ୍ରୁ ବହୁଅଛି ଅଶ୍ରୁତ ।।୨।।

ଦିବସ ରଜନୀ ପଡ଼ିଛି ଭାଳେଣି

ହୃଦପଦ୍ମେ ମୋର ଘାରି ହୋଇ ।

କରୁଛି ହାରି ଗୁହାରି      ହେ ଗୁରୁ ଶୂନ୍ୟ ବିହାରୀ

ନିବାର ମନ ସନ୍ତାପ ଦୂରିତ ।।୩।।

ବ୍ରହ୍ମାଣ୍ଡ କରତା ମୋ ଇଷ୍ଟଦେବତା,

ତେଣୁ ସୁମରଣା ମନେ ମୋର ।

କାହାଗେ କହିବି ଆଉ      ଉଦ୍ଧାର ହେ ମହାବାହୁ

ଶ୍ରୀ ଛାମୁରେ ପ୍ରସାରିଛି ପଣତ ।।୪।।

ଏ ଶିରକମଳ ଦେଇ ପାଦତଳ

ହାରି ଗୁହାରି ସର୍ବଦା ତୁମ୍ଭର ।

ରଖ ବା ନ ରଖ ଇଚ୍ଛା      ଆଉ ଅନ୍ୟେ ନାହିଁ ବାଞ୍ଛା

ବାରେକ ମାତ୍ର ସମ୍ଭାଳ ମହତ ।।୫।।

ଭକ୍ତ ହିତକାରୀ ବୁଝ ବେଗ କରି

ଆବୋରି ସମ୍ଭାଳି ଧର ଧର ।

କରିଅଛ ଦାସୀ ଦାସ      ତୁମ୍ଭେ ରଖ ତୁମ୍ଭ ଯଶ

ଅନୁସରି ଅଛି ଭୀମ ଅର୍କ୍ଷିତ ।।୬।।

 

(୧୯୩)

ଭୟ ନ ଗଲା, ହୃଦପଦ୍ମରୁ ମହାବ୍ରହ୍ମ ଗୁରୁ ଥାଇ

।। ଘୋଷା ।।

ଗୁରୁଦେବ ମୋର ସଙ୍କଟରୁ ତାର

ଏ ଛାର ବିପତ୍ତି କେଡ଼େ ଗୁରୁ ।

ଚାହିଁଦେଲେ ଉଡ଼ିଯିବ      ଆର ଦିନକୁ ନ ଥିବ

ଏବେ ଆସି ମୋତେ ଦଣ୍ଡ ପଡ଼ିଲା ।।୧।।

ତେଣୁ କରି ସିନା ଶ୍ରୀଛାମୁରେ ଜଣା

କରୁଅଛି ଭୃତ୍ୟ ବାରମ୍ବାର ।

ମନେ ଲାଗିଛି ସଂଶୟ      କର୍ମ ଅକର୍ମ ବିଷୟ

ନିରନ୍ତରେ ଅପରତେ ଦିଶିଲଶ ।।୨।।

ଅଭୟ ଚରଣ ଭଜି ଅପମାନ,

କିମ୍ପାଇ କରୁଛ ଏତେ ସରି ।

ଶ୍ରୀଗୁରୁ ଆଜ୍ଞା ଗରିଷ୍ଠ      ଏ କି ଅଟେ ବଡ଼ ରିଷ୍ଟ

କଳପିଲେ ଖଣ୍ଡ ଖଣ୍ଡ ଛିଡ଼ିଲା ।।୩।।

ଦୁଃଖୀଜନ ବନ୍ଧୁ ଫେଡ଼ ମାୟା ଦ୍ୱନ୍ଦୁ

ନଜାଣଇ କିଛି ଭଲ ମନ୍ଦ ।

ଭରସା କରିଛି ଭାରି      ଦେଖ ମୁଁ ଯାଉଛି ସରି

ରକ୍ଷା ନ କଲେ ଏ ଜୀବ ଭାସିଲା ।।୪।।

ଶୂନ୍ୟ ସତ୍ୟ ଧର୍ମ ଫେଡ଼ ମାୟା ଭ୍ରମ,

କରିଅଛି ଦୋଷ ଅପରାଧ

ଅଲେଖ ଗୁର ଯାହାର      କାହାକୁ ଭୟ ତାହାର

ଅପ୍ରସନ୍ନ ହେଲେ ସବୁ ନାଶିଲା ।।୫।।

ଧ୍ୟାୟି ପାଦବିନ୍ଦ ଭଣେ ଭୀମକନ୍ଧ

ପାରିକରି ନିଅ ସ୍ୱାମୀ ମୋତେ

ଗଳାରେ ବସନ ବାନ୍ଧି      କାକୁସ୍ତରେ କାନ୍ଦି କାନ୍ଦି

ବିପତ୍ତି ନିମନ୍ତେ ରଟି ବସିଲା ।।୬।।

 

(୧୯୪)

ଏତେ ଅବସ୍ଥା, ନର ତନୁରେ ଶୂନ୍ୟ ପୁରୁଷଙ୍କୁ ଭଜି

।। ଘୋଷା ।।

କି କରିବି ବୁଦ୍ଧି ମନ୍ତ୍ର ମଉଷଧି      ସକଳ ଅଟନ୍ତି ଗୁରୁଦେବ,

କରୁଣା ସିନ୍ଧୁ କାରେଣୀ

ଦେବେ ଭକ୍ତ ମନ ଜାଣି ।

ଆତଯାତ ଦଇବତ ବିଧାତା ।।୧।।

ଗଲାରେ ବସନ ଦନ୍ତରେ ତିରଣ      ପଡ଼ି ସଦଗୁରୁ ପାଦତଳେ

ଅଥଳେ ଯାଉଛି ଭାସି      ରକ୍ଷାକର ଶୂନ୍ୟବାସୀ

ଏ ପିଣ୍ଡ ବ୍ରହ୍ମାଣ୍ଡ ସବୁ ଗଢନ୍ତା ।।୨।।

ହରତା କରତା ଗୁରୁ ଜ୍ଞାନଦାତା      ଗତି ପତି ତ୍ରାହିକାରୀ ପ୍ରଭୁ,

ଦରିଦ୍ର ପ୍ରାଣୀଙ୍କ ଧନ      ନିରକ୍ଷଙ୍କ ଗଣ୍ଠିଧାନ

ଶରଣ ରକ୍ଷଣ ବାନା ବହନ୍ତା ।।୩।।

ଯେଣୁ ତୁ ଅରୂପ ନାହିଁ ତୋର ରୂପ ଚିହ୍ନି ଭଜିବାକୁ ଦୃଢ ବନ୍ଧେ,

କେବଣ ମୂରତି ତୋର      ମୋତେ ନାହିଁ ନା ଗୋଚର

ବିହିରୂପେ କପାଳରେ ଲିହନ୍ତା ।।୪।।

ଏହି ଛାର କଥା ହୋଇଲାଣି ବୃଥା ମନ କଳ୍ପନା ଜାଣିବେ ମୋର,

ଅନ୍ତର ଯାମିନୀ ପଦ      ଗୁରୁ ପରା ଆଦିକନ୍ଦ

ସମ୍ପତ୍ତି ବିପତ୍ତିଠାରେ ଶକତା ।।୫।।

ମୋଠାରେ ନିର୍ଦ୍ଦୟା କରୁଅଛ ମାୟା ଆତଙ୍ଗ ନାଶନ ଫେଡ଼ ପ୍ରଭୁ,

ଭଣେ ଭୀମ ଅରକ୍ଷିତ      ଶ୍ରୀଗୁରୁ ଚରଣେ ଚିତ୍ତ

ଜଣାଉଛି ଦୁଃଖ ସୁଖ ବାରତା ।।୬।।

 

(୧୯୫)

ଭୃତ୍ୟ ବିନତି, କିମ୍ପା ନ ଶୁଣ ଶୂନ୍ୟ ଅଲେଖ ଅଜ୍ୟୋତି

।। ଘୋଷା ।।

ସଦାକାଳେ ଦୁଃଖ କେବେ ନାହିଁ ସୁଖ ନ ଗଲା ହୃଦରୁ ଚିନ୍ତା ମୋର

ପିଣ୍ଡ ବ୍ରହ୍ମାଣ୍ଡେ ପୂରିଛ      କି ଅବା କି ନ ଜାଣୁଛ

କିମ୍ପାଇ ଭିଆଉଅଛ ଅକୀର୍ତ୍ତି ।।୧।।

ଦିନୁ ଦିନୁ ମୋତେ ଭୟ ଅନ୍ତର୍ଗତେ ଅଭୟ ଚରଣ ବାନା ଥାଇ,

ଗୁପତରେ ଉଦେ ହୋଇ      ସତ ଶାନ୍ତି ଦୟା ଫେଇ

ଜାଣିକରି ପକାଉଛ ବିପତ୍ତି ।।୨।।

ତନୁ ବହିବାର କି ହୋଇଲା ସାର      ଉଚ୍ଛନ୍ନ ହେଉଛି ପଞ୍ଚମନ,

ଘୋଟୁଛି ଦୁର୍ଦ୍ଦଶା ଯୋଗ      ପଡ଼ୁଛି ଭୋଗରେ ରୋଗ

ଥାଉଁ ଅଲେଖ ମହିମା ଶକତି ।।୩।।

ଅକଳ୍ପଣା ହୋଇ କଳ୍ପଣା କିମ୍ପାଇଁ ଯେମନ୍ତେ ନ ଥିଲା ପ୍ରୟୋଜନ,

ମନୁଷ୍ୟ ପରାୟେ ମୋତେ      ଜାତ କଲ କି ନିମନ୍ତେ

ଦେଇ ନ ପାରିବ ଯେବେ ମୁକତି ।।୪।।

ଧିକ ଏହୁ ପିଣ୍ଡ ଭୁଞ୍ଜିବାର ଖଣ୍ଡ      ସମ୍ପୂର୍ଣ୍ଣ ଏଥିରେ କର୍ମକାଣ୍ଡ,

ଧିକ ଧିକ ଏ ଜୀବନ      ସ୍ନେହଲତା ଘୋର ବନ

ଧିକ ପ୍ରାଣ ନ ଯୋଗାଏ ଏ କ୍ଷିତି ।।୫।।

ଏଡ଼େ ପ୍ରଭୁ ଥାଇଁ ମାୟା ମୋହେ ବାଇ ହେଉଅଛି ଦିବା ନିଶି ଧନ୍ଦି,

ଭଣେ ଭୀମ ଅରକ୍ଷିତ      ଶ୍ରୀଗୁରୁ ଚରଣେ ଚିତ୍ତ

ନିରନ୍ତରେ ଲାଗିଥାଉ ମୋ ମତି ।।୬।।

 

(୧୯୬)

ବେନି ପାବଛିଆ କୂଅ ଗୋ, ପୂରି ରହିଅଛି ନୀର

ପାଞ୍ଚଗୋଟି ତେଣ୍ଡା ପାଟି ବସିଅଛି ଲାଗିଛି ଗୋଟାଏ ସର ।। ପଦ ।।

ମୁଖ ଗିରି ତଟେ ଖୋଳିଅଛି କୂଅ ଅଗମ୍ୟ ସେ ବନ ଘୋର ।

କୂଅ ଚଉକତି ଆବୋରି ଅଛନ୍ତି

ଅଗଳିଆ ତରୁବର ।।୧।।

ବୋହୁଛି ବସନ୍ତ ପବନ ସେ ବନେ ଲତା ପଲ୍ଲବୁଛି ତୀର ।

ପୁଷ୍ପମାନ ଫୁଟି ଜଳ ମଧ୍ୟେ ଲୋଟି

ମଲ୍ଲୀ ଚମ୍ପା ନାଗେଶ୍ୱର ।।୨।।

ପୁଷ୍ପ ଗୋଟାକରେ କୋଟି କୋଟି ସର୍ପ ବେଢିଛନ୍ତି ଶତେପୁର ।

କରି ଫୁଫୁକାର ଗର୍ଜନ ପ୍ରଖର

ଟେକିଛନ୍ତି ଫଣାଶିର ।।୩।।

ବାଜି ଶର ଘାତ ସଦା ପୁଷ୍ପ ହତ ଭାସୁଛନ୍ତି ସୋହତିର ।

ତେଣୁ କୂଅ ପାଣି ନ ପିଅନ୍ତି ଜ୍ଞାନୀ

ଆମିଷ ବାସନା ତାର ।।୪।।

କୂଅର ଭିତରେ ପଡ଼ୁଛି ସୁରଙ୍ଗ ଛଡ଼ ବାଙ୍କେ ବୋହେ ଝର ।

ଦ୍ୱାଦଶ ଯୋଜନ ଦୀର୍ଘ ପ୍ରତି

ଜାଣ ଲହରୁଛି ସର ସର ।।୫।।

କୂଅ ଜଳ ମଧ୍ୟେ ବୁଡ଼ି ମରିଛନ୍ତି ବେଦବ୍ରହ୍ମା ହରି ହର ।

ଭଣେ ଭୀମ କନ୍ଧ ଜ୍ଞାନ ରସ

ଛନ୍ଦ କବି କୁଳ ବୀରବର ।।୬।।

 

(୧୯୭)

ଅଣ ଚୁମୁଳାରେ ଗୋ, ଭୂମିରେ ବସିଛି କୁମ୍ଭ ।

ପୂରିଅଛି ଜଳ ନାହିଁ ଟଳମଳ ଯେସନେ ପୋତିଲଶ ଖମ୍ବ

।। ପଦ ।।

ବିନା ଚକେ କୁମ୍ଭ ନିବାଡ଼ କରିଛି ଧନ୍ୟ ସେ ବିନ୍ଧାଣୀ ସିଂହ

ଅପୋଡ଼ା ଅପୋଡ଼ା ଗଢିଛି

ବାପୋଡ଼ା ନାହିଁ ମାଠିଆର ମଙ୍ଗ ।।୧।।

ଯନ୍ତ୍ର କିଳଣିରେ ବସାଇଛି ଘଟ ନାହିଁ ଖମ୍ବ ଅଛି ଶୃଙ୍ଗ

କ୍ଷୀର ନୀର ତହିଁ ଏକାନ୍ତେ

ପୂରିଛି ମିତ୍ର ଘନ ପରି ସଙ୍ଗ ।।୨।।

ବେନି କୁମ୍ଭପରେ କଳସ ବସିଛି ଅର୍ଘ୍ୟକଢି ପ୍ରାୟେ ଲିଙ୍ଗ

ଆଦ୍ୟନ୍ତରୁ ପାକ ପୂରିଅଛି ଶାକ

ମାଠିଆ କେମନ୍ତେ ଢଙ୍ଗ ।।୩।।

ଘେନି ନିଜ କର୍ମ ହେଉଛନ୍ତି ଜନ୍ମ ପଞ୍ଚାମୃତ ମେଦ ସଙ୍ଗ

ବେନି କୁମ୍ଭ ଜଳ ପିଇ ସଞ୍ଚରିଲେ

ଯେତେ ଏ ମାନବ ଅଙ୍ଗ ।।୪।।

କ୍ଷୁଧା ତୃଷାଭରେ ଆବୋରି ଚୁମ୍ବନ୍ତି ଅବ୍ୟକତ ବାଳଭୃଙ୍ଗ

ଖାଇଣ ସନ୍ତୋଷ ହେଉଅଛି ଶିଷ୍ୟ

ପୂରି ରହିଅଛି ଅଙ୍ଗ ।।୫।।

ଦୀର୍ଘପ୍ରତି ପୂରି ସମାନେ ଆବୋରି ଫୁଟି ଦିଶୁଛି ଉତ୍ତୁଙ୍ଗ

ଭଣେ ଭୀମ କନ୍ଧ ନ ବୁଝିଲେ

ମନ୍ଦ ରୂପ ବର୍ଣ୍ଣ ତାର ଅଙ୍ଗ ।।୬।।

 

(୧୯୮)

ବଡ଼ସି ଲାଠିରେ ଗୋ, ଆହାର ଝିଙ୍କୁଛି କଚ୍ଛ ।

ନ ଆସଇ କୂଳେ ଘୁଞ୍ଚିଥିଲେ ବଳେ ଘୁଞ୍ଚି ଯାଉଥାଇ ପଛ

।। ଘୋଷା ।।

ଜଳ ଗାଡ଼ ଖୋଳି ରହିଅଛି ବୁଡ଼ି ଅଗାଧ ବିମ୍ବର ଖଞ୍ଜ ।

ରାସାନ୍ତଳ ଗାତ ମହାଭୟଙ୍କର ନାହିଁ ତହିଁର ପାବଚ୍ଛ ।।୧।।

ଥାଇ ର୍ଢିପ ପରେ ଲାଠି ଧରି କରେ କରୁଅଛି ହୃଦେ ପାଞ୍ଚ ।

ଧୀର ଧୀର କରି ଆଣିବି ଓଟାରି ଭାଙ୍ଗିଦେବି ମେରୁ ସଞ୍ଚ ।।୨।।

ପାଞ୍ଚଗୋଟି ଭାଇ ପଚିଶ ପରାଣି ତରିବୁ ସମସ୍ତେ ନିଶ୍ଚଁ ।

ପୂରିବ ଉଦର ତିରିଶ ପ୍ରାଣୀର କଲେ ଏହା କିଣା ବିଚ ।।୩।।

ହେଉଥାନ୍ତି ଭ୍ରମ ପାନ୍ତି ପାଦଶ୍ରମ ଧରି ଆଣିବାର ମିଛ ।

ବ୍ରହ୍ମା ହରିହର ବରୁଣ କୁବେର ହାରିଛନ୍ତି ପରତକ୍ଷ ।।୪।।

ଶୁଣ ସୁଜ୍ଞଜନ କଚ୍ଛପର ଗୁଣ କେବେ ନୁହଇ ପହଞ୍ଚ ।

ଧରିବି ବୋଇଲେ ଧରା ନ ଦିଅଇ ଲୁଚି ପଶୁଥାଇ ଖଞ୍ଚ ।।୫।।

ଆହାର ଝୁଙ୍କନ୍ତେ ଲାଠିକି ଗିଳିଲା ଧୀବରକୁ କଲା ଗ୍ରାସ ।

ବିନ୍ଧି ପଞ୍ଚବାଣ ଭଣେ ଭୀମ ହୀନ ଧନେଶ୍ୱର ଭୋଇ ବତ୍ସ ।।୬।।

 

(୧୯୯)

ଅଞ୍ଚଳେ ରହିଛି ଗୋ, ଉଲଟିଆ ବେନି ଗିରି,

ବହୁଛି ଝରଣା ଡେଉଁଅଛି ମୀନ କେହି ନ ପାରନ୍ତି ଧରି ।। ପଦ ।।

ବହୁଛି ଦ୍ୱାଦଶ ଯୋଜନରେ ନଈ ଜଳପଙ୍କ ଏକାନ୍ତରି,

ବରଷୁଛି ଜଳ ଧାରା ଅନର୍ଗଳ ଚଉଦିଗେ ଘୋଟି କରି ।।୧।।

ନଦୀ ବେନି ତଟେ ଛଡ଼ ଛଡ଼ ଯୁଣ ବନ ପର୍ବତରେ ପୂରି,

ତରୁ ତୃଣ ଆଦି କୀଟ ପତଙ୍ଗାଦି ଭାସି ଯାଉଛନ୍ତି ମରି ।।୨।।

ପଶ୍ଚିମରେ ନଈ ଚରିତ ଏଠାରେ ବହେ ତିନିଧାର ପୂରି ।

ପୂର୍ବ ଆଦି ଗିରିଶୃଙ୍ଗ ଫୁଟିକରି ବହୁଛି ପବିତ୍ର ବାରି ।।୩।।

ବିଜୁଳି ଝଟକ ଲହରୀ ଆଲୋକ ଶିଖୁ ଆସୁଅଛି ଝରି ।

ଆଦ୍ୟ ଝରବନ୍ଧ ଅରୂପା ଗୋବିନ୍ଦ ବାନ୍ଧୁଛନ୍ତି ମନସ୍ମରି ।।୪।।

ଅଗାଧ ଜଳରେ ମୀନ ଚହଲୁଛି ଧୀବର ଦେଖି ନ ପାରି ।

ଚକ୍ଷୁମଟକରେ ପର୍ବତ କନ୍ଦରେ ଗଳି ଯାଉଅଛି କରୀ ।।୫।।

ବେନି ନଦୀଜଳ ମଧ୍ୟେ ହୋଇ ଠୁଳ ରହିଲେ ସ୍ଥଳ ଆବୋରି ।

ଗୁରୁପାଦ ଧ୍ୟାୟି ଭଣେ ଭୀମଭୋଇ ଦୁଇକି ସମାନ କରି ।।୬।।

 

(୨୦୦)

ଶୁଣ ସୁଜ୍ଞଜନ ସାଧୁ କଳିର ଆଗତ ହେ

କର୍ଣ୍ଣେ ଶୁଣି ମନେ ଗୁଣି ହୋଇବ ଚକିତ ହେ ।। ପଦ ।।

ଏକୁ ଏକେ ଅନା ମନି      କେହି କାହାକୁ ନ ମାନି

ଅଜ୍ଞାନେ ଉନ୍ମତ ହେ ।

ଉଦେ ଅସ୍ତ ମିଥ୍ୟା ଭାଷି      ପରସ୍ତିରୀ ଧନେ ରସି

ନ କହିବେ ସତ୍ୟ ହେ ।।୧।।

ଗ୍ରାମେ ଗ୍ରାମେ ହେବେ ମେଳି ସାହିପଡ଼ିଶାରେ ଗାଳି ଦେଉଥିବେ ନିତ୍ୟ ହେ

ପ୍ରଭୁ ଭଗତ ଯେ ଜନେ ଏକା ରହିବେ ସେମାନେ ସର୍ବେ ଯିବେ ହତ ହେ ।।୨।।

ହାଣ ହେବ ଚାରିଦିଗେ ରାଜାମାନେ ଅଣଭାବେ କରିବେ ଅନର୍ଥ ହେ ।

ରାଜ୍ୟେ ରାଜ୍ୟେ ଦ୍ୱନ୍ଦ୍ୱ ବାଦୀ      ମରିବେ ଧରିବେ ଖେଦି

ବଳେ ବଳବନ୍ତ ହେ ।।୩।।

ବଢିଯିବ ମହାନଈ ଧାରତ୍ରୟ ବର୍ଣ୍ଣ ହୋଇ କ୍ଷୀର ନୀର ରକ୍ତ ହେ ।

ଦିବସରେ ତାରାଗଣ      ଦିଶିବେ ଶୂନ୍ୟ ପଥେଣ

ଚନ୍ଦ୍ର ସୂର୍ଯ୍ୟ ଗୁପ୍ତ ହେ ।।୪।।

ଆସିବି ଯବନ ଜାତି, ଅଶ୍ୱମାନ ପନ୍ତି ପନ୍ତି, କରିବ ଅନର୍ଥ ହେ,

ଛେଦିବ କଳପବଟ ଚିରି ନୀଳଗିରି ନେତ ପ୍ରତିମା ବେଦାନ୍ତ ହେ ।।୫।।

ମେଢ ମଣ୍ଡପ ଭାଙ୍ଗିବ ତିନି ଦାରୁ ପକାଇବ ସିନ୍ଧୁ ମଧ୍ୟ ଗତ ହେ

ପୃଥ୍ୱୀ ଅପାଳକ ହେବ      କଳିଯୁଗ କ୍ଷୟ ଯିବ

ଭଣେ ଭୀମ ଭକ୍ତ ହେ ।।୬।।

 

(୨୦୧)

ପଣ୍ଡିତ ବିବେକ ଜନ ସତ୍ୟକୁ ସମ୍ପାଦ ହେ ।

ଏଠାକୁ ଏଣିକି ନିଶ୍ଚେ ପଡ଼ିବ ପ୍ରମାଦ ହେ

।। ପଦ ।।

ଥୋକେ ଥୋକେ ହୋଇ ଦେଖ

ଚଷିବା ବିହନ ଗୋପ୍ୟ

ହେବ ବରବାଦ ହେ ।

କୁବେର ଭଣ୍ଡାର ଦ୍ରବ୍ୟ      ତହିଁ ଗୋପ୍ୟ ହେବ ସର୍ବ

ସରିବ ସମ୍ପଦ ହେ ।।୧।।

ହଳବଳ ହିଁ ଭାଙ୍ଗିବ ଫନ୍ଦା ତୁଟିଯିବ

ଚିନ୍ତାର୍ଥେ ଜଗତ ହେ ।

ଏକାଘରେ ଅହଙ୍କାର      ହୋଇଯିବ ପରାପର

ବିମୁଖେ ବିଷାଦ ହେ ।।୨।।

ଜପ ତପ ନ କରିବେ ତୀର୍ଥବ୍ରତ ନ

ଫେରିବେ ଛାଡ଼ି ଶାସ୍ତ୍ର ବେଦ ହେ

ନ କରି କ୍ରିୟା କରମ      ସନ୍ଧ୍ୟା ତର୍ପଣ ଧରମ

ଅଗ୍ନି କୁଣ୍ଡେ ଘୃତ ହେ ।।୩।।

ନ କରିବେ ଦାନ ଧ୍ୟାନ ନ ହେବେ

ଶାନ୍ତି ସୁମନ ନ ରଖି ଧର୍ମାନ୍ତ ହେ ।

ପାପ ପଙ୍କେ ବୁଡ଼ି ମନ ଉଚ୍ଚ ହେବେ

ନୀଚଜନ ଘେନି ବଡ଼ ପଦ ହେ ।।୪।।

ଭାଇକି ଭଉଣୀ ନେବ ପିତା ପୁତ୍ରେ

ଋଣ ହେବ ଶାଶୁ ବୋହୂ ଦ୍ୱନ୍ଦ୍ୱ ହେ ।

ବାପ ଝିଅ ଘର କରି ଶିଷ୍ୟ ଗୁରୁପତ୍ନୀ

ହରି ମାତା ପୁତ୍ରସହ ହେ ।।୫।।

ଆପଣାର କୁଳବତୀ ପରପୁରୁଷରେ

ମାତି ଅବଳା ଅବୋଧ ହେ ।

ଭଣେ ଭୀମହୀନ ଭୋଇ କ୍ଷୟଯିବେ

ପାପ ପାଇ ଗୁରୁବାକ୍ୟ ସିଦ୍ଧ ହେ ।।୬।।

 

(୨୦୨)

ଦିନୁ ଦିନ ହୋଇଲାଣି ଘୋର କଳି କାଳ ହେ ।

ଉଲ୍ଲକା ପାତ ହୋଇବ ଏ ମହୀମଣ୍ଡଳ ହେ

।। ପଦ ।।

ମନରେ ହେଳା ନ କର ଗୁରୁପାଦ

ଅନୁସର ବହି ଶାନ୍ତଶୀଳ ହେ ।

କି ଅବା ପୁରୁଷ ସ୍ତିରୀ ବାଳ

ବୃଦ୍ଧ ଆଦି କରି ଯେ ଅଛ ସକଳ ହେ ।।୧।।

ଏ କଳିଯୁଗରେ ଆଉ ଯେମନ୍ତେ

ଜୀବନ ରହୁ କର ମୋର ବୋଲ ହେ ।

କାହିଁରେ ନାହିଁ ନା କିଛି ବୁଦ୍ଧି ଏକ

ଦିଶୁଅଛି ସାଧୁସଙ୍ଗ ମୂଳ ହେ ।।୨।।

ପୁଣ୍ୟ ଯେ କରିଥିବ ପୃଥିକି ବିହନ

ହେବ ନ ବୁଡ଼ିବ କୁଳ ହେ ।

ହୋଇବେ ଯେବେ ଭଗତ

ନିଶ୍ଚେ ହୋଇବ ପ୍ରାପତ ମୁକତିର ଫଳ ହେ ।।୩।।

ପଶ୍ଚିମର ଲୋକେ ପୂର୍ବେ ପୂର୍ବରଲୋକ

ପଶ୍ଚିମେ ହେବେ ଖଳବଳ ହେ ।

ଅଜ୍ଞାନ ହେଲେଣି ସର୍ବେ ମାୟାମୋହ

ମତ୍ତଗର୍ବେ ଉପୁଜିବ ଗୋଳ ହେ ।।୪।।

ଦକ୍ଷିଣ ଲୋକ ଉତ୍ତରେ ଉତ୍ତରଲୋକ

ଦକ୍ଷିଣେ କରିବେ ଧନ୍ଦୋଳ ହେ ।

ତିନିଭୁବନ କମ୍ପିବ ବାସୁକି ରଡ଼ି

ଛାଡ଼ିବ ପଡ଼ିବ ଚହଳ ହେ ।।୫।।

ଜମ୍ବୁଦ୍ୱୀପେ ମହୀରସା ପଡ଼ିବ ବିପତ୍ତି

ଦଶା ନାହିଁ ନା ମଙ୍ଗଳ ହେ ।

ଭଣେ ଭୀମ ଅରକ୍ଷିତ ଗୁରୁପାଦେ

ଦେଇ ଚିତ୍ତ ଦିଶୁନାହିଁ ଭଲ ହେ ।।୬।।

 

(୨୦୩)

ସମ୍ଭାଳ ପିଣ୍ଡ ପରାଣ ଯେ ଅଛ ସତ୍ୟରେ ହେ ।

ବେଳୁ ବେଳ ବୁଡ଼ିଲାଣି ପାତକ ମିଥ୍ୟାରେ ହେ

।। ପଦ ।।

ସକଳ ବିଷୟା ତେଜ ମହିମା ନାମକୁ

ଭଜ ନିର୍ଗୁଣ କର୍ମରେ ହେ ।

ପୁଣି ଧର୍ମ ଯେ ସଞ୍ଚିବ ଆଗତକୁ ସେ

ବଞ୍ଚିବ ବିହିତ କର୍ମରେ ହେ ।।୧।।

କାୟା କର୍ମେ ନାହିଁ କିଛି କେବଳ ଯଶ ରହୁଛି ଏ ମାୟାସଂସାରେ ହେ ।

ନାମକୁ କରି-ଭରସା କେବଳ ଲଗାଅ

ଆଶା ଗୁରୁ ଚରଣରେ ହେ ।।୨।।

ଲୋଭ ମୋହକୁ ଆବୋରି ବୋଲୁଛ

ସବୁ ମୋହରି ପଡ଼ିବ ମିଥ୍ୟାରେ ହେ ।

କିଛି ନ ନେବ ସଙ୍ଗତେ ଗଲେ

ଦିବ ତୁଚ୍ଛା ହସ୍ତେ ମରୁଛ ଧନ୍ଦାରେ ହେ ।।୩।।

କେହି ନୁହଇ କାହାର ଦେଖ ଅନିତ୍ୟ

ସଂସାର ପଥ ସରମରେ ହେ ।

ପାଇବ ଗତି ମୁକତି ଜୀବ ଉଦ୍ଧାର

ସମ୍ପତ୍ତି ବେଦ ବେଦାନ୍ତରେ ହେ ।।୪।।

ମନୁଷ୍ୟ ପ୍ରାୟେ ଆଚାର କର ସୁଜ୍ଞ

ସାଧୁନର ଦୁର୍ଲ୍ଲଭ ଜନ୍ମରେ ହେ ।

ଗୁରୁପାଦ ବିନ୍ଦଧର ବ୍ରହ୍ମସାଗରେ

ବିହର ଭଜ ନିରନ୍ତରେ ହେ ।।୫।।

ଭଣେ ଭୀମ ଅରକ୍ଷିତ ଶ୍ରୀଗୁରୁ

ଚରଣେ ଚିତ୍ତ ଆନନ୍ଦ ମନରେ ହେ ।

ନ ଯିବୁ ଯମଭୁବନ ନେବେ ତୋତେ

ବିଷ୍ଣୁଗଣ ପୁଷ୍ପ ବିମାନରେ ହେ ।।୬।।

 

(୨୦୪)

ଅନନ୍ତ ଅବତାରେ ବାହାର ହେ ।

ବିଭୂଗଣ ସେ ରାଜକୁମାର ହେ ।। ପଦ ।।

ଅଲେଖ ଅନନ୍ତ ମୂର୍ତ୍ତି      ସଙ୍ଗେ ଘେନି ପ୍ରିୟବତୀ

କି ଶୋଭା ପାଉଛି କ୍ଷିତି ସୁନ୍ଦର ହେ ।।୧।।

ବାରି-ନୋହେ ରାତ୍ର ଦିନ      ଆନନ୍ଦିତେ ଭକ୍ତଗଣ

ଜୟ ଜୟ ତ୍ରିଭୁବନ ମଧୁର ହେ ।।୨।।

ମହାନିତ୍ୟର ଶବଦ      ନୃତ୍ୟ ଧ୍ୱନି ଘୁ ଘୁ ନାଦ

ବାଜୁଛି ମର୍ଦ୍ଦଳ ବାଦ୍ୟ ଗଭୀର ହେ ।।୩।।

ଆବର ଗିନି ଖଞ୍ଜରୀ      ଶଙ୍ଖ ଘଣ୍ଟ ବୀର ତୂରୀ

କମ୍ପୁଅଛି ବସୁନ୍ଧରୀ କାତର ହେ ।।୪।।

ଦେଖ ଅନନ୍ତ ମଣ୍ଡଳ      ବିଜୟେ ଅନାଦି ମୂଳ

କ୍ଷୟ ଯିବ କଳିକାଳ ଏଥର ହେ ।।୫।।

ସେ ଅଲେଖ ଅବଧୂତ      ନର ଅଙ୍ଗେ ବିରାଜିତ

ଭଣେ ଭୀମ ଭକ୍ତ ଗୁରୁ ପୟରେ ହେ ।।୬।।

 

(୨୦୫)

ବହିଗଲା ଏତେଦିନ ଗୁପତେ ହେ

କେହି ଚିହ୍ନି ନ ପାରିଲେ ଜଗତେ ହେ ।। ପଦ ।।

ବସିଥାଇ ବେଦ କଳ୍ପେ      ଆପ ନାମ ଆପ ମୁଖେ

ବର୍ଣ୍ଣିଛି କବିତ୍ୱ ରୂପେ ସାକ୍ଷାତ ହେ ।।୧।।

ନେତ୍ର ପଥେ ଦେଖ ଦେଖ      ଏହି ପୂର୍ଣ୍ଣ ବ୍ରହ୍ମ ରୂପ

କିମ୍ପା ହେଉଛ ବିମୁଖ ବିଅର୍ଥେ ହେ ।।୨।।

ଭାବରେ ପ୍ରସନ୍ନ କର      ବେନି ପୟରକୁ ଧର

ତରିବ ମାୟା ସଂସାରେ ନିଶ୍ଚିନ୍ତେ ହେ ।।୩।।

ପିଣ୍ଡ ପ୍ରାଣକୁ ସମର୍ପ      ଶ୍ରୀଗୁରୁ ଛାମୁରେ ବିକ

ମନେ ସଂଶୟ ନ ରଖ ପଶ୍ଚାନ୍ତେ ହେ ।।୪।।

ଏବେ ଚେତ ଭଲ କରି      ଧର୍ମ ଅଛି ଅବତରି

ନୋହିଲେଟି ଯିବ ସରି ସମସ୍ତେ ହେ ।।୫।।

ଆଦି ପରମ ପୁରୁଷ      ହୋଇଛନ୍ତି ପରକାଶ

ଭଣେ ଭୀମ ହୀନ ଦାସ ବିଦିତେ ହେ ।।୬।।

 

(୨୦୬)

ଧରା ପଡ଼ିଛି ସମ୍ଭାଳ ହେ

ଜଗତ ଜଗତ ଆସି ସକଳ ହେ ।। ପଦ ।।

ହୋଇ ମନୁଷ୍ୟ ସ୍ୱରୂପ      ସମ କରି ଦୁଃଖ ସୁଖ

ଖେଳୁଅଛି ଜମ୍ବୁଦ୍ୱୀପ ମଙ୍ଗଳ ହେ ।।୧।।ଅଳପକେ ନୋହେ ଗମି      ଜ୍ଞାନୀ ଯାଉଛନ୍ତି ଘୂମି

ଅତ୍ୟନ୍ତ ନିଗମ ଭୂମି ଅଥଳ ହେ ।।୨।।

ଯେ କରି ପାରିବ ତତ୍ତ୍ୱ      ତାକୁ ବ୍ରହ୍ମ ପରାପତ

ଥିବ ଯାହାର ସୁକୃତ ସୁଫଳ ହେ ।।୩।।

ଶୁଣ ସାଧୁ ସୁଜ୍ଞନରେ      ବ୍ରହ୍ମ ପଡ଼ିଛି ଦାଣ୍ଡରେ

କିମ୍ପା ହେଉଛ ମନରେ ବିକଳ ହେ ।।୪।।

ଦୃଢ କରି ଆଣ୍ଟେ ଧର      କିଛି ଦୋଷ ନାହିଁ ତାର

ଏହି ଅଟେ ବ୍ରହ୍ମାଣ୍ଡର ତ୍ରିକାଳ ହେ ।।୫।।

ମହିମାକୁ ଯେ ଭଜିବ      ସୁଖ ଭୋଗ ସେ ପାଇବ

ଭଣେ ଭୀମ ଲେଖାଥିବ କପାଳେ ହେ ।।୬।।

 

(୨୦୭)

ଚିହ୍ନାଇ ଦେଉଛି ଦେଖ ପ୍ରତ୍ୟକ୍ଷ ହେ

ସାଧୁ ସୁଜ୍ଞଜନ କର ବିବେକ ହେ ।। ପଦ ।।

ଆଦି ପରମ ପୁରାଣି      ସେବା ଭକ୍ତି କର ଜାଣି

ଏ ପିଣ୍ଡ ପ୍ରାଣ କାରେଣି ରକ୍ଷକ ହେ ।।୧।।

ବୁଦ୍ଧ ଅବତାର ତନୁ      ତେଜିଲେଣି ଯେତେଦିନୁ

ଏଠାରେ ଲୁଚିଛି କାହୁଁ ଅଲେଖ ହେ ।।୨।।

ତିନିପୁରୁ ଆସ ଧାଇଁ      ଅପରତେ କର ନାହିଁ

କେତେ ବତାଇବି ମୁହିଁ ଅଧିକ ହେ ।।୩।।

ବୃଦ୍ଧ ପ୍ରାୟେକ ଦିଶଇ      ସ୍ତିରୀ ପୁରୁଷ ନୁହଇ

ରୂପ ବୟସ ଅଟଇ ବାଳକ ହେ ।।୪।।

ସକଳ ତୀର୍ଥ ଘୋଡ଼ାଇ      ପାଦ ରଖିଛି ବେଢାଇ

ଆସ ମୁଁ ନେବି କଢାଇ ସେଠାକୁ ହେ ।।୫।।

ଭଣେ ଭୀମ ହୀନ ଭୋଇ      ଶ୍ରୀଗୁରୁ ଚରଣ ଧ୍ୟାୟି

ସକଳ ଠାବରୁ ମୁହିଁ ନିରେଖ ହେ ।।୬।।

 

(୨୦୮)

ଉଠ ଉଠ ବିଜେ କର, ଆଦି ମହିମା ସାଗର

କର୍ଣ୍ଣକୁ ନୋହେ ସମ୍ଭାଳି ଦୈତ୍ୟ ବଳକୁ ସଂହାର ।। ପଦ ।।

ଶ୍ୱେତ ହସ୍ତୀରେ ଆରୋହି      ବୀର ଜୟ ଶଙ୍ଖ ଦେଇ

ଶୁଭ ଅନୁକୂଳ ଘେନି ଧରାଇ ଶ୍ୱେତ ଛତର ।।୧।।

ବିଶ୍ୱ ବ୍ରହ୍ମାଦି ଈଶ୍ୱର      ଆଦି ବରୁଣ କୁବେର

ଚଉପାଶେ ଘେରିଥିବେ ଢାଳିବେ ଶ୍ୱେତ ଚାମର ।।୨।।

ଜାଳି ରତ୍ନ ଦୀପାବଳୀ      ସ୍ଥାପିଣ ସୁବର୍ଣ୍ଣ ଝରୀ

ଦଧିମାଛ ରମ୍ଭାତରୁ ପୂର୍ଣ୍ଣ କୁମ୍ଭେ ଚୁତ ପତର ।।୩।।

ଚଉଷଠି ସିଦ୍ଧ ମୁନି      ପଟୁଆର ସଙ୍ଗେ ଘେନି

ନାମ ଧ୍ୱନି ହୁଳହୁଳି ପଡ଼ୁଅଛି ନିରନ୍ତର ।।୪।।

ଜଣେ ନ ରହିବେ କେହି      ମଡ଼ା ଲୋଟୁଥିବ ମହୀ

ଏଠାରୁ ବଡ଼ କେ ଅଛି ରକ୍ଷା କରୁ ଏ ସଂସାର ।।୫।।

ଭଣେ ଭୀମ ହୀନ ଭୋଇ      ସର୍ବେ ଥାଅ ଚେତା ହୋଇ

କରିବେ ରଣ ଧନ୍ଦଳ ହେଉ ଅଛନ୍ତି ତିଆର ।।୬।।

 

(୨୦୯)

ନ କରି ବିଳମ୍ବ ମଠ ସର୍ବେ ଏକାବେଳେ ଉଠ ।

ଚତୁରଙ୍ଗ ବଳ ଘେନି ପୂରି ଚଳ ଚଉରାଷ୍ଟ୍ର ।। ପଦ ।।

ଦମନ ଆସିବ ମାଡ଼ି      ଯେସନେ ସିନ୍ଧୁ ଲହଡ଼ି

ସମ୍ଭାଳି ଥାଅ ଘାନ୍ତିକ କରିବ ସେ ହଟପଟ ।।୧।।

ଲଗାଇ ବଜ୍ର ବିଭୂତି      କଷା କୌପୀନ ମୁରତି

ହେଳା କଲେ ଭେଳା ବୁଡ଼େ ବେଗେ ସାଜ ଆମ୍ଭ ଥାଟ ।।୨।।

କରେ ଶସ୍ତ୍ରମାନ ଧରି,      ଆଗକୁ ଥିବ ଉଭାରି

ମାରିବ ବଜ୍ର ଶକତି ଛାମୁରେ ପଡ଼ିଲେ ଭେଟ ।।୩।।

ଚଉଦିଗ ଆଦି କରି      ଦୁଷ୍ଟଗଣ ଛନ୍ତି ପୂରି

ଅଙ୍ଗେ ଅଙ୍ଗ ଯନ୍ତାଯନ୍ତି ଯାନ୍ତେ ନ ମିଳିବ ବାଟ ।।୪।।

ଯୁଦ୍ଧର ବାରତା ଶୁଣି      ନାଗାନ୍ତୀ ଯୋଗାନ୍ତୀ ମୁନି

ଚାରି ଖାନିରୁ ଆସିବେ ଏକଠାବେ ହେଲେ ଭେଟ ।।୫।।

ଭଣେ ଭୀମ ହୀନ ଭୋଇ      ଶ୍ରୀଗୁରୁ ଚରଣେ ଧ୍ୟାୟି

ଜମ୍ବୁଦ୍ୱୀପ ଭ୍ରତ ଖଣ୍ଡେ ପଡ଼ିବ ମହାସଙ୍କଟ ।।୬।।

 

(୨୧୦)

କେହି ନ ପାରିବେ ଜାଣି ଏ ନବଖଣ୍ଡ ମେଦିନୀ

ଚାରିଦିଗୁ ଚାରି ସ୍ୱାମୀ କଟାଇ ଯିବେ କରଣୀ ।। ପଦ ।।

ଅନାଦି ପୁରୁଷ ଜୟେ      ସ୍ୱଦେହେ କଲେ ବିଜୟେ

ଧର୍ମକୁ ସ୍ଥାପନ କରି ଗଲେ ସେ ସମାଧି ଘେନି ।।୧।।

ପଶ୍ଚିମ ଦିଗରେ ସ୍ୱାମୀ      ଉଠିବ ସେ ଆଜ୍ଞା ଘେନି

ପକାଇବ ଆଦି ଧୂନି ନାଗାନ୍ତୀ ବିଦ୍ୟା ଆଣି ।।୨।।

ଦକ୍ଷିଣ ଦିଗରେ ସ୍ୱାମୀ      ଗୁରୁ ପାଦେ ପରଣାମି

ଜଗନ୍ନାଥ ଭଜ ବୋଲି ପ୍ରକାଶିବ ବେଦବାଣୀ ।।୩।।

ପୂର୍ବଦିଗରେ ଯେ ସ୍ୱାମୀ      ହୋଇଥିବେ ବନଗାମୀ

Unknown

ଶଙ୍କର ଭଜ ବୋଲିବ ଯୋଗଧ୍ୟାନ କର ଚିହ୍ନି ।।୪।।

ଉତ୍ତର ଦିଗରେ ସ୍ୱାମୀ      ବଚନରେ ଅନ୍ତର୍ଯ୍ୟାମୀ

ରାମ ନାମ ଭଜ ବୋଲି କାନ ଉଠାଇବ ପୁଣି ।।୫।।

ଏତେକ ଦଗାରୁ ଯେହୁ      ବର୍ତ୍ତିବ ଯେ ଭକ୍ତ ସେହୁ

ଏମାନ ହୋଇବ ନିଶ୍ଚେ ଭୀମ ଅରକ୍ଷିତ ଭଣି ।।୬।।

 

(୨୧୧)

ଏକୁ ଏକେ ବୀରବର ଅଛନ୍ତି ଏ ସଂସାର

କାହାକୁ କେବଣ ଭାବେ ରଖିଛନ୍ତି ଅଣାକାର ।। ପଦ ।।

ଗୋପ୍ୟାନ କରି ରଖିଛି      ଚିହ୍ନା ନ ପଡ଼ଇ କିଛି

ଚିହ୍ନିବାକୁ କେହୁ ଅଛି ସମସ୍ତଙ୍କୁ ଅଗୋଚର ।।୧।।

ପଡ଼ିବ ଯେ କଷା କଷି      କରାଇବ ମିଶାମିଶି

ସର୍ବେ ଏକାବେଳେ ଆସି କରିବେ ନ୍ୟାୟ ବିଚାର ।।୨।।

ବାଉନ ପାଟକ ଜାତି      ଏକାଙ୍ଗ ଯେ ଚକ୍ରବର୍ତ୍ତୀ

କେ କାହାର ପୁତ୍ର ନାତି ଚେତା ନ ଥିବ ମନର ।।୩।।

ଏ ବାକ୍ୟ ନୁହଇ ମିଛ      ଭଗତ ପଣେ ଯେ ଅଛ

ସକଳ ତ ଜାଣୁଅଛ ଏ ଯୁଗର ଅନ୍ୟାଚାର ।।୪।।

କେହି କା’କୁ ନ ମାନିବେ      ଅଜ୍ଞାନରେ ଦିନ ନେବେ

ମନ ମୋଟ ହୋଇଥିବେ ଅଧମ ସେ ଦୂରାଚାର ।।୫।।

ଭଣେ ଭୀମ ଅରକ୍ଷିତ      ଶ୍ରୀଗୁରୁ ଚରଣେ ଚିତ୍ତ

ସେ ପ୍ରଭୁ ଭଗତହିତ କଳଙ୍କୀ ଯେ ଅବତାର ।।୬।।

(୨୧୨)

ନିରନ୍ତରେ ବହୁଥିବ ରୁଧିର ଧାରା

ତେବେ ସେ ସରିବ ଜମ୍ବୁଦ୍ୱୀପର ଭାରା ।। ପଦ ।।

ଶୂନ୍ୟେ ପଡ଼ିବ ଘଡ଼ଘଡ଼ି      ବାସୁକୀ ଛାଡ଼ିବ ରଡ଼ି

କୁଢ କୁଢ ହୋଇ ମହୀ ଲୋଟିବେ ମଡ଼ା

ଗ୍ରାମେ ଡାକିବେ ଶୃଗାଳ      କ୍ଷୟ ଯିବ କଳିକାଳ

ଯୋଗ୍ନିଗଣ ନିଜ ରୂପ ଧରିବେ ପରା ।।୧।।

ବନେ ଚରିଯିବେ ଗାବ      ଧରିଣ ଖାଇବ ବ୍ୟାଘ୍ର

ଖେଳିଗଲା ପୁତ୍ରକୁ ନ ଥିବ ଆସରା

କାହାରି ନ ଥିବ ଚେତା      ବକ୍ତା ନ କହିବେ କଥା

ଚାହୁଁ ଚାହୁଁ ଘୋଟିଯିବ ମାୟା ମଦିରା ।।୨।।

କାନ୍ତାନୀ ଚଣ୍ଡୀ ଚାମୁଣ୍ଡୀ      ମଥାରେ ରୁଧିର ହାଣ୍ଡି

ଡାହାଣ ହସ୍ତରେ କାତି ବାମେ ଖପରା ।

ନିଶ୍ଚେ ଉପୁଜିବ ଦ୍ୱନ୍ଦ୍ୱ      ଯୁଦ୍ଧେ ନାଚିବେ କବନ୍ଧ

ପଡ଼ୁଥିବ ବୋବି କିଳିକିଳା ଡାକରା ।।୩।।

ଉଚ୍ଚେ ଦେବେ ହୁଳହୁଳି      ସାହି ସାହି ଯିବେ ବୁଲି

ଘରେ ପଶି କରି ଯିବେ ଛାଇ ଛବିରା ।

ପ୍ରଭୁ ଭକ୍ତ ଯେ ଅଟଇ      ତାହାଙ୍କୁ ଛୁଇଁବେ ନାହିଁ

ଆନେ ଆନେ ବାଛି ଖାଇଯିବେ ଦୋସରା ।।୪।।

ଏକା ରହିବେ ଭଗତ      ଶୂନ୍ୟ ହୋଇବ ଜଗତ

ହୃଦ ପଦ୍ମେ ନାମ ବ୍ରହ୍ମ କରି ଆସରା ।

ବିନା ଆଶ୍ରିତରେ ପ୍ରାଣୀ      ନ ବର୍ତ୍ତିବେ ଏ ମେଦିନୀ

ବୁଝାଯିବ ଆଦିମୂଳେ ପଡ଼ିଲେ ଧରା ।।୫।।

ନବ ଖଣ୍ଡ ମହୀ ରସା      ନିଶ୍ଚେ ପଡ଼ିବ ଦୁର୍ଦ୍ଦଶା

ଜାଣୁ ଜାଣୁ ଦେଖୁ ଦେଖୁ ହୋଇବ ସାରା ।

କହେ ହୀନ ଭୀମ ଭୋଇ      ଗୁରୁ ଦେଇଛନ୍ତି କହି

ଜାଣିଥାଅ ପଦ ଅଟେ ପାଷାଣ ଗିରା ।।୬।।

 

(୨୧୩)

ସଏଁତ୍ରିଶ ଅଙ୍କେ ନିଶ୍ଚେ ଉଠିବ ହାଣ

କେମନ୍ତେ ବଞ୍ଚିବା ଆମ୍ଭେ କହ ସୁଜନ ।। ପଦ ।।

ମାଳ ମାଳ ଗଣ୍ଠି ମୁଣ୍ଡ      ଖଣ୍ଡ ଖଣ୍ଡ ଛିଡ଼ି ପିଣ୍ଡ

ଖଣ୍ଡ କାତି ଦିଶୁଥିବ ରକତ ବର୍ଣ୍ଣ ।

ଚତୁରାଙ୍ଗ ବଳ ଘେନି      ବେଢେ ବୁଲିବେ ମେଦିନୀ

କାଳିକା ଖର୍ପର ପୂରି ହୋଇବ ପୂର୍ଣ୍ଣ ।।୧।।

ଏ ବ୍ରହ୍ମାଣ୍ଡରେ ଅସୁର      ଦୁଷ୍ଟବଳ ନିଶାଚର

ରାବଣଠାରୁ ପ୍ରବଳ ଅଧିକ ଜାଣ ।

ବଡ଼ି ଦୁଷ୍ଟ ବଂଶମାନ      ଯେହ୍ନେ ରମ୍ଭାତରୁ ବନ

ଚରି ଚାରି ଦେଉଛନ୍ତି ମଞ୍ଚଭୁବନ ।।୨।।

ଚାରି ଯୁଗର ଭଗତ      ଚାରି ଯୁଗର ଦଇତ

ଜନମ କରି ଅଛନ୍ତି ଅନାଦି ବ୍ରହ୍ମ ।

ଚଉଦିଗେ ଛନ୍ତି ଘୋଟି      ଛିଡ଼ିଯିବେ କୋଟି କୋଟି

ଯେତେବେଳେ ଆରମ୍ଭିବେ ଚକୁରି ରଣ ।।୩।।

ବିଶାଶଏ ସିଦ୍ଧ ଧୂନି      ପଡ଼ି ସବୁ ସରିଲାଣି

ଯୁଗ ଶେଷ ହୋଇଲାଣି ପାହିଲା ଦିନ ।

କବି ପଣ୍ଡିତ ବ୍ରହ୍ମଣ୍ୟ      ଅନ୍ତକୋଟି ସାଧୁଗଣ

ଏମାନେ ରହିବେ ପୃଥ୍ୱୀ ହୋଇବ ଶୂନ୍ୟ ।।୪।।

ଚୌଷଠି ସିଦ୍ଧ ତପସ୍ୱୀ      ଛଡ଼ ବ୍ରହ୍ମ ନବ ଋଷି

ଏମାନେ ହୋଇବେ ସିନା ବ୍ରହ୍ମରେ ଲୀନ ।

ଆଉ ଯେତେକ ଭଗତ      ମନ କଳ୍ପଣା ବାଞ୍ଛିତ

ସତ୍ୟଯୁଗ ସଂସାରକୁ ହେବ ବିହନ ।।୫।।

ଅନାସ୍ତ ପ୍ରାଣୀ ଅଟଇ      ଶାଖା ମୋର କେହି ନାହିଁ

ଆପେ ଗୁରୁଦେବ ଯାଇଁ କଲଷ ତାରଣ ।

ଉଚ୍ଛନ ହୋଇଲଶ ମହୀ      କେମନ୍ତେ ବ୍ରତିବି ମୁହିଁ

ଭୀମଭୋଇ ଡାକୁଛି ସମ୍ଭାଳ ଶରଣ ।।୬।।

 

(୨୧୪)

ଦେଖ ଧରିଛନ୍ତି ସ୍ୱାମୀ ଅତିଥି ବେଶ

ଭଗତ ନିମନ୍ତେ ବାନା ଶୂନ୍ୟେ ପ୍ରକାଶ ।। ପଦ ।।

ଚାରିଧର୍ମ ଆଦି କରି      ବୁଝିବା ଚାରି ଦୁଆରି

ଚାରିଧାମ ମଠ ଆଦି ଯତି ପୁରୁଷ ।

ଅନନ୍ତ ନାଗ ବାସୁକୀ      ସପ୍ତସିନ୍ଧୁ ଥାଅ ସାକ୍ଷୀ

ନିନ୍ଦା ହିଁ ନ ଦେବ ମୁଖେ କରିଣ ହାସ ।।୧।।

ଚାରିଖାନି ଜୀବ ଜନ୍ତୁ      ସର୍ବେ କରିଥାଅ ହେତୁ

ଜାଣିଥିବ ତ ଏ ଯୁଗ ହେଲାଣି ଶେଷ ।

ହୃଦରେ ବିବେକ ରଖି      ସମସ୍ତେ ହେ ଥାଅ ସାକ୍ଷୀ

ଜଗତକୁ ପ୍ରଭୁ ନାମ ହେଲାଣି ବିଷ ।।୨।।

ଦାରୁ ପ୍ରତିମା ମୂରତି      ଯେ ଯହିଁ କରିଛ ସ୍ଥିତି

ଅଷ୍ଟକୋଟି ଯୋଗ୍ନୀ ଭୂତ ପ୍ରେତ ପିଶାଚ ।

ଜଳ ହିଁ ଅଗ୍ନି ପବନ      ସାକ୍ଷୀ ଥାଅ ସର୍ବଜନ

ଦେବାଦେବୀ ଯେ ଯହିଁରେ କରିଛ ବାସ ।।୩।।

ବ୍ରହ୍ମା ବିଷ୍ଣୁ ଶିବ ତିନି      ତେତିଶ କୋଟି ଦେବ ମୁନି

ତୁମ୍ଭେମାନେ ଅଟ ତ ପ୍ରଭୁଙ୍କ ବିଶ୍ୱାସ ।

ଛଡ଼ବ୍ରହ୍ମ ନବ ଋଷି      ବେଦ ଶାସ୍ତ୍ର ଦିବା ନିଶି

ଅକାରଣେ ସ୍ୱାମୀକି ମୋ ନ ଦେବ ଦୋଷ ।।୪।।

ପୃଥ୍ୱୀ ଆପତେଜ ବାଇ      ନବଲକ୍ଷ ନକ୍ଷତ୍ର ହିଁ

ଚନ୍ଦ୍ର ସୂର୍ଯ୍ୟ ଆଦି ଏକୋଇଶ ପୁରକ ।

ବରୁଣ କୁବେର ଦୁଇ      ପୃଥ୍ୱୀ ନବଖଣ୍ଡ ମହୀ

ବିଚାରି ବୁଝିବା ହେଉ କଥା ସନ୍ଦେଶ ।।୫।।

ମହାଶୂନ୍ୟରୁ ବାହାର      ଅବନା ଅଣ ଅକ୍ଷର

କରାଇଛ ମୋତେ ଜନ୍ମ ଦିନରୁ ଦାସ ।

କହେ ଭୀମହୀନ ଭୋଇ      ଗୁରୁ ପାଦପଦ୍ମ ଧ୍ୟାୟି

ତରିବାକୁ ନିରନ୍ତରେ କରିଛି ଆଶ ।।୬।।

 

(୨୧୫)

ନିରନ୍ତରେ ଉଡ଼ୁଥିବ ଆକାଶେ କାଳି

ବ୍ରହ୍ମାଣ୍ଡରେ ବ୍ରହ୍ମଅଗ୍ନି ଉଠିବ ଜଳି ।। ପଦ ।।

ହିଙ୍ଗୁଳ ବରଷି ଯିବ      ଗ୍ରାମ ଦେଶ ପୋଡ଼ୁଥିବ

ଚଉଦିଗ ଧୂମମୟ ଦିଶିବ ମଳି ।

ଦାରା ସୁତ ବିତ୍ତମାନ      ପିନ୍ଧିଲା ବସନ ଜାଣ

ପଳାଇବେ ଆୟତେ ନ ପାରି ସମ୍ଭାଳି ।।୧।।

ବାବୁ ବିଧାତା କି କଲଶ      ଘର ଦ୍ୱାର ପୋଡ଼ିଗଲା

ଗ୍ରାମରେ ଚହଳ ପଡ଼ୁଥିବ ବୋବାଳି ।

ସମ୍ପଦ ଗଲା ବୋଲିବେ      ଜଳ ଆଣି ଲିଭାଇବେ

ଦାଣ୍ଡେ ବସି କାନ୍ଦୁଥିବେ ଏଥର ମିଳି ।।୨।।

ନିର୍ଜନ ଘରରୁ ନିଆଁ      ଜାତ ହେବ ଉଠି ଧୂଆଁ

ଆଚମ୍ବିତ ହୋଇ ପାରୁଥିବେ ବୋବାଳି ।

ମାରିବ ଗ୍ରୀଷମ ଝାଞ୍ଜି      ସବୁ ବୁଡ଼ିଯିବ ପୁଞ୍ଜି

ତିନି ତାଳ ପରିଯନ୍ତେ ଉଠିବ ଧୂଳି ।।୩।।

ନିଶ୍ଚେ ଗରୁଡ଼ ଆସିବ      ଅଗ୍ନିରୂପ ପ୍ରକାଶିବ

ହନୁମନ୍ତ ସଙ୍ଗତରେ ହୋଇବ ମେଳି ।

ଧନ ଦ୍ରବ୍ୟ ବୋହି ନେବେ      ଲାଞ୍ଜେ ଅଗ୍ନି ଲଗାଇବେ

ପୂର୍ବଦିଗେ ଘେନି ଧୂନି ଘରକୁ ଚଳି ।।୪।।

ଡେଇଁ ଡେଇଁ ଯାଉଥିବେ      ଯହିଁ ତହିଁ ପୋଡ଼ି ଦେବେ

ପୋତା ଦ୍ରବ୍ୟ ଧନ ମାନ ବୋହିବେ ଖୋଳି ।

ବାସି ଥରକୁ ଆୟୁଷ      କାହାର ନ ଥିବ ଆଶ

ତେବେ ସେ ଭାଙ୍ଗିବ ନିନ୍ଦା ଗରବ ଗାଳି ।।୫।।

ବ୍ରହ୍ମାଣ୍ଡ ଉଚ୍ଛନ୍ନ ହେବ      ମେରୁ ଦ୍ରୁମ ନ ରହିବ

ହୃଦୟରେ ମନେ ମନେ ମରୁଛି ଭାଳି ।

ଭଣେ ଭୀମ ହୀନ ଭୋଇ      ମୋର କିଛି ଦୋଷ ନାହିଁ

ଯାହାର ବ୍ରହ୍ମାଣ୍ଡ ସେ ରଖିବ ସମ୍ଭାଳି ।।୬।।

 

(୨୧୬)

ତ୍ରିଗୁଣ ରହିଅଛି ଜଡ଼ି

ଦେହ ଧରିଅଛି ଯେତେ କାହାକୁ ନ ଛାଡ଼ି ।। ପଦ ।।

ପିତା ମାତା ଯୁକ୍ତ କାଳୁ      ପଦ୍ମରେ ପଡ଼ିଲା ବେଳୁ

କାଳିନ୍ଦୀ ହ୍ରଦ ମଣ୍ଡଳ ରଜବୀର୍ଯ୍ୟ ବୁଡ଼ି ।

ସର୍ଜନା ହୋଇଛି ପିଣ୍ଡ ଲାଗି ରଜବୀର୍ଯ୍ୟ

ମଣ୍ଡ ପ୍ରକୃତିରେ ଗଢି ।।୧।।

ଧର୍ମ ତରାଜୁରେ ତୁଳି      ଅଷ୍ଟାଙ୍ଗ ଶର ଶାଙ୍କୋଳି

ଲଗାଇଛି ବତାକୁଲି ଖଞ୍ଜିଅଛି ଧାଡ଼ି ।

ଅନୁମାନ ସୂତ୍ର ଧରି ଯହିଁକି ଯେମନ୍ତ

କରି ଯତନରେ ଭିଡ଼ି ।।୨।।

ଅସ୍ଥିଟି ପ୍ରଥମ ଗୁଣ      ରୁଧିର ଦ୍ୱିତୀୟ ଗୁଣ

ମାଂସ ସବୁ ତିନିଗୁଣ ଆସି ଅଛି ବଢି ।

ଜଳ ପବନରେ ଦେହ ଅଗ୍ନିପାକରେ

ସମୟ ଏ ଜୀବକୁ ବେଢି ।।୩।।

ଏହା ପଞ୍ଚଭୂତ ମନ      ପଚିଶ ପ୍ରକୃତି ଗୁଣ

ରେତ ରସ ପ୍ରେମ ମାନ ମାରୁଛି ଲହଡ଼ି ।

ଘନରେ ବିଦ୍ୟୁ ଝଲକ, ଚକ୍ଷୁ ବର୍ଚ୍ଛନା ମଟକ,

ଫେରୁଛି ବାହୁଡ଼ି ।।୪।।

ଛପନା କୋଟିରେ ବ୍ୟାପି      ଅଣାକାର ଆତ୍ମାରୂପୀ

ସର୍ବଘଟେ ପରିପୂର୍ଣ୍ଣ ରହିଅଛି ମାଡ଼ି ।

ଏବେ ଗୁରୁ ସେବା କର ଆତ୍ମାଭକ୍ତିରେ

ବିହର କ୍ରିୟା କର୍ମ ଏଡ଼ି ।।୫।।

ଭଣେ ଭୀମ ଅରକ୍ଷିତ      ପିଣ୍ଡ ବ୍ରହ୍ମାଣ୍ଡେ ଏକାନ୍ତ

ଶରୀରାର୍ଥ ଆତଯାତ ପଦେ ପଦେ ଯୋଡ଼ି ।

ପ୍ରଳୟ କାଳକୁ ପାପ ଅଙ୍ଗରେ କରିବ

ଭୋଗ ମାଡ଼ି ଆସେ ବଢି ।।୬।।

 

(୨୧୭)

ଧରିଥା ଯୁଗ ଶେଷଯାଏ ।

କଳି କ୍ଷୟ ଯିବ ସତ୍ୟ ହେଲାଣି ଉଦୟେ ।। ପଦ ।।

ସଂସାର ସାଗର ଜଳ      ବହୁଅଛି ଅନର୍ଗଳ

ମାରୁଛି ଲହରି ଠେଲି କରାଉଛି ଭୟେ ।

ଛନ୍ଦ ମନ୍ଦେ ନ ବିହର ଗୁରୁପାଦପଦ୍ମ

ଧର ନାମ ବ୍ରହ୍ମେଲୟେ ।।୧।।

ଏକୁ ଏକେ ଛନ୍ତି ଗାଢ      ଅଜ୍ଞାନ ପାମର ମୂଢ

ପ୍ରତିଜ୍ଞା କରନ୍ତି ବଡ଼ ଜମ୍ବୁଦ୍ୱୀପାମହେ ।

ନିଜ ଦେବତା ନ ପୂଜି ମୃର୍ତ୍ତିକା ପାଷାଣ

ଭଜି ପଡ଼ିଛନ୍ତି ମୋହେ ।।୨।।

ଏ ଜଗତ ଜନ ଯେତେ      କହୁଛନ୍ତି ନାନା ମତେ

ମନେ ନ ଘେନିବ ଚିତ୍ତେ ରଚନା ବିଷୟେ ।

ନିନ୍ଦୁଛନ୍ତି ଧର୍ମ ବାଟ ନିଶ୍ଚୟେ ସରିବ

ହାଟ ପାପେ ଯିବେ କ୍ଷୟେ ।।୩।।

କଳି ସତ୍ୟ ଧର୍ମ ଆଜି      ଦୋହେଁ ଲାଗିଛନ୍ତି ବାଦୀ

ସାକ୍ଷୀ ଅଛନ୍ତି ଅନାଦି ଯୁଦ୍ଧ ଅପ୍ରମୟେ ।

କଳିକି ଜିଣିଲେ ସତ୍ୟ କାଳକୁ ପାଇବ

ସୁସ୍ଥ ହେବ ସ୍ଥିତି ଥୟେ ।।୪।।

ପାଇ ଆସୁଛି ଦିବସ      ଯେ ପ୍ରଭୁଙ୍କ ଦାସୀ ଦାସ

ସର୍ବ କରିଥାଅ ଆଶ ରଖ ମନ ଥୟେ ।

ଯାର ଯେତିକି କାମନା ଆତ୍ମାଭକ୍ତିର

ଭାବନା ଲଭିବ ନିଶ୍ଚୟେ ।।୫।।

ଶୁଭ ଅନୁକୂଳ ଯୋଗେ      ରଣକ୍ଷେତ୍ର ମଧ୍ୟ ଭାଗେ

ଘେନି ଭକ୍ତଗଣ ପ୍ରଭୁ କରିବେ ବିଜୟେ ।

ସେ ଦିବସେ କଳିଯୁଗ ସତ୍ୟ ପାଦେ

ଲୀନ ହେବ ଭୀମଭୋଇ କହେ ।।୬।।

 

(୨୧୮)

ଯେତେକ ଭକତ ହୋଇଛ

ଥିବ ସତ୍ୟ ପଦେ ନିତ୍ୟେ ନ କହିବ ମିଛ ।। ପଦ ।।

ଅବଧୂତ ଘର ଚାଷ      ତୋତେ ଏ ମାନବ ବଂଶ

ଦେବ ବଳେ ସେ ରଖିବେ ସମ୍ଭାଳି ପ୍ରତ୍ୟକ୍ଷ ।

ନିତ୍ୟେ ବଳାଉଛି ପାଣି ଉଲଟ

ବୃକ୍ଷ ଉଜାଣି ଚଉଡାଳଗଛ ।।୧।।

ମହାଯୁଦ୍ଧ ରୋଷେ ପଡ଼ି      ମଞ୍ଜି ଅଗାଡ଼ି ଝାବୁଡ଼ି

ସର୍ବ ଏକଠାରେ ଜଡ଼ ଏକାନ୍ତ ହୋଇଛ ।

ଜଗିଅଛି ବ୍ରହ୍ମଧୂନି ଚେତି ଭଜ ହେ

ସୁଜ୍ଞାନୀ ପଡ଼ୁଅଛ ବାଛି ।।୨।।

ବେଦ ବାକ୍ୟେ ଯାହା ଅଛି      ଶୁଆ ଚଡ଼ାଇରୁ ବଞ୍ଚି

ଦୁଆ ସଙ୍ଖୁଳା କରୁଛି ଯେତେକ ସୁପାଞ୍ଚ ।

ଧରିଛି ଖାବଡ଼ ମୁଠି ହସ୍ତରୁ ନ ଯାଉ

ଫିଟି ନ ଦିଶିବ ପଛ ।।୩।।

ପକାଇ ମାଡ଼ଣ ଖରି      ମେରୁ ଖମ୍ଭ ଚଉଫେରି

ଅର୍ଥ ଦାଉଣ୍ଡିରେ ଯୋଡ଼ି ପାଞ୍ଚ ଗୋଟା ବାଛ ।

ଫୁଲ କଣ୍ଟା ଉଡ଼ିଯିବ ମେରୁ ମୂଳେ ଯେ

ରହିବ ବିହନକୁ ସଞ୍ଚ ।।୪।।

ଅନାମ ତାମ୍ବିରେ ମାପି      ଯେତେ ଆୟ ବ୍ୟୟ ରଖି

ଅର୍ଥ ପୁଡୁଗରେ ବାନ୍ଧି କରୁଛନ୍ତି ସଞ୍ଚ ।

ମାରା ନୋହିବ ବିହନ ଶବ୍ଦଦଳ

ପଚାଧାନ ହେବ ମୂଳ କଚ୍ଛ ।।୫।।

ବିଲ ଚାରି କୋଣେ ଜାଣ      ଜାଗିଛନ୍ତି ତିନି ଜଣ

ନ ଫେରି ପହଞ୍ଚ ।

ଭଣେ ଭୀମ ହୀନ ଭୋଇ ଶୁଆ

କାଟି ନେବ ବୋହି ଯେ ଯହିଁରେ ଅଛ ।।୬।।

 

(୨୧୯)

ହୋଇବ ନୁଆଁରି ରଚନା

ଆଗହୁଁ ଶ୍ରୀଗୁରୁ କରି ଅଛନ୍ତି ପାଞ୍ଚନା ।। ପଦ ।।

ବିଚାର ଛିଡ଼ିଛି ଆଗ      କଳି ଭାଙ୍ଗି ସତ୍ୟ ହେବ

ଥିବ ଯେହୁ ସେ ଦେଖିବ ଏ ସୃଷ୍ଟି ରଚନା

ନୂଆ ଫନ୍ଦା ସ୍ଥିତି ବାଡ଼ି ଚଉମଣ୍ଡଳକୁ

ଧରି ପଡ଼ିଲାଣି ଜଣା ।।୧।।

ମହିମା ପ୍ରକାଶ ଯେଣୁ      ଜାଣିଲି ମୁଁ କେତେଦିନୁ

ଶଙ୍କା ଉପୁଜୁଛି ମନ ବୁଝି ଏ ଭାବନା

ଅନ୍ୟାୟରେ ଉତପତ୍ତି ସଂହାର

ହୋଇବ ପୃଥ୍ୱୀ ନିର୍ଣ୍ଣୟ ଘଟଣା ।।୨।।

କାହାକୁ ନାହିଁ ଗୋଚର      ହୋଇଲାଣି ଯେତେଦୂର

ଦେବ ମାନବ ଅସୁର ନ କରି କଳ୍ପଣା

ସତ୍ୟ ପଦ ଗଲା ବୁଡ଼ି ଦିନୁ ଦିନୁ

ଧର୍ମ ଛାଡ଼ି ଅଣ ବୁଝାମଣା ।।୩।।

ନିଶ୍ଚେ ପଡ଼ିବ ଦୁର୍ଦ୍ଦଶା      ଜୀବନକୁ ଥିଲେ ଆଶା

ନାମରେ କର ଭରସା ଲଗାଅ ଭଜନା ।

ରବିତଳେ ଯେତେ ଥିବ ସରିନୋହେ

ଚାରିଯୁଗ ବହୁତ କାମନା ।।୪।।

ମହାଶୂନ୍ୟରେ ଉଡ଼ୁଛି      ଜଗତଯାକ ଫେରୁଛି

ତିନିପୁରେ ବଞ୍ଚାଇଛି ଅବଧୂତ ବାନା,

ଯେତେ ନ ଯିବେ ଭାଜି ସତ୍ୟାଦି

ଯୁଗକୁ ମଞ୍ଜି ହୋଇବେ ସର୍ଜ୍ଜନା ।।୫।।

ଶୁଣିଲେ ମହିମା ଗୁଣ      କିବା ବୈଷ୍ଣବ ବ୍ରାହ୍ମଣ

ପଣ୍ଡିତ ବିବେକ ଜନ ହେଉଛନ୍ତି ବଣା ।

ଚିତ୍ତଦେଇ ଅନୁକ୍ଷଣେ ଗୁରୁପାଦ

ଧ୍ୟାୟି ଭଣେ ଭୀମଭୋଇ ସିନା ।।୬।।

 

(୨୨୦)

କର ହେ ସତ୍ୟବଚନ ଭବୁ ନିସ୍ତରିବ ଯେବେ ସୁଜ୍ଞାନୀଜନ

।। ପଦ ।।

ସତ୍ୟ ତାରୁଅଛି ସତ୍ୟ ମାଗୁଅଛି ସତ୍ୟ ଧାରଣ କାରଣ ।

ସତ୍ୟକୁ ତତ୍ତ୍ୱରେ ଧରି ଜ୍ଞାନୀଜନ ହେଉଛନ୍ତି ଉଦ୍ଧାରର ।।୧।।

ନାମଟି ଦୁଆରି ନାମଟ ପାହାରି ନାମଟି ଧର୍ମ ଧାରଣ ।

ଉଜାଗରେ ଅଛି ଆସୁଛି ଯାଉଛି କରିଛି ସେହି ରକ୍ଷଣ ।।୨।।

ଅଷ୍ଟ ସଖାଗଣ ଅଷ୍ଟନାରାୟଣ ଅଷ୍ଟଜ୍ୟୋତି ସାଧୁଜନ ।

ଅଷ୍ଟ ମେରୁ ଶିଖେ ଯୋଗୀ ଧୂନି ମଠ ଅରୂପ ମଣ୍ଡଳେ ଧ୍ୟାନ ।।୩।।

ମହାଶୂନ୍ୟ ଶୂନ୍ୟ କିଛି ନାହିଁ ଜାଣ ବ୍ରହ୍ମଟି ସାର ନିର୍ଗୁଣ ।

ନାହିଁ ରୂପ ରେଖ ଅରୂପ ଶରୀର ଜ୍ଞାନ ନୟନରେ ଚିହ୍ନ ।।୪।।

ଅରୂପକୁ ଖୋଜ ଶକ୍ତିଥିଲେ ଭଜ ଭକ୍ତିରେ କର ବନ୍ଧନ ।

ବେଳ ଥାଉଁ ବସା ଘରେ କରି ଆଶା ସରି ଯାଉଅଛି ଦିନ ।।୫।।

ଏ ସକଳ ମିଥ୍ୟା ସବୁ ଅଟେ ବୃଥା ନ ସାଧ ମନ ପବନ ।

ଭଣେ ଭୀମ ହୀନ ପାମର ଅଜ୍ଞାନ ଧର ଅଭୟ ଚରଣ ।।୬।।

 

(୨୨୧)

ଆନନ୍ଦେ ନାମ ବ୍ରହ୍ମେ ବିହର, କର୍ମ କାମନାରେ ଭ୍ରମି ନ ମର ।। ପଦ ।।

ଯେତେବେଳେ ବ୍ରହ୍ମ ଏକପାଦେ ଥିଲେ

ନ ଥିଲା ମାତ୍ରା ଅକ୍ଷର ।

ହୋଇ ନିଶବଦ ନ ଥିଲା ଶବଦ

ମହାଘୋର ଭୟଙ୍କର ।।୧।।

ନ ଥିଲା ଏ ଜଳ ନ ଥିଲା ପବନ

ନ ଥିଲା ସଚରାଚର ।

ଜ୍ୟୋତି ନିରାକାର ଠୁଳ ରୂପ

ଘର ନ ଥିଲା ଶୂନ୍ୟ ସଞ୍ଚାର ।।୨।।

ନ ଥିଲା ଏ ଦୁତି ଯୁଗଳ

ସରାଗ ହାସ୍ୟ ପ୍ରେମାଦି ଶୃଙ୍ଗାର ।

ଧରିତ୍ରୀ ଆକାଶ ଆପ ତେଜ

ବାୟୁ ନ ଥିଲଶ ଦୀର୍ଘ ପ୍ରତିର ।।୩।।

ନ ଥିଲା ଏ ପିଣ୍ଡ ନ ଥିଲା

ବ୍ରହ୍ମାଣ୍ଡ ନ ଥିଲଶ ବଚନ ସାର ।

ସିଦ୍ଧିତ୍ୟ ଅକ୍ଷରୁ ବିଦିତ୍ୟ ଗୋଚର

କେ କଲା ବେଦ ବିଦାର ।।୪।।

ନ ଥିଲା ଏ ଚାରିଯୁଗ ଚାରିଭୋଗ

ନ ଥିଲା ଜପ ମନ୍ତର ।

ପ୍ରଭୁ ଆସ୍ଥାନକୁ ମନ୍ତ୍ର ଯନ୍ତ୍ର ଧ୍ୟାନ

ସସ୍ରେ ଯୋଜନ ଅନ୍ତର ।।୫।।

ବେଦ ବିଦ୍ୟା ଆଦି ଔଷଧ

ମୌଷଧି କି କରିବ ଏ ମାନର ।

କହେ ଭୀମ ଭୋଇ ଅନ୍ୟେ ଚିତ୍ତ

ନାହିଁ ଏକା ଶ୍ରୀଗୁରୁ ପୟର ।।୬।।

 

(୨୨୨)

ଅନାଦି ବ୍ରହ୍ମ ଅଣରୂପ ହରି, ସକଳ ଘଟରେ ବିଜୟ କରି

।। ପଦ ।।

ଅଧେ ଲୋକମାନେ ଝାଡ଼ ଲତାବନେ

ପଶନ୍ତି ଗହନ ଗିରି ।

ସେ ପୁଣି ବ୍ରହ୍ମଜ୍ଞାନ କାହୁଁ ପାଇବେ

ବନ ଜନ୍ତୁ ସଙ୍ଗେ ସରି ।।୧।।

ଯେଉଁ ଲୋକମାନେ ମନ ପବନକୁ

ସପ୍ତାଙ୍ଗ ଯୋଗରେ ଧରି ।

ସପ୍ତାଙ୍ଗ ଯୋଗରୁ ଅଷ୍ଟାଙ୍ଗକୁ ଗଲେ

ନ ଆସେ ଜୀବନ ଫେରି ।।୨।।

ଚେତା ଶବ୍ଦ ରୂପେ ଶରୀର

ସମୀପେ ଜୀବ ରୂପେ ଛନ୍ତି ପୂରି ।

କହନ୍ତା ବହନ୍ତା ଗଲା ଏକ

ହୋଇ ସର୍ବ ଘଟରେ ସଞ୍ଚରି ।।୩।।

ତତ୍ତ୍ୱକୁ ନ ପାଇ ସତ୍ୟରେ ନ ଥାଇ

ନ ଯାଇ ପାରନ୍ତି ତରି ।

ମାୟାମୋହେ ପଡ଼ି ପ୍ରକୃତିରେ ଜଡ଼ି

ଆତ୍ମା ହେଉଥାଇ ଘାରି ।।୪।।

ପଢାକ ପଣ୍ଡିତ ହୋଇ ଜ୍ଞାନବନ୍ତ

ବ୍ରହ୍ମକୁ ଚିହ୍ନି ନ ପାରି ।

ସେହି ଲୋକମାନେ ଚିତ୍ତ ଭ୍ରମ

ହୋନ୍ତି ବିଅର୍ଥରେ ଯାନ୍ତି ମରି ।।୫।।

ଭଣେ ଭୀମ ହୀନ ପାମର

ଅଜ୍ଞାନ ଅରୂପକୁ ଅନୁସରି ।

ସଂସାର ସାଗରୁ ତ୍ରାହି କର ବୋଲି

ଗୁରୁପାଦ ପଦ୍ମ ଧରି ।।୬।।

 

(୨୨୩)

ଅନନ୍ତ ଧରମ ଅଣଆଚାର, ଦୀକ୍ଷା ପରକାଶ ଅଣବିକାର

।। ପଦ ।।

ଅନନ୍ତ ଗର୍ଭରେ ଶବଦ ନାଦରେ ଅଟଇ ଓଁକାର ଘର ।

ସ୍ଥିତି ଉତପତି ପ୍ରଳୟ ସମ୍ଭୂତ

ହେଉଅଛି ତିନିପୁର ।।୧।।

ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ଧରି ଅଛନ୍ତି ଆକାର ।

ଅରୂପରୁ ଆସି ରୂପ ମଧ୍ୟେ ପଶି

ବହୁଛନ୍ତି ଚାରି ଦ୍ୱାର ।।୨।।

କୋଟିଏ ହୋଇ ଅଶେଷ କୋଟି ଜାତ ହେଉଛନ୍ତି ଶକତିର ।

ପିଣ୍ଡ ବ୍ରହ୍ମାଣ୍ଡରେ ମହାନଦୀ ପ୍ରାୟେ

ହେଉଛନ୍ତି ଏକାକାର ।।୩।।

କୋଟି କୋଟି ମହୀ ଉତପନ୍ନ ହୋଇ ଚାରି ଯୁଗରେ ସଂହାର ।

ଏହି ରୂପେ କେତେ କଳ୍ପ ହୋଇଲାଣି

ଦେବ ନରେ ଅଗୋଚର ।।୪।।

ଯେ ଆଦି ଅନାଦି ଏକରୂପ ସିଦ୍ଧିଯେସନେ ଦୁଗ୍‌ଧ ମଧୁର ।

ସକାମ ନିଷ୍କାମ ବେନି ପରକାର

ଜ୍ଞାନୀଜନେ ହେତୁ କର ।।୫।।

ଭଣେ ଭୀମ ହୀନ ମାତୃଗର୍ଭ ଜ୍ଞାନ ସ୍ୱଦେହରେ କର ସାର ।

ସୁଧା ମକରନ୍ଦ ଏକପାଦ ବିନ୍ଦ

ବହୁଅଛି ଲାଗି ଧାର ।।୬।।

 

(୨୨୪)

କୃପାସାଗର ହେଲେ ବାହାର, ଡୁବିଗଲା ଯହୁଁ ସତ୍ୟସାର

।। ପଦ ।।

ଭକତଙ୍କ ହିତେ      ବିଜେ କଲେ ମର୍ତ୍ତ୍ୟେ

ଦୀକ୍ଷା ଅବଧୂତ ନିର୍ବେଦୁ ସମ୍ଭୂତ ।

ଦେଖିଣ ଅନୀତି ଅଣ ଆଚାର

ନ ବିଶ୍ରାମି ଦଣ୍ଡେ ବୁଲନ୍ତି ବ୍ରହ୍ମାଣ୍ଡେ

କ୍ଷୀର ନୀର କରି ଆହାର ।।୧।।

ଯହୁଁ ପାଦ ପାଣି      ପଡ଼ିଲା ମେଦିନୀ

କମ୍ପେ ପୁର ତିନି ଚେତିଲେ ସୁଜ୍ଞାନୀ ।

ବିଘ୍ନ କରୁଛନ୍ତି ସୁରନର

ସତ୍ୟରେ ଭଜିଲେ ଚିତ୍ତରେ ମଜ୍ଜିଲେ

ଭେଟ ଯେଉଁଦିନ ଏକଠାର ।।୨।।

ପୃଥିବୀ ଧରନ୍ତା      ବ୍ରହ୍ମାଣ୍ଡ କରତା

ଗତି ପତି ଦାତା ସାଧନେ ଶକତା ।

କାରଣ ଲଭିଲା ଚରାଚର

ସ୍ଥାବର ଜଙ୍ଗମ କୀଟରୁ ପତଙ୍ଗ

ଲାଗିଅଛି ତେଜ ତାହାଙ୍କର ।।୩।।

ଚାହିଁ କଳିକାଳ      ଭକ୍ତଙ୍କ ବିକଳ

ବୃକ୍ଷର ବକଳ ପିନ୍ଧି ଆଦିମୂଳ ।

ରବିତଳେ ଆସି ଅବତାର

ବ୍ରହ୍ମାଣ୍ତ ଠାକୁର ଶିରେ ଜଟାଭାର

ଯୋଗୀ ବେଶେ ଭ୍ରମି ନିରନ୍ତର ।।୪।।

ଷଟ କର୍ମ ତେଜି      ଦେବତା ନ ପୂଜି

ଆତ୍ମଜ୍ଞାନେ ମଜ୍ଜି ସର୍ବ ଘରେ ଭୁଞ୍ଜି ।

ନିର୍ବେଦ କର୍ମରେ ପରିଚାର

ଦେଇ ବ୍ରହ୍ମଜ୍ଞାନ କରନ୍ତି ଭ୍ରମଣ

କାହାକୁ ନ ଥାଇ ପରାପର ।।୫।।

ମୋ ଜୀବନ କର୍ତ୍ତା      ପାଇ ଆନନ୍ଦିତା

ଜୀବପରେ ହିତା ନାମେ ଉନୁମତା

ତରିବି ବୋଲି ଭରସା ମୋର

ଶ୍ରୀପୟର ରେଣୁ ବୋଳିହୋଇ ତନୁ

ଭଣେ ଭୀମ ହୀନ ପାମର ।।୬।।

 

(୨୨୫)

ଭଜ କଷ୍ଟରେ ମନ ନିଷ୍ଠାରେ ନ ପଡ଼ିବ କୁମ୍ଭି ପାକରେ

।। ପଦ ।।

ମାତୃ ଗର୍ଭ ଦୋଷ      ପୂର୍ବର କଳୁଷ

ସେବାରେ ବିନାଶ ନ ରହିବ ଶେଷ ।

ପୋଡ଼ିଯିବ ବ୍ରହ୍ମ ଅନଳରେ      ବ୍ରହ୍ମକୁ ଭଜନ କର ସୁଜ୍ଞଜନ

ତରିଯିବ ପୁଣ୍ୟ ଧର୍ମରେ ।।୧।।

ଭଜି ଯେବେ ପାରୁ      ଏ ଭବ ସଂସାରୁ

ତାରିନେବେ ଗୁରୁ ବ୍ରହ୍ମ ମହାମେରୁ ।

ବିଜେ କରିଛନ୍ତି ସାକ୍ଷାତରେ ସେହି

ଶୂନ୍ୟବାସୀ ରବିତଳେ ଆସି

ଅବତାର ନର ଅଙ୍ଗରେ ।।୨।।

ଯମର ଭୁବନ      ନ ଯିବୁ ଦର୍ଶନ

ହୋଇଲେ ପ୍ରସନ୍ନ ଫେଡ଼ିବେ କଷଣ ।

ସେବିଥିଲେ ଗୁରୁ ପୟରେ ।

ଏ ପିଣ୍ଡ ପରାଣ      କରି ସମର୍ପଣ

ବିକିଥିଲେ ପ୍ରଭୁ ଶ୍ରୀ ଛାମୁରେ ।।୩।।

ଦାରା ସୁତ ବିତ୍ତ      ଛାଡ଼ି ଏ ସମସ୍ତ

ଗୁରୁପାଦେ ତତ୍ତ୍ୱ କର ଦୃଢ ବ୍ରତ ।

ଚିତ୍ତ ଦେଇ ଦିବା ନିଶିରେ,

ଏ ମାୟା ସଂସାରୁ ତାରିନେବେ ଗୁରୁ

ଲୟ କରିଥିଲେ ନିଷ୍କାମରେ ।।୪।।

କୁସଙ୍ଗେ ବିଶ୍ୱାସ      ପରଦ୍ରବ୍ୟେ ଆଶ

ଧର୍ମ ଯିବ ନାଶ ନ ହୋଇବ ବାସ ।

ଯେତେଦିନ ଥିବ ଏ ସଂସାରେ,

ସତ୍ୟ ପରିଚାର ସତ୍ୟରେ ବିହାର

ମିଥ୍ୟା ନ ଭାଷିବ ମୁଖରେ ।।୫।।

ମହାଶୂନ୍ୟ ଶୂନ୍ୟ ଅଲେଖ ଅବର୍ଣ୍ଣ

ନାହିଁ ବର୍ଣ୍ଣ ଚିହ୍ନ ଭେଦ ନୋହେ ମନ ।

ଦୃଢ ବନ୍ଧେ ଧର ନିରନ୍ତରେ, କହେ ଭୀମଭୋଇ ରହିଅଛି ବ୍ରହ୍ମ

କୋଟିଏ ଯୋଜନ ବାହାରରେ ।।୬।।

 

(୨୨୬)

ଶୂନ୍ୟ ବିହାରୀ ସଙ୍କଟୁ ପାରି କର ମୋତେ ଭକ୍ତ ଦୟା କରି

।। ପଦ ।।

ଏ ଅନୁଭବରେ ଜଳାଧିନାବରେ

ସ୍ଥାପିଲ ଧରଣୀ ନ ରହିଲା ପୁଣି

ଅଙ୍ଗୁ ଚାରି ରୋମ କରି ଗିରି

ନ ହୋଇଲା ସ୍ଥିର ଆହେ ଅଣାକାର ।

ଆଜ୍ଞାରେ ବ୍ରହ୍ମ ସର୍ଜନା କରି ।।୧।।

ସକାରୁ ମକାର ହୋଇ ନିରାକାର

ଜନ୍ମିଲା ସଂସାର ଯେତେ ଚରାଚର

କାମ କ୍ରୋଧ ଲୋଭ ମୋହ ଭରି

ସର୍ବଘଟେ ଗୁରୁ      ବିଜେ ମହାମେରୁ

ଅଲେଖ ଅବର୍ଣ୍ଣ ରୂପ ଧରି ।।୨।।

ଚାରିଖାନି ଜୀବ ବେଦ ଶାସ୍ତ୍ର ମାର୍ଗ

ଅଷ୍ଟପାଳ ଦିଗ ବ୍ରହ୍ମା ବିଷ୍ଣୁ ଶିବ

ଦିବସ ରଜନୀ ଭାଗ କରି

ନବଖଣ୍ଡ କ୍ଷିତି ଆକାଶ ଧରିତ୍ରୀ

ଚଉଦ ବ୍ରହ୍ମାଣ୍ଡ ବସୁନ୍ଧରୀ ।।୩।।

ଦେବାଦେବୀମାନ ତେତିଶ କୋଟିଗଣ

ଏ ନକ୍ଷତ୍ରଗଣ ଶଶିକା ଅରୁଣ

ସ୍ଥାପିଦେଇ ତୀର୍ଥଧାମ ଚାରି

ଉର୍ମ ଧୂର୍ମ ଜ୍ୱାଳା ଜ୍ୟୋତି ଚାରିକଳା

ଧାତା ପଣେ ବ୍ରହ୍ମ ଅଧିକାରୀ ।।୪।।

ସତ୍ୟବ୍ରତ ଦେଲେ କର୍ମ ଭିଆଇଲେ

ଜୀବ ଭେଦ କରି ନାନା ଜାତି କଲେ

ତିନି ବ୍ରହ୍ମାଣ୍ଡେ ରହିଲା ପୂରି

ମାୟାରେ ସଂଯୋଗ କରିଦେଲେ ଭୋଗ

ଛପନକୋଟି ଜୀବକୁ ଧରି ।।୫।।

ଅଣରୂପ ବ୍ରହ୍ମ ସବୁରି ଘଟେଣ

ଭେଦରୂପେ ଜାଣ ବିଜେ ନାରାୟଣ

ସକଳ ଭୂତରେ ମୟେ ହରି

ଭଣେ ଭୀମକନ୍ଧ କବିକୁଳ ଚାନ୍ଦ

ଗୁରୁଦେବ ପାଦପଦ୍ମ ଧରି ।।୬।।

 

(୨୨୭)

ରାମ ଦେବହରି ହୋଇ ଦେହଧାରୀ ଅବନୀଣ୍ଡଳେ ଅବତରି

।। ପଦ ।।

ତ୍ରେତୟା ଯୁଗରେ ଅଯୋଧ୍ୟା ଦେଶରେ

ଦଶରଥ ଘରେ ରାମ ଅବତାରେ

ଜାତ ହେଲେ ନର ଦେହ ଧରି, ଶ୍ରୀରାମ ଲକ୍ଷ୍ମଣ ଭ୍ରଥ ଶତ୍ରୁଘନ

ଜନମ ହୋଇଲେ ପୁତ୍ର ଚାରି ।।୧।।

ଶ୍ରୀରାମ ଲକ୍ଷ୍ମଣ ମିଥିଳା ଭୁବନ

କଲେକ ଗମନ ଭାଙ୍ଗି ଶରାସନ

କନ୍ୟା ସମର୍ପିଲେ ଦଣ୍ଡଧାରୀ, ସ୍ୱୟମ୍ବର ଜିଣି ଜନକ ନନ୍ଦିନୀ

ବିଭା ହେଲେ ରାମହସ୍ତ ଧରି ।।୨।।

ସୀତା ସଙ୍ଗେ ଘେନି ରଘୁକୁଳମଣି

ଚଳାଇ ସଇନି ପର୍ଶୁରାମ

ଆଗେ ଓଗାଳି ନିର୍ବନ୍ଧ କରି, ଛେଦି ପାପଭାର ଧନୁର୍ବାଣେ ତା’ର

ପର୍ଶୁରାମ ବୀର ଗଲା ହାରି ।।୩।।

ସେଠାରୁ ପ୍ରବେଶ ହେଲେ ନିଜ ଦେଶ

ଶ୍ରୀରାମ ପୁରୁଷ ଘେନି ଦାସୀ ଦାସ

ପିତାମାତାଙ୍କୁ ଦର୍ଶନ କରି, ଦଶରଥ ଆଗେ ଦଇବ ସଂଯୋଗେ

ସତ୍ୟ କରାଇ କୈକେୟୀ ନାରୀ ।।୪।।

ରାମ ଯାଉ ବନ ଭରଥ ରାଜନ

ଚଉଦ ବରଷ କରି ବନବାସ

ସୀତାଙ୍କୁ ରାବଣ ନେଲା ହରି, ରାବଣକୁ ମାରି ଜାନକୀ ଉଦ୍ଧରି

ସୀତାଙ୍କୁ ଅଗ୍ନି ପରୀକ୍ଷା କରି ।।୫।।

କରି ଋଣ ଜୟେ ଲଙ୍କାରୁ ବିଜୟେ

ରକ୍ଷ କପି ମୟେ ରଘୁକୁଳ ରାୟେ

ପ୍ରବେଶ ହେଲେ ଅଯୋଧ୍ୟାପୁରୀ, ଭଣେ ଭୀମଭୋଇ ଗୁରୁପାଦଧ୍ୟାୟି

ଛଡ଼ ପଦେ ଗ୍ରନ୍ଥ ଗଲା ସରି ।।୬।।

 

(୨୨୮)

ବିଜୟେ ଶ୍ରୀଗୁରୁ ଅବନା ମନ୍ଦିରୁ ଶୂନ୍ୟେ ଯା ବାନା ପ୍ରକାଶ

ଜ୍ଞାନ ନେତ୍ରେ ଦେଖି ଉଠିଲି ଚମକି ରୂପ ବିଜୁଳିର ତ୍ରାସ ସେ

ପୁଣ୍ୟ କାର୍ତ୍ତିକ ମାସ, ଶୁକ୍ଳପକ୍ଷ ଦଶମୀ ଦିବସ

ତହିଁ ଭେଟ ହେଲେ ଗୁରୁ, ଶିଷ୍ୟ, ଦଣ୍ଡ ପ୍ରଳମ୍ବିତ ଗୁରୁପାଶ

କୃପା ଭକ୍ତ ବାନ୍ଧବ ବିଶ୍ୱାସ ଯେ ।।୧।।

ଏ ମାନବ ନର ନିନ୍ଦିଲେ ଅପାର ଦୀକ୍ଷା କିମ୍ପା କଲ ଉଦେ

ଏ ଜଗତଜନ ସର୍ବେ ହତଜ୍ଞାନ ମାତି ମାୟାମୋହେ ମଦେ ଯେ

କିସ କରିବି ବୁଦ୍ଧି, ପୃଥ୍ୱୀ କି ରୂପେ ହୋଇବ ସାଧି

କଳି ସତ୍ୟ ସଙ୍ଗେ ହେଲା ବାଦୀ, ନିନ୍ଦା ଅଙ୍ଗକୁ ଯାଉଛି ଭେଦି

କେତେ ଦିବସରେ ସର୍ବସିଦ୍ଧି ଯେ ।।୨।।

ଶୁଣି ଏ ବିଚାର ଦିଅନ୍ତି ଉତ୍ତର ଆଦି ବ୍ରହ୍ମ ଅବଧୂତ

କଳିଯୁଗ ନରେ କାଳକ ଅନ୍ତରେ ହେବେ ପିଚାଶୁଣୀ ଭୂତରେ

କାହୁଁ ଜାଣିବେ ଭାବ, ଅଛି ବହୁତ ଅବସ୍ଥା ଯୋଗରେ

ତାଙ୍କୁ କୁମ୍ଭୀ ନର୍କେ ଅଛି ଠାବ, ନାହିଁ ମୁକତି ପସରା ଲାଭ

ପାର ନାହିଁ ବିନା ସାଧୁ ସଙ୍ଗ ଯେ ।।୩।।

ଠାବେ ଠାବେ ଦ୍ୱନ୍ଦ୍ୱ ହିଂସା ବାଦ ଛନ୍ଦ କଲେ ନର ଦେବ ବୃନ୍ଦ

ନିର୍ବେଦ ବିକାଶି ଦେଲ ବ୍ରହ୍ମରାଶି ଯା ମୁଖୁ ଶୁଣିଲେ ମନ୍ଦ ହେ

ତୁମ୍ଭ ଭଗତଗଣ, ନ ପାଇଲେ ସ୍ଥିତି ବସ୍ତିମାନ

ହେଉଛନ୍ତି ବଡ଼ ହୀନିମାନ, ଦୀକ୍ଷା ଦେଲ ନିର୍ବେଦ ସାଧନ

କର୍ତ୍ତା ହେଲେ ବୁଝିବ ଆପଣ ଯେ ।।୪।।

ଚାରିପାଦେ ଧର୍ମ ବ୍ରହ୍ମ ଭକ୍ତି କର୍ମ ସ୍ଥାପିବ ଯେଉଁ ଦିବସେ

ବ୍ରହ୍ମା ବିଷ୍ଣୁ ଶିବ ନିଜ ରୂପ ଧରି ଛାମୁକୁ ଆସିବେ ଯେବେ ରେ

ଲେଉଟାଇବି ଯୁଗ, ଅଷ୍ଟଖଣ୍ଡ ଭାରତ ହୋଇବ

ତେବେ ଭଗତଙ୍କୁ ଦେବି ଠାବ, ସମୟକେ ଯେହୁ ବ୍ରତୀ ଥିବ

ଜଣେ ଜଣେ ଦେବି ରାଜଭୋଗ ଯେ ।।୫।।

ଶିରେ କରଯୋଡ଼ି ପାଦତଳେ ପଡ଼ି କହେ ବିନୟ ବଚନ

ନ କରିବ କୋପ ଅନାଦି ଅଲେଖ ମୋ ବିନତି ବାରେ ଘେନ

କିମ୍ପା ଭ୍ରମୁଛ ମହୀ, ଦିବା ନିଶି ଦଣ୍ଡେ ସୁସ୍ଥ ନାହିଁ ।

ବେଶ ଦେଖି ରୋଦନ ମାଡ଼ଇ, ଅନ୍ନ ନାହିଁ କ୍ଷୀର ନୀର ଖାଇ

କି କାର୍ଯ୍ୟରେ ଏତେ କଷ୍ଟପାଇ ଯେ ।।୬।।

ଅବନାର ଭାରା ନ ସହିଲୁ ପରା ଉଦୟେ ହୋଇଲୁ ଆସି

ଏ ତିନି ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ ଏକାଙ୍ଗେ ସାଧିବି ବସିରେ

ରୁହାଇବି ମହିମା, ଭାଙ୍ଗିଦେବୀ ଦୁଷ୍ଟଙ୍କ ଗାରିମା

କେଉଁ ବାପ ରଖିବ ଦେଖିବା, ସାକ୍ଷୀ ଥାନ୍ତୁ ଚନ୍ଦ୍ର ସୂର୍ଯ୍ୟ ବ୍ରହ୍ମା

ଜଳ ପୃଥ୍ୱୀ ବେଦାନ୍ତ ସୁଧର୍ମା ଯେ ।।୭।।

ଦୁଃଖ ସୁଖ କଥା ଗୁପତ ବାରତା ଶ୍ରୀଗୁରୁ ଶିଷ୍ୟ ସମ୍ପାଦ

ଶିଷ୍ୟ ପଚାରିଲେ ଶ୍ରୀଗୁରୁ କହିଲେ ଏଠାକୁ ଅଷ୍ଟମ ପଦ ହେ ।

ଭଣେ ସେ ଭୀମଭୋଇ, ଚିହ୍ନ ଅନାଦି ପୁରୁଷ ସେହି

ଯାର ଆଜ୍ଞାରେ କମ୍ପୁଛି ମହୀ, ବ୍ରହ୍ମତେଜ ପାଶେ ନୋହେ ରହି

ଶୁଣ ସାଧୁଜନେ ମନଦେଇ ଯେ ।।୮।।

 

(୨୨୯)

ଭାବ ଗଦଗଦେ ପଡ଼ି ଗୁରୁପାଦେ ପୁଣ ପୁଣ ପଚାରଇ

ଏ ଜଗତ ଲୋକେ ବୋଲୁଛନ୍ତି ଥୋକେ ପରୀକ୍ଷା ଦେଖିବା ପାଇଁ

ସର୍ବ ଘରେ ଭୁଞ୍ଜିଲେ, ଜାତି ଗୋତ୍ର କୁଳ ଧର୍ମ ନେଲେ

ପାପ ପୁଣ୍ୟ ଦୁଇ ସମକଲେ; ବେଦ ଶାହାସ୍ତ୍ରକୁ ନିନ୍ଦା କଲେ

ଏହା ଭାଷୁଅଛନ୍ତି ସକଳେ ଯେ ।।୧।।

ନିନ୍ଦା କଲେ ନର କିସ ଯିବ ମୋର ମୁଁ ଅଟେ ଅରୂପ ହରି

କୋଟିଏ ପୁରୁଖା ଦେବେ ନାହିଁଦେଖା ନାମକୁ ଚିହ୍ନି ନ ପାରିରେ ।

କିସ ପରୀକ୍ଷା ଦେବି, ଅଧିକରେ ବ୍ରହ୍ମାଣ୍ଡ ଜାଳିବି ।

ବେଶ ଧରିଛି ବୈଷ୍ଣବ ଯୋଗୀ ପୃଥ୍ୱୀ ଧୂଳି ପାଉଁଶ କରିବି

କି କାରଣେ ଦୈତ୍ୟଙ୍କୁ ପାଳିବି ଯେ ।।୨।।

ଏହା ଶୁଣି ମୁଁ ତ ମନରେ ଚକିତ ଶ୍ରୀଚରଣ ତଳେ ପଡ଼ି

ଶ୍ରୀମୁଖ ବଚନ କେ କରିବ ଆନ ବ୍ରହ୍ମବାକ୍ୟେ ପୁଞ୍ଜି ବୁଡ଼ି ହେ

ଗଲେ ସମସ୍ତେ ନାଶ, କାହୁଁ ଆସିବ ମାନବ ବଂଶ

ଗୃହ ଧର୍ମ ନୋହିବ ପ୍ରକାଶ ଭକ୍ତେ ହେଲେ ଦିଗାମ୍ବରୀ ବେଶ

ନିଷ୍ଠା ଭଗତିକି କରି ଆଶ ଯେ ।।୩।।

ଯେ ମୋର ଭକତ ବାନ୍ଧବ ବିଶ୍ୱାସ ସୁକୃପା କରି ରଖିବି

ଅଧେ ଯୋଗୀ ବେଶେ ଅଧେ ଗୃହବାସେ ଧନ ପୁତ୍ରନାତି ଦେବିରେ

ସେହୁ କହିବେ ସତ୍ୟ; ତାଙ୍କଠାରୁ ଜଗତ ବିହିତ

ଗୋପଲକ୍ଷ୍ମୀ ହେବ ପରାପତ ଗୃହଧର୍ମ ପାଇବେ ବିହିତ

ନାମ ଭଜନକୁ ସାମରଥ ଯେ ।।୪।।

ତ୍ରିପୁର ଜଗତ ନ ପାଇଲେ ଅନ୍ତ କେବଣ ପୁରୁଷ ତୁହି

ମଞ୍ଚେ ଜାତ ହେଲି କବିକୃତ କଲି ଚିହ୍ନି ନ ପାରିଲି ମୁହିଁ ହେ ।

ତୁମ୍ଭ ବିଭୂତି କୁହ, ଶୁଣି ସନ୍ତୋଷ ହେଉ ମୋ ଦେହ ।

ଘୁଞ୍ଚିଯାଉ କାଳ ମାୟା ମୋହ ଜ୍ଞାନ ଦେଲି ପିଣ୍ଡପ୍ରାଣ ନିଅ,

କୃପା ଅଭୟ ପଞ୍ଜରେ ଥୁଅ ଯେ ।।୫।।

ଶୁଣ ସାବଧାନେ କହୁଁ ତୋ ବଚନେ ନିଜ ବିଭୂତି ବୃତ୍ତାନ୍ତ,

ଶୂନ୍ୟେ ଆତଯାତ ଶୂନ୍ୟରେ ସମ୍ଭୂତ ଆଦି ବ୍ରହ୍ମ ଅବଧୂତ ଯେ ।

ବାସ ଶୂନ୍ୟ ମନ୍ଦିରେ, ସ୍ଥିତି ଅବନା ପୁର ମନ୍ଦିରେ

ଅଛି ତିନି ବ୍ରହ୍ମାଣ୍ଡ ବାହାରେ ଠିକ ବତିଶ ସସ୍ର ଯୁଗରେ

ଭଜ ଅଜପା ଅଣଅକ୍ଷରେ ଯେ ।।୬।।

କୋଟି କୋଟି ଚନ୍ଦ୍ର ସୂର୍ଯ୍ୟକୋଟି ପୃଥ୍ୱୀ ମନୁ ଆପତେଜ ବାଇ,

ବ୍ରହ୍ମା ବିଷ୍ଣୁ ଶିବ କୋଟି କଳ୍ପଯୁଗ ପାଦତଳେ ଗଲେ ବୋହିରେ ।

ମୋତେ ଚିହ୍ନି ନ ପାରି, ଆଦି ତପସି ବେଦ ଆଚାରୀରେ ।

ଗଲେ ନାଗାନ୍ତୀ ଯୋଗାନ୍ତୀ ମରି, ଭବ ଜଳାବ୍‌ଧି ନ ହେଲେ ପାରି

ନିର୍ବେଦରେ ଭଜନା ନ କରି ହେ ।।୭।।

ହାନି ଲାଭ କଥା ଗୁପତ ବାରତା ଶ୍ରୀଗୁରୁ ଶିଷ୍ୟ ସମ୍ପାଦ,

ପ୍ରଭୁଙ୍କ ଆଜ୍ଞାରେ ସମ୍ପୂର୍ଣ୍ଣ ହୋଇଲଶ ସୁଜ୍ଞ ସାଧୁଜନେ ଭେଦ ହେ

ଭଣେ ଭୀମ ଅରକ୍ଷିତ, ନାମ ଭଜନକୁ ସାମରଥ

ଗୁରୁପାଦେ କରି ପ୍ରଳମ୍ବିତ, ଗତିମୁକ୍ତି କର ପରାପତ

ଅନ୍ତର୍ଦ୍ଧାନ ହେଲେ ଅବଧୂତ ଯେ ।।୮।।

 

(୨୩୦)

ଏଥୁଅନନ୍ତରେ ବ୍ରହ୍ମାଣ୍ଡ ଭିତରେ ଶୁଣ ସୁଜ୍ଞ ସାଧୁଜନେ ।

ଅବଧୂତ ବେଶ ମର୍ତ୍ତ୍ୟରେ ପ୍ରକାଶ ବୁଦ୍ଧରୂପ ନାରାୟଣ ହେ ।

ବିଜେ କଳିଯୁଗରେ, ବେଦ ନ ଲାଗଇ ନିର୍ବେଦରେ

କାମ ନାହିଁ ମନ ନିଷ୍କାମରେ; ନାମ ନାହିଁ ତହିଁ ଅନାମରେ

ମାତ୍ରା ନ ବସେ ଅଣଅକ୍ଷରେ ଯେ ।।୧।।

ନର ଦେହ ଘେନି ବିଜୟେ ଧରଣୀ କହୁଅଛନ୍ତି ବଚନ,

ଅପୂର୍ବ ବିଧାନ ତିନିପୁରେ ଧନ୍ୟ କରୁଅଛନ୍ତି ରଞ୍ଜନ ହେ

ବ୍ରହ୍ମ ଧର୍ମ ସ୍ଥାପିଲେ, ସତ୍ୟ କର୍ମ ସଂସାରକୁ ଦେଲେ

ବ୍ରହ୍ମଜ୍ଞାନ ବତାଇ କହିଲେ; ବୀର ବଧୂ ବାନା ଉଡ଼ାଇଲେ

ଅନାହତ ଧୂନିକି ସ୍ଥାପିଲେ ଯେ ।।୨।।

ମହୀମଣ୍ଡଳରେ ପାପ କବଳରେ ସର୍ବେ ଯାଇଥିଲେ ବୁଡ଼ି,

ଘରେ ଘରେ ଦେଖ ତିନି ତ୍ରଇଲୋକ୍ୟ ମହିମା ଶବଦ ରଡ଼ି ହେ ।

ଯାଚି ଦେଲେକ ଜ୍ଞାନ, ଆପେ କରି ବ୍ରହ୍ମ ନିରୂପଣ ।

ଦୀକ୍ଷା ମହିମା ନାମ ଭିଆଣ; ସାର ଗୁପତ କରି ବଖାଣି

ଦୃଢ ବନ୍ଧେ ଧର ସର୍ବଜନ ଯେ ।।୩।।

ଗୃହମାନଙ୍କରୁ ଘିଞ୍ଚି ଘିଞ୍ଚି ଆଣି ଅବଧୂତ ଦୀକ୍ଷା ଦେଲେ,

ଏ ତିନି ବ୍ରହ୍ମାଣ୍ଡ ରଖିବା ନିମନ୍ତେ ଆଗୋଜାକୁ ଗୋଜା କଲେ ଯେ

ଏବେ ପ୍ରତ୍ୟକ୍ଷ ଦେଖ, ସାକ୍ଷାତରେ ମନୁଷ୍ୟ ସ୍ୱରୂପ

ଜୀବ ଛପନାକୋଟିର ବାପ; ଯାକୁ ଲୋଡ଼ୁଛନ୍ତି କଳ୍ପ କଳ୍ପ

ଆଉ କିସ କହିବି ଅଧିକ ଯେ ।।୪।।

ଏତେ କାଳ ଆସି ଅତିଥି ବେଶକୁ ଧରିଛନ୍ତି ଭାବଗ୍ରାହୀ

ଆଦ୍ୟନ୍ତରେ ଧର୍ମ ଉଦେ ହୋଇଥିଲେ ଯେ ଦିନେ ନ ଥିଲେ କେହି ହେ

ଶୂନ୍ୟଗତି ବିହାରୀ, ସରଜନା କଲେ ତିନିପୁରୀ ।

ଚନ୍ଦ୍ର ସୂର୍ଯ୍ୟ ଉଦେ ଅସ୍ତ ଗିରି ହେ ଛପ୍ନା କୋଟି ଜୀବ ଜାତ କରି,

ଅଣରୂପରୁ ଅଇଲେ କ୍ଷରି ଯେ ।।୫।।

ଆଉ ଯୁଗମାନଙ୍କରେ ଏହିପରି ଅବତାର ହୋଇଗଲେ

ବ୍ରହ୍ମାଣ୍ଡ କରତା ସନ୍ନ୍ୟାସୀ ସ୍ୱରୂପ ସଂସାରେ ହୋଇ ନ ଥିଲେ ହେ ।

ପ୍ରଭୁ ପଣରେ ଥାନ୍ତି, ରାଜନୀତି ବିଧାନେ ଚଳନ୍ତି

କ୍ଷତ୍ରିକୂଳ ବୃତ୍ତି ଆଚରନ୍ତି; ସନ୍ଥ ପାଳି ଦୁଷ୍ଟକୁ ମାରନ୍ତି

ଦୈତ୍ୟ ନାଶନ ବାନା ବହନ୍ତି ଯେ ।।୬।।

ଅନନ୍ତ ମୂରତି ହୋଇଛନ୍ତି ପ୍ରଭୁ ବାହ୍ୟ ବୃଦ୍ଧ ଅନ୍ତେ ଯୁବା ।

କଳି ସତ୍ୟ ନୋହେ ଅମର ଯୁଗ ଏ ନ ଜାଣନ୍ତି ସୁରଦେବା ହେ

ସମସ୍ତଙ୍କୁ ଅଦୃଶ୍ୟ, କ୍ଷମା ସାଗର ଶୂନ୍ୟ ପୁରୁଷ,

ଯା’ର ନାମ ମହିମା ଅଶେଷ; ନିନ୍ଦା କରି ଲଭୁଛନ୍ତି ଦୋଷ

କାହୁଁ ଜାଣିବେ ନର ମନୁଷ୍ୟ ହେ ।।୭।।

ଧନ୍ୟ ଧନ୍ୟ ଏହି କଳିଯୁଗ ଲୋକ କାହିଁ କରିଥିଲେ ତପ

ପାପ ପଙ୍କେ ପଡ଼ି ଭବାର୍ଣ୍ଣବେ ବୁଡ଼ି ଦେଖିଲେ ନିଜ ସ୍ୱରୂପ ହେ

ଭୀମ ଭୋଇ ଭଣିଲା, ପୂର୍ବ ସୁକୃତ ବାସନା ଥିଲା

ତୀର୍ଥ ବ୍ରତ ନାହିଁ କରିଗଲା; ମନୁ ସର୍ବ ସଂଶୟ ତୁଟିଲା

ବ୍ରହ୍ମ ଚିହ୍ନି ସଧିରେ ରହିଲା ଯେ ।।୮।।

 

(୨୩୧)

ଅବନା ମନ୍ଦିରେ ଶୂନ୍ୟ ସ୍ୱରୁପରେ ଯେତେବେଳେ ଥିଲେ ରହି

ଏ ଜଳ ପବନ ଆକାଶ ଗଗନ ଏମାନେ ନ ଥିଲେ କେହି ହେ

ଭେଦ ଆକାର ନାହିଁ, ଜୀବ ପରମ ନ ଥିଲେ କେହି,

ପଞ୍ଚଭୂତ ଆତ୍ମାହିଁ ନ ଥାଇ; ଆଦି ଏ ପିଣ୍ଡ ବ୍ରହ୍ମାଣ୍ଡ ମହୀ

ସର୍ବେ ଏକାକାରେ ଥିଲେ ରହି ଯେ ।।୧।।

ଦ୍ୱିତୀ ଯୁଗଳରୁ ପ୍ରକାଶ ହୋଇଲେ ସେଠାରୁ ଲାଗିଲା ମାୟା

ପଚିଶ ପ୍ରକୃତି ପାଞ୍ଚମନ ଘେନି ନିର୍ଭାଗତ କଲା କାୟା ହେ ।

ପିଣ୍ଡ ରଚନା ହେଲା; କର୍ମ କାଣ୍ଡକୁ ଆଗେ ସ୍ଥାପିଲା

ରଜ ବୀର୍ଯ୍ୟ ତହୁଁ ଜନମିଲା; ନାନାରୋଗ ବ୍ୟାଧି ଆବୋରିଲା

କାଳବେଳ ଜାଣି ଭୋଗ୍ୟ କଲା ଯେ ।।୨।।

ଆଧରରେ ସର୍ବେ ବିକଶି ଉଠିଲେ ଆତ୍ମାଚଚଚଚଚଚରେ ରହିଲେ ଘୋଟି

ସ୍ଥିତି ଉତପତ୍ତି ପ୍ରଳୟ ପର୍ଯ୍ୟନ୍ତେ ଦେହରେ ସର୍ବାଙ୍ଗ ଫୁଟି ହେ ।

ନାନା ବିକାର ହେଲା; ପ୍ରେମ କଳ୍ପଣାରୁ କ୍ଷରି ଗଲା,

ପରାପର କରି ଦିଆଇଲା ଯେ ।।୩।।

ଚାରିଖନୀ ଜୀବ ଜନମ ହୋଇଲେ ଏହି ଜଳ ପବନରୁ ।

ନିଶବଦ ଘରୁ ଭେଦ ଉଦେ ହେଲା ଉଛୁଳି ବ୍ରହ୍ମ ଭଣ୍ଡାରୁ ହେ ।

ଚାରି ଦିଗେ ରହିଲେ, ଭାଗେ ଉଡ଼ାଖାନୀ ବୋଲାଇଲେ

ଚଳଖାନୀରେ ସଞ୍ଚରି ଗଲେ; ଅଚଳରୁ ତରୁ ତୃଣ ହେଲେ

ବୁଡ଼ାଖାନୀ ଜଳରେ ରହିଲେ ଯେ ।।୪।।

ଏହିରୂପେ ପୃଥ୍ୱୀ ସର୍ଜନା ହୁଅନ୍ତେ କେତେ କଳ୍ପ ଗଲା ବହି,

ବ୍ରହ୍ମା ବେଦପତି ରଚନା କଲେ ସେ ନିଦାବ୍ରହ୍ମ ଆଜ୍ଞା ପାଇ ହେ

ଅପ୍ରମୟେ ହୋଇଲା, ବିଧାତାକୁ ଅଗୋଚର ହେଲା,

ମୁକ୍ତିପଦ ଗୁପତେ ରହିଲା, କିଛି ବଚନ ନାହିଁ କହିଲା,

ମହାଶୂନ୍ୟ ପରେ ବିଶ୍ରାମିଲା ଯେ ।।୫।।

ସେହିଦିନଠାରୁ କୋଟି କୋଟି ବିଷ୍ଣୁ ଅବତାର ହେଉଛନ୍ତି ।

ଏ ତିନି ବ୍ରହ୍ମାଣ୍ଡେ ବୃକ୍ଷ ବୋଲାଇଛ ପତ୍ର ପ୍ରାୟେ ଝାଡ଼ୁଛନ୍ତି ହେ ।

ଆସ୍ତି ନାସ୍ତିକ ଧରି, ନାନା ଯୋନିରେ ଜନମ କରି

କାମ କ୍ରୋଧ ଲୋଭ ମୋହ ଭରି, ନିଜ ନାମକୁ ଦେଇ ପାଶୋରି

ମିଛ ପସରା ଧରି ଆବୋରି ଯେ ।।୬।।

ସତ ମିଛ ବେନି ଦୁଇ ପରକାରେ ଆଗ ହୋଇଲେ ସଂସାରେ,

ସ୍ଥାନ ମାନ ମାଡ଼ି ବାସ କରିଛନ୍ତି ନିରନ୍ତରେ ହୃଦୟରେ ହେ ।

ଉଚ୍ଚବାଚକୁ ଘେନି, ପୂରିଛନ୍ତି ଯେସନେକ ପାଣି,

ଗ୍ରାସ ତିନି ଭୁବନ ମେଦିନୀ; ଏହି ପିଣ୍ଡ ବ୍ରହ୍ମାଣ୍ଡରେ ପୁଣି

ତେଣୁ ସର୍ବେ ହୋଇଲେ ଅଜ୍ଞାନୀ ଯେ ।।୭।।

ଏବେ କଳିଯୁଗ ମଧ୍ୟେ କି କରିବା ହେଲାଣି ଅନ୍ୟାୟ ବାଟ

ନାନା ପରକାରେ ଅନ୍ୟାୟ ଆଚାରେ ସରିବ ସଂସାର ହାଟ ହେ ।

ଭଣଇ ଭୀମ କନ୍ଧ, ଧ୍ୟାୟି ଗୁରୁ ଏକ ପାଦ ବିନ୍ଦ,

ଧର୍ମ ଲୋଡ଼ାକର ବାଳବୃଦ୍ଧ; ନିଗମରେ କର ଭେଦାଭେଦ

ଉଦେ ଅଛି ପୂର୍ଣ୍ଣ ଶଶୀ ଚାନ୍ଦ ଯେ ।।୮।।

 

(୨୩୨)

ଭଜ ଅଲେଖ ବ୍ରହ୍ମକୁ ଛଡ଼ାଇ ବାହ୍ୟ କର୍ମକୁ ।

ଘୋଟିଯିବ ଭବବାରି ତ୍ରୟମ୍ବରୀ ଦେଖୁ ଦେଖୁ ।। ପଦ ।।

ଅନାହତ ପୁରେ ସ୍ଥିତି      ଜାଜ୍ଜୁଲ୍ୟମୟ ତା ଜ୍ୟୋତି

କୋଟି ଚନ୍ଦ୍ର ସୂର୍ଯ୍ୟକାନ୍ତି ଲକ୍ଷ୍ୟ ନୁହେ ଯା ତେଜକୁ ।।୧।।

ନିଶବ୍ଦ ଗରୁ ଶବଦ      ଆଣ୍ଟେ କରୁଅଛି ନାଦ

ଅଣଭେଦ ଚିତ୍ତେ ଭେଦ ଛେଦ ମୋହନ ମଦକୁ ।।୨।।

ଶୂନ୍ୟେ ବାଜୀଛି ବାଜଣା      ଏକକୁ ଆରେକ ଜିଣା

ବେନି କର୍ଣ୍ଣ ମୂଳେ ଠଣା ଭେଦୁଛି ଚଉଦିଗକୁ ।।୩।।

ଆବୋରି ବେନି ନୟନ      ନଳିନୀ ଦଳ ଯେସନ

କରୁଛି ସର୍ବ ବିଧାନ ଘେନି ଅକର୍ମ କର୍ମକୁ ।।୪।।

ଚଳୁଛି ନାସା ପୁଡ଼ାରେ      ହୋଇ ଭିତର ବାହାରେ

ସ୍ଥିତି ଉତ୍ପତ୍ତି ପ୍ରଳୟ ଦିବା ନିଶି ନାହିଁ ଯାକୁ ।।୫।।

ତ୍ରିକୁଟ ମଧ୍ୟରେ ଥାଇ      ରାଉଛି ବଚନ ସେହି

ଭଣେ ଭୀମ ହୀନ ଭୋଇ ଧ୍ୟାୟି ଗୁରୁ ପୟରକୁ ।।୬।।

 

(୨୩୩)

ନାମ ଶବଦକୁ ଚେତ      ଉଜାଗର ଧ୍ୟାନ ଚିନ୍ତ

ଜାଗି ଅନାହତ ଧୂନି ଶୁଣିଣ କାଳ ବଞ୍ଚୁତ ।। ପଦ ।।

କ୍ଷମାଶୀଳ ଦୟା ଶାନ୍ତି      ଚଉଖମ୍ବ କରି ପୋତି

ଶ୍ରୁତି ସ୍ତୁତି ଭରା ପାଟି ଧ୍ୟାନ ରୁହ ଚେତ ।।୧।।

ଋକ ଶ୍ୟାମ ଯଜୁ ଅଥ      କରାଇ ମନ୍ଦିର କାନ୍ଥ

ଛାଏଣି କରି ସ୍ୱରୂପ ସତ୍ୟେ ମନ୍ଦିର ପ୍ରତିଷ୍ଠ ।।୨।।

ଟେକୁଅଛି ଜ୍ୱାଳାଧୂମ      ରୋମଚର୍ମେ ଭେଦି ଭ୍ରମ

ବହୁଛି ଅବନା ବାଇ ଅନାହତରୁ ସମ୍ଭୂତ ।।୩।।

ଆବୋରି ନବ ଦ୍ୱାରକ      ଦେହେ ଭେଦୁଛି ଚମକ

ଚିହ୍ନ ଜ୍ଞାନୀ ଜନେ ରଙ୍କ ଶୂନ୍ୟଦ୍ୱାରେ ଉଦେ ଅସ୍ତ ।।୪।।

ପରିପୂର୍ଣ୍ଣମୟ ବ୍ରହ୍ମ      ସେ ପାଦେ କର ଭଜନ

ଲଭିବ ଗତି ମୁକତି ରଖିଲେ ଆପଣା ସତ ।।୫।।

ଭଣେ ହୀନ ଭୀମ ଭୋଇ      ଅରୂପାନନ୍ଦଙ୍କୁ ଧ୍ୟାୟି

ଜାଗି ଧୂନି ସମାର୍ଜଇ ସଦା ବ୍ରହ୍ମେ ଦେଇ ଚିତ୍ତ ।।୬।।

 

(୨୩୪)

ଦେଖ ଆଦି ବ୍ରହ୍ମ ମୂର୍ତ୍ତି ନିତି ପଡ଼ିଛି ଆହୁତି ।

ଚିହ୍ନି ସୁଜ୍ଞଜନ ସାଧୁ ନିରନ୍ତରେ ଭଜୁଛନ୍ତି ।। ପଦ ।।

କ୍ଷୀର ନୀର ମଧୁ ଘୃତ      ଗୁଡ଼ ସଞ୍ଚା ପଞ୍ଚାମୃତ

ଭୁଞ୍ଜାଉଛନ୍ତି ଜଗତେ ମଜ୍ଜାଉଛନ୍ତି ପୀରତି ।।୧।।

ଚଉଷଠି ସିଦ୍ଧ ଯୋଗୀ      ଧୂନିକି ଅଛନ୍ତି ଜାଗି

ପିଉଛନ୍ତି ସାଧୁ ମଧୁ ଛେଦି ମୋହ ପ୍ରକୃତିକି ।।୨।।

ବିଜେ ପ୍ରଭୁ ଜମ୍ବୁଦ୍ୱୀପେ      ବାହ୍ୟକୁ ଅତିଥିରୂପେ

ତାରିବେ ଭଗତଗଣ ସାଧି ନବଦ୍ୱୀପା ପୃଥ୍ୱୀ ।।୩।।

ଭରସା ଯେମନ୍ତେ ଅଛି      ଅପ୍ରତେ ନ କର କିଛି

ଧୂନି ମନ୍ଦିରକୁ ଧ୍ୟାନ ନାମେକ ମାନ୍ୟ ଭଗତି ।।୪।।

ଏ କଳି ଯୁଗର ନର      ଅନୁସରି ଦୃଢେ ଧର

ହୋଇବ ଯେମନ୍ତେ ପାର ଲଭିବ ଗତି ମୁକତି ।।୫।।

ଭଣେ ଭୀମ ଅରକ୍ଷିତା      ଛଡ଼ାଇ ହୃଦରୁ ଚିନ୍ତା

ଜୀବ ଉଦ୍ଧାର ନିମନ୍ତେ ଭଜୁଅଛି ଦିବାରାତି ।।୬।।

 

(୨୩୫)

ଘନ ଘନ ବହୁଅଛି ଗଙ୍ଗା ଯମୁନା ତ୍ରିବେଣୀ

କର ସ୍ନାନ ପାନ ତହିଁ ଲଭିବ ମୁକ୍ତି କାରେଣୀ ।। ପଦ ।।

ମେରୁ ତ୍ରିକୁଟରୁ ଝର      ଫୁଟି ବହେ ନିରନ୍ତର

ପଡ଼ୁଛି ଈଶ୍ୱର ମାଥେ ପାଦ ଆଦ୍ୟ ମଧ୍ୟେ ଜିଣି ।।୧।।

ପାଶେ ବ୍ରହ୍ମା ବେଦପତି      ଧରି ବେଦ ବାକ୍ୟ ପୋଥି

ଚତୁର୍ମୁଖରେ ଆଧ୍ୟାନ ସିଦ୍ଧ ବାକ୍ୟ ବ୍ରହ୍ମ ବାଣୀ ।।୨।।

ଯମୁନା ତଟରେ ହରି      କରେ ବଂଶୀ ସ୍ୱନ ଧରି

ଷୋଳସସ୍ର ଗୋପୀ ଘେନି କରନ୍ତି ଲୀଳା ରମଣୀ ।।୩।।

ଗଣେଶ୍ୱର ସୂକ୍ଷ୍ମ ଭୋଗୀ      ଘେନିଣ କାମାକ୍ଷୀ ଦେବୀ

ରସାଇ ହସାଉଛନ୍ତି ମିଶି ଯୁଗଳ କାହାଣୀ ।।୪।।

ପିଣ୍ଡ ବ୍ରହ୍ମାଣ୍ଡରେ ଦେଖ      ହୃଦରେ କର ବିବେକ

ତିନି ତ୍ରୈଲୋକ୍ୟ ଲାଗି କରୁଛନ୍ତି ଲୀଳା ଧୂନି ।।୫।।

ଭଣେ ହୀନ ଭୀମଭୋଇ      ସେ ତିନି ଧାରଣ ନଈ

ଛଡ଼ ଚକ୍ରରେ ସଂଯୁକ୍ତ ପ୍ରଳୟ ହେଉଛି ପାଣି ।।୬।।

 

(୨୩୬)

ନିଶ୍ଚୟ ବୁଡ଼ିଲାଟି ତୁମ୍ଭର ବାନା

ଅନ୍ତର୍ଯ୍ୟାମୀ ପ୍ରଭୁ ହୋଇ ବୁଝିଅଛ ଭାବନା ।। ପଦ ।।

ଯନ୍ତ୍ରରେ ସୂତ୍ର ଲଗାଇ ଶ୍ରୀ ହସ୍ତରେ ବାନ୍ଧନା

ପାପୀ ମେଳଚ୍ଛଙ୍କ ମୁଖେ ଦିଆଉଛ ଗଞ୍ଜଣା ।।୧।।

ନିନ୍ଦା ଗର୍ବ ଗାଳି ଦ୍ୱନ୍ଦ୍ୱ ବିବାଦରେ ବୋଲଣା

ଦଣ୍ଡ ଶାସ୍ତି ମାଡ଼ ବେତ କେ କରୁଛି କଳଣା ।।୨।।

ମହିମା ନାମ ମହତ୍ତ୍ୱ ଏବେ ଗଲାଣି ଚିହ୍ନା

ଅତି ନିର୍ଲ୍ଲଜରେ ଦୀକ୍ଷାବାନା ତୁମ୍ଭ ପୋତନା ।।୩।।

ଭକ୍ତ ବୋଲି ଜଗତରେ ଦେଲେ ଶବ୍ଦ ବାଜଣା

ଅକୂଳ ସମୁଦ୍ରେ ନେଇ ସମସ୍ତଙ୍କୁ ମାଡ଼ନା ।।୪।।

ଭକ୍ତକୁ ଭଗାରି ଦୁଃଖ ଦେଉଅଛ ଗଞ୍ଜଣା

ଲଜ୍ଜ୍ୟା କି ନାହିଁ ତୁମ୍ଭଙ୍କୁ ପାତାଳରେ ପଶନା ।।୫।।

ଭଣେ ଭୀମ ଅରକ୍ଷିତ ଚିତ୍ତ ହେଲାଣି ବଣା

ଏଡ଼େ ପ୍ରଭୁ ଥାଉଁ ଥାଉଁ ଦୁଃଖ ନ ଗଲା ଜଣା ।।୬।।

 

(୨୩୭)

ସ୍ୱାମୀ ହେ ମାରୁଅଛ ଭକ୍ତକୁଳକୁ

ବୁଝାମଣା ହେବ ପ୍ରଭୁ ଆଉ କେତେବେଳକୁ ।। ପଦ ।।

ଭକତ ମହତ୍ତ୍ୱ ସାରି କି ଅର୍ଜିବ ଯଶକୁ

ପ୍ରଭୁ ପଣେ ବସି ମିଛେ ମୋଡ଼ୁଅଛ ନିଶକୁ ।।୧।।

ହଟ ପଟ ନଟ କୂଟ ଲଗାଇଛ ଦାସକୁ

ଉଚ୍ଚ ସ୍ଥାନେ ଆଣି କରି ବସାଉଛ ନୀଚକୁ ।।୨।।

କେ ତୁମ୍ଭଙ୍କୁ ଆଜ୍ଞା ଦେଲା ଆସ ବୋଲି ମର୍ତ୍ତ୍ୟକୁ

ସଂସାର ଭୟରେ କିମ୍ପା ଲୁଚୁଅଛ ପଛକୁ ।।୩।।

ଜାଣି କି ନ ଥିଲ ପ୍ରଭୁ ଜଗତ ପ୍ରପଞ୍ଚକୁ

କଉତୁକ ମଣିଛକି ପୃଥ୍ୱୀ ଜମ୍ବୁଦ୍ୱୀପକୁ ।।୪।।

ନିଶ୍ଚେ ବୁଡ଼ାଇବି ତୁମ୍ଭ ନାମ ବ୍ରହ୍ମ ଧର୍ମକୁ

ସମ୍ଭାଳି ନୋହିଲେ ମୋର ଯେ ଦିଶିବ ମନକୁ ।।୫।।

ବିଅର୍ଥେ ଗଞ୍ଜି ମାରୁଛ ଜନ ପ୍ରାଣୀମାନଙ୍କୁ

କହେ ଭୀମ ଅରକ୍ଷିତ ଯାଅ ନିଜ ଧାମକୁ ।।୬।।

 

(୨୩୮)

ସତ୍ୟାଦି ବାନା ଯେବେ ହୋଇବ ସତ

ଛାର ପାପିଷ୍ଠ ପାମର ଧରିବେ ମୋର ହସ୍ତ ।। ପଦ ।।

ଅଙ୍ଗେ ମୋର ବିଜେ କରିଥିବେ ଯେବେ ଅନନ୍ତ

ଛୁଇଁଲା ମାତ୍ରକେ ଶତ୍ରୁ ପ୍ରାଣରେ ଯିବେ ହତ ।।୧।।

ଅଭୟ ପଞ୍ଜର ବାନା ଭବଭୟକୁ ହିତ

ନିରେଖ ଜନକୁ କଷ୍ଟ ଦେବା ନୁହେଁ ଉଚିତ ।।୨।।

ବଞ୍ଚାଇବାକୁ ହସ୍ତରୁ ଗୁରୁଦେବ ସାମର୍ଥ

ଏବେ ଆସି ପଡ଼ିଅଛି କାଳ ବିଷମ ଘାତ ।।୩।।

ନାମ ବ୍ରହ୍ମ ଭଜି ମୁଖେ କରିଛି କବିକୃତ

ସ୍ୱାମୀ ମୋ ଶୂନ୍ୟ କରତା କୃପା କଲେ ବର୍ଦ୍ଧିତ ।।୪।।

ଦିବସ ରଜନୀ ଭାଳି ଚିନ୍ତାର୍ଥରେ ଆରତ

ଶୂନ୍ୟ ଚକ୍ର ବାନା ଥାଇ ସରିଲାଣି ଇଜ୍ଜତ ।।୫।।

ଭଣେ ଭୀମ ପଞ୍ଚଆତ୍ମା କାନ୍ଦୁଅଛି ମୋର ତ

ଭଗତି ଭିତରେ ନିଶ୍ଚେ ଲଗାଇବି ଅନର୍ଥ ।।୬।।

 

(୨୩୯)

ପରୀକ୍ଷା ଜଗତରେ ଦିଅ ଦୂରିତ

ପ୍ରଚରି ନ ପାରୁଁ ଆମ୍ଭେ ସରିଲାଣି ଇଜ୍ଜତ ।। ପଦ ।।

ବେନି ନୟନରୁ ବହେ ଅଶ୍ରୁଜଳ ପୂରିତ

କାନ୍ଦୁଛି ଜୀବନ ମୋର ବାଧିଲାଣି ବହୁତ ।।୧।।

ଅସୁର ମେଳଚ୍ଛଙ୍କର ଦେଖି ଘୋର ଉତ୍ପାତ

ହୃଦୟରୁ ଶୁଖିଲାଣି ପାଏ ପାଏ ରକତ ।।୨।।

ଅନନ୍ତ କୋଟି ସାଧୁ ତୁମ୍ଭ ଚଉଷଠି ସିଦ୍ଧାନ୍ତ

ବ୍ରହ୍ମାଣ୍ଡରେ ବୁଲିବାକୁ ନାହିଁ ତାଙ୍କ ଶକତ ।।୩।।

ଦେଖୁଁ ଦେଖୁଁ ଅଙ୍ଗେ ଆସି ଲାଗିଲାଣି କରତ

ପରୀକ୍ଷା ନ ଦେଲେ ତୋତେ ତିନିପୁର ଶପଥ ।।୪।।

ଖଣ୍ଡ ଖଣ୍ଡ କରି ଦଣ୍ଡ ଦେଉଅଛି ଦୂରିତ

ଆଜି କାଲି ବୋଲି ନିଶ୍ଚେ ହୋଇଗଲୁ ସରିତ ।।୫।।

ଭଣେ ଭୀମ ଅରକ୍ଷିତ ଏତେବେଳେ ଦେଖ ତ

ବ୍ରହ୍ମାଣ୍ଡରେ ପଡ଼ୁ ଆସି ବଜ୍ରଶିଳା ପର୍ବତ ।।୬।।

 

(୨୪୦)

ପ୍ରତ୍ୟକ୍ଷରେ ଅନନ୍ତ ସ୍ୱରୂପ ରହି ଦେଖ

ଠୁଳ ଶୂନ୍ୟେ ହୋଇଛନ୍ତି ଗୋପ୍ୟ ହେ ।। ପଦ ।।

ପାତାଳେ ବାସୁକୀଗଣ      ଅନନ୍ତ ସେ ନାରାୟଣ

ଶିରେ ବହି ସପ୍ତସିନ୍ଧୁ ଦ୍ୱୀପ

ରଚନା ତିନି ବ୍ରହ୍ମାଣ୍ଡ      ଅଛି ପୃଥ୍ୱୀ ନବଖଣ୍ଡ

ଅନନ୍ତ ବାସୁକୀ ଶିରେ ଗୋପ୍ୟ ହେ ।।୧।।

ସକଳ ଘଟରେ ହରି      ଅଛନ୍ତି ବିଜୟ କରି

ରାଧାକୃଷ୍ଣ ନାମ କିମ୍ପା ଜପ ।

କର୍ମ କାମନାରେ ବନ୍ଦି      ବିଅର୍ଥେ ହେଉଛ ଧନ୍ଦି

ଡୋଳା ମଧ୍ୟେ ରାଧାକୃଷ୍ଣ ରୂପ ହେ ।।୨।।

ଗୁମ୍ଫାକୁ ଫିଟିଛି ବାଟ      ତହିଁ ଆସନ ନିକଟ

ହର ବ୍ରହ୍ମା ଗମ୍ୟ ନାହିଁ ସକ୍ଷ

ଅତି ହିଁ ନିଗମ ଭୂମି      ଗମି ନ ପାରନ୍ତି ଜ୍ଞାନୀ

ଚନ୍ଦ୍ର ସୂର୍ଯ୍ୟ ତେଜ ନାହିଁ ଧାପ ହେ ।।୩।।

ଅଗ୍ରନାସା ବେନି ପୁଡ଼ା      ଚନ୍ଦ୍ର ସୂର୍ଯ୍ୟ ତହିଁ ଯୋଡ଼ା

ଉଜାଣି ବହୁଛି ରହି ଦେଖ

ପରତେ ହୋଇବ ଯେବେ      ନୟନେ ଦେଖିବ ତେବେ

ଛଡ଼ ବେଦ ପରେ ବ୍ରହ୍ମ ରୂପ ହେ ।।୪।।

ଉଦେ ଅସ୍ତ ଭୂମି ଚିହ୍ନ      ଥୟ କରି ପଞ୍ଚମନ

ନିଶ୍ଚିନ୍ତରେ ଅଣାକାର ଜପ

ମାରୁଛି ବ୍ରହ୍ମ ଲହଡ଼ି      ଦେଖୁଁ ଦେଖୁଁ ଯିବ ଛାଡ଼ି

ପବନକୁ ବାନ୍ଧି ଶିରେ ରଖ ହେ ।।୫।।

ଜୟ ଜୟ ଶୂନ୍ୟ ହରି      ଅରୂପାନନ୍ଦ ବିହାରୀ

ଅକୃପା କଲେ ହେଲି ନିରେଖ

ଶ୍ରୀଗୁରୁ ପାଦ ପଦ୍ମରେ      ଚିତ୍ତ ଜନ୍ମ ଜନ୍ମାନ୍ତରେ

ରଖି ଭଣେ ଭୀମ ଭୋଇ ମୂର୍ଖ ହେ ।।୬।।

 

(୨୪୧)

ଶ୍ରୀଗୁରୁଙ୍କ ପାଦେ ରଖ ଚିତ୍ତରେ ମୂଢ଼ ମତ

ଛାଡ଼ ଏ ଜଞ୍ଜାଳ ଶ୍ରମ ପଥରେ ।। ପଦ ।।

ଦେଖୁଁ ଦେଖୁଁ କଣ୍ଟା ବଣ      ମାଡ଼ି ଯାଉଛୁ ଅଜ୍ଞାନ

ଚକ୍ଷୁ ଥାଉଁ ହଜାଉଛୁ ପଥ

ନାହିଁ କି ପାଦ ପରାସ      ପଶ୍ଚାନ୍ତେ ନ ଦେବୁ ଦୋଷ

କ୍ଷଣକ ମାତ୍ରକେ ହେବୁ ହତରେ ।।୧।।

କରିଅଛୁ ସାଙ୍ଗ ସାଥି      ଆଗ ପଛକୁ ନ ଚେତି

ମାୟା ପ୍ରକୃତିରେ ହୋଇ ରତ

ସକଳ ଅଟଇ ମିଥ୍ୟା      ଅଳପ ଦିନର କଥା

ଜୀବନକୁ କେହି ନାହିଁ ହିତରେ ।।୨।।

ଫିଟାଇବାକୁ ଏ ଦ୍ୱନ୍ଦ୍ୱ      ତାରିବାକୁ ଭବସିନ୍ଧୁ

ଯେହୁ କରିଛନ୍ତି ଆତଯାତ

ପଡ଼ୁଅଛି ଧର୍ମ ଡାକ      କର୍ଣ୍ଣେ ଶୁଣି ହେତୁ ରଖ

ଗୁରୁଦେବ ଏକା ସାମରଥରେ ।।୩।।

ଗୁରୁସ୍ୱାମୀ ଯେ ଅଟନ୍ତି      ବ୍ରହ୍ମଜ୍ଞାନେ ଉଦ୍ଧରନ୍ତି

ଅନନ୍ତ ସେ ଅନାଦି ଅଚ୍ୟୁତ

ସେବା ପାରି ଥିଲେ କରି      କାଳ ନ ନେବ ଓଟାରି

ତେବେ ତୁ ପାଇବୁ ଗତି ମୁକ୍ତିରେ ।।୪।।

ତାହାଙ୍କୁ କଲେ ଭଜନା      ମରଣେ ନୋହିବୁ ବଣା

ନୋହିବୁ ଯେମନ୍ତେ ଗତାଗତ

ଉଇଁଛି ଚନ୍ଦ୍ରମା ପ୍ରାୟେ      ଜୀବରୂପେ ଭାବଦେହେ

ମିଛ ନୋହେ ବ୍ରହ୍ମବାକ୍ୟ ସତ୍ୟରେ ।।୫।।

ବ୍ରହ୍ମକୁ ଚିହ୍ନିବୁ ଯେବେ      ସଂଶୟ ତୁଟିବ ତେବେ

ସଦଜ୍ଞାନ ଗତି ପରାପତ

ଅରୂପେ କର ଭଜନା      ନ ଲାଗେ ରୂପ ରଞ୍ଚନା

ଭାବେ ଭଣେ ଭୀମ ଅରକ୍ଷିରେ ।।୬।।

 

(୨୪୨)

ଗୁରୁସେବା କଲେ ତରିଯିବ ହେ,

ଦୁର୍ଲ୍ଲଭ ଜନମରେ କରିଥିଲେ ଭାଗ୍ୟ ହେ ।। ପଦ ।।

ପିତାମାତା ଯୁକ୍ତ କାଳୁ      ଗର୍ଭେ ସଞ୍ଚରିଲା ବେଳୁ

ବ୍ରହ୍ମ କଳା ଲାଗି ଯେବେ ଥିବ

ବିକାଶିଲେ ପୂର୍ବ ପୁଣ୍ୟ      ସେବାକୁ ହେବ ଭାଜନ

ନିଶ୍ଚୟ ସେ ପ୍ରଭୁଭକ୍ତ ହେବ ହେ ।।୧।।

ଜଳେ ଅବା ସ୍ଥଳେ ଥାଉ      ଶୋଚନା ନ ଥାଇ ଆଉ

ସଦଜ୍ଞାନ କରିଥାଇ ଠାବ

ନାହିଁ ତା ଜାତି ଅଜାତି      ଅରଣ୍ୟେ ଯଥା ମାଳତୀ

ସକଳ ସ୍ଥାନରେ ସମ ଭାବ ହେ ।।୨।।

ସର୍ବ ଗୃହରେ ଭୋଜନ      ନ ଜାଣଇ ଆନ ଭିନ୍ନ

ଧରିଥାଇ ସଦ୍‌ଜ୍ଞାନ ମାର୍ଗ

ବ୍ରହ୍ମ ଖେଳୁଥାଇ ଅଙ୍ଗେ      ସର୍ବସିଦ୍ଧି ଥାନ୍ତି ସଙ୍ଗେ

ସାଧୁଥାଇ ମନେ ମନେ ଯୋଗ ହେ ।।୩।।

ଯାହା ବାଞ୍ଛିଲଷ ତା ପାଇ      ଏଥିରେ ସଂଶୟ ନାହିଁ

ମନରେ କଳ୍ପନା ଯେବେ ହେବ

ନିଷ୍କାମ ହୃଦୟ ଚିହ୍ନି      ସୁଦୟା କରନ୍ତି ଜାଣି

ତତକ୍ଷଣେ ଦ୍ୟନ୍ତି ଗୁରୁଦେବ ହେ ।।୪।।

କିବା ଭଲ ମନ୍ଦ ଦୁଇ      କଷା ପିତା ଯାହା ପାଇ

ଶ୍ରୀଗୁରୁଙ୍କୁ ସମର୍ପଇ ଆଗ

ମହାବ୍ରହ୍ମ ଶୂନ୍ୟବାସୀ      ମଣୋହି କରନ୍ତି ଆସି

ପଛନ୍ତେ ଆପଣେ କରେ ଭୋଗ ହେ ।।୫।।

ଭଗତ ଯେବଣ ଜନ      ନ ଜାଣଇ ବଡ଼ ସାନ

ତାର କି ତାଇ ଶୁଭ ଅଶୁଭ

ଭଣେ ଭୀମ ଅରକ୍ଷିତ      ଶ୍ରୀଗୁରୁ ଚରଣେ ଚିତ୍ତ

ନିଷ୍କାମ ଭାବରେ ତାହା ପାଇବ ହେ ।।୬।।

 

(୨୪୩)

ଭଜି ଯେବେ ଥିବ ସ୍ୱଦେହରେ ହେ ।

ବ୍ରହ୍ମପୁରେ ବସିବଟି ଅଭୟ ପଞ୍ଜରେ ହେ ।। ପଦ ।।

ଏ ପିଣ୍ଡ ପ୍ରାଣକୁ ଆଶା      ନାହିଁ ତୁ କର ଭରସା

ଗଢା ହୋଇଛି ରଜବୀର୍ଯ୍ୟରେ ।

କରୁଅଛ କେତେ ଆଣ୍ଟ      ପ୍ରାଣ ଗଲେ ଛଟପଟ

ଦେଖନ୍ତେ ପଡ଼ିବ ଏ ଭୂମିରେ ହେ ।।୧।।

ବାହ୍ୟରେ ଭ୍ରମି ନ ମର      ଆତ୍ମାରେ କର ଗୋଚର

ମନେ ମନେ ସାଧ ନିରନ୍ତର ହେ

ପାଇଅଛ ବଡ଼ ସଜ      ମନ ତତ୍ତ୍ୱ କରି ଭଜ

ଠାବ କର ସତ୍ୟ ନିଷ୍କାମରେ ହେ ।।୨।।

ବିଚାରିଲେ ପାଶେ ଛନ୍ତି      କଉଡ଼ି ନ ଲାଗେ କିଛି

ନ ଲୋଡ଼ିଲଷ ଅଛନ୍ତି ଦୂରରେ ହେ ।

ତାଳୁକା ଦୁଆରେ ବାସ      ହେଉଛନ୍ତି ଅବକାଶ

ଖେଳୁଛନ୍ତି ଭିତର ବାହାରେ ହେ ।।୩।।

ଆଗେ ଜାଗିଥିଲେ ମନ୍ଦା      ପଛେ ନ ପାଇବା ନିନ୍ଦା

ଦାନ ଦେବ ଶ୍ରୀଗୁରୁ ପୟରେ ହେ ।

ପ୍ରଭୁ ଶ୍ରୀମୁଖରେ ଭାଷା      ପାଇବୁ ତୁ ପରଶଂସା

ବଛା ହେବୁ ଅନନ୍ତ ସଭାରେ ହେ ।।୪।।

ଟିଆ ପରିଯନ୍ତେ ସତ୍ୟ      ରଖିବ ଯେଉଁ ଭଗତ

ଏ ଘୋର କଳିକାଳ ଯୁଗରେ ।

ଧନ୍ୟ ତା’ର ପିତା ମାତା      ଦାସ ପଣକୁ ସକତା

ବିତୁନ ହୋଇବ ଏ ସଂସାରେ ହେ ।।୫।।

ଯେହୁ ଅଛ ସୁଜ୍ଞଜନ      ନାମରେ ପଶ ଶରଣ

ବେଦ ବତାଉଛି ବାରମ୍ବାର ରେ ।

ଭଣେ ହୀନ ଭୀମ ଭୋଇ      ସୁକୃତରେ ଅଛ ପାଇ

ଏହା ନ ମିଳିବ ଆଉ ଥରେ ହେ ।।୬।।

 

(୨୪୪)

ଧୂନି ଘରେ ରାଧିକା ବିଳାସ ଗୋ,

କରିବେ ଭଗତେ ଖେଡ଼ରସ ଗୋ,

ଦେଖି ଚାଲ ଯିବା ହୋଇ ବେଶ ଗୋ ।। ପଦ ।।

ମଦନ ମୋହନ ହରି      ଲାବଣ୍ୟ ମୂରତି ଧର

ଭଜ ଯାଇ ପାଶ ଗୋ, ଜନ୍ମ ମୃତ୍ୟୁ ନାଶ

ସକଳେ ବେଢିବା ଆସ      ଚାରି ଦ୍ୱାରେ ଦଶଦିଶ

କାହିଁ ଦିବେ ପ୍ରଭୁ ପୀତବାସ ଗୋ ।।୧।।

ମୋହନ ମଦନ ବଂଶଈ      ଜୀବନେ ଘେନି ଯାଉଛି

ଋତୁ ମଧୁ ମାସ ଗୋ, ଫୁଟିଅଛି ପୁଷ୍ପ

ମୋହର ମନକୁ ଏହା      ବିଚାର ଦୁଶୁଛି ଯାହା

ପିଉଥାନ୍ତି ସୁଧା ମଧୁରସ ଗୋ ।।୨।।

ଦୁଃଖୀର ଦୁଃଖୀ ଜୀବନ      ଏ ମୋର ଗଳା ରତନ

ଭାବ ଭୋଳେ ବଶ୍ୟ ଗୋ, ଅଭାବେ ଅଦୃଶ୍ୟ

ଅନାହତ ଧୂନି ମଧ୍ୟେ      ବିଜୟେ ଅନାମ ଭେଦେ

ଧରି ରୂପ ବର୍ଣ୍ଣ ପରକାଶ ଗୋ ।।୩।।

ଆସି ପାହିଲାଣି ଦିନ      ପିଣ୍ଡ ପ୍ରାଣ ଦିଅ ଦାନ

ବୁଝୁଅଛ କିସ ଗୋ, ତେଜ ଗୃହ ବାସ

କେହି ନ କରୁଛ ସତ      ଏହି ଗୋ ଯଶୋଦା ସୁତ

ସାକ୍ଷୀଛନ୍ତି ଧରିତ୍ରୀ ଆକାଶ ଗୋ ।।୪।।

ନବୀନ ନଟନାଗର      ଗୋପ ଯୁବତୀଙ୍କ ବର

ନବରଙ୍ଗେ ବେଶ ଗୋ, କରିବେ ରାହାସ

ସାତଦିନ ସାତରାତି      ଢାଳିବେ ଚାମର ଛତ୍ରି

ଚାହିଁଲେ ଖଣ୍ଡିବ ପାପ ଦୋଷ ଗୋ ।।୫।।

ହୋଇବ ଅବଶ୍ୟ ଦେଖ      ଜାଣିବେ ଜଗତ ଯାକ

ବଟମୂଳେ ଦୃଶ୍ୟ ଗୋ, କାଳିନ୍ଦୀ ପାରୁଶ

ଥାଅରେ ମୋ ପିଣ୍ଡେ ଜୀବ      ଦେଖିବ ପ୍ରଭୁଙ୍କ ଭାବ

ଭଣିଲେ ଭଗତ ଭୀମ ଦାସ ଗୋ ।।୬।।

 

(୨୪୫)

ଭଗତ ଜୀବନ ପ୍ରାଣପତି ଗୋ ।

ନିଜ ରୂପେ ବିଜେ କରିଛନ୍ତି ଗୋ ।

ଦେଖୁଁ ଦେଖୁଁ ନ ପାରୁଛ ଚେତି ଗୋ ।। ପଦ ।।

ଅବନା ମଣ୍ଡୁଳ ଆସି      ମହାନିତ୍ୟ ଶୂନ୍ୟବାସୀ

ଅତିଥି ବୋଲନ୍ତି ଗୋ । ଦିଗମ୍ବର ମୂର୍ତ୍ତି ।

ଅନାହତ ଧୂନି ମଧ୍ୟେ      ବିଜୟେ ଅନାମ ବେଦେ

ରୂପ ତା ଜାଜ୍ଜ୍ୱଲମୟ ଜ୍ୟୋତି ଗୋ ।।୧।।

ମହାଶୂନ୍ୟରୁ ବାହାର      ନିଷ୍କାମ ଯୋଗେ ବିହାର

ଅଇଲେ ଧରତୀ ଗୋ । କରିବେ ମୁକତି ।

ଯେ ଅଛ ସ୍ତିରୀ ପୁରୁଷ      ଦର୍ଶନ କରିବା ଆସ

ଦରଶନ କରି ହେବା ମୁକ୍ତି ଗୋ ।।୨।।

ଯେ ଅନନ୍ତ କୋଟି ସାଧୁ      ଚଉଷଠି ସିଦ୍ଧବିଧୂ

ଦୃଢେ ଭଜୁଛନ୍ତି ଗୋ । ଅବଧୂତ ମୂର୍ତ୍ତି ।

ବହିଛନ୍ତି ବାନା ଭେଖ      ବେନି ଡୋଳେ ଦେଖ ଦେଖ

ଖଟିଛନ୍ତି ପ୍ରଭୁପାଦ କତି ଗୋ ।।୩।।

ତେତିଶେକାଟି ଦେବଗଣେ      ରହି ଅଧାସ୍ୱର୍ଗ ଶୂନ୍ୟେ

ଏକମୁଖେ ଦୃଷ୍ଟି ଗୋ । ଉଚ୍ଚାରଣ ସ୍ତୁତି ।

ବଜାଇ ଦୁନ୍ଦୁଭି ବାଦ୍ୟ      ଦେଇ ଜୟ ଶଙ୍ଖନାଦ

ଓହ୍ଲାଇ ଆସିବେ ଏ ଧରତୀ ଗୋ ।।୪।।

ମୁନି ବ୍ରହ୍ମାବିଷ୍ଣୁ ଲୋକ      ବେଦାନ୍ତୀ ସିଦ୍ଧାନ୍ତୀ ଦେଖ

ରୂପ ବର୍ଣ୍ଣ କାନ୍ତି ଗୋ । ଏକାଙ୍ଗମୂରତି ।

ଲାଗିଥାଇ ବ୍ରହ୍ମ କଳା      ଜାଣନ୍ତି ପ୍ରଭୁଙ୍କ ଲୀଳା

ଏତେ ଭକ୍ତ ପ୍ରଭୁଙ୍କୁ ଚିହ୍ନନ୍ତି ଗୋ ।।୫।।

ମୁନି ବ୍ରହ୍ମାବିଷ୍ଣୁ କନ୍ୟା      ସତୀ ପଦରେ ଗଣନା

ଗୋପିନୀ ବେଦାନ୍ତୀ ଗୋ । ପଦ୍ମିନୀ ସୁଜାତି ।

ଜନ୍ମିଥାନ୍ତି ସୁକୃତରୁ      ନିଷ୍କାମ ଭଗତି ଘରୁ

ଏତେ କନ୍ୟା ପ୍ରଭୁଙ୍କୁ ଜାଣନ୍ତି ଗୋ ।।୬।।

କଳିଯୁଗ କ୍ଷୟ ଯିବ      ସତ୍ୟ ପ୍ରକାଶ ପାଇବ

ନାନାରଙ୍ଗ ମୂର୍ତ୍ତି ଗୋ । ନ ରହିବ ପୃଥ୍ୱୀ

କହେ ଭୀମ ଅରକ୍ଷିତ      ଏ ବାକ୍ୟ ନୋହିଲେ ସତ୍ୟ

ଚନ୍ଦ୍ର ସୂର୍ଯ୍ୟ ତାରା ସାକ୍ଷ୍ୟ ଛନ୍ତି ଗୋ ।।୭।।

 

(୨୪୬)

ଦେଖ ଆସ ହୋଇ ଧାଡ଼ି ଧାଡ଼ି ଗୋ ।

ଗୁଡ଼େ ଦିନୁ ଯାଇଥିଲେ ଛାଡ଼ି ଗୋ ।

ଏକାବେଳେ ଉବୁଡ଼ା ଉବୁଡ଼ି ଗୋ ।। ପଦ ।।

ହୋଇ ଅତିଥିଙ୍କ ଶ୍ରେଷ୍ଠ      ପିନ୍ଧିଛନ୍ତି କୁମ୍ଭୀପଟ

ଆଡ଼ବନ୍ଧ ଭିଡ଼ି ଗୋ । ଭୂମିରେଣ ଗଡ଼ି ।

ପାଣ୍ଡୁଆ ଦିଶୁଛି ଦେହ      କେ ଅବା ଚିହ୍ନିବ କହ

ଅନନ୍ତର ନାହିଁ ଜାତ ନାଡ଼ୀ ଗୋ ।।୧।।

ସେ ପୁରକୁ ଏ ପୁରରୁ      ଘେନି ମୁକତି ଭାରକୁ

ଅଇଲେ ଦଉଡ଼ି ଗୋ । ଯାଇଛନ୍ତି ଝଡ଼ି

ବହିଛନ୍ତି ଅନୁକ୍ଷଣେ      ନ ଓହ୍ଲାଇ କେଉଁସ୍ଥାନେ

ବେନି କାନ୍ଧେ ହୋଇଅଛି ମଣ୍ଡି ଗୋ ।।୨।।

ଭଗତ କୁଳର ପାଇଁ      ଅନାଦି ସେ ଭାବଗ୍ରାହୀ

ଆସିଛନ୍ତି ବଢି ଗୋ । ନିଜ ରୂପ ଏଡ଼ି

ସତୀ ମହାଦେଈ ରାଣୀ      ଆଣ ଗୋ ବାସି ତୋରାଣି

ଧର୍ମ ଦାଣ୍ଡେ ଭିକ୍ଷା ଦିଅ ବାଢି ଗୋ ।।୩।।

ପାଇଛନ୍ତି ପଥଶ୍ରମ      ଅଙ୍ଗ ହୋଇଛି ମଳିନ

ଦୁଃଖ ସୁଖେ ପଡ଼ି ଗୋ । ନାହିଁ ବୃତ୍ତି ବାଡ଼ି

କରୁଛି ପାଦ ପରାଶ      ଯେହୁ ଅଛ ଦାସୀ ଦାସ

ପୟରକୁ ଦିଅ ଟିକେ ମୋଡ଼ି ଗୋ ।।୪।।

ଉତ୍ତମ ଏ ଚୋର ଛୁଆ      ସବୁଦିନେ ଦଗାଦିଆ

ଧର ସର୍ବେ ବେଢି ଗୋ । ଦେଖାଇ ଦିହୁଡ଼ି ।

ଇଚ୍ଛା ହେଲେ ଭାଗିଯାଏ      କାହାକୁ କିଛି ନ କହେ

ଧନ ନିଏ ନ ଦେଇ କଉଡ଼ି ଗୋ ।।୫।।

ବେଗେ ପାଶକୁ ନ ଆସେ      ନେତ୍ରେ ଚାହିଁଲେ ନ ଦିଶେ

ପଳାଇଲେ ଭିଡ଼ି ଗୋ । ନ ଆସେ ବାହୁଡ଼ି ।

ଭଣେ ଭୀମ ଅରକ୍ଷିତ      ଚୋରକୁ ଧରିବା ସତ

ଡାକ ଉଚ୍ଚେ ଶୁଭିଯାଉ ରଡ଼ି ଗୋ ।।୬।।

 

(୨୪୭)

ଏହି କଳିଯୁଗେ ମର୍ତ୍ତ୍ୟେ ଆସି ଗୋ ।

ପ୍ରବୁଦ୍ଧ ସ୍ୱରୂପ ଶୂନ୍ୟବାସୀ ଗୋ ।

ଉଦୟ ହୋଇଛି ପୂର୍ଣ୍ଣ ଶଶୀ ଗୋ ।। ପଦ ।।

ଛାଣି ରଖିଲେ ଧରତୀ      ପକାଇ ଧୂନି ଆହୁତି

ସ୍ୱୟଂ ବ୍ରହ୍ମବାସୀ ଗୋ । ନାରାୟଣ ଋଷି,

ଧର୍ମ ପ୍ରକାଶିଲେ ଆଣି      ଏ ନବ ଖଣ୍ଡ ମେଦିନୀ

ସଦାକାଳେ ହୋଇ ପରବାସୀ ଗୋ ।।୧।।

ଭଗତ ଜଗତ ଯେତେ      ମେରୁ ଦ୍ରୁମ ଏ ସମସ୍ତେ

ଯାଇଥାନ୍ତେ ଭାସି ଗୋ । ପାତାଳରେ ପଶି,

ତପ ପୁଣ୍ୟ ବଳେ ମହୀ      ଏବେ ଦେଖୁଅଛି ରହି

ଏକ ପାଦ ଦେଲେ ପରକାଶି ଗୋ ।।୨।।

ଦୟା ହେଲା କେଉଁ ରୂପେ      ଏତେବଡ଼ ଘୋର ପାପେ

ଅଇଲେ ଏ ଖସି ଗୋ । ନାହିଁ ଦିବାନିଶି,

ଏବେ କିଛି ନ ବିଚାର      କର ସତ୍ୟାଦି ଆଚାର

ଯେ ଯହିଁରେ ଅଛ ଦାସ ଦାସୀ ଗୋ ।।୩।।

ଅମର ଅନନ୍ତ ଯୋଗ      ନବ କଳ୍ପ ଭୋଗ ହେବ

ଧ୍ୟାନ ଯୋଗେ ବସି ଗୋ । ସ୍ୱଦେହରେ ଆସି

ଏହି ପିଣ୍ଡ ବ୍ରହ୍ମାଣ୍ଡରେ      ପୂରିଛନ୍ତି ସର୍ବଠାରେ

ରୂପ ପ୍ରାୟେ ଘଟେ ଘଟେ ଦିଶି ଗୋ ।।୪।।

ମାନବ ବିଷ୍ଣୁ ପରାୟେ      ଏବେ ବହିଛନ୍ତି କାୟେ

ଲୟେ କର ଘୋଷି ଗୋ । ନାହିଁ ଯିବ ଭାଷି,

ନିର୍ଗୁଣ ଭଗତି ମୂଳ      ସତ୍ୟ ଆଚାରରେ ଠୁଳ

ନିତ୍ୟେ ଥାନ୍ତି ଭକ୍ତଭାବେ ରସି ଗୋ ।।୫।।

ଭଣେ ଭୀମ ଅରକ୍ଷିତ      ଶ୍ରୀଗୁରୁ ଚରଣେ ଚିତ୍ତ

ନିରନ୍ତରେ ଦୋଷୀ ଗୋ । ବ୍ରହ୍ମପାଶେ ବସି,

କ୍ଷମାକର ଅପରାଧ      ଶୂନ୍ୟ ସ୍ୱରୂପ ଅନାଦ

ଜନମ ଲଭିଛି ମର୍ତ୍ତ୍ୟେ ଆସି ଗୋ ।।୬।।

(୨୪୮)

ଲତା ବନେ ବୁଲି ଦେଖ ବେନିଗୋଟି ପୁଷ୍ପ ଗୋ ।

ପ୍ରତିଦିନ ତିନିପୁରେ ହେଉଛନ୍ତି ବେଶ ଗୋ ।। ପଦ ।।

ରୂପ ବୃକ୍ଷ ମୂଳେ ଚେର ନାହିଁ ତ ବିକାଶ ଗୋ ।

ମେରୁକୁ ଦ୍ୱିଗୁଣେ ମୋଟ ହୋଇଛି ପ୍ରକାଶ ଗୋ ।।୧।।

ଅବସନ୍ତେ ପଲ୍ଲବୁଛି ନାହିଁ ମଧୁମାସ ଗୋ ।

ନିତିଫୁଟେ ନିତି ତୁଟେ ନ କରଇ ବାସ ଗୋ ।।୨।।

ଅଣଛାୟା ତରୁ ତଳେ କରିଛନ୍ତି ବାସ ଗୋ ।

କଢରୁ ପଡ଼ିଲେ ଝଡ଼ି ସର୍ବେ ଯିବେ ନାଶ ଗୋ ।।୩।।

ଚାରି ପରକାରେ ରୂପବର୍ଣ୍ଣ ତାର ଦୃଶ୍ୟ ଗୋ ।

ନାହିଁ ମଧୁରସ ତହିଁ ତେଜ ତାର ବିଷ ଗୋ ।।୪।।

ଚତୁର୍ଥ ପାଖୁଡ଼ା ଦୂତି ପାଖୁଡ଼େ ବିକାଶ ଗୋ ।

ଚାରିବର୍ଣ୍ଣେ ରଙ୍ଗ ଭୃଙ୍ଗ ନ ଯାଏ ତା ପାଶ ଗୋ ।।୫।।

ଭଗତ ଜନଙ୍କ ଚିତ୍ତେ ହୁଅଇ ତା ଦୃଶ୍ୟ ଗୋ ।

କହେ ଭୀମଭୋଇ ସାଧୁଜନ ଘେନ ବାସ ଗୋ ।।୬।।

 

(୨୪୯)

ଅଣ ଚିକଣରେ ବତୀ ଜଳୁଅଛି ନିତି ଗୋ ।

କେତେଦୂର ଗମନ କରୁଛି ତେଜ କାନ୍ତି ଗୋ ।। ପଦ ।।

ତୋଳିଛି ମନ୍ଦିର ତହିଁ ନ ଉଠାଇ କାନ୍ଥି ଗୋ ।

ଛାଏଣି ଛାଇଛି ଲଇ ବତାକୁ ନ ବେନ୍ତି ଗୋ ।।୧।।

ତିନିଲକ୍ଷ ପରାଣି ତା କୁଟୁମ୍ବ ଅଛନ୍ତି ଗୋ ।

କେତେ ଖରଚା ସରୁଛି କାହିଁ ତା ସମ୍ପତ୍ତି ଗୋ ।।୨।।

ଏକାନ୍ତ ଠାବରେ ଥାଇ ବୁଝୁଅଛି ପୃଥ୍ୱୀ ଗୋ ।

ଆୟ ବ୍ୟୟ ହେଉଅଛି ନାହିଁ ବାଡ଼ି ବୃତ୍ତି ଗୋ ।।୩।।

ଅନୁସରି ରହିଛନ୍ତି ଲକ୍ଷେ ଅଭ୍ୟାଗତି ଗୋ ।

ସମାନରେ ଚାହିଁ ଦେଉଛନ୍ତି ସଦାବର୍ତ୍ତି ଗୋ ।।୪।।

ଶୁଣ ସୁଜ୍ଞ ସାଧୁଜନ ବିପରୀତ ରୀତି ଗୋ ।

ଉଜ୍ଜ୍ୱଳ ଦିଶୁଛି ପୁର ନାହିଁ ଦିବା ରାତି ଗୋ ।।୫।।

ଭଣେ ଭୀମ ଅରକ୍ଷିତ ନବଖଣ୍ଡ କ୍ଷିତି ଗୋ ।

ଯହିଁ ଦେଖ ଜଳୁଅଛି ଏକ ଗୋଟା ବତୀ ଗୋ ।।୬।।

 

(୨୫୦)

ଭଲା ସେ ବିନ୍ଧାଣି ଘର କରିଛି ତିଆର ଗୋ ।

କବାଟ ଲଗାଇ ଅଛି ନବ ପରକାର ଗୋ ।। ପଦ ।।

ବାରେଶି ନିହାଣ କିଛି ନ ଥାଇ ପାଶର ଗୋ ।

ନିର୍ଭା କରିଅଛି ହସ୍ତ ନ ଲାଗି ତାହାର ଗୋ ।।୧।।

ବିଚିତ୍ର କାମରେ ପୂରି ଦିଶୁଛି ସୁନ୍ଦର ଗୋ ।

ସବୁଠାରେ କରିଅଛି ଯାଉଁଳି ଦୁଆର ଗୋ ।।୨।।

ମନ୍ଦିରକୁ ଚାହିଁ ହେଲି ମନେ ଚମତ୍କାର ଗୋ ।

ସେ ବୋଇଲା ବାବୁ ଏହା କେତେକ ମାତର ଗୋ ।।୩।।

ଖଞ୍ଜ ଫାଳ ହୋଇଅଛି ନ ଗଳଇ ନୀର ଗୋ ।

ପବନ ନ ପଶେ ତହିଁ ନ ଭେଦେ ଶିଶିର ଗୋ ।।୪।।

ପଦ ବାନ୍ଧିଅଛି ମୁହିଁ ପାଷାଣର ଗାର ଗୋ ।

ଭେହ କରୁ କରୁ ଅର୍ଥ ଅଣ ଅଗୋଚର ଗୋ ।।୫।।

କହେ ଭୀମ ଅରକ୍ଷିତ ବିନ୍ଧାଣିକି ଧର ଗୋ ।

ଏ ପିଣ୍ଡ ବ୍ରହ୍ମାଣ୍ଡ କାହିଁ ଅଛି ହେତୁ କର ଗୋ ।।୬।।

 

(୨୫୧)

ବିନ୍ଧାଣି ରହିଛି ଯାଇ ନିଗମ ଭୁବନ ଗୋ ।

ଅମନ ମନ୍ଦିର ତହିଁ ନ ଗଳଇ ମନ ଗୋ ।। ପଦ ।।

ଯେଉଁଠାରେ ବିହରୁଛି ନାହିଁ ରାତ୍ର ଦିନ ଗୋ ।

ରୂପରେଖ ନ ଦିଶଇ ନାହିଁ ବର୍ଣ୍ଣ ଚିହ୍ନ ଗୋ ।।୧।।

ନୀଚ ଉଚ୍ଚ ଜାତି ତହିଁ ସକଳ ସମାନ ଗୋ ।

ଅଣ ଆକାର ସେ ଭୂମି ଅଟେ ମହାଶୂନ୍ୟ ଗୋ ।।୨।।

ଜ୍ଞାନୀ ଜନମାନେ ସେଠାବକୁ କର ଧ୍ୟାନ ଗୋ ।

ଆପେ ଏକା ରହିଅଛି କରିଛି ଭିଆଣ ଗୋ ।।୩।।

ତାହାକୁ ଠାରୁଛି ବେଦ ଏକାମ୍ବର ବନ ଗୋ ।

ସର୍ବଠାରୁ ଅଟେ ସେହି ଶକତା ସିଆଣ ଗୋ ।।୪।।

ତାହାଠାରୁ ନାହିଁ ଆଉ ବ୍ରହ୍ମାଣ୍ଡେ ସନ୍ଥନ ଗୋ ।

ସେହି ଏକା ଲଗାଇଛି ଜନ୍ମାଧି ମରଣ ଗୋ ।।୫।।

ଭଣେ ଭୀମ ଅରକ୍ଷିତ ଭଲ କରି ଚିହ୍ନ ଗୋ ।

ଏକା ଜଣଙ୍କରଠାରେ ଅଛି କେତେ ଗୁଣ ଗୋ ।।୬।।

 

(୨୫୨)

Unknown

ଅଶେଷ ବ୍ରହ୍ମାଣ୍ଡର କରତା ଗୋ

ସର୍ଜ୍ଜନା ପଣେ ବିହି ବିଧାତା ।। ପଦ ।।

ସର୍ବେ ବୁଡ଼ି ଗଲେ ପାପେ      ବିଜେ କଲେ ଗୁରୁ ରୂପେ

ଧର୍ମ ପଦ ଦେଇ କଲେ ସଚେତା ଗୋ

ଅନାଦି ସେ ନାରାୟଣ      ହୋଇ ବୃଦ୍ଧ ଅବତୀର୍ଣ୍ଣ

ସର୍ବ ଜୀବରେ ଦୟା ବହନ୍ତା ଗୋ ।।୧।।

ସେ ପ୍ରଭୁଙ୍କ ଗୁଣ ଯେତେ      ତିନି ଭୁବନ ଜଗତେ

କେ ଅଛି କହିବ କରି ସୁରତା ଗୋ

ସ୍ଥିତି ଉତ୍ପତ୍ତି ପ୍ରଳୟେ      ଶ୍ରୀଛାମୁକୁ ଜଣା ନୋହେ

ନିଗମ ଘରେ ଛନ୍ତି ଅଚିନ୍ତା ଗୋ ।।୨।।

ଅନ୍ୟେନ କର ଆସରା      ବୁଲି ଯାଉଛି ପସରା

ପଦାରେ ପଡ଼ିଛି ଗଜ ମୁକୁତା ଗୋ

ନେଇ ଯିବେ ଖଣ୍ଟ ଚୋର      ପଣନ୍ତରେ ବାନ୍ଧିଧର

ଧନ ସଞ୍ଚନେ ଯା ଆଶ୍ରିତା ଗୋ ।।୩।।

ସେ ଯେଉଁ ଅନାଦି ମୂଳ      ବୁଝୁ ଅଛନ୍ତି ସକଳ

ମନରେ ଯାହା ହେଉଛି ବାଞ୍ଛିତା ଗୋ

ଅନ୍ତେ ଜାଣିବାରୁ ସବୁ      ତେଣୁ ସେ ବୋଲାନ୍ତି ପ୍ରଭୁ

ଶ୍ରୀମୁଖ ବାକ୍ୟ ନୁହେଁ ଅନାସ୍ଥା ଗୋ ।।୪।।

ଧନ୍ୟ ଧନ୍ୟ ବ୍ରହ୍ମରାଶି      ଦେଲେ ତୁରିତ ବିନାଶି

ନୋହିଲେ କି ପାପ ଭାରା ଛିଡ଼ନ୍ତା ଗୋ

ପୃଥ୍ୱୀ ଜଳାଧିନବର      ହୁଅନ୍ତା ଏ ତିନିପୁର

ଆଜକୁ ନବଖଣ୍ଡ ନ ଥାନ୍ତା ଗୋ ।।୫।।

ମନୁଷ୍ୟ ପରାୟେ ଦେହୀ      ପୂର୍ବଦିଗେ ଉଦେ ହୋଇ

ବ୍ରହ୍ମଜ୍ଞାନ କରିଛନ୍ତି ବକତା ଗୋ ।

ଭଣେ ଭୀମ ହୀନ ଭୋଇ      କଳିଯୁଗେ ଦେହ ବହି

କେହୁ ପାରିବ କରି ଏ କଥା ଗୋ ।।୬।।

 

(୨୫୩)

ମନ ନିଷ୍କାମେ କଲେ ଦର୍ଶନ ଗୋ

ନିଶ୍ଚଳେ ହୋଇବେ ଗୁରୁ ପ୍ରସନ୍ନ ଗୋ ।। ପଦ ।।

ମନକୁ କରି ନିଶ୍ଚଳ      ଧ୍ୟାନ ଦେଇ ପାଦତଳ

ଆଗକୁ ଥୋଇଲେ ନେଇ ମରଣ ଗୋ

ଏ ନବଖଣ୍ଡ ମେଦିନୀ      କମ୍ପୁଥିବ ପୁର ତିନି

ଚମକି ଯିବ ଶୂନ୍ୟ ଆସନ ଗୋ ।।୧।।

ନୁହଇ ଅଳପ କଥା      ବୁଡ଼ିଯାଇ ହେତୁ ଚେତା

ତେଜି ଭଜ ଯେହୁ ହେବ ସମାନ ଗୋ

ଏ ଅଟେ ନିର୍ବେଦ ପଥ      ଜାଣି ବୁଝି ବିଧିମତ

ଦେହ ଜୀବନ କଲେ କଷଣ ଗୋ ।।୨।।

ସମାନ ମଣିବ ଦୀକ୍ଷା      ଘେନି ଗୁରୁ ମନ୍ତ୍ର ଶିକ୍ଷା

ସେବା ଭକ୍ତି କରି ପଶ ଶରଣ ଗୋ

ଲଗାଇଲେ ତନୁ ମନ      ନାମ ବ୍ରହ୍ମେ ହେବ ଲୀନ

ତେବେ ଜୀବକୁ ଅଛି ବାରଣ ଗୋ ।।୩।।

ଦାରା ସୁତ ବିତ୍ତ ଛାଡ଼ି      ନିତ୍ୟେ ସାଧୁ ଦୁଃଖେ ପଡ଼ି

ସ୍ତିତି ଫନ୍ଦା ଛାଡ଼ ଜିହ୍ୱା ରସନ ଗୋ ।

ନୀଚ ଜନ ପ୍ରାୟେ ହୋଇ      ଅନୁସରି ଥିଲେ ରହି

ତେବେ ମିଳୁଛି କଷା ବସନ ଗୋ ।।୪।।

ଉଦେ ହୋଇଛି ପୟର      ପ୍ରଭୁ ଭକ୍ତେ ଧର ଧର

ହୃଦୟରେ ଭଜି କର ଯତନ ଗୋ

ସକଳ ଦୀକ୍ଷାରୁ ଉଚ୍ଚ      ନିର୍ଗୁଣେ ହୋଇଛି ବାଛ

ଭଗତି ମଧ୍ୟେ ସାର ରତନ ଗୋ ।।୫।।

ଭଣେ ଭୀମ ଅରକ୍ଷିତ      ଶ୍ରୀଗୁରୁ ଚରଣେ ଚିତ୍ତ

ଭାଷେ ସୁଧା ମୃଦୁବାଣୀ ବଚନ ଗୋ

ପଡ଼ୁଅଛି ପାଦଗତେ      ଦୟାକର ସାଧୁ ସନ୍ଥେ

ଅଲେଖ ମହିମାଙ୍କ ନନ୍ଦନ ଗୋ ।।୬।।

 

(୨୫୪)

ଦେଖ ସୁଜନେ ଗାଦି ମନ୍ଦିର ଗୋ

କମ କବାଟ ଚିତ୍ର ବିଧିର ଗୋ ।। ପଦ ।।

ସତ୍ୟାଦି ଯୁଗରେ ହରି      ବାମନ ମୂରତି ଧରି

କୁଶ ବଟୁ ତମ୍ବା ପାତ୍ର ହସ୍ତର ଗୋ

ଇନ୍ଦ୍ର ଦେବତାଙ୍କ ଛଳେ      କପଟେ ବିଜୟେ କଲେ

ଦାନ ଘେନିଲେ ବଳି ଦୁଆର ଗୋ ।।୧।।

ତ୍ରେତୟା ଯୁଗରେ ହରି      ରମ ଅବତାର ଧରି

ସୀତା ଘେନି ବୁଲୁଥିଲେ ବନର ଗୋ

କଷା କଉପୁନୀ ବେଶ      ରାବଣକୁ କଲେ ନାଶ

ଅଭିଷେକ ହେଲେ ନିଜ ରାଜ୍ୟର ଗୋ ।।୨।।

ଦ୍ୱାପର ଯୁଗରେ ହରି      କୃଷ୍ଣ ଅବତାର ଧରି

ଗୋପୀଗଣ ସଙ୍ଗେ ପ୍ରୀତି ଗୁପ୍ତର ଗୋ

ଇନ୍ଦ୍ର ସଙ୍ଗତେ ବିବାଦ      ରଖିଲେ ଗୋପ ସମ୍ପଦ

ତୋଳି ଧଇଲେ ଗିରି ମନ୍ଦର ଗୋ ।।୩।।

ଏ କଳି ଯୁଗରେ ଆସି      ହୋଇଛନ୍ତି ଭିକ୍ଷାବାସୀ

କାମ କଳ୍ପଣାରୁ ହୋଇ ବାହାର ଗୋ

କେହି ନ ପାଇବେ ଅନ୍ତ      କଳି ଭାଙ୍ଗି ହେବ ସତ୍ୟ

ଧୂନି ଥାପିଲେ ମାଳ ବିହାର ଗୋ ।।୪।।

ଯେ ପ୍ରଭୁଙ୍କ ଦାସୀ ଦାସ      ଶରଣ ପଶିବା ଆସ

ଦୁର୍ଲ୍ଲଭ ଜନ୍ମ ପାଇଛ ଶରୀର ଗୋ

ଆଗ ପଛ ନ ବିଚାର      ସଦଗୁରୁ ସେବା କର

ନାମ ଉଦେ ମହିମା ସାଗର ଗୋ ।।୫।।

ଅଣରୂପ ବ୍ରହ୍ମ ଯେହି      ମାୟା ମୋହ ନ ଲାଗଇ

ଅଶେଷ ବ୍ରହ୍ମାଣ୍ଡର ଠାକୁର ଗୋ ।

ଭଣେ ଭୀମ ହୀନ ଭୋଇ      ଧରିଛ ମାନବ ଦେହୀ

ମାୟା ସଂସାରୁ ହେବ ଉଦ୍ଧାର ଗୋ ।।୬।।

 

(୨୫୫)

ଶ୍ୟାମଳ ରୂପବର୍ଣ୍ଣ ସୁନ୍ଦର ଗୋ

ବଚନ ସୁଧାଧାର ମଧୁର ଗୋ ।। ପଦ ।।

ଶୁଣିବା ସୁଜ୍ଞ ବିବେକ      ବାହ୍ୟରେ ବ୍ରହ୍ମଙ୍କ ରୂପ

କୋଟିଏ ତେଜରେ ଜିଣା ଶରୀର ଗୋ

ସ୍ୱାମୀଙ୍କର ନଖ ପନ୍ତି      ଚନ୍ଦ୍ରମା ପରାୟେ କାନ୍ତି

ଶୋଭା ଦିଶୁଅଛି ବେନି ପୟର ଗୋ ।।୧।।

କି ଉପମା ଦେବି ମୁହିଁ      ବର୍ଣ୍ଣିବାକୁ ଆସୁ ନାହିଁ

ଚାଲି ଗୋଟା ମତ୍ତ ଗଜ ପ୍ରକାର ଗୋ

ବସିଥିଲେ ସିଂହଠାଣୀ      ମେରୁ ମନ୍ଦିରକୁ ଜିଣି

କଟି ଡମ୍ବରୁ କ୍ଷୀଣ ଉଦର ଗୋ ।।୨।।

ବିସ୍ତାର ହିଆ ସୁବାହୁ      ବ୍ରହ୍ମତେଜ ଝାଉ ଝାଉ

ବେନି କନ୍ଧେ ବୋହି ଜ୍ଞାନ ଭଣ୍ଡାର ଗୋ

ମୁଖ ପଦ୍ମ ଅରବିନ୍ଦ      ଝରୁଅଛି ମକରନ୍ଦ

କୋକିଳ ବାଣୀ କଣ୍ଠ ଗଭୀର ଗୋ ।।୩।।

ପରିପୂର୍ଣ୍ଣ ଅଙ୍ଗ ଗୋଟି      ଏ ବ୍ରହ୍ମାଣ୍ଡ କୋଟି କୋଟି

ଗୁନ୍ଥା ହୋଇଛନ୍ତି ରୋମ ମୂଳର ଗୋ

ବ୍ରହ୍ମା ବିଷ୍ଣୁ ଶିବ ତିନି      ପାଳୁଛନ୍ତି ଆଜ୍ଞା ଘେନି

ଲେଖା ବୁଝାଉଛନ୍ତି ଛାମୁର ଗୋ ।।୪।।

ପାରୁଶରେ ତୀର୍ଥ ବ୍ରତ      ଖଟିଛନ୍ତି ହୋଇ ଭୃତ୍ୟ

ଶ୍ରୀଛାମୁରେ ଦେଇ ନୋହେ ଉତ୍ତର ଗୋ

ଯାହାକୁ ଆଜ୍ଞା ପଡ଼ିବ      କେହୁ ଅବଜ୍ଞା କରିବ

କର୍ଣ୍ଣେ ଶୁଣିଲେ ମନେ କାତର ଗୋ ।।୫।।

ମୁଁ ଯେ ସଦା ଅପରାଧୀ      ପ୍ରଭୁ କରୁଣା ବାରିଧି

କରଯୋଡ଼ି ଜଣାଉଛି ସଧୀର ଗୋ

ଦୟା କରିଥିବ ସ୍ୱାମୀ      ଗୁରୁଦେବ ଅନ୍ତର୍ଯ୍ୟାମୀ

ଭଣିଲେ ଭୀମ ହୀନ ପାମର ଗୋ ।।୬।।

 

(୨୫୬)

ଖେଳୁଅଛି ଏକପାଦେ ବ୍ରହ୍ମଧର୍ମ ଆଚରି

ଗୋଡ଼ାଉଛି ମୁକ୍ତି ପଛେ ତାଙ୍କରି ।। ପଦ ।।

ପଶ୍ଚିମର ଦ୍ୱାରେ ଅନନ୍ତ      ଆଜ୍ଞା ଘେନି ହୋଇ ଜାଗ୍ରତ

ସେ ଜ୍ୟୋତି ସିଦ୍ଧାନ୍ତ, ସହସ୍ର କବାଟ ଅର୍ଥ କଞ୍ଚିଖିଲ

ମୁଦାଝର ମୁଣ୍ଡେ ଅଛି ଆବୋରି ।।୧।।

ଦକ୍ଷିଣରେ ଶ୍ରୀ ଜଗନ୍ନାଥ      ଛାମୁ ଆଜ୍ଞା ଧରିଣ ମାଥ

ସେ ଦ୍ୱାର ରକ୍ଷାନ୍ତ, ବେନି କର୍ଣ୍ଣ ଡେରି ଶବଦକୁ ବାରି

ଶାନ୍ତି ବଚନେ ଛନ୍ତି ଅନୁସରି ।।୨।।

ଉତ୍ତରର ଶ୍ରୀରାମ ନାଥେ      ଆଜ୍ଞା ପାଇ ଜଗିଛି ସତେ

ସେ ବଚନ ତତ୍ତ୍ୱେ, ଉତ୍ତର କବାଟ ଅତି ହିଁ ଆକଟ

ଠାବେ ଉଜାଗର ହୋଇ ପାହାରି ।।୩।।

ପୂର୍ବଦ୍ୱାରେ ଶ୍ରୀକୃଷ୍ଣ ଚନ୍ଦ୍ରେ      ଜଗିଛନ୍ତି ଯାଉଁଳି ରନ୍ଧ୍ରେ

ସେ କିଳଣୀ ବନ୍ଧେ, ସ୍ୱୟଂ ବ୍ରହ୍ମରାଶି ନିର୍ବେଦରେ ପଶି

ମନ ଧ୍ୟାନେ ଛନ୍ତି ସୁମରି ।।୪।।

ଚଉଦିଗେ ଚାରି ଦୁଆରୀ      ମଧ୍ୟେ ବ୍ରହ୍ମ ବିଜୟେ କରି

ସେ ଅନାମୁ ହରି, ଅବନା ମନ୍ଦିରେ ଥିଲା ଗୁପତରେ

ସେ ପ୍ରଭୁ ମହିମା ହେଉଛି ଜାରୀ ।।୫।।

ଅରୂପରୁ ରୂପ ସଞ୍ଚରି      ଖେଳେ ନର ଦେହକୁ ଧରି

ଭକତଙ୍କୁ ତାରି, ବୋଲେ ଭୀମ ଭକ୍ତ ନ ଜାଣୁଛି ମୁଁ ତ

ଛଳି ଦେଇ ପ୍ରଭୁ ଯିବେ ବାହାରି ।।୬।।

 

(୨୫୭)

କଳିଯୁଗେ ମହିମା ନାମ ହେଲା ଉତ୍ପତ୍ତି

ଭଜ ଗୁରୁପାଦ ନୁହ ଅପ୍ରୀତି ।। ପଦ ।।

ବ୍ରହ୍ମରୂପେ ରହିଛି ଘୋଟି      ଚିଠିପତ୍ର ଦେଉଛି କାଟି

ସେ ନିତି ପ୍ରତି, ଚନ୍ଦ୍ର ସୂର୍ଯ୍ୟ

ବେନି ଯା ବଚନ ମାନି

ଫେରୁଛନ୍ତି ଯାର ଆଜ୍ଞା ନ ମେଣ୍ଟି ।।୧।।

ଠାବେ ଠାବେ ସମ୍ପଦ କୋଟି      ଅଧିକାରୀ ଅଛନ୍ତି ଖଟି

ସେ ଛନ୍ତି ଆକୋଟି,

କୁଟୁମ୍ବ ଜଞ୍ଜାଳ କେବେ ନୁହେ ଭଲ

ଚିନ୍ତାରେ ମୋ ମନ ହେଉଛି ଘାଣ୍ଟି ।।୨।।

ନ ବସିଲେ ବୈଷ୍ଣବ କି      ଅର୍ଜିବାରେ ନିରତେ ମାତି

ସେ ଦିବସ ରାତି, ପର ଧନେ

ବଡ଼ ହେବେ ପାପୀ ମୂଢ

ନ ଜାଣିଲେ ଆତ୍ମା ଉଦ୍ଧାର ଗତି ।।୩।।

ମାୟା ମୋହେ ମଜ୍ଜିବେ ନିତି      କରୁଥିବେ ଅଜ୍ଞାନେ ପ୍ରୀତି

ସେ ଧର୍ମ ନ ଚିନ୍ତି, ଭବାର୍ଣ୍ଣବେ

ପଡ଼ି ନିଜ ପଥ ହୁଡ଼ି

କେହି ନ ରଖିବେ କାହାର ଜାତି ।।୪।।

ହୃଦପଦ୍ମେ ନ ଥିବ ଭୀତି      ବଳାଇବେ ମନ ପ୍ରକୃତି

ସେ ପରେ ପୀରତି, ସର୍ବେ

ଏକାକାର ହୋଇଯିବେ ନର

ଏବେ ଗୁରୁନାମ ଧର ହୋ ଚେତି ।।୫।।

ନ ପାଇଣ ଜ୍ଞାନର ଗତି      ଯେଉଁ ପାଦ ମୋକ୍ଷ ମୁକତି

ସେ ହୃଦେ ନ ଚିନ୍ତି, କହେ

ଭୀମଭୋଇ ହେଉଛନ୍ତି ବାଇ

ବିଷ୍ଣୁକୁଟ ମାୟା ଧନ୍ଦାରେ ମାତି ।।୬।।

 

(୨୫୮)

ପାଇକରି ଦୁର୍ଲ୍ଲଭ ତନୁ ନ ଭଜିଲୁ ତ

ମୋହେ ପଡ଼ି ଚିତ୍ତ ହେଲା ମୋହିତ ।। ପଦ ।।

ଥିଲେଟି ଏ ତାତ ମାତ

କି ପ୍ରକାରେ ହୋଇଲେ ଯୁକ୍ତ

ସେ ଜନ୍ମିଲା ସୁତ, ଖେଳୁଥାନ୍ତି

ଦାଣ୍ଡେ ଧୂଳି ମାଖି ପିଣ୍ଡେ

ନ ଥିଲା ଏ ପୃଥ୍ୱୀର ଆତଯାତ ।।୧।।

କାହିଁ ଥିଲା ଜୀବ ଆତ୍ମା ତ

କରି କି ତପସ୍ୟା ଯୁକତ

କହିବେ ସାଧୁ ସନ୍ଥ, କି ରୂପେ

ଅଇଲା ପିଣ୍ଡେ ସଞ୍ଚରିଲା

କାହିଁ ଆସନ ବାନ୍ଧିଲା ସେ ତ ।।୨।।

ନ ଥିଲା ଏ ବେଦ ବେଦାନ୍ତ

ଶିକ୍ଷା କଲା ଏତେ ଚରିତ

ନାନା ବିଧିମତ, ହୋଇଲା

ସିଆଣ ପାଇଲା ସେ ଜ୍ଞାନ

କାହୁଁ ଉଦେ ହେଲା ଯୋଗ ସିଦ୍ଧାନ୍ତ ।।୩।।

ନ ଥିଲା ଏ ଧର୍ମାଦି ସତ୍ୟ

ଶାନ୍ତଶୀଳ ଦୟା ମହତ୍ତ୍ୱ

ସକତ ବକତ, ନ ଥିଲା ପବନ

ହୋଇଥିଲା ଶୂନ୍ୟ

କାହୁଁ ଜନମ ହେଲା ପଞ୍ଚଭୂତ ।।୪।।

ଶରଣରେ କରି ବାଞ୍ଛିତ

ହୃଦୟରେ କଥା ପାଞ୍ଚିତ

ଅକ୍ଷର ରଞ୍ଜିତ, ଗୁରୁଦେବ

ସ୍ୱାମୀ ସର୍ବ ଅନ୍ତର୍ଯ୍ୟାମୀ

ତାଙ୍କ ଆଜ୍ଞା ବହି ହେଲି କବିତ ।।୫।।

ଭଣେ ଭୀମ ଭୋଇ ଅରକ୍ଷିତ

ଗୁରୁପାଦେ ଲଗାଇ ଚିତ୍ତ

ଭରସା ବହୁତ, ତ୍ରାହିକର

ମୋତେ ତ୍ରିପୁର ଜଗତେ

ଗୁରୁଦେବ ସ୍ୱାମୀ ବଡ଼ ସମର୍ଥ ।।୬।।

 

(୨୫୯)

ସେବା କଲେ ସୁଦୟା ହେବ ନିଜ ଅଙ୍ଗରୁ

ଉଦ୍ଧାର ହୋଇବ ମାୟା ସଂସାରୁ ।। ପଦ ।।

ଭେଦ କର ହୃଦ ପଦ୍ମରେ      ଧ୍ୟାନ କର ପାଦ ବିନ୍ଦରେ

ନିଷ୍କାମ ମନରେ, ନିର୍ବେଦରେ ଧ୍ୟାନ କର ସୁଜ୍ଞଜନ

ସେ ଅଟନ୍ତି ପିଣ୍ଡ ପ୍ରାଣର ଗୁରୁ ।।୧।।

ବ୍ରହ୍ମାଣ୍ଡରେ ଶ୍ରୀଗୁରୁ ବଡ଼      ଚିହ୍ନିବାର ଅଟଇ ଜଡ଼

ଆଉ କଥା ଛାଡ଼, ଅଲେଖ ପୁରୁଷ ନିଶ୍ଚେ ହେବେ ଦୃଶ୍ୟ

ତରିଯିବ ମାନବ ଜନମରୁ ।।୨।।

ସତ୍ୟ ଧର୍ମ ସଂସାରେ ସାର      ଅସାରକୁ ଦୁରାନ୍ତ କର

ଅନ୍ତରେ ନ ଧର, କର ଦୃଢ ବ୍ରତ ହେବ ପରାପତ

କ୍ଷରି ଆସୁଛି ଅବନା ମନ୍ଦିରୁ ।।୩।।

ଅକୂଳ ମହିମା ସାଗର      ତହିଁ ମଧ୍ୟେ ବ୍ରହ୍ମ ବିହାର

ପାଇବ ଗୋଚର, ସଦବ୍ରହ୍ମଜ୍ଞାନ ଯୋଗୀଙ୍କର ଧନ

ମୁଦା ପଡ଼ିଥିଲା ଚାରିଯୁଗରୁ ।।୪।।

ଫିଟିଅଛି ଢାଙ୍କୁଣୀ ମୁଦ      ଭଜି ହୁଅ ମନରେ ବୋଧ

ହୃଦପଦ୍ମେ ଭଜ, ନିଷ୍କାମ ସେ ବ୍ରହ୍ମ ନ ଲାଗଇ କର୍ମ

ଛଡ଼ାଇ ହୋଇଅଛି ଆଦ୍ୟନ୍ତରୁ ।।୫।।

ଭଣେ ଭୀମ ଭୋଇଅର୍କ୍ଷିତ      ମହା ବ୍ରହ୍ମଶୂନ୍ୟ ସମ୍ଭୂତ

ଶୂନ୍ୟେ ଆତଯାତ, ସୁଭାଗ୍ୟର ବଳେ ଉଦୟ ହୋଇଲେ

ଅନନ୍ତ ନାହିଁ ପିଣ୍ଡ ବ୍ରହ୍ମାଣ୍ଡରୁ ।।୬।।

 

(୨୬୦)

ଗୁରୁ କଟାକ୍ଷ କଲେ ଯହୁଁ ହୃଦରେ

ପାଇ ପରତେ ଭଜିଲି ମୁଁ ନିରନ୍ତରେ ।। ଘୋଷା ।।

ଫିଟାଇ କିଳିଣୀ ଯନ୍ତ୍ର ଜ୍ଞାନ ମନ୍ତ୍ରରେ

ପ୍ରତ୍ୟକ୍ଷେ ଦେଖିଲି ରୂପ ମହା ନିତ୍ୟରେ,

ଖେଳୁଛି ଶିଶୁମେଳେ      ଦଧି ସମୁଦ୍ର କୂଳେ

ବୀଣା ବଂଶୀ ବାଜୁଛି      କଦମ୍ବ ତରୁମୂଳେ

ସୁରତି ଲୀଳା ରସ      ସତୀ ରାଧିକା ତୁଲେ

ନିତ୍ୟ ଲୀଳା ହେଉଛି      ଆଦ୍ୟ ବୃନ୍ଦାବନରେ

ଷୋଳ ସହସ୍ର ଗୋପୀ      ପଡ଼ି ଅଛନ୍ତି ଭୋଳେ

ଅକ୍ଷୟ ଅଣାକାର      ବିଜୟ ସେଠାବରେ

ପଞ୍ଚପ୍ରକାରେ ବାଦ୍ୟ ବୀଣା ଛନ୍ଦରେ ।।୧।।

ନବ ମୁନିଗଣ କରି ମଣ୍ଡଳୀ ସଭା,

ତହିଁପରେ ବିଜେ ଶୂନ୍ୟ ପୁରୁଷ ଦେବା,

ସେଠାରେ ନବଋଷି      ସତ୍ୟ ସାର ପ୍ରକାଶି

ଯାକୁ ଯେମନ୍ତ ଦିଶେ      ଲିହି ପୁରାଣେ ଘୋଷି

ବ୍ରହ୍ମଜ୍ଞାନରେ ପଶି      ନାମ ଅଛନ୍ତି ରସି

ଅବ୍ୟକ୍ତ କର୍ମେ ମିଶି      ଯୋଗଧ୍ୟାନରେ ବସି

ଶାସ୍ତ୍ର ଶ୍ଳୋକାଦି ଗ୍ରନ୍ଥ ନବ ପ୍ରକାରେ ।।୨।।

ସଭା ମଣ୍ଡାଇଛି ସୁରପତି ନାଏକା,

ଚନ୍ଦ୍ରାତପ ଚମତ୍କାର ଦିଶେ ଧାଡ଼ିକା,

ରମ୍ଭା ନାରୀ ସୁନ୍ଦରୀ      ମେନକା ଅପସରୀ

ଅମର ବିଳାସିନୀ      କିନ୍ନରୀ ବିଦ୍ୟାଧରୀ

ସଭା ଆସ୍ଥାନ ମଧ୍ୟେ      ନୃତ୍ୟ ମଙ୍ଗଳକାରୀ

ଦେବ ସଭା ବିହାରୀ      ଶଚୀ ବଲ୍ଲଭ ନାରୀ

ରତ୍ନକନକ ମଣ୍ଡପର ଉପରେ ।।୩।।

ବିଷଜ୍ୱାଳାରେ ଅଚେତ ସେ ଶୂଳଧର,

ପଡ଼ିଅଛନ୍ତି ଶ୍ମଶାନେ ଭୂମି ମଧ୍ୟର,

ଅନାଦି ଆଦିସୁର      ଭୂତ ପ୍ରେତ ଈଶ୍ୱର

ଅଷ୍ଟାଙ୍ଗ ଯୋଗାଧର      ହେଲେ ସେ ନିରାକାର

ସମ୍ପଦେ ଅଧିକାର      ପାର୍ବତୀ ପ୍ରାଣେଶ୍ୱର

ଯେ ଯାହା ବାଞ୍ଛା କରେ      ଯାଚି ଦେଉଛି ବର

ଯୋଗୀ ଯୋଗାନ୍ତି ହୋଇ ଯୋଗ ଧ୍ୟାନରେ ।।୪।।

ବ୍ରହ୍ମା ବେଦବର ଅଷ୍ଟନୟନ ତାର,

ଚାରିବେଦ ଚତୁର୍ମୁଖେ କରି ପ୍ରଚାର,

କରୁଛି ଆତଯାତ      ଯା ଯେତେ କର୍ମବିତ୍ତ

ପାପୀ ନର୍କେ ଭିପତ      ଧର୍ମାଦି ସ୍ୱର୍ଗପଥ

ଯା ଯେତେ ଫଳଶ୍ରୁତ      ଲଲାଟରେ ଲିହିତ

ଏ ତ୍ରିପୁର ଜଗତ      କଳ୍ପନା କରି ନିତ୍ୟ

ରଚନା କରି ଧ୍ୟାନ ଦିବା ନିଶିରେ ।।୫।।

କୁଞ୍ଜବନେ ନୃତ୍ୟ କରେ ନଟବରନା,

ଦେଖ ଛବି ଷଡ଼ବେଦ ପରେ ଭାବନା,

ଭଣିଲେ ଭୀମଭୋଇ      ପରମାର୍ଥରେ କହି

କଦମ୍ବ ବୃକ୍ଷ ଯେହି      ଓଲଟେ ଅଛି ରହି

ଗୁରୁଚରଣେ ଧ୍ୟାୟି      ବାରମ୍ବାର କହଇ

ତେତିଶ କୋଟି ଦେବ      ଶ୍ରବଣ ଡେରି ରହି

ଶୁଣ ଲୀଳାବିନୋଦ ଶୂନ୍ୟ ମନ୍ଦିରେ ।।୬।।

 

(୨୬୧)

ଦିନ ପାହିଲା ଯୁଗ ହେଲାଣି ଶେଷ ।

ଖଣ୍ଡି ଅପରାଧ କ୍ଷମା କର ମୋ ଦୋଷ ।। ଘୋଷା ।।

ଅଲେଖ ମହିମା ସ୍ୱାମୀ ବିଜେ ସଂସାରେ

କ୍ଳେଶ ପାଉଛନ୍ତି ଭକ୍ତଙ୍କ ନିମନ୍ତରେ,

ଧନ୍ୟ ଏ କଳିଯୁଗ      କି ଭାଗ୍ୟ କରିଥିଲା

ପ୍ରତ୍ୟକ୍ଷରେ ପ୍ରଭୁଙ୍କ      ନିଜ ରୂପ ଦେଖିଲା

ନିର୍ବେଦ କର୍ମେ ପ୍ରଭୁ      ଲଗାଇଛନ୍ତି ଲୀଳା

ଆତ୍ମା ଭକତି ଭାବ      କାହିଁ ଦେଖା ନ ଥିଲା

ରୂପ ଦେଖି ଜଗତେ      ହେଉ ଅଛନ୍ତି ଭୋଳା

ଅଜ୍ଞାନୀ ଜନମାନେ      ବୁଜନ୍ତି ବେନି ଡୋଳା

ମୁକ୍ତି ପସରା ଢାଙ୍କୁଣୀ      ହୋଇଅଛଇ ମେଲା

ଚିହ୍ନି ଭଜିବ ଯେହୁ      ହେବ ଅବଧୂତ ବଳା

ବେଳହୁଁ ଲାଗିଅଛି      ଅକ୍ଷୟ ବ୍ରହ୍ମକଳା

ହେଳା କଲେ ସହଜେ      ବୁଡ଼ିଯିବଟି ଭେଳା

ଜାଣୁ ଜାଣୁ ମୁଁ ନିଶ୍ଚେ ହେଲି ବିନାଶ ।।୧।।

ଛପନକୋଟି ଜୀବଙ୍କୁ ତାରିବା ପାଇଁ

ନିଜରୂପେ ବିଜେ କେ ଜାଣିବାକୁ ନାହିଁ

ବ୍ରହ୍ମାଣ୍ଡ ସ୍ୱାମୀ ମୋର      ପାଉଛନ୍ତି କଷଣ

କର୍ଣ୍ଣେ ଶୁଣି ମୋ ପିଣ୍ଡେ      ନ ରହୁଛି ଜୀବନ

ସ୍ଥିର ମୋ ହୃଦୟରେ      ନ ରହେ ପଞ୍ଚପ୍ରାଣ

ଭାଳି ମରୁଛି ନିଜେ      ଝୁରୁଛି ରାତ୍ର ଦିନ

କିସ ବର୍ଣ୍ଣିବି ପଦ      ମାଡ଼ୁଅଛି ରୋଦନ

ନୟନୁ ଅଶ୍ରୁଜଳ      ବହୁଛି ଘନ ଘନ

ତିନି ବ୍ରହ୍ମାଣ୍ଡ ମୋତେ      ଦିଶୁଛି ଧୂମ୍ର ବର୍ଣ୍ଣ

ପାପ ଘୋଟିଲା ପୃଥ୍ୱୀ      ଉଦେ କରାଅ ପୁଣ୍ୟ

ଆଜ୍ଞା ପଡ଼ୁ ମୋଠାରେ      କରିଯିବି ଦର୍ଶନ

ଜାଣିଲଇଁ ଏଥର      ଜଗତ ହେବ ଶୂନ୍ୟ

ନିଶ୍ଚେ ପାଦପଦ୍ମକୁ କରିଛି ଆଶ ।।୨।।

ଆଜ୍ଞା ଦେଇଥିଲେ ପ୍ରଭୁ ଯେତେ ଦିନକୁ

ପ୍ରଘଟ ହେଲାଣି ଯୁଗ ବେଳୁବେଳକୁ

ଅଭୟ ମଣ୍ଡଳରେ      ଅନାଦି ଯୋଗେଶ୍ୱର

ବିଚାର କଲାବେଳେ      ଥିଲି ମୁଁ ଶ୍ରୀଛାମୁରେ

ଆଜ୍ଞା ହେଲେ ମୁଁ ହେବି      ପ୍ରବୁଦ୍ଧ ଅବତାର

ମୁହିଁ ବୋଇଲି ମୋତେ      ମର୍ତ୍ତ୍ୟରେ ଜାତକର

କୃପା କରି ବୋଇଲେ      ଯାଅସିରେ କୁମର

ମୁହିଁ ଯାଉଛି ଆଗେ      ତୁ ଏବେ ଶୁଭକର

ଅନନ୍ତ କୋଟି ସାଧୁ      ଚୌଷଠି ସିଦ୍ଧ ମୋର

ଅଚେତା ହୋଇ ଜନ୍ମି      -ଛନ୍ତି ଗୃହ ଭିତର

ଭେଟ ପାଇବୁ ଦୀକ୍ଷା      ଉଦେ ପୂର୍ବଦିଗର

ବସି ବର୍ଣ୍ଣିବି ପଦ      ତୋହ ହୃଦ କନ୍ଦର

ଶୂନ୍ୟ ମହିମାଧ୍ୱନି ହେବ ପ୍ରକାଶ ।।୩।।

ତେର ଅଙ୍କରୁ ଆକୁଳେ କମ୍ପୁଛି ଦେହ,

ସତର ଅଙ୍କ ହେଲାଣି ବହୁଛି ଲୁହ

ମୁଁ ଯେ ଯୁବତୀ ନାରୀ      ବହୁତ ଆଶା କରି

ଛାମୁକୁ ଅନୁସରି      ଭେଟିବଇଁ କିପରି

ବନେ ବନେ ଖୋଜୁଛି      ଚିଆଁ ଚୈତନ୍ୟ ଧରି

କିମ୍ପା କରୁଛ ମୋତେ      ବିଚ୍ଛେଦ ଯୁବାପରି

ପିନ୍ଧିଲାର ବସନ      ହେଲାଣି ମୋତେ ଭାରି

ବହି ନ ପାରେ ପିଣ୍ଡ      ଚକଟା ମାଟି ପରି

ମାୟା ମୋହରେ ପଡ଼ି      ନିତ୍ୟେ ହେଉଛି ଘାରି

କେତେ ଦିନକୁ ଆଜ୍ଞା      ହେବ ଶୂନ୍ୟ ବିହାରୀ

ଯେହ୍ନେ ଜଳକୁ ଅନୁସରି ପୀୟୁଷ ।।୪।।

ହେଳା କଲେ ଭେଳା ବୁଡ଼ି ଭାସିଲା ଜୀବ,

କେତେ ଦିବସକୁ ସିଦ୍ଧ କରୁଛ ଶୁଭ,

ଅନାଦି ବ୍ରହ୍ମ ବିଜେ      କରିଛ ରବିତଳେ

ପାରି କରିବ ପରା      ଏ ଘୋର କଳିକାଳେ

ଛାଡ଼ି ଦେଇଛ ମୋତେ      ଦୁଷ୍ଟଗଣଙ୍କ ମେଳେ

ଢାଉ ରଙ୍ଗ ପସରା      ଦେଖି ପଡ଼ୁଛି ଭୋଳେ

ଭାସି ଯାଉଛି ମୁହିଁ      ଅଗାଧ ସିନ୍ଧୁଜଳେ

ଦେଖ ଦେଖ ମୁଁ ପଡ଼ି      ଗଲିଟି ରସାତଳେ

ପିଣ୍ଡ ପ୍ରାଣ ସମର୍ପି      ଦେଇଛି ପାଦତଳେ

ସହି ନ ପାରି ଉଚ୍ଚେ      ଡାକୁଅଛି ବିକଳେ

ଚାଲି ଯିବାକୁ ମୋର      ବେନିପାଦ ନ ଚଳେ

ଅଭୟ ଶୂନ୍ୟବାନା      ଉଡ଼ୁଛି ଏତେବେଳେ

ବାରେ ଉଦ୍ଧରି ଧର ଶୂନ୍ୟ ପୁରୁଷ ।।୫।।

ଆକାଶକୁ ଚାହିଁ କେତେ ବର୍ଣ୍ଣିବି ପଦ,

କଳିଯୁଗ ମୋରଠାରେ ଲାଗିଛି ବାଦ,

ଭଣେ ଭୀମ ଅରକ୍ଷିତ      ମଥାରେ ଦେଇ ହସ୍ତ

ଚଣ୍ଡୀ ଚାମୁଣ୍ଡାଗଣ      ଆସୁଅଛନ୍ତି ନିତ୍ୟ

ଆସନ ଚଉକତି      ବେଢିଛନ୍ତି ଏକାନ୍ତ

ଜଗିଛନ୍ତି ନିର୍ବନ୍ଧେ      ଛାଡ଼ି ନ ଦ୍ୟନ୍ତି ପଥ

ପ୍ରଥମ ଆସନରେ      ହେଉଛି ଏତେ କୃତ୍ୟ

କାଳ ବିକାଳ ଆସୁ-      ଅଛନ୍ତି ଭୂତ ପ୍ରେତ

ବିଷ୍ଣୁ ମାୟା କୂଟରେ      ରହୁନାହିଁ ମହତ

କଟାଳ କରି ମୋତେ      ଜାଗୁଛନ୍ତି ନିୟତ

ପିଣ୍ଡ ବ୍ରହ୍ମାଣ୍ଡ ସ୍ୱାମୀ      କର ହେ ରକ୍ଷାଗତ

ଦୟାକର ହେ ସ୍ୱାମୀ      ଅଲେଖ ଅବଧୂତ

ତିନି ବ୍ରହ୍ମାଣ୍ଡେ ମୋର ନୋହୁଛି ବାସ ।।୬।।

 

(୨୬୨)

ଶୂନ୍ୟ ସ୍ୱରୂପବାସୀ ଅରୂପାନନ୍ଦ

ମର୍ତ୍ତ୍ୟପୁରେ ବିଜେ ଦେଖ ଉଦୟେ ଚାନ୍ଦ ।। ଘୋଷା।।

ମୂଳ ନ ଥାଇ ତଳକୁ ଭେଦିଛି ଚେର

ଡାଳ ଡେମ୍ଫ ନାହିଁ ବୃକ୍ଷେ ଫଳିଛି ଫଳ

ଅତି ସୁରଙ୍ଗ ତରୁ      ବୃକ୍ଷକୁ ଫଳ ଗରୁ

ପବନେ ନ ଟଳଇ      ଶୂନ୍ୟେ ଅଟଳମେରୁ

ଡେମ୍ଫ ନାହିଁ ପତର      ଶୁଭୁଛି ଖର ଖର

ପଞ୍ଜୁରୀ ଭିତରେ ଶାରୀ କରୁଛି ନାଦ ।।୧।।

ପାଦ ପାଣି ନାହିଁ ଚାଲେ ଅଶେଷ ଧାପ

ମୁଖ ନ ଥାଇ ଡାକନ୍ତି ଆସ ମୋ ବାପ

କାମିନୀ ଧନ୍ଦା ଦେଇ      ମନେ ପାଉଛି ତାପ

ଝିଅ ସଙ୍ଗତେ ମାତି      କ୍ରୀଡ଼ା କରୁଛି ବାପ

ପାପ ନ ଲାଗୁଅଛି      ଯେସନେ ଅଗ୍ନି ତାପ

ବାପ ନ ମରୁଣୁ ପୁଅ ହେଉଛି ଶୁଦ୍ଧ ।।୨।।

ଗାବ ନ ଥାଇ ବାଛୁରୀ ଗୋଡ଼ାଏ ପଛ

ଗହ ଗହ ହେମ୍ବାରାବ ଦେଉଛି ବତ୍ସ

ମୂଳ ନାହିଁ ଗଉଡ଼      ନିଏ ଗାଈଚରାଇ

ବନରେ ନାହିଁ ବ୍ୟାଘ୍ର      ଖାଉଛି ଚମକାଇ

ବାଣୁଆ ନାହିଁ ବ୍ୟାଘ୍ର      କର୍ଣ୍ଣେ ଗୁଳି ବାଜଇ

ହୁରି ନାହିଁ କମ୍ପୁଅଛି ପର୍ବତକନ୍ଦ ।।୩।।

ହଳିଆ ନ ଥାଇ ଶୂନ୍ୟେ ହେଉଛି ଚାଷ

ଘର ନାହିଁ ସଜାଡ଼ୁଛି ରୁଅ ବାଉଁଶ

ହାଟୁଆ ନାହିଁ ତହିଁ      ହାଟ ବସି ଅଛଇ

ଜିନିଷ ନାହିଁ ବିକା      ଦର ମାଗୁ ଅଛଇ

ବିଦେଶୀ ନାହିଁ ତହିଁ      ଗଣ୍ଠିଳ ପଡ଼ିଛଇ

ନଫା କଉଡ଼ି ମଜା କେଡ଼େ ସୁଆଦ ।।୪।।

ଆଧାର ନ ଖାଇ କିଛି ପୂରିଛି ପେଟ

ନାବ ନାହିଁ କଇବର୍ତ୍ତ ଜଗିଛି ଘାଟ

ମୂଲ ନାହିଁ ନାଉରୀ      କରୁଅଛଇ ପାରି

ବରଷା ନାହିଁ ନଦୀ      ଦୁଇ କୂଳ ବିସ୍ତାରି

ମାରୁଅଛି ଲହରୀ      ନାବ ମଙ୍ଗ ଓଟାରି

ବରଷା ନ ଥାଇ ଶୁଭେ ଘଡ଼ଘଡ଼ି ନାଦ ।।୫।।

ସୂର୍ଯ୍ୟକିରଣ ନ ଥାଇ ପଡ଼ିଛି ତେଜ

ଆଦ୍ୟ ନ ଜାଣି ବୋଲନ୍ତି ସମସ୍ତେ ଭଜ

ଏକ ଗୋଟି ପାଦକୁ      ଦୁଇପାଦ ବିରାଜ

ବୋହୂର ଛଡ଼ ପୁତ୍ର      ଶାଶୁ ମୂଳରୁ ବାଞ୍ଜ

ଭଣିଲେ ଭୀମ କନ୍ଧ      ମୁଁ ପାପୀଜନ୍ମ ଅନ୍ଧ

ଭାଗ୍ୟ ଥିଲେ ଧରିଥିବି ଶ୍ରୀଗୁରୁ ପାଦ ।।୬।।

 

(୨୬୩)

ଧ୍ୟାନ ଧଇର୍ଯ୍ୟେ ଗୁରୁପାଦ ସୁମର ।

ଦାରା ସୁତ ବିତ୍ତ ନ ଯିବେଟି ସଙ୍ଗର ।। ଘୋଷା ।।

ଯେତେ ଦିବସରୁ ପିଣ୍ଡ ରଚନା ହେଲା,

ସେତେଦିନଠାରୁ ମାୟାମୋହ ଘୋଟିଲା ।

ଆଦି ଗର୍ଭରେ ସିଦ୍ଧି      ରୋମ ଚର୍ମରେ ଭେଦି

ପଶିଲା ମାୟାବୁଦ୍ଧି      ପ୍ରବୃତ୍ତିକି ସମ୍ପାଦି

ବିକୃତି ଉଦ୍ଦୀପନ      ପ୍ରେମହାସ୍ୟକୁ ଭେଦି

ପ୍ରେମହାସ୍ୟରୁ କାମ      କଳ୍ପଣା ଘରେ ବନ୍ଦୀ

ତେଣୁ ପଡ଼ିଲା ମାୟା ମୋହ ବନ୍ଦିର ।।୧।।

ଦୁର୍ଲ୍ଲଭ ଜନମ ପିଣ୍ଡ ନିଶ୍ଚିନ୍ତେ ହେଲା,

ଉତ୍ପତ୍ତିରୁ ସ୍ଥିତି କରି ଫେରି ମାଇଲା ।

ଆଗେ ଖୁଆଇ ଖଣ୍ଡ      ବୁହାଇ ଦେଲା ଦଣ୍ଡ

ଘୋଟିଲା କର୍ମକାଣ୍ଡ      ଭୂମି ପଡ଼ିଲା ପିଣ୍ଡ

ଛିଣ୍ଡିଲା ଗଣ୍ଡି ମୁଣ୍ଡ      ହୋଇଲା ଖଣ୍ଡ ଖଣ୍ଡ

ଜଳେ ମୃତ୍ତିକା ଭାଣ୍ଡ      ପରାୟେ ମସିଗୁଣ୍ଡ

ମଥାପରେ ପିଟିଲା ବଜ୍ରପ୍ରହାର ।।୨।।

ଜାଣି ଜାଣି ସବୁ ନ ଜାଣିବାର ହେଲା,

ବ୍ରହ୍ମଶପ ପାଇ ତେଣୁ ଅଳପେ ମଲା ।

ଜୀଇଁବା ସୁଚିଥିଲା      ମରଣ ମୂଳ କଲା

ସୁଖଭୋଗ ରହିଲା      ଯୋଗକୁ ନ ଧଇଲା

ପାଇ ପ୍ରକୃତି ଲୀଳା      ସକଳ ପାସୋରିଲା

ଆପଦକୁ ସେ ସତ୍ୟ      ବୋଲିଣ ଆଦରିଲା

ନିତ୍ୟେ ଭାବେ ମଜ୍ଜିଲା ଭବ ଦୁଆର ।।୩।।

ଆଉ କଥା ମାନ ସବୁ ଦୂରକୁ ଛାଡ଼,

ନିଶ୍ଚୟ ଅନ୍ତଃକାଳରେ ପାଇବୁ ମାଡ଼ ।

ଭାରିଜା ରୂପେ ଦେବୀ      ଜଗିଥିବ ବାଟରେ

ପୁତ୍ର ରୂପେ ପ୍ରକୃତି      ଜଗିଥିବ ପାଶରେ

କାଳଗଣେ କଟାଳ      କରିବେ ନିରନ୍ତରେ

ପ୍ରହାର କରି ମାଡ଼ି      ବସିବେ ଏ ଦେହରେ

ଚଉଦିଗେ ଦିଶିବ ସବୁ ଅନ୍ଧାର ।।୪।।

ଶୁଣ ସାଧୁ ସୁଜ୍ଞଜନେ ପ୍ରଳୟ କଥା,

ମାଟି ପଥରକୁ ରଚିଅଛି ବିଧାତା ।

ନବତନୁରେ ମହୀ      ଯିବ ପ୍ରଳୟ ହୋଇ

ଉଲୁକାପାତ ହୋଇ      ଶୂନ୍ୟ ଶବଦେ ବାଇ

ଚନ୍ଦ୍ର ସୂର୍ଯ୍ୟ ଲୁଚିବେ      ମେରୁ ତ୍ରିକୂଟେ ଯାଇ

ତ୍ରିପୁର ଅନ୍ଧକାର      ନକ୍ଷତ୍ରଗଣ ନାହିଁ

ଶୂନ୍ୟ ଆକାଶେ ଘୋଟିଯିବ କୁହୁର ।।୫।।

କାରୁଣ୍ୟ-ଜଳ ଘୋଟିବ ଯେବଣ ଦିନେ,

ଯୋଗୀମାନେ ଆସନ ବାନ୍ଧିଥିବେ ଶୂନ୍ୟେ ।

ମନ ହୋଇ ଆସନ      ଉଡ଼ିବେ ସର୍ବଜନ

ଉଜାଣି ଉଠି ଶୂନ୍ୟ      ବ୍ରହ୍ମରେ ହେବ ଲୀନ

ଭାଙ୍ଗିବ ମେରୁ ଦ୍ରୁମ      ବ୍ରହ୍ମାଣ୍ଡ ହେବ ଶୂନ୍ୟ

ସ୍ୱର୍ଗରେ ଦେବଗଣ      ହୋଇବେ ରଣଭଣ

ତିନିଭୁବନ ହେବ ଜଳବିମ୍ବର ।।୬।।

ବୁଦ୍ଧିଥିବା ଲୋକମାନେ ହେଲେଣି ବଣା,

ସାମର୍ଥକ ପଣ ଧନ ହେଲାଣି ଉଣା ।

ବୁଦ୍ଧି ହେଲାଣି ବାମ      ଆଶ୍ରୟ ନାହିଁ ନାମ

ହୋଇଲେଣି ଅଧମ      ମାୟା ମୋହରେ ଭ୍ରମ

ନ କରି କ୍ରିୟା କର୍ମ      ଅଚେତାରେ ଅଜ୍ଞାନ

ଛାଡ଼ିଣ ସତ୍ୟପଥ      ଅଧର୍ମ ଆଚରଣ

ହେତୁଚେତା ମନେ ନାହିଁ କାହାର ।।୭।।

ଜନମ ଦିନରୁ ଯେତେ କରିଛି ଦୋଷ,

ସଂଖ୍ୟା କରି ସୁଶାସ୍ତ୍ରେ ମୁଁ କହିବି କିସ ।

ଅନ୍ତର୍ଯ୍ୟାମୀ ପୁରୁଷ      ଜାଣୁଥିବେ ଅବଶ୍ୟ

ଯୁଗ ହେଲାଣି ଶେଷ      ନ କରିବ ନିରାଶ

କରିଣ ଦାସୀ ଦାସ      ରଖିଣ ଥିବ ପାଶ

କୃପା କଲେ ବହନ      ଯିବ ପାପ କଳୁଷ

ଅଣ ବୁଝାମଣା ହେଲାଣି ସଂସାର ।।୮।।

ଗୁରୁ ନାତ ବାଜିବାରୁ ପାଇଲି ପଦ,

ଅବନା ମନ୍ଦିରୁ ବଖାଣିଲି ନିର୍ବେଦ ।

ଯୋନି ଜନମ ପିଣ୍ଡ      ଲଭିଅଛି ବ୍ରହ୍ମାଣ୍ଡ

ଏ ଯୁଗ ପରଚଣ୍ଡ      ହେଲାଣି ନବଖଣ୍ଡ

ନାଶଯିବ ବ୍ରହ୍ମାଣ୍ଡ      ଆଦି ମାନବ ପିଣ୍ଡ

କୁଢ କୁଢ ହୋଇଣ      ଛିଡ଼ିବ ଗଣ୍ଡି ମୁଣ୍ଡ

ଦୋଷ ଅପରାଧ କ୍ଷମା କରି ଉଦ୍ଧାର ।।୯।।

ଷୋଳ ବରଷଠାରୁ କଲି କବିତ୍ୱ,

ଏକା ରାଗେ ବାନ୍ଧିଲି ମୁଁ ଦି’ ଯୋଡ଼ା ଗୀତ ।

ଭଣେ ଭୀମ ଅର୍କ୍ଷିତ      ଗୁରୁ ମୋ ସାମରଥ

ଅଭୟ ବାନା ତଳେ      କରିଅଛି ଆଶ୍ରିତ

ଏକାକ୍ଷର      ପୟରୁ      ଆପ୍ୟାନ ସୁଧାମୃତ

କରୁଣା କରିବାରୁ      ଅନାଦି ଅବଧୂତ

ଜ୍ଞାନ ନେତ୍ରେ ଦେଖିଲି ବାହ୍ୟ ଭିତର ।।୧୦।।

 

(୨୬୪)

ଅଇଲି ଧୂନି ମନ୍ଦିର,

ପଶ୍ଚିମ ଦିଗେ ମୋ ଘର ବହୁତ ଦୂର ।। ପଦ ।।

ଅନ୍ତର୍ଯ୍ୟାମୀ କର୍ତ୍ତା ଏଥି ବିଜୟେ ବୋଲି,

ଖଣ୍ଡେ ଦୂରୁ ବସି ଉଠି ଆସୁଛି ଚାଲି,

ଶୂନ୍ୟେ ଜଳୁଛି ବତୀ      ବାନା ଉଡ଼ୁଛି କ୍ଷିତି

ମାଗିବଇଁ ବର ଭାଗ୍ୟେ ଯା ଅଛି ମୋର ।।୧।।

ହରତା କରତା ପ୍ରଭୁ ପ୍ରାଣର ପତି,

ଚଉଦିଗେ ଫେରୁଅଛି ଯଶ କୀରତି,

ଚିତ୍ତ ମନକୁ ଜାଣି      ସେବା ଭକତି ଘେନି

ଯାହା ବାଞ୍ଛା ଅଛି ପ୍ରଭୁ ଦିଅ ଏଥର ।।୨।।

ଯେତେବେଳେ ବ୍ରହ୍ମଧୂନି ସ୍ଥାପିଲେ ମଞ୍ଚେ,

ଅଲେଖ ମହିମା ଡାକ ଶୁଭିଲା ଉଚ୍ଚେ,

ଅନ୍ତର୍ଯ୍ୟାମୀଙ୍କ ବାନା      ଏବେ ପଡ଼ିଲା ଚିହ୍ନା

ନାମ ଅନନ୍ତ ଅଲେଖ କୃପା ସାଗର ।।୩।।

ତରିବି ବୋଲି ମୁଁ କରିଅଛି ଭରସା,

ଗୁରୁ ପାଦପଦ୍ମେ ନିତ୍ୟେ ଲଗାଇ ଆଶା,

ଯୁଗ ଏଡ଼େ ଉତ୍ପାତ      ନାହିଁ ମୋର ଆୟତ

ନିନ୍ଦା, ସ୍ତୁତି, ହାନିଲାଭ ସବୁ ତୁମ୍ଭର ।।୪।।

ଛପନକୋଟି ଜୀବକୁ ଦେଇଛ ଖଞ୍ଜା,

ଆତଙ୍ଗ ଫେଡ଼ଣ ବାନା ଦରିଦ୍ର ଭଞ୍ଜା,

ପ୍ରଭୁ ହର୍ତ୍ତା କରତା      ଗୁରୁଜ୍ଞାନ ବିଧାତା

ଗତି ପତି ସ୍ୱାମୀ ମୋର ମାତା ପିଅର ।।୫।।

ପିଣ୍ଡ ପ୍ରାଣ ବିକିଅଛି ଗୁରୁ ଦୁଆରେ,

ଧର୍ମ ଆଶ୍ରିତରେ ବୁଲୁଅଛି ସଂସାରେ,

କବି କୃତକୁ ଦୂର      ଅଛି ବହୁତ ମୋର

ଭୀମଭୋଇ ମାଗୁଅଛି ଧରି ପୟର ।।୬।।

 

(୨୬୫)

ଜନ୍ମରୁ ନିଶାଖା ପ୍ରାଣୀ

ଦୟାକର ପ୍ରଭୁ ଅନ୍ତର୍ଗତରେ ଜାଣି ।। ପଦ ।।

ଚଳୁଛି ଏକା ଅକ୍ଷର ଭଜନ ପାଦେ,

ନିଜ ଅବତାର ହୋଇଅଛନ୍ତି ଉଦେ,

ମୋତେ କହିଲେ ଭକ୍ତେ      ମନେ ଗଲି ପରତେ

ଧାଇଁ ଆସୁଅଛି ବେନି କର୍ଣ୍ଣରେ ଶୁଣି ।।୧।।

ଦୁଃଖ ସୁଖ ଶ୍ରୀଛାମୁରେ ଜଣାଣ କରି,

ପଶ୍ଚିମ ଦିଗକୁ ପୁଣି ଯିବଇଁ ଫେରି,

ବ୍ରହ୍ମ ବାକ୍ୟ ନିୟମ      ପ୍ରତିପାଳ ବହନ

ଯା ଆଜ୍ଞା ଦେବେ ଅଛି ହୃଦରୋ ଘେନି ।।୨।।

ଭଲ ଅସାର ବାରଣେ ବିପଦ ସିନା,

ଆଉ ଅଧିକରେ କିସ ଅଛି ଭାବନା,

ଯାହା ଭଲ ଅସାର      ବୁଝୁଥିବ ବିଚାର,

ଅଲେଖ ଅବଧୂତ ଯୋଗୀ ବ୍ରହ୍ମଜ୍ଞାନୀ ।।୩।।

ଯେବଣ ମନ୍ଦିରେ କରୁଥିବ ଆସନ,

ସେଠାବକୁ ଦଣ୍ଡେ ବିଜେ କର ଆପଣ,

ମୁଁ ଯେ ଅଜ୍ଞାନ ଜୀବ      ଭାଗ୍ୟେ ଯେମନ୍ତ ଥିବ

ଧୂନି ଘରେ ଦେବ ଟିକେ ଦେଖା ଦର୍ଶନ ।।୪।।

ଜଗତ ସଂସାର ଯାର ଲୀଳାର ଘର,

ମୋତେ ଆସି ଘୋଟିଲାଣି ମାୟା କୁହୁର

ଶୂନ୍ୟ ବ୍ରହ୍ମ ମହିମା      ଦୋଷ ମୋ କର କ୍ଷମା

ଉଦ୍ଧରି ଧର ଦେଇ ପାଦୁକା ପାଣି ।।୫।।

ନବଖଣ୍ଡ ମେଦିନୀରେ ପଡ଼ିଛି ଧୂନି

ଆଶ୍ରେ କରିଛନ୍ତି ସୁର ସିଦ୍ଧାନ୍ତ ମୁନି

ଭଣେ ଭୀମ ଅରକ୍ଷିତ      ଗୁରୁ ଚରଣେ ଚିତ୍ତ

କରତା ବୁଝିବେ ମୋର ଯେ ଲାଭ ହାନି ।।୬।।

 

(୨୬୬)

କରିବି କିସ ଗୁହାରି

ଅନ୍ତର୍ଯ୍ୟାମୀ କର୍ତ୍ତା ପ୍ରଭୁ ଜଗତେ ଅଛ ପୂରି ।। ପଦ ।।

କିକଥା ନ ଜାଣ ଶୂନ୍ୟବାସୀ ପୁରୁଷ

ଏ କଳିଯୁଗରେ ହୋଇଅଛ ପ୍ରକାଶ

ଲଭିଅଛି ଜନମ      ରଖିଯିବି ସୁନାମ

ବିନତି କରୁଛି ପ୍ରଭୁ ପୟର ଧରି ।।୧।।

ଅଚିନ୍ତା ପୁରୁଷ ଅନ୍ତର୍ଯ୍ୟାମୀ ହେ ନାଥ

ଦୁଃଖୀର ଜୀବନ ଧନ ଭକତ ହିତ ।

ଯେବେ ବସିବ ଦୟା      ସ୍ୱାମୀ ବୁଝିବେ ଏହା

କୃପା ହେବ ବୋଲି ଅଛି ମୁଁ ଅନୁସରି ।।୨।।

ଏକୋଇଶ ବ୍ରହ୍ମାଣ୍ଡେ ଯାର ନୟନେ ବଡ଼

କିଞ୍ଚିତ କଥାକୁ ହେଉଅଛି ଉହାଡ଼ ।

ଯାହା ଭଲ ଅସାର,      ବୁଝୁଥିବ ବିଚାର

କ୍ଷମାକୁ ଆଚରି ମୋତେ ନେବ ଉଦ୍ଧରି ।।୩।।

ଜଗତ ଭକତ ଜନ ରକ୍ଷା ନିମନ୍ତେ,

ମନୁଷ୍ୟ ଶରୀର ବହିଅଛ ସାକ୍ଷାତେ ।

କେହୁ ଚିହ୍ନିବ ଆଜି      ସତ୍ୟ ଯାଉଛି ହଜି

ମିଛପାପେ ସମସ୍ତେ ଗଲେଣି ପହଁରି ।।୪।।

ସିଦ୍ଧାନ୍ତ ବୈଷ୍ଣବ ବୋଲି ସର୍ବେ କହନ୍ତି

ଗୁରୁ ବୋଲି ପ୍ରତେ ନାହିଁ କାହାରି ମତି ।

ଏ ଯେ ନୁହନ୍ତି ପ୍ରଭୁ      ମାୟା କଥା ଏ ସବୁ

ଇତର ମଣୁଅଛନ୍ତି ଗୃହୀ ସଂସାରୀ ।।୫।।

ମହାଶୂନ୍ୟ ପୂର୍ଣ୍ଣବ୍ରହ୍ମ ବୁଦ୍ଧ ରୂପରେ,

କେହି ନ ଜାଣୁଛ ଜମ୍ବୁଦ୍ୱୀପ ମଧ୍ୟରେ ।

ସର୍ବେ ମଣିଲେ ମିଛ      ହୋଇଗଲେ ମେଳଚ୍ଛ

ଭଣେ ଭୀମ କନ୍ଧ ପାଦବିନ୍ଦ ସୁମରି ।।୬।।

 

(୨୬୭)

ଶୂନ୍ୟ ବ୍ରହ୍ମ ବିଜେ କରି ଅଛନ୍ତି ଆପେ,

ପୂରି ରହିଛନ୍ତି ସେହି ଆତ୍ମା ସ୍ୱରୂପେ ।। ପଦ ।।

ନାଗାନ୍ତୀ ପରାଏ ରଚି ଅଛନ୍ତି ମାୟା,

ଠୁଳ ରୂପ ହୋଇ ବହି ଅଛନ୍ତି କାୟା ।

ଆପେ ଅତିଥି ହୋଇ      ଭିକ୍ଷା ମାଗି ବୁଲଇ

ଠାବ କରିବି ବୋଇଲେ ନ ମିଳେ ଠିକେ ।।୧।।

ଅବ୍ୟକତ ପୁରୁଷ ସେ ବ୍ୟକତ ନୋହି,

ବଚନ ଭାଷିଲେ ସାର ବେଦ ଜନ୍ମଇଁ ।

ଯୋଗୀ ବେଶରେ ଆସି      ନରଲୋକେ ପ୍ରବେଶି

ନ ଚିହ୍ନି ପାରନ୍ତି କେହି ବୁଦ୍ଧି ବିବେକେ ।।୨।।

ମିଛ ପାପେ ଧର୍ମ ଯେଣୁ ପାଇଲା ନିନ୍ଦା

ଜ୍ଞାନ ବିସ୍ତାର କଲେ ସେ ବକଳ ପିନ୍ଧା ।

ନାମ ବ୍ରହ୍ମେ ଆଶ୍ରିତ      ହୁଅ ଜନ ଜଗତ

ଏ ମାୟା ମୋହ ସଂସାରୁ ତରିବ ଥୋକେ ।।୩।।

ସତ୍ୟବାଦୀ ପୁରୁଷ ସେ ଅସତ୍ୟ ନୁହେଁ,

ନିଷ୍କାମ ଭକ୍ତି କର୍ମରେ ପ୍ରସନ୍ନ ହୁଏ ।

ମନେ ଡାକିବ ଯେବେ      କର୍ଣ୍ଣେ ଶୁଭଇ ଲବେ

ଭାବେ ବନ୍ଧନ ହୁଅନ୍ତି ଆପଣା ସୁଖେ ।।୪।।

ଦେହଧାରୀ ହେଉଛନ୍ତି ଚାରିଯୁଗରେ,

ଅଦେହ ହେଲେ କରନ୍ତି ଶୂନ୍ୟ ମନ୍ଦିରେ ।

ଭାସିଗଲେ ଭକତ      ତାରିବାକୁ ସମର୍ଥ

ଆତଙ୍ଗକାଳେ ଆବୋରି ରହନ୍ତି ପାଖେ ।।୫।।

ସେ ପ୍ରଭୁଙ୍କୁ କେହୁ ହେବ ସରି ସମାନ,

ମୋ ନେତ୍ରକୁ ଦିଶୁଅଛି ମେରୁ ପ୍ରମାଣ ।

ମହା ଅନନ୍ତ ଗର୍ଭ      ପୂରି ରହିଛି ସର୍ବ

ଭଣେ ଭୀମ କନ୍ଧ ପଦ ବସାଇ ଲେଖେ ।।୬।।

 

(୨୬୮)

ଦେଖରେ ଅଲେଖ ଧୂନି ବ୍ୟାପିଛି ଜଗତରେ ।

ଚିହ୍ନି ନ ପାରୁଛ ମନ ଏ ମାୟା ଅନ୍ଧକାରେ ।। ଘୋଷା ।।

ଧୂନିକୁଣ୍ଡ ସ୍ଥାପିଅଛି ଜମ୍ବୁଦ୍ୱୀପ ମଧ୍ୟରେ

ପ୍ରଭୁଙ୍କ ନାମ ସୁମରି ଦିଅନ୍ତି ଆହୁତିରେ ।।୧।।

ଯେ ଧୂନି ମହିମା ବ୍ରହ୍ମା ଗାଏ ଚତୁର୍ମୁଖରେ ।

ନାରଦ ବୀଣା ଯନ୍ତ୍ରରେ ବଜାନ୍ତି ସପ୍ତସ୍ୱରେ ।।୨।।

ଯେ ଧୂନିକି ଜାଗି ଯୋଗୀ ହୋଇଗଲେ ଶଙ୍କରେ ।

ସେ ଧୂନିକି ଜାଗି ଶୁକ ହେତୁ ମାତୃ ଗର୍ଭରେ ।।୩।।

ସେ ଧୂନି ସ୍ଥାପିତ ହେଲା କାଳନ୍ଦୀ ନିକଟରେ ।

ନୃସିଂହ ଚେତାଉଛନ୍ତି ଶ୍ରୀଗୁରୁଙ୍କ ଆଜ୍ଞାରେ ।।୪।।

ଯେ ଧୂନି ପ୍ରମାଣ କରି ଚଉଷଠି ସିଦ୍ଧରେ ।

ଅଲେଖ ବାନା ବହିଣ ଫେରନ୍ତି ବ୍ରହ୍ମାଣ୍ଡରେ ।।୫।।

ଭୀମ କହେ ସୁମନ ତୁ ଯାଅ ହେତୁ ପଥରେ ।

ହେତୁରେ ତୁ ନ ଗମିଲେ ପଡ଼ିବୁ କୁହୁକରେ ।।୬।।

 

(୨୬୯)

ଯାକୁ ଭଜୁଅଛ, ତାକୁ ନ ବୁଝି ନିନ୍ଦିତ କରୁଅଛ

।। ଘୋଷା ।।

ଲୋଡ଼ୁଅଛ ବେଦେ ଜପେ ତପେ,

ଝସାଇ ପଡ଼ୁଛି ମୁଖେ ମୁଖେ

ତା ଅଙ୍ଗେ ତୁମ୍ଭର ଅଙ୍ଗ ଲାଗିଅଛି

ଚାଲି ଯାଉଅଛି କରି ପଛ ।।୧।।

ଯେତେ ଏ ମାନବ ପିଣ୍ଡ ଜାଣ,

ସବୁ ଘଟେ କରି ନିରୂପଣ

ନରଦେହେ ବ୍ରହ୍ମ କେଉଁ ବର୍ଣ୍ଣ

ଦିଶେ ବୁଦ୍ଧିରେ ବିବେକ କରି ବାଛ ।।୨।।

କବିତ ପଣ୍ଡିତ ସାଧୁମାନେ,

ସପ୍ତାଙ୍ଗୀ ଅଷ୍ଟାଙ୍ଗୀ ଯୋଗୀଜନେ

ହେତୁ କରି ବୁଝ ତତ୍ତ୍ୱମାନେ

ଖୋଜ ସତ୍ୟ ବାକ୍ୟକୁ ନ ମଣ ମିଛ ।।୩।।

ସତ୍ୟ ସାଧୁ ସଙ୍ଗେ ଛନ୍ତି ଗୁରୁ

ଶୂନ୍ୟ ହୋଇ ବୁଦ୍ଧ ଅବତାରୁ

ଯହିଁ ସତ୍ୟ ଧର୍ମ ତହିଁ ରହେ ବ୍ରହ୍ମ

ନ ବାରନ୍ତି ସେ ଯେ ଉଚ୍ଚନୀଚ୍ଚ ।।୪।।

ଛପ୍ନାକୋଟି ଯାକୁ ଧ୍ୟାନ କରି,

ସେ ହୋଇଛି ଯୋଗୀ ଭିକ୍ଷାକାରୀ

କରୁଅଛି ସ୍ନାନ ଅନ୍ନ ଜଳପାନ

ରହିଛନ୍ତି ମଧ୍ୟ ସ୍ୱର୍ଗ ମଞ୍ଚ ।।୫।।

ଭଣେ ଅରକ୍ଷିତ ଭୀମ କନ୍ଧ,

ଧ୍ୟାୟି ଶ୍ରୀଗୁରୁଙ୍କ ପାଦବିନ୍ଦ

ଅଶେଷ ଲକ୍ଷଣେ ଲକ୍ଷିତ

ପ୍ରକାଶ କେଉଁରୂପେ ହେବି ସମକଚ୍ଛ ।।୬।।

 

(୨୭୦)

ଜୟ ହେ ସ୍ୱାମୀ କର୍ତ୍ତାବଲ୍ଲଭ ଭକତ ଜନଙ୍କ ନାମ ଦୁର୍ଲ୍ଲଭ

।। ପଦ ।।

ବନ୍ଦେ ଗୁରୁଦେବ ଜନ୍ମ ଲୀଳା ଭାବ କରୁଅଛି ଅନୁଭବ ।

ଶ୍ରୀମୁଖ ଆଜ୍ଞାରେ କଟାକ୍ଷ ନେତ୍ରରେ

ଥୋକାଏ ମାତ୍ରକ ପ୍ରସନ୍ନ ହେବ ।

ଗ୍ରନ୍ଥ ଦିଶିବ, ଅର୍ଥେ ମିଶିବ,

ବିନତି କରୁଛି ଏ ପାପୀ ଜୀବ ।।୧।।

ଜନ୍ମାନ୍ତରୁ ମୂର୍ଖ, ନୁହେଁ ଗୋଷ୍ଠୀ ଲୋକ, ନ ବସି ସାଧୁ ସଙ୍ଗର ।

ନ କହଇ ସତ୍ୟ, ମିଥ୍ୟାରେ ବିଦିତ,

ଛନ୍ଦ ବୁଦ୍ଧି ମନ୍ଦ କୂଟ ସ୍ୱଭାବ ।

ନାହିଁ ମୋ ଭାଗ୍ୟ, ଛାର ମାନବ,

ନିଜ ମହିମା କେ ବର୍ଣ୍ଣିପାରିବ ।।୨।।

ଘଟେ ଘଟେ ପୂରି, ରହିଅଛ ହରି, ଘୋଟି ତ୍ରିପୁର ଏକାଙ୍ଗ ।

ଯା ନାମ ଅନନ୍ତ, ନାହିଁ ଆଦିଅନ୍ତ,

ସପତ ସିନ୍ଧୁକୁ କେହୁ ମାପିବ ।

ହୃଦେ ଭଜିବ, ଚିତ୍ତେ ହେଜିବ, ଅନୁଭବ

ସୂତ୍ରେ ଯେବେ ବୁଝିବ ।।୩।।

ହୃଦ ପଦ୍ମେ ବିଜେ, କରି ଗୁରୁରାଜେ, ପଦ ଦୃଶ୍ୟ କରାଇବ ।

ହୋଇବ ନୋହିବ ବାଛି ଦେଉଥିବ,

ଯେତେକ ଗୋଷ୍ଠୀକି ଯୋଗ୍ୟ ହୋଇବ ।

ଭକ୍ତକୁ ଭାବ, ସନ୍ଥକୁ ଯୋଗ୍ୟ,

ନିଗମ ବଚନ ଗୁପ୍ତରେ ଥିବ ।।୪।।

ଆଉ ଯେତେ ହେବ, ସବୁ ବାଣ୍ଟିଦେବ, ତ୍ରିଭୁବନେ ପ୍ରଚରିବ ।

ସଦଶିଷ୍ୟ ଚିହ୍ନି, ଚିତ୍ତ ବୃତ୍ତି ଜାଣି,

ଜ୍ଞାନ ଅନୁଭବ ପଥରେ ଦେବ ।

ବିଖ୍ୟାତ ହେବ, କୀର୍ତ୍ତି ରହିବ, ସର୍ବଦା

ଶ୍ରୀଛାମୁ ଆଜ୍ଞାରେ ଥିବ ।।୫।।

ତ୍ରିପୁର ମଧ୍ୟରେ, ବ୍ରହ୍ମାଣ୍ଡ ଭିତରେ ଧର୍ମ ଉଦିତ ହୋଇବ ।

ଗୁରୁପାଦ ଧ୍ୟାୟି, ଭଣେ ଭୀମଭୋଇ,

ଅଶେଷ ବ୍ରହ୍ମାଣ୍ଡେ ବାନା ଉଡ଼ିବ ।

ଏ ଭବାର୍ଣ୍ଣବ, ଲଗାଅ ନାବ, ତରିବେ

ଛପନା କୋଟିର ଜୀବ ।।୬।।

 

(୨୭୧)

ଯହିଁ ପ୍ରଭୁଛନ୍ତି, ତତ୍ତ୍ୱଭେଦ କରି କେହି ନ ଜାଣନ୍ତି

।। ଘୋଷା ।।

ମନୁଷ୍ୟ ସ୍ୱଭାବେ କରୀବତ,      ସଂସାର ବୁଦ୍ଧିରେ ଆତଯାତ

ଦେଖା ଦେଉଅଛି, ଲୁଚି ଯାଉଅଛି

ପରକାଶ ହେଉଛନ୍ତି ନୀତି ।।୧।।

ନବଖଣ୍ଡ ମେଦିନୀକି ଧରି      ଲୋଡ଼ି ସ୍ୱର୍ଗ ମର୍ତ୍ତ୍ୟ ତିନିପୁରୀ

ଗୁରୁ ଠାବକର, ସେବାରେ ବିହର,

ଧର୍ମେ ରକ୍ଷା ହେଉ ନବକ୍ଷିତି ।।୨।।

ପିଣ୍ଡ ବ୍ରହ୍ମାଣ୍ଡରେ କର ଠାବ,      ପ୍ରତ୍ୟକ୍ଷରେ ଗୁରୁ ଧରାଦେବ

ଭକ୍ତ ହିତକାରୀ, ଅବନା ବିହାରୀ,

ତାରିବାକୁ ରୋପିଛନ୍ତି ଛାତି ।।୩।।

ମହିମା ଆଶ୍ରିତ ଯେତେ ଛନ୍ତି,      ଏ ଭିତରେ ସ୍ୱାମୀ ଲୁଚିଛନ୍ତି,

ଜ୍ଞାନନେତ୍ରେ ଚିହ୍ନି ନିରୋପି ସମ୍ପୂର୍ଣ୍ଣ

ନିଶ୍ଚୟ ଲଭିବ ସଦଗତି ।।୪।।

ଯେଉଁଠାରେ ଗୁରୁଥିବେ ରହି,      ପୂରିଥିବ ଅଙ୍ଗ ଉଣା ନାହିଁ

ଜଗତ, ଭକତ, ଛପ୍ନାକୋଟି ଜୀବ

ସେଠାରେ କରିବା ସେବାଭକ୍ତି ।।୫।।

ଅଲେଖ ପୁରୁଷ ଲେଖ ନାହିଁ      ଅଶେଷ ନାମରେ ଉଦେ ହୋଇ

ଭଣେ ଭୀମଭୋଇ, କେ ପଶିବ

ଯାଇଁ ଅନଳ ପରାୟେ ରୂପକାନ୍ତି ।।୬।।

 

(୨୭୨)

ଦେଖିଲେ ମାତ୍ର ଚର୍ମ ନେତ୍ରରେ

ପୂରିଛି ବ୍ରହ୍ମାଣ୍ଡ ଗର୍ଭ ଭିତରେ ।। ପଦ ।।

ନୁହନ୍ତି ମୋ ସୁତ      ବ୍ରହ୍ମାଣ୍ଡର ନାଥ

ଜାତ ହେଲେ ମୋ ପୁରରେ

ବଡ଼ ଅଭାଗିନୀ      ମୁଁ ମୂଢ ପାପିନୀ

ମିଛେ ବୋଲୁଅଛି ମୋର କୁମରେ

ଆଦି ଈଶ୍ୱରେ, ବିଜେ ସଂସାରେ

ପ୍ରତ୍ୟେହ ପରଂବ୍ରହ୍ମ ଅବତାରେ ।।୧।।

ଦେବତାଙ୍କ ଛଳେ      ମହୀଭରା ବଳେ

ଜନ୍ମିଲେ ଆସି ମର୍ତ୍ତ୍ୟରେ

ନାଶିବେ ସକଳ      ଦୁଷ୍ଟ ଦୁରାଖଳ

ରୁହାଇବେ କୀର୍ତ୍ତି ରବି ତଳରେ

ଭକ୍ତ ଭାବରେ, ଶାସ୍ତ୍ର ବେଦରେ

ଯଥାବିଧି ମତ ନାମ ବିହାରେ ।।୨।।

ଧନ୍ୟ ଏ ଭୁବନ      ଧନ୍ୟ ପିଣ୍ଡ ପ୍ରାଣ

ଦେକି ଚର୍ମ ନୟନରେ

କୋଟି ଜନ୍ମ ପାପ      ବିନାଶିଲି ଦେଖି

ପୂର୍ବର ସୁକୃତ ଭାଗ୍ୟ ଥିବାରେ

ପ୍ରସନ୍ନ ମୋରେ ପୁତ୍ର ଭାବରେ

କମ୍ପୁଛି ହୃଦୟ ହେଜ ପାଞ୍ଚରେ ।।୩।।

ହେଉଛି ଭାରତ      ଭୂମି କୁରୁକ୍ଷେତ୍ର

ବାଦୀ ପଞ୍ଚୁ ପାଣ୍ଡବରେ

ଠାବେ ଠାବେ ଲୀଳା      ନାମ ସଂକୀର୍ତ୍ତନ

ରାମଚନ୍ଦ୍ର ମିତ୍ର ସୁଗ୍ରୀବଠାରେ

କପି ସୈନ୍ୟରେ, ବୀର ବେଶରେ

ରାମାୟଣ ଯୁଦ୍ଧ ଲଙ୍କା ଦ୍ୱୀପରେ ।।୪।।

ଅଶେଷ ସଂସାର      ସପତ ସାଗର

ଦେଖି ମାତ ହୃଦୟରେ

ମେରୁଦ୍ରୁମ ଗିରି      ମାଳ ମାଳ ପୂରି

ଅଛନ୍ତି ସେ କୃଷ୍ଣଚନ୍ଦ୍ର ଉଦରେ

କେ କଳି ପାରେ, ନର ଦେହରେ,

ଚନ୍ଦ୍ର ସୂର୍ଯ୍ୟ ଉଦେ ଅସ୍ତ ତହିଁରେ ।।୫।।

ଜୟ ଜୟ ହରି      ନିକୁଞ୍ଜ ବିହାରି

କରୁଣା କର ମୋ ଠାରେ

କହେ ଭୀମ ହୀନ      ଅଜ୍ଞାନ ପାମର

ଦିବା ନିଶି ଧ୍ୟାନ ଗୁରୁପୟରେ

ହୃଦ ପଦ୍ମରେ      ଅନୁଭବରେ

ଲୀନ ପଞ୍ଚଆତ୍ମା ନାମ ବ୍ରହ୍ମରେ ।।୬।।

 

(୨୭୩)

ମହିମା ଅଲେଖ ଅନନ୍ତ ଭାବୁଛି ।

ପ୍ରଭୁ ପାଦପଦ୍ମକୁ ଆଶ୍ରେ କରିଛି ।। ଘୋଷା ।।

ଗୁରୁଦେବ କୃପାକଲେ ତରିବି ବୋଲି,

ହୃଦପଦ୍ମେ ଭାବୁଅଛି ଯତନ କରି

ହେ ପ୍ରଭୋ ନମୋଽସ୍ତୁତେ      କରୁଣା କର ମୋତେ

ପଦ୍ମ ପାଦର ବିନୁ      ଅନ୍ୟ ନ ଦିଶେ ମୋତେ

ତୁମ୍ଭ ବିନୁ ଅନ୍ୟ ଆଉ ନ ଜାଣେ କିଛି ।।୧।।

ଶ୍ରୀଗୁରୁଙ୍କ ନାମ ଧରି ଜପି ହୃଦରେ

ନିଶ୍ଚୟ କରି ଭେଟିବି କେବଣଠାରେ ।

ଏ ଭବୁଁ ପାରିକର      ଭୟ ନ ଥାଉ ମୋର

ମାଡ଼ୁଛି ବଡ଼ ଡର      ହେ ଗୁରୁ କୃପା କର

କରୁଣା ବାରେ କିମ୍ପା ନୋହୁଛି ।।୨।।

ଚାରିବେଦ ପଢି ପଢି ହେଉଛି ବଣା

ଏମାନେ ଜାଣନ୍ତି ଭାବ ଚରିତ୍ର ସିନା ।

ଚାରି ଶାହାସ୍ତ୍ର ବେଦ      ନାହିଁ ଶ୍ରୀଗୁରୁପାଦ

ସଦଗୁରୁଙ୍କୁ ଖୋଜ      ବେଦରେ କିସ କାର୍ଯ୍ୟ

ବିଷୟା ଧନ୍ଦେ ମନ ଭୁଲୁଛି ।।୩।।

ସପ୍ତଫଣି ପରେ ବିଜୟ ବ୍ରହ୍ମରୂପ,

ଅନନ୍ତ ମହିମା ଅବଧୂତ ଅଲେଖ ।

ଅଟ ଭକତ ରକ୍ଷ      ଅଭେଦ କର୍ମେ ମୁଖ୍ୟ

ନ କରନ୍ତି ବିବେକ      ଅସାର ବୁଝି ଲୋକ

ମହିମା କେ କଳଣା କରୁଛି ।।୪।।

ଅଲେଖ ପୁରୁଷ ନାମ ଦୀକ୍ଷା ବୋଲାଇ,

ସାର ଅସାର କଥାକୁ ଅନ୍ତର ନୋହି ।

ଅଯୋନିର ପୁରୁଷ      ଶୂନ୍ୟେ କରିଛ ବାସ

ପାଦେ କରିଛୁ ଆଶ      ଦେଖାଅ ଜ୍ଞାନ ଅଂଶ

କେତେ ଦିନକୁ ଦୟା ହେଉଛି ।।୫।।

କେମନ୍ତ ଭାବେ ଭଜିବି ନ ଦିଶେ ବାଟ,

ଶ୍ରୀମୁଖରୁ ଆଜ୍ଞା ହେଉ ଫେଡ଼ ସଙ୍କଟ ।

ଦେଖାଅ ଜ୍ଞାନ ବାଟ      ଫିଟିଯାଉ ସଙ୍କଟ

ଉଛୁର ହେଉଛି ତ       ଆଜ୍ଞା ହେଉ ତୁରିତ

ଏ ରୂପେ ମନ ମୋର ଭାବୁଛି ।।୬।।

ଦୟା ଯେବେ ନ ହୋଇବ ହେ ସଦଗୁରୁ,

ଏ ମହୀମଣ୍ଡଳେ ମୋତେ କେ ରକ୍ଷାକରୁ ।

କରିଣ ନିଷ୍ଠା ଭକ୍ତି      ହୃଦୟ ପଦ୍ମେ ଚିନ୍ତି

ନିର୍ମଳ କରି ମତି      ଭଜୁଛି ଦିବା ରାତି

ଛାମୁ ଆଜ୍ଞାକୁ ଟାକି ରହିଛି ।।୭।।

ନିଷ୍ଠା ଭକତିକି ଲଭି ନ ପାରେ ମନ,

ମାୟା ମୋହ ଧନ୍ଦେ ପଡ଼ି ଯାଉଛି ଦିନ ।

କୃପାକର ହେ ପ୍ରଭୁ      ଅଜ୍ଞାନ ଖଣ୍ଡ ସବୁ

ନିଶ୍ଚେ ଦର୍ଶନ ଲଭୁ      ଏ ଜୀବ ଜ୍ଞାନ ଭାବୁ

ତରିବି ବୋଲି ଅନୁସରିଛି ।।୮।।

ନାମ ବ୍ରହ୍ମ ହୃଦେ ଜପି ଯୋଗୀନ୍ଦ୍ର ମାନେ,

ନିଶ୍ଚିନ୍ତେ ଧ୍ୟାୟି ରହିଲେ ଗୁରୁଚରଣେ ।

ଆସନେ ବସି ଭକ୍ତେ      ଭାବୁଛନ୍ତି ନିରତେ

ଏକ ରୂପକୁ ନିତ୍ୟେ      ସେ ଧ୍ୟାନ କରି ଚିତ୍ତେ

ଏକାନ୍ତେ ହୃଦପଦ୍ମେ ଭାବୁଛି ।।୯।।

ଦଶପଦ ପୂର୍ଣ୍ଣ ବ୍ରହ୍ମଜ୍ଞାନ ସୁଆଦ,

ଆହେ ସୁଜ୍ଞଜନେ ଭଜ ଶ୍ରୀଗୁରୁପାଦ ।

ଭଣେ ଭୀମ ଅର୍କ୍ଷିତ      ଗୁରୁଚରଣେ ଚିତ୍ତ

ପ୍ରଭୁ ନାମ ଭଜିତ      ହେଉଛି ଆନନ୍ଦିତ

ଏକାହିଁ ନିଷ୍ଠା ଶକ୍ତି କରୁଛି ।।୧୦।।

 

(୨୭୪)

ଆହେ ପ୍ରଭୁ ମହିମାମେରୁ ଅଟ ଆପଣ ।

ଆରତେ ଡାକିଲେ କିମ୍ପା ନ ଶୁଣ ।। ଘୋଷା ।।

କଳିଯୁଗେ ଯେତେକ ଜନ

ମିଥ୍ୟା ଭାଷି ଦାମ୍ଭିକ ମନ

ସେ ହେବେ ଅଜ୍ଞାନ ।

ପାପପଙ୍କେ ପଡ଼, କାମଜଳେ ବୁଡ଼ି,

କାଳିକା ଖର୍ପରେ ହେବେ ଦହନ ।।୧।।

ଦେଖି ପ୍ରଭୁ ଆଜ୍ଞା ବହନ

ଜନମିଲେ ଭକତ ଜନ

ତପସ୍ୱୀ ହୋଇଣ ।

କରି କ୍ଷୀରପାନ, ଦୁଃଖେ ନେଲେ ଦିନ,

ପାପୀମାନଙ୍କ ପାପ ଉଦ୍ଧାରଣ ।।୨।।

ଜମ୍ବୁଦ୍ୱୀପ ମଧ୍ୟରେ ଜାଣ

ମାଳ ବିହାର ପୁର ସ୍ଥାନ

ପୂର୍ବେ ଥିଲା ଧାମ ।

ଚାରିପାଖ ଗିରି ମଧ୍ୟେ ଅଛି ପୂରି

କାଳନ୍ଦ୍ରୀ ହ୍ରଦ ପ୍ରାୟେ ଶୋଭାବନ ।।୩।।

ତଥିପରେ ପୁର ନିର୍ମାଣ

ସ୍ୱୟଂ ବିଶ୍ୱକର୍ମା ଘଟଣା

କରିଛ ଆପଣ ।

ହୀରା ନୀଳା ମୋତି ମାଣିକ୍ୟ ଲାଗିଛି

ପାପୀମାନଙ୍କୁ ଦିଶେ ଭିନ୍ନାଭିନ୍ନ ।।୪।।

ଏକ ଘର ଷୋଳ ଦୁଆର

ଚାରିଦିଗେ ହେଲେ ବାହାର

ଦିଶେ ମନୋହର ।

ଲାଗିଅଛି ଧୂନି ଜଗିଛନ୍ତି ମୁନି

ଅଲେଖ ବାନାକୁ କରିଣ ଧ୍ୟାନ ।।୫।।

ଧନ୍ୟ ଧନ୍ୟ ଧନ୍ୟ ସେ ସ୍ଥାନ

ଷୋଳକଳା ଘେନି ଆପଣ

ବିଜେ ଆଦି ବ୍ରହ୍ମ ।

କହେ ଭୀମଭୋଇ ମହିମାଙ୍କୁ ଧ୍ୟାୟି

ଶ୍ରୀଗୁରୁଚରଣେ ରହୁ ମୋ ମନ ।।୬।।

 

(୨୭୫)

ମହିମା ଆଜ୍ଞା ଜଗତେ ଖ୍ୟାତ

ଏ କଳିଯୁଗରେ ନାମ ବିଖ୍ୟାତ ।। ଘୋଷା ।।

କଳିଯୁଗେ ସାତ୍ତ୍ୱିକ ମତ      ଏକାକ୍ଷର ହୋଇଲା ଜାତ

ଶୂନ୍ୟରୁ ସମ୍ଭୂତ ସେ ପୁରୁଷ ଜାତ ନର

ଦେହରେ କେ କରିବ ଅନ୍ତ ।।୧।।

କ୍ଷୀରପାନେ ତୋଷିଲେ ଚିତ୍ତ      ମହୀ ଭ୍ରମଣରେ ଉସତ

ବାଛି ଭକତକୁ ଆଜ୍ଞା ଦେଲେ ତାଙ୍କୁ

ବୋଇଲେ ହୁଅ ଅବଧୂତ ମତ ।।୨।।

ମାଳ ବିହାର ପୁର ସତ      ପୂର୍ବେ ଥିଲା ସ୍ଥାନ ଗୁପତ

ମାଳ ମାଳ ଗିରି ମଧ୍ୟେଛନ୍ତି ପୂରି

ମାନସରୋବର ପ୍ରାୟେ ଶୋଭିତ ।।୩।।

ସେଠାବରେ ଧୂନି ସମ୍ଭୂତ      ଅଣାକାର ଠାରୁ ଯା ଜାତ

କି ଭାଗ୍ୟ ଅର୍ଜିଲେ ନରଦେହ ପାଇ

ଦର୍ଶନ ମାତ୍ରକେ ହେଲେ ମୁକତ ।।୪।।

ପାପ ଆତ୍ମା ଦାମ୍ଭିକ ଚିତ୍ତ      ସେ ସ୍ଥାନେ ନୁହେ ଉପଗତ

ଯହିଁରେ ପାବଚ୍ଛ ସତ ରଜ ତମ

ସେଠାରେ ପାତକ ହେଉଛି ହେତ ।।୫।।

ଧୂନି ପୂରିଅଛି ସମସ୍ତ      ସେ ଧୂନିରେ ଦିଅ ତୁ ଚିତ୍ତ

କହେ ଭୀମଭୋଇ ଶ୍ରୀଗୁରୁଙ୍କୁ ଧ୍ୟାୟି

ରଖ ବା ନ ରଖ ମୁଁ ତୁମ୍ଭ ଭୃତ୍ୟ ।।୬।।

 

(୨୭୬)

କେ ଭଜି ପାରିବ ନାମ ଅରୂପ ହେ ।

ଘଟଣା ହୋଇଛି ଶୂନ୍ୟ ସ୍ୱରୂପ ହେ ।। ଘୋଷା ।।

ଶୂନ୍ୟ ଚାଲୁଛନ୍ତି      ନାହିଁ ପାଦ ପାଣି

ବାନା ଉଡ଼ାଉଛି ତିନି ତ୍ରୈଲୋକ୍ୟ ହେ ।।୧।।

ହସ୍ତ ନାହିଁ ତାଙ୍କ      ସର୍ବ କରୁଛନ୍ତି

ନାମଠାରୁ କିସ ନେବ ପରୀକ୍ଷା ହେ ।।୨।।

ପିଠି ନାହିଁ ତାଙ୍କ      ମାଡ଼ ସହୁଛନ୍ତି

ଚିଆଁଉଛି ଦେହେ ବ୍ୟଥା ଚମକ ହେ ।।୩।।

ମୁଖ ନାହିଁ ଭାଷା      କହୁଛନ୍ତି କଥା

ପଢା ନାହିଁ ବର୍ଣ୍ଣୁଛନ୍ତି ଶୋଳକ ହେ ।।୪।।

ନାସା ପୁଡ଼ା ନାହିଁ      ଫୁଲ ଶୁଘୁଂଛନ୍ତି

ହରି ନେଉଛନ୍ତି ବାସ ଗନ୍ଧକ ହେ ।।୫।।

ଚକ୍ଷୁ ନାହିଁ ତାଙ୍କ      ସର୍ବ ଦେଖୁଛନ୍ତି

ଦୃଷ୍ଟି ପଡ଼ୁଅଛି ଚଉଦିଗର ହେ ।।୬।।

ଭଣେ ଭୀମ ହୀନ      ପାମର ଅଜ୍ଞାନ

ଅନୁସରି ଅଛି ପାଦ ଉଦକ ହେ ।।୭।।

 

(୨୭୭)

ଶୁଣ ହେ ସୁଜନ ମହିମା ବିଧାନ

ଅଲେଖ ଶୂନ୍ୟ ପୁରୁଷ ।

ଲବଣ ସମୁଦ୍ର ଜମ୍ବୁଦ୍ୱୀପ ପୃଥ୍ୱୀ

ଦକ୍ଷିଣ ଉତ୍କଳ ଦେଶ ଯେ ।

ମାଳ ବିହାର ପୁର, ତହିଁ ଆରମ୍ଭିଲେ ଧୂନିଘର ।

ଭକ୍ତେ ଢ଼ାଳୁଛନ୍ତି ଘୃତଧାର, ହବିପାନେ

ତୋଷ ବୈଶ୍ୱାନର ହେ ।।୧।।

ଗୁରୁଦେବ ସ୍ୱାମୀ ପ୍ରଭୁ ଅନ୍ତର୍ଯ୍ୟାମୀ

ଆଦି ଅନ୍ତ ଯାର ନାହିଁ ।

ନବଖଣ୍ଡ ପୃଥ୍ୱୀ ଏକାଙ୍ଗେ ଭ୍ରମନ୍ତି

ବୁଦ୍ଧ ଅବତାର ହୋଇ ଯେ ।

କଳି କରିବେ ହତ, ଅଷ୍ଟଦିନ ହୋଇବ ଭାରତ ।

ଦୁଷ୍ଟଗଣ ମରିବେ ବହୁତ, ରକ୍ଷା ପାଇବେଟି

ସାଧୁଭକ୍ତ ଯେ ।।୨।।

ଅନନ୍ତ ମୂରତି ମର୍ତ୍ତ୍ୟେ ଉତପତ୍ତି

ନିଜ ନାମ ଗୋପ୍ୟ କଲେ ।

ଜଗତ ଭିତରେ ଭକତ ହିତରେ

ଅଲେଖ ବାନା ବହିଲେ ଯେ ।

ଦେଖ ପ୍ରଭୁ ମହିମା, ଭାଙ୍ଗିଦେବେ ଦୁଷ୍ଟଙ୍କ ଗାରିମା ।

ଅନ୍ତ ନ ପାଇଲେ ବେଦବ୍ରହ୍ମା,

ପୃଥ୍ୱୀ ଜନ ନକ୍ଷତ୍ର ସୁଧର୍ମା ।

ସାକ୍ଷ୍ୟଥାନ୍ତୁ ଚନ୍ଦ୍ର ସୂର୍ଯ୍ୟସିନା ଯେ ।।୩।।

ସ୍ୱାମୀପଦ ରଜ ହୃଦପଦ୍ମେ

ଭଜ ଆହେ ସାଧୁ ସୁଜ୍ଞଜନ ।

ଗତ ଜନ୍ମ ଦୋଷ ହୋଇବ

ବିନାଶ ନ ଯିବ ଯମ ଭୁବନ ଯେ ।

ସ୍ୱାମୀ ଚରଣେ ପଡ଼ି,      କହେ ଭୀମହୀନ କରଯୋଡ଼ି

ଗତ ଜନ୍ମ ଦୋଷ ଯିବ ଛାଡ଼ି,

ପ୍ରଭୁ ରଖିବେ ଚକ୍ର ଉହାଡ଼ି ।

ସ୍ୱାମୀ ଚରଣେ ସାଷ୍ଟାଙ୍ଗେ ପଡ଼ି ଯେ ।।୪।।

 

(୨୭୮)

ଗୁରୁରୂପେ ଜ୍ଞାନ ଦେଲେ ଆଣି,

ଜଗତ ଭକତ ମନ ଜାଣି

ଗତି ପତିଦାତା ବ୍ରହ୍ମାଣ୍ଡ କରତା ବିଜେ

କରିଛନ୍ତି ଦେଖ ଦେଖ ହେ

ପ୍ରିୟ ଲୋକ, ଶୂନ୍ୟ ପୁରୁଷ

ଅଲେଖ ହୋଇ ଲେଖ ।।୧।।

ସାଧୁ ସୁଜ୍ଞଜନ ଅଛ ଯେବେ,

ଜ୍ଞାନନେତ୍ରେ ଚିହ୍ନିଧର ଏବେ

ଅଶେଷ ବ୍ରହ୍ମାଣ୍ଡେ ପୃଥ୍ୱୀ ନବଖଣ୍ଡେ

ଭେଦିଛନ୍ତି ଚନ୍ଦ୍ର ସୂର୍ଯ୍ୟ ପ୍ରାୟେ ହେ

ନରଦେହେ, ଜାଣି ଆଶ୍ରେ କଲେ

ପିଣ୍ଡ ନୁହେଁ କ୍ଷୟେ ।।୨।।

ସପ୍ତ ବ୍ରହ୍ମାଣ୍ଡକୁ ସାତବାର,

ବତାଇ କହୁଛି ହେତୁ କର ।

କିମ୍ପାଇଁ ଅଜ୍ଞାନ ହେଉଛ ସୁଜନ

କାଳ ମାୟା ମୋହେ ପଡ଼ିଅଛ ହେ

ନୁହେଁ ମିଛ, ବୃଥା ସଂସାର

ମତରେ ବୁଲୁଅଛ ।।୩।।

ଅଭୟ ଚରଣ ଥାଉଁ ଥାଉଁ,

କାହାକୁ ଚିତ୍ତରେ ଭୟ ଆଉ

ଧର ଦୃଢବନ୍ଧେ ଗୁରୁପାଦ ବିନ୍ଦେ

ବ୍ରହ୍ମଜ୍ଞାନ ହେବ ପରାପତ ହେ

ସାରସ୍ୱତ, କେଭେଁ ଶ୍ରୀଗୁରୁ

ବଚନ ନୁହେଁ ମିଛ ।।୪।।

ଚାରିଯୁଗ ସଂଖ୍ୟା ଛିଡ଼ୁଅଛି

ଆଦିଅନ୍ତ କିଛି ନ ମିଳୁଛି

ପରମ ପୁରୁଷ ଗୋପ୍ୟାନେ ପ୍ରଚରି

ଅଲେଖ ଶବଦ ଭିଆଇଛି ହେ

କଳିକାଳେ, ବୁଦ୍ଧ ପ୍ରବୁଦ୍ଧ

ସ୍ୱରୂପ ରବିତଳେ ।।୫।।

ନିଷ୍କାମ ଧର୍ମକୁ ବୃକ୍ଷରୋପି,

ବ୍ରହ୍ମ କର୍ମ ଧର୍ମ ଦେଲେ ସ୍ଥାପି

ଏବେ ସେହି ଫଳ ଦେଖ ହେ

ସକଳ ପ୍ରାପତ ହୋଇବ ସମସ୍ତଙ୍କୁ ସେ

ଧର୍ମରୂପ, ଗତି ମୁକତି

ପାଇବେ ସର୍ବଲୋକ ।।୬।।

ପରମ ପୁରୁଷ କବିରୂପ,

ପୁରାଣ ହୋଇଛି ବେଦବାକ୍ୟ

ଆପ ବ୍ରହ୍ମାଣ୍ଡରେ ଆପେ ବିଜେ କରି

ସମ୍ପାଦନ କରୁଛନ୍ତି ଆସି ହେ

ଦାସ ଦାସୀ, ଦେଖ ତିନିପୁର

ଯାଉଥିଲା ଭାସି ।।୭।।

ନ ପାଇ ବ୍ରହ୍ମର ଆଦି ଅନ୍ତ,

ଭୁଲି ଯାଉଛନ୍ତି ସାଧୁସନ୍ଥ

ଚାରିଯୁଗେ ବ୍ରହ୍ମ ନରଅଙ୍ଗେ ଥାଇ

ଭୁଲାଇ ମାରୁଛି ବେଦବାଦେ ହେ

ତପସାଧ୍ୟେ, ବୋଲେ ମୁହିଁ ଅଛି

ମହାଶୂନ୍ୟ ମଧ୍ୟେ ।।୮।।

ବ୍ରହ୍ମର ମହିମା ବ୍ରହ୍ମ ଜାଣ,

କେବା ସାମରଥ ତ୍ରିଭୁବନେ

ଅବ୍ୟୟ ବ୍ରହ୍ମକୁ କଳିବାକୁ ତାକୁ ଅଶେଷ

ବ୍ରହ୍ମାଣ୍ଡେ ଯେତେଛନ୍ତି ହେ

ନ ଦିଶନ୍ତି, ସର୍ବେ ବ୍ରହ୍ମାଣ୍ଡେ

ବଡ଼ିମା କହୁଛନ୍ତି ।।୯।।

ନାମ ବ୍ରହ୍ମପଦ ଅନୁସର,

ଦିବା ନିଶି ହେଳା ନାହିଁ କର

ଭଣେ ଭୀମ ହୀନ ପାମର ଅଜ୍ଞାନ

ଡାକି କହୁଅଛି ଶତେବାର ହେ

ସାଧୁଜନ, ହୃଦେ ମହିମା

ଅଲେଖ ନାମ ଗୁଣ ।।୧୦।।

 

(୨୭୯)

ମନ ସଧୀରେ ହୋ, ଦୃଢ଼େ ସାଧ୍ୟକର ।

ପାହିଗଲା ନିଶି ନିଶାପତିକୁ ତୁ ଧର ।। ଘୋଷା ।।

ଚନ୍ଦ୍ର ସୂର୍ଯ୍ୟ ଉଦେ ହୋନ୍ତି ବ୍ରହ୍ମାଣ୍ଡ ମଧ୍ୟର ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ତେଜ ତାହାଙ୍କର ।।୧।।

ନିଧୂର୍ମ ଅନଳ ତେଜ ଧୂମାନ୍ତ ଆାକାର ।

ଯୋଗୀନ୍ଦ୍ର ପରେ ଯୋଗୀନ୍ଦ୍ର ଯାଗି ଯୁଗାନ୍ତର ।।୨।।

ଷୋଳକଳା କଳା କଳା କଳାରୁ ଅନ୍ତର ।

ଅର୍ଦ୍ଧନିଶି ନିଶି ନିଶି ନିଶି ନିଶାଚର ।।୩।।

କହେ ଭୀମ ଭୋଇ ଅର୍ଥ ବେନସି ଯେ ପ୍ରକାର ।

ଅଜ୍ଞାନୀକି ଅଗୋଚର ଜ୍ଞାନୀକି ଗୋଚର ।।୪।।

 

(୨୮୦)

ତାତ ମାତ କରୁଛନ୍ତି ରୋଦନ

ତାତ ମାତ କରୁଛନ୍ତି ରୋଦନ 
ଚଉଦିଗେ ଘେରି ପଚାରି ପଚାରି 
ଚଉଦିଗେ ଘେରି ପଚାରି ପଚାରି
କାହିଁ ଗଲେ ଏକ ନନ୍ଦନ । ୧।
ପିତା ବିଜାମୃତ ତୋଳି ନଦେଇ,
ମାତା ପ୍ରସବିଲେ ଦୁଃଖ ନପାଇ 
ଗର୍ଭୁ ନପଡ଼ନ୍ତେ ଗଲେ କେଉଁ ପଥେ
ବୁଦ୍ଧି ନଶିଖୁଣୁ ହେଲେ ସିଆଣ ।୨। 

ଜନ୍ମ ଦିନୁ କ୍ଷୁଧା ତୃଷା ନଥାଇ
ଉଦର ପୁରିଛି କିଛି ନ ଖାଇ 
ତଇଳ କୁଙ୍କୁମ ଅଙ୍ଗେ ନ ଲାଗଇ
ଦେହ ଦିଶେ ଯେସନେକ ସୁବର୍ଣ ।୩।
ଅନୁମାନ କରୁଛନ୍ତି ସଂସାରେ 
ବୁଦ୍ଧି ନାହିଁ ଅବିବେକ ବିଚାରେ
ଭଣେ ଭୀମଭୋଇ କାନ୍ଦ କାନ୍ଦ ହୋଇ 
ନ ଚାହିଁ ପୁତ୍ରର ବଦନ ।୪।

 

(୨୮୧)

ରୂପରେଖ ନାହିଁ ହେ ଶୂନ୍ୟଦେହୀ

ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ 
ରୂପରେଖ ନାହିଁ ହେ ଶୂନ୍ୟଦେହୀ
ଅଛ ଉଦେ ହୋଇ ।୧।
ବରଷୁଛି ଜଳ ନ ଥାଇ ପବନ
ଅଣଚାଶ ବାୟୁ ବହେ ଘନଘନ
ବଢୁଅଛି ଜଳ ନାହିଁ ନଦୀକୂଳ 
ଉଲକାପାଦଧାରା ବହି
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ ।୨।
ଜକଜକ ଓଦା ଶୁଖିଲା ହୋଇଛି 
କବାଟ ନଥିରୁ ନେତ୍ରରେ ଦିଶୁଛି 
ସେଠାରେ ଆଶ୍ରମ ଅନାଦି ତ ବ୍ରହ୍ମ
ଉଦେ ଅସ୍ତ ନାହିଁ ତହିଁ 
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ।୩।
ଛାଇ ପଡ଼ି ଅଛି ନାହିଁ ବୃକ୍ଷମୂଳ
ପୁଷ୍ପକଢ଼ି ନାହିଁ ଫଳିଅଛି ଫଳ
ଫୁଟିଛି ପତର ଡେମ୍ଫ ନାହିଁ ତାର
ଅସାଧନା ମାର୍ଗେ ପାଇ 
ହେ ଶୂନ୍ୟଦେହୀ ଅଛ ଉଦେ ହୋଇ।୪।

 

(୨୮୨)

ଦେଖ ମୁଁ ଯାଉଛି ସରି
ଦେଖ ମୁଁ ଯାଉଛି ସରି କ୍ଷୀରୋଦ ସିନ୍ଧୁ ବେହାରୀ
ଏକ ପାଦ ବିନ୍ଦ ଧ୍ୟାୟୀ ଜୀବନ୍ତେ ଅଛି ନ ମରି ।୧।
ଏଡେ ବଡ ପ୍ରଭୁ ଥାଇ ନିରେଖ ହେଉଛି ମୁହିଁ
ଚାତକ ପରାଏ ଚାହିଁ ଶ୍ରୀଗୁରୁଙ୍କୁ ଅନୁସରି ।୨।
ସମୁଦ୍ର ପରାଏ ଆଶା ମନରେ କରି ଭରସା
ଫେଡ଼ ମୋ ଅଖିଳ ଦଶା ଅନ୍ତର୍ଗତେ ଦୟା କରି । ୩।
ଗଳାରେ ବାନ୍ଧି ବନ୍ଧନ ଦନ୍ତରେ ଧରି ତିରଣ
ପାଦେ ପଶୁଛି ଶରଣ ବେନି ହସ୍ତ ଯୋଡି କରି ।୪। 
ଶ୍ରୀଗୁରୁ ଯେମନ୍ତେ ସତ ରଖିବ ମାନମହତ୍ତ୍ୱ
ଭଣେ ଭୀମ ଅରକ୍ଷିତ ନିଶ୍ଚୟେ ମୁଁ ଯିବି ତରି। ୫।

 

(୨୮୩)

ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ଯେ

ଭାଗ୍ୟ ଥିଲେ ଧର ଧର ପଦ୍ମପାଦ ହେ 
ଖଣ୍ଡିବ କାଳ ବିପତ୍ତି ପରମାଦ ହେ ।୧।
କରିଅଛ ଯେବେ ଦୋଷ ଜଣାଅ ଶ୍ରୀଗୁରୁ ପାଶ 
ଛେଦି ହୋଇବ ଉଶ୍ୱାସ ଅପରାଧ ହେ ।୨।
ପାପ ପୋଡିବ ବ୍ରହ୍ମରେ ନାମ ଅଲେଖ ଧର୍ମରେ 
ଭଜ ସାତ୍ତ୍ୱିକ କର୍ମରେ ନିରିବେଦ ହେ ।୩।
ସତ୍ୟ ଅଟେ ଏ ଦୁଆର ମନେ ଅପ୍ରତେ ନକର 
ପଶ୍ଚାତେ ହେବ ଅସାର ପରମାଦ ହେ ।୪।
ଓମ୍ କାର ପରମ ପଦୁଁ ପିଅ ମକରନ୍ଦ ମଧୁ
କହେ ଭୀମ ଅରକ୍ଷିତ ଅତି ସ୍ୱାଦ ହେ ।୫।

 

(୨୮୪)

ସମର୍ପି ଦେଲି ପାଇଲ ସର୍ବ

ସମର୍ପି ଦେଲି ପାଇଲ ସର୍ବ 
ବୁଝ ନ ବୁଝ ସ୍ୱାମୀ ଗୁରୁଦେବ 
ସମର୍ପି ଦେଲି ପାଇଲ ସର୍ବ ।୧।
ଚିନ୍ତା ଅର୍ଥ ବାଡି ବୃତ୍ତିି ସ୍ୱଭାବ 
କର୍ମ ଧର୍ମ ସତ୍ୟ ସୁକୃତ ମାର୍ଗ 
ପିଣ୍ଡ ପ୍ରାଣ ବାନା ପାଣି ଯେ ଭୋଗ
ଲଲାଟ ପଟେ ଯାହା ଲେଖା ଯୋଗ ।୨।
ସଦା ଅପରାଧୀ ଅଟଇ ଜୀବ
ନାମ ଭଜିବାକୁ ନାହିଁ ମୋ ଭାଗ୍ୟ 
ଭସୁଅଛି ମୁଁ ଜଳ ଭବାର୍ଣବ 
ଗୁରୁ ପାଦବିନ୍ଦ ଅଟଇ ନାବ ।୩।
ସ୍ଥିତି ବସ୍ତୁ ଯାହା ଦେଇଛ ଠାବ 
ଧନ ଦାରା ସୁତ ସଂସାର ଭାବ 
ଆୟ ଅଳଙ୍କାର ଶୋଭା ସୁଲଭ 
ଦାନ ଦେଲି ନିଅ ଗୁରୁଦେବ ।୪।
ଗୁରୁ ସ୍ୱାମୀ ଯେବେ କୃପା ନୋହିବ 
ଏଠାରୁ ସର୍ବ ବିଭୂତି ସରିବ 
ଜଗତରେ ଅପଖ୍ୟାତି ଶୁଭିବ 
ଭଣେ ଭୀମ ଭୋଇ ବାନା ବୁଡ଼ିବ।୫।

 

(୨୮୫)

ବ୍ରହ୍ମଜ୍ଞାନ କରିଛନ୍ତି ବିସ୍ତାର ।
ଭଗତ କେ ଅଛ ସମ୍ଭାଳି ଧର ।ଘୋଷା।
ନିଜ ନାମ ଯାହା, କହି ନୋହେ ତାହା,
ନ ବସଇ ଅକ୍ଷର ।୧।
ଶବଦ ଯେତେକ, ବେଦାନ୍ତ ତେତେକ,
ପ୍ରଚରୁଛି ସଂସାର ।୨।
ଅନାଦି ପୁରୁଷ, ଯାହାକୁ ବୋଲନ୍ତି,
ଅନ୍ତ ନାହିଁ ତାହାର ।୩।
ଗୁରୁଦେବ ସ୍ୱାମୀ, ଯେହୁ ସେ ଅଟନ୍ତି,
ସାର ଜ୍ଞାନ ଭଣ୍ଡାର ।୪।
ମହିମା ନାମଟି, ଯେଣୁ ବୋଲାଉଛି,
ଅଗାଧ ସେ ସାଗର ।୫।
ଗୁରୁ ପାଦ ଧ୍ୟାୟି, ଭଣେ ଭୀମ ଭୋଇ,
ନିଶ୍ଚେ ହେବ ଉଦ୍ଧାର ।୬।

 

(୨୮୬)

ନିର୍ବେଦେ ରହିଛି ଅଣଅକ୍ଷର ହେ

ନିର୍ବେଦେ ରହିଛି ଅଣଅକ୍ଷର ହେ,
ଅନାମିକାପଦ ଅଣବିକାର ହେ । ପଦ ।
ଅଶୃତି ଅମୂର୍ତ୍ତି ନାହିଁ ରୂପକାନ୍ତି,
ନିରନ୍ତରେ ଲଭି ସତ୍ୟ ସୁମର ହେ ।୧।
ବେଶ ହୋଇଛନ୍ତି ନାହିଁ ଅଳଙ୍କାର,
ଭୂଷଣ ନ ଥାଇ ଶୋଭା ସୁନ୍ଦର ହେ ।୨।
ରହିଛନ୍ତି ପାଶେ ଭଗତ ବିଶ୍ୱାସେ
ନେଇଆଣି ଲଗୁଛନ୍ତି ସଙ୍ଗର ହେ ।୩।
ଅଲେଖ ଅବଧୂତ ନିର୍ବେଦେ ଗୁପତ,
କେ ଅନ୍ତ କରିବ ବ୍ରହ୍ମସାଗର ହେ ।୪।
ନାହିଁ ହାଇଛାଇ କେ ପାରିବ ଚାହିଁ,
ବିଜେ କରିଛନ୍ତି ଶୂନ୍ୟମନ୍ଦିର ହେ ।୫।
ଭଣେ ଭୀମ ଭୋଇ, ଶ୍ରଣାଗତ ଯାଇ,
ବଚନ ଭାଷିଲେ‌ କେଡ଼େ ମଧୁର ହେ ।୬।

 

(୨୮୭)

ଡାକ ନ ଶୁଣ କିମ୍ପାଇଁ

ଡାକ ନ ଶୁଣ କିମ୍ପାଇଁ,
ଭବସିନ୍ଧୁ ଜଳେ ପଡି ଭାସୁଅଛି ମୁହିଁ । ଘୋଷା ।
ଡାକି ଡାକି ଦିବାନିଶି କଣ୍ଠ ଶୁଖିଯାଇ
ଯେସନେ ଚାତକ ପକ୍ଷୀ ତେସନେକ ମୁହିଁ ।୧।
ନିରତେ ଆଶା କରିଛି ହୃଦପଦ୍ମେ ଧ୍ୟାୟି
କିମ୍ପା ନିର୍ଦ୍ଦୟା କରୁଛ ତ୍ରୈଲୋକ୍ୟ ଗୋସାଇଁ ।୨।
ଯା’ର ଆଜ୍ଞାରେ ଚଳୁଛି ତ୍ରିଭୁବନ ମହୀ
ଭକତ ବତ୍ସଳ ବାନା ଅଛ ପରା ବହି ।୩।
ମୁଢ ପାପୀ ଜୀବଆତ୍ମା କିମ୍ପା ଅଛ ରହି
କେ ସହୁ ଏତେ କଷଣ ମର୍ତ୍ତ୍ୟେ ଦେହ ବହି ।୪।
ଦୁଃଖୀ ଦୁଃଖ ଜଣାଉଛି ନ ଶୁଣ କିମ୍ପାଇଁ
ଅଲେଖ ଅବଧୂତ ବାନା କି କରିବ ଥାଇଁ ।୫।
ମୁହିଁ ପାପିଷ୍ଠ ପାମର ଦୁର୍ଜ୍ଜନ ଅଟଇ
ଅପରାଧ କ୍ଷମାକର ବୋଲେ ଭୀମ ଭୋଇ ।୬।

 

(୨୮୮)

ବିନା ଭକତିରେ ହେ
ବିନା ଭକତିରେ ହେ, ପ୍ରାପତ ନୁହଇ ସଦଜ୍ଞାନ ।
ଏ ଦୁର୍ଲ୍ଲଭ ତନୁ ଗୁରୁସେବା ବିନୁ
ବର୍ତ୍ତିବ ସଂସାରେ କେଇଁ ଜନ । ଘୋଷା ।
ହେତୁ ଚେତା ରଖି ପିଣ୍ଡ ପ୍ରାଣ ବିକି
ପଦ୍ମ ପାଦ ତଳେ ଥିଲେ ମନ ।
ଅନ୍ତେ ଗତି ମୁକ୍ତି କାରଣ ଲଭନ୍ତି
ବିକାଶିବ ତେବେ ପୂର୍ବ ପୂଣ୍ୟ ।୧।
ଡର ଭୟ ନିନ୍ଦା ସ୍ତୁତି ହାନି ଲାଭ
ଏଡିଲେ ଲଡ୍ଡାଦି ମୋହ ମାନ ।
ଧନ ଦାରା ସୁତ ଦୁହିତା ସମର୍ପି
ଶ୍ରୀଗୁରୁ ଛାମୁରେ ଦେଲେ ଦାନ ।୨।
ଦୁଃଖ ସୁଖ ଫନ୍ଦା ବୃତ୍ତି କର୍ମ ଧର୍ମ
ଦେଇ ଖଟିଥିବ ଅନୁକ୍ଷଣ ।
ଚିତ୍ତ ମତି ଚିହ୍ନି ଅନ୍ତର୍ଗତେ ଜାଣି
ତେବେ ସିନା ହେବ ସୁପ୍ରସନ୍ନ ।୩।
ସଦଗୁରୁ ପାଦେ ଚିତ୍ତ ଅପ୍ରମାଦେ
ସେବା କରି ବଞ୍ଚୁଥିବ ଦିନ ।
ଆପେ ତରି ଗୃହ- ଜନଙ୍କୁ ତାରିବ
ସପତ ପୁରୁଷ ଉଦ୍ଧାରଣ ।୪।
ନିଜ ରୂପ ଉଦେ ଆତ୍ମଜ୍ଞାନ ଭେଦେ
ଅନନ୍ତ ଅରୂପ ନାରାୟଣ ।
ସ୍ୱଦେହେ ଭଜିଲେ ସତ୍ୟରେ ମଜ୍ଜିଲେ
ନିଷ୍କାମରେ ଫଳେ ନିରିଗୁଣ ।୫।
ସେ ଯେ ଅନାଦି ମହା ଶୂନ୍ୟ ପୁରୁଷ
ଭକ୍ତଙ୍କ ହିତ ଜୀବନ ଧନ ।
ବୋଲେ ଭୀମ ଭୋଇ ସେବା ଭକ୍ତି ଦେଇ
ଶ୍ରୀଗୁରୁଙ୍କୁ କରି ଦରଶନ ।୬।

 

(୨୮୯)

ଭଜରେ ଶ୍ରୀଗୁରୁପାଦ ନକରି ହେଳା,
ଅଣହେଳା କଲେ ଭବେ ବୁଡ଼ିବ ଭେଳା । ଘୋଷା ।
ପ୍ରଥମ ଦିନରେ ସୁତ,
ମାତା ଗର୍ଭେ ହେଲା ସ୍ଥିତ,
ଦଶ ମାସ ଯାଏ ଗର୍ଭଗତରେ ଥିଲା ।

ଗର୍ଭେ ଥିଲା ଯେତେ ଦିନ, 
କରୁଥିଲା ବ୍ରହ୍ମେ ଧ୍ୟାନ,
ବେନି କର ଯୋଡ଼ି ପାଦେ ଭଗତି ଥିଲା ।୧।
ଅବନୀରେ ପଡ଼ି ପୁଅ,
ରାବ ଦେଲା କୁଅଁ କୁଅଁ,
ପୂର୍ବ ଜନ୍ମ ହେତୁ ଗୋଟା ପାସୋରିଦେଲା ।
ମାତା ଦେଲା କ୍ଷୀରପାନ,
ବାଳ ଭୋଳେ ଗଲା ଦିନ,
କଉତୁକେ ଶିଶୁ ସଙ୍ଗେ ରଙ୍ଗେ ବଢ଼ିଲା ।୨।
ହୋଇଲା ଦ୍ୱିତୀୟ କାଳ,
ତନୁ ହୋଇଲା ପ୍ରବଳ,
ଉତ୍ପତ୍ତିରୁ ସ୍ଥିତି ଯହୁଁ ଅଧିକ ହେଲା ।
ପାଇ ଯୁବତୀ ରତନ,
କାମରେ ବୁଡ଼ିଲା ମନ,
ଗୁରୁ ପାଦ ଛାଡ଼ି ମାୟା ମୋହେ ପଡ଼ିଲା ।୩।
କରି ନାନା କର୍ମମାନ
ମାୟା ମୋହେ ହୋଇ ଭ୍ରମ
ସତ୍ୟ ପଥ ଛାଡି ଅସତ୍ୟରେ ଗମିଲା ।
ତ୍ରିଗୁଣରେ ହୋଇ ଭୋଳା
ଦେଖିଣ ସଂସାର ଲୀଳା
ଆପସୁଖେ ମାୟାଜାଲେ ବାନ୍ଧି ହୋଇଲା ।୪।
ତ୍ରିୟ କାଳ ଆସି ହେଲା,
ନିରଞ୍ଜନ ନ ଭଜିଲା,
ହିଂସା ରାଗ ତମେ ନିରନ୍ତରେ ମଜ୍ଜିଲା ।
ଦେଖି ସୁତ ବିତ୍ତ ଧନ,
ଚିନ୍ତାରେ ବୁଡ଼ିଲା ମନ,
ଦୁର୍ଲଭ ଶରୀର ଗୋଟା ବିଅର୍ଥ ହେଲା ।୫।
ହୋଇଲା ଚତୁର୍ଥ ଯୁଗ,
ସରିଲା ଦେହର ଭୋଗ,
ଅସ୍ଥି ଚର୍ମ ଏକଠାରେ ଠୁଳ ହୋଇଲା ।
ଫୁଙ୍କା ବନ୍ଧ ହେଲା ନାଶ,
ଉଡ଼ିଲା ପରମ ହଂସ,
ଗୁରୁ ପାଦ ଧ୍ୟାୟି ଭୀମ ଭୋଇ ଭଣିଲା ।୬।

 

(୨୯୦)

ଦୁଃଖ ଜଣାଇବି କେତେ
ଅନ୍ତର୍ଗତରେ କାମନା ଅଛି ମୋର ଯେତେ ।ଘୋଷା।
ରବି ତଳେ ଯେବେ ଜାତ କରିଅଛ ମୋତେ ।
ସତ୍ୟାଦି ବଚନ ମିଥ୍ୟା ହେଉଛି କେମନ୍ତେ ? ।୧।
ଚାରିଧର୍ମ ଗୁରୁବ୍ରହ୍ମ ମିଥ୍ୟା କି ସମସ୍ତେ ।
ଦଇବ କର୍ତ୍ତା ବଚନ ହେଉଛି ଅପ୍ରତେ ।୨।
ଶ୍ରୀଗୁରୁଦେବ ବଚନ ନ ଉଠେ ଯେମନ୍ତେ ।
ରେଣୁ ପରାଏ କଉଡ଼ି ଯାଉଛି ବିଅର୍ଥେ ।୩।
ପାଷାଣ ହୁଅଇ ପାଣି ଯାର ଆଜ୍ଞାମତେ ।
ଛାର କଷ୍ଟ ଜଣାଉଛି ଭାରା ଅନୁବ୍ରତେ ।୪।
ଅନ୍ତର୍ଯ୍ୟାମୀ ଦୟା କର ଚାହିଁ ଅନ୍ତର୍ଗତେ ।
ଅନ୍ତର ବାହାରେ ସୁସ୍ଥ ନାହିଁ କଦାଚିତେ ।୫।
କହେ ଭୀମ ଅରକ୍ଷିତ କରଯୋଡ଼ି ମାଥେ ।
ଗୁରୁ ଛାମୁରେ ଇଝାର ଜନପ୍ରାଣୀ ହିତେ ।୬।

 

(୨୯୧)

ଦିଅ ପରିତ୍ରାଣ ଦାନ ସମ୍ଭାଳ ଶରଣ

ଦିଅ ପରିତ୍ରାଣ ଦାନ ସମ୍ଭାଳ ଶରଣ
ବିନତି ଘେନ । ଘୋଷା ।
ଭାସି ଯାଉଛନ୍ତି ସୁଜ୍ଞଜନ
ବୀରବଧୂ ବାନା ଥାଉଁ ନୋହୁଛି କାରଣ ।୧।
ସର୍ବେ ହୋଇଲେଣି ରଣଭଣ
ଅନ୍ତର୍ଯ୍ୟାମୀ କର୍ତ୍ତା ବିଜେ କରିଛ ଆପଣ ।୨।
ଅଚେତାରେ ହଜିଲାଣି ଜ୍ଞାନ
ଦିନ ଗଣି ପିଣ୍ଡୁ ଛାଡି ଗଲାଣି ପରାଣ ।୩।
କିବା ଦୁଷ୍ଟ ସନ୍ଥ ଗୁରୁଜନ
ଆୟୁ ଥାଉଁ ଘୋଟିଲାଣି ଅକାଳ ମରଣ ।୪।
ପୋଡି ଯାଉଅଛି ତ୍ରିଭୁବନ
ଜଳ ବୁନ୍ଦେ ସିଞ୍ଚିବାକୁ ଶ୍ରୀଗୁରୁ ଭାଜନ ।୫।
ଭଣେ ଅରକ୍ଷିତ ଭୀମ ହୀନ
ବିକଳରେ ବସୁନ୍ଧରା ହେଉଛି ଉଚ୍ଛନ୍ନ ।୬।

 

(୨୯୨)

ରଖ ନବଖଣ୍ଡ ମହୀ ଅନାଦି ଅଲେଖ
ତିନି ତ୍ରୈଲୋକ୍ୟ । ଘୋଷା ।
ରକ୍ଷାକର ସ୍ୱାମୀ ନରଲୋକ
କିବା ଯୁବା ବୃଦ୍ଧ ସ୍ତିରୀ ପୁରୁଷ ବାଳକ ।୧।
କୀଟ ପତଙ୍ଗାଦି ଜଳପୋକ
ଯା’କୁ ଯେଉଁ ରୂପେ କର କାରଣ ବିବେକ ।୨।
ତୃଣାଦି ସ୍ଥାବର ତରୁ ବୃକ୍ଷ
ଶରଣ ସମ୍ଭାଳି ରଖ ଏ ଜନ୍ତୁ ଜୀବକ ।୩।
ଛେଦ ଘୋର କଳିକାଳ ପାପ
ବ୍ରହ୍ମା ବିଷ୍ଣୁ ଶିବ ଦଶଦିଗପାଳ ରଖ ।୪।
ନାମେ ସକଳଙ୍କୁ କର ମୋକ୍ଷ
ଦୟା ଚନ୍ଦ୍ର ସୂର୍ଯ୍ୟ ନବ ଲକ୍ଷ ନକ୍ଷତ୍ରକ ।୫।
ଭଣେ ଅରକ୍ଷିତ ଭୀମ ମୁର୍ଖ
ତଉଦ ବ୍ରହ୍ଣାଣ୍ଡ ଧରି ଏକ୍ୱୈଶ ପୁରକ ।୬।

 

(୨୯୩)

ଯେତେକ ଭକ୍ତ ତୁମ୍ଭର

ଯେତେକ ଭକ୍ତ ତୁମ୍ଭର, ହେଉ ଅଛନ୍ତି ଆତୁର । ପଦ ।
ଛତିଶ ପାଟକ ଜାତି ଏ ଧର୍ମରେ ପଶିଛନ୍ତି ।
ଧରି ସେ ସନ୍ନ୍ୟାସୀ ମୂର୍ତ୍ତି ନ ରହି ଗୃହ ଭିତର ।୧।
ଦିବା ନିଶିରେ ରୋଦନ ନ ପାଇ ସ୍ଥିତି ଆସନ ।
ହୋଇଲେଣି ରଣଭଣ ବୁଝ ଗୁହାରି ତାଙ୍କର ।୨।
ଶତ୍ରୁ ମିତ୍ରଠାରୁ ଅତି ନିନ୍ଦାରେ ହେଲେଣି ପୋତି ।
କେହି ବୁଝି ନ ପାରନ୍ତି ଦୁଃଖ ଦେଖି ତାହାଙ୍କର ।୩।
ନ ପୁଚ୍ଛିଲେ ଜାତି ଗୋତ୍ର ଧରି ନିରିବେଦ ପଥ ।
କିବା ନୀଚ ଉଚ୍ଚ ଦୁଇ ସର୍ବକରି ସମାଚାର ।୪।
ଭକତ ବୃନ୍ଦର ଚିନ୍ତା ବୁଝ ବ୍ରହ୍ମାଣ୍ଡ କରତା ।
ଅନ୍ତର୍ଯ୍ୟାମୀ ହୋଇ ପରା କରୁଅଛ କି ବିଚାର ।୫।
ବେନି ନେତୃ ଧାର ବହି ଶ୍ରୀଗୁରୁ ଛାମୁରେ କହି ।
ଭଣେ ଭୀମ ଅରକ୍ଷିତ ଜଣାଉଛି ନିରନ୍ତର ।୬।

 

(୨୯୪)

ବିଚାରି କରିଛି ଲୟେ,

ବିଚାରି କରିଛି ଲୟେ,
ଚାରିଯୁଗେ ନାମବ୍ରହ୍ମ ଅଟେ ଅନନ୍ତ ଅକ୍ଷୟେ । ଘୋଷା।
ସର୍ବଠାରୁ ସାରବ୍ରହ୍ମ ନିଷ୍କାମ ଭକତି ଧର୍ମ
ଅକଳ୍ପଣା ଅଣାକାର ଅଣସାଧନେ ଉଦୟେ ।୧।
ଆଜ୍ଞା ନୁହେଁ କାଳିବାସୀ ମର୍ତ୍ତ୍ୟରେ ଉଦୟ ଆସି
ଥିଲେ ପୂର୍ବର ବାସନା ନିଶ୍ଚେ ଲଭିବ ସ୍ୱଦେହେ ।୨।
ସତ୍ୟ ଯେବେ ସଦଗୁରୁ ଦୂବ କରି ପାର ଦାରୁ
ସିଦ୍ଧ ବଚନ ଆଜ୍ଞାରୁ କାହାକୁ ମୋ ନାହିଁ ଭୟେ ।୩।
ଏହି ପ୍ରଭୁଠାରୁ ଆଉ ନ ଦିଶନ୍ତି ମହାବାହୁ
ତ୍ରିଭୁବନେ ଲୋଡି ଦେଖ ବଡ ହୋଇନାହିଁ କିଏ ।୪।
ଉଡେ ଅବଧୂତ ବାନା ଭକତଙ୍କ ବଜ୍ର ସେହ୍ନା
ନିର୍ବେଦ ଦୀକ୍ଷା ଧାରଣା ତିନିପୁରେ ଜୟେ ଜୟେ ।୫।
ଦିଅ କଲ୍ୟାଣ ଆୟୁଷ ଯାଉ କାଳ ମୃତ୍ୟୁଦୋଷ
ବୋଲେ ଭୀମ ଅରକ୍ଷିତ ପିଣ୍ଡୁ ପ୍ରାଣ ନୋହୁ କ୍ଷୟେ ।୬।

 

(୨୯୫)

ବନ୍ଦନା ପାଦପଦ୍ମକୁ

ବନ୍ଦନା ପାଦପଦ୍ମକୁ,
ଧ୍ୟାୟି ଅରୂପାନନ୍ଦଙ୍କୁ, ଧ୍ୟାୟୀ ସ୍ୱାମୀ ପୟରକୁ । ଘୋଷା ।
ନଖକୋଣେ ସୁରାସୁରି ମାଳ ମାଳ ଛନ୍ତି ପୁରି,
ଅନନ୍ତ ବାସୁକୀ ଶିରେ ବହିଛି ମକରନ୍ଦକୁ ।୧।
ଶ୍ରୀପୟର ଦୀର୍ଘ ପ୍ରତି କୋଟିଏ ମୋର ବିନତି
ଶରଣ ସୋଦର ପାଦ ନିର୍ଭୟ ଭଲମନ୍ଦକୁ ।୨।
ଗୃହ କର୍ମ ତେଜି ଭକ୍ତେ ପ୍ରଚରୁଛନ୍ତି ଜଗତେ
ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ ।୩।
କରୁଛନ୍ତି କର୍ମମାନ ପିତାମାତାଙ୍କ ବିଧାନ
ପ୍ରାତଃ ସାୟଂ ଦରଶନ ଘେନି ଚୌଷଠି ବନ୍ଧକୁ ।୪।
ଶ୍ରୀଗୁରୁଙ୍କ ପାଦତଳ ଫୁଟିଛି ପଦ୍ମ-କମଳ
ବାସରେ ଅମାପ ମୂଲ ଘେନ ନାସିକା ରନ୍ଧ୍ରକୁ ।୫।
ଏକାକ୍ଷର ପାଦ ଚିହ୍ନି ଭଜୁଛନ୍ତି ବ୍ରହ୍ମଜ୍ଞାନୀ
ଭୀମ ଅରକ୍ଷିତ ଭଣି ଧ୍ୟାୟି ଅନାଦି ସିଦ୍ଧଙ୍କୁ ।୬।

 

(୨୯୬)

ବହୁଛି ଅବନା ବାଇ

ବହୁଛି ଅବନା ବାଇ, ଦିବା ନିଶି ଏକ ହୋଇ ।
କେ ପାଇଛ ଅନ୍ତଆଦ୍ୟ ଚିହ୍ନି ରଖିଅଛ କାହିଁ ।(ଘୋଷା)।
ମହାଶୂନ୍ୟ ଶୂନ୍ୟେ ବାଟ ଅରୂପ ଅବର୍ଣ୍ଣେ ଭେଟ
ପିଣ୍ଡ ବ୍ରହ୍ମାଣ୍ଡରେ ଭେଦି ଧରି ନ ପାରିଲେ କେହି ।୧।
ନାହିଁ ଚେତା ହେତୁଦ୍ୱାରେ ନ ଥାଇ ମନ ଭିତରେ
କାୟା ଛାୟା ମାୟାଠାରେ କାହିଁ କିଛି ନ ଲାଗଇ ।୨।
କାମନା କଳ୍ପନାଦ୍ୱାରେ ନ ମିଶେ ହେଜ ପାଞ୍ଚରେ
କେ ତାଙ୍କୁ କରିବ ଠାବ ଯାର ନାହିଁ ହାଇ ଛାଇ ।୩।
ନ ପଶେ ଶବ୍ଦ ଆକାରେ ଏକ୍ୱୈଶ ପୁର ବାହାରେ
ସାର ବ୍ରହ୍ମ ଏକପାଦ ରହିଛି ଗୁପତ ହୋଇ ।୪।
ସ୍ଥିତି ହସ୍ତିକୁ ରଚିଲା କେଉଁ ଭିତରେ ରହିଲା
ଯେ ତାଙ୍କୁ ଭେଟାଇ ଦେବ ତା ପାଦ ଧରିବି ଯାଇ ।୫।
ନ ଘେନେ ସେବା ଭକତି ଦର୍ଶନ ଭଜନ ନାସ୍ତି
କହେ ଭୀମ ଅରକ୍ଷିତ ନିଗମେ ରହିଲା ଯାଇଁ ।୬।

 

(୨୯୬)

ଶୂନ୍ୟ ସ୍ୱରୂପ ହେ

ଶୂନ୍ୟ ସ୍ୱରୂପ ହେ, ଘୋଟିଅଛ ତ୍ରିଭୁବନ ମହୀ,
ସୁଜ୍ଞାନୀ ଜନଙ୍କୁ ଚିତ୍ତରେ ଅଦୃଶ
କୁଜ୍ଞାନୀକି ପଥ ଦିଶୁନାହିଁ । ଘୋଷା ।
ଆଜ୍ଞାରେ ବାସୁକୀ ଧରିଛି ପୃଥ୍ୱୀକି
କିବା ଦୁଷ୍ଟ ସନ୍ଥ ଏକ ହୋଇ ।
କାହାକୁ ଅନ୍ତର ଚିତ୍ତେ ନାହିଁ ତାର
ଅଲେଖ ପୁରୁଷ ଦୀକ୍ଷା ବହି ।୧।
ସାୟେର ମଣ୍ଡଳ ଦ୍ରୌପଦୀର ଖେଳ
କେତେ ଉପଦ୍ରବ ମର୍ତ୍ତ୍ୟେ ନାହିଁ ।
ଧନ୍ୟ ସେ ପୁରୁଷ ଶୂନ୍ୟୁ ଅବକାଶ
ଉଦ୍ଧରେ ମାନବ ତନୁ ବହି ।୨।
ସ୍ୱର୍ଗେ ସୁରପତି ଦିଗପାଳ ଖ୍ୟାତି
ଅମ୍ରାଧୀ ଭୁବନେ ବାସ ପାଇ।
କେ ରଚିଲା ପୁର ହେତୁ ନାହିଁ ତାର
ଶଚୀ ଘେନି ଭୋଗ କଲା ତହିଁ ।୩।
ବ୍ରହ୍ମା ବେଦବର ଜଗତେ ଅଧିକାର
ଦିବସ ରଜନୀ ସୁସ୍ଥ ନାହିଁ ।
ବେଦାଧ୍ୟୟନରେ ସୃଷ୍ଟି ସର୍ଜ୍ଜନାରେ
କୋଟି କୋଟି ଯୁଗ ଗଲା ବହି ।୪।
ନକ୍ଷତ୍ରାଦି ଗଣ ଶଶାଙ୍କ ଅରୁଣ
ଚଳୁଛନ୍ତି ସର୍ବ ଆଜ୍ଞା ପାଇ ।
ଆଜ୍ଞା ବିନୁ ବଡ ଜଗତେ କେ ଗାଢ
ଦୁଷ୍ଟ ହୋଇ ଜଣେ କେହି ନାହିଁ ।୫।
ଘଟେ ଘଟେ ଦେଖ ନାହିଁ ରୂପ ରେଖ
ଏକରୁ ଅନେକ ସଞ୍ଚରଇ ।
ଭୀମସେନ ଭୋଇ ପଦେ ବଖାଣଇ
ଅମନ ମନ୍ଦିରେ ମନ ଥୋଇ ।୬।

 

(୨୯୭)

ଅକ୍ଷୟ ଅନନ୍ତ ହେ

ଅକ୍ଷୟ ଅନନ୍ତ ହେ, ଅଜ୍ଞାନରେ ମୁଁ ତ ଦିନହରି ।
ମାୟା ମୋହ ରୂପ ମଣି ମହାସୁଖ
ଭୁଲୁଅଛି ଚିତ୍ତ ବଳିକରି । ଘୋଷା ।
ଭୂଷଣ୍ଡ ଯେ ପକ୍ଷୀ ବେଦ ଶାସ୍ତ୍ର ବାଛି
(ମ) ଅକ୍ଷରକୁ ଚିତ୍ତେ ଧରି ।
ହୃଦପଦ୍ମେ ଜପ କରି ଏକରୂପ
ରହିଛି ବଟେ ଆସନ କରି ।୧।
ଅଗସ୍ତି ପୁରୁଷ ଜ୍ଞାନ ଉପଦେଶ
ସହସ୍ର ଯୁଗ ସାଧନା କରି ।
ପାରି ହେଲେ ଦ୍ୱନ୍ଦୁ ପିଇ ସପ୍ତ ସିନ୍ଧୁ
ଅଣାକାରଙ୍କର ଆଜ୍ଞାକାରୀ ।୨।
ବାଲମିକ ମୁନି ବାଳୁତ କାଳରୁ
ଅବଧୂତ ଦୀକ୍ଷା ଆଶ୍ରେ କରି ।
ଭଜି ଏକାକ୍ଷର ଫିଟିଲା ତିମିର
ତେଣୁ କରି ହେଲେ ବ୍ରହ୍ମଚାରୀ ।୩।
ଶୁକଦେବ ମୁନି ହେଲେ ବ୍ରହ୍ମଜ୍ଞାନୀ
ମାତୃଗର୍ଭ ଜ୍ଞାନ ହେତୁ କରି ।
ମାୟାରୁ ବାହାର ହେଲେ ଯୋଗେଶ୍ୱର
ସିଦ୍ଧମୁନି ଭାବେ ଗଲେ ତରି ।୪।
ମାରକଣ୍ଡ ଯତି ପ୍ରଳୟ ଉତ୍ପତ୍ତି
ଭାସି ଯାଉଥିଲେ ଭବବାରି ।
ଆଣ୍ଟେ ଦେଲେ ଡାକ ରଖ ହେ ଅଲେଖ
ରଖିଲ ଧ୍ରୁବମଣ୍ଡଳ ପୁରି ।୫।
ଦେଖି ଏହୁ ନ୍ୟାୟ କମ୍ପୁଅଛି ଦେହ
ବାୟୁର ଘାତରେ ତୃଣ ପରି ।
ବୋଲେ ଭୀମ ହୀନ ପାମର ଅଜ୍ଞାନ
ପାରିକର ଭବସିନ୍ଧୁ ବାରି ।୬।

 

(୨୯୮)

ଭାସି ଯାଉଛି ପୃଥ୍ୱୀ

ଭାସି ଯାଉଛି ପୃଥ୍ୱୀ ।
ଡାକ ମହିମାଙ୍କୁ ରହୁ ଧରତି । ଘୋଷା ।
ସାଧୁ ସୁଜ୍ଞଜନ ଘେନ ମୋ ବଚନ କରୁଅଛି ବିନତି ।
ଯେଉଁ ଦିନଠାରୁ ଉଦେ ହେଲେ ଗୁରୁ
ରବି ତଳେ ଅଛ କେ କେ ଭଗତି ।୧।
ସଂସାର ପୋଡୁଛି ଆକାଶେ ଉଡୁଛି ଯେସନେ ଅଗ୍ନିକାନ୍ତି ।
ଜଳ ବୁନ୍ଦେ ଛିଞ୍ଚ ଦେବାକୁ କେ ଅଛି
ତିନିପୁର ମଧ୍ୟେ ହୋଇ ଶକତି ।୨।
ଯେବଣ ଭଗତ ରଖିବେ ଜଗତ କି ଅବା ଯତି ସତୀ ।
ତିନିପୁର ମହୀ ସମର୍ପିବେ ନେଇ
ଶିରେ ଉଡାଇବେ ଚାମର ଛତି ।୩।
ବେଳୁଁ ବେଳ ମହୀ ଉତପାତ ହୋଇ ପାପ ହେଲାଣି ପୃଥ୍ୱୀ ।
ମଦମାଂସ ଖାଇ ମହାସୁଖ ପାଇ
ନ ଜାଣିଲେ କେହି ଦିବସ ରାତି ।୪।
ଧର୍ମକୁ ସ୍ଥାପନ କର ସର୍ବଜନ ସତ୍ୟଯୁଗେ ଯେ ରୀତି ।
ଏ ପିଣ୍ଡ ବ୍ରହ୍ମାଣ୍ଡ ଯେ କଲେ ନିର୍ମାଣ
ସେ ଏକା ରଖିବେ ଏ ନବ କ୍ଷିତି ।୫।
ବ୍ରହ୍ମାଣ୍ଡ ରହିଲେ ପ୍ରଭୁଙ୍କୁ କହିଲେ ମିଳିବ ବସା ସ୍ଥିତି ।
ପାସୋରିବ ଦୁଃଖ ଲଭିବଇଁ ସୁଖ
ଭଣେ ଭୀମ ହୀନ ପାମର ମତି ।

 

(୨୯୯)

ପରଚେ ହୋଇ ପାରିଲେ ଅଣଆକାରେ

ପରଚେ ହୋଇ ପାରିଲେ ଅଣଆକାରେ ।
ନିଶ୍ଚୟେ ଭେଟ ପାଇବ ଅମନ ପୁରେ । ଘୋଷା ।
ହାଇ ଛାଇ ସମସ୍ତଙ୍କୁ କ୍ଷୁଧା ତୃଷ୍ଣା ଆୟତ୍ତକୁ
ଆଶା ଭରସା ସବୁଙ୍କୁ ଫିଙ୍ଗିଲେ ଦୂରେ ।
ଅବାଇ ମଣ୍ଡଳେ ବାଇ ନେଇ ପାରିଲେ ପୁରାଇ
ତେବେ ସେ ପ୍ରବେଶ ହେବ ସ୍ୱାମୀ ଛାମୁରେ ।୧।
ପିଣ୍ଡ ପ୍ରାଣ ତେଜ୍ୟା କରି ଜନ୍ମ ମୃତ୍ୟୁକୁ ନ ଡରି
କାଳ ବିକାଳକୁ ନିବାରିଲେ ନିଷ୍ଠାରେ ।
ବ୍ରହ୍ମ ଅନଳ ଦିହୁଡି ଜାଳି ଫିଟାଅ କୁହୁଡି
ଅର୍ଗଳୀ କବାଟ ଫିଟିଯିବ ସଧୀରେ ।୨।
ଅବନ୍ଧା ବନ୍ଧରେ ପାଣି ବଳାଅ ଲହଡି ଟାଣି
ଅରୂପାନନ୍ଦ ସ୍ୱାମୀଙ୍କ ଚରଣ ତଳେ ।
ଚିରକାଳ ଥିବ ରହି ବ୍ରହ୍ମଅଙ୍ଗ ତେଜ ବହି
ଉଲଟ ଉଜାଣି ନଦୀ ସମ୍ପୂର୍ଣ୍ଣ ଭରେ ।୩।
ଅମାପ ମାପିଲେ ଯାଇ ଅଖାଦ୍ୟ ପାରିଲେ ଖାଇ
ସାଧୁସଙ୍ଗ କଲେ ପୂର୍ବ ପାତକ ହରେ ।
ଅକଳ୍ପଣା ବ୍ରହ୍ମେ ଧ୍ୟାନ ଲୟ କର ରାତ୍ର ଦିନ
ବଦଳିଲେ ପିଣ୍ଡ ନୂଆ ନବୀନ ଧରେ ।୪।
ଅଦେଖା ଦେଖିଲେ ସାର ଅଜପା ଜପିଲେ ପାର
ଅଚିହ୍ନାକୁ ଚିହ୍ନି ଭଜ ଅଣରୂପରେ ।
ତରିବାକୁ ଥିଲେ ଆଶ ନିର୍ବେଦ କର୍ମରେ ପଶ
ସଦଜ୍ଞାନ ମୁକ୍ତିପଦ ଗୁରୁ ଦୁଆରେ ।୫।
ଅଲେଖ ପୁର ଭୁବନ ନାହିଁ ତହିଁ ବଡ ସାନ
ସମାନରେ ଦୟା ଦୃଷ୍ଚି ସର୍ବଜୀବରେ ।
ବୋଲେ ଭୀମ ହୀନ ଦାସ ଅବନା ମଣ୍ଡଳେ ପଶ
ନିଶୁଣି ଲଗାଇ ଉଠ ଶୂନ୍ୟ ଶିଖରେ ।୬।

 

(୩୦୦)

ଦେଖ ସ୍ୱାମୀ ଏ ସଂସାର

ଦେଖ ସ୍ୱାମୀ ଏ ସଂସାର ।
ହୋଇ ଯାଉଅଛି ନାରଖାର ଯେ । ଘୋଷା।
ସ୍ଥାବର ଜଙ୍ଗମ କୀଟାଦି ପତଙ୍ଗ ସର୍ବେ କଲେ ଅବିଚାର ।
ଆତ୍ମହିଂସା କରି କପଟ ଆଚରି ହୋଇଲେଣି ପରାପର ଯେ । ୧।
ଛତିଶ ପାଟରେ ଅକର୍ମ ବାଟରେ କଲେଣି ଅଣ ଆଚାର ।
ପରଧନ ପରନାରୀ ଚୋରିକରି ଅସତ୍ୟ କହି ସଭାର ଯେ । ୨।
ପର୍ବତ ପରାୟେ ଆପଣାର ଦେହେ ବହିଲେଣି ପାପଭାର ।
ପିତା ତୁଲେ ଝିଅ ମାତା ତୁଲେ ପୁଅ ସୁଖେ କରୁଛନ୍ତି ଘର ଯେ । ୩।
ପଣ୍ଡିତମାନେ ଅବିବେକ ହେଲେଣି ଜ୍ଞାନିମାନେ ବେଶ୍ୟାପୁର ।
କେହି କାହାରି ଜାତିକୁଳ ନ ରଖି ହୋଇଲେଣି ଏକାକାର ଯେ । ୪।
ଗୁରୁଠାରୁ ଶିଷ୍ୟ ହୋଇ ଅବିଶ୍ୱାସ ମହାଜନମାନେ ଚୋର ।
ସାଆନ୍ତ ପାଖରୁ ସେବକ ପରାଣୀ ପଳାଇ ଗଲେଣି ଦୂର ଯେ । ୫।
ଧର୍ମମାନ ଲଂଘି ପାଦେ ଶିରୀ ଫିଙ୍ଗି ମିଥ୍ୟା କହି ନିରନ୍ତର ।
କହେ ଭୀମଭୋଇ ପିଣ୍ଡ ବ୍ରହ୍ମାଣ୍ଡକୁ ଦୟାରେ ଉଦ୍ଧରି ଧର ଯେ । ୬।

 

(୩୦୧)

ଅଶେଷ ମହିମା ତିନି ଭୁବନେ ଖ୍ୟାତ

ଅଶେଷ ମହିମା ତିନି ଭୁବନେ ଖ୍ୟାତ ।
ନର ଦେହ ବହି କେହୁ କଳିବ ଅନ୍ତ । ଘୋଷା ।
କେହୁ ମହିମା ଭଜିବ କେବଣ ଭାବେ ମଜ୍ଜିବ
ସତ୍ୟ ତତ୍ତ୍ୱ ଦୃଢ ବ୍ରତ କେଡେ ଶକତ ।
ଜନ୍ମ ଲଭି ଗଲେ ବହି ଅଗମୂଳ ପାଇନାହିଁ
ସରି ଯାଉଅଛି ଯୁଗ କଳ୍ପ କଳ୍ପାନ୍ତ ।୧।
ନୁହଇ ଉଶ୍ୱାସ ବୋଝ ବହିବାକୁ ବଡ ସଜ
ନେବା ଆଣିବାକୁ କେହୁ ଅଛ ସମର୍ଥ ।
କ୍ଷିତିରେ ଥୋଇଲେ ନେଇ ଥୟ ହୋଇ ନ ରହଇ
ଅଡୁଆ ନ ଲାଗେ ନୋହେ ଅଳ୍ପ ବହୁତ ।୨।
ନୁହନ୍ତି ଜାତି ଅଜାତି ନାହିଁ ତାଙ୍କ ସାଙ୍ଗସାଥୀ
ଇଷ୍ଟବନ୍ଧୁ ତାତ ମାତ ନ ବସେ ମିତ ।
ଯାର ନାହିଁ ରୂପ କାୟା ତାଙ୍କୁ କି ଲାଗିବ ମାୟା
ନୁହନ୍ତି ସେ ପ୍ରଭୁ ଯୋନି ଜନମ ଜାତ ।୩।
ବିଜାତିଆ ହେଲେ ଯହୁଁ ଉଦେ ହେଲେ ମହାବାହୁ
ଜାତିଆ କରିବେ ପ୍ରଭୁ ଯେତେ ଭକତ ।
ବ୍ରହ୍ମ ଅନଳେ ଝାଳିବେ ନାମ ଜଳେ ପଖାଳିବେ
ନିରୋଳା ସ୍ଥାନେ ଥୋଇବେ କରି ନିର୍ମିତ ।୪।
ଅଶ୍ରୁତି ଅମୂର୍ତ୍ତି ଦ୍ୱାର ବାଛ ବିଚାର ନ କର
ଅଗମ୍ୟରେ ଗମିଲେ ଲଭିବ ମୁକତ ।
ପେଲି ପଶିଲେ ଝସାଇ ଦୟା ହେବ ତେବେ ଯାଇଁ
ଅନାମିକା ପଦ ନିଶ୍ଚେ ହେବ ପ୍ରାପତ ।୫।
ଦୁର୍ଗମ ଦୀକ୍ଷା ଅଟଇ ହସ୍ତ ଗୋଡ ପାଉନାହିଁ
ଗତି ପତି ହର୍ତ୍ତା କର୍ତ୍ତା ଭକତ ହିତ ।
ବୋଲେ ଭୀମସେନ ଭୋଇ କେ ବୋଲିବ ମିଥ୍ୟା ଏହି
ନାମବ୍ରହ୍ମ ପଦ ଚାରି ଯୁଗରେ ସତ ।୬।

 

(୩୦୨)

ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ

ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ ?
ଏମନ୍ତ ବ୍ରହ୍ମ ସ୍ୱରୂପ ଦେଖା ନ ଯାଏ । ଘୋଷା ।
ନାହିଁ ତାଙ୍କ ପେଟ ଅଣ୍ଟା ଫିଟାଇ କହୁଛି ଗୋଟା
ନରଦେହ ବହି ତାଙ୍କୁ କଳିବା ନୁହେଁ ।
ତାଙ୍କ ପରି ଶାନ୍ତି ପଣେ ତ୍ରିଭୁବନେ ନାହିଁ ଜଣେ
ନିନ୍ଦା ସ୍ତୁତି ହାନି ଲାଭ ସକଳ ସହେ ।୧।
ଭକ୍ଷଣ ନାହିଁ ଆହାର ରଜ ବୀର୍ଯ୍ୟରୁ ବାହାର
କ୍ଷୁଧା ତୃଷ୍ଣା କଲେ କ୍ଷୀର ନୀର ନ ପିଏ ।
ନ ଲାଗଇ ଅଙ୍ଗେ ଧୂଳି ବିରାଜି ଦିଶନ୍ତି ଝଳି
ନିଦ୍ରା ଘୁମାଇଲେ ଉଭା ଆସନେ ଶୁଏ ।୨।
ଇଚ୍ଛାରେ ଆସନ୍ତି ଭ୍ରମି ଭକତ ଭାବକୁ ପ୍ରେମୀ
ଶୁଣି ଚାହିଁବାକୁ କର୍ଣ୍ଣ ଚକ୍ଷୁ ନ ଥାଏ ।
ନାହିଣ ମୁଖ ଜିହ୍ୱା ନାସା ଉତ୍ତର ନ ଦିଏ ଭାଷା
ଆଗ ପଛ ଜାଣି ଧୀରେ ସମୀରେ ରହେ ।୩।
ଉଲଟ ପାଲଟ ନୋହି ମହା ଶୂନ୍ୟ ଶୂନ୍ୟ ଦେହୀ
ମୁଖବାଟେ ଜିହ୍ୱା କଣ୍ଠେ ବଖାଣି ନୋହେ ।
ସଦାଜୟ ପୂର୍ଣ୍ଣାନନ୍ଦ ପାଇଲେ ଚରଣେ ବନ୍ଦ
ନିରନ୍ତରେ ଆଜ୍ଞା ତିନିପୁରେ ଉଦୟେ ।୪।
ନାହିଁ ତାଙ୍କ ବର୍ଣ୍ଣ ଚିହ୍ନ ଅଶେଷ ରୂପରୁ ଭିନ୍ନ
ସକଳ କର୍ମ ବିଧାନ କରନ୍ତି ନ୍ୟାୟେ ।
ଆସିବା ଯିବା ହେଉଛି କରି ସର୍ବ କରାଉଛି
ନିଷ୍କାମ ଯୋଗରେ ନିଜ ନାମକୁ ଥୁଏ ।୫।
ସେ ବ୍ରହ୍ମର ତେଜ ଝାସେ ରହି ନ ପାରୁଛି ପାଶେ
ଅନୁଭବ ପଦ ମାତ୍ର କରିଛି ଲୟେ ।
ବୋଲେ ଭୀମସେନ ଭୋଇ ପୂର୍ବଦିଗେ ଛନ୍ତି ରହି
ଦୁଃଖ ସୁଖ ଜଣାଇବି ଭେଟିଲେ ପ୍ରାୟେ ।୬।

 

(୩୦୩)

କେହୁ ଦେଖିଛ କି ବେନି ନେତ୍ରରେ

କେହୁ ଦେଖିଛ କି ବେନି ନେତ୍ରରେ
ବୃଦ୍ଧ ଦୟସରେ ଅତିଥି ବେଶରେ
ଯାଉଥିଲେ ଏହି ପଥରେ । ଘୋଷା ।
ପିତା ମାତା ନାହିଁ ଜନମ ହୋଇଲେ
ସ୍ତନ ନ ଚୁମ୍ବିଣ କ୍ଷୀର ଖାଇଲେ
ବାପଧନ ବୋଲି ଗେଲ କରୁଥିଲି
ବସିଥିଲେ ମୋର କୋଳରେ ।୧।
ବଢି ନାହାନ୍ତି ସେ ସାନ ପିଲାଟି
ବୃଦ୍ଧା ହୋଇଅଛି ଯୁବା ତେଜଟି
ଗୋରା ନ ଦିଶନ୍ତି କାଳିଆ ନୁହନ୍ତି
ସ୍ୱରୂପକ ଦୁଇ ମଧ୍ୟରେ ।୨।
ଘରୁ କେଭେଁ ନୋହିଥିଲେ ବାହାର
ଖଜା ଚୁଡା ଦେଇନାହିଁ ଆହାର
ସୁଝାଇ ଗଣାଇ ନାମ ଦେଇନାହିଁ
ଧୂଳି ଖେଳୁଥିଲେ ଦାଣ୍ଡରେ ।୩।
ରୂପ ବର୍ଣ୍ଣ ନାହିଁ ଝଳି ଦିଶନ୍ତି
ପାଦ ପାଣି ନାହିଁ ଚାଲୁ ଅଛନ୍ତି
ବସ୍ତ୍ର ନାହିଁ ବୃକ୍ଷ ବକଳ ପିନ୍ଧନ୍ତି
ଆଡବନ୍ଧ ନାହିଁ କଟିରେ ।୪।
ମୋତେ ଧରିତ୍ରୀ ଆକାଶ କହିଲେ
ପୁତ୍ର ଯୋଗୀନ୍ଦ୍ର ହେଲଣି ବୋଇଲେ
ବ୍ରହ୍ମାଣ୍ଡ ଉଦ୍ଧାର କରିବେ କୁମର

ଘୋର କଳିକାଳ ଯୁଗରେ ।୫।
ସର୍ବ ଶୁଭେ ଯେବେ ଭେଟ ପାଆନ୍ତି
କୋଳେ ଧରି ମୁଖେ ଚୁମ୍ବ ଦିଅନ୍ତି
ଭଣେ ଭୀମହୀନ ପାମର ଅଜ୍ଞାନ
ଲୋଡୁଛି ବ୍ରହ୍ମାଣ୍ଡ ଭିତରେ ।୬।

 

(୩୦୪)

ଚାଳନ୍ତି ଶୂନ୍ୟେ ଶବଦ

ଚାଳନ୍ତି ଶୂନ୍ୟେ ଶବଦ ଅନୁମାନ ଚିତ୍ତେ ଭେଦ ।
ଅକଳନା ବାରାନିଧି ନାମ ମହିମା ଅଗାଧ । ଘୋଷା ।
ଗମ୍ୟ ନାହିଁ ଚାରି ଧର୍ମ ଜ୍ୟୋତି ଜ୍ୱାଳା ଊର୍ମଧୂର୍ମ
ବ୍ରହ୍ମା ବିଷ୍ଣୁ ଶିବ ବଣା ଏମନ୍ତ ସେ ଯେଉଁ ପାଦ । ୧।
ଯେ ରାମଚନ୍ଦ୍ର ଅନନ୍ତ କୃଷ୍ଣଚନ୍ଦ୍ର ଜଗନ୍ନାଥ
ଚାରିଯୁଗ ଅବତାରେ ହୋଇ ନ ପାରିଲେ ସିଦ୍ଧ ।୨।
ଋକ୍ ଶାମ ଯଜୁ ଅଥ ହ୍ଳୀଂ ଶ୍ଳୀଂ କ୍ଳୀ ଯୁକ୍ତ
ଦିଗ ଆକାଶରେ ଭ୍ରମି ଲୋଡି ନ ପାଇ ବିଷାଦ ।୩।
ପୃଥ୍ୱୀ ପଞ୍ଚଭୂତ ବାଇ ଜ୍ୟୋତି ତେଜ କଳା ବହି
ଚନ୍ଦ୍ର ସୂର୍ଯ୍ୟ ଉଦେହୋଇ ନ ପାଇଲେ ଆଦ୍ୟଅନ୍ତ ।୪।
ଛପ୍ନା କୋଟି ଜନ୍ତୁ ଜୀବ କରି ନ ପାରିଲେ ଠାବ
ମୁନି ତପସ୍ୟାରେ ବସି ମନରେ ହେଲେ ତବଦ ।୫।
ଅବ୍ୟକତ ବ୍ରହ୍ମ ଯେହି ରୂପ ରଚନାରେ ନାହିଁ
କହେ ଭୀମ ଅରକ୍ଷିତ ଅନାମେ ରହିଲା ଭେଦ ।୬।

 

(୩୦୫)

ଚିହ୍ନି ଭଜିଲେ ଜାଣି ପ୍ରସନ୍ନ ହେବେ

ଚିହ୍ନି ଭଜିଲେ ଜାଣି ପ୍ରସନ୍ନ ହେବେ । ଘୋଷା ।
ଅବନା ଭୂମି ସ୍ଥାନ ଜଳୁଛି ବ୍ରହ୍ମଜ୍ଞାନ
ଦୃଷ୍ଟି ଲଗାଅ ଜ୍ଞାନ ନେତ୍ରେ ଦିଶିବେ ।୧।
ନିଗମେ ଅଛି ବ୍ରହ୍ମ ସେହି ଠାବକୁ ଗମ
ଜନ୍ମ ମରଣ ଦୁଃଖ ସେହି ନାଶିବେ ।୨।
ଯମ ନିୟମକୁ ଯାକୁ କରିଛି ସେ ପଥକୁ
ଶ୍ରୀଗୁରୁଦେବ ଏକା ଉଦ୍ଧରି ନେବେ ।୩।
ପଦ୍ମ ପାଦକୁ ରଟ ସେବା ଭଗତି ଖଟ
ଅମରପଦ ତାଙ୍କ ଇଚ୍ଛାରେ ଦେବେ ।୪।
ସତ୍ୟ ଧର୍ମକୁ ଧର ହାଇ ଛାଇ ନିବାର
ନିଜ ଶ୍ରୀଅଙ୍ଗେ ପ୍ରଭୁ ଲୀନ କରିବେ ।୫।
ଭଣିଲେ ଭୀମ କନ୍ଧ ସେ ଯେ ଅରୂପା ନନ୍ଦ 
ସେବିଲେ ଯାଇଁ ପାଦେ କଥା କହିବେ ।୬।

 

(୩୦୬)

ଜାଗିଛନ୍ତି ବ୍ରହ୍ମଅଗ୍ନି ଅଲେଖ କୁଣ୍ଡେ,
ଧାପ ଦେଉଛନ୍ତି ଏକୋଇଶ ବ୍ରହ୍ମାଣ୍ଡେ । ଘୋଷା ।
ବ୍ରହ୍ମ ବେନି ଭାଗ କଲା ଅଧେ ବ୍ରହ୍ମାଣ୍ଡ ରଚିଲା
ଗୁପତ ହୋଇ ରହିଛି ଆହୁରି ଖଣ୍ଡେ ।
ଏକ ବ୍ରହ୍ମ ରୂପ ଗୋଟି ଚାହିଁ ଚକ୍ଷୁ ଯିବ ଫୁଟି
ଯାହା ମୁଁ ଦେଖିଛି କିସ କହିବି ତୁଣ୍ଡେ ।୧।
କାଷ୍ଠର ପାଉଁଶ ନାହିଁ ଧୂମ ଧୂଆଁ ନ ଦିଶଇ
ଗୁଡ ଘୃତ ନାହିଁ ହୁତାଶନ ପ୍ରଚଣ୍ଡେ ।
ସାବଧାନ ହେଲେ ଯାଇଁ ହସ୍ତ ମାରି ଦେବେ କହି
ଲଲାଟ ପଟରେ ଲେଖା ହୋଇଛି ମୁଣ୍ଡେ ।୨।
ଶବ୍ଦ ବ୍ରହ୍ମ ଏକ ରୂପ ସକଳ ଜୀବଙ୍କ ବାପ
ଆସ୍ଥାନ ତଳରେ ସେବା ଭକତି ଛିଡେ ।
ବସି ଅଛନ୍ତି ଅନାଦି ଶୂନ୍ୟ ଆସନ ସମ୍ପାଦି
ଅଣଶବଦେ ପ୍ରକାଶ ଅମନ ଦାଣ୍ଡେ ।୩।
ହଜି ଯାଇଅଛି ସିନା ଉଦେ କରାଅ ବାସନା
ଯେବଣ ସୁକୃତ ଅଛି କରମ କାଣ୍ଡେ ।
ନିଗମ ପଥ ଆବୋରି ଅସାଧନାରେ ସୁମରି
ଧର ଦୃଢବନ୍ଧେ ଜୀବ ଥାଉଁ ଏ ପିଣ୍ଡେ ।୪।
ଯେଉଁ ଜନ ଭକ୍ତ ତା’ର ସେହି ଜାଣେ ବ୍ରହ୍ମସାର
ଶ୍ରୀପାଦ ତଳରେ ଶିର କମଳ ମଣ୍ଡେ ।
ଅକ୍ଷୟ ବ୍ରହ୍ମରେ ମିଶି ଏକରୂପେ ପ୍ରାୟେ ଦିଶି
ତାକୁ କେହି ସରି ନୁହେଁ ତିନି ବ୍ରହ୍ମାଣ୍ଡେ ।୫।
ପିନ୍ଧନ୍ତି ବୃକ୍ଷ ବକଳ ନେତ୍ରେ ଦେଖୁଛ ସକଳ
ଅତିଥି ପ୍ରାୟେ ବୁଲନ୍ତି ଧରମ ଦାଣ୍ଡେ ।
କହେ ଭୀମସେନ ଭୋଇ କେହି ଅନ୍ତ ପାଇନାହିଁ
ଘୋଡାଇ ରଖିଛ ଶୂନ୍ୟ ଗୁପତ ଭାଣ୍ଡେ ।୬।

 

(୩୦୭)

ଅଣହିଂସା ଧର୍ମ ଏହି

ଅଣହିଂସା ଧର୍ମ

ଅଣହିଂସା ଧର୍ମ ଏହି, ହିଂସା ନାହିଁ
ଡାକି କହୁଛି ବୁଝାଇ । ଘୋଷା।
ପୃଥ୍ୱୀ ପରାୟେ ସହିଲେ, ଧୀର ବଚନ କହିଲେ
ଶାନ୍ତଶୀଳ ଦୟା ବହିଲେ ଯାଇଁ ।
ସମୁଦ୍ର ପ୍ରାୟେକ ବୁଦ୍ଧି, ସଦଜ୍ଞାନ ହେଲେ ସିଦ୍ଧି
ସାଧୁ ସନ୍ଥ ବୋଲି କହି ।୧।
ଆକାଶ ପ୍ରାୟେ ବିବେକ, ପରକାଶ ବ୍ରହ୍ମବାକ୍ୟ
ମୁଖେ ବଚନ ଭାଷିଲେ ବେଦ ଜନ୍ମଇ ।
ପିଣ୍ଡ ବ୍ରହ୍ମାଣ୍ଡ ଏକତ୍ୱ, ମଣିଥାଇ ଏକମତ
ତେଣୁ ଯୋଗୀନ୍ଦ୍ର ଅଟଇ ।୨।
ଚାହୁଁଥାଇ ଚନ୍ଦ୍ର ପଣେ, କରୁଣା ଜଳ ନୟନେ
ଦୁଷ୍ଟ ସନ୍ଥ କାହାକୁ ଅନ୍ତର ନଥାଇ ।
ମନେ ନ କରି ବିକାର, ସର୍ବଭୂତେ ନିର୍ବିକାର
ତେବେ ଅତିଥି ବୋଲାଇ ।୩।
ଧୀର ପଣେ କହେ ସତ, ବୀର ପଣେ ସାମରଥ
ବାଚା ବିଚଳିତ କଦାଚିତେ ନୁହଇ ।
ସକଳ ଭୂତରେ ଏକ, ଏକ ଆତ୍ମା ପ୍ରାୟେ ଦେଖ
ଗୁରୁପଣକୁ ଯୋଗାଇ ।୪।
ପାଳୁଥାଇ ଇନ୍ଦ୍ରପଣେ, ଅନ୍ତର ନଥାଇ ମନେ
ଛପନା କୋଟିକି ପଡି ବାଣ୍ଟି ଦିଅଇ ।
ବ୍ରହ୍ମଜ୍ଞାନ ତତ୍ତ୍ୱ କହେ, ବଚନରେ ତାରି ନିଏ
ସାଧୁର ଲକ୍ଷଣ ଏହି ।୫।
ସମସ୍ତଙ୍କୁ ବୋଲେ ମୋର, ମୁହିଁ ଅଟଇ ତୁମ୍ଭର
ଆପଣା ଆତ୍ମାକୁ ଶିଷ୍ୟ ଭାବେ ରଖଇ ।
ଭଣେ ଭୀମ ଅରକ୍ଷିତ, ସେହିଟି ଏକା ଅତିଥ
ତା ପାଦ ଧରିବି ଯାଇ ।୬।

 

ବୃହତ୍ ଭଜନମାଳା ସମାପ୍ତ