ଚିତ୍ରା ହଠାତ୍ ଚମକି ଉଠିଲା !
କଣ ହେଲା ଚିତ୍ରା? ବିଚଳିତ ହୋଇ ମୁଁ ପଚାରିଲି ।
ନାଁ, କିଛି ନୁହେଁ । ...........ଥରେ ଚାରିଆଡ଼କୁ ଚାହିଁନେଇ ସେ ଉତ୍ତର ଦେଲା ସ୍ୱସ୍ତିରେ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ି ।
ମୋ ମନରେ ଶାନ୍ତି ଆସିଲା ନାହିଁ ତା ଏଇ ଛୋଟ ଉତ୍ତରଟି ଶୁଣି । କିଛି କାରଣ ନ ଥିଲେ ସେ କଦାପି ଚମକି ଉଠନ୍ତା ନାହିଁ । ତା’ ଚମକି ଉଠିବା ପଛରେ କିଛି ଗୋଟିଏ ରହସ୍ୟ ଲୁଚି ରହିଛି । ତେବେ ସେ ମୋର ପ୍ରଶ୍ନର ଠିକ୍ ଉତ୍ତର ଦେଲା ନାହିଁ କାହିଁକି?
ତା’ର ସେଇ ଛୋଟ ସୁନ୍ଦର ମୁହଁକୁ ଦୁଇ ହାତରେ ଉଠାଇ ପଚାରିଲି, କିଛି କାରଣ ନ ଥିଲେ ତୁମେ କେବେ ହେଲେ ଚମକି ଉଠି ନ ଥାନ୍ତ, କୁହ ଚିତ୍ରା – ତୁମର କଣ ହେଲା? ମୋର ଅନଧିକାର ବ୍ୟବହାରରେ ଯଦି କିଛି ଆଘାତ ପାଇଥାଅ ତେବେ ମୋତେ କ୍ଷମା ଦିଅ ଚିତ୍ରା; ଆଉ .........
ଲକ୍ଷ୍ୟ କଲି, ମୋର ଶେଷ କେଇ ପଦ କଥା ତାର ଦୁଇ ଆଖିକୁ ସଜଳ କରିଦେଲା ମୋର ଗାଲ ଉପରେ ତା’ର ମୁହଁକୁ ରଖି କାନ୍ଦିଲା ଗଳାରେ କହିଲା ମୋତେ ତୁମେ ଏତେ ପର ବୋଲି କାହିଁକି ଭାବ ଅସୀମ! ମୋର ସବୁ କିଛି ତୁମ ପାଦ ତଳେ ଅଜାଡ଼ି ଦେଇଛି । ଆଉ କଣ ପାଇଲେ ତୁମେ ସନ୍ତୁଷ୍ଟ ହେବ କୁହ ! ତାକୁ ମଧ୍ୟ ତୁମକୁ ଦେଇଦେବି । ମୋର ଆଉ କିଛି ନାହିଁ । ଏଇ ଦେହର ପ୍ରତ୍ୟେକଟି ଅଂଶ ତୁମର ହୋଇସାରିଛି । ତେବେ ବି ମୁଁ ତୁମର ହେଇପାରିନି ନାଁ … ଅସୀମ .... ।
ତା’ର ଦୁଇ ଆଖି ପୋଛିଦେଲି । ଭାବିଲି, ବାସ୍ତବିକ୍ ଚିତ୍ରା ତା’ର ସବୁ କିଛି ମୋତେ ଦେଇସାରିଛି । ତା’ର ମନପ୍ରାଣ ସବୁ ମୋର ହୋଇସାରିଛି ।ତା ପାଖରେ ଆଉ କଣ ଅଛି ଯେ ମୋତେ ଦେବ ?
ମୁଁ ହଠାତ୍ ଦୁର୍ବଳ ହୋଇଗଲି ଚିତ୍ରାର କଥା ଶୁଣି । ତାର ସବୁ କିଛି ପାଇ ମଧ୍ୟ ମୁଁ ତାକୁ ନିଜର କରିପାରିନି ଆଜି ଯାଏଁ । ଚିତ୍ରାକୁ ତେବେ ଏତେ ପର ବୋଲି ଭାବେ କାହିଁକି ? ନିଜ ପ୍ରଶ୍ନର ନିଜେ କେବେ ଉତ୍ତର ଦେଇ ପାରେନି ।
ତାର ମୋର ପରିଚୟ ମାତ୍ର ଗୋଟିଏ ବର୍ଷର । ଦେଖା ସାକ୍ଷାତ, ଆଳାପ ଆଲୋଚନା, ହସଖୁସି ଓ ବିରହ ମିଳନ ଭିତରେ ଗୋଟିଏ ବର୍ଷ କଟିଯାଇଛି । ଆଜି ଯାଏଁ ଚିତ୍ରାର ସୌନ୍ଦର୍ଯ୍ୟକୁ ଦୂରରୁ ଦେଖି ମୁଁ ଆନନ୍ଦ ପାଉଥିଲି । କିନ୍ତୁ ତାର କୋମଳ ଶରୀରକୁ କେବଳ ସ୍ପର୍ଶ କରି ନ ଥିଲି । ସେ ସାହସ ମଧ୍ୟ ମୋର ନ ଥିଲା ।
କିନ୍ତୁ ଆଜି ଚିତ୍ରାର ସୌନ୍ଦର୍ଯ୍ୟକୁ ଦୂରରୁ ଦେଖି ଉପଭୋଗ କରିବାଭଳି ଶକ୍ତି ମୋର ନ ଥିଲା । ସେଇଟା ମୋର ଦୁର୍ବଳତା କି ନା ମୁଁ ଜାଣେନା । ଇତିହାସ ପୁରାଣ କହେ ନାରୀର ସୌନ୍ଦର୍ଯ୍ୟ ନିକଟରେ ପୁରୁଷ ସବୁବେଳେ ହାର ମାନିଛି । ମୁଁ ବି ସେମିତି ପୁରୁଷଙ୍କ ଭିତରୁ ଜଣେ । ଚିତ୍ରାର ସୌନ୍ଦର୍ଯ୍ୟ ନିକଟରେ ମୋତେ ବି ହାର ମାନିବାକୁ ହେଲା ।
ଆକାଶରେ ଚନ୍ଦ୍ର ଉଠିଛି । ଆଗରେ ବିରାଟ ସାଗର । ସନ୍ଧ୍ୟାର ମୃଦୁ ମନ୍ଦ ପବନରେ ଦେହ ଶୀତେଇ ଉଠୁଛି । ସମୁଦ୍ରକୂଳର ବାତାବରଣ ଶାନ୍ତ ପଡ଼ିଯାଇଛି । ମନରେ କେତେ କଥା ଓଲଟ ପାଲଟ ହେଲା । ପାଖରେ ଚିତ୍ରା- ମୁଁ ଆଉ ସେ । ଯୁବକ ଓ ଯୁବତୀ । ଚିତ୍ରା ମୋର କୋଳ ଉପରେ ମଥାକୁ ରଖି ନୀଳ ଆକାଶକୁ ଚାହିଁ କଣ ଭାବୁଥିଲା । ମୁଁ ବି ସମୁଦ୍ର ଲହଡ଼ିର ଉତ୍ଥାନ ପତନକୁ ଦେଖି ଭାବୁଥିଲି, ପରିସ୍ଥିତିରେ ପଡ଼ି ମଣିଷ କେଡ଼େ ଚଞ୍ଚଳ ଦୁର୍ବଳ ହୋଇଯାଏ । ପରିସ୍ଥିତିରେ ପଡ଼ି ମଣିଷ ଦୁର୍ବଳ ହୋଇଯାଏ କି ମଣିଷର ଦୁର୍ବଳତା ପରିସ୍ଥିତିରେ ପଡ଼ିଯାଏ । ମୁଁ କିଛି ଭାବି ଠିକ୍ କରିପାରୁ ନ ଥିଲି ।
ନୀରବତା ଭଙ୍ଗ କରି ଚିତ୍ରା ପଚାରିଲା କଣ ଭାବୁଛ ?
ଭାବନା ଦୂରକୁ ଫିଙ୍ଗି ଦେଇ ମୁଁ ତାକୁ ଚାହିଁଲି । ସବୁଦିନ ଅପେକ୍ଷା ଆଜି ଚିତ୍ରା ମୋ ଆଖିକୁ ଖୁବ୍ ସୁନ୍ଦର ଦେଖା ଯାଉଥିଲା । ସଜଫୁଟା ମଲ୍ଲୀ ଫୁଲ ପରି ତାର ଗୋରା ମୁହଁଟି ଜହ୍ନ ଆଲୁଅରେ ଆହୁରି ସତେଜ ଦେଖା ଯାଉଥିଲା । କିଛି ସମୟ ନୀରବରେ ଚାହିଁ ରହିଲି ତାର ସେଇ ସୁନ୍ଦର ମୁହଁଟିକୁ ।
କଣ ସେମିତି ଦେଖୁଛ ମ ! ଲାଜରେ ଝାଉଁଳି ଗଲା ତା ମୁହଁ
ହସିଲି, ତା ମୁହଁକୁ କୋଳରୁ ଉଠାଇ କହିଲି, ତମର ମନେ ଅଛି ଚିତ୍ରା ଠିକ୍ ଗୋଟିଏ ବର୍ଷ ତଳେ ତମେ ମୋତେ ଦେଖି ଏମିତି ଲାଜରେ ମୁହଁକୁ ଲୁଚାଇ ଦେଇଥିଲ । ସେଇ ମୁହଁଟି ଆଜି ବି ମୋର ମନେପଡୁଛି। ଆଉ ସେଇ ଲାଜରା ମୁହଁକୁ ଦେଖି ମୁଁ ପାଗଳ ହୋଇ ଉଠିଥିଲି ତୁମକୁ ପାଇବା ପାଇଁ । ଆଜି ସେଇ ଚିତ୍ରାକୁ ମୁଁ ପାଇଛି ।
ତାର ରକ୍ତ ଗୋଲାପି ଓଠରେ ସାମାନ୍ୟ ହସ ନାଚି ଉଠିଲା । ତାର ସେଇ ଓଠକୁ ହସ ଖୁବ୍ ସାଜୁଥିଲା। ଆଉ କିଛି ସମୟ ତାକୁ ସେମିତି ହସିବାକୁ ଦେଲି । ତା‘ ପରେ ତାର ମୁହଁକୁ ଉଠାଇ ଆଣିଲି ମୋ ମୁହଁ ପାଖକୁ । ତାର ସେଇ ହସିଲା ଓଠରେ ଓଠକୁ ମିଶାଇ ଦେଲି ।
ପ୍ରତିବାଦ କଲାନାହିଁ । ଆହତ ନାଗୁଣୀ ପରି ଫଣା ଟେକି ମୋତେ ଦଂଶିବାକୁ ଆସିନଥିଲା ସେ । ନିଜକୁ ମୋ ନିକଟରେ ସମର୍ପି ଦେଲା । କିଛି ସମୟ ବିତିଗଲା । ତାର ଗୋଲାପୀ ଓଠର ଚୁମ୍ବନ ମୋତେ ଆହୁରି ଦୁର୍ବଳ କରିଦେଲା ।
ଦୀର୍ଘଦିନର ପରିଚୟରେ ଆଜି ମୁଁ ପ୍ରଥମ ଥର ପାଇଁ ତା’ ଠାରୁ କିଛି ପାଇଲି । ସେଇ ପାଇବା ଭିତରେ ମୋର କିଛି ସ୍ୱାର୍ଥ ଥିଲା କି ନା କହି ପାରୁନି, ତେବେ ଯାହା ତା’ ଠାରୁ ପାଇବା ପାଇଁ ମୁଁ ଆଜି ଯାଏଁ ଭୋକିଲା ପଶୁ ପରି ଚାହିଁ ରହିଥିଲି ତାହା ପାଇଲି ।
ଯୁବତୀ ଓଠର ସ୍ପର୍ଶ ମୋ ଜୀବନରେ ଏହା ନୂଆ ନୁହେଁ । କିନ୍ତୁ ଚିତ୍ରା ଓଠର ସ୍ପର୍ଶରେ ମୁଁ କିଛି ନୂଆ ଅନୁଭବ କଲି । ସେଇ ସ୍ପର୍ଶରେ ପରୁଷ-ସ୍ତ୍ରୀର କାମନା ନ ଥିଲା । ସେଇ ଓଠର ସ୍ପର୍ଶ ପାଇ ମୁଁ ଚିତ୍ରା ନିକଟରେ ଆହୁରି ଦୁର୍ବଳ ହୋଇଗଲି । ତା’ ପ୍ରତି ମୋର ଯେତିକି ସ୍ନେହ ଓ ମମତା ଥିଲା ତାହା ଦୁଇ ଗୁଣ ବଢ଼ିଗଲା ।
ହଠାତ୍ ଚିତ୍ରାର ଚମକ ଆମ ଦୁହିଁଙ୍କୁ ଅଲଗା କରିଦେଲା ।
ଚିତ୍ରା ଯାହା କହିଲା ତା‘କୁ ପୁଣି ଭାବିବାକୁ ଆରମ୍ଭ କଲି । ସନ୍ଦେହ ହେଲା ଚିତ୍ରା ମୋତେ ଆଉ ସନ୍ଦେହ କିମ୍ବା ଅବିଶ୍ୱାସ କରୁନି ତ? ତା‘ର ଅକ୍ଷତ ସତୀତ୍ୱ କୁ ମୁଁ ଆଜି କ୍ଷତ ବିକ୍ଷତ କରି ଦେଇଛି । ସେଥିପାଇଁ କଣ ସେ ଦୁଃଖ କରୁଛି ? ଯଦି ଦୁଃଖ କରିବାର ଥିଲା, ତେବେ ସେ ନୀରବ ରହି ସେ ସୁଯୋଗ ମତେ ଦେଲା କାହିଁକି? ପ୍ରତିବାଦ କରିପାରି ଥାଆନ୍ତା ସେ ସହଜରେ ! ତା କଲା ନାହିଁ କାହିଁକି ?
ହୁଏତ ସେ ମଧ୍ୟ ମୋ ଭଳି ଦୁର୍ବଳ ହୋଇଯାଇଛି । ପ୍ରତିବାଦ କରିବା ପାଇଁ ତା’ର ସାହାସ ନ ଥିଲା । ଯାହା ହେଇଯାଇଛି ତା’କୁ ପୁଣି ବଦଳାଇବାକୁ ଚେଷ୍ଟା କରିବା ବୃଥା । ତା’ର ଆଜିର ଏ ଦାଗ ଚିରଦିନ ଲାଗି ରହିବ । ସେ ଦୁନିଆ ଆଖିରେ ସତୀ ହେଲେ ସୁଦ୍ଧା ଭଗବାନଙ୍କ ନିକଟରେ ସେ ଅସତୀ.... ।
ଚିତ୍ରା ମୋର । କିନ୍ତୁ ତାକୁ ମୋର ବୋଲି କହିବା ପୂର୍ବରୁ ମୋତେ କିଛି ସମୟ ଭାବିବାକୁ ହେଲା । ତେବେ ବି ମୋର ଆତ୍ମା ତାକୁ ପର ବୋଲି କହିବାକୁ ରାଜି ହେଲାନି ।
ସେଇ ଜନଶୂନ୍ୟ ବାତାବରଣକୁ ଭେଦକରି ମୁଁ ବିକଳ ହୋଇ ମୃଦୁ ଚିତ୍କାର କରି କହିଲି, ଚିତ୍ରା....ତୁମେ ମୋର । ତୁମଠୁଁ ସବୁ ପାଇ ମଧ୍ୟ ମୁଁ ଆହୁରି କିଛି ପାଇବାକୁ ଆଶାକରି ନିଜକୁ ଦୁର୍ବଳ କରି ପକାଇଛି.... ।
ସେ ମୋତେ ଚାହିଁଲା କାତର ଦୃଷ୍ଟିରେ । ମୋର ଆଖିରେ ଜମି ଯାଇଥିବା ଲୁହକୁ ପୋଛିଦେଇ କହିଲା, ତୁମେ ନିଜେ ଦୁର୍ବଳ ହୋଇଯାଇନ ଅସୀମ୍, ମୁଁ ତୁମକୁ ଦୁର୍ବଳ କରିଦେଇଛି, ସେଇ ଦୁର୍ବଳତା ପାଇଁ ମୁଁ ନିଜେ ଦାୟୀ ।
ଚିତ୍ରା.... ।
କେଡ଼େ ଚଞ୍ଚଳ ସେ ମୋର ମନର କଥାକୁ ବୁଝି ପାରିଛି । ତା’ର ଦୋଷକୁ ସେ ମାନିଛି । ଆପେ ଆପେ ମୋର ମଥା ତା’ ନିକଟରେ ତଳକୁ ହୋଇଗଲା ।
-ମୋତେ ତୁମେ ଭୁଲ ବୁଝନି ଅସୀମ । ମୋର ସବୁ ତୁମକୁ ଦେଇ-ତା’ ବଦଳରେ ତୁମ ଠୁଁ କିଛି ପାଇବାକୁ ମୁଁ ଆଶା କରିନି । ମୁଁ ତୁମ ନିକଟରେ କିଛି ଦାବୀ କରିବି ନାହିଁ କେବେ । ତୁମେ ମୋର, ଏତିକି ଜାଣିଲେ ମୁଁ ସବୁ ପାଇ ପାରିବି । କୁହ ଅସୀମ୍ ତୁମେମୋର.... । ଚିତ୍ରା ପୁଣି ମୋ ମୁହଁକୁ ଆଗ୍ରହରେ ଚାହିଁ ରହିଲା । ମୁଁ ହସିଲି ତା’ର ସେଇ ସୁଲଭ ଚାହାଣିକୁ ଦେଖି । ମୋତେ ସେ ବିଶ୍ୱାସ କରିପାରୁନି !
ମୋତେ ତୁମେ ଅବିଶ୍ୱାସ କରୁଛ ଚିତ୍ରା ?....ପଚାରିଲି ତା’ର ଡାହାଣ ହାତ ପାପୁଲିକୁ ଧରି । ନାହିଁ ଅସୀମ୍, ସେକଥା ନୁହେଁ । ତୁମକୁ କେବେ ମୁଁ ଅବିଶ୍ୱାସ କରିପାରିବି ନାହିଁ । ସେ ଜାଣେ ମୋ ମନର କଥା, ଆମ ସମାଜର କଥା, ମୋ ପରିବାରର କଥା । ସବୁ ଜାଣି ସୁଦ୍ଧା ସେ ଜାଣିବାକୁ ଚାହେଁ ମୁଁ ତା’ର କି ନା- ।
ହଠାତ୍ ମୁଁ କିଛି ଉତ୍ତର ଦେଇ ପାରିଲି ନାହିଁ । କିଛି ସମୟ ଚୁପ୍ ରହି, ମନ କଥାକୁ ମନରେ ରଖି କହିଲି, କିପରି ମୁଁ ତୁମକୁ ବିଶ୍ୱାସ ଦେଇ ପାରିବି ଚିତ୍ରା ? ତୁମେ ତ ଜାଣ ମୋ ପରିସ୍ଥିତିର ଜଟିଳତା । ମୋର ଏଇ ଚବିଶି ବର୍ଷର ଜୀବନରେ ପ୍ରଥମ ଥର ପାଇଁ ତୁମ ଭଳି ଯୁବତୀର ନିସ୍ୱାର୍ଥପର ସ୍ନେହ, ପ୍ରେମ ଓ ମମତା ପାଇଛି । ତା’କୁ ମୁଁ କେମିତି ଭୁଲିଯିବି- । ତୁମକୁ ମୋର ନିଜର ନକରି ପାରିଲେ ମଧ୍ୟ ତୁମେ ମୋର ହୋଇ ରହିଥିବ ଚିତ୍ରା.... । ମୁଁ ସବୁବେଳେ ତୁମର- ।
ଅ...ସୀ...ମ... । ସେ ମୋ ଛାତି ତଳେ ମୁହଁକୁ ରଖି କହିଲା କେବଳ ଏଇ ଅକ୍ଷର କେଇଟି । ତାର ଆନନ୍ଦକୁ ମୁଁ ଲକ୍ଷ୍ୟ କଲି । ଆଜିକାଲିକାର ଯୁବତୀଙ୍କ ପରି ଚିତ୍ରା ତା’ର ପ୍ରେମିକଠାରୁ କିଛି ଦାବୀ କରିନି । ସେ କେବଳ ଚାହିଁଛି ମୋର ପ୍ରେମ.... । ବାସ୍- ସେତିକି ଯଥେଷ୍ଟ ତା’ ପକ୍ଷରେ ।
ଉପନ୍ୟାସର ନାୟକ ସାଜିବାକୁ ତ ମୁଁ ଚାହୁଁ ନ ଥିଲି କିମ୍ବା ମିଥ୍ୟା ପ୍ରଲୋଭନ ଦେଖାଇ ଚିତ୍ରାକୁ ନିଜର କରିବାକୁ ମୁଁ ଚାହେଁନି । ମରୀଚିକା ପଛରେ ଦୌଡ଼ିବାକୁ ମୁଁ ତା’କୁ କେବେ ସାହସ ଯୋଗାଇନି । ଚିତ୍ରା କେବଳ ମୋତେ ଚିହ୍ନିନି, ମୋ ମନକୁ ମଧ୍ୟ ଚିହ୍ନିଛି । ମୋର ହୃଦୟକୁ ମଧ୍ୟ ସେ ପରୀକ୍ଷା କରିସାରିଛି ।
ତା’ ଆନନ୍ଦ ଦେଖି ମୋ ମନ ମଧ୍ୟ ପୁରି ଉଠିଲା । ତା’ର ମୁହଁକୁ ଟେକି ଧିରେ ପଚାରିଲି, ଆଜି ଆଉ ଘରକୁ ଫେରିବାନି ଚିତ୍ରା ? । ସେ ମୋ ହାତ ଘଡ଼ିକୁ ଦେଖି କହିଲା, ସମୟ ଗୁଡ଼ାକ କେଡ଼େ ଚଞ୍ଚଳ ବିତି ଯାଉଛି କହିଲ ? । ତା’ କଥା ଶୁଣି ମୁଁ ହସିଲି । ତା’ କହଁଳ ଗାଲକୁ ଟିପି ଦେଇ କହିଲି, ସମୟ ବିତି ଯାଉନି ଯେ ଆମ କଥା ଆଉ କାମ ଡେରିରେ ହେଉଛି,ବୁଝିଲ – କଣ ବୁଝିଲ କି ?
ମୋ କଥାରେ ସେ ହସିଲା । ଗାଲ ଉପରେ ମୋ ହାତକୁ ଚାପି ରଖି କହିଲା, ଅସୀମ୍- ଏଡ଼େ ଚଞ୍ଚଳ ଫେରିଯିବାକୁ ତୁମର କେମିତି ମନ ହେଉଛି କହିଲ !.... ସବୁ ଦିନ ତ କୁହ ଏମିତି ରାତି ପାହିଯାଆନ୍ତା କି- । ଅଥଚ ଆଜି ତୁମେ ଏତେ ଶୀଘ୍ର.... । ମୁଁ ଖାଲି ତୁମ କଥା ଭାବୁଛି ଚିତ୍ରା । ଡେରି ହେବା ଦେଖି ଘରେ ତୁମର ବ୍ୟସ୍ତ ହେଉଥିବେ- । ତୁମ ନୂଆବୋଉତ ସାତକାଣ୍ଡ ରାମାୟଣ ଖୋଲି ବସିଥିବେ । ଆଉ ତୁମ ମାଉସୀ ଛୁଆଖାଇ ବିଲେଇ ପରି ଏପାଖ ସେପାଖ ହେଉଥିବେ । ଭାଇ ଅବଶ୍ୟ ଏତେ କଥା ଭାବୁ ନ ଥିବେ, ତେବେ ନୂଆବୋଉଙ୍କ କାନକୁହା କଥାରେ ସେ ମଧ୍ୟ ବିଚଳିତ ହୋଇ ଉଠୁ ଥିବେ । ସେଥିପାଇଁ କହୁଚି ଚାଲ ଶୀଘ୍ର ଘରକୁ ଯିବା ।
ଚିତ୍ରା ହସି ହସି କହିଲା, ଆଉ ତୁମ କଥା କହିଲନି ଯେ ! ତୁମ ମା କଣ ଭାବୁଥିବେ... । ଆଉ ସବୁଠାରୁ ବଡ଼ କଥା ତୁମର ଅପା କେମିତି ବ୍ୟସ୍ତ ହେଉଥିବେ... । ତା’ କଥା ଶୁଣି ଥରେ ତା’କୁ ଚାହିଁଲି । ମୁହଁରେ ସେମିତି ସରଳତା ରହିଛି । ସାମାନ୍ୟ ଗମ୍ଭୀର ହୋଇ କହିଲି, ମୋ ଭଳି ବେକାର ଯୁବକ ପାଇଁ ଏତେ ଭାବିବାକୁ କାହାର ବା ଏତେ ସମୟ ଅଛି ? ମା’ ଭାବୁଥିବ ! ତା’ ପୁଅ କେଉଁଠି ଛତରାଙ୍କ ପରି ବୁଲୁଥିବ ଆଉ ଅନ୍ୟମାନେ ବା ମୋ କଥା କାହିଁକି ଭାବିବାକୁ ଯିବେ ? ମରିଗଲେ ବି ମୋ ପାଇଁ ଦୁଃଖ କରିବାକୁ ମୋର ହେଇ କେହି ନାହିଁ ଚିତ୍ରା ।
ଅସୀମ୍....! ଚିତ୍ରା ଚମକି ଉଠି ପାଟିରେ ହାତ ଚାପି କହିଲା । –ସେମିତି କ’ଣ କହୁଛ ? ଜୀବନଟାକୁ ଏଡ଼େ ତୁଚ୍ଛ କରିଦେଉଛ ! ଚିତ୍ରା ହାତର ପାପୁଲିକୁ ମୋ ପାଟି ଉପରୁ ଘୁଞ୍ଚାଇ ଆଣି ନୀଳ ଆକାଶକୁ ଚାହିଁ କହିଲି, ଜୀବନଟାକୁ ମୁଁ କେବେ ତୁଚ୍ଛ ବୋଲି ଭାବିନି । ମୋ ଜୀବନକୁ ତୁଚ୍ଛ କରିଦେଇଛନ୍ତି ସେମାନେ, ଯେଉଁମାନେ ମୋତେ ଏଇ ପରିସ୍ଥିତି ଭିତରକୁ ଠେଲି ଦେଇଛନ୍ତି । ....କିଛି ସମୟ ଚୁପ୍ ରହି ଗୋଟାଏ ଦୀର୍ଘ ନିଶ୍ୱାସ ଛାଡ଼ି ସାମାନ୍ୟ ହସି କହିଲି, ଛାଡ଼ ସେ କଥା, ମୁଁ ମୋର ଏଇ ପରିସ୍ଥିତି ପାଇଁ କାହାକୁ ଦୋଷୀ ସାବ୍ୟସ୍ତ କରିବାକୁ ଯାଉନି । ମୁଁ ନିଜେ ଏଥିପାଇଁ ଦାୟୀ । ତୁମର ସେଇ ଦିନର କଥା ମୁଁ ଭୁଲି ଯାଇନି ଚିତ୍ରା । ମଣିଷ ଜୀବନ ନେଇ ଏହି ସଂସାରକୁ ଯେତେବେଳେ ଆସେ, ସେତେବେଳେ ଜୀବନର ସବୁ ଝଡ଼ ଝଞ୍ଜାର ସମ୍ମୁଖୀନ ହେବାକୁ ପଡ଼େ । ମୁଁ ବି ତାର ଚେଷ୍ଟା କରୁଛି । ଜୀବନର ସମସ୍ତ ଜଞ୍ଜାଳକୁ ପଛରେ ପକାଇ ଆଗେଇ ଯିବାକୁ ଚେଷ୍ଟା କରୁଛି, ମୋର ସମସ୍ତ ଶକ୍ତିକୁ ଏକାଠି କରିଛି ଚିତ୍ରା । ଚିତ୍ରା.... ମୁଁ ପଳାତକ ନୁହେଁ । ମୋତେ ବିଶ୍ୱାସ କର ।
ଅସୀମ୍... । ସେ ଡାକିଲା ଅତି ଧୀରେ । ଏଥର ଯିବା- । ମୁଁ ଉଠିଯାଇ ତା’ର ହାତକୁ ଧରି ତା’କୁ ଉଠାଇଲି । ଦୁହେଁ ସ୍ୱର୍ଗଦ୍ୱାର ଯାଏଁ ନୀରବରେ ଆସିଲୁ । ସ୍ୱର୍ଗଦ୍ୱାରଠାରେ ଆମ ଦୁହିଁଙ୍କର ବିଚ୍ଛେଦ ।
ଚିତ୍ରା ଯିବ ବାଲିସାହି ଆଡ଼କୁ ଆଉ ମୁଁ ଯିବି କଲେଜରୋଡ଼କୁ । ସ୍ୱର୍ଗଦ୍ୱାର ନିକଟରେ ଅଟକିଯାଇ ସେ କହିଲା, ପୁଣି କାଲି ଦେଖାହେବ ଅସୀମ ! ନା ତୁମେ ଆଉ କୁଆଡ଼େ ଯିବାକୁ ପ୍ରୋଗ୍ରାମ କରିଛ ? ମୁଁ ହସି କହିଲି, ଏ ପ୍ରୋଗ୍ରାମଠୁଁ ଆଉ କୋଉ ପ୍ରୋଗ୍ରାମରେ ଅଧିକ ଆନନ୍ଦ ମୁଁ କେବେ ପାଇବି ବୋଲି ଭାବୁଛ ? କାଲି ନିଶ୍ଚୟ ଦେଖାହେବ ଚିତ୍ରା, ତୁମକୁ ନ ଦେଖି ମୁଁ କୁଆଡ଼େ ଯାଇ ପାରିବିନି । ....ଗଲେ ମଧ୍ୟ ମୁଁ କିଛି ଫଳ ପାଇବିନି । -ଭାରିଦୁଷ୍ଟ.... ।
ତା’ ହାତରୁ ମୋ ହାତ ଅଲଗା ହୋଇନଥାଏ । ହାତକୁ ଆଉ ଟିକିଏ ଜୋରରେ ଚାପି ଧରି ତାକୁ ମୋ ପାଖକୁ ଟାଣି ଆଣି ତା ମୁହଁରେ ମୁହଁ ଦେଇ ଆସ୍ତେ ପଚାରିଲି, ତୁମେ ନା ମୁଁ ? ଉଁ.... । ସେ ମୋଠାରୁ ମୁକୁଳିଯାଇ ଲାଜରେ ହସି ଚାଲିଗଲା ଆଗକୁ । କିଛି ସମୟ ତା ଯିବା ରାସ୍ତାକୁ ଚାହିଁ ଦୃଷ୍ଟି ଫେରାଇ ଆଣିଲି । ସିଗାରେଟ ଖଣ୍ଡେ ମୁହଁରେ ଧରାଇ ମନେ ମନେ ହସି ମୁଁ ମଧ୍ୟ ଚାଲିଲି ମୋ ରାସ୍ତାରେ.... ।
ଏମିତି ବେକାର ହୋଇ ଆଉ କେତେଦିନ ରହିବାକୁ ହେବ ମୁଁ କିଛି ଭାବିପାରୁ ନ ଥିଲି । ଜୀବନରେ କିଛି ଉନ୍ନତି କରି ପାରିଲି ନାହିଁ,ଭବିଷ୍ୟତରେ କିଛି କରିପାରିବି କି ନାହିଁ ସନ୍ଦେହ । ତେବେ ଏହି ପରିସ୍ଥିତିରେ ଆଉ କେତେଦିନ ମୋତେ ଚାଲିବାକୁ ହେବ ମୁଁ ଭାବିପାରୁ ନ ଥିଲି । ଚାରିଦିଗରେ ସେଇ ଗୋଟିଏ ଅଭିଯୋଗ ବେକାର ରହି ନିଜ ସଂସାରର ରକ୍ତ ଶୋଷୁଛି, ମନ ବିକଳହୁଏ । ଆତ୍ମା କାନ୍ଦି ଉଠେ । ହୃଦୟ ଫାଟିଯାଏ । ସ୍ଥିର କରି ପାରେନି ମୁଁ କଣ କରିବି ?
ଚାକିରି । କିନ୍ତୁ କେଉଁଠି ଚାକିରି ପାଇବି । କଣ ଚାକିରି କରିବି ? ଶିକ୍ଷା ନାହିଁ, ସଭ୍ୟତା ଅଛି । ଉଚ୍ଚ ପଦବୀ ନାହିଁ କିନ୍ତୁ ମନରେ ଆଶା ଅଛି । ମୋର ଏଇ ଏକୁଟିଆ ଜୀବନରେ ସାହା ଭରସା କେହି ନାହିଁ । ଅନେକ ଆଶା ଥିଲା, ଏବେ ବି ଅଛି । ପାଠ ପଢ଼ିବି, ନାଁ ପଛରେ ଦୁଇ ତିନିଟା ଡିଗ୍ରୀ ଲାଗିବ । ଘରେ ବାହାରେ ସୁନାମ ରହିବ । ମୋ ମୁହଁକୁ ଚାହିଁ ସମସ୍ତେ ଖୁସି ହେବେ । ମୋ ମୁହଁରେ ହସ ଖେଳିବ । ମନ ଆନନ୍ଦରେ ନାଚି ଉଠିବ ।
ଚାକିରି କରିବା-ମାସରେ ଶହ ଶହ ଟଙ୍କା ରୋଜଗାର କରିବା । ସବୁ ଆଶା ବ୍ୟର୍ଥ ହୋଇଗଲା । ସବୁ ଭାବନା ସ୍ୱପ୍ନରେ ମିଳେଇଗଲା.... ।
ସିଗାରେଟ ଶେଷ ହୋଇ ଆସିଲା । ମନେ ମନେ ହସିଲି କେତେ କଥା ନ ଭାବୁଛି ମୁଁ ? ଏମିତି ଭାବି ଭାବି କଣ ମୋର ଜୀବନଟା କଟିଯିବ ?
ନା, ଆଉ କିଛି ଭାବିବି ନାହିଁ,ମୋ ଭାଗ୍ୟରେ ଯାହାଥିବ ତାହା ହେବ । ମୁଁ କଣ କରିବି ? ଭାଗ୍ୟ ! ଦୁଇଟି ଅକ୍ଷରର ଅତି ଛୋଟ ପଦଟି । ମୋ ଭଳି ବେକାର ପାଇଁ ଗୋଟିଏ ସାନ୍ତ୍ୱନା ଗୋଟିଏ ଆଶ୍ୱାସନା । ସର୍ବହରାଙ୍କ ପାଇଁ ସେଇ ଗୋଟିଏ ସାଥୀ ବିଫଳତା ଜୀବନ ପାଇଁ ଗୋଟିଏ ମାତ୍ର ପ୍ରେରଣା ।
ଭାଗ୍ୟ ଯଦି ସାକାର ହୋଇଥାନ୍ତା ତେବେ ଦୌଡ଼ି ଯାଆନ୍ତି ତା’ ପାଖକୁ ଆନନ୍ଦରେ କେତୋଟି ଚୁମା ଦେବାକୁ । ଧନ୍ୟବାଦ ଦିଅନ୍ତି । ମୋର କୃତଜ୍ଞତା ଜଣାଇ ଦିଅନ୍ତି- । ତୁମେ ଯୁଗ ଯୁଗ ଧରି ବଞ୍ଚିଥାଅ ଆଉ ମୋ ଭଳି ବେକାରଙ୍କୁ ସାନ୍ତ୍ୱନା ଦେଉଥାଅ, ଏତିକି ମୋର ପ୍ରାର୍ଥନା । ଭାବୁ ଭାବୁ ଘର ନିକଟ ହୋଇଗଲା । ଦୂରରୁ ଦେଖିନେଲି କେତେଟା ଲଣ୍ଠନ ଜଳୁଛି ।
ଘଡ଼ି ଦେଖିଲି ସାଢ଼େ ଆଠ ବାଜିଲାଣି । ଖାଇବା ସମୟ ହେଇ ଗଲାଣି । ଘରେ ସମସ୍ତେ ପ୍ରାୟ ଖାଇ ସାରିଥିବେ । ମୋତେ ଶୁଣା ଯାଉଥିଲା ଅପାଙ୍କର ପାଟିତୁଣ୍ଡ । ବୁଝି ପାରିଲି, ସେ ଘରେ ଅଛନ୍ତି । ବାପା ଯେଉଁଦିନ ଗସ୍ତରେ ଯାଇଥାନ୍ତି ଅପାଙ୍କର ଆମ ଘରେ ଆଧିପତ୍ୟ ଟିକିଏ ବଢ଼ିଯାଏ । ପାଟିତୁଣ୍ଡ କରି ମନ ଖୋଲି ଗପ କରିବାକୁ ଟିକିଏ ଅଧିକ ସୁବିଧା ମିଳିଥାଏ ।
ହଠାତ୍ ଘରେ ପଶିବି ନାହିଁ ଭାବୁଥିଲି । ଭାବିଲି କିଛି ସମୟ- । କିଛି ସ୍ଥିର କରି ନ ପାରି ନୀରବରେ ଗଲି ମୋ ରୁମ୍କୁ । ମୋ ଆସିବା ଦେଖି କିଛି କ୍ଷଣ ଘରର ଶାନ୍ତ ହୋଇଗଲା କୋଳାହଳ । ମୋ ସାଙ୍ଗେ କିଏ କିଛି ଆଳାପ କଲେ ନାହିଁ କି କିଛି ପଚାରିଲେ ନାହିଁ । ଆଳାପ କରିବା କିମ୍ବା ପଚାରିବା ପାଇଁ ଆବଶ୍ୟକତା ନ ଥିଲା ।
ମୋ ରୁମ୍ରେ ଥାଇ ଥରେ ଚାହିଁ ନେଲି ସମସ୍ତଙ୍କୁ- । ଆଳାପରେ ବ୍ୟସ୍ତ ସମସ୍ତେ । ପୁଣି ଥରେ ଚାହିଁଲି ଅପାଙ୍କୁ, ଯାହାଙ୍କ କଥା ଏଇ କିଛି ସମୟ ତଳେ ଚିତ୍ରା କହୁଥିଲା । ମୋର ମନେ ପଡ଼ିଲା ତା’ କଥା ଆଉ ସବୁଠାରୁ ବଡ଼ କଥା ‘‘ତୁମର ଅପା କେମିତି ବ୍ୟସ୍ତ ହେଉଥିବେ’’ ।
ତାଙ୍କର ମୋ ପାଇଁ ଭାବିବାର କିଛି ନାହିଁ । ସେ କଣ ଭାବୁଛନ୍ତି ଜାଣିବାକୁ ବି ମୁଁ କେବେ ମନ କରିନି । ମୋ କଥା ସେ କିଛି ଭାବୁଛନ୍ତି କି ନାହିଁ ଭାବିବା ବେକାର । ସତ କହିବାକୁ ଗଲେ ସେ ମୋ ପାଇଁ କାହିଁକି କଣ ଭାବିବେ ? ମୁଁ ତାଙ୍କର କିଏ ? ଗୋଟିଏ ରକ୍ତର ସମ୍ପର୍କ ଆମ ଦୁହିଁଙ୍କର ନାହିଁ । ଅଳ୍ପଦିନର ପରିଚୟ, ବନ୍ଧୁତା । ସେଥିରେ ସେ ମୋ କଥା କିଛି ଭାବୁଛନ୍ତି କି ନାହିଁ ମୁଁ କହି ପାରିବିନି । ଆଉ ସେ ମୋ ପାଇଁ ବ୍ୟସ୍ତ ହେଉଛନ୍ତି କି ନାହିଁ କେମିତି କହିବି ?
ଗ୍ରାଜୁଏଟ୍ ଝିଅ ସେ । ସରକାରୀ ଚାକିରି କରନ୍ତି । ମୁଁ କହିପାରୁନି ସେ ମୋଠୁଁ ବୟସରେ ବଡ଼ କି ସାନ, ତେବେ ମୋ ଦୃଷ୍ଟିରେ ସେ ଖୁବ୍ ବଡ଼ । କେଉଁ ଗୁଣରେ ବଡ଼ ମୋତେ କହିବା ପାଇଁ ଦରକାର ହେଉନି। ହେଲେ ବି ମୁଁ ତାଙ୍କୁ ପ୍ରଥମ ଦେଖାରୁ ସମ୍ମାନ ଦେଖାଇ ଆସିଛି, ‘ଅପା’ ସମ୍ବୋଧନ କରି ଆସିଛି ।
ଗୁଣରେ ସେ ବଡ଼ ଆଉ ମନରେ ମୁଁ ସାନ । ସେତିକି ଆମ ଦୁହିଁଙ୍କର ପ୍ରଭେଦ । ବୟସର ବଡ଼ ସାନକୁ ମୁଁ କେବେ ଗୁରୁତ୍ୱ ଦେଇନି ଆଉ ଏବେ ବି ଦେଇ ପାରୁନି । ସେଥିପାଇଁ ତାଙ୍କ ପ୍ରତି ମୋର ସ୍ନେହ ଭାବ । ତାଙ୍କୁ ପୁଣି ଥରେ ଚାହିଁଲି । ସେ ସୁନ୍ଦର ନିଶ୍ଚୟ, ଅବଶ୍ୟ ମୋ ଦୃଷ୍ଟିରେ- ଦୁନିଆ ତାଙ୍କୁ କେଉଁ ଦୃଷ୍ଟିରେ ଦେଖେ ମୁଁ କହି ପାରିବି ନାହିଁ, କିନ୍ତୁ ସେ ଗୋରା ନୁହଁନ୍ତି, ତେବେ କାଳି ବି ନୁହଁନ୍ତି । ଶ୍ୟାମଳ ବର୍ଣ୍ଣ, ମୁହଁରେ ଗୋଟିଏ କଳାଜାଇ ଦାଗ ଅଛି । କଥାରେ ମାଧୁର୍ଯ୍ୟ ଅଛି । ସ୍ୱଭାବରେ କିଛି ତ୍ରୁଟି ଅଛି ବୋଲି କାହିଁକି ମୋର ଧାରଣା ହେଉନି ।
ପ୍ରଥମ ଦେଖିଲା ଦିନରୁ ତାଙ୍କୁ ମୁଁ ଚାହିଁଛି ଆପଣାର କରିନେବାକୁ । ସମୟ ସମୟରେ ମୁଁ ଭାବେ, ଭଗବାନ ଯଦି ଏମିତି ଝିଅଙ୍କୁ ଆମ ଘରେ ଜନ୍ମ ଦେଇ ଥାଆନ୍ତେ ତେବେ ସମସ୍ତଙ୍କ ଠାରୁ ମୁଁ ଅଧିକ ଆନନ୍ଦ ପାଇଥାନ୍ତି ନିଶ୍ଚୟ । ସେତିକି ଭଗବାନ ଦେଇ ନାହାଁନ୍ତି । ସେଥିପାଇଁ ମୁଁ ଦୁଃଖିତ ନୁହେଁ । ତେବେ ବି ତାଙ୍କୁ ଦେଖିଲା ଦିନରୁ ତାଙ୍କ ପ୍ରତି ମୋର ଗୋଟିଏ ଅସମ୍ଭବ ଆକର୍ଷଣ ଜନ୍ମିଲା । ସେ ଆମ ଘରର ଝିଅ ନୁହଁନ୍ତି, ଜାତିର ବି ନୁହଁନ୍ତି, ହେଲେ ବି ମୁଁ ତାଙ୍କୁ ନିଜର କରିବାକୁ ଇଚ୍ଛା ପ୍ରବଳ ହେଲା ।
ମଧୁର ଆଳାପରେ, ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିଲା ଭଳି ବ୍ୟବହାରରେ ସେ ଆମର ମନକୁ କିଣିନେଲେ । ମୁଁ ଆଶ୍ୱସ୍ତ ହେଲି । ମନେ ମନେ ଆନନ୍ଦିତ ହେଲି । ମୋର ମନ ଯାହା ଚାହୁଁଥିଲା ତାହା ପାଇଲା। ଅଳ୍ପଦିନରେ ସେ ଆମର ହୋଇଗଲେ । ଆଉ ସମୟ ସମୟରେ ମୁଁ ଭାବେ, ତାଙ୍କ ପ୍ରତି ମୋର ଏଇ ଆକର୍ଷଣ କାହିଁକି?
ସେ ଶିକ୍ଷିତା, ଯୁବତୀ, ଅବିବାହିତା, ନିଜର ସୁଖକୁ ବଳି ଦେଲା ଭଳି ବ୍ୟକ୍ତିତ୍ୱ ତାଙ୍କର ଅଛି । ସବୁକଛି, ସେଇ ବ୍ୟକ୍ତିତ୍ୱରେ କଣ ଏମିତି ମୋହ ଅଛି । ଯାହାକି ଅନ୍ୟକୁ ଆକୃଷ୍ଟ କରେ ଭାବେ ?, ଭାବି ଭାବି କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ପାରେନା । ଦୁଃଖ, ଅପବାଦ, ନିନ୍ଦା ଓ ଭର୍ତ୍ସନାର ଜୀବନ ମୋର, ସେଥିରେ କଣ ମୁଁ ଅନ୍ୟକୁ ଆକୃଷ୍ଟ କରିପାରିବି ? ଅନ୍ୟ ପ୍ରତି ମୁଁ ଆକୃଷ୍ଟ ହୋଇପାରେ, କିନ୍ତୁ ମୋ ପ୍ରତି କେହି ନୁହେଁ । ଚିତ୍ରାକୁ ଆକୃଷ୍ଟ କରି ପାରିଛି, ସେତିକି କେବଳ ମୋର ସାନ୍ତ୍ୱନା ।
ମନରେ ଦ୍ୱନ୍ଦ ହୁଏ । ଏ ପାଖ ସେ ପାଖ ହୋଇ କିଛି ସ୍ଥିର କରି ପାରେନି । ହୃଦୟରେ କୋହ ଉଠେ। ଏଡ଼େ ହତଭାଗା ମୁଁ, ଯାହାର ନିଜର ବୋଲି କହିବାକୁ କୌଣସି ଅଧିକାର ନାହିଁ । ଜୀବନରେ କିଛି ହେଲେ କରି ପାରିଲି ନାହିଁ । କାହାର ମନକୁ ପାଇଲା ଭଳି କିଛି ଦେଇ ପାରିଲି ନାହିଁ । ଆଶ୍ୱାସନା ଦେବାକୁ କେହି ନାହିଁ । ମୋର ମନ କଥା ଶୁଣିବାକୁ କିଏ ଅଛି ?
ଚିତ୍ରା ! ସେଇ ମୋ ଜୀବନରେ ନିଜର ବୋଲି ଜଣେ ଏଇ ବିରାଟ ସଂସାରରେ । ସେ ମୋର ମନର କଥା ଶୁଣେ । ଆଶ୍ୱାସନା ଦିଏ । ପ୍ରେରଣା ଯୋଗାଏ । ତେବେ ବି କୌଣସି କଥାରେ ମୁଁ ଶାନ୍ତି ପାଇ ପାରେନି। ଶାନ୍ତି ଯେମିତି ମୋ ଜୀବନରେ କେବେ ନାହିଁ ।
ଘରେ ଶାନ୍ତି ଖେଳିଗଲା । ଜାଣିଲି ଦିଦି ବିଦାୟ ନେଲେଣି । ମା’ ର ବିରକ୍ତିକର ଡାକରେ ଖାଇବାକୁ ଗଲି । ନୀରବରେ କିଛି ଖାଇ ନେଇ ଶୋଇବାକୁ ଆସି ଶୋଇ ପାରିଲି ନାହିଁ । ମନରେ ଅଜସ୍ର ଭାବନା, ଲକ୍ଷେ ଚିନ୍ତା ମୋର ନିଦକୁ ଚୋରାଇ ନେଇଥିଲା । ସେତେବେଳେ ଶେଯ ଉପରେ ପଡ଼ି ରହି ଭାବିଲି କେତେ କଥା, ଯେଉଁ କଥାର କି ଶେଷ ନାହିଁ । ଅନେକ ଦିନ ତଳର କଥା ।
ମନ ଭିତରେ ସବୁ ଘଟଣା କଡ଼ ଲେଉଟାଇଲା । ଏମିତି ଅନେକ ଥର ନିଦ୍ରାଳୁ ମନରେ ବିଗତ କଥା ସବୁ ଖେଳିଯାଏ । ସେଇ ପୁରୁଣା ଦିନ ଭିତରକୁ ଫେରି ଯିବା ପାଇଁ ମନ ହୁଏ । ଦୁଃଖ କିଛି ସମୟ ପାଇଁ ଉଭେଇ ଯାଏ । ମନ ହାଲୁକା ଲାଗେ । ସେ ଦିନ କଟକରୁ ପୁରୀ ଫେରୁଥିଲି । ଜାଣେନି କେଉଁ ମୁହୂର୍ତ୍ତରେ ମୁଁ କଟକ ଷ୍ଟେସନରେ ପହଁଞ୍ଚିଲି । ଗାଡ଼ି ଆସିବାକୁ ଡେରି ଥିଲା । ଟିକେଟ କରି ବୁକ୍ ଷ୍ଟଲରୁ ଖଣ୍ଡେ ପତ୍ରିକା କିଣି ପ୍ଲାଟଫର୍ମରେ ଗାଡ଼ି ପାଇଁ ଅପେକ୍ଷା କରି ରହିଲି ।
ଦ୍ୱିତୀୟ ଘଣ୍ଟି ବାଜିଲା । କିଛି ସମୟ ପରେ ତୃତୀୟ ଘଣ୍ଟି ବାଜିଲା । ତ୍ରିସେଭେଣ୍ଟିନ ଅଫ୍ ହାଓ୍ୱଡ଼ା- ପୁରୀ ପାସେଞ୍ଜର କଟକ ଷ୍ଟେସନରେ ପହଁଞ୍ଚିଲା । ଗାଡ଼ି ଖୁବ୍ ଭିଡ଼ ଥାଏ । କେଉଁଠି ବସିବା ପାଇଁ ଜାଗା ଖୋଜିବା ବେକାର । ଦେହ ଅଳସ ଲାଗୁଥାଏ । ସାମ୍ନାରେ ଯେଉଁ କମ୍ପାର୍ଟମେଣ୍ଟ ଅଟକିଲା ସେଥିରେ ଚଢ଼ିଗଲି। ପାଖରେ ସେମିତି କିଛି ଜିନିଷ ନଥିଲା । କେବଳ ଖଣ୍ଡିଏ ଲୁଗା, କାଗଜରେ ଗୁଡ଼ାଇ ଧରିଥିଲି । ତା’କୁ ଠିକ୍ ଜାଗାରେ ରଖି ଦ୍ୱାର ନିକଟରେ ଠିଆ ହୋଇ ରହିଲି ।
ସେଇ କମ୍ପାର୍ଟମେଣ୍ଟରେ ମଧ୍ୟ ଭିଡ଼ ଥିଲା । ଏମିତିକି ଛିଡ଼ା ହେବା ପାଇଁ ଟିକିଏ ଜାଗା ପାଇବା କଷ୍ଟ ହେଲା । କୌଣସି ଉପାୟ ଖୋଜି ପାଇ ପାରୁ ନଥିଲି । ହାଲିଆ ଲାଗୁଥାଏ । ପାଦ ଦୁଇଟି ମଧ୍ୟ ବିନ୍ଧିବାକୁ ଆରମ୍ଭ କଲାଣି । ଭାବିଲି ଚାଲିଯିବି ଗୋଟିଏ ସେକେଣ୍ଡ କ୍ଲାସ କମ୍ପାର୍ଟମେଣ୍ଟକୁ । ସେଠି ହୁଏତ ବସିବାକୁ ଟିକିଏ ଜାଗା ମିଳିବ । କିନ୍ତୁ ପରେ ଟି.ଟି.ଆଇ ର ଭୟରେ ସେଠାକୁ ଯିବା ପାଇଁ ସାହସ ହେଲା ନାହିଁ । ପକେଟ ନ ଦେଖି ମଧ୍ୟ ମୁଁ ଜାଣି ପାରୁଥିଲି ମୋ ପାଖରେ କେତେ ପଇସା ଅଛି । ଘରେ ପହଞ୍ଚିଲା ବେଳେ ମୋ ପାଖରେ ଅଣାଏ ପଇସା ରହିବ କି ନାହିଁ ସନ୍ଦେହ ହେଉଥିଲା ।
ସେ ଯାହା ହେଉ ଏତେ ଭାବିବା ଅନାବଶ୍ୟକ ବୋଲି ଠିକ୍ କରି ଖଣ୍ଡିଏ ସିଗାରେଟ ଲଗାଇଲି, ମନରେ ଟିକିଏ ଶାନ୍ତି ମିଳିଲା । ଗାଡ଼ି କଟକ ଷ୍ଟେସନ ଛାଡ଼ି ଦେଲା । ବାଲିକୁଦା ଷ୍ଟେସନରେ ଆମ କମ୍ପାର୍ଟମେଣ୍ଟରୁ ଠିଆ ହୋଇଥିବା ଦୁଇ ଜଣ ଯାତ୍ରୀ ଓହ୍ଲାଇ ଗଲେ । ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ିଲି । ଜଗନ୍ନାଥଙ୍କୁ ଡାକୁଥିଲି, ବାରଙ୍ଗ ଷ୍ଟେସନରେ ଯଦି ବସିଥିବା ଯାତ୍ରୀଙ୍କ ଭିତରୁ କେତେ ଜଣ ଓହ୍ଲାଇ ଯାଆନ୍ତେ ତେବେ.... । ବାରଙ୍ଗ ଷ୍ଟେସନରେ କେହି ହେଲେ ଓହ୍ଲାଇଲେ ନାହିଁ ବରଂ କେତେ ଜଣ ଆମରି ଆଡ଼କୁ ମାଡ଼ି ଆସୁଥିବା ଦେଖି ଭୟରେ ସାଙ୍ଗେ ସାଙ୍ଗେ ଦ୍ୱାରଟି ବନ୍ଦ କରିଦେଲି ।
ଆଉ ଜଗନ୍ନାଥଙ୍କୁ ଡାକିବା ବେକାର ବୋଲି ଭାବି ନିଶ୍ଚିନ୍ତରେ ଦ୍ୱାରକୁ ଆଉଜି ଛିଡ଼ା ହୋଇ ରହିଲି । ମଞ୍ଚେଶ୍ୱର ଟପିଗଲା । ଭୁବନେଶ୍ୱର ଷ୍ଟେସନରେ ବସିଥିବା ଯାତ୍ରୀଙ୍କ ଭିତରୁ ଜଣେ ଓହ୍ଲାଇ ଗଲେ । ଗୋଟିଏ ନିଶ୍ୱାସରେ ଆଖିବୁଜି ସେଇ ସ୍ଥାନରେ ବସିଲି । ଭୁବନେଶ୍ୱର ଷ୍ଟେସନରେ ଟିକେ ବସିବାକୁ ସ୍ଥାନ ପାଇବାରୁ ଆରାମ ଲାଗିଲା । ସାମ୍ନାରେ କେଉଁମାନେ ବସିଛନ୍ତି ଏତେବେଳ ଯାଏଁ ମୋର ଦୃଷ୍ଟିରେ ପଡ଼ି ନଥିଲା । କିନ୍ତୁ ହଠାତ୍ ଯେତେବେଳେ ମୁହଁ ଟେକି ଚାହିଁଲି ସେତେବେଳେ ମୁଁ ଅପ୍ରସ୍ତୁତ ହୋଇଗଲି । ମୋର ଆଖି ବୁଜି ହୋଇଗଲା ।
ଠିକ୍ ମୋ ସାମ୍ନାରେ ବସିଥାଏ ଜଣେ ରୁପସୀ । ଖାଣ୍ଟି ଓଡ଼ିଆ ଝିଅ ପରି ଦେଖା ଯାଉଥିଲା । ତା ସାଙ୍ଗରେ ଥିଲେ ଜଣେ ତରୁଣୀ । ଯୁବତୀଟିର ବୟସ ପନ୍ଦର ଷୋହଳ ଭିତରେ । ସେ ଶିଲକ୍ ଶାଢ଼ୀଟିଏ ପିନ୍ଧିଥାଏ । ସେଇ ଶାଢ଼ୀ ସାଙ୍ଗେ ଖାପ ଖାଇଲା ଭଳି ଗୋଟିଏ ବ୍ଲାଉଜ ତା’ର ଅଭୁଲା ଯୌବନକୁ ଆବରଣ କରିଥାଏ । କଳାବେଣୀଟି ତା’ର ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଚି, ରୂପଟି ତା’ର ଗୋରା । ଆଖିରେ କଜଳ । ହାତରେ ଦୁଇପଟ କରି ସୁନା ଚୁଡ଼ି ସାଙ୍ଗେ ଆଉ କେତେ ପଟ କଳା କାଚ ଚୁଡ଼ି ତା’ର ଗୋରା ହାତ ଦୁଇଟିକୁ ବେଶ୍ ଶୋଭା ପାଉଥାଏ । ଡାହାଣ ହାତ ଆଙ୍ଗୁଠିରେ ଗୋଟିଏ ନୀଳ ପଥର ବସା ମୁଦି । ବେକରେ ସରୁ ଚେନ୍ । ସେଇ ଲୋଭନୀୟ ରୂପକୁ ତା’ର ପରିପାଟି ବେଶ୍ ଖାପ ଖାଉ ଥିଲା । ଆଖିରେ ନଦେଖିଲେ ସେମିତି ରୂପକୁ କେବେ ସ୍ୱପ୍ନରେ ବି ଦେଖି ହୁଏନି ।
ତା’ର ସେଇ ଗୋରା ତକତକ ମୁହଁ ରକ୍ତ ପରି ନାଲି ହୋଇ ଓଠ ଦୁଇଟିରେ ସାମାନ୍ୟ ହସ ରେଖା ଫୁଟି ଉଠିଲା । ସେ କାହିଁକି ହସିଲା ମୁଁ ବୁଝି ପାରିଲି ନାହିଁ । ମୋତେ ଦେଖି ସେ ସାମାନ୍ୟ ଲଜ୍ଜିତା ହେଲା । ଦେହରେ ମୋର ଖେଳିଗଲା ଚାଞ୍ଚଲ୍ୟ । ତାର ସେଇ ଲାଜରା ମୁହଁକୁ ଦେଖି-ଏଡ଼େ ସୁନ୍ଦର ସେ ! ଏମିତି ଗୋଟିଏ ସୁନ୍ଦରୀ ଯୁବତୀର ସାମନାରେ ବସିବି ବୋଲି ମୋର କଳ୍ପନାରେ ନଥିଲା । ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା, ଭୁବନେଶ୍ୱର ଷ୍ଟେସନ ପାର ହେବା ଯାଏଁ ଏଇ ସୁନ୍ଦରୀଟି ଉପରେ ମୋ ଦୃଷ୍ଟି ପଡ଼ି ନଥିଲା କେମିତି ?
ପରିସ୍ଥିତି ଜଟିଳ ହୋଇ ଆସିଲା ଆସ୍ତେ ଆସ୍ତେ । ତା’କୁ ଚାହିଁବାକୁ ଇଚ୍ଛା ହେଉଥାଏ କିନ୍ତୁ ଏ ପରିସ୍ଥିତିରେ ଚାହିଁ ପାରୁ ନଥିଲି । ସେ ମୋତେ ଚାହୁଁଛି କି ନାହିଁ ଜାଣି ବି ପାରୁନଥିଲି । ଲକ୍ଷ୍ୟ କଲି କମ୍ପାର୍ଟମେଣ୍ଟର ଯୁବକ ଯାତ୍ରୀମାନଙ୍କର ଦୃଷ୍ଟି ଏକାଠି ହୋଇ ଜମିଯାଇଛି ସେଇ ସୁନ୍ଦରୀ ଆଡ଼କୁ । ଖୁବ୍ ଅଡ଼ୁଆ ଲାଗିଲା । ଲାଜ ବି ମାଡ଼ୁଥାଏ । ସବୁ ସମୟରେ ତା’ ଉପରୁ ଦୃଷ୍ଟି ଫେରାଇ ପାରୁ ନଥିଲି । ତା’କୁ କଣେଇ କଣେଇ ଚାହୁଁଥିଲି ।
ମୁଁ ନିଜକୁ ଅତି ଭାଗ୍ୟବାନ ବୋଲି ମନେ କରୁଥିଲି । ଏହା ମଧ୍ୟ ମୁଁ ଜାଣି ପାରୁଥିଲି ଯେ ଅନ୍ୟ ଯୁବକ ଯାତ୍ରୀମାନେ ମୋ ପ୍ରତି ଈର୍ଷାନ୍ୱିତ ହେଉଥିବେ । ଯୁବତୀ ସହିତ ଆଳାପ କରିବାକୁ ଇଚ୍ଛା ହେଲା । ଯେ କୌଣସି ଉପାୟରେ ଯଦି ତା’ର ଟିକିଏ ପରିଚୟ ପାଇ ପାରନ୍ତି ତେବେ.... । କେମିତି ତା’ର ପରିଚୟ ପାଇବି ? କେମିତି ତା’ ସଙ୍ଗେ ଆଳାପ କରିବି ? କିଛି ସ୍ଥିର କରି ପାରିଲି ନାହିଁ ।
କିନ୍ତୁ ତା’ର ପରିଚୟରେ ଲାଭ କଣ ? ତା’ ସଙ୍ଗେ ଆଳାପ କରି କଣ କରିବି ? ଘଣ୍ଟାଏ ଦୁଇଘଣ୍ଟାର ଯାତ୍ରା । ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି କିଏ କେଉଁଆଡ଼େ ଚାଲିଯିବ ତା’ର ପତ୍ତା ମିଳିବ ନାହିଁ । ଏଇ ଅଳ୍ପ ସମୟର ପରିଚୟରେ କଣ ପାଇବି ମୁଁ ? ମନ ଖରାପ ହେବ । ଦୁଃଖ ଆଉ ଟିକିଏ ବଢ଼ିଯିବ ।
ତା’କୁ ଦେଖି ମୋ ମନରେ କୌଣସି ପ୍ରକାର ଖରାପ ଭାବନା ଜାତ ହୋଇ ନଥିଲା । ପ୍ରଥମରୁ ହିଁ ତା’କୁ ଦେଖି ତା’ ପ୍ରତି ମୋର ଗୋଟିଏ ଅସମ୍ଭବ ମମତା ଜାଗି ଉଠିଥିଲା କାହିଁକି କହିପାରୁନି, କିନ୍ତୁ ତା’ ନିକଟରେ ଏମିତି କଣ ମୋହଥିଲା କେଜାଣି, ସେଇ ମୋହରେ ପଡ଼ି ମୋ ମନ ଅଧୀର ହୋଇ ଉଠିଲା ତା’କୁ ପାଇବା ପାଇଁ । ପ୍ରଣୟ ପାଇଁ ନୁହେଁ, ତା’ ଠାରୁ ସାମାନ୍ୟ ସ୍ନେହ ପାଇବା ପାଇଁ । ତା’ ମୁହଁରୁ ପଦେ ମଧୁର କଥା ଶୁଣିବା ପାଇଁ ମନ ବିଚଳିତ ହେଉଥାଏ ।
ଖୋର୍ଦ୍ଧା ଷ୍ଟେସନ ନିକଟ ହୋଇ ଆସିଲା । ଆମ କମ୍ପାର୍ଟମେଣ୍ଟର କେତେ ଜଣ ଯାତ୍ରୀ ଓହ୍ଲାଇ ଯିବା ପାଇଁ ପ୍ରସ୍ତୁତ ହେଲେ । ଏଇଟା କେଉଁ ଷ୍ଟେସନ ବାବୁ ?....ତରୁଣୀ ମୋତେ ପଚାରିଲା । ତାଙ୍କର ପ୍ରଶ୍ନ ମୋତେ ବାସ୍ତବତା ଭିତରକୁ ଟାଣି ଆଣିଲା । କଣେଇ ଚାହିଁଲି, ଯୁବତୀଟି ମୋତେ ଚାହିଁଛନ୍ତି । ସାରା ଦେହରେ ଖେଳିଗଲା.... । ଅପ୍ରତିଭ ହୋଇ ଉତ୍ତର ଦେଲି ଖୋର୍ଦ୍ଧାରୋଡ଼ । ଯୁବତୀଟି ସାମାନ୍ୟ ହସିଲା । ଶୁଣିଲି ସେ ତରୁଣୀଙ୍କୁ କହୁଛି, ଆଉ କେତେଟା ଷ୍ଟେସନ ରହିଲା ମାଉସୀ ?
ମୋର କଣ ମନେ ଅଛି ମା ! ତରୁଣୀଟି ହସି କହିଲେ । ଆଳାପ କରିବାକୁ ଗୋଟିଏ ସୁଯୋଗ ମିଳିଲା। ପଚାରିଲି କେଉଁଠି କି ଯେବେ ? ତରୁଣୀଙ୍କୁ ପଚାରିବା ମୋର ଉଦ୍ଦେଶ୍ୟ ଥିଲା କିନ୍ତୁ ସେ ଉତ୍ତର ଦେବା ପୂର୍ବରୁ ଯୁବତୀଟି କହିଲା, ‘ପୁରୀ’ । କିଛି ସମୟ ପରେ ଯୁବତୀଟି ମୋତେ ଲକ୍ଷ୍ୟ କରି ପଚାରିଲା ଶିଶୁ ସୁଲଭ କଣ୍ଠରେ ଆଉ କେତେଟା ଷ୍ଟେସନ ଅଛି ମୋତେ କହି ପାରିବେ ? ତାର ନିଃସଙ୍କୋଚ ଭାବ ଦେଖି ମନେ ମନେ ଖୁସି ହେଲି । କହିଲି, ଛଅଟା ଷ୍ଟେସନ ।
ଇସ ! ଆହୁରି ଛଅଟା ଷ୍ଟେସନ । ଶୁଣିଲ ମାଉସୀ, ଆହୁରି ଛଅଟା ଷ୍ଟେସନ । ଆମେ ଆଉ କେତେବେଳେ ପହଞ୍ଚିବା ମ ? ଯୁବତୀଟି ଯେମିତିକି ମୋ ଠାରୁ ଏପରି ଉତ୍ତର ଆଶା କରି ନଥିଲା ସେଇ ଭାବରେ କହିଲା । ମୁଁ ଚୁପ୍ ରହି ଦେଖିୁଥିଲି ତା’ର କହିବା ଭଙ୍ଗୀକୁ । ଖୋର୍ଦ୍ଧାରୋଡ଼ ଷ୍ଟେସନ । ଅନେକ ଯାତ୍ରୀ ସେଠି ଓହ୍ଲାଇଗଲେ । କମ୍ପାର୍ଟମେଣ୍ଟଟା ଖାଲି ହୋଇଗଲା । ସେଠି ଆମେ ମୋଟେ ପାଞ୍ଚ ଜଣ ରହିଲୁ । ଆମ ତିନିଙ୍କୁ ଛାଡ଼ି ଆଉ ଦୁଇଜଣ ମଫସଲି ମଧ୍ୟ ସେ ଡବାରେ ଥିଲେ ।
ଯୁବତୀଟିର ଆଳାପ ଏବଂ ବ୍ୟବହାରକୁ ମୁଁ ବେଶ୍ ବୁଝିପାରୁଥିଲି, ସେ ନିଶ୍ଚୟ ଶିକ୍ଷିତା । ସମ୍ଭ୍ରାନ୍ତ ବଂଶୀୟା । କମ୍ପାର୍ଟମେଣ୍ଟରୁ ଓହ୍ଲାଇଲା ବେଳେ ତରୁଣୀଟି ମୋତେ କହିଲେ ଜଳଖିଆ ବାଲାକୁ ଟିକିଏ ଡାକି ଦେବ କି ? ସେ କଥା ଶେଷ କରିବା ପୂର୍ବରୁ ସାଙ୍ଗେ ସାଙ୍ଗେ ଯୁବତୀଟି କହିଲା ପାଣିବାଲାକୁ ମଧ୍ୟ । ଦୁହିଁଙ୍କର କଥା ରଖିଲି । ଜଳଖିଆ ଏବଂ ପାଣିବାଲାକୁ ଡାକି ଦେଲି । ସେମାନେ ଆସିବା ପରେ ମୁଁ ଚାଲିଗଲି ଚିନାବାଦାମ କିଣି ପ୍ଲାଟଫର୍ମ ଭିତରକୁ ।
ସିଗାରେଟ ଖଣ୍ଡେ ଟାଣି କମ୍ପାର୍ଟମେଣ୍ଟକୁ ଫେରି ଆସିଲି । ଦୁଇ ତିନି ମିନିଟ ପରେ ଗାଡ଼ି ଛାଡ଼ିଦେଲା। ମୁଁ ବସିବା ସାଙ୍ଗେ ସାଙ୍ଗେ ଯୁବତୀଟି କିଛି ଜଳଖିଆ ମୋତେ ବଢ଼ାଇ ଦେଇ କହିଲା- ନିଅନ୍ତୁ ଆପଣ ସିନା ଚିନାବାଦାମ କିଣି ଏକା ଖାଇଲେ, ଆମେ କଣ ଜଳଖିଆ ଏକା ଏକା ଖାଇଦେବୁ!!
ଲାଜରେ ଅପ୍ରତିଭ ହୋଇଗଲି ତା’ କଥା ଶୁଣି । ମୋତେ ଲକ୍ଷ୍ୟ କରିଛି ସେ । ମୁଁ ଜଳଖିଆ ନେବି କି କାହିଁ ଭାବୁଛି, ଏଇ ସମୟରେ ତରୁଣୀଟି କହିଲେ, ନିଅ ବାବୁ, ଖାଇ ଦିଅ । ଚିତିର ସବୁବେଳେ ସେମିତି ଦୁଷ୍ଟାମି କଥା । ତୁମେ ଚିନାବାଦାମ କିଣିବା ଦେଖି ସେ ମୋତେ କହିଲା । ମୁଁ କଣ କରିବି ? ତୁମର ଚିନାବାଦାମ ଖାଇବାକୁ ଇଚ୍ଛା ହେଲାକିଣି ଖାଇଲ । ସେଥିରେ ତା’ର ଭାବିବାର କଣ ଅଛି କହିଲ ?
ମୁଁ କିଛି ଉତ୍ତର ଦେଲି ନାହିଁ । ଚାହିଁଲି, ଯୁବତୀଟି ମୁରୁକେଇ କି ହସୁଛି । ଭୋକ ନଥିଲା, ଆଉ କିଛି ଖାଇବାକୁ ବି ଇଚ୍ଛା ହେଲା ନାହିଁ । କହିଲି ମୁଁ କିଛି ଖାଇବି ନାହିଁ, ଆପଣମାନେ ଖାଆନ୍ତୁ । ମୁଁ ସେମିତି କହିଲି ବୋଲି ରାଗିଗଲେ କି ? ଏମିତି ଥଟ୍ଟାରେ କହିଦେଲି । ଯୁବତୀଟିର କଥାରେ କ୍ଷୋଭ ପ୍ରକାଶ ପାଉଥିଲା । ହଠାତ୍ ତା’ରସ୍ୱର ମଧ୍ୟ ବଦଳିଗଲା ।
ଆହୁରି ଆଶ୍ଚର୍ଯ୍ୟ ହୋଇଗଲି ମୁଁ । ମୁଁ ସ୍ୱପ୍ନ ଦେଖୁଛି ନା ବାସ୍ତବରେ ଏଇ ସବୁ ଦେଖୁଛି ବିଶ୍ୱାସ କରି ପାରିଲି ନାହିଁ । କହିଲି, ନା ରାଗିବି କାହିଁକି ? ସତରେ ମୋର ଆଉ କିଛି ଖାଇବାକୁ ଇଚ୍ଛା ନାହିଁ, ଆପଣ ଖାଆନ୍ତୁ ନା । ଜୀବନର ଗତି ପଥରେ ଥରେ ଥରେ ଏମିତି ମୁହୂର୍ତ୍ତ ଆସି ପହଞ୍ଚିଯାଏ, ଏମିତି ଘଟଣା ଘଟିଯାଏ ଯାହା ମଣିଷ ସ୍ୱପ୍ନରେ ବି କଳ୍ପନା କରି ପାରେନା । ଏ ସେଇ ମୁହୂର୍ତ୍ତ ।
ମୋ କଥା ଶୁଣି ଯୁବତୀଟି ଜଳଖିଆ ରଖିଦେଲା ଗୋଟିଏ ପାଖରେ । ଚୁପ୍ ହୋଇ ବସିଯିବା ଦେଖି ତରୁଣୀଟି କହିଲେ, ତୋତେ ପରା ଭୋକ ହେଉଥିଲା ଚିତି, କିଛି ଖାଉନୁ କାହିଁକି ? ମୁଁ ଆଉ କିଛି ଖାଇବି ନାହିଁ ମାଉସୀ, ସେ ଶାନ୍ତ ସ୍ୱରରେ ଉତ୍ତର ଦେଲା । ଭାବିଲି, ବୋଧେ ମୁଁ ଖାଇଲି ନାହିଁ ବୋଲି ସେ ବି ଖାଇଲା ନାହିଁ। ତା’କୁ ଭୋକ ହେଉ ନ ଥିଲେ ଜଳଖିଆ କେବେ କିଣା ହୋଇନଥାନ୍ତା । ଆଉ ମୋ ପାଇଁ ଯଦି ସେ ନ ଖାଇବ ତେବେ ତାର ଭୋକ ଭୋକରେ ହିଁ ରହିଯିବ !! କଣ କରିବି କିଛି ସ୍ଥିର କରି ପାରୁନଥିଲି ।
ଇଚ୍ଛା ନଥିଲେ ବି ସେଇ ଜଳଖିଆ ଥିବା ପତ୍ରକୁ ଉଠାଇ ଖାଇବାକୁ ଆରମ୍ଭ କରିଲି । ତରୁଣୀ ମୋ ଖାଇବା ଦେଖି ଆନନ୍ଦରେ ହସିଲେ । ମୋ ଖାଇବା ଦେଖି ଯୁବତୀଟି କହିଲା, ମୋତେ ଭୋକ ହେଉଛି ମାଉସୀ। ମାଉସୀ କିଛି ନ କହି ତା’କୁ କିଛି ଜଳଖିଆ ଖାଇବାକୁ ଦେଲେ । ଲକ୍ଷ୍ୟ କଲି, ଅନେକ ଦିନ ଧରି ଭୋକିଲା ରହି ଯେମିତି ମଣିଷ କିଛି ପାଇଲେ କିଛି ନ ଦେଖି ନଭାବି ଗୋଟିଏ ନିଶ୍ୱାସରେ ଖାଇଯାଏ । ସେମିତି ସେ ଖାଇବାକୁ ଲାଗିଲା ।
ମୁଁ କିଛି ଭାବି ପାରୁ ନଥିଲି, ମୋର ଖାଇବା ସଙ୍ଗେ ତା’ର ଖାଇବାର କଣ ସମ୍ବନ୍ଧ ? ଲକ୍ଷ୍ୟ କଲି ତା’ ମନରେ ଆଉ କିଛି କ୍ଷୋଭ ନାହିଁ, ଅନୁତାପର ଚିହ୍ନ ବି ନାହିଁ । ଅନେକ ଦିନ ପରେ ଗୋଟିଏ ହଜିଲା ଧନ ପାଇଲା ପରି ମୁହଁ ତା’ର ଆନନ୍ଦରେ କୁରୁଳି ଉଠୁଛି ।
ଖାଇସାରି ତା’ ହାତରୁ ପାଣି ଗ୍ଲାସକୁ ନେଲି । ଏସବୁ ମୋତେ ପ୍ରହେଳିକା ଭଳି ମନେ ହେଉଥିଲା । ଉପନ୍ୟାସର ନାୟକ ନାୟିକାର ମିଳନ ଏ’ ନୁହେଁ, ଚଳଚିତ୍ରର ପ୍ରେମ ବି ଏ’ ନୁହେଁ, ଏହା ବାସ୍ତବ । ନିଜର ଅନୁଭୂତି ଔପନାସିକର ମନଗଢ଼ା କାହାଣୀ ପରି ଜୀବନର ବାସ୍ତବ କାହାଣୀର ଗୋଟିଏ ପରିଚ୍ଛେଦ । ପରିସ୍ଥିତି ଯେତିକି ଜଟିଳ ହୋଇ ଉଠିଥିଲା । ତାହା କ୍ରମଶଃ ସରଳ ହୋଇ ଆସିଲା ।
ନାଁଟି ତା’ର ଚିତି ନୁହେଁ କି ଚିତ୍ରା ନୁହେଁ ସୁଚିତ୍ରା । କଲିକତାରୁ ସେମାନେ ଫେରୁଛନ୍ତି । ସୁଚିତ୍ରାର ବାପା ମାଆ ଏଇ ମର ଜଗତରୁ କେଉଁ ଦିନରୁ ବିଦାୟ ନେଇଛନ୍ତି । ମାଉସୀ ସୁଚିତ୍ରାକୁ ପିଲାଟି ଦିନରୁ ପାଳିଛନ୍ତି । ତିନି ଭାଇରେ ସେ ଗୋଟିଏ ଭଉଣୀ । ସେମାନେ ଚାକିରି କରୁଛନ୍ତି । ପୁରୀରେ ସୁଚିତ୍ରାର ସାନଭାଇ ରହନ୍ତି । ପୁରୀରେ ନିଜର ଘର ଖଣ୍ଡେ ବି ଅଛି । ଭୁବନେଶ୍ୱରରେ ଯେଉଁ ଭାଇ ରହନ୍ତି ତାଙ୍କର ପାଖରେ ରହି ସୁଚିତ୍ରା ରାଜଧାନୀ ସ୍କୁଲରେ ପଢ଼େ । କିନ୍ତୁ ଏଇ ବର୍ଷ ଅସୁସ୍ଥତା ଯୋଗୁଁ ସେ ପଢ଼ି ପାରିଲା ନାହିଁ । ଚିକିତ୍ସା ପାଇଁ ସେ କଲିକତା ଯାଇ ତା’ର ବଡ଼ଭାଇଙ୍କ ପାଖରେ ଛଅ ମାସ ରହି ଆଜି ଫେରୁଛି ।
ମୁଁ ପଚାରିଲି, ଭୁବନେଶ୍ୱରରେ ନଓହ୍ଲାଇ ସିଧା ପୁରୀ ଯାଉଛନ୍ତି ଯେ ? ଭୁବନେଶ୍ୱରରେ ଏବେ କେହି ନାହାନ୍ତି ବାବୁ, ସମସ୍ତେ ପୁରୀ ଯାଇଛନ୍ତି, ମାଉସୀ କହିଲେ । ଏଥି ମଧ୍ୟରେ ସେମାନେ ମୋର ସଂକ୍ଷିପ୍ତ ପରିଚୟ ପାଇ ସାରିଲେଣି । ଗାଡ଼ି ମାଳତୀପାଟପୁର ପାର ହୋଇଗଲା । ପରିଚୟ ଘନେଇ ଆସିଲାଣି । ଭାବୁ ଭାବୁ ପୁରୀ ଷ୍ଟେସନ ବି ଆସି ପହଁଞ୍ଚିଗଲା । ପ୍ଲାଟଫର୍ମରେ ଗାଡ଼ି ରହିବା ସାଙ୍ଗେ ସାଙ୍ଗେ ମୁଁ କହିଲି ମୋତେ ଏଥର ବିଦାୟ ଦିଅନ୍ତୁ । ତୁମେ ଯିବ ବାବୁ ! ସୁଚିତ୍ରାର ମାଉସୀ ନିଦରୁ ଉଠିଲା ପରି କହିଲା ।
ଆଜ୍ଞା । ସମୟ ସୁବିଧା ଦେଖି କେତେବେଳେ ଆମ ଘରଆଡ଼େ ଆସିବାକୁ ଭୁଲି ଯିବନିଟି, ଅତି ସ୍ନେହରେ ଏଇ କେତୋଟି ପଦ କହିଲେ ସେ । ଉତ୍ତରରେ ମୁଁ କେବଳ ସାମାନ୍ୟ ହସିଥିଲି । ସେମାନଙ୍କୁ ନେବାପାଇଁ ଜଣେ ଯୁବକ ଆସିଥିଲେ । ବୋଧ ହୁଏ ସେ ସୁଚିତ୍ରାର ଭାଇ । ତରୁଣୀଙ୍କ ଠାରୁ ମୁଁ ବିଦାୟ ନେଲି। ସୁଚିତ୍ରାକୁ ଚାହିଁ ନୀରବରେ କହିଲି, ମୁଁ ଯାଉଛି, କିନ୍ତୁ ସେ ତା’ର ଛୋଟ ପାପୁଲି ଦୁଇଟି ଯୋଡ଼ି ମୋତେ ନମସ୍କାର ଜଣାଇଲା । ମୁଁ ମଧ୍ୟ ପ୍ରତି ନମସ୍କାର କରି ପ୍ଲାଟଫର୍ମ ବାହାରକୁ ଚାଲି ଆସିଲି ।
ଦୁଃଖ ହେଲା, ସୁଚିତ୍ରାର ଭାଇଙ୍କର ପରିଚୟ ପାଇଲି ନାହିଁ । ସେମାନେ ବି ତାଙ୍କ ସଙ୍ଗେ ମୋର ପରିଚୟ କରାଇଦେଲେ ନାହିଁ । ଘରକୁ ଆସିଲି । ଆଖି ଆଗରେ ତା’ର ସେଇ ସୁନ୍ଦର ରୂପ ସେଇ ଲାଜ ଲାଜ ମୁହଁଟି ନାଚିଗଲା । ପ୍ରତି ମୁହୂର୍ତ୍ତରେ ସୁଚିତ୍ରା କଥା, ସୁଚିତ୍ରା ରୂପ, ସୁଚିତ୍ରାର ବ୍ୟବହାର, ସୁଚିତ୍ରାର ହସ ଆଖି ଆଗରେ ନାଚି ଯାଉଥିଲା । ଭାବିଲି ସୁଚିତ୍ରା କିଏ ? ତା’ ସାଙ୍ଗେ ମୋର ସମ୍ବନ୍ଧ କଣ ? ମୁଁ ଯେମିତି ତା ’ କଥା ଭାବୁଛି, ସେ ବି କଣ ମୋ କଥା ସେମିତି ଭାବୁଥିବ ?
ହସ ଲାଗିଲା । ମୋ କଥା କାହିଁକି ସେ ଭାବିବ ? ମୁଁ ସୁନ୍ଦର ନୁହେଁ । କଳା ଚେହେରା । ମୋର ଶିକ୍ଷା ନାହିଁ । ମୁଁ ବେକାର । ଉଚ୍ଚ ଚାକିରି ଥିଲେ ହେଲେ କିଛି ଆଶା ରଖି ପାରିଥାନ୍ତି କାହାକୁ ଆକୃଷ୍ଟ କରିବା ପାଇଁ। ତାହାବି ନାହିଁ । ଏପରି ପରିସ୍ଥିତିରେ ମୁଁ କେମିତି ଆଶା କରିବି ସୁଚିତ୍ରାର ପ୍ରେମ ? କଣ କରିବି କେମିତି ତା’କୁ ଭୁଲିବି ! ସମୟ ରାତିଟା । ମନକୁ ଭୁଲାଇବା ପାଇଁ ଶେଯରୁ ଉଠି ଲଣ୍ଠନକୁ ତେଜିଦେଇ ମୋର ଅଧା ଲେଖା ଉପନ୍ୟାସଟିକୁ ଲେଖି ବସିଲି । ଦୁଇଘଣ୍ଟା ବିତିଗଲା । ଆଖି ପତା ମୁଦି ହୋଇ ଆସିଲା । ଶୋଇଗଲି ନିଶ୍ଚିନ୍ତରେ ।
ସକାଳୁ ଉଠି ନିତ୍ୟକର୍ମ ସାରି ଚାଲିଲି ଲାଇବ୍ରେରୀକୁ । ଆଜି ସୋମବାର । ପ୍ରତି ସୋମବାର ଦିନ ସନ୍ଧ୍ୟାରେ ମୁଁ ଜଗନ୍ନାଥଙ୍କ ମନ୍ଦିରକୁ ଯାଏ । ବିଶ୍ୱନାଥଙ୍କ ଦର୍ଶନ ସାରି ଯେତେବେଳେ ଚାହିଁଛି, ଠିକ୍ ମୋ ସାମ୍ନାରେ ପାଇଲି ସୁଚିତ୍ରାକୁ । ସୁଚିତ୍ରା ଏକୁଟିଆ ନଥିଲା, ତା’ ସହିତ ଆଉ ଗୋଟିଏ ଝିଅ ମଧ୍ୟ । ଦେଖି ଅବାକ୍ ହୋଇଗଲି । ସେ ଥିଲା ମୀରା, ମୋର ଜଣେ ସାଙ୍ଗର ଭଉଣୀ । ମୀରା ମୋତେ ଡାକିଲା, ଆରେ ଅସୀମ ଭାଇ ଯେ ! ପରେ ମୋତେ ନମସ୍କାର କଲା ।
ମୀରା ମଧ୍ୟ ଗୋଟିଏ ସୁନ୍ଦରୀ ଯୁବତୀ । କେବେ ଆସିଲ ମ ? ପଚାରିଲା ମୀରା ଅଭିମାନ ସ୍ୱରରେ । କାଲି – ଉତ୍ତର ଦେଲି । କାଲି ଆସି ଏତେବେଳ ଯାଏଁ ଦେଖା ନଥିଲ ? ଅଭିମାନ ଜାଣି ପାରିଲି ତା’ର, ମୁଁ ହସିଲି । ହଁ ହସିବନି କାହିଁକି ! ଆମେ ତୁମର କିଏ ଯେ ? ଆରେ ପାଗଳ ! କାଲି ସଞ୍ଜବେଳେ ଆସି କେତେବେଳେ ଯାଇଥାନ୍ତି ତୋ ପାଖକୁ । ଆଜି ତ ସ୍କୁଲ ଥିଲା । ମୁଁ ଜାଣେ ତୁ ନଥିବୁ । ସେଥିପାଇଁ ଭାବୁଥିଲି ମନ୍ଦିରରୁ ଫେରି ଯିବି ତୁମ ଘରକୁ । କୈଫିୟତ ଦେବାକୁ ପଡ଼ିଲା ମୋତେ ।
ହୁଁ । ମିଛ କହିବା ପାଇଁ ତ ତୁମେ ସିଦ୍ଧହସ୍ତ । ଏବେ ଦେଖା ହୋଇନଥିଲେ ବୋଧେ ତୁମର ଦେଖା ପାଇବା ପାଇଁ ଆଉ ଗୋଟିଏ ହୁଗ ବିତି ଯାଇଥାନ୍ତା । ସାମାନ୍ୟ ହସି ସେ କହିଲା । ଦେଖିଲି ସୁଚିତ୍ରା ସେମିତି ନୀରବ । ସେମିତି ବୋକାଙ୍କ ପରି ଛିଡ଼ା ହୋଇ ରହିଛୁ କଣ ମ ? ଜାଣୁ ଏ’ କିଏ ? ମୋ ଭାଇ ଅସୀମ ବାବୁ ମ ! ମୀରା ମୋର ପରିଚୟ ଦେଉଥିଲା ସୁଚିତ୍ରାକୁ । ତା’ର ପରିଚୟ ମୋତେ ଦେବା ପୂର୍ବରୁ କହିଲି, ବାସ୍ ଥାଉ ତା’ର ପରିଚୟ ମୋତେ ଦେବା ପୂର୍ବରୁ କହିଲି, ବାସ୍ ଥାଉ ତୋର ଇଣ୍ଟ୍ରୋଡ଼କସନ୍ । ମୁଁ ଜାଣେ ତାଙ୍କୁ । ମୋ କଥା ଶୁଣି ମୀରା ଅବାକ୍ ହୋଇ କହିଲା, ସତରେ ଭାଇ, ତୁମେ ଏ’ ଦେବୀଙ୍କୁ ଆଗରୁ ଜାଣ ? ହେ ଭଗବାନ !
ମୀରାର କଥା ଶୁଣି ସୁଚିତ୍ରା ଓ ମୁଁ ନ ହସି ରହି ପାରିଲୁ ନାହିଁ । ଶୁଣିଲି ସୁଚିତ୍ରା ମୀରାକୁ ଚିମୁଟି କହୁଛି, ଭାରି ଫାଜିଲ୍ । ମୁଁ କହିଲି, ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛିମୀରା ! ତୁମେ କଣ କହୁଛ ଭାଇ ! ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ?
ତୁ ଜାଣିବାକୁ ସୁଯୋଗ ପାଇନୁ ବୋଲି ସିନା ଆଶ୍ଚର୍ଯ୍ୟ ହେଉଛୁ । ଆମ ଦୁହିଁଙ୍କର ପରିଚୟ ମାତ୍ର ଚବିଶ ଘଣ୍ଟାର ବନ୍ଧୁତା । ତେବେ ଏ ଚିତିଟା ସାଙ୍ଗେ ପରିଚୟ ହୋଇଛି ? । ମୀରା ପଚାରିଲା । ହଁ । କେତେବେଳେ କେମିତି ଏ’ ସବୁ ଚିହ୍ନା ପରିଚୟ ହୋଇଗଲା ମ ? ସେ ପଚାରିଲା ଆଶ୍ଚର୍ଯ୍ୟ ହୋଇ ।
ମୋତେ ନ ପଚାରି ତାଙ୍କୁ ପଚାର । ଆଚ୍ଛା ତୁମେ ଦୁହେଁ ଏମିତି ଠିଆ ହୋଇ ରହିଥିବ ନା ଆଉ । ଆରେ ରେ ଚାଳିଯାଉଛୁ କୁଆଡ଼େ ମ ? ମୋତେ କିଛି ନ ଜଣାଇ ଏତେ ବଡ଼ କାମଟା ତୁମେ ଦୁହେଁ କରିଦେଇଛ ଆଉ ଏବେ ମୁଁ ପଚାରିଲା ବେଳେ ସମସ୍ତେ ଚୁପ୍ ? ମୁଁ କଣ କହିଥାନ୍ତି ? ସୁଚିତ୍ରା ଅପ୍ରତିଭ ହୋଇ କହିଲା ସଙ୍ଗେ ସଙ୍ଗେ ।
ଆଚ୍ଛା ସେ ସବୁ ପରେ ଶୁଣିବୁ । ଚାଲିଲୁ ଆଗ ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା । ସ୍ଥାନ ଏବଂ ସମୟର ଗୁରୁତ୍ୱ ଦେଖି କହିଲି ମୀରାକୁ । ହଉ ଚାଲ । ମଣିଷ ନିରାଶ ହୋଇ ଯେମିତି ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ି କହେ ସେମିତି କହିଲା ମୀରା । ଜଗନ୍ନାଥଙ୍କ ଦର୍ଶନ ସାରି ସିଂହଦ୍ୱାରକୁ ଆସି କହିଲେ, ଏବେ କୁଆଡ଼େ ଯିବା ?
କାହିଁକି ଆମ ଘର ରାସ୍ତା ଭୁଲି ଗଲଣି କି ତୁମେ ? ମୀରା ପଚାରିଲା । ମୁଁ ସେମାନଙ୍କ ସଙ୍ଗରେ ଚାଲିଲି ମୀରା ଘର ଯାଏଁ । ରାସ୍ତାର ଆଳାପ ଆଲୋଚନା ଭିତରେ ମୀରା ଜାଣି ପାରିଲା ମୋର ଓ ସୁଚିତ୍ରାର ପରିଚୟର ବିସ୍ତୃତ ବର୍ଣ୍ଣନା । ଯାହା ହେଉ ଭଲ ହେଲା ମୁଁ ଭାବୁଥିଲି ଭାଇ ! ଚିତି ଏଥର ପୁରୀ ଆସିଲେ ତୁମ ସାଙ୍ଗେ ପରିଚୟ କରାଇଦେବି । ତୁମେ ବୋଧେ ଜାଣିନା । ଏ ଛତୁଟା କେଡ଼େ ଫାଜିଲ । ମୀରା ହସି ହସି କହିଲା ।
ସେ ଏଇ ଛତୁ ଆଖ୍ୟା କେବେଠୁଁ ପାଇଲେଣି ? ତାଙ୍କୁ ତାଙ୍କୁ ନା ଫାଙ୍କୁ ମ ? କେଡ଼େ ଭାଗ୍ୟ ମ ତା’ର କେତେ ସମ୍ମାନ ସେ ନ ପାଇଛି । ହଁ ନ ପାଇବ କେମିତି, ଯେତେହେଲେ ଏତିକି କହି କିଲି କିଲି ହୋଇ ହସି ଉଠିଲା ମୀରା । ତା’ର ମତଲବ ବୁଝିପାରିଲି । ମୋତେ ରାଗ ବି ଲାଗିଲା । ତା’ର କାନକୁ ଧରି କହିଲି, ତୁ ଭଦ୍ରାମି ଆଉ କେବେ ଶିଖିବୁ ମୀରା ? ମୋତେ ଛାଡ଼ । ଆଚ୍ଛା ବାବା ଆଉ ସେମିତି କହିବିନି, ବାସ୍ ! କିନ୍ତୁ ଦେଖିବି, ଏମିତି ଭଦ୍ରାମି ରଖି କେତେଦିନ ତୁମେ ଚଳିବ ? ଦୁଷ୍ଟ ହସି ହସି କହିଲା ସେ ।
ତା’ କାନକୁ ଛାଡ଼ିଦେଲି । ସୁଚିତ୍ରାକୁ ଚାହିଁଲି । ଗମ୍ଭୀର ହୋଇ ସେ ଚାଲିଛି, ତେବେ ସେ କଣ ମୀରାର କଥାକୁ ଗୁରୁତ୍ୱ ଦେଇଛି ? ସବୁବେଳେ ଯାହା ମୁହଁରେ ହସ ନାଚୁଥିଲା ତା’ ମୁହଁରେ ଆଜି ଏମିତି ନୀରସ କାହିଁକି ? ବୋଧେ ମୀରାର କଥା ତା’କୁ ଖୁବ୍ ବାଧିଛି । ତା’ ନହେଲେ । ଇଚ୍ଛା ହେଲା, ମୀରା ପାଇଁ ତା’କୁ କ୍ଷମା ମାଗିବି । କିନ୍ତୁ ମୁଁ ଦୁର୍ବଳ ହୋଇଯିବାକୁ ପ୍ରସ୍ତୁତ ହେଲିନାହିଁ । ସେ ଯାହା ଭାବୁଛି, ମୋର ସେଥିରେ କଣ? ତା’ ଠାରୁ ତ ମୁଁ କିଛି ପାଇବା ପାଇଁ ଆଶା ରଖିନି ।
ମୀରା ଘରକୁ ଗଲି । ତା’ର ବାପା ଓ ମାଙ୍କ ସହ ଦେଖାକରି ଫେରି ଆସିଲି ଗୋଟିଏ ବାହାନା କରି । ମୀରାର ଭାଇରଜତ ଘରେ ନଥିଲା । ତା’ ପାଇଁ ଅପେକ୍ଷା କରିବାକୁ ବି ମୋର ଇଚ୍ଛା ହେଲା ନାହିଁ । କାଲି ପୁଣି ଆସିବି ବୋଲି କହି ସେଠାରୁ ବିଦାୟ ନେଇ ଆସିଲି । କଣ ମନ ହେଲା କେଜାଣି, ମୋତେ ଆଉ ସେଠାରେ ରହିବାକୁ ଭଲ ଲାଗିଲା ନାହିଁ । ସୁଚିତ୍ରାର ଉପସ୍ଥିତି ମୋର ମନକୁ ଗୋଳମାଳ କରିଦେଲା । ଘରକୁ ଆସି ଆଉ କିଛି କରି ପାରିଲି ନାହିଁ ।
ମୀରାର ସେଇ କେତୋଟି ପଦ ମୋ କାନ ପାଖରେ ପୁଣି ବାଜି ଉଠିଲା । ସନ୍ଦିହୀନ ହୋଇଗଲି ମୁଁ । ମୋ ଜୀବନରେ ଏମିତି ଘଟଣା ପ୍ରଥମ ନୁହେଁ । ଅନେକ ଥର ଏମିତି ଘଟିଯାଇଛି । ଯୁବତୀର ରୂପ ସୌନ୍ଦର୍ଯ୍ୟ ନିକଟରେ ପୁରୁଷ ସବୁବେଳେ ମୁଣ୍ଡ ନୁଆଁଇଛି । ନିଜର ସତ୍ତା ବି ହରାଇ ଦେଇଛି । ମୁଁ ବି ପୁରୁଷ । ନାରୀର ସୌନ୍ଦର୍ଯ୍ୟ ମୋତେ ବି ଭୋଳ କରିଦେବା କିଛି ଅସମ୍ଭବ ନୁହେଁ ।
କିନ୍ତୁ ମୋର ପ୍ରକୃତି ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲା ସାମାନ୍ୟ ମାତ୍ରାରେ । ନାରୀର ସୌନ୍ଦର୍ଯ୍ୟକୁ ଦେଖିଛି। ସେଇ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ମୁଁ କେବେ ଚେଷ୍ଟା କରିନି । ଅନେକ ସୁନ୍ଦରୀ ଯୁବତୀଙ୍କ ସଙ୍ଗେ ବନ୍ଧୁତା ମୋର ହୋଇଛି । ମୀରା ଯୁବତୀ । ସେ ଦେଖିବାକୁ ଖୁବ୍ ସୁନ୍ଦର । କିନ୍ତୁ ମୀରାକୁ ମୋର ଭଉଣୀ ଛଡ଼ା ଆଉ କିଛି ଭାବିନି । ମୀରା ମୋର ଭଉଣୀ । ଗୋଟିଏ ରକ୍ତର ନୁହେଁ । ଗୋଟିଏ ଜାତିର ନୁହେଁ; ଗୋଟିଏ ସମାଜର ବି ନୁହେଁ । ତେବେ ବି ସେ ମୋର ଭଉଣୀ । ଦୁନିଆ ଦେଖେ ଆମ ଦୁହିଁଙ୍କର ବନ୍ଧୁତା ।
ଦୁଇଟି ଭିନ୍ନ ପରିବାରର ଦୁଇଟି ଯୁବକ ଯୁବତୀ ମିଳାମିଶା କଲେ ଏହି ସମାଜ କଣ କହେ ମୁଁ ଜାଣେ। ସେମିତି କହିଛି ଏଇ ସମାଜ । ତେବେ ବି ଆମ ଦୁହିଁଙ୍କର ବନ୍ଧୁତା ଅକ୍ଷୁର୍ଣ୍ଣ । ଯାହାର ହୃଦୟ ନିର୍ମଳ ପବିତ୍ର, ସେମାନେ ଆମ ପବିତ୍ର ବନ୍ଧୁତ୍ୱ ଦେଖି ଅଭିନନ୍ଦନ ଜଣାଇଛନ୍ତି । ଆଉ ଯାହାର ହୃଦୟ ନୀଚ ଏବଂ ପଙ୍କିଳ ସେମାନେ ଆମର ଚରିତ୍ରରେ କଳା ବୋଳିବାକୁ ଚେଷ୍ଟା କରିଛନ୍ତି । ଦିନେ ସେମାନେ ବି ଜାଣିଯିବେ ଦୁନିଆର ସବୁ ଯୁବକ ଯୁବତୀଙ୍କର ମନ ଏକ ନୁହେଁ ।
ସୁଚିତ୍ରା ଯୁବତୀ । ସେ ବି ସୁନ୍ଦରୀ । ସୁଚିତ୍ରାକୁ ପାଇବା ପାଇଁ ମୋର ମନ ଲାଳାୟୀତ କାହିଁକି ? ମୁଁକହିପାରୁନି । ତେବେ ସୁଚିତ୍ରାର ଯୌବନ ଏବଂ ସୌନ୍ଦର୍ଯ୍ୟ ଯେ ମୋତେ ଭୋଳ କରି ଦେଇଛି ଏହା ସ୍ୱୀକାର କରିବାକୁ ମୁଁ ପ୍ରସ୍ତୁତ ନୁହେଁ । ସେ ବେଶ୍ୟା ନୁହେଁ । ଏମିତି ଅନେକ ଭାବନା ମୋର ମନ ଭିତରେ ଖେଳିଗଲା। ସେମିତି ଭାବି ଭାବି ମୁଁ ଶୋଇଗଲି । ଦୁଇ ଦିନ ବିତିଗଲା । ଏଇ ଦୁଇଦିନ ଭିତରେ ମୁଁ ସମସ୍ତଙ୍କୁ ଭୁଲି ଯିବାକୁ ଚେଷ୍ଟା କରିଛି ।
ମୀରାର ଘରକୁ ଗଲି ନାହିଁ ରଜତ ସଙ୍ଗେ ଦେଖା କରିବାକୁ । ସନ୍ଧ୍ୟାବେଳେ ସମୁଦ୍ର କୂଳକୁ ମଧ୍ୟ ଗଲିନାହିଁ । ସବୁବେଳେ ଘରେ ବସି କିଛି ନା କିଛି କାମରେ ବ୍ୟସ୍ତ ରହିଲି । କିନ୍ତୁ ତୃତୀୟ ଦିନ ରାତିରେ ମୋର ଅପୂର୍ଣ୍ଣ ଉପନ୍ୟାସକୁ ଯେତେବେଳେ ଶେଷ କରିବାକୁ ଚେଷ୍ଟା କରୁଥିଲି ସେତେବେଳେ ବାହାରେ ଗୋଟିଏ ପରିଚିତ ସ୍ୱର ଶୁଣି ଚମକି ଉଠିଲି । ସେତେବେଳେ ଏଗାରଟା ବାଜିବାକୁ ଆଉ କିଛି ସମୟ ବାକି ଥାଏ । ଘରେ ସମସ୍ତେ ଶୋଇ ଗଲେଣି ।
ଦ୍ୱାର ଖୋଲି ବାହାରକୁ ଆସି ଦେଖିଲି ମୀରା ଘରର ଚାକର ଗୋବରା ଛିଡ଼ା ହୋଇଛି । ମୋତେ ଦେଖି ସେ ସାଙ୍ଗେ ସାଙ୍ଗେ କହିଲା, ଆପଣଙ୍କୁ ମା ଡକେଇଛନ୍ତି, ଚାଲନ୍ତୁ । କାହିଁକି ରେ ? ବିସ୍ମୟରେ ପଚାରିଲି। ମୁଁ କହିପାରିବି ନାହିଁ ଆଜ୍ଞା । କହିଲା ସେ । ତା’ର ସ୍ୱର ମୋତେ କେମିତି ଅଡ଼ୁଆ ଲାଗିଲା । ପଚାରିଲି ରଜତ ଘରେ ଅଛି ଗୋବରା ? ସାନବାବୁ କାଲି କଟକ ଯାଇଛନ୍ତି ଆଜ୍ଞା ! ମୀରା ଅଛିତ ? ପୁଣି ପଚାରିଲି ।
ଅଛନ୍ତି ଆଜ୍ଞା; ହେଲେ କଣ ହେବ କାଲିଠୁଁ ସେ ବେହୋସ । କାଲି ଉପର ମହଲା ସିଡ଼ିରୁ ଖସିଯାଇ ବେହୋସ ହୋଇ ପଡ଼ିଛନ୍ତି । ଏତେବେଳ ଯାଏଁ ଆଖି ଖୋଲି ନାହାନ୍ତି । କାଲିଠୁଁ ଘରେ କାନ୍ଦ ବୋବାଳି ପଡ଼ିଛି ଆଜ୍ଞା । ଗୋବରା କାନ୍ଦ କାନ୍ଦ ହୋଇ କହିଲା । ଗୋବରାର କଥା ଶୁଣି ଛାତି ମୋର ଥରି ଉଠିଲା । ମୀରାର ଯଦି କିଛି ହୋଇଯାଏ ତେବେ । ମୁଁ ପୋଷାକ ବଦଳାଇ ସାନ ଭାଇକୁ ଦ୍ୱାର ବନ୍ଦ କରିବାକୁ କହି ମୁଁ ଗୋବରା ସଙ୍ଗେ ଚାଲିଲି ।
ମୁଁ ସିଧା ଘର ଭିତରକୁ ଚାଲିଲି । ଉପର ମହଲାର ମୀରାର ଶୋଇବା ଘରେ ବସିଥିଲେ ମୀରାର ମାଆ ଓ ତାର ବାପା ରାଧାକାନ୍ତ ବାବୁ । ଆଉ ମୀରା ପଲଙ୍କ ଉପରେ ଶୋଇଥିଲା ନିଶ୍ଚିନ୍ତରେ । ମୋତେ ଦେଖି ମୀରାର ମାଆ କାନ୍ଦିବାକୁ ଆରମ୍ଭ କରିଦେଲେ । ମୁଁ ନିଶ୍ଚଳ ହୋଇ ଥରେ ତାଙ୍କୁ ଦେଖିଲି । ତା’ ପରେ ମୀରା ପାଖକୁ ଦୌଡ଼ିଗଲି ପାଗଳଙ୍କ ପରି । ମୀରାକୁ ଦେଖିଲି ମୁଣ୍ଡରେ ଗୋଟିଏ ପଟି ବନ୍ଧା ହୋଇଥାଏ ଏବଂ ମୁଣ୍ଡ ପାଖରେ ଗୋଟିଏ ବରଫ ଥଳି ଥୁଆ ହୋଇଥାଏ ।
ତା’ର ମଥା ପାଖରେ ବସିଗଲି । ପଚାରିଲି ‘‘ରଜତକୁ ଖବର ଦେଇଛନ୍ତି ?’’ ହଁ ବାପା; ଆଜି ସକାଳେ ଟେଲିଗ୍ରାମ କରିଛି । ରାଧାକାନ୍ତ ବାବୁ କହିଲେ । ଭାବିଲି ଟେଲିଗ୍ରାମ ପାଇ ଏତେବେଳେ ଯାଏଁ ସେ ଆସିନି କାହିଁକି ? ତେବେ କଣ ସେ ଟେଲିଗ୍ରାମ ପାଇନି ?
ସୁଚିତ୍ରା ଗୋଟିଏ ବରଫ ଥଳି ନେଇ ଆସିଲା । ତା’ ଆଖିର ଲୁହ ଶୁଖିନି । ମୁଣ୍ଡ ନୁଖୁରା । ପିନ୍ଧିଥିବା ପୋଷାକର ବି କିଛି ଯତ୍ନ ନେଇନି । ମୀରାର ମୁଣ୍ଡ ପାଖରେ ଥିବା ବରଫ ଥଳିକୁ ଘୁଞ୍ଚାଇ ସୁଚିତ୍ରା ଆଣିଥିବା ବରଫ ଥଳିକୁ ଥୋଇ ଦେଲି । ସୁଚିତ୍ରା ମୋତେ ଦେଖିଲା । ମୀରାର ମାଙ୍କ ପାଖକୁ ଯାଇ ସେ କହିଲା ; ତୁମେ ଶୋଇବ ଯାଅ ମାଉସୀ । ଆପଣବି ଶୋଇବେ ଯାଆନ୍ତୁ ମଉସା । ଅସୀମ ବାବୁ ଏଠି ରହିବେ, ଆପଣ ଆଉ ଅନିଦ୍ରା ରହନ୍ତୁ ନାହିଁ । ସୁଚିତ୍ରା କାନ୍ଦ କାନ୍ଦ ହୋଇ ସେ ଦୁହିଁଙ୍କର ହାତକୁ ଧରି ଉଠାଇବାକୁ ଚେଷ୍ଟା କରୁଥିଲା ।
ମୁଁ କହିଲି, ଚାଲନ୍ତୁ ମାଉସୀ, ଶୋଇବେ ଯାଆନ୍ତୁ । ମୁଁ ଏଠି ଅଛି । ମୁଁ ଓ ସୁଚିତ୍ରା ସେମାନଙ୍କୁ ନେଇ ଆସିଲୁ ଶୋଇବା ଘରକୁ । ମୁଁ ପୁଣି ମୀରା ପାଖକୁ ଫେରି ଆସି ତା’ର ମୁଣ୍ଡ ପାଖରେ ବସିଲି । କିଛି ସମୟ ବିତିଗଲା । ଦେଖିଲି, ସୁଚିତ୍ରା ବସିଛି ମୀରାର ପାଦ ପାଖରେ । ତା’ର ଶୁଖିଲା ମୁହଁକୁ ଦେଖି ମୁଁ ତାକୁ ପଚାରିଲି; ଏସବୁ କେମିତି ହେଲା ତୁମେ ଜାଣ ସୁଚିତ୍ରା ?
‘‘କାଲି ସଞ୍ଜବେଳେ ଆମେ ଦୁଇଜଣ ବୁଲିଯିବାକୁ ବାହାରୁ ଥିଲୁ । ମୀରା ପୋଷାକ ବଦଳାଇ ତଳକୁ ଓହ୍ଲାଉଥିଲା ବେଳେ ହଠାତ୍ ତା’ର ଶାଢ଼ୀ ପାଦରେ ଛନ୍ଦି ହୋଇଗଲା । ତଳକୁ ଖସିଯାଇ ବେହୋସ ହୋଇଗଲା ସାଙ୍ଗେସାଙ୍ଗେ ।’’ ଡାକ୍ତର ଆସୁଛନ୍ତି ? ପଚାରିଲି ପୁଣି । ସିଭିଲ ସର୍ଜନ ଆସିଥିଲେ । କେବେ ଚେତା ଆସିବ କହିଲେ ? ଆଜି ରାତି ଯାଏଁ ସମୟ ଦେଇଛନ୍ତି । ମୁଁ ଆଉ କିଛି ପଚାରିଲି ନାହିଁ । ନୀରବରେ ଆମେ ଦୁହେଁ ମୀରାକୁ ଚାହିଁ ରହିଲୁ ।
କିଛି ସମୟ ପରେ ପଚାରିଲି, କାଳି ସଞ୍ଜବେଳେ ଏ’ ସବୁ ହେଲା, ଆଜି ରାତି ଏଗାରଟା ଯାଏଁ ମୋତେ ଏ ଖବର ବି ଦେଇ ପାରିଲେ ନାହିଁ । ସୁଚିତ୍ରା ଧିରେ ଧିରେ କହିଲା, କିଏ କିପରି ଆପଣଙ୍କୁ ଖବର ଦିଅନ୍ତା ? ମଉସା ମାଉସୀ ତ କାଲିଠୁ କାନ୍ଦି କାନ୍ଦି ଅସ୍ଥିର । ରଜତ ଭାଇ ତ ଏଠି ନାହିଁ । ତୁମେ ତ ମୋତେ ଖବର ପଠାଇ ପାରିଥାନ୍ତ, ମୁଁ ତ ଜାଣି ନଥିଲି ଆପଣ କେଉଁଠି ରହନ୍ତି ଆଜି ସଞ୍ଜବେଳେ ଗୋବରାକୁ ପଚାରି ପଠାଇଲି ଆପଣଙ୍କୁ ଡାକି ଦେବା ପାଇଁ । ମୁଁ ଆଉ କିଛି କହିଲି ନାହିଁ ।
ଗୋଟାଏ ବାଜିବାକୁ ଆଉ କିଛି ସମୟ ଥିଲା ମୁଁ ଶୁଣିପାରିଲି ସିଡ଼ିରେ କାହାର ପାଦ ଶବ୍ଦ । ଭାବିଲି, ବୋଧେ ରଜତ ଆସୁଛି । ରଜତ ଆସିଲା । ମୋତେ ଓ ସୁଚିତ୍ରାକୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା, ଅସୀମ ଚିତି । ତା’ ପରେ ସେ ଦୌଡ଼ି ଆସିଲା ମୀରା ପାଖକୁ ଉଦ୍ବିଗ୍ନ ହୋଇ ପଚାରି ଦେଲା କେତେଟା ପ୍ରଶ୍ନ । ମୁଁ ତା’କୁ ଆଶ୍ୱାସନା ଦେଇ ସବୁ କହିଲି । ବାପା କାହାନ୍ତି ବୋଉ କାହାନ୍ତି ଚିତି ? ସେମାନେ ବର୍ତ୍ତମାନ ଶୋଇବାକୁ ଗଲେ ରଜତ ଭାଇ । ଅନେକ କହିଲା ପରେ ଶୋଇବାକୁ ଗଲେ । କହିଲି ମୁଁ । ଟେଲିଗ୍ରାମ ପାଇ ସାଙ୍ଗେ ସାଙ୍ଗେ ଲୋକାଲ୍ରେ ଆସୁଛି । ଆଉ କଣ କରିଥାନ୍ତି କହିଲୁ ? ସେ ବ୍ୟସ୍ତ ହୋଇ କହିଲା ।
ତୁ ସେଥିପାଇଁ ଆଉ ବ୍ୟସ୍ତ ହ’ନା ସବୁ ଠିକ୍ ଅଛି । ସୁଚିତ୍ରା ପାଇଁ କେଉଁଠି ଶୋଇବାର ବନ୍ଦୋବସ୍ତ କରିଦେ, ସେ ବି କାଲିଠୁଁ ଏଠି ଏମିତି ବସିଛନ୍ତି । କହିଲି ରଜତ୍କୁ । ରଜତ୍ ସୁଚିତ୍ରା ପାଖକୁ ଯାଇ ସ୍ନେହରେ ତା’ ମୁଣ୍ଡକୁ ଆଉଁସି କହିଲା, ଚିତି ଶୋଇବୁ ଚାଲ । ରଜୁ ଭାଇ ! ମୁଁ ଶୋଇବି ନି, ମୀରାକୁ ଛାଡ଼ି ମୁଁ ଶୋଇବାକୁ ଯାଇ ପାରିବିନି ରଜୁ ଭାଇ । ତା’ର ଜିଦ୍କୁ ଦେଖି ରଜତ ତା’ର ଆଖି ପୋଛିଦେଇ କହିଲା, କାନ୍ଦୁଛୁ କାହିଁକି ରେ? ପାଗଳିଟା । ମୁଁ କିଛି କହିପାରିଲି ନାହିଁ ସେଇ ପରିସ୍ଥିତିରେ । ସେମିତି ରାତି ସାରା ଆମେ ତିନିହେଁ ମୀରା ପାଖରେ ବସି ରହିଲୁ ।
ସକାଳ ହେଲା । ସକାଳେ ଡାକ୍ତର ଆଶ୍ଚର୍ଯ୍ୟ ଆସି ମୀରାକୁ ପରୀକ୍ଷା କରି ଗୋଟିଏ ଇଞ୍ଜେକ୍ସନ ଦେଲେ । କିଛି ସମୟ ପରେ ଦେଖିଲି ମୀରା ଆସ୍ତେ ଆସ୍ତେ ଆଖି ଖୋଲୁଛି । ତା’ର ଚେତା ଫେରି ଆସୁଥିବା ଦେଖି ଆମେ ସମସ୍ତେ ତାକୁ ଚାହିଁ ରହିଲୁ । ମୀରା ଆଖି ଖୋଲି ଥରେ ଦୃଷ୍ଟି ଫେରାଇ ଆଣିଲା ସମସ୍ତଙ୍କ ଆଡ଼ୁ। କମ୍ପିତ ସ୍ୱରରେ କହିଲା, ପାଣି । ସୁଚିତ୍ରା ସାଙ୍ଗେ ସାଙ୍ଗେ ପାଣି ଆଣି ତା’ ପାଟିରେ ଦେଲା । ଦୁଇ ଢ଼ୋକ ପିଇ ଆସ୍ତେ ଆସ୍ତେ କହିଲା ବୋଉ । ତା’ର କଥା ଶୁଣି ସମସ୍ତଙ୍କ ମୁହଁ ଆନନ୍ଦରେ କୁରୁଳି ଉଠିଲା । ମୀରାର ମା ଆନନ୍ଦରେ ଆତ୍ମହରା ହୋଇ ତା’ ମୁହଁରେ ଅଜାଡ଼ି ଦେଇ ଗଲେ ତାଙ୍କର ଚିର ସଞ୍ଚିତ ସ୍ନେହ । ଆଉ କିଛି ଭୟ ନାହିଁ କହି ଡାକ୍ତର ଆଶ୍ଚର୍ଯ୍ୟ ଚାଲିଗଲେ ।
ଦଶଟା ବେଳେ ଘରକୁ ଫେରିଲି, ମନ କିନ୍ତୁ ମୀରା ପାଖରେ ଥାଏ । ଘରେ ମିଥ୍ୟା କୈଫିୟତ ଦେଇ ପୁଣି ଚାଲିଲି ମୀରା ପାଖକୁ । ମୁଁ ପହଁଞ୍ଚି ଦେଖିଲି ମୀରା ସୁସ୍ଥ । ଖୁସି ହେଲି । ଯାହା ହେଉ ଆଶଙ୍କାରୁ ଉଦ୍ଧାର ପାଇଗଲୁ । ମୀରା ମୋତେ ଦେଖି ଆସ୍ତେ ଆସ୍ତେ କହିଲା, ଅସୀମ ଭାଇ । କଣ ମୀରା ? ତା’ର ମୁହଁ ପାଖକୁ ମୋର ମୁହଁକୁ ନେଇ ପଚାରିଲି ଆଗ୍ରହରେ । ଦୁଇ ଦିନ ହେଲା ଆସୁ ନଥିଲ କାହିଁକି ?ସେ ମୋତେ ଧିରେ ପଚାରିଲା ।
ମୁଁ ସାମାନ୍ୟ ହସି କହିଲି, କିଏ କହିଲା ମୁଁ ଆସୁ ନଥିଲି ? ମିଛ କଥା ଓଃ ହଠାତ୍ ସେ ଯନ୍ତ୍ରଣାରେ ଅସ୍ଥିର ହେଲା । କଣ ହେଲା ମୀରା ? । ମୁଣ୍ଡଟା ବିନ୍ଧୁଛି ଭାଇ । ତୁ ଆଉ କଥା କହନା, ଟିକିଏ ଶୋଇ ଯା, ମୁଁ ମୁଣ୍ଡ ଚିପି ଦେଉଛି । ଆସ୍ତେ ଆସ୍ତେ ତା’ର ମୁଣ୍ଡକୁ ଆଉଁସି ଦେଲି । ତା’ର ଲଲାଟ ଉପରେ ସୁଚିତ୍ରା ଖଣ୍ଡେ ଓଦା କନା ପକାଇ ଦେଲା । ମୀରା ମୋ କୋଳ ଉପରେ ମଥାକୁ ରଖି ଶୋଇଗଲା । ରଜତ ଖାଇସାରି ଆସି ସୁଚିତ୍ରାକୁ କହିଲା, ଯା ଚିତି ଖାଇ ଆସିବୁ, ବୋଉ ତୋ ପାଇଁ ଅପକ୍ଷୋ କରି ରହିଛି । ସୁଚିତ୍ରା ନୀରବରେ ସେଠାରୁ ଚାଲିଗଲା ।
ମୁଁ ଧୀରେ ମୀରାର ମୁଣ୍ଡକୁ ଉଠାଇ ତକିଆ ଉପରେ ରଖିଦେଲି । ପଙ୍ଖାଟା ଅନ୍ କରିଦେ ରଜତ । ମୁଁ କହିଲି ମୀରା ଉପରେ ଚାଦରଟା ଘୋଡ଼ାଇ ଦେଇ । କିଛି ସମୟ ପରେ ପଚାରିଲି, କଟକ କାହିଁକି ଯାଇଥିଲୁ? ଗୋଟିଏ ନୂଆ ବ୍ୟବସାୟ ଆରମ୍ଭ କରିବି ବୋଲି ଠିକ୍ କରିଛି ଅସୀମ୍, ତୋ ମତ କଣ କହିଲୁ ? ମୋତେ ଖଣ୍ଡେ ସିଗାରେଟ ବଢ଼ାଇ ସେ ଖଣ୍ଡେ ନେଇ କହିଲା । କଣ ସେ ବ୍ୟବସାୟଟା ନ କହିଲେ ମୋର ମତ କେମିତି ଦେବି ? ହସି କହିଲି ।
ବାସ୍ତବିକ ମୋର କଟକ ଯିବା କିଛି ଆବଶ୍ୟକ ନଥିଲା । ଏମିତି କେତେଟା ଜିନିଷ କିଣିବା ପାଇଁ ଯାଇଥିଲି । ମୁଁ ବି ଭାବୁଛି ବ୍ୟବସାୟଟା ମନ୍ଦ ହେବନି । ତା’ ଆଡ଼କୁ କଣେଇ ଚାହିଁ କହିଲି । କଣ ମନ୍ଦ ହେବନି, ଛେନା ଗୁଡ଼ ? ମୁଁ କଣ କରିବି କିଛି ନଜାଣି କହିଲା କଣ ନା ବ୍ୟବସାୟଟା ମନ୍ଦ ହେବନି । ସେଇ କଥା ତ ମୁଁ କହୁଛି । ତୁ ସେଇଟା ନ କହି ଇଆଡ଼ୁ ସିଆଡ଼ୁ ଗପିଗଲୁ । ଭାବିଲି ଯେଉଁ ବ୍ୟବସାୟଟା ତୁ କରିବାକୁ ଯାଉଛୁ ଧନ ବଢ଼ାଇବ । ହସି ହସି କହିଲି । ସେ ମଧ୍ୟ ହସିଲା । ତା’ ପରେ ଆଉ ଖଣ୍ଡେ ସିଗାରେଟ ମୁହଁରେ ଧରାଇ କହିଲା, ହଁ ଅସୀମ, ଲାଭ ତ ହେବ ନିଶ୍ଚୟ ତେବେ କିଛି କଷ୍ଟ ସହିବାକୁ ହେବ ।
ସେତ ହେବ ଯାହା ହେବାକୁ ଅଛି, ପ୍ରଥମେ କହ କଣ କରିବାକୁ ଯାଉଛୁ ? ମୁଁ କହିଲି ବିରକ୍ତ ହୋଇ। ଆରେ ହଁ, ଅସଲ କଥାଟା ନକହି । ଆଛା ଛାଡ଼ ସେସବୁ । ହଁ, କେଉଁଝରରେ ଆଇରନ୍ ମାଇନ୍ ଲିଜ୍କୁ ନେବି ବୋଲି ଭାବିଛି । ତୋ ମତ କଣ କହ । ତୁ ଏକୁଟିଆ ଟଙ୍କା ଖଟାଇବୁ ନା ପାର୍ଟନରସିପ୍ ? ଏକୁଟିଆ ନୁହେଁ କି ପାର୍ଟନରସିପ୍ ବି ନୁହେଁ । ଗୋଟିଏ ଲିମିଟେଡ଼ କମ୍ପାନୀ କରିବାକୁ ଆମେ ଭାବିଛୁ ।
ଆମେ ମାନେ ? ଏତେବେଳ ଯାଏଁ ଆମେ ଦଶ ଜଣ ଅଛୁ । ଆଉ କେତେଟା ସେଆର ବିକ୍ରୀ କରିଦେଲେ ହେଲା । ଭଲ ହେବ ତ ନିଶ୍ଚୟ । ତୁ ତ ଜାଣୁ ବ୍ୟବସାୟର ‘ବ’ ଅକ୍ଷର ମୁଁ ଜାଣେନି । ତୋର ନିଜ ମତ ତ ଅଛି । କିଛି ସମୟ ଭାବି କହିଲି, ବାପା କଣ କହୁଛନ୍ତି ? ବାପା ରାଜି । କହିଲା ସେ । ଏଇ ବ୍ୟବସାୟ ନିଶ୍ଚୟ କର ରଜତ୍ ।
ମୀରାର ନିଦ ଭାଙ୍ଗି ଗଲା । ନିଦ ଭାଙ୍ଗିବା ଦେଖି ଆମର ଗପ ବନ୍ଦ । ମୁଁ ମୀରାକୁ ପଚାରିଲି, କଣ ମୀରା ? ଶୋଷ ହେଉଛି । ଧୀରେ ସେ କହିଲା । ପାଣି ଦେଲି । ପାଣି ପିଇ କହିଲା, ଚିତି କାହିଁ ? ଖାଇବାକୁ ଯାଇଛି । କହିଲା ରଜତ । ରଜତ ପାଟିରୁ ଏତିକି ବାହାରିଛି କି ନାହିଁ ସୁଚିତ୍ରା ଆସି କହିଲା, କଣ ରଜୁ ଭାଇ ? ମୀରା ଡାକୁଛି କହିଲା ସେ । ସୁଚିତ୍ରା ମୀରା ପାଖକୁ ଆସିଲା । ମୁଁ ବୁଝି ପାରିଲି ସେ କାହିଁକି ସୁଚିତ୍ରାକୁ ଖୋଜୁଥିଲା । ମୁଁ ରଜତକୁ କହିଲି, ଆ ଯିବା; ତୋ ରୁମ୍କୁ । ରଜତ କିଛି ନ କହି ଆସିଲା । ତା’ରୁମ୍କୁ ଆସି ଖଟ ଉପରେ ମୁଁ ଶୋଇ ରହିଲି । ରଜତ ବି ମୋ ପାଖରେ ଶୋଇଲା ।
ଆଉ ତୋ କଥା କଣ କହ ? ପଚାରିଲା ସେ । ମୋ କଥାରେ ଆଉ କିଛି ନୂଆ ନାହିଁ । ସେଇ ପୁରୁଣାକୁ ଓଲଟ ପାଲଟ କଲେ ଯାହା ପାଇବୁ ସେତିକି । କହିଲି ମୁଁ । ତୁ ଆଉ ଦାର୍ଶନିକ ପରି କହନା ଅସୀମ, ମୁଁ ସିରିୟସ୍ଲି ପଚାରୁଛି । ମୁଁ କଣ ଥଟ୍ଟା କରୁଛି ଭାବୁଛୁ ? କଣ କରିବାକୁ ଠିକ୍ କରିଛୁ ? ସେ ପଚାରିଲା । କଣ କରିବି; ତୁ କହ । କହିବି କଣ କରିବୁ ତୁ ? ତୁ ପୁଣି ପରୀକ୍ଷାଟା ଦେଇ ଦେ । ମୁଁ ହସିଲି ତା କଥା ଶୁଣି । କଣ ଭାବୁଛୁ ? ହସିଲୁ ଯେ । ପୁଣି ସେ ପଚାରିଲା । ହଉ ପରୀକ୍ଷା ଦେବି ତା’ ପରେ ? ମୋ ମତରେ ତୋର ଅନ୍ତତଃ ବି.ଏ. ଟା ପାସ୍ କରିବା ଉଚିତ୍ ।
ମୁଁ ପଚାରିଲି ବି.ଏ. ଡିଗ୍ରୀଟା ପ୍ରତି ତୋର ଏତେ ମମତା କାହିଁକି ? ମମତା ନୁହେଁ, ଆଜିକାଲିକାର କଥାତ ତୁ ଜାଣୁ, ବି.ଏ. ଖଣ୍ଡେ ପାସ୍ ନକଲେ । ତୁ ବୋଧେ ଜାଣିନୁ ରଜତ ମୁଁ ବର୍ତ୍ତମାନ କେଉଁ ପରିସ୍ଥିତି ଭିତର ଦେଇ ଚାଲିଛି, ମୋ ମନର ଅବସ୍ଥା କଣ ଆଉ ଘରର ଆବାହାବା କେମିତି ? ତୁ ଏସବୁ ବୁଝି ପାରିବୁନିରେ । ଆଚ୍ଛା ତୁ କଣ କରିବାକୁ ସ୍ଥିର କରିଛୁ କହିଲୁ ? ପୁଣି ସେଇ ପ୍ରଶ୍ନ ପଚାରିଲା । ଭାବିଛି ଚାକିରି କରିବି । କି ଚାକିରି ? ଯାହା ମିଳିବ । ତୋ ମୁଣ୍ଡ ଠିକ୍ ଅଛି ତ ?
ହଁ ଭାଇ ମୋ ମୁଣ୍ଡ ଖରାପ ହେଇନି । ଖରାପ ହୋଇଯିବ ଯଦି ଏମିତି ଆଉ କିଛି ଦିନ ଘରେ ବସି ରହିବି । ମୁଁ ନିଜେ ନିଜେ ରୋଜଗାର ନ କରିବା ଯାଏଁ ଶାନ୍ତି ନାହିଁ । ସେ କିଛି କହିଲା ନାହିଁ । କଣ ଭାବିବାକୁ ଲାଗିଲା । କିଛି ସମୟ ପରେ କହିଲା ବାସ୍ତବିକ୍ ଏଇ ସଂସାରଟା ବଡ଼ ବିଚିତ୍ର ଅସୀମ । ମଣିଷର ଭାଗ୍ୟବି ବଡ଼ ଅଦ୍ଭୁତ । ମଣିଷ ଯାହା ହେବାକୁ ଆଶା କରିଥାଏ, ଆଉ ହୁଏ କଣ ? ଚାକିରି କଲେ ଯଦି ଶାନ୍ତି ପାଇବୁ ବୋଲି ଭାବୁଛୁ ତେବେ ଚାକିରି ପାଇଁ ଚେଷ୍ଟା କର । ଭବିଷ୍ୟତକୁ ଭବିଷ୍ୟତ ହାତରେ ଛାଡ଼ିଦେଇ ଦେଖ୍ କଣ ହେଉଛି ।
ମୁଁ ନୀରବ ରହିଲି ତା’ କଥା ଶୁଣି । କିଛି ସମୟ ପରେ ଆମେ ଦୁହେଁ ଶୋଇଗଲୁ ସେଇ ଖଟ ଉପରେ। ଆମକୁ ସାଙ୍ଗେ ସାଙ୍ଗେ ନିଦ ଆସିଗଲା । ହଠାତ୍ କାହାର ହାତର ସ୍ପର୍ଶ ପାଇ ମୁଁ ଉଠି ବସିଲି । ଦେଖିଲି ସୁଚିତ୍ରା ଛିଡ଼ା ହୋଇଛି ମୋ ସାମ୍ନାରେ । ସେତେବେଳେ ସନ୍ଧ୍ୟା । ରଜତ ନଥିଲା ମୋ ପାଖରେ । ସୁଚିତ୍ରାକୁ ଚାହିଁଲି । ସେ ଜଳଖିଆ ରଖୁଥିଲା ଟେବୁଲ୍ ଉପରେ । ରଜତ କୁଆଡ଼େ ଗଲା ? ପଚାରିଲି ମୁଁ । ତଳଘରେ ମଉସାଙ୍କ ପାଖରେ ବସିଛନ୍ତି । ମୋତେ ଚାହିଁ ସେ କହିଲା ।
ମୀରା ପାଖରେ କିଏ ଅଛନ୍ତି ? ମାଉସୀ ବସିଛନ୍ତି । ଚାଲନ୍ତୁ ମୁହଁ ଧୋଇବେ, ଜଳଖିଆ ଆଣିଛି । ଡାକ୍ତର ଆସିଥିଲେ ? ହଁ । କହିଦେଇ ସେ ମୋର ଆଉ କୌଣସି କଥାକୁ ଅପେକ୍ଷା ନ କରି ସେଠାରୁ ଚାଲିଗଲା । ମୋତେ ଆଶ୍ଚର୍ଯ୍ୟ ଲାଗିଲା ତା’ର ଏଇ ଅଭିନୟ ଦେଖି । ମୁହଁ ଧୋଇ ଜଳଖିଆ ଖାଇ ମୀରା ପାଖକୁ ଗଲି । ମାଉସୀଙ୍କ ସଙ୍ଗେ ଦୁଇ ଚାରି ପଦ କଥାବାର୍ତ୍ତା ହେଲି । ଏଥି ମଧ୍ୟରେ ସୁଚିତ୍ରାର ଭାବକୁ ଲକ୍ଷ୍ୟ କରୁଥିଲି । ସାତଟା ବାଜିଲା । ମୁଁ ଯିବାକୁ ପ୍ରସ୍ତୁତ ହେଲି । ମୀରା ପାଖକୁ ଆସି କହିଲି, ଯାଉଛି ମୀରା ।
ପୁଣି କେବେ ଆସିବ ? ସେ ପଚାରିଲା । କାଲି ସକାଳେ । ଦେଖ୍ ତୁ ଆଉ ବେଶି କଥା ହେବୁନି । ସେ ମୋ କଥା ଶୁଣି ସାମାନ୍ୟ ହସିଲା । ମୁଁ ହସି ସେଠାରୁ ଚାଲି ଆସିଲି । ତହିଁ ଆରଦିନ ସକାଳେ ମୀରାକୁ ଦେଖିବାକୁ ଯାଇ ପାରିଲି ନାହିଁ । ତିନିଟା ବେଳେ ତାଙ୍କ ଘରେ ପହଁଞ୍ଚି ଦେଖେତ ରଜତ ବେଡ଼ିଙ୍ଗ୍ ବାନ୍ଧିବାରେ ବ୍ୟସ୍ତ । ଆଶ୍ଚର୍ଯ୍ୟ ହୋଇ ପଚାରିଲି, କିରେ ପୁଣି କୁଆଡ଼େ ଯିବାକୁ ବାହାରିଛୁ ? ଭୁବନେଶ୍ୱର । କହି ସେ ଜିନିଷପତ୍ର ସଜାଡ଼ିବାରେ ବ୍ୟସ୍ତ ରହିଲା । କେବେ ଫେରିବୁ ? କହି ପାରିବିନି ଭାଇ, କେତେଦିନ ଲାଗିବ କେଜାଣି ? ଏକ୍ସପ୍ରେସ୍ରେ ଯିବୁ ବୋଧେ ? ହୁଁ
ମୁଁ ଆଉ କିଛି ନକହି ମୀରାକୁ ଦେଖିବା ପାଇଁ ତା’ ରୁମ୍ରୁ ବାହାରକୁ ଗଲାବେଳେ ସେ ମୋତେ ଡାକି କହିଲା, ମୋ ସାଙ୍ଗରେ ଟିକିଏ ଷ୍ଟେସନକୁ ଆସିବୁ ଅସୀମ ? ତୋତେ କେତେଟା କଥା ପଚାରିବାକୁ ଅଛି । କଣ ପଚାରୁନୁ ? ସେ ସାମାନ୍ୟ ହସି କହିଲା; Confidential Talk, ଏଠି କହି ହେବନି । ଓଃ ଯେଉଁ Confidential ତ, ହୁଁ । ସେଠାରୁ ଚାଲି ଆସିଲି ମୀରା ପାଖକୁ । ଦେଖିଲି, ଖଟକୁ ଆଉଜି ମୀରା ବସିଛି । ମୁଁ ତା’ ପାଖରେ ବସି କହିଲି, ମୀରା କେମିତି ଅଛୁ ? ସକାଳେ ଆସିଲନି ଯେ ? ସେ ପ୍ରଶ୍ନ କଲା ।
ସକାଳେ ! ହଁ ସକାଳେ ଆସି ପାରିଲିନି; ଟିକିଏ କାମ ଥିଲା । ମୋର ଆସିବା ନ ଆସିବା ସାଙ୍ଗେ କଣ ଅଛି ? । ଭଲ ଲାଗୁଛି ଆଜି । ସତରେ ଅସୀମ ଭାଇ ତୁମେ କଥା ବନାଇବାରେ ଖୁବ୍ ଓସ୍ତାଦ୍ଅଛ ବୋଲି ମୁଁ ଆଗରୁ ଜାଣି ନଥିଲି । ଆଗରୁ ଜାଣିଥିଲେ ବୋଧେ ମୋତେ ଗୁରୁ କରିଥାନ୍ତୁ ? ମୁଁ ବି ହସିଲି । ଇଲୋ ବୋଉ, କିଏ ଗୁରୁ କରିବ ମ ? ଦୁଷ୍ଟାମି କରି କହିଲା ସେ ।
ଏତେବେଳଯାଏଁ ସୁଚିତ୍ରା ଉପରେ ମୋର ଦୃଷ୍ଟି ପଡ଼ିନଥିଲା । ମୀରାର କଥା ଶୁଣି ସେ ଯେତେବେଳେ ହସିଲା ମୋର ଦୃଷ୍ଟି ଯାଇଁ ତା’ ଉପରେ ପଡ଼ିଲା । ଅସୀମ ଭାଇ । ଉଁ କଣରେ ? କଣ ଭାବୁଛୁ ମ ? କାହିଁ, କିଛି ଭାବୁନ ତ ! କଣ କହିବାକୁ ଚାହୁଁଛୁ ? ସୁଚିତ୍ରା କଣ କାମରେ ସେଠାରୁ ଚାଲିଗଲା । ସେ ଚାଲିଗଲେ କାହିଁକି ମୀରା ? ଭାଇ କହୁଥିଲେ ତୁମେ ଚାକିରୀ ଖୋଜୁଛି ? ମୋ ପ୍ରଶ୍ନର ଉତ୍ତର ନ ଦେଇ ପଚାରିଲା ସେ । ହଁ ସତରେ ତୁମେ ଚାକିରି କରିବ ଅସୀମ ଭାଇ ? ହଁ ଚାକିରୀ ନକରି ଆଉ କଣ କରିବି କହିଲୁ ? କି ଚାକିରୀ କରିବ ?
ହଁ, ଯଦି ନିହାତି ଜାଣିବାକୁ ଚାହୁଁ ତେବେ କହିବି । ଯେଉଁଠି ଯାହା ପାଇବି ମୁଁ କରିବି ମୀରା ମୋର ଶିକ୍ଷାରେ କଣ ଚାକିରୀ ମିଳିବ ; ତୁ କଣ ଜାଣିନୁ ? କଣ ? ନିହାତି ପକ୍ଷେ ଖଣ୍ଡେ କିରାଣୀ ଚାକିରୀ । ତୁମେ କିରାଣୀ ହେବ ଅସୀମ ଭାଇ ! ବିସ୍ମୟରେ ପଚାରିଲା ସେ । ହଁ କାହିଁକି ତୋ ମନକୁ ପାଉନି ? ତୋର ଅସୀମ ଭାଇର ଭାଗ୍ୟରେ ଆଉ କିଛି ଚାକିରୀ କାହିଁରେ । କିରାଣି ଚାକିରୀ ହିଁ ଶେଷ ସମ୍ବଳ । ମୋର ଏଇ ଗୋଟିଏ ଜୀବନ ପାଇଁ ସେଇଟା କଣ ଯଥେଷ୍ଟ ନୁହେଁ ?
ଅସୀମ ଭାଇ, ମୋର ଗୋଟିଏ କଥା ରଖିବ ? ତୁମେ ଚାକିରି କରନି । ବିନୀତ ହୋଇ କହିଲା ସେ। ମୁଁ ହସି ହସି କହିଲି, ଆଉ କଣ କରିବି କହ । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା । କାହିଁକି ? କଣ ସେମାନେ ମୋ ପାଠରୁ ପାଇବେ ? ତୁମେ ଆହୁରି ପାଠ ପଢ଼ । କିରାଣୀ ଚାକିରି କଥା ଶୁଣି ଏମାନଙ୍କ ପାଟି ପିତା ହୋଇଯାଉଛି । ସମସ୍ତେ ଜାଣନ୍ତି ଏଇ ସଂସାରରେ କିରାଣୀର ସମ୍ମାନ ନାହିଁ । ମୋତେ କିରାଣୀ ଚାକିରି କରିବାକୁ ହେବ । ତା’ ଛଡ଼ା ମୋର ଆଉ କିଛି ଉପାୟ ନାହିଁ ।
ମୀରା ଧନୀ ଘରର ଝିଅ । ରଜତ ତା’ର ଭାଇ । ଦୁହିଁଙ୍କର ମନ ସମାନ । ସେଥିପାଇଁ ଦୁହିଁଙ୍କର ମତ ଗୋଟିଏ । ମୁଁ କିରାଣୀ ଚାକିରୀ ନ କଲେ ସେମାନେ ସୁଖୀ ହେବେ । କିନ୍ତୁ ସେଇ କିରାଣୀ ଚାକିରୀ ଯେ ମୋତେ ଅନେକ ଦିଗରେ ଏଇ ବର୍ତ୍ତମାନ ଅଶାନ୍ତିରୁ ମୁକ୍ତି ଦେବ । ସେମାନେ କିପରି ବୁଝିବେ ମୋତେ କେବେହେଲେ ବୁଝି ପାରିବେ ନାହିଁ । ବୁଝିବାକୁ ଚେଷ୍ଟା ମଧ୍ୟ କରିବେ ନାହିଁ । ତେବେ କଣ ମୁଁ କିରାଣୀ ହେଲେ ମୀରା ଓ ରଜତ ମୋତେ ଭଲ ପାଇବେନି? ମୋର କିରାଣୀ କଣ ଆମ ବନ୍ଧୁତାର ଅନ୍ତରାୟ ହେବ?
ବୁଝି ପାରିଲି, ଚାକିରୀର ନାଁ ଶୁଣି ସମସ୍ତେ ମୋର ନିଜତ୍ୱକୁ ଘୃଣା କରିବାକୁ ଆରମ୍ଭ କରି ଦେଲେଣି । କରନ୍ତୁ । ଅସୀମ ଭାଇ । କଣ ମୀରା ? କଣ ଭାବୁଛ ? ଧୀରେ ପଚାରିଲା ସେ । ମୋର ଆଉ ଭାବିବାକୁ କଣ ଅଛି ଯେ ଭାବିବି ? ତୁମେ ମନ କଷ୍ଟ କରୁଛ ? ନାହିଁ ତ । କାହିଁକି ମନ କଷ୍ଟ କରିବି ? ସେଇଆ ମୁଁ ଦେଖୁଛି । ମୀରାର ଛଳ ଛଳ ଆଖିକୁ ଚାହିଁମୋର ଆଖି ଲୁହ ପୋଛି ଦେଲି । ମୁଁ ସାଙ୍ଗେ ସାଙ୍ଗେ ଉଠି ଆସି ମୀରା ଆଖିର ଲୁହ ପୋଛି ଦେଲି ।
କାହାର ସ୍ପର୍ଶ ପାଇମୁଁ ବୁଲି ଦେଖିଲି ମୀରା ମୋ ପାଖରେ ଛିଡ଼ା ହୋଇଚି । ତା’ର ଆଖି ପୋଛି କହିଲି କାନ୍ଦୁଛୁ କାହିଁକିରେ, ଚାଲ ଶୋଇବୁ । ତାକୁ ଧରି ଖଟ ପାଖକୁ ଆଣି ତା’କୁ ଶୋଇ ଦେଲି । ଅସୀମ ଭାଇ । କଣ । ତୁମେ କଣ ଭାବୁଛ, ମୁଁ ତୁମ ମନକଥା ବୁଝିପାରୁନି ? ମୁଁ ତା’ର ହାତ ମୁଠାକୁ ଚାପି ଧରିଲି । ତା’ ପ୍ରଶ୍ନର କଣ ଉତ୍ତର ଦେବି କିଛି ସ୍ଥିର କରି ପାରୁ ନଥିଲି । ତା’ର ମୋ ପ୍ରତି ଯେଉଁ ଅନୁରାଗ ଅଛି, ସେତିକିରୁ ମୁଁ ଯଥେଷ୍ଟ ଅନୁମାନ କରି ପାରୁଥିଲି, ସେ ମୋର ମନ କଥା ବୁଝିବାକୁ ଚେଷ୍ଟା କରି ବିପଳ ହେଇନି ।
ମୋ ରାଣ ଅସୀମ ଭାଇ ! ତୁମେ ନିଜକୁ ଆଉ କଷ୍ଟ ଦିଅନି । ଦେଖିଲ, ଏମିତି ଭାବି ତୁମ ଦେହ କଣ ହେଲାଣି । ମୀରା ମୋର ନିଜ ଭଉଣୀ ନୁହେଁ ।ତା’ ମୁହଁରୁ ମିଠା କଥା ଶୁଣି ମୋର ମନ ଆନନ୍ଦରେ ଉତ୍ଫୁଲ୍ଲ ହୋଇ ଉଠିଲା । ତା’ର ଏଇ ପ୍ରୀତିର ବିନିମୟରେ ମୁଁ ତାକୁ କଣ ଦେବି । ମୋର ଛଳ ଛଳ ଆଖିକୁ ପୋଛିଦେଇ କହିଲି, କାହିଁକି ତୁ ତୋର ଏଇ ସ୍ନେହ ଡ଼ୋରି ଭିତରେ ମୋତେ ବାନ୍ଧି ରଖୁ ମୀରା ? ମୁଁ ତୋତେ କଣ ଦେଇପାରିବି ? ମୁଁ ଦରିଦ୍ର, ମୋର କିଛି ନାହିଁ । ତୋର ଏଇ ସ୍ନେହ ଟିକକ ହିଁ ମୋର ସମ୍ପଦ । ତାକୁ ମୁଁ ।
ସତରେ ଅସୀମ ଭାଇ ତୁମ ମୁଣ୍ଡ ଖରାପ ହୋଇଗଲାଣି, ମୁଁ କଣ କହିଲି ଯେ ତୁମେ ତା’ର ଏତେ ବ୍ୟାଖ୍ୟା କରୁଛ, ସେ ଅଭିମାନ କରି କହିଲା । ତା’ର ଏଇ ଅଭିମାନୀ କଥାରେ ମୋ ମନର ସବୁ ଦୁଃଖକୁ ଦୂର କରିଦେଲା । ସୁଚିତ୍ରା ଆସି ଔଷଧ ଖୁଆଇଦେଲା ମୀରାକୁ । ଦେଖୁଛ ଅସୀମ ଭାଇ, ଏ ମୋର କେତେ ସେବା କରୁଛି ? ହଁ, ନଣନ୍ଦର ସେବା ନକରି ଯିବ କୁଆଡ଼େ । ଯେତେହେଲେ ସେ ମୋର ସୁନା ଭାଉଜ । ଆଉ । ଫାଜିଲ ବଦମାସ୍ । କହିଦେଇ ସୁଚିତ୍ରା ଲାଜରେ ସଢ଼ିଯାଇ ସେଠାରୁ ଚାଲି ଯିବାକୁ ବସିଲା ।
କିନ୍ତୁ ମୀରା ତା’ର ଶାଢ଼ୀ କାନିଟାକୁ ଟାଣିଧରି କହିଲା । ରାଗୁଛ ନୂଆବୋଉ, ଆଛା ମୁଁ କ୍ଷମା ମାଗୁଛି, ତୁମେ ରାଗି ଗଲେ ଯେ ମୋର ସର୍ବନାଶ ହୋଇଯିବ । ଓଃ ବଦମାସ୍ଟା ମୋ କାନିକୁ ଛାଡ଼ୁଛୁ କି ନାହିଁ, ସୁଚିତ୍ରାର କଥାରେ ଲଜ୍ୱା ଏବଂ କ୍ରୋଧ କରିଥିଲା ଭଳି ମୋର ମନେହେଲା । ମୁଁ କହିଲି, କାନିଟା ଛାଡ଼ୁଛୁ କି ନାହିଁ ନ ପଚାରି ଆଛା ମୀରା ଛାଡ଼ିଦେ । ମୋ କଥା ଶୁଣି ମୀରା କାନିଟା ଛାଡ଼ିଦେଲା । ସାଙ୍ଗେ ସାଙ୍ଗେ ସୁଚିତ୍ରା ସେଠାରୁ ଦୌଡ଼ି ଚାଲିଗଲା ମୁହଁଟାକୁ ବିକୃତ କରିଦେଇ ।
ସେ ଚାଲିଯିବା ପରେ ମୀରାର ପଦ କେତୋଟି ମୋର ମନକୁ ଆନ୍ଦୋଳିତ କରିଦେଲା । ତେବେ କଣ ରଜତ ସାଙ୍ଗେ ସୁଚିତ୍ରାର ବିବାହ ହେବାର ଠିକ୍ ହୋଇସାରିଛି ? ତା’ ନହେଲେ ମୀରା ତା’କୁ ‘ନୂଆ ବୋହୂ’ କହି କାହିଁକି ଚିଡ଼େଇ ଥାଆନ୍ତା ? । ଏହି ଯୋଡ଼ି ବି ଖୁବ୍ ମାନିବ । ମାନିବନି କେମିତି ? । ରଜତ ଗ୍ରାଜୁଏଟ । ଧନୀ ସନ୍ତାନ । ଗୋଟିଏ ଜାତି, ଗୋଟିଏ ସମାଜର ଦୁହେଁ । ଦୁହିଁଙ୍କର ବିବାହ ସୁନ୍ଦର ଭାବରେ ହୋଇପାରିବ। ଚିତି ମନକୁ କେମିତି ପାଉଛି ଭାଇ ? ହଠାତ୍ ପଚାରିଲା ମୀରା ସାମାନ୍ୟ ହସି । ଆଁ ହଁ ଭଲ ଝିଅଟିଏ ତ । କହିଲି ମୁଁ ସଂକ୍ଷେପରେ ଅପ୍ରତିଭ ହୋଇ ।
ମୋର ଉତ୍ତର ଶୁଣି ସେ ହସିଲା । ତା’ ପରେ କହିଲା, ତେବେ ତୁମ ମନକୁ ପାଇଛି ?’’ କାହିଁକି, ଆଉ କାହା ମନକୁ ପାଇନି ନା କଣ ? ମୁଁ ମଧ୍ୟ ହସି ପଚାରିଲି । ନାଇଁ ସେମିତି ଖାଲି ପଚାରିଲି ନା । ମୀରାକୁ ପଚାରି ପାରିଲି ନାହିଁ । ତା’ର ବିବାହ ସମ୍ବନ୍ଧରେ । ପଚାରିବାକୁ ସାହାସ ହେଲା ନାହିଁ । ସେ ଯଦି ମୋ କଥାର ଆଉ କିଛି ଅର୍ଥ ବାହାର କରେ ତେବେ ସବୁ ଗୋଳମାଳ ହୋଇଯିବ । ଏଇ ଆଶଙ୍କାରେ ତାକୁ କିଛି ପଚାରିଲି ନାହିଁ ଅନେକ କିଛି ଜାଣିବାକୁ ଇଛା ହେଉଥିଲେ ବି ।
ରଜତ ଓ ସୁଚିତ୍ରା ଯଦି ବିବାହ କରନ୍ତି ତେବେ ମୁଁ ନିଶ୍ଚୟ ସୁଖୀ ହେବି । ତାଙ୍କର ବିବାହରେ ମୁଁ ଦୁଃଖ କରିବା କିଛି କାରଣ ମଧ୍ୟ ନାହିଁ । ହୋଇପାରେ, ସୁଚିତ୍ରାକୁ ମୁଁ ଭଲ ପାଇଛି । ତେବେ ମୁଁ ତ ସେମିତି କିଛି ଗୁରୁତର ଦୋଷ କରିନି ତା’କୁ ଭଲ ପାଇ ? ଭଲ ପାଇବା ମଣିଷର କେତୋଟି ଜନ୍ମଗତ ସ୍ୱଭାବ ଭିତରୁ ଗୋଟିଏ । ସୁନ୍ଦର ବସ୍ତୁକୁ ଦେଖିଲେ ସମସ୍ତେ ଭଲ ପାଇବେ । ମୁଁ ବି ସେମିତି ଗୋଟାଏ ସୁନ୍ଦର ବସ୍ତୁକୁ ଦେଖି ଭଲ ପାଇଛି । ଏଥିରେ ବା ମୋର ଦୋଷ କଣ ?
ସୁଚିତ୍ରାକୁ ପାଇଲେ ମୁଁ ଯେତିକି ସୁଖୀ ହୋଇପାରିଥାନ୍ତି ତା’କୁ ନ ପାଇଲେ ଯେ ମୁଁ ଦୁଃଖ ପାଇବି ଏହି ଭ୍ରାନ୍ତ ଧାରଣା ମୋର ନାହିଁ । ପାଇବା ଏବଂ ନପାଇବା ଭିତରେ ପ୍ରଭେଦ ଅଛି ନିଶ୍ଚୟ ଯେମିତି ଦୁଃଖ ଓ ସୁଖ ଭିତରେ ତଫାତ ଅଛି । କିନ୍ତୁ ମୋର ଏଇ ସୁଚିତ୍ରାକୁ ନପାଇବା ଭିତରେ ସେତେବେଳେ କିଛି ପାର୍ଥକ୍ୟ ନଥିଲା। ସୁଚିତ୍ରାର ଓ ମୋର ପରିଚୟ ଅଳ୍ପଦିନର । ତାର ଓ ମୋର ବନ୍ଧୁତା ଘନିଷ୍ଠ ନୁହେଁ । ସେମିତି ପରିସ୍ଥିତିରେ ମୁଁ ତା’କୁ ପାଇଲେ ସୁଖୀ ହୋଇ ପାରିବି କି କାହିଁ ଆଉ ତା’କୁ ନ ପାଇଲେ ଦୁଃଖୀ ହେବି କି ନାହିଁ ମୁଁ କିଛି ଜାଣି ପାରୁ ନଥିଲି । ଦୁଇଟିଯାକ ମୋ ମତରେ ସେତେବେଳେ ସମାନ ଥିଲା ।
ଏକ୍ସପ୍ରେସ୍ ସମୟ ହୋଇଯିବାରୁ ମୀରାଠାରୁ ବିଦାୟ ନେଇ ରଜତ ସାଙ୍ଗେ ମୁଁ ଷ୍ଟେସନକୁ ଗଲି । ରାସ୍ତାରେ କେତେଟା ବାଜେ ଯୁକ୍ତି ହୋଇଥିଲା । ସେଗୁଡ଼ାକ ସେମିତି କିଛି ଉଲ୍ଲେଖ ଯୋଗ୍ୟ ନୁହେଁ । ଷ୍ଟେସନରେ ପହଁଞ୍ଚି ସେ ଖଣ୍ଡେ ସେକେଣ୍ଡକ୍ଲାସଟିକେଟ କରିଲେ ମୋ ପାଇଁ ଖଣ୍ଡେ ପ୍ଲାଟଫର୍ମ ଟିକେଟ ଆଣିଲେ। ସେକେଣ୍ଡକ୍ଲାସ କମ୍ପାର୍ଟମେଣ୍ଟରେ ସେ ତା’ର ବେଡ଼ିଙ୍ଗ୍ ଓ ସୁଟ୍କେଶକୁ ରଖି ପ୍ଲାଟଫର୍ମକୁ ଆସିଲା । ମୁଁ ଗୋଟିଏ ସିଗାରେଟ ପାକେଟ୍ ତା’ ହାତକୁ ଦେଲି । ଗାଡ଼ି ଛାଡ଼ିବାକୁ ଆହୁରି ଅଧଘଣ୍ଟା ଡେରି ଥିଲା । ସେ ଖଣ୍ଡେ ସିଗାରେଟ ଲଗାଇ ପାକେଟଟା ମୋତେ ଫେରାଇ ଦେଲା ।
ତୋର Confidential Talk କଣ ଅଛି ? ତୁ କିଛି ଜାଣିନୁ ତେବେ ? ଦେଖ୍ ଅସୀମ ଚାଲବାଜି ମୋ ପାଖରେ କରନା, ମୁଁ ସବୁ ଜାଣେ । ମୁଁ ହସିଲି ତା’ କଥା ଶୁଣି । ରଜତ ସବୁବେଳେ ଏମିତି ଢ଼ଙ୍ଗରେ କଥା ଆରମ୍ଭ କରେ । ମୁଁ କହିଲି ମୋତେ ନ କହିଲେ ମୁଁ କେମିତି ଜାଣିବି ଚିତି କଥା ମୁଁ କହିବାକୁ ଯାଉଥିଲି । କହିଲା ସେ । ହଁ କଣ ହେଲା ତା’ର ? ବିସ୍ମୟରେ ପଚାରିଲି । ମୁଁ ଜାଣେ ତୁ ଇଡ଼ିଏଟ୍ । ମୁଁ ମାନୁଛି ଇଡ଼ିଏଟ୍ । କଥାଟା କଣ କହ । ଜାଣୁ ସୁଚିତ୍ରା ତୋ ପାଇଁ କେମତି ପାଗଳ ? କହିଲା ରଜତ ।
ମୋତେ ଜୋର୍ରେ ହସ ମାଡ଼ିଲା । ତୁ ପାଗଳ ହୋଇ ଗଲୁଣି ନା କଣ ? ଆଶ୍ଚର୍ଯ୍ୟ ହୋଇ ପଚାରିଲା ସେ । ହସ ବନ୍ଦ କରି କହିଲି । ପାଗଳ ମୁଁ ନୁହେଁ ଯେ ତୁ, ମୁଁ କିଏ ଆଉ ସୁଚିତ୍ରା କିଏ ? ଆମ ଦୁହିଁଙ୍କର ପରିଚୟ ବା କେତେଟା ଦିନର । ସେଥିରେ ସେ ମୋ ପାଇଁ ପାଗଳ ହୋଇ ଉଠିଛି, ଶୁଣିଲେ ଖାଲି ମୁଁ ହସିବିନି ଯେ ଦୁନିଆ ହସିବ । ତୁ ମୋତେ ଥଟ୍ଟା କରନା ରଜତ । ତୁ ତ ଜାଣୁ, ମୁଁ ବର୍ତ୍ତମାନ କେମିତି ଗୋଟାଏ ଅଦ୍ଭୁତ ଜୀବ ହୋଇ ରହିଛି । ସେଥିରେ ସୁଚିତ୍ରା ପରି ଯୁବତୀ ମୋତେ । ନା ରଜତ୍, ତୁ ଭୁଲ ବୁଝିଛୁ ।
ଅସୀମ ଗୋଟିଏ କଥା ଶୁଣିବୁ ? ତୁ ଭାଇ ଥରେ ରାଞ୍ଚି ଯାଇ ଚାଲିଆ, ସେଠୁ ଫେରିଲେ ଯାଇ ତୋ ମୁଣ୍ଡ ଠିକ୍ ହେବ । କହିଲା ସେ । ଥଟ୍ଟା ନୁହେଁ ଅସୀମ, ଆଜି ସକାଳେ ଯାହା ମୀରାଠୁ ଶୁଣିଲି ସେଥିରୁ ମୁଁ ଭଲ ଭାବରେ ବୁଝି ପାରିଛି ଚିତି ତୋତେ ଭଲ ପାଇଛି ଆଉ ତୋତେ ପାଇବା ପାଇଁ । କିନ୍ତୁ ରଜତ, ଆଉ ମୁଁ ଯାହା ମୀରାଠୁ ଶୁଣିଲି ସେଥିରୁ ମୁଁ ଭଲ ଭାବରେ ବୁଝିପାରିଛି ସୁଚିତ୍ରା ସାଙ୍ଗେ ତୋର ବିବାହ ହେବାପାଇଁ ଯୋଗାଡ଼ ଚାଲିଛି । କହିଲି ମୁଁ ବିସ୍ମିତ ହୋଇ । ପାଗଳ ନା କଣ ? ତୁ ଭୁଲ୍ ବୁଝିଛୁ ଅସୀମ । ଆମ ଦୁହିଁଙ୍କର ବିବାହ ହୋଇ ପାରିବନି । କାହିଁକି ମୁଁ କହି ପାରିବିନି । କିନ୍ତୁ ଏତିକି ତୁ ମନେ ରଖିଥା । ଚିତିକୁ ମୁଁ ଯେଉଁ ଦୃଷ୍ଟିରେ ଦୁଖୁଛି ସେଇ ଦୃଷ୍ଟିକୁ ମୁଁ କେବେ ବଦଳାଇ ପାରିବିନି । ମୁଁ କଦାପି ଏଡ଼େ ନୀଚ ହୋଇ ପାରିବିନି ଅସୀମ ।
ତୁ ହୁଏତ ବୋଉଠୁଁ ମୋର ବିବାହ କଥା ଆହୁରି ଶୁଣିନୁ । ତୋତେ ସେ କହିବ ନିଶ୍ଚୟ । ହଁ ଯାହା ସାଙ୍ଗେ ମୋର ବିବାହ ହେବାପାଇଁ ଠିକ୍ ହୋଇଛି ତା’କୁ ଚିତି ପ୍ରଥମେ ଦେଖି ପସନ୍ଦ କରିଛି । ପ୍ରଥମେ ତା’ର ମତ ମୁଁ ଚାହିଁଥିଲି । ଆଗରୁ ଦୁଇ ତିନି ଜାଗାରେ ସମ୍ବନ୍ଧ ଭାଙ୍ଗିଛି କେବଳ ଚିତି ନା ପସନ୍ଦ ଯୋଗୁଁ । ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବୁ, ନିଜ କଥା ନେଇ ମୁଁ ଚିତିଠୁ ଯେତିକି ପରାମର୍ଶ ଲୋଡ଼ିଛି ମୀରାକୁ ସେତିକି ପଚାରିନି । ଚିତି ମୋର ଭଉଣୀ, ଅସୀମ୍ । ଦେଖି ପାରୁନୁ ମୀରା ଆଉ ଚିତି ଦୁଇ ଭଉଣୀ ପରି ଦେଖାଯାନ୍ତି । ଭୁଲ୍ରେ ବୋଧେ ଭଗବାନ ତା’କୁ ଅନ୍ୟଘରେ ଜନ୍ମ ଦେଇଛନ୍ତି । ତଥାପି ଚିତି ଆଉ ମୀରା ଭିତରେ ମୁଁକେବେ ତଫାତ ଦେଖିନି। ରଜତ ଗମ୍ଭୀର ହୋଇ କହୁଥିଲା ।
ମୁଁ କିଛି କହି ପାରିଲି ନାହିଁ । ଏତେ ଚଞ୍ଚଳ ଯେ ରଜତ ମୋର ସଂଶୟ ଦୂର କରିଦେବ, ଏ ଆଶା ମୋର ନଥିଲା । ରଜତର କଥା ମୋର ମନକୁ ଗୋଳମାଳ କରିଦେଲା । ମୁଁ ବୁଝି ପାରୁ ନଥିଲି, ସୁଚିତ୍ରା କେମିତି ମୋତେ ଭଲ ପାଇବାକୁ ଇଚ୍ଛା କଲା । ମୋର କେଉଁ ଗୁଣକୁ ଦେଖି ସେ ମୋ ପ୍ରତି ଏମିତି ଆକୃଷ୍ଟ ହୋଇଯାଇଛି ? । ଆମର ଆଳାପ ଭିତରେ କେତେବେଳେ ଘଣ୍ଟି ବାଜି ସାରିଛି । ଆମର ଖିଆଲ ନାହିଁ । ଗାଡ଼ି ଛାଡ଼ିବା ପାଇଁ ଗାର୍ଡ଼ ଯେତେବେଳେ ହୁଇସିଲ୍ ଦେଲା ରଜତ କମ୍ପାର୍ଟମେଣ୍ଟରେ ଚଢ଼ି କହିଲା, ‘‘ମୀରା ପ୍ରତି ଖିଆଲ ରଖିଥିବୁ ଅସୀମ, ଟିକିଏ କିଛି ସିରିୟସ ହେଲେ ମୋତେ ଟ୍ରଙ୍କ କଲ କରିବୁ ।’’ କହିଦେଇ ମୋତେ ଫୋନ ନମ୍ବର ଦେଲା ।
ଗାଡ଼ି ପୁରୀ ଷ୍ଟେସନ ଛାଡ଼ିଲା । ମୁଁ ସେମିତି ପ୍ଲାଟଫର୍ମ ଉପରେ ଠିଆ ହୋଇ ଭାବୁଥିଲି । ପ୍ରାୟ ପାଞ୍ଚ ମିନିଟ୍ ଭାବି କିଛି ସିଦ୍ଧାନ୍ତରେ ପହଞ୍ଚି ନ ପାରି ଘରକୁ ଫେରିଲି । ତହିଁ ଆରଦିନ ସକାଳେ ମୁଁ ମୀରାକୁ ଦେଖିବାକୁ ଗଲି । ଦେଖିଲି, ମୀରା ଖଟ ଉପରେ ବସି ଖଣ୍ଡେ ବହି ପଢ଼ୁଛି, ମୋତେ ଦେଖି ବହିଟାକୁ ଥୋଇ ହସି ହସି କହିଲା, ‘‘ଆଜି ଆଉ କିଛି କାମ ନ ଥିଲା ଭାଇ ? ଏଡ଼େ ସକାଳୁ ଚାଳଇ ଆସିଲ ଯେ ?’’ ମୁଁ ହସି କହିଲି,କି ବହିଟା ପଢ଼ୁଥିଲୁ ଦେଖେଁ ।
ଗୋଟେ ବାଜେ ବହି ମ, କହି ବହିଟାକୁ ଲୁଚାଇ ରଖିବାକୁ ଚେଷ୍ଟା କଲା । ମୁଁ ବହିର ମଲାଟକୁ ଦେଖି ବୁଝି ପାରିଲି ସେ କି ବହି ପଢ଼ୁଥିଲା । ହୁଁ ତେବେ ଏ ସବୁ ପଢ଼ା ହେଉଛି ନା ? ଲାଜରେ ସେ ମୁହଁ ତଳକୁ କରିଦେଲା ମୋ କଥା ଶୁଣି । ମୁଁ ହସି କହିଲି, ଆଚ୍ଛା ଛାଡ଼ ସେ ସବୁ, କହ କେମିତି ଅଛୁ ? । ଆଉ କିଛି ଖରାପ ଲାଗୁନି ଭାଇ । କହିଲା ସେ ସେମିତି ମୁହଁ ତଳକୁ କରି । ଡାକ୍ତର ଆସିଥିଲେ ? ହଁ କହିଲେ ଆହୁରି ସାତଦିନ ଯାଏଁ ବିଛଣା ଛାଡ଼ିବାକୁ ହେବନି । ଭଲ ହୋଇଛି । ମୁଁ ଏମିତି ପଡ଼ି ରହିଲେ ତୁମକୁ ଭଲ ଲାଗୁଛି ନୁହେଁ ? କହିଲା ସେ ଆଶ୍ଚର୍ଯ୍ୟରେ । ମୁଁ ତା’ର ବିସ୍ମୟକୁ ଦେଖି ହସି କହିଲି, ନାରେ ପାଗଳ, ତୋର ଭଲ ପାଇଁ କହୁଥିଲି । ଆଚ୍ଛା ସୁଚିତ୍ରା ଦେବୀଙ୍କର ଦେଖା ନାହିଁ ଯେ ।
ମୋତେ କଣେଇ ଚାହିଁ ହସି କହିଲା । ହଠାତ୍ ଆଜି ସୁଚିତ୍ରା ଦେବୀ କେମିତି ମନେ ପଡ଼ିଲେ ? ଦେଖ ସେ ଆସିଗଲା । ବାସ୍ତବିକ୍ ତୁ ଶହେ ବର୍ଷ ବଞ୍ଚିବୁ ଲୋ । ମୁଁ ପଛକୁ ଚାହିଁ ଦେଖିଲି ସୁଚିତ୍ରା ଆମରି ଆଡ଼କୁ ଆସୁଛି । ତୋତେ ଆଜି ଅସୀମ ଭାଇ ଖୋଜୁଛନ୍ତି ଚିତି । ମୁହଁରେ ଦୁଷ୍ଟ ହସ ଖେଳାଇ କହିଲା ମୀରା । ମୋତେ କାହିଁକି ଖୋଜିବେ । ତୋତେ ଖୋଜୁଥିବେ, ତୁ ପରା ତାଙ୍କର ଗେହ୍ଲା ଭଉଣୀ । ସୁଚିତ୍ରା ମୋତେ କଣେଇ ଚାହିଁ ମୀରାକୁ କହିଲା ।
ତୋର ମୁଣ୍ଡ ବିଗିଡ଼ି ଗଲା ବୋଧେ, ଆଲୋ ପାଗଳି, ମୋତେ ଖୋଜୁଥିଲେ ସେ ମୋ ସାମନାରେ ବସି ତୋ କଥା କାହିଁକି ପଚାରନ୍ତେ ? ମୀରା ହସି କହିଲା । ତୁ ଭାରି ଦୁଷ୍ଟ ମୀରା । ମୁଁ କହିଲି କଣ ?ଆଉ ତୁ କଣ କହୁଛୁ, କିଏ ଶୁଣିଲେ କଣ କହିବ ଯେ ? କୃତ୍ରିମ ରାଗରେ କହିଲି ମୀରାକୁ । କିଏ ଶୁଣିଲେ କଣ କହିବ ନ କହି ସୁଚିତ୍ରା ଦେବୀ ଶୁଣିଲେ କଣ କହିବେ, ଏମିତି କହିଥିଲେ ଭଲ ହୋଇଥାଆନ୍ତା ଭାଇ । ମୁରୁକି ହସି କହିଲା ମୀରା ।
ବଡ଼ ବଦମାସ୍ ଟା । ଆଚ୍ଛା ଆଉ କହିବିନି । ଏଥର ତୁମେ ଯାହା ପଚାରି ପାର ସୁଚିତ୍ରା ଦେବୀଙ୍କୁ । କହିବ ଯଦି ମୁଁ ଏଠୁ ଚାଲିଯିବାକୁ ବି ପ୍ରସ୍ତୁତ । ଇଲୋ ବୋଉ ଆରେ ସେମିତି ଚିମୁଟୁଛୁ କାହିଁକି ମ ? ଚମକି ଉଠି ମୀରା ସୁଚିତ୍ରାକୁ ଚାହିଁଲା । ମୋର ଯାହା ପଚାରିବାକୁ ଅଛି ମୁଁ କଣ ପଚାରି ପାରିବିନି ଯେ ତୁ ମୋତେ ନିର୍ଦ୍ଦେଶ ଦେଉଛୁ । ମୁଁ ତେବେ ରହିବି ନା ଯିବି, କାଳେ ତୁମ କଥାରେ । ହସିଲା ମୀରା ।
ବାସ୍ତବିକ ତୁ ବଡ଼ ଦୁଷ୍ଟ ହୋଇଗଲୁଣି । ସୁଚିତ୍ରା ବସିଲା ମୀରା ପାଖରେ । ମୋର ଠିକ୍ ଅପର ଦିଗରେ। ହଁ ଭାଇ, ଗୋଟେ କଥା କହିବାକୁ ଭୁଲି ଯାଇଛି । କାଲି ଚିତି କହୁଥିଲା ତୁମେ ତାଙ୍କ ଘରକୁ କାହିଁ କି ଯାଉନ? ଘର ତ ମୁଁ ଦେଖିନି ଯିବି କେମିତି ? ଘର ତ ମୁଁ ଦେଖିନି, ଯିବି କେମିତି ? ପଚାରିଲି । ଆଜି ସଞ୍ଜବେଳେ ଯିବା ଭାଇ ? ତୁ ଯିବୁ ? ଆଶ୍ଚର୍ଯ୍ୟ ହୋଇ ପଚାରିଲି ତା’ର କଥା ଶୁଣି ।
ହଁ କାହିଁକି, କଣ ହେଲା ? ମୋତେ ସତରେ ଭାରି ଖରାପ ଲାଗୁଛି ଏଇ ବିଛଣାଟା ଉପରେ ବସି ବସି । ଆଜି ଡାକ୍ତରଙ୍କୁ ପଚାରିଲି ସେ ସମୁଦ୍ର କୂଳ ଆଡ଼େ ବୁଲି ଯିବାକୁ ଅନୁମତି ଦେଲେ । ବାପା ମଧ୍ୟ ଅନୁମତି ଦେଇଛନ୍ତି । କିନ୍ତୁ ମୁଁ ତ ଅନୁମତି ଦେବିନି । ଉଁ....ଭାଇ.... । ଦେଖିଲି ସଙ୍ଗେ ସଙ୍ଗେ ତା’ର ମୁହଁଟି ମଉଳି ଗଲା । ଅଭିମାନ କରି ମୁହଁକୁ ବୁଲାଇ ନେଲା ମୋ ଆଡ଼ୁ । ତା’ର ଅଭିମାନକୁ ଦେଖି କହିଲି, ରାଗୁଛୁ ମୀରା ? ସେ କିଛି ଉତ୍ତର ଦେଲା ନାହିଁ ।
ଆଚ୍ଛା ତୁ ଯାଇପାରୁ । କହିଲି ସ୍ନେହରେ । ମୋ କଥାରେ ତା’ର ମୁହଁଟି ଆନନ୍ଦରେ ସତେଜ ହୋଇ ଆସିଲା । କହିଲା, ମୁଁ ଏକୁଟିଆ କେମିତି ଯିବି ? ତୁମେ କ’ଣ ଆସିବନି ? । ଆସିବି ବୋଲି ତ ଭାବିଛି, ଦେଖାଯାଉ କଣ ହେଉଛି । ନାହିଁ ସେ ସବୁ ହବନି, ତୁମକୁ ଆସିବାକୁ ହେବ ନିଶ୍ଚୟ । ଆଜି ଯଦି ଠକିବ, ତେବେ ତୁମ ସଙ୍ଗେ ଆଉ କଥା ହେବିନି । କହି ଦେଉଛି । ମୁଁ ହସି କହିଲି, ଆଚ୍ଛା ଦେଖିବା ମୋ ସଙ୍ଗେ କଥା ନହୋଇକେତେଦିନ ରହିପାରିବୁ ? ।
ବଡ଼ ଦୁଷ୍ଟ । କହିଲା ସେ ମୁହଁକୁ ଫୁଲାଇ ଦେଇ । ଆଉ କିଛି ସମୟ ସେଇ ଦୁଇ ଯୁବତୀଙ୍କ ମେଳରେ ବସି ଘରକୁ ଫେରିଲି । ଘରେ କୌଣସି କାମରେ ମନ ଲାଗିଲା ନାହିଁ । ଖାଇ ସାରି କିଛି ସମୟ ଶୋଇବାକୁ ଚେଷ୍ଟା କଲି; କିନ୍ତୁ ଆଖିକୁ ନିଦ ଆସିଲା ନାହିଁ । ସୁଚିତ୍ରାର କଥା ଭାବିଲି । ମୀରା କଥା ବି ଭାବିଲି । ସୁଚିତ୍ରାର ମନୋଭାବକୁ ମୁଁ କିଛି ବୁଝି ପାରୁ ନଥିଲି । ତା’ର କଥା ଯେତିକି ଭାବୁଥିଲି ମୋର ମନ ସେତିକି ଆନ୍ଦୋଳିତ ହୋଇ ଉଠୁଥିଲା ।
ରଜତର କଥା ମୋର ମନେ ପଡ଼ିଲା । ସୁଚିତ୍ରା ମୋତେ ପାଇବା ପାଇଁ ବ୍ୟାକୁଳ । ସତରେ କ’ଣ ସେ ମୋତେ ଭଲପାଏ ? ମୋତେ ଭଲପାଇ ସେ ମୋ ଠାରୁ କଣ ପାଇବ ? ମୋ ନିକଟରେ କିଛି ନାହିଁ । ଯାହାକୁ ପାଇଲେ ସେ ସୁଖୀ ହେବ । ତା’ର ସ୍ନେହ ବଦଳରେ ହୁଏତ ମୋର ସ୍ନେହ ପାଇବ ? । ସେତିକି କେବଳ କଣ ସେ ମୋ ଠାରୁ ଆଶା କରିଛି ? ମୁଁ ବୁଝି ପାରୁନଥିଲି କିଛି, ମୋ ଭଳି ଯୁବକକୁ ସୁଚିତ୍ରା ପରି ଝିଅ ଭଲ ପାଇବ। ଏଇ ଆଶା ମୋର କେବେ ନଥିଲା । କିନ୍ତୁ ରଜତର କଥା ଶୁଣି ମୋର ଆଶାର ପ୍ରଦୀପଟି ଜଳି ଉଠିଛି ଖୁବ୍ ତେଜରେ । ସୁଚିତ୍ରା ମୋତେ ଭଲ ପାଇଛି, ଏତିକି ମୋ ପକ୍ଷରେ ଯଥେଷ୍ଟ ।
ସନ୍ଧ୍ୟାବେଳେ ମୁଁ ଓ ମୀରା ସୁଚିତ୍ରା ଘରକୁ ଗଲୁ । ଘରଟି ସେମିତି କିଛି ବଡ଼ ନୁହେଁ । ମଧ୍ୟମ ଧରଣର। ରୋଷେଇ ଘର ଏବଂ ଗାଧୁଆ ଘର ମିଶି ପାଞ୍ଚୋଟି ବଖରା । ଆଡ଼ମ୍ବରହୀନ ସାଜସଜ୍ଜା । ସୁଚିତ୍ରାର ଭାଇ ସୁଧୀର ଘରେ ଥିଲା । ମୀରା ତାଙ୍କ ସଙ୍ଗେ ମୋର ପରିଚୟ କରାଇ ଦେଲା । ନା’ଟି ଯେମିତି ତାଙ୍କର, କଥା ଏବଂ ବ୍ୟବହାର ବି ସେପରି ଥିଲା । ତାଙ୍କର ଶାନ୍ତ ସ୍ୱଭାବ ମୋତେ ଖୁବ୍ ଭଲ ଲାଗିଲା । ତାଙ୍କର ଅନୁମତି ନେଇ ସୁଚିତ୍ରାର ମାଉସୀଙ୍କ ସଙ୍ଗେ ଦେଖା କରିବାକୁ ଭିତରକୁ ଗଲି । ସେ ମୋ ସାଙ୍ଗରେ ଆସିଲେ । ମାଉସୀଙ୍କୁ ପ୍ରଣାମ କରି ସୁଧୀରଙ୍କର ସ୍ତ୍ରୀଙ୍କୁ ବି ମୋର ମାନ୍ୟ ଜଣାଇ ଦେଲି ।
ଏମାନଙ୍କ ବ୍ୟତୀତ ଘରେ ଆଉ କେହି ନଥିଲେ । ପରେ ମୀରାଠୁଁ ବୁଝିଲି ପାଞ୍ଚ ବର୍ଷ ବିବାହିତ ଜୀବନରେ ସୁଧୀର ବାବୁ ‘ବାପା’ ଡ଼ାକ ଶୁଣି ପାରିନାହାନ୍ତି । ସୁଧୀରଙ୍କର ବୟସ ବି ସେପରି କିଛି ବେଶୀ ହୋଇନଥିଲା । ସତେଇଶି ଅଠେଇଶି ବର୍ଷର ଯୁବକ ପରି ଦେଖା ଯାଉଥିଲେ । ତାଙ୍କର ସ୍ତ୍ରୀ ଶୋଭା ଦେବୀଙ୍କର ବୟସ ବି ସେଇ ଉଣେଇଶି କୋଡ଼ିଏ ଭିତରେ । କିନ୍ତୁ ତାଙ୍କର କଥାରେ ସେମିତି ମାଧୁର୍ଯ୍ୟ ନଥିଲା। ଚିଡ଼ି ଚିଡ଼ା ସ୍ୱଭାବ ବୋଲି ଜାଣିପାରିଲି । ସେ ଟିକିଏ ଆତ୍ମଗର୍ବୀ । ନିଜର ବଡ଼ିମା ଅନ୍ୟ ଆଗରେ ଗାଇବାରେ ସେ ଖୁବ୍ ନିପୁଣା ।
ପରେ ମୀରାଠୁଁ ତାଙ୍କ ବିଷୟରେ କେତୋଟି କଥା ଶୁଣି ମୁଁ ଖୁବ୍ ହସିଥିଲି । ସଂକ୍ଷେପରେ କହିବାକୁ ଗଲେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମେଳ ନଥିଲା ଯଦିଓ ସୁଧୀର ଶୋଭା ଦେବୀଙ୍କୁ ଆନ୍ତରିକ ଭଲ ପାଉଥିଲେ । ତାଙ୍କର କଥା କହିବା ଭଙ୍ଗୀ ଏବଂ ତାଙ୍କର ସେଇ ତୀକ୍ଷ୍ଣ ଚାହାଣି ଦେଖି ମୋର କାହିଁକି ତାଙ୍କ ପ୍ରତି ବିରାଗ ହେଲା । କିଛି ସମୟ ଆଳାପ କରି ଆମେ ଦୁହେଁ ଚାଲି ଆସିଲୁ ସମୁଦ୍ର କୂଳକୁ । ବିଦାୟ ନେଲା ବେଳେ ଶୋଭା ଦେବୀ କହିଥିଲେ, ଆଉଥରେ ଆସିବାକୁ ଭୁଲିବେ ନାହିଁ ଅସୀମ ବାବୁ । ଉତ୍ତରରେ ମୁଁ ସାମାନ୍ୟ ହସିଲି ।
ସମୁଦ୍ର କୂଳ ବାଲି ଉପରେ ଆମେ ଦୁହେଁ କିଛି ସମୟ ବସିଲୁ । ଅସୀମ ଭାଇ । ଉଁ କଣ ମୀରା ? ଚାହିଁଲି ମୀରାକୁ । ଗୋଟିଏ କଥା ପଚାରିବି କହିବ ? ଆଗ୍ରହରେ ପଚାରିଲା ସେ । କ’ଣ ରେ ? ଚିତି ତୁମକୁ କେମିତି ଲାଗୁଛି କହିଲ ? ମୀରାର ଉଦ୍ଦେଶ୍ୟ ମୁଁ କିଛି ବୁଝି ପାରିଲି ନାହିଁ । ପଚାରିଲି, ଥରେ କହିଥିଲି, ତୁ ଭୁଲି ଗଲୁଣି ? ସେ ହସିଲା ସାମାନ୍ୟ । ମୁଁ ସୁଚିତ୍ରାକୁ କେମିତି ଲାଗେ ମୁଁ ଜାଣେନି ! କିନ୍ତୁ ସେ ମୋତେ ଭଲ ଲାଗେ । ଏଇଟା ପୁଣି ତୋତେ କହିବାକୁ ହେବ ମୀରା ?
ଚିତି ବି ଠିକ୍ ଏମିତି କହୁଥିଲା । ମାନେ ? ମାନେ ! ସେ ବି କହୁଥିଲା ଅସୀମ ବାବୁଙ୍କୁ ମୁଁ କେମିତି ଲାଗେ ତ କହି ପାରିବିନି କିନ୍ତୁ ସେ ମୋତେ ଖୁବ୍ ଭଲ ଲାଗନ୍ତି । ଏଇଟା ତୋତେ କେମିତି କହିବି ମୀରା ? ମୀରା କହିଲା ମୋର ମୁହଁକୁ ଚାହିଁ । ତା’ର କହିବା ଭଙ୍ଗୀ ଦେଖି ଅନ୍ୟ କୌଣସି ସମୟ ହୋଇଥିଲେ ମୋତେ ନିଶ୍ଚୟ ହସ ମାଡ଼ିଥାନ୍ତା । ତା’ର କଥା ମୋର ମନକୁ ହଲଚଲ କରିଦେଲା । ହଠାତ୍ ଗମ୍ଭୀର ହୋଇଗଲି ମୁଁ ।
ସବୁ ପ୍ରହେଳିକା ପରି ଜଣାପଡ଼ୁଥିଲା ମୋତେ । ତୁନି ରହିଲ ଯେ ? ମୀରା ପଚାରିଲା । ଆଉ କଣ କହିବି ? ତାକୁ ଚାହିଁ ପଚାରିଲି । ଆମ ଦୁହିଁଙ୍କ ଭିତରେ ଆଉ କିଛି କଥାବାର୍ତ୍ତା ହେଲା ନାହିଁ । କିଛି ସମୟ ପରେ ଘରକୁ ଫେରିଲୁ । ମୀରାକୁ ତା ଘରେ ଛାଡ଼ି ମୁଁ ଯେତେବେଳେ ଘରେ ପହଁଞ୍ଚିଲି ସେତେବେଳେ ମୋ ମନର ଅବସ୍ଥା କେମିତି ଥିଲା ତାହା ମନେ ନାହିଁ । କିନ୍ତୁ ସୁଚିତ୍ରାକୁ ପାଇବାର ଆଶା ତୀବ୍ର ହୋଇ ଉଠିଲା ।
ରାତିରେ ନିଦ ହେଲା ନାହିଁ । ଆଖି ଆଗରେ ସୁଚିତ୍ରା ଉଭା ହେଲା । ଜୀବନରେ ମୋର ସୁଚିତ୍ରା ପରି ଯୁବତୀ ସମ୍ପର୍ଶରେ ଆସିବା ନୂଆ ନୁହେଁ । ମୋର ଏଇ ଜୀବନରେ ମୁଁ ଅନେକ ଯୁବତୀଙ୍କ ସମ୍ପର୍ଶରେ ଆସିଛି । ଅନେକ ମୋତେ ଭଲ ପାଇଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶଙ୍କର ଭଲ ପାଇବା ଭିତରେ କିଛି ସ୍ୱାର୍ଥ ଥିଲା । ସେଇ ସ୍ୱାର୍ଥ ନିକଟରେ ମୁଁ କେବେ ହାର ମାନିନି । ଆଉ ମୋର ସେଇ ପୌରୁଷ ପାଇଁ ଅନେକ ଯୁବତୀ ମୋତେ ଅପମାନ ବି ଦେଇଛନ୍ତି । ଭଲ ପାଇବା ଭିତରେ ଆବିଳତା ଆସେ ଯେତେବେଳେ, ସେଇ ଭଲ ପାଇବାର ଆଉ କିଛି ମୂଲ୍ୟ ରହେନି । ସେଇ ଭଲ ପାଇବା ଅପବିତ୍ର ହୋଇଯାଏ ।
ମୋର ଏବେ ମନେ ଅଛି । କଲେଜରେ ପଢ଼ିଲା ବେଳେ ଏମିତି ଗୋଟିଏ ଯୁବତୀ ସଙ୍ଗେ ପରିଚିତ ହେବାର ସୁଯୋଗ ମିଳିଥିଲା । ଯୁବତୀଟି ବଙ୍ଗାଳୀ । ସେ ବଙ୍ଗାଳୀ ବୋଲି ତା’ର ଗର୍ବ ଥିଲା । ମୁଁ କହି ପାରିବିନି ସବୁ ବଙ୍ଗାଳି ଝିଅଙ୍କର ଏମିତି ଗର୍ବ ଥାଏ କି ନା; ଅନ୍ୟ ଜାତି ପ୍ରତି ଘୃଣା ଥାଏ । ସେଇ ଘୃଣା ମୋର ପୌରୁଷକୁ ବିଶେଷ ଆଘାତ କଲା । ଜିଦ୍ ଧରିଲି, ତାଙ୍କ ସେଇ ଦମ୍ଭକୁ ଭାଙ୍ଗିବି ।
ମୋର ଜିଦ୍ ରହିଲା । ତାଙ୍କର ସେଇ ଦମ୍ଭ ବି ଭାଙ୍ଗିଲା । ଆମର କ୍ଲାସର ଗୋଟିଏ ଯୁବତୀ ସଙ୍ଗେ ମୋର ପରିଚୟ ହେଲା । ବନ୍ଧୁତା କ୍ରମଶଃ ଦୃଢ଼ ହେଲା । ତା’ ପ୍ରତି କାହିଁକି ମୋର ସ୍ନେହ ଥିଲା, ସେ ବି ମୋତେ କେମିତି ଏବଂ କାହଁକି ଭଲ ପାଇଲା ମୁଁ କହିପାରିବି ନାହିଁ । ତେବେ ସେ ଯେ ମୋତେ ଆନ୍ତରିକ ସ୍ନେହ କରୁଥିଲା, ତା’ର ପ୍ରମାଣ ତାର ଆଳାପ ଓ ବ୍ୟବହାରୁ ପାଇଲି । ଆମର ବନ୍ଧୁତା ଆଗେଇଗଲା । ଆମେ ଦୁହେଁ ପରସ୍ପରକୁ ଦିନେ ନ ଦେଖିଲେ ପାଗଳ ହୋଇ ଉଠୁଥିଲୁ ।
ପ୍ରଥମେ ଆମର ବନ୍ଧୁତା କଲେଜ ଭିତରେ ସୀମାବଦ୍ଧ ଥିଲା । କ୍ରମଶଃ ତାହା କଲେଜ ବାହାରେ ହେବାକୁ ଆରମ୍ଭ କଲା । ସିନେମା ଦେଖିବାକୁ ଗଲେ ଦୁହେଁ ମିଶି ଯାଉଥିଲୁ । ଗୋଟିଏ ଛୁଟିଦିନରେ ସହରଠାରୁ କିଛି ଦୂରରେ ଥିବା ଗୋଟିଏ ମନ୍ଦିରକୁ ଦେବ ଦର୍ଶନ ପାଇଁ ଯାଇଥିଲୁ । କିଛି ସମୟ ସେଠାରେ ଆନନ୍ଦରେ ସମୟ କଟିଗଲା । ସନ୍ଧ୍ୟାବେଳେ ଘରକୁ ଫେରିବା ପୂର୍ବରୁ ସେ ମୋତେ କହିଲା, ଚାଲନ୍ତୁ ଯିବା ପୂର୍ବରୁ ଥରେ ମନ୍ଦିର ଭିତରକୁ ଯାଇ ଭଗବାନଙ୍କ ଦର୍ଶନ କରି ଫେରିବା ।
ମୁଁ ମନାକଲି ନାହିଁ । ମୋ ହାତକୁ ଧରି ସେ ମନ୍ଦିର ଭିତରକୁ ନେଲା । ସେଠି ମନ୍ଦିର ପୂଜାରୀ ଛଡ଼ା କେହି ନଥିଲେ । ମନ୍ଦିର ଦ୍ୱାର ନିକଟରେ ହଠାତ୍ ମୋତେ କହିଲା, ଯଦି ଠାକୁରଙ୍କୁ ସାକ୍ଷୀ ରଖି ଆମର ଭବିଷ୍ୟତକୁ ଗଢ଼ିନେବା, ତେବେ ଭଲ ହେବନି ଅସୀମ୍ ବାବୁ ?
ତା’ର କଥା ଶୁଣି ମୁଁ ସ୍ତମ୍ଭୀଭୂତ ହୋଇଗଲି । ହଠାତ୍ ମୋ ମୁହଁରୁ କିଛି କଥା ବାହାରିଲା ନାହିଁ । ସେଇ ବୟସରେ ମୁଁ ମୋର ଭବିଷ୍ୟତକୁ ଗଢ଼ିନେବି । ଏ କଳ୍ପନା ମୁଁ କେବେ କରି ପାରି ନଥିଲି । ଆମ ଦୁହିଁଙ୍କର ବୟସ ପ୍ରାୟ ସମାନ । ଆଉ ମଧ୍ୟ ମୋର ବାପା ମା’ଙ୍କର ବିନା ଅନୁମତିରେ ମୁଁ ଏ କାମଟି କରିଦେବି ଭାବିଲା ବେଳେ ମୋର ଦେହ ଥରି ଉଠିଲା । କଣ ଭାବୁଛନ୍ତି ଚାଲନ୍ତୁ ନା, ମୋ ହାତକୁ ଟାଣି କହିଲା ।
ତୁମେ ଯାଅ ଶୀଳା, ମୁଁ ଏଠି ଅପେକ୍ଷା କରିଛି । ଅତି ଦୁର୍ବଳ ସ୍ୱରରେ ଉତ୍ତର ଦେଲି । ଆପଣ ଯଦି ଯିବାକୁ ଚାହାନ୍ତି ନାହିଁ ତେବେ ମୁଁ ବି ଯିବି ନାହିଁ । କହି ସେ ଅଟକିଗଲା । ମୁଁ ଥରେ ତାକୁ ଚାହିଁ ମୁହଁ ତଳକୁ କରି କହିଲି ତେବେ ଚାଲ, ଫେରିଯିବା । ପ୍ରତିବାଦ କଲା ନାହିଁ ସେ । ଦୁହେଁ ଘରକୁ ଫେରି ଆସିଲୁ । ଭାବିଲି ଭଲ ପାଇବାର ପ୍ରତ୍ୟୁତ୍ତର କଣ ଭଲ ପାଇବାରେ ମିଳେ ? ଭଲ ପାଇବାର ପ୍ରତିଦାନ ଯଦି ବିବାହ ଭିତରେ ରହିଛି, ତେବେ ଯୁବକ ଯୁବତୀ ପରସ୍ପରକୁ ଭଲ ପାଇ ଠିକ୍ କରୁ ନାହାନ୍ତି ବରଂ ତାହା ଜୀବନର ଗୋଟିଏ ବଡ଼ ଭୁଲ୍ ରହିଯାଏ । ଚିରଦିନ ପାଇଁ । ସେଇ ଭୁଲର ଆଉ ସଂଶୋଧନ ନାହିଁ । କିନ୍ତୁ ମୋ ମତରେ ଭଲ ପାଇବା ଅସୀମ । ବିବାହରେ ସେ ଅଟକି ଯାଏ ନାହିଁ । ତେବେ କ’ଣ ଯୁବକ ଯୁବତୀ ପରସ୍ପରକୁ ଭଲ ପାନ୍ତି, କେବଳ ବିବାହ ପାଇଁ । ତାର ପକ୍ଷପାତୀ ମୁଁ ନୁହେଁ । ଭଲ ପାଇବାର ଲକ୍ଷ୍ୟ ଯଦି ବିବାହ ହୁଏ, ତେବେ ତାହା ନିଃସ୍ୱାର୍ଥପର ନୁହେଁ ।
ତହିଁ ଆରଦିନ କଲେଜରେ ତା’ ସଙ୍ଗେ ବିଶେଷ କିଛି ଆଳାପ କଲି ନାହିଁ । କ୍ଲାସରେ ଅନ୍ୟମନସ୍କ ହୋଇ ରହୁଥିଲି । ଆମର ଏଇ ପରିଚୟ ଏବଂ ବନ୍ଧୁତା ଦେଖି ଅନ୍ୟ ବଙ୍ଗାଳୀ ଛାତ୍ରମାନେ ଈର୍ଷାରେ ଜଳି ଉଠୁଥିଲେ । ଏପରି କି ମୋତେ ସବୁ ସମୟରେ ଅପମାନିତ କରାଇବାକୁ ଚେଷ୍ଟା କରୁଥିଲେ । ସେଥିପ୍ରତି ମୁଁ ଭ୍ରୂକ୍ଷେପ କରୁନଥିଲି । ଶୀଳା କଲେଜର ଅନ୍ୟ ଛାତ୍ରୀଙ୍କ ଅପେକ୍ଷା ନିଶ୍ଚୟ ଅଧିକ ସୁନ୍ଦର ଥିଲା । ତା’ ପରେ ସହରର ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ କନ୍ୟା ଥିବାରୁ ତା’ ପ୍ରତି ଅନ୍ୟ ମାନଙ୍କର ଆକର୍ଷଣ ମଧ୍ୟ ଥିଲା ।
ସେପରି ଝିଅର ବନ୍ଧୁତ୍ୱରେ ମୁଁ ଗର୍ବ କରିବା ସ୍ୱଭାବିକ । ଦିନେ ତା’ର ସାନ ଭଉଣୀର ଜନ୍ମଦିନ ଉତ୍ସବରେ ଯୋଗ ଦେବା ପାଇଁ ମୋତେ ନିମନ୍ତ୍ରଣ କରିଥିଲା । ସନ୍ଧ୍ୟାବେଳେ ଗଲି ତାଙ୍କ ଘରକୁ । ଉତ୍ସବ ଶେଷ ହେଲାବେଳେ ରାତି ବାରଟା । ସେଇ ରାତିରେ ଘରକୁ ଫେରିବାକୁ ଶୀଳା ଅନୁମତି ଦେଲା ନାହିଁ । ତା’ର ବାପା ମା’ ବି ରାଜି ହେଲେନି । ବାଧ୍ୟ ହୋଇ ସେଇ ରାତିଟି ତାଙ୍କ ଘରେ କଟାଇବାକୁ ହେଲା ମୋତେ ।
ଶୋଉ ଶୋଉ ମୋତେ ନିଦ ଆସିଗଲା । ଭୋର ହୋଇ ନଥାଏ ।ହଠାତ୍ କାହାର ପରଶ ପାଇ ମୁଁ ଚମକି ଉଠିଲି । ବଖରାଟି ଅନ୍ଧାର ହୋଇଥିଲା । ତେଣୁ ମୁଁ ଜାଣି ପାରିଲି ନାହିଁ । କିନ୍ତୁ ମୁଁ ଠିକ୍ ଭାବରେ ଜାଣି ପାରିଲି ଯେ ଯିଏ ମୋତେ ସ୍ପର୍ଶ କରିଛି ସେ କେବେ ପୁରୁଷ ନୁହେଁ । ମୁଁ କିଛି କହିବାକୁ ବାହାରିଛି କି ନାହିଁ ସେ ମୋ ପାଟି ଉପରେ ତା’ର ହାତକୁ ଚାପି ରଖି କହିଲା ପାଟି କରନ୍ତୁ ନାହିଁ । ତା’ ସ୍ୱରରୁ ମୁଁ ଜାଣି ପାରିଲି, ସେ ଶୀଳା ଛଡ଼ା ଆଉ କେହି ନୁହେଁ ।
ମୋ ପାଟି ଉପରୁ ତା’ର ହାତକୁ ଉଠାଇ କହିଲି, ତୁମେ ଏଠି କାହିଁକି ଶୀଳା ! ହଁ, ଡ଼ର ମାଡ଼ୁଛି କି ? ସେ ଧୀରେ କହିଲା ମୋ କାନ ପାଖରେ । ତୁମେ ଚାଲିଯାଅ । କିଏ ଯଦି ଦେଖେ କଣ କହିବ । ଯାଅ ? ମୁଁ ଭୟରେ କହିଲି, ଯଦି ନଯାଏ । ମୁଁଯିବିନି । ଓଃ ମୋ କଥା ଶୁଣ ଶୀଳା, ଏତେ ରାତିରେ ତୁମେ ମୋ ପାଖରେ ରହିବା କଣ ଅନ୍ୟମାନଙ୍କ ଦୃଷ୍ଟିରେ ସୁନ୍ଦର ଦିଶିବ ବୋଲି ଭାବୁଛ ? ତୁମେ ଯଦି ଦୁର୍ବଳ ହୋଇଯାଅ ତେବେ।
ମୁଁ ଉଠି ବସିଲି । ମୋ ସ୍ଥାନରେ ଶୀଳା ଶୋଇଲା । ମୋର ଦୁଇ ହାତକୁ ଟାଣି ନେଇ ତା’ର ଖୋଲା ଛାତି ଉପରେ ଚାପିରଖି ଅତି ବିକଳ ହୋଇ କହିଲା, ତୁମ ଯୋଗୁଁ ଯେ ମୁଁ ଦୁର୍ବଳ ହୋଇ ଯାଇଛି । ମୋତେ ନିରାଶ କରିଦିଅ ନାହିଁ ଅସୀମ ବାବୁ । ସାଙ୍ଗେ ସାଙ୍ଗେ ତା’ର ଛାତି ଉପରୁ ମୋର ଦୁଇ ହାତକୁ ଟାଣି ଆଣି କହିଲି, ମୋ ଯୋଗୁଁ ଯଦି ତୁମେ ଦୁର୍ବଳ ହୋଇଥାଅ ତେବେ ସେଥିପାଇଁ ମୁଁ ଦାୟୀ ନୁହେଁ ଶୀଳା । ତୁମ ପାଇଁ କିନ୍ତୁ ମୁଁ ଏତେ ଦୁର୍ବଳ ହୋଇ ପାରିବି ନାହିଁ । ମୋତେ କ୍ଷମା କର ।
ଆଜି ଯାଏଁ ତୁମେ ମୋତେ ଭୁଲ୍ ବୁଝି ଆସିଲ ଶୀଳା, ତୁମର ଯୌବନ ସାଙ୍ଗେ ଖେଳିବାକୁ ମୁଁ ତୁମକୁ ଭଲ ପାଇ ନଥିଲି । ତୁମର ସତୀତ୍ୱକୁ ଦଳି ଦେବା ପାଇଁ ତୁମକୁ ମୁଁ ସ୍ନେହ କରିନଥିଲି । ତୁମେ ଯାଅ ଶୀଘ୍ର । ମୋର ମନକୁ ଆଉ ଦୁର୍ବଳ କରି ଦିଅନି । ତୁମକୁ ମୁଁ ଅନୁରୋଧ କରୁଛି । ଶୀଳା ଆଉ କିଛି ନକହି ନୀରବରେ ନିରାଶ ହୋଇ ମୋ ପାଖରୁ ଚାଲିଗଲା । ସକାଳ ହେବା ମାତ୍ରେ କାହା ସଙ୍ଗେ ଦେଖା ବି ନକରି ଘରକୁ ଚାଲି ଆସିଲି ।
ତା’ ପରେ ଲକ୍ଷ୍ୟ କଲି କଲେଜରେ ଦେଖାହେଲେ ସେ ପୂର୍ବ ପରି ମୋ ସାଙ୍ଗେ ହସି ହସି ଆଳାପ କରୁନି । ମୋ ଠାରୁ ଦୂରରେ ରହିବାକୁ ଚେଷ୍ଟା କରୁଛି । ମୁଁ ଜାଣେ ତା ମନରେ କଷ୍ଟ ହୋଇଛି । ତା ପିପାସାକୁ ମୁଁ ତୃପ୍ତ କରିପାରିନି । କ୍ଷଣିକ ଉତ୍ତେଜନାରେ ଭାଙ୍ଗିଯାଇ ମୁଁ କେବେହେଲେ ତା’ର ନାରୀତ୍ୱକୁ ଦଳି ଦେଇ ପାରିବିନି । ମୁଁ ଦୁର୍ବଳ ନିଶ୍ଚୟ, ତେବେ ବି ଶୀଳା ପରି ଝିଅର ଚରିତ୍ରକୁ ନଷ୍ଟ କରି ମୁଁ ଆହୁରି ଦୁର୍ବଳ କରି ଦେବାକୁ ଚାହିଁ ନ ଥିଲି ନିଜକୁ ।
ତା’ପରେ ମୋ ଜୀବନରେ ଅନେକ ଯୁବତୀ ଦେଖା ଦେଇଛନ୍ତି । ସେମାନଙ୍କ ଭିତରେ ଶୀଳା ଭଳି ଯୁବତୀ ବି ଥିଲେ । ସେମାନେ ବି ମୋ ଠାରୁ ନିରାଶ ହୋଇ ମୋତେ ଘୃଣା କରିଛନ୍ତି । ଯୁବକ ଯୁବତୀଙ୍କ ପକ୍ଷେ ଚରିତ୍ର ନଷ୍ଟ କରିଦେବା ଅତି ସହଜ । କିନ୍ତୁ ସେହି କଳଙ୍କକୁ ଦୂର କରିବା ସେତେ ସହଜ ନୁହେଁ । ସାମାନ୍ୟ କେତୋଟି ମିନିଟର ସୁଖ ପାଇଁ ସାରା ଜୀବନ ଯେ ଅନୁତାପ କରିବାକୁ ପଡ଼ିବ ଏହା ଖୁବ୍ କମ ଯୁବକ ଯୁବତୀ ଜାଣନ୍ତି ।
ଏମିତି ତିକ୍ତ ଅନୁଭୂତି ନେଇ ଯୁବତୀଙ୍କ ସାଙ୍ଗେ ବନ୍ଧୁତା କରିବା ପାଇଁ ମୋର ମନ ଭାଙ୍ଗି ଯାଇଥିଲା । ତେବେ ବି କେତେକଙ୍କର ନିଃସ୍ୱାର୍ଥପର ସ୍ନେହ ମମତା ମୁଁ ପାଇଛି । ସେଇ ପବିତ୍ର ସ୍ନେହ ମମତା ପାଇ ମଧ୍ୟ ମୋତେ ଅନେକ ସମୟରେ ଭୟ ହୁଏ । ସେମିତି ସୁଚିତ୍ରା କଥା ଭାବିଲା ବେଳେ ମୋର ଗତ ଅନୁଭୂତି ସବୁ ମନରେ ଖେଳି ଯାଏ, ସୁଚିତ୍ରା ବି ଯଦି ସ୍ୱାର୍ଥପର ହୁଏ ତେବେ ? କିନ୍ତୁ ସେ ଯେ ନିଃସ୍ୱାର୍ଥପର ହେବନି ଏହାର ତ କୌଣସି କାରଣ ନାହିଁ ।
ତହିଁ ଆରଦିନ ଦୁଇପ୍ରହର ବେଳେ ମୀରାକୁ ଦେଖିବାକୁ ଗଲି । ମୋର ତ କିଛି କାମ ନଥାଏ ସବୁବେଳେ ଘରେ ବସି ରହିବାକୁ ବିରକ୍ତ ବି ଲାଗୁଥାଏ । କେତେବେଳେ କେମିତି ପଢ଼ାପଢ଼ି କରି ସମୟ କଟାଇବାକୁ ହେଉଥିଲା । ରାତିରେ କିଛି ଲେଖାଲେଖି କରି ସମୟ କଟାଇବାକୁ ହେଉଥିଲା । ବହି ପଢ଼ିବାକୁ କିମ୍ବା ଲେଖିବାକୁ ସବୁ ସମୟରେ ଇଚ୍ଛା ହୁଏନି । ବାଧ୍ୟ ହୋଇ ବାହାରକୁ ଚାଲିଯାଏ ବୁଲିବାକୁ ।
ରଜତ ଓ ମୀରା ସଙ୍ଗେ ଯେଉଁଦିନରୁ ପରିଚୟ ହେଲା ମୋର ଆଳସ୍ୟ ସମୟଗୁଡ଼ାକ କଟାଇବା ପାଇଁ ଗୋଟିଏ ରାସ୍ତା ଖୋଲିଗଲା । ମୀରା ଘରକୁ ଯାଇ ଦେଖିଲି ସମସ୍ତେ ଶୋଇଛନ୍ତି । ରାଧାକାନ୍ତ ବାବୁ ଓକିଲ । ସେ କୋର୍ଟକୁ ଯାଇଥିଲେ । ମୀରା ତା’ ରୁମ୍ରେ ଶୋଇଥାଏ । ତା’ର ମା’ ବି ତାଙ୍କ ରୁମ୍ରେ ଶୋଇଥାନ୍ତି । ଚାକର ପୂଜାରୀ ସେମାନଙ୍କ ଖୁସି ଗପରେ ବ୍ୟସ୍ତ । ମୁଁ ଅଡ଼ୁଆରେ ପଡ଼ିଲି । ମୀରାକୁ ଉଠାଇବି କି ନାହିଁ ଭାବୁଛି। ଗୋବରା ଯାଇ ମୀରାକୁ ଖବର ଦେଇ ମୋତେ ଡାକି ନେଲା ତା’ ରୁମ୍କୁ ।
ମୋର ଏମିତି ସମୟରେ ଆସିବା ଉଚିତ ହୋଇନି ନୁହେଁ ମୀରା ? ଗୋଟିଏ ଚେୟାରକୁ ଟାଣି ଆଣି ମୀରାର ଖଟ ପାଖରେ ବସିଗଲି । କଣ ହେଲା କି ? ସେ ଉଠି ବସି ପଚାରିଲା । ମୁଁ ଆସି ତୋ ନିଦରେ ବାଧା ଦେଲି । ମୁଁ ହସିଲି । ସେଥିରେ କଣ ଅଛି ଭାଇ ! ଆସିଛ ଭଲ ହୋଇଛି । ମୋତେ ବି ଖରାପ ଲାଗୁଥିଲା । ଏକା ବସି ବସି, ବାଧ୍ୟ ହୋଇ ଶୋଇ ପଡ଼ିଲି । ସେ ବି ହସିଲା ।
ମୁଁ ଲକ୍ଷ୍ୟ କଲି, ସେ କିଛି ମିଛ କହୁନି । ତା’ର ମୁହଁ କହି ଦେଉଥିଲା ସେ ମୋର ଆସିବାରେ କିଛି ଅସୁବିଧା ଭୋଗ କରିନି । ମୋତେ ଦେଖି ଖୁସି ହୋଇଛି । ମୁଁ ଜାଣେ ମୀରା କେବେ ଖରାବେଳେ ଶୁଏନି । ଛୁଟିଦିନରେ ମଧ୍ୟ କିଛି ନା କିଛି କାମରେ ବ୍ୟସ୍ତ ରହିଥାଏ । ଆଜି ସିନେମାକୁ ଯିବା ଭାଇ ? ହଠାତ୍ ସେ ପଚାରିଲା । ଦେଖୁଛି ଶେଯରୁ ଉଠିଛୁ କି ନାହିଁ । ତୋର ପୃଥିବୀ ଭ୍ରମଣ କରିବାକୁ ଇଚ୍ଛା ହେଲାଣି । ମୁଁ ହସି କହିଲି ।
ମୋର ଇଚ୍ଛା ନାହିଁ କିନ୍ତୁ ଚିତି ବାଧ୍ୟ କରିଛି ଯିବାକୁ । ମୁହଁ ତଳକୁ କରି କହିଲା ସେ । ଚିତ୍ରା ଯଦି ବାଧ୍ୟ କରୁଛି ଚାଲିଯା ମୋତେ କାହିଁକି ଡାକୁଛୁ ? ତୁମକୁ ଡାକିବାକୁ ବି କହିଛି ଯେ । ମୋ ପ୍ରତି ଏତେ ମମତା କାହିଁକି ଶୁଣେ ? ତୁମେ ଜାଣିଥିବ, ମୋତେ ପଚାରିଲେ ମୁଁ କେମିତି କହିବି ? ଚିତ୍ରା ଦେବୀ କହିଲେ, ମୁଁ କହିଦେଲି । ମୀରା ମୁରୁକି ହସି କହିଲା । ହୁଁ ତୁ ତେବେ କିଛି ଜାଣିନୁ ? ଆଚ୍ଛା ଆଉ କିଏ ସବୁ ଯାଉଛନ୍ତି ? ଆଉ କିଏ ନାହିଁ, ତୁମେ, ମୁଁ ଆଉ ଚିତି । ବାସ୍ ଆମେ ତିନି ଜଣ ।
ହୁଁ । କଣ କହୁଛ ଯିବା ତ ? ତୁମର ତ ସବୁବେଳେ ଭାବନା । ଭାବୁଛି, ମୋତେ ସାଙ୍ଗ କରିବା ତୁମ ମାନଙ୍କର ଉଦ୍ଦେଶ୍ୟ କଣ ? ମୋ କଥା ଶୁଣି ମୀରା ଖିଲି ଖିଲି ହୋଇ ହସି ଉଠିଲା । ଏମିତି ଭୟ କାହିଁକି କରୁଛ ମ ? ହସକୁ ବନ୍ଦ କରି ପଚାରିଲା ସେ । ମୁଁ କାହିଁକି ଭୟ କରିବି ମୁଁ... ମୁଁ... । ହଁ ଡାକୁଛୁ ଯଦି ଯିବି କିନ୍ତୁ ଗୋଟିଏ ସର୍ତ୍ତରେ । କଣ ସେଇ ସର୍ତ୍ତଟା ଶୁଣେ ? ମୁଁ କିନ୍ତୁ ତୁମମାନଙ୍କ ସାଙ୍ଗରେ ବସିବି ନି । ଆଉ ? ତୁମେ ଦୁହେଁ ଲେଡ଼ିସ୍ ସିଟରେ ବସିବ ଆଉ ମୁଁ ଯେଉଁଠି ବସିବା କଥା ବସିବି । ମୋର ତ ସେଥିରେ ଆପତ୍ତି ନାହିଁ, କିନ୍ତୁ ଚିତି ଯଦି ଆପତ୍ତି କରେ ? ତେବେ ମୁଁ ଯିବିନି ।
ଆଚ୍ଛା । ତେବେ ତୁମ ସର୍ତ୍ତ ମାନିବାକୁ ଆମେ ପ୍ରସ୍ତୁତ ଅଛୁ । କହିଲା ସେ ସାମାନ୍ୟ ହସି । ସନ୍ଧ୍ୟାବେଳେ ମୁଁ ଟିକିଏ ଆଗରୁ ଚାଲିଗଲି ସିନେମା ହଲ୍ ପାଖକୁ । ଟିକେଟ କରିବାକୁ ଯାଉଛି ଗୋବରା ମୋତେ ଦେଖି କହିଲା, ନିଅନ୍ତୁ ଆପଣଙ୍କ ଟିକେଟ । ଦେଇ ଦେଇଛନ୍ତି । ତା’ କଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଲା । ମୀରାକୁ ମୁଁ କହି ଆସିଥଲି ଯେ ମୁଁ ଆଗରୁ ଯାଇ ଟିକେଟ କରି ରଖିଥିବି, ସେମାନେ ପରେ ଆସିବେ । ସେ ମଧ୍ୟ ମୋ କଥାରେ ରାଜି ହୋଇଥିଲା । କିନ୍ତୁ ଗୋବରା କଥା ଶୁଣି ମୋତେ ଯେତିକି ଆଶ୍ଚର୍ଯ୍ୟ ଲାଗିଲା ସେତିକି ମନରେ ରାଗ ବି ହେଲା । ମୁଁ ବୁଝି ପାରିଲି ନାହିଁ, ଗୋବରାକୁ ଆଗରୁ ଟିକେଟ କରିବା ପାଇଁ ପଠାଇବା ମୀରାର ମତଲବ କଣ ? ।
ଗୋବରା ହାତରୁ ଟିକେଟ୍କୁ ନେଇ ମୁଁ ପଚାରିଲି, ତାଙ୍କର ଟିକେଟ୍ କାହିଁ ? ଦେଇଙ୍କ ପାଖକୁ ରବି ହାତରେ ପଠାଇ ଦେଇଛି ଆଜ୍ଞା ! ଦେଇ କହିଥିଲେ । ଗୋବରା କହିଲା । ରବି ମୀରା ଘରର ପୂଜାରୀ । ତେବେ ଚାକର ପୂଜାରୀଙ୍କୁ ପଠାଇ ମୀରା ଏତେ କାମ କରି ପାରିଛି ! ସିନେମା ଆରମ୍ଭ ହେବା ପାଇଁ ଘଣ୍ଟି ବାଜିଲା । ସେମାନଙ୍କ ପାଇଁ ମୁଁ ଅପେକ୍ଷା କରିବା କିଛି କାରଣ ନଥିଲା । ସେମାନେ ତ ଲେଡ଼ିସ୍ ସିଟ୍ରେ ବସିବେ, ମୁଁ କାହିଁକି ସେମାନଙ୍କୁ ଚାହିଁ ରହିବି ?
ଉପର ମହଲାକୁ ମୁଁ ଚାଲିଗଲି । ଚିତ୍ର ଆରମ୍ଭ ହେଲା ବେଳେ ମୁଁ ଅନୁଭବ କଲି ଦୁଇଟି ଝିଅ ମୋ ପାଖ ସିଟ୍ରେ ବସିଲେ । ସେମାନଙ୍କ ପ୍ରତି ଲକ୍ଷ୍ୟ ନଥିଲା । କିନ୍ତୁ କିଛି ସମୟ ପରେ ମୀରାର ସ୍ୱର ମୋତେ ଶୁଣାଗଲା । ମୁଁ ଚମକି ଉଠିଲି । ମୁଁ ଚାହିଁ ଦେଖିଲି ବାସ୍ତବରେ ମୀରା ଓ ସୁଚିତ୍ରା ବସିଥିଲେ ମୋ ପାଖ ସିଟ୍ରେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି ସେମାନଙ୍କୁ ମୋ ପାଖରେ ଦେଖି ।
ମୋର ଅବଶ୍ୟ ଇଚ୍ଛା ଥିଲା ସେମାନଙ୍କୁ ମୋ ସଙ୍ଗେ ଆଣିବି । କିନ୍ତୁ କାହିଁକି କେଜାଣି ସୁଚିତ୍ରା ବସୁଥିବା ଜାଣି ମୋ ପାଖରେ ବସାଇବାକୁ ମୁଁ ଚାହିଁଲି ନାହିଁ । ମୀରା ଏକୁଟିଆ ଆସିଥିଲେ ମୁଁ କେବେହେଲେ ତା’କୁ ଲେଡ଼ିସ୍ ସିଟ୍ରେ ବସାଇ ନଥାନ୍ତି । ଅନେକ ଥର ଆମେ ଦୁହେଁ ମିଶି ସିନେମା ଦେଖିଛୁ । ମୁଁ ଅବଶ୍ୟ କାହାକୁ ଭୟ କରେନି । ସୁଚିତ୍ରା ସାଙ୍ଗରେ ମୋର ଘନିଷ୍ଠତା କିଛି ନାହିଁ, ମୀରା ସାଙ୍ଗେ ଯେପରି ମୋର ଅଛି । କହିବାକୁ ଗଲେ ସୁଚିତ୍ରା ମୋର ନିହାତି ଅପରିଚିତା ।
ଅବଶ୍ୟ ମୀରାର ଓ ତା’ର ବନ୍ଧୁତା ଅଛି, ତେବେ ବି ମୋ ସାଙ୍ଗେ ତା’କୁ ଯଦି ତା’ର କିଏ ଆତ୍ମୀୟ ଲୋକ ଦେଖନ୍ତି ସେମାନେ କଣ ଭାବିବେ ? ଏଇ ଭୟ ମୋର ଥିଲା । ନିଷ୍କଳଙ୍କ ସୁଚିତ୍ରାର ଚରିତ୍ରରେ ମୋ ପାଇଁ କଳଙ୍କ ଲାଗିବ ତାହା ମୁଁ କେବେ ବରଦାସ୍ତ କରି ପାରିବି ନାହିଁ । ଏଥିଯୋଗୁଁ ସୁଚିତ୍ରା ଓ ମୀରାକୁ ଲେଡ଼ିସ୍ ସିଟ୍ରେ ବସିବାକୁ କହିଥିଲି । କିନ୍ତୁ ବର୍ତ୍ତମାନ ଯାହା ଦେଖୁଛି ସେଥିରେ ମୋ କଥାର ଆଉ କିଛି ମୂଲ୍ୟ ରହିନି। ମନେ ମନେ ମୁଁ ରାଗି ଉଠିଲି । ମୁଁ ବୁଝି ପାରିଲି ଏଇ ସବୁ ନିଶ୍ଚୟ ସେଇ ଦୁଷ୍ଟା ମୀରାର ଚକ୍ରାନ୍ତ ।
ବର୍ତ୍ତମାନ ଆଉ କିଛି କରାଯାଇ ପାରିବନି । ଘରକୁ ଗଲେ ଯାଇ ଯେଉଁ କଥା । ଏଇଆ ଭାବି ତୁନି ରହିଲି । ଚିତ୍ରଟି କିଛି ଖରାପ ନଥିଲା । ଦେଖିବାକୁ ଭଲ ଲାଗୁଥିଲା । ତନ୍ମୟ ହୋଇ ଦେଖୁଥିଲି ପର୍ଦ୍ଦାକୁ । ଇଣ୍ଟରଭାଲ୍ ଯାଏଁ ଆମମାନଙ୍କ ଭିତରେ କିଛି ଆଳାପ ହୋଇ ନଥିଲା । ଫିଲିମ୍ଟା ଭଲ ଅଛି, ନୁହେଁ ଭାଇ ? ହଠାତ୍ ମୀରା ପଚାରିଲା ଇଣ୍ଟରଭାଲ୍ ବେଳେ । ମୁଁ କିଛି ଉତ୍ତର ଦେଲି ନାହିଁକି ସେମାନଙ୍କୁ ଚାହିଁଲି ନାହିଁ ।
ବୋଧ ହୁଏ ମୋର ଏଇ ନୀରବତା ଦେଖି ମୀରାର ମନରେ ଆଘାତ ହେଲା । ସେ ନିଶ୍ଚୟ ବୁଝି ପାରିଛି ମୋର ମନର କଥା । ମୋତେ ଅତି ସ୍ନେହରେ ଡାକିଲା, ଭାଇ ? ସେତିକିରେ ମୁଁ ଦୁର୍ବଳ ହୋଇଯାଏ ତା’ ନିକଟରେ । ମୀରାର ସେଇ ସ୍ନେହ ଡାକରେ ମୋର ସବୁ ରାଗ ସବୁ ସମୟରେ ଉଭେଇ ଯାଏ । ଏବେବି ତା’ର ସେଇ ଅଭିମାନ ଓ ସ୍ନେହ ମିଶ୍ରିତ ଡ଼ାକରେ ମୁଁ ତା’ ପାଖରେ ହାରିଗଲା । ମନେ ମନେ ହସିଲି । କିନ୍ତୁ ରାଗିଲା ପରି ଅଭିନୟ କରି କହିଲି, କଣ ?
କଥା ହେଉନା ଯେ । ଆମର ଆଗ ପଛ ସିଟ୍ରେ କେହି ନ ଥିଲେ, ହଲ୍ଟା ପ୍ରାୟ ଫାଙ୍କା ଥିଲା । କଣ କହିବି ? ମୁଁ କହିଲି ହଠାତ୍ ଶାନ୍ତ ହୋଇ । ଫିଲମ୍ଟା କେମିତି ଅଛି ମ ? ପଚାରିଲା ସେ । ନିହାତି ବାଜେ, ଥାର୍ଡ଼ କ୍ଲାସ । ହୁଁ, ତୁମକୁ ତ ସବୁ ଖରାପ ଲାଗେ । ଚାରିଆଡ଼କୁ ଦେଖି ନେଲା । ମୋର ପରିଚିତ ଲୋକ କିଏ ନ ଥିଲେ । ମନ ଟିକିଏ ଶାନ୍ତି ହେଲା । ଭାଇ ଶୋଷ ହେଉଛି । କହିଲା ମୀରା ଛୁଆଙ୍କ ପରି । ଆଇସ୍କ୍ରିମ୍ ବାଲାକୁ ଡାକି ତା’କୁ ଆଉ ସୁଚିତ୍ରାକୁ ଦୁଇଟା ଆଇସ୍କ୍ରିମ ଦେଲି ।
ତୁମକୁ ଶୋଷ ହେଉନି ? ପଚାରିଲା ମୀରା । ମୁଁ ହସି, ନାଇଁ କଲି । ମୁଁ ଖାଇବିନି ମୀରା । ଶୁଣିଲି ସୁଚିତ୍ରା କହୁଛି, ବୋତଲକୁ ତା’ ଆଡ଼କୁ ବଢ଼ାଇ । କାହିଁକି ମ ? । ମୁଁ ସଙ୍ଗେ ସଙ୍ଗେ କହିଲି ଓ ମୋର ଭୁଲ୍ ହୋଇଗଲା । ମୋର ମନେ ପଡିଲା ଟ୍ରେନ୍ରେ ମୁଁ ଜଳଖିଆ କଲିନାହିଁ ବୋଲି ସୁଚିତ୍ରା ଖାଇ ନଥିଲା । ମୁଁ ଖାଇବା ପରେ ଯାଇ ଖାଇଲା । ଆଇସ୍କ୍ରିମ୍ ବାଲାକୁ ଡାକି ଆଉ ଗୋଟିଏ ମାଗି ଖାଇଲି । ଲକ୍ଷ୍ୟ କଲି ଏବେ ବି ମୁଁ ଖାଇବା ପରେ ଯାଇଁ ସେ ଖାଇଲା ।
ମୀରା ଆମ ଦୁହିଁଙ୍କର କଥା ଦେଖି ହସି କହିଲା, ହୁଁ ତେବେ ଏତେ ଦୂର କଥା ଗଲାଣି ? । ମୋ ମୁହଁରେ ସାମାନ୍ୟ ହସ ଖେଳିଗଲା ତା’ କଥା ଶୁଣି । ମୁଁ ପଇସା ଦେବା ପୂର୍ବରୁ ମୀରା ଦେଇ ସାରିଥିଲା । ମୁଁ ଯେତେ କହିଲେ ବି ସେ ଶୁଣିଲା ନାହିଁ । ଜାଣ ଭାଇ, ଆଜି ତୁମେ ଚିତିର ଅତିଥି । ଚିତି ତୁମର ନୁହେଁ । ତେଣୁ ଅତିଥି ସତ୍କାର କରିବା ତା’ର କର୍ତ୍ତବ୍ୟ । କହିଲା ମୀରା ପ୍ରତିବାଦ କରି । ତେବେ ଆଗରୁ ଜାଣିଥିଲେ ତ ଆହୁରି କିଛି ଅଧିକ ଆଶା କରି ପାରିଥାନ୍ତି । ହସି କହିଲି ।
ଦେଖିଲି ମୋ କଥା ଶୁଣି ସୁଚିତ୍ରା ମୁରୁକି ହସୁଥିଲା । ଆଉ ଯାହା ଆଶା କରୁଛ ତାହା ବି ପାଇଯିବ, ଏମିତି ଅଥୟ ହୋଇ ଯାଉଛ କାହିଁକି ? ମୀରା ପରିହାସ କରି କହିଲା ସୁଚିତ୍ରାକୁ ଚାହିଁ । ସିଗାରେଟ ବାଲାକୁ ଡାକି ଦୁଇଖଣ୍ଡ ସିଗାରେଟ କିଣିଲି । ମୁଁ ପଇସା ଦେବାକୁ ଯିବାବେଳେ ମୀରା ମୋ ହାତକୁ ଟାଣି କହିଲା, ଆରେ ସେ କଣ କରୁଛ ଭାଇ । କିନ୍ତୁ ମୀରା, ତାଙ୍କ ଠାରୁ ମୁଁ ତ ସିଗାରେଟ୍ ଆଶା କରି ନଥିଲି । ମୁଁ ଥରେ ସୁଚିତ୍ରାକୁ ଚାହିଁ ମୀରାକୁ କହିଲି । ସେତେବେଳେ ସୁଚିତ୍ରା ମଧ୍ୟ ମୋତେ ଚାହିଁ ରହିଥିଲା, କିନ୍ତୁ ମୋର ଦୃଷ୍ଟି ତା’ ଉପରେ ଜମିଯିବା କ୍ଷଣି ସେ ତା’ର ଦୃଷ୍ଟିକୁ ଫେରାଇ ନେଲା ସାଙ୍ଗେ ସାଙ୍ଗେ ।
ମୁଁ ସିଗାରେଟ୍ ବାଲାକୁ ପଇସା ଦେଲି । ଚିତ୍ର ପୁଣି ଆରମ୍ଭ ହେଲା । କିନ୍ତୁ କାହିଁକି କେଜାଣି ଚଳଚିତ୍ର ଉପରେ ମୋର ଆଉ ଶ୍ରଦ୍ଧା ରହିଲା ନାହିଁ । ଅନେକ ସମୟ ମୁଁ ସୁଚିତ୍ରାକୁ ହିଁ କଣେଇ ଚାହୁଁଥିଲି । ଅବଶ୍ୟ ଆମ ଦୁହିଁଙ୍କ ମଝିରେ ମୀରା ବସିଥିଲା, ତେବେ ବି ସୁଚିତ୍ରାର ମୁହଁକୁ ମୁଁ ନିର୍ମଳ ଭାବରେ ଦେଖି ପାରୁଥିଲି । ମୁଁ ବି ଲକ୍ଷ୍ୟ କରିଛି, ସୁଚିତ୍ରା ମଧ୍ୟ ମୋ ଆଡ଼କୁ ଚାହୁଁଥିଲା । ଆଉ ମୀରା, ସେ ଚଳଚିତ୍ର ଦେଖିବାରେ ଏତେ ଭୋଳ ହୋଇ ଯାଇଥିଲା ଯେ ସେ ମୋଟେ ଜାଣି ପାରିନଥିଲା, ଏଇ ଅଳ୍ପ ସମୟ ଭିତରେ ସୁଚିତ୍ରା ଓ ମୋ ଭିତରେ କେବଳ ଦୃଷ୍ଟିରେ କେତେ ଆଳାପ ହୋଇ ଯାଇଛି ।
ସିନେମା ଶେଷ ହେଲା । ଚାଲି ଚାଲି ତାଙ୍କ ସାଙ୍ଗରେ ଗଲି ତାଙ୍କ ଘରେ ଛାଡ଼ି ଦେବାକୁ । ରିକ୍ସାକରିବା ପାଇଁ ମୀରା ମୋଟେ ରାଜି ହେଲା ନାହିଁ । ବାଧ୍ୟ ହୋଇ ଚାଲିକରି ଗଲୁଁ । ମୀରାକୁ ତା’ ଘରେ ଛାଡ଼ି ଦେଇ କହିଲି, ଏଥର ମୁଁ ଯାଉଛି । ଆରେ ! ଚିତି କେମିତି ଯିବ ? ସାଙ୍ଗେ ସାଙ୍ଗେ ମୀରା ପଚାରିଲା । ମୁଁ କିଛି କହିଲି ନାହିଁ । ସୁଚିତ୍ରାକୁ ମୀରା କହିଲା, ଅସୀମ ଭାଇଙ୍କ ସାଙ୍ଗେ ଚାଲି ଯା ଚିତି, ତୋତେ ଘରେ ଛାଡ଼ି ଦେଇ ସେଚାଲି ଯିବେ । ତା’କୁ ଛାଡ଼ି ଦେବାକୁ ଗଲେ ତୁମର କିଛି ଅସୁବିଧା ହେବ ଭାଇ ?
ଅସୁବିଧା କିଛି ନାହିଁ, ତେବେ । କଥାକୁ ଅଧା ରଖି ମୁଁ ସୁଚିତ୍ରାକୁ ଚାହିଁଲି । ମୁଁ ଯାଉଛି ମୀରା, ମୀରାକୁ କହି ସୁଚିତ୍ରା ମୋତେ ଚାହିଁ ଧୀରେ କହିଲା, ଚାଲନ୍ତୁ । ଥରେ ମୀରାକୁ ଚାହିଁ ସୁଚିତ୍ରା ପଛରେ ମୁଁ ଚାଲିଲି । ମୁଁ ଦେଖିଲି, ମୋର ସେଇ ବିଚିତ୍ର ପରିସ୍ଥିତିକୁ ଦେଖି ମୀରା ହସିଥିଲା । ଜୀବନରେ କେତେବେଳେ କେଉଁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ ତାହା ଆଗରୁ କେହି ଜାଣି ପାରେନି । ସେମିତି ଅହେତୁକ ପରିସ୍ଥିତିକୁ ସାମନା କଲି ମୁଁ ।
ନିର୍ଜନ ଅନ୍ଧକାରକୁ ଭେଦ କରିଆମେ ଦୁହେଁ, ସୁଚିତ୍ରା ଓ ମୁଁ ଚାଲିଛୁ । ମୋର ଉପସ୍ଥିତି ଆପଣଙ୍କୁ ଏତେ ଖରାପ ଲାଗିବ ବୋଲି ଆଗରୁ ଜାଣିଥିଲେ ମୁଁ ସିନେମା ଯିବା ପାଇଁ ମୀରାର କଥାରେ ଆଦୌ ରାଜି ହୋଇନଥାନ୍ତି । ହଠାତ୍ ରାସ୍ତାର ନୀରବତାକୁ ଚିରି କହିଲା ସୁଚିତ୍ରା । ସେଇଟା କିନ୍ତୁ ମୋର ଭୁଲ୍ ନୁହେଁ ଚିତ୍ରା, ପରିସ୍ଥିତିକୁ ଦେଖି ମୁଁ ସେଇ ସର୍ତ୍ତ କରିଥିଲି । ମୋତେ ତୁମେ ଭୁଲ୍ ବୁଝିଲ, ସେଥିପାଇଁ ବାସ୍ତବିକ୍ ମୋତେ ଦୁଃଖ ହେଉଛି । କହିଲି ମୁଁ ଦୁଃଖରେ । ମୁଁ ବୁଝିପାରିଲି ମୀରା ସୁଚିତ୍ରାକୁ ସବୁ କହିଛି । ସେଇ କଥାରେ ସୁଚିତ୍ରାର ମନରେ ଆଘାତ ହୋଇଛି ।
ତା’ ନହେଲେ ମୋତେ ଏତେ ଭୟ କରିବାର କାରଣ କଣ, ଆପଣଙ୍କର ସମ୍ମାନରେ ଯଦି କିଛି । ନାହିଁ ଚିତ୍ରା ନାହିଁ । ମୋତେ ବିଶ୍ୱାସ କର ମୋର ସେମିତି କିଛି ଉଦ୍ଦେଶ୍ୟ ନଥିଲା ଯାହାକୁ ଦେଖି ତୁମେ ମୋତେ ଭୁଲ୍ ବୁଝୁଛ । ସମସ୍ତେ ସବୁବେଳେ ମୋତେ ଭୁଲ୍ ବୁଝି ଆସିଛନ୍ତି, ତୁମେ ମଧ୍ୟ ମୋତେ ଭୁଲ୍ ବୁଝୁଛ । ଏଥିରେ ମୁଁ ଆଶ୍ଚର୍ଯ୍ୟ ହେଉନି । ମୋର ସେଇ ଦୁର୍ବଳତା ରହିଯାଇଛି ଚିତ୍ରା, ମୁଁ କେବେ କାହାକୁ ମୋର ମନର କଥାକୁ ଭଲ ଭାବରେ ବୁଝାଇ କହି ପାରୁନି । କିଏ ମୋର ସେଇ ଦୁର୍ବଳତା ଯୋଗୁଁ ମୋର ମନର କଥାକୁ ଆଜି ଯାଏଁ ବୁଝି ପାରୁନାହାନ୍ତି । ଯଦି ତୁମ ମନରେ କିଛି କଷ୍ଟ ହୋଇଥାଏ ତେବେ ମୋତେ କ୍ଷମା କର ଚିତ୍ରା, ମୁଁ ।
ମୁଁ କହି ଚାଲିଥିଲି କିନ୍ତୁ ହଠାତ୍ ମୋ କଥା ମୋର ଗଳାରେ ଅଟକି ଗଲା । ଦେଖିଲି, ସୁଚିତ୍ରା ଅଟକି ଯାଇଛି । ଅନ୍ଧାରରେ କିଛି ଦେଖି ହେଉ ନଥିଲା କି ଜାଣି ହେଉ ନଥିଲା । ତେବେ ବି ମୁଁ ଚେଷ୍ଟା କରୁଥିଲି ତା’କୁ ଦେଖିବା ପାଇଁ । ଜାଣି ପାରିଲି, ସେ ଛିଡ଼ା ହୋଇ କାନ୍ଦୁଛି । ତା’ର କାନ୍ଦକୁ ଦେଖି ମୁଁ ବିଚଳିତ ହେଲି ନାହିଁ । ତେବେ ବି ମୋତେ କିଛି ସମୟ ପାଇଁ ସେ ଅବାକ୍ କରିଦେଲା । ଅନ୍ଧାର ଜନହୀନ ରାସ୍ତା । ସେଠାରେ କେବଳ ସେ ଓ ମୁଁ । ତା’ ପାଖକୁ ଯାଇ ତା’ କାନ୍ଧ ଉପରେ ମୋର ବାଁ ହାତକୁ ରଖି ତା’ର ଆଖିକୁ ପୋଛି ଦେଇ କହିଲି, ଚିତ୍ରା ।
ସେ ମୋର ମୁହଁକୁ ଚାହିଁଲା କରୁଣ ଦୃଷ୍ଟିରେ । କିଛି ସମୟ ମୋତେ ଦେଖି କହିଲା; ଆପଣଙ୍କୁ ମୁଁ ଭୁଲ୍ ବୁଝିଲି ବୋଲି ଆପଣଙ୍କୁ କଷ୍ଟ ହୋଇଛି ନା । ନାହିଁ ଚିତ୍ରା; ମୋର କିଛି ହେଇନି । ତୁମେ କାନ୍ଦିଲେ ମୋର ଆହୁରି କଷ୍ଟ ହେବ । ନିଜକୁ ଆୟତ କରି ନ ପାରି ଖୁବ୍ ଜୋର୍ରେ ଚାପି ଧରିଲି ତା’କୁ ମୋର ଛାତି ତଳେ । ଦୁଇ ମିନିଟ୍ ପ୍ରାୟ ବିତିଗଲା । ମୋର ସେତେବେଳେ ଖିଆଲ ରହିଲା ନାହିଁ ଯେ ଆମେ ଦୁହେଁ ରାସ୍ତା ଉପରେ ଛିଡ଼ା ହୋଇ ରହିଛୁ । ଅସୀମ୍ ବାବୁ । ଉଁ... ;ମୁଁ ଚମକି ଉଠିଲି ତା’ର ଡ଼ାକରେ । ପରିସ୍ଥିତିକୁ ଦେଖି ଲାଜରେ ମୁହଁ ତଳକୁ କରି ଦେଇ ତା’କୁ ଅଲଗା କରିଦେଲି ।
ତା’ ଘର ପହଞ୍ଚି ଯିବାରୁ ମୁଁ ତା’ ଡାହାଣ ହାତକୁ ଧରି କହିଲି, ଗତ କଥା ସବୁ ଭୁଲିଯାଅ ଚିତ୍ରା, ମୋତେ ବୁଝିବାକୁ ଚେଷ୍ଟା କର । କାଲି ସନ୍ଧ୍ୟାବେଳେ ମୋ ସାଙ୍ଗେ ଦେଖାକରି ପାରିବ ? କେଉଁଠି ? ଆପଣ କୁହନ୍ତୁ । ସମୁଦ୍ର କୂଳରେ ଦେଖା ହୋଇ ପାରିବ ଚିତ୍ରା ? । ମୁଁ ଠିକ୍ ଛଅଟା ବେଳେ ତୁମ ପାଇଁ ଅପେକ୍ଷା କରିଥିବି ପୁରୀ ହୋଟେଲ ପାଖରେ । ତା’ ପରେ ମୁହଁକୁ ଥରେ ଭଲ ରୂପେ ଦେଖିକରି କହିଲି, ଯାଅ । ମୋତେ ନମସ୍କାର କରି ସେ ଚାଲିଗଲା । କିଛି ସମୟ ତା’ର ଯିବା ରାସ୍ତାକୁ ଚାହିଁ ଘରକୁ ଫେରିଲି ।