ବନ୍ଧୁବର, ଗାୟକ କଳାକାର ଶ୍ରୀ ନରେନ୍ଦନାଥ ନାଥ,
ତରଡିପାଳ, କେନ୍ଦ୍ରାପଡାଙ୍କ ଉଦ୍ଦେଶ୍ୟେ---
ଉତ୍ସର୍ଗ ପତ୍ର
ଏ ଛନ୍ଦ-କାବ୍ୟ ଖଣ୍ଡି ଲେଖିବାରେ ମୋର ପ୍ରଧାନ ପ୍ରଯୋଜକ ଓ ଉତ୍ସାହଦାତା ଶ୍ରୀଯୁକ୍ତ ନରେନ୍ଦ୍ରନାଥ ନାଥ,ତରଡିପାଳ-ଯେ ତାଙ୍କର ସାରା ଜୀବନଟି ସାହିତ୍ୟ-ସିନ୍ଧୁ ମନ୍ଥନ କରି, ଉତ୍କଳ- ଭାଷାର ନାନା ଦୁର୍ଲ୍ଲଭ-ରତ୍ନ ଆହରଣ କରି, ଜନସମାଜରେ ସେମାନଙ୍କର ଉଜ୍ଜ୍ଵଳ ଆଭା ପ୍ରକଟ କରାଇ ଭାଷା, ଜାତି ଓ ଦେଶବାସୀଙ୍କର ଗୌରବ ବର୍ଦ୍ଧନ କରାଇଛନ୍ତି; ନିଜେ ମଧ୍ୟ ଯଶସ୍ତ୍ରୀ ହୋଇଛନ୍ତି ।
ଗତ ୧୯୩୬ ମସିହାଠାରୁ ଏଯାଏଁ ଏହି କାବ୍ୟଖଣ୍ଡି ଗାୟକମାନଙ୍କ ଦ୍ଵାରା ଗୀତ ହୋଇ ଶ୍ରୋତୃ-ମଣ୍ଡଳୀଙ୍କର ଆନନ୍ଦ ବର୍ଦ୍ଧନ କରି ଆସୁଛି ।
ମୁଁ ଥିଲି ନାଟୁଆ-ସ୍ଵଭାବତଃ ନାଟକ ଓ ଗୀତ ରଚନା କରିବାରେ କିଞ୍ଚିତ ଅଭିଜ୍ଞତା ଥିଲେ ମଧ୍ୟ କାବ୍ୟ ରଚନାରେ ଥିଲି ଏକାନ୍ତ ଅନ୍ଧ । ବନ୍ଧୁବରଙ୍କ ଉତ୍ସାହ ଓ ଅନୁରୋଧ ଫଳରେ ଏହାହିଁ ହୋଇଥିଲା ମୋର ପ୍ରଥମ ଉଦ୍ୟମ । ତତ୍ପରେ ଅବଶ୍ୟ ଏଯାଏଁ ବହୁ କାବ୍ୟ ରଚନା କଲିଣି, ସେଗୁଡିକ ପ୍ରତ୍ୟେକ ଗାୟକଶ୍ରେଣୀଙ୍କର ଅବଲମ୍ବନ ହୋଇ ସର୍ବସାଧାରଣଙ୍କର ସୁଦୃଷ୍ଟି ଓ ଶ୍ରଦ୍ଧା ଲାଭ କରିପାରିଛନ୍ତି,ଏ ମୋର ସୁଭାଗ୍ୟ ବୋଲିବାକୁ ହେବ ।
ଅତଏବ ମୋର ସେହି ପୁଷ୍ପୋଦ୍ୟାନରେ ପ୍ରଥମ ଫୁଲଟି ସାଙ୍ଗଙ୍କ କାନରେ ଖୋଷିଦେଉଛି ଶ୍ରଦ୍ଧାରେ---
ଯାଜପୁର { ଗୁଣମୁଗ୍ଧ ଶୁଭାନୁଧ୍ୟାୟୀ
୧୯୫୨ { ଶ୍ରୀକୃଷ୍ଣପ୍ରସାଦ ବସୁ
ନିନ୍ଦୁଛି ଅଳକା ଦ୍ୟୁଲୋକ ଝଲକା
ବିପୁଳ ପୁଲକା ଅଭାମୟୀ,
ବିହଙ୍ଗ- ମିଥୁନ ବିବିଧ କୂଜନ
ମଧୁପ ଗୁଞ୍ଜନ ମଧୁମୟୀ,
ଅଗଣିତ ଯହିଁ---
ମାଣିକ୍ୟ ଦୀପାଳି ମଣ୍ଡିଥାଇଁ,
ନିର୍ମଳ ସରସୀ- ଜଳେ ରାଜହଂସୀ
ସାରସ କରଣ୍ଡ ବିଳସଇ ।୧।
ପ୍ରସନ୍ନ-ଯୌବନା ନିର୍ମଳ ବସନା
ତ୍ରିଲୋକ ବନ୍ଦିତା ବାରାଙ୍ଗନା
ମାର୍ଗ-ଉପମାର୍ଗ ଉଦ୍ୟାନ ପ୍ରାଙ୍ଗଣ
କୁସୁମିତ କୁଞ୍ଜ ଅକଳନା
ବଜ୍ର ବିଦ୍ରୁମର---
ବେଦୀ ସନ୍ନିଧାନେ କି ସୁନ୍ଦର,
ନାହିଁ ଶଠପଣ ପ୍ରାଣୀଙ୍କ ପୀଡ଼ନ
ନାହିଁ କାମ ଲୋଭ ଅପଚାର ।୨।
ଅପ୍ସରା –କିନ୍ନର ସଙ୍ଗୀତ-ମୁଖର
ଗବାକ୍ଷେ ତୋରିଣେ ଧୂପଗନ୍ଧ
ଅତୁଟ ବସନ୍ତ ମଳୟେ ଦିଗନ୍ତ
ମହକାଉ ଥାଏ ମନ୍ଦ-ମନ୍ଦ
ଶୁଦ୍ଧ ସାରସ୍ୱତ---
ପ୍ରୀତି-ବିଭବରେ ତଦ୍ଗତ,
ନାହିଁ କାମଲୋଭ ଦୂଷିତ ପ୍ରଭାବ
କେବଳ ଖେଳନ୍ତି ପୁଣ୍ୟବନ୍ତ ।୩।
ବିପୁଳ ଐଶ୍ୱର୍ଯ୍ୟ ବିରାଟ ସୌନ୍ଦର୍ଯ୍ୟ
ଶୁଦ୍ଧ ସତ୍ତ୍ଵଗୁଣେ ସୁମଣ୍ଡିତ,
ସମ୍ଭୋଗ ସାମ୍ରାଜ୍ୟେ ଅନାସକ୍ତ ପ୍ରେମ
ନିତ୍ୟାନନ୍ଦ ଭୂମି ଓତପ୍ରୋତ
ତହିଁ ହିରଣ୍ମୟ---
ଅଟ୍ଟାଳି ପ୍ରବାଳ ମନୋମୟ
ଅତିନ୍ଦ୍ରିୟ ନିତ୍ୟ ଭାଗବତ ଭାବେ
ଇନ୍ଦ୍ରିୟ ଲାଳସା ହୁଏ ଲୟ ।୪।
ଧ୍ୟାନ ଜ୍ଞାନ ମନ ଯାବତ କରମ
ବ୍ରହ୍ମମୟ ବ୍ରହ୍ମେ ସମର୍ପଣ,
ନାହିଁ ତହିଁ ସ୍ପର୍ଦ୍ଧା, କର୍ତ୍ତୃତ୍ଵାଭିମାନ
ସତତ ପ୍ରଫୁଲ୍ଲ ନୋହେ ମ୍ଳାନ
ତାହା ସ୍ୱର୍ଗପୁର---
ବାସବରକ୍ଷିତ ବିଶ୍ୱେ ସାରା
ଜଡ଼ ଦେହାଚାରୀ ଇନ୍ଦ୍ରିୟ ଲିଳସୀ
ଉଚ୍ଛୃଙ୍ଖଳ ଲାଗି ଋଦ୍ଧଦ୍ୱାର ।୫।
ନାହିଁ ତହିଁ ମୃତ୍ୟୁ ଅବସାଦ ଅବା-
ରୋଗ ଶୋକ ଦୁଃଖ ହାହାକର
ଫୁଟିଛି ଗଗନେ ଶତ ଶତଦଳ
ବୋଲିଛି ପାଖୁଡା ଦିଗନ୍ତର
ଅଛି ସିହଂଦ୍ୱାର---
ବିବେକ ବୈରାଗ୍ୟ ସେନାବାର,
ବିରାଟ ପରିଖା ତଳେ ସୁରଗଙ୍ଗା
ପ୍ରଖର ପ୍ରବାହେ ଝରଝର ।୬।
ଉଡାଇ ଧ୍ୱଜା କେ ଅଭ୍ରଭେଦୀ ରଥେ
ଆଚମ୍ୱିତେ ଢକ୍କା ଗର୍ଜାଇଲା
ଅଗ୍ନିମୟ ଶତ ମଶାଲ ଜାଳିଲା
କାହାଳୀ ଗର୍ଜନେ ତର୍ଜାଇଲା
ହ୍ରେଷା-ବୃଂହତିରେ---
ପ୍ରକମ୍ପ ଉଠିଲା କ୍ଷିତତଳେ
ଆସ କେ ଅଛିରେ ବୋଲା ତ ଅମରେ
କେତେ ବଳବୀର୍ଯ୍ୟ ଦେଖେଁ ଥରେ ।୭।
କେ ଧୈତ୍ୟ ଅରାତି, କା’ର ଏଡ଼େ ଛାତି
ସ୍ୱର୍ଗଦ୍ୱାରେ କରେ ଆସ୍ଫାଳନ
ଏହି ସେହି ବଳୀ ଯା’ଙ୍କୁ ଥିଲେ ଦଳି
ଥିଲେ ଜୀବହୀନ ଅଚେତନ
ଲଭି ସଞ୍ଜୀବନ---
ଆଚାର୍ଯ୍ୟ ଶୁତ୍ରଙ୍କ ଅବଦାନ,
ପୂଜି ନିଷ୍ଠାଭରେ ଶ୍ରୀଗୁରୁ-ପୟରେ
ବ୍ରହ୍ମତେଜେ ଶୀର୍ଷ ବଳୀୟାନ ।୮।
ବାଜୁଛି ଯେ ଶଙ୍ଖ- ସ୍ୱନେ ମହାତଙ୍କ
ଶୁଣିଲେ ଅରାତି ଚେତାହୀନ
କୋଦଣ୍ଡ ସ୍ୟନ୍ଦନ, ଦେଲେ ହୁତାଶନ
ବାଣ ଅରିନ୍ଦମ ସର୍ବସ୍ଥାନ
ତ୍ୟାଗେ ତନମନ---
ପ୍ରତି କଣ୍ଠେ ଶୁଭେ ସୁକଲ୍ୟାଣ,
ଅନାଥ ଆତୁର ଦରିଦ୍ର ଜନଙ୍କୁ
କରୁଛନ୍ତି ନିତ୍ୟ ଅନ୍ନଦାନ ।୯।
ପିତାମହ ପ୍ରହ୍ଲାଦଙ୍କ ଆଶୀର୍ବାଦ
ଅମ୍ଳାନ କୁସୁମ କଣ୍ଠହାର---
‘ସେବା-ବ୍ରତେ ବ୍ରତୀ ଥିବୁ ଯେତେ ଦିନ
କେହି ନ ପାରିବେ ମାନି ଗାର…’
ପଣ ଆଚାର୍ଯ୍ୟଙ୍କ---
ସର୍ବଶ୍ରେଷ୍ଠ ହେବ ଶିଷ୍ୟ ତାଙ୍କ,
ଶତ ଅଶ୍ୱମେଧ ସମାପ୍ତ ହୋଇଛି
ବିଶ୍ୱଜିତ-ଯଜ୍ଞେ ଅଭିଷେକ ।୧୦।
ବିଧାତୃ-ବଚନେ ରହ ସବଧାନ
ଅଦୃଶ୍ୟ ଜଗତେ ଅଲକ୍ଷିତ
ଗୁରୁ ବ୍ରାହ୍ମଣ ଜଗଜ୍ଜନ କଲ୍ୟାଣ
ଅନୁପ ଅମାପ କର ଗତ,
ନାହିଁ ବିଷ୍ଣୁପ୍ରୀତି ---
ପ୍ରତିଷ୍ଠା ଲାଳସା ବଳବତୀ,
ବୁଦ୍ବୁଦ ପରାଏ ଉଜ୍ଜ୍ଵଳ ଏ ଶକ୍ତି
ଅହଙ୍କାର ଫଳେ ଯିବ ତୁଟି । ୧୧ ।
ଅବାଧେ ମାଡ଼ି ବସିଲା ସ୍ଵର୍ଗପୁର
କଳ୍ପତରୁଠାରୁ ହେବି ବଡ଼
ଅଧିକୁ ଅଧିକ ଦାନ ଖଇରାତ
ଅଭିମାନ ଜାତ ମାନ ଦୃଢ଼’
ବିଶ୍ଵଜିତ ଯଜ୍ଞ ---
ଘୋଷଣା କରିଲେ ଶୁଷ୍କ ପ୍ରାଜ୍ଞ
ନାହିଁ କୃଷ୍ଣାର୍ପଣ କର୍ମରେ ତନ୍ମନ
ଦିଶୁନି ନିର୍ଦ୍ୱନ୍ଦେ ହେବ ସାଙ୍ଗ । ୧୨ ।
(ଧର୍ମହୀନ କର୍ମ, କର୍ମହୀନ ଧର୍ମ---ଉଭୟ ନିଶ୍ଚିତ ବିକଳାଙ୍ଗ)
ପୁତ୍ର ପରିଜନ, ଶୂନ୍ୟ ଏ ଶ୍ମଶାନ, କେମନ୍ତେ ବଞ୍ଛିବି
ଦେବମାତା କହି, କଶ୍ୟପଙ୍କୁ ଚାହିଁ, କହ କି କରିବି ?
ଅଶରୀରୀ ହୋଇ ମୋ ପୁତ୍ର ଭ୍ରମିବେ, ଏ ବଡ଼ ବାଧଇ
ସୁଖର—ସଂସାର, ହୋଇଗଲା ଜୂର, ପରାଣ କାନ୍ଦଇ |
ଯତୀନ୍ଦ୍ର ବୋଲନ୍ତି, ମାୟାମୟ କ୍ଷିତି, ତୁମ୍ଭେ ତ ଯୋଗିନୀ
ସାରା ଜନମଟା ଆଚରିଲ ତପ, ହେଲ କି ବନ୍ଦିନୀ ?
ସତ୍ୟ ସତ୍ୟ ଋଷି ! ବାତ୍ସଲ୍ୟେ ଲାଳସୀ,
ହୋଇଛି ମୋ ମନ
ଗାର୍ହସ୍ଥ୍ୟ ଜୀବନ, ସେହି ତପୋଧନ, ମମତା ବନ୍ଧନ |
ସମସ୍ୟା କଠିନ ନ ଦେଖେ ନିର୍ଯାଣ, ଡ଼ାକ ନାରାୟଣ
ଘଟନା ଘଟନ, ଯାହାଙ୍କ ରଚନ, ତହି ପରିତ୍ରାଣ |
ଗୁରୁଙ୍କ କଲ୍ୟାଣ, ସେବାବ୍ରତ ଦାନ, ଅତୁଟ ରହିଛି
ପତନର ପଥ ନ ଦେଖେ କିଞ୍ଚିତ, ବଳିଷ୍ଠ ହୋଇଛି |
ସ୍ଵରଗ—ସମ୍ଭୋଗ ନୋହିବ ବେବାଗ ଥିବାଯାଏ ନିଷ୍ଠା
ଅମରେ ପରଜା କରି ହେବ ରାଜା ଖୋଜୁଛି ପ୍ରତିଷ୍ଠା |
ସଂସାର—ସଲିଳେ ଭାସୁଛି ଅଲାଳେ ଅଛିଦ୍ର କଳସ
କେମନ୍ତେ ବୁଡ଼ିବ ବୁଡ଼ି ନ ପାରଇ ନାହିଁ ତ କଳ୍ମଷ |
ସାଧୁ ସାଧୁ ସାଧୁ, ବିଶ୍ଵକୁ ଯେ ମଧୁ ବର୍ଷଣ କରୁଛି
ତା’ପାଦେ କଣ୍ଟକ ନ ଲାଗୁ ବିବାକ, ତା ଶୁଭ ସ୍ମରୁଛି |
ପୁଣ୍ୟବନ୍ତ ଜନ ହୋଇବେ ପତନ, ନୋହେ ମୋ ବାଞ୍ଚିତ
ଶିବ ବିରଞ୍ଚିଙ୍କ ବାଞ୍ଚିତ ପଦାଙ୍କ, ହେଉନ୍ତୁ ପ୍ରାପତ |
ଗୁରୁ ବ୍ରାହ୍ମଣଙ୍କ ଅଖଣ୍ଡ କଲ୍ୟାଣ ଜଗତ ମଙ୍ଗଳ
ବଢୁ ଦିନ ଦିନ ଲଭନ୍ତୁ ଭକତି ବିମଳ ମଞୁଳ |
ତଥାପି ମୁଁ ମାତା, ଜୀବନ—କବିତା, ହେବି କି ନିଷ୍ଫଳ
ସର୍ବାର୍ଥ ଚିନ୍ତାମଣିକୁଂ କିବା କଥା ବେଦନା ବିକଳ |
ଜାଣୁଛି ମୋ ପୁନ୍ତ୍ର, ବିଚାର ବିବିନ୍ତ୍ର, ନୁହନ୍ତି ଉଦାର
ଯାବତ ସୌଭାଗ୍ୟ ସ୍ଵାର୍ଥେ ଉପଯୋଗ ସଂକୀର୍ଣ୍ଣ ଆଚାର |
ଏମନ୍ତ ସଜ୍ଜନ ସଙ୍ଗସୁଖ ଛାଡ଼ି ହିଂସାରେ ଜର୍ଜର
କେବା ରାଜା କେବା ପରଜା ଜଗତେ ସବୁ ତ ତାଙ୍କର |
ଜାଣୁଛି ମାତାର ଏହି ଅପରାଧେ ସରଗୁଁ ବଞ୍ଚିତ
ଭ୍ରମୁଛନ୍ତି ଯଥା ତଥା ହାହାକାରେ ପ୍ରେତ ନିରାଶ୍ରିତ ।
ଦ୍ଵାଦଶ ଦିବସ ପୟଃ ଉପବାସ ନ୍ତ୍ରାହି ନାରାୟଣ
ଟଳିଲା ବହନ ଗରୁଡ଼---ଆସନ ଦେଲେ ଦରଶନ ।
ସହସ୍ର କୁମର ଖେଳାଇ ଅଙ୍କର ଢାଳେ ଅଖିପାଣି
ତଥାପି ଦୁଃଖିନୀ ମୁହିଁ ଅଭାଗିନୀ ହୋଇଲି ବାୟାଣୀ ।
ମୁଁ ପରା କୁମର, ଅଗ୍ରତେ ତୁମ୍ଭର, ପୋଛିଲେ ଲୋତକ
ସତେକି ସେ ଭାଗ୍ୟ ଅଛି ରେ ମୋହର, ଏ ପିଣ୍ଡ ପାତକ ।
ଜାଣେ ତୁ ଆରତୀ ଆରତଭଞ୍ଜନ, ଭକ୍ତାଧୀନ ଧନ
ଏ ପାପ ଜରାୟୁ ନାହିଁ ପୁଣ୍ୟବାୟୁ ହେବ ତୋ ଆସନ କାନ୍ଦ ନା କାନ୍ଦ ନା କରୁଛି ବନ୍ଦନା ଆସିବି ବହନ---
ଛାଡ଼ ଅନଶନ, ଅଶ୍ରୁଳ ନୟନ, କର ମା’ ପାରଣ ।
ଫାଲ୍ଗୁନ ମାସର ବ୍ରତ ପରିପୂର୍ଣ୍ଣ ଭାଦ୍ରରେ ଜନମ
ସାତମାସିଆଏ କାଳିଆ ଭୂଆଟା ହୋଇଲା ବାମନ ।
‘‘ଅମ୍ବୁ ଯେ ହେଉ ସେ ହେଉ ଶାଳଗ୍ରାମ-ସ୍ନାନେ
ଅଗ୍ରାହ୍ୟ କାହାର ପାଦୋଦକ ନାମ ଜ୍ଞାନେ |’’
---ଅଭିମନ୍ୟୁ
(ରାଗ---କଳହଂସ, ୧୨ଅକ୍ଷରୀ)
ଅଦିତି – ଗର୍ଭ – ସିନ୍ଧ – ସମ୍ଭବ – ଇନ୍ଦୁ
ଦିଅ ହେ ପ୍ରଭୁ ମୋତେ କରୁଣା – ବିନ୍ଦୁ ।
ମନ ମହକି ଉଠୁ ପଦାବ୍ ଜଗନ୍ଧୁ
କଶ୍ୟପ କୋଳେ ବିଜେ ଭକତ ବନ୍ଧୁ ।।
କର୍ବୁ ରକୁଳ – ଗର୍ବ – ଖର୍ବ – କାରକ
ଖର୍ବାଙ୍ଗ ହୋଇ ହେବେ ଉର୍ବିପାଳକ
ସର୍ବ ସୁପର୍ବ ମେଳ ହୋଇଲେ ଦେଖି
ଦେଖିଲେ ଯାହା କେ ତା’ ପାରିବ ଲେଖି ।।
କଳ୍ପେ କଳ୍ପିଲେ ବସି ଶାରଦା କବି
ଗୁରୁ ପରମେଷ୍ଠୀ କି ପାରିବେ ଲଭି ।
ଜାତ ଶିଶୁର କଣ୍ଠେ ଅଶ୍ରୁତ ଶ୍ରୁତି
ଚକିତ ଚରାଚର କଳ୍ପନା ଧୃତି ।।
ଅନୁପ ଅଭିରାମ ବ୍ରହ୍ମ – ମୁରତି
ବନ୍ଦିବା ଆଶେ ବିଜେ ନାରଦ ଯତି ।
ଯତି ଯତି ମିଳନେ ଜାତାହ ସୁଖ
ଦେଖିଲେ ଜଗଜ୍ମନ ହେଲା କୌତୁକ ।।
ଧନ୍ୟ କଶ୍ୟପ ଧନ୍ୟ ଅଦିତି୍ ନାରୀ
ବିଶ୍ଵମ୍ଭର ମୂରତି ଯା’ ଅଙ୍କଚାରୀ ।
ହରି ହରି ବୋଲି ହେ ସକଳ ଜନ
ବାମନରୂପ ହରି କଲେ ଧାରଣ ।
ଚରିତ ସୁଧାରସ ପିଆଇ ଆଶ
କଲି, ବାଳିଶ ବୋଲ, ନାହିଁ ପରାଶ ।
ସୀତାଂଶୁ – ଭାନୁ – ରଶ୍ମି – ରଞନେ ଧାରା---
ରଞିତ ବୋଲି କି ଖଦ୍ୟୋତ ନାକରା ?
(ପ୍ରଥମେ ଢ଼ୁଆ ପ୍ରାୟ ତତ୍ପରେ ଗଡ଼ମାଳିଆରେ ନେବେ)
ହସି ହସି ଆସି ନାରଦ ବୋଇଲେ କଶ୍ୟପ ମନ ଫୁରୁଣା
ନ ଜାଣିଲୁ କିଏ ଜନମ ହୋଇଛି ବ୍ରାହ୍ମଣ ଅତି ନିଛୁଣା,
ରେ ଋଷି ! ଏ ତ ପୂର୍ଣବ୍ରହ୍ମ କଳା ଶଶୀ,
ବିଶ୍ୱ-ପାତଳ-ଛେଦନ ଆସି
ଏ ତ ଯୋଗିଜନ-ମନପାଶୀ ।୧।
ସ୍ୱଭାବେ ବ୍ରାହ୍ମଣ ଅଟନ୍ତି କୃପଣ ତୁ ପୁଣି ଗଣ୍ଠି ଗଣ୍ଠିଆ
ଦିଆନିଆ ଖିଆପିଆ କିଛି ନାହିଁ ମଠରେ କଣା ମାଠିଆ
ରେ ଋଷି, ଧନ ଯିବ କି ତୋ ସଙ୍ଗେ ମିଶି ?
ଆଖି ଥାଉଁ ଅନ୍ଧ ହେଲୁ ବସି,
କାହିଁ ଦେଖିଛୁ କି ରୂପରାଶି ।୨।
ବ୍ୟବସ୍ଥା ପୂରାଣ ପୂରହିତପଣ ଯଜନ-ଯାଜନ ଦାନ
ବିବାହ ବରତ ଶିରାଧ ମହଳା ସବୁଥିରେ ଅଟୁ ଟାଣ
ରେ ତୋର, କାରବାର ସୁରାସୁର ନର,
ନୀଚ ବୁଦ୍ଧି ନୋହିଲା ଅନ୍ତର,
ଟୁଙ୍ଗା ଆଳୁରେ ଜଳାଉ ଘର ! ।୩।
କଶ୍ୟପ ବୋଲନ୍ତି ମୁଁ ବଡ଼ ଦରିଦ୍ର କି କଥା କହୁଛ କକା---
ଧନହୀନ ବୋଲି ଭାବି ମୁହିଁ ଭୁମଙ୍କୁ ଡ଼ାକିଲି ଏକା
ହେ କକା, ମୋର ଦିନରାତି ସେହି ଧୋକା
କାହୁଁ ପାଇବି ମୁଁ ଏତେ ଟଙ୍କା ?
ଦରିଦ୍ରଙ୍କୁ ପରିବାରୀ ଶଙ୍କା ।୪।
ପିଲାଛୁଆ କରି କାହାଣେ କୁଟମ୍ଭ ଦିନ ରାତି ହଣାକଟା
କାହାକୁ କହିବି କିଏ ବା ଶୁଣିବ କରମ ମୋହର ଫଟା
ହେ ମୋର, କଦ୍ରୁ କୁମରେ (୧) ଖଳ ଅପାର,
ଦିତିନନ୍ଦନ (୨)ଙ୍କ ଅନାଚାର,
ବିଶ୍ୱ-ବ୍ରହ୍ମାଣ୍ଡୁ ଅଟେ ବାହାର ।୫।
ଜଣେ ଚଣ୍ଡ (୩) ତାର ଦୃଷ୍ଟିରେ ସୃଷ୍ଟିକି ପୋଡ଼ିବାକୁ ଆଗଭର
ଡ଼େଙ୍ଗା ନାକୁଆର (୪) କି ଗୁଣ କହିବି ଭାଇଙ୍କୁ କଲା ଆହାର,
ହେ ମୋର, କରମକୁ ଜାତ କୁଳାଙ୍ଗାର,
ଚାରି ଭାରିଜା (୫) ଏକକୁ ଆର
ତୁମେ ନୁହ ତ କେହି ଅପର ।୬।
ବାଙ୍ଗରା ହୋଇ ଏ କଳା ପୁଆଟାଏ ତାହାକୁ ବୋଲୁଛି ହରି ?
ବେଙ୍ଗ ମୁଣ୍ଡରେ କି ଗଜମୋତି ଜାତ ! ପରତେ ଯିବି କିପରି
ହେ ନୂଆ, କୁଆ ଦିଏ କି କୋଇଲି ଛୁଆ ?
ଶୃଗାଳ କି ମୃଗନାଭିଦିଆ ?
ନୀଳୋତ୍ପଳ କି ଦଳ ଗଡ଼ିଆ ।୭।
ଗୋଟିଏ ନରକୁଁ (୬) ଉଦ୍ଧାର ପାଇଁକି ପୁତ୍ର ମନାସନ୍ତି ଜନେ
ନ ଜାଣନ୍ତୁ ପୁନ୍ତ୍ର କୁପୁର୍ ହୋଇଲେ କୋଟି ନରକକୁ ଟାଣେ
ସେ କ୍ଷଣେ, ସର୍ବ ସୁକୃତ ଉରାଏ କେଣେ,
ଚଉଷଠି ନରକ ଭ୍ରମଣେ
ବଂଶ-ପରମ୍ଫରା ଝିଙ୍କି ଆଣେ ।୮।
(୧) ସର୍ପମାନେ । (୨) ଦୈତ୍ୟଗଣ । (୩)--- ସୂର୍ଯ୍ୟ (୪)--- ଗରୁଡ଼ । (୫)--- ଦିତି, ଅଦିତି, କଦ୍ରୁ, ବିନତା । (୬)---ପୁତ୍ ।
ଉତ୍ସବରେ ଅନ୍ନପୂର୍ଣାଙ୍କ ଯୋଗଦାନ
ଅଦିତି ଭକତି, ଜାଣି ଦେବଯତି, କୈଳାସେ ଦେଲେ ସମ୍ୱାଦ
ଅପର୍ଣ୍ଣା ଆସିଲେ ଅନ୍ନ ପୂର୍ଣ୍ଣ କଲେ ସୁଧାଠାରୁ ବଳି ସ୍ୱାଦ,
ପାଇ ବିଶ୍ୱ ସଂସାର… ଅକଳନ୍ତା ଭଣ୍ଡାର ସମ୍ଭାର
ଥାଉ ପଛେ ଆହାର..ଗନ୍ଧେ ଭରିଲା ସର୍ବ ଉଦର ।।
କ୍ଷୀରି କି କାକରା ଆମକୁ ମାଲପା ବେଶର ଶାକର ଭାଜି
ପୁରି ମଣ୍ଡା ଲଡ଼ୁ ରାବିଡ଼ି ସନ୍ଦେଶ ଯାହାର ଯହିଁ କି ରାଜି,
ନୃତ୍ୟ ବାଦ୍ୟ ସଙ୍ଗୀତ…ହେଲା ମହୋତ୍ସବ ବିଧିମତ
ଭୋକୀ ଶୋଷୀ ଭିକ୍ଷୁକ…ତୋଷ ହୋଇଲେ ଯେତେ ଯାଚକ ।।
ଶାରଦା ଯା’ପଦ କିଙ୍କରୀ ତାହାର ବିଦ୍ୟା ଅବା କି ବିଚିନ୍ତ୍ର
କେବଳ ଦରିଦ୍ର ହେବାର ଯନ୍ତ୍ରଣା ଘାରିଲା ମରମ—ଯନ୍ତ୍ର,
ଦେଖି ମଳିନ ମୁଖ…ଜନକର, ଭାବଇ ବାଳକ
ଯିବ ଦୂର କଟକ…ହେଳେ ଖଣ୍ଡିବ କର୍ମବିପାକ ।।
( ରାଗ---ଚୋଖି )
ବିଶ୍ୱ-ବିଜୟ ହରଷେ ବଳିଷ୍ଠ ବଳି ବିଶେଷେ
ବସି କଳ୍ପନା କରିଲେ ବାସବ-ପଦ,
ବରଣ କରାଇ ବର ପୁରୋଧା ବହୁ ସମ୍ଭାର
ବିଶୁଦ୍ଧ ବୁଧ ସଙ୍ଗମେ ଶତାଶ୍ୱମେଧ
ବିନୟେ ଗୁରୁ କବିଙ୍କ ବଚନମତେ…
ବରବଧୂ ବିଧୁମୁଖୀ ବିନ୍ଧ୍ୟା ସଙ୍ଗତେ ।୧।
ସ୍ୱଭାବେ ଶଙ୍କରବରେ ନିଃଶଙ୍କ ସେ ଚରାଚରେ
ବାହୁଳେୟ ବାସବ-ବିଜୟୀ ହୋଇଛି ,
ବିଷ୍ଣୁ-ପଦାଶ୍ରିତ ଜନ ବିରେନ୍ଦ୍ର ବିବୁଧପଣ
ପଟାନ୍ତର ନାହିଁ ପରା ଭକ୍ତି ଲଭିଛି,
ବହୁ ବାହୁ ବିଦ୍ୟା ବଳେ ବଳୀ ହେବାରୁ
ବଳି ବଳିଷ୍ଠ ଏ ବାଣୀ ହେଲା ଅମ୍ଭରୁ ।୨।
ଷଡ଼ ଐଶ୍ୱର୍ଯ୍ୟ ସମ୍ଭୁତ ଗରିଷ୍ଠୁ ହେବା ଲଘିଷ୍ଠ
ବିଚିତ୍ର ନୁହଇ ଏ ବାମନ ମୂରତି
ରୋମାଳୀ କନ୍ଦରେ ଯାର କୋଟି ଭାନୁ କଳାକର
ବଙ୍କିମ ଚରଣେ ଗତି କରେ ଝଟତି
ସହସ୍ର ଯୋଜନ ଅନ୍ତର
ଚିନ୍ତାମଣିଙ୍କି ସେ କଥା ହେଲା ଗୋଚର ।୩।
ଅଦିତି ବୋଇଲେ, ସୁତ ! ଏକି କହୁ ବିପରୀତ
ବାଳୁତ ବାମନ କାହିଁ ବଳି କଟକ,
ଶଶାଙ୍କ ଧାରଣ ପରା ଖର୍ବ ଏ ଚରଣେ ଧାରା
ଭ୍ରମିବା ବାସନା ତୋର ଏ କି ଛଟକ,
ଆରେ ମୋର ନିଧି-ସଙ୍ଖାଳି !
ଦରିଦ୍ର ବୋଲି କି ଦେବି ସବୁବୁ ଟାଳି ।୪।
ଦୂର ଦୂର୍ଗମ ସରଣୀ ଗିରି ବନ ନିର୍ଝରିଣୀ
ମରୁପଥେ କ୍ଷୁଧାରେ କାତର ହୋଇଲେ,
ହିଂସ୍ର ଶ୍ୱାପଦ ଶାର୍ଦ୍ଦୁଳ ଭୀତିରେ ହେଲେ ବିହ୍ୱଳେ
କେ ଅଛି ରେ ସାହା ତୋର ହେବ ସେ କାଳେ ?
ପୁତ୍ର ବୋଲେ, ‘ ଅନାଥ-ବନ୍ଧୁ
ରଖିଲେ ରଖିବେ ମୋତେ କରୁଣାସିନ୍ଧୁ ।୫।
ଦ୍ରବିଣ ନୟନୁଁ ନୀର ଦୁର୍ବାଦଳ କଳେବର,
ପୋଛିଲେ, ବୋଇଲେ ମା’ ଗୋ ନୁହ କାତର,
ଦୁର୍ବଳ ନୁହେଁ ମୁହିଁ ତ ଅହିତ କଲା ବିହି ତ
ବିହିତ ବିଧି ବେଳହୁଁ କଲି ମାତର’
ଦାରିଦ୍ର୍ୟ କଷଣେ କାତର…
ଦାରିଦ୍ର୍ୟ ଦୁଃଖଭଞନ କଲା ଠାକୁର ।୬।
ଦଣ୍ଡଛନ୍ତ୍ର ଧରି କରେ, ପ୍ରଣାମ ଜନନୀଠାରେ
ଲଗାଇ ଚରଣରେଣୁ ଲଲାଟଦେଶେ,
ଖର୍ବ ପ୍ରପଦ ପରଶେ, କ୍ଷଣପ୍ରଭା ପରା ଦିଶେ,
ଖର୍ବ ଖର୍ବ ପଙ୍କଜ ପର୍ବତେ ବିକଶେ,
ଦିଶିଲା ଏ ବଡ଼ ଅଭୁତ….
ଗୀର୍ବାଣ-ବାମାଏ ଚାହିଁ ହେଲେ ମୋହିତ ।୭।
ତାଳବୁନ୍ତ ଆତପତ୍ରରେ ଅଙ୍ଗ ଆବୃତ କରି
ତନ୍ତ୍ରଜିତ ବାଳ – କଣ୍ଠରେ ନ୍ତ୍ରୟୀ – ବାଣୀ ଉଚ୍ଚାରି ।।
ତମାଳବର୍ଣ୍ଣ ଅପଘନ ବାଳ ବ୍ରହ୍ମ – ମୂରତି,
ଯେ ଦେଖିଲା ମୋହ ହୋଇଲ ଚରାଚର ଜଗତି ।।
କେହି ନ ଜାଣିଲେ କିଏ ଏ ମୂର୍ତ୍ତିମନ୍ତ ବାତ୍ସଲ୍ୟ,
ଅଭୁଲ୍ୟ ସମ୍ଫଦ ଢ଼ାଳିଲେ କେହି ନ ନେଲେ ମୂଲ୍ୟ ।।
ରୁଣ୍ଡ ହୋଇ କେତେ ରମଣୀ ଦଣ୍ଡେ ଦେଲେ ଚୁମ୍ୱନ,
ଗଣ୍ଡମଣ୍ଡଳକୁ ଟିପି କେ ବୋଲେ ଆରେ ମୋ ଧନ ।।
ଧିକ ତୋ ଜନନୀ ପରାଣ ଆଝୁ ଏଡ଼େ ପାଷାଣ,
ଟିକି ଟିକି ଏହି ଚରଣେ ଦେଲା ଏତେ କଷଣ ।।
କେ ବୋଲେ, ମୋ ଘରେ ଥାଅ ରେ ବାବୁ ରଙ୍କରତନ,
କୋଟି ଜନ୍ମ କଲା ସୁକୃତ ମୋର ହେଉରେ ପୂର୍ଣ୍ଣ ।।
କେ କାଖିଆଇ ନିରଖଇ ସୁଧା – ମୟୁଖ ମୁଖ,
ଯେତେ ଦେଖୁଥଲେ ନ ମାନେ ମନେ ବଢ଼ିଲା ସୁଖ ।।
ବିଦୁଷ କେ ଶୁଣି ଚମକି ବୋଲେ, ଏ କି ଅଭୁତ,
ଶିବ ସନକ ଜନକଙ୍କ ଅଗୋଚର ଏ ତତ୍ତ୍ୱ ।।
ସ୍ୱଭାବେ ବୟସ ବାଳୁତ କ୍ଷୀର-କଣ୍ଠ କୁମର,
ସ୍ୱୟଂ-ସିଦ୍ଧା ସରସ୍ୱତୀ କି ରସନାରେ ସଞ୍ଚାର ।।
ଲୀଳାକୁଶଳୀ କପଟୀଆ କୁଟ କରି ଏମନ୍ତେ,
କେତେ କେତେ ଜଣେ କରାଇ ଗଲେ ସୌଭାଗ୍ୟବନ୍ତ ।।
କଟାକ୍ଷେ ଲଘିଂବାକୁ କ୍ଷମ ଯେହୁ ସୃଷ୍ଟି-ଗୋଷ୍ଠୀକି
ତାହାଙ୍କୁ କଲା ଯେ ଏମନ୍ତ ଧିକ ପରମେଷ୍ଠୀ କି ।।
ଏ ଜଗତରେ ସୁନ୍ଦର କିଏ ? ଯେଭଳି---
ବ୍ରଜକୁ ସୁନ୍ଦର କଳା କଳାକାର
ନଦୀୟା ସୁନ୍ଦର ଗୋରା ।
ନିଶାକୁ ସୁନ୍ଦର ଶଶୀ ପରକାର
ଶଶୀକୁ ସୁନ୍ଦର ତାରା ।।
ଇନ୍ଦ୍ରକୁ ସୁନ୍ଦର ଐରାବତ ହାତୀ
ଯୋଗୀକୁ ସୁନ୍ଦର ଜଟା ।
ବ୍ରାହ୍ମଣ ସ୍କନ୍ଧକୁ ପଇତା ସୁନ୍ଦର
ଲଲାଟେ ଚନ୍ଦନ ଚିତା ।।
ମେଘକୁ ସୁନ୍ଦର ସୌଦାମିନୀ ଯଥା
ଜାତିକି ସୁନ୍ଦର କୁଳ ।
ବନକୁ ସୁନ୍ଦର ବୃକ୍ଷଲତା ଯେହ୍ନେ
ଲତାକୁ ସୁନ୍ଦର ଫୁଲ ।।
ପ୍ରାନ୍ତର ସୁନ୍ଦର ଗିରିବର ଶୋଭା
ଚଡାକୁ ସୁନ୍ଦର ବାଲି ।।
ସରୋବରେ ପଦ୍ମ ଦିଶଇ ସୁନ୍ଦର
ପଦ୍ମକୁ ସୁନ୍ଦର ଅଳି ।।
ଉଦାସୀନ ଜନ ସୁନ୍ଦର ଭଜନ
ଗୃହୀକୁ ସୁନ୍ଦର ଧନୀ ।
କେକାକୁ ସୁନ୍ଦର କଳାପ-ଚନ୍ଦ୍ରିକା
ଫଣୀକୁ ସୁନ୍ଦର ମଣୀ ।।
ନଗର ସୁନ୍ଦର ସୌଧା ଅଟ୍ଟାଳିକା
ଅଟ୍ଟାଳି ସୁନ୍ଦର ଦ୍ୱଜା ।
ସଭାକୁ ସୁନ୍ଦର ବିଦ୍ୟାବନ୍ତ ଜନ
ରଜ୍ୟକୁ ସୁନ୍ଦର ରାଜା ।।
ବିବାହେ ସୁନ୍ଦର ହଳଦି ବସନ
ଝୁଣ୍ଟିକୁ ସୁନ୍ଦର ବାଜା ।
ବାଦ୍ୟକୁ ସୁନ୍ଦର ତାଳଲୟମାନ
ନାରୀଙ୍କୁ ସୁନ୍ଦର ଲଜ୍ଜା ।।
ହାଟକୁ ସୁନ୍ଦର କଳ କୋଳାହଳ
ମଥାକୁ ସୁନ୍ଦର କେଶ ।
ବୈଷ୍ଣବଙ୍କୁ ଶୋଭା କୌପୀନ ତିଳକ
ବେଶ୍ୟାକୁ ସୁନ୍ଦର ବେଶ ।।
ଯୁବତୀଙ୍କି ଶୋଭା ପତି-ପ୍ରିୟବାଦୀ
ଦ୍ୱାରକୁ ସୁନ୍ଦର ଦ୍ୱାରୀ ।
ପୁରୁଷଙ୍କୁ ଶୋଭା ବିଦ୍ୟା ସୁଭାଷଣ
ଘରକୁ ସୁନ୍ଦର ନାରୀ ।।
ରାଜାଙ୍କୁ ସୁନ୍ଦର ବୀରପଣ,
ବୀରପଣକୁ ସୁନ୍ଦର ଦାନ ।
ପ୍ରସାଦ ବୋଲଇ ସୁନ୍ଦରତମ ସେ
ପରଦୁଃଖ-କନ୍ଦା ପ୍ରାଣ ।।
ଜଳଜ- ନୟନ ଶ୍ୟାମ ଚିତା ଚନ୍ଦନେ ବଦନ ସୁଷମ
ଏହିମତେ, ଲୀଳା କହେ ଅନୁପମ ।୧।
ବଳି-କଟକେ ପ୍ରବେଶ-ଳାଳସେ ଅତି ଉଚ୍ଛନ୍ନ ମାନସ
ବିଧି ବାମ, ଚରଣ ହେଲା ଅଳସ ।୨।
କାନନେ ଥୋକେ ବ୍ରାହ୍ମଣ ରାଜଦ୍ୱାରେ ଦାନ ନେବୁ କାରଣ
ପଥେ ଯାଉ, ମିଳିଲେ ତାଙ୍କ ଗହଣ ।୩।
ଚାହିଁ ଘନଶ୍ୟାମ ଛବି ଅରୁଣ ଉଦୟେ ତରୁଣ ରବି
ପ୍ରଭା ଦେଖି, ହୋଇଲେ ଅନ୍ତରେ ଭାବି ।୪।
କିଏ ଏ ତନୟ କା’ର କନ୍ଦର୍ପ କିଏ ଅଶ୍ୱନୀକୁମାର
ଦେବ-କୋପେ,ଖର୍ବ ହୋଇଛି ଆକାର ।୫।
ରେ ବାବୁ ଯିବୁ କେଣିକି, କି ଭାବେ ଅଇଲୁ କହ ଏଣିକି ?
ବଳି-ଦ୍ୱାରେ, ଯାଉଛି ଦାନ ଆଣିକି ।୬।
ସ୍ୱଭାବେ ଯାଚକ ବୁଦ୍ଧି,ସେ ଯେ ପରଂପଦ-ଦାୟକ ନିଧ୍ୱ
ନ ଚିହ୍ନିଲେ, ଭାବିଲେ ହେଲା ବିବାଦୀ ।୭।
ବଧିର କି ଜାଣେ କଟୁ ଭାଷଣ ବେଦନା---
ଅନ୍ଧକୁ କି ମାଣିକ୍ୟର ଜ୍ୟୋତି ହେବ ଜଣା ?
ସନ୍ନ୍ୟାସୀ ଜାଣଇ କି ବା ବିଚ୍ଛେଦ-ଗଞ୍ଜଣା
ଦସ୍ୟୁ କି କରଇ କେବେ ସୁକୃତ କାମନା ?
ବନ୍ଧ୍ୟା କି ଜାଣଇ କେତେ ଦୁଃଖ ପୁତ୍ରଶୋକେ
ସଙ୍ଗମେ କି ସୁଖ ଜାଣନ୍ତି କି ନପୁଂସକେ ?
ଅରସିକ କି ବୁଝିବେ ରସିକ-ରହସ୍ୟ
ପୁରାଣ, ଶାସ୍ତ୍ର ବଚନେ ଖଳ କରେ ହାସ୍ୟ ।
କୃଷ୍ଣକଥାରେ କି ପଶୁନୟନ ତରଳେ
ବେଙ୍ଗ କି ଜାଣିବ ଜଳେ ପଦ୍ମ ବିକଶିଲେ ?
ବ୍ୟାଧ କି ବୁଝିବ ଶୁକସାରୀଙ୍କ ମରମ
କୁଳଟା କାମିନୀ ତାର ଥାଏ କି ସରମ ?
ଶିଶୁ କି ଜାଣଇମାନ୍ୟ ଗୁରୁ ଲଘୁ ସ୍ଥାନ
ନିର୍ମାଲ୍ୟ ମହିମ କାହୁଁ ଜାଣିବେ ଯବନ ?
ବିଦ୍ୟାହୀନ କି ବୁଝିବ ଗ୍ରନ୍ଥର ମହିମା
ଅଭକ୍ତ ଜାଣିବ କାହୁଁ ବ୍ରଜରସ-ସୀମା ?
ମଦ୍ୟପ କରିଛି କାହିଁ ତତ୍ତ୍ୱ-କାରବାର
କିରାତପଲ୍ଲୀରେ ବ୍ୟକରଣ କି ଆଦର ?
ଶବରୀ-ନୃତ୍ୟରେ କାହିଁ ହାବଭାବ ଠାଣି ?
ଯାଚକ ଜନ ନାଗର-ପଣିଆ କି ଜାଣି ?
(ପୂର୍ବାନୁବୃତ୍ତି)
ସ୍ୱଭାବେ ଯାଚକ ବୁଦ୍ଧି ସେ ଯେ ପରଂପଦଦାୟକ ନିଧି
ନ ଚିହ୍ନିଲେ, ଭାବିଲେ ହେଲା ବିବାଦୀ ।୮।
ଦେଖିଲେ ଏହା ମୂରତି, ଶୁଣିଲେ ଦିବ୍ୟ ବୋଇଲା ଭାରତୀ
ରାଜଦ୍ୱାରେ, ଆମ୍ଭର ହେବ ଅଗତି ।୯।
ମୃଗମଦ ଉତୁପଳ ଅଙ୍ଗଜାତ ଅଗୁରୁ ପରିମଳ
ବ୍ରହ୍ମଚାରୀ, ଲୁଟି ନେବଟି ଭଣ୍ଡାର ।୧୦।
ବହଲାଇ ଭଣ୍ଡିବାର ଯତନ କଲେ ଅଶେଷ ପ୍ରକାର,
ବାବୁ ଧନ! ସହସ୍ର ଯୋଜନ ଦୂର ।୧୧।
ପଙ୍ଗୁ କି ଲଙ୍ଘଇଗିରି, ସାଗର ଲଙ୍ଘେ କି ହୀନ ସଫାରୀ ?
ହେଲ ବାଇ, ପ୍ରପଦ ଖର୍ବ ତୋହରି ।୧୨।
ମରାଳ-ସାଗର-ବାହୀ ଦେଖି କାଳ ଯେବେ ହୋଇବ ବାଇ
ଅବିବେକ, ସିନ୍ଧୁଜଳେ ସେ ମରଇ ।୧୩।
ଆମ୍ଭ ସଙ୍ଗେ ଗଲେ ଭିଡି, ଓଧ ସଙ୍ଗେ ବାଇ ଭୁଆଁ-ବିରାଡ଼ି
ହେଲା ପରି, ଆଣ୍ଠୁ ଗଣ୍ଠି ଯିବ ଛିଡି ।୧୪।
(---ଆମ କଥା ହେଲା ନିଆରା, ଦେଖୁଛ ତ ଆମ ପାଦକୁ, ତାଳଗଛ ପରି
ପାହୁଲକେ କେଣେ ଡେଇଁଯିବୁ, ହୁପାକେ ସାତସମୁଦ୍ର ଲଙ୍ଘିବୁ ।)
ଗଲେ ବା ରାଜା କଟକ ବାଳୁତ ଦେଖି କରିବେ ଅଟକ
ଦ୍ୱାରିଗଣେ, ସେ ବଡ ଶିଶୁ-କଣ୍ଟକ ।୧୫।
(---ତୋ ପିଠି ଗଲ-ଗଲ ହେଉଛି ନୁହେ ? ଇତ୍ୟାଦି)
ଝଗଡିଆ ସେ ବାମନ, ନୋହିଲା ତା’ ମନ କାହିଁରେ ଆନ,
ବୋଇଲା ସେ, ଯାଉ ଯିବ ଯେତେ ଦିନ ।୧୬।
ସିହାଣିଆ ଜଣେ କେହି ବୋଲେ ଟାଉ ଟାଉ ପାଦ ପକାଇ
ଚାଲ ବେଗେ, ରହିବ ବିମୁଖ ହୋଇ ।୧୭।
ଯେଡେ ବେଗେ ଗଲେ ଧାଇଁ, ଆଚମ୍ବିତେ ସମ୍ମୁଖରେ ମିଳଇ
ସେ ବାମନ, ଚାଲେ ଆଗଭର ହୋଇ ।୧୮।
ନିରୁପାୟେ ବନପଥେ ବାଟ ଲୁଚାଇ ଯାଚକେ ଚାଲନ୍ତେ
ନଦୀତଟେ, ଦେଖିଲେ ମୂର୍ତ୍ତି ଅଗ୍ରତେ ।୧୯।
(---ଏଉଟା କିଏ ହୋ ! କଣ ଡେଣା ଲାଗିଲା କି !)
ଏକେତ ବହିନି ବେଳ, ନଦୀରେ ଜଳ ଉଛୁଳେ ଦ୍ୱିକୂଳ
ଘାଟିଆର, କଉଡ଼ି କଥାଟି ମୂଳ ।୨୦।
ବ୍ରାହ୍ମଣ ମନେ ଭରସା କାହୁଁ ଏ ବାମନ ଦେବ ପଇସା
ଏହିଠାରେ, ଖଣ୍ଡିବ କରମ-ଦଶା ।୨୧।
ଭାଗ୍ୟବନ୍ତ ସେ କୈବର୍ତ୍ତ, ଚିହିଁଲାକ୍ଷଣି ଜାଣିଲା ସମସ୍ତ
କାନ୍ଧଆଇ, ହୋଇଗଲା ମୋହଗତ ।୨୨।
ଏ କି କଲ ଅଘଟନ ; ଘଟନାଘଟନ ମୂଳକାରଣ
ଅକାରଣ, ମୋତେ ଦେଲେ ଦରଶନ ।୨୩।
ଆହେ ବଟପୁଟବାସୀ ବୃତ୍ତି ମୋ ଖାଳୋଇ ଜାଲ ବଡ଼ଶୀ
ହୀନମତି, କ୍ଷଣେ ଡାକି ନାହିଁ ବସି ।୨୪।
ଭଲା କଲୁ ଏ ସଂଘଟ, କପଟ ଅବା ତୋ ପ୍ରେମ୍ସଂଙ୍କଟ
ନଟପଟ, ତୃଣକୁ କଳପବଟ ।୨୫।
ନୟନୁ ବହିଲା ଧାର, ଆଖିଧରା ବ୍ୟାଧି ହୋଇଛି ମୋର
ପଖାଳିଲା, ସେ ଜଳେ ଦୁଇ ପୟର ।୨୬।
କୁତର୍କୀ ବ୍ରାହ୍ମଣଗଣେ, ଯାହାକୁ ଦେଖି ନ ଚିହ୍ନିଲେ କ୍ଷଣେ
ଚିହ୍ନିଲା ସେ, ଭକ୍ତାଧୀନ ଭଗବାନେ ।୨୭।
ଭଲା ସଂଯୋଗ କଲୁ ଯୋଟ । ସୁନା ମୋହର କଣା ବଟ ।।
କୋଚିଳା ସଙ୍ଗେ କଳ୍ପବଟ । ଶାଲ ଦୋଶାଲ ସଙ୍ଗେ ବଟ ।।
ରାଜ-ଅଟ୍ଟାଳି ସଙ୍ଗେ ମଠ । ସୁଜନ ସଙ୍ଗତେ କି ଶଠ ।।
ଚନ୍ଦନ,ପାଳଧୂଆ କାଠ । ଖଟୁଲି, ଗଜଦନ୍ତ-ଖଟ ।।
ଶ୍ରୋତ୍ରିୟ ବ୍ରାହ୍ମଣଙ୍କୁ ଭାଟ । ପରମଯୋଗୀଙ୍କୁ ଲମ୍ଫଟ ।।
ଐରାବତକୁ କୁଜା ଓଟ । ଆମ୍ୱକୁ ଆମ୍ୱଡ଼ା ସଂଘଟ ।।
ଷଡ଼ – ଦର୍ଶନୀକୁ କିରାତ । ଉଇହୁଙ୍କାକୁ ପରବତ ।।
ସଫରୀ ସଙ୍ଗେ କି ରୋହିତ । ଧାର୍ମିକ ସଙ୍ଗତେ କି ଧୀଟ ।।
ସାଗରବେଳା ନଦୀତଟ । ଚନ୍ଦ୍ରମା ସଙ୍ଗେ ଚିନ୍ତ୍ରପଟ ।।
ସୁଧାଭାଣ୍ଡକୁ ସୁରାଘଟ । ଧାନ୍ୟ ସଙ୍ଗତେ ଗରଗଟ ।।
କିଏ କାହାର ଗତି ?---
(ଢୁଆ)
କବିତା ଗତି ଗ୍ରାହକ ଗ୍ରାହକ ଗତି ସୁବିବେକ
ପଙ୍କଜ-ଜୀବନ ଜୀବନ ।
ଦୀନଜନଙ୍କୁ ଗତିଦାତା, ଦୁଃଖୀ ସନ୍ତାନ ଗତି ମାତା
ସତୀଙ୍କୁ ଗତି ପତି –ରତ୍ନଧନ ।
ଶସ୍ୟକୁ ଗତି ଯଥା ବୃଷ୍ଟି ଅନ୍ଧକୁ ଗତି ଯଥା ଯଷ୍ଟି
ଦୃଷ୍ଟିହୀନର ଯଷ୍ଟିଟି ନୟନ,
ରଥୀକୁ ଗତି ଯଥା ସାରଥୀ ଭକ୍ତର ଭଗବାନ ଗତି
ଅଗତି ମୁକତି କାରଣ ।
ଗୃହୀଙ୍କ ଗତି ଅର୍ଥ ମୂଳ ଯୋଗୀଙ୍କ ଗତି ବୃକ୍ଷତଳ
ତରଣୀ ଗତି ଯଥା କର୍ଣ୍ଣଧାର,
ମୀନଙ୍କ ଗତି ଯଥା ବାରି ମୋ ଗତି ତୁମ୍ଭେ ତଥା ହରି
ଲତାକୁ ଗତି ଯଥା ତରୁବର ।
ତୋ ବିନୁ ସବୁ ଅସାଧନ ଘଟନାଘଟନ କାରଣ
ତୋ ବିନା ଜୀବନ ଅସାର ।
ଧାମାଲ-ସେ ଚିହ୍ନିଲା … ଭକ୍ତାଧୀନ ଭଗବାନ ।
ନୀଳେନ୍ଦୀବର ବରନ ନରହରି ନିରୂପମ ତାଙ୍କ ମାୟା
ଜପି ନିରନ୍ତର ନିଶ୍ଚଳ ମାନସେ ନୀରଜ ଯୋନି ଯା’ ଛାୟା
ଛୁଇଁ ପାରିଲେ ନାହିଁ … ନିରେଖ ନାବିକ ଜନ ପାଇ
ଅଘଟନ ଘଟନେ … ପଟୁ ଦୟାସିନ୍ଧୁ ଭାବଗ୍ରାହୀ । ୧ ।
କୁତର୍କ କପଟ କୋଳାହଳ କାମ କନକ କ୍ରୋଧ କଳ୍ପନା
କୁଜନ କଠିନ କଟୁବାକ୍ୟ କୁତ୍ସ ସଙ୍କଳ୍ପ କର୍ମ-କାମନା
କେଶବଙ୍କୁ କଣ୍ଟକ…ଏହା ଜାଣନ୍ତି ଭକ୍ତ ଭାବୁକ,
କଇବର୍ତ୍ତ ମୂରୁଖ…ସାକ୍ଷ୍ୟ କୋଳେ କୈବଲ୍ୟ – ଦାୟକ । ୨ ।
(--- ଏ ଟୋକା ମାସୁଲ ଦେଲା ତ ? ଏକୁ କଣ କାନ୍ଧରେ ଉଠାଇ ପାରିକଲାଣି ?)
ବ୍ରାହ୍ମଣେ ବୋଇଲେ ଆରେ ରେ କୈବର୍ତ୍ତ ଏକି କଲୁତୁ ଅନୀତି
ଘାଟିଆଳ ହୋଇ ଘାଟ ନେଲୁ ଯେବେ ଜଣକୁ କିପାଇଁ ପ୍ରୀତି
ବୋଲେ ଜାତି ମୋହର …ଖର୍ବ ସ୍ୱଭାବେ ଏହା ପୟର
ତରଣୀକି ସଞ୍ଚାର …କଲେ ବୁଡ଼ିଯିବ କଳେବର । ୩ ।
(---କିରେ, ଭାରି ବଢ଼ି ବଢ଼ି କଥା କହୁଛୁ ତ ! ତୋ ଜାତି ! )
ଚିତା ଚନ୍ଦନ ପଇତା ଆବରଣ ତୋ’ ଜାତି ହେଲା କିପରି ?
ମୁଁ କରୁଛି ସିନା କ୍ଷୁଦ୍ର ନଦୀ ପାରି ସେ କରନ୍ତି ସିନ୍ଧୁ ପାରି
ମୋର ତରଣୀ ଦାରୁ…ତା’ ତରଣୀ ଭାନୁ * କେଡ଼େ ଚାରୁ
ମୋର ଗତି ଦ୍ୱିକୂଳ…ତା’ ସାଗରେ ନାହିଁ ଥଳକୂଳ । ୪ ।
ମୋ ଜାଲଟି ସିନା ସୂତାରେ ତିଆରି ତା ଜାଲ ଜଗତେ ମାୟା
ମୁହିଁ ଧରେ ମୀନ ସେ ଧରଇ ମନ ବ୍ରହ୍ମାଣ୍ଡ ପାତକ କାୟା,
ମୁହିଁ ଜାତି ଧୀବର…ବିଶ୍ୱେ କେ ନ ଜାଣେ ସେ ଧୀ-ବର !
ଗୋସ୍ପଦକୁ ସାଗର…ସରି ପ୍ରଦୀପେ କି ପ୍ରଭାକର । ୫ ।
ଯେତେ କଉଶଳେ ଟାକିଥିଲେ ହେଲେ ମୀନକୁ ରଖି ନ ପାରୁ,
ତା’ ଜାଲ ବ୍ୟାପିଛି ଚଉଦ-ଭୁବନ ବୁଢ଼ୀୟାଣୀ ସୂତା ସରୁ,
ହେଉ ମତ୍ତ କୁଞ୍ଜର…ଜାଲ ଛୁଇଁଲେ ନାହିଁ ନିସ୍ତାର
ଜଳ ସ୍ଥଳ ସମୀର…ବ୍ୟୋମ ତପନେ ତାର ସଞ୍ଚାର । ୬ ।
ଚିନ୍ଦାନନ୍ଦ ଶ୍ୟାମ ଚେତାଇ ବୋଇଲେ, ଚଞ୍ଚଳ କରାଅ ପାରି
ଚିନ୍ତ୍ରାର୍ପିତ ପ୍ରାୟେ ଚର୍ମ ନୟନରୁ ଚକିତେ ବୋଇଲେ ଠାରି
‘ ଚନ୍ତ୍ରବର୍ତ୍ତୀ କୈବର୍ତ୍ତ…ପାରି କରିବୁ ତୁ କହ ସତ ’
ଚାତୁର୍ଯ୍ୟରେ ଅଚ୍ୟୁତ…ଚରାଚର-ସୁର-ନରାର୍ଚ୍ଚିତ । ୭ ।
ତୁ ତ ଜଗତକୁ ପାରିକଲା ଜନ ତୋତେ କେ କରିବ ପାରି
ତୁ ତ ସଭିଙ୍କର ଅଭାବରେ ବାବୁ ତୋ ଅଭାବ କିବା ହରି !
---ମୋର ଭାବ ଅଭାବ…ଭାବଠାଇଁ ମୋର ପରାଭବ
ଭବ୍-ଅବ୍ ଜ-ସମ୍ଭବ…ନ ଜାଣିଲେ ଭାବ କି ଦରବ । ୮ ।
ଲୋକୋତ୍ତର ଗୁଣମନ୍ଦିର ସୁନ୍ଦର ଅଲୈାକିକ ଗୁଣପଣ
ଭାବୁ ଭାବୁ ପେମ-ପରାବାର ଜଳେ କୈବର୍ତ୍ତ ହେଲା ମଗନ,
ଅଶ୍ରୁ ସ୍ନେଦ କମ୍ଫନ …ସଦ୍ୟ ମଦ୍ୟ ଭକ୍ଷଣ ଲକ୍ଷଣ ,
ତୋଷ ବ୍ରାହ୍ମଣଗଣ …ଜାତି କୈବର୍ତ୍ତ ଏହି ବାମନ । ୯ ।
* ସୂର୍ଯ୍ୟ ଯାହାର ନୈାକା, ଦ୍ୱିତୀୟ ଅର୍ଥରେ ଭାନୁ---ଦୀପ୍ତ ।
ଦଶମ ଛାନ୍ଦ
(ଶଙ୍କରାଭରଣ)
ଦେଖୁଁ ଦେଖୁଁ ଦେହଳୀ ନିକଟେ ଉପଗତ
ଦିତିଜପତି କ୍ଷିତୀଶ ପଣ ପୁରୁଷାର୍ଥ
ଦେଖି ହୋଇଲେ ତୃପତ,
କମଳା ଭାରତୀ ଏକାସ୍ଥଳେ କି ମିଳିତ ? । ୧ ।
ଦନ୍ତୀ-ଦୁନ୍ତ ପନ୍ତିରେ ନିର୍ମିତ ହର୍ମ୍ୟଶାଳା
ବୈଦୁର୍ଯ୍ୟ-ମଣି ମର୍କତ ମୁକୁତାର ମାଳା,
ମଧ୍ୟେ ହେମ ଚନ୍ଦ୍ରାତାପ,
ଯତନେ ରଚିତ ତହିଁ ରତନ ମଣ୍ଡପ । ୨ ।
ପାଇକ ଡ଼ଗରା ପରିଜନ ପରିଚାର
ଚଉପାଶେ ଚନ୍ତ୍ରାକାରେ ’ଛନ୍ତି ସେନାବାର
ବରବିଭବ ସମ୍ଭାର,
ପଦାତି – ଦନ୍ତୀବେଷ୍ଟିତ ପରା ପାରାବାର ! । ୩ ।
ବଳି ପ୍ରଭାକର ପ୍ରଭା ପଭାବେ ମଳିନ
ଭୁପତି ଜ୍ୟୋତିରିଙ୍ଗଣ ପ୍ରାଜ୍ଞତା – ପ୍ରବୀଣ
ମନେ ନାହିଁ ଅଭିମାନ,
ବିଚକ୍ଷଣ ପରିଜନ ସମାନ ସମ୍ମାନ । ୪ ।
ପର୍ବସିନ୍ଧୁ ପ୍ରାୟେ ଉଦ୍ବେଳିତ କୋଳାହଳ
ପ୍ରମାଦ ହୋଇଲା ଖର୍ବ ପ୍ରତିମା ସଞ୍ଚାର
ସର୍ବ ଶିବ ଶୁଭଙ୍କର,
ଶୁଣାଇ କରିଲେ ସାମ-ସଂଙ୍ଗୀତ ଉଚ୍ଚାର । ୫ ।
ବାରିଦ ଗର୍ଜନେ ନୃତ୍ୟରତ କେକାଚିତ୍ତ
ଗରଧର ଶ୍ରୁତିକି କି ପଦ୍ମତୋଳା ଗୀତ !
ଶୁଣି ଚକିତେ ରାଜନ,
ଦେଖିଲେ ଅଗ୍ରତେ ଉଭା ବାଳୁତ ବାମନ । ୬ ।
ଠୁଳ କରି ବଶ୍ୱକାନ୍ତି ପୀୟୁଷରେ ଗୋଳି,
ବନାଇଛି ବିହି କି ଏ ସୁଷମା ପିତୁଳି,
ଲଭି ଲବଣ୍ୟ ବିଗ୍ରହ,
ତୃଷାତୁର ଚାତକର ବାରିଦେ ଆଗ୍ରହ । ୭ ।
ଅତସୀ – କୁସୁମ – ଶ୍ୟାମ ଅରବିନ୍ଦ ଛବି
ରାଜନ – ମନ – ମଧୁପ ମଧୁପାନେ ଲୋଭୀ
ନମି ବ୍ରହ୍ମଚାରୀପଦେ,
ବଚାରନ୍ତି କିଏ ତୁମ୍ଭେ କିବା ବାଞ୍ଛା ହୃଦେ ?।୮।
ବାଞ୍ଛା – କଳ୍ପତରୁ ହସି ବୋଇଲେ ବଚନ
କଳ୍ପତରୁ ହୋଇବାକୁ ବଳାଇଛୁ ମନ,
ଆରେ ଦାମ୍ଭିକ ରାଜନ,
ହେବୁ କି ତ୍ରିପାଦଭୂମି ଦେବାକୁ ଭାଜନ ? ।୯।
କୀରତି ପଟଳ ତୋର ବ୍ୟାପିଛି ଭୁବନ
ସ୍ୱଭାବେ ବାମନ ମୁହଁ ଖର୍ବ ମୋ ଚରଣ
ମୁହିଁ ବେଦଜ୍ଞ ବ୍ରାହ୍ମଣ,
କଳିଲେ କବି ଏ ନିଶ୍ଚେ ଗରବଗଞ୍ଜନ ।୧୦।
‘ଦେବି ଦେବି’ ବୋଲୁଁ କବି ବୋଇଲେ କି କଲୁ
ସାରିଲୁ ସାରିଲୁ ଗୁଣ-ଗାରିମାରେ ଓଲୁ !
ଆଖି ଥାଉଁ ହେଲୁ ଅନ୍ଧ !
ବାଙ୍ଗରା ଟାଙ୍ଗରା କଣା କୁଜା ହୃଦ-ଛନ୍ଦ ।୧୧।
ରାଜ୍ୟ ପାଟ ଧନରତ୍ନ ଅଶନ ବସନ
କିଛି ବାଞ୍ଛା ନାହିଁ ଅଛି, ତ୍ରିପାଦ ଭୁବନ !
କିପାଁ କଲ ଅଘଟନ
କି ମରମ ଅଛି କିଏ ଦୁର୍ଜନ ସୂଜନ ।୧୨।
କାରଣ, ‘ତିନି’ ସର୍ବତ୍ର ଅମଙ୍ଗଳ---(ଢୁଆ)
ଧାତିନି ତାତିନି ତାତିନି ତିନି ଅତି ଜଞ୍ଜାଳ
ତିନିପାଦ ଭୂମି ମାଗୁଛି ଜାଣ ଧ୍ରୁବ ଏ କାଳ ।
ତ୍ରିଭଙ୍ଗରେ ଶ୍ୟାମ ସୁନ୍ଦର ଅକାଁବଙ୍କା ଚରଣ
ତିନି ତିଥି ତ୍ରୟ ସ୍ପର୍ଶରେ ଶୁଭକାର୍ଯ୍ୟ ବାରଣ ।
ତିନି ଦରବ ସମର୍ପିଲେ ପ୍ରୀତି ଭଙ୍ଗ ହୁଅଇ
ତିନି ଆଖିଆ ଯେଉଁ ମାଛ କେହି ଛୁଅନ୍ତି ନାହିଁ ।
ତିନି କାନ ହେଲେ ମନ୍ତର ତାର ନଥାଏ ଗୁଣ
ତିନି ନକଲରେ ଅସଲୁଁ କିଛି ନ ଥାଏ ଜାଣ ।
ତେମୁହାଣୀ ଛକ ଯେଠାରେ ଜାଣ ବାଟଟି ବଣା
ବାତ-ପିତ୍ତ-କଫ ତ୍ରିଦୋଷ ନିଶ୍ଚେ ଡ଼ାକେ ଶାଗୁଣା ।
ତ୍ରିକଟୁ ତ୍ରିଫଳା ଦରବ କେହି ନୁହନ୍ତି ମିଠା
ତ୍ରିଶଙ୍କୁ ନାମ ବହିବାରୁ ଅଧା-ସ୍ୱରଗେ ସେଟା ।
ତିନି ଥିବ ଯହିଁ ଜାଣିବୁ ତାହା ବଡ଼ ପ୍ରମାଦ
ସୁଜନ ନୁହେଁ ଏ ଦୁର୍ଜନ ମୋର ଘେନ ସମ୍ବାଦ ।
କିନ୍ତୁ ରାଣୀ ସେ ଯୁକ୍ତିକୁ କର୍ଣ୍ଣପାତ କଲେ ନାହିଁ---
ବଳିବାମା ବିନ୍ଧ୍ୟାଦେବୀ ବୋଇଲେ ବାରତା
ଗୁରୁ ହୋଇ କୁହ କିମ୍ପା ଅସଙ୍ଗତ କଥା ?
ରାଜା ଦେଲେଣି ବଚନ,
ଖଣ୍ଡିଲେ ଖଣ୍ଡିବ ପବି ଅଖଣ୍ଡ ପ୍ରମାଣ ।୧୩।
କପଟ ହେଉ ବା ହେଉ ଲୀଳାର ପ୍ରକଟ
ଜାଣିଲିଣି ଧ୍ରୁବ ଏହୁ ସର୍ବେଶ୍ୱର ଘଟ,
ଯଜ୍ଞେଶ୍ୱର ନାରାୟଣ
ଯଜ୍ଞ ପୂର୍ଣ୍ଣ ହେବ ବିଜେ ହେଲେଣି ଆପଣ ।୧୪।
ପ୍ରକମ୍ପିତ ତନୁ କ୍ରୋଧେ ହୋଇଲେ ସେ ଋଷି
ଗୁରୁ ଲଙ୍ଘି ନାରୀ-ବାକ୍ୟ ଘେନିଲୁ ସାହାସୀ
ତୋର ବିନାଶ ନିକଟ
ବିପରୀତ ବୁଦ୍ଧି ତେଣୁ ହୋଇଛି ପ୍ରକଟ ।୧୫।
ବିନାଶ କାଳ,ରେ ଘଟେ ବିପରୀତ ବୁଦ୍ଧି ରେ ରାଜ୍ୟେଶ୍ୱର
ନାଡ଼ି ହୁଏ କିଛି ବୁଦ୍ଧ ରେ ,,
କେ ନ ହୁଅନ୍ତି ଶୁଚି ରେ ,,
ହୁଏ ଅମୃତେ ଅରୁଚି ରେ ,,
ବନ୍ଧୁକଥା ଲାଗେ ବିଷ ରେ ,,
ଗୁରୁ ପ୍ରତି ଜାତ ରୋଷ ରେ ,,
ଶାନ୍ତ ହୁଅନ୍ତି ଅଶାନ୍ତ ରେ ,,
ଲୋକେ ହୁଅନ୍ତି ବିଭ୍ରାନ୍ତ ରେ ,,
ଘଟେ କୁପଥ୍ୟ ଭୋଜନ ରେ ,,
ଇଷ୍ଟଚିନ୍ତାକୁ ବି ମନ ରେ ,,
ଧମାଲ---ତୋତେ ଘୋଟିଲାଣି ବଡ଼ ଦଶା ରେ ରାଜା !
ତୋତେ ଘୋଟିଲାଣି ବଡ଼ ନିଶା ରେ ରାଜା !
ମଶା ହୋଇ ଆଶା କଲୁଣି ମନରେ
ଭାଙ୍ଗିବୁ ସୁମେରୁ ନାସା ରେ
ଯୋଷା-ଭାଷା ତୋତେ ସରସା ହୋଇଲା
ବିଷ ହେଲା ପରଶଂସା * ।
ଧମାଲ---ବାମନ ହୋଇତୁ ଚନ୍ଦ୍ରମା ଧରିବୁ
କଲୁଣି ମନେ ଭରସା ରେ ରାଜା ।
ବୋଲନ୍ତି ବିନ୍ଧ୍ୟାରାଣୀ ବିରଞ୍ଚି ଶୂଳପାଣି,
ଯା’ ପାଦ ରେଣୁକୁ ମନାସି,
ବ୍ରହ୍ମାଣ ଭାଣ୍ଡୋଦର ଚାତୁର୍ଯ୍ୟ ବୁରନ୍ଦର
କରୁଣାସାଗର ଭିକ୍ଷାଣୀ,
ଜାଣିଲିଣି--- ମୋଠାରୁ ବଡ଼ କେହି ନାହିଁ,
ମୋ ଭାଗ୍ୟ କାର ହୋଇଛଇଁ,
ଦୁଷ୍ଟ ବା ଶିଷ୍ଟ ହେଉ ରୁଷ୍ଟ ବା ତୁଷ୍ଟ ହେଉ
ଅଦୁଷ୍ଟ ମୂଳ ଭାବଗ୍ରାହୀ ।୧।
ଶୁନ୍ତ୍ର ବୋଇଲେ ବନ୍ତ୍ର, ଭ୍ରମୁଛି କାଳଚନ୍ତ୍ର,
ତନ୍ତ୍ର (୧) ପରା ମୋ କଥା ତୋତେ,
ଶନ୍ତ୍ର ହେବାକୁ ଆଶା, ନତ୍ରେ ଘୋଟିଲା ଦଶା,
ଘୋଟି ଆସୁଛି ବିଧି ମତେ,
ଉଗ୍ରଚେତା ---ଅତି ବଡ଼ ହେବାକୁ ମନ
ଅତି ବଡ଼ ହେଲେ ପତନ,
ଅତି ବଡ଼ ସାଗର ହେବାରୁ ରତ୍ନାକର,
ତା’ ବାରି ହୋଇଛି ଲବଣ ।୨।
ପରଶଂସା---ହିତୋପଦେଶ ।
(୧) ତନ୍ତ୍ର---ଘୋଳଦହି, ମୋ କଥା ଖଟା ଲାଗୁଛି ।
ଢୁଆ--- ବଡ଼ ରେ ପ୍ରମାଦ ବଡ଼ ଶୁଣ ରେ ରାଜନ---
ବଡ଼ ହେଲେ ବଡ଼ ଜ୍ୱଳା ମରଣ କାରଣ
ବଡ଼ ଯୋଦ୍ଧା ଥିଲେ ଶୁମ୍ଭ ନିଶୁମ୍ଭ ଦି ଭାଇ
ବଡ଼ ଆଶା କଲେ ଦଶଭୁଜା ଗିଳିଛଇଁ ।
ବଡ଼ ଯଜ୍ଞେ ଦକ୍ଷରାଜା ଗ୍ଥଗମୁଣ୍ଡ-ଦୁଃଖ
ବଡ଼ ଶୋକ ଦଶରଥ ମରଣଦାୟକ ।
ବଡ଼ ବୀର ଗରୁତ୍ମାନ ଭୁଲା ମନ ତାର
ବଡ଼ ମାୟା ମାରିଚର ଦୁର୍ଗତି ଅପାର ।
ବଡ଼ ବଳ ହନୁମାନ ହୋଇଲା ବାହନ
ବଡ଼ ଦର୍ପ ରାବଣର ଅଯଶେ ନିଧନ ।
ବଡ଼ ଶୋଭା ଶଶଧର କଳଙ୍କୀ ହୋଇଛି
ବଡ଼ ପ୍ରେମ ଶ୍ୟାମଅଙ୍ଗ ତ୍ରିଭଙ୍ଗ ରହିଛି ।
ବଡ଼ ଯୋଗୀ ଶିବ ବିଷକଣ୍ଠ ହୋଇଛଇଁ
ବଡ଼ ରାଜା ଇନ୍ଦ୍ର ସହସ୍ରାକ୍ଷ ସେ ବୋଲାଇ ।
ବଡ଼ ଜ୍ଞାନୀ ବ୍ୟାସ ବ୍ୟାସ-କାଶୀରେ ବସତି
ବଡ଼ ରୂପବନ୍ତ କାମ ଭସ୍ମେ ପରିଣତି ।
ନ ମାନି ହିତବାଣୀ, ପୁରଟ କୁମ୍ଭ ଆଣି,
ବାମନ ପୟର ପଖାଳି,
ଦାନ- ପାଣି ଦେବାର ହେବାରୁ ଆଡ଼ମ୍ୱର
ଘଟ ମଧ୍ୟେ କପଟ କରି ସେ-
ଗୁରୁ କବି...ରହିଲେ ମାୟାରୂପ ଧରି
ନ ମାନି ହିତବାଣୀ, ପୁରଟ କୁମ୍ଭ ଆଣି,
ବାମନ ପୟର ପଖାଳି,
ଦାନ- ପାଣି ଦେବାର ହେବାରୁ ଆଡ଼ମ୍ବର
ଘଟ ମଧ୍ୟେ କପଟ କରି ସେ---
ଗୁରୁ କବି---ରହିଲେ ମାୟାରୂପ ଧରି
ଚତୁର ଚିନ୍ତାମଣି ହରି
କୁଶ ଛାଟିବା ଛଳେ, ପିଟିଲେ ନେତ୍ରମୂଳେ,
ଏକାକ୍ଷ (୧) ପଳାଇଲେ ଡ଼ରି ।୩।
ବିନ୍ତ୍ରମି ଚରାଚର ବ୍ୟୋମ ତପନ ତାର
ପ୍ରକଟ ବିରାଟ ମୂରତି,
(୧) ଯେଉଁମାନେ ଶୁଭକାର୍ଯ୍ୟରେ ବାଧା ଦିଅନ୍ତି ସେମାନେ ଏକାକ୍ଷ ।। ପ୍ରାୟ ଦେଖାଯାଏ ଏକାକ୍ଷମାନେ ଶୁଭକର୍ମରେ ବାଧା ଜନ୍ମାଇ ଆନନ୍ଦଲାଭ କରିଥାନ୍ତି ଓ ବିକଳାଙ୍ଗମାନେ ପ୍ରାୟ ସମଧିକ ସ୍ୱାର୍ଥପର ହୋଇଥାନ୍ତି ।
ପାଦାଙ୍ଗୁଷ୍ଠେ ମେଦିନୀ ଉଦଧି ତରଙ୍ଗିଣୀ
ଅଚଳ କାନନ ବ୍ରତତି ସେ ---
ଦ୍ୱିଜବର …ଦ୍ୱିପଦେ ଗ୍ରାସିଲେ ସକଳ
ସୃଷ୍ଟି-ଗୋଷ୍ଠୀରେ ନାହିଁ ସ୍ଥଳ
ବୋଇଲେ ଆଦିମୂଳ ଭୋରାଜା କାହିଁ ତୋର
ତୃତୀୟ ପଦକୁ ସମ୍ୱଳ ? । ୪ ।
ଶୁଣି ବଳି କାତର କମ୍ଫିଲା କଳେବର
କେ ଅଛି କେ ଦେବ ବିଧାନ,
ଜବାଧରୀ ଭାବଇ ବଳିଷ୍ଠ ନାମ ବହି
ମୋ ପତି ହୋଇବ କି ସାନ,
ଚତୁରାଇ …ବୋଇଲା ଅନ୍ୟ ପାଦ କାହିଁ ?
ନାଭିକମଳୁଁ ଭାବଗ୍ରାହୀ
ସଜ ସରୋଜପଦ, ଯୋଗିଜନ ସମ୍ପଦ,
ପଲକେ ଦେଲେ ପ୍ରସରାଇ । ୫ ।
ବଢ଼ିଲା ବଳି ତ୍ରାସ ବାଳା ମନେ ସନ୍ତୋଷ
ମୋ ଲାଗି ପ୍ରଭୁ ନ୍ତ୍ରିବିନ୍ତ୍ରମ,
ଯା’ ପଦରେଣୁ ଛୁଇଁ ବିରଞ୍ଚି ପାରିନାହିଁ
ମୋ ଲାଗି ପ୍ରପଦ-ଜନମ !
ଭକ୍ତାଧୀନ…ଅବଶ୍ୟ କରିବେ କାରଣ,
ଅଧୀର କିପଁ । ଅକାରଣ
ଉପାୟ ‘କ’ ରେ (୧) ଥାଉ ଭ୍ରମ କାହିଁକି ଆଉ,
ଚିନ୍ତ କାହିଁକି ତାର ସ୍ଥାନ । ୬ ।
ପ୍ରେମାଶ୍ରୁ ଗଦଗଦ ବୋଇଲେ ଚନ୍ତ୍ରାୟୁଧ
ତୋ ମାୟା ଦେବ – ଆଗୋଚର
----------------------------------------
(୧) ‘କ’ ମସ୍ତକ ---ଅର୍ଥାତ୍ ‘ମସ୍ତକ ଉପରେ ଥୋଇ ଦିଅ ।’ ୨ୟ ଭାବେ ---କର=ହାତ, ହାତରେ ଶଙ୍ଖା ଦର୍ପଣ ଦେଖା ; ଏତକ ବୁଦ୍ଧି ଦିଶୁନାହିଁ !
( ବଳିଦାନ ଲୀଳା ସମାପ୍ତ…ଦକ୍ଷିଣା ଲୀଳା ଉପସଂହାରେ )
ବାସପଦ ଛାର, ମିଳିଛି ତୋ ପୟର
ସାର୍ଥକ ଜନମ ମୋହର ହେ
କଳ୍ପତରୁ …ମୋ ଶିରକୁ ସେ ଚାରୁ
ବୋଲି ମସ୍ତକେ ଥୋଇବାରୁ
ଭୁସୁମ ବୃଷ୍ଟିହେଲା, କୋଳାହଳ ଶୁଭିଲ,
ଶବଦେ ଚମକିଲା ମେରୁ । ୭ ।
ବଇତରଣୀ ତଟ ପ୍ରକଟ କଳ୍ପବଟ
ଉତ୍କଟ କଳାକାଠ ମୁହଁ,
ତା’ ପୟର ପଇଠ, ଶଙ୍କଟ କାଳକୁଟ,
ନାଶନେ ସ୍ଫୁଟ ହୋଇଛଇଁ
ମନେ ଧ୍ୟାୟି…ନାଟଚାଟୁରେ ପଟୁ କେହି
ଚଣା – ଚର୍ବଣ ଚଟୁ ହୋଇ
ଛେନା – କାକରାଛଣା କିଞ୍ଚିତେ ଅଛି ଜଣା,
ଚାଟି ଚାଖିବା ଜଣାନାହିଁ । ୮ ।
ଉପସଂହାର
ସାର୍ଥକ ସାର୍ଥକ ବୋଲି ବୋଲୁ ନୃପବର
ନୟନୁଁ ବହିଲା ନିରଳସ ନୀରଧାର ।
ବାଷ୍ପରେ ନିରୁଦ୍ଧ କଣ୍ଠ ରୋମାଞ୍ଚ ପୁଲକ
ତଡିତ ତରଙ୍ଗ ଅବା ଖେଳିଲା ତ୍ରିଲୋକ ।
ଆଚମ୍ୱିତେ ଗଗନୁଁ ଝରିଲା ପୁଷ୍ପମାଳା
ଆଚମ୍ୱିତେ ସମୁଜ୍ଜ୍ୱଳ ହେଲା ମଖଶାଳା ।
ଅଲୈାକିକ ସୈାରଭରେ ମହକି ଉଠିଲା,
ଅମର-ସଙ୍ଗୀତେ ବିଶ୍ୱ ମୁଖର ହୋଇଲେ ।
ଅଟ୍ଟାଳି ତୋରଣେ ଥିଲେ ଯେତେ ଶୁକସାରୀ
ଅଚମ୍ୱିତେ ସେ ବୋଇଲେ ମୁଖେ ହରି ହରି ।
କାର ବା ରସନା ଅଛି କାର ଅବା ନାହିଁ
କେହି ନ ଜାଣନ୍ତି କିବା ମର୍ମ କାହିଁପାଇଁ ।
ସ୍ଥାବର – ଜଙ୍ଗମ ପଶୁପକ୍ଷୀ ନିରନାରୀ
କଣ୍ଠେ କଣ୍ଠେ ସର୍ବସ୍ଥଳେ ମାନ୍ତ୍ର ହରି ହରି ।
ଚିନ୍ତ୍ରାର୍ପିତ ନୟନରେ ଦେଖିଲା ଜଗତ
ସତ୍ୟ କି ସ୍ୱପନ ଅବା ମନ୍ତ୍ରରେ ମୋହିତ ।
ଦକ୍ଷିଣା କାହିଁ ?---
( ତ୍ରି ପଦୀ )
କଣ୍ଠେ ଲଗ୍ନ ଚେଳାଞ୍ଚଳ ବିନ୍ଧ୍ୟା ନେନ୍ତ୍ର ଛଳଛଳ
ବୋଇଲା ଚତୁର ଚନ୍ତାମଣି,
ବୁଝିଲି କରୁଣାସିନ୍ଧୁ ଶରଣାଗତର ବନ୍ଧୁ
ଖୋଜୁଥିଲି କାଚ ଦେଲ ମଣି ।
ଉଦକବିମ୍ୱରୁ ହୀନ ନଶ୍ୱର ମୋର ଜୀବନ
ଅନଶ୍ୱର କଲ ଭାବଗ୍ରାହୀ,
ଶୁକ ସନକ ଜନକ ଶିବ ବିରଞ୍ଚି ମାନଙ୍କ
ମୋ ଭାଗ୍ୟ ତ କା’ର ହୋଇନାହିଁ ।
ତୁମ୍ଭେ ତ କଳପତରୁ ଭିକ୍ଷା ନେଲ ମୋହଠାରୁ
କିଏ ବଡ଼ ଫେଡ଼ି କହ ସତ ?
ଦାନବ-କୁଳରେ ଜାତ ହୀନ କହନ୍ତି ଜଗତ
ହେ ଅଚ୍ୟୁତ ! ନୋହିଲି କି ଚ୍ୟୁତ ?
ସ୍ଫୁରିଲା ଅଧରେ ହାସ ବୋଇଲେ ସେ ପୀତବାସ
ଦକ୍ଷିଣାନ୍ତ କଲଣି କି ଦାନ ?
ବ୍ରହ୍ମାଣ୍ଡଭାଣ୍ଡ ଉଦର ଗ୍ରାସି ସର୍ବ ଚରାଚର
ତୃପତ ନୋହିଲା ଲୋଭୀ ମନ
ସ୍ୱଭାବେ ତ ଅଟନ୍ତି ବ୍ରାହ୍ମଣ ।।
ବଳି-ହିମାଦ୍ରି ଶିରେ ବିନ୍ଧ୍ୟାମାନସସରେ ଫୁଟିଥିଲା ନୀଳ କଇଁ---
ଯାର କାନ୍ତି ପ୍ରଭା, ବିଶ୍ୱ ମନଲୋଭା, କବି କଳ୍ପନାରେ ନାହିଁ,
ସେ ଚାହିଁ … ବାରିଦରେ ବିଦୁ ଲୁଚିଛଇଁ
ରସାତଳେ ମାଣିକ୍ୟ ପକାଇ
ଶଶ-ଲାଞ୍ଚ୍ଥନ ମଳିନ ଦେହୀ
ଗୈାରୀ ହରଅଙ୍କ ଭସ୍ମ ତଳେ ଥାଇ ଧାତାଙ୍କୁ ଧିକ୍କାର ଦେଇ । ୧ ।
ନାମ ପୁଷ୍ପ ତାର ଗୋଷ୍ପଦ ଶୋଭାସିନ୍ଧୁକୁ ରମା ଉମା ରତି
କୁମାରୀ ଶାରଦା ବଳି ବିଶାରଦା ବିଷ୍ଣୁପଦାଶ୍ରିତା ମତି
ସେ ବାଳା … ଉଭାହେଲା ଘେନି ପୁଷ୍ପମାଳା,
ବରମାଲ୍ୟ କଣ୍ଠେ ଲମ୍ୱାଇଲା,
ସେ ତ ସ୍ୱଭାବେ ଭାବମଞ୍ଜୁଳା
ବରାଙ୍ଗୀ ପରଶେ ବିକଳାଙ୍ଗ ତନୁ ଅନଙ୍ଗ ଛବି ନିନ୍ଦିଲା । ୨ ।
ହୁଏଁ ପଛେ ମୁହିଁ ଅସୁନ୍ଦର ଅବା ସୁବାସବିହୀନ ଫୁଲ,
ତୁମ୍ଭେ ତ ଚିନ୍ମୟ ଶାଶ୍ୱତ ସୁନ୍ଦର ପରଶମଣି ପଥର
ସେ ବୋଲି …ଦେଲା ବନ୍ଦାପନା ଅର୍ଘ୍ୟଥାଳି,
ପୁରାଙ୍ଗନା ଦେଲେ ହୁଳହୁଳି,
ବାଞ୍ଚାବଟେ କଳ୍ପଲତା ମିଳି
ଚିନ୍ତାର୍ପିତ ପରା ମର୍ତ୍ତ୍ୟମଣ୍ଡଳକୁ ତ୍ରିଦିବ ପଡ଼ିଲେ ଟଳି ।।
ନାରୀଙ୍କ ରକ୍ଷାକାରୀ ପତି ସର୍ପରୀତିରୁ ଖଗପତି
ବିବାହେ ରକ୍ଷକ ପ୍ରଜାପତି,
ପ୍ରଜାଙ୍କ ରକ୍ଷକ ଭୁପତି ଶସ୍ୟ ରକ୍ଷକ ଯଥା ବୃଷ୍ଟି
ଅନ୍ଧକୁ ଯଷ୍ଟି , ଶିଶୁକୁ ଷଷ୍ଠୀ , ଧର୍ମ ରଖିଛି (ଯଥା) ଏହି ସୃଷ୍ଟି
ଦେହକୁ ରକ୍ଷା କରେ ଅନ୍ଖ , ମନକୁ ରକ୍ଷା କରେ ପୁଣ୍ୟ
ପ୍ରାଣକୁ ରକ୍ଷା କରେ ଯଥା ଜଳ,
ରାଜଦ୍ୱାରରେ ରକ୍ଷାକାରୀ ସମ୍ପଦ ସଖା ବାକ୍ଚାତୁରି
ପ୍ରଜ୍ଞାକୁ ରକ୍ଷା କରେ ନ୍ୟାୟ ବଳ ।
ତରଙ୍ଗୁ ରକ୍ଷା କରେ ତରୀ, ରୋଗଶଯ୍ୟାରେ ଧନ୍ୱନ୍ତରୀ
ଯନ୍ତ୍ରକୁ ରକ୍ଷା କରେ ଯଥା ଯତ୍ରୀ,
ତୁମ୍ଭେ ଭକ୍ତଙ୍କ ହିତକାରୀ ମନ୍ଦର ଧରାଧରଧାରୀ
ପ୍ରସାଦ-ହୃଦୟ-ବିହାରୀ---
ବିଶ୍ୱେ କେ ପୂଜା କେତେମତେ କରୁଛି ପ୍ରଭୁ ଅବିରତେ
ମୋ ପୂଜା ଏହି ଅର୍ଘ୍ୟାଞ୍ଜଳି ।।
ଧମାଲ--- ଅର୍ଘ୍ୟାଞ୍ଜଳି ହେ ଦେଲି ଘେନ—
ଚରାଚର ବ୍ରହ୍ମାଣ୍ଡ ଜୀବନ ହେ ।।
ଅଷ୍ଟମ ସ୍କନ୍ଧ, ୨୩ଶ ଅଧ୍ୟାୟ ଅନୁସାରେ ବଳି ରହିଲେ ସୁତଳରେ ; (୫ମ ସ୍କନ୍ଧରେ ବର୍ଣ୍ଣିତ ଅତଳ ,ବିତଳ , ସୁତଳ,ତଳାତଳ,ମହାତଳ,ରସାତଳ,ପାତାଳ) ---ବିରୋଚନପୁତ୍ର ବଳି ରହିଲେ ସେଠାରେ । ନାରାୟଣ ଗଦା ଧରି ପହରା ଦେଉଥିଲେ । ଦଶସ୍କନ୍ଧ ରାବଣ ବଳିଦ୍ୱାରକୁ ଯାଉଥିଲେ । ଭଗବାନ ଅଙ୍ଗୁଷ୍ଠଦ୍ୱାରା ସହସ୍ର ଯୋଜନ ଦୂରକୁ ଛାଟି ଦେଇଥିଲେ । ବଳି କହିଲେ-ଇନ୍ଦ୍ର ଏଡ଼େ ବୋକା, ବାମନଙ୍କୁ ପଠାଇ ମୋଠାରୁ ତ୍ରିପାଦ ଭୂମି ଭିକ୍ଷା କରାଇଲା; କିନ୍ତୁ ନିଜେ ଆଖିରେ ଦେଖି ମଧ୍ୟ ଦାସ୍ୟ ପ୍ରାର୍ଥନା କଲା ନାହିଁ !
--ସମାପ୍ତ--