ହରେକୃଷ୍ଣ ମହତାବ

ସୌରୀବନ୍ଧୁ କର

 

ବିଷୟ

୧. ଏକ ସଂକଳ୍ପିତ ଜୀବନର ସୂର୍ଯ୍ୟୋଦୟ

୨. ଜୀବନ- ସ୍ଵପ୍ନ, ସଂକଳ୍ପ ଓ ସଂଗ୍ରାମ

୩. ସ୍ଵାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ

୪. ଗଡଜାତ ପ୍ରଜାମଣ୍ଡଳ ଆନ୍ଦୋଳନ

୬. ରାଷ୍ଟ୍ର ନିର୍ମାଣରେ ବ୍ରତୀ

୬. ରାଜନୈତିକ ଜୀବନ

୭. ପ୍ରଜାତନ୍ତ୍ର ପ୍ରଚାର ସମିତିର ସ୍ରଷ୍ଟା

୮. ଝଙ୍କାର

୯. ବିଷୁବ ମିଳନ

୧୦. ଐତିହାସିକ

୧୧. ସାହିତ୍ୟ ସ୍ରଷ୍ଟା

୧୨. ଗାଁ ମଜଲିସ

୧୩. ଆତ୍ମଜୀବନୀ

୧୪. ଉପନ୍ୟାସ

୧୫. କ୍ଷୁଦ୍ରଗଳ୍ପ

୧୬. କାବ୍ୟ-କବିତା

୧୭. ନାଟକ-ଏକାଙ୍କିକୀ

୨୮. ସମାଲୋଚନା

୧୯. ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ରଷ୍ଟା

୨୦. ଲେଖକମାନଙ୍କ ସହିତ ଅନ୍ତରଙ୍ଗ ସଂପର୍କ

୨୧. ମହତାବ କିଏ ?

୨୨. ଶେଷକଥା

 

 

 

 

 

 

ଏକ ସଂକଳ୍ପିତ ଜୀବନର ସୂର୍ଯ୍ୟୋଦୟ

ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ରାଷ୍ଟ୍ରନିର୍ମାତା, କବି, ନାଟ୍ୟକାର, କଥାଶିଳ୍ପୀ, ପ୍ରାବନ୍ଧିକ ଏବଂ ଔପନ୍ୟାସିକ ଓ ସଂପାଦକ ମହତାବଙ୍କର ଜୀବନ (୧୮୯୯-୧୯୮୭) ଆଧୁନିକ ଭାରତୀୟ ଇତିହାସର ଯେଉଁ ସମୟ ମଧ୍ୟରେ ବ୍ୟାପ୍ତ, ତାହା ଅନେକ ଦୃଷ୍ଟିରୁ ଇତିହାସରେ ସବୁଠାରୁ ଗୌରବମୟ ଓ ରୋମାଞ୍ଚକାରୀ ଅଧ୍ୟାୟ । ଆଧ୍ୟାତ୍ମିକ ନୈତିକ ଏବଂ ସାମାଜିକ-ରାଜନୈତିକ ଘଟଣାର ବର୍ଣ୍ଣାଢ଼୍ୟ ଦୋଳାୟମାନ ଫସଲ ସବୁଯୁଗର ଭାଗ୍ୟରେ ଜୁଟେ ନାହିଁ । ଜାତୀୟତାବାଦ ଓ ସ୍ଵାଧୀନତା ସଂଗ୍ରାମ ଜନ୍ମ ଦେଇଥିଲା ଅନେକ ମହାନ ବ୍ୟକ୍ତି ବିଶେଷଙ୍କୁ ଯେଉଁମାନେ ସମଗ୍ର ରାଷ୍ଟ୍ରର ଜନଜୀବନକୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ଓ ଆଲୋଡ଼ିତ କରିବା ସହିତ ଦିଗନିର୍ଦ୍ଦେଶ ଦେବାକୁ ସକ୍ଷମ ହୋଇଥିଲେ ।

 

ମହତାବ ସେହି ମହାମନୀଷୀମାନଙ୍କ ମଧ୍ୟରୁ ଅନ୍ୟତମ ବରେଣ୍ୟ ସାରଥୀ । ଗାନ୍ଧୀଯୁଗର ଏକ ବିରଳ ସ୍ଥିତପ୍ରଜ୍ଞ ବ୍ୟକ୍ତିତ୍ୱ ଯେ ଗୋଟିଏ ଭୂମିକାରୁ ଭୂମିକାନ୍ତରରେ ଅନାୟାସରେ ଏବଂ ବାରମ୍ବାର ଅବତରଣ କରିବାରେ ଥିଲେ ପାରଙ୍ଗମ । ସେ ଇତିହାସର କଷଟି ପରୀକ୍ଷାରେ ପରିକ୍ଷିତ ଐତିହାସିକ ପୁରୁଷ । ନିଜର ସ୍ଵକୀୟ ସାଧନାରେ ସିଦ୍ଧ ହୋଇଥିଲେ ମଧ୍ୟ ନିଜଠାରୁ ଅଧିକ ଶକ୍ତିର ଆଧାର ଭାବରେ ଜଣା ପଡ଼ୁଥିଲେ । ବହୁତଥ୍ୟ ପୁଞିଭିତରୁ ତାଙ୍କର ମହନୀୟ ଉଦ୍‌ବେଳିତ ଚିତ୍ରପଟ୍ଟଟି ସ୍ପଷ୍ଟ ହୋଇ ଫୁଟିଉଠେ ।

 

ବହୁସମୟ ପର୍ଯ୍ୟନ୍ତ ମହତାବ୍‌ ମଣିଷମାନଙ୍କ ମନଭିତରେ ବଞ୍ଚିରହିବେ ଏବଂ ବାରମ୍ବାର ଚର୍ଚ୍ଚିତ ହେଉଥିବେ । ତାଙ୍କ ସହିତ ହୁଏତ କେହି ସହମତ ନହୋଇପାର, ହୁଏତ ସମାଲୋଚନା କରିପାର, ହୁଏତ ତାଙ୍କୁ ନିନ୍ଦାକରିବାକୁ ଚେଷ୍ଟା କରିପାର କିନ୍ତୁ ତାଙ୍କୁ ଉପେକ୍ଷା କରାଯାଇ ପାରିବନାହିଁ।

 

ସେ ଚର୍ଚ୍ଚାର ପରିଧିରେ ରହିଥିବେ ଏବଂ ଯେ ପର୍ଯ୍ୟନ୍ତ ଓଡ଼ିଶାର ଗତି ପଶ୍ଚାତ୍‌ଗାମୀ ହେବା ପରିବର୍ତ୍ତେ ଅଗ୍ରଗାମୀଥିବ, ସେ ପର୍ଯ୍ୟନ୍ତ ତାଙ୍କୁ ବିଭିନ୍ନ ଭାବରେ ନିର୍ଦ୍ଧାରଣ କରାଯାଉଥିବ । କାରଣ ତାଙ୍କର ଦୃଷ୍ଟି ବହୁବର୍ଷ ଆଗକୁ ଲକ୍ଷ୍ୟ କରୁଥିଲା । ଆଗାମୀ ଦିନରେ ହୁଏତ ଓଡ଼ିଶାରେ ବହୁ ଉନ୍ନତ ନେତାଙ୍କର, ମୁଖ୍ୟମନ୍ତ୍ରୀମାନଙ୍କର, ସାହିତ୍ୟସ୍ରଷ୍ଟାମାନଙ୍କର ଆର୍ବିଭାବ ଘଟିବ ଏବଂ ଓଡ଼ିଶା ମଧ୍ୟ ଚିରଦିନ ରହିଥିବ କିନ୍ତୁ କେତେକ ବ୍ୟକ୍ତି ମଣିଷ ମନରେ ବହୁଦିନଧରି ରହନ୍ତି ଏବଂ ସେମାନଙ୍କ ଜୀବନର ବହୁ ଉଲ୍ଲେଖନୀୟ ଘଟଣା ରହିଛି । ମହତାବ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠତମ ରାଷ୍ଟ୍ରନାୟକ ଏକଥା କହିଲେ ଭୁଲ୍‌ ହେବ ନାହିଁ ।

 

ତାଙ୍କୁ ବିଶ୍ଲେଷଣ କରିବାର ଶ୍ରେଷ୍ଠତମ ଦଲିଲ୍‌ ହେଉଛି ତାଙ୍କର ଆତ୍ମଜୀବନୀ । ଏଥିରେ ତାଙ୍କ ସଂପର୍କରେ ସେ ‘ଅ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଉଲ୍ଲେଖ କରିଛନ୍ତି ଏବଂ ଅନ୍ୟକେହି ଏହା ସହିତ ଅଧିକ କିଛି ଯୋଡ଼ିପାରିବ ନାହିଁ । ତାଙ୍କର ଜୀବନୀ ଲେଖକମାନେ ହୁଏତ ତାଙ୍କୁ, ତାଙ୍କରି କଥାକୁ କେବଳ କେତେ ଗୁଡିଏ ଶୁଦ୍ଧ ଶବ୍ଦ ମଧ୍ୟରେ ବାନ୍ଧିବାକୁ ଚେଷ୍ଟା କରିବେ । ତାଙ୍କର ଗଦ୍ୟକୁ ଖଣ୍ଡିତ କରି ନିଜର ପାରଦର୍ଶିତାକୁ ପ୍ରମାଣ କରିବେ କିନ୍ତୁ ତାଙ୍କ ଆବେଗମୟ ବ୍ୟକ୍ତିତ୍ଵର ରେଖାଚିତ୍ରଟିଏ ଦେବାକୁ ସକ୍ଷମ ହୋଇ ପାରିବେ ନାହିଁ ।

 

ତେଣୁ ମହତାବଙ୍କର ନିଜସ୍ଵ ଚିତ୍ରପଟ ତାଙ୍କର ସବୁଠାରୁ ଶ୍ରେଷ୍ଠ ଚିତ୍ରପଟ । ‘‘କାହାରି ଜୀବନ କୌଣସି ନିର୍ଦ୍ଦିଷ୍ଟ ପୂର୍ବ ପରିକଳ୍ପିତ ଯୋଜନା ଅନୁସାରେ ପରିଚାଳିତ ହୁଏ କି ନାହିଁ, ମୁଁ ଜାଣେନା । ମାତ୍ର ମୋର ଜୀବନ କଥା ମୁଁ ଯେତିକି ଭାବୁଛି, ସେଥିରୁ ମୁଁ ଅନୁଭବ କରୁଛି ଏକ ଅଜ୍ଞାତ ଶକ୍ତି ଜୀବନକୁ ପରିଚାଳନା କରେ ଓ ସେଥିରେ ମନୁଷ୍ୟର ନିୟନ୍ତ୍ରଣ କିଛି ନଥାଏ । ପଢ଼ିଲାବେଳେ ଅଭିଳାଷ ଥିଲା ଏକ, ତାପରେ ହେଲା ଆଉ ଏକ ଦିଗରେ ଜୀବନର ଗତି । ସେ ଗତି ମଧ୍ୟ ଯେ କୌଣସି ନିର୍ଦ୍ଦିଷ୍ଟ ପଥରେ ଚାଲିଲା, ତାହା ମଧ୍ୟ ନୁହେଁ । ଯେ କୌଣସି ଜୀବନର ପୂର୍ବାପର ସଙ୍ଗତି ଖୋଜି ବାହାର କରିବା କଷ୍ଟକର ହୁଏ ।’’ ମହତାବଙ୍କର ସାଧନାର ପଥେ ତାଙ୍କ ଜୀବନର ପ୍ରଥମ ପରିଚ୍ଛେଦ ହେବାବେଳେ ମହତାବ ବିକଶିତ ହେବାରେ ରହିଯାଇନାହାନ୍ତି ବରଂ ପୂର୍ଣ୍ଣ ବିକଶିତ ହେବାରେ ନିଜକୁ ସମ୍ପୂର୍ଣ୍ଣ ଯୋଗ ଦେଇଛନ୍ତି । ଜୀବନର ଭିନ୍ନ ଭିନ୍ନ ସମୟରେ, ସେ ନିଜର ଚିତ୍ରପଟଟିକୁ ସେହି ଭାବରେ ଉପସ୍ଥାପିତ କରିଛନ୍ତି ନିଜର ବିଭିନ୍ନ ଲେଖା ମାଧ୍ୟମରେ, ଚିଠିରେ, ବକ୍ତବ୍ୟରେ ଓ ସର୍ବୋପରି କର୍ମରେ ।

 

ଗୋପବନ୍ଧୁ ନିଜଭିତରୁ ନିଜେ ବର୍ଦ୍ଧିତ ଓ ବିକଶିତ ହୋଇଥିଲେ, ନିଜଭିତରର ଯନ୍ତ୍ରଣା ଓ ଦୁଃଖର ଅନୁଭୂତିକୁ ପାଥେୟକରି, କିନ୍ତୁ ମହତାବ ଇତିହାସର ପ୍ରଭାବରୁ ବିକଶିତ ହେଲେ, ଏବଂ ବିଶ୍ଵ ଘଟଣାବଳୀର ଅନୁଧ୍ୟାନ ତାଙ୍କ ବିଚାର ଓ ଭାବନାକୁ ପୁଷ୍ଟକଲା । ତାଙ୍କ ଭିତରେ ସେହି ଏକାକୀତ୍ୟ ର ନିର୍ଜନତା, ତାକୁ ଅନ୍ତମୁଖୀ କରି ଆତ୍ମାନୁସନ୍ଧାନ କରିବାର ଦକ୍ଷତା ଦେଇଥିଲା । ଜୀବନର ଛୋଟଛୋଟ ଘଟଣା ସହିତ ବିଶ୍ଵରେ ଘଟୁଥିବା ବ୍ୟାପକ ଘଟଣାରାଜିକୁ ସେ ନିଜର ଅନୁଭୂତିକୁ ଆଣି ଅନୁଭବର ସମସ୍ତ ଯନ୍ତ୍ରଣାକୁ ସହ୍ୟକରି ନିଜଭିତରେ ସମାହିତ କରିପାରିଥିଲେ । ‘‘କର୍ତ୍ତବ୍ୟ ନିର୍ଣ୍ଣୟ କରିବା କଠିନ ଓ କର୍ତ୍ତବ୍ୟ ସମ୍ପାଦନ କରିବା ମଧ୍ୟ କଠିନ । କିନ୍ତୁ ପଦନିର୍ଣ୍ଣୟ କରିବା ସହଜ ଓ ପଦରେ ଆସୀନ ହେବାର ପ୍ରୟାସ ମଧ୍ୟ ସହଜ । ମୋର ଜୀବନ ଏପରି ଭାବରେ ଗଢ଼ା ଯେ ଏହା ଏକ ନୀରସ ବନ୍ଧୁର କର୍ତ୍ତବ୍ୟ ପଥରେ ଚାଲିଛି । ଏଣୁ ପଦ ବା ସମ୍ମାନ ଇତ୍ୟାଦି ଦିଗରେ ମନଦେବା ପାଇଁ ବେଳ ନାହିଁ । ତା ବୋଧହୁଏ ମୋର ଭାଗ୍ୟଦୋଷ । ଯା ହେଉ, ସେୟା ମୁଁ । ପରେ ନାମ ରହିବ କି ନାହିଁ, ତା ନିର୍ଭର କରେ ତପସ୍ୟା ଉପରେ । ଯାହାର ଯେତିକି ତପସ୍ୟା, ସେତିକି ସେ ଜନସ୍ମୃତିରେ ଜୀବିତ ତପସ୍ୟାର ଅର୍ଥ ହେଉଛି କର୍ତ୍ତବ୍ୟାନୁଷ୍ଠାନରେ ସମସ୍ତ ପ୍ରକାର ତ୍ୟାଗ । ମୁଁ ତପସ୍ୟା କରେ, ଏ ପ୍ରାର୍ଥନା କଲେଜ ଜୀବନରୁ କରିଆସୁଛି । କିଛି ହେଉଛି କି ନା ସେ ପୁଣି ଭବିଷ୍ୟତ ଉପରେ ମତ ଦେବାପାଇଁ । ଉପସ୍ଥିତ- ନୀରସ ବନ୍ଧୁର କର୍ତ୍ତବ୍ୟ ପଥ।’’

 

ମହତାବଙ୍କର ଜୀବନ କର୍ମର ନୀତିଉପରେ ଆଧାରିତ ଜୀବନ । ସେ ଜୀବନକୁ ଲକ୍ଷ୍ୟହୀନ ଭାବରେ ହଜିଯିବାକୁ ଦେଇ ନାହାନ୍ତି କିମ୍ବା ଜୀଚନ ସହିତ ଯୋଡିହୋଇଥିବା କଳ୍ପନାବିଳାସର ଅନୁସନ୍ଧାନରେ ମଜ୍ଜିଯାଇ ନାହାଁନ୍ତି । ମନୁଷ୍ୟର ଆନ୍ତଃଜୀବନର ବିଶେଷତ୍ୱକୁ ଭୁଲିଯିବାକୁ ଚାହିଁ ନାହାନ୍ତି ।

 

ମହତାବ ନିଜ ପାଇଁ ନିଜେ ବାଛି ନେଇଥିଲେ ଗୋଟିଏ ଦର୍ଶନ ଏବଂ ସେହି ଦର୍ଶନ ଆଦୌ ସ୍ଥିତିଶୀଳ ନ ଥିଲା କାରଣ ତାଙ୍କର ମନ ଅତିଭୌତିକ ବିଦ୍ୟା ସହିତ ବନ୍ଧାହୋଇ ନଥିଲା । ସେ କଥା ଓ କାର୍ଯ୍ୟ ମଧ୍ୟରେ, ତତ୍ତ୍ୱ ଓ ତାର ପ୍ରୟୋଗ ସଂପର୍କରେ ଅନୁଶୀଳନ କରୁଥିଲେ । ତାଙ୍କର ଦର୍ଶନ ବହୁ ଦର୍ଶନର ସମାହାର ଥିଲା । ଜୀବନର ଦର୍ଶନ, ମନୁଷ୍ୟର ଦର୍ଶନ, ଜାତୀୟତାବାଦର ଦର୍ଶନ, ବିପ୍ଳବର ଦର୍ଶନ, ଗାନ୍ଧୀବାଦର ଦର୍ଶନ ପରସ୍ପର ପରସ୍ପର ସହିତ ଯୋଡ଼ି ହୋଇଯାଉଥିଲେ ।

 

ମହତାବଙ୍କର ରଚନା ସମଗ୍ର ଅର୍ଥାତ ସାହିତ୍ୟିକ କୃତି ନିଜନିଜ ସ୍ଥାନରେ ଗୁରୁତ୍ଵପୂର୍ଣ୍ଣ । ଏହା ତାଙ୍କର ଚିନ୍ତାକ୍ଷେତ୍ରରେ ବିପ୍ଳବ ଓ ବ୍ୟକ୍ତିତ୍ଵ ଯୋଗୁ ନୁହେଁ ବରଂ ଏହା ଏତେ ସମୃଦ୍ଧ ଓ ପର୍ଯ୍ୟାପ୍ତଯେ ସେଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା ତାଙ୍କୁ ବିରୋଧ କରିବାରେ, ସାହାଯ୍ୟ କରେ । ସେ ଯାହାସବୁ ଲେଖିଛନ୍ତି, କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସେ ନିଜକୁ କିନ୍ତୁ ସେଥିରୁ ମୁକାଳି ପାରିନାହାନ୍ତି । ତାଙ୍କର ପ୍ରତ୍ୟେକ ଲେଖାରେ, ଯାହା ସବୁ ସେ ଲେଖିଛନ୍ତି, ତାହା ଏକ ଶୃଙ୍ଖଳିତ ଭାବ ପରିସ୍ଫୁଟ । ସେହି ଲେଖାଗୁଡ଼ିକ ସ୍ପଷ୍ଟ, ପରିଚ୍ଛନ୍ନ, ମର୍ଯ୍ୟାଦାବନ୍ତ, ଶନ୍ତିଶାଳୀ ଓ ଭାବୋଦ୍ଦୀପକ । ଏହା ସେ ଲେଖିବାକୁ ଅଭ୍ୟାସ କରି ହାସଲ କରିନାହାନ୍ତି କିମ୍ବା କୌଣସି ଗୁରୁ ର ଶିଷ୍ୟତ୍ଵ ଗ୍ରହଣ କରି ତାଙ୍କର ଅନୁଧାବନ କରି ନୁହେଁ ବରଂ ନିଜର ଅପର୍ଯ୍ୟାପ୍ତ ଅନୁଭବ ଓ ଅନୁଭୂତି ଯୋଗୁ ସମ୍ଭବ ହୋଇଛି । ସେ ସେଥିପାଇଁ ନିଜସ୍ଵ କୌଣସି ଶୈଳୀମଧ୍ୟ ବାଛି ନେଇ ନାହାନ୍ତି କିମ୍ବା ଅନ୍ୟର ବିଚାରକୁ ନିଜର ବିଚାର ଭାବରେ ଗ୍ରହଣ କରିନାହାନ୍ତି । ତାଙ୍କ ବିଚାରରେ, ‘‘ସାହିତ୍ୟ ମାନବ ଧର୍ମୀ ଅର୍ଥାତ୍‌ ମାନବ ସମାଜକୁ ଆଖି ଆଗରେ ରଖି‌ବାକୁ ହେବ । ଯେଉଁ ଦୈନନ୍ଦିନ ଘଟଣା କବି, ଗଳ୍ପଲେଖକ, ଔପନ୍ୟାସିକ ବା ପ୍ରବନ୍ଧ ଲେଖକଙ୍କ ଲେଖନୀ ଚାଳନା ପାଇଁ ଉପଦାନ ଯୋଗାଉଛନ୍ତି, ପ୍ରତ୍ୟେକଟିର ସମଗ୍ର ମାନବସମାଜ ସହିତ ମଧ୍ୟ ନିବିଡ଼ ସମ୍ବନ୍ଧ ଅଛି । ଯେ କୌଣସି ଅବସ୍ଥାରେ ଓ ପରିସ୍ଥିତିରେ ମନୁଷ୍ୟ ଥାଉ । ସର୍ବତ୍ର ଏକ ମାନବିକ ଭାବଧାରା ପ୍ରବାହିତ ହେଉଛି । ତାହାକୁ ହିଁ ସ୍ଥାନୀୟ ଦୃଷ୍ଟିକୋଣରୁ ଗ୍ରହଣ କରାଯାଇପାରେ ବା ସମଗ୍ର ମାନବ ସମାଜର ଦୃଷ୍ଟିକୋଣରୁ ବିଚାର କରାଯାଇପାରେ ।’’

 

ନିଜର ଅବସର ସମୟକୁ କଟାଇବା ପାଇଁ କିମ୍ବା ନିଜକୁ ଜଣେ ସାହିତ୍ୟକ ଭାବରେ ପ୍ରତିଷ୍ଠା କରିବା ପାଇଁ ମହତାବ ଲେଖକ ବା ଐତିହାସିକ ହୋଇ ନାହାନ୍ତି । ସେ ହେଉଛନ୍ତି କର୍ମର ମଣିଷ । କର୍ମ କରିବାବେଳେ ସହଜାତ ପ୍ରବୃତ୍ତ କାରଣରୁ ସେ ନିଜର ବିଚାର ଓ କାର୍ଯ୍ୟରେ ଶୃଙ୍ଖଳା ଓ ସନ୍ତୁଳନ ଆଣିବାକୁ ଲେଖିଛନ୍ତି । ଯଦି ଶଦ୍ଦମାନେ ତାଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରିଥାନ୍ତେ, ବୋଧହୁଏ ସେ ବନ୍ଦୀଶାଳା ଠାରୁ କ୍ଷମତାରେ ଆସୀନ ଥିବାବେଳେ, ଏତେ କଥା ଲେଖି ପାରିନଥାନ୍ତେ । ନିଜ ଭିତରେ ଥିବା ଶୃଙ୍ଖଳାକୁ ସେ ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ଯେତେବେଳେ ସେ ଅତିମାତ୍ରାରେ ଭାରାକ୍ରାନ୍ତ ଓ କ୍ଷତାକ୍ତ ହୋଇଛନ୍ତି । ତେଣୁ ତାଙ୍କର ଲେଖାର ଶୈଳୀରେ କୌଣସି ଚେଷ୍ଟାନାହିଁ । ବରଂ ଯାହା ସେ ଭାବିଛନ୍ତି, ତାହାକୁ ଅତ୍ୟନ୍ତ ବେଗମାନ ଗତିରେ ଆଦୌ ସଂଶୋଧନ ନକରି ପ୍ରକାଶ କରିଛନ୍ତି ।

 

ନିଜ ଅଜାଣତରେ ସେ ଲେଖକ ହୋଇଛନ୍ତି । ତାଙ୍କ ଲେଖାର ପରିଛନ୍ନତା ତାଙ୍କ ଚିନ୍ତାର ପରିଚ୍ଛନ୍ନତା ଯୋଗୁ ସମ୍ଭବ ହୋଇଛି । ଲେଖିବାର ସହଜାତ ପ୍ରବୃତ୍ତି ହେତୁ ସେ ଏହି ବିରାଟ ସାଧନାରେ ନିଜକୁ ସବୁ ସମୟରେ ନିୟୋଜିତ କରିପାରିଥିଲେ । ସେ ନିଜେ ଲେଖିଛନ୍ତି, ‘‘ପ୍ରତ୍ୟେକ ଜୀବନ ବାସ୍ତବିକ ତା’ପକ୍ଷରେ ଏକ ବିରାଟ ସାଧନା । ସେ ନିଜେ ତାହା ଜାଣି ପାରୁ ବା ନପାରୁ, ତା’ର ନିଜ ଜୀବନଟି ମଧ୍ୟରେ ସେ ନାନା ଅବସ୍ଥାର ତାଡ଼ନାଭିତରେ ଗତିକରି ତାର ନିର୍ଦ୍ଦିଷ୍ଟ ସାଧନା ସେ ସମ୍ପାଦନ କରୁଛି । ଜୀବନଟି ଜନ୍ମଠାରୁ ଆରମ୍ଭ ହୋଇନାହିଁ କି ମୃତ୍ୟୁରେ ତା'ର ଶେଷ ହୋଇ ଯାଉନାହିଁ । ବହୁ ଅଭିଜ୍ଞତା ଓ ସାଧନା ପ୍ରତ୍ୟେକ ଜୀବନ ବହୁକାଳରୁ ଅର୍ଜନ କରି ଆସୁଛି ଓ ବହୁକାଳ ପର୍ଯ୍ୟନ୍ତ ସେହିପରି କରି ଚାଲିଥିବ । ଦୈନନ୍ଦିନ ବିବରଣୀ ଲେଖିରଖିବା ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ଏକ ଆଶ୍ରମ ନିୟମ । ତଦ୍ଵାରା ନିଜକୁ ନିଜେ ଜାଣିବାରେ ସାହାଯ୍ୟ ମିଳେ । ଅଭ୍ୟାସବଶତଃ ମୁଁ ଦୈନନ୍ଦିନ ବିବରଣୀ ଲେଖି ରଖିଆସୁଛି ।’’

 

ମହତାବଙ୍କର ଆବିର୍ଭାବ ଓଡିଶାର ଜାତୀୟ ଜୀବନର ଏକ ନୂତନ ସୂର୍ଯ୍ୟୋଦୟ । ‘‘ରାତ୍ରି ଶେଷରେ ଅନ୍ଧକାର ଗର୍ଭରୁ ସୂର୍ଯ୍ୟର ଆଲୋକ ଯେତେ ବେଳେ ଦିଗ୍‌ବଳୟ ଭେଦକରି ଜନ୍ମଲାଭ କରେ, ସେତେବେଳେ ପ୍ରକୃତିର ଗର୍ଭବେଦନାରେ କି ଆଲୋଡ଼ନ ସୃଷ୍ଟି ନ ହୁଏ !!! ନିରାଶାର ଉଦ୍‌ବେଗ ଓ ଅଧୀରତା ସେ ସମୟରେ ଅତି ତୀବ୍ର ହୁଏ । ପୁଣି ପ୍ରତ୍ୟୁଷର ଆଶ୍ଵାସନାରେ ଶାନ୍ତ ହୁଏ । ଶେଷ ରାତ୍ରି ଓ ପ୍ରତ୍ୟୁଷର ସନ୍ଧିକାଳ ହେଉଛି ପ୍ରାଚୀନର ଗର୍ଭରୁ ନୂତନର ଜନ୍ମ ମୁହୂର୍ତ୍ତ ।’’ ଏପରି ଏକ ମୁହୂର୍ତ୍ତରେ ମହତାବ ଜନ୍ମ ଲାଭକରି ଓଡିଶାର ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଜୀବନ ଧାରାକୁ ନୂତନ ରଙ୍ଗରେ ରଙ୍ଗାୟିତ କରିଯାଇଛନ୍ତି ଏବଂ ଆଗାମୀ ବଂଶଧରଙ୍କ ପାଇ ରଖିଯାଇଛନ୍ତି ନୂତନ ସମ୍ଭାବନାର ଆଶା ଓ ଆଶ୍ଵାସନା ।

 

ଜୀବନ - ସ୍ୱପ୍ନ, ସଂକଳ୍ପ ଓ ସଂଗ୍ରାମ

ଆତ୍ମଜୀବନୀ ଡାଏରୀ ନୁହେଁ, ଡାଏରୀ ବି ଆତ୍ମଜୀବନୀ ବା ଜୀବନ ସ୍ମୃତି ହୋଇନପାରେ । ଜୀବନଟା କେତେଗୁତିଏ ତାରିଖର ମାଳା ମଧ୍ୟ ନୁହେଁ । ମଣିଷର ସବୁ କର୍ମର ଯୋଗଫଳରୁ ତାର ଜୀବନର ଚିତ୍ରପଟ ମିଳିବ ନାହିଁ । ସବୁ କର୍ମ ଓ ଅପକର୍ମର ସମୀକରଣ ହିଁ ତାର ଜୀବନର ଅର୍ଥ ଓ ଚେହେରାକୁ ଧରି ରଖେ । ଆର.କେ.ନାରାୟଣଙ୍କର ଆତ୍ମଜୀବନୀ "My dateless Diary" ପରି ମହତାବଙ୍କ ଆତ୍ମଜୀବନୀର ନାମ ‘‘ସାଧନାର ପଥେ’’ । ସେହି ଆତ୍ମଜୀବନୀ ଭିତରେ ତାଙ୍କ ଜୀବନର ସ୍ୱପ୍ନ, ସଂକଳ୍ପ ଓ ସଂଗ୍ରାମର ଚିତ୍ର ସ୍ପଷ୍ଟ ବାରି ହୋଇପଡ଼େ ।

 

‘‘ମୋର ଜନ୍ମ-ସନ ୧୩୦୭ ସାଲ ବିଛା ୬ଦିନ ମଙ୍ଗଳବାର ଖ୍ରୀଷ୍ଟାବ୍ଦ ୧୮୯୯ ମସିହା ନଭେମ୍ବର ୨୧ ତାରିଖ । ଏକ ପଲ୍ଲୀ ଗ୍ରାମ, ନାମ ଅଗରପଡ଼ା, ଜିଲ୍ଲା ବାଲେଶ୍ଵର । ସେଦିନ ସପ୍ତଗ୍ରହ ଯୋଗ ହୋଇଥିଲା ଓ ମୋର ଜନ୍ମଯୋଗୁ ମୋର ଗ୍ରହ ଭାରି ଟାଣ ବୋଲି ପିଲାଦିନୁଁ ମୁଁ ଶୁଣି ଆସୁଛି । ମୋର ଜନ୍ମଦାତା ପିତା ସ୍ଵର୍ଗତ କୃଷ୍ଣ ଚରଣ ଦାସ ଜଣେ ଦରିଦ୍ର ପରିବାରର ଲୋକଥିଲେ । ମାତ୍ର ସେ ଥିଲେ ଅତି ବୁଦ୍ଧିମାନ୍‌ ଓ ଦେଖିବାକୁ ଅତି ସୁନ୍ଦର । ଶିକ୍ଷା ବୋଲନ୍ତେ ଯାହା ବୁଝାଏ, ସେଥିରୁ ସେ କିଛି ହେଲେ ପାଇବାର ସୁବିଧା ପାଇନଥିଲେ । ମୋର ମାଆ ସ୍ଵର୍ଗତ ତୋହଫା ବିବି ସ୍ଵର୍ଗତ ଜଗନ୍ନାଥ ମହତାବଙ୍କ କନ୍ୟା । ସେ ଅଗରପଡ଼ାର ଜଣେ ଜମିଦାର ଓ ସେ ଯେଉଁ ଘରର କର୍ତ୍ତା, ତାର ଇତିହାସ ଯୋଗେ ସେ ପ୍ରସିଦ୍ଧ ।

 

ଜଗନ୍ନାଥ ମହାତାବ କୃଷ୍ଣ ଚରଣଙ୍କୁ ଅଗରପଡ଼ାରେ ଆଣି ରଖିଥିଲେ । ତାଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ତାଙ୍କର ସ୍ତ୍ରୀ ମହତାବଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିବାରୁ ସେ ଦାସରୁ ମହତାବ ହେଲେ ଏବଂ ଅଗରପଡ଼ା ଜମିଦାରୀର ମାଲିକ ପାଲଟି ଗଲେ । ଗାଁ ଚାଟଶାଳୀର ଅବଧାନମାନଙ୍କ ନିକଟରେ ନିଜ ପାଠପଢ଼ାର ଅୟମାରମ୍ଭ କରି ଗାଁ ସ୍କୁଲ ଓ ପରବର୍ତ୍ତୀ ସମୟରେ ଭଦ୍ରକ ହାଇସ୍କୁଲର ଛାତ୍ର ହୋଇଥିଲେ । ଭଦ୍ରକ ହାଇସ୍କୁଲର ଛାତ୍ର ଥିବାବେଳେ ସେ ରାମକୃଷ୍ଣ ମିଶନର ସ୍ଵାମୀ ପୂର୍ଣ୍ଣାନନ୍ଦଙ୍କ ସଂସ୍ପର୍ଶରେ ଆସି ସ୍ଵାମୀ ବିବେକାନନ୍ଦ ଓ ଶ୍ରୀରାମକୃଷ୍ଣ ସଂପର୍କରେ ଜାଣିବାକୁ ଓ ପଢ଼ିବାକୁ ପାଇଥିଲେ । ଏହା ତାଙ୍କ ଜୀବନର ଗତିଧାରାକୁ ଏକ ନିର୍ଦ୍ଦିଷ୍ଟ ମାର୍ଗରେ ଯିବାର ବାଟକୁ ସ୍ଥିରୀକୃତ କରିଥିଲା । ସେହି ମାର୍ଗଥିଲା ସାଧାରଣ ସେବା ଓ ଦେଶକାମ ପାଇଁ ଅକୁଣ୍ଠ ଆଗ୍ରହ ।

 

ବହୁବହୁ ମହାନ ବ୍ୟକ୍ତିଙ୍କ ଜୀବନରେ ଜନ୍ମଦାତ୍ରୀ ମା’ଙ୍କର ପ୍ରଭାବ ସୁଦୂରପ୍ରସାରୀ ହେବାପରି ମହତାବ୍‌ଙ୍କ ଜୀବନ ମା’ଙ୍କ ଦ୍ଵାରା ମଧ୍ୟ ପ୍ରଭାବିତ ହୋଇଥିଲା । ତାଙ୍କର ପିଲାଦିନର ଚପଳମନକୁ ନିୟନ୍ତ୍ରଣ କରିବା ପାଇଁ ସେ ଦୌଡ଼ିଆସୁଥିଲେ ମା’ଙ୍କ ପାଖକୁ ଗପ ଶୁଣିବାକୁ । ପଇସା ପାଇଁ ଅଳିଅର୍ଦ୍ଦଳି କରିବାକୁ । ହାଇସ୍କୁଲର ପ୍ରଥମବର୍ଷର ଛାତ୍ର ଥିବାବେଳେ ମା’ତାଙ୍କର ସେପୁରକୁ ବାଟକାଟିଲେ । ଜୀବନ ମରଣ ମଧ୍ୟରେ ସୂକ୍ଷ୍ମ ପ୍ରଭେଦକୁ ହଠାତ୍‌ ହୁଏତ ସେ ବୁଝିପାରିନଥିଲେ । କିନ୍ତୁ ମା'ଙ୍କ ମୃତ୍ୟୁରେ ଆଖିର ଅଶ୍ରୁକୁ ସମ୍ବରଣ କରିନପାରି କାନ୍ଦିଥିଲେ । ପୁନଶ୍ଚ ସାନ୍ତ୍ଵନା ଲାଭ କରିଥିଲେ ସ୍ଵାମୀ ବିବେକାନନ୍ଦଙ୍କର ଲେଖାପଢ଼ି ।

 

ମା’ଙ୍କର ମୃତ୍ୟୁର କିଛିମାସ ପରେ ତାଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବାର ଯେଉଁ ଚେଷ୍ଟା କରାଗଲା, ସେଥିରେ ସେ ହୋଇ ଉଠିଲେ ବ୍ୟସ୍ତ ଓ ବିବ୍ରତ । ‘‘ବିବେକାନନ୍ଦଙ୍କ ପ୍ରେରଣା, ଦେଶପାଇଁ କାମ କରିବାର ପ୍ରବଳ ଇଚ୍ଛା, ସାଧାରଣ ଜୀବନର ପରିବର୍ତ୍ତେ ଆଉ କିଛି ଭିନ୍ନ ରକମର ଜୀବନଯାପନ କରିବା ଏ ସବୁ ଯେ ମନରେ ଭରି ଯାଇଥିଲା, ସେ କଣ ନଷ୍ଟ ହୋଇଯିବ,’’ ଏହିପରି ମାନସିକ ସଂଘାତ ମଧ୍ୟରେ ତାଙ୍କର ବିବାହ ସମ୍ପନ୍ନ ହେଲା ସୁଭଦ୍ରା ଦେବୀଙ୍କ ସହିତ । ବିବାହକୁ ସେ ଗ୍ରହଣ କରିଗଲେ।

 

ବାଧାବିଘ୍ନର ପାହାଚ ପରେ ପାହାଚ ତାଙ୍କୁ ଅତିକ୍ରମ କରିବାକୁ ପଡ଼ିଥିଲା । ପରିବାରର ତାଙ୍କ ପାଠପଢ଼ାରେ ଇତି ଟାଣିବାର ଉଦ୍ୟମକୁ ସେ ସଫଳତାର ସହିତ ପ୍ରତିହତ କରି କଲେଜରେ ଆଇ.ଏସ୍‌ସି. ଶ୍ରେଣୀରେ ନାମଲେଖାଇଲେ । କଲେଜ ଜୀବନରେ ତାଙ୍କର ସମ୍ପର୍କ ଗଢ଼ିଉଠିଲା ନବକୃଷ୍ଣ ଚୌଧୁରୀ ଓ ପ୍ରହ୍ଲାଦ ସାହୁଙ୍କ ସହିତ ଏବଂ ସେମାନେ ସଂକଳ୍ପ ନେଲେ ସାଧାରଣ ଜୀବନ ବାହାରେ କିଛି କରିବାକୁ ହେବ । ଛାତ୍ର ଜୀବନରେ ଆରମ୍ଭ କଲେ ହାତଲେଖା ପତ୍ରିକା ‘ମଳୟ’ ଓ ଇଂରାଜୀରେ ହାତଲେଖା ସାପ୍ତାହିକ ‘ଡଷ୍ଟବିନ୍‌’ । ବିଜ୍ଞାନ ପାଠ ପାଇଁ ପର୍ଯ୍ୟାପ୍ତ ପରିଶ୍ରମ ଆବଶ୍ୟକ ହେଉଥିବାରୁ ଏବଂ ତାହା ତାଙ୍କ ସାମାଜିକ ଜୀବନରେ ସମୟ ଦେବାକୁ ଅସୁବିଧା ହେତୁ, ସେ ଆଇ.ଏସ୍‌ସି ପାଶ୍‌ କରିବାପରେ ସଂସ୍କୃତ ଓ ଅର୍ଥନୀତି ନେଇ କଳାରେ ବି.ଏ ପଢ଼ିବାକୁ ଆରମ୍ଭ କଲେ ।

 

ସାଧାରଣ ଜୀବନ ପ୍ରତି ଆକୃଷ୍ଟ ଥିବା ମହତାବ୍‌ ଭାରତ ସେବକ ସମିତିର ସଭ୍ୟ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ସଂସ୍ପର୍ଶରେ ଆସିଲେ ଏବଂ, ସାଧାରଣ ଜୀବନ ବୋଲନ୍ତେ ଯାହା ବୁଝାଏ, ତାହା ଧାରଣା କରିବାର ସୁବିଧା ପାଇଲେ । ଏବଂ ତାହାର ସ୍ୱାଦୁ ଚାଖିଲେ ୧୯୧୮ ମସିହାରେ କଟକରେ ଉତ୍କଳ ସମ୍ମିଳନୀ ଅଧିବେଶନରେ ସ୍ଵେଚ୍ଛାସେବକ ହୋଇ ! କିନ୍ତୁ ମନ ବ୍ୟାକୁଳ ହେଉଥାଏ ଦେଶବ୍ୟାପୀ ଘଟୁଥିବା ଘଟଣାମାନଙ୍କର ସହିତ ନିଜକୁ ସାମିଲ କରିବାକୁ । ରାଉଲଟ୍‌ ଆଇନ୍‌ ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ, ଜାଲିଆନାୱାଲାବାଗ୍‌ର ହତ୍ୟାକାଣ୍ଡ, ମହାତ୍ମା ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନର ଆରମ୍ଭ ତାଙ୍କ ମନରେ ସୃଷ୍ଟି କରୁଥାଏ ଝଡ଼ । ଏହି ଝଡ଼କୁ ବୌଦ୍ଧିକ ସ୍ତରରେ ମୁକାବିଲା କରିବା ପାଇଁ ନିତ୍ୟାନନ୍ଦ କାନୁନ୍‌ଗୋ, ନବକୃଷ୍ଣ ଚୌଧୁରୀ, ଭାଗୀରଥୀ ମହାପାତ୍ରଙ୍କ ସହିତ ମିଶି ଆରମ୍ଭ କଲେ କଟକର ବାଖରାବାଦଠାରେ ‘ଭାରତୀ ମନ୍ଦିର’ । ଏହାର ଉଦ୍ଦେଶ୍ୟ ଭାରତରେ ଘଟୁଥିବା ଘଟଣାମାନଙ୍କ ସଂପର୍କରେ ଅବଧାରଣା କରି, ସେଥିସହିତ ସଂପୃକ୍ତ ହେବା । ଭାରତୀ ମନ୍ଦିରର ଏକମାତ୍ର ପ୍ରତିନିଧିଭାବେ କଲିକତାଠାରେ ହେଉଥିବା କଂଗ୍ରେସର ବିଶେଷ ଅଧିବେଶନରେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ଅସହଯୋଗ ପ୍ରସ୍ତାବକୁ ମନ ଦେଇ ଶୁଣିଲେ ଓ ଗ୍ରହଣ କଲେ । ଏହାର ପୁଣି ପୁନରାବୃତ୍ତି କଲେ ୧୯୨୧ ମସିହାରେ ନାଗପୁର କଂଗ୍ରେସରେ ଯୋଗଦେଇ । ନାଗପୁର କଂଗ୍ରେସରେ ପଣ୍ତିତ ଗୋପବନ୍ଧୁଙ୍କ ସହିତ ମଧ୍ୟ ପରିଚିତ ହେଲେ । ନାଗପୁର କଂଗ୍ରେସରୁ ଫେରିବା ପରେ ସ୍ଵାଧୀନତା ଆନ୍ଦୋଳନର ଗତିଧାରା ଏତେ ତୀବ୍ର ହେଲାଯେ ସେ ଆପେ ଆପେ ପଢ଼ା ଛାଡ଼ିଦେଲେ । ବି.ଏ ପରୀକ୍ଷା ଦେବା ପାଇଁ ସେଣ୍ଟପ୍ ହୋଇ ମଧ୍ୟ ସେ ବି.ଏ. ପରୀକ୍ଷା ଦେଇପାରିନଥିଲେ । ପ୍ରାଦେଶିକ କଂଗ୍ରେସ କମିଟି ଗଠନପରେ ସେ ହେଲେ କାର୍ଯ୍ୟ-ନିର୍ବାହିକା ସମିତିର ସଭ୍ୟ ।

 

ଆଦ୍ୟଜୀବନରେ ଯେଉଁ ସ୍ଵପ୍ନ ଦେଖିଥିଲେ, ଯେଉଁ ସଂକଳ୍ପ କରିଥିଲେ, ତାହାକୁ ସାକାର ରୂପ ଦେବା ପାଇଁ ସେ ସଂଗ୍ରାମରେ ପଶିଗଲେ । କେବଳ ନିଜେ ପଶିଲେ ନାହିଁ, ନିଜ ସହଧର୍ମିଣୀଙ୍କୁ ମଧ୍ୟ ନିଜର ସହଗାମୀ କରି ପାରିଥିଲେ । ଆରମ୍ଭ କଲେ ସାଧାରଣ ଜୀବନର ଅୟମାରମ୍ଭ ଓ ସ୍ଵାଧୀନତୀ ସଂଗ୍ରାମରେ ଯୋଗଦାନ ।

 

ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ

ଅସହଯୋଗର ବାର୍ତ୍ତା ସମଗ୍ର ଭାରତର ଦ୍ଵାରେ ଦ୍ଵାରେ ପହଞ୍ଚୁ, ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟନେଇ ଗାନ୍ଧିଜୀ ଭାରତ ଭ୍ରମଣ ଅବସରରେ ଓଡ଼ିଶାରେ ଆସି ପହଞ୍ଚିଲେ ଏବଂ ମହତାବ୍‌ ତାଙ୍କ ସହିତ ରହି ଗାନ୍ଧିଜୀଙ୍କ ଚିନ୍ତା, ଚେତନାକୁ ଗ୍ରହଣ କରିବାରେ ସକ୍ଷମ ହୋଇଥିଲେ । ଗାନ୍ଧିଜୀ ଭଦ୍ରକ, କଟକ, ପୁରୀ ଓ ବ୍ରହ୍ମପୁର ଗସ୍ତ କରିବା ବେଳେ ଭଦ୍ରକ ଦାୟିତ୍ୱ ମହତାବ୍‌ଙ୍କୁ ହିଁ ସମ୍ପାଦନା କରିବାକୁ ପଡ଼ିଥିଲା । ଗାନ୍ଧିଜୀ କହିଥିଲେ, ‘‘ଅନେକ ଗୁଡ଼ିଏ ବିଷୟ ଭାବ ନାହିଁ, ଗୋଟିଏ ବିଷୟଭାବ ଓ ତାକୁ କାମରେ ପରିଣତ କର ।’’ ଏହା ଯେପରି ମହତାବ୍‌ଙ୍କର ମହାମନ୍ତ୍ର ହୋଇଥିଲା । ସେ ଅସହଯୋଗ ଆନ୍ଦୋଳନକୁ ସଫଳ କରିବା ପାଇଁ ପ୍ରାଣପଣେ ଲାଗି ପଡ଼ିଲେ ।

 

‘‘ଘର ସଂସାର ନ ଛାଡ଼ିଲେ ବିପ୍ଳବାତ୍ମକ କାର୍ଯ୍ୟ ସଫଳତାର ସହିତ କରି ହେବନାହିଁ । ସ୍ଵରାଜ୍ୟ ପାଇଁ କାମ ଯେ ଏକ ବିଶାଳ ବିପ୍ଲବାତ୍ମକ କାମ, ତାହା କେବଳ ସେହି ସମୟରେ ଉପଲବ୍‌ଧି କରି ହେଉଥିଲା ।’’ ବାଲେଶ୍ଵର ସହରରେ ପ୍ରଥମେ ସଫଳତାର ସହିତ ହରତାଳ ପାଳନ କରିବାପାଇଁ ସେ ନିଜକୁ ପୂର୍ଣ୍ଣଭାବରେ ବିନିଯୋଗ କଲେ ଏବଂ ପ୍ରଥମକରି ସାଧାରଣ ସଭାରେ ବଚ୍ଛୁତା ଦେଇଥିଲେ । ବାଲେଶ୍ଵର କଂଗ୍ରେସ ଜିଲ୍ଲା କମିଟି ଗଠନକରି ତାହାର ସଂପାଦକ ଦାୟିତ୍ୱ ଗ୍ରହଣ କଲେ । ଆନ୍ଦୋଳନକୁ ଆଗେଇ ନେବାପାଇଁ ନିଶା ଦୋକାନରେ ପିକେଟିଂ, ବିଦେଶୀ ଲୁଗା ବନ୍ଦ କରିବା, କଂଗ୍ରେସ ସଭ୍ୟ ସଂଗ୍ରହ, ତିଳକ ସ୍ଵରାଜ୍ୟ ପାଣ୍ଠି ସଂଗ୍ରହ ମଧ୍ୟରେ ‘ସ୍ଵରାଜ୍ୟ ସମାଚାର’ ନାମରେ ଏକ ସାପ୍ତାହିକ ପତ୍ରିକା ଲିଥୋକରି ପ୍ରକାଶ କଲେ ।

 

ଛାତ୍ର ଜୀବନରୁ ଆରମ୍ଭ କରି ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ମହତାବ୍‌ ନିଜ ବିଚାରକୁ ପ୍ରକାଶ କରିବାର ମାଧ୍ୟମ ଭାବେ ଲେଖନୀକୁ ଗ୍ରହଣ କରିଥିଲେ । ସେ ନିଜେ ନିଜର ଜୀବନର ଗତିଧାରା ସଂପର୍କରେ ଉଲ୍ଲେଖକରି କହିଛନ୍ତି, କାହାରି ଜୀବନ କୌଣସି ନିର୍ଦ୍ଦିଷ୍ଟ ପୂର୍ବ ପରିକଳ୍ପିତ ଯୋଜନା ଅନୁସାରେ ପରିଚାଳିତ ହୁଏ କି ନାହିଁ, ମୁଁ ଜାଣେନା । ମାତ୍ର ମୋର ଜୀବନକଥା ମୁଁ ଯେତିକି ଭାବୁଛି, ସେଥିରୁ ମୁଁ ଅନୁଭବ କରୁଛି ଯେ ଏକ ଅଜ୍ଞାତ ଶକ୍ତି ଜୀବନକୁ ପରିଚାଳନା କରେ ଓ ସେଥିରେ ମନୁଷ୍ୟର ନିୟନ୍ତ୍ରଣ କିଛି ନଥାଏ । ପଢ଼ିଲାବେଳେ ଅଭିଳାଷ ଥିଲା ଏକ, ତାପରେ ହେଲା ଆଉ ଏକ ଦିଗରେ ଜୀବନର ଗତି । ସେ ଗତି ମଧ୍ୟ ଯେକୌଣସି ନିର୍ଦ୍ଦିଷ୍ଟ ପଥରେ ଚାଲିଲା, ତାହା ମଧ୍ୟ ନୁହେଁ । ଯେ କୌଣସି ଜୀବନର ପୂର୍ବାପର ସଙ୍ଗତି ଖୋଜି ବାହାର କରିବା କଠିନ ହୁଏ । ଅସହଯୋଗ ଆନ୍ଦୋଳନରେ ଯେତେବେଳେ ଯୋଗଦେଲି ସେତେବେଳେ ଅନ୍ୟକୌଣସି ଦିଗ ନ ଭାବି ସେଥିରେ ମାତିଲି ।’’ ଅସହଯୋଗ ଆନ୍ଦୋଳନରେ ମାତିବାର ପ୍ରଥମ ସ୍ମାରକୀ ହେଲା ୧୯୨୧ ସେପ୍ଟେମ୍ବର ୩୦ ତାରିଖ ଦିନ ବିଦେଶୀ ଲୁଗା ବଣ୍ଟନ ବିରୁଦ୍ଧରେ ରାସ୍ତା ଅବରୋଧ କରି ୧୫ ଦିନ ବିନାଶ୍ରମ ଜେଲ୍‌ଦଣ୍ଡ । ପୁନଶ୍ଚ କନିକା ଆନ୍ଦୋଳନକୁ ସମର୍ଥନ କରି ଓ କନିକା ଅତ୍ୟାଚାର ବିରୁଦ୍ଧରେ ଭାଷଣ ଦେଇ ଓ ଲେଖାଲେଖି ୧୦୮ ଦଫାରେ ୧ ବର୍ଷ ସଶ୍ରମ କାରାଦଣ୍ଡ ୧୯୨୨ ଜୁଲାଇ ମାସଠାରୁ । ଏହି ମୋକଦ୍ଦମାର ବିଚାର ଚାଲିଥିବା ବେଳେ କନିକା ଅତ୍ୟାଚାର ଓ ଅସହଯୋଗ ସଂପର୍କରେ ମହତାବ୍‌ ନିଜର ମନର ଭାଷା ଶୁଣାଣି ଶେଷରେ ପ୍ରଦାନ କରିଥିଲେ । ଏହି ବକ୍ତବ୍ୟ ମହତାବଙ୍କର ଦେଶପ୍ରୀତିର ଦୃଢ଼ ନମୁନା । ୧୯୨୨ ମସିହାରେ ସେ ଯେଉଁ ମତ ଦେଇଥିଲେ, ୧୯୭୫ ମସିହା ଜରୁରୀକାଳୀନ ପିରସ୍ଥିତିରେ ତାହାକୁ ଦୋହରାଇ ଜେଲଦଣ୍ଡ ଭୋଗିଥିଲେ । ସେ ଲେଖିଥିଲେ, ‘‘ସମଗ୍ର ମାନବ ସମାଜର ଏକ ପଞ୍ଚମାଂଶ ଲୋକଙ୍କୁ ନିଜର ସ୍ଵାର୍ଥସିଦ୍ଧି ପାଇଁ କେତେକ ମୁଷ୍ଟିମେୟ ଲୋକଙ୍କ ଦ୍ଵାରା ଗଠିତ ଏକ ସରକାର ଚିରଦାସତ୍ୱ ନିଗଡରେ ବାନ୍ଧି ରଖିବା ପାଇଁ ଯେଉଁ ଚେଷ୍ଟା ଚଳାଉଛନ୍ତି, ଯେ କୌଣସି ଆତ୍ମସମ୍ମାନବୋଧ ବିଶିଷ୍ଟ ଲୋକ ତାର ପ୍ରତିରୋଧ ନିଜର ଜୀବନ ବିନିମୟରେ ମଧ୍ୟ କରିବା ଉଚିତ । ଯେତେଦିନ ପର୍ଯ୍ୟନ୍ତ ମନୁଷ୍ୟର ନ୍ୟାଯ୍ୟ ଅଧିକାର ଉପରେ କୌଣସି ବ୍ୟକ୍ତିବିଶେଷ ବା ଦଳ ହସ୍ତକ୍ଷେପ କରିବେ, ସେତେଦିନ ପର୍ଯ୍ୟନ୍ତ ମୋର ଏହି ସଂଗ୍ରାମ ଚାଲିବ ।’’

 

କନିକା ଆନ୍ଦୋଳନ ଥିଲା ପ୍ରଜାମାନଙ୍କର ରାଜାଙ୍କର ବନ୍ଦୋବସ୍ଥ ଉପରେ ଅସନ୍ତୋଷର ପରିପ୍ରକାଶ । ବନ୍ୟା ଓ ଦୁର୍ଭିକ୍ଷରେ ପ୍ରପୀଡ଼ିତ ପ୍ରଜାଙ୍କ ଉପରେ ଟିକସର ବୋଝ ଲଦି ଦିଆଗଲା ଦେଶବ୍ୟାପି ଚାଲିଥିବା ଅସହଯୋଗ ଆନ୍ଦୋଳନ ଦ୍ଵାରା କନିକା ଆନ୍ଦୋଳନ ପ୍ରଭାବିତ ହୋଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । କଂଗ୍ରେସକର୍ମୀ ଓ ନେତା ଏହାକୁ ସମର୍ଥନ କରୁଥିବାରୁ କନିକା ରାଜା ବ୍ରିଟିଶ ସରକାର ସହଯୋଗରେ ଏହାକୁ ଦମନ କରିବାକୁ ଚେଷ୍ଟା କରିଥିଲେ । ମହତାବ କନିକା ଆନ୍ଦୋଳନକୁ ଅସହଯୋଗ ଆନ୍ଦୋଳନଠାରୁ ପୃଥକ୍‌ ବୋଲି ବିଚାର କରୁଥିଲେ ମଧ୍ୟ ତାଙ୍କୁ ଏଥିରେ ଜଡ଼ିତ କର।ଯାଇ ଏକବର୍ଷ ଜେଲଦଣ୍ଡ ଦିଆଗଲା । ପ୍ରଥମେ କଟକ ଜେଲ ଓ ପରେ ସ୍ଥାନାନ୍ତରିତ ହୋଇ ସେ ଭାଗଲପୁର ଜେଲରେ କଠିନ ଜେଲ ଜୀବନ ବିତାଇଲେ । ସେହି ଜେଲ ଜୀବନ ତାଙ୍କୁ ଗୀତା, ଭାଗବତ, କୋରାନ୍‌ ପଢ଼ିବାର ସୁଯୋଗ ଦେଇଥିଲା । ତିଳକଙ୍କ ଗୀତା ତାଙ୍କୁ ଅଭିନବ ପ୍ରେରଣା ମଧ୍ୟ ପ୍ରଦାନ କଲା । ଏହି ଜେଲ ଜୀବନରେ ତାଙ୍କ ସାହିତ୍ୟ ରୁଚି ମଧ୍ୟ ପଲ୍ଲବିତ ହୋଇଥିଲା ଏବଂ ସେ ଲେଖିଲେ ଏକ ଉପନ୍ୟାସ ‘ଅଜବ ଦୁନିଆଁ’ । ଏହି ଭପନ୍ୟାସଟିକୁ ବାଲେଶ୍ଵରଠାରେ ଥିବା ସ୍ଵରାଜ୍ୟ ମନ୍ଦିରକୁ ପୁଲିସ ତନଖି ବେଳେ ଜବତ କରି ନେଇଯାଇଥିଲେ । ଏହା ବ୍ୟତୀତ ଇଂରାଜୀରେ ଲେଖିଥିଲେ ‘‘ଫ୍ରି ଥିଂକିଙ୍ଗ୍‌’’ ପୁସ୍ତକ । ଜେଲରୁ ଖଲାସ ହୋଇ ଗାନ୍ଧୀଙ୍କ ପ୍ରଦର୍ଶିତ ନୀତି ନେଇ ଚାଲିବାକୁ ଦୃଢ଼ ସଂକଳ୍ପ ହୋଇ ବାଲେଶ୍ଵରରେ ପହଞ୍ଚିଲେ । ସେତେବେଳକୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହତୋତ୍ସାହ ମାଡ଼ି ବସିଥାଏ । ଗୋପବଂଧୁ ଚୌଧୁରୀ, ନିରଂଜନ ପଟ୍ଟନାୟକ ଓ ମହତାବ ସାଂଗଠନିକ କାର୍ଯ୍ୟକୁ ଦୃଢ଼ ଓ ଶାନ୍ତିଶାଳୀ କରିବା ପାଇଁ ଲାଗିପଡ଼ିଲେ । ସମଗ୍ର ରାଜ୍ୟବ୍ୟାପୀ କଂଗ୍ରେସ ପ୍ରଚାରର ଦାୟିତ୍ୱ ନେଲେ ସେ ଏବଂ ଆରମ୍ଭ କଲେ ‘ସାପ୍ତାହିକ ପ୍ରଜାତନ୍ତ୍ର’ । ଏହି ସମୟରେ ସେ ବାଲେଶ୍ଵର ଜିଲ୍ଲା ବୋର୍ଡ଼ର ଚେୟାରମ୍ୟାନ ଭାବରେ ନିର୍ବାଚିତ ହେଲେ । ଲୋକମାନଙ୍କ ସହିତ ସୁସଂପର୍କ ସ୍ଥାପନ କରି ସେମାନଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରିବାରେ ମହତାବ ଓ କଂଗ୍ରେସ କର୍ମୀ ଲାଗିପଡ଼ିଲେ । ଜମିଦାର, ଓକିଲ ଓ ଧନୀମାନଙ୍କର କରାୟତ୍ତରେ ଥିବା ଜିଲ୍ଲାବୋର୍ଡ଼ ମୁକ୍ତି ଲାଭ କରି କଂଗ୍ରେସ ନେତୃତ୍ଵରେ ବହୁ ଜନହିତକର କାର୍ଯ୍ୟ କରିବାକୁ ସକ୍ଷମ ହେଲା ।

 

ମହତାବ ଗାନ୍ଧୀଆଦର୍ଶ ଓ ଦର୍ଶନ ଦ୍ଵାରା ଉଦ୍‌ବୁଦ୍ଧହୋଇ ମୁକ୍ତି ସଂଗ୍ରାମରେ ଯୋଗ ଦେଇଥିଲେ । ଗାନ୍ଧୀ ଓଡ଼ିଶା ଆସିବା ସମୟରେ ତାଙ୍କର ସମସ୍ତ ଦାୟିତ୍ଵ ନେବାର ଭାର ମହାତାବକୁ ଦିଆଯାଇଥିଲା । ସେ ଗାନ୍ଧିଜୀଙ୍କ ସହିତ ନିରୋଳାରେ କେତୋଟି ଅନ୍ତରଙ୍ଗ ମୁହୂର୍ତ୍ତ ପାଇ, ତାଙ୍କଠାରୁ କେତୋଟି ଗୁରୁତ୍ଵପୂର୍ଣ୍ଣ ଉପଦେଶକୁ ଗ୍ରହଣ କରି ତାହାକୁ ତାଙ୍କ ପରବର୍ତ୍ତୀ ରାଜନୈତିକ ଜୀବନରେ ପ୍ରୟୋଗ କରିଥିଲେ । ଗାନ୍ଧିଜୀଙ୍କ ବିଚାର ଥିଲା, ଦୁନିଆରେ ନ୍ୟାୟ ସଦାସର୍ବଦା ଯଶସ୍ୱୀ ହୁଏ କିନ୍ତୁ ଓଡ଼ିଶାରେ କର୍ମ କୁଶଳତାର ଅଭାବ । କର୍ମତତ୍ପରତା ଆବଶ୍ୟକ । ଅହିଂସା ହେଉଛି ସର୍ବୋତ୍କୃଷ୍ଟ ପନ୍ଥା କିନ୍ତୁ ଅବସ୍ଥା ଦେଖି ଲୋକଙ୍କୁ ଜାଗ୍ରତ କରିବ । ମହାତାବ ତାଙ୍କ ରାଜନୈତିକ ଜୀବନରେ ଏହାକୁ ବାରମ୍ବାର ପ୍ରୟୋଗ କରିଛନ୍ତି ଓ ସଫଳ ହୋଇଛନ୍ତି ମଧ୍ୟ ।

 

୧୯୩୦ ମସିହାରେ ଆରମ୍ଭ ହେଲା ଲବଣ ସତ୍ୟାଗ୍ରହ । ଓଡ଼ିଶାରେ ଏହି ଆନ୍ଦୋଳନ ବ୍ୟାପକ ଆକାର ଧାରଣ କରିଥିଲା । ଇଞ୍ଚୁଡ଼ିଠାରେ ଆଇନ୍‌ ଅମାନ୍ୟ କରି ଲୁଣ ମାରିବାର ସ୍ଥିର କରାଯାଇଥିଲା । ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ କରାଯିବାର ପ୍ରଦେଶ କମିଟି ଦ୍ଵାରା ସ୍ଥିର ହୋଇଥିଲା । ଗୁଜୁରାଟର ଦାଣ୍ଡୀ ଲବଣ ସତ୍ୟାଗ୍ରହର ଅମାନୁଷିକ ଅତ୍ୟାଚାର ପରି ଇଞ୍ଚୁଡିଠାରେ ସତ୍ୟାଗ୍ରହୀମାନଙ୍କ ଉପରେ ଅକଥନୀୟ ମାଡ଼ ହୋଇଥିଲା । ଗୋପବନ୍ଧୁ ଚୌଧୁରୀ ଓ ମହାତାବଙ୍କୁ ବାଲେଶ୍ଵର ଶିବିରରୁ ବନ୍ଦୀ କରି ନିଆଗଲା ୧୯୩୦ ଏପ୍ରିଲ ୧୭ ତାରିଖରେ । ଏବଂ ଦୁହିଁଙ୍କୁ ଜେଲଦଣ୍ଡ ହେଲା ଦେଢ଼ବର୍ଷ । ପ୍ରଥମେ କିଛିଦିନ ବାଲେଶ୍ଵର ଓ ହଜାରିବାଗ ଜେଇରେ ମହାତାବଙ୍କୁ ‘ଖ’ ଶ୍ରେଣୀର ବନ୍ଦୀଭାବେ ରହିବାକୁ ହୋଇଥିଲା । କିନ୍ତୁ ଜେଲ ଭିତରୁ ପ୍ରଜାତନ୍ତ୍ର ପାଇଁ ବିଭିନ୍ନ ଲେଖା ପଠାଉଥିବା ଅପରାଧରେ ତାଙ୍କୁ ‘ଗ’ ଶ୍ରେଣୀଭୃକ୍ତ କରାଯାଇ ପାଟଣା କାମ୍ପଜେଲକୁ ସ୍ଥାନାନ୍ତରିତ କରାଗଲା ।

 

ପରିସ୍ଥିତି ଓ ପରିବେଶ ଯେତେ ଅସଜଡା ଥିଲେ ମଧ୍ୟ ତାକୁ ନିଜ ବାଟରେ ମୁହାଁଇବାରେ କୁଶଳୀ ମହାତାବ ପାଟଣା କ୍ୟାମ୍ପଜେଲ୍‌ରେ ବନ୍ଦୀ ଥିବା ସଂଗ୍ରାମୀମାନଙ୍କୁ ନେଇ ନିଜ ରଚିତ ନାଟକ ‘ସ୍ଵରାଜ ସାଧନ’ ଅଭିନୀତ କରାଇଥିଲେ ।

 

ଗାନ୍ଧିଜୀ ଗୋଲଟେବୁଲ ବୈଠକରୁ ଫେରିବା ପରେ ପୁଣି ଆରମ୍ଭ ହେଲା ଆନ୍ଦୋଳନ ଏବଂ ମହତାବ ଏଥର ପୁରୀଠାରେ କଂଗ୍ରେସ ଅଧିବେଶନ କରିବା ପାଇଁ ବ୍ୟସ୍ତଥିବା ବେଳେ ଗିରଫ ହୋଇ ହଜାରିବାଗ ଜେଲ୍‌କୁ ଗଲେ । ସୁଭଦ୍ରା ଦେବୀଙ୍କୁ ତିନିମାସ ପାଇଁ ଜେଲ୍‌ଦଣ୍ଡ ହୋଇଥିଲା ଏବଂ ସେ ମଧ୍ୟ ସେଇ ହଜାରିବାଗ ଜେଲ୍‌କୁ ଗଲେ । ସେଠାରେ ତାଙ୍କର ଖାଁ ଅବଦୁଲ ଗଫୁର ଖାଁ ଓ ତାଙ୍କ ଭାଇଙ୍କ ସହିତ ସଂପର୍କ ସ୍ଥାପନ ହୋଇଥିଲା । ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସାମାଜିକ ସଂପର୍କ ସ୍ଥାପିତ ହେଲେ ଭାରତର ସାଂପ୍ରଦାୟିକ ସମସ୍ୟା ସମାଧାନ ହେବ ବୋଲି ସେମାନଙ୍କର ଥିଲା ବିଶ୍ୱାସ । ମହତାବ ସେଇଠି ଲେଖିଲେ ଆଉ ଗୋଟିଏ ଉପନ୍ୟାସ ‘ନୂତନଧର୍ମ’ ।

 

ମହାତାବଙ୍କ ଜୀବନରେ ରାଜନୀତି ସହିତ ସାହିତ୍ୟ କିପରି ଅଙ୍ଗାଙ୍ଗୀଭାବେ ଜଡ଼ିତ ଏହା ଏଥିରୁ ଅନୁମେୟ । ଜେଲ୍‌ ଜୀବନ ମଧ୍ୟରେ ମହତାବଙ୍କର ପିତାଙ୍କର ବିୟୋଗ ଘଟିଲା । ପିତାଙ୍କ କଥା ନମାନି ସେ ମୁକ୍ତିସଂଗ୍ରାମରେ ଯୋଗଦେଇଥିଲେ, ଏହା ତାଙ୍କ ପିତାଙ୍କର ମନକୁ ଅବଶ୍ୟ ଦେଇଥିଲା ଦାରୁଣ ଆଘାତ । ମହତାବ ନିଜ ପିତାଙ୍କ ମୃତ୍ୟୁ ସମ୍ବାଦ ଶୁଣି ଯେଉଁ ଗଭୀର ମର୍ମବେଦନା ଉପଲବ୍ଧି କରିଥିଲେ, ତାହା ତାଙ୍କ ଆତ୍ମଜୀବନୀ ‘ସାଧନାର ପଥେ’ । ଅତି ମାର୍ମିକ ରୂପରେ କାଶ ପାଇଛି ।

 

ଦିନେ ଜେଲର ମୋତେ ଡାକିନେଇ ଏଣୁତେଣୁ କଥାବାର୍ତ୍ତା କରି ଶେଷରେ ଏକ ତାର ଦେଖାଇଲେ ଯେ, ବାବା ନିଉମୋନିଆ ରୋଗରେ ମରିଯାଇଛନ୍ତି । ମୁଁ କିଛି ନକହି ସେଠାରୁ ଉଠି ଆସିଲି । ମୁହଁ ମାଡି ରାତିସାରା ପଡ଼ିରହିଛି । ଜୀବନରେ ବାବାଙ୍କର ମୁଁ ସେବା କେବେ କରିପାରିଲିନାହିଁ । ପର୍ବତ ପ୍ରମାଣ କେତେ ତାଙ୍କର ଆଶା ଚୁରମାର୍‌ କରି ଧୂଳିସାତ କରିଦେଇଛି, ତାଙ୍କ କଥା ନମାନି କଲେଜରେ ପଢିବା, ତାପରେ ତାଙ୍କୁ ଠକିଦେଇ ଅସହଯୋଗ ଆନ୍ଦୋଳନରେ ଯୋଗଦେବା, ତାପରେ ସେ ମୂର୍ଖତାର କାର୍ଯ୍ୟ ତାଙ୍କୁ ରେଜେଷ୍ଟ୍ରି ନୋଟିସ୍‌ ଦେବା, ଶେଷରେ ସେ ମୋ ପ୍ରତି ସ୍ନେହଭର ହୋଇ ମୋ ମନରକ୍ଷା କରିବା ପାଇଁ କଂଗ୍ରେସ ପ୍ରତି ସହାନୁଭୂତିଶୀଳ ହେବା, ଏସବୁ ବଡ଼ ବଡ଼ କଥା ସଙ୍ଗେ କେତେ ଛୋଟ ଛୋଟ ଟିକିନିଖି କଥା ମୋ ମନରେ ସତ୍ୟଘଟଣା ପରି ଅଭିନୟ ଏପରି ଆରମ୍ଭ କଲେ ଯେ, ଆତ୍ମଗ୍ଲାନିରେ ସଢ଼ିଗଲା ପରି ହୋଇଗଲି ।’’

 

ସ୍ଵାଧୀନତା ସଂଗ୍ରାମରେ ନିଜ ଶରୀର, ମନ ଓ ପ୍ରାଣ ସମ୍ପୂର୍ଣ୍ଣ ସମର୍ପଣ କରି ମହତାବ ଯେପରି ସଂଗ୍ରାମୀର ଭୂମିକା ନିଭାଉଥିଲେ, ଠିକ୍‌ ସେହିପରି ତାଙ୍କ ହୃଦୟ ଭିତରେ ନିଜ ପିତାଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ନିବୁଜ ହୋଇ ରହିଥିଲା । ଏପରିକି ନିଜ ସ୍ତ୍ରୀ ସୁଭଦ୍ରାଦେବୀଙ୍କୁ ନିଜ ଦର୍ଶନରେ ଉଦ୍‌ବୁଦ୍ଧ କରି ସ୍ଵାଧୀନତା ଯଜ୍ଞରେ ସାମିଲ କରିଥିଲେ ମଧ୍ୟ, ତାଙ୍କ ପ୍ରତି ରହିଥିଲା ଅତୁଟ ମମତାର ବନ୍ଧନ । ତେଣୁ ସେ ନିଃସଙ୍କେଚରେ ନିଜର ମନକଥା କହିବାକୁ ଯାଇ ଲେଖିଛନ୍ତି, ମୁଁ ଉପଲବ୍‌ଧି କଲି ଯେ, ତାଙ୍କ ସନ୍ତାନ ହୀନ ଜୀବନ ତାଙ୍କୁ ଅତି ବାଧା ଦେଉଛି, ତେଣୁ ନିଜ ମନକୁ ଲଗାଇ ରଖିବା ଭଳି କିଛି କାମ ଜୁଟୁନାହିଁ । ସାଧାରଣ କାର୍ଯ୍ୟରେ ମୁଁ ଯେପରି ମନ ଲଗାଇ ଆନନ୍ଦ ପାଉଛି, ସେପରି କରିବା ପାଇଁ ତାଙ୍କ ମନର ପ୍ରସ୍ତୁତି ନାହିଁ, ତଥାପି ଯେତେଦୂର ସମ୍ଭବ ତାଙ୍କୁ ଆନନ୍ଦ ଦେବାପାଇଁ ମୁଁ ଚେଷ୍ଟା କରୁଥାଏ ।

 

ମହତାବ ନିଜର ‘‘ନୂତନଧର୍ମ’’ ଉପନ୍ୟାସରେ ଯେଉଁ ବିଚାର ବ୍ୟକ୍ତ କରିଥିଲେ ତାକୁ ସାକାର ରୂପଦେବା ପାଇଁ ଆରମ୍ଭ କଲେ ‘‘କର୍ମମନ୍ଦିର’’ । କାରଣ ୧୯୩୬-୪୦ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ ଧିମା ପଡ଼ିଯାଇଥାଏ । କର୍ମ-ମନ୍ଦିର ମାଧ୍ୟମରେ ସୂତାକାଟିବା, ଗାଁ ସଫାଇ କରିବା, ହରିଜନଙ୍କ ଭିତରେ କାର୍ଯ୍ୟ କରିବା ଇତ୍ୟାଦି କାର୍ଯ୍ୟ ସେ ନିଜ ଗାଁରେ କରିବାକୁ ଆରମ୍ଭ କରିଥିଲେ । ଅବଶ୍ୟ ଏହି କାର୍ଯ୍ୟକ୍ରମ ଗାନ୍ଧିଜୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମର ଅଂଶବିଶେଷ ।

 

୧୯୩୪ ମସିହାରେ ଗାନ୍ଧିଜୀ ଓଡ଼ିଶା ଆସି ପୁରୀଠାରୁ ଭଦ୍ରକ ପଦଯାତ୍ରା କରିଥିଲେ ଏବଂ ମହାତାବ ତାଙ୍କ ସହିତ ଥିଲେ । ସେ ମହାତ୍ମାଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ନିଜକୁ ଅତ୍ୟନ୍ତ ଉନ୍ନତ ଓ ଦୃଢମନା କରିପାରିଥିଲେ । ୧୯୩୭ରେ ମହତାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ଵ ଗ୍ରହଣ କଲେ । ଏଥିପାଇଁ ତାଙ୍କର ନୀଳକଣ୍ଠ ଦାସଙ୍କ ସହିତ ପ୍ରତିଦ୍ୱନ୍ଦିତା ହୋଇଥିଲା ଓ ନୀଳକଣ୍ଠବାବୁ ଗୋଟିଏ ଭୋଟରେ ହାରିଥିଲେ । ସେହି ସମୟରେ ବିଶ୍ଵନାଥ ଦାସଙ୍କ ନେତୃତ୍ଵରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥାଏ । ହରିପୁରା କଂଗ୍ରେସରେ ମହତାବ ମଧ୍ୟ କଂଗ୍ରେସ କାର୍ଯ୍ୟ ନିର୍ବାହିକା ସମିତିକୁ ମନୋନୀତ ହେଲେ, ଏହି ସମୟ ଥିଲା ମହାତାବଙ୍କ ପାଇଁ କଠିନ ପରିଶ୍ରମର ସମୟ । ତାଙ୍କ ଉପରେ ତିନିଗୋଟି କାର୍ଯ୍ୟ ଆସି ମାଡିବସିଲା । ପ୍ରଥମ ହେଉଛି କଂଗ୍ରେସ ମନ୍ତ୍ରୀମଣ୍ଡଳକୁ ସମର୍ଥନ । ଦ୍ୱିତୀୟ କାର୍ଯ୍ୟ ‘‘ନିଖିଳ ଭାରତ ଗ୍ରାମୋଦ୍ୟୋଗ ସଂଘ’’ ତରଫରୁ ହେଉଥିବା ଓଡିଶାରେ ଖଜୁରୀ ଗୁଡ଼ ତାଳଗୁଡ଼ ଓ ମଧୁମକ୍ଷିକା ପାଳନର ଦାୟିତ୍ୱ ଏବଂ ତୃତୀୟ କାର୍ଯ୍ୟ ହେଉଛି ଗଡ଼ଜାତ ଆନ୍ଦୋଳନ । ସେ ଗଡଜାତ ପ୍ରଜାମଣ୍ଡଳ ଆନ୍ଦୋଳନର ତଦନ୍ତ କମିଟିର ସଦସ୍ୟ ଭାବରେ ମଧ୍ୟ ନିଯୁକ୍ତ ହେଲେ । ଗଡ଼ଜାତ ପ୍ରଜାଆନ୍ଦୋଳନ ସହିତ ପରୋକ୍ଷ ଭାବରେ ସାମିଲ ହୋଇ ମହତାବ ଏହି ଆନ୍ଦୋଳନକୁ ସଫଳତା ଆଡ଼କୁ ନେଇଯାଇଥିଲେ । ଅବଶ୍ୟ ଏଥିପାଇ ତାଙ୍କୁ ବହୁ ନିନ୍ଦା ଓ ଅପମାନ ସହିବାକୁ ହୋଇଥିଲା ।

 

ପୁନଶ୍ଚ ଆରମ୍ଭ ହୋଇଥିଲା ତାଙ୍କର ଜେଲଜୀବନ ୧୯୪୦ ଡିସେମ୍ବର ୨୦ ତାରିଖଠାରୁ । ବାଲେଶ୍ୱରର ରେମୁଣାଠାରେ ଭାଷଣ ଦେବା ଫଳରେ ତାଙ୍କୁ ଏକବର୍ଷ ଜେଲଦଣ୍ତ ଭୋଗ କରିବାକୁ ହୋଇଥିଲା । ବ୍ରହ୍ମପୁର ଜେଲରେ ‘‘କ’’ ଶ୍ରେଣୀର ବନ୍ଦୀ ଭାବେ ତାଙ୍କୁ ରଖାଗଲା ! ବର୍ଷକ ପରେ ସେଠାରୁ ମୁକ୍ତ ହେବା ପରେ ଆରମ୍ଭ ହେଲା ଓ ଭାରତଛାଡ଼ ଆନ୍ଦୋଳନ ‘ଅଗଷ୍ଟ ବିପ୍ଲବ’ । ସେ ଅଗଷ୍ଟ ୯ ତାରିଖ ସକାଳେ ବନ୍ଦୀ ହୋଇ ଅହମ୍ମଦନଗର ଫୋର୍ଟ ଜେଲକୁ ନିଆଗଲେ । ସେ ସେଠାରେ ପହଞ୍ଚିବା ବେଳକୁ ସେଠାରେ ଥିଲେ ସର୍ଦାର ପଟେଲ, ମୌଲାନା ଆଜାଦ୍‌, ଜବାହରଲାଲ ନେହେରୁ, ଡାକ୍ତର ପ୍ରଫୁଲ ଘୋଷ, ଶଙ୍କର ରାଓ ଦେବ, ଆଚାର୍ଯ୍ୟ କୃପାଳିନୀ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଆସଫ୍‌ ଅଲି, ଡାକ୍ତର ପଟ୍ଟାଭିସୀତାରାମାୟ, ଡାକ୍ତର ମାହମୁଦ ପ୍ରମୁଖ ।

 

ମହତାବ ୧୯୪୨ ଅଗଷ୍ଟ ମାସଠାରୁ ୧୯୪୫ ଅପ୍ରେଲ ମାସ ପର୍ଯ୍ୟନ୍ତ ଅହମ୍ମଦ ନଗର ଫୋର୍ଟ ଜେଲରେ ରହିଥିଲେ । ମହତାବଙ୍କର ତିନିବର୍ଷର ଏଠାରେ ରହଣି ତାଙ୍କୁ ସାହିତ୍ୟ ସାଧନା, ଇତିହାସ .ରଚନା ଓ ସଂସ୍କୃତ ଅଧ୍ୟୟନର ସୁଯୋଗ ଦେଇଥିଲା । ସେ ସେଠାରେ ତିନିଗୋଟି କାବ୍ୟ, ତିନୋଟି ଉପନ୍ୟାସ ଓ ଅନେକ ଛୋଟ ଛୋଟ କବିତା ଲେଖିବା ବ୍ୟତୀତ ଓଡିଶା ଇତିହାସ ଲେଖିଥିଲେ । ଓଡ଼ିଶା ଇତିହାସ ଗ୍ରନ୍ଥ ରଚନା କରିବା ପରେ ଇଂରେଜି ଓଡିଆ ଅଭିଧାନ ଲେଖିବାକୁ ଆରମ୍ଭ କରିଥିଲେ । ୧୯୪୫ ଅପ୍ରେଲ ମାସରେ ସେ ଆସି ସମ୍ବଲପୁର ଜେଲରେ ନିର୍ଜନ କାରାବାସରେ ରହିଲେ । ସେଠାରେ ମାସେ ରହିବା ପରେ ତାଙ୍କୁ ମୁକ୍ତ କରାଗଲା ।

 

୧୯୪୬ ଅପ୍ରେଲ ମାସରେ ଓଡ଼ିଶାର ଶାସନଭ।ର ନେଇ ହେଲେ ପ୍ରଧାନମନ୍ତ୍ରୀ । ମହତାବଙ୍କର ସଂଗ୍ରାମର ଏଇ ତ୍ୟାଗପୂତ ଜୀବନ ପରବର୍ତ୍ତୀ ସମୟରେ ତାଙ୍କୁ ଓଡ଼ିଶା ଗଠନରେ ବ୍ରତୀ କରାଇଥିଲା । ସ୍ଵାଧୀନତା ସଂଗ୍ରାମର ନାୟକ ହୋଇଗଲେ ଯୁଗାନ୍ତକାରୀ ଜନନାୟକ ।

 

ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନ

ସ୍ଵାଧୀନତା ପୂର୍ବରୁ ମହାତାବ ଯେପରି ଗଡ଼ଜାତ ପ୍ରଜା ଆନ୍ଦୋଳନ ସହିତ ସଂଶ୍ଳିଷ୍ଟ ହୋଇଥିଲେ, ସ୍ଵାଧୀନତା ପରେ ଓଡ଼ିଶା ସହିତ ଗଡ଼ଜାତ ଦେଶୀୟ ରାଜ୍ୟ ମିଶ୍ରଣର ସେ ଥିଲେ କର୍ଣ୍ଣଧାର । ୧୯୩୮ ମସିହାରେ ଓଡ଼ିଶାରେ କଂଗ୍ରେସ ଶାସନ ଚାଲିଥିବା ବେଳେ ମହତାବ ଥିଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି । କଂଗ୍ରେସ ଶାସନଥିବା ବେଳେ ଗଡ଼ଜାତ ରାଜ୍ୟମାନଙ୍କରେ ରାଜାମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ ହେଲା । ଗଡ଼ଜାତ ରାଜାମାନେ ଥିଲେ ଅତ୍ୟନ୍ତ ଅତ୍ୟାଚାରୀ ଓ ପ୍ରଜାମାନଙ୍କ ଉପରେ ଅତ୍ୟଧିକ କର ବସାଇବା ସହିତ ଜୁଲମ କରୁଥିଲେ । ପ୍ରଜାମାନେ ଥିଲେ ଗରିବ, ଅଶିକ୍ଷିତ ଓ ପଛୁଆ । ବିଟ୍ରିଶ ଶାସନର ଛତ୍ରଛାୟା ତଳେ ରହି ଶାସକମାନେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।

 

ଏହା ବିରୁଦ୍ଧରେ ପ୍ରଜାମାନେ ସାହସର ସହିତ ସ୍ଵର ଉତ୍ତୋଳନ କଲେ । ନୀଳଗିରି, ତାଳଚେର, ଢେଙ୍କାନାଳ, ରଣପୁର ଇତ୍ୟାଦି ଦେଶୀୟ ରାଜ୍ୟମାନଙ୍କରେ ‘ପ୍ରଜାମଣ୍ଡଳ’ ଗଢ଼ି ଉଠିଲା । ରାଜାମାନଙ୍କର ନିର୍ଯ୍ୟାତନା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଆଗଭର ହୋଇ ଉଠିଲେ ସେହି ଅଞ୍ଚଳର ପ୍ରଜାମାନେ ।

 

ଲୋକମାନଙ୍କର ଅଭିଯୋଗ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀ ଏକ କମିଟି ମହତାବଙ୍କ ଅଧ୍ୟକ୍ଷତାରେ ଗଠନ କଲେ । ସେହି କମିଟିର ସଭ୍ୟଥିଲେ ଶ୍ରୀ ବଳବନ୍ତରାୟ ମେହେଟ୍ଟା, ଶ୍ରୀ ଲାଲମୋହନ ପଟ୍ଟନାୟକ ଓ ସଂପାଦକ ଥିଲେ ଶ୍ରୀ ସାରଙ୍ଗଧର ଦାସ । ବାଲେଶ୍ଵର ନିକଟବର୍ତ୍ତୀ ନୀଳଗିରିଠାରୁ ପ୍ରଥମେ ଆନ୍ଦୋଳନ ଆରମ୍ଭ ହେଲା । ଆନ୍ଦୋଳନକାରୀ ଲୋକେ ଟିକସ ଦେବେ ନାହିଁ ଓ ବେଠି ଖଟିବେ ନାହିଁ କହିବାରୁ ସେମାନଙ୍କୁ ବାନ୍ଧି ନିଆଗଲା । ମହତାବ ଆନ୍ଦୋଳନର ନେତା କୈଳାସବାବୁ ରାଜାଙ୍କର ଦେୱାନ ସହିତ ଆଲୋଚନା କରି ବ୍ରିଟିଶ ପଲିଟିକାଲ ଏଜେଣ୍ଟଙ୍କ ସହଯୋଗରେ ଆନ୍ଦୋଳନର ସମସ୍ୟାକୁ ସମାଧାନ କରିଥିଲେ । ନୀଳଗିରି ପରେ ଆନ୍ଦୋଳନ ଆରମ୍ଭ ହେଲ ଢେଙ୍କାନାଳରେ । ଢେଙ୍କାନାଳ ରାଜାଙ୍କର ଲୋମହର୍ଷକ ଅତ୍ୟାଚାର କାହାଣୀ ପ୍ରତି ସେ ଅବଗତ ଥି‌ଲେ । ରାଜାଙ୍କ ବିରୁଦ୍ଧରେ ହେଉଥିବା ପ୍ରତିବାଦ ସଭାରେ ପ୍ରାୟ ସାତ ଆଠ ହଜାର ଲୋକ ଥିଲେ । ସଭା ହେବା ମାତ୍ରକେ କେତେକ ଲୋକଙ୍କୁ ଜେଲକୁ ନେଇ ଯିବା ଫଳରେ ଉତ୍ତ୍ୟକ୍ତ ନେତା ବନ୍ଦୀମାନଙ୍କୁ ଖଲାସ କରିବାକୁ ଆଗଭର ହେଲେ । ଷ୍ଟେଟ ଭୟଭୀତ ହୋଇ ସେହି ବନ୍ଦୀମାନଙ୍କୁ ଛାଡିଦେଲେ ସତ, କିନ୍ତୁ ବହୁଲୋକ ଆହତ ହେଲେ । ମହତାବଙ୍କର ଚେଷ୍ଟାସତ୍ୱେ ସମାଧାନ ହୋଇପାରିଲାନାହିଁ । ଢେଙ୍କାନାଳ ଆନ୍ଦୋଳନ ସଂପର୍କରେ ଅନେକ ସହକର୍ମୀ ଙ୍କ ସହିତ ତାଙ୍କର ମତଭେଦ ହୋଇଥିଲା ।

 

ଏହାପରେ ଆନ୍ଦୋଳନ ହେଲା ତାଳଚେରରେ ଏବଂ ଗୁଳିରେ ଅନେକ ଲୋକ ମଲେ । ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ସେ ତାଳଚେର ଆନ୍ଦୋଳନର ସମାଧାନ ଦାୟିତ୍ୱ ନେଇଥିଲେ । ତାଳଚେରରୁ ପ୍ରାୟ ତିରିଶ ହଜାର ପୁରୁଷ, ସ୍ତ୍ରୀ, ବାଳକ ଘରଦ୍ୱାର ଛାଡି ଅନୁଗୋଳରେ ଆସ ଶୀତକାକରରେ ପଡି ରହିଲେ । ମହତାବ ଗାନ୍ଧିଜୀଙ୍କର ପରାମର୍ଶ ଲୋଡିଲେ। ଗାନ୍ଧିଜୀ କହିଲେ, କାର୍ଯ୍ୟରେ ଯାହା ଦେଖିଛ ତଦନୁସାରେ ଗତିକର । ମହତାବ ସହକାରୀ ପଲିଟିକାଲ ଏଜେଣ୍ଟ, ଓଡ଼ିଶା ସରକାରଙ୍କର କମିଶନରଙ୍କ ସହିତ ଆଲୋଚନା କଲେ । ସହକାରୀ ପଲିଟିକାଲ ଏଜେଣ୍ଟ ଓ ମହତାବଙ୍କ ଭିତରେ ଚୁକ୍ତି ହେଲା ଯାହାକୁ କୁହାଯାଏ ମହତାବ୍‌ - ‘ହେନ୍ତି ଚୁକ୍ତି’ । କିନ୍ତୁ ଏହି ଚୁକ୍ତି ଅନୁସାରେ ଘୋଷଣା ହେଲାନାହିଁ । କାରଣ ଘୋଷଣାରେ ବେଠି ପ୍ରଥା ଚାଲୁ ରହିବ ବୋଲି କୁହାଯାଇଥାଏ । ଏଥିରେ ମହତାବ୍‌ ହତଚକିତ ହୋଇଥିଲେ ମଧ୍ୟ ନିଜର ଧୈର୍ଯ୍ୟ ଓ ସାହସ ହରାଇ ନଥିଲେ । ସରକାର ମିଲିଟାରି ଇଣ୍ଟେଲିଜେନ୍ସି ଜରିଆରେ ରିପୋର୍ଟ ମାଗି ମହତାବ ଯେପରି ଘୋଷଣା ଚାହୁଁଥିଲେ, ସେପରି କଲେ । ତାଳଚେରରୁ ପଳାଇଯାଇଥିବା ପ୍ରଜାମାନେ ନିଜ ନିଜ ଘରକୁ ଫେରିଲେ ।

 

ଏହାପରେ ଆରମ୍ଭ ହେଲା ରଣପୁର ଆନ୍ଦୋଳନ । ଏହା ଏକ ଅତି ଛୋଟ ଗଡଜାତ । ରାଜା କେତେଜଣ ପ୍ରଜାମଣ୍ଡଳ କର୍ମୀଙ୍କୁ ଗିରଫ କଲେ । ଏହାର ଫଳ ହେଲା ଲୋକେ ଉତ୍ୟକ୍ତ ହୋଇ ସେମାନଙ୍କୁ ମୁକୁଳାଇବାକୁ ସ୍ଥିର କରିଥାନ୍ତି । ଏହି ଗଣ ଆନ୍ଦୋଳନକୁ ଅତ୍ୟନ୍ତ ନିଷ୍ଠୁର ଭାବରେ ଦମନ କରିବାକୁ ଯାଇ ପଲିଟିକାଲ ଏଜେଣ୍ଟ ବେଜେଲଗେଟ୍‌ ଲୋକମାନଙ୍କର ଟେକା ଓ ବାଉଁଶ ମାଡରେ ମରି ଯାଇଥିଲେ । ବେଜେଲ୍‌ଗେଟ୍‌ଙ୍କ ଗୁଳିରେ ମଧ୍ୟ ଦୁଇଜଣ ଲୋକ ମରିଯାନ୍ତି । ଏହି ଘଟଣା ଘଟିସାରିବା ପରେ ମହତାବ୍‌ ରଣପୁରରେ ପହଞ୍ଚି ଏପରି ଅବସ୍ଥା ଦେଖି ଲୋକମାନଙ୍କୁ ଘରଛାଡି ପଳାଇବାକୁ ପରାମର୍ଶ ଦେଇ ଫେରିଆସିଲେ । ଏ ଘଟଣାରେ ମହତାବଙ୍କୁ ଦଣ୍ଡିତ କରାଇବାର ଚେଷ୍ଟା କରାଯାଇଥିଲା କିନ୍ତୁ ମିସ୍‌ ହରିସନ ଓଡ଼ିଶାର ଲାଟଙ୍କୁ ବୁଝାଇବା ଫଳରେ ସେ ହତ୍ୟା ଅପରାଧରୁ ରକ୍ଷା ପାଇଲେ।

 

ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନରେ ଦୁଇଜଣ ଫାଶୀ ପାଇଥିଲେ । ସେ ଦୁଇଜଣ ଶହୀଦଙ୍କ ନାମ ହେଉଛି ଶ୍ରୀ ରଘୁନାଥ ମହାନ୍ତି ଓ ଶ୍ରୀ ଦିବାକର ପରିଡା । ରଣପୁର ଶାସନର ଆମୁଳଚୂଳ ପରିବର୍ତ୍ତନ ହେଲା । ମହତାବ ଗଡଜାତ ତଦନ୍ତ କମିଟି ରିପୋର୍ଟ ପ୍ରକାଶ କରି ବଡଲାଟଙ୍କୁ ଦେଇଥିଲେ । ବଡଲାଟ ଏହି ରିପୋଟ ସଂପର୍କରେ କହିଥିଲେ, ତମସାଚ୍ଛନ୍ନ ଓଡ଼ିଶାର ସେ ଛୋଟ ଛୋଟ ଗଡ଼ଜାତ ଭିତରେ ଏ ରିପୋର୍ଟ ଆଲୋକ ରେଖା ପକାଇଛି- ଏଣିକି ଧୀରେ ଧୀରେ ଆମେ ଅଗ୍ରସର ହେବୁ।

ରାଷ୍ଟ୍ରନିର୍ମାଣରେ ବ୍ରତୀ

୧୯୪୫ ମସିହାରେ ଜେଲରୁ ମୁକ୍ତ ହେବା ପରେ ମହତାବ କିଛିଦିନ ପଞ୍ଚଗନିଠାରେ ଗାନ୍ଧିଜୀଙ୍କ ସହିତ ରହିଥିଲେ । ଗାନ୍ଧିଜୀ ତାଙ୍କୁ ବର୍ତ୍ତମାନର ଅବସ୍ଥା ସମ୍ଭାଳିବାକୁ ହେବ । ଅଥଚ ଦେଶର ସମ୍ମାନ ରକ୍ଷା କରିବାକୁ ହେବ, ବୋଲି କହି ସାର୍‌ ହଥର୍ଣ୍ଣ ଲୁଇସ୍‌, ଓଡ଼ିଶାର ଲାଟଙ୍କୁ ଦେଖା କରିବାକୁ ପରାମର୍ଶ ଦେଇଥିଲେ । ମହତାବ ୧୯୪୬ ଏପ୍ରିଲ ମାସ ୨୩ ତାରିଖରେ ଓଡ଼ିଶାର ପ୍ରଧାନମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କଲେ । ଏହି କଂଗ୍ରେସ ମନ୍ତ୍ରୀମଣ୍ଡଳରେ ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ରାଧାକୃଷ୍ଣ ବିଶ୍ୱାସରାୟ ମନ୍ତ୍ରୀ ହୋଇଥିଲେ । କେନ୍ଦ୍ରରେ ମଧ୍ୟବର୍ତ୍ତୀକାଳୀନ ସରକାରରେ ଯଦିଓ ମହାତାବଙ୍କୁ ସାମିଲ କରିବା ପାଇଁ ଲର୍ଡୱାଭେଲ ନିମନ୍ତ୍ରଣ କରିଥିଲେ କିନ୍ତୁ ଓଡ଼ିଶାର ନେତୃତ୍ଵ ଭବିଷ୍ୟତରେ ତାଙ୍କ ଉପରେ ପଡିବାକୁ ଯାଉଥିବାରୁ ସେ ସେଥିରୁ ନିବୃତ୍ତ ହେଲେ ।

 

ମହତାବଙ୍କ ନେତୃତ୍ୱରେ ଗଠିତ ହୋଇଥିବା ମନ୍ତ୍ରୀମଣ୍ଡଳ ତିନିଗୋଟି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଥିଲେ । (କ) ମହାନଦୀ ଉପରେ ହୀରାକୁଦ ନଦୀବନ୍ଧ ଯୋଜନା (ଖ) ଓଡ଼ିଶାର ନୂତନ ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ (ଗ) ଗଡ଼ଜାତ ରାଜ୍ୟମାନଙ୍କର ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ । ଏହି କାର୍ଯ୍ୟଗୁଡିକୁ କରିବା ପାଇଁ ବିଭିନ୍ନ ସମୟରେ ତାଙ୍କୁ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିଛି, କିନ୍ତୁ ନିଜର ଲକ୍ଷ୍ୟ ପୂରଣ ଦିଗରେ ସେ ଆଦୌ ପଛକୁ ହଟି ଯାଇ ନାହାନ୍ତି। ତାଙ୍କ ମତରେ, ନିଜର ଲକ୍ଷ୍ୟ ସ୍ଥିର କରିବା ପରେ ବିରୁଦ୍ଧ ମତରେ ଛନ୍ଦି ହୋଇ ଅଟକି ଯିବାର ପ୍ରଶ୍ନ ନଥିଲା, ବରଂ ସେ ମତକୁ ଠେଲି ଚାଲିଯିବା ଅନିବାର୍ଯ୍ୟ ହେଲା । ତେଣୁ ଓଡ଼ିଶାକୁ ଆଗକୁ ଯିବାକୁ ହେବ । ଓଡ଼ିଶାକୁ କୌଣସି ଦିଗରେ ଅନ୍ୟ ପ୍ରତିବେଶୀ ପ୍ରଦେଶଠାରୁ ନ୍ୟୂନ ଅବସ୍ଥାରେ ରଖିବାକୁ ହେବନାହିଁ ।

 

(କ) ହୀର।କୁଦ ବନ୍ଧ ନିର୍ମାଣ :-

୧୯୪୭ ମସିହାର ବହୁପୂର୍ବରୁ ନଦୀବନ୍ଧ ଯୋଜନା ମହତାବଙ୍କ ଚିନ୍ତାରାଜ୍ୟରେ ଉଦ୍ରେକ ହୋଇଥିଲା । ସେ ଅହମ୍ମଦ ନଗର ଫୋର୍ଟରେ ବନ୍ଦୀଥିବା ବେଳେ ନିଜଭାଇ ଗୋପୀନାଥ ଦାସଙ୍କୁ ଚିଠିଲେଖି ଦାମୋଦର ନଦୀବନ୍ଧ ପରି ମହାନଦୀ ଉପରେ ବନ୍ଧ ପାଇଁ ଠକ୍‌ର ବାପାଙ୍କୁ ଆନ୍ଦେଳନ ଆରମ୍ଭ କରିବାକୁ କହିଥିଲେ । ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିବା ବେଳେ ୧୯୪୬ ଏପ୍ରିଲ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଆଣି ଶୁଭ ଦିଆଇଥିଲେ । ଅବଶ୍ୟ ମହାନଦୀ ବନ୍ଧ ବିରୋଧୀ ଆନ୍ଦୋଳନ ଅତ୍ୟନ୍ତ ତୀବ୍ର ହୋଇଥିଲା । କିନ୍ତୁ ମହାତାବ କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନକରି ସମସ୍ତଙ୍କୁ ବୁଝାସୁଝା କରି ଏହି କାର୍ଯ୍ୟଟିକୁ ସମ୍ପନ୍ନ କରିଥିଲେ ।

 

ମହାନଦୀ ବନ୍ଧର ଉପକାରିତା ସଂପର୍କରେ ସେ ଲେଖିଥିଲେ, ବିଖ୍ୟାତ ଇଂଜିନିୟରମାନେ କହୁଛନ୍ତି ହିରାକୁଦ ବନ୍ଧ ଯୋଗେ ସାଢେ ତିନିଲକ୍ଷ କିଲୋୱାଟ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହେବ । ମହାନଦୀ ବନ୍ଧ ହେଲେ ଧାମରା ଓ ଚାନ୍ଦବାଲିରେ ପ୍ରଥମ ଶ୍ରେଣୀର ବନ୍ଦର ହୋଇପାରିବ । ହୀରାକୁଦ ବନ୍ଧ ହେଲେ ମଧ୍ୟପ୍ରଦେଶରୁ ମହାନଦୀ ବନ୍ଧ ଦେଇ ବିରୂପା ନଦୀବାଟେ ସମୁଦ୍ର ପର୍ଯ୍ୟନ୍ତ ପଣ୍ୟବାହୀ ଜାହାଚ୍ଚମାନ ଯାତାୟତ କରିପାରିବ । ମହାନଦୀ ବନ୍ଧର ଅନ୍ୟ ଏକ ଉପକାରିତା ହେଉଛି ବନ୍ୟା ନିୟନ୍ତ୍ରଣ । ଏଥିପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ବିଧାନସଭାରେ ଗୃହୀତ କରାଇଲେ । ବହୁଘାତ ପ୍ରତିଘାତ ମଧ୍ୟରେ ବନ୍ଧ ସଂପୂର୍ଣ୍ଣ ହେଲା ଏବଂ ୧୯୫୭ ମସିହା ଜାନୁଆରୀ ୧୩ ତାରିଖ ଦିନ ପଣ୍ଡିତ ନେହେରୁ ଏହାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ହୀରାକୁଦ ଏକ ଯଜ୍ଞ ଓ ସେଥିପାଇଁ ମହତାବଙ୍କର ଭୁୟସୀ ପ୍ରଶଂସା କରିଥିଲେ ।

 

(ଖ) ର।ଜଧା।ନୀ ଭୁବନେଶ୍ୱର ସ୍ଥାପନ :-

ମହତାବ ହେଉଛନ୍ତି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ନୂତନ ରାଜଧାନୀର ରୂପାୟକ । ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ରାଜଧାନୀ ସ୍ଥାପନ ପାଇଁ ମନ ବଳାଇଲେ । କଟକରୁ ରାଜଧାନୀ ଭୁବନେଶ୍ଵର ସ୍ଥାନାନ୍ତରିତ କରିବା ଏକ ବିବଦମାନ ବିଷୟ ଏ ସଂପର୍କରେ ସେ ସମ୍ପୂର୍ଣ୍ଣ ସଚେତନ ଥାଆନ୍ତି । ୧୯୪୬ ସେପ୍ଟେମ୍ବର ୩୦ ତାରିଖରେ ଭୁବନେଶ୍ୱରଠାରେ ରାଜଧାନୀ କରିବାର ପ୍ରସ୍ତାବ ସେ ବିଧାନସଭାରେ ଗୃହୀତ କରାଇ ନେଲେ । ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ ପ୍ରଧାନମନ୍ତ୍ରୀ ନେହେରୁ ଏହି ଐତିହାସିକ କାର୍ଯ୍ୟର ସୂତ୍ରପାତ କରି ଶୁଭ ଦେଇଥିଲେ । ଭୁବନେଶ୍ଵରର ଐତିହାସିକ ଗୁରୁତ୍ଵ ସଂପର୍କରେ ମହତାବ କହିଲେ, ‘‘ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀଠାରୁ ଏହା ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇରହିଆସିଛି । ଭୁବନେଶ୍ଵର ବୁଦ୍ଧ, ଜୈନ, ପ୍ରଭୃତି ବହୁଧର୍ମ ଓ ସଂସ୍କୃତିର ପୀଠ ରୂପେ ପ୍ରାଧାନ୍ୟ ଲାଭ କରିଛି । ଏହି ଐତିହାସିକ ରାଜଧାନୀ କେତେ ଶାସନର ଉତ୍‌ଥାନ ଓ ପତନ ଦେଖି ଆସିଛି। ଭାରତରେ କିମ୍ବା ପୃଥିବୀରେ ଭୁବନେଶ୍ଵର ପରି କୌଣସି ସ୍ଥାନ ୨୫ ଶହ ବର୍ଷ ଧରି ପ୍ରାଧାନ୍ୟ ଓ ଗୁରୁତ୍ଵ ରକ୍ଷା କରିପାରି ନାହିଁ । ଆଜି ଏହି ପୀଠରେ ଆମେ ଓଡ଼ିଶାର ନୂଆ ରାଜଧାନୀ ଗଢିବାକୁ ଯାଉଛେ । ଆମର ରାଜଧାନୀ ପାଇଁ ଏଠାରେ ବହୁ ଉପାଦେୟ ଓ ଶିକ୍ଷଣୀୟ ବିଷୟ ରହିଛି । ଏଠି ଅଶୋକ, ଖାରବେଳଙ୍କଠାରୁ ଆରମ୍ଭ କରି କପିଳେନ୍ଦ୍ରଦେବଙ୍କ ପର୍ଯ୍ୟନ୍ତ ଶିଳାଲିପି ସବୁ ରହିଛି । ଏହି ଶିଳାଲିପି ଆମର ଅତୀତ ଗୌରବ । ଭୁବନେଶ୍ୱରରୁ ଓଡ଼ିଶାର ସ୍ନାୟବିକ ବିକାଶ ଓ ଉନ୍ନୟନ ସମ୍ଭବ ।’’

 

୧୯୫୦ ମସିହା ମେ ମାସ ୧୨ ତାରିଖ ଦିନ ମହତାବ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯୋଗଦେବାପରେ ରାଜଧାନୀ ନିର୍ମାଣ କାର୍ଯ୍ୟ ବସ୍ତୁତଃ ବନ୍ଦ ହୋଇଗଲା । ଏପରିକି ରାଜ୍ୟପାଳ ଆସଫ ଅଲ୍ଲୀ ଧର୍ମ ନିରପେକ୍ଷତାର ଦ୍ୱାହି ଦେଇ ଭୁବନେଶ୍ଵର ପରି ଗୋଟିଏ ହିନ୍ଦୁ ଧର୍ମ ପୀଠରେ ରାଜଧାନୀ ହେବା ଉଚିତ୍‌ ନୁହେଁ ବୋଲି ଯୁକ୍ତି କଲେ । ଭୁବନେଶ୍ୱର ଠାରେ ରାଜଧାନୀ ନ ହେଉ ଏଥିପାଇଁ ବହୁ ଯୁକ୍ତିମାନ ହେବାକୁ ଆରମ୍ଭ କଲା । ୧୯୫୬ ମସିହା ଅକ୍ଟୋବର ମାସରେ ମହତାବ ଓଡ଼ିଶାର ମନ୍ତ୍ରୀମଣ୍ଡଳ ଦାୟିତ୍ୱ ଗ୍ରହଣ କରି ଏହି କାର୍ଯ୍ୟକୁ ତ୍ଵରାନ୍ୱିତ କଲେ । ରାଜଧାନୀ ନିର୍ମାଣ ଦ୍ୱିତୀୟ ପଂଚବାର୍ଷିକ ଯୋଜନାର ଅର୍ନ୍ତଭୁକ୍ତ ହୋଇଥାଏ । ତେଣୁ ମହତାବ ମୁଖ୍ୟମନ୍ତ୍ରୀ ହେବା ପରେ ଚାହୁଁ ଚାହୁଁ ରାଜଭବନ, ବିଧାନସଭା ସଦସ୍ୟଙ୍କ ବାସଗୃହ ବିଧାନସଭା ଭବନ, ସଚିବାଳୟ, ମିଉଜିୟମ ଭବନ, ସାହିତ୍ୟ ସଙ୍ଗୀତ ନାଟକ ଓ ଲଳିତ କଳା ଏକାଡ଼େମୀ, କଳା ମଣ୍ଡପ, ବି.ଜେ.ବି, କଲେଜ, ରବୀନ୍ଦ୍ର ମଣ୍ଡପ, ସରକାରୀ କର୍ମଚାରୀମାନଙ୍କ ପାଇଁ ବାସଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ।

ମହତାବ ଓଡ଼ିଶାର ନୂତନ ରାଜଧାନୀ ଭୁବନେଶ୍ଵର ପାଇଁ ଚିରସ୍ମରଣୀୟ ହୋଇ ରହିବେ ।

 

(ଗ) ଗଡ଼ଜାତ ମିଶ୍ରଣ :-

୧୯୪୮ ମସିହା ଜାନୁଆରୀ ୧ ତାରିଖ ଦିନ ନୂତନ ବୃହତ୍ତର ଓଡ଼ିଶାର ଜନ୍ମ ଓ ଏହିଦିନ ୨୬ ଗୋଟି ଗଡ଼ଜାତ ମଧ୍ୟରୁ ୨୫ ଗୋଟିର ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା ।

ଏହି ମିଶ୍ରଣରେ ମହତାବଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ୧୯୩୮ ମସିହାରେ ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ ଗଡ଼ଜାତ ତଦନ୍ତ କମିଟି ରାଜ୍ୟମାନଙ୍କର ସନନ୍ଦ ରଦ୍ଦ କରି ଗଡ଼ଜାତ ଗୁଡ଼ିକୁ ଓଡ଼ିଶା ପ୍ରଦେଶ ସହିତ ମିଶାଇବା ପାଇଁ ସୁପାରିଶ କରିଥିଲେ । ୧୯୪୭ରେ ଦେଶ ସ୍ଵାଧୀନ ହେବାପରେ ଗଡ଼ଜାତ ମିଶ୍ରଣ ପର୍ବ ଆରମ୍ଭ ହେଲା । ଗଡ଼ଜାତ ରାଜାମାନେ ଓଡ଼ିଶା ସହିତ ମିଶିବା ପରିବର୍ତ୍ତେ ପୂର୍ବାଂଚଳ ରାଜ୍ୟ ପରିଷଦ ଗଠନ କରି ସ୍ଵାଧୀନଭାବେ ରହିବାକୁ ଚାହୁଁଥିଲେ । ଓଡ଼ିଶାରେ ଗଡ଼ଜାତ ମିଶ୍ରଣ ଭାରତରେ ପ୍ରଥମ । ମହତାବ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଓଡ଼ିଶା ଆସିବାକୁ ଅନୁରୋଧ କରିଥିଲେ । ୧୯୪୭ ଡିସେମ୍ବର ୧୪ ତାରିଖ ଦିନ ପଟେଲ ରାଜାମାନଙ୍କୁ ପୂର୍ବତନ ରାଜଧାନୀ କଟକର ରାଜଭବନରେ (ବର୍ତ୍ତମାନର ଶିଶୁଭବନ ଡ଼ାକ୍ତରଖାନା) ଭେଟିଲେ । ଏଥିପାଇଁ ଏକ ଚୁକ୍ତିପତ୍ର ପ୍ରସ୍ତୁତ ହୋଇଥିଲା । ପଟେଲ ରାଜାମାନଙ୍କୁ ରୋକ୍‌ ଠୋକ୍‌ ଜଣାଇ ଦେଲେ ଯେ ପ୍ରଜା ଆନ୍ଦୋଳନ ହେଲେ ସରକାର ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ନାହିଁ । ଗଡ଼ଜାତ ରାଜାମାନେ ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କଲେ । କେବଳ ମୟୂରଭଂଜ ରାଜା ଏହି ଚୁକ୍ତିପତ୍ରରେ ସ୍ଵାକ୍ଷର କରି ନ ଥିଲେ । ଅବଶ୍ୟ ପରେ ୧୯୪୯ ଜାନୁୟାରୀ ୧ ତାରିଖରେ ସେ ସ୍ଵାକ୍ଷର କଲେ ଓ ତାହା ଓଡ଼ିଶା ପ୍ରଦେଶ ସହିତ ମିଶିଲା କେବଳ ଷଢେଇକଳା ଓ ଖରସୁଆଁ ମିଶ୍ରଣ ହୋଇପାରିଲା ନାହିଁ।

 

ଏହି କାର୍ଯ୍ୟକରିବା ମୂଳରେ ମହତାବଙ୍କର ନିଷ୍ଠାପର ଉଦ୍ୟମକୁ ଭୁୟସୀ ପ୍ରଶଂସା କରି ସ୍ଵର୍ଗତ ପଟେଲ ଲେଖିଥିଲେ, ‘ଜଣେ ପ୍ରକୃତ ଜାତୀୟତାବାଦୀ ରାଜନୀତିଜ୍ଞ ଭାବରେ ସେ ଓଡ଼ିଶା ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧି‌କାର କରିଛନ୍ତି । ସେ ଦଶବର୍ଷ ପୂର୍ବେ ଓଡ଼ିଶାର ଭବିଷ୍ୟତ ପାଇଁ ଯେଉଁ ସ୍ଵପ୍ନ ଦେଖିଥିଲେ, ତାହା ସେ ପୂରଣ କରିପାରି ଥିଲେ ।’

 

ଏହା ବ୍ୟତୀତ ମହତାବ ମାଛକୁଣ୍ଡ ଯୋଜନା, କଟକରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ଚୌଦ୍ଵାରଠାରେ ଥର୍ମାଲ୍‌ ଷ୍ଟେସନ କଟକ ରେଳ ଷ୍ଟେସନରେ ୨ୟ ପ୍ଲାଟଫର୍ମ- ଓ ଓଭରବ୍ରିଜ୍‌ ନିର୍ମାଣ, ଚୌଦ୍ୱାର ଲୁଗାକଳ, ଲୁହାକାରଖାନା ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି, ବ୍ରହ୍ମପୁର ଓ କଟକରେ ସୈନ୍ୟ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା, ଓଡ଼ିଶା ହାଇକୋର୍ଟ ନିର୍ମାଣ, ସ୍ଵତନ୍ତ୍ର ପବ୍ଲିକ ସର୍ଭିସ୍‌ କମିଶନ, କଟକରେ ବେତାର କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡ଼ିୟମ ନିର୍ମାଣରେ ତାଙ୍କର ସକ୍ରିୟ ଭୂମିକା, ପାରାଦ୍ୱୀପଠାରେ ବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ, ସାହିତ୍ୟ, ସଂସ୍କୃତି, କଳା ଓ ସ୍ଥାପତ୍ୟର ଉନ୍ନତି ପାଇଁ ଏକାଡେମୀ ଗଠନ, କଟକ ଖପୁରିଆଠାରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା କଟକରେ ଶହୀଦ ଭବନ, କଟକର ଗୌରୀଶଙ୍କର ପାର୍କ ନିକଟରେ ପଢିଆରି ପାଠାଗାର ପ୍ରତିଷ୍ଠା, ରାଜଧାନୀରେ ରବୀନ୍ଦ୍ର ମଣ୍ଡପ, ରାଜ୍ୟ ପାଠାଗାର, ବିଶ୍ୱବଦ୍ୟାଳୟ ଭବନ ଇତ୍ୟାଦି ତାଙ୍କର ଅନବଦ୍ୟ କୃତି ।

ନୂତନ ଓଡ଼ିଶା ଗଠନର ପ୍ରତ୍ୟେକ କ୍ଷେତ୍ରରେ ସେ ଭିତ୍ତିଭୂମି ପକାଇଥିଲେ ।

 

ରାଜନୈତିକ ଜୀବନ

୧୯୫୦ ମସିହା ମେ ୧୩ ତାରିଖ ଦିନ ସେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନେହେରୁଙ୍କର କ୍ୟାବିନେଟ୍‌ରେ ଉଦ୍ୟୋଗ ଓ ଖାଉଟି ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀପଦ ଗ୍ରହଣ କଲେ । ଏହି ପଦବୀରେ ସେ ଦୁଇବର୍ଷ ରହି ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ । ୧୯୫୧ ମସିହାରେ ଲଣ୍ଡନଠାରେ ଅନୁଷ୍ଠିତ ହୋଇଥିବା କମନୱେଲ୍‌ଥ ମିନିଷ୍ଚର୍‌ସ କନଫରେନ୍‌ସରେ ଭାରତୀୟ ପ୍ରତିନିଧିମାନଙ୍କର ନେତୃତ୍ୱ ନେଇଥିଲେ । ଫେବୃୟାରୀ ୧୯୫୫ ମସିହା ପର୍ଯ୍ୟନ୍ତ ସେ କଂଗ୍ରେସ ପାର୍ଲାମେଣ୍ଟାରୀ ପାର୍ଟିର ସେକ୍ରେଟାରୀ- ଜେନେରାଲ ଦାୟିତ୍ୱ ତୁଲାଇଥିଲେ । ୧୯୫୨ ମସିହାରେ ଆମେରିକା ସରକାରଙ୍କର ଅନୁରୋଧରେ ସେଠାକୁ ଯାଇ ପ୍ରାୟ ୩୦ ଗୋଟି ବିଶ୍ଵବିଦ୍ୟାଳୟ ପରି ଦର୍ଶନ କରି ଥିଲେ । ହାଭାର୍ଡ଼, ବର୍କଲେ, ପ୍ରିନସ୍‌ଟନ, ପେନ୍‌ସାଲଭାନିୟା ପ୍ରଭୃତି ବିଶ୍ୱବିଦ୍ୟାଳୟରେ ସେ ଭାଷଣ ଦେଇଥିଲେ । ଆମେରିକାରୁ ଜାପାନ ବାଟ ଦେଇ ଫେରିବାବେଳେ ସେଠାରେ କେତେକ ଉଦ୍ୟୋଗ ମଧ୍ୟ ବୁଲି ଦେଖିଥିଲେ ।

 

୧୯୫୫ ମସିହାରେ ସେ ବମ୍ବେର ରାଜ୍ୟପାଳ ଭାବରେ ଶପଥ ନେଲେ । ୧୯୫୫ ମସିହା ମାର୍ଚ୍ଚ ମାସ ଠାରୁ ୧୯୫୬ ମସିହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସେ ସେହି ଦାୟିତ୍ଵରେ ରହି ବିଭିନ୍ନ ବିଶ୍ଵବିଦ୍ୟାଳୟମାନଙ୍କରେ ଅତ୍ୟନ୍ତ ଉଚ୍ଚକୋଟୀର ଭାଷଣ ଦେଇଥିଲେ । ବମ୍ବେ ରାଜ୍ୟପାଳ ପଦବୀରୁ ଅବ୍ୟାହତି ନେଇ ସେ ପୁନର୍ବାର ୧୯୫୬ ମସିହା ଅକ୍ଟୋବର ୧୯ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଲେ । ୧୯୫୭ ମାର୍ଚ୍ଚରେ ନିର୍ବାଚନ ହେଲା । ଓଡ଼ିଶାରେ କଂଗ୍ରେସ ଆଖି ଦୃଶିଆ ଫଳ ନ କରିବା ଫଳରେ ମହତାବ ଝାଡ଼ଖଣ୍ଡ ଦଳର ସହାୟତାରେ ୧୯୫୭ ଏପ୍ରିଲ ୬ ତାରିଖରେ ମନ୍ତ୍ରୀମଣ୍ଡଳ ଗଠନ କଲେ । ୧୯୫୯ ମେ ମାସରେ ସେ ଗଣତନ୍ତ୍ର ପରିଷଦ ସହିତ ମିଶି ମିଳିତ ସରକାର ଗଠନ କଲେ ଏବଂ ଏହି ମନ୍ତ୍ରୀମଣ୍ଡଳ ୧୯୬୧ ଫେବୃୟାରୀ ୨୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା । ୧୯୬୨ ସାଧାରଣ ନିର୍ବାଚନରେ ସେ ଲୋକସଭାକୁ ଅନୁଗୋଳ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ ପାର୍ଲାମେଣ୍ଟର କଂଗ୍ରେସ ଦଳର ଉପନେତା ହେଲେ । ୧୯୬୭ ମସିହାରେ ସେ କଂଗ୍ରେସରୁ ଓହରିଯାଇ ଆରମ୍ଭ କଲେ ଜନକଂଗ୍ରେସ ଦଳ । ଭୁବନେଶ୍ଵର ଓ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ସେ ଜୟଯୁକ୍ତ ହେଲେ । କିନ୍ତୁ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଇସ୍ତଫା ଦେବା ଫଳରେ ଶ୍ରୀମତୀ ସୁଭଦ୍ରା ମହତାବ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହେଲେ । ଓଡ଼ିଶାରେ ସ୍ଵତନ୍ତ୍ର ଜନକଂଗ୍ରେସ ମନ୍ତ୍ରୀମଣ୍ଡଳ ହେଲା କିନ୍ତୁ ମହତାବ ସେଥିରେ ଯୋଗ ଦେଇ ନ ଥିଲେ। ୧୯୭୧ ଓ ୧୯୭୪ ରେ ସେ ପୁନର୍ବାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୭-୭୭ ପର୍ଯ୍ୟନ୍ତ ସେ ଦଶବର୍ଷ ବିଧାନସଭାରେ ଥିଲେ ମଧ୍ୟ କୌଣସି ମନ୍ତ୍ରୀମଣ୍ଡଳରେ ଯୋଗ ଦେଇ ନ ଥିଲେ ।

 

ଜୁନ୍‌, ୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଗଲା । ମହତାବ ଏହାକୁ ସମାଲୋଚନା କରିବାରୁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ସେ ଦୀର୍ଘ ୧୯ ମାସ ଧରି ଫ୍ରୁଲବାଣୀ ଓ ଭଂଜନଗର ଜେଲ୍‌ରେ ବନ୍ଦୀ ହୋଇ ରହିଥିଲେ । ୧୯୭୮ ମସିହାରେ ତାଙ୍କର ପତ୍ନୀ ସୁଭଦ୍ରା ମହତାବଙ୍କର ଦେହାନ୍ତ ହୋଇଥିଲା ।

 

ମହତାବଙ୍କର ରାଜନୈତିକ ଜୀବନ ଥିଲା ସଂଘର୍ଷମୟ । ଅନେକ ଝଡ଼ଝଂଜା ମଧ୍ୟରେ ତାଙ୍କୁ ଗତି କରିବାକୁ ପଡ଼ିଥିଲେ ମଧ୍ୟ ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଜୀବନର ସେ ଥିଲେ ଜାଗ୍ରତପ୍ରହରୀ । ପ୍ରତ୍ୟକ୍ଷ ରାଜନୀତିରୁ ଅପସରି ଯାଇ ସେ ନିଜକୁ ସମ୍ପୂର୍ଣ୍ଣ ନିମଦ୍ରିତ କରି ଦେଇଥିଲେ ଅଧ୍ୟୟନ ଓ ସାହିତ୍ୟ ସେବାରେ ।

 

ପ୍ରଜାତନ୍ତ୍ର ପ୍ରଚାର ସମିତିର ସ୍ରଷ୍ଟା

ଡକ୍ଟର ନଟବର ସାମନ୍ତରାୟ ଲେଖିଛନ୍ତି, ଓଡ଼ିଶାର ବୟୋଜ୍ୟେଷ୍ଠ ରାଜନୀତିଜ୍ଞ ଡକ୍ଟର ହରେକୃଷ୍ଣ ମହତାବଙ୍କର ମାନସ ସନ୍ତାନ ହେଉଛି - ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ ଓ ତାଙ୍କ ସାଂସ୍କୃତିକ ଆଭିମୁଖ୍ୟର ବର୍ହିବିକାଶ ହେଉଛନ୍ତି ଦୈନିକ ‘ପ୍ରଜାତନ୍ତ୍ର’ ଓ ମାସିକ ସାହିତ୍ୟ ପତ୍ରିକା ‘ଝଙ୍କାର’ । ଡ଼କ୍ଟର ମହତାବଙ୍କ ରାଜନୈତିକ ଭାବ ମୂର୍ତ୍ତିଟିର ପଶ୍ଚାତ୍‌ରେ ଏଇ ଉଭୟ ପତ୍ରିକା ଯେଉଁ ବଳିଷ୍ଠ ନୂତନ ଚମକପ୍ରଦ ଭୂମିକା ଗ୍ରହଣ କରିଆସିଛନ୍ତି, ତାହା ଓଡ଼ିଶା ସାହିତ୍ୟ ଇତିହାସରେ ଏକାନ୍ତ ସ୍ମରଣୀୟ ।

 

ପ୍ରଜାତନ୍ତ୍ର ସମ୍ପର୍କରେ, ନିଜର ସାମ୍ବାଦିକ ହେବା ସମ୍ପର୍କରେ ମହତାବଙ୍କର ନିଜସ୍ଵ ବକ୍ତବ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ପ୍ରଜାତନ୍ତ୍ରର ରଜତଜୟନ୍ତୀ ବିଶେଷାଙ୍କରେ ସେ ‘ଦଇବ ଦଉଡ଼ି ମଣିଷ ଗାଈ’ ଶୀର୍ଷକ ଲେଖାରେ ନିଜ ମନର ଅଭିବ୍ୟକ୍ତିକୁ ଅତି ପ୍ରାଂଜଳ ଭାବରେ ଉପସ୍ଥାପିତ କରିଛନ୍ତି । ସେ ସେଥିରେ ଲେଖିଛନ୍ତି, ‘‘କାହାରି ଜୀବନ କୌଣସି ନିର୍ଦ୍ଦିଷ୍ଟ ପୂର୍ବ ପରିକଳ୍ପିତ ଯୋଜନା ଅନୁସାରେ ପରିଚାଳିତ ହୁଏ କି ନାହିଁ, ମୁଁ ଜାଣେନା । ମାତ୍ର ମୋର ଜୀବନ କଥା ମୁଁ ଯେତିକି ଭାବୁଛି ସେଥିରୁ ମୁଁ ଅନୁଭବ କରୁଛି ଏକ ଅଜ୍ଞାତଶକ୍ତି ଜୀବନକୁ ପରିଚାଳନା କରେ ଓ ସେଥିରେ ମନୁଷ୍ୟର ନିୟନ୍ତ୍ରଣ କିଛି ନ ଥାଏ । ପଢିଲାବେଳେ ଅଭିଳାଷ ଥିଲା ଏକ, ତାପରେ ହେଲା ଆଉ ଏକ ଦିଗରେ ଜୀବନର ଗତି । ସେ ଗତି ମଧ୍ୟ ଯେ କୌଣସି ନିର୍ଦ୍ଦିଷ୍ଟ ପଥରେ ଚାଲିଲା ତାହା ମଧ୍ୟ ନୁହେଁ । ଏଣୁ କୌଣସି ଜୀବନରେ ପୂର୍ବାପର ସଙ୍ଗତି ଖୋଜି ବାହାର କରିବା କଠିନ ହୁଏ । ଅସହଯୋଗ ଆନ୍ଦୋଳନରେ ଯେତେବେଳେ ଯୋଗ ଦେଲି, ସେତେବେଳେ ଅନ୍ୟ କୌଣସି ଦିଗ ନ ଭାବି ସେଥିରେ ମାତିଲି । ପୁଣି ସେ ଆନ୍ଦୋଳନ ଯେତେବେଳେ ୧୯୨୨ ମସିହାରେ ବନ୍ଦ ହେଲା ସେତେବେଳେ ସମ୍ବାଦପତ୍ରଟିଏ ବାହାର କରିବା କଥା ମୋ କଳ୍ପନାରେ ମଧ୍ୟ ନ ଥିଲା । ସ୍ୱର୍ଗତଃ ଗୋପବନ୍ଧୁ ଚୌଧୁରୀ ଓ ସ୍ଵର୍ଗତଃ ନିରଂଜନ ପଟ୍ଟନାୟକ ମୋରି ଉପରେ ପ୍ରଚାରର ଭାର ଦେଇ ଏକ ପତ୍ରିକା ପ୍ରକାଶ କରିବା ପାଇଁ ପରାମର୍ଶ ଦେଲେ । ତାପରେ ଅଭିଳାଷଜାତ ହେଲା ସାମ୍ବାଦିକ ହେବା ପାଇଁ । ସେତେବେଳେ ସହକର୍ମୀ ନନ୍ଦବାବୁଙ୍କ ସହ କଲିକତାରେ ଷ୍ଟେଟ୍‌ସମ୍ୟାନ୍‌ ଅଫିସ୍‌, ଆନନ୍ଦବଜାର ପତ୍ରିକା ଅଫିସ୍‌ ଓ ସେମାନଙ୍କ ସମ୍ପାଦକମାନଙ୍କ ସହିତ ସାମ୍ବାଦିକତା ସମ୍ବନ୍ଧରେ ବହୁବାର ସେମାନଙ୍କ ଠାରୁ ଏ ନୂତନ କାର୍ଯ୍ୟଟି ଶିକ୍ଷା କରୁଥିଲି । ଦୁଇଟି ପରାମର୍ଶ ମୋର ଆଜି ସୁଦ୍ଧା ମନେଅଛି । ଷ୍ଟେଟସ୍‌ମ୍ୟାନ୍‌ର ସେ ସମୟର ଇଂରେଜ ସମ୍ପାଦକ ପରାମର୍ଶ ଦେଲେ, ସବୁକଥା ଜାଣିଥିବା, ବୁଝୁଥିବା ବୁଦ୍ଧିମାନ ପାଠକମାନଙ୍କୁ ଦୃଷ୍ଟିରେ ରଖି ସମ୍ପାଦକୀୟ ଲେଖିବେ । ଲୋକେ କିଛି ବୁଝିନାହାଁନ୍ତି ତାଙ୍କୁ ପାଠ ପଢାଇବା ଭଳି ସମ୍ପାଦକୀୟ ଲେଖିଲେ ଲେଖା ଅଯଥା ଦୀର୍ଘ ଓ ଅପ୍ରିୟ ହେବ । ଆନନ୍ଦ ବଜାର ପତ୍ରିକାର ସମ୍ପାଦକ ପରାମର୍ଶ ଦେଲେ, କଲମର ଜୋର୍‌ ଥିବା ଆବଶ୍ୟକ । ଯେଉଁ ବିଷୟକୁ ହାତକୁ ନେବେ, ତାକୁ ଏପରି ଜୋର୍‌ରେ ଧରିବେ ଓ ସେଥିରେ ଏପରି ଲେଖନୀ ପ୍ରୟୋଗ କରିବେ ଯେ ପାଠକ ସେଥିରେ ଯେପରି ଅଭିଭୂତ ହୋଇ ଯାଆନ୍ତି । ଭାବପ୍ରବଣ ଲେଖା ଲେଖିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ଦୁଇଟି ପରାମର୍ଶ ଅନୁସାରେ ଆମେ ନିଜକୁ ସାମ୍ବାଦିକ କ୍ଷେତ୍ରରେ ଅଭ୍ୟସ୍ତ କରାଇଲୁ । ପାଠକମାନଙ୍କ ମନରେ ଏହାର କି ପ୍ରତିକ୍ରିୟା ହେଉଛି ତାହା ମଧ୍ୟ ଲକ୍ଷ୍ୟ କରିବାର ଅଭ୍ୟାସ ସେହିଦିନୁଁ ହେଲା ।’’

 

‘‘ସାମ୍ବାଦିକତା ସହିତ ସାହିତ୍ୟ-ଚର୍ଚ୍ଚାର ଘନିଷ୍ଠ ସମ୍ପର୍କ ଅଛି, କାରଣ ଦୁଇଟି ଜାକରେ ଲେଖନୀ ମାଧ୍ୟମରେ ଚିନ୍ତା ପ୍ରକାଶ କରିବାର ଅବକାଶ ଅଛି । ସାହିତ୍ୟ ଓ ସାମ୍ବାଦିକତା ମଧ୍ୟରେ ଗଭୀର ପ୍ରଭେଦ ଅଛି । ଏ ପ୍ରଭେଦକୁ ମୁଁ ନିଜ ଅଭିଜ୍ଞତାରେ ଉପଲବ୍ଧି କରିଛି । ସାମ୍ବାଦିକତାରୁ କିଛିକାଳ ଅପସରି ଯାଇ ସାହିତ୍ୟରେ ଯାଇ ପହୁଞ୍ଚିଥିଲି । ପୁଣି ୧୯୪୭ ମସିହାରେ ଘଟଣାଚକ୍ରରେ ଏକ ସମ୍ବାଦପତ୍ର ପ୍ରକାଶ କରିବାର ଦାୟିତ୍ୱ ମୋ ଉପରେ ଆସି ପଡ଼ିଲା । ଏହା ଏକ ସମ୍ପୂର୍ଣ୍ଣ ଉଦ୍ୟମ, ନୂତନ ପରିସ୍ଥିତିରେ, ନୂତନ ଉଦ୍ଦେଶ୍ୟ ଘେନି ଏ ସମ୍ବାଦପତ୍ର ପ୍ରକାଶ କରିବାର କଥା ହେଲା । ୧୯୩୨ ମସିହାରୁ ବନ୍ଦ ହୋଇଥିବା ପ୍ରଜାତନ୍ତ୍ରର ନାମଟି ଏ ନୂତନ ସମ୍ବାଦପତ୍ରକୁ ମୁଁ ଦେଇଛି, କେବଳ ନିଜକୁ ଅତୀତ ସହିତ ସମ୍ପୃକ୍ତ କରି ରଖିବା ପାଇଁ, ନୂତନ ପ୍ରଜାତନ୍ତ୍ରର ପ୍ରକାଶର ଦାୟିତ୍ୱ ମୋ ଉପରେ ଲଦିଥିଲେ, ଶ୍ରୀ ନବକୃଷ୍ଣ ଚୌଧୁରୀ ଓ ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋ । ସମ୍ବାଦପତ୍ରଟି ପ୍ରକାଶିତ ହେବା ପରେ ମୁଁ ଶାସନ କାର୍ଯ୍ୟରେ ଥାଇ ମଧ୍ୟ ପୁଣି ସାମ୍ବାଦିକତାରେ ସମୟ ଦେବାକୁ ଓ ପରିଶ୍ରମ କରିବାକୁ ବାଧ୍ୟ ହେଲି । ସେହିଦିନୁଁ ମୁଁ ପ୍ରଜାତନ୍ତ୍ର ସହିତ ଜଡ଼ିତ । ଭଲ-ମନ୍ଦ, ଲାଭ-କ୍ଷତି ସବୁ ପାଇଁ ମୁଁ ଦାୟୀ । ଏ ପତ୍ରିକାଟି ମୋର ଅନେକ ବନ୍ଧୁ ସୃଷ୍ଟି କରିଛି, ଅନେକ ଶତ୍ରୁ ମଧ୍ୟ ସୃଷ୍ଟି କରିଛି, କିନ୍ତୁ କାହାରି ଶତୃତାକୁ ଭୟ ନ କରି କେବଳ ଲୋକମତକୁ ଆଖି ଆଗରେ ରଖି ଓ ଓଡ଼ିଶାର ସର୍ବାଙ୍ଗୀନ ସାଂସ୍କୃତିକ ଉନ୍ନତି ସାଧନ ପାଇଁ ଯାହା ଆବଶ୍ୟକ ବୋଲି ମନେ କରିଛି ତଦନୁସାରେ ପ୍ରଜାତନ୍ତ୍ରକୁ ପରିଚାଳନା କରିଆସିଛି ।’’

 

୧୯୨୩ ମସିହାରେ ପ୍ରଜାତନ୍ତ୍ର ଆରମ୍ଭ ହୋଇଥିଲା କଟକ ସ୍ଵରାଜ ଆଶ୍ରମରେ । ସେତେବେଳେ ଏହାଥିଲା ସାପ୍ତାହିକ ପ୍ରଜାତନ୍ତ୍ର । ଏହି ପତ୍ରିକା ମାଧ୍ୟମରେ ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶାର ପ୍ରତିଫଳନ ଘଟିବ ଏବଂ ଶାସନର ଦୋଷତ୍ରୁଟି ଦେଖାଇବା ସହିତ ଗାନ୍ଧୀ ନୀତିର ପ୍ରଚାର ଓ ପ୍ରସାର କରିବ । ଧର୍ମଗୁଳା ପକାଇ ପ୍ରଜାତନ୍ତ୍ର ନାଁଟି ସ୍ଥିର ହେଲା। ଗାନ୍ଧିଜୀଙ୍କ ପବିତ୍ର ଜନ୍ମଦିନ ଅକ୍ଟୋବର ୨ ତାରିଖରେ ଏହା ପ୍ରଥମେ ପ୍ରକାଶ ପାଇଲା । ୧୯୨୪ ମସିହାରେ ଏହା ବାଲେଶ୍ଵର ଟାଉନ ପ୍ରେସ ରୁ ମୁଦ୍ରିତ ହୋଇ ପ୍ରକାଶ ପାଇଲା । ୧୯୨୬ ଜାନୁଆରୀ ୨୭ ତାରିଖରୁ ସାପ୍ତାହିକ ପ୍ରଜାତନ୍ତ୍ର ନିଜ ପ୍ରେସ ପ୍ରଜାତନ୍ତ୍ର ଯନ୍ତ୍ରାଳୟରୁ ପ୍ରକାଶିତ ହେଲା । ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ସମୟକୁ ଏହା ଦୈନିକ ଆକାରରେ ପ୍ରକାଶ ପାଇଲା କିନ୍ତୁ ୧୯୩୨ ସତ୍ୟାଗ୍ରହ ସମୟରେ ଏହାକୁ ସରକାର ବାଜ୍ୟାପ୍ତ କରିଦେଲେ । ପ୍ରଜାତନ୍ତ୍ର ପ୍ରକାଶନ ବନ୍ଦ ହୋଇଯିବା ପରେ ମହତାବ ଲେଖିଥିଲେ, ‘‘ଆଖିରୁ ଲୁହ ଗଡ଼ାଇ ମୁଁ ଏ ସିଦ୍ଧାନ୍ତ କଲି, କିନ୍ତୁ ପ୍ରଜାତନ୍ତ୍ର କେବେ ମରିନାହିଁ । ଏହାର ତପସ୍ୟା ବଳରେ ଏ ଦିନେ ପୁଣି ସମସ୍ତ ଚାପଭେଦ କରି ଏକ ବୃହତ ବୃକ୍ଷ ହେବ ।’’

 

୧୯୩୨ ମସିହାରେ ସରକାରଙ୍କ ଦ୍ଵାରା ଯେଉଁ କାଗଜର ପ୍ରକାଶନକୁ ବନ୍ଦ କରି ଦିଆଯାଇଥିଲା, ତାହାର ନବକଳେବର ଘଟିଲା ୧୯୪୭ ଅଗଷ୍ଟ ୮ ତାରିଖରେ ପ୍ରଜାତନ୍ତ୍ର ପ୍ରଚାର ସମିତି ମାଧ୍ୟମରେ । ଅହମ୍ମଦନଗର ଫୋର୍ଟରେ ସେ ଯେଉଁ କଳ୍ପନା କରିଥିଲେ ତାହା ତାଙ୍କ ନିଜ ଭାଷାରେ, ‘‘କାରାଗାରରେ ବହୁ କଳ୍ପନା ଘେନି ସମୟ ଅତିବାହିତ ହୋଇଥିଲା । ବର୍ତ୍ତମାନ କଳ୍ପନାକୁ ରୂପରେଖ ଦେବାକୁ ହେବ । କେବଳ ମୋ ପାଇଁ ନୁହେଁ ଉଚ୍ଚାଭିଳାଷ ଓ ଉତ୍ସାହରେ ଅଧୀର ଯୁବସମାଜ ପାଇଁ । ସ୍ଥିରକଲି, ଏକ ବିରାଟ କଳ୍ପନାର ତରୀ ମହାନଦୀ ବକ୍ଷରେ ଛାଡ଼ିବା ପାଇଁ । ଏହି ତରୀ ଯୋଗେ ମୋର କଳ୍ପନା କାର୍ଯ୍ୟକାରୀ ହେବ ଓ ଉଚ୍ଚ ଅଭିଳାଷ ପୋଷଣ କରି ଅସ୍ଥିର ହେଉଥିବା ଯୁବକମାନେ ଏହି ତରୀରେ ନିଜ ନିଜର ରୁଚି ଓ ଯୋଗ୍ୟତା ଅନୁସାରେ ଈପ୍‌ସିତ କୂଳରେ ଲାଗିବେ । ମୋର କଳ୍ପନା ଓଡ଼ିଶାର ସବୁକ୍ଷେତ୍ରରେ ଏକ ନବଯୁଗର ସୃଷ୍ଠି କରିବା । ଆଶା-ଅଭିଳାଷ ଜାଗ୍ରତ କରିବା । ଓଡ଼ିଶା ସବୁକ୍ଷେତ୍ରରେ ଅନ୍ୟ ଉନ୍ନତ ପ୍ରଦେଶ ସହିତ ସମକକ୍ଷ ହେଉ, ଓଡ଼ିଶା ପାଇଁ ଗର୍ବ ଅନୁଭବ ହେଉ । ଦୃଢ ପଣ କରି ଉଚ୍ଚ ଆଦର୍ଶର ଅନୁଗମନ କଲେ, ବାଧାବିଘ୍ନ ଯାହା ଆସେ, ତାହା ଐଶ୍ଵରିକ ଶକ୍ତିଦ୍ଵାରା ଦୂରୀଭୂତ ହୋଇଯାଏ, ଯାହା ସ୍ଵାମୀ ବିବେକାନନ୍ଦ ଘୋଷଣା କରିଥିଲେ । ମହାତ୍ମାଗାନ୍ଧୀ ମଧ୍ୟ ତାହାହିଁ ଆମ୍ଭମାନଙ୍କୁ ୧୯୨୧ରେ କହିଥିଲେ । ଆଗପଛ କିଛି ବିଚାର ନ କରି ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରତିଷ୍ଠିତ ହେଲା ୧୯୪୭ରେ ..... ।’’

 

ପ୍ରଜାତନ୍ତ୍ର ପ୍ରଚାର ସମିତିର ଉଦ୍ଦେଶ୍ୟ ହେଲା ଏହା କୌଣସି ଦଳଗତ ନୀତି ଦ୍ୱାରା ପରିଚାଳିତ ହେବ ନାହିଁ । ଏହି ଅନୁଷ୍ଠାନଟି ତ୍ୟାଗ ମନୋବୃତ୍ତି ଉପରେ ପ୍ରତିଷ୍ଠିତ ହେବ ଏବଂ ଏହାର ଭବିଷ୍ୟତ ଦୃଷ୍ଟି ରହିବ । ଏହି ମୂଳ ନୀତିକୁ ଆଶ୍ରୟ କରି, ଲାଭ କ୍ଷତି ବିଚାର ନ କରି ପ୍ରଜାତନ୍ତ୍ର ମଧ୍ୟକୁ ପ୍ରବେଶ କରିଛି ଅନେକ ବିଭାଗ-ମୀନା ବଜାର, ନାରୀ ଜଗତ, ଜ୍ଞାନ ବିଜ୍ଞାନ, ଗାଁ ମଜଲିସ୍‌, ରବିବାର ପ୍ରଜାତନ୍ତ୍ର ଇତ୍ୟାଦି । ଏବଂ ପରିଶେଷରେ ସାହିତ୍ୟ ପତ୍ରିକା ଝଙ୍କାର । ଝଙ୍କାର ହେଉଛି ପ୍ରଜାତନ୍ତ୍ର ପ୍ରଚାର ସମିତିର ଚୂଡ଼ା । ଭିତ୍ତି ଉପରେ ଚୂଡ଼ା ଯେପରି ନିର୍ଭର କରେ, ଚୂଡ଼ାର ସ୍ଥିତି ଉପରେ ମନ୍ଦିରର ସ୍ଥାୟିତ୍ଵ ମଧ୍ୟ ନିର୍ଭର କରେ । ଏଣୁ ଏ ସମସ୍ତ କାର୍ଯ୍ୟ ଅଲକ୍ଷିତ ଭାବରେ ପରସ୍ପରର ପରିପୂରକ ।

 

ପ୍ରଜାତନ୍ତ୍ର କୌଣସି ଦଳଦ୍ଵାରା ପରିଚାଳିତ ନୁହେଁ । ଏଥିପାଇଁ ଏହା ନିର୍ଭୀକ ଓ ନିରପେକ୍ଷ । ମହତାବ ପ୍ରଜାତନ୍ତ୍ର ମାଧ୍ୟମରେ ଓଡ଼ିଶା ଶାସନ ଓ ଜନଜୀବନର ବିଭିନ୍ନ ସମସ୍ୟାକୁ ଉତ୍‌ଥାପନ କରିଛନ୍ତି ଏବଂ ସ୍ଵର ଉତ୍ତୋଳନ କରିଛନ୍ତି । ଭୁବନେଶ୍ୱରଠାରେ ରାଜଧାନୀ, ହୀରାକୁଦ ବନ୍ଧ, ଗଡ଼ଜାତ ମିଶ୍ରଣ ପ୍ରଭୃତି ସମସ୍ୟାକୁ ଲୋକମାନଙ୍କ ଆଗରେ ଉପସ୍ଥାପିତ କରି ସଚେତନତା ସୃଷ୍ଟି ପାଇଁ ମହତାବ ଏହାକୁ ମାଧ୍ୟମ ଭାବେ ବ୍ୟବହାର କରୁଥିଲେ ।

 

ଡକ୍ଟର ମହତାବ ଥିଲେ ସୁପ୍ରସିଦ୍ଧ ରାଜନୀତିଜ୍ଞ, ସୁସାମ୍ବାଦିକ, ସୁଲେଖକ, ସୁବକ୍ତା, ଐତିହାସିକ, ସମାଜସେବକ, ସଂପାଦକ ଓ ଜନପ୍ରିୟ ଲୋକ ପ୍ରତିନିଧି । ସେ ପ୍ରତ୍ୟେକ ଦିନ ଭୁବନେଶ୍ୱରରୁ କଟକ ଯାଇ ପ୍ରଜାତନ୍ତ୍ର ପରିସରରେ ଦରବାର ଖୋଲି ଲୋକମାନଙ୍କ ସହିତ ଆଳାପ ଆଲୋଚନା ମାଧ୍ୟମରେ ସେମାନଙ୍କର ଦୁଃଖ ଶୁଣୁଥିଲେ । ସମାଜର ପ୍ରତ୍ୟେକ ସ୍ତରର ବ୍ୟକ୍ତି-ଶିକ୍ଷିତ ଅଶିକ୍ଷିତ, ଧନୀ, ଦରିଦ୍ର, ମାଲିକ, ଶ୍ରମିକ ସମସ୍ତେ ଆସନ୍ତି ପ୍ରଜାତନ୍ତ୍ର ପରିସରକୁ । ମନରେ ଅନେକ ଆଶା ନେଇ ଆସନ୍ତି । ମହତାବ ତାଙ୍କ କଥା ଧୈର୍ଯ୍ୟର ସହିତ ଶୁଣିବେ ଏବଂ ପ୍ରଜାତନ୍ତ୍ର ମାଧ୍ୟମର ତାହାକୁ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ।

 

ପ୍ରଜାତନ୍ତ୍ରର ସମ୍ପାଦକୀୟ ସ୍ତମ୍ଭ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବହୁସମୟରେ ମହତାବ ନିଜେ ଏହି ସ୍ତମ୍ଭ ଲେଖୁଥିଲେ । ୧୯୪୭ ମସିହା ଅଗଷ୍ଟ ୧୧ ତାରିଖରେ ରବିବାରର ଲେଖା ଶୀର୍ଷକରେ ଲେଖିଥିଲେ, ‘‘ବିଦେଶୀ ସରକାର ଥିଲା, ଲୋକେ କାମ କରିବା ପାଇଁ ଅବସର ପାଇ ନ ଥିଲେ । ସେହି ଥିଲା ଆପତ୍ତି, ଜାତୀୟ ସରକାର ହେଲା । ଏଣିକି ସରକାରଙ୍କର ସମସ୍ତ ବ୍ୟାପାରରେ ଜନ ସେବକମାନେ ସଂପୃକ୍ତ ହୋଇ କାମ ତୁଲାଇବାର ମନୋବୃତ୍ତି ରଖି କାମ କରିବେ - ଏହାହିଁ ହେବା ଉଚିତ୍‌ । ନଚେତ୍‌ ଜାତୀୟ ସରକାର ଏକ ମନ୍ତ୍ର ନୁହେଁ ଯେ ଉଚ୍ଚାରଣ କଲେ ଜରା, ବ୍ୟାଧି, ରୋଗ, ମୃତ୍ୟୁ ଦେଶରୁ ଲୋପ ପାଇଯିବ ।’’ ପୁନଶ୍ଚ ଏହି ସମ୍ପାଦକୀୟରେ କିଳାପୋତେଇ ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ଆହ୍ୱାନ ଦେଇ ଲେଖିଥିଲେ, ‘‘ଆମେରିକା ଓ ଇଂଲଣ୍ଡରେ ବେସରକାରୀ ଅନୁଷ୍ଠାନମାନ ସରକାରଙ୍କ ସହଯୋଗରେ ଏହାକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି । ଏଠି ସେପରି ହେଲେ ଆଜି ହୁଏତ କିଳାପୋତେଇ ଲୋପ ପାଇଥାନ୍ତା । କିଳାପୋତେଇ ଯଦି ସମାଜରେ ନିନ୍ଦନୀୟ ହୋଇଥାନ୍ତା, ସେଥିପ୍ରତି ଆଇନ ପ୍ରୟୋଗର ସୁବିଧା ହୁଅନ୍ତା । କୌଣସି ବିଷୟର ସପକ୍ଷ ବା ବିପକ୍ଷରେ ସମାଜର ମତ ଗଠନ କରିବା ବେସରକାରୀ ଉଦ୍ୟମ ଦ୍ଵାରା ସମ୍ଭବ - ଅନ୍ୟଥା ନୁହେଁ ।’’

 

ମହାନଦୀ ବନ୍ଧକୁ ସମ୍ପୂର୍ଣ୍ଣ କରିବା ପାଇଁ ମହତାବଙ୍କର ସଂକଳ୍ପର ପ୍ରତିଫଳନ ଘଟିଥିଲା ୧୯୪୭ ଅଗଷ୍ଟ ମାସ ୨୫, ୨୬, ୨୭, ୨୮ ତାରିଖରେ ‘ମହାନଦୀ ବନ୍ଧ’ ଶୀର୍ଷକ ସଂପାଦକୀୟ । ମହତାବ ଲେଖିଥିଲେ, ‘‘ପାଠକ କଳନା କରନ୍ତୁ, ମଧ୍ୟ ପ୍ରଦେଶଠାରୁ ଓଡ଼ିଶାର ଗଡ଼ଜାତ ଜିଲ୍ଲାମାନଙ୍କ ଶିଳ୍ପ ବିକାଶ କରି ବିଦ୍ୟୁତଶକ୍ତି କଟକ ପର୍ଯ୍ୟନ୍ତ ଚାଲିଛି । ଏଗାର ଲକ୍ଷେ ଏକର ଜମିରେ ଜଳସେଚନର ବ୍ୟବସ୍ଥା ହୋଇ ପ୍ରଦେଶ ଶସ୍ୟ ଶ୍ୟାମଳା ହୋଇଯାଇଛି । ପଣ୍ୟବାହୀ ବୋଇତ ପୃଥିବୀର ଦୂରଦୂରାନ୍ତ ଦେଶମାନଙ୍କୁ ଓଡ଼ିଶା ଉତ୍ପନ୍ନ ବସ୍ତୁ ଯୋଗାଇ ଧନ ସଂଗ୍ରହ କରୁଛି - ସେତେବେଳେ ଏ ପ୍ରଦେଶର ସ୍ଥାନ କେଉଁଠି ହୋଇଥିବ ? କେବଳ ଭାରତରେ ନୁହେଁ, ପୃଥିବୀରେ ଓଡ଼ିଶା ଏକ ବିଶିଷ୍ଠ ସ୍ଥାନ ଅଧିକାର କରିବ ! ସେଥିପାଇଁ ମହାନଦୀବନ୍ଧ ଏକାନ୍ତ ଆବଶ୍ୟକ ।’’

 

ମହତାବ କେବଳ ବଳିଷ୍ଠ ସମ୍ପାଦକ ନ ଥିଲେ, ସେ ସୃଷ୍ଟି କରିଥିଲେ କେତେକ ଉଚ୍ଚମାନର ସଂପାଦକ ମଧ୍ୟ । ତାଙ୍କର ଯାଦୁକରୀ ସ୍ପର୍ଶରେ ଶ୍ରୀ ଭୈରବ ଚନ୍ଦ୍ର ମହାନ୍ତି, ଶ୍ରୀ ଚିନ୍ତାମଣି ପାଣିଗ୍ରାହୀ, ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଶ୍ରୀ ଶ୍ରୀହର୍ଷ ମିଶ୍ର ପ୍ରଭୃତି ପ୍ରଜାତନ୍ତ୍ରର ସଂପାଦକ ଦାୟିତ୍ଵ ବହନ କରିଥିଲେ । ମହତାବ ପ୍ରଥମେ ପ୍ରଜାତନ୍ତ୍ର ପୃଷ୍ଠାରେ ଆରମ୍ଭ କଲେ ରବିବାର ପୃଷ୍ଠା ଓ ସେଥିରେ ସାହିତ୍ୟ ସଂସ୍କରଣ ସ୍ଥାନ ପାଇଲା । ଏହି ସଂସ୍କରଣକୁ ମଣ୍ଡନ କଲେ ଉତ୍ସାହୀ ଯୁବକମାନେ ଯେଉଁମାନେ ସାହିତ୍ୟ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ସେମାନଙ୍କ ମଧ୍ୟରେ ମହାପାତ୍ର ନୀଳମଣି ସାହୁ, ପଠାଣି ପଟ୍ଟନାୟକ, ଅଖିଳ ମୋହନ ପଟ୍ଟନାୟକ, ଦୁର୍ଗାମାଧବ ମିଶ୍ର, ବାମାଚରଣ ମିତ୍ର, ରାଜକିଶୋର ମହାନ୍ତି, ଶଶିଭୂଷଣ ମିଶ୍ର, ଗୋରାଚାନ୍ଦ ମିଶ୍ର, ସତ୍ୟାନନ୍ଦ ଚମ୍ପତିରାୟ, ଅଚ୍ୟୁତାନନ୍ଦ ପତି, ବଂଶୀଧର ମହାନ୍ତି, ନଗେନ ବେହୁରିଆ ପ୍ରମୁଖ ଯୁବଗୋଷ୍ଠୀ ଓ ଡ଼ଃ ମାୟାଧର ମାନସିଂହ, କୃଷ୍ଣପ୍ରସାଦ ବସୁ, ଡ଼ଃ ସଦାଶିବ ମିଶ୍ର, ପରମାନନ୍ଦ ଆଚାର୍ଯ୍ୟ, ରାଧାମୋହନ ଗଡ଼ନାୟକ, ଗୋପୀନାଥ ମହାନ୍ତି, ବୈଦ୍ୟନାଥ ମିଶ୍ର, ଅନନ୍ତ ପଟ୍ଟନାୟକ ପ୍ରମୁଖ ପ୍ରବୀଣ ଗୋଷ୍ଠୀ ।

 

ମହତାବ ନିଜର ସାହିତ୍ୟ ପ୍ରତି ଅନୁରାଗ ହେତୁ କର୍ମବ୍ୟସ୍ତତା ମଧ୍ୟରେ ମଧ୍ୟ ସାହିତ୍ୟ ସଭାର ଆୟୋଜନ ପ୍ରଜାତନ୍ତ୍ର ପରିସର ମଧ୍ୟରେ ପ୍ରତି ମାସ ଶନିବାର ରାତିରେ କରୁଥିଲେ । ତେଣୁ ମହାପାତ୍ର ନୀଳମଣି ସାହୁ କହିଛନ୍ତି, ‘‘ମହତାବଜୀ ରାଜନୀତି କଲାବେଳେ ଅନ୍ୟ ଗୁଣ ଅନ୍ୟ କର୍ମକୁ ଆଶ୍ରୟ କରନ୍ତି । ମାତ୍ର ସାହିତ୍ୟିକ ଓ ବୌଦ୍ଧିକ ଆଲୋଚନା ବା ସଂସ୍ପର୍ଶ ବେଳେ ବେଶ୍‌ ରୋମାଣ୍ଟିକ୍‌, ସ୍ଵାଧୀନ, ସହୃଦୟ ଓ ସ୍ପଷ୍ଟ ହୋଇ ଉଠନ୍ତି । ସେତେବେଳେ ତାଙ୍କୁ ଖୁବ୍‌ ଆପଣାର ଓ ପରିଚିତ ମନେହୁଏ ।’’

 

ମହତାବ ପ୍ରଜାତନ୍ତ୍ର ରେ କେବଳ ନୂତନ ବିଭାଗ ସୃଷ୍ଟି କରି ନାହାଁନ୍ତି ବରଂ ଏହା ମାଧ୍ୟମରେ ସଂବାଦ - ସାହିତ୍ୟର ବହୁ ପରୀକ୍ଷା ନିରୀକ୍ଷା କରାଇଛନ୍ତି । ଏଥିରେ ଆରମ୍ଭ କରିଛନ୍ତି ଫିଚର ସାହିତ୍ୟ । ତାଙ୍କର ‘‘ଗାଁ ମଜଲିସ୍‌’’ ଏକ ଶ୍ରେଣୀର ଫିଚର କହିଲେ ଭୁଲ ହେବ ନାହିଁ । ଏହା ମଧ୍ୟ ହୋଇଛି ଅନୁସଂଧାନ ମୂଳକ । ପ୍ରଜାତନ୍ତ୍ରରେ ଆରମ୍ଭ ମଧ୍ୟ କରିଛନ୍ତି ‘ବାଟଘାଟେ’ ଶୀର୍ଷକରେ ଶଙ୍ଖଚିତ୍ର ।

 

ମହତାବ ପ୍ରଜାତନ୍ତ୍ରକୁ ଓଡ଼ିଆ ଜାତିର ଏକ ଜାତୀୟ ଅନୁଷ୍ଠାନରେ ପରିଣତ କରିପାରିଲେ ପ୍ରଜାତନ୍ତ୍ର ପ୍ରଚାର ସମିତି ମାଧ୍ୟମରେ । ତାଙ୍କର ବଳିଷ୍ଠ ଚିନ୍ତା ଓ ଚେତନାର ପରିପ୍ରକାଶ ପ୍ରଜାତନ୍ତ୍ରରୁ ଦେଖିବାକୁ ମିଳେ । ମହତାବ ଅନୁଷ୍ଠାନ ସମ୍ପର୍କରେ କହିଥିଲେ, ‘‘ଅନୁଷ୍ଠାନଟି ସଂଘର୍ଷରୁ ଜନ୍ମ ଏବଂ ସଂଘର୍ଷ ମଧ୍ୟରେ ଚାଲିଛି । ମନେହୁଏ ଯେପରି ଏହାର ଜୀବନଟି ସଂଘର୍ଷରେ ପରିବର୍ଦ୍ଧିତ । ଜନତାର ସହାନୁଭୂତି ଏବଂ ଯୁବକମାନଙ୍କର ଉତ୍ସାହ ସବୁ ସଂଘର୍ଷକୁ ଅତିକ୍ରମ କରି ଚାଲିଛି ମୋର ବିଶ୍ଵାସ, ଏହା ଏହିପରି ଚାଲିଥିବ । ଯେତେଦିନ ପର୍ଯ୍ୟନ୍ତ ଯୁବଗୋଷ୍ଠୀର ସାହାଯ୍ୟ ପାଉଥିବା ଉତ୍ସାହରେ ଏହାର ଜନ୍ମ । ଉତ୍ସାହର ଶେଷ କେବେ ହେବନାହିଁ । ତେଣୁ ଏହାର ମଧ୍ୟ ଶେଷ ନାହିଁ।’’

 

ଝଙ୍କାର

‘ଝଙ୍କାର’ ପ୍ରଜାତନ୍ତ୍ର ପ୍ରଚାର ସମିତିର ଏକ ମହୋଜ୍ଵଳ ସାରସତ୍ୱ କୀର୍ତ୍ତି । ୧୯୪୯ ମସିହା ଏପ୍ରିଲ ମାସ ବିଷୁବ ସଂକ୍ରାନ୍ତି ଦିନ ପ୍ରଥମେ ପ୍ରକାଶ ପାଇଲା । ଡ଼କ୍ଟର ନଟବର ସାମନ୍ତରାୟ ଲେଖିଛନ୍ତି, ‘ଦୀପିକା’ ଓ ଗୌରୀଶଙ୍କର, ‘ବାହିକା’ ଓ ଫକୀର ମୋହନ, ‘ହିତୈଷିଣୀ’ ଓ ନୀଳମଣି ବିଦ୍ୟାରତ୍ନ, ‘ଉତ୍କଳ ସାହିତ୍ୟ’ ଓ ବିଶ୍ୱନାଥ, ‘ମୁକୁର’ ଓ ବ୍ରଜ ‘ସୁନ୍ଦର’, ‘ସମାଜ’ - ‘ସତ୍ୟବାଦୀ’ ଓ ଗୋପବନ୍ଧୁ, ‘ନବଭାରତ’ ଓ ନୀଳକଣ୍ଠ ଏହିପରି ବହୁତ ପତ୍ରିକା ଓ ସେମାନଙ୍କ ସ୍ରଷ୍ଟାଙ୍କ ପରି ‘ଝଙ୍କାର’ - ‘ପ୍ରଜାତନ୍ତ୍ର’” ଓ ହରେକୁଷ୍ଣ ମହତାବ ଏକ ଏବଂ ଅଭିନ୍ନ ରୂପେ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ଗୌରବାବହ ଆସନର ଅଧିକାରୀ ହୋଇ ପାରିଛନ୍ତି ।

 

‘ଝଙ୍କାର’ ଏକ ନିରୁତା ସାହିତ୍ୟ ପତ୍ରିକା । ଏ ସମ୍ପର୍କରେ ସେପ୍ଟେମ୍ବର ୧୯୪୯ ୧ମ ବର୍ଷ ଷଷ୍ଠ ସଂଖ୍ୟାରେ ମହତାବ ଲେଖିଥିଲେ, ‘‘ ‘ଝଙ୍କାର’ ପ୍ରକାଶିତ ହେଲାଦିନୁ ଏଥିରେ ସଂପାଦକୀୟ ମନ୍ତବ୍ୟ ବୋଲି କିଛି ରଖିବୁ ନାହିଁ । କୌଣସି ଅସୁବିଧାବଶତଃ ଯେ ଏପରି ହେଉଛି ତାହା ନୁହେଁ, ଝଙ୍କାରରେ ସମ୍ପାଦକୀୟ ମନ୍ତବ୍ୟ ରହିବ ନାହିଁ, ଏହି ହେଲା ନୀତି । ମୋର ନାମ ସଂପାଦକ ବୋଲି ପ୍ରକାଶିତ ହେବାପରେ ବନ୍ଧୁବାନ୍ଧବଙ୍କ ଠାରୁ ଶୁଣୁଛି ଓ ପତ୍ର ପାଉଛି ଯେ, ଏଣିକି ସଂପାଦକୀୟ ମନ୍ତବ୍ୟ ରହୁ । ଏହା ହୋଇ ପାରୁନାହିଁ । ପ୍ରଥମ କଥା ମୋର ନାମ ସଂପାଦକ ବୋଲି ପ୍ରକାଶିତ ହେବା ଦ୍ୱାରା ମାସିକ ପତ୍ରିକାଟିର କୌଣସି ନୀତି ପରିବର୍ତ୍ତିତ ହୋଇନାହିଁ । ଅନ୍ୟ କେଉଁ ଦିଗରେ ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ । ପୂର୍ବରୁ ମୁଁ ଯାହା ଯେତିକି କରୁଥିଲି, ଆଜି ଠିକ୍‌ ସେୟା ସେତିକି କରୁଛି । ତେବେ ବର୍ତ୍ତମାନ ପ୍ରକାଶ୍ୟ ଦାୟିତ୍ଵ ମୋ ଉପରେ । ତାହା ନମ୍ରତାର ସହିତ ମୁଁ ଗ୍ରହଣ କରିଛି । ତେଣୁ ସଂପାଦକୀୟ ନରହିବାର ନୀତିଟି ଟିକିଏ ବୁଝାଇ ଦେବା ଦରକାର ପଡୁଛି ।’’

 

‘‘ଆମ୍ଭେମାନେ ରାଜନୀତି ସହିତ ଏପରି ଜଡ଼ିତ ଯେ, କୌଣସି ମନ୍ତବ୍ୟ ପ୍ରକାଶ କରିବାକୁ ଗଲେ ନିର୍ଦ୍ଦିଷ୍ଟ ରାଜନୈତିକ ମତର ଗନ୍ଧ ସେଥିରେ ରହି ଯିବାର ଆଶଙ୍କା ଅଛି । ବହୁ ଚେଷ୍ଟାକରି ନିରପେକ୍ଷ ଆଲୋଚନା କଲେ ମଧ୍ୟ ତାହା ରାଜନୀତି-ପ୍ରଭାବିତ ବୋଲି ସନ୍ଦେହ ଜନ୍ମିବାର ଅବକାଶ ମଧ୍ୟ ଅଛି । କିନ୍ତୁ ଆମ୍ଭମାନଙ୍କର ଉଦ୍ଦେଶ୍ୟ ସାହିତ୍ୟର ଅଭିବୃଦ୍ଧି । ସେ ଉଦ୍ଦେଶ୍ୟର ସାଧନ ପାଇଁ କୌଣସି ପ୍ରକାର ରାଜନୀତି ବା ତତ୍‌ସମମ୍ବନ୍ଧୀୟ ସନ୍ଦେହର ପାଖ ମାଡ଼ିବାକୁ ଆମ୍ଭେମାନେ ଚାହୁଁନାହୁଁ । ଝଙ୍କାର ବିଶୁଦ୍ଧ ଆଲୋଚନା ପାଇଁ, କୌଣସି ବିଷୟ ବା ନୀତିର ପ୍ରଚାର ପାଇଁ ଉଦ୍ଦିଷ୍ଟ ନୁହେଁ । ଆମ୍ଭମାନଙ୍କ ମଧ୍ୟରୁ ଯେ ଯେଉଁ ବିଷୟର ଆଲୋଚନା କରିବେ ସେ ତାକୁ ପ୍ରବନ୍ଧ ଆକାରରେ ଏହି ପତ୍ରିକାରେ ପ୍ରକାଶ କରିବା ପାଇଁ ଚେଷ୍ଟା କରିବେ। ନିୟମ ଅନୁସାରେ ସେ ପ୍ରବନ୍ଧ ଆଲୋଚନାମୂଳକ ଓ ଶ୍ରମ ପ୍ରସୂତ ବୋଲି ବିବେଚିତ ହେଲେ ତାହା ପ୍ରକାଶିତ ହେବ । ପ୍ରଚାରମୂଳକ ବା ଅଧ୍ୟୟନ ବିନା ଲିଖିତ ପ୍ରବନ୍ଧ ପାଇଁ ଏଥିରେ ସ୍ଥାନାଭାବ ।’’

 

ଏଥିରେ ମହତାବ ‘ଝଙ୍କାର’ ର ଉଦ୍ଦେଶ୍ୟ ଓ କି ପ୍ରକାର ଲେଖା ପ୍ରକାଶ ପାଇବ ତାହା ସ୍ପଷ୍ଟ କରିଦେବା ସହିତ ରାଜନୀତି ସହିତ ଆଦୌ ସଂପର୍କ ନ ରଖି ଏହା ଯେ ଏକ ନିରୁତା ସାହିତ୍ୟ ପତ୍ରିକା ହେବ, ତାହାର ସୂଚନା ଦେଇଛନ୍ତି । ସେ ପୁନଶ୍ଚ ଲେଖିଥିଲେ, ‘‘ଓଡ଼ିଆ ସାହିତ୍ୟର ରାଜମାର୍ଗ ଅବ୍ୟବହୃତ ଅବସ୍ଥାରେ ପଡି ରହିବା ଫଳରେ ସେ ପଥ ଛାଡ଼ି ଲୋକେ ରୁଚି ଅନୁସାରେ ଭିନ୍ନ ଭିନ୍ନ ଅପ୍ରଶସ୍ତ ପଥର ଆଶ୍ରୟ ନେଉଛନ୍ତି । ସେହି ରାଜମାର୍ଗଟି ପରିଷ୍କାର କରି ତାକୁ ଆଧୁନିକ ଯାନବାହନର ଉପଯୋଗୀ କରିବା ହେଲା ଆମ୍ଭମାନଙ୍କର ଧ୍ୟେୟ । ଏଥିରେ ହୁଏତ ଆମ୍ଭେମାନେ ଇର୍ଷାଭାଜନ ହୋଇପାରୁଁ । କିନ୍ତୁ ଆମ୍ଭେମାନେ ବାରମ୍ବାର ଘୋଷଣା କରୁଛୁ ଯେ, କାହାରି ବିରୋଧ ପାଇଁ ବା ସାହିତ୍ୟର କୌଣସି ଗତି ନିର୍ଣ୍ଣୟ କରିବା ପାଇଁ ଆମ୍ଭେମାନେ ବାହାରି ନାହୁଁ । ଆମ୍ଭମାନଙ୍କର ସମସ୍ତ ଉଦ୍ୟମ ମାର୍ଗ ଉନ୍ମୋଚନ କରିବା ପାଇଁ । ସେଥିରେ ଯେ ଯାର ଯା, ବ୍ୟବହାର କରୁ ବା କେହି ପାଦରେ ଚାଲିଯାଉ ।’’

 

‘ଝଙ୍କାର’ ରେ କିପରି ଲେଖା ପ୍ରକାଶିତ ହେବ, ସମାଲୋଚନା କେଉଁ ସ୍ତର ପର୍ଯ୍ୟନ୍ତ ଯିବ, ବ୍ୟାକରଣଗତ ଦୋଷତ୍ରୁଟିକୁ କିପରି ଦୂର କରାଯିବ, ନବୀନ ଓ ପ୍ରବୀଣ ଉଭୟ ଲେଖକଙ୍କର ଲେଖା ରହିବ କି ନାହିଁ, ଇତ୍ୟାଦି ପ୍ରତି ନିଜର ସୁଚିନ୍ତିତ ମତବ୍ୟକ୍ତ କଲାବେଳେ, ‘ଝଙ୍କାର’ ର ଉଦ୍ଦେଶ୍ୟ କେବଳ ଲେଖିବା ପାଇଁ ପ୍ରଶୟ ଦେବା ନୁହେଁ, ପଢିବା ପାଇଁ ଉତ୍ସାହ ଦେବା ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

 

ଝଙ୍କାରର ମାର୍ଚ୍ଚ ୧୯୫୦ ସଂଖ୍ୟାରେ ଲେଖିଥିଲେ, “‘ଝଙ୍କାର’ ଯେ ଏ ବର୍ଷକ ମଧ୍ୟରେ ଆଗେଇ ପାରିଛି ସେଥିପାଇଁ ଆମ୍ଭେମାନେ ଲେଖକ ଓ ପୃଷ୍ଠପୋଷକମାନଙ୍କୁ ଅନ୍ତରର ଧନ୍ୟବାଦ ଦେଉଛୁଁ । ଆଗରେ ଯେଉଁମାନେ ଅଛନ୍ତି ସେମାନେ ନିଜେ ଦୌଡ଼ିଲେ ବା କୌଣସି କାରଣରୁ ଦୌଡି ନ ପାରିଲେ ଅନ୍ୟମାନଙ୍କୁ ବାଟଛାଡ଼ିଦେଲେ, ଓଡ଼ିଶା ସବୁ ଦିଗରେ ପ୍ରଧାନ ସ୍ଥାନ ଅଧି‌କାର କରିପାରିବ ଏଥରେ ସନ୍ଦେହ ନାହିଁ । ‘ଝଙ୍କାର’ ଭାରତର ସର୍ବଶ୍ରେଷ୍ଠ ସାହିତ୍ୟିକ ପତ୍ରିକା ହେଉ, ଏହି ଲକ୍ଷ୍ୟ ରଖି ଆମ୍ଭେମାନେ ଅଗ୍ରସର ହେଉଛୁଁ ।’’

 

ମହତାବ ‘ଝଙ୍କାର’ ସଂପାଦକୀୟରେ ସାହିତ୍ୟ ସଂବନ୍ଧୀୟ ବିଭିନ୍ନ ବିଷୟ ଉପରେ ନିଜର ସୁଚିନ୍ତିତ ମତ ଓ ପରାମର୍ଶ ଦେଇଛନ୍ତି । ଏପରିକି ଝଙ୍କାର ସଂପର୍କରେ ମତ ଦେବାକୁ ଭୁଲି ନାହାଁନ୍ତି । ୧୯୫୨ ମେ ମାସର ସଂପାଦକୀୟରେ ଲେଖିଥିଲେ, ‘‘ଝଙ୍କାର’ ଚାରିଆଡୁ ଶୁଭାଶୀଷ ଲାଭ କରୁଛି, ଏହା ଆମ୍ଭମାନଙ୍କର ସୌଭାଗ୍ୟ । ଅନେକ ଏହାକୁ ସାହିତ୍ୟର ଅଗ୍ରଣୀ ବୋଲି କହୁଛନ୍ତି । ଏଥିରେ ଆମ୍ଭମାନଙ୍କ ମସ୍ତକ ଅବନତ ହୋଇଯାଉ, ଏହାହିଁ ପ୍ରାର୍ଥନା । ଆମ୍ଭେମାନେ ଜାଣୁ, ଆମ୍ଭମାନଙ୍କ ମର୍ଯ୍ୟାଦା, ଆମ୍ଭେମାନେ ଜାଣୁଁ ଆମର ଯାତ୍ରା ଆରମ୍ଭ ହୋଇଛି ମାତ୍ର । ଆମ୍ଭେମାନେ ଓଡ଼ିଶାର ଆଧୁନିକ ଅନୁଷ୍ଠାନମାନଙ୍କର ଇତିବୃତ୍ତି ଆଲୋଚନା କରିଛୁ ସେଥିପାଇଁ ଅତି ସନ୍ତର୍ପଣରେ ପଦକ୍ଷେପ କରୁଛୁଁ । ଅନୁଷ୍ଠାନର ପ୍ରାଚୀନତା ଯେଉଁ ପରମ୍ପରା ସୃଷ୍ଟି କରେ, ସେଥିରୁ ଓଡ଼ିଶା ଆଜି ବଂଚିତ ଉନବିଂଶ ଶତାବ୍ଦୀର ଶେଷ ପାଦରୁ ଆରମ୍ଭ କରି ଆଜିଯାଏ ବହୁ ଅନୁଷ୍ଠାନ ଓଡ଼ିଶାର ନାନା ସ୍ଥାନରେ ଗଠିତ ହୋଇଛି, କ୍ଷଣକାଳ ପାଇଁ ସେମାନେ ପ୍ରାଧାନ୍ୟ ଲାଭ କରୁଛନ୍ତି, ମାତ୍ର କ୍ରମେ ତାହା ଅଜ୍ଞାତ ଭାବରେ କୁଆଡ଼େ ଲୋପ ପାଇଛି ।’’

 

‘‘ଆବଶ୍ୟ ସମୁଦାୟ ସୃଷ୍ଟିଟି ଅଚିର । କିନ୍ତୁ ସେହି ଅଚିରତା ମଧ୍ୟରେ ପରମ୍ପରାର ନିତ୍ୟତା ମଧ୍ୟ ବିଦ୍ୟମାନ ଅଛି । ଯେଉଁ ଜାତି ପରମ୍ପରା ଗଠନ କରିପାରେ ଓ ପରମ୍ପରା ଅକ୍ଷୁର୍ଣ୍ଣ ରଖିପାରେ, ସେହି ଜାତି ଶ୍ରେଷ୍ଠ । ଓଡ଼ିଶାରେ ସେପରି ପରମ୍ପରା କାହିଁକି ସୃଷ୍ଟି ହୋଇ ପାରିନାହିଁ, ତାର କାରଣ ମଧ୍ୟ ଆମ୍ଭେମାନେ ଅଧ୍ୟୟନ କରିଛୁଁ । ସେଥିପାଇଁ ଅତି ନମ୍ର ଭାବରେ ଆମ୍ଭେମାନେ ପଦକ୍ଷେପ କରୁଛୁଁ । ପ୍ରଶଂସା ଶୁଣିବା ପାଇଁ ବା ପ୍ରଶଂସା ଶୁଣି ତକିଆ ଆଉଜି ବସିଯିବା ପାଇଁ ବେଳ ଆଜି ନାହିଁ । ଏ ଜୀବନରେ ସେ ବେଳ ଆସିବ କି ନାହିଁ, ତା ମଧ୍ୟ ଜଣା ନାହିଁ । କାରଣ ଆମେ ଜାଣୁ ଆମର ପଥ ଦୁର୍ଗମ । ‘ଝଙ୍କାର’ ର ଗ୍ରାହକ ସଂଖ୍ୟା ଅନ୍ତତଃ ପାଂଚ ହଜାର ହେବା ଉଚିତ୍‌, ‘ଝଙ୍କାର’ ର ପ୍ରତି ସଂଖ୍ୟାରେ ଅନ୍ତତଃ ଦୁଇ ତିନିଟି ଚିତ୍ର ରହିବା ଉଚିତ୍‌, ବିଜ୍ଞାପନ ସାହାଯ୍ୟରେ ଝଙ୍କାରର ଆକାର ଆହୁରି ବଢିବା ଉଚିତ୍‌, ଓଡ଼ିଶାର ବିଭିନ୍ନ ଅଂଚଳରେ ଏହାର ଆଦର ସମଭାବରେ ବଢିବା ଉଚିତ୍‌ - ଅନ୍ତତଃ ଏତିକି ଯେତେବେଳେ ନ ହୋଇଛି, ସେତେବେଳେ କୌଣସି ପ୍ରଶଂସାର ଯୋଗ୍ୟ ଆମେ ନୋହୁଁ । ଆମ୍ଭେମାନେ ସମସ୍ତଙ୍କର ଆଶୀର୍ବାଦ ଭିକ୍ଷା କରୁ ଯେ ଆମ୍ଭେମାନେ ଯେପରି ନମ୍ର ଓ ଦୃଢ ପଦକ୍ଷେପ କରି ଶୀଘ୍ର ଲକ୍ଷ୍ୟସ୍ଥଳରେ ପହଂଚୁ ।’’

 

ମହତାବ ‘ଝଙ୍କାର’ ମାଧ୍ୟମରେ ସାହିତ୍ୟ ଆଲୋଚନା ଗତିକୁ ବଢାଇ ପାରିଥିଲେ । ସେ ଚାହୁଁଥିଲେ କେବଳ ଗଳ୍ପ, କବିତା ବା ସାହିତ୍ୟ ସଂପର୍କିତ ଗବେଷଣା ପ୍ରବନ୍ଧ କେବଳ ଏଥିରେ ପ୍ରକାଶିତ ନ ହୋଇ ରାଷ୍ଟ୍ରନୀତି, ଅର୍ଥନୀତି ସମ୍ପର୍କରେ ଲେଖା ମଧ୍ୟ ପ୍ରକାଶ ପାଉ । କାରଣ ତାଙ୍କର ବିଶ୍ଵାସ ଥିଲା ଯେଉଁମାନେ ସାହିତ୍ୟ, ସଂଗୀତ ଓ କଳାପ୍ରତି ଆଗ୍ରହ ରଖନ୍ତି ନାହିଁ, ସେମାନେ ଅନ୍ୟ ବିଷୟ ପଢିବା ସମୟରେ ଏଥିପ୍ରତି ଆଗ୍ରହ ବଢାଇବେ । ଯେହେତୁ ରାଜନୀତି ଓ ଅର୍ଥନୀତି ଆଧୁନିକ ଜୀବନରେ ପ୍ରଥମ ସ୍ଥାନ ଅଧିକାର କରିଛି, ତେଣୁ ସାହିତ୍ୟ ସେଥିରୁ ବହୁଦୂରରେ ରହିବା ଉଚିତ ନୁହେଁ ଥିଲା ତାଙ୍କର ମତ । ଝଙ୍କାରରେ ସେ ରାଜନୀତି ଓ ଅର୍ଥନୀତି ସମ୍ବନ୍ଧୀୟ ଆଲୋଚନାତ୍ମକ ପ୍ରବନ୍ଧକୁ ସ୍ଥାନ ଦେଇଥିଲେ ।


      ‘ଝଙ୍କାର’ ମାଧ୍ୟମରେ ମହତାବ ସାହିତ୍ୟିକମାନଙ୍କୁ ବହୁ ଉପଦେଶ ଦେଇଛନ୍ତି, ସେମାନଙ୍କର କର୍ତ୍ତବ୍ୟ କଣ ତାହା ମଧ୍ୟ ସୂଚାଇଛନ୍ତି । କୁତ୍ସାରଟନାରୁ ଦୂରରେ ରହି ଦେଶର ସାମାଜିକ ପରିବର୍ତ୍ତନ ସମ୍ବନ୍ଧରେ ସାହିତ୍ୟିକମାନଙ୍କୁ ଚିନ୍ତା, ଗଭୀର ଚିନ୍ତା କରି କଲମ ଚଳେଇବାକୁ ହେବ ବୋଲି କହିଛନ୍ତି । ‘ଝଙ୍କାର’ ର ପଂଚମ ବର୍ଷ ପୂରିଯିବା ପରେ ସେ ଓଡ଼ିଶାର ସୁଧୀବର୍ଗଙ୍କୁ ନିବେଦନ କରି କହିଛନ୍ତି, ସେମାନେ ବିଭିନ୍ନ ସମୟରେ ଯାହା କିଛି ଚିନ୍ତା କରୁଛନ୍ତି ବା ଆଲୋଚନା କରୁଛନ୍ତି, ସେ ସବୁକୁ ଭାଷାର ଆଭରଣ ପିନ୍ଧାଇ ଜନସାଧାରଣଙ୍କ ଆଗରେ ଉପସ୍ଥାପିତ କରନ୍ତୁ । ଦେଶରେ ଚିନ୍ତାର ପ୍ରଖର ସ୍ରୋତ ପ୍ରବାହିତ ହେଉ । ଜାତିର ଉନ୍ନତି ନିର୍ଭର କରେ ଚିନ୍ତାର ପ୍ରଖରତା ଉପରେ । ସାହିତ୍ୟର ସେହି ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟଟି ‘ଝଙ୍କାର’ ସଂପାଦନା କରିବା ପାଇଁ ବ୍ରତ ଗ୍ରହଣ କରିଛି । ଯୁଗ ଯୁଗ ବ୍ୟାପୀ କାର୍ଯ୍ୟକାଳ ସେ ବ୍ରତର ।

 

ଜଣେ ରାଜନୈତିକ ନେତା ଭାବରେ ମହତାବ ଯେତେ ବେଶୀ ଗଭୀର ଚିନ୍ତା କରୁଥିଲେ, ତତୋଧିକ ତାଙ୍କର ଚିନ୍ତା ଥିଲା ସାହିତ୍ୟ ପ୍ରତି । କିଛି ଲେଖି ପାରୁ ନ ଥିଲେ କିମ୍ବା ଲେଖିବାରେ କିଛି ବ୍ୟତିକ୍ରମ ଘଟୁଥିଲେ,। ସେ ନିଜ ଭିତରେ ଗଭୀର ଆଲୋଡ଼ନ ଅନୁଭବ କରୁଥିଲେ । ‘ଝଙ୍କାର’ ପୃଷ୍ଠାରେ ତାଙ୍କର ନିରୋଳା ସାହିତ୍ୟିକ ବ୍ୟକ୍ତିତ୍ୱକୁ ଦେଖାଯାଇ ପାରେ । ସେ ଝଙ୍କାରରେ ଲେଖିଥିଲେ, ‘ଝଙ୍କାର’ ର ଦାବୀ ପ୍ରତି ମାସ କିଛି ଲେଖିବା । ପ୍ରଜାତନ୍ତ୍ର ର ଦାବୀ ପ୍ରତି ସପ୍ତାହ ‘ଗାଁ ମଜଲିସ୍‌’ ରେ ଯୋଗଦେବା । ସାହିତ୍ୟର ଦାବୀ ମଝିରେ ମଝିରେ ପାଠକମାନଙ୍କୁ ମୁହଁ ଦେଖାଇବା । ଏ ସମସ୍ତ ଦାବୀ ଗତ କେତେବର୍ଷ ହେଲା ଏଡ଼େଇ ଦେଇ ଆସିବାକୁ ବାଧ୍ୟ ହୋଇଛି । କିଛି ଯେ ନ ଲେଖୁଛି, ତାହା ନୁହେଁ । ଲେଖାପଢାର ନିଶା ହୋଇଗଲେ ସେ ସହଜେ ଛାଡ଼େ ନାହିଁ । ଯାହା ଲେଖୁଛି, ତାହା ପ୍ରକାଶଯୋଗ୍ୟ କି ନୁହେଁ, ମୁଁ ଜାଣିପାରୁନାହିଁ । ଗତ କେତେବର୍ଷ ହେଲା ମୋତେ ସବୁ ବେସୁରା ଜଣାପଡୁଛି । ସିତାର ସାଙ୍ଗରେ ବେହେଲା ମିଳୁନାହିଁ । ଏହି ଅବସ୍ଥାରେ ଗାୟକ ହିସାବରେ କୌଣସି ଗୋଟିକ ସାଙ୍ଗରେ ସୁର ମିଳାଇବା ବେଳକୁ ସେ ମଧ୍ୟ ମିଳୁନାହିଁ । କେବଳ ରାଜନୈତିକ କ୍ଷେତ୍ର ନୁହେଁ, ସାହିତ୍ୟ ଇତ୍ୟାଦି ସବୁ କ୍ଷେତ୍ରରେ ଏ ପ୍ରକାର ବେସୁରା ଅବସ୍ଥା ଅନୁଭବ କରୁଛି । ମୋ ନିଜ ଚିନ୍ତାରେ କିଛି ପରିବର୍ତ୍ତନ ଘଟିଛି, ତାହା ମୁଁ ଜାଣିପାରୁ ନାହିଁ । ଏ ଅବସ୍ଥାରେ ନିଜର ଚିନ୍ତାକୁ ପ୍ରକାଶ କରିବାର ଉତ୍ସାହ ଜାଗ୍ରତ ହେଉନାହିଁ ।

 

ମହତାବ ଯେପରି ପ୍ରଜାତନ୍ତ୍ର ମାଧ୍ୟମରେ ଓଡ଼ିଶାର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବିକାଶ କରିବାର ଆହ୍ଵାନ ଦେଇଛନ୍ତି, ‘ଝଙ୍କାର’ ସେହିପରି ସାହିତ୍ୟିକମାନଙ୍କୁ ଗଠନ କରିବାର, ଉନ୍ନତ ସାହିତ୍ୟ ସୃଷ୍ଟି କରିବାର ମାଧ୍ୟମ ହୋଇଛି । ମହତାବ ଏହା ଅତି ସଚେତନଭାବରେ କରିବାକୁ ପ୍ରଯତ୍ନ କରିଛନ୍ତି । ୧୯୬୧ ମସିହା ଅଗଷ୍ଟ ସଂଖ୍ୟାରେ ଲେଖିଥିଲେ, ‘‘ଖ୍ରୀ: ୧୯୪୮ ରେ ‘ଝଙ୍କାର’ ଯେତେବେଳେ ପ୍ରଥମେ ପ୍ରକାଶିତ ହୋଇଥିଲା, ସେତେବେଳକାର ଓଡ଼ିଶାର ସାହିତ୍ୟିକ ପରିସ୍ଥିତି ସହିତ ଆଜିର ପରିସ୍ଥିତିକୁ ତୁଳନା କଲେ ସହଜରେ ଜଣାଯିବ, ‘ଝଙ୍କାର’ କିଛି ସଫଳତା ଅର୍ଜ୍ଜନ କରିଛି କି ନାହିଁ । ମୋର ମନେହୁଏ ଗତ ବାର ତେର ବର୍ଷର କାର୍ଯ୍ୟରେ ସନ୍ତୋଷ ତଥା ଗର୍ବ ଅନୁଭବ କରିବା ପାଇଁ ଏ ସାହିତ୍ୟ ପତ୍ରିକାର କାରଣ ଅଛି କିନ୍ତୁ ସେଇଠି ଅଟକି ଗଲେ ହେବନାହିଁ । ପ୍ରାୟ ଦୁଇବର୍ଷ ପୂର୍ବେ ଝଙ୍କାରର ସମ୍ପାଦକୀୟ ଆଲୋଚନାରେ ଥରେ ଲେଖିଥିଲି ଯେ ପରବର୍ତ୍ତୀ ଯୁଗରେ ଓଡ଼ିଆ ସାହିତ୍ୟ ଯେପରି ଅଗ୍ରଗତି କରି ଆସୁଥିଲା, ତାହା ଯେପରି କ୍ରମେ ଶିଥିଳ ହୋଇଆସୁଛି । ପାରିପାଶ୍ୱିକ ପରସ୍ଥିତିକୁ ଠେଲି ସାହିତ୍ୟ ଯେପରି ଆଗେଇ ପାରୁନାହିଁ । ସାହିତ୍ୟରେ ଏକ ପ୍ରକାର ସ୍ଥାଣୁ ଅବସ୍ଥା ସୃଷ୍ଟି ହେଉଥିବାର ଅନୁଭବ କରୁଛି । ଏତିକି କେବଳ ବ୍ୟକ୍ତ କରି ନିଷ୍କ୍ରିୟ ରହିଲେ ଚଳିବ ନାହିଁ । ଆଗେଇବାକୁ ହେବ ।’’

 

ସାହିତ୍ୟରେ ବ୍ୟକ୍ତିଗତ ଆକ୍ରୋଶ, ତୁଚ୍ଛତାଚ୍ଛଲ୍ୟଭାବ ନ ରହୁ ଏବଂ ରୁଚିପୂର୍ଣ୍ଣ ଢଙ୍ଗରେ ସାହିତ୍ୟ ପରିବେଷଣ ହୁଏ, ଏଥିପ୍ରତି ସେ ବାରମ୍ବାର ନିଘା ଦେଇ ସତର୍କବାଣୀ ଶୁଣାଇଛନ୍ତି । ମହତାବଙ୍କର ସାହିତ୍ୟିକ ଦୂରଦୃଷ୍ଟି ସୁଦୂରପ୍ରସାରୀ । ପତ୍ରପତ୍ରିକା ପ୍ରକାଶନ କେତେ ଅୟାସସାଧ୍ୟ ଏବଂ ସାହିତ୍ୟରେ କର୍ମରେ ବ୍ୟାପୃତ ସ୍ରଷ୍ଟାମାନଙ୍କ ଦ୍ଵାରା ଏପରି କାର୍ଯ୍ୟ ହେବା ଯେ ଅନୁଚିତ ଏହା କହିବାକୁ ଆଦୌ କୁଣ୍ଠା ପ୍ରକାଶ କରିନାହାଁନ୍ତି । ୧୯୬୧ ଅକ୍ଟୋବର ସଂଖ୍ୟାରେ ଲେଖିଥିଲେ, ସାହିତ୍ୟ ଆଲୋଚନା, ଲେଖା ବା ପଢା ଏକ କଥା, କିନ୍ତୁ ସାହିତ୍ୟ ପତ୍ରିକା ବା ପୁସ୍ତକ ପ୍ରକାଶ କରିବା ହେଉଛି ଅନ୍ୟ ଏକ କଥା । ପତ୍ରିକା ବା ପୁସ୍ତକ ପ୍ରକାଶ ସାହିତ୍ୟିକମାନଙ୍କ ଦ୍ଵାରା ନ ହୋଇପାରେ । ସେଥିପାଇଁ ପ୍ରକାଶକଶ୍ରେଣୀ ଅଛନ୍ତି । ଆୟବ୍ୟୟ ବୁଝି ପ୍ରକାଶନମାନେ ଲେଖକମାନଙ୍କର ଲେଖା ପ୍ରକାଶ ହାତକୁ ନିଅନ୍ତି । କିନ୍ତୁ ଦୁଃଖ ଓ ଆଶ୍ଚର୍ଯ୍ୟର ବିଷୟ ଏହି ଯେ କେତେକ ତରୁଣ ସାହିତ୍ୟିକ ସଂଖ୍ୟା ବାହାର କରୁଛନ୍ତି । ଏଣୁ ପ୍ରକାଶଯୋଗ୍ୟ ଲେଖା ପ୍ରକାଶ ପାଇବା ଦିଗରେ ବେଶୀ ଅସୁବିଧା ନାହିଁ । ଏଣୁ ସ୍ଵତନ୍ତ୍ର ପତ୍ରିକା ପ୍ରକାଶ କରିବାରେ ସାହିତ୍ୟ ପ୍ରତି ଯେତେ ଦୃଷ୍ଟି ନ ରହୁଛି, ସ୍ଵାତନ୍ତ୍ର୍ୟ ପ୍ରତି ବେଶୀ ଦୃଷ୍ଟି ରହୁଛି । ସ୍ଵାତନ୍ତ୍ର, ଆଗ୍ରହ, ସଂଯମ ଓ ବିଚାର ଦ୍ଵାରା ସୀମିତ ହେବା ଉଚିତ୍‌ । ଅନ୍ୟଥା ନିରଙ୍କୁଶ ସ୍ୱାତନ୍ତ୍ର୍ୟ ଲକ୍ଷ୍ୟଭ୍ରଷ୍ଟ କରିବାରେ ସହାୟକ ହୋଇଥାଏ ।’’

 

ମହତାବ ସାହିତ୍ୟିକମାନଙ୍କର ସଂଜ୍ଞା ନିରୂପଣ କରିବା ସହିତ ସେମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ସୂଚୀତ କରିଛନ୍ତି । ତାଙ୍କର ଏପରି ବିଚାର ତତ୍‌କାଳିକ ନ ହୋଇ ସର୍ବକାଳୀନ ହୋଇଛି । ୧୯୬୮ ମଇ ସଂଖ୍ୟାରେ ‘‘ସାହିତ୍ୟ ଓ ସାହିତ୍ୟିକ’’ ଶୀର୍ଷକରେ ଲେଖିଛନ୍ତି, ‘‘ସାହିତ୍ୟରେ ଲିପ୍ତ ହୁଅନ୍ତି ଦୁଇ ଶ୍ରେଣୀର ସାହିତ୍ୟିକ । ଗୋଟିଏ ଶ୍ରେଣୀ ହେଉଛନ୍ତି ସେହିମାନେ ଯେଉଁମାନେ ଖ୍ୟାତି ବା ଅର୍ଥଲାଭ ଉଦ୍ଦେଶ୍ୟରେ ସାହିତ୍ୟ ପ୍ରତି ଆକୃଷ୍ଟ ହୁଅନ୍ତି । ଆଉ ଗୋଟିଏ ଶ୍ରେଣୀ ହେଉଛନ୍ତି ସେମାନେ, ଯେଉଁମାନେ ନିଜର ବିବେକଜନିତ ସିଦ୍ଧାନ୍ତମାନଙ୍କ ହେତୁରୁ ତତ୍‌କାଳିନ ସମାଜ ପ୍ରତି ପାଦ ମିଳାଇ ନ ପାରି ସାହିତ୍ୟର ଆଶ୍ରୟ ନିଅନ୍ତି ନିଜର ଆତ୍ମସନ୍ତୋଷ ପାଇଁ ଓ ପାରିଲେ ସମାଜର ଗତି ବଦଳାଇବା ପାଇଁ ।

 

ନିଜ ମନର ନିରାଶା ଓ ଅସନ୍ତୋଷକୁ କୌଣସି ସାଧାରଣ ଅଭିଯୋଗ ପରିଚ୍ଛଦ ପିନ୍ଧାଇ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଦିଆ ନ ଯାଉ । ତଦ୍ୱାରା ସାହିତ୍ୟ ପ୍ରତି ଅସମ୍ମାନ ପ୍ରଦର୍ଶିତ ହୁଏ । ସାଧୁ ସନ୍ୟାସୀଙ୍କ ପ୍ରତି ଜନତାର ସମ୍ମାନର ସୁବିଧାନେଇ ଯେତେବେଳେ ସାଧୁମାନେ ରୁଟି ଲାଓ, ପିଉଲାଓ ଆରମ୍ଭ କଲେ ଶେଷରେ ସେମାନଙ୍କ ପ୍ରତି ବିତୃଷ୍ଣା ଜାତ ହେଲା । ଯେଉଁ ଯୋଗୀମାନେ ଏକ ସମୟରେ ଜନତାର ହୃଦୟ ବିଜୟ କରିଥଲେ, ସେହି ଯୋଗୀମାନଙ୍କ ଭିକ୍ଷାର ଥାଳ ଅଶୁଭ ଚିହ୍ନ ବୋଲି ଗୃହୀତ ହେଲା । ବୌଦ୍ଧଯୁଗର ପତନ କାଳରେ ବୌଦ୍ଧଭିକ୍ଷୁମାନେ ସମାଜରେ ପରିବର୍ଜିତ ହେଲେ । ଏପରି ବାୟୁମଣ୍ଡଳ ସୃଷ୍ଟି କରା ନ ହେଉ ଯେଉଁଥିରେ ସାହିତ୍ୟିକ ମଧ୍ୟ ସେହିପରି ଅନାଦୃତ ହେବେ ।’’ ସାହିତ୍ୟ କ୍ଷେତ୍ରରେ ମହତାବଙ୍କର ତୀକ୍ଷ୍‌ଣ ଦୃଷ୍ଟି କୌଣସି କଥାକୁ ଏଡ଼ାଇ ପାରିନାହିଁ । ସାହିତ୍ୟର ଧର୍ମ ସମାଜରେ ସାର୍ଥକତାର ବାୟୁମଣ୍ଡଳ ସୃଷ୍ଟି କରିବା । ଓଡ଼ିଆ ଯୁବ ଲେଖକ ସମ୍ମିଳନୀରେ ଏହି ସାର୍ଥକତାର ଅଭାବ ପରିଲକ୍ଷିତ କରି ସେ ଫେବୃୟାରୀ ୧୯୬୯ ସଂଖ୍ୟାରେ ଲେଖିଥିଲେ, ‘‘ଯୁବ ଲେଖକ ସମ୍ମିଳନୀରେ ସାଧାରଣତଃ ଆଶା କରିବାର କଥା ଯେ ନିପୀଡ଼ିତ ନିଷ୍ପେସିତ ଦୃଷ୍ଟିରୁ ଜୀବନ ଓ ଜଗତକୁ ଦେଖି, ମୂକକୁ ବାଚାଳ କରିବା ଓ ପଙ୍ଗୁକୁ ଗିରି ଲଂଘନ କରିବାର ସାହସ ଓ ଧୈର୍ଯ୍ୟ ସୃଷ୍ଟି କରିବାର ସାହିତ୍ୟ ମିଳିବ । ତାହା କିନ୍ତୁ ମିଳିଲା ନାହିଁ । ଅନ୍ୟ ଦିଗରେ ନିଜ ଜଗତର ସମ୍ବନ୍ଧ ନିର୍ଣ୍ଣୟ କରିବାକୁ ଯାଇ ମନୁଷ୍ୟ ଯେଉଁ ଆତ୍ମବିକାଶ ମଧ୍ୟ ପରିଲକ୍ଷିତ ହେଲାନାହିଁ । ପ୍ରାଚୀନ ବୋଲି ସେଥିପ୍ରତି ହୁଏତ ଆଦର ନ ଥାଇପାରେ । ବରଂ ଏହା ଲକ୍ଷ୍ୟ କରିବାର ବିଷୟ ଥିଲା ଯେ ବ୍ୟର୍ଥତା ପ୍ରସୂତ ଲେଖାରେ ଯେପରି ଉଚ୍ଚସ୍ତରର ଆବେଗ ପରିବର୍ତ୍ତେ ଅସଂସ୍କୃତ ମନର ଆବେଗ ପ୍ରକାଶ ପାଇଥାଏ ସେହିପରି କେତେକ ପ୍ରକାଶିତ ଲେଖାରୁ ସୂଚନା ମିଳୁଥାଏ । ଯୌନ ବର୍ଣ୍ଣନା କେବଳ ନୁହେଁ, ଯୋନୀର ମଧ୍ୟ ବର୍ଣ୍ଣନା ଯେପରି ଭାବରେ କେତେକେ ଲେଖାରେ ପ୍ରକାଶ ପାଇଥିଲା । ମନେହେଲା ଏ ସମାଜ କଅଣ ଧୀରେ ଧୀରେ ଭାରତ ମହାସାଗର ଆଡ଼କୁ ଗତି କରୁଛି ।’’

 

ମହତାବଙ୍କ ଜୀବନରେ ‘ଝଙ୍କାର’ ଓ ‘ଝଙ୍କାର’ ପାଇଁ ମହତାବଙ୍କର ନିଷ୍ଠା ସମ୍ପର୍କରେ ଉଲ୍ଲେଖ କଲାବେଳେ ମହତାବ ନିଜେ କିପରି ଜୀବନୀ ସାହିତ୍ୟ ସମ୍ପର୍କରେ ଧାରଣା ରଖିଥିଲେ ତାହା ଉଲ୍ଲେଖ କରିବା ଏକାନ୍ତ ଆବଶ୍ୟକ । ସେ ଲେଖିଥିଲେ, ‘‘ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଜୀବନୀ ଲିଖନକୁ ସାହିତ୍ୟର ଏକ ବିଭାଗ ବୋଲି ମନେ କରାହେଲେ, ତାହାର ଲିଖନ କୌଶଳକୁ ମଧ୍ୟ ସ୍ଵତନ୍ତ୍ର ଭାବରେ ବିଚାର କରିବାକୁ ହେବ । ଜୀବନୀରେ ବ୍ୟକ୍ତିବିଶେଷଙ୍କ ସେହିସବୁ କାର୍ଯ୍ୟର ବିବରଣୀ ଦେବାକୁ ହେବ, ଯାହାପାଇଁ ସେ ପ୍ରତିଷ୍ଠା ଅର୍ଜନ କରିଥିଲେ । ଜୀବନ ପ୍ରତି ତାଙ୍କର ଆଭିମୁଖ୍ୟ, ଅର୍ଥାତ୍‌ ତାଙ୍କର ଜୀବନ ଦର୍ଶନ ଓ ଜୀବନ ଗଠନ ସମ୍ବନ୍ଧରେ ଯେତିକି ଯାହା ଜଣାଅଛି ସେ ସବୁ ଅବଶ୍ୟ ଦେବାକୁ ହେବ, କିନ୍ତୁ ତତ୍‌ସଙ୍ଗେ ସଙ୍ଗେ ତାଙ୍କର ପ୍ରତିଷ୍ଠାର ପ୍ରମାଣ ମଧ୍ୟ ଦେବାକୁ ହେବ। ଉଦାହରଣ ସ୍ଵରୂପ, ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନରେ ତାଙ୍କର ପ୍ରତିଷ୍ଠା କେଉଁ ଦିଗରେ ଓ କିପରି ପ୍ରତିପାଦିତ ହୋଇଥିଲା, ତାହାର ବିଶଦ ବିବରଣୀ ରହିବା ନିତାନ୍ତ ଆବଶ୍ୟକ ।’’

 

ମହତାବଙ୍କର ଝଙ୍କାର ସଂପାଦକୀୟ ବହୁବର୍ଣ୍ଣରେ ବିଭାସିତ । ସେ ନିଜର ସ୍ଵାଧୀନ ମତ ଉପସ୍ଥାପିତ କଲାବେଳେ ଅନେକ ସାହିତ୍ୟିକଙ୍କ ସଂପର୍କରେ, ଅନୁଷ୍ଠାନ ସମ୍ପର୍କରେ, ସାହିତ୍ୟର ଦିଗ, ଗବେଷଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଅତ୍ୟନ୍ତ ମାର୍ଜିତ ପରିଚ୍ଛନ୍ନ ଭାବରେ । ‘ଝଙ୍କାର’ କୁ ଏକ ଉନ୍ନତ ଓ ଉଚ୍ଚମାନର ସାହିତ୍ୟ ପତ୍ରିକା କରିବା ପାଇଁ, ସେ ଓଡ଼ିଶାର ବରିଷ୍ଠ ଓ ନୂତନ ଲେଖକମାନଙ୍କୁ ଆହ୍ୱାନ ଦେଇଛନ୍ତି ଏବଂ ପତ୍ରିକାଟି ବଂଚୁ, ଏଥିପାଇଁ ସମସ୍ତଙ୍କର ଆଶୀର୍ବାଦ ଲୋଡ଼ିଛନ୍ତି । ଅନେକ ସାରସ୍ଵତସ୍ରଷ୍ଟାଙ୍କୁ ସୃଷ୍ଟି କରିବାରେ ସାହାଯ୍ୟ କରିଛନ୍ତି । ଏହାହିଁ ମହତାବଙ୍କର ସାରସ୍ଵତ ବ୍ୟକ୍ତିତ୍ୱର ନିଦର୍ଶନ ।

 

ବିଷୁବମିଳନ

କ୍ଷୁଦ୍ର ପରିସରରେ ପରସ୍ପର ମତଭେଦ ଅତି ବେଶୀ ପ୍ରକାଶ ପାଏ, ସ୍ତାବକତ୍ୱ ପ୍ରକାଶ ପାଇଥାଏ । କ୍ଷୁଦ୍ରଚିନ୍ତା ପ୍ରଧାନ୍ୟ ଲାଭ କରେ । ଏସବୁକୁ ଅତ୍ରିକମ କରିବାର ଉପାୟ ହେଉଚି ଉଚ୍ଚାଭିଳାଷ । ଏଇଠି ଆମର କ୍ଷୁଦ୍ର ଗଣ୍ଡିମଧ୍ୟରେ ପ୍ରଶଂସାଭାଜନ ହେବାର, ପ୍ରତିଷ୍ଠା ଅର୍ଜନ କରିବାର ଅଭିଳାଷ ଜାଗ୍ରତ ହେଉ । ଏହି ଅଭିଳାଷ ଟିକକ ଜାଗ୍ରତ ହେଲେ ହେଁ ଓଡ଼ିଶାର ଅଗ୍ରଗତି ଅପ୍ରତିହତ ରହିବ, ଏଥିରେ ସଂଦେହ ନାହିଁ । ସେହି ଅଭିଳାଷର ଉଦ୍ରେକ କରାଇବା ପ୍ରଜାତନ୍ତ୍ର ପ୍ରଚାର ସମିତିର କାର୍ଯ୍ୟ । ସେହି ଅଭିଳାଷର କର୍ଷଣ କରିବା ବିଷୁବ ମିଳନର ଉଦ୍ଦେଶ୍ୟ । ସେହି ଅଭିଳାଷକୁ ରୂପରେଖ ଦେବା ସାହିତ୍ୟିକର ଧର୍ମ । ଏହି ଉଦ୍ଦେଶ୍ୟ ରଖି ମହତାବ ଆରମ୍ଭ କରିଥିଲେ ସାହିତ୍ୟିକ ମହୋତ୍ସବ, ‘‘ବିଷୁବ ମିଳନ’’ । ବିଷୁବ ମିଳନ କିପରି ଆରମ୍ଭ ହୋଇଥିଲା, ସେ ନିଜେ ମଧ୍ୟ ତାହାର ଉଲ୍ଲେଖ କରିଛନ୍ତି ।

 

ସେ ଲେଖିଥିଲେ, ‘‘ଅନେକ ହୁଏତ ଜାଣି ନ ଥିବେ, ବିଷୁବ ମିଳନର ଆରମ୍ଭ କିପରି ହୋଇଥିଲା । ବାସ୍ତବିକ ଏ ପ୍ରକାର ଉଦ୍ୟମର ଆରମ୍ଭ ବହୁକାଳ ପୂର୍ବରୁ ହୋଇଥିଲେ ମଧ୍ୟ ସେ ସବୁକୁ କୌଣସି ରୂପ ଦିଆ ହୋଇପାରୁନଥିଲା । କାରଣ ସେତେବେଳେ ତୁମୁଳ ରାଜନୈତିକ ଆନ୍ଦୋଳନର ବେଳ ଥିଲା । ଅନେକ ହୁଏତ ବହୁପୂର୍ବେ ତତ୍‌କାଳୀନ ସରକାର ଆନୁକୂଲ୍ୟରେ ପ୍ରକାଶିତ ‘‘ନୂତନ ଧର୍ମ’’ ନାମକ ଉପନ୍ୟାସ ପଢି ନ ଥିବେ । ସେଥିରେ ସୂଚନା ଦିଆ ହୋଇଥିଲା ଯେ, ଆମର ପ୍ରାଚୀନ ପର୍ବ ଓ ଧର୍ମାଚରଣମାନଙ୍କୁ ନୂତନ ବେଶରେ ସଜେଇବାକୁ ହେବ। ୧୯୩୪ ମସିହାରେ ଯେଉଁମାନେ ଅଗରପଡ଼ା ଗ୍ରାମର ବିଦ୍ୟା ମନ୍ଦିରରେ ପଢିଥିଲେ ସେମାନଙ୍କ ମଧ୍ୟରୁ ଅନେକ ଆଜି ଉଚ୍ଚପଦସ୍ଥ । ସେମାନେ ଜାଣିଥିବେ କିପରି ମନ୍ଦିରକୁ ଛାତ୍ରାବାସରେ ପରିଣତ କରାହୋଇଥିଲା । ପ୍ରାଚୀନ ମଠ (ଛାତ୍ରାବାସ) ମାନ ଯଦି ସମୟର ଗତି ଅନୁସାରେ ନିଜ ନିଜର ଧର୍ମ ବିଶ୍ୱାସକୁ ଅକ୍ଷୁଣ୍ଣ ରଖି ନୂତନ ପଦ୍ଧତିରେ ପରିଚାଳିତ ହୋଇଥାନ୍ତେ, ତେବେ ସେମାନେ ଆଜି ଇଂଲଣ୍ଡର ଅକ୍ସଫୋର୍ଡ଼, କେମ୍ବିଜ୍‌ ବିଶ୍ଵବିଦ୍ୟାଳୟ ପରି ଧର୍ମାନୁଷ୍ଠାନରୁ ଆସି ପ୍ରସିଦ୍ଧ ଶିକ୍ଷାୟତନରେ ପହୁଞ୍ଜି ପାରିଥାନ୍ତେ । ଯାହା ହେଉ ପ୍ରାଚୀନ ପର୍ବମାନଙ୍କୁ ନୂତନ ରୂପ ଦେବାକୁ ଯାଇ ନବବର୍ଷଠାରୁ କାର୍ଯ୍ୟ ଆରମ୍ଭ କରାହୋଇଥଲା । ବିଷୁବସଂକ୍ରାନ୍ତି ପଣା ସଂକ୍ରାନ୍ତି ନାମରେ ଜନସାଧାରଣରେ ପରିଚିତ । ଏହାକୁ ସାହିତ୍ୟିକ ପର୍ବର ରୂପରେଖ ଦେବା ପାଇଁ ମନସ୍ଥ କରି ବିଷୁବ ମିଳନ ଆରମ୍ଭ କରା ହୋଇଥିଲା ।’’

 

ବିଷୁବ ମିଳନ ସମ୍ପର୍କରେ ଏହାକୁ ଏକ ଆନ୍ଦୋଳନ ବୋଲି ଉଲ୍ଲେଖ କରି ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ଶ୍ରୀ ପଠାଣି ପଟ୍ଟନାୟକ ଲେଖିଛନ୍ତି, ‘‘ବିଷୁବ ଆନ୍ଦୋଳନର ବିଶାଳ ସାମିଆନା ତଳେ ବହୁ ଲେଖକ ଲେଖିକା ଜନ୍ମ ଗ୍ରହଣ କରି ନିଜ ନିଜ କ୍ଷେତ୍ରରେ ଆଜି ସୁପ୍ରତିଷ୍ପିତ ଏବଂ ଆମ ସାହିତ୍ୟକୁ ସମୃଦ୍ଧ ଓ ଗୌରବାନିତ୍ଵ କରିବାରେ ସେମାନଙ୍କର ଅବଦାନ ଅବିସ୍ମରଣୀୟ । ଓଡ଼ିଆ ସାହିତ୍ୟର ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧର ଇତିହାସ ହେଉଚି ପ୍ରଜାତନ୍ତ୍ର - ଆନ୍ଦୋଳନ ଏବଂ ତହିଁରେ ଶ୍ରୀ ମହତାବଙ୍କର ନେତୃତ୍ୱର ଯାଦୁକରୀ ସ୍ପର୍ଶ । ଏହି ଅର୍ଦ୍ଧଶତାଦ୍ଦୀର ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଯାହା କିଛି ପରୀକ୍ଷା - ନିରୀକ୍ଷା ଏବଂ ପ୍ରାଣ ପ୍ରତିଷ୍ଠା ସମ୍ଭବ ହୋଇଛି, ତାହାର ଆଦ୍ୟ ପ୍ରେରଣାର ଉତ୍ସ ହେଉଛି ‘ଝଙ୍କାର’ - ସାହିତ୍ୟ ଆନ୍ଦୋଳନ ଏବଂ ବିଷ୍ଣୁମ ମଂଚର ସାରସ୍ଵତ ମିଳନ ।’’

 

ମନେହୁଏ, ଭବିଷ୍ୟତରେ ଓଡ଼ିଆ ସାହିତ୍ୟରେ ଇତିହାସ ଲେଖିବା ପାଇଁ ଯେଉଁମାନେ ଅଗ୍ରସର ହେବେ, ସେମାନେ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟକୁ ବିଷୁବ ଆନ୍ଦୋଳନର ଯୁଗ ଭାବରେ ନାମିତ କରି ଗୌରବ ଅନୁଭବ କରିବେ ।

 

ବିଷୁବମିଳନ ଏକ ବିରାଟ ମହୋତ୍ସବ । ଏହି ମହୋତ୍ସବରେ ଯୋଗ ଦିଅନ୍ତି ଲେଖକ, ପାଠକ, ପ୍ରକାଶକ, ବୁଦ୍ଧିଜୀବୀ, ଗବେଷକ, ଛାତ୍ର ଓ ସମାଜସେବୀ । ସମସ୍ତଙ୍କୁ ଅତି ଆପଣାର ଭାବେ ସଙ୍ଖୋଳି ଥାନ୍ତି ମହତାବ । ସମସ୍ତଙ୍କ ମଧ୍ୟରେ ସହୃଦୟତା ସ୍ଥାପନ କରିବା ଏହାର ଉଦ୍ଦେଶ୍ୟ । ବିଷୁବମିଳନ ଅବସରରେ ଏ ଜାତିକୁ ଦେଇଥାନ୍ତି ଆଶ୍ରାବାଣୀ । ଏହି ମିଳନର ଉଦ୍ଦେଶ୍ୟ ହେଉଛି, ୧. ଲେଖକମାନଙ୍କ ମଧ୍ୟରେ ଭାବ ବିନିମୟ ୨. ଲେଖକମାନଙ୍କୁ କର୍ମ ପ୍ରବଣ କରିବା ୩. ସମଗ୍ର ରାଜ୍ୟରେ ଏକ ସାହିତ୍ୟିକ ପରିବାର ସୃଷ୍ଟି କରିବା ୪. ଅନ୍ୟ ରାଜ୍ୟର ସାହିତ୍ୟ ସମ୍ପର୍କରେ ଅବଗତ ହେବା ୫. ପୁରସ୍କାର ଓ ସମ୍ମାନ ମାଧ୍ୟମରେ ଲେଖକ, ଶିଳ୍ପୀ, କ୍ରୀଡ଼ାବିତ୍ ଇତ୍ୟାଦିଙ୍କ ମଧ୍ୟରେ ଉଚ୍ଚାଭିଳାଷ ଜାଗ୍ରତ କରିବା । ତେଣୁ ବିଷୁବ ଅଭିନନ୍ଦନରେ କହିଥିଲେ, ଲେଖକମାନଙ୍କ ମଧ୍ୟରେ ବ୍ୟକ୍ତିଗତ ପରିଚୟ ଓ ଭାବର ଆଦାନ ପ୍ରଦାନ ଏ ମିଳନର ଉଦ୍ଦେଶ୍ୟ । ଦୁଇଟି ପତ୍ର ପତ୍ରିକା (ରବିବାର ପ୍ରଜାତନ୍ତ୍ର ଓ ଝଙ୍କାର) ପ୍ରତି ସେମାନଙ୍କର ପ୍ରତିଆଶୀର୍ବାଦ ଭିକ୍ଷା ମଧ୍ୟ ସେଥିରେ ଅଛି । ଆନନ୍ଦୋତ୍ସବ ସେଥିର ଅଂଶ । ଆମ୍ଭେମାନେ ଆଶା କରୁ ଏହି ମିଳନ ବର୍ଷକୁ ବର୍ଷ ଦୃଢରୁ ଦୃଢତର ହେବ ।’’

 

ବିଷୁବ ମିଳନକୁ ଲକ୍ଷ୍ୟ କରି ପ୍ରଖ୍ୟାତ ସାହିତ୍ୟିକ ଓ ଭାଷାତତ୍ତ୍ୱବିଦ୍‌ ପ୍ରଫେସର ସୁନୀତ୍‌ କୁମାର ଚାଟାର୍ଜୀ କହିଥିଲେ, ଓଡ଼ିଶାର ପ୍ରଖ୍ୟାତ ଗବେଷକ ଓ ରାଷ୍ଟ୍ରନୀତିଜ୍ଞ ଡକ୍ଟର ହରେକୃଷ୍ଣ ମହତାବ ବଙ୍ଗାଳୀ, ଓଡ଼ିଆ, ଆସାମୀ, ମୈଥିଳୀ ଏବଂ ଅନ୍ୟମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରିଛନ୍ତି, ପ୍ରତ୍ୟେକ ବର୍ଷ କଟକ ଠାରେ ବିଷୁବ ମିଳନ ଆରମ୍ଭ କରି, ଯେତେବେଳେ ଲେଖକ ଓ ଗବେଷକମାନେ ଓଡ଼ିଶା ବାହାରୁ ଆସନ୍ତି । ବଙ୍ଗାଳୀ, ଆସାମୀ; ମୈଥିଲୀ ଓ ଅନ୍ୟମାନେ ପରସ୍ପର ମିଶନ୍ତି, ଅଭିଭାଷଣ ପ୍ରଦାନ କରନ୍ତି ଓ ଭାବବିନିମୟ କରନ୍ତି ସେମାନଙ୍କର ଭାଷା ମାଧ୍ୟମରେ ଏବଂ ବଙ୍ଗଳା ବା ଓଡ଼ିଆ ଭାଷାରେ ଯାହାକୁ ମିଳନରେ ଥିବା ସବୁ ଲୋକେ ବୁଝିପାରନ୍ତି । ଏହା ଏକ ଉତ୍ତମ ବିଚାର ଏବଂ ଏହା ପୂର୍ବାଂଚଳ ରାଜ୍ୟମାନଙ୍କ ମଧ୍ୟରେ ସାଂସ୍କୃତିକ ସଂହତି ସ୍ଥାପନ କରିବା ପାଇଁ କେତେକାଂଶରେ ସଫଳ ହୋଇଛି । ଏହି ବିଷୟରେ ବିଶେଷ ଚିନ୍ତନ ଆବଶ୍ୟକ ଏବଂ ଏହାକୁ ପରିବର୍ତ୍ତିତ ଓ ପରିବର୍ଦ୍ଧିତ କରି ଚଳାଇ ରଖିବା ଆବଶ୍ୟକ ।’’

 

ବିଷୁବମିଳନକୁ କିପରି ସର୍ବାଙ୍ଗ ସୁନ୍ଦର କରାଯାଇପାରିବ, ମହତାବ ସେଥିପାଇଁ ବହୁ ଯତ୍ନ ଓ ଚେଷ୍ଟା କରିଛନ୍ତି । ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ କବିତା ପାଠୋତ୍ସବ ଏହାର ଅନ୍ୟତମ ଆକର୍ଷଣ ହୋଇଛି । ପୁସ୍ତକ ପ୍ରଦର୍ଶନୀ, ମୀନାବଜାର, ଆଲୋଚନାଚକ୍ର, କବିତା ପାଠୋତ୍ସବ, ପୁରସ୍କାର ଓ ସମ୍ବନ୍ଧନା ଉତ୍ସବ ଏହି ମିଳନକୁ ପ୍ରତ୍ୟେକ ବର୍ଷ ଉତ୍ସବ ମୁଖରିତ କରିଛି । ୧୯୫୦ ମସିହାରେ ପ୍ରଥମେ ଆରମ୍ଭ ହେବାବେଳେ ମହତାବଙ୍କ ଦ୍ଵାରା ଲିଖିତ ବାସ୍ତବିକା ନାଟକ ମଂଚସ୍ଥ ହୋଇଥିଲା ଏବଂ ଏଥିରେ ମହତାଵ ନିଜେ ଅଂଶ ଗ୍ରହଣ କରିଥିଲେ । ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିଲେ ଅଧ୍ୟାପକ ଶ୍ରୀ ରାଜକିଶୋର ରାୟ । ନାୟିକା ଅଧ୍ୟାପିକା ଶ୍ରୀମତୀ ଦେବବାଳା ରାୟ । ଶାସକ ଡକ୍ଟର ହରେକୃଷ୍ଣ ମହତାବ। ନିୟତି କୃଷ୍ଣପ୍ରସାଦ ବସୁ ଓ କଟକୀ ଗୁଣ୍ଡା ହୋଇଥିଲେ ମହାପାତ୍ର ନୀଳମଣି ସାହୁ । ପ୍ରତିଷ୍ଠିତ, ବରେଣ୍ୟ ବ୍ୟକ୍ତି ବିଶେଷଙ୍କୁ ନେଇ ଓ ନିଜେ ମହତାବ ଅଂଶ ଗ୍ରହଣ କରି ନାଟ୍ୟ ଜଗତରେ ବିସ୍ମୟ ସୃଷ୍ଟି କରିଥିଲେ । ୧୯୫୩ରେ ‘ରୂପାନ୍ତର’ ଓ ୧୯୫୫ରେ ‘ସମାଧାନ’ ନାଟକ ତାଙ୍କଦ୍ଵାରା ଲେଖାଯାଇ ବିଷୁବମଣ୍ଡପରେ ମଂଚସ୍ଥ ହୋଇଥିଲା ।

 

ଜାତିର ସାମଗ୍ରିକ କଲ୍ୟାଣ ପାଇଁ ମହତାବ ବିଷୁବମଣ୍ଡପରୁ ବାରମ୍ବାର ଆହ୍ୱାନ ଦେଇ କହିଛନ୍ତି, ‘‘ଶିକ୍ଷିତ ଓଡିଆମାନେ କେବଳ ଭାରତ ନୁହଁନ୍ତି, ସମଗ୍ର ବିଶ୍ଵରେ ଆଜି ଖେଳିଯାଇଛନ୍ତି । ସମସ୍ତଙ୍କ ଭିତରେ ଯୋଗସୂତ୍ର ରକ୍ଷା ଜାତିର ସ୍ଵାର୍ଥ ପାଇଁ ଏକାନ୍ତ କାମ୍ୟ । ସେଥିପାଇଁ ଓଡ଼ିଆ ସାହିତ୍ୟକୁ ଅଧିକ ସଂପ୍ରସାରଣଶୀଳ ହେବାକୁ ହେବ । ତାହେଲେ ଓଡ଼ିଶା ସାହିତ୍ୟ ବାହାରର ଶ୍ରେଷ୍ଠ ଶ୍ରେଣୀକୁ ସ୍ପର୍ଶ କରିବ । ଓଡ଼ିଆ ସମାଜ ସାହିତ୍ୟକୁ ନେଇ ରହିଛି ଓ ରହିବ, ଯେ ଯେଉଠି ଥାଆନ୍ତୁ ପଛକେ, ଓଡ଼ିଆ ହିସାବରେ ସାହିତ୍ୟିକ ସମ୍ପର୍କ ଦ୍ୱାରା ସମଗ୍ର ଓଡ଼ିଆ ସମାଜର ଅନ୍ତର୍ଭୁକ୍ତ ହୋର ରହିବେ । ଅନ୍ୟଥା ଓଡ଼ିଆ ସମାଜ ଦୁର୍ବଳ ହୋଇଯିବ ।’’

 

ବିଷୁବମିଳନକୁ ମୁଖ୍ୟ ଅତିଥି ଭାବରେ ମଣ୍ଡନ କରିଛନ୍ତି ଭାରତର ବହୁ ପ୍ରଖ୍ୟାତ ସାହିତ୍ୟିକ ଓ ଐତିହାସିକ ଯେଉଁମାନେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଲାଭ କରିଛନ୍ତି । ଏହା ମହତାବଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁ ସମ୍ଭବ ହୋଇଛି । ବିଷୁବ ମଣ୍ଡପରୁ ଯେଉଁ ପ୍ରଖ୍ୟାତ ସାହିତ୍ୟ ସାଧକମାନେ ସେମାନଙ୍କର ମୂଲ୍ୟବାନ ମତ ଓ ମନ୍ତବ୍ୟ ଉପସ୍ଥାପିତ କରି ଓଡ଼ିଶାର ଲେଖକ ଓ ପାଠକମାନଙ୍କ ଆଗରେ ନୂତନ ଦିଗ୍‌ବଳୟ ଉନ୍ମୋଚିତ କରିବାରେ ସାହାଯ୍ୟ କରିଛନ୍ତି, ସେମାନେ ହେଉଚନ୍ତି ଡ଼କ୍ଟର ମାୟାଧର ମାନସିଂହ, ଡକ୍ଟର ଆର୍ତ୍ତବଲଭ ମହାନ୍ତି, ଡକ୍ଟର ରଘୁବୀର, ଡକ୍ଟର ସୂର୍ଯ୍ୟକୁମାର ଭୂୟାଁ, ତକ୍ଟର ସୁନୀତି କୁମାର ଚାଟାର୍ଜୀ, ଡକ୍ଟର କାଳିଦାସ ନାଗ, କୃଷ୍ଣଜୀ ପାଣ୍ଡରଙ୍ଗା କୁଲକର୍ଣ୍ଣି ମାମା ଓ୍ୱାରେକର, ମନୋଜ ବସୁ, ବିଶ୍ୱନାଥ ସତ୍ୟନାରାୟଣ, ରାମଧାରୀ ସିଂହ ଦିନକର, ଅମିତା ପ୍ରୀତମ୍‌, ଉମାଶଙ୍କର ଯୋଷୀ, ବାଣୀ ରାୟ, ଦେବେନ୍ଦ୍ର କୁମାର, ଡଃ ହୁମାୟୁନ କବୀର, ପ୍ରେମେନ୍ଦ୍ର ମିତ୍ର, ଅଥର ବସେନବର୍ଗ, ତୈଲୋକ୍ୟନାଥ ଗୋସ୍ଵାମୀ, ମୈତ୍ରେୟୀ ଦେବୀ, ସଚ୍ଚିଦାନନ୍ଦ ହୀରାନନ୍ଦ ବାତ୍ସାୟନ, ସୁକୁମାର ସେନ, ଡକ୍ଟର ଆଶୁତୋଷ ଭଟ୍ଟାଚାର୍ଯ୍ୟ, ଡ଼ଃ କେ. ଏସ୍‌. ଶ୍ରୀ ନିବାସ ଆୟଙ୍ଗାର, ଛୋଟେ ନାରାୟଣ ଶର୍ମା, ଏ.ଏଲ.ବାସମ, ଡଃ ସଚ୍ଚିଦାନନ୍ଦ, ଜଷ୍ଟିସ୍‌ ହରିହର ମହାପାତ୍ର, ଡଃ ଜନ ବୋଲ୍‌ଟନ୍‌, ଡଃ ଦିନେଶ ଚନ୍ଦ୍ର ସରକାର, ଡ଼କ୍ଟର ରାମନାଥ ତ୍ରିପାଠୀ, ଡଃ ଦେବେଶ ଦାସ, ନିହାର ରଂଜନ ରାୟ, ଡଃ ନାମକର ସିଂହ, ଆର.ଏସ୍‌.ତୋମାର, ଡଃ ବୀରେନ୍ଦ୍ର କୁମାର ଭଟ୍ଟଚାର୍ଯ୍ୟ, ଡଃ ଖୁଦିରାମ ଦାସ, ଗଙ୍ଗାଶରଣ ସିଂହ, ଡଃ ଭୋଲାଭାଇ ପଟେଲ, ଡଃ ଶମ୍ବୁନାଥ ସିଂହ, ଡଃ ଦାଶରଥି, ଶିଶିର କୁମାର ଦାସ, ଡଃ ରାମାରାଓ, ସୁରେନ୍ଦ୍ର ଝାସୁମନ, ନୟନତାରା ସାଇଗଲ, ପ୍ରାତଜୋତ କାଉର, ଡଃ ରଘୁବୀର ସହାୟ, ତକ୍ଟର, ସି. ନାରାୟଣ ରେଡ୍ଡୀ, ଡଃ ଭୀଷ୍ମ ସାହାଣୀ, ଡଃ କର୍ତ୍ତାର ସିଂହ ଡୁଗଲ, କେଦାର ନାଥ ସିଂହ, ସମରେଶ ମଜୁମଦାର, ରାଜେନ୍ଦ୍ର ଯାଦବ, ଡଃ ଗୋପୀଚାନ୍ଦ ନାରଙ୍ଗ, ଡଃ ବଦ୍ୟାନବାସ ମିଶ୍ର, କଲ୍ୟାଣମୟୀ ଲାଡ଼ା, ସୁକୁମାର ଅଜିକୋଡ଼, ଡଃ ଶିବରାମ କରନ୍ଥ, ମୁଜତବା ହୋସେନ୍‌, ନବକାନ୍ତ ବଡ଼ୁଆ, ଶରତ ମୁଖୋପାଧାୟ ପ୍ରମୁଖ । ସେମାନେ ସେମାନଙ୍କର ମୂଲ୍ୟବାନ ଚିନ୍ତା ପ୍ରକାଶ କରି ଲେଖକ ଓ ପାଠକମାନଙ୍କର ଭାବରାଜ୍ୟକୁ ଆନ୍ଦୋଳିତ କରିବାରେ ସାହାଯ୍ୟ କରିଛନ୍ତି । ଏ ଧାରା ଏ ପର୍ଯ୍ୟନ୍ତ ମଧ୍ୟ ଅବ୍ୟାହତ ରହିଛି । ବିଷୁବ ମିଳନର ପ୍ରଥମ ବର୍ଷ ହିନ୍ଦୀ ସାହିତ୍ୟିକ ହଜାରୀ ପ୍ରସାଦ ଦ୍ଵିବେଦୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେ ଆସି ନ ପାରିବାରୁ ଡ଼ଃ ମାୟାଧର ମାନସିଂହ ବକ୍ତୃତା ଦେଲେ । ଡକ୍ଟର ମାନସିଂହଙ୍କର ବକ୍ତୃତା ଶ୍ରୀ ଦ୍ଵିବେଦୀଙ୍କ ମତ ସହିତ କିପରି ଖାପ ଖାଉଛି, ତାହା ଦର୍ଶାଇ ମହତାବ ଲେଖିଥିଲେ, ‘ବିଜ୍ଞବ୍ୟକ୍ତିମାନଙ୍କର ଚିନ୍ତାଧାରା ଏକ ବୋଲି ଯେ ପ୍ରବାଦ ଅଛି ତାହାର ଏ ଏକ ଦୃଷ୍ଟାନ୍ତ ।’

 

ମହତାବ ବିଷୁବ ମିଳନର ଦ୍ୱିତୀୟ ଅଧିବେଶନ ସୁସହଂତ ହୋଇ ନ ଥିବାରୁ ଦୁଃଖ ପ୍ରକାଶ କରିବା ସହିତ ଭବିଷ୍ୟତରେ ଯେପରି ଭୁଲ ତ୍ରୁଟି ନ ରହିବ ସେଥିପ୍ରତି ପ୍ରତିଶୃତି ଦେଇଛନ୍ତି । ଏହାହିଁ ତାଙ୍କର ମହାନୁଭବ ଉଦାହରଣର ପରିଚୟ । ବିଷୁବମିଳନରେ ଯେପରି ଅଧିକରୁ ଅଧକ ନାରୀ ଲେଖିକାମାନେ ଯୋଗଦେବେ ସେଥିପାଇଁ ମହତାବ ସେମାନଙ୍କୁ ସଶ୍ରଦ୍ଧ ନିମନ୍ତ୍ରଣ ମଧ୍ୟ ଜଣାଇଛନ୍ତି । ବିଷୁବମିଳନର ପଂଚମ ବର୍ଷରେ ‘ମୀନାମଣ୍ଡଳୀ’ ଓ ‘ନାରୀ ଜଗତ’ର ବାର୍ଷିକ ପୁରସ୍କାର ବିତରଣୀ ମଧ୍ୟ ବିଷ୍ଣବମିଳନ ଉତ୍ସବ ସହିତ ଯୋଗ କରି କହିଥିଲେ, ‘‘ପ୍ରଜାତନ୍ତ୍ର ପ୍ରଚାର ସମିତିର ଯାବତୀୟ ସାଂସ୍କୃତିକ କାର୍ଯ୍ୟର ବାର୍ଷିକ ସମାବର୍ତ୍ତନ ଉତ୍ସବମାନଙ୍କର ସମୂହ ରୂପ ବିଷୁବ ମିଳନ ଧାରଣ କରିଛି ।’’

 

ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କର ବିଷୁବ ମିଳନ ସଂପର୍କରେ ମତାମତ ବେଶ୍‌ ପ୍ରାଣସ୍ପର୍ଶୀ ଓ ପ୍ରଣିଧାନ ଯୋଗ୍ୟ । ସେ ଲେଖିଥିଲେ, ‘‘ବିଷୁବ ମିଳନ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ବାର୍ଷିକ ଉତ୍ସବ । ବିଷୁବ ଉତ୍ସବରେ ସାହିତ୍ୟ ଓ କଳାକାର ଏବଂ ସାହିତ୍ୟ କଳାକାରମାନଙ୍କର ଏକ ବାର୍ଷିକ ମିଳନ କହିଲେ ବରଂ ଯଥାର୍ଥ ହେବ ।’’

 

‘‘ମିଳନ ତ ଗୋଟାଏ ସାମୟିକ ସିଦ୍ଧି । ସାହିତ୍ୟ ଏକ ସାଧନା । ଏକାନ୍ତ ସାଧନା, ସୁନ୍ଦର ସୃଷ୍ଟିର । ସେହି ବିଦିକ୍ତ ଆଦିପୀଠରେ ପ୍ରକୃତ ମିଳନ ହୁଏ ଭାବରେ, ସମ୍ଭାବନାରେ । ତାର ପ୍ରଭାବ କିନ୍ତୁ ଏକୈକ ନୁହେଁ, ବ୍ୟସ୍ତ, ଅପର୍ଯାପ୍ତ ।’’

 

‘‘ଭାବର ନିକାଂଚନତା ଓ ପ୍ରଭାବର ମୁଖର ଜନାକୀର୍ଣ୍ଣତାର ମଧ୍ୟ ପଦ ରୂପେ ସେ ଦିନ ଦେଖିଥିଲି ଲେଖକମାନଙ୍କର ଏହି ଅପୂର୍ବ ମିଳନୀକୁ । ସେ ଏକ ସମାସ । ସମାବେଶ ତାର ସଂକ୍ଷିପ୍ତ ପରିଚୟ ।’’

 

‘‘ସେ ଦିନ ଦେଖିଥିଲି, ବହୁ ସମ ଭାବ ଓ ବିରୁଦ୍ଧ ଚିନ୍ତାଧାରାର ସମାଗମ ଆଧୁନିକ ଓ ପୁରାତନ କ୍ରମରେ, ପ୍ରାଚୀନ ଅର୍ବାଚୀନ, ପ୍ରାଚ୍ୟ ଓ ପାଶ୍ଚତ୍ୟୀ ଭେଦରେ । ସମସ୍ତ ବିଭିନ୍ନତା ଭିତରେ ଲକ୍ଷଣୀୟ ସୁଲକ୍ଷଣ ଉଭୟ ନୂତନ ପୁରାତନ ମୁଖମଣ୍ଡଳରେ ନବତନଜ୍ୟାତିଃ । ସମାଜର ପ୍ରକୃତ ଅଧିନାୟକ ତାର ଅବହେଳିତ ଅବସ୍ଥାକୁ ଅବଦମିତ କରି ଆଜି ଯେପରି ଆତ୍ମମର୍ଯ୍ୟାଦାର ଅଭିଜ୍ଞାନରେ ଉଦ୍ଦିପ୍ତ ।’’

 

‘‘ବିଷୁବ ମିଳନ କେବଳ ଏକ ମେଲଣ ନୁହେଁ, ସୃଷ୍ଟିଶୀଳ ଗୋଷ୍ଠୀର ମର୍ଯ୍ୟାଦିତ ପ୍ରତୀକ ।’’

 

Unknown

ଐତିହାସିକ

ମହତାବଙ୍କର ‘ଓଡ଼ିଶା ଇତିହାସ’ ଏକ ଅନବଦ୍ୟ ସୃଷ୍ଟି । ମହତାବ ଇତିହାସର ଛାତ୍ର ନ ଥିଲେ କିମ୍ବା ଇତିହାସ ପ୍ରତି ତାଙ୍କର ସେପରି କିଛି ଆଗ୍ରହ ନ ଥିଲା । ସେ ୧୯୪୨ ମସିହାରେ ବନ୍ଦୀ ହୋଇ ଅହମ୍ମଦ ନଗର ଫୋର୍ଟରେ ପ୍ରାୟ ସାଢେ ତିନିବର୍ଷ କାଳ ରହିଥିଲେ । କାରାଗାର କେବେ ହେଲେ ପ୍ରୀତିକର ସ୍ଥାନ ନୁହେଁ । ସେଠାରେ ବର୍ଷ ବର୍ଷ ରହିଲେ, ପ୍ରୀତିର ପ୍ରଶ୍ନ ଆଦୌ ଉଠେନି, କିନ୍ତୁ ସେହି କାରାଗାର ମଧ୍ୟରୁ ଜନ୍ମ ନେଇଥିଲା ମହତାବଙ୍କର ‘ଓଡ଼ିଶା ଇତିହାସ’ । କାରଣ ସେହି କାରାଗାର ମଧ୍ୟରେ ତାଙ୍କ ସହିତ ଯେଉଁ ଏଗାର ଜଣ ସଙ୍ଗୀ ଥିଲେ, ସେମାନେ ରାଜନୀତି କେବଳ ନୁହେଁ, ପୁରାତନ ଓ ନୂତନ ଉଭୟ ପ୍ରକାର ଭାରତୀୟ ବିଦ୍‌ବତ୍ତା ଏବଂ ସାମ୍ପ୍ରତିକ ଭାରତର ବିଭିନ୍ନ ବିଭାଗର ଥିଲେ ପ୍ରତିନିଧି । ସେମାନଙ୍କ ମଧ୍ୟରେ ଥିଲେ ମୌଲାନା ଆବୁଲ୍‌ କାଲାମ୍‌ ଆଜାଦ, ପଣ୍ଡିତ ଜବାହରଲାଲ ନେହେରୁ, ମିଷ୍ଟର ଆସଫ ଅଲ୍ଲି, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଘୋଷ, ଶ୍ରୀ ଶଙ୍କର ରାଓ ଦେଓ, ଡାକ୍ତର ପଟ୍ଟାଭି ସୀତରାମାୟା, ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଆଚାର୍ଯ୍ୟ କ୍ରିପାଳିନି, ଡକ୍ଟର ମାମୁଦ ଓ ମହତାବ ନିଜେ ।’’

 

ସେହି କାରାଗାର ମଧ୍ୟରୁ ଜନ୍ମନେଇଥିଲା ପଣ୍ଡିତ ନେହେରୁଙ୍କର ‘‘ଭାରତ ଆବିଷ୍କାର’’ । ଜେଲ୍‌ର ସମୟ କର୍ମ ପ୍ରରୋଚନାର ସମୟ ବୋଲି ଉଲ୍ଲେଖ କରି ପଣ୍ଡିତ ନେହେରୁ ଲେଖିଥିଲେ, ‘‘ମନେ ହୁଏ, ଜେଲ୍‌ରେ ସମୟର ପ୍ରକୃତି ଯେପରି ବଦଳିଯାଏ । ବର୍ତ୍ତମାନର ଅସ୍ଥିତ୍ୱ ପ୍ରାୟ ରହେନି, କାରଣ ମୃତ ଅତୀତରୁ ବର୍ତ୍ତମାନକୁ ଯାହା ବିଚ୍ଛିନ୍ନ କରନ୍ତା, ସେହି ଅନୁଭୂତି ଓ ସମ୍ବେଦନ ରହେନି । ଏପରିକି ସକ୍ରିୟ, ଜୀବନ୍ତ ଓ ମୁମୂର୍ଷୁ ବାହାର ବିଶ୍ଵର ସମ୍ବାଦରେ ଗୋଟାଏ ପ୍ରକାର ସ୍ଵପ୍ନମୟ ଅବାସ୍ତବତା ଓ ଅତୀତ ଭଳି ଅପରିବର୍ତ୍ତନୀୟ ଭାବ ଓ ସ୍ଥାଣୁତ୍ଵ ପରିଲକ୍ଷିତ ହୁଏ । ମଣିଷର ଚିନ୍ତା ତାକୁ ବର୍ତ୍ତମାନରୁ ଟାଣିନେଇ, ଅତୀତ ହେଉ କି ଭବିଷ୍ୟତ ହେଉ, ସେଥିରେ ଗୋଟାଏ ପ୍ରକାର ବାସ୍ତବତାର ଅଭିଜ୍ଞତା ନ ହେବାଯାଏଁ ବାହ୍ୟ ବିଷୟ ମୁଖ ସମୟ ବିଲୀନ ହୋଇଯାଇ ନିମ୍ନ ସ୍ତରରେ ଆନ୍ତର ଓ ଆତ୍ମସୁଖ ଜ୍ଞାନ କେବଳ ପଡ଼ି ରହେ । ଅଗଷ୍ଟ କୋମ୍‌ତେ କହିବା ଭଳି ଅତୀତରେ ନ୍ୟସ୍ତ ମଲାମଣିଷର ଜୀବନ ଆମେ ଯାପନ କରୁଁ । ଏହାର ସତ୍ୟତା ବିଶେଷ ଭାବରେ ଜେଲ୍‌ରେ ପ୍ରମାଣିତ ହୋଇଥାଏ, ଯେଉଁଠି ଅତୀତର ସ୍ମୃତି କିମ୍ବା ଭବିଷ୍ୟତର କଳ୍ପନାରେ ଆମେ ଆମର କ୍ଷୁଧିତ ତଥା ଅବରୋଧ ପ୍ରକ୍ଷୋଭ ନିମନ୍ତେ ଉପଜୀବ୍ୟ ସଂଗ୍ରହର ପ୍ରୟାସ କରିଥାଉଁ ।’’

 

ପଣ୍ଡିତ ନେହେରୁ ସେଇ ଜେଲ୍‌ରେ ଦିନେ ଏଡ଼୍‌ୱାର୍ଡ଼ ଅପ୍‌ସନଙ୍କ ବହି ‘‘ଦି ମେକିଂ ଅଫ ଇଣ୍ଡିଆନ୍‌ ପ୍ରିନ୍‌ସେସ୍‌’’ ର ୬୨ ପୃଷ୍ଠା ମହତାବଙ୍କୁ ଦେଖାଇଲେ ଯେଉଁଥିରେ ଲେଖାଥିଲା, ‘ଦୁର୍ନାମରେ ପ୍ରସିଦ୍ଧ ଜଗନ୍ନାଥ ତୀର୍ଥ/ଯେଉଁଠାରେ ଅଛି ଏକ କୁତ୍ସିତ ମନ୍ଦିର ସେଠାରେ କିମ୍ଭୁତ କିମ୍ଭାକାର ଲୋକେ କୁତ୍ସିତତାକୁ ଇଶ୍ଵରଙ୍କ ଗୁଣ ବୋଲି ମନେ କରି ପୂଜା କରନ୍ତି ଓ ବ୍ରାହ୍ମଣ ଧର୍ମ ପୁଣି ଏ ପୂଜାକୁ ଆଧୁନିକ ଜଗତର ଅନ୍ୟ. ଧର୍ମଠାରୁ ବଡ଼ ବୋଲି ଗର୍ବ କରେ ।’’

 

ନେହେରୁ ଉଦ୍‌ବିଗ୍ନ ହୋଇ କହିଲେ, ‘‘ମହତାବ, ତୁମେ ଜାଣ ଏ ଜଗନ୍ନାଥର ଇତିବୃତ୍ତି କିଛି ? ମୁଁ ଯେତେବେଳେ ପୁରୀ ଯାଇଥିଲି, ସେ ମୂର୍ତ୍ତି ଦେଖିଥିଲି । ମୋର ଦେହ ସେ କୁତ୍ସିତତା ଦର୍ଶନରେ ଶିହରି ଉଠିଥିଲା । ସେ ମୂର୍ତ୍ତି କଣ ? ସେ ସମ୍ବନ୍ଧରେ ଜନଶ୍ରୁତି ବା କଅଣ ? କାହିଁକି ସେପରି ପୂଜା କରାଯାଉଛି ?’’ ନେହେରୁଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇ ପାରି ନ ଥିଲେ । ତାପରେ ଆରମ୍ଭ ହୋଇଥିଲା ତାଙ୍କ ଗବେଷଣା । ସେ ପର୍ଯ୍ୟନ୍ତ ଓଡ଼ିଶା ଇତିହାସର ପ୍ରାଥମିକ ଆଲୋଚନା ମଧ୍ୟ ହୋଇ ନ ଥାଏ । ତେଣୁ ସେ ବହୁ ଶ୍ରମ ସ୍ଵୀକାର କରି ଲେଖିବାକୁ ଆରମ୍ଭ କଲେ ‘‘ଓଡ଼ିଶା ଇତିହାସ’’ ଯାହା ତିନି ଖରେ ପ୍ରକାଶିତ ହୋଇଛି ଏବଂ ଏକାଧିକ ସଂସ୍କରଣ ହେଲାଣି ।

 

ଐତିହାସିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଲେଖିଛନ୍ତି, ‘‘ମୂଳରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶା ଇତିହାସର ସ୍ଥୂଳ ବିବରଣୀ ଜାଣିବାକୁ ଇଚ୍ଛା କଲେ ସାଧାରଣ ପାଠକ, ଛାତ୍ର ତଥା ଶିକ୍ଷକଙ୍କୁ ସ୍ୱର୍ଗତ ଅଧ୍ୟାପକ ରାଖାଲ ଦାସ ବାନାର୍ଜୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ଇତିହାସ ଉପରେ ହିଁ ନିର୍ଭର କରିବାକୁ ପଡ଼ିଥାଏ । ଅନେକ କହନ୍ତି ଯେ ଉଭୟ ଗ୍ରନ୍ଥରେ ବହୁ ତ୍ରୁଟି ବିଚ୍ୟୁତି ରହିଛି । କୌଣସି ଗ୍ରନ୍ଥ ଅଭ୍ରାନ୍ତ ନୁହେଁ । ଏ ଗ୍ରନ୍ଥଗୁଡ଼ିକୁ ଅଭ୍ରାନ୍ତି ବୋଲି କେହି କହୁନାହିଁ । କିନ୍ତୁ ତିରିଶ ବର୍ଷର ସମବେତ ଚେଷ୍ଟାରେ ଓଡ଼ିଶାର ଯେଉଁ ପୂର୍ଣ୍ଣାଙ୍ଗ ଇତିହାସ ରୂପରେଖ ଧରି ପାରିଲା ନାହିଁ, ସେହି ପୂର୍ଣ୍ଣାଙ୍ଗ ଇତିହାସକୁ ସାହସ, ଧୈର୍ଯ୍ୟ, ନିଦ୍ରା ଓ ଶ୍ରମ ସହିତ ସ୍ଵ ସ୍ଵ ଗ୍ରନ୍ଥରେ ଅନ୍ତତଃ କାଙ୍ଗାଳାକାରରେ ଦେଇଥିବାରୁ ଉଭୟ ପଣ୍ଡିତ ନିଶ୍ଚିତ ଭାବରେ ଧନ୍ୟବାଦାର୍ହ ।

 

ମହତାବ ଐତିହାସିକ ହୋଇଥିବା କାରଣରୁ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ସ୍ଥିର କଲେ, କାରଣ ଏହା ଥିଲା ଖାରବେଳ ଓ କପିଳେନ୍ଦ୍ରଦେବଙ୍କର ପୁଣ୍ୟଭୂମି । ଗବେଷଣାର ଭିତ୍ତିଭୂମି ପାଇଁ ସେ ଆରମ୍ଭ କଲେ ରାଜ୍ୟ ପାଠାଗାର ଓ ଆଧୁନିକ ସଂଗ୍ରହାଳୟ । ତାଙ୍କ ନେତୃତ୍ଵରେ ଆରମ୍ଭ ହେଲା କଳିଙ୍ଗ ହିଷ୍ଟୋରିକାଲ ରିସର୍ଚ୍ଚ ସୋସାଇଟି । ଓଡ଼ିଶା ଓ ଓଡ଼ଶା ଇତିହାସ ପ୍ରତି ଭାରତର ବିଦ୍ଵାନମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ କଟକଠାରେ ରେକର୍ଡ଼ କମିଶନ୍‌ ଓ ଇତିହାସ କଂଗ୍ରେସ ଆରମ୍ଭ କରିଥିଲେ । ମହତାବଙ୍କ ପ୍ରଯତ୍ନ ଫଳରେ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଶିଶୁପାଳଗଡ଼ର ଖୋଦନ କାର୍ଯ୍ୟ ହୋଇଥିଲା ।

ମହତାବଙ୍କର ‘ଓଡ଼ିଶା ଇତିହାସ’ ପ୍ରକାଶ ପୂର୍ବରୁ ଧାରାବାହିକ ଇତିହାସ ଗ୍ରନ୍ଥ ଓଡ଼ିଶାରେ ନ ଥିଲା । ସ୍ଵର୍ଗୀୟ ପ୍ୟାରୀମୋହନ ଆଚାର୍ଯ୍ୟଙ୍କର ‘ଓଡ଼ିଶା ଇତିହାସ’, ସ୍ଵର୍ଗତ କୃପାସିନ୍ଧୁ ମିଶ୍ରଙ୍କର ‘ଉତ୍କଳ ଇତିହାସ’, ସ୍ଵର୍ଗତ ଜଗବନ୍ଧୁ ସିଂହଙ୍କର ‘ପ୍ରାଚୀନ ଉତ୍କଳ’, ଆର୍ତ୍ତବଲଭ ମହାନ୍ତିଙ୍କ ଦ୍ଵାରା ଓ ‘ପ୍ରାଚୀ ସମିତି’ ଓ ଏହା ଆନୁକୂଲ୍ୟରେ ‘ପ୍ରାଚୀ’ ପତ୍ରିକାର ପ୍ରକାଶ, ପଣ୍ଡିତ ବିନାୟକ ମିଶ୍ରଙ୍କର ‘ଓଡ଼ିଆ ଭାଷାର ଇତିହାସ’, ’ଓଡ଼ିଆ ସାହିତ୍ୟର ଇତିହାସ’, ‘ଓଡ଼ିଶାର ନୂତନ ଇତିହାସ’, ‘ଓଡ଼ିଶା ଅଣ୍ଡର ଦି ଭୌମ କିଙ୍ଗସ୍‌’, ‘ଡାଇନାଷ୍ଟି ଅଫ୍‌ ମେଡ଼ିଆଭାଲ ଓଡ଼ିଶା’, ରାଖାଲ ଦାସ ବାନାର୍ଜୀ, କାଶୀପ୍ରସାଦ ଜୟସ୍ୱାଲ, ସୁବାରୀଓ, ସତ୍ୟନାରାୟଣ ରାଜଗୁରୁ ଓ ପ୍ରଭାତ ମୁଖାର୍ଜୀ ପ୍ରଭୃତି ଐତିହାସିକ ପ୍ରବନ୍ଧ ଲେଖୁଥିଲେ ମଧ୍ୟ ପୂର୍ଣ୍ଣାଙ୍ଗ ଓଡ଼ିଶା ଇତିହାସ ପ୍ରକାଶ ପାଇ ନ ଥିଲା ।

 

ଇଂରାଜୀ ଭାଷାରେ ‘ହିଷ୍ଟ୍ରି ଅଫ୍‌ ଓଡ଼ିଶା’, ‘ଆଣ୍ଟିକ୍ବଟିଜ୍‌ ଅଫ୍‌ ଓଡ଼ିଶା’, ‘ଓଡ଼ିଶା’ ଅବଶ୍ୟ ପ୍ରକାଶ ପାଇଥିଲା । କିନ୍ତୁ ମହତାବ ‘ଓଡ଼ିଶା ଇତିହାସ’ ରଚନା କରି ବହୁ ପରିମାଣରେ ଐତିହାସିକ କର୍ତ୍ତବ୍ୟ ସଂପାଦନ କରିଥିବାରୁ ସେ ଚିରସ୍ମରଣୀୟ । ଶ୍ରୀ ଚିନ୍ତାମଣି ଆଚାର୍ଯ୍ୟ ଲେଖିଛନ୍ତି, ଯେଉଁବ୍ୟକ୍ତି ଓଡ଼ିଶାର ଗୌରବମୟ ଯୁଗର ସ୍ଵପ୍ନ ଦେଖିଥିବ, ସେହି ଏକା ତାହାକୁ କାର୍ଯ୍ୟରେ ପରିଣତ କରିବାକୁ ଉଦ୍ୟମ କରିବେ । ମହତାବ ଐତିହାସିକ ହୋଇଥିବା କାରଣରୁ ସେ ଓଡ଼ିଶା ସହିତ ଗଡ଼ଜାତ ଗୁଡ଼ିକୁ ମିଶାଇବାକୁ ଅଦ୍ୟମ ଚେଷ୍ଟା କରିଥିଲେ ।’’

 

ମହତାବ ଐତିହାସିକ ତଥ୍ୟ ଓ ନିଷ୍ଠା ପ୍ରତି ଥିଲେ ଅତ୍ୟନ୍ତ ସଚେତନ । ତେଣୁ ‘ଝଙ୍କାର’ ପୃଷ୍ଠାରେ ସେ ବିଭିନ୍ନ ବିଷୟ ସଂପର୍କରେ ଆଲୋଚନା କଲାବେଳେ ନିଜର ସ୍ଵକୀୟ ମତ ଦେବାକୁ ଭୁଲୁ ନ ଥିଲେ । ୧୯୭୦ ମେ ସଂଖ୍ୟା ‘ଝଙ୍କାର’ ରେ ବୁଦ୍ଧଦେବଙ୍କ ସମ୍ବନ୍ଧୀୟ ଶିଳାଲେଖ ଆଲୋଚନା କଲାବେଳେ ସେ ଲେଖିଥିଲେ, ‘ଓଡ଼ିଶାରେ ବୌଦ୍ଧ ଧର୍ମାବଲମ୍ବୀ ଭୌମ ବଂଶୀୟ ରାଜତ୍ୱ ପ୍ରାୟ ତିନିଶହ ବର୍ଷ କାଳ ରହିଥିଲା । ଏହି ସମୟଟି ଓଡ଼ିଶା ଇତିହାସର ସର୍ବୋତ୍କୃଷ୍ଟ ସମୟ । ଏହି ବଂଶର ରାଜା ଶୁଭକର କେଶରୀ ଚୀନ ସମ୍ରାଟଙ୍କ ପାଖକୁ ବୌଦ୍ଧଗ୍ରନ୍ଥ ଉପହାର ପଠାଇଥିଲେ । ରତ୍ନଗିରି, ଲଳିତଗିରି, ଉଦୟଗିରି ଏହି ରାଜତ୍ୱ ସମୟର କୀର୍ତ୍ତି । ବହୁ ବୌଦ୍ଧ ଗ୍ରନ୍ଥକାର ଓଡ଼ିଶାରେ ଥିଲେ । ବହୁ ଚୀନ ପରିବ୍ରାଜକ ଷଷ୍ଠ ଶତାଦ୍ଦୀଠାରୁ ଆରମ୍ଭ କରି ବୁଦ୍ଧଙ୍କ ଜନ୍ମ ସ୍ଥାନ ପରିଦର୍ଶନ କରି ବିବରଣୀ ପ୍ରକାଶ କରିଛନ୍ତି । ବହୁଦେଶରେ ପଂଚମ ଶତାବ୍ଦୀଠାରୁ ବୁଦ୍ଧଙ୍କ ପୁଙ୍ଖାନୁପୁଙ୍ଖ ଜୀବନୀ ବହୁ ଭାବରେ ବର୍ଣ୍ଣିତ ହୋଇ ଚାଲି ଆସିଛି, କେହି କପିଳେଶ୍ୱର କଥା କେଉଁଠି ହେଲେ ଉଠାଇନାହାଁନ୍ତି ।

 

କପିଳେଶ୍ଵର ଶିଳାଲେଖକୁ ଆଲୋଚନା କରିବାକୁ ହେଲେ ଏ ସବୁକୁ ଦୃଷ୍ଟିରେ ରଖିବାକୁ ହେବ

ମହତାବ ଜୟଦେବଙ୍କ ସଂପର୍କରେ ମଧ୍ୟ ଏକାଧିକବାର ଆଲୋଚନା କରିଛନ୍ତି ଏବଂ ତାଙ୍କର ମତ ଥିଲା ଯେ ଯେହେତୁ ଜୟଦେବଙ୍କ ଜନ୍ମସ୍ଥାନ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ କିଛି ପ୍ରମାଣ ନାହିଁ, ତେଣୁ ଗୋଟିଏ ମାତ୍ର ମତ ଠିକ୍‌ କହିବା ଉଚିତ୍‌ ନୁହେଁ । ମହତାବ ମଧ୍ୟ ପ୍ରଶ୍ନ ଉପସ୍ଥାପିତ କରିଥିଲେ ଯେ ଜୟଦେବଙ୍କ ପୂର୍ବରୁ ବା ପରେ ବହୁ ଶହବର୍ଷ ପର୍ଯ୍ୟନ୍ତ ରାଧାକୃଷ୍ଣଙ୍କୁ କେନ୍ଦ୍ରକରି ପ୍ରେମଭକ୍ତି ଧାରା ପୂର୍ବ ଭାରତରେ ଓଡ଼ିଶା, ବଙ୍ଗ କେଉଁଠି ପ୍ରବାହିତ ହୋଇ ନ ଥିଲା । ଏ ବିଷୟରେ ମଧ୍ୟ ଏକାଧିକ ମତ ଥିବାର ସେ ଭଲ୍ଲେଖ କରିଛନ୍ତି । ଜଣେ ଗବେଷକ ଭାବରେ ସେ ବିଶ୍ଵାସ କରୁଥିଲେ ଯେ କୌଣସି ଐତିହାସିକ ବିଷୟରେ ବହୁମତ ରହିବ, ଆଲୋଚନା ମଧ୍ୟ ଚାଲିଛି ଓ ଚାଲୁଥିବ ।

 

ଭାରତରେ ପ୍ରତ୍ନତତ୍ତ୍ୱ ଗବେଷଣାକୁ ଅଧିକ ବ୍ୟାପକ ଓ ସକ୍ରିୟ କରିବା ପାଇଁ ବିଦେଶକୁ ଚାଲିଯାଇଥିବା ପ୍ରାଚୀନ ଇତିହାସର ଉପାଦାନକୁ ଫେରାର ଆଣିବା ଉପରେ ସେ ଗୁରୁତ୍ୱ ଦେଉଥିଲେ କାରଣ ସେ ଅନୁଭବ କରିଥିଲେ ଯେ ଦେଶ ପରାଧୀନ ହେବା ପରେ ଓ ଦେଶର ପ୍ରାଚୀନ ଇତିହାସର ଉପାଦାନ ସବୁ ଅନ୍ୟତ୍ର ଚାଲିଗଲା ପରେ ଦେଶ ବାସ୍ତବିକ ଏହାରି ଐତିହ୍ୟଠାରୁ ବିଚ୍ଛିନ୍ନ ହୋଇଗଲା ।

 

ଓଡ଼ିଶାର ନାମ ପରିବର୍ତ୍ତନ କରି କଳିଙ୍ଗ କରିବାକୁ ଓଡ଼ିଶା ବିଧାନସଭାରେ ପ୍ରସ୍ତାବ ଆଗତ ହୋଇଥିଲା । ଏହାକୁ ଲକ୍ଷ୍ୟ କରି ମହତାବ ତାଙ୍କର ସୁଚିନ୍ତିତ ମତ ‘ଝଙ୍କାର’ ରେ ଉପସ୍ଥାପିତ କରି କହିଥିଲେ ଯେ ଓଡ଼ିଶା ନାମଟି ଆନ୍ଧ୍ର ଓ ବଙ୍ଗଠାରୁ ପ୍ରାଚୀନ । ଓଡ଼ିଶା ପ୍ରଦେଶ କଳିଙ୍ଗ, କୋଶଳ, ଉଡ୍ର ରାଜ୍ୟକୁ ନେଇ ଗଠିତ । ସମାଜର ସ୍ୱାତନ୍ତ୍ର୍ୟ ନିର୍ଭର କରେ ମୁଖ୍ୟତଃ ସାହିତ୍ୟ, ଧର୍ମ ବିଶ୍ଵାସ ଓ ପୂର୍ବଗୌରବର ସ୍ମୃତି ଉପରେ । ତେଣୁ ସେ ବୀରତ୍ୱ ବ୍ୟଞ୍ଜନ ସାହିତ୍ୟ ମାଧ୍ୟମରେ ରାଜ୍ୟରେ ସାହସ, ଶୌର୍ଯ୍ୟ ଓ ବିଜୟର ଉଦ୍ଦୀପନା ଜାଗ୍ରତ କରିବା ଉପରେ ଜୋର୍‌ ଦେଇଥିଲେ ।

 

ଜୁନ୍‌, ୧୯୭୭ରେ ‘‘ଯୀଶୁଶ୍ରୀଷ୍ଟ ଓଡ଼ିଶା’’ ସମ୍ପର୍କରେ ମହତାବ ଏକ ଲେଖା ପ୍ରକାଶିତ କରିଥିଲେ । ସେଥିରେ ବିଭିନ୍ନ ପୁସ୍ତକ ସମ୍ପର୍କରେ ଆଲୋଚନା କରି ନିଜ ମନ୍ତବ୍ୟରେ ଲେଖିଥିଲେ, ‘‘ଯୀଶୁଙ୍କ କୈଶୋର ଜୀବନ ସମ୍ବନ୍ଧରେ ଗବେଷଣା ସହିତ ଓଡ଼ିଶାର ଧର୍ମ ଇତିହାସର ଗଭୀର ସମ୍ବନ୍ଧ ଅଛି । ଇତିହାସ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ଦୁଇ ହଜାର ବର୍ଷରୁ ଉର୍ଦ୍ଧ୍ୱକାଳରୁ ଜଗନ୍ନାଥ ଧାମ ଏସିଆ ମହାଦେଶର ଏକ ପ୍ରସିଦ୍ଧ ବୌଦ୍ଧପୀଠ ବୋଲି ବିଦିତ ଥିଲା । ଏକାଦଶ ଶତାଦ୍ଦୀରେ ଚୋଳଗଙ୍ଗଦେବ ଜଗନ୍ନାଥଙ୍କ ବର୍ତ୍ତମାନ ବିଦ୍ୟମାନ ମନ୍ଦିର ନିର୍ମାଣ କରାଇଲେ । ତାର ଅନ୍ତତଃ ଏକ ହଜାର ବର୍ଷ ପୂର୍ବରୁ ଜଗନ୍ନାଥ ପୃଥିବୀ ବିଖ୍ୟାତ ବୌଦ୍ଧପୀଠ ରୂପେ ପ୍ରସିଦ୍ଧ ଥିଲେ । ଯୀଶୁଙ୍କ ସହିତ ଓଡ଼ିଶାର ସମ୍ପର୍କ ବାସ୍ତବିକ ଏକ ଗୁରୁତ୍ଵପୂର୍ଣ୍ଣ ଐତିହାସିକ ଗବେଷଣାର ଅବଦାନ ।’’

 

୧୯୮୦ ମାର୍ଚ୍ଚମାସରେ ରାମାୟଣ ଗବେଷଣା ସଂପର୍କରେ ଉଲ୍ଲେଖ କରି ଲେଖିଥିଲେ ଯେ’ ପୁରାଣକୁ ଇତିହାସ ବୋଲି ଧରିନେଇ ବିଶ୍ଵବିଦ୍ୟାଳୟସ୍ତରରେ ଗବେଷଣା କେବଳ ଚିତ୍ତ ବିନୋଦନ ବା କର୍ମଯୋଗାଣ କାର୍ଯ୍ୟକ୍ରମ । ଏପରି ଗବେଷଣାର କୌଣସି ସାମାଜିକ ଆବଶ୍ୟକତା ନାହିଁ । ସେ ଗବେଷଣା ସମ୍ପର୍କରେ କେତେଗୁଡ଼ିଏ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ୍‌ ବୋଲି କହିଛନ୍ତି । ୧. ଐତିହାସିକ ବା ପ୍ରତ୍ନତାତ୍ତ୍ୱିକ ଗବେଷଣା ସମ୍ପୂର୍ଣ୍ଣ ହୋଇ ବିଦ୍ଵାନ ମସ୍ତଳୀରେ ଗୃହୀତ ହେବା ପୂର୍ବରୁ ସେ ବିଷୟରେ ସାଧାରଣ ପ୍ରଚାର କରିବା ବିଚାର ଯୁକ୍ତି ସଙ୍ଗତ ନୁହେଁ ୨. ପୂର୍ବ ନିର୍ଦ୍ଧାରିତ ମତକୁ ଆଶ୍ରୟ କରି କୌଣସି ଗବେଷଣା ପରିଚାଳନା ବିଚାର ବିରୁଦ୍ଧ ୩. ମୁକ୍ତମନରେ ଗବେଷଣାରୁ ଯେଉଁ ଉପାଦାନ ମିଳିବ, ସେଥିରୁ ମତପ୍ରଦାନ କରିବା ବାଂଛନୀୟ । ୪. ସମସ୍ତ ଗବେଷଣାର ପ୍ରମାଣିକ ତଥ୍ୟ ପଣ୍ଡିତମାନଙ୍କ ସମ୍ମୁଖରେ ଉପସ୍ଥାପିତ କରି ଗୃହୀତ କରାଇବାକୁ ହେବ । ୫. ଗବେଷଣାମୂଳକ ଲେଖାମାନ ଓଡ଼ିଆ ଭାଷାରେ ପ୍ରକାଶ କରିବା ଏବଂ କେଉଁଥିରୁ ଅନୂଦିତ ହେଲା ତାହା ଉଲ୍ଲେଖ କରିବା ଉଚିତ୍‌ ୬. ଶାସନର ବିଚକ୍ଷଣତା ପାଇଁ ରାଜନୀତିରେ ଯୋଗ ଦେଉଥିବା ବ୍ୟକ୍ତିମାନେ ଇତିହାସ ଜାଣିବା ଦରକାର । ୭. ଅନିସନ୍ଧିସୁ ସମାଲୋଚକମାନେ କେବଳ ଐତିହାସିକ ତଥ୍ୟବ୍ୟତୀତ ଅନୁମାନସିଦ୍ଧ କିମ୍ବା ବିବାଦମୂଳକ ବିଷୟବସ୍ତୁ ଉପରେ ନିର୍ଭର କରିବା ନିରାପଦ ନୁହେଁ । ୮. ଗବେଷଣା ପ୍ରଚାର ମୂଳକ ବିଷୟ ନୁହେଁ ୯. ଗବେଷଣା ଏକ ପ୍ରକାର ସାହିତ୍ୟ, କିନ୍ତୁ ସବୁ ସାହିତ୍ୟିକ ଗବେଷଣା ଧୁରନ୍ଧର ହୋଇ ନ ପାରନ୍ତି । ତେଣୁ ଗବେଷକମାନେ ଆଲୋଚନା କରିବା ଉଚିତ୍‌ । ୧୦. ଇତିହାସକୁ ଉପେକ୍ଷା କରି ନିଜେ ଉପାଖ୍ୟାନ ସୃଷ୍ଟି କରି ସାହିତ୍ୟ ରଚନା କରିବା ଅତୀବ ଅସୁନ୍ଦର ୧୧. ଇତିହାସ ଲେଖକ ରାଜନୀତିଠାରୁ ଦୂରରେ ନ ରହିଲେ, ଇତିହାସ କେବେ ନିଷ୍ଠକ୍ଷ ହେବନାହିଁ । ରାଜନୈତିକ ନେତାମାନଙ୍କ ନିର୍ଦ୍ଦେଶରେ ଇତିହାସ ବା ସାହିତ୍ୟ ଲେଖା ସମାଜର କ୍ଷତି ଛଡ଼ା ଲାଭ କେବେ କରିପାରିବ ନାହିଁ । ମହତାବ ଐତିହାସିକ ଓ ଗବେଷକ । ତେଣୁ ତାଙ୍କ ଦୃଷ୍ଟିରୁ କୌଣସି କଥା ଏଡ଼ାଇ ଯାଇ ପାରି ନାହିଁ । ସେ ପ୍ରତ୍ୟେକ ଗବେଷକଙ୍କୁ ବାରମ୍ବାର ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେପରି ଅନୁସନ୍ଧାନରେ ସତ୍ୟର କୌଣସି ଅପଳାପ ନ ହୁଏ ।

 

ଓଡ଼ିଆ ସାହିତ୍ୟରେ ଐତିହାସିକ ଉପନ୍ୟାସ ସମ୍ପର୍କରେ ଆଲୋଚନା କଲାବେଳେ ବହୁ ଆଲୋଚକ ମହତାବଙ୍କର ଓଡ଼ିଶା ଇତିହାସ ପାଦଟୀକା ଅନେକ ଉଦାହରଣ ଦେବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ଏହାହିଁ ତାଙ୍କର ଐତିହାସିକ ହେବାର ବିଶେଷତ୍ଵ।

 

ସାହିତ୍ୟ ସ୍ରଷ୍ଟା

ମହତାବ ସାହିତ୍ୟିକ । ତାଙ୍କର ସୃଷ୍ଟି ଅମାପ ଓ ପରିବ୍ୟାପ୍ତ । ଓଡ଼ିଆ ସାହିତ୍ୟ ଇତିହାସରେ ତାଙ୍କର ସ୍ଥାନ ସ୍ଥିରୀକୃତ । ମହତାବ କାହିଁକି ଲେଖୁଥିଲେ, ତାହାର ଉତ୍ତର ସେ ନିଜେ ଦେଇଯାଇଛନ୍ତି । ‘‘ବାସ୍ତବିକ ମୁଁ ଲେଖେ କାହିଁକି, ମୁଁ ନିଜେ ଜାଣିପାରୁ ନାହିଁ । ଦୀର୍ଘ ପଚାଶ ବର୍ଷ ହେଲା ପ୍ରାୟ ପ୍ରତିଦିନ ମୁଁ କିଛି ନା କିଛି ଲେଖୁଛି । ସ୍ଵରାଜ୍ୟ ଆନ୍ଦୋଳନରେ ମାତିଲାବେଳେ, ପରେ ଶାସନରେ ଓ ବାହାରେ, ଯେଉଁ ଅବସ୍ଥାରେ ଯେତେବେଳେ ଥାଏ, ନିଜ କୃତ୍ୟ ସାରିଲା ପରେ ଘଣ୍ଟାଏ ଖଣ୍ଡେ କିଛି ନ ଲେଖିଲେ ଦିନ ସାରା ମନରେ ଶାନ୍ତି ରହେ ନାହିଁ। ସେହିପରି ରାତିରେ ଶୋଇବା ପୂର୍ବରୁ ଘଣ୍ଟାଏ ନ ପଢିଲେ ରାତିରେ ନିଦ ହୁଏ ନାହିଁ । ପଢେ କାହିଁକି ତାହା ମୁଁ ବୁଝିପାରୁଛି । ବହୁ ବିଷୟ ଜାଣିବା ପାଇଁ ଆଗ୍ରହ ଓ କୌତୁହଳ ଏହାର ସ୍ପଷ୍ଟ କାରଣ । କିନ୍ତୁ ଲେଖେ କାହିଁକି ? ସ୍ଵରାଜ୍ୟ ସଂଗ୍ରାମ ବେଳେ ଆବେଗମୟ ଲେଖା ଲେଖୁଥିଲି ଲୋକଙ୍କୁ ଆନ୍ଦୋଳନରେ ମତାଇବା ପାଇଁ । ଲେଖାର ପ୍ରଭାବ କିଛି ଲୋକଙ୍କ ଉପରେ ପଡୁଥିଲା । ସେଥିରେ ଥିଲା ମୋର ଆନନ୍ଦ । କିନ୍ତୁ ସେ ତ ତତ୍‌କାଳୀନ ଆନନ୍ଦ ।

 

‘‘ସ୍ପାଧୀନତା ପରେ ପ୍ରଥମ ପ୍ରାୟ ପାଂଚବର୍ଷ, ହୃଦୟ ଏପରି ଆବେଗଭରା, ମସ୍ତିଷ୍କ ବହୁ ନୂତନ ସମାଧାନ ଚିନ୍ତାରେ ଏପରି ଭରା ଯେ କଲମ ଧରିଲେ ଲେଖା ସ୍ଵତଃ ବାହାରି ଯାଉଥାଏ, ଯେପରି ଆନ୍ଦୋଳନ ସମୟରେ ହେଉଥିଲା । ବହୁ ଉପନ୍ୟାସ, ବହୁ ଗଛ, ବହୁ କବିତା ଲେଖିଗଲି, ଜଣେ ସାହିତ୍ୟିକ ବୋଲି ପ୍ରସିଦ୍ଧି ଲାଭ କଲି, ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ସମସ୍ତ ଉଦ୍ୟମ ଅଜାଡ଼ି ଦେଲି । ମନେହେଲା ଯେପରି ମାତ୍ର କେତେବର୍ଷ ପୂର୍ବରୁ ଯାହା ସ୍ଵପ୍ନ ବା ସୁନ୍ଦର ଗନ୍ଧ ବୋଲି ମନେ ହେଉଥିଲା, ତାହା ଅଚିରେ ସତ୍ୟ ଓ ନୂତନ ଇତିହାସ ହେବାକୁ ଯାଉଛି । ଧୀରେ ଧୀରେ ଅବସ୍ଥାର ପରିବର୍ତ୍ତନ ହେବାକୁ ଲାଗିଲା । ଏପରି ସମୟ ଆସିଗଲା ଯେତେବେଳେ କେବଳ ଘଟି ଯାଇଥିବା ଘଟଣାର ବିଶ୍ଳେଷଣ ଆଲୋଚନା ଓ ସମାଲୋଚନା ବ୍ୟତୀତ ଅନ୍ୟ କୌଣସି ଶ୍ରେଣୀର ଲେଖା ପାଇଁ କଲମ, ପୁରୁଣା ବେମରାମତି ଜିପ୍‌ ଗାଡ଼ି ପରି, ଚାଲିବାରେ ନିତାନ୍ତ କୁଣ୍ଠା ପ୍ରକାଶ କଲା । ତଥାପି ଠେଲିବାକୁ ପଡ଼ିଲା କିଛି ଦୂର ଯାଏ । ପୁଣି ଅଟକି ଯାଏ । କେବଳ ଓଡ଼ିଶାର ନୁହଁ, ଚାରିଆଡ଼ର ସାହିତ୍ୟ ମଧ୍ୟ ପାରିପାର୍ଶ୍ୱିକ ଅବସ୍ଥା ସହିତ, ସାମାଜିକ-ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ କୌଣସି ଅବସ୍ଥା ସହିତ ସମ୍ପର୍କ ନ ରଖି ଶୂନ୍ୟେ ଶୂନ୍ୟେ ବିଚରଣ କଲା । ମୋ ପକ୍ଷରେ ତାହା ସମ୍ଭବ ହେଲା ନାହିଁ । କାରଣ ମୁଁ ଛନ୍ଦି ହୋଇ ଯାଇଥିଲି ନିତାନ୍ତ ବନ୍ଧୁର ପଥରେ । ଦଳଗତ ରାଜନୀତିରେ । ଅଳ୍ପ କେତେବର୍ଷ ଭିତରୁ ସେଥି‌ରୁ ମନକୁ ହଟାଇ ଦେବା ପରେ ମୁଁ ନିଜକୁ ଟିକେ ମୁକ୍ତ ଅନୁଭବ କରୁଛି । କିନ୍ତୁ ଲେଖିବି କଣ ? କାହିଁ ୧୯୨୧ ର ଆବେଗମୟ ବାୟୁମଣ୍ଡଳ, ଭାବସମୁଦ୍ରରେ ଲଘୁଚାପ ଘଟି ଲେଖାରେ ଝଡ଼ଝଂଜା ସୃଷ୍ଟି ହୋଇଯାଇଛି, କାହିଁ ପୁଣି ସ୍ଵାଧୀନତା ପରେ କେତେବର୍ଷର ନଭଶ୍ଚୁମ୍ବୀ ଅଭିଳାଷ ଓ ପରିକଳ୍ପନା, ପୁଣି କାହିଁ ଜୁଆର ଛାଡ଼ିଗଲା ପରେ ନଦୀର ଗଭୀର କର୍ଦ୍ଦମରେ ପଡ଼ିଯାଇଥିବା ନୌକା ପରି ଦେଶର ପାରିପାର୍ଶ୍ୱିକ ଅବସ୍ଥା । ଏହି ଅବସ୍ଥାରେ ଏପରି କିଛି ଲେଖା ଲେଖନୀରୁ ବାହାରିବ କି ଯାହା ଆଜି ନ ହେଲେ ମଧ୍ୟ କାଳି ସମାଜରେ ଜୁଆର ସୃଷ୍ଟି କରି ପଙ୍କରେ ପଡ଼ିଯାଇଥିବା ନୌକାଟିକୁ ପୁଣି ଥରେ ଭସାଇ ନେବ ?

 

ମହତାବ ଅବସର ବିନୋଦ ପାଇଁ ସାହିତ୍ୟ ସୃଷ୍ଟିରେ ମନ ଦେଇ ନ ଥିଲେ। ସେ ଲୋକମାନଙ୍କୁ ଆନ୍ଦୋଳନରେ ମତାଇବାକୁ ଲେଖୁଥିଲେ । ତାଙ୍କର ନୂତନ ଧର୍ମ ଉପନ୍ୟାସ ନୂତନ ପରିବର୍ତ୍ତନର ବାର୍ତ୍ତାବହ ଥିଲା । ସ୍ଵାଧୀନତା ପରେ ପରିବର୍ତ୍ତନ ଘଟିଲା । ସେହି ପରିବର୍ତ୍ତନକୁ ତାଙ୍କ ସାହିତ୍ୟ ମାଧ୍ୟମରେ ରୂପ ଦେଲେ । ମହତାବ ମନୁଷ୍ୟର ମନୁଷ୍ୟତ୍ଵକୁ ନେଇ ସାହିତ୍ୟ ସୃଷ୍ଟି କଲେ କାରଣ ସେ ବିଶ୍ଵାସ କରୁଥିଲେ, ସୃଷ୍ଟିର ବିଡ଼ମ୍ୱନା ଏହି ଯେ ମନୁଷ୍ୟର ମନୁଷ୍ୟତ୍ଵ ସବୁ ଯୁଗରେ, ସବୁ ସମୟରେ ମନୁଷ୍ୟ ଦ୍ଵାରା ହିଁ ଆକ୍ରାନ୍ତ । ମନୁଷ୍ୟର ଆକ୍ରମଣରୁ ମନୁଷ୍ୟତ୍ୱକୁ ରକ୍ଷା କରିବା ସାହିତ୍ୟର ଧର୍ମ ବୋଲି ମୋର ମନେହୁଏ । ସେ ଆହୁରି ମଧ୍ୟବିଶ୍ଵାସ କରୁଥିଲେ ଯେ ରାଜନୀତିର ଦିଗ ନିର୍ଣ୍ଣୟ ଓ ରାଷ୍ଟ୍ର ପରିଚାଳନାର ଆଭିମୁଖ୍ୟ ନିର୍ଣ୍ଣୟ ଦିଗରେ ସାହିତ୍ୟ ସବୁଦେଶରେ ଓ ସବୁ ଯୁଗରେ ନିଜର ପ୍ରଭାବ ବିସ୍ତାର କରି ଆସିଛି । ମହତାବ ‘ଗାଁ ମଜଲିସ୍‌’ ମାଧ୍ୟମରେ ସମଗ୍ର ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଥିଲେ ।

 

ମହତାବଙ୍କର ସାହିତ୍ୟିକ ଆଭିମୁଖ୍ୟ ଥିଲା ସ୍ପଷ୍ଟ । ସେ ସବୁ କଥାକୁ ରାଷ୍ଟ୍ର ଦୃଷ୍ଟିରୁ ବିଚାର କରୁଥିଲେ । କାରଣ ରାଷ୍ଟ୍ରର ଦର୍ଶନ ରହିବା ଉଚିତ୍‌ ବୋଲି ତାଙ୍କର ମତ ଥିଲା । ତେଣୁ ଶ୍ରୀ ସୁରେନ୍ଦ୍ର ମହାନ୍ତି ମତ ଦେଇଥିଲେ, ‘‘ମହତାବବାବୁ ହେଉଛନ୍ତି ଓଡ଼ିଶାର ସେହି ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ, ଯିଏ ସାମ୍ପ୍ରତିକ ସାହିତ୍ୟ ଓ ରାଜନୈତିକ ଚିନ୍ତା କ୍ଷେତ୍ରରେ ନିତ୍ୟନୂତନ ଭାବରେ ପ୍ରକାଶ ପାଉଥିବା ଧାରା ଓ ଆଭିମୁଖ୍ୟ ସହିତ ନିଜକୁ ସଂପୃକ୍ତ କରି ରଖିଥିଲେ, ମହତାବ ଥିଲେ ଆଧୁନିକ ଓଡ଼ିଆ ସାହିତ୍ୟର ଅଭିଭାବକ ଏବଂ ସାହିତ୍ୟ ଓ ରାଜନୀତିର ସେତୁ । ରାଜନୀତିର ଖୋଳପା ଭିତରେ ମହତାବଙ୍କର ଲେଖକ ସତ୍ତା ସ୍ପଷ୍ଟ ବାରି ହୋଇପଡେ । ନିରବଚ୍ଛିନ୍ନ ରାଜନୈତିକ ଜୀବନ ଧାରା, ଦେଶର ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ବିକାଶ ପାଇଁ ଗଭୀର ବ୍ୟାକୁଳତା, ଜନଜୀବନ ସହିତ ସଂପୃକ୍ତି ହେତୁ ମହତାବ ହୋଇଛନ୍ତି ଚିନ୍ତାନାୟକ ଓ ଦାର୍ଶନିକ । ତାଙ୍କ ସାହିତ୍ୟରେ ଏହି ଚେତନା ବ୍ୟାପକ । ସମାଜ ପ୍ରତି ଯେପରି ସେ ହୋଇଛନ୍ତି ଅତି ମାତ୍ରାରେ ସଚେତନ । କଳା ଧର୍ମ ପ୍ରତି ସଚେତନ ନ ହୋଇ ମହତାବ କାଳଧର୍ମ ପ୍ରତି ଅଧିକ ସଚେତନ ।

 

ତେଣୁ ସେ ନିଜର ସାହିତ୍ୟ ସାଧନା ସଂପର୍କରେ କହିଛନ୍ତି, ‘‘ଧୂମ୍‌ ଖରାବେଳେ ହଳ ଫିଟାଇ ମୂଲିଆ ଦୂର ବିଲରୁ ଘରକୁ ଫେରୁ ଫେରୁ କ୍ଳାନ୍ତ ହୋଇ ବାଟରେ ବର ବା ଓସ୍ତ ଗଛର ଛାଇରେ ଥକା ମେଣ୍ଟାଇବା ପାଇଁ ଯେତେବେଳେ ବସି ପଡ଼େ, ସେତେବେଳେ ସେ ଚାରିଆଡ଼କୁ ଅନାଇ କିଛି ସୁର ଧରି ଗାଇବାକୁ ମନ କରେ । ସଙ୍ଗୀତ ତାକୁ ଜଣା ନାହିଁ । ମାତ୍ର ଶୁଣିଛି ସେ କେତେଥର ଅନେକ ସଙ୍ଗୀତ ଯାହା ତାକୁ ସୁଖ ଲାଗିଛି, ସେୟାକୁ ମନେ ପକାଇ ରାଗ ଧରି କିଛି ଗାଇବାକୁ ମନ କରେ । କାରଣ ଚାରି ଆଡ଼େ ସୂର୍ଯ୍ୟର ପ୍ରଖର କିରଣ ଭିତରେ ସେ ଯେ ଟିକିଏ ଛାଇ ପାଇଛି, ସେହି ହେଉଛି ତାର ସଙ୍ଗୀତର ପ୍ରେରଣା, ଯାହା ଦିନ ରାତି ଜୀବିକା ପାଇଁ ପରିଶ୍ରମରେ କୁଆଡ଼େ ଦବି ଯାଇଥାଏ । ମୋର ସାହିତ୍ୟ ଚର୍ଚ୍ଚା ସେହିପରି । ରାଜନୀତିର କର୍ମମୟ ଜୀବନରେ ହନ୍ତସନ୍ତ ହୋଇ ଯେତେବେଳେ ଜେଲ ଆସିବାକୁ ପଡ଼େ, ସେତେବେଳେ ଟିକିଏ ଛାଇ ଛାଇରେ ବସି ପଡ଼ିଲା ଭଳି ମନେ ହୁଏ । ସେତିକିବେଳକୁ ଆପେ ଆପେ ସାହିତ୍ୟ ଆଡ଼କୁ ମନଯାଏ, ସେ ଦିଗରେ ସାଧନା ବା ଯୋଗ୍ୟତା ନ ଥିଲେ ମଧ୍ୟ । ନ ହେଲେ ଖରାବେଳେ ବିଲ ମଝିରେ ମୂଲିଆ ଆଣ୍ଠେଇ ପଡ଼ି, ଯେତେବେଳେ ଚାହିଁ ଦିଏ କେହି ଜାମାଯୋଡ଼ ପିନ୍ଧି ଛତାଧରି ହିଡ଼ ଉପରେ ଯାଉଛି, ସେତେବେଳେ ତା ମନରେ ଯେପରି ଆପେ ଆପେ ଇର୍ଷାଭାବ ଜାତ ହୁଏ, ସେହିପରି ରାଜନୀତିରେ ଥାଇ ସାହିତ୍ୟିକମାନଙ୍କ ପ୍ରତି ମଧ୍ୟ ହୋଇଥାଏ ।

 

ମହତାବଙ୍କର ସାହିତ୍ୟିକ ହେବାର ସ୍ଵପ୍ନ ବିକଶିତ ହୋଇଥିଲା ସ୍ୱାଧୀନତା ପରେ ଯଦିଓ ସେ କୌଣସି ସାହିତ୍ୟିକ ପ୍ରତି ଆଦୌ ଇର୍ଷାନ୍ୱିତ ନ ଥିଲେ । ମହତାବ ସାହିତ୍ୟର ସବୁ ବିଭାଗରେ ହାତ ଦେଇଥିଲେ । ଉପନ୍ୟାସ, ଗଛ, ପ୍ରବନ୍ଧ, ନାଟକ, କବିତା, ଶିଶୁ ସାହିତ୍ୟ, ଫିଚର ଇତ୍ୟାଦି ତାଙ୍କ କଲମରୁ ସୃଷ୍ଟି । ସେ କୌଣସି ଗତାନୁଗତିକ ଧାରା ଅନୁସରଣ ନ କରି ନିଜକୁ ଅତି ସ୍ଵତନ୍ତ୍ର ଓ ସରଳ ଭାବରେ ପ୍ରକାଶ କରିଥିଲେ । ତାଙ୍କର ଭାଷା ହୋଇଥିଲା ବୋଧଗମ୍ୟ ଓ ଜନଜୀବନର ଭାଷା । ସେ ଜଣଙ୍କ ପାଇଁ ନ ଲେଖି ଗଣଙ୍କ ପାଇଁ ଲେଖୁଥିଲେ । ସ୍ଵାଧୀନତା ପୂର୍ବବର୍ତ୍ତୀ ସମୟରେ, ଅର୍ଥାତ୍‌ ତୃତୀୟ ଦଶକରେ ଓଡ଼ିଆ ସାହିତ୍ୟରେ ଯେପରି ବ୍ୟାପକ ପ୍ରେମଜନିତ ଲେଖା ପ୍ରକାଶ ପାଇଥିଲା, ମହତାବ ସେଥିରୁ ନିଜକୁ ସମ୍ପୂର୍ଣ୍ଣ ମୁକ୍ତ ରଖି ବାସ୍ତବବାଦ ଓ ଆଦର୍ଶବାଦର ମାର୍ଗକୁ ବାଛି ନେଇଥିଲେ । ସମାଜର ପରିବର୍ତ୍ତନକୁ ଦୃଷ୍ଟି ଦେଇ ସେ ଲେଖୁଥିଲେ । ସାହିତ୍ୟର ଆଭିମୁଖ୍ୟ କଣ ହେବ, ତାହା ମଧ୍ୟସେ ବାରମ୍ବାର ବିଷୁବମିଳନ ଅବସରରେ ମତ ପ୍ରକାଶ କରିବାକୁ କିମ୍ବା ‘ଝଙ୍କାର’ ରେ ଲେଖିବାକୁ ଭୁଲୁ ନ ଥିଲେ ।

 

ମହତାବଙ୍କର ଜୀବନ ସହିତ ଥିଲା ନିବିଡ଼ ସମ୍ପର୍କ । ତାଙ୍କର ଜୀବନ ଥିଲା ରାଜନୈତିକ ସଂଗ୍ରାମର ଜୀବନ । ତେଣୁ ତାଙ୍କ ସାହିତ୍ୟରେ ରାଜନୀତିର ଅଭିଜ୍ଞତା ଓ ଅନୁଭୂତି ବାସ୍ତବରୂପରେ ପ୍ରକାଶ ପାଇଚି । ସେ ଯେମିତି ଦେଖିଛନ୍ତି, ଯେପରି ଭାବିଛନ୍ତି, ଅବିକଳ ସେହିପରି ଲେଖିଛନ୍ତି । ତାହାହିଁ ତାଙ୍କର ବିଶେଷତ୍ୱ । ତାହାହିଁ ତାଙ୍କର ଶୈଳୀ ।

 

ପିଲାଦିନୁ ମହତାବ ସାହିତ୍ୟ ପ୍ରତି ଅକୁଣ୍ଠ ଆଗ୍ରହ ରଖିଥିଲେ । ସେ ନିଜେ ଲେଖିଛନ୍ତି, ‘‘ଗାଁ ସ୍କୁଲରେ ପଢୁଥିବାବେଳେ ରାମାୟଣ କଥାକୁ ପଦ୍ୟାକାରରେ ମୁଁ ରଚନା କରିଥିଲି, ପାଲାବାଲାମାନେ ମନରୁ ସଙ୍ଗୀତ ରଚନା କରି ବୋଲି ଯାଉଥିବାର ଦେଖି ମୁଁ ଭାବିଲି, ମୁଁ କାହିଁକି ରଚନା କରି ନ ପାରିବି ? କେବଳ ପଦ ମିଳିବା ଛଡ଼ା ସେ ରଚନାରେ

ଅନ୍ୟ କିଛି ନ ଥିଲା ।’’

 

ତରୁଣ ବୟସରୁ ଜୀବନର ଶେଷ ଦୀପ ଲିଭିଯିବା ପର୍ଯ୍ୟନ୍ତ, କାରାଗାର ମଧ୍ୟରେ ଏକାକୀତ୍ୱ ଜୀବନରୁ କ୍ଷମତା ରାଜନୀତିର ଘନଘଟା ମଧ୍ୟରେ, ମହତାବଙ୍କ ଲେଖନୀ ବନ୍ଦ ହୋଇ ଯାଇନି । ନିରବଛିନ୍ନ ସାଧନାରେ ସେ ଓଡ଼ିଆ ସାହିତ୍ୟ ସମ୍ଭାରକୁ କେବଳ ପୁଷ୍ଟ, ବଳିଷ୍ଠ କରି ନାହାଁନ୍ତି ବରଂ ବହୁ ନୂତନ ଶୈଳୀର ପ୍ରୟୋଗ କରିଛନ୍ତି ଯାହାକୁ କୁହାଯାଏ

ମହତାବୀୟ ଶୈଳୀ ।

 

ଗାଁ ମଜଲିସ୍‌

ମହତାବଙ୍କ ଶୈଳୀର ସବୁଠାରୁ ଆଶ୍ଚର୍ଯ୍ୟଜନକ ସଫଳତା ହେଉଟି ‘ଗାଁ ମଜଲିସ୍‌’ ଡକ୍ଟର ମାୟାଧର ମାନସିଂହ ତାଙ୍କର ‘ଓଡ଼ିଆ ସାହିତ୍ୟ ଇତିହାସ’ ରେ ଲେଖିଛନ୍ତି, ଲୋକ ଚେତନାର ସ୍ତରରେ ଲେଖା, ତାଙ୍କ ‘ଗାଁ ମଜଲିସ୍‌’ ଯାହା ମଫସଲ ଲୋକଙ୍କୁ କଣ କହିବ ଓ କିମିତି କହିବ, ତାର ଏକ ବାଟ ଫିଟାଇଛୁ ବୋଲି କହିବାକୁ ହେବ ।

 

ମହତାବ ୧୯୫୦ ମସିହା ଫେବୃୟାରୀ ଠାରୁ ପ୍ରଜାତନ୍ତ୍ରରେ ଏହି ଫିଚର ଧର୍ମୀ ଲେଖା ଆରମ୍ଭ କଲେ । ସେ ଏହାର ଏପରି ନାମକରଣ ସମ୍ପର୍କରେ ଲେଖିଛନ୍ତି, ରାଜନୈତିକ ହେଉ, ଅର୍ଥନୈତିକ ହେଉ ବା ଯେ କୌଣସି ବିଷୟରେ ହେଉ ସବୁ ଆଲୋଚନାରେ ସାଧାରଣ ଲୋକେ ଅଂଶ ଗ୍ରହଣ କରନ୍ତୁ, ଏହି ଉଦ୍ଦେଶ୍ୟରେ ‘ଗାଁ ମଜଲିସ୍‌’ ର ସୃଷ୍ଟି । ଗ୍ରାମର ସାଧାରଣ ଲୋକଙ୍କ ଭିତରେ ବସି କୌଣସି ବିଷୟ ଆଲୋଚନା କରାଯାଉଛି, ଏପରି ମନେକରି ଏହି ସ୍ତମ୍ଭରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥାଏ । କଲେଜ ବା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ନ କରିଥିଲେ ମଧ୍ୟ ସବୁ ବିଷୟ ବୁଝିବା ଓ ସବୁ ବିଷୟରେ ମତଗଠନ କରିବାର ଉଚ୍ଚଶକ୍ତି ଗ୍ରାମବାସୀଙ୍କର ଅଛି । ସେହି ଶକ୍ତିର ଜାଗରଣ ‘ଗାଁ ମଜଲିସ୍‌’ ର ଉଦ୍ଦେଶ୍ୟ ।

 

‘ଗାଁ ମଜଲିସ୍‌’ ରେ ଯେଉଁସବୁ ବିଷୟ ପ୍ରକାଶ ପାଉଥିଲା ସେଥିରେ ଥିଲା ରାଜନୀତି, ସମାଜନୀତି, ଅର୍ଥନୀତି, ଲୋକଚରିତ୍ର, ଧର୍ମନୀତି, ଶାସନନୀତି, ଗ୍ରାମ୍ୟ ସମସ୍ୟା ଇତ୍ୟାଦିର ସୁଚିନ୍ତିତ ଅଭିବ୍ୟକ୍ତି । ଏହାକୁ ନିରୋଳା ସାହିତ୍ୟ ବୋଲି କୁହାଯିବ ନାହିଁ । ‘ଗାଁ ମଜଲିସ୍‌’ ର ବିଭିନ୍ନ ସଂଖ୍ୟାରେ ମହତାବ ସ୍ଵଦେଶୀ, ସ୍ୱାବଲମ୍ବନ ଓ ସ୍ଵାଭିମାନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ‘ଗାଁ ମଜଲିସ୍‌’ ସାଂପ୍ରତିକ ରାଜନୈତିକ ଚିତ୍ରପଟ୍ଟର ଛବି ମଧ୍ୟ ହୋଇଛି ।

 

ଗଣଶାସନରେ ନିଜ ମତ ଉପରେ ଜିଦ୍‌ ନ ଧରି ଅନ୍ୟର ମତ ପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ୍‌ ଓ ନାନା ପ୍ରକାର ମତ ଆଲୋଚନା ନ କରି, ଶେଷରେ ଯେଉଁ ମତ ସାର ହେବ ସେ ନିଜ ମତର ବିରୁଦ୍ଧ ହୋଇଥିଲେ ମଧ୍ୟ ସେହି ଅନୁସାରେ ଚଳିଯିବା ଉଚିତ୍‌ । ଗଣ ଶାସନରେ ଚଳିବାର ଏହି ହେଉଛି ସବୁଠାରୁ ବଡ଼ ନିୟମ ।

 

ଗାଁରେ ସବୁଠାରୁ ବଡ଼ ଅତୁଆ ହେଉଛି ଟାଉଟର ଅଡୁଆ । ଗାଁକୁ ଟାଉଟର ସର୍ବନାଶ କଲେ, ଘରେ ଘରେ କଳି ଲଗାଇ ଘର ଭାଙ୍ଗିଲେ, ଟାଉଟର ଗୁଡ଼ାଙ୍କୁ ସରକାର ଜବତ କରୁନାହାଁନ୍ତି କାହିଁକି - ଏହି କଥା ସବୁଆଡେ ଶୁଣାଯାଏ । ଦେଶର କାମ କରିବେ ବୋଲି ଯେଉଁମାନେ ବାହାରିଛନ୍ତି ସେମାନେ ଆଇନ ଓ କଚେରୀ ଉପରେ ଜୋର୍‌ ନ ଦେଇ ଗାଁ ନ୍ୟାୟ ଉପରେ ଜୋର୍‌ ଦେଲେ ଅଳ୍ପକେ କଥା ଛିଡ଼ିବ ।’’

 

ଗାଁ କଥା ଲେଖିବାବେଳେ ଗାଁର ଟାଉଟର, ମହାଜନ ବ୍ୟବସ୍ଥା, ପାଣି ସମସ୍ୟା, ପଂଚାୟତ ଓ ନ୍ୟାୟ ବ୍ୟବସ୍ଥା, ଗ୍ରାମ୍ୟ ସଫେଇ ଏପରିକି ଗାଁରେ ସ୍ଵାଧୀନତା ଦିବସ କାହିଁକି ପାଳନ କରାଯିବ ତାହା ଉଲ୍ଲେଖ କରିଛନ୍ତି । ‘ଗାଁ ମଜଲିସ୍‌’ ସ୍ତମ୍ଭରେ ପ୍ରଥମ କେତେକ ଲେଖାରେ କୌଣସି ଶୀର୍ଷକ ଦେଉ ନ ଥିଲେ କିନ୍ତୁ ପରେ ଲେଖାର ଶୀର୍ଷକ ଦେଲେ । ଲେଖାର ଶୀର୍ଷକ ଗୁଡ଼ିକୁ ଅନୁଧ୍ୟାନ କଲେ ଏହାର ସର୍ବବ୍ୟାପକ ଦୃଷ୍ଟିଭଙ୍ଗୀ ଜଣାପଡ଼େ । ଭୋଟ କାହାକୁ ଦେବା, ଲୋକ ପ୍ରତିନିଧି ଓ ସରକାରୀ ଭତ୍ତା, ଭୂଦାନ ଯଜ୍ଞ, ଜମିଜମା ସମସ୍ୟା, ଜଳାଭାବ ଦୂର ହେବ, ଭୂଦାନ ଯଜ୍ଞର ବିଚାରଧାରା, ପ୍ରଜାଶାସନ ଓ ଲାଂଚମିଛ ଅଭିଯୋଗ, ଗ୍ରାମ ପଂଚାୟତ ଓ କୋଠଚାଷ, ଜମି ଉପରେ ଆସ୍ଥାବତୁ, ଭୂଦାନ ଆନ୍ଦୋଳନର ପରିଣାମ, ଫମ୍ପା ଉପଦେଶ ଦିଆ ନ ଯାଉ, ଶ୍ରୀଶୁକ ଉବାଚ, ଲୋକ ପ୍ରତିନିଧି ଓ ସରକାରୀ ଭତ୍ତା, ଜନ ଓ ଯୋଜନା, ଜନତା ଓ ଯୋଜନା, ଭ୍ରଷ୍ଟାଚାର, ସଦାଚାର ସମିତି, ଶାସନର ଅସାଧୁତା, ଜଗନାଥଙ୍କୁ ଜଣାଣ, ପାରାଦୀପ ପରିକଳ୍ପନା, ଭୂରିଶ୍ରବାଙ୍କ ପଗଡିବନ୍ଧା, ନାଉରୀ ନ ଥାଉ ନାଆ, ଭାରତରେ ଶ୍ରମଜୀବୀର ଭୂମିକା, ବିଭବର ପ୍ରତିକ୍ରିୟା, ପାରାଦୀପ ବନ୍ଦର, କିଛି କଣ ଶିକ୍ଷା ହେବ ନାହିଁ । ସାହୁକାର ସମସ୍ୟା, ଆଗପଛ ବିଚାର, ଦରଦାମ ବୃଦ୍ଧିର ଅନୁଧ୍ୟାନ ଆବଶ୍ୟକ, ଜଟିଳ ପରିସ୍ଥିତି, ବଜେଟ୍‌ ବିଚାର, ସେହି ଏକ ସମସ୍ୟା, ରାଜୋଡ଼ା ମନୋବୃତ୍ତି ଯାଇ ନାହିଁ, ଅର୍ଥର ପରାଜୟ ଆବଶ୍ୟକ, ଓଡ଼ିଶାର ଉନ୍ନତି ହେବ କିପରି ? ଯୋଜନା ଓ ଜନତା, ହିସାବ ରଖା ଯାଉ ନାହିଁ, ଜାତୀୟ କରଣର ପରିଣତି, ମାର ମାର ଭଣ୍ଡାରିଆକୁ ମାର୍‌, ଦଶରା ବକ୍‌ସିସ୍‌, ଆହୁରି ସଂକଟ ଘନେଇ ଆସୁଛି, ବିକାଶ କଣ ବିପର୍ଯ୍ୟୟର କାରଣ, ଲଙ୍ଗଳ ଚାଷ ଓ କଲମ ଚାଷ, ଜାତୀୟ କରଣ ଓ ଜନତା, ଶାସନରେ ଅବ୍ୟବସ୍ଥା, ଶାସନ କାହାପାଇଁ, ମୁହଁ ଗୋଟିଏ କଥା ଦୁଇଟା, ଧାନ ଚାଉଳ ସଂଗ୍ରହ ଓ ବଣ୍ଟନ, ଭୂସଂସ୍କାର ଓ ଅନାବାଦୀ ପଟ୍ଟା, ରାଜା କାଳସ୍ୟ କାରଣମ୍‌ ଚାକିରୀ ନୁହେଁ, କାମ ଯୋଗାଣ ଆବଶ୍ୟକ, ଏକାନବର୍ତ୍ତୀ ପରିବାର, ଯୋଜନା ଓ ସମ୍ବଳ, ସମୁଦ୍ର ମନ୍ଥନ, ଆମ ଆଡ଼େ ଦୃଷ୍ଟିପଡୁ କଣ କରାଯାଇପାରେ, ସବୁ ମାଡ଼ ସବାତଳକୁ, ଭୂସଂସ୍କାର ନା ଭୁ-ଗଣ୍ଡଗୋଳ, ଏକ ନୂଆ ଶ୍ରେଣୀର ଉତ୍‌ଥାନ, ଅର୍ଥନୈତିକ ବିଚାର, କାଗଜ ସମସ୍ୟା, କିରାନୀଙ୍କ ସମସ୍ୟା, ଦରଦାମ୍‌, ବିରୋଧାଭାସ, ଚାଷୀପ୍ରତି କି ବିଚାର, ଏତେ ଶୀଘ୍ର ଭୁଲିଗଲେ !!!, ବର୍ଣ୍ଣାଶ୍ରମର ଶେଷ ଚେଷ୍ଟା, ସେ ଚେଷ୍ଟା ନ କଲେ ଭଲ, ଚାଷ ସାଙ୍ଗକୁ ଅନ୍ୟ ଧନ୍ଦା, ସରକାରଙ୍କ ନୀତି ବଦଳୁ, ନିଶା ନିବାରଣ ଓ ମୂଲ୍ୟବୃଦ୍ଧି, ସରକାରଙ୍କ ଚାଉଳ କିଣା ଓ ବିକା, ନୂତନ ଚିନ୍ତା କାର୍ଯ୍ୟକରୁ, ଏହା ହେଉଚି କି ?, ସମୟର ଡ଼ାକ, ଭବିଷ୍ୟତର ବିପଦ, ପାରିବାରିକ ସମ୍ପର୍କ, ଦେଶର ଶତ୍ରୁ, ଜାତିପ୍ରଥା ଓ ଜାତିଆଣା ଭେଦ, ଜାତୀୟତାଭାବ, ଦଳଠାରୁ ଦେଶ ବଡ଼, ସଂଯମର ଆହ୍ଵାନ, ସଂଯମ ଓ ଶୃଙ୍ଖଳା, ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ, ୧୯୬୭ ଅଗଷ୍ଟ ପନ୍ଦରର ସାଇ ତମାମି, କଂଗ୍ରେସର ଆଦର୍ଶ, ପ୍ରତିରୋଧ ଆବଶ୍ୟକ, ଦୁର୍ନୀତି, ନେତୃତ୍ୱ ଓ ନୈତିକତା, ଅମୋଘ ଅସ୍ତ୍ର, ନେତୃତ୍ୱର କର୍ତ୍ତବ୍ୟ, ବିଶୃଙ୍ଖଳା ଓ ଗଣଶିକ୍ଷା, ଖାଲି ତୋଫାନ, ବର୍ଷା କାହିଁ, ନଈ ନ ଦେଖୁଣୁ ଲଙ୍ଗଳା, ଭାରତର ଶିଖିବା ଉଚିତ, ଭୋଗରେ ଲଂଘନ ମଧ୍ୟ ପଥ୍ୟ, ସାଧୁ ସାବଧାନ, ଭାରତର ନୀତି ବିନା ନେତୃତ୍ୱ, ଲୋକଙ୍କ ପ୍ରତି ନ୍ୟାୟ ହେଉ, ପରୋପଦେଶେ ପାଣ୍ଡିତ୍ୟ, ଦଶହରା ଅନୁକୂଳ, ସ୍ଵତନ୍ତ୍ର ଦଳ ସମ୍ମିଳନୀ, ଚିନ୍ତାଶୂନ୍ୟ ବକ୍ତୃତା, କଥା ନୁହେଁ କାର୍ଯ୍ୟ, ମାନିଲେ ଠାକୁର ନ ମାନିଲେ କୁମ୍ଭୀର, ବ୍ୟକ୍ତିଗତ ସ୍ଵାଧୀନତା ଓ ଆଇନର ଶାସନ, ଯୁଗ ପରିବର୍ତ୍ତନ, ଧୀର ବିଚାର ଆବଶ୍ୟକ, କିଏ ବୁଝାଇବ ? ପରୀକ୍ଷାର ବେଳ, ଉଦ୍ଦେଶ୍ୟ ବିହୀନ ଚେଷ୍ଟା, ଆଲୋଚନା ନା ଆନ୍ଦୋଳନ, ଆମେ ସିନା ଭୁଲିଛୁଁ ସେ ଭୁଲିନାହାଁନ୍ତି, ନକ୍ସଲଙ୍କ ନୀତି ଓ କାର୍ଯ୍ୟକ୍ରମ, କାରଣ ଓ ପ୍ରତିକାର ଦେଶର ରାଜନୀତି, ସପ୍ତାହନ୍ତ ବିଚାର, ରାଜନୈତିକ ଲଘୁଚାପ ଓ ଝଡ଼, କେନ୍ଦ୍ର ଓ ପ୍ରଦେଶ, ରାଜ୍ୟ କାଳସ୍ୟ କାରଣଂ, ଯସ୍ମିନ ଦେଶେ ଯଦାଚାର, ଓଧ ସାଙ୍ଗରେ ଭୂଆ ବିରାଡ଼ି ବାଇ, ମୂର୍ଖ ପଣ୍ତିତ ସମସ୍ୟା, ଛାତ୍ର ରାଜନୀତି, ସେହି ସ୍ମରଣୀୟ ଦିବସ, ଭୂମିବଣ୍ଟନ, ଭୋଟ ସରିଲା, ଦର ବଢିଲା, ଗଣତନ୍ତ୍ର ବା ଗଡ଼ତନ୍ତ୍ର, ପରିବର୍ତ୍ତନ ଆବଶ୍ୟକ, ଏହି ହେଉଛି ବେଳ, ଯବନିକା ପତନ, ରାଷ୍ଟ୍ରପତି ଶାସନ, ବିଚାର୍ଯ୍ୟ ବିଷୟ, ସ୍ଥିତାବସ୍ଥା ଚଳିବ ନାହିଁ, ପରିବର୍ତ୍ତନ ଆବଶ୍ୟକ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ବିଚାର ସରିଯାଇଛି, ଏ ନିର୍ବାଚନ ଓ ପୂର୍ବ ଗଡ଼ଜାତ ଅଂଚଳ, ବହିଗଲା ନଇ ଫେରଇ ନାହିଁ, ନିର୍ବାଚନ ପରେ, ଆନ୍ଦୋଳନ ଜାରୀ ରଖିବାକୁ ହେବ, ଘୋଡ଼ା ବେପାର, ରୁକୁଣା ରଥ ଆଉ ଫେରେ ନାହିଁ, ପୂର୍ବବଙ୍ଗ ସମସ୍ୟା, ନୂତନ କଂଗ୍ରେସର ଆଭିମୁଖ୍ୟ, କଥା ନୁହେଁ କାର୍ଯ୍ୟ, ବିରୁଦ୍ଧ ଦଳର ଭୂମିକା, ନିରର୍ଥକ ଚେଷ୍ଟା, ବାଂଲାଦେଶ, ଖୁବ୍‌ ଜୋର ଆଘାତ ଆବଶ୍ୟକ, ଶକ୍ତି ପରୀକ୍ଷା, କଂଗ୍ରେସ ଓ ପିଏସପି, ପ୍ରାର୍ଥୀ ପରିଚୟ, ଗାନ୍ଧିଜୀ ଓ ସମାଜବାଦ, ଇଂଜିନ ଓ ତେଲ, କଂଗ୍ରେସ ସଂଗଠନ, ମାତ୍ର ପଚିଶ ବର୍ଷରେ, ସମ୍ବିଧାନ ଗତ ଝଡ, ଅବଶେଷରେ ଗଲା, ଯୁଦ୍ଧରେ ଜିତିବାକୁ ହେବ, ଇତିହାସର ଚକ୍ର, ଜୟହିନ୍ଦ୍‌, ଦଳ ମିଶ୍ରଣ, ଦେଶ ପ୍ରସ୍ତୁତ, ବେପାରୀ ନୀତି, ଆମ୍ଭେ ଏକା, ଆଙ୍ଗାଙ୍ଗୀଭାବ, ବିଜୟର ଆରମ୍ଭ ଯାତ୍ରା, ଲାଭ କ୍ଷତିର ହିସାବ, ଯେ ଯାହା ସୁଖ ଯେ ମନାସିବେ, ବେଶୀ ଦିନ ଚାଲିବ ନାହିଁ, ଭୋଟ, ଭୋଟ, ଭୋଟ, ନୂତନ ଯୁଗର ନୂତନ ବିଚାର, ଚାରୁ ମର୍ଜୁମ୍‌ଦାର, ବେଜଲ୍‌ଗେଟ୍‌ ହତ୍ୟା, ଅଭୁଲା ଦିନଟିଏ ଜାତୀୟ ସଂହତି, ବାଣ୍ଟିନେବାକୁ ହେବ, କଲିକତା କଂଗ୍ରେସ, କାହାକୁ କିଏ ଠକୁଛି ?, ନବବର୍ଷର ଅଶୁଭ ସଂକେତ, ଲୋକଙ୍କ ଦୃଷ୍ଟିରୁ, ଏ ଜାତି ତା ସହିବ ନାହିଁ, ଓଡ଼ିଆଙ୍କ ପାଇଁ ଓଡ଼ିଶା, କଂଗ୍ରେସ ଦୃଷ୍ଟିରୁ, ଏତେ ବେଖାତିର କାହିଁକି, ବିଚିତ୍ର ପରିସ୍ଥିତି, ନିଜ କଥା, ଏତେ ଅସହିଷ୍ଣୁ କାହିଁକି ?, ଦଳର ଶାସନ ନା ଆଇନର ଶାସନ, ଦାୟିତ୍ଵ ଶୂନ୍ୟ କାରବାର, ମ୍ୟୁନିସ୍‌ପାଲିଟି ନିର୍ବାଚନ, କଟକ ବନ୍ଦ, ଖରାପ ମିସ୍ତ୍ରୀ ଯନ୍ତ୍ରକୁ ଦୋଷ ଦିଏ, ଅବୁଝା ରାଜାଙ୍କ ବୁଝାମଣା, ସ୍ଵର୍ଗକୁ ସିଡ଼ି, ଦୁଇଟି ରାଜ୍ୟ ଦୁଇଟି ଶ୍ରେଣୀ, ଅରାଜକତାର ପୂର୍ବାଭାସ, ବ୍ରେଜନେଭଙ୍କ ପରାମର୍ଶ, ପୋଲିସ୍‌ ଓ କଂଗ୍ରେସ, କଥାର ଆଉ ଅର୍ଥ ନାହିଁ ଏଇଥି ପାଇଁ ଏତେ, ପ୍ରଗତି ଦଳ କାହିଁକି ?, ଦୁଃଖ କହିବ କାହାକୁ, ନିର୍ବାଚନ ପ୍ରସଙ୍ଗ, ଆଜିର କଂଗ୍ରେସ କରୁଛି କଣ ?, ଭୋଟ ଦେବେ କେଉଁଠି ?, ସେ ଯୁଗ ଫେରିବ ନାହିଁ, ନିର୍ବାଚନ ପରେ, ଏକ ବିଡ଼ମ୍ବନା, ହିଂସା ପ୍ରଶ୍ରୟ ପାଏ କାହିଁକି ?, ଆପତ୍ତି ଶୁଣିବାକୁ ହେବ, ଭାରତ ବର୍ତ୍ତମାନ ଏକୁଟିଆ, ବିନୋବାଜୀଙ୍କ ବିଚାର, ଆଶାର ଆଲୋକ, ଗଣତନ୍ତ୍ର ବିପନ୍ନ କି ?, ଅହିଂସାର ଆହ୍ୱାନ, ସେ ଯୁଗ କଣ ଫେରୁଛି, ଅନାବଶ୍ୟକ, ଆମକୁ ବଡ ବାଧୁଛି, ବିପ୍ଳବ ନମ୍ୱର ଦୁଇ, ନିର୍ଦ୍ଦଳୀୟ ରାଜନୀତି, ଛାତ୍ର ଓ ରାଜନୀତି, ପୁଣି ସେ ଯୁଗ ଫେରିବ, ଜୟ ପ୍ରକାଶ, ବନ୍ୟାର ପ୍ରକୋପ, ଶତାଦ୍ଦୀର ମୋଡ଼, ଯୁବଶକ୍ତିର ବିନିଯୋଗ, ଇମର୍ଜେନ୍ସିର ଅନ୍ୟ ଦିଗ, ଗଭୀର ରାଜନୈତିକ କାରଣ, ଅତି ଡ଼େରି ହେଉଛି, ନୂତନ ଅଙ୍କର ଆରମ୍ଭ, ଏହା ହିଁ ସାଧାରଣ ଅବସ୍ଥା, ନ କହିଲେ ପ୍ରତିକାର କାହିଁ, ପ୍ରଧାନମନ୍ତ୍ରୀ ନିଜେ ବୁଝନ୍ତୁ, ସମସ୍ତେ କାରାମୁକ୍ତ ହୁଅନ୍ତୁ, ମନେପଡ଼େ, ବନ୍ଦୀ ମୁକ୍ତ ହିଁ ପ୍ରଥମ କାର୍ଯ୍ୟକ୍ରମ,ଲୋକେ ଏତେ ହିଂସାକୁ କି ? ନିର୍ବାଚନ ପଶାଖେଳ ନୁହେଁ, ଆସନ୍ତା ନିର୍ବାଚନ ଭୋଟ ଏବଂ ପ୍ରାର୍ଥୀ ଉଣେଇଶ ମାସ ପରେ, ପ୍ରଜାରାଜା ହେବେ କେବେ ?, ଇମର୍ଜେନ୍ସିର କ୍ଷୟକ୍ଷତି, ନିଷିଦ୍ଧ ଅନୁଷ୍ଠାନ, ସ୍ୱେଚ୍ଛାଚାର ଚଳିବ ନାହିଁ, ଦୁଇଟି ଯାକ ଆବଶ୍ୟକ, ଦୁଃସ୍ଵପ୍ନର ଅବସାନ, ଭାରତୀୟ ଗଣତନ୍ତ୍ର ସଫା ସିଲଟରେ ଲେଖା ଆରମ୍ଭ, ଇମର୍ଜେନ୍ସିର କାଳରାତ୍ରୀ, ଶୁଭ ସଂକେତ, ଇତ୍ୟାଦି ।

 

‘ଗାଁ ମଜଲିସ୍‌’ ରେ କେତେଗୁଡ଼ିଏ ଲେଖାରେ ଶୀର୍ଷକ ଦେଇଥିବା ବେଳେ ଅନ୍ୟ କେତେକରେ ଆର୍ଦୌ ଶୀର୍ଷକ ନାହିଁ । ବିଷୟବସ୍ତୁ ଦୃଷ୍ଟିରୁ ବିଚାର କଲେ ଏହା ସାମାଜିକ ଓ ରାଜନୈତିକ ଚିତ୍ର ବହନ କରେ । ଅତି ବାସ୍ତବ ଓ ନିଛକ କଥାର ଅବତାରଣା ଏଥିରେ ଦେଖିବାକୁ ମିଳେ । ସମସ୍ତଙ୍କ ମନରେ ସାହସ ଓ ସ୍ଵାଭିମାନ ଉଦ୍ରେକ କରିବା ପାଇଁ ସେ ସତତ ଚେଷ୍ଟା କରିଛନ୍ତି, ଗାନ୍ଧିଜୀ ତାଙ୍କର ‘ହରିଜନ’ ଓ ‘ୟଙ୍ଗ ଇଣ୍ଡିଆ’ରେ ଯେପରି ସବୁକଥାକୁ ଲେଖୁଥିଲେ । ମହତାବ ‘ଗାଁ ମଜଲିସ୍‌’ ରେ ସେଇ ଧାରାର ଥିଲେ ପ୍ରବର୍ତ୍ତକ । ‘‘କିଛି ବିପଦ ପଡ଼ିଲେ ସାଧାରଣ ଲୋକେ ହତାଶ ହୋଇପଡ଼ନ୍ତି, ମନେ କରନ୍ତି ଯେ ଦଇବ ବିଦ୍ରୋହ କରୁଛି । ଏହି ଅବସ୍ଥାର ସୁବିଧା ନେଇ ନାହାକ ପହଂଚିଯାଏ, ଜାତକ ଦେଖି ଭଲ ମନ୍ଦ କରିବା ପାଇଁ ... । ସବୁ କଥାକୁ ବୁଝି ବିଚାରୀ, ଦମ୍ଭ ଧରି ପଇସା ଖର୍ଚ୍ଚ ଗାଁ ଲୋକେ କରିବା ଉଚିତ୍‌ ।’’ ‘‘ଭୋଗର ଅହମିକାରେ ଯେପରି ଲୋକ ଠିକ୍‌ ବିଚାର କରି ନ ପାରେ, ତ୍ୟାଗର ଅହମିକାରେ ମଧ୍ୟ ସେହିପରି ବିଚାର ଶୁଦ୍ଧି ହୁଏ ନାହିଁ ।’’ ଗାନ୍ଧିଜୀଙ୍କର କୁଟୀର ଶିଳ୍ପ ଉପରେ ଗୁରୁତ୍ଵଦେଇ ଲେଖିଛନ୍ତି, ‘‘ଯେ କୌଣସି ତତ୍ତ୍ୱ ବା ସିଦ୍ଧାନ୍ତକୁ ପରଖିବାକୁ ହେଲେ ତାକୁ ବ୍ୟକ୍ତିଗତ ଜୀବନ ସାଙ୍ଗରେ ମିଶାଇ ଦେଖିବାକୁ ହେବ । ଯଦି ତା ଠିକ୍‌ ଖାପ ଖାଇଗଲା ତେବେ ସେ ଠିକ୍‌, ନ ହେଲେ ସେ ତତ୍ତ୍ୱରେ କିଛି ଭୁଲ ଅଛି ବା ସେ ତତ୍ତ୍ୱକୁ ଭୁଲ ବୁଝାଯାଉଛି । ଭୟରେ କାମ ହାସଲ କରିବାକୁ ନ ପାଇ ପ୍ରୀତିରେ କାମ ହାସଲ କରିବା ହେଉଛି ମୋଟାମୋଟି ଗାନ୍ଧିନୀତି ।’’ ‘‘କିରାଣୀ ଦରମା ପାଏ ଚାଳିଶ କି ପଚାଶ ଟଙ୍କା । ଡ୍ରାଇଭର ଦରମା ପାଏ ଷାଠିଏ କି ସତୁରୀ । କିନ୍ତୁ କିରାଣୀକୁ ଚୌକି ମିଳେ, ଡ୍ରାଇଭରକୁ ଚୌକି ମିଳେନାହିଁ । ଏଣୁ କିରାଣୀ ହେବାପାଇଁ ଯେତେ ମନ, ଡ୍ରାଇଭର ହେବା ପାଇଁ ସେତେ ମନ ନୁହେଁ । ସମାଜରେ ସମାନ ଆସନର ବ୍ୟବସ୍ଥା ହୋଇଗଲେ ବହୁ ପରିମାଣରେ ବେକାର ସମସ୍ୟାର ସମାଧାନ ମଧ୍ୟ ହୁଅନ୍ତା ।’’

 

ଆଜିକାଲି ଗ୍ରାମ ଜୀବନ ଭାଙ୍ଗିଗଲାଣି । ତେଣୁ ପୋଥି ଖଣ୍ଡିଏ ବସାଇ ଗାଁର ପାଞ୍ଚ ଜଣ ଯେ ଶାସ୍ତ୍ରପୁରାଣ ଶୁଣୁଥିଲେ ଓ ସେହି ସାହାଯ୍ୟରେ ନିଜ ଜୀବନ ତଥା ସଂସ୍କାର ସମ୍ବନ୍ଧରେ ଏକ ଦୃତ ସାଧାରଣ ଜ୍ଞାନ ପୋଷଣ କରିପାରୁଥିଲେ, ସେ ସୁବିଧା ଆଜି କାଲି ଚାଲିଗଲାଣି । ବାଡି ଘରେ ଖନ୍ଦ କଲେ ବାଡ ଘୁଂଚେଇବା ଆଡ଼କୁ ମନଯିବ ନାହିଁ ।

 

ମହତାବ ଗାଁ ସଂପର୍କରେ ଲେଖିବାବେଳେ ଗାଁର ଲୋକେ ମିଳିମିଶି ଚଳିବାକୁ, ବ୍ୟାପକ ଭାବରେ ଗାନ୍ଧିନୀତିକୁ ଜୀବନରେ ପ୍ରୟୋଗ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି । ‘ଗାଁ ମଳଲିସ୍‌’ ରେ ଲୋକଶିକ୍ଷା ଦେବାପାଇଁ ଲେଖାଯାଏ । ସେ ଶାସନ ଅବସ୍ଥା ସଂପର୍କରେ ଲେଖିଛନ୍ତି, ‘‘ଶାସନ ଚାଲିବା ଯେପରି ଦରକାରୀ, ଲୋକେ ମଧ୍ୟ ଶାସନକୁ ଚଳାଇ ଶିଖିବା ସେହିପରି ଦରକାରୀ । ଲୋକ ଯଦି ଶାସନ ଚଳାଇ ନ ଶିଖିବେ, ତେବେ ଶାସନଟା ଖାଲି ଶୂନ୍ୟରେ ଚାଲି ପାରିବ ନାହିଁ । ଭୋଟ ପାଇଯାଇ ମନ୍ତ୍ରୀ ହୋଇଗଲେ ଲୋକଶାସନ ହୁଏ ନାହିଁ । ଶାସନର ପ୍ରତି କ୍ଷେତ୍ରରେ କଅଣ ହେଉଛି ବୁଝିବା ଓ କେଉଁଠି କଣ ହେବା ଉଚିତ୍‌ ସେ ବିଷୟରେ ମତ ଦେବା ଏସବୁ ଲୋକ ଶାସନ ପାଇଁ ଅତି ଦରକାରୀ ।

 

ମଝିରେ ମଝିରେ ‘ଗାଁ ମଜଲିସ୍‌’ ବନ୍ଦ ହୋଇଯାଇଥିବାରୁ ଲୋକମାନେ ଚିଠିପତ୍ର ଦେଇ ପୁଣି ଲେଖିବାକୁ ଅନୁରୋଧ କରିଛନ୍ତି । ‘ଗାଁ ମଜ୍‌ଲିସ୍‌’ ଲେଖା ମାଧ୍ୟମରେ କାର୍ଯ୍ୟ ହେଉ ନ ଥିବାର ଅନୁଭବ କରି ସେ ଆଉ ଲେଖିବାକୁ ଚାହିଁଲେ ନାହିଁ । କିନ୍ତୁ ପରେ ଯେତେବେଳେ ଲେଖିବାକୁ ଆରମ୍ଭ କରିଛନ୍ତି, ତାହାର କାରଣ ମଧ୍ୟ ଦେଇଛନ୍ତି । ‘‘କାମ ନ ହେଉ ପଛକେ.ଆଲୋଚନା ଚାଲିଥାଉ, ଦିନେ ହେଲେ ତ କାମ ହେବ । ଏ ମଧ୍ୟ ଠିକ୍‌ କଥା । ଗଛରେ ଯେତେବେଳେ ଫଳ, ଫଳ ଗଛ କଅଣ ଭାବେ ଫଳକୁ କେହି ଖାଇବେ ବୋଲି । କେହି ନ ଖାଇଲେ ମଧ୍ୟ ଖାଲି ତଳେ ପଡ଼ି ଶୁଖିଯିବା ପାଇଁ ମଧ୍ୟ ଗଛରେ ଫଳ ଫଳେ ।’’ ଏହି ବିଚାରରୁ ପୁଣି ଗାଁ ମଜଲିସ୍‌ର ଆରମ୍ଭ । ଗାଁର ଅବସ୍ଥା ପରିବର୍ତ୍ତନ କରିବାକୁ ହେଲେ ଲେଖିପଢି ଜାଣିଥିବା ଲୋକ ସ୍ଵଚ୍ଛ ମନରେ ନିଜକୁ ବଡ଼ ନ ଭାବି ସାଧାରଣ ଲୋକଙ୍କ ସାଙ୍ଗରେ ମିଶିଲେ ଦେଶର ବିଚାରଧାରା ଏକ ପ୍ରକାର ହୋଇଯାନ୍ତା ଏହି ମତ ପୋଷଣ କରୁଥିଲେ ମହତାବ । ସ୍ପଷ୍ଟ ମତପ୍ରକାଶ ଉପରେ ଗୁରୁତ୍ଵ ଦେଇ ସେ କହିଥିଲେ, କୌଣସି କାରଣରୁ ଜଣେ ଯଦି ନିଜର ସ୍ପଷ୍ଟ ମତ ପ୍ରକାଶ କରିବାକୁ ପ୍ରସ୍ତୃତ ନୁହେଁ, ତେବେ ସେ ନୀରବ ରହିବା ବରଂ ଶ୍ରେୟସ୍କର । କିନ୍ତୁ ଭୁଲ ମତ ଓ ବିଶେଷତଃ ଜାଣିଶୁଣି ନିଜର କୌଣସି ସ୍ଵାର୍ଥସାଧନ ପାଇଁ ଭୁଲ ମତ ପ୍ରକାଶ ଅତି ମାରାତ୍ମକ । ଶାସନ ବ୍ୟବସ୍ଥାର ଲୋକମାନଙ୍କ ପ୍ରତି କିପରି ହେୟ ମନୋଭାବ ପ୍ରକାଶ ପାଉଛି, ତାହା ଉଲ୍ଲେଖ କରିଛନ୍ତି । ‘‘ଲୋକେ ମରିଯାଉଛନ୍ତି, ଏ ସଂବାଦ ଯେପରି ସହଜରେ ପ୍ରଚାରିତ ହେଉଛି ଓ ଯେପରି ଏହାର କୈଫିୟତ ସହଜରେ ଦିଆହେଉଛି, ଏଥିରେ ଲୋକଙ୍କର ଜୀବନରେ ମୂଲ୍ୟ ସେପରି ବେଶି ବୋଲି ମନେ ହେଉନାହିଁ । ଅଥଚ ଏହି ଦେଶରେ ଜଣେ କେହି ଅନାହାରରେ ମଲେ ତୁମୁଳ ଆନ୍ଦୋଳନ ହେଉଥିଲା । ଲୋକଙ୍କ ଜୀବନ ପ୍ରତି ଯେତିକି ମୂଲ୍ୟ ଦିଆଯିବାର କଥା, ତାହା ଦିଆହେଉ ।’’

 

ଶ୍ରୀଜଗନ୍ନାଥ ଓ ପୁରୀ ମନ୍ଦିରକୁ କେନ୍ଦ୍ରକରି ତାଙ୍କର କେତେଗୁଡ଼ିଏ ରଚନା ଅତ୍ୟନ୍ତ ଚମତ୍କାର । ବିଶେଷକରି ‘ଶ୍ରୀଜଗନ୍ନାଥଙ୍କୁ ପତ୍ର’ ଓ ‘ଶ୍ରୀଜଗନ୍ନାଥଙ୍କ ଉତ୍ତର’ ।

 

‘ତୁମର ବଡଦାଣ୍ଡରେ ଭିଖାରି ସବୁ ଯେପରି ଦାୟିତ୍ୱଶୂନ୍ୟ ଭାବରେ ଏଠି ସେଠି ହାତ ପତାଇ ଜୀବନଯାପନ କରୁଛନ୍ତି, ଭାରତବାସୀ ଆଜି ସେହିପରି, ଉନ୍ନତ ଚିନ୍ତା ପରିବର୍ତ୍ତେ ଆଜି ପ୍ରକାଶ ପାଇଛି ଦୁର୍ନୀତିର ଚିନ୍ତା ।’’

 

‘‘ତୁମେ ଥାଉ ଥାଉ ଏହା କିପରି ହେଉଛି ? ଭାରତ ଟିକିଏ ଦୂର, ତୁମେ ତ ଓଡ଼ିଶାର ଦେବତା, ଆମର ଏହି ପୁରୀର ଅଧିବାସୀ, ଓଡ଼ିଶା ଓଡ଼ିଶା କହି ଯେଉଁ ସ୍ଵପ୍ନ ମଧୁ-ଗୋପବନ୍ଧୁ ଦେଖି ଆସିଥିଲେ, ସେ ଆଜି କାହିଁ ?’’

 

‘‘ତୁମର ଶ୍ରୀକ୍ଷେତ୍ରକୁ ଭାରତର ଏକ ବିଶିଷ୍ଟ ସାଂସ୍କୃତିକ ପୀଠ ଓଡ଼ିଶାବାସୀ କରିପାରୁଛନ୍ତି କି ? କାହିଁକି ତାହା ତୁମେ ବୁଝିପାରୁଥିବ !’’

 

ଶ୍ରୀଜଗନ୍ନାଥଙ୍କ ତରଫରୁ ଚମତ୍କାର ଉତ୍ତର ମଧ୍ୟ ଲେଖକ ଦେଇଛନ୍ତି । ମନୁଷ୍ୟର କର୍ତ୍ତବ୍ୟ ନେଇ ସେ କହିଛନ୍ତି, ‘‘ମନୁଷ୍ୟ ଭିତରେ ଦେବତ୍ୱ ଓ ମାନବତ୍ୱ ଦୁଇଟି ସମାନ ଭାବରେ ରହି ଆସିଛି । ବିଧାତା ମନୁଷ୍ୟକୁ ଶକ୍ତି ଦେଇଛନ୍ତି, ଦାନବତ୍ୱକୁ ଦବାଇ ଦେବତ୍ଵର ବିକାଶ ସାଧନ କରିବା ପାଇଁ, ମନୁଷ୍ୟ ଯଦି ସେଥିରେ ସମର୍ଥ ଓ ସବଳ, ତେବେ ତାହା ମନୁଷ୍ୟର ବିଜୟ, ଯଦି ସେ ଅସମର୍ଥ ତେବେ ମନୁଷ୍ୟର ପରାଜୟ ।’’

 

‘‘ମନେରଖ, ବ୍ୟକ୍ତିବିଶେଷ ଓ ଦଳବିଶେଷ କୁଆଡ଼େ ଉଡ଼ିଯିବେ କିନ୍ତୁ ଭାରତର ମନୁଷ୍ୟତ୍ଵ ଅକ୍ଷୁଣ୍ଣ ହୋଇ ରହିବ ।’’

 

‘‘ମନୁଷ୍ୟର ଶକ୍ତି ଈଶ୍ଵରଙ୍କର ରୂପ ଦିଏ । ସେହି ଶକ୍ତି ଯେଉଁଠି ସେହି ମୋର ଭକ୍ତ ଅନ୍ୟମାନେ ଦେଖଣାହାରୀ । ମୁଁ ସେମାନଙ୍କୁ ଚାହେଁ ନାହିଁ ।’’

 

ଏତିକିରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆଲୋଚନାକୁ ସୀମିତ କରି ରଖିନାହାଁନ୍ତି । ରଥଯାତ୍ରାର ଚିରନ୍ତନତା, ବର୍ତ୍ତମାନର ଆଡ଼ମ୍ବର, ପରିଚାଳନା ଗତ ଦୋଷ ତ୍ରୁଟି ଇତ୍ୟାଦି ତାଙ୍କ ଆଲୋଚନା ପରିସରକୁ ଆସିଛି । ମହତାବ ଜରୁରୀକାଳୀନ ପରିସ୍ଥିତି ବେଳେ ‘ଗାଁ ମଜଲିସ୍‌’ ରେ ‘ଶ୍ରୀମତୀଙ୍କ ମାମଲା’ ଲେଖି ଜେଲ୍‌ ଯାଇଥିଲେ । ଭଂଜନଗର ଜେଲ୍‌ରେ ଥିବାବେଳେ ସେ ଏକ ଦୀର୍ଘ ପତ୍ର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ଲେଖିଥିଲେ । ସେହି ଚିଠିର ଶେଷ ବାକ୍ୟଟି ଥିଲା, ‘‘୧୯୪୫ ସାଲ୍‌ ଜୁନ୍‌ରେ ଦୀର୍ଘ ଚାରିବର୍ଷ ପରେ କାରାମୁକ୍ତ ହୋଇ ଭାବିଥିଲି ଆଉ ଜେଲ୍‌ଖାନା ଭୋଗିବାକୁ ହେବନାହିଁ । ସେତେବେଳେ ହେଲି ବ୍ରିଟିଶ ଜେଲ୍‌ରୁ ମୁକ୍ତ । ଠିକ୍‌ ତିରିଶ ବର୍ଷ ପରେ ଆଜି କଂଗ୍ରେସ ଜେଲ୍‌ରେ ଆବଦ୍ଧ । ବିଧିର ଏ ବିଡ଼ମ୍ବନା ।’’

 

ଠିକ୍‌ ହେଉ ବା ଭୁଲ ହେଉ, ମହତାବ ଯାହା ଯେତେବେଳେ ଭାବିଛନ୍ତି, ଦେଖିଛନ୍ତି ତାହା ପ୍ରକାଶ କରିବାକୁ ଆଦୌ କୁଣ୍ଠାବୋଧ କରିନାହାଁନ୍ତି । କୌଣସି ଲାଭ କ୍ଷତିର ବିଚାର କରି ନାହାଁନ୍ତି । ମହତାବ ‘ଗାଁ ମଜଲିସ୍‌’ ରେ ଓଡ଼ିଶାର ପ୍ରଚଳିତ ବହୁ ଗୁଡ଼ିଏ ବୋଲି ଓ ଢଗର ଅବତାରଣା କରିଛନ୍ତି । ମାର୍‌ ମାର୍‌ ଭଣ୍ଡାରିଆକୁ ମାର, ବିନା ସୂତାରେ ହାଟ ହୁଏ ନାହିଁ, ମାନିଲେ ଠାକୁର ନ ମାନିଲେ ପଥର, ଷୋହଳବର୍ଷର ତପସ୍ୟା ଶୁଖୁଆ ମୁଣ୍ଡରେ ଆଜି ଯାଉଛି, ନଈ ନ ଦେଖୁଣୁ ଲଙ୍ଗଳା, ମୂଳୁ ମାଇଲେ ଯିବ ତାଳ ଦେବଙ୍କ ସଙ୍ଗେ କିମ୍ବା ଖେଳ, ଓଧ ସାଙ୍ଗରେ ଭୁଆ ବିରାଡି ବାର, ବହିଗଲା ନଈ ଫେରେ ନାହିଁ, ରୁକୁଣା ରଥ ଆଉ ଫେରେ ନାହିଁ, ଭୁରୁଡ଼କୁ ମହାଦେବ ସହିତେ ପାରିବେ ନାହିଁ ଯେ ଯାହା ସୁଖ ଯେ ମନାସିବେ, ସାତଚକଟା ପୋହଳ୍‌ ଘଣ୍ଟା, ବିଭୂତି ଭୁଷଣ ଗାଲିଚିକଟା, ଦିନେ ନାହିଁ କାଳେ ନାହିଁ, ଲୁଚିଛି ନା ଗୋଡ ଦିଓଟି ଦିଶୁଛି, ମିଆଁ ପୁଅ ହଗହଗ, ପେଟପୋଷ ନାହିଁ ଦୋଷ, ହାଟର ମଧ୍ୟେ ବ୍ରହ୍ମଜ୍ଞାନ, ଗୋଦଡା କୋଡେ ଯେତେ ମାଡ଼େ ସେତେ, କଣ୍ଟାବାଡରେ ଲୁଗା ପକାଇ ଝଗଡ଼ା, ଧର୍ମକୁ ଆଖିଠାର ମାରିବା, ବଣ ପୋଡ଼ିଗଲେ ସମସ୍ତେ ଜାଣନ୍ତି, ମନ ପୋଡ଼ିଗଲେ ......, ପୁଣି କାଳିଆ ଲେଉଟିଲା, ଚାଷୀ ହୁଡ଼ିଲେ ବରଷେ ଭୋଟ ଦାତା ହୁଡ଼ିଲେ ପାଂଚବର୍ଷ, କଙ୍କଡା କଣିଆ କହିଲା ବାଆ, ମୂଲ ଫେରେଇ ଦେଇ ଆଲୋ ମାଆ, ଆପଣା ମନ ଆପେ ଗୁରୁ-ଉଦ୍ଧବ କେତେ ହେଁ ପଚାରୁ, ଅଧମବିତ୍ତ ବଢେ ବହୁତ, ଗଲାବେଳେ ଯାଏ ମୂଳ ସହିତ, ମଠରେ ଯେଉଁମାନେ ରହନ୍ତି, ସେମାନେ ଚାଉଳ ଦର ଜାଣନ୍ତି ନାହିଁ, ଇତ୍ୟାଦି ସେହି ଲେଖାଗୁଡ଼ିକରେ ପ୍ରକାଶ ପାଇ ଏହାର ଗୁଣାତ୍ମକ ବୃଦ୍ଧି କରିଛି । ସମୟ ସମୟରେ ଚମତ୍କାର ଉପମା ମଧ୍ୟ ପ୍ରୟୋଗ କରିଛନ୍ତି, ‘ସମୁଦ୍ର ଜୁଆରର ବାଲିବନ୍ଧର ଅବସ୍ଥା ପରି ଭାରତର ଯୋଜନା ଭାଙ୍ଗି ପଡୁଛି ।’

 

ମହତାବ ତାଙ୍କ ଉପରେ କରାଯାଇଥିବା ଦୁର୍ନୀତିର ଦୋଷାରୋପ ସଂପର୍କରେ ଅତି ଚମତ୍କାର ଉଦାହାରଣ ଦେଇ ବୁଝାଇଛନ୍ତି । ପ୍ରଥମରେ ପରିହାସରେ କହିଛନ୍ତି, -

 

‘‘ସାତଚକଟା ପୋଳସି ଘଣ୍ଟା

ବିଭୂତିଭୂଷଣ ଗାଲିଚିକଟା

ଚିଲ ପ୍ରସାଦେ ଉଡି ଚଉଦଭୁବନ

ବଇଁଚି ପକାଉଛି ବୁଢା ପଠାଣ ।’’

 

ଏହାକୁ ବୁଝାଇ ଲେଖିଛନ୍ତି, କଉ ମାଛଟିଏ, ପୋହଳରେ ଧରା ପଡ଼ିଲା । ପାଉଁଶ ବୋଳାହୋଇ ଗାଲିଚି କଟା ହେଲା । ସେଠୁଁ ଚିଲ ନେଇଗଲା, ଚିଲ ମୁହଁରୁ ଖସି ପୁଣି ପାଣିରେ ପଡ଼ିଲା । ତାକୁ ବଇଉଁଚିରେ ଧରିବା ପାଇଁ ଚେଷ୍ଟା କରିବାରୁ ମାଛ ଉପରୋକ୍ତ ପ୍ରକାରେ ପରିହାସ କରିଥିଲା । ଆଜି ଯେଉଁମାନେ ବିରୁଦ୍ଧରେ ଲାଗି ପଡ଼ିଛନ୍ତି ସେମାନେ ସେତେବେଳକାର ବିରୋଧୀ ବ୍ୟକ୍ତିମାନଙ୍କ ତୁଳନାରେ ଅତି କ୍ଷୁଦ୍ର । ତଥାପି ସେମାନେ ସେମାନଙ୍କ ଧର୍ମ ପାଳନ କରୁଛନ୍ତି । ମୁଁ ମଧ୍ୟ ମୋର ଧର୍ମ ପାଳନ କରୁଛି । ସେ ଭବଭୂତିଙ୍କର ଶ୍ଳୋକର ଉଦାହରଣ ଦେଇଛନ୍ତି :-

 

‘‘ଜନାମି କେଚିତ ମାଂ କଥୟନ୍ତ୍ୟବଜ୍ଞାଂ

ଜାନନ୍ତିତେ କିମପି ତାନ୍‌ ପ୍ରତିନୈଷ ଯତ୍ନଃ ।

ଉତ୍ପସ୍ୟତେ ମମନୋଽପି ସମାନଧର୍ମାଃ

କାଳୋହ୍ୟୟମ୍‌ ନିରବଧି ବିପୁଳାଚ ପୃଥ୍ୱୀ ।’’

 

ଏହାର ଅର୍ଥ, ‘‘ମୁଁ ଜାଣେ ମୋତେ କେତେକ ଅବଜ୍ଞା କରୁଛନ୍ତି । ସେମାନେ ଜାଣନ୍ତି ଯେ ମୁଁ ସେମାନଙ୍କ ପାଇଁ ଯତ୍ନ କରୁନାହିଁ । ମୋରି ପରି ସମାନ ଧର୍ମୀ ଜନ୍ମ ହେବେ । କାଳ ଅନନ୍ତ, ପୃଥିବୀ ମଧ୍ୟ ବିପୁଳା, କେବଳ ମୋର ଜୀବନ ନୁହେଁ, ପ୍ରତ୍ୟେକଙ୍କ ଜୀବନ ଏକ ଖେଳ । ସେ ଖେଳର ନିର୍ଦ୍ଦେଶକ ମନୁଷ୍ୟ ନୁହେଁ । ଯାହାର ଜୀବନ ଯେପରି ନିର୍ଦ୍ଦେଶିତ, ସେ ସେହିପରି ଚାଲିଛି । ଜୀବନ ଶେଷରେ କିଛିକାଳ ଅତୀତ ହେଲେ, ଯେତେବେଳେ ଆଜିର କୋଳାହଳ ନିସ୍ତବ୍‌ଧ ହୋଇ ଯାଇ ପୁଣି ନୂତନ କୋଳାହଳ ଚାଲିଥିବ, ସେତିକିବେଳେ ଧୀର ସ୍ଥିର ଭାବରେ ପ୍ରତ୍ୟେକର ଜୀବନ ବିବେଚିତ ହେବ । ସେଥିପାଇଁ ନିଜ ଖେଳକୁ ଛାଡ଼ିଦେବା କାହାରି ଦୋଷାରୋପକୁ ଭ୍ରୁକ୍ଷେପ କରି ଦବିଯିବା, କୌଣସି ଜୀବନର ଧର୍ମ ନୁହେଁ, ମୋର ନୁହେଁ ।’’

 

ମହତାବ ତାଙ୍କର ରାଜନୈତିକ ଧର୍ମ ସହିତ ସାହିତ୍ୟିକ ଧର୍ମ ପାଳନ କରିଛନ୍ତି । ‘ଗାଁ ମଜଲିସ୍‌’ ତାଙ୍କର ସାହିତ୍ୟିକ ଧର୍ମ ପାଳନର ମୁଖ୍ୟ ଉପବିଜ୍ୟ ହୋଇଛି । ସେଇଥିପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ୧୯୮୩ ମସିହାରେ ପୁରସ୍କୃତ କରାଯାଇଥିଲା ଏବଂ ଏହି ପୁରସ୍କାର ଓ ସମ୍ମାନ ୧୯୮୪ ମସିହା ଏପ୍ରିଲ ୩୦ ତାରିଖରେ ଭୁବନେଶ୍ଵର ସୂଚନା ଭବନଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ପ୍ରଦାନ କରାଯାଇଥିଲା ।

 

ଆତ୍ମଜୀବନୀ

ସାର୍ଥକ ଆତ୍ମରଚିତ ହେଉଛି, ଯିଏ ଜୀବନର କଥା, ଅଭିଜ୍ଞତାର କଥା ଖେଳ ପଟରେ ବିବୃତି କରିପାରନ୍ତି, ତାହାଙ୍କ ଗ୍ରନ୍ଥରେ ସତ୍ୟ ଯେପରି ସୁନ୍ଦର ଓ ଅଭାବନୀୟ ପ୍ରାଣ ରସରେ ପରିପୁଷ୍ଟ ହୋଇ ଉଠେ, ତାହା ଚିରଦିନର ସାହିତ୍ୟ ହିସାବରେ ଅନବଦ୍ୟ । ଆତ୍ମଚରିତ ଲେଖକଙ୍କ ପକ୍ଷରେ ଅତି ମାତ୍ରାରେ ନମ୍ରତା ବା ଅତି ମାତ୍ରାରେ ଆମ୍ମ-ସଚେତନତା ଉଭୟ କ୍ଷତିକର ।

 

ଅକ୍ସଫୋର୍ଡ ଏନ୍‌ସାଇକ୍ଳୋପିଡ଼ିଆରେ କୁହାଯାଇଛି, ‘The author who writes about himself has naturally the fullest knowledge of all the facts, and can speak of them with genuine feeling, but he cannot write with real objectivity and he lacks the advantage which ever a slight distance in time usually gives the biographer in seeing his subject in true perspective. Autobiography, therefore, rarely con-veys a man’s whole history satisfactorily as: does biography, though it may give the reader a vivid sense of reality.

 

ଆତ୍ମଜୀବନୀ ଲେଖକ ନିରପେକ୍ଷତା ଅବଲମ୍ବନ କରିବା କଷ୍ଟକର ଏବଂ ନିଜ ଜୀବନ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଦେବା ମଧ୍ୟସମ୍ଭବ ନୁହେଁ । କିନ୍ତୁ ଡ଼କ୍ଟର ଜନସନଙ୍କ ମତରେ ଜୀବନଚରିତ ନିଜ ଦ୍ଵାରା ଲେଖା ହେବା ଉଚିତ୍‌ କାରଣ ଏହା ଦ୍ଵାରା ଜୀବନୀ ଲେଖକ ନିଜ ଜୀବନର ଘଟଣାବଳୀ ଓ ମାନସିକ ଅବସ୍ଥାର ନିର୍ଭୁଲ ବିବରଣୀ ଦେଇ ପାରନ୍ତି ।

 

ଭାରତୀୟ ସାହିତ୍ୟରେ ଆତ୍ମଜୀବନୀ ନିର୍ଦ୍ଧାରଣ କଷ୍ଟସାଧ୍ୟ ହେଲେ ମଧ୍ୟ ବହୁ ମହାନ୍‌ ବ୍ୟକ୍ତି ବିଶେଷ ନିଜର ଜୀବନୀ ନିଜେ ଲେଖି ଯାଇଛନ୍ତି ଏବଂ ମହାତ୍ମାଗାନ୍ଧୀଙ୍କ ଆତ୍ମଜୀବନୀ ‘‘ମୋ ସତ୍ୟ ପରଖର କାହାଣୀ’’ (My experiments with truth) ବହୁ ଚର୍ଚ୍ଚିତ ଓ ବହୁ ଆଲୋଚିତ ଆତ୍ମଜୀବନୀ ।

 

ଗାନ୍ଧିଜୀ ତାଙ୍କର ଆତ୍ମଜୀବନୀର ପୂର୍ଣ୍ଣାହୁତିରେ ଲେଖିଛନ୍ତି, ‘‘ପାଠକଙ୍କଠାରୁ ମେଲାଣି ନେଲାବେଳେ ମୋର ଦୁଃଖ ହେଉଛି । ମୋ ଦୃଷ୍ଟିରୁ ମୋର ଏ ପରଖ ଅତି ମୂଲ୍ୟବାନ । ମୁଁ ଏହାର ଯଥାଯଥ ବର୍ଣ୍ଣନା କରିପାରିଛି କି ନାହିଁ ଜାଣେ ନାହିଁ । ଯଥାଯଥ ବର୍ଣ୍ଣନା କରିବା ପାଇଁ ମୁଁ ମୋର ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛି । ସତ୍ୟକୁ ମୁଁ ଯେପରି ଭାବରେ ଦେଖିଛି ଓ ଯେଉଁ ବାଟରେ ଦେଖିଛି, ତାକୁ ସେହିପରି ଭାବରେ ସେହି ବାଟରେ ବର୍ଣ୍ଣନା କରିବାକୁ ବରାବର ଚେଷ୍ଟା କରିଛି । ପାଠକମାନଙ୍କ ଆଗରେ ଏସବୁ କହିଦେବା ଫଳରେ ବା ମୋର ଚିତ୍ତ ଶାନି ଅନୁଭବ କରିଛି ।’’

 

‘‘ସତ୍ୟର ସାଧନା କରି ମୁଁ ଆନନ୍ଦ ଅନୁଭବ କରିଛି ଓ କରୁଛି । କିନ୍ତୁ ମୁଁ ଜାଣେ ଯେ ମୋତେ ଦୁର୍ଗମ ପଥ ଅତିକ୍ରମ କରିବାକୁ ହେବ । ଏଥିପାଇଁ ମୋତେ ନିଜକୁ ଶୂନ୍ୟବତ୍‌ କରିଦେବାକୁ ହେବ । ମଣିଷ ଯେ ପର୍ଯ୍ୟନ୍ତ ସ୍ଵତଃପ୍ରଚାର ହୋଇ ନିଜେ ନିଜକୁ ସବୁଠାରୁ ଛୋଟ ନ ମଣିଛି ସେ ପର୍ଯ୍ୟନ୍ତ ତାର ମୁକ୍ତି ନାହିଁ । ଅହିଂସା ହେଉଛି ନମ୍ରତାର ପରାକାଷ୍ଠା - ଚରମ ପରିଣତି । ଏ ନମ୍ରତା ବିନା ଯେ ମୁକ୍ତି କଦାପି ମିଳିବ ନାହିଁ - ଏହା ଅନୁଭବ ସିଦ୍ଧ କଥା ।’’

 

ମହତାବ ଛାତ୍ର ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ଵାରା ପ୍ରଭାବିତ ହୋଇ ସାର୍ବଜନୀନ ଜୀବନକୁ ଆପଣେଇ ନେଇଥିଲେ । ସ୍ଵାଧୀନତା ସଂଗ୍ରାମରେ ସେ ପ୍ରଭାବିତ ହେଲେ ଗାନ୍ଦିଜୀଙ୍କ ଦ୍ୱାରା ଏବଂ ଗାନ୍ଧିଦର୍ଶନକୁ ନିଜର ବିଚାର ଭାବେ ଗ୍ରହଣ କରିଥିଲେ ସମଗ୍ର ଜୀବନ । ତେଣୁ ତାଙ୍କର ଆତ୍ମଜୀବନୀ ‘‘ସାଧନାର ପଥେ’’ ଓଡ଼ିଆ ସାହିତ୍ୟର ଏକ ସଫଳ କୃତି ।

 

ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କର ଆତ୍ମଜୀବନୀ ପ୍ରଥମ ଓ ସର୍ବଶ୍ରେଷ୍ଠ ପୁସ୍ତକ ଭାବରେ ଗ୍ରହଣୀୟ । ଏହା ପରେ ଗୋଦାବରୀଶ ମିଶ୍ରଙ୍କର ‘ଅର୍ଦ୍ଧଶତାଦ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’, ନୀଳକଣ୍ଠ ଦାସଙ୍କ ‘ଆତ୍ମଜୀବନୀ’, ଜନସେବକ ଲକ୍ଷ୍ମୀନାରାୟଣ ସାହୁଙ୍କର ‘ମୋର ବାରବୁଲା ଜୀବନ’, ନାଟ୍ୟକାର ବୈଷ୍ଣବ ପାଣିଙ୍କ ‘ଜୀବନୀ’, ଶଶିଭୂଷଣ ରାୟଙ୍କର ‘ଷାଠିଏ ବର୍ଷ ତଳର ଓଡ଼ିଶା’, ହରେକୃଷ୍ଣ ମହତାବଙ୍କର ‘ସାଧନାର ପଥେ, ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଏ ଜାତୀୟ ଜୀବନର ଆତ୍ମବିକାଶ’, ପବିତ୍ର ମୋହନ ପ୍ରଧାନଙ୍କ ‘ମୁକ୍ତି’ ପଥେ ସୈନିକ’, ଚନ୍ଦ୍ରଶେଖର ମିଶ୍ରଙ୍କ ‘ସତ୍ୟବାଦୀରେ ସାତବର୍ଷ’ ଇତ୍ୟାଦି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଅନେକ ଆତ୍ମଜୀବନୀ ଲେଖା ହେଲାଣି ଓ ଲେଖା ହେଉଛି ।

 

ମହତାବ ନିଜ ଆତ୍ମଜୀବନୀ ‘ସାଧନାର ପଥେ’ ଲେଖିବାର ଉଦ୍ଦେଶ୍ୟ ସଂପର୍କରେ ଲେଖିଛନ୍ତି, ‘ଜୀବନରେ ସମୟ ଆସେ, ଯେତେବେଳେ ମନୁଷ୍ୟ ପଛକୁ ଅନାଇ ଅତୀତର ଆଲୋଚନା କରେ । ପ୍ରତ୍ୟେକ ଜୀବନ ବାସ୍ତବିକ ତା ପକ୍ଷରେ ଏକ ବିରାଟ ସାଧନା । ସେ ନିଜେ ତାହା ଜାଣି ପାରୁ ବା ନ ପାରୁ, ତାର ନିଜ ଜୀବନଟି ମଧ୍ୟରେ ସେ ନାନା ଅବସ୍ଥାର ତାଡ଼ନା ଭିତରେ ଗତିକରି ତାର ନିର୍ଦ୍ଦିଷ୍ଟ ସାଧନା ସେ ସମ୍ପାଦନ କରୁଛି । ଜୀବନଟି ଜନ୍ମଠାରୁ ଆରମ୍ଭ ହୋଇନାହିଁ କି ମୃତ୍ୟୁରେ ତାର ଶେଷ ହୋଇ ଯାଉନାହିଁ । ବହୁ ଅଭିଜ୍ଞତା ଓ ସାଧନା ପ୍ରତ୍ୟେକ ଜୀବନ ବହୁକାଳରୁ ଅର୍ଜନ କରି ଆସୁଛି ଓ ବହୁକାଳ ପର୍ଯ୍ୟନ୍ତ ସେହିପରି କରି ଚାଲିଥିବ । ଏ ସମସ୍ତ ଭିତରେ କୌଣସି ନିୟମ ଓ ଶୃଙ୍ଖଳା ନିର୍ଣ୍ଣୟ କରିବା ସାଧାରଣ ମନୁଷ୍ୟର କାମ ନୁହେଁ । ସିଦ୍ଧସାଧକମାନେ କିଛି ହେଲେ ଯାହା ଅନୁଭବ କରିଥିବେ, ସେ ଦିଗରେ ମନ ଦେବା ପାଇଁ ମଧ୍ୟ ସାଧାରଣ ଲୋକର ଅବସର ନାହିଁ ବା ସ୍ପୃହା ନାହିଁ । ଏତିକି ଭାବିଲେ ଯଥେଷ୍ଟ ହେବ ଯେ ପ୍ରତ୍ୟେକ ନିଜ ନିଜର ସାଧନାର ପଥ ଅତିକ୍ରମ କରିଯାଉଛନ୍ତି । ପଥ ମଝିରେ ଯେପରି ଆଗକୁ ଯିବାପାଇଁ ବେଳେବେଳେ ପଛକୁ ଅନାଇବାକୁ ପଡ଼େ, ସେହିପରି ନିଜ ଜୀବନର ଅତୀତ ଅନୁଭୂତି ମଧ୍ୟ ଆଲୋଚନା କରିବାର ଆବଶ୍ୟକତା ଥାଏ । ଦୈନନ୍ଦିନ ବିବରଣୀ ଲେଖି ରଖିବା ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ଏକ ଆଶ୍ରମ ନିୟମ । ତଦ୍ଵାରା ନିଜକୁ ନିଜେ ଜାଣିବାରେ ସାହାଯ୍ୟ ମିଳେ । ଅଭ୍ୟାସବଶତଃ ମୁଁ ଦୈନନ୍ଦିନ ବିବରଣୀ ଲେଖି ଆସୁଛି । ବହୁ ଚିଠିପତ୍ର ସମ୍ଭାଳି ରଖିବାରେ ମୋର ଉତ୍ସାହ ବରାବର ଅଛି ।’’

 

‘‘ନିଜ ବିଚାରରେ ନିଜେ ଦୃଢ ରହି ସଂସାର ଭିତରେ ଠେଲି ପେଲି ଚାଲିବା ମୋର ସ୍ଵଭାବ ହୋଇଗଲାଣି । ତାହା ଭଲ କି ମନ୍ଦ ଅତୀତକୁ ଆଲୋଚନା କରି ଜାଣି ହେବ । ସାର୍ଥକତା ଓ ବ୍ୟର୍ଥତାର ପରସ୍ପର ସଂଘାତରେ ନିଜର ଲକ୍ଷ୍ୟ ଠିକ୍‌ ରଖି ଗତି କରି ପାରୁଛି କି ନା, ତାହା ମଧ୍ୟ ଜୀବନରେ ଜାଣିବା ଉଚିତ୍‌ । ଏହିସବୁ ବିଚାରରୁ ମୋର ଜୀବନ କାହାଣୀ ଲେଖେ । ଏଥିରୁ ଭଲ କରି ସମସ୍ତେ ଜାଣି ପାରିବେ ଯେ ଏଥିରେ କୌଣସି ପ୍ରକାର ବିଶେଷତ୍ୱ କିଛି ନାହିଁ ବା କିଛି ରହସ୍ୟ ମଧ୍ୟନାହିଁ ।’’

 

ମହତାବଙ୍କର ଆତ୍ମଜୀବନୀ ମଧ୍ୟରେ ଓଡ଼ିଶାର ସ୍ଵାଧୀନତା ଆନ୍ଦୋଳନ, କଂଗ୍ରେସର ରୂପରେଖ, ଗଡ଼ଜାତ ପ୍ରଜା ଆନ୍ଦୋଳନ ଓ ସେ ସମୟରେ ଓଡ଼ିଶାର ଚିତ୍ରର ସ୍ପଷ୍ଟ ଆଭାସ ମିଳେ । ଗୋପବନ୍ଧୁଙ୍କ ପରେ ମହତାବ ଓଡ଼ିଶାରେ ମୁକ୍ତି ସଂଗ୍ରାମର ଥିଲେ ମଂଗୁଆଳ । ତେଣୁ ସ୍ଵାଭାବିକ ଭାବେ ତାଙ୍କ ଜୀବନରେ ଏହାର ବିସ୍ତାରିତ ଆଭାସ ଦେଖାଯାଏ । ତୃତୀୟ ଶ୍ରେଣୀରେ ପଢିବାବେଳେ ସେ ‘‘ଇମିଟେସନ ଅଫ୍‌ କ୍ରାଇଷ୍ଟ’’ ଓ ସ୍ଵାମୀ ବିବେକାନନ୍ଦ ଓ ରାମକୃଷ୍ଣଙ୍କ ଜୀବନୀ ପୁସ୍ତକ ପଢିଥିଲେ । ତାହା ତାଙ୍କ ଜୀବନକୁ ଏକ ସ୍ଥିରୀକୃତ ମାର୍ଗରେ ନେବା ବିଷୟରେ ଉଲ୍ଲେଖ କରିଛନ୍ତି ।

 

ମହତାବଙ୍କ ଆତ୍ମଜୀବନୀରୁ ସେ ସମୟରେ ଜେଲ୍‌ଖାନାରେ କିପରି ବ୍ୟବହାର କରାଯାଉଥିଲା, ତାହାର ଚିତ୍ର ଅତ୍ୟନ୍ତ ମାର୍ମିକ । ‘‘ଦୁଇଖଣ୍ଡ ଜଙ୍ଘିଆ, ଯାହା ମୋର ଜଙ୍ଘର ଅଧେ ପର୍ଯ୍ୟନ୍ତ ଆସୁଥିଲା, ଦୁଇଖଣ୍ଡ ହାତ ନ ଥିବା ଜାମା ଓ ଖଣ୍ଡେ ଛୋଟ କନା ମିଳିଥାଏ ଗାମୁଛା କରିବା ପାଇଁ । ଆଉ ଖଣ୍ଡେ ଟୋପି । ତିନିକୋଣିଆ ଏକ ଇଂଚ ମୋଟା କାଠଖଣ୍ଡିକରେ କୟଦୀ ନମ୍ବର, କେତେ ମାସ ସଜା, ଜେଲ୍‌ ହେବ । ତାରିଖ ତା ଉପରେ ଗରମ ଲୁହାରେ ଜଗା ହୋଇଥାଏ । ସେ ପତଳା ଲୁହାଛଡ଼ରେ ଗୁନ୍ଥା ହୋଇ ମାଳି ପରି ବେକରେ ଗଛ ପାଖରେ ଏପରି ଆଣ୍ଟିଦିଆ ହୋଇଥାଏ ଯେ, ସେ କାଠମାଳ ଆଉ ବାହାରି ପାରିବ ନାହିଁ । ଅନେକ ଚତୁର କୟେଦୀ ଏହାକୁ ଏପରି କରାଇ ନେଇଥାନ୍ତି ଯେ, ରାତିରେ ଶୋଇବାର ସୁବିଧା ପାଇଁ ତାକୁ ଖୋଲି ରଖି ଦିଅନ୍ତି, ପୁଣି ସକାଳୁ ପିନ୍ଧି ନିଅନ୍ତି । ମୋର ମାଳକୁ ଜଣେ ଏହିପରି ସଜାଡି ଦେଇଥିଲା । ପରେ ମୁଁ ଗାଧୁଆବେଳେ ଏହି ମାଳାକୁ କାଢି ରଖିଦେଇ ଗାଧୋଉଥିଲି । ଥରେ ଜେଲ୍‌ର ଆସିଗଲେ ଓ ମୋତେ ଅଙ୍ଗୁଳି ଦେଖାଇ ସାଙ୍ଗରେ ଥିବା ଜମାଦାରକୁ ପଚାରିଲେ, ଏହାର ମାଳା କାହିଁ ? ଜମାଦାର ହଠାତ୍‌ ମୋ ପାଖକୁ ଆସି ଧକ୍କାଏ ମାରି କହିଲେ, ମାଳା କାଢି ପକାଇଲୁ, ତୁରନ୍ତ ମିସ୍ତ୍ରୀ ଡକାଇ ବେକ ପଛଆଡ଼େ ଲୁହାଛଡର ଦୁଇ ମୁହଁ ଝଳାଇ ଦେଲେ । ଆଉ ତାହା ଶେଷ ପର୍ଯନ୍ତ ବାହାରିବନାହିଁ ।’’

 

ମହତାବ ଗାନ୍ଧିଜୀଙ୍କ ପ୍ରେରଣା ସାହଚର୍ଯ୍ୟ ଓ ଉପଦେଶ ଲାଭ କରି ନିଜର କର୍ମମୟ ଜୀବନକୁ ଅଧିକ ସକ୍ରିୟ, ସୁସଂହତ କରି ପାରିଥିଲେ ଏବଂ ଗାନ୍ଧିଜୀଙ୍କ ଆଦର୍ଶ ତାଙ୍କର ଆଦର୍ଶ ହୋଇଥିଲା । ବାଲେଶ୍ଵର ଜିଲ୍ଲାକୁ ଆସିଥିବା ସମୟରେ ଗାନ୍ଧୀ ମହତାବଙ୍କ ତୋଡ଼ାଙ୍ଗଠାରେ ଥିବା କଚେରୀ ଘରେ ବିଶ୍ରାମ ନେଇଥିଲେ । ତାହାର ସ୍ମୃତିଚାରଣ କରି ସେ ଲେଖିଛନ୍ତି, ‘‘ଭଦ୍ରଖରେ ମହାତ୍ମାଜୀ ମୋତେ ଓ ସୁଭଦ୍ରା ଦେବୀଙ୍କୁ ସୂତା କଟାଇ ପରୀକ୍ଷା କରିଥିଲେ । ଏତିକିବେଳେ କହିଲେ ଯଥେଷ୍ଟ ହେବ ଯେ, ସେ କେତେଦିନ ମହାତ୍ମାଗାନ୍ଧୀଙ୍କ ସଂସ୍ପର୍ଶରେ ଆସି ମୁଁ ନିଜକୁ ନିଜେ ଉନ୍ନତ ଓ ଦୂତମନା ଅନୁଭବ କଲି । ତାଙ୍କ ଜୀବନର ଦୈନନ୍ଦିନ ଛୋଟ ଛୋଟ କାର୍ଯ୍ୟରୁ ନିଜ ଜୀବନର ଅନେକ ବଡ ବଡ ସମସ୍ୟା ସମାଧାନର ଉପାୟ ଦେଖିପାରିଲି ।’’

 

ମହତାବ ଥିଲେ ଅସାଧାରଣ ବୁଦ୍ଧିସମ୍ପନ୍ନ ରାଜନୈତିକ ନେତା । ତାଙ୍କର ଜନସମ୍ପର୍କ ଥିଲା ବେଶ୍‌ ବଳିଷ୍ଠ । ଏହାର ଚାକ୍ଷୁସ ପ୍ରମାଣ ମିଳେ ଗଡ଼ଜାତ ଆନ୍ଦୋଳନ ସମସ୍ୟା ସମାଧାନ କରିବା ବେଳେ । ପଦପଦବୀରେ ଥିବା ଯେଉଁମାନଙ୍କ ସହିତ ତାଙ୍କର ସମ୍ପର୍କ ସ୍ଥାପନ ହୋଇଛି, ସେ ସେମାନଙ୍କୁ ରାଜା ଓ ଜନସାଧାରଣଙ୍କର ସ୍ଵାର୍ଥରକ୍ଷା କରିବା ପାଇଁ ବ୍ୟବହାର କରିବାକୁ ଭୁଲିନାହାଁନ୍ତି । ଗଡ଼ଜାତ ସମସ୍ୟା ସମାଧାନରେ ସେ ମିସ୍‌ ଆଗାଆ ହାରିସନ୍‌, ସି.ଏଫ, ଆଣ୍ଡୁଜ୍‌, ସାର୍‌ ଜନ୍‌ ଅଷ୍ଟିନ୍‌ ହବାକ୍‌, ରେସିଡ଼େଣ୍ଟ କଲ୍‌ ବାର୍ଟାନ୍‌ ମେଜର ସାର୍ଲି, ମେଜର ଷ୍ଟିଫେନସନ୍, ମେଜର ଶ୍ରୀଯଗରି, କ୍ୟାପଟେନ ଗ୍ରିମସ୍‌ ଇତ୍ୟାଦିଙ୍କୁ ପ୍ରଭାବିତ କରି ପାରିଥିବାରୁ ସେମାନେ ତାଙ୍କୁ ଅନେକ ସାହାଯ୍ୟ କରିଥିଲେ । ଏପରିକି ରଣପୁର ଆନ୍ଦୋଳନରେ ବେଜଲ୍‌ଗେଟ ହତ୍ୟାକାଣ୍ଡରେ ତାଙ୍କୁ ଯେତେବେଳେ ସଂପୃକ୍ତ କରାଗଲା, ସେତେବେଳେ ମିସ୍‌ ହରିସନ୍‌ ଓ ମେଜର୍‌ ଷ୍ଟିଫେନ୍‌ସନ୍‌ଙ୍କ ହସ୍ତକ୍ଷେପ ଯୋଗୁଁ ସେ ରକ୍ଷା ପାଇଥିଲେ । ଗାନ୍ଧିଜୀ ଓ ସୁଭାଷ ବୋଷଙ୍କ ସଂପର୍କ ଓ କାର୍ଯ୍ୟଶୈଳୀ ସଂପର୍କରେ ମହତାବଙ୍କର ବକ୍ତବ୍ୟ ତାଙ୍କର ଆତ୍ମଜୀବନୀକୁ ଅଧିକ ପ୍ରାଣବନ୍ତ କରିଛି ଏବଂ ଏହାକୁ ଏକ ଐତିହାସିକ ଦଲିଲ୍‌ର ମର୍ଯ୍ୟାଦା ପ୍ରଦାନ କରିଛି । ‘‘ସୁଭାଷ ବାବୁଙ୍କ ସମ୍ବନ୍ଧରେ ମୋର ବ୍ୟକ୍ତିଗତ ଜ୍ଞାନ ଥିବାରୁ ମୁଁ ଏତିକି କହିପାରେ ଯେ, ତାଙ୍କ ସହିତ ସର୍ଦ୍ଦାର ବଲ୍ଲଭଭାଇ ପ୍ରଭୃତିଙ୍କର ବ୍ୟକ୍ତିଗତ ସଂଘର୍ଷ ଆଦୌ କିଛି ନ ଥିଲା, ଯେପରି ବାହାରର ଅନେକ ଲୋକ କହନ୍ତି ବା ପ୍ରଚାର କରନ୍ତି । ସୁଭାଷବାବୁ ଜଣେ ଷୋଳଣା ବିପ୍ଳବୀ, ତଥା ଗାନ୍ଧିଜୀ ମଧ୍ୟ, ମାତ୍ର ସୁଭାଷବାବୁଙ୍କ କର୍ମକୌଶଳ ଓ ଗାନ୍ଧିଜୀଙ୍କ କର୍ମକୌଶଳ ଭିତରେ ଆକାଶ ପାତାଳ ପ୍ରଭେଦ । ଥରେ ସଭାପତି ପଦ ପାଇଁ ପୁନଃପ୍ରାର୍ଥୀ ହେବା ପୂର୍ବରୁ କଲିକତାରେ ମୁଁ ସୁଭାଷ ବାବୁଙ୍କ ଘରେ ଥାଏ । ସେ ତାଙ୍କ କର୍ମକୌଶଳ ମୋ ସହିତ ଆଲୋଚନା କରିଥିଲେ । ତାଙ୍କର ଦୃଢମତ ଥିଲା ଯେ କଂଗ୍ରେସ ଇଂଲଣ୍ଡ ବିରୋଧୀ ଶକ୍ତିମାନଙ୍କ ସଂପର୍କରେ ଆସି ସେମାନଙ୍କ ସହଯୋଗରେ ଇଂରେଜ ସାମ୍ରାଜ୍ୟର ମୂଳଛେଦ ସାଧନ କରିବାକୁ ହେବ । ଅନ୍ୟଥା ଭାରତର ସ୍ଵାଧୀନତା ଅସମ୍ଭବ । ମାତ୍ର ଗାନ୍ଧିଜୀଙ୍କ କର୍ମକୌଶଳ ପୃଥକ୍‌ । ମୁଁ ଉଭୟ କର୍ମକୌଶଳ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଛି । କାର୍ଯ୍ୟନିବାହିକା ସମିତିରେ ମୁଁ ସମସ୍ତ ଆଲୋଚ୍ୟ ବିଷୟକୁ ବ୍ୟବହାରିକ ଦୃଷ୍ଟିରୁ ବିଚାର କରି ନିଜର ମତ ଦେଇଥାଏ । ଅବଶ୍ୟ ଏ ମତ ବହୁ ପରିମାଣରେ ନେତାମାନଙ୍କ ମତଦ୍ୱାରା ପ୍ରଭାବିତ ହୁଏ ମାତ୍ର ବ୍ୟବହାରିକ ଦୃଷ୍ଟିରୁ ପ୍ରତ୍ୟେକ ବିଷୟ ବିଚାର କରିବା ଉଚିତ୍‌ ଓ ସେହିଦୃଷ୍ଟିରୁ ଯାହା କର୍ତ୍ତବ୍ୟ, ତାହା ହିଁ ଗାନ୍ଧୀବାଦ ବୋଲି ମୋର ଧାରଣା । ସେହି ଦୃଷ୍ଟିରୁ ସୁଭାଷବାବୁଙ୍କ କର୍ମକୌଶଳ ଓ ଗାନ୍ଧୀଙ୍କ କର୍ମ କୌଶଳ ବିଚାର କରି ମୁଁ ମନରେ ସ୍ଥିରି କଲି ଯେ ଗାନ୍ଧିଜୀଙ୍କ କର୍ମକୌଶଳ ବ୍ୟାବହାରିକ ଦୃଷ୍ଟିରୁ ଅତି ଠିକ୍‌, ତଦନୁସାରେ ମୁଁ ଗତି କରି ଆସୁଛି ।’’

 

ଏହି ଆତ୍ମଜୀବନୀର ଅନ୍ୟ ଏକ ବିଶେଷତ୍ଵ ହେଉଛି ଓଡ଼ିଶାର ସ୍ୱାଧୀନତା ଆନ୍ଦୋନଳରେ ଯୋଗ ଦେଇଥିବା ନେତାମାନଙ୍କର ସହିତ ତାଙ୍କର ସଂପର୍କ ଉପରେ ଆଲୋଚନା । ଏହାର ଅବଶ୍ୟ ଏକ ଆଭାସ ଚିତ୍ର ମିଳେ । ସେ କାହା ପ୍ରତି ଇର୍ଷାନ୍ୱିତ ହୋଇ ନାହାଁନ୍ତି କିମ୍ବା କାହା ବିରୁଦ୍ଧରେ ଅତିରଂଜିତ କରି ବଖାଣି ନାହାଁନ୍ତି । କିନ୍ତୁ ନିଜର ଆକଳନ ସଂପର୍କରେ କହିବାକୁ ମଧ୍ୟ ଭୁଲିନାହାଁନ୍ତି । ଭାରତ ସେବକ ସମିତିର ସଭ୍ୟ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ସଂପର୍କରେ କହିଛନ୍ତି, ‘‘ଲକ୍ଷ୍ମୀନାରାୟଣବାବୁ ନିଜେ ବିସ୍ତୃତ ପରିଧି ମଧ୍ୟରେ ବିଚରଣ କରିବାର ସୁବିଧା ପାଇଥିବାରୁ ସେ ଆମକୁ ବିସ୍ତୃତ ପରିଧିର କଳ୍ପନାରେ ଖୁବ୍‌ ସାହାଯ୍ୟ କରିଥିଲେ । ସାଧାରଣ ଜୀବନ ବୋଲନ୍ତେ ଯାହା ବୁଝାଏ, ତାହା ଧାରଣ କରିବାର ସୁବିଧା ମୁଁ ତାଙ୍କ ନିକଟରୁ ପାଇଥିଲି ।’’

 

ମଧୁସୂଦନ ଦାସ ଥିଲେ ଉକ୍ତଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା । ସେ ତାଙ୍କର ସାନ୍ନିଧ୍ୟରେ ମଧ୍ୟ ଆସିଥିଲେ । ତାଙ୍କ ସହିତ ତାଙ୍କର ସମ୍ପର୍କ ଓ ସେ କିପରି ମଧୁବାବୁଙ୍କୁ ଆକଳନ କରିଛନି ତାହାକୁ ଊଲ୍ଲେଖ କରି ଲେଖିଛନ୍ତି ଯେ, ‘‘ତାଙ୍କର ଚିନ୍ତାଧାରା, ସାହସ ଓ ଉତ୍ସାହବାଣୀରେ ମୁଁ ଖୁବ୍‌ ଅନୁପ୍ରାଣିତ ହେଉଥିଲି । ଏପରିକି ସେତେବେଳେ ‘ଦି ଓରିୟା’ ବୋଲି ଯେଉଁ ଇଂରେଜି ସାପ୍ତାହିକ ପତ୍ରିକା ସେ ବାହାର କରୁଥିଲେ, ତାର ଅନେକ ଲେଖା ମୁଁ ମୁଖସ୍ଥ କରି କେତେକକୁ ଲେଖି ଆମ ମେସ୍‌ରେ ଚାରିଆଡ଼େ ଟଙ୍ଗାଇ ଥିଲି । ଗୋଟିଏ ବାକ୍ୟ ଯାହା ବର୍ତ୍ତମାନ ସୁଦ୍ଧା ମୋ କାନରେ ଝଙ୍କାରୁଛି, ସେ ହେଉଛି, ‘‘ବଂଶଧରମାନଙ୍କ ପାଇଁ ନ୍ୟାୟ ହାସଲ କରିବାକୁ ହେଲେ ନିଜର ରକ୍ତଦାନ ସେଥିପାଇଁ ବେଶୀ କିଛି ବଡ କଥା ନୁହେଁ ।’’ ଓଡ଼ିଶା ଦେଶ ମିଶ୍ରଣ ଦାବୀ ସଂପର୍କରେ ମଧୁବାବୁ ଏକଥା କହିଥିଲେ । ସେ ସଂପର୍କରେ ସେ ମଧ୍ୟ କହିଥିଲେ ବଙ୍ଗଦେଶର ଇତିହାସରୁ ଆମର ଶିଖିବାର ଅଛି । ବଂଗଦେଶର ‘‘ବନ୍ଦେ ମାତରମ୍‌’’ ଆନ୍ଦୋଳନରୁ ଓଡ଼ିଶାର ବହୁତ କିଛି ଶିଖିବାର ଅଛି, ଏକଥା ମଧୁବାବୁ ବରାବର ଆମକୁ କହୁଥିଲେ । ମଧୁବାବୁଙ୍କ ସହିତ ଖୁବ୍‌ ନିକଟ ସମ୍ପର୍କରେ ଆସି ଦିନେ ହେଲେ ଦେଶର ସ୍ଵାଧୀନତା ଓ ସେଥିପାଇଁ ଜୀବନଦାନ ଏ ସମ୍ମନ୍ଧରେ କିଛି ଶୁଣିନାହିଁ ।’’

 

ମହତାବ ପଣ୍ଡିତ ଗୋପବନ୍ଧୁଙ୍କୁ ଅତି ଉଚ୍ଚସ୍ଥାନ ଦେଇଛନ୍ତି ଏବଂ ତାଙ୍କୁ ‘ଓଡ଼ିଶାରେ ସେବାଭାବର ପ୍ରଥମ ପ୍ରବର୍ତ୍ତକ’’ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ନାଗପୁର କଂଗ୍ରେସରେ ତାଙ୍କ ସହିତ ତାଙ୍କର ପ୍ରଥମ ପରିଚୟ ହୋଇଥିଲା । ପ୍ରଥମ ପରିଚୟରେ ଅବଶ୍ୟ ମହତାବ ଗୋପବନ୍ଧୁଙ୍କ ନିଷ୍ପତ୍ତିରେ ଖୁସି ହୋଇନାହାଁନ୍ତି । ସେ ଗୋପବନ୍ଧୁଙ୍କୁ ଓଡ଼ିଶାର ନ୍ୟାୟସଙ୍ଗତ ନେତା ମଧ୍ୟ କହିଛନ୍ତି ଏବଂ ଗୋପବନ୍ଧୁଙ୍କ ଉଦାର ହୃଦୟ ଯୋଗୁଁ ପ୍ରାଦେଶିକ କଂଗ୍ରେସ କମିଟି ଉତ୍ସାହ କେନ୍ଦ୍ର ହୋଇ ଉଠିଥିଲା । ସେ ନିଜର ମତଦେଇ ଲେଖିଛନ୍ତି, ‘‘ଓଡ଼ିଶାର ସମବେତ କର୍ମଠ ରାଜନୈତିକ ଜୀବନ ନୂଆ ହୋଇ ଆରମ୍ଭ ହେଉଥିବା ସ୍ଥଳେ, ସେତେବେଳେ ଯେତେଦୂର ସମ୍ଭବ ମିଳିମିଶି ସମସ୍ତେ କାର୍ଯ୍ୟ କରୁଥିଲେ ଓ ତାହା କେବଳ ସମ୍ଭବ ହୋଇଥିଲା ପଣ୍ଡିତ ଗୋପବନ୍ଧୁଙ୍କ ହୃଦୟବାର୍ତ୍ତା ଯୋଗୁଁ ।’’

 

ଗୋପବନ୍ଧୁଙ୍କୁ ମହତାବ ଯେଉଁ ଉଚ୍ଚସମ୍ମାନ ଦେଇଛନ୍ତି, ପଣ୍ଡିତ ନୀଳକଣ୍ଠଙ୍କୁ ସେପରି ସ୍ଥାନ ଦେଇ ନାହାଁନ୍ତି । କଂଗ୍ରେସ କମିଟି ସଭାପତି ନିର୍ବାଚନରେ ପଣ୍ଡିତ ନୀଳକଣ୍ଠ ମହତାବଙ୍କଠାରୁ ଗୋଟିଏ ଭୋଟରେ ହାରି ଗଲେ । ଏହି ପ୍ରସଙ୍ଗକୁ ଅବତାରଣା କରି ମହତାବ ଲେଖିଛନ୍ତି, ‘‘ମାତ୍ର ନୀଳକଣ୍ଠ ବାବୁ ଓ ତାଙ୍କର ସମର୍ଥକମାନେ ଏଥିରେ ଏତେ ବିଚଳିତ ହୋଇ ପଡ଼ିଲେ - ଯେ, ସେମାନେ ନାନା ପ୍ରକାର ବିଶୃଙ୍ଖଳା ସୃଷ୍ଟି କରିବାର ଚେଷ୍ଟା କଲେ । ଏହି ସମୟରେ ଆମ ଜିଲ୍ଲାର ଯେଉଁ କର୍ମୀମାନେ ମୋ ପ୍ରତି ଅସନ୍ତୁଷ୍ଟ ଥିଲେ ଏବଂ ଯେଉଁ ମାନେ ଗାନ୍ଧୀ ସେବା ସଂଘ ଓ ହରିଜନ ସେବା ସଂଘର କାମ କରୁଥିଲେ, ସେମାନେ ପଣ୍ଡିତ ନୀଳକଣ୍ଠଙ୍କ ସାହାଯ୍ୟରେ ଆମ ଜିଲ୍ଲାରେ ଦୁଇ ଚାରିଟା ସଭା କରି ମୋତେ ନିନ୍ଦିତ କରିବାର ଉଦ୍ୟମ କରିଥିଲେ । ମାତ୍ର ସେଥିରେ ସେମାନେ ସଫଳ ହୋଇ ନ ଥିଲେ । ଦୁଃଖର ବିଷୟ ଅନେକ ଆଦୌ ଭାବି ପାରୁ ନ ଥାନ୍ତି ଯେ, ଦେଶରେ ବହୁ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ପଦ ଓ ଅଧିକାର ପାଇଁ ଆଦୌ ଲାଳାୟତ ନୁହଁନ୍ତି ଓ ଯେଉଁମାନେ ଦେଶରେ ଗୋଟିଏ ବଡ଼ ରକମର ବିପ୍ଳବ ଘଟିଲେ ଏବଂ ସେଥିରେ ନିଜେ ଅଂଶ ଗ୍ରହଣ କରିପାରିଲେ କୃତାର୍ଥ ମନେକରିବେ । ଅପରନ୍ତୁ ସେମାନେ ବରାବର ଭାବୁଥାନ୍ତି ଯେ ସମସ୍ତେ ପଦ ଅଧିକାର ପାଇଁ ବ୍ୟାକୁଳ ଏବଂ ଆଉ ସବୁ କଥା କେବଳ ଭିତରି ଉଦ୍ଦେଶ୍ୟ ସିଦ୍ଧି ପାଇଁ କୌଶଳ ।’’

 

ମହତାବ ନିଜ ଆତ୍ମଜୀବନୀରେ ବହୁ ଲୋକଙ୍କ ନାମ ଉଲ୍ଲେଖ କରିଛନ୍ତି । ସେଥିରେ ବିଶିଷ୍ଟ, ବରିଷ୍ଠ ଲୋକ ସ୍ଥାନ ପାଇଥିବା ବେଳେ ସାଧାରଣ କର୍ମୀ ମଧ୍ୟ ସ୍ଥାନ ପାଇଛନ୍ତି । ଛାତ୍ର ଜୀବନରେ ମହତାବଙ୍କ ମେସ୍‌ରେ ରହୁଥିବା ଚାକର ସଂପର୍କରେ କହିଛନ୍ତି, ‘‘ବୋଧହୁଏ ଥାର୍ଡ ଇୟରରେ ପଢିଲାବେଳେ ମୋର ଚାକରଟିକୁ କଲେରା ହେଲା । ତାର ବହୁତ ସେବା ମୁଁ କରିଛି - ମାତ୍ର ସେ ମରିଗଲା । ତା ନାମ ମୋହନ ଥିଲା । ତାର ମୃତ୍ୟୁପରେ ଆମ ମେସ୍‌ର ନାମ ମୋହନ ମେସ୍‌ ହୋଇଥିଲା ଓ ତାହା ଶେଷ ପର୍ଯ୍ୟନ୍ତ ରହିଥିଲା ।’’ ମହତାବଙ୍କର ଏହି ଜୀବନୀରେ ବାଲେଶ୍ଵର ଜିଲ୍ଲାର ଘଟଣା ବହୁଳ ଭାବରେ ବର୍ଣ୍ଣିତ କାରଣ ତାହା ଥିଲା ତାଙ୍କର ଜନ୍ମସ୍ଥଳୀ ଓ କର୍ମସ୍ଥଳୀ ମଧ୍ୟ ।

 

ଏଥିରେ ସେ ନିଜର ସାହିତ୍ୟ ପ୍ରତି ଆଗ୍ରହ କଥା ଲେଖିଲାବେଳେ କିପରି ଓ କେଉଁ ପରିସ୍ଥିତିରେ ଉପନ୍ୟାସ, ନାଟକ, ଓଡ଼ିଶା ଇତିହାସ ରଚନା କରିଛନ୍ତି, ତାହା ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ପ୍ରଜାତନ୍ତ୍ର କିପରି ମୁକ୍ତି ସଂଗ୍ରାମର ମୁଖପାତ୍ର ହୋଇଛି ତାର ଚିତ୍ର ପ୍ରଦାନ କରିଛନ୍ତି ।

 

ସେ ଯେହେତୁ କଂଗ୍ରେସରେ ଥିଲେ, ତେଣୁ କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାର ସଂପର୍କରେ ଲେଖିବା ସ୍ଵାଭାବିକ, କିନ୍ତୁ କମ୍ୟୁନିଷ୍ଟମାନଙ୍କ ସମ୍ପର୍କରେ ଲେଖିବା ସମୟରେ ତାହାର ପୂର୍ଣ୍ଣାଙ୍ଗ ଚିତ୍ର ଦେଇନାହାଁନ୍ତି । ସେ ଲେଖିଛନ୍ତି, ‘‘ଏହି ସମୟରେ ଓଡ଼ିଶା କମ୍ୟୁନିଷ୍ଟମାନଙ୍କ ବିରୁଦ୍ଧରେ ବ୍ୟାପକ ଭାବରେ ଏକ ଷଡ଼ଯନ୍ତ୍ର ମୋକଦ୍ଦମା ଚାଲିଲା । କମ୍ୟୁନିଷ୍ଟମାନେ ଦିନା କେତେ କଂଗ୍ରେସ ସାମ୍ୟବାଦୀ ଦଳ ସହିତ ମିଳିମିଶି ଥିଲେ, ମାତ୍ର କ୍ରମେ ସେମାନଙ୍କୁ ସେଥିରୁ ଅଲଗା କରି ଦିଆ ହୋଇଥିଲା । ତାପରେ କମ୍ୟୁନିଷ୍ଟମାନଙ୍କ ସହିତ କଂଗ୍ରେସର ସମ୍ପର୍କ ନ ଥିଲା, ବରଂ କଂଗ୍ରେସକୁ ଅପଦସ୍ଥ କରିବା ପାଇଁ ସେମାନେ ସବୁ ପ୍ରକାର ଚେଷ୍ଟା କରୁଥିଲେ, ମାତ୍ର ଏ ମୋକଦ୍ଦମା ହେବା ପରେ ସେମାନଙ୍କ ଆତ୍ମପକ୍ଷ ସମର୍ଥନ ପାଇଁ ମୁଁ ବନ୍ଦୋବସ୍ତ କରିଥିଲି ଏବଂ ମୋର ଧାରଣା ସେ ସମୟରେ ମୁଁ ସେ ବନ୍ଦୋବସ୍ତ ନ କରିଥିଲେ ବୋଧହୁଏ ତା ଅନ୍ୟଦ୍ଵାରା ହୋଇ ପାରି ନ ଥାନ୍ତା ।’’ ମହତାବଙ୍କର ଏ ପ୍ରକାର ବକ୍ତବ୍ୟ ଏକପାଖିଆ ମନେ ହେଉଛି ।

 

ତାଙ୍କର ‘ସାଧନାର ପଥେ ଦ୍ୱିତୀୟ ବିଶ୍ଵଯୁଦ୍ଧ ଶେଷ ପର୍ଯ୍ୟନ୍ତ ତାଙ୍କ ଅଙ୍ଗେନିଭା କାହାଣୀ । ବହୁଭାବରେ ସେ ନିଜକୁ ସତ୍ୟନିଷ୍ଠ ଭାବରେ ପ୍ରକାଶ କରିଥିବାର ଅନୁଭବ ହୁଏ । ବହୁ ସ୍ଥାନରେ ସେ ଗାନ୍ଧିଜୀଙ୍କ ବିଚାର ସଂପର୍କରେ ଉଲ୍ଲେଖ କରିଛନ୍ତି । ନିଜ ବ୍ୟକ୍ତିଗତ ବ୍ୟାପାର ସଂପର୍କରେ ତାଙ୍କ ପିତା ଓ ସ୍ତ୍ରୀଙ୍କ କଥା ଉଲ୍ଲେଖ କରି ଅନ୍ତର ଭିତରେ ଦବି ରହିଥିବା ଦୁଃଖକୁ ପ୍ରକାଶ କରିଛନ୍ତି । ଏହା ଅତ୍ୟନ୍ତ ମାର୍ମିକ ।

 

‘ସାଧନାର ପଥେ’ ମହତାବଙ୍କ ଜୀବନର ଶେଷ କଥା ନୁହେଁ । କିନ୍ତୁ ତାହା ତାଙ୍କ ଜୀବନ ଗଠନର ସଂଗ୍ରାମର ଇତିହାସ ହୋଇଛି । ଏଥିରୁ ତାଙ୍କର ସାହସିକ ବ୍ୟକ୍ତିତ୍ଵର ପରିଚୟ ମିଳେ । ଏହାକୁ କେବଳ ଆତ୍ମଜୀବନୀ କୁହା ନ ଯାଇ ଏକ ମନୋଜ୍ଞ ରାଜନୈତିକ ଦଲିଲ୍‌ ଭାବେ ମଧ୍ୟ ଗ୍ରହଣ କରାଯାଇ ପାରିବ । ଓଡ଼ିଶା ସାହିତ୍ୟରେ ମହତାବଙ୍କର ଆତ୍ମଜୀବନୀ ଏକ ସଫଳ ଯୋଗଦାନ ।

 

ତାଙ୍କର ଆତ୍ମଜୀବନୀ ମୂଳକ ପୁସ୍ତକ ହେଉଛି ‘ଆରବ ସାଗରରୁ ଚିଲିକା’ ଓ ‘ହ୍ୱାଇଲ ସର୍ଭିଂ ମାଇଁ ନେସନ୍’ । ଏଥିରେ ତାଙ୍କର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ସମୟର ବିଭିନ୍ନ ନିଷ୍ପତି ଓ ଚିଠିପତ୍ରର ଉଲ୍ଲେଖ ରହିଛି ।

 

ମହତାବ ରାଜନୀତିର ଉତ୍ତେଜନା, ସାହିତ୍ୟ ଚର୍ଚ୍ଚାର ଆମୋଦ, ଇତିହାସ ଗବେଷଣାର ନିବିଡ଼ତା ଓ ସାମ୍ବାଦିକତାର ପ୍ରଶସ୍ତି ମଧ୍ୟରେ ଯେ ନିଜ ଜୀବନ ସଂପର୍କରେ ନିଜେ କହି ପାରିଛନ୍ତି, ତାହାହିଁ ତାଙ୍କୁ ଯଶସ୍ଵୀ କରିଛି ।

 

ଉପନ୍ୟାସ

      ମହତାବଙ୍କର ଅନ୍ୟତମ ସାରସ୍ୱତ କୃତି ଉପନ୍ୟାସ । ସେ ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ସ୍ଵାଧୀନତା ପରବର୍ତ୍ତୀ ସମୟରେ ଉପନ୍ୟାସ ରଚନା କରିଛନ୍ତି । ଡି.ଏଚ୍‌.ଲରେନେସ୍‌, କହିଛନ୍ତି, ‘‘ଆତ୍ମସଚେତନ ଔପନ୍ୟାସିକ ମନେକରି ପାରନ୍ତି ରଷି, ବୈଜ୍ଞାନିକ, କବି ସମସ୍ତଙ୍କଠାରୁ ତାଙ୍କର ସ୍ଥାନ ଉଚ୍ଚରେ । କାରଣ ସେମାନେ ଜୀବନ୍ତ ମଣିଷର ଖଣ୍ଡାଂଶ ଚିତ୍ରଣରେ ଶ୍ରେଷ୍ଠ ଶିଳ୍ପୀ, ମାତ୍ର ହିଁ ପରିପୂର୍ଣ୍ଣ ଜୀବନର ସ୍ଥପତି । ନବନ୍ୟାସ ହିଁ ଜୀବନର ଉଜ୍ଜ୍ୱଳ ଗ୍ରନ୍ଥ ।’’

 

ମହତାବଙ୍କର ଉପନ୍ୟାସ ରଚନା ଜେଲ୍‌ରୁ ଆରମ୍ଭ ହୋଇଛି । ୧୯୨୨ ମସିହାରେ କନିକା ଆନ୍ଦୋଳନରେ ଅଂଶ ଗ୍ରହଣ କରି ତାଙ୍କୁ ପ୍ରଥମେ କଟକ ଓ ପରେ ଭାଗଲ ପୁର ଜେଲ୍‌ରେ ନେଇ ରଖା ଯାଇଥିଲା । ସେଇଠି ସେ ଲେଖିବାକୁ ଆରମ୍ଭ କଲେ ତାଙ୍କର ପ୍ରଥମ ଉପନ୍ୟାସ ‘ଅଜବ ଦୁନିଆ’ । ‘‘ସେତେବେଳକାର ଭାବ ପ୍ରବଣତା ଏଥିରେ ଏପରି ଏପରି ପରିସ୍ପୁଟ ହୋଇଥିଲା ଯେ ବାହାରେ ତାକୁ ମୋର କେତେକ ବନ୍ଧୁ ପଢି କାନ୍ଦି ପକାଇଲେ । ସେ ଉପନ୍ୟାସଟିର ଭାଷା ମଧ୍ୟ ଅଲଗା ପ୍ରକାରର ଥିଲା । ସେ ଭାଷା ଓ ଭାବପ୍ରବଣତା ଆଜି ମୋ ଠି ନାହିଁ । କାରଣ ସେତେବେଳେ ପ୍ରାଣ ବେଶୀ ସରଳ ଥିଲା ଓ ସଂସାରର ଅଭିଜ୍ଞତା ଫଳରେ ଏତେ କଠିନ ହୋଇ ନ ଥିଲା ।’’

 

ମହତାବଙ୍କର ଉପନ୍ୟାସ ସମାଜଧର୍ମୀ । ସମାଜରେ ରହୁଥିବା ମଣିଷର ହସକାନ୍ଦ, ସୁଖଦୁଃଖ, ଅନ୍ୟାୟ ଓ ଅତ୍ୟାଚାରର ମର୍ମଲିପି । ଓଡ଼ିଆ ଉପନ୍ୟାସରେ ଫକୀରମୋହନଙ୍କଠାରୁ ଆରମ୍ଭ ହୋଇଥିଲା ସାମାଜିକ ଅବବୋଧର ପରିପ୍ରକାଶ । ମୁକ୍ତି ସଂଗ୍ରାମରୁ ଜନ୍ମ ଲାଭ କରିଥିବା ମହତାବଙ୍କର ସାହିତ୍ୟିକ ପ୍ରତିଭାର ନବଉନ୍ମେଷ ଘଟିଥିଲା ସମାଜ ସଚେତନତାରୁ । ସେ ଥିଲେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ । ଏହି ‘ଅଜବ ଦୁନିଆ’ ଉପନ୍ୟାସଟିକୁ ଛପାଇ ପାରି ନ ଥିଲେ । ସେ ଏ ବିଷୟରେ ଲେଖିଥିଲେ; ‘ଅଜବ ଦୁନିଆ’କୁ ଛପାଇବି ବୋଲି ରଖିଥିଲି, ମାତ୍ର ୧୯୩୦ ଆନ୍ଦୋଳନରେ ପୁଲିସ୍‌ ଆମ ସ୍ୱରାଜ୍ୟ ମନ୍ଦିର ଖାନ୍‌ ତଲାସ୍‌ କରି ସେ ପାଣ୍ଡୁଲିପିଟି ଜବତ କରିନେଲେ ଓ ଶେଷରେ ତାକୁ ପୋଡ଼ିଦେଲେ ।

 

ତାଙ୍କର ଦ୍ୱିତୀୟ ଉପନ୍ୟାସ ହେଉଛି ‘ନୂତନ ଧର୍ମ’ । ହିନ୍ଦୁ ମୁସଲମାନ ଏହ ଦୁଇ ସଂପ୍ରଦାୟ ମଧ୍ୟରେ ଧର୍ମକୁ ବାଦ୍‌ଦେଇ କିପରି ସଂହତି ସ୍ଥାପନ କରାଯାଇପାରିବ, ତାହା ସେ ଜେଲ୍‌ରେ ଥିବାବେଳେ ଖାଁ ଅବଦୁଲ ଗଙ୍ଘୁର ଖାଁ (ସୀମାନ୍ତ ଗାନ୍ଧୀ) ଙ୍କ ସଂସ୍ପର୍ଶରେ ଆସି ଜାଣିପାରି ରଚନା କଲେ ‘ନୂତନ ଧର୍ମ’ ଉପନ୍ୟାସ । ସେତେବେଳକୁ ସେ ଗାନ୍ଧିନୀତି ଓ ଆଦର୍ଶକୁ ସଂପୂର୍ଣ୍ଣ ଭାବେ ଗ୍ରହଣ କରି ହାତରେ ସୂତା କାଟିବା, ଲୁଗା ପ୍ରସ୍ତୁତ କରିବା, ଗତିଭେଦ ଓ ଅସ୍ପୃଶ୍ୟତା ଦୂରୀକରଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଏହି ଚିନ୍ତା ଓ ଆଦର୍ଶ ଭିତ୍ତିରେ ତାଙ୍କର ‘ନୂତନ ଧର୍ମ’ ଉପନ୍ୟାସ । ଏହି ଉପନ୍ୟାସଟିକୁ ମହତାବଙ୍କର ପ୍ରଥମ ପ୍ରକାଶିତ ଉପନ୍ୟାସ ଭାବରେ ଗ୍ରହଣ କରାଯାଏ ।

 

ଏ ଦୃଷ୍ଟି ରୁ ଓଡ଼ିଆ ସାହିତ୍ୟରେ ରାଜନୈତିକ ଉପନ୍ୟାସ ଧାରାର ପ୍ରବର୍ତ୍ତକ ଥିଲେ ମହତାବ । ‘ନୂତନ ଧର୍ମ’ ଉପନ୍ୟାସ ପରେ ସେ ଲେଖିଥିଲେ ‘ପ୍ରତିଭା’, ‘ଅବ୍ୟାପାର’ ଓ ‘ଟାଉଟର’ ଇତ୍ୟାଦି । ଅନ୍ୟ ତିନିଗୋଟି ଉପନ୍ୟାସ । ସ୍ଵାଧୀନତା ପୂର୍ବରୁ ଏହି ଚାରିଗୋଟି ଓ ସ୍ଵାଧୀନତା ପରେ ‘ତୃତୀୟ ପର୍ବ’ ଓ ‘୧୯୭୫’ ଏହି ଦୁଇଟି ଉପନ୍ୟାସ ହେଉଛି ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ତାଙ୍କର ଅବଦାନ । ସେ ଉପନ୍ୟାସରେ କଳାଗତ ସୌଷ୍ଠବ, ଆଂଗିକ ଓ ଶୈଳୀପ୍ରତି ଦୃଷ୍ଟି ଦେଇ ନ ଥିଲେ ହେଁ ବାସ୍ତବବାଦ ଓ ଆଦର୍ଶବାଦ ଏଥିରେ ପ୍ରତିଫଳିତ ହୋଇଥିଲା । ତାଙ୍କ ଉପନ୍ୟାସରେ କଳାଗତ ସୌଷ୍ଠବର ଅଭାବ ହେତୁ ଡକ୍ଟର ମାୟାଧର ମାନସିଂହ ଓଡ଼ିଆ ସାହିତ୍ୟର ଇତିହାସରେ ଲେଖିଛନ୍ତି, “ଶ୍ରୀ ମହତାବ କେତେ ଖଣ୍ଡ ଉପନ୍ୟାସ ମଧ୍ୟ ଓଡ଼ିଆରେ ଳେଖିଛନ୍ତି, ଯେଉଁଗୁଡ଼ିକର ବୈଶିଷ୍ଟ୍ୟ ଓ ଅଭିନବତ୍ୱ ହେଉଛି ଏହି ଯେ, ସେଥି‌ରେ ନାୟକ ନାୟିକାଙ୍କର କର୍ମ ପ୍ରେରଣା ଆସିଛି ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରୁ । ଏ କ୍ଷେତ୍ରରେ ଶ୍ରୀମହତାବ ଅଗ୍ରଜ କହିଲେ ଚଳେ । ପୁଣି ସେ ଗୁଡ଼ିକରେ ଆମେ ବାଲେଶ୍ୱର ଜିଲ୍ଲାର ଏକ ବାସ୍ତବ ଚିତ୍ର ମଧ୍ୟ ପାଉ କିନ୍ତୁ କେବଳ ଉପନ୍ୟାସ ନୁହେଁ, ଶ୍ରୀମହତାବଙ୍କର ସବୁ ଲେଖା ମର୍ଯ୍ୟାଦା ହରାଇଥାଏ ଏକ ଭୂଷଣହୀନ ଲିଖନ-ଭଙ୍ଗି ଯୋଗୁ, ଯେଉଁଥିରେ ନ ଥାଏ ଅନୁଭୂତିର ଗଭୀରତା ବା କଳ୍ପନାର ବର୍ଣ୍ଣବୈଭବ, କିନ୍ତୁ ସତ୍ୟବାଦୀ ସ୍କୁଲ ପରେ, ଏକମାତ୍ର ଶ୍ରୀମହତାବଙ୍କ ଠାରେ ସଂସ୍କୃତି ଓ ରାଜନୀତି ଏକତ୍ର ଅବସ୍ଥାନ କରିଥିବାରୁ ସେ ଉତ୍କଳରେ ସେଥିପାଇଁ ବିଶେଷ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।’’

 

ଶ୍ରୀ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ଵାଜ) ତାଙ୍କର ‘ଆଧୁନିକ ଓଡ଼ିଆ ସାହିତ୍ୟ’ରେ ଲେଖିଛନ୍ତି, “ତାହାଙ୍କ ଉପନ୍ୟାସ ଗୁଡ଼ିକର ପରିକଳ୍ପନାର ମହତ୍ତ୍ଵ ସ୍ଵୀକାର୍ଯ୍ୟ ହେଲେ ହେଁ ଚରିତ୍ର ଓ ପରିବେଶ ଚିତ୍ରଣ, ଭାଷା ବିନ୍ୟାସ ଓ ପରିବେଷଣ ରୀତି ଦୃଷ୍ଟିରୁ ଲେଖକ ସମ୍ପୂର୍ଣ୍ଣ ସଫଳ କାମ ହୋଇ ପାରିନାହାଁନ୍ତି । ସାମାଜିକ ଘାତ ପ୍ରତିଘାତକୁ ଅସ୍ୱୀକାର କରି ଆପଣାର ଆଦର୍ଶବାଦକୁ ପ୍ରତିଷ୍ଠିତ କରିବାରେ ସମର୍ଥ ଓ ବଳିଷ୍ଠ ବ୍ୟକ୍ତିତ୍ଵ ସମ୍ପନ୍ନ ଚରିତ୍ର ସୃଷ୍ଟି କରିବାରେ ଲେଖକଙ୍କ ଉଦ୍ୟମ ପ୍ରଶଂସନୀୟ । କଳାଦୃଷ୍ଟିରୁ ସେ ଗୁଡ଼ିକ ସାର୍ଥକ ନ ହେଲେ ହେଁ ରାଜନୈତିକ ପୃଷ୍ଟପଟରୁ ବଳିଷ୍ଠ ବ୍ୟକ୍ତିତ୍ୱ ସମ୍ପନ୍ନ ଚରିତ୍ର ସୃଷ୍ଟିରେ ଏହି ଉଦ୍ୟମ ପ୍ରଶଂସନୀୟ । ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ତାହା ଏକ ବଳିଷ୍ଠ ପଦକ୍ଷେପ ।

 

‘ନୂତନ ଧର୍ମ’ ଏକ ସଂସ୍କାରଧର୍ମୀ ଉପନ୍ୟାସ । ଗାନ୍ଧିଜୀଙ୍କ ଆଦର୍ଶ ସତ୍ୟ, ଅହିଂସା, ମାନବସେବା, ଅସ୍ପୃଶ୍ୟତା ନିବାରଣ, ବିଧବା ବିବାହ, ନାରୀମୁକ୍ତି, ଦାସତ୍ଵ ବନ୍ଧନରୁ ମୁକ୍ତି, ସ୍ୱାବଲମ୍ବଶୀଳ ଇତ୍ୟାଦି ସମଗ୍ର ରାଷ୍ଟ୍ରବ୍ୟାପୀ ଯେଉଁ ସାମାଜିକ ଆନ୍ଦୋଳନ ସୃଷ୍ଟି କରିଥିଲା, ତାର ପ୍ରତିଫଳନ ଏହି ଉପନ୍ୟାସରେ ପ୍ରକାଶ ପାଇଛି । ବାବାଜୀ ବୈଷ୍ଣବମାନଙ୍କର ଉପଭୋଗ ତୃଷ୍ଣା ଓ ନାରୀ ବିଳାସର ମୁଖା ଏଥିରେ ଖୋଲି ଦିଆଯାଇଛି । ମହତାବଙ୍କ ନିଜ ଭାଷାରେ, “ଯେଉଁ ହରିଜନ ଆନ୍ଦୋଳନ ପ୍ରାୟ ଦେଢବର୍ଷ ପରେ ମହାତ୍ମାଗାନ୍ଧୀ ଆରମ୍ଭ କଲେ, ସେହି ହରିଜନ ଆନ୍ଦୋଳନ ବିଷୟ ସେତେବେଳେ ମୋ ମନକୁ ଆସିଥିଲା ଓ ସେଥିପାଇଁ ସେ ଉପନ୍ୟାସ ଲେଖିଲି ।’’

 

ଉପନ୍ୟାସର କାହାଣୀ ନାୟକ ମାୟାଧରକୁ କେନ୍ଦ୍ର କରି ଗଢ଼ି ଉଠିଛି । ଜଗଦୀଶପୁର ଗ୍ରାମର ମୁଖ୍ୟବ୍ୟକ୍ତି ଓ ଜମିଦାର ହରିହର ପଟ୍ଟନାୟକ ଶୋଷକ ଓ ଅତ୍ୟାଚାରୀ । ନିମ୍ନ-ମଧ୍ୟବିତ୍ତ ସାଧାରଣ ବ୍ୟକ୍ତି ମାୟାଧରକୁ ଅସମ୍ମାନ କରିଛନ୍ତି । ହରିହର ନଦିୟା ବାବାଜୀ ଗୌରଚନ୍ଦ୍ର ଦାସଙ୍କ ମାଧ୍ୟମରେ ଧର୍ମକୁ ଆଧାର କରି ମାୟାଧର, ତା'ର କନ୍ୟା କମଳା, ଉଚ୍ଚ ଶିକ୍ଷିତ ସନ୍ୟାସୀ ରମେଶଙ୍କ ପ୍ରତି ଅକଥନୀୟ ଓ ଅଶୋଭନୀୟ ବ୍ୟବହାର କରିଛନ୍ତି । ହରିହରଙ୍କ ପୁତ୍ର ପ୍ରହ୍ଲାଦ ବିବାହ କରିଛି ସୁନ୍ଦରମଣିକୁ ଏବଂ ସୁନ୍ଦରମଣି ମାୟାଧରଙ୍କ ବ୍ୟକ୍ତିତ୍ୱ ଦ୍ଵାରା ପ୍ରଭାବିତ ହୋଇଛନ୍ତି । ମାୟାଧର ହରିଜନମାନଙ୍କର ସେବା କରିଛି । ପାଣମାନଙ୍କୁ ହରିହରଙ୍କ ବିରୁଦ୍ଧରେ ସାହସ ପ୍ରଦାନ କରିଛି । ମାୟାଧର କହିଛି, ‘ଆସିଲାଣି ଯୁଗ ଆଉ ଡେରି ନାହିଁ । ଗରିବଙ୍କର ସେବା ନ କଲେ ସମାଜ ରେ ତାର ସ୍ଥାନ ରହିବ ନାହିଁ । ଯୁଗ ଫେରିଲାଣି ।’ ଧର୍ମ ନାମରେ ଶୋଷଣ କରି ସୁଖ ଉପଭୋଗ କରୁଥିବା ଗୋଷ୍ଠୀର ଛଳନାର ଶିକାର ହୁଅନ୍ତି ସାଧାରଣ ଲୋକମାନେ । ମାୟାଧର ପରି ସାଧାରଣ ଲୋକ ଧର୍ମକୁ କିପରି ବୁଝନ୍ତି, ତାହା ତା ମୁହଁରେ କୁହାଇଛନ୍ତି । ‘ମୋର ଧାରଣା ମୁଁ ଯଦି ସମସ୍ତଙ୍କୁ ସମାନ ଦେଖି ପାରିବି, ସମସ୍ତଙ୍କୁ ମୋ ନିଜର ପରି ପ୍ରେମ କରି ପାରିବି, ତେବେ ତ ମୋର ଧର୍ମ ସାଧନ ହେଲା ବୋଲି ମନେ କରିବି । ତେବେ ତ ମୁଁ ଈଶ୍ଵରଙ୍କୁ ଉପଲବ୍ଧି କରି ପାରିବି ।’ ଏହି ଉପନ୍ୟାସରେ କୃଷକମାନଙ୍କର ଦୁଃଖ ଦୈନ୍ୟ, ସମସ୍ୟା, ସେବା, ତ୍ୟାଗ, ସ୍ୱାଧୀନତା ସଂପର୍କରେ ସଚେତନତା, ଅସ୍ପୃଶ୍ୟତା ନିବାରଣ, ବିଧବା ବିବାହ ଇତ୍ୟାଦିର ଚିତ୍ର ଦେଖିବା ବେଳେ ଅହିଂସା ମାଧ୍ୟମରେ ହୃଦୟକୁ ଜୟ କରି ହୁଏ ତାହାକୁ ପ୍ରତିପାଦନ କରିଛନ୍ତି । ପ୍ରେମ ଧର୍ମ ହୋଇଛି ନୂଆ ଧର୍ମ । ନୂଆ ମନ୍ତ୍ର ।

 

ତାଙ୍କର ‘ଟାଉଟର’ ଉପନ୍ୟାସ ବାଲେଶ୍ଵର ନିକଟସ୍ଥ ସେରଗଡ଼ ଗାଁକୁ ଭିତ୍ତି କରି ଉଚିତ । ଏହି ଗାଁରେ ସ୍କୁଲ ପ୍ରତିଷ୍ଠା ମାଧ୍ୟମରେ ଗାଁର ଚାଷୀ, ତହସିଲଦାର, ସ୍କୁଲର ଇନିସ୍‌ପେକ୍ଟର, ଗାଁର ନାଟଦଳ, ଗାଁ ମହାଜନ, ବାଉରୀ, ଦିନ ମଜୁରିଆଙ୍କ ଚିତ୍ର ପ୍ରଦାନ କରାଯାଇଛି । ଗାଁ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର, ସ୍କୁଲ୍‌ ସଂପାଦକ ବାସୁଦେବ ପ୍ରଧାନ, ମହାଜନ ହର ପାଣିଗ୍ରାହୀ, ଏଣ୍ଟ୍ରାସ୍‌ ପାଶ୍‌ ଯୁବକ ପ୍ରହ୍ଲାଦ ଚରଣ ମହାପାତ୍ର, ହେଡ଼୍‌ ପଣ୍ଡିତ ଚକ୍ରଧର, ବାଲେଶ୍ଵର ଜମିଦାର ଲକ୍ଷ୍ମୀକାନ୍ତ ଦାସ, ଗାନ୍ଧିବାଦୀ ନେତା, କଂଗ୍ରେସ କର୍ମୀ କୃଷ୍ଣପ୍ରସାଦ, ଗାଁର ରାମ ମହାଳିକ, ଶଙ୍କର ଘଡ଼େଇ, ବାଉରୀ ନାୟକ, ଟାଉଟର କୃଷ୍ଣ ମହାନ୍ତି ଇତ୍ୟାଦି ଚରିତ୍ରର ସମାବେଶ ଘଟିଛି ‘ଟାଉଟର’ ଉପନ୍ୟାସରେ । ରାମଚନ୍ଦ୍ର ଲୋକସେବା ଓ ସ୍ୱାଧୀନତାବୋଧର ପ୍ରତୀକ ହୋଇ ଲୋକମାନଙ୍କ ମଧ୍ୟରେ ସ୍ଵାଭିମାନ ଜାଗ୍ରତ କରିଛନ୍ତି । ଗାଁ ମାମଲ୍‌ତକାର ଓ ଟାଉଟରଙ୍କର ଦୌରାତ୍ମ୍ୟ ସହିତ ଗାଁ ଲୋକମାନଙ୍କ ଭିତରେ ନୂତନ ମାନବୀୟ ଚେତନାର ପ୍ରକାଶ ଘଟିଛି ଏହି ଉପନ୍ୟାସରେ । ଯଦିଓ ଉପନ୍ୟାସରେ ସଂଖ୍ୟାଧିକ ଦେଶଜ ଶବ୍ଦର ବ୍ୟବହାର କରିଛନ୍ତି, କିନ୍ତୁ ଏହା ହୋଇଛି ପ୍ରଚାର ମୁଖୀ ସାହିତ୍ୟ । ଦେଶାତ୍ମବୋଧ ଓ ସଂସ୍କାର ପାଇଁ ‘ଟାଉଟର’ ଉପନ୍ୟାସର ସୃଷ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

‘ଅବ୍ୟାପାର’ ତାଙ୍କର ତୃତୀୟ ଉପନ୍ୟାସ । ଗଡ଼ଜାତ ପ୍ରଜା ଆନ୍ଦୋଳନ ଉପରେ ଆଧାରିତ ଏହା ଏକ ରାଜନୈତିକ ଉପନ୍ୟାସ । ଉପନ୍ୟାସର ଆରମ୍ଭ ଅତି ଚମତ୍କାର । ‘‘ସଂଜ ହୋଇଗଲାଣି । ଜହ୍ନ ତରାସି ଆସୁଛି । ସମୁଦ୍ର ଲହଡି ଅସମ୍ଭାଳ ହୋଇ, ସତେ କୂଳ ଡେଇଁ ଗଲାଭଳି ହେଇଛି । କୂଳରେ ବୁଲୁଥିବା ଲୋକମାନଙ୍କ ଭିତରୁ ଯେଉଁମାନେ କଥାବାର୍ତ୍ତାରେ ବା ନିଜ ଚିନ୍ତାରେ ନିମଗ୍ନ ହୋଇ ସମୁଦ୍ରର ପ୍ରେମୋଲ୍ଲାସକୁ ଲକ୍ଷ୍ୟ କରୁନାହାଁନ୍ତି, ସେମାନଙ୍କୁ ଗର୍ବୀ ଅଥବା ଗମାର ଭାବି ତାଙ୍କ ଉପରକୁ ଲହଡି ମାଡି ଯାଉଛି । ଯୋତା, ଲୁଗାପଟା ତିନ୍ତିଯାଇ ସେମାନେ ହାଉଳି ଖାଇ ଉପରକୁ ପଳାଉଛନ୍ତି ଓ ବାଧ୍ୟ ହୋଇ ଥରେ ତରଙ୍ଗର ଲୀଳା ଆଡ଼କୁ ଆଖି ପକାଉଛନ୍ତି ।’’

 

‘‘କୁମୁଦିନୀ ଓ ଲାଲ୍‌ମୋହନ ନିଜ ଭିତରେ କଥାବାର୍ତ୍ତାରେ ଏପରି ମଗ୍ନ ଯେ ଥରେ ନୁହେଁ, ଦୁଇଥର ନୁହେଁ, କେଜାଣି କେତେଥର ତାଙ୍କର ଦୃଷ୍ଟି ନିଜ ପ୍ରତି ଆକର୍ଷଣ କରିବା ପାଇଁ ଲହଡି ଚେଷ୍ଟା କଲାଣି । ମାତ୍ର ସେଥିରେ ବ୍ୟର୍ଥ ହୋଇ ଶେଷରେ ସେମାନଙ୍କୁ ବୁଡ଼ାଇ ଦେବ ବୋଲି ଭାବି ଅଣ୍ଟା ପର୍ଯ୍ୟନ୍ତ ଉଠିଗଲା । ଏଥର ସେ ଦୁଇଜଣ ଚମକି ପଡି

ହାତ ଧରାଧରି ହୋଇ ଉପରକୁ ପଳାଇଲେ ଓ ନିଜର ଓଦା ଲୁଗା ପଟାକୁ ସାଉଁଟିବାରେ ଲାଗିଲେ । ଲାଲ୍‌ମୋହନ ଲୁଗାକୁ ଚୁପୁଡ଼ୁ ଚୁପୁଡୁ କହିଲେ, ସମୁଦ୍ର ଭଲା ଥରେ ମାଡି ଆସନ୍ତା - ଯେତେ ଆବର୍ଜନା ଏ ଦେଶରେ ଅଛି ସବୁକୁ ଧୋଇ ପୋଛି ନେଇ ନିଜ ଗର୍ଭରେ ପକାଇ ଦିଅନ୍ତା । ପୁଣି ଏକ ନୂତନ ନିର୍ମଳ ସୃଷ୍ଟି ମଣିଷ ଉପଭୋଗ କରନ୍ତା । କୁମୁଦିନୀ ଶୁଣି ଉଠି କହିଲା, ସେ କଣ ନୀଚ ଲୋକକି, ଯେ ନିଜ ମର୍ଯ୍ୟାଦା ଲଂଘନ କରିବ ?” ଏଇଠୁ ଆରମ୍ଭ ହୋଇଛି ‘ଅବ୍ୟାପାର’ ଉପନ୍ୟାସ । ଲାଲ୍‌ମୋହନ, କୁମୁଦିନୀ, ନିଶାମଣି ଓ ଦିବ୍ୟସିଂହବାବୁ ଏହି ଚାରିଗୋଟି ଚରିତ୍ରକୁ ଆଧାର କରି ଏହି ଉପନ୍ୟାସରେ ଲେଖକ ସମାଜ-ସଚେତନ ଓ ସଂସ୍କାରକ ଭାବରେ ଆତ୍ମପ୍ରକାଶ କରିଛନ୍ତି । ଏଥିରେ ଦେଶପ୍ରେମ, ସ୍ୱାଧୀନତା, ଆଶ୍ରମ ପ୍ରତିଷ୍ଠା, ଗଡ଼ଜାତ ଆନ୍ଦୋଳନ, ଅହିଂସା ସୂତ୍ରଯଜ୍ଞ ଓ ନାରୀ ଶିକ୍ଷା ଇତ୍ୟାଦି ପରିବେଶିତ ହୋଇଥିଲେ ହେଁ, ରହିଛି ନୂତନତା । ସ୍ୱରାଜ୍ୟ - ସଂଗ୍ରାମ ପୃଷ୍ଠଭୂମି ଉପରେ ରଚିତ ଏହି ଉପନ୍ୟାସର ଘଟଣାମାନ ‘ଅବ୍ୟାପାର’ ମନେ ହେଉଥିଲେ ମଧ୍ୟ ଘଟଣାକୁ ବିଶ୍ଳେଷଣ କଲେ ଏହା ବ୍ୟାପାର । ଏହି ଉପନ୍ୟାସ ମହତାବଙ୍କୁ ଏକ ପ୍ରବୀଣ କୁଶଳୀ ଔପନାସିକ ଭାବେ ପରିଚୟ ପ୍ରଦାନ କରେ ।

 

ତାଙ୍କର ‘ପ୍ରତିଭା’ ଉପନ୍ୟାସ ବିଭିନ୍ନ ଧର୍ମ ଓ ବିଭାବର ମିଳନ ପୀଠ ଭାବେ ପରିପୁଷ୍ଟ, ପରିବର୍ଦ୍ଧିତ ଓ ପରିପ୍ଳାବିତ । ଗାଁର ଗରିବ ସନାତନର ପ୍ରଥମ ସନ୍ତାନ ଅପୁଛି । ତାର ସାନଭାଇ ସିଦ୍ଧେଶ୍ଵର । ଦୁହେଁ ଗାଁ ସ୍କୁଲ୍‌ରେ ପାଠ ପଢ଼ନ୍ତି । ସବଡ଼େପୁଟି ମାଜିଷ୍ଟ୍ରେଟଙ୍କ ପୁତ୍ର ମହେନ୍ଦ୍ର ଗାଁ ସ୍କୁଲକୁ ଆସି ଅପୁଛିର ପ୍ରତିଭାରେ ମୁଗ୍ଧ ହୋଇ ତାର ନାଁ ଦେଇଚନ୍ତି ପ୍ରତିଭା । ମହେନ୍ଦ୍ର ଶ୍ରଦ୍ଧାର ସହ ପ୍ରତିଭା ନିକଟକୁ ପତ୍ର ପତ୍ରିକା ଜ୍ଞାନ ଆହରଣ ପାଇଁ ପଠାଇଛନ୍ତି । ବଡ଼ହୋଇଛି ଅପୁଛି । ପାଠରେ ଡୋର ବନ୍ଧା । ଗାଁ ଜମିଦାର ରାମହରି ତାକୁ ବୋହୂ କରିନେବାକୁ ଚାହିଁଛନ୍ତି । ରାମହରିଙ୍କର ପୁଅ ନବୀନ ଗାନ୍ଧୀ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ସ୍ଵାଧୀନତାକୁ ମୁଖ୍ୟ ଭାବରେ ଗ୍ରହଣ କରିଛି । ତା ପାଖରେ ବିବାହ ମୂଲ୍ୟହୀନ । ମାଆଙ୍କର କଥାକୁ ଏଡି ନ ପାରି ସେ ବାହା ହୋଇଛି ପ୍ରତିଭାକୁ । କିନ୍ତୁ ସ୍ଵାଧୀନତା ଆନ୍ଦୋଳନକୁ ଛାଡ଼ି ପାରିନି । ଯାଇଛି ଜେଲ୍‌ । ପ୍ରତିଭା ସ୍ୱାମୀର ପଦାଙ୍କ ଅନୁସରଣ କରି ଜମିଦାର ଶ୍ଵଶୁରଙ୍କର ନିର୍ଯ୍ୟାତନା ବିରୁଦ୍ଧରେ କରିଛି ସ୍ଵର ଉତ୍ତୋଳନ । ମହେନ୍ଦ୍ର ହୋଇଛନ୍ତି ସବ୍‌ଡ଼େପୁଟୀ । ପ୍ରତିଭାର ନବୀନ ସହିତ ବିବାହ ତାଙ୍କ ମନରେ ବିଦ୍ୱେଷ ଓ ପ୍ରତିହିଂସାର ଭାବ ଜାଗ୍ରତ କରିଛି । ମହେନ୍ଦ୍ର ପ୍ରଜାମେଳିକୁ ଦମନ କରିବାକୁ ଚେଷ୍ଟା କରିଛନ୍ତି।

 

ନବୀନ ଓ ପ୍ରତିଭା ଏକାଠି ହୋଇଛନ୍ତି ବିଦେଶୀ ଶାସନ ବିରୁଦ୍ଧରେ ସଂଗ୍ରାମ କରିବାକୁ । ‘ପ୍ରତିଭା’ ମହତାବଙ୍କର ଏକ ସଫଳ ସୃଷ୍ଟି ଉଭୟ ଆବେଗ ଓ ବାସ୍ତବତା ଦୃଷ୍ଟିରୁ । ନାୟକ ନବୀନଙ୍କ ଭିତରେ ମହତାବଙ୍କ ବ୍ୟକ୍ତିତ୍ଵ ଦେଖାଯାଏ । ଏହା ତାଙ୍କ ଜୀବନର ନିଛକ କାହାଣୀ କହିଲେ ଭୁଲ ହେବନି । ସେ ‘ପ୍ରତିଭା’ ଉପନ୍ୟାସରେ କହିଛନ୍ତି, “ତେବେ ସେ ଜଗତରେ ଆଦରଣୀୟ ହୋଇ ରହିବ, କିମ୍ବା ଯେ ଭାବ ମନୁଷ୍ୟର ଅନ୍ତରତମ ପ୍ରଦେଶରେ ଚିରକାଳ ରହିଛି, ସେ ଭାବକୁ ଆଜି ବାହାର କରି ତାକୁ ଘଷି ମାଜି ସଫା କରାଇବାରେ ସାହିତ୍ୟିକର ବାହାଦୂରୀ ଅଛି । ସ୍ଵରାଜ ଭାବନା ଓ ଅସହଯୋଗ ଆନ୍ଦୋଳନର ଭିତ୍ତି ଏହି ଉପନ୍ୟାସ । ଦେଶର ମୁକ୍ତି ପାଇଁ ସବୁ କିଛି ତ୍ୟାଗ କରିବା ଓ ଜନଜାଗରଣ କରିବା ଏହି ଉପନ୍ୟାସର ଭାବକେନ୍ଦ୍ର । ଓଡ଼ିଆ ଉପନ୍ୟାସରେ ଚାଲିଥିବା ଗତାନୁଗତିକ ରୋମାନ୍‌ସ - ପ୍ରବଣତାରୁ ମୁକ୍ତ ‘ପ୍ରତିଭା’ ଉପନ୍ୟାସ ମହତାବଙ୍କର ବାସ୍ତବବାଦୀ ଓ ଆଦର୍ଶବାଦୀ ବିଚାରର ସ୍ପଷ୍ଟ ଓ ସଚେଷ୍ଟ ଝଲକ।’’

 

ମହତାବଙ୍କର ପରିଣତ ବୟସ ପରିପକ୍ଵ ଅଭିଜ୍ଞତାରୁ ସୃଷ୍ଟି ‘ତୃତୀୟ ପର୍ବ’ ଉପନ୍ୟାସ । ଭାରତ ସ୍ଵାଧୀନତା ଇତିହାସର ଦୁଇଟି ପର୍ବ ଶେଷ ହୋଇ ବର୍ତ୍ତମାନ ‘ତୃତୀୟ ପର୍ବ’ ଚାଲିଛି । ୧୯୨୧ରୁ ୧୯୪୬ ପର୍ଯ୍ୟନ୍ତ ପଚିଶ ବର୍ଷର ଏ ଏକ ପର୍ବ । ସେଥିର ବିଷୟବସ୍ତୁ ତିନୋଟି ମୁଖ୍ୟ ସଂଗ୍ରାମ ବା ସତ୍ୟାଗ୍ରହ । ପୁଣି ୧୯୪୬ରୁ ୧୯୭୧ ଏ ପଚିଶ ବର୍ଷ ହେଉଛି ଦ୍ୱିତୀୟ ପର୍ବ ଯାହାର ବିଷୟବସ୍ତୁ ହେଉଛି ସ୍ଵାଧୀନତା ସଂଗ୍ରାମୀମାନଙ୍କ ହାତରେ ଶାସନର ପରିଚାଳନା । ତୃତୀୟ ପର୍ବ ହେଉଛି ସେ ଶାସନର ପରିଣତି । କେଉଁଠି ସେ ପର୍ବ ଶେଷ ହେବ ଜଣା ନାହିଁ ।

 

ସ୍ଵାଧୀନତା ପ୍ରାପ୍ତିର ପଚିଶ ବର୍ଷ ପରେ ଏହି ତିନି ଶ୍ରେଣୀ ମଧ୍ୟରେ ଦେଖାଦେଇଥିବା ସଂଘର୍ଷରୁ ଏହି ଉପନ୍ୟାସର ଜନ୍ମ । ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ବାବୁ, ମନ୍ତ୍ରୀ ଜଗଦାନନ୍ଦବାବୁ, ସୀତାକାନ୍ତ ବାବୁ ଓ ସଦାନନ୍ଦ ବାବୁ ପ୍ରଥମ ଶ୍ରେଣୀର ପ୍ରତିନିଧିତ୍ଵ କରିଛନ୍ତି ରାମଶଙ୍କର, ଧନଂଜୟ ଓ ତୃତୀୟ ଶ୍ରେଣୀର ପ୍ରତିନିଧି ହୋଇଛନ୍ତି ବୀରକିଶୋର, ହୃଷିକେଶ, ବିନୟ, କମଳାକାନ୍ତ, ତାରିଣୀ, ମାନସ, ପ୍ରଦ୍ୟୋତ ଓ ଦୋଳଗୋବିନ୍ଦ ।

 

ରାମଶଙ୍କର ‘ତୃତୀୟ ପର୍ବ’ ରେ ମୁଖ୍ୟ ଚରିତ୍ର । ସେହି ସମୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି । ମହତାବ ନିଜେ କାରାବାସ ଭୋଗ କରିଛନ୍ତି । ଶାସନ ଅବ୍ୟବସ୍ଥାର ତ୍ରୁଟି ବିଚ୍ୟୁତି, ଯୋଜନାର ବିଫଳତାକୁ ମହତାବ ନିଜେ ଅଙ୍ଗେ ନିଭେଇଥିବାରୁ ସେ ଅତି ବଳିଷ୍ଠ ଭାବରେ ‘ତୃତୀୟ ପର୍ବ’ ଉପନ୍ୟାସକୁ ସଂଯୋଜିତ କରି ପାରିଛନ୍ତି । ରାମଶଙ୍କର ମୁହଁରେ ତେଣୁ କହିଛନ୍ତି, “ସ୍ଵରାଜ୍ୟ ବର୍ତ୍ତମାନ ବିପଥଗାମୀ । ଏହାର ଗତି ବଦଳାଇ ଏହାକୁ ଠିକ୍‌ ବାଟକୁ ଆଣିବାକୁ ହେବ । ଇଂରେଜ ଥିଲେ, ତାଙ୍କ ହୁକୁମ୍‌ ତାଲିମ୍‌ କରୁଥିଲେ, ବର୍ତ୍ତମାନ ଶାସକ ଦଳର ହୁକୁମ ତାଲିମ ଚାଲିଛି । ପୁଣି ଆଉ କୌଣସି ଦଳ ଶାସନକୁ ଆସିଲେ ତାର ହୁକୁମ ତାଲିମ୍‌ କରିବେ । ଏପରିକି ଚୀନ୍‌ ଯଦି ଭାରତ ଅଧିକାର କରି ଶାସନ ଚଳାଏ ଏମାନେ ତାର ମଧ୍ୟ ଆଜ୍ଞାବହ ହୋଇଯିବେ ।’’ ରାମଶଙ୍କର ଓ ବୀରକିଶୋରଙ୍କ ଆହ୍ୱାନ ହୋଇଛି ପୂର୍ଣ୍ଣାଙ୍ଗ ବିପ୍ଳବ । ଦିଲ୍ଲୀ ସିଂହାସନ ଥରହର । ଦେଶରେ ଜରୁରୀ କାଳୀନ ପରସ୍ଥିତି । ରାମଶଙ୍କର ଓ ବୀରକିଶୋର ପ୍ରମୁଖ ଗିରଫ୍‌ । ଉପନ୍ୟାସର ପରିସମାପ୍ତିରେ ତିନିଗୋଟି ମହାନ୍‌ ବାଣୀର ଉଲ୍ଲେଖ କରାଯାଇଛି । ସ୍ଵାମୀ ବିବେକାନନ୍ଦଙ୍କର ପ୍ରଥମ ପର୍ବର ମନ୍ତ୍ର, ଜୀବନ ଧାରଣ, ଏହାର ବିକାଶ ଏବଂ ଅଭିବୃଦ୍ଧି ପାଇଁ ଚିନ୍ତା ଓ କାର୍ଯ୍ୟର ସ୍ଵାଧୀନତା ଆବଶ୍ୟକ । ଯେଉଁଠି ଏହା ନାହିଁ ସେଠି ମନୁଷ୍ୟ, ସମାଜ ଏବଂ ଜାତି ଅବଶ୍ୟ ଧ୍ଵଂସ ପାଇଯିବ । ପୁଣି ବିବେକାନନ୍ଦଙ୍କ ଅଶରୀରି ଆତ୍ମା । ବଜ୍ରନିର୍ଘୋଷରେ କହୁଛି, “ଏ ଜାତି ମରିନାହିଁ କି ମରିବ ନାହିଁ । ଏ ବଂଚିଛି ଏବଂ ବଂଚିବ ତୃତୀୟ ପର୍ବ ଶୀଘ୍ର ଶେଷ ପାଇବ ।’’ ସେକ୍ରେଟେରୀଏଟ୍‌ ହତାରେ ଛିଡ଼ା ହୋଇଥିବା ଗାନ୍ଧୀ ମୂର୍ତ୍ତିର ଗମ୍ଭୀର ସ୍ମିତ ମୁଖରୁ ଅଶବ୍ଦ ବାଣୀ ଯେପରି ଅନେକ ଶୁଣୁଛନ୍ତି - ‘‘ଭୟ ନାହିଁ, ଏ ପର୍ବର ଅବସାନ ଶୀଘ୍ର ଘଟିବ । ନିର୍ଭୟ ହୋଇ ଏହାର ସମ୍ମୁଖୀନ ହୁଅ । ରବୀନ୍ଦ୍ରନାଥଙ୍କ ବାଣୀ ସ୍ମୃତି ପଟରେ ଜାଗି ଉଠୁଚି - କେତେ ଯାବେ ମେଘ ନବୀନ ଗରିମା ଭାତିବେ ଆବାର ଲଲାଟେ ତୋର ।’’

 

ରାଜନୈତିକ କଥାବସ୍ତୁ ଉପରେ ଆଧାରିତ ଏହି ଉପନ୍ୟାସ ଏକ ଶକ୍ତିଶାଳୀ ସୃଷ୍ଟି । ‘‘୧୯୭୫ ଉପନ୍ୟାସ ମହତାବଙ୍କର ଶେଷ ରାଜନୈତିକ ଉପନ୍ୟାସ । ୧୯୭୯ ରେ ଏହା ପ୍ରକାଶିତ । ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତି ସହିତ ଶାସନ ବ୍ୟବସ୍ଥାର କିଛି ପୂର୍ବ ଓ କିଛି ପରର ରାଜନୈତିକ ଚିତ୍ର ଦିଆଯାଇଛି । ଏଥିରେ କ୍ଷମତାସୀନ ଗୋଷ୍ଠୀ, କ୍ଷମତା ଦୂରରେ ଥିବା ସ୍ଵାଧୀନତା ସଂଗ୍ରାମୀ ଓ ଅସନ୍ତୁଷ୍ଟ ଯୁବଗୋଷ୍ଠୀ ମଧ୍ୟରେ ଦେଖାଦେଇଥିବା ଦ୍ଵନ୍ଦ୍ୱ ଓ ସଂଘର୍ଷର ଚିତ୍ର ପ୍ରକାଶ ପାଇଛି ।

 

ମହତାବଙ୍କର ଚାରୋଟି ଉପନ୍ୟାସ ଯଥା - ‘ନୂତନ ଧର୍ମ’, ‘ଅବ୍ୟାପାର’, ‘ଟାଉଟର’ ଓ ‘ପ୍ରତିଭା’ ସ୍ଵରାଜ୍ୟ ପାଇଁ ଓ ଏକ ନୂତନ ଶୋଷଣ ମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ କରିବା ବେଳେ ତାଙ୍କର ‘ତୃତୀୟ ପର୍ବ’ ଓ ‘୧୯୭୫’ କଷ୍ଟଲବ୍ଧ ସ୍ଵାଧୀନତାକୁ ବଂଚାଇ ରଖିବା ଚେଷ୍ଟାର ଏକ ସଫଳ ପ୍ରୟାସ ।

 

କ୍ଷୁଦ୍ରଗଳ୍ପ

ସାହିତ୍ୟର ବିଭିନ୍ନ ବିଭାଗମାନଙ୍କ ମଧ୍ୟରୁ କଥା ସାହିତ୍ୟ ପ୍ରାଚୀନତମ । ଆଧୁନିକ କ୍ଷୁଦ୍ରଗଳ୍ପ ବାସ୍ତବଜୀବନରେ କଥାବସ୍ତୁକୁ ନେଇ ରଚିତ । ଏଡ଼ଗାର ଆଲନପୋଙ୍କ ମତରେ, ‘ଅତି ଅଳ୍ପ ସମୟରେ ଶେଷ କରି ଦେଲା ଭଳି ଗଦ୍ୟରେ ରଚିତ ବିଷୟକୁ କ୍ଷୁଦ୍ରଗଳ୍ପ ବୋଲି ଅତୀତରେ ଗ୍ରହଣ କରାଯାଉଥିଲା ।’ ଜୀବନର ଖଣ୍ଡାଂଶର ରୁପ ହେଉଛି କ୍ଷୁଦ୍ରଗଳ୍ପ । ବ୍ରାଣ୍ଡର ମାଥ୍ୟୁସ୍‌ କହନ୍ତି, ‘କ୍ଷୁଦ୍ରଗଳ୍ପରେ ଜୀବନର ଏକ ବିଶିଷ୍ଟ ମୁହୂର୍ତ୍ତ ଏକ ବିଶିଷ୍ଟ ପରିବେଶ ମଧ୍ୟରେ କିପରି ଲେଖକଙ୍କ ଦ୍ୱାରା ପ୍ରତ୍ୟକ୍ଷଭୂତ ହୋଇଅଛି, ତାହାର ଚିତ୍ରଣ ଦେଖିବାକୁ ମିଳେ ।

 

ଫକୀରମୋହନ ଆଧୁନିକ କ୍ଷୁଦ୍ରଗଳ୍ପର ଆଦିସ୍ରଷ୍ଟା । ସ୍ଵାଧୀନତାପ୍ରାପ୍ତିର ପୂର୍ବବର୍ତ୍ତୀକାଳ ସମୟଟି ଥିଲା ଅତ୍ୟନ୍ତ ସଂଘାତ - ସଂକୁଳ । ଗଡ଼ଜାତ ପ୍ରଜା ଆନ୍ଦୋଳନ, ସାମ୍ୟବାଦୀ ଭାବଧାରାର ପ୍ରଚାର, ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭୀଷିକା, ସ୍ୱାଧୀନତା ଆନ୍ଦୋଳନ, ସତ୍ୟାଗ୍ରହ, ଅଭାବ, ଅନାଟନ, ଦୁଃଖ, ଦୈନ୍ୟ, ନିର୍ଯ୍ୟାତନାର କାହାଣୀ ସ୍ଥାନ ପାଇଥିଲା କ୍ଷୁଦ୍ରଗଳ୍ପ ମାଧ୍ୟମରେ । ଲେଖକ ହୋଇଥିଲା ସମାଜ ସଚେତକ । ପଠାଣି ପଟ୍ଟନାୟକଙ୍କ ମତରେ, ‘ସାମଗ୍ରିକ ଭାବେ ସାମ୍ପ୍ରତିକ କ୍ଷୁଦ୍ରଗଳ୍ପ ବହୁ ବିଭବରେ ବୈଚିତ୍ର୍ୟମଣ୍ଡିତ, ସୂକ୍ଷ୍ମ ମନସ୍ତାତ୍ତ୍ୱିକ ବିଶ୍ଳେଷଣ, ରାଜନୀତିକ ଜୀବନର ପଟ୍ଟଭୂମିରେ ଆଧୁନିକ ସମାଜ ସଚେତନ ମନୁଷ୍ୟର କର୍ମଧାରା, ଭତ୍କଟ ଜୀବନ ସଂଗ୍ରାମ, ସାମାଜିକ ଅବିଚାରର ଗ୍ଳାନିକର ପରିବେଶ, ପ୍ରଣୟ ଦର୍ଶନର ନୂତନ ଅଭିବ୍ୟଞ୍ଜନା ଓ ଯୌନବିକାର ଗ୍ରସ୍ତ ମଣିଷର ସୂକ୍ଷ୍ମ ଅନୁଭୂତି, ସାମ୍ପ୍ରତିକ ଶିଳ୍ପ ବିପ୍ଳବର ମର୍ମବାଣୀ, ଶ୍ରମିକ ଓ ସର୍ବହରାର ଶୋଷଣ ବିରୁଦ୍ଧରେ ଅଭିଯାନ, ଯୁଦ୍ଧ ପରବର୍ତ୍ତୀ ସମାଜର ବ୍ୟର୍ଥତା, ଜୀବନର ଆର୍ଥିକ, ମାନସିକ ଓ ନୈତିକ ଦୁଃସ୍ଥିତି ପ୍ରଭୃତି ନାନା ରୂପରେ ନାନା ରଙ୍ଗରେ ରୂପାୟିତ ହୋଇଥିବା ଜଣାଯାଏ।

 

‘ଝଙ୍କାର’ ପ୍ରକାଶିତ ହେବା ପରେ ମହତାବ କ୍ଷୁଦ୍ରଗଳ୍ପ ସୃଷ୍ଟି କରିଛନ୍ତି । ଏହା ସଂଖ୍ୟା ଦୃଷ୍ଟିରୁ ଅଧିକ ନୁହେଁ । ବିଭିନ୍ନ ପରିବେଶ, ସମୟ, ଘଟଣା ଓ ଭାବନାକୁ ନେଇ ଲିଖିତ । ତାଙ୍କର ଗଳ୍ପଗୁଡ଼ିକ ହେଉଛି ‘ରିକ୍‌ସାବାଲା’, ‘ଫାଟକବାବୁ’, ‘ନୂଆଚଳଣୀ’, ‘ଏକା’, ‘ଇମରଜେନ୍‌ସୀ’, ‘ଦଶବର୍ଷ ପରେ’, ‘ଅପରାହ୍ନର ଉଦ୍ଦୀପନା’, ‘କଂଗ୍ରେସିଆ’, ‘ଘେରାଇ’, ‘ଷଡ଼ଯନ୍ତ୍ର ହୃଦୟର’, ‘ମୋ ଘର ଶ୍ରୀଜଙ୍ଗ’, ‘ଏସ୍‌ ନାୟକ’, ‘ବୃଦ୍ଧର ପ୍ରାର୍ଥନା‘, ‘ସ୍ୱର୍ଗରେ ଇମରଜେନ୍‌ସି’, ‘ସାବିତ୍ରୀ’, ‘ବ୍ରହ୍ମାନନ୍ଦଙ୍କ ଶୂନ୍ୟଯାତ୍ରା’, ‘ଦୁର୍ଭିକ୍ଷ’, ‘ଭାବନାଭୂତ’, ‘ଧର୍ମଶାଳା’, ‘ଭାତହାଣ୍ଡିରୁ ଗୋଟିଏ’, ‘ସେପାରିର ଡ଼ାକ’, ‘ଏପରି ବି ହୁଏ’, ‘ମୋ ନିଜ ଗପ’, ‘ଉପକ୍ରମଣିକା’ , ‘ଭିକାରୀର ଜବାବ’, ‘ତୋରି ଲାଗି ଛାତି ପଥର’, ‘ପ୍ରେମର ପରିଣାମ’ ।

 

ମହତାବଙ୍କ ଗଳ୍ପର ଅନ୍ତଃସ୍ଵର ମୁଖ୍ୟତଃ ରାଜନୀତି ପ୍ରଧାନ, ତାଙ୍କର ପ୍ରତ୍ୟକ୍ଷ ଅନୁଭୂତିର ନିଚ୍ଛକ ପରିପ୍ରକାଶ । ଗଳ୍ପଗୁଡ଼ିକର ଆଭିମୁଖ୍ୟ ସଂସ୍କାରମୁଖୀ ଚେତନା ସୃଷ୍ଟି । ତାଙ୍କ ନିଜ ଜୀବନ ସ୍ମୃତି ଓ ଜୀବନ ଦର୍ଶନ ମଧ୍ୟ ଏହି ଗଳ୍ପମାନଙ୍କରେ ଦେଖିବାକୁ ମିଳେ ।

 

ଅଧ୍ୟାପକ ବୈଷ୍ଣବଚରଣ ସାମଲ ମହତାବଙ୍କ ଗଳ୍ପ ସଂପର୍କରେ ଉଲ୍ଲେଖ କରିଛନ୍ତି, ‘ରାଷ୍ଟ୍ରୀୟ ପରିପ୍ରେକ୍ଷୀରେ ସମାଜକୁ ଅନୁଧ୍ୟାନ କରୁଥିବା ଓ ରାଜନୀତି ସହିତ ତାହାକୁ ସନ୍ତୁଳନ କରି ବିଚାରୁଥିବା ଜଣେ ଦାର୍ଶନିକଭାବରେ ମହତାବଙ୍କୁ ତାଙ୍କ ଗଳ୍ପମାନଙ୍କରୁ ଉପଲବ୍ଧି କରି ହୁଏ । ସେ ଫେସନ ସର୍ବସ୍ଵ କଥାକାରଙ୍କ ପରି ତାଙ୍କ ଗଳ୍ପରେ ନିଃସଙ୍ଗତାର ସ୍ଵର ଉଚ୍ଚାରଣ କରିନାହାଁନ୍ତି। ମନସ୍ତତ୍ତ୍ୱ ନାମରେ ଯୌନଚର୍ଚ୍ଚା କରିନାହାଁନ୍ତି, ପରୀକ୍ଷା ନାମରେ ବୌଦ୍ଧିକ ହଟଚମଟ କରିନାହାଁନ୍ତି । ମହାଜାତିର ପ୍ରେକ୍ଷାପଟ ଉପରେ ସ୍ଵାଧୀନୋତ୍ତର କାଳରେ ରାଜନୈତିକ ଘଟାଟୋପ ମଧ୍ୟ ଦେଇ ଯେଉଁ ବାତାବରଣ ସୃଷ୍ଟି ହୋଇଛି, ସମାଜ ମଣିଷ ଯେପରି ବହୁଧା ବିଭକ୍ତ ହୋଇଯାଇଛି, କ୍ଷମତା ରାଜନୀତି ପାଇଁ ଯେଉଁ ମୋହ ପ୍ରକାଶ ପାଇଛି ଓ ସେଥିରେ ରାଷ୍ଟ୍ର ସମାଜ ଓ ମଣିଷ ଯେପରି ଅବହେଳିତ ହୋଇଯାଇ ଅଶାନ୍ତି ଓ ଅସନ୍ତୋଷ ପ୍ରକାଶ କରିଛନ୍ତି, ତାହାହିଁ ମହତାବଙ୍କ କ୍ଷୁଦ୍ରଗଳ୍ପର ହୋଇଚି ମୁଖ୍ୟ ଆଧାର । ହୃଦୟ ଖୋଜିବା ଓ ବ୍ୟକ୍ତି - ମଣିଷ ପରିବର୍ତ୍ତେ ସମାଜ ମଣିଷକୁ ଆପଣାର କରିବା, ରାଜନୈତିକ ସଂକୀର୍ଣ୍ଣତାରୁ ମୁକ୍ତ ହୋଇ ପ୍ରସାରିତ ଦୃଷ୍ଟିକୋଣରୁ ପ୍ରତ୍ୟେକ ସମସ୍ୟାକୁ ବିଚାର କରିବା, ଗଣତନ୍ତ୍ରକୁ କଳୁଷିତ କରୁଥିବା ରାଜନୀତିକ ନେତାମାନଙ୍କ ସ୍ଵରୂପକୁ ଚିହ୍ନାଇଦେବା, ସାମ୍ୟବାଦୀ ବିପ୍ଳବନାମରେ ହିଂସା ଆଚରଣ କରୁଥିବା ରାଜନୀତିକ ନେତାମାନଙ୍କ ସ୍ଵରୂପକୁ ଚିହ୍ନାଇଦେବା, ସାମ୍ୟବାଦୀ ବିପ୍ଳବ ନାମରେ ହିଂସା ଆଚରଣ କରୁଥିବା ଯୁବକମାନଙ୍କୁ ଉଚିତ୍‌ମାର୍ଗ ଦର୍ଶାଇବା, ଭୋଟ ସର୍ବସ୍ଵ ରାଜନୀତିର ଅସାରତାକୁ ପ୍ରତିପାଦନ କରିବା ଇତ୍ୟାଦି ତାଙ୍କ ଗଳ୍ପର ବାଣୀ- ମନ୍ତ୍ର ।”

 

ରିକ୍‌ସାବାଲାର ସ୍ଵାଭିମାନ, ପୁଅକୁ ପାଠ ପଢାଇ ବଡ଼ କରିବାର ସ୍ଵପ୍ନ ମଧ୍ୟରେ ସେମାନଙ୍କୁ ନେଇ ରାଜନୀତି କରୁଥିବା ନେତାମାନଙ୍କ ପ୍ରତି କଟାକ୍ଷ । ‘ଫାଟକବାବୁ’ ମଧ୍ୟବିତ୍ତ କର୍ମଚାରୀର ନିଜର ବ୍ୟକ୍ତିଗତ ସ୍ଵାର୍ଥ ସାଧନ ପାଇଁ ସତତ୍‌ ଚେଷ୍ଟିତ ଥିବା ବେଳେ ନିଜର ମୂଲିଆ ପ୍ରତି କଠୋର ଆଚରଣର ନୂଆ ଚଳଣ କ୍ଷମତା ପାଇବା ଭୋଟରେ ସାମିଲ ଅଥଚ ହାରିଗଲା ପରେ ନିଜର କ୍ରୋଧର ପରିପ୍ରକାଶ । ‘ଷଡ଼ଯନ୍ତ୍ର-ହୃଦୟ’ର ଗଳ୍ପରେ ରାମମୋହନ ନିଷ୍ଠାପର ଗାନ୍ଧୀଭକ୍ତ ବିପ୍ଳବୀ ଯୁବଗୋଷ୍ଠୀଙ୍କୁ ନୀତି ଦୃଷ୍ଟିରୁ ସମର୍ଥନ ନ କରୁଥିଲେ ମଧ୍ୟ ମାନବିକ ସହାନୁଭୂତି ଦେଖାଇ ଦଣ୍ଡ ପାଇଛନ୍ତି ।

 

‘ଦଶବର୍ଷ ପରେ’ ଗଳ୍ପରେ କଳାବ୍ୟବସାୟୀ ମଦନ ଲାଲ୍‌ ହୋଇଛନ୍ତି ସମାଜବାଦର ପ୍ରଧାନ ପୃଷ୍ଠପୋଷକ । ପିମ୍ପୁଡ଼ି ଗାତରେ ଚିନି ଦେଇ ଜୀବନ ଦୟା ଉପଲବ୍ଧି କରୁଥିବା ଲୋକତ ପୁଣି ଠେଙ୍ଗା ବାଡି ଧରି ମୁଣ୍ଡ ଫଟାଇବାକୁ ବାହାରେ । ଏହି ଗଳ୍ପରେ ମନୁଷ୍ୟ ଚରିତ୍ରର ପରିବର୍ତ୍ତନ ଓ ଅବକ୍ଷୟର ଚିତ୍ର ସୁସ୍ପଷ୍ଟ । କଂଗ୍ରେସିଆ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ଵପ୍ନ ଓ ସଂଗ୍ରାମର ପୃଷ୍ଠଭୂମି । ‘‘ଚକ୍ରଧରଙ୍କ ପରି ସଚ୍ଚୋଟ, ତ୍ୟାଗୀ କଂଗ୍ରେସ କର୍ମୀ ଆଜିର ସ୍ଵାର୍ଥ ସର୍ବସ୍ଵ ରାଜନୀତିରେ ଅବହେଳିତ । ଧନଂଜୟ ପ୍ରଧାନଙ୍କ ପରି ମାମଲତକାର ଅବସ୍ଥାକୁ ଗ୍ରାସ କରିଥିବାବେଳେ ଚକ୍ରଧର ଭାବୁଛନ୍ତି, କଂଗ୍ରେସ ଥିଲା କଣ ଓ ହେଲା କଣ ? ଗାଁର ବୁଭୁକ୍ଷୁ ଜନତାର ନେତୃତ୍ଵ ନେବ କିଏ ? ଯେ ନେତୃତ୍ୱ ନେଇ ପାରିବ ସେ ହେଉଛି ଭବିଷ୍ୟତ, ଆଉ ସବୁ ଅତୀତ, ଯାହାକୁ ଭାଳି ହୋଇ କିଛି ଲାଭ ନାହିଁ ।”

 

ମହତାବଙ୍କର ‘ବାବନାଭୂତ’ ଗଳ୍ପର ନାୟକ ସୁରେନ୍ଦ୍ର ଅତ୍ୟାଚାରୀ ସରପଞ୍ଚ । ଗଣତନ୍ତ୍ର ଓ ସମାଜବାଦ ଆଢ଼ୁଆଳରେ ନିରୀହ ଚାଷୀ ଗୌରହରିର ଜମିକୁ ଦଖଲ କରିଛି । ସରପଞ୍ଚ ହୋଇଥିବା ହେତୁ ଶାସନ କଳକୁ ନିଜ ଅକ୍ତିଆରରେ ରଖି ପ୍ରତିଶୋଧ ନେବା ଫଳରେ ଗୌରହରି ହୋଇଛି ଉଦ୍‌ବାସ୍ତୁ । କିନ୍ତୁ ଗୌରହରି ନେଇଛି ପ୍ରତିଶୋଧ । ଗୌରହରିର ଚିତ୍କାର, “ଭୋଟ ଦେଇଛୁ, ଏବେ ଚୋଟ ଦେବୁ, ମୁଁ ସହଜରେ ଛାଡ଼ିବି ନାହିଁ ।’’ ଏକ ଅଦେଖା ମଣିଷ ସୁରେନ୍ଦ୍ର ମୁଣ୍ଡଙ୍କୁ ଠେଙ୍ଗାରେ ପିଟିଛି ଓ ସେ ମରି ଯାଇଛି । ଗୌରହରି ନେଇଛି ପ୍ରତିଶୋଧ ।

 

ସରଳ ଗ୍ରାମ୍ୟଜୀବନର ଚିତ୍ର ‘ଏପରି ବି ହୁଏ’ । ସାମାନ୍ୟ କୂଅ ଖୋଳାକୁ ନେଇ ଝିମିଟି ଖେଳରୁ ମହାଭାରତର ସୃଷ୍ଟି । ହରିହର ଓ ରାମଚନ୍ଦ୍ର - ପରସ୍ପର ବିରୋଧୀ ରାଜନୈତିକ ଦଳର ପ୍ରାର୍ଥୀ । ଏହାକୁ ନେଇ ଆରମ୍ଭ ହେଲା ସବର୍ଣ୍ଣ ହରିଜନ ସଂଘର୍ଷ । ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠିତ ହେଲା । ଗ୍ରାମ୍ୟ ସମାଜ ଜୀବନର ଅବକ୍ଷୟର ଚିତ୍ର ।

 

‘ମୋ ଘର ଶ୍ରୀଜଙ୍ଗ’ ଇତିହାସ ପ୍ରସିଦ୍ଧ ଲବଣ ସତ୍ୟାଗ୍ରହର ସ୍ଥାନ ବର୍ତ୍ତମାନ ଇତିହାସର ସ୍ମୃତି । ସ୍ଵାଧୀନତାର ରଜତ ଜୟନ୍ତୀ ଉତ୍ସବରେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ମାନପତ୍ର ଓ ମାସିକ ଭତ୍ତା ଦେବାର ଉତ୍ସବରେ ସତ୍ୟାଗ୍ରହୀ ଲୋକନାଥ ଆଣ୍ଠୁଲୁଚା ଖଦଡ଼ ପରିହିତ ହୋଇ ମନ୍ତ୍ରୀ ହରିମୋହନଙ୍କ ହାତ ଧରି ପକାଇବା ବେଳେ ମନ୍ତ୍ରୀଙ୍କ ଦେହ ଘୃଣାରେ ଶିହରି ଉଠିଛି । ଦେହରକ୍ଷୀ ଟାଣି ଆଣି ଦୁଇ ଧକ୍କା ଦେଇ ଦୂରକୁ ଠେଲି ଦେଇଛନ୍ତି । ଲୋକନାଥ ନିଜ ପ୍ରତି ହୋଇଥିବା ବ୍ୟବହାର ସଂପର୍କରେ ଦେଇଛନ୍ତି ମର୍ମସ୍ପର୍ଶୀ ଭାଷଣ ଓ କହିଛନ୍ତି, ‘ଶ୍ରୀଜଙ୍ଗ ତାଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଛି, କାରଣ ସେ ବର୍ତ୍ତମାନ ମନ୍ତ୍ରୀ, ଶ୍ରୀଜଙ୍ଗର ସମସ୍ତ ଗ୍ରାମବାସୀ ପ୍ରଜା ।’’

 

ଏମ.ଏ. ଡ଼ିଗ୍ରୀଧାରୀ ଯୁବକ ଅନିବାର୍ଯ୍ୟ ଭିକ୍ଷା ମାଗିଛି ପାଂଚଶତ ଟଙ୍କା ବିଦେଶୀ ଅତିଥି‌ଙ୍କୁ ନିବେଦନ ପତ୍ର ଦେଇ । ମୁଖ୍ୟମନ୍ତ୍ରୀ ସ୍ତବ୍ଧ । ଅନିବାର୍ଯ୍ୟ ହେଲା ଜେଲର ଆସାମୀ । ‘ଭିକାରୀର ଜବାବ ଗଳ୍ପରେ ଅନିବାର୍ଯ୍ୟର ଯୁକ୍ତି ବଳିଷ୍ଠ କିନ୍ତୁ ଗଳ୍ପଟିର କଳାଧର୍ମ ହୋଇଛି ବ୍ୟାହତ । ଗଳ୍ପଟି ହୋଇଯାଇଛି ପ୍ରବନ୍ଧ ସର୍ବସ୍ଵ ।

 

ରାଜନୈତିକ ପୃଷ୍ଠଭୂମି ଉପରେ ରଚିତ ଗଳ୍ପ ‘ସ୍ଵର୍ଗରେ ଇମର୍‌ଜେନ୍‌ସି। ‘ସ୍ଵର୍ଗରେ ଇମରଜେନ୍‌ସି’ ନାମରେ ତାଙ୍କର ଏକମାତ୍ର ଗଳ୍ପ ସଂକଳନ ୧୯୭୭ ମସିହାରେ ପ୍ରକାଶିତ । ଏହି ଗଳ୍ପଟି ପ୍ରତୀକଧର୍ମୀ । ଦେବସଭାକୁ ପାର୍ଲାମେଣ୍ଟ, ଇନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ, ବ୍ରହ୍ମା, ବିଷ୍ଣୁ ଇତ୍ୟାଦିଙ୍କୁ ରାଷ୍ଟ୍ରପତି, ଅନ୍ୟାନ୍ୟ ପ୍ରଭାବଶାଳୀ ଦେବଦେବୀଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ, ସାଧାରଣ ଦେବଦେବୀଙ୍କୁ ଏମ.ପି., ବୃହସ୍ପତିଙ୍କୁ ସ୍ପିକର ଓ କେତେକ ମୁଖ୍ୟ ବିରୋଧୀଙ୍କୁ ଅସନ୍ତୁଷ୍ଟ ଗୋଷ୍ଠୀ ବା ବିରୋଧୀ ଦଳ ନେତା ଭାବେ ଉପସ୍ଥାପିତ କରାଯାଇ ଜରୁରୀ ଅଧିବେଶନ ଡାକିବା ମାଧ୍ୟମରେ ମହତାବ ସମାଜ ବ୍ୟବସ୍ଥାର ରୁଗ୍‌ଣ ଚେହେରାକୁ ଦେଖାଇ ରାଜନୀତି କିପରି କଳଙ୍କିତ ହୋଇଛି ତାହାର ନଗ୍ନତାକୁ ପ୍ରକାଶ କରିଛନ୍ତି ।

 

ମହତାବଙ୍କ ବିଭିନ୍ନ ଗଳ୍ପ ରାଜନୈତିକ ଓ ସାମାଜିକ ଚିତ୍ର ବହନ କରିଛି । ତାଙ୍କର କେତେଗୁଡ଼ିଏ ଗଳ୍ପ ଜୀବନୀମୂଳକ । ‘ଏକା’, ‘ମୋ ନିଜ ଗପ’, ‘ଉପକ୍ରମଣିକା’, ‘ଅପରାହ୍ନର ଉଦ୍ଦୀପନା’, ‘ବୃଦ୍ଧର ପ୍ରାର୍ଥନା’, ‘ସେପାରିର ଡାକ’ ଏହି ପର୍ଯ୍ୟାୟଭୁକ୍ତ । ତାଙ୍କ ଗଳ୍ପର ଚରିତ୍ରମାନେ ସାଂପ୍ରତିକ ସମସ୍ୟା ସହିତ ଏକୀଭୁତ । ଜୀବନ ଓ ଅଭିଜ୍ଞତା ବେଶ୍‌ ବ୍ୟାପକ । ସେ ସାଉଁଟି ଆଣିଛନ୍ତି ତାଙ୍କର ଚରିତ୍ରମାନଙ୍କୁ ଓଡ଼ିଶାର ଗାଁ ଓ ସହରରୁ । ସେ ସ୍ଵାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ, ଦେଶପ୍ରେମ ଓ ସେବାର ଚିତ୍ର ଦେବାକୁ ହୋଇଛନ୍ତି ସକ୍ଷମ । ମହତାବ ଗଳ୍ପମାନଙ୍କର କଣ କହିବେ, ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । କିପରି କହିବେ ସେଥିପ୍ରତି ଧ୍ୟାନ ଦେବା ଫଳରେ ଏଥିରେ ଭାଷା ବିନ୍ୟାସର ଅଭାବ ପରିଲକ୍ଷିତ । ପାରମ୍ପରିକ ଢଙ୍ଗରେ ଜୀବନକୁ ଫୁଟାଇବାରେ ଅବଶ୍ୟ ସେ ହୋଇଛନ୍ତି ସଫଳ । ଜୀବନବ୍ୟାପି ରାଜନୀତି ସହିତ ସଂପର୍କ ହେତୁ ତାଙ୍କ ଗଳ୍ପ ସାହିତ୍ୟରେ ରାଜନୀତିର ପ୍ରଖର ଧାରା ପ୍ରବାହିତ । ଏହାହିଁ ତାଙ୍କ ଗଳ୍ପର ବୈଶିଷ୍ଟ୍ୟ ।

 

କାବ୍ୟ-କବିତା

ଓଡ଼ିଆ କବିତା ବହୁ ପରିବର୍ତ୍ତନ ଓ ଉତ୍‌ଥାନ ପତନ ମଧ୍ୟ ଦେଇ ଗତି କରିଛି । ସାମାଜିକ ଅବସ୍ଥାରେ ପରିବର୍ତ୍ତନ ହେତୁ କବି- ମାନସରେ ଏକ ନୂତନ ମୂଲ୍ୟବୋଧ, ନୂତନ ବିଚାରଧାରା ପ୍ରବେଶ କଲା । ପ୍ରାକୃତିକ ସୌନ୍ଦର୍ଯ୍ୟବୋଧ ବା ନିର୍ଜନ ଆତ୍ମନିମଗ୍ନ ରୋମାଣ୍ଟିକ୍‌ - ପ୍ରେମ - ସର୍ବସ୍ୱତା ପରିବର୍ତ୍ତେ ଜୀବନର ସର୍ବାଙ୍ଗୀନ ବୋଧ, ଅନୁଭବ ଓ ଚିନ୍ତା କବିତା ପରିସର ମଧ୍ୟକୁ ପ୍ରବେଶ କଲା । ତେଣୁ ବିଷୟ ବସ୍ତୁ ସୀମାବଦ୍ଧ ନ ହୋଇ ହେଲା ସର୍ବବ୍ୟାପୀ । ତୁଚ୍ଛ, ନଗଣ୍ୟ ଓ ସାଧାରଣ ବିଷୟ ପ୍ରତି କବି ସଚେତନ ହୋଇ ତାହାକୁ କବିତାରେ ରୂପଦେବାକୁ ଚେଷ୍ଟିତ ।

 

କବିତାର ରୂପରେ ମଧ୍ୟ ଅନେକ ପରିବର୍ତ୍ତନ । ଛନ୍ଦୋବଦ୍ଧ କବିତା ବଦଳରେ ଗଦ୍ୟଛନ୍ଦରେ କବିତା ରଚନା ହେଉଛି । ଶବ୍ଦ ପ୍ରୟୋଗ ରୀତିରେ ମଧ୍ୟ ସ୍ଵାତନ୍ତ୍ର୍ୟ ଦେଖାଯାଉଛି । ମହତାବ କବି ନୁହଁନ୍ତି, ପ୍ରାୟତଃ ସେ ଗଦ୍ୟଶିଳ୍ପୀ । ତେଣୁ ସେ ନିଜ ତରଫରୁ କହିଛନ୍ତି, ‘‘କେହି ଯେପରି ମନେ ନ କରନ୍ତି ଯେ ସେ କବି ଆଖ୍ୟା ପାଇବା ପାଇଁ ଆଶାୟୀ କିବା ସେ ଆଖ୍ୟା ପାଇବାର ଯୋଗ୍ୟ । ଏ କବିତା ଗୁଡ଼ିକ କର୍ମମୟ ଜୀବନ ମଧ୍ୟରେ ସାମୟିକ ଭାବନାର ପ୍ରକାଶ ବ୍ୟତୀତ ଆଉ କିଛି ନୁହେଁ । ମୁଁ ଅନୁଭବ କରୁଛି ଯେ କବିତା ମୋର ସ୍ଵଧର୍ମ ନୁହେଁ ।’’

 

ମହତାବଙ୍କ କବିତା ଛନ୍ଦୋବଦ୍ଧ । ମହତାବଙ୍କ ପ୍ରକାଶିତ କାବ୍ୟକବିତା ସଂଖ୍ୟା ଦୃଷ୍ଟିରୁ ଅଳ୍ପ ନୁହେଁ । ତାଙ୍କର ତିନିଗୋଟି କାବ୍ୟ, ଦୁଇଟି କାବ୍ୟ ନାଟିକା, ଗୋଟିଏ କ୍ଷୁଦ୍ର ସଂକଳନ, କେତେକ ଖଣ୍ଡ କବିତା ବିଭିନ୍ନ ସମୟରେ ରଚିତ ଓ ପ୍ରକାଶିତ । ‘ଶେଷ ଅଶ୍ରୁ’, ‘ଆତ୍ମଦାନ’, ‘ଚାରିଚକ୍ଷୁ’, ‘ଜୀବନ ସମସ୍ୟା’, ‘ପଲାସି ଅବସାନେ’, ‘ଛାୟାପଥର ଯାତ୍ରୀ’ ତାଙ୍କର କବିତା ସଂକଳନ । ‘ନୀଳଗିରି ଅତ୍ୟାଚାର’, ‘ପୂଣ୍ୟାତ୍ମା ଗୋପବନ୍ଧୁ’, ‘ଚଷାଭାଇର ଶୋକ’ ଇତ୍ୟାଦି ଗଣଧର୍ମୀ କାବ୍ୟ ବର୍ତ୍ତମାନ ମିଳୁନାହିଁ ।

 

ମହତାବଙ୍କର ‘ଚଷାଭାଇର ଶୋକ’ ଶୀର୍ଷକ ଏକ କ୍ଷୁଦ୍ର କାବ୍ୟ ବାଲେଶ୍ୱରର ସ୍ଵରାଜ୍ୟ ମନ୍ଦିରରୁ ପ୍ରକାଶିତ ହୋଇଥିଲା । ପାଟଣା କ୍ୟାମ୍ପ ଜେଲ୍‌ରେ ଥିବା ବେଳେ ସେ ଲେଖିଥିଲେ, ‘ବେଡ଼ିର ଝନ୍‌ ଝନ୍‌’ ଯାହା ‘ନିଗଡ଼ ନିସ୍ୱନ’ ନାମରେ ବୀରକିଶୋର ଦାସଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ୧୯୩୦ ମସିହାରେ ପାଟଣା କ୍ୟାମ୍ପ ଜେଲ୍‌ରେ ରଚିତ ପଲାସି ଅବସାନେ’ ବ୍ରିଟିଶ ସରକାରଙ୍କ ଦ୍ଵାରା ୧୯୨୧ ମସିହାରେ ବାଜ୍ୟାପ୍ତ ହୋଇଥିଲା । ଏହା ଅତି କ୍ଷୁଦ୍ର କାବ୍ୟ । ମାତ୍ର ୪୬ ପୃଷ୍ଠା । ପୁସ୍ତିକାର ଆଦ୍ୟରେ ମହତାବ ଲେଖିଛନ୍ତି, “ପଲାସି ରଣଭୂମିରେ ଯେଉଁଦନ ଇଂରେଜ ବଣିକମାନଙ୍କର ବିଜୟ ବୈଜୟନ୍ତୀ ଉଡ଼ିଗଲା, ସେହିଦିନ ଭାରତ କାରାଗାରର ଦ୍ଵାର ଦେଶରେ ଉପସ୍ଥିତ ହେଲା । ପଲାସି ଯୁଦ୍ଧ ଭାରତ ଇତିହାସରେ ଏକ ଅତି ପ୍ରସିଦ୍ଧ ଘଟଣା ।’’

 

ଏହି କ୍ଷୁଦ୍ର କାବ୍ୟଟିରେ କଳ୍ପନା ଠାରୁ ବାସ୍ତବତା ଓ ଐତିହାସିକ ସତ୍ୟତା ଅଧିକ ବ୍ରିଟିଶ ରାଜତ୍ୱର ବିଶ୍ଵାସଘାତକତାର ବର୍ଣ୍ଣନା କରି ମହତାବ ଲେଖିଛନ୍ତି,

 

‘‘ପାଇଅଛୁ ଉପଯୁକ୍ତ ଶିକ୍ଷା ଏ ଜୀବନେ

କାହିଁ (ବଙ୍ଗ) ମସନଦ୍‌ କାହିଁ ଛଦ୍ମବେଶୀ ବନେ ।

ନୀଚକର୍ମେ ଧୁରନ୍ଧର ବିଶ୍ଵାସଘାତକ

ହେବେ କଣ ଅବଶେଷେ ଏ ଦେଶ ଶାସକ ।

 

କରିଗଲେ କେତେ କଥା କେତେଟା ଫିରିଙ୍ଗି

ନ୍ୟାୟ ରଙ୍ଗେ ପ୍ରବଂଚନା କୂଟନୀତି ରଂଗି ।

 

ଥିଲା ରାଜନୀତି କ୍ଷେତ୍ରେ ଯାହା ଅତି ଘୃଣ୍ୟ ।

ମଣିଷର ଫିରିଙ୍ଗି ତାହା ସୁମହତ ପୁଣ୍ୟ ।

ବିଶ୍ଵାସଘାତକତାର ପୂର୍ଣ୍ଣ ଅବତାର

ରକ୍ତ ସଙ୍ଗେ ଧମନୀରେ ବହେ ମିଥ୍ୟାଚାର ।’’

 

ସେଦିନର ଏହି କବିତା ଶିକ୍ଷିତ ଲୋକମାନଙ୍କ ଉପରେ ପ୍ରଭାବ ବିସ୍ତାର କରି ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା । ହିନ୍ଦୁ-ମୁସଲମାନ ସଂପର୍କର ବାସ୍ତବ ଚିତ୍ର ଦେଇ ମହତାବ ଲେଖିଛନ୍ତି,

 

‘‘ବିଶିଷ୍ଟ ଦୁଇଟି ଜାତି ହିନ୍ଦୁ-ମୁସଲମାନ,

ପରସ୍ପରେ ନାହିଁ ସ୍ନେହ, ସଦା ଭେଦଜ୍ଞାନ ।

ମୁସଲମାନ ଭାବେ ସେ ତ ନବାବର ଦଳ,

କାଫିର ହିନ୍ଦୁଏ ପ୍ରଜାଶ୍ରେଣୀର କେବଳ ।

 

ଭାବେ ନାହିଁ ଏ ଦେଶକୁ ମୁସଲିମ୍‌ ସ୍ଵଦେଶ,

ଆଫଗାନ ଆରବେ ତାର ପୀରତି ବିଶେଷ ।

ସ୍ୱଧର୍ମେ ଦମ୍ଭେ ଉନ୍ମତ୍ତ ମୂର୍ଖ ମୁସଲମାନ,

କରେ ହିନ୍ଦୁ ମାତ୍ରକେ ସେ ଅତି ହେୟଜ୍ଞାନ ।’’

 

“ହେଉ ପଛେ ହିନ୍ଦୁ ଧର୍ମ ପୂର୍ଣ୍ଣ କୁସଂସ୍କାର,

ପାଇ ଥାଉ ପଛେ ସଢି ପୌତ୍ତଳିକତାରେ ।

ଦେଖାଇବୁ ସମୁଚିତ ସମ୍ମାନ ଧର୍ମରେ,

ମନ୍ଦିର ଦେବତା ଆଦି ଭକ୍ତି ହୃଦଭରେ ।

 

ହେଉନ୍ତୁ ଦୁର୍ବଳ ପଛେ ନୀରବ ନିଷ୍କ୍ରିୟ,

ଭାରତର ଜନସାଧାରଣ ଧର୍ମପ୍ରିୟ ।

ପ୍ରଦର୍ଶି ସମ୍ମାନ ଆମ୍ଭେ ଧର୍ମ ଅନୁଷ୍ଠାନେ

ଜନ୍ମାଇବା ପ୍ରୀତିଭାବ ଭାରତର ପ୍ରାଣେ ।”

 

‘‘ରହିଅଛି ସାମଂଜସ୍ୟ ଇଶର ମୁସଲିମେ,

ନାହିଁ ତେବେ ପ୍ରୟୋଜନ ଆମ୍ଭର କୃତ୍ରିମେ ।

ରଖିବାକୁ ହେବ ଟେକି ତାଙ୍କ ଧର୍ମ ଦମ୍ଭ

ହେବ ତେବେ ମୁସଲିମ୍‌ ସୌହାର୍ଦ୍ଦ୍ୟ ସମ୍ଭବ ।’’

 

‘ପଲାସି ଅବସାନେ’ ସ୍ଵାଧୀନତା ସଂଗ୍ରାମ ଇତିହାସର ଏକ ଉଜ୍ଜ୍ୱଳ ଅଧ୍ୟାୟ । ଏହା ସ୍ଵଦେଶ ପ୍ରେମ ଓ ଆତ୍ମବଳିଦାନର ଆବେଗମୟ କାବ୍ୟ ।

‘ଆନନ୍ଦ ସନ୍ଧାନ’ ମହତାବଙ୍କ ପରିପକ୍ୱ ଜୀବନର କାବ୍ୟ । ଏଥିରେ ନିଜ ଜୀବନର ଆଭିମୁଖ୍ୟ ଘୋଷଣା କରି ଲେଖିଛନ୍ତି,

 

‘‘ଉର୍ଦ୍ଧ୍ୱଶ୍ଵାସେ ତେଣୁ ମୋତେ ଖେଳିବାକୁ ହେବ

ଏ ଜନ୍ମର ଲିଗ୍‌ ମ୍ୟାଚ ଶେଷ ମିନିଟିକ,

ବୟସ୍କ ମୁଁ ବଡ଼ ମୋର ଏହି ମିନିଟିକ

ସିଲ୍‌ଡ଼ ନେବି ଏ ଜନ୍ମର ମାତ୍ର ମିନିଟକେ ।’’

 

ତାଙ୍କର ବୟସ ତାଙ୍କ ମନୋବଳକୁ ଭାଙ୍ଗି ପାରୁ ନ ଥିଲା । ସନ୍ଧ୍ୟାଗମେ କବିତାରେ ସେ ମୃତ୍ୟୁକୁ ନିଜର ଆତ୍ମୀୟ ଭାବେ ଗ୍ରହଣ କରିଛନ୍ତି ।

 

‘‘ଆରକ୍‌ ବଦନେ ସୂର୍ଯ୍ୟ କରୁଥିବ ମନା

କାହାକୁ ନ ମାନି ମୁହିଁ ଚାଲିବି ମୁକର ।

ଯେବେ ସୂର୍ଯ୍ୟ ଅସ୍ତ ହୋଇଯିବେ

ନିର୍ବୟସ ଯାତ୍ରା ମୋର ସେଇଠୁ ଆରମ୍ଭ ।

 

ନିର୍ଜନ ତାମସ ରାତ୍ରି

ହିଂସ୍ରଜନ୍ତୁ ପଥେ କେହି ନ ପାରିବେ ଦେଖି

ଶରୀର ନ ଥିବ ମୋର, ଦେଖିବେ କାହାକୁ

ଅବିନାଶୀ ସତ୍ତା, ନାହିଁ ଭୟ, ନାହିଁ ବି ଉଦ୍‌ବେଗ

ସବୁ ଶାନ୍ତ ଘୋର ଅନ୍ଧକାର

ତଥାପି ଆଲୋକମୟ - ସନ୍ଧ୍ୟାଗମେ ।”

 

ତାଙ୍କର କାବ୍ୟନାଟିକା ‘ଆତ୍ମଜ୍ଞାନ’ ସ୍ଵାଧୀନତା ପୃଷ୍ଠଭୂମି ଉପରେ ରଚିତ । ବିଦେଶୀ ସରକାରକୁ ସାହାଯ୍ୟ କରୁଥିବା ପଦସ୍ଥ ଭାରତୀୟ କର୍ମଚାରୀଙ୍କ ପ୍ରତି ହୃଦୟ ପରିବର୍ତ୍ତନର ଆହ୍ୱାନ ।

 

‘‘ଯେଦିନ ବିଦେଶୀ ରାଜା ହେବ ଅସମର୍ଥ

ପାଇବାରେ କର୍ମଚାରୀ ଦେଶୀୟ ସହାୟ

ସେହି ଦିନ ମୁକ୍ତ ଦେଶେ ଲୁପ୍ତ ଅଧୀନତା

ଦୃପ୍ତ ଶତ୍ରୁ ଆପେ ଆପେ ଯିବା ଅପସରି”

 

‘‘ପରାଧୀନ ଦେଶେ ମୁକ୍ତିକାମୀ ବିପ୍ଳବୀର

ଭାଗ୍ୟେ ନାହିଁ ଉପଭୋଗ ସୁଖ ସ୍ଵପନର

ଧୂଳି ଘର ପରି କେତେ ଆଶଶ ଅଟ୍ଟାଳିକା

ହୁଅଇ ନିର୍ମିତ ପୁଣି ହୋଇଯାଏ ଚୁର୍ଣ୍ଣ ।’’

 

ମହତାବଙ୍କର ଅନ୍ୟ ଏକ କାବ୍ୟନାଟିକା ଜୀବନ ସମସ୍ୟା । ଏହା ଏକ ଛାୟାନୁବାଦ । ଚେକୋସ୍ଲୋଭାକିଆର ପ୍ରସିଦ୍ଧ କବି କାର୍ପେକଙ୍କ ଏକ ଲେଖାର ଇଂରାଜୀ ଅନୁବାଦ ଅବଲମ୍ବନରେ ଏହା ଲିଖିତ । ମହତାବଙ୍କ ଭାଷାରେ, “କାରାଗାରରେ ଜଣେ ଅସାହିତ୍ୟିକ, ରାଜନୀତିକ କର୍ମୀର ସାହିତ୍ୟ ଚର୍ଚ୍ଚା ହିସାବରେ ଏ ଲେଖାଟି ଗୃହୀତ ହେଲେ ମୁଁ କୃତାର୍ଥ ହେବି ।’’

 

‘‘ଜୀବନ ସମସ୍ୟା ଯାହା ରହିଛି ସେପରି

ହୋଇନାହିଁ ସମାହିତ ସେ ମହାସମସ୍ୟା

ତେଣୁ ମୋ ଜୀବନ ଅଟେ ଯୁଗ ପ୍ରବର୍ତ୍ତକ

ଅନାଇ ରହିଛି ବିଶ୍ଵ ମୋର ଆବିର୍ଭାବେ ।’’

 

ଏହି ପୁସ୍ତକରେ ପୁଂଜିପତିର ବିନାଶ, ଶ୍ରମର ତାତ୍ପର୍ଯ୍ୟ, ସାମ୍ୟବାଦର ଜୟଯାତ୍ରା ଓ ବିଶ୍ଵଶାନ୍ତି, ସଂପର୍କରେ କୁହାଯାଇଛି । ତାଙ୍କର ‘ଚାରିଚକ୍ଷୁ’ ତିନିଗୋଟି କ୍ଷୁଦ୍ରଗାଥା କାବ୍ୟର ସଂକଳନ । ମହତାବ ପ୍ରଥମେ ଏହି ବହିଟିର ନାମ ‘ତାରାମୈତ୍ରୀ’ ଦେଇଥିଲେ । ସୁନ୍ଦର ସଂସ୍କୃତ ଶବ୍ଦଟିଏ । ଏହାର ଅର୍ଥ ପ୍ରଥମ ଦେଖାରେ ଓ ନୟନତାରାର ମିଳନରେ ପ୍ରଣୟ । ମାତ୍ର ଏହା ସହଜବୋଧ ହେବନାହିଁ ବୋଲି ଚାରିଚକ୍ଷୁ ନାମ ଦେଲେ । ଲଳିତା, ନନ୍ଦିକା ଓ ରାଜରାଣୀ ଏହି ତିନି ଗୋଟି କ୍ଷୁଦ୍ର କାବ୍ୟ । ଏହାର ମୁଖ୍ୟସ୍ରୋତ ପ୍ରେମ ଏବଂ କିମ୍ବଦନ୍ତୀକୁ ଭିତ୍ତି କରି ରଚିତ । ତାଙ୍କର ‘ପ୍ରେମ ଅଶ୍ରୁ’ ଏକ କ୍ଷୁଦ୍ର କାବ୍ୟିକ ଗଦ୍ୟ । ମହାତ୍ମାଗାନ୍ଧୀଙ୍କ ତିରୋଧାନରେ ଏହା ଲେଖାଯାଇଛି । ଏଥିରେ କେତେଗୁଡ଼ିଏ ପ୍ରବନ୍ଧରେ ରହିଛି ଗାନ୍ଧିଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ । ଲେଖକଙ୍କ ହୃଦୟର ଗଭୀର ଶୋକଚ୍ଛ୍ୱାସ ଏଥିରେ ପ୍ରତିଫଳିତ । ଏଥିରେ ଗୋଟିଏ ପ୍ରବନ୍ଧ ରହିଛି ‘ଗାନ୍ଧିଜୀ ଓ ଜଗନ୍ନାଥ ମହାପ୍ରଭୁ’ । ସେ ଲେଖିଛନ୍ତି, “ପ୍ରଶ୍ନ ହେଉଛି ଗାନ୍ଧୀଙ୍କର ଶ୍ରୀ ଜଗନ୍ନାଥଙ୍କଠି ସ୍ଥାନ କଅଣ ? ଗାନ୍ଧିଜୀଙ୍କର କୌଣସି ମନ୍ତ୍ର ବା ଦୀକ୍ଷା ନ ଥିଲା । ଏକମାତ୍ର ସଂସ୍କାର ତାଙ୍କର ହେଉଛି ଅସ୍ପୃଶ୍ୟତା ନିବାରଣ । ଏଣୁ ଗାନ୍ଧୀ ଧର୍ମର ଛାପ ଜଗନ୍ନାଥଙ୍କ ମନ୍ଦିରରେ ପଡ଼ିବାକୁ ହେଲେ ଅସ୍ପୃଶ୍ୟମାନଙ୍କୁ ମନ୍ଦିରରେ ପ୍ରବେଶାଧିକାର ମିଳିବା ଉଚିତ୍‌ ।’’

 

ମହତାବଙ୍କର ପ୍ରଥମ କବିତା ସଂକଳନ ‘ଛାୟା ପଥର ଯାତ୍ରୀ’ ୧୯୫୬ ମସିହାରେ ପ୍ରକାଶିତ । ଏହି ସଂକଳନରେ ‘ଛାୟା ପଥର ଯାତ୍ରୀ’, ‘ନାଇଲ ନଦୀର ତୀରେ’, ‘କବି ଓ କବିତା’, ‘ପ୍ରାଚୀ ନଦୀର ତୀରେ’, ‘ମରଣ ସଂଗୀତ’, ‘ଶୋଭାର ସ୍ୱଭାବ’, ‘ମକର ଚାଉଳ’, ‘କାଳସୀ କଥା’, ‘ପୁଷମାସ ସୁଖ’ ଓ ‘ରଜସଜବାଜ’ ଆଦି କବିତା ରହିଛି । ଏହା ତାଙ୍କ ହୃଦୟର ନିର୍ମଳ ପରିପ୍ରକାଶ । କୌଣସି ବୌଦ୍ଧିକତା ନାହିଁ । ସରଳ ଓ ସାବଳୀଳ ।

 

୧୯୮୧ ମସିହାରେ ପ୍ରକାଶିତ ତାଙ୍କର ‘ଆନନ୍ଦ ସଂଧାନ’ କବିତାରେ ତିରିଶ ଗୋଟି କବିତା ରହିଛି । ‘ରୁଦ୍ର ଆବାହନ’, ‘ଅଗ୍ରାଧିକାର’, ‘ଛତ୍ରଖିଆର ଅନ୍ତର ଡ଼ାକ’, ‘ମୂଲିଆର ଇତିହାସ ପଢା’, ‘ଅମାନିଆ ଶୁଆ’, ‘ଚ୍ୟବନ ଉପାଖ୍ୟାନ’, ‘କୁଆଁତାରା ଅଭିଳାଷ’, ‘ଭିତ୍ତି ଓ ସ୍ଥାପତ୍ୟ’, ‘ଝଙ୍କାର’, ‘ମାତ୍ର ମିନିଟକେ’, ‘ଆନନ୍ଦ ସଂଧାନ’, ‘ଜନ୍ମଦିନ’, ‘ସଂକଳ୍ପ’, ‘ବନ୍ଦୀଶାଳା’, ‘ବାସି ଫୁଲହାର’, ‘କାଳର ଅଭିଷେକ’, ‘ମନୁଷ୍ୟବିଚାର’, ‘ସାଧନା ଓ ପ୍ରଣୟ’, ‘ଉଠାଦୋକାନୀର ନୋଟିସ୍‌’, ‘ବେଲାଳସେନ’ ଇତ୍ୟାଦି ।

 

‘‘ଯାତରା ଭାଙ୍ଗିଲା ଗହଳ କମିଲା

ସରିଲା ଏଇଠି ମେଳା

ଦୋକାନ ଉଠାଇ ସେପାରିକି ଯିବ

କୂଳେ ଲାଗିଲାରି ଭେଳା ।”            (ଉଠାଦୋକାନୀ)

 

‘‘ମୂଲିଆଙ୍କ ପ୍ରେମ କଣ ଶୀତଳବରଫ

ବାଦଶାହଙ୍କ ପ୍ରେମ ଖାଲି ଉଷ୍ମ ହୁତାଶନ ?’’ (ମୂଲିଆର ଇତିହାସ ପଢା)

 

‘‘ମାତ୍ର ଜଣେ ଥିଲା ସେ ଯୁଗର ବେଲାଳ

ଆଜିତ ସହସ୍ର ବେଲାଳ

ବଂଚିତ କର୍ମରୁ ମାତ୍ର, ଦେଖୁଛନ୍ତି, ଶୁଣୁଛନ୍ତି ସବୁ

କିପରି ଜାଣିଲ କବି ଏତେ କାଳ ପରେ

ସ୍ୱାଧୀନ ଭାରତେ ଗଣତନ୍ତ୍ର ନାଟକରେ”

 

ବେଲାଳ ଭୂମିକା ହେବ ମୁଖ୍ୟ ଅଭିନୟ ।’’      (ବେଲାଳସେନ )

‘‘ମୃତ୍ୟୁହୀନ ଏ ଜୀବନ ଅସୀମ କାହାଣୀ ତାର

ମରଣ ତ ମାତ୍ର ଏକ ଅଧ୍ୟାୟ ସମାପ୍ତି ।’’      (ଜନ୍ମଦିନ )

 

ମହତାବ କର୍ମଯୋଗୀ । ମୁନଷ୍ୟ ସୃଷ୍ଟିର ଆଦିମ କାଳରୁ ଆନନ୍ଦ ପାଇବା ପାଇଁ ସନ୍ଧାନ କରି ଚାଲିଛି । ମହତାବଙ୍କ ପାଇଁ କର୍ମ ଅଫୂରନ୍ତ ଆନନ୍ଦ ସୃଷ୍ଟି କରିଛି । କର୍ମ ହିଁ ହୋଇଛି ତାଙ୍କର ଜୀବନ ସନ୍ଧାନ । ତେଣୁ କବିତାର ନାମ ଦେଇଛନ୍ତି ‘ଆନନ୍ଦ ସଂଧାନ’ ।

‘‘ଅନିତ୍ୟ ମାନିନେଲେ ହେବ ଶାନ୍ତ ଚିତ୍ତ

ସଂସାର ଆନନ୍ଦମୟ ହେବ ପ୍ରମାଣିତ

ସାରା ବିଶ୍ଵ ଶୁଣା ହେବ ସେ ସତ୍ୟ ମହାନ

ନିର୍ଲିପ୍ତକୁ ମିଳେ ଏକା ଆନନ୍ଦ ସନ୍ଧାନ ।’’      (ଆନନ୍ଦ ସନ୍ଧାନ)

 

ମହତାବଙ୍କର ହୃଦୟ ତଳେ ବହୁଥିବା କାନ୍ତକୋମଳ ସ୍ଵଚ୍ଛ ମାନବିକ ଚେତନାର ଉତ୍ତରଣର ପ୍ରବାହମାନ ଧାରା ତାଙ୍କର କାବ୍ୟକବିତା ।

 

Unknown

ନାଟକ-ଏକାଙ୍କିକା

ଜେଲ୍‌ ଭିତରେ ମନକୁ ଯାହା ଆସିଲା ସେଥିରେ ମଜି ଯାଉଥିଲେ ମହତାବ । ‘ସ୍ଵରାଜ ସାଧନ’ ନାମକ ଏକ ନାଟକକୁ ସେ ଜେଲ୍‌ ଭିତରେ ଅଭିନୀତ କରାଇଥିଲେ । ତାଙ୍କର ବାରଗୋଟି ଏକାଙ୍କିକାର ଏକ ସଂକଳନ ‘ଯୁଗ ସଂକେତ’ ନାମରେ ପ୍ରକାଶ ପାଇଛି । ସେହି ସଂକଳନରେ ରହିଛି ‘ଯୁଗ ସଂକେତ’, ‘ଗୁପ୍ତ ପ୍ରଣୟ’, ‘ବାସ୍ତବିକା’, ‘ପ୍ରବଂଚନା’, ‘ଗନ୍ତାଘର’, ‘ଇତିହାସର ପରିହାସ’, ‘ରୂପାନ୍ତର’, ‘ମମତାର ଅନୁତାପ’, ‘ମୁକ୍ତି’ ଓ ‘ମୁକ୍ତ’, ‘ଶମ୍ଭୁକର ତପସ୍ୟା’, ‘ଅନ୍ଧଯୁଗ’ ଓ ‘ଉତ୍ତରୋତ୍ତର’ । ରୂପାନ୍ତର ୧୯୫୩ ମସିହା ରଚିତ ହୋଇ ବିଷୁବ ମିଳନ ଉତ୍ସବରେ ପ୍ରଜ୍ଜାତନ୍ତ୍ର ପରିସର ମଧ୍ୟରେ ଅଭିନୀତ ହୋଇଥିଲା ।

 

ମହତାବ ନାଟ୍ୟକାର ନୁହଁନ୍ତି । ତେଣୁ ତାଙ୍କର ନାଟକରେ ସଂଳାପଗୁଡ଼ିକ ବିବୃତି ଧର୍ମୀ, ନାଟକୀୟ ଉତ୍କଣ୍ଠାର ଅଭାବ ଦେଖୀଯାଏ । କିନ୍ତୁ ଏଥିରେ ସାମାଜିକ ଜୀବନର ନାନା ଘାତ ପ୍ରତିଘାତ ଓ ସମସ୍ୟାର ପଥ ଦେଖାଇ ଦିଆଯାଇଛି । ତାଙ୍କର ଗଳ୍ପ ଉପନ୍ୟାସ ପରି ଏଥିରେ ମଧ୍ୟ ସେହି ସମାଜ - ସଂସ୍କାର, ଲୋକ ଚରିତ୍ର ସଂଶୋଧର ଆଭିମୁଖ୍ୟ ରହିଛି । ଅଧ୍ୟାପକ ପଠାଣି ପଟ୍ଟନାୟକଙ୍କ ମତରେ, “ଦୀର୍ଘ ସଂଳାପ ଯୋଜନା ଓ ସାମୟିକ ନିରସ ଦାର୍ଶନିକ ଭାବନାର ପ୍ରଚାର ମହତାବଙ୍କ ଏକାଙ୍କିକାର ତ୍ରୁଟି ବୋଲି କୁହାଗଲେ ମଧ୍ୟ କଳାଦୃଷ୍ଟିରୁ ତାଙ୍କର କଥାବସ୍ତୁ, ବିଷୟ ସମାବେଶ, ମାନସିକ ବିଶ୍ଲେଷଣ, ସର୍ବୋପରି ନାନା ସମସ୍ୟାର ସସଂଗତ ଓ ପ୍ରାଞ୍ଜଳ ପରିବେଷଣ ଅତ୍ୟନ୍ତ ରସଧର୍ମୀ।’’

 

ସମାଲୋଚନା

ସମାଲୋଚନା କ୍ଷେତ୍ରରେ ମହତାବଙ୍କର ସ୍ଵର ଏକ ବଳିଷ୍ଠସ୍ଵର । ଏହା ପ୍ରଭାବଶାଳୀ, ସ୍ଵତନ୍ତ୍ର, ନିର୍ଭୀକ ଓ ବିଚାରବନ୍ତ । ତାଙ୍କ ସମାଲୋଚନାରେ ଦେଖିବାକୁ ମିଳେ ନୂତନତା । ସେ ନିଜର ନିଜସ୍ଵ ଦୃଷ୍ଟିକୋଣକୁ ଅତ୍ୟନ୍ତ ନିର୍ଭୀକଭାବେ ଉପସ୍ଥାପିତ କରିଛନ୍ତି । ତାଙ୍କର ‘ସାହିତ୍ୟ ଓ ଆଲୋଚନା’ ପୁସ୍ତକ ପ୍ରକାଶ ପାଏ ୧୯୮୧ ମସିହାରେ ଯେଉଁଥିରେ ‘ସାହିତ୍ୟକୁ ଆହ୍ୱାନ’, ‘କୋୟା ସଂଗୀତ’, ‘ସାହିତ୍ୟିକର ସମସ୍ୟା’, ‘ଆଧୁନିକ’, ‘ଓଡ଼ିଆ ସାହିତ୍ୟ’ - ‘ହଜାରେ ବର୍ଷର କାହାଣୀ’, ‘ଭାଗବତ ଓ ଜନତା’, ‘ବାଲ୍ମିକୀ ରାମାୟଣ’, ‘ଗୀତା ଓ ଜନତା’, ‘ସାରଳା ସମୀକ୍ଷା’, ‘ଓଡ଼ିଆ ସାହିତ୍ୟର ସମସ୍ୟା ଓ ସମାଧାନ’ ରହିଛି । ବିଷୁବ ମିଳନ ଅବସରରେ ସେ ଦେଇଥିବା ବିଷୁବ ଅଭିନନ୍ଦନ ବକ୍ତୃତା ସାହିତ୍ୟ ସମାଲୋଚନା କ୍ଷେତ୍ରରେ ବିଶେଷ ସ୍ଥାନ ମଣ୍ଡନ କରେ । ‘ସାହିତ୍ୟର ମାର୍ଗ ଉନ୍ମୋଚନ’ ନାମରେ ଅଖଣ୍ଡରେ ଏହା ପ୍ରକାଶିତ।

 

‘ଆଧୁନିକ ପ୍ରବନ୍ଧ’ ରେ ସେ ସାହିତ୍ୟ ସଂପର୍କରେ ମତ ପ୍ରକାଶ କରି ଲେଖିଛନ୍ତି, ‘‘ସାହିତ୍ୟ କ୍ଷେତ୍ରରେ ପ୍ରାଚୀନ ସାହିତ୍ୟର ଆଜି ଯେତେ ଆଦର, ଏପରି ବୋଧହୁଏ ସାହିତ୍ୟ ସୃଷ୍ଟି ସମୟରେ ନ ଥିଲା । ଆଧୁନିକ ସାହିତ୍ୟ ଅମଣାବଳଦ ପରି ବହୁ ଲମ୍ଫ ଝମ୍ଫ ମାରି ପୋଷା ମାନି ସମାଜ ବନ୍ଧନ ସ୍ଵୀକାର କଲାଣି । ମାର୍କ୍ସ ଯୁଗର ଆଧୁନିକ ସାହିତ୍ୟ ତାଳପତ୍ର ନିଆଁ ପରି ଜଳି ଉଠି ଲିଭିବା ଉପରେ ଆସି ପହଂଚିଲାଣି । ଆଜି ସାହିତ୍ୟିକ ଆଲୋଚନାରେ ବ୍ୟାସ ଓ ବାଲ୍ମିକୀଙ୍କ ଠାରୁ ଆରମ୍ଭ କରି ଭବଭୂତି କାଳିଦାସ ପ୍ରଭୃତିଙ୍କର ଯେତେ ଆଲୋଚନା ହୁଏ, ଆଧୁନିକ କବିମାନଙ୍କର ସେତେ ହୁଏ ନାହିଁ । କୁହାଯାଏ ରବୀନ୍ଦ୍ରନାଥ ଆଧୁନିକ କବିସମ୍ରାଟ । କିନ୍ତୁ ରବୀନ୍ଦ୍ରନାଥ ଆଧୁନିକ ସାହିତ୍ୟ ମାଧ୍ୟମରେ ପ୍ରାଚୀନ ସାହିତ୍ୟର ମହତ୍ତ୍ୱ ଯେପରି ବଢ଼ାଇଛନ୍ତି, ଅନ୍ୟ କେହି ଆଧୁନିକ କବି ବୋଧହୁଏ ସେପରି କରିପାରି ନାହାଁନ୍ତି । ସମାଜର ଯେଉଁ ଭାବଧାରା, ତାହାହିଁ ସାହିତ୍ୟରେ ପ୍ରତିଫଳିତ ହେବ । ସାହିତ୍ୟ ନୂତନ ଭାବଧାରା ପ୍ରବର୍ତ୍ତନ କରିପାରେ ଓ କରିଛି ଅନ୍ୟ ଅନେକ ଦେଶରେ । କିନ୍ତୁ ନୂତନ ଧାରା ପ୍ରବର୍ତ୍ତନ ସଂଗେ ସଂଗେ ସମାଜରେ ସେ ସାହିତ୍ୟ ଆଲୋଡ଼ନ ସୃଷ୍ଟି କରେ । ପ୍ରାଚୀନ ଭିତ୍ତି ଉପରେ ଯେ କୌଣସି ପ୍ରକାରର ସୌଧ ନିର୍ମାଣ କଲେ ମଧ୍ୟ ତାହା କେବଳ ବାହ୍ୟିକ ପରିବର୍ତ୍ତନର ସୂଚନା ଦେବ ସିନା କୌଣସି ମୌଳିକ ପରିବର୍ତ୍ତନ ସେଥିରେ ସମ୍ଭବ ନୁହେଁ । ଭୂମିକମ୍ପ ପରେ ବା ବ୍ୟୋମଯାନର ବମ୍‌ ବର୍ଷଣ ଫଳରେ ଧୂଳିସାତ୍‌ ହୋଇଯାଇଥିବା ସୌଧମାନଙ୍କର ମୌଳିକ ପରିବର୍ତ୍ତନ କରାଯାଇପାରେ । କିନ୍ତୁ କୌଣସି ଏକ ପ୍ରାଚୀନ ସୌଧର କ୍ଷୁଦ୍ର ଗବାକ୍ଷକୁ ପ୍ରଶସ୍ତ ବାତାୟନରେ ପରିଣତ କଲେ, ସୌଧର ବାହ୍ୟାକୃତିରେ ପରିବର୍ତ୍ତନ ଘଟିବ ମାତ୍ର, ପ୍ରକୋଷ୍ଠ ସଂଖ୍ୟା ବା ସଂଗଠନରେ ନୁହେଁ ।’’

 

ମହତାବ ପ୍ରବନ୍ଧମାନଙ୍କରେ ସାହିତ୍ୟିକମାନଙ୍କୁ ଅଧିକ ସାଧନା ପାଇଁ ଦେଇଛନ୍ତି ପ୍ରୋତ୍ସାହନ । ‘ସାହିତ୍ୟକୁ ଆହ୍ୱାନ’ ଶୀର୍ଷକ ଆଲୋଚନାରେ ସେ ଲେଖିଛନ୍ତି, ‘‘ସାହିତ୍ୟିକର ଦୂରଦୃଷ୍ଟି ସବୁବେଳେ ତାଙ୍କ ଲେଖାରେ ପ୍ରତିଫଳିତ ହେବା ଉଚିତ୍‌ । ଅନ୍ୟଥା ସାହିତ୍ୟ ଉଦ୍ଦେଶ୍ୟହୀନ ହୋଇଯିବ ।’’ ମହତାବଙ୍କର ପ୍ରବନ୍ଧଶୈଳୀ ନିଜସ୍ଵ । ପ୍ରବନ୍ଧମାଧ୍ୟମରେ ସେ ଜାଗତିକ ସମସ୍ୟାକୁ ପାଠକମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ସକ୍ଷମ ହୋଇଛନ୍ତି ।

 

ତାଙ୍କର ଅନ୍ୟାନ୍ୟ ରଚନା ମଧ୍ୟରେ ‘ଦଶବର୍ଷର ଓଡ଼ିଶା’, ‘ଗାନ୍ଧିଜୀ ଓ ଓଡ଼ିଶା’, ‘ଓଡ଼ିଶାର ସାଧୁସନ୍ଥ’ ଇତ୍ୟାଦି ପୁସ୍ତକ ଉଲ୍ଲେଖ୍ୟଯୋଗ୍ୟ । ମହତାବ ଅକ୍ଟୋବର ୧୯୬୫ ମସିହାରେ ଆନାମଲାଇ ବିଶ୍ଵବିଦ୍ୟାଳୟରେ ‘ଗାନ୍ଧୀ - ରାଜନୈତିକ ନେତା’ ଶୀର୍ଷକ ବକ୍ତୃତା ଦେଇଥିଲେ । ତାହାର ଉପ୍‌ଦୋଘାତରେ ବିଶ୍ଵବିଦ୍ୟାଳୟର କୁଳପତି ସି.ପି. ରାମସ୍ୱାମୀ ମୁଦାଲିୟ ମହତାବଙ୍କର ସେହି ବକ୍ତୃତାର ଉଚ୍ଚ ଓ ଭୂୟସୀ ପ୍ରଶଂସା କରିଛନ୍ତି ଓ ମହତାବ ସଠିକ୍‌ ଭାବରେ ଗାନ୍ଧିଜୀଙ୍କୁ ବୁଝିଥିଲେ ବୋଲି ଉଲ୍ଲେଖ କରିଛନ୍ତି ।

 

ମହତାବ ଗାନ୍ଧିଜୀଙ୍କୁ ଠିକ୍‌ ବୁଝିଥିବାରୁ ରାଜନୈତିକ ଜଂଜାଳ ମଧ୍ୟରେ ଓଡ଼ିଶା ସାହିତ୍ୟ ସୃଷ୍ଟିରେ ମନୋନିବେଶ କରିଥିଲେ ଏବଂ ତାଙ୍କ ସାହିତ୍ୟ ଉପରେ ଗାନ୍ଧୀ ଦର୍ଶନ ଓ ବିଚାର ସୁସ୍ପଷ୍ଟ । ତାଙ୍କ ଆତ୍ମଜୀବନୀଠାରୁ ଆରମ୍ଭ କରି ଉପନ୍ୟାସ, ଗଳ୍ପ, ପ୍ରବନ୍ଧ, କାବ୍ୟକବିତା, ଏକାଙ୍କିକା, ଫିଚରଧର୍ମୀ ‘ଗାଁ ମଜଲିସ୍‌’, ସାହିତ୍ୟ ସମାଲୋଚନା ଇତ୍ୟାଦି ସବୁଠାରେ ଏହି ଦର୍ଶନର ଛାପ ସୁସ୍ପଷ୍ଟ । ମହତାବଙ୍କ ସୃଷ୍ଟିକୁ ବୁଝିବାକୁ ହେଲେ ଗାନ୍ଧୀଦର୍ଶନର ମୌଳିକ ଚିନ୍ତା ପ୍ରତି ଦୃଷ୍ଟିଦେବାକୁ ହେବ । ଏଥି‌ଯୋଗୁଁ ମହତାବ ହୋଇଛନ୍ତି ମହାନ୍‌ ସାହିତ୍ୟ ସ୍ରଷ୍ଟା ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ରଷ୍ଟା

ମହତାବ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ଅଳଙ୍କୃତ କରିଥିଲେ । ସେ ଏହି ପଦରେ ତା ୧୬.୦୯.୧୯୬୧ ଠାରୁ ତା ୨୨.୦୯.୧୯୬୩ ଓ ତା୦୧.୦୭.୧୯୬୭ ଠାରୁ ତା ୦୮.୦୬.୧୯୭୧ ପର୍ଯ୍ୟନ୍ତ ରହିଥିଲେ । ଏକାଡ଼େମୀର ପ୍ରତ୍ୟେକ କାର୍ଯ୍ୟକାରୀ କମିଟି ଓ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ବିଭିନ୍ନ ନିଷ୍ପତ୍ତିରେ ଭାଗ ନେଉଥିଲେ । ସେଥିପାଇଁ ଏକାଡେମୀ ତାଙ୍କ ସମ୍ମାନକୁ ଆଖି ଆଗରେ ରଖି ଜଣେ ପ୍ରାଇଭେଟ ସେକ୍ରେଟାରୀ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ଏବଂ ସରକାର ତାହାକୁ ଗ୍ରହଣ କରିଥିଲେ ।

 

ଏକାଡେମୀର କାର୍ଯ୍ୟନିବାହିକା ସମିତି ଓ ସାଧାରଣ ପରିଷଦର କାର୍ଯ୍ୟବିଧି ଗ୍ରହଣ ଖାତାରୁ ଦେଖାଯାଏ ଯେ ମହତାବଙ୍କ ସଭାପତିତ୍ୱରେ ଅନେକ ଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

 

ତା ୧୫.୧୧.୬୭ ସାଧାରଣ ଅଧିବେଶନରେ, “ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରଥମ ସଭାପତି, ଉତ୍କଳ ସାହିତ୍ୟର ବରେଣ୍ୟ କୁଳାଚାର୍ଯ୍ୟ, ବାଗ୍ନୀ ପ୍ରବର, ଜଗନ୍ନାଥ ସଂସ୍କୃତିର ପ୍ରବୀଣ ପ୍ରତିଷ୍ଠାପକ ତଥା ସ୍ୱଦେଶ କଥିତ ବିଶିଷ୍ଟ ରାଷ୍ଟ୍ରନିତିଜ୍ଞ ପଣ୍ତିତ ନୀଳକଣ୍ଠ ଦାସଙ୍କ ବିୟୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ସାଧାରଣ ପରିଷଦ ଗଭୀର ଦୁଃଖ ପ୍ରକାଶ କରୁଛି ଓ ତାଙ୍କର ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି ।’’

 

୨୨.୦୩.୬୮ ‘‘ବିଗତବର୍ଷ ଉପାୟନ ପାଇଥିବା ବୟୋବୃଦ୍ଧ ଲେଖକଙ୍କୁ ଓ ସାଧାରଣ ପରିଷଦ ସଭ୍ୟମାନଙ୍କୁ ଏକସେଟ୍‌ କରି ଏକାଡେମୀ ପ୍ରକାଶିତ ସମସ୍ତ ବହି ଉପହାର ସ୍ୱରୂପ ଦିଆଯାଇଛି ଓ ଦିଆଯାଉଛି । ଏହା ସରକାର ଅନୁମୋଦନ କରନ୍ତୁ ।’’

 

‘‘ଲଳିତକଳା ଏକାଡ଼େମୀର ଜଣେ ସାଧାରଣ ପରିଷଦ ସଭ୍ୟ ସାହିତ୍ୟ ଏକାଡ଼େମୀର ସାଧାରଣ ପରିଷଦରେ ସ୍ଥାନ ପାଇବେ ।’’

 

୨୯.୦୩.୬୮ ଅନ୍ୟାନ୍ୟ ବିଷୟରେ ନିମ୍ନଲିଖିତ ନିଷ୍ପତ୍ତି ଗ୍ରହଣ କରାଗଲା ।

(କ) ଉତ୍କଳ ସାହିତ୍ୟ ସମାଜ, କଟକ ପରିଚାଳନା ପାଇଁ ୧୯୬୭-୬୮ ଆର୍ଥିକ ବର୍ଷ ସକାଶେ ଟ. ୧୦୦୦.୦୦ ମଂଜୁର କରାଗଲା ।

 

(ଖ) ପ୍ରଜାତନ୍ତ୍ର ପ୍ରଚାର ସମିତି, କଟକକୁ ତା ୧୧.୦୪.୬୮ ରିଖରେ ଅର୍ଥାତ୍୧୯୬୮-୬୯ ଆର୍ଥିକ ବର୍ଷରେ ବିଷୁବ ମିଳନ ପାଳନ କରିବାକୁ ଟ. ୧୦୦୦.୦୦ ମଂଜୁର କରାଗଲା ।

 

‘‘୨୯.୦୬.୬୮ ପୁରସ୍କାର ପାଇଁ ଆସିଥିବା ୧୯୬୫, ୧୯୬୬ ଓ ୧୯୬୭ରେ ପ୍ରକାଶିତ ପୁସ୍ତକଗୁଡ଼ିକୁ ବାଛିବା ପାଇଁ ନିମ୍ନଲିଖିତ ସଭ୍ୟମାନଙ୍କୁ ନେଇ ଗୋଟିଏ ଉପସମିତି ଗଠନ କରାଗଲା। ଉକ୍ତ ଉପସମିତି ପୁସ୍ତକଗୁଡ଼ିକ ପୁଣି ପରୀକ୍ଷା କରି ପୁରସ୍କାର ପାଇଁ ଯେଉଁ ପୁସ୍ତକ ଯୋଗ୍ୟ ବିବେଚିତ ହେବ ତାହାର ତାଲିକା କରିବେ। ଯେଉଁମାନେ କେନ୍ଦ୍ରରୁ ବା ଏହି ଏକାଡ଼େମୀରୁ ପୂର୍ବରୁ ପୁରସ୍କାର ପାଇଛନ୍ତି, ଉପସମିତି ସେମାନଙ୍କର ପୁସ୍ତକ ପୁରସ୍କାର ପାଇଁ ବିଚାରକୁ ନେବ ନାହିଁ ।’’

 

ସରକାରୀ କର୍ମଚାରୀମାନେ ଯେଉଁ ହାରରେ ଯେଉଁ ଦିନଠାରୁ ମହଙ୍ଗାଭତ୍ତା ପାଇବେ, ଏକାଡ଼େମୀ କର୍ମଚାରୀମାନେ ସେହି ହାରରେ ସେହି ଦିନଠାରୁ ମହଙ୍ଗାଭତ୍ତା ପାଇବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ସଂପାଦକ ସରକାରଙ୍କ ଆଦେଶକୁ ଦେଖି କର୍ମଚାରୀଙ୍କର ମହଙ୍ଗାଭତ୍ତା ମଂଜୁର କରିବେ ।

 

ମଧୁସୂଦନ ଦାସଙ୍କ ଜୀବନୀ ସଂକଳନ ବିଷୟରେ ଶ୍ରୀଗୋପିନାଥ ଦାଶଙ୍କ ତା ୨୪.୦୫.୧୯୬୮ ରିଖ ପତ୍ର ବିଚାରକୁ ନେଇ ସମିତି ସ୍ଥିର କଲେ ଯେ ସରକାର ଅର୍ଥ ସାହାଯ୍ୟ ଦେବା ପରେ ଏ ସଂପର୍କରେ ଏକାଡ଼େମୀ କାର୍ଯ୍ୟାନୁଷ୍ଠାନ କରିବେ ।

 

୧୯୬୮ ମସିହାରେ ମହତାବ ସଭାପତି ଥିବାବେଳେ ଯେଉଁମାନେ ସଭ୍ୟଥିଲେ ସେମାନେ ହେଲେ ଶ୍ରୀବିମଳ କିଶୋର ମିଶ୍ର, ଆଇ.ଏ.ଏସ୍. ଶ୍ରୀ ରାଧାମୋହନ ଗଡ଼ନାୟକ, ଶ୍ରୀ ରାଜକିଶୋର ପଟ୍ଟନାୟକ ଶ୍ରୀ ନନ୍ଦକିଶୋର ଦାସ (ଶିକ୍ଷା ବିଭାଗର ଡାଇରେକ୍ଟର ପ୍ରତିନିଧି) ଶ୍ରୀବାନାମ୍ବର ଆଚାର୍ଯ୍ୟ, ଶ୍ରୀ ଶ୍ରୀହର୍ଷ ମିଶ୍ର ଶ୍ରୀ ଯୁଗଳ କିଶୋର ପାଣିଗ୍ରାହୀ, ଡକ୍ଟର କରୁଣାକର କର, ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡା, ଶ୍ରୀ ରାଧାନାଥ ରଥ, ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ, ଶ୍ରୀ କାଳିନ୍ଦି ଚରଣ ପାଣିଗ୍ରାହୀ ଓ ଶ୍ରୀ ଗୌରୀ କୁମାର ବ୍ରହ୍ମା ।

 

ତା ୨୨.୦୩.୬୮ ସାଧାରଣ ପରିଷଦ ଅଧିବେଶନରେ ବିଶିଷ୍ଟ ବୟୋବୃଦ୍ଧ ସାହିତ୍ୟିକମାନଙ୍କୁ ସମ୍ବର୍ନ୍ଧନା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେମାନେ ହେଲେ ୧. ଶ୍ରୀ ଉଦୟନାଥ ଷଡ଼ଙ୍ଗୀ, ୨. ଶ୍ରୀ ହରିହର ମିଶ୍ର, ୩. ଶ୍ରୀମତୀ ସୀତାଦେବୀ ଖାଡ଼ଙ୍ଗା, ୪. ଶ୍ରୀ ଗୋପାଳ କାନୁନଗୋ, ୫. ଶ୍ରୀବାଇକୋଳି ମହାପାତ୍ର, ୬. ଶ୍ରୀ ଭାରତ ଚନ୍ଦ୍ର ନାୟକ, ୭. ଶ୍ରୀ ସୁଧାକର ପଟ୍ଟନାୟକ, ୮. ଶ୍ରୀ ହରିଶ୍ଚନ୍ଦ୍ର ବଡ଼ାଳ, ୯. ଶ୍ରୀ ବୀର କିଶୋର ଦାସ, ୧୦. ଡ଼ାକ୍ତର ରାଧାଚରଣ ପଣ୍ଡା ୧୧. ଶ୍ରୀ ଜଗବନ୍ଧୁ ମହାପାତ୍ର ୧୨. ଶ୍ରୀ ଉପେନ୍ଦ୍ର ପ୍ରସାଦ ମହାନ୍ତି ୧୩, ଶ୍ରୀ ରାଜକିଶୋର ପଟ୍ଟନାୟକ ୧୪. ଶ୍ରୀ ଦୀନବନ୍ଧୁ ରଥ, ୧୫. ଶ୍ରୀମତୀ କନକଲତା ଦେବୀ, ୧୬. ଶ୍ରୀ ରବୀନ୍ଦ୍ର ସିଂହଦେଓ, ୧୭, ଶ୍ରୀ ହରନାରାୟଣ ସିଂହ, ୧୮. ଶ୍ରୀ ଶିବ ପ୍ରସାଦ ଦାସ ୧୯. ଶ୍ରୀ ବିଷ୍ଣୁ ପ୍ରସାଦ ଦାସ ୨୦. ଶ୍ରୀ ଚନ୍ଦ୍ର ଶେଖର ମିଶ୍ର ୨୧. ଶ୍ରୀ ଉପେନ୍ଦ୍ର କିଶୋର ଦାସ ୨୨, ଶ୍ରୀ ଅନନ୍ତ ତ୍ରୀପାଠୀ ଶର୍ମା ।

 

ତା ୨୫.୦୧.୬୮ ରିଖ କାର୍ଯ୍ୟକାରୀ କମିଟି ବୈଠକ ଅଧିବେଶନର ବିବରଣୀରେ ସାହିତ୍ୟ ଏକାଡ଼େମୀ ପାଠାଗାର ପାଇଁ ଏକାଡ଼େମୀ ପ୍ରସ୍ତୁତ କରିଥିବା ଟ. ୩୦,୦୫୦.୦୦ର ଅଟକଳ ଅନୁମୋଦିତ ହେଲା । ଏହି ଅଟକଳ ଶୀଘ୍ର ସରକାରଙ୍କୁ ଅର୍ଥ ମଂଜୁରୀ ପାଇଁ ପଠାଇଦେବାକୁ ନିଷ୍ପତ୍ତି ଗ୍ରହଣ କଲେ । ଦୁଷ୍ପ୍ରାପ୍ୟ ଓ ମୂଲ୍ୟବାନ ପାଣ୍ଡୁଲିପି ପ୍ରକାଶନ ପାଇଁ ଟ, ୫୦,୦୦୦.୦୦ ଅର୍ଥ ମଂଜୁର କରିବାକୁ ସରକାରଙ୍କୁ ଜଣାଇ ଦିଆଯାଉ ।

 

ତା ୨୪.୦୩.୭୦ ରିଖ କାର୍ଯ୍ୟକାରୀ କମିଟି ବୈଠକରେ ପ୍ରାୟ ୩୨ ଗୋଟି ପ୍ରସ୍ତାବ ଆଲୋଚିତ ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରେ କେତେକ ନିଷ୍ପତ୍ତି ନିମ୍ନ ପ୍ରକାର ।

 

‘‘୨୮.ଏକାଡ଼େମୀ କାର୍ଯ୍ୟାଳୟରେ ଥିବା ଓଡିଆ ଟାଇପ ରାଇଟରକୁ ସଭାପତି ତାଙ୍କ ଆବଶ୍ୟକତାନୁସାରେ ବ୍ୟବହାର କରନ୍ତୁ ବୋଲି ତାଙ୍କୁ ଅନୁରୋଧ ।

୨୯. ସୌରଭ ପତ୍ରିକା ପ୍ରକାଶନ ପାଇଁ ଅର୍ଥ ସାହାଯ୍ୟ ନ ଦେବାକୁ ଦୁଃଖର ସହିତ ନିଷ୍ପତ୍ତି ଗ୍ରହଣ କରାଗଲା ।

 

୩୦. ସଂପାଦକ, ଓଡ଼ିଆ ଯୁବ ଲେଖକ ସମ୍ମେଳନର ୯ ତମ ଅଧିବେଶନ ପାଇଁ ସଭାପତି ମଂଜୁର କରିଥିବା ଟ, ୧୦୦୦.୦୦ ଅର୍ଥ ସାହାଯ୍ୟ ଅନୁମୋଦିତ ହେଲା ।

 

୩୨. ( ଘ) ଅଭ୍ୟୁଦୟ ସାହିତ୍ୟ ସମାଜ, କଟକକୁ ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ ନାମକ ପୁସ୍ତକର ମୁଦ୍ରଣ ଖର୍ଚ୍ଚ ବାବଦକୁ ଟ. ୫୦୦.୦୦ ଅର୍ଥ ସାହାଯ୍ୟ ମଂଜୁର କରାଗଲା ।’’

 

ମହତାବଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ନିଖିଳ ଓଡ଼ିଶା ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଗଲା । ଏଥପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତା ୧୬.୦୯.୬୦ ଉପ ସମିତିର ବୈଠକ ବସିଥିଲା । ଏହି ବୈଠକରେ ମହତାବ ଡକ୍ଟର ମାୟାଧର ମାନସିଂହ, ପ୍ରଫେସର ପ୍ରହ୍ଲାଦ ପ୍ରଧାନ, ଶ୍ରୀ ଅନନ୍ତ ପ୍ରସାଦ ପଣ୍ଡା ଉପସ୍ଥିତ ରହି ଜାନୁୟାରୀ ତା ୨୦ ରିଖରୁ ୨୬ ତାରିଖ ୧୯୬୧ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ଏହା କରାଯିବାର ସ୍ଥିର ହୋଇଥିଲ। । ଡକ୍ଟର ଲକ୍ଷ୍ମୀନାରାୟଣ ସାହୁ ଏକାଡ଼େମୀର ସଭାପତି ଥିବାବେଳେ ୧୮.୦୮.୧୯୬୧ ରେ ମହତାବ ସଭ୍ୟ ଥିଲେ ।

 

ତା ୦୭.୧୧.୫୯ ଅପରାହ୍ନ ଘ. ୩.୪୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ମହତାବଙ୍କ କାର୍ଯ୍ୟାଳୟରେ ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରକାଶିତ ତ୍ରୈମାସିକ ପତ୍ରିକା ‘କୋଣାର୍କ’ ର ପରିଚାଳନା ସଂପର୍କୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ତା ୧୨.୦୬.୬୦ ରେ ସାଧାରଣ ପରିଷଦ ବୈଠକରେ ଲେଖକମାନଙ୍କୁ ପୁରସ୍କାର ଦେବା ପାଇଁ ଏକ କମିଟି Prize Award sub committee ଗଠନ କରାଯାଇଥିଲା । ଏଥିରେ ମହତାବଙ୍କ ସମେତ ଡକ୍ଟର ମାୟାଧର ମାନସିଂହ, ଶ୍ରୀ ନିତ୍ୟାନନ୍ଦ ମହାପାତ୍ର, ଶ୍ରୀ ଗୋପିନାଥ ମହାନ୍ତି ଓ ସଂପାଦକ ଶ୍ରୀ ଗୌରୀ କୁମାର ବ୍ରହ୍ମା ସଭ୍ୟ ରହିଥିଲେ ।

 

୨୨ ଫେବୃୟାରୀ ୧୯୬୧ ରେ କଟକ ଠାରେ ନିଖିଳ ଓଡ଼ିଶାର ଲେଖକ ସମ୍ମିଳନୀର ପ୍ରସ୍ତୁତି କମିଟି ବୈଠକ ବସି ମହତାବ ରାଜ୍ୟପାଳଙ୍କୁ ସମ୍ମିଳନୀ ଉଦ୍ଘାଟନ କରିବାକୁ ଅନୁରୋଧ କରି Introducing ଅଭିଭାଷଣ ଦେବାକୁ ଅନୁରୋଧ କରିଥିଲେ ।

 

୧୩.୦୯.୬୧ ରେ ମହତାବଙ୍କ ସଭାପତିତ୍ୱରେ କେତେଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା । ସାଧାରଣ ପରିଷଦକୁ ନିର୍ବାଚନ ପାଇଁ ସଭ୍ୟମାନଙ୍କ ପାଇଁ ନୀତି ନିର୍ଦ୍ଧାରଣ, ଏକାଡ଼େମୀର କାର୍ଯ୍ୟ ରାଜ୍ୟବ୍ୟାପୀ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରୁ ସାଧାରଣ ପରିଷଦକୁ ଲେଖକମାନଙ୍କ ସଭ୍ୟଭୁକ୍ତ କରିବା, ଅନ୍ତର୍ଭୁକ୍ତ । ତା ୧୫.୧୨.୬୧ ରେ କାର୍ଯ୍ୟକାରୀ କମିଟି ବୈଠକରେ କଳାମଣ୍ଡପରେ ଲେଖକ ସମ୍ମିଳନୀ ତା ୨୫.୧୨.୬୧ ରେ ଅନୁଷ୍ଠିତ ହେବାର ସ୍ଥିର ହେଲା ଏବଂ ଏହି ଉତ୍ସବରେ ନିମ୍ନଲିଖିତ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ସ୍ଥିର କରାଗଲା । ସେମାନେ ହେଲେ ପଣ୍ଡିତ ନୀଳକଣ୍ଠ ଦାସ, ପ୍ରଫେସର ଆର୍ତ୍ତବଲଭ ମହାନ୍ତି, କବିଭୂଷଣ ସ୍ଵପ୍ନେଶ୍ଵର ଦାସ, ପଣ୍ଡିତ ବିନାୟକ ମିଶ୍ର, ପ୍ରଫେସର ବି.ଭି. ରାୟ, ପଣ୍ଡିତ କୁଳମଣି ଦାସ, ଶ୍ରୀ କୃଷ୍ଣ ପ୍ରସାଦ ବସୁ, ଶ୍ରୀ ବାଳକୃଷ୍ଣ ପଟ୍ଟନାୟକ, ଡକ୍ଟର ଭିକାରୀ ଚରଣ ପଟ୍ଟନାୟକ, ଶ୍ରୀ ଭିକାରୀ ଚରଣ ଦାସ ଏବଂ ଅଶ୍ଵିନୀ କୁମାର ଘୋଷ ।

 

ତା ୧୮.୦୨.୬୨ ରିଖ କାର୍ଯ୍ୟକାରୀ କମିଟି ବୈଠକର ବିବରଣୀ ଅତ୍ୟନ୍ତ ଚିତ୍ତାକର୍ଷକ । ଏହି ବୈଠକରେ ସଭାପତି ମହତାବ, ସଭ୍ୟ ଡକ୍ଟର ସଦାଶିବ ମିଶ୍ର, ଡ଼ି.ପି.ଆଇ. ଶ୍ରୀ କାଳନ୍ଦୀ ଚରଣ ପାଣିଗ୍ରାହୀ ଓ ଗୌରୀ କୁମାର ବ୍ରହ୍ମା ସଂପାଦକ ଉପସ୍ଥିତ ଥିଲେ । ସେ ଦିନର କାଯ୍ୟ ବିବରଣୀରେ ଯାହା ଲେଖାଅଛି ତାହା ଏହିପରି ।

 

୧. ସଂପାଦକ ବୋର୍ଡ଼ର ଅବଗତି ନିମନ୍ତେ କହିଲେ ଯେ ଏକାଡ଼େମୀ ବିରୁଦ୍ଧରେ ଡକ୍ଟର ମାୟାଧର ମାନସିଂହ ଗୋଟିଏ ପତ୍ର କଳିଙ୍ଗରେ ପ୍ରକାଶ କରିବାକୁ ଦେଇ ସମାଲୋଚନା କରିଛନ୍ତି ଏବଂ ଏହା ସର୍ବସାଧାରଣରେ ହୁଲୁସ୍ତୁଲ ସୃଷ୍ଟି କରିଛି ଏବଂ ଶ୍ରୀ ଏନ. ମହାପାତ୍ର କାଯ୍ୟକାରୀ ବୋର୍ଡ଼ ସଭ୍ୟ ଲେଖିକରି ଜଣାଇ ଅଛନ୍ତି ଯେ କାର୍ଯ୍ୟକାରୀ ବୋର୍ଡ଼ ଆଗରେ ଏହି ବିଷୟ ରଖିବାକୁ । ସଂପାଦକ ଡକ୍ଟର ମାନସିଂହଙ୍କର କଳିଙ୍ଗ ଓ ନବଜୀବନରେ ବାହାରିଥିବା ଅଂଶ ପଢ଼ି ଶୁଣାଇଲେ ଏବଂ କହିଲେ ଯେ ଡକ୍ଟର ମାନସିଂହଙ୍କର ପ୍ରଚେଷ୍ଟାରେ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ପ୍ରଥମେ ଏକାଡ଼େମୀ ଆରମ୍ଭ ହେଲା ବୋଲି ସେ ଦାବି କରିଛନ୍ତି ଏବଂ ଏକାଡ଼େମୀର ସଂବିଧାନ କିପରି ପରିବର୍ତ୍ତିତ ହେବ । ସେ ଆହୁରି ମଧ୍ୟ ଜଣାଇଲେ ଯେ ଡକ୍ଟର ମାନସିଂହଙ୍କର ଲେଖାର ସେହି ଅଂଶ ଇଂରାଜୀରେ ଟ୍ରାନ୍ସଲେସନ ହୋଇ ସରକାରଙ୍କର ଶିକ୍ଷା ବିଭାଗ ତରଫରୁ ଆମର ମତ ଦେବା ପାଇଁ ଆସିଛି।

 

ଏହାପରେ ସଭାପତି ମତ ଦେଇ କହିଲେ ଯେ ଏକାଡ଼େମୀର ଅଭିବୃଦ୍ଧି ପାଇଁ ଡକ୍ଟର ମାନସିଂହ ଯେଉଁ ଖସଡ଼ା ଦେଇଥିଲେ, ତାହାକୁ ସାଧାରଣ ପରିଷଦ ଦ୍ୱାରା ଗଠିତ ଏକ ଉପସମିତିକୁ ସେମାନଙ୍କର ମତ ଦେବା ପାଇଁ ଦିଆଯାଇଥିଲା ଏବଂ ସେହି ଉପସମିତିରେ ତକ୍ଟର ମାନସିଂହ ମଧ୍ୟ ଜଣେ ସଭ୍ୟ ଥିଲେ । ଏ ସଂପର୍କରେ ବହୁ ଆଲୋଚନା ହେବା ପରେ ଡକ୍ଟର ମାନସିଂହ ନିଜେ କହିଲେ ଯେ ତାଙ୍କର ଖସଡ଼ା (scheme) ଅପରିପକ୍ୱହେତୁ ଏହାକୁ ବର୍ତ୍ତମାନ କାର୍ଯ୍ୟକାରୀ କରିହେବ ନାହିଁ ଏବଂ ବର୍ତ୍ତମାନର ସଂବିଧାନ ସ୍ଥାନରେ ରଖାଯାଇ ପାରିବ ନାହିଁ । ଏହି ଉପସମିତି ଦ୍ୱାରା ସ୍ଥିର ହୋଇଥିବା ନିଷ୍ପତ୍ତିକୁ ସର୍ବସମ୍ମତ ନିଷ୍ପତ୍ତି ଭାବେ ଗ୍ରହଣ କରାଗଲା । ବର୍ତ୍ତମାନର ଏକାଡ଼େମୀର ସଂବିଧାନ ବର୍ତ୍ତମାନ ପାଇଁ ସେଇଆ ରହି କିଛିଦିନ କାର୍ଯ୍ୟ କରିବ କୌଣସି ପରିବର୍ତ୍ତନର ଆରମ୍ଭ ପୂର୍ବରୁ । ଡକ୍ଟର ମାନସିଂହ ଯେଉଁ ନୂତନ ବିଚାର ଉପସ୍ଥାପିତ କରିଛନ୍ତି ତାହା ତ୍ରୁଟିପୂର୍ଣ୍ଣ ବୋଲି ନିଜେ ମଧ୍ୟ ଅନୁଭବ କଲେ ।

 

ଏ ସଂପର୍କରେ ସଭାପତି ତାଙ୍କର ବିଚାରବ୍ୟକ୍ତ କରି କହିଲେ ଯେ ତାଙ୍କ ନିଜର କାର୍ଯ୍ୟସୂଚୀ ମଧ୍ୟରୁ ଏକାଡ଼େମୀ ଗଠନ ଭାବନା ଆସିଛି ଯାହାକୁ ସେ ବମ୍ବେ ରାଜ୍ୟପାଳ ପଦ ତ୍ୟାଗ କରି ଓଡ଼ିଶା ଆସିବା ପରେ କାର୍ଯ୍ୟରେ ଲଗାଇବାକୁ ସ୍ଥିର କରିଥିଲେ । ଡି.ପି.ଆଇ ଡକ୍ଟର ସଦାଶିବ ମିଶ୍ର ମଧ୍ୟ କହିଲେ ଯେ ଉତ୍କଳ ବିଶ୍ଵ ବିଦ୍ୟାଳୟର ସିଣ୍ଡିକେଟର ସଭ୍ୟଭାବେ ସେ ତାହାର କାର୍ଯ୍ୟ ସହିତ ନିବିଡ଼ ଭାବରେ ସଂଶ୍ଲିଷ୍ଟ କିନ୍ତୁ ଡକ୍ଟର ମାନସିଂହ ଦ୍ଵାରା ଉତ୍କଳ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଏପରି କୌଣସି କାର୍ଯ୍ୟର ପ୍ରସ୍ତାବ ଆଲୋଚିତ ହୋଇନାହିଁ । ପରିଶେଷରେ ନିର୍ଦ୍ଦେଶନା ମଣ୍ଡଳୀ (ବୋର୍ଡ଼) ଏହି ପ୍ରସ୍ତାବ ଦେଲେ -

 

ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କର, ପଠାଇଥିବା ଚିଠି ନଂ ୨୯୮୫ ତା ୦୩.୦୨.୬୨ କୁ ନିର୍ଦ୍ଦେଶନା ମଣ୍ଡଳୀ ବିଚାରକୁ ନେଲେ ତା ୪.୧.୬୨ ରିଖରେ କଳିଙ୍ଗରେ ପ୍ରକାଶିତ ତାଙ୍କର ପତ୍ର ଏହା ପୂର୍ବରୁ ଏକ ମିଟିଂରେ ଆଲୋଚିତ ହୋଇଚି ଯେଉଁଠାରେ ଜଣେ ସଭ୍ୟଭାବରେ ଡକ୍ଟର ମାନସିଂହ ଉପସ୍ଥିତ ଥିଲେ । ସେହି ବୈଠକରେ ଯେଉଁ ନିଷ୍ପତି ଗ୍ରହଣ କରାଯାଇଥିଲା ତାହା ସରକାରଙ୍କୁ ଜଣାଇ ଦିଆଯାଉ ।

 

ମହତାବ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସ୍ରଷ୍ଟା । ତେଣୁ ସେ ତାହାର ସର୍ବବିଧ ଉନ୍ନତି ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହିକି ଯେ ସେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟବ୍ୟସ୍ତ ଥାଇ ମଧ୍ୟ ଏକାଡ଼େମୀ ବୈଠକରେ ଉପସ୍ଥିତ ରହୁଥିଲେ ଓ ଆଲୋଚନାରେ ଅଂଶ ଗ୍ରହଣ କରୁଥିଲେ । ଏକାଡ଼େମୀର କାର୍ଯ୍ୟକାରୀ କମିଟିରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଉଥିଲା, ତାହାକୁ କାର୍ଯ୍ୟକାରୀ କରିବା ପ୍ରତି ମଧ୍ୟ ଦୃଷ୍ଟି ଦେଉଥିଲେ । ଏତଦବ୍ୟତୀତ ୧୯୬୧ ମସିହାରେ ସେ ଓଡ଼ିଶା ଲଳିତ କଳା ଏକାଡ଼େମୀର ହୋଇଥିଲେ ପ୍ରଥମ ସଭାପତି ।

 

ଲେଖକମାନଙ୍କ ସହିତ ଅନ୍ତରଙ୍ଗ ସଂପର୍କ

ବହୁ ସମ୍ମାନ ଓ ପ୍ରଶଂସାର ଅଧିକାରୀ ମହତାବଙ୍କ ସଂପର୍କରେ ଯେତେ ଲେଖିଲେ ମଧ୍ୟ ଶେଷ ହେବ ନାହିଁ। ତାଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଦିଗଟି ହେଉଛି ଲେଖକମାନଙ୍କ ସହିତ ଅତି ଅନ୍ତରଙ୍ଗ ସଂପର୍କ, ଆଳାପ ଓ ଚିଠିପତ୍ରର ଆଦାନ ପ୍ରଦାନ । ଓଡ଼ିଶାରେ ବହୁତ କମ ଲୋକ ଅଛନ୍ତି ଯାହାଙ୍କ ସଂପର୍କରେ ବହୁଲୋକ ବହୁକଥା କହିପାରନ୍ତି ଓ ଲେଖିପାରନ୍ତି । ମହତାବ ଥିଲେ ସେହି କମ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ । ସେ ଜଣେ ଅପୂର୍ବ ମଣିଷ । ବିଚିତ୍ର ମଣିଷ ।

 

ଓଡ଼ିଶାର ପ୍ରଥିତ ଯଶା ସାହିତ୍ୟିକ ଗୋପୀନାଥ ମହାନ୍ତି ମହତାବଙ୍କର ଅନେକ ଉକ୍ତିକୁ ମନେ ରଖିବା କଥା କହିଛନ୍ତି । ସେ ଲେଖିଛନ୍ତି, ‘‘ଥରେ ଠାଏ ଚୌକି ନ ଥିଲା । ମୁଁ ଠିଆ ହୋଇଥିଲି । ମହତାବ କହିଲେ, ଏ ସଂସାରରେ ଆସନ କେହି କାହାକୁ ଦିଏ ନାହିଁ, ନିଜ ପାଇଁ ଆସନ ନିଜେ ଛଡ଼ାଇ ଆଣିବାକୁ ପଡ଼େ । ଜୀବନରେ କେତେ ଥର ଯେ ସେ କଥା ଭାବିଛି କଳନା ନାହିଁ । ଅବଶ୍ୟ ଛଡ଼ାଛଡ଼ି କାରବାରରେ ମୁଁ ଟିକେ ପଛୁଆ । ଆଉ ଥରେ କେତେକ କାରଣରୁ ମନରେ ଭାରି ଦୁଃଖ ଥାଏ । ବାରିପଦା ସର୍କିଟ ହାଉସ ରେ ଦୈବୀଯୋଗକୁ ଦିହେଁ ଏକାଠି ହେଲୁ । ମୁଁ ଦୁଃଖିତ ଶୁଣି ସେ କହିଲେ, ସାହିତ୍ୟ ଯାହାର ଧର୍ମ ସେ ପୁଣି କେବେ ଦୁଃଖିତ ହୋଇପାରେ । ବାରମ୍ବାର ସେଇ କଥା ମୋର ମନେ ପଡ଼ିଛି । ଅତି ଦୁଃଖରେ ନିଜକୁ ପଚାରିଛି ପ୍ରକୃତରେ ମୁଁ କଣ ଦୁଃଖିତ?’’

 

ଓଡ଼ିଶାର ବିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ଡକ୍ଟର ନଟବର ସାମନ୍ତରାୟଙ୍କ ସହିତ ଆଲୋଚନାରୁ ମହତାବଙ୍କର ନିଜ ସାହିତ୍ୟ ସଂପର୍କରେ ଟିକିନିଖି ଜାଣିବାର ଆଗ୍ରହ ଜଣାପଡ଼େ । ଡକ୍ଟର ସାମନ୍ତରାୟ ମହତାବଙ୍କୁ ଭେଟିବାକୁ ସକାଳେ ଯାଇଥିଲେ । ସକାଳେ ମହତାବଙ୍କର ଲେଖିବା ସମୟ । ତାଙ୍କୁ ବସିବାକୁ କହି କହିବାକୁ ଆରମ୍ଭ କଲେ । ‘‘ହଁ, ଏଥର ବିଷୁବ ମିଳନରେ ତ ଆପଣଙ୍କୁ ଦେଖିଥିଲି ?’’

 

‘‘ଯାଇଥିଲି । ନ ଯାଇ ରକ୍ଷା ଅଛି ।’’ ଅତି ବିନୟରେ ଏତିକି କହି ଆସନ ଗ୍ରହଣ କଲି । ‘‘ଏ ମାସ ‘ଝଙ୍କାର’ ନିଶ୍ଚୟ ଦେଖିଥିବେ’’ -କଥାଟିକୁ ଏମିତି ସେ ଆରମ୍ଭ କଲେ ।

ଦେଖିଛି ।

ମୋ ପ୍ରବନ୍ଧ ଉପରେ ବୋଧହୁଏ ଆଖି ପକାଇଥିବେ ।

 

‘‘କେବଳ ‘ଝଙ୍କାର’ ନୁହେଁ, ଓଡ଼ିଶାର ପ୍ରାୟ ସମସ୍ତ ମାସିକ ପତ୍ରିକାରେ ପ୍ରକାଶ ପାଉଥିବା ପ୍ରବନ୍ଧ ବିଭାଗ ଉପରେ ଖାଲି ଆଖି ପକାଏ ନାହିଁ, ଖୁବ୍ ମନଦେଇ ସେଗୁଡ଼ିକର ଚିନ୍ତା ଓ ବିଚାର ମଧ୍ୟ କରିଥାଏ । ମୋର ଏପରି ଉତ୍ତରରେ ଦୃଢ଼ତା ସହ ଆତ୍ମବିଶ୍ଵାସ ଯେପରି ଫୁଟି ଉଠୁଥିଲା ।’’

 

‘‘ପ୍ରବନ୍ଧଟି ଆପଣଙ୍କୁ କେମିତି ଲାଗିଲା’’-

‘‘ଖୁବ୍ ଭଲ ହୋଇଛି । ଆପଣଙ୍କଠୁଁ ଆମେ ଏମିତି ଉଚ୍ଚ ଦରର ଲେଖା ସବୁବେଳେ ଆଶା କରିଥାଉଁ । ପ୍ରବନ୍ଧ ଉପରେ ମୋର ଏଇ ସାମାନ୍ୟ ଅନୁଭୂତି କହିଦେଇ ମୁଁ ଯେମିତି ଗୋଟେ ନିଃଶ୍ୱାସ ମାଇଲି । ସେ କିନ୍ତୁ ଛାଡ଼ିବାର ଲୋକ ନୁହିଁନ୍ତି । ଆଉ ଅଧିକ କିଛି ଶୁଣିବା ପାଇଁ ସେ କହିଲେ, ‘ନା, ଏଇଟା ବୋଧହୁଏ ଆପଣଙ୍କର ପୁରା ମତ ନୁହେଁ । ମୋ ଲେଖାରେ କଣ କିଛି ଅଭାବ ଦୁର୍ବଳତା ନାହିଁ ?’ ବଡ଼ ଅଡ଼ୁଆରେ ପଡ଼ିଲି । ଡକ୍ଟର ମହତାବଙ୍କ ପରି ବ୍ୟକ୍ତି ତାଙ୍କରି ଲେଖାକୁ ତାଙ୍କରି ସାମନାରେ ସମାଲୋଚନା କରିବି, ମନ କାହିଁକି ଟେକିଲା ନାହିଁ । ଯାହାହେଉ ମନରେ ସାହସ ବାନ୍ଧି କହିବାକୁ ଆରମ୍ଭ କଲି-

 

‘‘ପ୍ରବନ୍ଧ ପଢ଼ିବାର ଢଙ୍ଗ ମୋର ନିଆରା । ସେଇ ମାନଦଣ୍ଡରେ ମୁଁ ଗୋଟିଏ ପ୍ରବନ୍ଧର ସାରାସାର ବିଚାର କରିଥାଏ । ଆପଣ ବହୁବର୍ଷର ଜଣେ ପୋଖତ ରାଜନୀତିଜ୍ଞ । ଜୀବନର ବହୁ ଉତ୍ଥାନ ପତନ ଭିତରେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସି ଆପଣ ବିବିଧ ଜ୍ଞାନ ଆହରଣ କରି ନିଜର ଦୃଷ୍ଟିକୋଣକୁ ଯେପରି ସଂପ୍ରସାରିତ କରିପାରିଛନ୍ତି ସେପରି ସୌଭାଗ୍ୟ ଜଣେ ସାଧାରଣ ସାହିତ୍ୟ - ସମାଲୋଚକର ଜୀବନରେ ଘଟିବା ସବୁ ସମୟରେ ସମ୍ଭବ ନୁହେଁ । ଏଇ ଅଭିଜ୍ଞତା, ଏଇ ସଂପ୍ରସାରିତ ଦୃଷ୍ଟିକୋଣଟି ଆପଣଙ୍କ ଲେଖାରେ ସ୍ଵତଃ ଆଖିରେ ଧରାପଡ଼େ । ସେଥିପାଇଁ ଲେଖାଟି ଭଲ ହୋଇଛି ବୋଲି ପ୍ରଥମେ ମୁଁ କହି ପକାଇଥିଲି, କିନ୍ତୁ-’’

 

‘‘କିନ୍ତୁ କହୁଁ କହୁଁ ମୋର କହିବାର ସ୍ରୋତଟି ଯେମିତି ହଠାତ ବନ୍ଦ ହୋଇଗଲା । ଯାହା କହିବି ବୋଲି ତୁଣ୍ଡରୁ ବାହାରି ପଡ଼ୁଥିଲା ତା ଉପରେ ସଚେତନ ହୋଇ ପଡ଼ିଲି ।’’

 

‘‘ତାପରେ ? ଅଟକି ଗଲେ ଯେ - ମହତାବଜୀ ବିସ୍ମିତ ହୋଇ ମୋ ଆଡ଼େ ଚାହିଁ ଏତିକି କହିଲେ । ମନର ଭାବକୁ ଦବେଇ ପୁଣି କହିବାକୁ ଆରମ୍ଭ କଲି’’ -

 

‘‘ନାହିଁ ଯେ, ପ୍ରବନ୍ଧଟି ଆମୂଳଚୂଳ ନୂତନ ଆଭିମୁଖ୍ୟ ନେଇ ଲେଖା ଯାଇଛି । ବିଶ୍ଵଭାରତୀ ପରି ଏକ ଜ୍ଞାନପୀଠରେ ବହୁ ପଣ୍ଡିତଙ୍କ ଦ୍ୱାରା ପ୍ରଶଂସିତ ହେବା ଯଥାର୍ଥ । ସିଦ୍ଧ-ସାହିତ୍ୟଠାରୁ ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରବିକାଶ ଧାରା ଆପଣଙ୍କ ଲେଖା ପୂର୍ବରୁ କେହି କେହି ସାହିତ୍ୟ ଇତିହାସ ପୁସ୍ତକରେ, ଅନ୍ୟ କେହି କେହି କେତେକ ପ୍ରବନ୍ଧରେ ଦେଖାଇବାକୁ ଚେଷ୍ଟା ନ କରିଛନ୍ତି ନୁହେଁ । ଆପଣଙ୍କ ବିଚାରଧାରା କିନ୍ତୁ ସଂପୂର୍ଣ୍ଣ ସ୍ଵତନ୍ତ୍ର, ଏଥିରେ ଆପଣଙ୍କ ସ୍ୱାଧୀନ ବିଶ୍ଳେଷଣକୁ ଫୁଟାଇ ଉଠାଇବାକୁ ଆପଣ ଚେଷ୍ଟା କରିଛନ୍ତି । ଲେଖାଟିରେ ଏପରି ମୌଳିକ ଚିନ୍ତନର ଆଭାସ ନଥିଲେ ମୁଁ ତାହା ପ୍ରତି କେବେ ଆକୃଷ୍ଟ ହୋଇ ନ ଥାନ୍ତି । ତଥାପି- ।’’

 

‘‘ତଥାପି ଉଚ୍ଚାରଣ ପରେ ମୋ ସ୍ଵରଟି ସ୍ଵତଃ ଧିମେଇଗଲା, ମୋର ମନେ ହେଲା କିଏ ଯେମିତି ମୋ ତଣ୍ଟିଟି ଚିପି ଧରିଛି। ଯାହା କହିବାକୁ ଯାଉଛି ତା କହି ପାରୁନି, ଏକଥା ମହତାବଜୀଙ୍କୁ ବୁଝିବାକୁ ବେଶୀ ସମୟ ଲାଗି ନ ଥିଲା । ମୋତେ ଆଶ୍ଵାସନା ଦେଇ ସେ କହିଲେ, କଣ ଭାବୁଛନ୍ତି, ଦୋ ଦୋ ପାଂଚ ହେଉଛନ୍ତି କାହିଁକି ? ଯାହା ଭାବୁଛନ୍ତି ନିର୍ଭୟରେ କହନ୍ତୁ ନା .......

 

ସେ ଦିନର ସେହି କଥୋପକଥନ ପରେ ମହତାବ ରମେଶ ଚନ୍ଦ୍ର ଧଳଙ୍କୁ କହିଥିଲେ, ‘‘ତମେ ଠିକ କହିଛ ରମେଶ ! ଆଜିକି କୋଡ଼ିଏ ବର୍ଷ ହେଲା ମୁଁ ତାଙ୍କର ବିଭିନ୍ନ ଲେଖା ପଢ଼ି ଆସିଛି । ସତ୍ୟ କଥା କହିବାର ନିର୍ଭୀକତା ମୁଁ ସର୍ବତ୍ର ଲକ୍ଷ୍ୟ କରିଛି । ତାଙ୍କର ଏ ସ୍ଵାତନ୍ତ୍ର୍ୟ ପାଇଁ ତାଙ୍କୁ ସବୁବେଳେ ମଧ୍ୟ ଭଲ ପାଇ ଆସୁଛି । ତାଙ୍କ ଲେଖା ପ୍ରକାଶ ଦିଗରେ ‘ଝଙ୍କାର’ର ଦ୍ଵାର ସେଥିପାଇଁ ସର୍ବଦା ଉନ୍ମକ୍ତ । ମହତାବ ୦୮.୦୧.୧୯୫୪ ରେ ଡକ୍ଟର ସାମନ୍ତରାୟଙ୍କ ନିକଟକୁ ଚିଠିଟିଏ ଲେଖିଥିଲେ । ସେଥିରେ ସେ ଲେଖିଥିଲେ -

 

‘‘ଆପଣଙ୍କ ୧୧.୧୨.୫୩ର ପତ୍ର ପାଇଛି । ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଉତ୍ତର ଦେଇ ପାରିନାହିଁ । ସେଥିପାଇଁ ଦୁଃଖିତ । ଆପଣଙ୍କର ପ୍ରବନ୍ଧମାନ ମିଳିଛି ଓ ସମୟ କ୍ରମେ ସେ ସବୁ ପ୍ରକାଶିତ ହେବ । ବିଷୟ ଓ ପ୍ରବନ୍ଧ ପ୍ରାପ୍ତି ସମୟ ଇତ୍ୟାଦି ନାନା ବିଷୟ ବିଚାର କରି ‘ଝଙ୍କାର’ର ପ୍ରତି ସଂଖ୍ୟା କିପରି ବହୁ ସଂଖ୍ୟକ ପାଠକଙ୍କ ରୁଚି ଅନୁକୂଳ ହେବ ସେଥିପାଇଁ ବ୍ୟବସ୍ଥା କରାହୁଏ । ମୁଁ ନିଜେ ରାଜନୀତିରେ ଥିଲେ ମଧ୍ୟ ପ୍ରତିଦିନ କିଛି ସମୟ ଦେଇ ସାହିତ୍ୟ ଦିଗରେ ଯେତିକି ପାରୁଛି କରୁଛି । ଏଣୁ ‘ଝଙ୍କାର’ର ମୁଁ ନାମମାତ୍ର ସଂପାଦକ ନୁହେଁ । ମନ୍ତ୍ରୀ ଥିଲାବେଳେ ମଧ୍ୟ ମୁଁ ନିଜେ ସବୁ ଦେଖୁଥିଲି, ଆଜି ମଧ୍ୟ ଦେଖୁଛି । ବିଭିନ୍ନ ଦିଗରେ ସାହିତ୍ୟର ଉନ୍ନତି ପାଇଁ ଆପଣଙ୍କ ଭଳି ଯେଉଁମାନେ ସାଧନା କରୁଛନ୍ତି, ସମସ୍ତଙ୍କୁ ସାହାଯ୍ୟ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ । ଆପଣ ଦୂରରେ ଥିବାରୁ ଯେ ଆମ ଦୃଷ୍ଟିରୁ ଅନ୍ତର ହୋଇ ଯାଉଛନ୍ତି ତା ନୁହେଁ । ଆପଣଙ୍କ ସାଧନା ପ୍ରଶଂସନୀୟ ଓ ଆପଣଙ୍କ ଓଡ଼ିଆ ସାହିତ୍ୟକୁ ଦାନ ମଧ୍ୟ ମହତ୍ ।’’

 

ମହତାବଙ୍କର ଅତି ନିକଟ ଘନିଷ୍ଠରେ ଆସିଥିଲେ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର । ପିଲାଦିନେ ମହତାବଙ୍କ ଲାଲ ବାକ୍ଶରେ ଭୋଟ ଦିଅନ୍ତୁ ବୋଲି ପ୍ରଚାର ମଧ୍ୟ କରିଥିଲେ । ପାଟଣା କ୍ୟାମ୍ପ ଜେଲ ରେ ମହତାବ ବନ୍ଦୀ ଥିବାବେଳେ ତାଙ୍କ ସହିତ ରହିଥିଲେ । ସାହିତ୍ୟ ସାଧନା ପାଇଁ ମହତାବଙ୍କର ଆଶୀର୍ବାଦ ଲାଭ କରିଥିଲେ । ସେ କହିଛନ୍ତି, ‘‘ଦେଖା ହେଇଥିଲା, ତାଙ୍କର ଗଲା ଜନ୍ମ ଉତ୍ସବରେ । ସେ ମୋତେ ଅଟକାଇଲେ ଏବଂ କହିଲେ ମୁଁ ତମର ନବ ପ୍ରକାଶିତ ବହିଟିକୁ ସାହିତ୍ୟ ଏକାଡ଼େମୀକୁ ପୁରସ୍କାର ପାଇଁ ପ୍ରସ୍ତାବ ଦେଇଛି ।’’

 

ମହତାବ କିଛି ବର୍ଷ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ସାଧାରଣ ପରିଷଦର ସଭ୍ୟ ଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି, ସାଂସଦ ଓ ଐତିହାସିକ ଡକ୍ଟର ମନ୍ମଥ ନାଥ ଦାସ ତାଙ୍କର ଛାତ୍ର ଜୀବନର ସ୍ମୃତି ଚାରଣ କରି ମହତାବଙ୍କର ସ୍ନେହ ପାଇଥିବା କଥା ଲେଖିଛନ୍ତି ‘‘୧୯୪୬ ମସିହାରେ ରେଭେନ୍ସା କଲେଜରେ ବି.ଏ. ପଢୁଥିଲି । କଟକ ସ୍ଵରାଜ ଆଶ୍ରମକୁ ଅନେକ ସମୟରେ ଯାଇଥିଲି । ସେତେବେଳେ ମହତାବ ଥିଲେ ଓଡ଼ିଶା ରାଜନୀତିର କେନ୍ଦ୍ରବିନ୍ଦୁ । ଦିନେ ଜଣେ ବୟସ୍କ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରୁଥିବା ବେଳେ ସେ ରାଗି ଯାଇ ମୋତେ କହିଲେ, ହାତରେ କେତେ ସୂତା କାଟିଛ ? ଖଦଡ଼ ପିନ୍ଧିବାକୁ ଶିଖିଛ ? ତା ନ କରି, ରାଜନୀତି ଆଲୋଚନା ପାଇଁ ଏଠାକୁ ଆସିଯାଉଛ ?’’

 

‘‘ମୁଁ ତତକ୍ଷଣାତ୍ ମହତାବଙ୍କ କକ୍ଷ ମଧ୍ୟରେ ପଶିଗଲି । ତାଙ୍କ ପାଖରେ ବସିଥିଲେ ନବକୃଷ୍ଣ ଚୌଧୁରୀ । ମୁଁ ରାଗରେ ଆପତ୍ତି କରିଗଲି । ମୁଁ ତ ପାଠ ପଢ଼ୁଛି । ହାତରେ ସୂତା କାଟିବା ପାଇଁ ମୋର ବେଳ କାହିଁ ? ଖଦଡ଼ ନ ପିନ୍ଧିଲେ ଆମେ ଛାତ୍ରମାନେ ସ୍ଵରାଜ ଆଶ୍ରମକୁ ଆସି ପାରିବୁ କି ନାହିଁ ଆପଣ କୁହନ୍ତୁ ।’’

 

‘‘ତାଙ୍କ ସ୍ଵଭାବ ସୁଲଭ ରୀତିରେ ମହତାବ ବାବୁ ହସି ହସି ମୋତେ ସେ ଦିନ କହିଥିଲେ , କିହୋ ମନ୍ମଥ, ଏତେ ଭାବପ୍ରବଣ ହେଲେ ଚଳିବ ? ଯଦି ଭାବ ପ୍ରବଣ ହେବ, କାଠଯୋଡ଼ି କୂଳରେ ବସି କବିତା ଲେଖିବ ଯାଅ । ଯଦି ରାଜନୀତି କରିବ, ଏ କବଳରୁ ଅନ୍ୟମାନଙ୍କ କଥା ସହ୍ୟ କରିବାକୁ ଶିଖ ।’’

 

ମହତାବ ସବୁ ଚିଠିର ଉତ୍ତର ଦେଉଥିଲେ । ନିଜେ ମଧ୍ୟ ବହୁ ଚିଠି ଲେଖୁଥିଲେ । ଓଡ଼ିଶା ସାହତ୍ୟ ଏକାଡ଼େମୀର ପ୍ରାକ୍ତନ ସଭାପତି ଓ ବିଶିଷ୍ଟ ଅଧ୍ୟାପକ ପଠାଣି ପଟ୍ଟନାୟକ ତାଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ । ମହତାବ ତାଙ୍କୁ ଦିଲ୍ଲୀରୁ ଚିଠି ଲେଖିଥିଲେ ।

୧୯, ଆକବର ରୋଡ଼

୨୨.୦୬.୧୯୫୦

 

ପଠାଣି,

ତୁମର ୧୮.୦୬,୫୦ ପତ୍ର ପାଇଲି । ଆଜି ଝଙ୍କାର ମଧ୍ୟ ପାଇଲି । ବେଶ ଭଲ ହୋଇଛି, ମାତ୍ର ଅନେକ ଛାପା ଭୁଲ । ପ୍ରୁଫ ଦେଖିବା ଆହୁରି ଟାଣ କଲେ ହେବ । ଚକ୍ରଧର ଓ ତୁମେ ଅଭ୍ୟାସ କରି ଲେଖ । ସେଥିପାଇଁ ପଢ଼ିବା ଅଭ୍ୟାସ ନିତାନ୍ତ ଦରକାର ।

 

ଏଠାରେ ଲେଖାଲେଖି ବା ପଢ଼ାପଢ଼ି ପାଇଁ ଦରକାରୀ ବାୟୁମଣ୍ଡଳ ସୃଷ୍ଟି ହୋଇନାହିଁ । ହୋଇଯିବ ଧୀରେ ଧୀରେ । ନୂଆ ଜାଗାରେ ଯେତେ ଚେଷ୍ଟା କଲେ ମଧ୍ୟ ଟିକିଏ ଅଡ଼ୁଆ ଲାଗୁଛି ।

 

ମଝିରେ ମଝିରେ ପତ୍ର ଦେଉଥିବ । ତୁମର ହସ୍ତାକ୍ଷର ଭଲ । ମୋର ଅକ୍ଷର ପଢ଼ିପାରିବ ତ ? ମୋର ହସ୍ତାକ୍ଷର ପାଇଁ ମୁଁ ବଡ଼ ଲଜ୍ଜିତ ।

ତୁମର ମହତାବ ।

 

‘‘ଅନ୍ୟ ଏକ ଚିଠିରେ ରାଧାମୋହନ ଗଡ଼ନାୟକ ଏକ ମାସିକ ପତ୍ରିକା ବାହାର କରିବେ ବୋଲି ବିଜ୍ଞାପନ ଦେଇଥିଲେ । କଣ ହେଲା ? ବାହାରି ଲାଣି କି ? ବାହାରିଥିଲେ କିପରି ହୋଇଛି ? ସତ୍ୟବାଦୀ ଯେପରି ଥିଲା ସେହିପରି ଅଛି ନା କିଛି ଉନ୍ନତି ହୋଇଛି ? ସୁନନ୍ଦ ଉତ୍କଳ ସାହିତ୍ୟ ପୁଣି ବାହାର କରିବ ବୋଲି ଲେଖିଛି । ସେ ବିଷୟ କଣ ? ଏଥିରେ ଆମ ସେଠାର ମତ କଣ? ଚିନ୍ତାମଣି, ଚକ୍ରଧର ଠାରୁ ବୁଝି ଲେଖିବ ।

ମହତାବ’’

 

ମହତାବ ପଠାଣିବାବୁଙ୍କୁ ଅନ୍ୟ ଏକ ଚିଠିରେ ସମୟର ସଦ ବିନିଯୋଗ କରାଯିବ ତାହାର ଉଲ୍ଲେଖ କରିଛନ୍ତି ।

୦୨.୦୧,୫୧

ପଠାଣି,

 

ତୁମର ୩୧ ତାରିଖର ପତ୍ର ପାଇଲି । ଓଡ଼ିଶାର ସଂଗଠନ ଯୁଗ ବର୍ତ୍ତମାନ ଆରମ୍ଭ ହୋଇଛି ମାତ୍ର । ଏଣୁ କୌଣସି ବିଷୟରେ ନିରାଶ ହେବାର ନୁହେଁ । ଆଗରୁ ସାହାଯ୍ୟ ମିଳିଥିଲେ ପରେ ଆମ୍ଭମାନଙ୍କୁ ସମସ୍ତଙ୍କୁ ସୁଯୋଗ ଆହୁରି ବେଶୀ ମିଳିଥାନ୍ତା । ଠିକ୍ ଏହି କଥା ଆମେ ଯେପରି କହୁଛୁଁ । ଆମ ପର ବଂଶଧରମାନେ ସେପରି ଯେପରି ନ କୁହନ୍ତୁ, ସେଇଟି ମୋର ଭୟ । ସେଇଥିପାଇଁ ମୁଁ ଦୌଡ଼ିଛି । ପରେ ଯେପରି କେହି ମୁଣ୍ଡ ତଳକୁ କରି ନ କହନ୍ତି, ଆମର ଏହା ହୋଇନାହିଁ-ଇତ୍ୟାଦି । ସବୁଦିଗରେ ବର୍ତ୍ତମାନ ସମୟରେ ଅତି ଶୀଘ୍ର ଗତିରେ ଯିବାକୁ ହେବ । ନ ହେଲେ ଭବିଷ୍ୟତ ବଂଶଧରମାନେ ଆମ ବିରୋଧରେ ଅଭିଯୋଗ କରିବେ । ତେଣୁ ତୁମେ ସମସ୍ତେ ନିଜ ଦେହ ଓ ମନକୁ ଶାଣ ଦେଇ ଏପରି ତିଆରି କର ଯେ ତୁମ ଦ୍ଵାରା ଅଦ୍ଭୁତ କାର୍ଯ୍ୟମାନ ସାଧିତ ହେବ । ତୁମରିମାନଙ୍କ ଦ୍ଵାରା ହେବ ଯଦି ଦେହ ଓ ମନକୁ ତିଆରି କର । ବୁଦ୍ଧି ଯଥେଷ୍ଟ ଅଛି ।

 

ନିୟମିତ ଜୀବନ ହେଉଛି ଦେହ ଓ ମନକୁ ତିଆରି କରିବାର ଏକମାତ୍ର ଭପାୟ । ରୁଟିନ୍ଅନୁସାରେ ଚଳିବା ହେଉଛି ନିୟମିତ ଜୀବନର ସାଧାରଣ ଅର୍ଥ । ସେଥିରେ ଦେହ ଓ ମନ ତିଆରି ହୁଏ । ତୁମେ ଯେ କୌଣସି ରୁଟିନ କରି ତଦନୁସାରେ ଚଳ ଦେଖିବ ବହୁସମୟ ଗଡ଼ାଗଡ଼ି ହେଇଛି । ତାର ବ୍ୟବହାର ହୋଇପାରୁନାହିଁ । ଏପରି ରୁଟିନ ଜୀବନ ହେତୁ ମୁଁ ସମୟର ଅଭାବ ଲକ୍ଷ୍ୟ କରେ ନାହିଁ । ରୁଟିନ୍ ଟିଏ କରି ତୁମେ ଓ ତୁମର ବନ୍ଧୁମାନେ ଚଳ । ଦେଖିବ କେତେ ସମୟ ବାହାରି ପଡ଼ିବ । ଏହି ବଳକା ସମୟରେ କଣ କରିବ ସ୍ଥିର କର । ମୁଁ ସାହିତ୍ୟ ଚର୍ଚ୍ଚା କରେ, ଆଉ ଜଣେ ଆଉ କିଛି କରିପାରେ ପଢାପଢି, ନିର୍ଦିଷ୍ଟ ବିଷୟମାନଙ୍କର ନିୟମିତ ଅଧ୍ୟୟନ ହେଉଛି ପଢାପଢି ଲେଖାଲେଖି, ହାତ କାମ, ପ୍ରଭୃତି କେତେ ଜିନିଷ ଜଣେ କରିପାରେ । ତୁମେ ରୁଟିନ ତୁମର କରି ମୋତେ ପଠାଅ । ମୁଁ ତୁମକୁ କିଛି ସୂଚନା ଦେଇପାରିବି ।

 

ଆସନ୍ତା ୭ ତାରିଖ ମାନ୍ଦ୍ରାଜ ଗସ୍ତ ରେ ଯାଉଛି । ୧୫ ତାରିଖ ଦିନ ଫେରିବି । ମୁଁ ଭାରି ଖୁସି ଯେ ମାନ୍ଦ୍ରାଜର ବିଭିନ୍ନ କିଛି କହିବା ପାଇଁ ସନିର୍ବନ୍ଧ ଅନୁରୋଧମାନ ଆସିଛି । ସବୁ ମୁଁ ଗ୍ରହଣ କରିଛି । ଛାତ୍ର ସମାଜ ଓ ଶିକ୍ଷକ ସମାଜ ସାଂଗରେ ମୁଁ ସମ୍ପର୍କ ରଖିଥିବାରୁ ମୋର ନିଜର ମଂଗଳ ହେଉଛି । ଆଶା କରେ ଭଲଥିବ ।

ତୁମର ମହତାବ’’

 

ପ୍ରଖ୍ୟାତ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ବହୁବର୍ଷ ଧରି ପ୍ରଜାତନ୍ତ୍ର ଝଙ୍କାର ଓ ମହତାବଙ୍କ ସହିତ ସଂଶ୍ଳିଷ୍ଟ ଥିଲେ । ୧୯୪୮-୪୯ ମସିହାରେ ନୀଳମଣିବାବୁଙ୍କ ଗାଁକୁ ମହତାବ ନବପ୍ରସ୍ତାବିତ ହାଇସ୍କୁଲର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଯାଇଥିଲେ । ତାଙ୍କୁ ଗାଁ ସଭାରେ ଅଭିନନ୍ଦନ ପତ୍ର ପଢି ଶୁଣାଇଥିଲେ ସେ ଓ ଗୋଟିଏ କବିତା ରଚନା କରି ସୁକଣ୍ଠ ଗାୟକମାନଙ୍କ ଦ୍ୱାରା ଗାନ କରାଇ ସ୍ଵାଗତ କରିଥିଲେ ।

 

‘‘ଅଜ୍ଞାନ ଅନ୍ଧକାର ତୁଟିଲାରେ

ଜ୍ଞାନ କମଳଦେବୀ ଫୁଟିଲାରେ ।’’

 

ସଭାଶେଷରେ ମହତାବ ନୀଳମଣିବାବୁଙ୍କୁ ଡ଼ାକି ତାଙ୍କ ସହିତ ପରିଚିତ ହେଲେ ଏବଂ ତାଙ୍କର ପ୍ରତିଭା ଓ ସମ୍ଭାବନାକୁ ସମର୍ଥନ ଜଣାଇ କହିଲେ, ‘‘ତୁମେ ଏଣିକି ପ୍ରଜାତନ୍ତ୍ର ଆଡେ ଆସିବ ଓ ସେ କାଗଜରେ ନିୟମିତ ଲେଖିବ, ସେ ଅନୁଷ୍ଠାନ ସଂଗେ ମଧ୍ୟ ସଂପୃକ୍ତ ହେବ ।’’ ନୀଳମଣିବାବୁ କହିଛନ୍ତି, ‘‘କହିବାରେ ଦ୍ୱିଧା ନାହିଁ, ଯେ, ସେତେବେଳେ ମହତାବଙ୍କ ଭୟରେ ମୁଁ ଇତିହାସ, ଦର୍ଶନ, ମନସ୍ତତ୍ତ୍ୱ ଓ ରାଜନୀତି ସଂପର୍କରେ ବିଭିନ୍ନ ବହି ପଢିବାକୁ

ବାଧ୍ୟ ହେଉଥିଲି । ମୁଁ ଅକପଟ ଚିତ୍ତରେ ଘୋଷଣା କରୁଛି ଯେ, ମୋର ସାହିତ୍ୟିକ ଜୀବନ ଓ ସାଧନା ପଥରେ ମହତାବଜୀଙ୍କର ପ୍ରେରଣା, ନିର୍ଦ୍ଦେଶ ଓ ପୃଷ୍ଠପୋଷକତା ପ୍ରଥମ ଓ ପ୍ରଧାନ ଅବଲମ୍ବନ ହୋଇ ରହିଆସିଛି ।’’ ମହତାବ ବ୍ୟକ୍ତିତ୍ଵ ସଂପର୍କରେ ନୀଳମଣିବାବୁ କହିଛନ୍ତି, ‘‘ମହାନ ବ୍ୟକ୍ତି ହେବାର ସମସ୍ତ ପ୍ରତିଶ୍ରୁତି ଓ ସମ୍ଭାବନା ସତ୍ତ୍ଵେ, ସେ କେବଳ ଜଣେ ବିରାଟ ବ୍ୟକ୍ତି ପର୍ଯ୍ୟାୟରେ ରହିଲେ । କେଉଁ ଅଧିକ ଗୁଣଟି ରହିଥିଲେ ବିରାଟ ମହାନ ପର୍ଯ୍ୟାୟକୁ ଉନ୍ନୀତ ହୋଇଯାଏ, ତାହା ସୁଧୀଜନେ ବିଚାର କରନ୍ତୁ । ଚିଲିକା ଆଉ ସମୁଦ୍ର ମଝିରେ ଛୋଟିଆ ବାଲି ବନ୍ଧଟିଏ ମାତ୍ର ରହିଛି । ତା ନ ହେଲେ ଚିଲିକାବି ତ ସମୁଦ୍ର ହୋଇଯାଇଥାନ୍ତା ।’’

 

ପଣ୍ଡିଚେରୀ ଆଶ୍ରମର ସାଧକ ଓ ବିଶିଷ୍ଟ କଥାଶିଳ୍ପୀ ମନୋଜ ଦାସ ପଣ୍ଡିଚେରୀରୁ ଓଡ଼ିଶା ଆସିଲେ ମହତାବଙ୍କୁ ଭେଟିବା ଥିଲା ତାଙ୍କର ଅଲିଖିତ ବିଧାନ । ମନୋଜବାବୁ ଲେଖିଛନ୍ତି, ‘‘ଦିନେ ସେ ବଡ ତୀବ୍ର କଣ୍ଠରେ କହିଲେ, ତୁମେ ‘ଝଙ୍କାର’ ରେ ଏତେ କମ ଲେଖୁଛୁ କାହିଁକି ?’’ ଉତ୍ତର ଦେଲି, ‘‘ଝଙ୍କାର’’ ବହୁ ଲେଖକଙ୍କ ସକାଶେ ଆଶା ତଥା ପ୍ରତିଷ୍ଠାର ମାଧ୍ୟମ । କୌଣସି ଜଣେ ଲେଖକ ବହୁତ ଅଧିକ ଲେଖିବା ଉଚିତ ନୁହେଁ । ସେ ଏମିତି ଥଟ୍ଟାଳିଆ ଭାବରେ ହସିଦେଲେ, ବୁଝିଲି, ମୋ କୈଫିୟତ କୁତ୍ରିମ ବୋଲି ସେ ବୁଝୁଛନ୍ତି । ମୃଦୁ ଭାବରେ ସେ ପୁଣି କହିଲେ, ‘‘ତୁମେ ଆଉ କାହାରି ପାଇଁ ଉଦ୍ଦିଷ୍ଟ ପୃଷ୍ଠା ନେଇଯିବା କଥା କେହି କହୁଛି ?’’ ତୁମ ପାଇଁ ଉଦ୍ଦିଷ୍ଟ ପୃଷ୍ଠାରେ ତୁମେ ଲେଖିବ । ସବୁ ପତ୍ରିକାରେ କେତେଜଣ ନିୟମିତ ଲେଖକ ରହିବା ଆବଶ୍ୟକ ।

 

ମନୋଜବାବୁ ଲେଖିଛନ୍ତି, ମହତାବଜୀଙ୍କ ଦୃଷ୍ଟି କୋଣରୁ ଶିଖିଥିଲି, ଅଭିଜ୍ଞତା ସମସ୍ତଙ୍କ ଜୀବନରେ ଥାଏ । କିନ୍ତୁ ତାଙ୍କ ଭଳି ସମସ୍ତଙ୍କୁ ତାହା ପରିପକ୍ୱ କରି ନ ଥାଏ ।’’

 

ନାରାୟଣ ପୃଷ୍ଠି ତାଙ୍କର ଅନ୍ୟ ଏକ ଅଙ୍ଗେନିଭା କଥା ଘଟଣା ବର୍ଣ୍ଣନା କରିଛନ୍ତି ଯେତେବେଳେ ସେ ଖଡ଼ିଆଳରୁ ମହତାବଙ୍କ ସହିତ ଆସୁଥିଲେ । ‘‘ବଙ୍ଗୋମୁଣ୍ଡା ଆଉ ପ୍ରାୟ ୪/୫ କିଲୋମିଟର ବାଟଥାଏ । ବହୁଦୂରରୁ ଯେଉଁ ଦୃଶ୍ୟଟି ଆମକୁ ଝାପ୍ସା ଦିଶୁଥାଏ, ସେଥିରୁ ଜଣାପଡ଼ୁଥାଏ, ସେଇ ପତ୍ରବିହୀନ ଗଛତଳେ କିଏ ଜଣେ ପଡିଯାଇ ହଲ ଚଲ ହେଉଛି । ସେଇ ପାଖରେ ଗାଡି ଅଟକିବା ପରେ ଯେଉଁ ଦୃଶ୍ୟଟିର ଦର୍ଶକ ପାଂଚଜଣ ଥିଲୁ, କାହାରି ମୁହଁରେ ଭାଷା ଫୁଟି ପାରିଲା ନାହିଁ । ହାଡ କଙ୍କାଳ ସାର ଯୁବତୀଟିଏ ସେଇ ଗଛ ତଳେ ଜନ୍ମଦେଇଥିଲା ସଦ୍ୟଜାତ ଶିଶୁଟିଏ । ସାମ୍ବାଦିକ ଶ୍ରୀ ସତ୍ୟ ନାରାୟଣ ବେହେରା, ଶ୍ରୀ ରାମକୁମାର ଅଗ୍ରୱାଲା ଓ ମୁଁ ଡକ୍ଟର ମହତାବଙ୍କ ମୁହଁକୁ ଦେଖିଲୁ । କିଛି ଘଣ୍ଟା ଆଗରୁ ଖଡ଼ିଆଳ ବିଜ୍ଞାପିତ ଅଂଚଳ ଭିତରେ ଠିକ ଖବର ପାଇ ନ ପାରିବା ଯୋଗୁଁ ଯେଉଁ ମଣିଷଟି ଜଣେ ସରକାରୀ କର୍ମଚାରୀଙ୍କୁ ନିଜର ଲୌହ ମାନବ ରୂପଟି ଦେଖାଇଥିଲେ, ହଠାତ୍ ବିଚଳିତ ହୋଇପଡ଼େ । ସେ ଦିନ ଡକ୍ଟର ମହତାବଙ୍କ ମୁହଁରୁ ମୁଁ ଲକ୍ଷ୍ୟ କଲି ।’’

 

‘‘ବଲାଙ୍ଗୀର ସର୍କିଟ ହାଉସ୍ ରେ ପହଂଚିଲାବେଳକୁ ରାତି ହୋଇଯାଉଥାଏ । ସଭିଏଁ ଭାବୁଥିଲେ, ସେ କ୍ଳାନ୍ତ ହୋଇଯାଇଥିବେ । ମାତ୍ର ଅନ୍ୟ କଥା କିଛି ନ କହି ସେ ଶ୍ରୀ ନରସିଂହ ପ୍ରସାଦ ନନ୍ଦ ଓ ଶ୍ରୀ ରଜନୀକାନ୍ତ ଭୋଇଙ୍କ ସହିତ ଆଲୋଚନା ଆରମ୍ଭ କରିଦେଲେ ଯେ କେମିତି ଆମର ଦୁର୍ଭିକ୍ଷ ବୋର୍ଡ଼ ଦୀର୍ଘ ଦିନ ଧରି ପରିବର୍ତ୍ତନ ହେବାଯୋଗୁଁ ସମାଜର ଦୁର୍ବଳ ଶ୍ରେଣୀର ଲୋକେ ସବୁଠୁଁ ଅସହାୟ ଭାବେ ଜୀବନଯାପନ କରୁଛନ୍ତି । ପରେ ମୋତେ କହିଲେ, ତମେ ସାହିତ୍ୟିକ, ଗପ ଲେଖୁଛ । ଗପ ପାଇଁ ଆଜି ଏକ ଜୀବନ୍ତ ପ୍ଲଟ ପାଇଲି । କିନ୍ତୁ ଏ ପ୍ଲଟ ସୃଷ୍ଟି କରୁଥିବା ବିଷୟଟି ଅର୍ଥନୀତିର । ତମେ ଅର୍ଥନୀତିର ଅଧ୍ୟାପକ । ଦୁର୍ଭିକ୍ଷ ବୋର୍ଡର ପରିବର୍ତ୍ତନ ପାଇଁ ପ୍ରବନ୍ଧ ଲେଖ । ସେଇ ପ୍ରେରଣାରେ ଲିଖିତ ‘ଦୁର୍ଭିକ୍ଷ ବୋର୍ଡ଼ରେ ପରିବର୍ତ୍ତନର ଆବଶ୍ୟକତା’ ପ୍ରବନ୍ଧଟି ପ୍ରଜାତନ୍ତ୍ରରେ ପ୍ରକାଶିତ କରିଥିଲେ ଓ ତାର ପରବର୍ଷ ସ୍ଵତନ୍ତ୍ର ଜନ କଂଗ୍ରେସ ସରକାରଙ୍କ ଅମଳରେ ଦୀର୍ଘଦିନ ଧରି ଦୁର୍ଭିକ୍ଷ ବୋର୍ଡ଼ରେ କେତେକ ପରିବର୍ତ୍ତନ କରାଗଲା ।

 

କବି ରବି ସିଂ ଯାହାଙ୍କର ପାଟି ଖୋଲିଲେ ନିଆଁହୁଳା ବାହାରେ ସେ ମହତାବଙ୍କର କେତେ ନିକଟ ଥିଲେ ତାହାର ଉଲ୍ଲେଖ କରିଛନ୍ତି । ‘‘ମନେ ପଡ଼ୁଛି, ଥରେ ଗୋଟିଏ ରାଜନୈତିକ ସାଟାରିକାଲ କବିତାରେ ମୁଁ ତାକୁ ମହାମୂଷଳୀ ବୋଲି ଉଲ୍ଲେଖ କରିଥିବାର ଗୋଟିଏ ଚିଠି ସେ ମୋତେ ଲେଖିଥିଲେ । ଚିଠିଟିରେ କେତେକ ବ୍ୟକ୍ତିଗତ କଥାଛଡା ଲେଖାଥିଲା, ଆଚ୍ଛା ରବି । ତମର ସେ କବିତାରେ ଯେଉଁ ମହାମୂଷଳୀ ଶବ୍ଦଟି ବ୍ୟବହାର କରିଛ, ବଳରାମଙ୍କ ବ୍ୟତୀତ ଆଉ କାହାକୁ ମୂଷଳୀ କୁହାଯାଏ, ଜାଣିଥିଲେ ମତେ ଆସି କହିବ, ନ ହେଲେ ଚିଠିରେ ଲେଖିବ ।’’

 

‘‘ଚିଠି କିନ୍ତୁ ଲେଖିବାକୁ ପଡି ନ ଥିଲା । ତାଙ୍କ ଚିଠି ପାଇବାର ପରଦିନ ଅପରାହ୍ନରେ ମୁଁ ଯାଇ ପ୍ରଜାତନ୍ତ୍ର ପରିସରରେ ପହଂଚିଗଲି । ସେତେବେଳେ ମହତାବଜୀ ଭୁବନେଶ୍ୱରରୁ ପ୍ରଜାତନ୍ତ୍ରକୁ ଆସିବାର ସମୟ । ବାହାରେ ଠିଆ ହୋଇଥିଲେ ମୋର ଅଗ୍ରଜ ସାହିତ୍ୟିକବନ୍ଧୁ ତଥା ପ୍ରଜାତନ୍ତ୍ରର ତତ୍କାଳୀନ ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ । ପାଖରେ ଠିଆ ହୋଇଥିଲେ ମୋର ଅତୀତର ବରିଷ୍ଠ ସାମ୍ବାଦିକ ସହକର୍ମୀ ଶ୍ରୀଯୁକ୍ତ ରଘୁନାଥ ପାଠୀ ଶାସ୍ତ୍ରୀ । ସେମାନଙ୍କ ସହିତ କଥାବାର୍ତ୍ତା ହେବା ଭିତରେ ମହତାବଜୀଙ୍କ ନାଲି ଗାଡି ଆସି ପହଂଚିଲା । ସେ ଗାଡିରୁ ଓହ୍ଲାଇବା ସଂଗେ ସଂଗେ ମୁଁ ତାଙ୍କୁ ପ୍ରଣିପାତ କଲି । ଆଉ ସେ ହଠାତ ମତେ ପଚାରିଲେ, କିଓ ରବି, ସେ ଶବ୍ଦର ଆଉ କିଛି ଅର୍ଥ ପାଇଲ ?

 

      ‘‘ମୁଁ କହିଲି ମୂଷଳୀ ଶବ୍ଦର ଆଉ ଏକ ଅର୍ଥ ହେଲା ଭିତ୍ତିମସ୍ୟ ବା ଝିଟିପିଟି । ମହତାବଜୀ ଶିଡ଼ିରେ ଛାତ ଉପରକୁ ଉଠୁ ଉଠୁ ମୁଁ ତାଙ୍କ ପଛେ ପଛେ ଯିବା ଭିତରେ ସେ ମତେ ପୂର୍ବର ଏକ ଘଟଣାକୁ ସ୍ମରଣ କରାଇଦେଇ ଚଉକିରେ ବସୁ ବସୁ ନିଜ ପାଇଁ ଆଉ ମୋ ପାଇଁ କଫି ଆଣିବାକୁ କହି ମୋତେ କହିଲେ, ସେ ଶବ୍ଦଗୁଡିକୁ କୋଉଠି ବ୍ୟବହାର କଲଣି ନା ନାଇଁ ?’’

 

ସ୍ଵାଧୀନତା ସଂଗ୍ରାମୀ ଓ ଜ୍ଞାନ ମଣ୍ଡଳର ପ୍ରଣେତା ବିନୋଦ କାନୁନଗୋ ତାଙ୍କ ଆତ୍ମଜୀବନୀ ‘‘ଋଣ ପରିଶୋଧ’’ ରେ ଲେଖିଛନ୍ତି, ‘‘ମୋର ମଧ୍ୟ ଆଜି ବିଶ୍ୱାସ ହେଉନାହିଁ ଯେ ଗାନ୍ଧୀ ଯୁଗରେ ଆମ ଭିତରେ ଏତିକି ଦୂରକୁ ଆତ୍ମୀୟତା ଥିଲା । ଚତୁର୍ଥୀ ଦିନ ମାମୁଁଙ୍କ ଘରେ ଭୋଜି ହେଲା । ମହତାବ ବାବୁ ମହେଶ ଚନ୍ଦ୍ର ପ୍ରଧାନଙ୍କୁ ଡକାଇ କହିଲେ, ଦେଖ, ବିନୋଦ ଏ ପର୍ଯ୍ୟନ୍ତ ବୁଲୁଥିଲା । ତାହାର ଘର ବୋଲି କିଛି ନାହିଁ । ଏଣିକି ସେ ହୁଏତ ତା ମାମୁଁ ଘରେ ରହିବ ନାହିଁ । ଚତୁର୍ଥୀ ଦିନ ତାକୁ ଆମେ ଯେଉଁ ଉପହାର ଦେବା ତାହା ଏମିତି ହୋଇଥିବ ଯେ ସେ ଭିନେ ଘର କରି ରହିବାରେ ତାକୁ ସାହାଯ୍ୟ କରିବ । ମୁଁ ଠିକ୍ କରିଛି କପ ସସର ଠାରୁ ଆରମ୍ଭ କରି ଘରକରଣା ବହୁଚିଜ ଦେବି । ମୋର ପ୍ରସ୍ତାବ ତୁମେ ସେମିତି ତା ସ୍ତ୍ରୀ ପାଇଁ କେତେ ଖଣ୍ଡ ଭଲ ଲୁଗା ଦିଅ । ଆଉ ଯାହା ଦବ ତାହା ପଛ କଥା । ସତରେ ସେଇଆ ହେଲା । ମହତାବଙ୍କର ଓ ମହେଶବାବୁଙ୍କର ଉପହାର ଆମକୁ ଖୁବ୍‌ ସାହାଯ୍ୟ କଲା ।’’ ଏତଗଲା ମହତାବଙ୍କର ବ୍ୟକ୍ତିଗତ ଶ୍ରଦ୍ଧାର ଚିହ୍ନ କିନ୍ତୁ ସାହିତ୍ୟ କ୍ଷେତ୍ରରେ କିପରି ଉତ୍ସାହ, ଉଦ୍ଦୀପନା ଓ ଉନ୍ମାଦନା ସୃଷ୍ଟି କରୁଥିଲେ, ତାହାର ବର୍ଣ୍ଣନା ମଧ୍ୟ ଶ୍ରୀ ବିନୋଦ କାନୁନଗୋ ଦେଇଚନ୍ତି।

 

‘‘୧୯୫୪ ଆରମ୍ଭରେହିଁ ମୁଁ ସମସ୍ତଙ୍କ ଠାରୁ ଦୂରରେ ଯାଇ ଞ୍ଜାନ ମଣ୍ଡଳ ପ୍ରସ୍ତୁତିରେ ଲାଗିଲି । ମହତାବ ବାବୁଙ୍କ ସହିତ ଖୁବ କମ ଦେଖାହୁଏ । ସେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହେଲେ ମୋ ଭଳି ସାଧାରଣ କର୍ମୀଙ୍କ ସହିତ ସମ୍ପର୍କ ରଖିବା ତାଙ୍କ ପକ୍ଷରେ ସମ୍ଭବ ହୁଏ ନାହିଁ ବୋଧହୁଏ ।’’

 

କିନ୍ତୁ ହଠାତ ତାଙ୍କ ସହିତ ଭେଟ ହୋଇଗଲା ୧୯୬୦ ନଭେମ୍ବର ମାସରେ କଟକରେ ସେତେବେଳେ ଥିବା ରାଜଭବନରେ । ଏବେ ଯେଉଁଠାରେ ଶିଶୁଭବନ ଡ଼ାକ୍ତରଖାନା ହୋଇଛି ସେଠାରେ ଲାଟ ସାହେବ ରହୁଥାଆନ୍ତି । ମୁଁ ଦୂରରେ ବସିଥାଏ । ମହତାବବାବୁ ମୋ ପାଖକୁ ଚାଲିଆସି ପଚାରିଦେଲେ, ‘‘କିହୋ ବିନୋଦ ତମକୁ ତ କେବେ ଦିନେ ଦେଖୁନାହିଁ । କଣ କରୁଛ ?’’ ଉତ୍ତର ଦେଲି-‘ଓଡ଼ିଆ ଭାଷାରେ ଗୋଟିଏ ସେଟ୍ ଏନସାଇକ୍ଲୋପିଡିଆ ଲେଖିବି ବୋଲି ଗଲା ସାତବର୍ଷ ହେଲା ଦିନକୁ ସତରଘଣ୍ଟା ପରିଶ୍ରମ କରୁଛି ।’ ସେ ଟିକିଏ ବିସ୍ମିତ ହୋଇଯାଇ ପଚାରିଲେ-‘କଣ କହିଲ ! ଏନ ସାଇକ୍ଲୋପିଡିଆ ଲେଖିବ ? ଆମେ ସବୁ ଲାଗିଲାଗିତ ବିଶ୍ଵବିଦ୍ୟାଳୟ ତରଫରୁ ଏ ପର୍ଯ୍ୟନ୍ତ ପ୍ରକାଶ କରିପାରିନାହୁଁ । ତୁମେ ଏକା କଣ ଲେଖିଦେବ ?’ ସମସ୍ତ ନମ୍ରତାର ସହିତ ଉତ୍ତର ଦେଲି-‘ଷାଠିଏ ଖଣ୍ଡରେ ମୋ ବିଶ୍ୱକୋଷ ସମାପ୍ତ ହେବ । ପ୍ରଥମ ଖଣ୍ଡିକ ଛପା ଶେଷ ହୋଇଗଲାଣି । ଆପଣ ସେ ଖଣ୍ଡିକ ଉଦଘାଟନ କଲେ କୃତଜ୍ଞ ରହନ୍ତି ।’ ସେ ଆହୁରି ବିସ୍ମିତ ହୋଇ କହିଲେ-‘ଉଦଘାଟନ କରିଲେ ତ ମୁଁ ଭାରି ଖୁସି ହେବି ।’ ମୋ ପାଟିରୁ ବାହାରି ପଡ଼ିଲା-‘ଡ଼ିସେମ୍ବର ୨ ତାରିଖ ଦିନ ଏହି ଉତ୍ସବ ହେବ । ସେ ରାଜି ହୋଇଗଲେ ଓ ପ୍ରକୃତରେ ୧୯୬୦ ଡ଼ିସେମ୍ବର ୨ ତାରିଖରେ ଆସିଲେ । ସେ ଦିନ ସେ ଯାହା କହିଲେ ଓ. ଯେମିତି ଭାବରେ କହିଲେ ତାହା ଆଜି ମଧ୍ୟ ମୋର ମନେ ଅଛି-ସଷ୍ଟ ଭାବରେ ମନେ ଅଛି । ଞାନମଣ୍ଡଳ ସେଟ ଟିର ସେହିହିଁ ଶୁଭ ଦେଲେ ।

 

ମହତାବଙ୍କର ସ୍ମୃତି ଚାରଣ କରି ବିନୋଦ କାନୁନଗୋ କହିଛନ୍ତି, ‘‘ଓଡ଼ିଶାରେ ଆଉ ଜଣେ କିଏ ବାହାରିବ ଯିଏ କି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଗେଇ ଆସି ସାହାଯ୍ୟ କରିବ ସେହି ଲୋକମାନଙ୍କୁ ଯେଉଁମାନେ କି ତାଙ୍କର ବିରୋଧ ପ୍ରକାଶ୍ୟ ଭାବରେ କରୁଥିବେ ? ମହତାବଙ୍କ ଆଡକୁ ଦୃଷ୍ଟି ପକାନ୍ତୁ, ଦେଖିବେ ଓଡ଼ିଆ ସାହିତ୍ୟ ପାଇଁ ଜଣେ ଯଦି କିଛି କଲା, ମହତାବ ନିଜ ଆଡ଼ୁ ଆଗେଇ ଆସି ତାକୁ ସାହାଯ୍ୟ କରୁଚନ୍ତି ଯଦିଓ ସେ ଜାଣୁଛନ୍ତି ସେହିଲୋକ ବରାବର ମହତାବଙ୍କର ବିରୋଧ କରି ଆସୁଛି । ଏହାକୁହିଁ କହନ୍ତି ମହତାବତ୍ଵ ।’’

 

‘‘ମହତାବ ହେଲେ ଏକ ବିରାଟ ଓ ସମୁଚ୍ଚ ଘେରା ପର୍ବତ । ତା ଭିତରେ ରହିଛି ଗଗନସ୍ପର୍ଶୀ ଅତ୍ୟୁଚ୍ଚ ଶୃଙ୍ଗମାନ ଓ ପାତାଳ ସ୍ପର୍ଶୀ ଗଭୀର ଗହ୍ୱରମାନ ।’’

 

ମହତାବଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣରେ ବ୍ୟକ୍ତିଗତ ସଂପର୍କର କେତୋଟି ପୁଷ୍ପ ପାଖୁଡ଼ାର ଅବତାରଣା ସାହିତ୍ୟିକମାନଙ୍କ ପ୍ରତି ତାଙ୍କର ଶ୍ରଦ୍ଧା, ସଦିଚ୍ଛା ଓ ସଂପର୍କର ଚିତ୍ରଟି ପରିଷ୍କାର ହୋଇଯାଏ ନାହିଁକି ?

 

ମହତାବ କିଏ ?

ମହତାବ କିଏ ? ଏ ପ୍ରଶ୍ନ ଏକ ଅବାନ୍ତର ପ୍ରଶ୍ନ ବୋଲି ମନେହୁଏ । କିନ୍ତୁ ବାସ୍ତବରେ ଅନ୍ଧମାନଙ୍କର ହାତୀଦେଖା ପରି ମହତାବ ସମସ୍ତଙ୍କୁ ଅଲଗା ପ୍ରତୀୟମାନ ହୁଅନ୍ତି । ମହତାବ ସ୍ଵାଧୀନତା ସଂଗ୍ରାମୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କଂଗ୍ରେସ ଦଳର ସଭାପତି, ମିଳିତ ମନ୍ତ୍ରୀମଣ୍ଡଳର ସୃଷ୍ଟିକର୍ତ୍ତା, ନୂତନ ରାଜନୈତିକ ପ୍ରତିଷ୍ଠାତା, କଂଗ୍ରେସ ଦଳର ସାଂସଦର ସେକ୍ରେଟାରୀ ଇତ୍ୟାଦି ପଦପଦବୀ ମଣ୍ଡନ କରିଛନ୍ତି । ପୁନଶ୍ଚ ମହତାବ ହେଉଛନ୍ତି ନବଉତ୍କଳର ନିର୍ମାତା, ସାହିତ୍ୟ ଓ ସଂସ୍କୃତିର କର୍ଣ୍ଣଧାର । ମହତାବ ଶିକ୍ଷାବିତ୍‌ ଭାବେ ୧୯୫୦ ମସିହାରେ ଆନ୍ଧ୍ର ବିଶ୍ଵବିଦ୍ୟାଳୟରୁ ପିଏଚ. ଡ଼ି, ୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ.ଡ଼ି ଓ ୧୯୫୮ ମସିହାରେ ସାଗର ବିଶ୍ଵବିଦ୍ୟାଳୟରୁ ଡି. ଲିଟ ସମ୍ମାନରେ ଭୂଷିତ ହୋଇଛନ୍ତି ।

 

ହରେକୃଷ୍ଣ ମହତାବରୁ ଡକ୍ଟର ହରେକୃଷ୍ଣ ମହତାବ ନାମରେ ପରିଚିତ ହୋଇଛନ୍ତି । ରାଜନୀତିରୁ ସାମ୍ବାଦିକତା, ସାହିତ୍ୟ, ସାହିତ୍ୟ ଅନୁଷ୍ଠାନର କର୍ଣ୍ଣଧାର । ପ୍ରଜାତନ୍ତ୍ର, ଝଙ୍କାର, ଇଷ୍ଟର୍ଣ୍ଣ ଟାଇମ୍‌ସ୍, ହୀରାଖଣ୍ଡ, ପ୍ରଜାତନ୍ତ୍ର ପ୍ରଚାର ସମିତି ଓ ବିଷୁବମିଳନ ଦେଇ ସେ ପାଲଟି ଯାଇଛନ୍ତି ଏକ ଜୀବନ୍ତ ଅନୁଷ୍ଠାନ ।

 

ଉପନ୍ୟାସ, ନାଟକ, କବିତା, ଗଳ୍ପ, ପ୍ରବନ୍ଧ, ଶିଶୁ ସାହିତ୍ୟ, ଇତିହାସ, ଫିଚର ଇତ୍ୟାଦି ସୃଷ୍ଟି କର୍ମରେ ନିଜକୁ ନିୟୋଜିତ କରି ସେ ହୋଇଛନ୍ତି ଅଭିନେତା । ଲେଖକମାନଙ୍କୁ କବିମାନଙ୍କୁ, ଶିଶୁମାନଙ୍କୁ, ଅଭିନେତା ଓ ଅଭିନେତ୍ରୀମାନଙ୍କୁ, ଖେଳାଳୀମାନଙ୍କୁ ଦେଇଚନ୍ତି ପ୍ରେରଣା, ପ୍ରୋତ୍ସାହନ ଓ ପୁରସ୍କାର ।

 

ମସି ଚାଳନାରେ ନିର୍ଭୀକତା ପ୍ରଦର୍ଶନ କରି ସେ ସ୍ଵାଧୀନ ଭାବରେ ହୋଇଛନ୍ତି ବନ୍ଦୀ ।

ପରାଧୀନ ଭାରତରେ ସେ ବାରମ୍ବାର କାରାରୁଦ୍ଧ-ଗଡ଼ଜାତ ଆନ୍ଦୋଳନ ସତ୍ୟାଗ୍ରହ, ଲବଣ ଆନ୍ଦୋଳନ, ଭାରତଛାଡ ଆନ୍ଦୋଳନ କେଉଁଟିରୁ ବାଦ ଯାଇ ନାହାଁନ୍ତି ।

 

ଗାନ୍ଧୀ ଓ ଗାନ୍ଧୀଦର୍ଶନର ଏକାନ୍ତ ଅନୁରକ୍ତ ହୋଇ ନିଭେଇଛନ୍ତି ସଂସ୍କାରକର ଭୂମିକା ସ୍ଵାଧୀନତା ପୂର୍ବରୁ ଓ ସ୍ଵାଧୀନତା ପରେ । ନିଜକୁ ବାରମ୍ବାର ନିୟୋଜିତ କରିଛନ୍ତି ଗଠନମୂଳକ କାର୍ଯ୍ୟରେ । କର୍ମ ହିଁ ତାଙ୍କର ଜୀବନ ହୋଇଛି ।

 

ଡକ୍ଟର ହରେକୃଷ୍ଣ ମହତାବ, ହରେକୃଷ ମହତାବ, ମହତାବ, ହରିମହତା ନାମରେ ଓଡ଼ିଶାର ପୁର ପଲ୍ଲୀରେ, ଜନମାନସରେ । ସେ ପାଇଛନ୍ତି ପୁରସ୍କାର, ତିରସ୍କାର, ପ୍ରଶଂସା, ନିନ୍ଦା । ସବୁକିଛିକୁ ସେ ସାଦରେ ଗ୍ରହଣ କରିଛନ୍ତି-ସେ ହୋଇଛନ୍ତି ଅଜାତଶତ୍ରୁ । ସେଇଥିପାଇଁ ତାଙ୍କର ଅନେକ ନାମ-ଉତ୍କଳ କେଶରୀ, ଯୋଗଜନ୍ମା ପୁରୁଷ, ଜନନାୟକ, କର୍ମଯୋଗୀ, ରାଜନୀତିଜ୍ଞ, ଗୂଢନୀତିଜ୍ଞ, ଦୂରଦ୍ରଷ୍ଟା ରାଷ୍ଟ୍ରନାୟକ, ବିଶାଳ ଉତ୍କଳ ନିର୍ମାତା, ଯୁଗ ପ୍ରବର୍ତ୍ତକ, ସାହିତ୍ୟ ସାଧକ, ସୁଦକ୍ଷ ପ୍ରଶାସକ, ସ୍ଵାଧୀନତା ସଂଗ୍ରାମୀ, ଗଣତନ୍ତ୍ର ପ୍ରେମୀ, ମାନବ ବାଦୀ, ସମାଜ ସଂସ୍କାରକ, ନିଃସ୍ୱାର୍ଥପର ଜନସେବୀ, ଓଡ଼ିଶାର ଚର୍ଚ୍ଚିଲ, ଆଜନ୍ମ ଖେଳାଳୀ, ଦଣ୍ଠମାର ନୋଳିଆ, ମହାମୂଷଳୀ, ସ୍ଥିତଧୀ, ସ୍ପିନ୍ବୋଲର, ଚାଣକ୍ୟ, ଓଡ଼ିଶା ଚମ୍ପିଆନ, ଓଡ଼ିଶି ହିମାଳୟ, କ୍ଷମାର ଅବତାର, ସାମ୍ବାଦିକ, ଇତିହାସ ସୃଷ୍ଟିକାରୀ ଐତିହାସିକ, ଏକମାତ୍ର ବତୀଖୁଣ୍ଟ, ସ୍ଵାଧୀନପଥର ପଥିକ, ଜନମନର ଦାର୍ଶନିକ, ଜାତିର ପରମବନ୍ଧୁ, ବହି ଗଦା ଭିତରେ ଆଲୁଅ ଜାଳି ଲେଖି ଯାଉଥିବା ଜଣେ ଲେଖକ, ବିବାଦାତ୍ମକ ରାଜନୀତିଜ୍ଞ, ଗଡ଼ଜାତର ବଂଧୁ, ଓଡ଼ିଶାର ଲୌହମାନବ, ଅଦ୍ୱିତୀୟ ଅନୁଷ୍ଠାନ ଜଣାଲୋକର ଏତେ ଅଜଣା ସୀମା, ଆମରି ଲୋକ, ମହାନାଟକର ସୂତ୍ରଧର, ଭୀଷ୍ମପିତାମହ, ଏକ ପରମ୍ପରା, ଅପ୍ରତିଦ୍ୱନ୍ଦୀ, ଉତ୍ସାହ ଓ ପ୍ରେରଣାର ଉତ୍ସ, ପ୍ରତ୍ନତ୍ତ୍ୱିକ ସଂଗ୍ରାମ ଓ ସଂଗଠନର ପ୍ରତୀକ, କାକା, ସତ୍ସାହନୀ, ନିର୍ଭୀକଚେତା, ମହାଦ୍ରୁମ, ଏକ ବିସ୍ମୟ, ସାରଥୀ, ସ୍ଥିତପ୍ରଜ୍ଞା, ଓଡ଼ିଆ ସାହିତ୍ୟର ଅଭିଭାବକ, ନୂତନ ବିଶ୍ୱକର୍ମା, ସାହିତ୍ୟ ଓ ରାଜନୀତିର ସେତୁ, ସଂସ୍କୃତାନୁରାଗୀ, ପ୍ରଦୀପ୍ତ ପ୍ରତିଭା, ଜୀବନ୍ତ ଜୀବନୀ ଘନିଷ୍ଠ ଆତ୍ମୀୟ, ଶୁଭାକାଂକ୍ଷୀ, କଂଗ୍ରେସ ଛତା, ଜଳନ୍ତାଦୀପ, ସୂଚନାର ଗନ୍ତାଘର, ଧର୍ମପିତା, ଯୁଗମାନବ, ସ୍ନେହସାର, ଅଭିନେତା, ସତ୍ୟସଂଧାନୀ, ସ୍ପଷ୍ଟବାଦୀ, ସୁବକ୍ତା, ପରିହାସକ ଇତ୍ୟାଦି ।’’

 

ଶେଷକଥା

ଭାଗବତରେ କୁହାଯାଇଛି, ପ୍ରାଣୀର ଭଲମନ୍ଦ ବାଣୀ । ମରଣକାଳେ ତାହା ଜାଣି । ମନୁଷ୍ୟ ଜନ୍ମହେଲେ ମୂତ୍ୟୁ ସୁନିଶ୍ଚିତ । ଜାତସ୍ୟ ହିଃ ଧ୍ରୁବମୃତ୍ୟୁ । ମହତାବଙ୍କର ଜୀବନଦୀପ ଲିଭିଯିବା ପରେ ମଧ୍ୟ ମହତାବଙ୍କୁ ବେଶୀ ଭଲଭାବରେ ଜାଣି ହୁଏ । କାରଣ ତାଙ୍କର କୀର୍ତ୍ତି ଅକ୍ଷୟ ଓ ଅମର । ତାହା ସଦା ସର୍ବଦା ପ୍ରଜ୍ୱଳିତ । ଚିର ମହିମାଦୀପ୍ତ । ଗାନ୍ଧିଜୀଙ୍କର ତିନିଗୋଟି ନୀତି-ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ଵଦେଶୀ ଏହା ଉପରେ ତାଙ୍କର ଜୀବନ ବିତିଗଲା ।

 

୧୯୮୭ ମସିହା ଜାନୁଆରୀ ମାସ ୨ ତାରିଖ ପୌଷ ଶୁକ୍ଳପକ୍ଷ ତୃତୀୟା ଶୁକ୍ରବାର ଦିନ ୧୧ଟା ୧୦ ମିନିଟ ରେ ସେହି ଅଲିଭାଦୀପର ଜୀବନଦୀପ ନିର୍ବାପିତ ହେଲା ।

 

ଅଗଣିତ ଜନମାନସ ଚକ୍ଷୁରୁ ତାଙ୍କର ପାର୍ଥୀବ ଶରୀର ସିନା ଉଭେଇ ଗଲା, କିନ୍ତୁ ସେ ରହିଗଲେ ସମସ୍ତଙ୍କର ହୃଦୟରେ, ତାଙ୍କର ଅକ୍ଷୟ ଓ ସମୁଜ୍ୱୋଳ କୀର୍ତ୍ତିରେ ।

 

ଭଂଜନଗର ଜେଲ ରେ ସ୍ଵାଧୀନ ଭାରତରେ ବନ୍ଦୀ ଥିବା ବେଳେ ତାଙ୍କର ୭୭ ତମ ଜନ୍ମଦିନ ପାଳନ ଅବସରରେ ସେ ଲେଖିଥିଲେ କବିତା ‘ଜନ୍ମଦିନ। ସେଇ କବିତାରେ ଥିଲା ତାଙ୍କର ଜୀବନ ଦର୍ଶନ । ସେହି କବିତାର ଉଦ୍ଧୃତି ହେବ ମହାନାୟକ, ଯୋଗଜନ୍ମା, ସାରଥୀ ମହତାବଙ୍କ ଜୀବନ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ।

 

ଜନ୍ମଦିନ

କାଳାତୀତ ଯେ

ସୀମିତ କରୁଛୁ ତାକୁ

ଦିନ-ମାସ ବର୍ଷର ହିସାବେ,

ହସୁଥିବ କାଳସିନା

ଭାବୁଥିବ ନିର୍ବୋଧ ମନୁଷ୍ୟ ।

 

ଅନନ୍ତ ପଥର ଯାତ୍ରୀ, ଚାଲିଛି ପଥିକ

କାହିଁକି ମାପୁଛୁ ପଥ

କିଲୋମିଟର-ମାଇଲ ହିସାବେ ?

କାହାପାଇଁ ଖୁଣ୍ଟପୋତ

ଭାବିଛୁ କି କେବେ ?

ମାଇଲ ଖୁଣ୍ଟକୁ ଦେଖି ଦୂର ପଥ ଯାତ୍ରୀ ।

ଅବସନ୍ନ ହେବ କ୍ଳାନ୍ତି ଅନୁଭବ ।

କାହିଁକି ପକାଇଦିଅ ମନେ ତା ବୟସ ?

ଯାତ୍ରା ଶେଷ ବିଭୀଷିକା ଜଗାଅ ତା ମନେ ? ଏବଂ

ସ୍ମରଣ କରାଇ ଦିଅ

 

କୃତାନ୍ତ ନଗରୀ କ୍ରମେ ନିକଟୁ ନିକଟ ?

ସେ ନଗରୀ ପାରି ହୋଇ ଯିବ ଯେଉଁ ଯାତ୍ରୀ

କି ଲାଭ କହିବା ତାକୁ ବୟସ ତା କେତେ ?

ଜ୍ଞାନ ହେବା ଦିନୁ ଭୟ । ଜାତସ୍ୟ ହି ଧ୍ରୁବୋ ମୃତ୍ୟୁ ।

 

କେତେବେଳେ ଧରା ହେବ

ଉହାଡ଼ୁ କୁଆଡ଼ୁ ଆସି

ଝିଙ୍କିନେବ ଯମ, କରିଦେବ

ସତସାଙ୍ଗ ଏ ଜୀବନ ଖେଳା

ବରଂ ପାସୋରି ଦେବା,

ମନୁ ପୋଛି ଦେବା

ମରଣଟା ଜୀବନର ଶେଷ ପରିଣତି ।

 

ନିଃଶଙ୍କ ଜୀବନ ଭଲ

ଦୂରଗାମୀ ପକ୍ଷେ

ଦୂରତା ସମ୍ବନ୍ଧେ ଜ୍ଞାନ ଆଦୌ ନ ଥିବା

ଜନ୍ମଟାଇ ଖାଲି କଣ ବଡ଼ ?

ସେ ଦିନ ସ୍ମରଣ ଲାଗି ଆୟୋଜନ କିଁପା ?

କନ୍ଦର ସାଗର ମଧ୍ୟେ ଗୁରୁତ୍ଵ ନଦୀର,

ସେହିପରି ।

 

ମାତୃଗର୍ଭ ଶ୍ମଶାନ ମଝିରେ

ମନୁଷ୍ୟର ମୂଲ୍ୟ ସିନା ତାର କାର୍ଯ୍ୟଘେନି ।

କାର୍ଯ୍ୟାକାର୍ଯ୍ୟ ବିଚାରର ବେଳ

ଶ୍ମଶାନରେ ଦେହ ଉଷ୍ମ ପରେ

ଯୁଦ୍ଧକର୍ମ ସରିଲା ଉତ୍ତାରୁ ।

 

ବେଶି ନୁହେଁ, ବିନ୍ଦୁ ମାତ୍ର ଅଶ୍ରୁ ଯଦି ଝରାଇ ପାରିଲ

ତେବେ ସେହି ଗତାୟୁର ଜୀବନ ସାର୍ଥକ,

ତ୍ରାହି ରବ ଯଦି ଉଠେ ଲୋକଙ୍କ ମୁଖରୁ

ତେବେ ସେ ଜୀବନ ହେଲା

ଧାରହରା ନଈ

ଖାଲି ବାଲି ଅକାମି ସଭିଙ୍କୁ ।

 

ମରଣାନ୍ତେ ଜଣାସିନା ଭଲ ଅବା ମନ୍ଦ

ଆଗରୁ ଅସ୍ଥିର କିମ୍ୱା ଜନ୍ମଟାକୁ ଘେନି ?

ମୃତ୍ୟୁହୀନ ଏ ଜୀବନ, ଅସୀମ କାହାଣୀ ତାର

ମରଣତ ମାତ୍ର ଏକ ଅଧ୍ୟାୟ ସମାପ୍ତି ।

 

ଅଧ୍ୟାୟ ଶେଷରେ ସିନା ଭଲ ମନ୍ଦ

ଆଗରୁ ଅସ୍ଥିର କିମ୍ୱା ଜନ୍ମଟାକୁ ଘେନି ?

ମୃତ୍ୟୁହୀନ ଏ ଜୀବନ, ଅସୀମ କାହାଣୀ ତାର

ମରଣ ତ ମାତ୍ର ଏକ ଅଧ୍ୟାୟ ସମାପ୍ତି ।

 

ଅଧ୍ୟୟ ଶେଷରେ ସିନା ଭଲ ମନ୍ଦ ଗଳ୍ପର ବିଚାର

ସେ ପର୍ଯ୍ୟନ୍ତ ଧୈର୍ଯ୍ୟଧରି ପଡ଼ିବାକୁ ହେବ

ଅନ୍ୟଥା ସମୀକ୍ଷା ହେବ

ଅବାସ୍ତବ, ଅବାନ୍ତର, ନିରର୍ଥକ ମଧ୍ୟ ।